ଆଶା ତମସା/ଅବଶିଷ୍ଟାଂଶ

ଉଇକିପାଠାଗାର ରୁ
Jump to navigation Jump to search
ଆଶା ତମସା ଲେଖକ/କବି: ରବି କାନୁନ୍‌ଗୋ
ଅବଶିଷ୍ଠାଂଶ
ହାବିଲଦାର ହରି ସାହୁ ଓ କନେଷ୍ଟବଳ ଡାନିଏଲ ଲାକ୍ରା ଥାନା ବାହାରେ ଗଛମୂଳେ ବସିଥାନ୍ତି । ତିଶ୍ରା ଥାନାକୁ ଘେରି ରହିଛି ବିରାଟ ଜଙ୍ଗଲ । ଯଦି ଥାନା ନ ହୋଇଥା’ନ୍ତା, ଏରିଆଟା ସତେଏକା କୁଞ୍ଜବନ ପରିକା । ସାହୁ କହିଲେ, “ଗରମରେ ଖାଲି ଦେହ ନୁହଁ, ହ୍ୟାପ ଆତ୍ମା ବି ତାତି ଯାଉଚି । ଓହୋ, ଏବେ ଘଣ୍ଟାଏଖଣ୍ଡେ ଯେମିତି ଗଜଗଜ ବର୍ଷା ହେଲା ଲାଗୁଛି ଆଉ ସତେ କି ମୋଟେ ଗରମ ହବନି । କୋଉ ବିଶ୍ୱାସ । ୟେ ଶଳା ଖରା ବର୍ଷା ବି ପୁଲିସ ଡିପାର୍ଟମେଣ୍ଟ ଭଳିଆ । ବୋହି ଯାଉଚି ପାଣି କାହିଁରେ କେତେ, ତେଣେ ଗରମରେ କୋତେଇ ନାଇଁ । ନା କ’ଣ କଉନୁ?”

“ହଁ ଭାଇ, ସେଇଆ ନୁହଁ ତ କ’ଣ । ଭାଗ୍ୟ ଖରାପ । କି ଏସ.ପି.ଟା ଆସିଚି ଯେ ଯାହା କରୁଚି ତ ଦେଖୁଚ । ସତେ ଯେମିତି ମାଓବାଦୀ ଖତମ୍ ହେଇଯିବେ ।” କନେଷ୍ଟେବଳ ଲାକ୍ରା ଏ କଥା କହିଲାବେଳେ ଟିକେ ଆଗପଛ ଅନେଇ ଦେଲେ ।

ଲାକ୍ରାଙ୍କର ପ୍ରେମଗିରିରୁ ବଦଳି ହୋଇ ପୋଷ୍ଟିଙ୍ଗ୍ ହେଲା ମାଓବାଦୀ ଇଲାକାକୁ । ବିଭାଗର ଏହିପରି ଯୋଜନା ଥିଲା । ହବ ହବ ବୋଲି ଡେରି ହେଲା ଯାହା । ତାଙ୍କର ଢ଼େର ଦୁଃଖ । ପ୍ରେମଗିରି ଭଲ ଯାଗା ବୋଲି ସେ ଆଗରୁ କେବେ ମୁହଁ ଖୋଲି କହି ନ ଥିଲେ । ବାଜେ ଥାନା, ଲୋକଗୁଡାକ ଧୂମ୍ ଟାଉଟର, ସବୁ କଥାରେ ରାଜନୀତି । ଏମିତି ଯେତେ ସମ୍ଭବ, ଉପସ୍ଥିତ ପୋଷ୍ଟିଙ୍ଗ୍କି ପୁଲିସବାଲା ସବୁବେଳେ ଗାଳି ଦିଅନ୍ତି । ସେ ସେଇଆ କରୁଥିଲେ । ଜାଗାର ମହିମା କେବଳ ସେଠୁ ବଦଳି ହେଲାପରେ ହିଁ କୁହାଯାଏ । ଏବେ ସେଇ କଥାକୁ ସେ ଓଲଟାଇ କହନ୍ତି – ଯେତେ ଖରାପ ଜାଗା ହେଲେ ବି ସେ ବୋଲି ସିନା ଚଳେଇ ପାରୁଥିଲା । ତାକୁ ବଦଳି କରାଗଲା କାହିଁକି? ଯଦି ହେଲା, ତିଶ୍ରା କାହିଁକି? ସେ ଆହୁରି ତିନି ଚାରି ଜଣଙ୍କ ନାଁ କହୁଥା’ନ୍ତି । ତାଙ୍କ ସାଙ୍ଗରେ ଆସି ପୁଣି ସେମାନେ ଟାଉନ ଥାନା, ଡି.ଆଇ.ବି. ଅଫିସ କି ଏ.ପି.ଆର. ପୋଷ୍ଟିଙ୍ଗ ପାଇଲେ କେମିତି? କ’ଣ ନା – କିଏ ଭଲ ନାଟକ କରୁଚି, କିଏ ଭଲ ବ୍ୟାଣ୍ଡ ବଜୋଉଚି, କିଏ ଭଲ ଇଂଲିଶ୍ ଲେଖି ପାରୁଚି । ଏମିତିଆ ପୁଳେ ବାହାନା ।

ଲାକ୍ରା କହିଲେ, “ଇଏ କ’ଣ ସବୁ ପୁଲିସ କାମ?” ତାଙ୍କ ହୁନ୍ଦରଗହ ଘର ତିଆରି କାମ ସରି ଆସିଥିଲା । ବାକି ରହିଚି ଖାଲି ଫିନିସିଙ୍ଗ୍ ଆଉ ସାନିଟାରି ଫିଟିଙ୍ଗ୍ । ଏବେ କାମ ବନ୍ଦ । “ଆଉ କ’ଣ କରିବା? କହିଲ ସାହୁ ଭାଇ, କିଏ ଘର ନ କରିଛି? ଗତ ବର୍ଷ ଆର.ଆଇ. ଚନ୍ଦରା ମଳିକର ଟ୍ରାନ୍ସଫର ହେଲା । ସେ ଘର କରୁଚି କହି ଟ୍ରାନ୍ସଫର ଅଟକେଇ ଦେଲା । କାଇଁ, କ’ଣ ସେତେବେଳେ ମାଓବାଦୀ କଥା ନ ଥିଲା କି? ତମେ ତା ଘର ଦେଖିଚ? କୋଉ ରାଜା ମହାର୍ଜାଙ୍କ ଘର ଏମିତି ହବନି । ପ୍ରେମଗିରି ଜଙ୍ଗଲରୁ ଖାଲି ପୁଲିସ ଟ୍ରକରେ କାଠ ବୋହିଲା । ଆମେ କବାଟ ଝରକା କରିବାକୁ କାଠ ଦି ଖଣ୍ଡ ପାଉନୁ, ତା ଘର କାନ୍ଥ ତମାମ ସାଗୁଆନ ପ୍ୟାନେଲ । ଘର ପ୍ରତିଷ୍ଠାରେ ପୁଣି ପାଞ୍ଚପାଞ୍ଚ ଡି.ଆଇ.ଜି, ଏସ.ପି. ଖାଇବାକୁ ଯାଇଥିଲେ । କେହି ଦେଖି ପାରିଲେନି? ନାଇଁ । ହଜୁରମାନେ, ତୁମେ ବେଶି ପଢ଼ିଚ, ବଡ ଅଫିସର ହେଇଚ । ଆମକୁ ଆଦିବାସୀ ଭାବି ୟାଡୁ ସାଡୁ କହି ଠକିବ । ମୁଁ ତ ପୁଲିସରେ ଚାକିରି କରିବାକୁ ଆସିଥିଲି । ନାଚ ସୁଆଙ୍ଗ କି ଢ଼ୋଲ ବଜା କାଇଁ ଶିଖିଥାନ୍ତି? କହୁନା ସାହୁ ଭାଇ, ମାଓବାଦୀ କ’ର ଭୁଲ କରୁଛନ୍ତି?”

ହରି ସାହୁଙ୍କ ଦୁଃଖ ଆଉ ପ୍ରକାରେ । ସିଏ କହିଲେ, “ଯାଉନୁ, ଗାଲ ଚିପିଲେ ଦୁଧ ବାହରିବ । କି ପାଠ ମ? ଚାକିରିରେ ବୁଦ୍ଧି ଦରକାର । ପାଠ ଯାହା ହେଲେ ବି ଚଳିବ । ପ୍ରଖର ଦାସ । ଏଇଠି ଯିଏ କ୍ରାଇମ୍ ଡି.ଏସ୍.ପି ଥେଲା? ଯିଏ ପେଙ୍କାନାଳ ଟ୍ରାନ୍ସଫର ହେଲା ମ । ସିଏ ମୋ ସାଙ୍ଗରେ ଇସ୍କୁଲରେ ପଢ଼ୁଥେଲା । ଜାଣିଚୁ, ସେ ମାଟ୍ରିକ ଛଡା କୋଉ ପରୀକ୍ଷାରେ ପୂରା ପାଶ୍ କରିନି । ମାଟ୍ରିକ ବି ଦି ଥରରେ । ପୁଣି ଥାର୍ଡ ଡିଭିଜନ । ରିଟାଏଡ୍ ବେଳକୁ ସିଏ କ’ଣ କମ୍ସେକମ୍ ଏସ.ପି ହବନି କି? ତୁ କି ପାଠ ଦେଖୋଉଚୁ ବା?”

ଏତେ ପ୍ରସଙ୍ଗରୁ ଉପସ୍ଥିତ କାଳରେ ସବୁଠୁଁ ଅଧିକ ତାତ କାଟୁଥିବା ଟ୍ରାନ୍ସଫର କଥାଟିକୁ ଖିଅ ଧରି ଲାକ୍ରା କହିଲେ, “ତମ କଥା ତାଙ୍କୁ କହିଲନି?” “ୟେ ଯ୍ୟାଉନୁ ।” ସାହୁ ତାସôଲ୍ୟ ସ୍ୱରରେ ବାକ୍ୟ ଟିକୁ ଟାଣି ଟାଣି ଶେଷ କଲେ । “କହିଥିଲି ଯେ.... ମୋ ଦାନାପାଣି କାହାଘରେ, ର୍ମୁ ହଳେଇ ହେବି ତୋ ବାହାଘରେ? ଇରେ ଦେଖୁଚୁ ପରା ସିଏ ନିଜକୁ ଦକ୍ଷା କରି ପାରିଲାନି । କାଉରକେଲାରେ ତା ଘର ତିଆରି ଅଧା । ସିଏ ଗଲା । ହେଲେ କ’ଣ କି, ସିଏ ଅଫିସର ଲୋକ ତ । ଘର କାମ ସାରି ଦବ । ରକ୍ଷା, ମୋ ଘର କାମଟା ଆଗରୁ ସରି ଯାଇଥିଲା ।” ଘଣ୍ଟାଏ ତଳେ ଏସ୍.ପି ଥାନାରୁ ବିଦା ହୋଇ ଗଲେ. ତିନି ଦିନ ହେଲା ତନାଘନା ଚାଲିଛି । କଲେକ୍ଟର , ଡି.ଆଇ.ଜି., ଡି.ଜି., ହୋମ୍ ସେକ୍ରେଟେରି ଜଣଙ୍କ ପରେ ଜଣେ ଆସିଲେ । କାରଣ ମାଓବାଦୀମାନେ ଝଡ଼େଇପଡା ସ୍କୁଲ କାନ୍ଥରେ ପୋଷ୍ଟର ମାରି ଦେଇଛନ୍ତି । ସେମାନେ ସରକାରକୁ କେବେ ତ ଖାତିରି କରି ନ ଥିଲେ, ଏଥର ଆଉରି ମାରାତ୍ମକ ଶବ୍ଦ ପ୍ରୟୋଗ କରିଛନ୍ତି । ଏଣିକି କୁଆଡ଼େ ଖୋଜି କୋଜି ସେମାନେ ସରକାରୀ ଲୋକଙ୍କୁ ମାରି ପକେଇବେ । ଝୁଟା ଗଣତନ୍ତ୍ରରେ ସେମାନେ ବିଶ୍ୱାସ କରନ୍ତି ନାର୍ହି । ସ୍ଥାନୀୟ ବାସିନ୍ଦାଙ୍କ ଭିତରୁ ଯିଏ ଗଦ୍ଦାରି କରିବ ସେମାନେ ତା ବଉଁଶ ଉଡ଼େଇ ଦେବେ । କୋଉ ସରକାର ପିଠିରେ ପଡିବ? ସେମାନେ ଖୋଲା ଚ୍ୟାଲେଞ୍ଜ କରିଛନ୍ତି । ସାହୁ ଓ ଲାକ୍ରାଙ୍କର ଖେଦ ଗୋଟିଏ ଜାଗାରେ ମିଶି ଯାଉଥିଲା । ଏମିତି ବେଳେ ତିଶ୍ରା ଥାନାକୁ ସେମାନଙ୍କର ଟ୍ରାନ୍ସଫର ହେବାର ଥିଲା ନା? ଦୁହିଁଙ୍କ ଆଶା ଓ ଆତଙ୍କର ମହାମନ୍ଥନ ଘଟୁଥିଲା ସେଇ ଗଛ ମୂଳେ । “ଏମାନେ ଆମରି ପାଖରେ ଅଫିସର ଦେଖେଇ ହଉଛନ୍ତି । କହ, ମାଓବାଦୀଙ୍କ ହିମ୍ମତ ବଢ଼ିଲା କେମିତି? କିହୋ, ମଢ଼ ପଚିଲେ ପୋକ । ଗଣତନ୍ତ୍ର ପଚିଲେ ସନ୍ତ୍ରାସବାଦ । କାଇଁକି ଏତିକି ଅନୁମାନ କରିପାରିଲ ନି?” ସାହୁ ପଚାରିଲେ । ତାପରେ ଚାଲିଛି ପୁଳିସ ଓ ସରକାରଙ୍କର ମିଳିତ ଗର୍ଜନ । ଆଦିବାସୀଙ୍କ ଲାଗି କ’ଣ କ’ଣ କରାଯିବ । ଯୁବକମାନଙ୍କୁ କେମିତି ଅଧିକ ଆତ୍ମନିଯୁକ୍ତି ମିଳିବ । ଜମି ଜଳ ଜଙ୍ଗଲ ଉପରେ କେତେ ଉପାୟରେ ସେମାନେ ଅଖଣ୍ଡ ଅଧିକାର ଜାହିର କରି ପାରିବେ । ସେମାନଙ୍କୁ କେମିତି ନୂଆ ଲୁଗା, ନୂଆ କମଳ, ଇନ୍ଦିରା ଆବାସ ଦିଆଯିବ । ସେପିଲେ କେମିତି ପାଠ ପଢ଼ିବେ । ସରକାରଙ୍କ ଚଳନ୍ତିପ୍ରତିମାମାନେ ଏଠିକି ଆସି ତୁହା କୁ ତୁହା ଘୋଷଣା କରୁଛନ୍ତି । ସବୁ କୁଆଡ଼େ ସରକାର କରିବେ । ନିର୍ବାଚନ ବେଳେ ସତ୍ୟାନାଶିଆ ରାଜନୀତିଆ ବି ୟେ ଅଫିସରଙ୍କ ପରିକା ଏତେ ଗାଲୁ ଗପୁ ନ ଥିବେ । ଚାଲିଛି ଏମିତିକା ଲମ୍ବା ଲମ୍ବା ତାଲିକାର ପ୍ରଚାର । ଏଗୁଡା ସିନା ଟିଭି ଖବରକାଗଜକୁ ଶୋଭା ପାଏ । ସ୍ୱେଚ୍ଛାସେବୀ ଅନୁଷ୍ଠାନଗୁଡିକ ଏମିତିକା ଖବର ଶୁଣି ସଂସାର ଚାଟନ୍ତି । ବାବୁଭାୟାଙ୍କ ଆଲୋଚନାରେ ଡ୍ରଇଂରୁମ୍ କି ସଭାସମିତି ମହକେ । ସାହୁ ଦୁମ୍କି କହିଲେ, “କିହୋ, କିଏ ତମକୁ ମନା କରୁଥିଲା କି, ଆଗରୁ କରୁ ନ ଥିଲ କାହିଁକି? କଥା ଏତେ ବାଟ ଗଲା କେମିତି?”

ଯେଉଁମାନଙ୍କ ଲାଗି ଏଗୁଡାକ କରିବ ବୋଲି ଗର୍ଜୁଚ ସେମାନେ ତମ କଥା ଶୁଣିବାକୁ କି ପଢ଼ିବାକୁ ପାଆନ୍ତି କି? ଏଠି ଚାକିରି କରିଥିବା ମାଷ୍ଟ୍ର ପରା ଆଦିବାସୀ ପିଲାଙ୍କ ଷ୍ଟାଇପେଣ୍ଡ୍ ଚୋରି କଳେ ଡି.ଆଇ. ଋ ଘର ତିଆରି ହୁଏ । ରୋଗିଣା ଆଦିବାସୀଙ୍କ ପାଇଁ ଦାନରେ ମିଳୁଥିବା ବିଦେଷୀ ଓଷଦ ରାଉରକେଲା ବଜାରରେ ଚୋରାରେ ବିକ୍ରି ହେଲେ ବି ଉତ୍ତମ ସେବା କରିଥିବା କାରଣରୁ ସି. ଡି.ଏମ. ଓଙ୍କୁ ଉପଢ଼ୌକନ ମିଳେ ଝିଅ ପାଇଁ ସେଇ ବିଦେଶୀ ଓଷଦ କମ୍ପାନିରେ ମାସକୁ ଲକ୍ଷେ ଟଙ୍କା ଦରମାର ଚାକିରି । ଗାଁରୁ ଖାସି କି କୁକୁଡା ହଡପ ହେଲେ କାଉରକେଲାରେ ବଡାଖାନା ହୁଏ । ନେତା ସାମ୍ବାଦିକ ସେଇଠୁ ଖାଇ ହାକୁଡି ମାରି ଯାଆନ୍ତିନି କି?

ଏମିତି କେତେ ସେମାନଙ୍କ ମନପୋଡା କଥା । ସତେ ଯେମିତି ବକ୍‌ବାଜିର ଅବତାର ହେଲା ଭାରତ । ଏଠି ଦୁର୍ନୀତିଗ୍ରସ୍ତମାନେ ସମ୍ଭ୍ରାନ୍ତ । ଚୋରିର ନାଁ ଗୌରବ । ପେଟିସନ ଲେଖିବା ହେଉଛି ବଳ । ଭାଷଣର ନାଁ ବିପ୍ଳବ । ହ୍ୟାତ୍ ସ୍ୟା, ସମସ୍ତେ ଯେମିତି ଗଡଜାତୀ ରାଜରାସ୍ତରା ଜଣେଜଣେ ପଥିକ । ଲୁଣ୍ଠନ ରଚିବେ । ରାହାଜାନି କରିବେ । ରାସ୍ତାକଡ ଗଛରୁ ପାଚିଲା ଆମ୍ବ ପରସ ଖାଇବେ । କିନ୍ତୁ ରାସ୍ତା ଦାୟିତ୍ୱ କାହାରି ନୁହେଁ । ସିଂହାସନରେ ବସିବାର ଲୋଭ । ଦାୟିତ୍ୱରେ କେହି ସେଠି ବିରାଜନ୍ତି ନାହିଁ । ଆତ୍ମାରେ କେହି କାହାରି ନିଜର ନୁହେଁ । ସମସ୍ତେ ଯେମିତି ଜଣେ ଜଣେ ପ୍ରାନ୍ତିକ ଅବତାର । ଠାକୁର କିଏ, ଅସୁର କିଏ ଆଉ ଭଷ୍ମାସୁର କିଏ – ଚିହ୍ନିବା ମୁଷ୍କିଲ୍ ।

ଇସ୍ ଡ୍ରାଇଭରକୁ ଟ୍ରେନ ଚଲେଇବା ଯେମିତି ମନା, ବିଶୃଙ୍ଖଳା କାହିଁକି ଘଟୁଚି ତା’ର କାରଣ ସଂପର୍କରେ ସେମିତି ସାହୁ ବା ଲାକ୍ରାମାନଙ୍କର କିଛି ଜାଣିବା ଦରକାର ନାହିଁ । ଏମାନେ ଚାକିରିର ମାତ୍ର ଦୁଇଟା ଦିଗ ଜାଣନ୍ତି । ନିଜେ ବଞ୍ଚôବେ । ନ ହେଲେ ବଡଙ୍କ ଭୁଲ ଯୋଗୁ ମରିବେ । ଏବଂ, ଏ ବେହିଆ ଦେଶରେ ସେମିତିକା ମରଣର ଗୋଟେ ସରକାରୀ ନାଁ ରହିବ – ସହିଦ ବା ସେବା! ହାବିଲ୍ଦାର ହରି ସାହୁ କି କନେଷ୍ଟବଳ ଡାନିଏଲ ଲାକ୍ରାମାନଙ୍କର ଏସବୁଥିରେ ଯାଏ କେତେ ଆସେ କେତେ? ସେମାନେ ପଣ କରିଛନ୍ତି, ବଞ୍ଚôବେ । ଅଥବା ମୋଟୁରୁ ଇଚ୍ଛା ନ ଥବା ସେବା କରି ମରିବାକୁ ପ୍ରସ୍ତୁତ ରହିବେ । ସାହୁ ପରିହାସରେ କହିଲେ, “ସେବା ନା ଚୋପା? ହ୍ୟାପ, ଭୋକରେ ମିଳେନି ତବତ ପାଣି, ମରିଲେ ଯାଚିବେ ଖା ଶିରିଣି । ସାମୁ,ଲ୍ ଏକ୍କା ମଲା ବେଳେ ସି-ଟିଭିରେ କେତେ କଥା ଦେଖିଥିଲ? ବଗ ବେକ ଗଳେଇ ବାଇସ୍କୋପ ଦେଖିଲା ପରି ଖୋଦ ମୁଖ୍ୟମନ୍ତ୍ରୀ ପରା ଲୁଗା ଟେକି ତା ମଲା ମୁହଁ ଦେଖିଲେ । ଫଟ ଉଠିଲା । ଘଡାମଦୁଆ ଏକ୍କାର ବାହାଦୁରି କହି ଟିଭି ଖବରକାଗଜ ସମସ୍ତେ ଉଛୁଳି ପଡିଲେ । ଏବେ ତା ପିଲାଛୁଆଙ୍କ ଦୁଃଖ ଦେଖ । ତାକୁ ମାଓବାଦୀ ମାରିଲେ ବୋଲି ପ୍ରଚାର କରେଇ ବାହାଦୂରି ନେଇଗଲ । ଯେତେବେଳେ ବପନେଶ୍ୱରରେ କଥା ଉଠିଲା ଯେ ସେ କାଳରେ ମାଓବାଦୀ ଆଇଲେ କୋଉଠୁ?ଏସ୍.ପି କରୁଥିଲା କ’ଣ? ସିଏ ପୁଣି ଏବେ ଗୁଇନ୍ଦା ଡି.ଆଇ.ଜି. ହେଲା କେମିତି? ତେଣୁ ଏ ସବୁ ରେକର୍ଡ ବଦଳେଇ କହୁଚ କ’ଣ ନା, ସାମୁଏଲ୍ କୁ ମାରିଥିଳେ ଡକେଇତ । ହେଲା । ସେଇ କଥା ତମେ ଟିଭି କି କାଗଜବାଲାଙ୍କୁ ଡାକି କହି ଦେଉନା କାହିଁକି? ଯିଏ ମାରୁ, ଏକ୍କା ମରିଚି ନା ନାଇଁ? ତା ଉପରେ ତ ପତକା ଘୋଡ଼େଇ ନେଇଗଲ । ପାଞ୍ଚଲକ୍ଷ ଟଙ୍କା ଦେବବୋଲି ସରକାର ବାତ୍ଫୁରସି ମାରିଲା । ଏବେ କହୁଚ କ’ଣ ନା, ଡକେଇତ ମାଇଲେ ଗ୍ରାଣ୍ଟ ନାଇଁ । ପେନ୍ସନ ଫାଇଲ କ୍ଳିଅର ହଉନି । କ’ଣ ନା, ବ୍ଳାକ ମାର୍କ ଥିଲା । ପ୍ରସିଡିଙ୍ଗ୍ ଚାଲିଥିଲା । ବୁଝିଲୁ ଲାକ୍ରା, ଏ ବିଭାଗରେ ଗନ୍ ସାଲୁ୍ୟଟ କି ବିଗୁଲ ବାଜିବା ଯାହା, କିଳା ପଶିବା ବି ସେଇଆ । ସେଥିରୁ କ’ଣ ପିଲାଛୁଆଙ୍କୁ ଆହାର ମିଳିବ?” ହରି ସାହୁ ବା ଲାକ୍ରାମାନେ ବିଶ୍ୱାସ କରନ୍ତି ଯେ ନିଜେ ବଞ୍ଚôବା ଏବଂ ସେବାଜନିତ ମରରକୁ ଛାଡି ତୃତୀୟ ଦିଗ ଇ କିଛି ନାହିଁ । ଟାଣିଭିଡି ତାହା ଯଦି ଆଉ ଟିକେ ଆଗକୁ ନିଆ ଯାଏ, ସେଥିରେ ଦେଖିବାକୁ ମିଳନ୍ତି ଅତି କମ୍ ଲୋକ । ସେମାନେ ସେବାର ମହିମାକୁ ଚାକିରିର ଗରଜ ସହିତ ଅତି ଅଦୃଶ୍ୟ ରଜ୍ଜୁରେ ଯୋଡି ପାରନ୍ତି । ଏଥିପାଇଁ ଘୋର ସତର୍କତା ଦରକାର । କାରଣ ରଜ୍ଜୁ ଦୃଶ୍ୟମାନ ହେଲେ ଲୋକଟି ଅତି ସହଜରେ ତେଲୁଆ ପଦମାତ୍ର ପାଏ । ତା ଚାକିରିର ସବୁ ଆଟୋପ ଆଡମ୍ବର ତେଲୁଆ ପରି ଏକ ଛୋଟିଆ ଶବ୍ଦ ଭିତରେ ପୁଚି ଖେଳୁଥାଏ । କୁଆଁରପୂନେଇ ଜହ୍ନ ତଳେ ଏକ ଅସିଦ୍ଧ ବାଳିକା ପରି । ସେ କାହାରି ହୁଏନି । ଲାକ୍ରା କି ସାହୁ ଚାକରିରିର ସଠିକ ଅର୍ଥ ବୁଝି ଜ,ନ କରିଥିଲେ । ଯାହା ବାକି ଥିଲା, ଚାକିରି ଭିତରେ ସେସବୁ ଶିଖି ସାରିଛନ୍ତି । ମାଓବାଦୀ ତାମସା କାହିଁକି ଘଟୁଚି, ସେମାନଙ୍କର ଅବା ଜାଣିବା କି ଦରକାର? ଏସ୍.ପି ଆଜି ଏକୁଟିଆ ଆସିଥିଲେ । ଜରଙ୍କ ପରେ ଜଣେ ସବୁ ବିଦାବିଦି ହେଲେ । ଥାନା ଫାଙ୍କା ହୋଇଗଲା । ଟେନ୍ସନ ସରିଲା । ହୋମ୍ଗାର୍ଡ ସବିତା କେରକେଟାକୁ ଟେଲିଫୋନ ପାଖରେ ବସେଇ ଦିହେଁ ଗପ ହବାକୁ ଇଚ୍ଛା କରି ଗଛ ମୂଳକୁ ପଳେଇ ଆସିଲେ । ହରି ସାହୁଙ୍କ ଚାକିରି ପଚିଶ ବଷଁ ହେଲାଣି । ଆରମ୍ଭରୁ ଦି ତିନି ବର୍ଷ ଏପାଖ ସେପାଖ ହେବା ଛାଡି କାଉରାକେଲାର ବିଭିନ୍ନ ଥାନ, ଟ୍ରାଫିକ ହୋଇ ସେଠି ବାଇଶ ତେଇଶ ବର୍ଷ କାଟିବା ଭିତରେ ସେ ନିଜ ଚାକିରି ସହିତ ସେବାର ଉତ୍ତମ କୌଶଳମାନ ଶିଖି ପାରିଥିଲେ । ତିଶ୍ରାରେ ପହଞ୍ଚô ସେସବୁ ଓଲଟ ପାଲଟହୋଇଗଲା । ବୟସ ଓ ସାଇଜ ଦିଟା ଯାକ ବେଶି ହୋଇଯିବା ପରେ ସେ ମଟରସାଇକେଲ ଖଣ୍ଡିଏ କିରିଥିଲେ । କାଉରକେଲାରେ ଯେଉଁ କ୍ୱାଟରରେ ଥିଲେଏବେ ବି ସେ ସେଇଠି । ଟ୍ରାନ୍ସଫର ତ ହେଲା, ଘର ଛାଡ୍ ଛାଡ୍ - କହି ବିଶ୍ୱାଳ ଇନିସ୍ କ୍ଟେର ଖାଲି ଚଦୁଚି । ସାହୁ କହିଲା, “କିହୋ, ତମେ ତ କୋଉ କାଳରୁ ଟ୍ରାନ୍ସଫର ହେଇଚ । ଆଗ ଘରେ ଆଜିଯାଏ କେମିତି ଅଛ? ନାଇଁ, ଏଠି ଜାଲ ପାଇଁ ଗୋଟେ ନିୟମ ତ ମାଛ ପାଇଁ ଆଉ ଗୋଟାଏ ।” ସେଠୁ ତିରିଶ କିଲୋମିଟର ସେ ଦି’ନ୍ ଯା ଆସ କରୁଛନ୍ତି । ଗାଡି ପାଇଁ ତେଲ ପାଣି ଦରକାର । କାଉରକେଲାରେ କ’ଣ ହେଉଥିଲା କି? ଭିତରେ ଭିତରେ ଟ୍ରାନ୍ସଫର । କୋଉଠି ଏକାଟିଆ ଠିଆ ହେଲେ ବି ଡ଼ମ୍ଫର୍ କି ଟ୍ରକଟାଏ ଦେଖି ହାତ ହଲେଇ ଦେଲେ ତେଲଖର୍ଚ୍ଚ ଉଠିଯାଉଥିଲା । ଆଉରି ବି, କୋଉ ଟାଙ୍କିବାଲା ଜାଣି ପାରୁ ନ ଥିଲେ । ଏବେ ହାତରୁ ପେଟ୍ରୋଲ ଖର୍ଚ୍ଚ । ତହିଁକି ବାବୁମାନଙ୍କ ବରାଦ - ଏଠିକି ଯା ସେଠିକି ଯା । କ’ଣ ନା, ମଟରସାଇକେଲ ଅଛି । କେହି କେବେ ଦିନେ ତେଲ ପକେଇବାକୁ ଶହେଟା ଟଙ୍କା ଦେଇଚ?ସତେ ଯେମିତି ପତ୍ର ଦଳିଲେ ସେଥିରୁ ପେଟ୍ରୋଲ ଝରିବ । ହରି ସାହୁଙ୍କର ଧାରଣା ଯେ ରାଜ୍ୟକୁ ହୁଲସ୍ତୁଲ କରିଥିବା ବାପ-ପୁଅ ଡକେଇତ ଦଳକୁ ଅସଲରେ ଧରିବା ଲୋକ ଥିଲେ ସିଏ । ସେଥରେ ସେ ବଡ଼ ଆଶାଟେ କରିଥିଲେ, ନିଶ୍ଚେ ଏ.ଏସ.ଆଇ. ହେବେ । ହେଲେନି । ସେଥିପାଇଁ ଝିଅ ଜୀବନ ନରଖର ହୋଇଗଲା । ତା ବାହାଘର ଜଣେ ଏସ.ଆଇ ଚାକିରି କରିଥିବା ଟୋକା ସାଙ୍ଗରେ ସବୁ ଠିକ୍ ହୋଇ ସାରିଥିଲା । ଡିମାଣ୍ଡରେ ମଟରସାଇକେଲ ଟିଭି, ଫି୍ରଜ, ଦଶ ଭରି ସୁନା, ନଗଦ ଦୁଇ ଲକ୍ଷ ଯୌତୁକ ଦେବେ ବୋଲି ହରି ସାହୁ ରାଜି ଥିଲେ । ଟୋକା କୁଆଡ଼େ ଅହି ବସିଲା, ଯା କାନ୍ଧରେ ଷ୍ଟାର୍ ନାହିଁ ତା ଝିଅକୁ ବାହା ହବନି । କାଳେ ମଙ୍ଗିବ ବୋଲି ସାହୁ କ୍ୟାସ ଆଉ ଏକ୍ ବଢ଼େଇଲେ । ହେଲାନି । ଲାକ୍ରାକୁ ସେ କହିଲେ, “କଉନୁ, ଏମିତିକା ଚାକିରିରେ ମୂଲ୍ୟ କ’ଣ?ଇଏ କି ସରକାର ବା? ମୁଁ ଯଦି କାଉରକେଲାରେ ଥା’ନ୍ତି କ’ଣ ଭାସି ଯାଇଥାନ୍ତା?ଏଠିକି ଆସି କରୁଚି କ’ଣ? ହାକିମମାନଙ୍କର ଯାହା ଯିଦି ସେଇଆ ହେଲା ସରକାରର ଆଇନ୍ । ସେଥିପାଇଁ ମୁଁ ବି ତ କଉଚି, ମାଓବାଦୀମାନେ ଠିକ୍ କରୁଛନ୍ତି । ଏ ବୁଢ଼ା ବଅସରେ ନୂଆ ଭାଗବତ ପଢ଼ି ନୂଆ ଜ୍ଞାନ ଶିଖିବା ଆମର ଆଉ ଦରକାର ନାହିଁ ।” ଦି ଜଣଯାକ ଗପସପରେ ନିଜନିଜର ସୁତ୍ର ନିର୍ଣ୍ଣୟ କରି ‘ବେନି ଜନେ ପଡିଚି ଏକା ଦଶା’ ପରି ସ୍ତର ଛୁଇଁଲା ବେଳକୁ ପିଚୁ ଓରାମ ନାମକ ଜଣେ ଆଦିବାସୀ ଥାନାକୁ ଆସିଲା । ସାହୁ ଏକ ଟିଣ ଚେୟାରରେ ବସିଥିଲେ । ସମ୍ନାରେ ଲାକ୍ରା ବସିଥିବା କାଠ ବେଞ୍ଚ ୁପରେ ଗୋଡ ଥୋଇଥିଲେ । ନି ଜରଙ୍କ ଭିତରେ ସି, ବଡ ବୋଲି ଜଣା ପଡ଼ି ଯାଉଥିଲା । ଆଦିବାସୀ ଲୋକଟି ଆଗେ ସାହୁଙ୍କୁ ମୁଣ୍ଡ ନୁଆଁଇ ନମସ୍କାର କଲା, ତା’ପରେ ଲାକ୍ରାଙ୍କୁ । ନିଜ ଦେହ ସଜାଡ଼ି ସାହୁ କହିଲା, “କ୍ୟା ବାତ୍?” ଲୋକଟି କହିଲା, “ହାମାର ଯୁଆନ୍ ବେଟୀକେ ଲାଲ୍ଟୋଲା ଥେମି ମାରାଣ୍ଡିକାର୍ ଲଡକା ପିଟର ଆଗ୍ୱା କିୟା ହୈ । ମୋକେ ମୋର ବେଟୀ ଚାହି ।” ସାହୁ ପଚାରିଲା, “ପ୍ରେମ, ଫ୍ରେମ ଅଛି କି?” “ପେରେମ୍? ସେମ୍ନେ କ୍ରିଶ୍ଚନ୍ । ଓକର୍ ଭଗବାନ ଯୀଶୁ । ହାମ୍ରେ ଓରାମ୍ । ହାମ୍ରେ ଭଗବାନ ସାରନା ହୈ । ପେରେମ୍ କୈସନ ହୋଇ?” ହଉ ବାରଣ୍ଡାରେ ବସିଥା, ମୁଁ ଯାଉଚି । ଅଧ ଘଣ୍ଟା ଛାଡ଼ି ସେ ଥାନା ଭିତରକୁ ଆସିଲେ । ସାହୁ ହାବିଲ୍ଦାରର ପିଚୁ ଓରାମକୁ ବିବରଣୀ ପଚାରିବା ଭାଷା ଓ ଆକ୍ଷେପରେ ପଦ୍ଧତି ଏତେ ଅସଭ୍ୟ, ନିଷ୍ଠୁର ଓ ସମ୍ବେଦନହୀନ ଥିଲା ଯେ ଲୁଚି ପଳେଇଥିବା କୌଣସି ଝିଅର ଭିଣେଇ ବି ସେସବୁ ଅବାନ୍ତର ଅସଭ୍ୟ ପ୍ରଶ୍ନର ଉତ୍ତର ଦେଇ ପାରିବ ନାହିଁ । ଇଏତ ସହଜେ ବାପାଟା । ଆଦିବାସୀମାନେ ଗୋତ୍ର ଓ ବିବାହ ସଂର୍ପକରେ ଭାରି ରକ୍ଷଣଶୀଳ । ସେମାନଙ୍କ ସ୍ୱାଭାବିକ ଚଳଣୀରେ ରେପ୍ କି ଇଲୋପ୍ମେଣ୍ଟ ଚଳେନି । ଲିଭିଙ୍ଗ୍ ଟୁ – ଗେଦର ପରି କର୍ପୋରେଟ ଆଇଡ଼ିଆ ସେମାନଙ୍କର ଜାଣିବା ଦରକାର ହୁଏନା । ପ୍ରେମ ସମ୍ଭବ । ମାତ୍ର ଆକଟ ଅଛି । ମାନନ୍ତି ସେମାନେ । ପ୍ରେମର ସମ୍ମାନ ବି ଅଛି । ମଣ୍ଟିତ ହୁଅନ୍ତି ସେପରି ମହକରେ । ଆଉ କେମିତି ଟୋକାଟେ ଟୋକୀକି ଧରି ପଳେଇବ? ଅସମ୍ଭବ । ଯେଉଁଠି ବାହାଘର ସମ୍ଭବ ନୁହେଁ, ସେଠି ପ୍ରେମ କିପରି ସମ୍ଭବ? ଯେତେ ଚେଷ୍ଟା କଲେ ବି ପିଚୁ ଏ କଥାଗୁଡିକ ସାହୁକୁ ବୁଝେଇ ପାରୁନି । ରାଗରେ ତା ମନ ଭିତରଟା କଡ୍କଡ୍ କରୁଛି । ଅସହାୟମାନେ ଯେମିତି ରାଗନ୍ତି, ପିଚୁ ସେମିତି ରାଗିଗଲା । କି କାଳେ କି ଭବିଷ୍ୟତି? ସାହୁ ହାବିଲ୍ଦାର ଛଳ ହସ ଟିକିଏ ମୁହଁରେ ଉକୁଟେଇ କହିଲେ, “ଦେ ତୋ କପ୍ଳେନ୍ ।” ସେ କ’ଣ କପ୍ଳେନ୍ ଘରୁ ଲେଖି ଆଣିଥିଲା କି? ତା’ପରେ ସାହୁ ହାବିଲ୍ଦାର ସ୍ନେହ ଓ ସହଯୋଗ ମିଶେଇ ପିଚୁ ଓରାମକୁ ବରାଦ ପରେ ବରାଦ କରିବାକୁ ଲାଗିଲେ । କାଗଜ ଆଣ । ଖର୍ଚ୍ଚ ଦେ । ଇନ୍କୁଆରିରେ ଯିବୁ । ତେଲ ଦେ । କେତେଆଡ଼େ ଖୋଜିବୁ । ପଇସା ଦେ । ନ ହେଲେ ଆମେ କ’ଣ ଘରୁ ଖାଇ ଘୋଡା ଆଗରେ ଡ଼େଇଁବୁ? ଘଣ୍ଟାଏଅଧେ ଦଉଡା ଦଉଡି କରି ପିଚୁ ନୟାନ୍ତ ହେଲା । ସେ କିଛି ଦେଲା, ଆଉ କିଛି ଦେଇ ପାରିଲା ନଥିଲା । ବିକଳ ହୋଇ ପିଚୁ ନିଜ ଗରିବପଣ ପୁଲିସ ବହବୁଙ୍କୁ ବୁଝେଇଲା । କହିଲା, “ଇସ୍ବାର୍ ମହୁଆ ବର୍ବାଦ ହୋଇଗଲେକ୍ । ଘରମେଁ ସବ୍ ସଢ଼େଲା । ସରକାର ଲେନେ କର୍ ବାତ୍ ରହି । ବାଗ୍ରା ପାଏକ୍ ଉମିଦ୍ସେ ବେପାରୀମାନ୍କେ ନି ଦେଲୋଁ । ସରକାର ଭି ଠଏଗ୍ ଦେଲ୍ କ । ମାଓବାଦୀ କେ ଖୋଜେକ୍ ଲାଗି ହାମ୍ରେ ଭି ଫରେଷ୍ଟବାଲା ଭଗାଏଲା । ଜଙ୍ଗଲସେ ଆଉର୍ କୋନୋ ଭି ଚିଜ ହାମ୍ରେ ନି ଗୋଟିଆୟେଲା । ତୋହର୍ଲାଗି ବାଗ୍ରା ପିସା କାହାଁସେ ଲାଉଁ ।” “ଆମକୁ କହିଲେ କ’ଣ ହବ? ଏସବୁ କଥା ସରକାରକୁ କହ ।” “ତୋହରେ କୋନୋ ଜଗହ୍ ଖୋଜେକ୍ ଜରୁରତ୍ ନାଖେ । ଲଡ୍କୀ ଥେମି ମାରାଣ୍ଡିକର୍ ଘରେମେଁ ଆହେ । ଚୋବିଶ ଘଣ୍ଟାକେ ଅନ୍ଦର ସାଦି କରାଏକ୍ ଲାଗି ବିଲ୍କା ତିର୍କି କହଥେ । ବସ୍, ହାମ୍ରେ ହାଁ କହେକ୍ ଜରୁରତ୍ ହୈ ।” “ହଁ କହୁନୁ?” ପିଚୁ ଓରାମ କହିଲା, “ତମ ସରକାର ତ ସେମାନଙ୍କୁ ମାଓବାଦୀ କହୁଚ । ସେମାନଙ୍କ ସାଙ୍ଗରେ ନ ମିଶିବାକୁ କହୁଚ । ଏମିତି ତ ପୁଅଘର ଜାତି ଆଉ ଆମର ଜାତି ମିଶୁନି । ସେମାନେ ବାହା ହେବେ କିପରି?” “ତୁ ବିଲ୍କା ତିର୍କିକୁ ଚିହ୍ନିଚୁ?” “ର୍ହ ।” ସାହୁ ହାବିଲ୍ଦାର ଆଖି ଚକଚକ କଲା । ସେ ପିଚୁ ଓରାମକୁ ଆହୁରି ଭିତରକୁ ଡାକି ନେଲେ । ହାଜତ ଭିତରେ ପୂରାଇ ବାହାର ପଟୁ ବନ୍ଦ କରିଦେଲେ । ଟେଲିଫୋନରେ କାହାକୁ ହୁରି କରି କହୁଥା’ନ୍ତି – ସାର୍, ମୁଁ ଗୋଟେ ମାଓବାଦୀକି ଧରିଚି । ସେ ବିଲ୍କା ତିର୍କି, ଲଜରସ ତିର୍କି ଗ୍ୟାଙ୍ଗର । କହିବା ନିଷ୍ପ୍ରୟୋଜନ, ଦୁଇ ତିନି ଦିନ ପୂର୍ବରୁ ସାହେବମାନେ ଯେପରି ତନାଘନା ଆଲୋଚନା କରୁଥିଲେ ସେଥିରୁ ସାହୁ ଏ ନାଁ ଗୁଡ଼ିକ ଶୁଣିଥିଲେ । ଆବାକାବା ହୋଇ ପିଚୁ ଭିତରୁ ଚିତ୍କାର କରୁୂଥାଏ – ସେମାନେ ସବୁ ଆମ ଗାଁ ପିଲା, ନାଁ ଜାଣିଲି ତ କି ମୁସ୍କିଲ୍ ହେଲା? ତମେମାନେ କେତେବେଳେ କାହାକୁ ଝାଡ୍ÿଖଣ୍ଡୀ କହୁଚ, ନକ୍ସାଲ୍ କହୁଚ ତ ଆଉ କେତେବେଳେ କହୁଚ ମାଓବାଦୀ । ତା’ହେଲେ ଆମେ କ’ଣ ଗାଁ ଛାଡ଼ି ପଳେଇବୁ କି? ଗଛମୂଳେ ଏତେ ସମୟ ଏକା ବସି ବୋର୍ ଲାଗିବାରୁ କନେଷ୍ଟବଳ ଡାନିଏଲ ଲାକ୍ରା ଆଡକୁ ଆସୁଥା’ନ୍ତି । ବାରଣ୍ଡାରେ ସାହୁ ତାଙ୍କୁ ଡାକି ନେଇ କହିଲେ, “ଇବେ ହେ, ଗୋଟେ ମାଓବାଦୀ ହାବୁଡ଼େ ପଡ଼ିଗଲା । ଝିଅ କଥା କହି ଶଳା ସ୍ପାଇଙ୍ଗ୍ କରିବାକୁ ଆସିଥିଲା । ଯୋଜନା ଥିଲା, ସେମାନେ ଥାନା ଉଡ଼େଇ ଦେଇଥା’ନ୍ତେ । ମୁଁ ତାକୁ ସନେ୍ଦହ କଲି ବୋଲି ସିନା । ବୁଝିଲୁ, ଏବେ କହିବାକୁ ପଡିବ ଯେ ଆମେ ସନେ୍ଦହ କରି ପ୍ରଶ୍ନ କରିବାରୁ ସେ ଦଉଡି ପଳାଉଥିଲା ଏବଂ ତୁ ମୁଁ ମିଶି ତାକୁ ଗୋଡ଼େଇ ଗୋଡ଼େଇ ଧଇଲୁ ।” କଥାଟି ବୁଝିବାକୁ ଲାକ୍ରାଙ୍କ ପାଇଁ ଟିକେ ଡେରି ହେଲା । ସେ ପଚାରିଲେ, “ସବିତା ଯଦି.....?”

“ଆରେ ତୁ ପ୍ରେମଗିରିରେ କରୁଥେଲୁ କ’ଣ? ସିଏ ମାଇକିନା ଝିଅଟା । ଏତେ କଥା କେମିତି ଜାଣିବ? ତାକୁ ପଚାରିବ କିଏ?”

“ଏବେ ସ୍ୱାଇଁ ବାବୁର ଡୁ୍ୟଟି ଅଛି । ସିଏ ବିଶ୍ୱାସ କରିବ ତ?” ଲାକ୍ରା ପଚାରିଲେ ।

“ତୁ କାଇଁ ବେସ୍ତ ହଉଚୁ? ଏଇକ୍ଷଣି ଦେଖ୍ ନା – କେତେ ବାବୁ ବାହାରିବେ । କହିବେ - ଆମେ ଧରିଚୁ । ତୋ ମୋ ର୍ନା ସେ ତାଲିକାରେ ରହିବ କି ନାଇଁ ସନ୍ଦେହ ।”

ସତକୁ ସତ ଆଉ ଘଣ୍ଟାଏ ଦି ଘଣ୍ଟା ଭିତରେ ତିଶ୍ରା ଥାନା ପୁଳିସ ଭ୍ୟାନ ଓ ସାହାବମାନଙ୍କ ନାଲିବତି ଗାଡ଼ିରେ ଭର୍ତ୍ତି ହୋଇଗଲା । ଯେଉଁ ହୁଟର୍ ଓ ସାଇରେନ୍ ଶବ୍ଦ ଭିତରେ ଥିଲେ ରାଜନେତାମାନଙ୍କ ଛାତି ଫୁଲି ଉଠେ, ସେଇ ଶବ୍ଦର ପୈଶାଚିକତା ନିକଟସ୍ଥ ଅନେକ ଅଞ୍ଚଳକୁ ଦୁଲ୍କେଇ ଦେଉଥିଲା । ହାଜତ ଭିତରେ ପିଚୁ କାନ୍ଦୁଥାଏ । ନିଜ ଝିଅ କଥା ଭାବି । ସେ ଯଦି ପିଟର ମାରାଣ୍ଡି ସାଙ୍ଗରେ ବାହାହୁଏ, କିପରି ନିଜ ଜାତି ଆଗରେ ଆଉ ତା’ର ଧାକ୍ ରହିବ? ଏକୋଇଶ ଘରର ମୁରବି । କେମିତି ନିଜ ସମ୍ମ୍ାନ ରକ୍ଷା କରି ପାରିବ? କେତେ ସାମ୍ବାଦିକ ଆସିଲେ । ଥଣ୍ଡା ପିଇଲେ । ହାଜତ ଭିତରୁ ପିଚୁର ଫଟୋ ନେଲେ । ପରସ୍ପର କଥା ହେଉଥିଲେ – ୟାକୁ ହିଁ କହନ୍ତି ଶାସନ । ବଡ଼ବଡ଼ିଆ ଥରେ ଆସିଲେ । ତେବେ ସିନା କାମ ହେଲା । ଦିନ ଦିଇଟା ଯାଇନି, ସବୁ ସେଟ୍ । ସମାଜ ଶାନ୍ତିରେ ରହିବା ଆଶାରେ ସେମାନେ ଆଶ୍ୱସ୍ତ ହେଉଥିଲେ । ପୁଲିସଙ୍କ ଫଟୋ ଉଠେଇଲେ । ଚାଲିଗଲେ । ଲାକ୍ରା ସେତିକିବେଳେ ବୁଝିଲା ଯେ ସାହୁ ହାବିଲଦାରଙ୍କ ଅଭିଜ୍ଞତା ଭଲ । ସେ ସତ କହିଥିଲେ । କ୍ୟାମେରାରେ ବୋଧେ ଜାଗା ଅଣ୍ଟୁ ନ ଥିଲା । ଲାକ୍ରାଙ୍କୁ ଟାଣି ନେଇ ସେ ଆଗରେ ବସେଇ ଦେଲେ । ଝାଡା ବସିଥିବା ପରି ନିଜ ଫଟୋ ପରେ କାଗଜରେ ପ୍ରକାଶିତ ଦେଖି ଲାକ୍ରା ଯଥେଷ୍ଟ ଉଲ୍ଲସିତ ହୋଇଥିଲେ । ପିଚୁ ଫରୱାର୍ଡ ହେଲା । ଜାମିନ ନାକଚ । ଜେଲ୍ ଗଲା । ଆର ପଟେ, ଗାଁ ଅଞ୍ଚଳରେ ସୁଉଦୁ ପ୍ରଚାରରେ ହିଁ ଥେମି ମାରାଣ୍ଡିର ପାବାର ବଢ଼ିଗଲା । ସେ ଚର୍ଚ୍ଚ ଲୋକ ଟି! ତାଠିଁ ପୁଲିସ ହାତ ମାରି ପାରିବ? ପିଟର୍ ମାରାଣ୍ଡି ପିଚୁ ଓରାମ ଲଡକୀକି ଉଠେଇ ନେଇ ଆସିଲା । ଓରାମ ଦଳ ପାଟି କରୁଥିଲେ - ଆମେ ଏସ୍ କରିବୁ ତେସ୍ କରିବୁ । ଫାଦର କୁଆଡ଼େ ସିଧା ମୁଖ୍ୟମନ୍ତ୍ରୀଙ୍କି ଫୋନ କଲା । କ’ଣ ହେଲା ଦେଖିଲ? କାଉରକେଲାରୁ ବଡ ପୁଲିସ ହାକିମ ମାନେ ଦଉଡିଲେ । ପିଚୁ ଓରାମ ଜେଲ୍ ଗଲା । ବାହାଘର ଭାଙ୍ଗିଯିବାର ସାହୁ ହାବିଲଦାର କାମିନୀର ମନ ଉଣା । ଫଟୋରୁ ଯାହା ଦେଖିଥିଲା, ପୁଅଟା ରିଏଲି ହ୍ୟାଣ୍ଡ୍ସମ୍ । ଲୁଚେଇ ସେ ସାଙ୍ଗମାନଙ୍କୁ ତା ଫଟୋ ଦେଖେଇଥିଲା । କେତେ ଜଣ ଏକଦମ୍ ଜଳି ଯାଉଥିଲେ, କେତେକ ଶୁଖିଲା ହସରେ ମୈତ୍ରମର୍ଯ୍ୟାଦା ଚଳେଇ ଦେଉଥିଲେ । କେହି ଯେ ତା ପରି ଖୁସି ହେଉ ନ ଥିଲେ, ଏ କଥା କାମିନୀ ଜାଣି ପାରୁଥିଲା । ନ୍ଖକ୍ସ ସଫଳତା ବଖାଣି ଅନ୍ୟକୁ ଜଳେଇବାର ତୃପ୍ତି ତାକୁ ସେତେବେଳେ ଖରାପ ଲାଗୁ ନ ଥିଲା । କାମିନୀ ଭଲ ଝିଅଟିଏ । ସାଧାରଣ ଭାବେ ପାଠ ପଢ଼ୁଥିଲା । ଭଲ ଗୃହିଣୀଟିଏ ହେବ । ସବ୍-ଇନିସ୍ପେକ୍ଟର ସ୍ୱାମୀ ସାଙ୍ଗରେ ମଟରସାଇକେଲରେ ବୁଲିବ । ନିଜ ରୂପ ସୁନ୍ଦର । ଆଉରି ସୁନ୍ଦରୀ ଦେଖାଯିବ । ଏମିତି କେତେଗୁଡିଏ ରଙ୍ଗୀନ ବେଲୁନ ଉଡ଼େଇବା ଛଡା ତା ଆକାଶରେ ଶୂନ୍ୟତାର ଆଉ କିଛି ବଳୟ ନ ଥିଲା । ନା ଥିଲା କିଛି ସ୍ୱପ୍ନର ସମ୍ଭାର । ସେସବୁ ସକାଶେ ବହୁତ ବେଳ ବାକି ଅଛି । ଏବେ ନୁଖୁରାରେ ମନ ଯେତେ ବାଟ ଉଡ଼ିବା କଥା ଉଡ଼ି ଯାଉ । ଏପରି ଆବେଶରୁ ବିଚାରୀ ଝିଅଟା ଏକଦମ୍ କଚାଡ଼ି ହୋଇ ପଡ଼ିଲା । ବାପାଙ୍କ ପଦବୀ ଯୋଗୁ ତା ମନରେ କିଛି ଅବସାଦ ପଶି ଗଲା । ସେ ଆଉ ସାଙ୍ଗମାନଙ୍କ ପାଖରେ ମୁଣ୍ଡ ଟେକିବାକୁ ସାହସ କଲାନି । ନିଜ ଲୁହ ନିଜେ ପିଇଲା । ହସକୁରିଆ ଝିଅଟେ, ଆନମନା ହେଲା । ଏଣିକି କାହାରି ଟିକେ ବି ଥଟ୍ଟା ସହି ପାରୁ ନ ଥିଲା । ବର୍ଷା ଦିନ । ସମୟ ବେଶି ହୋଇନି । ପ୍ରାୟ ରାତି ନ’ଟା । ହତା ଭିତରେ, କିନ୍ତୁ ଘରଠାରୁ ଟିକେ ଦୂରଛଡା ପାଇଖାନାକୁ କାମିନୀ ଯାଇଥାଏ । ଏଥିରେ କିଛି ଅସ୍ୱାଭାବିକତା ନ ଥିଲା । ମାତ୍ର ଭିତରୁ ସେ ଚିତ୍କାର କଲା । ମା ରୋଷେଇ କରୁଥିଲେ । ସାନଭାଇ ପାଠ ପଢ଼ୁଥିଲା । ସେମାନେ ପାଇଖାନା ଆଡ଼କୁ ଦୌଡ଼ିଗଲେ । ପାଖ ତିନି ଚାରି ଘରର ମାଉସୀମାନେ ୟାଙ୍କ ଘରେ ହାଜର । କ’ଣ ହେଲା । ସାହୁ ହାବିଲଦାର ଆଉରି ଘରକୁ ଫେରି ନ ଥାନ୍ତି । ସେ ବେଙ୍ଗ ବେଙ୍ଗ କହି ଚିତ୍କାର କରୁଥାଏ । କାମିନୀ ଯେ ବେଙ୍ଗକୁ ଏମିତି ଡରେ, ତାହା ଜାଣିଲା ପରେ ସମସ୍ତେ ଯେଝା ବାଟରେ ବାହୁଡି ଗଳେ । ମା ଓ ଭାଇ ବି ଆଶ୍ଚର୍ଯ୍ୟ । କାମିନୀ ତ ବେଙ୍ଗକୁ ଏମିତି କେବେ ଡରେ ନାହିଁ । କ’ର ହେଲା? ଗୋଟାପଣ ଥରୁ ଥିଲା ସିଏ । “ବୋଉ ଲୋ, ଦେଖିବୁ ଦଉଡି ଆ । ପାଇଖାନା ଭିତରୁ ଗୋଟାଏ ଦି’ଟା ଏମିତି ହଜାର ହଜାର, ଲକ୍ଷ ଲକ୍ଷ ବେଙ୍ଗ ବାହାରୁଛନ୍ତି । ପାଉଁଶିଆ, ହଳଦିଆ, କଳା, ନେଳିଆ ନାଲିଆ । ମୁଁ ଭିତରକୁ ଗଲିନି । ଡର ମାଡୁଚି ।” ଏମିତି କେତେ କଥା କହି ସେ ବୋଉକ୍ୁ ପାଇଖାନା ଆଡକୁ ଟାଣୁଥିଲା । ଝିଅର ମନର ଅବସ୍ଥା ମା ବୁଝି ପାରୁଥିଲେ । ତାକୁ ସେ ଭିଡି ନେଇ ଥଣ୍ଡା ପାଣି ଗିଲାସେ ପିଆଇ କହିଲେ, “ତୁ ଟିକେ ଶୋଇ ପଡ । ସବୁ ଠିକ୍ ହେଇଯିବ ।” ତା ପାଖରେ ବସି ଆଉଁସିଲେ । ଓାହୁ ହାବିଲଦାର ଘରେ ପହଞ୍ଚôଲା ବେଳକୁ ରାତି ଢେର ବିଳମ୍ବ ହୋଇ ସାରିଥାଏ । ପାଦ ହଲୁଥାଏ । ମନ ହଲିବା ବି ଜଣା ପଡିଗଲା । ରୋମାନ୍ସ ପାଇଁ ଇଚ୍ଛା କରି ସେ ସ୍ତ୍ରୀଙ୍କୁ ପାଖକୁ ଡାକିଲେ । ନିଜ ବିଦୁ୍ୟତି ସଂପର୍କରେ ସେ ନିଶ୍ଚୟ କିଛି ନା କିଛି କୈଫତ୍ ଦେଇଥା’ନ୍ତେ । ଛଳକ୍ରୋଧ, ଅଳ୍ପ ତାଡନା, ଅପରତେପଣର ଓଢ଼ଣା ତଳୁ ପରତେର ଅତର ଫିଙ୍ଗି ଅବଶ୍ୟ ସ୍ତ୍ରୀ ରାଜି ହୋଇଥା’ନ୍ତେ । ମଦ ସହିତ ତାଙ୍କ ମିଣିପଜଣକ ନିହାତି ଖରାପ ନୁହେଁ । କାଠି ଓପାଡି ଦେଲେ ଝିଙ୍କ ପରି ନିରୀହ ପଶୁଟିଏ । ଯେମିତି ମୋଡିଲେ ଅନାୟସରେ ମୋଡି ହୋଇଯାଏ । ପାହା ହେଲାଦିନୁଁ ଏହି ଅନୁଭବକୁ ସେ ବାରମ୍ବାର ଉପଭୋଗ କରି ଆସୁଛନ୍ତି । ସେ କ୍ଷଣମାନଙ୍କୁ ଚିହ୍ନନ୍ତି । ତା’ର ନିଶ୍ୱାସ ସୁନ୍ଦର । ବିଶ୍ୱାସ ସୁନ୍ଦର । ଆଶା ଦୁନ୍ଦର । ଦେଖାଯାଉଥିବା ସବୁ ଦିଶା ସୁନ୍ଦର । ଛାଁ କୁ ଛାଁ ନିସର୍ତ୍ତ ହୋଇପଡନ୍ତି ସମର୍ପଣର ପାଖୁଡାଗୁଡିକ । ମ୍ଳାନ ହୋଇପଡନ୍ତି ଶୃଙ୍ଖଳାର କଠିଣତମ ସଂହିତା । ସାରା ଜୀବନର ସମସ୍ତ ଜନ୍ତୁ ଓ ଜଡ ଗୋଟିଏ ମୁହୂର୍ତ୍ତର ପ୍ରତିନିଧି ପରି ଏକାକାର ହୋଇ ପଡନ୍ତି । ସ୍ୱାମୀଙ୍କ ଅମାଳ ଓ ଅଲିଭା ଶବ୍ଦମାନେ କ୍ଷିପ୍ର ବେଗ ଓ ଅତିସାର ଆବେଗରେ କି ବିପ୍ରଲମ୍ବ ରତିରସ ପରି ଇତସ୍ତତଃ ନ ହୁଅନ୍ତିଟି । ସେତେବେଳେ ସେ ଭାବନ୍ତି, ସତେ ଯେମିତି ସ୍ୱାମୀଙ୍କ ପ୍ରତ୍ୟେକ ହଲନ୍ତା ପାଦପାତ ପୌରୁଷର ନୂଆ ନୂଆ ତୃପ୍ତ ଠାଣି । କେଉଁଠୁ ଆସେ କେଜାଣି, ତାଙ୍କର ସମସ୍ତ ଲୋମକୂପ ଭରି ଯାଏ ଉନ୍ମାଦନା ଓ ଆଶ୍ୱାସନାର ବିସ୍ଫୋରଣରେ । ଆଶା ଆଶାରେ ହିଁ ସବୁ ଆତଙ୍କ ଲୋପ ହୋଇଯାଏ । ସ୍ୱାମୀଙ୍କ ପ୍ରତ୍ୟେକ ସ୍ପର୍ଶ, ପ୍ରତ୍ୟେକ ପୀଡା ତାଙ୍କ ଦେହ ପଖାଳିବାକୁ କୋଟି କୋଟି ଅବତାରରେ ରୂପାନ୍ତରିତ ହୋଇ ଯାଆନ୍ତି ।

   ହେଲେ ଏ ରାତି ସେମିତି ନ ଥିଲା । ଝିଅ ଶୋଇଛି ଅଜଣା ଆଘାତରେ । ମା’ଙ୍କର ରତିମୁକ୍ତା ସାଉଁଟିବାକୁ ମନ କାଇଁ ଯେ?
  ବାଥ୍ ରୁମରେ ବେଙ୍ଗ କୁ ଡରି କାମିନୀ କେମିତି ଚିର୍ଚିରେଇ ଥିଲା ଓ ସେ କିପରି ଝିଅକୁ ସାଷ୍ଟାମ କରି ଶୁଆଇଛନ୍ତି, ସବୁ କଥା ଶୁଣି ବାପା କହିଲେ, “ଆଜି ପରା ନିଜେ ଜାଙ୍ଗରପାଲୀ ବିଧାୟକ ମତେ ଆଉ ଏସ.ଆଇ ସ୍ୱାଇଁକି ଡେ-ଫେୟାର ହୋଟେଲକୁ ଡାକି ଥିଲା । ତମ ପାଇଁ ଗୋଟେ ବ୍ଳକ ଆଇସ୍କ୍ରିମ୍ ଆଣିଚି ।” ମନେ ପଡି ଯିବାରୁ ତାହା ସେ ମୋଟରସାଇକେଲ ଡିକିରୁ ଆଣିବାକୁ ଗଲେ ।
  ଝିଅ ଠିକ ହୋଇଯିବ ମ । ବୟସ ଦୋଷ । ସେକଥାରେ ଆଦୌ ଗୁରୁତ୍ୱ ନ ଦେଇ ସାହୁ ନିଜ ମନର ତରଳ ଇଚ୍ଛାମାନଙ୍କ ପାଇଁ ଘରର ସେଟିଙ୍ଗ୍ ଠିକ ଅଛି ବୋଲି ନିଶ୍ଚିତ ହେଲା ପରେ ସ୍ତ୍ରୀଙ୍କୁ ଟଣାଭିଡା କଲେ । କିଛି ଫଳ ମିଳି ନ ଥିଲା । ନିଜ ଶୋଇବା ଶେଯରୁ ଉଠେଇ କାମିନୀକୁ ପତ୍ନୀ ଆଉ ଘରକୁ ବି ନେଲେ ନାହିଁ ।
  ହାରିବା ସେ ଶିଖିନାହାଁନ୍ତି । ହାବିଲ୍ଦାର ହରି ସାହୁ ତଥାପି ମନରେ ଆଶା ବାନ୍ଧି ଜାଫିର୍ଘେରା ବାରଣ୍ଡାରେ ପଡିଥିବା ତକ୍ତପୋଷ ଉପରେ ଶୋଇବା ବାହାନାରେ ଖାଲି ଉଠବସ ହେଲେ । ପତ୍ନୀଙ୍କ ସହଯୋଗୀ ମାନସିକତା ଉପରେ ତାଙ୍କର ଭରସା ଥିଲା । ଶୋଇବାଘର ଶେଯରୁ ବାରଣ୍ଡା ଦେଖାଯାଏ ।
  ପାୱାରକଟ୍ ଅନ୍ଧାର ଓ ଛୁଆଙ୍କ ନିଦ - ସେ ଜାଣନ୍ତି । , ଦୁଇଟିକୁ ବିଶ୍ୱାସ କରାଯାଏନା । ଝରକା କବାଟ ସେ ତାଙ୍କ ପଟୁ ବନ୍ଦ କରିଦେଲେ । କାମିନୀର ନିଦ ଭାଙ୍ଗିଲେ ବି ସେ ଯେମିତି କିଛି ଜାଣି ନ ପାରେ । ଅତି ଅଦ୍ଭୁତ ଥିଲା ତାଙ୍କ ପୀଡା । ମନରେ ଚିଅାଁ ଲାଗି ଯାଉଥିବା ଚମତ୍କାର ଆଶାରୁ ଘୁଞ୍ଚି ନ ପାରି ସେ ବାରମ୍ବାର ଶୋଇବାକୁ ଚେଷ୍ଟା କରୁଥା’ନ୍ତି । ରାତି କେତେ ହୋଇଥିବ କେଜାଣି? ମଦ ନିଶାର ନିଶ୍ୱାସ ଆଉ ଝିଙ୍କାରିର ଶବ୍ଦ ଛଡ଼ା ତାଙ୍କୁ ଆଉ କିଛି ଶୁଭୁ ନ ଥିଲା ।
ହରି ସାହୁ ବିକଟାଳ ଚିତ୍କାରଟେ କଲେ । ଖଟରୁ ଡେଇଁ ପଡିଲେ । ଜାଫିର୍ ବାହାରେ ଖୋଦ ଏସ୍.ପି ସାହେବ ଠିଆ ହୋଇଛନ୍ତି । ଆଚମ୍ବିତ କଥା, ସେ ପୁଲିସ କଲୋନି ବାଟ ଦେଖିଲେ କେମିତି ଯେ ସିଧା ତାଙ୍କ ଦାଣ୍ଡରେ ପହଞ୍ଛିଗଲେ? 
 ସେ କେମିତିକା? ମୁହଁଟା ଏସ୍.ପି ଙ୍କର । ଦେହଟା ଅବାସ୍ତବ ନେଉଳ ପରିକା । ସାଇଜରେ ତାହା ଏତେ ବଡ, ଯେମିତି ଗୋଟେ ବୟସ୍କ ବଳଦ । ହୋସ୍ ହଜେଇ ହରି ସାହୁ ଲୁଙ୍ଗି ପିନ୍ଧିଥିଲେ ବି ସାଲୁଟ ମାରିଦେଲେ । ନେଉଳ ବି ତାହା ଗ୍ରହର କଲା ଆଗ ଡାହାଣ ଗୋଡକୁ ହାତ ପରି ଟେକି - ପୁଲିସ ଠାଣିରେ । ନେଉଳର ହାବଭାବ ରାଗିଲା ପରି ଲାଗୁଥିଲା । ତୁଣ୍ଡରେ କିଛି କହିବା ପୂର୍ବରୁ ନେଉଳ ନିଜ ଲାଙ୍ଗୁଡକୁ ଘନ ଘନ ଭୂଇଁରେ ପିଟିଲା । ମୋରମ ରାସ୍ତାରୁ ନାଲି ଧୂଳି ଉଡିଲା । କିଛି ଦେଖାଯାଉ ନ ଥାଏ । କେଉଁଠି ଥିଲା କେଜାଣି, କା କା କରି ଗୋଟେ ପ୍ରକାଣ୍ଡ କାଉ ତାଙ୍କ ଘର ଉପରେ ଚକ୍କର କାଟିଲା । ସେଇ ଧୂଳିଧୂଆଁ ଭିତରୁ କାଉଟା ତାଙ୍କୁ ଜାଙ୍ଗରପାଲି ବିଧାୟକ ପରିକା ଲାଗିଲା । ଏହାପରେ ପୁଣି ଆଚମ୍ବିତ କଥାଟିଏ ଘଟିଲା । ଅନୋଉ ଅନୋଉ ବୃହଦକାୟ ନେଉଳଟା ଜିଆଠୁଁ ବି ଛୋଟ ହୋଇ ତରତରରେ ଜାଫିର୍ ଭିତରକୁ ପଶି ଲୁଚିବାକୁ ଜାଗା ଖୋଜୁଥିଲା । ବୁଦ୍ଧିମାନ ସାହୁ ତାକୁ ଗୋଟେ ତାଟିଆରେ ଘୋଡ଼େଇ ପକେଇଲେ । ସେତେବେଳେକୁ ସ୍ତ୍ରୀ ଏବଂ ପୁଅ ଝିଅ ତ୍ରସ୍ତପ୍ରାୟ ଦୁଆରମୁହଁରେ ଠିଆ ହୋଇଥା’ନ୍ତି । କାମିନୀକୁ କତିରେ ଦେଖି ସେ ପାଟି କରି କହିଲେ, “ଆଣିଲୁ ତୋ ବେଙ୍ଗରୁ ଗୋଟାଏ । ତାଟିଆ ତଳେ ଅଛି ଭୟାନକ ଜିଆଟେ । ସିଏ ତାକୁ ଖାଇ ଦଉ ।” ତକ୍ତପୋଷ ଉପରେ ବସାଇ ସ୍ତ୍ରୀ ତାଙ୍କ ପିଠି ଆଉଁଶୁ ଥିଲେ । ପୁଅ ଆବାକାବା ହୋଇ ୟାଡ଼େସାଡ଼େ ଅନୋଉଥିଲା । କାମିନୀ ହସୁଥିଲା । ସିନ୍ଦୁରାଫାଟି ନ ଥିଲେ ବି ପୂର୍ବଆକାଶ ଟିକେ ଫର୍ଚ୍ଚା ଲାଗୁଥିଲା । ସ୍ତ୍ରୀ ତାଙ୍କ କାନ ପାଖରେ ଫୁସ୍ଫୁସ୍ କହୁଥିଲେ, “କାଇଁ ସେଗୁଡା ପିଉଚ କହିଲ?”