Jump to content

ଆଶା ତମସା/ମୁଖବନ୍ଧ

ଉଇକିପାଠାଗାର‌ରୁ
ଆଶା ତମସା ଲେଖକ/କବି: ରବି କାନୁନ୍‌ଗୋ
ମୁଖବନ୍ଧ

ମୁଖବନ୍ଧ:
‘ବିଜୁଳି କଢ଼େଇବ ବାଟ ଯେ ଗୋବିନ୍ଦ ହରେ’

ସତ ପାହାଡ଼ ଦେଖି ନ ଥିଲୁ । ପିଲାଦିନେ ନଇପଠା ବାଲିକୁଦକୁ ଟାଙ୍ଗ-ପାହାଡ଼ କହୁଥିଲୁ । ଭୟ ବି କରୁଥିଲୁ । ଅରମା ବଣବୁଦା ଘେରା ଅଞ୍ଚଳ । ବିଲୁଆ, କୋକିଶିଆଳି, ହେଟା, କଲରାପତରିଆ, କଟାସ, ବହୁ କିସମର ସାପ ଓ ଶାଗୁଣା ରହୁଥିଲେ । ଅତୀତରେ ସେଠି କୁଆଡ଼େ ଏପରି ଏକ ବିଶାଳ ବିଶାଳ ବରଗଛ ଥିଲାଯେ ଯାହାର ମୂଳ କେଉଁଟା ବା ଓହଳ କେଉଁଟା ତାହା ଖାସା ଖାସା ଲୋକେ ବି ଠଉରେଇ ପାରୁ ନ ଥିଲେ । ଏବଂ ସାଥୀ ସହଚରଙ୍କ ସହ ରହୁଥିଲା ଏକ ଭୟାନକ ଅଶରୀରୀ । ସେମାନେ ନାନା ଉତ୍ପାତ କରୁଥିଲେ ।

ଏହା ଜାଣନ୍ତେ, ଅଚ୍ୟୁତାନନ୍ଦ ମାହାପ୍ରୁ କୁଆଡ଼େ ଅଶରୀରୀଙ୍କୁ ସାବାଡ୍ କରିବାକୁ ସବାଆଗେ ଗଛଟାକୁ ସେଠୁ ଉଭାନ କରିଦେଲେ । ସେଇଠି ଆଉ ଗୋଟେ ତାଳଗଛରେ ଖଣ୍ଡେ ଲଙ୍ଗଳ ଲୁହା ବିନ୍ଧି ସମସ୍ତଙ୍କୁ ବନ୍ଦି କରି ମାହାପ୍ରୁ ଆଗକୁ ଚାଲିଗଲେ ।

କଥିତ ତାଳଗଛ ନଥାଏ । ସୁଦୁ ଗପ ଜରିଆରେ ଉଦ୍‌ବାସ୍ତୁ ଅଲାଜୁକ ପାପିଷ୍ଠ ଅଶରୀରୀଗୁଡ଼ିକ ପିଢ଼ି ପରେ ପିଢ଼ି କେତେ କାନ୍ଧ ଚଢ଼ି ଆମ ପାଖରେ ହାଜର । ହେତୁ ବଢ଼ିବା ସାଙ୍ଗେସାଙ୍ଗେ ସେମାନଙ୍କ ରୂପ ଓ ମାୟା ଅଧିକ ବିସ୍ତାରିବା ସମ୍ଭବ ହେଉଥିବାବେଳେ ମୁଁ ପ୍ରବାସୀ ହେଲି । କିନ୍ତୁ ରହସ୍ୟମୟ ଅଶରୀରୀଗଣ ମୋ ଭାଲପଟୁ ହଟୁ ନ ଥିଲେ । ତେଣେ, ଭୟାନକ ସେଇ ଟାଙ୍ଗ-ପାହାଡ଼ ଛୋଟବଡ଼ କୋଠାଘର, ପିଚୁରାସ୍ତା ଏବଂ ଚକାଚକ ବିଜୁଳି ଆଲୁଅଘେରା ଇରିଗେସନ ଡିଭିଜନ ଅଫିସ ଓ କର୍ମଚାରୀଙ୍କ କଲୋନିରେ ପରିରତ ହେଉଥିଲା । ନିପଟ ଧୋୟା ମଫସଳୀ ଗାଁରେ ସହରୀ ଆଡ଼ମ୍ବର ଦେଖିବାକୁ ଆମେ କଲୋନୀ ଭିତରକୁ ବୁଲିବାକୁ ଯାଉଥିଲେ ବି ଅଶରୀରୀମାନଙ୍କ ପାଇଁ ଆଉ ଭୟ ନ ଥିଲା । କିନ୍ତୁ ସରକାର ସେଠି କିଛି କଲେ ନାହିଁ । ତା’ପରେ ମଣିଷ-ଭୂତମାନେ ସେଠୁ ସବୁ ଲୁଟପାଟ କରିଦେଲେ । ଆଉ ପରବର୍ତ୍ତୀ ଦି’ତିନି ବର୍ଷରେ ନିର୍ମାଣର ସବୁ ବିଭବ ପୁନଶ୍ଚ ଭୂତକୋଠିରେ ପରିଣତ ହୋଇଗଲା ।

ଜୀବନର ଗତିପଥ ଓ ଅବବୋଧର ଶୈଳୀ ବାରମ୍ବାର ବଦଳେ । ଅନୁଭୂତି ସହ ସଚେତନ ରହିବା ଓ ଯଥାସମ୍ଭବ ସେଗୁଡ଼ିକୁ ସାହିତ୍ୟରେ ରାୂପ ଦେବା ମୋର ଅଭ୍ୟାସରେ ପରିଣତ ହୋଇ ଯାଇଛି ।

ଏକ ଆକସ୍ମିକତା ଭିତରେ ଘାରି ହୋଇ ନ ଥିଲେ ଏ ଲେଖା ନିଶ୍ଚୟ ଭିନ୍ନହୋଇଥା’ନ୍ତା ।

ଜୁନ ୩୦, ୨୦୦୮ । ଆମ ସବା ବଡ଼ଭଉଣୀ ଶ୍ରୀମତୀ ପ୍ରଭାତନଳିନୀ କାନୁନ୍‌ଗୋ ସଂସାର ଛାଡ଼ି ଚାଲିଗଲା । ମୋଠୁଁ ସେ ଚଉଦ ବର୍ଷ ବଡ଼ । ଠିକ୍ ଦୁଇ ଦିନ ପୂର୍ବରୁ ଭୁବନେଶ୍ୱର ଏକ ନର୍ସିଂହୋମରୁ ସେ ଯେମିତି ଠୋସ୍‌ଠୋସ୍ ଫୋନରେ କଥା ହେଲା, ମରଣ ଯେ ତାର ଏତେ ସମୀପ - ଏକଥା କଳନା କରି ପାରି ନ ଥିଲି । ତା ପାଖରେ ପହଞ୍ଚିବାର ମିନିଟିଟିଏ ଆଗରୁ ସେ ଆଖି ବୁଜି ଦେଇଥିଲା । ତା ଆଦରରେ ମୁଁ ଅଭିଷିକ୍ତ । କିନ୍ତୁ ଥରେ ବି ତା’ର କିଛି କାମରେ ଆସି ନ ଥିବି । ମୋ ଜୀବନରେ ସିଏ ଯେ କାହିଁକି ଓ କିପରି ଅମୂଲ୍ୟ ବୃତ୍ତାଶଂଟିଏ – କହିବାକୁ ବହୁ ଆକର୍ଷଣ ଥିଲେ ବି ଏଠି ତହିଁର ଅମକାଶ ନାହିଁ । ତା ଅନ୍ତେ ଯେଉଁ ଅଭାବ ମୋତେ ସବୁଠାରୁ ଅଧିକ ଗ୍ରାସ କଲା – ତାହା ହେଲା, ମୋ ପାଇଁ ସେ ଥିଲା ବୋଉର ଶେଷ କା’ । ଏଣିକି ବାଗୁଡ଼ି ଖେଳରେ ନିଜ ପାହି ନିଜେ ଜଗିବାକୁ ହେବ ।

ଦୃଢ଼ତାମାନେ ଅଭଦ୍ରାମି ନୁହେଁ ।
ଦୁର୍ବଳ ଚରିତ୍ରର ଲୋକ କାହାରିକି ବି ଆଦର କରି ପାରେ ନାହିଁ ।
ଆନନ୍ଦ ମାଗଣାରେ ମିଳୁଥାଏ ଏବଂ ଖର୍ଚ୍ଚବାର୍ଚ୍ଚ କଲେ ଯାଇ ଦୁଃଖ ଉପାର୍ଜନ କରିହୁଏ ।
ଯିଏ ସୁଧାରଭାବେ ସତ ଭାବିବାକୁ ଡରେ ସେ ଠିକଣାଭାବେ ମିଛ ବି ତୁଲେଇ ପାରେନି ।
ମା’ ଜାଗା ଶାଶୁ ପାଇବ ନାହିଁ । କାରଣ ସେ ଭାବେ, ସତେ ଯେମିତି ସେ ଏକ ସିଂହାସନର ଅଧିକାରିଣୀ । ସେଠୁ ତଳକୁ ଡେଇଁଲେ ତ!
ରାଗିବା ପାଇଁ ଫଁ ଫଁ ହେବା କ’ଣ ଦରକାର?
ବହିରେ ବିଦ୍ୟା ଥାଏ । ବୁଦ୍ଧି ନ ଥାଏ ।

ଏହିପରି ଅସଂଖ୍ୟ ତା’ର ମନ୍ତବ୍ୟ । ନିଜ ଜୀବନରେ ସବୁ ସେ ପ୍ରମାଣ କରି ଦେଖେଇ ପାରିଛି । କେମିତି ସୁନ୍ଦର ପରିବାରଟିଏ ଗଢ଼ା ଯାଏ ବା କେଉଁ ଦ୍ୱିଧାହୀନ ଆବେଗରେ ଜଣେ ଆପଣାପଣକୁ ଆଦରି ପାରେ – ଏମିତି ଅନେକ କଥା ତା’ଠାରେ ଦେଖିଥିବି । ସେ ବଞ୍ଚିଥିବାବେଳେ ସେଗୁଡ଼ିକ ହେଜି ପାରି ନ ଥିଲି । ତା’ଠାରୁ ଆଉ କିଛି ନୂଆ ଶୁଣିବାକୁ ବା ଦେଖିବାକୁ ମିଳିବ ନାହିଁ । ଏଣିକି ହୁଏତ ସେଥିରୁ କିଛି କେତେବେଳେ କେମିତି ମନେ ପଡୁଥିବ । ଅନ୍ଧାର ଆକାଶରେ ଯେଉଁ ତାରାଟି ଭଲ ଲାଗୁଥିବ ତାକୁ ହିଁ ଦେଖି ଭାବିନେବି – ସେଇ ମୋର ଅପା!

କେଜାଣି କାହିଁକି, ସଙ୍କଟ ଏବଂ ମୁଁ ସତେ ଯେମିତି ମଇତ୍ର ହୋଇ ଜନ୍ମ ଲଭିଛୁ । ମୁଁ ଅଧୈର୍ଯ୍ୟ ହୁଏ । ସର୍ବଦା ତା’ର ସ୍ୱାନ୍ତନା ଥାଏ – ସାପୁଆକେଳାଙ୍କ କୃଷ୍ଣଜନ୍ମ ଗୀତରୁ ପଦେ । ଟିକେ ବଦଳେଇ କହିଦିଏ – ‘ବିଜୁଳି କଢ଼େଇବ ବାଟ ଯେ ଗୋବିନ୍ଦ ହରେ’ । ଏ ସତ ମୁଁ ବାରମ୍ବାର ଅନୁଭବ କରିଥିବି । ଅପାର ଜୀବନ ଓ ସଂସାର ପରିଚାଳନା କୌଶଳ ବେଶ୍ ସୁତୁରା ଥିଲା । ଅନେକଙ୍କ ପରି ଦର୍ଶନଶାସ୍ତ୍ରରୁ ଯାଇତାଇ କିଛି ଜାଣିଥିଲେ ସୁଦ୍ଧା ତା ମରଣର ବିଷାଦଠାରୁ ଏଯାଏ ବି ଖୁବ୍ ଦୂରକୁ ଯାଇ ପାରିନାହିଁ ।

ଏବଂ ସେତିକିବେଳେ ଏ ମୁଖବନ୍ଧ ମୋତେ ଲେଖିବାକୁ ପଡୁଛି ।

୧୫ଶ ଶତାବ୍ଦୀର ବ୍ରଜଭାଷୀ କବି ସୁରଦାସ ଏବଂ ଆହୁରି ଅନେକ ସନ୍ଥ ଭବିଷ୍ୟବାଣୀ କହିଛନ୍ତି ।

ଲୋକେ ଜାଣିବେ ଅଧିକ, ବୁଝିବେ କମ୍ । ଭାଷିବେ ଅଧିକ, ଶୁଣିବେ କମ୍ । ଭ୍ରମିବେ ଅଧିକ ଭାବିବେ କମ୍ । ରାଗିବେ ଅଧିକ, ହସିବେ କମ୍ । ପଣ୍ଡିତ ସେବକ ମୂରୁଖ ରାଜା । ହଗିଗଲାବେଳେ ପାଜିବ ବାଜା । କ୍ଷୀର ନୀର ହବ ଗୋଟିଏ ଭାଉ । ଭାତ ଛାଡ଼ି ଲୋକେ ଖାଇବେ ଯାଉ । ନାରୀ ହୋଇବେ ନର ବେଶ, ତେବେ ଜାଣିବ କଳିଯୁଗ ଶେଷ !

ସନ୍ଥମାନଙ୍କ କଳ୍ପନାଠାରୁ ଘଟଣା ବହୁ ଅଧିକ ସଂପନ୍ନ ହୋଇ ସାରିଲାଣି । ସେମାନେ ଯଦି ଭାବୁଥିବେ – ଜଳ ଐଶ୍ୱରୀୟ ଦାନ ତେଣୁ ତାହା ବିକ୍ରିଯୋଗ୍ୟ ହୋଇ ନ ପାରେ, ଆମେ ତା’ଠାରୁ କେତେ ଦୂରରେ ପହଞ୍ଚି ସାରିଛୁ । ସନ୍ଥ ଜାଣି ନ ଥିଲେ ବୋଲି ସତ୍ୟକୁ ଅସ୍ୱୀକାର କରି ହେବନି । ଆଜିର ବସ୍ତୁସତ୍ୟ ଏହା ଯେ କ୍ଷୀର, ନୀର ଓ ନୀରା (ମଦ) ଏକା ମୂଲ୍ୟରେ ବିକ୍ରି ହେଉଛି । ଓମ୍‌ଫେଡ଼୍ ପ୍ୟାକେଟ ଦଶ ଟଙ୍କା, ରେଳ-ନୀର ବୋତଲଦଶ ଟଙ୍କା, ସରକାରଙ୍କ ମଦ ପାଉଚ୍ ବି ଦଶ ଟଙ୍କା । ଭାତଠାରୁ ପିଲାମାନେ ମ୍ୟାଗି-ଯାଉ ଖାଇବାକୁ ଭଲ ପାଉଛନ୍ତି । ଆମେ ଘରେ ନୂଆ ମା’ମାନଙ୍କୁ ଦେଖୁଚୁ । ସେମାନଙ୍କୁ ଆଉ ଭାତ ରନ୍ଧା ପରି ବିପତ୍ତିର ମୁକାବିଲା କରିବାକୁ ପଡୁନାହିଁ । ପବନର ବିକ୍ରି ଯୁଗ ଚାଲିଛି । ଦଶ ଟଙ୍କିଆ ସେଲଫୋନ୍ ଟପ୍ଅପ ଭାଉଚର ବି ଉପଲବ୍ଧ ।

ଏବଂ କଳିଯୁଗ ସରିନାହିଁ । ମୋ ମତ – ତାହା ସରିବା ଉଚିତ୍ ମଧ୍ୟ ନୁହେଁ । ଯେଉଁମାନେ ସରିଯିବ ବୋଲି ଭୟ କରୁଛନ୍ତି ବା ପ୍ରଚାର କରୁଛନ୍ତି ସେମାନଙ୍କୁ ଧାର୍ମିକ ଅପେକ୍ଷା ଭୀରୁ ବା ପଳାୟନପନ୍ଥୀ ବୋଲି ଭାବିବା ଅଧିକ ଉଚିତ୍ ହେବ । ଆଉ ଜଣଙ୍କ ସହିତ ବଂଚି ନ ଶିଖି ନାନା ଆଳରେ ଖଳବ ବ୍ୟସ୍ତ ମଣିଷ – କଳିଯୁଗ ଶେେ ହେବା ବାହାନାରେ – ଡାଇରେକ୍ଟ ‘ଭଗବାନ’ଙ୍କର ହୋଇଯିବ ଏକଦମ୍ ଡାଇରେକ୍ଟ ଆପ୍ରୋଚ ସିରିଜ? ରିଟେଲ୍ ଦେକାନ, ଟେଲି-ମାର୍କେଟ ସବୁଠି ଭଗବାନ । ଗଡିଆ ଗୋଳାବେଳେ ଦଣ୍ଡିକିରି, କରାଣ୍ଡିଙ୍କ ପରି ଇଶ୍ୱରଗୁଡିଏ ଖପ୍‌ଖପ୍ ଡେଉଁଛନ୍ତି । କରାଟରେ ପ୍ରଭୁଙ୍କ ପଦରଜ ମିଳୁଛି । ଶିବ କାନ୍ଦୁଛନ୍ତି ଓ ଭକ୍ତଙ୍କ ସର୍ବସିଦ୍ଧି ପାଇଁ ତାଙ୍କ ଲୋତକରୁ ରୁଦ୍ରାକ୍ଷ ଉପୁଜୁଛି । ଭଗବାନମାନଙ୍କର ଏପରି ପ୍ରଚୁର ଆବିର୍ଭାବ ସତ୍ତ୍ୱେ, କଳିଯୁଗ ଶେଷ ହେବା ଆତଙ୍କ ଭକ୍ତ ମନକୁ କାର୍ହିକି ଆସୁଛି କେଜାଣି? ଏମିତିକା ଭକ୍ତ-ଭଗବାନ ସଂଶୟ ବା ପ୍ରତ୍ୟୟହୀନତା ସହିତ ବିଶ୍ୱ-ମାନବର କିଛି ଯାଏଆସେ ନାହିଁ । ସେ ତା ଇଶ୍ୱରଙ୍କୁ ଅଲଗା ଢ଼ଙ୍ଗରେ ଖୋଜେ । ପାଉ ନ ପାଉ, ଆଶାରେ ବଞ୍ଚେ ।

ମଣିଷମାନେ ଯେତେ ପାଠୁଆ ହୋଇଛନ୍ତି ସେମିତି ବୁଦ୍ଧିଆରା ହୋଇଛନ୍ତି କି ନା, ଏତିକି ଜାଣି ନାହିଁ ବୋଲି ତ ସାହିତ୍ୟ କରୁଚି ।

ଏଥିରେ ସନ୍ନିବିଷ୍ଟ ସମସ୍ତ ଗଳ୍ପ ସ୍ୱନାମଧନ୍ୟ ପତ୍ରିକାମାନଙ୍କରେ ପୂର୍ବରୁ ପ୍ରକାଶିତ । ପ୍ରତ୍ୟେକର ପାଠକୀୟ ପ୍ରତିକ୍ରିୟା ମୋଟାମୋଟିଭାବେ ମୁଁ ଜାଣେ । ସଂକଳନ ରୂପେ ସେଇଆଡୁ ଆଉଥରେ ଅର୍ପଣ କଲାବେଳେ ନୂଆ କିଛି କହି ପାଠକଙ୍କୁ ଅନାହୂତ ‘ପ୍ରିଜୁଡ଼ିସ୍ଡ଼’ କରିବାକୁ ଚାହେଁନା । ପଢ଼ନ୍ତୁ, ଖୁସି ହେବି । ମନ ମିଶିଲେ, ସାଥୀ ପାଇବି ।

ସଂକଳନରେ ପରିଣତ ନ ହୋଇ ଅସଂଖ୍ୟ ପ୍ରକାଶିତ ଗଳ୍ପ ଓ ରଚନା ପଡ଼ି ରହିଛି । ଏ ବହି ବି ହୋଇ ପାରି ନ ଥା’ନ୍ତା । ସମ୍ଭବ ହେଲା-ବିଶିଷ୍ଟ ଗାଳ୍ପିକ ଏବଂ ଅନ୍ତରଙ୍ଗ ଶ୍ରୀଯୁକ୍ତ ଦେବେନ୍ଦ୍ର ମହାନ୍ତିଙ୍କ ଯୋଗୁଁ ତାଙ୍କ ନିକଟରେ ନିର୍ବାକଭାବେ କୃତଜ୍ଞ ।

ରାସ ପୂର୍ଣ୍ଣିମା, ୨୦୦୮

ରବି କାନୁନଗୋ