ଆକାଶ ଦିଶେ କି ସୁନ୍ଦର

ଉଇକିପାଠାଗାର‌ରୁ
ଆକାଶ ଦିଶେ କି ସୁନ୍ଦର ଲେଖକ/କବି: ମଧୁସୂଦନ ରାଓ
ଆକାଶ ଦିଶେ କି ସୁନ୍ଦର

ଆକାଶ ଦିଶେ କି ସୁନ୍ଦର


ଆକାଶ ଦିଶେ କି ସୁନ୍ଦର ।
ଯାହାକୁ ରଚିଲେ ଈଶ୍ୱର ।।

ଉଜ୍ଜ୍ୱଳ ସୂର୍ଯ୍ୟ ଚନ୍ଦ୍ର ତାରା ।
ନୀଳ ସମୁଦ୍ର ଶ୍ୟାମ ଧରା ।।

ପର୍ବତ ନଦୀ ତରୁମାନ ।
ସୃଜିଲେ ପ୍ରଭୁ ଭଗବାନ ।।

ନାନା ବର୍ଣ୍ଣର ଫୁଲ ଫଳ ।
ବୃକ୍ଷର ପଲ୍ଲବ କୋମଳ ।।

ମନୁଷ୍ୟ ପଶୁ ପକ୍ଷୀ ଆଦି ।
ସକଳ ସୃଜିଲେ ଅନାଦି ।।

ତାଙ୍କରି ଆଜ୍ଞାରେ ପବନ ।
ସର୍ବତ୍ର କରେ ବିଚରଣ ।।

ଅଗ୍ନି ତାଙ୍କରି ଆଦେଶରେ ।
ଉତ୍ତାପ ତେଜ ଦାନ କରେ ।।

ଇଶ୍ୱର ଦୟାର ସାଗର ।
ତାଙ୍କର ମହିମା ସୁମର ।।