ଇତାଲୀୟ ଯୁବା

ଉଇକିପାଠାଗାର ରୁ
Jump to navigation Jump to search
ଉପକ୍ରମଣିକା

ଇଉରୋପ ମହାଖଣ୍ଡରେ ଅଲ୍‌ପସ୍ ନାମକ ଏକ ଦୀର୍ଘ ଉଚ୍ଚ ପର୍ବତ ଅଛି । ସେହି ଗିରିର ଉଚ୍ଚ ଶୃଙ୍ଗମାନ ସବୁବେଳେ ତୁଷାରରେ ଘୋଡ଼ାଇ ହୋଇଥାନ୍ତି । ତଳଭାଗର ଚାରିଆଡ଼େ ନିବିଡ଼ ବନ । କୌଣସି କୌଣସି ସ୍ଥାନରେ ବିସ୍ତୃତ ତୃଣପୂର୍ଣ୍ଣ ପଦା ଅଛି । ରଖୁଆଳମାନେ ମେଣ୍ଢା ଚରାଇବା ନିମନ୍ତେ ପର୍ବତରେ କୁଟୀର ବନାଇ ରହନ୍ତି । କେବେ କେବେ ଘୋର ଝଡ଼ ହୁଏ । ବଡ଼ ବଡ଼ ଗଛମାନ ପ୍ରଚଣ୍ଡ ପବନ ବେଗରେ ମହୀରେ ଶୁଅନ୍ତି । ଚାରିଆଡ଼େ ତୁଷାର ବୃଷ୍ଟି ହୁଏ । ଆକାଶ ଅନ୍ଧାର ହୋଇଯାଏ । ପଥିକମାନେ ଏପରି ଝଟକାରେ ପଡ଼ିଲେ ସେମାନଙ୍କର ମୃତ୍ୟୁରୁ ରକ୍ଷା ପାଇବା କଠିନ ହୁଅଇ ।

ଦିନେ ସକାଳେ ଉକ୍ତ ଗିରିରହଣୀ ଜଣେ ମେଷ ରଖୁଆଳ ଚାରିଜଣ ଅତିଥି ସ‌ହିତ ଆପଣା କୁଟୀର ମଧ୍ୟରେ ବସି କଥାବାର୍ତ୍ତା କରୁଥିଲେ । ପ୍ରବଳ ବାୟୁ ଯୋଗୁ ଗୃହରୁ ବାହାର ହେବା ଦୁଷ୍କର ହୋଇଥିଲା । ଗୃହସ୍ଥ ଅତିଥିମାନଙ୍କୁ ପଚାରିଲେ, "କାଲି ରାତିରେ କେହି କିଛି ଦେଖିଥିଲ ?" ଅତିଥିମାନେ କିଛି କାଳ ତୁନୀ ହୋଇ ରହିଲେ । ଅନନ୍ତର ଜଣେ କ‌ହିଲେ, "ଦେଖିଥିଲୁ ।" ଗୃହସ୍ଥ ପଚାରିଲେ, "କଅଣ ଦେଖିଲ ?" ଅତିଥି କ‌ହିଲେ, "କୌଣସି ଭୟଙ୍କର କଥା ଦେଖିଥିଲୁ ।" "ଯାହା ଦେଖିଥିଲ କ‌ହ ।" ଅତିଥି ବୋଇଲେ, "ଗଲା ରାତିରେ ଆମ୍ଭେ ଯେତେବେଳେ ଶୋଇବାକୁ ଗଲୁ, ଶୋଇବା ଘର କାନ୍ଥରେ ଖଣ୍ଡିଏ ଚିତ୍ରପଟ ଝୁଲୁଥିବାର ଦେଖିଥିଲୁ । ଅନନ୍ତର ବିଛଣାରେ ପ‌ହଡ଼ ହୋଇ ସ୍ଥିର ଆଖିରେ ସେହି ପଟରେ ଅଙ୍କା ହୋଇଥିବା ପ୍ରତିମୂର୍ତ୍ତିକୁ ଅନାଇ ରହିଲୁ । ଦୀପ ମଳିନ ଜଳୁଥିଲା । ଘରେ ଆଉ କେହି ନ ଥିଲେ । ପ୍ରତିମୂର୍ତ୍ତି ଦେଖି ଆମ ମନରେ ଭୟ ସଞ୍ଚରିଲା । କିପାଇଁ ଏପରି ହେଲା, କ‌ହି ନ ପାରୁ । କ୍ରମଶଃ ଶଙ୍କା ବଢ଼ିଲା । ଆମ୍ଭର ବୋଧହେଲା ଯେ, ସେହି ପ୍ରତିମୂର୍ତ୍ତି ଏକ ପ୍ରତିମୂର୍ତ୍ତି ନୁହେଁ, ଗୋଟିଏ ଭୁତ । ଆଖି ବୁଜିଲୁ, ନିଦ୍ରା ହେଲା । ନିଦ୍ରାରେ ସୁଦ୍ଧା ଭୁତର ସ୍ୱପ୍ନ ଦେଖିଲୁ । ବିଛଣାରୁ ଉଠି ବାହାରକୁ ଆସିଲୁ, ଚାରିଦିଗ ଘୋର ଅନ୍ଧକାରରେ ଆଚ୍ଛନ୍ନ ! ବୃଷ୍ଟି ହେଉଅଛି । କେବେ କେବେ ବିଜୁଳି ଝଟକରେ ପାଖରେ ଥିବା ଗଛମାନ ଦୃଷ୍ଟିଗୋଚର ହେଉଛନ୍ତି । ଗଭୀର ମେଘ ଗର୍ଜନ, ପୁଣି ପବନ ଘୋର ବେଗରେ ବ‌ହୁଅଛି । କେହି ନାହିଁ, ଏକ ବାହାରେ କିପରି ରହିବୁ ? ଘର ଭିତରକୁ ଗଲୁ, ଦୀପ ନିଭିଯାଇଥିଲା । ବିଛଣାରେ ବସିଲୁ । ପୁଣି ସେହି ଭୁତର ଭୟ ଉପସ୍ଥିତ ହେଲା । ରକ୍ତ ଜଳ ହୋଇଗଲା । ଦେହ ଥରିଲା । ଆଖି ମେଲିଲେ ସେହି ଭୁତ, ଆଖି ବୁଜିଲେ ସୁଦ୍ଧା ସେହି ଭୁତ । ପୁଣି ବାହାରକୁ ଆସି ଦେଖିଲୁ ସେହିପରି ବୃଷ୍ଟି ହେଉଅଛି । ସେହିପାରି ବାଆ ବ‌ହୁଅଛି । ପାଞ୍ଚିଲୁ ଯାହା ହେବାର ହେବ, ଆଉ ଘର ଭିତରକୁ ଯିବୁ ନାହିଁ । ବାହାର ବଙ୍ଗଳାରେ ଖଣ୍ଡିଏ ମଶିଣା ପଡ଼ିଥିଲା । ସେଥିରେ ରାତିଯାକ ଶୋଇରହିଲୁ । ଦେହାରେ ଉଷୁମ ବସ୍ତ୍ର ଥିବା ହେତୁ ଶୀତ କଷ୍ଟ ହେଲା ନାହିଁ ।"

ଆନ ତିନି ଜଣ ହସିଲେ । ଗୃହସ୍ୱାମୀ କ‌ହିଲେ, "ହସିବାର କଥା ନୁହେଁଟି ? ଏ ଯାହା କ‌ହିଥିଲେ ସେଥିରେ ଟିକେ ମିଛ ନାହିଁ । ବାସ୍ତବରେ ସେ ଛବି ଦେଖିଲେ ଭୟ ଉପୁଜେ ।"
ଅତିଥିମାନେ ପଚାରିଲେ, "ସେ ଛବି କିଏ ଲେଖିଅଛି ?"
ଗୃହସ୍ଥଙ୍କ ଆଖିରୁ ଜଳ ଝରିଲା । ସେ ଦୀର୍ଘ ନିଶ୍ୱାସ ଛାଡ଼ିଲେ । କ‌ହିଲେ, "ଜଣେ ଇତାଲୀଦେଶୀୟ ଯୁବା ଲେଖିଅଛନ୍ତି । ଆହା ! ତାଙ୍କ କଥା ମନେ ପଡ଼ିଲେ ଆମ୍ଭର ଶୋକସାଗର ଉଛୁଳେ ।"
ଅତିଥିମାନେ କ‌ହିଲେ, "ଯେବେ ଆପଣଙ୍କର କଷ୍ଟ ନହୁଏ, ତେବେ ସେହି ଯୁବାଙ୍କର କାହାଣୀ କ‌ହିବା ହେଉନ୍ତୁ ।"

ଗୃହସ୍ୱାମୀ ଆରମ୍ଭ କଲେ-
ଆଗରେ ଆମ୍ଭେ ବିନିଶ ନ‌ଗରୀରେ ଥିଲୁ । ଦିନେ ଦାଣ୍ଡରେ ବୁଲୁ ବୁଲୁ ଦେଖିଲୁ ଦଶ ବାର ଜଣ ଇତାଳୀୟ ମନୁଷ୍ୟ ଏକମେଳ ହୋଇ ଆନନ୍ଦରେ କଥାବାର୍ତ୍ତା ହେଉଅଛନ୍ତି । ସେମାନଙ୍କ ମଧ୍ୟରେ ଏକ ତରୁଣ ବୟସ୍କ ପୁରୁଷ ଥିଲେ । ସେ ଅନ୍ୟମନା ହୋଇ ବସିଥିଲେ । କେବେ କେବେ ସଙ୍ଗୀ ଲୋକଙ୍କ ସ‌ହିତ ମିଳି ହସୁଥିଲେ, ମାତ୍ର ସେହି ହାସ୍ୟ ଆନ୍ତରିକ ବୋଲି ବୋଧ ହେଉନଥିଲା । ସେ ଦୀର୍ଘାକୃତି ପୁଣି କୃଶ ଥିଲେ । ଦେଖିବାକୁ ଅତି ସୁନ୍ଦର ଥିଲେ । ଆମ୍ଭେ ସେଦିନ ସେଠାରୁ ଲେଉଟି ଆସିଲୁ ।
ଅନନ୍ତର ଦିନ‌କରେ ଆମ୍ଭର କୌଣସି ଧନୀ ବନ୍ଧୁ ଆମ୍ଭକୁ ନିମନ୍ତ୍ରଣ କଲେ । ଆମ୍ଭେ ନିରୁପିତ ସମୟରେ ତାଙ୍କ ଘରେ ପ୍ରବେଶ ହେଲୁ । ନିମନ୍ତ୍ରିତ ବ୍ୟକ୍ତିମାନେ ମଉଜରେ ବସି ଗୀତ ଗାଉଥିଲେ । ଶଂସିତ ଯୁବାଙ୍କୁ ମଧ୍ୟ ସେଠାରେ ଦେଖିଲୁ ମାତ୍ର ପୂର୍ବରେ ଯେପରି ଦେଖିଥିଲୁ ସେହିପରି । ଏଥିରେ କୌଣସି ଗୂଢ଼ ରହସ୍ୟ ଥିବ, ଏହା ପାଞ୍ଚି ତାହା ଜାଣିବା ପାଇଁ ଆମ୍ଭର କୌତୁହଳ ହେଲା । ତାଙ୍କର ସ‌ହିତ ପରିଚିତ ହେବା ନିମନ୍ତେ ଆମ୍ଭର ଏକାନ୍ତ ବାସନା ହେଲା । ସେହି ସୁନ୍ଦର ମୁଖଚନ୍ଦ୍ରମାକୁ ଶୋକଘନରେ ଆବୄତ୍ତ ଦେଖି ଆମ୍ଭର ଅତ୍ୟନ୍ତ ଦୁଃଖ ହେଲା । ପୁରୁଷମାନଙ୍କ ଲାବଣ୍ୟରେ ପୁରୁଷେ ସୁଦ୍ଧା ମୁଗ୍‌ଧ ହୁଅନ୍ତି । ଆମ୍ଭେ ଯୁବକଙ୍କ ରୂପ ଦେଖି ମୋହିତ ହେଲୁ ।

ଯେତେବେଳେ ସେ ଯୁବା ବୁଝିପାରିଲେ ଯେ ତାଙ୍କ ସ‌ହିତ ମିତ୍ରତା କରିବା ନିମନ୍ତେ ଆମ୍ଭର ଆନ୍ତରିକ ବାଞ୍ଛା ହୋଇଅଛି, ସେ ଥରକୁ ଥର ଆମ୍ଭ ଗୃହକୁ ଆସିଲେ । ଦୁହିଁଙ୍କ ମଧ୍ୟରେ ପ୍ରିତୀ ହେଲା । ତେଣିକି ତେଣିକି ଏପରି ଘନିଷ୍ଠତା ହେଲା ଯେ ସେହି ଯୁବକ ପୂର୍ବ ବାସସ୍ଥାନ ଛାଡ଼ିଦେଇ ଆମ୍ଭ ପାଖରେ ଥିବା ଘରେ ଆସି ରହିଲେ । ଦୁହେଁ ସାଙ୍ଗ ହୋଇ ଆହାରାଦି କଲୁ ।

ଏହିରୂପେ କିଛି ଦିନ ଗଲା । ଦିନେ ଆମ୍ଭେ ତାଙ୍କୁ ପଚାରିଲୁ, "ମିତ୍ର ! ତୁମ୍ଭେ କାହିଁକି ଏପରି ବିଷର୍ଣ୍ଣ ଭାବରେ ଥାଅ ? ତୁମ୍ଭର ଦୁଃଖର କାରଣ କଅଣ ?"

ଯୁବା କ‌ହିଲେ, "ମିତ୍ର, କାହିଁକି ଏହା ପଚାରିଲେ ? ଆମ୍ଭକୁ ସେହି ଦୁଃଖରୁ ମୁକୁଳେଇବାର ତୁମର ସାଧ୍ୟ ନୁହେଁ । ଆମ୍ଭର ମାନସିକ ରୋଗ ମୋଚନର ଅନ୍ୟ ଉପାୟ ନାହିଁ । ମରଣ ଏକମାତ୍ର ଉପାୟ ଅଟେ ।"

ଏହା ଶୁଣି ଆମ୍ଭେ ଆହୁରି ଉତ୍କଣ୍ଠିତ ହେଲୁ । କ‌ହିଲି, "ମିତ୍ର ! ଆମ୍ଭଠାରେ ତୁମ୍ଭର ମନୋବେଦନା ଫେଡ଼ି କ‌ହିଲେ ଅନେକ ଊଣା ହୋଇଯିବ । ଫେଡ଼ି କ‌ହ ।"

ଯୁବା ଦୁଃଖିତ ହୋଇ କ‌ହିଲେ, "ନା ମିତ୍ର ଆମ୍ଭର ଏହି ଦୁଃଖ ସାମାନ୍ୟ ନୁହେଁ । ଆମ୍ଭେ ଏହିକ୍ଷଣି ତାହା ବୋଲି ପାରିବୁ ନାହିଁ, କିଛି ଦିନ ଉତ୍ତାରୁ ଜାଣିବ ।"

ଯୁବା ଦୁଃଖିତ ହୋଇ କ‌ହିଲେ, "ନା ମିତ୍ର, ଆମ୍ଭର ଏହି ଦୁଃଖ ସାମାନ୍ୟ ନୁହେଁ । ଆମ୍ଭେ ଏହିକ୍ଷଣି ତାହା ବୋଲି ପାରିବୁ ନାହିଁ, କିଛି ଦିନ ଉତ୍ତାରୁ ଜାଣିବ ।"

ଆମ୍ଭେ ପୁଣି ସେଥିରେ ପ୍ରସଙ୍ଗ ନ‌କଲୁ । ଯୁବାଙ୍କର ସେହି ରୋଗ ସଂକ୍ରମକ ପ୍ରାୟ ହେଲା । ନିତି ଏକତ୍ର ରହିବା ହେତୁରୁ ଆମ୍ଭେ ସୁଦ୍ଧା ତାଙ୍କ ପରି ବିଷର୍ଣ୍ଣ ହେଲୁ । ଆମୋଦରୁ ମନ ମାରିଦେଲୁ । ମାତ୍ର ଏମନ୍ତ ହେଲେହେଁ ତାଙ୍କ ସ‌ହ ବାସ ଛାଡ଼ିବାକୁ ଆମ୍ଭର ଇଚ୍ଛା ହେଲାନାହିଁ । ସେହି ଯୁବା ମିତ୍ର ଅତ୍ୟନ୍ତ ଦାତା ଥିଲେ । ଦରିଦ୍ରମାନେ ତାଙ୍କର ଅସାଧାରଣ ଦାତାପଣ ଦେଖି ବିସ୍ମୟ ମଣୁଥିଲେ । ସେ ଯାହାକୁ ଯାହା ଦେଉଥିଲେ, ପ୍ରସନ୍ନ ମନରେ ଲୁଚାଇ ଦେଉଥିଲେ । ମାତ୍ର ଆପେ କେବେହେଁ ସୁଖର ଅଭିଳାଷୀ ନଥିଲେ । କ‌ହୁଥିଲେ, "ଆମ୍ଭ ପରି ଅପରାଧୀମାନଙ୍କର ସୁଖରେ ରହିବାର ଅଧିକାର ନାହିଁ ।"

ଦିନେ କୌଣସି ମହାପର୍ବ ଥିବାରୁ ଆମ୍ଭେ ତାଙ୍କ ସ‌ହିତ ଗୀର୍ଜାକୁ ଗଲୁ । ସେଠାରେ ଅନେକ ପ୍ରକାର ବାଜା ବାଜୁଥିଲା । ଦୁଇଜଣ ଆରାଧନାରେ ରତ ହେଲୁ । ଆରାଧନା ବେଳେ ସେହି ଯୁବା ହାତ ଯୋଡ଼ି ଉପରକୁ ଚାହିଁ ପ୍ରଭୁଙ୍କୁ ସ୍ତୁତି କଲେ । ଆଖିରୁ ଲୋତକ ଗଡ଼ିଲା । ଆରାଧନାନ୍ତେ ଦୁହେଁ ଘରକୁ ଆସିଲୁ । ନେଉଟି ଆସିଲା ବେଳେ ଯୁବା କ‌ହିଲେ ଆହା! ଈଶ୍ୱର ସଂକୀର୍ତ୍ତନରେ ଏମନ୍ତ ରସ ଅଛି ଯେ, କଥାରେ କ‌ହି ହେବ ନାହିଁ । ସଂକୀର୍ତ୍ତନ ଶୁଣି ଆମ୍ଭର ମନ ତରଳି ଗଲା । ରାତି ହେବାରୁ ଯୁବା ବସାକୁ ଗଲେ, ଆମ୍ଭେ ଶୋଇଲୁ । ଆରଦିନ ସକାଳେ ସେହି ଯୁବା ଆମ୍ଭ ଘରକୁ ଆସିଲେ, ତାଙ୍କର ଡାହାଣ ହାତରେ ଗୋଟିଏ ପୁଲିନ୍ଦା ଥିଲା । ଆମ୍ଭ ବିଛଣା ପାଖରେ ଛିଡ଼ା ହୋଇ କ‌ହିଲେ, "ମିତ୍ର ! ଆମ୍ଭେ କୌଣସି ଦୂର ଦେଶକୁ ଯିବୁ ମାତ୍ର ଯିବା ଆଗରୁ ତୁମ୍ଭଠାରେ ଏହି ପୁଲିନ୍ଦା ରଖିଯାଉଛୁ । ଏଥିରୁ ଆମ୍ଭର ସବୁକଥା ଜାଣିବ । ଆମ୍ଭେ ଯେତେବେଳେ ବ‌ହୁ ଦୂରରେ ଥିବୁ, ସେତେବେଳେ ପଢ଼ିବ । ଆମ୍ଭକୁ ପାସୋରିବେ ନାହିଁ । ମିତ୍ର, ତୁମ୍ଭେ ଆମର ଅପାର ଉପକାର କରିଅଛ । ମଲାଯାଏ ତୁମ୍ଭଠାରେ ଧାରୁଆ ହୋଇ ରହିଲୁ । ଏବେ ମେଲାଣି ମାଗୁଅଛୁ, ଆମ୍ଭକୁ ଆଲିଙ୍ଗନ କର । ନା ମିତ୍ର! ଆମ୍ଭେ ତୁମର ଆଲିଙ୍ଗନ ଯୋଗ୍ୟ ନୋହୁଁ । ପାପିଷ୍ଠକୁ ଛୁଇଁଲେ ତୁମର ପବିତ୍ର ଦେହ ଦୂଷିତ ହେବ ।" ତାଙ୍କର ସ‌ହସା ଯିବା କଥା ଶୁଣି ଆମ୍ଭର ତୁଣ୍ଡ ଫିଟିଲା ନାହିଁ । କିଛିକାଳ ଉତ୍ତାରୁ କ‌ହିଲୁ, "ପୁଣି ତୁମ୍ଭକୁ କେବେ ଦେଖିବୁ ?" ଯୁବା କ‌ହିଲେ, "ନା, ଆଉ ଏ ଜନ୍ମରେ ଦେଖା ହେବ ନାହିଁ ।"

ଏହା କ‌ହି ଅଶ୍ରୁପୂର୍ଣ୍ଣ ନେତ୍ରରେ ଘରୁ ବାହାରିଗଲେ ।

ଅତିଥିମାନେ ପଚାରିଲେ, "ଯୁବା କି ପୁଣି ନେଉଟି ଆସିଲେ ?" ଗୃହସ୍ଥ କ‌ହିଲେ, "ବା, ଆଉ ତାଙ୍କୁ ଦେଖି ନାହୁଁ ।"

ଅତିଥିମାନେ କ‌ହିଲେ,"ଆପଣ ଯାହା କ‌ହିଲେ, ତ‌ହିଁରେ ଛବିର ତ କୌଣସି କଥା ନାହିଁ ।" ଗୃହସ୍ଥ କ‌ହିଲେ, "ହଁ, ସେହି ଚିତ୍ର ଆମର ସେହି ଯୁବା ବନ୍ଧୁ ଆଙ୍କିଥିଲେ । ସେ ଗୋଟିଏ ଭୁତର ଛବି । ସେହି ଯୁବାଙ୍କର ନିଜ ଲିଖିତ ବିବରଣ ଆମ୍ଭଠାରେ ଅଛି ।"

ଅତିଥିମାନେ କ‌ହିଲେ, "ଶୁଣିବା ପାଇଁ ଆମ୍ଭର ବଡ଼ କୌତୁହଳ ହେଉଅଛି ।" ଗୃହସ୍ଥ ପଢ଼ିଲେ:- "ଆମ୍ଭେ ନେପଲସ ନ‌ଗରରେ ଜନ୍ମିଥିଲୁ । ଆମ୍ଭର ପିତାମାତା ସଦ୍ ବଂଶଜାତ ଥିଲେ ।" ମାତ୍ର ସେମାନଙ୍କର ଅଧିକ ସଙ୍ଗତି ନଥିଲା । ପିତା ଅତ୍ୟନ୍ତ ଅମିତବ୍ୟୟୀ ଥିଲେ । ଅଟ୍ଟାଳିକା ବନାଇବାରେ ଅନେକ ବାହନ ଓ ଭୃତ୍ୟ ରଖିବାରେ, ପୁଣି ସେହିପରି ବ୍ୟୟସାଧ୍ୟ ବିଷୟମାନଙ୍କରେ ସେ ବିସ୍ତର ଉଡ଼ାଉଥିଲେ । ସେଥି ନିମନ୍ତେ ସେ କେବେ କେବେ ଦୁର୍ଦ୍ଦଷାଗ୍ରସ୍ତ ହେଉଥିଲେ । ଆମ୍ଭେ ତାଙ୍କର କନିଷ୍ଠ ପୁତ୍ର ଥିଲୁ । ଦୁର୍ଭାଗ୍ୟକ୍ରମେ ଆମ୍ଭ ପରିବାର ମଧ୍ୟରେ ଏହି କୁପ୍ରଥା ଥିଲା ଯେ, ଜ୍ୟେଷ୍ଠ ପୁତ୍ର ପିତାଙ୍କର ସମସ୍ତ ସମ୍ପତ୍ତିର ଅଧିକାରୀ ହେବେ । ପୁଣି ପିତା ଆମ୍ଭଙ୍କୁ ଅତ୍ୟନ୍ତ ଅପଦାର୍ଥ ମଣୁଥିଲେ । ଆମ୍ଭର ମନ ଅତ୍ୟନ୍ତ ମୃଦୁ ଥିଲା । ଅଳ୍ପ କଥାରେ ଆମ୍ଭର ମନ ଅତ୍ୟନ୍ତ ଦୁଃଖିତ ଅବା ହୃଷ୍ଟ ହେଉଥିଲୁ । ଯେଉଁ ସମୟରେ ଆମ୍ଭେ କଥା କ‌ହି ଶିଖିନଥିଲୁ, ସେ ସମୟରେ ସୁଦ୍ଧା ଗୀତ ଶୁଣି ଆମ୍ଭର ଆନନ୍ଦ ଅବା ଦୁଃଖ ଜନ୍ମୁଥିଲା । ବୟୋବୃଦ୍ଧି ସଙ୍ଗେ ମାନସିକ ବୃତ୍ତିମାନେ ସତେଜ ହେବାକୁ ଲାଗିଲେ । ଆମ୍ଭେ କୁଟୁମ୍ବମାନଙ୍କର କଟୁ ପ୍ରାୟ ହୋଇଥିଲୁ । ସେମାନଙ୍କର ଯେତେବେଳେ ଇଚ୍ଛା ହେଉଥିଲା, ଆମ୍ଭଙ୍କୁ କ୍ରୁଦ୍ଧ ଅଥବା ବିଷର୍ଣ୍ଣ କରି ଆମୋଦ କରୁଥିଲେ । ତ‌ହିଁରେ ଆମ୍ଭର କ୍ରୋଧ ଅବଧ ରହୁନଥିଲା । ଆମ୍ଭଠାରେ ଏପରି ବ୍ୟବ‌ହାର କଲେ ପଛକୁ ଯେ ଆମ୍ଭର କେତେ ଅନିଷ୍ଟ ହେବ, ସେମାନେ ଭ୍ରମରେ ସୁଦ୍ଧା ଏକଥା ଭାଳୁନଥିଲେ । ଏହିରୂପେ ଜ୍ଞାନୋଦୟ ହେବା ସଙ୍ଗେ ସଙ୍ଗେ ଆମ୍ଭର ଅନ୍ୟାନ୍ୟ ରିପୁମାନେ ପ୍ରବଳ ହେଲେ । କ୍ରମଶଃ ସବୁଲୋକଙ୍କଠାରେ ଆମ୍ଭେ ଅନାଦରର ପାତ୍ର ହେଲୁ । ଦୁଃଖ ଉପରେ ଦୁଃଖ ପଡ଼େ । ଆମ୍ଭର ଜନନୀ ପରଲୋକ ପ୍ରାପ୍ତ ହେଲେ । ପୁଅ ଦୁଷ୍ଟ ହେଲେ ସୁଦ୍ଧା ଜନନୀ ମାୟା ଛାଡ଼ି ପାରନ୍ତି ନାହିଁ । ଆମ୍ଭଠାରେ ମାଆଙ୍କର ଅଶେଷ ସ୍ନେହ ଥିଲା । ଦୁର୍ଯୋଗକୁ କିଏ ନିବାରିବ ? ତାଙ୍କର ମୃତ୍ୟୁରେ ଆମ୍ଭର ଶୋକସିନ୍ଧୁ ଉଛୁଳିଲା । ପିତାଙ୍କର ଅପ୍ରିୟପାତ୍ର ଥିଲୁ । ତେଣୁ ଆମର କଷ୍ଟର ସୀମା ନ ରହିଲା । ସମସ୍ତେ ଆମ୍ଭଠାରେ ଶତ୍ରୁ ପରି ଆଚରିଲେ । ପିତା କେବେହେଁ ସ୍ନେହ ଆଖିରେ ଚାହୁଁ ନଥିଲେ । ଏହି ରୂପେ ଆମ୍ଭର ଶୈଶବ କାଳ ଗଲା ।

ଆମ୍ଭେ ପୂର୍ବରୁ କ‌ହିଅଛୁ ଯେ ପିତାଙ୍କର ଅନାଦର ପାତ୍ର ଥିଲୁ । ବସ୍ତୁତଃ ଆମ୍ଭର ମନ କିପରି ଥିଲା ସେ ଜ୍ଞାତ ନଥିଲେ । ପୁଣି ଆମ୍ଭଙ୍କୁ ନିତାନ୍ତ ନିର୍ବୋଧ ଓ ଅବାଧ୍ୟ ମଣୁଥିଲେ । ଆମେ ଯେବେ ତାଙ୍କ ପାଖକୁ କୌଣସି ସମୟରେ ଯାଉଥିଲୁ, ତାଙ୍କର ଅଶ୍ରଦ୍ଧାଯୁକ୍ତ ମୁଖଭଙ୍ଗୀ ଦେଖି, ବିରକ୍ତି ଶୁଣି ଭୀତ ହେଉଥିଲି । ସେ କେବେ ହସି ଆମ ସଙ୍ଗେ କଥାବାର୍ତ୍ତା କରୁନଥିଲେ । ତାଙ୍କର ସେହି ଭ୍ରୁକୁଟିକୁଟିଳ ମୁଖ ଦେଖିଲା କ୍ଷଣି ଆମ୍ଭର ଦେହ ଥରୁଥିଲା । ପ୍ରୀତ ହୋଇ କଦାଚ ତାଙ୍କ ପାଖକୁ ଯାଉ ନ ଥିଲୁ ।

ବଡ଼ ଭାଇ ତାଙ୍କର ଅତି ପ୍ରିୟପାତ୍ର ଥିଲେ, ପୁଣି ସବୁ ସମ୍ବତ୍ତିର ଉତ୍ତରାଧିକାରୀ ହେଲେ । ତାଙ୍କର ଅଧୀନ ହୋଇ ରହିବାକୁ ଆମ୍ଭର ପ୍ରବୃତ୍ତି ହେଲା ନାହିଁଁ । କୌଣସି ମଠରେ ରହିବା ପାଇଁ ମନ ବଳିଲା । ମଠରେ ରହିଲେ ସ୍ୱାଧୀନ ହୋଇପାରିବା, ଏହା ଭାଳି ସେହି ଭାବନା ଆହୁରି ପ୍ରବଳ ହେଲା । ସେହି ସମୟରେ ଆମ୍ଭର ବୟଃକ୍ରମ ଅଧିକ ହୋଇ ନ ଥିଲା । ସଂସାର-ସୁଖ କିପରି ଜାଣିବାକୁ ସମର୍ଥ ହୋଇ ନ ଥିଲୁ । ଏପରି ଅବସ୍ଥାରେ ଏକ ମଠକୁ ପ୍ରେରିତ ହେଲୁ ।

ଆମ୍ଭର ପିତୃବ୍ୟ ସେହି ମଠର ମହନ୍ତ ଥିଲେ । ସେ କେବେହେଁ ସଂସାର ସୁଖର ସ୍ୱାଦ ପାଇ ନ ଥିଲେ । ତେଣୁ ସୁଖ-ଇଚ୍ଛା ତାଙ୍କ ହୃଦୟରେ କେବେ ସ୍ଥାନ ଲଭି ନ ଥିଲା । ସେ ଅତ୍ୟନ୍ତ ସଞ୍ଜମୀ ଥିଲେ ଏବଂ ସଂଯମକୁ ମହାପୂଣ୍ୟ ମଣୁଥିଲେ । ତାଙ୍କର ମନୋବୃତ୍ତି ଯେପରି ସମସ୍ତଙ୍କର ସେପରି ବୋଲି ତାଙ୍କର ବିଶ୍ୱାସ ଥିଲା । ଯେଉଁ ମଠରେ ସେ ଅଧ୍ୟକ୍ଷ ଥିଲେ, ସେ ସନ୍ନାସୀମାନେ ତାଙ୍କୁ ଯଥେଷ୍ଟ ଭକ୍ତି କରୁଥିଲେ । ପ୍ରତି ପଦରେ ତାଙ୍କୁ ଚାହିଁ ଚଳୁଥିଲେ । ସେମାନେ ସୁଦ୍ଧା ସଂସାର ସୁଖରୁ ହୀନ ଥିଲେ । ପୁଣି ସେହି ମଠା ଏପରି ନିର୍ଜନ ସ୍ଥାନରେ ସ୍ଥାପିତ ଥିଲା ଯେ ସେଠାରେ ଭୟ ଓ ଦୁଃଖରେ ହୃଦୟ ଆକୁଳ ହୁଏ । ସେହି ମଠ ଭିସୁଭିୟସ ଆଗ୍ନେୟଗିରିର ଏକ ଗ‌ହନ ବନ ମଧ୍ୟରେ ଅବସ୍ଥିତ ଥିଲା । ସେହି ସ୍ଥାନରେ ଚାରିଆଡ଼େ ଉଚ୍ଚଶୈଳଶିଖର ଶ୍ରେଣୀ ପାଖରେ ଗୋଟିଏ ନ‌ଦୀ ଥିଲା । ସେହି ନ‌ଦୀର କଳ କଳ ଶବ୍ଦ‌ଦ୍ୱାରା ମନରେ ଗଭୀର ଭାବ ଉଦୟ ହୁଅଇ ।

ଶିକାରୀ ପକ୍ଷୀମାନେ ଖାଦ୍ୟ ଲୋଡ଼ିବା ପାଇଁ ଏଣେ ତେଣେ ଉଡ଼ୁଥାଆନ୍ତି । ଭୟଙ୍କର ଶ୍ୱାପଦ ପଶୁମାନେ ଆହାର ନିମନ୍ତେ ଭ୍ରମୁଥାନ୍ତି । କେଉଁଠାରେ ଉଚ୍ଚ ଗଛମାନ ଶାଖା-ବାହୁ ବିସ୍ତାରି ଉଭା ହେଉଅଛନ୍ତି । କେଉଁଠାରେ ଦୁର୍ଗମ କଣ୍ଟାବନ , କେଉଁଠାରେ ଗଛମାନଙ୍କର ଲତା ମାଡ଼ିଥିବାରୁ ତଳେ ଆଲୁଅ ପଡ଼ୁନାହିଁଁ । ଗୁଡ଼ାଏ କଣ କ‌ହିବୁ, ସେହି ସ୍ଥଳ ଗାମ୍ଭୀର୍ଯ୍ୟର ବାସଭୂମି ପ୍ରାୟ ହୋଇଥିଲା ।

ପିଲାକାଳେ ଆମ୍ଭେ ସେଠାକୁ ପ୍ରେରିତ ହୋଇଥିଲୁ । ତେଣୁ ତାହା ପୂର୍ବରୁ ଯାହା ଦେଖିଲୁ ବା ଶୁଣିଥିଲୁ, ତାହା ଚଞ୍ଚଳ ପାସୋରିଲୁ । ବୟସ ବୃଦ୍ଧି ସଙ୍ଗେ ସଙ୍ଗେ ଆମ୍ଭର ମାନସ କ୍ଷେତ୍ର ବିସ୍ତୃତ ହେବାକୁ ଲାଗିଲା । ସେହି ମଠର ନିର୍ଜନତା ଓ ଗଭୀରତା ହେତୁରୁ ମହୀ ଆମ୍ଭକୁ ଦୁଃଖଘର ପ୍ରାୟ ଦିଶିଲା । ଏହିରୂପେ ପିଲାକାଳର ପ୍ରଫୁଲ୍ଲତା ଆମ୍ଭକୁ ଛାଡ଼ିଗଲା । ପୁଣି ସେଠାର ଲୋକମାନେ ଭୟ ଦେଖାଇବା ନିମନ୍ତେ ନାନା ପ୍ରକାର ଭୁତପ୍ରେତର କାହାଣୀ କ‌ହୁଥିଲେ । ସେହି ଅମୂଳକ କାହାଣୀ ଶୁଣି ଆମ୍ଭର ମନ ବିକୃତ ହେଲା । ଦିନେ ଭିସୁଭିୟସ ପର୍ବତରୁ ଅଗ୍ନ୍ୟୁତ୍ପାତ ହେବାରୁ ସେମାନେ ଆମ୍ଭଙ୍କୁ ଯେପରି ଭୟ ଦେଖାଇଥିଲେ, ତାହା ଆଜିଯାଏ ମନରୁ ଯାଉନାହିଁଁ । ସେହି ପର୍ବତଠାରୁ ଆମ୍ଭେମାନେ ଅନେକ ଦୂରରେ ଥିଲୁ । ମଧ୍ୟରେ ଯୋଡ଼ିଏ ପର୍ବତ ଥିଲା । କି ଆଶ୍ଚର୍ଯ୍ୟ ! ଏମନ୍ତ ହେଲେହେଁ ଆମ୍ଭର ବାସସ୍ଥଳ କମ୍ପିଲା । ଭୂମିକମ୍ପ ହେବାରୁ ଆମ୍ଭେ ଅତିଶୟ ଭୀତ ହେଲୁ । ମଠର ବଡ଼ ବଡ଼ ଘର ନିଜେହିଁ ପଡ଼ିଯିବ, ଆମ୍ଭର ଏହି ଆଶଙ୍କା ହେଲା । ରାତିରେ ଆକାଶ ରକ୍ତବର୍ଣ୍ଣ ହେଲା । ଆମ୍ଭର ଅପ୍ରଶସ୍ତ ଉପତ୍ୟକାରେ ପ୍ରବଳ ବାୟୁ ବ‌ହିଲା । ଆମ୍ଭେ ସନ୍ନ୍ୟାସୀମାନଙ୍କୁ ଏହି ଅଦ୍ଭୁତ ଘଟଣାର ହେତୁ ପଚାରିଲୁ । ସେମାନେ କ‌ହିଲେ ଯେ ଆମ୍ଭମାନଙ୍କ ବାସସ୍ଥାନ ତଳେ ଧାତୁସ୍ରୋତ ବ‌ହୁଅଛି, ଭୟଙ୍କର ଅଗ୍ନି ଗର୍ଜୁଅଛନ୍ତି । ଆହୁରି ମଧ୍ୟ କ‌ହିଲେ ଯେ ତଳେ ପାତାଳରେ ଭୁତମାନଙ୍କର ବାସଭୂମି । ସେଠରେ ତରଳ ଅଗ୍ନିପୂର୍ଣ୍ଣ ଭୟଙ୍କର ଗାତ ଅଛି । ସେମାନଙ୍କର ଏହି ଶଙ୍କା ଜନ‌କ ବାର୍ତ୍ତା ଶୁଣୀ ଆମ୍ଭେ ବ‌ହୁତ ଡରିଲୁ । ସେହି ସମୟରେ ବଡ଼ ଘଡ଼ଘଡ଼ି ହେଉଥିଲା । ସେହି ଭୟଙ୍କର ଶବ୍ଦ‌ଦ୍ୱାରା ଆମ୍ଭର ଭୟ ଆହୁରି ବଢ଼ିଲା ।

ମଠର ସନ୍ନ୍ୟାସୀମାନଙ୍କ ମଧ୍ୟରୁ ଜଣେ ପୂର୍ବରେ ଚିତ୍ରକର ବ୍ୟବସାୟଦ୍ୱାରା ଜୀବିକା ଚଳାଉଥିଲେ । କୌଣସି ଗୁରୁ ଅପରାଧଗ୍ରସ୍ତ ହୋଇ ସେଥିର ପ୍ରାୟଶ୍ଚିତ ନିମନ୍ତେ ସେହି ମଠରେ ଆସି ରହିଲେ । ତାଙ୍କର ମୁଖ ଦେଖି ଜାଣିଲୁ ଯେ ତାଙ୍କ ହୃଦୟରେ ଦୁଃଖଶୈଳ ଫାଟିଅଛି । ସେ ଗୋଟିଏ ଗ‌ହ୍ୱର ଭିତରେ ବସି ଚିତ୍ର କରୁଥାନ୍ତି । ଚିତ୍ର କରିବା ବେଳେ ତାଙ୍କ ଆଖିରୁ ଲୋତକ ଝରୁଥାଏ । କୀଟପତଙ୍ଗମାନେ ତାଙ୍କର ଲକ୍ଷ ଥିଲେ । ସେହିତା ଖାଇ ସେ ପ୍ରାଣ ବଞ୍ଚାଉଥିଲେ । ହାୟ, ସେହି ସବୁ ମନରେ ପଡ଼ିଲେ ଭୟରେ ଦେହ ଶୀତେଇ ଉଠେ । ତ‌ଥାପି ତାଙ୍କଠାରୁ ଚିତ୍ରବିଦ୍ୟା ଶିଖିବାକୂ ଆମ୍ଭର ମନ ବଳିଲା । ମନଲଗାଇ ଶିଖିଲୁ ଏବଂ ଅଳ୍ପକାଳ ମଧ୍ୟରେ କିଞ୍ଚିତ ପଟୁତା ଲଭିଲୁ । କ୍ରମଶଃ ସେହି ବିଷୟରେ ପ୍ରଶଂସା ଭାଜନ ହେଲୁ ।

ଏହିପରି ସ୍ଥାନରେ ଆମ୍ଭେ ବାଲ୍ୟକାଳ ଗମିଲୁ । ଏଠାରେ ଆମ୍ଭର ଶିକ୍ଷାଦି ହେଲା । ଆମ୍ଭର ଭଲ ମନୋବୃତ୍ତିଗୁଡ଼ିକ କ୍ରମେ ଝାଉଁଳି ଗଲେ । କୁପ୍ରବୃତ୍ତିମାନ ଦିନ‌କୁ ଦିନ ପ୍ରବଳ ହେଲେ । ଆମ୍ଭ ସ୍ୱଭାବରେ ଚଞ୍ଚଳ ଓ ବ୍ୟଗ୍ର ଥିଲୁ । ପୁଣି ଆମ୍ଭଠାରେ ଉତ୍ତମ ଗୁଣର ଅଭାବ ନଥିଲା । କିନ୍ତୁ କ'ଣ ହେବ, ସେ ସଦ୍‌ଗୁଣମାନଙ୍କର ଉନ୍ନତି ନହୋଇ ବରଂ କ୍ରମଶଃ ଅବନତି ହେବାକୁ ଲାଗିଲେ । ଆମ୍ଭେ କେବଳ ମାତ୍ର ଭୟ ଓ ଘୃଣା କରିବାକୁ ଶିଖିଥିଲୁ । ମନରେ ପିତୃବ୍ୟଙ୍କୁ ଘୃଣା କରୁଥିଲୁ । ସନ୍ନ୍ୟାସୀମାନେ ମଧ୍ୟ ଆମ୍ଭର ଘୃଣାର ପାତ୍ର ହେଲେ । ସେ ମଠ ଆମ୍ଭକୁ ବିରକ୍ତିକର ବୋଧ ହେଲା । ସଂସାରକୁ ଅସାର ମଣିଲୁ । ପୁଣି ସ୍ୱୟଂ ଏପରି ଘୃଣାକରୀ ଏବଂ ଘୃଣାସ୍ପଦ ହୋଇଥିଲୁ ବୋଲି ଆପଣା ଜୀବନଉ ସୁଦ୍ଧା ଘୃଣା କଲୁ ।

ଯେଉଁ ସମୟରେ ଆମ୍ଭର ଷୋଳ ବର୍ଷ ବୟଃକ୍ରମ ହୋଇଥିଲା, କାର୍ଯ୍ୟପାଇଁ ସନ୍ନାସୀମାନଙ୍କ ସଙ୍ଗେ କୌଣସି ସ୍ଥାନକୁ ଯିବା ନିମନ୍ତେ ଆମ୍ଭ ପିତୃବ୍ୟ ଆମ୍ଭକୁ ଅନୁମତି ଦେଲେ । ଆମ୍ଭେ ଯେ ଉପତ୍ୟକାରେ ବହୁ ଦିନ କାରାବଦ୍ଧ ପ୍ରାୟ ଥିଲୁ, ସେହି ଉପତ୍ୟକାରୁ ବାହାରିଲୁ । ପର୍ବତ ଉପରେ ଯାଉ ଯାଉ ନେପଲସ, ଉପସାଗରର ତୀରଦେଶ ଦିଶିଲା । ଆଃ, ସେହି ସମୟରେ ଆମ୍ଭ ମନରେ ଯେପରି ଆନନ୍ଦ ଜାତ ହେଲା, ତାହା ବାକ୍ୟରେ କହି ନୁହଇ । ସେହି ଦେଶର ଶୋଭା ଦେଖି ଆମ୍ଭର ଅନିର୍ବଚନୀୟ ପ୍ରୀତି ଉପୁଜିଲା । କେଉଁ ସ୍ଥାନରେ ଲତା-ମଣ୍ଡପ ଶୋଭା ପାଉଅଛି, କେଉଁ ସ୍ଥାନରେ ଦ୍ରାକ୍ଷାଲତା ଫଳ ଭାରରେ ନଇଁ ସାଗର ପବନରେ କମ୍ପୁଅଛି । ଆମ୍ଭ ଦକ୍ଷିଣ ପାର୍ଶ୍ଵରେ ପର୍ବତରାଜ ବିସୁଭିଅସର ଉଚ୍ଚ ଚୂଡ଼ା ଆକାଶ ପରଶୁଛି । ବାମ ଭାଗରେ ଭୂମଧ୍ୟସାଗରର ନୀଳ ଜଳରେଖା ଦିଶୁଛି । ସମୁଦ୍ରର କୂଳ ସାନ ସାନ ପରିଷ୍କୃତ କୁଟୀରମାନଙ୍କରେ ଅଳଙ୍କୃତ ହୋଇଥିଲା । ସେହି ସ୍ଥଳରୁ ପ୍ରାସାଦ-ଶ୍ରେଣୀଶୋଭିତ ନେପଲସ ନଗର ଦେଖିବାକୁ ପାଇଲୁ । ହା ଦୈବ ! ଆମ୍ଭେ କି ଏହି ସୁଖ ସାଗରରୁ ଏତେଦିନ ଧରି ବଞ୍ଚିତ ଥିଲୁ । ଆମ୍ଭର ମନ ସତେଜ ଥିଲା ମାତ୍ର ବ‌ହୁକାଳ ଉପଦ୍ରବ ସ‌ହିବାରୁ ସେହି ତେଜ ଊଣା ପଡ଼ିଯାଇଥିଲା । ଗିରିଝର ଉଚ୍ଛ ସ୍ଥାନରୁ ଯେପରି ବେଗରେ ପଡ଼େ, ଆମ୍ଭ ମାନସିକ ଭାବର ବେଗ ସୁଦ୍ଧା ସେହିପରି ହେଲା । ସଙ୍କୁଚିତ ହୃଦୟ ବିସ୍ତୃତ ହେଲା । ପ୍ରାକୃତିକ ଶୋଭା ଦେଖି ଆମ୍ଭେ ମୋହିତ ହେଲୁ । କୃଷକମାନଙ୍କର ମଧୁର ଗୀତ, ପ୍ରଫୁଲ୍ଲ ମୁଖ, ସୁଖପ୍ରଦ ଜୀବିକା, ପରିଷ୍କୃତ ପରିଛଦ, ପୁଣି ଗ୍ରାମ୍ୟବାଦ୍ୟ, ନର୍ତ୍ତନ ଏହି ସବୁ ଦେଖି ଶୁଣି ଆତ୍ମ‌ବିସ୍ତୃତ ପ୍ରାୟ ହେଲୁ । ମନ ସୁଖ-ତରଙ୍ଗରେ ଭାସିଲା । ଏହିପରି ପ୍ରତୀତ ହେଲେ ଯେ ମହୀ ସାଧୁ ପୁଣି ଉଦାର ରମଣୀମାନଙ୍କରେ ପୂର୍ଣ୍ଣ ଅଟେ । ଆମ୍ଭେ ପୁଣି ସେହି ମଠକୁ ନେଉଟି ଆସିଲୁ ।

ମାତ୍ର ଆମ୍ଭ ଦେହ ଫେରିଆସିଲା ଯେ, ମନ ଏପରି ବିସ୍ତୃତ ହୋଇଥିଲା ଯେ ସେହି କ୍ଷୁଦ୍ର ସ୍ଥାନରେ ପୁଣି ପ୍ରବିଷ୍ଟ ହୋଇପାରିଲା ନାହିଁ । ଆମ୍ଭେ ଯେହେତୁ ସୁଖକର ବସ୍ତୁ ଦେଖିଥିଲୁ, ସେ ସବୁ କେବେ ମନରୁ ଯିବାର ନୁହେଁ । ଯେଉଁଠି ସୁଖର ସୀମା ନଥିଲା, ପୁଣି ଜୀବିତମାନଙ୍କର ମଶାଣିପ୍ରାୟ, ସେହି ମଠରେ ପ୍ରବିଷ୍ଟ ହୋଇ ପୁଣି ଝୁରିଲୁ । ଯେ ସେହି ପ୍ରସନ୍ନ ମନୁଷ୍ୟମାନଙ୍କ ପ୍ରଫୁଲ୍ଲ ପଦ୍ମମୁଖ ଦେଖିଅଛି, ତାହା ଆଖିରେ ଗଳିତକେଶ, କୁଞ୍ଚିତଚର୍ମ ଅପରିଷ୍କୃତ ମଠନିବାସୀମାନଙ୍କର ବଦନ କିପରି ଅବା ଆନନ୍ଦକର ହେବ? ଏଣିକି ମଠର କାର୍ଯ୍ୟାଦି ଆମ୍ଭ ପକ୍ଷରେ ବଡ଼ କଷ୍ଟକର ହେଲା । ନିତି ଏକରୁପ କାର୍ଯ୍ୟ କରିବା ବିରକ୍ତକର ଅଟେ । ମଠରେ ରହି ଆମ୍ଭର ଯେମନ୍ତ କଷ୍ଟ ହେଲା, ଅନୁଭବ ବିନୁ କେହି ତାହା ବୁଝି ପାରିବେନାହିଁ ।

ଆମ୍ଭେ ଅଳସ ସ୍ୱଭାବ ନଥିଲୁ । ଯେତେବେଳେ ଯାହା ଉତ୍ତମ ମଣୁଥିଲୁ, ସେହିକ୍ଷଣି ତାହା ସମ୍ପାଦିବାକୁ ଲବମାତ୍ର ବିଳମ୍ବ କରୁନଥିଲୁ । କି ଉପାୟଦ୍ୱାରା ସେ ମଠରୁ ପଳାଇବୁ, ଏହି ବିଷୟ ଘେନି ସର୍ବଦା ଚିନ୍ତିତ ଥିଲୁ । ସୌଭାଗ୍ୟ କ୍ରମେ ସୁଯୋଗ ମିଳିଲା । ଆମ୍ଭେ ସେହି ସୁଯୋଗରେ ମଠ ତ୍ୟାଗକଲୁ । ମଠ ତ୍ୟାଗ ଅନ୍ତେ ନେପ୍‌ଲସ୍‌କୁ ଗଲୁ । ନ‌ଗରୀରେ ପ୍ରବିଷ୍ଟ ହୋଇ ନ‌ଗର ଶୋଭା ଦେଖି ଚମତ୍କୃତ ହେଲୁ । ଏଡ଼େ ଗ‌ହଳ ଆମ୍ଭେ କେଉଁଠାରେ ଦେଖି ନଥିଲୁ । ସୁନ୍ଦର ହର୍ମ୍ୟମାଳା, ଫଳ-ଫୁଲ ଶୋଭିତ ଉଦ୍ୟାନ, ନାଗରିକମାନଙ୍କର ବିଚିତ୍ର ବେଶଭୁଷା, ବିସ୍ତୃତ ରାଜଦଣ୍ଡ, ସୁଚାରୁ ପଣ୍ୟଦ୍ରବ୍ୟ, ଏସବୁ ଦେଖି ଆମ୍ଭର ଅକଥନୀୟ ଆନନ୍ଦ ଜାତ ହେଲା । ପ୍ରତିଜ୍ଞା କଲୁ ଯେ, ପୁଣି ସେହି ଭୟଙ୍କର ମଠକୁ ଯିବୁ ନାହିଁ ।

ପିତାଙ୍କର ଘର କେଉଁଠାରେ ଅବସ୍ଥିତ ଥିଲା, ଆମ୍ଭେ ତାହା ଜାଣି ନଥିଲୁ । ନାଗରିକମାନଙ୍କୁ ପଚାରିବାରୁ ସେମାନେ ତାହାଙ୍କ ବାସସ୍ଥାନ ଦେଖାଇ ଦେଲେ । ବ‌ହୁ କଷ୍ଟରେ ପିତାଙ୍କ ନୀକଟବର୍ତ୍ତୀ ହେଲୁ ହେତୁ କି , ତାଙ୍କ ଗୃହରେ ଥିବା ଭୃତ୍ୟମାନେ ଆମ୍ଭଙ୍କୁ ଶୀଘ୍ର ଚିହ୍ନି ପାରିଲେ ନାହିଁ । ପୁଣି ଆମ୍ଭେ ସନ୍ନ୍ୟାସୀ ପରିଚ୍ଛଦ ପିନ୍ଧିଥିଲୁ । ଆମ୍ଭ ପିତା ମଧ୍ୟ ଆମ୍ଭଙ୍କୁ ଚିହ୍ନି ନପାରିଲେ । ଆମ୍ଭେ ପିତାଙ୍କ ଗୋଡ଼ତଳେ ପଡ଼ି ବିନୟବାକ୍ୟରେ ଆପଣା ପରିଚୟ ଦେଲୁ ଏବଂ ସେହି ପ୍ରାର୍ଥନା କଲୁ ଯେ, ପୁଣି ଯେମନ୍ତ ସେହି ମଠକୁ ପ୍ରେରିତ ନହେବୁ ।

ପିତାଙ୍କର ପୁତ୍ରଠାରେ ଯେପରି ବ୍ୟବ‌ହାର କରିବା ଉଚିତ, ଆମ୍ଭ ପିତା ଆମ୍ଭଠାରେ ସେପରି ବ୍ୟବ‌ହାର କଲେ ନାହିଁ । ପ୍ରଭୁ ଆଶ୍ରିତଙ୍କଠାରେ ଯେପରି ବ୍ୟବ‌ହାର କରନ୍ତି, ଆମ୍ଭଠାରେ ବ୍ୟବ‌‌ହାର ସେହିପରି ଦେଖିଲୁ । ଆମ୍ଭେ ମଠରେ ଯେ ସମସ୍ତ ଦୁଃଖ ଭୋଗ କରିଥଲୁ, ତାଙ୍କଠାରେ ସମସ୍ତ ନିବେଦନ କଲୁ । କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ଏହି ଯେ, ତ‌ହିଁରେ ତାଙ୍କର କିଛିମାତ୍ର ଦୁଃଖ ନ ଜନ୍ମିଲା । ଶେଷକୁ ସେ କ‌ହିଲେ, ଆମ୍ଭକୁ ଅନ୍ୟ କୌଣସି କାର୍ଯ୍ୟରେ ନିଯୁକ୍ତ କରିବା ନିମନ୍ତେ ଚେଷ୍ଟିତ ହେବେ । ତାଙ୍କ ଅନୁରାଗ ଶୂନ୍ୟ ଆଚରଣ ଦେଖି ଆମ୍ଭେ ଅତ୍ୟନ୍ତ ଦୁଃଖିତ ହେଲୁ । ଆମ୍ଭେ ଅତ୍ୟନ୍ତ ସରଳ ପ୍ରକୃତିର ଥିଲୁ । ପିତା ଯେବେ ଆମ୍ଭଠାରେ ଅଳ୍ପମାତ୍ର ସ୍ନେହ ପ୍ରକାଶ କରିଥାନ୍ତେ, ପ୍ରଫୁଲ୍ଲ ଚିତ୍ତରେ ଆମ୍ଭେ ତାଙ୍କର ଆଜ୍ଞାବ‌ହ ହୋଇଥାନ୍ତୁ । ତାଙ୍କର ନିଷ୍ଟୁର ଆଚରଣରେ ଅତ୍ୟନ୍ତ ବିରକ୍ତ ହେଲୁ । ତାହାଙ୍କଠାରେ ପୂର୍ବ ଅଭକ୍ତି ପୁନରୁଜ୍ଜୀବିତ ହେଲା । ପୂର୍ବରେ ତାଙ୍କୁ ଦେଖିଲାକ୍ଷଣି ଯେପରି ଶଙ୍କିତ ହେଉଥିଲୁ, ଏବେ ସୁଦ୍ଧା ସେହିପରି ଶଙ୍କିତ ହେଲୁ ।

ପିତୃସ୍ନେହ କ୍ରମଶଃ ଅନ୍ତଃକରଣରୁ ତିରୋହିତ ହେଲା । ଜ୍ୟେଷ୍ଠ ସ‌ହୋଦର ପିତାଙ୍କର ଅତି ପ୍ରିୟପାତ୍ର ଥିଲେ । କିରୁପେ ତାଙ୍କର ଉତ୍ତମ ହେବ, ପିତା ସେହି ଚିନ୍ତାରେ ସର୍ବଦା ଚିନ୍ତିତ ଥିଲେ । ଜ୍ୟେଷ୍ଠ ସ‌ହୋଦର ମଧ୍ୟ ପିତାଙ୍କର ସେହି ନିଷ୍ଠୁର ଭାବର ଉତ୍ତରାଧିକାରୀ ହେଲେ । ଆମ୍ଭଠାରେ ଭାଇପରି ବ୍ୟବ‌ହାର ନ କରି ପ୍ରଭୁ ଭୃତ୍ୟଠାରେ ଯେପରି କରଇ, ସେହିପରି କଲେ । ଆମ୍ଭ ସ୍ୱଭାବତଃ ଅଭିମାନୀ ଥିଲୁ, ତେଣୁ ଏପରି ଆଚରଣ ସ‌ହି ନ ପାରିଲୁ । ପିତାଙ୍କ ପ୍ରତି ଆମ୍ଭର ସ୍ୱାଭାବିକ ଭୟ ଥିଲା, ଏଥି ନିମନ୍ତେ ତାଙ୍କର ନିର୍ଦ୍ଦୟ ଆଚରଣ ସ‌ହୁଥିଲୁ । କିନ୍ତୁ ଜ୍ୟେଷ୍ଠଙ୍କଠାରେ ସେପରି ଭୟ ନଥିଲା, ପୁଣି ସେ ବୟସରେ ଆମ୍ଭର ଜ୍ୟେଷ୍ଠ ଥିଲେ, କିନ୍ତୁ ଆମ୍ଭଠାରୁ ତାଙ୍କର ବିଦ୍ୟା ବୁଦ୍ଧି ଅଧିକ ନଥିଲା । ଗୃହର ଦାସମାନେ ଦେଖିଲେ, ପିତାଙ୍କଠାରେ ଆମ୍ଭର ଆଦର ହେଲା ନାହିଁ । ଏହା ଦେଖି ସେମାନେ ସୁଦ୍ଧା ଆମ୍ଭଙ୍କୁ ତୁଚ୍ଛ ମଣିଲେ । ଏହି ରୁପେ ସ୍ୱବନ୍ଧୁମାନଙ୍କଦ୍ୱାରା ଅପମାନିତ ହୋଇ ଆମ୍ଭେ ହତାଶ ହେଲୁ । ବିମର୍ଷ ଆମ୍ଭର ହୃଦୟ ରାଜ୍ୟକୁ ଅଧିକାର କଲା । ମନ ଅଗାଧ ଦୁଃଖ ସାଗରରେ ବୁଡ଼ିଗଲା । ସର୍ବଦା ମୌନାବଲମ୍ବି ହୋଇ ରହିଲୁ ।

ଦିନେ ପୂର୍ବୋକ୍ତ ମଠର ଜଣେ ସନ୍ନ୍ୟାସୀ ଚିତ୍ରାଳୟରେ ଉପସ୍ଥିତ ହେଲେ । ତାଙ୍କୁ ଦେଖିଲା କ୍ଷଣି ଆମ୍ଭେ ଅତ୍ୟନ୍ତ ଶଙ୍କିତ ହେଲୁ । ସେ ଆମ୍ଭଙ୍କୁ ଯେମନ୍ତ ଦେଖି ନାହାନ୍ତି, ଏହିପରି ଛଳ କଲେ । ଏଥିରେ ଆମ୍ଭର ଭୟ ଅଧିକ ପ୍ରବଳ ହୋଇଗଲା ଯେ ଅଳ୍ପ କଥାକୁ ଡରୁଥିଲୁ । ଦିନ‌କରେ ପିତାଙ୍କର ଜଣେ ପ୍ରିୟ ଅନୁଚର ଆମ୍ଭଙ୍କୁ ବିସ୍ତର ଗାଳିଦେଲା । ତାହାର ସେହି ଅନ୍ୟାୟ ତିରସ୍କାର ଶୁଣି ଆମ୍ଭେ କୋପରେ ଜଳିଗଲୁ । ସେହିକ୍ଷଣି ତାକୁ ପଡ଼େଇଲୁ । ଦୁର୍ଭାଗ୍ୟବଶତଃ ସେହି ସମୟରେ ପିତା ସେହିଠାରେ ଉପସ୍ଥିତ ହେଲେ । ଆମ୍ଭେ କି କ୍ରୋଧ ହୋଇଥିଲୁ ଏବଂ କିହେତୁ ତାହାକୁ ପ୍ରହାର କଲୁ, ସେ ବିଷୟରେ ଯଥାର୍ଥ ହେତୁ ଅନୁସନ୍ଧାନ ନ‌କରି ଆମ୍ଭଙ୍କୁ ତୁରସ୍କାର କଲେ, ମନ‌କୁ ଯାହା ଆସିଲା କ‌ହିଲେ । କେତେ ଦୁର୍ବାକ୍ୟ ପ୍ରୟୋଗ କଲେ, କ୍ରୋଧରେ ତାଙ୍କର ଆଖିରୁ ଅଗ୍ନିକଣା ନିର୍ଗତ ହେଲା ପ୍ରାୟ ଦିଶିଲା । ଆମ୍ଭେ ଦେଖିଲୁ ଯେ, ସେ ଆମ୍ଭଠାରେ ଘୃଣାଜନ‌କ ବ୍ୟବ‌ହାର କଲେ । ଆମ୍ଭେ କଦାଚ ଏପରି କୁବ୍ୟବ‌ହାରର ଯୋଗ୍ୟ ନଥିଲୁ । ଆମ୍ଭେ ଦେଖିଲୁ ଯେ ଆମ୍ଭର ଉପ‌ଯୁକ୍ତ ମର୍ଯ୍ୟାଦା ହେଲା ନାହିଁ । ଆମ୍ଭ ସଦ୍‌ଗୁଣମାନଙ୍କର ଆଦର ହେଲା ନାହିଁ । ପିତାଙ୍କର ଏହି ଅନ୍ୟାୟ ଅବିଚାର ଦେଖି ଆମ୍ଭେ ଯତ୍ପରୋନାସ୍ତି ବିରକ୍ତ ହେଲୁ । ଆମ୍ଭର ସ୍ୱାଭାବିକ ଭୟ ଭାଙ୍ଗିଗଲା । ତ‌ତ୍‌କ୍ଷଣାତ୍ ବ୍ୟଗ୍ର ହୋଇ ଉତ୍ତର ଦେଲୁ । କୋପରେ ଆମ୍ଭର ଗଣ୍ଡ ସ୍ଫିତ ଓ ଆଖି ରକ୍ତ ବର୍ଣ୍ଣ ହେଲା । ଅଳ୍ପକାଳରେ ମଧ୍ୟ ସମସ୍ତ ଦୁଃଖ ମନେ ପଡ଼ିଲାରୁ ନୟନରୁ ଲୋତକ ଝରିଲା । ଏହି ଦେଖି ପିତା ପୁଣି କ୍ରୁଦ୍ଧ ପୁଣି ଚମତ୍କୃତ ହେଲେ ଏବଂ ସେଠାରୁ ଚାଲିଗଲା । ଆମ୍ଭେ ସୁଦ୍ଧା ମୌନୀ ହୋଇ ସେଠାରୁ ଅନ୍ୟ ସ୍ଥାନ‌କୁ ଗଲୁ ।

ଅଳ୍ପ ଦିନ ଉତ୍ତାରୁ ଗୋଟିଏ ଭୟାବ‌ହ ବ୍ୟାପାର ଦେଖିଲୁ । ଯେଉଁ ସନ୍ନ୍ୟାସୀ ଆମ୍ଭ ପିତ୍ରାଳୟରୁ ଆସିଥିଲେ, ତାଙ୍କ ସ‌ହିତ ଆମ୍ଭଙ୍କୁ ମଠାକୁ ପଠାଇବା ନିମନ୍ତେ ପିତା ଗୋପନ ମନ୍ତ୍ରଣା କରିଥିଲେ । ଆମ୍ଭେ ଶୀଘ୍ର ଏହା ବୁଝି ପାରିଲୁ । ସେଠାରୁ ପଳାଇବା ନିମନ୍ତେ ବ୍ୟଗ୍ର ହେଲୁ । ଜନ୍ମ ଘରର ମମତା ତ୍ୟାଗ କରି ସେହି ରାତିରେ ପଳାୟନ କଲୁ । ସେହି ବନ୍ଦରରୁ ଖଣ୍ଡିଏ ଜାହାଜ ସ୍ଥାନାନ୍ତରକୁ ଯାଉଥିଲା । ଜାହାଜରେ ଚଢ଼ିଲୁ । ଜାହାଜ କି ଆଶ୍ରୟରେ କେଉଁଠାକୁ ଯାଉଅଛି, ତାହାର କିଛିମାତ୍ର ଅନୁସନ୍ଧାନ ନ କଲୁ । ଯେଉଁ ଦିଗକୁ ଯାଉ ଅବା ଯେଉଁ ସ୍ଥାନ‌କୁ ଯାଉ, ଯମାଳୟ ପରି ସେହି ମଠଠାରୁ ସେ ସ୍ଥାନ ଉତ୍ତମ ହେବ, ଆମ୍ଭର ଏହି ବିଶ୍ୱାସ ହେଲା । ମନ ଏମନ୍ତ ବିକୃତ ହୋଇ ଯାଇଥିଲା ଯେ ସେହି ସମୟରେ କର୍ତ୍ତବ୍ୟ‌-ଜ୍ଞାନଶୂନ୍ୟ ହେଲୁ । ଅଦୃଷ୍ଟରେ ଯାହା ଘଟିବାର ଥିବ ଘଟିବ, ଏହି ସାହସ ଯଷ୍ଟି ଅବଲମ୍ବନ କରି ଚାଲିଲୁ । ସେହି ଜାହାଜ ଜେନୋୟା ନ‌ଗରକୁ ଯାଉଥିଲା । ଆମ୍ଭେ କେତେଦିନ ଉତ୍ତାରେ ସେଠାରେ ପ‌ହଞ୍ଚିଲୁ ।
 ଜେନୋୟାରେ ପ୍ରବେଶ ହୋଇ ନ‌ଗର ଅଭିମୁଖେ ଚାଲିଲୁ । ଯାଉ ଯାଉ କେଉଁ ସ୍ଥାନରେ ମନୋହର ପ୍ରସାଦମାଳା, କେଉଁ ସ୍ଥାନରେ ଉଚ୍ଚ ଦେବ ମନ୍ଦିର, କେଉଁ ସ୍ଥାନରେ ସୁରମ୍ୟ ପୁଷ୍ପରେ ଶୋଭିତ ଉଦ୍ୟାନମାନ ଦେଖି ଅତିଶୟ ପ୍ରୀତ ହେଲୁ । ମାତ୍ର କେଉଁଠାକୁ ଯିବୁ ଓ କଣ କରିବୁ, କିଛିହିଁ ସ୍ଥିର କରିପାରିଲୁ ନାହିଁ । ସେଠାରେ ଆମ୍ଭର କେହି ପରିଚିତ ଲୋକ ନଥିଲେ । ଯାହା ହେଉ, ସେହି ମଠର ଯନ୍ତ୍ରଣା ଭୋଗ କରିବାକୁ ହେବ ନାହିଁ, ଏହି ଚିନ୍ତାରେ କିଛି ସ୍ଥିର ହେଲୁ । ଅନନ୍ତର ନ‌ଗର ମଧ୍ୟରେ ପ୍ରବେଶ ହୋଇ ନାଗରିକମାନଙ୍କ ଗୃହ ରଚନା କୌଶଳ ଦେଖି ଚମତ୍କୃତ ହେଲୁ । ସେହି ସ୍ଥାନରେ ବ‌ହୁମୂଲ୍ୟ ବସ୍ତ୍ରଧାରିଣୀ ସୁନ୍ଦରୀମାନଙ୍କୁ ଦେଖି ଆମ୍ଭର ସ୍ଥିର ବିଶ୍ୱାସ ହେଲା ଯେ, ଜେନୋୟା ନିବାସୀମାନେ ଅତ୍ୟନ୍ତ ସୁଖୀ ଅଟନ୍ତି । ଏମନ୍ତ ଉତ୍ତମ ସ୍ଥାନ‌କୁ ଆସିଅଛୁ, ଏହା ଭାବି ଆନନ୍ଦରସରେ ଅଭିଷିକ୍ତ ହେଲୁ

ଅଳ୍ପ ଦିନ ମଧ୍ୟରେ ଆମ୍ଭର ସେହି ସୁଖକର ନିଦ୍ରା ଭାଙ୍ଗିଗଲା । ଆମ୍ଭଠାରେ ଯେଉଁ ଅଳ୍ପ ମୁଦ୍ରା ଥିଲା, ତାହା ଶୀଘ୍ର ସରୁଗଲା । ଅଭାବଜନିତ କଷ୍ଟ ଆମ୍ଭେ ଏତେ ଦିନଯାଏ ଅନୁଭବ କରିନଥିଲୁ, ଏଣିକି ସେହି କଷ୍ଟରେ ପଡ଼ିବାକୁ ହେଲା । ମୁଦ୍ରାଭାବରୁ ଯେ ଏପରି କ୍ଳେଶ ହୁଅଇ, କଦାଚ ଏମନ୍ତ ଭାବି ନଥିଲି । ଏଥି ପୂର୍ବେ ଆମ୍ଭର ଅଭାବ ହୋଇନଥିଲା । ସଂସାରରେ କି ପ୍ରକାର ଚଳିବାକୁ ହୁଏ, ତାହା ମଧ୍ୟ ସମ୍ପୁର୍ଣ୍ଣ ଅଜ୍ଞାତ ଥିଲୁ । ଏହି ସମୟରେ ଆମ ଉପରେ ଯେମନ୍ତ ଦୁଃଖ ପଡ଼ିଲା, ତାହା ବାକ୍ୟରେ କ‌ହି ନୁହଇ । ଭିକ୍ଷୁକ ପ୍ରାୟ ରାଜଦାଣ୍ଡରେ ବୁଲିବାକୁ ଗଲୁ । ସେହି ପ୍ରାସାଦଶ୍ରେଣୀର ଶୋଭା ଆମ୍ଭ ନେତ୍ରରେ ପ୍ରୀତିକର ହେଲା ନାହିଁ । କାତର ହୋଇ ଏମନ୍ତ ଭ୍ରମଣ କରୁକରୁ ହଠାତ୍ ଏକ ସୁନିର୍ମିତ ଗିରିଜା ନିକଟରେ ପ‌ହଞ୍ଚିଲୁ ।

ଜଣେ ପ୍ରସିଦ୍ଧ ଚିତ୍ରକର ସେହି ଗିରିଜାର ପ୍ରାଚୀରରେ ଚିତ୍ରପଟ ସଂଲଗ୍ନ କରୁଥିଲେ । ଆମ୍ଭେ ଚିତ୍ରବିଦ୍ୟାରେ କିଞ୍ଚିତ ନୈପୁଣ୍ୟ ଲଭିଥିଲୁ । ସେଥି ନିମନ୍ତ ଉତ୍ତମ ଛବି ଦେଖବାକୁ ଆମ୍ଭର ଅତ୍ୟନ୍ତ ସ୍ପୃହା ହେଉଥିଲା । ସେହି ଚିତ୍ରପଟମାନ ଦେଖି ଅତ୍ୟନ୍ତ ଆହ୍ଲାଦିତ ହେଲୁ । ସେଥି ମଧରେ ଖଣ୍ଡିଏ ଚିତ୍ର ସର୍ବୋତ୍କୃଷଟ ହୋଇଥିଲା । ତ‌ହିଁରେ କଳଙ୍କଶୂନ୍ୟ ଉଦାରଚରିତ୍ରା କୌଣସି ରୂପବତୀ ଲଳନାର ପ୍ରତିମୂର୍ତ୍ତି ଅଙ୍କିତ ହୋଇଥିଲା । ସେହି ଚିତ୍ର ଯେତେବେଳେ ଆମ୍ଭ ନେତ୍ରରେ ପଡ଼ିଲା, ସେତେବେଳ ଆମ୍ଭର ହର୍ଷର ସୀମା ନ ରହିଲା । ଆମ୍ଭେ ଚମତ୍କୃତ ହୋଇ ସ୍ଥିର ଦୃଷ୍ଟିରେ ତାହାକୁ ଦେଖିବାକୁ ଲାଗିଲୁ । କପୋଳଦ୍ୱୟ ହର୍ଷରେ ପ୍ରଫୁଲ୍ଲିତ ହେଲା । ଏହା ଦେଖି ସେହି ଚିତ୍ରକର ପ୍ରୀତ ହୋଇ ଆମ୍ଭ ନିକଟକୁ ଆସି ଆମ୍ଭର ପରିଚୟ ପଚାରିଲେ । ଆମ୍ଭେ ସେହି ସମୟରେ ବନ୍ଧୁହୀନ ହୋଇଥିଲୁ, ବଶେଷତଃ ସେହି ଚିତ୍ରକରଙ୍କ ଆଗ୍ରହ ଦେଖି ପରିଚୟ ନ ଦେଇ ରହିପାରିଲୁ ନାହିଁ । ଆମ୍ଭ ନାମ ଓ ପଦବୀ ଛାଡ଼ି ଆଉ ସବୁ ବିଷୟରେ ଚିତ୍ରକରଙ୍କୁ ଜଣାଇଲୁ । ସେ ମନୋଯୋଗୀ ହୋଇ ସମସ୍ତ ବିବରଣ ଶୁଣିଲେ । ଅନନ୍ତର ଅନୁଗ୍ରହପୂର୍ବକ ତାଙ୍କ ଘରେ ଆମ୍ଭକୁ ବାସସ୍ଥାନ ଦେଲେ । ଆମ୍ଭେ ଅତିମାତ୍ରାରେ ତାଙ୍କ ପ୍ରିୟପାତ୍ର ହେଲୁ ଓ ତାଙ୍କ ନିକଟରୁ ଚିତ୍ରବିଦ୍ୟା ଶିକ୍ଷା କରିବାକୁ ଆରମ୍ଭ କଲୁ । ସେହି ବିଦ୍ୟାରେ ଆମ୍ଭର ପଟୁତା ଦେଖି ସେ ଚମତ୍କୃତ ହେଲେ ଏବଂ ଆମ୍ଭର ବିସ୍ତର ପ୍ରଶଂସା କଲେ । ତାଙ୍କର ପ୍ରଶଂସା ଶୁଣି ଆମ୍ଭର ଉତ୍ସାହ ବଢ଼ିଲା । ଆହା! ତାଙ୍କ ଘରେ ଆମ୍ଭେ କେତେ ସୁଖରେ କାଳ ଗମୁଥିଲୁ । କୌଣସି ବିଷୟରେ ଅଭାବ ନଥିଲା, ଦୁଃଖ ଲେଶମାତ୍ର ନଥିଲା । ଆହା! ସେ ଦିନ‌କି ଆଉ ଫେରି ଆସିବା ? ପୂର୍ବର ସବୁ ଦୁଃଖ ପାସୋରିଲୁ । ସେହି ମଠ ଆମ୍ଭ ହୃଦୟ କ୍ଷେତ୍ରରୁ ଅପସୃତ ହେଲା । ମନ ମହତ୍ ଏବଂ ଉତ୍ତମ ଭାବରେ ପରିପୂର୍ଣ୍ଣ ହେଲା । ସବୁବେଳେ ଉତ୍ତମ ଉତ୍ତମ କାବ୍ୟ, ଉତ୍ତମ ଉତ୍ତମ ଉପନ୍ୟାସ ପଢ଼ି ଯଥେଷ୍ଟ ଆନନ୍ଦ ପ୍ରାପ୍ତ ହେଲୁ । ନବ ପରିଚିତମାନଙ୍କ ସ‌ହିତ ମିଷ୍ଟାଳାପ, ସେମାନଙ୍କ ରୀତିନୀତି ଦର୍ଶନରେ ରତ‌ହେଲୁ । ଅବସର ବେଳେ ଉଦ୍ୟାନ ଭ୍ରମଣ କରି ପ୍ରକୃତିଦେବୀଙ୍କର ମନୋହର ଶୋଭା ଦେଖି ଆତ୍ମାକୁ ପରିତୃପ୍ତ କରୁଥିଲୁ । ପୁଣି ଆମ୍ଭର କଳ୍ପନାଶକ୍ତି ଅତିଶୟ ବଳବତୀ ଥିଲା । ଏଥି ନିମନ୍ତେ ଅଳ୍ପ ସୁନ୍ଦର ବସ୍ତୁ ସୁଦ୍ଧା ଆମ୍ଭର ପ୍ରୀତିକର ହେଉଥିଲା । ଆମ୍ଭ ଗୃହସ୍ୱାମୀ ଅତି ଉଦାର ସ୍ୱଭାବ ଥିଲେ । ତାଙ୍କ କୃପାରୁ ଆମ୍ଭେ ମହୀରେ ସ୍ୱର୍ଗ ସୁଖ ଅନୁଭବ କରୁଥିଲୁ । ସେ ଜେନୋୟା ନିବାସୀ ନଥିଲେ । ନ‌ଗରୀର ଧନୀମାନେ ତାଙ୍କ ଚିତ୍ର ନୈପୁଣ୍ୟର ପ୍ରଶଂସା ଶୁଣି କେତେଗୁଡ଼ିଏ ଚିତ୍ର ପ୍ରସ୍ତୁତ କରାଇବା ନିମନ୍ତେ ସେହି ନ‌ଗରୀକୁ ଅଣାଇଥିଲା । ତାଙ୍କ ଶାରୀରିକ ଅସୁସ୍ଥତା ଓ ଦୌର୍ବଳ୍ୟ ହେତୁରୁ ସେ ଅନେକ ସମୟରେ ଶିଷ୍ୟମାନଙ୍କୁ ଚିତ୍ର କରିବାର ଭାର ଦେଉଥିଲେ । ତାଙ୍କ ବିବେଚନାରେ ଶିଷ୍ୟମାନଙ୍କ ମଧ୍ୟରେ ଆମ୍ଭେ ସର୍ବୋତ୍କୃଷ୍ଟ ଥିଲୁ । ବିଶେଷତଃ ସ୍ତ୍ରୀମାନଙ୍କ ଚିତ୍ର ଲେଖିବାରେ ଆମ୍ଭେ ଅତ୍ୟନ୍ତ ପଟୁ ଥିଲୁ । ଯେତେବେଳେ କୌଣସି ସୁନ୍ଦରୀ ରମଣୀର ଛବି ଚିତ୍ରିବାର ଆବଶ୍ୟକ ହେଉଥିଲା ସେ ସେହି କର୍ମର ଭାର ଆମ୍ଭଙ୍କୁ ଦେଉଥିଲେ । ପୁଣି ସେହି ଚିତ୍ରକରଙ୍କର ଆମ୍ଭଠାରେ ସମ୍ପୁର୍ଣ୍ଣ ବିଶ୍ୱାସ ଥିଲା । ସମସ୍ତ ଲୋକଙ୍କର ସାକ୍ଷାତରେ ଆମ୍ଭ ସଦ୍‌ଗୁଣର ବିସ୍ତର ପ୍ରଶଂସା କରୁଥିଲେ । ଗୁଡ଼ାଏ କ'ଣ କ‌ହିବୁ, ଆମ୍ଭଠାରେ ତାଙ୍କର ଏତେ ସ୍ନେହ ଥିଲା ଯେ, ଅଳ୍ପକାଳ ନିମନ୍ତେ ସୁଦ୍ଧା ଆମ୍ଭେ ତାଙ୍କର ନୟନର ଅଗୋଚର ହେଲେ ସେ କାତର ହେଉଥିଲେ ।

 ଜେନୋୟା ନ‌ଗରୀର ଧନଶାଳୀ ନିବାସୀମାନେ ସେହି ଚିତ୍ରକରଙ୍କୁ ଯେଉଁ ମହିଳାମାନଙ୍କ ଚିତ୍ର ନିମନ୍ତେ ଆଦେଶ ଦେଇଥିଲେ, ତନ୍ମଧ୍ୟରେ ଲରାନାମ୍ନୀ ଗୋଟିଏ ରୂପବତୀ ବାଳିକା ଥିଲେ । ସେହି ବାଳିକାର ଛବି ପ୍ରସ୍ତୁତ କରିବା ନିମନ୍ତେ ଚିତ୍ରକରଙ୍କଠାରୁ ଆଜ୍ଞା ପାଇଲୁ । ସେହି ସୁନ୍ଦରୀ କୁମାରୀ କୌଣସି ମଠରେ ଶିକ୍ଷା ସମାପ୍ତ ଅନ୍ତେ ଆପଣା ଚିତ୍ର ପ୍ରସ୍ତୁତ କରାଇବା ନିମନ୍ତେ ସେଠାରେ ଉପସ୍ଥିତ ହେଲା । ଆମ୍ଭେ ପ୍ରଥମେ ତାହାକୁ ଏକ ସୁରମ୍ୟ ପ୍ରସାଦର ନିକଟରେ ବସିବାର ଦେଖିଥିଲୁ । ଯେଉଁ ଗୃହରେ ସେ ବସିଥିଲା, ସେହି ଗୃହଭିତ୍ତି ପଦ୍ମରାଗନିଭ ରକ୍ତବସ୍ତ୍ରରେ ମଣ୍ଡଣି ହୋଇଥିବାରୁ ତ‌ହିଁରେ ରବିକର ପଡ଼ି ସେଥିରେ ରକ୍ତିମା ବୃଦ୍ଧି ପାଉଥିଲା । ସେହି ଲାବଣ୍ୟବତୀର ବୟଃକ୍ରମ ଷୋଡ଼ଶ ବର୍ଷ । ରୂପର କଥା ଅବା କ'ଣ କ‌ହିବୁ? ଦେଖିଲାକ୍ଷଣି ବୋଧ ହେଲା ଯେ, ସୌନ୍ଦର୍ଯ୍ୟ, ନିରୀହତା, ଲଜ୍ଜା ଏବଂ ଯୌବନ ଚାରିହେଁ ଏହମୂର୍ତ୍ତି ଧରି ଅବତୀର୍ଣ୍ଣ ହୋଇଅଛନ୍ତି । ଯେତେବେଳେ ସେହି ମୋହିନୀମୂର୍ତ୍ତି ଆମ୍ଭ ଆଖିରେ ପଡ଼ିଲା, ଅମ୍ଭେ ସେ ସମୟରେ ମୋହିତ ହେଲୁ । କବି ଏବଂ ଚିତ୍ରକରମାନେ କ‌ହନ୍ତି ଯେ ତାଙ୍କ ମନରେ କେବେ କେବେ ଏପରି ଅନିର୍ବଚନୀୟ ଭାବର ଉଦୟ ହୁଏ ଯେ ସେମାନେ ସେହି ଭାବକୁ ଲେଖନୀ ଅଥବା ତୂଳୀଦ୍ୱାରା ବ୍ୟକ୍ତ କରିପାରନ୍ତି ନାହିଁ । ଆମ୍ଭ ବିବେଚନାରେ ସେହି କୁମାରୀ ସୁଦ୍ଧା ସେହିପରି ବୋଧ ହେଲା । ଆମ୍ଭେ ଆନନ୍ଦରେ ମଗ୍ନ ହୋଇ ଥରକୁ ଥର ସେହି ମୃଗନୟନାର ପ୍ରତିମୂର୍ତ୍ତୀ ଲେଖିଲୁ । ଯେତେଥର ଲେଖିଲୁ, ସେତେଥର ଲେଖିବାକୁ ମନ ବଳିଲା । ଆମ୍ଭେ ସତୃଷ୍ଣ ହୋଇ ସେହି କାମିନୀର ମୁଖକମଳ ଦେଖଲୁ । ବାରମ୍ବାର ଦେଖିଲେହେଁ ତୃପ୍ତ ହେଲୁ ନାହିଁ । ସେହି ସ୍ୱର୍ଗୀୟ ଲାବଣ୍ୟ ଦେଖି ଆମ୍ଭ ମନ ଏପରି ଆଶ୍ଚର୍ଯ୍ୟାନ୍ୱିତ ହେଲା ଯେ ଆଶ୍ଚର୍ଯ୍ୟ ଶରୀରରେ ଧରିଲା ନାହିଁ । ଆମ୍ଭର ସେହି ସମୟରେ ଊନବିଂଶତି ବର୍ଷ ବୟଃକ୍ରମ ହୋଇଥିଲା ଏବଂ ଆମ୍ଭେ ଅତିଶୟ ଲଜ୍ଜାଶୀଳ ପୁଣି ଅଳ୍ପଦର୍ଶୀ ଥିଲୁ । ସେହି କନ୍ୟାର ଜନନୀ ଆମ୍ଭର ଯଥେଷ୍ଟ ଆଦର କଲେ, ହେତୁ କି, ସେ ଆମ୍ଭ ଚିତ୍ର କୌଶଳରେ ଅତ୍ୟନ୍ତ ତୁଷ୍ଟ ହୋଇଥିଲେ । ଆମ୍ଭର ସଦାଚରଣ ଓ ବିନୀତ ସ୍ୱଭାବ ଦେଖି ସେ ଆହୁରି ସନ୍ତୁଷ୍ଟ ହେଲେ; କିନ୍ତୁ ସେ ଆମ୍ଭଠାରେ ଏପରି ସଦ୍‌ବ୍ୟବ‌ହାର କଲେହେଁ ତାଙ୍କ ସୁକୁମାରୀ କନ୍ୟାକୁ ଦେଖିଲାକ୍ଷଣି ଆମ୍ଭ ମନରେ ଶଙ୍କା ଉତପନ୍ନ ହୋଇଥିଲା । ସେହି ସୁନ୍ଦରୀ ଯେତେବେଳେ ଆମ୍ଭ ନେତ୍ରପଥାରେ ପଡ଼ୁଥିଲା, ଆମ୍ଭେ ସେତେବେଳେ ଅତ୍ୟନ୍ତ ସଙ୍କୁଚିତ ହେଉଥିଲୁ । କ୍ରମେ ତାହାର ଅନୁପମ ରୂପ ଆମ୍ଭ ମନୋରାଜ୍ୟରେ ଏକାଧିପତ୍ୟ ସ୍ଥାପିଲା । କେବେ କେବେ ତାହାକୁ ଅପ୍‌ସରୀ ବୋଲି ଭ୍ରମ ହେଉଥିଲା । ସେ ଯେ ପାର୍ଥିବ ପରମାଣୁରେ ନିର୍ମିତ, ଆମ୍ଭର ଏମନ୍ତ ପ୍ରତ୍ୟୟ ବି ହେଉନଥିଲା । କ୍ରମା କ୍ରମ ମନ ନିରତିଶୟ ବିକୃତ ହେଲା । ନୟନ‌ଦ୍ୱାରା ତାହାର ଲାବନ୍ୟ ରୁପ ମଧୁର ଗରଳ ପିଇ ଆମ୍ଭେ ଅଜ୍ଞାନ ହେଲୁ । ମନରେ କେତେ ନବ ନବ ଭାବ ଉଦୟ ହେଲା । ହରିଣନୟନା ଆମ୍ଭର ପ୍ରେୟସୀ ହେବ, କେବେ କେବେ ଏହି ଦୁରାଶା ଆମ୍ଭକୁ ଚଞ୍ଚଳ କରୁଥିଲା । କେତେବେଳେ ଅବା ହତାଶ ହୋଇ ଆକୁଳ ହେଉଥିଲୁ । ପ୍ରେମ ଏତେଦିନ ଯାଏ ଆମ୍ଭ ହୃଦୟରେ ପ୍ରଚ୍ଛନ୍ନ ଭାବରେ ଥିଲା, ସେହି ବାମ ଲୋଚନାର ଲାବଣ୍ୟରେ ଉଦ୍ଦୀପ୍ତ ହେଲା । ପ୍ରେମର ଦୁର୍ଜୟ ପ୍ରଭାବ ଆମ୍ଭେ ଏତେଦିନେ ଅନୁଭବ କଲୁ ।  କିଛି ଦିନ ମଧ୍ୟରେ ଚିତ୍ର ସମାପ୍ତ ହେଲା । ଲରା ମଠକୁ ନେଉଟି ଅଇଲା କିନ୍ତୁ ତାହାର ସେହି ମନୋହାରିଣୀ ମୁର୍ତ୍ତି ଆମ୍ଭ ହୃଦୟ ପଟରେ ଅଙ୍କିତ ରହିଲା । ମନରେ ସେହି ଅତୁଳ ସୌନ୍ଦର୍ଯ୍ୟ ଜାଗିରହିଲା । କୌଣସି ସୁନ୍ଦର ପଦାର୍ଥ ଦେଖିଲେ ତାହାର ରୂପ ଏହି ସର୍ବାଙ୍ଗସୁନ୍ଦରୀର ରୂପ ସ‌ହିତ ତୁଳନା କରୁଥାଉଁ । ତାହାର ପ୍ରତିମୂର୍ତ୍ତି ଦେଖି ଆମ୍ଭର ଚଞ୍ଚଳ ମାନସକୁ ପ୍ରବୋଧ ଦେଉଥାଉଁ । ସୁନ୍ଦରୀ ସ୍ତ୍ରୀମାନଙ୍କର ପ୍ରତିମୁର୍ତ୍ତୀ ଆମ୍ଭେ ଅନ୍ୟୟାସରେ ଚିତ୍ର କରିପାରୁ ବୋଲି ପ୍ରସିଦ୍ଧ ହୋଇଥିଲୁ । ଏହାର କାରଣ କଣ? ଆଉ କିଛି ନୁହେଁ, ସେହି ମନୋହାରିଣୀ ଏହାର ଆଦି କାରଣ । ଆମ୍ଭ ଶିକ୍ଷକ ଆମ୍ଭଙ୍କୁ ଯେଉଁ ଚିତ୍ର ଅଙ୍କନ କରିବା ନିମନ୍ତେ ଆଦେଶ ଦେଉଥିଲେ, ସେହି ଛବିରେ ଲରାର କିୟଦଂଶ ଲେଖି ଚିତ୍ରକୁ ସୁଶୋଭିତ କରୁଥିଲୁ । ଦିନେ ଆମ୍ଭେ ଏକ ମନ୍ଦିର ପାଖରେ ଛିଡ଼ାହୋଇ ଦେଖିଲୁ ଯେ ସେଠାରେ ଅନେକ ଲୋକ ଏକତ୍ରିତ ହୋଇ କାନ୍ଥରେ ଝୁଲୁଥିବା କୌଣସି ପଟରେ ଅଙ୍କିତ ଦେବୀ ପ୍ରତିମୂର୍ତ୍ତି ଦେଖି ଚମତ୍କୃତ ହେଉଅଛନ୍ତି ଏବଂ ବାରମ୍ବାର ପ୍ରଶଂସା କରୁଅଛନ୍ତି । ପୁଣି ଭକ୍ତିପୂର୍ବକ ହାତ ଯୋଡ଼ି ସେହି ଦେବୀ ପ୍ରତିମୂର୍ତ୍ତିକୁ ଜୁହାର ହେଉଅଛନ୍ତି । ସେମାନେ କାହାକୁ ଜୁହାର ହେଉଥିଲେ । ସେଇ ଲାବଣ୍ୟମୟୀ ଲରାକୁ ସେହି ଚିତ୍ତରଞ୍ଜିନୀ ଲରାର ପ୍ରଶଂସା କରୁଥିଲେ ।  ଆମ୍ଭେ ଏହିରୂପେ ଥୋକାଏ ଦିନ ଯାପିଲୁ । ସେହି ସୁଖକାଳ ଆମ୍ଭଙ୍କୁ ସ୍ୱପ୍ନାବସ୍ଥା ପ୍ରାୟ ଦିଶୁଥିଲାଅ । ଆମ୍ଭର କଳ୍ପନା ଏମନ୍ତ ବଳବତୀ ଥିଲା ଯେ, ସେହି ନବୀନା ଲରାର ପ୍ରତିମୂର୍ତ୍ତି ମୁହୂର୍ତ୍ତ ମଧ୍ୟରେ ହୃଦୟ ଅଗ୍ରରେ ପଡ଼ୁଥିଲା । ପୁଣି ଆମ୍ଭେ ସର୍ବଦା ନିର୍ଜନରେ ଭ୍ରମଣ କରୁଥିଲୁ । ଭ୍ରମଣ ବେଲେ ଅନେକ ନବ ନବ ଭାବର ଉଦୟ ହେଉଥାଏ, ମନରେ ଅନେକ ଅନନୁଭୂତପୂର୍ବ ବାସନା ଜାତ ହେଉଥାଏ । ଉଦ୍ୟାନ ପୁଷ୍ପମାନ ସେହି କୁମାରୀର ସୌନ୍ଦର୍ଯ୍ୟକୁ ସ୍ମୃତିପଥାରୂଢ଼ କରାଉଥିଲେ । ମଧୁରାଳାପୀ ପକ୍ଷୀମାନଙ୍କର ମଧୁର ଗୀତ ଶୁଣି ସେହି ଲରାର ମିଷ୍ଟ ସ୍ୱର ମନରେ ପଡ଼ୁଥିଲା । ବିକସିତ ଗୋଲାପ ଫୁଲ ତାହାର କୋମଳ କରତଳରେ ସ୍ମାରକ ହେଉଥିଲା । ଆମ୍ଭେ ଶୋଭାବ ଶୋଭା ଦେଖି ଦିନ ଏହିପରି ଯାପୁଥିଲୁ । ଅନନ୍ତର ଗୋଟିଏ ଶୋଚନୀୟ ବ୍ୟାପାର ଘଟିଲା । ଆମ୍ଭେ ତଦ୍ୱାରା ଏହି ସୁଖ ସ୍ୱପ୍ନରୁ ଜାଗିଲୁ । ଆମ୍ଭର ନିତ୍ୟ ହିତାକାଙ୍‌କ୍ଷୀ ସେହି ଚିତ୍ରକର ପଞ୍ଚତ୍ୱ ପ୍ରାପ୍ତ ହେଲେ । ତାଙ୍କର ମୃତ୍ୟୁରେ ଆମ୍ଭର ଶୋକସିନ୍ଧୁ ଉଛୁଳିଲା । ନିଃସ‌ହାୟ ହୋଇ ଭଗ୍ନୋତ୍ସାହ ହେଲୁ । ସେହି ଚିତ୍ରକର ଅନ୍ତିମ କାଳରେ ଅନୁଗ୍ରହ କରି ତାଙ୍କର ସମସ୍ତ ସମ୍ପତ୍ତି ଉପରେ ଉତ୍ତରାଧିକାରୀ ନିଯୁକ୍ତ କରିଗଲେ । ମାତ୍ର ସେହି ସମ୍ପତ୍ତି ଅଧିକ ନଥିଲା । ତାଙ୍କର ଏକ ପରମ ବାନ୍ଧବ ଥିଲେ, ଆମ୍ଭର ରକ୍ଷଣାବେକ୍ଷଣର ଭାର ସେହି ବନ୍ଧୁଙ୍କୁ ଅର୍ପଣ କରି ସେ ପ୍ରାଣତ୍ୟାଗ କଲେ । ସେହି ଚିତ୍ରକରଙ୍କ ବଦନ୍ୟତା ଆମ୍ଭେ କେବେହେଁ ପାସୋରିବୁ ନାହିଁ ।

ତାଙ୍କ ବନ୍ଧୁ ଅତ୍ୟନ୍ତ ଦାତା ବୋଲି ପ୍ରସିଦ୍ଧ ଥିଲେ । ପୁଣି ତାଙ୍କର ଅସାଧାରଣ ବିଦ୍ୟୋତ୍ସାହିତା ଥଲା । ଆମ୍ଭେ ପଛକୁ ଗୋଟିଏ ନିପୁଣ ଚିତ୍ରକର ହେବୁଁ, ଏହା ସେ ଅନାୟାସରେ ବୁଝିପାରିଲେ । ଆମ୍ଭର ଅଙ୍କିତ ଛବି ଦେଖି ସେ ଯତ୍ପରୋନାସ୍ତି ପରିତୁଷ୍ଟ ହେଲେ ଏବଂ ଆନନ୍ଦିତ ଚିତ୍ତରେ ଆମ୍ଭ ପ୍ରତିପୋଷଣର ଭାର ନେଲେ । ତାଙ୍କର ସୁରମ୍ୟ ଗ୍ରାମ୍ୟ ଉପବନ ଥିଲା । ଆମ୍ଭଙ୍କୁ ଶୋକରେ ଅଭିଭୂତ ହେଇଥିବାର ଦେଖି ଆମ୍ଭର ସାନ୍ତ୍ୱନା ପାଇଁ ସେଠାରେ କେତେକ ଦିନ ଅବସ୍ଥାନ କରିବା ନିମନ୍ତେ ଆମ୍ଭଙ୍କୁ ସାଙ୍ଗାରେ ଘେନି ଯାତ୍ରା କଲେ । କିଛି ଦିନ ବାଦ ସେଠାରେ ପ‌ହଞ୍ଚିଲୁ । ସେହି ଉଦ୍ୟାନ ସମୁଦ୍ର କୂଳରେ ଅବସ୍ଥିତ ଥିଲା । ଆମ୍ଭେ ଆମ୍ଭେ କେବେ କେବେ ସେହି ପର୍ବତରେ ବୁଲୁଥିଲୁ । କେତେବେଳେ ଅବା ଶୃଙ୍ଗରେ ଚଢ଼ି ଚତୁର୍ଦ୍ଦିଗକୁ ନୟନ ନିକ୍ଷେପ କରୁଥିଲୁ । ସେ ଶୋଭା ବର୍ଣ୍ଣିବାର ଆମ୍ଭର ସାଧ୍ୟ ନୁହଇ । କେଉଁଠାରେ ତରଳ ରୌପ୍ୟବତ୍‌ସ୍ୱଚ୍ଛବାରି ବିଶିଷ୍ଟ ପ୍ରକାଣ୍ଡ ହ୍ରଦ, କେଉଁଠାରେ ଗ‌ଗନ ନିନାଦୀ ଜଳପ୍ରପାତ, କେଉଁଠାରେ ମରକତନିଭ ହରିଦ୍‌ବର୍ଣ୍ଣ ତରୁଶୋଭିତ ଉପତ୍ୟକା, କେଉଁଠାରେ ନ‌ବଦୁର୍ବାଦଳଶ୍ୟାମ ପ୍ରଶସ୍ତ ପ୍ରାନ୍ତର, କେଉଁଠାରେ ଭୀଷଣ ତରଙ୍ଗସଙ୍କୁଳ ପ୍ରବାହିଣୀ ଦୃଷ୍ଟି ଗୋଚର ହେଉଥିଲା । ସେ ସ୍ଥାନର ପରମ ରମଣୀୟ ଶୋଭା ସଂଦର୍ଶନ କରି ଆମ୍ଭର ନୟନ ସାର୍ଥକ ହେଲା ।

ଆମ୍ଭର ଅନୁଗ୍ରାହକ ସେହି ଭଦ୍ରଲୋକଙ୍କର ଫିଲିପ୍‌ସ୍ ନାମଧେୟ ଏକ ପୁତ୍ର ଥିଲେ । ସେହି ରମ୍ୟ ଉଦ୍ୟାନରେ ତାଙ୍କ ସ‌ହିତ ଆମ୍ଭର ପ୍ରଥମ ପରିଚୟ ହେଲା । ସେ ଆମ୍ଭର ସମାନ ବୟସ୍କ ଥିଲେ । ତାଙ୍କ ସତ୍ ପ୍ରକୃତି ଏବଂ ସଦ୍ ବ୍ୟବ‌ହାର ଦେଖି ଆମ୍ଭେ ଅତିଶୟ ପ୍ରୀତ ହେଲୁ । ପ୍ରଥମେ ଆମ୍ଭେ ତାଙ୍କୁ ଅତି ଭଦ୍ର ଓ ଶୁଶୀଳ ବୋଲି ଜାଣିଥିଲୁ । କିନ୍ତୁ ଅଳ୍ପଦିନ ମଧ୍ୟରେ ଆମ୍ଭର ସେହି ଭ୍ରାନ୍ତି ଘୁଞ୍ଚିଗଲା । ତାଙ୍କର ସେହି ବ୍ୟବ‌ହାର କୃତ୍ରିମ, ଶିଘ୍ର ଏହା ଜାଣିପାରିଥିଲୁ । ଆମ୍ଭ ପରୋକ୍ଷରେ ସେ କେବେ କେବେ ଆମ୍ଭର କୁତ୍ସା କରୁଥିଲେ ଏବଂ ଆମ୍ଭର ଶିଳ୍ପ ନୈପୁଣ୍ୟ ଦେଖି ଈର୍ଷୀ ହେଉଥିଲେ । ଆମ୍ଭର ସେଠାରେ କେହି ବନ୍ଧୁ ନଥିଲେ । ସୁତରାଂ ଆକୁଳ ହୃଦୟକୁ ଶାନ୍ତ କରିବା ନିମନ୍ତେ ତାଙ୍କ ସ‌ହିତ ମିତ୍ରତା କରିବାକୁ ବାଧ୍ୟ ହେଲୁ । ସେ ସୁଶିକ୍ଷିତ ନ ଥିଲେ । ତାଙ୍କୁ ବଳି ଆମ୍ଭେ ଅନେକ ବିଷୟରେ ଉତ୍କୃଷ୍ଟ ଥିଲୁ । ପୁଣି ସେ ସୁଦ୍ଧା ଅକୁଣ୍ଠିତ ଚିତ୍ତରେ ଏହା ସ୍ୱୀକାର କରୁଥିଲେ । ଆମ୍ଭେ ମୁକ୍ତକଣ୍ଠରେ ତାଙ୍କଠାରେ ଆମ୍ଭର ଯାବତ୍‌ ବୃତ୍ତାନ୍ତ କ‌ହିଲୁ । ସେ ମଧ୍ୟ କୌଣସି କଥା ଆମ୍ଭଠାରେ ଲୁଚାଉ ନଥିଲେ । ପ୍ରଧାନ ବୋଲି ଆମ୍ଭଠାରେ କେବେହେଁ ନିଷ୍ଠୁର ଆଚରଣ କରୁନଥିଲେ । ଆମ୍ଭର ସୌହାର୍ଦ୍ଦ୍ୟ ଶୃଙ୍ଖଳ ଦିନ‌କୁ ଦିନ ଦୃଢ଼ିଭୁତ ହେବାକୁ ଲାଗିଲା । ଦୁହେଁ ଦୁହିଁଙ୍କର ପରମ ପ୍ରେମାସ୍ପଦ ହେଲୁ । ଏମନ୍ତ ହେଲେହେଁ କେବେ କେବେ ଆମ୍ଭେ ଏକା ବସି ଚିନ୍ତାମଗ୍ନ ହେଉଥିଲୁ ଏବଂ ଲରା ସମ୍ବନ୍ଧୀୟ ବିଷୟମାନ ସ୍ମରଣ କରି ଅଶ୍ରୁଜଳରେ ବକ୍ଷସ୍ଥାଳକୁ ପ୍ଳାବିତ କରୁଥିଲୁ ।

ସେହି ଉପବନ ନାନାବିଧ ରମଣୀୟ ବସ୍ତୁରେ ପରିପୂରଣ୍ଣ ଥିଲା । ସ୍ଥାନେ ସ୍ଥାନେ ଚିକ୍‌କଣ ମର୍ମର ପ୍ରସ୍ତର ମୂର୍ତ୍ତି ସ୍ଥାପିତ ଥିଲା । ଶୀତଳ ଛାୟାବିଶିଷ୍ଟ ଲତାମଣ୍ଡପରେ ବସି ପକ୍ଷୀମାନେ ମଧୁର ରାବ ଦେଉଥିଲେ । ସୁଗନ୍ଧ ପୁଷ୍ଟସୌରଭରେ ବାସିତ ପବନ ସର୍ବଦା ଆମ୍ଭର ସୁଖସେବ୍ୟ ହେଉଥିଲା, ଗୁଡ଼ାଏ କ‌ହିବୁ କ'ଣ ସେହି ଉପବନ ଯାବତୀୟ ଚିତ୍ତରଞ୍ଜନ ପଦାର୍ଥର ଆବାସ ପ୍ରାୟ ଥିଲା । ସେହି ବିଚିତ୍ର ସ୍ଥାନରେ କିଛି ଦିନ ଅବସ୍ଥାନ କରି ଆମ୍ଭ ମନୋଦୁଃଖର କିଞ୍ଚିତ ହ୍ରାସ ହେଲା । କ୍ରମଶଃ ସ୍ଥିରଚିତ୍ତ ହେଲୁ । ମାତ୍ର ଲରାରୂପ ହୃଦୟରେ ସର୍ବଦା ଲାଗିରହିଲା । ବସ୍ତୁତଃ ସେ ଅଲୌକିକ ଲାବଣ୍ୟକୁ ପାସୋରିବା ଦୁଷ୍କର ଅଟେ ।

ଏହିରୂପେ ସେଠାରେ କିଛିଦିନ ଗଲା । ଅନନ୍ତର ଏକ ଭଦ୍ରମହିଳା ସେଠାକୁ ଆସିଲେ । ସେହି ମହିଲା ଆମ୍ଭ ପ୍ରଭୁଙ୍କର ଆତ୍ମୀୟ । ତାଙ୍କ ଜନନୀର ମରଣାନ୍ତେ ତାଙ୍କ ରକ୍ଷଣାବେକ୍ଷଣର ଭାର ଆମ୍ଭ ପ୍ରଭୁଙ୍କ ଉପରେ ପଡ଼ିଲା । ଏଥିପୂର୍ବରୁ ଆମ୍ଭେ ପିଲିପଙ୍କ ମୁଖରୁ ସେହି ଲଳନାର ରୂପର କଥା ଶୁଣିଥିଲୁ ମାତ୍ର ଆମ୍ଭ ମନ ଯେଉଁ ଲାବଣ୍ୟରେ ବୁଡ଼ିରହିଥିଲା, ସେହି ଲାବଣ୍ୟପରି-ଜଗତରେ ନାହିଁ, ଆମ୍ଭର ଏହି ଦୃଢ଼ ବିଶ୍ୱାସ ଥିଲା । ସେହି ମହିଳା ଯେତେବେଳେ ସେଠାରେ ପ‌ହଞ୍ଚିଲେ, ଆମ୍ଭେ ସେ ସମୟରେ ପ୍ରାସାଦ ମଧ୍ୟରେ ବସିଥିଲୁ । ସେ ଅତ୍ୟନ୍ତ ଶୋକାର୍ତ୍ତ ହୋଇଥିଲେ । ଆମ୍ଭେ ପ୍ରଥମେ ତାଙ୍କ ମୃଦୁ ଗମନ ଏବଂ ଶୋକସୂଚକ କୃଷ୍ଣ ବସନ ଦେଖି ଖିନ୍ନ ହେଲୁ । ସେ କ୍ରମଶଃ ଆମ୍ଭ ନିକଟବର୍ତ୍ତୀ ହେବାକୁ ଲାଗିଲେ । ମୂହୁର୍ତ୍ତକ ଉତ୍ତାରେ ଆମ୍ଭେ ଅତ୍ୟନ୍ତ ବିସ୍ମୟାନ୍ୱିତ ହେଲୁ । ସେ ସେହି ଲରା । ସେହି ବାମାକୁଳେଶ୍ୱରୀ ଲରା । ଆମ୍ଭର ସେହି ମନମୋହିନୀ ଲରା ତାଙ୍କର ବଦନ ସୁଧାକର ଶୋକଘନରେ ଆଚ୍ଛନ୍ନ ଥିଲା; କିନ୍ତୁ ଆମ୍ଭେ ପୂର୍ବରେ ଯେଉଁ ମାଧୁରୀ ଦେଖିଥିଲୁ ସେହି ମାଧୁରୀ ବୟୋବୃଦ୍ଧି ସ‌ହିତ ବ‌ହୁପରିମାଣରେ ବଢ଼ିଥିଲା । ପୂର୍ବରେ ଆମ୍ଭେ ଯାହାକୁ କଳିକା ରୂପେ ଦେଖିଥିଲୁ, ଏବେ ତାହା ପ୍ରସ୍ଫୁଟିତ ହୋଇଛି । କୌଣସି ପ୍ରସିଦ୍ଧ କବି ଲେଖିଛନ୍ତି ଯେ ଯେଉଁମାନେ ଆମ୍ଭର ସ୍ନେହପାତ୍ର ଅଟନ୍ତି, ସେମାନଙ୍କୁ ଦୁଃଖିତ ଦେଖିଲେ ସେମାଙ୍କଠାରେ ଆମ୍ଭର ସ୍ନେହ ଶତଗୁଣହୋଇ ବର୍ଦ୍ଧିତ ହୁଏ । ଏଥି ନିମନ୍ତେ ସେହି ସୁକେଶୀ ଆମ୍ଭ ନୟନର ଅଧିକତର ମନୋହାରଣୀ ହେଲେ ।

ଆମ୍ଭକୁ ଦେଖିବା ମାତ୍ରେ ତାଙ୍କର ଦେହ କମ୍ପିଲା । ଲଜ୍ଜାରେ କୋମଳ କପୋଳ ଲୋହିତ ବର୍ଣ୍ଣ ହେଲା । ପୂର୍ବରେ ଯେତେବେଳେ ଆମ୍ଭେ ତାଙ୍କ ସଙ୍ଗରେ ଏକତ୍ର ଅବସ୍ଥାନ କରିଥିଲୁ, ସେ ସମୟରେ ତାଙ୍କ ଜନନୀ ଜୀବିତ ଥିଲେ, ଆମ୍ଭଙ୍କୁ ଦେଖି ତାଙ୍କର ମାତୃଶୋକ ଉଦ୍ଦୀପ୍ତ ହେଲା । ନୟନରୁ ମୁକ୍ତାଗଞ୍ଜୀ ଅଶ୍ରୁବିନ୍ଦୁ ଝରିଲା ।ତାଙ୍କର ସେହି ସୋଚନୀୟ ଦଶା ଦେଖି ମନରେ ଯେମନ୍ତ ଦୁଃଖ ଉଦୟ ହେଲା, ତାହା କ'ଣ କ‌ହିବୁ ? ପୂର୍ବରେ ତାଙ୍କ ସ‌ହିତ କଥା କ‌ହିବାକୁ ସୁଦ୍ଧା ଆମ୍ଭେ ଲଜ୍ଜିତ ହେଉଥିଲୁ । ସେହି ଲଜ୍ଜା କ୍ରମେ ଭାଙ୍ଗିଗଲା । ଶ୍ରଦ୍ଧାସ୍ପଦ ଅଭିଭାବକଙ୍କ ମରଣରେ ଖିନ୍ନ ହୋଇଥିଲୁ । ଦୁହେଁ ଦୁହିଁଙ୍କ ଦୁଃଖରେ ବିମର୍ଷ ପ୍ରାପ୍ତ ହେଲୁ । ପୁଣି ସେହି ଲରାଙ୍କ ମାନସିକ ବୃତ୍ତି ଏବଂ ଆମ୍ଭ ମାନସିକ ବୃତ୍ତି ଏକପ୍ରକାର ଥିଲା । ତାଙ୍କ ପକ୍ଷରେ ସଂସାର ନୂଆ ପଦାର୍ଥ ପ୍ରାୟ ହୋଇଥିଲା, ଆମେ ମଧ୍ୟ ସଂସାରାଶ୍ରମରେ ପ୍ରବଷ୍ଟ ହୋଇନଥିଲୁ । ପ୍ରାକୃତିକ ଶୋଭା ଦର୍ଶନରେ ତାଙ୍କର ଅତ୍ୟନ୍ତ ଆଗ୍ରହ ଥିଲା, ଆମ୍ଭର ମଧ୍ୟ ସ୍ୱଭାବ ଶୋଭା ଦେଖିବାର ସ୍ପୃହା ବଳବତୀ ଥିଲା । ତାଙ୍କ ସରଳତା ଦେଖି ଆମ୍ଭେ ମୁଗ୍‌ଧ ହୋଇଗଲୁ । ତାଙ୍କ ଉଦାର ପ୍ରକୃତି, ନବନୟସ, ଅତୁଳ ରୂପମାଧୁରୀ ଆମ୍ଭଙ୍କୁ ଉନ୍ମତ୍ତ କଲା । ଆମ୍ଭେ ତାଙ୍କୁ ଶୁରାଙ୍ଗନା ବୋଲି ଅନୁମାନ କରିଥିଲୁ । ଏପରି ଲଳନାର ଯୋଗ୍ୟ ପାତ୍ର ନୋହୁ, ଏହି ବିବେଚନାରେ ଆପଣାକୁ କେତେ ଧିକ୍କାର ଦେଉଥିଲୁ । ତ‌ଥାଚ ସେମାନଙ୍କ ବିନୁ ଆନ କିଛି ନଥିଲେ । ତାଙ୍କ ମନ ପ୍ରଣୟରସରେ ପରିପୂର୍ଣ୍ଣ ଥିଲା । ସେ ଆମ୍ଭଙ୍କୁ ସ୍ନେହ କରୁଥିଲେ । ସ‌ହୋଦରଠାରେ ସ‌ହୋଦରା ଯେମନ୍ତ ସ୍ନେହ କରେ, ସେହି ସ୍ନେହ ? ନାଆ ସ୍ୱାମୀଠାରେ ପ୍ରେୟସୀ ଯେପରି ସ୍ନେହ କରଇ, ସେହି ସ୍ନେହ । ଆମ୍ଭଙ୍କୁ ସ୍ନେହ କରନ୍ତି ବୋଲି ଆମ୍ଭେ ପ୍ରଥମେ କିପରି ବୁଝିପାରିଲୁ, ତାହା ଆମ୍ଭର ସ୍ମରଣ ହେଉ ନାହିଁ । କି ପ୍ରକାର ଏହି ଭାବ ଆମ୍ଭ ମନରେ ପ୍ରବିଷ୍ଟ ହେଲା, କ‌ହି ନ ପାରୁ । ଦୁହେଁ ନ‌ବୀନ ବୟସ୍କ ଥିଲୁ, ସବୁବେଳେ ପରସ୍ପର ବାକ୍ୟାଳାପ କରିଥିଲୁ । ଏକ ରୂପ କର୍ମରେ ସଦା ରତ ଥିଲୁ । ସଙ୍ଗୀତ, କାବ୍ୟାଧ୍ୟୟନ, ଚିତ୍ରବିଦ୍ୟା ଶିକ୍ଷା ଆମ୍ଭର ପ୍ରଧାନ ବିନୋଦ ଥିଲା । ସେ ସମୟରେ ଆମ୍ଭେ ଯେଉଁ ସ୍ଥାନରେ ଅବସ୍ଥାନ କରୁଥିଲୁ, ସେହି ସ୍ଥାନ ମନୋହର, ପୁଣି ନିର୍ଜନ ହେବାରୁ ଅଧକତର ପ୍ରୀତିକର ହୋଇଥିଲା । ଏପରି ସ୍ଥଳେ, ଏପରି ଅବସ୍ଥାରେ ଯେ ପରସ୍ପର ପ୍ରୀତି ଜନ୍ମିବେ ଏହିରେ ବିଚିତ୍ର କ'ଣ ଅଛି?

ଆହା, କି ସୁଖର ସମୟ ଅନିର୍ବଚନୀୟ ଆନନ୍ଦର ସମୟ ମନୁଷ୍ୟମାନଙ୍କ ସୁଖ ଯେବେ ଚିରସ୍ଥାୟୀ ହୁଅନ୍ତା, ତାହା ହେଲେ ଇହକାଳରେ ପରକାଳର ସୁଖ ଲବ୍‌ଧ ହୁଅନ୍ତା । ବିଶ୍ୱନିୟନ୍ତାଙ୍କ ଏପରି ନିୟମ ନୁହେଁ । ନରମାନଙ୍କ ସୌଭାଗ୍ୟ କ୍ଷଣଭଙ୍ଗୁର । ଆମ୍ଭଙ୍କୁ ସେହି ସ୍ଥାନ ସ୍ୱର୍ଗବତ ବୋଧ ହେଲା । କିପାଇଁ ଅବା ନହେବ? ଏପରୁ ରମଣୀ, ଏପରି ପ୍ରଣୟମୟୀ ସ‌ହବାସରେ କାହାର ମନ ହର୍ଷସମୁଦ୍ରରେ ନିମଗ୍ନ ନହୁଏ ? ସେହି କାମିନୀ ରତ୍ନ‌କୁ ସଙ୍ଗେ ଘେନି ଆମ୍ଭେ କେତେ ସ୍ଥାନରେ ପରିଭ୍ରମଣ କରୁଥିଲୁ, ସମୁଦ୍ରକୁଳରେ ଚନ୍ଦ୍ରୋଦୟ ଦେଖି ଦୁଇଜଣ କେଡ଼େ ଆନନ୍ଦ ଅନୁଭବ କରୁଥିଲୁ । ଚଞ୍ଚଳ ଅଚଳ ପ୍ରାୟ ସାଗରର ଉତ୍ତୁଙ୍ଗ ତରଙ୍ଗମାଳା ଦେଖିଥିଲୁ । ସେହି ସର୍ବାଙ୍ଗ ସୁନ୍ଦରୀ କେବେ କେବେ ପର୍ବତ ଆରୋହଣ କରିବାକୁ ଅଭିଳାଷ କରନ୍ତେ ଆମ୍ଭେ ତାଙ୍କ ସଙ୍ଗେ ଗମନ କରୁଥିଲୁ । ସେ ଆମ୍ଭ ବାମ ହସ୍ତ ଧରି ଚାଲୁଥିଲେ । ଦୁଇ ଜଣ ଘନ ଅରଣ୍ୟରେ ପ୍ରବିଷ୍ଟ ହୋଇ ମଧୁରକଣ୍ଠୀ ପକ୍ଷୀମାନଙ୍କର ସଙ୍ଗୀତ ଶୁଣୁଥିଲୁ । ଆହା! କିଛି ହିଁ ଚିରସ୍ଥାୟୀ ନୁହେଁ । ଦିନ ଗଲେ ରାତ୍ର ହୁଅଇ, ପ୍ରଖର ରୌଦ୍ର ଉତ୍ତାରେ ବୃଷ୍ଟି ହୁଅଇ ।

ଜଗତର ଏହି ନୀତି ଆମ୍ଭେ ପାଶୋରିଗଲୁ । ଏହି ସ୍ୱପ୍ନ ତୁଲ୍ୟ ଅବସ୍ଥରେ କେତେ ଦିନ ଗଲା । ଦୁହିଙ୍କ ମଧ୍ୟରେ ଆଗେ ଆମ୍ଭର ଚେତନା ହେଲା । ଆମ୍ଭେ ଆଗେ ଲରାର ମନୋହରଣ କରିଥିଲୁ, ମାତ୍ର ସେଥିରୁ ଆମ୍ଭର କିଛି ଆମ୍ଭର କିଛି ଭାବି ଶୁଭ ସମ୍ଭାବନା ନଥିଲା । ଆମ୍ଭେ ଦରିଦ୍ର ଥିଲୁ । ଧନହୀନ ହୋଇ ଲରାର ପାଣିଗ୍ରହଣ ଆଶା ଦୁରାଶା ମାତ୍ର । ଆମ୍ଭଠାରେ ଲରାଙ୍କ ଅତ୍ୟନ୍ତ ସ୍ନେହ ଥିଲା । ତାଙ୍କ ପାଣିପୀଡ଼ନ କରି ତାଙ୍କୁ ଚିର ଦୁଃଖିନୀ କରିବା ଆମ୍ଭ ପକ୍ଷରେ କି ରୂପରେ ନ୍ୟାୟସଙ୍ଗତ ହୋଇପାରେ ? ଆମ୍ଭେ କଣ ଏହି ରୂପେ ତାଙ୍କ ପ୍ରଣୟ-ଋଣ ପରିଶୋଧ କରନ୍ତୁ ? ସେହି ଉଦ୍ୟାନର ଅଧିକାରୀ ଆମ୍ଭ ପ୍ରଭୁ ଆମ୍ଭର ଯଥେଷ୍ଟ ଆଦର କରୁଥିଲେ । ଆମ୍ଭେ କ'ଣ ଏହିରୂପେ ତାଙ୍କଠାରେ କୃତଜ୍ଞତା ପ୍ରଦର୍ଶନ କରନ୍ତୁ ।

ଏତେ ଦିନେ ଆମ୍ଭେ ବୁଝିଲୁ ଯେ ଅକୃତିମ ପ୍ରଣୟରେ ସୁଦ୍ଧା ଅନିଷ୍ଟ ଜନ୍ମିପାରେ । ଚିନ୍ତାକୀଟ ଥରକୁ ଥର ଆମ୍ଭ ହୃଦୟ ଦଳି କାଟିଲା । କୌଣସି ଗୁରୁତର ଅପରାଧ କଲାପରେ ଅପରାଧୀର ମନ ଯେପରି ଅସ୍ଥିର ହେଉଥାଏ, ଆମ୍ଭ ମନ ସେହିପରି ହେଲା । ପ୍ରଭୁଙ୍କୁ ଦେଖିଲେ ଆମ୍ଭ ମନ ବିଷର୍ଣ୍ଣ ହୋଇଯାଏ । ତାଙ୍କଠାରେ ବିଶ୍ୱାସଘାତକତା କରୁଅଛୁ, ଏହି ଚିନ୍ତରେ ଯତ୍ପରୋନାସ୍ତି ଭୀତ ହେଉ । ପୂର୍ବରେ ଆମ୍ଭ ପ୍ରଭୁ ଆମ୍ଭଙ୍କୁ ଅତ୍ୟନ୍ତ ସ୍ନିଗ୍‌ଧ ନୟନରେ ଚାହୁଁଥିଲେ ଏବଂ ଆମ୍ଭଠାରେ ଅତ୍ୟନ୍ତ ସ୍ନେହ କରୁଥିଲେ । ଏବେ ସେହି ସ୍ନେହ ଊଣା ହେବାର ଦେଖିଲୁ । ଏଣିକି ସେ ଆମ୍ଭଙ୍କୁ ଦେଖିଲେ ବିରକ୍ତି ପ୍ରକାଶ କଲେ । ଫିଲିପଙ୍କର ଆଚରଣରେ ମଧ୍ୟ ବୈଲକ୍ଷଣ ଦେଖିଲୁ । ସେ ଆଉ ପୂର୍ବପରି ଆମ୍ଭ ସ‌ହିତ ମଦୁରାଳାପ ନ‌କଲେ । ପୂର୍ବରେ ଆମ୍ଭ ସ‌ହିତ ଯେପରି ଘନିଷ୍ଠତା କରିଥିଲେ, ଏବେ ଆଉ ସେପରି ଦେଖିଲୁ ନାହିଁ । ଏହି ସବୁ ଦେଖିଶୁଣି ଆମ୍ଭେ ହତାଶ ହେଲୁ । ଆପଣାକୁ ଅତ୍ୟନ୍ତ ଦୁର୍ଭାଗା ମଣିଲୁ । ଜୀବନ ଭାର ହେଲା । ଆମ୍ଭେ ସ୍ୱଭାବତଃ ଅତ୍ୟନ୍ତ ଅଭିମାନୀ ଥିଲୁ । ସୁତରାଂ ଅଭିଭାବକଙ୍କ ସେହି ଆଚରଣ ଆମ୍ଭର ଅଗ୍ରାହ୍ୟ ହେଲା । ସେଠରୁ ସ୍ଥାନାନ୍ତରିତ ହେବା ନିମନ୍ତେ ପ୍ରତିଜ୍ଞା କଲୁ । ସ୍ଥାନାନ୍ତରିତ ଅବା କି ରୂପେ ହେବୁ ? ଲରାର ସ‌ହବାସରୁ ବଞ୍ଚିତ ହେବାଠାରୁ ଆମ୍ଭର ମରଣ ଶ୍ରେୟସ୍କର ବୋଧ ହେଲା । ତାଙ୍କ ବିରହରେ କିରୂପେ ଦିନ ଗମିବୁ । ହର

ଅଭିଭାବକ ପ୍ରଭୃତିଙ୍କର ଏହି ଗର୍ହିତ ବ୍ୟବ‌ହାର ଦେଖି ଆମେ ଅତ୍ୟନ୍ତ ବିରକ୍ତ ହେଲୁ । ଆମ୍ଭର ଅହଙ୍କାର ଉତ୍ତରୋତ୍ତର ବଢ଼ିଲା । ଆମ୍ଭେ ସଦ୍‌ବଂଶୋଦ୍ଭବ, ଏହ ସେମାନଙ୍କୁ ଜଣାଇବା ନିମନ୍ତେ କେବେ କେବେ ଆମ୍ଭର ବାସନା ହୋଇଥିଲା । ମାତ୍ର ସେହି ବାସନା ସ୍ୱଳ୍ପକାଳସ୍ଥାୟିନୀ । ଆମ୍ଭେ ଯେ ସେହି ମହତ୍ ପରିବାରରୁ ଭ୍ରଷ୍ଟ ହୋଇଅଛୁ, ଏହା ମନ ମଧ୍ୟରେ ଉଦିତ ହେଲା କ୍ଷଣି ଆମ୍ଭର ଗର୍ବ ଚୂର୍ଣ୍ଣ ହୋଇଯାଏ, ନୈରାଶ୍ୟ କୂପରେ ଅନ୍ତଃକରଣ ନିପତିତ ହୁଅଇ ।

ଏହିଦୁର୍ଭାବନାରେ ମାନସିକ ଶକ୍ତି ଏବଂ ଶାରୀରିକ ଶକ୍ତିର ହାନି ହେଲା । ଲରା ଆମ୍ଭଙ୍କୁ ସ୍ନେହ କରନ୍ତି, ଏହି ଚିନ୍ତାରେ ଆମ୍ଭେ ଆହ୍ଲାଦିତ ନହୋଇ ଆହୁରି ଦୁଃଖିତ ହେଲୁ । ଆମ୍ଭେସ୍ୱ ରତ୍ନରୁ ବଞ୍ଚିତ ହେବୁ, ଯେତେବେଳେ ଏହି କଥା ଆମ୍ଭ ମନରେ ପଡ଼େ, ଆମ୍ଭର ହୃଦୟ ଅତଳ ଶୋକଜଳରେ ନିମଗ୍ନ ହୁଏ । ଲରା ଯେବେ ଆମ୍ଭଠାରେ ସ୍ନେହ ନ କରୁଥାନ୍ତେ, ତେବେ ଆମ୍ଭଙ୍କୁ ତୁ ଏପରି କଷ୍ଟ ହୁଅନ୍ତାନି । ପୂର୍ବରେ ସେହି ଲରାକୁ ଦେଖଲେ ଆମ୍ଭେ ହର୍ସରେ ଅଧୀର ହେଲୁ, ମାତ୍ର ଏବେ ବିଷାଦରେ ଅଧୀର ହେଲୁ । ଆଉ ସେହି ଲାବଣ୍ୟ ଆମର ନୟନାନ୍ଦକର ହେଲା ନାହିଁ, ସେହି ବୀଣାରଞ୍ଜିତ ସ୍ୱତୁର କର୍ଣ୍ଣକୁ ସୁଖପ୍ରଦ ହେଲା ନାହିଁ ।

ଲରା ଅତିଶୟ ସରଳହୃଦୟା ଥିଲେ । ଆମ୍ଭଠାରେ ଏହି ବୈଲକ୍ଷଣ ଦେଖି ଦିନେ ନିର୍ଜନରେ ଆମ୍ଭଙ୍କୁ ସେଥିର ହେତୁ ପଚାରିଲେ । ତାଙ୍କ ପ୍ରଶ୍ନର ଉତ୍ତର ନ ଦେଇ ରହିହେଲା ନାହିଁ । ଆମ୍ଭେ ଏଡ଼େ କାତର ହୋଇଥିଲୁ ଯେ ତାଙ୍କଠାରେ ଆପଣା ମନୋଗତ ଦୁଃଖ ମୁକ୍ତ କଣ୍ଠରେ ଫେଡ଼ି କ‌ହିଲୁ । କାତରରେ ତାଙ୍କୁ ସମ୍ବୋଧନ କରି କ‌ହିଲୁ, "ଲରା ! ଆମ୍ଭେ ତୁମର ଯୋଗ୍ୟ ପାତ୍ର ନୋହୁଁ, ଆମ୍ଭେ ପରିବାର ଭ୍ରଷ୍ଟ, ଆମ୍ଭର ଘର ନାହିଁ, ଅର୍ଥ ନାହିଁ, ଖ୍ୟାତି ନାହିଁ, କିପରି ଅବା ତୁମ୍ଭର ଯୋଗ୍ୟ ପାତ୍ର ହେବୁ ? ଲରା, ଆମ୍ଭେ ଏପରି ଦରିଦ୍ର ହେଲେହେଁ ତୁମ୍ଭ ପାଣିଗ୍ରହଣାକାଂକ୍ଷା ହୋଇଅଛୁ, ଆମ୍ଭର କେତେ ଦୁରାକାଂକ୍ଷା, କେଡ଼େ ମୁଢ଼ତା ! ବାମନ ହୋଇ ଚନ୍ଦ୍ର ଧରିବାର ଇଚ୍ଛା ।"

ଆମ୍ଭର ଏହି କାତରୋକ୍ତିରେ କୋମଳ ସ୍ୱଭାବ ଲରାର ନୟନରୁ ପ୍ରବଳ ବେଗରେ ଲୋତକ ଝରିଲା । ମାତ୍ର ଆମ୍ଭେ କିଯୋଗେ ତାଙ୍କର ଅଯୋଗ୍ୟ, ସେ ତାହା ବୁଝିନଥିଲେ । କିରୂପେ ଅବା ବୁଝିପାରିବେ ? ସେ ମଠରେ ଶିକ୍ଷିତା, ସଂସାରର ଗତିବିଧି ବିଷୟରେ ସମ୍ପୁର୍ଣ୍ଣ ଅନଭିଜ୍ଞ ଥିଲେ । ଅଭାବଜନିତ କଷ୍ଟ କେବେହେଁ ଅନୁଭନ କରିନଥିଲେ । ପ୍ରଣୟ ଯେତେବେଳେ ହୃଦୟକୁ ବଶୀଭୂତ କରେ, ସେ ସମୟରେ ଆନ ବିଷୟମାନଙ୍କ ପ୍ରତି ଦୃଷ୍ଟି ନଥାଏ । ଲରାର ବିବେଚନାରେ ଆମ୍ଭ ପରି ପୁରୁଷ ମହୀରେ କେହି ନଥିଲେ । ଆମ୍ଭେ ପୂର୍ବରେ ତାଙ୍କୁ ଅନେକ ଉପନ୍ୟାସ ଶୁଣାଇଥିଲୁ । ଆମ୍ଭଠାରୁ ସେ ଅନେକ ବୀର ପୁରୁଷ, ରାଜା ଏବଂ ବିଦ୍ୱାନମାନଙ୍କ ଇତିହାସ ଶୁଣିଥିଲେ । କେବେ ହର୍ଷରେ ଅଧୀରା ହୋଇ ସେମାନଙ୍କ ସ‌ହିତ ଆମ୍ଭର ତୁଳନା କରୁଥିଲେ । ପ୍ରେମରେ ଉନ୍ନତ୍ତା ହୋଇ ଆମ୍ଭ ମନ୍ଦଗୁଣମାନଙ୍କର ସୁଦ୍ଧା ପ୍ରଶଂସା କରୁଥିଲେ, ଆମ୍ଭଙ୍କୁ ସଦ୍‌ଗୁଣର ଆଧାର କରି ଜାଣିଥିଲେ । ସେ କ‌ହୁଥିଲେ ଯେ ଆମ୍ଭ ପରି ରସିକ, ରୁପବାନ, ବୁଦ୍ଧିମାନ ପୁରୁଷ ମହୀରେ ଦୁର୍ଲ୍ଲଭ । ତାଙ୍କର ଆମ୍ଭଠାରେ ଏପରି ପ୍ରେମ ଦେଖି ଆମ୍ଭେ କେବେ କେବେ ଆପଣା ଦୁଃଖ ବିସ୍ମୃତ ହେଉଥିଲୁ ।

ଆମ୍ଭ ଇତିହାସର ଏହି ଅଂଶ ବିସ୍ତାରିତ ରୁପେ କ‌ହିଲୁ । ଆମ୍ଭେ ସେହି ସମୟରେ ନିର୍ଦ୍ଦଷ ଥିଲୁ । ନିର୍ଦ୍ଧଷ ମନୁଷ୍ୟ ସ୍ୱଭବତଃ ସୁଖୀ ହୁଅଇ । ଆମ୍ଭେ ଦୁଇ ପ୍ରକାର ସୁଖଭୋଗ କରୁଥିଲୁ । ପ୍ରଥମତଃ ନିର୍ଦ୍ଦୋଷ ଜନିତ ସୁଖ, ଦ୍ୱିତୀୟତଃ ଲରାର ସ‌ହବାସ ସୁଖ । ଏପରି ସୁଖର ସମୟ ବାହୁଲ୍ୟରୂପେ ବର୍ଣ୍ଣନା ନ କରି ଆଉ କେଉଁ ସମୟରେ ବାହୁଲ୍ୟ ବର୍ଣ୍ଣନା କରିବୁ ? ଆମ୍ଭର ଏହି ବିସ୍ତାରିତ ବର୍ଣ୍ଣନାରେ ବିରକ୍ତ ହେବନାହିଁ । ଆମ୍ଭ ଅବସ୍ଥାରେ ପଡ଼ିଲେ ତୁମ୍ଭେ ସୁଦ୍ଧା ଏହିପରି ବର୍ଣ୍ଣନା କରିଥାନ୍ତ । ସେ ଯାହା ହେଉ, ଏବେ ଆନ ବିଷୟ ଶୁଣ ।

 ଏହି ସମୟରେ ଆମ୍ଭ ଜ୍ୟେଷ୍ଠଙ୍କର ମୃତ୍ୟୁ ହେଲା । ଆମ୍ଭେ କୌଣସି ସାପ୍ତାହିକ ପତ୍ରିକାରୁ ଏହି ସମ୍ବାଦ ପ୍ରାପ୍ତ ହେଲୁ । ସେହି ପତ୍ରିକାରେ ଏହି ବିଜ୍ଞାପନ ଲେଖାହୋଇଥିଲା ।

ବିଜ୍ଞାପନ </center

ଆମ୍ଭର ଜ୍ୟେଷ୍ଠ ପୁତ୍ରର ମୃତ୍ୟୁ ହେବାରୁ ଶୋକରେ ଅଧୀର ହୋଇଅଛୁ । ଏତେବେଳେ ଆମ୍ଭଙ୍କୁ ସାନ୍ତ୍ୱନା ଦେବ, ଏପରି କେହି ନାହିଁ । କନିଷ୍ଠ ପୁତ୍ରର ଅନୁଦ୍ଦେଶ ହେତୁରୁ ଆମ୍ଭର ଦୁଃଖ ଦୁଇଗୁଣ ହୋଇଅଛି । ଯଦି କୌଣସି ମହୋଦୟ ଆମ୍ଭପ୍ରତି ସଦୟ ହୋଇ ଆମ୍ଭର ସେହି କନିଷ୍ଠ ପୁତ୍ରର ତ‌ତ୍ତ୍ୱ କ‌ହନ୍ତି, ତେବେ ଆମ୍ଭେ ତାଙ୍କଠାରେ ଚିରଜୀବନ କୃତଜ୍ଞ ରହିବୁ । ଯେବେ ଏହି ବିଜ୍ଞାପନ ସେହି ପୁତ୍ରର ନୟନରେ ପଡ଼େ ଏବଂ ତାହାଠାରେ ଯେବେ ପିତୃସ୍ନେହ ଥାଏ, ତେବେ ତାଙ୍କୁ ଆମ୍ଭେ ଏହି ଆଦେଶ କରୁଅଛୁ ଯେ ସେ ବିଜ୍ଞାପନ ପଢ଼ିଲା ମାତ୍ରକେ ଗୃହକୁ ପ୍ରତ୍ୟାଗମନ କରିବା ନିମନ୍ତେ ସ‌ଯତ୍ନ ହେବ ।

ଆମ୍ଭେ ଏହି ବିଜ୍ଞାପନ ପଢ଼ି ଭ୍ରାତୃଶୋକରେ ଆକୁଳ ହେଲୁ । ଆମ୍ଭ ପିତା ଆମ୍ଭପ୍ରତି ଅତି ନିଷ୍ଠୁର ଆଚରଣ କରିଥିଲେ । କିନ୍ତୂ ତାଙ୍କୁ ପୁତ୍ର ଶୋକରେ ଅଭିଭୂତ ହେବାର ପାଠକରି ଆମ୍ଭେ ତାହା ପାଶୋରିଲୁ । ପିତୃସ୍ନେହରେ ବଶୀଭୂତ ହୋଇ ଘରକୁ ଯିବା ନିମନ୍ତେ ଉତ୍‌କଣ୍ଠିତ ହେଲୁ । ପୁଣି ଆମ୍ଭର ବିଷାଦରେ ହର୍ଷ ଉପସ୍ଥିତ ହେଲା । ସେତେବେଳେ ଭାବିଲୁ ଯେ ଆମ୍ଭର ଦରିଦ୍ରାବସ୍ଥା ସମ୍ପୁର୍ଣ୍ଣ ଘୁଞ୍ଚିଯିବ, ସେତେବେଳେ ଆନନ୍ଦର ସୀମା ନରହିଲା । ଅର୍ଥ, ଖ୍ୟାତି, ପଦବୀର ପୁନପ୍ରାପ୍ତିର ଆଶା ସଙ୍ଗେ ଅନ୍ୟ ଆଶା ସଞ୍ଚରିଲା । ସେହିକ୍ଷଣି ଲରା ନିକଟକୁ ଯାଇ କ‌ହିଲୁ, "ଲରା, ପ୍ରଭୁଙ୍କ କୃପାରୁ ଏବେ ଆମ୍ଭର ମନୋରଥ ସିଦ୍ଧ ହୋଇପାରିବ । ଆମ୍ଭର ଆଉ ସେ ଅବସ୍ଥା ନାହିଁ । ଆଉ ଆମ୍ଭକୁ କେହି ଅନାଥ, ଅପରିଚିତ, ନିର୍ଦ୍ଧନ କ‌ହିପାରିବେ ନାହିଁ । ଏହି ଦେଖ, ଏଥିରେ ଯାହା ଲେଖା ହୋଇଅଛି, ତାହା ପଢ଼ିଲେ ବୁଝିପାରିବ ।

ଲରାର ତ‌ତ୍‌କାଳୀନ ମନୋଭାବ କିପରି ହୋଇଥିବ, ପାଠକ ବିବେଚନା କରନ୍ତୁ । ଆମ୍ଭର ଅବସ୍ଥା ପରିବର୍ତ୍ତନର କଥା ଶୁଣି ସେ ଅତ୍ୟନ୍ତ ଆନନ୍ଦିତା ହେଲେ । ତାଙ୍କର ଏହି ଦୃଢ଼ ବିଶ୍ୱାସ ଥିଲା ଯେ, ଯେ କୌଣସି ଉପାୟରେ ହେଉ, ଆମ୍ଭେ ଅବଶ୍ୟ ଧନବାନ ଓ ବିଖ୍ୟାତ ହେବୁ । ସୁତରାଂ ଏହି ସମ୍ବାଦ ତାଙ୍କୁ ବିସ୍ମୟ ବୋଧ ହେଲାନାହିଁ । ଏହି ଘଟଣାରେ ଆମ୍ଭର ମନୋଦୁଃଖର ହ୍ରାସ ହେବ, ଏହା ଭାଳି ସେ ଆହ୍ଲାଦିତ ହେଲେ । ଉଲ୍ଲାସରେ ଆମ୍ଭ ଛାତି ଫୁଲିଗଲା । ଆଉ ଅଧୋବଦନରେ ଚାଲିଲୁ ନାହିଁ । ସୌଭାଗ୍ୟ ଗର୍ବରେ ସର୍ବଦା ଉନ୍ନତମୁଖ ହୋଇ ଚାଲିଲୁ । ମୁଖ ହର୍ଷ ପ୍ରଫୁଲ୍ଲ ହେଲା । ପୂର୍ବ ଦୁଃଖ‌ଯାକ ମୂହୁର୍ତ୍ତ ମଧ୍ୟରେ ପାସୋରିଲୁ ।

ଉପସ୍ଥିତ ସୌଭାଗ୍ୟର କଥା ଆମ୍ଭ ପ୍ରଭୁଙ୍କୁ ଜଣାଇବା ନିମନ୍ତେ ଆମ୍ଭର ଏକାନ୍ତ ବାସନା ହେଲା । ନିଜ ପରଚୟ ପ୍ରଦାନ କରି ଲରାର ପାଣିଗ୍ରହଣ ଅଭିଳାଷ ତାଙ୍କଠାରେ ପ୍ରକାଶ କରନ୍ତୁ, ମାତ୍ର ସେ ସେହି ସମୟରେ ସ୍ଥାନାନ୍ତରରେ ଅବସ୍ଥାନ କରୁଥିଲେ । ତେଣୁ ଫିଲିପଙ୍କଠାରେ ସବୁ କଥା ବ୍ୟକ୍ତ କଲୁ । ଯେ ରୂପରେ ପ୍ରଥମେ ଆମ୍ଭ ଅନ୍ତଃକରଣରେ ପ୍ରଣୟରସର ସଞ୍ଚାର ହୋଇଥିଲା, ଯେଉଁ ଯେଉଁ କାରଣରୁ ଆମ୍ଭେ ହତାଶ ହୋଇଥିଲୁ, ପୁଣି ଯେଉଁ ଆକସ୍ମିକ ସମ୍ବାଦ‌ଦ୍ୱାରା ଆମ୍ଭ ମନରେ ଭାବୀ ସୁଖଆଶା ସଞ୍ଚରିଲା, ଆମ୍ଭେ ମୁକ୍ତକଣ୍ଠରେ ସମସ୍ତ କ‌ହିଲୁ । ଫିଲିପ୍ ଯତ୍ପରୋନାସ୍ତି ଆହ୍ଲାଦିତ ହେଲେ ଏବଂ ଯୋଗ୍ୟପାତ୍ରରେ ଆମ୍ଭର ପ୍ରଣୟ ନ୍ୟସ୍ତ ହୋଇଅଛି ବୋଲି ଆମ୍ଭଙ୍କୁ ଥରକୁ ଥର ପ୍ରଶଂସା କଲେ । ତାଙ୍କର ଭଦ୍ରତା ଦେଖି ଆମ୍ଭେ ହର୍ଷ‌ପୂର୍ଣ୍ଣ ମନରେ ତାଙ୍କୁ ଆଲିଙ୍ଗନ କଲୁ । ତାଙ୍କଠାରେ ଆମ୍ଭର ଯେ ପୂର୍ବରେ ଅବିଶ୍ୱାସ ହୋଇଥିଲା, ତାହା ଦୂର ହେଲା ଏବଂ ତାଙ୍କର ବନ୍ଧୁତାକୁ ଯେ କୃତ୍ରିମ ବୋଲି ଭାବିଥିଲୁ ସେଥିନିମନ୍ତେ ତାଙ୍କଠାରେ କ୍ଷମା ମାଗିଲୁ ।