ଅବକାଶଚିନ୍ତା/କୋକିଳ

ଉଇକିପାଠାଗାର ରୁ
Jump to navigation Jump to search
ଅବକାଶଚିନ୍ତା ଲେଖକ/କବି: ଗୋପବନ୍ଧୁ ଦାସ
କୋକିଳ

           
ମଧ୍ୟାହ୍ନ ତପନ-କର ପ୍ରଚଣ୍ଡ ପ୍ରଖର
ଅବସନ୍ମ ତରୁଲତା ପଶୁ-ପକ୍ଷୀ-ନର,
ଏବେ ଶ୍ରମବାଧା ପାଇ,
ପ୍ରବେଶିଲି ଛାୟାପ୍ରଦ ଘନ ବନେ ଯାଇ ।(୧)
ଆହା କେଡେ ଶାନ୍ତିମୟ ଏହୁ ବନସ୍ଥଳୀ
ଶୁଭନାହିଁ ସୁଦ୍ଧା ଏଥି ବିହଙ୍ଗ-କାକଳୀ,
ବହେ ଭାର୍ଗବୀ ସୁନ୍ଦରୀ,
ନୀରବ ଗମ୍ଭୀରେ ନିଜ ଗତି ଅନୁସରି ।(୨)
ସୁଶ୍ୟାମଳ ତୃଣବାସେ ଆଚ୍ଛାଦିତ ମହୀ
ସୁଶୀତଳ ସମୀରଣ ବହେ ରହି ରହି,
ଆହା କିଏସେ ଏକାଳେ,
ମୋ ଶ୍ରୁତିପଥରେ ସୁଧାମୟ ବାଣୀ ଢ଼ାଳେ ?(୩)
ସଂସାର-ସମରେ ଦଗଧ ମୋ ବ୍ୟସ୍ତ ଜୀବନ
ପରମ ଉଲ୍ଲାସ-ରସେ ହେଲା ନିମଗନ,
ଆହା ସେ ମଧୁର ଗୀତି,
ମୋ ତାପିତ ହୃଦେ ଜାତ କଲା ଦିବ୍ୟ ପ୍ରୀତି ।(୪)
ନିରେଖିଲି ଚଉଦିଗେ ସାବଧାନ ନେନ୍ତ୍ରେ
କାହାକୁ ଦେଖିଲି ନାହିଁ ଡାଳେ କିବା ପନ୍ତ୍ରେ
ବହେ ସେ ସଙ୍ଗୀତ-ସୁଧା,
ପୁଲକି ଉଠେ କି ସତେ ନିଖିଳ ବସୁଧା !(୫)
ମନେ ବିଚାରିଲି ଶାନ୍ତିଦେବୀ ରାଜପଣେ
କରନ୍ତି ସଙ୍ଗୀତ ସ୍ବର୍ଗ-ଅପସରାଗଣେ
ରହି ଅଦୃଶ୍ୟେ ଗୋପନେ,
ବୁଝିବେ ଏହାର ଅର୍ଥ କାହୁଁ ମର୍ତ୍ତ୍ୟଜନେ?(୬)
କ୍ଷୁଦ୍ର ପକ୍ଷୀ ଏକ ତରୁଶାଖାରୁ ଏକାଳେ
ଉଡି ପଶିଗଲା ଲତାକୁଞ୍ଜ ଅନ୍ତରାଳେ,
ବାଣୀସ୍ରୋତ ପରମ୍ପରା,
ଏବେ ତାହା ପଛେ ପଛେ ବହିଗଲା ପରା!(୭)
ସେ ଲତାମଣ୍ଡପୁ ପୁଣି ବାହାରିଲାତାନ,
ଜାଣିଲି ସେ କ୍ଷୁଦ୍ର ପକ୍ଷୀ କରୁଅଛି ଗାନ,
ଧନ୍ୟ ଧନ୍ୟରେ ବିହଙ୍ଗ,
କି ହେବ ବା ହେଲେ ତୋର ଅସୁନ୍ଦର ଅଙ୍ଗ?(୮)
ଗୁଣ ଥିଲେ ରୂପରେ କି ଅଛି ପ୍ରୟୋଜନ?
ରୂପ ଅଟଇ କେବଳ ବାହ୍ୟ ଆଭରଣ,
ଧନ୍ୟ ଧନ୍ୟରେ ବିହଙ୍ଗ,
କି ହେବ ବା ହେଲେ ତୋର ଅସୁନ୍ଦର ଅଙ୍ଗ?(୯)
ଭାରତ ପ୍ରାଚୀନ ଆର୍ଯ୍ୟ ମୁନିଗଣ ପରି
ମହାଲକ୍ଷ୍ୟ ସାଧୁ ଗୁପ୍ତେ ସାଧୁରୀତି ଧରି,
ତେଣୁ ତେଜି ଆଡ଼ମ୍ବର,
ଉଚ୍ଚାରୁ ନିଭୃତେ ବସି ଏ ମହାମନ୍ତର ।(୧୦)
ସେ ମହାପୁରୁଷେ ଯଥା ବସି ବନସ୍ଥଳେ,
ପ୍ରକାଶିଲେ ଦିବ୍ୟତତ୍ତ୍ବ ଧରଣୀ-ମଙ୍ଗଳେ,
ତଥା କରୁ ଦୁବ୍ୟନାଦ,
ଶୁଣି ଯାହା ତୁଟେ ନର ହୃଦ ଅବସାଦ ।(୧୧)
ଏ ଯୁଗର ପ୍ରାଣୀ ନୋହୁ ଜାଣିଲିରେ ପକ୍ଷି!
ପ୍ରାଚୀନ ମହତ ରୀତି ଅଛୁ ତେଣୁ ରଖି,
ନାହିଁ ଗର୍ବ ଅହଙ୍କାର,
ତୋ ନିବାସ ଉପଯୋଗୀ ନୁହେ ଏ ସଂସାର ।(୧୨)
କେଡେ କ୍ଷୁଦ୍ର ଦେହେ କେଡେ ଗୁରୁତର ଭାବ
ଲାଗଇ ଆଶ୍ଚର୍ଯ୍ୟ ମୋତେ ଦେଖି ତୋ ପ୍ରଭାବ,
ଆରେ ପ୍ରବୀଣ ବିହଙ୍ଗ,
ଲଭିବାକୁ ମୋର ଇଛା ତୋର ସାଧୁସଙ୍ଗ ।(୧୩)
ଅଜ୍ଞାନ ତିମିରେ ଅନ୍ଧ ଭାରତ-ସନ୍ତାନ
ହରାଇଛନ୍ତି ଜାତୀୟ ମାନ ଅଭିମାନ,
ଆରେ ପ୍ରିୟ ପକ୍ଷିବର,
ଗାଅ ନାହିଁ ପୂର୍ବ ସ୍ମୃତି ବିଦରେ ଅନ୍ତର ।(୧୪)
ଜାଣିବ କି ହେ ପାଠକ ଏ ବିହଙ୍ଗ ନାମ,
ଜାଣିବା କି କାହିଁ ଏହା ସୁଖମୟ ଧାମ?
ନାମ ଏହାର କୋକିଳ,
ବସନ୍ତ-ରାଜ୍ୟ-ନିବାସୀ “ ସୁରକ୍ଷଣଶୀଳ " ।(୧୫)