"ଧ" - ଧିକ ଧିକ ମନ୍ଦବିଧି ଅପସନ୍ଦ

ଉଇକିପାଠାଗାର‌ରୁ
ଚୌପଦୀ ରତ୍ନାକର ଲେଖକ/କବି: କବିସୂର୍ଯ୍ୟ ବଳଦେବ ରଥ
ଧିକ ଧିକ ମନ୍ଦବିଧି ଅପସନ୍ଦ

ଧିକ ଧିକ ମନ୍ଦବିଧି ଅପସନ୍ଦ
(ରାଗ: କେଦାର)

ଧିକ ଧିକ ମନ୍ଦବିଧି ଅପସନ୍ଦ ନାରୀଜନ୍ମ ନ ନବାରିବାର,
ଧିକ ଅବିବେକ ମୋ ପରି ଗୁଡ଼ାକ କେଡ଼େ ନିର୍ଲ୍ଲଜ ସେ ପାରିବାର । ପଦ ।

ଧମକ ସ୍ଫୁରଣ ହୁଅନ୍ତେ ତରୁଣଚରଣୁ ଅନ୍ୟକୁ ନ ଲଭି ଶରଣ ଗୋ,
ଧୂର୍ତ୍ତ ଅଚରଣ ଧୁରନ୍ଧର ଗୁଣ ଚାଟୁ କ୍ଷଣରେ ବାହାରିବାର । ୧ ।

ଧାଇଁ ଧାଇଁ ଦୂତୀମନ୍ଦିରକୁ ରାତି ପଦେ ଲକ୍ଷାଦ୍ୟୁତି ନ ଲଭଇ ସ୍ଥିତ,
ଧାତାବଶୁଁ ପ୍ରୀତି ଘଟିଲେ ଉନ୍ନତି ବହି ଚେଳାଞ୍ଚଳ ମାରିବାର । ୨ ।

ଧର ଧନୁର୍ବାଣ ସ୍ମର ସତେ ପ୍ରାଣ ନେବା ପରି ଡରି ଧରି ଦନ୍ତେ ତୃଣ,
ଧରାରେ ତରୁଣ-ଶିର ଅବରଣ ଲୁଟାଇଲେ ନ ପଚାରିବାର । ୩ ।

ଧରି ଧରି ବଳେ କରୁଥିଲେ କୋଳେ ଧରାଧରୁଁ ବଳେ ଧଇର୍ଯ୍ୟ ନିଶ୍ଚଳେ,
ଧାନେ ଊଣା ତୁଳେ ହେଲେ ସ୍ନେହ ଖେଳେ କ୍ଷଣକେ ବିନୟ ଚାରିବାର ।୪।

ଧନ୍ୟ ଧୃତିସାର ସୁପୁରୁଷଙ୍କର ପ୍ରସାଦୁ ସଂଭୂତ ସେ ଶଙ୍କରଙ୍କର,
ଧରଣୀନିର୍ଜର କବିରବି ଛାର ଗୁଣି ତାଙ୍କୁ ନ ଜୁହାରିବାର । ୫।