ଅଦିନ ମେଘ

ଉଇକିପାଠାଗାର‌ରୁ
ଅଦିନ ମେଘ
ଲେଖକ/କବି: ନନ୍ଦକିଶୋର ବଳ

ଅଦିନ ମେଘ

 
ଖରା କରୁଅଛି ମେଘ ବରଷୁଛି
ବିଲୁଆ ପୁଅର ବିଭା,
ଗାତରୁ ବାହାରି ହିଡ଼ରେ କଙ୍କଡ଼ା
ଖରା ପୋଉଁଛନ୍ତି କିବା ।

ଘୋର ଘଡ଼ଘଡ଼ି ଘଡ଼ଘଡ଼ ରଡ଼ି
କମ୍ପେ ପ୍ରାଣ ତାହା ଶୁଣି,
"ଗରଜିଲା ମେଘ ନ ବରଷେ ପାଣି"
କିଏ କହୁଥାଏ ପୁଣି ।

ଜକ ଜକ ମେଘ ଦିଶଇ ବିଜୁଳି
ତାଳଗଛ ଯାଏ ଜଳି,
ପିଲାଏ ଶୁଣିଣ ମେଘ ଗରଜନ
ଛାଡ଼ନ୍ତି ଉଝଟ ଅଳି ।

ବିଜୁଳି ଚମକେ ଦୂର ଆକାଶରେ
ଦିଶେ ସୁନାଲଟା ପରି ,
ଶବଦ ମାତର ଘଡ଼ଘଡ଼ି ସିନା
ତାହାକୁ କିପାଇଁ ଡରି ।

ପାଣି ସାଙ୍ଗେ ପଡ଼େ ସରଗ ପଥର
ତାହା ଦେଖି ପିଲାମାନେ,
ସାଉଁଟି ଖାଇଣ ଗୀତ ଗାଉଥାନ୍ତି
ନାଚି କୁଦି ତାନମାନେ ।