ଇନ୍ଦ୍ରଧନୁ, ଆଖି ଓ କବିତାର ଦୀର୍ଘଜୀବନ

ଉଇକିପାଠାଗାର ରୁ
Jump to navigation Jump to search
ଇନ୍ଦ୍ରଧନୁ, ଆଖି ଓ କବିତାର ଦୀର୍ଘଜୀବନ (୨୦୦୯) 
ଲେଖକ/କବି: ଜଗନ୍ନାଥ ପ୍ରସାଦ ଦାସ
ଇନ୍ଦ୍ରଧନୁ,ଆଖି


କବିତାର ଦୀର୍ଘ ଜୀବନ










ଜଗନ୍ନାଥ ପ୍ରସାଦ ଦାସ
ଇନ୍ଦ୍ରଧନୁ, ଆଖି
କବୀତାର ଦୀର୍ଘ ଜୀବନ















ଜଗନ୍ନାଥ ପ୍ରସାଦ ଦାସ





ଜଗନ୍ନାଥ ପ୍ରସାଦ ଦାସ (୨୬ ଏପ୍ରିଲ ୧୯୩୬) ଗଳ୍ପ, କବିତା, ନାଟକ, ଉପନ୍ୟାସ, ଶିଶୁ ସାହିତ୍ୟ ଲେଖକ ଭାବେ ଜଣାଶୁଣା । ସେ 'ପରିକ୍ରମା' କବିତା ସଂକଳନ ପାଇଁ 'କେନ୍ଦ୍ର ସହିତ୍ୟ ଏକାଡେମୀ' , 'ପ୍ରିୟ ବିଦୁଷକ' ଗଳ୍ପ ସଂକଳନ ପାଇଁ 'ସାରଳା' ପୁରସ୍କାର ଓ ନାଟକ ପାଇଁ 'ନାନ୍ଦିକାର' ସମ୍ମାନ ପାଇଛନ୍ତି । ଭାରତୀୟ ପ୍ରଶାସନ ସେବାରୁ ୪୭ ବର୍ଷ ବୟସରେ ଅବସର ନେଇ ଗବେଷଣା ଓ ସାହିତ୍ୟ ରଚନାରେ ବ୍ୟସ୍ତ । ଓଡିଶାର କଳା ଉପରେ ସେ ଲେଖିଥିବା ପୁସ୍ତକମାନ ହେଲା : 'ପୁରୀ ପେଣ୍ଟିଙ୍ଗ୍ସ୍', 'ଚିତ୍ରପୋଥି' ଏବଂ 'ପାମ୍ ଲିଫ୍ ମିନିଏଚର୍ସ' । ତାଙ୍କର ନାଟକମାନ ଇଂରାଜୀ ତଥା ଅନ୍ୟାନ୍ୟ ଭାଷାରେ ଅନୂଦିତ ଏବଂ ଦେଶରେ ବିଭିନ୍ନ ସ୍ଥାନରେ ମଞ୍ଚସ୍ଥ । ଧର୍ମାନ୍ତରୀକରଣ ପ୍ରୁଷ୍ଠଭୂମିର ଐତିହାସିକ ନାଟକ 'ସୁନ୍ଦର ଦାସ' ଏବଂ ଊନବିଂଶ ଶତବ୍ଦୀର ଦ୍ୱିତୀୟାର୍ଦ୍ଦକୁ ନେଇ ଲିଖିତ ଉପନ୍ୟାସ 'ଦେଶ କାଳ ପାତ୍ର' ବହୁଚର୍ଚ୍ଚିତ । ୧୯୭୩ରୁ ଦିଲ୍ଲୀରେ ଅବସ୍ଥାନ : ୩୦୫, ହଉଚ୍ଚ୍ ଖାସ୍ ଆପାର୍ଟମେଣ୍ଟସ୍, ନୂଆଦିଲ୍ଲୀ- ୧୧୦୦୧୬ ।

ଇନ୍ଦ୍ରଧନୁ, ଆଖି
କବୀତାର ଦୀର୍ଘ ଜୀବନ













ଜଗନ୍ନାଥ ପ୍ରସାଦ ଦାସ















Indradhanu, Akhi O Kabitar Dirgha Jiban
(Short Stories)
Jagannath Prasad Das
------------------------------------------------------------------------------------------
1st edition : 2009



Published by Dreams,
115(P) Acharya Vihar, Bhubaneswar-751013, Orissa, India
and printed at Ink Odisha, Acharya Vihar, Bhubaneswar-13


Rs. 50/-






ସୂଚୀ




୧. ଇନ୍ଦ୍ରଧନୁ                          ୦୭
୨. ଆଖି                              ୩୯
୩. କବିତାର ଦୀର୍ଘ ଜୀବନ          ୬୭



(ରଚନା କାଳ : ୨୦୦୨ - ୨୦୦୭)













ଇନ୍ଦ୍ରଧନୁ

ଇନ୍ଦ୍ରଧନୁ

 ବର୍ଷା ବର୍ଷା ବର୍ଷା, ବର୍ଷା ବର୍ଷା । ଏତେ ବର୍ଷା ସେ ଜୀବନରେ କେବେହେଲେ ଦେଖି ନ ଥଲା । ମଟରଗାଡ଼ିଟି ବର୍ତ୍ତମାନ ଯେପରି ରାସ୍ତା ଉପରେ ଚାଲୁ ନ ଥିଲା, ପହଁରୁଥିଲା ସମୁଦ୍ର ପାଣିରେ । ସକାଳେ ବାହାରିବା ବେଳକୁ ଛମ ଛମ ଖରା ଥିଲା; ଅବିନାଶ ଭାବିଥିଲା ତିନି ଘଣ୍ଟା ଭିତରେ ଅତି ଆରାମରେ ସେମାନେ ଖାଇବା ବେଳକୁ ପହଞ୍ଚିଯିବେ । ଅଧା ରାସ୍ତାରେ ମେଘ ଦେଖଯିବାରୁ ତା ମନ ଉଦାସ ହୋଇ ଯାଇଥିଲା । ତା ପରେ ବିନ୍ଦୁ ବିନ୍ଦୁ ବର୍ଷା, ପୁଣି ଝିପିରି ଝିପିରି, ଆଉ ଏବେ ଆକଶ ଭଙ୍ଗା ଧାରାସମ୍ପାତ । ରାସ୍ତା ଠିକରେ ଦେଖା ଯାଉ ନ ଥିଲା । ଗାଡ଼ି ଚଳାଇବାକୁ କଷ୍ଟ । ରାସ୍ତା ଧାରରେ ଗାଡ଼ି ରଖି କିଛି ସମୟ ଅଟକି ଗଲେ ହେବ, ଭାବିଲା ଅବିନାଶ । ପୁଣି ଭାବିଲା, ବରଂ ଧୀରେ ଧୀରେ ଗାଡ଼ି ଚଳାଇ ସେ କୌଣସି ମତେ ଗନ୍ତବ୍ୟସ୍ଥଳରେ ପହଞ୍ଚି ଯିବ । ତାର ହିସାବ ଅନୁସାରେ ଆଉ ବେଶି ଦୂର ଯିବାର ବି ନ ଥିଲା ।

 ସାମନାରେ ଦେଖା ଯାଉ ନ ଥିବା ରାସ୍ତା ଉପରୁ ଅଖି

ଫେରାଇ ବାଁ ପାଖେ ବସିଥିବା ଝିଅଟି ଆଡ଼କୁ ମୁହୂର୍ତ୍ତେ ଅନାଇଲେ ଅବିନାଶ । ସେ ସଂପୂର୍ଣ୍ଣ ଅବିଚଳିତ ହୋଇ ସାମନାକୁ ଅନାଇ ବସି ରହିଥିଲା ଓ ମନେ ମନେ ଯେପରି କୌଣସି ଗୀତ ଗାଉଥିଲା । ତାକୁ ଦେଖି ଅବିନାଶର ମନ ଭିତରେ କିଛି ବିରକ୍ତ ଆସିଲା । ଗାଡ଼ି ଚଳାଇବାରେ ତାର କୌଣସି ସହାୟତା କରି ନ ପାରିଲେ ବି ସେ ତାର କଷ୍ଟ ଓ ଚିନ୍ତା ପାଇଁ ଅନ୍ତତଃ ସହାନୁଭୂତି ତ ଦେଖାଇ ପାରିଥାନ୍ତା । ଏ ଭଳି ସ୍ତ୍ରୀ ଲୋକ ସହିତ କିପରି ସେ ଦୁଇ ଦିନ-ବା ଠିକରେ କହିଲେ ଦୁଇ ରାତି-କଟାଇବା ଭାବି ପୁଣି ତାର ମନ ସନ୍ଦିଗ୍ଧ ହୋଇଗଲା । ତେବେ ଆଶ୍ୱାସନା ଥିଲା ଯେ ଭଲ ନ ଲାଗିଲେ ସେ ପୂରା ଦି ଦିନ ସେଠାରେ ନ ରହି ଆଗରୁ ଫେରି ଆସି ପାରିବ ।

 ସହର ଛାଡ଼ିବା ବେଳକୁ କେବଳ ପାଗ ଯେ ଭଲ ଥିଲା ତାହା ନୁହେଁ, ତାର ମନ ବି ସାମାନ୍ୟ ହାଲୁକା ଥିଲା । ପାଖରେ ବସିଥିବା ଝିଅଟିର ସାନ୍ନିଧ୍ୟ ତାକୁ ଉତ୍‌ଫୁଲ୍ଲ କରୁଥିଲା ଏବଂ ପଛ କଥା ଭୁଲିଯାଇ ସେ ଭାବୁଥିଲା ଏଇ ସମୟତକ ତା ପାଇଁ ଆନନ୍ଦ ଆଣିଦେବ । ତେବେ ଏଇ ଅବସ୍ଥା କ୍ଷଣସ୍ଥାୟୀ ଥିଲା । କିଛି ଦୂର ନ ଯାଉଣୁ ପୁରୁଣା ଭାବନା ଚିନ୍ତା ସବୁ ଆସି ମୁଣ୍ଡ ଭିତରକୁ ପଶିଲେ । ତାର ମାନେ ହେଲା ଯେପରି ଅଫିସରୁ ଛୁଟି ନେଇ ଚାଲି ଆସିବା ଗୋଟିଏ ଭୁଲ ନିର୍ଣ୍ଣୟ ଥିଲା । ତାର ଅବର୍ତ୍ତମାନରେ ଅଫିସର କର୍ତ୍ତା ତାର କ'ଣ ସବୁ କ୍ଷତି କରିପାରନ୍ତି, ମନକୁ ଆସିଲା ସେ ସବୁ ଦୁଶ୍ଚିନ୍ତା । ତେବେ ଅଫିସରେ ତା ପାଇଁ ଯେଉଁଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା, ଛୁଟି ନେଇ ପଳାଇ ଆସିନଥିଲେ ସେ ପାଗଳ ହୋଇଯାଇଥାନ୍ତା । ଅଥବା, ଆତ୍ମହତ୍ୟା କରିବା କଥା ଭାବିଥାନ୍ତା !

 ଏଇପରି ଶୋଚନା ଭିତରେ ସେ ସାମାନ୍ୟ ଅନ୍ୟମନସ୍କ ହୋଇଗଲା ଓ ସେଥିଯୋଗୁଁ ସମ୍ନାରୁ ଆସୁଥିବା ଗାଡ଼ି ସଜ ଧକ୍କା ଲାଗିବା ଅବସ୍ଥା । ଶାନ୍ତା ତା କାନ୍ଧ ଉପରେ ହାତ ରଖି କହିଲା, ଧୀରେ ଧୀରେ । ପ୍ରକୃତିସ୍ଥ ହୋଇ ଅବିନାଶ ସଜାଗ ହୋଇ ବସିଲା, ଏବଂ ଗାଡ଼ି ଚଲାଇବାରେ ଧ୍ୟାନ ଦେଲା । ଯଦି କୌଣସି ଦୁର୍ଘଟଣା ଘଟେ, ଭୟଙ୍କର ସମସ୍ୟା ଉପୁଯିବା ତା ପାଇଁ ।ଅଫିସରେ ସେ ଜଣାଇ ଥିଲା, ବ୍ୟକ୍ତିଗତ କାମରେ ଗାଁକୁ ଯାଉଛି; ସ୍ତ୍ରୀକୁ କହିଥିଲା ଅଫିସ କାମରେ ଯାଉଛି ପାଖ ସହରକୁ । ତା ପାଖରେ କୌଣସି ଉପାୟ ବି ନଥିଲା କାହାରିକି ବୁଝେଇବାର ସେ କାହିଁକି ଜଣେ ଅଜଣା ସ୍ତ୍ରୀ ଲୋକ ସହିତ ଏଇ ଅବେଳରେ ରହିଥିଲା ଅଭୟାରଣ୍ୟ ଯିବାର ରାସ୍ତା ମଝିରେ ।

 ସାମାନ୍ୟ ପ୍ରକୃତିସ୍ଥ ଥିଲେ ସେ କଦାପି ଏ ଭଳି ଏକ ଦୁଃସାହସ କରି ନ ଥାନ୍ତା । ଏଥିପାଇଁ ସଂପୂର୍ଣ୍ଣ ଦାୟୀ ଥିଲା ତାର ପିଲାଦିନର ସାଙ୍ଗ ମୋହନ । ଅବିନାଶ ନିଜେ ଧୀର

ସ୍ଥିର ଶାନ୍ତ ଘରୋଇ ପ୍ରକୃତିର ଅଲା ; ମୋହନ ତାର ପୁରାପୁରି ଓଲଟା : ଦାୟିତ୍ବହୀନ, ଫୁର୍ଲିବାଜ, ମୁହୁତ୍ତରୁ ମୁହୁର୍ଭକୁ ବଞ୍ଚୁଥୁବା ମଣିଷ । ସେ ହିଁ ତାକୁ ପରିଚୟ କରାଇ ଦେଇଥଲା ଶାନ୍ତା ସହିତ । କ୍ଟୋନି ଓ ଶାନ୍ତାକୁ ସେମାନେ ଭେଟିଥଲେ ସପ୍ତାହେ ତଳେ କଫି ହାଉସରେ । ଅନେକ ଭାବି ଚିନ୍ତି, ଯେତେବେଳେ ଅଫିସ୍‌ର ସମସ୍ୟା ତା ପାଇଁ ଅସହନୀୟ ହୋଇ ଉଠିଲା, ସେ ରାଜି ହୋଇଥଲା ମୋହନର କଥାରେ, ଶାନ୍ତା ସହିତ ଦୁଇ ଦିନ କଟାଇବା ପାଇଁ । ମୋହନ ମତରେ ଅବିନାଶ ଯଦି ପୁରାପୁରି ଅଫିସ କଥା ଭୁଲିଯାଇ ଦୂରରେ କେଉଁଠାରେ ସମୟ କଟାଇପାରେ, ସେଠାରୁ ଫେରିବା ବେଳକୁ ସମର୍ଥ ହୋଇ ଯାଇଥୁବ ନିଜର ସମସ୍ୟାକୁ ସାମନା କରିବା ପାଇଁ ।

 ବର୍ତ୍ତମାନ ବର୍ଷାର ମଳିନତା ଭିତରେ ଗାଡ଼ି ଚଳାଉ ଚଳାଉ ସେ ଭାବୁଥୁଲା ଯେ ମୋହନର ପ୍ରରୋଚନାରେ ଏ ଭଳି ରାସ୍ତାକୁ ପାଦ ବଢ଼ାଇବା ଯେ ସଂପୂର୍ଣ୍ଣ ନିରର୍ଥକ ଥୁଲା ତା ନୁହେଁ, ଅଲା ଅତି ଅବିବେକୀ ଓ ବିପଜନକ । ତେବେ ସେ ଯେତେବେଳେ ବେଷ୍ଟସନ ପାଖରେ ହାତରେ ବ୍ୟଗ ଧରି ଅପେକ୍ଷା କରୁଥୁବା ଶାନ୍ତାକୁ ଗାଡ଼ିରେ ବସାଇଲା, ତା ମନରୁ ସବୁ ଦୁର୍ଭାବନା ଦୂର ହୋଇଗଲା । ଆଗରୁ କଫି ହାଉସରେ ଥରେ ମାତ୍ର ଭେଟିଥୁବା ଶ୍ୟାମଳୀ ରଙ୍ଗର ଭରପୁର ଝିଅଟି ଅତି ସୁନ୍ଦରୀ ନ ଅଲେ ବି ଖୁସି ଖୁସି ଚେହେରାର ଅଲା, ଖୁବ ଭଦ୍ର ଭାବରେ ବ୍ୟବହାର କରୁଥଲା ଏବଂ ତା ସହିତ କଥାବାର୍ଭା ବେଳେ ମନେ ହେଉଥୁଲା ଯେପରି ସେ ତାର ଅନେକ ଦିନର ଜଣାଶୁଣା ।

 ଶାନ୍ତାକୁ ଦେଖୁଲେ ତାର କାହିଁକି କେଜାଣି ମନେପଡ଼ି ଯାଉଅଲା ସେଇ କେବେକାର କଲେଜ ଦିନର ଝିଅଟି କଥା, ଯାହା ସହିତ ଅତି ସାମାନ୍ୟ ସଂପର୍କକୁ ସେ ସେତେବେଳେ ପ୍ରେମ ବୋଲି ମନେ କରିଅଲା, କିନ୍ତୁ ଯେଉଁ ସଂପର୍କଟି ଆଉ ଆଦୌ ଆଗକୁ ବଢ଼ି ନଅଲା । ଝିଅଟିର ଚେହେରା ଠିକ ମନେ ପଡ଼ୁ ନଥ୍ୟଲା ; ସେ କୁଆଡ଼େ ଗଲା କଣ କଲା ସେ ଖବର ବି ନ ଅଲା ତା ପାଖରେ । ଝିଅଟି କଥା ମନେ ପଡ଼ିଲେ ନିଜର ଅପରିପକ୍ବତାର କଥା ହିଁ ମନକୁ ଆସୁଥଲା ଅବିନାଶର । ସେତେବେଳେ ସେ ଝିଅଟିକୁ ଭେଟିବାକୁ ଭୟରେ ଭୟରେ ତାର ହବେଷ୍ଟଲକୁ ଯାଉଥଲା ଏବଂ ଅତି ପିଲାଳିଆ ଚିଠିମାନ ଲେଖୁଥଲା । ଝିଅଟି କିନ୍ତୁ ତା ଠାରୁ ଅଧୁକ ବ୍ୟବସ୍ଥିତ ଓ ସନ୍ତୁଳିତ ଅଲା । ଯେଉଁ କଥାଟି ତାକୁ ଅବିବେକୀ ପ୍ରମାଣ କରି ଲଜିତ କରୁଥବାରୁ ଅବିନାଶ ତାକୁ ପାଶୋରି ଦେବାକୁ ଚାହୁଁଅଲା, ସେଇକଥା ବର୍ଭମାନ ହଠାତ ମନକୁ ଆସିଲା । ଝିଅଟି ତାକୁ ଦିନେ କହିଥୁଲା, ଆପଣ ହଷ୍ଟେଲ ରେଜିଷ୍ଟରରେ ନିଜର ନାଁ ଲେଖୁଲା ବେଳେ ଦୟା କରି ସଂପର୍କ ଭାଇ ବୋଲି ଲେଖୁବେ ନାହିଁ । ସେ ମୁହଁ ପୋତି ଚାଲି ଆସୁଥୁଲା ; ଝିଅଟି ତାକୁ ପଛକୁ ଡାକି କହିଅଲା, ଆଉ ଗୋଟେ କଥା, ଲଫାପା ଉପରେ ଲୋକାଲ ବୋଲି ନ ଲେଖୁଲେ ବି ଚଳିବ ।

 ସତରେ କେଡ଼େ ନିର୍ବେଧ ଅଲା ସେତେବେଳେ ସେ । ଏବେ ବି କଣ ସେ ସେଇଭଳି ରହି ଯାଇଛି ? ତାର ମନକୁ ଆସିଲା ତାର ଘରସଂସାରର ପୂର୍ଣ୍ଣତା ଓ ଚାକିରୀରେ ସଫଳତା କଥା । ପୁଣି ଅନ୍ୟ ଭାବରେ ଦେଖୁଲେ ପାରିବାରିକ ଜୀବନର ସଂପୂର୍ଣ୍ଣ ପ୍ରତ୍ୟାଶିତ ନିତ୍ୟନୈମିତିକତା ଓ ଅଫିସ୍‌ର ଅପ୍ରତିକର ପରିବେଶ । ଉଭୟରୁ ଉପଶମ ପାଇଁ ସେ ଯେଉଁ ଦୁଇ ଦିନର ବିରତି ଖୋଜୁଥୁଲା, ତା ବି ବର୍ଭମାନ ଜଣା ପଡ଼ୁଥଲା ଯେପରି ଝଡ଼ ବର୍ଷରେ ଉଚ୍ଛନ୍ନ ହୋଇଯିବ । ଏଇ ଭଳି ନକାରାମ୍ବକ ମନସ୍ଥିତି ବେଳେ ଶାନ୍ତା କହିଲା, ଆମେ ପହଞ୍ଚଗଲେ । ନିଜର ଚିନ୍ତା ବାହାରକୁ ଆଖୁ ପକାଇ ଅବିନାଶ ଦେଖୁଲା କିଛି ଦୂର ଆଗରେ ଥଲା ଫରେଷ୍ଟ ବଙ୍ଗଳାର ଫାଟକ ! ଭିତରକୁ ପଶି ତାର ଗାଡ଼ି ଯେତେବେଳେ ପୋର୍ଟିକୋ ତଳେ ଅଟକିଲା, ପ୍ରଥମ ଥର ପାଇଁ ଏତେ ସମୟ ପରେ କ୍ରମାଗତ ବର୍ଷାର ଆକ୍ରମଣରୁ ରକ୍ଷା ପାଇ ଅବିନାଶ ଶାନ୍ତିର ନିଶ୍ୱାସ ନେଲା ।

 ବଙ୍ଗଳାରେ ଆଉ କେହି ରହୁ ନ ଥଲେ । ଦାୟିତ୍ୱରେ ଅବା ଲୋକଟି ତାକୁ ଚାରିଟି ଯାକ କୋଠରୀ ଦେଖାଇ ଯେଉଁଟି ପସନ୍ଦ ନେବା ପାଇଁ କହିଲା । ଶାନ୍ତା ବାଛିଲା କଣରେ ଅବା ନିରୋଳା କୋଠରୀଟି, ଯାହାର ପଛ ପାଖରେ ବସା ଉଠା କରିବା ପାଇଁ ପ୍ରଶସ୍ତ ବାରଣ୍ଡା ଅଲା ଏବଂ ଯେଉଁଠାରୁ ଏକ ଖୋଲା ଉପତ୍ୟକା ଦେଖା ଯାଉଥଲା । କୋଠରୀ ଭିତରକୁ ନିଜର ଜିନିଷ ନେଇ ରଖୁବା ବେଳେ ଅବିନାଶକୁ ତଥାପି ଚିନ୍ତାକୁଳ ଦେଖୁ ଶାନ୍ତା କହିଲା, ରିଲାକ୍ସ୍ ; ଆମକୁ କେତେ ସୁନ୍ଦର ଗୋଟିଏ କୋଠରୀ ମିଳିଲା । ଅବିନାଶ କହିଲା,କିନ୍ତୁ ଏ ବର୍ଷାର କଣ କରାଯିବ ? ଶାନ୍ତା କହିଲା, ପ୍ରତ୍ୟେକ କଳା ମେଘର ଗୋଟିଏ ରୂପେଲୀ ଆସ୍ତରଣ ବି ଥାଏ । ଏତେ ବର୍ଷରେ ଆଉ କେହି ଆସିବେ ନାହିଁ, ଏବଂ ପୁରା ବଙ୍ଗଳାଟି ଆମର ।

 ଏଇ ବର୍ଷ ଅନ୍ଧାର ଭିତରେ କିନ୍ତୁ ମୋର ଡିପ୍ରେଶନ ଆସୁଛି, କହିଲା ଅବିନାଶ ।

 ମୋର କଣ ମନେ ହେଉଛି ଜାଣ ଏତେବେଳେ ? ଆମେ ଯେମିତି ପ୍ରକୃତ ପୃଥବୀରେ ନାହୁଁ, ରହିଛେ ଏକ ସ୍ୱପ୍ନ ଭିତରେ । ତା ଠାରୁ ବଳି ଆଉ କି ଖୁସି ଥାଇ ପାକେର ?

 ସେମାନଙ୍କର ପହଞ୍ଚୁବାର ଅଲା ଗୋଟାଏ ବେଳେ, କିନ୍ତୁ ଡେରି ହୋଇଗଲା ରାସ୍ତାରେ । ଚୌକିଦାର ସେମାନଙ୍କୁ ଖାଇବା କଥା ପଚାରିଲା ଓ ପାଖ ଘରେ ବାଢିବା ପାଇଁ ଚାଲିଗଲା । ବର୍ଭମାନ କୋଠରୀରେ କେବଳ ଅବିନାଶ ଓ ଶାନ୍ତା ଅଲେ । ଅବିନାଶ

କୋଠରୀର କବାଟ ବନ୍ଦ କଲା ଓ ଶାନ୍ତାକୁ ଜଡ଼ି ଧରି ଚୁମା ଖାଇଲା । ଶାନ୍ତା ତା କାନ୍ଧକୁ ଥାପୁଡ଼ାଇ କହିଲା, ତରତର ହେବାର କିଛି ନାହିଁ; ଆମ ପାଖରେ ଦି ଦିନ ସମୟ ଅଛି । ଆଗେ ଟିକିଏ ରହିବା କଥା ଠିକଠାକ କରିନେବା ।

ଏତିକି କହି ସେ ଯାଇ କବାଟ ଖୋଲି ଦେଲା ଓ ନିଜ ବ୍ୟାଗରୁ ଜିନିଷ ପତ୍ର ବାହାର କରି ସଜାଇବାରେ ଲାଗିଲା । ଅବିନାଶ ତଥାପି ନିଜକୁ ପ୍ରକୃତିସ୍ଥ କରି ପାରି ନଥୁଲା; ବର୍ଷାରେ ଗାଡ଼ି ଚଳାଇ ଆସିବାର କଷ୍ଟ, ମନର କୋଣରେ ଅଫିସ ଚିନ୍ତା ତାକୁ ଛାଡ଼ି ନ ଥିଲେ ଏ ପର୍ଯ୍ୟନ୍ତ । ସେ ଯେପରି ସବୁକିଛି କରୁଥିଲା ମନ୍ତ୍ର ଭଳି, ଯେପରିକି ଶାନ୍ତାକୁ ବାହୁରେ ଧରିବା, ଯେଉଁଥିରେ କୌଣସି ଉଭେଜନା ନ ଥିଲା, ଥିଲା କେବଳ କର୍ତ୍ତବ୍ୟର ଦାବୀ । ଶାନ୍ତାର ଦେଖା ଦେଖି ସେ ନିଜର ସୁଟକେସରୁ ଜିନିଷ ବାହାର କରି ରଖିବାରେ ମନ ଦେଲା । ଶାନ୍ତା ବାଥରୁମ ଭିତରକୁ ଯାଇ କବାଟ ବନ୍ଦ କଲା ।

ଅବିନାଶ ଜାଣୁଥଲା ଯେ ସେ ବର୍ତ୍ତମାନ କଳ୍ପନା କରିବା ଉଚିତ ଖାଲି ଦେହରେ ଶାନ୍ତା କିପରି ଦେଖା ଯାଉଥିବ । କିନ୍ତୁ ତା ମନକୁ ଆସୁଥିଲା ତାର ଉପରିସ୍ଥ କର୍ଭା ଆଚାରୀ କଥା । ଆଚାରୀ ତା ସହିତ ଭଦ୍ର ଭାବରେ ବ୍ୟବହାର କରୁଥିଲା, କିନ୍ତୁ କିଛି ଦିନ ହେଲା ସଂପର୍କ ଯେପରି ଶୀତଳ ହୋଇ ଯାଇଥଲା । ଅବିନାଶର ଗୋଟିଏ ଅନିଚ୍ଛାକୃତ ଛୋଟ ଭୁଲ ଯୋଗୁ କମ୍ପାନୀର ବଡ଼ ଧରଣର କ୍ଷତି ହୋଇଥିଲା ଏବଂ ଅବିନାଶ ଭାବୁଥିଲା ଯେ ଆଚାରୀ ତାକୁ ରକ୍ଷା କରିବାରେ ଯଥେଷ୍ଟ ସାହାଯ୍ୟ ଓ ସମର୍ଥନ କରୁ ନଥିଲା । ସେଇ କଥାରୁ ଆରମ୍ଭ କରି ଅଫିସରେ ତାର ସ୍ଥିତି ଖରାପ ହେବାରେ ଲାଗିଥିଲା ଏବଂ କେତେବେଳେ ଯେ ହେଡ୍ ଅଫିସରେ କିଛି ପ୍ରତିକୂଳ ଆଦେଶ ଆସିବ ସେଇ ଭୟରେ ରହୁଥବା ଅବିନାଶ । ଆଚାରୀ ନିଶ୍ଚୟ ହେଡ ଅଫିସର ମତିଗତି ବିଷୟରେ ଅବଗତ ଥିଲା, କିନ୍ତୁ ସେ ବିଷୟରେ ଅବିନାଶକୁ ନିଜର ବିଶ୍ବାସକୁ ନେଉ ନ ଥିଲା । ଅବିନାଶ ଆଚାରୀକୁ ଖୋସାମତ କରିବାକୁ ଚାହୁଁ ନଥିଲା, କିନ୍ତୁ ମନ ଭିତରେ ଭୟ ବି ରହୁଥୁଲା ଚାକିରୀ ଚାଲି ଯିବାର । ଆଚାରୀର ପ୍ରତ୍ୟେକ କଥାରେ ସେ ବର୍ତ୍ତମାନ ନିଜ ପ୍ରତି ବିଦ୍ୱେଷ ଓ ଶତୃତା ଦେଖିବାକୁ ଆରମ୍ଭ କଲା । ଏଇ ସବୁ ପରିସ୍ଥିତିରେ ତାର ଭୟ ହେଲା ଯେ ସେ ନିଜ କାମରେ ଆହୁରି ଆହୁରି ଭୁଲ କରି ବସିବ ।

ଶାନ୍ତା ବାଥରୁମରୁ ବାହାରିଲା ଓ ଚୌକିଦାର ଆସି ଖାଇବାକୁ ଡାକିଲା । ଅବିନାଶ ହାତ ମୁହଁ ଧୋଇ ଶାନ୍ତାକୁ ନେଇ ଖାଇବା ଟେବୁଲକୁ ଗଲା । ଚୌକିଦାର ସେମାନଙ୍କୁ ଖାଇବାର ବାଢ଼ିଲା; କହିଲା, ଆଜି ମାଛ ମାଉଁସ ନାହିଁ । ବର୍ଷାରେ ବଜାରକୁ ଯାଇ ହେଲା ନାହିଁ । ଅବିନାଶ କହିଲା, ବର୍ଷ ତ ବନ୍ଦ ହେବା ଭଳି ଦେଖା ଯାଉ ନାହିଁ; ରାତିକି କଣ କରିବ?

ସକାଳେ ଯେମିତି ଖରା ହଉଥଲା, କିଏ ଜାଣିଥିଲା ଏତେ ବର୍ଷା ହେବ ବୋଲି? ବଜାର ତ ଏଠୁ ବେଶ ଦୂର । ଦେଖିବା ଯଦି ବର୍ଷା ଟିକିଏ ଛାଡ଼ି ଯାଏ !

ଅବିନାଶ କହିଲା, ତା'ହେଲେ ତମେ କଣ ଆମକୁ ରାତିରେ ଉପାସ ରଖିବ ନା କଣ? ଚୌକିଦାର କହିଲା, ଆଜ୍ଞା ଏବେ ମୁଁ ଏକା ଲୋକ... । ଅବିନାଶ ବିରକ୍ତ ହୋଇ ତାକୁ କଣ କହିବାକୁ ଯାଉଥିଲା, ଶାନ୍ତା ପଚାରିଲା, ତମର ନାଁ କଣ?

ନରି, ଜବାବ ଦେଲା ଚୌକିଦାର ।

ନରସିଂହ ନା ନରେନ୍ଦ୍ର? ଶାନ୍ତା ପଚାରିଲା ।

ଚୌକିଦାର କହିଲା, ନରହରି ।

ଖାଉ ଖାଉ ଅବିନାଶ କହିଲା, ଡାଲି ଲୁଣିଆ ହୋଇ ଯାଇଛି । ନରହରିକୁ ଜବାବ ଦେବାର ଅବସର ନ ଦେଇ ଶାନ୍ତା କହିଲା, ଆଜି ରାତିରେ ମୁଁ ରାନ୍ଧିବାରେ ସାହାଯ୍ୟ କରିବି; ଡାଲି ତରକାରୀରେ ଲୁଣ ଠିକ ରହିବ । ତା କଥାରୁ ସାହସ ପାଇ ନରହରି କହିଲା, କଥା କଣ କି ଆମର ରୋଷେଇଆ ଛୁଟିରେ ଯାଇଛି ! ମୁଁ କୌଣସି ମତେ କାମ ଚଳେଇ ଦଉଚି । ସେ ଫେରିବାର ଥିଲା ଆଜି । କିନ୍ତୁ ଯେମିତି ବର୍ଷା ହଉଚି, କେତେବେଳେ ଫେରିବ କେଜାଣି?

ଖାଇ ସାରି ହାତ ମୁହଁ ଧୋଇ ନିଜ କୋଠରୀକୁ ଫେରିଲେ ଦୁହେଁ । ଝରକା ଦେଇ ବର୍ଷା ଛିଟିକା ପଡ଼ୁଥିଲା; ଶାନ୍ତା ଝରକା ବନ୍ଦ କରି ଦେଲା । ଘର ଭିତର ଅନ୍ଧାରୁଆ ହୋଇଗଲା । ଶାନ୍ତା ପଚାରିଲା, କଣ ଆଲୁଅ ଜଳାଇ ଦେବି? ଅବିନାଶ କହିଲା, ଥାଉ । ସେ ଯାଇ ତାର ପ୍ୟାଣ୍ଟସାର୍ଟ ବଳଦାଇ ପାଜାମା କୁର୍ତ୍ତା ପିନ୍ଧିଲା, ବିଛଣା ଉପରେ ଶୋଇ ପଡ଼ି ଶାନ୍ତାକୁ କହିଲା, ଏଠିକି ଆସ । ଶାନ୍ତା ଟେବୁଲ ପାଖକୁ ଯାଇ ବାଳରୁ କ୍ଲିପ୍ ଖୋଲିଲା, କପାଳରୁ ବିନ୍ଦି ବାହାର କରି ତାକୁ ଦର୍ପଣ ଉପରେ ଲଗାଇ ଦେଲା, ବେକରୁ ହାର ବାହାର କରି ଟେବୁଲ ଉପରେ ରଖିଲା ଓ ଯାଇ ଅବିନାଶ ପାଖରେ ଶୋଇଗଲା । ଅବିନାଶ ତାକୁ ପାଖକୁ ଟାଣି ନେଉଥଲା, ଶାନ୍ତା କହିଲା, ଗୋଟେ ମିନିଟ । ଉଠିଯାଇ ସେ ଟେବୁଲ ଉପରେ ରଖିଥୁବା ଫଟୋଟିକୁ ଘୁଞ୍ଚାଇ ରଖିଦେଲା ଓ ବିଛଣାକୁ ଫେରି ଆସିଲା । କହିଲା, ଠାକୁରଙ୍କ ମୁହଁ ମୁଁ କାନ୍ଥ ଆଡକୁ କରିଦେଲି ।
କି ଠାକୁର ? ଶାନ୍ତା ମନେ ମନେ କଣ ମନ୍ତ୍ର ଆବୃତ୍ତି କଲା ଓ ଟିକିଏ ପରେ ଜବାବ ଦେଲା, ତମେ ଏବେ ଠାକୁରଙ୍କ କଥା ଶୁଣିବ, ନା ଥକି ଯାଇଛ ଶେଇଯିବ, ନା ଆଉ କିଛି ? ଅବିନାଶ କହିଲା, ଆଉ କିଛି । ଆଉ କିଛିକୁ ଯଦି ରାତିକୁ ରଖାଯାଏ ? ପଚାରିଲା ଶାନ୍ତା । ଅବିନାଶ କହିଲା, ନା ବର୍ତ୍ତମାନ । ଶାନ୍ତା କିନ୍ତୁ ଯେତେବେଳେ ଆଉ ଟିକିଏ ପାଖକୁ ଘୁଞ୍ଚି ଆସିଲା, ସେ କହିଲା, ଠିକ ଅଛି, ରାତିକୁ । ଟିକିଏ ଶୋଇଗଲେ ବୋଧହୁଏ ରାତିଟା ମୋ ପାଇଁ ଭଲ ହେବ । ଅବିନାଶ ଆର ପାଖକୁ ମୁହଁ ବୁଲାଇ ନେଲା । ଶାନ୍ତା କହିଲା, ତମର ଯେମିତି ଇଚ୍ଛା । ମୁଁ ତମକୁ ଥାପୁଡେଇ ଶୁଆଇ ଦେବି ।

ଠାକୁରଙ୍କ ବିଷୟରେ ମତେ କେତେବେଳେ କହିବ ?

ତମେ ଯେତେବେଳେ ଚାହିଁବ । ଏବେ କିନ୍ତୁ ଶୋଇଯାଅ ।

ତମେ କଣ ମନ୍ତ୍ର ପଢିଲ ମନେ ମନେ ଏବେ ! ସେ ମନ୍ତ୍ର କଣ ମତେ କହି ପାରିବ । ନା ସେ କଥା ଆଉ କାହାକୁ କହିବାକୁ ମନା ?

ଆଗେ ଶୋଇଯାଅ । ଅଧା ନିଦରେ ଦିଅଁ ଦେବତା ମନ୍ତ୍ର କଥା ଭାବି ଲାଭ ନାହିଁ । ବର୍ତ୍ତମାନ ବରଂ ବାହାରେ ବର୍ଷାର ଶବ୍ଦ ଶୁଣୁଶୁଣୁ ଶୋଇଯାଅ ।

ଶାନ୍ତା କଥା ଶୁଣି ଅବିନାଶ ସଚେତନ ହେଲା ବର୍ଷା ବିଷୟରେ । ଏବେ ବି ପ୍ରବଳ ଜୋରରେ ବର୍ଷା ହେଉଥଲା ଏବଂ ତାର ମନେ ପଡ଼ିଲା ପାଣି ଭିତରେ ଉବୁ ଟୁବୁ ହୋଇ ଗାଡ଼ି ଚଳାଇବାର କଷ୍ଟ । ଶାନ୍ତା ବିଛଣାରୁ ଉଠିବାରୁ ଅବିନାଶ କହିଲା, କୁଆଡ଼େ ଯାଉଛ ? ଶାନ୍ତା ଯାଇ ଟେବୁଲ ଉପରୁ ଗୋଟିଏ ଛୋଟ ପର୍ସ ଆଣି ତକିଆ ତଳେ ରଖି ପୁଣି ଶୋଇଗଲା ତା ପାଖରେ । କହିଲା, ଭୁଲି ଯାଇଥିଲି ।

ଅବିନାଶ ଭାବିଲା ଯେ ତାର ଆଉ ନିଦ ହେବ ନାହିଁ, କିନ୍ତୁ କେତେବେଳେ ଯେ ଆଖି ଲାଗିଗଲା ଜାଣି ପାରିଲା ନାହିଁ । ଯେତେବେଳେ ଆଖି ଖୋଲିଲା, ବାହାରେ ସେଇପରି ବର୍ଷା ପଡ଼ୁଥିଲା ଅବିରତ ଭାବରେ । ସେ ଶୋଇ ପଡ଼ିବା ପରେ ଶାନ୍ତା ତା ଉପରେ ଚାଦର ଘୋଡ଼ାଇ ଦେଇଥିଲା; ସେଇଟିକୁ ଆଉ ଟିକିଏ ଉପରକୁ ଟାଣି ଅବିନାଶ ପାଖକୁ ଅନାଇଲା । ଶାନ୍ତା ନ ଥିଲା । ଘର ଭିତରେ ଅନ୍ଧାର ଥିଲା, କିନ୍ତୁ ପଛ ପାଖ ବାରଣ୍ଡାରେ ଆଲୁଅ ଜଳୁଥିଲା । ଶାନ୍ତା ସେଠାରେ ଚଉକି ପକାଇ ବସି କଣ ପଢ଼ୁଥିଲା ।

ଅବିନାଶ ବିଛଣାରୁ ଉଠି ତା ପାଖକୁ ଗଲା । ପଚାରିଲା, ସମୟ କେତେ ହେଲା ? ମୁଁ ବହୁତ ସମୟ ଶୋଇଗଲି, ନା ? ନା । ଏତେ ଅନ୍ଧାର ହୋଇଚି ସିନା, ବର୍ତ୍ତମାନ ବେଳ ମାତ୍ର ସାଢ଼େ ଛ’ଟା ।

ସାଢ଼େ ଛ'ଟା ? ଅଫିସରୁ ସମସ୍ତେ ଚାଲି ଯିବେଣି । ମୁଁ ନାହିଁ ବୋଲି ଏବେ ଆଚାରୀ ଏକୁଟିଆ ବସି ମୁଣ୍ଡ ପିଟୁଥୁବ ।

ଆଚାରୀ କିଏ ?

ଆଚାରୀ ? ସେଇ ଜନ୍ତୁଟି ତ ମୋର ଏଠିକି ଆସିବାର କାରଣ । ନ ହେଲେ ତମେ କିଏ, ମୁଁ କିଏ, ନା ଏ ଫରେଷ୍ଟ ବଙ୍ଗଳା କୋଉଠି ଏମିତି ବର୍ଷା ରାତିରେ । ଲୋକଟା ମୋର ହାକିମ ।

ତା ହେଲେ ତ ମିଷ୍ଟର ଆଚାରୀଙ୍କୁ ଧନ୍ୟବାଦ ଦେବା କଥା ତମକୁ ଏପରି ଏକ ଛୁଟି ଦିନ ମନାଇବାର ସୁଯୋଗ ଦେଇଥିବାରୁ ।

ଧନ୍ୟବାଦ ? ମୋର ଇଛା ହଉଛି ମୁଁ ସେ ଲୋକର ଗଳା ଚିପି ମାରିଦେବି । ସେଇ ତ ମୋର ସବୁ ଅଶାନ୍ତିର କାରଣ । ମୁଁ ଅଫିସ ଛାଡ଼ି ଏତେ ଦୂରରେ ଅଛି, ତେବେ ବି ସେ ଲୋକ ମୋ ମୁଣ୍ଡରେ ଲାଖି ରହିଛି । ଶୁଣିବା ସେ ଲୋକ କଥା ?

ଶାନ୍ତ ହସିଲା, କହିଲା; କଣ ଲାଭ ହେବ ଏମିତି ଅଶାନ୍ତିର କଥା ଶୁଣି ? ବର୍ତ୍ତମାନ ଦେଖ ଆମେ କେମିତି ପୃଥିବୀ ବାହାରେ ଏ ଭଳି ଏକ ନିର୍ଜନ ଜାଗାରେ ଅଛେ । ଯୋଉଠି ଆଉ କିଛି ନାହିଁ, କେବଳ ଅନ୍ଧାର ଆଉ ବର୍ଷା । ଏବଂ କେବଳ ଆମେ ଦୁଇ ଜଣ ।

ଅବିନାଶ ନିଜ ଚଉକିକୁ ତା ପାଖକୁ ଘୁଞ୍ଚାଇ ନେଇ ତା କାନ୍ଧରେ ହାତ ପକାଇଲା । ଶାନ୍ତା ପଢୁଥୁବା ବହିଟିକୁ ବନ୍ଦ କରି ଝରକା ବନ୍ଧ ଉପରେ ରଖିଦେଲା ଓ ତା ହାତ ଉପରେ ହାତ ରଖିଲା । କହିଲା, ମୁଁ ଯାଇ ଦେଖେ ଖାଇବାର କଣ ବନ୍ଦୋବସ୍ତ କରୁଛନ୍ତି ନରହରି । ଶାନ୍ତା ଉଠି କବାଟ ବାହାରକୁ ଗଲା ଓ ଅବିନାଶ ତା ପଛରେ ଯାଇ ଠିଆ ହେଲା । କୋଠରୀ ଓ ରୋଷାଇ ଘର ଭିତରେ ବାରଣ୍ଡା ଥଲା, ଯାହା ଉପରେ ଛାତ ଥିଲା କିନ୍ତୁ କାନ୍ଥ ନ ଥିବାରୁ ପାଣି ଛିଟିକାରେ ତା ଉପରେ ପାଣି ଜମି ଯାଇଥଲା । ଶାନ୍ତା ରୋଷାଇ ଘର ଭିତରକୁ ଯିବା ପରେ ଅବିନାଶ ପୁଣି ପଛ ବାରଣ୍ଡାକୁ ଫେରି ଆସିଲା ଓ ଶାନ୍ତା ପଢୁଥୁବା ବହିଟିକୁ ଉଠାଇ ଦେଖିଲା । ସେ ଭାବିଥିଲା ଯେ ବହିଟି କୌଣସି ଶସ୍ତା ଉପନ୍ୟାସ ହୋଇଥିବ । କିନ୍ତୁ ଅତି କୁଳୀନ ଦେଖା ଯାଉଥିବା ବହିଟି ଥିଲା କବିତାର ବହି । ଅନ୍ୟମନସ୍କ ଭାବରେ ବହିଟିର ପୃଷ୍ଠା ଓଲଟାଇ ଧାଡ଼ିଏ ଦି ଧାଡ଼ି ପଢ଼ିଲା ଅବିନାଶ, କିନ୍ତୁ ତାକୁ ସେ ଶବ୍ଦ ସବୁ ଆକର୍ଷିତ କରିପାରିଲେ ନାହିଁ । ସେ ବହିଟିକୁ ରଖି ଦେଇ କୋଠରୀ ଭିତରକୁ ଆସିଲା ଓ ସୁଟକେସରୁ ଜିନିଷ ବାହାର କରିବାରେ ମନ ଦେଲା ।
ସୁଟକେସର ଲୁଗାପଟା ତଳେ ସେ ଟଙ୍କା ରଖିଥିଲା । ବେଶ କିଛି ଟଙ୍କା । ଟୋନି ଯେତେବେଳେ ତାକୁ ଗୋଟିଏ ମୋଟା ଅଙ୍କର ସଂଖ୍ୟା କହିଲା, ଅବିନାଶ ବିଶ୍ୱାସ କରି ପାରିଲା ନାହିଁ । ମାତ୍ର ଦୁଇଦିନ ପାଇଁ ଏତେ ଟଙ୍କା ? ମୋହନ କହିଲା, ଶାନ୍ତା ଭଳି ଝିଅ ଲକ୍ଷେରେ ଜଣେ । ଟେଟାନି କହିଲା, ମୁଁ କେବେ କାହାରି ପାଖରୁ ଅଭିଯୋଗ ପାଇ ନାହିଁ ତା ବିଷୟରେ ; ବରଂ ଅନେକ ଲୋକ ମତେ ଫୋନ କରି ତାଙ୍କର ସନ୍ତେଷ ଜଣାଇଛନ୍ତି ।

ଅବିନାଶର ଆଖି ପଡ଼ିଲା ଟେବୁଲ ଉପରେ କାନ୍ଥ ଆଡ଼କୁ ମୁହଁ କରି ରଖା ଯାଇ ଥିବା ଠାକୁରଙ୍କ ଫଟୋ ଉପରେ । ସେଇଟିକୁ ଉଠାଇ ଆଲୁଅ ତଳକୁ ନେଇ ତାକୁ ଭଲ କରି ଦେଖିଲା ସେ । ଭିନ୍ନ ଭିନ୍ନ ଦେବ ଦେବୀଙ୍କର ଚିତ୍ର ବିନ୍ୟାସ କରି ଲଗା ହୋଇଥିଲା କାଚ ପ୍ରେମ ଭିତରେ । ସେ ଠାକୁରମାନଙ୍କୁ ଚିହ୍ନିବାକୁ ଚେଷ୍ଟା କଲା । ଗଣେଶ, ଲକ୍ଷ୍ମୀ, ସରସ୍ୱତୀ । ବ୍ରହ୍ମ, କୃଷ୍ଣ ଓ ଜଗନ୍ନାଥ । ଆଉ ଅନେକଙ୍କୁ ଚିହ୍ନି ପାରିଲା ନାହିଁ ସେ । ତଳକୁ ଅନାଇ ଦେଖିଲା । ତା ପାଦରେ ଚପଲ ଥିଲା । ଜୋତା ପିନ୍ଧି ଠାକୁରଙ୍କୁ ଛୁଇଁବା ଠିକ ହେଲା ନାହିଁ ବୋଧହୁଏ । ସେ ଗୋଡ଼ରୁ ଚପଲ ଖୋଲି ଫଟୋକୁ ମୁଣ୍ଡରେ ଲଗାଇ ପୁଣି ଟେବୁଲ ଉପରେ ରଖିଦେଲା ।

ହାତରେ କିଛି କାମ ନ ଥିବାରୁ ତାକୁ ଖାଲି ଖାଲି ଲାଗିଲା । ସାଙ୍ଗରେ ଗୋଟାଏ ବହି ଆଣିଥିଲେ ଭଲ ହୋଇଥାନ୍ତା । କିନ୍ତୁ ଏତେ ଟଙ୍କା ଖର୍ଚ୍ଚ କରି ଗୋଟିଏ ଝିଅ ସାଙ୍ଗରେ ସମୟ କଟାଇବାକୁ ଆସି ସେ ବହି ପଢ଼ିବା କଥା ଭାବିଥାନ୍ତା ବା କାହିଁକି ? ବର୍ଷା ନ ହେଉଥିଲେ ସେମାନେ ଚାଲିଚାଲି ଜଂଗଲ ଭିତରକୁ କିଛି ଦୂର ବୁଲି ଯାଇ ପାରିଥାନ୍ତେ । ସକାଳକୁ ନିଶ୍ଚୟ ବର୍ଷା ଛାଡ଼ିଯିବ, ଏବଂ ଶାନ୍ତାକୁ ଗାଡ଼ିରେ ନେଇ ସେ ଆହୁରି ଗଭୀର ଜଂଗଲ ଭିତରକୁ ଯିବ । ବର୍ଭମାନ ଏଇ କୋଠରୀଟି ଭିତରେ ତାକୁ ଅଣନିଶ୍ୱାସୀ ଲାଗିଲା । ବାହାରେ ତଥାପି ପ୍ରବଳ ବର୍ଷା । ସେ ବାରଣ୍ଡାରୁ ଚଉକି ଓ ଶାନ୍ତାର ବହି ଭିତରକୁ ନେଇ ଆସିଲା ଓ କବାଟ ବନ୍ଦ କରିଦେଲା । ରୋଷାଇ ଘରେ ଶାନ୍ତା କଣ କରୁଛି ଦେଖା ଯାଇ ପାରେ ।

ବାରଣ୍ଡାରେ ଠିଆ ହୋଇ ସେ ରୋଷାଇ ଘର ଆଡ଼କୁ ଅନାଇଲା । ସେଠାକୁ ଯିବା ଅଳିନ୍ଦରେ ପାଣି ଜମି ଯାଇଥିଲା ଓ ଦି ପାଖରୁ ପାଣି ଛିଟିକା ପଡ଼ୁଥିଲା । ତାର ଇଚ୍ଛା ହେଲା ଯାଇ ଦେଖିବ ଶାନ୍ତା କଣ କରୁଛି ରନ୍ଧା ଘରେ । ବର୍ଷା ଅନ୍ଧାର ଭିତରେ ଏଇ ଟିକିଏ ଜାଗାକୁ ଯିବା ପାଇଁ ତାକୁ କେମିତି ଭୟ ଲାଗିଲା । ପୂରା ଜଂଗଲଟି ଯେପରି ଘନ ଅନ୍ଧାର ଓ ମୂଷଳ ଧାରା ସହିତ ମାଡ଼ି ପଡ଼ୁଛି ଏଇ ଛୋଟ ଘରଟି ଉପରେ । ବାହାର ପୃଥ୍ବୀରୁ ସଂପୂର୍ଣ୍ଣ ବିଚ୍ଛିନ୍ନ । ଯଦି କିଛି ଦୁର୍ବିପାକ ଘଟେ ? ସେ ଶାନ୍ତାକୁ ଡାକିବାକୁ ଯାଉଥଲା, ଏଇ ସମୟରେ ଶାନ୍ତା ନିଜେ ରୋଷଇ ଘରୁ ବାହାରି ତା ଆଡ଼କୁ ଆସିଲା ।

ବିଚରା ନରହରି ବର୍ଷା ଯୋଗୁ ଅସୁବିଧାରେ ପଡି ଯାଇଛି, ଶାନ୍ତା କହିଲା । କାଠ ଓଦା ; ବାହାରୁ ଯାଇ ଜିନିଷ ପତ୍ର ଆଣି ପାରି ନାହିଁ । ତଥାପି ଆଜି ପାଇଁ ସବୁ ଠିକରେ ହୋଇଯିବ । କାଲି ସକାଳ କଥା କାଲି ସକାଳେ ଦେଖାଯିବ ।

ଦୁହେଁ କୋଠରୀ ଭିତରେ ପଶିବା ପରେ ଅବିନାଶ ଶାନ୍ତାକୁ ବାହୁରେ ଧରିବା ବେଳେ ଦେଖିଲା ଯେ ଶାନ୍ତା ପୂରା ଭିଜି ଯାଇଛି । କିନ୍ତୁ ତା ଓଦା ଦେହ ଭିତରୁ ଯେପରି ଏକ ଅଦ୍ଭୁତ ଉଷ୍ଣତା ଛିଟକି ପଡ଼ୁଥଲା । କୋଠରୀର ଅନୁଜ୍ବଳ ଆଲୁଅରେ ରହସ୍ୟମୟୀ ଦେଖା ଯାଉଥଲା ଶାନ୍ତା । ତା ଦେହରୁ ନିଜର ହାତ ବାହାର କରି ନେଇ ଅବିନାଶ କହିଲା, ଯାଅ ଲୁଗା ବଦଳାଇ ନିଅ ; ଥଣ୍ଡା ଧରିବ ।

ମୁଁ ରନ୍ଧା ଦେଖିବାକୁ ଆଉ ଥରେ ରୋଷାଇ ଘରକୁ ଯିବି । ସେତେବେଳେ ଆଉ ଟିକିଏ ଭିଜି ଯିବି । ଯେତେବେଳେ ପୂରାପୂରି ଭିଜିଯିବି, ଯାଇ ଗାଧୋଇ ସାରି ଲୁଗା ବଦଳାଇବି । ତମର ଯଦି ଇଚ୍ଛା ହେଉଛି, ଯାଇ ବର୍ଷାରେ ଟିକିଏ ଭିଜି ଯାଅ ।

ଅଦ୍‌ଭୁତ କଥା କହୁଛି ଝିଅଟି, ମନେ ମନେ ଭାବିଲା ଅବିନାଶ । ବୟସ ହେବା ଦିନରୁ କେବେ ବର୍ଷା ପାଣିରେ ଛିଡ଼ା ହୋଇ ଭିଜିଥିବାର ମନେ ପଡ଼ିଲା ନାହିଁ ତାର । ବର୍ଷାରେ ତିନ୍ତିଲେ ସନ୍ନିପାତ ଅନିବାର୍ଯ୍ୟ, ଏ ଭଳି ଏକ ଭୁଲ ଧାରଣା କେବେ ବି ଦୂର ହୋଇପାରି ନ ଥିଲା ମନ ଭିତରୁ ।

ତାର ମନର କଥାକୁ ପ୍ରତିଧ୍ବନିତ କରି ଶାନ୍ତା କହିଲା, କଣ ଭୟ ଲାଗୁଛି ? ଏଇ ଦେଖ । ସହଜ ପାଦ ପକାଇ ଶାନ୍ତା ବାହାର ବାରଣ୍ଡାକୁ ଗଲା ଓ ପାହାଚ ଦେଇ ବର୍ଷା ମଝିକୁ ଓହ୍ଲାଇ ଗଲା । ବାହାରେ ଘନ ଅନ୍ଧାର ଥିଲା ଓ କୋଠରୀ ଭିତରୁ ପଡ଼ୁଥୁବା ସ୍ୱଳ୍ପ ଆଲୁଅରେ ଶାନ୍ତା ଏକ ମୂର୍ଭି ଭଳି ଦେଖା ଯାଉଥଲା । ସେ ଦୁଇ ହାତ ଉପରକୁ ଉଠାଇ ଅବିଚଳିତ ଠିଆ ହୋଇଥଲା ଓ ତାର ବାହୁ ଦେଇ ପାଣି ଓହ୍ଲାଇ ଆସୁଥୁଲା ପାଦ ପାଖକୁ । ମନ୍ତ୍ର ମୁଗ୍ଧ ହୋଇ ଅବିନାଶ ତା ଆଡ଼କୁ ଅନାଇ ରହିଲା । ମୁହୂର୍ତ୍ତକ ପାଇଁ ଇଚ୍ଛା ହେଲା ସେ ବି ଓହ୍ଲାଇ ଯିବ ବାରଣ୍ଡା ତଳକୁ ଓ ଶାନ୍ତା ଆଡ଼କୁ ହାତ ବଢାଇ ବର୍ଷା ଭିତରେ ହଜିଯିବ । ଦେହ କିନ୍ତୁ ତା ସହିତ ସହଯୋଗ କଲା ନାହିଁ । ଶାନ୍ତା ବାରଣ୍ଡା ଉପରକୁ ଉଠି ଆସିଲା ଓ ରୋଷାଇ ଘର ଆଡ଼କୁ ଗଲା ।

ଅବିନାଶ ଚିନ୍ତା କଲା ସେ ଯଦି ବର୍ଷା ଭିତରକୁ ଯାଇଥାନ୍ତା, ଏବଂ ସେଥିଯୋଗୁ ତାର ଯେଉଁ ଥଣ୍ଡା ଜର ହୋଇଥାନ୍ତା, ସେଥିପାଇଁ କଣ ତା ପାଖରେ ଔଷଧ ଅଛି ? ସୁଟକେସ
ଭିତରୁ ଔଷଧ ରଖିଥିବା ବ୍ୟାଗଟି ବାହାର କରି ସେ ଟେବୁଲ ଉପରେ ତାକୁ ଖେଳାଇ ଦେଖଲା । ଆଜି ସକାଳେ ଯେଉଁ ଟ୍ୟବେଲଟ୍‌ଟି ଖାଇବାର ଥିଲା, ସେ ତାକୁ ଖାଇବାକୁ ଭୁଲି ଯାଇଥଲା । ସେ ପାଣି ନେଇ ସେଇଟିକୁ ଖାଇଲା । ତା ପରେ ସେ ଔଷଧ ସବୁକୁ ଦେଖିଲା । ଦି ଦିନ ପାଇଁ ଯାହା ଦରକାର ହୋଇପାରେ, ସବୁ ଔଷଧ ତା ପାଖରେ ଥିଲା । ଥଣ୍ଡା ଜରର ମଧ୍ୟ ।

ଅବିନାଶ ସୁଟକେସରୁ ହିସ୍କି ବୋତଲଟି ବାହାର କରି ଟେବୁଲ ଉପରେ ରଖିଲା । ପାଖରେ ଦୁଇଟି ଗ୍ଲାସ ଥିଲା । ବର୍ଷା ନ ହେଉଥିଲେ ସେ ଖବର ନେଇଥାନ୍ତା ପାଖରେ କୋଉଠି ସୋଡ଼ା ମିଳିବ । ଖାଇବା ଘରେ ରେଫ୍ରିଜରେଟରରେ ବରଫ ଥାଇପାରେ । ଲଞ୍ଚ ଖାଇଲା ବେଳେ ପଚାରି ପାରିଥାନ୍ତା । ପିଇବା ସହିତ ଖାଇବା ପାଇଁ କିଛି ପ୍ୟାକେଟ ବି ସେ ଆଣି ପାରିଥାନ୍ତା ସାଙ୍ଗରେ । କିନ୍ତୁ ଏତେ କଥା କଣ ଭାବିହୁଏ ନିଜର ସମସ୍ୟାରୁ ରକ୍ଷା ପାଇବା ପାଇଁ ଲୁଚି ଛପି ପଳାଇ ଆସିବା ବେଳେ ? ତା ପୁଣି ଏକ ଗର୍ହିତ କାର୍ଯ୍ୟକ୍ରମ ହାତରେ ନେଇ ?

ଓଦା ଲୁଗାରେ ଶାନ୍ତା ଭିତରକୁ ଆସି କହିଲା, ପୁରାପୁରି ଭିଜିଗଲି । ମୁଁ ଯାଉଚି ବାଥରୁମରେ ଲୁଗା ବଦଳାଇ ଦେଇ ଆସେ । ଅବିନାଶ କହିଲା, ତମେ ଓଦା ଲୁଗା ଶୁଖାଇବ କେମିତି ?

କାଲି ଯେତେବେଳେ ଛମ ଛମ ଖରା ହେବ, ବାହାରେ ନେଇ ଶୁଖାଇ ଦେବି ।

ଯଦି କାଲି ବର୍ଷା ନ ଛାଡ଼େ ?

ତେବେ ମୋ ପାଖରେ ପଲିଥିନ ବ୍ୟାଗ ଅଛି, ସେଇଥିରେ ନେଇଯିବି ।

ଏ ଝିଅର କୌଣସି ଚିନ୍ତା ନାହିଁ, ବୋତଲ ପାଖରେ ଗ୍ଲାସକୁ ସଜାଇ ପାଖକୁ ଦୁଇଟି ଚଉକି ଟାଣି ରଖୁ ରଖୁ ଭାବିଲା ଅବିନାଶ । ସେ କଣ କେବେ ବି ଏ ଭଳି ନିଶ୍ଚିନ୍ତ ହୋଇ ପାରିବ ? ପୁଣି ଭାବିଲା, ସେ ଝିଅକୁ ତ ହିସାବ କରିବାକୁ ପଡୁ ନାହିଁ ଘର ପରିବାର ଅଫିସ ଟଙ୍କା ପଇସା କଥା । ଦିନରୁ ଦିନକୁ ବୋଧହୁଏ ଜୀଉଁଛି ଏ ଝିଅଟି । ସେଥିପାଇଁ ତା କଥା ଅଲଗା ।

କିଛି ସମୟ ପରେ ଶାନ୍ତା ଯେତେବେଳେ ଗାଧୋଇ ପାଧୋଇ ଲୁଗା ବଦଳାଇ ସଲୱାର କୁର୍ତ୍ତା ପିନ୍ଧି ଗାଧୁଆ ଘରୁ ବାହାରିଲା, ସତରେ ସୁନ୍ଦର ଦେଖା ଯାଉଥିଲା । ଅବିନାଶର ଇଚ୍ଛା ହେଲା ଉଠି ଯାଇ ତାକୁ ଭିଡ଼ି ଧରି ବିଛଣା ଉପରକୁ ଟାଣି ନେବ ଏବଂ ଖାଇବା ପିଇବା କଥା ଭୁଲିଯାଇ ସେମାନେ ଆଲୁଅ ବନ୍ଦ କରି ବର୍ଷାର ନିର୍ଘୋଷ ଶୁଣୁଶୁଣୁ ଶୋଇଯିବେ । କିନ୍ତୁ ଶାନ୍ତାର ସ୍ଥିର ଅଚଞ୍ଚଳ ମୁହଁ ଆଡ଼କୁ ଅନାଇ ଏପରି କିଛି କରିବା ପାଇଁ ସେ ସାହସ ପାଇଲା ନାହିଁ ।

ଶାନ୍ତା ଆସି ପାଖରେ ବସିବାରୁ ଅବିନାଶ ଦୁଇଟି ଯାକ ଗ୍ଲାସରେ ହିସ୍କି ଢାଳିଲା । ମୁଁ ପିଇବି ବୋଲି ତମେ କେମିତି ଜାଣିଲ ? ଶାନ୍ତା ପଚାରିଲା ।

ତା ମାନେ କଣ ତମେ ପିଅ ନାହିଁ ?

ମୁଁ ସେ କଥା କେତେବେଳେ କହିଲି ? ଠିକ ଉତ୍ତର ହେବ, ମୋର ପିଇବାର ଅଭ୍ୟାସ ନାହିଁ । କିନ୍ତୁ ସମସ୍ତେ ମତେ ପିଇବାକୁ ବାଧ୍ୟ କରନ୍ତି । ସେଥିପାଇଁ ସେମାନଙ୍କ ସାଙ୍ଗରେ ଉଚ୍ଚବାଚ ନ କରି ଗ୍ଲାସକୁ ନେଇ ଓଠରେ ଲଗାଇ ଦିଏ, ଯାହା ବର୍ତ୍ତମାନ କରୁଛି । ଚିୟର୍ସ କହି ଶାନ୍ତା ଗ୍ଲାସକୁ ଉଠାଇ ଅବିନାଶର ଗ୍ଲାସରେ ଛୁଆଁଇଲା ଏବଂ ଓଠରେ ଲଗାଇଲା । ଅବିନାଶ ନିଜ ଗ୍ଲାସରୁ ଢୋକେ ପିଇଲା ।

ତମର ଯଦି ସୋଡ଼ା ବରଫ ଦରକାର ମୁଁ ନେଇ ଆସିବି ।

କୋଉଠୁ ପାଇବ, ପଚାରିଲା ଅବିନାଶ ।

ଆଗରୁ ବୋଧହୁଏ କିଏ ଫ୍ରିଜରେ ସେଡ଼ା ଛାଡ଼ିଯାଇଛି ଓ ସେଥିରେ ଟ୍ରେରେ ବରଫ ବି ଅଛି ! ମୁଁ ଆଣି ଦେଉଛି ।

ଅତି ସହଜରେ, ଯେପରି ଏଇଟି କୌଣସି ଅପରିଚିତି ଘର ନୁହେଁ, ଶାନ୍ତ ଯାଇ ସୋଡ଼ା ଓ ବରଫ ନେଇ ଆସିଲା ଓ ଅବିନାଶର ଗ୍ଲାସରେ ମିଶାଇଲା । ଅବିନାଶ ଆଉ ଢୋକେ ପିଇଲା ; କହିଲା, ତମେ ତ ସବୁ ଜିନିଷ ଆଣି ଦେଲ । ମତେ ଲାଗୁଚି ମୁଁ ଯେମିତି ଘରେ ବସି ଆରାମ କରି ମୋର ପ୍ରିୟ ପାନୀୟ ମୋର ସୁବିଧାରେ ପିଉଛି ।

ତମେ ଯଦି ଟିକିଏ ଆଗରୁ କହିଥାନ୍ତ, ନରହରିକୁ କହି ଡ୍ରିଙ୍କ ସହିତ କିଛି ଖାଇବା ପାଇଁ କହି ଦେଇଥାନ୍ତି ।

ଶାନ୍ତା ଉଠିଯାଇ ପାଖ ଥାକରେ ରଖିଥବା ନିଜର ବ୍ୟାଗ ଭିତରୁ ଗୋଟିଏ ମିକ୍‌ଶ୍‌ଚର ପ୍ୟାକେଟ ଆଣିଲା ଓ ତାକୁ ଖୋଲି ଅବିନାଶ ଆଗରେ ରଖିଲା । ଅବିନାଶ କହିଲା, ତମେ ତ ଚମତ୍କାର କରିଦେଲ ! ତମେ କଣ ମନ୍ତ୍ର ଜାଣ ନା କଣ ?

ନିଜ ଗ୍ଲାସର ବାକିତକ ହ୍ୱିସ୍କି ନେଇ ଶାନ୍ତା ଅବିନାଶର ଗ୍ଲାସରେ ଢ଼ାଳିଦେଲା । ଆଉ ନିଜ ଗ୍ଲାସରେ ସୋଡ଼ା ଓ ବରଫ ଢ଼ାଳି ପିଇଲା ।
 ଅବିନାଶ କହିଲା, ତମେ ଅତି ଶାନ୍ତ ପ୍ରକୃତିର । ସେଇଥି ପାଇଁ କଣ ତମର ନାଁ ଶାନ୍ତା ?

ମୋ ନାଁ ବିଷୟରେ ସମସ୍ତେ ପଚାରିଥାନ୍ତି ; ସେଥିପାଇଁ ମୁଁ ତାର ଉତ୍ତର ପାଇଁ ବି ସବୁବେଳେ ପ୍ରସ୍ତୁତ ଥାଏ । ଶାନ୍ତା ତ ଶାନ୍ତରୁ ହିଁ, ତେବେ ଶାନ୍ତାର ଅନ୍ୟ ଅର୍ଥ ବି ଅଛି । ଯେପରି ଦୁବ ଓ ଅଁଳା । ପୁଣି ଶାନ୍ତା ହେଉଛନ୍ତି କୌଶଲ୍ୟା ଗର୍ଭଜାତ ଦଶରଥ କନ୍ୟା ଓ ଅଙ୍ଗରାଜ ଲୋମପାଦଙ୍କ ପାଳିତା ପୁତ୍ରୀ ଏବଂ ଋଷ୍ୟଶୃଙ୍ଗଙ୍କର ପନ୍ତ୍ରୀ ।

ଏତେ କଥା ଶୁଣି ମତେ ତ ତମକୁ ଭୟ କରିବାର କଥା !

ଶାନ୍ତାର ଆଉ ଗୋଟିଏ ଅର୍ଥ ଅଛି ଯାହା ମୁଁ ସମସ୍ତଙ୍କୁ କହେ ନାହିଁ, କିନ୍ତୁ ତମକୁ କହିବି । ଶାନ୍ତା ହେଲା ଏପରି ଗାଭୀ, ପଦ ବନ୍ଧନ ନ କରି ଯାହାକୁ ଦୋହନ କରାଯାଇ ପାରେ ।

ଏ କଥାରେ ଅବିନାଶର ଚପଳତା କରିବା କିମ୍ବା ଅନ୍ତତଃ ହସିବା ଉଚିତ ଥିଲା, କିନ୍ତୁ ଓଠ ଉପରକୁ ହସ ଆସିଲା ନାହିଁ । ସେ ତରତରରେ ଗ୍ଲାସରୁ ଆଉ ଦୁଇ ଢୋକ ପିଇ ନେଲା । ତାର ଗ୍ଲାସ ଖାଲି ଦେଖି ଶାନ୍ତା ବୋତଲ ଉଠାଇ ତାକୁ ପଚାରିଲା, କଣ ଆଉ ଦେବି ?

ମୁଁ ସାଧାରଣତଃ ଯେତିକି ପିଏ ଆଜି ସେତିକି ପିଇ ସାରିଲିଣି । କିନ୍ତୁ ତମେ ଯଦି ମୋ ଗ୍ଲାସରେ ଢ଼ାଳିଦିଅ, ମୁଁ ଆଉ ଟିକିଏ ପିଇ ପାରିବି । ତମ ସମ୍ମାନରେ ।

ଶାନ୍ତା ବୋତଲଟିକୁ ଗ୍ଲାସ ଉପରେ ସାମାନ୍ୟ ଓଲଟାଇ ରଖିଲା । କହିଲା, ତମ ପିଇବାରେ ମୁଁ କୌଣସି ଦାୟିତ୍ବ ନେବାକୁ ଚାହୁଁନାହିଁ । ଯଦି ତମେ ଚାହଁ, ତମର ନିଜର ସମ୍ମାନରେ, ମୁଁ ଢ଼ାଳିବି, ନ ହେଲେ ବୋତଲକୁ ବନ୍ଦ କରି ରଖିଦେବି ।

ଠିକ ଅଛି । ମତେ ଆଉ ଦିଅ, ମୁଁ ପିଇବି ମୋ ନିଜ ଦାୟିତ୍ୱରେ । ତମେ କଣ ତମ ନିଜ ଦାୟିତ୍ୱରେ ମୋ ସହିତ ପିଇବାରେ ଯୋଗ ଦେବ ?

ହସି ହସି ଶାନ୍ତା ନିଜ ଗ୍ଲାସରେ ଅଳ୍ପ ଢାଳିଲା, ସୋଡ଼ା ବରଫ ମିଶାଇଲା ଓ ଅବିନାଶ ସହିତ ପିଇବାରେ ଯୋଗ ଦେଲା । ଅବିନାଶ କହିଲା, ଦେଖ ଆମେ ଏତେ ଡେରିରେ ଖାଇଥିଲେ, ଅଥଚ ଏଇ ପିଇବା ପରେ ପୁଣି ଭୋକ ଲାଗିଲାଣି ।

କଣ ଯାଇ ଦେଖିବି ରୋଷାଇ କେତେଦୂର ଗଲା ? ବିଚରା ନରହରି ପାଖରେ ଯାହା ଥିଲା ରାନ୍ଧିବାରେ ଲାଗିଛି । କାଲି ବର୍ଷା ବନ୍ଦ ହଉ ନ ହଉ ବଜାରକୁ ଯିବାକୁ ହେବ !  ନା ନା, ତମର ରୋଷାଇ ଘରକୁ ଯିବା ଦରକାର ନାହିଁ । ତମେ ମୋ ପାଖରେ ବସିଥାଅ । ତମେ କଣ ଭାବୁଚ ମୁଁ ବେଶି ପିଇଦେଲି ?

ଏ ସବୁରେ ବେଶି କମ ବୋଲି କିଛି ନାହିଁ । କାହା ପାଇଁ ଯାହା ବହୁତ ବେଶି, ଆଉ କାହା ପାଇଁ ବହୁତ କମ । ତମେ ନିଜେ କଣ ଭାବୁଚ ?

ମୁଁ ଯଦି ଭାବି ପାରୁଥାନ୍ତି, ତମକୁ କାହିଁକି ପଚାରିଥାନ୍ତି ?

ମତେ ଯଦି ପଚାରିବ, ମୁଁ କହିବି ବେଶି ନୁହେଁ କି କମ ନୁହେଁ, ତମେ ଭାବିଚିନ୍ତି ଉପଯୁକ୍ତ ପରିମାଣର ପିଇଛ । କଣ ଠିକ କଥା ?

ତମ କଥା ମୁଁ ମାନି ନଉଛି । ବର୍ଷା ଯୋଗୁ ଯୋଉ ଅବସାଦ ଲାଗୁଥିଲା, ତ୍ରିଙ୍କ ଯୋଗୁ କିଛି ତ କମିଲା ।

ଶାନ୍ତା ଉଠି ଠିଆ ହେଲା; କହିଲା, ମୁଁ ଏଥର ଯାଇ ଖାଇବା କଥା ଦେଖେ । ଏଇ ସମୟରେ ନରହରି ଆସି ପଚାରିଲା, କଣ ଖାଇବା ଲଗାଇ ଦେବି ? ତାକୁ ହଁ କହି ଶାନ୍ତା ବୋତଲ ଗ୍ଲାସ ଠିକ ଜାଗାରେ ରଖି ଟେବୁଲକୁ ସଫା କଲା । କହିଲା, ଚାଲ ଖାଇବା ଘରକୁ ।

ନରହରି ଖାଇବା ଟେବୁଲକୁ ଠିକଠାକ କରୁଥିଲା, ସେମାନେ ଯାଇ ବସିଲେ ଓ ନରହରି କିଛି ଖାଇବା ଜିନିଷ ଆଣି ସେମାନଙ୍କ ଆଗରେ ରଖିଲା । ସେ ଆଉ ଜିନିଷ ଆଣିବାକୁ ରୋଷାଇ ଘରକୁ ଯିବା ବେଳେ ସାମାନ୍ୟ ଅଧୀର ହୋଇ ଅବିନାଶ କହିଲା, ଶୀଘ୍ର ଶୀଘ୍ର ଆଣ । ଶାନ୍ତା ତା ମୁହଁକୁ ଅନାଇଲା, ଉଠି ଛିଡ଼ା ହୋଇ କହିଲା, ମୁଁ ଯାଉଛି ନରହରିକୁ ସାହାଯ୍ୟ କରିବି । ଅବିନାଶର ମନା ନ ମାନି ସେ ନରହରି ସହିତ ବାହାରକୁ ଗଲା ଓ ଟେବୁଲ ଉପରେ ସବୁ ଖାଇବା ଜିନିଷ ରଖା ଯିବା ପରେ ଦୁହେଁ ଖାଇବାରେ ଲାଗିଲେ । ଅବିନାଶକୁ ଚୁପ ରହିବାର ଦେଖି ଶାନ୍ତା କହିଲା, ରାତିର ଖାଇବା କେମିତି ଲାଗୁଛି ? ଯଦି ଖରାପ ଲାଗୁଥାଏ, ତେବେ ଅଧା ଦୋଷ ମୋର ।

ଅବିନାଶ ବାହାରକୁ ଅନାଇଲା । ଏ ପର୍ଯ୍ୟନ୍ତ ବର୍ଷା ଲାଗି ରହିଛି । ସେଇ ପରି ପ୍ରବଳ ଭାବରେ । କହିଲା, ଏତେ ଖରାପ ପାଗରେ, ଏ ଭଳି ନିର୍ଜନ ଜାଗାରେ ଯେ ଏମିତି ଗରମ ଗରମ ଖାଇବାକୁ ମିଳିଲା, ସେଇଟା ହିଁ ସୌଭାଗ୍ୟର କଥା । ଶାନ୍ତା ନରହରିକୁ କହିଲା, ବହୁତ ଭଲ ଖାଇବାର ହୋଇଛି ।

ଖାଇସାରି ମୁହଁହାତ ଧୋଇ ନିଜ କୋଠରୀକୁ ଯିବା ବେଳେ ଶାନ୍ତା ରେଫ୍ରିଜରେଟରର
ପାଣି ବୋତଲ ନେଲା ହାତରେ । ଅବିନାଶ କହିଲା, ତମ ହାତରେ ପାଣି ବୋତଲ ଦେଖି ମୋର ମନେ ପଡ଼ିଗଲା ଯେ ରାତିରେ ମୋର ଔଷଧ ଖାଇବାର ଅଛି । ଦିନ ବେଳେ ଭୁଲି ଯାଇଥଲି ସକାଳର ଔଷଧ ଖାଇବା ପାଇଁ ।

ନରହରି ସେମାନଙ୍କ ପାଖରୁ ବିଦାୟ ନେବା ବେଳେ କହିଲା, ଭିତରୁ କବାଟ ଭଲ କରି ବନ୍ଦ କରିନେବେ । ଏଠାରେ ଆଖ ପାଖରେ କେହି ନାହାନ୍ତି । ମୁଁ ବି ସବୁ ବନ୍ଦ କରି ଘରକୁ ଚାଲିଯିବି । ମୋ ଘର ଗେଟ ପାଖରେ, କିନ୍ତୁ ଏ ବର୍ଷା ଭିତରେ ଡାକିଲେ ବି ଶୁଭିବ ନାହିଁ । କାଲି ସକାଳେ କେତେବେଳେ ଚା ଦେବି ?

ଶାନ୍ତା କହିଲା, କିଛି କଲଦି ନାହିଁ । ଆମେ ଉଠିଲେ ମୁଁ ତମକୁ ଚା ମାଗିବି । ନରହରି ଚାଲିଯିବା ପରେ ଅବିନାଶ କହିଲା, ଏ ଲୋକଟା କଥା ଶୁଣି ତ ମତେ ଭୟ ଲାଗୁଛି । ଏ ନିର୍ଜନରେ ଆମେ ଦି ଜଣ ଏକା ।

ଏ ବର୍ଷା ରାତିରେ ଜଙ୍ଗଲ ଭିତରକୁ କିଏ କାହିଁକି ଆସିବ ?

ଚୋର, ଡକାୟତ, ଶିକାରୀ । ନ ହେଲେ ମଦ ପିଇ ମାତାଲ ଯୁବକ । ତମକୁ କଣ କିଛି ଭୟ ଲାଗୁ ନାହିଁ ?

ଭୟ କରିବାର ଜିନିଷ ତ ସବୁଆଡ଼େ ଭର୍ତ୍ତି ହୋଇ ରହିଚି । ସହରରେ ବି ଘର ଭିତରେ ଚୋର ଭୟ, ରାସ୍ତାରେ ଦୁର୍ଘଟଣା, ବସ ଭିତରେ ଗୁଣ୍ଡାମି । କେତେ ମଣିଷ ଜିଇଁ ପାରିବା ଭୟରେ ଭୟରେ ? ଯେତେବେଳେ ବିପଦ ଆସିବା ଦେଖାଯିବ । ଆଗରୁ ଭୟରେ ଅଧା ଜୀବନ ଯିବ କାହିଁକି ?

ଶାନ୍ତା ଗ୍ଲାସରେ ପାଣି ଢ଼ାଳି ଅବିନାଶ ହାତକୁ ଦେଲା । ଅଲଗା ଅଲଗା ବୋତଲରୁ ଔଷଧ ସବୁ ବାହାର କରି ଅବିନାଶ ତାକୁ ଏକାଠି କଲା ଓ ଗୋଟିଏ ଗୋଟିଏ ବଟିକା ଖାଇଲା |

ଏତେ ଔଷଧ ?

କୋଉ ଔଷଧ ରକ୍ତଚାପ ପାଇଁ, କୋଉଟା ଥାଇରଏଡ । ତିନିଟା ଭିଟାମିନ, ଗୋଟାଏ ନିଦ ଔଷଧ । ଦେଖ ମୁଁ ଭାବିଥିଲି ଆଜି ରାତିରେ ନିଦ ଔଷଧ ଖାଇବି ନାହିଁ, କଥା କହୁ କହୁ ସେଇଟା ବି ଖାଇଦେଲି ।

ଅବିନାଶ ଯାଇ ବିଛଣାରେ ଶୋଇଲା; କହିଲା, ମତେ ନିଦ ଆସିବା ଆଗରୁ ମୋ ପାଖକୁ ଚାଲି ଆସ । ଶାନ୍ତା କହିଲା, ମୁଁ ଠିକ ପାଞ୍ଚ ମିନିଟ ସମୟ ନେବି । ଶାନ୍ତା ଗାଧୁଆ ଘରୁ ତାର ଓଦା ଶାଢ଼ିକୁ ଆଣି ତାକୁ ଘର ଭିତରେ ଦୁଇ ଝରକା ଭିତରେ କୌଣସିମତେ ବାନ୍ଧି ଦେଲା, ଓ ବାକି ଲୁଗା ସବୁ ବିଭିନ୍ନ ଜାଗାରେ ଟାଙ୍ଗିଲା । ତା ପରେ ଠାକୁରଙ୍କ ଫଟୋଟି ନେଇ ତଳେ ଯାଇ ବସିଲା । ଅବିନାଶ କାନ୍ଥ ଘଡି ଆଡକୁ ଅନାଇଲା । ମାତ୍ର ସାଢ଼େ ଆଠଟା, କିନ୍ତୁ ଜଣା ଯାଇଛି ଯେମିତି ଅଧା ରାତି । ସେ ସକାଳ ଆଠଟାରେ ଘରୁ ବାହାରି ଥିଲା । ଦେଖୁ ଦେଖୁ ବାର ଘଣ୍ଟା ଚାଲିଗଲା । ଅଫିସ ଯାଇଥିଲେ ଏଇ ସମୟ ଭିତରେ ସେ କେତେ କଣ କାମ କରି ସାରିଥାନ୍ତା । ସେ କଥା ଆଉ ଭାବି ଲାଭ ନାହିଁ । ସେ ଶାନ୍ତା ଉପରେ ତାର ଚିନ୍ତାକୁ ନିବଦ୍ଧ କଲା । ତାକୁ ଯେତେବେଳେ ପ୍ରଥମେ ଭେଟିଥିଲା, ତା ପାଇଁ ଅବିନାଶର ମନ ଭିତରେ ଯେଉଁ ଦୈହିକ ଇଚ୍ଛା ଦେଖା ଦେଇଥଲା, ଏବଂ ଆଜି ସକାଳେ ସେମାନଙ୍କର ଭାବୀ ମିଳନର ଉତ୍କଣ୍ଠା ଓ ସମ୍ଭାବନାରେ ମନ ଭିତରେ ଯେଉଁ ଉତ୍ତେଜନା ଥିଲା, ଏବେ ଆଉ ତା ଅନୁଭବ କରି ପାରୁ ନଥିଲା ଅବିନାଶ । ଅବିନାଶ ବରଂ ଭାବୁଥଲା ତାକୁ ପଚାରିବ ତାର ଶାନ୍ତିର ଉତ୍ସ କଣ ? କେଉଁ ଠାକୁରଙ୍କୁ କି ପ୍ରକାର ପ୍ରାର୍ଥନା କରି ସେ ପାଇଥିଲା ତାର ଜୀବନର ଶୀତଳ ସନ୍ତୁଳନ ।

ଶାନ୍ତା ଫଟୋକୁ ନମସ୍କାର କରି ଉଠାଇ ନେଇ ଥାକରେ ରଖିଲା ଓ ତାର ମୁହଁ କାନ୍ଥ ଆଡ଼କୁ ବୁଲାଇ ଦେଲା । ପଚାରିଲା, ଏଥର ଲାଇଟ ବନ୍ଦ କରିବି ? ଅବିନାଶ ହଁ କଲା ଓ ଅନ୍ଧାର ଭିତରେ ଶାନ୍ତା ଦେହରୁ ପୋଷାକ ଓହ୍ଲାଇ ତା ପାଖରେ ଆସି ଶୋଇଗଲା ।

ଅବିନାଶ ତା ମୁହଁକୁ ହାତରେ ନେଲା । ବର୍ଭମାନ ବାହାରେ ଆହୁରି ପ୍ରବଳ ବର୍ଷାର ଶବ୍ଦ ଥିଲା । ତା ସାଙ୍ଗରେ ମଝିରେ ମଝିରେ ବଜ୍ର ପଡ଼ୁଥିଲା । କବାଟ ଝରକାର ପରଦା ଦେଇ ବିଜୁଳି ଆଲୁଅ ମୁହୁର୍ତ୍ତକ ପାଇଁ ଘର ଭିତରକୁ ରହସ୍ୟମୟ କରି ଦେଉଥଲା । ଶାନ୍ତା ଦେହରେ ମାଟି ବର୍ଷା ଓ ଅରଣ୍ୟର ଗନ୍ଧ ଥଲା । ତା ପାଇଁ ଅବିନାଶର ଯେଉଁ ଇଚ୍ଛା ଥଲା ସେଇଟି ତାକୁ ଜାଣିବାର, ବୁଝିବାର । ଶାନ୍ତା ଯେତେବେଳେ ତା ପାଖକୁ ଆହୁରି ଲାଗି ଆସିଲା, ଅବିନାଶ ପଚାରିଲା, ତମେ ଠାକୁରଙ୍କୁ ବି ପ୍ରାର୍ଥନା କଲ ?

ବିଷ୍ଣୁ ସହସ୍ରନାମ ଶୁଣିବ ? ଓଁ ବିଶ୍ୱସ୍ମୈ ନମଃ । ଓଁ ବିଷ୍ଣବେ ନମଃ । ଓଁ ବୈଷଟ୍‌କାରାୟ ନମଃ । ଓଁ ଭୂତ ଭବ୍ୟ ଭବତ ପ୍ରରବେ ନମ । ଓଁ ଭୂତକୃତେ ନମଃ । ଓଁ ଭୂତ ଭୂତେ ନମଃ । ଓଁ ଭବାୟ ନମଃ । ଓଁ ଭୂତାତ୍ମନେ ନମଃ । ଓଁ ଭୂତ ଭାବନାୟ ନମଃ । ଓଁ ପୂତାତ୍ମନେ ନମଃ । କଣ ଆଉ ଶୁଣିବ ?

ଅବିନାଶ କହିଲା, ହଁ । ଶାନ୍ତା କହିଲା, ଥାଉ; କାଲି ସକାଳେ ମେଘ ଛାଡ଼ିଗଲେ ମୁଁ ତମକୁ ପୂରା ପଢ଼ି ଶୁଣାଇବି । ଅବିନାଶ କହିଲା, ମୁଁ ଟଙ୍କା ବାହାର କରି ରଖିଥିଲି, ତମକୁ ଦବାକୁ ଭୁଲିଗଲି ।
 ତମେ କଣ ପାଗଳ ନା କଣ ? ବିଷ୍ଣୁ ସହସ୍ରନାମ ଶୁଣିବା ପରେ ତମର ଟଙ୍କା କଥା ହିଁ ମନେ ପଡ଼ିଲା ? ବର୍ତ୍ତମାନ କଣ ଶୋଇବ, ନା ଆଉ କିଛି ?

ଆରାମ କରିବା ପାଇଁ ଶାନ୍ତା କଡ଼ ଲେଉଟାଇଲା । ତା ଦେହରୁ ଅବିନାଶର ହାତ ଶିଥିଳ ହୋଇ ଖସିଗଲା । ସେ ନିଦରେ ଶୋଇଗଲା ।

ଆଖି ଖୋଲିବାରୁ ନିଜକୁ ଏକ ଅପରିଚିତ ଜାଗାରେ ରହିଥିବାର ଅନୁଭବ କଲା ଅବିନାଶ । ଥଣ୍ଡା ଲାଗିବାରୁ ସେ ଚାଦରକୁ ଆଉ ଟିକିଏ ଉପରକୁ ଟାଣି ନେଲା । ପାଣିର ଜୋର ଟିକିଏ କମିଥିଲା ହୁଏ ତ, କିନ୍ତୁ ବର୍ଷା ବନ୍ଦ ହୋଇ ନଥିଲା । ଚାରି ପାଖକୁ ଅନାଇ ଦେଖିଲା କୋଠରୀରେ ମେଘ ଦେଇ ସକାଳର କିଛି ଆଲୁଅ ଆସି ପଡ଼ୁଥିଲା । ଶାନ୍ତା ତଳେ ବସି ଠାକୁରଙ୍କୁ ପୂଜା କରୁଥଲା । ସେ ଧୂପକାଠି ଜାଳିଥିଲା କି କଣ, ଘରସାରା ଏକ ହାଲୁକା ଓ ମୋହକ ପୂଜା ମଣ୍ଡପର ସୁରଭି ଭରି ରହିଥିଲା । ବିଛଣାରୁ ଉଠିବା ପାଇଁ ଇଚ୍ଛା ହେଲା ନାହିଁ ଅବିନାଶର । ଭାବିଲା ଶାନ୍ତାକୁ ପାଖକୁ ଡାକିବ ! କିନ୍ତୁ ସେ ତାର ପୂଜାରେ ନିମଗ୍ନ ଥିଲା । ଆଖି ବନ୍ଦ କରି ଅବିନାଶ ଥକା ଲାଗୁଥିବା ନିଜକୁ ସମର୍ପଣ କରିଦେଲା ଝାପସ ଆଲୁଅ, କୋହଲା ପାଗ, ବାହାରେ ବର୍ଷାର ଝର ଝର ଓ ଘର ଭିତରେ ଠାକୁରାଣୀଙ୍କ ଦେହର ବାସନା ପାଖର ।

ପୁଣି ଯେତେବେଳେ ନିଦ ଭାଙ୍ଗିଲା, ଘର ଭିତରେ ଆଉ ଟିକିଏ ବେଶି ଆଲୁଅ ଥିଲା । ଶାନ୍ତା ବାରଣ୍ଡାରେ ଚଉକି ଉପରେ ବସିଥିଲା । ଅବିନାଶ ବିଛଣାରୁ ଉଠି ତା ପାଖକୁ ଗଲା, ତା ପଛରେ ଠିଆ ହୋଇ ତା କାନ୍ଧରେ ହାତ ରଖିଲା । ତା ହାତ ଉପରେ ହାତ ରଖି ଶାନ୍ତା ପଚାରିଲା, କଣ ଚା’ ପିଇବ ? ମୁଁ ଯାଇ ନେଇ ଆସୁଚି । ଶାନ୍ତା ଉଠି ଠିଆ ହେଲା । ଉଦାସ ଦେଖା ଯାଉଥଲା ଶାନ୍ତା । ଅବିନାଶ ପଚାରିଲା, କଣ କିଛି ଅସୁବିଧା ହେଲା ?

ପିଲାମାନଙ୍କ କଥା ମନେପଡ଼ି କିଛି ଭଲ ଲାଗୁ ନାହିଁ, କହିଲା ଶାନ୍ତା ଓ ଚା ଆଣିବା ପାଇଁ ରୋଷାଇ ଘରକୁ ଗଲା । ଅବିନାଶ ମୁହଁ ହାତ ଧୋଇ ଆସି ବାରଣ୍ଡାରେ ବସିଲା । ଆଜି ଶାନ୍ତାର ଚଉକି ପାଖରେ କବିତାର ବହି ନଥିଲା । ଶାନ୍ତା ଆସି ତା ହାତକୁ ଚା କପ ବଢ଼ାଇ ଦେଇ କହିଲା, ଆଜି ବି ରୋଷାଇ କରିବା ପାଇଁ ଲୋକ ଆସିଲା ନାହିଁ । ନରହରିକୁ ବର୍ଷାରେ ବଜାରକୁ ଯିବାକୁ ହେଲା ଜିନିଷ କିଣିବା ପାଇଁ ।  ତମେ ପିଲାମାନଙ୍କ କଥା କହୁଥୁଲ ? ପଚାରିଲା, ଅବିନାଶ । ତା କଥାରେ ଜବାବ ନ ଦେଇ ଶାନ୍ତା କହିଲା, କଣ ଚା ସାଙ୍ଗରେ ବିସ୍ଟିଟ୍ ଖାଇବ ?

ବିସ୍ଟିଟ କୋଉଠୁ ଆସିବ ? ନରହରିକୁ କହିଥିଲେ ହୋଇଥାନ୍ତା ।

ମୋ ବ୍ୟାଗରେ ଅଛି । ଶାନ୍ତା ଉଠି ଯାଇ ବିସ୍ଟିଟ ଆଣି ଅବିନାଶ ପାଖରେ ରଖିଲା । ଅବିନାଶ କହିଲା, ମୁଁ କଣ ତମ ପିଲାମାନଙ୍କ କଥା ପଚାରି କିଛି ଭୁଲ କଲି ?

ନା, ସେ କଥା ନୁହଁ । ମୁଁ କାହିଁକି ମୋର ଦୁଃଖ କଥା କହି ତମର ମନ ଖରାପ କରିବି ? ତମେ ଆସିଚ ଦି ଦିନ ପାଇଁ; ହସ ଖୁସିରେ କଟିଯାଉ ଏଇ ଅଳ୍ପ ସମୟତକ ।

ମୁଁ ବି ଭାବିଥିଲି ମୋର ସମସ୍ୟା ସବୁକୁ ପଛରେ ରଖି ସମୟ କଟାଇବି ନିଶ୍ଚିନ୍ତ ହୋଇ ଏକ ସୁନ୍ଦର ଜାଗାରେ । ତେବେ ପ୍ରଥମରୁ ଯେ ବର୍ଷା ଆରମ୍ଭ ହେଲା ଶେଷ ହେବାର ନାଁ ନାହିଁ । ଏଠାରେ ପହଞ୍ଚି ପ୍ରଥମେ କ୍ଳାନ୍ତି ଆସିଲା, ତା ପରେ ଶୋଇଗଲି ଆଠ ଘଣ୍ଟା କି ଦଶ ଘଣ୍ଟା । ଭାବିଥିଲି ଜଙ୍ଗଲ ଭିତରେ ଯାଇ ବୁଲାବୁଲି କରିବା, ତାର ବି ଆଶା ନାହିଁ ।

ତମର ସବୁ ପ୍ରୋଗ୍ରାମ ଭିତରୁ ଗୋଟାଏ ଜିନିଷ ଭୁଲି ଯାଉଛ । ତମେ ମତେ ବି ଆଣିଥିଲ ସାଙ୍ଗରେ । କାହିଁକି ଆଣିଥିଲ ? କିଛି ସୁଖ ପାଇବା ପାଇଁ ନିଶ୍ଚୟ । ପାଗ ଖରାପ ହୋଇଯିବା ଭଳି ମୁଁ ମୋର ମୁହଁ ଶୁଖାଇ ତମକୁ ମୋ ନିଜ କଥା କହି କାହିକି ଭାରାକ୍ରାନ୍ତ କରିବି ? ବରଂ ତମକୁ ଗୋଟିଏ କବିତା ପଢ଼ି ଶୁଣାଉଛି ।

ଶାନ୍ତା ଭିତରୁ ଯାଇ କବିତା ବହି ଆଣି ତାର ଆହୁରି ପାଖକୁ ଚଉକି ଟାଣି ଆଣି ବସିଲା । କହିଲା, କଣ ପ୍ରଥମେ କବିତା ଶୁଣିବ ନା ମୁଁ ଯାଇ ଜଳଖିଆର ଖବର ନେବି ?

ପ୍ରଥମେ କବିତା, କହିଲା ଅବିନାଶ ।

ଶାନ୍ତା ବହି ଖୋଲି କିଛି ପୃଷ୍ଠା ଓଲଟାଇଲା ଓ କବିତାଟିଏ ବାଛି ତାକୁ ପଢ଼ିଲା । ତାର ସ୍ୱର ଶାନ୍ତ ସହଜ ଓ ସ୍ୱଚ୍ଛନ୍ଦ ଥିଲା । ଅବିନାଶ କବିତାର ଶବ୍ଦମାନଙ୍କରେ ଧ୍ୟାନ ଦେବାକୁ ଚେଷ୍ଟା କଲା । ଯଦିଓ ସେ କିଛି କିଛି ବୁଝିପାରୁଥିଲା, ଶାନ୍ତା ପୂରା କବିତାଟି ପଢ଼ି ସାରିବା ପରେ ବି ସେ ତାର ଅର୍ଥ ଧରି ପାରିଲା ନାହିଁ । ଶାନ୍ତାକୁ ପଚାରିଲା, ଏ କବିତାର ଅର୍ଥ କଣ ? ଶାନ୍ତା କହିଲା, ମୁଁ କଣ ଜାଣିଛି ଏହାର ପୂରା ଅର୍ଥ କଣ । ତେବେ ମତେ ପଢ଼ିବାକୁ ଖୁସି ଲାଗୁଛି ।

କବି ତାଙ୍କର ପ୍ରେମିକାଙ୍କୁ କିଛି କହିବାକୁ ଚାହୁଁଛନ୍ତି । ପ୍ରେମିକା ସହିତ ତାଙ୍କର କଣ କିଛି ସମସ୍ୟା ଅଛି; ନୁହେଁ ?
 ତମେ ଏଇଟା ବସି ପଢ଼ୁଥାଅ । ମୁଁ ଯାଇ ଖାଇବା ନେଇ ଆସେ । ନରହରି ଫେରିଲାଣି କି ନାହିଁ କେଜାଣି ।

ଶାନ୍ତା ଜଳଖିଆ ନେଇ ଆସିବା ବେଳକୁ ଅବିନାଶ କବିତାଟିକୁ ଆହୁରି ଦୁଇ ଥର ମନେ ମନେ ପଢ଼ିଥିଲା । ପଢ଼ିବାକୁ ଭଲ ଲାଗୁଥିଲା, ଏବଂ ଏତିକି ଅନ୍ତତଃ ବୁଝି ହେଉଥିଲା ଯେ କବିର ମନ ଭିତରେ କିଛି ଦୁଃଖ ରହି ଯାଇଛି । କିନ୍ତୁ ଅନେକ ଧାଡ଼ି ଅବୁଝା ଲାଗୁଥୁଲା ଯଦିଓ କୌଣସି ଶବ୍ଦ କଠିନ ନ ଥିଲା ଓ ବାକ୍ୟ ସବୁ ସରଳ ଥିଲା । ଶାନ୍ତା ତା ସାମନାରେ ଖାଇବାର ରଖିଲା । ଅବିନାଶ ପଚାରିଲା, ତମେ କଣ ଏ ସବୁ କବିତା ବୁଝି ପାରୁଛ ?

କବିତା କଣ ବୁଝି ହୁଏ ? ହୁଏ ତ ବା ଅନୁଭବ କରି ହୁଏ । ଭଲ ଲାଗୁଚି ବୋଲି ପଢୁଚି; ବୁଝିବା କଣ ଦରକାର ?

କିନ୍ତୁ କବି କଣ ଚାହୁଁଛି, ତା ତ ଜାଣିବାକୁ ହେବ । ଏଥିରେ ଯେମିତି ଅଛି ହରିଣର ଛାଲ ଭଳି ବିଷଣ୍ଡତା । ହରିଣର ଛାଲରେ ପୁଣି ଦୁଃଖ କିପରି ?

ହରିଣ ଛାଲ ଦେଖିଲେ ତମର ମନ ଖରାପ ହୁଏ ନାହିଁ ? ମୋର ତ ଦୁଃଖ ହୁଏ । ସେମିତି କହିଲେ ହରିଣକୁ ଦେଖିଲେ ହିଁ ମୋର ଦୁଃଖ ହୁଏ ।

ହୁଏତ ମୋର ବି ହୁଏ । ପୁଣି ଅଛି, ପ୍ରେମର ତିନୋଟି ଯାକ ଶପଥ । କିନ୍ତୁ କବିତାରେ କୋଉଠି ନାହିଁ ସେ ତିନୋଟି ଯାକ କଣ ଯାହା ପୂରା ହେବାର ଥିଲା ।

ଏଇଟା ବେଶ ଭାବିବାର କଥା ହେଲା । ପ୍ରଥମେ ଖାଇ ନିଅ । ତାପରେ ଆମେ ଠିକ କରିବା ସେ ତିନିଟି ଜିନିଷ କଣ ।

ଶାନ୍ତା ଆଡକୁ ଭଲ ଭାବେ ଅନାଇ ଦେଖିଲା ଅବିନାଶ । ବର୍ତ୍ତମାନ ସେ ଆଉ ଉଦାସ ଦେଖାଯାଉ ନଥିଲା । ସକାଳୁ ଗାଧୋଇ ପାଧୋଇ ନୂଆ ଲୁଗା ପିନ୍ଧି ସତେଜ ସୁନ୍ଦର ଦେଖା ଯାଉଥଲା ଶାନ୍ତା । ଅବିନାଶ କିନ୍ତୁ ତାର ଦେହ କଥା ଭାବୁ ନଥିଲା । ଭାବୁଥିଲା ତାର ସକାଳର ଉଦାସ ମୁହଁ କଥା, ତାର ପିଲାମାନଙ୍କ କଥା, ତାର ଅଜଣା ଅତୀତ କଥା । ବିଷ୍ଣୁ ସହସ୍ରନାମ ଓ ହରିଣର ଛାଲ ଓ ପ୍ରେମର ତିନୋଟି ଯାକ ଶପଥ କଥା ।

ବର୍ଷା ତ ବନ୍ଦ ହେବାର ନାଁ ନାହିଁ, କଣ କରାଯାଇ ପାରେ ଏତେବେଳେ, ପଚାରିଲା ଶାନ୍ତା ।

ତମର ନିଜ କଥା କହ । ମୁଁ ଦିନ ସାରା ବସି ରହି ସେ କଥା ଶୁଣିବା ପାଇଁ ପ୍ରସ୍ତୁତ ।

ମୋ ଜୀବନ କେମିତି ହୋଇଥିବ ବୋଲି ତମେ ଭାବୁଛ ?  ସହଜ ଓ ସୁନ୍ଦର । ସମସ୍ୟା ରହିତ । ତମେ ନିଜ ଖୁସିରେ ଗ୍ରାହକ ଠିକ କରୁଛ । ଭଲ ରୋଜଗାର କରୁଛ । ଖୁସିରେ ଅଛ ।

ତମେ ତ ଅତି ସରଳ କରିଦେଲ ମୋ ଜୀବନକୁ, ଯେପରି କୌଣସି ସମସ୍ୟା ନାହିଁ, କୌଣସି ଦୁଃଖ ଦୁର୍ଦଶା ଦୁର୍ବିପାକ ନାହିଁ ମୋ ଆଗରେ । ମୁଁ ଯେଉଁ ଭଳି ଜୀବିକାରେ ପାଦ ଦେଇଛି, ସେଥିରେ ଯେତେ ସତର୍କ ରହିଲେ ବି ସେଇଟି ଯଥେଷ୍ଟ ନୁହେଁ । ସେ ଦିନ କଫି ହାଉସରେ ତମ ସହିତ ପରିଚୟ ହେବା ପରେ ମୋର ଯଦି ସାମାନ୍ୟ ବି ସନ୍ଦେହ ବା ଭୟ ହୋଇଥାନ୍ତା, ମୁଁ ସେଥିରୁ ଓହରି ଯାଇଥାନ୍ତି । କିନ୍ତୁ ସବୁବେଳେ ତ ପାଞ୍ଚ ମିନିଟର ପରିଚୟ ଭିତରେ କାହାରିକୁ ଠିକ ଭାବରେ ଜାଣିବା ସମ୍ଭବ ନୁହେଁ। ସେଥିପାଇଁ ଭୁଲ ହୋଇ ଯାଏ ଓ ପସ୍ତାଇବାକୁ ପଡ଼େ । ଗୋଟିଏ ଉଦାହରଣ ଦେଖିବ ?

ଶାନ୍ତା, ଅବିନାଶର ହାତକୁ ନେଇ ନିଜ ପିଠିରେ ବ୍ଲାଉଜ ଉପରେ ରଖିଲା । କହିଲା, କିଛି ଜାଣି ପାରୁଛ ?

ନା ତ । ଶାନ୍ତା ତା ଆଡକୁ, ପିଠି କରି ଠିଆ ହେଲା ଓ ଦେହରୁ ବ୍ଲାଉଳ ଖୋଲି ଦେଲା । ପିଠି ଉପରେ ଅଧା ଭାଗ ମାଡ଼ି ଗୋଟିଏ ଗଭୀର କଟା ଦାଗ ଥିଲା । ଶାନ୍ତା କହିଲା, ଲୋକଟା ଗୋଟାଏ ଛୁରୀ ଧରି ମୋ ଉପରକୁ ଆକ୍ରମଣ କଲା । ଭାଗ୍ୟକୁ ମୋର ମୁହଁ ବଞ୍ଚିଗଲା । ଉପରକୁ ଠିକଠାକ ଦେଖା ଯାଉଥବା ଲୋକଟି ଯେ ବିନା କାରଣରେ ଏଭଳି ହିଂସ୍ର ହୋଇପାରେ କିଏ ଜାଣିଥିଲା ?

ତମେ ତା ହେଲେ ଜାଣି ଜାଣି ଏଭଳି ଗୋଟିଏ ପେଶାକୁ ନେଲ କାହିଁକି, ଯଦି ଏଥିରେ ଏତେ ବିପଦର ସମ୍ଭାବନା ଅଛି ?

କୋଉ ଜୀବିକାରେ ଭଲମନ୍ଦର ଆଶଂକା ନାହିଁ କହିଲ । ତମେ ତ ତମର ଚାକିରୀକୁ ନେଇ ଚିନ୍ତିତ ରହୁଛ ।

ମୁଁ କିନ୍ତୁ ଜାଣିବାକୁ ଚାହୁଁଛି ତମେ କାହିଁକି କେମିତି ଏ ଜୀବିକାକୁ ନେଲ । ତା’ର ପ୍ରଶ୍ନକୁ ଏଡାଇ ଦେଇ ଶାନ୍ତା କହିଲା, ଚା ପିଇବ ? ବର୍ଷାର ଥଣ୍ଡାରେ ଆଉ କପେ ଚା ପିଆ ଯାଇପାରେ ।

ଚା ପିଉ ପିଉ ଅବିନାଶ ଭାବୁଥିଲା ଯେ କାଲି ଏତେବେଳକୁ ସେମାନେ ଫେରିବା ରାସ୍ତାରେ ଥିବେ, ବର୍ଷା ବନ୍ଦ ହେଉ ନ ହେଉ । ତା ଆଗରୁ କିନ୍ତୁ ତା’ର ନିତାନ୍ତ ଜାଣିବା ଦରକାର ଶାନ୍ତା କିଏ କଣ ଓ କାହିଁକି । ବାହାରେ ଲାଗି ରହିଥିବା ବର୍ଷା ଭଳି ଏଇ ଭାବନାଟି ତାକୁ ଆଚ୍ଛନ୍ନ କରି ରଖିଥିଲା ବର୍ତ୍ତମାନ । ଶାନ୍ତା କିନ୍ତୁ ଅତି ଧୀର ସ୍ଥିର ହୋଇ ତା ସାମନାରେ
ବସି ଚା ପିଉଥଲା ଓ ତା ଆଡକୁ ଚାହିଁ ନରମ ହସୁଥଲା । ତା ମୁହଁରେ ସକାଳର ମେଘର ଲେଶମାତ୍ର ନଥିଲା ।

ବର୍ତ୍ତମାନ ଏଇ ବର୍ଷା ପାଗରେ କଣ ଆଉ କରାଯାଇ ପାରେ, ପଚାରିଲା ଶାନ୍ତା ।

ଅବିନାଶ ଭାବିଲା କହିବ, ଚାଲ ବିଛଣାକୁ ଯିବା । କିନ୍ତୁ ତାର ଦେହ ଓ ମନ ପ୍ରସ୍ତୁତ ନ ଥିଲେ ସେଥିପାଇଁ । ସେ କହିଲା, ମୁଁ ତମ ବିଷୟରେ ଜାଣିବାକୁ ଚାହେଁ ।

ବେଶ । କିନ୍ତୁ ମୋ କଥା ଶୁଣିବା ପରେ ତମର ଯଦି ମନ ଖରାପ ହୋଇଯାଏ, ସେଥିପାଇଁ ମୁଁ ଦାୟୀ ନୁହେଁ ।

ଗାଁ ସ୍କୁଲରୁ ପାଠ ପଢ଼ି ସାରିବା ପରେ ଶାନ୍ତାର ବାପା ମା ତାକୁ ବାହା କରାଇ ଦେଲେ ତା ଠାରୁ ଅଳ୍ପ ପାଠ ପଢ଼ିଥିବା, ଚାକିରି ବାକିରି ନ ଥିବା ଅପଦାର୍ଥ ଅମାର୍ଜିତ ଲୋକଟି ସହିତ । ତା’ର ଦୁଇଟି ପିଲା ହେଲେ । ସ୍ୱାମୀ ମଦ୍ୟପ ହୋଇ ତାକୁ ମାରପିଟ କରି ଶେଷରେ ଘର ଛାଡ଼ି ଚାଲିଗଲା । ପିଲାଙ୍କୁ ବାପାମାଙ୍କ ପାଖରେ ରଖି ଦେଇ ଶାନ୍ତା ସହରରେ ଯାଇ ଫିଜିଓଥେରାପି ଟ୍ରେନିଂ ନେଲା । ପାଠ ସରିବାରୁ ଚାକିରି କରି ସେ ପାଖକୁ ନେଇ ଆସିଲା ପିଲା ଦୁହିଁଙ୍କୁ ।

ଶାନ୍ତା ଉଠି ଯାଇ ତାର, ଓଦା ଶାଢ଼ିକୁ ବାରଣ୍ଡାରୁ ଆଣି ଭିତରେ ପଙ୍ଖା ତଳେ ଟାଙ୍ଗିଲା । କହିଲା, ମୁଁ ଯାଇ ଦେଖି ଆସେ ନରହରି ଆଜି ଆମର ଖାଇବାର କି ବନ୍ଦୋବସ୍ତ କରୁଛନ୍ତି ।

ବର୍ଷା ହୁଏ ତ କିଛି ପରିମାଣରେ କମିଛି, କିନ୍ତୁ ବନ୍ଦ ହେବାର ଆଶା ନାହିଁ । ଚବିଶ ଘଣ୍ଟାରୁ ବେଶି ହୋଇଗଲାଣି ବର୍ଷା ହେବାର । ବର୍ତ୍ତମାନ ମନେ ହେଉଛି ଯେପରି ଏ ଧାରାର ଆଉ ଶେଷ ହେବ ନାହିଁ ଏବଂ ପୃଥିବୀ ଏକ ଅସରନ୍ତି ଶ୍ରାବଣ ଭିତରେ ଅଟକି ରହିଯିବ । ବର୍ଷା ଯେଉଁ ଧୂମାଚ୍ଛନ୍ନ ଉଦାସ ଆଣି ଦେଇଥଲା, ତାକୁ ଆହୁରି ବିଷଣ୍ଣ କରି ଦେଇଥିଲା ଶାନ୍ତାର ଜୀବନ କାହାଣୀ । ହରିଣର ଛାଲ ଭଳି ? ନିଜକୁ ପଚାରିଲା ଅବିନାଶ ।

ଶାନ୍ତା ଚାକିରି କଲା ସତ, କିନ୍ତୁ ଚାକିରିର ସର୍ତ୍ତ ପୂରଣ କରି ପାରିଲା ନାହିଁ । ଯେତେ ଯେଉଁ ଠାରେ ସେ କାମ କଲା, ସବୁଠାରେ ତାର ଦେହ ଉପରେ ଦାବୀ ରହିଲା । କ୍ଲିନିକ, ନର୍ସିଂ ହୋମ ଓ ହସପିଟାଲର ମାଲିକ ଡାକ୍ତର କର୍ମକର୍ତ୍ତା, ଯଦି ସେ କେଉଁ ରୋଗୀର ଘରକୁ କିଛି ଦିନ ପାଇଁ ଯାଇ କାମ କରୁଥିଲା ସେଠାରେ ନିଜେ ରୋଗୀ ସମେତ ପରିବାରର ଅନ୍ୟ ପୁରୁଷ, କାହାରି ଦୃଷ୍ଟିରୁ ସେ ବଞ୍ଚି ପାରିଲା ନାହିଁ । ପ୍ରଥମେ ପ୍ରତିବାଦ କରି, ବାରମ୍ବାର ଚାକିରି ବଦଳାଇ ସେ ଜାଣିଲା ଯେ ଯଦି ବଞ୍ଚି ରହି ସେ ପିଲାଙ୍କୁ ଠିକ ଭାବରେ ବଢ଼ାଇବାକୁ ଚାହେଁ, ତେବେ ତାକୁ ଆପୋଷ କରିବାକୁ ହିଁ ପଡ଼ିବ ।

ଏବଂ ଅନେକ ଭାବିଚିନ୍ତି ସ୍ଥିର କଲା ଯେ ଯଦି ବାଧ୍ୟ ହୋଇ ତାକୁ ଏ ଭଳି ଆପୋଷ କରିବାକୁ ପଡେ, ସେ ତା କରିବ ନିଜ ସର୍ତ୍ତରେ । ତାର ଅଧିକାର ରହିବ ଗ୍ରାହକକୁ ପସନ୍ଦ ନାପସନ୍ଦ କରିବାର । ସେ ନିଜର ବିବେକ ସହିତ ଚୁକ୍ତି କରିନେଲା ଓ ନୂଆ ଜୀବନ ଆରମ୍ଭ କଲା । ସେ ବର୍ତ୍ତମାନ ପୁଅ ଦୁହିଁଙ୍କୁ ବେଶି ସମୟ ଦେଉଥିଲା । ତା ପାଖରେ ଥିଲା ସେବିକା ହୋଇ କୌଣସି ରୋଗୀ ପାଇଁ ଦିନେ ଦୁଇ ଦିନ ବାହାରକୁ ଯିବାର ନ୍ୟାଯ୍ୟ ବାହାନା । ତା ମନରେ ଆଉ ପୃଥିବୀ ପ୍ରତି କ୍ରୋଧ ଘୃଣା ବା ହିଂସା ନାହିଁ । ସଂସାରର ଅନେକ ଲୋକଙ୍କ ଭଳି ଜୀବନ ଯାପନ ପାଇଁ ସେ ମଧ୍ୟ ଏପରି ଗୋଟିଏ ବୃତ୍ତି ନିଜର କରିଥିଲା ଯାହା ତାର ମନଃପୂତ ନଥିଲା । ତା ଭଳି ପରିସ୍ଥିତିରେ ଥିବା ମଣିଷ ଆଉ କଣ ବା କରିପାରେ ?

ଶାନ୍ତା ଯାଇ ରୋଷାଇ ଘରେ ଖରାବେଳର ଖାଇବା କଥା ବୁଝୁଥୁଲା । ଅବିନାଶର ମନେ ପଡ଼ିଲା ଏଇ କିଛି ଦିନ ତଳେ ଖବର କାଗଜରେ ପଢ଼ିଥିବା ଛୋଟ ଖବର କଥା । କୌଣସି ଗାଁରେ କୁଆଡ଼େ ସବୁ ଝିଅ ବେଶ୍ୟବୃରି କରନ୍ତି ଏବଂ ଏଥିରେ ସେମାନଙ୍କର ତତ୍ତ୍ବାବଧାନ କରନ୍ତି ସେମାନଙ୍କର ବାପା ମା ଭାଇ । ଏ ବ୍ୟବସ୍ଥାକୁ ସମସ୍ତେ ନାକ ଟେକୁଥିଲେ, କିନ୍ତୁ ଜଣେ ନାରୀବାଦୀ ସେଠାକୁ ଯାଇ ମତ ଦେଇଥିଲେ ଯେ ସେମାନଙ୍କର ଅବସ୍ଥା ସହରରେ ରହୁଥିବା ଦେହଜୀବୀମାନଙ୍କ ଠାରୁ ଯଥେଷ୍ଟ ଭଲ କାରଣ ସେମାନେ ଦଲାଲ, ପୁଲିସ ଓ ଅସାମାଜିକ ଲୋକଙ୍କ କବଳରୁ ସଂପୂର୍ଣ୍ଣ ଭାବରେ ମୁକ୍ତ ।

ଅବିନାଶର ପୁଣି ମନେପଡ଼ିଲା ପ୍ରଥମ ଜୀବନରେ ସେ କି କି ପ୍ରକାରର ଚାକିରି ସବୁ କରିଥିଲା, ଏବଂ ତାର ସାଙ୍ଗମାନେ କିଏ କୋଉ ପର୍ବ ଦେଇ ବର୍ତ୍ତମାନ କି ପ୍ରକାରର ଜୀବିକା ନିଜର କରିଛନ୍ତି । ସେ ଭାବିଲା ନିଜର ପରିବାର କଥା; କେତେ କମ ସମୟ ସେ ଦେଇପାରୁଛି ନିଜର ପିଲାଙ୍କୁ । ନିଜର ଦେହ କଥା । ଅଫିସର ସମସ୍ୟା ଜନିତ ନିଜର ମାନସିକ ଅବସ୍ଥା କଥା ଓ ସେଥିରୁ ମୁକ୍ତି ପାଇଁ ଦୁଇ ଦିନର ବିରାମ କଥା ।

ଖାଇବା ଟେବୁଲରେ ବସି ଶାନ୍ତା ଯେତେବେଳେ ତାକୁ ପଚାରିଲା, କଣ ମୋ କଥା ଆଉ କିଛି ଶୁଣିବ, ଅବିନାଶ କହିଲା, ନା, ତମେ ତମ ବହିରୁ ପଢ଼ି ମତେ କବିତା ଶୁଣାଇବ ।

ଖାଇସାରି ବିଛଣାରେ ପାଖାପାଖି ଶୋଇଥିବା ବେଳେ ଶାନ୍ତା ତାର କବିତା ବହି
ଖୋଲି ପଚାରିଲା, କଣ ସେଇ ପୁରୁଣା କବିତାଟା ପଢ଼ିବି ନା ନୂଆ କବିତା ? ଅବିନାଶ କହିଲା, ସେଇ ଯୋଉ କବିତା ସକାଳେ ପଢ଼ିଥିଲ, ତାକୁ ଆଉ ଥରେ ଶୁଣାଅ ।

ମୁଁ ତ ତାକୁ ଥରେ ପଢ଼ି ଶୁଣାଇ ସାରିଛି ତମକୁ । ବର୍ତ୍ତମାନ ତମେ ବରଂ ସେଇଟିକି ପଢ଼ି ମତେ ଶୁଣାଅ ।

ଅବିନାଶ ତା ହାତରୁ ବହିଟି ନେଇ କବିତାଟିକୁ ପଢ଼ିବାକୁ ଚେଷ୍ଟା କଲା, କିନ୍ତୁ ଗୋଟିଏ ଧାଡ଼ି ପଢ଼ିବାକୁ ଯାଇ ଦୁଇଥର ଝୁଣ୍ଟିଲା । କହିଲା, ମୋ ହାତରେ କବିତା ପଢ଼ିବା ହୋଇ ପାରିବ ନାହିଁ, ତମେ ମତେ ପଢ଼ି ଶୁଣାଅ । ଶାନ୍ତାର ଗଳା ସୃଷ୍ଟ ଓ ସଂଯତ ଥିଲା । କବିତାର ଶବ୍ଦ ସବୁ ନିର୍ଦ୍ଦିଷ୍ଟ ଭାବରେ ଆସି ସିଧା ଛୁଇଁ ଯାଉଥିଲେ ଅବିନାଶର ସଂବିତକୁ । ଶାନ୍ତାର ପଢ଼ା ଶେଷ ହେଲା, କିନ୍ତୁ ଆଖି ବୁଜି ଅବିନାଶ ଅନୁଭବ କଲା ଯେପରି ଶାନ୍ତାର ସ୍ୱର ଆହୁରି ଦୂରକୁ ଯାଇ ପୁଣି ତା ପାଖକୁ ଫେରି ଆସୁଛି । ସେ ନିଦରେ ଶୋଇଗଲା ।

ଶାନ୍ତା ଚା କପ ହାତରେ ଧରି ତାକୁ ଉଠାଇଲା ଓ ସେମାନେ ପୁଣି ଯାଇ ବର୍ଷାର ବାରଣ୍ଡାରେ ବସିଲେ । ଅବିନାଶ କହିଲା, କାଲି ସକାଳୁ ସକାଳୁ ବାହାରି ଯିବା, ବର୍ଷା ବନ୍ଦ ହଉ ନ ହଉ ।

କାଲି ସକାଳୁ ବର୍ଷା ବନ୍ଦ ହୋଇଯିବ । ସବୁ ଭଲ ଜିନିଷ ଭଳି ସବୁ ଖରାପ ଜିନିଷର ବି ଶେଷ ଅଛି । ବର୍ଷା ହୋଇ ସବୁ ନଷ୍ଟ କରି ଦେଲା ।

କଣ ସବୁ ନଷ୍ଟ ହେଲା ? ତମେ କଣ ସବୁ କରିବା ପାଇଁ ଭାବିଥିଲ ଯାହା ବର୍ଷା ହେବାରୁ କରି ପାରିଲ ନାହିଁ ?

ଖରା ହୋଇଥିଲେ ଆମେ ଚାଲି ଚାଲି ଜଂଗଲ ଭିତରକୁ ବୁଲି ଯାଇଥାନ୍ତେ । କିମ୍ବା ଗାଡ଼ି ନେଇ କୋଉ ନୂଆ ଜାଗା ଯାଇ ଦେଖିଥାନ୍ତେ ।

ତମେ କଣ ଭାବୁଚ ତମେ ଏପରି କିଛି କରି ପାରିଲ ଯାହା ବର୍ଷା ନ ହୋଇଥିଲେ କରି ପାରିନଥାନ୍ତା ?

ଟିକିଏ ଭାବି ଅବିନାଶ କହିଲା, ପାଗ ଭଲ ଥିଲେ ଆମେ ବାହାରକୁ ବୁଲିବାକୁ ଯାଇଥାନ୍ତେ, ଆଉ ମୁଁ ତମ ପାଖରୁ କବିତା ଶୁଣି ପାରି ନଥାନ୍ତି । ବର୍ଷା ହେଉ ଥିବାରୁ ମୁଁ ତମକୁ ଆହୁରି ପାଖରେ ପାଇ ପାରିଲି ।

ଶାନ୍ତା କହିଲା, ବର୍ଷାକୁ ନେଇ ବୋଧହୁଏ ଆଉ କେହି ଏମିତି ଚାଟୁ କଥା କହି ପାରି ନଥାନ୍ତା ।

ଅବିନାଶ ବର୍ତ୍ତମାନ ଭଲ ମିଜାସରେ ଥିଲା । କହିଲା, ପ୍ରତ୍ୟେକ କଳା ମେଘର ଏକ ରୁପେଲି ଆସ୍ତରଣ ଅଛି ତମେ ନିଶ୍ଚୟ ଜାଣ ।

ଏଇଭଳି କଥାବାର୍ଭା କରୁ କରୁ ବର୍ଷାର ଆଲୁଅ ଆସ୍ତେ ଆସ୍ତେ ଲିଭି ଲିଭି ଆସିଲା । ଜଙ୍ଗଲ ଓ ବର୍ଷା ଯେପରି ଦିନଟିକୁ ଆହୁରି ଛୋଟ କରି ଦେଉଥିଲେ ।

ଶାନ୍ତା କହିଲା, ନରହରି କହୁଥିଲା ଆଜି ଶୀଘ୍ର ଘରକୁ ଯିବ । ସେଥିପାଇଁ ସେ ଶୀଘ୍ର ଖାଇବା ପାଇଁ ଦେଇଦେବ । ଅବଶ୍ୟ ତମେ ଯଦି ଚାହିଁ, ସେ ଚାଲିଗଲେ ବି ମୁଁ ପରେ ଖାଇବାର ବ୍ୟବସ୍ଥା କରିଦେଇ ପାରିବି ।

ନା ନା । ଆମେ ଆଜି ଚଞ୍ଚଳ ଖାଇନେବା ଏବଂ ଶୀଘ୍ର ବିଛଣାକୁ ଯିବା । ଅମ ପାଖରେ ତ ଆଉ ମାତ୍ର ବାର ଘଣ୍ଟା ସମୟ ରହିବ ।

ବାର ଘଣ୍ଟା ତ ବହୁତ ସମୟ ! କେତେ କଣ କରାଯାଇ ପାରେ ବାର ଘଣ୍ଟାରେ ।

ଜଣେ ଲୋକ ତ କେବଳ ନିଦରେ ଶୋଇ ବି ପୁରା ସମୟଟା କଟାଇ ଦେଇ ପାରେ । କାଲି ରାତିରେ ମୁଁ ଯେମିତି ନିଘୋଡ ନିଦରେ ଶୋଇଲି, ଆଗରୁ କେବେ ଏତେ ଭଲ ନିଦରେ ଶୋଇଥିବାର ମୋର ମନେ ନାହିଁ।

ଭଲ କଥା । ଆଉ ଯାହା କରି ପାରିଲେ ନ କରି ପାରିଲେ ବି ମନେ ରଖିବା ଭଳି ନିଦ ହେଲା, ସେ ବି ଗୋଟିଏ ବଡ଼ କଥା ।

ଶାନ୍ତା ଯାଇ ରୋଷାଇ ଘରେ ବୁଲି ଦେଇ ଆସିଲା । କହିଲା, ତମେ ଯଦି ତ୍ରିଙ୍କ ନବ, ଆରମ୍ଭ କରି ଦିଅ ।

ଚଉକି ଟାଣି ଦୁହେଁ ଟେବୁଲ ପାଖରେ ବସିଲେ । ଶାନ୍ତା ଯାଇ ଫ୍ରିଜରୁ ବରଫ ଓ ଥଣ୍ଡା ପାଣି ଆଣିଲା, ବ୍ୟାଗରୁ ପ୍ୟାକେଟ ଆଣି ପ୍ଲେଟ ଉପରେ ଢ଼ାଳି ଦେଲା । ଏବଂ ଦୁଇଟି ଯାକ ଗ୍ଲାସରେ ଭଲ ପରିମାଣର ହ୍ୱିସ୍କି ଢ଼ାଳିଲା ।

ଅବିନାଶ ପଚାରିଲା, ତମେ କଣ ପିଇବ ନା କଣ ?
 ନିଶ୍ଚୟ । କାଲି କଥା କାଲି ଥିଲା, ଆଜି କଥା ଆଜି !

ତା ହେଲେ କାଲି ତମେ ପିଇଲ ନାହିଁ କାହିଁକି ?

କାଲି ମୁଁ ତମକୁ ଠିକରେ ଜାଣି ନଥିଲି । ମୋ ଭଳି ପରିସ୍ଥିତିରେ ଲୋକକୁ ଯେତେ ସମ୍ଭବ ସତର୍କ ରହିବାକୁ ତ ହେବ ।

ବର୍ତ୍ତମାନ ବି ତମେ ମତେ କେତେ ଜାଣିଛ ?

ଯେମିତି ଜାଣିବା ଉଚିତ, ସେତିକି । ବେଶୀ ନୁହେଁ । କିନ୍ତୁ କମ ବି ନୁହେଁ ।

ତମେ କିଛି ବି ଜାଣି ନାହଁ ମୋ ବିଷୟରେ । ତମେ କେମିତି ଜାଣିବ ମୋ ସୁଟକେସ ଭିତରେ ଛୁରୀ ଅଛି କି ନାହିଁ ?

ସେ ସମ୍ଭାବନା ତ ରହିବ ହିଁ ରହିବ । ପ୍ରତି ମୁହୁର୍ତ୍ତରେ କିଛି ନା କିଛି ବିପଦର ଆଶଙ୍କା ଅଛି । ତା ବୋଲି କଣ ଆମେ ସାରା ଜୀବନ ଭୟରେ ଭୟରେ ରହିବା ? ଯେତିକି ସାବଧାନତା ସହଜରେ ନିଆ ଯାଇପାରେ, ସେତିକିରେ ସନ୍ତୁଷ୍ଟ ରହିବା କଥା ।

ତା ସାଙ୍ଗେ ତାଳ ଦେଇ ଶାନ୍ତା ହ୍ୱିସ୍କି ପିଉଥଲା । ସେମାନଙ୍କର ପ୍ରଥମ ଗ୍ଲାସଟି ଶେଷ ହେବା ଉପରେ ଥିଲା । ଅବିନାଶ ଅନ୍ଦାଜ କରିବାକୁ ଚେଷ୍ଟା କରୁଥୁଲା ଶାନ୍ତା ତା ସହିତ ଦ୍ବିତୀୟ ଗ୍ଲାସଟି ନେବ କି ନାହିଁ । ଶାନ୍ତା କହିଲା, ପ୍ରକୃତରେ କହିଲେ ମତେ ଡ୍ରିଙ୍କ ଭଲ ଲାଗେ । ଏବଂ ସେ ଅବିନାଶ ସହିତ ଦ୍ବିତୀୟ ଗ୍ଲାସଟି ନେଲା । ଅବିନାଶ କହିଲା, ମୁଁ ଆଜି ମାତାଲ ହୋଇ ଯିବାକୁ ଚାହେଁ । ଶାନ୍ତା କହିଲା, ପ୍ରତିଟି ମଣିଷକୁ କେବେ କେବେ ମାତାଲ ହେବା ଉଚିତ । ତା ମଦ ପିଇ ହେଉ ବା ଅନ୍ୟ କେଉଁ ଭଳି !

ଆଉ କେଉଁ ଭଳି ଜଣେ ମାତାଲ ହୋଇ ପାରେ ?

କବିତା ପଢ଼ି । ପୂଜା ପାଠ କରି । ଧର୍ମ କରି । ତମେ ପୂଜା ବେଳେ ମନ୍ଦିରରେ ସଂକୀର୍ତ୍ତନ କରୁଥିବା ଭକ୍ତଙ୍କୁ ଦେଖିଛ ?

ମତେ କିନ୍ତୁ ତମେ ଆଜି ତମର ବିଷ୍ଣୁ ସହସ୍ରନାମା ପୁରା ପଢ଼ି ଶୁଣାଇବ ।

ମୁଁ ଯେତେବେଳେ ଶୋଇବା ଆଗରୁ ଠାକୁରଙ୍କ ଆଗରେ ବସି ପଢ଼ିବି, ତମେ ଚୁପଚାପ ବସି ଶୁଣିପାର ।

ତମେ ପୂଜା କଲା ବେଳେ କଣ ମାଗ ଠାକୁରଙ୍କୁ ?

ପୂଜା କରି ଠାକୁରଙ୍କୁ ମାଗିଲେ ଯଦି ସବୁ କିଛି ମନ କାମନା ପୂରଣ ହୋଇ ଯାଉଥାନ୍ତା, ତେବେ ତ କାହାରି କିଛି ସମସ୍ୟା ରହନ୍ତା ନାହିଁ ।

ତେବେ ତମେ ଠାକୁରଙ୍କୁ ପୂଜା କରୁଛ କାହିଁକି ?

ପୂଜା ସହିତ ମାଗିବାର କଣ ସଂପର୍କ ? ଆଉ ଠାକୁର ବି କଣ ? ମୁଁ ନିଜେ କ୍ୟାଲେଣ୍ଡରରୁ କାଟି ଯୋଡ଼ି ମୋର ଠାକୁରଙ୍କୁ ତିଆରି କରିଛି । ଆଉ କିଛି ନ ହେଲେ ମୁଁ ଅନ୍ତତଃ ଦିନକୁ ଦୁଇଥର ଚୁପଚାପ ସେଇ ଫଟୋ ଆଗରେ ବସି ଦଶ ମିନିଟ ଖୁସିରେ ପାଠ କରିପାରୁଛି ।

ତମେ ଯାହା ପଢୁଛ, ତାର ଅର୍ଥ କଣ ?

ତମେ କବିତାର ଅର୍ଥ ପଚାରୁଥିଲ, ବର୍ତ୍ତମାନ ଠାକୁରଙ୍କ ନାଁର ଅର୍ଥ ପଚାରୁଛ । ଅର୍ଥ ତ ନିଶ୍ଚୟ ଅଛି, ତେବେ ସେଥିରେ ମୋର ଦରକାର କଣ ? ପଢ଼ିବାକୁ ଭଲ ଲାଗୁଛି । ହରିଣର ଛାଲ ଭଳି ବିଷଣ୍ଡତା; ଓଁ ବିଶ୍ୱସ୍ମୈ ନମଃ, ଓଁ ବିଷ୍ଣବେ ନମଃ । ସେତିକି କଣ ଯଥେଷ୍ଟ ନୁହେଁ ?

ଖାଇବା ଟେବୁଲରେ ବସି ଅବିନାଶ ଭାବିଲା, ଶାନ୍ତା ପାଖରେ ସବୁ ପ୍ରଶ୍ନର ଉତ୍ତର ଅଛି । ଟିକିଏ ବେଶି ପିଇ ଦେଇଥିବାରୁ ତାର ମସ୍ତିଷ୍କ ସରଳଗତିରେ କାମ କରୁ ନଥିଲା । ତେବେ ସେ ଖାଇସାରି ଶୋଇବାକୁ ଯିବା ପୂର୍ବରୁ ନିଶ୍ଚୟ ଶାନ୍ତାର ସହସ୍ରନାମା ପଢ଼ିବା ବେଳେ ତା ପାଖରେ ବସି ତାକୁ ପୂରାପୂରି ଶୁଣିବ ।

ଖାଇପିଇ ସାରି ଶାନ୍ତା ନରହରିକୁ ପର ଦିନ ପାଇଁ କଣ କରିବାକୁ ହେବ ବୁଝାଇ ଦେଲା, କାରଣ ସେମାନେ ସକାଳୁ ସକାଳୁ ବାହାରି ଯିବେ । ଅବିନାଶ ଯୋଗ କଲା, ବର୍ଷା ହେଉଥାଉ ପଛେ । ନରହରି କହିଲା, କାଲି ସକାଳକୁ ବର୍ଷା ଛାଡ଼ିଯିବ । ଶାନ୍ତା ତା ସହିତ ତାଳ ଦେଇ କହିଲା, ସେ କଥା ଠିକ, କାଲି ସକାଳକୁ ବର୍ଷା ନ ଥିବ । ଅବିନାଶ କିନ୍ତୁ ଭାବି ପାରୁ ନଥିଲା ଯେ ଏ ବର୍ଷାର ଶେଷ ବି ଅଛି ।

ଅବିନାଶ ବିଛଣାରେ ପଡ଼ି ଅପେକ୍ଷା କଲା କେତେବେଳେ ଶାନ୍ତା ନିଜ କାମ ସାରି ଠାକୁରଙ୍କୁ ନେଇ ତଳେ ବସିବ । ତା ହେଲେ ସେ ଯାଇ ତା ପାଖରେ ବସି ତାର ପୂଜା ଦେଖିବ ! କିନ୍ତୁ ଦଶ ମିନିଟ ପରେ ଶାନ୍ତା ଯେତେବେଳେ ତା’ର ଠାକୁରଙ୍କୁ ନେଇ ତଳେ ଚକା ପକାଇ ବସିଲା, ଅବିନାଶର ଆଉ ଉଠିବାକୁ ଇଚ୍ଛା ହେଲା ନାହିଁ । ସେ ମନ ଲଗାଇ
ଶାନ୍ତାର ପାଠକୁ ଶୁଣିବାରେ ଧ୍ୟାନ ଦେଲା ଓ ହିରଣ୍ୟଗର୍ଭାୟ ରୂଦ୍ରାୟ ମାରୀଚୟେ ସାଧବେ କାନ୍ତାୟ ଗରୁଡ଼ଧ୍ବଜାୟ ଶୁଣୁ ଶୁଣୁ ନିଦରେ ଶୋଇଗଲା ।

ସେ ଯେତେବେଳେ ନିଦରୁ ଉଠି ଆଖି ଖୋଲିଲା, କିଛି ଗୋଟାଏ ଅସ୍ବାଭାବିକ ଘଟି ଯାଇଥିବାର ଜଣା ଗଲା ତାକୁ । ଘରେ ସାମାନ୍ୟ ଅନ୍ଧାର ଅଲା, କିନ୍ତୁ ବର୍ଷା ପୂରାପୂରି ବନ୍ଦ ହୋଇ ଯାଇଥଲା । ସମୟ ଦେଖିଲା ପାଞ୍ଚଟା ବାଜିଛି । ସବୁ ଚୁପଚାପ ଥିଲା ବର୍ତ୍ତମାନ କେବଳ ପାଖରେ ଶୋଇଥବା ଶାନ୍ତାର ସହଜ ଓ ଧୀର ନିଶ୍ବାସର ଉତ୍‌ଥାନ ପତନ ବ୍ୟତୀତ । ତାକୁ କଣ ଉଠାଇବ ବର୍ତ୍ତମାନ ? ଏ କଥା ଭାବିଥିବାରୁ ନିଜକୁ ଲଜ୍ଜା ଲାଗିଲା ଅବିନାଶର । ସେ ପୁଣି ଶୋଇବାକୁ ଚେଷ୍ଟା କଲା, କିନ୍ତୁ ନିଦ ଆଉ ଆସିଲା ନାହିଁ । ସେ ବିଛଣାରୁ ଉଠି ଆସିଲା ।

ସାମାନ୍ୟ ଫରଚା ହୋଇ ଆସୁଛି ବାହାରେ । ଭାବିଲା ବାରଣ୍ଡାରେ ଯାଇ ବସିବ । କବାଟ ସାମାନାରେ ଶାନ୍ତାର ଶାଢ଼ି ଟଙ୍ଗା ହୋଇଥିଲା । ହାତ ଦେଇ ଦେଖିଲା ଶାଢ଼ି ଶୁଖି ଯଇଛି । ତାକୁ ଖୋଲି ଭାଙ୍ଗି ଅବିନାଶ ଶାଢ଼ିକୁ ଟେବୁଲ ଉପରେ ରଖିଲା । ଟେବୁଲରେ ଶାନ୍ତାର ଆଉ ସବୁ ଛୋଟ ଛୋଟ ଜିନିଷ ପଡ଼ିଥିଲା । ସେ ତାର ହାତ ଘଡ଼ି ଚଷମା ଓ କବିତା ବହିକୁ ଥର ଥର କହିଲା ଛୁଇଁଲା । ତା ପରେ କବାଟ ଖୋଲି ବାରଣ୍ଡାକୁ ଗଲା ।

ବାହାରେ ସବୁ କିଛି ଅଦ୍‌ଭୁତ ସବୁଜ ଦେଖା ଯାଉଛି । ସେ ଯଦି ଆଉ ଦିନେ ଦୁଇ ଦିନ ରହି ପାରିଥାନ୍ତା, ଦୁହେଁ ଚାଲି ଚାଲି ଯାଇ ଜଙ୍ଗଲ ଭିତରେ କିଛି ବାଟ ବୁଲି ଥାନ୍ତେ । ଆଗରୁ ତାକୁ ଥକା ଥକା ଲାଗୁଥିଲା । ଆଜି ଯଦିଓ ସେ ଶୀଘ୍ର ନିଦରୁ ଉଠି ପଡ଼ିଥିଲା, ସତେଜ ଲାଗୁଥିଲା ତାକୁ । ରାତିରେ ବେଶି ମଦ ପିଇବାର ଭାର ବି ନଥିଲା ମୁଣ୍ଡ ଭିତରେ । ବର୍ଷା ସହିତ ତାର ଅବସାଦ ବି ଦୂର ହୋଇ ଯାଇ ଥିଲା ଯେପରି ।

ତାକୁ ନିଜ ଗାଡ଼ିର ଖବର ବି ନେବାକୁ ହେବ । ଚୁପଚାପ ପାଦରେ ସେ ଅନ୍ୟ ବାରଣ୍ଡା ଦେଇ ପୋର୍ଟିକୋକୁ ଆସିଲା । ଗାଡ଼ି ଉପରେ ବିନ୍ଦୁ ବିନ୍ଦୁ ପାଣି ଥିଲା ଓ କାଦୁଅ ଛିଟିକା ଲାଗିଥିଲା । ଗାଡ଼ି ଖୋଲି ସେ ପୋଛା କନା ବାହାର କରି ଗାଡ଼ିକୁ ସଫା କଲା । ସେ ଚାବି ଲଗାଇ ଗାଡ଼ି ଚାଲୁଚି କି ନା ଦେଖିବ ବୋଲି ଭାବିଲା, କିନ୍ତୁ ଶବ୍ଦରେ କାଳେ ଶାନ୍ତା ଉଠି ପଡ଼ିବ ସେଥିପାଇଁ ଗାଡ଼ିର କବାଟ ବନ୍ଦ କରି ପୁଣି ଘର ଭିତରକୁ ଆସିଲା ।  ଶାନ୍ତା ତଥାପି ନିଦରେ ଶୋଇଥିଲା । ଅବିନାଶ ଠିକ କଲା ସେ ବରଂ ଏକା ଯାଇ ବାହାରେ କିଛି ସମୟ ବୁଲି ଆସିବ । ସେ ଜୋତା ପିନ୍ଧି ବାହାରକୁ ଆସିଲା ଓ ବଙ୍ଗଳାର ଗେଟ ଟପି ରାସ୍ତାରେ ପାଦ ଦେଲା । ବର୍ଷାରେ ଧୋଇ ଯାଇଥିବା ଗଛ ପତ୍ର ଆଲୁଅରେ ସତେଜ ଓ ଉଜ୍ଜଳ ଦେଖା ଯାଉଥିଲେ । ପବନରେ ମାଟିର ଗନ୍ଧ ଥିଲା । ବର୍ଷା ବୋଧହୁଏ ବେଶ କିଛି ସମୟ ଆଗରୁ ବନ୍ଦ ହୋଇ ଯାଇଥିଲା, ରାସ୍ତାରେ ପାଣି କାଦୁଆ ନ ଥିଲା । ସେ ଫେରିଯିବା କଥା, ଘର କଥା, ଅଫିସ କଥା ଭାବିଲା । କିନ୍ତୁ ଏଇ ଗଛ ଗହଳରେ ଛିଡା ହୋଇଥିବା ବେଳେ ଯେଉଁ କଥା ତାର ବେଶି ମନକୁ ଆସୁଥିଲା ସେଇଟି ତାର ନିଜର ପିଲାଦିନର କଥା ।

ସୂର୍ଯ୍ୟ ଆଉ ଟିକିଏ ଉପରେ ଥିଲା ଓ ସକାଳର ଖରା ଆହୁରି ଟିକିଏ ଟାଣ ହେଉଥିଲା । ଅବିନାଶ ଫେରିବା ବାଟ ଦେଖିଲା । ହାତରେ ଘଣ୍ଟା ପିନ୍ଧିବାକୁ ଭୁଲି ଯାଇଥିଲା ସେ । ଗେଟ ଭିତରକୁ ପଶି ଦେଖିଲା ଯେ ନରହରି ରୋଷାଇ ଘର ଖୋଲି ସାରିଛି । ଘର ଭିତରେ ଶାନ୍ତାର ଜିନିଷ ସବୁ ସଜଡା ହୋଇ ରହିଥିଲା ଓ ସେ ବାଥରୁମରେ ଥିଲା । ଅବିନାଶ ନିଜର ଜିନିଷକୁ ଏକାଠି କଲା । ଶାନ୍ତା ବୋଧହୁଏ ଏଇମାତ୍ର ଭିତରକୁ ଯାଇଛି । ତେଣୁ ବାହାରକୁ ଯାଇ ଅବିନାଶ ନରହରିକୁ ଖାଇବା ଘରକୁ ଡାକିଲା ତାର ହିସାବ ପତ୍ର ଠିକ କରିବା ପାଇଁ । ଏ କାମଟି ବି ସରିଗଲା ଅଳ୍ପ ସମୟରେ ! ନରହରି କହିଲା, ବର୍ଷା ଯୋଗୁ ଆପଣଙ୍କର ଅସୁବିଧା ହେଲା । ଆଉ ରୋଷେଇଆ ନ ଥିବାରୁ ଖାଇବା ପିଇବା ବି ଠିକରେ ହେଲା ନାହିଁ । ବର୍ଷା ଛାଡ଼ି ଗଲାଣି; ଆଜି ପୂଜାରୀ ଫେରିବ ନିଶ୍ଚେ । ଅବିନାଶ କହିଲା, ନା, ସବୁ ଠିକ ଥିଲା । ଆମର କିଛି ଅସୁବିଧା ହୋଇ ନାହିଁ ।

ଶାନ୍ତା ଗାଧୁଆ ଘରୁ ବାହାରିବଣି । ଖାଇବା ଘରୁ ବାହାରି ନିଜ କୋଠରୀକୁ ଯିବା ପୂର୍ବରୁ ପାଗ କିପରି ଦେଖିବାକୁ ଅବିନାଶ ଆକାଶକୁ ଅନାଇଲା । ଏବଂ ଯାହା ଦେଖିଲା ତାର ମନ ଏକ ଅପୂର୍ବ ଆନନ୍ଦରେ ଭରିଗଲା । ସେ କବାଟ ପାଖରେ ପାଟି କରି କହିଲା, ଶାନ୍ତା, ଶୀଘ୍ର ବାହାରକୁ ଆସ ଦେଖିବ । ଶାନ୍ତା କିନ୍ତୁ ପୂଜା କରୁଥିଲା, ତାର କୌଣସି ଜବାବ ଦେଲା ନାହିଁ । ଅବିନାଶ ଗାଧୁଆ ଘରେ ପଶିଲା ଏବଂ ଯେତେବେଳେ ପୋଷାକ ପିନ୍ଧି ବାହାରିଲା, ଶାନ୍ତା ବାରଣ୍ଡାରେ ବସିଥିଲା। ଅବିନାଶ ଚୁପଚାପ ସୁଟକେସରେ ନିଜର ଜିନିଷ ସଜାଇ ରଖିବାରେ ଲାଗିଲା ।

ଶାନ୍ତା ଭିତରକୁ ଆସିବାରୁ ଅବିନାଶ କହିଲା, ଆମର ଯିବାର ବେଳ ହୋଇଗଲା ।
ହୁଏତ କାଲି ଭଳି ନିଜ ପିଲାଙ୍କ କଥା ଭାବୁଥିଲା କି କଣ, ଶାନ୍ତା ଅନ୍ୟମନସ୍କ ଜଣା ପଡ଼ୁଥିଲା । ତାକୁ ବାହୁରେ ନେଇ ଅବିନାଶ ତା କପାଳରେ ଚୁମା ଖାଇଲା । ଶାନ୍ତା ଅବିନାଶକୁ ଥରେ ମାତ୍ର ଦେହରେ ଜଡ଼ି ନେଇ ତା ପାଖରୁ ନିଜକୁ ମୁକୁଳାଇ ନେଲା । ପଚାରିଲା, ତମର ସକାଳର ଔଷଧ ଖାଇଛ କି ନାହିଁ?

ବ୍ରେକଫାଷ୍ଟ ଖାଇ ସାରି ଜିନିଷ ନେଇ ସେମାନେ ଗାଡ଼ିକୁ ଗଲେ । ଗାଡ଼ିରେ ବସିବା ଆଗରୁ ନରହରିକୁ ଡାକି ଶାନ୍ତା ତା ହାତକୁ କିଛି ଟଙ୍କା ବଢ଼ାଇ ଦେଲା । ନରହରି କହିଲା, ବାବୁ ଦେଇଛନ୍ତି । ତାକୁ ଅଶୁଣା କରି ଦେଇ ଶାନ୍ତା କହିଲା, ପର ଦିନ ରଜ; ତମ ଝିଅ ପାଇଁ ଏଥିରେ କିଛି କିଣି ଦେବ ।

ରାସ୍ତା ଠିକ ଥିଲା । ବାହାରେ ଛମ ଛମ ଖରା ପଡ଼ୁଥିଲା । ଗାଡ଼ି ମୃଦୁ ଗତିରେ ଚାଲୁଥୁଲା । ଅବିନାଶର ମନ ହାଲୁକା ଥିଲା । ବାଁ ପାଖରେ ବସି ସାମନାକୁ ଅନାଇ ଶାନ୍ତା ଗୁଣୁ ଗୁଣୁ କରି ଗୀତ ଗାଉଥିଲା । ଅବିନାଶ ପଚାରିଲା, କଣ ଆମର ପୁଣି ଶୀଘ୍ର ଦେଖା ହେବ ତ ? ଶାନ୍ତା କହିଲା, ନିଶ୍ଚୟ । କିଛି ସମୟ ଚୁପ ରହି ଅବିନାଶ ପୁଣି ପଚାରିଲା, ତମ ସହିତ କେମିତି ଯୋଗାଯୋଗ କରିବି ? ଶାନ୍ତା ତା ଆଡକୁ ମୁହଁ ବୁଲାଇ ଟିକିଏ ହସିଲା ଓ ଛୋଟ ଉତ୍ତର ଦେଲା ଟୋନି ।

ଅବିନାଶ ତାକୁ ଆଉ କିଛି କହିବାକୁ ଯାଉଥିଲା, କିନ୍ତୁ କଣ ଭାବି ଚୁପ ରହିଲା । ସେ ଭାବିବାକୁ ଚେଷ୍ଟା କଲା ପ୍ରେମର ତିନୋଟି ଶପଥ କଣ ହୋଇପାରେ । ୦





ଆଖି

ଆଖି


 ଏ ହେଲାଣି ଅନେକ ବର୍ଷ ତଳର କଥା । ସେ ସମୟରେ ମୁଁ ମୋ ଗବେଷଣା କାମରେ ପୁରୀ ଯାଇ ସେଠାରେ ଏକା ସାଙ୍ଗରେ ଅନେକ ଦିନ ଧରି ରହିଯାଉଥିଲି । ପ୍ରଥମେ ପ୍ରଥମେ ମୁଁ ଯାଇ ରହୁଥିଲି ସହର ଭିତରେ କୋଉ ଛୋଟ ହୋଟେଲରେ । ଥରେ ସମୁଦ୍ର କୂଳରେ ବୁଲୁ ବୁଲୁ ମୋର ଜଣେ ପୁରୁଣା ସାଙ୍ଗ ରବିନ ସହିତ ଦେଖା ହେଲା । ତାଙ୍କର ପୁରୀରେ ଗୋଟିଏ କୋଠି ଥିଲା ଯାହା ଅନେକ ଦିନୁ ଖାଲି ପଡ଼ିଥିଲା । ସେ ମତେ କହିଲା ଯେ ପୁରୀ ଆସିଲେ ମୁଁ ସେଇ ଘରଟିକୁ ବ୍ୟବହାର କରିପାରେ । ସେଇ ଦିନୁ ପୁରୀ ଗଲେ ମୁଁ ରହୁଥିଲି ତାଙ୍କର ସେଇ ଘରଟିରେ ।

 ଘରଟି ଅତ୍ୟନ୍ତ ଭଙ୍ଗାରୁଜା ଅବସ୍ଥାରେ ଥିଲା । ସେଠାରେ ବସବାସ, ଚଳପ୍ରଚଳ କରିବାର ଆସବାବ ସରଂଜାମ ଥିଲା, କିନ୍ତୁ ସବୁ ଥିଲା ଅତି ପୁରୁଣା ଏବଂ ଅନେକ ଦିନ ଧରି ବ୍ୟବହାର ଓ ଯତ୍ନ ଅଭାବରୁ ଜୀର୍ଣ୍ଣ ଓ ଭଙ୍ଗାରୁଜା । ରବିନ ଭୁବନେଶ୍ୱରରେ ରହୁଥିଲା । ମୁଁ ପୁରୀରେ ହୋଟେଲରେ

ରହୁଥିବା ବେଳେ ଦିନେ ସେ ମୋ ପାଖରେ ପହଞ୍ଚି ମତେ ତା ଗାଡ଼ିରେ ଘରଟି ଦେଖାଇବାକୁ ନେଇଗଲା । ପ୍ରଥମେ ଆମେ ଯାଇ ସାଇ ଭିତରୁ ତାଙ୍କର ମାଳିକୁ ଖୋଜି ଆଣିଲୁ, ଯେ କି ଘର ବାହାରେ ଥିବା ଛୋଟ ବଗିଚାର ଗଛ ଲତାକୁ ଦେଖୁଥିଲା । ଆମେ ତାଲା ଖୋଲି ଘର ଭିତରେ ପଶିବା ବେଳକୁ ସଂଜ ହୋଇ ସାରିଥିଲା । ମୁହଁ ଅନ୍ଧାରରେ ଘର ଭିତରକୁ ପଶି ରବିନ ଯେତେବେଳେ ଆଲୁଅ ଜଳାଇଲା, ମୋର ହଠାତ ପ୍ରତିକ୍ରିୟା ହେଲା ଯେ ମୁଁ ଏ ଘରେ ରହି ପାରିବି ନାହିଁ । ସେତେବେଳେ କମ ବିଜୁଳି ଆସୁଥଲା କି କଣ, ଆଲୁଆ ଅତି ମିଂଜିମିଂଜି ଜଳୁଥୁଲା ଏବଂ ଘରଟି ମତେ ଅତି ଉଦାସୀନ ଓ ଅନାମ୍ଭୀୟ ଜଣାଗଲା । ବସିବା ଘର ଭିତରୁ ଯେଉଁ ଅନ୍ୟ ଅନ୍ଧାର କୋଠରୀଟି ଦେଖାଯାଉଥଲା, ତା ଆଡକୁ ଆଖି ପକାଇବା ବେଳେ ମୋର ଛାତି ଭିତରେ କାହିଁକି କେଜାଣି ସାମାନ୍ୟ ଭୟର ଏକ ଶୀତଳ ଲହରୀ ଖେଳିଗଲା । ମୁଁ ଭାବିଲି ରବିନକୁ କହିଦେବି ମୁଁ ଏ ଘରେ ରହିବାକୁ ଚାହୁଁନାହିଁ; ମୋର କାମ ପାଇଁ ମୁଁ ଯେଉଁ କେତେଦିନ ମଝିରେ ମଝିରେ ଆସିବି, କୋଉ ହୋଟେଲରେ ରହିବା ହିଁ ମୋ ପାଇଁ ସୁବିଧାଜନକ ହେବ ।

 ଏଇ ସମୟରେ କିନ୍ତୁ ଠିକ ଭୋଲଟେଜ ଆସି କୋଠରୀଟି ଆଲୋକିତ ହୋଇଗଲା । ଏବଂ ଅନ୍ତରଙ୍ଗତାର ଏକ ଅଦ୍ଭୁତ ଉଷ୍ଣତା ଆସି ଘର ଭିତରକୁ ହଠାତ ଭରିଦେଲା ଯେପରି । ରବିନ ମତେ କୋଠରୀ ସବୁ ଖୋଲି ଦେଖାଇଲା । ଶୋଇବା ଘରେ ବିଛଣା ପତ୍ର ପଡ଼ିଥିଲା, କିନ୍ତୁ ସେ କ୍ୱଚିତ ଏ ଘରକୁ ବ୍ୟବହାର କରୁଥିବାରୁ ସବୁ ଜିନିଷ ଅବ୍ୟବସ୍ଥିତ ଅବସ୍ଥାରେ ଥିଲା । ଆହୁରି ଖରାପ ଥିଲା ରୋଷେଇ ଓ ଗାଧୁଆ ଘରର ଦଶା । ଆମେ କଠେରୀ ସବୁ ଦେଖିସାରି ବସିବା ଘରକୁ ଆସିଲୁ । ଏଇ କୋଠରୀ ଭିତରୁ ଗୋଟିଏ ପାହାଚ ଉଠି ଉପର ମହଲାକୁ ଯାଇଥିଲା । ରବିନ ଜଣାଇଲା ଯେ ଉପରେ ମାତ୍ର ଦୁଇଟି କୋଠରୀ ଅଛି, ଏବଂ ସେଥିରେ କେବଳ ଭଙ୍ଗାରୁଜା ଆସବାବ ପତ୍ର ଅଛି । ସେ ନିଜେ ବୋଧହୁଏ ଅନେକ ବର୍ଷ ହେଲା ପାହାଚ ଉଠି ଉପର ମହଲାକୁ ଯାଇ ନାହିଁ ।

 ମାଳି ଯାଇ ରାସ୍ତା ପାଖ ଦୋକାନରୁ ଆମ ପାଇଁ ଦି କପ ଚା ଆଣିଦେଲା । ଚା ପିଉ ପିଉ ମୁଁ ଚାରିପାଖର ଅନ୍ଧାର କୋଠରୀ ଓ ଉପର ଅଜଣାକୁ ଉଠି ଯାଇଥିବା ପାହାଚ ଆଡ଼କୁ ଅନାଇ ଠିକ କରିବାକୁ ଚେଷ୍ଟା କଲି ମୁଁ ରବିନକୁ ହଁ କରିବି କି ନାହିଁ । ନିଜର ଘର ଥିଲେ ମୁଁ ଯେତେବେଳେ ଖୁସି ଯିବା ଆସିବା କରିପାରିବି ଓ ଯେତେଦିନ ଚାହିଁବି ରହିପାରିବି । ଲୋକଙ୍କୁ ଭେଟିବାକୁ ବି ସୁବିଧା ହେବ ଏଠାରେ । ଆଖ ପାଖରେ କିଛି ହୋଟେଲ ଥିଲା ଯେଉଁଠି ଯାଇ ମୁଁ ଖିଆ ପିଆ କରିପାରିବି । ସବୁଠାରୁ ବଡ଼ କଥା ହେଲା ଯେ ମତେ ମାଗଣାରେ ରହିବାର ସୁବିଧା ମିଳିବ । ଏ ସବୁ ବ୍ୟତୀତ ଆଉ ଗୋଟିଏ ବଡ଼ ଆକର୍ଷଣ ଥିଲା ଠିକ ଘର ପଛରେ ସମୁଦ୍ର, ଯାହା କୂଳରେ ମୁଁ ଯେତେବେଳେ ଚାହିଁବି ଯାଇ ସହଜରେ

ଚଲାବୁଲା କରିପାରିବି । ଏ ସବୁର ଏକମାତ୍ର ନକାରାତ୍ମକ ଦିଗ ଥିଲା ଘରଟିର ଭୂତ କୋଠି ଭଳି ପରିବେଶ । ପୁରୀ ସମୁଦ୍ର କୂଳରେ ପୁରୁଣା ଘରସବୁ ଅଶରୀରୀ ଜୀବମାନଙ୍କର ଆସ୍ଥାନ ଭାବରେ ବିଖ୍ୟାତ ଥିଲେ, ଏବଂ ମତେ ଜଣା ଯାଉଥିଲା ଏ ଘରଟି ଯେପରି ଥିଲା ସେମାନଙ୍କର ସ୍ଥାୟୀ ବସବାସ କରିବାର ଗୋଟିଏ ଆଦର୍ଶ ଠିକଣା । ଏଭଳି ଦୋଦୋପାଞ୍ଚ ସ୍ଥିତିରେ ଥିଲାବେଳେ ମତେ ମନେ ହେଲା ମୋ ପଛରେ କିଏ ଜଣେ ଠିଆ ହୋଇ ମତେ କହୁଛି, ରହିଯାଅ ! ମୁଁ ଆଉ କିଛି ଚିନ୍ତା କରିବା ଆଗରୁ ମୋ ପାଟିରୁ ବାହାରି ଗଲା, ଠିକ ଅଛି; ମତେ ଘରର ଚାବି ଦେଇଦିଆ । ପୁରୀ ଆସିଲେ ମୁଁ ଏଇଠି ରହିବି ।

 ମାଳି ଆସି ଚା ଗ୍ଲାସ ଉଠାଉ ଉଠାଉ କହିଲା, ଚାଲନ୍ତୁ ଶୀଘ୍ର ବାହାରି ଯିବା । ଏଥରକ ପୂରା ବିଜୁଳି ଚାଲିଯିବ ଘଣ୍ଟାକ ପାଇଁ ! ଆମେ ଉଠି ଠିଆ ହେଲୁ । ମାଳି ଯାଇ କୋଠରୀର ଆଲୁଅ ଲିଭାଇ ଦେଲା । ବାହାରକୁ ଆସି ରବିନ କବାଟରେ ତାଲା ଲଗାଇଲା ଓ ମୋ ହାତକୁ ଚାବିଟି ବଢ଼ାଇ ଦେଲା । ଆମେ ଘର ବାହାରକୁ ଆସି ରାସ୍ତା ଉପରେ ତାଙ୍କ ଗାଡ଼ି ପାଖରେ ଠିଆ ହୋଇଛୁ, ସତକୁ ସତ ବିଜୁଳି ଚାଲିଗଲା ।

 ଠିକ ହେଲା ଯେ ମୁଁ ପରଦିନ ସକାଳେ ହୋଟେଲରୁ ମୋର ଜିନିଷପତ୍ର ନେଇ ଏଠିକି ଆସିବି । ସେତେବେଳକୁ ମାଳି ଆସି ଅପେକ୍ଷା କରୁଥିବ ଓ ମତେ ସେଠାରେ ରହିବାର ସୁବିଧା ଅସୁବିଧା ବୁଝାଇଦେବ । ଆମେ ମାଳିକୁ ଛାଡ଼ି ଗାଡ଼ିରେ ବସି ମୋ ହୋଟେଲ ଆଡ଼କୁ ଯିବାବେଳେ ମୁଁ ପଛକୁ ବୁଲି ଘରଟି ଆଡ଼କୁ ଅନାଇଲି । ମଳିନ ଜହ୍ନ ଆଲୁଅରେ ସେଇଟି ସତରେ ଗୋଟିଏ ଯଥାଯଥ ଭୂତକୋଠି ଭଳି ଦେଖା ଯାଉଥିଲା; କିମ୍ବା ଗୋଟିଏ ଅତିକାୟ ରାକ୍ଷସର ବିରାଟ ମୁହଁ, ଯାହାର ସାମନାରେ ଅବା କାଚ ଝରକାରେ କିଭଳି କେଉଁ ଦିଗରୁ ଜହ୍ନ ଆଲୁଅ ପଡ଼ି ଦେଖା ଯାଉଥିଲା ଯେପରି ତାର ଦୁଇଟି ସମତୁଲ ଆଖି !

 ସେହି ଦିନଠାରୁ ମୁଁ ପୁରୀ ଆସିଲେ ସେ ଘରେ ରହିବାରେ ଲାଗିଲି । ମାଳି ଏ ଭିତରେ ଘରଟିକୁ ଝାଡ଼ପୋଛ କରି କିଛି ଠିକଠାକ କରି ଦେଇଥିଲା । ଗୋଟିଏ ଇଲେକଟ୍ରିକ କେଟଲି କିଣି ମୁଁ ରୋଷାଇ ଘରେ ମୋର ଚା ତିଆରି କରି ପାରୁଥଲି; ତେବେ ଖାଇବା ପିଇବା କରୁଥୁଲି ଯାଇ ପାଖରେ ଅବା ବିଭିନ୍ନ ହୋଟେଲରେ । ପୁରୀରେ ରହିବା ଦିନମାନଙ୍କରେ ମୋର କାମ ଥିଲା ସକାଳବେଳା ବାହାରି ଚିତ୍ରକାର ସାହିକୁ ଯାଇ ସେଠାରେ ନୂଆ ପୁରୁଣା ଶିଳ୍ପୀଙ୍କୁ ଭେଟିବା, ପୁଣି ମନ୍ଦିର ଭିତରକୁ ଯାଇ ସେଠାରେ ଦେଉଳ କରଣ ପରିଚ୍ଛା ତଢ଼ାଉ ଇତ୍ୟାଦି ବିଭିନ୍ନ ଛତିଶା ନିଯୋଗ ସେବକଙ୍କ ସାଙ୍ଗରେ କଥାବାର୍ଭା କରି ସେମାନଙ୍କଠାରୁ ତଥ୍ୟ ନେବା, ମୁକ୍ତିମଣ୍ଡପ ସଭାର ପଣ୍ଡିତଙ୍କ ପଛରେ ଲାଗି ତାଙ୍କର

କାଗଜପତ୍ର ଦେଖିବା ଇତ୍ୟାଦି । ମୁଁ ଯିବା ଆସିବା ପାଇଁ ରିକ୍ସା ବ୍ୟବହାର କହୁଥୁଲି । ପ୍ରଥମେ ପ୍ରଥମେ ରିକ୍ସା ନେଇ ମନ୍ଦିର ପାଖରେ କି ସାହି ଭିତରେ ଓହ୍ଲାଇ ଯାଉଥଲି, କିନ୍ତୁ ସମସ୍ୟା ହେଉଥିଲା ମୋର କ୍ୟାମେରାକୁ ନେଇ, କାରଣ ମନ୍ଦିର ଭିତରକୁ କ୍ୟାମେରା ନିଷିଦ୍ଧ ଥିବାରୁ ତାକୁ କାହା ପାଖରେ ରଖି ଦେବାକୁ ହେଉଥିଲା । ବେଳେ ବେଳେ ମୁଁ ଯଦି ଘରୁ ବାହାରିବା ବେଳେ ମୋର ବେଲଟ୍ ଖୋଲି ରଖିବାକୁ ଭୁଲି ଯାଉଥିଲି, ତା ମଧ୍ୟ ସମସ୍ୟା ଉପୁଜାଉଥିଲା ! ସେଥିପାଇଁ ମୁଁ ଏଥର ପୂରା ସକାଳ ଓଳି ପାଇଁ ଗୋଟିଏ ରିକ୍ସା ଠିକ କଲି । ଧଡ଼ିଆ ସକାଳୁ ସକାଳୁ ତାର ରିକ୍ସା ନେଇ ଆସି ପହଞ୍ଚି ଯାଉଥିଲା, ମୁଁ ତା ସାଙ୍ଗରେ ଯାଇ ପ୍ରଥମେ କୋଉ ଜାଗାରେ ଜଳଖିଆ ଖାଇ ମୋ କାମରେ ବାହାରୁ ଥିଲି । ମନ୍ଦିର ଭିତରକୁ ଗଲେ ତା ରିକ୍ସାରେ କ୍ୟାମେରା ଓ ବେଲଟ ଛାଡ଼ି ଯାଉଥିଲି ଓ ଖରାବେଳେ ଖାଇସାରି ତାରି ରିକ୍ସାରେ ଘରକୁ ଫେରି ଆସୁଥିଲି ।

ପୁରୀରେ ମୁଁ ବିଭିନ୍ନ ସମୟରେ ରହିଥୁଲି ଏବଂ ମତେ ଲାଗୁଥୁଲା ଏ ସହରରେ ଯେ କୌଣସି ରତୁରେ ଖରାବେଳ- କିମ୍ବା ଯେ କୌଣସି ବେଳା- ଶୋଇବା ପାଇଁ ଏକ ପ୍ରକୃଷ୍ଟ ସମୟ । ଏଠାର ଜୀବନ ଅତି ଧୀର ଗତିରେ ଚାଲୁଥିଲା । କିଏ ଯଦି ମୋ ପାଖକୁ ସକାଳ ବେଳା ଆସି ଦେଖା କରିବାକୁ କହୁଥିଲା, ଆସି ପହଞ୍ଚୁଥିଲା ସଂଜବେଳେ, କୋଉ ଗୋଟାଏ ପୁରୁଣା କାଗଜ ଦେଖିବାକୁ ଯାଇ ପରିଛାଙ୍କ ଘରେ ପହଞ୍ଚି ତାଙ୍କ ପିଣ୍ଡାରେ ବସିବାର ଘଣ୍ଟାଏ ପରେ ସେ ବାହାରୁଥିଲେ, ଏବଂ ମତେ ଦେଖିବା ପରେ କାଗଜଟି ଆଣିବାକୁ ଭିତରକୁ ଯାଇ ପୁଣି ବାହାରୁଥିଲେ ଆଉ ଘଣ୍ଟାଏ ପରେ । ଗୁରୁବାର, ଏକାଦଶୀ ଇତ୍ୟାଦି ଆଳରେ ଅଧିକାଂଶ ଦିନ କେହି କିଛି କରିବାକୁ ପ୍ରସ୍ତୁତ ନ ଥିଲେ । ଖରାବେଳେ ମନ୍ଦିର ଭିତରେ ସବୁ କିଛି ଆହୁରି ମନ୍ଥର ଗତିରେ ଚାଲୁଥିଲା । ଯାତ୍ରୀ ପଣ୍ଡା ପୁରୋହିତ ସମସ୍ତେ ନିରୁତ୍ସାହ ଜଣା ପଡ଼ୁଥିଲେ, ଯେପରି ଏକ ଅଦ୍ଭୁତ ଆଳସ୍ୟ ସମସ୍ତଙ୍କୁ ଗ୍ରାସ କରି ଦେଇଛି, ଏପରି କି ଗର୍ଭ ଗୃହର ଦେବ ଦେବୀଙ୍କୁ ମଧ୍ୟ । ଅଧିକାଂଶ ସମୟରେ ମୋ କାମ ପାଇଁ କେହି ମିଳୁ ନ ଥିବାରୁ ମୁଁ ଯାଇ ମନ୍ଦିର ଭିତରେ ମୁକ୍ତିମଣ୍ଡପ ପାଖ ପାହାଚ ଉପରେ ବସୁଥିଲି । ଯେତେବେଳେ ମନ୍ଦିରର ଭିତର କବାଟ ଖୋଲା ହେଉଥିଲା, ମୋର ଚିହ୍ନା ପଣ୍ଡା ମତେ ଟାଣି ନେଇ ରତ୍ନବେଦୀ ପରିକ୍ରମା କରାଇ ଦେଉଥିଲା । ଏପରି ଭାବରେ ମୋର କାମର ଯାହା ହେଉ ନ ହେଉ, ପୁରୀରେ ରହିବା ଭିତରେ ମୋର ଅନେକ ପୁଣ୍ୟ ଅର୍ଜନ ହୋଇଥିଲା ନିଶ୍ଚୟ ।

ଖରାବେଳେ ଖାଇ ପିଇ ସାରି ଘରକୁ ଫେରି ମୁଁ ଧଡ଼ିଆକୁ ଛାଡ଼ି ଦେଉଥଲି ଏବଂ ଶୋଇଯାଉଥଲି । ନିଦ ଭାଙ୍ଗିଲା ବେଳକୁ ପାଗ ସାମାନ୍ୟ ଆରାମଦାୟକ ହୋଇ ଯାଉଥିଲା
ଓ ମୁଁ ସମୁଦ୍ରକୂଳକୁ ବୁଲିବାକୁ ବାହାରୁଥିଲି । ପୁରୀରେ ରହୁଥିବା ଦିନମାନଙ୍କରେ ଏଇ ବେଳାଭୂମିରେ କଟାଇଥିବା ସମୟ ସବୁ ଥିଲା ମୋ ପାଇଁ ସବୁଠାରୁ ବେଶି ମନେ ରଖିବାର ! ମୁଁ ଅନେକ ଦିନ ସକାଳେ ବି ଯାଉଥିଲି ସମୁଦ୍ର କୂଳକୁ । ବାଲି ଉପରେ ଖାଲି ପାଦରେ ଚାଲିବାର ଏକ ଅପୂର୍ବ ଆନନ୍ଦ ଥିଲା । ଦିଗବଳୟରେ ମିଶି ଯାଇଥିବା ଜଳରାଶିକୁ ଅନାଇବା, ଉଦ୍‌ବେଳ ଲହରୀ ଓ ସଜଗ ଝାଉଁଗଛର ଆତୁରତାକୁ ଶୁଣିବା, ଅସ୍ଥିର ଲବଣାକ୍ତ ପବନକୁ ଓ୦ରେ ଛୁଇଁବାର ପୁଲକ ଆଜି ବି ମନେ ପଡ଼ିଲେ ମୋ ଦେହ ମନରେ ଶିହରଣ ଆଣିଦିଏ ।

ସଂକବେଳେ ସମୁଦ୍ର କୂଳରେ ବୁଲିବା ବେଳେ ମୋର ପ୍ରତିଦିନ ନିଶ୍ଚୟ ଭେଟ ହେଉଥିଲା ଚିତ୍ରକାର ସାହିର ବାନାମ୍ବର ମହାରଣା ସହିତ । ସେ ଗୋଟିଏ ଥଳିରେ ତାର ପଟଚିତ୍ର ଓ ମୁଖା ଧରି ବୁଲୁଥିଲା ଗ୍ରାହକ ଖୋଜି । କେତେବେଳେ ସେ ବାଲି ଉପରେ ତା ଗାମୁଛା ପକାଇ ତା ଉପରେ ଚିତ୍ର ଓ ମୁଖା ସଜାଇ ରଖିଥିଲା ଏବଂ ତା ଚାରିପାଖେ ଆସି କିଛି ଦେଶୀ ବିଦେଶୀ ପର୍ଯ୍ୟଟକ ଜମା ହୋଇ ଯାଉଥିଲେ । କିଛି ବିକ୍ରି ପରେ ଲୋକ କମିଗଲେ ସେ ପୁଣି ତାର ଜିନିଷ ପତ୍ରକୁ ଗୋଟାଇ ହାତରେ ଗୋଟିଏ ଚିତ୍ର ଓ ମୁଖା ଧରି ସମୁଦ୍ର କୂଳରେ ବୁଲୁଥଲା । ମୁଁ ଏଇ ସମୟରେ ତା ସହିତ ଯୋଗ ଦେଉଥିଲି, ମୋର ନିଜର ସ୍ୱାର୍ଥ ପାଇଁ । ଜଣେ ଏକ ନିଷ୍ଠ ଗବେଷକ ଭାବରେ ତା ସହିତ କଥାବାର୍ତ୍ତା କରି ମୁଁ ଚେଷ୍ଟା କରୁଥିଲି ତା ପାଖରୁ ମୋର କାମ ପାଇଁ ଯେତେ ସମ୍ଭବ ତଥ୍ୟ ସଂଗ୍ରହ କରିବି । ବାନା ଜଣେ ସରଳ ପ୍ରକୃତିର ଓ ମେଳାପୀ ଯୁବକ ଥିଲା ଏବଂ ଅଳ୍ପଦିନରେ ଆମ ଭିତରେ ଏକ ସୌହାର୍ଦ୍ଦ୍ୟ ଗଢ଼ି ଉଠିଥିଲା ।

ସମୁଦ୍ର କୂଳ ଯେତେବେଳେ ଅନ୍ଧାର ହୋଇ ଯାଉଥିଲା ଓ ଆଉ ମୁହଁକୁ ମୁହଁ ଦେଖା ଯାଉ ନ ଥିଲା, ମୁଁ ଘରକୁ ଫେରୁଥିଲି । ମିଂଜିମିଂଜି ଆଲୁଅ ଜଳୁଥୁବା ଘରଟି ମତେ ଆଦୌ ସହୃଦୟ ଜଣା ପଡ଼ୁ ନ ଥିଲା ଏବଂ ମୁଁ ଅତି ଚଞ୍ଚଳ ଗାଧୋଇ ପାଧୋଇ ପୁଣି ବାହାରକୁ ଆସୁଥିଲି । ସେ ସମୟରେ ପୁରୀରେ ବେଶୀ କିଛି ଭଲ ଖାଇବା ଜାଗା ନ ଥିଲା, ତଥାପି ମୁଁ ଖୋଜୁଥିଲି ଆଉ କେଉଁଠି କିଛି ଭଲ ଜାଗା ଥିବ ବୋଲି । ଅନେକ ଦିନ ଆଉ କେଉଁଆଡ଼େ ନ ଯାଇ ମୁଁ ସିଧା ଯାଇ ରେଲୱେ ହୋଟେଲରେ ପହଞ୍ଚି ସେଠାରେ ବାରରେ ସମୟ କଟାଉଥିଲି ।

ସମସ୍ୟା ଉପୁଜୁଥିଲା ରାତିରେ ଖାଇସାରି ଘରକୁ ଫେରିବା ବେଳେ । ପ୍ରଥମ ପହର ବେଳକୁ ହିଁ ମୋର ଫେରିବା ରାସ୍ତା ପ୍ରାୟ ଶୁନଶାନ ହୋଇ ଯାଉଥିଲା । କାଁ ଭାଁ ଲୋକ ବା ରିକ୍ସା ଯିବା ଆସିବା କରୁଥିଲେ ଏ ରାସ୍ତାରେ । ରାସ୍ତାର ଆଲୁଆ ଅଧିକାଂଶ ସମୟରେ ଖରାପ ଥିବାରୁ ଅଥବା ଅତି ନିଷ୍ପ୍ରଭ ଭାବରେ ଜଳୁଥିବାରୁ ବାଟ ଠିକ ଦେଖା ଯାଉ ନଥିଲା ଏବଂ ଅତି ସତର୍କତାର ସହିତ ପାଦ ପକାଇବାକୁ ହେଉଥିଲା । ଥରେ ଥରେ ମୁଁ ମୋ ଘର ପାରି ହୋଇ ଆଗକୁ ଚାଲି ଯାଉଥିଲି ଓ ପୁଣି ପଛକୁ ଫେରୁଥଲି । ଅବଶ୍ୟ ପରେ ମୁଁ ଭାବି ଦେଖୁଥିଲି ଯେ ଏହାର କାରଣ ଥିଲା ମୋର ଘରକୁ ଫେରିବାର ଭୟ ।

ରାସ୍ତାରୁ ଆସୁଥବା ସାମାନ୍ୟ ଆଲୁଅରେ ଘରର ଫଟକ ଖୋଲି ମୁଁ ଭିତରକୁ ଯାଉଥଲି ଓ ସାମନା ଦରଜାର ତାଲା ଖୋଲୁଥିଲି । ଭିତରକୁ ପଶିଲେ ହିଁ ବାଁ ପାଖରେ ସୁଇଚ ବୋର୍ଡ ଥିଲା, ତାକୁ ମୁଁ ଜଳାଉ ଥିଲି । ବସିବା ଘର ଆଲୋକିତ ହେଲେ ମୋର ଆଖି ସିଧା ଯାଉଥିଲା, ଡାହାଣ ପାଖରେ ଉଠି ଯାଇଥିବା ସିଡି ଆଡକୁ, ଯେଉଁଟି ଉପରକୁ ଯାଇ ମିଶି ଯାଉଥିଲା କେଉଁ ରହସ୍ୟର ଆହୁରି ଅନ୍ଧାରରେ । ତା ପରେ ମୁଁ ଶୋଇବା ଘରର ବତୀ ଜାଳି ତା ଭିତରକୁ ପଶୁଥିଲି; ପୁଣି ଆସି ବସିବା ଘରର ବତୀ ବନ୍ଦ କରୁଥିଲି ! ଏ ସବୁ ସାଧାରଣ କାମ ମୋ ପାଇଁ ଥିଲା ଗୋଟିଏ ଗୋଟିଏ ସୁଚିନ୍ତିତ ପଦକ୍ଷେପ ଭଳି ।

ମୁଁ ଟେବୁଲ ଉପରେ ମୋର ସେ ଦିନର କାଗଜ ପତ୍ର ସଜାଡ଼ି ଲେଖାଲେଖି କରିବା ପାଇଁ ବସି ଯାଉଥିଲି । ଏଇ ସମୟଟି ଥିଲା ମୋ ପାଇଁ ସବୁଠାରୁ ଆନନ୍ଦଦାୟକ । ନୋଟଖାତା ବନ୍ଦ କରିବା ପରେ ଦିନଟିରେ କିଛି କାମ କରିଥୁବାର ଆନନ୍ଦ ସହିତ ମୁଁ ବସି ବସି ଚିଠି ଲେଖୁଥିଲି । ଚିଠି ଲେଖିବା ମୋ ପାଇଁ ଏଇ ଦିନମାନଙ୍କରେ ନିଶା ଭଳି ହୋଇ ଯାଇଥିଲା । ଯାହା ସହିତ ଅନେକ ଦିନ କୌଣସି ସଂପର୍କ ନ ଥିଲା, ତା ସହିତ ଚିଠି ଲେଖି ପୁଣି ସଂପର୍କ ଯୋଡ଼ିବାର ଇଚ୍ଛା ହେଉଥିଲା ଏଇ ସମୟରେ । ସେ ଘରେ ଅବଶ୍ୟ ବାହାର ସହିତ ଯୋଗାଯୋଗ କରିବା ପାଇଁ ଗୋଟିଏ ଟେଲିଫୋନ ଥିଲା, କିନ୍ତୁ ଅଧିକାଂଶ ସମୟରେ ଏଇଟି କାମ କରୁ ନ ଥିଲା । ମୁଁ ଟେବୁଲ ପାଖରେ ବସିଥିବା ବେଳେ ଅନେକ ସମୟରେ ଭାବୁଥିଲି ମୋର ଚିଠି ଲେଖା ନ ସରନ୍ତା କି !

ସମସ୍ୟା ଉପୁଜୁଥିଲା ଟେବୁଲ ଉପରର ବତୀ ଲିଭାଇ ଦି ପାଦ ଦୂରରେ ଥିବା ମୋର ବିଛଣା ପାଖକୁ ଯିବା । ତା ଆଗରୁ ମୁଁ ଥରେ ଥରେ ଆଖି ବୁଲାଇ ଦେଖି ଦେଉଥଲି ଘରର କବାଟ ସବୁ ଠିକ ଭାବେ ବନ୍ଦ ଅଛି କି ନାହିଁ । କିନ୍ତୁ ବତୀ ଲିଭାଇବା ପରେ ମୋ ଛାତିରେ ଯେଉଁ ଭୟ ଉପୁଜୁଥିଲା, ତାର କୌଣସି ତୁଳନା ନାହିଁ । ବିଛଣା ଉପରେ ଗରମରେ ନିଜକୁ ଚାଦରରେ ଘୋଡ଼ାଇ ଶୋଇବା ପରେ ବି ମୋର ହୃତପିଣ୍ଡରେ ହାତୁଡ଼ି ପଡ଼ୁଥିଲା । ଯଦିଓ ମୁଁ ଝରକା ବି ବନ୍ଦ ରଖୁଥିଲି, ସମୁଦ୍ର ଲହରୀ ଓ ଝାଉଁ ଗଛର କାନ୍ଦ କାନ୍ଦ ଶବ୍ଦ ଅନ୍ଧାର ଘର ଦେଇ ମୋ ଛାତି ଭିତରକୁ ପଶି ଆସୁଥିଲା । ଦିନେ ଦିନେ ଏ ସବୁ ଭୟ ଉପୁଜାଉଥୁବା ଶବ୍ଦ ସହିତ ମିଶି ଯାଉଥିଲା ବର୍ଷାର ରୁମଝୁମ ତାଳ ଦେଉଥୁବା ଅଲୌକିକ ସଂଗୀତ ।

ମୁଁ ଏତେ ସମୟ ଯୋଉ କଥା କହିବାକୁ ଟାଳି ଚାଲିଛି, ବର୍ତ୍ତମାନ କହିଦେବା
ପ୍ରାସଂଗିକ ହେବ ଯେ ଯଦିଓ ମୁଁ ଈଶ୍ୱର ଦେବଦେବୀ ଭୂତପ୍ରେତଙ୍କୁ ବିଶ୍ୱାସ ବା ଭୟ କରୁନଥିଲି, ମୁଁ ପ୍ରକୃତରେ ଭୟକୁ ହିଁ ଭୟ କରୁଥିଲି । ଅନ୍ଧାର ହେବା ମାତ୍ରେ ଏକ ଅଶରୀରୀ ଭୟ ମତେ ଆଚ୍ଛନ୍ନ କରି ଦେଉଥିଲା ଏବଂ ଯଦିଓ ମୁଁ ଜାଣୁଥିଲି ଯେ ମୋର ଏଇ ବନ୍ଦ କୋଠରୀ ଭିତରେ ମୋ ବ୍ୟତୀତ ଆଉ କେହି କୁଆଡ଼େ ନାହାନ୍ତି, ମୁଁ ମୋର ଛାତି ଭିତରେ ହୃତ୍ ସୃନ୍ଦନର କ୍ଷିପ୍ରତାକୁ ବନ୍ଦ କରିପାରୁ ନଥିଲି । ପ୍ରତିଟି ରାତିରେ ଏଇ ଭୟର ପୁନରାବୃରି ହେଉଥଲା । ପ୍ରତିଦିନ ତ୍ରାସର ମୁହୂର୍ତ୍ତକୁ ଏଡ଼ାଇବା ପାଇଁ ମୁଁ ଯେତେ ସମ୍ଭବ ଡେରିରେ ଘରକୁ ଫେରୁଥିଲି ଏବଂ ଅନେକ ଦିନ ନିଜର ସାହସ ବଢ଼ାଇବା ପାଇଁ ମଦ୍ୟପାନ କରୁଥିଲି । ମୁଁ ନିଜକୁ ବୁଝାଉଥିଲି- ଯଦିଓ ମୋର ସଂପୂର୍ଣ୍ଣ ତର୍କବୁଦ୍ଧିସଂପନ୍ନ ମନକୁ ଏକଥା ବୁଝାଇବାର ଆଦୌ ଆବଶ୍ୟକତା ନ ଥିଲା- ଯେ ମୋର ସବୁ ଆଶଂକା ଅମୂଳକ ; ରାତିରେ କିନ୍ତୁ ଘରକୁ ଫେରିବା ବେଳକୁ ଭୟ ଯେପରି ଦୁଆର ବନ୍ଧ ଆରପାଖେ ମୋ ପାଇଁ ବିରକ୍ତିର ସହ ଅପେକ୍ଷା କରି ରହୁଥିଲା ଏବଂ ଭିତରକୁ ପଶିଲା ମାତ୍ରେ ମତେ ଆୟତ୍ତ କରି ନେଉଥିଲା ।

ଏଇ ଘରଟି ବର୍ତ୍ତମାନ ମୋ ପାଇଁ ହୋଇ ଯାଇଥିଲା ଏକ ଯୁଦ୍ଧ ଡାକରା । ମୁଁ ଇଚ୍ଛା କରିଥିଲେ ଏଇଟିକୁ ଛାଡ଼ି ଦେଇ ପାରିଥାନ୍ତି । କିମ୍ବା ମାଳିକୁ କହିଥାନ୍ତି ରାତିରେ ଆସି ଏଠାରେ ଶୋଇବା ପାଇଁ । କିମ୍ବା ଖଟ ପାଖରେ ଆଉ ଗୋଟିଏ ଲ୍ୟାମ୍ପ ଲଗାଇ ତାକୁ ରାତି ସାରା ଜଳାଇ ରଖିଥାନ୍ତି । କିନ୍ତୁ ଏ ସବୁ ହୋଇଥାନ୍ତା ମୋ ପାଇଁ ହାର ମାନିନେବା । ମୁଁ ଚାହୁଁଥିଲି ଏଇ ଘରେ ସେଇ ନ ଥିବା ଅଶରୀରୀ ଉପସ୍ଥିତିକୁ ସଂପୂର୍ଣ୍ଣ ଅବଜ୍ଞା କରି ସାଧାରଣ ଭାବରେ ସେଠାରେ ସମୟ କଟାଇବା ପାଇଁ ।

ଦିନେ ଉପରବେଳା ସମୁଦ୍ର କୂଳରେ ବୁଲିବା ବେଳେ ମୁଁ ବାନା ମହାରଣାକୁ ମୋ ଭୟ କଥା କହିଲି । ସେତେବେଳେ ଆମେ ଦୁହେଁ ବାଲି ଉପରେ ଚାଲୁଥିଲୁ । ମୋ କଥା ଶୁଣି ବାନା ମୁହୁର୍ତ୍ତ ଛିଡ଼ା ହୋଇଗଲା, ଆଖି ବନ୍ଦ କରି ମନେ ମନେ କଣ ପଢ଼ିଲା ଏବଂ ଛାତିକୁ ଛେପ ପକାଇଲା । କହିଲା, ଆପଣ ସେ ଘରେ ରହୁଛନ୍ତି ଜାଣି ମୁଁ ଅନେକ ଦିନରୁ ଆପଣଙ୍କୁ କହିବି କହିବି ଭାବୁଥୁଲି । ସେ ଘରେ ଜଣେ ଗୋରା ସାହିବ ନିଜ ଗଳା କାଟି ମରିଥିଲା । ମୁଁ କେବେ କେବେ କାହା ଘର ଭିତରକୁ ଯାଇ ପଟଚିତ୍ର ବିକ୍ରି କରେ, କିନ୍ତୁ କେବେହେଲେ ସେ ଘରର ପାଖ ମାଡ଼ି ନାହିଁ ।

ମୁଁ ମଧ୍ୟ ଏଇ ଗୋରା ସାହେବ କଥା ଶୁଣିଥିଲି । କିନ୍ତୁ ଏ କାହାଣୀକୁ ବିଭିନ୍ନ ଘର ସହିତ ଯୋଡ଼ି କୁହାଯାଉଥିଲା । ଶହେ ବର୍ଷ ତଳେ ସତରେ ପୁରୀରେ କୋଉ ଇଂରେଜ ମାଜିଷ୍ଟ୍ରେଟ ନିଜର ଖିଅର ହେବା କ୍ଷୁରରେ ଗଳା କାଟି ଆତ୍ମହତ୍ୟା କରିଥିଲା, ଏବଂ ବର୍ତ୍ତମାନ ଏହି ଘଟଣାଟି ନାନା ଭୁତକୋଠିର କିମ୍ବଦନ୍ତୀକୁ ଏକ ଐତିହାସିକ ଓ ରୋମାଞ୍ଚକର ରୂପ ଦେଇଥିଲା । ମୁଁ ବାନାକୁ ଏ କଥା କହିବାକୁ ଯାଉଛି ସେ କହିଲା, ଚାଲନ୍ତୁ ଏବେ ଯାଇ ଆପଣଙ୍କ ଘର ଦେଖିବା ।

ଦିନବେଳେ ମତେ କେବେ ହେଲେ ଏ ଘରକୁ ଭୟ ଲାଗୁ ନ ଥିଲା । କିନ୍ତୁ ଆଜି ବାନାର କଥା ଶୁଣିବା ପରେ ଏବଂ ସେ ମୋ ସାଙ୍ଗରେ ଥିଲେ ମଧ୍ୟ କେଜାଣି କାହିଁକି ଘରର କବାଟ ଖୋଲି ଭିତରକୁ ପଶିବା ବେଳକୁ ମତେ ଛମ ଛମ ଲାଗିଲା । ମୁଁ ଘରର ସବୁ କବାଟ ଝରକା ଖୋଲି ଘରକୁ ଆଲୁଅ କଲି । ବାନା କୋଠରୀକୁ ଯାଇ ବୁଲି ଦେଖିଲା ଓ ବସିବା ଘର ଚଟାଣରେ ବସିଯାଇ ତାର ଗଣ୍ଡିଲି ଖୋଲିଲା । ତା ଭିତରୁ ସେ ତିନୋଟି ମୁଖାର ଗୋଟିଏ ସେଟ ବାହାର କରି ମତେ ଦେଇ କହିଲା, ଏଇଟିକୁ କାନ୍ଥରେ ଟାଙ୍ଗି ଦେଲେ ଘରୁ ଭୂତ ପ୍ରେତ ସବୁ ପଳାଇ ଯିବେ ; ଖାଲି ଶୋଇବା ଆଗରୁ ଆପଣ ଏ ମୂର୍ତ୍ତିଙ୍କୁ ଥରେ ନମସ୍କାର କରିଦେବେ ।

ମୁଁ ସେତେବେଳକୁ ବାନା ପାଖରୁ ଅନେକ ଚିତ୍ର କିଣି ସାରିଥଲି । ଭାବିଲି ଏଇଟି ବୋଧହୁଏ ମତେ ତାର ଆଉ କିଛି ଜିନିଷ ବିକ୍ରି କରିବାର ଫନ୍ଦି । ମତେ ଟିକିଏ ଦୋଦୋପାଞ୍ଚ ହେଉଥିବାର ଦେଖି ସେ ମୋର ମନ କଥା ବୁଝିପାରିଲା ଯେମିତି ; କହିଲା, ତିନି ମୁଖା ଦରକାର ନାହିଁ, ଗୋଟିଏ ହେଲେ ଚଳିବ । ସେ ଏଥରକ ତା ମୁଣିରୁ ଗୋଟିଏ ସୁଭଦ୍ରା ମୁଖା ବାହାର କଲା । କହିଲା, ସୁଭଦ୍ରା ଠାକୁରାଣୀ ଯେମିତି ଶ୍ରୀମନ୍ଦିରକୁ ଜଗିଛନ୍ତି, ସେମିତି ଆପଣଙ୍କ ଘରକୁ ଜଗିବେ । ସେ ଯାଇ ମୁଖାଟିକୁ ଟାଙ୍ଗିଦେଲା ପଢ଼ା ଟେବୁଲ କାନ୍ଥ ଉପରେ ଥିବା କଣ୍ଟାରେ ଏବଂ ଘୁଞ୍ଚି ଆସି ତାକୁ ନମସ୍କାର କଲା । ଏଥରକ ଆଉ ଆପଣଙ୍କର କିଛି ଡର ଭୟ ନାହିଁ, କହିଲା ବାନା । ମୁଁ ତାକୁ ମୁଖାଟି ପାଇଁ ପଇସା ଯାଚିଲି, କିନ୍ତୁ ସେ ନେଲା ନାହିଁ ।

ଏପରି ଭାବେ ମୋର ଭୂତକୋଠିର ଗୋଟିଏ ରକ୍ଷାକବଚ ଶୋଭା ପାଇଲା ଏବଂ ମୁଁ କେବେହେଲେ କୌଣସି ଦେବଦେବୀଙ୍କୁ ଭକ୍ତି ବା ନମସ୍କାର ନ କରୁଥିବା ବେଳେ ରାତିରେ ଶୋଇବା ସମୟରେ ନିଶ୍ଚିତ ଭାବରେ ଏଇ ମୁଖାଟି ଆଗରେ ହାତ ଯୋଡୁଥୁଲି, ଯଦିଓ ତା ଦ୍ୱାରା ମୋର ଭୟର କୌଣସି ଉପଶମ ହେଉ ନଥିଲା । ଆଗ ଭଳି ମୋର ପ୍ରତିଟି ରାତି ଘର ଭିତରକୁ ପଶି ବିଛଣାକୁ ଯାଇ ନିଜର ଶୋଇ ପଡ଼ିବା ପର୍ଯ୍ୟନ୍ତ ଅତି ବିପନ୍ନ ଅବସ୍ଥାରେ କଟୁଥିଲା । ଏବଂ ଏଇଟି ଥିଲା ମୋର ତର୍କସିଦ୍ଧି, ବୈଜ୍ଞାନିକ ମତି ଓ ଆତ୍ମପ୍ରତ୍ୟୟର ଦୈନନ୍ଦିନ ଅଗ୍ନିପରୀକ୍ଷା ଯେଉଁଥିରେ ମୁଁ ହାରି ଯାଉଥଲି ପ୍ରତିଟି ଥର । ଦିନେ ଖରାବେଳେ ମୁଁ ନିଜର ଭୟ ଭାଙ୍ଗିବା ପାଇଁ ବସିବା ଘରର ସିଡ଼ିରେ ଉପରକୁ ଯିବା ପାଇଁ ପାଦ ଦେଲି, କିନ୍ତୁ ଏଇ ସମୟରେ ଉପର କୋଠରୀରେ ମତେ କାହାର ପାଦଶବ୍ଦ
ଶୁଭିଲା ଏବଂ ମୁଁ ଦି ଧାପ ଯାଇ ପୁଣି ତଳକୁ ଓହ୍ଲାଇ ଭୂତ ପାଖରେ ହାର ମାନିନେଲି ।

କାନ୍ଥରେ ସୁଭଦ୍ରା ମୁଖା ଲଗାଇବାର ଅଳ୍ପଦିନ ଭିତରେ ହିଁ ମନ୍ଦିର ସେବକ ଦତ୍ତମହାପାତ୍ର ମତେ ପ୍ରତିରକ୍ଷାର ଆଉ ଗୋଟିଏ ଆୟୁଧ ଆଣି ଦେଲେ : ଜଗନ୍ନାଥ ମୂର୍ତ୍ତିରୁ ଓହ୍ଲାଇ ଦିଆ ଯାଇଥିବା ମୋଟା ହଳଦିଆ ସୂତାର ମାଳା । ମୂର୍ତ୍ତିମାନଙ୍କର ବନକଲାଗି ବା ରଂଗ ଲଗାଇବା କାମ କରୁଥିବା ଏହି ସେବକ ମଧ୍ୟ ଏ ଭିତରେ ମୋର ଜଣାଶୁଣା ହୋଇ ଯାଇଥିଲେ ଏବଂ ମତେ ଏଇ ମାଳାଟି ଦେବା ତାଙ୍କର ମୋ ପ୍ରତି ଅତି ଆତ୍ମୀୟତାର ପ୍ରମାଣ ଥିଲା । ଦତ୍ତ ମହାପାତ୍ର କହିଲେ, ଏ ମାଳା ସହଜରେ ସେବକ ବାହାରେ ଆଉ କାହା ପାଖକୁ ଯାଏ ନାହିଁ । ଏଇଟି ପାଖରେ ଥିଲେ ବିପଦ ଆପଦ ପାଖ ମାଡ଼ିବେ ନାହିଁ । ହଉ, ଏଥରକ ଏଇ ମନ୍ତୁରା ମାଳ ପାଇଁ କିଛି ଦାନ ଦେବା ହୁଅନ୍ତୁ ! ମୁଁ ତାଙ୍କୁ କିଛି ପଇସା ଦେଲି ଓ ମାଳାଟିକୁ ନେଇ ଟାଙ୍ଗି ଦେଲି ସୁଭଦ୍ରା ମୁଖା ଉପରେ ।

ମୋର ପୁରୀରେ ରହିବା ଅନେକ ଦିନ ହୋଇ ଯାଇଥିଲା, କିନ୍ତୁ ଗବେଷଣା ଆଉ ସରୁ ନ ଥିଲା । ମୁଁ ଠିକ କଲି ଏଥର ଅଣସର ବେଳେ ଶେଷଥର ପାଇଁ ଆସି ରଥଯାତ୍ରା ଯାଏ ରହିଯିବି, ଆଉ ସେତିକିରେ ମୋର କାମ ଶେଷ କରିବି । ଦିଲ୍ଲୀରୁ ଆସି ଅସମ୍ଭବ ଖରାଦିନରେ ପୁଣି ମୁଁ ଭୂତକୋଠିରେ ପଶିଲି ଓ ପୁଣି ଆରମ୍ଭ ହେଲା ମୋର ଭୟଭୀତ ଜୀବନଯାପନର ଦୈନନ୍ଦିନ ପର୍ବ । ଏଥର ରହଣି ଭିତରେ କିନ୍ତୁ ମୁଁ କାମରେ ଡୁବି ରହୁଥୁଲି ଏବଂ ଯାହା କିଛି ବାକି ତଥ୍ୟ ସଂଗ୍ରହ କରିବାର ଥିଲା କରୁଥିଲି । ରଥଯାତ୍ରା ସରିବା ମାତ୍ରେ ହିଁ ମୁଁ ଠିକ କଲି ଫେରିଯିବି । କାରଣ ଏ ଭଳି ଲାଗି ରହିଥିଲେ କୌଣସି ଗବେଷଣାର କେବେ ହେଲେ ଶେଷ ହୁଏ ନାହିଁ । କୌଣସି ଗୋଟିଏ ସମୟରେ ନିଷ୍ପତ୍ତି ନେବାକୁ ହୁଏ, ଯେତିକି ହେଲା ସେତିକି, ବାସ୍ ।

ଏଇ ସମୟରେ ଦିନେ ହଠାତ ବାନା ଆସି ମୋ ପାଖରେ ପହଞ୍ଚିଲା । ତା ସାଙ୍ଗରେ ଅତି ଲାଲ ରଂଗର ପୋଷାକ ପିନ୍ଧି ତାନ୍ତ୍ରିକ ଭଳି ଦିଶୁଥିବା ଗୋଟିଏ ଦାଢ଼ିଆ ଲୋକ ଥିଲା । ବାନା ତାକୁ ମୋ ସହିତ ପରିଚୟ କରାଇ ଦେଲା; ସେ ଉତ୍ତର ଭାରତରୁ ଆସିଥିବା ତାନ୍ତ୍ରିକ ହିଁ ଥିଲା । ମୁଁ ଯେତେ ମନା କଲି ଯେ ମୋର ତନ୍ତ୍ର ମନ୍ତ୍ର କରାଇବା ଦରକାର ନାହିଁ, ଏବଂ ମୁଁ ଏ ଘରକୁ ଶୀଘ୍ର ଛାଡୁଛି, ବାନା ଓ ତାନ୍ତ୍ରିକ ବସିବା ଘରେ ଆସନ ପକାଇ ବସି ପୂଜା ଆରମ୍ଭ କରିଦେଲେ । ମତେ ଯେ ଏଥିପାଇଁ କିଛି ପଇସା ଦେବାକୁ ପଡ଼ିବ ନାହିଁ, ବାନା ବାରମ୍ବାର ମତେ ଏ ଆଶ୍ୱାସନା ଦେଲା ଏବଂ ତାନ୍ତ୍ରିକ ତାର ମୁଣିରୁ ଅନେକ ପ୍ରକାରର ଜଡ଼ି ବୁଟି ରଂଗ ବେରଂଗ ଜିନିଷ ଆଗରେ ସଜାଇ ରଖି କଣ ସବୁ ଅର୍ଥହୀନ ସଟାବଟା ପଢ଼ିଲା । ଘଣ୍ଟାଏ ପରେ ସେମାନେ ଯେତେବେଳେ ଘର ଛାଡ଼ିଲେ, ତାନ୍ତ୍ରିକକୁ ମୁଁ ଦେଇଥିବା ଟଙ୍କା ବଦଳରେ ବାନା ମତେ ନିର୍ଭର ପ୍ରତିଶ୍ରୁତି ଦେଲା ଯେ ଘରଟିରୁ ବର୍ତ୍ତମାନ ଭୂତପ୍ରେତ ସଂପୂର୍ଣ ଭାବେ ଉଚ୍ଛେଦ ହୋଇ ଯାଇଛନ୍ତି । ଏବଂ ମତେ ସେ ଯେଉଁ ଭୟନାଶକ ମନ୍ତୁରା ସିଦ୍ଧି ପୁଡ଼ିଆଟି ଦେଲା ସେଥିରେ ମୁଁ ପରେ ଦେଖିଲି ଯେ କେବଳ ମୁଠାଏ ହଳଦୀ ଗୁଣ୍ଡ ଥିଲା, ଆଉ କିଛି ନୁହେଁ ।

ପୁରୀ ଛାଡ଼ିବା ଆଗରୁ ମୋର କାଗଜପତ୍ର ଫଟୋଗ୍ରାଫ ଇତ୍ୟାଦି ଏକାଠି କରି ଜିନିଷପତ୍ର ବନ୍ଧାବନ୍ଧି କରିବା ବେଳକୁ ମୁଁ ସୁଭଦ୍ରା ମୁଖାକୁ ନେବି କି ନାହିଁ ଭାବିଲି । ଶେଷରେ ଠିକ କଲି ଯେ, ନା ଏଇଟି ଏଇଠାରେ ଥାଉ ଭୂତକୋଠିକୁ ଜଗିବା ପାଇଁ । ତାନ୍ତ୍ରିକ ଦେଇଥିବା ହଳଦୀ ପୁଡ଼ିଆକୁ ମୁଁ ନେଇ ଝରକା ବାହାରେ ବିଞ୍ଚ ଦେଲି । ଆଉ ମୁଁ ଯାହା ଭାବିଥିଲି ଯେ ଯିବା ଆଗରୁ ଅନ୍ତତଃ ଦିନେ ଯାଇ ଉପର ମହଲାକୁ ଦେଖି ଆସିବି, ମୋର କାହିଁକି ସାହସ ହେଲାନାହିଁ, ଏବଂ ମୁଁ ନିଜକୁ କହିଲି ଯେ କଣ ଆଉ ଅଧିକା ମୁଁ ପ୍ରମାଣ କରିଥାନ୍ତି ସେ କୋଠରୀର ଭଙ୍ଗାଦଦରା ଆସବାବକୁ ଦେଖି ଭୂତର ଥିବା ନ ଥିବା ବିଷୟରେ ?

ଗୋଟିଏ ବର୍ଷା ବର୍ଷା ସକାଳ ଟ୍ରେନରେ ବସି ମୁଁ ପୁରୀକୁ ବିଦାୟ ଦେଲି । ଏଥରକ ମୋ ମୁଣ୍ଡରେ ଚିନ୍ତା ଥିଲା ବର୍ତ୍ତମାନ ଲାଗିପଡ଼ି ବହିଟି ଲେଖିବା । ଦିଲ୍ଲୀରେ ପହଞ୍ଚି ମୁଁ ମୋର ଭୂତକୋଠିର ସାଙ୍ଗ ସମେତ ସମସ୍ତଙ୍କୁ ଧନ୍ୟବାଦର ଚିଠି ଲେଖିଲି ଓ ମୋ ମନ ଭିତରୁ ସବୁ କିଛି ବାହାର କରିଦେଲି : ପୁରୀରେ ଏବଂ ସେଇ ଘରେ ରହିଥିବାର ଅପ୍ରୀତିକର ଦିନ ଓ ଭୟାନକ ରାତିମାନ ; ସେଠାରେ ଅସହ୍ୟ ଅଣସର ଗୁଳୁଗୁଳି ଗରମ, ସାହି ଲୋକଙ୍କ ତୁଣ୍ଡରେ ବିଶେଷ ଶ୍ଳୀଳ ଅଶ୍ଳୀଳ ଶବ୍ଦସମ୍ଭାର, ମନ୍ଦିର ଭିତରର ପଥର ଘେରା ଦୀପ ସିନ୍ଦୂର କଛା ପଇତା ଗାମୁଛା ବେତବାଡ଼ି, ରାସ୍ତାଘାଟର ଥନ୍ତଲ ପେଟ ଗୋଦର ଗୋଡ଼ ଏକଶିରା, ଜେଗା ଘର ଉଚ୍ଚ ବାରଣ୍ଡାର ଅଳସ ଗଂଜପା ଓ ତାସ, ଭାଙ୍ଗ ଗଂଜେଇ ବେଶର ମହୁର ଫେଣି ଗକା ମହାପ୍ରସାଦର ଆନନ୍ଦ ବଜାର ସମୁଦ୍ର କୂଳରେ ଏକାକାର ହୋଇ ଯାଇଥିବା ନୀଳ ଜଳରାଶି ସହିତ ମାଛ ଓ ପଚା ଦଳର ଗନ୍ଧ, ଝାଉଁ ଗଛର ବାହୁନା, ଓଠକୁ ଛୁଉଁଥିବା ଲବଣାକ୍ତ ପାଣିର ଛିଟିକା ଓ ଦେହକୁ ଭେଦ କରି ମନ ଭିତରକୁ ଆଉଁଶି ଯାଉଥିବା ସମୁଦ୍ରର ଧୀର ସମୀର ।

ମୋର ଦିଲ୍ଲୀର ପଢ଼ାଘର ଟେବୁଲ ଉପରେ, ଥାକରେ, ଚଟାଣରେ ଜମା ହୋଇଥିବା ବହି, ଜେରକ୍ସ କାଗଜର ଥାକ, ଟିପା ଖାତା, ଗଦା ଗଦା ଫଟୋକୁ ଦେଖି ମୋର ଭୟ ହେଲା ମୁଁ କେମିତି ବହିଟି ଲେଖିବି । କିନ୍ତୁ ଆସ୍ତେ ଆସ୍ତେ ସମୟ କ୍ରମେ କାଗଜ ଓ ମୋର ଚିନ୍ତାଧାରା ସଜାଡ଼ି ସଜାଡ଼ି ଗଲା, ମୋର ଲେଖା ଶେଷ ହେଲା, ତା’ର ପାଦଟୀକା, ସହାୟକ
ଗ୍ରନ୍ଥର ତାଲିକା ଓ ବର୍ଣ୍ଣନୁକ୍ରମିକ ସୂଚୀ ତିଆରି ହୋଇଗଲା, ଫଟୋରେ ନମ୍ବର ଲାଗି ସେ ସବୁ ଏକାଠି ରହିଲା । ଭାଗ୍ୟକୁ ମତେ ଜଣେ ଭଲ ପ୍ରକାଶକ ବି ମିଳିଗଲେ ଏବଂ ମୁଁ ତାଙ୍କୁ ମୋର ପାଣ୍ଡୁଲିପିଟି ଦେଇସାରି ଏଇ ଦୁଃସହ କାମଟିରୁ ମୁକ୍ତି ପାଇଥିବାରୁ ସ୍ୱସ୍ତିର ନିଶ୍ୱାସ ନେଲି ।

କିନ୍ତୁ ସ୍ୱସ୍ତି ବୋଧହୁଏ ମୋର ଭାଗ୍ୟରେ ନ ଥିଲା କାରଣ କିଛି ମାସ ପରେ ମୁଁ ଟେଲିଫୋନ ପାଇଲି ମୋର ପ୍ରକାଶକଙ୍କ ସଂପାଦିକାଙ୍କ ପାଖରୁ । ସେ ଚାହୁଁଥିଲେ ବହି ବିଷୟରେ ମୋ ସହିତ ଆଲୋଚନା କରିବେ । ତାଙ୍କ ଅଫିସରେ ପହଞ୍ଚି ମୁଁ ଦେଖିଲି ଯେ ବହି ଛପା କାମ ଆରମ୍ଭ ହୋଇଯାଇଛି ଓ ସଂପାଦିକା ସୁଜାନ ତା’ର ପ୍ରୁଫ୍ ଧରି ବସିଛନ୍ତି । ଏଇ ଇଂରେଜ ଭଦ୍ରମହିଳାଙ୍କର ଜଣେ ଦକ୍ଷ ସଂପାଦିକା ଭାବରେ ନାଁ ଥିଲା, ଏବଂ ତାଙ୍କ ସହିତ କଥାବାର୍ତ୍ତାରୁ ମୁଁ ଜାଣିଲି ଯେ ସେ ମୋ ବହିଟିକୁ ତନ୍ମତନ୍ମ କରି ପଢ଼ିଛନ୍ତି ଏବଂ ବିଷୟଟିର ସୂକ୍ଷ୍ମାତିସୂକ୍ଷ୍ମ ଦିଗ ବିଷୟରେ ସେ ସଂପୂର୍ଣ୍ଣ ଅବହିତ । ସେ ମତେ ବହିର ପୁଫ୍ ଦେଲେ ଯେଉଁଥିରେ ବିଭିନ୍ନ ଜାଗାରେ ଥିଲା ମନ୍ତବ୍ୟ ଓ ପ୍ରଶ୍ନଚିହ୍ନ । ମୁଁ ପଢ଼ି ଦେଖିଲି ଯେ ସେ ସବୁ ଅତି ଯଥାର୍ଥ ଥିଲା । ମୁଁ ତାକୁ ଘରକୁ ଆଣି ମୋର ଲେଖାରେ ଯଥାଯଥ ଅଦଳବଦଳ କଲି ଏବଂ ମନେମନେ ସୁଜାନଙ୍କୁ ଧନ୍ୟବାଦ ଦେଲି ମୋର ବହିକୁ ଏପରି ଭାବରେ ସୁଧାରିଥିବାରୁ ।

ଏଇ ସଂଶୋଧିତ ପୁଫ୍‌କୁ ନେଇ ମୁଁ ଯେତେବେଳେ ତାଙ୍କୁ ଭେଟିଲି, ସେ ମତେ ଆଉ ଗୋଟିଏ କାଗଜ ବଢ଼ାଇ ଦେଲେ । ଏଇଟି ମୋର ମୂଳ ପାଣ୍ଡୁଲିପି ଥିଲା, ଯାହାର ଏଇ ଅଂଶଟି ଉପରେ ଦାଗ ଦିଆଯାଇଥିଲା : ଇନ୍ଦ୍ରଦ୍ୟୁମ୍ନ କହିଲେ, ଆପଣ ବର୍ତ୍ତମାନ କହିଲେ ଯେ ସ୍ନାନଯାତ୍ରା ପରେ ଜଗନ୍ନାଥ ଗୋଟିଏ କୋଠରୀରେ ବାଉଁଶ ବାଡ଼ ଘେର ଭିତରେ ପନ୍ଦର ଦିନ ରହିବେ; କିନ୍ତୁ ଯେତେବେଳେ ଠାକୁର ଦୃଶ୍ୟ ହେବେ ନାହିଁ, ସେ ସମୟରେ କିପରି ପୂଜା ଉପଚାର ହେବ, ହେ ଦେବାଧିରାଜ, ସେ ବିଷୟରେ ଆପଣ କହିଲେ ନାହିଁ । ବ୍ରହ୍ମା କହିଲେ, ହେ ବିଜ୍ଞ ରାଜନ, ସ୍ନାନ ପୂଜା ଶେଷରେ ଏହି ବାଉଁଶ ବାଡ ଉପରେ ସୂକ୍ଷ୍ମ ବସ୍ତ୍ର ଲଗାଇ ତା ଉପରେ ପୂଜା ପାଇଁ ବଳରାମ, ସୁଭଦ୍ରା ଓ ଜଗନ୍ନାଥଙ୍କର ପ୍ରତୀକ ତିନୋଟି ପଟ ରଖାଯିବ ।

ଏଇ କେତୋଟି ଧାଡ଼ି ପଢ଼ି ସାରି ମୁଁ ତାଙ୍କ ମୁହଁକୁ ଅନାଇଲି । ସେ କହିଲେ, ପର ପୃଷ୍ଠାରେ ଆପଣ ଲେଖିଛନ୍ତି ରାତିରେ ଚିତ୍ରକାର ସେବକଙ୍କ ଦୁଆରକୁ ଘଣ୍ଟ ଛତା କାହାଳୀ ନେଇ ପଟୁଆର ଯାଏ ଓ ସେଠାରୁ ପଟି ଦିଅଁ ବିଜେ ହୋଇ ମନ୍ଦିରକୁ ଆସନ୍ତି । ମୁଁ ଭାବୁଛି ଏଇଟି ଆପଣଙ୍କ ବହିର ଏକ ବିଶେଷ ପ୍ରାମାଣିକ ଅଂଶ, କାରଣ ଆପଣ କହୁଛନ୍ତି ପନ୍ଦର ଦିନ ପାଇଁ ଏଇ ପଟଚିତ୍ର ହିଁ ପୂଜା ପାଇଁ ଜଗନ୍ନାଥ ତ୍ରିମୂର୍ତ୍ତିଙ୍କର ବିକଳ୍ପ ! ମୁଁ ଆପଣଙ୍କର ଫଟୋକୁ ଦେଖିଛି, କିନ୍ତୁ ଏଥିରେ ପଟି ଦିଅଁଙ୍କୁ ମନ୍ଦିରକୁ ନିଆଯିବାର କୌଣସି ଚିତ୍ର ନାହିଁ । ବହିରେ ଏ ଚିତ୍ରଟି ଯିବା ନିତାନ୍ତ ଆବଶ୍ୟକ ।

ଯଦିଓ ସେ ଠିକ କଥା କହୁଥିଲେ, ମୁଁ ମନ ଭିତରୁ ଏ ବହି ବିଷୟରେ ସବୁ କଥା କାଟି ଦେଇଥିଲି । କହିଲି, ଏ କଥା ଅସମ୍ଭବ । ଭଦ୍ରମହିଳା କିନ୍ତୁ ପାଣ୍ଡୁଲିପିକୁ ଭଲ ଭାବରେ ପଢ଼ିଥିଲେ । କହିଲେ, ଏଇ ଅଳ୍ପ ଦିନରେ ପୁଣି ରଥଯାତ୍ରା ଆସୁଛି । ଆପଣ ଦିନେ ଦି ଦିନ ପାଇଁ ପୁରୀ ଯାଇ ସହଜରେ ଏଇ ଫଟୋ ଉଠାଇ ଆଣି ପାରିବେ । ମୋ ମୁହଁରେ ଉଦାସ ଭାବ ଦେଖି ସେ ଯୋଗ କଲେ, ମୁଁ ଭାବୁଛି ଆପଣ ମତେ ନିରାଶ କରିବେ ନାହିଁ ।

ଏପରି ଭାବରେ ଅନିଚ୍ଛା ସତ୍ତ୍ୱେ ମତେ ପୁଣି ଯିବାକୁ ହେଲା ପୁରୀ । ଏଥରକ ମୋ ମୁଣ୍ଡ ଉପରେ କାମର ଭାର ନ ଥିଲା, ଆଉ ମୁଁ ଠିକ କରିଥିଲି ଆରାମରେ କିଛିଦିନ ବୁଲାବୁଲି କରି ତା ଭିତରେ ମୋର ଏଇ ଛୋଟ କାମଟି ତୁଲାଇବି । ମୁଁ ଭୁବନେଶ୍ୱରରେ ଯାଇ ରହିଲି ଓ ଠିକ କଲି ଯେ ଯୋଉଦିନ ରାତିରେ ପଟି ଦିଅଁଙ୍କୁ ମନ୍ଦିରକୁ ନିଆଯିବ ସେ ଦିନ ସଂଧ୍ୟାବେଳେ ହିଁ ପୁରୀକୁ ଯିବି ଓ ରାତିରେ ଫଟୋ ଉଠାଇ ସାରି ପରଦିନ ସକାଳ ବେଳା ଭୁବନେଶ୍ୱର ଫେରି ଆସିବି । ପୁରୀରେ ଆଉ ବେଶୀ ସମୟ ରହିବାର ଇଚ୍ଛା ନଥିଲା ମୋର । ମୁଁ ଠିକ କରିଥିଲି ଯେ ଆଉ ମୋର ସାଙ୍ଗକୁ ବ୍ୟସ୍ତ ନ କରି ମୁଁ ଏଇ ରାତିଟି ପୁରୀର କୋଉ ହୋଟେଲରେ ହିଁ ରହିବି, ସେ ଭୁତକୋଠିରେ ନୁହେଁ ।

ଭୁବନେଶ୍ୱରରେ ମୁଁ ମୋର ଅନ୍ୟକାମରେ ବ୍ୟସ୍ତ ରହିଲି । କେଜାଣି କାହିଁକି ପୁରୀ ଯିବା ଦିନ ମୁଁ ରବିନକୁ ଫୋନ କଲି ଏବଂ ତା ପାଖରୁ ସେ ଘରର ଚାବି ଓ ତାର ଗାଡ଼ି ନେଇ ପୁରୀ ବାହାରିଲି । ହୁଏତ ମୋ ମନରେ ଥିଲା ଯେ ମତେ ଯେତେବେଳେ ସେଠାରେ ରହିବାକୁ ନାହିଁ ତେବେ କାହିଁକି ମିଛରେ ହୋଟେଲ ଭଡା ଦେବି ? ଏଥରକ ମୋ ସାଙ୍ଗରେ କେବଳ ମୋର କ୍ୟାମେରା ଥିଲା ଓ ମୋର ମନ ହାଲୁକା ଥିଲା । ପୁରୀରେ ପହଞ୍ଚି ମୁଁ ପ୍ରଥମେ ଚିତ୍ରକାର ସାହି ସେବକ ଘରକୁ ଯାଇ ଖବର ନେଲି କେତେବେଳେ ମନ୍ଦିରରୁ ଘଣ୍ଟ ଛତି କାହାଳୀ ନେଇ ପଟୁଆର ଆସିବ । ଏସବୁ ବିଷୟରେ କିଛି ଠିକ ଠିକଣା ନଥାଏ, ତେବେ ଏତିକି ଜଣାଗଲା ଯେ ସକାଳ ହେବା ଆଗରୁ ହିଁ ଏ ପର୍ବ ଶେଷ ହେବ । ମୁଁ ମନେମନେ ଠିକ କରିନେଲି ଯେ ରାତି ଦୁଇଟା ବେଳେ ମୁଁ ଯାଇ ମହାରଣା ଘର ଦୁଆରେ ପହଞ୍ଚିବି । ରାତିରେ ହୋଟେଲରେ ଖାଇସାରି ମୁଁ ଗାଡ଼ି ନେଇ ଘର ପାଖରେ ପହଞ୍ଚିଲି । ରାତି ନ’ଟା ବେଳକୁ ଚାରିଆଡ ଶୁନଶାନ ଥିଲା ଓ ଘରଟି ପୁରା ଅନ୍ଧାରରେ ଥିଲା । ଗାଡ଼ିରୁ ବ୍ୟାଗ ବାହାର କରି, ଗାଡ଼ି ଚାବି ବନ୍ଦ କରି, ଟର୍ଚ୍ଚ ଜାଳି ଫାଟକ ଖୋଲି ମୁଁ ଭିତରକୁ ପଶିଲି ଓ ଘରର କବାଟ ଖୋଲିଲି । କବାଟ ପାଖ ସୁଇଚ ଜାଳି ଯାଇ ଆଉ ସବୁ କୋଠରୀର ଆଲୁଅ ବି ଜଳାଇଲି । ଶୋଇବା ଘରର ବିଛଣାପତ୍ର ଠିକ୍ ଥିଲା, ବୋଧହୁଏ ମୁଁ ଅନେକ ଦିନ ତଳେ ଯେଉଁ ଭଳି ଛାଡ଼ି ଯାଇଥିଲି, ସେଇ ଭଳି । ମୁଁ ଖଟ ଉପରେ ବସି ମୋର ବ୍ୟାଗ ଖୋଲି ପାଣି ବୋତଲ ବାହାର କରି ପାଣି ପିଇଲି ଓ ବ୍ୟାଗକୁ ଟେବୁଲ ଉପରେ ରଖି ତା ଭିତରୁ କ୍ୟାମେରା ଓ କାଗଜପତ୍ର ବାହାର କଲି ।

ଏଇ ସମୟରେ ଭୋଲଟେଜ କମିଗଲା ଓ ଆଲୁଅ ସବୁ ମିଂଜିମିଂଜି ହୋଇଗଲା । ମତେ ପୁଣି ମୋର ପୂର୍ବ ଦିନ ମାନଙ୍କର ଅନୁଭବ ମନେପଡ଼ିଲା । ଟେବୁଲ ଉପରୁ ଅନାଇ ଦେଖିଲି ଯେ ସେଠାରେ ସୁଭଦ୍ରା ଆଗ ଭଳି ବିଜେ କରୁଛନ୍ତି, ଏବଂ ମୁଖା ଉପରେ ମାଳାଟି ମଧ୍ୟ । ମୁଁ ଠିଆ ହୋଇ ନମସ୍କାର କଲି ଏବଂ ଏଇ ସମୟରେ ଘର ବାହାରର ସମୁଦ୍ର ଓ ଝାଉଁଗଛ ବିଷୟରେ ସଚେତନ ହେଲି । ଶୋଇବା ଘର କବାଟ ଡ଼େଇଁ ମୋର ଆଖି ଚାଲିଗଲା ବସିବା ଘରର ଉପରକୁ ଉଠି ଯାଇଥିବା ପାହାଚ ଆଡ଼କୁ । ମୋ ଦେହ ଭିତରେ ଶିହରଣ ଖେଳିଗଲା ଓ ମୁଁ ମୋର ହୃତପିଣ୍ତର ସ୍ପନ୍ଦନ ଶୁଣିବାକୁ ପାଇଲି ସ୍ପଷ୍ଟ ଭାବରେ ।

ଘର ଭିତରର ଅଳ୍ପ ଆଲୁଅ ବର୍ତ୍ତମାନ ମୋ ସ‌ହିତ ଲୁଚୁକାଳି ଖେଳୁଥିଲା । ଘରର ଆସବାବ ସବୁ ଅତି ବିଷଣ୍ଣ ଦେଖାଯାଉଥିଲେ । ତାଙ୍କ ସାଙ୍ଗରେ ଯୋଗ ଦେଉଥିଲା ବାହାରୁ ବନ୍ଦ କବାଟ ଝରକା ଦେଇ ଭିତରକୁ ପଶି ଆସୁଥିବା ଲହ‌ରୀର ଭାଙ୍ଗିବା ଓ ଝାଉଁଗଛର କାନ୍ଦିବାର ଲୟବଦ୍ଧ ସ୍ୱର । ମୁଁ ମୋର ଆଲାର୍ମ ଘଣ୍ଟାରେ ରାତି ଗୋଟାଏର ସମୟ ଦେଲି ଏବଂ ପୋଷାକ ବଦଳାଇ ଶୋଇବାକୁ ବାହାରିଲି ।

ଆଲୁଅ ଲିଭାଇ ଖଟରେ ଶୋଇବା ପରେ ଏଥରକ ଯେଉଁ ଭୟ ଆସି ମୋ ଉପରେ ମାଡ଼ି ପଡ଼ିଲା ମୁଁ ଆଗରୁ କେବେ ହେଲେ ଏଭଳି ତ୍ରାସ ଅନୁଭବ କରି ନଥିଲି । ମୋର ନିଦ ହଠାତ ଉଭେଇଗଲା ଏବଂ ଚାରିଆଡ଼ୁ ଅନେକ ପ୍ରକାର ଅଶରୀରୀ ଆଶଙ୍କା ମୋତେ ଆଚ୍ଛନ୍ନ କରିଦେଲେ । ମୋର ହୃତପିଣ୍ତର ହାତୁଡ଼ି ଆହୁରି ଅଧିକ ଜୋରରେ ପଡ଼ିଲା ଏବଂ ମୁଁ ଖଟରୁ ଉଠି ବସିଲି । ମତେ ଏଇ ସମୟରେ ଉପର ମହଲାରେ ପାଦଶବ୍ଦ ଶୁଭିଲା । ମୁଁ ଜାଣିଲି ଯେ ମୁଁ ଆଉ ଏ ଘରେ ଗୋଟିଏ ମୁହୂର୍ତ୍ତ ବି ରହି ପାରିବି ନାହିଁ । ମୁଁ ପୁଣି ଥରେ ଆଲୁଅ ଜଳାଇଲି, ପୋଷାକ ବଦଳାଇଲି, ବ୍ୟାଗ ଭିତରେ କ୍ୟାମେରା ଆଲାର୍ମ ଘଡ଼ି ଜିନିଷ‌ପତ୍ର ରଖିଲି ଓ ଶେଷଥର ପାଇଁ ସୁଭଦ୍ରାଙ୍କ ମୁହଁକୁ ଅନାଇଲି । ସେ ମୁହଁ ଆଗ ଭଳି ଅବିଚଳିତ ଥିଲା, କିନ୍ତୁ ମୋର ଆର୍ତ୍ତିର ଉତ୍ତରରେ ମୁଁ ସେଥିରୁ କୌଣସି ଆଶ୍ୱାସନା ପାଇଲି ନାହିଁ । ମୁଁ ବସିବା ଘର ଓ ତାର ସିଡ଼ିକୁ ଆଡ଼େଇ ଘର ବାହାରକୁ ଆସି କବାଟରେ ତାଲା ଦେଲି । ଘର ଭିତର ଅପେକ୍ଷା ନିର୍ଜନ ବାହାର ବର୍ତ୍ତମାନ ବେଶି ନିରାପଦ ମନେ ହେଉଥିଲା ମତେ । ବାହାର ଫାଟକ ବନ୍ଦ କରି ମୁଁ ଯାଇ ଗାଡ଼ିରେ ବସିଲି । ସେଠାରୁ ଚାଲିଯିବା ବେଳେ କିନ୍ତୁ ପଛକୁ ବୁଲି ଆଉ ସେ ଘର ଆଡକୁ ଅନାଇ ତାର ଅଲୌକିକ ମୁହଁକୁ ଦେଖିବାର ସାହସ ହେଲା ନାହିଁ ମୋର ।

ମୁଁ ସିଧା ଯାଇ ଗୋଟିଏ ହୋଟେଲରେ ପହଞ୍ଚିଲି ଓ ସେଠାରେ କୋଠରୀ ଭଡା ନେଲି । ତାର ନିରାପଦ ଆଶ୍ରୟରେ ମୁଁ ନିର୍ଦ୍ୱନ୍ଦରେ ଶୋଇଗଲି, ଏବଂ ମୋର ନିଦ ଭାଙ୍ଗିଲା ଆଲାର୍ମ ଘଡ଼ି ବାଜିବାରେ । ମୁଁ ପ୍ରସ୍ତୁତ ହୋଇ କ୍ୟାମେରା ନେଇ ବାହାରି ପଡ଼ିଲି ଚିତ୍ରକାର ସାହି ଯିବା ପାଇଁ । ସେତେବେଳକୁ ରାତି ଆରମ୍ଭର ଭୟାର୍ତ୍ତ ଅନୁଭୂତି ମୋ ମନ ଭିତରୁ ପୁରାପୁରି ଲିଭି ଯାଇଥିଲା । ମୁଁ ବର୍ତ୍ତମାନ ଚିନ୍ତିତ ଥିଲି କିପରି ମୋର କାମ ସାରି ପୁଣି ଦିଲ୍ଲୀ ଫେରିଯିବି ।

ଚିତ୍ରକାର ସାହି ବାହାରେ ଗାଡ଼ି ରଖି ମୁଁ କ୍ୟାମେରା ଧରି ସେବକଙ୍କ ଘରକୁ ଗଲି । ଘର ଭିତରେ ବର୍ତ୍ତମାନ ପୂଜା ଚାଲିଥିଲା । ମତେ ଦେଖି ମୋର ପୁରୁଣା ପରିଚିତମାନେ ଭିତରକୁ ଡାକିନେଲେ । ମୁଁ ପୂଜାର ଫଟୋ ଉଠାଇଲି ଓ ବାହାରେ ଆସି ବାରଣ୍ଡାରେ ବସି ଅପେକ୍ଷା କଲି କେତେବେଳେ ମନ୍ଦିରରୁ ଘଣ୍ଟ, ଛତା, କାହାଳୀ ଧରି ସେବକ ଆସିବେ । କେହି ସଠିକ କହି ପାରୁ ନଥିଲେ କେତେବେଳେ ସେମାନେ ଆସିବେ, କିମ୍ବା କହୁଥିଲେ, ଏଇ ଆସି ପହଞ୍ଚିଲେ ଜାଣନ୍ତୁ ! ଆସ୍ତେ ଆସ୍ତେ ରାତି ପାହି ଆସୁଥିଲା ଓ ଗଳି ଭିତରେ ଦେଖଣାହାରିଙ୍କ ସଂଖ୍ୟା ବି ବଢ଼ି ଚାଲିଥିଲା । ମୁଁ ଏଇ ଲୋକଗହଳି ଭିତରେ ଜଣେ ବିଦେଶିନୀ ପର୍ଯ୍ୟଟକଙ୍କୁ ଦେଖିଲି, ଯେ ତାଙ୍କର କ୍ୟାମେରା ଧରି ଫଟୋ ଉଠାଇବାରେ ବ୍ୟସ୍ତ ଥିଲେ । ମତେ ବସି ବସି ବିରକ୍ତ ଲାଗୁଥିଲା ଓ ମୁଁ ଉଠି ତାଙ୍କ ଆଡ଼କୁ ଗଲି ।

ତାଙ୍କ ଆଖିରେ ମୋ ଆଖି ପଡ଼ିଲା । ଭଦ୍ରମହିଳା ଥିଲେ ଅଳ୍ପ ଉଚ୍ଚତାର, କଳି ହେଉ ନଥିବା ବୟସର ଓ ଚେପଟାନାକୀ କିନ୍ତୁ ସୁନ୍ଦରୀ ଚୀନା କି ଜାପାନୀ । ସେ ମଧ୍ୟ ମୋ ଆଡ଼କୁ ଆସିଲେ ଓ ସୁନ୍ଦର ହସ ହସି ମୋର ନିର୍ବାକ ଅଭିବାଦନର ନୀରବ ଉତ୍ତର ଦେଲେ । ମୁଁ ତାଙ୍କୁ ଡାକି ନେଇ ପାଖ ଘରର ପିଣ୍ଡା ଉପରେ ବସାଇ ତାଙ୍କ ସହିତ କଥା ହେଲି । ଭଦ୍ରମହିଳା ପର୍ଯ୍ୟଟନରେ ଆସିଥିଲେ; ଏଇ ଯାତ୍ରାରେ ପୁରୀରେ ତାଙ୍କର ଯେଉଁ ପଣ୍ଡା ସହିତ ଜଣାଶୁଣା ହୋଇଥିଲା, ସେ ହିଁ ତାଙ୍କୁ ଏଠାକୁ ଆଣିଥିଲା ମନ୍ଦିରର ଏକ ଅଦଭୁତ ଚଳଣି ଦେଖାଇବା ପାଇଁ । ମୁଁ ତାଙ୍କୁ ମୋର ଗବେଷଣା କଥା ଓ ଏଇ ପର୍ବଟିର ଗୁରୁତ୍ବ କଥା କହିଲି । ମୁଁ ତାଙ୍କୁ ମୋର ଠିକଣା ଲେଖା କାଗଜ ଦେଲି ଏବଂ ସେ ମୋର ଟିପା ଖାତାରେ ତାଙ୍କର ନାଁ ଓ ଜାପାନର ଠିକଣା ଲେଖିଦେଲେ ।

 ଏଇ ସମୟରେ ଘଣ୍ଟ କାହାଳୀ ବଜାଇ ମନ୍ଦିରରୁ ଲୋକ ଆସି ପହଞ୍ଚିଗଲେ । ଚିତ୍ରକାର ସେବକ ପଟକୁ ଗୁଡାଇ ହାତରେ ଧରି ଘର ବାହାରକୁ ଆସିଲେ ଏବଂ ଏଥରକ ସଦଳବଳ ଶୋଭାଯାତ୍ରାଟି ମନ୍ଦିର ଆଡ଼କୁ ବାହାରିଲା । ମୁଁ ମୋର ଫଟୋ ଉଠାଇବାରେ ବ୍ୟସ୍ତ ହୋଇଗଲି ଏବଂ ବିଭିନ୍ନ ଦିଗରୁ ବିଭିନ୍ନ ପ୍ରକାରର ଫଟୋ ଉଠାଇ ନିଶ୍ଚିନ୍ତ ହେଲି ଯେ ଏଥିରୁ ବହି ପାଇଁ ଦରକାରୀ ସାମଗ୍ରୀ ମିଳିଯିବ । ଗଳିମୁଣ୍ଡକୁ ଆସି ଶୋଭାଯାତ୍ରା ଯେତେବେଳେ ମନ୍ଦିର ଆଡ଼କୁ ମୁହାଁଇଲା, ମୁଁ ମୋର କ୍ୟାମେରା ବନ୍ଦ କରି ବ୍ୟାଗରେ ରଖିଲି, କାରଣ ଏହାର ପରବର୍ଭା ପର୍ବର ଫଟୋ ମୋର ଦରକାର ନଥିଲା । ସେଠାରୁ ଫେରିବା ଆଗରୁ ମୁଁ ଜାପାନୀ ଭଦ୍ରମହିଳାଙ୍କୁ ଖୋଜିଲି । ତାଙ୍କର ନାଁ ଥିଲା ଆୟୁମି ଏବଂ ନାଁଟି ମତେ ଭଲ ଲାଗିଥିଲା ବୋଲି ମୋର ମନେ ରହିଯାଇଥିଲା, କିନ୍ତୁ ତାଙ୍କ ସହରର ନାଁ ମୁଁ ଭୁଲି ଯାଇଥିଲି । ସେ କିନ୍ତୁ ଆଉ ମତେ ମିଳିଲେ ନାହିଁ, ମୁଁ ଫଟୋ ଉଠାଇବାରେ ବ୍ୟସ୍ତ ଥିବାବେଳେ ସେ ଚାଲିଯାଇଥିଲେ ବୋଧହୁଏ ।

 ସେଇ ଦିନ ହିଁ ମୁଁ ପୁରୀ ଛାଡ଼ି ଭୁବନେଶ୍ୱରରେ ରବିନକୁ ଘର ଚାବି ଫେରାଇ ଦେଇ ମୁଁ ଦିଲ୍ଲୀ ଆସିଲି । ଘରେ ପହଞ୍ଚି ଯେତେ ଶୀଘ୍ର ସମ୍ଭବ ଯାଇ ମୋର ପରିଚିତ ଷ୍ଟୁଡ଼ିଓରେ ଫିଲ୍ମ ରୋଲଟି ଦେଇଦେଲି ଯଦିଓ ରୋଲଟି ପୂରା ବ୍ୟବହୃତ ହୋଇ ନଥିଲା । ସୁଜାନଙ୍କୁ ଫୋନ କରି ଜଣାଇ ଦେଲି ଯେ ଦିନେ ଦୁଇ ଦିନରେ ମୁଁ ତାଙ୍କ ପାଖରେ ଫଟୋ ପହଞ୍ଚାଇ ଦେବି ।

 ସମସ୍ୟାର ଆରମ୍ଭ ହେଲା ଏହିଠାରୁ । ଷ୍ଟୁଡ଼ିଓରେ ଯାଇ ମୁଁ ଯେତେବେଳେ ମୋର ଫଟୋ ମାଗିଲି, ସେଠାରେ ସହକାରୀ ଗୋଟିଏ ଲଫାପାରୁ ମୋର ନେଗେଟିଭ ବାହାର କରି ଦେଖାଇଲା । ଛତିଶଟି ଫ୍ରେମରୁ ଅଧା ରୋଲ ଉଠି ନଥିଲା, ତଥା ବାକି ଅଧକ ଧଳା ହୋଇଯାଇଥିଲା ଏବଂ ଚାରିଟି ପ୍ରେମରେ କେବଳ ଦୁଇ ଦୁଇଟି ବୃତ୍ତ ବ୍ୟତୀତ ଆଉ କିଛି ନଥିଲା । ମୁଁ ଭାବିଲି ବୋଧହୁଏ କିଛି ଅଦଳବଦଳ ହୋଇଯାଇଛି ଏବଂ ସେ ହୁଏତ ଭୁଲରେ ଆଉ ବାହାର ରୋଲଟି ମତେ ଦେଖାଉଛି । କିନ୍ତୁ ସେ ମତେ ନିଶ୍ଚୟ କରି କହିଲା ଯେ ଏଇଟି ହିଁ ମୁଁ ଦେଇଥିବା ଫିଲ୍ଲ । ବିରକ୍ତ ହୋଇ ମୁଁ ତାକୁ ତାର ମାଲିକଙ୍କୁ ଡାକିବାକୁ କହିଲି ।

 ଫଟୋ ଦୋକାନୀ ଅନୁପମ ମୋର ପୁରୁଣା ଜଣାଶୁଣା । ସେ ଆସି ମତେ କହିଲା ଯେ ସେ ନିଜେ ମୋ ରୋଲ ଉପରେ କାମ କରିଥିଲା ଏବଂ ଆଶ୍ଚର୍ଯ୍ୟ ହୋଇଥିଲା ମୁଁ କାହିଁକି ଚାରିଟି ମାତ୍ର ଫଟୋ ଉଠାଇଛି । ମୁଁ ବିରକ୍ତ ହୋଇ କହିଲି, ମୁଁ ଏମିତି କୌଣସି ଫଟୋ ଉଠାଇ ନଥିଲି ଏବଂ ମୁଁ ଯେଉଁ ସବୁ ଫଟୋ ଉଠାଇଥିଲି, ଖରାପ ଉଠାଇଥିଲେ ବି ନେଗେଟିଭରେ କିଛି ତ ଆସିଥାନ୍ତା । ଅନୁପମ ପୁଣି ଥରେ ନେରେଗଟିଭକୁ ଦେଖିଲା; କହିଲା, କ୍ୟାମେରାରେ କିଛି ଗଣ୍ଡଗୋଳ ହୋଇ ଏପରି ହୋଇଥାଇ ପାରେ । ମୁଁ କହିଲି, ଏଇଟି

ଆଦୌ ମୋର ଫିଲ୍ମ ନୁହେଁ, କାରଣ ଏଇ ଯୋଉ ଚାରିଟି ଫ୍ରେମର ଫଟୋ ଉଠିଛି, ମୁଁ ଏ ଭଳି କୌଣସି ଫଟୋ ଉଠାଇ ନଥିଲି ।

 ଅନୁପମ ଆଲୁଅ ଉପରେ ରଖି ନେଗେଟିଭକୁ ଦେଖିଲା । କହିଲା, ଏଇଟି ବୋଧହୁଏ କୋଉ ଚିତ୍ରରେ କୌଣସି ସ୍ତ୍ରୀ ଲୋକର ଛାତିର କ୍ଲୋଜ୍ ଅପ୍ । ତମେ ତ ମତେ ଆଗରୁ ଏପରି ଅନେକ ଫଟୋ ଆଣି ଛାପିବାକୁ ଦେଇଛ । ମୁଁ ନେଗେଟିଭକୁ ଅନାଇ ଯୁଗ୍ମ ବୃତ୍ତକୁ ଦେଖିଲି । ହୁଏ ତ ଅନୁପମ ଠିକ କହୁଛି, ମୁଁ ହୁଏ ତ ଏପରି କୌଣସି ଫଟୋ କେବେ ଉଠାଇଥିଲି । କିନ୍ତୁ ଏଥରକୁ ତ କ୍ୟାମେରାରେ ନୂଆ ରୋଲ ପକାଇ ମୁଁ ଫଟୋ ଉଠାଇଥିଲି କେବଳ ସେଇ ଘଣ୍ଟ ଛତି କାହାଳୀ ଶୋଭାଯାତ୍ରାର । ଅନୁପମ କହିଲା, ତମେ ଟିକିଏ ଅପେକ୍ଷା କର; ମୁଁ ତମକୁ ପ୍ରିଣ୍ଟ କରି ଦେଖାଇ ଦେବି ।

 ମୁଁ ବର୍ତ୍ତମାନ ହତାଶ ଓ ବିରକ୍ତ ହେବାକୁ ଆରମ୍ଭ କରିଥିଲି । ଏତେ ସମୟ ଶ୍ରମ ଓ ଟଙ୍କା ଖର୍ଚ୍ଚ କରି ମୁଁ ଉଠାଇଥିବା ଫଟୋ ବର୍ତ୍ତମାନ ରହିଯାଇଥିଲା କୋଉ ସ୍ତ୍ରୀ ଲୋକର ଚିତ୍ରର ଛାତିରେ । ଏଣେ ମୋର ବହିର କଣ ହେବ ? ମୁଁ ମୋର ପ୍ରକାଶକଙ୍କୁ କଣ କହିବି ? ଏ ସବୁ ବ୍ୟତୀତ ମତେ ଯେଉଁ ଜିନିଷଟି ଏ ସବୁଠାରୁ ଅଧିକ ବ୍ୟସ୍ତ କରୁଥିଲା, ତା ହେଲା ଏକଥା କିପରି ସମ୍ଭବ ?

 ଅନୁପମ ମୋ ହାତରେ ଯେଉଁ ଚାରିଟି ଓଦା ଫଟୋ ଧରାଇ ଦେଲା, ସେଥିରୁ ମୁଁ ଆଉ କିଛି ନୂଆ ତଥ୍ୟ ପାଇଲି ନାହିଁ ଯାହା ପାଇ ନଥିଲି ନେଗେଟିଭରୁ । ଅନୁପମକୁ କହିଲି, ଏ ଏକ ଅସମ୍ଭବ କଥା । କୋଉଠି କିଛି ଗୋଟାଏ ଭୁଲ ରହିଯାଇଛି । ଅନୁପମ ଶାନ୍ତ ପ୍ରକୃତିର ଲୋକ ଥିଲା । କହିଲା, ତମେ ହୁଏତ ଆଗରୁ ଚାରିଟି ଫଟୋ ଉଠାଇ ଥିଲ ଏବଂ ତା ପରେ ନେଇଥିବା ଫଟୋ ସବୁର ଏକ୍ସପୋଜର ଠିକ ହେଲା ନାହିଁ । ମନେମନେ ବିରକ୍ତ ହେଲି ତାର କଥା ଶୁଣି । ସେଦିନ ରାତିରେ ଭୂତ କୋଠିରେ ସୁଭଦ୍ରାଙ୍କ ଫଟୋ ତଳେ ଟେବୁଲ ଉପରେ ମୁଁ ମୋର କ୍ୟାମେରାରେ ନୂଆ ରୋଲ ପକାଇଥିଲି ଏବଂ ତା ପରେ ପ୍ରଥମ ଫଟୋ ଉଠାଇଥିଲି ଯାଇ ଚିତ୍ରକାର ସାହିରେ । ଅନୁପମ ସହିତ ଆଉ ଯୁକ୍ତି କରି ଲାଭ ନଥିଲା । ତା ପାଖରୁ ମୋର ନେଗେଟିଭ ଓ ସେଇ ଓଦା ପ୍ରିଣ୍ଟକୁ ଧରି ବାହାରି ଆସୁ ଆସୁ ମୁଁ ତାକୁ କହିଲି, ମୁଁ ଏଠିକି ଆଉ କେବେ ବି ଆସିବି ନାହିଁ ।

 ଘରକୁ ଫେରିବା ବେଳକୁ ମୋର ମନସ୍ଥିତି ବହୁତ ଖରାପ ଥିଲା । ମୁଁ ମୋର କ୍ୟାମେରା ସରଂଜାମକୁ ତନ୍ନତନ୍ନ କରି ଦେଖିଲି ଯଦି ଆଉ କେଉଁଠି ସେ ରୋଲଟି ରହିଯାଇଥିବ । କିନ୍ତୁ ଏପରି ଭୁଲ ହେବାର କୌଣସି ସମ୍ଭାବନା ନଥିଲା । ମୋର ସବୁ କାଗଜ, ନେଗେଟିଭ, କଣ୍ଟାକ୍ଟ ପ୍ରିଣ୍ଟ ନମ୍ବର ତାରିଖ ଲେଖା ହୋଇ ଯଥାଯଥ ଭାବରେ

ଥିଲା । ମୁଁ ହାତରେ ଧରିଥିବା ଚାରିଟି ଓଦା ଫଟୋର ନେଗେଟିଭ ହିଁ ଠିକ ରୋଲ ଥିଲା । ସେଦିନ ଉପରବେଳା ମୁଁ ପୁଣି ବ୍ୟସ୍ତ ହୋଇ ଅନୁପମ ପାଖକୁ ଗଲି, ଯଦି ତାର ଫଟୋ ଦୋକାନରେ କିଛି ଗୋଳମାଳ ହୋଇ ଯାଇଥାଇ ପାରେ ।

 ଏଥରକ ଅନୁପମ ମତେ ତା ଦେକାନ ଭିତରକୁ ନେଇ ବସାଇଲା ଓ ଚା ବରାଦ କଲା । କହିଲା, ଏଠାରେ ସେପରି ଭୁଲ ହେବାର ସମ୍ଭାବନା ନାହିଁ, ତମେ ଯିବା ପରେ ମୁଁ ପୁଣି ଥରେ ସବୁ ଖୋଜି ଦେଖିଛି । ତମକୁ ଯୋଉ ନେଗେଟିଭରୁ ପ୍ରିଣ୍ଟ କରି ଦେଲି, ସେଇଟି ହିଁ ତମର ଫିଲ୍ଲା । ମୁଁ ବିରକ୍ତ ହୋଇ କହିଲି ଯେ ମୁଁ ଏଭଳି କୌଣସି ଫଟୋ ଉଠାଇ ନଥିଲି, ଏବଂ ମୁଁ ଉଠାଇ ଥିଲି ପୁରୀ ଗଳିରେ ଲୋକଙ୍କର ଫଟୋ, କ୍ଲୋଜ ଅପ୍‌ରେ କୋଉ ଛାତିର ଚିତ୍ର ନୁହେଁ ।

 ମୁଁ ଲଫାପା ଭିତରୁ ଚାରିଟି ପ୍ରିଣ୍ଟ ବାହାର କରି ଅନୁପମ ଆଡକୁ ବଢ଼ାଇ ଦେଲି । କହିଲି, ଏଇଟିକୁ କେହି ବି କୌଣସି ଛାତିର ଫଟୋ କହିବ ନାହିଁ, ଯଦି ତା’ର ମନ ଭିତର ଅତି କୁତ୍ସିତ ହୋଇ ନଥାଏ । ଅନୁପମ କହିଲା, ମୁଁ ଜାଣେ । ତେବେ ତମେ ଯେମିତି ଆଗରୁ ଅନେକ କାମସୁତ୍ରର ଚିତ୍ର ଆଣି ପ୍ରସେସ୍ କରିବାକୁ ଦେଉଥିଲ, ମୁଁ ମନେକଲି ଏଇଟି ହୁଏ ତ ସେଇଭଳି କୌଣସି ଚିତ୍ରର କ୍ଲୋଜ ଅପ୍ । ମୁଁ ବିରକ୍ତ ହୋଇ କହିଲି, ଏ କଥା କିପରି ସମ୍ଭବ ଯେ ମୁଁ ଉଠାଇଥିବା ଫଟୋ ବଦଳରେ ନେରେଗଟିଭକୁ ଆଉ ଗୋଟିଏ ଚିତ୍ର ଆସିଯିବ ?

 କିଛି କ୍ଷଣ ଚୁପ୍ ରହି ଅନୁପମ କହିଲା, ତମେ ସ୍ପିରିଟ୍ ଫଟୋଗ୍ରାଫି କଥା ଜାଣିଛ ? ଫଟୋ ଉଠାଇବା ବେଳେ ନେଗେଟିଭ ଭିତରକୁ ନ ଥିବା ଜିନିଷଟି ପଶି ଆସେ । ତମେ ଦିଜଣ ଲୋକଙ୍କର ଫଟୋ ଉଠାଇଛ, କିନ୍ତୁ ପ୍ରିଣ୍ଟ କଲା ବେଳକୁ ଦେଖାଯାଇଛି ଯେ ତାଙ୍କ ପଛରେ ଜଣେ ଅଜଣା ତୃତୀୟ ଲୋକ ବି ଠିଆ ହୋଇଛି । ଫଟୋଗ୍ରାଫିର ସଂସାରରେ ଏପରି ଅନେକ ଉଦାହରଣ ଅଛି ।

 ମୁଁ ଦେଖିଲି କଥାଟି ପୁଣି ଘୂରି ବୁଲି ସେଇ ଭୂତ ପାଖକୁ ଫେରି ଆସୁଛି । ଚା ଆସି ପହଞ୍ଚିଲା ଏବଂ ପିଉ ପିଉ କହିଲି, ମୋର ଫଟୋରୁ କିନ୍ତୁ ପଚାଶ ଲୋକ କେଉଁଆଡ଼େ ଉଡ଼ି ଗଲେ ଏବଂ ଚାରି ଚାରିଟା ଫ୍ରେମକୁ ସ୍ତ୍ରୀ ଲୋକର ଛାତି ଆସିଗଲା । ଆଉ ଫ୍ରେମମାନଙ୍କରେ କିଛି ବି ନାହିଁ । ଏ କଥା ସ୍ପିରିଟ ଫଟୋଗ୍ରାଫିରେ ବି ସମ୍ଭବ ହୋଇ ନପାରେ । ତା ପାଖରୁ ବିଦାୟ ନେଇ ଫେରିବା ବେଳେ ମୋର ମନ ଅତି ବିଷଣ୍ଣ ଥିଲା । ମୁଁ ଠିକ୍ କଲି ଯେ ସେ ଦିନ ସଂଧ୍ୟା ଆଗରୁ ହିଁ ବେଶୀ ମଦ୍ୟପାନ କରି ମୋର ଦୁଃଖକୁ ଲାଘବ କରିବି ଏବଂ କାଲି ସକାଳେ ପ୍ରକାଶକଙ୍କୁ ଫୋନ କରି ଜଣାଇଦେବି ଯେ ସେ ବହିଟିକୁ ସେମିତି ଛାପି ଦିଅନ୍ତୁ, ଏଇ ଜରୁରୀ ଫଟେ ବିନା ।

 ଘରେ କିନ୍ତୁ ମୋ ପାଇଁ ଆଉ ଏକ ଚମତ୍କାର ଅପେକ୍ଷା କରୁଥିଲା । ମୋର ସେ ଦିନର ଡାକ ଭିତରେ ଗୋଟିଏ ମୋଟା ଲଫାପା ଥିଲା ଏବଂ ତା ଭିତରେ ଥିଲା ମୁଁ ଖୋଜୁଥିବା ଅଣସର ପଟି ଶୋଭାଯାତ୍ରାର ଅନେକ ଗୁଡ଼ିଏ ଫଟୋ । ଏଗୁଡ଼ିକ ଥିଲା ଆୟୁମି ଉଠାଇଥିବା ଫଟୋଗ୍ରାଫ୍ । ମୁଁ ଲଫାପା ଭିତରେ ଖୋଜିଲି ଚିଠି ଥିବ ବୋଲି; କିନ୍ତୁ ସେଥିରେ ଫଟୋ ଛଡା ଆଉ କିଛି ବି ନଥିଲା । ଉପରେ ପ୍ରେରକର ଠିକଣା ନଥିଲା । ମୁଁ ମୋର କାଗଜପତ୍ର ଭିତରୁ ମୋର ଟିପାଖାତା ବାହାର କଲି ଯେଉଁଥିରେ ଆୟୁମି ତାଙ୍କର ଠିକଣା ଲେଖି ଦେଇଥିଲେ । ବାରମ୍ବାର ତନ୍ମ ତନ୍ମ କରି ଖୋଜିବା ପରେ ବି ସେ ଖାତାରେ ତାଙ୍କର ଠିକଣା ମିଳିଲା ନାହିଁ । ଅତି ଅସ୍ପଷ୍ଟ ଭାବରେ ମୋର ମନେ ପଡୁଥିଲା ତାଙ୍କର ମୁହଁ, କିନ୍ତୁ କିପରି ତାଙ୍କୁ ଧନ୍ୟବାଦ ଜଣାଇବି ବୁଝିପାରୁ ନଥିଲି । ମୁଁ ପୁଣି ଲଫାପାକୁ ଓଲଟାଇ ଦେଖିଲି । ଉପରେ ଗୋଲ ଗୋଲ ଅକ୍ଷରରେ ଲେଖା ମୋର ଠିକଣା ଥିଲା । ଚିଠିଟି ଭାରତର କୌଣସି ଜାଗାରୁ ଆସିଥିଲା, କିନ୍ତୁ ଡାକଘର ମୋହରର ଅସୃଷ୍ଟ ଛାପରୁ ଜାଣି ହେଉ ନଥିଲା ଠିକ୍ କେଉଁଠାରୁ। ତମେ ଯେଉଁଠାରେ ବି ଥାଅ, ତମକୁ ଅନେକ ଅନେକ ଧନ୍ୟବାଦ ଆୟୁମି, ମୁଁ ମନେମନେ ସେଇ ଝାପସା ମୁହଁକୁ କହିଲି, ଏବଂ ଫୋନ୍ କରି ଅନୁପମକୁ ମଧ୍ୟ ଏଇ ସୁସମ୍ବାଦଟି ଦେଇଦେଲି ।

 ଏଥରକ ମୁଁ ପ୍ରକୃତିସ୍ଥ ହୋଇ ବସି ବାଛି ନେଲି ବହିରେ କେଉଁ ଚିତ୍ରଗୁଡ଼ିକ ବ୍ୟବହାର କରିବି । ପରଦିନ ଯାଇ ସୁଜାନଙ୍କୁ ଚିତ୍ରଗୁଡ଼ିକ ଦେଲାବେଳେ ମୁଁ ଭାବିଥିଲି ତାଙ୍କୁ ମୋର ଏଇ ଅପୂର୍ବ ଅନୁଭବ କଥା କହିବି, କିନ୍ତୁ ମତେ ବର୍ତ୍ତମାନ ଜଣାଗଲା ମୋ ପାଇଁ ଯାହା ଅଲୌକିକ ଥିଲା, ଅନ୍ୟମାନଙ୍କ ପାଇଁ ହୁଏ ତ ଏ କାହାଣୀର କୌଣସି ଆକର୍ଷଣ ନ ଥାଇ ପାରେ । ସୁଜାନ ଏଇ ଫଟୋଗୁଡ଼ିକରୁ ତାଙ୍କର କେଉଁଟି କାମରେ ଲାଗିବ ବାଛିବାରେ ଲାଗିଲେ । ଏ ଫଟୋ ଭିତରେ ମୁଁ ଭୁଲରେ ସେଇ ଚାରିଟି ଭୁଲ ଫଟୋ ବି ରଖି ଦେଇଥିଲି । ତାକୁ ଆଡ଼େଇ ରଖି ସୁଜାନ ଏତେ ଗୁଡ଼ିଏ ଫଟୋରୁ ଚାରିଟି ଫଟୋ ବାଛିଲେ ଏବଂ ତାକୁ ଅଲଗା ରଖି ମତେ ବାକି ଫଟୋ ସବୁ ଫେରାଇ ଦେଇ ପଚାରିଲେ, ଏଇ ଫଟୋଗୁଡ଼ିକର କ୍ରେଡ଼ିଟ କାହାକୁ ଦିଆଯିବ ? ମୁଁ କହିଲି, ଲେଖକକୁ । ସୁକାନ ଫଟୋକୁ ଆହୁରି ଥରେ ଦେଖି କହିଲେ, ହୋଇ ନ ପାରେ, କାରଣ ପ୍ରତିଟି ଫଟୋରେ ସେବକଙ୍କ ଗହଣରେ ଆପଣ ବି ଅଛନ୍ତି ! ମୁଁ ଆୟୁମି କଥା କହିବି ବୋଲି ଭାବିଲି, କିନ୍ତୁ ପୁଣି ଏତେ କଥାର ଟୀକା ଟିପ୍ପଣୀ ଦେବାକୁ ହେବ ଭାବି କହିଲି, କାହାରି ନାଁ ନ ଦେଲେ ବି ଚଳିବ ।

 ମୁଁ ଘରକୁ ଫେରିବା ସାଙ୍ଗେ ସାଙ୍ଗେ ସୁଜାନଙ୍କର ଫୋନ ପାଇଲି ଯେ ମୋର ଆଉ ଚାରିଟି ଫଟୋ, ଯାହାକୁ ସେ ବ୍ୟବହାର କରିବେ ନାହିଁ, ମୁଁ ତାଙ୍କ ଅଫିସରେ ଛାଡ଼ି ଆସିଲି ।

ମୁଁ ଜାଣିଲି ଯେ ଏଗୁଡ଼ିକ ଥିଲା ମୁଁ ଉଠାଇ ନ ଥିବା ସେଇ ଭୌତିକ ଫଟୋଗ୍ରାଫ । ମୁଁ କହିଲି, ସେ ଫଟୋ ମୋର ଆଉ ଦରକାର ନାହିଁ ।

 କିଛି ମାସ ପରେ ମୋର ଜଗନ୍ନାଥ ଚିତ୍ରପଟ ବହି ପ୍ରୁଫ ଦେଖା, ଲେ ଆଉଟ, କଭର ଡିଜାଇନ ଇତ୍ୟାଦିର ବିଭିନ୍ନ କ୍ରମ ଦେଇ ଛପା ସରିଲା । ଏଥରକ ମୁଁ ମୋର ଜୀବନରୁ ଏଇ ଗବେଷଣା ପର୍ବଟିକୁ କାଟି ଦେଲି ଏବଂ ଅନ୍ୟ କାମରେ ମନ ଦେଲି । ଏଇ ଭିତରେ ଦିନେ ମୋର ପ୍ରକାଶକ ଜଣାଇଲେ ଯେ ସେ ବହିଟିର ଉନ୍ମୋଚନ ପାଇଁ ତାଙ୍କ ଘରେ ଏକ ଛୋଟ ଆୟୋଜନ କରୁଛନ୍ତି । ଆଗରୁ ତାଙ୍କର ଏଭଳି ଅନେକ ଅନୁଷ୍ଠାନରେ ଯୋଗ ଦେଇଥିବାରୁ ମୁଁ ଜାଣିଥିଲି ଯେ ଏଗୁଡ଼ିକ କେବଳ ତାଙ୍କ ଘରେ ସମାଜିକ ଭେଟର ପର୍ବ, ବହିଟି ଏକ ଉପଲକ୍ଷ୍ୟ ମାତ୍ର ।

 ମୁଁ ଯାଇ ତାଙ୍କ ଘରେ ପହଞ୍ଚିଲି ଠିକ୍ ସେ ଦେଇଥିବା ସମୟରେ, ଶୀତଦିନ ସଂଧ୍ୟାର ଠିକ୍ ସାତଟାରେ । ମୁଁ ପହଞ୍ଚିଲା ବେଳକୁ ସେଠାରେ ଆଉ କେହି ନ ଥିଲେ ସୁଜାନ ବ୍ୟତୀତ । ପ୍ରକାଶକ ବନ୍ଧୁ କହିଲେ, ଆଜି ଅନ୍ୟ ଜାଗାରେ ଆଉ ଗୋଟିଏ ଅନୁଷ୍ଠାନ ବି ଅଛି; ଆମର ଅତିଥିମାନେ ଏଠାକୁ ଡେରିରେ ଆସିବେ । ତେବେ ଆମେ ସେମାନଙ୍କୁ ଅପେକ୍ଷା ନ କରି ଆମର ଡ୍ରିଙ୍କ ଆରମ୍ଭ କରିପାରିବା । ସୁଜାନ ଆଉ ମୋ ହାତକୁ ଦୁଇଟି ଗ୍ଲାସ ବଢ଼ାଇ ଦେଇ ପ୍ରକାଶକ ଭିତରକୁ ଚାଲିଗଲେ ସଂଧ୍ୟାର ବ୍ୟବସ୍ଥା ବିଷୟରେ ବୁଝାବୁଝି କରିବା ପାଇଁ ।

 ବସିବା ଘରର ଗୋଟାଏ କଣ ଟେବୁଲ ଉପରେ ମୋ ବହିର ପନ୍ଦର କୋଡ଼ିଏଟି କପି ସଜା ହୋଇ ରହିଥିଲା । ତା ଭିତରୁ ଗୋଟାଏ କପି ଉଠାଇ ଆଣି ତାକୁ ଓଲଟାଇ ସୁଜାନ କହିଲେ, ବହିଟି ଭଲ ହୋଇଛି । ମୁଁ କହିଲି, ଯଦି ଆପଣ ବହିର ସାଜସଜା, ପରିପାଟୀ, ଗେଟ ଅପ କଥା କହୁଛନ୍ତି, ତେବେ ଏଇଟିକୁ ସୁନ୍ଦର ଭାବରେ ବାହାର କରି ଥିବାର ଶ୍ରେୟ ଆପଣଙ୍କର । ସୁଜାନ କହିଲେ, ମୁଁ ବହିର ତଥ୍ୟ ବିଷୟରେ କହୁଥିଲି । ବହିଟି ଲେଖିବାକୁ ଆପଣଙ୍କୁ ଅନେକ କଷ୍ଟ କରିବାକୁ ପଡ଼ିଥିବ । ମୁଁ କହିଲି, ମୋ ପାଇଁ ସବୁଠାରୁ ବେଶି କଷ୍ଟକର କାମ ଥିଲା ଆପଣ ଯେତେବେଳେ ମତେ ପୁରୀ ପଠାଇଥିଲେ ଅଣସର ପଟିର ଫଟୋ ଆଣିବା ପାଇଁ ।

 ଏ ପର୍ଯ୍ୟନ୍ତ ଆମ ଦୁହିଁଙ୍କ ବ୍ୟତୀତ ଅନ୍ୟ କେହି ଅତିଥି ଆସି ନ ଥିଲେ । ମୁଁ ତେଣୁ ସୁକାନଙ୍କୁ କହିବାକୁ ଆରମ୍ଭ କଲି ସେଇ ଫଟୋଗ୍ରାଫ ରହସ୍ୟ କଥା । ପୁରୀ ଭୂତ କୋଠିରେ ରହଣିର ଦିନ ସବୁ, ବାନାମ୍ବରର ମତେ ଆଣି ସୁଭଦ୍ରା ମୁଖା ଦେଇଥିବା, ଅଣସର ରାତିରେ ଜାପାନୀ ସ୍ତ୍ରୀଟିର ଆବିର୍ଭାବ ଓ ଅନ୍ତର୍ଦ୍ଧାନ, ମୋର କ୍ୟାମେରା ଭିତରେ ଭୂତ ପଶି ମୋର ଫିଲ୍ମ ରୋଲକୁ ନଷ୍ଟ କରିଦେଇଥିବା ଓ ଶେଷରେ ମୋର ଦରକାରୀ ଫଟୋ ଠିକ୍ ଦିନ ନିଜ

ଆଡ଼ୁ ଆସି ମୋ ପାଖରେ ପହଞ୍ଚିବା କଥା କହିବା ବେଳକୁ ମୁଁ ଆହୁରି ଥରେ ରୋମାଞ୍ଚିତ ହୋଇଗଲି । ସୁଜାନ ମୋ କଥା ଆଗ୍ରହର ସହିତ ଶୁଣୁଥିଲେ ଏବଂ ବିଭିନ୍ନ କଥା ଆହୁରି ତନ୍ନତନ୍ନ କରି ପଚାରୁଥିଲେ । ହାତରେ ଗିଲାସ ଧରି ସିଗାରେଟ ପିଉ ପିଉ ମୋ କଥା ଶୁଣି ସେ ଆମୋଦିତ ହେଉଥିଲେ ଯେପରି । ମୋ କଥା ଶେଷରେ ତାଙ୍କର ଆଖି କୁଞ୍ଚିତ ହୋଇଗଲା; ସେ ମୋ ଆଡ଼କୁ ସିଧା ସଳଖ ଅନାଇ ମତେ ଏକ ଅସଂପୃକ୍ତ ପ୍ରଶ୍ନ କଲେ, ଆପଣ ଗପ ବି ଲେଖନ୍ତି, ନୁହେଁ ?

 ମୁଁ କହିଲି, ହଁ, କିନ୍ତୁ ଏ କଥାର ମାନେ କଣ ? ସୁଜାନ କହିଲେ, ଆପଣ ମତେ ଯାହା ସବୁ କହିଲେ, ଏଇଟି ଗୋଟିଏ ସୁପରିକଳ୍ପିତ ରହସ୍ୟ କାହାଣୀ । ମୁଁ କହିଲି, କିନ୍ତୁ ଏ ସବୁ ଶତ ପ୍ରତିଶତ ସତ; ଯାହା ଯେମିତି ଘଟିଥିଲା ମୁଁ ଠିକ ସେମିତି କହିଲି । ଟିକିଏ ବି ଅତିରଂଜନ ନାହିଁ ମୋ କଥାରେ ।

 ଏଇ ସମୟରେ ସଂଧ୍ୟାର ପ୍ରଥମ ଅତିଥି ଆସି ପହଞ୍ଚିଲେ । ମୁଁ ଉଠିଯାଇ ତାଙ୍କୁ ଅଭିବାଦନ ଜଣାଇଲି । ମୋ ସହିତ ହାତ ମିଳାଇ ସେ କିନ୍ତୁ ଯାଇ ପ୍ରକାଶକଙ୍କ ସହିତ କଥାବାର୍ତ୍ତାରେ ବ୍ୟସ୍ତ ହୋଇଗଲେ ଓ ମୁଁ ଫେରି ଆସି ସୁଜାନଙ୍କ ପାଖରେ ବସିଲି । ସୁଜାନ କହିଲେ, ମୋର ସିଧାସଳଖ କହିଦେବା ଉଚିତ ହେବ ଯେ ମୁଁ ବର୍ତ୍ତମାନ ଗୋଟିଏ ରହସ୍ୟ ବହିର ସଂପାଦନା କରୁଛି, କଲିକତାରେ ଶେରଲକ ହୋମସ୍ । ମୁଁ କହିଲି ଅନେକ ଦିନ ତଳେ ଗୋଟିଏ ବଙ୍ଗଳା ଗପ ପଢ଼ିଥିଲି କିପରି ଶ୍ରୀଯୁକ୍ତ ସରଳାକ୍ଷ ହୋମ ଏବଂ ତାଙ୍କର ସହକାରୀ ବାଟୁ ସେନ ଗୋଟିଏ ଅତି ଭୟଙ୍କର ଅପରାଧର ସମାଧାନ କରିଥିଲେ । ସୁଜାନ କହିଲେ, ନା, ଏ ଉପନ୍ୟାସରେ ପ୍ରକୃତ ହୋମସ୍ ଇଂଲାଣ୍ଡରୁ କଲିକତା ଆସିଛନ୍ତି; ତାଙ୍କ ସାଙ୍ଗରେ ୱାଟସନ ନାହାନ୍ତି, କିନ୍ତୁ ତାଙ୍କୁ ସାହାଯ୍ୟ କରିବାକୁ ମିଳିଯାଇଛନ୍ତି ବଙ୍ଗାଳୀ ମନସ୍ତତ୍ତ୍ୱବିଦ ପ୍ରଫେସର ମୁଖାର୍ଜା, ଯେ କି ପତ୍ର ମାଧ୍ୟମରେ ପ୍ରଏଡଙ୍କର ବନ୍ଧୁ । ସେମାନେ ଜଣେ ବିବଦମାନ ସନ୍ୟାସୀ ଆଶ୍ରମରେ ଘଟିଯାଇଥିବା ଏକ ଅଲୌକିକ ଅପରାଧର ରହସ୍ୟକୁ ଉଦଘାଟନ କରୁଛନ୍ତି । କଣ ଏ ଉପକ୍ରମଣିକା ଆପଣଙ୍କୁ ଆକର୍ଷକ ଲାଗୁଛି କି ନାହିଁ ?

 ନିଶ୍ଚୟ; କିନ୍ତୁ ମୁଁ କହିଥିବା ମୋର କଥା ସହିତ ତାର ସଂପର୍କ ?

 ଏଇ ଭିତରେ ଆସି ପହଞ୍ଚିଥିବା ଆଉ ଜଣେ ଅତିଥିକୁ ଭେଟି ଆମେ ପୁଣି ଆମ ଜାଗାରେ ଆସି ବସିଲୁ । ସୁଜାନ କହିଲେ, ଏଇ ଉପନ୍ୟାସଟିକୁ ଏଡ଼ିଟ୍ କରିବା ବେଳେ ମୋର ମନ ବି ହୋମ୍‌ସ୍‌ଙ୍କ ଅନୁପ୍ରେରଣାରେ କାମ କରୁଛି । ମୁଁ ଆପଣଙ୍କ କାହାଣୀରେ ଏପରି ଅନେକ ଦିଗ ଦେଖି ପାରୁଛି, ଯାହା ଗ୍ରେଟ୍ ଡିଟେକ୍‌ଟିଭ ଅତି ସହଜରେ ଧରିପାରିଥାନ୍ତେ ।

 ଯଥା ? ମୁଁ ପ୍ରଶ୍ନ କଲି ।

 ପ୍ରଥମ କଥା ହେଲା ରଂଗ । ଅବଶ୍ୟ ଏ କଥା ଆପଣଙ୍କ କାହାଣୀରେ ଆସିବା ସ୍ୱାଭାବିକ, କାରଣ ଆପଣ ସେତେବେଳେ ରଂଗୀନ ଚିତ୍ର ବିଷୟରେ ଗବେଷଣା କରୁଥିଲେ । ମୁଁ କିନ୍ତୁ ଗୋଟିଏ ନିର୍ଦିଷ୍ଟ ରଂଗ କଥା କହୁଛି ।

 କି ପ୍ରକାର ରଂଗ ? ମୁଁ କୌଣସି ରଂଗ କଥା କହି ନାହିଁ ମୋର ଭୂତ କାହାଣୀରେ ।

 ହଳଦିଆ ରଂଗ, ଯାହା କି ସୁଭଦ୍ରାଙ୍କର ରଂଗ । ଏବଂ ଆପଣ କାନ୍ଥରେ ସୁଭଦ୍ରାଙ୍କର ମୁଖା ହିଁ ଟାଙ୍ଗିଥିଲେ ।

 ତାର କାରଣ ବାନାମ୍ବର ମତେ ସୁଭଦ୍ରାଙ୍କର ଚିତ୍ର ଦେଇଥିଲା । ସେ ଯଦି ମତେ ଜଗନ୍ନାଥ ବା ବଳଭଦ୍ରଙ୍କର ମୁଖା ଦେଇଥାନ୍ତା, ତେବେ ମୁଁ ତାକୁ ଟାଙ୍ଗିଥାନ୍ତି କାନ୍ଥରେ । ତେବେ ସେ ମତେ ସୁଭଦ୍ରାଙ୍କର ଚିତ୍ର ଦେଲା କାହିକି ?

 ଏଲିମେଣ୍ଟାରି ଯାଇ ଡିଅର ୱାଟସନ୍ ! ଏଥରକ ସୁକାନ ମୋ ଗବେଷଣାଲବ୍ଧ ଜ୍ଞାନର ସଂପୂର୍ଣ୍ଣ ସଦୁପଯୋଗ କରି କହିଲେ, ଚିତ୍ରକାରମାନେ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ତିନିଜଣଙ୍କ ମୁଖାର ସେଟ ତିଆରି କରିଥାନ୍ତି, ଯେମିତି ଗୋଟିଏ ସେଟ ଆପଣ ମତେ ଦେଇଥିଲେ । କିନ୍ତୁ କେହି କେହି ବିଦେଶୀ ପର୍ଯ୍ୟଟକ ଖାଲି ଜଗନ୍ନାଥ ବଳଭଦ୍ରଙ୍କର ମୁଖା ନିଅନ୍ତି, କାରଣ ଆକାର ପ୍ରକାରରେ ସୁଭଦ୍ରା ମୁଖ୍ୟ ଅନ୍ୟ ଦୁଇଟି ଠାରୁ ଛୋଟ ଓ ବିଷମ । ଚିତ୍ରକାର ପାଖରେ ବିଚରା ସୁଭଦ୍ରାଙ୍କର ମୁଖା ବଳକା ରହିଯାଏ ।

 ହଉ, ହେଲା । କିନ୍ତୁ ହଳଦିଆ ରଂଗର ତାତ୍ପର୍ଯ୍ୟ କଣ ?

 ସୁଜାନ ମୋରି ବହିରୁ ଉଦ୍ଧୃତ କରି ମତେ କହିଲେ, ଭରତଙ୍କ ନାଟ୍ୟଶାସ୍ତ୍ର ଅନୁସାରେ ହଳଦିଆ ରଂଗ ହେଉଛି ଅଦ୍ଭୁତ ରସର ଦ୍ୟୋତକ । ଆପଣଙ୍କ ପାଖକୁ ଯୋଉ ତାନ୍ତ୍ରିକ ଆସିଥିଲା, ସେ ବି ତ ଆପଣଙ୍କୁ ଗୋଟିଏ ହଳଦୀ ପୁଡ଼ିଆ ଦେଇଥିଲା ବୋଲି ଆପଣ ଏବେ କହିଲେ । ଏଥିରୁ କଣ ଜଣା ପଡ଼ିଲା ?

 ଏ ତ ଅତି ସାଧାରଣ କଥା । ହିନ୍ଦୁମାନଙ୍କର ପୂଜା ପାର୍ବଣରେ ହଳଦୀ ବ୍ୟବହାର ହୋଇଥାଏ । ଏଥିରେ ମୁଁ କୌଣସି ଗହନ ତତ୍ତ୍ୱ ଦେଖି ପାରୁନାହିଁ ।

 ମୁଁ ବର୍ତ୍ତମାନ ମୋର ମୂଳ ବକ୍ତବ୍ୟକୁ ଆସୁଛି । ଆପଣଙ୍କୁ ଶେଷରେ ସୁଭଦ୍ରା ହିଁ ସାହାଯ୍ୟ କଲେ । ସେଇ ଜାପାନୀ ମହିଳାର ବେଶରେ ।

 ଏଥରକ ସୁଜାନ ଗ୍ଲାସରୁ ପାନୀୟ ପୂରା ପିଇଲେ, ସିଗାରେଟ୍‌ରୁ ଶେଷ ପୁଳା ଟାଣି

ଉଠି ଛିଡା ହେଲେ । କହିଲେ, ଜାପାନୀମାନଙ୍କର ରଂଗ କଣ ?

 ସେତେବେଳକୁ ଅନ୍ୟ ଅତିଥିମାନେ ଆସି ଯାଇଥିଲେ । ସାମାନ୍ୟ ଭାବରେ ବହି ଉନ୍ମୋଚନର ପର୍ବ ସରିଲା । ମୋର ମନ କିନ୍ତୁ ସେଥିରେ ନଥିଲା । ସମସ୍ତେ ଖାଇବା ପିଇବା ପର୍ବରେ ଲାଗିଗଲେ । ମୁଁ ସୁଜାନ କହିଥିବା କଥା ହିଁ ଭାବୁଥିଲି । ତାଙ୍କର ବ୍ୟାଖ୍ୟା ଚମତ୍କାର ଥିଲା ନିଶ୍ଚୟ, କିନ୍ତୁ ତା ରହସ୍ୟକୁ ସମାଧାନ କରୁଥିଲା ନା ଆହୁରି ଜଟିଳ କରି ଦେଉଥିଲା ସେ କଥା ମୁଁ ସ୍ଥିର କରିପାରୁ ନଥିଲି । ପାର୍ଟିରେ ମୋର ଆଉ ମନ ଲାଗୁ ନଥିଲା ଯଦିଓ ଅନ୍ୟମାନେ ସମସ୍ତେ ନିଜକୁ ବେଶ ଉପଭୋଗ କରୁଥିବାର ଜଣା ପଡ଼ୁଥିଲେ । ସୁଜାନ ବର୍ତ୍ତମାନ ଆଉ ଜଣେ ଲେଖକଙ୍କ ସହିତ କିଛି ଗଭୀର ଆଲୋଚନାରେ ବ୍ୟସ୍ତ ଥିଲେ ।

 ପାର୍ଟି ସରି ଆସିଲା । ମୁଁ ସେଠାରୁ ବାହାରିବା ପାଇଁ ସମସ୍ତଙ୍କ ପାଖରୁ ଯାଇ ବିଦାୟ ନେଲି । ଯେତେବେଳେ ସୁଜାନଙ୍କ ସହିତ ହାତ ମିଳାଇଲି, ସେ କହିଲେ, କେମିତି ମୁଁ ଆପଣଙ୍କର ସବୁ ସମସ୍ୟାର ସହଜ ସମାଧାନ କରିଦେଲି, ଦେଖିଲେ ?

 ମୋର କ୍ୟାମେରାର ସ୍ପିରିଟ ଫଟୋଗ୍ରାଫି ବିଷୟରେ ଶେରଲକ ହୋମସ୍‌ଙ୍କର ଯଦି କିଛି ମତ ଥାଏ, ଆପଣ ସେ ବିଷୟରେ ମତେ ଜଣାଇଲେ ନାହିଁ ।

 ସୁଜାନ ସାମାନ୍ୟ ମାତ୍ରାଧିକ ପାନୀୟ ପିଇଥିବାର ସହଜ ହସ ହସିଲେ । କହିଲେ, ମୁଁ ଆପଣଙ୍କୁ କହିବାକୁ ଯାଉଥିଲି, ମତେ କିଏ ଡାକିନେଲା । ମୁଁ ଆପଣଙ୍କୁ କାଲି ଟେଲିଫୋନରେ ଜଣାଇ ଦେବି ।

 ସୁଜାନଙ୍କ ପାଖରୁ ଫୋନ ନ ଆସିବାରୁ ଦି ଦିନ ପରେ ମୁଁ ହିଁ ଟେଲିଫୋନ କଲି । ମୁଁ କିଛି କହିବା ଆଗରୁ ସେ କହିଲେ, ବ୍ୟସ୍ତ ରହି ମୁଁ ଆପଣଙ୍କୁ ଫୋନ କରି ପାରିଲି ନାହିଁ । ତେବେ ମୁଁ ଯଦି ବର୍ତ୍ତମାନ ଶେରଲକ ହୋମସଙ୍କ ଭୂମିକା ନିଏ ଆପଣଙ୍କର ଆପଭି ଅଛି କି ?

 ନା, ମୁଁ କହିଲି ।

 ଆପଣ ନିଶ୍ଚୟ ଆପଣଙ୍କ କ୍ୟାମେରାରେ କେବେ କେବେ ମାଇକ୍ରୋ ଲେନ୍ସ ବି ବ୍ୟବହାର କରନ୍ତି

କରନ୍ତି । ଏବଂ ଅନେକ ସମୟରେ କିଛି ଫ୍ରେମ ଉଠାଇବା ପରେ କ୍ୟାମେରାରୁ ରୋଲ ବାହାର କରି ଅନ୍ୟ ପ୍ରକାରର ରୋଲ ପକାଇଥାନ୍ତି ।

 ମୁଁ ପୁଣି ହଁ ଭରିଲି । ବର୍ତ୍ତମାନ ମୁଁ ଜାଣିପାରିଲି ସେ ଏସବୁ କଥା କହି କେଉଁ ଉପସଂହାର ଆଡକୁ ଯାଉଛନ୍ତି । ମୁଁ କହିଲି, ହଁ, ଏ କଥା ସମ୍ଭବ ଯେ ମୁଁ ଦୁଇ ଚାରିଟି କଳାଧଳା ଫଟୋ ଉଠାଇବା ପରେ ସେ ରୋଲଟି ବାହାର କରି କ୍ୟାମେରାରେ ରଂଗୀନ ରୋଲ ପକାଇ ଥାଇପାରେ; ପରେ ପୁଣି ସେଇ ଅଧା ରୋଲଟି ବ୍ୟବହାର କରିଥାଇ ପାରେ । କିନ୍ତୁ-

 ମତେ କହିବାକୁ ନ ଦେଇ ସୁଜନ କହିଲେ, ଆପଣଙ୍କ କ୍ୟାମେରା କେବେ କେବେ ଅନ୍ୟମାନଙ୍କ ହାତରେ ପଡ଼ିଥାଏ ।

 ମୁଁ ହଁ କହିବାକୁ ବାଧ୍ୟ ହେଲି । ମୁଁ ଯେତେ ସତର୍କ ରହିଲେ ମଧ୍ୟ ଅନେକଙ୍କୁ ମୁଁ ଦେଖିଛି ମୋର କ୍ୟାମେରା ସହିତ ଖେଳିବାର । ଯଥା ମାଳି, ବାନାମ୍ବର ତଥା ଧଡ଼ିଆ ରିକ୍ସାବାଲା । ଅବଶ୍ୟ ମୁଁ ମଧ୍ୟ କେବେ କେବେ ମୋର କ୍ୟାମେରାରେ ସେମାନଙ୍କୁ ଫଟୋ ଉଠାଇବାକୁ ଦେଇଛି । ମୁଁ ଜାଣି ପାରିଲି ସୁଜାନ କଣ କହିବାକୁ ଚାହାନ୍ତି । ସେଇ ଚାରିଟି ଭୌତିକ ଫଟୋ ମୋର ଅଜ୍ଞାତସାରରେ ଉଠାଇଛି ଆଉ କେହି ଏବଂ ସେଇ ରୋଲଟି ଅନ୍ୟ ରୋଲ ସହିତ ମିଶିଯାଇ ଏ ଭଳି ପରିସ୍ଥିତି ଉପୁଜାଇଛି । ମତେ ଆଉ କିଛି ଭାବିବାକୁ ନ ଦେଇ ସୁଜାନ କହିଲେ, ଆପଣଙ୍କର ଚାରିଟିଯାକ ଭୌତିକ ପ୍ରିଣ୍ଟ ବର୍ତ୍ତମାନ ମୋ ସାମନାରେ । ଏଗୁଡ଼ିକ କୌଣସି ମଣିଷର ଆନାଟମିର ଫଟୋ ନୁହେଁ । ଏଗୁଡ଼ିକ କୌଣସି ପଟଚିତ୍ରରୁ ମାଇକ୍ରୋଲେନ୍ସରେ ନିଆଯାଇଥିବା ଜଗନ୍ନାଥଙ୍କର ଆଖିର ଚିତ୍ର ।

 ଆରେ, ଏ ତ ଠିକ କଥା । ଯାହା ସୁଜାନଙ୍କ ଆଖିରେ ଧରା ପଡ଼ିଲା, ମତେ ଅନେକ ଆଗରୁ ଉପଲବ୍ଧି କରିବା ଉଚିତ ଥିଲା । କିନ୍ତୁ ମୁଁ ଫଟୋର ରହସ୍ୟ ନେଇ ଏତେ ବିଚଳିତ ଥିଲି ଯେ ଏ କଥାଟି ମୋର ମୁଣ୍ଡ ଭିତରକୁ ଆସି ନ ଥିଲା । ମୁଁ କିନ୍ତୁ ସୁଜାନଙ୍କ ପାଖରେ ହାରି ନ ଯାଇ କହିଲି, କିନ୍ତୁ ମୁଁ ସେ ଦିନ ରାତିରେ ଶୋଭାଯାତ୍ରାର ଯେଉଁ ସବୁ ଫଟୋ ଉଠାଇଥିଲି, ତାର ହେଲା କଣ ?

 ଏ କଥାର ସିଧା ସଳଖ ଉତ୍ତର ନ ଦେଇ ସୁଜାନ କହିଲେ, କିଛି ରହସ୍ୟର ସମାଧାନ ହୁଏ ନାହିଁ; ସେସବୁ ରହସ୍ୟ ହୋଇ ହିଁ ରହିଯାଏ । ଆପଣ ଏ କଥାକୁ ନେଇ ଗପ ଲେଖି ପାରନ୍ତି !

ଏ ବିଷୟରେ ଗପ ଲେଖିବା ତ ଦୂରର କଥା, ସୁଜାନଙ୍କ ବିଶେଷଣ ପରେ ଏ ବିଷୟରେ ଆଉ ଚିନ୍ତା କରିବାର ଇଚ୍ଛା ନ ଥିଲା ମୋର । ତେବେ ଅନେକ ବର୍ଷ ପରେ ଏ ସବୁ କଥା ମୋର ମନେ ପଡ଼ିଲା ଯେତେବେଳେ ମୁଁ ଆମେରିକାରୁ ଆସିଥିବା ଛାତ୍ର ମାଇକ ସହିତ ମୋର ଗବେଷଣା ବିଷୟରେ ଆଲୋଚନା କରୁଥିଲି ! ଏ ଭିତରେ ଓଡ଼ିଶାର ଚିତ୍ରକଳା ବିଷୟରେ ଏକାଧିକ ବହି ପ୍ରକାଶ ପାଇଥିଲା ଏବଂ ଦେଶ ବିଦେଶର ଗବେଷକ ଏ ବିଷୟରେ ଆଗ୍ରହ ପ୍ରକାଶ କରୁଥିଲେ । ମାଇକ ଆସିଥିଲା କୋଉ ଫେଲୋଶିପ ନେଇ ଚିତ୍ରକାରଙ୍କ ଗାଁ ଉପରେ ‘ରଘୁରାଜପୁର ରିଭିଜିଟେଡ୍' ବହି ଲେଖିବା ପାଇଁ ।

ମୁଁ ସେତେବେଳେ ଭୁବନେଶ୍ୱରରେ ଥିଲି ଏବଂ ବିଭିନ୍ନ କଥା ଭିତରେ ମୁଁ ମାଇକକୁ ମୋର ଭୌତିକ ଅନୁଭୂତି କଥା କହିଥିଲି । ତାର ପ୍ରତିକ୍ରିୟାରୁ ମୁଁ ଠିକ ଜାଣିପାରୁ ନ ଥିଲି ସେ ଠିକ କଣ ଭାବୁଛି ଏଇ ରହସ୍ୟ କାହାଣୀ ବିଷୟରେ । ଆମେ କିନ୍ତୁ ଦିନେ ଯେତେବେଳେ ସାଙ୍ଗ ହୋଇ ପୁରୀ ଯିବାକୁ ବାହାରିଲୁ ମାଇକ ଆଗ୍ରହ ଜଣାଇଲା ସେଇ ଭୂତ କୋଠି ଦେଖିବାକୁ । ମୋର ମଧ୍ୟ ଇଚ୍ଛା ହେଲା ଯାଇ ଦେଖିବାକୁ ସେଇ ଘରଟି, ଯେଉଁଠାରେ ମୁଁ ମୋର ଜୀବନର ଅନେକ ସ୍ମରଣୀୟ ଦିନ କଟାଇଥିଲି ।

ମୁଁ ରବିନକୁ ଫୋନ କରିବାରୁ ସେ କହିଲା, ତମେ ମତେ ଠିକ ସମୟରେ ଫୋନ କରିଛ । ଆଉ କିଛି ଦିନରେ ବିଲଡର ସେ ଘରକୁ ଭାଙ୍ଗି ସେଠାରେ ନୂଆ ଘର ତିଆରି କରିବାକୁ ଯାଉଛନ୍ତି ।

ରବିନ ପାଖରୁ ଚାବି ନେଇ ମାଇକ ଓ ମୁଁ ଗୋଟିଏ ଗାଡ଼ି ନେଇ ପୁରୀକୁ ବାହାରିଲୁ । ପୁରୀରେ ପହଞ୍ଚିଲା ବେଳକୁ ସଂଧ୍ୟ ହୋଇଗଲା ଏବଂ ମୁଁ ମାଇକକୁ କହିଲି ଯେ ପ୍ରଥମେ ଭୂତକୋଠିକୁ ଦେଖିନେବା ପରେ ଆମେ ଆମର ହୋଟେଲକୁ ଯିବା । ଆମ ଗାଡ଼ି ଯେତେବେଳେ ସେ ଘର ସାମନାରେ ଯାଇ ଅଟକିଲା, ମୋ ଛାତି ଭିତରେ ହଠାତ କିପରି ଏକ ଛନକା ପଶିଲା । ତେବେ ମୁଁ ଆଜି ଏକା ନ ଥିଲି । ମାଇକ ଓ ମୁଁ କବାଟ ଖୋଲି ଭିତରକୁ ପଶିଲୁ । ଆଲୁଅ ଜଳାଇ ଦେଖିଲି ଘରଟି ଠିକ ସେମିତି ଥିଲା ଯେମିତି ମୁଁ ଛାଡ଼ିଥିଲି ଅନେକ ବର୍ଷ ତଳେ । ଆଜି ବିଜୁଳି ବତୀ ଠିକ ଜଳୁଥିଲା ଏବଂ ବସିବା କୋଠରୀଟି ଏତେ ରହସ୍ୟମୟ ଦେଖାଯାଉ ନ ଥିଲା ଯାହା ମୁଁ କଳ୍ପନା କରି ଆସିଥିଲି ! ମୁଁ ମନେ କଲି ମୁଁ ଯଦି ଇଚ୍ଛା କରେ ବସିବା ଘରର ସିଡ଼ି ଉପରକୁ ଉଠି ନିର୍ଭୟରେ ସେଇ ଅନ୍ଧ କୋଠରୀର ରହସ୍ୟ ବି ଉଦଘାଟନ କରି ପାରିବି ।

ଶୋଇବା ଘର ଟେବୁଲ ଉପରେ ଆଉ ସେଇ ସୁଭଦ୍ରା ମୁଖା ବା ଆଜ୍ଞାମାଳ ନ
ଥିଲା । ତେବେ ଆଉ ସବୁ ଆସବାବ ପତ୍ର ଠିକ ସେମିତି ଥିଲା ଯାହା ମୁଁ ଦେଖିଥିଲି ଅନେକ ବର୍ଷ ଆଗେ । ଏ ସବୁ ସେଇଭଳି ରହିଥିବେ ବିଲଡର ଆସି ଘରଟିକୁ ପୂରା ଭାଙ୍ଗିଦେବା ପର୍ଯ୍ୟନ୍ତ । ମାଇକ ଓ ମୁଁ ବିନା କଥାବାର୍ତ୍ତାରେ କୋଠରୀଗୁଡ଼ିକୁ ବୁଲି ଦେଖିଲୁ । ମୁଁ ପୁଣି ଥରେ ଫେରିଯିବାକୁ ଚାହିଁଲି ଏଠାରେ କଟାଇଥିବା ସେଇ ରହସ୍ୟମୟ ଦିନଗୁଡ଼ିକୁ ଏବଂ ଆଖି ବନ୍ଦକରି ସମୁଦ୍ର ଓ ଝାଉଁବଣକୁ ଶୁଣିଲି, କିନ୍ତୁ ସେଥିରେ ଯେପରି ଆଉ ସେ ଦିନର ଭୟମିଶା ସମ୍ମୋହନ ନ ଥିଲା ।

ଏଥରକ ବାହାରକୁ ଯିବା ପାଇଁ ମୁଁ ସବୁ ଘରର ଆଲୁଅ ଲିଭାଇଲି ଓ ଶେଷରେ ବସିବା ଘରର ଆଲୁଅ ଲିଭାଇ ବାହାର କବାଟରେ ଚାବି ଲଗାଇଲି । ଅନ୍ଧାର ଘରଟିକୁ ପଛରେ ରଖି ଆମେ ଛୋଟ ବଗିଚା ପାରି ହୋଇ ରାସ୍ତା ପାଖ ଫାଟକ ପାଖରେ ପହଞ୍ଚିଲୁ । ଏଇ ସମୟରେ ସେଇ ବିସ୍ମୟକର ଘଟଣାଟି ଘଟିଲା । ବନ୍ଦ ଝରକା ଦେଇ ଦେଖାଗଲା ଯେ ଭୂତକୋଠି ବସିବା ଘରର ଟ୍ୟୁବ ଲାଇଟଟି ହଠାତ ଜଳି ଉଠିଲା । ମୁଁ ତ ଚମକି ପଡ଼ିଲି ; ମାଇକ ମଧ୍ୟ ମୁହୁର୍ତ୍ତେ ପାଇଁ ସ୍ତବ୍ଧ ହୋଇ ରହିଗଲା । ମୁଁ ଆଉ ଥରେ ଭିତରକୁ ଯାଇ ପୁଣି ସେଇ ଭୌତିକ ଆଲୁଅକୁ ଲିଭାଇବାର ମନୋବୃତ୍ତିରେ ନ ଥିଲି । ମାଇକ କଣ କହିବାକୁ ଯାଉଥଲା, ମୁଁ ତାକୁ ଟାଣି ନେଇ କହିଲି, ଚାଲ ଯିବା ।

ମାଇକ ତର୍କସଂଗତ ପିଲା ଥିଲା ଏବଂ ମୁଁ ଜାଣିଥିଲି ସେ କଣ କହିବାକୁ ଯାଉଥଲା । ଏଇ ପୁରୁଣା ଘରମାନଙ୍କରେ ବିଜୁଳି ତାର ପୁରୁଣା ହୋଇ ଅନେକ ସମୟରେ କନେକଶନ୍ ଢିଲା ହୋଇ ଯାଇଥାଏ । କିମ୍ବା, ସୁଇଚ ପୁରୁଣା ହୋଇ ଠିକ ଭାବରେ କାମ କରେ ନାହିଁ । କିମ୍ବା, ଟୁବଲାଇଟ ଜଳିବାକୁ ସମୟ ନେଇଥାଏ । କିମ୍ବା ଏଭଳି ଆଉ କୌଣସି ବ୍ୟାଖ୍ୟା । ବର୍ତ୍ତମାନ କିନ୍ତୁ ମୋର ଆଦୌ ଦରକାର ନ ଥିଲା ଏଇ ରହସ୍ୟର କୌଣସି ସ୍ପଷ୍ଟୀକରଣ । ସବୁ ରହସ୍ୟର ହୁଏ ତ ବ୍ୟାଖ୍ୟା ଅଛି; ମୁଁ ମନେମନେ ଭାବିଲି, ସୁଜାନ କିନ୍ତୁ ଠକି କହିଥିଲା, କିଛି ରହସ୍ୟ ରହିଯିବା ଉଚିତ ସେଇଭଳି ରହସ୍ୟ ହୋଇ ।






କବିତାର ଦୀର୍ଘ ଜୀବନ

କବିତାର ଦୀର୍ଘ ଜୀବନ

 ଝରକା ଦେଇ ଆସୁଥୁବା ଆଲୁଆ ଓ ଶୋର ଶବ୍ଦ ଭିତରେ ଆଖି ଖୋଲିଲା ଦେବନାଥ । ଆଜିକାଲି ଶୋଇବା ଉଠିବା, ବା ଅନ୍ୟ କିଛି କାମ କରିବାର, କୌଣସି ଠିକଣା ସମୟ ନାହିଁ ତାର । ଭୋକ ଲାଗିଲେ ଖାଏ, ନିଦ ଲାଗିଲେ ଶୁଏ, ଆଖି ଖୋଲିଲେ ଉଠେ । କାଲି ରାତିରେ ଭଲ ନିଦ ହୋଇଥିଲା, ସକାଳକୁ ଭଲ ଲାଗୁଛି ଆଜି । ତଳକୁ ହାତ ବଢ଼ାଇ ଚଟାଣରେ ପଡି ଯାଇଥିବା ତକିଆକୁ ଉଠାଇଲା ଓ ପାଖ ଟେବୁଲରୁ ଚଷମା ଆଣି ଆଖିରେ ଲଗାଇଲା ଦେବନାଥ । ଏଥରେ ଆଉ ଠିକରେ ଦେଖା ଯାଉନାହିଁ । ଚଷମା ଓ ନିଜ ଆଖିକୁ କାନିରେ ପୋଛି ଆଉ ଥରେ ଚାରିଆଡ଼କୁ ଅନାଇ ସେ ବୁଝିଲା ଯେ ଏଥରକ ଚଷମାର କାଚ ବଦଳାଇବାକୁ ହେବ । ଏଇ ସୂତ୍ରରୁ ତାର ମନେ ପଡ଼ିଲା ଯେ ଆହୁରି ଅନେକ କାମ ବାକି ରହିଯାଇଛି, କିନ୍ତୁ ଇଚ୍ଛାକରି ସେ ତାକୁ ସବୁ ମନରୁ ବାହାର କରିଦେଲା । କିଛି ଲାଭ ନାହିଁ ସେ ସବୁର ହିସାବ ରଖି । ଯାହା କାଲି କରାଯାଇ ପାରେ, ତା ଆଜି କାହିଁକି ?

ସେ ହାତ ମୁହଁ ଧୋଇ ଟେବୁଲ ପାଖରେ ବସିଛି, ହରି ମାଷ୍ଟରଙ୍କ ଚାକର ପିଲା ତା ଆଗରେ ଗରମ ଚା ଗ୍ଲାସ ଆଣି ରଖି ଦେଇଗଲା । ନିଜର ଭାଗ୍ୟକୁ କୃତଜ୍ଞତା ଜଣାଇଲା ଦେବନାଥ ଏପରି ଏକ ବତ୍ସଳ ପରିବାର ପାଖରେ ପାଇଥିବାରୁ । ସେ ଯେତେବେଳେ ବି ନିଦରୁ ଉଠୁ ନା କାହିଁକି, ତା ପାଖରେ ଚା ପହଞ୍ଚି ଯାଉଥିଲା ; ଭୋକ ଲାଗିଲା ବେଳକୁ ତା ଆଗରେ ଆସି ଭାତ ଥାଳି ରହୁଥିଲା ।

କାନ୍ଥ ଥାକରୁ ଡବା ଆଣି ଦେବନାଥ ସେଥିରୁ ଗୋଟିଏ ବିସ୍କୁଟ ବାହାର କରି ଚା'ରେ ବୁଡ଼ାଇଲା ଓ ଉଠୁଥବା କ୍ଷୀଣ ଧୂଆଁର ଆବର୍ତ୍ତ ଆଡ଼କୁ ଅନାଇ ଠିକ କଲା ଯେ ଆଜି ଖଟ ତଳୁ ଟ୍ରଙ୍କ ବାହାର କରି ତା ଭିତରୁ ଗରମ ଲୁଗା ବାହାର କରିବ । ଅନେକ ଦିନ ହେଲା ସାମାନ୍ୟ ଶୀତ ପଡୁଛି, କିନ୍ତୁ ସେ କରିବ କରିବ ବୋଲି ଏଇ ଛୋଟ କାମଟିକୁ ଏ ପର୍ଯ୍ୟନ୍ତ ଟାଳି ଦେଉଛି । ଗଲାକାଲିର ଖବରକାଗଜ ବି ଏ ପର୍ଯ୍ୟନ୍ତ ପଢ଼ା ହୋଇ ନାହିଁ ତାର । ଟେବୁଲ ଉପରୁ ସେଇଟିକୁ ଉଠାଇ ଆଣି ତା ଉପରେ ଆଖି ବୁଲାଇଲା । ଦେଶ ବିଦେଶର ଏତେ ଖବର ଭିତରୁ କୌଣସିଟି ତା ମନ ଭିତରେ କୌଣସି ପ୍ରତିକ୍ରିୟା ତିଆରି କରି ପାରିଲା ନାହିଁ । ଅନାସକ୍ତ ଭାବରେ ପୃଷ୍ଠା ଓଲଟାଇ ସେ ଫେରିଗଲା ଏଇମାତ୍ର ଦେଖିଥବା କେଉଁ ଆସବାବ ବିଜ୍ଞାପନରେ ଥିବା ଧାଡ଼ିଟି ଆଡ଼କୁ : ବୈକୁଣ୍ଡ ସମାନ ଆହା ଅଟେ ସେହି ଘର । କିଛିକ୍ଷଣ ଅନୁଧାନ କରି ଏଇ ପରିଚିତ ଯୁଗଳ ପଂକ୍ତିର ଅନ୍ୟ ଧାଡ଼ିଟିକି ମନେ ପକାଇବାକୁ ଚେଷ୍ଟା କଲା । ନା, ମନେ ପଡୁନାହିଁ । ଛନ୍ଦ ମିଳୁଥିଲା, ଯହିଁ ଥାଏ ନିରନ୍ତର ଭଳି ଶବ୍ଦ ଯୋଜନାରେ, କିନ୍ତୁ ତା ଆଗରୁ କଣ ଥିଲା ? କଣ ଯହିଁ ଥାଏ ନିରନ୍ତର ? ସୁନ୍ଦର ସାଜ ସଂରଜାମ ? ସେ କଣ ଆଉ ଗୋଟିଏ ନୂଆ ଧାଡ଼ି ଲେଖି ଗୋଟିଏ ପଦ ମିଳାଇ ପାରିବ ? ତା ଆଗରୁ ପ୍ରଥମ ଧାଡ଼ିଟିକୁ ସଜାଇ ଲେଖିବ ପୁଣି ଥରେ, ସ୍ୱଚ୍ଛ ବିରତି ଚିହ୍ନ ସମେତ : ବୈକୁଣ୍ଡ ସମାନ, ଆହା, ଅଟେ ସେହି ଘର ! ଆହା ବଦଳରେ ଯଦି ସେ ହାୟ ଲେଖିଦିଏ ? ଶବ୍ଦମାନଙ୍କୁ ଏପାଖ ସେପାଖ କରି ଲେଖେ : ସେହି ଘର ଅଟେ ଆହା ବୈକୁଣ୍ଠ ସମାନ ? କିମ୍ବା, ସେହି ଘର ଅଟେ ଯାହା ବୈକୁଣ୍ଠ ସମାନ ?

ଦିନ ଥିଲା ଯେତେବେଳେ ତାର ସବୁ ସମୟ କଟିଯାଉଥଲା ଶବ୍ଦମାନଙ୍କ ସହିତ ଏଇପରି ଖେଳ କୌତୁକ କରି । ମନ କାମ କରୁଥିଲା ଅବିରତ ଅଭିଧାନ ଓ ସମାର୍ଥ ଶବ୍ଦକୋଷ ଭଳି । ଆନନ୍ଦ ଥିଲା ଗୋଟିଏ ଶବ୍ଦ ବଦଳରେ ଆଉ ଗୋଟିଏ ଶବ୍ଦକୁ ସଂଯୋଜନା କରିବାରେ; ଚାରି ଓ ଦୁଇ ଅକ୍ଷରର କେଉଁ ଶବ୍ଦ ବିନିମୟରେ ଦୁଇଟି ତିନି ଅକ୍ଷରର ଶବ୍ଦକୁ ସେଇ ଜାଗାରେ ଖଂଜିବାରେ । ଧାଡ଼ିକୁ ଯୋଡ଼ି ପୁଣି ଭାଙ୍ଗିବାରେ । ବିରାମ ବନ୍ଧନୀ ଓ ବିସ୍ମୟ ଚିହ୍ନକୁ ଏପାଖ ସେପାଖ କରିବାରେ । ସମୟ କଟୁଥୁଲା ତତ୍‌ସମ ବଦଳରେ ତଦ୍‌ଭବ
ଖୋଜି ; ଉତ୍ତେଜନା ଥିଲା ପୁରୁଣା ଶବ୍ଦର ନୂଆ ରୂଢ଼ି ପ୍ରୟୋଗ କରି । ପଂକ୍ତି ଭିତରକୁ ଅନାୟାସ ଆସିଯାଇଥିବା ଅନୁପ୍ରାସକୁ ଇଚ୍ଛା କରି ବର୍ଜନ କରିବାରେ ଥିଲା ଏକ ଅନୁଚିତ ସନ୍ତୋଷ ।

ଏବଂ ଶେଷରେ ପୃଷ୍ଠା ବ୍ୟାପୀ ଯେଉଁ ଜୀବନ୍ତ କବିତାଟି ତା ଆଗରେ ସାକାର ହେଉଥିଲା, କଣ ତାକୁ ହିଁ ଚାହୁଁଥିଲା ସେ ? ତା ମନ ଭିତରେ କଣ ଠିକ ସେହି ରୂପଟି ଥିଲା ଯାହା ବର୍ତ୍ତମାନ ଆଖି ଆଗରେ ସାବୟବ ? ସକାଳର ସ୍ମରଣ କେତେ ଧରି ରଖି ପାରିଛି ରାତିର ସ୍ୱପ୍ନକୁ ? ପୂରା କବିତାଟି ପଢ଼ିଲା ବେଳେ ସେଇଟି କେବେ ସଂପୂର୍ଣ୍ଣ ଭାବେ ସଂପନ୍ନ ମନେ ହେଉଥିବା ବେଳେ ଆଉଥରେ ପଢ଼ିଲା ବେଳେ ମନେ ହେଉଥିଲା କେଉଁଠାରେ କିପରି କିଛି ଅବ୍ୟକ୍ତ ରହିଯାଇଛି । ଯେପରିକି ଅତି ସୁବିନ୍ୟସ୍ତ ଏକ ମୃଣ୍ମୟୀ ମୂର୍ତ୍ତିର ଚକ୍ଷୁଦାନର ଅପେକ୍ଷା; କୌଣସି ବିଶେଷ ଭାବର ଅଭାବ । ପୁଣି ଥରେ ଆରମ୍ଭ ହେଉଥଲା ଭାବନା ରାଜ୍ୟର ପରିକ୍ରମା, ଶବ୍ଦକ୍ପଦ୍ରୁମର ବରଦାନର ଉନ୍‌ମୁଖ ପ୍ରତ୍ୟାଶା । ପୁଣି ଥରେ କଲମ ଉଠି ଆସୁଥିଲା କାଗଜ ଉପରକୁ । ଏଥରକ ଆଉ ଶବ୍ଦ ସହିତ ଖେଳ କୌତୁକ ନୁହେଁ, ଏଥରକ ସେମାନଙ୍କ ସହିତ ଶୀତଳ ଯୁଦ୍ଧର କଳକୌଶଳ ।

ଖବରକାଗଜର ବୈକୁଣ୍ଠରୁ ଆଖି ଫେରାଇ ଦେବନାଥ ନିଜର ଖଟ ଟେବୁଲ ଚଉକିର ରୁକ୍ଷ ନିରନ୍ତରତାକୁ ଅନାଇଲା । ତା ନିଜ ଭଳି ଏ ସବୁ ଭଙ୍ଗାରୁଜା ଓ ଜରାଜୀର୍ଣ୍ଣ । ହଠାତ ତାର ମନେ ପଡ଼ିଲା ରବୀନ୍ଦ୍ରନାଥଙ୍କ ପ୍ରସିଦ୍ଧ ଆରାମ କେଦାରାଟି କଥା, ଯଦିଓ କିଛି ସାମଂଜସ୍ୟ ନାହିଁ ସେ ବସିଥିବା ସ୍ଥବିର ଚଉକିଟି ସହିତ ସାତସମୁଦ୍ର ପାରିରୁ ବିଦେଶିନୀଙ୍କ ପ୍ରୀତି ଉପହାର ହୋଇ ଶାନ୍ତି ନିକେତନରେ ପହଞ୍ଚିଥିବା ସୁଖାସନର । ତଥାପି, ଏ ଭଳି କୌଣସି ସନ୍ଦର୍ଭ ବିନା ଦେବନାଥର ମନେ ହେଲା ସତେ ଯେପରି ତାର ଭଙ୍ଗା ଚଉକିର ଆବେଦନ ବି ଥିଲା ଗୁରୁଦେବଙ୍କ ଚଉକିର ଭାଷା ଭଳି କରୁଣ କାତର, ଶୂନ୍ୟତାର ମୂକ ବ୍ୟଥା ବ୍ୟାପ୍ତ କରେ ପ୍ରିୟହୀନ ଘର ।

କବିତାର ଅସଂଲଗ୍ନ ପଂକ୍ତି ସବୁ ତାର ମନ ଭିତରକୁ ପଶି ଆସି ଏଇଭଳି ତାକୁ ଅସ୍ତବ୍ୟସ୍ତ କରନ୍ତି କେବେ କେବେ । ହଜିଯାଇଥିବା ପ୍ରେମର ବ୍ୟଥା ଭଳି ମନ ଗହୀରକୁ ଛୁଇଁଯାଏ କେତୋଟି ଶବ୍ଦର ଲଳିତ ମିତ୍ରାକ୍ଷର ମୁହୂର୍ତ୍ତକ ପାଇଁ । ଦେବନାଥ ପୁଣି ସଜାଡ଼ି ନିଏ ନିଜକୁ ; ସଜଗ ହୋଇଯାଏ । ସେ କାହିଁକି ତାର ସହଜ ସଂସାରକୁ ଛାଡ଼ି ଆଶ୍ରୟ ଖୋଜିବ କେଉଁ ଅଳୀକ ପରାବାସ୍ତବରେ ? ଆଜି ତାର ଦେହ ଭଲ ଲାଗୁଛି । ଝରକା ବାହାରେ ଦେଖାଯାଉଛି ଖରାଟିଆ ପାଗ । ସେ ଆରାମରେ ଚାଲି ଚାଲି ଯାଇପାରିବ ଛକ ପର୍ଯ୍ୟନ୍ତ । ନା, ତାର କୌଣସି ଅଭିଯୋଗ ନାହିଁ ଜୀବନ ପ୍ରତି । ଭାଗ୍ୟ ବରଂ ତା ପ୍ରତି ଅତ୍ୟନ୍ତ ପ୍ରସନ୍ନ ବୋଲି କହିବାକୁ ହେବ । ନ ହେଲେ ତାକୁ କିପରି ମିଳିଥାନ୍ତେ ଏ ଭଳି ଏକ ସୁବିଧା ଜାଗାରେ ପୈତୃକ ଘର, ହରି ମାଷ୍ଟରଙ୍କ ଭଳି ଭଡ଼ାଟିଆ, ଚାଲିଚାଲି ପହଞ୍ଚି ଯାଇ ପାରୁଥିବା ଦୂରତ୍ୱରେ ବଜାର ? ଆହୁରି ସୌଭାଗ୍ୟର କଥା କହିବାକୁ ହେବ ତାଙ୍କ ଗାଁ ପାଖ ଦେଇ ଇସ୍ପାତ କାରଖାନାକୁ ଯାଉଥିବା ଲୁହାପଥର ସରବରାହର ରାସ୍ତା ଏବଂ ଟ୍ରକ ଚଳାଉଥବା ଲୋକଙ୍କ ପାଇଁ ଛକ ଉପରେ ଢାବା ଓ ମଦ ଦୋକାନ ।

ଲୁଗା ବଦଳାଇ ସେ ବାହାରକୁ ଯିବାକୁ ବସିଛି, ପିଲାଟି ତା ଆଗରେ ଆଣି ଜଳଖିଆ ରଖିଦେଲା । ଛକ ଦୋକାନରେ ତାକୁ ଖାଇବାକୁ ମିଳିଯାଏ, ତେବେ ମାଷ୍ଟରଙ୍କ ଘରୁ ଠିକ୍ ସମୟରେ ଖାଇବା ପହଞ୍ଚିବାରେ କେବେ ବି ଅବହେଳା ହୁଏ ନାହିଁ । ଭଲ ହେଲା ; କାହିଁକି ସେ ବଜାର ଜିନିଷ ଖାଇଥାନ୍ତା ? ଖାଇ ସାରି ମୁହଁହାତ ଧୋଇ ସେ ଥାଳିକୁ ବାରଣ୍ଡାରେ ରଖିଦେଲା ଓ କବାଟ ଝରକା ବନ୍ଦ କରି, ତାଲା ଦେଇ ବାହାରକୁ ଆସିଲା । ଖଣ୍ଡେ ବାଟ ଗାଁ ରାସ୍ତା ପାରି ହେଲେ ହିଁ ହାଇ ୱେ ; ଅନ୍ୟ ଏକ ପୃଥିବୀ ।

ରାସ୍ତାରେ ଯାତାୟତ ଆରମ୍ଭ ହୋଇଗଲାଣି । ଗୋଟିଏ ପରେ ଗୋଟିଏ ଲୁହାପଥର ବୋଝେଇ ଟ୍ରକ । ସେ ନ ମନେପକାଇବାକୁ ଚାହୁଁଥିବା ସତ୍ତ୍ୱେ ପୁଣି ଧାଡ଼ିଏ କବିତା ତା ମନ ଭିତରକୁ ଧସି ପଶି ଆସିଲା : ପ୍ରାଗୈତିହାସିକ ଲୌହ ପ୍ରସ୍ତରର ଶେଷ ପରିତ୍ରାଣ । ତା ପର ଧାଡ଼ିଟି ଠିକ ମନେ ନାହିଁ । ଆଦିମ ସମୟ, ଶାପଗ୍ରସ୍ତ, ଇତ୍ୟାଦି ଶବ୍ଦ ପରେ ଶେଷକୁ ଅଛି ଘାତ ପ୍ରତିଘାତ, ଇସପାତ ଇସପାତ । ସେ କୋଉ ଯୁଗର କଥା ହେଲାଣି । ସେତେବେଳେ ଓଡ଼ିଶାର ଚିନ୍ତା ଚେତନାର କେନ୍ଦ୍ରବିନ୍ଦୁ ହୋଇ ଯାଇଥିଲା ଇସପାତ ; ଇସପାତ କାରଖାନା ଦାବିରେ ସରଗରମ ହୋଇ ରହୁଥିଲା ସାମାଜିକ ରାଜନୀତିକ ବାତାବରଣ । ବନ୍ଦେ ଉତ୍କଳ ଜନନୀ ସାଙ୍ଗରେ ସହଜରେ ମିଶି ଯାଉଥିଲା ଇସପାତର ଦାବି । ସେ ସ୍ୱପ୍ନ ବି ସକାର ହେଲା ସମୟ କ୍ରମେ । କାରଖାନା ଆସିଲା । ତାଳତମାଳ ଶୋଭିତ ତୀର ଓ ଘନଘନ ବନଭୂମି ନୂଆ ରୂପ ନେଲା । ରାସ୍ତା ଦି ପାଖ ସବୁଜ ଉପରେ ବର୍ତ୍ତମାନ ଲୁହାପଥର ଧୂଳିର ଲାଲ ଆସ୍ତରଣ ।

ମଦ ଦୋକାନ ଏ ସମୟରେ ଖୋଲିବା କଥା ନୁହେଁ, ତେବେ ଏଇ ସକାଳୁ ସକାଳୁ ଗ୍ରାହକ ପହଞ୍ଚିଗଲେଣି । ହୁଏ ତ ଏଠାରେ ମଦ ଦୋକାନର ଅବସ୍ଥିତି ହିଁ ବେଆଇନ । ହୁଏ ତ ପୂରାପୂରି ବେଆଇନ ଏଇ ଛକର ଗହଳଚହଳ ଭରା ଉଠା ବଜାରଟି । ଦେବନାଥର ମନେ ହୁଏ ଏଇଟି ଯେପରି କେଉଁ ବାରବୁଲା ଲୋକଙ୍କର କେତେ ସମୟ ମାତ୍ରର ସାମୟିକ ଛାଉଣି । ହଠାତ ଆଜି ସକାଳେ ହିଁ ଗଢ଼ି ଉଠିଛି ଏକ ଅଢେଇ ଦିନିଆ ବ୍ୟସ୍ତସମସ୍ତ ଚଳଚଞ୍ଚଳ ଡେରା । ପୁଣି କାଲି ସକାଳେ ସେ ଯେତେବେଳେ ଆସିବ, କିଛି ବି ନ ଥିବ ଏଠାରେ ; ଖାଁ ଖାଁ କରୁଥିବ ଲାଲମାଟିର ଖୋଲା ପଡ଼ିଆ ।

ସେ ପ୍ରତିଦିନ ଆସି ବେଞ୍ଚର ଯେଉଁ ଜାଗାଟିରେ ବସେ, ସେଇଟି ଖାଲି ଥିଲା । ଚାଦର କାନିରେ ତାକୁ ପୋଛି ସେ ବସିଲା ଏବଂ ଥଣ୍ଡା ପବନର ଏକ ହଠାତ ଦମକା ଆସିବାରୁ ଦେହକୁ ଆହୁରି ଭଲ ଭାବେ ଘୋଡ଼ାଇ ନେଲା । ଉପରୁ ହାଲୁକା ଖରା ପଡ଼ୁଚି ଖୋଲା ବସିବା ଜାଗାରେ ; ପରେ ଖରା ଟାଣ ହେବ, କିନ୍ତୁ ଦି ଗ୍ଳାସ ପେଟରେ ପଡ଼ିବା ପରେ ଆଉ କିଛି ଜଣା ପଡ଼ିବ ନାହିଁ । ଦୋକାନ ଚାରିପାଖେ ତାଟି ଘେରା ହୋଇଛି, ବାହାର ଲୋକ ଭିତରେ କଣ ହେଉଛି ଦେଖି ନ ପାରିବା ପାଇଁ । ନୂଆଣିଆ ଚାଳି ଭିତରେ ବୋତଲ ଗ୍ଳାସ ଓ କାଚଡବାର ଘେରରେ ବସିଥିବା ଦୋକାନୀକୁ ଦେବନାଥ ଇଶାରା ଦେଲା ଓ ସାଙ୍ଗେସାଙ୍ଗେ ତା ପାଖରେ ଗୋଟିଏ ଭରା ବୋତଲ ଓ ଖାଲି ଗ୍ଲାସ ପହଞ୍ଚିଗଲା । ଦ୍ବିତୀୟ ବୋତଲ ସହିତ ଚଣା ଭଜା ଆସିବ । ସେ ପୁରୁଣା ନିତିଦିନିଆ ଗ୍ରାହକ ; ତାର ଠିକ କଣ ଦରକାର କେତେବେଳେ, ଦୋକାନୀକୁ ଜଣା । ଗ୍ଲାସଟି ବୋଧହୁଏ ଭଲ ଭାବେ ଧୁଆ ହୋଇ ନ ଥିଲା । ତା ଚାରିପାଖେ କେତେଟି ମାଛି ଉଡି ବୁଲୁଛନ୍ତି ଗୁଣୁଗୁଣୁ ହୋଇ । ସେମାନଙ୍କ ଗୁଂଜରଣ ସହିତ ମେଳ ଦେଇ ଗ୍ଲାସ ବୋତଲ କାଚ କୁଞ୍ଚାର ରୁଣଝୁଣ ନିକ୍ୱଣ । ଏମାନେ ପୁଣି ପ୍ରତିଧ୍ବନିତ କରୁଛନ୍ତି ପିଲାଦିନେ ବର୍ଣ୍ଣବୋଧର ଶବ୍ଦ ଓ ଧ୍ବନି ସହିତ ପ୍ରଥମ ପରିଚୟ : ଘଣ୍ଟି ବଜାଇ ଠନ ଠନ ; ଘଣ୍ଟା ବାଜଇ ଢଂ ଢଂ ।

ଆଉ କବିତା ନାହିଁ, କେବଳ ଶବ୍ଦ । ପିଲାଦିନେ ବର୍ଣ୍ଣବୋଧର ଶବ୍ଦ ହିଁ ଥିଲା କବିତା : କଟକ ନଗର ଧବଳ ଟଗର । କାହାରି କାହା ସହିତ ସଂପର୍କ ନାହିଁ । ଚକା ଚକା ଭଉଁରୀ, ମାମୁଘର ଚଉଁରୀ । କିମ୍ବା ସଂପୂର୍ଣ୍ଣ ଅର୍ଥରହିତ ପଂଝାଏ ଖଂଜ ବସି ବସି, କଥା କହନ୍ତି ହସି ହସି । କିଛି ଛୋଟା ଲୋକ ଏକାଠି ବସି କେଉଁ ଖୁସିରେ କଥାବାର୍ତ୍ତା କରୁଥିବେ ତାରି କଳ୍ପନା ହିଁ ମନ ଭିତରେ ସୃଷ୍ଟି କରୁଥିଲା କାବ୍ୟିକ ପରିବେଶ । ଏଇ ସମୟରେ ଉପରେ ଦଳେ କାଉ ଉଡ଼ି ଚାଲିଗଲେ । ଆପଣା ଛାଏଁ ତାର ହାତ ଯାଇ ଗିଲାସକୁ ଢାଙ୍କି ଦେଲା । କାଉ କର୍କଶ ଓ ଅସୁନ୍ଦର, କିନ୍ତୁ ଶୁଭ ଖବର ନେଇ ଆସିଥାଏ । ମେଘ ଭଳି ହଂସକୁ ଦୂତ କରି ବାର୍ତ୍ତା ପଠାଯାଇ ପାରେ । କିନ୍ତୁ କାକ ଦୂତ ? ବାୟସ ଦୂତ ? କାଉ ବିଷୟରେ କଣ କବିତା ଲେଖାଯାଇ ପାରେ ? ଡାମରା କାଉ, ଉଞ୍ଚ ପରବତେ ବୋବାଉ ଥାଉ । ଏଡଗାର ଆଲାନ ପୋ ? ନୁହେଁ, ଆଉ ନୁହେଁ । ନେଭର ମୋର । ନେଭରମୋର ।

ଆଉ ଦି ଚାରି ଜଣ ଆସି ଆଖ ପାଖ ବେଞ୍ଚ ଉପରେ ବସିଲେଣି । ସେମାନେ ତାଙ୍କ ନିଜ ଭିତରେ କଥା ହୁଅନ୍ତି, ତାକୁ କେବେ କିଛି କହନ୍ତି ନାହିଁ । ତାକୁ କଣ ବୋଲି ଭାବନ୍ତି କେଜାଣି ? କେବଳ ଥରେ ଜଣେ ତା ପାଖକୁ ଆସି ପଚାରି ଥିଲା, ବାବୁ, ତମେ କଣ ଗୀତ ଲେଖ ନା କଣ ପରା ? ପ୍ରଥମ ଥର ଠିକ ଶୁଣିପାରିଲା ନାହିଁ ବୁଝିପାରିଲା ନାହିଁ ଦେବନାଥ;

ତା ଆଡ଼କୁ ପ୍ରଶ୍ନବାଚୀ ଆଖିରେ ଅନାଇଲା । ଲୋକଟି ଏଥରକ ତା ପାଖକୁ ଆଉ ଟିକିଏ ଘୁଞ୍ଚିଆସି କହିଲା, ଗୀତ । ତମେ କୁଆଡ଼େ ଗୀତ ଲେଖୁଚ ପରା ? ଟିକିଏ ଆଶ୍ଚର୍ଯ୍ୟ ଓ ଖୁସି ହେଲା ଦେବନାଥ ଓ ମୁଣ୍ଡ ହଲାଇ ହଁ କଲା । ଥରେ କବିତା ଲେଖିଚ ତ କବିର ମୋହର ଲାଗି ଯାଇଛି, ତମେ ପଛେ କବିତାର ଧାର ଧାରି ନଥାଅ ବର୍ଷ ବର୍ଷ ଧରି । ତାର ନିଜର ବି ମନେ ନାହିଁ ସେ ତାର ଶେଷ କବିତା କେବେ ଲେଖିଥିଲା । ମୋର ଦି ଧାଡ଼ି ଗୀତ ଲୋଡ଼ା, ଟ୍ରକର ଡାଲା ପାଇଁ, ଅତି ସହଜରେ କହିଲା ଲୋକଟି । ତାର ମନେ ପଡ଼ିଲା ସେ ଯେତେବେଳେ କଲେଜରେ ପଢୁଥିଲା, ଏପରି ବ୍ୟକ୍ତିଗତ ବରାଦ ତା ପାଖକୁ ଆସୁଥିଲା ବାହାଘର ଗୀତ ଲେଖିଦେବା ପାଇଁ । ବାହାଘର ବେଳେ ବରକନ୍ୟାଙ୍କ ପାଇଁ ସ୍ୱସ୍ତିବାଚକ ଗୀତ ନାଲି ନେଳି କାଗଜରେ ଛପା ହୋଇ ଅତିଥିମାନଙ୍କ ଭିତରେ ବାଣ୍ଟିବାର ଏକ ପ୍ରଥା ଥିଲା ସେ ସମୟରେ । ସେ କେବେ କେବେ ଲେଖି ଦେଉଥିଲା କେତେ ଧାଡ଼ି ବିରକ୍ତ ହୋଇ, କିଛି ବି ଆୟାସ ନ କରି ; ତେବେ ସେ ସବୁ ଗୀତ ଆଦୃତ ହେଉଥିଲା ବୋଲି ପରେ କହୁଥଲେ ତାର ସାଙ୍ଗମାନେ । ଟ୍ରକବାଲା କହିଲା, ଗୀତ କିନ୍ତୁ ବଢିଆ ହୋଇଥିବା ଦରକାର, ଯେମିତି ହିନ୍ଦୀ ଗୀତ ସାଙ୍ଗରେ ଟକ୍କର ଦେଇ ପାରୁଥିବ ।

କାହିଁ କେତେ ବର୍ଷ ପରେ ତାକୁ କିଏ କିଛି ଲେଖିବା ପାଇଁ କହିଲା । ଦିନ ଥିଲା ଯେତେବେଳେ ପତ୍ରିକାର ସମ୍ପାଦକଙ୍କ ପାଖରୁ ବାରମ୍ବାର ତାଗିଦା ଆସୁଥିଲା, ଗାୟକମାନେ ତାକୁ ବସାଇ ଉଠାଇ ଦେଉ ନଥିଲେ ଗୀତର ଫରମାଇଶ କରି । ଏ ସବୁ ଯେମିତି ଥିଲା ତାର ପୂର୍ବ ଜନ୍ମର କଥା । ବର୍ତ୍ତମାନ ତା ଠାରୁ ହଁ ଶୁଣି ଟ୍ରାକବାଲା ଦୋକାନ ଭିତରକୁ ଯାଇ ଆଉ ଗୋଟିଏ ବୋତଲ ଆଣି ତା ଆଗରେ ରଖିଦେଲା । ବରାଦୀ କବିତା ପାଇଁ ଆଗତୁରା ଦକ୍ଷିଣା । ତା ବୋତଲରୁ ନିଜ ଗ୍ଲାସରେ ଢାଳି ଢେକେ ପିଇବା ପରେ ଦେବନାଥର ମନେ ହେଲା ସେ ନିଜ ଉପରକୁ ଏକ ଗୁରୁ ଦାୟିତ୍ବ ନେଇ ନେଇଛି । ଦୁଇ ଧାଡ଼ିର ଏକ ଶସ୍ତା ମିତ୍ରାକ୍ଷରୀ ପଦ ଲେଖିବା କାମ ତା ଉପରେ ମାଡ଼ି ପଡ଼ିଲା । ନିଜକୁ ତୁରନ୍ତ ଋଣମୁକ୍ତ କରିବା ପାଇଁ ସେ ମନେ ମନେ ଦି ଧାଡ଼ିର ରୁମଝୁମ ଭାବିନେଲା : ଦେଶ ନାହିଁ ବିଦେଶ ନାହିଁ, ଆରମ୍ଭ ନାହିଁ ଶେଷ ନାହିଁ । କିନ୍ତୁ ଏଇଟିର ନା ଭାବ ନା ଭାଷା ନା ଛନ୍ଦ ତାର ପସନ୍ଦ ହେଲା । ତା ବ୍ୟତୀତ ପ୍ରତି ଟ୍ରକ ପଛରେ ଏଇ ଭଳି କଥା ହିଁ ତ ଲେଖା ଥାଏ ।

ତା ପରେ କିଛିଦିନ ସେ ଲାଗିଗଲା ଏଇ ଦୁଇଧାଡ଼ିକୁ ସଜାଡ଼ିବାରେ, କିମ୍ବା ଆଉ ନୂଆ ଦି ଧାଡ଼ି ଲେଖିବାରେ । ଟେବୁଲ ଉପରେ କାଗଜ କଲମ ବାହାର କରି ରଖିଲା ପରେ ସମୟ କ୍ରମେ କାଗଜ ଉପରେ କେବଳ କିଛି ଶବ୍ଦ ଏପାଖ ସେପାଖ ଲେଖା ହୋଇଗଲେ, କିନ୍ତୁ ମେଳ ଖାଉଥବା ସ୍ତବକ ଆଉ ସାଧ୍ୟ ହେଲା ନାହିଁ । ସେ ମନେମନେ

ଖୋଜୁଥୁଲା ସେ ଟ୍ରାକବାଲା ସହିତ ଆଉ କେବେ ବି ଦେଖା ନ ହୁଅନ୍ତା କି ! ଲୋକଟି କେବେ କ୍ୱଚିତ ଦେବନାଥ ଥିବାବେଳେ ଦୋକାନରେ ପହଞ୍ଚିଯାଉଥିଲା । ଯଦିଓ ସେ ଆଉ କେବେ ବି ତାକୁ ଗୀତ କଥା ପଚାରି ନ ଥିଲା, ଦେବନାଥ ଭୁଲି ପାରୁ ନଥିଲା ତାକୁ ସେ ଦେଇଥିବା ପ୍ରଣାମୀ କଥା । ଥରେ ଏଇପରି ସାମନା ସାମନି ଭେଟ ହୋଇଯିବାରୁ ଦେବନାଥ ପକେଟରୁ ଛୋଟ ନୋଟ ଖାତା ଓ କଲମ ବାହାର କରି ଟେବୁଲ ଉପରେ ରଖିଲା ତା ଆଗରେ ପ୍ରମାଣ କରିବା ପାଇଁ ଯେ ସେ ତାର ବରାଦ କଥା ଭୁଲିଯାଇ ନାହିଁ । ଲୋକଟି ତା ଆଡ଼କୁ ଚାହିଁ ସାମାନ୍ୟ ହସିଲା, କିନ୍ତୁ ତା ସହିତ ଯୋଗାଯୋଗ କରିବା ପାଇଁ ଆଉ କୌଣସି ଚେଷ୍ଟା କଲା ନାହିଁ ।

ଦେବନାଥର ଭୟ ହୁଏ ଯେ ହଠାତ ଦିନେ ଟ୍ରାକବାଲା ତା ସାମନାକୁ ଆସି ତାର ମଦ ବୋତଲର ଅଗ୍ରୀମ ବଦଳରେ ଦି ଧାଡ଼ି କବିତା ମାଗିବ । ଗୋଟିଏ ପୁରା କବିତା ବଦଳରେ କେତୋଟି ମଦ ବୋତଲ ମିଳିପାରେ ମନରେ କଳନା କରିବାକୁ ଚେଷ୍ଟା କଲା ଦେବନାଥ । କିନ୍ତୁ ସମୟ କ୍ରମେ ସେ ଲୋକଟି ଆଉ ଦେଖାଗଲା ନାହିଁ । ଯଦିଓ ତାର ଲେଖାଟି ହୋଇପାରି ନଥିଲା, ସେ ମନେମନେ ଖୋଜୁଥିଲା ଏଇ ଲୋକଟିକୁ, ଯେ ଥିଲା ତାର କେବେ କବି ଥିବାର ଏକ ଜୀବନ୍ତ ସ୍ମାରକ । ଲୋକଟି କିନ୍ତୁ ଆଉ ଆସିଲା ନାହିଁ । କେତେ କଣ ବଦଳି ଯାଉଛି କେତେ ଦିନରେ । ମଦ ଦୋକାନର ଚାଳି ଘର ଭାଙ୍ଗି ଇଟା ଯୋଡ଼ା ହେଲାଣି । ଚଉକି ଟେବୁଲ ଆଉ ଟିକିଏ ସଫା ସୁତୁରା ଓ ବେଶି ମୂଲ୍ୟର । ଲୋକଟି ବୋଧହୁଏ ଦେଶ ଛାଡ଼ି କେଉଁ ବିଦେଶକୁ ଚାଲିଗଲାଣି, ଅନ୍ୟ କେଉଁ ଆରମ୍ଭକୁ । ଏକଥା ବି ସମ୍ଭବ ଯେ କେଉଁ ଦୁର୍ଘଟଣାରେ ତାର ଜୀବନର ଶେଷ ବି ହୋଇଯାଇଛି ଏ ଭିତରେ ।

ଦେବନାଥର ସରଳ ଜୀବନଯାତ୍ରାର ଏଇ ସାମାନ୍ୟ ବ୍ୟତିକ୍ରମ ବି ଅନେକ ଦିନ ତଳର କଥା ହେଲାଣି, ତାର ପିଲାଦିନ ଭଳି । ଗାଁର ଅଳସଗତି ଶୈଶବ ଓ କୈଶୋର । ଯାହା ଏବେ ମନେ ପଡ଼େ ସେ ସବୁ ଘରର ସୁଖଦୁଃଖ, ଆଖପାଖର ମେଳା ମଉଛବ ଦେଇ ଯେତେ ନୁହେଁ, ସେତିକି ସ୍ୱାଧୀନତା ସଂଗ୍ରାମୀମାନେ ହାତରେ ତିରଙ୍ଗା ଧରି ଗୀତ ଗାଇ ଗାଁ ଦାଣ୍ଡରେ ଧାଡ଼ି ବାନ୍ଧି ଚାଲି ଯାଉଥିବାର ଦୃଶ୍ୟରେ । ଗାନ୍ଧୀ ନାମେ ଯେବେ ବିଶ୍ବାସ ଅଛି ପତାକା ତଳକୁ ଆସରେ, ମୁକତି ଗଙ୍ଗାର ଢେଉ ଛୁଟି ଆସେ ବେଗାବେଗି ଦିଅ ଝାସରେ । ଏଥିରେ କାବିକତା ନ ଥାଉ ପଛେ, ଥିଲା ଉତ୍ତେଜନା । ସାଙ୍ଗିତିକତା ନ ଥାଉ, ଥିଲା ମିଳିତ କଣ୍ଠରେ ଗାଇବାରେ ଏକ ଅଦଭୁତ ଉନ୍ମାଦନା । କବିତା ଯେଉଁଠି ଥିଲା ପତାକାର ପାଦଟୀକା । ପୁଣି ଆସିଲା ଦୁଇ ପଇସାରେ ବିକ୍ରି ହେଉଥିବା ଗୋଟିଏ ପୃଷ୍ଠା କାଗଜରେ

ଇନକିଲାବ ଜିନ୍ଦାବାଦ ଗୀତ : ବାର ବରଷର ବାଳକ, ଗୁଳି ମୁହେଁ ଦେଖାଇଛି ବେକ ହେ । କବିତା ଥିଲା ଗୀତ, ପଢ଼ିବା ଥିଲା ସ୍ୱର କରି ଗାଇବା, ଅର୍ଥ ପାଖରେ ପହଞ୍ଚିବାର ରାସ୍ତା ଥିଲା ଏକାକୀ ମନନ ନୁହେଁ, ପଟୁଆର । ତା ପରେ ଆସିଲା ଏକ ନୂଆ ଯୁଗର ଜ୍ବଳନ୍ତ ସ୍ୱାକ୍ଷର ନେଇ, ନୁହେଁ ବନ୍ଧୁ ନୁହେଁ ଏ ଯେ ଚିତା । ପରବର୍ତ୍ତୀ ଜୀବନରେ ଯେପରି ଡାଫୋଡ଼ିଲର ସୁନେଲି ସମ୍ମୋହନରୁ ତାକୁ ଟାଣି ଆଣି ବାହାର କରିଥିଲା ଆଲଫ୍ରେଡ ପୁଫରକ ।

କଲେଜରେ ପ୍ରଥମେ ଏଲିଅଟ ପଢ଼ିବା ବେଳେ ଛାତି ଭିତରେ ଯେଉଁ ହୁଲସ୍ଥୁଲ ହୋଇଯାଇଥିଲା ସେ କଥା ଭାବିଲେ ଏବେ ବି ଶିହରଣ ଆସେ । ପାଗଳ ଭଳି ସେ ଖୋଜି ଖୋଜି ବିଦେଶୀ କବିତା ପଢୁଥିଲା । ପ୍ରୁଫରକ କବିତାର ଶୀର୍ଷକ ତଳେ ତିର୍ଯ୍ୟକ ଲେଖାରେ ଦାନ୍ତେଙ୍କର ଯେଉଁ ଛ'ଟି ଧାଡ଼ି ଥିଲା, ତାର ଅର୍ଥ ବି ସେ ଖୋଜି ବାହାର କରିଥିଲା ସେତେବେଳେ । କ୍ଳାସ ପରେ ସେ ଯାଇ ଅଧ୍ୟାପକଙ୍କ ସହିତ କବିତା ବିଷୟରେ ଆଲୋଚନା କରୁଥିଲା । ସେ ଜାଣିବାକୁ ଚେଷ୍ଟା କରୁଥିଲା କବିତାରେ ଯେଉଁ ସବୁ ସଂକେତ ଆଭାଷ ଓ ପରୋକ୍ଷ ଉଲ୍ଲେଖ ରହିଛି ତାର ଅର୍ଥ ଓ ସଂଗତି କଣ । କବିତାର ପ୍ରତିଟି ଧାଡ଼ି, ପ୍ରତିଟି ଶବ୍ଦ ଯେପରି ତାର ବୁଝିବା ଦରକାର । ଅଧ୍ୟାପକ ତାକୁ ବୁଝାନ୍ତି, କୌଣସି ଲେଖା ପଢ଼ିବା ବେଳେ ଯେଉଁ ସବୁ ବିଦେଶୀ ସନ୍ଦର୍ଭ, ଦୁର୍ବୋଧ୍ୟ ଶବ୍ଦ ବା ଜଟିଳ ଅଭିବ୍ୟକ୍ତି ଉପରେ ତମେ ଝୁଣ୍ଟି ପଡୁଛ, ସେମାନଙ୍କୁ ଆଡ଼େଇ ରଖି ରଚନାଟିକୁ ପଢ଼ ; ତା କଲେ ହିଁ ତମେ କବିତାର ଆନନ୍ଦ ପାଇବ । ଦେବନାଥର ମନ ବୁଝେ ନାହିଁ । କିପରି ସେ ଅଲଗା କରିଦେବ କବିତାରୁ ସେଇ ଅଂଶ କିଛି ? ଏଇ ଝୁଣ୍ଟି ପଡ଼ୁଥିବା ଜାଗାଗୁଡ଼ିକ ହିଁ ତ କବିତା । ସେହି ଅର୍ଥହୀନତାରେ ହିଁ ତ ଅର୍ଥମୟ ହୋଇ ଯାଇଛି କବିତା ସେଠାରେ ।

ସ୍କୁଲ ପରେ କଲେଜରେ ପଢ଼ିବା ପାଇଁ ସେ ଗାଁରୁ ଆସି ସହରରେ ମାମୁ ଘରେ ରହୁଥିଲା । ରହିବା ପାଇଁ ତାକୁ ଘରର ଯେଉଁ ଛୋଟ ଜାଗାଟି ଦିଆ ଯାଇଥିଲା, ସେଠାରେ ନିଜର କାଗଜପତ୍ର ଜମା କରି ସେ ତିଆରି କରି ଦେଇଥିଲା ଏକ ନିଜସ୍ୱ ପୃଥିବୀ । ଅନ୍ୟ ପିଲାଙ୍କ ଭଳି ତାର ଖେଳକୁଦ, ସିନେମାରେ ମନ ନ ଥିଲା ; ବହିଟିଏ ପାଇଲେ ତାକୁ ଧରି ସେ ଘଣ୍ଟା ଘଣ୍ଟା ବସିଯାଉଥିଲା । ସହରର ସବୁ ଲାଇବ୍ରେରୀ ତାର ପରିଚିତ ଥିଲେ ଏବଂ ତାର ସବୁ ବନ୍ଧୁ ଥିଲେ ସାହିତ୍ୟରେ ରୁଚି ରଖୁଥିବା ଯୁବକ । ଶାନ୍ତ ବିନୟୀ ଓ ଭଦ୍ର ପ୍ରକୃତିର ହୋଇଥିବାରୁ ସେ ଯଦିଓ କାହାରି ସହିତ ବିଶେଷ ସଂପର୍କ ରଖୁ ନ ଥିଲା, ଘରେ ତାକୁ ସମସ୍ତେ ଆଦର କରୁଥିଲେ ଏବଂ ବହି ସାଙ୍ଗରେ ସବୁ ସମୟ କଟାଇବା ବିଷୟରେ ତାକୁ କିଛି କହୁ ନ ଥିଲେ ।

 ସ୍କୁଲରେ ପଢ଼ିବା ସମୟରେ ସେ ଯେଉଁସବୁ କବିତା ଲେଖୁଥିଲା, ସେ ସବୁ ଗୋଟିଏ ବନ୍ଧାଇ ଖାତାରେ ଏକାଠି ଥିଲା । ସହରକୁ ଆସିବା ପରେ ନୂଆ ନୂଆ ଓ ବିଶେଷରେ ଇଂରେଜୀ କବିଙ୍କୁ ପଢ଼ିବା ପରେ ସେ ଭିନ୍ନ ଭାବରେ ଦେଖିଲା କବିତାକୁ । ପୁରୁଣା ଖାତାରୁ ନିଜର କବିତା ପଢ଼ିବାବେଳେ ସେଗୁଡ଼ିକ ତାକୁ ଅତି ନୀରସ ସାଧାରଣ ଓ ଘଷରା ଜଣାଗଲେ । ବିରକ୍ତ ହୋଇ ସେ ଖାତାଟିକୁ ଚିରି ଫିଙ୍ଗି ଦେଲା ଏବଂ ନୂଆ ଖାତାଟିଏ କିଣି ସେଥିରେ ଲେଖିବାକୁ ଲାଗିଲା । ସେ ଦି ଧାଡ଼ି ଲେଖେ, ତାକୁ କାଟେ, ପୁଣି ଆଉ କିଛି ଲେଖେ । କେତେବେଳେ ଏକାଥରେ ଦଶଧାଡ଼ି ଲେଖିବାକୁ ସମର୍ଥ ହେବା ବେଳେ ଆଉ କେତେବେଳେ ଧାଡ଼ିଏ ବି ପଇଟେ ନାହିଁ । ସେ କିନ୍ତୁ ହାର ମାନୁ ନ ଥିଲା; ସେ ଲାଗି ରହୁଥିଲା କବିତାଟି ସଂପୂର୍ଣ୍ଣ ହେବାଯାଏ । ଏଥରକ ସେ ପତ୍ର ପତ୍ରିକାକୁ କବିତା ପଠାଇବାକୁ ଆରମ୍ଭ କଲା । ଏବଂ ଦିନେ ତାର ଗୋଟିଏ କବିତା ଏକ ଜଣାଶୁଣା ସାହିତ୍ୟ ପତ୍ରିକାରେ ପ୍ରକାଶ ପାଇଲା ।

 କବିତା ବାହାରେ ତାର ବ୍ୟକ୍ତିଗତ ଜୀବନ ଥିଲା ଅତ୍ୟନ୍ତ ସୀମିତ । ସେ ଜାଣିଥିଲା ଯେ କଲେଜ ପାଠ ସରିଲେ ତାକୁ କୋଉଠି ଚାକିରି ନେଇ ଘର ସଂସାର କରିବାକୁ ପଡ଼ିବ । ଏବଂ ତା ହେଲା ମଧ । ଛୋଟ ସରକାରୀ ଅଫିସରେ ତାକୁ ଛୋଟ ଚାକିରି ମିଳିଲା ; ଛୋଟ ଗଳିରେ ଛୋଟ ଘର ନେଇ ସେ ଆରମ୍ଭ କଲା ତାର ଛୋଟ ଜୀବନ । ତାର ସ୍ତ୍ରୀ ଶାନ୍ତ ପ୍ରକୃତିର ଥିଲା ଓ ତାର କୌଣସି ଉଚ୍ଚାଭିଳାଷ ନ ଥିଲା । ତାର ସ୍ୱଳ୍ପ ବେତନରେ ଚଳିଯାଉଥିଲା ସେମାନଙ୍କର ତିନିଜଣିଆ-ହଁ, ଯଥା ସମୟରେ ସେମାନଙ୍କର ଗୋଟିଏ ପୁଅ ବି ଜନ୍ମ ହୋଇଥିଲା- ପରିବାର । ଦେବନାଥ ସନ୍ତୁଷ୍ଟ ଥିଲା। ତାର ଏଇ ସ୍ୱଚ୍ଛ ପରିମିତିର ଜୀବନକୁ ନେଇ । କାରଣ ଏଇ ସାମାଜିକ ଜୀବିକା ଓ ଜୀବନଯାପନର ସାଂସାରିକତା ବାହାରେ ତାର ଥିଲା ଏକ ବୃହତ୍ତର ବିଶ୍ୱଭୁବନ : କବିତାର । କିମ୍ବା ସଠିକ କହିଲେ ଏ ପୃଥିବୀର ବାହାରେ ସେ ଥିଲା ଏକ ଅନନ୍ତ ଅଖିଳ ବ୍ରହ୍ମାଣ୍ଡରେ କାରଣ ଏ ସମୟରେ ସେ ହୋଇ ଯାଇଥିଲା ରବି ଠାକୁରଙ୍କ କବିତାର ଭକ୍ତ ।

 ଯେତେ ଯାହା ହେଉ ସେଇ ଅପାର ଅନ୍ୟ ସଂସାରରୁ କବିକୁ ପ୍ରତିଦିନ ଫେରିବାକୁ ପଡ଼େ ତାର ଦି ବଖରାର ବସାଘରକୁ । ବୁଝିବାକୁ ପଡ଼େ ବଜାର ସଉଦା କଥା, ପିଲାଙ୍କ ଦେହ ମନ୍ଦ, ବନ୍ଧୁବାନ୍ଧବ ପାଖ ପଡ଼ୋଶୀଙ୍କ ସାମାଜିକ ଦାବି । ଏଭଳି ସବୁ କଥା ଯାହା ଆଦୌ ତାର ମନର ଅନୁକୂଳ ନୁହନ୍ତି । ଏ ଭଳି କଥା ସବୁ ଯାହାକୁ ଆଧୁନିକ କବିଙ୍କ ଲେଖିବାର ଆଧାର ବୋଲି ଥଟ୍ଟା କରି କହିଥିଲେ ରବୀନ୍ଦ୍ରନାଥ : ପଡ଼ାର ମଦ ଦୋକାନ, ସ୍ୱାମୀ ସ୍ତ୍ରୀଙ୍କର ଦି ବେଳାର କଳିତକରାଳ, ଠିପି ବିହୀନ ଖାଲି ତେଲଶିଶି, ଦାନ୍ତଭଙ୍ଗା ପାନିଆ, ସାବୁନର ଶେଷ ପାତଳା ଟୁକୁଡ଼ା ଇତ୍ୟାଦି । ଦେବନାଥ ବି ଜାଣୁଥିଲା ଏ ସବୁ

କବିତାର ଅଯୋଗ୍ୟ । ସେଥିପାଇଁ ସେ ନିଜକୁ ଯଥାସମ୍ଭବ ଘରକରଣାରୁ ଅଲଗା ରଖିଲା । ଭାଗ୍ୟକୁ ତାର ସ୍ତ୍ରୀ ସମ୍ମାଳିନେଲା ସବୁ ଦାୟିତ୍ୱ । ନିଜ ଘରେ ଦେବନାଥ ନିଜେ ହୋଇଗଲା ମୂଲ ଦେଉଥିବା ଅତିଥି । ପହିଲା ତାରିଖରେ ସେ ସ୍ତ୍ରୀ ହାତକୁ ଦରମା ପଇସା ବଢାଇ ଦେଇ ନିଶ୍ଚିନ୍ତ ହୋଇ ଯାଉଥିଲା ମାସଟି ପାଇଁ ।

 ଏହିଠାରୁ ଆରମ୍ଭ କରି ସବୁଦିନ ପାଇଁ ସେ ସେଇପରି ରହିଗଲା ପେଇଙ୍ଗ ଟେଷ୍ଟ ହୋଇ । ଗାଁରେ ଆସି ରହିବା ପରେ ପ୍ରଥମେ ସେ ଲୋକ ରଖି ଖାଇବା ପିଇବାର ବ୍ୟବସ୍ଥା କରୁଥିଲା । କିନ୍ତୁ ଯେବେଠାରୁ ହରି ମାଷ୍ଟର ତା ଘରେ ଭଡାରେ ରହିଲେ, ଦେବନାଥ ତାଙ୍କ ଉପରେ ନିଜର ଦାୟିତ୍ୱ ଲଦି ଦେଲା । ସେ ନିଜର ରୋଷେଇ ବନ୍ଦ କରିଦେଲା, ଭଡ଼ା ବାବଦରେ ତାଙ୍କ ପାଖରୁ ଆଉ କିଛି ପଇସା ନେଲା ନାହିଁ । ସେ ହରି ମାଷ୍ଟରଙ୍କୁ ଆଉ କିଛି ଟଙ୍କା ଯାଚୁଥିଲା, କିନ୍ତୁ ସେ ରୋକଠୋକ ମନା କରିଦେଲେ ।

 ବର୍ଭମାନ ମଦଦେକାନ ସାମନା ଖୋଲାରେ ହାଲୁକା ଖରାରେ ବସି ଗ୍ରାସରୁ ଟିକିଏ ଟିକିଏ ପିଇବା ବେଳେ ସେ କିନ୍ତୁ ତାର ସେବେର ସଂସାର କଥା ଭାବୁ ନଥିଲା । ତାକୁ ସେତେ ମନେ ପଡ଼ୁ ନ ଥିଲେ ତାର ବ୍ୟକ୍ତିଗତ ଜୀବନର ସୃତି, ସେତେ ମନେ ପଡ଼ୁଥିଲେ କବିତାର ପଂକ୍ତିସବୁ । ଏଇ ମୁହୁର୍ଭରେ ଯେପରି ତାର ମନକୁ ଆଚ୍ଛନ୍ନ କରି ରଖିଥିଲେ ରବି ଠାକୁର । ସେ ଆକାଶକୁ ଅନାଇ ଖୋଜୁଥିଲା ପ୍ରଥମ ଦିନର ସୂର୍ଯ୍ୟ ଓ ଦିବସର ଶେଷ ସୂର୍ଯ୍ୟ ମଝିର କେଉଁ ଜିଜ୍ଞାସୁ ନକ୍ଷତ୍ର, ଯାହାର ପ୍ରଶ୍ନର କୌଣସି ଉତ୍ତର ନଥିଲା । ଥରେ ଗୁରୁଦେବଙ୍କ କଥା ମନେ ପଡ଼ିଲେ ମନ ଖୋଲିଯାଏ । ସବୁକିଛି ମନେ ହୁଏ ସାମାନ୍ୟତାରୁ ଉର୍ଦ୍ଧ୍ୱରେ : ମହାମାନବର ସାଗର, ଅନ୍ତରକୁ ବିକଶିତ କରୁଥିବା ଅନ୍ତରତମ, ଜଗତ ପାରାବାର ତୀରରେ ଖେଳା କରୁଥିବା ମାନବ ଶିଶୁ ।

 ଦେବନାଥ ନିରାଶ ହୋଇଯାଇଥିଲା ଯେତେବେଳେ ଗୁରୁଦେବ ଶେଷ ବେଳକୁ କବିତାରେ ଲେଖିଲେ ସର୍ବ ଅଙ୍ଗ କ୍ଷତ ଥିବା କୁକୁର, ମଲା ମୂଷା, ଫୁଟନ୍ତା ତେଲ କଡ଼େଇରେ କଉମାଛ, ମଇଳା ମୋଜା ଓ ବୀଭତ୍ସ ମାଛି ଦଳ କଥା । ଦିନେ ଯେ ଭାବୁଥିଲେ ବାଷ୍ପ‌ଯୋଗେ ରେଲଗାଡ଼ିର ଚାଲିବାରେ କୌଣସି ପରମତା ନାହିଁ ଏବଂ ସେଥପାଇଁ ଜିନିଷଟି କବିତାର ଅଯୋଗ୍ୟ, ସେଇ ବିଶ୍ୱକବି ପୁଣି ଲେଖିଲେ ରାତିର ଗାଡ଼ି ଓ ଇଷ୍ଟେସନ ଭଳି କବିତା । ଦେବନାଥ କିନ୍ତୁ ଅଟକି ଯାଇଥିଲା ବିଶ୍ୱଦର୍ଶନ ପର୍ଯ୍ୟାୟରେ । ଜୀବନ ଓ କବିତାରୁ ସମସ୍ତ ନୀରସ ଗଦ୍ୟକୁ କାଟି ଦେଇ ସେ ମଜ୍ଜି ରହିଲା ପ୍ରେମ ସମୟ ମୃତ୍ୟୁ ଅମରତ୍ୱ ସଂପର୍କ ଭଳି ଅପାର୍ଥିବ ତ‌ତ୍ତ୍ୱମାନଙ୍କରେ । କବିତା ଲେଖିବାରେ ସେ ନିଜର ଜୀବନର ସବୁ ସାର ନିଶେଷ କରିଦେଲା ।

 ସେ ସ୍ୱୀକୃତି ଓ ସମ୍ମାନ ବି ପାଇଥିଲା ସେଥିପାଇଁ । କବି ହୋଇଥିବାର ପ୍ରଭାମଣ୍ଡଳକୁ ସେ ନିଶ୍ଚିତ ଭୋଗ କରିଥିଲା । ଯଦିଓ ସେ ଛୋଟ ଚାକିରିଟିଏ କରିଥିଲା, ତାର ସାମାଜିକ ସମ୍ମାନ ଥିଲା ତାଠାରୁ କାହିଁ କେତେ ଉଚ୍ଚରେ । ପତ୍ରପତ୍ରିକାର ସଂପାଦକ ତାକୁ ଲୋଡୁଥିଲେ । କବିତା ପାଠ ପାଇଁ ତା ପାଖକୁ ନିମନ୍ତ୍ରଣ ଆସୁଥିଲା । ତାର ବନ୍ଧୁମାନେ ଥିଲେ ଲେଖକ ଓ ବିଦଗ୍‌ଧ ପାଠକ । ସେ ଯେପରି ଆଳଂକାରିକ ଲେଖି ଦେଇଥିବା କବିର ଦୈନନ୍ଦିନ ଜୀବନ ସାରଣି ଅନୁଯାୟୀ ବଞ୍ଚୁଥିଲା : କବି ଛ’ ଘଣ୍ଟା ଶୋଇବ, ସକାଳେ ଉଠି ପ୍ରାତଃକୃତ୍ୟ ଓ ଆହ୍ନିକାଦି ସାରି ତିନିଘଣ୍ଟା ପଢ଼ିବ, ତିନି ଘଣ୍ଟା ଲେଖିବ ବା ପୂର୍ବଦିନର ଲେଖାକୁ ସଂଶୋଧନ କରିବ, ଅପରାହ୍ନରେ ସାହିତ୍ୟିକ ବନ୍ଧୁମାନଙ୍କ ସହଯୋଗରେ ନିଜର ରଚନାର ସମାଲୋଚନାରେ ଭାଗ ନେବ ଓ ତାପରେ ତାକୁ ପରିଶୋଧନ କରିବ । ଜୀବନଯାପନର ଏହି ପ୍ରଣାଳୀରେ କିଛି ବର୍ଷରେ ଦେବନାଥର ଦୁଇଟି କବିତା ବହି ପ୍ରକାଶ ପାଇଲା, କବିତା ସଂଚୟିତାରେ ତାର କବିତା ସ୍ଥାନିତ ହେଲା ଏବଂ ଅନ୍ୟ ଭାଷାରେ ତାର ଅନୁବାଦ ବାହାରିଲା । ଏକ ସମାନ୍ତର ଧାରାରେ ତାର ପୁଅର ବୟସ ବଢିଲା, ତାର ସ୍ତ୍ରୀ ଅଧିକ ରୋଗିଣା, ଧାର୍ମିକା ଓ ଖିଟଖିଟ ସ୍ୱଭାବର ହୋଇଗଲା ଓ ପରିବାର ବିଷୟରେ ଆହୁରି ଦାୟିତ୍ୱଶୂନ୍ୟ ହୋଇଗଲା ଦେବନାଥ ।

 ଆଉ ଟିକିଏ ଖରା ଉଠିଲା ସେ ବାରଣ୍ଡା ଉପରକୁ ଚାଲିଯିବ । ଏବେ କିନ୍ତୁ ଏଇଠି ଠିକ ଅଛି । ବେଳା ବଢ଼ିବାରୁ ବର୍ଭମାନ ବେଶ କିଛି ଗ୍ରାହକ ଆସି ପହଞ୍ଚି ଗଲେଣି । ଏଠାରେ ସେ ଗୋଟିଏ ପରିଚିତ ମୁହଁ । ବୋଧହୁଏ ସମସ୍ତେ ଜାଣନ୍ତି ସେ ପଢ଼ାଲେଖା ଲୋକ । ସେଥିପାଇଁ ସେ ସାମାନ୍ୟ ସମ୍ଭ୍ରମ ପାଏ ଏଠାରେ; ତାର ନିର୍ଦ୍ଦିଷ୍ଟ ଜାଗାରେ ଆଉ କେହି ବସିବାକୁ ଆସନ୍ତି ନାହିଁ । ଗ୍ଲାସ ଉଠାଇ ସେ ଗୋଟିଏ ଛୋଟ ଢ଼ୋକ ନେଲା । ଏଠାରେ ଅନେକ ସମୟ ବସି ରହେ ବୋଲି ସେ ଧୀରେ ଧୀରେ ଅଳ୍ପ ଅଳ୍ପ ପିଏ । ତାକୁ ସମସ୍ତେ ଦାୟିତ୍ୱହୀନ ବୋଲି ଭାବନ୍ତି, କିନ୍ତୁ ସେ ପିଇବା ବିଷୟରେ ସଚେତନ । ଥରେ ବେଶି ପିଇ ଘରକୁ ଫେରୁଥିବା ବେଳେ ରାସ୍ତାରେ ପଡ଼ି ଯାଇଥିଲା । ଏଭଳି ଅବସ୍ଥାରେ ସେ ରିକିଶା ନେଇଯାଏ, କିନ୍ତୁ ସେ ଦିନ ରିକଶା ମିଳିଲା ନାହିଁ । ସେଥରକ ବେଶ କିଛି ଦିନ ଘରୁ ବାହାରି ପାରି ନଥିଲା ସେ । ହରି ମାଷ୍ଟର ତା ପାଇଁ ହଇରାଣ ହେଲେ । ତାକୁ ଦିଥର ପାଖ ସହରର ଡାକ୍ତରଖାନାକୁ ନେଲେ, ତା ପାଇଁ ଔଷଧ ଆଣିଦେଲେ, ଖାଇବା ପାଇଁ ପଥିର ବ୍ୟବସ୍ଥା କଲେ ।

 ସେଇଦିନୁ ସତର୍କ ହୋଇଗଲା ଦେବନାଥ । ଅନ୍ୟମାନଙ୍କୁ ହଇରାଣ କରିବାର କୌଣସି ଅଧିକାର ନାହିଁ ତାର । ନିଜର ମନ ଭିତରର ପୃଥିବୀରେ ଯେତେ ଯାହା ବିଶୃଙ୍ଖଳା

ଅବ୍ୟବସ୍ଥା ହେଉଥାଉ, ବାହାର ପୃଥବୀରେ ସେ ସାବଧାନ ରହିବ, ଯଥାସମ୍ଭବ ନିଜର ସ୍ୱାସ୍ଥ୍ୟକୁ ଜଗି, ଅନ୍ୟମାନଙ୍କୁ ସମ୍ମାନ ଦେଇ । ଏ କଥା ସେ ନିଶ୍ଚୟ କରିପାରିବ ମନ ଯେଉଁଆଡ଼େ ଉଡ଼ି ବୁଲୁଥାଉ ପଛେ । ତେବେ ମନ ଉପରେ ଲଗାମ ନାହିଁ । ଏଇ ମୁହୁର୍ଭରେ ଯେମିତି ହଠାତ ଦୁଇ ଧାଡ଼ି ମୁଣ୍ଡ ଭିତରକୁ ଧସି ପଶି ଆସୁଛି: ନକ୍ଷତ୍ର ଲୋକରୁ ବାହାର, ଉଜ୍ଜଳ ପ୍ରକାଶ ତାହାର । ଜୀବନର ସୃଜନଶୀଳ ସମୟରେ ସେ ଏଇ ଶବ୍ଦମାନଙ୍କୁ ନେଇ ଗୋଟିଏ ପୂରା କବିତା ଲେଖି ପାରିଥାନ୍ତା । ଧାଡ଼ି ଦୁଇଟିକୁ ଭିନ୍ନ ଭିନ୍ନ ଭାବରେ ସକାଇ, ତାର ଆଗରେ ପଛରେ ଆହୁରି ଶବ୍ଦ ଖଂଜି ନିଜର ଚିନ୍ତାକୁ ଏକ ନିର୍ଦ୍ଦିଷ୍ଟ ଉପସଂହାର ଆଡ଼କୁ ଟାଣି ନେଇ ପାରିଥାନ୍ତା ଗୋଟିଏ ସ୍ୱୟଂସଂପୂର୍ଣ୍ଣ ରୂପକଅଳଂକୃତ ଶେଷ ପଂକ୍ତିରେ । କାଗଜ ଉପରେ ଗୋଟିଏ ଛମଛମ ସଂବଦ୍ଧ କବିତା ଆସି ଉଭା ହୋଇଯାଇ ଥାନ୍ତା ତା ଆଗରେ, ନିଜର ପର୍ଯ୍ୟାପ୍ତିର ସ୍ୱର୍ଦ୍ଧାରେ । ଏବେ କେବଳ ସେଇ ଉର୍ବର ଦିନମାନଙ୍କର ପ୍ରୀତିକର ସୁଖଚାରଣ ।

 ଯେପରିକି ଦିନେ ତାକୁ କିଏ କହିଲା ଜଣେ ଜଣାଶୁଣା ସମାଲୋଚକ ତାର କବିତାର ପ୍ରଶଂସା କରି ଲେଖିଛନ୍ତି କେଉଁ ଲେଖାରେ । କିମ୍ବା ଅନ୍ୟ ଜଣେ ଲେଖକ ତାଙ୍କ ଉପନ୍ୟାସର ଅଗ୍ରଲେଖ ଭାବରେ ବ୍ୟବହାର କରିଛନ୍ତି ତାର କବିତାର ଚାରି ଧାଡ଼ି । ଏପରି କି ଥରେ ଆଲୋଚନା ହେଲା ଯେ ଜଣେ ଗାଳ୍ପିକ ଏକ ସଂପୂର୍ଣ୍ଣ ଗଳ୍ପ ଲେଖିଛନ୍ତି ତାକୁ ନେଇ । ଗଳ୍ପଟିକୁ ଆଣି ପଢିଲା ଦେବନାଥ । ସେଇଟି ଗୋଟିଏ ପାଗଳ କବି ବିଷୟରେ ଥିଲା । ଦେବନାଥକୁ ବୋଧହୁଏ ତାର ସାଙ୍ଗମାନେ ପାଗଳ ବୋଲି ଭାବୁଥିଲେ କି କଣ ସେଥିପାଇଁ ଏ କାହାଣୀ ସହିତ ତାର ଜୀବନର ସମାନତା ଦେଖି ପାରୁଥିଲେ । ଯଦିଓ ଗଳ୍ପର କବିର ନାଁ ସହିତ ନିଜ ନାଁର ସାମଂଜସ୍ୟ ଥିଲା, ଦେବନାଥ ଆଉ କୌଣସି ସାଦୃଶ୍ୟ ପାଇଲା ନାହିଁ ଲୋକଟି ସହିତ । ତାର କବିତା ଥିଲା ଭିନ୍ନ ପ୍ରକାରର, କାଳ୍ପନିକ କବିଟି ଲଗାମଛଡ଼ା ଥିବାବେଳେ ସେ ଥିଲା ସଂସାରୀ ଏବଂ ଦି ଜଣଙ୍କର କବିତାର ସଂଜ୍ଞା ମଧ୍ୟ ଥିଲା ଭିନ୍ନ । ତେବେ ଏତେ ପ୍ରକାରର ନକାରାତ୍ମକ ଯୁକ୍ତି ସତ୍ତ୍ୱେ କେବେ କେବେ ତାର ମନେ ହେଉଥଲା ଗଳ୍ପ ନାୟକ ଭବନାଥ ସହିତ ଯେପରି ତାର କେଉଁଠି ଏକ ଗଭୀର ଆମ୍ଭୀୟତା ଅଛି ।

 ତାର ମନେ ପଡ଼ିଲା ଯେ ଅନେକ ଖୋଜି କୁସୁମ ହିଁ ତାକୁ ସେଇ ପତ୍ରିକାଟି ଦେଇଥିଲା ଯେଉଁଥିରେ ଗଛଟି ବାହାରିଥିଲା । କୁସୁମ କଥା ମନକୁ ଆସିଲେ ତା ଛାତି ଭିତରେ ଆଦର, ସ୍ନେହ ଓ ସୋହାଗର ଫଲ୍‌ଗୁ ଉଛୁଳି ପଡ଼େ । ସ୍ତ୍ରୀ କଥା ଭାବିଲେ ମନ ଭିତରେ ତାର ମୁହଁ ପ୍ରତିବିମ୍ବିତ ହୁଏ ନାହିଁ, ତାର ନାଁ ଓଠକୁ ଆସେ ନାହିଁ । କିନ୍ତୁ କୁସୁମ ମନେ ପଡ଼ିଲେ ହିଁ ମନ ଭିତରେ ଜପ କରିବା ଭଳି କୁସୁମ କୁସୁମ କୁସୁମ କହିବାକୁ ଇଚ୍ଛା

ହୁଏ । ଆଖି ବନ୍ଦ କଲେ ତାର ସେଇ ପୁରୁଣା ଦିନର ଚେହେରା ମନକୁ ଆସେ । କୋଉ ଝିଅକୁ ଦେଖିଲେ ତାର ଚେହେରା ସହିତ ତୁଳିବାକୁ ଇଚ୍ଛା ହୁଏ । କୁସୁମ ମନେ ପଡ଼ିଲେ କବିତା ମନେ ପଡ଼େ ।

 ସେ ଚାହିଁଥିଲା ଏକ ସହଜ ସାଧାରଣ ଜୀବନ ବଞ୍ଚିବା ପାଇଁ, ଯାହା ସମ୍ଭବ ହେଲା ନାହିଁ । କବି କହିଲେ ଲୋକ ବୁଝନ୍ତି ଉଚ୍ଛୃଙ୍ଖଳା ବୋହେମିଆନ ଜୀବନ ଯାପନ କରୁଥିବା ଏକ ରୋମାଣ୍ଟିକ ଜୀବକୁ, ଯାହା ପାଖରୁ ସମାଜ ଆଉ କିଛି ଆଶା କରେ ନାହିଁ କେବଳ କେତୋଟି ଧାଡ଼ି ଛନ୍ଦରେ ବନ୍ଧା କଳ୍ପନା ବ୍ୟତୀତ । ଦେବନାଥ ନିଜେ କିନ୍ତୁ ଏ ପ୍ରକାରର ସ୍ୱପ୍ନବିଳାସୀ ନଥିଲା । ସେ ସାଧାରଣ ଲୋକର ଜୀବନ ଜୀଉଁଥିଲା, ଅଫିସ କାମ ଠିକରେ କରୁଥିଲା, ସମୟାନୁବର୍ତ୍ତୀ ଏବଂ ଏକପତ୍ନୀବ୍ରତୀ ଥିଲା । ଯଦି ସେ ସମାଜରେ ଅପାଙ୍‌କ୍ତେୟ ଥିଲା, ତାର କାରଣ ଥିଲା ଯେ ସେ ନିଜର ସମସ୍ତ ବଳକା ସମୟ ଲେଖାପଢ଼ାରେ କଟାଉ ଥିଲା, କାହାରି ସହିତ କିଛି ସଂପର୍କ ନ ରଖି । ସେ ନିଜକୁ ବଞ୍ଚିତ କରି ରଖିଥିଲା ଖେଳ ସିନେମା ମେଳା ସାଙ୍ଗସୁଖ ଅବସର ବିନୋଦନରୁ । କହିବାକୁ ଗଲେ ସେ ହିଁ ନିଜକୁ ସମାଜରୁ ପ୍ରତ୍ୟାହାର କରିନେଇ ଥିଲା କବିତା ପାଇଁ । ଶେଷରେ କିନ୍ତୁ ଯୋଉ କବିତା ପାଇଁ ସେ ସବୁ କିଛି ଛାଡ଼ିଥିଲା, ସେଇ କବିତା ଦିନେ ତାକୁ ଛାଡ଼ି ଚାଲିଗଲା । ଆଉ ଫେରିଲା ନାହ ।

 ଖରା ଟାଣ ହୋଇ ଆସୁଥିଲା, ଏତିକି ବେଳେ ଗୋଟିଏ ହାଲୁକା ମେଘ ଆକାଶରେ ଭାସିଗଲା ଓ ଖୋଲାରେ ବସିବା ଆଉ କଷ୍ଟକର ହେଲା ନାହିଁ । ସମୟ କେତେ ହୋଇଥିବ ଅନ୍ଦାଜ କରିବାକୁ ଚେଷ୍ଟା କଲା ଦେବନାଥ । ଆଜିକାଲି ଆଉ ସେ ହାତରେ ଘଡି ବାକ୍ଷେ ନାହିଁ । କଣ ହେବ ତାର ସଠିକ ସମୟ ଜାଣି ? ପାଖ ଟେବୁଲ ଉପରେ ଯେତେବେଳେ ଅନ୍ୟମାନେ ଢ଼ାବାରୁ ଖାଇବା ଆଣି ବସିଯାନ୍ତି, ସେ ଜାଣେ ଯେ ଖାଇବା ବେଳ ହୋଇଗଲାଣି । ଘରେ ତା ପାଇଁ ଖାଇବାର ରହିଥିବ । ଆଗେ ସେ ଖାଇବା ସମୟରେ ନ ପହଞ୍ଚିଲେ ସେମାନେ ଟିକିଏ ବ୍ୟସ୍ତ ହେଉଥଲେ; ଏବେ ଜାଣି ଗଲେଣି ଯେ ସେ ଢ଼ାବାରେ ଖାଇ ନେଇ ସଂଜବେଳେ ଘରକୁ ଫେରିବ । ଚିହ୍ନ ରିକଶାବାଲା ଏଇ ସମୟରେ ଖାଲି ଥିଲେ ଆସି ତାକୁ ଘରକୁ ନେଇଯିବାକୁ ଡାକୁଥିଲା । ଆଜି ବୋଧହୁଏ କାମରେ ବାହାରି ଯାଇଛି । ମୁଣ୍ଡ ଉପରେ ଆକାଶକୁ ଅନାଇ ଦେବନାଥ ଠିକ କଲା ଯେ ଆଉ ଘରକୁ ନ ଯାଇ ଏଇଠି ରହିଯିବ । ସକାଳୁ ଗୋଟିଏ ଜାଗାରେ ବସି ରହି ତାକୁ ଚିଟା ଲାଗୁଥିଲା; ଠିକ କଲା ତାଟି ଘେରା ପାଖରେ ଯେଉଁ ଛୋଟ ଅରାଏ ଘାସ ଅଛି, ସେଇଠି ଯାଇ ବସିବ । ହାତରେ ଗ୍ଲାସ

ଓ ଚାଦରକୁ ସମ୍ମାଳି ସେ ସେଠାକୁ ଗଲା, ଓ ବସିବ କଣ, ଘାସ ଉପରେ ଆରାମ କରି ଶୋଇଗଲା ।

 ଏ ଜାଗାଟି ଠିକ ଲାଗୁଥିଲା ଯେମିତି ସେଇ ପୁରୁଣା ଦିନର ରେଡିଓ ଷ୍ଟେସନ ପଛ ପାଖ ଗଳିରେ ଥିବା ଚେରା ମଦ ଭାଟି କଡ଼ର ଛୋଟ ଘାସ ଟିକକ । ଆଜିର ବଡ ସହର ସେତେବେଳେ ଥିଲା ଛୋଟ ଛୋଟ ଗାଁର ସମଷ୍ଟି ଭଳି ; ଅନେକ ଖୋଲା ଜାଗା, ବୁଦା ଲଟା ଝାଡ, ଭଙ୍ଗା କୋଠି ଥିଲା ଗଳିରେ । ଏଇ ଭଳି ଗୋଟିଏ ଜାଗାରେ ଦେଶି ମଦ ରନ୍ଧା ହେଉଥିଲା ଏବଂ ସେମାନେ ସାଙ୍ଗ ହୋଇ ସେଠାରେ ପହଞ୍ଚିଯାଉଥିଲେ କାମ ସରିଗଲେ । ସେତେବେଳେ ସେ ଜାଗାରେ କାଚ ବୋତଲ ଓ ଗ୍ଲାସ ନ ଥିଲା । ହାଣ୍ଡିରୁ ଆଣି ମଦ ବିକ୍ରି ହେଉଥିଲା ମାଟି ସରାରେ । ସେମାନେ ହାତରେ ଗୋଟିଏ ଗୋଟିଏ ସରା ନେଇ ଘାସ ପଦା ଉପରେ ବସି ଯାଉଥିଲେ ; ଗପସପ ଭିତରେ ମଦାଳସ ଦିନଟି ସରି ଯାଉଥିଲା ।

 ଦେବନାଥ ସ୍ୱପ୍ନରେ ବି ଭାବି ନଥିଲା ଯେ ସେ କେବେ ମଦ ପିଇବ । ଅଥବା କବିତା ଲେଖା ଛାଡ଼ି ଦେଇ ସିନେମା ପାଇଁ ଗୀତ ଲେଖିବ । ମଝିରେ ମଝିରେ ସେ ପୁରୁଣା କଥା ମନେ ପକାଏ କିନ୍ତୁ ଠିକ କରିପାରେ ନାହିଁ ସେ କଣ ଏଇ ରୂପାନ୍ତରଣକୁ ଟାଳି ଦେଇ ପାରିଥାନ୍ତା ? ସାହିତ୍ୟର ଆଦି ପର୍ବରେ ଗୀତ ହିଁ ଥିଲା କବିତା, ଗୀତିକାର ହିଁ ଥିଲେ କବି । ପରେ ଦୁଇଟି ଅଲଗା ଧାରା ହୋଇଗଲା । ଯେଉଁମାନେ କେବଳ ଗୀତ ଲେଖିଲେ ସେମାନେ ଆଉ କବିର ସମ୍ମାନ ପାଇଲେ ନାହିଁ । ତେଣୁ ଯେତେବେଳେ ଜଣେ ରେଡିଓ ଗାୟକ ଆସି ତାକୁ ଗୋଟିଏ ଗୀତ ଲେଖିବାର ଅନୁରୋଧ କଲେ, ସେ ସାମାନ୍ୟ ଅପମାନିତ ବୋଧ କରିଥିଲା । ସେ ବୋଧହୁଏ ଏ ବିଷୟରେ ରୋକଠୋକ କିଛି କହିଲା । ଗାୟକ ତାକୁ କହିଲେ, ଆପଣ ପରା ନିଜକୁ ରବୀନ୍ଦ୍ର ଭକ୍ତ ବୋଲି କହନ୍ତି ; ଗୀତାଂଜଳି କଣ ? ପ୍ରଶ୍ନଟି ଅଡ଼ୁଆରେ ପକାଇଲା ଦେବନାଥକୁ । ତଥାପି ସେ ଯୁକ୍ତି ଛଳରେ କହିଲା, ଗୀତାଂଜଳିର ଅଧିକାଂଶ କବିତାର ଏ ପର୍ଯ୍ୟନ୍ତ ସୁର ଦିଆଯାଇ ନାହିଁ ଏବଂ ସେ ସବୁ କବିତା ଗୀତବିତାନରେ ସ୍ଥାନ ପାଇବାର ଉପଯୁକ୍ତ ନୁହନ୍ତି ।

 ସେ ଦିନ ସେ ଗାୟକ ଫେରିଗଲେ, କିନ୍ତୁ ତାକୁ ଯେତେବେଳେ ସେ ସମୟର ସବୁଠାରୁ ପ୍ରସିଦ୍ଧ, ସବୁଠାରୁ ସଫଳ ଓ ଲୋକପ୍ରିୟ ଗାୟକ ଆସି ଗୀତ ମାଗିଲେ, ଏବଂ କହିଲେ ଯେ ଗୀତ ଲେଖି ନ ଦେଲେ ସେ ତାର କବିତାକୁ ହିଁ ସୁର ଦେଇ ଗାଇବେ, ସେ ମନା କରି ପାରିଲା ନାହିଁ । ତାଙ୍କ ବରାଦ ଅନୁସାରେ, ସେ ଚାହୁଁଥିବା ପଂକ୍ତିମାନଙ୍କର ଦୈର୍ଘ୍ୟ, ପଦର ମେଳ ଓ ଶବ୍ଦର ଅନୁମାନିକ ସଂଖ୍ୟା ଇତ୍ୟାଦି ଇତ୍ୟାଦି ହିସାବ କରି ଦେବନାଥ ତାର ପ୍ରଥମ ଗୀତଟି ଲେଖିଲା । ସେ ଭାବିଥିଲା ଏଇଟି ତାର ପ୍ରଥମ ଓ ଶେଷ

ବରାଦୀ ଗୀତ ଲେଖିବା ହେବ । କିନ୍ତୁ ତାର ଦୁର୍ଭାଗ୍ୟକୁ ସଂଗୀତ ନିର୍ଦ୍ଦେଶକଙ୍କ ସୁର ଓ ଗାୟକଙ୍କ କଣ୍ଠରେ ଏଇଟି ଗୋଟିଏ ଅତି ସୁନ୍ଦର ସଂଗୀତ ହୋଇ ବାହାରିଲା ଏବଂ ଅଳ୍ପ ଦିନରେ ତାର ହାଲୁକା ପ୍ରେମର ଗୀତଟି ସର୍ବଜନବିଦିତ ହୋଇ ରାସ୍ତାଘାଟରେ ଶୁଣିବାକୁ ମିଳିଲା ।

 ଏହା ଥିଲା ଦେବନାଥ ପାଇଁ ଏକ ବିସ୍ମୟକର ଅଭିଜ୍ଞତା । କବିତା କେତେ ଲୋକ ପଢ଼ନ୍ତି ? ବା ବୁଝନ୍ତି ? ବା ବୁଝିବାକୁ ଚାହାନ୍ତି ? ଗୀତ କିନ୍ତୁ ସମସ୍ତଙ୍କ ଓଠରେ । ଶବ୍ଦମାନଙ୍କର ଅର୍ଥ ହଜିଯାଉ ପଛେ, ସୁର ଅନ୍ତତଃ ମନେ ରହିଯାଏ । ଗୀତ ପାଇଁ ଯେତେବେଳେ ଆହୁରି ବରାଦ ଆସିଲା, କବିତା ଛାଡ଼ି ଗୀତ ଲେଖିବାରେ ମନ ଦେଲା ଦେବନାଥ । ଗୀତ ଲେଖିବାର ଏକ ଅନ୍ୟ ପ୍ରକାରର ଉବ୍ଦୀପନା ଥିଲା । ଶବ୍ଦମାନଙ୍କୁ ମନାଇବାକୁ ପଡ଼ୁଥିଲା କବିତାରେ, ଏଠାରେ ସେମାନଙ୍କୁ ବାଧ୍ୟ କରିବାକୁ ପଡ଼ୁଥିଲା । କବିତାରେ କହିବାକୁ ଚାହୁଁଥିବା କଥାଟିକୁ ବହୁତ ପ୍ରକାରରେ ଢ଼ାଙ୍କି ଦିଆ ଯାଉଥିଲା, ଯେପରିକି ପାଠକ ତାକୁ ଆଉଥରେ ପଢ଼ି ସେଥିରୁ ତାର ନିଜର ଅର୍ଥ ବାହାର କରିବ । ଗୀତ ଥିଲା ଶ୍ରୋତା ସହିତ ସିଧାସଳଖ କଥାବାର୍ଭା ; ପ୍ରଥମ ଉଚ୍ଚାରଣରେ ହିଁ ଯେପରି ଯାଇ ଛୁଇଁବ ତାକୁ । କବିତାର ଅବଲମ୍ବନ ଥିଲା କେବଳ ଶବ୍ଦ ; ଗୀତରେ ଶବ୍ଦକୁ ସହାୟକ ହେଉଥିଲା ସୁର, ଅଥବା ସୁରକୁ ସହାୟକ ଶବ୍ଦ । ଅନେକ ସମୟରେ ସଂଗୀତ ନିର୍ଦ୍ଦେଶକ ତାକୁ ଗୁଣୁ ଗୁଣୁ କରି ଗୋଟିଏ ସୁର ଶୁଣାଉ ଥିଲେ । ଏବଂ ଦେବନାଥର ଦାୟିତ୍ୱ ଥିଲା ସେହି ସୁରକୁ ମିଳାଇ ଗୋଟିଏ ଗୀତ ଲେଖିବା ।

 କବିତା ହେଉଛି ଏକାନ୍ତର କାମ ; ନିସଙ୍ଗରେ ବସି ନିଜ ସହିତ ନିଜେ କଥାବାର୍ଭା ବୁଝାମଣା କରି କାଗଜ ଉପରେ ଲେଖାହୁଏ କବିତା । ଗୀତ କିନ୍ତୁ ଏକ ସାମୁହିକ ଜିନିଷ ; ଗୀତିକାର, ଗାୟକ ଓ ସଂଗୀତ ନିର୍ଦ୍ଦେଶକ ମିଳି ସେଇ ଶେଷ ପଦାର୍ଥଟିକୁ ତିଆରି କରନ୍ତି ଯାହା ଶ୍ରେତା ପାଖରେ ପହଞ୍ଚେ । ସେଥିପାଇଁ ଏତେଦିନ ଧରି ଏକୁଟିଆ ରହିଥିବା ଦେବନାଥକୁ ସଂଗୀତର ଏକ ବୃହତ୍ତର ପରିବାର ଭିତରେ ପଶିବାକୁ ହେଲା । ଏ ବୃତ୍ତଟି ପୁଣି ବଢ଼ି ବଢ଼ି ପହଞ୍ଚିଲା ରେଡିଓରୁ ରେକର୍ଡ କମ୍ପାନୀ ଓ ଶେଷକୁ ସିନେମାରେ ।

 ଏହା ସହିତ ଆହୁରି ଗୋଟିଏ ସମସ୍ୟା ବି ଆସିଲା । ସମୟକୁ ବ୍ୟବସ୍ଥିତ କରିବା । ଆଗରୁ ସେ ସକାଳେ ବସି ପଢୁଥିଲା, ଲେଖୁଥିଲା, ଅଫିସ ସମୟ ହେଲେ ଖାତା ବହି ବନ୍ଦ କରି ଘରୁ ବାହାରି ଯାଉଥିଲା । ଗୀତର ଦାବି କିନ୍ତୁ ଥିଲା ଭିନ୍ନ ପ୍ରକାରର ; କେବେ କେବେ ହଠାତ ଦରକାର ହେଉଥିଲା ଓ କେତେବେଳେ ପୁଣି ତାକୁ ଅଦଳ ବଦଳ କରିବାକୁ ହେଉଥିଲା । ଗୀତ ପାଇଁ ତାକୁ ଅନ୍ୟମାନଙ୍କ ସମୟ ସହିତ ଖାପ ଖୁଆଇବାକୁ ହେଲା । କ୍ରମେ କ୍ରମେ କିନ୍ତୁ ଦେବନାଥକୁ ଏଇ ସଂଗୀତର ଦୁନିଆରେ ଚଳପ୍ରଚଳ ହେବା ମନ୍ଦ

ଲାଗିଲା ନାହିଁ । ଏ ଦୁନିଆର ଅଧିକାଂଶ ଲୋକ ବେଶି ରାତି ପର୍ଯ୍ୟନ୍ତ ଚେଇଁ ସକାଳେ ଉଠୁଥିଲେ ଡେରିରେ । ତାଙ୍କ ସହିତ ଅନେକ ସମୟରେ ଦେବନାଥକୁ ଯୋଗ ଦେବାକୁ ହେଉଥିଲା ଅଫିସ ବେଳରେ । ଏ ପର୍ଯ୍ୟନ୍ତ ନିଜ କାମରେ କେବେ ହେଲେ ହେଳା କରି ନଥିବା ଦେବନାଥ ଆଜିକାଲି ଅଫିସ ସମୟରେ ବାହାରକୁ ଚାଲି ଯାଉଥିଲା । ଏଥିପାଇଁ ତା ପାଖକୁ ତାଗିଦା ବି ଆସିଲା ଅଫିସରୁ । ଶେଷରେ ତାକୁ କାମରେ ହେଳା କରୁଥିବା ପାଇଁ କୈଫିୟତ ମଗା ହେଲା ।

 ଏ କଥା ସେ ଯେତେବେଳେ ତାର ବନ୍ଧୁମାନଙ୍କୁ କହିଲା, ତାଙ୍କ ଭିତରୁ ଜଣେ କହିଲା, ଆପଣ ଏଥର ସେ ଶସ୍ତା ଚାକିରିଟି ଛାଡ଼ି ଦିଅନ୍ତୁ । ଦେଖିବେ ଗୀତରୁ ଆପଣ ତାଠାରୁ ବେଶି ରୋଜଗାର କରିବେ । ପ୍ରକୃତରେ ଗୀତରୁ ଆଜିକାଲି କିଛି କିଛି ପଇସା ବି ଆସୁଥିଲା । ସ୍ୱୀକୃତି ପ୍ରାପ୍ତ ଗୀତିକାର ଭାବରେ ତାର ଯେତେ ଗୀତ ପ୍ରସାରିତ ହେଉଥିଲା ସେଥିପାଇଁ ସେ ପ୍ରାପ୍ୟ ପାଉଥିଲା । ରେକର୍ଡ କମ୍ପାନୀ ମନ୍ଦ ପଇସା ଦେଉ ନଥିଲେ । ତାର ଅଫିସ ସମସ୍ୟା କଥା ଶୁଣି ଆଉ ଜଣେ ବନ୍ଧୁ କହିଲେ, ଆପଣ କାହିଁକି ଚାକିରି ଛାଡ଼ିବେ ? ସରକାରୀ ଚାକିରି ; ଆପଣ କାମ କରନ୍ତୁ ନ କରନ୍ତୁ ଆପଣଙ୍କର କିଛି ହେବ ନାହିଁ । ସେମାନେ ଆପଣଙ୍କୁ ଚିଠି ଲେଖୁଥିବେ, ଆପଣ ତାଙ୍କୁ ଜବାବ ଦେଉଥିବେ । ଏମିତି ଦେଖୁଦେଖୁ ଆପଣଙ୍କର ଅବସର ନେବା ସମୟ ଆସିଯିବ । ଆପଣ ପେନସନ୍ କାହିଁକି ହରାଇବେ ?

 ଦେବନାଥକୁ ଉପଦେଶଟି ଠିକ ମନେ ହେଲା । ସେ ଅଫିସରେ ଅନ୍ୟମାନଙ୍କୁ ଦେଖୁଥିଲା ଯେ କି ଚାକିରି ଆରମ୍ଭରୁ ତିଳେ ବି କାମ ନ କରି ମାସକୁ ମାସ ଦରମା ଟଙ୍କା ଗଣି ନେଉଥିଲେ । ଅନ୍ତତଃ ସେ କେବେହେଲେ କାମରେ ଅବହେଳା କରି ନଥିଲା । ଅଫିସ ସମୟରେ ଥରେ ଥରେ ବାହାରକୁ ଚାଲି ଯାଉଥିଲେ ବି ସେ ନିଜର କାମ ପୁରା କରି ଦେଉଥିଲା । ଅବଶ୍ୟ ତା ବି ବେଶି ଦିନ ସମ୍ଭବ ହେଲା ନାହିଁ । ଏହାର ଏକ ମୂଳ କାରଣ ଥିଲା ତାର ମଦ ଅଭ୍ୟାସ ।

 କଳାକାର ଏକ ଉଚ୍ଛୃଙ୍ଖଳ ନିରଂକୁଶ ସ୍ୱେଚ୍ଛାଚର ଜୀବନ ବଞ୍ଚିବ, ଏ ନିୟମ ଯେପରି ବିଶେଷ ଭାବରେ ଥିଲା ସଂଗୀତ ସାଧକଙ୍କ ପାଇଁ । କେବଳ ପୋଷାକପତ୍ରରେ ନୁହେଁ, ଆଚାର ବ୍ୟବହାରରେ ମଧ୍ୟ ସେମାନଙ୍କର ଏହି ସ୍ୱାତନ୍ତ୍ର ଦେଖାଇବାକୁ ପଡ଼ୁଥିଲା, ଏବଂ ଏହାର ଗୋଟିଏ ଅଂଗ ଥିଲା ମଦ୍ୟପାନ । ଗୀତିକାର ଭାବରେ ଦେବନାଥକୁ ଅବଶ୍ୟ ସବୁବେଳେ ହାଜିର ହେବାକୁ ପଡ଼ୁ ନଥିଲା ଏ ଭଳି ଗୋଷ୍ଠୀରେ, ତେବେ ହଠାତ କେତେବେଳେ ଦରକାର ପଡ଼ିବ ଏଇ ବାହାନାରେ ସେ ନିଜକୁ ଏହି ଦଳଟି ସହିତ ସାମିଲ

କରିନେଲା । ରେଡିଓ ଟେଷ୍ଟସନର ଗୋଟିଏ ପରିତ୍ୟକ୍ତ ଅଂଶରେ ହାରମୋନିଅମ ବାଜାବାଜଣା ଭିତରେ ସାରାଦିନ ଏମାନଙ୍କର ଆତଯାତ ଲାଗି ରହୁଥିଲା ଏବଂ ଫୁରସତ ପାଇଲେ ସେମାନେ ଚାଲି ଯାଉଥିଲେ ପାଖ ଚା ଦୋକାନକୁ, କିମ୍ବା ଅଧିକାଂଶ ସମୟରେ ଅଦୂରର ମଦ ଭାଟିକୁ । ଦେବନାଥ ପ୍ରଥମେ ପ୍ରଥମେ ତାଙ୍କ ସହିତ ଚା ଦୋକାନକୁ ଯାଉଥିଲା । ତା ପରେ ନିଜର ଚା ଗ୍ଲାସକୁ ଧରି ସେମାନଙ୍କ ସହିତ ଭାଟି ପର୍ଯ୍ୟନ୍ତ ଗଲା । ଶେଷରେ ଦିନେ ଟିକିଏ ମଦ ଚାଖି ଥୁ ଥୁ କଲା ।

 ଏହିପରି କ୍ରମରେ ମଦର କିଛି କିଛି ଢ଼ୋକ ପରେ ଜିନିଷଟି ତାକୁ ଆଉ ଖରାପ ଲାଗିଲା ନାହିଁ, ଏବଂ ମନ ଓ ମସ୍ତିଷ୍କ ଉପରେ ତାର ଯେଉଁ ସୁଖଦ ପ୍ରଭାବ ପଡ଼ିଲା, ଦେବନାଥ ତାର ଭକ୍ତ ହୋଇଗଲା । ବର୍ତ୍ତମାନ ଘାସ ଉପରେ ଶୋଇଥିବା ବେଳେ ଏଇସବୁ କଥା ମନେ ପଡ଼ୁଥିଲା । ଆଖି ବନ୍ଦ କଲେ ଆଉ ଅତୀତ ବର୍ଭମାନ ଭବିଷ୍ୟତ ଅଲଗା ହୋଇ ରହେ ନାହିଁ, ସବୁ ମିଶାମିଶି ହୋଇ ଝାପ୍‌ସା ହୋଇଯାଏ । ପରିମିତ ସ୍ୱଭାବର, ସମାୟାନୁବର୍ତ୍ତୀ, ସମାଜ ସଚେତନ ତା ଭଳି ଲୋକ ଯେ ଶେଷକୁ ମଦ୍ୟପ ଓ ସମାଜଚ୍ୟୁତ ହୋଇଯିବ, ସେ କଥା ଗୋଟିଏ ସମୟରେ କଳ୍ପନା ମଧ୍ୟ କରିପାରି ନଥାନ୍ତା ଦେବନାଥ । କିନ୍ତୁ ଅତି ଧୀରେ ଧୀରେ ଏଇ ରୂପାନ୍ତରଟି ଘଟିଲା ତା ପାଇଁ ।

 ତା ସହିତ ଆଉ ଯେଉଁ ପରିବର୍ତ୍ତନଟି ହେଲା ତା ହେଉଛି ପାଠକ ଓ ଆଲୋଚକଙ୍କ ଆଖିରେ ତାର କବିରୁ ଗୀତିକାରକୁ ପଦାବନତି । ଗୀତ ପତ୍ରପତ୍ରିକା ବା ବହିରେ ବାହାରୁ ନ ଥିବାରୁ ତାର କୌଣସି ପାଠକ ଗୋଷ୍ଠୀ ନ ଥାନ୍ତି ; ତାର ଥାନ୍ତି ଶ୍ରୋତା । ପୁଣି, ଶୀଘ୍ର ଶୀଘ୍ର ନୂଆ ନୂଆ ଗୀତ ବଜାରକୁ ଆସୁଥିବାରୁ ଏ ଭଳି ଏକ ଧାରଣା ହୋଇଥାଏ ଯେ କବିତା ଶାଶ୍ୱତ ହୋଇଥିବା ବେଳେ ଗୀତ ଏକ ଅତି ସାମୟିକ ଚମକ, ଯାହାର ଜୀବନ କାଳ ଆଠ ଦିନ ମାତ୍ର । ଏ କଥାର କୌଣସି ତାର୍କିକତା ନାହିଁ, ଯେପରି କୌଣସି ଯୁକ୍ତି ନାହିଁ କହିବାରେ ଯେ ଲୋକପ୍ରିୟ ସାହିତ୍ୟ ଉତ୍ତମ ସାହିତ୍ୟ ନୁହେଁ । ଦେବନାଥ ଯେତେବେଳେ ପତ୍ରପତ୍ରିକାକୁ କବିତା ବଦଳରେ ଗୀତ ପଠାଇଲା, ସଂପାଦକମାନେ ତାକୁ ଛପାଇବାକୁ କୁଣ୍ଡିତ ହେଲେ । ଗୀତି କବିତା ବହି ଛପାଇବାର ସମ୍ଭାବନା ନଥଲା । ସେ ମାନିନେଲା ଯେ କବିତା ଆଉ ତା ପାଇଁ ନୁହେଁ, ସେ ଜଣେ ଗୀତିକାର ହିଁ ।

 ଏ ନିଷ୍ପତ୍ତି ନେବା ସତ୍ତ୍ୱେ ତାକୁ ଯାହା କଷ୍ଟ ଦେଉଥିଲା ସେ କଥାଟି ହେଲା ସେ କି ବିଷୟରେ ଲେଖିବ, ତା ସବୁବେଳେ ତା ନିଜ ଉପରେ ନିର୍ଭର କରୁ ନଥିଲା । ସିନେମାବାଲା ତାକୁ ଦୃଶ୍ୟ ବୁଝାଇ ଦେଉଥିଲେ, ଶ୍ମଶାନକୁ ଫେରି ନାୟକ ଏକା ଝରଣା କୂଳରେ ବସିଛି, ଅଥବା ନାୟିକା ଏଇମାତ୍ର ଫେରିଛି ଷ୍ଟେସନରେ ଚୋରା ପ୍ରେମିକକୁ ଛାଡ଼ି, ଅଥବା ଦୁଇଟି

ଝିଅ ଗୀତରେ ଗୀତରେ କଥା କଟାକଟି ହେଉଛନ୍ତି, ଇତ୍ୟାଦି । ତାକୁ ଏଇ ଏଇ ପରିସ୍ଥିତି ପାଇଁ ଗୀତ ଲେଖିବାକୁ ହେବ । ଏଇ ଭଳି ଭାବରେ ସେ ରେଡିଓ, ରେକର୍ଡ କଂପାନୀ ଓ ସିନେମା ପାଇଁ ଅନେକ ଗୀତ ଲେଖିଲା ଓ ତା ମଧ୍ୟରୁ ଅନେକ ଜନପ୍ରିୟ ହୋଇ ସେ କବି ଭାବରେ ଯେତେ ଜଣା ନଥିଲା ତାଠାରୁ ବେଶି ଜଣାଶୁଣା ହୋଇଗଲା ।

 ଥରେ କିନ୍ତୁ ନିୟମ ସାଙ୍ଗରେ ରଫା କଲେ ଆଉ ସୀମା ଭିତରେ ରହି ହୁଏ ନାହିଁ । କବିତା ଛାଡ଼ି ଗୀତ ଲେଖିବା ପରେ ତାକୁ ଅନୁରୋଧ ଆସିଲା ସିନେମାରେ ସଂଳାପ ଲେଖିବା ପାଇଁ । ସେ ମନା କରିବାକୁ ଚାହୁଁଥିଲା, କିନ୍ତୁ ଚିତ୍ରର ପ୍ରଯୋଜକ କହିଲେ ଯେ ଏ କାମର ଦାୟିତ୍ୱ ନେଇଥିବା ଭଦ୍ରବ୍ୟକ୍ତି ବିନା ସୂଚନା ଦେଇ କୁଆଡ଼େ ଚାଲିଗଲେ ଏବଂ ଦେବନାଥ ଯଦି ସାହାଯ୍ୟ ନ କରେ ସେ ବହୁତ କ୍ଷତିରେ ପଡ଼ିବେ । ସେ ଏଥପାଇଁ ଭଲ ଟଙ୍କା ଦେବାକୁ ମଧ୍ୟ ରାଜି ହେଲେ ଏବଂ ନିଜର ଅନିଚ୍ଛା ସତ୍ତ୍ୱେ ଦେବନାଥ ତାଙ୍କ କଥାରେ ହଁ ଭରିଲା । ଏବଂ ଟଙ୍କା ପାଇ ଖୁସି ହେଲା ।

 କଥା ଏତିକିରେ ଛିଣ୍ଡିଲା ନାହିଁ । ତାକୁ ପ୍ରଯୋଜକଙ୍କ ପାଖରୁ ଅନୁରୋଧ ଆସିଲା ଅଶ୍ଳୀଳ ଗୀତ ଲେଖିବା ପାଇଁ । ଅବଶ୍ୟ ସେ ତାକୁ ସିଧା ସଳଖ ଅଶ୍ଲୀଳ କଥା କହି ନଥିଲେ, କହିଥିଲେ ଯେ ଗୀତ ଦ୍ୱୈର୍ଥକ ହେବ, ଯେପରିକି ଶିକ୍ଷିତ ଲୋକମାନଙ୍କ ସହିତ ସାଧାରଣ ଲୋକ ମଧ୍ୟ ତାର ମଜା ପାଇ ପାରିବେ । ସେ କିନ୍ତୁ ତାକୁ ଯେଉଁ ଉଦାହରଣ ଦେଲେ, ସେ ଗୀତଗୁଡ଼ିକ ଉପରକୁ ଠିକଠାକ ଜଣା ଯାଉଥିଲେ ମଧ୍ୟ ତା ଭିତରୁ ବାହାରି ପାରୁଥିଲା ପ୍ରତିଟି ଧାଡ଼ିରେ ନାରୀର ଅଂଗପ୍ରତ୍ୟଂଗର ଅଶାଳୀନ ବର୍ଣ୍ଣନା ଓ ପ୍ରତିଟି କ୍ରିୟା ପଦରେ ଯୌନ ସଂପର୍କର କୁତ୍ସିତ ସୂଚନା । ଦେବନାଥ ପ୍ରଥମେ ମନା କଲା ଏବଂ ଅନେକ କୁହାବୋଲା ପରେ ଯେଉଁ ଗୀତଟି ଲେଖାଦେଲା ସେଥିରେ ଦେହଜ ପ୍ରେମର କିଛି ରଂଗରସ ଥିଲା କିନ୍ତୁ କୌଣସି ଅଶ୍ଲୀଳତା ନଥିଲା । କିନ୍ତୁ ପ୍ରଯୋଜକ ତା ଲେଖାକୁ କାଟଛାଟ କରି ଫିଲ୍ମରେ ଯେଉଁ ଗୀତଟି ଦର୍ଶକଙ୍କୁ ଦେଲେ ସେଇଟି ଥିଲା ଅଶ୍ଲୀଳତାର ଚୂଡ଼ାନ୍ତ । ଗୀତଟି ଅତି ସଫଳ ହେଲା ଏବଂ କ୍ୟାସେଟରେ ତା ନାଁ ସହିତ ଏଇଟି ବିକ୍ରି ହେବା ପରେ ଦେବନାଥର ଅଶ୍ଲୀଳ ଗୀତ ଲେଖିବାରେ ଆଉ କୌଣସି ସଂକୋଚ ରହିଲା ନାହିଁ ।

 ତାର ସିନେମାର ଦିନମାନଙ୍କରେ ଗୋଟିଏ ସ୍ମରଣୀୟ ଘଟଣା ଥିଲା ସେ ଗୀତ ଲେଖୁଥିବା ଫିଲ୍ମର ଶୁଟିଙ୍ଗ ବେଳେ ପ୍ରଥମ ଥର ପାଇଁ କଲିକତା ଯିବା । ଅନେକ ଦିନରୁ ତାର ଇଚ୍ଛା ଥିଲା କଲିକତା ଯାଇ ସେଠାରେ କିଛି କବି ଲେଖକଙ୍କୁ ଭେଟିବା ଓ ଗୁରୁଦେବଙ୍କ ଘର ଦେଖିବା । ପ୍ରଯୋଜକ କିନ୍ତୁ ତାକୁ ସାଙ୍ଗରେ ନେବାର ନାଁ ନେଲେ ନାହିଁ । ଶେଷକୁ ସେ ତାର ଟିଟିଆଇ ବନ୍ଧୁ ସହିତ ବିନା ଟିକେଟରେ କଲିକତାରେ ପହଞ୍ଚିଲା ଓ ଆଉ ଜଣେ ସାଙ୍ଗ

ସହିତ ଗୋଟିଏ ଶସ୍ତା ହୋଟେଲରେ ରହିଲା । ପରଦିନ ଟାଲିଙ୍ଗଜରେ ପହଞ୍ଚି ଦେଖିଲା ଯେ ୟୁନିଟର ସମସ୍ତେ ନିଜ ନିଜ କାମରେ ବ୍ୟସ୍ତ ଅଛନ୍ତି, ତା ଆଡକୁ ଅନାଇବାକୁ କାହାରି ସମୟ ନାହିଁ । ସାଙ୍ଗକୁ ନେଇ ସେ ଷ୍ଟୁଡ଼ିଓ ବାହାରକୁ ଆସି ସେଠାରେ ବୁଲୁଥୁବା ଜଣେ ଯୁବକକୁ ରାସ୍ତାଘାଟ କଥା ପଚାରିଲା । ଯୁବକଟି ଜୋଡାସାଁକୋ କଣ ବା କେଉଁଠି ଜାଣି ନଥିବା ଭଳି ଜଣାଗଲା, ତେବେ ଜଣାଇଲା ଯେ ତାର ନାଁ ସୋମେନ ଓ ସେ ଗୋଟିଏ ଲିଟଲ ମ୍ୟାଗାଜିନ ଚଳାଏ । ସେ ଏମାନଙ୍କୁ କଲିକତା ବୁଲାଇ ଦେଖାଇବ ବୋଲି କହିଲା । ତାର ନାଁ ଚେହେରା ପୋଷାକ ଓ ସକାଳ ବେଳା କିଛି ପିଇ ଆସିଥିବା ଇତ୍ୟାଦିରୁ ଯୁବକଟି କବି ହୋଇଥିବାରେ ଆଉ କୌଣସି ସନ୍ଦେହ ନ ଥିଲା ଏବଂ ସେମାନେ ଦୁହେଁ ଦିନକ ପାଇଁ ତାର ସାଙ୍ଗ ହେବାକୁ ଠିକ କଲେ । ସୋମେନ ସେମାନଙ୍କୁ ଦି ଥର ବସ ବଦଳାଇ ଯେଉଁ ଜାଗାକୁ ନେଇଗଲା, ସେଇଟି ଥିଲା ଖଲାସିଟୋଲା । ଅଳିଆ ଆବର୍ଜନା ସତ୍ତ୍ୱେ ରେଡ଼ିଓ ଷ୍ଟେସନ ପାଖ ମଦଦୋକାନ ତୁଳନାରେ ଏଇ ଶୁଣ୍ତଖାନାଟି ଥିଲା ପରିଷ୍କୃତ ଓ ସମୃଦ୍ଧ । ଏବଂ ପାନୀୟଟି ମଧ୍ୟ ଥିଲା କମ ବିସ୍ୱାଦ ।

 ଦ୍ବିତୀୟ ଗ୍ରାସ ପରେ ଦେବନାଥ ଠାକୁର ଘର ଦେଖି ନ ପାରିଥିବାର ଦୁଃଖକୁ ଭୁଲିଗଲା ଏବଂ ଚାରିପାଖର ଗରାଖମାନଙ୍କୁ ଦେଖିବାରେ ମନ ଦେଲା । ଅଧିକାଂଶ ଶ୍ରମିକ ଶ୍ରେଣୀର ଲୋକ ଥିଲେ, ତେବେ ଦୂରରେ ଗୋଟିଏ ଟେବୁଲରେ ବସିଥିଲେ ଚାରିଜଣ ଧୋବଧାଉଳିଆ ଯୁବକ । ସେ ଶୁଣିଥିଲା ଯେ ଏଠାକୁ କିଛି କବି ମଧ ମଝିରେ ମଝିରେ ଆସିଥାନ୍ତି । ଏଇମାନେ କଣ ସେଇ ରାତ ବାରୋଟାର ପରେ କଲକାତା ଶାସନ କରେ ଚାରଜନ ଯୁବକ ? ସୋମେନକୁ ପଚାରି ଲାଭ ନାହିଁ, କାରଣ ଏତେବେଳକୁ ସେ ନିଶା ଜଡ଼ିତ ତୁରୀୟ ଅବସ୍ଥାରେ ଥିଲା ।

 ଉପରବେଳା ସୋମେନ ବାଧ୍ୟ କରି ଦି ଜଣଙ୍କୁ କାଳୀ ମନ୍ଦିର ନେଇଗଲା । ସେଠାରେ ପହଞ୍ଚି ଜଣାଗଲା ଯେ ଚାରିଦଉଡ଼ି କଟା ଏଇ ଯୁବକର ପ୍ରକୃତ ଆସ୍ଥାନ ଥିଲା ମନ୍ଦିର ସାମନା ଗଛମୂଳର ଚଉତରା, କାରଣ ସେଠାରେ ସମସ୍ତେ ତାକୁ ଜାଣୁଥିଲେ ଏବଂ ସେଠାରେ ପହଞ୍ଚିବା ପରେ ସୋମେନ ଆଉ ତାଙ୍କୁ ଧରାଛୁଆଁ ଦେଲା ନାହିଁ । ମନ୍ଦିର ସେତେବେଳେ ବନ୍ଦ ଥିଲା । ତେଣୁ ଆଉ ସୋମେନ ପଛରେ ନ ପଡ଼ି ଦୁହେଁ ରାସ୍ତା ଧରିଲେ ସେ ଲେଖିଦେଇଥିବା ହାଡ଼କଟା ଗଳିର ଠିକଣାକୁ । ଏଇଟି ଦେବନାଥ ପାଇଁ ବେଶ୍ୟାଳୟ ସହିତ ପ୍ରଥମ ପରିଚୟ ଥିଲା ଏବଂ ଆଗରୁ ଭାବିଥିବା ଭଳି ଅପ୍ରତିକର ନ ଥିଲା । ଦୁହେଁ ଡେରି ରାତିରେ ହୋଟେଲକୁ ଫେରିଲେ ଏବଂ ପରଦିନ ଘରକୁ ଫେରିବାର ଟ୍ରେନ ଧରିଲେ ।

 ଦେବନାଥର ଯେଉଁ ଶଂକା ଥିଲା ଯେ ସେ ଅସୁସ୍ଥ ହୋଇଯିବ, ଘରେ ପହଞ୍ଚିବାର

କିଛି ଦିନ ଭିତରେ ସେ ଭୟ ଭାଙ୍ଗିଗଲା । ସେ ବରଂ ମନେ ମନେ କଳନା କଲା କିପରି ପୁଣି କଲିକତା ଯିବ, ସିନେମାବାଲା ଯାନ୍ତୁ ନ ଯାନ୍ତୁ । ଏଥରକ ସେ ନିଶ୍ଚୟ ଜୋଡାସାଁକୋ ଯିବ । ହାଡ଼କଟା ଲେନର ଝିଅଟିର ନାଁ ସେ ଏତେଦିନ ଭୁଲି ଯାଇଥିଲା । ଆଜି ହଠାତ ମନେ ପଡ଼ିଗଲା, ତିଳୋତ୍ତମା । ରେଡ଼ିଓ ଷ୍ଟେସନର ଝିଅଟିର ନାଁ ଥିଲା କୁସୁମ । ତାର ନିଜର ସ୍ତ୍ରୀର ନାଁ ଥଲା ବାସନ୍ତୀ । ତାର ପ୍ରେୟସୀର ନାଁ ଥିଲା କବିତା ।

 ତାର ଜୀବନରେ ଏପରି ସବୁ ଯେଉଁ ଅଦଳବଦଳ ହେଉଥିଲା, ଅତି ମୃଦୁ ଓ ମନ୍ଥର ଥିଲା, କିନ୍ତୁ ଥିଲା ନିଶ୍ଚିତ ଓ ଅନିବାର୍ଯ୍ୟ । ତାର ଅଫିସ ଯିବା ଆସିବା ଅତି ଅନିୟମିତ ହୋଇଗଲା । ଘରକୁ ଫେରିବାର ଆଉ କୌଣସି ନିଦ୍ଦିଷ୍ଟ ସମୟ ରହିଲା ନାହିଁ । ଖାଇବା ପିଇବାର ବର୍ତ୍ତମାନ କିଛି ଠିକ ଠିକଣା ନ ଥିଲା । ଘରଖର୍ଚ୍ଚ ପାଇଁ ସେ ଦେଉଥିବା ଟଙ୍କା ଅବ୍ୟବସ୍ଥିତ ହୋଇଗଲା ଓ ଏଥିପାଇଁ ଅଶାନ୍ତି ବଢ଼ିଚାଲିଲା । ଶେଷକୁ ଦିନେ ବାସନ୍ତୀ ତାର ଚଉଦ ବର୍ଷର ପୁଅ ଓ ନିଜର ଜିନିଷପତ୍ରକୁ ନେଇ ବାପଘରକୁ ଚାଲିଗଲା । ଏକ ଅବିରତ ମାଦକତାର ମୋହ ଭିତରେ ଥାଇ ନିଜ ଜୀବନ ଏପରି ଭାବେ ଧ୍ୱସ୍ତ ବିଧ୍ୱସ୍ତ ହେଉଥିବା କଥା ଦେବନାଥ ବୁଝି ପାରିଲା ନାହିଁ ।

 ପରେ ପରେ କ୍ଷିପ୍ର ଗତିରେ ଅନେକ କିଛି ଘଟିଗଲା । ଅଫିସରୁ ତାକୁ, କୈଫୟତ ମଗାଗଲା, ଯାହାର ସେ ଉତ୍ତର ଦେଲା ନାହିଁ । କିଛି ମାସ ପରେ ତାକୁ ଚାକିରିରୁ ସସ୍ପେଣ୍ଡ କରି ଦିଆଗଲା । ଏଇଟି ତାକୁ ଗୋଟିଏ ବରଦାନ ଭଳି ମନେ ହେଲା, କାରଣ ଏହାପରେ ତାକୁ ଆଉ ଅଫିସ ଯିବାର ତାଗିଦା ନ ଥିଲା, କିନ୍ତୁ ଘରେ ଅଥବା ଭାଟିରେ ବସି ତାକୁ ତାର ଅଧା ଦରମା ମିଳୁଥିଲା । କବିତା ତାକୁ ଅନେକ ଦିନରୁ ଛାଡ଼ି ଚାଲି ଯାଇଥିଲା, ଏବେ ସେ ଦେଖିଲା ଗୀତ ବି ତାକୁ ଛାଡ଼ିବା ଉପରେ । ଚାରି ଧାଡ଼ି ଗୀତ ଲେଖିବା ପାଇଁ ତାକୁ ବର୍ଭମାନ ଅନେକ କୁସ୍ତି କସରତ କରିବାକୁ ପଡ଼ୁଥିଲା, ଏବଂ ଶେଷକୁ ସେ ଯାହା ଲେଖି ଦେଉଥିଲା, ତା ସବୁବେଳେ ଗ୍ରାହକଙ୍କର ମନଃପୂତ ହେଉ ନ ଥିଲା । ସେ ଦିନକୁ ଦିନ ରୁକ୍ଷ ଓ ବଦରାଗୀ ପ୍ରକୃତିର ହୋଇଗଲା ଓ ବିନା କାରଣରେ ଲୋକଙ୍କ ସହିତ କଳି ତକରାଳ କରିବାକୁ ଆରମ୍ଭ କଲା ।

 ଏଇଭଳି ଦିନେ ତାର ଝଗଡ଼ା ହୋଇଗଲା ରେଡିଓ ଷ୍ଟେସନରେ ବିଲ ତିଆରି କରୁଥିବା କିରାନୀ ସାଙ୍ଗରେ । ଗୀତ ଲେଖି ଯାହା ପ୍ରାପ୍ୟ ମିଳୁଥିଲା, ତାକୁ ପାଇବା ପାଇଁ କେବଳ ଯେ ଅନେକ ଦିନ ଲାଗୁଥିଲା ତା ନୁହେଁ, ସେଥିପାଇଁ ବିଭିନ୍ନ ବାବୁଙ୍କୁ ଖୋସାମତ କରିବାକୁ ପଡ଼ୁଥିଲା । ଆଗରୁ ସେ ଡେରି ହେଲେ ବିବ୍ରତ ହେଉ ନ ଥିଲା, କିନ୍ତୁ ଆଜିକାଲି ଫର୍ମ ଭରି ଜମା ଦେବା ପରେ ସେ ଟଙ୍କାର ତାଗିଦ କରିବାରେ ଲାଗି ଯାଉଥିଲା । ସେ

ଦିନ କିରାନୀ ଅଡ଼ି ବସିଲା ସେ ରେଭେନିଉ ଟିକଟ ଆଣି ତା ଉପରେ ଦସ୍ତଖତ ନ କଲେ ସେ ତାକୁ ଟଙ୍କା ଦେବ ନାହିଁ । ଆଗରୁ ଏମିତି ହେଉଥିଲା ଯେ ସେମାନେ ସମସ୍ତେ ମିଶି କିରାନୀ ପାଖରେ ବେଶ କିଛି ଟିକଟ ରଖି ଦେଉଥିଲେ ଯେପରିକି ପ୍ରତି ଥର ଆଉ ଟିକଟ ଖୋଜିବାକୁ ପଡ଼ିବ ନାହିଁ । ସେ ଦିନ କିନ୍ତୁ କିରାନୀ ତାକୁ ଟିକଟ ମାଗିଲା, ଦେବନାଥ ତାକୁ ପୂର୍ବରୁ ଦେଇଥିବା ଟିକଟର ହିସାବ ମାଗିଲା ଏବଂ ପାଟିତୁଣ୍ଡ ବଢ଼ିବାରେ ଲାଗିଲା । କଥା ଯେତେବେଳେ ମାରପିଟ ସ୍ତରରେ ପହଞ୍ଚିଲା, କୁସୁମ ଆସି କିରାନୀର ଟେବୁଲ ଉପରେ ଗୋଟିଏ ଟିକଟ ରଖିଦେଲା । କୃତଜ୍ଞ ହେବା ବଦଳରେ ଦେବନାଥ ଓଲଟା କୁସୁମ ଉପରେ ପାଟି କଲା । ତେବେ ଝଗଡ଼ା ଏତିକିରେ ତୁଟିଲା ଓ କିରାନୀ ତାକୁ ତାର ପ୍ରାପ୍ୟା ଦେଇଦେଲା ।

 ଏ ଘଟନାର କିଛି ଦିନ ପରେ ଦେବନାଥ କୁସୁମକୁ ଖୋଜି ତା ବସିଥିବା ଜାଗାକୁ ଗଲା । ସେ ଦିନର ବ୍ୟବହାର ପାଇଁ କ୍ଷମା ମାଗି ସାହାଯ୍ୟ କରିଥିବାରୁ ତାକୁ ଧନ୍ୟବାଦ ଜଣାଇଲା । ସେ ଯେତେବେଳେ କୁସୁମକୁ ଚା ପିଇବା ପାଇଁ ଡାକିଲା, ଜାଣିଥିଲା ଯେ ସେ ମନା କରିଦେବ । କିନ୍ତୁ କୁସୁମ ସଙ୍ଗେ ସାଙ୍ଗେ ହଁ ଭରି ତା ସହିତ ଚା ଦେକାନକୁ ଆସିଲା ଓ ବେଞ୍ଚରେ ତା ପାଖେ ବସି ଚା ପିଇଲା । ଦେବନାଥ ଭାବିନେଲା ଯେ ଝିଅଟି ତାର କବିତା ବା ଗୀତକୁ ପସନ୍ଦ କରେ, ଏବଂ ସେଥିପାଇଁ ତାକୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲା ସେ ଦିନ । ସେ ସାଙ୍ଗରେ ନିଜର ଯେଉଁ କବିତା ବହି ଆଣିଥିଲା, ସେଇଟି କୁସୁମକୁ ଦେଇ ପଚାରିଲା, ତମେ କଣ ମୋର କିଛି କବିତା ପଢ଼ିଛ ? କୁସୁମ ମୁଣ୍ଡ ହଲାଇ ମନା କଲା । ତା ହେଲେ ମୋର ଗୀତ ? ଏ କଥାର ବି ଉତ୍ତର ଥିଲା ନା । ଏଥରକ କୁସୁମ ବହିଟି ଖୋଲି ଟିକିଏ ପଢ଼ିଲା, ପୃଷ୍ଠା ଓଲଟାଇ ଆଉ ଗୋଟିଏ କବିତା ଉପରେ ଆଖି ବୁଲାଇଲା, ବହିଟିକୁ ବନ୍ଦ କରି ରଖି ଦେଇ କହିଲା, ଏ ଗୁଡ଼ାକ ପଢ଼ିଲେ ମତେ କାନ୍ଦ ମାଡ଼ୁଛି ।

 ଏ ଭଳି ପ୍ରତିକ୍ରିୟା କେହି ପ୍ରକାଶ କରି ନ ଥିଲେ ତାର କବିତା ପଢ଼ି, କାରଣ କାନ୍ଦ ମାଡିବାର କୌଣସି କଥା ନ ଥିଲା କବିତାରେ । ଯାହା ହେଉ, ଦେବନାଥର ଭଲ ଲାଗିଲା ଏଇ ଝିଅଟି ସହିତ ଆଳାପ କରି । ପୌଢ଼ ବୟସରେ ତାର ଭେଟ ହେବାର ଥିଲା ଏଇ ଅଳ୍ପ ବୟସର ଝିଅଟି ସହିତ, ଏ ଏକ ବିଡ଼ମ୍ବନା । ଅନେକ ବର୍ଷ ଆଗରୁ ତା ସହିତ ଦେଖା ହୋଇଥାନ୍ତା କି । ଏପରି କଥା ସବୁ ଭାବିଲା ଦେବନାଥ, କିନ୍ତୁ ଝିଅଟି ସହିତ ଆଉ ଯୋଗାଯୋଗ କରିବା ବା ସଂପର୍କ ବଢାଇବା ପାଇଁ ଚେଷ୍ଟା କଲା ନାହିଁ । ତେବେ ଭାବି ରଖିଲା ଯେ ତା ପାଇଁ କେବେ ଗୋଟିଏ କବିତା ଲେଖିବ, ପତ୍ରିକାର ପ୍ରକାଶ ପାଇଁ ନୁହେଁ, ଗାଇବା ପାଇଁ ନୁହେଁ, କେବଳ ତାରି ପଢ଼ିବା ପାଇଁ ।

 ଏ କଥା ବି ହେଲା ନାହିଁ । ତାକୁ ଶେଷରେ ଇସପାତ ବିଷୟରେ କବିତା ଲେଖିବାକୁ ପଡ଼ିଲା । ସେତେବେଳେ ଇସପାତ କାରଖାନା ଦାବୀ ନେଇ ବାତାବରଣ ସରଗରମ ଥିଲା । କେନ୍ଦ୍ରରେ ଭିନ୍ନ ଦଳର ସରକାର ଥିଲା ଏବଂ ତା ବିରୁଦ୍ଧରେ ପ୍ରତିବାଦ ଓ ବିକ୍ଷେଭର ସଭା ଶୋଭାଯାତ୍ରା ଲାଗି ରହିଲା କିଛି ଦିନ ଧରି । ତାର କିଛି ସାଙ୍ଗ ମହା ଉତ୍ସାହରେ ଏହି ଆନ୍ଦୋଳନରେ ସାମିଲ ହୋଇଗଲେ ଏବଂ ତାକୁ ଜୋର କଲେ ଗୋଟିଏ ଓଜସ୍ୱୀ କବିତା ବା ଗୀତ ଲେଖି ଦେବା ପାଇଁ । ଯେତେ ଚେଷ୍ଟା କଲେ ବି ଯେତେବେଳେ ତା କଲମରୁ ଧାଡ଼ିଏ ବି ବାହାରିଲା ନାହିଁ, ସେମାନେ ତାକୁ ନେଇ ଜଣେ ଏକା ରହୁଥିବା ବନ୍ଧୁଙ୍କ ଘରେ ବନ୍ଦ କରିଦେଲେ, କହିଲେ, କବିତା ନ ଦେଲେ ମଦ ବନ୍ଦ । ଏଇ ଭଳି ଭାବରେ ଜନ୍ମ ନେଇଥିଲା ତାର ସବୁଠାରୁ ଜଣାଶୁଣା କବିତା ।

 କାଳକ୍ରମେ ରାଜ୍ୟରେ ଯେତେବେଳେ ଇସ୍ପାତ କାରଖାନାମାନ ତିଆରି ଆରମ୍ଭ ହୋଇଗଲା, ଦେବନାଥ ଭାବିଲା ଯେ ତାର ଇସ୍ପାତ କବିତାର ଆଉ କୌଣସି ମୂଲ୍ୟ ରହିବ ନାହିଁ । କିନ୍ତୁ ଏତେ ନାଟକୀୟତାରେ ତିଆରି ହୋଇଥିବା ଜିନିଷର କଣ ଏତେ ସହଜରେ ମୃତ୍ୟୁ ହୁଏ ? ସେ ଯଦିଓ ଆହୁରି ଅନେକ ଭଲ କବିତା ଲେଖୁଥିଲା, ଲୋକେ ତାକୁ ବର୍ତ୍ତମାନ ଜାଣୁଥିଲେ ଏଇ ସ୍ଲୋଗାନ ମୁଖର କେତୋଟି ଧାଡ଼ି ପାଇଁ । ଯଦି କବିତା ସଂକଳନ ପ୍ରକାଶ ପାଉଥିଲା, ସେଥିରେ ସ୍ଥାନ ପାଉଥିଲା ଏଇ ଇସପାତ କବିତାଟି ହିଁ । ଭାଗ୍ୟକୁ ତାକୁ କେହି ଇସପାତୀ କବିର ପଦବୀ ଦେଇ ନ ଥିଲେ ଏ ପର୍ଯ୍ୟନ୍ତ !

 ଦିନେ ଅଫିସର ବଡ଼ ବାବୁ, ତାକୁ ଡାକି କହିଲେ, ତମ ଚାକିରି ନେଇ ଯୋଉ ତଦନ୍ତ ହେଉଥିଲା, ସରି ଆସିଲାଣି । ତମେ ତ ତାଙ୍କୁ ଜବାବ ଲେଖି ଦେଲ ନାହିଁ, ଏଥର ତମର ଚାକିରି ଯିବ । ତମର ଯେତେ ବର୍ଷ ଚାକିରି ହେଲାଣି ସେଥିପାଇଁ ପେନସନ ପାଇବ । ଚାକିରିରୁ ତଡ଼ା କାହିଁକି ଖାଇବ, ବରଂ ମୋ ମତରେ ତମେ ଇସ୍ତଫା ଦେଇ ପେନସନ ନେଇ ଚାଲିଯାଅ । ଏଇ ବଡ଼ବାବୁଙ୍କ ପାଖରେ ଦେବନାଥ ଅନେକ ଦିନ କାମ କରିଥିଲା ଓ ମନ ଦେଇ କାମ କରିଥିଲା । ସେ ତାକୁ ଭଲ ପାଉଥିଲେ ଏବଂ ଅନେକ ଥର ସାହାଯ୍ୟ ବି କରିଥିଲେ । ତେବେ ସେ ନିଜର ନୂଆ ଜୀବନ ଜୀଇଁବା ପରେ ତାଙ୍କ ସହିତ ସଂପର୍କ କାଟି ଦେଇଥିଲା । ଆଜି ତାଙ୍କ ପାଖରୁ ଏ ଉପଦେଶ ଶୁଣି ତା ମନ କୃତଜ୍ଞତାରେ ଭରିଗଲା । ସେ ଆଉ କିଛି ନ ଭାବି ନ ଚିନ୍ତି ତାଙ୍କ ପାଖରୁ ଗୋଟିଏ ସାଦା କାଗଜ ମାଗି ସେଥିରେ ସେ କହିଥିବା ମୁତାବକ ଦରଖାସ୍ତ ଲେଖିଦେଲା । ଏବଂ ସ୍ତ୍ରୀ ଘର ଛାଡ଼ି ଚାଲିଯିବା ପରେ ପାରିବାରିକ ବନ୍ଧନରୁ ବାହରି ଆସିଥିବା ଭଳି ଚାକିରିର ଶୃଙ୍ଖଳାରୁ ମୁକ୍ତ ହୋଇଗଲା ।

 ଏତେବେଳେ କେହି କେହି ସାକ୍ଷାତକାର ନେବା ବେଳେ ତାକୁ ପ୍ରଶ୍ନ କରୁଥିଲେ,

ଆପଣ କଣ କବିତା ଲେଖିବା ପାଇଁ ଚାକିରି ଛାଡ଼ିଦେଲେ ? ଏଇଟି ଔପଚାରିକ ପ୍ରଶ୍ନ ଥିଲା, କାରଣ ସମସ୍ତେ ଜାଣିଥିଲେ ଯେ ସେ କାମଦାମ କରୁ ନ ଥିବାରୁ ଚାକିରିରୁ ତଡ଼ା ଖାଇଛି । ଯେପରି ସମସ୍ତେ ଜାଣିଥିଲେ ଯେ କବି ଭାବରେ ସେ ମୃତ । ତାର ସାକ୍ଷାତକାରର କୌଣସି ସାହିତ୍ୟିକ ମୂଲ୍ୟ ନ ଥିଲା, ଥିଲା ହୁଏ ତ ଏକ ଆମୋଦଦାୟକ ବିବରଣୀ ପ୍ରସାର କରିବାର ଆଗ୍ରହ । ଯେପରି ଗାଁରେ ଜିପ ନେଇ ପହଞ୍ଚି ଯାଇଥିଲେ କୋଉ ଟିଭି ଚ୍ୟାନେଲର ଦଳବଳ । ଅବଶ୍ୟ ଏଥିରେ ଗୋଟିଏ ଭଲ କଥା ଥିଲା ଯେ ସେମାନେ ସାଙ୍ଗରେ ଆଣିଥିଲେ ଜଣେ ଯୁବକ ସାହିତ୍ୟ ପ୍ରାଧ୍ୟାପକକୁ ତାକୁ ଇଣ୍ଟରଭିଉ କରିବା ପାଇଁ । ଗାଁରେ ଭିଡ଼ ଜମି ଯାଇଥିଲା ଏମାନେ ଗାଡ଼ିରୁ ଓହ୍ଲାଇବା କ୍ଷଣି । ଏବଂ ହୁଏତ ଦେବନାଥର ସମ୍ମାନ ବି କିଛି ବଢ଼ି ଯାଇଥଲା ଗାଁ ଲୋକଙ୍କ ପାଖରେ । ପ୍ରୋଗ୍ରାମର ପ୍ରସ୍ତୁତ କର୍ତ୍ତା, କ୍ୟାମେରାମ୍ୟାନ, ଶବ୍ଦ ଉତ୍ତୋଳନକାରୀ ମିଶି ତାର ଘରଟିକୁ ଅଧିକାର କରିନେଲେ । ଦେବନାଥ ଯେତେବେଳେ କ୍ୟାମେରା ସାମନା କରିବା ପୂର୍ବରୁ କିଛି ଭଲ ଲୁଗାପଟା ପିନ୍ଧିବାକୁ ଚାହିଁଲା, ସେମାନେ ମନା କଲେ ; କହିଲେ, ସେମାନେ ଫିଲ୍ମଟି କରିବେ ବାସ୍ତବ ଓ ତଥ୍ୟନିଷ୍ଠ, ଯାହା ଯେମିତି ।

 ଦେବନାଥର କୌଣସି ଆଗ୍ରହ ନ ଥିଲା ଏଇ ଫିଲ୍ମ ପାଇଁ । ତେବେ କିଛି ଦିନ ପୂର୍ବରୁ ଚ୍ୟାନେଲର ଲୋକ ଆସି ତାକୁ ତିନି ବୋତଲ ଭାରତ-ତିଆରି ବିଦେଶୀ ମଦ ଦେଇ ମନାଇ ଯାଇଥିଲା । ଯୁବକ ପ୍ରାଧ୍ୟାପକ ତାକୁ ବିଭିନ୍ନ ପ୍ରକାରର ସାହିତ୍ୟିକ ପ୍ରଶ୍ନ ପଚାରିଲା, ଯଥା: ସେ କେଉଁ ସୌନ୍ଦର୍ଯ୍ୟ ତ‌ତ୍ତ୍ୱରେ ବିଶ୍ୱାସ କରେ; ଗୋଟିଏ କବିତାରେ ସେ ଯେଉଁ ଲେଖିଥିଲା ପ୍ରେମର ତିନୋଟି ଯାକ ଶପଥ, ସେ ତିନିଟି କଣ; ଗୋଟିଏ କବିତାରେ ନିର୍ଦ୍ଦିଷ୍ଟ କବିତାରୁ ଯଦି ଶେଷ ଧାଡ଼ିଟି କାଟି ଦିଆଯାଏ, ତେବେ ସେଇଟି କଣ ଆହୁରି ସୁନ୍ଦର ହୋଇଯିବ ନାହିଁ, ଇତ୍ୟାଦି ଇତ୍ୟାଦି । ଦେବନାଥ ପାଖରେ ଏ ସବୁର କୌଣସି ଉତ୍ତର ନଥିଲା, ତେବେ ସେମାନେ ତାର ଥତମତ ହୋଇ ଏଣୁ ତେଣୁ କଥା କହିବାର ଦୀର୍ଘ ଛବି ଉଠାଇଲେ । ସେମାନେ ଯେତେବେଳେ ତାକୁ ନେଇ ମଦ ଦୋକାନକୁ ଗଲେ, ଦେବନାଥ ବୁଝିଲା ଯେ ସେମାନଙ୍କର ଅସଲ ଲକ୍ଷ୍ୟ ଥିଲା ସେଠାରେ ତାର ଅପ୍ରସ୍ତୁତ ଅବସ୍ଥାର ଚିତ୍ର ତୋଳିବା । ପ୍ରଯୋଜକ ତାକୁ କହିଲା ସେ ବେଞ୍ଚ ଉପରେ ବସି ପିଉଥାଉ ଓ ପ୍ରାଧ୍ୟାପକ ସାଙ୍ଗରେ ସାଧାରଣ ଭାବରେ କଥାବାର୍ଭା କରୁଥାଉ ; ଭୁଲିଯାଉ ଯେ କ୍ୟାମେରା ତା ଆଡ଼କୁ ଅନାଇଛି ।

 ଦେଢ଼ ଗ୍ଲାସ୍ ପିଇବା ପରେ ଦେବନାଥ ସତକୁ ସତ ଭୁଲିଗଲା ଯେ ସେ ଏକ ଅନୁପ୍ରବେଶକାରୀ କ୍ୟାମେରାର ଶରବ୍ୟ । ପ୍ରାଧ୍ୟାପକଟି ଧୀର ସ୍ୱଭାବର ଓ ସାହିତ୍ୟିକ ରୁଚିସଂପନ୍ନ ଥିଲା ଓ ଦେବନାଥର ସବୁ କବିତା ପଢ଼ିଥିଲା । ସେ ଚାହୁଁଥିଲା ଦେବନାଥ

ପୁଣି ଫେରିଯାଉ ତାର ସକ୍ରିୟ ସୃଜନଶୀଳ ସମୟକୁ ଓ ଆହୁରି କବିତା ଲେଖୁ । ଦେବନାଥର କିଛି ପୁରୁଣା କବିତା ମନରୁ ଆବୃତ୍ତି କରି ସେ ସେଥରୁ ତାର ଅନେକ ଗଭୀର ଅର୍ଥ ବାହାର କଲା । ଏବଂ କହିଲା ଯେ ସେ ଏ ବୃତ୍ତ ଚିତ୍ରର ନାଁ ଦେବାକୁ କହିଛି, ଦୀର୍ଘଜୀବୀ ହୁଅ କବି । ଏବଂ ଏଥିରେ ସେ କାମନା କରିବ ଯେ ଦେବନାଥ ଆହୁରି ଅନେକ ବର୍ଷ ବଞ୍ଚି ରହି ସରସ୍ୱତୀଙ୍କର ସେବା କରନ୍ତୁ ।

 ଏହି କାର୍ଯ୍ୟକ୍ରମରେ ଦେବନାଥର ଆଉ ତିଳେ ବି ଆଗ୍ରହ ନଥିଲା ଏବଂ ସେ ପ୍ରାଧ୍ୟାପକ ସହିତ କଥାବାର୍ଭା ବନ୍ଦ କରି ଦେଇ ଚୂପଚାପ ବସି ପିଇବାରେ ଲାଗିଲା । ପ୍ରଯୋଜକ ଆସି କହିଲା, ବର୍ଭମାନ ସେମାନେ ଦେବନାଥ ବେଞ୍ଚ ଉପରୁ ତଳେ ପଡ଼ିଯାଇଥିବାର ଗୋଟିଏ ଦୃଶ୍ୟର ଚିତ୍ର ଉଠାଇବେ । ଏ କଥା ଶୁଣି ଦେବନାଥ ବିରକ୍ତ ହୋଇ କହିଲା ଯେ ସେ ଆଉ ତାଙ୍କ ସହିତ ସହଯୋଗ କରିବ ନାହିଁ । ପ୍ରଯୋଜକ ତା ସହିତ ଚୁକ୍ତି କଥା କହିଲା, ଦେବନାଥ ଆହୁରି ଉଚ୍ଚ ସ୍ୱରରେ ତାର ଜବାବ ଦେଲା, ପାଖରେ ଆଉ କିଛି ଲୋକ ଜମା ହେଲେ । ପ୍ରଯୋଜକ ତାକୁ ଚିଡ଼ାଇବା ଭଳି ଆହୁରି କଥା କହିଲା । ଏଇ ସବୁ ଭିତରେ କ୍ୟାମେରା ଚାଲୁଥିଲା ଏବଂ ଦେବନାଥ ଜାଣିଲା ଯେ ତାର ଉଚ୍ଚବାଚ କରୁଥିବାର ଚିତ୍ର ତୋଳିବା ହିଁ ଥିଲା ସେମାନଙ୍କର ଉଦ୍ଦେଶ୍ୟ । ତେଣୁ ସେ ପୁଣି ବେଞ୍ଚ ଉପରେ ଚୁପ ହୋଇ ବସିଗଲା । ଟେଲିଭିଜନବାଲା ଏଥରକ ସେମାନଙ୍କର ଜିନିଷପତ୍ର ଏକାଠି କରି ଯିବାକୁ ବାହାରିଲେ ଏବଂ ପ୍ରଯୋଜକ ହସ ହସ ମୁହଁରେ ଆସି ଦେବନାଥକୁ ଧନ୍ୟବାଦ ଦେଇ ବିଦାୟ ମାଗିଲା । ପ୍ରାଧ୍ୟାପକ ପୁଣି ଥରେ ତାକୁ କବିତା ଲେଖିବାକୁ ଅନୁରୋଧ କଲା ଏବଂ ବିଦାୟ ନେବା ବେଳେ ନାଟକୀୟ ଭଂଗୀରେ କହିଲା : କବିତା ଦୀର୍ଘଜୀବୀ ହେଉ ।

 ସମସ୍ତେ ତାକୁ ତାର କବିତା କଥା କହନ୍ତି ଯେପରିକି ତାର ସଂପୂର୍ଣ୍ଣ ଅବସ୍ଥିତି ତାର ଲେଖାର ମାଧ୍ୟମରେ ; କବିତା ବାହାରେ ସେ କିଛି ବି ନୁହେଁ । ତାର ପରିଚିତ ଲୋକଙ୍କ ଭିତରେ ଏକମାତ୍ର କୁସୁମର ହିଁ କୌଣସି ଆଗ୍ରହ ନଥିଲା ତାର କବିତାରେ । ହୁଏତ ସାହିତ୍ୟ ବିଷୟରେ ହିଁ ସେ ସଂପୂର୍ଣ୍ଣ ଉଦାସୀନ ଥିଲା । ବାସନ୍ତୀ ଚାଲିଯିବା ପରେ ଦିନେ ସକାଳେ କୁସୁମ ନିଜ ଆଡ଼ୁ ତା ଘରକୁ ଆସିଲା । ସେତେବେଳେ ଦେବନାଥ ଘରେ ତାର ରୋଷେଇ କରୁଥିବା ପିଲାଟି ଥିଲା । ତାକୁ କିଛି ନ ପଚାରି ସବୁ କୋଠରୀ ଓ ଜିନିଷ ପର୍ଯ୍ୟବେକ୍ଷଣ କରିବା ପରେ ଦେବନାଥକୁ କହିଲା, ଘରଟାକୁ କଣ କରି ରଖୁଛନ୍ତି ଆପଣ ? ଟିକେ ସେ ପାଖକୁ ଘୁଞ୍ଚି ବସନ୍ତୁ, ମୁଁ ଏ ପାଖର ଜିନିଷପତ୍ର ଠିକ କରି ରଖି ଦେଉଛି । ଏତକ କରିବା ପରେ କୁସୁମ ରୋଷାଇ ଘରକୁ ଯାଇ ପିଲାଟିକୁ ରାନ୍ଧିବାରେ ସାହାଯ୍ୟ କଲା । ଦେବନାଥ

ଠିକ କରି ପାରିଲା ନାହିଁ ସେ କୁସୁମକୁ ଧନ୍ୟବାଦ ଦେବ, ଅଥବା ଅନଧିକାର ଚର୍ଚ୍ଚା କରୁଥିବାରୁ ବିରକ୍ତି ପ୍ରକାଶ କରିବ । ଶେଷକୁ ସେ ଚୁପଚାପ୍ ବିଛଣାରେ ଶୋଇ ରହି ବହି ପଢ଼ିବାରେ ଲାଗିଲା କୁସୁମ ଘର ସଜଡ଼ା ସଜଡ଼ି କରି, ଚାକରକୁ ତାଗିଦା କରି ବିଦାୟ ନେଇ ଚାଲିଯିବା ପର୍ଯ୍ୟନ୍ତ । କୁସୁମ ଏମିତି ମଝିରେ ମଝିରେ ଆସୁଥିଲା, ଯଦିଓ ଦେବନାଥ ତା ସହିତ ଅତି ଅଳ୍ପ କଥାବାର୍ତ୍ତା କରୁଥିଲା ଓ ନିଜ ଆଡୁ ତା ପ୍ରତି କୌଣସି ଆଗ୍ରହ ଦେଖାଉ ନଥିଲା । ଯୋଉ ଦିନ ଦେବନାଥର ଦେହ ଖରାପ ଥିଲା, କୁସୁମ ଅଫିସରୁ ଛୁଟି ନେଇ ପୂରାଦିନ ତା ଘରେ ରହିଗଲା ଓ ତାର ଦେଖାରଖା କଲା । ଏଇ ସବୁ ଆତିଶଯ୍ୟ ଦେବନାଥ ମାନି ନେଉଥିଲା, କିନ୍ତୁ ସଂଧ୍ୟାବେଳେ ଯେତେବେଳେ କୁସୁମ କହିଲା ଯେ ସେ ରାତିରେ ରହିଯିବ, ଦେବନାଥ ତାକୁ ରୋକଠୋକ ମନା କରିଦେଲା । ଯିବା ପୂର୍ବରୁ କିନ୍ତୁ କୁସୁମ ବ୍ୟବସ୍ଥା କରି ଦେଇ ଗଲା ଯେ ଚାକର ପିଲା ରାତିରେ ଦେବନାଥ ପାଖରେ ରହିବ । ।

 ପଛ କଥା ଭାବିଲେ ଦେବନାଥର ମନେ ହୁଏ ସେ ଜୀବନ ବି କିଛି ମନ୍ଦ ନ ଥିଲା । ଆଜିକାଲି ଆଉ ଅଫିସ ନ ଥିଲା । ଗାଁରୁ ଡାଲି ଚାଉଳ ଆସୁଥିଲା । ଜଣିକିଆ ଘର ଚଳାଇବାର ଜଂଜାଳ ବି ଖୁବ ବେଶି ନ ଥିଲା । ମାସକୁ ମାସ ଯେଉଁ ପେନସନ ଟଙ୍କା ମିଳୁଥିଲା, ସେଇଥିରେ ତାର ପିଇବା ସମେତ ମୋଟାମୋଟି ଖର୍ଚ୍ଚ ଚଳି ଯାଉଥିଲା । ମଝିରେ ମଝିରେ ସେ ଖଣ୍ତେ ଅଧେ ଗୀତ ବି ଲେଖି ଦେଉଥିଲା, ତାର ନିଜର ପସନ୍ଦ ହେଉ କି ନ ହେଉ ପଛେ । ଆଜିକାଲି ଗୀତର ବରାଦ ପାଇଲେ ସେ ଆଉ ବାଛବିଚାର କରୁ ନ ଥିଲା କି ପ୍ରକାରର ଗୀତ, ସେଥିରେ ଶାଳୀନତା ରହିବ କି ନାହିଁ ଏବଂ ସେ ଗୀତ କେଉଁଭଳି ଭାବେ ବ୍ୟବହାର ହେବ । ତା ଛଡ଼ା ତାକୁ ସିନେମାର ସଂଳାପ ଲେଖିବାର କାମ ବି ମିଳି ଯାଉଥିଲା କେବେ କେବେ । ଦେବନାଥ ଜାଣୁଥିଲା ଯେ ସେ କବିତା ଲେଖି ପାରୁ ନ ଥିଲେ ବି ତାର କଲମରେ ଅନ୍ତତଃ ଏମିତି କିଛି ଅଛି ଯାହା ପାଇଁ ତାକୁ ଲୋକ ଲୋଡୁଛନ୍ତି ଏବଂ ମଝିରେ ମଝିରେ କାମ ମିଳି ଯାଉଛି ।

 ଏ ଭଳି ସହକ ଜୀବନ ଯାତ୍ରାରେ ପ୍ରଥମ ବିଘ୍ନ ଉପୁଜିଲା ଯେତେବେଳେ ଭଡ଼ାଘରର ମାଲିକ ତାକୁ ଘର ଛାଡ଼ିବା ପାଇଁ କହିଲା । ଚାକିରି ଆରମ୍ଭରୁ ଦେବନାଥ ଏଇ ଘରେ ରହୁଥିଲା ଏବଂ ସାମୟିକ ବଢ଼ିବା ସତ୍ତ୍ୱେ ଭଡ଼ା ଅତ୍ୟନ୍ତ କମ ଥିଲା । ବର୍ତ୍ତମାନ ଚାରିଆଡ଼େ ଭଡ଼ା ବଢ଼ି ଯାଇଥିଲା ଏବଂ ଦେବନାଥ ପକ୍ଷରେ ସମ୍ଭବ ନ ଥିଲା ଆଉ କୋଉଠି ଚଢ଼ା ଦରରେ ଘର ନେବ । ତା ବ୍ୟତୀତ ବିନା ଚାକିରି, ସମୟର କୌଣସି ଠିକ ଠିକଣା ନ ଥିବା ମଦ୍ୟପାୟୀକୁ ଘର ମିଳିବାର ସମ୍ଭାବନା କମ ଥିଲା । ପ୍ରଥମ ପ୍ରଥମ ସେ ଘରବାଲାର କଥାକୁ ଟାଳି ଦେଲା, କହିଲା ସେ ଅନ୍ୟ ଜାଗାରେ ଘର ଖୋଜୁଛି ; ମିଳିଲେ ତା ଘର ଛାଡ଼ି

ଦେବ । ଅବଶ୍ୟ ସେ ଅନ୍ୟ ଘର ଖୋଜିବା ପାଇଁ କୌଣସି ଚେଷ୍ଟା କଲା ନାହିଁ ଏବଂ ଏଣେ ଘର ମାଲିକଙ୍କର ତାଗିଦା ବଢ଼ି ଚାଲିଲା । ଏଇଭଳି ସାମାନ୍ୟ ଚିନ୍ତାରେ ପଡ଼ିଥିବା ଅବସ୍ଥାରେ ସୌଭାଗ୍ୟକୁ ଗାଁରେ ରହୁଥ‌ିବା ଦେବନାଥର ବୁଢ଼ା ବାପା ହଠାତ ମରିଗଲେ ।

 ଦେବନାଥ ଥିଲା ବାପା ମା’ଙ୍କର ବଡ଼ପୁଅ । ତାର ଭାଇ ଭଉଣୀ ତାକୁ ସମ୍ମାନ କରୁଥିଲେ ଏବଂ ଯେତେବେଳେ କବି ଓ ଗୀତିକାର ଭାବରେ ତାର ଖ୍ୟାତି ହେଲା, ତା ସହିତ ଆହୁରି ବେଶି ସଂପର୍କ ରଖିବାରେ ଲାଗିଲେ । ପରବର୍ତ୍ତୀ ସମୟରେ ଅବଶ୍ୟ ଦେବନାଥର ନିମ୍ନଗାମୀ ଅବସ୍ଥାରେ ସେମାନେ ଆସ୍ତେ ଆସ୍ତେ ନିଜକୁ ଦୂରେଇ ରଖିଲେ ଏବଂ ଆଜିକାଲି ସେମାନଙ୍କର ସଂପର୍କ ଥଲା ମଝିରେ ମଝିରେ ଖଣ୍ଡେ ଅଧେ ଚିଠି ଓ ବିବାହ ଭଳି ଅନୁଷ୍ଠାନର ନିମନ୍ତ୍ରଣ । ନିଜର ଅବସ୍ଥାକୁ ଦେଖି ଦେବନାଥ ଆଉ ସେମାନଙ୍କ ଘରକୁ ବା ବିବାହ ଉତ୍ସବ ଇତ୍ୟାଦିକୁ ଯାଉ ନ ଥିଲା, ଏବଂ ସେମାନେ ମଧ୍ୟ ଏ ବିଷୟରେ ଖୁସି ଥିଲେ । ବାପାଙ୍କ ମରିବା ପରେ ଭିନ୍ନ ଭିନ୍ନ ଜାଗାରୁ ଆସି ଭାଇମାନେ ଗାଁରେ ଏକାଠି ହେଲେ ଏବଂ ପ୍ରସ୍ତାବ ଦେଲେ ଯେ ଦେବନାଥ ଗାଁକୁ ଫେରି ଆସୁ ଓ ଜମିବାଡ଼ି ସମ୍ଭାଳୁ ।

 କୁସୁମ ଥିଲା ଦେବନାଥର ଅନ୍ୟତମ ସମସ୍ୟା । ଯଦିଓ ସେ ନିଜ ଆଡ଼ୁ ତାକୁ କେବେ କିଛି ସ୍ନେହ ସୋହାଗର କଥା କହି ନଥିଲା, କୁସୁମ ତାକୁ କିପରି ଆପଣାର କରି ନେଇଥିଲା । କୁସୁମ ଭଲ ପ୍ରକୃତିର ଥିଲା, ତାର ଯତ୍ନ କରୁଥିଲା, ଏବଂ ଦେବନାଥର ସାଙ୍ଗମାନେ ତାକୁ, ଥଟ୍ଟାରେ ନୁହେଁ ଗମ୍ଭୀରତାର ସହିତ, କହୁଥଲେ ଝିଅଟିକୁ ବାହା ହୋଇ ଯିବା ପାଇଁ । ହସରେ ଉଡ଼ାଇ ଦେଉଥିଲା ଦେବନାଥ ସେମାନଙ୍କର କଥା । ଏ ବୟସରେ, ଏବଂ ତାର ଏ ଭଳି ଅବସ୍ଥାରେ, ସେ ପୁଣି ବାହା ହବ । କୁସୁମ ତାକୁ ଏ ବିଷୟରେ କେବେ କହି ନଥିଲା, ଏପରି କୌଣସି ସୂଚନା ବି ଦେଇ ନ ଥିଲା । କେବଳ ତାକୁ ଆଦର କରିବା, ତା କଥା ବୁଝିବା ହିଁ କୁସୁମର ଧର୍ମ ଥିଲା, କୌଣସି ପ୍ରତିଦାନର ଅଭିଳାଷ ବିନା । ଦେବନାଥକୁ ଭଲ ଲାଗୁଥିଲା ଝିଅଟି, କିନ୍ତୁ ସେ କେବେହେଲେ ଆଉ କିଛି ବେଶି ଭାବୁ ନଥିଲା । ଯେତେବେଳେ ଦିନେ କୁସୁମ ବାହା ହୋଇ ସହର ଛାଡ଼ି ଚାଲିଗଲା, ଦେବନାଥ କିଛି ଦିନ ଉଦାସ ରହିଲା । ମନେ ମନେ କହିଲା, ଭଲ ହେଲା ; ସୁଖରେ ରହ କୁସୁମ ।

 ଗାଁକୁ ଫେରିଯିବାର ନିଷ୍ପତ୍ତି ନେବା ପରେ ନିଜକୁ ଆହୁରି ହାଲୁକା ବୋଧ କଲା ଦେବନାଥ । ସ୍କୁଲ ଦିନରୁ ଏ ପର୍ଯ୍ୟନ୍ତ ତାର ପୁରା ଜୀବନ କାଟିଥିଲା ସହରରେ । ତେବେ ତାର ଜୀବନର କେତେ ଭାଗ ସଂପୃକ୍ତ ଥିଲା ଏଇ ସହର ସହିତ ? ସେ ସହରର ଗୋଟିଏ ନିର୍ଦ୍ଦିଷ୍ଟ ଅଂଚଳରେ ନିର୍ଦ୍ଦିଷ୍ଟ ସାଙ୍ଗମାନଙ୍କ ସହିତ ଛୋଟ ପରିଧିର ଜୀବନ ଜୀଉଁଥିଲା । ଏଥର ଗାଁର ଖୋଲା ପରିବେଶକୁ ଚାଲିଯିବ ସେ । ଗାଁ କଥା ଭାବିଲେ ମନକୁ ଆସୁଥିଲା

ଏକ ସହଜ ସରଳ ସବୁଜ ସୁନ୍ଦର ନିଷ୍କପଟ ଜୀବନ ଯାପନର ଚିତ୍ର । କବିତାର ଗାଁ । ଛୋଟ ମୋର ଗାଁଟି ଓ ରୂପସୀ ବାଂଲା । କିନ୍ତୁ ସେଠାରେ ଯାଇ ଦେଖିଲା ଗାଁଟି ଆଦୌ ତାର କଳ୍ପନାର ଜନପଦ ଭଳି ନ ଥିଲା । ଖରାଦିନର ଗାଁ ଅତ୍ୟନ୍ତ ରୁକ୍ଷ ଓ ଶ୍ରୀହୀନ ଦେଖା ଯାଉଥିଲା, ବର୍ଷା ପରେ ହୋଇଗଲା ଆବିଳ ଓ ଅପରିଚ୍ଛନ୍ନ । ତା ସହିତ ଲୋକମାନଙ୍କର କଥାବାର୍ଭାର ମୂଳ ବିଷୟ ଥିଲା ଟଙ୍କା ପଇସା ଓ ଜମିବାଡ଼ି । ସେ କେତେ ଟଙ୍କା ରୋଜଗାର କରୁଛି, ଜମିରୁ କେତେ ଫସଲ ଆସୁଛି ଓ ସେ ମଲା ପରେ ଘରଟି କାହା ଭାଗକୁ ଯିବ ଇତ୍ୟାଦି ବିଷୟରେ ତାକୁ ବିସ୍ତୃତ ବିବରଣୀ ଦେବାକୁ ପଡ଼ୁଥିଲା ସମସ୍ତଙ୍କୁ । ସେଥପାଇଁ ସେ ଆସ୍ତେ ଆସ୍ତେ ଗାଁ ଲୋକଙ୍କ ଠାରୁ ସଂପର୍କ କାଟିଦେଲା । ତାର ପୃଥିବୀ ଆହୁରି ସୀମିତ ହୋଇଗଲା ହରି ମାଷ୍ଟରଙ୍କ ପରିବାର ଓ ମଦଭାଟି ଭିତରେ । ବାହାର ସହିତ ସଂପର୍କ ଥିଲା ବ୍ୟାଙ୍କକୁ ଯାଇ ପେନସନ ଟଙ୍କା ଆଣିବା ଓ କେବେ କେମିତି ଡାକରେ ମିଳୁଥିବା ଖଣ୍ଡେ ଅଧେ ଚିଠି ।

 ଗାଁ ଲୋକ ତାକୁ ମଝିରେ ମଝିରେ ପଚାରି ବ୍ୟସ୍ତ କରୁଥିଲେ ଟିଭିବାଲା ଆସି ଯୋଉ ଫଟୋ ଉଠାଇଥିଲେ, ସେ ସିନେମା କେବେ ଦେଖା ହେବ । ଦେବନାଥ ପାଖରେ ଏ କଥାର କୌଣସି ଉତ୍ତର ନ ଥିଲା । ଏଇ ସମୟରେ ସେ ସେଇ ପ୍ରାଧ୍ୟାପକ ପାଖରୁ ଚିଠିଟି ପାଇଲା: ପ୍ରିୟ କବି, ଦୁଃଖର ସହିତ ଜଣାଇବାକୁ ପଡୁଛି ଯେ ଆପଣଙ୍କ ଉପରେ ହେଉଥିବା ଯେଉଁ ବୃତ୍ତ ଚିତ୍ରଟି ସହିତ ମୁଁ ସଂପୃକ୍ତ ଥିଲି, ତାର ଅକାଳ ମୃତ୍ୟୁ ହୋଇଛି ବୋଲି କହିଲେ ବାହୁଲ୍ୟ ହେବ ନାହିଁ । ବର୍ଭମାନ ସେମାନେ ଯେଉଁ ଚିତ୍ରଟି କରିଛନ୍ତି, ସେଥିରେ ମୁଁ ଆପଣଙ୍କ ସହିତ କରିଥିବା ପ୍ରଶ୍ନୋତ୍ତର ସବୁକୁ କାଟି ଦିଆ ଯାଇଛି । ଆହୁରି କ୍ଷୋଭର ବିଷୟ ଏହି ଯେ ଚିତ୍ରଟିକୁ ସେମାନେ ସାହିତ୍ୟ ପତ୍ରିକା ବିଭାଗରେ ନ ଦେଖାଇ ସାମାଜିକ ବ୍ୟାଧି ବିଭାଗରେ ଦେଖାଇବାକୁ ଯାଉଛନ୍ତି । ସେଥିପାଇଁ ମୁଁ ଫିଲ୍ମ ନିର୍ମାତାଙ୍କ ସହିତ ଅସହଯୋଗ କରିବାକୁ ସ୍ଥିର କରିଛି । ମୁଁ ଭାବୁଛି ଆପଣଙ୍କ ପାଇଁ ମଧ୍ୟ ଉଚିତ ହେବ ସେମାନଙ୍କ ସହିତ କୌଣସି ସଂପର୍କ ନ ରଖିବା । ଆପଣ କିନ୍ତୁ ଲେଖିବା ଅବ୍ୟାହତ ରଖନ୍ତୁ ଏବଂ ସରସ୍ୱତୀ ଆପଣଙ୍କ ଉପରେ ପ୍ରସନ୍ନ ହୁଅନ୍ତୁ । କବିତା ଦୀର୍ଘଜୀବୀ ହେଉ ।

 ଦେବନାଥ ନିସ୍ପୃହ ଭାବରେ ପଢ଼ିଥିଲା ଚିଠିଟିକୁ ଯେପରି ସେ ପଢ଼ିଥିଲା ଅନେକ ଦିନ ତଳେ କୁସୁମର ଚିଠିଟିକୁ । କିଛି ଆଉ ଲାଭ ନାହିଁ ଜୀବନର କୌଣସି ସଂପର୍କ ବା କାର୍ଯ୍ୟକଳାପକୁ ଆଗକୁ ବଢ଼ାଇବା । ବାକି ଯେତିକି ଜୀବନ ବଳକା ଅଛି ସେଇ ଦୀର୍ଘ ବୋଧ ହେଉଥିବା ଜୀବନଟିକୁ କିପରି ବିନା ଶାରୀରିକ ମାନସିକ ଆର୍ଥିକ ସମସ୍ୟା ଓ ପୀଡ଼ା ବିନା କଟାଇବାକୁ ହେବ, ସେତିକି ଭାବିବାର କଥା । ଘର, ହରି ମାଷ୍ଟର, ମଦ ଦୋକାନର

ଛୋଟ ପୃଥିବୀ ଭିତରେ ବେଶ ରହିହେବ ଅବଶିଷ୍ଟ ସମୟ । ଏଇଟି ସମାଜ ବାହାରେ ଜୀବନ ; ତେବେ ତାର କବିର ଜୀବନ ବି ତ ଥିଲା ସମାଜ ବାହାରେ ହିଁ ।

 ଆକାଶରେ ଆଉ ଖରା ନାହିଁ । ଶୀତ ଦିନର ସଂଧ୍ୟା ଶୀଘ୍ର ନଇଁ ଆସୁଛି ଘାସ ଉପରକୁ । ଆଜି ସେ ଖାଇବାକୁ ଭୁଲିଗଲା । ହରି ମାଷ୍ଟରଙ୍କ ଘରେ ତାକୁ କିଛି ସମୟ ଅପେକ୍ଷା କରି ବୁଝିଥବେ ଯେ ସେ ଫେରିବ ନାହିଁ । ଖୁବ ଭଲ ଲୋକ ସେମାନେ । ଗାଁ ଲୋକ, ଏପରିକି ତାର ଭାଇମାନେ, ତାକୁ ହରି ମାଷ୍ଟରଙ୍କ ବିରୁଦ୍ଧରେ ପ୍ରଭାବିତ କରିବାକୁ ଚେଷ୍ଟା କରିଥାନ୍ତି । ମାଷ୍ଟରଙ୍କର କୁଆଡ଼େ ଦେବନାଥର ଘରବାଡ଼ି ଉପରେ ଆଖି । ଦେବନାଥ ସବୁ ଶୁଣେ ; ଚୁପ ରହେ । ସେ କାହିଁକି ବୁଝାଇବାର ଚେଷ୍ଟା କରିବ କେତେ ସ୍ନେହ ପାଇଛି ସେ ସେମାନଙ୍କ ପାଖରୁ, ଯାହା ପାଇଁ ସେ ସାରା ଜୀବନ ରଣୀ ରହିବ ? ଯେ ଯାହା ଭାବିବାର ଭାବନ୍ତୁ; ଯେ ଯାହା କହିବାର କହନ୍ତୁ । ତାର କୌଣସି ଅଭିଯୋଗ ନାହିଁ କେଉଁ ବିଷୟରେ, କାହା ବିରୁଦ୍ଧରେ । ସେ କବିର ନିସଙ୍ଗ ଏକାନ୍ତ ଜୀବନ ଚାହିଁଥିଲା, ପାଇଲା । ଜାଣି ଜାଣି ଆଉ ସବୁ ଛାଡ଼ି ଦେଲା ।

 କୁସୁମ ଲେଖିଥିଲା : ଆଜି ତମେ ଅନେକ ମନେ ପଡ଼ିବାରୁ ତମ ପାଖକୁ ଜୀବନର ପ୍ରଥମ ଚିଠିଟି ଲେଖୁଛି । ପୁଅ ବଡ଼ ହେବାରେ ଲାଗିଛି ଓ ମୋର ଘର ସଂସାର ଠିକରେ ଚାଲିଛି । ତେବେ ଅନେକ ସମୟରେ ତମ କଥା ମନେ ପଡ଼େ । ଆଉ ଜାଣ, ତମେ ଯଦି ମତେ କେବେ କହିବ ମୋ ପାଖକୁ ଚାଲି ଆ ବୋଲି, ମୁଁ ସେଇ ମୁହୂର୍ଭରେ ସବୁ କିଛି ଛାଡ଼ି ଦେଇ ତମ ପାଖକୁ ଫେରି ଆସିବି ।

 ଦେବନାଥ ଯିବାପାଇଁ ଉଠି ଠିଆ ହେଲା । ମଦ ଦୋକାନର ବେଡ଼ା ବାହାରେ ଚିହ୍ନ ରିକଶା ଦେଖା ଯାଉଛି । ସେ ଘରକୁ ଫେରିଯିବ ଏଥର । ତା ପାଖରେ ଆଉ ଗୀତ ନାହିଁ କବିତା ନାହିଁ , ଶବ୍ଦ ନାହିଁ ସୁର ନାହିଁ । କାହିଁ କେଉଁଠି କେତେ ପଛରେ ରହିଗଲେ ସମସ୍ତେ । ତେବେ ନିଜପାଇଁ ସେ କବିତାର ଯେଉଁ ସ୍ୱତନ୍ତ୍ର ପୃଥିବୀଟିକୁ ତିଆରି କରିଥିଲା କେଉଁ ସମୟରେ, ସେଇଟି ତା ପାଖରେ ରହି ଯାଇଛି । ଏବଂ ସେଇ ପରିମିତ ପରିସର ଭିତରେ ସେ ଜାଣେ ସେ ସ୍ୱଚ୍ଛନ୍ଦରେ କାଟିଦେବ ଜୀବନର ବାକି ସବୁ ଦିନ ।

ପୃଷ୍ଠା:Indradhanu, Akhi O Kabitar Dirgha JIban.pdf/୯୨