ଆଶା

ଉଇକିପାଠାଗାର ରୁ
Jump to navigation Jump to search

। । ୧  । ।

ଏ ଭବ ଭୈରବ ବନେ ଶ୍ରାନ୍ତ ଅବସନ୍ନ

ପଥିକ ଏକାକୀ,

ଭ୍ରମଇ ହରାଇ ପଥ ନିରାଶ ବିଷଣ୍ଣ

ଦୁଃଖେ ଡାକି ଡାକି ।

ସର୍ବଗ୍ରାସୀ ଘୋର ମୋହ ଅନ୍ଧାରେ ମଗନ

ଦିଗ ଦିଗନ୍ତର,

ସର୍ବଗ୍ରାସୀ ସ୍ୱାର୍ଥମେଘେ ଆବୃତ ଗଗନ

ଘୋର ଭୟଙ୍କର ।

ଈର୍ଷାର ବିକଟ ହାସ୍ୟ ଚପଳା ସ୍ଫୁରଣ

ଧରଷେ ନୟନ,

କ୍ରୋଧ ଦ୍ୱେଷ ଗରଜନ ଭୟାବହ ଅତି

ରୋଧଇ ଶ୍ରବଣ ।

ହୁହୁ ରବେ ବହେ ପାପ ପ୍ରଳୟ ପବନ

କମ୍ପେ ବସୁମତୀ,

ତ୍ରାସେ ବିକମ୍ପିତ ସ୍ତବ୍ଧ ପାନ୍ଥ ପ୍ରାଣମନ

ନଦିଶଇ ଗତି ।

ମାତୃ ଅଙ୍କ ହରାଇଣ ଶିଶୁ ଅସହାୟ

ଯେସନ ଅନ୍ଧାରେ,

କାନ୍ଦଇ ତେସନ ପାନ୍ଥ ହୋଇ ନିରୁପାୟ

ଆର୍ତ୍ତ ହାହାକାରେ ।

। । ୨ । ।

କାନ୍ଦିଣ ବୋଲଇ, "ମାଗୋ ଜଗତ ଜନନୀ!

ଏ କି ଲୀଳା ତୋର,

କାହିଁକି ଝଟିକାମୟୀ ଏ ଘୋର ଜନନୀ

ଏ ଅରଣ୍ୟ ଘୋର?

କାହିଁ ଛାଡ଼ିଗଲୁ ମାଗୋ! ଏ ଭୀଷଣ ବନେ

ଦୁର୍ବଳ ତନୟେ,

ପଥ ନଜାଣଇ, ନାହିଁ ସାମର୍ଥ୍ୟ ଚରଣେ

ସ୍ତବ୍ଧ ମୁଁ ଭୟେ ।

ଶୈଶବେ ଯୌବନେ ମାଗୋ କି ଉଜ୍ଜ୍ୱଳ ଦୃଷ୍ଟି

ଦେଲୁ ଏ ନୟନେ,

କେମନ୍ତ ଉତ୍ସାହ ପ୍ରୀତି ବିଶ୍ୱାସର ସୃଷ୍ଟି

କଲୁ ଏ ଜୀବନେ ।

ଏବେ ମା ଗୋ ବିଷାଦର ଜୀବନ୍ତ ମରଣେ

କାହିଁକି ଏ ପ୍ରାଣ,

ଏକାନ୍ତ ଅବଶ ଅବସନ୍ନ ଅନୁକ୍ଷଣେ

ହତ ବୁଦ୍ଧି ଜ୍ଞାନ ।

ଏ ମୃତ୍ୟୁ ସଙ୍କଟେ ମାଗୋ! ନରଖିଲେ ତୁହି

ଆଉ କେ ରଖିବ,

କାତରେ ବିକଳେ ଆଜି ଡାକୁଅଛି ମୁହିଁ

ଦୀନ ହୀନ ଜୀବ ।

ଏ ଘୋର ଯନ୍ତ୍ରଣା ଆଉ ନପାରଇ ସହି

ଦେ ମା ଦରଶନ,

ପ୍ରକାଶ ଶ୍ରୀମୁଖ ଜ୍ୟୋତି ଏବେ କୃପା ବହି

ମୁଁ ଯେ ଅକିଞ୍ଚନ ।

। । ୩ । ।

ଏମନ୍ତ ସେ ପାନ୍ଥ ଆହା କାନ୍ଦିଣ କାତରେ

ହୋଇଲା ମୂର୍ଚ୍ଛିତ,

ସହସା ଆକାଶବାଣୀ ତା ହୃଦ କନ୍ଦରେ

ହେଲା ପ୍ରବାହିତ ।

"ଉଠ ବତ୍ସ, ଅଛି ପାଶେ, ନୟନ ଫିଟାଇ

ଦେଖରେ ତୁ ବାରେ,

ଭ୍ରାନ୍ତିବଶେ ମୋର କ୍ରୋଡ଼ ଛାଡ଼ି କହିଁପାଇଁ

କାନ୍ଦୁ ନିରାଶାରେ?

ଦେଖରେ ନୟନ ଫେଡ଼ି ମୋ ନୟନ ପ୍ରଭା

ଆଶା ପ୍ରଭାମୟୀ,

ବିନାଶୀ ତିମିର ରାଶି ବିଶ୍ୱାସ ସୁଲଭା

ବିଶ୍ୱ ଉଜଳଇ ।

। । ୪ । ।

ହୃଦୟର ସ୍ତରେ ସ୍ତରେ ସଞ୍ଚରିଲା କ୍ଷଣେ

ସେ ସ୍ୱର୍ଗ ସଙ୍ଗୀତ,

ଭାଜିଲା ବିଷମ ମୋହ, ଚିତ୍ତ ନବ ପ୍ରାଣେ

ହେଲା ତରଙ୍ଗିତ ।

ନୟନ ଉନ୍ମିଳି ପାନ୍ଥ ଦେଖେ ଆଚମ୍ବିତ

ଅପୂର୍ବ ଦର୍ଶନ,

ନାହିଁ ସେ ଅନ୍ଧାର ଘୋର, ବିଲୁପ୍ତ ଚକିତେ

ସେ ଭୈରବ ବନ ।

ଆଲୋକ ପ୍ରବାହ ଦଶଦିଶେ ଉଛୁଳଇ

ନାଶି ଅନ୍ଧକାର,

ସେ ଆଲୋକ ସୁଧା ପାନେ ପ୍ରାଣେ ଉପୁଜଇ

ଆଶ୍ୱାସ ଅପାର ।

ସହସା ଅଗ୍ରତେ ଉଭା ଦେବୀ ପ୍ରଭାମୟୀ

ସହାସ ମୂରତି,

ବେନି ପାର୍ଶ୍ୱେ ବେନି ସଖୀ ଦିବ୍ୟ ତୋଜୋମୟୀ

କରନ୍ତି ଆରତି ।

ବାଳାର୍କ କିରୀଟ ରୂପ ଉଜଳେ ଭୁବନ

କଜ୍ଜ୍ୱଳ ଚିକୁରେ,

ନିଶାନ୍ତ ତାରକା ବର୍ଷି ପ୍ରଶାନ୍ତ କିରଣ

ନେତ୍ର ଯୁଗେ ସ୍ଫୁରେ ।

ଚରଣେ କିରଣମୟ ଶତଦଳ ଦଳ

ଉଠଇ ବିକଶି,

ସଖୀଏ ନିଅନ୍ତି ତୋଳି ସେହି ଶତଦଳ

ହର୍ଷ ହସି ହସି ।

ମହାଦେବୀ ଦେହପ୍ରଭା ଦିଗାଙ୍ଗନାଙ୍କର

ଜଳଦ ବସନେ,

ଇନ୍ଦ୍ରଧନୁ ବର୍ଣ୍ଣୋତ୍ସବ ସୃଜେ ମନୋହର

ଅନନ୍ତ ଗଗନେ ।

ପାରିଜାତ ପୁଷ୍ପମୟ ଶ୍ରୀଅଙ୍ଗୁ ପ୍ରସରି

ସ୍ୱର୍ଗୀୟ ସୌରଭ,

ସକଳ ସନ୍ତାପ ଶ୍ରାନ୍ତି ଅବସାଦ ହରି

ପୂର୍ଣ୍ଣ କରେ ନଭ ।

ମହାଦେବୀ ଆବିର୍ଭାବେ ସ୍ଥାବର ଜଙ୍ଗମ,

ପୁଲକ ପୂରିତ,

ବିକଶି ଉଠଇ ପୁଷ୍ପ ଗାଏ ବିହଙ୍ଗମ

ଲଳିତ ସଙ୍ଗୀତ ।

ଆନନ୍ଦେ ବିହ୍ୱଳ ପାନ୍ଥ ଭକ୍ତି ପୁଲକିତ

ନମଇ ପୟରେ,

ଆନତ କରନ୍ତେ ଶିର ପ୍ରଭା ଲୋକାତୀତ

ନୟନେ ସଞ୍ଚରେ ।

ସହସା ପ୍ରକାଶେ ମହାଦେବୀ ପଦତଳେ

ସ୍ୱରଗ ତୋରଣ,

କୋଟି ପ୍ରଭାକର ଜିଣି ମହାତେଜୋଜ୍ଜ୍ୱଳେ

ବିଚିତ୍ର ଶୋଭନ ।

ତୋରଣ ଲଲାଟେ ଶୋଭେ ଇନ୍ଦ୍ରଚାପାକାର

ସ୍ୱର୍ଣ୍ଣ ବର୍ଣ୍ଣାବଳୀ,

ଆହା କି ଅମୃତମୟ ଘୋଷଣା ଉଦାର

ବ୍ରହ୍ମାଣ୍ଡ ଉଜ୍ଜ୍ୱଳି -

"ଭକ୍ତ-ପ୍ରୀତି ସହଚରୀ ଆଶା-ଅଧିଷ୍ଠିତ

ଏ ସ୍ୱର୍ଗ ତୋରଣ,

ସଦା ଅବାରିତ-ଦ୍ୱାର ପ୍ରଭା-ବିଭାସିତ

ବିଶ୍ୱ-ବିମୋହନ ।

ଆସ ଆସ ପାପୀ ତାପୀ ଯେ ଅଛ ଜଗତେ

ସେବି ଦେବୀପଦ,

ପ୍ରବେଶ ସ୍ୱରଗ ଧାମେ ଭୁଞ୍ଜରେ ସନ୍ତତେ

ଅମୃତ ସମ୍ପଦ ।

। । ୫  । ।

ଆବର ଦେଖଇ ପାନ୍ଥ ବେଢ଼ି ଚଉପାଶେ

ସ୍ୱର୍ଣ୍ଣବୀଣା କରେ,

ଜ୍ୟୋତିର୍ମୟ ଦେବଦଳ ଗାଆନ୍ତି ଉଲ୍ଲାସେ

ମହା ପ୍ରେମ ଭରେ ।

"ଜୟ ଜଗଦମ୍ବା ନେତ୍ର-ପ୍ରଭା ମୂର୍ତ୍ତିମତୀ

ଆଶା ପ୍ରଭାମୟୀ,

ବ୍ରହ୍ମାଣ୍ଡ ପାବନି ମାତଃ ଜୟ ଭଗବତୀ

ଜୟ ପୁଣ୍ୟମୟି!

ବାଜଇ ଅମୃତ ବୀଣା ଅମୃତ ଝଙ୍କାରେ

ବହି ଜୟଧ୍ୱନି,

ଗମ୍ଭୀରେ ଧ୍ୱନିତ ସେହି ଜୟଜୟକାରେ

ଆକାଶ ଅବନୀ ।