Jump to content

"ବ" - ବନ୍ଧୁ ମୋ କାହୁଁ କିସ ଶୁଣିଲା ରେ

ଉଇକିପାଠାଗାର‌ରୁ
ଚୌପଦୀ ରତ୍ନାକର ଲେଖକ/କବି: କବିସୂର୍ଯ୍ୟ ବଳଦେବ ରଥ
ବନ୍ଧୁ ମୋ କାହୁଁ କିସ ଶୁଣିଲା ରେ

ବନ୍ଧୁ ମୋ କାହୁଁ କିସ ଶୁଣିଲା ରେ
(ରାଗ: କଲ୍ୟାଣ)


ବନ୍ଧୁ ମୋ କାହୁଁ କିସ ଶୁଣିଲା ରେ,
ବିଷ ତୁଲ୍ୟ ତ ମୋତେ ମଣିଲା ରେ,
ବଚନ ନ କହିଲା ବିନୟ ନ ସହିଲା,
କି ହେଲା, ମହିଳାବର ରୁଷି ରହିଲାରେ । ଘୋଷା ।

ବସନ୍ତକାଳ, ବିଚ୍ଛେଦରେ ଏ କାଳ,
ବହଇ ମଳୟାନିଳ, ବିଯୋଗୀ ପ୍ରଳୟାନଳ,
ବିପକ୍ଷ ସଙ୍ଗରେ ତ ଗଣିଲାରେ । ୧ ।

ବାଳାବର ସେ, ବେଳେ ମୋରେ ନ ରୁଷେ,
ବିବେକ ନ କରି ଲେଶେ,ବିଳସିବାର ହରଷେ,
ବରଜି ଏ ଦୁର୍ଯୋଗ କିଣିଲାରେ । ୨ ।

ବିଡ଼ିଆ ବିଡ଼ି, ବଢ଼ାଇଲି ସଜାଡ଼ି,
ବାତ୍ସଲ୍ୟପୀୟୂଷ ଇଡ଼ି, ବସିଲା ଶ୍ରୀମୁଖ ମୋଡ଼ି,
ବକ୍ରନାଳକଞ୍ଜକୁ ଜିଣିଲାରେ । ୩ ।

ବିକଳ ହୋଇ, ବହୁ ଅଶ୍ରୁ ବୁହାଇ,
ବଦନବିଧୁ ନୁଆଇଁ, ବରତୁଳସ୍ତନେ ଥୋଇ,
ବରୁଣାଦ୍ରି ଚନ୍ଦ୍ରକୁ ଟାଣିଲାରେ । ୪ ।

ବିଅର୍ଥେ ଦିନ, ବଞ୍ଚାଉଛି ମୋ ଧନ,
ବିଷମ ଏ ଯଉବନ, ବିଜୁଳିଠାରୁ ଜବନ,
ବଳଦେବ କବୀନ ଭଣିଲାରେ । ୫ ।