Jump to content

ଅର୍ଥକୋଇଲି (କିୟଦଂଶ)

ଉଇକିପାଠାଗାର‌ରୁ
ଅର୍ଥକୋଇଲି
ଲେଖକ/କବି: ଜଗନ୍ନାଥ ଦାସ
ବିଜୟ ଚନ୍ଦ୍ର ମଜୁମଦାରଙ୍କ ବହି "ଟିପିକାଲ ସିଲେକ୍ସନ୍ସ ଫ୍ରମ ଓଡ଼ିଆ ଲିଟରେଚର"ରେ ଅର୍ଥକୋଇଲି ଆଂଶିକ ଭାବେ ଦିଆଯାଇଛି । ଏଣୁ ତଳେ ସେହି କିୟଦଂଶ ଦିଆଯାଇଛି ।

ଅର୍ଥକୋଇଲି
BY JAGANNATH DAS
(A portion only is given in the interest of chronology)

କୋଇଲି କେଶବ ଯେ ମଥୁରାକୁ ଗଲା ।
କାହାବୋଲେ ଗଲା ପୁତ୍ର ବାହୁଡ଼ି ନଇଲା ଲୋ ।

ଅର୍ଜୁନ ଉବାଚ

ଅର୍ଜୁନ ବୋଇଲେ ତୁମ୍ଭେ ଶୁଣ ମହାବାହୁ ।
ପୁଛିବି କଥାଏ ପ୍ରଭୁ ମୋତେ ଆଜ୍ଞାହେଉ ।
କେଶବ କୋଇଲି ନାଥ କାହାକୁ ଯେ କହି ।
ଏହା ମୋତେ ଶ୍ରୀହରି ପ୍ରସନ୍ନେ ଦେବା କହି ।

ଶ୍ରୀଭଗବାନୁବାଚ

ପାର୍ଥର ବଚନେ ଯେ ବୋଲନ୍ତି ଭଗବାନ ।
ଉତ୍ତମ କ‌ଥାଏ ପାର୍ଥ ପଚାରିଲୁ ପୁଣ ।
କୋଇଲି ବୋଲିଣ ପାର୍ଥ ଜୀବକୁଟି କହି ।
ସେହି ଜୀବ ମୁହିଁ ଜାଣ ସର୍ବତ୍ର ଅଛଇ ।
ଆପେ ଆସିଥିଲା ଜୀବ ଆପେ ଚଳିଗଲା ।
ସେହି ପୁତ୍ରଗୋଟି ଆଉ ବାହୁଡ଼ି ନଇଲା ।
ଏହି ପୁତ୍ର ଗୋଟି ଯହୁଁ ବାହୁଡ଼ି ନଇଲା ।
ମଥୁରା ସ୍ୱରୂପ ପିଣ୍ତ ପଡ଼ିଣ ରହିଲା ।
କୋଇଲି ଖଣ୍ଡ କ୍ଷୀର ଦେବି ମୁଁ କାହାକୁ ।
ଖାଇବାର ପୁତ୍ର ଗଲା ମଥୁରାପୁରକୁ ଲୋ ।
ପୁଣ ପୁଣ ଅର୍ଜୁନ ଯେ ଚରଣେ ପଡ଼ଇ ।
ଆବର କଥାଏ ମୋତେ କ‌ହ ଭାବଗ୍ରାହୀ ।
ଖଣ୍ଡ କ୍ଷୀର କଥା ମୋତେ କହ ଭଗବାନ ।
ଶ୍ରୀହରି କହନ୍ତି ଏହା ଶୁଣ ହେ ଅର୍ଜୁନ ।
ପିଣ୍ଡରେ ଥାଇଣ ଜୀବ ମହାସୁଖ ପାଇ ।
ଅନ୍ତର ହୋଇଣ ପୁନଃ ଅନ୍ୟସ୍ଥାନ ଯାଇ ।
ଆକାଶେ ମିଶିଣ ଜୀବ ଅନ୍ୟପିଣ୍ଡେ ଗଲା ।
ହରିରସ ଖଣ୍ତ କ୍ଷୀର ବିଅର୍ଥ ହୋଇଲା ।
ଶୁଣିକରି ଅର୍ଜୁନ ହୋଇଲା ତୋଷମନ ।
ପୁଣ ପୁଣ କୃଷ୍ଣ ଆଗେ କ‌ହଇ ବଚନ ।
କୋଇଲି ଗଲା ପୁତ୍ର ବାହୁଡ଼ି ନଇଲା ।
ଗହନ‌ତ ବୃନ୍ଦାବନ ଶୋଭା ନ ପାଇଲା ଲୋ ।
ଗହନ‌ତ ବୃନ୍ଦାବନ କାହାକୁ ଯେ କ‌ହି ।
ଏକ‌ଥା ବିସ୍ତାରି ମୋତେ କ‌ହ ଭାବଗ୍ରାହୀ ।
ଅର୍ଜୁନମୁଖକୁ ଚାହିଁ କମଳ‌ଲୋଚନ ।
ଯାହା ପଚାରିଲୁ ଶୁଣ ପଣ୍ତୁର ନନ୍ଦନ ।
ଗହନ ବୋଲିଣ ପାର୍ଥ ଜୀବକୁଟି କ‌ହି ।
ଗୋପ‌ପୁର ଦେହ ଗୋଟା ଶୋଭା ପାଉନାହିଁ ।
ପିଣ୍ଡକୁ ପରମ ଯହୁଁ ଛାଡ଼ିକରି ଗଲା ।
ତେଣୁକରି ପିଣ୍ତ ଗୋଟା ଭୁମିରେ ପଡ଼ିଲା |
ଏମନ୍ତ ପ୍ରକାରେ ପାର୍ଥ ଗ ଅକ୍ଷର ଅର୍ଥ ।
ଏକମନେ ଶୁଣ ତୁ ହୋ ପଣ୍ତୁରାଜାସୁତ ।

କୋଇଲି ଘର ମୋର ନ ମଣନ୍ତି ନନ୍ଦ ।
ଘଟଣ ନ ଦିଶେ ପୁର ନ ଥିଲେ ଗୋବିନ୍ଦ ଲୋ ।
ଘର ବୋଲିକରି ପାର୍ଥ ଯାହାକୁଟି କହି ।
ପାର୍ଥର ପିଣ୍ଡରେ ହସ୍ତ ଦେଲେ ଭାବଗ୍ରାହୀ ।
ପରମ ଜୀବର ଅର୍ଥ ଶୁଣ ଫାଲଗୁନି ।
ଶୀସ୍ତ୍ରର ବିଚାର ତୋତେ କହିବା ଏକ୍ଷଣି ।
ଘଟଣ ପୁରୁଷ ଯହୁଁ ଛାଡ଼ିକରି ଗଲା ।
ନନ୍ଦ ଯେ ପରମ ତହିଁ ନିଷ୍ଫଳ ହୋଇଲା ।
ଜୀବ ଥିବାଯାଏ ପିଣ୍ତ ଶୋଭା ପାଉଥାଇ ।
ଘଟଣ ପୁରୁଷ ଗଲା ଆସିବାକୁ ନାହିଁ ।
ପରମକୁ ଜୀବ ଯ‌ହୁଁ ଘେନିକରି ଗଲା ।
ତେଣୁ କରି ଘର ଗୋଟା ଅଶୋଭା ଦିଶିଲା ।
କୋଇଲି ନନ୍ଦ-ଦେହ ପାଷାଣେ ଗଢ଼ିଲା ।
ନୟନେ କଜ୍ଜ୍ୱଳ ଦେଇ ରଥେ ବସାଇଲା ଲୋ ।
ଅର୍ଜୁନ ବୋଇଲେ ତୁମ୍ଭେ ଶୁଣ ଜଗନ୍ନାଥ ।
ନନ୍ଦ-ଦେହ ବୋଲି କରି କାହୁଁ ହେଲା ଜାତ ।
ଅର୍ଜୁନ ବଚନେ ଯେ ବୋଲନ୍ତି ଭଗବାନ ।
ନନ୍ଦ-ଦେହ ବୋଲି ପାର୍ଥ ଦେହକୁଟି ଜାଣ ।
ଏ ଜୀବ ଛାଡ଼ିଣ ଯହୁଁ ଅନ୍ତରୀକ୍ଷେ ଗଲା ।
ନିରାଶ ହୋଇଣ ଆଉ ବାହୁଡ଼ି ନଇଲା ।
ଯେତେବେଳେ ପିଣ୍ଡରୁଟି ଜୀବ ଛାଡ଼ି ଯାଇ ।
ବେନି ନୟନରୁ ଅଶ୍ରୁ ଯାଉଥାଏ ବ‌ହି ।
କଜ୍ଜ୍ୱଳ ବୋଲିଣ ତାକୁ ଶାସ୍ତ୍ରେ ଅଛି କ‌ହି ।
ପୁଣ ପୁଣ ଅର୍ଜୁନ ଯେ ଦଇନୀ କରଇ ।
କୋଇଲି ଲକ୍ଷ୍ମୀର ବଲ୍ଲଭ ନାରାୟଣ ।
ଲଳିତେଣ ନାମ ଦେଲେ ଗାର୍ଗବ ବ୍ରାହ୍ମଣ ଲୋ ।
ଲକ୍ଷ୍ମୀପ‌ତି ନାରାୟଣ ଶୂନ୍ୟରେ ମିଶିଲା ।
ରାମପଦ ଗୋଟା ପଦ ନିଶବଦ ହେଲା ।
ରାମପଦ ଚଳି ଗଲା ମଥୁରାପୁରକୁ ।
ଶୂନ୍ୟହୋଇ ଗଲା ଜୀବ ମୃତ୍ୟୁଭବନ‌କୁ ।
ଲ ଅକ୍ଷରର ଅର୍ଥ ଶୁଣ ଫାଲଗୁନି ।
ପିଣ୍ଡ ଯେ ବ୍ରହ୍ମାଣ୍ଡ ତୋତେ ଭେଟାଇଲୁ ଆଣି ।

କୋଇଲି ବୃନ୍ଦାବନ ନ ଶୋଭଇ ମୋର ।
ବତ୍ସା କିଏ ଚରାଇବ ଯମୁନାର ତୀର ଲୋ ।
ବିନୟ ହୋଇଣ ପୁଣ ପାର୍ଥ ପଚାରଇ ।
ବ ଅକ୍ଷର ଅର୍ଥ ମୋତେ କ‌ହ ଭାବଗ୍ରାହୀ ।
ବୃନ୍ଦାବନ ଗୋଟା ପାର୍ଥ ଦେହକୁଟି କ‌ହି ।
ବତ୍ସା ବୋଲି କରି ପାର୍ଥ ପ୍ରକୃତି ଅଟଇ ।
ପିଣ୍ତରୁ ପରମ ଜୀବ ଅନ୍ତର ହୋଇଲା ।
ବୃନ୍ଦାବନ ତେଣୁ କରି ଅଶୋଭା ଦିଶିଲା ।
ବ ଅକ୍ଷର ଅର୍ଥ ଶୁଣି ଅର୍ଜୁନ ସନ୍ତୋଷ ।
କୃଷ୍ଣର ହୋଇଣ ପୁଣି କ‌ହେ କୃଷ୍ଣ-ଦାସ ।
କୋଇଲି ଶ୍ରୀମ‌ନ୍ତ ପୁରୁଷ ମୋ ମାଧୋଇ ।
ଶିରୀରଙ୍ଗ ଗଲାଦିନୁ ନନ୍ଦ ହେଲେ ବାଇ ଲୋ ।
ଶ୍ରୀନୀଳକନ୍ଦର ପାର୍ଥ ଜୀବର ଆସନ ।
ଶ୍ରୀମନ୍ତ ପୁରୁଷ ଗଲେ ପିଣ୍ତ ହୁଏ ଲୀନ ।
ନୀଳ ଯେ ମାଧବ ରୂପ କଣ୍ଠ ମଧ୍ୟେ ଥିଲା ।
ବ୍ରହ୍ମା ଶବଦେକ ପ୍ରାଣ ସେହି ଛାଡ଼ିଗଲା ।
ମୃତ୍ୟୁପିଣ୍ତ କରି ଜୀବ ଛାଡ଼ିକରି ଗଲା ।
ନନ୍ଦର ପରମ ଜୀବ ଛାଡ଼ି ଚଳିଗଲା ।
କୋଇଲି ସାତଦିନ ଇନ୍ଦ୍ର ବୃଷ୍ଟି କଲା ।
ସପତବରଷ ପୁତ୍ର ମନ୍ଦର ଧଇଲା ଲୋ ।
ସପତ ଦଣ୍ତରେ ପିଣ୍ତୁ ପ୍ରାଣ ଛାଡ଼ି ଯାଇ ।
ତେଣୁ କରି ସାତଦିନ ଶାସ୍ତ୍ରେ ଅଛି କ‌ହି ।
ସାତବାର ଭିତରେ ଏ ଆତ‌ଯାତ ହୋଇ ।
ସପତ ବରଷେ ପାର୍ଥ ବ୍ରହ୍ମଜ୍ଞାନ ପାଇ ।
ଜଳରୁ ଜନ୍ମଇ ପିଣ୍ତ ଜଳରେ ଯେ ନାଶ ।
ସପତ ଦଣ୍ତରେ ପାର୍ଥ ଘୋଟଇ ଆକାଶ ।
ଶୁଣି କରି ଅର୍ଜୁନ ଯେ ହୋଇ ଦିବ୍ୟ ତୋଷ ।
ସ ଅକ୍ଷର ଅର୍ଥ ମୋତେ କ‌ହ ପୀତବାସ ।
କୋଇଲି ଶଶୀ ଯେହ୍ନେ ଦିନୁ ଦିନୁ କ୍ଷୀଣ ।
ସେହିପରି କ୍ଷୀଣ ହେଲେ ନନ୍ଦ ଯେ ରାଜନ ଲୋ ।
ଶଶୀ ଚନ୍ଦ୍ର ଯେହ୍ନେ ପାର୍ଥ ଆକାଶରେ ଥାଇ ।
କଳଙ୍କ ମିଶିଲେ ସେ ଯେ ନାଶହିଁ ନ ପାଇ ।

ପିଣ୍ଡରେ ଥାଇଣ ଜୀବ ସେହିମତି ନାଶ ।
ପ୍ରକୃତି ପୁରୁଷମାନେ ବେଢ଼ିଛନ୍ତି ପାଶ ।
ଶଶୀ ପ୍ରାୟ ହେଲେ ପିଣ୍ତ ବାହାର ହୁଅଇ ।
ଏକ ମନେ ଶୁଣ ତୁ ହୋ ଯୁଧିଷ୍ଠିର ଭାଇ ।
କୋଇଲି ହାଇ ଯେ ମାରଇ ପୁତ୍ର ତୁଣ୍ତ ।
ହୃଦରେ ଦେଖିଲେ ମାଏ ସ‌ପ‌ତ ବ୍ରହ୍ମାଣ୍ତ ଲୋ ।
ହରଷ ହୋଇଣ ପୁଣ ପାର୍ଥ ପଚାରଇ ।
ହ ଅକ୍ଷର ଅର୍ଥ ମୋତେ କ‌ହ ଭାବଗ୍ରାହୀ ।
ହରି ହର ବ୍ରହ୍ମା କେହି ରଖି ନ ପାରନ୍ତି ।
ହରଷ ହୋଇଣ ଜୀବ ପରମେ କ‌ହ‌ନ୍ତି ।
ହରିନାମ ଭଜିଥିଲେ ବ୍ରହ୍ମଜ୍ଞାନ ପାଇ ।
ଅଶେଷ ବ୍ରହ୍ମାଣ୍ତ ପାର୍ଥ ହରିନାମ କ‌ହି ।
କୋଇଲି କ୍ଷନ୍ଦଣି ବନ୍ଦଣି ଭୁଜଦଣ୍ତ ।
କ୍ଷମାକର ଦୋଷ ମୋର ଭଣେ ମାରକଣ୍ତ ଲୋ ।
କ୍ଷନ୍ଦଣି ଯେ ବୋଲାଯାଏ ମାୟା ଜନ୍ତୁଙ୍କର ।
କ୍ଷମା ଯେ କରୁଣାନିଧି ଏଥିର ବିଚାର ।
ଭୃତ୍ୟଜନମାନଙ୍କୁ ସେ ଦଣ୍ତ ଦେବାପାଇଁ ।
ପିଣ୍ତ ଯେ ବ୍ରହ୍ମାଣ୍ତ ଏକ କରିଣ ବୁଝାଇ ।
ଅର୍ଜୁନ ପଚାରିଲେ ଶ୍ରୀହରି ଅର୍ଥ କଲେ ।
ଜଗନ୍ନାଥ ଦାସ ଏହା ପୁରାଣେ କ‌ହିଲେ ।
କେଶବ କୋଇଲି ଅର୍ଥ ବ୍ରହ୍ମଜ୍ଞାନ ସାର ।
ଲବଣୀ-ସାଗରୁ ଏ ଯେ ହୋଇଛି ବାହାର ।
ସାଧୁଜନମାନେ ମୋର ନ ଧରିବ ଦୋଷ ।
ଶ୍ରୀମୁଖରେ ଆଜ୍ଞା ଯାହା ଦେଲେ ପୀତବାସ ।