ଓଡ଼ିଆ କାହିଁକି ଦରିଦ୍ର
ଦରିଦ୍ରତା ଓଡ଼ିଶା ଦୁର୍ଗତିର ପ୍ରଧାନ କାରଣ । ପ୍ରଧାନ କାରଣ କାହିଁକି, ଏକମାତ୍ର କାରଣ କହିଲେ ଚଳେ । ଓଡ଼ିଆ ଦରିଦ୍ର ; ତେଣୁ ଦୁର୍ବଳ । ତା ଦେହରେ ଶକ୍ତି ନାହିଁ, ମନରେ ସ୍ଫୁର୍ତ୍ତି ନାହିଁ, ହୃଦୟରେ ସାହସ ନାହିଁ । ତାର ସମସ୍ତଙ୍କୁ ଡର ; ସେ କାର୍ଯ୍ୟରେ ଅଳସୁଆ ଓ ନିରୁତ୍ସାହୀ । ଓଡ଼ିଆ ଯଥାର୍ଥରେ ନିର୍ବୁଦ୍ଧିଆ ନୁହେଁ । ଓଡ଼ିଆର ଶିଳ୍ପ ବିଚକ୍ଷଣତା ଅଦ୍ୟାପି ଜାଜ୍ଜଲ୍ୟମାନ । କୋଣାର୍କର ନବଗ୍ରହ ପଥର ଓଡ଼ିଆର ହାତ ଓ ବୁଦ୍ଧି ବଳରେ ଉପରକୁ ଉଠିଥିଲା । ତମଲୁକ ଓ ଚିଲିକା ବାଟେ ଓଡ଼ିଆ ଦେଶ ବିଦେଶରେ ଯାଇ ବାଣିଜ୍ୟ କରୁଥିଲା । ତାଜମହଲ ତିଆରିରେ ଓଡ଼ିଆ ଇଞ୍ଜିନିୟରଙ୍କର ବୁଦ୍ଧି ଖଟିଥିଲା । ସରୁ ସୂକ୍ଷ୍ମଲୁଗା ତିଆରି କରିବା ବିଷୟରେ ଓଡ଼ିଆର ବିଚକ୍ଷଣତା ଇତିହାସ ପ୍ରସିଦ୍ଧ । ଢାକା ମସଲିନ୍ ଠାରୁ ବଳି ତାରିଫ ଲୁଗା ଓଡ଼ିଆମାନେ ତିଆରି କରୁଥିଲେ । ଓଡ଼ିଆମାନେ ଆପଣା ସାହସ ଓ ବିକ୍ରମ ବଳରେ ମୁସଲମାନ ଆକ୍ରମଣକୁ ତିନିଶହ ବର୍ଷକାଳ ହଟାଇ ରଖିଥିଲେ । ଭାରତବର୍ଷର ଅନ୍ୟାନ୍ୟ ପ୍ରଦେଶ ତୁଳନାରେ ଓଡ଼ିଶା ସଭା ଶେଷରେ ମୁସଲମାନ ଶାସନ ତଳେ ଆସିଥିଲା । ଓଡ଼ିଶାର ଆଜି ଏସବୁ ସୌଭାଗ୍ୟ ଯାଇଛି । ଦାରିଦ୍ର୍ୟ ଦୋଷ ଗୁଣରାଶିନାଶୀ ଓଡ଼ିଆର ଏ ଉପସ୍ଥିତ ଦରିଦ୍ରତାର କାରଣ ଅନେକ । ଓଡ଼ିଶାର ଅଧିକାଂଶ ବଡ଼ ବଡ଼ ଜମିଦାରୀ ଓଡ଼ିଆଙ୍କ ହାତେ ନାହିଁ । ଇଂରେଜ ରାଜତ୍ୱ ଆରମ୍ଭରେ ସାମାନ୍ୟ ସାମାନ୍ୟ ରାଜସ୍ୱ ଦେଣାରେ ତାହାସବୁ ସୁଦୂର କଲିକତାରେ ଶାଗମାଛ ଦରରେ ନିଲାମ ହୋଇ ବଙ୍ଗାଳୀମାନଙ୍କ ହାତକୁ ଯାଇଛି । ବଡ଼ ବଡ଼ ଜମିଦାରୀ ଯାଇଥିଲା ; ଏବେ ପ୍ରଜାସ୍ୱତ୍ତ୍ୱ, ମକଦ୍ଦମୀ ଓ ସରବରାକାରୀ ସ୍ୱତ୍ତ୍ୱ ଓଡ଼ିଆଙ୍କ ହାତରୁ ଗଲାଣି । ବଙ୍ଗାଳୀ, ପଶ୍ଚିମା, ମାରୁଆଳୀ ଓ ବିଭିନ୍ନ ପ୍ରଦେଶର ମୁସଲମାନ୍ ମାନେ ଓଡ଼ିଶାରେ ସ୍ଥାନେ ସ୍ଥାନେ ଚାଷ ଓ ବଗିଚାଦି ଆରମ୍ଭ କଲେଣି । ଓଡ଼ିଶାର ମହାଜନୀ ମଧ୍ୟ ଏହିପରି ଅନ୍ୟ ପ୍ରଦେଶ ଲୋକଙ୍କ ହାତରେ । ବ୍ୟକ୍ତିଗତ ଭାବରେ ବା ଦଳବଦ୍ଧ ହୋଇ ବ୍ୟାଙ୍କ୍ ସୂତ୍ରରେ ଏମାନେ ଓଡ଼ିଆ ଜମିଦାର ଓ ଅନ୍ୟାନ୍ୟ ପ୍ରଜାମାନଙ୍କୁ କରଜ ଦେଇ ଶେଷରେ ସେମାନଙ୍କ ସ୍ୱତ୍ୱ ସମ୍ପତ୍ତି ନେଇଛନ୍ତି । ଓଡ଼ିଶାର କାରବାର ମଧ୍ୟ ପରଦେଶୀଙ୍କ ହାତରେ । ପ୍ରତିବର୍ଷ ଯେ ଲକ୍ଷ ଲକ୍ଷ ଟଙ୍କାର ଚାଉଳ ଆଦି ଶସ୍ୟ ଓଡ଼ିଶାରୁ ଅନ୍ୟଆଡେ ରପ୍ତାନି ହେଉଅଛି, ସେସବୁ କାରବାରରେ ଓଡ଼ିଆ କେତେଜଣ ଅଛନ୍ତି । କଚ୍ଛି, ଗୁଜରାଟୀ, ମାରୁଆଳୀ ଓ ମୁସଲମାନ ଏ ବ୍ୟବସାୟକୁ ଏକ ପ୍ରକାର ଏକଚାଟିଆ କରିଅଛନ୍ତି । ଓଡ଼ିଶାର ଅଧିକ ଭାଗ ଗଡ଼ଜାତ, ତାହାସବୁ ଜଙ୍ଗଲରେ ପୂର୍ଣ୍ଣ । କାଠ ଓଡ଼ିଶାର ଏକ ପ୍ରଧାନ କାରବାର ଜିନିଷ । ଏ ବ୍ୟବସାୟରେ ମଧ୍ୟ ପ୍ରାୟ କେହି ଓଡ଼ିଆ ନାହାନ୍ତି । ଓଡ଼ିଆ କାପେଡ଼ିଙ୍କ ଭାଗ୍ୟ ଅସ୍ତ ହୋଇଅଛି । ଆଗେ ଯେଉଁମାନେ ଲୁଗା ଦୋକାନ କରି ମସ୍ତ ଧନୀ ହୋଇଥିଲେ ଏବେ ତାଙ୍କ ପିଲା ମାଗି ଖାଇଲେଣି । ମାରୁଆଳୀମାନେ ସହରରେ ଓ ମଫସଲ ଗାଁରେ ବିଲାତି କଳଲୁଗାର ଚକଚକିଆ ଦୋକାନ ବସାଇଛନ୍ତି । ଓଡ଼ିଆ ସେଥିରେ ଅନଳରେ ପତଙ୍ଗ ପଡ଼ିଲା ପରି ପଡୁଛନ୍ତି । ଓଡ଼ିଶାର ଅନ୍ୟାନ୍ୟ ବନଜାତ ଦ୍ରବ୍ୟ ଅନ୍ୟ ପ୍ରଦେଶରେ ରପ୍ତାନି କରି ଲୋକେ ଲାଭବାନ ହେଉଛନ୍ତି । ବିଦେଶୀ ଜିନିଷ ଓଡ଼ିଶାକୁ ଆଣି ଏମାନେ ଓଡ଼ିଆଙ୍କ ଧନ ନେଉଛନ୍ତି । ରାସ୍ତାଘାଟ, ସେତୁ, କୋଠା ତିଆରିରେ ସରକାର ଓ ଅନ୍ୟାନ୍ୟମାନଙ୍କର ପ୍ରତିବର୍ଷ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି । ଏଥିରୁ ଅଧାଅଧି କାନତରାଟି ନିଅନ୍ତି । ଏଥିରେ ଯେ ଓଡ଼ିଆ ଅଛନ୍ତି ତାଙ୍କ ସଂଖ୍ୟା ଏତେ କମ୍ ଯେ ଥିବା ନଥିବା ସମାନ । ଶିଳ୍ପକ୍ଷେତ୍ରରେ ଅନ୍ୟ ପ୍ରଦେଶର ଲୋକେ ଆସି କ୍ରମେ ଓଡ଼ିଆଙ୍କୁ ବେଦଖଲ କଲେଣି । ଓଡ଼ିଆ ମୋଚ଼ି ପ୍ରାୟ ସହରରୁ ଲୋପ ପାଇଛନ୍ତି, ମଫସଲର କାଁ ଭାଁ କେଉଁଠାରେ ଓ ଗଡ଼ଜାତରେ କେତେକ ଯାଗାରେ ଦେଖାଯାନ୍ତି । ସହରରେ ସେମାନଙ୍କ ସ୍ଥାନ ତେଲେଙ୍ଗା ମୋଚ଼ିମାନେ ପୂରା ଅଧିକାର କଲେଣି । ଏହାଛଡ଼ା ବିଦେଶୀ ଆମଦାନୀ ଯୋତା ସେମାନଙ୍କ ନାଶର କାରଣ ହୋଇଛି । ଲୁଗାବୁଣାରେ ମଧ୍ୟ ଓଡ଼ିଆ ତନ୍ତୀ ହାତରୁ ଅନ୍ୟ ତନ୍ତୀ କାମ ଛଡ଼ାଇ ନେଲାଣି । ସବୁ କ୍ଷେତ୍ରରୁ ଓଡ଼ିଆ କ୍ରମେ ଏପରି ବେଦଖଲ ହୋଇ ପେଟ ପୋଷିବାକୁ ବିଦେଶକୁ ପଳାଉଛନ୍ତି । ମାତ୍ର ଏସବୁ କ୍ଷେତ୍ରରେ ଯେ ଓଡ଼ିଆ ବେଦଖଲ ହେଉଛନ୍ତି, ସେଥିପ୍ରତି କାହାରି ଦୃଷ୍ଟି ନାହିଁ । ଚାକିରି ଲାଗି ଶିକ୍ଷିତ ଓଡ଼ିଆ ଯୁବକ ବ୍ୟସ୍ତ । ସେ କ୍ଷେତ୍ରରେ ମଧ୍ୟ ଓଡ଼ିଆଙ୍କର ପୂରା ଦଖଲ ହୋଇନାହିଁ । ଓଡ଼ିଆମାନେ ଆଖି ଫିଟାଇ ଆପଣାର ଏ ଅବସ୍ଥା ଦେଖନ୍ତୁ । ଅନ୍ୟ ପ୍ରଦେଶ ଲୋକେ ଏ ପ୍ରଦେଶର ବ୍ୟବସାୟ ବାଣିଜ୍ୟ ଓ ଅନ୍ୟାନ୍ୟ କାରବାର କରିବା ତାଙ୍କ ଦୋଷ ନୁହେଁ । ଉଦଜୋଗୀ ପୁରୁଷ ଆଗରେ ସମସ୍ତ ସଂସାର ଉନ୍ମୁକ୍ତ । ଯେ ଯେଉଁଠାରେ ନିଜ ବୁଦ୍ଧିବଳ ଖଟାଇ କାର୍ଯ୍ୟ କରିପାରିଲେ ; ମାତ୍ର ନିଜ ଘରେ ଅନ୍ୟ ଲୋକେ ଆସି କାର୍ଯ୍ୟକରି ଧନୀ ଓ ଭାଗ୍ୟବାନ ହେବେ । ଓଡ଼ିଆ କାଙ୍ଗାଳ ହୋଇ କାନ୍ଦି କାନ୍ଦି ପେଟ ବିକଳରେ ଅନ୍ୟ ଦେଶକୁ ପଳାଇବେ । ଏହା କର୍ମଦୋଷ ଛଡ଼ା ଆଉ କଅଣ ? ଉତ୍କଳବାସୀ ନିଜର ଅବସ୍ଥା ଦେଖ, ଭାବ, ଅନ୍ୟମାନଙ୍କ ଉଦ୍ୟମରୁ ନିଜେ ଉଦ୍ୟମ କରି ଶିଖ ।