ଅମର ଶହିଦ ବାଜି ରାଉତ

ଉଇକିପାଠାଗାର ରୁ
Jump to navigation Jump to search
template error: please do not remove empty parameters (see the style guide and template documentation).
ଅମର ଶହିଦ ବାଜି ରାଉତ
ଲେଖକ/କବି: [[ଲେଖକ:{{{author}}}|{{{author}}}]]
{{{notes}}}

ପୃଷ୍ଠା ୧

ଇଂରେଜ ସରକାରଙ୍କ ରାଜତ୍ବ କାଳରେ ଭାରତବର୍ଷରେ ଅନ୍ୟାନ୍ୟ ରାଜ୍ୟ ଭଳି ଓଡ଼ିଶାରେ ସାଧାରଣ ପ୍ରଜାମାନେ ବିଭିନ୍ନ ଭାବରେ ଶୋଷଣ ଓ ଅତ୍ୟାଚାରିତରେ ଜର୍ଜରିତ ହେଉଥିଲେ | ସେତେବେଳେ ଇଂରେଜ ସରକାର ତାଙ୍କର ଶାସନ ପ୍ରଣାଳୀକୁ ସରଳ କରିବା ଉଦ୍ଦେଶ୍ୟରେ ସମଗ୍ର ଓଡ଼ିଶାକୁ ଦୁଇ ଭାଗରେ ବିଭକ୍ତ କରି ମୋଗଲବନ୍ଦୀ ଏବଂ ଗଡଜାତ ଅଞ୍ଚଳ ଭାବରେ ନାମିତ କରିଥିଲେ | ମୋଗଲବନ୍ଦୀ ଅଞ୍ଚଳଗୁଡିକରେ ଜମିଦାରମାନେ ଏବଂ ଗଡଜାତ ଅଞ୍ଚଳମାନଙ୍କରେ ରାଜାମାନେ ଶାସନ ନାମରେ ପ୍ରଜାମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର କରୁଥିଲେ | ଏହି ଦୁଇଭାଗ ମଧ୍ୟରୁ ଗଡଜାତ ଅଞ୍ଚଳର ପ୍ରଜାମାନଙ୍କ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡୁଥିଲା | ଗଡଜାତ ରାଜ୍ୟର ରାଜା ତଥା ପାରିଷାଦବର୍ଗଙ୍କ ଯାବତିୟ ଅନ୍ୟାୟ, ଅତ୍ୟାଚାର, ଶୋଷଣ, ବେଠି, ବେଘାରି, ଯୋରଜବରଦସ୍ତ ଟିକସ ଅସୁଲ, ମନମୁଖିଶାସନ, ମିଥ୍ୟା ମୋକଦ୍ଦମା ପ୍ରଭୁତିରେ ଜର୍ଜରିତ ହେଉଥିଲେ ଗଡଜାତବାସୀ | ସମୟେ ସମୟେ ଗଡଜାତ ଅଞ୍ଚଳରେ ଏହି ଶୋଷଣ କଷଣରେ ଫଳସ୍ବରୁପ ପୁନଜୀଭୁତ ଅସନ୍ତୋଷ କ୍ରମଶଃ ବୃଦ୍ଧି ପାଇ ବିସ୍ପୋରଣର ରୁପ ଧାରଣ କରୁଥିଲା, କିନ୍ତୁ ଇଂରେଜ ସରକାର ତାହାକୁ କଳେବଳେ କୌଶଳେ ଦମନ କରୁଥିଲେ | ଏହିସବୁ ଗଡଜାତ ଆନ୍ଦୋଳନ ସେତେବେଳେ ସମଗ୍ର ଭାରତବର୍ଷରେ ଆଲୋଡନ ସୃଷ୍ଟି କରିଥିଲା | ଭାରତର ସ୍ବାଧିନତା ସଂଗ୍ରାମ ସ୍ରୋତରେ ଦେଶର ସର୍ବକନିଷ୍ଠ ଦେଶଭକ୍ତ ୧୨ ବର୍ଷର ବାଳକ ବାଜି ରାଉତ ତାଙ୍କ ଜୀବନକୁ ବାଜି ଲଗାଇ ଶହିଦ ହୋଇଯାଇଥିଲେ |

୧୯୨୬ ମସିହା ଅକ୍ଟୋବର ମାସ ୫ ତାରିଖ ଦିନ ଢ଼େଙ୍କାନାଳ ଜିଲ୍ଲାର ନିଳକଣ୍ଠପୁର ଗ୍ରାମରେ ଏକ ଗରିବ ଖଣ୍ଡାୟତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ଶହିଦ ବାଜି ରାଉତ | ଟିକିଟିକି ଗୋଡରେ ଠୁକୁଠୁକୁ ଚାଲିବା ଅବସ୍ଥାରେ ସେ ହୋଇଥିଲେ ବାପାଛେଉଣ୍ଡ | ସମସ୍ତେ ତାଙ୍କୁ ସ୍ନେହରେ ବାଜିଆ ବୋଲି ଡାକନ୍ତି | ପରିବାର କହିଲେ ମା’ ଓ ସେ | ଜମି, ବାଡି ଗୋବରେ ଗୋବେ ନାହିଁ | ମା’ ବାରଘରେ ପାଇଟିକରି ପିଲାଟି ମୁହଁରେ ଆହାର ଦିଏ | ଆଶା ଯେ, ପିଲାଟି ବଡ ହେଲେ ସାତ ପୁରୁଷର ନାଁ ରଖିବ | ଦିନ ପରେ ଦିନ ଗଡି ଚାଲିଲା | ଚାହୁଁ ଚାହୁଁ ବାଜିଆ ବାରବରଷର ହେଲେ | ସତକୁ ସତ ସେଇ ଟିକି ପିଲାଟି ଏ ଜାତି ଦେଶ ପାଇଁ ଜୀବନ ଉସ୍ଚର୍ଗ କରି ଅମର ହୋଇଗଲେ | ସେତେବେଳେ ଗୋରାସାହେବଙ୍କ ରାଜୁତି ସମୟ | ଓଡ଼ିଶାର ଗଡଜାତ ରାଜ୍ୟମାନଙ୍କରେ ପ୍ରଜା ଆନ୍ଦୋଳନ ଚାଲିଥାଏ | ଅଗଣିତ ଜନତାଙ୍କ ମନରେ ନୁତନ ଆଶାର ବିହୁଡି | ଆମ ଦେଶ ସ୍ବାଧିନ ହେବ | ଗୋରା ଶାସନର ନାଗଫାଶ ଫିଟିଯିବ | ସମସ୍ତଙ୍କ ଦେହରେ ଶତସିଂହର ବଳ | ବେକ କଟିଯାଉ ପଛକେ, ନିଜ ରକ୍ତ ଦେଇ ଦେଶ ସ୍ବାଧିନ କରିବେ | ମରିବେ ପଛକେ, ଡରି ଯାଇ ପଛକୁ ହଟିବେ ନାହିଁ | ଢ଼େଙ୍କାନାଳର ବୀର ପ୍ରଜାଗଣ ଜୀବନକୁ ପଣ କରି ଶପଥ ନେଇଛନ୍ତି |


ପୃଷ୍ଠା ୨

ଓଡ଼ିଆ ଜାତି ଟଳିବାର ନୁହେଁ | ସେଇ ଢ଼େଙ୍କାନାଳର ପ୍ରଜାମଣ୍ଡଳ ସ୍ବେଚ୍ଛାସେବୀଙ୍କ ସହିତ ଯୋଗ ଦେଇଥାନ୍ତି ବାରବରଷର ବାଳୁତ କୁମର ବାଜି ରାଉତ |

୧୯୩୮ ମସିହା ଅକ୍ଟୋବର ମାସ ୧୧ ତାରିଖ | ମୁହଁକୁ ମୁହଁ ଦିଶୁନି | ତିନି ଦିନ ହେଲା ମେଘ, ବର୍ଷା, ବିଜୁଳି ଓ ଘଡଘଡିର ତାଣ୍ଡବଲୀଳା ଚାଲିଛି | ସେଇ ଅନ୍ଧାରିଆ ରାତିରେ ପ୍ରଜାମଣ୍ଡଳର କେତେଜଣ ସ୍ବେଚ୍ଛାସେବୀଙ୍କ ସହ ବ୍ରାହ୍ମଣୀ ନଦୀ ଘାଟରେ ଡଂଗା ଜଗି ରହିଛନ୍ତି ବାଳକ ବୀର ବାଜି ରାଉତ | ସେ ପ୍ରଜାମଣ୍ଡଳର ସିପାହୀ ସାଜିଛନ୍ତି | ଘାଟ ଡଂଗା ଜଗିବା ସେଦିନ ତାଙ୍କର ପାଳିଥିଲା | କାରଣ ପ୍ରଜାମଣ୍ଡଳର ହୁକୁମ ଥିଲା, ନଦିଘାଟରୁ ଦୁରରେ ଡଂଗା ଲୁଚେଇ ରଖିବ, ଗୋରା ଫଉଜ ମାନେ ଯେପରି ନଦୀ ପାର ନହୁଅନ୍ତି, ସେମାନଙ୍କ ଗତିବିଧି ଉପରେ ନଜର ରଖି କ୍ୟାମ୍ପକୁ ଖବର ଦେବ, ଆଉ ପ୍ରଜାମଣ୍ଡଳର ସାଥୀଙ୍କୁ ନିରାପଦରେ ପାର କରାଇବ | ପିଲାଲୋକ ସିଏ | ଟିକେ ହାଲିଆ ହୋଇ ବସି ପଡିଛନ୍ତି କି ନାହିଁ, ନିଦରେ ତାଙ୍କର ଆଖିପତା ମୁଦି ହୋଇଗଲା |

କୋଳାହଳରେ ବାଜିଆଙ୍କ ନିଦ ଭାଂଗିଗଲା | ଅନ୍ୟ ସ୍ବେଚ୍ଛାସେବୀମାନେ ଧଡପଡ ହୋଇ ଉଠି ପଡିଲେ | ଶୁଣିଲେ ଡଂଗାକୁ ତୁରନ୍ତ କୁଳରେ ଲଗାଇବା ପାଇଁ ନରହନ୍ତା ସିପାହୀ ଦଳ ଗର୍ଜନ କରୁଛନ୍ତି “ କୁଳକୁ ଡଂଗା ଆଣ, କୁଳକୁ ଡଂଗା ଆଣ |” ବାଜିଆ ଦେହରେ ଶତ ସିଂହର ବଳ ଜାଗି ଉଠିଲା | କ୍ରୋଧରେ ଜର୍ଜରିତ ହୋଇ ରକ୍ତରେ ତାଙ୍କର ନିଆଁ ଲାଗିଗଲା | ସେ ହଠାତ୍ ସ୍ବେଚ୍ଛାସେବୀଙ୍କ ଓ ବାନର ସେନାଙ୍କ ଆଗକୁ ଚାଲି ଆସିଲେ | ଏ ମାଟିର ସିଂହଛୁଆ ସେ | ଫଉଜକୁ ଅନେଇ ବୀରଦର୍ପରେ ଜବାବ ଦେଲେ –“ ପ୍ରଜାମଣ୍ଡଳର ହୁକୁମ, ଡଂଗା ଦେବି ନାହିଁ |” ସିପାହୀମାନେ ପୁଣି କହିଲେ – “ ଜାଣିଛୁ ଆମେ କିଏ ? ଆମେ ତୋତେ ଗୁଳିରେ ଉଡାଇ ଦେଇପାରୁ |” ବାଜିଆ କ୍ରୋଧରେ ଗର୍ଜନ କରି କହିଲେ –“ ଆରେ, ରଖ ତୋ’ ଗୁଳି | ମୁଁ ଜାଣିଛି ତୁମେ ହେଉଛ ଅତ୍ୟାଚାରୀ ରାଜାର କୁକୁର ଦଳ – ତୁମେ ଗାଁ ଗାଁ ବୁଲି ଗାଁଗଣ୍ଡା ଛାରଖାର କରୁଛ, ସମ୍ପତି ଲୁଟ୍ କରୁଛ, ମା ଓ ଭଉଣୀଙ୍କ ଇଜ୍ଜତ ନେଉଛ, ଭାଇମାନଙ୍କୁ ଜୀବନରେ ମାରୁଛ | ତୁମେ ପଶୁ, ରାକ୍ଷସ |” ଆଖି ପିଛୁଳାକେ ବନ୍ଧୁକରୁ ଛୁଟି ଅସିଲା ଗୁଳି ଗୁଡୁମ୍ ଗୁଡୁମ୍ | ଗୁଳି ମାଡ଼ରେ ବଜିଆଙ୍କ କଁଅଁଳିଆ ଖପୁରୀଟି ଫାଟି ଦି’ ଫାଳ ହୋଇଗଲା | ଗଛ କାଟିଲା ଭଳି ସେ ତଳେ ପଡିଗଲେ | ସେଇ


ପୃଷ୍ଠା ୩



ରକ୍ତ ଜୁଡୁବୁଡୁ ଦେହରେ ସେ ପୁଣି ଉଠି ଠିଆ ହେଲେ | ସେ ଡରିବାର ପିଲା ନୁହେଁ | ତାଙ୍କ ଭିତରଟା ବଜ୍ରଠାରୁ ଆହୁରି କଠିନ | ଦେହରେ ତାଙ୍କର ଅମାପ ଶକ୍ତି | ବଡ ପାଟିରେ ଡାକ ଛାଡିଲେ “ ଧାଇଁ ଆସ ହେ ଧାଇଁ ଆସ | ପ୍ରଜାମଣ୍ଡଳର ଲୋକ କେଉଁଠି ଅଛ ଧାଇଁ ଆସ | ଆମ ଘାଟକୁ ପୁଲିସ୍ ଆଇଚି |” ତା’ ପରେ ସବୁ ଶେଷ | ଗାଁ ଲୋକେ ଡାକ ଶୁଣି ତତକ୍ଷାଣତ୍ ଧଇଁଲେ | ସତେ ଯେପରି ଗାଁଟା ସାରା ନଈ କୁଳକୁ ଉଠି ଆସିଲେ | ସମସ୍ତେ ସେଇ ନଈ ତୁଠରେ ଡଂଗା ଦଉଡିକୁ ଅନଟାରେ ବାନ୍ଧି ଛାତି ଫୁଲାଇ ଠିଆ ହୋଇଗଲେ | ଜୀବନ ପଛକେ ଚାଲିଯିବ ଡଂଗା ଫିଟିବ ନାହିଁ | ପ୍ରଜାମଣ୍ଡଳର ହୁକୁମ୍ ଏପଟ ସେପଟ ହେବାର ନୁହେଁ |

ପୁଲିସ୍ ମନେମନେ କୌଶଳ ପାଞ୍ଚୂଲା | କାହାକୁ ଆଉ ଗୁଳି ମାରିଲା ନାହିଁ | ଛୁରୀରେ ଡଂଗା ଦଉଡି କାଟି ମଝି ନଈକୁ ଡଂଗା ବାହି ନେଲା | ଡଂଗା ମଝି ନଈରେ ହୋଇଛି କି ନାହିଁ, ଛୁଟିଲା ଗୁଳିର ସୁଅ ଗୁଡୁମ୍ ଗୁଡୁମ୍ | ସେଇଠି ଟଳି ପଡିଲେ ନିଳକଣ୍ଠପୁର ଗାଁର ଆଉ କେତେ ଜଣ | ହୁରୁଷି, ରଘୁ, ଗୁର, ନଟ, ଲକ୍ଷମଣ ଓ ଫଗୁ | ଦେଶ ପାଇଁ ଛୁଆ ବଡ ମିଶି ସାତ ଜଣ ଶହିଦ ହୋଇଗଲେ | ସେଇ ଅନ୍ଧାର ରାତିରେ ମଣିଷର ଉଷୁମ ରକ୍ତରେ ବ୍ରାହ୍ମଣୀ ନଈର ପାଣି ଲାଲ ହୋଇଗଲା | ନିଳକଣ୍ଠପୁର ଗୁଳିକାଣ୍ଡର ପରଦିନ ଅର୍ଥାତ୍ ୧୯୩୮ ମସିହା ଅକ୍ଟୋବର ମାସ ୧୨ ତାରିଖ ଦିନ ଦେଶ ପାଇଁ ପ୍ରାଣବଳି ଦେଇଥିବା ସାତଜଣ ବୀରଙ୍କର ପାର୍ଥିବ ଶରୀରକୁ କଟକ ଆଣି ବିରାଟ ପଟୁଆର ହେଲା | ଶେଷରେ ଆଜିର ଖାନ୍ନଗର ମଶାଣିରେ ଗୋଟିଏ ଚିତାରେ ସମସ୍ତେ ପାଉଁଶ ହୋଇଗଲେ | ମାଟିର ଦେହ ମାଟିରେ ମିଶିଗଲା | ଯୁଗଯୁଗ ପାଇଁ ସେମାନେ ହେଲେ ସ୍ବାଧିନତା ସଂଗ୍ରାମର ବୀର ଅମର ସୈନିକ |

ସର୍ବ କନିଷ୍ଠ ବାଜି ରାଉତ ଥିଲେ ମୁକ୍ତି ସଂଗ୍ରାମର ଅନ୍ୟତମ ସଂଗ୍ରାମୀ ଓ ଗଡଜାତର ସୁର୍ଯ୍ୟ | ପଙ୍କରୁ ପଦ୍ମ ଜନ୍ମ ନେଲା ପରି ଏକ ଅନ୍ଧାରୀ ମୁଲକରେ ଜନ୍ମ ହୋଇଥିଲେ ମଧ୍ୟ ସେ ସାରା ଜାତି ଓ ନିଜର ଜନ୍ମଭୁମି ପାଇଁ ଜୀବନ ଉସ୍ଚର୍ଗ କରି ଭବିଷ୍ୟତ ବଂଶଧରମାନଙ୍କ ନିମନ୍ତେ ଏକ ପ୍ରେରଣାର ଉସ୍ଚ ହୋଇ ରହିଗଲେ |

ସେଦିନ ଚିତାଗ୍ନି ପାଖରେ ଥାଇ କବି ସଚ୍ଚି ରାଉତରାୟ ଗାଇ ଉଠିଲେ –

<poem>

“ ନୁହେଁ ବନ୍ଧୁ ନୁହେଁ ଏହା ଚିତା ଏ ଜାତି ତିମିର ତଳେ ଏ ଅଲିଭା ମୁକତି ସଳିତା ନୁହେଁ ଏହା ଜଳି ଯିବା ପାଇଁ ଏହାର ଜନମ ଏଥି ଜାଳି ପୋଡି ଦେବାରୁ ଧସାଇ |” ••••••