ଏଡ଼େ ନିର୍ଦ୍ଦୟା କାହିଁକି ସୁନାବରନା

ଉଇକିପାଠାଗାର‌ରୁ
Jump to navigation Jump to search
ଏଡ଼େ ନିର୍ଦ୍ଦୟା କାହିଁକି ସୁନାବରନା ଲେଖକ/କବି: ବନମାଳୀ ଦାସ
ଏଡ଼େ ନିର୍ଦ୍ଦୟା କାହିଁକି ସୁନାବରନା

ଏଡ଼େ ନିର୍ଦ୍ଦୟା କାହିଁକି ସୁନାବରନା

ଏଡ଼େ ନିର୍ଦ୍ଦୟା କାହିଁକି ସୁନାବରନା ।
ଆଉ ଜାଣି ଜାଣି ଛଳ କରନା । ଘୋଷା ।

ଦେଖିଲା ବେଳରୁ ତୋ ଚନ୍ଦ୍ରବଦନ,
ଘନ ଘନ ହୃଦ ଦହଇ ମଦନ,
କଲାଣି ତୋ ରୂପ ନୟନେ ସଦନ,
କଟାକ୍ଷ କଟାରୀ ବନ୍ଧୁ ଧରନା । ୧ ।

ସଖୀମେଳେ ଯେବେ ବସୁ ହସି ହସି,
ମଣଇଁ ସତେକି ତାରା ମଧ୍ୟେ ଶଶୀ,
ସେ ସୁଷମା ଭାଳି ନ ସରଇ ନିଶି,
ସୁଧା ଅଧରରେ ବିଷ ଭରନା । ୨ ।

ସୁଝୀନ ବସନେ ଫୁଟି ତୋ ଊରଜ,
ଭାଙ୍ଗିଦିଏ ଯୁବାମଣ୍ଡଳୀର ତେଜ,
ରସିକାରତନ ତୁ ନାଗରୀରାଜ,
ଆଶା ରତନଟି ମୋର ହରନା । ୩ ।

ବାନ୍ଧିଦେବି ଧନ ମନ ସୁଖେ ଜୂଡ଼ା,
ଖଞ୍ଜି ଚଉପାଶେ କେତକୀ ପାଖୁଡ଼ା,
ବନମାଳୀ ବୋଲେ ତୁମ୍ଭେ ଘରବୁଡ଼ା,
ଲବେ କୃପା ବହ ପ୍ରାଣେ ମାରନା । ୪ ।