Jump to content

ଅନ୍ଧର ଅହମିକା

ଉଇକିପାଠାଗାର‌ରୁ
ଏହି ନାମ ଥିବା ଅନ୍ୟ ରଚନାଗୁଡ଼ିକ ପାଇଁ ଅନ୍ଧର ଅହମିକା (ନିତ୍ୟାନନ୍ଦ ମହାପାତ୍ର) ଆଉ ଅନ୍ଧର ଅହମିକା ଦେଖନ୍ତୁ ।
ଅନ୍ଧର ଅହମିକା
ଲେଖକ/କବି: ନିତ୍ୟାନନ୍ଦ ମହାପାତ୍ର

ସଉରି ପାଇକରାୟ ସେମିତି ଖୁଣ୍ଟଟା ପରି ବସିଛି । ହୁଙ୍କୁ ନାହିଁ କି ଚଙ୍କୁ ନାହିଁ । ଗଲା ଦୁଇତିନି ଦିନ ହବ ଅନବରତ ଝଡ଼ି ବରଷା ଗାଜି ଦେଇ ଯାଉଛି । ଭୋଦୁଅ ମାସ ଶେଷ ମୁଣ୍ଡରେ ଧାରା ଶ୍ରାବଣ ଅଜାଡ଼ି ପଡ଼ିଲା । କି ଅକାଳ କଥା ! ଦାଣ୍ଡରେ ସୁଅ ଚାଲିଛି । ପୁରୁଣା ଦରମଲା ତାଳଗଛଟାଏ ତଳଆଡୁ ଫାମ୍ପରା ଧରିଥିଲା କି କ’ଣ, ଗଡ଼ି ପଡ଼ିଲା । ତା’ରି ଉପରେ ବାୟା ଚଢ଼େଇ ବସା, ବାଆ କଲେ ଦୋହଲୁଥାଏ, ଆଜି ତଳେ ପଡ଼ିଛି ଛିନ୍‌ଛତର୍‌ । ଅଣ୍ଡା କେଇଟି ଛତୁ ହୋଇଯାଇଛି । ଚଡ଼କ ପଡ଼ି ମିଶ୍ରଘର ନଡ଼ିଆ ଗଛଟାଏ ଜଳିଗଲା । ବୁଢ଼ା ପାଇକରା ଖୁଣ୍ଟଟା ପରି ଚାହିଁଛି । ଦମ୍ଭିଲା ବୁଢ଼ା । ବୟସ ଷାଠିଏ କି ପଇଁଷଠି ହେବ । ବୁଢ଼ା ଏବେ ବି ମଜଭୁତ୍‌ ଅଛି । ‘ଏମିତି ଝଡ଼ କାହିଁ ଦେଖା ନଥିଲା ସାନ୍ତେ ।’ ସଦେଇ ପଖିଆ ମୁଣ୍ଡରେ ପକେଇ କହି କହି ଯାଉଥାଏ । ‘ହଁ ଦକ୍ଷିଣା ପକେଇଲାଣି । ବ୍ରାହ୍ମଣ, ବରଷା, ବଢ଼ି କୁଆଡ଼େ ଛାଡ଼ି ପଳେଇବ ।’ ‘ଆମ ସାହିରେ ଗଉରା, ଚେମା, ସଇତାଙ୍କ ଘର କାନ୍ଥ ସବୁ ପଡ଼ିଗଲା ।-ଏ ଯେଉଁ ତୁଫାନ୍‌ ପିଟୁଛି ।’ ଧରମୁ ଜେନା କହିଗଲା । ଯାଉ ! ଏମିତି କେତେ ଯିବ । ପୁଣି ନୂଆ ତୋଳେଇ ନେବେ । କି ଘର ଯେ, କ’ଣ ଘରକୁ ଲେଖା ? ଏକା ଦିନକେ ମନ କଲେ ଦି’ ଦି’ଟା ଘର ଠିଆ ହୋଇଯିବ । ଘର ତ ସଉରି ପାଇକରାର ଘର, ଯାହାକୁ କହନ୍ତି ଘର । ଦଶ ପାଞ୍ଚଟା ଗାଁରେ ଏମିତି ଘର ଖଣ୍ଡେ କାହାରି ନଥିବ । ବାପ ଦାଦି ସପତ ସପତାଣି ଭୋଗ କଲେଣି, ଏଇ ଡିହ ଖଣ୍ଡିକ । ତା’ରି ଉପରେ କେତେଥର କାନ୍ଥ ଉଠିବଣି, କେତେ ବର୍ଷ ପରେ ବର୍ଷ ଅସୁମାରି ଛାଉଣି ସରିବଣି, କୋଉ ଅମଳରୁ କିଏ କହିବ ? ଏଇ ବର୍ଷ ସଉରି ଇଟା ପକେଇ ପକାକାନ୍ଥ ଉଠେଇଛି । ରୋଜଗାରିଆ ପୁଅ । ତା’ର କ’ଣ ହବ ? କିଛି ହବ ନାହିଁ । ଗାଁଟାଯାକ ଭାସିଗଲେ ବି ସେ ଥିବ ବି ତା’ ଘର ଥିବ । ନୂଆଘରର ନିଅଁ ଦେଲାବେଳେ ପୁଅର ମନ ମାନିଲା ନାହିଁ ପୁରୁଣା ଖଞ୍ଜାରେ । ପଇସା ତ ତା’ରି । ପୁଅ କଥା ରହିଲା । ଘରଟାଏ ତୋଳାଗଲା ‘ବଙ୍ଗ୍‌ଲୋ ପ୍ୟାଟର୍ଣ୍ଣ’ରେ । ବୁଢ଼ାର ମନ ରଖିବା ପାଇଁ ଛଟପଟ ପାରିଛିତ୍‌ଟାଏ ବୁଲି ଆସିଲା ଖାଲି- ଆବୁରୁ ରହିବ, ମାଇପେ ଚଳପରଚଳ ହେବେ । ମାଟି ଘର ଯାଇ ପକା ଘର ହେଇଛି । ହେଲେ ଛଣ ଛିଆଣି । ଯୋଉ ଛପରକୁ ସେଇ ଛପର । ଛୋଟ ଛୋଟ ଘରଗୁଡ଼ାକ ଫଇଲାତ୍‌ ହେଉଛି । ଖାଲି ଯାହା ଭାଗବତ ଗାଦିଟା ଏଡ଼େ ବଡ଼ ଗୋଟାଏ ଘର ମାଡ଼ି ବସିଥିଲା, ତା ପାଇଁକି ଛୋଟ ଚୋର କୋଠରୀଟିଏ ହେଇଛି ପକାରେ । ଖରାତରା ପାଣି ପବନରୁ ଫାରିକିତି । ବୁଢ଼ା ମନେ ମନେ ମାଟି ଘରକୁ ଉଠି ଠାକୁରେ ପକାଘରେ ରହିଲେ- ଏଣିକି ତାଙ୍କ କଥା ସେ ଜାଣନ୍ତି । ପୁଅ ମନେ ମନେ ଏଡ଼େ ବଡ଼ ଘରଟା ଅକାରଣେ ପୁରୁଣା ଉଇଖିଆ ତାଳପତ୍ରଗୁଡ଼ାକ ମାଡ଼ି ବସିଥିଲା- ଅସନା ଅବର୍ଯ୍ୟାରୁ ରକ୍ଷା ମିଳିଲା । ଘର ବଢ଼ିଲା, ଘରକରଣା ବି ବଢ଼ିଲା, ତା’ ସାଙ୍ଗରେ ମାଟି କାନ୍ଥର ଛୋଟ ଠଣାଟି ମଧ୍ୟ ବଢ଼ି ବଢ଼ି ବିଶାଳ କାନ୍ଥ ଆଲମାରିର ରୂପ ନେଇଛି । ବୁଢ଼ୀ ଥାଆନ୍ତେ, ଯାବତ ଦିଅଁ ଦେଉଣୀଙ୍କ ଝଣ୍ଡା ତୁଳସୀ ଏକାକାର ହେଇ ପଡ଼ିଥାଏ ତା’ରି ଭିତରେ କାଇଞ୍ଚ ପେଡ଼ିଟିରେ । ଜର ନୂଆର, ଝାଡ଼ାଝପକା, ବାନ୍ତିଉଚ୍ଛଳା, ନଅନୁଆଣୀଠାରୁ ଆରମ୍ଭ କରି ଛୁଆଛଁଅସ୍ତା; ଚିଆଁ ଚମକା ସବୁଥିରେ ଝଣ୍ଡା ପାଣି ଟିକିଏ । ତା’ ସାଙ୍ଗରେ ମୁଣ୍ଡିଆ ଆଉ ମାନସିକ । ବୁଢ଼ୀ ନାହିଁ । ବୁଢ଼ୀ ଯିବାର ଆଜିକି ଦଶ ବର୍ଷ ହେଲାଣି, ତା’ ସାଙ୍ଗେ ସାଙ୍ଗେ ସେ ପେଡ଼ି ପେଟରା ବି ଯାଇଛି । ଶେଷରେ ଠଣାଟା ବି ଗଲା । କାନ୍ଥ ଆଲମାରିରେ ଅଛି- କୁଇନାଇନ୍‌, କର୍ପୂରାରିଷ୍ଟ; ଟିଞ୍ଚର ଆୟୋଡ଼ିନ୍‌, ତୁଳା, ବ୍ୟାଣ୍ଡେଜ୍‌, ସଲଫାଗୁଆନଡ଼ିନ୍‌, ଏକୁଆ ସାଇକଟିସ୍‌ ଓ ପିପରମେଣ୍ଟ ସାଙ୍ଗକୁ ଅମୃତାଞ୍ଜନ । ଏତକ ପୁଅ ଦେଇ ବଟେଇଛି । ରୋଗ ବାଧିକିରେ କାମରେ ଆସିବ । ଗାଁ ଯାକ ସମସ୍ତେ ଅନେଇ ବସିଥାନ୍ତି ସେଇ ଆଲମାରିକି । କିଏ ଆସି କହିଲା- ‘ସଉରାଇ, ଏଥର ମାଳିକା ଫଳିଲା । ଘାଇ ଭାଙ୍ଗିବ, ବଉଳା କୁମ୍ଭୀର ଯିବ ଠାକୁରାଣୀ ଦର୍ଶନକୁ । ପାଣି ଅଠେଇଶ ଫୁଟ ହେଲା । ବନ୍ଧରେ ଘଳି ଫୁଟିଲାଣି ବୋଲି ରଥିଆ ଦେଖି ଆସି କହୁଛି ।’ ବୁଢ଼ା ସଉରା ହସିଦେଲା । କହିଲା-ଯାଆରେ ଯା, ଏମନ୍ତ ଘାଇ ଭାଙ୍ଗିବ । ଆମ ସରକାର କ’ଣ ମିଛେଇ ବସିଛନ୍ତି- ଏଡ଼େ ଏଡ଼େ ଇଞ୍ଜିନିୟରମାନେ ଗୁନା କମ୍ପାସ ଯେ ମାପୁଛନ୍ତି- ଖାଲି ମହାଳିଆ ? ବୁଢ଼ା ସଉରିର କିନ୍ତୁ ଛାତି ଟିକିଏ ଦବିଗଲା । ଘରଟାକୁ ଚାହିଁଲା । ନାଃ, ଗାଁଯାକ ଭାସିଯିବ ପଛେ, ଏ ଘର ଭାଙ୍ଗିବ ନାହିଁ । ଖୁବ୍‌ ଜୋର୍‌ରେ ଗୋଟାଏ ତୁଫାନ୍‌ ପିଟିଦେଲା । ବୁଢ଼ା ଉଠିପଡ଼ିଲା । ପୁଣି ମନକୁ କ’ଣ ଭାବି ବସିଲା । କିଛି ଚିନ୍ତା ନାହିଁ ଯେତେ ବଢ଼ି ଆସୁ, ସଉରି ଘରେ ପାଣି ନପଶେ । ଏକେ ଉଚ୍ଚ ଡିହ- ତହିଁରେ ପୁଣି ଉଚ୍ଚ ପିଣ୍ଡା । ପାଣି ପଶିବାକୁ ଲାଗେ ଦଣ୍ଡେ । ପଶିଲେ ବି ଡର ନାହିଁ, ଏ ନିଅଁକୁ ଯେତେ ବଡ଼ ବଢ଼ି ହେଉ ସହଜରେ ଟଳେଇ ପାରିବ ନାହିଁ । ଏ ବନ୍ଧ ଯିଏ ପକେଇଛି ସେ ଏମିତି ସେମିତି ଲୋକ ନୁହେଁ । ତାକୁ ମାଟି ବିଦ୍ୟା ଜଣା ଥିଲା । ତଥାପି ବୁଢ଼ାର ଗୋଟାଏ ଦକ-ବନ୍ଧଟା ଯେଉଁ ମୁସ୍ତରରେ କୋଉଁ ପୁରୁଷକୁ ପଡ଼ିଥିଲା- ଟିକିଏ ସେଥିରେ ହେର୍‌ଫେର୍‌ ହୋଇଛି-ପୁଅ ବୁଦ୍ଧିରେ । ଅଗଣାଟା ଟିକିଏନାକୁ ଦକ୍ଷିଣଶୁଳିଆ ଧରିଛି । ପହିଲୁ ବାଁ ପାଖକୁ ଘରଟା ଲମ୍ବ ଚୌପାଢ଼ି ପରି ଏବେ ଦାଣ୍ଡ ଦୁଆରର ଦୁଇ ପାଖରେ ସମାନ ସମାନ ଦି’ଟା ଘର ବୈଠକଖାନା । ବୁଢ଼ାର ମନ ଦୁଡ଼ବୁଡ଼ିଆ ଜାଣି ପୁଅ ଗୋଟାଏ ଇଞ୍ଜିନିୟର ସାଙ୍ଗକୁ ଧରି ଆଣିଥିଲା । ସେ କେମନ୍ତେ ବିଲାତ ଫେରତ୍‌ । ବିଲାତରେ ପରା ଏଇ ଏଞ୍ଜେନର୍‌ମାନେ ପାତାଳ ଫୁଟେଇ ରାସ୍ତା କରିଛନ୍ତି- ଉପରେ ନଈ ସଡ଼କ । ଏମାନଙ୍କୁ କ’ଣ ଅଜଣା । ବର୍ଷ କେଇଟାରେ ଗୋଟାଏ ରାକ୍ଷସ ଭଳି ହାବଡ଼ା ପୋଲ ଗଢ଼ି ତିଆରି ଦେଲେ । ଏମାନେ ସାକ୍ଷାତେ ବିଶ୍ବକର୍ମା । ତାଙ୍କ କାଥା କ’ଣ ଅନ୍ୟଥା ହବ ? ପୁଣି ବିଲାତରୁ ପାଠପଢ଼ି ଆସିଛନ୍ତି । ସେଇ ସାହେବ ଏଞ୍ଜେନର୍‌ମାନେ ତ କହିଛନ୍ତି- ବନ୍ଧ କିଛି ହେବ ନାହିଁ । ଆମ ସରକାର ଥାଉଁ ଥାଉଁ କଂଗ୍ରେସ ସରକାର ଥାଉଁ ଥାଉଁ ବନ୍ଧ ଭାଙ୍ଗିବ ?- କେଭେ ନୁହେଁ । ବୁଢ଼ା ଦମ୍ଭକରି ରହିଲା । ‘ଆଜ୍ଞା, ବନ୍ଧ ଯଦି ଭାଙ୍ଗେ ତେବେ ଆମ ଗାଁ’ଟା ତ ସୁଅ ମୁହଁରେ ପଡ଼ିଯିବ । ଲୋକେ ସବୁ ପଳେଇବାକୁ ଆରମ୍ଭ କଲେଣି ।’ କିଏ ଜଣେ କହିଲା ।

‘ହଁ-’ ବୁଢ଼ା ଓଠାଟାକୁ ଲମ୍ବେଇ ଦେଇ କହିଲା- ‘ହବ ତ ହବ,ଶିଳଶିଳପୁଆ ଯଦି ଗଗନେ ଉଡ଼ିବ- ଶିମିଳି ତୁଳା କ’ଣ କହିବ- ମତେ ରଖ୍‌ ? ଯିବା ତ ଯିବା ।’ ଏତିକିବେଳେ ମହିଆ ଚମାର ଆସି କହିଲା- ‘ବନ୍ଧ ଆଉ ଥାକିବନି ବାବୁ । ଏଞ୍ଜନର୍‌ମାନେ ସବୁ ଯନ୍ତ୍ର ନଗେଇ ଦେଖୁଛନ୍ତି । ଚାଲନ୍ତୁ, ଜୀବ ଥିଲେ ସମ୍ପତ୍ତି ।’ ବୁଢ଼ା ଚିଡ଼ି ଉଠିଲା- ‘ଯାଃ ଯାଃ- ଶହସ୍ର ପୁରାଣ କାଢ଼ୁଛି । ମରିବାର ଥିଲେ କେହି ବଞ୍ଚେଇ ପାରିବ ନାହିଁ; କି ବଞ୍ଚିବାର ଥିଲେ କେହି ମାରି ପାରିବ ନାହିଁ । ଯା-ଯା-ସବୁ ପଳାଇ ଯା’ ।ମରଣ କାଳେ ନିଦ୍ରା ଗଲେ- ଯମ କି ଛାଡ଼ିଦେବ ଭଲେ ?’ ଗାଁରେ ଶଙ୍ଖ ହୁଳୁହୁଳି ଉଚ୍ଛୁଳି ପଡ଼ିଲା । ହରିବୋଲ ଶବଦରେ ଆକାଶଟା ଯିମିତି ଫାଟି ପଡ଼ୁଛି । ବୁଢ଼ା ହସିଲା । ବାରମାସିଆ ମୂଲିଆଟା କଥା ନଶୁଣି ଗୋରୁଗୁଡ଼ାକ ଫିଟାଇ ଦେଲା । ନିଶବ୍ଦ ରାତି । କିଏ ଗୋଟାଏ ହୁଡ଼ି ପକେଇ ଗଲା ‘ସରକାର ବନ୍ଧ ଉପରେ ଲାଲବତି ଜଳେଇ ଦେଇ ଗଲାଣି । ବନ୍ଧ ଭାଙ୍ଗିଲା ହୋ, ପଳେଇ ଆସ ।

ବୁଢ଼ା ଚମକି ପଡ଼ିଲା । ପୁଣି ଭାବିଲା- ‘ଏଗୁଡ଼ାକ ମୂର୍ଖ । ନଈ ନଦେଖୁଣୁ ଲଙ୍ଗଳା । ଏମାନେ ବୁଡ଼ିବେ ନାହିଁ ତ ଆଉ କିଏ ବୁଡ଼ିବ । ସରକାର କହିଛନ୍ତି- ସରକାରୀ ଇଞ୍ଜିନିୟରମାନେ କହିଛନ୍ତି- ବନ୍ଧ ଭାଙ୍ଗିବ ନାହିଁ । ସମସ୍ତେ ଥୟଧର । କ’ଣ ନା-ବନ୍ଧ ଭାଙ୍ଗିଗଲା । ଭାଙ୍ଗିବା କ’ଣ ଶସ୍ତା ପଡ଼ିଛି । ? ଏଞ୍ଜିନର୍‌ କଥା ମିଛ ହୋଇଯିବ ।’ ଘରେ ବୁଢ଼ୀ ଭାଉଜ ଆଉ ଗୋଟାଏ ନିଅଁଶୀ ତେଲୁଣୀ । ତେଲୁଣୀ ୟେଙ୍କରି ଘରେ ଖାଏ, ରହେ- ଧାନ ଉଁସାଏ, କୁଟେ, କାଣ୍ଡେ, ବାସନ ମାଜେ, କୋଳାହଳ ଶୁଣେ । ସମସ୍ତଙ୍କ କହୁଥାଏ- ଚିନ୍ତା ନାହିଁ, ଆମର କ’ଣ ହବ ? ବିଲାତ ଫେରତ୍‌ ଏଞ୍ଜିନର କହିଛି, ଏଘର କିଛି ହବ ନାହିଁ । ‘ବନ୍ଧ ଭାଙ୍ଗିଗଲା । ତାଳଗଛ ପ୍ରମାଣରେ ପାଣି ମାଡ଼ି ଆସୁଛି- ପଳେଇ ଚାଲ-ପଳେଇ ଚାଲ । ଯିଏ ଯେଉଁଠି ଅଛ ପଳେଇ ଚାଲ ।’ ବୁଢ଼ା କାନକୁ ଗୋଟେ ଗର୍ଜନ ଶୁଭିଲା । ଭାବିଲା-ତୁଫାନ-ତୁଫାନ । ମୂଲିଆଟା ଦଉଡ଼ି ଆସି କହିଲା- ‘ସତ୍ୟାନାଶ ବାବୁ, ସତ୍ୟାନାଶ । ଚାରିଆଡ଼େ ବଢ଼ି ପାଣି- ଦାଣ୍ଡରେ ସୁଅ ଛୁଟିଛି । ଆଉ ରକ୍ଷା ନାହିଁ !’ କହି ସେ ଡିଆଁଟେ ମାରିଦେଇ ଚମ୍ପଟ । ଏତେବେଳେକେ ବୁଢ଼ା ଟିକିଏ ହସିଲା । ଘର ଚାରିପଟେ ଥରେ ବୁଲି ଆସିଲା ଓ କିଛି ହବ ନାହିଁ ମୋର ! ଜବବ୍‌ର ଘର । ଦୋତଲା ନିଅଁ ପଡ଼ିଛି । କ’ଣ ହବ ? ଘର ଭିତରକୁ ଗଲା । ଦେଖିଲା କଂସା ବାସନ, ଗହଣାଗାଣ୍ଠି, ଲୁଗାପଟା ସବୁ ଯେମିତି ସେମିତି ଅଛି, ବଢ଼ିପାଣି ତାକୁ ଛୁଇଁ ନାହିଁକି ଛୁଇଁବ ନାହିଁ । ବନ୍ଧ ଭାଙ୍ଗି ନାହିଁ କି ଭାଙ୍ଗିବ ନାହିଁ । ଗାଦି ଘରକୁ ଗଲା । ଚାହିଁଲା । ଧର୍ମନାବ- ଏଇ ଏକା ସତ୍ୟ ! ଏ ଥାଉଁ ଥାଉଁ ବୁଢ଼ା ଘରେ ପାଣି ପଶିବ ? ଅସମ୍ଭବ । ଶୋଇଲା ଘରେ କାଚ ଆଲମାରିଟାକୁ ଚାହିଁଲା । ଅନେକ ଔଷଧ । ସବୁଦିନେ ଗାଁବାଲା ମାଗି ଆସନ୍ତି । ଆଜି ତ କେହି ଆସିନାହାନ୍ତି ମାଗି । ଏଥିରୁ କେହି ତ ବଢ଼ି ମରୁଡ଼ିରୁ ରକ୍ଷାକରି ପାରିବ ନାହିଁ । ଯଉ ଔଷଧ ଯଉଥିପାଇଁ । ରେଳଗାଡ଼ି ନାଇନ୍‌ ଉପରୁ ଟଳିବ ନାହିଁ, ଜର ଔଷଧ ଝାଡ଼ାକୁ ହବ ନାହିଁ । କିନ୍ତୁ-କିନ୍ତୁ… ଆଜି ଅନେକ ଦିନ ପରେ ଖୁବ୍‌ ଜୋର୍‌ରେ ମନେ ପଡ଼ିଲା-ଶରତ ବୋଉ କଥା । ସେ ଥିଲେ ହୁଏତ କହିଥାନ୍ତେ- ଏହି ଧଣ୍ଡା ଟିକିଏ ପାଅ- ବିପଦ ଟଳିଯିବ । ବୁଢ଼ା ହସିଲା । ଏଞ୍ଜେନର୍‌ମାନେ ତ କହିଛନ୍ତି କିଛି ହବନାହିଁ । ଧଣ୍ଡାଫଣ୍ଡାରୁ ଗୁଡ଼ାଏ କ’ଣ ହବ ? ବୁଢ଼ୀ ଭାଉଜ ଆସି ତନାଘନା କଲେ, ‘କ’ଣ କରୁଛ ସଉରି ? ପାଣି ଯେ ଆସି ପିଣ୍ଡାକୁ ଲାଗିଲା ।’ ‘ଏଁ-ପିଣ୍ଡାକୁ ଲାଗିଲା ?-ବାଉରିଆ କାହିଁଗଲା- ସେ ତେଲୁଣୀ ମାଇକିନିଆଟା କୁଆଡ଼େ ଗଲା ?’ ‘ସେ ଦୁହେଁଯାକ ପଳେଇଗଲେଣି ।’ ବୁଢ଼ା ହସି ହସି କହିଲା- ପାଗଳ, ପାଗଳ ! ଏଞ୍ଜେନର୍‌-ବିଲାତ୍‌-ବିଲାତ ଫେରତ୍‌ ଏଞ୍ଜେନର୍‌ଙ୍କ କଥା ମିଛ ହବ ? କହୁଁ କହୁଁ ପାଣି ମାଡ଼ି ଆସିଲା ପିଣ୍ଡା ଟପି ଘର ଭିତରକୁ । ‘ସଉରି !’ ବୁଢ଼ୀ ଚିତ୍କାର କରି ଉଠିଲା । ବୁଢ଼ା ଦାଣ୍ଡକୁ ଯାଇ ବାଡ଼ିଟା ପକାଇଲା ମାପିବାକୁ- ପାଣି କେତେ ? ବୁଢ଼ାର ଦଲକ ଉଠିଲା । ନିଶ୍ବାସ ଶୁଖିଗଲା- ସେଇ ଥଣ୍ଡା ପବନରେ ବି । ବୁଢ଼ା ପୁଣି ଆସିଲା ଘର ଭିତରକୁ । ନାଃ, କିଛି ହବ ନାହିଁ । ଏ ଘରର କିଛି ହବ ନାହିଁ । ବିଲାତ ଫେରତ୍‌ ଏଞ୍ଜେନର୍‌ମାନେ କହିଛନ୍ତି- ଘର ଭାଙ୍ଗିବା କ’ଣ ସହଜ ପଡ଼ିଛି ? ‘ଚଢ଼ ନୂଆ’ଉ- ପିଢ଼ାକୁ ଚଢ଼ ।’ ବୁଢ଼ା ଖଟ ଉପରେ ଖଟ ପକେଇ ଦେଇ ବୁଢ଼ୀକି ଚଢ଼େଇ ଦେଲା ପିଢ଼ା ଉପରକୁ । ନୋଟ ବିଡ଼ାଟା ଅଣ୍ଟାରେ ମାରି ବୁଢ଼ା ବି ଯାଇ ବସିଲା ପିଢ଼ା ଉପରେ । ପାଣି ଆସି ଢୋ ଢୋ ବାଡ଼େଇ ହେଲା କାନ୍ଥ ଉପରେ । ବୁଢ଼ୀ ଚିହିଡ଼ା ଛାଡ଼ୁଥାଏ-ଗଲା-ଗଲା ସବୁ ଗଲା- କିଏ କଉଠି ଅଛ ଉଦ୍ଧାର କର ହୋ- ଆମେ ଭାସିଗଲୁଁ- ଆମେ ଭାସିଗଲୁଁ । ବୁଢ଼ା ତଥାପି କହୁଥାଏ- ‘ଡର ନାହିଁ-ନୂଆଉ- ଏଘର ଏଞ୍ଜେନର୍‌ ଦେଖା ଘର- ପାଣି ମାଡ଼ରେ- ହୁଙ୍କିବ ନାହିଁ ।’ ଧଡ଼ାସ୍‌କିନା କାନ୍ଥଟା ପଡ଼ିଗଲା । ଘର ଛପର ଅଲଗା ହୋଇଗଲା କାନ୍ଥଠୁ ।

ଆଉ ବୁଢ଼ା ସମ୍ଭାଳି ପାରିଲା ନାହିଁ- ଭୋ-ଭୋ କାନ୍ଦି ଉଠିଲା- ନୂଆ’ଉ- ମୁଁ କ’ଣ ଜାଣିଥିଲି ୟା’ ହେବ ବୋଲି । ଚାଳି ଖଣ୍ଡ ସୁଅରେ ଭାସି ଚାଲିଲା । ରାତି ପାହିଲାଣି କେତେବେଳୁ । ଚାରିଆଡ଼େ ଫରଚା । ଜଳରେ ଜଳାର୍ଣ୍ଣବ । ଗଛ ବୁରୁଛ କଉଠି କିମିତି ଦିଶୁଛି । ଜନମାନବ ଶୂନ୍ୟ । ବୁଢ଼ା ଦେଖିଲା ଗାଁ ମୁଣ୍ଡ ବାସୁଳେଇ ବରଗଛ ଆଗରେ । ଚାହୁଁ ଚାହୁଁ ଗୋଟାଏ ଡଅଁର ଚାଳଟାକୁ ଘୂରେଇ ଘୂରେଇ ବାଡ଼େଇ ଦେଲା ସେ ଗଛ କାଣ୍ଡରେ । ଚାଳ ଦି’ଖଣ୍ଡ ହୋଇଗଲା । ବୁଢ଼ା କୁଣ୍ଢେଇ ପକେଇଲା ଗଛକୁ । ଜାବ ପଡ଼ିଯାଇଛି । ଚେତାନାହିଁ ।

ବୁଢ଼ୀ କୁଆଡ଼େ ଗଲା ସେ ଜାଣେ ନାହିଁ । ବଢ଼ି ଛାଡ଼ିଯାଇଛି । ଗଛ ଉପରୁ ବୁଢ଼ା ତଳକୁ ଆସିଛି । ଗଛ ତଳର ମା’ ବାସୁଳେଇ କେଉଁ ପାତାଳରେ ଯାଇ ପଡ଼ିଛନ୍ତି କେହି ଜାଣନ୍ତି ନାହିଁ ।