ଅନନ୍ତ - ଆମ୍ଭମାନଙ୍କ ଆଦର୍ଶ (ପ୍ରବନ୍ଧ)

ଉଇକିପାଠାଗାର ରୁ
Jump to navigation Jump to search

               ଏହି ସୃଷ୍ଟି କେମନ୍ତ ବୈଚିତ୍ର୍ୟମୟୀ ଏବଂ ଶୋଭାବିଳାସିନୀ! ବିଶ୍ୱ ରଚୟିତାଙ୍କର ଅଭ୍ରାନ୍ତ ଅବିଶ୍ରାନ୍ତ ଅନତିକ୍ରମଣୀୟ ନିୟମନିଚୟର ଏହା କେମନ୍ତ ଉପଯୁକ୍ତ ଲୀଳାଭୂମି! ଅନନ୍ତ ଗଗନରେ ଗ୍ରହତାରାନକ୍ଷତ୍ରଦଳ କିରଣରାଶି ବର୍ଷଣ କରି କିପରି ଅମେୟ ବଳ ସହକାରେ ବିଚରଣ କରୁଅଛନ୍ତି! ମେଘ ଦେହରେ ସୌଦାମିନୀ ଖେଳୁଅଛି, ପାଷାଣମୟ ପର୍ବତରାଜି ଅଭ୍ରଭେଦି ମସ୍ତକ ଉତ୍ତୋଳନ କରିଅଛନ୍ତି, ପବନ ବହୁଅଛି, ଜଳରାଶି ପ୍ରବାହିତ ହେଉଅଛି, ପୁଷ୍ପଫଳାଭରଣା ଶ୍ୟାମଚ୍ଛବି ଉଦ୍ଭିଦଲକ୍ଷ୍ମୀ ଜଗତର ବକ୍ଷକୁ ଶୋଭିତ କରୁଅଛି, ପଶୁପକ୍ଷୀକୀଟ ପ୍ରଭୃତି ଜୀବମଣ୍ଡଳୀ ଜୀବନ ସାଗରରେ ନିତ୍ୟ ସନ୍ତରଣ କରି ସଂସାରକୁ ଚଞ୍ଚଳ, ବିଚିତ୍ର ଏବଂ କୋଳାହଳ ପୂର୍ଣ୍ଣ କରୁଅଛନ୍ତି । ମନୁଷ୍ୟ ବିସ୍ମୟସ୍ତମ୍ଭିତ-ହୃଦୟରେ ଏହି ଭୌତିକ ବିଶ୍ୱରାଜ୍ୟର ଅଦ୍ଭୁତଲୀଳା ସନ୍ଦର୍ଶନ କରି ଗମ୍ଭୀର ଚିନ୍ତାରେ ମଗ୍ନ ହେଉଅଛି । ଆକର୍ଷଣ, ତାଡ଼ିତ, ଆଲୋକ, ଉତ୍ତାପ, ଜୀବନଶକ୍ତି ପ୍ରଭୃତିର କାର୍ଯ୍ୟରେ ବିଧାତାଙ୍କ ମଙ୍ଗଳମୟୀ ଇଚ୍ଛା ଓ ଜ୍ଞାନପୂର୍ଣ୍ଣ ବିଧାନ ଦେଖି ମୋହିତ ହେଉଅଛି।

                ଆଶ୍ଚର୍ଯ୍ୟାଭିଭୂତ ମନୁଷ୍ୟ ନିଜେ ସୃଷ୍ଟିର ତାବତୀୟ ପଦାର୍ଥ ମଧ୍ୟରେ ସର୍ବାପେକ୍ଷା ଅଧିକ ଆଶ୍ଚର୍ଯ୍ୟୋତ୍ପାଦକ ଅଟେ । ଜଗତର ଚତୁର୍ଦ୍ଧିଗରେ ଯାହା ଯାହା ଦେଖୁଅଛ, ତତ୍ ସମୁଦାୟର ଶ୍ରେଷ୍ଠ ଉପାଦାନ ମନୁଷ୍ୟଠାରେ ରହିଅଛି । କେବଳ ଭୌତିକ ଜଗତ୍ ସୃଜିଥିଲେ ସୃଷ୍ଟିର କାର୍ଯ୍ୟ ପୂର୍ଣ୍ଣ ହୁଅନ୍ତା ନାହିଁ । ମନୁଷ୍ୟର ଆବିର୍ଭାବରେ, ନରନାରୀର ସୃଷ୍ଟି ଦ୍ୱାରା, ଜଗତର ପୂର୍ଣ୍ଣତା ସମ୍ପାଦିତ ହେଉଅଛି; ପୁଣି ସେହିସବୁ ବୃତ୍ତିର କାର୍ଯ୍ୟକ୍ଷେତ୍ର କେମନ୍ତ ଅସୀମ! ମନୁଷ୍ୟର ବୃତ୍ତିମାନଙ୍କର ଚରିତାର୍ଥତା ସମ୍ପାଦନା ନିମିତ୍ତ, ତାହାର ପୂର୍ଣ୍ଣ ବିକାଶ ନିମିତ୍ତ, ଅନନ୍ତ ବିଶ୍ୱ ଓ ଅନନ୍ତକାଳ ପ୍ରସାରିତ ରହିଅଛି । ଆହା, କ୍ଷୁଦ୍ର ମନୁଷ୍ୟର କ୍ଷୁଦ୍ର ପ୍ରାଣମଧ୍ୟରେ କିପରି ଅସୀମ ଆକାଙ୍ କ୍ଷା, କିପରି ଅନନ୍ତ ଜୀବନ ନିବଦ୍ଧ ରହିଅଛି! ଏହି କଥା ଭାବିଲେ କାହାର ହୃଦୟ ଗମ୍ଭୀର ବିସ୍ମୟରେ ମଗ୍ନ ନହେବ? ମନୁଷ୍ୟ ହୃଦୟ ସଂସାରର କ୍ଷୁଦ୍ର ବିଷୟ ମଧ୍ୟରେ କଦାପି ପରିତୃପ୍ତ ହୋଇ ରହିନପାରେ । ତାହା ମହାନ୍ ଏବଂ ଅନନ୍ତ ନିମିତ୍ତ ନିତ୍ୟ ପିପାସିତ ରହିଅଛି । ତତ୍ତ୍ୱଦର୍ଶୀ ପୂର୍ବତନ ଆର୍ଯ୍ୟଋଷିମାନେ ମାନବ ପ୍ରବୃତ୍ତିର ଏହି ନିଗୂଢ଼ ଆକାଙ୍ କ୍ଷାର ଅର୍ଥ ହୃଦୟଙ୍ଗମ କରି ଏହି ଅବିସ୍ମରଣୀୟ ଗମ୍ଭୀର ବାକ୍ୟଗୁଡ଼ିକ ଉଚ୍ଚାରଣ କରିଥିଲେ - ‘ଯୋ ବୈ ଭୂମା ତତ୍ ସୁଖଂ, ନାଳ୍ପେ ସୁଖମସ୍ତି ।’ଯାହା ଭୂମା ବା ମହାନ୍, ତାହା ହିଁ ସୁଖ; କ୍ଷୁଦ୍ରରେ ସୁଖ ନାହିଁ ।

                ମନୁଷ୍ୟର ଏହି ଅନନ୍ତ ପିପାସାକୁ, ଏହି ସୁମହାନ୍ ଆଦର୍ଶକୁ ଖର୍ବ ବା ବିକୃତ କରି କେବଳ ସାଂସାରିକ କ୍ଷୁଦ୍ରତା ମଧ୍ୟରେ ନିୟତ ବାସ କରିବା ମନୁଷ୍ୟ ପ୍ରକୃତି ପକ୍ଷରେ ଅତ୍ୟନ୍ତ ଅହିତକର । ଯାହାର ମନ ଯେଡ଼େ, ତାହାର ପ୍ରଭୁ ତେଡ଼େ; ଯାହାର ଆଦର୍ଶ ଯେ ପରିମାଣରେ ବୃହତ୍, ଯାହାର ହୃଦୟ ଯେ ପରିମାଣରେ ଉଦାର ଏବଂ ପ୍ରଶସ୍ତ, ତାହାର ଜୀବନ ସେହି ପରିମାଣରେ ଧନ୍ୟ ଏବଂ ସାର୍ଥକ । ସୃଷ୍ଟିର ସାର, ଜଗତର ସର୍ବଶ୍ରେଷ୍ଠ ଭୂଷଣ, ହେ ନରନାରୀ, କାହିଁକି କ୍ଷୁଦ୍ର ସଂସାରର ପଣ୍ୟଶାଳାରେ ନିଜର ମହାମୂଲ୍ୟ ଦେବଦୁର୍ଲଭ ଆଧ୍ୟାତ୍ମିକ ସଂପଦକୁ ବିକ୍ରୟ କରୁଅଛ; କାହିଁକି ଅସତ୍ୟ କୁଜ୍ ଝଟିକା ମଧ୍ୟରେ ପଡ଼ି ବିପଥଗାମୀ ହେଉଅଛ; କାହିଁକି ଅନ୍ୟାୟ ଓ ଅପ୍ରେମ ରୂପ ନିରାନନ୍ଦ ଅନ୍ଧକୂପ ଓ ବଦ୍ଧତଡ଼ାଗ ମଧ୍ୟରେ ଆତ୍ମାକୁ ସଂକୀର୍ଣ୍ଣ ଓ ସଙ୍କୁଚିତ କରୁଅଛ; କାହିଁକି ପାପକଳୁଷକଳାପଦ୍ୱାରା ଶୁଭ୍ର ପରିଶୁଦ୍ଧ ହୃଦୟକୁ କଳଙ୍କିତ କରୁଅଛ? ଅନନ୍ତ-ଆଶ୍ରୟ ପରିତ୍ୟାଗ କରି, ଅନନ୍ତ-ନିର୍ଦ୍ଧିଷ୍ଟ ଧ୍ରୁବ ଓ ବିପୁଳ ଧର୍ମଭୂମିକୁ ଛାଡ଼ି, କେହି କଦାପି ଜୀବନର ପ୍ରକୃତ ଉଦ୍ଦେଶ୍ୟ ସାଧନ କରି ପାରିବେ ନାହିଁ । ଦେବସମ୍ପଦର ଅଧିକାରୀ, ଦେବପ୍ରସାଦ-ଚିହ୍ନିତ, ପରସ୍ପର ସହାୟ, ହେ ମନୁଷ୍ୟ, ନିଜ ଜୀବନର ମହାନ୍ ଉଦ୍ଦେଶ୍ୟକୁ ହୃଦୟଙ୍ଗମ କର । ନିର୍ଝରିଣୀ ଯେପରି ତମୋମୟ ଗୁହାର ପାଷାଣ-ପ୍ରାଚୀର ଭଗ୍ନ କରି, ନିଜ ଦୟା-ପ୍ରବାହଦ୍ୱାରା ଜଗତକୁ ପ୍ଳାବିତ କରି, ଅନନ୍ତ ସାଗର ସଙ୍ଗମରେ ସମ୍ମିଳିତ ହୁଏ, ସେହିପରି ସର୍ବପ୍ରକାର କ୍ଷୁଦ୍ରତା ପରିହାର କରି, ଜଗତକୁ ପ୍ରୀତିଜଳରେ ପ୍ଳାବିତ କରି, ମହୋଲ୍ଲାସରେ ଅନନ୍ତ ଆଡ଼କୁ ପ୍ରଧାବିତ ହୁଏ ।

(ପ୍ରଦୀପ ମାସିକ ପତ୍ରିକାର ୧୯୮୩ ଜାନୁଆରୀ ସଂଖ୍ୟାରେ ପ୍ରଥମେ ପ୍ରକାଶିତ)