"ଗ" - ଗୁମାନ କରିବା ବୃଥା ରେ ସଙ୍ଗିନୀ

ଉଇକିପାଠାଗାର‌ରୁ
ପ୍ରେମୋଦୟ ଚମ୍ପୂ ଲେଖକ/କବି: ବଳଦେବ ରଥ
ଗୁମାନ କରିବା ବୃଥା ରେ ସଙ୍ଗିନୀ

ଗୁମାନ କରିବା ବୃଥା ରେ ସଙ୍ଗିନୀ
(ରାଗ: ଗୁର୍ଜରୀ : ନିଃସାରୀ)

ଗୁମାନ କରିବା ବୃଥା ରେ ସଙ୍ଗିନୀ, ଗୁମାନ କରିବା ବୃଥା
ଗତି ତ ନ ଥିବ ଘନଶ୍ୟାମ ବିନୁ ଖଣ୍ଡିବାକୁ କାମବ୍ୟଥା । ଘୋଷ ।

ଗରବ ପରବ ଚନ୍ଦ୍ରମାକୁ ନିନ୍ଦେ
ଯେଉଁ ଶୀରିମୁଖ ଦ୍ୟୁତି ।
ଗଲେ ଯିବ ପଛେ ଜୀବ, ଆଉ ଥରେ
ଦେଖିବାକୁ ବଳେ ମତି । ୧ ।

ଗଗନ ମଣି-ତନୟାତଟଚାରୀ
ବାରିରୁହ ଚାରୁନେତ୍ର ।
ଗାଢ଼ ପରିରମ୍ଭ ବିନା ସଖି, ଦମ୍ଭ
ଭଜିପାରେ କି ମୋ ଗାତ୍ର । ୨ ।

ଗୁରୁ ହେଲାନି ପିନ୍ଧିବା ସରୁବାସ
ବାସରେ ନ ରହେ ମତି ।
ଗୋଟିଏ ବାସର କଳପ ମଣଇଁ
ଦେଖି ବାସନ୍ତିକ ରୀତି । ୩ ।

ଗରଳ ପରି ଉପବନ ପବନ
ଲାଗୁଅଛି ମୋତେ ସଖି ।
ଗଲାଟି ଜୀବନ ଭଣେ ଜଗଦ୍ଦେବ
ଆଉ ନ ପାରେ ମୁଁ ରଖି । ୪।