ପୃଷ୍ଠା:Amari matir amar shaheed.pdf/୩୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

( ୩୪ )

ସୁଭାଷ ଘରକୁ ଫେରିଲେ । ବାପା ମାଆ, ସାଇପଡ଼ିଶା ସମସ୍ତଙ୍କ ମନରେ ଅପୁର୍ବ ଆନନ୍ଦ । ଆଇ.ସି.ଏସ୍. ପାସ୍ କରି ବଡ଼ ହାକିମ ହେବା ତ ସେତେବେଳେ କମ କଥା ନୁହେଁ ! କ୍ଷମତା ଆଉ ମାନ ସମ୍ମାନର ସୀମା ନାହିଁ । ସତକୁ ସତ ବିଲାତରୁ ଫେରିବା ମାତ୍ରେ ତାଙ୍କୁ କଟକ ଜିଲାର କଲେକ୍ଟର କରି ଦିଆଗଲା । ତାଙ୍କୁ ପୁଣି ସରକାର ଅଧିକ ତାଲିମ ପାଇବାକୁ ପଠାଇଲେ ।

ସୁଭାଷ ବୋଷ ବିଲାତରେ ତାଲିମ ପାଇଲା ବେଳେ ତାଙ୍କୁ ଅନେକ ବ‌ହି ପଢ଼ିବାକୁ ଦିଆଗଲା । ସେଥିରୁ ଗୋଟିଏ ବ‌ହିରେ ଭାରତୀୟ ସିପାହୀ ଅସାଧୁ ବୋଲି ଲେଖଥିଲା । ତାକୁ ପଢ଼ି ତାଙ୍କର ରାଗ ପଞ୍ଚମକୁ ଉଠିଲା । ସେ ସଙ୍ଗେ ସଙ୍ଗେ ତାଲିମ କେନ୍ଦ୍ରର ଅଧ୍ୟକ୍ଷଙ୍କୁ ସେଇ ବାକ୍ୟଟି ଦେଖାଇ ତାର ପ୍ରତିବାଦ କଲେ ।

ମାତ୍ର ଅଧ୍ୟକ୍ଷ କ‌ହିଲେ- ଆଗରୁ ତ ଅନେକ ଭାରତୀୟ ଏଇ ବ‌ହି ପଢ଼ି ତାଲିମ ପାଇ ଫେରିଗଲେ, କେହି ଆପତ୍ତି କଲେ ନାହିଁ । ତୁମେ ଏତେ ହଲ୍ଲା କରୁଛ କାହିଁକି ।

ସୁଭାଷ ଉତ୍ତର ଦେଲେ-କିଏ ଆଗରୁ କ‌ହିଛନ୍ତି କି ନାହିଁ, ମୁଁ ଜାଣିନି । ହେଲେ ଏହି କଥା ମୋର ଦେଶ ପ୍ରତି ଅପମାନ । ତେଣୁ ଏହି ବ‌ହିରୁ ବାକ୍ୟଟିକୁ ଉଠାଇ ଦିଆଯାଉ ।

ଅଧ୍ୟକ୍ଷ କ‌ହିଲେ- ଏବେ ତ କ‌ହିଲା ମାତ୍ରେ ବ‌ହିରୁ ଉଠିଯାଇ ପାରିବ ନାହିଁ । ଆର ଥର ଛପା ହେଲାବେଳକୁ ଉଠାଇ ଦିଆଯିବ ।

ସୁଭାଷ କିନ୍ତୁ ଜିଦ୍ ଧରି ବସିଲେ । ବ‌ହିରୁ ବାକ୍ୟଟି ଉଠିଲେ ସେ ତାଲିମ ପାଇବେ । ନହେଲ ନାହିଁ ।

ଅଧ୍ୟକ୍ଷ ଦୃଢ଼ ସ୍ୱରରେ କ‌ହିଲେ-ଇଂରେଜ ସରକାରଙ୍କ ଅଧୀନରେ ଚାକିରୀ କରିଛ । ତାଲିମ ନେବାକୁ ହେବ । ନ‌ଚେତ୍ ହାକିମ ଚାକିରୀଟି ଯିବ ।

ସୁଭାଷ ସେମିତି ଟାଣ ସ୍ୱରରେ କ‌ହିଲେ-ଆଇସିଏସ ଚାକିରୀ ଯାଉ ପଛେ ମୁଁ ମୋ ଦେଶର ଅପମାନ ସ‌ହି ପାରିବି ନାହିଁ ।