Jump to content

ଅରି ଫେରି ନାହିଁ

ଉଇକିପାଠାଗାର‌ରୁ

ଅରି ଫେରି ନାହିଁ

ଲେଖକ/କବି: ବୀରକିଶୋର ଦାସ

ଅରି ଫେରି ନାହିଁ, ଯୁଦ୍ଧ ସରି ନାହିଁ ଆସ ମୋ ଶିବିରେ ଆସ ଭାଇ ! ହିମାଳୟ ଶିରେ ଶବଦ ଶୁଭଇ ଡର ନାହିଁ ଆଉ ଡେରି ନାହିଁ । ଘୋଷା ।

ସଉର ଜଗତୁଁ ରଣ ବିଜ୍ଞାନର ବିଷ ପୂରାପୂରି ହରି ନାହିଁ । ପ୍ରକୃତି ସୁନ୍ଦରୀ ବିଜୟ ଚନ୍ଦ୍ରିକା ବିଶ୍ୱ ଗଗନରେ ଭରି ନାହିଁ ।୧।

ଭାରତର ନବ ମନ୍ତ୍ରର ଉଚ୍ଚାଟେ ଶିବ ନାଚିଲାଣି ଶବ ପାଇଁ, ମାନବ ମୁକତି ଗଙ୍ଗା ଆସୁଛନ୍ତି ବାରେ ଚଉଦିଗ ଦେଖ ଚାହିଁ ।୨।

ଜଡ଼ ଚେତନର ବଳ କଷାକଷି ଅସ୍ତ୍ର ଜବତ୍-ରଣ ଏହି ତରଙ୍ଗ ଏହାର ରୋଧିବ କିଏ ସେ ଯୁଗ ଯୁଗାନ୍ତର ଯିବ ବହି ।୩।

ଭକତ ଯେ ଅଛ ଦେବୀ ପୂଜା କର ରକତ ମନ୍ଦାର ଢ଼ାଳି ଦେଇ, ତରୁଣ କେ ଅଛ ମରଣକୁ ଦଳି ଦେବତା ପରାଏ ଉଠ ଚେଇଁ ।୪।

ଚାଷୀ କାରିଗର ପ୍ରାଣ ରକ୍ଷା କର ଆଜି ଫୁଲ ପାଣି ସିଞ୍ଚି ଦେଇ, ଅଚିରେ ଧରଣୀ ସରଗ ସାଜିବ କଳି ଚାଲିଯିବ ବଳି ପାଇଁ ।୫।