ଆମ ଗଙ୍ଗାଧର

ଉଇକିପାଠାଗାର ରୁ
Jump to navigation Jump to search
ଆମ ଗଙ୍ଗାଧର (୨୦୧୨) 
ଲେଖକ/କବି: ଡକ୍ଟର ବାବାଜୀ ଚରଣ ପଟ୍ଟନାୟକ
ଆମ ଗଙ୍ଗାଧର










ଡକ୍ଟର ବାବାଜୀ ଚରଣ ପଟ୍ଟନାୟକ






Aama Gangadhara.pdf
ଆମ ଗଙ୍ଗାଧର
ଡକ୍ଟର ବାବାଜୀ ଚରଣ ପଟ୍ଟନାୟକ
ପ୍ରକାଶକ : ଆମ ଓଡ଼ିଶା,
୪ ଆର୍ ୧/୨, ଇଉନିଟ୍-୩,
ଭୁବନେଶ୍ୱର-୭୫୧୦୦୧

ମୁଦ୍ରଣ : ଶ୍ରୀରାମ ସ୍କ୍ରିନ୍ ପ୍ରିଣ୍ଟି,
ଭୁବନେଶ୍ୱର-୭
ପ୍ରଥମ ସଂସ୍କରଣ : ଅଗଷ୍ଟ, ୨୦୧୨
ପୁନର୍ମୁଦ୍ରଣ : ନଭେମ୍ବର, ୨୦୧୨
© ଆମ ଓଡ଼ିଶା
ପ୍ରଚ୍ଛଦ : ଶଶିକାନ୍ତ ରାଉତ
ମୂଲ୍ୟ : ଟ.୬୦/

Aama Gangadhar
Dr. Babaji Charan Patnaik
Publisher : Aama Odisha,
4R 12, Unit-3, Bhubaneswar-751001
e-mail : aamaodisha@gmail.com
Printed at : Sriram Screen Printing,
Bhubaneswar-7
First edition : August, 2012
Reprint : November, 2012
© Aama Odisha
Cover : Shashikant Rout Price : Rs. 60 ISBN- 978-81-89436-34-6 ଦୁଇପଦ

'ଆମ ଓଡ଼ିଶା' ତରଫରୁ ଗତବର୍ଷ ଭୁବନେଶ୍ୱରଠାରେ ସ୍ୱଭାବକବି ଗଙ୍ଗାଧର ମେହେରଙ୍କର ୧୫୦ତମ ଜୟନ୍ତୀ ଉତ୍ସବ ପାଳନର ଶୁଭଉଦ୍‍ଘାଟନ ହୋଇଥିଲା । "ଓଡ଼ିଆ ଅସ୍ମିତାର ଦେଢ଼ଶ' ଶ୍ରାବଣ" ଶୀର୍ଷକ ସେହି ଉତ୍ସବରେ ବିଶିଷ୍ଟ ବ୍ୟକ୍ତିମାନେ ଗଙ୍ଗାଧର ମେହେରଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିବା ସହିତ ଓଡ଼ିଆ ଅସ୍ମିତାର ଉନ୍ମେଷ ପାଇଁ ତାଙ୍କର ଅମୂଲ୍ୟ ଅବଦାନର ସ୍ମୃତିଚାରଣ କରିଥିଲେ ।

ସେହି ଉପଲକ୍ଷେ ଗଙ୍ଗାଧରଙ୍କ ଅମର କୃତିଗୁଡ଼ିକର ନିର୍ବାଚିତ ଅଂଶବିଶେଷକୁ ନେଇ ଏକ ପୁସ୍ତକ ପ୍ରକାଶ କରିବା ପାଇଁ 'ଆମ ଓଡ଼ିଶା' ତରଫରୁ ନିଷ୍ପତ୍ତି କରାଯାଇଥିଲା । ଆଜି ତାଙ୍କ ଜୟନ୍ତୀ ଉତ୍ସବର ଉଦ୍‍ଯାପନ ଅବସରରେ ପୁସ୍ତକଟି ପ୍ରକାଶ ପାଉଥିବାରୁ ମୁଁ ଅତ୍ୟନ୍ତ ଆନନ୍ଦିତ । ଗଙ୍ଗାଧରଙ୍କୁ ଏବଂ ଓଡ଼ିଆ ଭାଷା, ସାହିତ୍ୟ ପ୍ରତି ତାଙ୍କର ଅବଦାନକୁ ଜାଣିବା ପାଇଁ ଚାହୁଥିବା ନୂଆ ପିଢ଼ିର ପାଠକଙ୍କ ପାଇଁ ଏହି କ୍ଷୁଦ୍ର ପୁସ୍ତକଟି ଉପାଦେୟ ହେବ ବୋଲି ମୋର ଦୃଢ଼ ବିଶ୍ୱାସ ।

ଗଙ୍ଗାଧର ଗ୍ରନ୍ଥାବଳୀ ସହଜରେ ସମସ୍ତଙ୍କର ହାତପାଆନ୍ତାରେ ମିଳିବ ନାହିଁ । ସେଥିପାଇଁ ଏହି ପୁସ୍ତକରେ ତାଙ୍କର ପ୍ରମୁଖ ରଚନାବଳୀର ବଛା ବଛା ଅଂଶକୁ ସ୍ଥାନିତ କରାଯାଇଛି । ଅଧ୍ୟାପକ ଦେବେନ୍ଦ୍ର କୁମାର ଦାଶ ଏଥିରେ ସହାୟତା କରିଛନ୍ତି । ଗଙ୍ଗାଧରଙ୍କ ସଂଗ୍ରାମୀ ଜୀବନର ଘଟଣାବଳୀକୁ ନେଇ ଏକ ସ୍ୱତନ୍ତ୍ର ଆଲେଖ୍ୟ ମଧ୍ୟ ସନ୍ନିବେଶିତ ହୋଇଛି । ଅଧ୍ୟାପକ ଡକ୍ଟର ବାବାଜୀ ଚରଣ ପଟ୍ଟନାୟକ ବହୁ ଶ୍ରମ ସ୍ୱୀକାର କରି ଏହି ପୁସ୍ତକକୁ ପ୍ରସ୍ତୁତ କରିଛନ୍ତି । ଏଣୁ ଏହି ଅବସରରେ 'ଆମ ଓଡ଼ିଶା' ତରଫରୁ ଉଭୟଙ୍କୁ କୃତଜ୍ଞତା ଜଣାଉଛି ।

ଏହି ପୁସ୍ତକ ପ୍ରକାଶ ମାଧ୍ୟମରେ ଓଡ଼ିଆ ଭାଷାର ସେବା କରିବା ପାଇଁ ନେଇଥିବା ସଂକଳ୍ପକୁ 'ଆମ ଓଡ଼ିଶା' ଦୋହରାଉଛି । ଶ୍ରୀଜଗନ୍ନାଥ ଆମକୁ ଆଶୀର୍ବାଦ କରନ୍ତୁ, ଗଙ୍ଗାଧରଙ୍କ ପରି ଓଡ଼ିଆ ଭାଷାର ଭଗୀରଥମାନଙ୍କୁ ଆମେ ନୂଆ ପିଢ଼ିର ପାଠକଙ୍କ ନିକଟରେ ପହଞ୍ଚାଇବାରେ ସମର୍ଥ ହେଉ ।

ସୌମ୍ୟରଂଜନ ପଟ୍ଟନାୟକ

Aama Gangadhara.pdf

ଓଡ଼ିଶାର ବରପୁତ୍ରମାନଙ୍କ ମଧ୍ୟରେ ଗଙ୍ଗାଧର ମେହେର ଅନ୍ୟତମ । ତାଙ୍କ ନାମ ଉଚ୍ଚାରଣ କରିବା କ୍ଷଣି ଅନେକେ 'ମଙ୍ଗଳେ ଅଇଲା ଉଷା' କବିତାକୁ ମନେ ପକାନ୍ତି । ବହୁତ ଲୋକଙ୍କ ସ୍ମୃତିରେ ରହିଯାଇଛି ଏ କବିତା । କେହି କେହି ଚୋଖି ରାଗର ଏହି କବିତାକୁ ଗାନ କରି ବିହ୍ୱଳ ବି ହୁଅନ୍ତି । ପ୍ରକୃତିକୁ ମଣିଷ ଚରିତ୍ର ଭଳି ନାଟକୀୟ ରୀତିରେ ବର୍ଣ୍ଣନା କରାଯାଇଥିବା 'ଆଶ୍ରମେ ପ୍ରଭାତ' ଭଳି କବିତା ଓଡ଼ିଆ ସାହିତ୍ୟରେ ବିରଳ । ପ୍ରକୃତିକୁ ଜୀବନ ଦେଇ କବିତା ଲେଖିଥିବାରୁ ସେ ସ୍ୱଭାବକବି ରୂପେ ପରିଚିତ ।

ଊନବିଂଶ ଶତାବ୍ଦୀର ଶେଷ ପର୍ଯ୍ୟାୟ ବେଳକୁ ଓଡ଼ିଆ ସାହିତ୍ୟରେ ରାଧାନାଥ ରାୟ, ଫକୀରମୋହନ ସେନାପତି, ମଧୁସୂଦନ ରାଓ ଯେଉଁ ନୂଆ ରୁଚିର ସାହିତ୍ୟ ଲେଖୁଥିଲେ ତାହାକୁ ଆଧୁନିକ ସାହିତ୍ୟ କୁହାଯାଇଛି । ଗଙ୍ଗାଧର ମେହେର ପୁରୁଣା କଥାକୁ ନୂଆ ବାଗରେ କବିତାରେ ଫୁଟାଇ ପାଠକମାନଙ୍କୁ ଆକୃଷ୍ଟ କରି ପାରିଥିଲେ । ଜୀବନ ଓ ପ୍ରକୃତିକୁ କବିତାରେ ଏକାତ୍ମ କରିବାରେ ସେ ପାରଦର୍ଶୀ ଥିଲେ । ଓଡ଼ିଆ ଭାଷା, ସାହିତ୍ୟ ଓ ଉତ୍କଳପ୍ରତି ତାଙ୍କର ନିବିଡ଼ ଭଲପାଇବା ତାଙ୍କୁ ସମ୍ବଲପୁରର ଓଡ଼ିଆ ଭାଷା ସୁରକ୍ଷା ଆନ୍ଦୋଳନର 'କବି-ସେନାପତି' କରି ପାରିଛି । ବସ୍ତୁତଃ, ଓଡ଼ିଶାରେ ନବଜାଗରଣ ସୃଷ୍ଟି କରିବାରେ ଗଙ୍ଗାଧରଙ୍କ ଅନୁଭବକୁ ବାସ୍ତବ ରୂପେ ପ୍ରକାଶ କରିପାରିଥିବାରୁ ତାଙ୍କ ସାହିତ୍ୟ ତାଙ୍କ ଜୀବନର ପ୍ରକାଶ ବୋଲି କୁହାଯାଇଥାଏ ।

ସାହିତ୍ୟ ସମାଲୋଚକ ନଟବର ସାମନ୍ତରାୟ ଗଙ୍ଗାଧର-ସାହିତ୍ୟ ସମୀକ୍ଷା କରି ଠାଏ ଲେଖିଛନ୍ତି; 'ତପସ୍ୱିନୀ' ଓ ଗଙ୍ଗାଧରଙ୍କ ଜୀବନ, ଏ ଉଭୟର ରୂପ ସମାନ । ତପସ୍ୱିନୀସୀତାଙ୍କ ଦୟନୀୟ ହୃଦୟରେ ଗଙ୍ଗାଧର ନିଜକୁ ପରିପୂର୍ଣ୍ଣଭାବେ ଦେଖିବାକୁ ପାଇଥିଲେ । ଫଳରେ ସୀତାଙ୍କ ଜୀବନଚିତ୍ରଣ ଗଙ୍ଗାଧରଙ୍କ ଆତ୍ମ-ଜୀବନ ଚିତ୍ରଣ କହିଲେ ଅତ୍ୟୁକ୍ତି ହେବନାହିଁ ସେଥିପାଇଁ ଏହା କେବଳ ଏକ ସାଧାରଣ କାବ୍ୟ ନୁହେଁ; କବିଜୀବନର କାବ୍ୟରୂପ ମଧ୍ୟ ।" (ଗଙ୍ଗାଧର ସାହିତ୍ୟ ସମୀକ୍ଷା, ୧୯୭୫, ପୃ: ୭୯-୮୦) । ନରେନ୍ଦ୍ର ନାଥ ମିଶ୍ର ମଧ୍ୟ ଅନୁରୂପ ମତ ଦେଇ କହିଛନ୍ତି, "ନିଜର ସାହିତ୍ୟିକ ଓ ବ୍ୟକ୍ତିଗତ ଜୀବନ ମଧ୍ୟରେ ଗଭୀର ସାମଞ୍ଜସ୍ୟ ଖୁବ୍‍ ଅଳ୍ପ ଲେଖକଙ୍କଠାରେ ଦେଖାଯାଏ । ଏ ଦିଗରେ ଗଙ୍ଗାଧର ଏକ ସାର୍ଥକ ଦୃଷ୍ଟାନ୍ତ ।" (ଆଧୁନିକ ଓଡ଼ିଆ କାବ୍ୟଧାରା-ନବଜାଗରଣ ଯୁଗ- ୧୯୭୮, ପୃ-୬୫) । ଗଙ୍ଗାଧରଙ୍କ କବିତା ଓ କବି-ଆତ୍ମାର ସମ୍ବନ୍ଧ ଖୋଜିବା କାଳରେ ଦେବେନ୍ଦ୍ର କୁମାର ଦାଶଙ୍କ ମନ୍ତବ୍ୟ ପୂର୍ବୋକ୍ତ ଅଭିମତ ଦ୍ୱୟକୁ ଅଧିକ ସ୍ପଷ୍ଟ କରିଛି । ସେ କହିଛନ୍ତି, "ଗଙ୍ଗାଧର ଯେଉଁ ପରିବେଶରେ ଜୀବନ ନିର୍ବାହ କରୁଥିଲେ, ତା' ସହିତ ତାଙ୍କର

ମାନସିକ ସାଯୁଜ୍ୟ ନଥିଲା, ବିରୋଧ ମଧ୍ୟ ନଥିଲା । ଏହି ଦ୍ୱନ୍ଦ୍ୱ ଓ ବିସଦୃଶ ଭାବ ତାଙ୍କ

ରଚନାବଳୀର ବିଷୟ ପ୍ରକାଶଭଙ୍ଗୀରେ ଅଭିବ୍ୟକ୍ତି ଲାଭ କରିଛି ।" (ଗଙ୍ଗାଧର : କବିତା ଓ କବି-ଆତ୍ମା, ୧୯୯୫, ପୃଷ୍ଠା-୧୧୬) । ଏଣୁ, ଗଙ୍ଗାଧରଙ୍କ ସାହିତ୍ୟକୁ ତାଙ୍କ ଜୀବନୀର ଆଲୋକରେ ଦେଖିବାପାଇଁ ହେଲେ ତାଙ୍କ ଜୀବନଧାରା ସମ୍ବନ୍ଧରେ ଜାଣିବା ଦରକାର ।

ଗଙ୍ଗାଧରଙ୍କ ଜୀବନୀ :

ବ୍ୟାସକବି ଫକୀରମୋହନ ସେନାପତିଙ୍କ 'ଉତ୍କଳ ଭ୍ରମଣଂ'ରେ କବି ଗଙ୍ଗାଧର ମେହେରଙ୍କ କଥା ଏହିଭଳି ବର୍ଣ୍ଣନା କରାଯାଇଛି-

ବରପାଲି ଦେଶେ ଅଛି ଗଙ୍ଗାଧର ମେହେର ତାହାର କବିତା ପଢ଼ିଲିଣି ଢେର ଢେର । କବିତାଗୁଡ଼ିକ ପଢ଼ି ମନ ମାନିଯାଏ ଆଉ ସେ ଲେଖିବ କିଛି ବାଟ ଚାହିଁଥାଏ ।

ବରପାଲି ଓଡ଼ିଶା ପ୍ରଦେଶର ବରଗଡ଼ ଜିଲ୍ଲା ଅନ୍ତର୍ଗତ ଏକ ସ୍ଥାନ । ସମ୍ବଲପୁରଠାରୁ ବଲାଙ୍ଗୀର ରାସ୍ତାରେ ପ୍ରାୟ ୮୦ କିଲୋମିଟର ଏହାର ଦୂରତା । ସ୍ୱାଧୀନତା ପରବର୍ତ୍ତୀ କାଳରେ ବରପାଲି ସମ୍ବଲପୁର ଜିଲ୍ଲା ଓ ବରଗଡ଼ ସବ୍‍ଡିଭିଜନର ଅନ୍ତର୍ଭୁକ୍ତ ଏକ ଥାନା ଅଞ୍ଚଳ ଥିଲା । ତା' ପୂର୍ବରୁ ସମ୍ବଲପୁର ରାଜ୍ୟର ବରପାଲି ଏକ ଜମିଦାରିର ନାମ ଥିଲା । ଜମିଦାରିର ନାମ ବରପଲ୍ଲୀ (ଶ୍ରେଷ୍ଠ ଗାଁ) ବା ବରପାଲି ଗାଁ ନାମରେ ନାମିତ । ସମ୍ବଲପୁର ଗେଜେଟିୟର୍‍ରୁ ଜଣାଯାଏ, ସମ୍ବଲପୁରର ଚୌହାନବଂଶୀ ରାଜା ବଳୀୟାରସିଂହ (୧୬୬୦-୧୬୯୦)ଙ୍କୁ ବୀରତ୍ୱ ଲାଗି ପୁରୀର ଗଜପତି ରାଜା 'ହୀରାଖଣ୍ଡ ଛତ୍ରପତି ମହାରାଜା' ଉପାଧି ଦେଇଥିଲେ । ସେ ତାଙ୍କର କନିଷ୍ଠ ପୁତ୍ର ବିକ୍ରମ ସିଂହଙ୍କୁ ବରପାଲି ଜମିଦାରି ବୁଝିବା ଦାୟିତ୍ୱ ଦେଇଥିଲେ । ତାହା ତାଙ୍କ ଉତ୍ତରାଧିକାରୀମାନଙ୍କ ଭୋଗ-ଦଖଲରେ ୧୯୨୭ ମସିହା ପର୍ଯ୍ୟନ୍ତ ରହିଥିଲା । ବରପାଲିର ଜମିଦାର ଥିବାବେଳେ ନିଃସନ୍ତାନ ଅବସ୍ଥାରେ ସୂର୍ଯ୍ୟୋଦୟ ସିଂହଙ୍କର ପରଲୋକ ହେଲା । ତେଣୁ ବରପାଲି ରାଜ୍ୟ 'କୋର୍ଟ ଅଫ୍‍ ଓ୍ୱାର୍ଡସ୍' ଦ୍ୱାରା ବ୍ରିଟିଶ୍‍ ଶାସନ ଅଧୀନକୁ ଚାଲିଗଲା ।

୧୮୪୯ ଖ୍ରୀଷ୍ଟାବ୍ଦରେ ସମ୍ବଲପୁରର ରାଜା ନାରାୟଣ ସିଂହଙ୍କର ନିଃସନ୍ତାନ ଅବସ୍ଥାରେ ପରଲୋକ ହେବାରୁ ରାଜ୍ୟର ଶାସନଭାର ଇଂରେଜ ସରକାର ଗ୍ରହଣ କରିଥିଲେ । ଏକଥାକୁ ବୀର ସୁରେନ୍ଦ୍ର ସାଏ ସହଜରେ ଗ୍ରହଣ କରି ପାରିଲେ ନାହିଁ । ସେ ହେଲେ ସମ୍ବଲପୁର ରାଜସିଂହାସନର ଦାବିଦାର । ଗଣ୍ଡ ଓ ବିଂଝାଲ୍‍ ସଂପ୍ରଦାୟର ଜମିଦାରମାନେ ସୁରେନ୍ଦ୍ର ସାଏଙ୍କୁ

ସମର୍ଥନ ଜଣାଇବାରୁ ଭାରତର ପ୍ରଥମ ସଶସ୍ତ୍ର ମୁକ୍ତିସଂଗ୍ରାମ- 'ସିପାହୀ ବିଦ୍ରୋହ'ର ଆଠବର୍ଷ ପୂର୍ବରୁ ସମ୍ବଲପୁରରେ ଗଣମେଳି ଆରମ୍ଭ ହେଲା । ଇଂରେଜ ସରକାରଙ୍କୁ ଏହି ବିଦ୍ରୋହ ଦମନ କରିବାପାଇଁ ତେରବର୍ଷ ଲାଗିଗଲା । ବିଦ୍ରୋହ ଆରମ୍ଭ ହେବା ବେଳକୁ ବରପାଲିର ରାଜା ଥିଲେ ଭବାନୀ ସିଂହ ।

ଭବାନୀ ସିଂହଙ୍କର ଚାରି ପୁତ୍ରଙ୍କ ମଧ୍ୟରୁ ଦୁଇଜଣଙ୍କର ବାଲ୍ୟାବସ୍ଥାରେ ମୃତ୍ୟୁ ହୋଇଥିଲା । ବଞ୍ଚି ରହିଥିଲେ ଜ୍ୟେଷ୍ଠପୁତ୍ର ଗଜେନ୍ଦ୍ର ସିଂହ ଓ କନିଷ୍ଠପୁତ୍ର ନୃପରାଜ ସିଂହ । ୧୮୫୯ ମସିହାରେ ବିସୂଚିକା ରୋଗ ବରପାଲିରେ ମହାମାରୀ ରୂପ ଧାରଣ କରିଥିଲା । ଏଥିରେ ଯୁବରାଜ ଗଜେନ୍ଦ୍ରଙ୍କର ମୃତ୍ୟୁ ହେଲା । ତାଙ୍କ ମୃତ୍ୟୁର ଦୁଇମାସ ପରେ ଭବାନୀ ସ୍ୱର୍ଗାରୋହଣ କରିବାରୁ ଗଜେନ୍ଦ୍ରଙ୍କ ପୁତ୍ର ରାଜେନ୍ଦ୍ର ସିଂହ ସେପ୍ଟେମ୍ବର ୧୮୫୯ରେ ରାଜା ହେଲେ । ମାତ୍ର ଦୁର୍ଭାଗ୍ୟକୁ ରାଜେନ୍ଦ୍ର ନିଃସନ୍ତାନ ଭାବେ ୧୮୫୯ରେ ଶେଷ ନିଃଶ୍ୱାସ ତ୍ୟାଗ କଲେ । ତେଣୁ ନୃପରାଜ ସିଂହ ମାତ୍ର ୧୭ ବର୍ଷ ବୟସରେ ଜମିଦାରି ଭାର ଗ୍ରହଣ କଲେ । ଏହି ସମୟରେ ଶାସନର ସୁବିଧାପାଇଁ ଇଂରେଜମାନେ ଦକ୍ଷିଣ-ପଶ୍ଚିମ ସୀମାନ୍ତ ଏଜେନ୍‍ସି ଗଢ଼ିଥିଲେ । ଏହାର ମୁଖ୍ୟ କାର୍ଯ୍ୟାଳୟ ନାଗପୁରରେ ଥିଲା । ସେଣ୍ଟ୍ରାଲ୍‍ ପ୍ରୋଭିନ୍‌ସେସ୍ ବ୍ୟବସ୍ଥାରେ ମଧ୍ୟପ୍ରଦେଶର ଚିଫ୍‍ କମିଶନରଙ୍କଦ୍ୱାରା ସମ୍ବଲପୁର ଶାସନ ଚଳୁଥିଲା । ଏମିତି ଏକ ଜଟିଳ ସମାଜ-ରାଜନୀତିକ ବ୍ୟବସ୍ଥା ଘଟୁଥିବା କାଳରେ ଜନ୍ମଗ୍ରହଣ କରିଥିଲେ କବି ଗଙ୍ଗାଧର ମେହେର ।

ଜନ୍ମ, ପରିବାର ଓ ପରିବେଶ :

ବ୍ରିଟିଶ ଶାସନ ବ୍ୟବସ୍ଥାର ପଶାପାଲିରେ ସମ୍ବଲପୁର ବାରମ୍ବାର 'ଦାନ' ହୋଇ କେତେବେଳେ ମଧ୍ୟପ୍ରଦେଶ ତ କେତେବେଳେ ଓଡ଼ିଶା ଭାଗରେ ପଡ଼ିଛି । ଏହା ମଧ୍ୟପ୍ରଦେଶରୁ ଓଡ଼ିଶାକୁ ଆସିବାର ଅବ୍ୟବହିତ ପୂର୍ବରୁ ଗଙ୍ଗାଧର ମେହେର ବରପାଲିଠାରେ ଜନ୍ମଗ୍ରହଣ କରନ୍ତି ୯ ଅଗଷ୍ଟ, ୧୮୬୨, ଶ୍ରାବଣ ପୂର୍ଣ୍ଣିିମା ତିଥିରେ । ପିତା- ଚୈତନ୍ୟ ମେହେର ଓ ମାତା- ସେବତୀ । ବସ୍ତ୍ରବୟନ କରୁଥିବା 'ଦେବାଙ୍ଗ' ଜାତିର ଭୁଲିଆ ସଂପ୍ରଦାୟର ଥିଲେ ଗଙ୍ଗାଧରଙ୍କ ପରିବାର । କୋଷ୍ଟାମାନେ କୌଷେୟ ବସ୍ତ୍ର ବୁଣିବା ବେଳେ କୁଲି ଓ ଗଣ୍ଡାମାନେ ସୂତାଲୁଗା ବୁଣନ୍ତି । ଗଣ୍ଡାବୁଣାଳିମାନଙ୍କୁ ବାଦ୍‍ ଦେଲେ ଭୁଲିଆ, କୋଷ୍ଟା ଓ କୁଲିମାନଙ୍କର ମେହେର ସାଂଜ୍ଞା । କୁଲି ଓ ଗଣ୍ଡା ତଫସିଲଭୁକ୍ତ ଜାତିର ।

ଗଙ୍ଗାଧର ମେହେର ବରପାଲିର ଯେଉଁ ପରିବାରରେ ଜନ୍ମଗ୍ରହଣ କରିଥିଲେ ସେହି ପରିବାରର କେହି ଜଣେ ପୂର୍ବପୁରୁଷ ସମ୍ବଲପୁରରୁ ଆସି ବରପାଲିରେ ବସତି ସ୍ଥାପନ କରିଥିଲେ ବୋଲି କିମ୍ବଦନ୍ତୀ କହେ । କିନ୍ତୁ କେଶବ ମେହେରଙ୍କଠାରୁ ସେହି ବଂଶ ବରପାଲିର ବାସିନ୍ଦା ହୋଇଥିବା ଜଣାଯାଏ । କେଶବ ମେହେରଙ୍କର ପାଞ୍ଚ ପୁଅ ଥିଲେ । ତେଣୁ ତାଙ୍କ ଘରକୁ ଲୋକମାନେ 'ପାଞ୍ଚଭାୟା ଘର' କହୁଥିଲେ । ପୁଣି ଘରଟି ଗୋଟିଏ ଗୁଡ଼ି ବା ଭାଗବତ ମଣ୍ଡପ ନିକଟରେ ଅବସ୍ଥିତ ଥିବାରୁ କେହିକେହି 'ଗୁଡ଼ିତଳିଆ ଘର' ବୋଲି କହୁଥିଲେ । ପାଞ୍ଚପୁଅଙ୍କ ମଧ୍ୟରେ କନିଷ୍ଠ ଥିଲେ ସଦାଶିବ । ଲୋକମାନେ ଶ୍ରଦ୍ଧାରେ ତାଙ୍କୁ ସୁରୁବାବୁ ବୋଲି ଡାକୁଥିଲେ । ସଦାଶିବଙ୍କର ଦୁଇ ପୁତ୍ରଙ୍କ ମଧ୍ୟରୁ ଗଙ୍ଗାଧରଙ୍କ ପିତା ଚୈତନ୍ୟ ଥିଲେ ଜ୍ୟେଷ୍ଠ । ଗଙ୍ଗାଧର ଥିଲେ ଚୈତନ୍ୟଙ୍କର ମଧ୍ୟମ ସନ୍ତାନ ତଥା ଏକମାତ୍ର ପୁତ୍ର । ତାଙ୍କ ଉପରେ ବିଜୁଳି ଓ ତଳେ ଡାଳିମ୍ବ ନାମରେ ଦୁଇଜଣ ସହୋଦରା ଭଉଣୀ ଥିଲେ ।

ଗଙ୍ଗାଧରଙ୍କ ପରିବାରର କୌଳିକ ବୃତ୍ତି ଥିଲା ବସ୍ତ୍ରବୟନ ବା ଲୁଗାବୁଣା । କିନ୍ତୁ କେଶବଙ୍କଠାରୁ ପରମ୍ପରାକ୍ରମେ ଧାନ, ଟଙ୍କାପଇସାର ମହାଜନି, ବଳଦ ଭଡ଼ାରେ ଦେଇ ଶସ୍ୟ ଆଦାୟ କରିବାର ପରମ୍ପରା ମଧ୍ୟ ଏ ପରିବାରର ବେଉସା ଥିଲା । ବୈଦ୍ୟକାମ ସହିତ ସଦାଶିବ ଜ୍ୟୋତିଷୀ ମଧ୍ୟ କରୁଥିଲେ । ଖଡ଼ି ପକାଇ ଆଗତ ଭବିଷ୍ୟ, ଶୁଭାଶୁଭ ଦିନ, ବାର, ତିଥି ସୂଚାଇବା, ଯାତ୍ରାର ଦିଗମୂଳ ନିରୂପଣ ଆଦିରେ ଅଭ୍ୟସ୍ତ ଥିଲେ ସେ । ଚୈତନ୍ୟ ଓ ତାଙ୍କ ସାନଭାଇ ଲୁଗାବୁଣା କାମ ସମ୍ଭାଳିବା ପରେ ସଦାଶିବ ନିଜକୁ ପୂର୍ଣ୍ଣ ରୂପେ ବୈଦ୍ୟକାର୍ଯ୍ୟରେ ବିିଯୋଗ କରିଥିଲେ । ପୈତୃକ ପରମ୍ପରାରେ ଚଳୁଥିବା ଋଣ ଦେଣନେଣ ବ୍ୟବସାୟ ବି ବୁଝିଲେ । ପିତାଙ୍କ ବିଦ୍ୟା ଓ ବ୍ୟବସାୟରେ ଅଭ୍ୟସ୍ତ ହୋଇଥିଲେ ଚୈତନ୍ୟ । ତେବେ ଏସବୁ ସତ୍ତ୍ୱେ ସେ ଚାଟଶାଳୀ ଖୋଲି ପିଲାମାନଙ୍କୁ ପଢ଼ାଉଥିଲେ । ବଂଶ-ବୁନିଆଦିରେ ଚାଟଶାଳୀ ବସାଇବାର ପରଂପରା ନଥିବାରୁ ହୁଏତ ସଦାଶିବ ଓ ତାଙ୍କ ସାନପୁଅ ଏ ଘେନି ବିରକ୍ତ ହେଉଥିଲେ । ଗଙ୍ଗାଧରଙ୍କ ଜନ୍ମ ପୂର୍ବରୁ ଚୈତନ୍ୟଙ୍କ ଚାଟଶାଳୀ ବନ୍ଦ ହୋଇଯାଇଥିଲା । ବସ୍ତୁତଃ, ସେକାଳର ଗାଉଁଲି ପରିବେଶ ପରିପ୍ରେକ୍ଷୀରେ ମେହେର ପରିବାରର ପାରିବାରିକ ଉପାର୍ଜ ଅସ୍ୱଚ୍ଛଳ ନଥିଲା ।

ଗଙ୍ଗାଧରଙ୍କ ବାଲ୍ୟକାଳ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ କଟିଥିଲା । ଘର ପାଖରେ ଥିଲା ଭାଗବତ ମଣ୍ଡପ । ବେଳେବେଳେ ସେଠାକୁ ସାଧୁ ସନ୍ନ୍ୟାସୀମାନେ ଆସୁଥିଲେ ଏବଂ କିଛିଦିନ ରହୁଥିଲେ । ପୂନେଇଁ ପରବରେ ଅଥବା ଗାଁର କଳିଗୋଳ ନିଷ୍ପତ୍ତିପାଇଁ ସେଠାରେ ବୈଠକ ବସୁଥିଲା । ଗୁଡିତଳିଆ ଘର ଉପରେ ଏସବୁର ପ୍ରଭାବ ଥିବା ସଦାଶିବ ଓ ତାଙ୍କ ଦୁଇ ପୁଅଙ୍କ ଜୀବନ ଆଚରଣରୁ ବାରି ହୋଇପଡେ଼ । ସଦାଶିବ ପ୍ରତିଦିନ ସୂର୍ଯ୍ୟୋଦୟ ପୂର୍ବରୁ ସ୍ନାନ ସାରି ଜଗନ୍ନାଥ ମନ୍ଦିରକୁ ଯାଉଥିଲେ । ତାଙ୍କ ସାଥିରେ ଯାଉଥିଲେ ନାତି ଗଙ୍ଗାଧର । ପ୍ରତ୍ୟହ ସନ୍ଧ୍ୟାରେ ପିତୃବ୍ୟଙ୍କ ସାଙ୍ଗରେ ଗଙ୍ଗାଧର ମନ୍ଦିର ଯାଇ ସଂକୀର୍ତ୍ତନରେ ଯୋଗ ଦେଉଥିଲେ । ଗଙ୍ଗାଧରଙ୍କ ପିତା ଛାନ୍ଦ ସଂଗୀତ ଗାନ କରିପାରୁଥିଲେ । ଗଙ୍ଗାଧର ଶୈଶବରେ ଥିଲେ ଧୀର ଓ ଶାନ୍ତ ସ୍ୱଭାବର । କୀର୍ତ୍ତନିଆମାନଙ୍କୁ ଦେଖିଲେ ସେ ମୃଦଙ୍ଗ ଧରି ନାଚି ଯାଉଥିଲେ । ପରିବାରରେ ଆଧ୍ୟାତ୍ମିକ ବାତାବରଣ ଥିଲା । କିନ୍ତୁ ଯୌଥ ପରିବାରରେ କେହି ଜଣେ କାମ ନକଲେ କଳିଗୋଳ ହେବା ସ୍ୱାଭାବିକ । ଏଇଥିପାଇଁ ଚୈତନ୍ୟଙ୍କୁ ତାଙ୍କ ବାପା ଭାଇ ଭିନ୍ନେ କରିଦେଲେ । ବଣ୍ଟାକୁଣ୍ଟା କରି କିଛି ବି ଦେଇ ନଥିଲେ । ପରେ ପଞ୍ଚାୟତ ବସି ଫଏସଲା ହୋଇଥିଲା । ଏମିତି ପରିବେଶରେ ବଢ଼ୁଥିବା ଗଙ୍ଗାଧରଙ୍କ ଶିକ୍ଷା ୭/୮ବର୍ଷ ବୟସରେ ଆରମ୍ଭ ହେଲା ।

ପାଠପଢ଼ା :

ଗଙ୍ଗାଧରଙ୍କର ବିଦ୍ୟାଶିକ୍ଷା ଆରମ୍ଭ ହୁଏ ତାଙ୍କ ଜ୍ଞାତିଙ୍କର ଏକ ଚାଟଶାଳୀରେ । ସେଠାରେ ସେ ଅକ୍ଷର ଶିଖି ରାସପଞ୍ଚାଧ୍ୟାୟର ତିିନି, ଚାରି ଅଧ୍ୟାୟ ପଢି଼ଥିଲେ । ମାତ୍ର ସେହି ଚାଟଶାଳୀ ବନ୍ଦ ହୋଇଗଲା । ତେଣୁ ଚୈତନ୍ୟ ମେହେର ଘରେ ଗଙ୍ଗାଧରଙ୍କୁ 'ନାମରତ୍ନ ଗୀତା' ପଢ଼ାଇଲେ ।

ପଢ଼ିବାପାଇଁ ଆଉ କେତେଜଣ ପିଲା ମଧ୍ୟ ଆସି ଗଙ୍ଗାଧରଙ୍କ ସାଙ୍ଗରେ ବସିଲେ । ଏମିତିରେ ୨୫-୩୦ ଜଣ ପିଲା ହୋଇଯିବାରୁ ଚୈତନ୍ୟ ପୁଣି ଚାଟଶାଳୀ ଚଳାଇଲେ । ଏହି ଚାଟଶାଳୀରେ ଗଙ୍ଗାଧର ପଚିଶ ଖନ୍ଦା ପର୍ଯ୍ୟନ୍ତ ପଣକିଆ ମୁଖସ୍ଥ କଲେ । 'ଭାଗବତ', 'ମଥୁରା ମଙ୍ଗଳ' ଆଦି ଛାନ୍ଦ ଗ୍ରନ୍ଥ ଗାଇବା ଶିଖିଲେ ।

ସେକାଳର ସାମାଜିକ ଲୋକଚଳଣିରେ ବାଲ୍ୟ ବିବାହ ପ୍ରଥା ପ୍ରଚଳିତ ଥିଲା । ତେଣୁ ଗଙ୍ଗାଧର ଦଶବର୍ଷ ବୟସରେ ରେମଣ୍ଡା ଗ୍ରାମର ଶାନ୍ତାଙ୍କୁ ବିବାହ କଲେ । ଏହି ବିବାହ ଖର୍ଚ୍ଚପାଇଁ ଚୈତନ୍ୟଙ୍କୁ ଷାଠିଏ ଟଙ୍କା ପର୍ଯ୍ୟନ୍ତ ଋଣ କରିବାକୁ ପଡ଼ିଥିଲା । ଯୌଥ ପରିବାରରେ ଏ ଦାୟିତ୍ୱକୁ ଅନ୍ୟ କିଏ କାହିଁକି ବୋହିବାକୁ ଚାହିଁବ ? ସହଜେ ତ ଚୈତନ୍ୟ ଲୁଗା ବୁଣାବୁଣି ଭଳି ଶାରୀରିକ ପରିଶ୍ରମ ପଡ଼ୁଥିବା କାମ ପ୍ରତି ଏତେଟା ଆଗ୍ରହୀ ନଥିଲେ । ତେଣୁ ବାପା ଓ ସାନଭାଇ ମନ ଊଣା କରୁଥିଲେ । ତହିଁକି ଜୁଟିଲା ଋଣ ପରିଶୋଧର ଦାୟିତ୍ୱ । ଏଥକୁ ସେମାନେ ମୁଣ୍ଡ ଖେଳାନ୍ତେ କିଆଁ ? ତେଣୁ ଚୈତନ୍ୟଙ୍କୁ ଭିନ୍ନେ କରିଦେଲେ । ସେତିକିବେଳକୁ ଚୈତନ୍ୟଙ୍କ ଚାଟଶାଳୀ ବି ବନ୍ଦ ହୋଇଗଲା । ଗଙ୍ଗାଧର ପାଠ ନପଢ଼ି ଏପଟ ସେପଟ ହେଲେ । ବାପା-ମାଆଙ୍କର ଗୋଟିଏ ବୋଲି ପୁଅ । ତାଙ୍କୁ ପାଠପଢ଼ାଇବାପାଇଁ ଚୈତନ୍ୟଙ୍କର ଆଗ୍ରହ ଥାଏ । ସେ ଚାହୁଁଥାନ୍ତି କଟକିଆ ଅବଧାନଙ୍କ ଚାଟଶାଳୀରେ ତାଙ୍କୁ ଛାଡ଼ିବାକୁ । କିନ୍ତୁ ନିଜର ଚଳଣି ଅବସ୍ଥା ତାଙ୍କୁ ସଂକୁଚିତ କରୁଥାଏ । ସେ ସମୟରେ ଚାଟଶାଳୀ ଓ ସରକାରଙ୍କ ତରଫରୁ ପ୍ରତିଷ୍ଠିତ ବିଦ୍ୟାଳୟରେ ଛାତ୍ରମାନଙ୍କୁ ମାଡ଼ ଦିଆଯାଉଥିବା କଥା ଗଙ୍ଗାଧରଙ୍କ କାନରେ ପଡୁଥାଏ । ତେଣୁ ସେ ପଢ଼ିବାକୁ ଯିବାକୁ ଭୟ କରୁଥାନ୍ତି ।

୧୮୭୫ ମସିହାର କଥା । ବରଗଡ଼ର ତହସିଲଦାର ଆସିଥାନ୍ତି ବରପାଲି । କେହି ଜଣେ ତାଙ୍କୁ କହିଦେଲା, ଚୈତନ୍ୟ ତାଙ୍କ ପୁଅକୁ ସ୍କୁଲ୍‍କୁ ପଠାଉ ନାହାନ୍ତି । ମଧ୍ୟପ୍ରଦେଶ କମିଶନରଙ୍କ କାର୍ଯ୍ୟାଳୟରୁ ନିୟମ ହୋଇଥାଏ, ସ୍କୁଲ୍‍ରେ ପିଲାଙ୍କୁ ପାଠପଢ଼ାଇବା ବାଧ୍ୟତାମୂଳକ । ଯିଏ ବ୍ୟତିକ୍ରମ କରିବ, ସେ ଦଣ୍ଡପାଇବ । ଏମିତିରେ ଚୈତନ୍ୟଙ୍କୁ ସରକାରଙ୍କ ଦ୍ୱାରା ଦଣ୍ଡିତ କରିବାପାଇଁ ତାଙ୍କର କେହିଜଣେ ବିରୋଧୀ ତହସିଲଦାରଙ୍କ ନିକଟରେ ଏହି ଅଭିଯୋଗ କରିଥିଲେ । ତହସିଲଦାର ଚୈତନ୍ୟଙ୍କୁ ଡକାଇଲେ । ଚୈତନ୍ୟ ଗଙ୍ଗାଧରଙ୍କୁ ସ୍କୁଲ୍‍ ପଠାଇବା ପାଇଁ ଏକ ଏକରାରନାମା (ସମ୍ମତିପତ୍ର)ରେ ଦସ୍ତଖତ କରିଦେଲେ । ଗଙ୍ଗାଧର ପାଠ ପଢ଼ନ୍ତୁ- ଚୈତନ୍ୟ ଏହା ଚାହୁଁଥିଲେ । କିନ୍ତୁ ଭିନ୍ନେ ହୋଇଯିବା ପରେ ନିଜର ପାରିବାରିକ ସ୍ଥିତିକୁ କୌଳିକବୃତ୍ତି ଲୁଗା ବୁଣାବୁଣି ଜରିଆରେ ଉନ୍ନତ କରିବାପାଇଁ ପୁଅର ସହଯୋଗ ଲୋଡ଼ା ବୋଲି ବିଚାରୁଥିଲେ । ସରକାରୀ ବ୍ରାଞ୍ଚ୍‍ ସ୍କୁଲ୍‍ରେ ପଢ଼ିବା କଥା ଶୁଣି ଗଙ୍ଗାଧର ଖୁସିହେଲେ । ସେତିକିବେଳେ ପଡ଼ିଶାର କେହିଜଣେ ଟାପରା କରି କହିଲେ- 'ବଡ଼ବଡ଼ ମାନେ ଗଲେଣି ହଟି, ସାନଟି ଯାଉଛି ବେସରବାଟି !' ଏକଥା ଶୁଣି ଗଙ୍ଗାଧରଙ୍କ ମନ ଦବିଗଲା । ହେଲେ, ସରକାରୀ କାନୁନ୍ ମୁତାବକ ସ୍କୁଲ୍‍ର ଚପରାସୀ ଆସି ଡାକିବାରୁ ଗଙ୍ଗାଧର ସ୍କୁଲ୍‍କୁ ଗଲେ । ବ୍ରାଞ୍ଚ୍‍ ସ୍କୁଲ୍‍ର ପ୍ରଥମ ଶ୍ରେଣୀ ଚାଲୁଥିଲା ସମଲାଈ ମନ୍ଦିରରେ ।

ଦ୍ୱିତୀୟଠାରୁ ପଞ୍ଚମଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ପଡ଼ାର ଅନତିଦୂରରେ ଥିବା ଏକ ଖପରୁଲି

ଘରେ ହେଉଥିଲା । ଗଙ୍ଗାଧର ନିୟମିତ ସ୍କୁଲ୍‍ ଯାଉଥିଲେ । ପାଠପଢ଼ାରେ ମନ ବି ଦେଉଥିଲେ । କିନ୍ତୁ ଗାଁରେ ବଳରାମ ଦାସଙ୍କ ରାମାୟଣ ପାରାୟଣ ହେବାବେଳେ ସେ ସ୍କୁଲ୍‍କୁ ନ ଯାଇ ପାରାୟଣ ସ୍ଥଳରେ ବସିଯାଉଥିଲେ । ସେହି ବ୍ରାଞ୍ଚ୍‍ ସ୍କୁଲ୍‍ରେ ମଧ୍ୟପ୍ରଦେଶ ସରକାରଙ୍କ ପ୍ରବର୍ତ୍ତିିତ ପାଠ୍ୟପୁସ୍ତକ ଓଡ଼ିଶାରେ ଚଳୁଥିବା ପାଠ୍ୟକ୍ରମଠାରୁ ଅଲଗାଥିଲା । ସ୍କୁଲ୍‍ର ପ୍ରଧାନ ଶିକ୍ଷକ ଥିଲେ କଟକ ଜିଲ୍ଲା ମୂଳବସନ୍ତ ନିବାସୀ ପଣ୍ଡିତ ଘନଶ୍ୟାମ ମିଶ୍ର ।

ପ୍ରଥମ ଶ୍ରେଣୀରେ ପାଠ ଘୋଷିବା ସହିତ ଶିକ୍ଷକଙ୍କ ଠାରୁ 'ସୀତାବନବାସ' ବହିପଢ଼ା ଶୁଣିଥିଲେ ଗଙ୍ଗାଧର । ଈଶ୍ୱରଚନ୍ଦ୍ର ବିଦ୍ୟାସାଗର ବଙ୍ଗଳାଭାଷାରେ ଲେଖିଥିବା 'ସୀତାବନବାସ'କୁ ବିଚ୍ଛନ୍ଦ ଚରଣ ପଟ୍ଟନାୟକ ଓଡ଼ିଆ ଭାଷାରେ ଅନୁବାଦ କରିଥିଲେ । ବିଚ୍ଛନ୍ଦ ଚରଣ ସେତେବେଳେ ଥିଲେ ସମ୍ବଲପୁର ବିଦ୍ୟାଳୟ ସମୂହର ତତ୍ତ୍ୱାବଧାୟକ । କିନ୍ତୁ ବ୍ରାଞ୍ଚସ୍କୁଲ୍‍ର ପ୍ରଥମ ଶ୍ରେଣୀରୁ ଗଙ୍ଗାଧରଙ୍କ ପାଠପଢ଼ା ଆରମ୍ଭ ହୋଇଥିଲା ପଣ୍ଡିତ ଘନଶ୍ୟାମ ମିଶ୍ରଙ୍କ ପ୍ରଣୀତ 'ବର୍ଣ୍ଣ ପରିଚୟ' ପୁସ୍ତକରୁ । ତା'ସହିତ ଗଣିତରେ ପଚିଶ ଖନ୍ଦା ପଣକିଆ, ମିଶାଣ, ଫେଡ଼ାଣ, ଗୁଣନ, ହରଣ ମଧ୍ୟ ସେ ଶିଖିଲେ । ଛଅମାସ ପରେ ଦ୍ୱିତୀୟ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହେଲେ ସେ । ପଡ଼ା ବାହାରେ ଚାଲୁଥିବା ବ୍ରାଞ୍ଚସ୍କୁଲ୍‍କୁ ଯାଇ କାନ୍ଥରେ ଟଙ୍ଗା ହୋଇଥିବା ମାନଚିତ୍ର ଦେଖି ସେ ବିସ୍ମିତ ହେଲେ । ସେଗୁଡ଼ିକୁ ସେ ଚିତ୍ର ବୋଲି ଭାବିଥିଲେ । ଏହିଠାରୁ ଗଙ୍ଗାଧର ଗୋଟିଏବେଳା ସ୍କୁଲ ଆସିଲେ ଏବଂ ଆଉ ଗୋଟିଏ ବେଳା ଲୁଗା ବୁଣାବୁଣିରେ ତାଙ୍କ ବାପାଙ୍କୁ ସାହାଯ୍ୟ କଲେ । ସ୍କୁଲ୍‍ର ପ୍ରଧାନଶିକ୍ଷକ ତାଙ୍କ ବାପାଙ୍କ ଅନୁରୋଧକ୍ରମେ ତାଙ୍କୁ ଏପରି ଅନୁମତି ଦେଇଥିଲେ । ଗଙ୍ଗାଧର ଦ୍ୱିତୀୟ ଶ୍ରେଣୀରେ 'ବୋଧୋଦୟ' (ଈଶ୍ୱରଚନ୍ଦ୍ରଙ୍କ ବଙ୍ଗଳା ପୁସ୍ତକରୁ ବିଚ୍ଛନ୍ଦଙ୍କ ଦ୍ୱାରା ଅନୂଦିତ), ଗଣିତରେ ମିଶାଣ, ଫେଡ଼ାଣ ଆଦି ପଢ଼ି ଛ'ମାସ ପରେ ତୃତୀୟ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହେଲେ । ତୃତୀୟ ଶ୍ରେଣୀରେ ସେ ପଢ଼ିଲେ ସାହିତ୍ୟରେ 'ଚାରୁ ପାଠ'- ୧ମ ଭାଗ (ବଙ୍ଗଳାରେ ଅକ୍ଷୟ କୁମାରଙ୍କ ଲେଖା, ବିଚ୍ଛନ୍ଦଙ୍କ ଓଡ଼ିଆ ଅନୁବାଦ), 'ଇତିହାସ'ର ୨ୟ ଭାଗର ଅର୍ଦ୍ଧାଂଶ, 'ଭୂଗୋଳ ସୂତ୍ର'ରୁ ମଧ୍ୟପ୍ରଦେଶ ଓ ମଧ୍ୟପ୍ରଦେଶର ନକ୍ସା, 'ଉତ୍କଳ ବ୍ୟାକରଣ ସଂକ୍ଷେପ'ରୁ ସନ୍ଧି ପର୍ଯ୍ୟନ୍ତ, ଗଣିତରେ ମିଶାଣ, ଗୁଣନ, ହରଣ, ସାଧାରଣ ତ୍ରୈରାଶିକ ଏବଂ ଲଘିଷ୍ଠ ଓ ଗରିଷ୍ଠ । ଛଅମାସ ପରେ ଚତୁର୍ଥ ଶ୍ରେଣୀକୁ ଯାଇ ସେ ପଢ଼ିଲେ 'ଚାରୁପାଠ'ର ୨ୟ ଭାଗ, 'କାଦମ୍ବରୀ'ର ଅର୍ଦ୍ଧାଂଶ, 'ଇତିହାସ' ୨ୟ ଭାଗର ଶେଷାଂଶ, 'ଉତ୍କଳ ବ୍ୟାକରଣ ସଂକ୍ଷେପ' ସଂପୂର୍ଣ୍ଣରୂପେ । ସମସ୍ତ ପ୍ରକାର ତ୍ରୈରାଶିକ, ବହୁରାଶିକ ଭଗ୍ନାଂଶ ଓ ଭାରତବର୍ଷର ନକ୍‍ସା ଓ ଭୂଗୋଳ ଆଦି ମଧ୍ୟ ପଢ଼ିଲେ । ଅନୁରୂପ ଭାବେ ଗଙ୍ଗାଧର ପଞ୍ଚମ ଶ୍ରେଣୀରେ 'ଚାରୁପାଠ'-୩ୟ ଭାଗ, 'କାଦମ୍ବରୀ'ର ଶେଷାର୍ଦ୍ଧ, 'ଇତିହାସ'-୩ୟ ଭାଗ, ବ୍ୟାକରଣ ଉପକ୍ରମଣିକା, ଗଣିତରେ ଚକ୍ରବୃଦ୍ଧି, କମ୍ପାନୀର କାଗଜ ବିକ୍ରି, ଡିସ୍‍କାଉଣ୍ଟ, କ୍ଷେତ୍ର ପରିମାଣ, ବର୍ଗମୂଳ, ଘନମୂଳ ଆଦି ପଢ଼ିଥିଲେ । ପଞ୍ଚମଶ୍ରେଣୀ ପରେ ନର୍ମାଲ ପରୀକ୍ଷା ଦେବା ପାଇଁ ସେ ସମ୍ବଲପୁର ଯିବାକୁ ପିତାଙ୍କ ଅନୁମତି ପାଇଲେ ନାହିଁ । କାରଣ ବର୍ଷାଦିନେ ମହାନଦୀର ପ୍ରଳୟଙ୍କରୀ ରୂପ ଦେଖି ତାଙ୍କ ବାପାଙ୍କ ମନରେ ଛନକା ପଶିଲା । ଭୟଙ୍କରୀ ମହାନଦୀକୁ ନୌକାରେ ପାର ହୋଇ ଗଙ୍ଗାଧର ସମ୍ବଲପୁର ଯିବା କଥା ସେ ପସନ୍ଦ କରି ପାରିଲେ ନାହିଁ । ପଣ୍ଡିତ ଘନଶ୍ୟାମ ମିଶ୍ର ବିଦ୍ୟାଳୟରେ ଷଷ୍ଠଶ୍ରେଣୀ ଖୋଲାଇ ପଢ଼ାପଢ଼ି କରାଇଲେ । ଷଷ୍ଠଶ୍ରେଣୀରେ ଗଙ୍ଗାଧର 'ରଘୁବଂଶ', 'କ୍ଷେତ୍ରତତ୍ତ୍ୱ', 'ବୀଜଗଣିତ' ପଢ଼ିଲେ । କିନ୍ତୁ ଷଷ୍ଠ ଶ୍ରେଣୀ ପାଇଁ ସରକାରୀ ଅନୁମତି ମିଳିଲା ନାହିଁ । ସେହି ସମୟରେ ପଣ୍ଡିତ ଘନଶ୍ୟାମ ମିଶ୍ର ଛୁଟିନେଇ ବରପାଲିରୁ ଚାଲିଆସିଲେ । ବସ୍ତୁତଃ ଗଙ୍ଗାଧର ଏହି ପର୍ଯ୍ୟନ୍ତ ଆନୁଷ୍ଠାନିକ ଶିକ୍ଷାପ୍ରାପ୍ତ ହୋଇଥିଲେ । କିନ୍ତୁ ପଞ୍ଚମ ଶ୍ରେଣୀରେ ପଢ଼ିବାବେଳେ ସେ ପଣ୍ଡିତ ଘନଶ୍ୟାମ ମିଶ୍ରଙ୍କ ଘରକୁ ଯାଇ 'ସୂତ୍ରସାର' ଓ 'ସିଦ୍ଧାନ୍ତ ଚନ୍ଦ୍ରିକା' ଭଳି ସଂସ୍କୃତ ବ୍ୟାକରଣର ସୂତ୍ର ଶିକ୍ଷା କରିଥିଲେ ।

ଗଙ୍ଗାଧର ପାଠ ପଢ଼ୁଥିବା ସମୟରେ ତାଙ୍କ ବାପାଙ୍କର ଆର୍ଥିକ ଅବସ୍ଥା ଖୁବ୍‍ ଶୋଚନୀୟ ଥିଲା । ବହି କିଣିବା ଦୂରେ ଥାଉ, ସଫାଲୁଗା ଖଣ୍ଡେ ପିନ୍ଧି ସ୍କୁଲ୍‍କୁ ଆସିବା ତାଙ୍କ ପକ୍ଷେ ସମ୍ଭବପର ହେଉ ନଥିଲା । ବିଦ୍ୟାଳୟକୁ ପରିଦର୍ଶକ ଆସିବେ ବୋଲି ପ୍ରଧାନଶିକ୍ଷକ ଗଙ୍ଗାଧରଙ୍କ ପାଇଁ 'ଲଙ୍ଗ୍‍ କ୍ଲଥ୍‍' ହେବା ନିମିତ୍ତ ଚୈତନ୍ୟଙ୍କ ଠାରୁ ଟଙ୍କାଏ କି ଦେଢ଼ଟଙ୍କା ନେଇଥିଲେ । ହେଲେ, ଦରଜି ତାହା ସିଲେଇ କରିସାରିବା ପୂର୍ବରୁ ବିଦ୍ୟାଳୟ ପରିଦର୍ଶନ କରିବାକୁ ଇନ୍‍ସ୍‍ପେକ୍ଟରର ଜେନେରାଲ ସାହେବ ପହଞ୍ଚିଗଲେ । ଗଙ୍ଗାଧର ସେଇ କଚାସିଲେଇ ପୋଷାକ ପିନ୍ଧି ସ୍କୁଲ୍‍ ଗଲେ । ପରେ ତାହା ଆଉ ସିଲେଇ ହୋଇ ପାରିଲା ନାହିଁ । ପାଠ ପଢ଼ିବା ସମୟରେ ଗଙ୍ଗାଧର ତନ୍ତରେ ଲୁଗା ବୁଣି ପାରିବାରିକ ଗୁଜୁରାଣ ମେଣ୍ଟାଇବାରେ ପିତାଙ୍କୁ ସାହାଯ୍ୟ କରୁଥିଲେ । ତାଙ୍କର ହସ୍ତାକ୍ଷର ସୁନ୍ଦର ହୋଇଥିବାରୁ ସେ ତମସୁକ ଲେଖି କିଛି ଅର୍ଥ ମଧ୍ୟ ଉପାର୍ଜନ କରୁଥିଲେ । ଋଣ ଆକାରରେ ଦେଣନେଣ ବ୍ୟବସ୍ଥାରେ ତମସୁକ ଥିଲା ସରକାରୀ ଦଲିଲ ତୁଲ୍ୟ । ଏହିସବୁ ଆୟରୁ ଗଙ୍ଗାଧର ପଢ଼ିବା ସମୟରେ ବହି କିଣାରେ ଦୁଇଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିଥିଲେ । ସାଙ୍ଗସାଥୀଙ୍କ ଠାରୁ ବହି ମାଗିଆଣି ସେ ପଢ଼ୁଥିଲେ । ଅଧିକନ୍ତୁ ବିଦ୍ୟାଳୟରେ ଶିକ୍ଷାଲାଭ ପାଇଁ ସେ ସମୟରେ କୌଣସି ଫିସ୍‍ ଦେବାକୁ ପଡୁନଥିଲା । ସନ୍ଧ୍ୟାରେ ଶିକ୍ଷକଙ୍କ ଘରକୁ ଯାଇ ପାଠ ବୁଝିବାରେ କିଛି ବି ଖର୍ଚ୍ଚ କରିବାକୁ ହେଉନଥିଲା । ଗଙ୍ଗାଧର ତାଙ୍କ ଶିକ୍ଷାଜୀବନର ସ୍ମୃତିଚାରଣ କରି ଆତ୍ମଜୀବନୀରେ ଲେଖିଛନ୍ତି, "ସେତେବେଳେ ଶିକ୍ଷକଙ୍କ ବସା ଋଷି ଆଶ୍ରମତୁଲ୍ୟ ବୋଧ ହେଉଥିଲା ।"

୧୮୭୮ ମସିହାରେ ଗଙ୍ଗାଧରଙ୍କର 'ଦୁର୍ବାକ୍ଷତ' ବିଧାନ ହେଲା । ଏବଂ ଯୁବତୀ ଶାନ୍ତା ରେମଣ୍ଡାରୁ ବରପାଲି ଆସିଲେ । ପତ୍ନୀ ଆସିବା ପରେ ଯୁବକ ଗଙ୍ଗାଧରଙ୍କ ଗାର୍ହସ୍ଥ୍ୟ ଜୀବନ ଆରମ୍ଭ ହେଲା । କିନ୍ତୁ ତାଙ୍କ ଜୀବନଧାରା, ତନ୍ତକାମ ଓ ଲେଖାଲେଖି ଆଦିକୁ ଲକ୍ଷ୍ୟ କଲେ ସେ ଗୃହୀ ଅପେକ୍ଷା ଗୃହରେ ଥିବା ଜ୍ଞାନଲିପ୍‍ସୁ, ଅଧ୍ୟୟନପିପାସୁ ଓ ଉଦ୍ଭାବନକାମୀ ତପସ୍ୱୀ ପରି ମନେ ହୁଅନ୍ତି । ବୋହୂ ଆସିବା ପରେ ଚୈତନ୍ୟ ମେହେର ଗଙ୍ଗାଧରଙ୍କ ଉପରେ ପରିବାରପୋଷଣର ଭାର ନ୍ୟସ୍ତ କରି ସାହୁକାରୀ ବ୍ୟବସାୟ କଲେ । ଏଣିକି ତନ୍ତଚାଳନାରେ ଗଙ୍ଗାଧର ଅଧିକ ସମୟ ବିନିଯୋଗ କଲେ । ସେ କାଗଜଫର୍ଦ୍ଦ ଭଳି ଚିକ୍‍କଣ ଓ ପତଳା ଶାଢ଼ି ବୁଣି ପାରୁଥିଲେ । ଯୌବନରେ ଉତ୍କୃଷ୍ଟ ବୟନଶିଳ୍ପୀ ଭାବେ ସେ ସୁଖ୍ୟାତ ହୋଇଥିଲେ । ବରପାଲିର କୌଷେୟବସ୍ତ୍ର ପାଇଁ ତାଙ୍କରି ନାମରେ ବିକ୍ରୟ କେନ୍ଦ୍ର ସଂପର୍କିତ ବିଜ୍ଞାପନ ମଧ୍ୟ ପ୍ରକାଶ ପାଉଥିଲା । କିନ୍ତୁ ସୁନ୍ଦରୀ ପତ୍ନୀ, ଉତ୍ତମ ଶାଢ଼ି ବୁଣାକାରର ଖ୍ୟାତି, ସୁନ୍ଦର ହସ୍ତାକ୍ଷର ପାଇଁ ପ୍ରଶଂସା, ପୂର୍ବତୁଳନାରେ ଅଧିକ ଉପାର୍ଜନ - ଏସବୁ ଗଙ୍ଗାଧରଙ୍କୁ ବୋଧହୁଏ ସୁଖୀ କରିପାରୁ ନଥିଲା । ସେଥିପାଇଁ ଏକାକୀ ଲୁଗା ବୁଣିବା ବେଳେ ସେ ବିରକ୍ତ ହେଉଥିଲେ । ମନ ତାଙ୍କର ପଢ଼ିବା ପାଇଁ, ଅଧିକ ଜାଣିବା ପାଇଁ ବ୍ୟାକୁଳ ଥିବାରୁ ତାଙ୍କୁ ବିରକ୍ତ ଲାଗୁଥିଲା । ଠିକ୍‍ ଏତିକି ବେଳକୁ ଘରପୋଡ଼ି ଭଳି ବିପତ୍ତିର ସାମ୍ନା ତାଙ୍କୁ କରିବାକୁ ପଡ଼ିଲା । ଘରପୋଡ଼ିରେ ତନ୍ତ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଉପକରଣ ପୋଡ଼ିଗଲା । ପରେ ଗଙ୍ଗାଧର ସେଗୁଡ଼ିକୁ ପଡ଼ୋଶୀମାନଙ୍କ ପାଖରୁ ଯୋଗାଡ଼ କରିଥିଲେ ।

ପଣ୍ଡିତ ଘନଶ୍ୟାମ ମିଶ୍ର ବରପାଲି ଛାଡ଼ିବା ପରେ ୧୮୭୯ ଖ୍ରୀଷ୍ଟାବ୍ଦରେ ବନମାଳୀ ଆଚାର୍ଯ୍ୟ ଶିକ୍ଷକ ରୂପେ ଯୋଗ ଦେଇଥିଲେ । ସେ ଛୁଟିନେଇ ଚାଲିଯିବା ପରେ ପଣ୍ଡିତ ଲକ୍ଷ୍ମଣ ମିଶ୍ର ଯୋଗଦେଲେ । ପଣ୍ଡିତ ମିଶ୍ରଙ୍କ ସହଯୋଗରେ ଗଙ୍ଗାଧର ସେତେବେଳର ନିୟମାନୁଯାୟୀ 'ଭିଲେଜ୍‍ସ୍କୁଲ' ପରୀକ୍ଷା ଦେବାକୁ ପ୍ରସ୍ତୁତ ହେଲେ । ୧୮୮୨ ଖ୍ରୀ.ଅ.ରେ ସମ୍ବଲପୁର ଯାଇ ପରୀକ୍ଷା ଦେଲେ । ଗଣିତରେ ଭଲ ନମ୍ବର ରଖି ନପାରିବାରୁ ଏବଂ ମଧ୍ୟପ୍ରଦେଶ ଲୋକଙ୍କ ଉଚ୍ଚାରଣକୁ ଠିକ୍‍ଭାବେ ବୁଝି ନ ପାରିବାରୁ ସେ ଭିଲେଜ୍‍ସ୍କୁଲ୍‍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରିଲେ ନାହିଁ । ଦେଶୀୟ ପାଠଶାଳାର ସାର୍ଟିଫିକେଟ ପାଇଲେ ।

ଏହାପରେ ଗଙ୍ଗାଧର ପାଠ ପଢ଼ିବାପାଇଁ ଆଉ ସ୍କୁଲ୍‍କୁ ଗଲେ ନାହିଁ । କିନ୍ତୁ ପଢ଼ାପଢ଼ି ଚାଲୁରଖିଲେ । ତାଙ୍କ ପାଇଁ ଜୀବନ ଥିଲା ଏକ ବିଦ୍ୟାଳୟ । ଜୀବନ ଓ ପ୍ରକୃତିର ଚିରକାଳର ମୁଗ୍ଧ ପାଠକ ଥିଲେ ଗଙ୍ଗାଧର । ଏହାସହିତ ଶିକ୍ଷାୟତନ ଛାଡ଼ିବା ପରେ ବି ବଙ୍ଗଳା, ହିନ୍ଦୀ ଓ ଓଡ଼ିଆ ଭାଷାର ଅନେକ ଗ୍ରନ୍ଥ ସେ ଅଧ୍ୟୟନ କରିଥିଲେ । କାମ ଚଳାଇବା ଭଳି ଇଂରାଜିଶିକ୍ଷା ସେ ଲାଭ କରିଥିଲେ ବରପାଲିର ଯୁବରାଜଙ୍କ ଗୃହଶିକ୍ଷକ ଅକ୍ଷୟବାବୁ ଓ ପରେ ସୂର୍ଯ୍ୟ କୁମାର ମିତ୍ରଙ୍କ ଠାରୁ । ଏହା ୧୮୮୭-୮୮ ମସିହାର କଥା ।

ସ୍କୁଲ୍‍ ଛାଡ଼ିବା ପରେ ଗଙ୍ଗାଧର ଅନ୍ୟାନ୍ୟ ଗ୍ରନ୍ଥ ପଢ଼ିଥିଲେ । ସେ ବଳରାମ ଦାସଙ୍କ 'ରାମାୟଣ', ଉପେନ୍ଦ୍ରଭଞ୍ଜଙ୍କ 'ଲାବଣ୍ୟବତୀ', 'ରସିକ ହାରାବଳୀ', 'ସୁଭଦ୍ରା ପରିଣୟ','ବୈଦେହୀଶ ବିଳାସ', ଦୀନକୃଷ୍ଣ ଦାସଙ୍କ 'ରସକଲ୍ଲୋଳ' ଆଦି ପଢ଼ିଥିଲେ । ତାଙ୍କ କାବ୍ୟ-କବିତା କୃତିରୁ ଜଣାଯାଏ ଯେ ସେ ସିଦ୍ଧେଶ୍ୱର ଦାସଙ୍କ 'ବିଚିତ୍ର ରାମାୟଣ', ବିଶ୍ୱନାଥ ଖୁଣ୍ଟିଆଙ୍କ 'ରାମାୟଣ', ସାରଳା ଦାସଙ୍କ 'ମହାଭାରତ', ଜଗନ୍ନାଥ ଦାସଙ୍କ 'ଭାଗବତ', ଉପେନ୍ଦ୍ର ଭଞ୍ଜଙ୍କ 'ରସଲେଖା' ସମେତ ସଂସ୍କୃତ ସାହିତ୍ୟର ଅନୁପମ କୃତି, ବ୍ୟାସକୃତ 'ମହାଭାରତ', ବାଲ୍ମୀକିଙ୍କ 'ରାମାୟଣ', ଭବଭୂତିଙ୍କ 'ଉତ୍ତର ରାମଚରିତ', କାଳିଦାସଙ୍କ 'ଅଭିଜ୍ଞାନ ଶାକୁନ୍ତଳମ୍‍' ଓ 'ରଘୁବଂଶମ୍‍' ଆଦି ଅଧ୍ୟୟନ କରିଥିଲେ । ଅଓ୍ୱଧିଭାଷାରେ ଲିଖିତ 'ରାମଚରିତ ମାନସ' ମଧ୍ୟ ସେ ପଢ଼ିଥିଲେ । 'ନୈଷଧ' କାବ୍ୟରେ ଶ୍ରୀହର୍ଷ ନଳଙ୍କ ପାଠପଢ଼ା ସମ୍ବନ୍ଧରେ କହିଥିବା ଉକ୍ତି- 'ଅଧିତି ବୋଧା ଆଚରଣ ପ୍ରଚାରଣୈ' ଗଙ୍ଗାଧରଙ୍କ ପ୍ରତି ପ୍ରଯୁଜ୍ୟ । ଯାହା ଯେତିକି ସେ ପଢ଼ିଥିଲେ ତାହା ଭଲ ଭାବେ ବୁଝିଥିଲେ, ଆଚରଣ ମାଧ୍ୟମରେ ତହିଁର ତାତ୍ପର୍ଯ୍ୟ କଳନା କରିଥିଲେ; ଖାସ୍‍ ଏଇଥିପାଇଁ ତାଙ୍କ ସାହିତ୍ୟକୃତିଗୁଡ଼ିକରେ ସେସବୁ ଉତ୍ତମ ରୂପେ ସଂଯୋଜିତ ହୋଇ ପ୍ରଚାରିତ ହୋଇପାରିଛି ।

ଆଉ ଗୋଟିଏ କଥା ଏଠାରେ ସ୍ମରଣୀୟ । ରାଧାନାଥ ରାୟ ପିଲାଙ୍କ ପାଠ୍ୟପୁସ୍ତକ ନିମିତ୍ତ 'ବ୍ୟାକରଣ ପ୍ରବେଶ' ପ୍ରଣୟନ କରିଥିଲେ । ଏହି ପୁସ୍ତକର ଭଲ ଓ ଭୁଲ୍‍ ଜାଣିବା ପାଇଁ ସେ ଗଙ୍ଗାଧରଙ୍କ ପରାମର୍ଶ ଲୋଡିଥିଲେ । ରାଧାନାଥ ଚିଠିରେ ଲେଖିଥିଲେ, "ଆପଣଙ୍କଠାରୁ ମୁଁ ପୁସ୍ତକ ସମ୍ବନ୍ଧରେ ମୂଲ୍ୟବାନ ଉପଦେଶ ପ୍ରତ୍ୟାଶା କରେଁ । ବ୍ୟାକରଣ ଶାସ୍ତ୍ରରେ ଆପଣ ସୁବ୍ୟୁତ୍ପନ୍ନ ।" ଗଙ୍ଗାଧରଙ୍କ ଶିକ୍ଷା କେତେ ନିଦା ଓ ପ୍ରଶସ୍ତ ଥିଲା ତାହା ଏଥିରୁ ଅନୁମେୟ । ଗଙ୍ଗାଧର ମେହେର ଇଂରାଜି ଶିକ୍ଷାରେ ଦୋରସ୍ତ ହୋଇ ନଥିଲେ ବି ଯୁଗରୁଚି ଅନୁରୂପ କାବ୍ୟ-କବିତା ରଚନା କରିପାରିଛନ୍ତି । ବଙ୍ଗଳା ସାହିତ୍ୟ ପଠନ ଓ ତହିଁର ମାର୍ମିକ ଅବବୋଧ ଗଙ୍ଗାଧରଙ୍କ ଇଂରାଜି ପଢ଼ାର ଅଭାବକୁ ପୂରଣ କରିଛି । ଗଙ୍ଗାଧର ମେହେର ଯାହା ଯେମିତି ଆନୁଷ୍ଠାନିକ ଶିକ୍ଷା ଲାଭ କରିଥିଲେ, ସେକାଳକୁ ଚାହିଁ ସେତିକିରେ ତାଙ୍କୁ ଚାକିରି କରିବାକୁ ହେବ, ଏକଥା ସେ ନଭାବି, ତନ୍ତଚାଳନା ହିଁ କେବଳ ଚଳଣିର ବେଉସା ହେବ- ଏମିତି ଚିନ୍ତା କରିଥିବେ । ଅବଶ୍ୟ ସାହିତ୍ୟ ମାଧ୍ୟମରେ ପ୍ରକାଶିତ ହେବା ପାଇଁ ତାଙ୍କର ଇଚ୍ଛା ଥିଲା ପ୍ରବଳ ।

କର୍ମ ଜୀବନ :

ଗଙ୍ଗାଧର ବାହାରେ ଯାଇ ଚାକିରି କରିବେ- ଏକଥା ତାଙ୍କ ବାପା-ମାଆ ପସନ୍ଦ କରୁ ନଥିଲେ । ଆଖି ଆଗରେ ଓ ପାଖେ ପାଖେ ପୁଅକୁ ରଖିବାର ଇଚ୍ଛା ସେମାନଙ୍କର ଥିଲା । ଯୋଗକୁ ୧୮୮୫ ମସିହା ବେଳକୁ ବରପାଲି ଜମିଦାରିରେ ଜମିଜମା ମାପଚୁପ କରାଗଲା । ସେତିକିବେଳେ ଗଙ୍ଗାଧର ଅମିନ ଭାବରେ କିଛିଦିନ କାମ କଲେ । ଜମିଜମା ବନ୍ଦୋବସ୍ତ କାର୍ଯ୍ୟ ବନ୍ଦ ହୋଇଯିବା ପରେ ଗଙ୍ଗାଧର ଘରେ ବସି କୌଳିକ କାମ ତୁଲାଇଲେ । ସେହି ସମୟରେ କନବାଡ଼ ମୌଜାରେ ବରପାଲି ଜମିଦାର ଲାଲ ନୃପରାଜ ସିଂହ ଓ ମୋକ୍ତାର କପିଳ ଚରଣ ପଟ୍ଟନାୟକ ଅନଧିକାର ପ୍ରବେଶ କରିଥିବାରୁ ସେମାନଙ୍କ ନାଁରେ ମକଦ୍ଦମା ହୋଇଥିଲା । ଏଥିରେ ସଫେଇ ସାକ୍ଷୀ (ଯେଉଁମାନେ ମକଦ୍ଦମା ଆରମ୍ଭରେ ସାକ୍ଷୀ ନଥାନ୍ତି, ଅଥଚ ପରେ ସେମାନଙ୍କ ନାଆଁକୁ ପକ୍ଷ ସୁପାରିଶ କରି ବିଚାରାଳୟର ଅନୁମୋଦନ ନେଇଥାନ୍ତି) ରୂପେ ଗଙ୍ଗାଧର ମେହେରଙ୍କ ନାମ ରଖାଇଥିଲେ ମୋକ୍ତାର । ଗଙ୍ଗାଧର ଏ କାମ କରିବାକୁ ଚାହୁ ନଥିଲେ । କିନ୍ତୁ କପିଳ ପଟ୍ଟନାୟକଙ୍କ ବାଧ୍ୟ ବାଧକତାରେ ସେ ଉପସ୍ଥିତ ରହି ଇଝାର (ଏତଲା ଭଳି ବିବରଣୀ) ଦେଲେ । ଫଳ ହେଲା ଓଲଟା । ଏହି ମକଦ୍ଦମାରେ ଜମିଦାର, ମୋକ୍ତାର ଓ ସାଙ୍ଗରେ ଥିବା ଆଠଜଣ ଲୋକଙ୍କୁ ବିଚାରାଳୟ ଅର୍ଥଦଣ୍ଡରେ ଦଣ୍ଡିତ କଲେ । ଜମିଦାର ଅସନ୍ତୁଷ୍ଟ ହେଲେ । କିନ୍ତୁ ନିଃସନ୍ତାନ କପିଳ ପଟ୍ଟନାୟକ ଗଙ୍ଗାଧରଙ୍କୁ ଭଲ ପାଉଥିଲେ । ପୁଣି ଜମିଜମା ବନ୍ଦୋବସ୍ତ କାମ ଆରମ୍ଭ ହେବାରୁ ସେ ଗଙ୍ଗାଧରଙ୍କୁ ଅମିନ କାମରେ ନିଯୁକ୍ତ କଲେ । ବନ୍ଦୋବସ୍ତ ଶେଷରେ ଜମିଦାର ତାଙ୍କୁ ମାଲମୋହରିର କାମ ଦେଲେ । ମାଲମୋହରିରି ସହିତ ସେ ଜମିଦାରଙ୍କ ଖମାର ଓ ବଜାର ହିସାବ ମଧ୍ୟ ବୁଝୁଥିଲେ । ଦରମା ଥିଲା ମାସିକ ୭ ଟଙ୍କା ।

୧୮୯୯ ମସିହା ଶେଷ ବେଳକୁ ବରପାଲିରେ ବସନ୍ତ ରୋଗ ଭୟଙ୍କର ଅବସ୍ଥା ସୃଷ୍ଟି କରିଥିଲା । ସେ ସମୟକୁ ଲାଲ ନୃପରାଜ ସିଂହ ଇଂରେଜ ଶାସକଙ୍କ ଦ୍ୱାରା ଦ୍ୱିତୀୟ ଶ୍ରେଣୀ ଅନରାରୀ ମାଜିଷ୍ଟ୍ରେଟ କ୍ଷମତା ପ୍ରାପ୍ତ ହୋଇଥିଲେ । ତାଙ୍କ ପାଖରେ ଜୁଡ଼ିସିଏଲ ମୋହରିର ଭାବେ କାମ କରୁଥିଲେ ସ୍ୱପ୍ନେଶ୍ୱର ପଣ୍ଡା । ବସନ୍ତ ରୋଗରେ ପୀଡ଼ିତ ହୋଇ ସ୍ୱପ୍ନେଶ୍ୱରଙ୍କର ପରଲୋକ ହେଲା । ସେହି ସ୍ଥାନରେ ଗଙ୍ଗାଧରଙ୍କୁ ନିଯୁକ୍ତି ଦେବାପାଇଁ ନୃପରାଜ ସରକାରଙ୍କ ନିକଟକୁ ସୁପାରିଶ କରିଥିଲେ । ସରକାର ତାହା ଗ୍ରହଣ କଲେ । ୧୮୯୯ ଠାରୁ ଗଙ୍ଗାଧର ଜୁଡ଼ିସିଏଲ୍‍ ମୋହରିର ହେଲେ । ସରକାରୀ ଚାକିରି ପାଇଲେ । ମାସିକ ଦରମା ୧୫ଟଙ୍କା । ୧୯୦୧ ମସିହାରେ ବରପାଲି ଜମିଦାରଙ୍କ ମାଜିଷ୍ଟ୍ରେଟ୍‍ କ୍ଷମତା ଇଂରେଜ ସରକାରଙ୍କ ଦ୍ୱାରା ରହିତ ହେବାରୁ ଗଙ୍ଗାଧର ସମ୍ବଲପୁର ଯିବା ପାଇଁ ଉପରିସ୍ଥ କର୍ମକର୍ତ୍ତାଙ୍କଠାରୁ ଆଦେଶ ପାଇଲେ । ସମ୍ବଲପୁରରେ ପାଞ୍ଚମାସ କାମ କଲାପରେ ତାଙ୍କୁ ବିଜେପୁର ବଦଳି କରାଗଲା । ବିଜେପୁରର ଜମିଦାର ସଙ୍କର୍ଷଣ ଗଡ଼ତିଆ ନୂଆକରି ଅନରାରୀ ମାଜିଷ୍ଟ୍ରେଟ୍‍ କ୍ଷମତା ପାଇଥିଲେ । ଦୁଇବର୍ଷ ପରେ ପୁଣି ତାଙ୍କୁ ସମ୍ବଲପୁର ବଦଳି କରାଯାଇଥିଲା । ସମ୍ବଲପୁରରେ କିଛିଦିନ କାମ କଲାପରେ ଛୁଟିନେଇ ବରପାଲି ଚାଲିଆସିଲେ ଗଙ୍ଗାଧର । ଜମିଦାର ନୃପରାଜଙ୍କ ପାଖରେ ମାଲମୋହରିରି କରିବା ସହ ତାଙ୍କର ଅନ୍ୟ କେତେକ ଘରୋଇକାମ ମଧ୍ୟ ସେ ବୁଝାଶୁଝା କଲେ । ବରପାଲିରେ ଦୁଇବର୍ଷ ରହି ସେ ଫେରିଲେ ସମ୍ବଲପୁର । ୧୯୦୭ ଖ୍ରୀଷ୍ଟାବ୍ଦ ମାର୍ଚ୍ଚ ମାସରେ ସେ ସମ୍ବଲପୁରରେ ଚାକିରିରେ ଯୋଗଦେଲେ । ପାଖାପାଖି ପାଞ୍ଚବର୍ଷ କାମ କରିବା ପରେ ସେ ମାର୍ଚ୍ଚ ୧୯୧୩ରେ ବିଜେପୁରକୁ ବଦଳି ହେଲେ । ବିଜେପୁରରେ ପ୍ରାୟ ଦେଢ଼ ବର୍ଷ କାମ କଲା ପରେ ତାଙ୍କର ବଦଳି ହେଲା ପଦ୍ମପୁରକୁ । ଏହି ପଦ୍ମପୁରରେ କାମ କଲାବେଳେ ତାଙ୍କର ମାସିକ ଦରମା ହୋଇଥିଲା ୩୫ ଟଙ୍କା । ସେ ଅଗଷ୍ଟ, ୧୯୧୭ରେ ଚାକିରୀରୁ ଅବସର ଗ୍ରହଣ କରିଥିଲେ ।

ବୃତ୍ତିଗତ ଜୀବନ କାଳରେ ଗଙ୍ଗାଧର ବିଭିନ୍ନ ସ୍ଥାନରେ ଅବସ୍ଥାପିତ ହୋଇଥିଲେ । ତେଣୁ ସେସବୁ ସ୍ଥାନର ପ୍ରାକୃତିକ ଛବି, ଲୋକଚରିତ୍ର, ଘଟଣା ତାଙ୍କ କାବ୍ୟ କବିତାରେ ପ୍ରତିଫଳିତ ହୋଇଥିବା ଅସମ୍ଭବ ଦୁହେଁ । ସାହିତ୍ୟ ରଚନା କରିବାର ଶକ୍ତି ଓ ପ୍ରତିଭା ଥିଲେ ଖାଲି ଆଖିକୁ ପର୍ବତ, ବନ ପରି ଦିଶୁଥିବା ପରିବେଶକୁ କବି ବା ସ୍ରଷ୍ଟା ତାଙ୍କ କାବ୍ୟ କବିତାରେ ନନ୍ଦନ କାନନ କରିଦେଇ ପାରନ୍ତି ।

ଭ୍ରମଣ :

ବରପାଲିରେ ଜନ୍ମଗ୍ରହଣ କରିଥିବା ଗଙ୍ଗାଧରଙ୍କୁ ବାଲ୍ୟକାଳରେ ସମ୍ବଲପୁର ଆସି ପରୀକ୍ଷା ଦେବା ପାଇଁ ବାରଣ କରିଥିଲେ ତାଙ୍କର ପିତା; କାହିଁକି ନା ବର୍ଷାକାଳରେ ମହାନଦୀ ପାରିହେବାର ଭୟାବହତା ତାଙ୍କୁ ଶଙ୍କିତ କରିଥିଲା । ରାମେଶ୍ୱର ଘାଟରେ ଡଙ୍ଗାଦ୍ୱାରା ମହାନଦୀ ପାର ହେବାକୁ ପଡ଼ୁଥିଲା । ସେଠି ମହାନଦୀ ଭିତରେ ଗୋଟିଏ ପଥର ମୁଣ୍ଡିଆ ଥିଲା । ମହାନଦୀର ସ୍ରୋତ ସେ

ମୁଣ୍ଡିଆରେ ଧକ୍କା ଖାଇ ଖୁବ୍‍ ଶବ୍ଦ କରୁଥିଲା । ବେଳେବଳେ ସେହି ଧକ୍କା ଫଳରେ ପାଖଦେଇ ଯାଉଥିବା ଡଙ୍ଗା ଭିତରକୁ ପାଣି ଡେଇଁ ଆସୁଥିଲା । ଡଙ୍ଗା ବୁଡ଼ିଯାଉଥିଲା । ସେହି ଭୟାବହ ଦୃଶ୍ୟଚିତ୍ର ଗଙ୍ଗାଧରଙ୍କ 'ତପସ୍ୱିନୀ' କାବ୍ୟରେ ବର୍ଣ୍ଣିତ ହୋଇଛି-

ମହାନାଦୀ ମହାନଦୀର ମହା ପ୍ରବାହ ଆସି
ରାମେଶ୍ୱର ଶିଳା ସବୁକୁ ଦେଲେ ସଶିରେ ଗ୍ରାସି;
ଟଳିବେ କି ଶିଳା-ସକଳ ସ୍ରୋତ କମ୍ପିବ ସିନା,
ବିଘୂର୍ଣ୍ଣିିତ ଶିରେ ପଡ଼ିବ ଗତି ପଦ୍ଧତି ବିନା । (ଦ୍ୱିତୀୟ ସର୍ଗ)

ମହାନଦୀର ଜଳ ପ୍ରବାହ ରାମେଶ୍ୱର ଶିଳାକୁ ବୁଡ଼ାଇ ଦେଇପାରେ । ଶିଳା କିନ୍ତୁ ଉପୁଡେ଼ ନାହିଁ । ଗଙ୍ଗାଧରଙ୍କ ଶିକ୍ଷା ପଥରେ ସେଦିନ ନଈର ଏଇ ଭୟଙ୍କର ରୂପ ତାଙ୍କ ବାପାଙ୍କ କଥା ରୂପେ ବାଧା ହୋଇ ଛିଡ଼ା ହୋଇଥିଲା । ଏଇ ଅବସୋସ ତାଙ୍କ ପରକାଳରେ ପରିଭ୍ରମଣପାଇଁ ପ୍ରୋତ୍ସାହିତ କରିଛି । ବେଳେବେଳେ କାବ୍ୟ କାନନରେ ମାନସିକ ଭ୍ରମଣ କରି ସେ ଆନନ୍ଦ ପାଇଛନ୍ତି । ନୂଆ କିଛି ସୃଷ୍ଟି ବି କରିଛନ୍ତି । ପୁଣି ଏହି ସଚେତନତା କାବ୍ୟିକ ଯାତ୍ରାରେ ତାଙ୍କୁ କରିଛି ସଂଯତ, ଶୃଙ୍ଖଳିତ, ସଚେତନ ଓ ଦୂରଦୃଷ୍ଟି ସମ୍ପନ୍ନ । 'ପ୍ରଣୟ ବଲ୍ଲରୀ' କାବ୍ୟ ପ୍ରଣେତା ଗଙ୍ଗାଧର ଜାଣନ୍ତି, ସେ ବ୍ୟାସ, କାଳିଦାସ ଭ୍ରମଣ କରିଥିବା ପଥରେ ଭ୍ରମଣ ଲାଳସା ଚରିତାର୍ଥ ପାଇଁ ଉତ୍କଣ୍ଠିତ ଯାତ୍ରୀ । ଯେପରି-

ଯେଉଁ ପଥେ ଗମି ଭ୍ରମିଛ ଗୁରୁ ହେ
            ଭାରତୀ-କୁସୁମ ବନେ,
ସେହି ପଥେ ଚାଲି ତୋଳିବି କୁସୁମ
                              ପଡ଼ିବ ଯେତେ ନୟନେ । ପ୍ରଥମ ସର୍ଗ)

କିନ୍ତୁ ଭ୍ରମଣର ରୀତି ସମ୍ପର୍କରେ ସଚେତନ ଗଙ୍ଗାଧର ଲେଖିଛନ୍ତି, "ଗୋଟିଏ ହସ୍ତୀ ସ୍ୱାଧୀନ ଭାବରେ ଚାଲିଗଲେ ତାହାର ଗତିର ଯେଉଁ ଶୋଭା ଥାଏ, ଅନ୍ୟ ଗୋଟିଏ ହସ୍ତୀ ତାହାର ଅନୁସରଣ କରି ତାର ପଦଚିହ୍ନ ଉପରେ ପଦକ୍ଷେପ କରି କରି ଚାଲିଲେ ସେ ଶୋଭା ରହିପାରେ ନାହିଁ; କିନ୍ତୁ ସେହି ମାର୍ଗରେ ହଂସର ନୈସର୍ଗିକ ଗତି ଦର୍ଶନୀୟ ହୋଇଥାଏ ।" (ଭୂମିକା-ପ୍ରଣୟ ବଲ୍ଲରୀ) ଗଙ୍ଗାଧର ପୁରୁଣା ସାହିତ୍ୟ ଆଡେ଼ କେବଳ ନୂଆ ଢ଼ାଞ୍ଚାରେ ପାଦ ପକାଇ ନାହାନ୍ତି, ଘରୁ ଗୋଡ଼କାଢ଼ିବା ପାଇଁ ସେ ବାଲ୍ୟାବସ୍ଥାରେ ଯେଉଁ ପ୍ରତିବନ୍ଧକର ସାମ୍ନା କରିଥିଲେ ତାକୁ ଅତିକ୍ରମ କରିବାରେ ଆହ୍ଲାଦ ଅନୁଭବ କରିଛନ୍ତି । ଘରୁ ଗୋଡ଼ ନ କାଢ଼ି କେହି କେବେ ଜୀବନ ଓ ଜଗତର ବୈଚିତ୍ର୍ୟ କିମ୍ବା ନିସର୍ଗର ମନଲୋଭା ଶୋଭାର ପସରା ଦେଖିପାରନ୍ତି ନାହିଁ । ଗଙ୍ଗାଧରଙ୍କ ପ୍ରପିତାମହ କେଶବ ମେହେର କୁଆଡ଼େ ବରପାଲିରେ ଏକ ବିରାଟ ଆମ୍ବତୋଟା କରିଥିଲେ । ଗଙ୍ଗାଧର ହୁଏତ ବାଲ୍ୟାବସ୍ଥାରେ ସେହି ଘଞ୍ଚ ସହକାର ବନ ଦେଖିଥିଲେ । ଅଥବା ଭ୍ରମଣକାଳରେ କେଉଁଠି ନା କେଉଁଠି ରମ୍ୟ ସହକାର ବନ ଦେଖିଛନ୍ତି, ଯାହା ଅପୂର୍ବ ରୀତିରେ ଚିତ୍ରିତ ହୋଇଛି ତାଙ୍କ 'କୀଚକବଧ' କାବ୍ୟରେ-

ନଗର ଚୌଦିଗେ ରମ୍ୟ ସହକାର ବନ,
ସୁନ୍ଦର ଶ୍ୟାମଳ ପତ୍ର ତହିଁ ତରୁଗଣ ।
ଗାଢେ଼ ଆଲିଙ୍ଗନ କରି ଶାଖା ପରସ୍ପର,
ନିଜ ନିଜ ତନୁ କରିଥାନ୍ତି ଘନତର ।
ଘନ ତରୁରନ୍ଧ୍ର ଭେଦି ପ୍ରଭାକର-କର,
ବିଚୂର୍ଣ୍ଣିିତ ହୋଇ ଛାୟା ଭୂମିରେ ସୁନ୍ଦର । (ପ୍ରଥମ ସର୍ଗ)

'ଇନ୍ଦୁମତୀ' (୧୮୯୩) କାବ୍ୟ ସଂପର୍କରେ ମନ୍ତବ୍ୟ ଦେଇ ରାଧାନାଥ ରାୟ ଦର୍ଶାଇଛନ୍ତି, "ଗ୍ରନ୍ଥକାର ଉଚ୍ଚଶିକ୍ଷାର ସୁବିଧା ପାଇ ନଥିଲେ; ମାତ୍ର ତାହାଙ୍କର ନୈସର୍ଗିକ ପ୍ରତିଭା ସେହି ଅଭାବ ପୂରଣ କରିଦେଇଅଛି । ସେହି ପ୍ରତିଭାବଳରେ ସେ ପ୍ରକୃତିର ସୌନ୍ଦର୍ଯ୍ୟ ପରୋକ୍ଷ ଭାବରେ ପୁସ୍ତକରେ ନ ଦେଖି ସେଥିର ଚାକ୍ଷୁଷ ପ୍ରତ୍ୟକ୍ଷ କରିଅଛନ୍ତି ଏବଂ ଯାହା ଦେଖିଅଛନ୍ତି, ତାହା ଯଥାଯଥ ବର୍ଣ୍ଣନା କରିଅଛନ୍ତି ।" ଗଙ୍ଗାଧର ଓଡ଼ିଶାର ବିଭିନ୍ନ ସ୍ଥାନ କେବଳ ଚାକିରିଜନିତ ସ୍ଥାନାନ୍ତର ଫଳରେ ଦେଖିନାହାନ୍ତି, ବରଂ ସେ ଭ୍ରମଣ-ପ୍ରିୟ ଥିବାରୁ ଓଡ଼ିଶା ଏବଂ ଓଡ଼ିଶା ବାହାରର କେତେକ ସ୍ଥାନ ବୁଲି ଦେଖିଛନ୍ତି।

ବରପାଲିରେ ଅମି ଚାକିରି କରୁଥିବାରୁ କାର୍ଯ୍ୟ ଉପଲକ୍ଷେ ଗଙ୍ଗାଧର ଅନେକ ଗାଁ ବୁଲିଥିଲେ । ବରପାଲିର ଯୁବରାଜ ମହେନ୍ଦ୍ର ସିଂହଙ୍କର ବିବାହ ମୟୂରଭଞ୍ଜର ରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେବଙ୍କ ଭଗ୍ନୀ ଲାବଣ୍ୟମଞ୍ଜରୀଙ୍କ ସହିତ ମାର୍ଚ୍ଚ, ୧୮୯୩ରେ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ ଯୋଗଦେବା ପାଇଁ ଗଙ୍ଗାଧର ବାରିପଦା ଯାଇଥିଲେ । ସେଠାରେ ସେ ରାଜାଙ୍କୁ ଦେଖିଥିଲେ । ବାରିପଦାରୁ ପ୍ରକାଶ ପାଉଥିବା 'ଉତ୍କଳପ୍ରଭା'ରେ କବିଙ୍କ 'ଇନ୍ଦୁମତୀ' କାବ୍ୟ ପ୍ରକାଶ ପାଇଥିଲା । ଏଥିପାଇଁ ସେ ୨୦ ଟଙ୍କା ପୁରସ୍କାର ପାଇଥିଲେ। ସେ 'ଇନ୍ଦୁମତୀ' କାବ୍ୟକୁ ରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେବଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ।

୧୮୯୫ ମସିହାରେ ବରପାଲିର ଯୁବରାଜ ଲାଲ ମହେନ୍ଦ୍ର ସିଂହ ନିଜ ପିତା ନୃପରାଜ ସିଂହ ଓ ଶିକ୍ଷକ ସୂର୍ଯ୍ୟ କୁମାର ମିତ୍ରଙ୍କୁ ଧରି ଓଡ଼ିଶା ବାହାରକୁ ବୁଲିବାକୁ ଗଲେ । ସେହି ସମୟରେ ଗଙ୍ଗାଧର ମେହେର ଆଉଥରେ ବାରିପଦା ବୁଲି ଯାଇଥିଲେ । ବାରିପଦା ସମେତ କଲିକତା, ବର୍ଦ୍ଧମାନ ଆଦି ସେ ବୁଲି ଦେଖିଥିଲେ । 'ଉତ୍କଳ ଲକ୍ଷ୍ମୀ' କାବ୍ୟରେ ରୋହିଣୀଙ୍କଠାରୁ ଚନ୍ଦ୍ର ଦେବତା ବିଦାୟ ନେବାବେଳେ କହିଛନ୍ତି, ସେ ମୟୂରଭଞ୍ଜରେ ଶ୍ରୀରାମଚନ୍ଦ୍ର ଭଞ୍ଜ ଦେବ ରୂପେ ଜନ୍ମିବେ । ଗଙ୍ଗାଧରଙ୍କ ଭାଷାରେ-

"ଉତ୍କଳେ ମୟୂର- ଭଞ୍ଜ ନାମେ ଅଛି
ଏକ ରାଜ୍ୟ ମନୋହର,
ରାଜା ଛନ୍ତି ତହିଁ ରବିବଂଶ ମଣି
ଶ୍ରୀରାମର ବଂଶଧର ।

ଧର୍ମଶୀଳ ଜ୍ଞାନୀ ରାଜ ଚୂଡ଼ାମଣି
କୃଷ୍ଣଚନ୍ଦ୍ର ନାମେ ଖ୍ୟାତ,
ତାହାଙ୍କ ପବିତ୍ର ସୁନ୍ଦର ମନ୍ଦିରେ
ମୁହିଁ ଯାଇ ହେବି ଜାତ ।
ରାମ ବଂଶେ ମୋର ଜନମ ହେବାରୁ
ରାମଚନ୍ଦ୍ର ହେବ ନାମ,
ମନୋହର ରୂପ ଦେଖି ମୋତେ ଲୋକେ
ବୋଲିବେ ଦ୍ୱିତୀୟ କାମ ।
ନୟନ ପାର୍ଶ୍ୱରେ ଅଳପ ଅଳପ
ଆଭା ଥିବ କଳଙ୍କର,
'ପ୍ରଭା' ଛଳେ ମୋର ପ୍ରଭା ପରକାଶି
ଯିବ ଦିଗ ଦିଗନ୍ତର ।"

ଶ୍ରୀରାମଚନ୍ଦ୍ର ଭଞ୍ଜଦେବଙ୍କ ଉଦ୍ଦେଶ୍ୟରେ ଗଙ୍ଗାଧର ତାଙ୍କ ନବୋଦ୍ୟମ ପ୍ରସୂତ କ୍ଷୁଦ୍ରକାବ୍ୟ 'ଇନ୍ଦୁମତୀ'କୁ ଉତ୍ସର୍ଗ କରିଛନ୍ତି । ସେହି ସମୟରେ ନୃପରାଜ ସିଂହଙ୍କ ପୌତ୍ର ଓ ଶ୍ରୀରାମଚନ୍ଦ୍ର ଭଞ୍ଜଦେବଙ୍କ ଭଣଜାଙ୍କ ଜନ୍ମୋତ୍ସବ ଉପଲକ୍ଷେ ଗଙ୍ଗାଧର 'କୁମାର ଜନ୍ମୋତ୍ସବ' କବିତା ଲେଖିଛନ୍ତି । କବିତାଟି 'ସମ୍ବଲପୁର ହିତୈଷିଣୀ' (୪-୪-୧୮୯୪ ସଂଖ୍ୟା)ରେ ପ୍ରକାଶ ପାଇଛି । ଏହି କବିତାରେ କୁମାର ଜନ୍ମୋତ୍ସବ ବାର୍ତ୍ତାପାଇ ମୟୂରଭଞ୍ଜର ରାଜନଅର କିପରି ଆନନ୍ଦ ମୁଖର ହେଉଥିବ ତାହା କଳ୍ପନାରେ ଦର୍ଶାଯାଇଛି । 'ବଳଗଡ଼ିଆ' 'ରାଜଭବନ', 'ମଧୁବନ', ଉଚ୍ଚକୋଠା ବିଶିଷ୍ଟ ରାଜନଅରର ଯେଉଁ ଚିତ୍ର ଏ କବିତାରେ ଦିଆଯାଇଛି, ତାହା ଗଙ୍ଗାଧରଙ୍କ ପ୍ରତ୍ୟକ୍ଷ ବାରିପଦା ଦର୍ଶନର ଫଳଶ୍ରୁତି ।

ଭ୍ରମଣବାଞ୍ଛା ବ୍ୟକ୍ତିର ଏକ ସହଜାତ ପ୍ରବୃତ୍ତି । ଭିନ୍ନ ଭିନ୍ନ ସ୍ଥାନ ଓ ପରିବେଶ ଭ୍ରମଣକାରୀର ପ୍ରବୃତ୍ତିକୁ ଦୀପ୍ତ କରେ । ଅନେକ ଚିତ୍ର ଓ ମନଛୁଆଁ ରୂପ ତାର ସ୍ମୃତିରେ ସଞ୍ଚିତ ହୋଇ ରହେ । କୌଣସି କୌଣସି ବସ୍ତୁ ବା ଘଟଣା ସଂପର୍କିତ ଅବବୋଧ ଅଥବା ଚରିତ୍ରପ୍ରତି ପ୍ରତିକ୍ରିୟା ମଧ୍ୟ ତାକୁ ଆନ୍ଦୋଳିତ କରେ । କବିମାନେ ଗ୍ରନ୍ଥାଧ୍ୟୟ ଅପେକ୍ଷା ଭ୍ରମଣ ମାଧ୍ୟମରେ ଜୀବନର ଓ ନିସର୍ଗର ପ୍ରତ୍ୟକ୍ଷ ଅନୁଭବରୁ ଦୁର୍ଲଭ କାବ୍ୟପ୍ରେରଣା ପାଇଥାନ୍ତି । ଗଙ୍ଗାଧରଙ୍କ ଭ୍ରମଣାନୁଭବ ସ୍ୱଳ୍ପ ହେଲେ ବି ଗୁରୁତ୍ୱପୂର୍ଣ୍ଣ । 'ଉତ୍କଳ ଲକ୍ଷ୍ମୀ' (୧୮୯୪)ରେ ବାମଣ୍ଡା, ଦେବଗଡ଼ ଓ ବାସୁଦେବ ସୁଢ଼ଳଦେବଙ୍କ ପ୍ରସଙ୍ଗ ବର୍ଣ୍ଣିିତ । ବରପାଲି ରାଜାଙ୍କର ବାମଣ୍ଡା ରାଜ୍ୟ ସହିତ ସଂପର୍କ ୧୯୮୯ରୁ । ନୃପରାଜ ସିଂହଙ୍କ ପ୍ରଥମା କନ୍ୟା ବାମଣ୍ଡା ରାଜାଙ୍କ ପିତୃବ୍ୟ-ପୁତ୍ର କେଶବ ଚନ୍ଦ୍ର ଦେବଙ୍କୁ ବିବାହ କରିଥିଲେ । ୧୯୦୫ ମସିହାରେ ସଚ୍ଚିଦାନନ୍ଦ ତ୍ରିଭୁବନ ଦେବଙ୍କ ଜ୍ୟେଷ୍ଠପୁତ୍ର ଦିବ୍ୟ କୁମାରଙ୍କ ବ୍ରତୋପନୟନ ଉତ୍ସବରେ ଯୋଗଦେବାକୁ ନୃପରାଜଙ୍କ ସହିତ ଗଙ୍ଗାଧର ବାମଣ୍ଡା ଯାଇଥିଲେ । ନୃପରାଜ ବରପାଲିରୁ ସବାରିରେ ଯିବାବେଳେ ଗଙ୍ଗାଧର ଶଗଡ଼ରେ ବସି ତାଙ୍କର ଅନୁଗାମୀ ହୋଇଥିଲେ । ଏହି ଯାତ୍ରାକାଳରେ ବଣ୍ୟ-ପ୍ରକୃତିର ମନୋରମ ରୂପ ଗଙ୍ଗାଧରଙ୍କୁ ମୁଗ୍ଧ କରିଥିଲା । ସ୍ମୃତିରେ ସଞ୍ଚିତ ଥିବା ସେହି ଦୃଶ୍ୟର ଅନୁଭବ 'ତପସ୍ୱିନୀ' (୧୯୧୫) କାବ୍ୟର ଆଶ୍ରମ ପ୍ରକୃତି ବର୍ଣ୍ଣନାରେ ସଂଯୋଜିତ ହୋଇଛି । ଯେପରି }}

କେଉଁଦିଗେ ଘନ ପନସ ବନ,
କାହିଁ ଚୂତ ବନ ଚୁମ୍ବେ ଗଗନ
ଚୂତବନ ତଳ-ପ୍ରାନ୍ତେ ଆକାଶ

ତରୁସ୍କନ୍ଧ ଶତ ଶତ
ଦିଶନ୍ତି ଯେସନ ତୋଳିଛନ୍ତି ବନ
ସର୍ବେ ହୋଇ ଏକମତ । (ପଞ୍ଚମସର୍ଗ)

ଗଙ୍ଗାଧରଙ୍କ କଳ୍ପନାରେ ସ୍ୱର୍ଗର ଦେବଗୁରୁ ମର୍ତ୍ତ୍ୟରେ ବାସୁଦେବ ସୁଢ଼ଳଦେବ ରୂପରେ ଜନ୍ମଗ୍ରହଣ କରିଥିଲେ । (ଉତ୍କଳ-ଲକ୍ଷ୍ମୀ) ୧୯୦୫ରେ ଗଙ୍ଗାଧର ବାମଣ୍ଡା ଯିବାର ପ୍ରାୟ ଦୁଇବର୍ଷ ପୂର୍ବରୁ, ୧୯୦୩ ନଭେମ୍ବର ୧୯ ତାରିଖରେ ସୁଢ଼ଳଦେବଙ୍କର ଦେହାନ୍ତ ହୋଇ ସାରିଥିଲା । ତେଣୁ ଗଙ୍ଗାଧରଙ୍କ ସହିତ ସାକ୍ଷାତ୍‍ ହୋଇଥିଲା ତତ୍‍କାଳୀନ ବାମଣ୍ଡାଧିପତି ସଚ୍ଚିଦାନନ୍ଦ ତ୍ରିଭୁବନ ଦେବଙ୍କର । ସଦାଶୟ ତ୍ରିଭୁବନଦେବ ଗଙ୍ଗାଧରଙ୍କୁ ତାଙ୍କ ବିଜ୍ଞାନ ଉପକରଣର ସଂଗ୍ରହଶାଳା ଦେଖାଇଥିଲେ । ଏପରିକି ଏକ୍ସରେ ଯନ୍ତ୍ର ଆଗରେ ଗଙ୍ଗାଧରଙ୍କୁ ଛିଡ଼ା କରାଇ ତହିଁରେ ପ୍ରତିଫଳିତ ରୂପ ଦେଖାଇଥିଲେ ସଚ୍ଚିଦାନନ୍ଦ । ସଚ୍ଚିଦାନନ୍ଦ କବିଙ୍କୁ ସମ୍ମାନ ଜଣାଇଥିଲେ । ପରେ ୧୯୧୩ ମସିହା ନଭେମ୍ବର ମାସରେ ସଚ୍ଚିଦାନନ୍ଦ ତ୍ରିଭୁବନ ଦେବଙ୍କ ସହିତ ସମ୍ବଲପୁରରୁ କଟକ ମଧ୍ୟରେ କୌଣସି ଏକ ରେଳ ଷ୍ଟେସନରେ ଗଙ୍ଗାଧରଙ୍କର ଦେଖାହେଲା । ଗଙ୍ଗାଧର ବିଜେପୁର ଜମିଦାର ସଙ୍କର୍ଷଣ ଗଡ଼ତିଆଙ୍କ ସହିତ କଟକ ଯାଉଥିଲେ ଲର୍ଡ ହାର୍ଡିଞ୍ଜଙ୍କ ଦରବାରରେ ଯୋଗଦେବା ପାଇଁ । ସଚ୍ଚିଦାନନ୍ଦ ମଧ୍ୟ ସେହି ଉପଲକ୍ଷେ କଟକ ଯାତ୍ରା କରୁଥିଲେ । ସେ ଗଙ୍ଗାଧରଙ୍କୁ ଦେବଗଡ଼ ଯିବା ପାଇଁ ନିମନ୍ତ୍ରଣ କରିଥିଲେ । କିନ୍ତୁ ଗଙ୍ଗାଧର ଆଉ ଦେବଗଡ଼ ଯାଇପାରି ନଥିଲେ । ତଥାପି ୧୯୦୫ର ଭ୍ରମଣକାଳୀନ ସ୍ମୃତିରେ ଦେବଗଡ଼ର ପ୍ରକୃତି, ପ୍ରଧାନପାଟ ଓ ବିଜ୍ଞାନୀ ସଚ୍ଚିଦାନନ୍ଦ ସଂଜୀବିତ ଥିଲେ । ସଚ୍ଚିଦାନନ୍ଦଙ୍କ ସଂପର୍କରେ ତାଙ୍କର ଉଚ୍ଚକୋଟିର ଧାରଣା ତାଙ୍କ କବିତା ପଙ୍‍କ୍ତିରେ ପରିସ୍ଫୁଟ-

ବିଜ୍ଞାନବିନୋଦ ବିଜ୍ଞ ବିଜ୍ଞପ୍ରିୟ,
ବିଜ୍ଞ ଦେଖି ବାଣୀ-ସୁଧା ଢ଼ାଳିଦିଅ ।
ହେ ସଚ୍ଚିଦାନନ୍ଦ ତ୍ରିଭୁବନ ରାଜା,
ଶୁଭିଲାଣି ତୁମ ବାଣୀ-ବୀଣା ବଜା ।
ତୁମ୍ଭ ଅନୁରୂପ ଅବରଜ ଗଣ,
ଭାରତ ଭାରତୀ ଭାବେ ବିଚକ୍ଷଣ ।

ଗଙ୍ଗବଂଶ-ପଦ୍ମରାଗ ମଣି ଗର୍ଭେ,
ଜନମିଛ ପଦ୍ମରାଗ ମଣି ସର୍ବେ ।
ପ୍ରଧାନପାଟରେ ବସନ୍ତ ନିବାସ
ନିର୍ମାଣିଛ ତାହା ଲେଖିଲେଣି ବ୍ୟାସ । (ବେଦବ୍ୟାସ)

ଗଙ୍ଗାଧର ଚାକିରି କାଳରେ ହରିଶଙ୍କର, ନୃସିଂହନାଥ, ବୋଡ଼ାସମ୍ବର ଆଦି ବୁଲି ଦେଖିଥିଲେ । କଟକ, ପୁରୀ, ଖଣ୍ଡଗିରି, ଭୁବନେଶ୍ୱର, ହୀରାକୁଦ, ବେଦବ୍ୟାସ, ବନାରସ, ଆହ୍ଳାବାଦ ଆଦି ସ୍ଥାନ ବୁଲିଥିଲେ । ନୂଆ ଜାଗା ଦେଖିବା, ବନ୍ଧୁ ସଙ୍ଖୋଳିବା, ଜାତି ପାଇଁ କିଛି କରିବା ନିମିତ୍ତ ସେ ମନେ ମନେ ସଂକଳ୍ପ କରୁଥିଲେ ।

ଓଡ଼ିଆ ଭାଷାର ସ୍ୱାତନ୍ତ୍ର୍ୟ ଓ ଓଡ଼ିଆଙ୍କ ସ୍ୱାଭିମାନ ନିମିତ୍ତ ଅନ୍ତରର ଅଭୀପ୍‍ସା ଗଙ୍ଗାଧରଙ୍କୁ ଉତ୍କଳ-ସମ୍ମିଳନୀର ଭିନ୍ନ ଭିନ୍ନ ଅଧିବେଶନକୁ ଟାଣି ଆଣିଥିଲା । କଟକର ଇଦ୍‍ଗା ପଡ଼ିଆରେ ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନ ୩୦ ଓ ୩୧ ଡିସେମ୍ବର, ୧୯୦୩ରେ ଅନୁଷ୍ଠିତ ହୋଇଥିଲା । ଗଙ୍ଗାଧର ମେହେର ଏହି ଅଧିବେଶନରେ ଯୋଗଦେଇ ଜାତୀୟ-ପଗଡ଼ି ପରିଧାନ କରିଥିଲେ । କବିବର ରାଧାନାଥ ରାୟଙ୍କ ଘରେ ଅତିଥି ହୋଇଥିଲେ । ଉତ୍କଳ ସମ୍ମିଳନୀର ଦଶମ ଅଧିବେଶନ ୧୯୧୪ ମସିହା ଡିସେମ୍ବର ମାସ ୨୬ ତାରିଖ ଓ ୨୭ ତାରିଖରେ ପାରଳାଖେମଣ୍ଡିରେ ଅନୁଷ୍ଠିତ ହୋଇଥିଲା । ଗଙ୍ଗାଧର ସମ୍ବଲପୁରର ଓକିଲ ରାମନାରାୟଣ ମିଶ୍ରଙ୍କ ସାଥୀରେ ପାରଳାଖେମଣ୍ଡି ଯାଇ ସମ୍ମିଳନୀରେ ଯୋଗ ଦେଇଥିଲେ । ଗଙ୍ଗାଧରଙ୍କ ସାରସ୍ୱତ କୃତି ପ୍ରକାଶନର ଅନ୍ୟତମ ପୃଷ୍ଠପୋଷକ ଥିଲେ ରାମନାରାୟଣ । କବିଙ୍କ 'କବିତା କଲ୍ଲୋଳ' (୧୯୧୨) ପୁସ୍ତକ ରାମନାରାୟଣଙ୍କ ଆର୍ଥିକ ଅନୁଦାନରେ ପ୍ରକାଶ ପାଇଥିଲା । ଗଙ୍ଗାଧର ତାଙ୍କ 'ତପସ୍ୱିନୀ' (୧୯୧୫) କାବ୍ୟକୁ ଉତ୍ସର୍ଗ କରିଥିଲେ ରାମନାରାୟଣ ମିଶ୍ରଙ୍କୁ ।

ଉତ୍କଳ ସମ୍ମିଳନୀର ଏକାଦଶ ଅଧିବେଶନ ୧୯୧୫ ମସିହା ଡିସେମ୍ବର ମାସ ୨୭ ତାରିଖ ଓ ୨୮ ତାରିଖରେ ସମ୍ବଲପୁରର ବୁଢ଼ାରଜା ପାହାଡ଼ ତଳର ଏକ ପଡ଼ିଆରେ ଅନୁଷ୍ଠିତ ହୋଇଥିଲା । ଗଙ୍ଗାଧର ଏହି ଅଧିବେଶନରେ ଯୋଗ ଦେଇଥିଲେ ଏବଂ ଅଧିବେଶନ ପାଇଁ 'ଉଦ୍‍ବୋଧନ' ଶୀର୍ଷକରେ ଏକ ଗୀତ ରଚନା କରିଥିଲେ । 'ଉଦ୍‍ବୋଧନ' ଗୀତରୁ ତାଙ୍କ କବିବ୍ୟକ୍ତିତ୍ୱ କେତେମାତ୍ରାରେ ଜ୍ଞାନ, କର୍ମ ଓ ଆଧ୍ୟାତ୍ମିକ ଏଷଣାରେ ପରିଗଠିତ ତାହା ଜାଣିହୁଏ ।

ଦେଖ ବହୁଛି ହେ, ଈଶ୍ୱର ଆଶିଷ ଧାର,
ଜ୍ଞାନ କର୍ମ ଗଙ୍ଗା ଯମୁନା ପରାଏ
ଭବୁ କରିବାକୁ ପାର । (ଘୋଷା)
କୋଟିଏ ସୋଦର ଗୋଟିଏ ଜୀବନ
ନ କରିବା ଯେତେ ଦିନ,

ନୀର ଚାହିଁ ଚାହିଁ ଶୋଷେ ଥିବା ରହି
ଦଶା ହୋଇଥିବ ହୀନ ।
ଈଶ୍ୱରଙ୍କ ଶୁଭ ଆଶୀର୍ବାଦକୁ ଯେ
ଜାଣି ଜାଣି କରେ ହେଳା,
ଦୁରାଶା କୁହୁଡ଼ି ଗରଭେ ସେ ପଡ଼ି
ଭାଙ୍ଗଇ ଜୀବନ-ଭେଳା ।
(ଉଦ୍‍ବୋଧନ-ଅର୍ଘ୍ୟଥାଳୀ)

ଉତ୍କଳ ସମ୍ମିଳନୀର ଦ୍ୱାଦଶ ଅଧିବେଶନ ବାଲେଶ୍ୱର ସହରରେ ଅନୁଷ୍ଠିତ ହୋଇଥିଲା ୧୯୧୬ ମସିହା ଡିସେମ୍ବର ୨୯ ଓ ୩୦ ତାରିଖରେ । ଗଙ୍ଗାଧର ମେହେର ସେହି ଅଧିବେଶନରେ ଯୋଗ ଦେଇଥିଲେ । ଆସି ଫକୀର ମୋହନ ସେନାପତିଙ୍କ ଘରେ ରହିଥିଲେ । ଶାନ୍ତିକାନନରେ ଫକୀର ମୋହନଙ୍କ ପ୍ରିୟତମା ପତ୍ନୀ କୃଷ୍ଣକୁମାରୀଙ୍କ ସମାଧିସ୍ଥଳ ପରିଦର୍ଶନ କରିଥିଲେ । ଉତ୍କଳ ସମ୍ମିଳନୀର ତ୍ରୟୋଦଶ ଅଧିବେଶନରେ ଯୋଗଦେବାକୁ ଗଙ୍ଗାଧର କଟକ ଆସି ବିଶ୍ୱନାଥ କରଙ୍କ 'ଉତ୍କଳ ସାହିତ୍ୟ ପ୍ରେସ୍‍' ଘରେ ଅବସ୍ଥାନ କରିଥିଲେ । ଏହି ଅଧିବେଶନ ୧୯୧୮ ମସିହା ମାର୍ଚ୍ଚ ୩୦ ଓ ୩୧ ତାରିଖରେ କଟକର ଇଦ୍‍ଗା ପଡ଼ିଆରେ ଅନୁଷ୍ଠିତ ହୋଇଥିଲା ।

ଗଙ୍ଗାଧର ମେହେର ଉତ୍କଳ ସମ୍ମିଳନୀରେ ମଞ୍ଚମଣ୍ଡନ କଲାଭଳି କୌଣସି ପଦବୀ ପାଇ ନଥିଲେ । କିନ୍ତୁ ଭାଷା ଓ ଜାତିପ୍ରେମ ଯୋଗୁଁ ସେ ନିଜ ଉଦ୍ୟମରେ ପାରଳାଖେମଣ୍ଡି, ବାଲେଶ୍ୱର, କଟକ ଆଦି ଯାଉଥିଲେ । ଏଭଳି ଭ୍ରମଣ ଅଭୀପ୍‍ସା ପଛରେ ମଧୁସୂଦନ ଦାସଙ୍କ ନେତୃତ୍ୱ ପ୍ରତି ତାଙ୍କର ଆନୁଗତ୍ୟ ମଧ୍ୟ ଥିଲା ଏବଂ ତାଙ୍କ ପ୍ରତି ସେ ବାରମ୍ବାର କୃତଜ୍ଞତା ଜଣାଇବା ପାଇଁ ହୁଏତ ଆସୁଥିଲେ । ଏଠାରେ ସ୍ମରଣ କରାଯାଇପାରେ ଯେ ଗଙ୍ଗାଧର ମେହେରଙ୍କ 'କୀଚକବଧ' (୧୯୦୪) କାବ୍ୟର ମୁଦ୍ରଣ ବ୍ୟୟ ବହନ କରିଥିଲେ ଉତ୍କଳ ସମ୍ମିଳନୀର ସଭାପତି ମଧୁସୂଦନ ଦାସ । ପୁସ୍ତକର ଭୂମିକାରେ ଗଙ୍ଗାଧର ମେହେର ତାଙ୍କ ପ୍ରତି 'ଆନ୍ତରିକ ଗଭୀର କୃତଜ୍ଞତା' ଜ୍ଞାପନ କରିଛନ୍ତି । ସମ୍ବଲପୁର ଜିଲ୍ଲାର ଅଦାଲତରେ ଓଡ଼ିଆ ପରିବର୍ତ୍ତେ ହିନ୍ଦୀଭାଷା ଚଳିବା ପାଇଁ ମଧ୍ୟପ୍ରଦେଶ ଚିଫ୍‍ କମିଶନରଙ୍କ କାର୍ଯ୍ୟାଳୟରୁ ନିର୍ଦ୍ଦେଶ ପ୍ରକାଶ ପାଇଥିଲା । ନିର୍ଦ୍ଦେଶ ଅନୁଯାୟୀ ୧, ଜାନୁଆରୀ ୧୮୯୬ରୁ ତାହା କାର୍ଯ୍ୟକାରୀ ହେବାର ଥିଲା । କିନ୍ତୁ ତାହା ପୂର୍ବରୁ ବାମଣ୍ଡାରୁ ପ୍ରକାଶିତ 'ସମ୍ବଲପୁର ହିତୈଷିଣୀ' (୧୮୮୯) ଜରିଆରେ ବିରୋଧର ସ୍ୱର ଉଠିଲା । 'ହିତୈଷିଣୀ'ର ୩୦.୧୦.୧୮୯୪ ତାରିଖ ସଂଖ୍ୟାରେ ଗଙ୍ଗାଧର ଲେଖିଥିଲେ 'ଭାରତୀ ରୋଦନ' କବିତା । କବିତାଟି ସେତେବେଳେ ଜନମାନସରେ ବେଶ୍‍ ସ୍ପନ୍ଦନ ସୃଷ୍ଟି କରିଥିଲା । କବିତାଟିର ଆରମ୍ଭରୁ 'ଉତ୍କଳ ଭାରତୀ ରୋଦନ କରୁଛି କାତରେ ସମ୍ବଲପୁରେ' ପଢ଼ୁ ପଢ଼ୁ ପାଠକ ଯେତିକି ସମ୍ବେଦନଶୀଳ ହୁଏ, ତତୋଽଧିକ ମର୍ମାହତ ହୁଏ ନିମ୍ନୋକ୍ତ ପଙ୍‍କ୍ତି ପଢ଼ି

ହିନ୍ଦୀ ସରସ୍ୱତୀ ମୋ ଛାତିରେ ବସି
କରିବ ପରା ରାଜତ୍ୱ
ମୋ ଆଶା କାନନ ଭସ୍ମରାଶି ହେବ
ତା ନବ ଉଦ୍ୟାନେ ଖତ ।
ଉପମାତା ଆସି ଗର୍ଭଧାରିଣୀର
ମସ୍ତକେ ଚରଣ ଦେବ,
ଏ ଦଶା ଦେଖିଲେ କେଉଁ ସନ୍ତାନର
ମନରେ ଦୁଃଖ ନହେବ ?

ଭାଷା ପାଇଁ କବିଙ୍କ ବୁକୁଫଟା ଉଚ୍ଛ୍ୱାସ 'ଉତ୍କଳ ଭାରତୀଙ୍କ ନିବେଦନ' (୧୮୯୫) କବିତାରେ ମଧ୍ୟ ପ୍ରକାଶ ପାଇଥିଲା । 'ଘର ଭାତ ହାଣ୍ଡି ନୁହେଁ କି ମୁଁ ଉତ୍କଳ ଭାରତୀ' ପଙ୍‍କ୍ତି ସେ କାଳରେ ଅନେକଙ୍କ ହୃଦୟକୁ ସ୍ପର୍ଶ କରିଥିଲା । ସମ୍ବଲପୁରର ସରକାରୀ କାର୍ଯ୍ୟାଳୟ ଓ ଅଦାଲତମାନଙ୍କରେ ଓଡ଼ିଆ ଭାଷା ଚଳିବା ପାଇଁ ଗଙ୍ଗାଧର ବ୍ରତନିଷ୍ଠ ମନୋଭାବରେ କବିତା ଲେଖୁଥିଲେ । ସରକାରୀ ନିର୍ଦ୍ଦେଶକୁ ବିରୋଧ କରିବା ପାଇଁ କବିତା ଜରିଆରେ ଆହ୍ୱାନ ଜଣାଉଥିଲେ । ଗଙ୍ଗାଧର ମେହେର ଉତ୍କଳ ସମ୍ମିଳନୀ ଜରିଆରେ ସମ୍ବଲପୁରର କଚେରିରେ ରହିତ ହୋଇଥିବା ଓଡ଼ିଆ ଭାଷାର ପୁନଃ ପ୍ରଚଳନ ସମ୍ଭବପର ବୋଲି ବୋଧହୁଏ ଭାବୁଥିଲେ । ସମ୍ବଲପୁର ମଧ୍ୟପ୍ରଦେଶରୁ ଆସି ବେଙ୍ଗଲ ଡିଭିଜନରେ ମିଶିବା ପରେ ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନ ପୂର୍ବରୁ ସେହି ସମସ୍ୟାର ସମାଧାନ ହୋଇଯାଇଥିଲା । ଯେତେଦୂର ମନେହୁଏ ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନରେ ଗାନହେବା ପାଇଁ ଗଙ୍ଗାଧର ରଚନା କରିଥିଲେ 'ନିଜ ଘରେ ବସି ନିର୍ବାସନ ଦୁଃଖ ଆମ୍ଭ କି ଲଲାଟ ଲିଖନ' ଗୀତ । ତାହା ଏହିପରି-

ନିଜ ଘରେ ବସି ନିର୍ବାସନଦୁଃଖ
ଆମ୍ଭ କି ଲଲାଟ ଲିଖନ
ମାତୃଭାଷା ମନା ଭାଇ ସଙ୍ଗ ବିନା
ବିକଳ ହେଉଛି ଜୀବନ ।

କିନ୍ତୁ ୧୯୦୩, ଡିସେମ୍ବର ମାସ ବେଳକୁ ସମ୍ବଲପୁର ବେଙ୍ଗଲ ଡିଭିଜନର ଶାସନକୁ ଆସିଯାଇଥିଲା । ଫଳରେ କଚେରିମାନଙ୍କରେ ଓଡ଼ିଆ ଭାଷା ନଚଳି ହିନ୍ଦୀ ଚଳିବ ବୋଲି ମଧ୍ୟପ୍ରଦେଶ ଡିଭିଜନର କମିଶନର ଦେଇଥିବା ନିର୍ଦ୍ଦେଶ ସ୍ୱତଃ ଅକାମି ହୋଇଯାଇଥିଲା । ତେଣୁ ସମ୍ବଲପୁରବାସୀଙ୍କ ପାଇଁ ନିଜ ଘରେ ବସି ନିର୍ବାସନ ଦୁଃଖ ଭୋଗିବା ଅବସ୍ଥା ୧୯୦୩ ଡିସେମ୍ବର ବେଳକୁ ନଥିଲା । ଗଙ୍ଗାଧର ଉତ୍କଳ ସମ୍ମିଳନୀରେ ଯୋଗଦେବାପାଇଁ ବିଜେପୁର, ସମ୍ବଲପୁର, ପଦ୍ମପୁର ଓ ବରପାଲିରୁ ଯଥାକ୍ରମେ କଟକ, ପାରଳାଖେମୁଣ୍ଡି, ସମ୍ବଲପୁର ଓ ବାଲେଶ୍ୱର ଏବଂ କଟକ ଯାଇଥିଲେ । ଏହାଦ୍ୱାରା ସେ ପରିଚିତ ବନ୍ଧୁ ରାଧାନାଥ ରାୟ, ବିଶ୍ୱନାଥ କର, ଫକୀରମୋହନ ସେନାପତି, ନୀଳମଣି ବିଦ୍ୟାରତ୍ନ, ମଧୁସୂଦନ ରାଓ ଆଦିଙ୍କୁ ଭେଟି ପାରିଥିଲେ । ମୋଗଲବନ୍ଦୀ ଅଞ୍ଚଳର ସାଂସ୍କୃତିକ କେନ୍ଦ୍ର ରୂପେ ପରିଚିତ କଟକର ସାହିତ୍ୟ-ପାଣିପାଗ ସଂପର୍କରେ ଅବଗତ ହୋଇପାରୁଥିଲେ । ଏଇଥିପାଇଁ ସେ ଆସୁଥିଲେ କହିବା ଠିକ୍‍ ହେବ ନାହିଁ । ଓଡ଼ିଆ ଭାଷାଭାଷୀଙ୍କୁ ଗୋଟିଏ ପ୍ରଦେଶଭୁକ୍ତ କରିବା ପାଇଁ ଉତ୍କଳ ସମ୍ମିଳନୀ ଯେଉଁ ଲକ୍ଷ୍ୟ ରଖି କାର୍ଯ୍ୟ କରୁଥିଲା, ସେଥିପ୍ରତି ଆନ୍ତରିକ ସମର୍ଥ ଥିଲା ଗଙ୍ଗାଧରଙ୍କର । ଭଲ କାମ ପାଇଁ ଆଗୁସାର ହେବା ଗଙ୍ଗାଧରଙ୍କର ମହତ୍‍ ପ୍ରକୃତି । ଭଲ କାମରେ ଆଗେଇଥିବା ଲୋକଙ୍କୁ ପ୍ରଶଂସା କରିବାରେ ସେ କାର୍ପଣ୍ୟ କରୁ ନଥିଲେ । ପାରଳାଖେମଣ୍ଡିର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ସହିତ ତାଙ୍କର କି' ବା ସମ୍ପର୍କ ! ଉତ୍କଳ ସମ୍ମିଳନୀର ଦଶମ ଅଧିବେଶନ ପାରଳାଖେମଣ୍ଡିରେ ସଫଳ ଭାବେ କରାଇବାରେ ତାଙ୍କର ଉଦ୍‍ଯୋଗ ପ୍ରତ୍ୟକ୍ଷ କରିଥିଲେ ଗଙ୍ଗାଧର । ଅର୍ଘ୍ୟଥାଳି (୧୯୧୮) ପୁସ୍ତକର ଆରମ୍ଭରେ ସେ ପାରଳା ମହାରାଜାଙ୍କ ଉଦ୍ଦେଶ୍ୟରେ ଅଭିବାଦନ ଜଣାଇଛନ୍ତି । ପାରଳାର ନବର ସୁପରିଣ୍ଟେଣ୍ଡେଣ୍ଟ ନିତ୍ୟାନନ୍ଦ ପଟ୍ଟନାୟକଙ୍କ ଠାରୁ ରାଜାଙ୍କ ଶୁଭଦୃଷ୍ଟି ତାଙ୍କ ପ୍ରତି ଥିବା କଥା ଜାଣିଛନ୍ତି । ଏସବୁ ସମ୍ଭବ ହୋଇଛି ଭ୍ରମଣ ହେତୁ । ଗଙ୍ଗାଧର ତାଙ୍କ ଭ୍ରମଣ ପର୍ଯ୍ୟାୟରେ ଉତ୍କଳ ସମ୍ମିଳନୀର ଅଧିବେଶନଗୁଡ଼ିକରେ ଯୋଗ ଦେବା ତାଙ୍କ ବ୍ୟକ୍ତିତ୍ୱର ବିଶେଷତ୍ୱ ସୂଚାଏ । ଜାତି, ଭାଷା, ମାଟି, ସଂସ୍କୃତିପ୍ରୀତିର ମଣିଷ ନହୋଇଥିଲେ ସେ ବାରମ୍ବାର ପଥଶ୍ରମ ଓ ଅର୍ଥବ୍ୟୟ କରି ଉତ୍କଳ ସମ୍ମିଳନୀର ଭିନ୍ନ ଭିନ୍ନ ଅଧିବେଶନରେ ଯୋଗ ଦେଇ ନଥାନ୍ତେ । ସେ ବୁଝିଥିଲେ, ବାଳକଟିଏ ନିଜ ଘର ଛାଡ଼ି ପଡେ଼ାଶୀମାନଙ୍କ ଘର ବୁଲିଗଲେ ଜାଣିପାରେ, ଅନ୍ୟ ଘରସବୁ ତା ସଙ୍ଗୀ ବାଳକଙ୍କର । ଯେତେବେଳେ ନିଜ ପଡ଼ାରୁ ଅନ୍ୟ ପଡ଼ାକୁ ସେ ବୁଲିଯାଏ, ସେତେବେଳେ ପରପଡ଼ାକୁ ନିଜପଡ଼ା ଭଳି ଭାବିଥାଏ । ସେହିପରି ନିଜ ଗାଆଁରୁ ଅନ୍ୟ ଗାଆଁକୁ, ନିଜ ରାଜ୍ୟରୁ ଅନ୍ୟ ରାଜ୍ୟକୁ, ନିଜ ଦେଶରୁ ଅନ୍ୟ ଦେଶକୁ ଗଲେ ତାର ସଂକୀର୍ଣ୍ଣ ଅବବୋଧ ହଟିଯାଏ । ଜ୍ଞାନ ହେତୁ ସେ ଯେଉଁଦିନ ଜାଣେ ସମସ୍ତଙ୍କର ପିତା ହେଉଛନ୍ତି ଜଗତ୍‍ପତି, ସେହିଦିନ ସେ ବିଶ୍ୱମାନବଙ୍କୁ ସହୋଦର ଜ୍ଞାନ କରେ । ଏହି କବିତାର ଶେଷରେ ଗଙ୍ଗାଧର ଦର୍ଶାଇଛନ୍ତି, ଯେ ଯେତେ ମଣିଷଙ୍କର ଉପକାର କରେ, ସେ ବିଶ୍ୱପତିଙ୍କର ଗୃହବାସୀ ହେବାପାଇଁ ସେତିକି ଯୋଗ୍ୟ । ତେଣୁ ମଣିଷମାନଙ୍କ ଜୀବନରେ ତୋର-ମୋର ଭାବ ହଟିଯାଇ ବିଶ୍ୱପ୍ରାଣତା ସେତିକିବେଳେ ଆସିପାରିବ, ଯେତେବେଳେ ଯିବା ଆସିବା ବଢ଼ିବ । କୂଅରେ ଥିବା ବେଙ୍ଗ ସେହି ଅନ୍ଧଗଳିକୁ ବିରାଟ ସାମ୍ରାଜ୍ୟ ଭାବୁଥାଏ, କାହିଁକି ନା ତହିଁରୁ ବାହାରି ବାହାରର ବିସ୍ତୀର୍ଣ୍ଣ ଭୂଖଣ୍ଡ, ଉଜ୍ୱଳ ଆଲୋକ ସେ ଦେଖିନଥାଏ । ଦୁଇଟି ପ୍ରସଙ୍ଗରେ ଅନୁରକ୍ତ ହେଲେ ବ୍ୟକ୍ତି ପ୍ରଶସ୍ତତା ଆଡ଼କୁ ଯାଏ । ଗୋଟିଏ ହେଉଛି ମାତୃଭୂମି ଓ ଅପରଟି ମାତୃଭାଷା । ଦେଶପ୍ରେମ ହିଁ ମାତୃଭାଷା ପ୍ରୀତିର ନାମାନ୍ତର । ଅନ୍ତତଃ ଗଙ୍ଗାଧର ମେହେର ଏତିକି ବୁଝିଥିଲେ ଯେ ଭ୍ରମଣ ହେତୁ ବ୍ୟକ୍ତି ଭିତରେ ଥିବା ସ୍ଥାନିକ ଅହଂ ହଟେ, ପରିବ୍ୟାପ୍ତ ଚେତନା ଭିତରେ ସେ ହୁଏ ସମଗ୍ରର ଓ ସମଗ୍ର ତା'ର । ଯେ ପର୍ଯ୍ୟନ୍ତ ଲୋକ ଘରୁ ପଦାକୁ ଗୋଡ଼ କାଢ଼ି ନଥାଏ, ସେତେକାଳ ପର୍ଯ୍ୟନ୍ତ ବାଡ଼ିଗୋବରେ ଗୋବେ ଢ଼ିଅକୁ ମେଦିନୀ ବୋଲି ଭାବୁଥାଏ । ଏ ଧାରଣା ବଦଳିଯାଏ କେବଳ ଭ୍ରମଣ ଅଥବା ଯିବା ଆସିବା ଦ୍ୱାରା । ଭ୍ରମଣ ଦ୍ୱାରା ଅହଂର ଘେର ଭାଙ୍ଗି ହୁଏ । ମାତୃଭୂମି ଓ ମାତୃଭାଷା ପ୍ରତି ପ୍ରୀତି ହେତୁ ଦେଶପ୍ରୀତି ଉଦ୍‍ବୋଧିତ ହୁଏ । ନାନା ସ୍ଥାନ ବୁଲି ଦେଖିବାଦ୍ୱାରା ଗଙ୍ଗାଧରଙ୍କ ଭାଷା ଓ ଜାତିପ୍ରୀତି ଟାଣ ହୋଇଛି । ସେଇଥିପାଇଁ ତାଙ୍କ କବିତାରେ ବର୍ଣ୍ଣିିତ ଭାଷା ଓ ଜାତିପ୍ରେମ ପାଠକମାନଙ୍କୁ ଛୁଇଁପାରିଛି ।

ଦେଶପ୍ରେମ :

ଗଙ୍ଗାଧରଙ୍କ ଭାଷାପ୍ରେମ ଓ ଜାତିପ୍ରେମର ପଟାନ୍ତର ନାହିଁ । ଏହି ପର୍ଯ୍ୟାୟରେ ତାଙ୍କୁ କାହା ସହିତ ତୁଳନା କରିହୁଏ ନାହିଁ । ସେ ନିର୍ଦ୍ଦିଷ୍ଟ ମୂଲ୍ୟବୋଧ ଓ ଆଦର୍ଶରେ ଦୀକ୍ଷିତ ବ୍ୟକ୍ତିତ୍ୱ ଥିଲେ । ସେଥିପାଇଁ ଆଲୋଚକମାନେ ତାଙ୍କ ଜୀବନ ଓ ସାହିତ୍ୟ ମଧ୍ୟରେ ଯେଭଳି ସାଦୃଶ୍ୟ ଦେଖନ୍ତି, ଗବେଷକମାନେ ତାଙ୍କ ସାହିତ୍ୟ ଭିତ୍ତିରେ ଜୀବନୀ ପ୍ରସ୍ତୁତ କରିହେବ ବୋଲି ସେହିପରି ଅଭିମତ ଦିଅନ୍ତି । ଗଙ୍ଗାଧରଙ୍କ କାବ୍ୟାବଳୀର ଉତ୍ସ ମହାଭାରତୀୟତା । ପୁରାଣ, କାବ୍ୟ, ଇତିହାସକୁ ଆଧାର କରି ସେ ରଚନା କରିଛନ୍ତି କାବ୍ୟ । ହେଲେ ଦେଶପ୍ରେମର ମୂଳ ରୂପେ ସେ ଓଡ଼ିଆ ଭାଷା ଓ ଓଡ଼ିଆ ଜାତିକୁ ଗ୍ରହଣ କରିଛନ୍ତି । ତାଙ୍କ ସମୟରେ ଓଡ଼ିଆ ଭାଷା ଓ ଓଡ଼ିଆ ଜାତିକୁ ନେଇ ବିଦେଶୀ ଶାସକମାନେ ଯେଉଁ ଖେଳ ଆରମ୍ଭ କରିଥିଲେ, ତହିଁର ବିରୋଧ ନିଜ କବିତା ମାଧ୍ୟମରେ କରିଛନ୍ତି ଗଙ୍ଗାଧର । ଏହା ହିଁ ତାଙ୍କର ଦେଶପ୍ରେମ । ସୁନାର ଦେଶପାଇଁ ଉପଯୁକ୍ତ ଲୋକ ଲୋଡ଼ା ବୋଲି ସେ କବିତାରେ ପ୍ରକାଶ କରିଛନ୍ତି । ଯେପରି-

ବାଛି ବାଛି ଲୋକ ଯଦି କରିବ ସଂଗ୍ରହ
ଦେଖାଇବ ତାଙ୍କ କଥା ପାଳନେ ଆଗ୍ରହ ।
ଦେଖିବ ଗୋଖଲେ କେତେ କେତେ ଦାଦାଭାଇ
ସହଜେ ପାରନ୍ତି ଯେହୁ ଭାରତ ଚଳାଇ ।
କେତେ ଗାନ୍ଧୀ ଉପଗତ ହେବେ ତୁମ୍ଭ ଆଗେ
ସ୍ନିଗ୍ଧ କରିଦେବେ ମହୀ ସ୍ୱଚ୍ଛ ଅନୁରାଗେ ।
ଲେଉଟି ଆସିବ ବେଗେ ପ୍ରାଚୀନ ଭାରତ
ହେବ ଶ୍ୱେତକେଶରୀଙ୍କ ଯଶ ସେବା ରତ । (ପଞ୍ଚାୟତ-ଅର୍ଘ୍ୟଥାଳୀ)

ଗୋପାଳକୃଷ୍ଣ ଗୋଖଲେ, ଦାଦାଭାଇ ନାରୋଜି ଓ ମହାତ୍ମାଗାନ୍ଧୀଙ୍କ ଭଳି ସଚ୍ଚୋଟ ଜାତୀୟତାବାଦୀ ସୃଷ୍ଟି ହୋଇପାରିବେ । ବାଛିବାଛି କରିି ଲୋକଙ୍କୁ ଯଦି ନେତୃତ୍ୱ ଦିଆଯିବ ତେବେ ପ୍ରାଚୀନ ଭାରତ ଫେରି ଆସିବ । ସେ 'ଉଦ୍‍ବୋଧନ' କବିତାରେ ପ୍ରାଚୀନ ଭାରତର ବୈଶିଷ୍ଟ୍ୟ ଉପସ୍ଥାପନ କରିଛନ୍ତି

ନବ୍ୟ ସଭ୍ୟଦଳ ହାସରେ କେବଳ
ଉଡ଼ାଇ ନ ଦିଅ କଥା ମାନ,
ତୁମ୍ଭ ପୂର୍ବ ବଂଶ ବୀରତ୍ୱର ଯଶ
ଗ୍ରୀକ୍‍ ବୀରେ କରିଅଛନ୍ତି ଗାନ ।

'ସର୍ବେଷାଂ ନୋ ଜନନୀ ଭାରତ ଧରଣୀ କଳ୍ପଲତେୟଂ' ଭଳି 'ଭାରତଗୀତିକା'ର କବି ରାଧାନାଥ ରାୟ ଓଡ଼ିଶାରେ ଜାତୀୟତାବାଦ ଓ ଦେଶପ୍ରେମ ଉଦ୍‍ବୋଧନର ଆଦ୍ୟ କବି ରୂପେ ସମ୍ମାନିତ । ଗଙ୍ଗାଧର ମଧ୍ୟ 'ତାହାଙ୍କ ଭାରତୀ ବଳେ ହେବ ଖ୍ୟାତ ଭାରତେ ଉତ୍କଳମହୀ' ବୋଲି ବୁଝିଛନ୍ତି । କିନ୍ତୁ ଭାରତରେ ଉତ୍କଳ ଖ୍ୟାତ ହେବ କି ନ ହେବ ତାହା ଅପେକ୍ଷା ଗଙ୍ଗାଧର ଉତ୍କଳକୁ କିଭଳି ଖ୍ୟାତ କରିବାକୁ ହେବ ସେ ଘେନି କବିତା ଲେଖିଛନ୍ତି । ସମକାଳର ସମସ୍ୟାକୁ ସେ ଅଙ୍ଗେ ନିଭେଇଛନ୍ତି । ଓଡ଼ିଆ ଭାଷା ଭିତ୍ତିରେ ଓଡ଼ିଆମାନେ ନିଜସ୍ୱ ଭୂମିର ପରିଚୟ ଦେବେ- ଏହା ଗଙ୍ଗାଧରଙ୍କର ଦେଶପ୍ରେମ । ସେଥିପାଇଁ ଉତ୍କଳ ସମ୍ମିଳନୀ ଓ ତା'ର ନେତୃତ୍ୱବାଦୀଙ୍କ ପ୍ରତି ତାଙ୍କର ଶ୍ରଦ୍ଧା ଓ ବିଶ୍ୱାସ । ତାଙ୍କ ଦୃଷ୍ଟିରେ "ଶ୍ରୀ ମଧୁସୂଦନ ସର୍ବଗୁଣ ଯୁତ/ଫିଟାଇବେ ପରା ସୌଭାଗ୍ୟର ପଥ ।" (ବେଦବ୍ୟାସ) ପୁଣି ବାରିଷ୍ଟର ମଧୁସୂଦନଙ୍କ 'ଉଠ ଉଠ ଜାଗ ଜାଗ'- ଆହ୍ୱାନରେ ଅଣ୍ଟାଭିଡ଼ି ବାହାରିବାକୁ ଲୋକେ ପ୍ରସ୍ତୁତ ହୁଅନ୍ତୁ ବୋଲି ଉଦ୍‍ବୋଧନ ଶୁଣାଇଛନ୍ତି ଗଙ୍ଗାଧର

ଯା'ଭାଷା ଦୁର୍ବଳା କାହିଁ ତାର ଜ୍ଞାନ ?
କାହିଁ ତାର ରାଜ ଦୁଆରେ ସମ୍ମାନ ?
ଉଚ୍ଚ ହେବା ପାଇଁ କର ଯେବେ ଆଶା,
ଉଚ୍ଚ କର ଆଗେ ନିଜ ମାତୃଭାଷା ।
ମାତୃଭାଷା ପୋଥି ଛୁଇଁବାକୁ କରେ
ଅନ୍ୟ କେଉଁ ଜାତି ଲଜ୍ଜାବୋଧ କରେ ?
ଉଠ ଭାଇ ଉଠ ନବୀନ ଆଲୋକେ,
ଶୋଇଥିଲେ ଚାହିଁ ହସୁଥିବେ ଲୋକେ ।
ଶୁଭ କର୍ମ ପଥେ ହୁଅ ଅଗ୍ରସର,
ଚକ୍ଷୁ ମଳିବାକୁ ନାହିଁ ଅବସର ।
ମାତୃଭୂମି ମାତୃଭାଷାର ବଦନ
ଦୀପ୍ତ କର ଦେଇ ଧନ ଧ୍ୟାନ ମନ । (ଉଦ୍‍ବୋଧନ- ଅର୍ଘ୍ୟଥାଳୀ)

'ଉତ୍କଳଲକ୍ଷ୍ମୀ', 'ଉତ୍କଳ ଗୌରବ', 'ଉତ୍କଳଭାରତୀଙ୍କୁ ନିବେଦନ' ଆଦି ସୃଷ୍ଟିରୁ କବିଙ୍କ ଦେଶପ୍ରେମୀ ମନକୁ ଚିହ୍ନିହୁଏ । ଦେଶକୁ ଭଲ ପାଉଥିବା କବି ଗଙ୍ଗାଧର ଅନେକ ସମାନଧର୍ମାଙ୍କ ସହିତ ସମ୍ବନ୍ଧ ସ୍ଥାପନ କରିଥିଲେ । ଭାଷା ଓ ସାହିତ୍ୟର ଉନ୍ନତି କରିବାରେ ଜଣ ଅପେକ୍ଷା ଗଣର ଦାୟିତ୍ୱ ଅଧିକ । ଗଙ୍ଗାଧରଙ୍କର ଅନେକ ସାହିତ୍ୟିକଙ୍କ ସହିତ ସଂପର୍କ ରହିଥିଲା । ଏହି ସଂପର୍କରୁ ସେ ଅନେକ କିଛି ଶିଖିଛନ୍ତି, ଶିଖା କଥାକୁ ନିଜ ସାହିତ୍ୟ ମାଧ୍ୟମରେ ବାଣ୍ଟିଛନ୍ତି ।

ସାରସ୍ୱତ ସମ୍ପର୍କ :

ଗଙ୍ଗାଧର ମେହେର ଅମିନ ଚାକିରି କରିବା (୧୮୮୫) ପୂର୍ବରୁ ବୋଧହୁଏ 'ରସ-ରତ୍ନାକର' ଲେଖିଥିଲେ । ଚାକିରି କରିବା ପରେ ବରପାଲି ଯୁବରାଜଙ୍କ ଇଂରାଜି ଶିକ୍ଷକ ଅକ୍ଷୟ ବାବୁ ଓ ସୂର୍ଯ୍ୟକୁମାର ମିତ୍ରଙ୍କ ଠାରୁ ସେ ଚଳିବା ଭଳି ଇଂରାଜି ଶିଖିଥିଲେ । 'ଶାର୍ଦ୍ଦୂଳ ବିକ୍ରୀଡ଼ିତ' ବୃତ୍ତରେ ଲେଖାଯାଇଥିବା 'ଅହଲ୍ୟାସ୍ତବ' ବରପାଲି ବାଳିକା ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀ ମଦନ ମୋହନ ପ୍ରଧାନଙ୍କ ଆର୍ଥିକ ସାହାଯ୍ୟରେ ଛପା ଯାଇଥିଲା । ବହିଖଣ୍ଡିଏ ସ୍କୁଲ ବିଭାଗର ପଦସ୍ଥ କର୍ତ୍ତା ରାଧାନାଥ ରାୟଙ୍କ ନିକଟକୁ ପଠାଯାଇଥିଲା । ରାଧାନାଥ ବହିଟି ସମ୍ବନ୍ଧରେ ୩୧.୧.୧୮୯୩ ତାରିଖରେ ଦେଇଥିବା ଚିଠିରେ ଲେଖିଥିଲେ- 'ଶାର୍ଦ୍ଦୂଳ ବିକ୍ରୀଡ଼ିତ ଛନ୍ଦ ଉତ୍କଳଭାଷାର ଉପଯୋଗୀ କି ନା ଏ ବିଷୟରେ ମତଭେଦ ହୋଇପାରେ । ମାତ୍ର ସେହି କଠିନ ଛନ୍ଦ ଅବଲମ୍ବ କରି ସୁଦ୍ଧା ଆପଣ ଆଶାତୀତ କୃତକାର୍ଯ୍ୟତା ଲାଭ କରିଅଛନ୍ତି; ଏହା ମୁଁ ମୁକ୍ତକଣ୍ଠରେ ବୋଲିବାକୁ ପ୍ରସ୍ତୁତ । ଏକ ଏକ ସ୍ଥାନରେ ଛନ୍ଦ ପତନ ହୋଇଅଛି ସତ୍ୟ, ମାତ୍ର ସେଥି ସକାଶେ ଆପଣଙ୍କୁ ଦାୟୀ କରିବାର ଉଚିତ ନୁହେଁ ।" 'ଅହଲ୍ୟାସ୍ତବ' ସଂପର୍କରେ ରାଧାନାଥଙ୍କର ଅଭିମତ ଗଙ୍ଗାଧରଙ୍କୁ ନିଜ ସାହିତ୍ୟ ରଚନା ସମ୍ପର୍କରେ ବାରମ୍ବାର ଚିନ୍ତା କରିବାର ଅବକାଶ ଦେଇଥିଲା । ଫଳରେ ସେ ପରେ 'ଅହଲ୍ୟାସ୍ତବ'କୁ ବଙ୍ଗଳାଶ୍ରୀ ରାଗରେ ପୁନର୍ଲିଖନ କରିଥିଲେ । ବଙ୍ଗଳାଶ୍ରୀ ରାଗରେ ଲିଖିତ 'ଅହଲ୍ୟାସ୍ତବ' ୧୯୧୪ରେ ପୁସ୍ତକ ଆକାରରେ ପ୍ରକାଶ ପାଇଥିଲା । ଗଙ୍ଗାଧର 'ଇନ୍ଦୁମତୀ'କୁ ମଧ୍ୟ ପାଣ୍ଡୁଲିପି ଆକାରରେ ରାଧାନାଥଙ୍କ ନିକଟକୁ ପଠାଇଥିଲେ । ରାଧାନାଥ ରାୟ 'ଇନ୍ଦୁମତୀ' କାବ୍ୟ ପଢ଼ି ନିଜର ମନ୍ତବ୍ୟ ସହ ଫେରାଇଥିଲେ । ପୁସ୍ତକ ଆକାରରେ 'ଇନ୍ଦୁମତୀ' ପ୍ରକାଶ ପାଇଲା ପରେ ରାଧାନାଥ ରାୟ ପୁନର୍ବାର ଏକ ଲିଖିତ ମନ୍ତବ୍ୟ ପଠାଇଥିଲେ । ଦୁଇଟିଯାକ ମନ୍ତବ୍ୟ ଇନ୍ଦୁମତୀ କାବ୍ୟର ପ୍ରାରମ୍ଭରେ ଛାପାଯାଇଛି । 'ଇନ୍ଦୁମତୀ' କାବ୍ୟର ପ୍ରଣେତା ଗଙ୍ଗାଧରଙ୍କ ସଂପର୍କରେ ରାଧାନାଥ ମନ୍ତବ୍ୟ ଦେଇଥିଲେ- "ଏ କାବ୍ୟର କବି ସାମାନ୍ୟ ଶକ୍ତିଶାଳୀ ଲେଖକ ନୁହନ୍ତି । ଏହାର ଭାଷା ସରଳ, ଅକ୍ଳିଷ୍ଟ ଏବଂ ଶ୍ରୁତିମଧୁର ହୋଇଅଛି । 'ଇନ୍ଦୁମତୀ'ର ଆଉ ଗୋଟିଏ ପ୍ରଧାନ ଗୁଣ ଏହି ଯେ, ଏଥିରେ ଏପରି କୌଣସି ଭାବ ବା ଶବ୍ଦ ନାହିଁ, ଯାହା ଆଧୁନିକ ରୁଚି ଅନୁସାରେ ବର୍ଜନୀୟ ହେବ ।" ସେକାଳର ଶିକ୍ଷା ବିଭାଗର ପଦସ୍ଥ କର୍ମକର୍ତ୍ତାଙ୍କ ଏପରି ମନ୍ତବ୍ୟ ଗଙ୍ଗାଧରଙ୍କୁ ସାହିତ୍ୟ ସୃଷ୍ଟି ଓ ପୁସ୍ତକ ପ୍ରକାଶ ନିମିତ୍ତ କିଭଳି ପ୍ରେରଣା ଦେଇଥିବ ତାହା ଅନୁମାନ କରାଯାଇପାରେ ।

ରାଧାନାଥ ରାୟ ଗଙ୍ଗାଧରଙ୍କ 'କୀଚକବଧ' କାବ୍ୟର ପାଣ୍ଡୁଲିପି ଅଧ୍ୟୟନ କରି ତହିଁ ଉପରେ ମଧ୍ୟ ମନ୍ତବ୍ୟ ଦେଇଥିଲେ । ୧୨.୮.୧୯୦୩ରେ ସେହି ମନ୍ତବ୍ୟରେ ସେ ଲେଖିଥିଲେ, "ଗଙ୍ଗାଧର ଉଚ୍ଚଶ୍ରେଣୀର କବି । କି ବହିଃପ୍ରକୃତି, କି ଅନ୍ତଃପ୍ରକୃତି ଉଭୟର ଯଥାଯଥ ଚିତ୍ରାଙ୍କନରେ ଗଙ୍ଗାଧର ସିଦ୍ଧହସ୍ତ । ଗ୍ରନ୍ଥାଧ୍ୟୟନ କରି ଲୋକେ ପଣ୍ଡିତ ହୋଇ ପାରନ୍ତି; ମାତ୍ର କବି ହେବାକୁ ହେଲେ କେବଳ ଗ୍ରନ୍ଥାଧ୍ୟୟନ ପର୍ଯ୍ୟାପ୍ତ ନୁହେଁ, ପ୍ରକୃତି-ଗ୍ରନ୍ଥାଧ୍ୟୟ ମଧ୍ୟ ଅପରିହାର୍ଯ୍ୟ ରୂପେ ଆବଶ୍ୟକ । ଗଙ୍ଗାଧର ଯେତେବେଳେ ଯାହା ଲେଖନ୍ତି, ପ୍ରକୃତିକୁ ସ୍ୱଚକ୍ଷୁରେ ଦେଖି ଲେଖନ୍ତି । ଏହି ହେତୁରୁ ତାହାଙ୍କର ଉକ୍ତିଗୁଡ଼ିକ ଭାବପ୍ରଧାନ ନହୋଇ ରସପ୍ରଧାନ ହୁଏ । ଏହାର ଭୂରିଭୂରି ପ୍ରମାଣ ତାହାଙ୍କ ରଚନାରେ ସୁଲଭ । 'ଇନ୍ଦୁମତୀ' ଦ୍ୱାରା ଯେଉଁ ସ୍ଫୁଟୋନ୍ମୁଖ ପ୍ରତିଭାର ଆଦ୍ୟସୌରଭ ବିକୀର୍ଣ୍ଣ ହୋଇ ଉତ୍କଳୀୟ ସାହିତ୍ୟ-ସଂସାରକୁ ଆମୋଦିତ କରିଥିଲା, 'କୀଚକ ବଧ'ରେ ସେହି ପ୍ରତିଭା ପୂର୍ଣ୍ଣ ବିକାଶ ପାଇଥିବାର ପ୍ରତୀୟମାନ ହୁଏ ।"

ରାଧାନାଥଙ୍କ ଠାରୁ 'କୀଚକବଧ'ର ପାଣ୍ଡୁଲିପି ଫେରିବା ପରେ ତହିଁର ପ୍ରକାଶନ ନିମନ୍ତେ ଉଦ୍‍ଯୋଗ ଆରମ୍ଭ ହେଲା । ଗଙ୍ଗାଧରଙ୍କୁ ଜାଣିଥିବା ନୀଳମଣି ବିଦ୍ୟାରତ୍ନ ସେତେବେଳକୁ ରମ୍ଭାଠାରୁ ପ୍ରକାଶ ପାଉଥିବା 'ପ୍ରଜାବନ୍ଧୁ' ସାପ୍ତାହିକ ପତ୍ରିକାର ସମ୍ପାଦକ ଥିଲେ । ସେ ରାଧାନାଥଙ୍କ ମନ୍ତବ୍ୟ ସହିତ ପୁସ୍ତକର ପ୍ରକାଶନ ପାଇଁ କେହି ଆଗ୍ରହୀ ହେବା ନିମିତ୍ତ ଏକ ଲେଖା ତା୨୦.୪.୧୯୦୪ରିଖ ସଂଖ୍ୟା 'ପ୍ରଜାବନ୍ଧୁ'ରେ ଛାପିଲେ । ସେହି ଲେଖା ଉପରେ ମଧୁସୂଦନ ଦାସଙ୍କର ନଜର ପଡ଼ିଲା । ସେ ପୁସ୍ତକର ପ୍ରକାଶନ ଖର୍ଚ୍ଚ ବହନ କଲେ । 'କୀଚକବଧ' କାବ୍ୟ ପ୍ରକାଶ ପାଇଲା । ବସ୍ତୁତଃ ଗଙ୍ଗାଧରଙ୍କ ସାହିତ୍ୟିକ ଜୀବନର ଉନ୍ମେଷ ଓ ବିକାଶ ପରିପ୍ରେକ୍ଷୀରେ ରାଧାନାଥ ରାୟଙ୍କ ସାହାଯ୍ୟ ସହଯୋଗ ମନେରହିବା ଭଳି କଥା । ରାଧାନାଥଙ୍କର ଏଭଳି କାମପାଇଁ ସରଳ ଓ ସାଧୁପ୍ରକୃତିର ଗଙ୍ଗାଧର କୃତଜ୍ଞତା ଜଣାଇଛନ୍ତି ।

ଆଲୋଚ୍ୟ କାଳରେ (୧୯୦୪) ପଲ୍ଲିକବି ନନ୍ଦକିଶୋର ବଳ 'ଇନ୍ଦୁମତୀ କାବ୍ୟପ୍ରଣେତା ଶ୍ରୀ ଗଙ୍ଗାଧର ମେହେରଙ୍କ ପ୍ରତି' ନାମରେ ଏକ କବିତା ଲେଖିଥିଲେ ଏବଂ ତାହା 'ପ୍ରଜାବନ୍ଧୁ'ରେ ପ୍ରକାଶ ପାଇଥିଲା । ଗଙ୍ଗାଧରଙ୍କୁ ନନ୍ଦକିଶୋର ସେ ପର୍ଯ୍ୟନ୍ତ ଦେଖି ନଥିଲେ । 'ଇନ୍ଦୁମତୀ' କାବ୍ୟ ପଢ଼ି ସେ ଗଙ୍ଗାଧରଙ୍କୁ 'ଭାରତୀୟ ବାଣୀ-ବରସୁତ କାଳିଦାସଙ୍କ ଯୋଗ୍ୟ ଅନ୍ତେବାସୀ' ବୋଲି ଦର୍ଶାଇଥିଲେ । ଦରିଦ୍ରତାର କଠୋର ନିର୍ଘାତ ସହି କବି କଷ୍ଟରେ ବଞ୍ଚୁଥିବା କଥା ନନ୍ଦକିଶୋର ବଳ କେଉଁଠୁ କେମିତି ଶୁଣିଥିଲେ । ସେଥିପାଇଁ ନିଜ କବିତାରେ ତାହା ଦର୍ଶାଇବା ସହିତ ଗଙ୍ଗାଧର ସଭ୍ୟ ଉନ୍ନତ ଦେଶରେ ଜନ୍ମିଥିଲେ ତାଙ୍କର ଯଶ-କୀର୍ତ୍ତିି ଚାରିଆଡେ଼ ପ୍ରଚାର-ପ୍ରସାର ଲଭୁଥାନ୍ତା ବୋଲି ମଧ୍ୟ ସେ ସୂଚାଇଥିଲେ । ଦାରିଦ୍ର୍ୟ ଓ ଅତ୍ୟାଚାରକୁ ଭ୍ରୂକ୍ଷେପ ନକରି, ଆବଶ୍ୟକ ହେଲେ ସେ ସବୁକୁ ଖାତର ନକରି ଗଙ୍ଗାଧର ଉନ୍ନତ କାବ୍ୟ ଲେଖନ୍ତୁ ବୋଲି ମଧ୍ୟ ନନ୍ଦକିଶୋର କାମନା କରିଥିଲେ । ଭଲପାଇବା ଯେଉଁଠି ଆବେଗ ସହ ଓତପ୍ରୋତ ସେଠି ଉପଦେଶ ଓ ଜୀବନସତ୍ୟ ପ୍ରକାଶକ ବାକ୍ୟ ପ୍ରତ୍ୟାଶିତ । ନନ୍ଦକିଶୋରଙ୍କ କବିତାରେ 'ଦରିଦ୍ରତା ନୁହେଁ କବିପ୍ରତିଭା ନାଶକ' ଉକ୍ତି ଏକ ସର୍ବକାଳୀନ ଆପ୍ତବାକ୍ୟ ହୋଇପାରିଛି । ସଦୁପଦେଶ ପ୍ରଦାନ ସହିତ କବି ନନ୍ଦକିଶୋରଙ୍କ ସମାଜପ୍ରତି ପ୍ରତିକ୍ରିୟା ଗଙ୍ଗାଧରଙ୍କ ଅଭିମତର କାବ୍ୟିକ ପୁନରୁକ୍ତି ଘଟାଇଛି । ହୁଏତ ଗଙ୍ଗାଧର ଲେଖିଥିବା 'ଶିକ୍ଷିତ, ଅଶିକ୍ଷିତ ଓ ଶିକ୍ଷାଭିମାନୀ' ପ୍ରବନ୍ଧ ନନ୍ଦକିଶୋର ସେତେବେଳକୁ ପଢ଼ିଥିଲେ । ତହିଁରେ ଗଙ୍ଗାଧର ଲେଖିଥିଲେ; "ଶିକ୍ଷିତଙ୍କ ମତରେ ଶିକ୍ଷା ବିଦ୍ୟାଳୟରେ ଶେଷ ହୁଏ ନାହିଁ; ଶିକ୍ଷା ମନୁଷ୍ୟର ଜୀବନବ୍ୟାପୀ ମହାବ୍ରତ । ଜଗତ ଶିକ୍ଷାଳୟ ଏବଂ ପ୍ରକୃତି ନିତ୍ୟପଠନୀୟ ବିରାଟ ଗ୍ରନ୍ଥ । ++ ସାହିତ୍ୟ ସେବା ତାଙ୍କର ପ୍ରିୟ ବ୍ରତ । ସାହିତ୍ୟାନୁରାଗ ଈଶ୍ୱରଦତ୍ତ ପଦାର୍ଥ ଓ ଛାୟାତୁଲ୍ୟ ଜୀବନର ଚିର ସହଚର । ସାହିତ୍ୟାନୁରାଗ ବୃତ୍ତୀଶ୍ୱରମାନଙ୍କର ଜୀବନରେ ବାଞ୍ଛନୀୟ; କିନ୍ତୁ ଜଗଦୀଶ୍ୱର ପାତ୍ରାପାତ୍ର ବିବେଚନା ନକରି ବ୍ୟକ୍ତିବିଶେଷକୁ ତାହା ପ୍ରଦାନ କରିଥାନ୍ତି ।" ଏହି ଭାବରେ ପ୍ରତିଧ୍ୱନି ଶୁଣିହୁଏ ନନ୍ଦ କିଶୋରଙ୍କ ପଦ୍ୟ ପଙ୍‍କ୍ତିରୁ-

କର୍ମନାଶା ନୀରେ ହେଉ ଜାତି ବିସର୍ଜନ,
ବୈଶ୍ୟଠୁ ଶିଖନ୍ତୁ ଆଜି କ୍ଷତ୍ରିୟ ବ୍ରାହ୍ମଣ ।
ଭିକ୍ଷୁକ ସଙ୍ଗତେ ନୃପ ମୁକୁଟ-ମଣ୍ଡିତ,
କାଳବଳେ ହେବେ ସର୍ବେ ଭବୁଁ ଅନ୍ତର୍ହିତ ।
କିନ୍ତୁ ତୁମେ ଦୀନ କବି ରହିବ ଜୀବିତ,
ଯେତେଦିନ ଭବେ ଥିବ ଓଡ଼ିଆ ସାହିତ୍ୟ ।

ସେତେବେଳକୁ ନନ୍ଦକିଶୋର ଗଙ୍ଗାଧରଙ୍କୁ ଦେଖି ନଥାନ୍ତି; କିନ୍ତୁପଢ଼ିଥାନ୍ତି ତାଙ୍କର 'ଇନ୍ଦୁମତୀ' କାବ୍ୟ । ପତ୍ରପତ୍ରିକାରୁ ଆଉ କିଛି ଗଦ୍ୟକୃତି ଓ କବିତା ହୁଏତ ପଢ଼ିଥାଇପାରନ୍ତି । ସେତେବେଳେ କିନ୍ତୁ ସେ 'ଓଡ଼ିଆ ସାହିତ୍ୟ ଥିବା ପର୍ଯ୍ୟନ୍ତ ଗଙ୍ଗାଧର ଜୀବିତ ରହିବେ' ବୋଲି ଲେଖିଥିଲେ । ସେ କାଳରେ ପ୍ରକାଶିତ ଅଥଚ ବରପାଲିର ଜମିଦାରଙ୍କ ନାମ ସହ ସଂପୃକ୍ତ କବିତା କେତୋଟି ପଢ଼ି ତାଙ୍କର ସନ୍ଦେହ ହୋଇଥିଲା । ନିଜ କବିତାରେ ନନ୍ଦକିଶୋର ଲେଖିଛନ୍ତି-

ଯେତେ ଛପାଇଲେ ନ ଲୁଚଇ ଅଗ୍ନି ସତ୍ୟ
ଲୁଚିଲେ କି ଚମ୍ପୂକବି ବଳଦେବ ରଥ !

'କିଶୋରଚନ୍ଦ୍ରାନନ୍ଦ ଚମ୍ପୂ'ର ପ୍ରକୃତ ରଚୟିତା କବିସୂର୍ଯ୍ୟ ବଳଦେବ ରଥ; କିନ୍ତୁ ଭଣିତାରେ ଆଠଗଡ଼ର ରାଜା ବାଲୁଙ୍କେଶ୍ୱର ହରିଚନ୍ଦନଙ୍କ ନାମ ରହିଛି । ସତ କେବେ ଲୁଚି ରହେ ନାହିଁ । ସେହିପରି ବରପାଲିର ରାଜା ନୃପରାଜ ସିଂହଙ୍କ ନାମରେ ପ୍ରକାଶିତ "ବଳରାମ ଦେବ', "ସୁଖସ୍ୱପ୍ନ ', "ପୁଷ୍କରିଣୀ', "ତରୁବର', "ଆମୋଦ', ଆଦି ଗଙ୍ଗାଧରଙ୍କ କବିତା ବୋଲି ପରବର୍ତ୍ତୀକାଳରେ ନିର୍ଦ୍ଧାରଣ କରାଯାଇଛି । ନନ୍ଦକିଶୋରଙ୍କ ଉକ୍ତି- "ଲୁଚିଲେ କି ଚମ୍ପୂକବି ବଳଦେବ ରଥ !' ଗଙ୍ଗାଧରଙ୍କୁ ନୃପରାଜଙ୍କ ଅନ୍ତରାଳରୁ ଆବିଷ୍କାର କରିବାରେ ସାହାଯ୍ୟ କରିଛି ।

୧୯୧୧ ମସିହାରେ ନନ୍ଦକିଶୋର ବଳ ସମ୍ବଲପୁର ଜିଲ୍ଲାସ୍କୁଲ୍‍ର ପ୍ରଧାନଶିକ୍ଷକ ଦାୟିତ୍ୱ ନେଇଥିଲେ । ଗଙ୍ଗାଧରଙ୍କ ସହିତ ସେଇଠି ତାଙ୍କର ଦେଖା ସାକ୍ଷାତ ଓ ସଂପର୍କ । ନନ୍ଦକିଶୋର ମତ ଦେଇଥିଲେ, "ତିି ଦୃଶ୍ୟ' ନାଆଁରେ ସେ ଲେଖିଥିବା ବହିଟିର ନାଆଁ ବଦଳାଇ ଗଙ୍ଗାଧର ତା'ର ନାଆଁ "ଅଯୋଧ୍ୟା ଦୃଶ୍ୟ' ରଖନ୍ତୁ । ଗଙ୍ଗାଧର ତାହା ସ୍ୱୀକାର କରିଥିଲେ । ଏହା ଉଭୟଙ୍କ ମଧ୍ୟରେ ଥିବା ଆନ୍ତରିକ ସଂପର୍କର ପରିଚାୟକ । ଗଙ୍ଗାଧରଙ୍କ ଆଦ୍ୟ ସାହିତ୍ୟିକ ଜୀବନକୁ ଲୋକଲୋଚନକୁ ଅଣାଇବାରେ 'ସମ୍ବଲପୁର ହିତୈଷିଣୀ' (୧୮୮୯) ଓ 'ଉତ୍କଳ ପ୍ରଭା' (୧୮୯୧) ପତ୍ରିକା ଦ୍ୱୟର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଦୁଇଟିଯାକ ପତ୍ରିକା ଯଥାକ୍ରମେ ବାମଣ୍ଡା ରାଜ୍ୟର ରାଜଧାନୀ ଦେବଗଡ଼ ଏବଂ ମୟୂରଭଞ୍ଜ ରାଜ୍ୟର ରାଜଧାନୀ ବାରିପଦାରୁ ରାଜାମାନଙ୍କର ପୃଷ୍ଠପୋଷକତାରେ ପ୍ରକାଶ ପାଉଥିଲା । 'ସମ୍ବଲପୁର ହିତୈଷିଣୀ'ର ସମ୍ପାଦକ ନୀଳମଣି ବିଦ୍ୟାରତ୍ନଙ୍କ ସହିତ ଗଙ୍ଗାଧରଙ୍କ ସାରସ୍ୱତ ସଂପର୍କ ଘନିଷ୍ଠ ଥିଲା । ଦେବଗଡ଼ରୁ ଆସି 'ପ୍ରଜାବନ୍ଧୁ'ର ସମ୍ପାଦକ ହେବା ପରେ ସେ ଗଙ୍ଗାଧରଙ୍କ 'କୀଚକବଧ'ର ପ୍ରକାଶନ ପାଇଁ ପ୍ରଜାବନ୍ଧୁରେ ବିଜ୍ଞାପନ ପ୍ରକାଶ କରାଇଥିଲେ । 'ଉତ୍କଳ ମଧୁପ'ର ସମ୍ପାଦକ ହୋଇ ବଡ଼ଖେମଣ୍ଡିରେ ମଧ୍ୟ ନୀଳମଣି ଥିଲେ । କଟକରୁ ପ୍ରକାଶ ପାଉଥିବା 'ଉତ୍କଳ ଦୀପିକା'ରେ ୧୯୨୨ ବେଳକୁ ସେ ସମ୍ପାଦକ ଦାୟିତ୍ୱ ତୁଲାଇଲେ । ନୀଳମଣି ବିଦ୍ୟାରତ୍ନ ଗଙ୍ଗାଧରଙ୍କୁ ଭୁଲି ପାରି ନଥିଲେ । 'ବନ୍ଧୁ ସମୀପରେ ମନକଥା ଖୋଲି କହିବାକୁ ଲାଗେ ସୁଖ ।' ୨୧.୧୨.୧୯୨୨ ତାରିଖରେ ନୀଳମଣି ବିଦ୍ୟାରତ୍ନ କଟକରୁ ଗଙ୍ଗାଧରଙ୍କ ପାଖକୁ ଲେଖିଥିବା ଏକ ଚିଠିର ଭାଷାରୁ ଆତ୍ମୀୟତା ଓ ଖୋଲା ମନର ଭାଷା ଶୁଣିହୁଏ । ସେହି ଚିଠିରେ ସେ ଲେଖିଥିଲେ, "ମୋର ଜୀବନ ରାଜ ସାହାଯ୍ୟରେ ନିର୍ବାହିତ ହୋଇ ଆସୁଥିଲା । ଶେଷଭାଗରେ ବଡ଼ଖେମଣ୍ଡି ମୋର ସକଳ ଅଭାବ ପୂରଣ କରୁଥିଲେ । ସଞ୍ଚୟ ନଥିବା ହେତୁ ତାଙ୍କର ବିୟୋଗ ମୋତେ ବିଶେଷ ବାଧୁଅଛି । ଈଶ୍ୱରଙ୍କର ଯାହା ବିଚାର ଥିବ ହେବ । ଏଠାର ଆୟ ଏଠା ଖରଚକୁ ନିଅଣ୍ଟ ।"

ରାଧାନାଥ ରାୟ ଓ ନୀଳମଣି ବିଦ୍ୟାରତ୍ନଙ୍କ ସହିତ ଗଙ୍ଗାଧରଙ୍କର ସାରସ୍ୱତ ସଂପର୍କ ନିବିଡ଼ ଥିଲା । ଏପରିକି ଗଙ୍ଗାଧରଙ୍କ ପତ୍ନୀ ଶାନ୍ତାଙ୍କର ୧୪.୭.୧୮୯୭ରେ ପରଲୋକ ହେବା ପରେ ଉଭୟେ ଗଙ୍ଗାଧରଙ୍କୁ ସାନ୍ତ୍ୱନାମୂଳକ ପତ୍ର ଲେଖିଥିଲେ । ଶାନ୍ତାଙ୍କ ମୃତ୍ୟୁ ପରେ ଗଙ୍ଗାଧର ଦ୍ୱିତୀୟା ପତ୍ନୀ ଗ୍ରହଣ କରିବା ପାଇଁ ରାଧାନାଥ ପରାମର୍ଶ ଦେଇ ଚିଠିରେ ଲେଖିଥିଲେ-"ଦ୍ୱିତୀୟ ଦାର ପରିଗ୍ରହ ପ୍ରଶସ୍ତ ନ ହେଲେ ହେଁ ବିଧବା ବିବାହ ସେପରି ଦୂଷଣୀୟ ନୁହେଁ । ଅଧିକ ବୟସ୍କା ବିଧବା କନ୍ୟା ସୁଲଭ ହେଲେ ମୁଁ ଅସଂକୁଚିତ ଚିତ୍ତରେ ଆପଣଙ୍କୁ ବିବାହ କରିବାକୁ ଉପଦେଶ ଦେବି ।" (୧୬.୧୧.୧୮୯୭ର ଚିଠି) ରାଧାନାଥଙ୍କୁ ଗଙ୍ଗାଧର ଗୁରୁଜ୍ଞାନ କରୁଥିଲେ । କବିବରଙ୍କ ଉପଦେଶ ଗ୍ରହଣ କରି ଗଙ୍ଗାଧର ଚମ୍ପାଙ୍କୁ ବିବାହ କଲେ । ଚମ୍ପା ବିଧବା ଥିଲେ ଏବଂ ତାଙ୍କର ପିଲାପିଲି ନଥିଲେ ।

ଗଙ୍ଗାଧର ମେହେର ନୀଳମଣି ବିଦ୍ୟାରତ୍ନଙ୍କୁ କିଭଳି ଭଲ ପାଉଥିଲେ ଓ ସମ୍ମାନ କରୁଥିଲେ ତାହା ତାଙ୍କ କବିତାର ଭାଷାରୁ ଜାଣିହୁଏ-

"ବୁଧ ହଂସ କେଳିସର' ଦେବଦୁର୍ଗ ଧାମେ,
ଜନମିଲା ସୁପତ୍ରିକା ହିତୈଷିଣୀ ନାମେ ।

+ + +

ନୀଳମଣି ବିଦ୍ୟାରତ୍ନ ବହୁ ଗୁଣାଧାର,
ନରେନ୍ଦ୍ର ଆଦେଶେ ନେଲେ ତା ରକ୍ଷଣ ଭାର ।

+++

ଧନ୍ୟ ଧନ୍ୟ ବାସୁଦେବ ମହୀପାଳମଣି,
ଧନ୍ୟ ଧନ୍ୟ କ୍ଷଣଜନ୍ମା ବୁଧ ନୀଳମଣି ।
ଉତ୍କଳରେ କରି ଶୁଭ ଯଜ୍ଞର ଆରମ୍ଭ,
ସ୍ଥାପିଦେଲ କାଳଦର୍ପ ଧ୍ୱଂସୀ ଯୂପସ୍ତମ୍ଭ ।
ରାଧାନାଥ ସରସ୍ୱତୀ ମୂର୍ତ୍ତିି ନବ ଯନ୍ତ୍ରେ,
ଗଢ଼ିଗଲେ, ଜୀବନ୍ୟାସ କରିଦେଇ ମନ୍ତ୍ରେ ।
ଯାବତ ଉତ୍କଳେ ଥିବ ବାଣୀ ନିକେତନ,
ତାବତ ଉଡ଼ିବ ତୁମ୍ଭ କୀରତି କେତନ ।
ଯେତେ ନେତ୍ରେ ଦେଇଅଛ ସୁଜ୍ଞାନ ଅଞ୍ଜନ,
ନିଶ୍ଚେ ହୋଇଥିବ ତାଙ୍କ ସୁଜ୍ଞାନ ରଞ୍ଜନ ।
ବୋଲନ୍ତୁ ପଛକେ ଲୋକେ ତୋତେ କିଏ ଗଣେ,
ସଦା ବୋଲୁଥିବି ମୁହିଁ ତହିଁ ମଧ୍ୟେ ଜଣେ ।
କରିଅଛ ମୋର ଯେତେ ଯେତେ ଉପକାର,
ମୋ ହୃଦେ ରହିଛି ସବୁ ସ୍ୱର୍ଣ୍ଣମୟ ଗାର ।
ତୁମ୍ଭ କୀରତିର ଚାରୁ ପତାକା ସୀବନେ,
ସୂତ୍ରହେଲେ ଧନ୍ୟ ହେବି ମୁଁ ଦୀନ ଜୀବନେ ।

(ବିଦ୍ୟାରତ୍ନଙ୍କ ହିତୈଷିଣୀ-ଅର୍ଘ୍ୟଥାଳୀ)

'ଉତ୍କଳ ସାହିତ୍ୟ' ପତ୍ରିକାର ତତ୍କାଳୀନ ସଂପାଦକ ବିଶ୍ୱନାଥ କର, ଓକିଲ ନୀଳକଣ୍ଠ ପୂଜାରୀ,ଲରମ୍ଭାର ବ୍ରଜମୋହନ ପଣ୍ଡା, ସମ୍ବଲପୁର ଜିଲ୍ଲାସ୍କୁଲର ତତ୍‍କାଳୀନ ହେଡ୍‍ମାଷ୍ଟର ଦାଶରଥି ପାଣିଗ୍ରାହୀ, ହିନ୍ଦୀସାହିତ୍ୟର କବି ଲୋଚନ ପ୍ରସାଦ ପାଣ୍ଡେୟ, ଫକୀର ମୋହନ ସେନାପତି, ମଧୁସୂଦନ ରାଓ, ରାଘବ ମିଶ୍ର ଆଦିଙ୍କ ସହ ଗଙ୍ଗାଧରଙ୍କର ସାରସ୍ୱତ ସମ୍ପର୍କ ଥିଲା । ସମୟ ଓ ସୁଯୋଗକ୍ରମେ ଗଙ୍ଗାଧର ବନ୍ଧୁମାନଙ୍କ ସାହାଯ୍ୟ-ସହଯୋଗ ପାଇଁ କୃତଜ୍ଞତା ପ୍ରକାଶ କରିଛନ୍ତି । 'କବିତା କଲ୍ଲୋଳ' ପୁସ୍ତକର ଭୂମିକାରେ ଲେଖିଛନ୍ତି- "ଭାଗ୍ୟଲବ୍‍ଧ ଅନିବନ୍ଧନ ବନ୍ଧୁ ଶ୍ରୀମାନ୍‍ ବ୍ରଜ ମୋହନ ପଣ୍ଡା ଛାତ୍ରାବସ୍ଥାରେ ଥାଇ ସୁଦ୍ଧା ଭୂୟୋଭୂୟଃ ଉତ୍ସାହ, ଭୂରି ଭୂରି ଆଶା ଓ ସହାନୁଭୂତି ପ୍ରଦାନ କରି ମୋହର ନିରାଶ, ଅବସନ୍ନ, ଜୀର୍ଣ୍ଣ ଜୀବନରେ ଗୋଟିଏ ନବୀନ ଶକ୍ତିର ସଞ୍ଚାର କରାଇବାକୁ ଚେଷ୍ଟା କରିଅଛନ୍ତି ।" ବ୍ରଜମୋହନ ପଣ୍ଡା ମଧ୍ୟ ୧୮୯୫ ମସିହାରେ କବିଙ୍କ ପ୍ରକାଶିତ ଅଥଚ ଅସଂପୂର୍ଣ୍ଣ 'ଉତ୍କଳ-ଲକ୍ଷ୍ମୀ'କୁ ତାଙ୍କ ଦ୍ୱାରା ସଂପୂର୍ଣ୍ଣ କରାଇ ୧୯୧୪ରେ ପୁନଃପ୍ରକାଶ କରିଥିଲେ । ପୁସ୍ତକର 'ଭୂମିକା'ରେ ଗଙ୍ଗାଧର ଲେଖିଛନ୍ତି- "ସ୍ୱଦେଶପ୍ରେମିକ, ସାହିତ୍ୟରସିକ, ଉଦୀୟମାନ ସୁଲେଖକ ଶ୍ରୀମାନ୍‍ ବ୍ରଜମୋହନ ପଣ୍ଡା ଏହି ପୁସ୍ତିକାକୁ ପୂର୍ଣ୍ଣ କରିବା ନିମନ୍ତେ ଯେଉଁ ଉତ୍ସାହ ଦେଇଅଛନ୍ତି, ତାହା ଲେଖକ ପକ୍ଷରେ ଅତି ଦୁର୍ଲଭ ଅଟେ । ସେ ତାଙ୍କର ଜ୍ୟେଷ୍ଠଭ୍ରାତା ଶ୍ରୀମାନ୍‍ ମଧୁସୂଦନ ପଣ୍ଡାଙ୍କ ସହିତ ଏହାର ପ୍ରକାଶଭାର ଗ୍ରହଣ କରିବା ଦ୍ୱାରା ଲେଖକଙ୍କୁ ବନ୍ଧନ କରିଥିବାର କୃତଜ୍ଞତା-ରଜ୍ଜୁ ଉପରେ ଜଳସେଚନ କରିଅଛନ୍ତି ।" ଏଠାରେ ସ୍ମରଣ କରାଯାଇପାରେ, ଗଙ୍ଗାଧର ମେହେର ବ୍ରଜମୋହନଙ୍କ ପିତାମହ କାଶୀନାଥ ପଣ୍ଡାଙ୍କ ପ୍ରତିମୂର୍ତ୍ତିି ଉନ୍ମୋଚନ ଉତ୍ସବରେ ଯୋଗ ଦେଇଥିଲେ ଏବଂ 'ସ୍ୱର୍ଗୀୟ କାଶୀନାଥ ପଣ୍ଡା' ଶୀର୍ଷକରେ ଏକ ଲେଖା ଲେଖିଥିଲେ । ସେହି ଲେଖାଟି 'ସମ୍ବଲପୁର ହିତୈଷିଣୀ'ର ତା୪.୫.୧୯୧୨ ସଂଖ୍ୟାରେ ପ୍ରକାଶିତ । ଅଧିକନ୍ତୁ ବ୍ରଜମୋହନ ଗଙ୍ଗାଧରଙ୍କୁ ଲରମ୍ଭାରେ ରଖାଇବା ପାଇଁ ଯୋଜନା କରିଥିବା କଥା କବିଙ୍କୁ ଜଣାଇଥିଲେ । ୧୯୧୯ରେ ବ୍ରଜମୋହନ ଏହିଭଳି ଏକ ପତ୍ର ଲେଖିଥିଲେ ଗଙ୍ଗାଧରଙ୍କୁ; "ଆପଣ ପଦ୍ମପୁର ଛାଡ଼ିବା ସୁବିଧା ଜ୍ଞାନକରନ୍ତି ନାହିଁକି ? ମୁଁ ଚାହୁଁଥିଲି କିପରି ଆପଣଙ୍କୁ ନିଜ ପାଖରେ ରଖି ନିଜକୁ କୃତାର୍ଥ ଜ୍ଞାନକରନ୍ତି । କିନ୍ତୁ ଭଗବାନ ଆଜିଯାଏ ସେ ସୁବିଧା ଘଟାଇ ନାହାନ୍ତି । ଲୋକେ ତୀର୍ଥାଟନ କରନ୍ତି, ମାତ୍ର ମୁଁ ଆପଣଙ୍କୁ ତୀର୍ଥ ଜ୍ଞାନ କରେ । ସେହି ତୀର୍ଥରେ ମୋର ନିବାସ ସ୍ଥାପନ କରି କିପରି ନିଜକୁ ପବିତ୍ର ଓ ଚରିତାର୍ଥ କରନ୍ତି, ଏହିମାତ୍ର ଅନ୍ତର୍ଗତ ଭାବନା ।" ଏହି ସମୟର ଦୁଇବର୍ଷ ପୂର୍ବରୁ (୧୯୧୭) ଗଙ୍ଗାଧର ସରକାରୀ ଚାକିରୀରୁ ଅବସର ଗ୍ରହଣ କରିଥିଲେ । ଅଥଚ ନିଶ୍ଚିତ ହୋଇପାରୁ ନଥିଲେ କେଉଁଠି ରହିବେ । ତାଙ୍କ ଜୀବନ ଓ ସାହିତ୍ୟ ଅଭିନ୍ନ । ପରପ୍ରଦତ୍ତ ଦ୍ରବ୍ୟ ଓ ସ୍ଥାନ ସେ ଉପଭୋଗ କରିବେ କିପରି ? ସେ ବୁଝିଥିଲେ-

ସଞ୍ଚୟ କରନ୍ତି ନିଜ ଉପାର୍ଜିତ ଧନ
ନ କରନ୍ତି ଲୋଭ ପରଦ୍ରବ୍ୟେ ସାଧୁଜନ । (ପୁଷ୍କରିଣୀ)

ଗଙ୍ଗାଧର ରାଜାଙ୍କ ପାଖରେ କାମ କରିଛନ୍ତି । କିନ୍ତୁ ନିଜର ସୁଖ-ସୁବିଧା ପାଇଁ ସେ ନୃପରାଜଙ୍କ ନାଁରେ କବିତା ଲେଖି ଛପାଇ ନଥିଲେ କି ତାଙ୍କ ଜୀବନୀ ଲେଖିଥିଲେ । ସେ ବୁଝିଥିଲେ ସଂସାରରେ କେଉଁମାନଙ୍କୁ ଲୋକେ ଧର୍ମାବତାର ବୋଲି ସମ୍ବୋଧନ କରନ୍ତି । ଯାହାର ମନ ପର ସମ୍ପତ୍ତି ହରଣରେ ବ୍ୟସ୍ତ, ଅର୍ଥ ଯାର ଗଣିକା ଘରେ ଗଣାଯାଏ, ଯାହାଙ୍କ ଜୀବନ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ପୀଡ଼ାକାରକ ତାଙ୍କୁ ଲୋକେ ଧର୍ମାବତାର କହିଥାନ୍ତି-


ମନ ଯା'ର ବ୍ୟସ୍ତ ସଦା ପରସ୍ୱ ହରଣେ,
ଧନ ଯା'ର ବିଦଳିତ ଗଣିକା ଚରଣେ,
ଜୀବନ ଯା' ଲକ୍ଷ ଲକ୍ଷ ଲୋକଙ୍କର ଭାର
ତାକୁ ମଧ୍ୟ ବୋଲିଥାନ୍ତି ଧର୍ମ-ଅବତାର ।


(ତାକୁ ମଧ୍ୟ ବୋଲିଥାନ୍ତି ଧର୍ମ ଅବତାର)

ଧର୍ମାବତାରର ଘୋଡଣୀ ଭିତରେ ପାପାଚାରୀ ମୂର୍ତ୍ତିି ବିଦ୍ୟମାନ ଥିବା ସେ ଜାଣିଥିଲେ । ପୁନଶ୍ଚ ସମାଜରେ ଲୋକେ କୁଳ ବା ବଂଶ ପରମ୍ପରା ବଳରେ ସମ୍ମାନିତ ହେବା କଥା ସେ ଦେଖୁଥିଲେ । ସେ 'ପ୍ରଣୟ ବଲ୍ଲରୀ' କାବ୍ୟରେ କଣ୍ୱଙ୍କ ମୁହଁରେ ଶକୁନ୍ତଳା ପ୍ରତି ସରଳ ଓଡ଼ିଆ ଭାଷାରେ ଶୁଣାଇଥିଲେ; 'ଅଯଥା ପ୍ରଶଂସା ଶୁଣିବା ଠାରୁ ଦୂରରେ ରହିବାକୁ ।' ଏଣୁ ସେ କେମିତି ବା ବ୍ରଜମୋହନଙ୍କ ଭାଷାରେ ଭଳିଥାନ୍ତେ ! ସମାଜର କେଉଁ ସଭ୍ୟଜନ ଓଡ଼ିଆ ଭାଷାକୁ ସେ କାଳରେ ଏତେ ଆଦର ଗୌରବ କରି ଦାଣ୍ଡ ପିଣ୍ଡାରେ ବସାଉଥିଲେ ଯେ ଗଙ୍ଗାଧର ମୁହୂର୍ତ୍ତକର ଖୋସାମତିରେ ଭଳିଯାଇଥାନ୍ତେ ! ରହିଥାନ୍ତେ ଯାଇ ଲରମ୍ଭାର ବ୍ରଜମୋହନଙ୍କ ହାତଟେକାଘରେ ତୀର୍ଥହୋଇ । ମାଗଣାରେ ମିଳୁଥିବା ଜାଗା ଓ ଘରଭୋଗ ସେ ଚାହିଁଲେ ନାହିଁ ।

ଗଙ୍ଗାଧର ସ୍ୱଭାବତଃ ଶାନ୍ତ ଶିଷ୍ଟ, ଭାଗ୍ୟ ଓ ଈଶ୍ୱର ବିଶ୍ୱାସୀ ଏବଂ କର୍ମ-ଉଦ୍‍ଯୋଗୀ ବ୍ୟକ୍ତି ଥିଲେ । ନିଜ ଉପାର୍ଜନରେ ସେ ବରପାଲି ଜମିଦାରଙ୍କ ଠାରୁ ଖଣ୍ଡିଏ ରୟତି ଜମି କ୍ରୟ କରିଥିଲେ । ଏହା ୧୮୯୮ ମସିହାର ଘଟଣା । ଏହି ଭୂସମ୍ପତ୍ତିର ପରିମାଣ ପ୍ରାୟ ଆଠ ଏକର । ୧୯୦୫ରୁ ଦୁଇବର୍ଷ ପାଇଁ ଛୁଟିନେଇ ସେ ବରପାଲି ଆସିଥିଲେ । ବରପାଲି ଜମିଦାରଙ୍କ ଘରେ ଘରକାମ ଓ ଜମିଦାରି ବିଷୟ ବୁଝାବୁଝି କଲେ । କିନ୍ତୁ ଏହି ସମୟର ଦରମା ବାବଦରେ ପାଞ୍ଚଶହ ଟଙ୍କା ସେ ପାଇଥିଲେ ୧୯୧୧ରେ । ସେଥିରୁ ୩୮୦ ଟଙ୍କାରେ ସେ ସମ୍ବଲପୁରରେ ୬୮ ଫୁଟ ଲମ୍ବ ଓ ୫୦ ଫୁଟ ପ୍ରସ୍ଥ ବିଶିଷ୍ଟ ଏକ ଜୀର୍ଣ୍ଣଗୃହ କ୍ରୟ କରିଥିଲେ । ଶହେ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରି ସେହି ଘରଟିର ମରାମତି କରାଇଥିଲେ । କିଛିଦିନ ସେ ଘରେ ସପରିବାର ରହିଥିଲେ । କିନ୍ତୁ ପଡୋଶୀଙ୍କ କାର୍ଯ୍ୟ ଓ ବ୍ୟବହାରରେ ଅତିଷ୍ଠ ହୋଇ ସେ ତାହାକୁ ବିକ୍ରି କରିଦେଇଥିଲେ । ତାଙ୍କର ଧନ ଥିଲେ ପରଭବନରେ ଚାକିରୀ କରିବା ଦରକାର ପଡ଼ିଥାନ୍ତା । ନିଜ କଥାକୁ ଗଙ୍ଗାଧର ସତେଯେପରି ଦ୍ରୌପଦୀ (ସୈରିନ୍ଧ୍ରୀ)ଙ୍କୁ ଶୁଣାଇଛନ୍ତି ଚପଳା ମୁଖରେ-

ଧନ ଦେଖି ଜନ ମନ ଭୁଲି ଯାଏ
ଜଗତେ ଅଛି ଏ ଖ୍ୟାତି,
ଧନ ପାଇଁ ଲୋକେ ଜୀବନ ଦିଅନ୍ତି
ଘୋର ଆହବରେ ମାତି ।
ଧନ କରେ ଦାନୀ ଧନ କରେ ମାନୀ
ଜ୍ଞାନୀ କରିପାରେ ଧନ,
ଧନେ ବଢେ଼ ଠାଣି ଧନେ ବଢେ଼ ଆଣି
ଧନର ସେବକ ଜନ ।
ଧନ ସଙ୍ଗେ ପ୍ରଭୁପଣ ରହିଥାଏ
ଧନହୀନ ସିନା ଦାସ,
ଧନ ଥିଲେ କିମ୍ପା ହୁଅନ୍ତା ତୁମ୍ଭର
ପରଭବନରେ ବାସ । (କୀଚକବଧ)

ଓଡ଼ିଆ ରୀତିକାବ୍ୟକାର କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ସାହିତ୍ୟକୃତି ଦ୍ୱାରା ସେ ପ୍ରଭାବିତ ହୋଇଥିଲେ । ସମ୍ଭବତଃ ବୃତ୍ତିଗତ ସରକାରୀ ଚାକିରି ସେ କରିଥିଲେ ସେତିକିବେଳେ, ଯେତେବେଳେ କୁଳ ବେଉସାରେ ପେଟପୂରିବା ସହଜ ହୋଇନଥିଲା । ଉପେନ୍ଦ୍ର ସେହିମାନଙ୍କୁ ସୁଖୀ କହିଛନ୍ତି, ଯେଉଁମାନେ ରାଜଉପଜୀବୀ ନୁହନ୍ତି । (ସୁଖୀ ହୋଇଥିବ ରାଜ ଉପଜୀବୀ ନୋହି/ବିଦ୍ୟା ଥିବ ଦିବ୍ୟସ୍ତିରୀ ମିଳିଥିବ ତହିଁ- ଲାବଣ୍ୟବତୀ) ଗଙ୍ଗାଧର ବରପାଲିଠୁ ଆରମ୍ଭ କରି ବାମଣ୍ଡା, ବାରିପଦା, ପାରଳାଖେମଣ୍ଡି, ବାଲେଶ୍ୱର ଆଦିର ରାଜାଙ୍କୁ ଦେଖିଥିଲେ । ଜମିଦାରରୁ ରାଜା, ପୁଣି ଇଂରେଜଙ୍କ ସୁପାରିଶରେ ଅନରାରୀ ମାଜିଷ୍ଟ୍ରେଟ୍‍ ହେବା ଚରିତ୍ରମାନଙ୍କୁ ବି ସେ ଦେଖିଥିଲେ । ସେ ଭଲଭାବରେ ବୁଝିଥିଲେ-

ନୀଚ ଲୋକ ପାଏ ଯଦି ବଡ଼ ଅଧିକାର,
ନଥାଏ ତା ପାପ ପୁଣ୍ୟେ ବିବେକ ବିଚାର ।
ମୂର୍ଖ ହେଉ ପାପୀ ହେଉ ରାଜାର ନନ୍ଦନ,
ସିଂହାସନେ ବସି ହୁଏ ଜଗତ ବନ୍ଦନ ।
ଥାଉଁ ଥାଉଁ ନିଜ ବୁଦ୍ଧିବଳ ବାହୁବଳ
ପ୍ରଜାରୂପେ ହେଉଥାଏ ନର କଲବଲ । (ପଦ୍ମିନୀ)

ତେଣୁ ଏଭଳି ମାନସିକତାର ବ୍ୟକ୍ତି ବ୍ରଜମୋହନ ପଣ୍ଡାଙ୍କଠାରୁ ଅଯାଚିତ କୃପା ଗ୍ରହଣ କରିଥାନ୍ତେ କିପରି ? ନିଜ ରୁଚି ଓ ଆଦର୍ଶକୁ ନିଜ ଭିତରେ ଜିଆଇ ରଖିବାକୁ ଗଙ୍ଗାଧର ସତେଯେପରି ଥିଲେ ମିତବାକ୍‍, ଧର୍ମବିଶ୍ୱାସୀ ଓ କାହାରି ବିରୋଧରେ କିଛି ନ କହୁଥିବା ବ୍ୟକ୍ତି । ତାଙ୍କର ବ୍ୟକ୍ତିଚରିତ୍ର ପର୍ଯ୍ୟବେକ୍ଷଣ ଶକ୍ତି ଥିଲା । ତାଙ୍କ କାବ୍ୟାବଳୀର ପୌରାଣିକ ଅଥବା ଐତିହାସିକ ଚରିତ୍ରମାନଙ୍କରୁ ଏହା ଜାଣିହୁଏ ।

ବୃହତ୍ତର ସାମାଜିକ କର୍ମ :

ଗଙ୍ଗାଧର ମେହେର ଅବସର ଗ୍ରହଣ କରିବା ପରେ ପଦ୍ମପୁରରେ ରହିବେ ବୋଲି ଭାବି ସେଠାରେ ଜମିଦାରଙ୍କ ପୁନଃନିଯୁକ୍ତିର ଅଡ଼ିଟର ପଦବୀ ଗ୍ରହଣ କରିଥାନ୍ତି । ଜମିଦାର ରାଜେନ୍ଦ୍ର ସିଂହ ବରିହା ଥିଲେ ସାହିତ୍ୟାନୁରାଗୀ ଓ ପ୍ରତିଭା ଚିହ୍ନୁଥିବା ଧନୀକ ସାମନ୍ତ । ପଦ୍ମପୁରରେ କବିଙ୍କ ସ୍ମୃତିକୁ ଅମର କରି ରଖିବା ପାଇଁ ସେ 'କବିବରପୁର' ନାମରେ ଏକ ନୂତନ ଗ୍ରାମ ପ୍ରତିଷ୍ଠା କରିଥିଲେ । ତେଣ୍ଡାପଦର ନାମକ ଏକ ଗ୍ରାମ ସେ କବିଙ୍କୁ ପୁରସ୍କାର ରୂପେ ଦାନ କରିଥିଲେ । ଗଙ୍ଗାଧର ମେହେର ସେଠାରେ ରହିଯିବାକୁ ଭାବିଲେ । ଏମିତି ହେଲା ଯେ ଅବସର ଗ୍ରହଣ ପରେ ଅନେକ ରୋଜଗାର ଟଙ୍କା ଓ ବରପାଲିର ଜମିରୁ ଉତ୍ପାଦିତ ଫସଲ ଆୟରୁ ଗଙ୍ଗାଧର ଆଖିବୁଜା ଖର୍ଚ୍ଚ କଲେ ତେଣ୍ଡାପଦର ଗାଁ ଜମିରେ ଫସଲ ଫଳାଇବା ପାଇଁ । କିନ୍ତୁ ବର୍ଷା ବାଦ ସାଧିଲା । ଦି' ବର୍ଷ ଧରି କବି ଖର୍ଚ୍ଚାନ୍ତ ହେଲେ । ବିଶେଷ କିଛି ସୁଫଳ ମିଳିଲା ନାହିଁ । ସେତିକିବେଳେ ଜନ୍ମମାଟିର ଆହ୍ୱାନ ଶୁଭିଲା । ମନେପଡ଼ିଗଲା ନୃପରାଜ ସିଂହଙ୍କ ନାତି ସୂର୍ଯ୍ୟୋଦୟ ସିଂହ ବରପାଲିରୁ ୨୦.୧୦.୧୯୧୬ ତାରିଖରେ ଲେଖିଥିବା ଚିଠି କଥା । ଚିଠିରେ ସେ ଲେଖିଥିଲେ- "ବରପାଲିର ପ୍ରାଚୀନ ଓ ଆଧୁନିକ ରାଜନୀତିରେ ଆପଣ ଅଭିଜ୍ଞ । ବିଶେଷତଃ ଆପଣଙ୍କ ଲେଖନୀ ନିଃସୃତ ଅମୃତମୟୀ କବିତା ସ୍ରୋତରେ ଅନୁର୍ବର ଉତ୍କଳଖଣ୍ଡ ପ୍ଳାବିତ ହେଉଅଛି । ଉତ୍କଳର ସୁଯୋଗ୍ୟ ସନ୍ତାନଗଣ ଆପଣଙ୍କର ସଦ୍‍ଗୁଣରେ ମୁଗ୍‍ଧ ହୋଇ ଆପଣଙ୍କର ଏକାନ୍ତ ସହବାସ ବାସନା କରିଥାନ୍ତି । ମୁଁ ଆପଣଙ୍କର ପ୍ରଶଂସନୀୟ ସଦ୍‍ଗୁଣରେ ଅଧୁନା ଅତ୍ୟନ୍ତ ମୁଗ୍ଧହୋଇ ମୋହର ହୃଦୟ ମଧ୍ୟରେ ଏକ ଅଭିନବ ଆଶା ପୋଷଣ କରିଅଛି । ସେହି ଆଶା ଅନ୍ୟ କିଛି ନୁହେଁ; କେବଳ ଆପଣଙ୍କ ସହ ଅହରହ ସଦାଳାପ କରିବା, ଆପଣଙ୍କ ମଧୁମୟ ଉପଦେଶ ଗ୍ରହଣ କରି ସୁନୀତିରେ ପରିଚାଳିତ ହେବା ଏବଂ ଜୀବନର ପବିତ୍ର କର୍ତ୍ତବ୍ୟ ସୁଚାରୁରୂପେ ପ୍ରତିପାଦନ କରିବା ମାତ୍ର । ସୁତରାଂ ଆପଣ ମୋହର ଏକମାତ୍ର ଅଭିଭାବକ ସ୍ୱରୂପ ମୋହୋର ପ୍ରତ୍ୟେକ କାର୍ଯ୍ୟର ସହାୟକ ହେବେ । ମୁଁ ଆପଣଙ୍କର ଅବଶିଷ୍ଟ ଜୀବନ ଆପଣ ଯେମନ୍ତ ପବିତ୍ର ସୁଖ ଶାନ୍ତିରେ ଅତିବାହିତ କରନ୍ତି, ତତ୍‍ପ୍ରତି ସମୁଚିତ ବନ୍ଦୋବସ୍ତ କରିଦେବି । ଆପଣଙ୍କୁ ଆପଣଙ୍କ ଜୀବଦ୍ଦଶା ପର୍ଯ୍ୟନ୍ତ ମାସିକ ତ୍ରିଂଶ ଟଙ୍କା (୩୦ ଟଙ୍କା) ହିସାବରେ ବୃତ୍ତି ଦେବି । ଏତଦ୍‍ଭିନ୍ନ ରାଜ ସଂସାରର ସମ୍ମାନ ଆପଣଙ୍କ ପ୍ରତି ଯଥୋଚିତ ରୂପେ ପ୍ରଦତ୍ତ ହେଉଥିବ ।" ଜନ୍ମମାଟିର ଆକର୍ଷଣ ସାଙ୍ଗକୁ ନୂଆ ଜମିଦାରଙ୍କ ଏହି ସମ୍ମାନଜନକ ପତ୍ର ଗଙ୍ଗାଧରଙ୍କ ମନକୁ ଛୁଇଁଥିଲା ।

ତେଣ୍ଡାପଦର ଜମିରୁ ଶସ୍ୟ ଉତ୍ପାଦନରେ ବିଫଳ କବି ବିରକ୍ତ ଥିଲେ । ତେଣୁ ହଠାତ୍‍ ନିଷ୍ପତ୍ତି ନେଲେ ପଦ୍ମପୁରର ମାୟା ତୁଟେଇଦେବେ । ତାହା କଲେ ବି । ୧୯୨୦ ମସିହା ମାଘପୂର୍ଣ୍ଣମୀ ଦିନ ସେ ଫେରି ଆସିଲେ ବରପାଲିକୁ । ଗଙ୍ଗାଧରଙ୍କୁ କବି ବୋଲି ବରପାଲି ଅଞ୍ଚଳରେ ବିଶେଷ ଭାବେ ଜାଣିଥିଲେ ପଣ୍ଡିତ ରାଘବ ମିଶ୍ର । ରାଘବ ମିଶ୍ର ବରଗଡ଼ ଜିଲ୍ଲାର ଅଡ଼ଗାଁ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ଗଙ୍ଗାଧର ମେହେରଙ୍କ ପୁତ୍ର ଭଗବାନ ମେହେର 'ପିତୃପ୍ରସଙ୍ଗ' ପୁସ୍ତକରେ ସୂଚାଇଛନ୍ତି "ଯେହେତୁ ରାଘବ ମିଶ୍ର କଟକ ଟ୍ରେନିଂ ସ୍କୁଲରେ ଅଧ୍ୟୟନ କରି ସେ ଅଞ୍ଚଳର ଶିକ୍ଷିତ ଲୋକଙ୍କ ସଂସର୍ଗରେ ଆସି ପିତାଙ୍କ ସଂପର୍କୀୟ ବହୁ ଅଭିଜ୍ଞତା ଅର୍ଜନ କରିଥିଲେ, ତେଣୁ ପିତାଙ୍କ ପ୍ରତି ବାବୁ ରାଘବ ମିଶ୍ରଙ୍କ ଅନୁରକ୍ତି ବୃଦ୍ଧି ପାଇଥିଲା ।" ଗଙ୍ଗାଧର ପଦ୍ମପୁରରେ ଥିବା ସମୟରେ ପଣ୍ଡିତ ମିଶ୍ର ଘଣାମାଲ ଗ୍ରାମର ପ୍ରାଇମେରୀ ସ୍କୁଲରେ ଶିକ୍ଷକ ଥିଲେ । ୧୯୨୨ରେ ରାଘବ ବରପାଲି ମାଇନର ସ୍କୁଲର ହେଡ୍‍ପଣ୍ଡିତ ହେବାରୁ ଗଙ୍ଗାଧରଙ୍କ ସହିତ ତାଙ୍କର ବାରମ୍ବାର ସାକ୍ଷାତ୍‍ ଘଟୁଥିଲା ।

ବରପାଲିରେ ପହଞ୍ଚିବା ପରେ ଗଙ୍ଗାଧର ଲୋକହିତକର କାମ ଓ ଶିକ୍ଷାନୁଷ୍ଠାନ ଆଦିର ତତ୍ତ୍ୱାବଧାନରେ ମୁଣ୍ଡ ଖେଳେଇଲେ । ଏତେଦିନ ଧରି ସାହିତ୍ୟ ମାଧ୍ୟମରେ ନିଜର ଜୀବନାଦର୍ଶକୁ ପ୍ରତିଫଳିତ କରିଥିବା ଗଙ୍ଗାଧର ବାସ୍ତବରେ ତାହାକୁ ଲୋକଜୀବନରେ ପରୀକ୍ଷା କରିବା ପାଇଁ ଚାହିଥିଲେ । ଗଙ୍ଗାଧର ଭଲ ଭାବେ ବୁଝିଥିଲେ, ଭାବସଂଗୋପନର ପ୍ରକୃଷ୍ଟ ମାଧ୍ୟମ ହେଉଛି ଭାଷା । ଦୁଷ୍ମନ୍ତ ହୁଅନ୍ତୁ କି ଚପଳା ଅଥବା ରାବଣ ଚରିତ୍ର କିମ୍ବା ଇତିହାସର ଆଲ୍ଲାଉଦ୍ଦିନ୍- ସମସ୍ତଙ୍କ ଭାଷା ତ ଭାବ ଲୁଚେଇଛି । ସେ ରାଜାମାନଙ୍କ ସହିତ କାରବାର କରିଥିଲେ । କିନ୍ତୁ ସୂର୍ଯ୍ୟୋଦୟ ସିଂହ, ଯିଏ ତାଙ୍କ ଆଖି ଦେଖନ୍ତାରେ ଜନ୍ମିତ, ଯାହାଙ୍କ ଜନ୍ମ ଉତ୍ସବ ପାଇଁ ସେ ଲେଖିଥିଲେ 'କୁମାର ଜନ୍ମୋତ୍ସବ' କବିତା- ତାଙ୍କର କଥା-ଭାଷା ଓ କାମ ମଧ୍ୟରେ ତାଳମେଳ ନଥିବ- ଏ କଥା ଦୂରଦୃଷ୍ଟିରେ ସେ ଦେଖିପାରି ନଥିଲେ । ବରପାଲିରେ ପହଞ୍ଚି ସେ ତାଙ୍କ ଉଦ୍‍ଭ୍ରାନ୍ତତା ସମ୍ପର୍କରେ ଜାଣିଲେ । ଜମିଦାରଙ୍କୁ ଯାହା ଯେପରି ପରାମର୍ଶ ଦେଲେ ତାହା ଗୃହୀତ ହେଲାନାହିଁ । ହିତୋପଦେଶ ବି କାଟୁ କଲାନାହିଁ ।

ସୂର୍ଯ୍ୟୋଦୟ ସିଂହ ଯୁବକ, ପୁଣି ଜମିଦାର । ଧନ ସାଙ୍ଗକୁ ପ୍ରଭୁପଣ ଯୋଡ଼ି ହୋଇଯାଇଛି । ଗଙ୍ଗାଧରଙ୍କୁ ଅଭିଭାବକ ରୂପେ ସହାୟକ ହେବାପାଇଁ ସେ ଚିଠି ଲେଖିଥିଲେ । କିନ୍ତୁ ଗଙ୍ଗାଧରଙ୍କୁ ସେ ମାନିବେ କିପରି ? ସେ ଯେ ମାଲିକ ! ଗଙ୍ଗାଧର ତ ଦରମା-ନିଆ ଚାକର । ଏପରି ପରିସ୍ଥିତି ଉପୁଜିଲା ଯେ ସୂର୍ଯ୍ୟୋଦୟଙ୍କ ପିତାମହୀ ଓ ପିଉସୀ ବରପାଲିର ଜମିଦାରଙ୍କ କୋଠିରେ ରହିବାକୁ ନିରାପଦ ମଣିଲେ ନାହିଁ । ସେମାନଙ୍କର ଧନ, ଗହଣା ଉପରେ ଦୃଷ୍ଟି ପଡ଼ିଲା ଜମିଦାରଙ୍କର । ବାଧ୍ୟ ହୋଇ ସେମାନେ ବରପାଲି ଛାଡ଼ିଲେ । ରହିଲେ ଯାଇ ଖମାର ଗାଁ ହଳଦୀପାଲିରେ । ସ୍ୱାର୍ଥପର କାନକୁହାଙ୍କ ବୋଲରେ ପଡ଼ି ସୂର୍ଯ୍ୟୋଦୟ ମଧ୍ୟ ସାଧାରଣ ଲୋକଙ୍କ ଉପରେ ନାନା ଦୌରାତ୍ମ୍ୟ ଆରମ୍ଭ କଲେ । ଲୋକେ ଗଙ୍ଗାଧରଙ୍କ ପାଖରେ ସେକଥା କହିଲେ । ଗଙ୍ଗାଧର ନୃପରାଜ ସିଂହଙ୍କ ଅମଳର କର୍ମଚାରୀ, ପୁଣି ବରପାଲିର ଲୋକ- ଏତକ ବିଶ୍ୱାସରେ ଲୋକେ ତାଙ୍କୁ ଧରିଲେ । ସେମାନଙ୍କ ପ୍ରତି ହେଉଥିବା ଅନ୍ୟାୟ, ଅନାଚାର ସମ୍ବନ୍ଧରେ ବୁଝାଇଲେ । ଗଙ୍ଗାଧର ସେମାନଙ୍କୁ ଏକ ଅନୁଷ୍ଠାନ ଗଢ଼ିବାକୁ ପରାମର୍ଶ ଦେଲେ । ଉଦ୍ଦେଶ୍ୟ- ଲୋକେ ଏକଜୁଟ ହୋଇ ଅନ୍ୟାୟର ବିରୋଧ କରିବେ । ତାହା ହେଲା । ୨୫ ଜୁଲାଇ, ୧୯୨୧ରେ ଏକ ସମିତି ଗଢ଼ାହେଲା । ନାଁ ରଖାଗଲା 'ସାଧୁ ସମିତି' । ଗଙ୍ଗାଧର ବ୍ୟକ୍ତିଗତ ଜୀବନରେ ସାଧୁତାକୁ ଗୁରୁତ୍ୱ ଦେଉଥିଲା । ସାଧୁତା ବେଶପଟାରେ ନଥାଏ; ତାହା ଅନ୍ତରର ସ୍ୱଭାବ । ଯତିବେଶରେ ରାବଣ ସୀତାଙ୍କୁ ଚୋରିକରି ନେବା କାଳରେ ସୀତାଙ୍କ ମୁହଁରେ ଗଙ୍ଗାଧରଙ୍କର ଭାଷାଥିଲା- "ଜାଣିଲି ବେଶ ନୁହେଁ ଗୁଣର ଚିହ୍ନ/ ବାହାରେ ସାଧୁବେଶ, ଭିତରେ ଭିନ୍ନ ।" (ତପସ୍ୱିନୀ- ସପ୍ତମସର୍ଗ) କାବ୍ୟର ଭାଷାକୁ ଗଙ୍ଗାଧର ବାସ୍ତବ ଚରିତ୍ରର ଭାବରେ ପରଖି ବାରମ୍ବାର ହୁଏତ ମନେପକାଇଥିବେ 'ତପସ୍ୱିନୀ'କୁ । ଯାହାହେଉ, 'ସାଧୁ ସମିତି'ର ସଭାପତି ହେଲେ ଜମିଦାର ସୂର୍ଯ୍ୟୋଦୟ ସିଂହ ଏବଂ ସମ୍ପାଦକ ସେ ନିଜେ । "ଯେଉଁମାନେ ସତ୍ୟ, ନ୍ୟାୟରେ ଥାଇ ପବିତ୍ର ଓ ସରଳ ଜୀବନରେ ଚଳିବାକୁ ଓ ଅନ୍ୟାୟ ଅତ୍ୟାଚାର ନିବାରଣ କଳ୍ପେ ବିହିତ ପ୍ରତିକାର କରିବାରେ ସାହାଯ୍ୟ କରିବାକୁ ଓ ସମିତିର ନିୟମାନୁସାରେ ଚଳିବାକୁ ପ୍ରତିଜ୍ଞାବଦ୍ଧ ହେବେ, ସେମାନେ ଏହି ସମିତିର ସଭ୍ୟଶ୍ରେଣୀରେ ଭୁକ୍ତ ହେବେ ବୋଲି ନିୟମ କରାଗଲା । ମଦ୍ୟପ ଓ ଜୁଆଡ଼ିମାନଙ୍କୁ ସଭ୍ୟଭାବେ ଗ୍ରହଣ ନକରିବାକୁ ନିଷ୍ପତ୍ତି ନିଆଗଲା ।" (ପିତୃପ୍ରସଙ୍ଗ) ସମିତି ଜରିଆରେ ଲୋକମାନଙ୍କ ମଧ୍ୟରେ ଘଟୁଥିବା ବାଦ ବିବାଦ ବିନାଖର୍ଚ୍ଚରେ ଫଇସଲା ହେଲା । ଶୁଖିଲାଟାରେ ହାତଚିକ୍‍କଣ କରୁଥିବା ଲୋକଙ୍କୁ କଥାଟି ଅଡୁଆ ଲାଗିଲା । ସେମାନେ ଜମିଦାରଙ୍କ କାନରେ ଏ ଘେନି ବାରକଥା ପକେଇଲେ । ଜମିଦାର ସମିତିଆଡେ଼ ସୁନଜର ଦେଲେ ନାହିଁ । ଭାଙ୍ଗୁଣିଆ କେତେଜଣ ସଭ୍ୟପଦରୁ ଓହରିଗଲେ । ସେହି ସମୟରେ ଜଣେ ଗୁଡ଼ିଆ ଜାତିର ଲୋକ ମାରଓ୍ୱାଡ଼ିଙ୍କ ଶବସତ୍କାରରେ ଯୋଗ ଦେଇଥିବାରୁ ତାକୁ ଜାତିରୁ ଅଟକ କରାଇବା ପାଇଁ ଚକ୍ରାନ୍ତ ହେଲା । ଏହା ପଛରେ ନିଜେ ଜମିଦାର ଥିଲେ । ତାଙ୍କ ଜାତି ପାଟକର ବିଚାରରେ ଗୁଡ଼ିଆ ଜଣକ ନିର୍ଦ୍ଦୋଷ ବୋଲି କୁହାଗଲେ ବି ଏଥିରେ ଜମିଦାର ସମ୍ମତ ହେଲେ ନାହିଁ । ଏ ଘେନି ବ୍ରାହ୍ମଣସଭାରେ ଚର୍ଚ୍ଚା ହେବାବେଳେ ଗଙ୍ଗାଧରଙ୍କୁ ବି ଅପମାନିତ କରାଗଲା ।

କବିର ଜୀବନ ସାଥିରେ ସାଧୁର ଜୀବନ ପାଇଁ ନନ୍ଦକିଶୋର ବଳ ପ୍ରାର୍ଥନା କରୁଥିଲେ ଅନ୍ତର୍ଯ୍ୟାମୀ, ପତିତପାବନଙ୍କୁ । (କବିର ପ୍ରାର୍ଥନା) ଗଙ୍ଗାଧର କିନ୍ତୁ ପ୍ରଥମେ ସାଧୁ, ପରେ କବି । ପିଲାଟିବେଳରୁ ଧୀରସ୍ଥିର ଓ ଅଧ୍ୟାତ୍ମ୍ୟମୁଖୀ । ସେଥିପାଇଁ ଜନକଲ୍ୟାଣ ପାଇଁ ଗଢ଼ାଯାଇଥିବା ସମିତିର ନାଁ ସେ ରଖିଥିଲେ 'ସାଧୁ ସମିତି' । ଗାନ୍ଧିଜୀଙ୍କ ଅହିଂସା ନୀତିର ଅନୁସରଣରେ ଗଙ୍ଗାଧର ବୋଧହୁଏ ନିଜ ଜୀବନକୁ ଗଢ଼ିବାକୁ ସାଧନା କରୁଥିଲେ । ଲୋକଙ୍କ ସଙ୍କଟ କାଳରେ, ନା ସେ ସୁଧାରି ପାରିଲେ ଜମିଦାରଙ୍କୁ ନା ଲୋକମାନଙ୍କୁ କରିପାରିଲେ ଦୁର୍ଦ୍ଦଶାରୁ ରକ୍ଷା । ମୂଲ୍ୟବୋଧକୁ ଗୁରୁତ୍ୱ ଦେଉଥିବା ଗଙ୍ଗାଧର ହୀନସ୍ତା ଭୋଗିବା ଅପେକ୍ଷା ଚାକିରି ଛାଡ଼ିଦେବାକୁ ମନ ସ୍ଥିର କଲେ । ଇସ୍ତଫା ଦେଇଦେଲେ ୨୫ ଅଗଷ୍ଟ, ୧୯୨୩ରେ । ଜମିଦାରଙ୍କ ତରଫରୁ ତାଙ୍କୁ ଓ ତାଙ୍କ ପରିବାରକୁ ହରକତ କରାଗଲା । ସେ କିନ୍ତୁ ସ୍ଥିତଧୀ । ନିର୍ବିକାର । କାହା ବିରୋଧରେ ତୁଣ୍ଡ ଖୋଲିବା ଥିଲା ତାଙ୍କ ସ୍ୱଭାବବିରୁଦ୍ଧ ।

ନିଜ ଜାତିଭାଇଙ୍କୁ ଏକାଠି କରିବାପାଇଁ ଉଦ୍ୟମ କଲେ ଗଙ୍ଗାଧର । "ସମଜାତି ଦେଖି ପରସ୍ପର ମନ ସ୍ୱଭାବେ ହୁଅଇ ସମ" । (ପ୍ରଣୟ ବଲ୍ଲରୀ) ୨୫ ମାର୍ଚ୍ଚ, ୧୯୨୪ରେ 'ମେହେର ସଭା' ବରପାଲିରେ ଅନୁଷ୍ଠିତ ହେଲା । କେହି କେହି ଏ ଘେନି ବିଘ୍ନ ବି ଭେଇଲେ । ଗଙ୍ଗାଧର ସେତେବେଳକୁ ଅସୁସ୍ଥ । ଶଯ୍ୟାଶାୟୀ । ମେହେର ସଭାରେ ଭୁଲିଆ ମେହେରମାନେ ପାଟଣା, କଳାହାଣ୍ଡି, ଖଡ଼ିଆଳ, ବୌଦ, ସାରଙ୍ଗଗଡ଼, ପଦ୍ମପୁର, ଫୁଲଝର, ସମ୍ବଲପୁର, ଚନ୍ଦ୍ରପୁର ଆଦି ସ୍ଥାନରୁ ଆସି ଯୋଗ ଦେଇଥିଲେ । ଏ ଧରଣର ବୃହତ୍ତର ସାମାଜିକ କର୍ମର ପରିକଳ୍ପନା କରିଥିବା ଗଙ୍ଗାଧର ତହିଁର ସ୍ୱରୂପ ଦେଖିବାକୁ ସକ୍ଷମ ନଥିଲେ ।

ମହାପ୍ରୟାଣ :

ଓଡ଼ିଆ ଜାତିର ଭାଷା, ସାହିତ୍ୟ ଓ ସାମାଜିକ ସଂହତି ପାଇଁ ଗଙ୍ଗାଧର ସାଧ୍ୟମତେ କାମ କରୁଥିଲେ । ଦ୍ୱିତୀୟା ପତ୍ନୀ ଗ୍ରହଣ ପରେ ତାଙ୍କ ପାରିବାରିକ ପରିବେଶ ଅଶାନ୍ତ ରହୁଥିବା ଜଣାଯାଏ । ଗଙ୍ଗାଧରଙ୍କ ପୁତ୍ର ଭଗବାନ ଲେଖିଛନ୍ତି- "ଅଗ୍ରଜଙ୍କ ପରେ ମୁଁ ପରିବାରରେ ଏକାନ୍ତ ନିଃସଙ୍ଗବୋଧ କରିଥିଲି ଏବଂ ତଦ୍‍ବଧି ବିମାତାଙ୍କ ଦୃଷ୍ଟିରୁ ପିତା ମୋ ପ୍ରତି ସର୍ବଦା ଅଧିକ ସ୍ନେହଶୀଳ ହୋଇଥିବା ଉପଲବ୍‍ଧି କରିଥିଲି ।" ଅଧିକନ୍ତୁ ସେ ଆଉ ଠାଏ ଲେଖିଛନ୍ତି- "ମୋର ଦ୍ୱିତୀୟା ମାତାଙ୍କ ନାମ 'ଚମ୍ପା' ଥିଲା । ଏଠାରେ ଉଲ୍ଲେଖଯୋଗ୍ୟ ଏହି ଯେ ତାଙ୍କ ଗର୍ଭରୁ କୌଣସି ସନ୍ତାନସନ୍ତତି ଜନ୍ମ ଗ୍ରହଣ କରି ନଥିଲେ । ସେ ଆମର ବଂଶୀୟ ଗୋଟିଏ ପିଲା ଓ ନିଜ ମାତୃକୁଳର ଜଣେ ଦୁଇଜଣଙ୍କୁ ପୋଷ୍ୟପୁତ୍ର କରି ରଖିବାକୁ ଚାହୁଁଥିଲେ; ମାତ୍ର ତାହା ଫଳବତୀ ହୋଇପାରି ନଥିଲା । ସେମାନଙ୍କ ମଧ୍ୟରୁ ଜଣକର ଅକାଳ ବିୟୋଗ ଘଟିଥିଲା । ଅନ୍ୟ ଦୁଇଜଣ କିଛିଦିନ ରହି ଗୃହଛାଡ଼ି ଚାଲି ଯାଇଥିଲେ ।" (ପିତୃ ପ୍ରସଙ୍ଗ- ପୃ.-୪୨) ଏପରି ଅବସ୍ଥାରେ ଗଙ୍ଗାଧର "ସ୍ମାରଂ ସ୍ମାରଂ ସ୍ୱଗୃହ ଚରିତମ୍‍ ଦାରୁଭୂତୋ ମୁରାରି' ହୋଇଯିବା କଥା । ସେ କିନ୍ତୁ ଥିଲେ ସହିଷ୍ଣୁତାର ନୀରବ ପ୍ରତିମା । କଳହାନଳର ଜଞ୍ଜାଳ ତାଙ୍କୁ ଯେ ବେଳେବେଳେ ଅତିଷ୍ଠ କରି ନଥିବ ତାହା ନୁହେଁ । ତେବେ ଏ ବିଷୟରେ କବି ପ୍ରାୟଶଃ ନୀରବ ।

ପରିଣତ ବୟସରେ ଫେରିଥିଲେ ସେ ଜନ୍ମଭୂମି ବରପାଲିକୁ । ସମ୍ବଲପୁରରେ ଓଡ଼ିଆ ଭାଷା ସୁରକ୍ଷା ବାହିନୀର ଲଢ଼ୁଆ ସାରସ୍ୱତ ସୈନିକ, ନୀତି ଓ ମୂଲ୍ୟବୋଧର କାବ୍ୟ ଉଦ୍‍ଗାତା, ସଚ୍ଚୋଟ ଓ ନିରଳସ ସରକାରୀ କର୍ମଚାରୀ, ବନ୍ଧୁପ୍ରେମୀ ଗଙ୍ଗାଧରଙ୍କୁ ପଦ୍ମପୁର କାହିଁକି- ସୋନପୁର, କଳାହାଣ୍ଡି, ବାମଣ୍ଡା, ଲରମ୍ଭା ଆଦିରୁ ନିମନ୍ତ୍ରଣ ଆସୁଥିଲା ରହଣିର ସୁବ୍ୟବସ୍ଥା ସହିତ । ହେଲେ ସେ ଥିଲେ ଭିନ୍ନ ଧାତୁରେ ଗଢ଼ା ମହତ୍‍ପୁରୁଷ । ବ୍ୟକ୍ତିଗତ ଜୀବନରେ ପାଳନ କରି ଆସିଥିବା ସାଧୁତା ଓ ଆଦର୍ଶକୁ ବାସ୍ତବ ଜୀବନଭୂମିରେ ବିଞ୍ଚି ତତ୍‍କାଳୀନ ଜୀବନଭୂମିକୁ ଉଜାଡ଼ କରିବାକୁ ବସିଥିବା ଅନୀତି-ପୋକକୁ ସମାଜରୁ ନିଃଶେଷ କରିବାକୁ ପରୀକ୍ଷାସ୍ଥଳ ରୂପେ ବାଛି ନେଇଥିଲେ ନିଜର ଜନ୍ମିତ ଗାଁ ବରପାଲିକୁ । କିନ୍ତୁ ହେଲା କ'ଣ ? 'ସାଧୁ ସମିତି' ଗଢ଼ାଇ ସାଧୁ ଉଦ୍ୟମ ତାଙ୍କର ପଣ୍ଡଶ୍ରମରେ ପରିଣତ ହେଲା । କଲମ-ଚାଷରେ ଉତ୍ପାଦିତ ଶସ୍ୟ ସଂରକ୍ଷଣ ପାଇଁ ଯେଭଳି ଭୂମି ଗଢ଼ିବାର ମେହନତ ସେ କରିଗଲେ ତାହା ତାଙ୍କ ଭୂମିକାକୁ ବିରଳ କାବ୍ୟକାର ଭାବେ ଓଡ଼ିଆ ସାହିତ୍ୟରେ ସାବ୍ୟସ୍ତ କରୁଛି ।

୧୯୨୪ ମସିହା ଫାଲଗୁନ ପୂର୍ଣ୍ଣିିମାର ପାଞ୍ଚଦିନ ପୂର୍ବରୁ ଗଙ୍ଗାଧର ଅସୁସ୍ଥ ହୋଇପଡ଼ିଲେ । ଅଚେତ ରହିଲେ । ବରପାଲି ଡାକ୍ତରଖାନାର ଡାକ୍ତରଙ୍କ ଚିକିତ୍ସା କାଟୁ କଲାନାହିଁ । ପରିବାରର ଲୋକେ ତାଙ୍କୁ ବରଗଡ଼ ଡାକ୍ତରଖାନା ଆଣିବାରେ ସୁବିଧା କରିପାରିଲେ ନାହିଁ । ଗମନାଗମନ ପାଇଁ ଗାଡ଼ି ଚଳାଚଳର ବ୍ୟବସ୍ଥା ନଥିଲା । ଆୟୁର୍ବେଦୀୟ ଚିକିତ୍ସାରେ କିଛିଦିନ ଚିକିତ୍ସିତ ହୋଇ ସେ ଶେଷ ନିଃଶ୍ୱାସ ତ୍ୟାଗ କଲେ ୪ ଏପ୍ରିଲ, ୧୯୨୪, ଚୈତ୍ର ଅମାବାସ୍ୟାରେ ।

ଗଙ୍ଗାଧରଙ୍କ ସାହିତ୍ୟକୃତି :

ଓଡ଼ିଆ ସାହିତ୍ୟରେ ନବଜାଗରଣର ସ୍ୱର ଶୁଣାଇଥିବା କବିମାନଙ୍କ ମଧ୍ୟରେ ଗଙ୍ଗାଧର ମେହେର ଅନ୍ୟତମ । ଏହି ସ୍ୱର ସହିତ ନୂତନ ରୁଚିବୋଧର ସାହିତ୍ୟ ସଂରଚନା ନିମନ୍ତେ ରାଧାନାଥ ରାୟ, ମଧୁସୂଦନ ରାଓ, ଫକୀର ମୋହନ ସେନାପତି ଯେଉଁ ଆଧୁନିକତାର ସାହିତ୍ୟିକ ମୂଳଦୁଆ ପକାଇବା ଆରମ୍ଭ କରିଥିଲେ ତହିଁରେ ଗଙ୍ଗାଧରଙ୍କ ଶ୍ରମଦାନ ବାରି ହୋଇପଡେ଼ । ସଂସ୍କୃତ କାବ୍ୟ,ନାଟକ,ଓଡ଼ିଆ ପୁରାଣାଦି ପୁରୁଣା ସାହିତ୍ୟ ଅବଲମ୍ବ‌ନରେ ଗଙ୍ଗାଧର ଯେଉଁ ନୂଆରୁଚିର ଓଡ଼ିଆ ସାହିତ୍ୟ ସୃଷ୍ଟି କରିଯାଇଛନ୍ତି ତାହା ତାଙ୍କ ନୂତନତା ଏବଂ ସବୁ ସମୟରେ ପାଠକମାନଙ୍କ ପାଖରେ ତାଙ୍କ ସୃଷ୍ଟି ଆଦର ଲଭିବାର ନିଜସ୍ୱ କଳା-କୌଶଳ । ଗଙ୍ଗାଧର ମେହେର ସଂସ୍କୃତ ସାହିତ୍ୟ ଅନୁସରଣରେ କାବ୍ୟ ସୃଷ୍ଟି କରିଛନ୍ତି- ଏହା ସବୁଠି ସ୍ୱୀକାର କରିଛନ୍ତି । ଗଙ୍ଗାଧରଙ୍କ ଲକ୍ଷ୍ୟ ଥିଲା, ସଂସ୍କୃତ ଭାରତୀଙ୍କ ଅମୂଲ୍ୟ ତଥା ଅଳ୍ପଜ୍ଞାତ ସମ୍ପଦକୁ ମାତୃଭାଷା ଜରିଆରେ ଓଡ଼ିଆମାନଙ୍କୁ ଯୁଗୋପଯୋଗୀ ରୀତିରେ ଅବବୋଧ କରାଇବା । ସେ କିନ୍ତୁ ଓଡ଼ିଆ ଭାଷା ଓ ସାହିତ୍ୟର ସମୁନ୍ନତି ପାଇଁ ନିଜେ ପଢ଼ିଥିବା ଓ ବୁଝିଥିବା ସଂସ୍କୃତ ସାହିତ୍ୟକୁ ତାଙ୍କରି ଭଳି ଲୋକଙ୍କ ମଧ୍ୟରେ ବାଣ୍ଟିବାକୁ ଚେଷ୍ଟା କରିଛନ୍ତି । ସଫଳ ବି ହୋଇଛନ୍ତି । ସଂସ୍କୃତ ଓ ଓଡ଼ିଆ ଭାଷା-ସାହିତ୍ୟ ସମ୍ପର୍କରେ ତାଙ୍କ ଦୃଷ୍ଟିକୋଣକୁ ତାଙ୍କରି ସାହିତ୍ୟରୁ ଦେଖିହୁଏ । "ସଂସ୍କୃତ ଭାଷାରୁ ଉତ୍କଳ ଭାଷାର ଜନ୍ମ । ସଂସ୍କୃତ ଭାଷାର ଅକ୍ଷର ଦେବନାଗରୀ । ଦେବନାଗରୀ ଅକ୍ଷରରୁ ଉତ୍କଳ ଅକ୍ଷର ହୋଇଥିବା କଥା ବୋଧହୁଏ କେହି ଅସ୍ୱୀକାର କରିବେ ନାହିଁ ।" (ବି' ଭେଦ) କିନ୍ତୁ 'ବେଦବ୍ୟାସ' କବିତାରେ ସରସ୍ୱତୀ ସହିତ ଶଙ୍ଖସ୍ରୋତର ମିଶ୍ରଣକୁ ଗଙ୍ଗାଧର ଏହିଭଳି ବର୍ଣ୍ଣନା କରିଛନ୍ତି- }}

ସରସ୍ୱତୀ କୁଣ୍ଡୁଁ ବହେ ସରସ୍ୱତୀ,
କ୍ଷୀଣାଙ୍ଗୀ ଉତ୍କଳେ ଯଥା ସରସ୍ୱତୀ ।
ନିକଟରେ ଶଙ୍ଖ ସ୍ରୋତ ସଙ୍ଗ ପାଇ
ଦେଉଅଛି ନିଜ ଜୀବନ ମିଶାଇ ।
ସଂସ୍କୃତ ଭାରତୀ ଉତ୍କଳେ ଯେସନ,
ମିଶ୍ରିତ କରିଛି ନିଜ ଅପଘନ ।

ଓଡ଼ିଆ ଭାଷା ସଂସ୍କୃତ ଭାଷାରୁ ଉତ୍ପନ୍ନ । ଗଙ୍ଗାଧରଙ୍କ ସମୟରେ ଦୁଇଭାଷାର ତଫାତ୍‍ ଥିଲା । ଏବେ ବି ଅଛି । ଗଙ୍ଗାଧର ନଦୀ ଦୁଇଟିର ରୂପ ଦେଇ ଭାଷା ଦୁଇଟିର ଅବସ୍ଥା ସୂଚାଇଛନ୍ତି । ଯେଭଳି ଚିତ୍ରାତ୍ମକ ରୀତିରେ ଉପସ୍ଥାପନ । 'ଉତ୍କଳ ଭାରତୀଙ୍କ ନିବେଦନ' କବିତାରେ ଉତ୍କଳ ଭାରତୀଙ୍କ କଥା ଛଳରେ ଗଙ୍ଗାଧର ବାମଣ୍ଡା, ପାଟଣା, କଳାହାଣ୍ଡି, ବରପାଲ୍ଲି, ସୋନପୁର ଆଦିର ରାଜାଙ୍କୁ ଓଡ଼ିଆ ଭାଷା ସମ୍ବଲପୁର କଚେରିରେ ପ୍ରଚଳିତ ହେବାପାଇଁ କମିଶନରଙ୍କୁ ଜଣାଇବା ନିମନ୍ତେ ଅନୁରୋଧ କରିଛନ୍ତି । ସୋନପୁର ରାଜବାଟୀରେ ସଂସ୍କୃତ ଭାଷା-ସାହିତ୍ୟର ଚର୍ଚ୍ଚା ବିଶେଷ ଭାବେ ଚଳୁଥିବାରୁ ଅଭିମାନଭରା କଣ୍ଠରେ ଶୁଣାଇଛନ୍ତି- }}

ସ୍ୱର୍ଣ୍ଣପୁର ପତି ବସିଛ ସ୍ୱର୍ଣ୍ଣମୟ ଆସନେ,
ସଂସ୍କୃତେ ମାତିଛ ମୋ କଥା କାହିଁ ପଡ଼ିବ ମନେ ?

ପୁଣି ବିଶୁଦ୍ଧ ସଂସ୍କୃତ ଜ୍ଞାନ ବଞ୍ଚାଇବା ପାଇଁ ସଭ୍ୟଲୋକେ ଆଗ୍ରହୀ ଥିବା ସେ 'ନିଦାଘ ରାଜତ୍ୱ' କବିତାରେ ଲେଖିଛନ୍ତି । ଓଡ଼ିଆ ଭାଷା ଓ ମଧ୍ୟପ୍ରଦେଶ ଭାଷା ମଧ୍ୟରେ ଥିବା ପ୍ରଭେଦକୁ ଗଙ୍ଗାଧର ଦୁଇଟି ଖାଦ୍ୟ ଚିତ୍ର ଜରିଆରେ ପ୍ରକାଶ କରିଛନ୍ତି । କଳାହାଣ୍ଡି ରାଜାଙ୍କ ଉଦ୍ଦେଶ୍ୟରେ ଉତ୍କଳ ଭାରତୀ ଅନୁରୋଧ କରିବାର ଭାଷା ଏହିପରି- }}

ଦେଖ କି ନା ରଘୁ କିଶୋର କଳାହାଣ୍ଡି ଭୂପତି
ଘର ଭାତହାଣ୍ଡି ନୁହେଁ କି ମୁଁ ଉତ୍କଳ ଭାରତୀ ?
ସେହି ଭାତହାଣ୍ଡି ଆଗରେ ତୁମେ ଯାଉଛ ଫୁଟି
ଖାଇବାକୁ ଏବେ ପଡ଼ିବ ଶୁଖା କର୍କଶ ରୁଟି ।

(ଉତ୍କଳ-ଭାରତୀଙ୍କ ନିବେଦନ)

'ଭାତ' ଆଉ 'ଶୁଖା ରୁଟି' ବାହାରକୁ ଯଥାକ୍ରମେ ଓଡ଼ିଆ ଏବଂ ହିନ୍ଦୀ ଭାଷାର ସଂସ୍କୃତିର ପ୍ରତୀକ । କିନ୍ତୁ ଏକଥା କହିବା ପଛରେ କବିଙ୍କ ମାନସିକ ଜ୍ୱାଳା ବାରି ହୋଇପଡେ଼ । ବସ୍ତୁତଃ ନିଜର ଶିକ୍ଷାଗତ ଯୋଗ୍ୟତା ଦୃଷ୍ଟିରୁ ସଂସ୍କୃତ ଭାଷା-ସାହିତ୍ୟ ଅଧ୍ୟୟନ କରି ତହିଁରୁ ଆହୃତ ମୂଲ୍ୟବାନ ସମ୍ପଦରେ ଓଡ଼ିଆ ଭାଷା-ସାହିତ୍ୟକୁ ପୁଷ୍ଟ କରିବା ଗଙ୍ଗାଧରଙ୍କର ପ୍ରମୁଖ ଲକ୍ଷ୍ୟ ଥିଲା । ଲିପି ସଂସ୍କାର ଆଳରେ ଓଡ଼ିଆ ଲିପି ପରିବର୍ତ୍ତନ ରେ ଯଥେଚ୍ଛାଚାର ନଘଟିବାପାଇଁ ସେ 'ଉତ୍କଳଭାରତୀଙ୍କ ଉକ୍ତି' କବିତା ଜରିଆରେ ନିବେଦନ କରିଥିଲେ । ମାତୃଭୂମି, ମାତୃଭାଷା ଓ ଆଧ୍ୟାତ୍ମିକତା ପ୍ରତି ତାଙ୍କର ଆବେଗିକ ଦୁର୍ବଳତା ତାଙ୍କ କାବ୍ୟ-କବିତା ଓ ଗଦ୍ୟ ରଚନାବଳୀରୁ ବାରି ହୋଇପଡେ଼ । ତାଙ୍କ ଲିଖିତ ଏହି ପଦଟି ଏବେ ବି ଅଗଣିତ ଓଡ଼ିଆଙ୍କ ମୁହଁରେ ସୂକ୍ତି ହୋଇ ଫୁଟୁଛି -

ମାତୃଭୂମି ମାତୃଭାଷାରେ ମମତା ଯା'ହୃଦେ ଜନମି ନାହିଁ
ତାକୁ ଯେବେ ଜ୍ଞାନୀ ଗଣରେ ଗଣିବା ଅଜ୍ଞାନ ରହିବେ କାହିଁ ?

(ମାତୃଭୂମି-ଅର୍ଘ୍ୟଥାଳୀ)

ଭାରତୀ କାନନରେ ଭ୍ରମଣ କରି ଉପାଦେୟ ଫୁଲ ତୋଳିବେ ଏବଂ ତହିଁରେ ଉତ୍କଳ ଭାରତୀଙ୍କୁ ସଜେଇବେ, ଅପର ଅର୍ଥରେ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିବେ, ଏହା ଗଙ୍ଗାଧରଙ୍କର ଲକ୍ଷ୍ୟ ଥିଲା ।

ତାଙ୍କ ରଚିତ ଆଦ୍ୟ ସାହିତ୍ୟ କୃତି ହେଉଛି 'ରସ-ରତ୍ନାକର' । ଅମିନରୂପେ ବରପାଲି ଜମିଦାରିରେ ଚାକିରି କରିବା ପୂର୍ବରୁ ଗଙ୍ଗାଧର ତନ୍ତଚାଳନା ସହିତ ସାହିତ୍ୟ ଅଧ୍ୟୟ କରୁଥିଲେ । ବେଳେବେଳେ ଛାନ୍ଦ ରୀତିରେ କବିତା ବି ଲେଖୁଥିଲେ । ବୋଧହୁଏ ୧୮୮୨ରୁ ୧୮୮୫ ମଧ୍ୟରେ କୌତୂହଳ ବଶତଃ ଉଷା-ଅନିରୁଦ୍ଧଙ୍କ ପ୍ରେମ ଆଖ୍ୟାନକୁ ମଧ୍ୟକାଳୀନ ଓଡ଼ିଆ ରୀତିକାବ୍ୟ ଆଦର୍ଶରେ ଲେଖିଛନ୍ତି । ରାକ୍ଷସ ବାଣର କନ୍ୟା ଉଷା । ବାଣର ହଜାରେ ହାତ । ବାଣର ରାଜଧାନୀ ରକ୍ତପୁର । ଯୁବତୀ ଉଷା ସ୍ୱପ୍ନରେ ଅନିରୁଦ୍ଧଙ୍କୁ ଦେଖିଲେ । ଅନିରୁଦ୍ଧ କୃଷ୍ଣପୁତ୍ର ପ୍ରଦ୍ୟୁମ୍ନଙ୍କ ସନ୍ତାନ । ଉଷାର ସଖୀ, ମନ୍ତ୍ରୀକନ୍ୟା ଚିତ୍ରଲେଖା ସିଦ୍ଧବିଦ୍ୟା ଜାଣିଥିଲେ । ଅନିରୁଦ୍ଧଙ୍କୁ ନେଇଆସି ଉଷା ପ୍ରକୋଷ୍ଠରେ ଛାଡ଼ିଲା । ଏହା ଜାଣି ବାଣ ଅନିରୁଦ୍ଧକୁ ବନ୍ଦୀ କଲା । ନାରଦଙ୍କଠାରୁ ଏ ବାର୍ତ୍ତା ପାଇ କୃଷ୍ଣ-ବଳରାମ ସସୈନ୍ୟ ଆସିଲେ । ବାଣର ହଜାରେ ହାତକୁ ଛେଦନ କଲେ । ଅନିରୁଦ୍ଧ-ଉଷାକୁ ନେଇ ଦ୍ୱାରକା ଗଲେ ।

ରୀତିକାବ୍ୟ ଆଦର୍ଶରୁ ଏହା ଆଦ୍ୟ ଓ ପ୍ରାନ୍ତ 'ର' ବର୍ଣ୍ଣ ନିୟମରେ ରଚିତ । ଭିନ୍ନ ଭିନ୍ନ ରାଗରେ କାବ୍ୟଟି ଆଠଛାନ୍ଦ ବିଶିଷ୍ଟ ରଚନା । ଆରମ୍ଭରେ ରାମଚନ୍ଦ୍ରଙ୍କୁ ମଙ୍ଗଳାଚରଣ କରାଯାଇଛି । କାବ୍ୟର ଶୈଳୀ ସମ୍ପର୍କରେ ଏହିଭଳି ସୂଚନା ଦେଇଛନ୍ତି କବି-

ର-ଥାଇ ଆଦ୍ୟ ପ୍ରାନ୍ତରେ ଭାବ ସୁମଧୁର
ରସ‌ଯୁତ ପଦ ହେଉ ବୁଧ ଚିତ୍ତ‌ହର ।

ନାୟିକାର ଯୌବନ ବର୍ଣ୍ଣନା, ଉପବନ ବିହାର, ସ୍ୱପ୍ନଦର୍ଶନ, ନାୟିକା ସହିତ ନାୟକର ମିଳନ ଆଦି ଚିତ୍ର ରହିଛି ଏହି କାବ୍ୟରେ । ସମୟୋପଯୋଗୀ ନୂତନତା ନା ଅଛି ଛନ୍ଦରେ କି ବିଷୟବସ୍ତୁ ପରିବେଷଣରେ । ତେଣୁ ପୁରାଣ ଅନୁସରଣରେ ପରିକଳ୍ପିତ 'ରସ-ରତ୍ନାକର' କାବ୍ୟ 'ରୀତିକାବ୍ୟ'ର ଏକ ଗଙ୍ଗାଧରୀ ସଂସ୍କରଣ ମାତ୍ର ।

ସଂସ୍କୃତ ଭାଷା-ସାହିତ୍ୟର ଶାର୍ଦ୍ଦୂଳବିକ୍ରୀଡ଼ିତ ଛନ୍ଦରେ ଗଙ୍ଗାଧର ଲେଖିଛନ୍ତି 'ଅହଲ୍ୟା ସ୍ତବ' । ଗଙ୍ଗାଧରଙ୍କର ବନ୍ଧୁ ଶ୍ରୀ ମଦନମୋହନ ପ୍ରଧାନଙ୍କ ଅର୍ଥାନୁକୂଲ୍ୟରେ 'ଅହଲ୍ୟା ସ୍ତବ' ପୁସ୍ତକାକାରରେ ପ୍ରକାଶ ପାଇଛି ୧୮୯୩ରେ । ଏହାର ଛନ୍ଦ ଘେନି କବିବର ରାଧାନାଥ ରାୟ ଭିନ୍ନ ମତ ଦେଇଥିବାରୁ ଗଙ୍ଗାଧର 'ଅହଲ୍ୟା ସ୍ତବ'କୁ ବଙ୍ଗଳାଶ୍ରୀ ରାଗରେ ପୁନଃଲିଖନ କରିଥିଲେ ଏବଂ ତାହା ପୁସ୍ତକ ଆକାରରେ ପ୍ରକାଶ ପାଇଥିଲା ୧୯୧୪ରେ । ଶ୍ରୀରାମଙ୍କ ପଦସ୍ପର୍ଶରେ ପାଷାଣରୁ ଅହଲ୍ୟାଙ୍କ ଆବିର୍ଭାବ ଘଟିଥିଲା । ରାମଚନ୍ଦ୍ରଙ୍କ ଉଦ୍ଦେଶ୍ୟରେ ଅହଲ୍ୟାଙ୍କ ସ୍ତବ ହେଉଛି ଅହଲ୍ୟା ସ୍ତବର ବିଷୟ ପ୍ରସଙ୍ଗ ।

ଗଙ୍ଗାଧର ମେହେର 'ଇନ୍ଦୁମତୀ' କାବ୍ୟ ରଚନା କରିଥିଲେ ୧୮୯୩ରେ । କାବ୍ୟଟି ରାଧାନାଥ ରାୟଙ୍କ ପାଖକୁ ପଠାଯାଇଥିଲା । ରାଧାନାଥ ରାୟଙ୍କ ମନ୍ତବ୍ୟ ସହିତ ଫେରିବା ପରେ ପୁସ୍ତକ ରୂପେ ପ୍ରକାଶ ପାଇଥିଲା ୧୮୯୪ରେ । ବାରିପଦାରୁ ପ୍ରକାଶିତ ଉତ୍କଳପ୍ରଭାରେ ଏହା ଦୁଇ କିସ୍ତିରେ ପ୍ରକାଶ ପାଇଥିଲା ।

କାଳିଦାସଙ୍କ 'ରଘୁବଂଶ' କାବ୍ୟର ପଞ୍ଚମ ସର୍ଗ ୩୯ ଶ୍ଳୋକରୁ ଆରମ୍ଭ କରି ଅଷ୍ଟମ ସର୍ଗ ମଧ୍ୟରେ ବର୍ଣ୍ଣିିତ ଘଟଣାକୁ ଆଖି ଆଗରେ ରଖି ଗଙ୍ଗାଧର 'ଇନ୍ଦୁମତୀ' କାବ୍ୟ ରଚନା କରିଛନ୍ତି । ବିଦର୍ଭ ରାଜକନ୍ୟା ଇନ୍ଦୁମତୀଙ୍କ ସ୍ୱୟମ୍ବର ଉତ୍ସବ, ଇନ୍ଦୁମତୀ ଅଜଙ୍କ ବେକରେ ବରଣମାଳା ଦେବା, ରାଜାମାନଙ୍କୁ ପରିଚିତ କରାଇବାରେ ଇନ୍ଦୁମତୀଙ୍କ ସମବୟସୀ ସୁନନ୍ଦାଙ୍କ ଚାତୁର୍ଯ୍ୟୋକ୍ତି, କନ୍ୟାନେଇ ଅଜ ଯାଉଥିବା ସମୟରେ ଅନ୍ୟ ରାଜାମାନେ ତାଙ୍କ ସହିତ ଯୁଦ୍ଧ କରିବା, ଇନ୍ଦୁମତୀଙ୍କୁ ଧରି ଅଜ ଅଯୋଧ୍ୟାରେ ପହଞ୍ଚିବା, ଅଜଙ୍କ ଔରସରେ ଇନ୍ଦୁମତୀଙ୍କ ଗର୍ଭରୁ ଦଶରଥ ଜନ୍ମହେବା,ଅଯୋଧ୍ୟାର ଉଦ୍ୟାନ ବର୍ଣ୍ଣନା, ଏକଦା ଉଦ୍ୟାନରେ ଅଜ ଦମ୍ପତି ଭ୍ରମଣ କରୁଥିବାବେଳେ ଆକାଶରୁ ଫୁଲହାର ଇନ୍ଦୁମତୀଙ୍କ ବକ୍ଷସ୍ଥଳରେ ପଡ଼ିବା ଓ ତାଙ୍କର ପ୍ରାଣବାୟୁ ଉଡ଼ିଯିବା, ପତ୍ନୀ ବିଚ୍ଛେଦରେ ଅଜ ବିଳାପ କରିବା, ଇନ୍ଦୁମତୀଙ୍କ ଶବ ସତ୍କାର ହେବା, ଅଜ ରାଜକାର୍ଯ୍ୟରେ ଅମନୋଯୋଗୀ ହେବାକଥା ତ୍ରିକାଳଦର୍ଶୀ ବଶିଷ୍ଠ ଜାଣିବା, ବଶିଷ୍ଠଙ୍କ ଦ୍ୱାରା ପ୍ରେରିତ ଜଣେ ଶିଷ୍ୟ ଆସି ଜୀବନର ସତ୍ୟ ସମ୍ବନ୍ଧରେ କହିବା, କିଛିକାଳ ପରେ ଅଜ ପୁତ୍ରକୁ ଶାସନଭାର ଦେଇ ବାନପ୍ରସ୍ଥରେ ଯିବା କଥା 'ଇନ୍ଦୁମତୀ' କାବ୍ୟରେ ବର୍ଣ୍ଣିତ । ଇନ୍ଦୁମତୀ କାବ୍ୟର ବିଷୟବସ୍ତୁ ନାଟକର ଦୃଶ୍ୟ ଭଳି ବିଦର୍ଭ ଘଟଣା 'ପୂର୍ବଭାଗ' ଓ ଅଯୋଧ୍ୟା ଘଟଣା 'ଉତ୍ତର ଭାଗ'ରେ ବର୍ଣ୍ଣିିତ । ଆମୂଳାନ୍ତ କାବ୍ୟଟି ବଙ୍ଗଳାଶ୍ରୀ ରାଗରେ ରଚିତ । ଅଭିବ୍ୟକ୍ତି କୌଶଳ ନାଟକୀୟ । 'ରଘୁବଂଶ'ର କାହାଣୀ କାବ୍ୟର କଥାବସ୍ତୁ ହୋଇଛି । ଗଙ୍ଗାଧର କିନ୍ତୁ ଓଡ଼ିଆ ଚଳଣି ଉପଯୋଗୀ ରୀତିରେ ବର୍ଣ୍ଣନା କରିଛନ୍ତି । ଉଦାହରଣ ସ୍ୱରୂପ ପ୍ରତିହାରୀ ସୁନନ୍ଦା 'ରଘୁବଂଶ'ରେ ମଗଧରାଜଙ୍କୁ ପରିଚିତ କରାଇ ସାରିବା ପରେ

ଏବଂ ତୟୋକ୍ତେ ତମବେକ୍ଷ୍ୟ କିଞ୍ଚିଦ୍‍ ବିସ୍ରଂସିଦୂର୍ବାକଙ୍କମଧୂକମାଳା
ଋଜୁ ପ୍ରଣାମ କ୍ରିୟୟୈବ ତନ୍ୱୀ ପ୍ରତ୍ୟାଦି ଦେଶୈନମଭାଷମାଣା ।

(୨୫)(ଷଷ୍ଠ ସର୍ଗ)

ଅର୍ଥାତ୍‍ ସେ (ସୁନନ୍ଦା) ଏହିପରି କହନ୍ତେ ଇନ୍ଦୁମତୀ ତାହାଙ୍କୁ ଚାହିଁ କିଛି ନକହି ପ୍ରଣାମ କରି ଚାଲିଗଲେ । ପ୍ରଣାମ କଲାବେଳେ ତାଙ୍କର ଦୂବମିଶା ମହୁଲ ଫୁଲର ମାଳା ଅଳ୍ପ ପରିମାଣରେ ତଳକୁ ଝୁଲି ପଡ଼ିଲା ।

ଠିକ୍‍ ଏହି ପରିବେଶରେ ଗଙ୍ଗାଧରଙ୍କ 'ଇନ୍ଦୁମତୀ'ରେ ବର୍ଣ୍ଣନା ଅଛି-

ମୁହଁ ମୋଡ଼ିଦେଇ ସେଠାରୁ ଗମନ
କଲା ସେ ଗଜଗାମିନୀ
ନିଶାକର ଠାରେ କେବେ କି ପ୍ରସନ୍ନା
ହୋଇଅଛି କମଳିନୀ ? (ପୂର୍ବ ଭାଗ)

ଉଦ୍ୟାନ ବର୍ଣ୍ଣନା, ବଶିଷ୍ଠଙ୍କ ଶିଷ୍ୟ କହିଥିବା ନୀତି କଥା ଦୃଷ୍ଟିରୁ ଇନ୍ଦୁମତୀ କାବ୍ୟ ପାଠକଙ୍କୁ ପଢ଼ିବାପାଇଁ ଭଲଲାଗେ । ଏହି କାବ୍ୟରେ ମନେ ରହିବା ଭଳି ଅନେକ ଉପାଦେୟ ପଦ ବି ରହିଛି । ଯେପରି-

ଭାଗ୍ୟବାନ ସଦା ଭାଗ୍ୟଫଳ ଲଭେ
ଅଭାଗା ଲଭେ ଅଶିବ
ସାଗର ମନ୍ଥନେ କେଶବ କମଳା
ଗରଳ ଲଭିଲେ ଶିବ । (ପୂର୍ବଭାଗ)

ଇନ୍ଦୁମତୀର ବିଷୟ ପ୍ରସଙ୍ଗକୁ ଆପଣା ବାଗରେ ଓଡ଼ିଆତ୍ୱ ପ୍ରଦାନ କରିବାରେ ସଫଳ ହୋଇଛନ୍ତି ଗଙ୍ଗାଧର । ପାରମ୍ପରିକ ଓଡ଼ିଆ କାବ୍ୟରୀତିର ମଙ୍ଗଳାଚରଣ, ସାଧୁସ୍ତୁତି, ଖଳନିନ୍ଦାଦି ନାହିଁ । ସମକାଳ ପାଠକଙ୍କ ରୁଚି ସ୍ପର୍ଶ କରିବାରେ କାବ୍ୟର ସଫଳତା ଲକ୍ଷ୍ୟ କରି ନନ୍ଦକିଶୋର ବଳ "ଇନ୍ଦୁମତୀ' କାବ୍ୟ ପ୍ରଣେତା ଶ୍ରୀ ଗଙ୍ଗାଧର ମେହେରଙ୍କ ପ୍ରତି" କବିତାରେ ଗଙ୍ଗାଧରଙ୍କୁ ଉଚ୍ଛ୍ୱସିତ ପ୍ରଶଂସା କରିଅଛନ୍ତି ।

ରାଧାନାଥ ରାୟଙ୍କ 'ଚିଲିକା' ଅନୁରୂପ କାବ୍ୟ ରଚନାର ପ୍ରଚେଷ୍ଟା ଗଙ୍ଗାଧରଙ୍କ 'ଉତ୍କଳଲକ୍ଷ୍ମୀ'ରେ ପରିଲକ୍ଷିତ । ୧୮୯୫ ମସିହାରେ ଏହା ଅସମ୍ପୂର୍ଣ୍ଣ ରୂପେ ପ୍ରକାଶ ପାଇଥିଲା । ପ୍ରକାଶକ ଥିଲେ ସୂର୍ଯ୍ୟକୁମାର ମିତ୍ର । ୧୯୧୪ ମସିହାରେ ଏହା ସମ୍ପୂର୍ଣ୍ଣ ହୋଇ ବ୍ରଜମୋହନ ପଣ୍ଡାଙ୍କ ଦ୍ୱାରା ପ୍ରକାଶିତ । ଉତ୍କଳର ଐତିହ୍ୟ ଓ ଜାତୀୟତା ବର୍ଣ୍ଣନା ସହିତ ପ୍ରାକୃତିକ ଓଡ଼ିଶାର ଚିତ୍ର ଏଥିରେ ପ୍ରଦତ୍ତ । ନୀଳାଚଳର ବର୍ଣ୍ଣନା କରିଛନ୍ତି ଗଙ୍ଗାଧର-

କଳିଯୁଗେ ମନୋ- ହର ପୁଣ୍ୟଧାମ
ଅଟଇ ଉତ୍କଳ ଦେଶ,
ଯହିଁ ବିଜେ କରି- ଛନ୍ତି ଭଗବାନ
ଧରି ଦାରୁବ୍ରହ୍ମ ବେଶ ।
ଗଙ୍ଗାଧର କବିବର ରାଧାନାଥ ରାୟଙ୍କୁ ସମ୍ମାନ ଜଣାଇ ଲେଖିଛନ୍ତି-
କାବ୍ୟ ହିଁ ଗଲେଣି କାବ୍ୟ ରଚିବାକୁ
ରାଧାନାଥ ନାମ ବହି
ତାହାଙ୍କ ଭାରତୀ ବଳେ ହେବ ଖ୍ୟାତ
ଭାରତେ ଉତ୍କଳ ମହୀ ।

ସମ୍ବଲପୁରରେ ଓଡ଼ିଆ ଭାଷା ଉଠାଇ ଦେଇ ତା' ବଦଳରେ ହିନ୍ଦୀ ଭାଷା ଚଳାଇବାକୁ ମଧ୍ୟପ୍ରଦେଶ ସରକାର ତରଫରୁ ମସୁଧା ଚାଲିବା ସମୟରେ ଗଙ୍ଗାଧର ଲେଖିଥିଲେ 'ଭାରତୀ ରୋଦନ' (ସମ୍ବଲପୁର ହିତୈଷିଣୀ- ୬/୧୮-୩-୧୦-୧୮୯୪) ଓ 'ଉତ୍କଳ ଭାରତୀଙ୍କ ନିବେଦନ' (ସମ୍ବଲପୁର ହିତୈଷିଣୀ- ୬/୪୦-୬-୩-୧୮୯୫) ନାମରେ ଦୁଇଟି କବିତା । 'ଭାରତୀ ରୋଦନ' କବିତାରେ ଓଡ଼ିଆ ଭାଷା ରକ୍ଷା ପାଇଁ କାମ କରୁଥିବା ଧରଣୀଧରଙ୍କ ଉଦ୍ଦେଶ୍ୟରେ ସେ ପ୍ରଶଂସାବାଣୀ ଶୁଣାଇଛନ୍ତି । ନୃପରାଜ ସିଂହ ଓ ରାୟବାହାଦୂର ହରିହର ସିଂହଙ୍କୁ ଏ ବାବଦରେ କିଛିଗୋଟେ କରିବାପାଇଁ ନିବେଦନ କରାଯାଇଛି ଏ କବିତାରେ । କମିଶନର ଉଡ୍‍ବର୍ଣ୍ଣଙ୍କ ଉଦ୍ଦେଶ୍ୟରେ କବିଙ୍କ ନିବେଦନ 'ଉତ୍କଳ ଭାରତୀଙ୍କ ନିବେଦନ' ନାମରେ ନାମିତ । କବିଙ୍କ ଭାଷାରେ ଓଡ଼ିଆ ଭାଷାର ସମ୍ବଲପୁରରେ ସ୍ଥିତି ଏହିପରି ଥିଲା-

ଦୁଃଖିନୀ ମୁଁ ଚିର କାଳରୁ ରହି ସମ୍ବଲପୁରେ
ଲାଳିତ ପାଳିତ ନୃପତି-ସ୍ନେହେ ନୃପତି-ପୁରେ ।
ନୃପ ସ୍ନେହ ଦେଖି ସମସ୍ତେ କରୁଥାନ୍ତି ଆଦର
ନୃପ ଯତନରେ ବଢ଼ିଛି ତନୁ କାନ୍ତି ମୋହର ।
ରାଜପୁରେ ବସି ଆସୁଛି ସଦା ଉଚ୍ଚ ଆସନେ
ତନୁ ପୁଷ୍ଟି ମୋର ହୋଇଛି ରାଜ-ଅନ୍ନ ଭୋଜନେ ।

(ଉତ୍କଳ-ଭାରତୀଙ୍କ ନିବେଦନ)

ସମ୍ବଲପୁରରେ ଓଡ଼ିଆ ଭାଷା-ସୁରକ୍ଷା ଆନ୍ଦୋଳନ ଓ ଓଡ଼ିଶା ସହିତ ସମ୍ବଲପୁରର ମିଶ୍ରଣ ପରିପ୍ରେକ୍ଷୀରେ କବିତା ଦୁଇଟି ଉପାଦେୟ । ଗଙ୍ଗାଧରଙ୍କ ଏକନିଷ୍ଠ ଭାଷାପ୍ରେମର ନମୁନା ରୂପେ କବିତା ଦୁଇଟି ବିଚାରିତ ହୋଇଥାଏ ।

ଗଙ୍ଗାଧରଙ୍କ 'ମହିମା' ପୁସ୍ତକ ୧୮୯୭, ଅଗଷ୍ଟରେ ପ୍ରକାଶିତ । ପ୍ରକାଶକ ଥିଲେ ନିଜେ ଗଙ୍ଗାଧର । ବହିଟିରେ ନୀତି ସମ୍ବଳିତ କବିତା ପଙ୍‍କ୍ତି ସ୍ଥାନିତ । ସାରଳା ମହାଭାରତର 'ବିରାଟପର୍ବ'ରେ ବର୍ଣ୍ଣିିତ କୀଚକବଧ ଆଖ୍ୟାନ ଭିତ୍ତିରେ ଗଙ୍ଗାଧର ପ୍ରଣୟ କରିଛନ୍ତି 'କୀଚକବଧ' କାବ୍ୟ । ଏହି କାବ୍ୟର ପାଣ୍ଡୁଲେଖ୍ୟ ରାଧାନାଥ ରାୟଙ୍କ ଦ୍ୱାରା ପଠିତ ହୋଇ ତାଙ୍କ ମନ୍ତବ୍ୟ ପ୍ରାପ୍ତ ହୋଇଥିଲା । ମଧୁସୂଦନ ଦାସଙ୍କ ଆର୍ଥିକ ସାହାଯ୍ୟରେ 'କୀଚକ ବଧ' ପ୍ରକାଶ ପାଇଥିଲା ୧୯୦୪ରେ । କାବ୍ୟ ସମ୍ପର୍କରେ ମନ୍ତବ୍ୟ ଦେଇଥିଲେ ରାଧାନାଥ; ତାହା ଏହିପରି- "ପୁରାତନରେ ନୂତନତା ଏବଂ ଆହୃତରେ ମୌଳିକତା ପ୍ରତିଫଳିତ କରିବା ପ୍ରତିଭାର ବିଧି-ପ୍ରତିପାଦିତ ଅଧିକାର ଅଟେ । ଏ ସମ୍ବନ୍ଧରେ କବି ଗଙ୍ଗାଧର ଯେପରି ଶକ୍ତିମତ୍ତା ଦେଖାଇ ଅଛନ୍ତି, ତାହା କି ପ୍ରାଚୀନ କି ଆଧୁନିକ ଯେ କୌଣସି ଉତ୍କଳୀୟ କବିଙ୍କ ପକ୍ଷରେ ଗୌରବାବହ ।" ପୁରାଣ ବର୍ଣ୍ଣିିତ କୀଚକ ବଧ କାହାଣୀକୁ କାବ୍ୟରୀତିରେ ନୂତନତା ଦେଇଛନ୍ତି ଗଙ୍ଗାଧର ।

କୀଚକ ବଧ କାବ୍ୟରେ ପାରମ୍ପରିକ କାବ୍ୟଧାରାର ମଙ୍ଗଳାଚରଣ ଆଦି ନାହିଁ । ବିରାଟ ନଗରୀ ବର୍ଣ୍ଣନା, ବିରାଟ ରାଜାଙ୍କ ସମ୍ପଦ ଓ ଶାସନ, ପାଣ୍ଡବମାନେ ଓ ଦ୍ରୌପଦୀ ସେଠାରେ ଛଦ୍ମ ନାମ ଓ ବେଶଧରି ରହିବା, ବିରାଟ ରାଜାଙ୍କ ରାଣୀ ସୁଦେଷ୍ଣା ଓ ପୁରରମଣୀଗଣଙ୍କ ସହିତ ଦ୍ରୌପଦୀ ବନାମ ସୈରିନ୍ଧ୍ରୀ ଚୈତ୍ରମାସର ଶେଷ ମଙ୍ଗଳବାରରେ ମଙ୍ଗଳା ପୂଜିବାକୁ ଯିବା, ନାରୀ ଗହଣରେ ସୈରିନ୍ଧ୍ରୀକୁ କୀଚକ ଦେଖି ଆସକ୍ତ ହେବା, କୀଚକବାସୀ ଚପଳାକୁ ସୈରିନ୍ଧ୍ରୀ ନିକଟକୁ ଦୂତୀକରି ପଠାଇବା, ଦୂତୀ କଥାରେ ସୈରିନ୍ଧ୍ରୀ ବଶୀଭୂତା ନହେବାରୁ କୀଚକର କ୍ରୋଧ, ସୁଦେଷ୍ଣାଙ୍କ ନିର୍ଦ୍ଦେଶମତେ ପାନୀୟ ଚଷକ ଧରି ସୈରିନ୍ଧ୍ରୀଙ୍କର କୀଚକ ପାଖକୁ ଯିବା, କୀଚକ ସୈରିନ୍ଧ୍ରୀଙ୍କୁ ଧରିବା ପାଇଁ ଚେଷ୍ଟା କରିବାରୁ ସେ ଦୌଡ଼ିବା ଓ ପଛରେ କୀଚକ ଗୋଡେ଼ଇବା, ଏ ସମ୍ପର୍କରେ ସୈରିନ୍ଧ୍ରୀ ରାଜାଙ୍କ ନିକଟରେ ଅଭିଯୋଗ କରି ସଦୁତ୍ତର ନପାଇ କଙ୍କ ନାମଧାରୀ ଯୁଧିଷ୍ଠିରଙ୍କ ପରାମର୍ଶ କ୍ରମେ ଦ୍ୱିତୀୟ ସ୍ୱାମୀ ଭୀମଙ୍କୁ ସବୁକଥା ଜଣାଇବା, ଭୀମଙ୍କ ପରାମର୍ଶ ମୁତାବକ ନଗର ଉପାନ୍ତରେ ଥିବା ନୃତ୍ୟ ଘରକୁ ଅଭିସାରରେ ଯିବାକୁ ସୈରିନ୍ଧ୍ରୀ ଚପଳା ହାତରେ ଖବର ପଠାଇବା, ପରିଣତିରେ ଭୀମ କୀଚକ ବଧ କରିବା କଥା ଏହି କାବ୍ୟରେ ବର୍ଣ୍ଣିିତ ।

ବସନ୍ତଋତୁର ମନୋଜ୍ଞ ବର୍ଣ୍ଣନା, ସଂଳାପୋଚିତ କାବ୍ୟ ପଙ୍‍କ୍ତି, ଚରିତ୍ର ଚିତ୍ରଣରେ ଆନୁପାତିକତା ଓ ପ୍ରକୃତିକୁ ଚରିତ୍ର ରୂପେ ଚିତ୍ରିତ କରିବାରେ ଗଙ୍ଗାଧରଙ୍କ ଦକ୍ଷତା କାବ୍ୟଟିରୁ ଉପଲବ୍‍ଧ ।

ନୀତି ଓ ଆଦର୍ଶବାଦୀ ଗଙ୍ଗାଧର ବିରାଟ ନଗରୀର ରାଣୀ ସମେତ ସୈରିନ୍ଧ୍ରୀ ଓ ଅନ୍ୟ ନାରୀମାନଙ୍କର ମଙ୍ଗଳା-ପୂଜା ପାଇଁ ଯିବା ଦୃଶ୍ୟକୁ 'କୀଚକ ମରଣ ସୂଚକ ଘୋର ଉଲ୍‍କାପାତ' ବୋଲି ବର୍ଣ୍ଣନା କରିଛନ୍ତି । 'କୀଚକ ବାହୁବଳେ ବିରାଟ ରାଜା' ଉକ୍ତି ଗଙ୍ଗାଧରଙ୍କ କାବ୍ୟଭାଷାରେ ଏହିପରି ପ୍ରକାଶ ପାଇଛି -

ବଳିଷ୍ଠ କୀଚକ ସମ୍ପଦ-ଗବୀର
ଶୃଙ୍ଗ ଦେଇଛନ୍ତି ଧରି,
ବିରାଟ ନରେଶ ଆନନ୍ଦରେ ଛନ୍ତି
ସୁଖେ କ୍ଷୀର ପାନ କରି ।

ସେବକ ହାତରେ ସୈରିନ୍ଧ୍ରୀଙ୍କର କୀଚକପୁରକୁ ଯିବା, କୀଚକ ବଧର ପରଦିନ ସକାଳ ବର୍ଣ୍ଣନା କବିଙ୍କ ପ୍ରକୃତି ବର୍ଣ୍ଣନାରେ ଅଭିନବତା ସୂଚକ । ଏହା ସାତ ସର୍ଗ ବିଶିଷ୍ଟ କାବ୍ୟ ।

ଗଙ୍ଗାଧରଙ୍କ 'ପ୍ରଣୟ ବଲ୍ଲରୀ' କାବ୍ୟର 'ପ୍ରଥମ ଛାନ୍ଦ' ସମେତ ଚନ୍ଦ୍ରରଜନୀ, ବେଦବ୍ୟାସ, ବସନ୍ତ ବାସର, ସୋମନାଥ ବିଜୟ, ବର୍ଷାଚିତ୍ର ଆଦିର ଏକ ସଂକଳନ 'କବିତା କଲ୍ଲୋଳ' ନାମରେ ପ୍ରକାଶ ପାଇଛି ୧୯୧୨ ମସିହାରେ । ଓକିଲ ରାମନାରାୟଣ ମିଶ୍ରଙ୍କ ଆର୍ଥିକ ସହଯୋଗରେ ବହିଟି ପ୍ରକାଶିତ ।

ତିନିଟି ସର୍ଗରେ 'ଅଯୋଧ୍ୟା ଦୃଶ୍ୟ' ରଚିତ । ପ୍ରଥମ ଦୃଶ୍ୟରେ ରାମ ସିଂହାସନରେ ନବସି ବନବାସ ଯିବା ପର୍ଯ୍ୟନ୍ତ ଘଟଣା, ଦ୍ୱିତୀୟ ଦୃଶ୍ୟରେ ବନବାସ ଓ ତୃତୀୟ ଦୃଶ୍ୟରେ ଲଙ୍କାରୁ ଫେରି ରାଜ୍ୟାଭିଷେକ ହେବା ବର୍ଣ୍ଣନା କରାଯାଇଛି । ଅଯୋଧ୍ୟା ଦୃଶ୍ୟ ପ୍ରକାଶ ପାଇଛି ୧୯୧୪ରେ ।

ଗଙ୍ଗାଧର କୃତ 'ପଦ୍ମିନୀ' ଏକ ଅସମ୍ପୂର୍ଣ୍ଣ ଐତିହାସିକ କାବ୍ୟ । ପାଞ୍ଚସର୍ଗ ପର୍ଯ୍ୟନ୍ତ ଗଙ୍ଗାଧର ଲେଖିଥିଲେ । ଚିତୋରର ରାଣା ଭୀମସିଂହଙ୍କ ପତ୍ନୀ ପଦ୍ମିନୀ ପ୍ରତି ଦିଲ୍ଲୀ ସମ୍ରାଟ ଆଲ୍ଲାଉଦ୍ଦିନ ଆସକ୍ତ ହୋଇଛନ୍ତି । ଚିଠି ଓ ଉପଢୌକନ ପଠାଇ ଶଠ ପ୍ରୀତି ଆରମ୍ଭ କରିବାକୁ ଚେଷ୍ଟା କରିଛନ୍ତି । ତହିଁରେ ବିଫଳ ହେବା ପରେ ପ୍ରତିଶୋଧ ପରାୟଣ ହୋଇଛନ୍ତି ।

ଗଙ୍ଗାଧର ମେହେରଙ୍କ ପୁତ୍ର ଭଗବାନ ମେହେର ଲେଖିଛନ୍ତି- "ଗଙ୍ଗାଧର ୧୯୦୩ ବା ୧୯୦୪ରେ ଓକିଲ ନୀଳକଣ୍ଠ ପୂଜାରୀଙ୍କ ବୈଠକଖାନାରେ ବିଶ୍ୱାମିତ୍ର ଓ ମେନକାଙ୍କ ସଦ୍ୟପ୍ରସୂତା ଶକୁନ୍ତଳାଙ୍କର ଗୋଟିଏ ବୃହଦାକାର ସୁଦୃଶ୍ୟ ଛବି ଦେଖିଥିଲେ । ତା'ପରେ କାଳିଦାସଙ୍କ 'ଅଭିଜ୍ଞାନ ଶାକୁନ୍ତଳମ୍‍' ପାଠ କରି 'ପ୍ରଣୟାଙ୍କୁର' ରଚନା କରିଥିଲେ ।" (ପିତୃ ପ୍ରସଙ୍ଗ- ପୃ. ୫୫) ପରବର୍ତ୍ତୀ ସମୟରେ 'ପ୍ରଣୟ ପଲ୍ଲବ', 'ପ୍ରଣୟ ପ୍ରସୂନ', 'ପ୍ରଣୟ ସୌରଭ', 'ପୁଷ୍ପେକୀଟ', 'ପ୍ରଣୟ ଫଳ', 'ପ୍ରଣୟ ଛାୟା' ରଚନା କରି 'ପ୍ରଣୟ ବଲ୍ଲରୀ' କାବ୍ୟ ପ୍ରଣୟନ କଲେ ଗଙ୍ଗାଧର । ସାତ ସର୍ଗ ବିଶିଷ୍ଟ 'ପ୍ରଣୟ ବଲ୍ଲରୀ' କାବ୍ୟ ୧୯୧୫ରେ ପ୍ରକାଶିତ । ଦୁଷ୍ମନ୍ତ- ଶକୁନ୍ତଳାଙ୍କ ପ୍ରଣୟ କାହାଣୀ କାବ୍ୟର ଉପଜୀବ୍ୟ କଥାବସ୍ତୁ । ଆମୂଳାନ୍ତ ବଙ୍ଗଳାଶ୍ରୀ ରାଗରେ ରଚିତ । କାବ୍ୟର ଆରମ୍ଭରେ କବି ବେଦବ୍ୟାସ, କାଳିଦାସଙ୍କୁ ପ୍ରଣାମ କରିଛନ୍ତି । କାବ୍ୟର ଶେଷ ସର୍ଗରେ ନୀଳାଚଳ ସିନ୍ଧୁକୂଳରେ ଦେବକନ୍ୟା ଓ ରାକ୍ଷସ କନ୍ୟାମାନଙ୍କର ସଂଘର୍ଷ ଦର୍ଶାଇ ନୂତନତା ଆନୟନ କରିଛନ୍ତି କବି । ପ୍ରଣୟବଲ୍ଲରୀ କାବ୍ୟରୁ କବିଙ୍କ ମୌଳିକତା ବି କେଉଟ ପ୍ରସଙ୍ଗରୁ ଜାଣିହୁଏ । ଦୁଷ୍ମନ୍ତ ତାକୁ ଶତ ସ୍ୱର୍ଣ୍ଣମୁଦ୍ରା ପୁରସ୍କାର ଦେବାକୁ କହିଛନ୍ତି । କେଉଟ କିନ୍ତୁ ବୁଝି ନପାରି କାନ୍ଦି ଗଡୁଛି ।

ଗଙ୍ଗାଧରଙ୍କ 'ତପସ୍ୱିନୀ' କାବ୍ୟ ପ୍ରକାଶ ପାଇଛି ୧୯୧୫ରେ । ଏହି କାବ୍ୟ ପଛରେ ଭବଭୂତିଙ୍କ 'ଉତ୍ତର ରାମଚରିତ' ନାଟକର ପ୍ରେରଣା ରହିଛି । ସୀତାଙ୍କର ନିର୍ବାସନ ପ୍ରସଙ୍ଗ ଦେଇ ରାମାୟଣର କଥାବସ୍ତୁ ଏଥିରେ ଚିତ୍ରିତ । କାବ୍ୟାରମ୍ଭରେ କଳ୍ପନାଙ୍କୁ ସ୍ତୁତି ଓ ଶେଷରେ ସୀତାଙ୍କ ସ୍ୱପ୍ନ ଦେଇ ଯୋଗମାୟା ରାମ-ସୀତାଙ୍କୁ ଏକାଠି କରାଇବାର ଚିତ୍ର କାବ୍ୟର ବିଶେଷତ୍ୱ । ଭିନ୍ନ ଛନ୍ଦରେ ଏଗାର ସର୍ଗ ବିଶିଷ୍ଟ ରଚନା ହେଉଛି ତପସ୍ୱିନୀ । ପ୍ରକୃତି ବର୍ଣ୍ଣନା, ଚରିତ୍ର ଚିତ୍ରଣ, ସୀତାଙ୍କର ରାମଙ୍କ ନିକଟକୁ ପତ୍ର ଲେଖିବା ଆଦିରେ ବି ବିଶେଷତ୍ୱ ବାରି ହୋଇପଡ଼େ । ତପସ୍ୱିନୀ କାବ୍ୟର ଚତୁର୍ଥ ସର୍ଗରେ ଆଶ୍ରମେ ପ୍ରଭାତ, ଦ୍ୱିତୀୟ ଓ ପଞ୍ଚମ ସର୍ଗରେ ଆଶ୍ରମ ପ୍ରକୃତି, ତୃତୀୟ ସର୍ଗରେ ରାଜଧର୍ମ ବର୍ଣ୍ଣନା ଗଙ୍ଗାଧରଙ୍କ କବି ପ୍ରତିଭାର ଗୋଟିଏ ଗୋଟିଏ ଉଜ୍ଜ୍ୱଳ ଦୃଷ୍ଟାନ୍ତ । ଅଧିକନ୍ତୁ ସୀତାଙ୍କ ଦୁଃଖରେ ପ୍ରକୃତିର ସମ୍ବେଦନଶୀଳ ମାନବିକ ଗୁଣ ପ୍ରଦର୍ଶନ ଓଡ଼ିଆ କାବ୍ୟ ପରମ୍ପରାରେ ବିରଳ ଚିତ୍ର । ଲକ୍ଷ୍ମଣ ସୀତାଙ୍କୁ ଭାଗୀରଥୀ କୂଳର ବିପିନରେ ଛାଡ଼ିଦେଇ ଆସିଲେ । ସୀତା କାନ୍ଦି କାନ୍ଦି ମୂର୍ଚ୍ଛା ଗଲେ । ସେହି ସମୟରେ ପ୍ରକୃତିର କ୍ରିୟାକୁ ଗଙ୍ଗାଧର ଏହିଭଳି ବର୍ଣ୍ଣନା କରିଛନ୍ତି-

ତା ଚାହିଁ ବିହଙ୍ଗ ମୁଖେ କାନ୍ଦିଲା ସେ ବନ,
ବହିଲା ନିଃଶ୍ୱାସ ରୂପେ ପ୍ରଖର ପବନ ।
ଶୁଭିଲା ପ୍ରଶ୍ୱାସ ରୂପେ ସରସର ସ୍ୱର
କାରୁଣ୍ୟ ଲହରୀ ପ୍ରାୟେ ଚଳିଲେ ପତର
+++
କରିବାକୁ ନିୟତିର ସହିତ ସମର,
ତୃଣରାଜ ଖଡ୍‍ଗ କରେ ଗର୍ଜିଲା ପ୍ରଖର
ବାୟାବସା ତୂଣୀରକୁ ଝାଡ଼ି ବାରମ୍ବାର
ପତ୍ର-କଙ୍କପତ୍ର କଲା କି ଅବା ବାହାର
କମ୍ପିତ ସରିତ ବୀଚି ଉତ୍‍ଥିତ ଶୀକର,
ପଡ଼ିଲା ପୁଳିନେ ତେଜି ତରଙ୍ଗ ଶିଖର ।
ଭରିକି ସୀସକ ଗୁଳି ତରଙ୍ଗର ତୋପେ
ନିୟତିକି ଭାଗୀରଥୀ ପ୍ରହାରିଲା କୋପେ । (ପ୍ରଥମ ସର୍ଗ)

ଏହି କାବ୍ୟରେ ଗଙ୍ଗାଧର ନିଜ ଜୀବନ ଚିତ୍ର ଏହିଭଳି ଉପସ୍ଥାପନ କରିଛନ୍ତି-

ଦରିଦ୍ରତା ପଙ୍କପୂର୍ଣ୍ଣ ମୋ ଜୀବନ ସର
ଜଞ୍ଜାଳ-ଜଳଦ ଜଳେ ଆବିଳ ଉଦର । (ପ୍ରଥମ ସର୍ଗ)

ଦାମ୍ପତ୍ୟ ପ୍ରେମର ମହାନତା ବର୍ଣ୍ଣନା କାବ୍ୟଟିର ବୈଶିଷ୍ଟ୍ୟ । ଯେପରି-

କାନ୍ତା ବିନା କାନ୍ତପ୍ରାଣ ସ୍ୱଭାବେ ବିକଳ
ବିକଳ ଜୀବନ ମଣେ ଜଗତ ନିଷ୍ଫଳ ।
ଭାସୁଥାଏ ଜୀବ ଯଦି ସଂସାର ସାଗରେ
ତରିବା ଭରସା ଥାଏ ବନିତା ନାବରେ । (ଷଷ୍ଠ ସର୍ଗ)

ବସ୍ତୁତଃ ଗଙ୍ଗାଧରଙ୍କ ସାହିତ୍ୟସୃଷ୍ଟି ମଧ୍ୟରେ 'ତପସ୍ୱିନୀ' ଏକ ଅନୁପମ କାବ୍ୟ । ଗଙ୍ଗାଧରଙ୍କକବିତା ସଂକଳନ ମଧ୍ୟରେ ଅର୍ଘ୍ୟଥାଳୀ (୧୯୧୮), 'କବିତାମାଳା', କୃଷକ ସଙ୍ଗୀତ (୧୯୨୧) ଆଦି ସୁପରିଚିତ ଗ୍ରନ୍ଥ । ଗୀତିକବିତା, କଥା କବିତା, ଚତୁର୍ଦ୍ଧଶପାଦୀ କବିତା, ଶୋକଗୀତିକା, ଭକ୍ତିଗୀତିକାଦି ରଚନା କରିଛନ୍ତି ଗଙ୍ଗାଧର । ବ୍ୟଙ୍ଗ୍ୟକବିତା, ଅନୁବାଦ କବିତାରେ ବି ତାଙ୍କ କୃତିତ୍ୱ ଅନୁଭବ କରିହୁଏ । ବିରହ ବ୍ୟଥିତ ରାମ, କୁମାର ଜନ୍ମୋତ୍ସବ, ଆମୋଦ, ସୁଖସ୍ୱପ୍ନ, ପୁଷ୍କରିଣୀ, ତରୁବର, ନିଦାଘରାଜତ୍ୱ, ଭକ୍ତି ଉପହାର, ବର୍ଷାଚିତ୍ର ଆଦି ମଧ୍ୟ ତାଙ୍କ ସୃଷ୍ଟ କବିତା ।

'ଆତ୍ମଜୀବନୀ', 'ପୁରାଣ କବି ଫକୀରମୋହନ', 'ସ୍ୱର୍ଗୀୟ କାଶୀନାଥ ପଣ୍ଡା', 'ଉତ୍କଳ ଭାଷାର ଗୌରବ', 'ଖଣ୍ଡିଏ ପତ୍ର', 'ଦାକ୍ଷିଣାତ୍ୟ ଭ୍ରମଣର ସମାଲୋଚନା', 'ବ'ଭେଦ', 'ୠ ଓ ରୁ ଭେଦ', 'ଶିକ୍ଷିତ, ଅଶିକ୍ଷିତ ଓ ଶିକ୍ଷାଭିମାନୀ', 'ଏହା କି ପୃଥିବୀର ଶବ୍ଦ', 'ଚୁଗୁଲିଆ', 'ଶ୍ରୀ ନୃପରାଜ ସିଂହ', 'କିଂବଦନ୍ତୀ' ଆଦି ତାଙ୍କ ଗଦ୍ୟକୃତିର ନମୁନା ।

ଗଙ୍ଗାଧରଙ୍କ କାବ୍ୟ, କବିତା, ଗଦ୍ୟ ଆଦି ରଚନାରେ ଯେଉଁ କେତୋଟି ବିଶେଷତ୍ୱ ପରିଲକ୍ଷିତ ହୁଏ ତନ୍ମଧ୍ୟରେ ପ୍ରକୃତି ବର୍ଣ୍ଣନାରେ ନିପୁଣତା, ବ୍ୟଙ୍ଗ୍ୟଦୃଷ୍ଟି, ବିଜ୍ଞାନ ମନସ୍କତା, କୃଷି ପ୍ରତି ଅନୁରାଗ, ଭାଷା ଓ ଜାତିପ୍ରୀତି, ଆଧ୍ୟାତ୍ମିକତା ଆଦି ପ୍ରମୁଖ । ନୀତି, ଆଦର୍ଶ ଓ ମାନବିକ ମୂଲ୍ୟବୋଧର ବିଶେଷତା ତାଙ୍କ ଶିଳ୍ପୀ ଦୃଷ୍ଟିର ଅନନ୍ୟ ବିଶେଷତ୍ୱ ।

ଗଙ୍ଗାଧର ପ୍ରକୃତି ବର୍ଣ୍ଣନାରେ ଜଣେ ଅସାଧାରଣ କବି । ତାଙ୍କ ପ୍ରକୃତି ପ୍ରାଣସତ୍ତାରେ ଉଚ୍ଛଳ । ତାଙ୍କ ପ୍ରକୃତିର ଆଚରଣ ମାନବୋଚିତ । ଉଦାହରଣ ସ୍ୱରୂପ-

ନାଟ୍ୟକାର ପରି ଆସି ବରଷା ସମୟ
ଦେଖାଇଲା ଲୋକେ ନବ ନବ ଅଭିନୟ ।
(ବର୍ଷାଚିତ୍ର- କବିତା କଲ୍ଲୋଳ)

ଚାଷୀଙ୍କଠାରୁ ଜଳକର ଆଦାୟ ହୁଏ, କିନ୍ତୁ ପାଣି ପାଇଁ ବାବୁଙ୍କ ନିର୍ଦ୍ଦେଶ ଦରକାର । ସେଥିପାଇଁ କ'ଣ କ'ଣ ଆବଶ୍ୟକ ତାହା ବ୍ୟଙ୍ଗାତ୍ମକ ରୀତିରେ ପ୍ରକାଶିତ ।

ଅନାହାରୀ ସଭ୍ୟମାନେ ଏଣେ ଛନ୍ତି ବସି,
ଫଳାହାର ଲୋଭେ ଯାର ଚିର ଏକାଦଶୀ ।
XXX
ରୁଚିକର ଫଳାହାର କାହାର କୁକୁଡ଼ା,
କାହାର ବା ସରୁଚୁଡା, କା ଶାଳ ଉଖୁଡ଼ା
ଅଣ୍ଟା ଖୋଷା ରୂପେ ଯାହା ଆଣ୍ଟ ହୋଇ ଆସେ
ମନୋମତ ଫଳାହାର ଚଳେ ତହିଁ ମାସେ
ସାଧୁତା ବ୍ୟାଜରେ ନାନା ଅପକର୍ମ କରି
ଧନଦ୍ରବ୍ୟେ ନେଇଥାନ୍ତି ନିଜ ଗୃହ ଭରି । (ପଞ୍ଚାୟତ)

ଏକଦା କବି ଗଙ୍ଗାଧର ମେହେର 'ଏହା କି ପୃଥିବୀର ଶବ୍ଦ' (ଉତ୍କଳ ସାହିତ୍ୟ- ଜୁଲାଇ ୧୯୦୦) ପ୍ରବନ୍ଧରେ ଲେଖିଥିଲେ- "କୌଣସି ନିର୍ଜନ ନିସ୍ତବ୍‍ଧ ସ୍ଥାନରେ ଅବା ଜୀବ କୋଳାହଳଶୂନ୍ୟ ପ୍ରାନ୍ତରରେ ଏବଂ ସର୍ବଦା ସର୍ବ ସ୍ଥାନରେ ନିଶୀଥ ସମୟରେ ଯେ ଏକ ନିରବଚ୍ଛିନ୍ନ 'ସାଇଁ ସାଇଁ' ଶବ୍ଦ ଶ୍ରୁତିପଥରେ ପ୍ରବେଶ କରେ, ସେ ଶବ୍ଦ କାହାର ? ସ୍ଥିର ଭାବରେ ଚିନ୍ତାକରି ଦେଖିଲେ ବୋଧହୁଏ ଯେପରି କୌଣସି ପ୍ରକାଣ୍ଡ ବସ୍ତୁ ଅବିଶ୍ରାନ୍ତ ଚାଲୁଅଛି ।" ଏହାର ସତ୍ୟତା ସମ୍ପର୍କରେ ସେ ଜାଣିବାକୁ ରାଧାନାଥ ରାୟଙ୍କୁ ଚିଠି ଲେଖିଥିଲେ । କବିବର କିନ୍ତୁ କୌଣସି ବିଜ୍ଞାନୀଙ୍କ ସହିତ ପରାମର୍ଶ କରିବାକୁ ଲେଖିଥିଲେ । ପୃଥିବୀ ସୂର୍ଯ୍ୟ ଚାରିପଟେ ଘୂରୁଛି- ବିଜ୍ଞାନର ଏହି ତଥ୍ୟକୁ ସେ ଚମତ୍କାର ରୀତିରେ ପ୍ରକାଶ କରିଛନ୍ତି । ଗଛ ଅଙ୍ଗାରକାମ୍ଳ ଗ୍ରହଣ କରି ଅମ୍ଳଜାନ ତ୍ୟାଗ କରେ ଏ କଥା ତାଙ୍କ 'ତରୁବର' କବିତାରେ ବର୍ଣ୍ଣନା କରିଛନ୍ତି । ପୁଣି ସୂର୍ଯ୍ୟ ଓ ଚନ୍ଦ୍ରଙ୍କର ଅସ୍ତ ନାହିଁ- ଏହା 'ମହିମା' କବିତାରେ ବର୍ଣ୍ଣିିତ ।

ଅକ୍ଷୟ ଚନ୍ଦ୍ରଙ୍କୁ କ୍ଷୟ ଜ୍ଞାନ କଲେ
କ୍ଷତି କିସ ଚନ୍ଦ୍ରଙ୍କର
ଦୋଷ ସିନା ତାହା ନିଜର ଅଜ୍ଞାନ
ତମସାନ୍ଧ ନୟନର ।
ଲୋକ ନେତ୍ରେ ଅସ୍ତ ଦିଶନ୍ତି ମହତ
ଅସ୍ତ କାହିଁ ତାହାଙ୍କର ?
ଆମେରିକା-ଖଣ୍ଡେ ନବୋଦିତ ଆମ୍ଭ
ଅସ୍ତଗତ ଦିନକର । (ମହିମା)

ଉଦ୍ଭିଦ ବିଜ୍ଞାନରେ ଫଟୋସିନ୍ଥେସିସ୍‍ ବା ଆଲୋକ ସଂଶ୍ଳେଷଣ ଦେଇ ବୃକ୍ଷମାନେ ଖାଦ୍ୟ ପ୍ରସ୍ତୁତ କରିବା କଥା କୁହାଯାଏ । ଏଥିପାଇଁ ଜଳ, ବାୟୁ ଓ ଆଲୋକର ଆବଶ୍ୟକତା ରହିଛି । ଏହି ବିଜ୍ଞାନ ତତ୍ତ୍ୱକୁ ଗଙ୍ଗାଧର ଚମତ୍କାର କାବ୍ୟରୂପ ଦେଇଛନ୍ତି ।

କରି ବରଷାରେ ବ୍ୟାୟାମେ ଅଙ୍ଗ ପୁଷ୍ଟିସାଧନ
ଆତପକୁ ଜିଣି ଆଣନ୍ତି ତାର ଆଲୋକ ଧନ ।
(ତପସ୍ୱିନୀ-ଦ୍ୱିତୀୟ ସର୍ଗ)

ଗଙ୍ଗାଧର ଜଡ଼ବିଜ୍ଞାନର ଆବିଷ୍କାର ସମ୍ପର୍କରେ ସଚେତନ ଥିଲେ । ରାମଚନ୍ଦ୍ରଙ୍କ ପ୍ରେମ ସମ୍ଭାଷଣ ସୀତାଙ୍କ 'ହୃଦ-ଫନୋଗ୍ରାଫ'ରେ ନିର୍ମଳ ସ୍ୱନ ତୋଳୁଥିବା କବି ବର୍ଣ୍ଣନା କରିଛନ୍ତି । (ତପସ୍ୱିନୀ-୩ୟ ସର୍ଗ) ଫନୋଗ୍ରାଫ ହେଉଛି ଗ୍ରାମଫୋନ୍‍ । ଏତଦ୍‍ଭିନ୍ନ ପାରିବାରିକ ଜ୍ୟୋତିଷୀ ଶିକ୍ଷାର ଚିତ୍ର ମଧ୍ୟ ତାଙ୍କ କାବ୍ୟ କବିତାରୁ ଉପଲବ୍‍ଧ ହୁଏ । ଯେପରି 'କାକ'ର ରାବରୁ କଣ୍ୱମୁନି ଶକୁନ୍ତଳାଙ୍କ ବିଷୟରେ ଅବଗତ ହେବା, ଅମାବାସ୍ୟାରେ ସ୍ୱାତୀ, ଚିତ୍ରା, ମଙ୍ଗଳ ଏକସ୍ଥାନରେ ରହିଲେ ଝଡ଼ବର୍ଷା ହେବା, ଖଡ଼ିପକାଇ ଆଗତ ଭବିଷ୍ୟ କହିବା ପ୍ରସଙ୍ଗ ତାଙ୍କ କାବ୍ୟରେ ବର୍ଣ୍ଣିିତ । ଯେତେବେଳେ ଇନ୍ଦ୍ର ବୃହସ୍ପତିଙ୍କ ନିକଟକୁ ଯାଇ ରାକ୍ଷସମାନଙ୍କର କାର୍ଯ୍ୟ ଫଳାଫଳ ଜାଣିବାକୁ ଚାହିଁଛନ୍ତି ସେତିକିବେଳେ-

ଜ୍ଞାନ-ପ୍ରତିଚକ୍ଷୁ ଲଗାଇ ଗୀଷ୍ପତି
କାଟିଲେ ଧରମ ଖଡ଼ି
ତ୍ରିଦଶାଧିପଙ୍କୁ କହିଲେ ଧରମ-
ନୀତି ଫଳ ଶ୍ଳୋକ ପଢ଼ି ।

ବସ୍ତୁତଃ ଗଙ୍ଗାଧରଙ୍କ ବିଜ୍ଞାନଦୃଷ୍ଟି ପ୍ରାଚ୍ୟ ଓ ପାଶ୍ଚାତ୍ୟ ଆବିଷ୍କ୍ରିୟାର ସଚେତନତାରୁ ସମ୍ଭବପର ହୋଇ ପାରିଛି ।

ବୋଡ଼ା ସମ୍ବରର ରାଜା ରାଜେନ୍ଦ୍ର ସିଂହ ବରିହାଙ୍କ ପରାମର୍ଶକ୍ରମେ ଗଙ୍ଗାଧର କୃଷିଭିତ୍ତିକ ପତ୍ରପତ୍ରିକା, ପୁସ୍ତକ ପଢ଼ି ଓ ଅଭିଜ୍ଞ ବ୍ୟକ୍ତିଙ୍କ ମତାମତ ନେଇ 'କୃଷକ ସଙ୍ଗୀତ' (୧୯୨୧) ରଚନା କରିଥିଲେ । ଏ ପରିକଳ୍ପନା ଯେପରି ଅଭିନବ ପୁସ୍ତକ ପ୍ରକାଶନ ବି ତତୋଽଧିକ ଚମକପ୍ରଦ । ବୋଧହୁଏ ଓଡ଼ିଆ ସାହିତ୍ୟରେ କୃଷିକୁ ଭିତ୍ତିକରି ରଚିତ କବିତା ପୁସ୍ତକ ଭାବେ ଏହା ଏକମାତ୍ର ସୃଷ୍ଟି ।

ଗଙ୍ଗାଧରଙ୍କ ଆଧ୍ୟାତ୍ମିକତା ଧର୍ମ ଓ ଭକ୍ତି ନିବେଦିତ ଆତ୍ମସମର୍ପଣର କଥା । ତପସ୍ୱିନୀରେ ସୀତାଙ୍କ ଧର୍ମକୁ ସମ୍ବୋଧନ, 'ଭକ୍ତି' କବିତାରେ ବ୍ୟାପକ ସୃଷ୍ଟିର ଅରୂପ ସ୍ରଷ୍ଟାଙ୍କ ପ୍ରତି କବି ଚିତ୍ତର ସମର୍ପଣ ମନସ୍କତା, 'ଅମୃତମୟ' ଓ 'ମଧୁମୟ' କବିତାରେ କବିଙ୍କ ମଙ୍ଗଳାକାଙ୍‍କ୍ଷୀ ଜଗତ ଓ ଜୀବନ ଦୃଷ୍ଟି ପ୍ରତିଫଳିତ । ଏ ରୀତିର ଆଧ୍ୟାତ୍ମିକ କବିତା ରଚନା କରିବାରେ ଗଙ୍ଗାଧରଙ୍କ କଳା-ସ୍ୱାତନ୍ତ୍ର୍ୟ ବାରି ହୋଇପଡେ଼ । ଅମୃତମୟ କବିତାରେ ମୃତ୍ୟୁ ଅସ୍ୱୀକୃତ । ଅମୃତ ତ ଜୀବନର ନାମାନ୍ତର । କବିଙ୍କ ଭାଷାରେ-

ମୁଁ ତ ଅମୃତ ସାଗର ବିନ୍ଦୁ
ନଭେ ଉଠିଥିଲି ତେଜି ସିନ୍ଧୁ
ଖସି ମିଶିଛି ଅମୃତ ଧାରେ,
ଗତି କରୁଛି ସେ ଅକୂପାରେ,
ପଥେ ଶୁଖିଗଲେ ପାପ ତାପରେ
ହୋଇ ଶିଶିର ଖସିବି ତା'ପରେ
ଅମୃତମୟ ଅମୃତରୟ
ସହିତ ମିଶିବି ସାଗରେ । (ଅମୃତମୟ)

ଗଙ୍ଗାଧରଙ୍କ 'ଅମୃତ' ଓ 'ଶିଶିର' ଉପରେ ଆଧୁନିକ ମଣିଷ ଭରସା କରି ନପାରୁଥିବାରୁ କବି ଗୁରୁପ୍ରସାଦ ମହାନ୍ତି କ୍ଷୋଭ ପ୍ରକାଶ କରିଛନ୍ତି ତାଙ୍କ 'ମୃତ୍ୟୁ' କବିତାରେ । ଗଙ୍ଗାଧରଙ୍କ କାବ୍ୟ- କବିତାର ଭାବବାଣୀ ତାଙ୍କ ଜୀବନ-ଆଚରିତ ସାଧନାର ଫଳଶ୍ରୁତି । ସେଠି ଆଧୁନିକ କି ପ୍ରାଚୀନର ବିଚାର ନିରର୍ଥକ । ତାଙ୍କ କାବ୍ୟ-କବିତା ହେଉଛି ଭାବଦୃଷ୍ଟିରୁ ଅଖଣ୍ଡ କାଳଚେତନା ଦୀକ୍ଷିତ ମାନବିକ ଭାବର ସଚେତନ ବାଙ୍‍ମୟ ବ୍ୟାଖ୍ୟା । ବୋଧହୁଏ ଏଇଥିପାଇଁ ସଚ୍ଚିଦାନନ୍ଦ ରାଉତରାୟ କବି ଗଙ୍ଗାଧର ମେହେରଙ୍କୁ ତାଙ୍କ ସମକାଳର ସଂଘର୍ଷ ପୀଡ଼ିତ ଜୀବନର ଅସ୍ୱସ୍ତି ମଧ୍ୟରେ ଖୋଜୁଥିଲେ । ସଚ୍ଚିଦାନନ୍ଦଙ୍କ ଭାଷାରେ-

ମଧ୍ୟାହ୍ନର ଖରତାପ ଜାଳ
ସଂଘର୍ଷ ପୀଡ଼ିତ ମନ, ନାନା ଦ୍ୱନ୍ଦ୍ୱେ ବିକ୍ଷିପ୍ତ ଚଂଚଳ
ଜୀବନ ତୁମକୁ ଚାହେ, ହେ ନିର୍ଲିିପ୍ତ ସୂରି !
ବିଦଗ୍ଧ ଚେତନାର ଝଞ୍ଜାମୟ ଗାନ
ଚରୈବେତି ଜୀବନର ଖରଗତି ନିଦିଧ୍ୟାସନ
ତୁମକୁ ସ୍ମରଣ କରେ ।
ତୁମକୁ ସ୍ମରଣ କରେ ଜ୍ୟାୟାନ୍‍, ଯୁଆନ ।
(ଗଙ୍ଗାଧର ମେହେର-କବିତା ୧୯୬୨)

ଜ୍ୟାୟାନ୍‍ (ବର୍ଷୀୟାନ) ଓ ଯୁଆନ (ଯୁବକ) କବି ଗଙ୍ଗାଧରଙ୍କୁ ସଚ୍ଚିଦାନନ୍ଦ ଲୋଡ଼ିବା ତାତ୍ପର୍ଯ୍ୟପୂର୍ଣ୍ଣ । କବିଙ୍କକାବ୍ୟାଦର୍ଶ ଆଦର୍ଶ ଓ ନୀତି ଆଧାରିତ । ତେଣୁ ତାଙ୍କ କାବ୍ୟସ୍ୱର ସବୁକାଳ ପାଇଁ, ସବୁ ବୟସର ମଣିଷଙ୍କ ପାଇଁ ଉପାଦେୟ ସୃଷ୍ଟି । ତଥାକଥିତ ଆଧୁନିକତା ଓ ପ୍ରାଚୀନତାର ବିଚାର ଊର୍ଦ୍ଧ୍ୱରେ ହିଁ ତାଙ୍କ ସାରସ୍ୱତ ସୃଷ୍ଟି । ତାଙ୍କ କାବ୍ୟ-କବିତାଦିରୁ ଚିରନ୍ତନ ଜୀବନସତ୍ୟ ଶୁଣି ହୁଏ, ଶୁଣି ହୁଏ ବି ଜାତି, ଭାଷାକୁ ଘେନି ସୃଷ୍ଟ ସମକାଳୀନ ସମସ୍ୟା । ତାଙ୍କ ସାହିତ୍ୟରେ ଆଦର୍ଶ ଓ ନୀତିିନିଷ୍ଠ ଚରିତ୍ରମାନଙ୍କୁ ଦେଖିହୁଏ, ଦେଖିହୁଏ ବି ପାଷଣ୍ଡ ଉତ୍କୋଚଗ୍ରହୀତା ମାନଙ୍କୁ । ଗଙ୍ଗାଧରଙ୍କ ଜୀବନର ଶୁଦ୍ଧ ଶୁଚିତା ବସ୍ତୁତଃ ତାଙ୍କ ସାହିତ୍ୟରେ ଉଦ୍ଭାସିତ । ନିର୍ଦ୍ଦିଷ୍ଟ କାଳଖଣ୍ଡରେ ଜନ୍ମଗ୍ରହଣ କରିଥିଲେ ବି ତାଙ୍କ ସୃଷ୍ଟିରାଜିର ଶକ୍ତି-ସାମର୍ଥ୍ୟ ପାଇଁ ସେ କାଳାନ୍ତରତା ଲଭିଛନ୍ତି । ଓଡ଼ିଆ ଭାଷା-ସାହିତ୍ୟ, ଜାତିର ସ୍ଥିତି ଥିବା ପର୍ଯ୍ୟନ୍ତ ସ୍ୱଭାବକବି ଗଙ୍ଗାଧର ସ୍ମରଣୀୟ ରହିବେ ।
Aama Gangadhara.pdf
ଗଙ୍ଗାଧର ସାରସଂଗ୍ରହ
Aama Gangadhara.pdf

ରସ ରତ୍ନାକର
(ଷଷ୍ଠଛାନ୍ଦ: ରାଗ-କଳହଂସ କେଦାର)

ରମଣ ନାଗପାଶେ ବନ୍ଦୀ ହେବାର,
ରସିକା ଚାହିଁ କାନ୍ଦେ ହୋଇ ଆତୁର,
ରସିକ ବର ଆହା ପ୍ରାଣ-ଈଶ୍ୱର,
ରହିଲ ବନ୍ଦୀ ହୋଇ ଦୈତ୍ୟମନ୍ଦିର ହେ ।

ରଜନୀକରଜିତ କୋମଳତର,
ରମଣୀୟ ଶ୍ରୀଅଙ୍ଗ କି ସୁକୁମାର,
ରଥାଙ୍ଗ ପାଣି ପିତାମହ ଯାହାର,
ରହିଲେ ବନ୍ଦୀ ହୋଇ ସେହି ସୁନ୍ଦର ହେ ।

ରହି ମୋ ସ୍ନେହେ ଦୁଃଖ ହେଲା ତୁମ୍ଭର,
ରଖିବି ନାହିଁ ପ୍ରାଣ ଜାଣ ନିକର,
ରସାମଣ୍ଡନ ନାଥ ମାରକୁମାର,
ରଖାଇଲା ଏ ଦୁଃଖେ ଯୁବତୀ ଛାର ହେ ।

ରଖି ନଳିନୀଠାରେ ପ୍ରୀତି ଅପାର,
ରଜନୀ ହେଲେ ଯଥା ବନ୍ଦୀ ଭ୍ରମର,
ରଖନ୍ତୁ ଦୀନବନ୍ଧୁ କରି ଉଦ୍ଧାର,
ରଚିଲା ବିନୟରେ ସ୍ତୁତି ଅପାର ହେ ।

ରଜନୀ ଚରକୁଳ ଗରବହର,
ରହେ ବିନତା-ସୁତ ଆଗେ ତୁମ୍ଭର,
ରକ୍ଷକ ଅରକ୍ଷର କୃପାସାଗର
ରକ୍ଷକ ହୁଅ ବାରେ ପ୍ରାଣନାଥର ହେ ।

ରମଣ ଦୁଃଖେ ଦୁଃଖୀ ରମଣୀବର
ରହିତ ମୁଦେ ନେଲା ନିଶା-ବାସର,
ରଜନୀ ଶେଷ ଏଣେ ଦ୍ୱାରକାପୁର
ରବି ଉଦିତ ବିନାଶିତ ତିମିର ଯେ ।

ରଥ ଚରଣ ପାଣି ମଦନ ବୀର
ରତି ଋକ୍ମିଣୀ ଆଦି ଉଠି ସତ୍ୱର,
ରଙ୍ଗେ ଦେଖିଲେ ଅନିରୁଦ୍ଧ କୁମର
ରହିତ ହୋଇଅଛି ଦ୍ୱାରକାପୁର ଯେ ।

ରଣବାସରେ ଶୁଣି ନାୟିକାବାର
ରଡ଼ି ଛାଡ଼ିଲେ ବୋଲି ଆହା କୁମର,
ରତି ପରିବେଦନ ହେଲା ଅସର
ରହିଲେ ଦୁଃଖେ ମଜ୍ଜି ନିଶାବାସର ଯେ ।

ରସ ଘଟନ କେତେ କାଳ ଅନ୍ତର,
ରଙ୍ଗେ ଦ୍ୱାରକାଗତ ବିଧି-କୁମର
ରଚିଲେ ବାଣୀ ଶୁଣ ସାରଙ୍ଗଧର
ରହିଲେ ଅନିରୁଦ୍ଧ ବାଣ-ମନ୍ଦିର ଯେ ।

ରଖିଛି ନାଗପାଶେ ବାନ୍ଧି ଅସୁର
ରହିଛ ସୁଖେ ତୁମ୍ଭେ ଆପଣା ଘର,
ରଙ୍ଗ ନୟନ ଶୁଣି ନନ୍ଦକଧର,
ରଟିଲେ ଆଜ୍ଞା ସୈନ୍ୟ ସାଜ ସତ୍ୱର ଯେ ।

ରଙ୍କୁ ରାଜଶାବକୁ ବଞ୍ଚକ ଛାର
ରଖିଛି ବନ୍ଦୀରେ କି ସାହସ ତାର
ରମାଧବ ଅଗ୍ରଜ ଶୁଣି ଏ ଗିର
ରଦ କାମୋଡ଼ି ଦେଲେ ନିଶରେ କର ହେ ।

ରତୀଶ ଶାମ୍ବ ଗଦ ସାତ୍ୟକି ବୀର
ରଭସ ଧନୁ ଧରି ହେଲେ ବାହାର,
ରଜା ତ ଉଗ୍ରସେନ କଂସ-ପିଅର
ରଚିଲେ ଆଜ୍ଞା ବେଗେ କର ସମର ହେ ।

ରଥୀ ପଦାତି ସାଜି ସେନା ଅପାର
ରସା କମ୍ପାଇ ଗତି କଲେ ପ୍ରଖର,
ରଥାଙ୍ଗ-ପାଣି ଘେନି ଅସଂଖ୍ୟ ବୀର
ରକତପୁରେ ଉପନୀତ ସତ୍ୱର ଯେ ।

ଇନ୍ଦୁମତୀ
(ପୂର୍ବଭାଗ: ରାଗ-ବଙ୍ଗଳାଶ୍ରୀ)

ଜଣେ ଜଣେ ହୋଇ ସଭାଗତ ହେଲେ
କ୍ରମେ ସର୍ବ ନରପତି,
ସନ୍ଧ୍ୟାଦେବୀ କୋଳେ ଉଇଁ ଆସିଲେ କି
ଉଜ୍ଜ୍ୱଳ ତାରକାପଂକ୍ତି ।

ବସିଲେ ତହିଁରେ ଅତି ମନୋହର
ସ୍ୱର୍ଣ୍ଣମୟ ସିଂହାସନେ,
ଆଚମ୍ବିତେ ଅବା କମଳ ସକଳ
ଫୁଟିଗଲେ ପଦ୍ମବନେ ।

ତହିଁ ମଧ୍ୟେ ବିଜେ କୋଶଳ ନୃପତି
ସୁତ ଅଜ ଯୁବରାଜ,
ସୁରବୃନ୍ଦ ସଙ୍ଗେ ମହୀକି ଆଗତ
ହେଲେ କି ସେ ଦେବରାଜ ।

ଅବା ଅକମ୍ପିତ ସ୍ୱଚ୍ଛ ନୀର ଫୁଲ୍ଲ
କୁମୁଦଶୋଭିତ ସରେ,
ବାଳାର୍କମଣ୍ଡଳ ପ୍ରତିବିମ୍ବ ଆସି
ପଡ଼ିଗଲା ତରତରେ ।

ପୂର୍ଣ୍ଣ କଳାକର ସମୁଦିତ ହେଲେ
ତାରାକୁଳ ଯଥା ମ୍ଳାନ,
ଅଜ ଆଗମନେ ନୃପମାନଙ୍କର
ହ୍ରସ୍ୱ ହେଲା ଅଭିମାନ ।

କନ୍ୟା ଲାଭ ଆଶା ଦୂର ହୋଇଗଲା
ମାନସରୁ ତାହାଙ୍କର,
ଶରଦ ଆଗମ ଦରଶନେ ଯଥା
ଆକାଶରୁ ଜଳଧର ।

ରାଜନ୍ୟମଣ୍ଡଳ ମଧ୍ୟେ ବିରାଜିଲା
ଏକାଳେ ରାଜନନ୍ଦିନୀ,
ଇନ୍ଦ୍ର-ଶରାସନ ତଳେ ବିଳସିଲା
କିବା ଚାରୁ ସୌଦାମିନୀ ।

ଅଥବା ରତନ ଖଣିଗର୍ଭେ ହେଲା
ଦୀପଶିଖା ପ୍ରଜ୍ଜ୍ୱଳିତା,
ନବ ବିକଶିତ କମଳକାନନେ
କମଳା ବା ବିରାଜିତା ।

ରାଜସୁତ-ଚିତ୍ତ- ଆହ୍ଲାଦଦାୟିନୀ
ବରମାଲ୍ୟ ଅଛି ଧରି,
କୁମୁଦମାଳିନୀ ଶରଦ-କୌମୁଦୀ
ଶୋଭା-ଗର୍ବ ଅପହରି ।

ଚାହିଁ ଅଦଭୁତେ ଅପୂର୍ବ ଲାବଣ୍ୟ
ରୂପସୀ-ରୂପସାଗରେ,
ରୂପଲୋଭୀ ନୃପ କୁମାରଙ୍କ ମନ
ମୀନେ ବୁଡିଗଲେ ଖରେ ।

ମାଲ୍ୟ ଲଭିବାକୁ ନୃପସୁତମାନେ
ସମସ୍ତେ ଲୋଲୁପ ଚିତ୍ତ,
ବୁଭୁକ୍ଷିତ ଅଳି- -ବୃନ୍ଦ ଚାହିଁ ଯଥା
ଏକ ପଦ୍ମ ବିକଶିତ ।

କାହା ଭାଗ୍ୟ-ବନ- ଫୁଲର ସେ ମାଳା
ଅଧିକାରୀ କିଏ ତା'ର,
ମଘବା ପଦକୁ ତୁଚ୍ଛ ମଣିବ ସେ
ଯା' ଗଳାକୁ ଯିବ ହାର ।

ଇନ୍ଦୁମତୀ
(ଉତ୍ତର ଭାଗ : ରାଗ-ବଙ୍ଗଳାଶ୍ରୀ)

ଯେ ରୂପେ ଗଗନ ଗଗନ ସଦୃଶ
ସାଗର ସାଗରୋପମ,
ଅବନୀମଣ୍ଡଳେ ସର୍ବ ରାଜଗୁଣେ
ତୁମ୍ଭେ ଏକା ତୁମ୍ଭ ସମ ।

ମହୋଦଧି ପ୍ରାୟ ତୁମ୍ଭର ହୃଦୟ
ଅତ୍ୟନ୍ତ ଗଭୀର ଧୀର,
ସାଧାରଣ କ୍ଷୋଭ ମୋହ ତାକୁ କରି
ପାରନ୍ତି ନାହିଁ ଅସ୍ଥିର ।

ଭବେ ଭବିତବ୍ୟ ଅବଶ୍ୟ ଘଟଇ
ନ ହୁଏ କେବେ ଅନ୍ୟଥା,
ମୂଢ଼ ଜନେ ସିନାତହିଁ ପାଇଁ ବୃଥା
ହୃଦେ ପୋଷୁଥାନ୍ତି ବ୍ୟଥା ।

ବିଧିବିଧାତବ୍ୟ ବିଷୟ ନ ବୁଝି
କ୍ଷୋଭ କରିବାର ମନେ,
ପ୍ରାକୃତ ମାନବ ପରାୟେ ଉଚିତ,
ନୁହେଁ ଭବାଦୃଶ ଜନେ ।

ନଦୀ ପ୍ରବାହରେ ଭାସିଯା'ନ୍ତି ସିନା
ତଟସ୍ଥିତ ତରୁମାନ,
ପ୍ରବାହ ଉପରେ ପ୍ରବାହ ଆସିଲେ
ଟଳଇ କି ସାନୁମାନ ?

କର୍ମଫଳ ଘେନି ଜନ୍ମ ଲଭୁଛନ୍ତି
ଜୀବଗଣ ବସୁଧାରେ,
ଫଳ ଭୁଞ୍ଜିସାରି ଯାଉଛନ୍ତି ପୁଣି
କୃତକର୍ମ ଅନୁସାରେ ।

ଜୀବନ ପ୍ରଦୀପ ଜଳୁଥାଏ ଦେହେ
ଆୟୁସ୍ତୈଳ ଥିବାଯାଏ,
ଆୟୁସ୍ତୈଳସବୁ ନିଃଶେଷିତ ହେଲେ
ନିର୍ବାଣ ସେ ହୋଇଯାଏ ।

ଅଚିନ୍ତ୍ୟ ପୁରୁଷ ହସ୍ତେ ଅଛି ସେହି
ତୈଳ ଦେବା ଅଧିକାର,
ଅପକ୍ଷପାତରେ ବଣ୍ଟନ କରନ୍ତି
କର୍ମ ଦେଖି ଯେ ଯାହାର ।

ମର୍ତ୍ତ୍ୟମଣ୍ଡଳରେ ଜନମିଲେ ଦିନେ
ଅବଶ୍ୟ ଅଛି ମରଣ,
ସର୍ବଗ୍ରାସୀ କାଳ ପ୍ରତି ନିମେଷରେ
କରୁଛି ଆୟୁ ହରଣ ।

ଥିଲେ କେତେ କେତେ ଅମିତ ତେଜସ୍ୱୀ
ବସୁନ୍ଧରା ପତିମାନେ,
ନାମ ମାତ୍ର ଅଛି ତନୁ ଯାଇଅଛି
ଭୟଙ୍କର ଶମଶାନେ ।

ତବ ବଂଶେ ଥିଲେ ନୃପତି ମୁକୁଟ
ମଣି ପୁରଞ୍ଜୟ ନାମେ,
ମର ଲୋକ ଲଙ୍ଘି ବ୍ୟାପିଥିଲା ତାଙ୍କ
କୀରତି ଅମରଧାମେ ।

ସେହି ଯଶୋଧନ ବୀରଗଣାଗ୍ରଣୀ
ଆଜ ଏ ମହୀରେ କାହିଁ ?
କାଳର ଅଜେୟ ପରାକ୍ରମକୁ ସେ
ଲଙ୍ଘି ତ ପାରିଲେ ନାହିଁ ।

ତୁମ୍ଭ ପିତାମହ ଦିଲୀପ ଭୂପତି,
ପିତା ରଘୁ ମହାରାଜ,
ଦୋର୍ଦ୍ଦଣ୍ଡକୁ ଯା'ର ମଘବା ଶଙ୍କଇ
ସେହି ଅଛନ୍ତି କି ଆଜ ?

ଚିରସ୍ଥାୟୀ ନୁହେଁ ଶରୀର-ପାଦପ
ଭବ ତରଙ୍ଗିଣୀ ତୀରେ,
ପ୍ରାଣ ମୂଳମାଟି ଧୌତ ହୋଇଗଲେ
ଭାସିଯାଏ କାଳ-ନୀରେ ।

କେହି ତ କାହାରି ନୁହଁନ୍ତି ରାଜନ
ମାୟାମୟ ଭବ-ହାଟେ,
ଆପଣା ଆପଣା କଉଡ଼ି ସରିଲେ
ଫେରୁଛନ୍ତି ନିଜ ବାଟେ ।

ଉତ୍କଳ-ଲକ୍ଷ୍ମୀ
(ରାଗ - ବଙ୍ଗଳାଶ୍ରୀ)

ତୋହୋ ରୂପେ ମୁଗ୍‍ଧ ହୋଇ ଜଗନ୍ନାଥ
ଛାଡ଼ି ଦ୍ୱାରାବତୀପୁର,
କଳିନ୍ଦଜାତଟ ବିପିନ ବିହାର
ସୁଖକରି ମନୁ ଦୂର;

ପୂର୍ବାଚଳ ଚୂଳେ ଦିନମଣି ପ୍ରାୟେ
ବିଜେ କରିି ନୀଳାଚଳେ,
ପ୍ରେମେ ଆଲିଙ୍ଗନ କରୁଛନ୍ତି ତୋତେ
ପ୍ରକାଣ୍ଡ ବାହୁଯୁଗଳେ ।

କାଶୀଧାମ ଛାଡ଼ି ଆସି ତ୍ରିଲୋଚନ
ରହିଲେ ଏକାମ୍ର ବନେ,
ତିିନି ଲୋଚନକୁ ତୃପ୍ତ କରୁଛନ୍ତି
ତୋ' ରମ୍ୟ ରୂପ ଦର୍ଶନେ ।

ସେ ବିଶ୍ୱାପାବନ ବିଶ୍ୱନାଥଙ୍କର
ଗମନକୁ ଅନୁସରି,
ଜାହ୍ନବୀ ଆସିଲେ କଇତବ ବେଶେ
ଚିତ୍ରୋତ୍ପଳା ନାମ ଧରି ।

ପଥେ ଦେଖି ତାଙ୍କୁ 'ସମଲାଈ' ଦେବୀ
ଭାବେ ଆଲିଙ୍ଗନ କଲେ,
ସମଲାଈ କର ଲାଗି ହୃଦହାର
ଛିଡ଼ି ପଡ଼ିଗଲା ତଳେ ।

ସେହିଠାରେ ଭୂମି ହୋଇଲା ଗଭୀର
ଦେବୀ ଖୋଜି ଖୋଜି ହାର,
ଖନିତ ବାଲୁକା- ରାଶି ପଡ଼ି ଯହିଁ
ହୋଇଅଛି ସ୍ତୂପାକାର ।

ଏବେ ହୀରାକୁଦ ନାମେ ଅଭିହିତ
ହୋଇଅଛି ସେହି ସ୍ଥାନ,
କେତେ ହୀରା ତହୁଁ ପାଇ ତୋ' କୁମରେ
ହୋଇଛନ୍ତି ଧନବାନ ।

ତହୁଁ କିଛି ଦୂରେ 'ହୁମା' ମହେଶ୍ୱର
ଚାହିଁ ତା' ଚାରୁ ମୂରତି,
ସ୍ନେହେ ଡାକିବାରୁ ନିକଟକୁ ତାଙ୍କ
ଯିବାକୁ ଦେଇ ସମ୍ମତି ।

ମହେଶ-ଅଙ୍ଗୁଳି ରେଖାଙ୍କିତ ପଥେ
ଉତ୍ତରକୁ ଏକ ଧାର,
ଗଲା ଘୋର ଶିଳା ସଙ୍କୁଳ ଦୁର୍ଗମ
ବନପଥ ହୋଇ ପାର ।

ତୋଷି ତାଙ୍କୁ ପୁଣି ପୂର୍ବ ଧାରେ ମିଶି
ଗମନ କରି ସତ୍ୱରେ,
ଆସି ତୋ' ପାଶରେ ମିଳନ୍ତେ ସସ୍ନେହେ
ବସାଇଅଛୁ ଅଙ୍କରେ ।

ପରସ୍ପର ଶୋଭା- ବର୍ଦ୍ଧନ କାରଣେ
ହୋଇଅଛି ସମାହାର,
ସୁନ୍ଦର ପ୍ରତିମା ଗଳେ ଦେଲା ବିଧି
ଇନ୍ଦ୍ରନୀଳମଣି ହାର ।

ଶରସୁନ୍ଦରୀକି ଶୋଭା କରନ୍ତି ଯେ
କୌମୁଦୀ କୁସୁମମାଳେ,
ମଞ୍ଜୁ ରତ୍ନଟିଏ ଦେଇଅଛନ୍ତି ଯେ
ଉଷା ଦିବ୍ୟଯୋଷା ଭାଳେ ।

ଯୁବତୀ ବଦନେ ଦେଇଅଛନ୍ତି ଯେ
ଜଗତମୋହିନୀ କାନ୍ତି,
ଯେହୁ ଦେଇଛନ୍ତି କୁସୁମେ ସୌରଭ
ସାଧୁ ହୃଦୟରେ ଶାନ୍ତି ।

ଯୋଗ୍ୟକୁ ଯୋଗ୍ୟରେ ଯୋଜନା କରଣେ
ତିଳେ ଭ୍ରାନ୍ତି ନାହିଁ ଯା'ର,
ସେହି ବିଧି ଏକା ଦେଇଛନ୍ତି ତୋତେ
ଏହି ଦିବ୍ୟ ଅଳଙ୍କାର ।

ଉତ୍କଳ ଲକ୍ଷ୍ମୀ
(ରାଗ - ବଙ୍ଗଳାଶ୍ରୀ)

ଦିଗ ଆମୋଦିତ କଲା ହୋଇ ସେହି
ସମୟେ କୁସୁମବୃଷ୍ଟି,
କାହୁଁ ଆସୁଅଛି କୁସୁମ ବୋଲି ମୁଁ
ଗଗନକୁ ଦେଲି ଦୃଷ୍ଟି ।

ଦେଖିଲି ପ୍ରଫୁଲ୍ଲ ଧବଳ କୁସୁମ
ରଚିତ ବହୁ ବିମାନ,
ଶାରଦ ଜୀମୂତ ପ୍ରାୟେ ହେଉଛନ୍ତି
ଗଗନେ ଉଡ଼୍‍ଡ଼ୀୟମାନ ।

ବିମାନ ମଧ୍ୟରେ ଜ୍ୟୋର୍ତିମୟ ବପୁ
ଜଣେ ଜଣେ ବସିଛନ୍ତି,
ଦିଶନ୍ତି ଯେସନେ ଘନ କୋଳେ ସ୍ଥିର
ହୋଇଅଛି ଐରାବତୀ ।

ବିମାନ ମସ୍ତକେ ଲେଖା ହୋଇଅଛି
ବିରଳ ବୃହତ ବର୍ଣ୍ଣେ,
ଲିପିମାଳା କିବା ଗଢ଼ା ହୋଇଅଛି
ବିଶୁଦ୍ଧ ଖନିଜ ସ୍ୱର୍ଣ୍ଣେ ।

'ଜଗନ୍ନାଥ ଦାସ' 'ବଳରାମ ଦାସ'
କରଣ 'କୃଷ୍ଣଚରଣ',
ନାମ ଦେଖି ତହିଁ ଆନନ୍ଦେ ପ୍ରଫୁଲ୍ଲ
ହେଲା ମୋ ନୟନ ମନ ।

ପୁଣି ପାଠ କରି 'ରାଜା କୃଷ୍ଣସିଂହ'
ମୁନୀନ୍ଦ୍ର 'ସାରଳା ଦାସ',
'ଦୀନକୃଷ୍ଣ ଦାସ' 'ଉପଇନ୍ଦ୍ର ଭଞ୍ଜ'
ନାମ ହେଲା ସୁପ୍ରକାଶ ।

କରଣୀ ଅକ୍ଷରେ ଥିଲା 'ଅଭିମନ୍ୟୁ
ସାମନ୍ତ ସିଂହାର' ନାମ,
କେତନେ ଅଙ୍କିତ ହୋଇଥିଲା ତାଙ୍କ
ଯୁଗ୍ମ ମୂର୍ତ୍ତିି ରାଧା-ଶ୍ୟାମ ।

ବହୁ ରଥ ଥିଲା ଚିହ୍ନିବାକୁ ସବୁ
ହେଉଥିଲି ତରତର,
ରୁଦ୍ଧ କରିଦେଲା ନୟନଯୁଗଳ
ଆନନ୍ଦ-ଲୋତକଝର ।

ବଳରାମ ଦେବ
(ରାଗ - ବଙ୍ଗଳାଶ୍ରୀ)

ଦେଖୁଁ ଦେଖୁଁ ସେହି ଯଜ୍ଞ-ଅନଳରୁ
ଚତୁର୍ଭୁଜ ବୀର ଜଣେ;
ବାହାରିଲେ, ଚାରି କର ଶୋଭେ ଚକ୍ର
ଗଦା ଖଡ଼୍‍ଗ ଶରାସନେ ।

ସ୍ଥୂଳୋନ୍ନତ ତନୁ ପ୍ରଶସ୍ତ ଲଲାଟ
ବର୍ମାବୃତ କଳେବର;
ପୃଷ୍ଠଭାଗେ ଯେଉଁ ତୂଣୀର ଲମ୍ବିଛି
ପୂର୍ଣ୍ଣ ହୋଇଅଛି ଶର ।

ହେଲେ ଚତୁର୍ଭୁଜ ଚୌହାନ ନାମରେ
ଅଭିହିତ ବୀରୋତ୍ତମ,
ନାଶିଲେ ଦୁର୍ଜ୍ଜୟ ଦୈତ୍ୟକୁଳ କରେ
ରବି କରେ ଯଥା ତମ ।

ଅକ୍ଷୟ କୀରତି- ମାନ ଅରଜିଲେ
ତାଙ୍କ ବଂଶଧରଗଣ;
ଅକ୍ଷୁଣ୍ଣ ଭାବରେ କଲେ ବହୁକାଳ
ଭାରତରେ ରାଜପଣ ।

ଆର୍ଯ୍ୟ ଗଉରବ ଗୋଧୂଳି ତପନ
ପୃଥ୍ୟୁ ହେଲେ ଦିଲ୍ଲୀଶ୍ୱର,
ଇତିହାସେ ଅଛି ଅକ୍ଷୟ ଅକ୍ଷରେ
କୀର୍ତ୍ତିିରାଜି ଏହାଙ୍କର ।

ଆର୍ଯ୍ୟମାନଙ୍କର ଭାଗ୍ୟ ଚକ୍ର କାଳ
କ୍ରମେ ହେଲା ଆବର୍ତ୍ତନ,
ଭାରତ-ଜନନୀ ଭାଗ୍ୟେ ଲେଖାଥିଲା
ତା' ପତି ହେଲେ ଯବନ ।

ପରାଧୀନଠାରୁ ମୃତ୍ୟୁ ଶ୍ରେୟଃ ଜାଣି
ଚୌହାନ ପୁଙ୍ଗବ ଗଣେ,
ସ୍ୱାଧୀନତା ରତ୍ନ ରକ୍ଷଣ ଲାଳସେ
ପ୍ରାଣଦେଲେ ରଣାଙ୍ଗନେ ।

ରମାଇ ନାମରେ ଶିଶୁ ଜଣେ ତାଙ୍କ
ଛାଡ଼ି ନିଜ ରାଜ୍ୟ ଆଶ,
ପାଟଣାକୁ ଆସି ବ୍ରାହ୍ମଣ ମନ୍ଦିରେ
ସ୍ୱଚ୍ଛନ୍ଦରେ କଲେ ବାସ ।

ଏ କାଳେ ପାଟଣା ରାଜ-ସିଂହାସନେ
ଥିଲେ ନାହିଁ ନରପତି,
ଆଠଜଣ ପ୍ରଜା ଦିନେ ଦିନେ ବସି
ରାଜକାର୍ଯ୍ୟ ବିଚାରନ୍ତି ।

ଲେମ୍ବୁଟିଏ ମାତ୍ର ଅଧିଷ୍ଠିତ ଥାଏ
ରାଜ-ସିଂହାସନ ପରେ;
ଯାହା ପାଳି ପଡ଼େ ରାଜପଣ କରେ
ଲେମ୍ବୁଟିକୁ ଧରି କରେ ।

ସେହି ଅଷ୍ଟଜଣ ମଲ୍ଲିକ ନାମରେ
ହେଉଥିଲେ ଅଭିହିତ,
'ଆଠମଲ୍ଲିକରେ ଲେମ୍ବୁ ରାଜା' ବୋଲି
ଅଦ୍ୟାପି ହୁଏ କଥିତ ।

ସିଂହାସନେ ବସି ଲେମ୍ବୁ ଧରିଥିଲେ
କିବା ବଡ଼ କିବା ସାନ,
ଯାହାକୁ ଯେମନ୍ତ ଆଜ୍ଞା ଦିଅନ୍ତି ତା'
କଦାପି ନହୁଏ ଆନ ।

ଏହି ରୂପେ ହେଉ ଥାଏ ପାଟଣାର
ରାଜକାର୍ଯ୍ୟ ସମ୍ପାଦିତ
ସମୟ କ୍ରମରେ ବୃଦ୍ଧ ବିପ୍ରଙ୍କର
ପାଳି ହେଲା ଉପସ୍ଥିତ ।

ପୀଡ଼ିତ ଥିବାରୁ ଶିଶୁ ରମାଇଙ୍କୁ
ପଠାଇ ଦେଲେ ସ୍ଥବିର,
ସିଂହାସନେ ବସି ବିଚିତ୍ର ରାଜତ୍ୱ
କଲେ ସେ ରମାଇ ବୀର ।

ପ୍ରଥମେ ଅପର ସପ୍ତ ମଲ୍ଲିକର
ମସ୍ତକ ଖଡ଼୍‍ଗେ ଛେଦି,
ସେ ସପ୍ତ ମସ୍ତକୋ ପରେ ବନାଇଲେ
ରାଜସିଂହାସନ ବେଦି ।

ଅଦଭୁତ କର୍ମ ଦରଶନେ ସେହି
ସପ୍ତ ବର୍ଷ ବାଳକର,
ରାଜଲକ୍ଷ୍ମୀ ସହ ଭାଗ୍ୟଲକ୍ଷ୍ମୀ ଆସି
ଯୋଡ଼ିଲେ କର ପତର ।

ବଳରାମ ଦେବ

ଲୋହିତ ବସନା ଉଷା ଉଜ୍ଜ୍ୱଳବରନା,
ଗୋଟିଏ ଉଜ୍ଜ୍ୱଳ ରତ୍ନ କୁନ୍ତଳ ଶୋଭନା ।
ଶୁଭେ ପଦ ପକାଇଲା ଅବନୀ ଉପରେ;
ଜଗତରୁ ପଳାଇଲା ତମ ତରତରେ ।
ପ୍ରକୃତି ଯେ ଅନର୍ଗଳ ତିମିର ଗରଳେ
ଘାରି ହୋଇ ପଡ଼ିଥିଲା ଅବନୀମଣ୍ଡଳେ ।
ବିହଙ୍ଗମ ସ୍ୱନ ମନ୍ତ୍ରେ ଉଷା କି ଝାଡ଼ିଲା
ବଦନେ ସଲିଳ ସିଞ୍ଚି ସ୍ନେହେ ଉଠାଇଲା ।
ଚିତ୍ରଭାନୁ ପୂଜିବାକୁ ବେନି ସହଚରୀ
ତୋଳିଲେ ବିବିଧ ଫୁଲ ବିପିନେ ବିଚରି ।
କାଲି ଭୃଙ୍ଗ-ବିନୋଦିନୀ ନଳିନୀ ବଦନ
ଚାହିଁ ରାଗେ ଯାଇଥିଲେ ଦେବ ବିକର୍ତ୍ତନ ।
ସେହି ରାଗ-ଦୃଷ୍ଟି ଆଜ ନଳିନୀ ଉପରେ,
ବାତେ ଯା' ନଳିନୀ ଥରେ ଭୟେ ସିନା ଥରେ ।
ଲମ୍ପଟ ଷଟ୍‍ପଦ ଯାହା ସରୋଜିନୀ ଅଙ୍କେ,
ବଳାତ୍କାରେ ପଶିଥିଲା ପଡ଼ିଲା ଆତଙ୍କେ ।
ବାନ୍ଧି ରଖିଥିଲା ତାକୁ ଚତୁରୀ ପଦ୍ମିନୀ;
କାନ୍ତ ଆଗେ ହୁଡ଼ି ହେଲା ବିରହ ମାନିନୀ ।
ତା' ଦେଖି ତରଣି ରାଗ-ଭାବ ତେଜି ଖରେ,
ଶିଶିର ଲୋତକ ତା'ର ପୋଛିଲେ ସ୍ୱକରେ ।
ସ୍ୱକରେ ତରଙ୍ଗ ବିମ୍ବେ ରତନ ନୂପୁର,
ଗଢ଼ି ତା' ପୟରେ ମଣ୍ଡି ମାନ କଲେ ଦୂର ।

କୀଚକ ବଧ
(ଦ୍ୱିତୀୟ ସର୍ଗ : ରାଗ-ବଙ୍ଗଳାଶ୍ରୀ)

ବସନ୍ତ ବିଜୟ ବାରତା ପ୍ରଚରିଲା ଭୁବନେ,
ପାଦପ-ଆନୀତ ପତର ପରଭୃତ ପଠନେ ।
ଗ୍ରହରାଜ କର୍ଣ୍ଣେ ପଡ଼ିଲା ଋତୁ ସମ୍ରାଟ ଭାଷା,
ଗମିଲେ ସରଳ ପଥରେ ତେଜି ଦକ୍ଷିଣ ଆଶା ।
ଶିଶିର ନାଶଇ ପଦ୍ମିନୀ ଘନ ରବିଙ୍କି ଗ୍ରାସେ,
ଏଣୁ ଋତୁପତି ନାମରେ ରବି ରହିଲେ ତ୍ରାସେ ।
ଗ୍ରହ ରାଜ୍ୟ ହେଲା ପ୍ରସନ୍ନ ତହିଁ ଗ୍ରହ ସରବେ
ବିଳସିଲେ ମଣ୍ଡି ବିଗ୍ରହ ରମ୍ୟ ପ୍ରଭା-ବିଭବେ ।
ପତି-ନୀଚଗତି-ଦୁଃଖରେ କ୍ଷୀଣ ଥିଲା ବାସର,
ଫୁଲାଇଲା ମୁଦେ ଶରୀର ମୁଖ କରି ସୁନ୍ଦର ।
ହରଷିତ ଦିନ ବର୍ଦ୍ଧନ ଦେଖି କୋକ ଦମ୍ପତି,
ଆନନ୍ଦ ନ ହୁଏ କାହାର ଚାହିଁ ପ୍ରିୟ ସମ୍ପତ୍ତି ।
ଭାନୁ ଯମାଳୟ ଗମନ ଦେଖି ପଦ୍ମିନୀ ସତୀ,
ବିଷ୍ଣୁପଦ-ସ୍ରୁତ ଜଳରେ ଝାସିଥିଲା ଝଟତି ।
ତପ ଫଳେ ଏବେ ସୁନ୍ଦରୀ ନବ ଜନମ ଲଭି,
ଧ୍ରୂବ-ସମ୍ମୁଖୀନ ପତିଙ୍କ ହେଲା ପ୍ରିୟ ବଲ୍ଲଭୀ ।
ବସନ୍ତ ଅତିଥି ପୀରତି ପାଇ ଅବନୀ ରାଣୀ,
ଯୋଗାଡ଼ି ରଖିଲା ଭଣ୍ଡାରେ ନାନା ପଦାର୍ଥ ଆଣି ।
ତରଭୁଜ ଆମ୍ର ପନସ ନାନା ଖାଦ୍ୟସମ୍ଭାର,
ଉପହାରପାଇଁ ଇଜ୍ଜଳ ଫୁଲ ମାଣିକ୍ୟ-ହାର ।
ପ୍ରମୋଦ ନିମନ୍ତେ କାନନ ମଣ୍ଡାଗଲା ଯତନେ,
ମଧୁକ ମୁକୁତା ପୁଞ୍ଜରେ ଚାର ନୀଳ ରତନେ ।
ରତ୍ନମୟ ସିନ୍ଧୁ ତରଙ୍ଗ ଦୋଳା ବରଜି ରଙ୍ଗେ,
ବିଜେ କଲେ ଧୀର ସମୀର ଚାରୁ ବସନ୍ତ ସଙ୍ଗେ ।
ପୁଷ୍ପଚ୍ଛାୟା ସ୍ନିଗ୍ଧ-ସୁରମ୍ୟ ପୁଷ୍ପମୟ ମାର୍ଗରେ,
ଆସି ବିହରିଲେ କୁସୁମ-କୁଞ୍ଜେ ଅନୁରାଗରେ ।
ବିକଶିତ ନବ ମାଳିକା ଅର୍ଘ୍ୟ ଧରି ସମ୍ମୁଖେ,
ଚନ୍ଦ୍ରିକା ସୁନ୍ଦରୀ ସ୍ୱାଗତ କଲା ଚକୋର ମୁଖେ ।

ଉଜ୍ଜ୍ୱଳ ବସନ ଭୂଷଣ ମନୋହର ବେଶରେ,
ସୁକାନ୍ତି ସୁମୁଖୀ ସତ୍ୱର ମିଳିଗଲା ପାଶରେ ।
ସୁକୁମାର ବିଶ୍ୱ ବିଜୟୀ ଅନୁପମ ସୁନ୍ଦର,
ପୁଷ୍ପମୟ ବେଶେ ମିଳିଲେ ତହିଁ କୁସୁମ-ଶର ।
ପାଞ୍ଚ ଜଣ ମିଶି ଆମୋଦେ ବିରଚିଲେ ତାଣ୍ଡବ,
ତାଣ୍ଡବ ନୁହେଁ ତା' ସରସ-ଫଳ-ପୂର୍ଣ୍ଣ ଖାଣ୍ଡବ ।
ସେ ଖାଣ୍ଡବ ଫଳ ଭୋଜନେ ହେଲା ଜଗତ ଲୁବ୍ଧ,
କେ ପାଇ ଆନନ୍ଦେ ନାଚିଲା କେ ବା ନପାଇ କ୍ଷୁବ୍ଧ ।
ସନ୍ତାପିତ ହେଲା ମଧ୍ୟାହ୍ନ ପିତୃପ୍ରସୂ ସୁନ୍ଦର,
ପଲ୍ଲବିତ ହେଲେ ପାଦପେ, ଶୁଷ୍କ ନଦୀ-ଉଦର ।
କିଂଶୁକ-ରକତ-ବିଗ୍ରହ-ବନକାନ୍ତି ବଢ଼ିଲା,
ଚନ୍ଦ୍ରିକାର ନବ-ପ୍ରସୂତି ବିଭାବରୀ ସଢ଼ିଲା ।
ପ୍ରୀତି-ପାରାବାରେ ଛାଡ଼ିଲେ ପ୍ରାଣ-ପୋତ ଯୋଗିଏ ।
ମଦନ-ଅନଳ-ତାପରେ ବିଚଳିତ ଯୋଗିଏ ।

କୀଚକ ବଧ
(ତୃତୀୟ ସର୍ଗ)

ନଗରରେ କ୍ରମେ ରୁଦ୍ଧ ହୋଇଗଲା
ଗୃହମାନଙ୍କର ବାଟ,
ନିଦ୍ରା ସେହିରୂପେ ପକାଇ ଆଣିଲା
ମାନବ ନେତ୍ର-କପାଟ ।

ନିଦ୍ରା-ମହୋଦଧି- ସ୍ୱପନ ତରଙ୍ଗେ
ଭାସି ଭାସି ଜୀବଗଣ,
କଲେ କେତେ ମହା-ଅଦ୍ଭୁତ ବିଷୟ
ପ୍ରତିବିମ୍ବ ଦରଶନ ।

କାମତୃଷାକୁଳ କୀଚକ କେବଳ
ତହିଁରୁ ଅଛି ବାହାର,
ଲାଗିଛି ଦଉଡ଼ ବିଷମ ଦୁରାଶା
ମୃଗତୃଷ୍ଣାକୁ ତାହାର ।

ଯହିଁ ପ୍ରଭାବତୀ ଦ୍ରୌପଦୀ-ମୂରତି
କୁସୁମ-ହସିତ ଲତା,
ପ୍ରତିବିମ୍ବ ପଡ଼ି ନୟନରେ ତାର
ଦେଉଅଛି ଶୀତଳତା ।

ସେହି ଶୀତଳତା କରୁଅଛି କିନ୍ତୁ
ବୃଦ୍ଧି ତା ହୃଦୟ-ଦାହ,
ସ୍ୱଭାବ-ଶୀତଳ ଜଳପାତେ ଯଥା
ତପତ ତୈଳ କଟାହ ।

ଦାସୀକି ପଚାରି ଅବଗତ ବୀର
ହୋଇଥିଲା ପୂର୍ବ ଯାମେ,
ରମଣୀରତନ ରାଜଗୃହ ମଧ୍ୟେ
ରହେ ସଇରିନ୍ଧ୍ରୀ ନାମେ ।

କେ ତାର ଜନକ, ଅଛି କି ନା ପତି
କାହିଁ ବା ପୂର୍ବ ନିବାସ,
କେଉଁ ଉଦ୍ଦେଶ୍ୟରେ ଏ ପୁରେ ଆଗତ
ତାହା ନୁହେ ସୁପ୍ରକାଶ ।

ବାସ ଭୂଷଣରୁ ପ୍ରକାଶିତ ହୁଏ
ସଧବା ଲକ୍ଷଣଯାକ,
ଉଚ୍ଚକୁଳ ବଧୂ- ପରିଚାୟକ ତା'
ଆଚରଣ ଆଉ ବାକ୍ୟ ।

ସୈରିନ୍ଧ୍ରୀ ହେଲେ ହେଁରାଜପୁର ମଧ୍ୟେ
ଦେଖିଲେ ତାହାର ଠାଣି
ବୋଧହୁଏ ତାର ଆଗେ କିଛି ନୁହେଁ
ଅମର ନଗରରାଣୀ ।

ଧର୍ମରାଜଙ୍କର ମତିକି ସେ ନିଜ
ବିବେକରେ ପାରେ ଜିଣି,
ରାଜପୁର ନାରୀ ମଣ୍ଡଳକୁ ସ୍ନେହ
ମୂଲ୍ୟେ ନେଇଅଛି କିଣି ।

ବିରାଟ ମହିଷୀ ହୋଇଛନ୍ତି ତାର
ପବିତ୍ର ଚରିତ୍ରେ ବଶ,
ପାଇଛନ୍ତି ପରା ବିଶ୍ୱଲୋଭନୀୟ
ବିଶୁଦ୍ଧ ସୁବର୍ଣ୍ଣ କସ ।

ନାଗରୀର କଥା ମାନ ହେଲା ତା'ର
ହୃଦୟପଟେ ଲିଖିତ,
ପଢ଼ି ପଢ଼ି ତାହା ହେଲା ସ୍ୱଭାବତଃ
ପ୍ରେମ-ଧର୍ମରେ ଦୀକ୍ଷିତ ।

ଯୁବତୀରତନ ଲାଭ କଥା ତାର
ପ୍ରାଣେ ହେଲା ମୂଳମନ୍ତ୍ର,
ମନୋରାଜ୍ୟେ କ୍ରମେ ଚଳିଲା ଶାସନ-
ପ୍ରଣାଳୀ ମଦନ ତନ୍ତ୍ର ।

ନ୍ୟାୟଦେବଙ୍କର ବ୍ୟବସ୍ଥା ସକଳ
ଅଚିରେ ହେଲା ରହିତ,
ଚଳିଲା ମନ୍ତ୍ରଣା ଅବିରତ ମଦ-
ମୋହ ମନ୍ତ୍ରୀଙ୍କ ସହିତ ।

ସ୍ଥିର କଲା ବୀର ବିବିଧ ଉପାୟେ
ନାରୀକି କରିବି ବଶ,
ମୋ ବୀର-ଗୌରବେ ଅତୁଳ ବିଭବେ
ତା' ପ୍ରୀତି ହେବ ଅବଶ୍ୟ ।

ଗୃହଲକ୍ଷ୍ମୀ କରି ରଖିବି ବାମାକୁ
ହେବ ଯଦି ତାର ମତ,
ନ ହେଲେ ଜୀବନ ଯାପିବି ହୋଇ ତା
ଗୁପତ ପ୍ରଣୟେ ରତ ।

କେବେ ଦରଶନ ନେଉଥିବି ତାର
ସୁରମ୍ୟ ନିକୁଞ୍ଜ ବନେ,
ହୃଦାଚଳ-ତାପ ଶାନ୍ତ କରୁଥିବି
ତା' ତନୁଘନାଲିଙ୍ଗନେ ।

ଢାଳି ଦେଉଥିବ ତହିଁ କୃପାମୟୀ
ଅନୁକମ୍ପା-ସୁଧାଝରି,
ଇନ୍ଦ୍ରପଦେ ପାଦ ଦେଉଥିବି ତାହା
ପାନରେ ପରାଣ ଭରି ।

ଅଟ୍ଟାଳୀ ଉପରେ ଥାଇ କେବେ ମୋତେ
ଦେଖି ଦେଉଥିବ ହସି,
ସ୍ୱର୍ଗସୁଖ ରାଶି ଆସି ତେବେ ମୋର
ହାତେ ପଡ଼ୁଥିବ ଖସି ।

ନିଭୃତ କକ୍ଷରେ ଭେଟି କେବେ ଅବା
ଚିବୁକ ଚୁମ୍ବିବି ତାର,
ପ୍ରେମ-ବିସ୍ଫାରିତ ଶ୍ରୀମୁଖ-କମଳ
ଦେଖୁଥିବି ବାରମ୍ବାର ।

ରମଣୀମଣିର ଈପ୍‍ସିତସାଧନେ
ହୋଇଥିବି ସଦା ରତ,
ପ୍ରୀତି-ବ୍ରତତୀର ପ୍ରୀତିସମ୍ପାଦନ
କରିବି ଜୀବନବ୍ରତ ।

ଥାଉ ଅନ୍ୟ କଥା ହୁଏ ଯଦି ତାର
ପ୍ରୀତି ପାଇଁ ପ୍ରୟୋଜନ,
କୁଣ୍ଠିତ ନ ହେବି କଦାପି ଜୀବନ
କରିବାକୁ ବିସର୍ଜନ ।

ଏ ରୂପେ କୀଚକ ଗଢେ଼ ମନେ ମନେ
ଆଶାର ଅମରାବତୀ
ନ ଭାବଇ ତିଳେ ପତଙ୍ଗ-ଦଉଡ଼
ହେଉଛି ପାବକ ପ୍ରତି ।

କୀଚକ ବଧ
(ଚତୁର୍ଥ ସର୍ଗ)

ଦ୍ରୌପଦି ଯାଇ ରାଣୀ ଭାଇ ସମ୍ମୁଖେ,
ଚଷକ ଥୋଇଦେଇ ବିନତ ମୁଖେ ।
ପଛକୁ ବଢ଼ାଇଲେ ଚାରୁଚରଣ,
ଦେଖି ଅଥୟ ହେଲା କୀଚକ ମନ ।
ଆସନୁ ଉଠି ବୋଲେ, 'ରହ ସଙ୍ଗିନୀ !
କୃପାରେ ନେଉ କିନା ଦାସକୁ କିଣି ।
ସେ ରୀତି ଚାହିଁ ସତୀ ଅତି ଚଞ୍ଚଳ,
ଚାଲିଲେ ବେଗ ବେଗ ଧରି ଅଞ୍ଚଳ ।
କୀଚକ ଭାବିଥିଲା ଭାବିନୀ ମୁଖ,
ଦେଖି ହରିବି ଆଜ ଆଜନ୍ମ ଦୁଃଖ ।
ବିଦ୍ୟୁତ୍‍ ପରି ଦୃଶ୍ୟ ହେଲା ବଦନ,
ସେ ଆଶା-ଶିରେ ହେଲା ବଜ୍ରପତନ ।
ମାଗିବାପାଇଁ ପୁଣି ଆଶା-ଜୀବନ,
କୀଚକ କଲା କୃଷ୍ଣା ପଛେ ଧାବନ ।
ଦ୍ରୌପଦୀ ଦ୍ରୁତ ପଦେ ଧାଆଁନ୍ତି ଆଗ,
ମୃଗୀ ପଳାଏ ଯେହ୍ନେ ଦେଖିଲେ ବାଘ ।
ପଛକୁ ଉଡେ଼ ବାମା ଅଞ୍ଚଳ-ବୀଚି,
ମୁକ୍ତ କୁନ୍ତଳ ପୃଷ୍ଠେ ହୁଅଇ ବିଛି ।

ହଲଇ କଟି, ହଲେ ବାହୁଯୁଗଳ,
ଚିକୁର ନାଚେ ଶୋଭି ମୁଖମଣ୍ଡଳ;
ବଦ୍ଧ ଅଧର ଓଷ୍ଠ ରୁଦ୍ଧ ନିଶ୍ୱାସ,
ଉର ବସନ ନାଚେ ହୋଇ ଉଶ୍ୱାସ ।
ପଛରୁ ଦିଶି ପାଦ ରକତ କାନ୍ତି,
ଜନ୍ମାଉଥାଏ ସ୍ଥଳ-କମଳ ଭ୍ରାନ୍ତି ।
ଲଇଁ ଦଉଡେ କାହିଁ ପାଦପ ତଳେ,
ସଳଖେ ଧାଏଁ ପୁଣି ମୁକତ ସ୍ଥଳେ ।
ପାର୍ଶ୍ୱ ପାଦପ ନବପଲ୍ଲବଗଣ,
କାହିଁ ବା କରୁଥାନ୍ତି ପଦ ଚୁମ୍ବନ ।
କୀଚକ କୃଷ୍ଣା ପଛେ ଥାଏ ଦଉଡ଼ି,
ତା' ଗଳେ ଲାଗିଥାଏ ମୋହ-ଦଉଡ଼ି ।
ସେ ରଜ୍ଜୁ କୃଷ୍ଣା କରେ ସେ ଯଥା ଧାଏଁ
କୀଚକ ପଛେ ପଛେ ଆକୃଷ୍ଟ ଥାଏ ।
ଏ ରୂପେ ହେଉଁ ପ୍ରାୟ ଉଦ୍ୟାନ ପାର,
ଦ୍ରୌପଦୀ ଚକ୍ଷୁ କ୍ରମେ ହେଲା ଅନ୍ଧାର ।
କ୍ରମ ମନ୍ଥର ହୋଇ ଆସିଲା ଗତି,
ଆସିଲା ହ୍ରାସ ହୋଇ ପାଦଶକତି ।
ଦ୍ରୌପଦୀ ଚେଳେ ଉଚ୍ଚ କୀଚକ କର,
ବାଜିଲା ପ୍ରାୟ ହେଲା ଥରକୁ ଥର ।
ଏକାଳେ ଅଧ ଊର୍ଦ୍ଧ୍ୱେ ନୟନ ତାର,
ନ ରହି, ରହିଥାଏ ଅଙ୍ଗେ କୃଷ୍ଣାର ।
ପ୍ରକାଣ୍ଡ ତରୁଶାଖା ଏକ ତା ଶିରେ,
ବାଜନ୍ତେ ଘୁଞ୍ଚି ବସିଗଲା ମହୀରେ ।
ଶିର ଆଉଁଶି ଶାଖା ଚାହିଁଲା ବସି,
ଉଠି ଭାଙ୍ଗିଲା ତାକୁ ରୋଷେ ଆକର୍ଷି ।
ଦ୍ରୌପଦୀ ଆସି ଏଣେ ନିଜ ଭବନେ,
ବସିଲେ ଅବସାଦପୂର୍ଣ୍ଣ ଜୀବନେ ।
ପ୍ଳାବିତ ହେଲା ତନୁ ସ୍ୱେଦ-ନିର୍ଝରେ,
ଅଞ୍ଚଳେ ପୋଛି ବିଞ୍ଚିହେଲେ ସ୍ୱକରେ ।

ଅଯୋଧ୍ୟା ଦୃଶ୍ୟ
(ପ୍ରଥମ ସର୍ଗ : ରାଗ-କଳହଂସ କେଦାର)

ଦେଖିଯିବା ପାଇଁ ଏଣେ ସରଯୂ ଆକୁଳ,
ମନ ବଳାଉଛି ଯେହ୍ନେ ଲଙ୍ଘିବାକୁ କୂଳ ।
କୁମ୍ଭ ଧରି ଆସିଗଲେ ପୁରବାମାକୁଳ,
ଅମୃତ ଯୋଗରେ ତହିଁ କଲା ଅନୁକୂଳ ।
କୁସୁମ ସୁରଭି କରି ଅଙ୍ଗ ଆଭରଣ,
ବନ ଉପବନ ଲଙ୍ଘି ଆସେ ସମୀରଣ ।
ରଙ୍ଗାଧରେ ହସି ହସି ଆସନ୍ତି ଭାସ୍କର,
ରାଜାସନେ ଦେଖିବାକୁ ନିଜ ବଂଶଧର ।
ଖଣ୍ଡ ଖଣ୍ଡ ମେଘ ଚାରୁବର୍ଣ୍ଣ ବିଭୂଷିତ,
ଆସୁଛନ୍ତି ସୁରପଥେ ହୋଇ ବିଭାସିତ ।
ରାମଶିରେ ଅଭିଷେକକରଣେ ଲାଳସୀ,
ଦେବକନ୍ୟାଗଣ ଧରି ରତନ କଳସୀ ।
ମାର୍ଗରେ ପୂରଣ କରି ମନ୍ଦାକିନୀ-ଜଳ,
ଆସୁ ଅଛନ୍ତି କି ରଥେ ବସି ଦଳ ଦଳ ?
ହରଷ ପ୍ରଫୁଲ୍ଲ ହୃଦେ ବିହଙ୍ଗମମାନେ,
ବୃକ୍ଷେ ବୃକ୍ଷେ ମାତିଛନ୍ତି ସୁମଧୁର ଗାନେ ।
ପକ୍ଷୀବେଶ ଧରି କିବା ଅପସରାଗଣ,
ତୋଷୁଛନ୍ତି ଆସି ପୁରବାସୀଙ୍କ ଶ୍ରବଣ ।
ସର ଉନ୍ମୀଳନ କରି କମଳଲୋଚନ,
ଚାହିଁବାକୁ ରାଜା ରାମ କମଳ-ଲୋଚନ ।
ରବିକର ଶାଣେ ଶୋଧି କରେ ସମୁଜ୍ଜ୍ୱଳ,
ହୃଦହାର ହିମ ବିନ୍ଦୁ ରତନ ପଟଳା
କୁମୁଦିନୀ କରୁ ନାହିଁ ନୟନ ମୁଦ୍ରିତ,
ତହିଁପାଇଁ ରାତିଯାକ ରହି ଅନିଦ୍ରିତ ।
ପଲାଶ ଶାଳ୍ମଳୀ ଚିତ୍ର ପରିଚ୍ଛଦ ଧରି,
ରବି ରଶ୍ମି ହେମମୟ ପାଗ ଶିରେ ଭରି ।
ଗିରିଶ୍ରେଣୀ ଉପରକୁ ଟେକିଛନ୍ତି ମୁଖ,
ରାମ ରାଜବେଶ ଚାହିଁ ଲଭିବାକୁ ସୁଖ ।

ଅଚଳ ହେତୁରୁ ନିଜେ ନ ପାରିଲେ ଯାଇ,
ପ୍ରତିିନିଧି ରୂପେ ଦେଲେ ମୁନିଙ୍କୁ ପଠାଇ ।

ତପସ୍ୱିନୀ
(ପ୍ରଥମ ସର୍ଗ : ରାଗ-କଳହଂସ କେଦାର)

କିଏ ଗୋ ତୁ ଜ୍ୟୋତିର୍ମୟୀ, ଶୁଦ୍ଧ-ଶୁଭ୍ର-ବେଶା,
ଇନ୍ଦ୍ରନୀଳ-ଦ୍ୟୁତି-ଜିତ-ମନୋହର-କେଶା ?
ତନୁକାନ୍ତି ଭେଦି ତୋର ଶୁଭ୍ର ସୂକ୍ଷ୍ମ ବାସ
ଆହ୍ଲାଦ ଦେଉଛି ହୃଦେ ହୋଇ ସୁପ୍ରକାଶ ।
କୌମୁଦୀ କି ଘନ ହୋଇ ବହିଛୁ ଶରୀର ?
କେଶ ଛଳେ ଚରଣେ ତୋ ଲୋଟୁଛି ତିମିର ।
ସୁବିରଳ ସମୁଜ୍ଜ୍ୱଳ ଚାରୁ ତାରା ଗ୍ରହ
ମଣ୍ଡିଛନ୍ତି ରତ୍ନ-ଭୂଷାରୂପେ ତୋ ବିଗ୍ରହ ।
ଅସଂଖ୍ୟ ଧବଳ ପୁଷ୍ପହାର ଶୋଭେ ଗଳେ,
ଗ୍ରଥିତ ହୋଇଛି ସବୁ ଅଦ୍ଭୁତ କୌଶଳେ ।
ଶ୍ରୀଅଙ୍ଗ-ସୌରଭେ ମୁଗ୍ଧ ହେଉଛି ଜଗତ,
ପ୍ରଫୁଲ୍ଲତା ହେଉଅଛି ପ୍ରାଣେ ଉପଗତ ।
କି ଢାଳୁଛୁ କରେ ଧରି ଲୋକେ କରି ପାନ,
ଦୈବତ ସଦୃଶ ହେଉଛନ୍ତି ତେଜୀୟାନ ।
କି ମନ୍ତ୍ର ଦେଉଛୁ ପୁଣି ବାଛି ବାଛି ଲୋକ,
ତମ ନାଶି, ସୃଜୁଛନ୍ତି ସେମାନେ ଆଲୋକ ।
ପଦାଙ୍କେ ତୋ ଫୁଟୁଅଛି ଶ୍ୱେତ ଶତଦଳ,
କୌମୁଦୀ ବୋଲିବା ତେଣୁ ନୋହୁଛି ସଫଳ ।
ଦରିଦ୍ରତା-ପଙ୍କ-ପୂର୍ଣ୍ଣ ମୋ' ଜୀବନ-ସର,
ଜଞ୍ଜାଳ-ଜଳଦ-ଜଳେ ଆବିଳ ଉଦର ।
ଶରଦ ସଦୃଶ ତୋତେ କରି ଦରଶନ,
ହୋଇଯାଉଅଛି ସେ ତ ସ୍ୱତଃ ପରସନ୍ନ ।
ବିକଶିତ ହେଉଅଛି ହୃଦୟ କମଳ,
ସତେ କି ପାଇଲା ଦେବି, ତୋ' ପଦ-ସମ୍ବଳ ?

ପୟର-ସ୍ପରଶେ ପ୍ରାଣ ହେଲାଣି ମୋହିତ,
ଇଚ୍ଛାମତେ କର ଯାହା ବିଚାରୁ ବିହିତ ।

ତପସ୍ୱିନୀ
(ପ୍ରଥମ ସର୍ଗ : ରାଗ-କଳହଂସ କେଦାର)

କି କୁଲଗ୍ନେ ଧରିଥିଲ ଅଭାଗିନୀ କର,
ତା' ଲାଗି ଆଳୟ ହେଲା ଦାରୁଣ ଦୁଃଖର ।
ନ ଜାଣି ମୁଁ ପ୍ରଭୁଙ୍କର ପ୍ରଭୂତ ମହିମା,
ଧନୁଟିଏ ରଖିଥିଲି, ଆବରି ଗରିମା ।
ଭାଙ୍ଗିଦେଇ ସେ ଧନୁକୁ ଇକ୍ଷୁଦଣ୍ଡ ପରି,
ତା' ରସ ମାଧୁର୍ଯ୍ୟ ମୋତେ ଥିଲ ମନେକରି ।
କାନନ-ଭ୍ରମଣେ ପଦ-ଶୃଙ୍ଖଳ ନ ମଣି,
ସ୍ନେହେ ସଙ୍ଗେ ନେଲ ମୋତେ ବୀର-ଚୂଡ଼ାମଣି !
ପଦ-ଶାଙ୍କୁଳିକୁ କରି ହୃଦୟର ହାର,
କଲ ପୁଣ୍ୟ-ତୀର୍ଥ ପୁଣ୍ୟ-ଆଶ୍ରମ ବିହାର ।
କେତେ ସ୍ନେହ ଢାଳୁଥିଲ ମୋ ଉପରେ ବନେ,
କେମନ୍ତେ ଭୁଲିବି ତାହା ଭେଦିଛି ଜୀବନେ ।
ଛାର ଦାସୀ ହେବ ବୋଲି କ୍ଷୁଧାରେ ଆକୁଳ,
ଗହନେ ସହଳ ଆଣୁଥିଲ ଫଳମୂଳ ।
ପଲ୍ଲବ ଆସନେ ସୁପ୍ତି ହେବ ନାହିଁ ବୋଲି,
ଅଙ୍କ ପଲଙ୍କେ ତା' ପାଇଁ ସାଜୁଥିଲ ଦୋଳି ।
ଛାର ମୋର ସ୍ନେହେ ପଡ଼ି ଲଙ୍ଘି ମହାର୍ଣ୍ଣବ
ଦଶବଦନର ସଙ୍ଗେ କଲ ମହା-ହବ ।
ସହିଲ ତହିଁରେ କେତେ ମହାସ୍ତ୍ର-ପ୍ରହାର,
ମଣୁଥିଲ ତା' କ୍ଷତକୁ ହୃଦୟର ହାର ।
ସେ ହାର-ପଦକ ପାଇଁ ଉପଯୁକ୍ତ ମଣି,
ମୋତେ ରଖୁଥିଲ ତହିଁ କରି ମଧ୍ୟ-ମଣି ।
କ୍ଷତ-ଚିହ୍ନ ଚାହିଁ ମୋର କ୍ଷୋଭ ହେଲେ ମନେ,

ତୋଷୁଥିଲ ସଦା ସୁଧା-ପୂରିତ ବଚନେ ।
ବୋଲୁଥିଲ, 'ରଣଯଜ୍ଞେ ଦେଇ ରକ୍ତାହୁତି,
ଲଭିଅଛି ପରା ତୋତେ ଦୁର୍ଲ୍ଲଭ ବିଭୂତି ।
ମେଣ୍ଟି ନାହିଁ ଅଦ୍ୟାପି ସେ ଶର-ମୁଖ ଚିହ୍ନ;
ମୁହିଁ ଅଭାଗିନୀ ହାୟ ହୋଇଗଲି ଭିନ୍ନ !
ମୋ ସ୍ମୃତି ମେଣ୍ଟାଇଦେବ ହୃଦୟ-ଫଳକେ,
ତା' ନକଲେ ଦୁଃଖ ହେବ ପଲକେ ପଲକେ ।
ମୁଁ କି ଛାର, ହେଉ ତୁମ୍ଭ ପ୍ରକୃତି ରଞ୍ଜନ,
ମୁଁ ମରେଁ, ତୁମ୍ଭର ହେଉ କଳଙ୍କ-ଭଞ୍ଜନ ।
ଏଥିରୁ ଜନ୍ମିବ ଯେଉଁ ଅକ୍ଷୟ କୀରତି,
ହୃଦେ ରଖ, ଗଢ଼ି ତାର ଅଲୟ ମୂରତି ।

ତପସ୍ୱିନୀ
(ତୃତୀୟ ସର୍ଗ : ରାଗ-ବଙ୍ଗଳାଶ୍ରୀ)

ବିହଙ୍ଗମଗଣ ଡାକନ୍ତେ ଗଗନ-
ପ୍ରାଙ୍ଗଣେ ତାରକାକୁଳ,
ଏକ ପଛେ ଏକ ତା ପଛେ ଅନେକ
ଆସି ହୋଇଗଲେ ଠୁଳ ।

ଦେଖିଲେ ବିଜନେ ପ୍ରଶସ୍ତ ପ୍ରାଙ୍ଗଣେ
ରାମଚନ୍ଦ୍ର ରବି-ବଂଶୀ,
ବିଷଣ୍ଣ-ବଦନେ ସଜଳ-ନୟନେ
ଏକାକୀ ଅଛନ୍ତି ବସି ।

ଭାବୁଥିଲେ ରାଜ ଅଧିକାର ବ୍ୟାଜ
ଅଟେ ମହାଦାସତ୍ୱର,
ଏହି ଉଚ୍ଚ ପଦେ ପ୍ରକୃତିର ପଦେ
ଖଟିବା ହୁଏ ମାତର ।

ମିଥ୍ୟା କଥା ଯେବେ ପ୍ରଜାଏ କହିବେ
ମେଳ ହୋଇ ଶତ ଶତ,
ମିଥ୍ୟା ଜାଣି ଜାଣି ତାଙ୍କୁ ମାନି ମାନି
ବୋଲାଯାଏ ସତ ସତ ।

ପ୍ରକୃତିର ଶାନ୍ତି- ଯଜ୍ଞରେ ନୃପତି
ସୁଖଟି ସ୍ୱଭାବେ ବଳି,
ଦୃଢ଼ ଧର୍ମ-ଦାମେ ବଦ୍ଧ ନିଜ କାମେ
ପାଦେ ନ ପାରଇ ଚଳି ।

ଅଭିଷେକ ଯାହା କରିଥାନ୍ତି ତାହା
ପ୍ରୋକ୍ଷଣ ମାତର ସିନା,
ଚାମର ଢାଳିବା ଅନ୍ୟ କି ବୋଲିବା
ମକ୍ଷିକା ତଡ଼ିବା ବିନା ?

ସୁଖେ ନଇରାଶ୍ୟ ନ ଥିବ ଅବଶ୍ୟ
ଦେବତା ହୃଦୟେ ସୁଦ୍ଧା,
ସେ ହେତୁ ମହତୀ ଦେବତା ନୃପତି
ସେବଇ କୀରତି-ସୁଧା ।

ପ୍ରଜାରକ୍ତ ଜଳ- କଣିକାପଟଳ
ସିନା ଉଚ୍ଚାସନ ପାଇ,
ଜଳଧର ରୂପ ହୋଇଥାଏ ନୃପ
ପରଜାଙ୍କ ହିତ ପାଇଁ ।

ଭୂମି ଜଳେ ବଜ୍ର ନ ଥାଏ, ସହଜ
ମାତ୍ର ତାହା ଜଳଧରେ,
ପ୍ରଜା-କର-ଦଣ୍ଡ ନ ହୁଏ ପ୍ରଚଣ୍ଡ,
ପ୍ରଚଣ୍ଡ ନୃପତି କରେ ।

ହୃଦ ପଛେ ଜ୍ୱଳେ ବିଦ୍ୟୁତ-ଅନଳେ
ଜଳଦାନେ ଘନ ବାଧ୍ୟ,
ସୁଖ ତେଜି ରାଜା ତୋଷିବ ପରଜା,
ତେବେ ତ ପରମାରାଧ୍ୟ ।

ସ୍ୱର୍ଗନିଃଶ୍ରେଣୀର ସମୁନ୍ନତ ଶିର
ରାଜପଦ ଭୂମଣ୍ଡଳେ,
ହେଲେ ଲକ୍ଷ୍ୟ-ଭ୍ରଷ୍ଟ, ପଡ଼ି ହୁଏ ନଷ୍ଟ
ନୃପତି ଗଭୀର ତଳେ ।

ମାୟାକାର ପରି ଦଣ୍ଡଗୋଟି ଧରି
ସମଦୃଷ୍ଟି ସମଭାବେ,
ରାଜତ୍ୱ-ରଜ୍ଜୁରେ ବିଳସି ଋଜୁରେ
ନିଜ ଜୀବନ ନ ଭାବେ ।

ଯଦି ବାଜୀକର ରଜ୍ଜୁରେ ପୟର
ଦେଲାରୁ ନ ଯିବ ଚାଲି,
ତାଳି ମାରି ଥୋକେ ହସିଦେବେ ଲୋକେ
ବାଦ୍ୟକାର ଦେବ ଗାଳି ।

ତପସ୍ୱିନୀ
(ଚତୁର୍ଥ ସର୍ଗ : ରାଗ-ଚୋଖି)

ମଙ୍ଗଳେ ଅଇଲା ଉଷା ବିକଚ-ରାଜୀବଦୃଶା
ଜାନକୀ-ଦର୍ଶନ-ତୃଷା ହୃଦୟେ ବହି,
କର ପଲ୍ଲବେ ନୀହାର- ମୁକ୍ତା ଧରି ଉପହାର
ସତୀଙ୍କ ବାସ ବାହାର ପ୍ରାଙ୍ଗଣେ ରହି,
କଳକଣ୍ଠ କଣ୍ଠେ କହିଲା,
"ଦରଶନ ଦିଅ ସତୀ, ରାତି ପାହିଲା" ।।

ଅରୁଣ କଷାୟ ବାସ, କୁସୁମ କାନ୍ତି ବିକାଶ,
ପ୍ରଶାନ୍ତ-ରୂପ, ବିଶ୍ୱାସ ଦିଅନ୍ତି ମନେ,
କେଉଁ ଯୋଗେଶ୍ୱରୀ ଆସି ମଧୁର ଭାଷେ ଆଶ୍ୱାସି
ଡାକୁଛନ୍ତି ଦୁଃଖରାଶି-ଉପଶମନେ
ଦେବାପାଇଁ ନବ ଜୀବନ
ର୍ସ୍ୱଗୁଁ କି ଓହ୍ଲାଇଛନ୍ତି ମର୍ତ୍ତ୍ୟ ଭୁବନ ।।

ସମୀର ସଂଗୀତ ଗାଏ, ଭ୍ରମର ବୀଣା ବଜାଏ,
ସୁରଭି ନର୍ତ୍ତନେ ଥାଏ ଉଷା ନିଦେଶେ,
କୁମ୍ଭାଟୁଆ ହୋଇ ଭାଟ ଆରମ୍ଭିଲା ସ୍ତବପାଠ
କଳିଙ୍ଗ ଅଇଲା ପାଟ ମାଗଧ ବେଶେ,
ଲଳିତ ମଧୁରେ କହିଲା,
"ଉଠ ସତୀ ରାଜ୍ୟ-ରାଣୀ, ରାତି ପାହିଲା ।।

ମୁନି-ମୁଖ ବେଦ-ସ୍ୱନ ପୂର୍ଣ୍ଣ କଲା ଶ୍ୟାମବନ
ଉଠିଲା ଭେଦି ଗଗନ ଉଚ୍ଚ ଓଁକାର,
ବୈକୁଣ୍ଠେ ଦେଇ ତୃପତି ଅନନ୍ତ ଶ୍ରୁତିକି ଗତି
ବିହିଲା କି ସରସ୍ୱତୀ ବୀଣା-ଝଙ୍କାର,
ବେଳୁଁ ବେଳ ବନ ଉଜ୍ଜ୍ୱଳ,
ମନ୍ତ୍ରବଳେ ଯେହ୍ନେ ବଢ଼ି ଆସିଲା ବଳ ।।

ତପସ୍ୱିନୀ
(ପଞ୍ଚମ ସର୍ଗ : ରାଗ-ରସକୁଲ୍ୟା)

ଅନୁକମ୍ପା ଏହି ସମୟେ ଆସି
ବୋଇଲେ ମଧୁର ବାତ୍ସଲ୍ୟେ ଭାଷି,
ସୀତା ମୋର ଜଳ ବହି ନ ଜାଣେ,
କଷ୍ଟ ହେଉଥିବ କୋମଳ ପ୍ରାଣେ,
ନ କରୁ ଅଧିକ ଶ୍ରମ
ଉଦ୍ୟାନକୁ ଥରେଦେଖିନେଉ ମାତ୍ର
ଆସିଛି ହୋଇ ପ୍ରଥମ ।।

"ଆସ ମା, ଶୀତଳ ଛାୟାକୁ ଆସ,
ବସିବା, ନ କର ଅନ୍ୟ ପ୍ରୟାସ,
କହିଦେବି କିଛି ଆଶ୍ରମ-ରୀତି,"
ବୋଲି ଘେନିଗଲେ ଦେଖାଇ ପ୍ରୀତି,
ଅନୁକମ୍ପା ସଙ୍ଗେ ସତୀ
ବସିଲେ ଛାୟାରେ ଜଳ-ଆନୟନେ
ଲାଗିଲେ ତାପସୀତତି ।।

ଅନୁକମ୍ପା ତହିଁ ବୋଇଲେ, "ସୀତେ,
କାର୍ଯ୍ୟ କରେ ଲୋକ ଶ୍ରଦ୍ଧା ସହିତେ,
ଫୁଲେ ଫୁଲେ ଯଥା ବିଭିନ୍ନ ବାସ,
ଜୀବନେ ଜୀବନେ ଶ୍ରଦ୍ଧା ନିବାସ,
ଶରଧା ସ୍ୱଭାବବଶୁଁ
ଦଇବୀ ମାନବୀ ଆସୁରୀ ଭେଦରେ
ହୋଇଥାଏ ଫଳପ୍ରସୂ ।।

"ଦମ୍ଭେ ଅହଂକାରେ କାମ-ପୋଷଣେ,
ରାଗ ଦେହବଳେ ଆତ୍ମ-କର୍ଷଣେ,
ତପ କରିଥାନ୍ତି ଅସୁରଭାବେ,
ସମ୍ଭବ ନୁହେଁ ତା' ତୋର ସ୍ୱଭାବେ,
ଦେବ ଦ୍ୱିଜ ଗୁରୁ ବୁଧେ
ଶଉଚ ଆର୍ଜବ ଶ୍ରଦ୍ଧା ସମନ୍ୱୟେ
ପୂଜି ଥାଉ ଚିତ୍ତଶୁଦ୍ଧେ ।।

ଶାନ୍ତିପ୍ରଦ ସତ୍ୟ ପ୍ରିୟ ଭାଷଣ
ଜୀବନର ତୋର ପ୍ରିୟ ଭୂଷଣ,
ମନକୁ ତୋ ଛୁଇଁ ନାହିଁ କପଟ,
ମାୟା କି ପାରିବ ପଶି ନିକଟ ?
ତୋ ରମ୍ୟ ସୌମ୍ୟ ମୂରତି
କହି ଦେଉଅଛି ବିଷୟ ଗହନେ
ନାହିଁ ଆଉ ଅନୁରକ୍ତି ।।

ଦଇବ ସ୍ୱଭାବେ ତୁ ତପସ୍ୱିନୀ,
ଦର୍ଶନ ମାତ୍ରେ ମୁଁ ପାରିଛି ଚିହ୍ନି,
ପବିତ୍ର ପ୍ରାଣ ତୋ ଅତି କୋମଳ,
ଘୋର ତପସ୍ୟାର ଦୁର୍ଲ୍ଲଭ ଫଳ,
ପୁଣ୍ୟ ଲତିକାର ଫୁଲ,
ନବ ତାପସୀଙ୍କ ଆଚରିତ ଶ୍ରମ
ନୁହଇ ତା' ଅନୁକୂଳ ।।

ତପସ୍ୱିନୀ
(ସପ୍ତମ ସର୍ଗ : ରାଗ-କଳହଂସ କେଦାର)

ଭାବିଲି, ଥିଲି ସିନା ଧରି ଜୀବନ
ସେବିବି ବୋଲି ପ୍ରଭୁ ପଦ୍ମଚରଣ;
ନ ହେବି ଯଦି ପଦସ୍ପର୍ଶେ ଭାଜନ,
ଜୀବନେ ଆଉ ମୋର କି ପ୍ରୟୋଜନ ଗୋ !

ଦହିବି ଦେହ ଚାହିଁ ଚାହିଁ ଶ୍ରୀମୁଖ
ଏଥୁଁ ଅଧିକ ମୋର କି ଅଛି ସୁଖ ?
ଦଗଧ ହେଲେ ଦେହ, ଅବଶ୍ୟ ପ୍ରାଣ
ପ୍ରଭୁ ଶ୍ରୀଅଙ୍ଗେ ଯାଇ ପାଇବି ସ୍ଥାନ ଗୋ !

ଧରମ ବଳେ ଯେବେ ରହିବ ଦେହ,
ଲଭିବି ପ୍ରଭୁଙ୍କର ଦ୍ୱିଗୁଣ ସ୍ନେହ ।
ବୋଇଲି, 'ଜଳାହେଉ ହବ୍ୟବାହନ
କରିବ ଦାସୀ ତହିଁ ଅବଗାହନ ହୋ !'

ଅକୁଣ୍ଠ ଆଜ୍ଞାବହ ସକୁଣ୍ଠ-ଚିତ୍ତେ
ଲକ୍ଷ୍ମଣ ବହ୍ନି ଜାଳିଦେଲେ ତ୍ୱରିତେ ।
ଅନଳଶିଖାମାନ ବାତ କମ୍ପନେ
ଅତି ଚଞ୍ଚଳ ହେଲେ ନଭ ଲମ୍ଫନେ ଗୋ !

ସତୃଷ୍ଣ ଦୃଷ୍ଟି ଦେଇ ମୁଖକମଳେ
ଅନଳ ପାଶ ଯାଇ ହୃଦୟବଳେ
ବୋଇଲି, 'ରବି-ଶଶି-ବାୟୁ-ଗଗନ
ପାବକ ତୁମ୍ଭେ ଜାଣ ପ୍ରାଣୀଙ୍କ ମନ ହେ!

ରାଘବ ବିନା ଅନ୍ୟେ ଯଦି ମୋ ଚିତ୍ତ
ପ୍ରେମେ ଆକୃଷ୍ଟ ହୋଇଥିବ କିଞ୍ଚିତ;
ଅନଳ ପଟୁ ତୁମ୍ଭେ ସର୍ବ ଭକ୍ଷଣେ,
ଦିଅ ହେ କରି ମୋତେ ଭସ୍ମ ଏକ୍ଷଣେ ହେ !

ହୋଇ ତ ଥିଲି ରକ୍ଷ-ନଗରେ ବନ୍ଦୀ
ସେ ଯଦି ଥିବ ମୋତେ ପାତକେ ଛନ୍ଦି,
କୋଟି ଜନମ କାନ୍ତ-ପଦ-କମଳ
ଚାହିଁବି ନାହିଁ, ମୋତେ ଦହ ଅନଳ ହେ !

ପାତକୀ, ପୁଣ୍ୟବନ୍ତ ତୁମ୍ଭେ ନଜାଣ,
ସ୍ୱଧର୍ମ ବଶେ ନିଅ ସଭିଙ୍କ ପ୍ରାଣ;
ଧରମ ଚିର ସତ୍ୟ ଯଦି ଜଗତେ,
ମୋ ଧର୍ମ ଅପବାଦୁଁ ରଖିବ ମତେ ହେ !

ହେ ଧର୍ମ ! ନିଜ ଗୁଣେ ରହ ମୋ ଅଙ୍ଗେ,
ନ ଡରି ଅନଳରେ ପଶ ମୋ ସଙ୍ଗେ;
ଜୀବନେ ନ ପାରିଲେ ମୋତେ ମରଣେ
ସେବିକା କରିଦେବ ପ୍ରଭୁ ଚରଣେ ହେ !

ମୋ ତନୁ ଦଗ୍‍ଧ ହେଲେ ହେବ ତ ଖାର,
ତାହାକୁ କରାଇବ ପାଦପେ ସାର;
ସେ ତରୁ କାଷ୍ଠ ଦେଇ ବର୍ଦ୍ଧକୀ ହସ୍ତେ
କରାଇଦେବ ପ୍ରଭୁ ପାଦୁକା ମତେ ହେ !'
ପ୍ରଭୁ ଶ୍ରୀମୁଖ ପୁନଃ ପୁନଃ ଅନାଇ
ନିଃଶଙ୍କେ ଅନଳରେ ପଶିଲି ଯାଇଁ ।

ତପସ୍ୱିନୀ
(ଦଶମ ସର୍ଗ : ରାଗ-କଲ୍ୟାଣ ପଡ଼ିତାଳ)

ଦର-ବିକଶିତ କମଳ ଜାଣି
ଭାଷିଲେ କୁମାରେ ଦରୋଟି ବାଣୀ,
ସେ ଭାରତୀ ହାବ ଚାରୁ-ଚାହାଣି,
ମନୋହର-ବେଶ ଲାବଣ୍ୟ-ଠାଣି,
ଦର୍ଶନେ ପ୍ରାଣ ପୁଲକେ ପୂରେ,
ମୋହ ନାଚିଉଠେ ମାନସ-ପୁରେ ।।

କ୍ରମରେ କୁମାରେ ଅବନୀ-ତଳେ
ବସିଲେ ଚାଲିଲେ ଜାନୁ ପ୍ରତଳେ
ଦୂରେ ଥାଇ ଡାକି ଆହ୍ଲାଦେ ସତୀ
ବଢ଼ାଇଲେ ସେହି ଗତି-ଶକତି;
କୁମାରେ କୁତୂହଳେ ସହାସେ
ବେଗ ବେଗ ଯାନ୍ତି ଜନନୀ ପାଶେ ।।

କେତେବେଳେ କରେ ମୃତ୍ତିକା ଧରି
ଦିଅନ୍ତି ରସନା ପଙ୍କିଳ କରି ।
ମାତା ଧରାଇଲେ ସୁନ୍ଦର ଫଳ,
ଫିଙ୍ଗନ୍ତି ଅନାଇ ମୁଖମଣ୍ଡଳ ।
ସୁଚାରୁ ଚୂର୍ଣ୍ଣକୁନ୍ତଳ ଚଳି
ଦିଶେ ଯେହ୍ନେ କଞ୍ଜ-କ୍ରୀଡ଼ିତ ଅଳି ।।

ଉଭାହେଲେ ଧରି ଜନନୀ କର,
ତହୁଁ ନିଜ ପଦେ କରି ନିର୍ଭର
ଗତି କଲେ କରି କର ଧାରଣ
ନିଜେ ନିଜେ ପୁଣି ଚାଳି ଚରଣ,
ଗମନେ ପଡ଼ି କଲେ ରୋଦନ,
ତୋଷନ୍ତି ଜନନୀ ଚୁମ୍ବି ବଦନ ।।

ଡାକନ୍ତି କୁମାରେ ବନ ବିହଙ୍ଗ
କୁତୂହଳେ ଚାହିଁ ସୁରମ୍ୟ ରଙ୍ଗ,
ମୟୂର-ପୁଚ୍ଛରେ ମନ ବଳାଇ
ଧାଇଁଥାନ୍ତି ତାକୁ ଧରିବା ପାଇଁ,
ଖେଳନ୍ତି ମୃଗ-ଶାବକ ଧରି
କୁସୁମେ ତା' ବେଶ ରଚନା କରି ।।

ତାପସ-ତାପସୀ ପ୍ରଫୁଲ୍ଲ ମନେ
କୁମାରଙ୍କୁ ନେଇ ବୁଲାନ୍ତି ବନେ,
ପୁଷ୍ପମାଳ ମଣ୍ଡି ଶିର କପୋଳେ
ଦୋଳାନ୍ତି ପୁଷ୍ପିତ-ଲତିକା -ଦୋଳେ,
ଫୁଟାଇ ପୋଏ ଆନନ୍ଦ କଳି,
ଆଉ ଆଉ ବୋଲି କରନ୍ତି ଅଳି ।।

ତପସ୍ୱିନୀ
(ଏକାଦଶ ସର୍ଗ)

ତେଣେ ଶୁଣି ମୁନି-ମୁଖୁଁ ଅଶ୍ୱମେଧ କଥା
ବୈଦେହୀ-ହୃଦୟେ ହେଲା ଆକସ୍ମିକ ବ୍ୟଥା ।
ଭାବିଲେ ନିଶ୍ଚୟ ରଘୁକୁଳ-ଚୂଡ଼ାମଣି
ଅଙ୍କେ ବସାଇଲେ ଆଣି ଦ୍ୱିତୀୟା ରମଣୀ ।
ଧନ୍ୟ ସେହି ଭାଗ୍ୟବତୀ, ଫଳିଲେ ତା' ତପ
ପାଦପେ ସଗର-ବଂଶ ସିନ୍ଧୁ-ଶୀତାତପ ।
କାହିଁ କେଉଁ ରୂପେ କଲା କି ଘୋର ତପସ୍ୟା,
ତପସ୍ୟାକୁ ତାର ମୋର ବଳୁଛି ଲାଳସା ।
କିଏ କହିଦେବ ସେହି ତପର ନିୟମ,
ନିଶ୍ଚୟ କରିବି ତହୁଁ ତପ ଗୁରୁତମ ।
କେ ଜାଣିବ ତାହା ପୂର୍ବତପ ବିବରଣ,

ଜାଣିଥିବେ ବଶିଷ୍ଠାଦି ମହାଋଷିଗଣ ।
ନ ହେଲେ କି କଲେ ତାଙ୍କୁ ରାଜ୍ଞୀ ମନୋନୀତ ?
ତାଙ୍କ ମତେ ହୋଇଥିବେ ପ୍ରଭୁ ପରିଣୀତ ।
ଉପାୟେ ଆଣିବି ସେହି ନିଗୂଢ଼ ମନ୍ତର,
ବିଚାରି ଲେଖିଲେ ସତୀ ବିନୟ ପତର-
"ଶରଣ-ବତ୍ସଳ-ଧ୍ୱଜ ରିପୁ-ଗଜାଙ୍କୁଶ,
ଦୁଃଖ-ଗିରି-ବଜ୍ର ଯହିଁ ଦେଖନ୍ତି ବିଦୁଷ,
ରାଜରାଜଶ୍ୱେରଙ୍କ ସେ ପଦପଦ୍ମ ଦ୍ୱନ୍ଦ୍ୱେ,
ଦୀନ ଭିଖାରିଣୀ ଦୂରୁ ନତଶିରେ ବନ୍ଦେ ।
କରିବାକୁ ମଧୁ-ଆଶା-ତିମିର-ଭେଦନ
କାତରେ କାନ୍ତାରେ ଥାଇ କରେଁ ନିବେଦନ ।
ମହାରାଜ ମହାଯଜ୍ଞେ ହୋଇଛ ଦୀକ୍ଷିତ,
ନବ-ବାମା ହେଉଥିବ ବାମାଙ୍କେ ବୀକ୍ଷିତ ।
ମୁଗ୍‍ଧ-ବଧୂ ମୁଗ୍‍ଧ ହେବ ବୋଲି ଶତ ଗୁଣ
ବଢ଼ିଯାଉଥିବ ତୁମ୍ଭ ସକଳ ସଦ୍‍ଗୁଣ ।
ଆଚରିତ ମହାଯଜ୍ଞେ କରିବ ପ୍ରଦାନ
ଅଶେଷ ରତନ ଧନ କ୍ଷୌମ ବସ୍ତ୍ରମାନ ।
ସିଦ୍ଧ-କାମ ହେବେ ତହିଁ ଅର୍ଥୀ ସମୁଦୟ,
ମୋ ମାନସେ ଭିକ୍ଷା ଏକ ହୋଇଛି ଉଦୟ ।
ଏ ଛାର ଭିକ୍ଷାରେ ନାଥ, ନ ହେବ କୃପଣ,
ଦୟା-ରତ୍ନମୟ-ଦାନ-ବାରିଧି ଆପଣ ।
ମୁଁ କିଏ, ତା' ଜାଣିବାର ନୁହେଁ ଆବଶ୍ୟକ
ସଦା ତୁମ୍ଭେ ତାପସଙ୍କ ଅଶାନ୍ତି-ନାଶକ ।
ତାପସଙ୍କୁ କିଛି ତୁମ୍ଭ ନ ଥାଏ ଅଦେୟ,
ମୁହିଁ ତପସ୍ୱିନୀ ମୋତେ ନ କରିବ ହେୟ ।
ଯେ ହୋଇଛି ଆଜି ତୁମ୍ଭ ଅଙ୍କର ଭାଜନ,

ଭକ୍ତିଭରେ ଦେଖୁଥିବେ ଜଗତର ଜନ ।
ପୂର୍ବେ ସେହୁ କରିଥିଲେ କେଉଁ ଘୋର ତପ,
କେଉଁଠାରେ କେତେ କାଳ କେଉଁ ମନ୍ତ୍ର ଜପ,
ଏହା ମାତ୍ର ପ୍ରଭୋ, ମୋତେ ଦେବଟି ଜଣାଇ
ଅନ୍ୟ କିଛି ଧନେ ମୋର ପ୍ରୟୋଜନ ନାହିଁ ।
କୋଟି ଅଶ୍ୱମେଧେ ଯେତେ ଧନ ହୁଏ ଦାନ
ତହିଁରୁ ଅଧିକ ତାହା ହେବ ମୋର ଜ୍ଞାନ ।
ଆଉ ଏକ କଥା ମାତ୍ର ଅଛି ଅନୁରୋଧ,
ଦୁଃଖିନୀର ପୁତ୍ରଯୁଗ ଅତ୍ୟନ୍ତ ଅବୋଧ ।
ନାହିଁ ତାଙ୍କ ପିତୃକୋଳ-ଆରୋହଣ ଭାଗ୍ୟ,
ନ ଜାଣନ୍ତି ଜନ୍ମକାଳୁ ପିତୃ-ଅନୁରାଗ ।
ଜାଣିଛନ୍ତି ଜନନୀର ଜୀବନ କନ୍ଦାଇ
ବୀଣା-ତନ୍ତ୍ରୀ-ସହକାରେ ରାମାୟଣ ଗାଇ ।
କିଏ ନ କାନ୍ଦିବ ବହି ମାନବ ହୃଦୟ ?
ତରୁଲତାଚୟ ଯହିଁ ହୁଅନ୍ତି ଅଥୟ ।
ତୁମ୍ଭର ଚରିତେ ନିଜେ ହୋଇ ବିମୋହିତ
ଯାଉଛନ୍ତି ଶିଶୁଦ୍ୱୟ ମହର୍ଷି ସହିତ ।
କରିବାକୁ ତୁମ୍ଭ ପଦ-ପଙ୍କଜ-ଦର୍ଶନ
ମନ ତାଙ୍କ ନେଉଅଛି କରି ଆକର୍ଷଣ ।
ଶୁଣାଇବେ ତୁମ୍ଭ ଗତ ଦୁଃଖର କାହାଣୀ,
ଯା' ଶୁଣିଲେ ଦୁଃଖିନୀର ହୃଦ ହୁଏ ହାଣି ।
ନ ଶୁଣିଲେ ତହିଁ ପ୍ରତି ଧାଉଁଥାଏ ମନ,
ନ ହୁଅଇ କରି ତାର ଔତ୍ସୁକ୍ୟ-ଦମନ ।
ଧୀରବର, ସେ କଥାକୁ ଘେନି ତୁମ୍ଭ ଶ୍ରୁତି
ଆଣିବ ଯଦ୍ୟପି ଦୀନା ବୈଦେହୀର ସ୍ମୃତି,
ବୈଦେହୀର ପ୍ରଣୟକୁ ମଣିବ ସ୍ୱପନ
ଚାହିଁ ନବ-ପ୍ରଣୟିନୀ-ପ୍ରଫୁଲ୍ଲ ଲପନ ।"

ପ୍ରଣୟବଲ୍ଲରୀ
(ପ୍ରଥମ ସର୍ଗ - ପ୍ରଣୟାଙ୍କୁର)

ଭ୍ରମୁଁ ଭ୍ରମୁଁ ଏକ ମୃଗ ଆସି ହେଲା
ଅକସ୍ମାତ ନୃପ ଅଗ୍ରେ,
ଧନୁଶରଧାରୀ ନରେଶଙ୍କୁ ଚାହିଁ
ପଳାଇଲା ତହୁଁ ବ୍ୟଗ୍ରେ ।

ପଳାୟିତ ମୃଗ ପଛେ ନୃପାଦେଶେ
ସୂତ ଚଳାଇଲା ରଥ,
କିନ୍ତୁ ଅଶିଥିଳ ରଶ୍ମି କରିଥାଏ
ବିଲୋକି ବନ୍ଧୁର ପଥ ।

ସ୍ୱଭାବ ସୁଲଭ ଲମ୍ଫେ କୃଷ୍ଣସାର
ଗଗନେ ଅଧିକ ଯାଇ,
ଥରେ ଥରେ ମାତ୍ର ଦେଉଥାଏ ବନ-
ଭୂମିରେ ପାଦ ପକାଇ ।

ପୁଚ୍ଛ ଲପଟାଇ ସ୍ପିଚ ସଙ୍କୁଚାଇ
ଆଶୁଗ-ପତନ-ଭୟେ,
ଗ୍ରୀବା ଭାଙ୍ଗି ଥରେ ଥରେ ରଥେ ଚାହିଁ
ପଳାଏ ପୁଣି ଅଥୟେ ।

ଶରମ ବିବୃତ ମୁଖ-ଚ୍ୟୁତ-ଦର
କବଳିତ କୁଶମାନ,
ଗମନ ପଥରେ ଇତସ୍ତତଃ ପଡ଼ି-
ଯାଉଥାଏ ସ୍ଥାନ ସ୍ଥାନ ।

ସମସ୍ଥାନ ଦେଖି ରଶ୍ମି ଛାଡ଼ି ସୂତ
ଘୋଟକ ଦେବାରୁ ଚାଳି,
କର୍ଣ୍ଣ ସପଟାଇ ଲଇଁ ଲମ୍ବପଦେ
ଅଶ୍ୱେ ହେଲେ ବେଗଶାଳୀ ।

ପୁଚ୍ଛ ଟେକି ଖୁର- ଧୂଳି ଦୂରେ ଛାଡ଼ି
ଆଗକୁ ଥାନ୍ତି ଦଉଡ଼ି,
ବାରି ହେଲା ନାହିଁ ପାଦ ତାଙ୍କ ତଳେ
ପଡେ଼ କିବା ଯାନ୍ତି ଉଡ଼ି ।

ନରେଶଙ୍କୁ ଯାହା ଆଗେ ଦୂରେ ଥାଇ
ଦିଶୁଥିଲା ସାନ ସାନ,
ସହସା ନୟନ- ଅଗ୍ରେ ବଡ଼ ବଡ଼
ଦିଶିଲା ସେ ଦ୍ରବ୍ୟମାନ ।

ବେନି ପାର୍ଶ୍ୱ ବକ୍ର ଦ୍ରବ୍ୟମାନ ତହିଁ
ଆଣିଲେ ସରଳ ଭ୍ରମ,
ଭିନ୍ନ ଭିନ୍ନ ଦ୍ରବ୍ୟ ଅଭିନ୍ନ ଦିଶିଲେ
ବନ୍ଧୁର ଦିଶିଲା ସମ ।

ପ୍ରଣୟବଲ୍ଲରୀ
(ଦ୍ୱିତୀୟ ସର୍ଗ - ପ୍ରଣୟ ପଲ୍ଲବ)

ଶିବିର ମଣ୍ଡପେ ବସି ଅଙ୍ଗୁରୀୟ
ହୀନ ଅଙ୍ଗୁଳିକି ଚାହିଁ,
ଭାବିଲେ, "ସୁନ୍ଦରୀ କରସ୍ପର୍ଶ ସୁଖ
ପାଇଲି ଅଙ୍ଗୁରୀ ପାଇଁ ।"

ବନୁ ଆଣିଥିଲେ ନିଆଳୀ କୁସୁମ
ଗୋଟା ଚାରି ଥିଲା କରେ,
ସୁନ୍ଦରୀମଣିର ପ୍ରିୟ ପୁଷ୍ପ ମଣି
ଆଘ୍ରାଣିଲେ ସ୍ନେହ ଭରେ ।

କୁସୁମ-ବାସକୁ ଭାବିଲେ ନରେଶ,
"ଅଙ୍ଗୁରୀୟ ବିିନିମୟେ,
ସୁନ୍ଦରୀର କର- କମଳ ସୌରଭ
ଆସିଛି ସ୍ପର୍ଶ ସମୟେ ।"

ସୁନ୍ଦରୀର କର ପଲ୍ଲବ ମାଧୁରୀ
ବାରମ୍ବାର ସ୍ମରି ସ୍ମରି,
ଫୁଲ ଶୁଙ୍ଘି ଶୁଙ୍ଘି ଅପୂର୍ବ ଆମୋଦେ
ପରାଣକୁ ଦେଲେ ଭରି ।

ଆମୋଦ-ହ୍ରଦରେ ଆଶା-ବୀଚି ଉଠି
ବାହାରି ହୃଦୟ ଧାର,
ବହିଗଲା, ଲଭି ବାମା-ନବ-ପ୍ରୀତି
ଲକ୍ଷଣ-ସ୍ମୃତି ଆସାର !

ଯୋଷା ଥିଲା ଶୋଭା ରତ୍ନାକର, ତାର
ସାରଲ୍ୟ ସ୍ୱଚ୍ଛ ଗଗନ,
ନୃପତି-ଆଷାଢ଼ ଆଗମନ ଚାହିଁ
ଢାଙ୍କିଥିଲା ଲଜ୍ଜା ଘନ ।

ଅପାଙ୍ଗ ଦର୍ଶନ କ୍ଷଣପ୍ରଭା ତହିଁ
ନୃତ୍ୟ କରି ବାରମ୍ବାର,
ନାଶ କରିଥିଲା ନୃପ-ଚିତ୍ତ-ଦେଶ-
ନଇରାଶ୍ୟ ଅନ୍ଧକାର ।

ରାଜା-ହୃଦ-ଧାର ଚଳିଲା ଚଞ୍ଚଳ
ସେହି ରତ୍ନାକର ଲକ୍ଷେ,
ପଥ ଖୋଜି ଖୋଜି ବିବାହ ନିୟମ
ନିବିଡ଼-କାନନ-ବକ୍ଷେ ।

ଦେଖିଲା ନିକଟେ ବାମା-ସଖୀ-ଦ୍ୱୟ
ହୋଇ ତାର ଅନୁକୂଳ,
ସଙ୍ଗମ-ସରଣୀ ଛାଡ଼ି ଦେଇଛନ୍ତି
ଦୁହେଁ ହୋଇ ଦୁଇ କୂଳ ।

ସସ୍ମିତେ ମୁଦ୍ରିକା ଗ୍ରହଣ ସେ ପଥେ
ଜୁଆର ଆସିଛି ବଢ଼ି,
ରାଜା-ହୃଦ-ଧାର ସାଗର ଅଙ୍ଗରେ
ଅନାୟାସେ ଗଲା ପଡ଼ି ।

ହୃଦୟ ଗଲାରୁ ବିବେକ ଲୋଡ଼ିଲା
ଅଙ୍ଗ-ସମ୍ମିଳନ-ପଥ,
ଉଭା ହୋଇ ମନ ବୋଇଲା, "ବିବେକ,
ପୂରିଛି ତୋ' ମନୋରଥ ।

ପ୍ରତ୍ୟକ୍ଷ ଦେଖିଛୁ ହୋଇଯାଇଅଛି
କର-କର ସମ୍ମିଳନ,
କର ସମର୍ପଣେ ବୁଝିଛୁ ଅମତ
ନ ଥିଲା ବାଳାର ମନ ।

ମନର ସମ୍ମତି ଥିବା ବିଷୟରେ
ପ୍ରମାଣ ଯଦ୍ୟପି ଚାହୁଁ,
କୁରୁବକ କଣ୍ଟା ଲଗାଇ ଚାହିଁଲା,
କହ କି କରନ୍ତା ଆଉ ?

ବୋଲିବୁ ଅବା ତୁ ବାଳିକାର ମନ
ଅଧୀନ ଅଟେ ପିତାର,
ବାଳିକା ନୁହେଁ ସେ ଯୁବତୀ ତା' ମନେ
ନାହିଁ ପିତୃ ଅଧିକାର ।

ସ୍ୱାଧୀନ ଯୁବତୀ ସ୍ୱାଧୀନ ମନରେ
କରିଛି କର ଅର୍ପଣ,
ସାକ୍ଷୀ ସଖୀଦ୍ୱୟ, ସାକ୍ଷୀ ତା' ହୃଦୟ,
ସାକ୍ଷୀ ପାଖ ଶାଖିଗଣ ।"

ପ୍ରଣୟବଲ୍ଲରୀ
(ତୃତୀୟ ସର୍ଗ - ପ୍ରଣୟପ୍ରସୂନ)

ପ୍ରିୟମ୍ବଦା ହସି ବୋଇଲା, 'ନରେଶ,
କି ଦେଇ ସଖୀ ଆମ୍ଭର,
ତପସ୍ୱିନୀ କନ୍ୟା ତାପସ-ନିକୁଞ୍ଜେ
ତୋଷିବ ଅତିଥିବର ?

'ପାଣିଗ୍ରହଣ'ରୁ ବୁଝିଅଛୁଁ କାଲି
ସ୍ୱଭାବେ ତୁମ୍ଭେ ଉଦାର,
ବାହୁଲ୍ୟେ ମାତର କହୁଅଛୁଁ ଆମ୍ଭେ
ମୁନିକନ୍ୟା ହେ ଉଦାର ।

କୁମାରୀ-ସୁମନ- ଦାମ ମାତ୍ର ଅଛି
ସମ୍ବଳ ଏ ତପୋବନେ,
ଚରିତାର୍ଥ କର ତାପସ-କୁଳକୁ
ତହିଁ ତୃପ୍ତି ଭରି ମନେ ।"

ଭାଗ୍ୟ ପରଶଂସି ରାଜା ମନେକଲେ,
ରୋଗୀ ଲୋଡ଼ୁଥିଲା ଯାହା,
ରୋଗ ପ୍ରଶମନ ବ୍ୟବସ୍ଥା ଶ୍ଳୋକରେ
ଭିଷକ ଭାଷିଲା ତାହା ।

ପ୍ରକାଶ୍ୟେ ବୋଇଲେ, "ତପସ୍ୟାର ଫଳ
ରାଜ-ପ୍ରାପଣୀୟ କର,
ହୃଦୟର ହାର କରିଦେଲ ସିନା
ତାହା ତପସ୍ୱିନୀ କର ।"

ପ୍ରିୟମ୍ବଦା ସଖୀ ନୃପଙ୍କୁ କହିଲା,
"ବନଫୁଲ ସମାଦୃତ
ହେବ କି ପ୍ରମଦା ରଣ୍ୟ ସାର ପୁଷ୍ପ
ସବୁ ଯହିଁ ସମାବୃତ ?

ନରେଶ ବୋଇଲେ, "କରଗତ ହେଲେ
ନନ୍ଦନର ପାରିଜାତ,
ସହଜେ ପାର୍ଥିବ ପ୍ରସୂନ ସକଳ
ହୋଇଥାନ୍ତି ଅବଜ୍ଞାତ ।"

ସଖୀ ପଚାରିଲା ସଖୀ ପ୍ରତି, "ସଖୀ-
ନନ୍ଦନ ପାଇବ କିସ ?
ବିଶ୍ୱାସ ଭାଜନ ନୁହନ୍ତି ଜଗତେ
ନଦୀ, ନଖୀ, ନରାଧୀଶ ।"

ସେ ବୋଇଲା, "ଭାବୀ ନନ୍ଦନର କଥା
କି ହେବ ଆମ୍ଭେ ପଚାରି ?"
ନୃପତି ବୋଇଲେ, "ସତ ସତ ସତ
ସେ ମୋ ଉତ୍ତରାଧିକାରୀ ।"

ତାପସିକ ରସେ ନାଗରିକ ରସ
ତହିଁ ପ୍ରେମରସ ପଡ଼ି
ଅମା-ସ୍ୱାତୀ-ଶନି ପ୍ରାୟେ ମିଳି କଲେ
ଆନନ୍ଦର ମହାଝଡ଼ି ।

ଝଡ଼ି ଅନ୍ଧକାରେ ଭାସ୍କର ପରାଏ
ରାଜା ରାଜ ଅଭିମାନ
ପ୍ରେମ-ପ୍ରାବଲ୍ୟରେ ନିକୁଞ୍ଜ-ଗଗନେ
ହୋଇଗଲା ଅପିଧାନ ।

ପ୍ରଣୟବଲ୍ଲରୀ
(ଚତୁର୍ଥ ସର୍ଗ - ପ୍ରଣୟ ସୌରଭ)

କାନନକୁ ଚାହିଁ ବୋଇଲେ ମୁନୀନ୍ଦ୍ର,
"ଆହେ ତରୁ-ଲତାମାନେ,
ତୁମ୍ଭ ଆଜନମ ସଖୀ ଯାଉଅଛି
ଆଜି ପତିସନ୍ନିଧାନେ ।

ଜଳ ପାନ କରୁ ନ ଥିଲା ଯେ ଆଗେ
ତୁମ୍ଭଙ୍କୁ ନ ଦେଇ ଜଳ,
ହେଉଥିଲା ତୁମ୍ଭ ଅଙ୍ଗେ ନବ ପୁଷ୍ପ
ଦେଖିଲେ ମୁଦେ ବିହ୍ୱଳ ।

ତହିଁପାଇଁ ସଖୀ- ବୃନ୍ଦ ଘେନି କେତେ
କରୁଥିଲା ମହୋତ୍ସବ,
କେତେ ଯତନରେ ରଖୁଥିଲା ତୁମ୍ଭ
ନୈସର୍ଗିକ ସଉଷ୍ଠବ ।

ଭୂଷଣ ରଙ୍କୁଣୀ ହୋଇ ଯେ ତୁମ୍ଭର
ଅଙ୍ଗଭଙ୍ଗ ହେବ ଜାଣି,
କେବେହେଁ ତୁମ୍ଭର ପଲ୍ଲବ ଛେଦନେ
ବଢ଼ାଇ ନଥାଏ ପାଣି ।

ତୁମ୍ଭେମାନେ ଏବେ ପ୍ରସନ୍ନ ଭାବରେ
କର ଅନୁମତି ଦାନ,
ମଧୁମୟ ଶୁଭ- ମୟ ହେଉ ସେହି
ଶକୁନ୍ତଳାର ପ୍ରସ୍ଥାନ ।

ସରୋଜ-ଶୋଭିତ ସରୋବରେ ହେଉ
ଗତି-ପଥ ମନୋହର,
ପଦ୍ମବାସ ବହି ଗନ୍ଧବହ ହେଉ
ଅନୁକୂଳ ସୁଖକର ।

ନବ ନବ ଦୃଶ୍ୟ ନୟନ-ପଥରେ
ହେଉ ତାର ମନୋରମ,
ଛାୟାତରୁ ଶ୍ରମ ନାଶନ୍ତୁ ଆତପ
ତାପ କରି ଉପଶମ ।"

ପ୍ରଣୟବଲ୍ଲରୀ
(ଷଷ୍ଠ ସର୍ଗ - ପ୍ରଣୟ ଫଳ)

ଅଙ୍ଗୁରୀୟ ପାଇ ନରେଶ ରହିଲେ
ଜୀବନେ ଜନ୍ମିଲା କ୍ଲେଶ,
ରାଜ୍ୟ-କାର୍ଯ୍ୟେ ଅବା ଆମୋଦେ ପ୍ରମୋଦେ
ମନ ନ ଲାଗିଲା ଲେଶ ।

ଯହିଁ ଥିଲେ ତହିଁ ଶୁଣନ୍ତି ଯେସନେ
ଜଗତ କରୁଛି ଗାନ,
ସହଧର୍ମିଣୀକି ଦୁଷ୍ମନ୍ତ ନରେଶ
ଦେଲେ ଘୋର ଅପମାନ ।

ରାଜସିଂହାସନେ ବସିଲେ ଯେସନେ
କହେ ରାଜ ସିଂହାସନ,
ସହଧର୍ମିଣୀକି ଅଦୋଷେ ତେଜିଲ
ତୁମ୍ଭେ କି ମୋର ଭାଜନ ?

ଘରେ ଥିଲେ ଯେହ୍ନେ ଘର କହେ, ତୁମ୍ଭେ
ଘରକୁ କରିଛି ପର,
ଉଦ୍ୟାନକୁ ଗଲେ ଦିଶନ୍ତି ପାଦପେ
ଗାଢ଼-କ୍ରୋଧ ଥରଥର ।

ନଗରେ ଭ୍ରମିଲେ ଦେଖନ୍ତି, ପ୍ରଜାଏ
କହୁଛନ୍ତି ପରସ୍ପରେ,
ବିନା ଦୋଷେ ଆହା ସୁନ୍ଦରୀ ପତ୍ନୀକି
ରାଜା ନ ରଖିଲେ ଘରେ ।

ରଜନୀରେ କହେ ଚକ୍ରବାକୀ ଦୁଃଖେ
କାନ୍ଦି କାନ୍ଦି ହୋଇ କ୍ଲାନ୍ତ,
ଦୁଷ୍ମନ୍ତ ନୃପଙ୍କ ନୀତି ବଳେ ମୋତେ
ଛାଡ଼ିଦେବେ କି ମୋ କାନ୍ତ ?

ନିଶାନ୍ତେ ଶୁଣନ୍ତି, ଦୁଷ୍ମନ୍ତଙ୍କ ଦୋଷ
ଗାଉଛି କଜ୍ଜଳପାତି,
ପ୍ରଭାତେ ଦେଖନ୍ତି, ପୁଷ୍ପେ ଭୃଙ୍ଗ କହେ
'ଦୁଷ୍ମନ୍ତ ବିଶ୍ୱାସଘାତୀ' ।

ଗଗନେ ବିହଙ୍ଗ- ଦଳ କହୁଛନ୍ତି,
"ପୁରୁବଂଶେ ହୋଇ ଜନ୍ମ,
ଦୁଷ୍ମନ୍ତ ନୃପତି ଧର୍ମପତ୍ନୀ ତେଜି
କଲେ ଅତି ନୀଚ କର୍ମ ।"

ସରେ ହଂସଦଳ କହୁଛନ୍ତି ବିସ
ଗ୍ରାସି କରି କଳକଳ,
"ବିସ-ଖଣ୍ଡ-ପ୍ରାୟେ ଗ୍ରାସ କଲେ ରାଜା
ଘୋର ବିଷ ହଳାହଳ ।"

ଏ ରୂପେ ପ୍ରକୃତି ବିଦ୍ରୂପ ଭ୍ରମରେ
ଭାବିଲେ ରାଜା ଦୁଷ୍ମନ୍ତ,
'ପ୍ରିୟ ବଲ୍ଲଭୀକି ପରିହାର କରି
ହେଲି ବଡ଼ ଦୋଷବନ୍ତ ।

ମହର୍ଷିଙ୍କ ମଧୁ- ମୟ ପତ୍ର ପିତା
ମଣିଲି ବାତୁଳପ୍ରାୟ,
ହିତ-ବୁଦ୍ଧି ତେଜି ହତ-ବୁଦ୍ଧି ହେଲି
ଏବେ ଅଛି କି ଉପାୟ ?

କିସ ବୋଲୁଥିବେ ମହର୍ଷି, କିସ ବା
ପ୍ରିୟା ବୋଲୁଥିବେ ମନେ,
କେଉଁ ଧର୍ମବଳେ ଦଣ୍ଡିବି ଆଉ ମୁଁ
କପଟୀ ଲମ୍ପଟ ଜନେ ?

ଯେଉଁ ରାଜା ଯେଉଁ ଦୋଷେ ଲିପ୍ତ ଥାଇ
ପରକୁ ଦଣ୍ଡେ ସେ ଦୋଷେ,
ଧର୍ମରାଜ ତାକୁ ତହୁଁ ଶତ ଗୁଣ
ଦଣ୍ଡ ଦେଇଥାନ୍ତି ରୋଷେ ।

କେଉଁ ଗୁଣ ପାଇଁ ମୋ ପ୍ରତି ରହିବ
ରାଜଲକ୍ଷ୍ମୀଙ୍କର ପ୍ରୀତି,
ମିଥ୍ୟା ପ୍ରବଞ୍ଚନା ନିରୀହେ ଲାଞ୍ଛନା
ହେଲାଠାରେ ରାଜନୀତି ।

କେଉଁ ଭୂତ ଏଡେ଼ ଭ୍ରମ ଜନ୍ମାଇଲା
ମସ୍ତକରେ ମୋର ବସି,
ଭୁଜ-ବଳୟକୁ ଭୁଜଙ୍ଗ ମଣିଲି,
ଲକ୍ଷ୍ମୀଙ୍କୁ କଲି ରାକ୍ଷସୀ ।

ଆଉ ଲଭିବି କି ପ୍ରିୟ ବଲ୍ଲଭୀ କି
ଦୁଃଖୀ ହେଲି ଦେଇ ଦୁଃଖ,
ବନେ ତପୋବନେ ଲୋଡ଼ି ବା ଲଭନ୍ତି
କେହ୍ନେ ଦେଖାଇବି ମୁଖ !

ସଖୀ-କଷ୍ଟ ଶୁଣି କିସ କହୁଥିବେ
ଅନସୂୟା, ପ୍ରିୟମ୍ବଦା,
ବଳ ଦେଖାଇଲି ଶିରୀଷ-କୁସୁମେ
ପ୍ରହାରି ଦାରୁଣ ଗଦା ।

ତାଙ୍କ ଅମାୟିକ ହୃଦ-ଉଦ୍ୟାନେ ମୁଁ
ଲଗାଇଲି ମାୟାନଳ,
ତାଙ୍କୁ ଦହି ନିଜେ ଦଗ୍‍ଧ ହେଉଛି
ଯନ୍ତ୍ରଣା ବଡ଼ ପ୍ରବଳ ।

କି କରେଁ ଏ ଦେହେ ହେଉଅଛି ଦଗ୍‍ଧ
ନୀଡ଼-ପକ୍ଷୀ ପ୍ରାୟ ଚିତ୍ତ
ଧର୍ମଶାସ୍ତ୍ର ହେବ କୁଣ୍ଠିତ କଥନେ
ଏ ପାପର ପ୍ରାୟଶ୍ଚିତ୍ତ ।

ପ୍ରଣୟବଲ୍ଲରୀ
(ଷଷ୍ଠ ସର୍ଗ - ପ୍ରଣୟ ଫଳ)

ସୁନ୍ଦରୀର ଚିତ୍ର ଥିଲା ଯେଉଁ କକ୍ଷେ
ତହିଁକି କରି ଗମନ,
ଚିତ୍ର ଧରି କରେ ଲଗାଇ ବକ୍ଷରେ
ବଦନେ ଦେଲେ ଚୁମ୍ବନ ।

ଚିତ୍ରିତା ସୁନ୍ଦରୀ- ଭାଲେ ସ୍ୱେଦକଣା
ଦିଶୁଥାଏ ଝଲମଲ,
ସିକ୍ତ ହୋଇ ତହିଁ ଲିପ୍ତ ହୋଇଥାଏ
କୁଟିଳ ଚୂର୍ଣ୍ଣକୁନ୍ତଳ ।

ସଲଜ୍ଜେ ଅପାଙ୍ଗେ ଚକ୍ଷୁ-ତାରା ଢଳି
ବକ୍ର ହୋଇଥାଏ ଦୃଷ୍ଟି,
ଯେଉଁ ଦୃଷ୍ଟି ତା'ର ହୃଦେ କରିଥିଲା
ନବ ପ୍ରେମାଙ୍କୁର ସୃଷ୍ଟି ।

ପୁନଃ ପୁନଃ ତାହା ଅନାଇ ନୃପଙ୍କ
ଦୃଷ୍ଟିଶକ୍ତି ହେଲା ହ୍ରାସ,
ହୃଦୟରେ ହେଲା ତପୋବନ ସହ
ବାମା-ମୂର୍ତ୍ତିି ପରକାଶ ।

ସେ ମୂର୍ତ୍ତିି ଭିତରେ ମନ ପଶିଗଲା
ବାହ୍ୟଜ୍ଞାନ ଗଲା ଚଳି,
କାଷ୍ଠମୂର୍ତ୍ତିି ପରି ଅବନୀ ଉପରେ
ନୃପତି ପଡ଼ିଲେ ଢଳି ।

ବହୁ କ୍ଷଣ ପରେ ସଂଜ୍ଞା ଲଭି ଉଠି
ଚିତ୍ର ଚାହିଁ ପୁନଃ ପୁନଃ,
ଦୁର୍ଲ୍ଲଭ-ପବିତ୍ର- ପ୍ରଣୟ-ଗୌରବ
ବୃଦ୍ଧି କଲେ ଶତ ଗୁଣ ।

ପ୍ରିୟା ସଙ୍ଗ ସୁଖ ସ୍ମୃତି ଦୁଃଖେ ନୃପ
ସମୟ ଯାପନ କଲେ,
ମନ ଜ୍ଞାନ ଘେନି ବିବେକ ରହିଲା
ଆଶା-ଲତା ଛାୟା ତଳେ ।

ସୁଖ ଦୁଃଖ ଚିର ନୁହନ୍ତି ଜଗତେ
ସଭିଙ୍କର ଅଛି କ୍ଷୟ,
ଆଜି ଯା ବଦନ ହରଷରେ ପୂର୍ଣ୍ଣ,
କାଲିକି ବିଷାଦମୟ ।

ଯାହା ଲାଗି ପ୍ରାଣ ଯେତିକି ପ୍ରଫୁଲ୍ଲ
ତା' ଲାଗି ତେତେ ବିକଳ,
ତେତିକି ତପତ ହୋଇଥାଏ, ଯାହା
ଯେତିକି ହୁଏ ଶୀତଳ ।

ତେତିକି ତିମିରେ ମଜ୍ଜଇ ଅବନୀ
ଯେତିକି ହୁଏ ଉଜ୍ଜ୍ୱଳ,
ଯେମନ୍ତ ମଧୁର ତିକ୍ତ ହିଁ ତେମନ୍ତ
ପ୍ରକୃତ ପ୍ରଣୟ ଫଳ ।

ପ୍ରଣୟବଲ୍ଲରୀ
(ସପ୍ତମ ସର୍ଗ - ପ୍ରଣୟ ଛାୟା)

କହି କହି ଶିଶୁ ଏକ କର ନେଇ
ଧଇଲା ଜନନୀ-କର,
ଅପର ହସ୍ତଟି ରହିଥିଲା ସ୍ନେହ-
ବନ୍ଧେ ନରପତିଙ୍କର ।

ନ ନିଏ ନୃପତି- କରୁଁ କର ଶିଶୁ
ନ ଛାଡେ଼ ଜନନୀ-କର,
ଆକର୍ଷଣେ ଦୁଃଖ ତଡ଼ି ସୁଖ ବୃଦ୍ଧି
କରିଦେଲା ଦୁହିଁଙ୍କର ।

କେହି କାହା କଥା କହିବାକୁ ଆଉ
ହେଲା ନାହିଁ ଅବସର,
ଭଗୀରଥ ହୋଇ ମିଲାଇଲା ଶିଶୁ
ସୁରଧୁନୀ ରତ୍ନାକର ।

କୁମର-ବଚନେ ଶକୁନ୍ତଳା ପ୍ରାଣ
ହୋଇଗଲା ସୁଧାସ୍ନାତ,
କାନ୍ତ ଦରଶନେ ପୁଲକ ଛଳରେ
ପ୍ରେମାଙ୍କୁର ହେଲା ଜାତ ।

ହାସ ତା' ଅଧରେ ନ ଫୁଟି ବଦନେ
ନେତ୍ରେ ହେଲା ସଞ୍ଚାରିତ,
ନବୀନ ମୃଦ୍‍ଘଟ ଜଳ ବାହାରକୁ
ହୁଏ ଯଥା ସଂରକ୍ଷିତ ।

ବୁଝିଥିଲା ବାମା ମାତା ଲାଗି ତାର
ଘଟିଛି ପତି ବିରହ,
ପତି ପ୍ରେମ ସ୍ମରି ଦର୍ଶନ-ଲାଳସେ
ଥାଏ ତହିଁ ଅହରହ ।

ମନେ କରୁଥାଏ ପ୍ରଣୟ ପାଳନେ
ହୋଇଛି ନିଜେ ଅକ୍ଷମା,
ପତି-ଦରଶନ ଲଭିଲେ ଚରଣେ
ବିନୟେ ମାଗନ୍ତା କ୍ଷମା ।

ରାଜା ଭାବୁଥିଲେ ପ୍ରେମ ମୂରତିକି
ପ୍ରଣୟ-ପୀଠେ ଆରାଧି,
ନ ପାରି ଧରମ ଲଙ୍ଘି ନିଜେ ହୋଇ-
ଛନ୍ତି ମହା ଅପରାଧୀ ।

କେଉଁ କଥା କହି କେମନ୍ତ କ୍ଷାଳନ
କରାଇବେ ନିଜ ଦୋଷ,
ଅଙ୍ଗୁରୀୟ ଲାଭ କଥା କହିଲେ କି
ଜନ୍ମିବ ପ୍ରିୟାର ତୋଷ ?

ଛଅ ବରଷର ବିରହ-ଯାତନା
କେଉଁଆଡେ଼ ଗଲା ଉଡ଼ି,
ପରସ୍ପର ମୁଖ ଦେଖି ସୁଖାମୃତ
ପାରାବାରେ ଗଲେ ବୁଡ଼ି ।

ପଦ୍ମିନୀ
(ଦ୍ୱିତୀୟ ସର୍ଗ)

କାଳ ଜାଣି କର୍ମ କଲେ ଫଳଇ ସୁଫଳ,
ସବୁବେଳେ ନ ପାରଇ ରହି ଭାଗ୍ୟବଳ ।
ମୋହଠାରେ ଅଛି ଆଜି ଯେଉଁ ଧନପଣ,
ଛାଡ଼ିଲେ ହସିବେ କାଲି କାପୁରୁଷଗଣ ।
ଜନମି ନଥାଏ କେହି ରାଜଛତ୍ର ଧରି,
ପରାକ୍ରମୀ ଚାହିଁ ନିଏ ରାଜଲକ୍ଷ୍ମୀ ବରି ।
ଜଲ୍ଲାଲର କେଉଁ ବାପ ଥିଲା ରାଜପଦେ,
ସେ ତ ଦିଲ୍ଲୀ ଦଳୁଅଛି ଆସି ଆଜି ପଦେ ।
କପଟେ କାଇକୋବାଦେ ଦେଇ ବିଷାଶନ,
ଭୃତ୍ୟ ଥିଲା, ମାଡ଼ି ବସିଅଛି ସିଂହାସନ ।
ପର ରାଜ୍ୟ ବଳେ ନେଲେ କିଛି ନାହିଁ ପାପ,

ସୁଯୋଗ ଛାଡ଼ିଲେ ପରେ ମିଳଇ ସନ୍ତାପ ।
ଯା'ର ବେଶୀ ପରାକ୍ରମ ରାଜ୍ୟହିଁ ତାହାର,
ସିଂହ କରିଦିଏ ବନୁ ବ୍ୟାଘ୍ରକୁ ବାହାର ।
ରାଜଲକ୍ଷ୍ମୀ ନ ବାରଇ ପାପୀ ପୁଣ୍ୟବାନ,
ପ୍ରଚଣ୍ଡ ଯା' ଖଡ଼୍‍ଗ ତାର ଅଙ୍କେ କରେ ସ୍ଥାନ ।

ପଦ୍ମିନୀ
(ତୃତୀୟ ସର୍ଗ)

ପଦ୍ମିନୀ ବୋଇଲେ ତୀର୍ଥ ପୁରୁଷଙ୍କ ପାଇଁ,
ପତି ସେବି ନାରୀ ଥାଏଁ ଚତୁର୍ବର୍ଗ ପାଇ ।
ପଣ୍ଡାମାନେ ତୀର୍ଥଭୂମି କରି ଅଧିକାର,
ଲୋଭବଶେ କରିଥାନ୍ତି ନାନା ଅବିଚାର ।
ଶୁଣିଅଛିଁ ଗୟାକ୍ଷେତ୍ରେ କରି ଲୋଭିପଣ,
ସୀତାଙ୍କ ପଣତ କାଟିନେଲେ ପଣ୍ଡାଗଣ ।
ବିଶେଷତଃ ଆଜିକାଲି ଯବନ ବିପ୍ଳବେ,
ଉପଦ୍ରବ ହେଉଅଛି ସତୀତ୍ୱ ବିଭବେ ।
ଯେଉଁ ନାରୀ ସ୍ୱଭାବତଃ ଥାଏ ପତିବ୍ରତା,
ଜୀବନେ ତାହାର ପୂରିଥାଏ ପବିତ୍ରତା ।
ତାହା ଯୋଗୁଁ ତାହା ପିତା ଭ୍ରାତାଙ୍କର ଯଶଃ
ଉଠଇ ସ୍ୱର୍ଗକୁ ଶୁଭ୍ର କରି ବିହାୟସ ।
ପତିବ୍ରତା ହୃଦ ହୋଇ ସ୍ୱର୍ଗରୁ ଉନ୍ନତ,
ଦେବାଧିଦେବଙ୍କଠାରେ ହୁଏ ଉପଗତ ।
ପତିରେ ଭକତି ତାର ମୁକତି ସୋପାନ,
ପତି ତାର ଅଦ୍ୱିତୀୟ ଈଶ୍ୱର ସମାନ ।
ସତୀର ଚରିତ ପଡ଼ି ଶ୍ରବଣେ ଶ୍ରବଣେ,
କରଇ ପୀୟୂଷ ବୃଷ୍ଟି ଜୀବନେ ଜୀବନେ ।
ପତିବ୍ରତା ନ ଲୋଡ଼ଇ ନିଜର ଭକତ,
ନିଜେ ଥାଏ ସଦା ପତି ଭଜନେ ନିରତ ।
ଗ୍ରହତାରା ଯେ ହେଉନ୍ତୁ ବିନା ସୁଚରିତ୍ର,

ନ ପାରନ୍ତି ହୋଇ ପରେ ଆଶ୍ରୟେ ପବିତ୍ର ।
ସତୀତ୍ୱ ରତନ କିନ୍ତୁ ଶୋଭେ ଯା' ହୃଦରେ,
ଦେବଗଣ ସଦା ତାକୁ ତୋଷିଥାନ୍ତି ବରେ ।
ଯମରାଜା ନେଇଥିଲେ ସତ୍ୟବାନ ପ୍ରାଣ,
ସତୀତ୍ୱ ପ୍ରଭାବେ କଲେ ସାବିତ୍ରୀ ଆଦାନ ।
ପତିର ଚରଣ ସତୀ ଜୀବନର ଭେଳା,
ତାହା ଘେନି ଭବ-ପୁଣ୍ୟଜଳେ ତାର ଖେଳା ।
ନ ବାଞ୍ଛଇ ସ୍ୱର୍ଗ ସତୀ ନ ଲୋଡେ଼ ରତନ,
ସକଳ ସମ୍ପଦ ପତିପଦେ ତା' ଯତନ ।
ପତି-ପଦରେଣୁ କଲେ ମସ୍ତକେ ବହନ,
ସହସ୍ର ଜୀବନ ପାପ ହୁଅଇ ଦହନ ।
କୋଟି ତୀର୍ଥ ଦର୍ଶନେ ଯେ ପୁଣ୍ୟ ଥାଏ ଫଳି,
ପତି ପଦସେବା ପୁଣ୍ୟ ତାକୁ ଯାଏ ବଳି ।
ପତି ପ୍ରୀତି ହୁଏ ଯେବେ ହୃଦୟ ମଣ୍ଡନ,
ସକଳ ବିପତ୍ତି ହୁଏ ଜୀବନେ ଖଣ୍ଡନ ।
ପତିପଦ ନ ସେବିଲେ ଯୁବତୀ ଅସତୀ,
ଚିରକାଳ ହୁଏ ତାର ନରକେ ବସତି ।"


ପଦ୍ମିନୀ
(ଚତୁର୍ଥ ସର୍ଗ)

ଚାଲିଲା ବାହିନୀ ବ୍ୟାପି ବହୁଦୂର ପଥ,
ଉଦ୍‍ଗାରିଲା ଧୂଳି ମହୀ ହୋଇ ପଦାହତ ।
ସେ ଧୂଳିପଟଳ ଉଠି ବ୍ୟାପିଲା ଗଗନ,
ସୁଦୀର୍ଘ ବାହିନୀ ହେଲା ତହିଁରେ ମଗନ ।
ସୁଦୂର ଦିଶିଲା ଯେହ୍ନେ ମହା ଅଜଗର,
ହୋଇଅଛି ଗିରିଗ୍ରାସ-ଆଶେ ଅଗ୍ରସର ।
ବାଦ୍ୟନାଦ ଅଶ୍ୱହ୍ରେଷା ଗଜଘଣ୍ଟି ନାଦ,
ମହା ଗଣ୍ଡଗୋଳେ ମହୀ ଗଣିଲା ପ୍ରମାଦ ।
ଲେଉଟି ଲେଉଟି ଭୁକି ଭୁକି ବାରମ୍ବାର,

ପଳାଇଲେ ପଥପାର୍ଶ୍ୱ ଗ୍ରାମ-ଶ୍ୱାନବାର ।
ଗ୍ରାମେ ଗ୍ରାମେ ଘରେ ଘରେ କୁଳବଧୂ କୁଳ,
ନୀରବେ ରହିଲେ ଲୁଚି ହୋଇ ଭୟାକୁଳ ।
ପଥପାର୍ଶ୍ୱ ବିଟପୀରୁ ବିହଙ୍ଗମଗଣ,
ରବି ରବି ଦଳ ଦଳ କଲେ ପଳାୟନ ।
ଶିବାମାନେ ପଳାଇଲେ ଲେଉଟି ଲେଉଟି,
ମଣ୍ଡଳିଲେ ଗୃଧ୍ରଗଣ ନଭୋଦେଶେ ଉଠି ।
ଚଟି ଚଟି ହୋଇଅଛି ରସଦ ସଂଗ୍ରହ,
ପ୍ରଜାବୃନ୍ଦ ଜଗିଛନ୍ତି ରହି ଅହରହ ।
ଫାଟିଅଛି ବେତ୍ରାଘାତେ ଶରୀର କାହାର,
ମସ୍ତକୁ ହୋଇଛି କାହା ରକତ ବାହାର ।
ଢାଙ୍କିଛନ୍ତି ଆଘାତକୁ ମଳିନ ବସନେ,
କମ୍ପୁଛନ୍ତି ଶୀତେ ଶୀର୍ଣ୍ଣ ହୋଇ ଅନଶନେ ।
ନିଶିରେ ପାଇଛି ପାଣି କାହା ଅପଘନ,
ତହିଁ ସଙ୍ଗେ ପାଇଅଛି କୁଲାର ପବନ ।
ଭ୍ରମୁଅଛି ଚପରାସୀ ହୋଇ ବେତ୍ର କର,
ତାକୁ ଚାହିଁ ପ୍ରଜାଙ୍କର ପ୍ରାଣ ଥରହର ।
କାହାଠାରେ ଥିଲେ କିଛି ଦ୍ରବ୍ୟର ଅଭାବ,
ଦେଖାଉଛି ଚପରାଶୀ ନେତ୍ରର ପ୍ରଭାବ ।
ଏକ ଦୁଇ ନୁହନ୍ତି ସେ ବହୁ ଚପରାସୀ,
ପ୍ରତାପରେ ଦେଉଛନ୍ତି ଧଇର୍ଯ୍ୟ ବିନାଶି ।
ଚପରାସୀ ଦଳ ମୂଳେ ଛନ୍ତି ଜମାଦାର,
ଲୋକ ଜାଣି ହେଉଛନ୍ତି ସେହୁ କ୍ଷମାକାର ।
ବିକ୍ରୟ କରନ୍ତି କ୍ଷମା ମୂଲ୍ୟ ଅନୁସାରେ,
ପ୍ରହାର ସହୁଛି ମୂଲ୍ୟ ନାହିଁ ଯାହାଠାରେ ।
ଯେ ଦ୍ରବ୍ୟ ନ ପଡେ଼ କେବେ ପ୍ରଜାର ନୟନେ,
ଲାଗିଛନ୍ତି କେତେ ଲୋକ ତାହା ଆନୟନେ ।
ଯେଉଁ ଦ୍ରବ୍ୟ ନ ମିଳଇ ଗ୍ରାମରେ ପ୍ରଜାର,
ତ‌ହିଁ ପାଇଁ ଧାଇଛନ୍ତି ନ‌ଗର ବଜାର ।

ହେବାକୁ ଗୋ-ଗଜ-ବାଜୀ-ରସନା-ରସଦ,
ସଂଗୃହୀତ ହୋଇଅଛି ବିଭିନ୍ନ ରସଦ ।
ଆରବ୍ୟ-ପାରସ୍ୟଜାତ ଫଳମୂଳମାନ,
ରସଦ ଭଣ୍ଡାରେ ଆସି ପାଇଅଛି ସ୍ଥାନ ।
ଅଶ୍ୱାରୋହୀ ପଦାତିକ ଆସି ଦଳଦଳ,
ନେଉଛନ୍ତି ପ୍ରଜାମୁଣ୍ଡେ ବୁହାଇ ସକଳ ।
ମନୋମତ ଦ୍ରବ୍ୟ ଲାଭେ ହେଲେ କିଛି ତ୍ରୁଟି,
ଗ୍ରାମେ ଗ୍ରାମେ ପଶି ପୁଣି କରୁଛନ୍ତି ଲୁଟି ।

ଅହଲ୍ୟାସ୍ତବ
(ଶାର୍ଦ୍ଦୂଳ - ବିକ୍ରୀଡ଼ିତ ବୃତ୍ତେ)

ପୃଥ୍ୱୀମଣ୍ଡନ ହେ ଜଗତ୍‍ପତି ବିଭୋ
ଭକ୍ତଙ୍କ ମୁକ୍ତି ଖଣି
ସଂସାରାର୍ଣ୍ଣବ ପାର-କାରଣପଟୁ
କୈବର୍ତ୍ତଚୂଡ଼ାମଣି ।

ସାଧୁ ପାଳନ ଦୃଷ୍ଟ ନାଶ କରଣେ
ସମ୍ଭୁତ ଏ ଭୂତଳେ
ତୁମ୍ଭ ଶ୍ରୀଚରଣା- ମ୍ବୁଜେ ରହୁ ସଦା
ଚିତ୍ତାଳି ମୋ ନିଶ୍ଚଳେ ।

କ୍ଷୀରାବ୍‍ଧିତନୟା ସୁକୋମଳ କରା
ମ୍ଭୋରୁହ ମର୍ଦ୍ଦିତ ଯେ
ତ୍ରୈଲୋକ୍ୟାଘ ବିନା- ଶିନୀ ସୁରଧୁନୀ
ଯତ୍ପାଦରୁ ଯାତ ଯେ ।

ଭାବନ୍ତି ନିଶି ବା- ସରେ ପ୍ରେମଭରେ
ଯେ ପାଦ ଯୋଗିଦଳେ
ତୁମ୍ଭ ଶ୍ରୀଚରଣା- ମ୍ବୁଜେ ରହୁ ସଦା
ଚିତ୍ତାଳି ମୋ ନିଶ୍ଚଳେ ।

ବ୍ରହ୍ମା ରୁଦ୍ର ପୁର- ନ୍ଦରାଦି ବିବୁଧେ
ଭକ୍ତିଭରେ ସାଦରେ
ଆଜ୍ଞାଧୀନ କୃତା- ଞ୍ଜଳି ହୋଇ ସଦା
ସେବନ୍ତି ଯା ପାଦରେ ।

ନିତ୍ୟେ ବିଷ୍ଣୁପଦେ ଗମନ୍ତି ନିୟମେ
ଚନ୍ଦ୍ରାର୍କ ଆଜ୍ଞାବଳେ
ତୁମ୍ଭ ଶ୍ରୀଚରଣା- ମ୍ବୁଜେ ରହୁ ସଦା
ଚିତ୍ତାଳି ମୋ ନିଶ୍ଚଳେ ।

ବ୍ରହ୍ମାଣ୍ଡୋଦ୍ଭବ ପାଳନାନ୍ତକର ହେ
ଆପେ ତ୍ରିମୂର୍ତ୍ତିି ଧରି
ଦୁଃଖି-ଦୁଃଖ ତିମିର- ହାରକ ଦୟା
ରଶ୍ମି-ପ୍ରଦାୟୀ ହରି ।

ପଙ୍ଗୁ ଲଙ୍ଘଇ ଶିଖରୀ ଅବହେଳେ
ତୁମ୍ଭେ କରୁଣା କଲେ,
ତୁମ୍ଭ ଶ୍ରୀଚରଣା- ମ୍ବୁଜେ ରହୁ ସଦା
ଚିତ୍ତାଳି ମୋ ନିଶ୍ଚଳେ ।

ଭାରତୀ-ରୋଦନ

ଉତ୍କଳ ଭାରତୀ ରୋଦନ କରୁଛି
କାତରେ ସମ୍ବଲପୁରେ,
ସେ ବିକଳ ଧ୍ୱନି କର୍ଣ୍ଣରେ ପଡ଼ିଲେ
ନୟନେ ଲୋତକ ପୂରେ ।

ବୋଲଇ ଦୁଃଖିନୀ କେତେ କେତେ କଷ୍ଟ-
ସହି ମୋ କୋଳରେ ଧରି,
କୁମାରଙ୍କୁ ମୋର ପାଳନ କରୁଛି
ପ୍ରାଣାଧିକ ସ୍ନେହ କରି ।

ପୁତ୍ରମାନେ ମୋର ବଢ଼ି ଆସୁଛନ୍ତି
ଶୁକ୍ଲପକ୍ଷେ ଯଥା ଶଶୀ,
ଶ୍ରବଣକୁ ମୋର ତୋଷୁଥା'ନ୍ତି କହି
ମୃଦୁବାକ୍ୟେ ହସି ହସି ।

ନାନା ଉପହାରେ ପୂଜିବେ ମୋ ପାଦେ
ଏହା ଆଶା ଥିଲା ମନେ,
ଦାବାନଳ ଆସି ଲାଗିଯାଉଅଛି
ସେ ଆଶା କୁସୁମବନେ ।

ଫୁଟି ଆସୁଅଛି ଆହା କି! ସୁନ୍ଦର
ସୁନ୍ଦର କୁସୁମମାନ
କେତେ ବୃକ୍ଷ ଅବା ଫଳମାନ ଫଳି
ହୋଇଅଛି ସାନ ସାନ ।

ଏହି ସୁଖମୟ ସମୟେ ଦଗଧ
ହେଉଅଛି ଏହି ବନ,
ଦେଖି ବିସ୍ମୟରେ ହାହାକାର କରୁ-
ଛନ୍ତି ମୋ କୁସୁମଗଣ ।

ହିନ୍ଦୀ ସରସ୍ୱତୀ ମୋ ଛାତିରେ ବସି
କରିବ ପରା ରାଜତ୍ୱ,
ମୋ ଆଶା କାନନ ଭସ୍ମରାଶି ହେବ,
ତା ନବ ଉଦ୍ୟାନେ ଖତ ।

ଉପମାତା ଆସି ଗର୍ଭଧାରିଣୀର
ମସ୍ତକେ ଚରଣ ଦେବ,
ଏ ଦଶା ଦେଖିଲେ କେଉଁ ସନ୍ତାନର
ମନରେ ଦୁଃଖ ନ ହେବ ?

ତା' କୁନ୍ତ ପ୍ରହାରେ ଜୀବନ ନ ଯିବ
ହେଉଥିବି କଲବଲ ।
ମୋହ ରକ୍ଷାପାଇଁ ବିକଳ ମୋ ପୁଏ
ମୁଖେ ଦେଉଥିବେ ଜଳ ।

ଏ କଥା ସୁମରି ସୁମରି ମୋ' ତନୁ
ହୋଇ ଆସିଲାଣି କ୍ଷୀଣ,
ଚିନ୍ତା-ଜ୍ୱର ମୋତେ ଘୋଟି ଆସିଲାଣି
ରହିବ କି ଚିରଦିନ ?

ଆହାରେ ଦଇବ ଏହି କଷ୍ଟ ଦଶା
ଲେଖିଅଛୁ କି ମୋ ଭାଲେ,
ପଥର ବର୍ଷଣ ହେବ କି ଅକାଳେ
ମଲ୍ଲିକା କୁସୁମମାଳେ ।

ସୁଖ ସ୍ୱପ୍ନ

ଧନ୍ୟରେ ସ୍ୱପନ ଧନ୍ୟ ତୋ' ମହିମା
ଶକ୍ତିମତ୍ତା ତୋର ଧନ୍ୟ,
ବିଧାତା ଶକ୍ତିକି ବଳି ନ କରୁ କି
ଅଦ୍ଭୁତ କର୍ମ ସାଧନ ?

ଦୂରସ୍ଥ ବନ୍ଧୁର ଦରଶନ ପାଇଁ
ବ୍ୟାକୁଳିତ ହୁଏ ମନ,
ଶତ ଶତ କ୍ରୋଶ ଗମନ ନ କଲେ
ନ ମିଳଇ ଦରଶନ ।

ନିମିଷେ ମଧ୍ୟରେ ସେ ପ୍ରିୟ ବନ୍ଧୁର
ସଂଗେ କରି ସମାଗମ,
ଦେଉ ଯେଉଁ ସୁଖ, ଏ ବିଶ୍ୱ ମଧ୍ୟରେ
କେଉଁ ସୁଖ ତା'ର ସମ ?

ପରଲୋକବାସୀ ପ୍ରିୟଜନଙ୍କର
ଦରଶନ ଦୂରେ ଥାଉ,
ଭାବିଲେ ଯା' ରୂପ ସଂପୂର୍ଣ୍ଣ ପ୍ରକାରେ
ଭାବନୀୟ ନୁହେଁ ଆଉ ।

ତୋହ ପ୍ରସାଦରେ ପ୍ରାପତି ହୁଅଇ
ସଜୀବ ଶରୀରେ ତା'ର,
ଏମନ୍ତ ଶକତି ଦେଖୁନାହିଁ ତ ମୁଁ
ବିଶ୍ୱ-ସ୍ରଷ୍ଟା ବିଧାତାର ।

ପରଲୋକୀ ପ୍ରିୟ ବନ୍ଧୁର ପ୍ରସନ୍ନ
ଶ୍ରୀମୁଖ ସାକ୍ଷାତ୍‍କାର,
ରାଜସୁଖ ଛାଡ଼ି ଇନ୍ଦ୍ର-ସମ୍ପତ୍ତିକୁ
କରଇ ଶତ ଧିକ୍‍କାର ।

ବିରହୀ କି ଦେଇ ସମାଗମ ସୁଖ
ବଢ଼ାଇ ପାରୁ ଆନନ୍ଦ,
ଦେଇ ପାରୁ ମହା ଦରିଦ୍ରେ କ୍ଷଣିକେ
ରାଜ-ରାଜେଶ୍ୱର ପଦ ।

କଳ୍ପଦ୍ରୁମ ଆଉ କାହାକୁ କହନ୍ତି
ବୁଝିପାରୁ ନାହିଁ ମୁହିଁ,
ଆଶୁ କଳପିତ ଫଳ-ପ୍ରଦାୟକ
କଳ୍ପଦ୍ରୁମ ଏକା ତୁହି ।

ମନ ସହିତରେ ଗତି କରିବାକୁ
କେ ଅଛି ଶକ୍ତିସଂପନ୍ନ,
ଦେଖୁଅଛି ଏକା ନେଇପାରୁ ତୁହି
ପ୍ରାଣୀମାନଙ୍କ ସ୍ୱପନ ।

ଜୀବନରେ ଦୀର୍ଘ ସହବାସେ ଲବ୍‍ଧ
ହୋଇ ନଥାଏ ଯେ ସୁଖ,
ସେ ଅମୂଲ୍ୟ ସୁଖ ଦେଉ ତୁ ଦେଖାଇ
ମୃତ ପ୍ରିୟବନ୍ଧୁ ମୁଖ ।

ଯେ ବୋଲିବ ତାହା ସ୍ୱପ୍ନ କଥା ସିନା
ନିଦ୍ରା ସହ ଭଙ୍ଗଶୀଳା,
ଅଭଙ୍ଗୁର ତା'ର ଅଟଇ କି ଏହି
ସୁଖମୟ ଭବଲୀଳା ?

ଥରେ ଯେଉଁ ସୁଖ ଦେଇଥାଉ ପୁଣି
ଦେଇପାରୁ ଆଉ ଥରେ,
ସେହି ସୁଖ ଲାଗି ଶିଳାଗାର ପରି
ରହିଯାଏ ହୃଦୟରେ ।

ଭବ-ସୁଖ ସବୁ ସାଙ୍ଗ ହେଲେ ଅନ୍ୟ
ଜନ୍ମେ ନ ପଡ଼ଇ ମନେ,
ଭବ ସୁଖାପେକ୍ଷା ତୋ' ଦତ୍ତ ସୁଖକୁ
ଏଣୁ ମୁହିଁ ଶ୍ରେଷ୍ଠ ମଣେ ।

ତରୁବର

ସାଧୁ ତରୁବର, ଧର୍ମ ତୋର ସାଧୁ,
ନିରନ୍ତର ପର ଉପକାର ସାଧୁ ।
ଜନପ୍ରାଣ ଅପକାର ଯେଉଁ ବାଷ୍ପେ,
ତାହା ତୁ ଭକ୍ଷଣ କରିନେଉ ଆପେ ।
ରାତ୍ରିକାଳ ଯେଣୁ ହୁଅଇ ନିର୍ଜନ,
ସେ କାଳେ କରୁ ସେ ବାଷ୍ପ ବିସର୍ଜନ ।
ଯେ ବାଷ୍ପ ସତେଜ କରେ ଜନ୍ତୁପ୍ରାଣ,
ଉଦୟରୁ ଅସ୍ତ ଯାଏ କରୁ ଦାନ ।

ଗୋପନେ କରୁ ଏ ମହା ଉପକାର,
ଏହା ସିନା ମହାଜନଙ୍କ ବେଭାର ।
ବାଳଭାନୁଙ୍କର ହେମ ରୁଚିକର,
ହୁଏ ବୋଲି ଜୀବ-ପ୍ରାଣ ସୁଖକର ।
ତୋଷିବା ନିମନ୍ତେ ବିଶ୍ୱ-ଜନ-ପ୍ରାଣ
ସମୂଳେ ଆଦରେ ଦେଉ ତାକୁ ସ୍ଥାନ ।
ହେଉଥାଏ ତାହା ଯେତିକି ପ୍ରଖର,
କରୁଥାଉ ତାକୁ ତେତିକି ଅନ୍ତର ।
ମଧ୍ୟନ୍ଦିନ ରବି ପ୍ରଚଣ୍ଡ କିରଣ
ଅକାତରେ କରି ମସ୍ତକେ ଧାରଣ ।
ଛାୟାବୃତ କରି ରଖୁ ନିଜ ତଳ,
ଦେବାପାଇଁ ଜନେ ଛାୟା ସୁଶୀତଳ ।
ଶୀତେ ମଧ୍ୟାହ୍ନରେ ଚିତ୍ରଭାନୁକର,
କାହାକୁ ସୁଖଦ କା'ର ଦୁଃଖକର ।
ଏଇ ଛାଇ ରଖି ତଳ ଅର୍ଦ୍ଧଧରା,
ଅପର ଅର୍ଦ୍ଧରେ ରଖିଥାଉ ଖରା ।
ଜଗତକୁ ଯେଉଁ ପଦାର୍ଥ ଅସାର,
ନିଜ ପ୍ରାଣ ତୋଷୁ କରି ତା' ଆହାର ।
ସ୍ୱାଦୁ ଫଳ ଦେଇ ତୋଷୁ ପର ପ୍ରାଣ,
ରୋପଣେ ଛେଦନେ ନାହିଁ ଭେଦ ଜ୍ଞାନ ।
କେହି ଯଦି ତୋତେ କରେ ବିଚଳିତ,
ଫଳ ପୁଷ୍ପ ଦାନେ ତୋଷୁ ତାର ଚିତ୍ତ ।
ବୃହତ୍‍କାୟ ହୋଇ ଅତି କ୍ଷୁଦ୍ରାସନ,
ବହୁ ଜନ୍ତୁ ବାସ ତୋର ଅପଘନ ।
ପ୍ରତି ଉପକାରେ ନୋହି ସ୍ପୃହାବାନ,
ପର ଉପକାରେ କରୁ ତନୁଦାନ ।
ସ୍ଥାବର ହୋଇ ତୁ ଭାଗବତ ଧର୍ମ
ଅବଲମ୍ବରେ କରୁ ପୁଣ୍ୟକର୍ମ ।
ତୋ ଧର୍ମେ ଦୀକ୍ଷିତ ହୁଏ ଯଦି ନର,
ଅବଶ୍ୟ ଲଭିବ କୃପା ପ୍ରଭୁଙ୍କର ।

ବେଦବ୍ୟାସ

କର୍କଶ ବିଗ୍ରହ ତିନ୍ଦୁକ ପାଦପ,
ଛାୟା ଦେଉଅଛି ଉଚ୍ଚେ କରି ଦର୍ପ ।
ବାହାରେ କର୍କଶ ଦିଶିଲେ କି ହେବ,
ଉଚ୍ଚେ ସେ ରହିବ ଯେହୁ ଶାନ୍ତି ଦେବ ।
ମଧ୍ୟେ ମଧ୍ୟେ କେଳି କଦମ୍ବ‌ନିଚୟ
ଉଠି ମଣ୍ଡିଛନ୍ତି ରମ୍ୟ ଶିଳୋଚ୍ଚୟ ।
ପ୍ରାବୃଟ ସମୟ ହେଲେ ସମାଗତ,
କୁସୁମାର୍ଘ ଧରି କରନ୍ତି ସ୍ୱାଗତ ।
ଗିରିପାଦେ ଗିରି ଗରବ ସମ୍ଭୂତ,
ଜଳେ ପୂର୍ଣ୍ଣ ବେଦବ୍ୟାସ ସ୍ନାନେ ପୂତ
ସରସ୍ୱତୀ କୁଣ୍ଡୁଁ ବହେ ସରସ୍ୱତୀ,
କ୍ଷୀଣାଙ୍ଗୀ ଉତ୍କଳେ ଯଥା ସରସ୍ୱତୀ,
ନିକଟରେ ଶଙ୍ଖ ସ୍ରୋତ ସଙ୍ଗ ପାଇ,
ଦେଉଅଛି ନିଜ ଜୀବନ ମିଶାଇ ।
ସଂସ୍କୃତ ଭାରତୀ ଉତ୍କଳେ ଯେସନ,
ମିଶ୍ରିତ କରିଛି ନିଜ ଅପଘନ ।
ଉତ୍ତର ଦିଗରୁ ବହିଆସି ଶଙ୍ଖ,
ଏଠାରେ ଲଭିଛି କୋଇଲିର ଅଙ୍କ ।
ଏକ ଅଙ୍ଗେ ଦୁହେଁ ଯାଉଛନ୍ତି ବହି,
ପବିତ୍ର 'ବ୍ରାହ୍ମଣୀ' ନାମଟିକୁ ବହି ।
ବିମିଶ୍ରିତ ହେଲେ ବିଭିନ୍ନ ବରଣ,
ଭିନ୍ନ ନାମ ସଦା କରନ୍ତି ଧାରଣ ।
ନଦୀରୁ ଦେଖିଲେ ବ୍ୟାସ ଜନ୍ମଦରୀ
ସାନୁଦୃଶ୍ୟ ନିଏ ମନୋଦୁଃଖ ହରି ।

ଚନ୍ଦ୍ର-ରଜନୀ


ବାଟରେ ଗଉଡ଼ ବେଣୁ ବଜାଇ ବଜାଇ,
ଧାଇଁ ଧାଇଁ ହମ୍ବାରବ କରି ଗୋରୁମାନେ,

ବାଛୁରୀ ଗୋଶାଳେ ଲାଞ୍ଜ ହଲାଇ ହଲାଇ,
ହୁଚୁକି ହୁଚୁକି ହୋଇ ରତ କ୍ଷୀରପାନେ ।

ହାଟରୁ ହଟାରି ଫେରି ଗୀତ ଗାଇ ଗାଇ,
ଘାଟରୁ କେଉଟ ଆସି ପ୍ରଫୁଲ୍ଲ ବଦନେ,
ନାଟ୍ୟଶାଳେ ନଟ ହସ୍ତ ଖେଳାଇ ଖେଳାଇ,
ନବରଙ୍ଗେ ନାଚି ଚାହିଁ ବଙ୍କିମ ନୟନେ ।
ଆନନ୍ଦ ପ୍ରକଟ କଲେ ବିବିଧ ମଜାରେ,
କୋଳାହଳ ପଡ଼ିଗଲା ଆନନ୍ଦବଜାରେ ।
"ନିର୍ମଳ ଚନ୍ଦ୍ରମଣ୍ଡଳ ଶରଦେ ବିରାଜି"
ଚନ୍ଦ୍ର ଚାହିଁ ମୁଦେ ଗାଏ କେ ରସିକବର;
"ଦିଶେ ଯଥା ଦର୍ପକ ଦର୍ପଣ ଥିଲେ ମାଜି"
ଗାଏ ତା' ପଛେ ପୁଣି ପ୍ରିୟ ସହଚର ।
"ଚାହିଁ କୁମର କାତର" ବୋଲଇ ପ୍ରଥମ,
ଦ୍ୱିତୀୟ ରସିକ କରି ସୁଲଳିତ ସ୍ୱର;
ଉଚ୍ଚାରେ ଚତୁର୍ଥ ପାଦ ଗାଇ ମନୋରମ,
"ଲେଖି ଆରମ୍ଭିଲା ବସି ବିନୟ ପତର ।"
ବୁଲନ୍ତି ଯୁବକଯୁଗ ସୁଧାଂଶୁ କିରଣେ,
ଭଞ୍ଜ କବି ବିରଚିତ ପଦ କରି ମନୋ

ଭକ୍ତି

ବିଶ୍ୱଜୀବନ ହେ, ତୁମ୍ଭଙ୍କୁ କରୁଣାସିନ୍ଧୁ
ବୋଲିବାକୁ ମନ ବଳୁ ନାହିଁ ଯେଣୁ
ସିନ୍ଧୁ ତୁମ୍ଭ କୃପାବିନ୍ଦୁ । (ଘୋଷା)
ତୁମ୍ଭ ଭଜନରେ ହେବି ନାହିଁ ନାଥ
ମାଳା ଜପିବାକୁ ବାଧ୍ୟ,
କୋଟି କୋଟି ଗ୍ରହ କଣ୍ଠି ସେ ମାଳାର
କେ ଜପି କରିବ ସାଧ୍ୟ ?

ଦେଇ ନାହିଁ ବଳ ପଦଧୂଳି ଘେନି
ପାରିବ ନାହିଁ ମୋ' ମୁଣ୍ଡ,
କୋଟି କୋଟି ରବି ଧୂଳି ରୂପେ ତୁମ୍ଭ
ପାଦେ ହୋଇଛନ୍ତି ରୁଣ୍ଡ ।
ହୃଦୟର କଥା ଜାଣିବାକୁ ଅଛି
ତୁମ୍ଭର ଅସୀମ ଶକ୍ତି,
ସେତିକି ଘେନିବ ଯେତିକି ଅଛି ମୋ'
ହୃଦେ ତୁମ୍ଭ ପ୍ରତି ଭକ୍ତି ।
ଥାପିବାକୁ ତୁମ୍ଭ ମୂରତି ମୋ କ୍ଷୁଦ୍ର
ହୃଦୟରେ ନାହିଁ ସ୍ଥାନ,
ସର୍ଷପ ଗରଭେ ରହି କି ପାରଇ
ହିମାଳୟ ସାନୁମାନ ?
କି ଦେଇ ପୂଜିବି ଯାହା ମୁଁ ଦେଖୁଛିଁ
ସବୁ ତୁମ୍ଭରି ପ୍ରସାଦ,
ଯାହା ପରସାଦ ତାଙ୍କୁ ଅରପିଲେ
ହେବ ସିନା ଅପରାଧ !
ମୁଁ' କାର ମାତର ମୋର ନୁହେଁ ବୋଲି
କହିବାକୁ ନାହିଁ ବାଟ,
ଦୂରୁ ଶ୍ରୀଚରଣେ ଅର୍ପଣ କରୁଛି
ଘେନ ତା' ବିଶ୍ୱ ସମ୍ରାଟ !

ଅମୃତମୟ

ନବ ବିକଶିତ ଫୁଲଗନ୍ଧ,
ନବ ସରସ କବିତା-ଛନ୍ଦ,
ବନ ବିହଗ ମଧୁର ତାନ,

ଶିଶୁ ସରଳ ତରଳ ଗାନ,
ନବ ପ୍ରଫୁଲ୍ଲ କମଳକାନନ
ନବ ସୁକୁମାର ଶିଶୁ ଆନନ,
ଅମୃତମୟ ଅମୃତ ରୟ
ଭସାଇ ନେଉଛି ଜୀବନ ।
ଧୀର ଚଳିତ ଶୀତଳ ବାତ,
ଚିର ଲଳିତ କୁମୁଦନାଥ,
କ୍ଷୀର-ଧବଳ, ଚନ୍ଦ୍ରିକାଜାଲ,
ନୀରଦାନଦକ୍ଷ ଘନମାଳ
ମୃଦୁ ମଧୁର ଆଲୋକ ଉଷାର,
ନବପଲ୍ଲବପତିତ ତୁଷାର
ଅମୃତମୟ ଅମୃତ ରୟ
ମଜ୍ଜାଇ ଦେଉଛି ସଂସାର ।
ମିଟିମିଟି ଜକଜକ ତାରା,
ଟପଟପ ଜଳଧର ଧାରା,
ତମନାଶନେ ଧାବିତ ଘୃଷ୍ଟି
ତମମୁକତ ଅବନୀ ହୃଷ୍ଟି,
ଗିରିଗରଭପ୍ରସୃତ ନିର୍ଝର,
ଦୂର ଲମ୍ଫିତ ପ୍ରପାତ ଝର୍ଝର,
ଅମୃତମୟ ଅମୃତ ରୟ
ଜୀବନ କରୁଛି ଜର୍ଜର ।
ମୁଁ ତ ଅମୃତ-ସାଗରବିନ୍ଦୁ,
ନଭେ ଉଠିଥିଲି ତେଜି ସିନ୍ଧୁ,
ଖସି ମିଶିଛି ଅମୃତଧାରେ,
ଗତି କରୁଛି ସେ ଅକୂପାରେ,
ପଥେ ଶୁଖିଗଲେ ପାପ-ତାପରେ
ହୋଇ ଶିଶିର ଖସିବି ତା' ପରେ,
ଅମୃତମୟ ଅମୃତ ରୟ
ସହିତ ମିଶିବି ସାଗରେ ।

ମଧୁମୟ

ବିଶ୍ୱ ଦେଖ ମଧୁ- -ମୟରେ ଜୀବନ ।
ବିଶ୍ୱ ଦେଖ ମଧୁମୟ
ମଧୁର ଝରଣ କରିବ ହରଣ
ତୋ' ପାପ ମରଣ ଭୟ ରେ, ଜୀବନ । (ଘୋଷା)

ଜନନୀର ସ୍ନେହ ଜାୟାର ପ୍ରଣୟ
ବୁଧ-ବନ୍ଧୁ ସଦାଳାପ,
ଜନକ ଆଦର ଏକ ଏକ ଝର
ତଡ଼ି ଦେଉଛନ୍ତି ତାପରେ, ଜୀବନ ।

ନବ ନବ କର୍ମ ନବ ନବ ମର୍ମ
ନବ ନବ ଜ୍ଞାନପଥ,
ନବୀନ ଆଲୋକେ ଦେଖାନ୍ତି ଏ ଲୋକେ
ମଧୁ ଝର ଶତ ଶତ ରେ, ଜୀବନ ।

ମଧୁମୟ ବନେ ମଧୁମୟ ସ୍ୱନେ
ଗାଇ ମଧୁମୟ ଗୀତି,
ବିହଙ୍ଗମଗଣ ପୂରାନ୍ତି ଶ୍ରବଣ
ମଧୁ ଢାଳି ନିତି ନିତି ରେ, ଜୀବନ ।

ଦିନେ ଦିନପତି ରାତ୍ରେ ଋକ୍ଷତତି
ସହିତ କୁମୁଦବନ୍ଧୁ,
ବିଚରି ଗଗନେ ଅଖିଳ ଭୁବନେ
ବିତରନ୍ତି ଜ୍ୟୋତି ମଧୁ ରେ, ଜୀବନ ।

ମହୀ ମହୀଧରେ ସରିତ ସାଗରେ
ସରେ ବନ ଉପବନେ,
ଦେଖ ଫୁଲକୁଳ ପଲ୍ଲବ କଲ୍ଲୋଳ
ମଧୁ ମାଖିଛନ୍ତି ଘନେ ରେ, ଜୀବନ ।

ବିଶ୍ୱନାଥଙ୍କର କରୁଣାକନ୍ଦର
ମଧୁ ଝର ଜନ୍ମସ୍ଥଳ,
ଚାହିଁ ଝର ପ୍ରତି ଉଚ୍ଚେ କଲେ ଗତି
ପାଇବୁ କରୁଣାଚଳ ରେ, ଜୀବନ ।
 
ହେଲେ ହେଁ ତୁ ସାନ କରୁଣାନିଧାନ
ରାଜ୍ୟରେ କରିଛୁ ବାସ,
ବଢ଼ାଇଲେ କର ତାଙ୍କ ଶ୍ରୀପୟର
ଲାଭେ ନ ହେବୁ ନିରାଶ ରେ, ଜୀବନ ।

ସର୍ପଦଷ୍ଟ ଜନ ମୁଖରେ ଲବଣ
ଦେଲେ ବୋଲିଥାଏ ମାଟି,
ଜ୍ଞାନଭ୍ରଷ୍ଟେ ମଧୁ ନ ଲାଗିଲେ ସ୍ୱାଦୁ
ଜ୍ଞାନଗଦ ପିଅ ବାଟି ରେ, ଜୀବନ ।

ଉତ୍କଳ-ଭାରତୀଙ୍କ ଉକ୍ତି

ଛନ୍ଦ ବାବୁ ମୋର କୋମଳ ବସନ
ଅଙ୍ଗକୁ ଯହିଁରେ ନ ହେବ ପୀଡ଼ା,
ଦେବ ହେଲେ ଦିଅ ଏମନ୍ତ ଭୂଷଣ
ଯାହା ଘେନି ମୋର ନ ହେବ ବ୍ରୀଡ଼ା ।

ଅଙ୍ଗ ଚାହିଁ ଦିଅ ଯୋଗ୍ୟ ପରିଚ୍ଛଦ
ପରିଚ୍ଛଦ ଯୋଗୁଁ ନ କାଟ ଦେହ,
କଟା ହେଲେ ହେବ ଜୀବନେ ବିପଦ
ନ କର ମାତାକୁ ସେପରି ସ୍ନେହ ।

ନଖ ବଢ଼ିଥିଲେ କର କରତନ
ରଞ୍ଜିଦିଅ ତହିଁ ଅଳତା ରଙ୍ଗ,
ନାକ ବଡ଼ ଥିଲେ ତା' କଲେ ଛେଦନ
ହେବ ନାହିଁ କି ମୋ ସୌଷ୍ଠବ ଭଙ୍ଗ ?

ରୋଗ ଥିଲେ ଦେହେ ପ୍ରତିକାର କର
ପ୍ରକୃତିସ୍ଥ ହେଉ ଜୀବନ ମୋର,
ଭିନ୍ନ ବର୍ଣ୍ଣେ ଯଦି ରଞ୍ଜ କଳେବର
ହେବ ମାତ୍ର ତହିଁ ବୀଭତ୍ସ ଘୋର ।

ତୁମ୍ଭେ ମୋତେ ଯେଉଁ ବେଶରେ ସାଜିବ
ସେ ବେଶ ଦେଖିବେ ଜଗତ ଜନେ,
ତୁମ୍ଭେ ଯଦି ମୋତେ ଯତନେ ମାଜିବ
ମାର୍ଜ୍ଜିିତ ଉଜ୍ଜ୍ୱଳ ହେବି ଭୁବନେ ।

ଦେଉଁ ଦେଉଁ ମୋର ନୟନେ ଅଞ୍ଜନ
ମୁଖ ଯଦି ହେବ କାଳିମାମୟ,
ପୋଛ ଗଣ୍ଡ-କାଳି ନ ଦେଇ ଗଞ୍ଜନ
ହେବ ମନୋହର କାନ୍ତି ଉଦୟ ।

ପାଇଥିଲେ ଦିଅ ବିଲାତୀ ପ୍ରସୂନ
ଥାଏ ଯଦି ତହିଁ କିଛି ସୌରଭ,
ସୌରଭ ନ ଥିଲେ କାନ୍ତିରେ ନିଊନ
ନ ଥିଲେ ବଢ଼ିବ ସିନା ଗୌରବ !

ମସ୍ତକେ ମୋ ଟୋପି ନ ଦେବ ବାବା ରେ
ନ କାଢ଼ିବ ମୋର କରୁ କଙ୍କଣ,
ସିନ୍ଦୂର ବିନ୍ଦୁ ମୋ ଭାଲେ ରଖିବାରେ
ନିରନ୍ତର ମନେ ଥିବ ସ୍ମରଣ ।

ଗଣେଶଙ୍କର ଆତ୍ମକଥା

ଗଣେଶ ବୋଲନ୍ତି ବିଘ୍ନରାଜ ବୋଲି
ପୂଜା କରି ମୋତେ ନରେ,
ବହୁ ଚାଟୁ କରି ପ୍ରବର୍ତ୍ତାଇଥାନ୍ତି
ବିଘ୍ନକୁଳ ନାଶନରେ ।

ଚାଟୁ ଯା' କରନ୍ତି ଚାଟୁ ନୁହେଁ ତାହା
କେବଳ ଅସହ୍ୟ ଗାଳି,
ନର କେହି ସହି ନ ପାରନ୍ତେ, ଦେବ
ସ୍ୱଭାବେ ନିଏଁ ସମ୍ଭାଳି ।

କେହି ବୋଲେ ହାତୀ- -ମୁଣ୍ଡିଆ, କେହି ବା
ବୋଲଇ ଏକଦନ୍ତିଆ,
କେହି ବୋଲିଥାଏ ଦୁଇ ମାଆ ପୁଅ
କେ ବୋଲେ ଲମ୍ବପେଟିଆ ।

ବିଘ୍ନଙ୍କର ଯେବେ ରାଜା ହେଲି ମୁହିଁ
ସେ ତ ହେଲେ ମୋର ପ୍ରଜା,
ପ୍ରଜାନାଶ କରି କାହିଁ ଉଡ଼ାଇବି
ଅପକୀରତିର ଧ୍ୱଜା ?

ମୃଗରାଜ ସିନା ମୃଗ ନାଶ କରେ
ପାଶବ ସ୍ୱଭାବ ଧରି,
ଦେବତା ହୋଇ ମୁଁ ସେ କ୍ରୂର ଅଧର୍ମ
କର୍ମ କରିବି କିପରି ?

ଦେବତା ହୋଇ କେ ଆଶ୍ରିତ ନାଶିବା
ଦେଖା ନାହିଁ, ଶୁଣା ନାହିଁ,
ଆଶ୍ରିତ ନାଶିଲେ ନରଲୋକ ମୋତେ
ପୂଜିବେ ଆଉ କିପାଇଁ ?

ନରେ ବାଞ୍ଛୁଛନ୍ତି ବିଘ୍ନଙ୍କ ମରଣ
ପାଇ ସେହି ସମାଚାର,
ନରଙ୍କ ଉପରେ ବିଘ୍ନମାନେ ସିନା
କରୁଛନ୍ତି ଅତ୍ୟାଚାର !

ବିଘ୍ନ ସଙ୍ଗେ ଯେହୁ ମିତ୍ରପଣ କରି
ତୋଷିଥାନ୍ତି ସମାଦରେ,
ବିଘ୍ନ ଦେଇ ତାଙ୍କୁ ସାହସ, ତୋଷଇ
ସିଦ୍ଧିପଥ ସମ୍ବାଦରେ ।
ବିଘ୍ନମାନେ ମୋର ସତତ ଅଛନ୍ତି
ସିଦ୍ଧିଭଣ୍ଡାର-ପ୍ରହରୀ,
ସିଦ୍ଧି ତା' ହସ୍ତକୁ ନ ଯାଏ ଯେ ଥାଏ
ଦୂରୁ ଚାହିଁ ତାଙ୍କୁ ଡରି ।

ତାକୁ ମଧ୍ୟ ବୋଲିଥାନ୍ତି ଧର୍ମ-ଅବତାର

ମନ ଯା'ର ବ୍ୟସ୍ତ ସଦା ପରସ୍ୱହରଣେ,
ଧନ ଯା'ର ବିଦଳିତ ଗଣିକା-ଚରଣେ,
ଜୀବନ ଯା' ଲକ୍ଷ ଲକ୍ଷ ଲୋକଙ୍କର ଭାର,
ତାକୁ ମଧ୍ୟ ବୋଲିଥାନ୍ତି ଧର୍ମ-ଅବତାର ।

ବିଦ୍ୟା ଯା'ର ମୋଡ଼ୁଥାଏ ଧର୍ମନୀତି ମୁଣ୍ଡ,
ବୁଦ୍ଧି ଯା'ର କରୁଥାଏ ଶତ ସତ୍ୟ ଗୁଣ୍ଡ,
ଧନେ କ୍ରୀତ ହେଉଥାଏ ଯାହାର ବିଚାର
ତାକୁ ମଧ୍ୟ ବୋଲିଥାନ୍ତି ଧର୍ମ-ଅବତାର ।

ଭ୍ରମଣ ଖରଚ ପାଇଁ ପାଇଥାଏ ଭତ୍ତା,
ଖାଇଥାଏ ମୋଡ଼ି ଏଣେ ଦରିଦ୍ରଙ୍କ ମଥା,
କରୁଥାଏ କ୍ଷମତାର ଅପବ୍ୟବହାର
ତାକୁ ମଧ୍ୟ ବୋଲିଥାନ୍ତି ଧର୍ମ ଅବତାର ।

ବହିର୍ଗତ ହୋଇଥାଏ ଘରୁ ଶୂନ୍ୟକରେ,
ଶଗଡ଼ ଶଗଡ଼ ଦ୍ରବ୍ୟ ଆଣି ଘରେ ଭରେ,
ସେହି ଦ୍ରବ୍ୟମାନ ପୁଣି ଦେଖାଏ ବଜାର,
ତାକୁ ମଧ୍ୟ ବୋଲିଥାନ୍ତି ଧର୍ମ-ଅବତାର ।

ମାତୃଭୂମି
ଯେ କାଳେ ବାଳକ ବୁଲି ଯାଇପାରେ
ପଡେ଼ାଶିମାନଙ୍କ ଘର,
ସେ କାଳେ ଜାଣଇ ଅନ୍ୟ ଘରସବୁ
ତା' ସଙ୍ଗୀ ବାଳକଙ୍କର ।

ପରେ ଯେତେବେଳେ ଆପଣା ପଡ଼ାରୁ
ଅନ୍ୟ ପଡ଼ା ବୁଲିଯାଏ,
ସେହି ସମୟରେ ପଡେ଼ାଶୀ ପଡ଼ାକୁ
ଆପଣାର ମଣିଥାଏ ।

ଅନ୍ୟ ଗ୍ରାମେ ପୁଣି ଯାଏ ଯେବେ ନିଜ
ଗ୍ରାମରୁ ହୋଇ ବାହାର,
ସେ କାଳେ ଜାଣଇ ନିଜ ଘର ଯହିଁ
ସେ ଗ୍ରାମ ଅଟେ ତାହାର ।

ଆପଣା ଗ୍ରାମର ନଦୀ ପୁଷ୍କରିଣୀ
ବଗିଚା ଆଦି ସକଳ,
ଆପଣାର ବୋଲି କହେ, ପୁଣି ସେହି
ସବୁକୁ ମଣଇ ଭଲ ।

ବଡ଼ ହୋଇ ଯେବେ କରି ଯାଇପାରେ
ଅନ୍ୟ ରାଜ୍ୟେ ବିଚରଣ,
ବଖାଣଇ ତହିଁ ନିଜ ରାଜା, ରାଜ୍ୟ
ଲୋକଙ୍କର ଶ୍ରେଷ୍ଠପଣ ।

ହାତୀ ଘୋଡ଼ାଠାରୁ ଛେଳି ମେଣ୍ଢା ଯାଏ
ସବୁ ତା' ରାଜ୍ୟର ଭଲ,
ସକଳ ସୁଖର ଆକର ତାହାରି
ରାଜ୍ୟଟି ଅଟେ କେବଳ ।

ତହୁଁ ବଡ଼ ହୋଇ ଯାଇଥାଏ ଯେବେ
କେହି କେବେ ଦେଶାନ୍ତର,
ସ୍ୱର୍ଗରୁ ଅଧିକ ବୋଲି ବୁଝେ ତେବେ
ଯେଉଁ ଦେଶେ ତାର ଘର ।

ଜ୍ଞାନବଳେ ଯେବେ ଜାଣେ ସମସ୍ତଙ୍କ
ଜନକ ଜଗତପତି,
ସହୋଦର ଜ୍ଞାନ କରେ ଅବନୀର
ମାନବ-ସମାଜ ପ୍ରତି ।

ତେବେ ସେ ଜାଣଇ ଯେ କରଇ ଯେତେ
ଲୋକଙ୍କର ଉପକାର,
ବିଶ୍ୱପତିଙ୍କର ବିଶ୍ୱଗୃହେ ଅଟେ
ସେ ତେତେ ଯୋଗ୍ୟ କୁମାର ।

ଏହିରୂପେ ଗ୍ରାମ କଥା, ରାଜ୍ୟ କଥା,
ଦେଶ କଥା, ବିଶ୍ୱକଥା
ମାନବ-ଜୀବନେ ପ୍ରତୀତ ହେବାର
ଦର୍ଶିତ ହୁଏ ସର୍ବଥା ।

ମାତୃଭୂମି ମାତୃ- ଭାଷାରେ ମମତା
ଯା'ହୃଦେ ଜନମି ନାହିଁ,
ତାକୁ ଯେବେ ଜ୍ଞାନି- ଗଣରେ ଗଣିବା
ଅଜ୍ଞାନ ରହିବେ କାହିଁ ?

'ଉତ୍କଳ ସମ୍ମିଳନୀ' ଉପଲକ୍ଷେ

ନିଜ ଘରେ ବସି ନିର୍ବାସନ ଦୁଃଖ
ଆମ୍ଭ କି ଲଲାଟ ଲିଖନ
ମାତୃଭାଷା-ମନା ଭାଇ ସଙ୍ଗ ବିନା
ବିକଳ ହେଉଛି ଜୀବନ । (ପଦ)

ଗୁହାରିଲେ ଦୁଃଖ ନୃପତି ଆଗରେ,
ତଡ଼ି ଦେଉଛନ୍ତି ଛାମୁରୁ ରାଗରେ,
ନୁହେଁ ତାଙ୍କ ଦୋଷ, ବୁଝନ୍ତି ନାହିଁ ସେ
ଆମ୍ଭର କଥିତ ବଚନ ।।

ବିଦେଶୀ ସଦସ୍ୟ 'ଛନ୍ତି ନିକଟରେ,
କହି ଦେଉଛନ୍ତି ଶ୍ରବଣପଟରେ;
ହସୁଛନ୍ତି ବୋଲି ବୁଝାଉଅଛନ୍ତି
କରୁଅଛୁଁ ଯେତେ ରୋଦନ ।।

ପରଦେଶୁ ଆସି ପରଦେଶବାସୀ,
ଦେଉଛନ୍ତି ଆମ୍ଭ ଅନ୍ନଜଳ ଗ୍ରାସି;
ଭକୁଆ ପରାଏ ଭକ ଭକ ଚାହିଁ-
ରହିଅଛୁଁ ତାଙ୍କ ବଦନ ।।

ଭାରତୀ - ଭାବନା

ତୁମ୍ଭର କଥାରେ ମଧୁର ରହିଲା
କରିନେଲ ହୃଦ କଳଣା,
ତୁମ୍ଭ ବଦନରୁ କଥା ନ ସ୍ଫୁରିଲେ
ସବୁଯାକ ହେଲା ଅଲଣା;
ଗୋପେନ୍ଦ୍ର, ନିଜ ବାସ ବିଷ ମଣିଁଲୁ
ମନ୍ତରେ ମୋହିଲ ତନ୍ତରେ ତୁମ୍ଭର
ମହତ-କଉଡ଼ି ଗଣିଲୁଁ ।

ଆମ୍ଭ କ୍ଷୀର ସର ଲବଣୀରେ ପୁଷ୍ଟ
ବଳକୁ ତୁମ୍ଭର ଅନାଇ,
ଭୟ ଲଭି ସିନା ଜାରମଣି ବୀରେ,
କରି ନ ପାରିଲେ ଲଢ଼ାଇ,
ଗୋପେନ୍ଦ୍ର, ଯେ କଥା କହିଥିଲ ଯାଇ,
ଜୟ ଗର୍ବେ ମାତି କେଉଁ କଥା କଲ
ପୂର୍ବ ପ୍ରତିଜ୍ଞା ଅନୁଯାୟୀ ।

ଗାନ୍ଧିନୀଜ କାଣ୍ଡ ଘଟାଇଲା ଦିନୁ
ସ୍ନେହଗଣ୍ଠି ହେଲା ଶିଥିଳ,
ତହୁଁ ଜଣାଗଲା କିସ ହେଲ ତୁମ୍ଭେ
ତହିଁ ପୂର୍ବେ ଅବା କି ଥିଲ;
ପାଞ୍ଚାଳେ, ପରିଚୟ ହେଲା ଯାହାର,
ଯାହା ଲାଗି ହେଲା ସକଳ କଳହ
ମାନ ବଢ଼ାଇଲ ତାହାର ।

ଗାନ୍ଧିୀଜ କଷ୍ଟ ଗଣନା ନ କରି
ବନ୍ଦି ପୁର କଲେ ଗମନ,
କାନ ନ ପାତିଲ ଦୂରେ ଥାଇ କଲୁଁ
ଯେତେ ହାହାକାର କ୍ରନ୍ଦନ;
ଜଗତେ, କୀରତିର ବାନା ଉଡ଼ିଲା,
ପାର ନିଆଁ ମେଣ୍ଟି କଉଶଳ ବଳେ
ଉଗ୍ରସେନାନନ୍ଦ ବଢ଼ିଲା ।

ପରେ ଜଣାଗଲା ତୁମ୍ଭ ଆମ୍ଭ ଭେଦ
ତୁମ୍ଭେ ଦ୍ୱୀପାନ୍ତରନିବାସୀ,
ବାଲ୍ୟଜୀବନରେ ଆମ୍ଭର ଧନରେ
ବଢ଼ିବା ପାଇଁ ଥିଲ ଆସି;
ଗୋପେନ୍ଦ୍ର, ତୁମ୍ଭେ ହେଲ ବିଶ୍ୱବିଖ୍ୟାତ
ଆମ୍ଭ ସଙ୍ଗେ ଏକ ବେଭାରେ ଚଳିଲେ
ହେଉଛି ଏବେ ଲାଜ ଜାତ ।

ଡାକି ତ ନଥିଲୁଁ ତୁମ୍ଭ ଘରେ ଯାଇ
ଆସିଥିଲ ନିଜ ଲାଭରେ,
ସରଳ-ହୃଦୟ ମଣି ସିନା ଘରେ
ରଖିଲୁଁ ଅତି ସ୍ନେହାଦରେ,
ଗୋପେନ୍ଦ୍ର, କହିବ କଲ ଉପକାର,
ଯାହା କରିଅଛ ନିଜ ସ୍ୱାର୍ଥପାଇଁ
ନ ଥିଲା ଆମ୍ଭ ଦରକାର ।

ତୁମ୍ଭର ଆଗରେ ତୁମ୍ଭର ପରାଏ
ମୂଷଳମାନ ଥିଲେ ଆସି,
କୋପନ ସ୍ୱଭାବ ହେଲେହେଁ ଆମ୍ଭର
ସମସ୍ତ ଥିଲେ ନାହିଁ ଗ୍ରାସି;
କରି ସେ, ନ ଥିଲେ ବସନ ହରଣ,
ଦୁରୁପଦ ସୁତା ଚିନ୍ତି କାର ପାଶ
କରି ନଥିଲେ ସେ ପ୍ରେରଣ ।

ଅନ୍ନର ମହିମା

ଯାହାକୁ ଯା' ଅନ୍ନ ସେ ତା' କରେ ଭକ୍ଷଣ
ଅନ୍ନ ବିନା ନ ହୁଏ ଶରୀର ରକ୍ଷଣ
ଅନ୍ନ ଏକା ଅଟଇ ବିଶ୍ୱ ମୂଳାଧାର
ଏକ ବାକ୍ୟେ ସମସ୍ତେ ଗାଅ ହେ ଅନ୍ନର
ଜୟକାର ହେ ।।

ଅନ୍ନ ଘେନି ଜ୍ଞାନ ଯେ ଅନ୍ନ ଘେନି ଧ୍ୟାନ
ଅନ୍ନ ଘେନି ମହତ୍ତ୍ୱ ଅନ୍ନ ଘେନି ମାନ
ବିଦ୍ୟା ବୁଦ୍ଧି ଅନ୍ନରେ ଅନ୍ନରେ ବିଜ୍ଞାନ
ଅନ୍ନ ନାହିଁ ଯହିଁରେ ମହୀରେ ସେ ଏକା
ମରୁସ୍ଥାନ ହେ ।।

କୃଷକର ଆତ୍ମକଥା

ଚଷା କହେ ଖେଳି ମୁଁ ନ ଜାଣଇ ପଶା
ତହିଁ ପାଇଁ କେତେ ବା ଶୁଣେ ଲୋକହସା
ପଶା ଖେଳି ଯା' ହେଲା ପାଣ୍ଡବଙ୍କ ଦଶା
ସେହି କଥା ସୁମରି ନ ମରି ଉଡ଼ି ମୋ
ଯାଏ ହଂସା ହେ ।।

ପଶା ଖେଳି ସଉକେ ବସି ବାବୁମାନେ
ଟେକୁଛନ୍ତି ରାଜ୍ୟକୁ ସ୍ୱରଗ ସମାନେ
ନ ଜାଣି ମୁଁ ପଇଲେ ବୋଲେ ପରା ଦଶ
ସବୁ ଜାଣି ବାବୁଏ ପଶାରେ କିଣନ୍ତି
ମହାଯଶ ହେ ।।

ଟାଣିଥାନ୍ତି ପଶାରେ ଅପସରା ମନ
କେବେ ସୁରାଳୟକୁ କରନ୍ତି ଗମନ
ଚଷା ଛାର କେମନ୍ତେ ବୁଝିବି ସେ ମିଠା
କାମ କରେଁ ଖରାରେ ଧରାରେ, ଖାଇଣ
ପୋଡ଼ପିଠା ହେ ।।

ଧାନଚାଷ

ଜଗତରେ ଦୁର୍ଲ୍ଲଭ ଅମୂଲ୍ୟ ସମୟ
ସମୟକୁ ଜଗିଲେ ସବୁଠାରୁ ଜୟ
ସମୟକୁ ଯେ ଲୋକ କରେ ଅବହେଳା
ଏ ସଂସାର-ସାଗର-ତରଙ୍ଗେ ବୁଡ଼ାଏ
କର୍ମଭେଳା ହେ ।।

ସମୟରେ ଶୟନ ସମୟେ ଭୋଜନ
ସମୟରେ କର୍ମ ଯେ ସମୟେ ଅର୍ଜ୍ଜନ
ବିତିଗଲେ ସମୟ ସବୁ ହୁଏ ହାନି
ଏଣୁ ଜଗି ସମୟ ସକଳ ସମ୍ପାଦି
ଥାଏ ଜ୍ଞାନୀ ହେ ।।

ସମୟରେ ଭୂମିକି କରିଥିବ ଚାଷ
ସମୟରେ ନିର୍ମାଣ କରିଥିବ ବାସ
କରିଥିଲେ ସମୟେ ସବୁ ଆୟୋଜନ
କର୍ମେ ସିଦ୍ଧି ସୁଫଳ ସୁଯଶ ଲଭନ୍ତି
ସର୍ବଜନ ହେ ।।

କପା

ସବୁ ଚାଷ ସମାନ ଏକା କପା ଚାଷ
କପା ବିନା ଲୋକଙ୍କୁ ନ ମିଳଇ ବାସ
ଖାଦ୍ୟ ବିନା ମାନବ ଦୁଇ ଚାରି ଦିନ
ବଞ୍ଚିପାରେ, ନ ପାରେ ମୁହୂର୍ତ୍ତେ ହୋଇ
ସେ ବାସହୀନ ହେ ।।

ଭାରତକୁ କାର୍ପାସ୍‍ ପଳାଇଛି ଛାଡ଼ି
ନ ପାରିଲା ଦେଇ ସେ ବିଦେଶକୁ ଧାଡ଼ି
କପାଚାଷ ସ୍ୱଦେଶେ ନ ପାରିଲେ କରି
ଭାବି ଦେଖ ଭାଇ ହେ ସମୟେ ହେବ ତ
ପଶୁ ସରି ହେ ।।

ହୁଏ ଯଦି "ଈଶ୍ୱର ନ କରନ୍ତୁ ତାହା"
ଜର୍ମାନୀର ଉତ୍ପାତେ ଘଟିଅଛି ଯାହା
ତହୁଁ ବଳି ଆସିବ ଭୀଷଣ ବିପଦ
ବିଦେଶର ଜାହାଜ ହୋଇଯିବ ବନ୍ଦ
ମିଳିବ କି ଭାରତନିବାସୀଙ୍କ ବାସ
କେତେ ଦିନ ବଞ୍ଚିବ ଅନ୍ଧାର କୋଣରେ
କରି ବାସ ହେ ।।

ଶିକ୍ଷିତ, ଅଶିକ୍ଷିତ ଓ ଶିକ୍ଷାଭିମାନୀ

ପୃଥିବୀରେ ତିିନି ଶ୍ରେଣୀର ମନୁଷ୍ୟ ଦେଖାଯାଆନ୍ତି- ଶିକ୍ଷିତ, ଅଶିକ୍ଷିତ ଓ ଶିକ୍ଷାଭିମାନୀ । ଶିକ୍ଷିତ ବ୍ୟକ୍ତି ମନୁଷ୍ୟ ପଦବାଚ୍ୟ । ଶିକ୍ଷିତ ବ୍ୟକ୍ତି ସତ୍‍କର୍ମରେ ନିରତ ଥାଇ ସତ୍‍ସଙ୍ଗରେ ଓ ସଦାଳାପରେ ପବିତ୍ର ଭାବରେ ଜୀବନଯାତ୍ରା ନିର୍ବାହ କରନ୍ତି; ଅତୀତ କାଳର ଘଟନାବଳୀ, ଦେଶ ବିଦେଶର ରୀତିନୀତି ଓ ଜଗତର ନିୟମମାନ ଅବଗତ ହୋଇ ସ୍ୱଦେଶ ସହିତ ଜଗତର ଉନ୍ନତି ଚେଷ୍ଟାରେ ସତତ ଚିନ୍ତିତ ଥାଆନ୍ତି । ତାଙ୍କ ଚକ୍ଷୁରେ ପୁଣ୍ୟପଥର ଆପାତ କଷ୍ଟଦାୟକ ଦୂରତ୍ୱ ଏବଂ ଦୂରସ୍ଥିତ ସୁରମ୍ୟ ସୋପାନ ବିଶିଷ୍ଟ ମନୋହର ସୁଖମନ୍ଦିର ଆଉ ପାପପଥର ନିକଟସ୍ଥ କୋମଳ ସୁଖଶଯ୍ୟା ଓ ତଦନ୍ତରାଳସ୍ଥ ଯନ୍ତ୍ରଣା କଣ୍ଟକପୂର୍ଣ୍ଣ ଦୁଃଖାରଣ୍ୟ ଦୃଶ୍ୟ ହେଉଥାଏ । ସେ ସ୍ୱର୍ଗୀୟ ବୀରମାନଙ୍କର ଥରେ ଭୟଙ୍କର ସଂହାର ରୂପ, ଥରେ ଦୟାମଧୁର ମୋହନମୂର୍ତ୍ତିି ସନ୍ଦର୍ଶନ କରି ବିସ୍ମୟ-ସମ୍ବଳିତ ଭକ୍ତିରସରେ ଅଭିଷିକ୍ତ ହେଉଥାନ୍ତି । ଭାରତୀଙ୍କର ବୀଣା ଝଙ୍କାର ମିଶ୍ରିତ ଅମିୟ ସଂଗୀତ ଶ୍ରବଣ କରି ଆତ୍ମାକୁ ପବିତ୍ର ଓ ହୃଦୟକୁ ଆନନ୍ଦପୂର୍ଣ୍ଣ କରୁଥାନ୍ତି । ମଙ୍ଗଳମୟ ପରମେଶ୍ୱରଙ୍କ ମଙ୍ଗଳାଭିପ୍ରାୟ ଓ ପ୍ରକୃତ ଧର୍ମତତ୍ତ୍ୱ ଅବଗତ ହୋଇ ପବିତ୍ର ଧର୍ମ ଅବଲମ୍ବରେ ଜଗଦୀଶ୍ୱରଙ୍କ ପ୍ରସାଦ ଲାଭ କରି ପୁଲକିତ ହେଉଥାନ୍ତି । ତାହାଙ୍କ ହୃଦୟ ଶ୍ରଦ୍ଧା, ଭକ୍ତି, ଦୟା, କ୍ଷମାଦି ଦେବକନ୍ୟାଗଣର ବିହାରଭୂମି । ତାଙ୍କ ମତରେ ଶିକ୍ଷା ବିଦ୍ୟାଳୟରେ ଶେଷ ହୁଏ ନାହିଁ; ଶିକ୍ଷା ମନୁଷ୍ୟର ଜୀବନବ୍ୟାପୀ ମହାବ୍ରତ । ଜଗତ ଶିକ୍ଷାଳୟ ଓ ପ୍ରକୃତି ନିତ୍ୟ ପଠନୀୟ ବିରାଟ ଗ୍ରନ୍ଥ । ପୃଥିବୀ ଅପେକ୍ଷା ଲକ୍ଷଗୁଣାଧିକ ଅଚିନ୍ତ୍ୟନୀୟ ବେଗଗାମୀ ଗ୍ରହାଦିଠାରୁ ବାଳଭାନୁ- କିରଣୋଦ୍ଭାସିତ ପରମାଣୁ ପର୍ଯ୍ୟନ୍ତ ଆଲୋଚନାର ବିଷୟ । ମାନବର ପୂର୍ଣ୍ଣ ପରମାୟୁ ବିଂଶାଧିକ ଶତବର୍ଷ ଶିକ୍ଷାର ପ୍ରତୁଳ ସମୟ ନୁହେଁ, ଆଜୀବନ ଯାହା କିଛି ଶିକ୍ଷା ଓ ଜ୍ଞାନଲାଭ ହୋଇପାରେ ତହିଁରେ ହିଁ ଜୀବନର ସାର୍ଥକତା ସାଧନ କରିବା ମାନବର ପ୍ରଧାନ କର୍ତ୍ତବ୍ୟ । ସାହିତ୍ୟ-ସେବା ତାଙ୍କର ପ୍ରିୟ ବ୍ରତ ।

ସାହିତ୍ୟାନୁରାଗ ଈଶ୍ୱରଦତ୍ତ ପଦାର୍ଥ ଓ ଛାୟାତୁଲ୍ୟ ଜୀବନର ଚିର ସହଚର । ସାହିତ୍ୟାନୁରାଗ ବୃତ୍ତୀଶ୍ୱରମାନଙ୍କର ଜୀବନରେ ବାଞ୍ଛନୀୟ; କିନ୍ତୁ ଜଗଦୀଶ୍ୱର ପାତ୍ରାପାତ୍ର ବିବେଚନା ନ କରି ବ୍ୟକ୍ତିବିଶେଷକୁ ତାହା ପ୍ରଦାନ କରିଥାନ୍ତି । ଶିକ୍ଷିତ ମଧ୍ୟରୁ ପ୍ରକୃତ ଜ୍ଞାନୀ ଅତି ଅଳ୍ପ । ଜ୍ଞାନୀ ଜ୍ଞାନକୁ କୋହିନୂର ଅପେକ୍ଷା ଅଧିକ ମୂଲ୍ୟବାନ ବୋଧ କରନ୍ତି । ସେ ଜ୍ଞାନାଲୋକରେ ଜଗତ ଆଲୋକମୟ ଦେଖନ୍ତି । ଜଳଦାଚ୍ଛନ୍ନ ତମୋମୟୀ ରଜନୀର ଅସୂଚିଭେଦ୍ୟ ତିମିରରାଶି ତାଙ୍କର ଦୃଷ୍ଟି ରୋଧ କରିପାରେ ନାହିଁ; ବରଂ ବିଚିତ୍ର ବିଚିତ୍ର ଦୃଶ୍ୟ ତାଙ୍କ ସମକ୍ଷରେ ଉପସ୍ଥିତ କରି ଚିତ୍ତରଞ୍ଜନ କରେ । ଜ୍ଞାନୀ ଜ୍ଞାନରଥରେ ଆରୋହଣ କରି ନିମିଷେ ମଧ୍ୟରେ ବ୍ରହ୍ମାଣ୍ଡ ପର୍ଯ୍ୟଟନରେ ସମର୍ଥ ହୁଅନ୍ତି । ତାଙ୍କ ହୃଦୟତୁଲ୍ୟ ଉଚ୍ଚ, ସାଗରତୁଲ୍ୟ ପ୍ରଶସ୍ତ ଓ ଗଭୀର । ତହିଁରେ ବହୁମୂଲ୍ୟ ରତ୍ନରାଜି ପୂର୍ଣ୍ଣ ହୋଇଥାନ୍ତି । ସେହି ରତ୍ନନିଚୟ ଯେ ଯେତେ ସଂଗ୍ରହ କରିପାରେ, ସେ ତାହା ଦେବାକୁ ପ୍ରସ୍ତୁତ; କିନ୍ତୁ ସଂଗ୍ରାହକ ଅତି ଦୁର୍ଲ୍ଲଭ । ଜ୍ଞାନୀ ସ୍ୱ-ଗୁଣ-ପ୍ରକାଶରେ ଯେପରି ସଂକୁଚିତ ହୁଅନ୍ତି, ପର-ପ୍ରଶଂସାରେ ସେହିପରି ପ୍ରଫୁଲ୍ଲ ହୁଅନ୍ତି । ତାଙ୍କର ଚକ୍ଷୁ ଅବିକୃତ ଜ୍ଞାନାଞ୍ଜନରେ ପରିଷ୍କୃତ । ସେ ଗୋଟିଏ ପୁଷ୍ପର ସୌନ୍ଦର୍ଯ୍ୟ ଓ ସୌରଭରେ ଯେପରି ସଂପ୍ରୀତ ହୁଅନ୍ତି, ଜଣେ ରତ୍ନାଳଙ୍କାରମଣ୍ଡିତ ଅତର-ସୁବାସିତ ରାଜାଙ୍କର ସୌନ୍ଦର୍ଯ୍ୟରେ ତହିଁର ଶତାଂଶ ପ୍ରୀତିଲାଭ କରିପାରନ୍ତି ନାହିଁ । ଅଥୈକ ଦୃକ୍‍ପଦୈକ ଦୃକ୍‍ସ୍ୱାର୍ଥପର ସଂସାରକୁ ସେ ବଡ଼ ବିଷମବୋଧ କରନ୍ତି ।

ଅଶିକ୍ଷିତ ବ୍ୟକ୍ତି ପଶୁତୁଲ୍ୟ ନିକୃଷ୍ଟ କାର୍ଯ୍ୟରେ, ନିକୃଷ୍ଟ ସଙ୍ଗରେ, ନିକୃଷ୍ଟ ଭାବରେ କାଳହରଣ କରେ । ସେ ବର୍ତ୍ତମାନକାଳର ସ୍ୱଦେଶର ରୀତିନୀତି ସୁଦ୍ଧା ଅବଗତ ହେବାକୁ ଅକ୍ଷମ । ଶାରୀରିକ ପରିଶ୍ରମ, ଭୋଜନ ଓ ନିଦ୍ରା ତାହାର ପ୍ରଧାନ କାର୍ଯ୍ୟ । ତାହାର ଦୃଷ୍ଟି ଯେତିକି ଦୂର ଯାଏ, ସେ ତାହା ଜଗତର ଶେଷସୀମା ବୋଲି ବିଚାର କରେ । ସେ ନିନ୍ଦା-ପ୍ରଶଂସାଜ୍ଞାନବର୍ଜିତ ହୋଇ ନିଜର ସୁବିଧା ଅନୁସାରେ କାର୍ଯ୍ୟ କରିବାରେ ଅକୁଣ୍ଠିତ । କୁତ୍ସିତ ଅଶ୍ଳୀଳ ଗାନ ତାହାର ପ୍ରାଣହର ସଂଗୀତ । ଗ୍ରାମ୍ୟ ଗୀତାବଳୀ ତାହାର ପ୍ରଧାନ ସାହିତ୍ୟ । ଅତି ଜଘନ୍ୟ ବେଶ୍ୟାନୃତ୍ୟାଦି ତାହାର ପ୍ରଧାନ ଦର୍ଶନୀୟ, ଦ୍ୟୁତକ୍ରୀଡ଼ା ପ୍ରଧାନ ଆମୋଦ । ତାହାର ହୃଦୟ ଅରଣ୍ୟ ତୁଲ୍ୟ ଦୁର୍ଗମ, କାମକ୍ରୋଧାଦି ଶ୍ୱାପଦସଂକୁଳ । ତାହାର ଚକ୍ଷୁ ଚିରବିକୃତ । ସେହି ଚକ୍ଷୁରେ ହୀରା ଜିରା ସମାନ ପ୍ରତୀୟମାନ ହୁଏ ।

ଶିକ୍ଷାଭିମାନୀ ସତ୍‍ସଙ୍ଗ ଓ ସତ୍‍କାର୍ଯ୍ୟର ଛଳମାତ୍ର କରି, ଅସତ୍‍ ସଙ୍ଗ ଓ ଅସତ୍‍ କାର୍ଯ୍ୟରେ ଆସକ୍ତ ଥାଇ ଜୀବିକା ନିର୍ବାହ କରେ । ବିଷ୍ଣୁନାମ ଜପଛଳରେ କୂଟ ମନ୍ତ୍ରଣା କରେ । ଦୁଇ-ଚାରିଟା ଶ୍ଳୋକ କଣ୍ଠସ୍ଥ କରି ଖଣ୍ଡିଏ ବୃହଦାକାର ପୁସ୍ତକ ଧରି ଜଗତକୁ ପ୍ରତାରଣା କରିବା ତାହାର ଜୀବନ ବ୍ରତ । ତିିନି-ଚାରିଟା ଦୁର୍ବୋଧ୍ୟ ଶ୍ଳୋକରେ ସେ ଜଗଜ୍ଜୟ କରିବାକୁ ବସିଥାଏ । ଧନୀମାନଙ୍କର ଅଯଥା ପ୍ରଶଂସାଗାନରେ ସେ ଚିରାଭ୍ୟସ୍ତ । ସେ ପର-ପ୍ରଶଂସାରେ ଯେପରି କ୍ଷୁବ୍ଧ, ନିଜ ପ୍ରଶଂସାରେ ସେପରି ପ୍ରଫୁଲ୍ଲ ହୋଇଥାଏ । ଅନ୍ୟଦ୍ୱାରା ପ୍ରଶଂସିତ ହେବାକୁ ଅପେକ୍ଷା ନ କରି ନିଜେ ନିଜର ପ୍ରଶଂସା କରି ସୁଖୀ ହେଉଥାଏ; ଅନ୍ୟକୁ ନାନା ଧର୍ମପଥ ଦେଖାଇ ନିଜେ ଘୋର ପାପାଚରଣରେ ପ୍ରବୃତ୍ତ ଥାଏ । ତାହାର ହୃଦୟ ମିଥ୍ୟା, କପଟତା, କୁଟିଳତାଦି ରାକ୍ଷସଗଣର ପ୍ରିୟ ନିବାସ । ତାହା ମତରେ ତାହାରି ଗୃହରେ ଜଗତର ଦୁର୍ଲ୍ଲଭ ଗ୍ରନ୍ଥ ସୁରକ୍ଷିତ, ତ୍ରିକାଳଘଟନାବଳୀ ତାହାର କରପଦ୍ମରେ, ତାହାର ପିତା ପୃଥିବୀର ଅଦ୍ୱିତୀୟ ପଣ୍ଡିତ, ତାହାର ପିତାମହର କଣ୍ଠରେ ସରସ୍ୱତୀ ନୃତ୍ୟ କରୁଥିଲେ । ଆଉ ଏକ ଶ୍ରେଣୀର ଶିକ୍ଷାଭିମାନୀଙ୍କ ମତରେ କୌଣସି ପ୍ରକାର ବିଦ୍ୟାଳୟର ସାର୍ଟିଫିକେଟ ଖଣ୍ଡିଏ ପାଇପାରିଲେ ଶିକ୍ଷା ଶେଷ, ପରିଚ୍ଛଦାଡ଼ମ୍ବର ଶିକ୍ଷାର ନିଦର୍ଶନ, ତିିନି-ଚାରି ଭାଷାର ମିଶ୍ରଣରେ କଥା କହିବି, ମଦ୍ୟ-ମାଂସାଦିଯୁକ୍ତ ସାହେବୀ ଭୋଜି ପ୍ରଧାନ ସଭ୍ୟତା । ଏମାନେ ଆପଣାକୁ ଜଗତ୍‍ ଅପେକ୍ଷା ମୂଲ୍ୟବାନ ବୋଧ କରନ୍ତି, ନିମିଷେ ମଧ୍ୟରେ ସର୍ବସଂସାର ଗ୍ରାସ କରିବାକୁ ସାହସ କରିଥାନ୍ତି । ଏମାନଙ୍କ ହୃଦୟ ଖର୍ଜୁର ପାଦପ ତୁଲ୍ୟ ପ୍ରାଶସ୍ତ୍ୟହୀନ ଉଚ୍ଚ, ଆପାଦମସ୍ତକ ବିଷମ, ଜ୍ଞାନ ଖର୍ଜୁର ଫଳ ତୁଲ୍ୟ ବାହ୍ୟଭାଗ ସୁନ୍ଦର, ଅଭ୍ୟନ୍ତର ପାଷାଣବତ୍‍ କଠିନ । ସ୍ୱାର୍ଥ ସାଧନ ଏମାନଙ୍କର ପ୍ରଧାନ ଦୀକ୍ଷା । ସ୍ୱାର୍ଥସାଧନ ବନ୍ଧୁତାର ଉଦ୍ଦେଶ୍ୟ । ଶିକ୍ଷାଗୌରବ କେବଳ ଜ୍ଞାନୀର ଅନୁଭବନୀୟ । ତାହା ଅଶିକ୍ଷିତ ଓ ଶିକ୍ଷାଭିମାନୀର ଅନୁଭବବର୍ତ୍ମରେ ଆବିର୍ଭୂତ ହେବାର ବସ୍ତୁ ନୁହେଁ । ଜ୍ଞାନୀ ସାମାନ୍ୟ ଦରିଦ୍ରଠାରୁ ଅତୁଳ ଐଶ୍ୱର୍ଯ୍ୟଶାଳୀ ସମ୍ରାଟ ପର୍ଯ୍ୟନ୍ତ ସମସ୍ତଙ୍କର ବିଷୟ ସମାଲୋଚନା କରିବାକୁ କ୍ଷମ । ପ୍ରକୃତିଦେବୀ ସମାଲୋଚିତ ହେବା ନିମନ୍ତେ ଜ୍ଞାନୀ ସମକ୍ଷରେ ଆପଣା ବିଚିତ୍ର ଲୀଳା ଓ ପରମ ସୌନ୍ଦର୍ଯ୍ୟ ପ୍ରକାଶ କରୁଥାଆନ୍ତି । ଅଶିକ୍ଷିତ ବ୍ୟକ୍ତି ତାହା ଦେଖି ସୁଦ୍ଧା ଦେଖି ପାରେ ନାହିଁ । ଶିକ୍ଷାଭିମାନୀ ତହିଁର ଛାୟା ସୁଦ୍ଧା ଦେଖିବାକୁ ଅସମର୍ଥ ।

ଏହା କି ପୃଥିବୀର ଶବ୍ଦ ?

ବାୟୁପୂର୍ଣ୍ଣ ଶୂନ୍ୟପଥରେ କୌଣସି ପଦାର୍ଥର ବ୍ୟଗ୍ରଗତି ହେଲେ ତହିଁର ଗୋଟିଏ ଶବ୍ଦ ହୁଏ । ଗୋଟିଏ ପକ୍ଷୀ ବ୍ୟଗ୍ରଗତିରେ ଉଡ଼ିଲେ, ଖଣ୍ଡିଏ ଲୋଷ୍ଟ୍ର ସବଳେ ନିକ୍ଷିପ୍ତ ହେଲେ, ତହିଁର ଗୋଟିଏ ଶବ୍ଦ ହୁଏ । ଚଳିତ ବା ଚାଳିତ ପଦାର୍ଥ ଯେତେ ବଡ଼ ଥାଏ, ତହିଁର ଶବ୍ଦ ତେତେ ଅଧିକ ହୁଏ । ୨୫୦୦୦ ମାଇଲ ପରିଧିବିଶିଷ୍ଟ ପ୍ରକାଣ୍ଡ ପୃଥିବୀ ଯେ ପ୍ରବଳ ବେଗରେ ଅନନ୍ତ ଆକାଶମାର୍ଗରେ ନିୟତ ଗମନ କରୁଅଛି, ତହିଁର ଶବ୍ଦ କାହିଁ ?

ଏଥିର ଉତ୍ତରରେ ଏକଥା କୁହାଯାଇପାରେ ଯେ, ସମସ୍ତ ଗଗନ ବାୟୁପୂର୍ଣ୍ଣ ନୁହେଁ; କେବଳ ପୃଥିବୀର ପୃଷ୍ଠରେ କେତେକ ଦୂର ବାୟୁ ଅଛି । ବାୟୁହୀନ ଅନନ୍ତବର୍ତ୍ମରେ ପୃଥିବୀର ଗତି ହେଉଥିବାରୁ କୌଣସି ଶବ୍ଦ ହୁଏ ନାହିଁ । ଏଥିରେ ମାନସ ପରିତୃପ୍ତ ହୁଏ ନାହିଁ । ପୁନଶ୍ଚ ପ୍ରଶ୍ନ କରିବାକୁ ହୁଏ କି, ପୃଥିବୀପୃଷ୍ଠସ୍ଥ ଗଭୀର ବାୟୁସାଗର କି ସେହି ପ୍ରକାଣ୍ଡ ବସ୍ତୁର ଅତ୍ୟନ୍ତ ତୀବ୍ରଗତିର କିଛି ମାତ୍ର ଶବ୍ଦ ଜାତ କରିବାକୁ ଯୋଗ୍ୟ ନୁହେଁ ? ଯଦି ପୃଥିବୀର ସେପରି ଶବ୍ଦ ହେଉଥାଆନ୍ତା, ତାହା କି ଆମ୍ଭେମାନେ ଶୁଣିପାରନ୍ତୁ ନାହିଁ ?

କୌଣସି ନିର୍ଜନ ନିସ୍ତବ୍‍ଧ ସ୍ଥାନରେ ଅବା ଜୀବକୋଳାହଳଶୂନ୍ୟ ପ୍ରାନ୍ତରରେ ଏବଂ ସର୍ବଦା ସର୍ବସ୍ଥାନରେ ନିଶୀଥ ସମୟରେ ଯେ ଏକ ନିରବଚ୍ଛିନ 'ସାଇଁ ସାଇଁ' ଶବ୍ଦ ଶ୍ରୁତିପଥରେ ପ୍ରବେଶ କରେ, ସେ ଶବ୍ଦ କାହାର ? ସ୍ଥିର ଭାବରେ ଚିନ୍ତା କରି ଦେଖିଲେ ବୋଧହୁଏ ଯେପରି କୌଣସି ପ୍ରକାଣ୍ଡ ବସ୍ତୁ ଅବିଶ୍ରାନ୍ତ ଚାଲୁଅଛି । ତାହା ପୃଥିବୀର ଶବ୍ଦ ଅନୁମାନ କରି ସଂଶୟହୀନ ଉତ୍ତର ପାଇବା ଆଶାରେ ଏ ବିଷୟରେ ଥରେ ଜଣେ ବିଜ୍ଞ ବନ୍ଧୁଙ୍କୁ ପ୍ରଶ୍ନ କରିଥିଲି । ବନ୍ଧୁବରଙ୍କ ଉତ୍ତରରୁ ଜଣାଗଲା ଯେ, କୌଣସି କୌଣସି ବ୍ୟକ୍ତି ତାହା ପୃଥିବୀର ଶବ୍ଦ ଥିବାର ଅନୁମାନ କରିଥାନ୍ତି; କିନ୍ତୁ ତାହା ମୀମାଂସା ନୁହେଁ, ଅନୁମାନ ମାତ୍ର । ବିଜ୍ଞ ପାଠକଗଣ, ଅନୁମାନ ବହୁ ହୃଦୟଗାମୀ ହେଲେ ମୀମାଂସାତୁଲ୍ୟ ହୋଇଯାଏ । ଅତଏବ ପଚାରେଁ, ଏହା କି ପୃଥିବୀର ଶବ୍ଦ ?

♦♦♦