ଅବକାଶଚିନ୍ତା/ଗ୍ରୀଷ୍ମେ ଖୁଣ୍ଟାଗଛ
←ଏକ ଅସରା ବର୍ଷାର ଅବ୍ୟବହିତ ପରେ ନରାଜ ଦର୍ଶନ | ଅବକାଶଚିନ୍ତା ଲେଖକ/କବି: ଗ୍ରୀଷ୍ମେ ଖୁଣ୍ଟାଗଛ |
ଗୋଟିଏ କାଙ୍କଣ ଗଛ→ |
<poem> ହେ ତରୁବର ! କାହିଁ ସେ କଳେବର? ଅଳିପଦିନ ତଳେ ଏଡ଼େ ସୁନ୍ଦର ! ମନୋଜ୍ଞ କିଶଳୟଦଳେ ଶୋଭିତ, ମୋହିତ କରୁଥିଲୁ ଭାବୁକ ଚିତ୍ତ । ନବୀନ ଯୁବାଜନ ସମ ପ୍ରଫୁଲ୍ଲ, ଦିଶୁଥିଲୁରେ ଦ୍ରୁମ କେଡେ ମଞ୍ଜୁଳ ! ଏବେ କି ପାଇଁ ତେଜି ସେ ଦିବ୍ୟ ଦେହ, ଏ ଦୀନହୀନ ବେଶେ କରୁଛୁ ସ୍ନେହ ? ଖୁଣ୍ଟା ଶରୀରେ ସ୍ଥିରେ ହୋଇଛୁ ଛିଡ଼ା, ପୂର୍ବ ପରି ପବନେ ନାହିଁ ତୋ କ୍ରୀଡ଼ା । କଙ୍କାଳ ମାତ୍ର ଅଛି ତୋ ଅବଶିଷ୍ଟ, ନ ଜାଣଇ ପଡିଲା କି ଦଶା ରିଷ୍ଟ । ନିଦାରୁଣ ନିଦାଘ ହୋଇ ଭଗାରି, ବଳ ବୟସ ବପୁ ଦେଲା କି ସାରି? ତୋ ପୂର୍ବତନୁଶୋଭା ସୁମରି ମନେ ଏ ରୂପ ଦେଖି ଅଶ୍ରୁ ଆସେ ନୟନେ; କ୍ଷଣ-ଭଙ୍ଗୁର ସିନା ନର-ଯୌବନ ପ୍ରସ୍ଫୁଟିତ କୁସୁମେ ବାସ ଯେସନ । ଦେଖିଣ ଭବେ ନିତି ଏପରି ରୀତି, ଆଚରେ ଯୁବାଜନ କେତେ ଅନୀତି । ହେ ବୃକ୍ଷରାଜ ! କଲି ଯେଉଁ ବିଚାର, ନୁହେଁ ତୋର ସେପରି ହୀନ ଆଚାର । ତୋ ଯୁବାକାଳେ ସାଧି ପ୍ରାଣୀ-ମଙ୍ଗଳ, କରିଛୁରେ ପାଦପ ! ଜନ୍ମ ସଫଳ । ଦେଇ କୋମଳ ଛାୟା ସୁପକ୍ୱ ଫଳ, କରିଛୁ କେତେ ଦଗଧ-ପ୍ରାଣ ଶୀତଳ । କାଟିଲୁ ଯୁବାକାଳ ପରୋପକାରେ, ଧନ୍ୟ ଧନ୍ୟ ଜୀବନ ତୋର ସଂସାରେ । ଏବେ ମାୟା ମମତାସବୁ ବିହରି, ନୀରବେ ଏକ ଲୟେ ଭଜୁ ଶ୍ରୀହରି । ଧରିଣ ଯତି-ଦିକ୍ଷା ସାଧୁଛି ଯୋଗ, ପରମବ୍ରହ୍ମେ ଚିତ୍ତ କରି ସଂଯୋଗ । ପ୍ରଖର ରବି-କରେ ଟେକିଛୁ ମଥା, ତପ-ପ୍ରଭାବେ ହୃଦେ ନ ଲାଗେ ବ୍ୟଥା । ଚଉପାଶେ ଦାବାଗ୍ନି ପ୍ରଚଣ୍ଡେ ଜଳେ, ଅନଳକୁଣ୍ଡ ଯଥା ତପସ୍ୟା ସ୍ଥଳେ । କଳ୍ପଯୋଗୀ ପରାୟେ ଦିଶେ ଶରୀର, ରହିଛି ଅସ୍ଥି-ଚର୍ମ, ନାହିଁ ରୁଧିର । ଦେଖିଣ ଏ ନୀରସ ସ୍ଥବିର ତନୁ, ଭୟ ଭକତି ଭାବ ଉପୁଜେ ମନୁ । ପଇଡ଼ ସ୍ମୃତି -ପଥେ ଅତୀତ କଥା, ଭାରତର ଗୌରବ ଆଶ୍ରମପ୍ରଥା । ସମାଜ ସୁରକ୍ଷଣେ ଅପୂର୍ବ ବିଧି, କାହିଁ ଗଲା ଏବେ ସେ ଅମୂଲ୍ୟ ନିଧି । ମୂକତି ଲାଭେ ସେହି ଧର୍ମ୍ମ-ନିଶୁଣି, ସତେ କି କେବେ ଫେରିଆସିବ ପୁଣି? ଗୃହସ୍ଥାଶ୍ରମ ଏକା ଏ ଯୁଗେ ସାର, ନ ତୁଟେ ମଲାଯାଏ ମାୟା-ସଂସାର । ଗୃହସ୍ଥାଶ୍ରମେ ପୁଣି ନାହିଁ ସେ ନୀତି, ଧର୍ମ୍ମ-କର୍ମ୍ମ-ସାଧନେ ସରଳ ପ୍ରୀତି । ସ୍ୱାର୍ଥ-ସାଧନେ ରତ ସର୍ବେ ନିରତେ, କେତେ କାଳ ଏପରି ହେବ ଭାରତେ !