ଅଣାକାର ବ୍ରହ୍ମ ସଂହିତା

ଉଇକିପାଠାଗାର‌ରୁ
ଅଣାକାର ବ୍ରହ୍ମ ସଂହିତା
ଲେଖକ/କବି: ଅଚ୍ୟୁତାନନ୍ଦ ଦାସ

(ଗୁଣସାଗର ବୃତ୍ତେ)
( ୧ )
ଜୟ ଜୟ ପ୍ରଭୁ ଜଗତ ଈଶ୍ଵର ନମସ୍ତେ କରୁଣା ସାଇଁ ।
ନମୋ ବିଶ୍ଵେଶ୍ଵର ନମୋ ଦୟାନିଧି ମହିଁମା କେ ପାରୁ କହି ।।
ଅବ୍ୟୟ ବ୍ରହ୍ମ ଅବିନାଶୀ ମୋହରେ ସୁଦୟା କରିବ ବାରେ ।
ଅନେକ ଯୋଗୀ ଯା ଖୋଜି ନ ପାଇଲେ ସେ ଜ୍ଞାନ କହିବ ମୋରେ ।।
ରାମକୃଷ୍ଣ ଦାସ ବିନୟ ଦେଖିଣ ଶ୍ରୀକୃଷ୍ଣ ପାଦରେ ଧ୍ୟାନ ।
ପାମର ଅଚ୍ୟୁତ ପଦ୍ମପାଦେ ଆଶ କହଇ ସେ ବ୍ରହ୍ମଜ୍ଞାନ ।।

( ୨ )
ଶ୍ରୀଗୁରୁ ଚରଣେ ବିନୟ ହୋଇଣ କହଇ ସେ ରାମଦାସ ।
ଉଦ୍ଧାର କର ହେ ମହାପ୍ରଭୁ ବାରେ ଫିଟାଇଣ ମୋହ ପାଶ ।।
ଚରଣେ ପଡ଼ିଣ ପ୍ରଦକ୍ଷିଣ କରି ବୋଲେ ବ୍ରଜ ରାମଦାସ ।
ପୂଜା ଅକ୍ଷିତ ଯେ ଶ୍ରୀଫଳ ଘେନିଣ ଭକ୍ତଭାବେ ହୋଇ ଆସ ।।
ବୋଲଇ ଭୋ ଦେବ ଗୁରୁ ପରଂବ୍ରହ୍ମ ଉଦ୍ଧାର କରିବ ମୋତେ ।
ତୁମ୍ଭ ଶ୍ରୀଚରଣେ ଶରଣ ମୋହର ବିନୟ ମୋ ଅନୁବ୍ରତେ ।।
ନାମ ବ୍ରହ୍ମ ମୋତେ ବୁଝାଇ କହିବ ସଂଶୟ ମନୁ ଦହିବ ।
ତୁମ୍ଭ ଶ୍ରୀଚରଣେ ନିଶ୍ଚଳ ହୋଇଣ ମୋ ମାନସ ବିହରିବ ।।
ଦୀନ ଅଚ୍ୟୁତର ପଦ୍ମପାଦେ ଚିତ୍ତ ରାମକୁ ପାଶେ ବସାଇ ।
ଶୁଣ ହେ ରାମ ଯା ପଚାରିଲୁ ତୁହି କହିବା ତୋ ଆଗେ ଫେଇ ।।

( ୩ )
ଯାହା ପଚାରିଲୁ ବରଜ କୁମର ବ୍ରହ୍ମର ତତ୍ତ୍ଵଟି ସେହୁ ।
ବିଶେଷି ତୋ ଆଗେ ଥୋକାଏ କହିବା ନାମବ୍ରହ୍ମ ବୋଲି ଯେହୁ ।।
ଆଗେ ହେଲା ନାମ ପଛେ ହେଲା ବ୍ରହ୍ମ ନାମଟି ସବୁରି ମୂଳ ।
ନାମଟି ଜଗତେ ବ୍ୟାପିଣ ଅଛଇ ନାମଟି ସକଳ ଠୂଳ ।।
ନାମଟି ଯେ ତତ୍ତ୍ୱ ନାମଟି ସେ ସତ୍ୟ ନାମଟି ନିଜ କରତା ।
ନାମଟି ଯେ ଯୋଗ ଭୋଗ କରୁଥାଇ ନାମ ହିଁ ସବୁ ହରତା ।।
ନାମକୁ ଭେଦିଲେ ଧନ୍ଦା ତୁଟି ଯିବ ଫିଟିବ ନାମ ଅର୍ଗଳି ।
ନାମକୁ ଭେଟିଲେ ବ୍ରହ୍ମକୁ ଦେଖିବୁ ତୁମ ପୁର ଯିବୁ ବଳି ।।
ନାମ ଗଲେ ରୂପ ନ ଛୁଇଁବେ କେହି ନାମ ଥିବାଯାଏ ଭଲ ।
ନାମ ଗଲେ ରୂପ ବିଅର୍ଥ ହୋଇବେ ରୁପକୁ ମଣିବେ ଶଲ ।।
ଗୀତା ଭାଗବତ ପୁରାଣ ଆଦି ସେ ସବୁରି ମୂଳଟି ନାମ ।
ନାମରୁ ଯେ ରୂପ ଅଟଇ ନିୟତ ଅନାମ ବୋଲି ହୋରାମ ।।
ଅନାମ ଅଣ ଅକ୍ଷର ବୋଲି ଜାଣ ନାମତତ୍ତ୍ଵ ବୋଲି ତାକୁ ।
ଅନାଦି ଅନନ୍ତ ଅବ୍ୟକତ ବ୍ରହ୍ମ ନ ଜାଣି ତହିଁ ପରକୁ ।।
ଯେସନେ ସାଗରେ ସର୍ବ ଜନ୍ତୁମାନେ ମିଳନ୍ତି ଯଥା କାଳରେ ।
ସେ ନାମରୁ ରୂପ ସଂହରି ରହିବ ଯଥା ବରୁଣ ଆଳରେ ।।
ସେ ଯେ ସିନ୍ଧୁ ଜଳ ତହିଁ ସର୍ବ ମେଳ ସକଳ ତତ୍ତ୍ୱଟି ସେହୁ ।
ସର୍ବ ଆଦିମୂଳ ପରମ ମଙ୍ଗଳ ଅଣାକାର ବୋଲି ଯେହୁ ।।
ଅଣାକାରଟି ଆକାରରେ ମିଶିଲେ ତହିଁରୁ ରୂପ ପ୍ରକାଶ ।
ଅନାମିକାକୁ ଅଣାକାର ବୋଲି ଆକାରୁ ରୂପ ପ୍ରକାଶ ।।
ସର୍ବ ନାମ ମୂଳ ଅନାମରେ ଠୂଳ ଅନାମିକା ବୋଲି ନାମ ।
ତୋ ଆଗେ କହିଲୁ ବରଜ କୁମର ଆଶ୍ରୟ ଯେ ସର୍ବ ନାମ ।।
ନାମକୁ ପାଇଲେ ରୂପ ଲୋଡ଼ାନାହିଁ ସବୁ ରୂପ ଯହିଁ ଠୂଳ ।
ନାମକୁ ଚିହ୍ନିଲେ ଧନ୍ଦା ଫିଟିଯିବ ସବୁ ନାମର ଏ ମୂଳ ।।
ସବୁ ପରେ ନାମ ଥାଇ ନ ମିଶିଲା ରୂପରେ କରିଛି ବାସ ।
ଅବ୍ୟୟ ଅନାଦି ଅବିନାଶୀ ବ୍ରହ୍ମ ସର୍ବ ରୂପରେ ପ୍ରକାଶ ।।
ତାହା କହିଦେବା ବରଜ ନନ୍ଦନ ସାଧୁଙ୍କ ସଙ୍ଖାଳି ଧନ ।
ତୁ ଯେଣୁ ଆମର ଆତ୍ମା ଯେ କହିଲୁ ଶୁଣ ବାବୁ ଦେଇ ମନ ।।
ସେ ନାମ ଜଗତେ ଯେମନ୍ତ ପୂରିଛି କେ ଜାଣେ ତହିଁର ଗତି ।
କେବଳ ଗୁରୁ ଆଜ୍ଞା ମୋତେ କହିବା ଶୁଣ ଦେଇ ହେତୁ ମତି ।।
ବକ ଯେସନେ ଇନ୍ଦ୍ରିଗଣ ନିରୋଧି ନିଶ୍ଚଳ ଧ୍ୟାନରେ ରହି ।
ମୀନ ପଡ଼ିଲେଣି ଝାମ୍ପିଣ ଧରଇ ତେସନ ଯେବେ ହୁଅଇ ।।
ଏ ମନକୁ ନେଇ ନିଶ୍ଚଳେ ରଖିଲେ ସକଳ ସୁଖ ପାଇବୁ ।
ନାମ ତତ୍ତ୍ଵରୁ ଯେ ଅରୁପାନନ୍ଦର ନିବାସ ସଦା ଚାହିଁବୁ ।।
ସେ ନାମ ମହିଁମା ଶୁଣ ବ୍ରଜମଣି ଜଗତରେ ଅଛି ପୂରି ।
ଅଣ ଅକ୍ଷରକୁ ଭକ୍ଷିଲେ ସେ ନାମ ବ୍ରହ୍ମକୁ ଯେ ଠାବ କରି ।।
ସେ ନାମ ବାଜୁଛି ସକଳେ ସାଜିଛି କାହିଁରେ ଅଛଇ ରାଜି ।
ତାହା ନଥିଲା ହୋଇଣ ପଦ ନାହିଁ ସବୁଠାରେ ନାମ ସାଜି ।।
ବାଜୁଛି ନାମ ଯେ ତୋଠାରେ ଦେଖିବୁ ନିଶ୍ଚଳ ନୁହେଟି ସେହି ।
କୀଟ ପତଙ୍ଗ ପିମ୍ପୁଡ଼ି ଆଦି ମୃଗ ସବୁଠାରେ ନାମ ଥାଇ ।।
ସାଜିଅଛି ନାମ ଯେ ତୋଠାରେ ରାମ ଚଳ ଅଚଳଟି ସେହୁ ।
ଜୀବ ସ୍ଵରୁପେ ବିଜୟ ନାମ ବୃତ୍ତି ଗଜା ଅଙ୍କୁରଇ ତହୁଁ ।।
ସାଜିଅଛି ନାମ ଯେତେଠାରେ ସୂଷ୍ମ ଅସ୍ଥି ଚର୍ମ କାଷ୍ଠ ତୃଣ ।
ଗଜା ନ ଅଙ୍କୁରି ଇଚ୍ଛାଏ ଚଳଇ ତହିଁ ନାମ ଥାଇ ପୁଣ ।।
ସାଜିଅଛି ନାମ ଅନଳରେ ଦେଖ ପଡ଼ିଲେ ସେ ଜଳି ଯାଇ ।
ଜଳ ସ୍ଥଳରେ ଯେ ନାମ ସାଜିଅଛି ନିଶ୍ଚଳେ ନିଶ୍ଚଳ ଥାଇ ।।
ସାଜିଛି ନାମଟି ଲୋହ ବାଜଣାରେ ପବନେ ଅଛଇ ବାଜି ।
ବିନା ଚାଲିବାରେ ପବନ ଚାଲଇ ନାମ ଠାବକର ଖୋଜି ।।
ଏହିରୂପେ ନାମ ଜଗତେ ପୁରିଛି ରୂପକୁ ଜାଣନ୍ତି ସର୍ବ ।
ବ୍ରହ୍ମ କେହି ଯେ ଭେଦି ନ ପାରନ୍ତି ବହିଥାନ୍ତି ମନେ ଗର୍ବ ।।
ଏକ ବ୍ରହ୍ମ ଦେଖ ଜଗତେ ପୂରିଛି ନାମ ରୂପରେ ଅଶେଷ ।
ନାମକୁ ଚିହ୍ନିଲେ ଧନ୍ଦା ତୁଟିଯିବ ଶୁଣ ତୁ ହୋ ରାମଦାସ ।।
ଚମ୍ପା ନାଗେଶ୍ଵର ପୁନ୍ନାଗ ବକୂଳ ମନ୍ଦାର ପାରିଜାତକ ।
ଆମ୍ଵ ନିମ୍ଵ ଆଦି କଦମ୍ଵ ସହିତେ ନଟୀକାଳ ଦିଓସେକ ।।
ଏଥିରେ ନାମବ୍ରହ୍ମ ପୂରି ରହିଛି ଅନାମିକା ଠାବ କର ।
ତୃଣ ଆଦିକରି ଯେତେ ତରୁବର ମିଶାଇଣ ନାମେ ଧର ।।
ଖଗ ମୃଗ ଗଜ ଶୂକର ସହିତେ ଏ ନାମେ ନାମ ମିଶିଛି ।
ମାତା ପିତା ପୁତ୍ର ଇଚ୍ଛା ବନ୍ଧୁ ମିତ୍ର ଯହିଁରେ ଯେମନ୍ତ ଗଚ୍ଛି ।।
ଏ ନାମକୁ ଯେବେ ଚିହ୍ନି ତୁ ପାରିବୁ ମନରୁ ସଂଶୟ ଯିବ ।
ନାମ ଭଜିଲେ ନାରାୟଣ ଦେବତା ନିରତେ ସୁଦୟା ଥିବ ।।
ଓଁ କାର ଠାବରୁ ଯେତେ ମନ୍ତ୍ର ସାର ସବୁ ଏଥିର ଭିତରେ ।
ଅବୋଧ ମନ ଏଥି ବୋଧ ହୁଅଇ ରହିଲେ ଏହି ତତ୍ତ୍ଵରେ ।।
ନାନା ପାତକ କରିଥିଲେ ତରଇ ଏ ନାମେ ରହିଲେ ମଜ୍ଜି ।
ସକଳ ଦୁଷ୍କୃତମାନ ନାଶ ଯାଇ ଅଣାକାର ଯେବେ ଭଜି ।।
ଅଖିଳ କୋଟିଏ ବ୍ରହ୍ମାଣ୍ତ ମଧ୍ୟରେ ଅଣଅକ୍ଷରଟି ସାର ।
ଅନେକ ଯୋଗରେ ସେ ଅଟେ ଗୁପତ ଅଟଇ ଗୁରୁ ଭଣ୍ତାର ।।
ପୂର୍ବେ କେଉଁ ତପ କରିଥିଲି ମୁହିଁ ଶ୍ରୀକୃଷ୍ଣ କରୁଣା କଲେ ।
କହ୍ନା ଅବତାରେ କମଳଲୋଚନ ଶ୍ରୀମୁଖେ ମୋତେ ବୋଇଲେ ।।
ସୁଦାମ ନାମ ଅଟଇ ଯେ ମୋହର ଶ୍ରୀକୃଷ୍ଣ କରୁଣା ତେଣୁ ।
କଳିଯୁଗରେ ଯେ ପାମର ଅଚ୍ୟୁତ ମୋ ନାମ ଅଟଇ ଯେଣୁ ।।

( ୪ )
ଆପଣେ ଅନାଦି ଅବ୍ୟକତ ବ୍ରହ୍ମ ଶ୍ରୀଗୁରୁ ରୂପରେ ଆସି ।
ଓଡ଼ଦେଶ ତାଙ୍କ ଅଖଣ୍ତିତ ବେଶ ଦିଶନ୍ତି ବ୍ରହ୍ମ ତପସ୍ଵୀ ।।
ପଶ୍ଚିମ ବଟ ପାରୁଶରେ ବସିଣ ଶ୍ରୀକୃଷ୍ଣ ନାମ କହିଲେ ।
ଶ୍ରୀ ଦିବ୍ୟାନନ୍ଦ ଯେ ବୋଲିଣ ସେ ନାମବ୍ରହ୍ମକୁ ବୋଲି ବୋଇଲେ ।।
ଆପେ ପରଂବ୍ରହ୍ମ ସୁଦୟା କରିଣ ବୋଇଲେ ଶ୍ରୀମୁଖେ ତେଣୁ ।
ଶ୍ରୀଗୁରୁ ବ୍ରହ୍ମକୁ ଚିହ୍ନି ପାରିଣ ମୁଁ ପାଦରେ ପଡ଼ିଲି ଯେଣୁ ।।
ପ୍ରସନ୍ନ ହୋଇଣ ବୋଇଲେ ସେ ମୋତେ ଆମ୍ଭେ ଯେ ସେ ଗୁରୁ ଅଟୁ
ବ୍ରହ୍ମାନନ୍ଦ ଆମ୍ଭ ଶ୍ରୀଗୁରୁଙ୍କ ନାମ ଅଇଲୁ ବରାଧି ତଟୁଁ ।।
ତାହା ଶୁଣି ମୁଁ ଯେ ଚରଣେ ପଡ଼ିଲି ବୋଇଲି କୃପା କରିବ ।
ପୂର୍ବ ଜନ୍ମର ମୋ ସୁଗତି ଦେଇଣ ଦୂରିତ ମୋ ନ ରହିବ ।।
ଏମନ୍ତ ଜଣାଇ ଚରଣେ ପଡ଼ିଲି ସୁଦୟା ମୋଠାରେ କଲେ ।
ଅଣଅକ୍ଷର ଉପଦେଶ ଦେଇଣ ଅନ୍ତର୍ଦ୍ଧାନ ହୋଇ ଗଲେ ।।
ସ୍ଫୁରିଲା ଶବଦ ସକଳ ମୋ ଭେଦ କର୍ମ ବାସନା ତୁଟିଲା ।
ପାମର ଅଚ୍ୟୁତ ତେଣୁକରି ପାଦ ପଦ୍ମରେ ବାନା ଲୋଟିଲା ।।

( ୫ )
ଜାଣ ରାମ ଦାସ ଯେତେ ଉପଦେଶ ସବୁରି ମୂଳଟି ନାମ ।
ନାମକୁ ଭଜିଲେ ନାହିଁ କାଳ ଭୟେ ନ ଦଣ୍ତିବ ଆଉ ଯମ ।।
ଯମ ଦଣ୍ତକୁ ମୋହର ଭୟ ନାହିଁ ଆଗହୁଁ ମୃତ୍ୟୁ ହୋଇଛି ।
ବାଇ ପ୍ରାୟେ ହୋଇ ତେଣୁକରି ସିନା ଆରମ୍ଭେ ତନୁ ବହିଛି ।।
କର୍ମ ସରିଲେ କାୟା ମୋର ଟଳିବ ତତ୍ତ୍ଵ ନିରାଧାର ଏହି ।
କେତେ ଦିନକୁ କେତେ କେତେ ବିଚାର ରହିବ କି ତନୁ କାହିଁ ।।
ତେଣୁକରି ଶୁଣ ବ୍ରଜ ରାମ ଦାସ ତଲୟେ କର ନାମକୁ ।
ଶ୍ରୀଗୁରୁ ଚରଣେ ସେବା କରି ନିତ୍ୟେ ଛେଦ ଜଞ୍ଜାଳ ଯମକୁ ।
ସେ ନାମ ମହିମା କହିଲେ ନ ସରେ ଶୁଣ ହେ ବରଜତନୁ ।
ତତ୍ତ୍ୱ କରି ତତ୍ତ୍ଵ ମନରେ ମଜ୍ଜିଲେ ନାମ ବିକାଶିବ ମନୁ ।।
ତରକ ତେଜି ଗୁରୁ ପାଦେ ଭଜିଲେ ପାଇବୁ ଜ୍ଞାନର ଭୁଇଁ ।
ତୀର୍ଥବ୍ରତ ତପ ଫଳ ହିଁ ପାଇବୁ ଶ୍ରୀଗୁରୁ ଚରଣ ଛୁଇଁ ।।
ଅବିଶ୍ଵାସ କଲେ ଅପ୍ରାଧ ପାଇବୁ ଅନ୍ଧାରେ ବଣା ହୋଇବୁ ।
ଅମୃତ ତେଜି ଅମେଧ୍ୟ ପାନ କଲେ ଅନେକ ଗଞ୍ଜି ହୋଇବୁ ।।
ଶ୍ରୀଗୁରୁ ବଚନ ଅଟେ ବ୍ରହ୍ମଜ୍ଞାନ ଭ୍ରମ କଲେ ହେବୁ ନଷ୍ଟ ।
ଶୁଣି ରାମଦାସ ଚରଣେ ଲୋଟିଣ କାନ୍ଦେ ପ୍ରାଣ କଣ୍ଠ ତଟ ।।
ସୁଦୟା କରିଣ ମନ ତାପ ହର ଦମ୍ଭ ମୋ ନାଶ ଗୋସାଇଁ ।
ତୁମ୍ଭ ଶ୍ରୀଚରଣ ବିନୁ ପରିତ୍ରାଣ ଅନ୍ୟ ଆଶ୍ରେ ମୋର ନାହିଁ ।।
ଚରଣେ ଲୋଟିଣ ବ୍ରଜ ରାମଦାସ ଉଚ୍ଚେ କରଇ ରୋଦନ ।
ଦେଖି ଗୁରୁଦେବ ଶ୍ରୀଭୁଜେ ତୋଳିଣ ଶିଷ୍ୟକୁ କରି ବୋଧନ ।।
କହିବା ତୋ ଆଗେ ଶ୍ରୀଗୁରୁଙ୍କ ଆଜ୍ଞା କହିଲେ ଶାପ ପାଇବୁ ।
ଶ୍ରୀଗୁରୁ ଭଣ୍ତାର ଅବ୍ୟକ୍ତ ଧନକୁ ପାଇଣ ଶାନ୍ତ ହୋଇବୁ ।।
ଅଣାକ୍ଷର ଠାରୁ ଆହୁରି ସେତେକ ଭଜନ ଅଟଇ ଜାଣ ।
ଯୋଗ ମାର୍ଗପଥ ଯେସନ ବୃତ୍ତାନ୍ତ ସେହିମତି ଅଟେ ପୁଣ ।।
ଅନେକ କାଳେ ଯୋଗ ସିଦ୍ଧ ନୁହଇ ଯୋଗ କାରଣ ନ ଆସି ।
କାୟା ଗଲେ ଆତ୍ମା ବିଅର୍ଥ ହୁଅଇ ଜ୍ଞାନ ପ୍ରକାଶଇ ଆସି ।।
ଯୋଗର ସାଧନ ଅଳପ ଭିତରେ ଶ୍ରୀକୃଷ୍ଣ ଭକତି ପାଇ ।
ଇହ ଲୋକେ ମୂକ୍ତି ନିର୍ମଳ ଆଚାର ଅନ୍ତେ ବଇକୁଣ୍ଠ ଯାଇ ।।
କହିବା ଚାହିଁବା ଗାଇବା ଲିହିବା ଏ ଆଦି ଅକ୍ଷର ଯେତେ ।
ଏଥିରେ ଥାଇଣ ନାମ ନ ମିଶଇ ଭେଦିଲେ ଯିବୁ ପରତେ ।।
କହିଦେବା ରାମ ଏଥିର ବୃତ୍ତାନ୍ତ ଶ୍ରୀଗୁରୁ ଭଣ୍ତାର ଧନ ।
ଶୁଣି ରାମଦାସ ଗୁରୁପାଦ ଆସ ବସିଣ ସୁଶାନ୍ତ ମନ ।।
ବୋଲନ୍ତି ଶ୍ରୀଗୁରୁ ଶୁଣ ବ୍ରଜସୁତ କହିବା ତୋତେ ବୁଝାଇ ।
ପ୍ରଥମେ ଗୁରୁ ବିଦ୍ୟା ଖଡ଼ି ଦିଅନ୍ତି ବ୍ରହ୍ମଭାଗ ଦୂରେ ଥୋଇ ।।
ବ୍ରହ୍ମା ବିଷ୍ଣୁ, ରୁଦ୍ର ତପରୁ ଦୃଶ୍ୟ ଏ ପଢ଼ାନ୍ତି ଆଦ୍ୟରେ ଗୁରୁ ।
ଶାମ ଯଜୂ ଋକ୍ ଅର୍ଥବ ସେ ଆଦି ପଢ଼ାନ୍ତି ସେଇ ଠାବରୁ ।।
କୋଟିଏ ଗୋଟିଏ ଫଳା ପଢ଼ାଇଲେ ରଜତମେ ମନ ରସି ।
ବ୍ରହ୍ମର ଭେଦି କିଛି ହିଁ ନ ପାଇଲେ କର୍ମଭାଗେ ମନ ମିଶି ।।
ପଢ଼ାଇଲେ ଗୁରୁ ଅଣାକ୍ଷର ଆଦି ଫଳା ମଧ୍ୟରେ ରହିଲା ।
ବ୍ରହ୍ମଜ୍ଞାନ ଗୁରୁଦେବଙ୍କ ଭଣ୍ତାରେ ଗୁପତ ରୂପେ ଥୋଇଲା ।।
ବିଦ୍ୟାଗୁରୁ ଯେତେ ବିଦ୍ୟା ପଢ଼ାଇଲେ ସବୁ ବେଦର ବୃତ୍ତାନ୍ତ ।
ଅଣଅକ୍ଷର ସେ ବେଦର ବୃତାନ୍ତ ବିଚାର ଦେହର ଅନ୍ତ ।।
ଅଳପ ହୋଇ ଆଶ୍ରା ଲାଗେ ରହିଛି ଆଶ୍ରାରେ ନାହିଁ ପୀରତି ।
ଏଣୁକରି କେହି ଭେଦି ନ ପାରନ୍ତି ବେଦରେ ବଳିଲା ମତି ।।
କର୍ମ ଧର୍ମ ତପ ଜପ ଯଜ୍ଞ ଆଦି ବେଦର ବୃତାନ୍ତ ଏହି ।
କର୍ମ ଆଚରଣେ ନିରତେ ରମିଲା ଜ୍ଞାନଗୁରୁ ଆଜ୍ଞା ନାହିଁ ।।
ପୂର୍ବ ହେତୁ ଥିଲେ ଜ୍ଞାନପ୍ରାପ୍ତ ହୋଇ ପୂର୍ବଭାଗ୍ୟେ ପାଇ ଏହା ।
ପରତେ ଗୁରୁ ପାରି କରିପାରନ୍ତି ଯମଜଞ୍ଜାଳ ଦୋରେହା ।।
ସଂସାରରେ କର୍ମ ମୂଳଟି ଅଟଇ ଏଥି ନାହିଁ ଭକ୍ତି ଲେଶ ।
କର୍ମରେ ପ୍ରାଣୀ ଆତଯାତ ହୁଅନ୍ତି ଉତ୍ପତ୍ତି ପ୍ରଳୟ ଦେଶ ।।
ଦାନ ଯଜ୍ଞ କ୍ରିୟା କରି ପ୍ରାଣୀମାନେ ସ୍ଵର୍ଗ ସମ୍ପଦ ଲଭନ୍ତି ।
ଫଳଟି ସମ୍ପୂର୍ଣ୍ଣ ହୋଇଲେ ସଂସାରେ ନାମ ଖାତିରେ ଭ୍ରମନ୍ତି ।।
ଏଣୁକରି କର୍ମ ଅଟଇ ଯେ ଭ୍ରମ ପରତେ ତାକୁ ନ ଯିବୁ ।
ଅକର୍ମେ ନିଶ୍ଚଳେ ବାସୁଦେବ ଭକ୍ତି ଅନବରତେ ମଜ୍ଜିବୁ ।।
ଏକ ବ୍ରହ୍ମ ଦେଖ ଜଗତେ ବ୍ୟାପିଛି କ୍ଷୁଦ୍ର କଲେ ପାଇ ଖେଦ ।
ଜାତି ବା ଅଜାତି ରୀତି ନାହିଁ କିଛି ନାହିଁଟି ତହିଁରେ ଭେଦ ।।
ଏଣୁକରି ବ୍ରଜ ତନୟ ନିରତେ ଅନାମିକା କର ଲୟେ ।
ସତସଙ୍ଗେ ଥିଲେ ଅନାମିକା ପାଇ ନାଶଇ ଜନମ ଭୟେ ।।
ସାନ ବଡ଼ ସମସରି ଯେଉଁ ଭୂଇଁ ମାନୀ ଧନୀ ତହିଁ ନାହିଁ ।
ସକଳ ବିଅର୍ଥ ହୁଏ ବ୍ରଜସୁତ ଭେଦକଲେ ଏକା ତହିଁ ।।
କର୍ମୀ ଆଗେ ଏକା ଗୁପତ କରିବୁ ପଣ୍ତିତେ ନକର ଉକ୍ତ ।
ଗୁରୁଶିଷ୍ୟ ସମସରି ଯେଉଁଠାରେ ନକରି ଏହା ବ୍ୟକତ ।।
ଶୁଣ ରାମଚନ୍ଦ୍ର ବେଦର ବୃତ୍ତାନ୍ତ ତତ୍ତ୍ୱ ନ ଜାଣନ୍ତି କେହି ।
ବେଦ ମଧ୍ୟେ ତନୁ ଗୁପତ ରହିଛି ଶୁଣ ତୁ ହୋ ପୁଣ୍ୟଦେହୀ ।।
ତତ୍ତ୍ଵ ବୋଲି ଯାହା ପୁରାଣେ ବୋଲନ୍ତି ଅଟଇ ଶ୍ରୀହରି ନାମ ।
ସେ ନାମ ଜଗତେ ପୁରିଣ ଅଛଇ ଚିନ୍ତାରେ ବିନାଶ ତମ ।।
ପ୍ରଥମେ ଶିକ୍ଷା ସାମବେଦ ଅଟଇ ନାମତତ୍ତ୍ଵ ତହିଁ ପୁରି ।
ଅଣାକାର ବ୍ରହ୍ମ ତହିଁରେ ଲୁଚିଛି ଯୋଗମାୟାକୁ ଆବୋରି ।।
ଯଜୁର୍ବେଦ ଅଟେ ଅନାମିକା ଭେଦ ଯୋଗମାୟା ଲୁଚାଇଛି ।
ଆରୁପାମନ୍ଦର ଅସ୍ତୁକାର ଏହି ଅଲଗେଣ ଭାସୁଅଛି ।।
ଏମନ୍ତ ବେଦକେ ଜାଣିପାରେ ଭେଦ ଶୁଣ ତାହାର ନିୟତ ।
ବ୍ୟାସମୁନି ଯାହା ଭେଦି ନ ପାରିଲେ ଅନ୍ୟ କେ ଜାଣେ ତଦନ୍ତ ।।
ବେଦ ଅନ୍ତେ ଅଣାକାର ଭେଦ ଯାହା ତାହା ପଢ଼ାଇଲେ ଗୁରୁ ।
କର୍ମେ ପଡ଼ି ମନ ରାୟେ ବଣା ହେଲେ ଓଝା ନ ଭେଦିବା ଠାରୁ ।।
ଏଣୁକରି ତତ୍ତ୍ୱେ ତତପର ଗୁରୁ ପାଦେ ନିତ୍ୟ ସେବ ହାଦେ ।
ତନୁ ମନ ଧନ ଦାରା ସମର୍ପିଣ ନିରତେ ଖଟିବୁ ପାଦେ ।।
ତେବେ ପାଇବୁ ବ୍ରହ୍ମର ତତ୍ତ୍ଵ ଭେଦ କୋଟି ଜନ୍ମ ପାପ ନାଶ ।
ଦମ୍ଭ କପଟ ଥିଲେ କ୍ଲେଶ ପାଇବୁ ଅନ୍ତେ କୁମ୍ଭୀପାକେ ବାସ ।।
ରାମଚନ୍ଦ୍ର ଦାସ ଶ୍ରୀଗୁରୁ ଚରଣେ କୋଟି ଦଣ୍ତବତ କରି ।
ଅପ୍ରାଧ ମୋହର ଛେଦିବା ଗୋସାଇଁ କାନ୍ଦେ ବେନିପାଦ ଧରି ।।
ରାମର ବିନତି ଦେଖିଣ ଅଚ୍ୟୁତି ବୋଲନ୍ତି ଶୁଣ ମୋ ବାବୁ ।
ତୋଠାରେ ମୋହର ସଂଶୟ ଯେ ନାହିଁ କହିବା ମହିଁମା ସବୁ ।।

( ୬ )
ପ୍ରଥମେ ଅଣ ଅକ୍ଷର କହିଦେବା ଶ୍ରୀକୃଷ୍ଣ ଶ୍ରୀମୁଖ ବାଣୀ ।
ଶ୍ରୀକୃଷ୍ଣ ଭଣ୍ତାରୁ ଥୋକାଏ କହିବା ଗୁପତେ ରଖିବୁ ପୁଣି ।।
ତରକ ତେଜି କା ଆଗେ ନ କହିବୁ କହିଲେ ଶାପ ପାଇବୁ ।
ଉତ୍ତମ ଭୂମିରେ ବିହନ ବୁଣିଲେ ସୁଖେ ଶସ୍ୟ ତୁ ଲଭିବୁ ।।
ମରୁଡ଼ି ଭୂମିରେ ବିହନ ବୁଣିଲେ ଲାଭ ତହିଁ କାହିଁ ପାଇ ।
ଦାମ୍ଭିକ ଆଗରେ କେଭେଁ ନ କହିବୁ ମୂଳ ନ ବୁଡ଼ଯାଇ।।
ଶୁଣ ବ୍ରଜସୁତ ଅନାମ ବୃତ୍ତାନ୍ତ ତୋ ଆଗେ କହିବା ଫେଇ ।
ଯେଉଁ ନାମ ଧରି କୋଟି ଯୁଗ ହରି ପଲକ ମାତ୍ରକ ନେଇ ।।
ସେହି ଶବ୍ଦ ମୂଳ ଅଣାକ୍ଷର ଠୂଳ ବେଦର ତତ୍ତ୍ଵଟି ସେହୁ ।
ନବ ବ୍ୟାକରଣ ପଟ୍ଟସୂତ୍ର ଆଦି ବର୍ଣ୍ଣନ ହୁଅଇ ଯେହୁ ।।
ପ୍ରଥମ ଶବଦ ଅନାହତ ନାଦ ବିନ୍ଦୁ ରୂପରେ ପ୍ରକାଶ ।
ତଦ ଅନ୍ତେ ଚନ୍ଦ୍ର ତହିଁପରେ ବିନ୍ଦୁ ତରା ଉଦେ ତହିଁ ପାଶ ।।
ତହିଁ ପାଶେରେଖ ଉଦୟ ହୋଇଛି ପଞ୍ଚଆତ୍ମା ତତ୍ତ୍ଵମିଶି ।
ଏମନ୍ତ ଅଣାକାର ବେଦ ଅନ୍ତରେ ଉଦୟ ହୋଇବ ଶଶୀ ।।
କେ ଭେଦି ପାରିବ ଅଣାକାର ବ୍ରହ୍ମ ଠୂଳେ ହୋଇଛି ପ୍ରକାଶ ।
ଠିକ କରି କିଛି ତୋ ଆଗେ କହିବା ଶୁଣ ତୁ ହୋ ରାମଦାସ ।।
ଅକାର ଉକାର ମକାର ଘେନିଣ ନାଦ ବିନ୍ଦୁ ତକାରାଦି ।
ଏମନ୍ତେଣ ଅନାମିକା ଅବାଡ଼େଣ ଉଦୟ ଅରେହ ଭେଦି ।।
ଏ ନାମ ଜଗତେ ଯୁଗତେ ପୁରିଛି ଯେ ଯେଉଁ ପ୍ରକାରେ ଘଟ ।
ଯୁଗତେ କରି ଜଗିଲେ ଏହି ନାମ ଶବଦ ହେବ ପ୍ରକଟ ।।
ଏହି ନାମରେ ସଂସାର ଆତଯାତ ଜଗତ କ୍ଷରିଛି ଏଣୁ ।
ଯୋଗମାୟା ପରେ ଅଣାକାର ବ୍ରହ୍ମ ଉଦୟ ହୋଇଛି ତେଣୁ ।।
ହରେରାମ କୃଷ୍ଣ ଶାମ ଆଦିକରି ଏହି ନାମରୁ ପ୍ରକାଶ ।
ପଞ୍ଚଭୂତ ପଞ୍ଚବୀଜ ଆତ୍ମା ଘେନି ଏହି ଠାବରେ ନିବାସ ।।
ଏ ହେତୁ ସିଦ୍ଧାନ୍ତ ଅଟେ ଯୋଗ ମତ ତାହା କହିଦେବା ଶୁଣ ।
ଯେ ଯେଉଁ ପ୍ରକାରେ ଆତ୍ମା ଲୟ ଧରେ ପ୍ରମାଣ ଅଟେ ସେ ପୁଣ ।।
ଆଗ ପଛ ଯେହ୍ନେ ସମୁଦ୍ର ଲହରୀ କୂଳକୁ ପ୍ରବେଶେ ଆସି ।
ଆହୁରି ସିଦ୍ଧାନ୍ତେ କହି ଦେବା ତୋତେ ଶୁଣ ଆରେ ବାଳଶିଷି ।।
ସମୁଦ୍ର ଲହରୀ କୂଳକୁ ନ ଆସି ମଧ୍ୟରେ କେ ଭାଙ୍ଗି ଯାଇଁ ।
ତେସନ ତତ୍ତ୍ଵ ନ ପାଇଲେ ବ୍ରହ୍ମ ଯେ ନିକଟୂ ଦୂରକୁ ଯାଇଁ ।।
ଗୀତା ଭାଗବତ ପୁରାଣ ଆଦି ଯେ କହିବା ହେତୁ ରଖିବ ।
ତତ୍ତ୍ୱ ଅଣାକାର ବ୍ରହ୍ମଜ୍ଞାନ ଭେଦ ନ ପାଇ ବିଅର୍ଥ ହେବ ।।
ତୁ ଅବା ବୋଲିବୁ ସବୁଠାରେ ବ୍ରହ୍ମ ପୁରିଣ ଅଛଇଁ ଭଜ ।
ଜଗତ ଯାକରେ ଅଣାକାର ବ୍ରହ୍ମ ବିଅର୍ଥକୁ କିମ୍ପା ଭଜ ।।
ତତ୍ତ୍ଵ ପାଇଲେ ଅନ୍ଧକାର ଫିଟିବ ସଂସାର ହୋଇବ କାହିଁ ।
ତେଣୁକରି ଯୋଗୀ ଯୋଗ ସାଧୁଛନ୍ତି କୋଟି କଳ୍ପେ ଭେଟ ନାହିଁ ।।
ଦେଖ ଭଗବତ ନାମକୁ ଧୃବ ଯେ ତତ୍ତ୍ଵ ମନରେ ଧଇଲା ।
ଅଳ୍ପଦିନେ ଅନୁଭବ କରିଣ ସେ ଅଲେଖ ପୁରେ ରହିଲା ।।
ସାତକଳ୍ପ ଋଷି ମାର୍କଣ୍ତ ତପସ୍ଵୀ ସରି ନୋହିଲେ ତାହାକୁ ।
ତତ୍ତ୍ଵ ବୋଲି ଶାସ୍ତ୍ରେ ବୋଲନ୍ତି ଯାହାକୁ ନାମ ବ୍ରହ୍ମ ବୋଲି ତାକୁ ।।
ସଂସାରର ତତ୍ତ୍ଵ ଉପେଷିତ ହେଲେ କୃତାନ୍ତ ରାଜୁତି ଯିବ ।
ମରିବା ଜୀଇବା ବେନି ପକ୍ଷକୁ ଯେ ଭୟ ଆଉ କିମ୍ପା ଥିବ ।।
ଏଣୁକରି ଗୁରୁ ଭଣ୍ତାର ତତ୍ତ୍ଵ ଯେ ଗୁପତ ହୋଇଣ ଅଛି ।
ତମ ବିନାଶିଣ ଯେ ବ୍ରହ୍ମ ଯଗିଆ କେ ଅବା ତହିଁକି ଅଛି ।।
ଶୁଣ ବ୍ରଜ ସୁତ କହିବା ତୁରିତ ଯେମନ୍ତେ ପାତିଛି ଛନ୍ଦ ।
ଅକ୍ଷରେ ଜଗତ ବ୍ୟାପିଣ ଅଛଇ ଶୂନ୍ୟରେ ପଡ଼ିଛି ବନ୍ଧ ।।
ଅନାମରୁ ନାମ ଜନମ ହୋଇଣ ପ୍ରଳମ୍ଵକୁ କଲା ମୂଳ ।
ପଞ୍ଚବୀଜ ସଙ୍ଗେ ପରତେ ହୋଇଲେ ହେବୁ ଅଣାକାର ଠୂଳ ।
ଅକାରଟି ହରେ ହରି ଅଂ ବୀଜରେ ଇକାର ଏ ବୀଜେ ହେଜ ।
ଜଳ ବେନି ପ୍ରେମ ଷୋଡ଼ଶ ତେଜ ଏ ପ୍ରଣବେ ବୁଡ଼ିଲା ବୁଝ ।।
ଉକାର ସେ ରାମ ଶ୍ଲୀଂ ବୀଜର ସମ ସକାର ଏହି ବୀଜରେ ।
ଗୋପୀ ମନ୍ତ୍ରରାଜ ବେନି ମନ୍ତ୍ର ହେଜ ତାର ଓଁ କାର ମଧ୍ୟରେ ।।
ଏକାରଟି ବିଷ୍ଣୁ କ୍ଲୀଂ ଜୀବ ସମ କ-କାର ଏ ବୀଜ ।
ବଲ୍ଲଭାୟ ଆପ ଘେନିଣ ଦଣ୍ତକ ପ୍ରଣବ ମଧ୍ୟରେ ଲେଖ ।।
ଇକାରଟି ଶ୍ୟାମ ଅଟେ ହରି ନାମ ଧ୍ଲୀଂ ବୀଜରୁ ଧକାରଟି ।
ସାମନ୍ତରେ ରାଜ ବାୟବ୍ୟକୁ ହେଜ ପ୍ରଣବ ଅର୍ଦ୍ଧ ଧ୍ଵର୍ଜଟି ।।
ଏକାରଟି କୃଷ୍ଣ ଶବଦ ବ୍ରହ୍ମାଗ୍ନି ବୀଜ ଅଟେ ପକାର ସେ ।
ମନ୍ତ୍ରରାଜ ସ୍ଵାହା ଅକ୍ଷର ଆକାଶ ପ୍ରଣବେ କୀଳକ ବସେ ।।
ଓଁ କାର ମଧ୍ୟ ନାମ ବ୍ରହ୍ମ ସାଧ୍ୟ ମିଶିଣ ପାତିଛି ଛନ୍ଦ ।
ଏମନ୍ତ ସେ ବୀଜ ବ୍ରହ୍ମ ଏକ ଆତ୍ମା ଚିହ୍ନିଲେ ତୁଟଇ ଧନ୍ଦ ।।
ବୀଜକୁ ଭେଟିଲେ ନାମକୁ ଚିହ୍ନିବୁ ନାମେ ଅନାମହିଁ ବାସ ।
ସେ ଯେ ନାମ ବ୍ରହ୍ମ ଅଟେ ଜ୍ୟୋତି ବ୍ରହ୍ମ ଅନାମ ତହିଁ ପ୍ରକାଶ ।।
ନାମକୁଟି ବାବୁ ଜ୍ୟୋତି ବୋଲି ଜାଣ ଅନାମ ଅଟେ ଶବଦ ।
ଶବଦ କାଟିଲେ ପ୍ରମାଦ ତୁଟିବ ପାଇବୁ ଅଲେଖ ପଦ ।।
କାୟା ମଧ୍ୟେ ଛାୟା ଅବାଡ଼ ଯେ ଡିକ ଅଟଇ ସାଧନା ମୂଳ ।
ଅଣାକ୍ଷର ମନ୍ତ୍ର ମନରେ ଭଜିଲେ ସକଳ ହୋଇବ ଠୂଳ।।
ଛାୟା ବ୍ରହ୍ମ ଦେଖ ହୋଇଅଛି ଉଦେ ହାନୀ ଲାଭ ବୁଝ ବାବୁ ।
କାୟାର ପରତେ ହୋଇଲେ ଯେ ତୁହି ନଥିବ ଜଞ୍ଜାଳ ସବୁ ।।
ଟଳିଗଲେ ବ୍ରହ୍ମ ଯେ ଲୁଚିବ ଶୁଣ ହେ ଭକ୍ତ ବ୍ରଜ କୁମର ।
ଏଣୁକରି ତତ୍ତ୍ଵ ଗୁରୁ ସେବା କରି ଛାୟା ମନ୍ତ୍ରକୁ ସୁମର ।।
କାୟା ଗଲେ ଛାୟା ଗୋଟି ଗୁଣ ରୂପେ କାୟା ସେ ପ୍ରକାଶୁଥାଇ ।
ବ୍ରହ୍ମ ଗଲେ ଛାୟା କେବଣ ପ୍ରକାରେ ଶବରେ ପ୍ରକାଶି ଥାଇ ।।
ଏମନ୍ତ ବୋଲିବା ମନରେ ସଂଶୟ କରିବୁ ବ୍ରଜ କୁମର ।
ଭେଦାଇ ତୋ ଆଗେ ତାହା କହିଦେବା ଫେଡ଼ିବା ସଂଶୟ ତୋର ।।
ଜଗତ ଆଗରେ ଜୀବ ସ୍ଵରୁପରେ ବ୍ରହ୍ମ ପ୍ରକାଶିଛି ଆସି ।
ଜୀବ ଗଲେ କାୟା ମୃତ୍ୟୁ ବୋଲିଣ ଯେ ଜଗତେ ନିଗମ ଭାଷି।
ଶବଦରେ ବ୍ରହ୍ମ ନାମ ବିରାଜୁଛି ତେଣୁ ଇଛା ତହିଁ ଦିଶେ ।
ଏ ଜୀବ ସେ କାୟା ମୃତ୍ୟୁ ହେଲେ ଶବ ବୋଲିଣ ନିଗମ ଭାଷେ ।।
ସଂଶୟକୁ ଦୂର କରିଣ କେବଳ ଅନାମକୁ କରି ଠଣା ।
ସଂଶୟକୁ ଛେଦ ନାମ କୁଠାରରେ ହୋଇବ ନାଶ କଳ୍ପଣା ।।
ଅବାଡ଼ ଦେଖିଣ ମାୟା ବାଡ଼ କାଟ ଉଦୟ ଅଛଇ ହୋଇ ।
ରେହ ଜନାର୍ଦ୍ଦନ ପରଂବ୍ରହ୍ମ ନାମ ଦୃଷ୍ଟି ମାତ୍ରକରେ ଥାଇ ।।
ଜ୍ୟୋତି ବ୍ରହ୍ମ ଦେଖ ତାପରେ ଉଦୟ ଦର୍ଶନ ଦୂରିତ ନାଶ ।
ଶ୍ଵେତ ପୀତ ନୀଳ ଲୋହିତ ଦାରିଦ୍ର୍ୟ କରିଣ ଅଛଇ ଦାସ ।।
ସେ ଜ୍ୟୋତି ଦର୍ଶନେ ଅଶେଷ ଦୂରିତ ଇଷିତରେ ନାମ ଗାଏ ।
ଅଣାକାର ବ୍ରହ୍ମ ଆକାରେ ମିଶିଣ ଆବାଡ଼ ମଧ୍ୟରେ ରହେ ।।
ଏଥିପରେ ଅଣାକାର ବ୍ରହ୍ମ ଉଦେ ନୁହଇ ଦୃଷ୍ଟି ଗୋଚର ।
ଶ୍ରୀଗୁରୁ କୃପାରେ ଯାଗିଣ ପାରିଲେ ଶୋଭଇ ଭୁରୁ ମଧ୍ୟର ।।
ସେ ଧ୍ଵନି ଶୁଣିଲେ ସରିବ ଜଞ୍ଜାଳ ଜନମ ସୁଫଳ ହେବ ।
ମରିବା ଜୀଇବା ଶୁଭ ଅଶୁଭ ଯେ ବିଷ୍ଟ ପ୍ରତିଷ୍ଟ ନଥିବ ।।
ତତ୍ତ୍ଵ କରି ତୋତେ କହିଲି କୁମର ସାଧନା ମତ ବିଚାର ।
ସଦଗୁରୁ ସେବା ଶ୍ରୀକୃଷ୍ଣ ନାମ ଯେ ନିରତେ ବସି ବିଚାର ।।
ଆସନ ଶୁଦ୍ଧି ଯେ ଆଦି ନାନା ବିଧି ଅଙ୍ଗ ଶୁଦ୍ଧି ମାନ ତେଜ ।
ଅକର୍ମ କର୍ମମାନଙ୍କରେ ଥିଲେହେଁ ସେ ନାମ ବ୍ରହ୍ମକୁ ଭଜ ।।
ଏଥୁଁ ଆନମତ ଭମ ଯେତେ ଚିତ୍ତ କହିଲୁ ତୋ ଆଗେ ଫେଡ଼ି ।
ଏହି ଭାବେ ରସ ଅନ୍ଧକାର ନାଶ ଅନଳେ ନାମରୁ ବୁଡ଼ି ।।
ଲକ୍ଷେ ଗ୍ରନ୍ଥରେ ଏ ଗ୍ରନ୍ଥ ନାମ ସାର କହିଲୁ ବ୍ରଜ କୁମର ।
ଶ୍ଳୋକ ସୁମୃତି ଯେ ପଦ ପଦ୍ୟାବଳୀ ଅଟଇ ଏଥି ଭିତର ।।
ରାମଚନ୍ଦ୍ର ଦାସ ବୋଲଇ ଭୋ ଦେବ ପରମବ୍ରହ୍ମ ଗୋସାଇଁ ।
କେଉଁ ପ୍ରକାରେ ସେ ଭଜିଲେ କେମନ୍ତେ କହିବା ମୋତେ ବୁଝାଇ ।।
କେଉଁଠାରେ ଭେଦ କେଉଁ ମାତ୍ରା ଘେନି କେଉଁ ଭାବକୁ ଚଳଇ ।
କେବଣ ପ୍ରକାରେ ଭଜିଲେ ତାହାକୁ ଶବଦେ ବ୍ରହ୍ମ ମିଶଇ ।।
ଶ୍ରୀଗୁରୁ ଶ୍ରୀମୁଖ ଆଜ୍ଞା ହୋଇଲେ ଯେ ସଂଶୟ ହୋଇବ ନାଶ ।
ଶ୍ରୀଗୁରୁ ଚରଣେ ଦଣ୍ତବତ କରି ପଚାରଇ ରାମ ଦାସ ।।
ବୋଲନ୍ତି ଶ୍ରୀଗୁରୁ ଶୁଣ ବ୍ରଜସୁତ ଅଣ ଅକ୍ଷର ଭଜନ ।
ସେ ତତ୍ତ୍ଵନାମ ତୋଆଗେ କହିଦେବା ଶ୍ରୀଗୁରୁ ଭଣ୍ତାର ଧନ ।।
ଅଦ୍ଭୁତରୁ ନାମ ପ୍ରକାଶ ହୋଇଛି ଅନାଦି କୋଳରେ ରହି ।
ଆଦିମୂଳ ଏକ କରିଣ ବାନ୍ଧିଲେ ତହିଁ ହୋ ନାମ ନଥାଇ ।।
ସେ ନାମ ଆକାର ଧୂନି ଅନାହତ ନାଦ ଅଦ୍ଭୁତରେ ମିଶେ ।
ପଶଇ ମିଶଇ ଯାଇଣ ଆସଇ ସମୁଦ୍ର ଲହରୀ କି ସେ ।।
ଏମନ୍ତ ଦ୍ଵାଦଶ ସପତ ସ୍ଵରରେ ଆତଯାତ ହୋଇ ରହେ ।
ଶ୍ରୀଗୁରୁ ଭଣ୍ତାର ଅମୂଲ୍ୟ ଧର୍ମ ଏ ଅନାମିକା ବୋଲି କହେ ।।
ଗୁପତ ଯେ କର ମନୁ ତାପ ହର ତୋ ଆଗେ କହିବା ଫେଇ ।
ତୁ ଯେଣୁ ଆମ୍ଭର ବିଶ୍ଵାସ ଭକତ ଅଣାକ୍ଷର ଦେଲୁ କହି ।।
ନାନା ପାତକ କରିଥିଲେ ତରଇ ନାମର ବଡ଼ ମହିଁମା ।
ନାମ ଭଜି ନିଶ୍ଚେଁ ଇଷିତେ ହରିବୁ ଯମ ଜଞ୍ଜାଳ ବଡ଼ିମା ।।
ଏଥିପରେ ଆଉ ଯେ ଜନ କହିବ ତା ପାଦେ ଶରଣ ମୋର ।
ପାମର ଅଚ୍ୟୁତ ରାମଚନ୍ଦ୍ର ଦାସ ଆଗେ କହେ ତତ୍ତ୍ୱ ସାର ।।
ଯେତେ ଅବା ଶାସ୍ତ୍ର ପଢ଼ ବ୍ରଜସୁତ ସବୁ ଏଥିର ଭିତର ।
ସିଦ୍ଧାନ୍ତ ଯୋଗାନ୍ତ ଯେତେ ବିଧିମତ କହିଲୁ ଦେହ ହିତର ।।
ଅଳପ ଶାସ୍ତ୍ର ଯେ ବୋଲିଣ ମନରେ ନ ବୋଲ ଶ୍ରୀକୃଷ୍ଣ ଦାସ ।
ଅତିଅନ୍ତ ବଡ଼ ହସ୍ତୀକି ଆୟତ କରଇ ଯେହ୍ନେ ଅଙ୍କୁଶ ।।
ଏ ଗ୍ରନ୍ଥ ଗୁପତ କରିଣ ରଖିବୁ କହିଲେ ପାଇବୁ ଖେଦ ।
କୃଷ୍ଣ ଭକ୍ତି ଉଦେ ହୋଇଲା ବେଳକୁ ପାଇବୁ ଏଥିର ଭେଦ ।।
ପାମର ଅଚ୍ୟୁତ ଶ୍ରୀକୃଷ୍ଣର ଭକ୍ତ ଶ୍ରୀହରି କରୁଣା ଯେଣୁ ।
ନେମାଳ ଗ୍ରାମରେ ପଦ୍ମ ନାମ ବନ ନିବାସ ପାଇଲା ତେଣୁ ।।
ଚିତ୍ରୋତ୍ପଳା ନଦୀ ଉତ୍ତର ପାରୁଶେ ଜନ୍ମେ ଜନ୍ମେ ମୋ ନିବାସ ।
ଶ୍ରୀହରି ଚରଣେ ଶରଣ ପଶିଲା ପାମର ଅଚ୍ୟୁତ ଦାସ ।।

( ୭ )
ରାମଦାସ ମନେ ହରଷ ହୋଇଣ ସଂଶୟ ମନୁ ତେଜିଲା ।
ପୂଜା ବିଧି କରି ଶ୍ରୀହରି ଚରଣେ ଅଣ ଅକ୍ଷର ଭଜିଲା ।।
ଅଣ ଅକ୍ଷରୁ ଏହି ବ୍ରହ୍ମ ସଂହିତା ଗନ୍ଥମାନଙ୍କରେ ସାର ।
ଶ୍ରୀକୃଷ୍ଣ ଚରଣେ ଶରଣ ପଶିଲା ଦୀନ ଅଚ୍ୟୁତ ପାମର ।।
ଛତିଶ ସଂହିତା ବାଆସ୍ତରୀ ଗୀତା ବଂଶାନୁ ସପ୍ତ ବିଂଶରେ ।
ଉପବଂଶାନୁ ଦ୍ଵାଦଶ ଖଣ୍ତ ନାଭି ନିବାସ ମତ ଖଣ୍ତରେ ।।
ପଦ ପଦ୍ୟାବଳୀ ଲକ୍ଷେ ଗ୍ରନ୍ଥ ଅଛି ସବୁ ଶ୍ରୀକୃଷ୍ଣ ମହିଁମା ।
ତୋ ଆଗେ କହିଲୁ ବରଜ କୁମର ବ୍ରହ୍ମ ସାରସ୍ଵତ ସୀମା ।।
ଏ ଅଧ୍ୟା ଗୁପତ କରିଣ ରଖିଲୁ ବେଳକୁ ହେବ ପ୍ରକାଶ ।
ଶ୍ରୀ କୃଷ୍ଣ ଚରଣେ ଶରଣ ପଶିଲା ପାମର ଅଚ୍ୟୁତ ଦାସ ।।
ବ୍ରଜକୁଳ ତାରି ଆପଣେ ତରିବି ଶ୍ରୀକୃଷ୍ଣ ଆଜ୍ଞା ହୋଇଛି ।
ଅଣାକାର ବ୍ରହ୍ମ ଅବ୍ୟକତ ହୋଇ ତେଣୁ ପଦ ସରୁଅଛି ।।
ସାଧୁଜନମାନେ ଦୋଷ ମୋ ନ ଧର ଶ୍ରୀକୃଷ୍ଣ ଭକତି ହେଉ ।
ପାମର ଅଚ୍ୟୁତ ଅଣାକାର ଭଜି ଶ୍ରୀକୃଷ୍ଣ ଚରଣେ ରହୁ ।।
ବ୍ରହ୍ମ ଉପଦେଶ ପାଇ ରାମଦାସ ଆନନ୍ଦେ ହେଲା ହରଷ ।
ଅଣାକାର ବ୍ରହ୍ମ ସଂହିତା ଗୀତାଏ ଭଣିଲେ ଅଚ୍ୟୁତ ଦାସ ।।

ଇତିଶ୍ରୀ ଅଚ୍ୟୁତାନନ୍ଦ ଦାସଙ୍କ କୃତ ବ୍ରହ୍ମବିଦ୍ୟାୟାଂ ଅଣାକାର ବ୍ରହ୍ମ ସଂହିତା ଗୀତା ସଦାଜୟେ ସମ୍ପୂର୍ଣ୍ଣଂ ।