ଅଷ୍ଟ ଗୁଜ୍ଜରୀ

ଉଇକିପାଠାଗାର‌ରୁ
ଅଷ୍ଟ ଗୁଜ୍ଜରୀ (୧୫ଶ ଶତାବ୍ଦୀ) 
ଲେଖକ/କବି: ଅଚ୍ୟୁତାନନ୍ଦ ଦାସ


[ସମ୍ପାଦନା]

ଭାବ ବିନୋଦିଆ ଠାକୁର ଭକ୍ତ ବତ୍ସଳ ହରି,

ଭକତ ଲାଗି କଳେବର ଦଶ ମୁରାତି ଧରି

ଭକ୍ତ ତୋହର କି କରିବ ଭକ୍ତ ବୋଲରେ ଥାଅ,

ଭକ୍ତ ପଠାଇଲା ହସ୍ତିନାକୁ ଦୂତ ପଣରେ ଯାଅ

ପାଣ୍ଡବଙ୍କୁ ତୁମ୍ଭେ ରଖିଲ କିସ କଲା କୃପତି,

ତୁମ୍ଭ ରଖନ୍ତାକୁ ବିପତ୍ତି ଦେବା କାହା ଶକତି

ଭକ୍ତ ଦେଖାଇଲା ସ୍ତମ୍ଭକୁ ସ୍ତମ୍ଭୁ ହେଲ ଉଦିତ,

ଭୃତ୍ୟର ଭୃତ୍ୟ ପରିଭୃତ୍ୟ ଭଣେ ଦୀନ ଅଚ୍ୟୁତ


[ସମ୍ପାଦନା]

ବିଷୟ ରସରେ ମଜ୍ଜିଲି ସାଧୁ ସଙ୍ଗକୁ ତେଜି,

ତରୁଣୀ ତନୟା ତନୁକୁ ଦିବା ରଜନୀ ହେଜି

ତୁମ୍ଭ ନାମ କାହୁଁ ଜାଣିବି ପ୍ରଭୁ ଜଗଜ୍ଜୀବନ,

ପ୍ରକୃତି ମୋତେ ଭୁଲାଇଲା ସୁଧା ରସ ଆପ୍ୟାନ

ତୁମ୍ଭେ ଯେବେ କୃପା କରିବ ମୋତେ ଥିବ ଆବୋରି,

କୃତାନ୍ତକ କିସ କରିବ ବୋଧ ସଡ଼ ଅଇରୀ

ଅଧମ ଉଦ୍ଧାରଣ ବାନା ଯହୁଁ ଶୁଣିଲି ତୋର,

ପାମର ଅଚ୍ୟୁତ ଭଣଇ ତୁହି ଭରସା ମୋର

[ସମ୍ପାଦନା]

ଦୁର୍ଜନ ଜନଙ୍କୁ ଡରଇ ପିଠି ପାତନା ଦେଇ,

ନିରେଖ ହୋଇ ପଡ଼ିଅଛି ଭବ ସାଗରେ ମୁହିଁ

କେ ତୁମ୍ଭର ଭୃତ୍ୟ ହୋଇବ ଗୋଷ୍ଟି ମଣ୍ଡଳେ କହୁ,

ସେ ମୋତେ ତୁମ୍ଭ ସମକଚ୍ଛ ହୃଦ ମଧ୍ୟେ ନବହୁ

ତୁମ୍ଭ ସେବା କାହୁଁ ଜାଣିବି ତୁମ୍ଭ ଭକ୍ତଙ୍କ ସେବା,

ସେବାରେ ସୀମା ନଜାଣିଣ ହୁଡ଼ି ଅଇଲି ଅବା

ଶ୍ରୀବତ୍ସ ଅଙ୍କିତ ଏମାନେ ଯେଉଁ ଚରଣେ ନୀତି,

ରୁଦ୍ର ବ୍ରହ୍ମା ଇନ୍ଦ୍ର ଭଜନ୍ତି ଭଣେ ଦୀନ ଅଚ୍ୟୁତି


[ସମ୍ପାଦନା]

ମାୟାଜାଲ ଟୋପେ ପଡ଼ିଲି ଦିଗ ନଦିଶେ କୂଳ,

ଭ୍ରାତା ବନ୍ଧୁ କିସ କରିବେ ମୋତେ ନୋହିଲା ଥଳ

ରଖିଲେ ରଖ ଜଗନ୍ନାଥ ଆଉ ନାହିଁ ରଖନ୍ତା

ତୁମେ ନରଖିଲେ ଭାସିଲି ଶୁଣି ହୁଅ ଅଚିନ୍ତା

ଶ୍ରୀବତ୍ସ ବୋଲି ଏକ ଦ୍ୱିଜ ହୃଦେ ମାଇଲା ନାତ

ବ୍ରହସିତ ହୋଇ ହସିଲ ତୁମ୍ଭ ମହିମା ୟତ

ବ୍ୟାଧ ଅଜାମିଳ ଗଣିକା ତାଙ୍କୁ ଦେଲ ସୁଗତି

ପତିତପାବନ ବୋଲାଅ ଭଣେ ଦୀନ ଅଚ୍ୟୁତି

[ସମ୍ପାଦନା]

ରାଜୁସି ଯଗ୍ୟଂ ସଭାଠାରେ ବେତ ଧରି ଖୁଣ୍ଟିଆ ।

ଭୃତ୍ୟକୁ ନୃପତି କରାଅ ପ୍ରଭୁ ଏଡ଼େ ହଟିଆ ।।

ତୁମ୍ଭ ଛାମୁରେ ଜଣାଉଛି ଗୁରୁ ସନ୍ଦେହ କଥା ।

କେ ଗୁରୁ କେ ଶିଷ୍ୟ ହୋଅନ୍ତି କାହିଁଂ ମୁଣ୍ଡାନ୍ତି ମଥା ।।

କେ ଦେବତା କେ ଭୋଗତା କେ କାହାକୁ ପୂଜିଲା ।

କେ ଭୋଗରାଗ କରାଉଛି କଉଂ ଗୋଟା ଭୁଞ୍ଜିଲା ।।

କେ ପତି କେ ସତୀ କେ ଯତି କେ କାହିଂ ଗୋଳ ଚିତ ।

କଉଂ ଗୋଟା ହର୍ଷ ବିରସ ଭଣେ ଦାସ ଅଚ୍ୟୁତ ।।

[ସମ୍ପାଦନା]

କେ ନର କୁଞ୍ଜର ତୁରଙ୍ଗ କେ କାହିଂରେ ଆଶ୍ରମ ।

କଉଂ ଅଙ୍ଗେ ଚନ୍ନ ଲେପନ୍ତି କଉଂ ପିଣ୍ଡ ଦହନ ।।

ଗୀତା ଭାଗବତ ପୁରାଣ ଚାରିବେଦ ପୁଛିଲି ।

ତୋ ବିନୁଂ ମୋତେ ଗତି କାହିଂ ବ୍ରତ ତୀର୍ଥ ଲୋଡ଼ିଲି ।।

ଗୁରୁ ବଚନ କୃଷ୍ଣ ବ୍ରହ୍ମ ଲାଗି କହିଲେ କର୍ଣ୍ଣ ।

ସତ୍ୟ ଶାନ୍ତି ଦୟା କ୍ଷମାକୁ ହେତୁ ମନ ଚୈତନ୍ୟ ।।

ଛପ୍ନା କୋଟି ଜୀବ ଜନ୍ତୁ ଯେ ସର୍ବ ଘଟ ଏକତ୍ତ୍ୱ ।

ଲୀଳା ନିମନ୍ତେ ନାନାକାର ଭଣେ ଦୀନ ଅଚ୍ୟୁତ ।।

[ସମ୍ପାଦନା]

ଇହ ପରଲୋକ ବୋଲନ୍ତି ଗତି ପରଚେ ତନୁ ।

ତ୍ରିଗୁଣ ଅଘ ତିମିରିକି ସନ୍ଥ ଦ୍ରଶନ ଭାନୁ ।।

ସହସ୍ର ଦଳରେ ଶିଖରେ ଲୀଳା ରଞ୍ଚେ ଭ୍ରମର ।

ଶୁନ୍ୟରୁ ଜ୍ୟୋତି ଉର୍ମ ଧୂର୍ମ ଗମି ଚୁମ୍ବି କେଶର ।।

ତୁମ୍ଭ ଛାମୁରେ ଜଣାଉଛି ମଣିଥିବ କେଶବ ।

ଦିବା ରଜନୀ ତିଳେ ତିଳେ ତୁମ୍ଭେ ମୋ ହୃଦେ ଥିବ ।।

ଛପନା କୋଟି ଜୀବଜନ୍ତୁ କୋଟି ତେତ୍ରିସ ଦେବ ।

କହେ ଅଚ୍ୟୁତ କୃଷ୍ଣ ଭକ୍ତି ପୂର୍ବେ ଯାହାର ଥିବ ।।

[ସମ୍ପାଦନା]

ଜୀବ ଥାଉଂ ଥାଉଂ ଶରଣ ଗତି ମାଗଇ ତୋରେ ।

ପ୍ରାଣ ପ୍ରୟାଣ ସମୟକୁ ଭ୍ରାନ୍ତି ଲାଗୁଛି ମୋରେ ।।

କଉଂ ବର ଷ କଉଂ ମାସ କେତେ ଦିନକେ ମୃତ୍ୟୁ ।

କାହିଁଂଥାଇ କାହିଂ ଯିବଇଂ କାହିଁଂ ରହିବ ହେତୁ ।।

ଜ୍ୟେଷ୍ଟ ଏକାଦଶୀ ଦିନରୁ ପୂର୍ଣ୍ଣମୀ ଯାଏଁ ଆଶା ।

ଅଭୟ ଚରଣେ ଶରଣ ମାଗେ ଏହି ଭରଷା ।।

ଚିତ୍ରୋତ୍ପଳା ନଦୀ ଉତ୍ତରେ ଗ୍ରାମ ନେମାଳ ଥାନ ।

ସେଠାରେ ଏ ଦେହ ହଜିବ ମାଗେ ଅଚ୍ୟୁତି ମନ ।।