ଅବକାଶଚିନ୍ତା/ସାମନ୍ତ ଚନ୍ଦ୍ରଶେଖର

ଉଇକିପାଠାଗାର ରୁ
Jump to navigation Jump to search
ଅବକାଶଚିନ୍ତା ଲେଖକ/କବି: ଗୋପବନ୍ଧୁ ଦାସ
ସାମନ୍ତ ଚନ୍ଦ୍ରଶେଖର

           
ଉତ୍କଳ ଭାସ୍କର ହେ ଚନ୍ଦ୍ରଶେଖର ! ଋଷିପ୍ରଭା ମହାମତି,
ସିଦ୍ଦାନ୍ତ-ଦର୍ପଣେ ଦେଖି ଦେଖାଇଲେ ଚନ୍ଦ୍ର ତାରା ଗ୍ରହ ଗତି ।
ପାର୍ଥିବ ଶରୀରେ ରହିଛି ମହୀରେ କିନ୍ତୁ ଏଥି ନାହିଁ ଦୃଷ୍ଟି,
ଦିବ୍ୟସୁଖେ ନିତି ନିରେଖ ବିଧାତା ବିଚିତ୍ର ସ୍ୱରଗ ସୃଷ୍ଟି ।
ଯଶ ପ୍ରତି ଆଶା ଆହେ ମହାଯଶା ନ ପୋଷ ହୃଦୟେ କ୍ଷଣେ,
ସତ୍ୟ ଲାଗି ସତ୍ୟ ନିଃସ୍ୱାର୍ଥେ ଖୋଜିଲ ଆଜୀବନ ତ୍ରିଭୁବନେ ।
ପଡ଼ା ଖଣ୍ଡ ମଧ୍ୟେ ଅଲକ୍ଷିତେ ଦିନ ଯାପିଲ ଧରଣୀ ହିତେ,
ପଡ଼ା ଖଣ୍ଡେ ସୁଦ୍ଧା ଉପହାର ଦେବା କେହି ନ ବିଚାରେ ଚିତ୍ତେ ।
ଶୁକ୍ତିକା ଅନ୍ତରେ ମୌକ୍ତିକ ପରାଏ ଉତ୍କଳେ ତୁମ୍ଭ ସମ୍ଭବ,
ଅଜ୍ଞାନ ଉତ୍କଳ ନ ଜାଣିଲା ଲବେ ତୁମ୍ଭ ପ୍ରତିଜ୍ଞା-ବିଭବ ।
ସ୍ୱଦେଶର ଘୋର ଜଡ଼ତା-ଅନ୍ଧାର ରୋଧିଲା ପ୍ରଭା ବିକାଶ,
ତଥାପି ବିଦେଶେ ଚିହ୍ନରା ଗ୍ରାହକେ ଲଭିଲେ କ୍ଷୀଣ ଆଭାସ ।
ନିଜ ବୁଦ୍ଧିବଳେ ବିଜ୍ଞାନ ଆଲୋଡ଼ି ପାଇଲା ସୁଦିବ୍ୟ ତତ୍ତ୍ୱ,
ଧନ୍ୟ ହେ ଯୋଗେଶ ରହୁ ତାଙ୍କ ଯଶ ବୁଝିଲେ ତୁମ୍ଭ ମହତ୍ତ୍ୱ ।
ଅରଣ୍ୟ-ନିବାସୀ ଜ୍ଞାନ ଅଭିଳାଷୀ ମୁନି ସମାନ ସରଳ,
କେଉଁ ମନ୍ଦ ଗ୍ରହ ଆବୋରିଛି କହ ଉତ୍କଳର କର୍ମ୍ମସ୍ଥଳ୍ ?
ସିଦ୍ଧାନ୍ତ-ଦର୍ପଣେ ସ୍ୱଦେଶର କୋଷ୍ଟି ଦେଖି କରି ଏକ ଲୟ,
କହ କହ କେବେ ଦୁର୍ଦ୍ଦଶା ଏହାର ପାଇବ କି ସତେ କ୍ଷୟ !!