ଓଡ଼ିଆ ଭାଗବତ/୧୦
{meaning of = ଗୋ - ଗୋଷ୍ଠେ
ଦଶମ ସ୍କନ୍ଧ (ଗୋପଲୀଳା)
[ସମ୍ପାଦନା]ନାରାୟଣଂ ନମସ୍କୃତ୍ୟ ନରଂ ଚୈବ ନରୋତ୍ତମମ୍ ।
ଦେବୀଂ ସରସ୍ୱତୀଂ ବ୍ୟାସଂ ତତୋ ଜୟମୁଦୀରୟେତ୍ ।
ମୂକଂ କରୋତି ବାଚାଳଂ ପଙ୍ଗୁଂ ଲଙ୍ଘୟତେ ଗିରିମ୍ ।
ଯତ୍କୃପା ତମହଂ ବନ୍ଦେ ପରମାନନ୍ଦମାଧବମ୍ ॥
ନିଗମ କଳ୍ପତରୋର୍ଗଳିତଂ ଫଳଂ
ଶୁକମୁଖାଦମୃତଦ୍ରବସଂଯୁତମ୍ ।
ପିବତ ଭାଗବତଂ ରସମାଳୟଂ
ମୁହୁରହୋ ରସିକାଭୁବିଭାବୁକାଃ ।
ପ୍ରଥମ ଅଧ୍ୟାୟ
[ସମ୍ପାଦନା]ବନ୍ଦଇ ଦେବ ଲମ୍ବୋଦର । ପାଶ ଅଙ୍କୁଶ ବେନିକର ॥୧
ପୃଥୁଳ ଜଠର ସୁନ୍ଦର । ଗଜବଦନ ଗଣେଶ୍ୱର ॥୨
ଅନାଦି ନାଥର ନନ୍ଦନ । ଅମୃତପାନେ ତୋଷମନ ॥୩
ଯଜ୍ଞ ଆରମ୍ଭେ ତୋର ପୂଜା । ଉତ୍ତରୀ କଣ୍ଠେ ନାଗରାଜ ॥୪
ଶ୍ୟାମସୁନ୍ଦର ତନୁବର୍ଣ୍ଣ । ଅଶେଷ ବିଘ୍ନ-ବିନାଶନ ॥୫
ତୁମ୍ଭର ଜନକ ଜନନୀ । ଜଗତ ଜନକ ଜନନୀ ॥୬
ତୋର ମହିମା ମୁଖେକହି । କେ ପାରେ ନରଦେହ ବହି ॥୭
ହୁଅ ସଦୟ ଗଣନାଥ । କହିବି ଶ୍ରୀକୃଷ୍ଣ ଚରିତ ॥୮
ନମଇଁ ପ୍ରଭୁ ନରହରି । ହିରଣ୍ୟକଶିପୁ ବିଦାରି ॥୯
ଉଦିତ ରବି ଜିଣି ତେଜ । ସୁନ୍ଦର ଶୋହେ ଚତୁର୍ଭୁଜ ॥୧୦
କୁଣ୍ତଳ ଶଶୀ ଦିନକର । ନକ୍ଷତ୍ର ମାଳା ହୃଦେହାର ॥୧୧
ବ୍ରହ୍ମାଣ୍ତ ମାଳମାଳ ହୋଇ । ତୋ ଲୋମକୂପେ ଛନ୍ତି ରହି ॥୧୨
ଧର୍ମପାଳକ ତୁ ଜଗତେ । ଶରୀର ବହୁ ପ୍ରାଣୀ ହିତେ ॥୧୩
ଦୁଷ୍ଟ ନିବାରି ସନ୍ଥ ପାଳୁ । ତୁ ନାଥ ପରମ ଦୟାଳୁ ॥୧୪
କର ସୁଦୟା ନରହରି । ତୋ ଲୀଳା କହିବି ବିସ୍ତାରି ॥୧୫
ପରମ ମଙ୍ଗଳ ତୋ' ନାମ । ଖଣ୍ତେ ସକଳ ବିଘ୍ନମାନ ॥୧୬
ଏଣୁ ମୋହର ନାହିଁ ଭୟେ । ଯାହାର ନାମ ଯମଜୟେ ॥୧୭
ବ୍ୟାସକୁମର ପାଦ ଧରି । ବୋଲେ ପରୀକ୍ଷ-ଦଣ୍ତଧାରୀ ॥୧୮
- ପରୀକ୍ଷିତ ଉବାଚ
ଭୋମୁନି ହୋଇବା ସଦୟେ । ମୋ ଚିତ୍ତ ରହୁ କୃଷ୍ଣପାୟେ ॥୧୯
ପାଣ୍ତବ କୁଳେ ମୋର ଜନ୍ମ । ମୋହାର ବନ୍ଧୁ ଜନାର୍ଦ୍ଦନ ॥୨୦
ଦ୍ରୋଣ କୁମର ବାଣ-ତ୍ରାସେ । ମରିବି କହିଗଲେ ବ୍ୟାସେ ॥୨୧
ତା' ଶୁଣି ଜନନୀ ମୋହର । ଶରଣ ଗଲା ଚକ୍ରଧର ॥୨୨
ଗର୍ଭେ ପଡ଼ନ୍ତେ ଆସି ବାଣ । ମୋତେ ରଖିଲେ ନାରାୟଣ ॥୨୩
ତେଣୁ କୃଷ୍ଣ ଏ ଶରୀରର । କିଣିଲା ସେବକ ମୁଁ ତା'ର ॥୨୪
ତା'ର ଚରିତ କର୍ଣ୍ଣେ ଶୁଣି । ତରିବି ଭବ- ତରଙ୍ଗିଣୀ ॥୨୫
ଶ୍ରୀକୃଷ୍ଣ ଲୀଳାର ଚରିତ । ମୁଖ-ପଙ୍କଜୁଁ ତୋ'ର ଜାତ ॥୨୬
ଶ୍ରୁତି ଯୁଗଳେ ପାନ କରି । ହେଳେ ତରିବି ଭବ-ବାରି ॥୨୭
ପାଣ୍ତବେ ଯାହାର ବିଶ୍ୱାସୁ । ତରିଲେ କୁରୁବଳ-ତ୍ରାସୁ ॥୨୮
ବତ୍ସାଚରଣ-ଜଳ ତୁଲ୍ୟେ । ହେଳେ ତରିଲେ କୁରୁବଳେ ॥୨୯
ସେ ହରିଚରିତ ଗହନ । ଧ୍ୟାନେ ଭାବନ୍ତି ମୁନିଜନ ॥୩୦
ଭବସାଗର ପରମାଦ । ବିଷୟା ବିଷକୁ ଏ ଗଦ ॥୩୧
ଚଣ୍ତାଳୁ ବ୍ରହ୍ମଯାଏ ଲୋକ । କେ ଶୁଣି ହୋଇବ ବିମୁଖ ॥୩୨
ଅଶେଷ ଜନ୍ତୁ ଦେହ ବହି । ଯେ କାଳରୂପେ ଅଛି ରହି ॥୩୩
ମାୟା ମନୁଷ୍ୟ ରୂପେ ଜାତ । ସଂହାରି ପାଳଇ ଜଗତ ॥୩୪
ମୃତ୍ୟୁ ଅମୃତ୍ୟୁ ବେନି ଦେଇ । ନିତ୍ୟେ ନିର୍ମଳ ଯା'ର ଦେହୀ ॥୩୫
ନବମସ୍କନ୍ଧେ ମୁହିଁ ଶୁଣି । ସେ କଥା ମନେ ମନେ ଗୁଣି ॥୩୬
ବିଚାର କଲି ଭ୍ରମଚିତ୍ତ । ଭୋ ମୁନି କହିବା ତଦନ୍ତ ॥୩୭
ଶ୍ରୀଭାଗବତର ସିଦ୍ଧାନ୍ତ । ଅମୃତ ରସମୟ ଗୀତ ॥୩୮
ଧାର୍ମିକ କୁଳେ ଯଦୁବଂଶେ । ଜନ୍ମ ହୋଇଲେ ନିଜ ଅଂଶେ ॥୩୯
ନୀଳ ଧବଳ ରୂପ ଦୁଇ । ଦେବକୀ ଗର୍ଭେ ଜାତ ହୋଇ ॥୪୦
କେମନ୍ତେ ରୋହିଣୀର ସୁତ । ରାମକୁ ବୋଲନ୍ତି ଜଗତ ॥୪୧
ବେନି ଉଦରୁ ଏକ ଦେହ । ଭୋ ମୁନି ଫେଡ଼ିବା ସନ୍ଦେହ ॥୪୨
କେବଣ ହେତୁ ଭଗବାନ । ଗୁପତେ ଗଲେ ବୃନ୍ଦାବନ ॥୪୩
ଭକତ ତାରିବାର ଆଶେ । ରମିଲେ ବାଳକ ବିଶ୍ୱାସେ ॥୪୪
ପୁଣି କେତେହେଁ ଦିନେ ହରି । ମିଳିଲେ ମଥୁରା ନଗରୀ ॥୪୫
ଜଗତଜନଙ୍କର ଗୁରୁ । ଯା'ର ମହିମା ମହାମେରୁ ॥୪୬
କିମ୍ପା ଅନୀତି ଆଚରିଲେ । ସୋଦର ମଉଳା ମାଇଲେ ॥୪୭
ଏ କି ତାହାଙ୍କ ପରମାଣ । ଯାହାଙ୍କ ନାମ ନାରାୟଣ ॥୪୮
ମନୁଷ୍ୟ ରୂପେ ହୋଇ ଜନ୍ମ । କେତେ ବରଷ ଭୋଗକର୍ମ ॥୪୯
ଯାଦବ ସଙ୍ଗତେ ବିହରି । କେତେ କଳତ୍ର ଭୋଗକରି ॥୫୦
ଏ ଆଦି ଯେତେକ ଚରିତ । ଭୋ ମୁନି କହି ତୋଷ ଚିତ୍ତ ॥୫୧
ଦେଖ ମରଣକାଳ ମୋର । ଭୋ ମୁନି ତେଜିଲି ଆହାର ॥୫୨
ହରିଚରିତ ସୁଧା-ବାରି । ତୋର ବଦନୁଁ ପାନ କରି ॥୫୩
ଜଗତ ସଂହାରିଣୀ କ୍ଷୁଧା । ସେ ମୋତେ ନ କରଇ ବାଧା ॥୫୪
- ସୂତ ଉବାଚ
ଶୁଣି ରାଜାର ସାଧୁ କଥା । ମୁନି-ପଣ୍ତିତ ଶୁଦ୍ଧଚେତା ॥୫୫
କୃଷ୍ଣ ଚରଣେ ଦେଇ ଚିତ୍ତ । ବୋଲନ୍ତି ଶୁଣ ଭାଗବତ ॥୫୬
- ଶୁକ ଉବାଚ
ସାଧୁ ଚରିତ ତୋ'ର ବୁଦ୍ଧି । କୃଷ୍ଣଚରଣେ ଚିତ୍ତ ଖେଦି ॥୫୭
ଗୋବିନ୍ଦେ ତୋ'ର ମନ ଯେତେ । ମୁଁ କହି ପାରିବିକି ତୋତେ ॥୫୮
ଗୋବିନ୍ଦ କଥା ପରଶନ । ହେଳେ ତାରଇ ତିନିଜଣ ॥୫୯
ଶ୍ରୋତା ବକତା ଯେ ପଚାରି । ଏ ତିନିଜଣେ ଯା'ନ୍ତି ତରି ॥୬୦
ତା' ପାଦ ଗଙ୍ଗାଜଳ ଯେହ୍ନେ । ତାରଇ ସ୍ନାନ-ପିଣ୍ତଦାନେ ॥୬୧
ନାମ ମାତ୍ରକେ ପାପ ନାଶେ । ତାରଇ ସେ ତିନି ପୁରୁଷେ ॥୬୨
କହିବି କୃଷ୍ଣ ଲୀଳା ମାନ । ରାଜନ ହୁଅ ସାବଧାନ ॥୬୩
ଅସୁର ବଳ ପାଦଭରେ । ଭୂମି କମ୍ପିଲା ଥରହରେ ॥୬୪
ଭାରାରେ ଚଳି ନ ପାରଇ । ଅଧରୁ ରୁଧିର ଗଳଇ ॥୬୫
ଦିନକେ ବିଚାରଇ ବସି । କେ ମୋର ଶରୀର ଆଶ୍ୱାସି ॥୬୬
ଛାଡ଼ିବି ସଂସାର ଧାରଣ । ପଶିବି ବ୍ରହ୍ମାରେ ଶରଣ ॥୬୭
ମାୟା ସୁରଭି ରୂପ ହୋଇ । କାନ୍ଦଇ ଚଉଦିଗ ଚାହିଁ ॥୬୮
ବିଧାତା ନିକଟେ ମିଳିଲା । ନିଜ ବେଦନା ଜଣାଇଲା ॥୬୯
ବିଧାତା ଶୁଣି ତା' ବିକଳ । ସଙ୍ଗେ ଘେନିଲେ ଦେବଦଳ ॥୭୦
ଶଙ୍କର ଘେନି ସର୍ବେ ବେଗେ । ମିଳିଲେ କ୍ଷୀରସିନ୍ଧୁ ଲାଗେ ॥୭୧
ଜଳଧି କୂଳେ ଦେବଗଣ । ଡାକନ୍ତି ରଖ ନାରାୟଣ ॥୭୨
ଅନେକ ଧ୍ୟାନ ସ୍ତୁତି କଲେ । ହରି ସନ୍ଦେଶ ନ ପାଇଲେ ॥୭୩
ଅନେକ ମତେ କରି ଧ୍ୟାନ । ବ୍ରହ୍ମା ପାଇଲେ ମନେ ଛନ୍ନ ॥୭୪
ଅନନ୍ତ ନ ଦେଖି ବିଧାତା । ମନେ ପାଇଲେ ଗୁରୁ ଚିନ୍ତା ॥୭୫
ସମାଧି ବସିଲେ ତକ୍ଷଣ । ଚିନ୍ତି ଅନାଦି-ନାରାୟଣ ॥୭୬
ବ୍ରହ୍ମାର ଦେଖିଣ ବିକଳ । କରୁଣା କଲେ ଆଦିମୂଳ ॥୭୭
ନିଦ୍ରାର ବଳେ ମନେ ହରି । ସ୍ୱପନେ କହିଲେ ମୁରାରି ॥୭୮
ବ୍ରହ୍ମାଙ୍କୁ ଦିଶିଲା ସ୍ୱପନ । କହନ୍ତି ପ୍ରଭୁ ନାରାୟଣ ॥୭୯
ଶୁଣ ବଚନ ମୋର ଧାତା । ମୁଁ ଯେ ଜଗତ ପିତାମାତା ॥୮୦
ସକଳ ମୋହର ଭିଆଣ । କେବଳ ଦେଲି ପରମାଣ ॥୮୧
ମୋର ବଚନ ଶିରେ ଧରି । ତୁ ଅଛୁ ଜଗତ ଆବୋରି ॥୮୨
ବେଦ ବିଚାରି ସୃଷ୍ଟି ପାଳୁ । ଅବନୀ ଭାରେ କିମ୍ବା ଭାଳୁ ॥୮୩
ମୁଁ ତାହା ଜାଣଇଟି ସର୍ବ । ନାଶିବି ଅସୁରଙ୍କ ଗର୍ବ ॥୮୪
ଏବେ ସକଳ ଦେବେ ଯାଅ । ମର୍ତ୍ତ୍ୟମଣ୍ତଳେ ଜାତ ହୁଅ ॥୮୫
ଯାଦବ ଆଦି ସାତବଂଶ । କଂସକୁ ହୋଇବ ବିଶ୍ୱାସ ॥୮୬
ଗୋପୀ ଗୋପାଳ ରୂପ ହୋଇ । ଗୋପେ ଜନ୍ମିବ ଦେହ ବହି ॥୮୭
ମୁଁ ଜାତ ବାସୁଦେବ ଘରେ । ବଢ଼ିବି ଯାଇ ଗୋପପୁରେ ॥୮୮
ଷୋଳ ସହସ୍ର ଗୋପନାରୀ । ରମିବି ବୃନ୍ଦାବନେ ହେରି ॥୮୯
ଅନେକ ନାଶିବି ଅସୁର । ଖଣ୍ତିବି ଅବନୀର ଭାର ॥୯୦
ଭକତ ଜନଙ୍କୁ ତାରିବି । ପୁଣି ସ୍ୱଧାମେ ବାହୁଡ଼ିବି ॥୯୧
ଏବେ ହେ ଯାଅ ତୁ ସତ୍ୱର । କହିବୁ ଦେବଙ୍କ ଆଗର ॥୯୨
ବେଗେ ହୁଅନ୍ତୁ ମଞ୍ଚେ ଜନ୍ମ । କହି ହୋଇଲେ ଅନ୍ତର୍ଦ୍ଧାନ ॥୯୩
ସ୍ୱପନ ଚେତି ବେଦବର । କହିଲେ ଦେବଙ୍କ ଆଗର ॥୯୪
ଶୁଣି ସାନନ୍ଦ ଦେବଗଣେ । ନମିଲେ ଧାତାର ଚରଣେ ॥୯୫
ବୋଲନ୍ତି ଶୁଣ ବେଦବର । ଯାହା କହିଲେ ଚକ୍ରଧର ॥୯୬
ଅବନୀ ମଧ୍ୟେ ଦେହ ଧରି । ଗୋପେ ଯାଦବେ ଅବତରି ॥୯୭
ହୋଇବୁଁ ଏ ଆମ୍ଭର ସତ୍ୟ । କି କି କହିଲେ ଜଗନ୍ନାଥ ॥୯୮
ସେ କଥା କହ ପ୍ରଜାପତି । ଶୁଣି ନିର୍ମଳ ହେଉ ମତି ॥୯୯
- ବ୍ରହ୍ମାଉବାଚ
ବହ୍ମାବୋଇଲେ ଦେବେ ଶୁଣ । ଯାହା କହିଲେ ନାରାୟଣ ॥୧୦୦
ଯାଦବ ବସୁଦେବ ଘରେ । ଜନ୍ମିବେ ଦେବକୀ ଉଦରେ ॥୧୦୧
ହରିର କଳାରେ ଅନନ୍ତ । ଆଗେ ହୋଇବେ ଗର୍ଭଗତ ॥୧୦୨
ମାୟାର ଯୋଗ ବଳେ କରି । ଦେବକୀ ଗର୍ଭୁ ତାହା ହରି ॥୧୦୩
ରୋହିଣୀ ଗର୍ଭେ ତାହା ଥୋଇ । ଦାସ ବତ୍ସଳ ଭାବଗ୍ରାହୀ ॥୧୦୪
ଆପଣେ ପ୍ରଭୁ ଜଗନ୍ନାଥ । ଦେବକୀ ଗର୍ଭେ ହେବେ ଜାତ ॥୧୦୫
ଦୁର୍ଗାଙ୍କୁ ଯଶୋଦାର କୋଳେ । ଜାତ କରିବେ ଯୋଗ ବଳେ ॥୧୦୬
କୃଷ୍ଣଙ୍କୁ ବସୁଦେବ ନେଇ । ଆସିବ ନନ୍ଦ ଘରେ ଥୋଇ ॥୧୦୭
ଏମନ୍ତେ ତାରିବେ ସଂସାର । ଦାସ ବତ୍ସଳ ଦାମୋଦର ॥୧୦୮
ଶୁଣିଣ ବିଧାତା ବଚନ । ଦେବେ ଆନନ୍ଦ କଲେ ମନ ॥୧୦୯
ଚାହିଁଣ ଧରଣୀ ବଦନ । ବୋଇଲେ ଧନ୍ୟ ତୋ' ଜୀବନ ॥୧୧୦
ତୋ'ର ଉପରେ ଚକ୍ରଧାରୀ । ମନୁଷ୍ୟ ଦେହେ ଅବତରି ॥୧୧୧
ନାଶିବେ ତୋ'ର ଦୁଃଖରାଶି । ଆମ୍ଭେ ଦେଖିବୁ ବ୍ରହ୍ମରାଶି ॥୧୧୨
ଭୂମି ଆଶ୍ୱାସୀ ଦେବଗଣ । ଗଲେ ସେ ଯେ ଯାହା ଭୁବନ ॥୧୧୩
ଏବେ ହୋ ଶୁଣ ମହୀପତି । ଯେମନ୍ତ କଲେ ଶିରୀପତି ॥୧୧୪
ହରିଚରଣେ ଦେଇ ଚିତ୍ତ । କହଇ ଦାସ ଜଗନ୍ନାଥ ॥୧୧୫
ଇତି ଶ୍ରୀମଦ୍ଭଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ଶ୍ରୀକୃଷ୍ଣ ଅବତାର ଉପକ୍ରମେ ପ୍ରଥମୋଽଧ୍ୟାୟଃ
ଦ୍ୱିତୀୟ ଅଧ୍ୟାୟ
[ସମ୍ପାଦନା]- ଶୁକ ଉବାଚ
ବନ୍ଦଇ ନୃସିଂହ ଚରଣ । କହିବି ବିଷ୍ଣୁର ପୁରାଣ ॥୧
ଶୁକ ବୋଲନ୍ତି ଶୁଣ ରାୟେ । ମଞ୍ଚେ ଜନ୍ମିଲେ ଦେବତାୟେ ॥୨
ଭୋଜବଂଶରେ ଉତ୍ପନ୍ନ । ପ୍ରତାପୀ ରାଜା ଶୁରସେନ ॥୩
ପୂର୍ବେ ମଥୁରା ପୁରେ ଥିଲା । ଅନେକ ନୃପତି ଜିଣିଲା ॥୪
ତେଣୁ କଟକ ମଧୁ ପୁରୀ । ଯହିଁ ବିଜୟ ନରହରି ॥୫
ସେ ରାଜା ଗୋବିନ୍ଦ ଭକତ । ତାହାର ଉଗ୍ରସେନ୍ ସୁତ ॥୬
ଦେବକ ନାମେ ତା'ର ଭ୍ରାତ । ଦେବକୀ ତାହାର ଦୁହିତ ॥୭
ରୂପେ କମଳା ନୋହେ ସରି । ସେ କନ୍ୟା ବସୁଦେବ ବରି ॥୮
ମାୟା ଭିଆଣ ପଦ୍ମନାଭ । କରନ୍ତି ବିବାହ ଉବ ॥୯
ବିଭା କରାଇ କନ୍ୟାବର । ଯାବତ ମଙ୍ଗଳ ବେଭାର ॥୧୦
ଜନବେଭାରେ ସେ ଦେବକ । ଅନେକ ଦେଲା ଯଉତୁକ ॥୧୧
ଚତୁରଶତ ହସ୍ତୀ ଦେଲା । କଣ୍ଠେ ଲମ୍ବାଇ ରତ୍ନମାଳା ॥୧୨
ଅଠରଶତ ରଥ ଯୁତେ । ଅଶ୍ୱ ସେ ଦେଲା ସେହି ମତେ ॥୧୩
ବେନି ଶତେକ ପରିବାରୀ । ଦେଲା ସେ ଅଳଙ୍କାର ଭରି ॥୧୪
ବାଜଇ ଭେରୀ ତୁରୀ ବାଦ୍ୟ । କେ କହୁ ବିଭାର ଆନନ୍ଦ ॥୧୫
ରଥେ ବସାଇ କନ୍ୟାବର । ନବରୁ ହୋଇଲେ ବାହାର ॥୧୬
କୁସୁମ ବରଷନ୍ତି ଘେନି । ମଙ୍ଗଳ କଲେ ଦେବ ଧ୍ୱନୀ ॥୧୭
ଉଗ୍ରସେନର କଂସ ସୂତ । ଦେଖିଣ ହୋଇଲା ଉଷତ ॥୧୮
ଯାହାର ନାମେ ଦେବେ ଡ଼ରି । ଚାଲନ୍ତି କମ୍ପେ ବସୁନ୍ଧରୀ ॥୧୯
ଶୁଦ୍ଧସୁବର୍ଣ୍ଣ ରଥେ ବସି । ରାଜାଏ କଂସକୁ ପ୍ରଶଂସି ॥୨୦
ଭଗିନୀ ପ୍ରିୟ ବନ୍ଧୁପଣେ । ରଥରେ ବସିଲା ଆପଣେ ॥୨୧
ଅଶ୍ୱ ଦଉଡ଼ି ଧରିକରେ । ରଥ ବାହିଲା ଧୀରେ ଧୀରେ ॥୨୨
ଥୋକାଏ ଦୂର ରଥଗଲା । ଆକାଶୁ ଶବଦ ଶୁଭିଲା ॥୨୩
ତା' ଶୁଣି ଚାହିଁଲା ଗଗନେ । ଶବଦ ଶୁଭୁଅଛି ଶୂନ୍ୟେ ॥୨୪
ରେରେ ଅସୁର କଂସ ଶୁଣ । ନଜାଣୁ ଆପଣା ମରଣ ॥୨୫
ଯାହାର ବାହୁ ଅଛୁ ରଥ । ତୋତେ ମାରିବେ ତା'ର ସୁତ ॥୨୬
ଅଷ୍ଟମ ଗର୍ଭେ ଅବତରି । ମହୀ ରଖିବେ ତୋତେ ମାରି ॥୨୭
ଶୁଣି ଅନ୍ତରୀକ୍ଷ ବଚନ । ରଥରୁ ଓହ୍ଲାଇ ବହନ ॥୨୮
କରେ ଉଞ୍ଚାଇ କରବାଳ । ଧଇଲା ଦେବକୀର ଚୂଳ ॥୨୯
ବୋଲଇ ଭଲ ଏ ବିଚାର । କୁମାରୀ କାଳୁ ୟାକୁ ମାର ॥୩୦
ମୂଳୁଁ ମାରିଲେ ଯିବ ସରି । ଦେବଙ୍କ ସଙ୍ଗେ କିମ୍ପା କଳି ॥୩୧
ଅଧର ଚାପି ରୋଷେ ଚାହେଁ । କମ୍ପଇ ଦେବକୀର କାୟେ ॥୩୨
କଂସକୁ ବସୁଦେବ ଚାହିଁ । ଭୟେ ଚିନ୍ତଇ ଭାବଗ୍ରାହୀ ॥୩୩
କଂସର ଭୁଜ କରେ ଧରି । ବୋଲଇ ଶୁଣ ଦଣ୍ତଧାରୀ ॥୩୪
ତୁ ଅଟୁ ମହତ ପୁରୁଷ । ସଂସାରେ ଅଛି ତୋ'ର ଯଶ ॥୩୫
ଧାର୍ମିକ ବୋଲନ୍ତି ସକଳେ । ଦେବକୀ ମାରୁ କିମ୍ପା ବଳେ ॥୩୬
ବିଭାର କାଳେ ଏଡ଼େ କର୍ମ । କେମନ୍ତେ ସହିବଟି ଧର୍ମ ॥୩୭
ଦେହର ସଙ୍ଗେ ମୃତ୍ୟୁ ଜାତ । ନାହିଁ ଏହାର ଆଦିଅନ୍ତ ॥୩୮
ବାଳକ ସ୍ଥବିର ତରୁଣ । ଅବଶ୍ୟ ଲଭିବେ ମରଣ ॥୩୯
ଦେହ ବହିଲେ ନିଶ୍ଚେ ମରି । ମରଣ ଛାରେ କିମ୍ପା ଡରି ॥୪୦
ଏ ଜୀବ ମରଣ ନିକଟେ । ବେଗେ ଚିନ୍ତଇ ଅନ୍ୟଘଟେ ॥୪୧
ଏହାର କଲା କର୍ମମାନ । ତେଣୁ ହୁଅନ୍ତି ସାବଧାନ ॥୪୨
କର୍ମର ବଶ ହୋଏ ଜନ୍ତୁ । ଜନ୍ମ ମରଣ କର୍ମ ହେତୁ ॥୪୩
ଜୋକ ଯେ ଏକଇ ଚରଣେ । ଯେସନେ ସଞ୍ଚରଇ ତୃଣେ ॥୪୪
ଜୀବ ଯେ କର୍ମେ ସଞ୍ଚରଇ । ଜନ୍ମ ମରଣ ନାମ ବହି ॥୪୫
ନିଦ୍ରାରେ ଯେସନେ ସ୍ୱପନ । ଦେଖିଣ ପାସୋରଇ ମନ ॥୪୬
ଦେହରେ ଥାଇ ଯେତେ କରି । ଜୀବ ଛାଡ଼ିଲେ ତା' ପାଶୋରି ॥୪୭
କରଇ ପରଲୋକ ଭୋଗ । ପୁଣ ହିଁ ରଜ ବୀର୍ଯ୍ୟ ଯୋଗ ॥୪୮
ଜନ୍ମିଣ ପାଶୋରଇ ତାହା । ଏମନ୍ତ ଅନାଦିର ମାୟା ॥୪୯
ଏକଇ ପୁରୁଷ ମୁରାରି । ସକଳଘଟେ ଛନ୍ତି ପୂରି ॥୫୦
ଶତେକ ଜଳଘଟ ଥୋଇ । ଚାହିଁଲେ ଆକାଶ ଦିଶଇ ॥୫୧
ପୁଣି ହିଁ କଲେ ଏକଗୋଟି । ତହିଁ ଆକାଶ ଥାଏ ଘୋଟି ॥୫୨
ଆକାଶ ନୁହଁଇଟି ଭିନ୍ନ । ନାଶ ହୁଅନ୍ତି ଘଟମାନ ॥୫୩
ଏମନ୍ତ ଆତ୍ମାର ବିବେକ । ଏହା ଜାଣନ୍ତି ଜ୍ଞାନୀ ଲୋକ ॥୫୪
ତୁ ଅଟୁ ମହତ ପୁରୁଷ । କିମ୍ପା ବହେଣୀ କରୁ ନାଶ ॥୫୫
ଜୀବ ମାରନ୍ତି ଆତ୍ମା ସୁଖେ । ଅନ୍ତେ ହେଁ ପଡ଼ନ୍ତି ନରକେ ॥୫୬
ଏ ସାନ ବହେଣୀ ତୋହର । ଏହାକୁ ରକ୍ଷାକର ବୀର ॥୫୭
ଶୁକ ବୋଲନ୍ତି ଶୁଣ ରାୟେ । ଅସୁର ସ୍ୱଭାବେ ନିର୍ଦ୍ଦୟେ ॥୫୮
ଧର୍ମବଚନ ନ ଶୁଣଇ । ବିଶେଷେ ତା'ର ଜ୍ଞାନ ନାହିଁ ॥୫୯
ଭିଣୋଇ ବୋଲ ନ ଶୁଣିଲା । ପୁଣି ହିଁ ହାଣିବି ବୋଇଲା ॥୬୦
ଦେଖି ବସୁଦେବ ବିଚାରି । କାନ୍ଦିଣ ସୁମରେ ମୁରାରି ॥୬୧
ପୁଣି ବିଚାରୁଅଛି ମନେ । ଦେବକୀ ରଖିବି କେସନେ ॥୬୨
କେ ସହୁ ଏହାର ବିକଳ । ରଖିବି ଲାଭ ଦେଇ ମୂଳ ॥୬୩
କିବା ନୋହୁଣୁ ମୋର ସୁତ । କଂସ ହୋଇବ ପ୍ରାଣେ ହତ ॥୬୪
କିବା ନୋହିବ ମୋର ପୁଅ । ଜାଣନ୍ତି ପ୍ରଭୁ ଦେବରାୟ ॥୬୫
ଏମନ୍ତେ ମନେ ବିଚାରିଲା । କଂସର ମୁଖକୁ ଚାହିଁଲା ॥୬୬
ବୋଲନ୍ତି ଶୁଣ ବୀର କଂସ । ଛାଡ଼ ତୁ ବହେଣୀର କେଶ ॥୬୭
ଏହାର ସୁତ ତୋତେ ମାରି । ଏ ତୋ'ର ନୁହଁଇ ବଇରୀ ॥୬୮
ଏ ଯେତେ ଶିଶୁ ପ୍ରସବିବ । ତୋ'ର ନିକଟେ ଦେବି ସର୍ବ ॥୬୯
ତୁ ଅଟୁ ପୁରୁଷ ମହତ । ଏ ମୋ'ର ତିନିବାର ସତ୍ୟ ॥୭୦
ଶୁଣନ୍ତୁ ଦଶଦିଗ ଲୋକେ । ଏଠାରେ ଅଛନ୍ତି ଯେ ଥୋକେ ॥୭୧
ଏକଥା ମୋହର ପ୍ରମାଣ । ଏଥକୁ ସାକ୍ଷୀ ନାରାୟଣ ॥୭୨
ବସୁଦେବର ବୋଲ ଶୁଣି । କଂସ ହିଁ ମନେମନେ ଗୁଣି ॥୭୩
ବିଚାରି ମଣିଲା ବିଶ୍ୱାସ । ଛାଡ଼ିଲା ଦେବକୀର କେଶ ॥୭୪
ଆନନ୍ଦ ହୋଇ ସର୍ବଜନେ । ଗଲେ ସେ ଯେ ଯାହା ଭୁବନେ ॥୭୫
କେତେହେଁ ଦିନ ତହିଁ ଗଲା । ଦେବକୀ ଗର୍ଭ ଉପୁଜିଲା ॥୭୬
ବରଷ ବରଷକେ ସୁତ । ହୋଇଲା ଏକଇ ଦୁହିତ ॥୭୭
ପ୍ରଥମେ ହୋଇଲା ତନୟେ । ରୂପେ ମୋହିଲା କାମ ପ୍ରାୟେ ॥୭୮
ସୁତକୁ ଦେଖି ବସୁଦେବ । ବିକଳେ ଚିନ୍ତଇ ମାଧବ ॥୭୯
ଏ ସୁତ ଦେବଇଁ କେମନ୍ତେ । ସତ୍ୟ ଯେ କରିଛି ଯୁକତେ ॥୮୦
ଦେବକୀ ମୁଖକୁ ଚାହିଁଲା । ହା କୃଷ୍ଣ ବୋଲି ଡାକ ଦେଲା ॥୮୧
କୋଳରେ ଘେନିଲା ତନୟ । ହୋଇଲା ହରଷ ବିସ୍ମୟ ॥୮୨
କଂସର ସଭାରେ ମିଳିଲା । ବାଳକ ତଳେ ଶୁଆଇଲା ॥୮୩
ଦେଖି ଚକିତ ସଭାଜନେ । କଂସ ବିଚାରୁଅଛି ମନେ ॥୮୪
ଏତ ନୋହଇ ମୋ' ବଇରୀ । ଅଷ୍ଟମଗର୍ଭ ମୋତେ ମାରି ॥୮୫
ଏହାର ମଣିଲି ମୁଁ ସତ୍ୟ । ନେଉ ଏହାର ନିଜ ସୁତ ॥୮୬
ହସିଣ ବସୁଦେବ ଚାହିଁ । କହଇ ବିଶ୍ୱାସ କରାଇ ॥୮୭
ତୋହରେ ମଣିଲି ମୁଁ ସତ୍ୟ । ନିଅ ତୋହର ନିଜ ସୁତ ॥୮୮
ଶୁଣି ବସୁଦେବ ଚକିତେ । କଂସକୁ ନ ଯାଇ ପରତେ ॥୮୯
କ୍ଷଣକେ ରହିଣ ବିଚାରି । ପୁଣି କୁମର କୋଳେ ଧରି ॥୯୦
ବାଟରେ କରଇ ବିଚାର । ଦୁଷ୍ଟ ଦାନବ ଦୁରାଚାର ॥୯୧
ଏବେ ମୁଁ ନେବି ବାହୁଡ଼ାଇ । ପୁଣି ମାରିବ କଂସ ନେଇ ॥୯୨
ଦେବକୀ କଷ୍ଟ ହେବ ବଡ଼ । କିସ କରିବି ମୁହିଁ ରାଢ଼ ॥୯୩
ହରି ଭିଆଣ କଲେ ଯାହା । ଅବଶ୍ୟ ଭୁଞ୍ଜିବିନା ତାହା ॥୯୪
ଏମନ୍ତେ ଦୁଃଖେ ସୁଖେ ଯାଇ । ଦେବକୀ ନିକଟେ ମିଳଇ ॥୯୫
ସୁତକୁ ଦେଲା ତା'ର କୋଳେ । କାନ୍ଦଇ ମାୟାମୋହ ଭୋଳେ ॥୯୬
ବିଚ୍ଛେଦ-ଦୁଃଖ-ମାତା-ଚିତ୍ତ । ପୁତ୍ରକୁ ପାଇଣ ଉଷତ ॥୯୭
ନିବିଡ଼ ସ୍ନେହେ କୋଳେ ଯାକି । ଆନନ୍ଦ କେ ପାରିବ ଲକ୍ଷ୍ୟି ॥୯୮
ରଜନୀ ହୋଇଲା ପ୍ରବେଶ । ମିଳିଲା ଅନ୍ତଃପୁରେ କଂସ ॥୯୯
ଶୀତଳ ମଣୋହି ସାରିଲା । ସୁଖେ ପଲ୍ୟଙ୍କେ ବିଜେକଲା ॥୧୦୦
ତକ୍ଷଣେ ମିଳିଲେ ନାରଦ । ଆନନ୍ଦେ କଲେ ବୀଣାନାଦ ॥୧୦୧
ଦେଖିଣ ତେଜିଲା ଶୟନ । ପ୍ରଣାମ କଲାକ ବହନ ॥୧୦୨
ନିଜ ଆସନେ ବସାଇଲା । ବିଶ୍ୱାସେ ଚରଣ ଚାପିଲା ॥୧୦୩
ଭକତି ଦେଖିଣ ନାରଦ । କହନ୍ତି ଶୋକ ଗଦଗଦ ॥୧୦୪
ଶୁଣ ଅସୁର ଚୂଡ଼ାମଣି । ତୋ'ର ମରଣ ମୁହିଁ ଶୁଣି ॥୧୦୫
ତୋ' ଦୁଃଖ ଦେଖି ମୁଁ ବିକଳ । ଦେଖ ନୟନେ ଅଶ୍ରୁଜଳ ॥୧୦୬
ଶୁଣ ଦାନବ ଶିରୋମଣି । ତୋ'ର ମରଣ ତଥ୍ୟବାଣୀ ॥୧୦୭
ଭୂମିର ଦେଖିଣ ବିକଳ । ଗୁହାରି କଲେ ଦେବବଳ ॥୧୦୮
ବ୍ରହ୍ମାର ତୁଲେ ଶୂଳପାଣି । କ୍ଷୀର ସମୁଦ୍ରେ ସ୍ତୁତିଭଣି ॥୧୦୯
ବ୍ରାହ୍ମାଙ୍କୁ କହିଲେ ଅନନ୍ତ । ମନୁଷ୍ୟେ ହୋଇବି ମୁଁ ଜାତ ॥୧୧୦
ମାରିବି ସକଳ ଅସୁର । ନାଶିବି ଅବନୀର ଭାରତ ॥୧୧୧
ଏମନ୍ତ କୂଟକଥା ମାନ । ଭିଆଣ କଲେ ଦେବଗଣ ॥୧୧୨
ଦେବକୀ ଅଷ୍ଟମ ଗର୍ଭର । ନିଶ୍ଚୟେ ମରଣ ତୋହର ॥୧୧୩
ବ୍ରହ୍ମାର ବଚନେ ମୁରାରି । ମାୟା ମନୁଷ୍ୟ ରୂପ ଧରି ॥୧୧୪
ତୋତେ ମାରିବେ ସେ ଅନନ୍ତ । ତୁ କିମ୍ପା ହୋଇଲୁ ନିଶ୍ଚିନ୍ତ ॥୧୧୫
ଦେବେ ଉପୁଜିଛନ୍ତି ଅଂଶେ । ଗୋପାଳ-ଯଦୁ-ଭୋଜବଂଶେ ॥୧୧୬
ନନ୍ଦ ଯଶୋଦା ଆଦି ଯେତେ । କହିବି ଏକେ ଏକେ କେତେ ॥୧୧୭
ଦେବକୀ ଦେବୀ ବସୁଦେବ । ଏ ଆଦି ଯେତେକ ଯାଦବ ॥୧୧୮
ତୋହାର ଯେତେକ ସେବକ । ଦେବତାମାନେ ଏଟି ଦେଖ ॥୧୧୯
ତୁ ଯହୁଁ ଦୁଷ୍ଟପଣ କଲୁ । କି ବୋଲି ବାଳକ ଛାଡ଼ିଲୁ ॥୧୨୦
କଂସ ବୋଇଲା ବ୍ରହ୍ମଚାରୀ । ଅଷ୍ଟମଗର୍ଭ ମୋ' ବଇରୀ ॥୧୨୧
ଆବର ଯେତେ ଗର୍ଭଶିଷ । ତହିଁ ମୋ' ପ୍ରୟୋଜନ କିସ ॥୧୨୨
କଂସର ଶୁଣି ଏ ଉତ୍ତର । ମୁନି କାଟିଲେ ଅଷ୍ଟଗାର ॥୧୨୩
ପ୍ରଥମେ ଗଣିଲେକ ଆଠ । ଛନ୍ଦେଣ ବୁଝାଇଲେ ପାଠ ॥୧୨୪
ବାମଭାଗକୁ ଲେଉଟାଇ । ପୁଣି ଗଣିଲେ ପାଠ କହି ॥୧୨୫
ଯେଝାର ଠାରୁ ଆଠ ହୋନ୍ତି । ଶୁଣ ହୋ ଅସୁର ନୃପତି ॥୧୨୬
ଏହା ଛାଡ଼ିଲେ କେଉଁ ଯଶ । ଏଣେ ହୋ ପ୍ରୟୋଜନ କିସ ॥୧୨୭
ଏହା ତୁ ନ କଲେ ବିଚାର । ନିକଟେ ମରିବୁ ଅସୁର ॥୧୨୮
କଂସକୁ କରାଇ ଉଚ୍ଚାଟ । ନାରଦ ଗଲେ ଶୂନ୍ୟବାଟ ॥୧୨୯
ଏମନ୍ତ ମୁନିବାକ୍ୟ ଶୁଣି । କଂସ ହିଁ ମନେମନେ ଗୁଣି ॥୧୩୦
ଦୁଃଖେ ରଜନୀ ପୁହାଇଲା । ନିଜ ସଭାରେ ବିଜେକଲା ॥୧୩୧
ଅସୁର ବଳ ଘେନି ସଙ୍ଗେ । ଧାଇଁଲା ପବନହୁଁ ବେଗେ ॥୧୩୨
ଦେବକୀ ମନ୍ଦିରେ ମିଳିଲା । କୋପେ ଅଧର କାମୋଡ଼ିଲା ॥୧୩୩
ଦେବକୀ ମୁଖକୁ ଅନାଇ । ବୋଲଇ କୋପଭର ହୋଇ ॥୧୩୪
ତୁ ଅଟୁ ବହେଣୀ ମୋହର । ମୋର ମରଣେ ତୋ' ବିଚାର ॥୧୩୫
ମୁଁ ଏହା ଜାଣିବି କେମନ୍ତେ । ଭିଣୋଇ ବୋଲେ ଗଲି ପ୍ରତେ ॥୧୩୬
ଏମନ୍ତେ ଅନେକ ବୋଇଲା । କୋଳୁଁ ବାଳକ ଘେନିଗଲା ॥୧୩୭
ବେନିଚରଣ କରେ ଧରି । ବୁଲାଇ ଅନ୍ତରାଳ କରି ॥୧୩୮
କୋପେ ଅନେକ ଗାଳିଦେଲା । ଶିଳା ଉପରେ କଚାଡ଼ିଲା ॥୧୩୯
ଦେବକୀ ବସୁଦେବ ଆଣି । ବନ୍ଧନକଲା ପାଦପାଣି ॥୧୪୦
ମାଡ଼ ମରାଇ ମହାରୋଷେ । ପାଦେ ଭରିଲା ଲୌହପାଶେ ॥୧୪୧
ଧନ-ସମ୍ପଦ କଲା ଜୂର । ଆଣି ଭରିଲା ବନ୍ଦୀଘର ॥୧୪୨
ସାତକବାଟ ମହାବଳ । ଲୌହକିଳିଣୀ ଅନର୍ଗଳ ॥୧୪୩
ପ୍ରହରୀ ଶତେକ ଜଗାଇ । କହଇ ରୋଷଭର ହୋଇ ॥୧୪୪
ଦେବକୀ ଯେତେ ପ୍ରସବିବ । ମୋର ଛାମୁରେ ଜଣାଇବ ॥୧୪୫
ଯେ ମୋର ବୋଲ ନ କରିବ । ସେହି ମୋହର ଶତ୍ରୁ ହେବ ॥୧୪୬
ନିଜ ପିଅର ଅଣାଇଲା । ଅନେକ ମାଡ଼ ମରାଇଲା ॥୧୪୭
ଶାଙ୍କୋଳି ଦେଲା ବନ୍ଦୀଘରେ । ଅନେକ ଯାଦବ ସଙ୍ଗରେ ॥୧୪୮
ଅସୁର ସ୍ୱଭାବେଣ କଂସ । ମାଇଲା ଆପଣାର ବଂଶ ॥୧୪୯
କୋପ ସଂହରି ନିଜପୁରେ । ଅସୁର ପଶିଲା ଭିତରେ ॥୧୫୦
କଂସ ଜାଣଇ ଯୋଗବଳେ । ମୁଁ ଜାତ ଦାନବର କୁଳେ ॥୧୫୧
ଅନେକବାର ମୋତେ ମାରି । ମୋକ୍ଷ ନ ଦେଲେ ନରହରି ॥୧୫୨
ଏବେ ମାରିବ ହରି ମୋତେ । ଭାଗ୍ୟ ମୋ କେ କରିବ ଅନ୍ତେ ॥୧୫୩
ଏମନ୍ତ ମେନ ବିଚାରିଲା । ଯଦୁଙ୍କ ସଙ୍ଗେ ବାଦ କଲା ॥୧୫୪
ଶୁଣ ସୁଜନେ ଭାଗବତ । କୃଷ୍ଣଚରଣେ ଦେଇ ଚିତ୍ତ ॥୧୫୫
ପଣ୍ତିତେ ନ ଘେନିବା ଦୋଷ । କୃଷ୍ଣଚରିତ ସୁଧାରସ ॥୧୫୬
କହଇ ବିପ୍ର ଜଗନ୍ନାଥ । ହରିଚରଣେ ଦେଇ ଚିତ୍ତ ॥୧୫୭
ଇତି ଶ୍ରମଦ୍ଭାଗବତେ ମହାପୁରାଣେ ପାରମହଁସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେପୂର୍ବାର୍ଦ୍ଧେ ଶ୍ରୀକୃଷ୍ଣ ଅବତାର ଉପକ୍ରମେ ଦ୍ୱିତୀୟୋଽଧ୍ୟାୟଂ ॥
ତୃତୀୟ ଅଧ୍ୟାୟ
[ସମ୍ପାଦନା]- ଶୁକ ଉବାଚ
ଶୁକ ବୋଲନ୍ତି ଶୁଣ ରାୟ । କଂସ ପାଇଲା ମହାଭୟ ॥୧
ଦୂତ ପେଷିଲା ଚାରିଦିଗେ । ବିଶ୍ୱାସୀ ଦାନବଙ୍କ ସଙ୍ଗେ ॥୨
କଂସର ଯେତେ ମିତ୍ରଗଣ । ଆସି ମିଳିଲେ ଜଣେ ଜଣ ॥୩
ଚାଣୁର ତୃଣାବର୍ତ୍ତ ବୀର । ମୁଷ୍ଟିକ ଅଘା ଷଣ୍ଢାସୁର ॥୪
ଦ୍ୱିବିନ୍ଦ ନାମେଣ ବାନର । ପ୍ରଳମ୍ବା ବକା ବତ୍ସାସୁର ॥୫
ପୂତନା ନାମେଣ ରାକ୍ଷସୀ । ଆଗେ ମିଳିଲା ବୀରକେଶୀ ॥୬
ବାଣା ନାରକା ଜରାସନ୍ଧ । ସ୍ୱଭାବେ ଅଟନ୍ତି ଏ ମନ୍ଦ ॥୭
ଏମନ୍ତେ କହିବଇଁ କେତେ । କଂସର ମିତ୍ର ଛନ୍ତି ଯେତେ ॥୮
ଏହାଙ୍କୁ ବସାଇ ଆସନେ । କଂସ କହଇ ଖେଦ ମନେ ॥୯
ଶୁଣ ସକଳ ବୀରମଣି । ମୋହର କର୍ମଫଳ ବାଣୀ ॥୧୦
ନାରଦ କହିଗଲେ ମୋତେ । ଯଦୁଙ୍କୁ ନ ଯିବୁ ପରତେ ॥୧୧
ଯଦୁଙ୍କ ହାତେ ମୋ' ମରଣ । ଏ କଥା ଅଟଇ ପ୍ରମାଣ ॥୧୨
ଏମନ୍ତ କହିଗଲେ ମୁନି । ବ୍ରହ୍ମାକୁମର ମହାଜ୍ଞାନୀ ॥୧୩
ତୁମ୍ଭେ ଯେ ମୋହର ବିଶ୍ୱାସ । ଯଦୁଙ୍କୁ ବେଗେ କର ନାଶ ॥୧୪
ଶୁଣି ଅସୁରେ ପରଜ୍ୱଳି । ଯେସନେ ସମୁଦ୍ର ଉଚ୍ଛୁଳି ॥୧୫
ଯଦୁଙ୍କୁ ଦେଲେ କଷ୍ଟମାନ । ଯହୁଁ ରଖିବେ ଭଗବାନ ॥୧୬
ଯାଦବେ ଅସୁରଙ୍କ ଡରେ । ପଳାଇଗଲେ ଦେଶାନ୍ତରେ ॥୧୭
କେ କୁରୁ ନଗରେ ପଶିଲେ । ପାଞ୍ଚାଳ ଦେଶେ କେ ଲୁଚିଲେ ॥୧୮
ବିଦେହ ନିଷଧ କୋଶଳେ । ପଶିଲେ ଜୀବନ ବିକଳେ ॥୧୯
ଯେ ଅବା ଯାଇ ନ ପାରିଲେ । କଂସର ଶରଣ ପଶିଲେ ॥୨୦
କେହୁ ସେବକ ପଣେ ଦାସ । କାହାକୁ ଦେଲା ଲୌହପାଶ ॥୨୧
ଏମନ୍ତେ ବରଷେ ପୂରିଲା । ପୁଣି ଦେବକୀ ପ୍ରସବିଲା ॥୨୨
ପ୍ରହରୀ ଜଣାଇଲା ଯାଇ । ଶୁଣି ଧାଇଁଲା ରୋଷ ବହି ॥୨୩
ଦେବକୀ ନିକଟେ ମିଳିଲା । କୋଳୁ ବାଳକ ଉଛୁଡ଼ିଲା ॥୨୪
ବେନିଚରଣ ଧରି କରେ । ବୁଲାଇ ପିଟିଲା ଶିଳାରେ ॥୨୫
ଏମନ୍ତେ ବରଷେ ବରଷ । ଛ'ପୁତ୍ର କଲା କଂସ ନାଶ ॥୨୬
ଦେଖିଣ ଦେବକୀ ବିକଳ । ଦୟାସାଗର ଆଦିମୂଳ ॥୨୭
ଅନନ୍ତ ରୂପ ଧରି ହରି । ଦେବକୀ ଗର୍ଭେ ବିଜେ କରି ॥୨୮
ଏ ରୂପେ ଅନନ୍ତ ପ୍ରକାଶ । ଗର୍ଭେ ହୋଇଲେ ଅଷ୍ଟମାସ ॥୨୯
ଦେବକୀ ନିଜ ଦେହ ଚାହିଁ । ବିକଳେ ନିଶ୍ୱାସ ଛାଡ଼ଇ ॥୩୦
କେତେ ପାତକ କଲି ପୂର୍ବେ । ପୁଣି ହୋଇଲା ଆସି ଗର୍ଭେ ॥୩୧
କେତେ ସହିବି ଗର୍ଭକଷ୍ଟ । ବିଧାତା କଲା ମୋତେ ହଟ ॥୩୨
ଗର୍ଭେ ଧରଇ ଦଶମାସ । କୋଳ ଧରିତେ ନାହିଁ ଆଶ ॥୩୩
ଏମନ୍ତ ବିଚାରି ବିକଳ । ନୟନୁ ବହେ ଅଶ୍ରୁଜଳ ॥୩୪
ଦାସବତ୍ସଳ ଭଗବାନ । ଜାଣିଲେ ଦେବକୀର ମନ ॥୩୫
ଦୁର୍ଗାଙ୍କୁ ନିକଟେ ବସାଇ । ବୋଲନ୍ତି ପ୍ରଭୁ ଭାବଗ୍ରାହୀ ॥୩୬
ଅମ୍ବିକା ଶୁଣ ମୋ' ଉତ୍ତର । ବହନ ଯାଅ ମଞ୍ଚପୁର ॥୩୭
ମଥୁରା-କଂସ-ବନ୍ଦୀ-ଘରେ । ମିଳିବୁ ପ୍ରଥମ ପ୍ରହରେ ॥୩୮
ବନ୍ଦୀ କରିଛି କଂସରାୟେ । ଏକ ଶାଙ୍କୋଳି ବେନିପାୟେ ॥୩୯
ବସୁଦେବଙ୍କୁ ଯେତେବେଳେ । ଧରି ଆଣିଲା କଂସ ବଳେ ॥୪୦
ତାହାର ପତ୍ନୀ ନନ୍ଦଘରେ । ଯାଇ ଲୁଚିଲା କଂସଡ଼ରେ ॥୪୧
ରୋହିଣୀ ନାମ ବିଦ୍ୟମାନ । ତାହାର ଗର୍ଭ ଅଛି ଶୂନ୍ୟ ॥୪୨
ଦେବକୀ ଦେବୀ ନିଦ୍ରାକାଳେ । ଗର୍ଭ ହରିବୁ ଯୋଗବଳେ ॥୪୩
ମିଳିବୁ ନନ୍ଦ ଘରେ ଯାଇ । ରୋହିଣୀ-ଗର୍ଭେ ତାହା ଥୋଇ ॥୪୪
ଜନ୍ମିବୁ ଯଶୋଦା ଉଦରେ । ମୁଁ ପୁଣି ଯିବି ମଞ୍ଚପୁରେ ॥୪୫
ଦେବକୀ ଗର୍ଭେ ହେବି ଜାତ । ମୋତେ ଘେନିଣ ଯିବେ ତାତ ॥୪୬
ତୋତେ ଆଣିବେ ମୋତେ ଥୋଇ । ଏ କଥା ନ ଜାଣିବେ କେହି ॥୪୭
ଏମନ୍ତ କଂସର ମରଣ । ହସି କହନ୍ତି ନାରାୟଣ ॥୪୮
ମଞ୍ଚେ ହୋଇବୁ ତୁ ଯେ ଜାତ । ଜଗତେ ହୋଇବୁ ବିଖ୍ୟାତ ॥୪୯
ଲୋକେ କରିବେ ତୋତେପୂଜା । ଅନେକ ଦେବେ ବଳିଭୋଜା ॥୫୦
ଭକତେ ହୋଇବୁ ପ୍ରସନ୍ନ । ଅନେକ ହେବ ତୋର ନାମ ॥୫୧
ଜୟା ବିଜୟା ଭଦ୍ରକାଳୀ । ମଙ୍ଗଳା ଚଣ୍ତିକା କଙ୍କାଳୀ ॥୫୨
କନ୍ୟକା କୃଷ୍ଣା ଯେ ମାଧବୀ । ଈଶାନୀ ଶାରଦା ବୈଷ୍ଣବୀ ॥୫୩
ଦୁର୍ଗା ଅମ୍ବିକା ନାରାୟଣୀ । ଏକୁ ଅନେକ ନମ ଭଣି ॥୫୪
ଗ୍ରାମ ଗ୍ରାମକେ କରି ସ୍ଥାନ । ପୂଜନ୍ତେ ହୋଇବୁ ପ୍ରସନ୍ନ ॥୫୫
ଅନେକ ନାମ ତୋ' ଜଗତେ । ଅନ୍ତ ମୁଁ କରିବଇଁ କେତେ ॥୫୬
ପୂଜା କରିବେ ସର୍ବସ୍ଥାନେ । ରାଜା ପରଜା ଭକ୍ତମାନେ ॥୫୭
ସ୍ତୁତି ପଠନ ମନ୍ତ୍ର ଧ୍ୟାନ । ଷୋଡ଼ଶ ଉପଚାର ମାନ ॥୫୮
ଶୁଣ ବଚନ ଆଦିମାତା । ଫେଡ଼ ଦେବକୀ ମନଚିନ୍ତା ॥୫୯
ଦେବକୀ ଗର୍ଭୁ ତା' ଆଣିବୁ । ରୋହିଣୀ ଗର୍ଭରେ ଥୋଇବୁ ॥୬୦
ତାହାଙ୍କ ନାମ ସଙ୍କର୍ଷଣ । ଲୋକରେ ହୋଇବେ ପ୍ରମାଣ ॥୬୧
ନାମ ହୋଇବ ବଳରାମ । ବଳେ ନୋହିବେ କେହି ସମ ॥୬୨
ଶୁଣି ଆନନ୍ଦମନା ହୋଇ । ମଞ୍ଚେ ଚଳିଲେ ମହାମାୟୀ ॥୬୩
ହରି ଆଦେଶ ଘେନି ଶିରେ । ମିଳିଲେ ମଥୁରା ନଗରେ ॥୬୪
କଂସରାଜାର ବନ୍ଦୀଘରେ । ମିଳିଲେ ପ୍ରଥମ ପ୍ରହରେ ॥୬୫
ରାତ୍ରେ ଦେବକୀ ନିଦ୍ରାକାଳେ । ଗର୍ଭ ହରିଲେ ଯୋଗବଳେ ॥୬୬
ଅନନ୍ତ ଘେନି ମାୟାଦମ୍ଭେ । ଥୋଇଲେ ରୋହିଣୀର ଗର୍ଭେ ॥୬୭
ଗର୍ଭ ସଂଯୋଗ ଦେବୀ କରି । ଦିନକୁ ଦିନ ଗର୍ଭ ଭାରି ॥୬୮
ସିଂହ ପୌର୍ଣ୍ଣମୀ ଦିନ ସାର । ରୋହିଣୀ ପ୍ରସବେ କୁମର ॥୬୯
ଧବଳ ଜ୍ୟୋତି ରୂପ ପୁଣି । ଶିରେ ଶୋହଇ ସପ୍ତଫଣୀ ॥୭୦
ଅପୁଆ ଘରେ ପୁଅ ଜାତ । ଆନନ୍ଦ ହୋଏ ନନ୍ଦ ଚିତ୍ତ ॥୭୧
ମୋହର ଘରେ ପୁତ୍ର ନାହିଁ । ଏ ମୋତେ କାରଣ ଅଟଇ ॥୭୨
ଯାହା ସେ ଦଇବ ନିର୍ମିତ । ଦୁର୍ଗା ହୋଇଲେ ଗର୍ଭଗତ ॥୭୩
ମିଳିଲେ ନନ୍ଦଘରେ ଯାଇ । କୃଷ୍ଣ ଜନ୍ମିବା ବାଟ ଚାହିଁ ॥୭୪
ଦେବକୀ ଗର୍ଭ ଯହୁଁ ଗଲା । ଲୋକେ ବୋଇଲେ ଭଲହେଲା ॥୭୫
ଭଲଟି ଗଲେ ନାରାୟଣ । ଦେବକୀ ନ ପାଉ କଷଣ ॥୭୬
ଥୋକେ ବୋଇଲେ ଭଲ ହେଲା । କଂସର ଡରେ ପଳାଇଲା ॥୭୭
ପୋଡୁ ଏ ଦେବକୀ ଭିଆଣ । କେ ବୋଲେ କର୍ଣ୍ଣେ ତା'ନ ଶୁଣ ॥୭୮
ଏଡ଼େ ମଡ଼ିଛୀ ଅଛି କାହିଁ । କେ ବୋଲେ ମୁଖ ତା'ନ ଚାହିଁ ॥୭୯
କାନ୍ଦି କେ ହୁଅନ୍ତି ବିକଳ । କେ ବୋଲେ ରଖ ଆଦିମୂଳ ॥୮୦
ଦେବକୀ ମନର କଷଣ । ଜାଣିଲେ ପ୍ରଭୁ ନାରାୟଣ ॥୮୧
ତେଜିଲେ ଜଳଧି ଶୟନ । ମଥୁରା ମିଳିଲେ ବହନ ॥୮୨
ବସୁଦେବର ଦେହେ ଯାଇ । ପଶିଲେ ଜ୍ୟୋତିରୂପ ହୋଇ ॥୮୩
ବିଷ୍ଣୁର ତେଜ ପରଚଣ୍ତ । ଯେହ୍ନେ ଉଦିତ ମାରତଣ୍ତ ॥୮୪
ଅମରଗୁରୁ ଲଗ୍ନ ବେଳେ । କାନ୍ତ କାମିନୀ ଏକମେଳେ ॥୮୫
ଜଗତ ମଙ୍ଗଳ ପୁରୁଷ । ଦେବକୀ ଉଦରେ ପ୍ରବେଶ ॥୮୬
ଉଦୟ କାଳେ ଯେହ୍ନେ ଶଶୀ । ପୂର୍ବ ଦିଗରୁ ପରକାଶି ॥୮୭
କୃଷ୍ଣଙ୍କୁ ଧରିଣ ଉଦର । ଦେବକୀ ଦିଶିଲା ସୁନ୍ଦର ॥୮୮
ଅନ୍ଧାର ବନ୍ଦୀଘରେ ତେଜ । ଯେହ୍ନେ ଉଦିତ ଗ୍ରହରାଜ ॥୮୯
ଦେବକୀ ଗର୍ଭବାସ କଥା । ଶୁଣି ପାଇଲା କଂସ ବ୍ୟଥା ॥୯୦
ଭୟେ ଚକିତ ମନେ ଛନ୍ନ । ମିଳିଲା ଦେବକୀ ଭୁବନ ॥୯୧
ସାତ କବାଟ ଫେଡ଼ାଇଲା । ଅନ୍ଧାର ଘରକୁ ଚାହିଁଲା ॥୯୨
ଉଦୟ ହୋଇ ଦିନକର । ଯେହ୍ନେ ନାଶଇ ତମ ଘୋର ॥୯୩
ଦେଖି ଚକିତ କଂସ ମନେ । ଭାଳି ବୋଲଇ ଭୟଛନ୍ନେ ॥୯୪
ନିଶ୍ଚୟେ ହୋଇଲା ମରଣ । ଏ ତ ଅନାଦି ନାରାୟଣ ॥୯୫
ଗର୍ଭେ ବିଜୟେ ବ୍ରହ୍ମରାଶି । ଏ ମୋର କାଳ ଦଣ୍ତଫାଶି ॥୯୬
ଜୀବନ ନାଶିବ ମୋହର । ଦେବକୀ ବଡ଼ଇ ସୁନ୍ଦର ॥୯୭
ଏ ଯେତେ ଗର୍ଭ ପ୍ରସବିଲା । ଏମନ୍ତ ବେଳେ ନ ଦିଶିଲା ॥୯୮
କି ବୁଦ୍ଧି କରିବଇଁ ଆଜ । ମାରିଣ ଲଭିବଇଁ କାର୍ଯ୍ୟ ॥୯୯
ଏସନ ମନେ ବିଚାରଇ । ମୁନି ତ ଯାଇଛନ୍ତି କହି ॥୧୦୦
ଯାହା କହିଲେ ବ୍ରହ୍ମସୁତ । ସେ କଥା ନୋହଇ ବିଅର୍ଥ ॥୧୦୧
ଯାଦବେ ମୋହର ବଇରୀ । ମୋର ମରଣ ହେତୁ କରି ॥୧୦୨
ଦେବକୀ ବସୁଦେବ ଆଦି । ଏ ମୋର ଅଟନ୍ତି ବିବାଦୀ ॥୧୦୩
ଭିଣୋଇ ଗୁଣ କର୍ମମାନ । ଯୁବତୀ କଲା ଭିନ୍ନ ଭିନ୍ନ ॥୧୦୪
ଆତ୍ମବହେଣୀ ମୋର ଶଲ । ମୋହରେ ନ ଇଚ୍ଛଇ ଭଲ ॥୧୦୫
ସପ୍ତମଗର୍ଭ କେଣେ ନେଲା । ବୋଇଲା ଗର୍ଭ ଉଭେଇଲା ॥୧୦୬
ଏ ଯେ ମୋହର ଅପରାଧୀ । କିସ କରିବି ଏବେ ବୁଦ୍ଧି ॥୧୦୭
ହସ୍ତରେ ଅଛି ମୋ' ଉପାୟ । ଛାଡ଼ିଲେ ନ ପାଇବି କାୟ ॥୧୦୮
ଦେବକୀ ପକାଇବି ମାରି । ଗର୍ଭ ନାଶିବି ପେଟ ଚିରି ॥୧୦୯
ପୁଣି ବିଚାରୁଅଛି ମନେ । ଏ କର୍ମ କରିବି କେସନେ ॥୧୧୦
ଜୀବନ ପାଇଁ ଏଡ଼େ ପାପ । କରି ପାଇବି ମନେ ତାପ ॥୧୧୧
ଉଭୟ ଲୋକେ ସୁଖ ନାହିଁ । ନରକେ ପଡ଼ିବି ମୁଁ ଯାଇ ॥୧୧୨
ପାପର ମଧ୍ୟେ ପରମାଦ । ସ୍ତିରୀ ଗର୍ଭିଣୀ ଶିଶୁବଧ ॥୧୧୩
ଏ ତିନି କର୍ମ ଯେ କରନ୍ତି । ଜୀବନ ଥାଉଁ ସେ ମରନ୍ତି ॥୧୧୪
ତାହାର ମରିବାର କାଳେ । ନିନ୍ଦିତ ବୋଲନ୍ତି ସକଳେ ॥୧୧୫
ଇହଲୋକରେ ଅପଯଶ । ମରଣେ ନରକେ ପ୍ରବେଶ ॥୧୧୬
ଏମନ୍ତ ମନେ ବିଚାରିଲା । ଖଡ଼ଗ ଘେନି ବାହୁଡ଼ିଲା ॥୧୧୭
ମିଳିଲା ନିଜପୁରେ ଯାଇ । ଭାଳଇ ଚଉଦିଗ ଚାହିଁ ॥୧୧୮
ହରିଙ୍କି କଲା ମହାଭୟ । କ୍ଷଣ କ୍ଷଣକେ କମ୍ପେ କାୟ ॥୧୧୯
ଆସନ ଶୟନ ଭୋଜନେ । ସ୍ନାନ ବିହାର ଜଳପାନେ ॥୧୨୦
ଗୋଡ଼ାଇଛନ୍ତି ଯେହ୍ନେ ହରି । କମ୍ପଇ ମହାଭୟ କରି ॥୧୨୧
ବୃକ୍ଷ କାନନ ନଦୀ ଗିରି । ସକଳ ମଣେ ନରହରି ॥୧୨୨
ଏମନ୍ତେ ରଜନୀ ହୋଇଲା । ଘୋର ତିମିର ପ୍ରକାଶିଲା ॥୧୨୩
ବ୍ରହ୍ମାଶଙ୍କର ଇନ୍ଦ୍ର ତୁଲେ । ତେତିଶ କୋଟି ଦେବବଳେ ॥୧୨୪
ମିଳିଲେ ମଥୁରା ନବରେ । ଦେବକୀ ଦେବୀ ବନ୍ଦୀଘରେ ॥୧୨୫
ପ୍ରଣାମ କଲେ ଜଣେ ଜଣେ । ଶ୍ରୀକୃଷ୍ଣ ଜନନୀ ଚରଣେ ॥୧୨୬
ଗର୍ଭକୁ ଚାହିଁ ଗଙ୍ଗାଧର । ସ୍ତୁତି କରନ୍ତି ବେଦବର ॥୧୨୭
ବାସବ ଆଦି ଦିଗପତି । ଯେ ଯାହା ମତେକଲେ ସ୍ତୁତି ॥୧୨୮
ଜୟ ଗୋବିନ୍ଦ ଦାମୋଦର । ସତ୍ୟ ବଚନ ସ୍ୱାମୀ ତୋ'ର ॥୧୨୯
ଆବୋରି ଅଛୁ ତିନି ସତ୍ୟ । ସୃଷ୍ଟିର ଆଦି ମଧ୍ୟ ଅନ୍ତ ॥୧୩୦
ସତ୍ୟେ ବ୍ରହ୍ମାଙ୍କୁ କଲୁ ଜାତ । ସତ୍ୟ ସ୍ୱରୂପ ତୁ ଅଚ୍ୟୁତ ॥୧୩୧
ସତ୍ୟେ ତୁ ପାଳୁ ବସୁନ୍ଧରୀ । ତୋ'ର ଭିଆଣ ନରହରି ॥୧୩୨
ସତ୍ୟର ହେଉ ତୁହି ସତ୍ୟ । ସତ୍ୟ ବଚନ ସତ୍ୟନେତ୍ର ॥୧୩୩
ସତ୍ୟେ ତୋହର ଆତଯାତ । ଆମ୍ଭେ ଜାଣିଲୁ ତୋ'ର ସତ୍ୟ ॥୧୩୪
ତୋ'ର ଏ ସଞ୍ଚିଲା ଶୟଳ । ଦୁଷ୍ଟ ନିବାରି ସନ୍ଥ ପାଳ ॥୧୩୫
ଅସାଧୁ ମାରି ସତ୍ୟପାଳ । ତୋହର ଶରଣ ସକଳ ॥୧୩୬
ସଂସାର ମଧ୍ୟେ ଦେହବୃକ୍ଷେ । ଏଥେ ତୁ ମିଳିଲୁ ପ୍ରତ୍ୟକ୍ଷେ ॥୧୩୭
ବୃକ୍ଷର ଯେତେ ଗୁଣମାନ । ଶରୀରେ ତୋହର ଭିଆଣ ॥୧୩୮
ଏକଇ ବୃକ୍ଷ ବେନିଫଳ । ଚତୁର ରସ ତିନିମୂଳ ॥୧୩୯
ପଞ୍ଚ ଶିକଡ଼ ତଳେ ଗଣ୍ଠି । ଆତ୍ମା ଏହାର ଷଡ଼ଗୋଟି ॥୧୪୦
ସାତ ବକଳ ଦେହେ ଜଡ଼ି । ଅଷ୍ଟମ ଡାଳେ ଛନ୍ତି ବେଢ଼ି ॥୧୪୧
ଗଣ୍ଠି ସ୍ୱଭାବେ ନବନେତ୍ର । ବିସ୍ତାର ହୋଇ ଦଶପତ୍ର ॥୧୪୨
ଉପରେ ଛନ୍ତି ବେନି ପକ୍ଷୀ । ଏମନ୍ତ ବୃକ୍ଷ ଦେହେ ଲକ୍ଷି ॥୧୪୩
ମୁନି ବୋଲନ୍ତି ରାୟେ ଶୁଣ । ଦେହେ କହିବା ବୃକ୍ଷଗୁଣ ॥୧୪୪
ବୃକ୍ଷର ପ୍ରାୟେ ଦେହ ଏକ । ଫଳ ଯୋଡ଼ିଏ ଦୁଃଖସୁଖ ॥୧୪୫
ତାମସ ରଜ ସତ୍ତ୍ୱ ଗୁଣ । ଏହାର ମୂଳଟି ପ୍ରମାଣ ॥୧୪୬
ଧର୍ମ ସମ୍ପଦ କାମ ମୋକ୍ଷ । ଏ ଚାରି ରସଟି ପ୍ରତ୍ୟକ୍ଷ ॥୧୪୭
ଶବଦ ରୂପ ରସ ଗନ୍ଧ । ସ୍ପରଶ ପଞ୍ଚମୂଳ ଛନ୍ଦ ॥୧୪୮
ଜନ୍ମ ହୋଇଣ ଦେହ ବହି । ବାଳୁତ ରୂପେଣ ବଢ଼ଇ ॥୧୪୯
ତରୁଣ ବୃଦ୍ଧ କ୍ଷୟ ମୃତ୍ୟୁ । ଆତ୍ମବିକାର ଷଡ଼ ହେତୁ ॥୧୫୦
ଚର୍ମ ଶୋଣିତ ମାଂସ ମେଦ । ଅସ୍ଥି ମଜ୍ଜା ଯେ ଶୁକ୍ର ଛନ୍ଦ ॥୧୫୧
ସପତ ବକଳ ଏହାର । ମୁନି କହନ୍ତି ଜ୍ଞାନସାର ॥୧୫୨
ଭୂଜଳ ଅନଳ ସମୀର । ଖ ମନ ବୁଦ୍ଧି ଅହଙ୍କାର ॥୧୫୩
ଏ ଅଷ୍ଟଡାଳଟି ଏହାର । ନବମ ଛିଦ୍ର ନବଦ୍ୱାର ॥୧୫୪
ଦଶ ଇନ୍ଦ୍ରିୟ ପତ୍ର ଲେଖି । ଜୀବ ପରମ ବେନି ପକ୍ଷୀ ॥୧୫୫
ଏମନ୍ତ ବୃକ୍ଷ ରୂପ ବହି । ଭାରା ଉଶ୍ୱାସି ରଖ ମହୀ ॥୧୫୬
ଜଗତ ତୋର ତହୁଁ ଜାତ । ଲୟ ପାଳନ ଜଗନ୍ନାଥ ॥୧୫୭
ତୋର ମାୟାରେ ମୂର୍ଖ ଜନ । ଆତ୍ମାକୁ ଦେଖନ୍ତି ସେ ଭିନ୍ନ ॥୧୫୮
ଜ୍ଞାନୀଏ ଦେଖନ୍ତି ସେ ଏକ । ମାୟାରେ ଦିଶୁ ତୁ ଅନେକ ॥୧୫୯
ତୁ ଏ ସଂସାର ଦୁଃଖନାଶେ । ଶରୀର ବହୁ ନାନା ଅଂଶେ ॥୧୬୦
ସାଧୁଙ୍କୁ ଦିଶୁ ତୁ ନିର୍ମଳ । ଖଳଲୋଚନେ ଯେହ୍ନେ କାଳ ॥୧୬୧
ଯେ ତୋ'ର ପାଦେ ପଦ୍ମନାଭ । କରନ୍ତି ଆତ୍ମଜ୍ଞାନେ ଭାବ ॥୧୬୨
ତୋହର ନାମ ନାବ କରି । ହେଳେ ତରନ୍ତି ଭବବାରି ॥୧୬୩
ଭୋ ନାଥ କମଳଲୋଚନ । ମାୟାରେ ମୋହୁ ପ୍ରାଣୀ ମନ ॥୧୬୪
ଯେ ତୋ'ର ନାମ ନ ଭଜନ୍ତି । ମାୟାପଟଳେ ବଣା ହୋନ୍ତି ॥୧୬୫
ତୀର୍ଥସେବନ-ଦାନ-ତପେ । ତରିଲୁ ବୋଲୁଥା'ନ୍ତି ଆପେ ॥୧୬୬
କରନ୍ତି ସିଦ୍ଧଙ୍କ ଉପାୟେ । ଭେଦନ୍ତି ବ୍ରହ୍ମଲୋକ ଯାଏ ॥୧୬୭
ତୋ'ପାଦେ ନ କରି ଆଦର । ହୃଦେ ବହନ୍ତି ଅହଙ୍କାର ॥୧୬୮
ତହୁଁ ପଡ଼ନ୍ତି ଦେହ ଘେନି । ଜନ୍ମ ହୁଅନ୍ତି ନାନା ଯୋନି ॥୧୬୯
ଯେ ତୋ'ର ତହିଁ ମିତ୍ରପଣେ । ଚିତ୍ତ ଖଟାନ୍ତି ଅନୁକ୍ଷଣେ ॥୧୭୦
ନିର୍ଭୟେ ଭ୍ରମନ୍ତି ସଂସାରେ । ନୃତ୍ୟ କରନ୍ତି ଜମ ଶିରେ ॥୧୭୧
ସତ-ନିର୍ମଳ-ଗୁଣ ଧରୁ । ଭକ୍ତଙ୍କ ପାଇଁ ଅବତରୁ ॥୧୭୨
ତପ-ସମାଧି-ଯୋଗ-କ୍ରିୟା । ବେଦେ କହନ୍ତି ମୁନି ଯାହା ॥୧୭୩
ତୋ ଆରାଧନୁଁ ନାହିଁ ଆନ । ତୁ ପୂରିଅଛୁ ସ୍ଥଳ ଶୂନ୍ୟ ॥୧୭୪
ତୁ ଯେବେ ନୋହିବୁ ଜଗତେ । ଅଜ୍ଞାନ ନାଶିବୁ କେମନ୍ତେ ॥୧୭୫
ଯେ ତୋତେ ଯେମନ୍ତ ଚିନ୍ତଇ । ଗୁଣ ପ୍ରକାଶୁ ଦେହ ବହି ॥୧୭୬
ତୋହର ଗୁଣ-କର୍ମମାନ । ସଂଖ୍ୟା କେ କରୁ ଭଗବାନ ॥୧୭୭
ମନ-ବଚନେ ହେଁ ନ ଜାଣି । କେବଳ ବେଦେ ପରିମାଣି ॥୧୭୮
ଶ୍ରବଣେ ତୋ'ର ନାମ ଶୁଣି । ତୋ ରୂପ ହୃଦେ ପରିମାଣି ॥୧୭୯
ତୋ'ପାଦପୂଜାର ବିଧାନ । ଏଣେ ଯେ ହୋନ୍ତି ସାବଧାନ ॥୧୮୦
ଜନ୍ମ ମରଣ ତା'ଙ୍କ ନାହିଁ । ଏମନ୍ତ ପ୍ରଭୁ ଭାବଗ୍ରାହୀ ॥୧୮୧
ତୋହର ପାଦୁଁ ଜାତ ମହୀ । ତା' ଦୁଃଖ ନ ପାରିଲୁ ସହି ॥୧୮୨
ତୋହର ପାଦରଜ ଦେଇ । ଉଶ୍ୱାସ କର ନାଥ ମହୀ ॥୧୮୩
ସ୍ୱର୍ଗେ ପଶିବୁ ପଦ୍ମନାଭ । ତହିଁ ଦେଖିବୁ ତୋ'ର ଭାବ ॥୧୮୪
ଏ ତୋ'ର ଦେହବନ୍ତ ପଣ । ଏବେ ଜାଣିଲୁ ନାରାୟଣ ॥୧୮୫
ମନୁଷ୍ୟ ଲୀଳାର ଯେ ଭାବ । ଯା'ରୂପ ନ ଜାଣନ୍ତି ଦେବ ॥୧୮୬
ମତ୍ସ୍ୟ କଚ୍ଛପ ନରସିଂହ । କୋଳ ବାମନ ହଂସ ହୟ ॥୧୮୭
ରାଜନ ଋଷିଦେବ ବଂଶେ । ଜନ୍ମ ତୁ ହେଉ ଯୋଗଅଂଶେ ॥୧୮୮
ତିନି-ଭୁବନେ ଦୁଃଖ ନାଶି । ଆମ୍ଭଙ୍କୁ ପାଳୁ ବ୍ରହ୍ମରାଶି ॥୧୮୯
ଅବନୀ ଭାରା ଏବେ ହର । ଭୋ ନାଥ ଶରଣ ତୋହର ॥୧୯୦
ଏମନ୍ତେ ପାହିଲା ରଜନୀ । ଦେବକୀ ମୁଖ ଚାହିଁ ଭଣି ॥୧୯୧
ତୋ'ର ଉଦରେ ଜଗନ୍ନାଥ । ଜଗତ ରଖିବେ ତୋ'ସୁତ ॥୧୯୨
ଶୁଦ୍ଧ ଚୈତନ୍ୟ ରୂପ ଘେନି । ପ୍ରକାଶ ହୋଇବେ ମେଦିନୀ ॥୧୯୩
କଂସର ଭୟ ଛାଡ଼ ଆଈ । ଯାହାର ନାମେ ଦୁଃଖ ନାହିଁ ॥୧୯୪
ଅରୁଣ ତେଜ ପ୍ରକାଶିଲା । ଦେବଙ୍କୁ ଉଚ୍ଚାଟ ଲାଗିଲା ॥୧୯୫
ବ୍ରହ୍ମାଶଙ୍କର ଆଗେ କରି । ଦେବେ ଚଳିଲେ ଯେଝାପୁରୀ ॥୧୯୬
ଶ୍ରୀହରି-ଚରଣେ ମୋ'ଚିତ୍ତ । ସୁଜନ ହିତେ କଲି ଗୀତ ॥୧୯୭
ଦଶମସ୍କନ୍ଧେ ହରିବାଣୀ । ଶୁଣି ନିର୍ମଳ ହୁଅ ପ୍ରାଣୀ ॥୧୯୮
ପୁରାଣ କଲି ଗୀତ ରସ । କହଇ ଜଗନ୍ନାଥ ଦାସ ॥୧୯୯
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ଗର୍ଭଗତ ବିଷ୍ଣୋ ବ୍ରହ୍ମାଦି କୃତ ସ୍ତୁତିର୍ନାମ ତୃତୀୟୋଽଧ୍ୟାୟଃ
ଚତୁର୍ଥ ଅଧ୍ୟାୟ
[ସମ୍ପାଦନା]କହନ୍ତି ଶୁକମୁନି ହସି । କୃଷ୍ଣ ଚରିତ ପରଶଂସି ॥୧
ପରୀକ୍ଷ ମୁଖକୁ ଚାହିଁଲେ । ଆନନ୍ଦେ ଲୋଚନ ବୁଜିଲେ ॥୨
ସମାଧି କରି ଯୋଗଧ୍ୟାୟି । କୃଷ୍ଣ ପ୍ରସନ୍ନ ଲେଶ ପାଇ ॥୩
ପୁଣି କ୍ଷଣକେ ଚକ୍ଷୁ ଫେଇ । ହସି କହନ୍ତି ରାଜା ଚାହିଁ ॥୪
- ଶୁକ ଉବାଚ
ଶୁଣ ହୋ ଶ୍ରୀକୃଷ୍ଣର ଜନ୍ମ । ଯେଣେ ଖଣ୍ତିବ ଭବଭ୍ରମ ॥୫
ଦେବକୀ ଦେବଗଣ ଦେଖି । ମନେ ବିଚାରେ ଶଶୀମୁଖୀ ॥୬
ମୁଁ ଅଟେ ମାନୁଷ ଯୁବତୀ । ଦେବେ କରନ୍ତି ମୋତେ ସ୍ତୁତି ॥୭
କି ଅବା ଉଦରେ ମୋହର । ବିଜୟ କଲେ ଚକ୍ରଧର ॥୮
ଯାଦବକୁଳ ନିସ୍ତାରଣେ । ପାପିଷ୍ଠ କଂସର ମରଣେ ॥୯
ଦେବଙ୍କ ଛଳେ ଅବତାର । ନାଶିବେ ଅବନୀର ଭାର ॥୧୦
ଏତେ ବିଚାରି ମହାମାୟା । କ୍ଷଣକେ ପାସୋରିଲା ତାହା ॥୧୧
ଯୋଗମାୟାର ଯୋଗବଳେ । ବିଷୟାରସ କାମଭୋଳେ ॥୧୨
ସୁତ ଲାଳସା ପରିବନ୍ଧେ । ତ୍ରିଗୁଣ ଭେଦ କୂଟଛନ୍ଦେ ॥୧୩
ମନ ମୋହିଲା ରାଜସୁତା । ନ ଜାଣେ ଗର୍ଭର ବ୍ୟବସ୍ଥା ॥୧୪
ମନୁଷ୍ୟ ଜନ୍ମର ସ୍ୱଭାବ । ଦେଖଇ ପତିବ୍ରତା ଗର୍ଭ ॥୧୫
ତଥ୍ୟ ନ କଲେ ରୂପ ହେଜି । କ୍ଷଣ କ୍ଷଣକେ ଚକ୍ଷୁ ବୁଜି ॥୧୬
ଶୁଖିଲା ଅଧର ଦଶନ । ଫିଟିଲା କଟୀ ପହରଣ ॥୧୭
ଶୁଖିଲା ପ୍ରାୟେ ବିମ୍ବାଧର । କମ୍ପିତ ମୁଖ ଭୁଜ ଊର ॥୧୮
ନାଭି ଲେଉଟି ଦିଶେ ଝଳି । ଟାଙ୍କୋରେ ତନୁ ରୋମାବଳୀ ॥୧୯
କ୍ଷଣ କ୍ଷଣକେ ଯୋଗନିଦ୍ରା । ଛାଡ଼ିଲା ସୁଖ ଭୋଗ ସୁଧା ॥୨୦
ନିବିଡ଼େ ଅବନୀ ଶୟନ । କ୍ଷଣେ ମଳୟ ହୁତାଶନ ॥୨୧
ତପତ ନିଃଶ୍ୱାସ ସମୀର । କର ଚରଣ ଥରହର ॥୨୨
କୋମଳପତ୍ର ଶଯ୍ୟା ଆଶେ । ମଳୟ ଚନ୍ଦନ ପ୍ରକାଶେ ॥୨୩
ସକଳ ସୁଖଭୋଗ ମାନ । କରାନ୍ତି ପ୍ରଭୁ ଭଗବାନ ॥୨୪
ଯେ ହେବ ଗୋବିନ୍ଦର ଆଈ । ତାହାର ପାପ-ବାଧା କାହିଁ ॥୨୫
ବିଚାର କରେ ଦେବୀ ମନେ । ଏ ଗର୍ଭ ସହିବି କେସନେ ॥୨୬
ଛ ବେଳ ହେଲା ପରିହାର । ଏବେ ମୋ ପ୍ରକୃତି ଅନ୍ତର ॥୨୭
କି ଅବା କାଳଆଶ୍ରେ ମୋତେ । ଜୀବନ ହରିବ ଯୁଗତେ ॥୨୮
ଏମନ୍ତେ ଦିବାରାତ୍ର ବସି । ମନେ ଭାଳଇ ଶୁଭ୍ରକେଶୀ ॥୨୯
ଏମନ୍ତେ ଦୁଃଖ ସୁଖ ମନେ । ଦିନ ହରଇ ମନଛନ୍ନେ ॥୩୦
ଶୁଭେ ହୋଇଲା ଅଷ୍ଟମାସ । ପୃଥ୍ୱୀ ମଣ୍ତିବେ ଶ୍ରୀନିବାସ ॥୩୧
ଶରଦ ହେମନ୍ତ ଅନ୍ତରେ । ବସନ୍ତ ଗ୍ରୀଷମ ବେଭାରେ ॥୩୨
ସୂର୍ଯ୍ୟଙ୍କ ତହୁଁ ଷଡ଼ଋତୁ । ପ୍ରକାଶ ଜନସୁଖ ହେତୁ ॥୩୩
ଋତୁଙ୍କ ମଧ୍ୟେ ଶ୍ରେଷ୍ଠବଳ । ସଂପୂର୍ଣ୍ଣ ବରଷାର କାଳ ॥୩୪
ଭାଦ୍ରବ ମାସ କୃଷ୍ଣପକ୍ଷେ । ସକଳ ଗ୍ରହେ ଛନ୍ତି ଉଚ୍ଚେ ॥୩୫
ଅଷ୍ଟମୀ ନିଶା ଅର୍ଦ୍ଧଭାଗେ । ରୋହିଣୀ ନକ୍ଷତ୍ର ସଂଯୋଗେ ॥୩୬
ବୃଷ ରାଶିରେ ନିଶାକର । ନକ୍ଷତ୍ର ଗ୍ରହେ ବଳୀୟାର ॥୩୭
ଗଭୀର ଘୋର ମେଘ ଘୋଷ । ବର୍ଗ ଉତ୍ତମ ନବଅଂଶ ॥୩୮
ଏହି ସମୟେ ସୁରରାୟେ । ଆକାଶେ ଉତ୍ସବ କରାଏ ॥୩୯
ଦୁନ୍ଦୁଭି-ବାଦ୍ୟ-ନାଦ ହେରି । ରଙ୍ଗେ ନାଚନ୍ତି ଅପସରୀ ॥୪୦
ଦେବେ କରନ୍ତି ପୁଷ୍ପବୃଷ୍ଟି । ଖଣ୍ତିବେ ଗୋବିନ୍ଦ ଅରିଷ୍ଟି ॥୪୧
ଇନ୍ଦ୍ର ପବନକୁ ହକାରି । ବୋଲଇ ଯାଅ ମଧୁପୁରୀ ॥୪୨
ତୋହର ଗନ୍ଧ ଗୁଣ ଘେନି । ଆନନ୍ଦେ ବହିବୁ ମେଦିନୀ ॥୪୩
କଂସର ବନ୍ଦୀଘରେ ଯାଇ । ବହିବୁ ମଳୟ ପୁରାଇ ॥୪୪
ଦିଗେ ଦିଶନ୍ତୁ ପରିମଳ । ବହିବୁ ସୁଗନ୍ଧ ଶୀତଳ ॥୪୫
ଇନ୍ଦ୍ରର ଆଜ୍ଞା ପାଇ ବେଗେ । ସମୀର ଚଳିଗଲା ଆଗେ ॥୪୬
ପବନ ଗଲା ମଧୁ ପୁରେ । ବହେ ସୁଗନ୍ଧ ରସଭରେ ॥୪୭
ନିର୍ମଳ ଦିଶିଲା ଗଗନ । ମହୀ ମଙ୍ଗଳ ବିଦ୍ୟମାନ ॥୪୮
ଗ୍ରାମ ପାଟଣା ପୁର ଘୋଷ । ମଙ୍ଗଳ ବାଦ୍ୟେ ଗୀତ ରସ ॥୪୯
ନଦୀଏ ଉଛୁଳିଲେ ଜଳେ । ପକ୍ଷୀଙ୍କ ନାଦ ବୃକ୍ଷଡ଼ାଳେ ॥୫୦
ସ୍ତବକ ପୁଷ୍ପ ବନେ ଫୁଟି । ବାସ ପ୍ରସରଇ ପ୍ରକଟି ॥୫୧
ବିପ୍ରେ ମଙ୍ଗଳ ବେଦନାଦେ । ଅନଳେ କ୍ଷେପନ୍ତି ସମିଧେ ॥୫୨
ଆନନ୍ଦ ହେଉଅଛି ମହୀ । କୃଷ୍ଣ ଜନ୍ମିବେ ଦେହ ବହି ॥୫୩
ବଥାଏ ଦେବକୀ ଉଦର । ସ୍ୱାମୀଙ୍କି ବୋଲନ୍ତି ଉତ୍ତର ॥୫୪
ଭୋ ନାଥ ଚିନ୍ତ ନାରାୟଣ । କେ ସହୁ ଗର୍ଭର କଷଣ ॥୫୫
ଶୁଣି ବସୁଦେବ ଉଠିଲା । ଦେବକୀ କଙ୍କାଳ ଧଇଲା ॥୫୬
ଆବୋରି ଗୋବିନ୍ଦ ସୁମରି । ଭୟେ ଚିନ୍ତଇ ନରହରି ॥୫୭
ଆକାଶେ ଉଦେ ନିଶାକର । ଦେବକୀ ଉଦରୁ ବାହାର ॥୫୮
ନୀଳ-ଜୀମୂତ ଦେହ କାନ୍ତି । ବଳୟ ମଣି ଝଟକନ୍ତି ॥୫୯
ପୀତବସନ କଟୀ ଶୋହେ । ରୂପେ କୋଟିଏ କାମ ମୋହେ ॥୬୦
କଟୀ-ମେଖଳା ସୁନା-ସୂତା । ଉତ୍ତରୀ ସୁବର୍ଣ୍ଣ ପଇତା ॥୬୧
କିରୀଟ କୁଣ୍ତଳ କଙ୍କଣ । ପାଦେ ନୂପୁର ରୁଣଝୁଣ ॥୬୨
ଦିଶଇ ଶଙ୍ଖ ଚକ୍ର ତେଜ । ମର୍କତ ସ୍ତମ୍ଭ ଚାରିଭୁଜ ॥୬୩
ଗଦା କମଳ ଶଙ୍ଖଚକ୍ର । ଅଧର ଓଷ୍ଠ ରଙ୍ଗ ରେଖ ॥୬୪
ଶ୍ରୀବତ୍ସ ଚିହ୍ନ ହୃଦେ ଶୋହେ । ରତ୍ନପାଦୁକା ବେନି ପାୟେ ॥୬୫
ଅପୂର୍ବ ରୂପେ ଯୋଗେଶ୍ୱର । ଦେବ ମାନବେ ଅଗୋଚର ॥୬୬
ଦେବକୀ ପ୍ରସବିଣ ସୁତ । ଶ୍ରମେ ହୋଇଲା ମୋହଗତ ॥୬୭
ପଛେ ଯେ ବସୁଦେବ ଥିଲା । କୃଷ୍ଣ ରୂପକୁ ଅନାଇଲା ॥୬୮
ସ୍ଥିରେ ଚାହିଁଲା ବସୁଦେବ । ଦେଖିଲା ଅନାଦି ମାଧବ ॥୬୯
କ୍ଷଣେ ରହିଲା ସ୍ଥିର ହୋଇ । କୃଷ୍ଣଙ୍କୁ ଚାହିଁ ବିଚାରଇ ॥୭୦
କୃଷ୍ଣ ହରିଲେ ପିତା ଜ୍ଞାନ । ଚକିତେ ବିଚାରଇ ମନ ॥୭୧
ମନରେ ଗଙ୍ଗାସ୍ନାନ କଲା । ଅୟୁତେ ଧେନୁ ଉତ୍ସର୍ଗିଲା ॥୭୨
ଏ ପୁତ୍ରେ କଂସ ନ ମାଇଲେ । ଦେବଇଁ ଅଳଙ୍କାର ତୁଲେ ॥୭୩
ଏ ପୁତ୍ର ନମଲେ ମୋହର । ପୁଜିବି ବିପ୍ରଙ୍କ ପୟର ॥୭୪
ଚାହିଁଲା ଗୋବିନ୍ଦ ବଦନ । ପୁଣି ପାଇଲା ଦିବ୍ୟଜ୍ଞାନ ॥୭୫
ଭୟେ କମ୍ପଇ ତା'ଶରୀର । ଏ ତ ଅନାଦି ଚକ୍ରଧର ॥୭୬
ମୁ ଛାର ମନୁଷ୍ୟ ଅଧମ । କିପାଁ ଏ ହୋଇଲା ପ୍ରସନ୍ନ ॥୭୭
କି ବୁଦ୍ଧି କରିବଇଁ ମୁହିଁ । କଂସକୁ ଡରେ ମୋର ଦେହୀ ॥୭୮
ବୋଲଇ ବସୁଦେବ ଶୋକେ । ଏ କିମ୍ବା ଜାତ ମଞ୍ଚଲୋକେ ॥୭୯
ତେଜେ ଉଜ୍ଜ୍ୱଳ ବନ୍ଦୀଘର । ତିଳେ ହେଁ ନଦିଶେ ଅନ୍ଧାର ॥୮୦
କର ଅଞ୍ଜଳି ଶିରେ ଦେଇ । ସ୍ତୁତି କରଇ କୃଷ୍ଣ ଚାହିଁ ॥୮୧
- ବସୁଦେବ ଉବାଚ
ତୋହର ଆଦି ଅନ୍ତ ନାହିଁ । ପ୍ରକୃତି ତୋତେ ନଲାଗଇ ॥୮୨
କେବଳ ସୂକ୍ଷ୍ମ ରୂପେ ଶୂନ୍ୟ । ମୁନିଙ୍କ ଚିତ୍ତେ ଜ୍ଞାନଗମ୍ୟ ॥୮୩
ତୋହର ମାୟାରେ ଜଗତ । ମହତ ଆଦି ପଞ୍ଚଭୂତ ॥୮୪
ତହିଁରେ ନୋହୁ ତୁ ପ୍ରବେଶ । ପ୍ରବେଶ ପ୍ରାୟ ତୋ' ପ୍ରକାଶ ॥୮୫
ବାହାର ଭିତରେ ଅନନ୍ତ । ସୃଷ୍ଟି କରୁ ତୁ ଆତଯାତ ॥୮୬
ବୁଦ୍ଧି ଲକ୍ଷଣ ଗୁଣ ଘେନି । ତୋତେ ଚିନ୍ତନ୍ତି ଆତ୍ମଜ୍ଞାନୀ ॥୮୭
କାହୁଁ ଦେଖିବେ ଦେହବନ୍ତ । ତୁ ଦେବ ଅନାଦି ଅଚ୍ୟୁତ ॥୮୮
ଜଗତ ତୋ'ର ତହୁଁ ଜାତ । ପାଳିଣ ପୁଣି କରୁ ଅନ୍ତ ॥୮୯
ଜଗତ ଉପୁଜିବା କାଳେ । ଅରୁଣ ବର୍ଣ୍ଣ ହେଉ ବେଳେ ॥୯୦
ପାଳିବା କାଳେ ଶୁକ୍ଳବର୍ଣ୍ଣ । ଜଗତେ ବୋଲାଉ ତୁ ଧର୍ମ ॥୯୧
ସଂହାର କାଳେ କୃଷ୍ଣରୂପ । ତୋର ବିହାର ମୋହକଳ୍ପ ॥୯୨
ତୁ ଏବେ ମୋରଘରେ ନାଥ । ଅଂଶେ ହୋଇଲୁ ଦେହବନ୍ତ ॥୯୩
ଜାଣିଲି ଯେତେକ ଅସୁର । ମାରି କରିବୁ ମହୀ ସ୍ଥିର ॥୯୪
ତୋ'ର ଜନମ ମୋ'ର ଘରେ । ଶୁଣିଣ କଂସ କୋପଭରେ ॥୯୫
ଛ ପୁତ୍ର ମାଇଲା ମୋହର । ତୁ କି ନ ଜାଣୁ ଚକ୍ରଧର ॥୯୬
ପ୍ରହରୀମାନେ ଜଗିଛନ୍ତି । ଶୁଣିବେ ବୋଲି ମନେ ଭୀତି ॥୯୭
କଂସକୁ କହିବେ ତୁରିତେ । ସେ ଆସି ମାରିବଟି ତୋତେ ॥୯୮
ତୋତେ ହୋ ତୁହି ରକ୍ଷାକର । ମୁଁ ଛାର ମନୁଷ୍ୟ ମାତର ॥୯୯
ଏମନ୍ତେ ଗଡ଼ଘାଲି ଶୋଇ । କମ୍ପଇ କୃଷ୍ଣ ମୁଖ ଚାହିଁ ॥୧୦୦
ଶୀତଳ ବହଇ ପବନ । ଦେବକୀ ପାଇଲା ଚେତନ ॥୧୦୧
ଚକ୍ଷୁ ଫେଇଣ ଚାହେଁ ଧୀରେ । ଯେହ୍ନେ ଉଦୟ ଦିନକରେ ॥୧୦୨
ଚାହିଁଲା ପୁତ୍ରର ବଦନ । ଚକିତେ ହୋଇ ଛନ୍ନଛନ୍ନ ॥୧୦୩
ଅପୂର୍ବ କାହୁଁ ଏ ଅଇଲା । ଜଗତେ ନାହିଁ ନା ଦେଖିଲା ॥୧୦୪
ଏ ତ ପୁରୁଷଙ୍କ ଉତ୍ତମ । କି ଅବା ପ୍ରଭୁ ଭଗବାନ ॥୧୦୫
ପୂର୍ଣ୍ଣ ଆନନ୍ଦ ଜ୍ଞାନମୟ । ଦେଖି ପାଇଲା ଦେବୀ ଭୟ ॥୧୦୬
ବିକଳେ ବେନିକର ଯୋଡ଼ି । ହା କୃଷ୍ଣ ବୋଲି ପାୟେ ପଡ଼ି ॥୧୦୭
ଚଞ୍ଚଳ ମନ କରି ସ୍ଥିର । ଦେବକୀ ବୋଲଇ ଉତ୍ତର ॥୧୦୮
- ଦେବକୀ ଉବାଚ
ଭୋ ନାଥ ନିସ୍ତରିଲି ମୁହିଁ । ତୋହର ଆଦି ଅନ୍ତ ନାହିଁ ॥୧୦୯
ମନ ବଚନେ ହେଁ ନ ପାଇ । ପ୍ରସନ୍ନ ହୁଅ ମୋତେ ତୁହି ॥୧୧୦
ଜ୍ୟୋତିସ୍ୱରୂପ ନିରଞ୍ଜନ । ନିର୍ମଳ ପୁଣ୍ୟ ଦିବ୍ୟଜ୍ଞାନ ॥୧୧୧
ଦେବେ ଗୋଚର ନୋହେ ଯେହୁ । ଅଧ୍ୟାତ୍ମଦୀପ ମହାବାହୁ ॥୧୧୨
ବ୍ରହ୍ମାର ଅନ୍ତେ ମହୀ ନାଶେ । ବ୍ରହ୍ମାଣ୍ତ ଲୁଚନ୍ତି ଆକାଶେ ॥୧୧୩
ମନର ମୂଳେ ପଞ୍ଚଭୂତେ । ତୋହର ଦେହେ ଲୀନହୋନ୍ତେ ॥୧୧୪
ରବି ଶଶାଙ୍କ ନାହିଁ କେହି । ତୁ ମାତ୍ର ରହୁ ଶେଷ ହୋଇ ॥୧୧୫
ନିମିଷ ଆଦି ଯେଉଁ କାଳ । ତୋହର ଚେଷ୍ଟା ଅନ୍ତରାଳ ॥୧୧୬
ଏ ମର୍ତ୍ତ୍ୟେ ମୃତ୍ୟୁସର୍ପ ରୂପେ । ଦଂଶିବ ବୋଲି ମହାକୋପେ ॥୧୧୭
ଦେଖଇଁ ପ୍ରାଣୀଙ୍କି ନିରତ । କରଇ କ୍ଷଣେ କ୍ଷଣେ ଗ୍ରସ୍ତ ॥୧୧୮
ଶରଣ ତୋ'ର ପାଦେ ଯେହୁ । ସେ ମୃତ୍ୟୁ ପାଇବଟି କାହୁଁ ॥୧୧୯
ବାହୁଡ଼ି ହୋଏ ଯେ ନିରାଶ । ସେ ପ୍ରାଣୀ ରହେ ତୋ'ର ପାଶ ॥୧୨୦
ତୁ ଏବେ ହରି ରଖ ତୋତେ । କଂସକୁ ନ ଯାଇ ପରତେ ॥୧୨୧
ମୋର ଉଦରୁ ତୋ'ର ଜାତ । ଲୋକେ କରିବେ କାହୁଁ ସତ ॥୧୨୨
ତୋ' ରୂପ ନ ଜାଣନ୍ତି କେହି । କଂସକୁ ଡରେ ମୋର ଦେହୀ ॥୧୨୩
ଶୁଣି ବୋଲନ୍ତି ନାରାୟଣ । ଭୋ ତାତ ଶୁଣ ମୋ' ବଚନ ॥୧୨୪
ବ୍ରହ୍ମା ଯେ ସୃଷ୍ଟି ଭିଆଇଲା । ତୁମ୍ଭ ଦୁହିଁଙ୍କି ଜାତ କଲା ॥୧୨୫
ପୃଶ୍ନି ସୁତପା ନାମ ବହି । ଜନ୍ମ ହୋଇଲ ତୁମ୍ଭେ ଦୁଇ ॥୧୨୬
ତା'ର ଆଦେଶ ଘେନି ଶିରେ । ମିଳିଲ ଗହନ ବନରେ ॥୧୨୭
ଅନେକ ଦୁଃଖେ ତପ କରି । ଜଳ ପବନ ପତ୍ର ଚରି ॥୧୨୮
ବରଷା ଗ୍ରୀଷ୍ମ ଶୀତ ହିମେ । ଶ୍ୱାସ ନିରୋଧି ମହାଶ୍ରମେ ॥୧୨୯
ଶତେ ବରଷ ଦେବମତେ । ତପ ସାଧିଲ ଦୃଢ଼ଚିତ୍ତେ ॥୧୩୦
ନିରତେ କଲ ମୋତେ ଧ୍ୟାନ । ମୁଁ ପୁଣି ହୋଇଲି ପ୍ରସନ୍ନ ॥୧୩୧
ଆନନ୍ଦେ ଯାଚିଲି ମୁଁ ବର । ଜାଣିଲି ତୁମ୍ଭର ବିଚାର ॥୧୩୨
ମୋର ପ୍ରସନ୍ନ ଭାବ ଘେନି । ଭାବେ ବୋଇଲ ତୁମ୍ଭେ ବେନି ॥୧୩୩
ବୋଇଲ ଶୁଣ ଚକ୍ରଧର । ଆମ୍ଭର ହୋଇବ କୁମର ॥୧୩୪
ପ୍ରଥମେ ହୋଇଲି ମୁଁ ଜାତ । ନାମ ମୋ' ପୃଶ୍ନିଗର୍ଭ ଖ୍ୟାତ ॥୧୩୫
ଦ୍ୱିତୀୟେ କଶ୍ୟପ ଅଦିତି । ରୂପରେ ତୁମ୍ଭ ଉତପତ୍ତି ॥୧୩୬
ମୁଁ ପୁଣି ତୁମ୍ଭ ଗର୍ଭେ ଜାତ । ଉପେନ୍ଦ୍ର ବାମନ ବିଖ୍ୟାତ ॥୧୩୭
ମୋହର ନାମ ଭାବଗ୍ରାହୀ । ଜନ୍ମିଲି ପୁଣି ଦେହ ବହି ॥୧୩୮
ପୁତ୍ର ଲାଳସେ ପାଳି ମୋତେ । ପଶିବ ମୋ'ର ଦେହେ ଅନ୍ତେ ॥୧୩୯
ଦେବଙ୍କ ବଚନେ ମୁଁ ଜାତ । ଅସୁର କରିବି ନିପାତ ॥୧୪୦
ଆଉ କହିତେ ନାହିଁ ବେଳ । ମୋତେ ଘେନିଣ ବେଗେ ଚଳ ॥୧୪୧
ନନ୍ଦର ଘରେ ମୋତେ ଥୋଇ । କନ୍ୟାକୁ ଆଣ ପାଲଟାଇ ॥୧୪୨
- ଶୁକ ଉବାଚ
ଏମନ୍ତ କହି ନରହରି । ନରବାଳୁତ ରୂପ ଧରି ॥୧୪୩
ଗୋବିନ୍ଦ ଆଜ୍ଞା ଘେନି ଶିରେ । କୋଳେ ଧଇଲା ଚକ୍ରଧରେ ॥୧୪୪
ଘେନିଣ ଦେବ ଚକ୍ରଧର । ଭୟେଣ ହୋଏ ଥରହର ॥୧୪୫
ଶ୍ରୀକୃଷ୍ଣ ଆଜ୍ଞା ପରମାଣେ । କବାଟ ଫିଟିଲା ତକ୍ଷଣେ ॥୧୪୬
ଫିଟିଲା ପୟର ଶାଙ୍କୋଳି । ପଥ କଢ଼ାଇଲା ବିଜୁଳି ॥୧୪୭
କୋଳରେ ଘେନି ନାରାୟଣ । ବାହାର ହୋଏ ତତ୍କ୍ଷଣ ॥୧୪୮
ନିଦ୍ରାରେ ମୋହିତ ସକଳ । ବୃଷ୍ଟି କରନ୍ତି ମେଘମାଳ ॥୧୪୯
ତିନ୍ତିବା ଦେଖି ଜଗନ୍ନାଥ । ଫଣା ଉହାଡ଼ିଲା ଅନନ୍ତ ॥୧୫୦
ଯାଆନ୍ତେ କୃଷ୍ଣଙ୍କୁ ଘେନିଣ । ପଥେ ଓଗାଳେ ଉଗ୍ରସେନ ॥୧୫୧
ବୋଲଇ କାହିଁରରେ ଚୋର । ନିଶାରେ ହୋଇଛୁ ବାହାର ॥୧୫୨
କଂସର ଜାଣିନାହୁଁ ବାନା । ଦେବଙ୍କ ଗର୍ବ କଲା ଚୂନା ॥୧୫୩
ମୁହିଁ ତାହାର ରିପୁ ମିତ୍ର । ଦେଖି ବୁଲଇ ରାତ୍ରେ ପଥ ॥୧୫୪
ଆଜ ହାଣିବି ତୋର ଶିର । ବନ୍ଧନ କରି ନେବି ଚୋର ॥୧୫୫
ଶୁଣି କମ୍ପଇ ବସୁଦେବ । ବିପତ୍ତି ଦେଲୁ ହା ଦଇବ ॥୧୫୬
ହା କୃଷ୍ଣ ବୋଲିଣ ବିକଳ । ନୟନୁ ବହେ ଅଶ୍ରୁଜଳ ॥୧୫୭
ବୋଲଇ ଉଗ୍ରସେନେ ଚାହିଁ । ପୁତ୍ରକୁ ନେଉଅଛି ମୁହିଁ ॥୧୫୮
ବୋଲଇ ଉଗ୍ରସେନ ବୀର । କାଲି ମାରିବ କଂସାସୁର ॥୧୫୯
ଯେତେ ବାଳକ ତୋ'ର ଜାତ । ସବୁଙ୍କୁ କରଇ ସେ ହତ ॥୧୬୦
ମୁଁ କେହ୍ନେ ଛାଡ଼ିଦେବି ପଥ । ଶୁଣିଲେ କୋପିବ ଦଇତ୍ୟ ॥୧୬୧
ଶୁଣି ଆରତ ବସୁଦେବ । ବିକଳେ ଚିନ୍ତଇ ମାଧବ ॥୧୬୨
କମ୍ପଇ ବସୁଦେବ କାୟେ । ବଚନ ନ କହଇ ଭୟେ ॥୧୬୩
ପିଅର ବିକଳ ଦେଖିଣ । ବୋଲନ୍ତି ପ୍ରଭୁ ନାରାୟଣ ॥୧୬୪
ଶୁଣ ହୋ ବୀର ଉଗ୍ରସେନ । ଆମ୍ଭେ ସେ ଦେବ ଭଗବାନ ॥୧୬୫
ଜନମ ହୋଇ ବନ୍ଦୀଘରେ । ଦେବକୀ ଦେବୀଙ୍କ ଉଦରେ ॥୧୬୬
ଏବେ ଯାଉଛୁ ଗୋପପୁର । ଏ କଥା ପ୍ରଘଟ ନ କର ॥୧୬୭
ଭାରା ଯେ ନ ସହଇ ମହୀ । ଉଶ୍ୱାସ କରିବଇଁ ମୁହିଁ ॥୧୬୮
ଶୁଣି ବୋଲଇ ଉଗ୍ରସେନ । ତୁ ଯେବେ ଦେବ ଭଗବାନ ॥୧୬୯
ଦେଖାଅ ଶଙ୍ଖଚକ୍ର ଚିହ୍ନ । ସଂପ୍ରତେ ଯିବ ମୋର ମନ ॥୧୭୦
ବେଦ ବଚନେ ଦେବମାନେ । କହନ୍ତି ଶାହାସ୍ର ପୁରାଣେ ॥୧୭୧
ତୋହର ଚତୁର୍ଭୁଜ କର । ଦେଖାଅ ନିଜରୂପ ତୋ'ର ॥୧୭୨
ଭୃତ୍ୟର ତୋଷେ ଭାବଗ୍ରାହୀ । ଶଙ୍ଖଚକ୍ର ଚିହ୍ନ ଦେଖାଇ ॥୧୭୩
ଦେଖି ସାନନ୍ଦ ଉଗ୍ରସେନ । ଖଡଗ ପକାଇ ବହନ ॥୧୭୪
ବୋଲଇ ନିସ୍ତରିଲି ମୁହିଁ । ତୋ'ର ଶ୍ରୀମୁଖକୁ ଅନାଇଁ ॥୧୭୫
ଗୋପକୁ ଯିବ କିସ ଅର୍ଥେ । ମଥୁରା ନରହିଲ ଏଥେ ॥୧୭୬
ବୋଲନ୍ତି ଭକତବତ୍ସଳ । ଗୋକୁଳେ ସେବକ ମୋହର ॥୧୭୭
ଗୋପୀ ଅଛନ୍ତି ଷୋଳସସ୍ର । ସେ ଆମ୍ଭ ନିଜ ପ୍ରାଣ ଗାତ୍ର ॥୧୭୮
ଅଷ୍ଟମ ବରଷ ସଂପୂର୍ଣ୍ଣ । କଂସକୁ କରିବୁ ନିଧନ ॥୧୭୯
ତୋତେ ଦେବଇଁ ଅଇଶ୍ୱର୍ଯ୍ୟ । ଚିନ୍ତା ନ କର ଭୋଜରାଜ ॥୧୮୦
ଶୁଣି ସାନନ୍ଦ ଉଗ୍ରସେନ । ଚରଣେ କଲାକ ପ୍ରଣାମ ॥୧୮୧
ମୁଁ ତୋ'ର ଦାସର ସେବକ । ତେଣୁ ଦେଖିଲି ତୋ' ଶ୍ରୀମୁଖ ॥୧୮୨
ଅନେକମତେ ସ୍ତୁତି କରି । ପୁଣି ଚରଣ ତଳେ ପଡ଼ି ॥୧୮୩
ଶ୍ରୀମୁଖେ ତା'କୁ ଆଜ୍ଞା ଦେଲେ । ନୃପତି ହୋଇବୁ ବୋଇଲେ ॥୧୮୪
ସନ୍ତୋଷ ହୋଇ ନରହରି । ଉଗ୍ରସେନକୁ ଦେଲେ ଶାଢ଼ୀ ॥୧୮୫
ଦେଇ ବୋଲନ୍ତି ଦେବରାଜ । ଆଜହୁଁ ମଥୁରାରେ ରାଜ ॥୧୮୬
ଉଗ୍ରସେନକୁ ପୁଷ୍ଠମାଳୀ । ହରଷେ କୃଷ୍ଣ ଦେଲେ ତୋଳି ॥୧୮୭
ପାଟେ ବାନ୍ଧିଲା ଉଗ୍ରସେନ । ବୋଲଇ ଯାଅ ଭଗବାନ ॥୧୮୮
ଆନନ୍ଦେ ପଥ ଛାଡ଼ିଦେଇ । ବୋଲଇ ନିସ୍ତରିଲି ମୁହିଁ ॥୧୮୯
ତହୁଁ ଚଳିଲେ ଚକ୍ରଧାରୀ । ପାଛୋଟି ଯାଏ ଦଣ୍ତଧାରୀ ॥୧୯୦
ଏମନ୍ତେ କିଛି ଦୂର ଗଲା । ଆଜ୍ଞା ପାଇଣ ବାହୁଡ଼ିଲା ॥୧୯୧
ହରଷ ଚିତ୍ତେ ବସୁଦେବ । ହୃଦେ ଚିନ୍ତଇ ପଦ୍ମନାଭ ॥୧୯୨
ନଦୀର ତୀରେ ଯାଇ ମିଳି । ଦେଖିଲା ଯମୁନା ଉଚ୍ଛୁଳି ॥୧୯୩
ଯମର ବହେଣୀ ଯୁକତ । ଗଭୀର କେ କରିବ ଅନ୍ତ ॥୧୯୪
ବହଇ ଅତି ଖରତର । ଫେନ-ସ୍ରୋତରେ ଭୟଙ୍କର ॥୧୯୫
ନଦୀରେ ପଶିଲା ବହନ । କାତରେ ଅତି ଭୟମନ ॥୧୯୬
ନାସାରେ ପଶନ୍ତେଣ ପାଣି । ଶିରେ ବସାଇ ଚକ୍ରପାଣି ॥୧୯୭
ବୁଡ଼ିଣ ଯା'ନ୍ତେ ବସୁଦେବ । ହୃଦେ ଚିନ୍ତଇ ବାସୁଦେବ ॥୧୯୮
ହରି ସୁମରେ ଯହୁଁ ଖରେ । ଯମୁନା ଜାଣିଲା ନିର୍ଭରେ ॥୧୯୯
ମୋହର ସୌଭାଗ୍ୟ ହୋଇଲା । ମାଧବ ଏଥେ ବିହରିଲା ॥୨୦୦
ପୂର୍ବେ ମୋ' ଯେତେ ପାପ ଥିଲା । ଶ୍ରୀକୃଷ୍ଣ ଦର୍ଶନେ ଛାଡ଼ିଲା ॥୨୦୧
ନାନା ସ୍ତୁତିରେ ପାଦବନ୍ଦି । କୃତାର୍ଥ ହୋଇଲା କାଳିନ୍ଦୀ ॥୨୦୨
ତକ୍ଷଣେ ଜଳ ଛାଡ଼ିଗଲା । ଗୋଡ଼ ଝୁଣ୍ଟିଆଣି ହୋଇଲା ॥୨୦୩
ହରିଙ୍କି ଦେଖି ଭୟ କଲା । ବାଲିବନ୍ତରେ ବାଟ ଦେଲା ॥୨୦୪
ଚଳିଲେ ନଦୀ ପାର ହୋଇ । କୃଷ୍ଣଙ୍କୁ ହୃଦରେ ଲଗାଇ ॥୨୦୫
ମିଳିଲେ ଯାଇ ଗୋପପୁରେ । ସଭୟେ ନନ୍ଦର ମନ୍ଦିରେ ॥୨୦୬
ନିଦ୍ରା ମୋହିତ ସର୍ବଜନ । ଭୟେ ଚାହଁଇ ଛନଛନ ॥୨୦୭
ପ୍ରସବ କରି ନନ୍ଦରାଣୀ । ଅଚେତେ ଶୟନ ଧରଣୀ ॥୨୦୮
ଅମ୍ବିକା ହୋଇଛନ୍ତି ଜାତ । ଜଗତ ନିଦ୍ରାରେ ମୋହିତ ॥୨୦୯
ଯଶୋଦା କୋଳେ କୃଷ୍ଣ ଥୋଇ । କନ୍ୟା ଆଣିଲା ପାଲଟାଇ ॥୨୧୦
ମିଳିଲା ଦେବକୀ ନିକଟ । ତକ୍ଷଣେ ପଡ଼ିଲା କବାଟ ॥୨୧୧
ଲାଗିଲା ଚରଣେ ଶାଙ୍କୋଳି । ଦୁହିତା ଛାଡ଼ିଲା ବୋବାଳି ॥୨୧୨
ହରି ଚରିତ ସୁଧାବାଣୀ । ଶୁଣି ନିର୍ମଳ ହୁଅ ପ୍ରାଣୀ ॥୨୧୩
ଶ୍ରୀକୃଷ୍ଣ ଜନ୍ମ ରସଭର । ଶୁଣି ସଂସାରୁ ହୁଅ ପାର ॥୨୧୪
ପରୀକ୍ଷେ କହେ ଶୁକମୁନି । ପୁରାଣ ରସଗୀତ ବାଣୀ ॥୨୧୫
ହରିଚରିତ ଭାଗବତ । କହଇ ଦାସ ଜଗନ୍ନାଥ ॥୨୧୬
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ କୃଷ୍ଣଜନ୍ମନି ଚତୁର୍ଥୋଽଧ୍ୟାୟଃ ॥
ପଞ୍ଚମ ଅଧ୍ୟାୟ
[ସମ୍ପାଦନା]ଶୁଣି ସାନନ୍ଦମନେ ରାଜା । ମୁନିଚରଣେ କଲେ ପୂଜା ॥୧
ଆନନ୍ଦେ ଲୋଟଇ ଧରଣୀ । କୁତାର୍ଥ କୃଷ୍ଣଜନ୍ମ ଶୁଣି ॥୨
ଭକତି ଦେଖିଣ ତାହାର । କହନ୍ତି ବ୍ୟାସଙ୍କ କୁମର ॥୩
- ଶୁକ ଉବାଚ
ଶୁଣ ପରୀକ୍ଷ ଦଣ୍ତଧାରୀ । ଶିଶୁକୁମାରୀ ରାବ କରି ॥୪
ଶୁଣି ପ୍ରହରୀ ବେଗେ ଗଲେ । କଂସ ଛାମୁରେ ଜଣାଇଲେ ॥୫
ଶୁଣି ଅସୁର ମହାବଳ । ବୋଲଇ ପୂରିଲା ମୋ' କାଳ ॥୬
ଶଯ୍ୟା ଉପେକ୍ଷି ବେଗେ ଉଠି । ଖଡ଼ଗ୍ କଲା ଦୃଢ଼ମୁଷ୍ଟି ॥୭
ଧାଇଁଲା ପବନହୁଁ ଖରେ । ବେଗେ ମିଳିଲା ବନ୍ଦୀଘରେ ॥୮
ପିନ୍ଧିଲା ବସ୍ତ୍ର ଅସମ୍ଭାଳ । ଫିଟିଲା ଦୃଢ଼ବନ୍ଧ ବାଳ ॥୯
କବାଟ ଫେଡ଼ାଇ ପଶିଲା । ଦେଖି ଦେବକୀ ଭୟ କଲା ॥୧୦
କଂସ କମ୍ପଇ କୋପଭରେ । ରତ୍ନମୁକୁଟ ଅଛି ଶିରେ ॥୧୧
ଦେଖିଣ କମ୍ପଇ ଦେବକୀ । କାନ୍ଦଇ ଅତି ଦୁଃଖେ ଦୁଃଖୀ ॥୧୨
ବୋଲଇ ଶୁଣ ନରନାଥ । ହୋଇଲା ଦୁହିତା ଏ ଜାତ ॥୧୩
ଏହାକୁ ସଂହାର ନ କର । ବଇରୀ ନୁହଁଇ ଏ ତୋ'ର ॥୧୪
ଯେବେ ତୁ କରିବୁ ସଂହାର । ପ୍ରାଣ ତେଜିବି ତୋ' ଉପର ॥୧୫
ଦୁହିତା ଦାନ ଦେଇ ରଖ । ନୋହିଲେ ହୋଇବି ନିରେଖ ॥୧୬
ସଙ୍ଖାଳି ହେଉ ବୃଦ୍ଧକାଳେ । ପଡୁଛି ତୋ'ର ପାଦତଳେ ॥୧୭
ତୋର ପୁତ୍ରକୁ ଏହା ଦେବି । ଆନନ୍ଦେ ବିଭା କରାଇବି ॥୧୮
ବହୁତ ଦେଲୁ ଗର୍ଭକଷ୍ଟ । ପୋଡ଼ୁ ନିର୍ଲ୍ଲଜ ମୋର ପେଟ ॥୧୯
ଆଉ ବୟସ ମୋର କାହିଁ । ପାରିବି ପୁତ୍ର ଉପୁଜାଇ ॥୨୦
ଶୁଣି ଦାନବ ମହାବଳୀ । କୋପେ କମ୍ପଇ ପରଜ୍ଜ୍ୱଳି ॥୨୧
ଦେଖିଣ ଚକିତ ଦେବକୀ । ଭୟେ ବୁଜିଲା ବେନି ଆଖି ॥୨୨
କୋଳରେ ଲୁଚାଇ ଦୁହିତା । ଶରଣ ଗଲି ରଖ ଭ୍ରାତା ॥୨୩
କଂସ ବୋଲଇ ଶିର ଝୁଣି । ତୁ ଛାର ମୋହର ବହେଣୀ ॥୨୪
ବସୁଦେବର ଦୋଷ ନାହିଁ । ତୁ ମୋତେ ଅଛୁ ବାଟ ଚାହିଁ ॥୨୫
ମୋର ମରଣ ତୋ'ର ସୁଖ । ତେଣୁ ପାଉଛୁ ତୁହି ଦୁଃଖ ॥୨୬
ତୁ କାହିଁ ଜାଣୁ ହରିମାୟା । ଅସୁରେ ବଡ଼ ସେ ନିର୍ଦ୍ଦୟା ॥୨୭
ନାନା ରୂପରେ ହୋଇ ଜାତ । ଅସୁର କରଇ ନିପାତ ॥୨୮
ବଇଲୋଚନ ବୀର ଥିଲା । ଭାରିଯା ରୂପେଣ ମାଇଲା ॥୨୯
ସ୍ତିରୀ ମୂରତି ଧରି ଚଣ୍ତୀ । ଅନେକ ଦୈତ୍ୟ ଶିର ଖଣ୍ତି ॥୩୦
ମହିଷ ମାରି ଦୁର୍ଗା ହୋଇ । ତା'ମାୟା ନ ଜାଣୁ ଲୋ ତୁହି ॥୩୧
ରକତବୀର୍ଯ୍ୟ ଚଣ୍ତମୁଣ୍ତ । ଘୋଟନ୍ତି ମହୀ ନବଖଣ୍ତ ॥୩୨
ଦୁର୍ଗାର ହସ୍ତେ ପ୍ରାଣ ଦେଲେ । ଆବର ଯେତେ ଦୈତ୍ୟ ଥିଲେ ॥୩୩
ଛ ପୁତ୍ର ଦେଇ ମୁରୁଛିଲୁ । ଏବେ ତୁ ଦୁହିତା ଇଚ୍ଛିଲୁ ॥୩୪
ଦୁହିତା ଆଶ ଛାଡ଼ ଆଈ । ଏ ମୋର ବଇରୀ ଅଟଇ ॥୩୫
ଯାହା କହିଲେ ବିଶ୍ୱକେତୁ । ଅଷ୍ଟମ ଗର୍ଭ ମୋର ଶତ୍ରୁ ॥୩୬
ନାରଦ କହିଛନ୍ତି ମୋତେ । ମରିବି ତୋ'ର ପୁତ୍ର ହସ୍ତେ ॥୩୭
ଅଷ୍ଟମଗର୍ଭ ମୋ' ବଇରୀ । ଏହାକୁ ପକାଇବି ମାରି ॥୩୮
ଦେବକୀ ଦୁହିତା ସେନେହ । କଂସେ କରଇ ଗରୁ କୋହ ॥୩୯
ଚାହିଁଲା ଅଧର କାମୋଡ଼ି । କୋଳରୁ ଆଣିଲା ଉଛୁଡ଼ି ॥୪୦
ବେନିଚରଣ ଧରି କରେ । ବୁଲାଇ ପିଟିଲା ଶିଳାରେ ॥୪୧
ଯେ ଦେବୀ ଜଗତସଂହାରେ । କାହାର ବଳ ତା'କୁ ମାରେ ॥୪୨
କଂସର ହସ୍ତରୁ ଉଛୁଳି । ଆକାଶେ ଯେସନେ ବିଜୁଳି ॥୪୩
ତେଜେ ଦଶଦିଗ ବିରାଜେ । ବେନିଚରଣ ଅଷ୍ଟଭୁଜେ ॥୪୪
କେ କହୁ ଦେବୀ ଆଭରଣ । ଅଙ୍ଗଦ ନୂପୁର କଙ୍କଣ ॥୪୫
ଗନ୍ଧଚନ୍ଦନ-ପୁଷ୍ପମାଳୀ । ତେତିଶ କୋଟି ଦେବେ ମିଳି ॥୪୬
ସ୍ତୁତି କରନ୍ତି ସୁର ମୁନି । କଂସକୁ ବୋଲନ୍ତି ଭବାନୀ ॥୪୭
ରେ କଂସ ଶୁଣ ମୋ' ଉତ୍ତର । ତୋର ବଇରୀ ଚକ୍ରଧର ॥୪୮
ସେ ତୋତେ କରିବେ ସଂହାର । ଆବର ଯେତେକ ଅସୁର ॥୪୯
ତୋହର ପାଇଁ ଦେହ ବହି । ଜାତ ହୋଇଲେ ଯହିଁ ତହିଁ ॥୫୦
ତୁ ମୋତେ ନ ଜାଣି କଚାଡୁ । ନିୟତ ପଥ କି କେ ହୁଡ଼ୁ ॥୫୧
ଦେବେ ଯେ ତୋହର ବଇରୀ । ତାହାଙ୍କ ବୋଲକୁ ତୁ ଡରି ॥୫୨
ଛ ପୁତ୍ର ମାଇଲୁ ଏହାର । ଧର୍ମକୁ ଛାଡ଼ିଲୁ ଅସୁର ॥୫୩
ଏବେ ମୁଁ କହୁଅଛି ତୋତେ । ହରିଙ୍କି ଭାବ ହୃଦଗତେ ॥୫୪
ସେ ବିଶ୍ୱମ୍ଭର ବିଶ୍ୱମୂର୍ତ୍ତି । ଭାବିଲେ ପାଇବୁ ମୁକତି ॥୫୫
ସେ ହରି ତୋହର ବଇରୀ । ତୋ'ର ମରଣେ ଅବତରି ॥୫୬
ସେ ଶୂନ୍ୟପୁରୁଷ ଗୋସାଇଁ । ତାହା ଭେଟିବୁ ଅବା କାହିଁ ॥୫୭
ଏବେ ତୁ ଶୁଣ କଂସ ବୀର । ଏ ତୋର ବହେଣୀ ସୋଦର ॥୫୮
ଏହାଙ୍କୁ ବନ୍ଦୀଘରୁ ଫେଡ଼ି । ବେନି ଚରଣତଳେ ପଡ଼ି ॥୫୯
ତୋଷିଣ ନିଅ ନିଜପୁର । ତୋ'ର ବଇରୀ ପିତାମ୍ବର ॥୬୦
କହି ଚଳିଲେ ନିଜସ୍ଥାନ । ଉଚ୍ଚାଟ କରି କଂସ ମନ ॥୬୧
ଯାହା କହିଲେ ଜଗନ୍ମାଥ । ଜଗତେ ହୋଇଲା ବିଖ୍ୟାତ ॥୬୨
ଦେବୀ ବଚନ କଂସ ଶୁଣି । ବିଚାର କଲା ମନେ ଗୁଣି ॥୬୩
ନ ଜାଣି ବିଧାତାର ଗତି । ସୋଦରେ କଲଇଁ ଅନୀତି ॥୬୪
ଅନେକ କଲଇଁ ମୁଁ ଦୋଷ । କେମନ୍ତେ ହୋଇବ ବିଶ୍ୱାସ ॥୬୫
କିସ କରିବି ବୋଲି ଭାଳି । ଚରଣୁଁ ଫେଡ଼ିଲା ଶାଙ୍କୋଳି ॥୬୬
ଚାହିଁଲା ଦେବକୀ ବଦନ । ବୋଲଇ ମଧୁର ବଚନ ॥୬୭
ଦେବକୀ ବସୁଦେବ ଶୁଣ । ତୁମ୍ଭରେ କଲି ଦ୍ରୋହପଣ ॥୬୮
ମୁହିଁ ତ ସ୍ୱଭାବେ ଅସୁର । ଭଣଜା ମାଇଲି ମୋହର ॥୬୯
ତୁମ୍ଭଙ୍କୁ ଦେଲି ପୁତ୍ରକଷ୍ଟ । ମୋହର ଧର୍ମ କଲି ନଷ୍ଟ ॥୭୦
ସଂସାରେ କଲି ଅପଯଶ । ନରକେ ହୋଇବି ପ୍ରବେଶ ॥୭୧
ଦେହ ବହିଲେ ନିଶ୍ଚେ ମରି । ସଂସାର ନୁହଁଇ କାହାରି ॥୭୨
ବୃକ୍ଷର ତଳେ ଯେହ୍ନେ ଆସି । ପଥୁକୀ ବିଶ୍ରାମନ୍ତି ବସି ॥୭୩
ପୁଣି ଚଳନ୍ତି ଶ୍ରମ ସାରି । ସେ ବୃକ୍ଷ ନୁହଁଇ କାହାରି ॥୭୪
ତେମନ୍ତ ମାୟା ଏ ସଂସାର । କେ ମାତା କେ ପିତା କୁମର ॥୭୫
ଅର୍ଜିଲା କର୍ମେ ଆତଯାତ । ମାୟାଭିଆଣ ତାତମାତ ॥୭୬
ବିଧି ବିଚାରେ ଯାହା କରି । ଭୁଞ୍ଜଇ ସେ ଫଳ ଆବୋରି ॥୭୭
ଦୋଷ କରିବା ମୋର କ୍ଷମା । ସ୍ୱଭାବେ ମୁହିଁ ଦୁରାତମା ॥୭୮
ଏମନ୍ତ ବୋଲି ଶୋକ କରି । ପାଦେ ପଡ଼ିଲା କରଯୋଡ଼ି ॥୭୯
ସହୃଦପଣ ଦେଖାଇଲା । ଅନେକ ଧନରତ୍ନ ଦେଲା ॥୮୦
ନିଜ ମନ୍ଦିରେ ଦେଲା ବାସ । ଅନେକ କରାଇ ବିଶ୍ୱାସ ॥୮୧
କଂସ ଭକତିଭାବ ଦେଖି । ସନ୍ତାପ ଛାଡ଼ିଲା ଦେବକୀ ॥୮୨
ସନ୍ତୋଷ ହୋଇ ବସୁଦେବ । ଦିନକୁ ଦିନ ବଡ଼ ଭାବ ॥୮୩
ଏମନ୍ତେ ରଜନୀ ପାହିଲା । କଂସ ସଭାରେ ବିଜେକଲା ॥୮୪
ଅସୁରଗଣଙ୍କୁ ବସାଇ । କହଇ ବିଶ୍ୱାସ କରାଇ ॥୮୫
ଶୂନ୍ୟେ ଚଣ୍ତିକା ଯାହା ଭଣି । ସବୁ କହିଲା ପରିମାଣି ॥୮୬
କଂସର ଦେଖିଣ କାତର । ଅସୁରେ ବୋଲନ୍ତି ଉତ୍ତର ॥୮୭
ଶୁଣ ହୋ ଭୋଜନୃପମଣି । ଯାହା କହିଲେ ନାରାୟଣୀ ॥୮୮
ତୋହର ଆଜ୍ଞା ଘେନି ଶିରେ । ବୁଲିବୁ ସକଳ ଦେଶରେ ॥୮୯
ଦିନକଠାରୁ ଯେତେ ବାଳ । ସବୁରି ପୂରାଇବୁ କାଳ ॥୯୦
ଯେତେ ବାଳକ ବସୁନ୍ଧରୀ । ସକଳ ପକାଇବୁ ମାରି ॥୯୧
ତୁ କିମ୍ବା ଡରୁ ଦେବଗଣେ । ସେବନ୍ତି ତୋହର ଚରଣେ ॥୯୨
ତୋ ତୁଲେ କେ କରୁ ସଂଗ୍ରାମ । ଦେବେ ନୁହଁନ୍ତି ସରିସମ ॥୯୩
ତୋହର ଶୁଣି ଧନୁଘୋଷେ । ପଳାନ୍ତି ସଂଗ୍ରାମୁଁ ତରାସେ ॥୯୪
ଜୀବନ ପାଇଁ ଛାଡ଼ି ରଣ । ବେଗେ ପଳାନ୍ତି ଦେବଗଣ ॥୯୫
କେ ପିନ୍ଧି ନ ପାରନ୍ତି ବାସ । କାହାର ଭୟେ ଫିଟେ କେଶ ॥୯୬
ନିସତେ ନ ପଳାନ୍ତି ଯେହୁ । ନ ମାରି ତାଙ୍କୁ ଦୟା ବହୁ ॥୯୭
ଜୀବନ ପାଇଁ ଯା'ର ଆଶ । ସେ ତୋ'ର କରିବେଟି କିସ ॥୯୮
ତହୁଁ ଅଧିକ ତିନି ଦେବ । ବ୍ରହ୍ମା ଶଙ୍କର ପଦ୍ମନାଭ ॥୯୯
ଆତ୍ମାର ସୁଖେ ସେ ରମନ୍ତି । ସେ କିମ୍ବା ତୋତେ ବାଦ ଚିନ୍ତି ॥୧୦୦
ଅଗାଧ କ୍ଷୀରସିନ୍ଧୁ ଜଳେ । ଶୟନ ଅନନ୍ତର କୋଳେ ॥୧୦୧
ପାଦେ ଖଟନ୍ତି ବେନି ନାରୀ । ସୁଖେ ଶୟନ ଦେବ ହରି ॥୧୦୨
ସେ କାହିଁ ତୋ'ର ତୁଲେ ରଣ । ମିଥ୍ୟା କହିଲେ ଦେବଗଣ ॥୧୦୩
ବ୍ରହ୍ମା ତ ଥାଇ ତା'ର ସୁଖେ । ଚିନ୍ତା କରଇ ତିନିଲୋକେ ॥୧୦୪
ତପହୁଁ ନଜାଣଇ ଆନ । ଚିନ୍ତଇ ପ୍ରଭୁ ଭଗବାନ ॥୧୦୫
କୃଷ୍ଣହୁଁ ନ ଜାଣଇ କିଛି । ସେ କିପାଁ ତୋତେ ବାଦ ଇଚ୍ଛି ॥୧୦୬
ଈଶ୍ୱର ରହେ ଭୂତମେଳେ । ଅମ୍ବିକା ଥାଇ ତା'ର କୋଳେ ॥୧୦୭
ସେ କିପାଁ ସମର କରିବ । ନିତ୍ୟେ ଉଦାସୀ ସଦାଶିବ ॥୧୦୮
ଇନ୍ଦ୍ର ତ ବଳେ ନୋହେ ସରି । ତୋତେ ତ ଦିଗପାଳେ ଡରି ॥୧୦୯
ତୋ'ର ବଇରୀ ଯେବେ ହରି । ସେ ଥାଇ ସର୍ବଘଟେ ପୂରି ॥୧୧୦
କେ ତା'କୁ ପାଇବ ତ୍ରିଲୋକେ । ଶୁଣ କହିବା କଉତୁକେ ॥୧୧୧
ଦେବତାମାନେ ତା'ର ମୂଳ । ଯେ ଧର୍ମ ଧରିଛି ଶୟଳ ॥୧୧୨
ଦେବେ ତାହାର ତହୁଁ ଜନ୍ମ । ବେଦରୁ ଯେହ୍ନେ ନିତ୍ୟକର୍ମ ॥୧୧୩
ଗୋରୁ ବ୍ରାହ୍ମଣ ଯଜ୍ଞଦାନ । ତୀର୍ଥ ଦକ୍ଷିଣା ତପ ଶ୍ରମ ॥୧୧୪
ତପ କରନ୍ତି ଯେତେ ଲୋକେ । ବିଷ୍ଣୁଙ୍କୁ ଭଜନ୍ତି ଯେ ଥୋକେ ॥୧୧୫
ଶ୍ରଦ୍ଧା କରନ୍ତି ଯେହୁ ଧର୍ମେ । ଦୟା କରନ୍ତି ଦୁଃଖୀଜନେ ॥୧୧୬
କରନ୍ତି ପର ଉପକାର । ଯମଲୋକକୁ ଯା'ର ଡ଼ର ॥୧୧୭
ଏହାଙ୍କ ଦେହେ ଥାଇ ହରି । ଏ ମଲେ ମରଇ ମୁରାରି ॥୧୧୮
ଏ ଆମ୍ଭ ଉଚିତ ବିଚାର । ଏମନ୍ତେ ଶତ୍ରୁଯିବ ମା'ର ॥୧୧୯
ଅଇରୀ ବାଳକାଳୁଁ ମାରି । ନ ମଲେ ଦିନୁ ଦିନ ବଢ଼ି ॥୧୨୦
ଦେହରେ ବ୍ୟାଧି ଜନ୍ମକାଳେ । ହେଳା ଯେ କରେ ସୁଖଭୋଳେ ॥୧୨୧
ସେ ଯେହ୍ନେ ନିରତେ ବଢ଼ଇ । ଶତ୍ରୁର ସ୍ୱଭାବଟି ଏହି ॥୧୨୨
ଆଜ୍ଞା ତୁ ଦିଅ ବେଗ କରି । ହରିଙ୍କି ପକାଇବୁ ମାରି ॥୧୨୩
ଭାଜିବୁ ପ୍ରସାଦ ଅଟ୍ଟାଳୀ । ଗୋରୁ ବ୍ରାହ୍ମଣ ଆଦି ମାରି ॥୧୨୪
ଯଜ୍ଞ ଭାଙ୍ଗିବୁ ମୁନିଙ୍କର । ଯେ ଧର୍ମନୀତିର ବେଭାର ॥୧୨୫
ଦ୍ୱାଦଶ ଦିବସ ବାଳକ । ଖୋଜି ମାରିବୁ ଲକ୍ଷ ଲକ୍ଷ ॥୧୨୬
ଧର୍ମ ବିଧ୍ୱଂସେ କର ଆଶ । ଦେବେ କରିବେ ଆନ କିସ ॥୧୨୭
ଏବେ ତୁ କର ସ୍ନାନ କର୍ମ । କୁଳର ଯେ ବିଧିବିଧାନ ॥୧୨୮
ଅସୁରବଳ ବୋଲ ଶୁଣି । କଂସ ଆନନ୍ଦମନେ ଗୁଣି ॥୧୨୯
ଅନେକ କଲା ପରଶଂସା । ହିତ ମଣିଲା ବିଷ୍ଣୁହିଂସା ॥୧୩୦
ଜଣ ଜଣକେ ଶାଢ଼ି ଦେଲା । ବଇରୀ ସଂହାର ବୋଇଲା ॥୧୩୧
ଅସୁରେ କଲାକ ବିଶ୍ୱାସ । ଅମୃତ ମଣିଲାକ ବିଷ ॥୧୩୨
କଂସ ଆଦେଶ ଘେନି ବେଗେ । ଅସୁରେ ଗଲେ ଦଶଦିଗେ ॥୧୩୩
ତକ୍ଷଣେ ହୋଇ କାମରୂପୀ । ପଶିଲେ ବନ ଗିରିବ୍ୟାପୀ ॥୧୩୪
ଗ୍ରାମ ପାଟଣା ପୁର ଦେଶ । ଅନେକ ଶିଶୁ କଲେ ନାଶ ॥୧୩୫
ଦାନବବୁଦ୍ଧି ମୂଢ଼ପଣ । ସାଧୁଙ୍କୁ ଦିଅନ୍ତି କଷଣ ॥୧୩୬
କଂସ ବଇରୀ ଅଛି କାହିଁ । ନିତ୍ୟେ ଖୋଜନ୍ତି ଭାବଗ୍ରାହୀ ॥୧୩୭
ତାମସ ଗୁଣ ଆଚରିଲେ । ନିକଟେ ମରଣ ଲୋଡ଼ିଲେ ॥୧୩୮
ଆୟୁଷ ବଳ ଯଶ ଧର୍ମ । ଲୋକ ଆଶିଷ ଶୁଭକର୍ମ ॥୧୩୯
ଏ ଆଦି ସର୍ବନାଶ କରେ । ଯେ ହିଂସା କରିଥା'ନ୍ତି ପରେ ॥୧୪୦
ସୁଜନେ ଶୁଣ ହରିକଥା । ଫିଟିବ ଭବବନ୍ଧ ବ୍ୟଥା ॥୧୪୧
କୀଟରୁ ବ୍ରହ୍ମଲୋକ ଯାଏ । ହିଂସ୍ରକ ହରିଙ୍କି ନ ପାଏ ॥୧୪୨
ସେ ହରି ଦୁଃଖୀଙ୍କ ସୋଦର । ହିଂସା ନାଶିବେ ପ୍ରଭୁ ମୋ'ର ॥୧୪୩
କୃଷ୍ଣର ପାଦେ ଦେଇ ଚିତ୍ତ । କହଇ ଦାସ ଜଗନ୍ନାଥ ॥୧୪୪
ଇତି ଶ୍ରମଦ୍ଭାଗବତେ ମହାପୁରାଣେ ପାରମହଁସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ପଞ୍ଚମୋଽଧ୍ୟାୟଂ ॥
ଷଷ୍ଠ ଅଧ୍ୟାୟ
[ସମ୍ପାଦନା]ବ୍ୟାସକୁମର ମୁଖୁଁ ଶୁଣି । ଅମୃତ ଭାଗବତ ବାଣୀ ॥୧
ଆନନ୍ଦେ ପୁଲକିତ ହୋଇ । ମୁନିଚରଣେ ଶିର ଦେଇ ॥୨
ଉଠି ଯୋଡ଼ିଣ ବେନିକର । ରାଜନ ବୋଇଲ ଉତ୍ତର ॥୩
- ପରୀକ୍ଷିତ ଉବାଚ
ଭୋ ମୁନି ହୋଇଲି ପବିତ୍ର । ଶୁଣି ଚରିତ ଭାଗବତ ॥୪
କୃଷ୍ଣଙ୍କୁ ବସୁଦେବ ନେଇ । ଅଇଲା ନନ୍ଦଘରେ ଥୋଇ ॥୫
ତହିଁକି କଲେ ବନମାଳୀ । ଶୁଣିବି କୃଷ୍ଣ ବାଳକେଳି ॥୬
କହି ପବିତ୍ର ମୋତେ କର । ସେବଇଁ ଚରଣେ ତୁମ୍ଭର ॥୭
ଶୁଣି ସାନନ୍ଦ ମୁନିବର । ବୋଲନ୍ତି ଶୁଣ ଦଣ୍ତଧର ॥୮
- ଶୁକ ଉବାଚ
ନିଦ୍ରା ଜଗତ ମୋହିଥିଲା । ପାଲଟି ବସୁଦେବ ନେଲା ॥୯
ଦେବକୀ କୋଳରେ ରଖିଲା । କଂସର ହସ୍ତୁ ଶୂନ୍ୟେ ଗଲା ॥୧୦
ଏମନ୍ତେ ପାହିଲା ରଜନୀ । ଶୁଣ ତୁ ବୀର ଚୂଡ଼ାମଣି ॥୧୧
ଚେତି ଚାହିଁଲା ନନ୍ଦରାଣୀ । ଚିଆଇଁ ଉଠି ସୁଲକ୍ଷଣୀ ॥୧୨
ଦେଖିଲା ହୋଇଛି ତନୟେ । ନନ୍ଦକୁ କହିଲେ ଥୋକାଏ ॥୧୩
ଶୁଣି ମିଳିଲା ବେଗେ ନନ୍ଦ । ପୁତ୍ରକୁ ଦେଖିଣ ଆନନ୍ଦ ॥୧୪
ଯେତେ ଯଶୋଦା ପରିବାରୀ । ରାଇ ଆଣିଲେ ଗୋପନାରୀ ॥୧୫
ବ୍ରାହ୍ମଣେ ମିଳିଲେ ଗହଳ । ଶୁଣିଲେ ପୁତ୍ର ଜନ୍ମ ଗୋଳ ॥୧୬
ନନ୍ଦ ଦେଖିଣ ଦ୍ୱିଜଗଣ । ତକ୍ଷଣେ ପୂଜିଲା ଚରଣ ॥୧୭
ବେଗେ ସେ ହୋଇ ଶୁଚିବନ୍ତ । କାଞ୍ଚନ ଆଣିଲା ବହୁତ ॥୧୮
ବ୍ରାହ୍ମଣେ କଲେ ବେଦଧ୍ୱନି । ମଙ୍ଗଳ ଶୁଭଲଗ୍ନ ଘେନି ॥୧୯
କରାଇ ଜାତକର୍ମ ବିଧି । ଦେବତା ପିତୃଙ୍କୁ ଆରାଧି ॥୨୦
ବିପ୍ରଙ୍କୁ ଅନେକ ପୂଜିଲା । ବେନିନିୟୁତ ଧେନୁ ଦେଲା ॥୨୧
ମଣ୍ତିଣ ବସ୍ତ୍ର ଅଳଙ୍କାର । ଚନ୍ଦନ କୁସୁମ ଚାମର ॥୨୨
ତିଳପର୍ବତ ମାନ କରି । ଦେଲା କାଞ୍ଚନ ବସ୍ତ୍ର ଭରି ॥୨୩
ବିପ୍ରେ ପଢ଼ିଲେ ବେଦ ଚାରି । ରଙ୍ଗେ ନାଚନ୍ତି ଗୋପନାରୀ ॥୨୪
ସୂତ ମାଗଧ ବନ୍ଦୀ ମିଳି । ଗାବନ୍ତି ମଙ୍ଗଳ ଉଚ୍ଚାରି ॥୨୫
ବାଜଇ ବୀରତୂରୀ ଭେରୀ । ଆନନ୍ଦେ ମଙ୍ଗଳମହୁରୀ ॥୨୬
ନନ୍ଦର ଘରେ ପୁତ୍ରଜାତ । ଚହଳ ଶୁଭେ ଅପ୍ରମିତ ॥୨୭
ଗୋପନଗରେ ଯେତେ ଲୋକେ । ଚିଆଇଁ ଧାଇଁଛନ୍ତି ଥୋକେ ॥୨୮
ସୁଖେଣ ପାହିଲା ରଜନୀ । ବାହାର ହୋଇଲେ କାମିନୀ ॥୨୯
ଅଗଣା ଖରକି ପହଁରା । ଚନ୍ଦନ ଗୋଳି ଦ୍ୟନ୍ତି ଛେରା ॥୩୦
ଦୁଆରେ ସୁବର୍ଣ୍ଣ କଳସେ । ତୋରଣା ଲମ୍ବାନ୍ତି ହରଷେ ॥୩୧
ଗୋରୁଙ୍କୁ ମଣ୍ତନ୍ତି ଗୋପାଳେ । ବସ୍ତ୍ର ଭୂଷଣ ଫୁଲମାନେ ॥୩୨
ବୃଷଭ ସୁରଭି ବାଛୁରୀ । ହଳଦୀ ତେଲ ତାଙ୍କୁ ବୋଳି ॥୩୩
ଗଉଡ଼େ ଶୁଚିବନ୍ତ ହୋଇ । ଯେ ଯାହା ଅଳଙ୍କାର ନେଇ ॥୩୪
ହାର କଙ୍କଣ କର୍ଣ୍ଣଫୁଲ । ବାଜେଣୀ ନୂପୁର ଅମୂଲ୍ୟ ॥୩୫
ଏମନ୍ତେ ପିନ୍ଧି ଅଳଙ୍କାର । ହସ୍ତେ ଘେନିଲେ ଦୁର୍ବାଙ୍କୁର ॥୩୬
ଏକ ଆରକେ ଆଗ ହୋଇ । ମିଳିଲେ ନନ୍ଦଘରେ ଯାଇ ॥୩୭
ଗୋପୀଏ ନିତ୍ୟକର୍ମ ସାରି । ଦେହରେ ଅଳଙ୍କାର ଭରି ॥୩୮
ପିନ୍ଧିଲେ ନାନା ବସ୍ତ୍ରମାନ । ଆନନ୍ଦେ ମନ ଛନ୍ନ ଛନ୍ନ ॥୩୯
ହସ୍ତରେ ଘେନି ଅର୍ଘ୍ୟଥାଳୀ । ରଙ୍ଗେ ଚଳିଲେ ଗୋପବାଳୀ ॥୪୦
ଏକ ଆରକେ ଯା'ନ୍ତି ଜିଣି । ଚରଣେ ନୂପୁର ବାଜେଣୀ ॥୪୧
କେହି ଲେଉଟି ନ ଚାହାଁନ୍ତି । ଆକାଶେ ଯେହ୍ନେ ହଂସପନ୍ତି ॥୪୨
ଚଳନ୍ତି ଶ୍ରବଣେ କୁଣ୍ତଳ । ନିତମ୍ବ କୁଚ ହେମମାଳ ॥୪୩
ଆକାଶେ ଦେବେ ଛନ୍ତି ଚାହିଁ । ଗୋପୀ ଚଳନ୍ତି ଗୀତଗାଇ ॥୪୪
ଯା'ନ୍ତେ ବିରାଜେ ମହୀସ୍ଥଳୀ । କ୍ଷଣ କ୍ଷଣକେ ହୁଳହୁଳି ॥୪୫
କବରୀ ଫିଟି ଫୁଲମାଳ । ଯା'ନ୍ତେ ପଡ଼ଇ ମହୀତଳ ॥୪୬
କୃଷ୍ଣଙ୍କୁ ଯାଉଛନ୍ତି ଦେଖି । ଆନନ୍ଦ କେ ପାରିବ ଲେଖି ॥୪୭
ଦିଶଇ ନନ୍ଦ ନିଜ ବାସ । କି ଜିଣି ତପନ ତରାସ ॥୪୮
ଆକାଶ ମଣ୍ତଣି ପରାୟେ । ତେଜେ ସକଳ ଶୋଭାପାଏ ॥୪୯
କି ଜିଣି ନବଗ୍ରହ ଜ୍ୟୋତି । ତ୍ରିବିଧ ରତ୍ନ ଝଟକନ୍ତି ॥୫୦
ଶ୍ୱେତ ସୁରଙ୍ଗ ପୀତବାସ । ବିବିଧ ଚାରୁବର୍ଣ୍ଣେ ବସ୍ତ୍ର ॥୫୧
ଯହିଁ ଗୋବିନ୍ଦ ଦେହ ଧରି । କେ ତାହା ବର୍ଣ୍ଣିବ ବିଚାରି ॥୫୨
ନନ୍ଦର ମନ୍ଦିରେ ମିଳିଲେ । ମଙ୍ଗଳ-ଗୀତ-ନାଦ କଲେ ॥୫୩
ଅନ୍ତୁଡ଼ିଶାଳେ ଯାଇ ମିଳି । ହାସ୍ୟେ କେ କରନ୍ତି ଢ଼ମାଳି ॥୫୪
ଯଶୋଦା କୋଳେ କୃଷ୍ଣ ଦେଖି । ନିର୍ମଳ କଲେ ଚର୍ମ ଆଖି ॥୫୫
ଅକ୍ଷତ କୃଷ୍ଣ ଶିରେ ଦ୍ୟନ୍ତି । ଆନନ୍ଦେ କଲ୍ୟାଣ କରନ୍ତି ॥୫୬
ବୋଲନ୍ତି ଯଶୋଦାଙ୍କୁ ଚାହିଁ । ଧନ୍ୟ ଜୀବନ ତୋର ଆଈ ॥୫୭
ଆମ୍ଭ ଆୟୁଷ ଘେନି କରି । ତୋ ପୁତ୍ର ବର୍ତ୍ତୁ ଯୁଗ ଚାରି ॥୫୮
ଏ ଆମ୍ଭ ଗୋକୁଳ ରଖିବ । ଏହାକୁ ରଖୁ ସଦାଶିବ ॥୫୯
ହଳଦୀ ତେଲ ଘେନି ଥୋକେ । ବୋଲନ୍ତି ଏକକୁ ଆରକେ ॥୬୦
ଖେମଟା ନାଦେ କରତାଳି । ଆନନ୍ଦେ ନାଚନ୍ତି ଗୁଆଳୀ ॥୬୧
କରେ ବଜାନ୍ତି କରତାଳି । ଢଗଢ଼ମାଳି ରଙ୍ଗକେଳି ॥୬୨
ବିଜୟ ପରମ ମଙ୍ଗଳ । ଆନନ୍ଦମାନଙ୍କର ମୂଳ ॥୬୩
ଗୋପାଳେ ଏକକୁ ଆରକେ । ସିଞ୍ଚନ୍ତି ଦୁଧଦଧି ଥୋକେ ॥୬୪
ଲବଣି ଘେନି ମରାମରି । ନାଚନ୍ତି ଏକୁ ଆରେ ଧରି ॥୬୫
ଆନନ୍ଦ ହୋଇ ନନ୍ଦରାୟେ । ଭଣ୍ତାରେ ଫେଇଲେ ଥୋକାଏ ॥୬୬
ଅନେକ ଗୋରୁ ବସ୍ତ୍ର ଧନ । ତୋଷିଲେ ଜଣେ ଜଣେ ମନ ॥୬୭
ରୋହିଣୀ ନିକଟେ ମିଳିଲେ । ଅନେକ ଧନରତ୍ନ ଦେଲେ ॥୬୮
ଗୋପୀଙ୍କି କରାଇ ହରଷ । ଭୋଜନ ଦେଲେ ଷଡ଼ରସ ॥୬୯
ଶ୍ରୀକୃଷ୍ଣ ଜନ୍ମ ମନେ ଗୁଣି । ଗୋପେ ବିଜୟ କମଳିନୀ ॥୭୦
କେ କହୁ ଗୋପର ସମ୍ପଦ । ଯହିଁ ବିଜୟ ଆଦିକନ୍ଦ ॥୭୧
ଶୁଣ ହେ କୁରୁ ନୃପମଣି । ଜନ୍ମ ଉତ୍ସବ ଅନ୍ତେ ପୁଣି ॥୭୨
କଂସର ଆଡ଼ତିଆ ଥିଲା । ନନ୍ଦକୁ କ୍ଷଣେ ନଛାଡ଼ିଲା ॥୭୩
ଦଇବେ ଆକଟ ଅପାର । ନେବ ସେ ବରଷକ କର ॥୭୪
ଗୋପାଳମାନଙ୍କୁ ବସାଇ । ନନ୍ଦ ବୋଲଇ ଶୋକ ବହି ॥୭୫
କଂସ ଆକଟ ମୋତେ କରି । ମୁଁ ଆଜି ଯିବି ମଧୁପୁରୀ ॥୭୬
ପୁତ୍ରର ଚିନ୍ତା ତୁମ୍ଭେ କର । କହି ଚଳିଲା ଗୋପବୀର ॥୭୭
କଂସର ଛାମୁରେ ମିଳିଲା । ସୁନିଆଁ ଧନ ଗଣିଦେଲା ॥୭୮
ଆନନ୍ଦ ହୋଇ ଦଣ୍ତଧାରୀ । ଦେଲା ସେ ଅଳଙ୍କାର ଭରି ॥୭୯
ମେଲାଣି ପାଇ ତତ୍କ୍ଷଣ । କିଣିଲା ନାନା ଦ୍ରବ୍ୟମାନ ॥୮୦
ଗୋପନବରେ ଯେତେ ଲୋଡ଼ା । ତାଳ ଜମ୍ବିଳ ଆମ୍ବସଢ଼ା ॥୮୧
ଶକଟେ ଭରି ମନ ତୋଷେ । ଏମନ୍ତେ ଦିନ ଅବଶେଷେ ॥୮୨
ସାରିଲା ରନ୍ଧନ ଭୋଜନ । ନିରତେ ପୁତ୍ର ତହିଁ ମନ ॥୮୩
ଏମନ୍ତେ ରଜନୀ ହୋଇଲା । ଘୋର ତିମିର ପ୍ରକାଶିଲା ॥୮୪
ନନ୍ଦର ଆଗମନ ଶୁଣି । ବସୁଦେବ ତା ମନେ ଗୁଣି ॥୮୫
ସ୍ୱଭାବେ ନନ୍ଦ ମିତ୍ର ମୋର । ତା'ଘରେ ବେନି ମୋ କୁମର ॥୮୬
ତା'ର କୁଶଳେ ମୋର ଇଷ୍ଟ । ନ ପୁଣ ଜାଣେ କଂସ ଦୁଷ୍ଟ ॥୮୭
ଏମନ୍ତ ମନେ ବିଚାରିଲା । ନନ୍ଦର ନିକଟେ ମିଳିଲା ॥୮୮
ମିତ୍ର ଆଗମ ନନ୍ଦ ଦେଖି । ଉଠିଲା ଆସନ ଉପେକ୍ଷି ॥୮୯
ଆନନ୍ଦେ ହୋଇ କୋଳାକୋଳ । ବସିଲେ ଯାଇ ଏକମେଳ ॥୯୦
ପୂର୍ବର କଥାମାନ କହି । ଏକ ଆରକେ ଭାବବହି ॥୯୧
ବୋଲନ୍ତି ବସୁଦେବ ହସି । ନନ୍ଦ କୁଶଳ ପରଶଂସି ॥୯୨
ବୃଦ୍ଧ ବୟସେ ତୋ'ର ସୁତ । ଶୁଣି ହୋଇଲି କୃତକୃତ୍ୟ ॥୯୩
ମନୁଷ୍ୟ ଜନ୍ମର ଏ ସାର । ବୋଲନ୍ତି ସଂସାର ବେଭାର ॥୯୪
ଦାରା ତନୟ ବନ୍ଧୁଗଣ । ଧନସମ୍ପଦ ଏ କାରଣ ॥୯୫
ଏତେ ନ ଥିଲେ ଦୁଃଖ ପାଇ । ଉଭୟଲୋକେ ସୁଖ ନାହିଁ ॥୯୬
ଏ ପୁଣି ନୁହଁଇନା ସତ୍ୟ । ଦର୍ପଣେ ପ୍ରତିମା ଯେମନ୍ତ ॥୯୭
ଚିତ୍ର ପ୍ରତିମା ପ୍ରାୟେ ଠୁଳ । ଯେମନ୍ତେ ସମୁଦ୍ର ଉଲ୍ଲୋଳ ॥୯୮
ଭଲେ ଅଛନ୍ତି ନା ଗୋ-କୁଳ । ତୃଣ ବୀରୁଧ କନ୍ଦମୂଳ ॥୯୯
ଗୋପୀଏ ଅଛନ୍ତି ନା ଭଲେ । ରୋହିଣୀ ଯଶୋଦାର ତୁଲେ ॥୧୦୦
ମୋହର ରୋହିଣୀର ସୁତ । ତୁମ୍ଭେ ତାହାର ତାତମାତ ॥୧୦୧
ପିତା ବିଚ୍ଛେଦେ ଅରକ୍ଷିତ । ତୁମ୍ଭର ପାଳିବା ଉଚିତ ॥୧୦୨
ମୁଁ କି କରିବି ଉପକାର । ଏତେ ଅନ୍ତରେ ଗୃହ ମୋର ॥୧୦୩
ଜୀବନ୍ତେ ଏକୁ ଆର ସଖା । ମରଣେ ପରଲୋକେ ଦେଖା ॥୧୦୪
ଏମନ୍ତ ମିତ୍ରର ସ୍ୱଭାବ । ଆନନ୍ଦେ କହେ ବସୁଦେବ ॥୧୦୫
ନନ୍ଦ ଯେ ବସୁଦେବ ଚାହିଁ । ବୋଲଇ ଶୋକଭର ହୋଇ ॥୧୦୬
ଭୋ ମିତ୍ର ବଡ଼ାଇ ବିକଳ । ନୟନୁ ବହେ ଅଶ୍ରୁଜଳ ॥୧୦୭
ଦେବକୀ କଲା କେତେ ପାପ । ଅଳପ ଦିନେ ବହୁତାପ ॥୧୦୮
ପ୍ରସବେ ବରଷେ ବରଷ । ଛ ପୁତ୍ର କଂସ କଲା ନାଶ ॥୧୦୯
ଏବେ ଦୁହିତାଏ ହୋଇଲା । ତାହା ମାରିବ ବୋଲି ଗଲା ॥୧୧୦
ଦେବକୀ ତା'ର ଧରି କର । ବୋଲଇ ଏହାକୁ ନ ମାର ॥୧୧୧
ସଙ୍ଖାଳି ହେଉ ବୃଦ୍ଧକାଳେ । ପଡୁଛି ତୋ'ର ପାଦତଳେ ॥୧୧୨
ଦେବକୀ ବୋଲ ସେ ନ କଲା । କୋଳରୁ ଛଡ଼ାଇ ଆଣିଲା ॥୧୧୩
ଚରଣ ଧରି କଚାଡ଼ନ୍ତେ । ହସ୍ତରୁ ଗଲା ସେ ତୁରିତେ ॥୧୧୪
କଂସର ମୃତ୍ୟୁ ସେ କହିଲା । ଶୂନ୍ୟମାର୍ଗରେ ଚଳିଗଲା ॥ ।୧୧୫
ଏ କଥା କର୍ମର ଆୟତ୍ତ । ଜଗତ କର୍ମେ ଆତଯାତ ॥୧୧୬
ଏହା ଜାଣନ୍ତି ଜ୍ଞାନୀଲୋକ । ତେଣୁ ନ ଲାଗେ ଦୁଃଖସୁଖ ॥୧୧୭
ବୋଲଇ ବସୁଦେବ ଶୋକେ । ଯାହା ଅର୍ଜିଲି ପୂର୍ବଲୋକେ ॥୧୧୮
ସେ କଥା କର୍ମଟି ମୋହର । ଭୋ ମିତ୍ର ବେଗେ ଯାଅ ଘର ॥୧୧୯
କଂସ ଆଦେଶ ଘେନି ଶିରେ । ଜଗତେ ବୁଲନ୍ତି ଅସୁରେ ॥୧୨୦
ମାରିବେ ଯେତେ ବାଳପୁଅ । ଭୋ ମିତ୍ର ଦଣ୍ତେ ହେଁ ନ ରହ ॥୧୨୧
କହି ଚଳିଲେ ବସୁଦେବ । ନନ୍ଦର ମନ ଉଦ୍ବେଗ ॥୧୨୨
ଶୁଣିଣ ମିତ୍ରର ବଚନ । ନନ୍ଦର ମନ ଛନ୍ନ ଛନ୍ନ ॥୧୨୩
ଶକଟେ ନାନା ଦ୍ରବ୍ୟ ଭରି । ଭୟେ ସୁମରେ ନରହରି ॥୧୨୪
ବଜାଇ ଶଙ୍ଖ ଭେରୀ ତୁର । ନଗରୁ ହୋଇଲା ବାହାର ॥୧୨୫
କୃଷ୍ଣ ଆଦେଶ ଶିରେ ଘେନି । କହନ୍ତି ଶୁକ ମହାମୁନି ॥୧୨୬
ସୁଜନେ ଶୁଣ କୃଷ୍ଣଲୀଳା । ଏ ଭଗସାଗରକୁ ଭେଳା ॥୧୨୭
ଏ ନାବେ ବସ ଭ୍ରାନ୍ତି ଛାଡ଼ି । ନ ମର ଭବଜଳେ ବୁଡ଼ି ॥୧୨୮
ପତ୍ନୀ ତନୟ ଗୃହବାସ । ଏଣେ ନ କରିବ ବିଶ୍ୱାସ ॥୧୨୯
ସମ୍ପଦ ସ୍ୱପ୍ନ ପ୍ରାୟ ଦୃଶ୍ୟ । ତେଣେ ନ କର ତୁମ୍ଭେ ଆଶ ॥୧୩୦
ନିରତେ ଚିନ୍ତ ନରହରି । ନ ମର ଶୂନ୍ୟେ କୋଳକରି ॥୧୩୧
ଗୋବିନ୍ଦ ନାମେ ଜ୍ଞାନରସ । କହଇ ଜଗନ୍ନାଥ ଦାସ ॥୧୩୨
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ନନ୍ଦବସୁଦେବ ସଙ୍ଗମୋ ନାମ ଷଷ୍ଟୋଽଧ୍ୟାୟଃ ।
ସପ୍ତମ ଅଧ୍ୟାୟ
[ସମ୍ପାଦନା]- ଶୁକ ଉବାଚ
ଶୁକ କହନ୍ତି ରାଜା ଆଗେ । ନନ୍ଦ ଚଳିଲେ ବେଗେ ବେଗେ ॥୧
ବସୁଦେବର ବୋଲ ଶୁଣି । ମନେ ଚିନ୍ତଇ ଚକ୍ରପାଣି ॥୨
କଂସର ଆଦେଶେ ଅସୁରୀ । ପୂତନା ଚଉଦିଗେ ଫେରି ॥୩
ଗ୍ରାମ ପାଟଣା ପୁର ଦେଶ । ଅନେକ ଶିଶୁ କଲା ନାଶ ॥୪
ସ୍ତନଯୁଗଳେ ବିଷ ଭରି । ପିଆଇ ବାଳକ ସଂହାରି ॥୫
ଯହିଁ ବିଜୟ ଆଦିମୂଳ । ଆନନ୍ଦ ପରମ ମଙ୍ଗଳ ॥୬
କି କରି ପାରିବ ଅସୁରୀ । ଯାହାର ନାମେ ଯମ ଡ଼ରି ॥୭
ପୂତନା ବୁଲି ଚଉଦିଗେ । ମିଳିଲା ବୃନ୍ଦାବନ ଲାଗେ ॥୮
ରଜନୀ ହୋଇଲା ପ୍ରଭାତ । ଜାଣିଲେ ପ୍ରଭୁ ଜଗନ୍ନାଥ ॥୯
ଅନନ୍ତ ବିଚାରିଲେ ଚିତ୍ତେ । ପୂତନା ଅଇଲା ଗୁପତେ ॥୧୦
ଅନେକ ଶିଶୁ ଏ ମାଇଲା । ମୋହର ନୁହଁଇ ସହିଲା ॥୧୧
ଦୁଷ୍ଟ ମାରଣେ ମୋର ଜନ୍ମ । ଅସୁରୀ କଲା ଏଡ଼େ କର୍ମ ॥୧୨
ଏମନ୍ତ କୃଷ୍ଣ ବିଚାରିଲେ । ପୂତନା ମନ ଆକର୍ଷିଲେ ॥୧୩
ରାକ୍ଷସୀ ବିଚାରଇ ବସି । ଏହି ନଗରେ ଯିବି ପଶି ॥୧୪
ଆକାଶେ ଉଦେ ଦିନକର । ଅସୁରୀ ମାୟାର ଭଣ୍ତାର ॥୧୫
ମାୟାମୋହିନୀ ରୂପ ଧରି । ତିନିଭୁବନେ ନାହିଁ ସରି ॥୧୬
କି ତାକୁ ପଟାନ୍ତର ଦେବା । ଦେଖି ଢଳିବେ ସୁରଦେବା ॥୧୭
କବରୀଭାରେ ଫୁଲମାଳ । ସୁନ୍ଦର ଅଳକା କପୋଳ ॥୧୮
ପୃଥୁ ନିତମ୍ବ କୁଚ ଭାର । ସିଂହକଟୀକୁ ପଟାନ୍ତର ॥୧୯
ଝୀନ ପତନୀ ରଙ୍ଗବାସ । କଟୀମେଖଳା ରବିତ୍ରାସ ॥୨୦
କର୍ଣ୍ଣେ ଶୋଭିତ ରତ୍ନକାପ । ଶିରେ ସୀମନ୍ତ ଦିବ୍ୟରୂପ ॥୨୧
ଅଳପ କହଇ ବଚନ । ଅଣ୍ତିର କୋକିଳ ଯେସନ ॥୨୨
ହରିଲା ଗୋପୀଙ୍କର ମନ । ବାଳ ତରୁଣ ବୃଦ୍ଧଜନ ॥୨୩
ପଦ୍ମ ଗୋଟିଏ ଘେନି କରେ । ଅସୁରୀ ଚାଲଇ ସଧୀରେ ॥୨୪
କୁଟୀଳ ଅଳକା କପୋଳେ । ବାମ ଅଙ୍ଗୁଳି ଅଗ୍ରେ ତୋଳେ ॥୨୫
ପୂତନା ରୂପ ଗୋପୀ ଦେଖି । ପିଛାଡ଼ି ନ ପାରନ୍ତି ଆଖି ॥୨୬
ଗୋଡ଼ାଇ ବୋଲନ୍ତି ଯୁବତୀ । କିଏ ତେଜିଲା ବାରସ୍ୱତୀ ॥୨୭
ଏମନ୍ତ ଦେଖିଲା ତ ନାହିଁ । କେ ବୋଲେ ଅମ୍ବିକାଟି ଏହି ॥୨୮
କେବୋଲେ ଶୁଣ ମୋ ଉତ୍ତର । କୃଷ୍ଣ ଜନ୍ମିଲେ ନନ୍ଦଘର ॥୨୯
କମଳା ଆସିଛନ୍ତି ଦେଖି । ଜଳଧି ଶୟନ ଉପେକ୍ଷି ॥୩୦
କେ ବୋଲେ ଅଟଇ ଏମନ୍ତ । ପୁରାଣେ ଶୁଣିଛୁ ତଦନ୍ତ ॥୩୧
ଏମନ୍ତେ ଜାଣି ନ ପାରିଲେ । ସକଳେ ପଛେ ଗୋଡ଼ାଇଲେ ॥୩୨
ବୋଲନ୍ତି ପୂତନାକୁ ଚାହିଁ । କାହୁଁ ଅଇଲୁ ମହାମାୟି ॥୩୩
ପୂତନା ବୋଲଇ ମଧୁରେ । ବାଳକ ଅଛି କାହାଘରେ ॥୩୪
ମୋର ତନୟ ଏବେ ମଲା । ସ୍ତନ ମୋ ନୋହଇ ସହିଲା ॥୩୫
କାହାର ପୁତ୍ର ଅଛି ମାଏ । ସ୍ତନ୍ୟ ପିଆଇବି ଥୋକାଏ ॥୩୬
ଏମନ୍ତେ କହିଣ ଉତ୍ତର । ଅସୁରୀ ଚାଲେ ଧୀର ଧୀର ॥୩୭
ମିଳିଲା ଯାଇ ନନ୍ଦ ଦ୍ୱାର । ଦ୍ୱାରୀକି ବୋଲଇ ଉତ୍ତର ॥୩୮
ଗୋପୀଏ ଗଲେ ଆଗସରି । ଭିତରେ ପଶିଲା ଅସୁରୀ ॥୩୯
ଯଶୋଦା ଦେଖିଣ ଚକିତ । କାହୁଁ ଅଇଲା ଅଦଭୁତ ॥୪୦
କି ଅବା ତ୍ରିପୁର ସୁନ୍ଦରୀ । ରୂପେ ତ ନାହିଁ ସମସରି ॥୪୧
ପୂତନା ପାଶେଣ ମିଳିଲା । ମଧୁର ବଚନ କହିଲା ॥୪୨
କାହୁଁ ଅଇଲୁ ମହାତ୍ମାଣୀ । କି ଅବା ହରିର ଘରଣୀ ॥୪୩
କିମ୍ବା ମୋ ପୁରକୁ ଅଇଲୁ । ଏ ମୋର ମନକୁ ମୋହିଲୁ ॥୪୪
କିସ କରିବୁଁ ମୋତେ କହ । ଦେଖି ମୋ ରହୁନାହିଁ ଦେହ ॥୪୫
ପୂତନା ବୋଲଇ ଉତ୍ତର । ଶୁଣ କାମିନୀ ଭାଷା ମୋର ॥୪୬
ମୁଁ ହାଦେ ଦଇବଙ୍କ ନାରୀ । ଜାଣଇ ଭେଦ ମନ୍ତ୍ର କରି ॥୪୭
ମୋହର କ୍ଷୀର କଲେ ପାନ । ପୁତ୍ର ହୋଇବେ ବଳବାନ ॥୪୮
ଯଶୋଦା ହୋଇଲେ ଉଷତ । ପୁତ୍ରେ ମୋ'ହେବେ ବଳବନ୍ତ ॥୪୯
ଏ ଯେବେ ମୋର ଘରେ ଥାଇ । ନିରତେ ପୁତ୍ରେ କ୍ଷୀର ଦେଇ ॥୫୦
ବେନିକୁଚକୁ ବେନି ସୁତ । ପିଇଣ ହେବେ ବଳବନ୍ତ ॥୫୧
ସ୍ୱାମୀର ଛାମୁରେ କହିବି । ବହୁତ ଧନବସ୍ତ୍ର ଦେବି ॥୫୨
ଯଶୋଧା ଏମନ୍ତ ବିଚାର । ଘରକୁ ଆଣିଲା ଅସୁରୀ ॥୫୩
ଏମନ୍ତେ ଶୁଣ କଥା ରସ । ପୁତନା ଚାହେଁ ପୀତବାସ ॥୫୪
ବାଳକ ସ୍ୱଭାବେ ଅନନ୍ତ । ନିଦ୍ରାରେ ଦିଶନ୍ତି ଅଚେତ ॥୫୫
ଯଶୋଦା ମନେ ବିଚାରଇ । ନିଦ୍ରାର ବେଳେ ଦେବି ମୁହିଁ ॥୫୬
ଏମନ୍ତ ବୋଲିଣ ବୋଇଲେ । କୃଷ୍ଣକୁ ତୋଳିଣ ଧଇଲେ ॥୫୭
ଯଶୋଦା ଘେନି ବନମାଳୀ । ପୂତନା କୋଳେ ଦେଲେତୋଳି ॥୫୮
ତା' ଦେଖି ପୂତନା ହରଷେ । କ୍ଷୀର ସେ ଦେଲା ପୀତବାସେ ॥୫୯
କୃଷ୍ଣର ନଜାଣଇ ବଳ । ଆକର୍ଷି ନେଇ କଲା କୋଳ ॥୬୦
କୃଷ୍ଣର ମୁଖେ ଦେଲା ସ୍ତନ । ଗାଢ଼େ ଶୋଷିଲେ ଭଗବାନ ॥୬୧
ପଞ୍ଚ-ପରାଣ କ୍ଷୀର ସଙ୍ଗେ । ପଶିଲା ଗୋବିନ୍ଦର ଅଙ୍ଗେ ॥୬୨
ଜୀବ ଛାଡ଼ିଲା ଗଣ୍ଠିଛନ୍ଦ । ଅସୁରୀ କଲା ଘୋରନାଦ ॥୬୩
ନିଜ ଶରୀର ପ୍ରକାଶିଲା । ଛାଡ଼ ଛାଡ଼ ବୋଲି ଡ଼ାକିଲା ॥୬୪
ଶବଦେ କମ୍ପିଲା ବ୍ରହ୍ମାଣ୍ତ । ମାଡ଼ି ପଡ଼ିଲା ଭୂମିଖଣ୍ତ ॥୬୫
କର-ଚରଣ ପ୍ରସାରିଲା । ଦେଢ଼ ଯୋଜନ ଆବୋରିଲା ॥୬୬
ବୃକ୍ଷ ମନ୍ଦିର ଗୋରୁ ଘର । ଭାଜି ହୋଇଲେ ଶତେଚୂର ॥୬୭
ଶୁକ କହନ୍ତି ଶୁଣ ରାୟେ । କେ କହୁ ଅସୁରୀର କାୟେ ॥୬୮
ଲଙ୍ଗଳ ଈଶ ପ୍ରାୟ ଦନ୍ତ । ନାସିକା ପର୍ବତର ଅନ୍ତ ॥୬୯
ଖଣ୍ତପର୍ବତ ସ୍ତନ ବେନି । ଖାଙ୍କର କେଶ ତା' ମୂର୍ଦ୍ଧନି ॥୭୦
ପିଙ୍ଗଳ ଚକ୍ଷୁର ସ୍ୱରୂପ । ଯେହ୍ନେ ଖୋଦିତ ଅନ୍ଧକୂପ ॥୭୧
ନଦୀର ତଟ ପ୍ରାୟ ଜଙ୍ଘ । ଭୁଜ ଦିଶଇ ସେତୁବନ୍ଧ ॥୭୨
ଶୁଖିଲା ହ୍ରଦ ତା' ଉଦର । ଦେଖି କମ୍ପିଲେ ସୁରନର ॥୭୩
ଗୋପରେ ପଡ଼ିଲାକି ହୁରି । ଭୟେ ପଳାନ୍ତି ନରନାରୀ ॥୭୪
ପଡ଼ି ଭାଜିଲା କାହା ମୁଣ୍ତ । କାହାର ଦେହ ଖଣ୍ତ ଖଣ୍ତ ॥୭୫
ଦେଖି ଚକିତ ନନ୍ଦରାଣୀ । ଭୟେ ଚିନ୍ତଇ ଚକ୍ରପାଣି ॥୭୬
କ୍ଷଣକେ ହୋଇଲା ସଚେତ । ଉଠି ଲୋଡ଼ଇ ନିଜ ସୁତ ॥୭୭
ଗୋପୀଙ୍କି ବୋଲଇ ଉତ୍ତର । କେ ଘେନିଅଛ ମୋ' କୁମର ॥୭୮
ଆଣ ମୋହର କୋଳେ ଦିଅ । ପୁତ୍ର ନ ଦେଖି କମ୍ପେ ଦେହ ॥୭୯
ବହନ ଆଣ ପୁତ୍ର ଯାଇ । ମରିବି ତା ମୁଖ ନ ଚାହିଁ ॥୮୦
ଦେଖିଣ ଯଶୋଦା ବିକଳ । ଗୋପୀ ଧାମନ୍ତି ଅନ୍ତରାଳ ॥୮୧
ଭୟେ ଖୋଜନ୍ତି ଘରଦ୍ୱାର । ଦେଖିଲେ ପୂତନା ଉପର ॥୮୨
ବେନି ପର୍ବତ ମଧ୍ୟେ ରହି । ଯେସନେ ଶଶାଙ୍କ ଦିଶଇ ॥୮୩
ପୂତନା ସ୍ତନ ମଧ୍ୟେ ହରି । ଗୋପୀଏ ଯାଇ କୋଳକରି ॥୮୪
ପୁତ୍ରକୁ ଦେଖିଣ ବିସ୍ମୟେ । ଆନନ୍ଦ ହୋଇଲେ ଥୋକାଏ ॥୮୫
ନୟନେ ପୁତ୍ରକୁ ଦେଖିଣ । ଆନନ୍ଦ ଯଶୋଦାର ମନ ॥୮୬
କୋଳେ ଧରିଣ ଚୁମ୍ବ ଦେଇ । ନିଜ ମନ୍ଦିରେ ମିଳେ ଯାଇ ॥୮୭
ରୋହିଣୀ ଦେଖିଣ ଉଷତ । ଲୋକେ ହୋଇଲେ କୃତକୃତ୍ୟ ॥୮୮
ଗୋପି ମିଳିଲେ ବେଗେ ଯାଇ । ବୋଲନ୍ତି ଯଶୋଦାକୁ ଚାହିଁ ॥୮୯
ଆପଦୁଁ ତରିଲା କୁମର । ତୁ ଏବେ ରିଷ୍ଟ ଶାନ୍ତି କର ॥୯୦
ଶୁଣି ସାନନ୍ଦ ନନ୍ଦରାଣୀ । ପୁତ୍ରକୁ ଘେନିଲା ରୋହିଣୀ ॥୯୧
ବେଢ଼ି ବସିଲେ ଗୋପନାରୀ । ଯେତେ ଯଶୋଦା ପରିବାରୀ ॥୯୨
ବତ୍ସା ଗୋଟିଏ ଆଣିକରି । ତା' ଲାଞ୍ଜେ ପୁତ୍ର ଦେହ ଝାଡ଼ି ॥୯୩
ଗୋ ମୂତ୍ରେ କରାଇ ସ୍ନାହାନ । ଗୋରଜ କରନ୍ତି ଲେପନ ॥୯୪
ଗୋମୟେ ଦେଲେ ଠିଆ ଚିତା । ଯେ ପ୍ରଭୁ ଗୋ-ବ୍ରାହ୍ମଣ-ହିତା ॥୯୫
ହସ୍ତରେ ଦୂର୍ବାଙ୍କୁର ଘେନି । କଲ୍ୟାଣ କରନ୍ତି କାମିନୀ ॥୯୬
ଦ୍ୱାଦଶ ଅଙ୍ଗନ୍ୟାସ କରି । ଗୋପୀ ବୋଲନ୍ତି ନାମ ଧରି ॥୯୭
ଯାହାର ନାହିଁ ଆଦିଅନ୍ତ । ଚରଣ ରଖୁ ତୋ ଅନନ୍ତ ॥୯୮
ଯଜ୍ଞପୁରୁଷ ଶିରୀଅଙ୍ଗ । ରକ୍ଷା କରନ୍ତୁ ବେନି ଜଂଘ ॥୯୯
ଅଚ୍ୟୁତ ରଖୁ କଟୀଭାଗ । ଗର୍ଭ ରଖନ୍ତୁ ପଦ୍ମନାଭ ॥୧୦୦
ହୃଦୟ ରଖୁ ହୟଗ୍ରୀବ । କଣ୍ଠ ତୋ ରଖୁ ବାସୁଦେବ ॥୧୦୧
ବିଷ୍ଣୁ ତୋ ରଖୁ ବେନିଭୁଜ । ବକ୍ଷ ତୋ ରଖୁ ଗ୍ରହରାଜ ॥୧୦୨
ଲଲାଟ ରଖୁ ସଦାଶିବ । ମୁଖ ତୋ' ରଖନ୍ତୁ ମାଧବ ॥୧୦୩
ତୋର ଅଗ୍ରତେ ଚକ୍ରଧର । ପୃଷ୍ଠ ତୋ' ରଖୁ ଗଦାଧର ॥୧୦୪
ସାରଙ୍ଗଧର ଏକ ପାଖ । ଖଡ଼ଗଧାରୀ ଆରପାଖ ॥୧୦୫
ଶଙ୍ଖ ତୋ' ରଖୁ ଚାରିକୋଣ । ଉପରେ ରଖୁ ନାରାୟଣ ॥୧୦୬
ଗରୁଡ଼ପତି ରଖୁ ତଳେ । ମଧୁସୂଦନ ଅନ୍ତରାଳେ ॥୧୦୭
ହୃଷିକେଶ ତୋ ଇନ୍ଦ୍ରିଗଣ । ରଖୁ ଗୋବିନ୍ଦ ପଞ୍ଚପ୍ରାଣ ॥୧୦୮
ଚିତ୍ତ ତୋ ଶ୍ୱେତଦ୍ୱୀପ-ପତି । ମାଧବ ରଖୁ ତୋ'ର ମତି ॥୧୦୯
ଖେଳନ୍ତେ ରଖୁ ବନମାଳୀ । ଶୟନେ କୃଷ୍ଣ ପ୍ରତିପାଳି ॥୧୧୦
ଚାଲନ୍ତେ ଭୋଜନେ ଶୟନେ । ରଖନ୍ତୁ ଶ୍ରୀ ମଧୁସୁଦନେ ॥୧୧୧
ଭୂତ ବେତାଳ ପ୍ରେତଜ୍ୱର । ଗ୍ରହ ଡାକିନୀ ନିଶାଚର ॥୧୧୨
ଦୁଷ୍ଟ ସ୍ୱପନ ଗ୍ରହପୀଡ଼ା । ବିଷ୍ଣୁ ନାଶନ୍ତୁ ସର୍ବଅଡ଼ା ॥୧୧୩
ନିର୍ଭୟ କରୁ ନରସିଂହ । ବଜ୍ର ତୋ ହେଉ ସର୍ବଦେହ ॥୧୧୪
ଆମ୍ଭ ଆୟୁଷ ତୋତେ ହେଉ । ତୋ ଦେହ ଚିରକାଳ ରହୁ ॥୧୧୫
ଅଶ୍ୱତ୍ଥାମାଦି ସିଦ୍ଧ ସାତେ । ତାହାଙ୍କ ଆୟୁର୍ବଳ ଯେତେ ॥୧୧୬
ଏ ସର୍ବ ତୋର ଦେହେ ହେଉ । ତୋ ଯଶ ତିନିପୁରେ ଥାଉ ॥୧୧୭
ନ ଥାଉ ତୋତେ କେ ଜିଣନ୍ତା । ତିନି ଭୁବନେ ସାମରଥା ॥୧୧୮
ଏମନ୍ତେ ସ୍ନେହଭର ହୋଇ । ଯଶୋଦାକୋଳେ ଦେଲେନେଇ ॥୧୧୯
ସ୍ତନ୍ୟ ପିଆଇ ନନ୍ଦରାଣୀ । ଭୟେ ଚିନ୍ତଇ ଚକ୍ରପାଣି ॥୧୨୦
ନନ୍ଦ ଯେ ଥିଲା ମଧୁବନେ । ଆସି ମିଳିଲା ରାତ୍ରମାନେ ॥୧୨୧
ଦେଖିଣ ପୂତନା ଶରୀର । ଭୟେ କମ୍ପଇ ଥରହର ॥୧୨୨
ମିତ୍ର ବଚନ ମନେ ଗୁଣି । ସୁମରି ଦୃଢ଼େ ପରିମାଣି ॥୧୨୩
ଗୋପାଳମାନଙ୍କୁ ରାଇଲା । ଦହନ କର ହୋ ବୋଇଲା ॥୧୨୪
ନନ୍ଦ ଆଜ୍ଞାରେ ଗୋପଜନ । ବୋଲନ୍ତି କରିବୁ ଦହନ ॥୧୨୫
ତକ୍ଷଣେ କରି ଖଣ୍ତ ଖଣ୍ତ । ଦହିଲେ ପୂତନାର ପିଣ୍ତ ॥୧୨୬
ଅନଳେ ଦହନ୍ତେ ଅସୁରୀ । ଗନ୍ଧ ପ୍ରସରିଲା କସ୍ତୁରୀ ॥୧୨୭
ଆନନ୍ଦ ହୋଇଲେ ସକଳେ । ଗନ୍ଧ ଆମୋଦ ଦିଗ ପୂରେ ॥୧୨୮
ହରି ଭକ୍ଷିଲେ ଯା'ର କ୍ଷୀର । ସୁଗନ୍ଧ କେତେକ ମାତର ॥୧୨୯
ଅଷ୍ଟାଙ୍ଗଯୋଗେ ମୁନିଗଣେ । ଚିନ୍ତନ୍ତି ଯେ ହରିଚରଣେ ॥୧୩୦
କ୍ଷୀର ସଙ୍ଗତେ ପଞ୍ଚପ୍ରାଣ । ଶ୍ରୀକୃଷ୍ଣ ଦେହେ ହେଲା ଲୀନ ॥୧୩୧
ପାମରୀ ସ୍ୱଭାବେ ଅସୁରୀ । ଅନେକ ପାପ ଥିଲା କରି ॥୧୩୨
ହତ୍ୟା କହିବା ତା'ର କେତେ । ଦେହରେ ଲୋମ ଅଛି ଯେତେ ॥୧୩୩
କୃଷ୍ଣଙ୍କୁ କୋଳେ ବସାଇଲା । ଶ୍ରୀମୁଖ ଚାହିଁ କ୍ଷୀର ଦେଲା ॥୧୩୪
ଦେବକୀ ନନ୍ଦ ଯଶୋବନ୍ତୀ । ବସୁଦେବଙ୍କ ଯହିଁ ଗତି ॥୧୩୫
ତହିଁକି ପେଷିଲେ ମୁରାରି । ଅସୁରୀ ଗଲା ଆଗସରି ॥୧୩୬
ଗୋପୀ ଗୋପାଳ ଯେତେ ଗାଈ । ଯାହାଙ୍କ କ୍ଷୀର କୃଷ୍ଣ ଖାଇ ॥୧୩୭
ବସିଲେ ଯେତେ ଜନ କୋଳେ । ସବୁ ତରିବେ ଏକାବେଳେ ॥୧୩୮
ଅସୁରୀ ଦହନ କରାଇ । ଘରେ ମିଳିଲେ ନନ୍ଦ ଯାଇ ॥୧୩୯
ପୂତନା ଆଗମନ ଲୋକେ । କହିଲେ ନନ୍ଦ ଆଗେ ଥୋକେ ॥୧୪୦
ନନ୍ଦ ଯେ ବିସ୍ମୟ ହୋଇଲେ । ସକଳେ କୃଷ୍ଣ ସୁମରିଲେ ॥୧୪୧
ଗୋପାଳେ ବୋଲନ୍ତି ଏମନ୍ତ । ଦେଖ ସଂସାର ଅଦଭୁତ ॥୧୪୨
ଜାଣିଲୁ ନନ୍ଦ ଭାଗ୍ୟବନ୍ତ । ଆପଦୁଁ ତରିଲା ତା ସୁତ ॥୧୪୩
ଆମ୍ଭର ଅଛି ପୁଣ୍ୟବଳ । ଗୋବିନ୍ଦ ରଖିବେ ଗୋକୁଳ ॥୧୪୪
ନିଜ ମନ୍ଦିରେ ନନ୍ଦ ମିଳି । କୋଳେ ବସାଇ ବନମାଳୀ ॥୧୪୫
ଶ୍ରୀକୃଷ୍ଣ ଶିରେ ଦେଇ କର । ଚୁମ୍ବନ ଦେଲାକ ଅପାର ॥୧୪୬
ବିପ୍ରଙ୍କୁ ରାଇ ଗ୍ରହ ଶାନ୍ତି । କରାଇ ଚିନ୍ତଇ ଶ୍ରୀପତି ॥୧୪୭
ନନ୍ଦର ଆଜ୍ଞାରେ ବ୍ରାହ୍ମଣେ । କରନ୍ତି ଶାନ୍ତି ଗ୍ରହଗଣେ ॥୧୪୮
ଯଜ୍ଞ ଉଚିତ ପ୍ରାୟଶ୍ଚିତ । କରନ୍ତି ଧର୍ମଶାସ୍ତ୍ର ମତ ॥୧୪୯
ଷଡ଼ଅକ୍ଷର ମନ୍ତ୍ର ପଢ଼ି । ସିଞ୍ଚନ୍ତି କୁଶ ଘେନି ବାରି ॥୧୫୦
ସହସ୍ରେ ଧେନୁ-ବତ୍ସା ଦେଲେ । ସୁବର୍ଣ୍ଣ ଅଳଙ୍କାର ତୁଲେ ॥୧୫୧
ପ୍ରସନ୍ନ ହୋଇ ବିପ୍ରଗଣ । କୃଷ୍ଣଙ୍କୁ କରନ୍ତି କଲ୍ୟାଣ ॥୧୫୨
ସକଳ ରିଷ୍ଟରୁ ଅଚ୍ୟୁତ । ତୋତେ ସେ କରନ୍ତୁ ମୁକତ ॥୧୫୩
ଜ୍ଞାତି-ଭୋଜନ ଦେଲେ ନନ୍ଦ । ରିଷ୍ଟ ଖଣ୍ତିବେ ଆଦିକନ୍ଦ ॥୧୫୪
ଆନନ୍ଦେ ହୋଇ କୃତକୃତ୍ୟ । କହନ୍ତି ବ୍ୟାସଙ୍କର ସୁତ ॥୧୫୫
ଯେ ଶୁଣେ କୃଷ୍ଣ-ବାଳକେଳି । ଆନନ୍ଦ ହୋଇ ମନେ ଭାଳି ॥୧୫୬
ପୂତନା ମରଣର ବାଣୀ । କର୍ଣ୍ଣେ ଶୁଣନ୍ତି ଯେତେ ପ୍ରାଣୀ ॥୧୫୭
ଅସୁରୀ ତରିଲା ଯେମନ୍ତେ । ସୁଜନେ ଯିବ ସେହି ପଥେ ॥୧୫୮
ଭକତି କର ଦୃଢ଼ଚିତ୍ତେ । ହରି-ଭକତଙ୍କର ମତେ ॥୧୫୯
ଗୀତ-ବିନୋଦ ଭାଗବତ । କହିଲା ଦାସ ଜଗନ୍ନାଥ ॥୧୬୦
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ସପ୍ତମୋଽଧ୍ୟାୟଃ ।
ଅଷ୍ଟମ ଅଧ୍ୟାୟ
[ସମ୍ପାଦନା]- ରାଜା ଉବାଚ
ନମଇଁ କୃଷ୍ଣ-ପଦ୍ମପାଦ । ଏ ମୋର ଜୀବନ-ସମ୍ପଦ ॥୧
ପରୀକ୍ଷ ଶୁକମୁଖ ଚାହିଁ । ବୋଲନ୍ତି କୃତକୃତ୍ୟ ହୋଇ ॥୨
ଗୋପ ନବରେ ନରହରି । ମାଇଲେ ପୂତନା ଅସୁରୀ ॥୩
ଦେବଙ୍କ ଭୟ ନିବାରିଲେ । ନିଜ ଶରୀରେ ଠାବ ଦେଲେ ॥୪
ଯାହାର ନାହିଁ ମିତ୍ର-ଅରି । ଚାଣ୍ତାଳୁଁ ବ୍ରହ୍ମ ଆଦି କରି ॥୫
ସାଧୁଙ୍କୁ ପାଳି ଦୁଷ୍ଟ ନାଶି । ଦୟାସାଗର ବ୍ରହ୍ମରାଶି ॥୬
ତାହାଙ୍କ ଯେତେ କର୍ମମାନ । ବାଳକ-ଚରିତ ବିଧାନ ॥୭
ଶୁଣି ଭଜନ୍ତି ଯେତେ ପ୍ରାଣୀ । ତରନ୍ତି ଭବ-ତରଙ୍ଗିଣୀ ॥୮
ମାୟା-ମନୁଷ୍ୟ ଅବତାର । ଖଣ୍ତିବେ ଅବନୀର ଭାର ॥୯
ଆବର କଲେ ଗୋପେ ଯାହା । କହିବା ଯେବେ ମୋତେଦୟା ॥୧୦
ରାଜା ପ୍ରଶନ ବାକ୍ୟ ଶୁଣି । କହନ୍ତି ଶୁକ ମହାମୁନି ॥୧୧
କହିବା ଶୁଣ କୃଷ୍ଣକଥା । ଯେଣେ ତୁଟିବ ଭବବ୍ୟଥା ॥୧୨
ଅନ୍ତୁଡ଼ି ଉଠିଆରୀ ଦିନେ । ଆସି ମିଳିଲେ ଗୋପୀଜନେ ॥୧୩
ମଙ୍ଗଳ ଗୀତନାଦ କରି । ସ୍ନାନ କରାଇଲେ ମୁରାରି ॥୧୪
ବ୍ରହ୍ମଣ ମିଳିଲେ ଥୋକାଏ । ଆଶିଷ ଦେଲେ ମାଏପୋଏ ॥୧୫
ଆନନ୍ଦମନେ ନନ୍ଦରାୟେ । ଧନବସନ ଦାନ ଦିଏ ॥୧୬
ଗୋପୀ ଆନନ୍ଦ ଗୀତରସ । ନିଦ୍ରାମୋହିତ ପୀତବାସ ॥୧୭
ଶକଟତଳେ ବସ୍ତ୍ର ପାଡ଼ି । ଯଶୋଦା ଶୁଆଇ ମୁରାରି ॥୧୮
ନିଦ୍ରା କରଇ ଗୀତ ଗାଇ । ଗୋପୀଙ୍କିଦେଲେ ସେ ବଧାଇ ॥୧୯
ଅକ୍ଷତ ଦେଲେ ଜଣେ ଜଣ । ପୁତ୍ରକୁ କରନ୍ତି କଲ୍ୟାଣ ॥୨୦
ଏମନ୍ତେ କଂସର ଅସୁର । ନାମ ଶକଟାସୁର ବୀର ॥୨୧
କୃଷ୍ଣଙ୍କୁ ମାରିବାର ଆଶେ । ଶକଟ ଶରୀର ପ୍ରକାଶେ ॥୨୨
ତାହା ଜାଣିଲେ ଭାବଗ୍ରାହୀ । ବାଳୁତ ରୂପେ ଛନ୍ତି ଶୋଇ ॥୨୩
ନିଦ୍ରା ଭାଜନ୍ତେ ନାରାୟଣ । କାନ୍ଦି ଲୋଡ଼ନ୍ତି ମାତାସ୍ତନ ॥୨୪
ଗୋଳେ ନ ଶୁଣଇ ଗୁଆଳୀ । କୃଷ୍ଣ କାନ୍ଦନ୍ତି ପାଦ ଚାଳି ॥୨୫
ଶକଟେ ବାଜିଲା ପୟର । ଶବଦ କଲା ମହାଘୋର ॥୨୬
ଶକଟ ପଡ଼ିଲାକ ଝଡ଼ି । ଦେଖି ଚକିତ ଗୋପବାଳୀ ॥୨୭
ଦଧି ତଇଳ ଘୃତଭାଣ୍ତ । ଭାଜି ହୋଇଲା ଖଣ୍ତ ଖଣ୍ତ ॥୨୮
ଶବଦ ଶୁଣି ଗୋପୀ ଧାଇଁ । ମିଳିଲେ ନନ୍ଦ ଆଦି ଯାଇ ॥୨୯
ଦେଖିଲେ ଯଶୋଦା କୁମର । ପଡ଼ିଛି ଶକଟ ତଳର ॥୩୦
କୃଷ୍ଣଙ୍କୁ ଆଣି କୋଳ କଲେ । ଏକକୁ ଆରେକ କହିଲେ ॥୩୧
ଏ କି ଆପଦ କାହିଁ ହୋଇ । ଏମନ୍ତ ଦେଖିଲା ତ ନାହିଁ ॥୩୨
ଶକଟ ଭାଜିଲା କେମନ୍ତ । ବୁଝ ହୋ ଏହାର ତଦନ୍ତ ॥୩୩
ଯଶୋଦା ଦେବୀ ଭାଗ୍ୟବନ୍ତ । ଆପଦୁଁ ତରିଲା ବାଳୁତ ॥୩୪
ଶକଟ ଭାଜିଲା କେମନ୍ତେ । ଜାଣିଲେ ଯିବା ନା ପରତେ ॥୩୫
ବାଳକୁମରେ ତାହା ଶୁଣି । ବୋଲନ୍ତି ଆମ୍ଭେ ଅଛୁ ଜାଣି ॥୩୬
ଯଶୋଦାସୁତ ପାଦଘାତେ । ଶକଟ ଭାଜିଲା ଯୁକତେ ॥୩୭
ତହୁଁ ପୁରୁଷେ ଜାତ ହୋଇ । ଯୋଡ଼ି ବୋଇଲା କର ଦୁଇ ॥୩୮
ଅନେକ ବିନୋଇ କହିଲା । ବିମାନେ ବସି ସ୍ୱର୍ଗେ ଗଲା ॥୩୯
ଶୁଣି ହସିଲେ ବାଳ ବୋଲ । କୃଷ୍ଣର ନ ଜାଣନ୍ତି ବଳ ॥୪୦
ରୋଦନ କରନ୍ତେ ମୁରାରି । ଯଶୋଦାକୋଳେଦେଲେ ନାରୀ ॥୪୧
କୁଗ୍ରହ ହେବା ମନେ ଚିନ୍ତି । ବିପ୍ରଙ୍କୁ ଆଣି ଗ୍ରହଶାନ୍ତି ॥୪୨
କରାଇ ପିଆଇଲେ ସ୍ତନ୍ୟ । ଆନନ୍ଦ ଯଶୋଦାର ମନ ॥୪୩
ଆନ ଶକଟ ଭିଆଇଲେ । ଦ୍ରବ୍ୟମାନଙ୍କୁ ସଜାଡ଼ିଲେ ॥୪୪
ବ୍ରାହ୍ମଣେ କଲେ ପଞ୍ଚାମୃତ । ଦେଖିଣ ନନ୍ଦ କୃତକୃତ୍ୟ ॥୪୫
ହରଷ ହୋଇ ଦେଲା ଦାନ । ଧେନୁ କାଞ୍ଚନ ବସ୍ତ୍ର ଅନ୍ନ ॥୪୬
ସନ୍ତୋଷ ହୋଇ ବିପ୍ରଗଣେ । କଲ୍ୟାଣ କଲେ ତୋଷମନେ ॥୪୭
ଆଚାର ବିଦ୍ୟାରେ ଭରସା । ପରେ ସେ ନ କରନ୍ତି ହିଂସା ॥୪୮
ଯାହା ବୋଲନ୍ତି ସିଦ୍ଧଜନେ । ଅନ୍ୟଥା ନୁହଇ ବଚନେ ॥୪୯
କହନ୍ତି ବ୍ୟାସଙ୍କ ନନ୍ଦନ । ଏମନ୍ତେ ଗଲା କେତେଦିନ ॥୫୦
କଂସର ଆଜ୍ଞାରେ ଦଇତ୍ୟ । ଗୋପେ ମିଳିଲା ତୃଣାବର୍ତ୍ତ ॥୫୧
ତାହା ଜାଣିଲେ ଦଇତ୍ୟାରି । ଯଶୋଦା କୋଳେ ଛନ୍ତି ଧରି ॥୫୨
ବିଚାର କଲେ ଚକ୍ରଧର । ଆଜ ସଂହାରିବି ଅସୁର ॥୫୩
ଜନନୀ କୋଳେ ହେଲେ ଗରୁ । ଯେହ୍ନେ ଅଚଳ ମହାମେରୁ ॥୫୪
ତକ୍ଷଣେ ଥୋଇଲା ଅବନୀ । ବିଚାର କଲା ଭୟ ଘେନି ॥୫୫
ବାଳୁତ ଏଡ଼େ ଗରୁପଣ । ନ ପୁଣ ପଡ଼ଇ କଷଣ ॥୫୬
ଶେଯେ ଶୁଆଇ ଗଲାଘର । କରଇ ବ୍ୟାପାର ବେଭାର ॥୫୭
କଂସର ଆଜ୍ଞା ପରମାଣେ । ଅସୁର ମିଳିଲା ତକ୍ଷଣେ ॥୫୮
ଗଗନେ ଘୋରନାଦ କରି । ଚକ୍ରପବନ ରୂପ ଧରି ॥୫୯
ଦିବସେ କଲା ଅନ୍ଧକାର । ଭୂମି କମ୍ପିଲା ଥରହର ॥୬୦
ବୃକ୍ଷେ ପଡ଼ିଲେ ମହୀତଳେ । ରେଣୁ ଉଡ଼ିଲେ ଅନ୍ତରାଳେ ॥୬୧
ଚାହିଁ ନ ପାରି ବେନିଘଡ଼ି । ଚକ୍ଷୁ ବୁଜିଲେ ନରନାରୀ ॥୬୨
ଚକ୍ରପବନ ଗଲା ଉଡ଼ି । କୃଷ୍ଣଙ୍କୁ ଦୈତ୍ୟ ନେଲା ହରି ॥୬୩
ପ୍ରକାଶେ ରବିର କିରଣ । ନିର୍ମଳ ଦିଶିଲା ଗଗନ ॥୬୪
ଘରୁ ବାହାରି ନନ୍ଦରାଣୀ । ପୁତ୍ରକୁ ଖୋଜଇ ଧରଣୀ ॥୬୫
କୃଷ୍ଣେ ନ ଦେଖି ହିଆକୋଡ଼ି । ଧାମଇଁ ପୁଣ ପୁଣ ପଡ଼ି ॥୬୬
ଘରବାହାରେ ପୁର ଲାଗେ । ବିକଳେ ଲୋଡ଼େ ଚଉଦିଗେ ॥୬୭
ଖୋଜି ନ ପାଇ ବନମାଳୀ । ତା' ଶୁଣି ମିଳିଲେ ଗୁଆଳୀ ॥୬୮
ଖୋଜନ୍ତି ଘରେ ଘରେ ପଶି । କାହିଁ ପାଇବେ ବ୍ରହ୍ମରାଶି ॥୬୯
ନ ଦେଖି ପ୍ରଭୁ ଚକ୍ରପାଣି । ମୋହେ ପଡ଼ିଲା ନନ୍ଦରାଣୀ ॥୭୦
ଗୋପୀ ଧଇଲେ ବେଗେ ଯାଇ । ବିଞ୍ଚନ୍ତି ମୁଖେ ନୀର ଦେଇ ॥୭୧
ଘଡ଼ିକେ ହୋଇଲା ସଚେତ । ଉଠି ଲୋଡ଼ଇ ନିଜ ସୁତ ॥୭୨
କେଶ ବସନ ଅସମ୍ଭାଳେ । ପଡ଼େ ଗୋପୀଙ୍କ ପାଦତଳେ ॥୭୩
କେ କହୁ ଯଶୋଦାର ଶୋକ । ଗୋପୀଙ୍କି ଚାହିଁଣ ନିରେଖ ॥୭୪
ବିକଳେ ଲୋଟଇ ଧରଣୀ । ଗୋପୀ କାନ୍ଦନ୍ତି ତାହା ଶୁଣି ॥୭୫
କେ କହୁ ଶୋକର ତଦନ୍ତ । ଗୋପୀ ହୋଇଲେ ମୋହଗତ ॥୭୬
ତାହା ଜାଣିଲେ ଜଗନ୍ନାଥ । ଆକାଶେ ଉଡୁଛି ଦଇତ୍ୟ ॥୭୭
ଶ୍ରୀକୃଷ୍ଣ ବିଚାରନ୍ତି ମନେ । ଅସୁର ମାରିବି କେସନେ ॥୭୮
ଏ ତ ନେଉଛି ଶୂନ୍ୟପଥେ । ଏତେ ବିଚାରି ଗୋପୀନାଥେ ॥୭୯
ଦାସବତ୍ସଳ ନନ୍ଦବଳା । ରୁନ୍ଧିଲେ ଅସୁରର ଗଳା ॥୮୦
କଣ୍ଠେ ଲମ୍ବିଲେ ବନମାଳୀ । ଅସୁର ନ ପାରିଲା ଚଳି ॥୮୧
ବ୍ରହ୍ମାଣ୍ତ କୋଟି କୋଟି ମାଳେ । ବସନ୍ତି ଯା'ର ରୋମମୂଳେ ॥୮୨
ଅସୁର ଚାଳିବ ତା କାହିଁ । ଭାଳଇ ଚଉଦିଗ ଚାହିଁ ॥୮୩
ବାଳୁତ ପୁଅ ଏଡ଼େ ଗରୁ । ପକାଇ ଦେବି ପଡ଼ି ମରୁ ॥୮୪
ଧରିଣ କୃଷ୍ଣ ବାମହସ୍ତେ । ତା' କଣ୍ଠ ଚାପିଲେ ତୁରିତେ ॥୮୫
ବେନି ଲୋଚନ ଗଲା ଫୁଟି । ପ୍ରାଣ ଛାଡ଼ିଲା ତାଳୁ ଫାଟି ॥୮୬
ଶବଦ କଲା ମହାଘୋର । ଶୁଣି କମ୍ପିଲେ ସୁରନର ॥୮୭
ଅସୁର ଘେନି କୃଷ୍ଣ କରେ । ପଡ଼ିଲେ ଶିଳାର ଉପରେ ॥୮୮
ଅସୁର ଦେହ ହେଲା ଚୂର । ଗୋପୀ ଦେଖିଲେ ଦାମୋଦର ॥୮୯
ଯମର ଘରୁ ଯେହ୍ନେ ଆସି । କୋଳ କରନ୍ତି ଗୋପୀ ହସି ॥୯୦
ଶିଳାରୁ ଘେନି ବନମାଳୀ । ଯଶୋଦାକୋଳେ ଦେଲେତୋଳି ॥୯୧
ଗୋପୀ ଗୋପାଳ ଆଦି ନନ୍ଦ । କୃଷ୍ଣଙ୍କୁ ଦେଖିଣ ସାନନ୍ଦ ॥୯୨
ଗୋପାଳେ ନନ୍ଦଙ୍କୁ ଅନାଇ । ବୋଲନ୍ତି ଭାଗ୍ୟବନ୍ତ ତୁହି ॥୯୩
କାଳର ମୁଖୁଁ ଉବୁରିଲା । ପୁତ୍ରକୁ ଗୋବିନ୍ଦ ରଖିଲା ॥୯୪
ଶୀତଳ ଯଶୋଦାର କୋଳ । ଆପଦୁଁ ତରିଲା କୁମର ॥୯୫
ଅରିଷ୍ଟ ଦେଖି ନନ୍ଦ ମନେ । ଭାଳଇ ମିତ୍ରର ବଚନେ ॥୯୬
ଦିନେକ ପୁତ୍ର କୋଳେ ଘେନି । କ୍ଷୀର ପିଆନ୍ତେ ନନ୍ଦ ରାଣୀ ॥୯୭
କୃଷ୍ଣ ବଦନେ ଉଠେ ହାଇ । ଯଶୋଦା ତୁଣ୍ତେ ଦେଲା ଚାହିଁ ॥୯୮
ଦେଖିଲା ଦର୍ପଣ ପରାୟେ । ବ୍ରହ୍ମାଣ୍ତ ଦିଶେ କୃଷ୍ଣ ଦେହେ ॥୯୯
ଆକାଶ ଆଦି ଦିଗପାଳେ । ଗ୍ରହ ନକ୍ଷତ୍ର ମେଘମାଳେ ॥୧୦୦
ସପତ ସିନ୍ଧୁ ବସୁନ୍ଧରୀ । ନଦୀ କାନନ ଦିଗ ଗିରି ॥୧୦୧
ସ୍ଥାବର ଆଦି ସର୍ବଜନ୍ତୁ । ବିଶ୍ୱ ସଂସାରେ ଯେତେ ହେତୁ ॥୧୦୨
ଦେଖି ଚକିତମନେ ଚାହିଁ । ହୃଦେ ଚିନ୍ତଇ ଭାବଗ୍ରାହୀ ॥୧୦୩
ସଭୟେ ପୁତ୍ର କୋଳେ ଘେନି । ଘରେ ପଶିଲେ ନନ୍ଦରାଣୀ ॥୧୦୪
ଆନନ୍ଦ କେ ପାରିବ କହି । ଯାହାର ସୁତ ଭାବଗ୍ରାହୀ ॥୧୦୫
ନିଦ୍ରା ମୋହିତ ହୃଷିକେଶ । ନମଇଁ ଜଗନ୍ନାଥ ଦାସ ॥୧୦୬
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ନନ୍ଦବସୁଦେବ ସଙ୍ଗମୋ ନାମ ଅଷ୍ଟମ ଅଧ୍ୟାୟଃ ।
ନବମ ଅଧ୍ୟାୟ
[ସମ୍ପାଦନା]- ଶୁକ ଉବାଚ
ଶୁଣ ଅଭିମନ୍ୟୁ-କୁମର । କହନ୍ତି ଶୁକ-ମୁନିବର ॥୧
ଗର୍ଗବଂଶରେ ମୁନି ଜାତ । ଯାଦବବଂଶ ପୁରୋହିତ ॥୨
ଧାର୍ମିକପଣେ ସମ ନାହିଁ । ଆଣିଲା ବସୁଦେବ ରାଇ ॥୩
ବସାଇ ପୂଜିଲା ପୟର । ଏକାନ୍ତେ ବୋଲଇ ଉତ୍ତର ॥୪
ଭୋ ମୁନି ନନ୍ଦଘରେ ମୋର । ଅଛନ୍ତି ବେନି ଯେ କୁମର ॥୫
କଂସର ଡ଼ରେ ମୁହିଁ ନେଇ । ଗୋପରେ ଅଛଇଁ ଲୁଚାଇ ॥୬
ଏବେ ଗୋପକୁ ତୁମ୍ଭେ ଯାଅ । ମୋର ପୁତ୍ରଙ୍କୁ ନାମ ଦିଅ ॥୭
ଏହା ଜାଣିବ ଏକା ନନ୍ଦ । ଆନ ଜାଣିଲେ ହେବ ମନ୍ଦ ॥୮
ବସୁଦେବର ବୋଲ ଶୁଣି । ଗୋପେ ଚଳିଲେ ଗର୍ଗମୁନି ॥୯
ସାମଗାୟନ କରି ଧୀରେ । ମିଳିଲେ ନନ୍ଦର ମନ୍ଦିରେ ॥୧୦
ଦେଖି ଆସନୁ ନନ୍ଦ ଉଠି । ଥୋକାଏ ଅଇଲେ ପାଛୋଟି ॥୧୧
ପବିତ୍ର ଜଳେ ପାଦ ଧୋଇ । ଆସନେ ବସାଇଲା ନେଇ ॥୧୨
ଚରଣ ପୂଜି ଷଡ଼ଅର୍ଘ୍ୟେ । ବିନୟ ହୋଇ ସାଧୁ ଗାର୍ଗ୍ୟେ ॥୧୩
ଆନନ୍ଦ କରାଇଣ ମନ । ବୋଲଇ ମଧୁର ବଚନ ॥୧୪
ଭୋ ମୁନି ହୋଇଲି ନିର୍ମଳ । ଘେନି ତୁମ୍ଭର ପାଦଜଳ ॥୧୫
ଭୂତ ଭବିଷ୍ୟତ ବର୍ତ୍ତମାନ । ଏଣେ ତୁମ୍ଭର ଦିବ୍ୟଜ୍ଞାନ ॥୧୬
ଅନେକ ପୁଣ୍ୟ ଥିଲା ମୋର । ତେଣୁ ପୂଜିଲି ତୋ' ପୟର ॥୧୭
ଭିତରପୁରେ ମୁନି ନେଇ । କହଇ ଏକାନ୍ତେ ବସାଇ ॥୧୮
ଶୁଣ ପଣ୍ତିତ ଚୂଡ଼ାମଣି । ମୋ ଘରେ ଅଛଇ ରୋହିଣୀ ॥୧୯
ବସୁଦେବର ଏ ତନୟ । ପୁଣି ହୋଇଛି ମୋର ପୁଅ ॥୨୦
ନାମକରଣ ଆଜ କର । ପ୍ରସନ୍ନ ହୋଇ ମୁନିବର ॥୨୧
କ୍ଷତ୍ରିୟ ସ୍ୱଭାବେ ଯୁକତେ । ସଂସ୍କାର କର ବେନିସୁତେ ॥୨୨
ତୋ ତହୁଁ ନ ଜାଣିବେ କେହି । ଏମନ୍ତ ମନ୍ଦିରେ ବସାଇ ॥୨୩
ମୁନି ବୋଲନ୍ତି ନନ୍ଦ ଚାହିଁ । ଏ କଥା ମୋତେ ନ ଯୋଗାଇ ॥୨୪
ମୁଁ ଯଦୁବଂଶେ ପୁରୋହିତ । ଏ କଥା ସଂସାରେ ବିଦିତ ॥୨୫
ତୋହର ଘରେ କାର୍ଯ୍ୟ କଲେ । କଂସ ଜାଣିବ ତାହା ଭଲେ ॥୨୬
ବସୁଦେବର ପୁତ୍ର ଏହି । ପୂର୍ବେ ଅମ୍ବିକା ଗଲେ କହି ॥୨୭
ଦେବକୀ ଅଷ୍ଟମ ଗର୍ଭର । ନିଶ୍ଚୟେ ହୋଇଲା କୁମର ॥୨୮
କେ ଅବା ଆସିଅଛି ଥୋଇ । ପୁରୋହିତ ଯେ ଗଲେ ତହିଁ ॥୨୯
ଏମନ୍ତ ବିଚାରି ଅସୁର । ଘେନାଇ ଯିବ ମଧୁପୁର ॥୩୦
ନେଇ ମାରିବ ବେନିବାଳ । ଏ କଥା ଅନର୍ଥର ମୂଳ ॥୩୧
ଶୁଣି ବୋଲନ୍ତି ନନ୍ଦରାୟ । ଭୋ ମୁନି ନ କର ତୁ ଭୟ ॥୩୨
ତୋ ତହୁଁ ନଜାଣିବେ ଆନ । ଏମନ୍ତ ଅଛି ମୋର ସ୍ଥାନ ॥୩୩
କହି କରାଇ ସାବଧାନ । ଆଣିଲା ହୋମର ବିଧାନ ॥୩୪
ଦ୍ୱିଜ ବେଭାରେ ଶୁଚିମନ୍ତ । ସଂସ୍କାର କଲେ ବେନିସୁତ ॥୩୫
ଗର୍ଗ୍ୟ ଅଇଲେ ଯହିଁ ପାଇଁ । ଦେଖିଲେ ନନ୍ଦପୁତ୍ର ଦୁଇ ॥୩୬
ନୟନେ ଦେଖି ନିସ୍ତରିଲେ । ବେଦବଚନେ ସ୍ତୁତି କଲେ ॥୩୭
ବିଚାରି ହୃଦେ ପରିମାଣି । ଜ୍ଞାନଦର୍ଶନେ ମୁନିମଣି ॥୩୮
ସଭୟ କରି ହୃଦଗତେ । ଗୋବିନ୍ଦ ଭାବ ଅନୁମତେ ॥୩୯
ଭୋ ବ୍ରହ୍ମ ପୁରୁଷ ଶରୀର । ମର୍ତ୍ତ୍ୟେ ହୋଇଲ ଅବତାର ॥୪୦
ଅବନୀଭାରା ନାଶ ଅର୍ଥେ । ଅଂଶେଣ ହୋଇଲ ସମ୍ଭୂତେ ॥୪୧
ନାଶିବ ଦୁଷ୍ଟ ମହାମଲ୍ଲେ । ଯେତେ ଏ ଅଛନ୍ତି ଶୟଳେ ॥୪୨
ଏମୋର ନୟନ ଆନନ୍ଦ । କେବଣ ତପ କଲା ନନ୍ଦ ॥୪୩
ଗୋରୁ ଗୋପାଳ ଗୋପସୁତ । ନଦୀ କାନନ ପରବତ ॥୪୪
ଗିରିକୁସୁମ ବନେ ଯେତେ । ଦ୍ୱାଦଶ-ବିପିନ ସହିତେ ॥୪୫
ଏହାଙ୍କ ଭାଗ୍ୟ କେହୁ କହୁ । ମାୟା-ମନୁଷ୍ୟ ମହାବାହୁ ॥୪୬
ଭୋ ନାଥ କମଳନୟନ । ଅଜନ୍ମା ହେଲ ତୁମ୍ଭେ ଜନ୍ମ ॥୪୭
ମୁଁ କୀଟ କୋଟିକେ ଅନ୍ତର । କିସ ବା ନାମ ଦେବି ତୋର ॥୪୮
ଅନନ୍ତ ଅବତାର ନାମ । ଅଂଶେ ହୋଇଲ ଗୁଣଧାମ ॥୪୯
ଏମନ୍ତ ଯେତେ ଗୁଣ କର୍ମେ । ସମସ୍ତ କହିଲେ ବଚନେ ॥୫୦
ମନେ ବିଚାରି ହୃଦେ ସ୍ତୁତି । କଲେ ସେ ଗାର୍ଗ୍ୟ ମହାଯତି ॥୫୧
ଆତ୍ମାର ଗୁଣ କର୍ମ ଅର୍ଥେ । କହନ୍ତି ନନ୍ଦର ଅଗ୍ରତେ ॥୫୨
ଶୁଣ ହେ ବ୍ରଜ ମହୀପତି । ଯେ ତୋର ପୁତ୍ର ନାମ ଗତି ॥୫୩
ରୋହିଣୀ ସୁତ ଏ ସୁନ୍ଦର । ଗୁଣେ ରଞ୍ଜିବ ସୁରନର ॥୫୪
ଏହାର ନାମ ରାମ ହେଉ । ଦେଖ ଆଜାନୁ ବେନି ବାହୁ ॥୫୫
ବଳ ଅଧିକୁ ବଳ ନାମ । ବେନି ସଂଯୋଗେ ବଳରାମ ॥୫୬
ଗୋବିନ୍ଦ ଆଜ୍ଞା ଘେନି ପୂର୍ବେ । ଦୁର୍ଗା ଆକର୍ଷି ଥିଲେ ଗର୍ଭେ ॥୫୭
ତେଣୁ ଯେ ନାମ ସଙ୍କର୍ଷଣ । ଦେଖ ସ୍ୱରୂପ ବିଚକ୍ଷଣ ॥୫୮
ଏ ଯେ ତୋହର ନିଜ ସୁତ । ଏହାର ଗୁଣ ଅପ୍ରମିତ ॥୫୯
ଏଯେତେ ଜନ୍ମ ମହୀତଳେ । ମୁହିଁ ଜାଣଇ ଯୋଗବଳେ ॥୬୦
ଯୁଗ ଯୁଗକେ ଆନ ବର୍ଣ୍ଣ । ଆବର ଯେତେ ଗୁଣ କର୍ମ ॥୬୧
ଏହାକୁ ନ ଜାଣନ୍ତି କେହି । ମୁଁ ଏହା ଅଳପ ଜାଣଇ ॥୬୨
ନାମ ଏହାର ଅଛି ଯେତେ । କହିବି ଏକେ ଏକେ କେତେ ॥୬୩
ଶ୍ୱେତ ଶୋଣିତ ପୀତ ଶ୍ୟାମ । ଯୁଗକୁ ଯୁଗ ଅନୁଆନ ॥୬୪
ଏବେ ଏହାର କୃଷ୍ଣ ନାମ । ଦୁଷ୍ଟ କରିବ ବିନାଶନ ॥୬୫
ପୂର୍ବେ ଏ ବସୁଦେବ ଘରେ । ଜନ୍ମିଲେ ଦେବକୀ ଉଦରେ ॥୬୬
ପିତା ଏହାର ବସୁଦେବ । ତେଣୁ ତା'ନାମ ବାସୁଦେବ ॥୬୭
ଯେତେକ ନାମଟି ଏହାର । ଅଳପ ଜାଣେ ଦେବବର ॥୬୮
ଏହାର ନାମ ଆଶ୍ରେ କରି । ହେଳେ ତରିବେ ଭବବାରି ॥୬୯
ପ୍ରଥମ ଯୁଗେ ଏହା ଗୁଣ । ହେ ନନ୍ଦ ସାବଧାନେ ଶୁଣ ॥୭୦
ବେଣରାଜାର ଅନ୍ତଃକାଳେ । ଭୂମି କମ୍ପିଲା ଟଳମଳେ ॥୭୧
ଏହାର ବଳ ଆଶ୍ରେ କରି । ସୁଖେ ବଞ୍ଚିଲେ ନରନାରୀ ॥୭୨
ଏହାର ନାମେ ଯା'ର ଭାବ । ସେ ପ୍ରାଣୀ ସଂସାରୁ ତରିବ ॥୭୩
ଦେଖ ଏହାର ବର୍ଣ୍ଣ ଚିହ୍ନ । ପ୍ରତ୍ୟକ୍ଷେ ବିଷ୍ଣୁର ସମାନ ॥୭୪
ଏଣେ ବିଶ୍ୱାସ ନନ୍ଦ କର । ତରିବୁ ଭବ ମହାଘୋର ॥୭୫
ଏମନ୍ତ କହି ନନ୍ଦ ଆଗେ । ମଥୁରା ଗଲେ ମୁନି ବେଗେ ॥୭୬
ନନ୍ଦ ସନ୍ତୋଷ ମନେ ଗୁଣି । କୃଷ୍ଣୁଙ୍କୁ ଘେନିଲା ରୋହିଣୀ ॥୭୭
ଯଶୋଦା ରାମ ଘେନି କୋଳେ । ସ୍ତନ୍ୟ ପିଆନ୍ତି ସୁଖଭୋଳେ ॥୭୮
କେତେହେଁ ଦିନ ତହିଁ ଗଲା । ଶୁଣ ହୋ ଶ୍ରୀକୃଷ୍ଣର ଲୀଳା ॥୭୯
ଦିନେକ ରାମ ଶିରୀଧର । ମନ୍ଦିରୁ ହୋଇଲେ ବାହାର ॥୮୦
ଚାଲନ୍ତି ଆଗେ ଗୁଳଗୁଞ୍ଚା । କ୍ଷଣ କ୍ଷଣକେ ପଛଘୁଞ୍ଚା ॥୮୧
ଚରଣେ ନୂପୁର ବାଜେଣୀ । କରେ କଙ୍କଣ କଣ୍ଠେ ମଣି ॥୮୨
ଚାଲନ୍ତେ ଗୋପୀଙ୍କ ଅଗଣା । କର୍ଦ୍ଦମେ ପଡ଼ି ହୋନ୍ତି ବଣା ॥୮୩
ପୁଣି ଚାଲନ୍ତେ ପୁଣି ବାଜେ । ପଛକୁ ଚାହିଁ ଦେବରାଜେ ॥୮୪
ଚରଣେ ରୁଣୁଝୁଣୁ ନାଦେ । ଗୋବିନ୍ଦ ନାଚନ୍ତି ଆନନ୍ଦେ ॥୮୫
ଦେଖି ଧାମନ୍ତି ବେନିମାଏ । ରାମକୃଷ୍ଣଙ୍କ ପଙ୍କ କାୟେ ॥୮୬
କାଖେ ବସାଇ ଘରେ ଆଣି । ଧୁଅନ୍ତି ଘେନି ବାସପାଣି ॥୮୭
ଝୀନବସନେ ପୋଛି ଦେହ । କ୍ଷଣକ୍ଷଣକେ ମାୟାମୋହ ॥୮୮
ବେନି ମାତାଏ କୋଳେ ଧରି । ସ୍ତନ୍ୟ ପିଆନ୍ତି ପେଟଭରି ॥୮୯
ପାଟିକେ ଦୁଇ ଦୁଇ ଦନ୍ତ । ଦେଖିଣ ଯଶୋଦା ଉଷତ ॥୯୦
ରୋହିଣୀ ଦେଖିଣ ସାନନ୍ଦ । ପୁତ୍ରଙ୍କୁ କୋଳ କଲା ନନ୍ଦ ॥୯୧
ଦିନକୁ ଦିନ ବଳୀୟାର । ବଢ଼ନ୍ତି ରାମ ଦାମୋଦର ॥୯୨
ଗୋପାଳ ବାଳକଙ୍କ ମେଳେ । ଗୋପୀଏ ଧରୁଥା'ନ୍ତି କୋଳେ ॥୯୩
ଖେଳନ୍ତି ଗୃହ ଦାଣ୍ତ ଭାଗେ । ବାଛୁରୀମାନଙ୍କର ସଙ୍ଗେ ॥୯୪
ଉଠନ୍ତି ବତ୍ସାଙ୍କ ଉପର । ଧୂଳି ଧୂସର କଳେବର ॥୯୫
ବତ୍ସାଏ ଉଠି ଯେ ପଳାନ୍ତି । ଲାଙ୍ଗୁଡ଼ ଧରି ଓଟାରନ୍ତି ॥୯୬
ପୁଣି ପଳାନ୍ତେ କର ଛାଡ଼ି । ତଳେ ପଡ଼ନ୍ତି ମୁହଁମାଡ଼ି ॥୯୭
ତୁଣ୍ତରୁ ଗଳଇ ରୁଧିର । କାନ୍ଦନ୍ତି ବ୍ରହ୍ମାଣ୍ତ ଠାକୁର ॥୯୮
ଘରୁ ବାହାର ହୋଇ ଗୋପୀ । କୃଷ୍ଣଙ୍କୁ ଚାହାନ୍ତି ନିରୋପି ॥୯୯
ଧୂଳି ଝାଡ଼ନ୍ତି ବାସ୍ତ୍ର ଘେନି । କୋଳ କରନ୍ତି ପୁତ୍ର ବେନି ॥୧୦୦
ଘରେ ଶୁଆଉଁ ବସ୍ତ୍ର ପାଡ଼ି । ଲୋଟି ହୁଅନ୍ତି ଗଡ଼ାଗଡ଼ି ॥୧୦୧
କ୍ଷଣକେ ହୁଅନ୍ତି ବାହାର । କ୍ଷଣ କ୍ଷଣକେ ଆଗୁସାର ॥୧୦୨
ଗୋପୀ ଧରନ୍ତି ଯାଇ କୋଳେ । ଚୁମ୍ବନ ଦ୍ୟନ୍ତି କୁତୂହଳେ ॥୧୦୩
ନନ୍ଦର ଘରେ ଦ୍ୟନ୍ତି ନେଇ । କହନ୍ତି ଯଶୋଦାକୁ ଚାହିଁ ॥୧୦୪
ଏ ତୋର କେବଣ ବିଚାର । ପୁତ୍ର ନ ଥୋଉ କିମ୍ପପାଁ ଘର ॥୧୦୫
ଏକ ବାଳକେ ନ ସମ୍ଭାଳୁ । ବିପଦ ପଡ଼ିଲେ ଯେ ଭାଳୁ ॥୧୦୬
ଶୁଣି ଯଶୋଦା କୃଷ୍ଣ ଘେନି । ରାମଙ୍କୁ ସମ୍ଭାଳେ ରୋହିଣୀ ॥୧୦୭
ଦିନକୁ ଦିନ ଅପ୍ରମିତେ । ଘରେ ନ ରହନ୍ତି ବାଳୁତେ ॥୧୦୮
ଗୋ ଶୃଙ୍ଗ ଧରିଣ ନାଚନ୍ତି । ଅଗ୍ନିର ନିକଟେ ବୁଲନ୍ତି ॥୧୦୯
ଡେରିଲା ଖଣ୍ତାକୁ ଚାଳନ୍ତି । ଶ୍ୱାନର ତୁଣ୍ତେ ହସ୍ତ ଦ୍ୟନ୍ତି ॥୧୧୦
ପଡ଼ି ଲୋଟନ୍ତି ଜଳକୁଣ୍ତେ । ହସ୍ତ ଭରନ୍ତି ସର୍ପତୁଣ୍ତେ ॥୧୧୧
କଣ୍ଟା ଉପରେ ଗଡ଼ିଯା'ନ୍ତି । ମାର୍ଜାରୀ ପୁଅକୁ ଧରନ୍ତି ॥୧୧୨
ଖେଳନ୍ତି ଅତି ବଳୀୟାର । ଗୋକୁଳେ ରାମ ଦାମୋଦର ॥୧୧୩
ନିତ୍ୟେ ପୁତ୍ରଙ୍କୁ ଧରିଆଣି । ପିଟନ୍ତି ଯଶୋଦା ରୋହିଣୀ ॥୧୧୪
ବେପାର ନ ପାରନ୍ତି କରି । ପୁଣି ଆଣନ୍ତି କୋଳେ ଧରି ॥୧୧୫
ଦଣ୍ତେ ହେଁ ନରହନ୍ତି ଘରେ । ବୁଲନ୍ତି ଗୋପୀଙ୍କ ମନ୍ଦିରେ ॥୧୧୬
ତୁଲ୍ୟବୟସ ଗୋପବାଳେ । ଖେଳନ୍ତି ରାମକୃଷ୍ଣ ତୁଲେ ॥୧୧୭
ଭାଙ୍ଗନ୍ତି କାହା ଦଧିଭାଣ୍ତ । ବସ୍ତ୍ର ଚିରନ୍ତି ଖଣ୍ତ ଖଣ୍ତ ॥୧୧୮
କାହାର ପିଆନ୍ତି ବାଛୁରୀ । ଲବଣି ଖା'ନ୍ତି ଚୋରିକରି ॥୧୧୯
କନ୍ଦାନ୍ତି ଦୋଳିର କୁମର । ପାଣି ଢାଳନ୍ତି କା' ଉପର ॥୧୨୦
ସହି ନପାରି ଗୋପବାଳୀ । ନନ୍ଦର ଘରେ ଥୋକେ ମିଳି ॥୧୨୧
ଗୋପୀ କହନ୍ତି ଆଗବଢ଼ି । ଯଶୋଦା ପାଦତଳେ ପଡ଼ି ॥୧୨୨
ସମ୍ଭାଳ ତୋର ଘରଦ୍ୱାର । ଆମ୍ଭେ ନ ଥିବୁ ଗୋପପୁର ॥୧୨୩
କହିବୁ ଆଉ ଗୁଣକେତେ । ଶୁଣ ଗୋ କର୍ମ କଲା ଯେତେ ॥୧୨୪
ଜୀବିକା ବୁଡ଼ିଲା ଆମ୍ଭର । ବତ୍ସା ମେଲାନ୍ତି ତୋ' କୁମର ॥୧୨୫
ଘରେ ନ ଥାଉଁ ଯେତେବେଳେ । ଚୋରି କରଇ ଅବହେଳେ ॥୧୨୬
ଶିକା ଦଉଡ଼ି କାଟିଦେଇ । ଲବଣି କାନ୍ଥେ ଲେପୁଥାଇ ॥୧୨୭
ବସ୍ତ୍ର ଚିରଇ ଘରେ ପଶି । ବୋଇଲେ ବେଗେ ଯାଏ ଋଷି ॥୧୨୮
ଭାଣ୍ତ ଭାଙ୍ଗଇ ଲୁଚି ଲୁଚି । କଥାକେ ଯାଉଥାଏ ଘୁଞ୍ଚି ॥୧୨୯
ଖୋଜିଣ ଦୁଧ ସର ଖାଇ । କାହାର ଭାଣ୍ତରେ ମୂତଇ ॥୧୩୦
ସର ନପାଏ ଯା'ର ଘରେ । ହାଣ୍ତି ଭାଙ୍ଗଇ କୋପଭରେ ॥୧୩୧
କିଛି ନପାଏ ଯା'ର ଘର । ଉଠଇ ଦୋଳିର ଉପର ॥୧୩୨
ଶୋଇଲା ପୁଅକୁ କନ୍ଦାଏ । ଗୋଡ଼ାଇ ଗଲେ ଗାଳିଦିଏ ॥୧୩୩
ଏକଇ ଗୋପୀ ରୋଷଭରେ । କହଇ ଯଶୋଦା ଆଗରେ ॥୧୩୪
ଯମୁନା ଯିବାବେଳେ ମୋର । ଘରେ ପଶିଲା ତୋ' କୁମର ॥୧୩୫
କବାଟ ଫେଡ଼ିଣ ମୋହର । ଘରେ ପଶଇ ଯେହ୍ନେ ଚୋର ॥୧୩୬
ତା' ଦେଖି ବାହୁଡ଼ିଲି ମୁହିଁ । ଜଳାକବାଟି ବାଟେ ଚାହିଁ ॥୧୩୭
ଶିକାରେ ଅଛି ମୋର ସର । ଗମ୍ଭିରୀ ବଡ଼ଇ ଅନ୍ଧାର ॥୧୩୮
କିଛି ନ ପାଇ ମୋର ଘରେ । ପଶିଲା ଗମ୍ଭୀରି ଭିତରେ ॥୧୩୯
କି ମନ୍ତ୍ର ଜାଣେ ତୋର ପୁଅ । କୋଟିଏ ସୂର୍ଯ୍ୟ ଜିଣି ଦେହ ॥୧୪୦
ଘୋର ଅନ୍ଧାର ଗଲା କେଣେ । ପୁଣି ଚାହିଁଲା ଏଣେତେଣେ ॥୧୪୧
ଦେଖିଲା ଶିକା ଅଛି ଉଚ୍ଚେ । ହସ୍ତ ନ ପାଇଲା ସୁସଞ୍ଚେ ॥୧୪୨
ରୋଳ ଆଣିଲା ଧାତିକାରେ । ଉଠିଲା ତଥିର ଉପରେ ॥୧୪୩
ସବୁ ଖାଇଲା ଦୁଧସର । ତୁଣ୍ତୁ ମୋ' ନଇଲା ଉତ୍ତର ॥୧୪୪
ପୁଣି ଗୋପୀଏ ହୋଇ ଆଗେ । କୋପେକହଇ ବେଗେ ବେଗେ ॥୧୪୫
ଭୋ ମାତ ଗଲି ନୀର ଆଣି । ତୋ' ସୁତ ଖାଇଲା ଲବଣି ॥୧୪୬
ଆସି ହୋଇଲି ବେଗେ ଘର । ବସିଛି ପିଣ୍ତାର ଉପର ॥୧୪୭
ବୋଇଲା ଗଲୁ ଏତେବେଳ । ତୋ' ଘରେ ପଶିଥିଲା ଚୋର ॥୧୪୮
ମୁଁ ଏବେ ବସିଅଛି ଜଗି । ଖାଇବି ଆନଘରେ ମାଗି ॥୧୪୯
ଖରେ ପଶିଲି ଘରେ ମୁହିଁ । ଦେଖିଲି ଗଲାଣି ପଳାଇ ॥୧୫୦
ପୁଣି ଗୋପୀଏ ଆଗସରି । ବୋଲଇ ଶୁଣ ନନ୍ଦନାରୀ ॥୧୫୧
ଦିନେକ ମୋର ଘରେ ଗଲା । କରଅଞ୍ଜଳି ପ୍ରସାରିଲା ॥୧୫୨
ବୋଇଲା ଫୁଟିଲି ମୁଁ ପଥେ । ଲବଣି ଦିଅ ମୋର ହସ୍ତେ ॥୧୫୩
ହସ୍ତ ପୂରାଇ ଦିଅ ସର । ତୋ ଘରେ ନପଶିବ ଚୋର ॥୧୫୪
ଶୁଣି ସାନନ୍ଦ ମନେ ମୁହିଁ । ସର ଲୁଚାଏ ଦେଲି ନେଇ ॥୧୫୫
ହସ୍ତ ନ ପୂରଇ ତାହାର । ବୋଲଇ ଆଣ ଧାତିକାର ॥୧୫୬
ପୁଣି ଥୋକାଏ ଦେଲି ନେଇ । ଦେଖିଲି ହସ୍ତ ନ ପୂରଇ ॥୧୫୭
ଯେତେକ ଥିଲା ଘରେ ମୋର । ଦୁଧ ଲବଣି ଘୃତ ସର ॥୧୫୮
ସବୁ ଢାଳିଲି ବେଗେ ନେଇ । ଦେଖିଲି ହସ୍ତ ନ ପୂରଇ ॥୧୫୯
ପାଖ ପଡ଼ିଶା ଯେତେ ଘର । ସବୁ ଆଣିଲି ଘୃତ ସର ॥୧୬୦
କେବେହେଁ କର ନ ପୂରିଲା । ପୁଣି ହିଁ ଆଣ ଲୋ ବୋଇଲା ॥୧୬୧
ଦେଖି ମୁଁ ହୋଇଲି ଚକିତ । ଏକା ଗ୍ରାସକେ ଗର୍ଭଗତ ॥୧୬୨
ହସ୍ତ ବୋଳିଲା ମୋର ମୁେ । ପଳାଇଗଲା ଦାଣ୍ତେ ଦାଣ୍ତେ ॥୧୬୩
ଗୋପୀଙ୍କ ଭାଷା ଶୁଣି ଶୁଣି । କୋପେ ବୋଲଇ ନନ୍ଦରାଣୀ ॥୧୬୪
କୃଷ୍ଣର ଧରିଛନ୍ତି କର । ଭୟେ କମ୍ପନ୍ତି ଚକ୍ରଧର ॥୧୬୫
ଯଶୋଦା ବୋଲଇ ଲୋ ଶୁଣ । ଜାଣିଲି ପୁତ୍ର ଦୁଷ୍ଟପଣ ॥୧୬୬
ତୁମ୍ଭର ଜାଣିଲି ସଦୟେ । ଦେଲଟି ଲବଣି ଟିକାଏ ॥୧୬୭
ଏତେକେ ବୁଡ଼ିଲା ତୋ' ଘର । ଭଣ୍ତ ଲୋ ମୋହର ଆଗର ॥୧୬୮
ବାଳୁତ ପୁଅ ହସ୍ତ କାହିଁ । ଶତେ ନଉତି ନପୂରଇ ॥୧୬୯
ଏତେ ଅନୀତି କଥା କହ । ଜାଣତ ଦୁଷ୍ଟ ମୋର ପୁଅ ॥୧୭୦
ଏ ଛାର ତୁମ୍ଭର ପ୍ରମାଣ । ଏଥକୁ ସାକ୍ଷୀ ନାରାୟଣ ॥୧୭୧
ଦାସବତ୍ସଳ ଭଗବାନ । ଚାହିଁଲେ ଗୋପୀଙ୍କ ବଦନ ॥୧୭୨
ଗୋପୀ କରିବେ ତା'ଙ୍କୁ କିସ । ଏମନ୍ତ ପ୍ରଭୁ ହୃଷୀକେଶ ॥୧୭୩
ମୋହନ କରି ହସ ହସ । ଗୋପୀ ହୋଇଲେ ସର୍ବେବଶ ॥୧୭୪
ତକ୍ଷଣେ ସ୍ନେହଭର ହୋଇ । ଗୋପୀଏ ଏକୁ ଆରେ ଚାହିଁ ॥୧୭୫
କୃଷ୍ଣର ମୁଖେ ଚୁମ୍ବ ଦେଇ । ଯେ ଯାହା ଘରକୁ ସେ ଯାଇ ॥୧୭୬
ଶୁଣ ପରୀକ୍ଷ ମହୀପାଳ । ବାଳକଲୀଳା ନନ୍ଦବାଳ ॥୧୭୭
ଦିନେକ ରାମ ବନମାଳୀ । ବାଳକ ମେଳେ ଗଲେ ଖେଳି ॥୧୭୮
ଆନନ୍ଦେ କ୍ରୀଡ଼ାରଙ୍ଗେ ଫୁଟି । ତୁଣ୍ତେ ଭରିଲେ କୃଷ୍ଣ ମାଟି ॥୧୭୯
ରାମ ଦେଖିଣ ଗଲେ ଖରେ । କହିଲେ ଯଶୋଦା ଛାମୁରେ ॥୧୮୦
ଶୁଣ ଜନନୀ ମୋ' ଉତ୍ତର । ମାଟି ଭକ୍ଷିଲା ତୋ' କୁମର ॥୧୮୧
ଯାଇ ମୁଁ ଧଇଲି ତା' ହସ୍ତ । ମାରଇ ବୋଲି ଭୟଚିତ୍ତ ॥୧୮୨
ବେଗେ ସେ ଛଡ଼ାଇଲା ହସ୍ତ । ମୋ ଅଙ୍ଗେ ମାଇଲା ବହୁତ ॥୧୮୩
ଶୁଣି ଯଶୋଦା ବେଗେ ଯାଇ । ଧଇଲେ କୃଷ୍ଣ କର ଦୁଇ ॥୧୮୪
କୋପ ନୟନେ ଗୋପୀ ଚାହେଁ । ଭୟେ କମ୍ପନ୍ତି ଦେବରାୟେ ॥୧୮୫
ଯଶୋଦା କୋପେ ପରଜ୍ୱଳି । ଛାଟ ଉଞ୍ଚାଇ ଦେଲେ ଗାଳି ॥୧୮୬
ସର-ଲବଣି ତୁ ପକାଉ । କାହାର ବୋଲେ ମାଟି ଖାଉ ॥୧୮୭
ଆଜ ମାରିବି ତୋତେ ଘରେ । କହିବି ପିତାଙ୍କ ଛାମୁରେ ॥୧୮୮
ପୋଏ କହିଲେ ଶୁଣ ମାଏ । ଭକ୍ଷିଲେ ମୃତ୍ତିକା ମୁଠାଏ ॥୧୮୯
ଶୁଣି ଯଶୋଦା କୋପ କରି । ଛାଟ ଉଞ୍ଚାଇ ଦେଲେ ଗାଳି ॥୧୯୦
ଅଞ୍ଚଳେ ବାନ୍ଧି ବେନି ହସ୍ତ । ଭୟେ କମ୍ପନ୍ତି ଗୋପୀନାଥ ॥୧୯୧
ଛାଟ ଉଞ୍ଚାନ୍ତେ ନନ୍ଦନାରୀ । କାନ୍ଦି କହନ୍ତି ନରହରି ॥୧୯୨
ଏହାଙ୍କ ଘରେ ମୁହିଁ ଯାଇ । ଲବଣି ଭୁଞ୍ଜଇ ଚୋରାଇ ॥୧୯୩
ସେ ଘେନି କହୁଛନ୍ତି ଖଚ । ତୁଣ୍ତ ମୋ' ଦେଖ ତୁ ପ୍ରତ୍ୟକ୍ଷ ॥୧୯୪
ବଳଦେବ ହିଁ ମୋତେ ହିଂସି । ତୋଆଗେ କହିଲେ ସେ ଆସି ॥୧୯୫
ମୋ ତୁଣ୍ତେ ଥିଲେ ସିନା ମାଟି । ତେବେହେଁ ମୋତେ ଛାଟେପିଟି ॥୧୯୬
ହସ୍ତରୁ ବେଗେ ଛାଟ ପକା । ମାଏ ବୋଇଲେ ତୁଣ୍ତ ଦେଖା ॥୧୯୭
ଶୁଣି ସାନନ୍ଦ ଚକ୍ରଧର । ବିସ୍ତାରି ଦେଖାନ୍ତି ଅଧର ॥୧୯୮
ତକ୍ଷଣେ ବେନିପାଟି ଧରି । ତୁଣ୍ତେ ଚାହିଁଲେ ନନ୍ଦନାରୀ ॥୧୯୯
ଦେଖଇ ଅଶେଷ ବ୍ରହ୍ମାଣ୍ତ । ସପତ-ମହୀ ନବଖଣ୍ତ ॥୨୦୦
ସ୍ଥଳ ସାଗର ମହୀଧର । ଶଶୀ ନକ୍ଷତ୍ର ଦିବାକର ॥୨୦୧
ଦିଶ ଆକାଶ ଅନ୍ତରାଳ । ଗ୍ରହ ପବନ ମେଘମାଳ ॥୨୦୨
ସ୍ଥାବର ଆଦି ସର୍ବଜନ୍ତୁ । ବିଶ୍ୱସଂସାରେ ଯେତେ ହେତୁ ॥୨୦୩
ନଗ୍ର ପାଟଣା ପୁର ଗ୍ରାମ । ନଦୀ ପର୍ବତ ଘୋରବନ ॥୨୦୪
ମଥୁରାପୁର ଆଦି କରି । ଗୋପନଗର ନରନାରୀ ॥୨୦୫
ବାଳକ ମେଳେ ନନ୍ଦଦ୍ୱାରେ । କୃଷ୍ଣଙ୍କୁ ଘେନିଛନ୍ତି କରେ ॥୨୦୬
ରୋହିଣୀ ଛନ୍ତି ରାମ ଘେନି । ସ୍ତୁତି କରନ୍ତି ସୁର ମୁନି ॥୨୦୭
ଦେଖି ଚକିତ ନନ୍ଦରାଣୀ । ମୂର୍ଚ୍ଛିତେ ପଡ଼ିଲେ ଧରଣୀ ॥୨୦୮
ପୁଣି କ୍ଷଣକେ ପାଇ ଜ୍ଞାନ । ଭାଳଇ ଦେଖିଲି ସ୍ୱପନ ॥୨୦୯
କେଉଁ ଦେବତା ମାୟା କଲା । ମୋହର ମନକୁ ମୋହିଲା ॥୨୧୦
କି ଅବା ହୋଇଲଇଁ ବାଇ । ଜ୍ଞାନ ହାରିଲି ଗର୍ଭ ଚାହିଁ ॥୨୧୧
ଏ ବଡ଼ ପଡ଼ିଲା ସଂଶୟ । ଏବେ କି ବୁଦ୍ଧି ମୋର ମୋହ ॥୨୧୨
ଜଗତ ଦେଖିଲି ତ ଗର୍ଭେ । ଏହା ବୁଝିବି କେଉଁ ଭାବେ ॥୨୧୩
ପୁତ୍ରର କାହିଁ ଏଡ଼େ ଗର୍ଭ । ଏ କି ଅନାଦି ପଦ୍ମନାଭ ॥୨୧୪
ସିଦ୍ଧ ପୁରୁଷ ଅବା ଜାତ । ଏହାକୁ ବୋଲଇ ମୁଁ ସୁତ ॥୨୧୫
କିବା ଡାକିନୀ ମାୟା କଲା । ଗର୍ଭେ ତ ଏମନ୍ତ ଦିଶିଲା ॥୨୧୬
ନ ପୁଣ ପଡ଼ଇ ପ୍ରମାଦ । ଶୋକେ ଯଶୋଦା ଗଦଗଦ ॥୨୧୭
ଏତ ନୁହଁଇ ଭଲ ଚିହ୍ନ । ମୋହର ମନ ଛନ ଛନ ॥୨୧୮
ଏମନ୍ତ ଭାଳି ନନ୍ଦରାଣୀ । ମନ ବଚନ ଚିତ୍ତେ ଗୁଣି ॥୨୧୯
ନ ଜାଣି ବାଇ ପ୍ରାୟ ହୋଇ । ଭାଳଇ ଦଶଦିଗ ଚାହିଁ ॥୨୨୦
ପୁଣ କ୍ଷଣକେ ଅନୁମାନି । ଚିତ୍ତେ ଚିନ୍ତଇ ଭୟ ଘେନି ॥୨୨୧
ଯାହାର ମାୟାଘୋର ଭ୍ରମେ । ଜୀବ ଭ୍ରମଇ ପଥଶ୍ରମେ ॥୨୨୨
ମୁହିଁ ମୋହର ଏ ସଂସାର । ପତି ତନୟ ବନ୍ଧୁ ମୋର ॥୨୨୩
ସ୍ୱାମୀର ପତ୍ନୀ ମୁହିଁ ସରି । ସର୍ବ ସମ୍ପଦ ମୁଁ ଆବୋରି ॥୨୨୪
ଏ ଗୋପୀ ଗୋପ ଗୋରୁ ଧନ । ସର୍ବ ଆବୋରି ମୋର ମନ ॥୨୨୫
ଯା'ର ମାୟାରେ ଏହି ମତି । ସେ ହରି ମୋତେ କରୁ ଗତି ॥୨୨୬
ଏତେ ବିଚାରି କଲା ଭୟ । ମାୟା ମୋହିଲେ ଦେବରାୟ ॥୨୨୭
ତକ୍ଷଣେ କୃଷ୍ଣେ କରି କୋଳ । ନମଇଁ ଦଶଦିଗ ପାଳ ॥୨୨୮
ଜୟ ଚଣ୍ତିକା ଗୋ ମଙ୍ଗଳା । ରଖ ମୋ ଏକଇର ବଳା ॥୨୨୯
ଗଜବଦନ କ୍ଷେତ୍ରପାଳେ । ପୁତ୍ର ମୋ ରଖ ସର୍ବକାଳେ ॥୨୩୦
ନମଇଁ ଗୋବିନ୍ଦର ପାୟେ । ରିଷ୍ଟ ଖଣ୍ତିବେ ମୋ' ତନୟେ ॥୨୩୧
ଏମନ୍ତ ବୋଲି କୃଷ୍ଣେ ଘେନି । ଘରେ ମିଳିଲା ନନ୍ଦରାଣୀ ॥୨୩୨
ଗୋରଜ କୃଷ୍ଣଦେହେ ବୋଳି । ଅନେକ କଲା ନିଉଛାଳି ॥୨୩୩
ପୁତ୍ରକୁ କରାଇ ସ୍ନାହାନ । ବ୍ରାହ୍ମଣେ ଦେଲା ମିଷ୍ଟଅନ୍ନ ॥୨୩୪
ସ୍ତନ୍ୟ ପିଆଇ କୋଳେ ଧରି । ନିଦ୍ରା କରାଇଲା ମୁରାରି ॥୨୩୫
ବୋଲେ ପରୀକ୍ଷ ଶୁକ ଚାହିଁ । ତୁମ୍ଭରେ ନିସ୍ତରିଲି ମୁହିଁ ॥୨୩୬
ନନ୍ଦ ଯଶୋଦାଙ୍କର ତପ । ଭୋ ମୁନି କହିବା ସ୍ୱରୂପ ॥୨୩୭
ଯାହାର ନାମ ହୃଦେ ଘେନି । ସଂସାରୁ ତରିଯା'ନ୍ତି ମୁନି ॥୨୩୮
ତପେ ବିଧାତା ଯାକୁ ଧାୟି । ଯା' ନାମ ଶଙ୍କର ଜପଇ ॥୨୩୯
ଦେବେ ନ ଜାଣନ୍ତି ଯାହାକୁ । ସେ କେହ୍ନେ ପ୍ରାପତ ନନ୍ଦକୁ ॥୨୪୦
ଯଶୋଦା କଲା କେଡ଼େ ଭାଗ୍ୟ । ତାହାର କୋଳେ ପଦ୍ମନାଭ ॥୨୪୧
ଗର୍ଭରେ ଧରି ଦଶମାସ । ଦେବକୀ ହୋଇଲା ନିରାଶ ॥୨୪୨
କୃଷ୍ଣର ଏତେ ବଡ଼ ମାୟା । ଏହାରେ କଲେ ଏଡ଼େ ଦୟା ॥୨୪୩
କହିବା ମୋତେ ମୁନିବର । ନିର୍ମଳ ହେଉ ମୋ ଶରୀର ॥୨୪୪
ମୁନି କହନ୍ତି ତାହା ଶୁଣି । କୃଷ୍ଣଚରିତ ମନେ ଗୁଣି ॥୨୪୫
ଶୁଣ ରାଜନ କୃଷ୍ଣକଥା । ସୃଷ୍ଟିର ଆଦ୍ୟକାଳେ ଧାତା ॥୨୪୬
ଅଷ୍ଟବସୁଙ୍କୁ ଜାତ କଲା । ଜଣ ଜଣକେ ନାମ ଦେଲା ॥୨୪୭
ପୁତ୍ରଙ୍କ ମଧ୍ୟେ ସାଧୁ ଧୀର । ଦ୍ରୋଣବସୁ ନାମ ଯାହାର ॥୨୪୮
ପତ୍ନୀର ନାମ ତାର ଧରା । ସମ ନୁହଁଇ ଅପସରା ॥୨୪୯
ପୁତ୍ର-ବଧୂଙ୍କୁ ରାଇ ଧୀର । ଆଦେଶ ଦେଲେ ବେଦବର ॥୨୫୦
ବେଦପ୍ରମାଣେ ସୃଷ୍ଟି କର । ସଂସାର ହୋଇବ ତୁମ୍ଭର ॥୨୫୧
ଶୁଣି ଯୋଡ଼ିଲେ ବେନିକର । ମଧୁରେ କହନ୍ତି ଉତ୍ତର ॥୨୫୨
ବୋଲନ୍ତି ଶିରେ କର ଦେଇ । ଭୋ ତାତ ଏଣେ କାର୍ଯ୍ୟ ନାହିଁ ॥୨୫୩
ଆମ୍ଭର ଚିତ୍ତ ଅପ୍ରମାଦେ । ଭକତି ହେଉ କୃଷ୍ଣପାଦେ ॥୨୫୪
ତେବେ କରିବୁଁ ତୋ ବଚନ । ଭୋ ତାତ ହୋଇବା ପ୍ରସନ୍ନ ॥୨୫୫
ସନ୍ତୋଷେ ବୋଲେ ପ୍ରଜାପତି । ଗୋବିନ୍ଦେ ହେଉ ତୁମ୍ଭ ମତି ॥୨୫୬
ହରିଙ୍କି ଧାୟି ତପକରି । ଶୀତ ବରଷା ଅପହରି ॥୨୫୭
ସୂର୍ଯ୍ୟତେଜକୁ ନାହିଁ ଭୟେ । ତପ କରନ୍ତି କୃଷ୍ଣଲୟେ ॥୨୫୮
ତାହା ଜାଣିଲେ ନାରାୟଣ । ବ୍ରାହ୍ମଣ ରୂପେ ପରସନ୍ନ ॥୨୫୯
କୃଷ୍ଣ ଆରାଧି ତପ କରି । ପୁତ୍ର ମୋ ହୋଇବେ ମୁରାରି ॥୨୬୦
ଏହାଉଁ ଆନ କାର୍ଯ୍ୟ ନାହିଁ । ତୁମ୍ଭ ଚରଣେ କହିଲଇଁ ॥୨୬୧
ଶୁଣି ହସିଲେ ଭାବଗ୍ରାହୀ । କହନ୍ତି ଦୁହିଁଙ୍କି ଅନାଇ ॥୨୬୨
ଗୋପରେ ହୁଅ ଯାଇ ଜାତ । ତୁମ୍ଭେ ଯେ ହୋଇବ ମହତ ॥୨୬୩
ଦ୍ୱାପର ଯୁଗେ ଭାରା ନାଶେ । ଜନ୍ମ ହୋଇବେ ପୀତବାସେ ॥୨୬୪
ଦେବକୀ ଗର୍ଭେ ହୋଇ ଜାତ । କୃଷ୍ଣ ହୋଇବେ ତୁମ୍ଭ ସୁତ ॥୨୬୫
ପୁତ୍ର ବୋଲାଇବେ ତୁମ୍ଭର । ଅସୁର କରିବେ ସଂହାର ॥୨୬୬
ଏଗାର ବତ୍ସର ତୋ ଘରେ । ବଞ୍ଚିବେ ପୁତ୍ରସ୍ନେହ ଭରେ ॥୨୬୭
ଗୋପରେ କରିଣ ବିହାର । ବିଜେ କରିବେ ମଧୁପୁର ॥୨୬୮
ନିଜ ସ୍ୱରୂପ ଧରି ହରି । ତାହାଙ୍କ ଆଶା ପୂର୍ଣ୍ଣକରି ॥୨୬୯
ଏତେକ କହି ନାରାୟଣ । ତକ୍ଷଣେ ହେଲେ ଅନ୍ତର୍ଦ୍ଧାନ ॥୨୭୦
କୃଷ୍ଣ ଆଦେଶ ଘେନି ଶିରେ । ଜନ୍ମ ହୋଇଲେ ଗୋପପୁରେ ॥୨୭୧
କୃଷ୍ଣଙ୍କୁ ତପବଳେ ପାଇଁ । ପାଳନ୍ତି ପିତାମାତା ହୋଇ ॥୨୭୨
ଶୁଣ ସୁଜନେ କୃଷ୍ଣବାଣୀ । ନିର୍ମଳ ହୁଅ ମନେ ଗୁଣି ॥୨୭୩
ପୁରାଣ ଗୀତବନ୍ଧେ କଲି । ରାମକୃଷ୍ଣଙ୍କ ବାଳକେଳି ॥୨୭୪
ଏଥକୁ ହୁଅ ଦୃଢ଼ଚିତ୍ତ । କହଇ ଦାସ ଜଗନ୍ନାଥ ॥୨୭୫
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ନନ୍ଦବସୁଦେବ ସଙ୍ଗମୋ ନାମ ନବମୋଽଧ୍ୟାୟଃ ।
ଦଶମ ଅଧ୍ୟାୟ
[ସମ୍ପାଦନା]- ଶୁକ ଉବାଚ
ନମଇଁ ପ୍ରଭୁ ବନମାଳୀ । ସୁଖସାଗର ବାଳକେଳି ॥୧
ଦିନେକ ଦେବୀ ଯଶୋବନ୍ତୀ । ସେବକୀମାନ ହକାରନ୍ତି ॥୨
ଆଜ୍ଞା ପ୍ରମାଣେ ଦାସୀଗଣେ । ଆସି ମିଳିଲେ ଜଣେ ଜଣେ ॥୩
ଯଶୋଦା ବୋଲନ୍ତି ଉତ୍ତର । ଘର ବେଭାର ତୁମ୍ଭେ କର ॥୪
ଦଧିମନ୍ଥିବି ଆଜ ମୁହିଁ । ଲବଣି କେତେ ଜାଣିବଇଁ ॥୫
ମନେ ଜାଣିଲେ ଭାବଗ୍ରାହୀ । ଭକ୍ତଜନଙ୍କ ସତ୍ୟ ପାଇଁ ॥୬
ଗୋପୀ ଯେ କହିଥିଲେ ଗତେ । ମୋହର କଥାମାନ ଯେତେ ॥୭
ସେକଥା କରିବଇଁ ସତ୍ୟେ । ଯଶୋଦା ଯିବନା ପରତେ ॥୮
ମାୟା ମୋହିଲେ ନରହରି । ଦାସଜନଙ୍କ ସତ୍ୟେ କରି ॥୯
ଏମନ୍ତ ବୋଲି ଆଜ୍ଞାଦେଲେ । ମନ୍ଥନ ଦଣ୍ତ ଅଣାଇଲେ ॥୧୦
ମନ ଆନନ୍ଦେ ନନ୍ଦନାରୀ । ଦଧିଭାଣ୍ତରେ ଖୁଆଭରି ॥୧୧
ଯଶୋଦା ହୋଇଲାକ ସଜ । ଯାହାର ସୁତ ଦେବରାଜ ॥୧୨
ପିନ୍ଧି ସୁରଙ୍ଗ ପାଟଶାଢ଼ି । ରତ୍ନମେଖଳା ଅଛି ଭିଡ଼ି ॥୧୩
ପୃଥୁଳ ନିତମ୍ବ ଯୁଗଳ । ସୁବର୍ଣ୍ଣ ଚୁଡ଼ି ବେନିକର ॥୧୪
ବେନିସ୍ତନରୁ କ୍ଷୀର ଝରେ । ନୂପୁର ବାଜଇ ପୟରେ ॥୧୫
ହୃଦରେ ହାର କର୍ଣ୍ଣେ କାପ । ଶିରେ ସୀମନ୍ତ ଦିବ୍ୟରୂପ ॥୧୬
ଖୁଆ ଦଉଡ଼ି ଧରି କରେ । ବାମ ଦକ୍ଷିଣେ ଚାଲେ ଧୀରେ ॥୧୭
ଦଉଡ଼ି ଟାଣିବାର ଡ଼ରେ । ବସ୍ତ୍ର ନରହେ ଦେବୀ ଶିରେ ॥୧୮
କବରୀ ଫିଟି ଲୋଟେ ତଳେ । ପୁଷ୍ପ ପଡ଼ନ୍ତି ମାଳେ ମାଳେ ॥୧୯
ହୃଦେ କମ୍ପନ୍ତି ପୟୋଧର । କଙ୍କଣ ନାଦ ବେନିକର ॥୨୦
ମୁଖେ ଶୋଭିତ ଶ୍ରମଝାଳ । ରଙ୍ଗ ଅଧରେ ସୁକପୋଳ ॥୨୧
ଦଧି ମନ୍ଥଇ ମନତୋଷେ । କୃଷ୍ଣ ମିଳିଲେ ତା'ର ପାଶେ ॥୨୨
ସ୍ତନ୍ୟ ପିଇବା ଆଶେ ହରି । ଜନନୀ ବସ୍ତ୍ର କରେ ଧରି ॥୨୩
ଦେଖି ଯଶୋଦା କୋପଭର । କୃଷ୍ଣଙ୍କୁ ବୋଲନ୍ତି ଉତ୍ତର ॥୨୪
ଯାଅ ନଧର ଏତେବେଳେ । ପଛେ ଘେନିବି ତୋତେକୋଳେ ॥୨୫
ଶୁଣି କାନ୍ଦନ୍ତି ବନମାଳୀ । ଦେଖି ଯଶୋଦା ଦେଇ ଗାଳି ॥୨୬
କୃଷ୍ଣଙ୍କୁ କରାଇଲେ ତୁନି । ସୁସ୍ୱରେ କରି ଗୀତଧ୍ୱନି ॥୨୭
ବାଳୁତ କାଳୁ ଯେତେ ଜାଣି । ସୁମରି ଗାଏ ନନ୍ଦରାଣୀ ॥୨୮
କୋଇଲି ଛନ୍ଦେ ଗାଇ ଗୀତ । ଶୁଣି କାନ୍ଦନ୍ତି ଗୋପୀନାଥ ॥୨୯
ହସ୍ତ ବଢ଼ାଇ ଗୋପୀନାଥେ । ଖୁଆ ଧଇଲେ ବାମହସ୍ତେ ॥୩୦
ଯଶୋଦା ନପାରିଲା ଚାଳି । କୋଳେ ଧଇଲା ବନମାଳୀ ॥୩୧
ସ୍ତନ୍ୟ ପିଆଇ ତୋଷମନ । ଶ୍ରୀମୁଖେ ଦେଲାକ ଚୁମ୍ବନ ॥୩୨
ଶୁଣ ପରୀକ୍ଷ ଏକଚିତ୍ତ । ଏମନ୍ତ ହୋଇ ବିପରୀତ ॥୩୩
ଚୁଲିରେ ବସିଥିଲା କ୍ଷୀର । ଚାହିଁଲେ ପ୍ରଭୁ ଚକ୍ରଧର ॥୩୪
ତକ୍ଷଣେ ପଡ଼ିଲା ଉତୁରି । ଦେଖିଲା ଯଶୋଦା ସୁନ୍ଦରୀ ॥୩୫
କୃଷ୍ଣଙ୍କୁ ପକାଇଲା ତଳେ । ଅଜ୍ଞାନ-ମୋହ-ମାୟା-ଭୋଳେ ॥୩୬
ଧାମଇଁ କରେ ଜଳ ଘେନି । ପଡ଼ି କାନ୍ଦନ୍ତି ଅନ୍ତର୍ଯ୍ୟାମି ॥୩୭
କୋପ ବସିଲା କୃଷ୍ଣଙ୍କର । ଦନ୍ତେ କାମୋଡ଼ିଲେ ଅଧର ॥୩୮
ଉଠିଲେ ଭବସୁଖଦାତା । ଘରୁ ଆଣିଲେ ଶିଳପୁତା ॥୩୯
ପିଟିଲେ ଦଧିଭାଣ୍ତେ ନେଇ । ଭାଜି ଗୋରସ ଗଲା ବହି ॥୪୦
ତା' ଦେଖି ଗୋବିନ୍ଦ କାତରେ । ଲୁଚିଲେ ଗମ୍ଭୀରି ଭିତରେ ॥୪୧
ଘରେ ଲବଣି ଥିଲା ଯେତେ । ସବୁ ଖାଇଲେ ବେନିହସ୍ତେ ॥୪୨
କ୍ଷୀର ଉତାରି ଗୋପବାଳୀ । ପୁଣି ମନ୍ଥନ ସ୍ଥାନେ ମିଳି ॥୪୩
ଦେଖ ଚକିତ ଗାଲେ ହସ୍ତ । ଏଡ଼େ କରମ କଲା ସୁତ ॥୪୪
ବାଳୁତ କାଳୁ ଏଡ଼େ କୋପୀ । ସତ କହନ୍ତି ମୋତେ ଗୋପୀ ॥୪୫
ତାହାଙ୍କୁ ନିନ୍ଦିଲି ମୁଁ କୋପେ । ଏବେ ତ ଦେଖିଲି ସ୍ୱରୂପେ ॥୪୬
ଆଜ କରିବି ପ୍ରତିଫଳ । ଗୋପୀଏ ଛାଡ଼ନ୍ତି ଚହଳ ॥୪୭
ବଢ଼ିଲା କହୁଁ କହୁଁ କୋପ । ଯଷ୍ଟି ପ୍ରହାରେ ଯେହ୍ନେ ସର୍ପ ॥୪୮
ଛାଟ ଲୁଚାଇ ପଛଭାଗେ । ମିଳିଲା ଗମ୍ଭୀରିର ଲାଗେ ॥୪୯
ଦ୍ୱାରେ ଚାହିଁଲେ ଦେବୀ ଧୀର । ଦେଖିଲେ ପ୍ରଭୁ ଦାମୋଦର ॥୫୦
ରୋଳ ଉପରେ ଗୋପୀନାଥ । ଶିକା ଧରିଣ ବାମହସ୍ତ ॥୫୧
ଶିକାରେ ଥିଲା ଯେ ଲବଣି । କୃଷ୍ଣ ତା' ବେନିକରେ ଆଣି ॥୫୨
ମାର୍ଜାରୀ ପାଞ୍ଚ ସାତ ମେଳେ । ଲବଣି ଖାନ୍ତି କୁତୂହଳେ ॥୫୩
ଦ୍ୱାରକୁ ଚାହିଁ ଚକ୍ରଧର । ଭୟେ କମ୍ପନ୍ତି ଯେହ୍ନେ ଚୋର ॥୫୪
ଦେଖି ଯଶୋଦା ପରଜ୍ୱଳି । ଯଷ୍ଟି ଉଞ୍ଚାଇ ଦେଲେ ଗାଳି ॥୫୫
ଆଜ କରିବି ଖଣ୍ତ ଖଣ୍ତ । ଛାଟେ ପିଟିବି ତୋର ପିଣ୍ତ ॥୫୬
ଦେଖି ଚକିତ ଭାବଗ୍ରାହୀ । ରୋଳୁଁ ପଡ଼ିଲେ ବେଗେ ଡ଼େଇଁ ॥୫୭
କୃଷ୍ଣ ପଳାନ୍ତି ଭୟ ଘେନି । ପଛେ ଗୋଡ଼ାନ୍ତି ନନ୍ଦରାଣୀ ॥୫୮
ପଳାନ୍ତି ପଛକୁ ଅନାଇଁ । ପଛେ ଯଶୋଦା ଛନ୍ତି ଧାଇଁ ॥୫୯
ଯାହାର ନାହିଁ ଆଦି ଅନ୍ତ । ଧ୍ୟାନେ ଚିନ୍ତନ୍ତି ମୁନି ସନ୍ଥ ॥୬୦
ତାହାଙ୍କୁ ପୁତ୍ର ପ୍ରାୟେ ମଣି । ପଛେ ଧାମଇଁ ଗୋପାଳୁଣୀ ॥୬୧
ପୃଥୁ ନିତମ୍ବ ପାୟୋଧରେ । ଗୋଡ଼ାଇ ନପାରଇ ଖରେ ॥୬୨
ପୁଣି ଗୋଡ଼ାଇ ପଛେ ଝୁଣ୍ଟି । ଘଡ଼ିକେ ଉଠି ଘର୍ମେ ଫୁଟି ॥୬୩
ପୁଣି ଗୋଡ଼ାଇ ପୁଣ ପଡ଼ି । ପାୟେକ ଉଠିଣ ହାବୋଡ଼ି ॥୬୪
କେଶ ଫିଟିଲା ଶ୍ରମଝାଳେ । ଫୁଲ ପଡ଼ଇ ଫିଟି ତଳେ ॥୬୫
ଏମନ୍ତ ଯଶୋଦାର ଗତି । ଦେଖି ଆନନ୍ଦ ଶିରୀପତି ॥୬୬
ଯାହାର ଆଦି ଅନ୍ତ ନାହିଁ । ଯଶୋଦା ପାଇବ ତା' କାହିଁ ॥୬୭
ଜାଣିଣ ଯଶୋଦା ବିକଳ । ଲେଉଟି ଚାହେଁ ଆଦିମୂଳ ॥୬୮
ମନେ ବିଚାର ଭାବଗ୍ରାହୀ । ଯଶୋଦାଠାରେ ଦୟା ବହି ॥୬୯
ଯେବେ ମୁଁ ଯିବିଟି ପଳାଇ । କେ ମୋତେ ପାରିବ ଗୋଡ଼ାଇ ॥୭୦
ଏତେ ବିଚାରି ଦୟାନିଧି । ରଜ୍ଜୁରେ ହୋଇବଇଁ ବନ୍ଦୀ ॥୭୧
ମାତାର ଶ୍ରମ ମନେ ଜାଣି । ରହିଲେ ପ୍ରଭୁ ବେନୁପାଣି ॥୭୨
ଧାଇଁ ଧଇଲେ ଦେବୀ କରେ । ଛାଟ ଉଞ୍ଚାଇ କୋପଭରେ ॥୭୩
ଭୟେ କମ୍ପନ୍ତି ଚକ୍ରଧର । ଚକ୍ଷୁ ଘଷନ୍ତି ବାମକର ॥୭୪
କୃଷ୍ଣ ବିକଳ ଦେଖି ମାତା । ଛାଟ ପକାଇ କଲେ ଚିନ୍ତା ॥୭୫
ବୋଲଇ ବାନ୍ଧିବି ଏହାରେ । ବ୍ୟାପାର କରୁଥିବି ଘରେ ॥୭୬
ରୋଳେ ଖଟାଇ ଥିବି ନିତି । ଏଣେ ନ ଥିବ ମୋର ଭୀତି ॥୭୭
ଏତେ ବିଚାରି ନନ୍ଦନାରୀ । ରୋଳ ଆଣିଲା ବେଗ କରି ॥୭୮
ଦଉଡ଼ି ଦେଖି ମାତା ହାତେ । କାନ୍ଦନ୍ତି ପ୍ରଭୁ ଗୋପୀନାଥେ ॥୭୯
ଅଣ୍ଟାରେ ଯୋଚିଲାକ ନେଇ । ବେନି ଅଙ୍ଗୁଳ ନ ଅଣ୍ଟଇ ॥୮୦
ତକ୍ଷଣେ ଦୀର୍ଘ ରଜ୍ଜୁ ଆଣି । ନେଇ ଯୋଖିଲା ନନ୍ଦରାଣୀ ॥୮୧
ଯୋଖନ୍ତେ ପୁଣି ସେ ତୁଟିଲା । ବେନି ଅଙ୍ଗୁଳ ନ ଅଣ୍ଟିଲା ॥୮୨
ପୁଣି ଯୋଖିଲା ଖଣ୍ତ ଦୁଇ । ବେନି ଅଙ୍ଗୁଳ ନ ଅଣ୍ଟଇ ॥୮୩
ପୁଣି ପଶିଲା ଘରେ ଯାଇ । ଦଉଡ଼ି ଆଣେ କନ୍ଧେ ବହି ॥୮୪
ଏମନ୍ତେ ଘରେ ଯେତେ ଥିଲା । ଯୋଖନ୍ତେ ପୁଣି ନଅଣ୍ଟିଲା ॥୮୫
ସାହି ପଡ଼ିଶା ଯେତେ ଘର । ଦଉଡ଼ି ଆଣେ କୋପଭର ॥୮୬
ତାହା ଯୋଖିଲା ବେଗେ ନେଇ । ଦେଖିଲା ପୁଣି ନଅଣ୍ଟଇ ॥୮୭
କେବେହେଁ ନ ପାରିଲା ବାନ୍ଧି । କରଚରଣ ତଳେ ରୁନ୍ଧି ॥୮୮
ଗୋପୀ ଅଇଲେ ତାହା ଶୁଣି । ଯଶୋଦା ବାନ୍ଧେ ପୁଣ ପୁଣି ॥୮୯
ଗୋପୀ ହସନ୍ତି ତାହା ଚାହିଁ । ସମସ୍ତେ ମୁଖେ ବସ୍ତ୍ର ଦେଇ ॥୯୦
ଏକ ଆରେକ କରତାଳି । ମାରନ୍ତି ହୋଇ କୁତୂହଳି ॥୯୧
ବୋଲନ୍ତି ପରିହାସ ବାଣୀ । ଦଉଡ଼ି ନ ପାରିଲୁ ଆଣି ॥୯୨
ରାଣୀ ବୋଲାଅ ଗୋପପୁରେ । ନାନା ଭଣ୍ତାର ତୋର ଘରେ ॥୯୩
ଦଉଡ଼ି ନାହିଁ ତୋ' ଭୁବନେ । ବାଳକ ବାନ୍ଧିବୁ କେସନେ ॥୯୪
ଶୁଣି ଯଶୋଦା ଲାଜ ପାଇ । ରହିଲା ଭୂମିକୁ ଅନାଇ ॥୯୫
ସଂକୋଚେ ହୋଇ ଜରଜର । କାତରେ କମ୍ପଇ ଶରୀର ॥୯୬
କେଶ ବସନ ଅସମ୍ଭାଳ । ଖୋସାରୁ ଖସେ ଫୁଲମାଳ ॥୯୭
ଯଶୋଦା ଶ୍ରମ ଦେଖି ହରି । ନିଜ ବନ୍ଧନେ ମନକରି ॥୯୮
ତକ୍ଷଣେ ଦଉଡ଼ି ଅଣ୍ଟିଲା । କୃଷ୍ଣଙ୍କୁ ରୋଳେ ଖଟାଇଲା ॥୯୯
ଯେ ହରି ତିନିଗୁଣେ ଛନ୍ଦି । ସଂସାର କରିଅଛି ବନ୍ଦୀ ॥୧୦୦
ତାଙ୍କୁ ବାନ୍ଧିଲା ନନ୍ଦନାରୀ । ପୂର୍ବେ ଅନେକ ତପକରି ॥୧୦୧
ମାତାଙ୍କୁ ଯେତେ ଦୟା କଲେ । ବ୍ରହ୍ମା ଶଙ୍କର ନ ପାଇଲେ ॥୧୦୨
କମଳା ସେବେ ପଦ୍ମପାଦ । ସେହି ନ ପାଇଲା ପ୍ରସାଦ ॥୧୦୩
ଭକତ ଜନେ ଯେତେ ଦୟା । ଜ୍ଞାନୀ ପାଇବେ କାହିଁ ତାହା ॥୧୦୪
ଜନନୀ ବାନ୍ଧିଗଲା ରୋଳେ । ଯାମଳା ଅର୍ଜୁନର ତଳେ ॥୧୦୫
ଗୃହ ବ୍ୟାପାରେ ଦେଲା ମନ । ଏବେ ତୁ ଶୁଣ ହୋ ରାଜନ ॥୧୦୬
କୃଷ୍ଣ ଚାହିଁଲେ ବୃକ୍ଷ ଦୁଇ । ବିଚାର କଲେ ଭାବଗ୍ରାହୀ ॥୧୦୭
ପୂର୍ବେ କୁବେର ବେନିସୁତେ । ବୃକ୍ଷ ହୋଇଲେ ଭୋଳ ଚିତ୍ତେ ॥୧୦୮
ନାରଦ ତହୁଁ ଶାପ ପାଇ । ଅନେକ କାଳୁ ଛନ୍ତି ରହି ॥୧୦୯
ସେ ମୁନି ବୋଲିଛନ୍ତି ଯାହା । ଅବଶ୍ୟ କରିବି ମୁଁ ତାହା ॥୧୧୦
ଏତେ ବିଚାରି ବନମାଳୀ । ରୋଳ ଟାଣିଲେ ପାଦ ଚାଳି ॥୧୧୧
ମିଳିଲେ ବେନି ବୃକ୍ଷ ତଳେ । ଟେକି ଚାହିଁଲେ ବେନି ଡୋଳେ ॥୧୧୨
ସେ ହରି ଚରଣପଙ୍କଜ । ସୁଜନଜନେ ନିତ୍ୟ ଭଜ ॥୧୧୩
ଏହା ଶୁଣନ୍ତେ ନରନାରୀ । ହେଳେ ତରିବେ ଭବବାରି ॥୧୧୪
ଶ୍ରୀକୃଷ୍ଣ ବାଳକ ଚରିତ । କହଇ ଦାସ ଜଗନ୍ନାଥ ॥୧୧୫
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ଶ୍ରୀକୃଷ୍ଣ ରୋଳ ବନ୍ଧନ ନାମୋ ଦଶମୋଧ୍ୟାୟଃ ।
ଏକାଦଶ ଅଧ୍ୟାୟ
[ସମ୍ପାଦନା]ଶୁକ ବଚନ ଶୁଣି ରାୟେ । ପଡ଼ଇ ପୁନଃ ପୁନଃ ପାୟେ ॥୧
ମନ ଆନନ୍ଦେ ନୃପବର । ମୁନିଙ୍କି ବୋଲନ୍ତି ଉତ୍ତର ॥୨
- ପରୀକ୍ଷିତ ଉବାଚ
ଭୋ ମୁନି କୁବେର କୁମରେ । ବୃକ୍ଷ ହୋଇଲେ ଗୋପପୁରେ ॥୩
କି ଦୋଷ କଲେ ନାରଦରେ । ଶାପ ପାଇଲେ କି ପାପରେ ॥୪
ଯାହାଙ୍କ ଦେହେ ନାହିଁ ରୋଷ । ବିଶେଷେ ଗୋବିନ୍ଦର ଦାସ ॥୫
ପିତାର ଦିଗପାଳ ପଦ । ଅର୍ଜିଲେ ଅନେକ ସମ୍ପଦ ॥୬
ଏଡ଼େ ଅନୀତି ଆଚରିଲେ । ନିର୍ଗୁଣ ମୁନିଙ୍କି ଚାଳିଲେ ॥୭
ତେଣୁ ହୋଇଲେ ବୃକ୍ଷ ଦୁଇ । ଗୋପ ନଗରେ ବେନିଭାଇ ॥୮
ସେକଥା କହ ମୁନିବର । ନିର୍ମଳ ହେଉ ମୋ ଶରୀର ॥୯
ମୁନି ବୋଲନ୍ତି ତାହା ଶୁଣି । କୃଷ୍ଣଚରିତ ମନେ ଗୁଣି ॥୧୦
- ଶୁକ ଉବାଚ
ନଳକୂବର ମଣିଗ୍ରୀବ । ତପେ ତୋଷିଲେ ସଦାଶିବ ॥୧୧
ପ୍ରସନ୍ନ ହୋଇ ଉମାକାନ୍ତ । ବର ଯାଚିଲେ ବିଶ୍ୱନାଥ ॥୧୨
ଶୁଣି ସାନନ୍ଦ ବେନିଭାଇ । କହନ୍ତି ଶିରେ କର ଦେଇ ॥୧୩
ଆନ ସମ୍ପଦେ କାର୍ଯ୍ୟ ନାହିଁ । ଶୁଣିମା ତ୍ରୈଲୋକ୍ୟ ଗୋସାଇଁ ॥୧୪
ଶତେକ ଯକ୍ଷ-ଅପସରୀ । ଆମ୍ଭେ ରମିବୁ ବନେ ହେରି ॥୧୫
ଅସ୍ତୁ ବୋଇଲେ ଶୂଳପାଣି । ଦଇବ ମିଳାଇଲା ଆଣି ॥୧୬
କନ୍ୟା ସମେତେ ବେନିଭାଇ । ମିଳିଲେ ଗଙ୍ଗାତୀରେ ଯାଇ ॥୧୭
ବାରୁଣୀ ମଦ୍ୟ କଲେ ପାନ । ଭୋଳେ ହୋଇଲେ ହତଜ୍ଞାନ ॥୧୮
ଦଇବେ ନିଦାଘର କାଳ । ଡେଇଁ ପଶିଲେ ଗଙ୍ଗାଜଳ ॥୧୯
ବସ୍ତ୍ର ପାଲଟି ବୃକ୍ଷତଳେ । କନ୍ୟାଏ ପଶିଗଲେ ଜଳେ ॥୨୦
କରନ୍ତି ନାନା ରଙ୍ଗେ କେଳି । ହାସ-ପରିହାସ-ଢମାଳି ॥୨୧
ଏମନ୍ତ ସମୟେ ନାରଦ । ଯା'ନ୍ତେ କରନ୍ତି ବୀଣାବାଦ୍ୟ ॥୨୨
ଆଶ୍ରମ ନାମେ ବଦରିକା । ତହିଁକି ଯାଉଛନ୍ତି ଏକା ॥୨୩
ହରି ଭକତି ହୃଦେ ଧ୍ୟାୟୀ । ନାଚନ୍ତି ବୀଣାବାଦ୍ୟ ବାଇ ॥୨୪
କନ୍ୟାୟେ ନାରଦଙ୍କୁ ଦେଖି । ତକ୍ଷଣେ କ୍ରୀଡ଼ାନ୍ତ ଉପେକ୍ଷି ॥୨୫
ଜଳୁ ଉତୁରି ଯେଝାମତେ । ବସ୍ତ୍ର ସେ ପିନ୍ଧିଲେ ତୁରିତେ ॥୨୬
ଭୟେ କମ୍ପନ୍ତି ଥରହର । ନ ପୁଣ କୋପେ ମୁନିବର ॥୨୭
ଲୁଚିଲେ ବୃକ୍ଷଙ୍କର ପଛେ । ନାରଦ ଦେଖନ୍ତି ପ୍ରତ୍ୟକ୍ଷେ ॥୨୮
ଜଳେ କ୍ରୀଡ଼ନ୍ତି ବେନିଭାଇ । ଦେଖିଲେ କନ୍ୟାମାନ ନାହିଁ ॥୨୯
ଭୋଳେ ଚାହାନ୍ତି ଦଶଦିଗେ । ବସ୍ତ୍ର ହିଁ ନାହିଁ କଟୀଭାଗେ ॥୩୦
ମଦ୍ୟେ ଅରୁଣ ବେନିଆଖି । ମୁନିଙ୍କି ଚାହାନ୍ତି ନିରେଖି ॥୩୧
ଦେଖି ନାରଦ ମୁନିବର । ବୀଣା ଶବଦ କଲେ ସ୍ଥିର ॥୩୨
କୂଳେ ରହିଲେ ଆଡ଼ ହୋଇ । ଦୟାରେ ବିଚାରନ୍ତି ଚାହିଁ ॥୩୩
ଏ ବେନି କୁବେର ନନ୍ଦନ । ମଦେ ହୋଇଲେ ହତଜ୍ଞାନ ॥୩୪
ଦଇବ କଲା ୟାଙ୍କୁ ନାଶ । ତେଣୁ ହୋଇଲା ବୁଦ୍ଧିଭ୍ରଂଶ ॥୩୫
ସ୍ୱଭାବେ ରଜୋଗୁଣ ଛନ୍ଦେ । ଅଜ୍ଞାନ ହେଲେ ମୋହବନ୍ଧେ ॥୩୬
କେ ଏହା ପାରେ ଆନ କରି । ଯାବତ ଥାଇ ଦେହ ଧରି ॥୩୭
ବହୁତ ଥାଇ ଯା'ର ଧନ । ବନ୍ଧୁରେ ସେହି ଶ୍ରେଷ୍ଠ ଜନ ॥୩୮
ପର ରମଣୀ ଯେହୁ ହରେ । ଯେ ପ୍ରାଣୀ ମଦ୍ୟପାନ କରେ ॥୩୯
ଜୁଆ ଖେଳନ୍ତି ଭୋଳ ହୋଇ । ଚୋରି କରନ୍ତି ଲୋଭ ବହି ॥୪୦
ଐଶ୍ୱର୍ଯ୍ୟ ମଦର ଲକ୍ଷଣ । ତ୍ରିବିଧ ଅଟେ ଏହା ଜାଣ ॥୪୧
ବହୁ ସ୍ତ୍ରୀସଙ୍ଗ ସୁରାପାନ । ଦ୍ୟୁତ-କ୍ରୀଡ଼ାରେ ରସେ ମନ ॥୪୨
ଧିକ ଏ ଅଇଶ୍ୱର୍ଯ୍ୟ ଜାଣ । ପରରେ ଦିଅନ୍ତି କଷଣ ॥୪୩
ଏକ ଆରକେ ହିଂସା ବହି । ନରକେ ପଡୁଥା'ନ୍ତି ଯାଇ ॥୪୪
ନଶ୍ୱର-ଦେହକୁ ଅଜର । ଅମର ପରା କରି ସ୍ଥିର ॥୪୫
ଜୀବ ହିଂସନ୍ତି ଆନନ୍ଦରେ । ଶୋଚନା ନ ଥାଇ ମନରେ ॥୪୬
ମାଂସ ଭକ୍ଷଣେ ପଶୁ ମାରେ । ଯେ ଦୟା ଧର୍ମ ନ ବିଚାରେ ॥୪୭
ଦେହକୁ ବୋଲନ୍ତି ମୋହର । ପାପକୁ ନାହିଁ ଯା'ର ଡର ॥୪୮
ଅଜ୍ଞାନ ମୋହେ ହୋନ୍ତି ମତ୍ତ । ନରକେ ପଡ଼ନ୍ତି ତୁରିତ ॥୪୯
ଦେହରୁ ପ୍ରାଣ ଗଲେ ଛାଡ଼ି । ରହଇ ମୃତପିଣ୍ତ ପଡ଼ି ॥୫୦
ଭୂଦେବ ନରଦେବ ହେଲେ । ଅନ୍ତେ ଏ ନାଶ ଲଭେ ଭଲେ ॥୫୧
ଏ ଦେହୁ ଜୀବ ଯିବା କାଳେ । ପଶଇ ଭସ୍ମକୀଟ ମେଳେ ॥୫୨
ଏ ଦେହ ପାଇଁ ମାରେ ଜନ୍ତୁ । ଅଜ୍ଞାନ ନରକର ହେତୁ ॥୫୩
ଜ୍ଞାନ ହୁଅଇ ଏତେ ଭ୍ରମ । ଜନ୍ମ ମରଣେ ପଥଶ୍ରମ ॥୫୪
ଏ ଦେହ କହିବା କାହାର । ମାତାପିତା ବା ବନ୍ଧୁଙ୍କର ॥୫୫
କି ଅନ୍ନଦାତା କି ରାଜାର । କି ଅଗ୍ନି ଶ୍ୱାନ ଶୃଗାଳର ॥୫୬
କି ଅବା ନିଜର ଏ ଦେହ । କେ ଏହା କରିବ ନିର୍ଣ୍ଣୟ ॥୫୭
ଅଥବା ବଳ ଅଛି ଯା'ର । ତାହାର ଏଥେ ଅଧିକାର ॥୫୮
ଅବ୍ୟକ୍ତ ତହୁଁ ଜାତ ହୋଇ । ପୁଣି ସେ ତହିଁରେ ମିଶଇ ॥୫୯
ଏ ଦେହ ପାଇଁ ଜନ୍ତୁ ମାରେ । ମୂଢ଼ ନ ହେଲେ କେବା କରେ ॥୬୦
ସମ୍ପଦ ମଦେ ଯେହୁ ଅନ୍ଧ । ସମ୍ପଦ-ନାଶ ତା ଔଷଧ ॥୬୧
ଦରିଦ୍ର ପଣେ ଦୁଃଖ ପାଇ । ଆତ୍ମାକୁ ଜଗତେ ଦେଖଇ ॥୬୨
କଣ୍ଟା ନ ବହେ ଯା ଚରଣ । ସେ କି ଜାଣଇ ସେ କଷଣ ॥୬୩
ସୁଖୀ ନ ଜାଣେ ପର ବ୍ୟଥା । ଜୀବ ମାରଣେ ସାମରଥା ॥୬୪
ଯାହାର ଦେହେ କ୍ଷତ ହୋଇ । ସେ ଜାଣେ ସୁଖଦୁଃଖ ଦୁଇ ॥୬୫
ଦରିଦ୍ର ଜନ କ୍ଳେଶ ପାଇ । ଇନ୍ଦ୍ରିୟ ଭୋଗେ ନ ରସଇ ॥୬୬
କ୍ଷୁଧାରେ ଶୁଷ୍କ ଯା' ଶରୀର । ସେ କାହୁଁ ହିଂସିବ ଅପର ॥୬୭
ଏଣୁ ଦୁଃଖୀର ଦୁଃଖୀପଣ । ପରମ ତପସ୍ୟା ସମାନ ॥୬୮
ହରି ଭକତ ସାଧୁଜନ । ସଙ୍ଗ ଲଭଇ ଅକିଞ୍ଚନ ॥୬୯
ସମ ମଣଇ ଦୁଃଖସୁଖେ । ତାହାକୁ ନାରାୟଣ ରଖେ ॥୭୦
ଏତେ ବିଚାରି ମୁନିବର । ଚଞ୍ଚଳ ଚିତ୍ତକଲେ ସ୍ଥିର ॥୭୧
ବୋଲନ୍ତି ଦୟାଭାବ ଚିତ୍ତେ । ନାଶ ଏ ଯିବେ ଏହି ମତେ ॥୭୨
ଦଇବେ ଗର୍ବ ଏହାଙ୍କର । ଅଜ୍ଞାନ ସଂସାର ବେଭାର ॥୭୩
ମାଗିଲେ ଶତେକନ୍ୟା ରତି । ଏ ମୂଢ଼େ କିଛି ନ ଜାଣନ୍ତି ॥୭୪
ଭୋଳ ହୋଇଲେ ମଦ୍ୟ ଖାଇ । ଏବେ ତରିବେ ବେନିଭାଇ ॥୭୫
ଦେହକୁ ନ ଜାଣନ୍ତି ଭୋଳେ । ବୃକ୍ଷ ହୋଇବେ ଏକତୁଲେ ॥୭୬
କୋପେ ବୋଲନ୍ତି ମୁନିବର । ଶୁଣ ହେ କୁବେର କୁମର ॥୭୭
ଅର୍ଜୁନ ବୃକ୍ଷ ରୂପ ହୋଇ । କାଳ ବଞ୍ଚିବ ବେନିଭାଇ ॥୭୮
ମୋତେ ଯେ ନଚିହ୍ନିଲ ବ୍ରହ୍ମ । ତେଣୁ ହୋଇବ ଉଚ୍ଚଦ୍ରୁମ ॥୭୯
ଏତେ ବୋଲିଣ ମୁନି ଗଲେ । କନ୍ୟାଏ ତାହାଙ୍କୁ କହିଲେ ॥୮୦
ଶାପ ବିହିଲେ ମହାଋଷି । ବୋଇଲେ ସ୍ଥାବର ହୁଅସି ॥୮୧
ଶୁଣି କମ୍ପିଲେ ଭାଇ ବେନି । ଯାଇ ଭେଟିଲେ ବ୍ରହ୍ମମୁନି ॥୮୨
ପାଦେ ପଡ଼ିଣ ମାଗି ଗତି । ବୋଇଲେ ଶୁଣ ବ୍ରହ୍ମଯତି ॥୮୩
ଆମ୍ଭର ମତି-ଭୋଳପଣେ । ଗର୍ବ ବହିଲୁ ଅକାରଣେ ॥୮୪
ଅମୋଘ-ବଚନ ଏ ତୋର । ବିଅର୍ଥ ନୋହେ ମୁନିବର ॥୮୫
ଉତ୍ତମକୁଳେ ହୋଇ ଜନ୍ମ । କଲୁ ଯେ ପାପ ନୀତିମାନ ॥୮୬
ଏମନ୍ତେ କାନ୍ଦି ଉଚ୍ଚସ୍ୱରେ । ବୋଲନ୍ତି କୁବେର-କୁମରେ ॥୮୭
ବିକଳ ଦେଖି ବ୍ରହ୍ମଋଷି । ବୋଇଲେ ବଚନ ଆଶ୍ୱାସି ॥୮୮
ଆମ୍ଭ ବଚନ ମିଥ୍ୟା ନୋହି । ବୃକ୍ଷ ହୋଇବ ବେନିଭାଇ ॥୮୯
ନନ୍ଦ-ବରଜେ ଦେହଧରି । ବୃକ୍ଷ ହୋଇବ ମର୍ତ୍ତ୍ୟପୁରୀ ॥୯୦
ଅଷ୍ଟାବିଂଶତି ଦ୍ୱାପରେଣ । ଜନ୍ମ ଲଢ଼ିବେ ନାରାୟଣ ॥୯୧
ବିଷ୍ଣୁର ଦିବ୍ୟରୂପ ଚାହିଁ । ସ୍ୱର୍ଗେ ଆସିବ ବେନିଭାଇ ॥୯୨
ଯହୁଁ କରୁଣା ଶୂଳ ପାଣି । ଶତେକ କନ୍ୟା ଦେଲେ ଆଣି ॥୯୩
ତୁମ୍ଭର ଶାପ ମୋକ୍ଷ ଯାଏ । ଏମାନେ ଥିବେ ସେହିଠାଏ ॥୯୪
ଈଶ୍ୱର ବର ନୋହେ ଆନ । ଆସି ରମିବ କନ୍ୟାମାନ ॥୯୫
ଅର୍ଜୁନବୃକ୍ଷ ରୂପ ହୋଇ । ଗୋପେ ଜନମ ବେନିଭାଇ ॥୯୬
ଶତେ-ବରଷ ଦେବମତେ । କୃଷ୍ଣଙ୍କୁ ଭେଟ ଶାପଅନ୍ତେ ॥୯୭
ଭକତି ହେଉ କୃଷ୍ଣପାଦେ । ଶାପୁଁ ତରିବ ଅପ୍ରମାଦେ ॥୯୮
ମୁନିଶାପରେ ବେନିଭାଇ । ବୃକ୍ଷ ହୋଇଲେ ଗୋପେ ଯାଇ ॥୯୯
ଶୁଣ ପାଣ୍ତବ-ଚୂଡ଼ାମଣି । ରୋଳ ଟାଣିଲେ ଚକ୍ରପାଣି ॥୧୦୦
ବୃକ୍ଷରେ ଦେଇ ବେନିହସ୍ତ । ମନେ ଚିନ୍ତନ୍ତି ଗୋପୀନାଥ ॥୧୦୧
ନାରଦ-ବଚନ ମୋହର । ପାଳିବା ଉଚିତ ବେଭାର ॥୧୦୨
ଦାସବତ୍ସଳ ବ୍ରହ୍ମରାଶି । ବୃକ୍ଷଙ୍କ ମଧ୍ୟେ ଗଲେ ପଶି ॥୧୦୩
ରୋଳ ଲାଗନ୍ତେ ବେନିବୃକ୍ଷେ । ଗୋବିନ୍ଦ ଟାଣିଲେ ପ୍ରତ୍ୟେକ୍ଷେ ॥୧୦୪
ଉପୁଡ଼ି ଗଲା ବେନି ମୂଳ । ପଡ଼ି କମ୍ପିଲେ ପତ୍ର-ଡ଼ାଳ ॥୧୦୫
ଶବଦ ମେଘ-ଘଡ଼ଘଡ଼ି । ପଡ଼ିଲେ କୃଷ୍ଣ-ଦେହ ଛାଡ଼ି ॥୧୦୬
ଦେହ ଲାଗନ୍ତେ ଭାବଗ୍ରାହୀ । ବାହାର ହେଲେ ବେନିଭାଇ ॥୧୦୭
ଅନଳ ପ୍ରାୟେ ତେଜରାଶି । ଗଞ୍ଜନ୍ତି ଦିବାକର-ଶଶୀ ॥୧୦୮
କୃଷ୍ଣଙ୍କୁ ଦେଖି ବେନିଭାଇ । ଚରଣେ ଶିର ଦେଲେ ନେଇ ॥୧୦୯
ଚିତ୍ତ ନିବେଶି ପଦ୍ମପାଦେ । ବୋଲନ୍ତି ଶୋକ-ଗଦଗଦେ ॥୧୧୦
କୃଷ୍ଣ-ପରମାନନ୍ଦ ହରି । ପରମପୁରୁଷ-ମୁରାରି ॥୧୧୧
ଲୀଳାଏ କରି ବିଶ୍ୱମାୟା । ଭକ୍ତଜନରେ କରୁ ଦୟା ॥୧୧୨
ତୋହର ରୂପ ଗୁଣ ଯେତେ । ବିପ୍ରେ ଜାଣନ୍ତି ବେଦମତେ ॥୧୧୩
ପୃଥିବୀ ଆଦି ପଞ୍ଚଭୂତ । ମନ-ଇନ୍ଦ୍ରିୟ-ଆତ୍ମତତ୍ତ୍ୱ ॥୧୧୪
କାଳସ୍ୱଭାବେ ଜନ୍ମ-ମୃତ୍ୟୁ । ଜୀବ-ପରମ ଆତ୍ମା ହେତୁ ॥୧୧୫
ଭକତ ଜନ ନିସ୍ତାରଣେ । ଶରୀର ବହୁ ତୁ କାରଣେ ॥୧୧୬
ତୋ' ନାମ ପରମ ମଙ୍ଗଳ । ତ୍ରାହି କରିବା ଆଦିମୂଳ ॥୧୧୭
ଅଷ୍ଟାଙ୍ଗଯୋଗ ଧ୍ୟାନ କରି । ଯାହା ଚିନ୍ତନ୍ତି ବ୍ରହ୍ମଚାରୀ ॥୧୧୮
ନାରଦ ଭେଟିବାର ଫଳେ । ତୋତେ ଦେଖିଲୁ ଚର୍ମଡୋଳେ ॥୧୧୯
ଚକ୍ଷୁ-ଶ୍ରବଣ-ବୁଦ୍ଧି-ଶିର । ମନ-ବଚନ ବେନିକର ॥୧୨୦
ତୋହର ପାଦେ ନିତ୍ୟେ ଥାଉ । ତୋ' ନାମ ଧରି ଦିନ ଯାଉ ॥୧୨୧
ଅନେକ ଜନ୍ମେ ତପ କରି । ତୋତେ ଭେଟିଲୁ ନରହରି ॥୧୨୨
ତୋର ସେବକ ମିତ୍ରପଣେ । ଖଟିବୁ ତୋହର ଚରଣେ ॥୧୨୩
ଏମନ୍ତେ ବେନିକର ଯୋଡ଼ି । ଆଜ୍ଞା ମାଗିଲେ ପାୟେ ପଡ଼ି ॥୧୨୪
ହସି ବୋଲନ୍ତି ଭାବଗ୍ରାହୀ । ସାଧୁଙ୍କ ସଙ୍ଗ ଫଳ ଏହି ॥୧୨୫
ନାରଦ ଭେଟିବାର ଫଳୁ । ହେଳେ ତରିଲ ଭବଜଳୁ ॥୧୨୬
ମୋହର ପାଦେ ଯା'ର ମନ । ମୋ' ନାମ କରନ୍ତି କୀର୍ତ୍ତନ ॥୧୨୭
ପରେ କରନ୍ତି ଦୟାଚିତ୍ତ । ମାୟାରେ ନୁହନ୍ତି ମୋହିତ ॥୧୨୮
ଏହାଙ୍କ ଦରଶନ ପାଇ । ପାପ ତାହାଙ୍କୁ ନ ଲାଗଇ ॥୧୨୯
ଶୁଣ ହେ କୁବେର କୁମରେ । ନିଶ୍ଚିନ୍ତେ ଯାଅ ନିଜ ପୁରେ ॥୧୩୦
ଭକତି କରି ମୋର ପାଦେ । ମୋତେ ପାଇବ ଅପ୍ରମାଦେ ॥୧୩୧
କୃଷ୍ଣ-ବଚନ ଶିରେ ଧରି । ଉତ୍ତର ପଥେ ଗଲେ ଚଳି ॥୧୩୨
ଭକ୍ତ ବତ୍ସଳ ପୀତବାସ । କ୍ଷମା କରିବେ ମୋର ଦୋଷ ॥୧୩୩
ସେ ହରିଚରଣେ ବିଶ୍ୱାସ । କହଇ ଜଗନ୍ନାଥ ଦାସ ॥୧୩୪
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ନନ୍ଦବସୁଦେବ ସଙ୍ଗମୋ ନାମ ଏକାଦଶୋଽଧ୍ୟାୟଃ ।
ଦ୍ୱାଦଶ ଅଧ୍ୟାୟ
[ସମ୍ପାଦନା]କୃଷ୍ଣ ଚରଣେ ଦେଇ ମନ । କହନ୍ତି ବ୍ୟାସଙ୍କ ନନ୍ଦନ ॥୧
- ଶୁକ ଉବାଚ
ଶୁଣ ପରୀକ୍ଷ ମହୀପାଳ । ଗୋପରେ ଶୁଭିଲା ଚହଳ ॥୨
ଭାଜିଣ ବେନି ବୃକ୍ଷ ପଡ଼ି । ଶୁଭିଲା ମେଘ ଘଡ଼ଘଡ଼ି ॥୩
ଭୂମି କମ୍ପଇ ଥରହର । ଗୋପାଳ ହୋଇଲେ ବାହାର ॥୪
ବୋଇଲେ ଏକୁ ଆରେ ଚାହିଁ । ଏ କି ଶବଦ କାହୁଁ ହୋଇ ॥୫
ନିର୍ଘାତ ଶୁଭିଲା ତ ଗୋଳ । ଗଗନେ ନାହିଁ ମେଘମାଳ ॥୬
କାହୁଁ ଏ ଶବଦ ଶୁଭିଲା । ଜାଣିଲେ ଅର୍ଜୁନ ଭାଜିଲା ॥୭
ତକ୍ଷଣେ ମିଳିଲେ ସକଳେ । ଯାମଳା ଅର୍ଜୁନର ତଳେ ॥୮
ବୋଲନ୍ତି ଭାଜିଲା କେମନ୍ତ । ପବନ ନାହିଁ ବଳବନ୍ତ ॥୯
ଶସ୍ତ୍ରେ ଛେଦିଲା ନାହିଁ କେହି । ଭିତରେ ମଞ୍ଜକିଳା ନାହିଁ ॥୧୦
କିମ୍ବା ପଡ଼ିଲା ମହୀତଳେ । ବେନି ଅର୍ଜୁନ ଏକାବେଳେ ॥୧୧
ଡାଳ ଦେଖନ୍ତେ ଏକ ଏକ । ଦେଖିଲେ ପଡ଼ିଛି ବାଳକ ॥୧୨
ଚକିତ ହୋଇ କଲେ କୋଳ । ବନ୍ଧନ ହୋଇଅଛି ରୋଳ ॥୧୩
କେ ନାରୀ କଲା ଏଡ଼େ କର୍ମ । ଚିହ୍ନିଲେ ଯଶୋଦା ନନ୍ଦନ ॥୧୪
ବାଳକେ ବୃକ୍ଷମୂଳେ ଥିଲେ । ଗୋପାଳମାନଙ୍କୁ କହିଲେ ॥୧୫
ଯଶୋଦା ରୋଳେ ବାନ୍ଧିଗଲା । ତଳେ ତା' ସୁତ କାନ୍ଦୁଥିଲା ॥୧୬
ବେନି ବୃକ୍ଷର ମଧ୍ୟେ ପଶି । ରୋଳ ସେ ଟାଣିଲା ଆକର୍ଷି ॥୧୭
ବୃକ୍ଷେ ପଡ଼ିଲେ ବେଗେ ଭାଙ୍ଗି । ଏହାର ଦେହ ଯହୁଁ ଲାଗି ॥୧୮
ବେନି ପୁରୁଷେ ଏହି ବୃକ୍ଷେ । ବାହାର ହୋଇଲେ ପ୍ରତ୍ୟେକ୍ଷ ॥୧୯
ତେଜେ ଗଞ୍ଜନ୍ତି ନିଶାକର । ଏହାର ପାଦେ ଦେଇ ଶିର ॥୨୦
କି କି ବୋଇଲେ ତା' ନ ଜାଣି । ଉତ୍ତରେ ଗଲେ ଏହିକ୍ଷଣି ॥୨୧
ଶୁଣି ହସିଲେ ଗୋପ ଲୋକେ । ବୋଲନ୍ତି ଏକକୁ ଆରକେ ॥୨୨
ବାଳବଚନ କାହିଁ ସତ୍ୟ । ମାୟା ମୋହିଲେ ଗୋପୀନାଥ ॥୨୩
ବନ୍ଧନ କଟୀଭାଗୁଁ ଫେଇ । ନନ୍ଦରକୋଳେ ଦେଲେ ନେଇ ॥୨୪
ଶୁଣି ମିଳିଲେ ନନ୍ଦ ନାରୀ । କୃଷ୍ଣଙ୍କୁ ଆଣ କୋଳକରି ॥୨୫
ଗ୍ରହ ଶଙ୍କିତେ ବ୍ରଜବାଳୀ । କୃଷ୍ଣଙ୍କୁ କଲେ ନିଉଛାଳି ॥୨୬
ଆନନ୍ଦ କଲେ ଗୀତ ଗାଇ । କୃଷ୍ଣ ନାଚନ୍ତି ତାଳି ଦେଇ ॥୨୭
ଗୋପୀ ବୋଲନ୍ତି କୃଷ୍ଣ ଶୁଣ । ଘର ଭିତରୁ ଆଣ ମାଣ ॥୨୮
ପାଣ୍ତୋଇ କଠାଉ ମସୁଣି । ଆଣ ତୁ ଦୁଧର ଦୁହୁଁଣୀ ॥୨୯
ଶୁଣି ଗୋବିନ୍ଦ ଘରେ ଯାଇ । ଆଣନ୍ତି କନ୍ଧେ ଶିରେ ବହି ॥୩୦
ଥୋଇ କରନ୍ତି କଉତୁକ । ଆହୁରି ଆଣିବଇଁ ଦେଖ ॥୩୧
ଭକତ ଜନଙ୍କୁ ସୁଫଳ । ଗୋପେ ଦେଖନ୍ତି ନନ୍ଦବାଳ ॥୩୨
ଭକତ ଜନେ ଦ୍ୟନ୍ତି ଦେଖା । ଗୋପେ ଅଇଲା କୋଳିବିକା ॥୩୩
ଡାକଇ କୋଳି କୋଳି ବାଣୀ । କୃଷ୍ଣ ଧାଇଁଲେ ତାହା ଶୁଣି ॥୩୪
ବସନ ନାହିଁ କଟୀଭାଗେ । ମିଳିଲେ ଧାନରାଣି ଲାଗେ ॥୩୫
ଧାନ ଆଞ୍ଜୋଳି ପେଟେ ଦେଇ । ବେଗେ ଧାଇଁଲେ ଭାବଗ୍ରାହୀ ॥୩୬
ମିଳିଲେ କୋଳିବିକା ଲାଗେ । ମାଣ ପାତିଲା ଦେଖି ବେଗେ ॥୩୭
କୃଷ୍ଣର ଦୃଷ୍ଟି ଅଛି ଫଳେ । ଧାନ ପଡ଼ିଲା ସବୁ ତଳେ ॥୩୮
ତକ୍ଷଣେ ଝାଡ଼ି ବେନିକର । ଆଞ୍ଜୋଳି କଲେ ଦାମୋଦର ॥୩୯
କର ପୂରୋଇ ଦେଲା ଫଳ । ବୋଲନ୍ତି ପ୍ରଭୁ ଚକ୍ରଧର ॥୪୦
ଭାଣ୍ତେ ତ ଅଛି କେତେ କୋଳି । ଟେକି ଚାହିଁଲେ ବନମାଳୀ ॥୪୧
ରତ୍ନ ହୋଇଲା ତତ୍କ୍ଷଣ । ଘରେ ମିଳିଲେ ନାରାୟଣ ॥୪୨
ଏବେ ହୋ ଶୁଣ ନରନାଥ । କୃଷ୍ଣର ବାଳକ ଚରିତ ॥୪୩
ଗୋକୁଳ ମଧ୍ୟେ ଏକ ନଦୀ । ବହଇ ବୃନ୍ଦାବନ ଭେଦି ॥୪୪
ସେ ନଦୀତୀରେ ଏକଦିନେ । ରାମ ଗୋବିନ୍ଦ ତୋଷମନେ ॥୪୫
ଖେଳନ୍ତି ନାନା କୁତୂହଳେ । ଗୋପବାଳକ ଗଣମେଳେ ॥୪୬
ଉଛୁର ଦେଖିଣ ରୋହିଣୀ । ଚଞ୍ଚଳେ ଗଲେ ପୁତ୍ରେ ଆଣି ॥୪୭
ଡାକନ୍ତି ମଧୁର ବଚନେ । ଗୋବିନ୍ଦ ନ ଶୁଣନ୍ତି କର୍ଣ୍ଣେ ॥୪୮
କୋପେ ରୋହିଣୀ ବାହୁଡ଼ିଲା । ଯଶୋଦା ଛାମୁରେ କହିଲା ॥୪୯
ଶୁଣି ଯଶୋଦା ଗଲା ଖରେ । କୃଷ୍ଣ ଦେଖିଲା ନଦୀତୀରେ ॥୫୦
ପୁତ୍ରର ସ୍ନେହ-ମାୟା-ମୋହେ । ସ୍ତନଯୁଗଳୁ କ୍ଷୀର ବହେ ॥୫୧
କୃଷ୍ଣ-କମଳ-ମୁଖ ଚାହିଁ । ଡାକଇ ଅଙ୍ଗୁଳି ଦେଖାଇ ॥୫୨
ଆସ ମୋ ତାତ ପିଅ ସ୍ତନ୍ୟ । ଶ୍ରମେ ଆକୁଳ ତୋ' ବଦନ ॥୫୩
ଭୋଜନ ହୋଇଲା ଉଛୁର । ଆସ ତୁ ବେଗେ ଯିବା ଘର ॥୫୪
ହେ ରାମ ଆସ କୃଷ୍ଣ ଘେନି । ବହୁତ ଦେବଇଁ ଲବଣି ॥୫୫
ପିତା ଭୋଜନ-ବେଳ ହୋଇ । ସଙ୍ଗେ ଭୁଞ୍ଜିବ ବେନି ଭାଇ ॥୫୬
ବାଳକେ ଯା'ନ୍ତି ଯେଝା ଘର । ବେଳ ଯେ ହେଉଛି ଉଛୁର ॥୫୭
ଦେହ ତୋ ଧୂଳିରେ ଧୂସର । ଜନ୍ମ ନକ୍ଷତ୍ର ଆଜ ତୋ'ର ॥୫୮
ଅରିଷ୍ଟ-ଖଣ୍ତନେ ତୋହର । ବିପ୍ରଙ୍କୁ ଗୋରୁ ଦାନ କର ॥୫୯
ଦେଖ ବାଳକେ ତୋ'ର ସଙ୍ଗେ । ବିବିଧ ଅଳଙ୍କାର ଅଙ୍ଗେ ॥୬୦
ସ୍ନାନ ଭୋଜନ ଆସି କର । ଦେବଇଁ ନାନା ଅଳଙ୍କାର ॥୬୧
ଏମନ୍ତ ବୋଲି ନନ୍ଦରାଣୀ । କରେ ଧରିଲେ ଚକ୍ରପାଣି ॥୬୨
ରାମଙ୍କୁ କାଖରେ ବସାଇ । ଘରେ ମିଳିଲେ ଦେବୀ ଯାଇ ॥୬୩
କରାଇ ସ୍ନାହାନ ଭୋଜନ । ରଞ୍ଜିଲେ ରାମକୃଷ୍ଣ ମନ ॥୬୪
ଭୋଜନ ସାରି ଆଚମନ । ଆନନ୍ଦେ କରାଇ ଶୟନ ॥୬୫
ବିପ୍ରଙ୍କୁ ଆଣି ସେ ଡ଼କାଇ । ତାହାଙ୍କୁ ଗୋରୁଦାନ ଦେଇ ॥୬୬
ଅସ୍ତ ହୋଇଲେ ଦିନକର । ଗୋପାଳେ କରନ୍ତି ବିଚାର ॥୬୭
ଏକ ଆରକେ ଅବହେଳେ । ନନ୍ଦର ଦ୍ୱାରେ ମେଳ ହେଲେ ॥୬୮
ବସିଲେ ନନ୍ଦ ଉପନନ୍ଦ । ମଧ୍ୟେ ଅନନ୍ତ ଆଦିକନ୍ଦ ॥୬୯
ଗୋପାଳେ କରନ୍ତି ବିଚାର । ଶୁଭ ନ ଦିଶେ ଗୋପପୁର ॥୭୦
କହ କି କରିବା ଉପାୟ । ପୁତ୍ରଙ୍କୁ ଉପୁଜିଲା ଭୟ ॥୭୧
ଶୁଣି ଉଠିଲେ ଉପନନ୍ଦ । ଯାହାର ଜୀବନ ଗୋବିନ୍ଦ ॥୭୨
ଜ୍ଞାନବୟସେ ବୃଦ୍ଧପଣ । ଗୋପଙ୍କୁ କହଇ କାରଣ ॥୭୩
ଶିରେ ନିବେଶି ବେନିକର । ସଭୟେ କହଇ ଉତ୍ତର ॥୭୪
ଚାଲ ନ ଥିବା ଗୋପପୁରେ । ଘର କରିବା ଆନଠାରେ ॥୭୫
ଅନେକ ପଡ଼ିଲା ପ୍ରମାଦ । ପୁତ୍ରେ ତ ଆମ୍ଭର ସମ୍ପଦ ॥୭୬
ଦେଖ ଯଶୋଦାପୁତ୍ର ସଙ୍ଗେ । ଆମ୍ଭ ବାଳକେ ନାଶଯିବେ ॥୭୭
ଅଳପ ଦିନେ ମହାଭୟେ । ଆପଦ ପଡ଼ିଲା ଥୋକାଏ ॥୭୮
ତୋ'ର ପୁତ୍ରକୁ ଦେଖ ନନ୍ଦ । କେତେ ନ ପଡ଼ିଲା ପ୍ରମାଦ ॥୭୯
ପୂତନା ମୁଖୁଁ ଅଛି ତରି । ଶୂନ୍ୟେ ଦଇତ୍ୟ ନେଲା ହରି ॥୮୦
ଶକଟ ଉପରେ ପଡ଼ିଲା । ସେ ବେଳେ ଗୋବିନ୍ଦ ରଖିଲା ॥୮୧
ଏବେ ତରିଲା ପରମାଦୁ । ଯାମଳା ଅର୍ଜ୍ଜୁନ ଆପଦୁ ॥୮୨
ଚାଲ ନ ଥିବା ଏ ନଗର । ନାଶ ନ ହେଉ ଗୋପପୁର ॥୮୩
ଯଶୋଦା ଯେବେ ନ ଛାଡ଼ିବ । ଏକା ପୁତ୍ରକୁ ନ ପାଇବ ॥୮୪
ଚାଲ ଆପଦ ନୋହୁ ଯିବା । ତେବେ ସେ ପୁତ୍ରଙ୍କୁ ପାଇବା ॥୮୫
ସକଳେ ଦୃଢ଼ କର ମନେ । ଘର କରିବା ବୃନ୍ଦାବନେ ॥୮୬
ବହୁତ ଫଳ କନ୍ଦମୂଳ । ନିର୍ମଳ ଯମୁନାର ଜଳ ॥୮୭
ପର୍ବତ ନାମେ ଗୋବର୍ଦ୍ଧନ । ଗୋରୁଙ୍କୁ ଅଛି ଜଳ ତୃଣ ॥୮୮
ଗୋପୀଗୋପାଳ ତୋଷ ହେବେ । ବହୁତ କ୍ଷୀର ଗାଈ ଦେବେ ॥୮୯
କାଲି ପ୍ରଭାତୁ ହୁଅ ସଜ । ଭାର ଶକଟ ବେଗେ ସାଜ ॥୯୦
ଗୋଧନ ଚଳିଯା'ନ୍ତି ବେଗେ । ଗୋପ ବାଳକେ ଘେନି ସଙ୍ଗେ ॥୯୧
ସୁଖେ ରହିବା ବୃନ୍ଦାବନେ । କିଛି ନ ଭାଳ ତୁମ୍ଭେ ମନେ ॥୯୨
ଶୁଣି ମଣିଲେ ଗୋପହି୍ତ । ନିଜ ଭୁବନେ ଉପଗତ ॥୯୩
ଯେଝାରେ ଘେନିଣ ସମ୍ପଦ । ଯା'ନ୍ତେ କରନ୍ତି ଶିଙ୍ଗାନାଦ ॥୯୪
ନନ୍ଦ ଯଶୋଦା ଏକମେଳେ । ରୋହିଣୀ ସୁତ ଘେନି କୋଳେ ॥୯୫
ପାଶେ ଚଳନ୍ତି ଗୋପୀନାଥ । ଗାବନ୍ତି ନାନାରଙ୍ଗେ ଗୀତ ॥୯୬
ଶକଟମାନ ଯା'ନ୍ତେ ଖର । ଧୂଳିରେ ଛିନ୍ନ ଦିବାକର ॥୯୭
ମିଳିଲେ ବୃନ୍ଦାବନେ ଯାଇ । କୃଷ୍ଣଚରିତ ଗୀତ ଗାଇ ॥୯୮
ଗୋପାଳେ ଧନୁଶର ଘେନି । ନାନା ଶବଦେ ବେଣୁଧ୍ୱନି ॥୯୯
ଯାଇ ହୋଇଲେ ବୃନ୍ଦାବନ । ଆନନ୍ଦ ଗୋପୀଙ୍କର ମନ ॥୧୦୦
ଯେ ବନେ ବିଜେ ଗୋପୀନାଥ । ସର୍ବଦା ବହଇ ବସନ୍ତ ॥୧୦୧
ସୀମା ଆବୋରି ଗୋପପୁର । ଯେଝାରେ ତୋଳିଲେ ମନ୍ଦିର ॥୧୦୨
ଗ୍ରାମର ମଧ୍ୟେ ନନ୍ଦଘର । ଯହିଁ ବିଜୟ ଦାମୋଦର ॥୧୦୩
କୃଷ୍ଣ ଦେଖିଲେ ଗୋବର୍ଦ୍ଧନ । ଯମୁନା ନଦୀ ବୃନ୍ଦାବନ ॥୧୦୪
ଦେସା ଖିନନ୍ଦ ବେନି ଭାଇ । ବୋଲନ୍ତି ନନ୍ଦୁକୁ ବସାଇ ॥୧୦୫
ଯେତେ ଅଛନ୍ତି ବତ୍ସା ଘରେ । ଆମ୍ଭେ ରଖିବୁ ନଦୀତୀରେ ॥୧୦୬
ଭୋ ତାତ ନାହିଁ ତୁ ନ କର । ବତ୍ସା ରଖିବୁ ଆମ୍ଭେ ତୋ'ର ॥୧୦୭
ନନ୍ଦ ବୋଇଲେ ତୋଷ ହୋଇ । କାଲିହୁଁ ବତ୍ସା ରଖ ନେଇ ॥୧୦୮
ପିତାର ବଚନେ ମୁରାରି । ସାନନ୍ଦେ ଚରାନ୍ତି ବାଛୁରୀ ॥୧୦୯
ଗ୍ରାମ ନିକଟେ ଥା'ନ୍ତି ନିତ୍ୟେ । ବନେ ନଯା'ନ୍ତି ଭୟଚିତ୍ତେ ॥୧୧୦
ବ୍ୟାଘ୍ର ଭଲ୍ଲୁକ ସିଂହ ତ୍ରାସେ । ବତ୍ସା ଚରାନ୍ତି ଗ୍ରାମ ପାଶେ ॥୧୧୧
ଗୋପାଳ ପୋଏ ଥା'ନ୍ତି ସଙ୍ଗେ । ଖେଳନ୍ତି ନାନା ରସ ରଙ୍ଗେ ॥୧୧୨
କ୍ଷଣ କ୍ଷଣକେ ବେଣୁନାଦ । କେ କହୁ କୃଷ୍ଣର ଆନନ୍ଦ ॥୧୧୩
ଏକ ଆରକେ ଭୁଜ ଧରି । ଯୁଝନ୍ତି ବାହାନାଦ କରି ॥୧୧୪
ବେଲ ଅଏଁଳା କଣ୍ଟା ଫଳେ । ତୋଳି ଆଣନ୍ତି ବୃକ୍ଷୁଁ ବାଳେ ॥୧୧୫
ଏକ ଆରେକେ ମରାମରି । ସାକ୍ଷୀ କରାନ୍ତି ରାମହରି ॥୧୧୬
ନାନା ପକ୍ଷୀଙ୍କ ନାଦ ଶୁଣି । ପୋଏ ନାଚନ୍ତି ତାହା ଶୁଣି ॥୧୧୭
ଦିନେ ଯମୁନାତୀରେ ହରି । ଆନନ୍ଦେ ଚରାନ୍ତି ବାଛୁରୀ ॥୧୧୮
କଂସ ଆଦେଶ ବତ୍ସାସୁର । ଆସି ମିଳିଲା ଧାତିକାର ॥୧୧୯
କୃଷ୍ଣର ମୁଖକୁ ଚାହିଁଲା । ବାଛୁରୀ ରୂପକୁ ଧଇଲା ॥୧୨୦
ବତ୍ସା ଗହଳେ ଗଲା ପଶି । ରାମଙ୍କୁ ଦେଖାନ୍ତି ଶ୍ରୀବତ୍ସୀ ॥୧୨୧
ଦେଖ ଦଇତ୍ୟ ବତ୍ସା ପାଶେ । ଆମ୍ଭଙ୍କୁ ମାରିବାର ଆଶେ ॥୧୨୨
ମାୟା ବାଛୁରୀ ରୂପ ହୋଇ । କହି ହସନ୍ତି ଭାବଗ୍ରାହୀ ॥୧୨୩
ଅସୁର ବିଚାରଇ ମନେ । କୃଷ୍ଣଙ୍କୁ ମାରିବି କେସନେ ॥୧୨୪
ନିକଟେ ମିଳିଲେ ମୋହର । ପାଦେ କରିବି ଶତେ ଚୁର ॥୧୨୫
ତାହା ଜାଣିଲେ ନାରାୟଣ । ମୋହିଲେ କୁମାରଙ୍କ ମନ ॥୧୨୬
କଇଥ ଗଛ ଦେଖି ପୋଏ । ବୋଲନ୍ତି ରାମଙ୍କୁ ଥୋକାଏ ॥୧୨୭
ଏ ଫଳ ଦିଶଇ ସୁସଞ୍ଚ । ହସ୍ତ ନ ପାଏ ବଡ଼ ଉଚ୍ଚ ॥୧୨୮
ତୁ ରାମ ଅତି ବଳୀୟାର । ଫଳ ଥୋକାଏ ବୃକ୍ଷୁ ତୋଳ ॥୧୨୯
ଶୁଣି ସାନନ୍ଦ ବନମାଳୀ । ବତ୍ସା ନିକଟେ ଯାଇ ମିଳି ॥୧୩୦
ବେନିଚରଣ ଧରି କରେ । ବୁଲାଇ ପିଟିଲେ ବୃକ୍ଷରେ ॥୧୩୧
କରେ ଘୂରାନ୍ତେ ପ୍ରାଣ ଗଲା । ଜୀବନ ଗୋବିନ୍ଦେ ପଶିଲା ॥୧୩୨
ଦେବେ ଚକିତ ତାହା ଦେଖି । ବ୍ରହ୍ମା ହୋଇଲେ ଅତି ସୁଖୀ ॥୧୩୩
ଅସୁର ଦେହ ଲାଗି କରି । ଫଳ ପଡ଼ିଲା ବୃକ୍ଷୁ ଝଡ଼ି ॥୧୩୪
ବାଳକେ ଦେଖିଣ ଚକିତ । ବୋଲନ୍ତି ଧନ୍ୟ ନନ୍ଦସୁତ ॥୧୩୫
ଆନନ୍ଦେ ଦେବତାଏ ସ୍ତୁତି । କୃଷ୍ଣଙ୍କୁ କଲେ ପୁଷ୍ପବୃଷ୍ଟି ॥୧୩୬
ଏମନ୍ତେ ରାମ ବନମାଳୀ । ବତ୍ସା ରଖନ୍ତେ ବନେ କେଳି ॥୧୩୭
ସକାଳେ ଦଧି ଗୁଡ଼ ଅନ୍ନ । ଭୁଞ୍ଜନ୍ତି ରାମ ଭଗବାନ ॥୧୩୮
ନିତ୍ୟେ ଯମୁନାତୀରେ ଯାଇ । ବତ୍ସା ରଖନ୍ତି ବେନିଭାଇ ॥୧୩୯
ଗୋପାଳ ପୁଅ ଘେନି ସଙ୍ଗେ । ବନେ ବିହରି ନାନାରଙ୍ଗେ ॥୧୪୦
ବାଳକେ ଯେଝା ବତ୍ସା ଘେନି । ଚରାନ୍ତି କରି ବେଣୁ ଧ୍ୱନି ॥୧୪୧
ଦିନେ ନିଦାଘେ ଖରାବେଳେ । ମିଳିଲେ ଯାଇ ନଦୀକୂଳେ ॥୧୪୨
ବତ୍ସାଙ୍କୁ ପିଆଇ ବହନ । ସକଳେ କଲେ ଜଳପାନ ॥୧୪୩
କଂସର ମିତ୍ର ବକାସୁର । ସଧୀରେ ବିହରଇ ନୀର ॥୧୪୪
କୃଷ୍ଣଙ୍କୁ ଦେଖି କାମରୂପୀ । କ୍ଷଣ କ୍ଷଣକେ ତନୁବ୍ୟାପୀ ॥୧୪୫
ନିଜ ସ୍ୱଭାବେ ମହାକାୟେ । ଦେଖି ଡରିଲେ ଗୋପପୋଏ ॥୧୪୬
ଏ ବନେ ଏଡେ ବକ ଥାଇ । କହନ୍ତି ରାମଙ୍କୁ ଦେଖାଇ ॥୧୪୭
ଗୋପାଳ ପୋଏ ପରଶଂସି । ପର୍ବତଖଣ୍ତ ପ୍ରାୟେ ଦିଶି ॥୧୪୮
ତ୍ରାସେ ଉଠିଲେ ବେଗେ ତୀର । ଦେଖି ଧାଇଁଲା ବକାସୁର ॥୧୪୯
ଘୋର ଶବଦ ବେଗେ କଲା । ତକ୍ଷଣେ କୃଷ୍ଣଙ୍କୁ ଗିଳିଲା ॥୧୫୦
କୃଷ୍ଣ ନ ଦେଖି ଗୋପବାଳେ । ଢଳି ପଡ଼ିଲେ ମହୀତଳେ ॥୧୫୧
ଉଠିଣ କରନ୍ତି ରୋଦନ । ଚକିତେ ଚାହିଁ ଛନ୍ନଛନ୍ନ ॥୧୫୨
ବକାର ତାଳୁ ମୂଳେ ରହି । ତାହା ଜାଣିଲେ ଭାବଗ୍ରାହୀ ॥୧୫୩
ଦାସବତ୍ସଳ ନରହରି । ବେଗେ ଅନଳ ରୂପ ଧରି ॥୧୫୪
ପ୍ରଳୟ ଅଗ୍ନି ଜିଣି ତେଜ । ତା'ଳୁ ଦହିଲେ ଦେବରାଜ ॥୧୫୫
ତକ୍ଷଣେ ଘୋର ନାଦକରି । କୃଷ୍ଣଙ୍କୁ ପକାଇ ଉଦାରି ॥୧୫୬
ଧୀରେ ଛାହିଁଲା ବକାସୁର । ସୁନ୍ଦର ଦିଶିଲା ଶରୀର ॥୧୫୭
ଦେଖି ଶ୍ରୀକୃଷ୍ଣ କଳେବର । ପୁଣି ଧାଇଁଲା ରୋଷଭର ॥୧୫୮
କୃଷ୍ଣର ଦେହେ କ୍ଷତ ନାହିଁ । ଅସୁର ମନେ ବିଚାରଇ ॥୧୫୯
ପୁଣି ବିଚାରୁଅଛି ମନେ । ଏହାକୁ ମାରିବି କେସନେ ॥୧୬୦
ଏହାର ସୁକୁମାର ପିଣ୍ତ । ଥଣ୍ତେ କରିବି ଖଣ୍ତ ଖଣ୍ତ ॥୧୬୧
ବିସ୍ତାରି ବେନିପାଟି ତୋଳି । ବେଗେ ଧାଇଁଲା ମହାବଳୀ ॥୧୬୨
ଶୂନ୍ୟେ ଦେଖନ୍ତି ଦେବଗଣ । ଆଗ ହୋଇଲେ ନାରାୟଣ ॥୧୬୩
କରେ ଧଇଲେ ବେନିପାଟି । ଅସୁର ନ ପାରିଲା ଉଠି ॥୧୬୪
ବାଳକ ମେଳେଣ ଶ୍ରୀହରି । ଚିରିଲେ ବେନିଫାଳ କରି ॥୧୬୫
ଦେଖି ସାନନ୍ଦେ ବୃନ୍ଦାରକେ । କୁସୁମ ବରଷିଲେ ଥୋକେ ॥୧୬୬
ଦୁନ୍ଦୁଭି ବାଦ୍ୟନାଦ କରି । ରଙ୍ଗେ ନାଚନ୍ତି ଅପସରୀ ॥୧୬୭
ବାଳକେ ଦେଖିଣ ଚକିତ । ମାୟା ମୋହିଲେ ଗୋପୀନାଥ ॥୧୬୮
ତକ୍ଷଣେ ଆଲିଙ୍ଗନ କରି । ଗୋଠକୁ ଆଣିଲେ ବାଛୁରୀ ॥୧୬୯
ପୋଏ କହିଲେ ଯେଝାଘରେ । ପୁଣି ମିଳିଲେ ନନ୍ଦଦ୍ୱାରେ ॥୧୭୦
ବକର ତୁଣ୍ତୁ ଉବୁରିଲା । ଭାଗ୍ୟ ଗୋ ଯଶୋଦାର ଥିଲା ॥୧୭୧
ଶୁଣି ଚକିତ ଗୋପଗୋପୀ । କୃଷ୍ଣଙ୍କୁ ଚାହାନ୍ତି ନିରୋପି ॥୧୭୨
ବୋଲନ୍ତି ଧର୍ମ ତିନିଲୋକେ । ସତ୍ୟ ବେଭାର ଜନମୁଖେ ॥୧୭୩
ନିର୍ଦ୍ଦୋଷ ପ୍ରାଣୀ ହିଂସା କରି । ଆପଣେ ଯାଉଛନ୍ତି ମରି ॥୧୭୪
ଏ ପୋଏ ବାଳକ ସ୍ୱଭାବେ । ଏହାଙ୍କୁ ହିଂସନ୍ତି ଦାନବେ ॥୧୭୫
ତେଣୁ ହୁଅନ୍ତି ମୃତ୍ୟୁ ସଙ୍ଗ । ଅନଳେ ଯେସନେ ପତଙ୍ଗ ॥୧୭୬
ପଣ୍ତିତଜନଙ୍କର କଥା । କେବେ ହେଁ ନୁହଁଇ ଅନ୍ୟଥା ॥୧୭୭
ଯାହା କହିଲେ ଗାର୍ଗ୍ୟଋଷି । ରାମକୃଷ୍ଣଙ୍କୁ ପରଶଂସି ॥୧୭୮
ସେ କଥା ହୋଇଲା ପ୍ରମାଣ । ଏହାଙ୍କୁ ରଖୁ ନାରାୟଣ ॥୧୭୯
ଆପଦ ଦେଖି ନନ୍ଦରାୟେ । ଶାନ୍ତି କରାଇଲେ ଥୋକାଏ ॥୧୮୦
ଗୋପେ ଗୋବିନ୍ଦ ଅଙ୍ଗସଙ୍ଗେ । ତରିଲେ ଭବଜଳୁ ରଙ୍ଗେ ॥୧୮୧
ସେ ହରି ଚରଣେ ବିଶ୍ୱାସ । କହଇ ଜଗନ୍ନାଥ ଦାସ ॥୧୮୨
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ନନ୍ଦବସୁଦେବ ସଙ୍ଗମୋ ନାମ ଦ୍ୱାଦଶୋଽଧ୍ୟାୟଃ ।
ତ୍ରୟୋଦଶ ଅଧ୍ୟାୟ
[ସମ୍ପାଦନା]- ଶୁକ ଉବାଚ
ବୋଲନ୍ତି ବ୍ୟାସମୁନି ଶିଷ । ଶୁଣ ରାଜନ କୃଷ୍ଣରସ ॥୧
ଗୋପ ନଗରେ ଶିରୀରଙ୍ଗେ । ଖେଳନ୍ତି କୁମାରଙ୍କ ସଙ୍ଗେ ॥୨
ଦିନ ହରନ୍ତି ବୃନ୍ଦାବନେ । ଘରେ ମିଳନ୍ତି ରାତ୍ରମାନେ ॥୩
ଏମନ୍ତେ ବୃନ୍ଦାବନେ କେଳି । ରାମ ଗୋବିନ୍ଦ ଗୋପବାଳୀ ॥୪
ଦିନେକ ପ୍ରଭୁ ଦେବରାଜ । ରାତ୍ରହୁଁ ଉପେକ୍ଷିଲେ ଶେଯ ॥୫
ରଜନୀ ଅଛି ବେନି ଘଡ଼ି । ନିଦ୍ରା ଉପେକ୍ଷି ନରହରି ॥୬
ମାତାଙ୍କୁ ଡାକି ବନମାଳୀ । ପୟରେ କଲେ ନିଉଛାଳି ॥୭
ଆଜ ମୁଁ ନ ଭୁଞ୍ଜିବି ଘରେ । ଅନ୍ନ ପୁଡ଼ାଏ ଦିଅ ମୋରେ ॥୮
ଦଇବେ ନିଦାଘର କାଳ । ଖରା ଲାଗନ୍ତେ ବହେ ଝାଳ ॥୯
ଶୀତଳ ବେଳୁ ଯିବୁ ବନ । ଅନ୍ନ ତୁ ଦିଅ ଗୋ ବହନ ॥୧୦
ଶୁଣି ସାନନ୍ଦ ନନ୍ଦରାଣୀ । ଅନ୍ନ ବାଢ଼ିଲେ ଘରୁ ଆଣି ॥୧୧
ନାନା ବ୍ୟଞ୍ଜନ ଗୁଡ଼ ଦଧି । ପୁଡ଼ା ଗୋଟିଏ ଦେଲେ ବାନ୍ଧି ॥୧୨
ଶିକାରେ ଘେନି ଅନ୍ନ ପୁଡ଼ା । ଶିଙ୍ଗା କାହାଳୀ ବେତଯୋଡ଼ା ॥୧୩
ଛନ୍ଦ ଦଉଡ଼ି କନ୍ଧେ ଘେନି । ଗୋବିନ୍ଦ କଲେ ଶିଙ୍ଗାଧ୍ୱନି ॥୧୪
ଗୋପ କୁମରେ ଥିଲେ ଶୋଇ । କର୍ଣ୍ଣେ ଶୁଭିଲା ନାଦ ଯାଇ ॥୧୫
ବନେ ଭୁଞ୍ଜିବା ଆଜ ଅନ୍ନ । କରିବା କ୍ରୀଡ଼ାରସମାନ ॥୧୬
ରାତ୍ରେ ସଂକେତ କରିଥିଲେ । ପ୍ରଭାତେ ବେଣୁଧ୍ୱନି କଲେ ॥୧୭
ଯେ ଯାହା ନାମ ଧରି ଡାକି । ବାଳକେ ଶୟନ ଉପେକ୍ଷି ॥୧୮
ନନ୍ଦର ଦ୍ୱାରେ ଯାଇ ମିଳି । ଦେଖିଲେ ରାମ ବନମାଳୀ ॥୧୯
ବୋଲନ୍ତି ପ୍ରଭୁ ଦେବରାଜ । ଆମ୍ଭର ପ୍ରାୟେ ହୁଅ ସଜ ॥୨୦
ଶୁଣି ମିଳିଲେ ଯେଝା ଘରେ । ଅନ୍ନ ଘେନିଲେ ବାମକରେ ॥୨୧
ବେଣୁ କଠଉ ଶିଙ୍ଗା ବେତ । ବାଛୁରୀ ଫେଇ ଯୂଥଯୂଥ ॥୨୨
ମୁରଲୀ ବଜାଇ ତୁରିତେ । ଆଗେ ମିଳିଲେ ନନ୍ଦସୁତେ ॥ ।୨୩
ଅନ୍ତ କରିବି କେତେ ମୁହିଁ । ବାଛୁରୀ ଗଣିତା ନ ଯାଇ ॥୨୪
ଚଳାଇ ବତ୍ସା ଯୂଥଯୂଥ । ପଛେ ବିଜୟେ ଗୋପୀନାଥ ॥୨୫
ବନେ ପଶନ୍ତି ଏକମେଳେ । ଶୁଭଇ ମୁଖରାଗ ଗୋଳେ ॥୨୬
ସକଳେ ଏକରୁଣ୍ତ ହୋଇ । ନାଚନ୍ତି ଶିଙ୍ଗା ବେଣୁ ବାଇ ॥୨୭
ଖେମଟା ଛନ୍ଦେ କରତାଳି । ମଧ୍ୟେ ନାଚନ୍ତି ବନମାଳୀ ॥୨୮
ବିବିଧ ଅଳଙ୍କାର ଲାଇ । ନାଚନ୍ତି ମନେ ତୋଷ ହୋଇ ॥୨୯
ମଣି ମୁକୁତା କର୍ଣ୍ଣଫୁଲ । ନୂପୁର କଙ୍କଣ ଅମୂଲ୍ୟ ॥୩୦
କଟୀ ମେଖଳା ରତ୍ନ ଛନ୍ଦି । ଶିରେ ଗୁଞ୍ଜରା ପାଟି ବାନ୍ଧି ॥୩୧
ଶିରେ ମୟୂର ପୁଚ୍ଛ ଚୂଳ । କର୍ଣ୍ଣରେ କୋମଳ ପତର ॥୩୨
କଣ୍ଠେ ଶୋଭିତ ରତ୍ନହାର । ନିବିଡ଼ ସୁରଙ୍ଗ ଅଧର ॥୩୩
ରଙ୍ଗ ମୃତ୍ତିକା ଅଙ୍ଗେ ବୋଳି । ପଇତା ଗରଗଡ଼ ମାଳୀ ॥୩୪
କଙ୍କଣ ନୂପୁର ଶବଦେ । ନାଚନ୍ତି ଏକୁ ଆରେ ବାଦେ ॥୩୫
କେ କାହା ଅନ୍ନପୁଡ଼ା ବଳେ । ନେଇ ଲୁଚାନ୍ତି ବୁଦାତଳେ ॥୩୬
କେ କାନ୍ଦି କୃଷ୍ଣଙ୍କୁ କହନ୍ତି । ଆଜ୍ଞା ପ୍ରମାଣେ ଆଣି ଦ୍ୟନ୍ତି ॥୩୭
ଏକ ଆରକେ ପୀଢ଼ କରି । ଗୋଡ଼ାଇ ଛୁଅନ୍ତି ମୁରାରି ॥୩୮
କେ କାହା ନାମ ଧରି ବାଦେ । ଦୂରୁ ଡାକନ୍ତି ବେଣୁ ନାଦେ ॥୩୯
ଶୁକ କୋକିଳ ନାଦ ଶୁଣି । ପୋଏ ନାଚନ୍ତି ତାହା ଭଣି ॥୪୦
ପକ୍ଷୀ ଉଡ଼ନ୍ତେ ଛାୟା ଦେଖି । ଧାମନ୍ତି ବାଛୁରୀ ଉପେକ୍ଷି ॥୪୧
ଦେଖି ମୟୂର ହଂସ ଚାଲି । ପୋଏ ଚାଲନ୍ତି ପେଲାପେଲି ॥୪୨
ବକଙ୍କ ସଙ୍ଗେ ଯାଇ ବସି । ଭେକର ତୁଲେ ଯା'ନ୍ତି ଭାସି ॥୪୩
ବାନର ପୁଅଙ୍କୁ ଧରନ୍ତି । ଖେଳାଇ ପୁଣି ଛାଡ଼ି ଦ୍ୟନ୍ତି ॥୪୪
ସେ ଯାଇ ଉଠନ୍ତି ବୃକ୍ଷରେ । ପଲ୍ଲବେ ଲୁଚନ୍ତି କାତରେ ॥୪୫
ପୋଏ ହୁଅନ୍ତି ସେହି ମତ । ଡାକନ୍ତି ଆସ ଗୋପୀନାଥ ॥୪୬
ଆପଣା ଛାଇ ଦେଖି ଜଳେ । ହସନ୍ତି ନାନା କୁତୂହଳେ ॥୪୭
କାନନେ ପ୍ରତିନାଦ ଶୁଣି । ହସନ୍ତି ନାନା ଗାଳି ଭଣି ॥୪୮
ଏମନ୍ତେ ଗୋବିନ୍ଦର ମେଳେ । ବାଳକେ ନାନା କୁତୂହଳେ ॥୪୯
ଅନେକ ଜନ୍ମେ ତପ କରି । ନିକଟେ ପାଇଲେ ମୁରାରି ॥୫୦
କେ କହୁ ତା'ଙ୍କ ପୁଣ୍ୟଫଳ । ବେଦ ନ ଜାଣେ ଆଦିମୂଳ ॥୫୧
ଅନେକ ତପଯଜ୍ଞେ ବନ୍ଦି । ମନ ପବନ ହୃଦେ ଛନ୍ଦି ॥୫୨
ଜ୍ଞାନୀ ଚିନ୍ତନ୍ତି ଯୋଗବଳେ । ସେ ଖେଳେ ଗୋପାଳଙ୍କ ମେଳେ ॥୫୩
ମନୁଷ୍ୟ ଦେହ ମଞ୍ଚେ ବହି । କେ ପାରେ ତା'ଙ୍କ ପୁଣ୍ୟ କହି ॥୫୪
ଯାହାର ପାଦ ଜଳ ପାଇ । ଆନନ୍ଦେ ଶଙ୍କର ନାଚଇ ॥୫୫
ଯା' ନାମ ଚାରି ବେଦ ଭଣେ । ସେହି ଗୋପାଳ ସଙ୍ଗେ ଜଣେ ॥୫୬
ଏମନ୍ତେ ଶୁଣ ନୃପମଣି । ଶ୍ରୀକୃଷ୍ଣ ମହିମା ନ ଜାଣି ॥୫୭
ଅଘା ନାମେଣ ସେ ଅସୁର । କଂସ ଆଦେଶ ଘେନି ଶିର ॥୫୮
ମିଳିଲା ବୃନ୍ଦାବନେ ଯାଇ । କଂସର ମିତ୍ରପଣ ହୋଇ ॥୫୯
ବୃକ୍ଷର ଉହାଡ଼େ ରହିଲା । ଗୋପାଳ ପୁଅଙ୍କୁ ଚାହିଁଲା ॥୬୦
ମଧ୍ୟେ ଦେଖିଲା ଭଗବାନ । ହୃଦରେ ଶ୍ରୀବତ୍ସ ଲାଞ୍ଛନ ॥୬୧
ବୋଲଇ ଏ ମୋର ବଇରୀ । ବେନି ସୋଦର ଅଛି ମାରି ॥୬୨
କଂସକୁ କରିବ ଏ ନାଶ । ଯାଦବେ ଏହାର ବିଶ୍ୱାସ ॥୬୩
ନିଶ୍ଚୟେ ରିପୁ ଏ ମୋହର । ମାରିଛି ବେନି ସହୋଦର ॥୬୪
ପୂତନା ବହେଣୀ ମୋହର । ଜ୍ୟେଷ୍ଠଭ୍ରାତ ମୋ' ବକାସୁର ॥୬୫
ଏହାଙ୍କୁ ଜଳ ତିଳ ଦେଇ । ଆଜ ଉଦ୍ଧାରି ବଇଁ ମୁହିଁ ॥୬୬
କୃଷ୍ଣ ବାଛୁରୀ ଗୋପ ପୋଏ । ମୋତେ ଦିଶନ୍ତି ତିଳ ପ୍ରାୟେ ॥୬୭
ଜିହ୍ୱା ମୋହର ତମ୍ବାପାତ୍ରୀ । କୁଶ ହୋଇବ ଦନ୍ତପନ୍ତି ॥୬୮
ଖର ନିଃଶ୍ୱାସ ମନ୍ତ୍ରସ୍ୱରେ । ତର୍ପଣ କରିବି ରୁଧିରେ ॥୬୯
ଗୋପେ ମିଳିବି ରାତ୍ରେ ଯାଇ । ଗିଳିବି ଯେତେ ଜନ୍ତୁ ଗାଈ ॥୭୦
ତେବେ ହୋଇବ ମନସ୍ଥିର । ଆକାଶେ ବସିବେ ସୋଦର ॥୭୧
ପୁଣି ବିଚାରୁ ଅଛି ରହି । ଗୋକୁଳେ ମୋର କାର୍ଯ୍ୟ ନାହିଁ ॥୭୨
ବାଳକେ ବାଛୁରୀ ସହିତେ । ଏ ବନେ ଗିଳିବ ତୁରିତେ ॥୭୩
ପୁତ୍ରେ ନ ପାଇ ବାପ ମାଏ । ଭାଳିଣ ମରିବେ ଥୋକାଏ ॥୭୪
ପ୍ରାଣୀଙ୍କ ପ୍ରାଣ ପୁତ୍ରଦେହେ । ଏଣୁ ମରିବେ ମାୟାମୋହେ ॥୭୫
ଏମନ୍ତେ ସାଧିବି ବଇରୀ । ଗିଳିବି ସର୍ପରୂପ ଧରି ॥୭୬
ବିଚାର କଲା ଏହି ମତ । ଅସୁର ଅତି ବଳବନ୍ତ ॥୭୭
ଯାହାର ନାମେ ଦେବେ ଡରି । ଗଗନେ ପଡୁଥାଇ ହୁରି ॥୭୮
ଅମୃତ ଖାଇ ଦେବଗଣ । ଚିନ୍ତନ୍ତି ଅସୁର ମରଣ ॥୭୯
ଯେବେ ମରିବ ଅଘାସୁର । ଆମ୍ଭ ଅରିଷ୍ଟ ଯିବ ଦୂର ॥୮୦
ବ୍ରହ୍ମା ଡରନ୍ତି ନିରନ୍ତର । ଶୂନ୍ୟେ କମ୍ପନ୍ତି ସାତପୁର ॥୮୧
ଅଘାର ନାମେ ଥରହର । ଭୟେ କମ୍ପଇ ସୁନାସୀର ॥୮୨
ହୋଇଲା ଅଜଗର ରୂପୀ । ଯୋଜନ ଯାଏଁ ଦେହ ବ୍ୟାପି ॥୮୩
ପୂର୍ବ ଦିଗକୁ ମୁଖ କଲା । ସ୍ୱଭାବେ ତୁଣ୍ତ ବିସ୍ତାରିଲା ॥୮୪
ଉପର ପାଟି କଲା ମେଘେ । ଅଧର ଓଷ୍ଟ ମହୀଭାଗେ ॥୮୫
ଜିହ୍ୱା ବୁଲାଇ ଅନ୍ତରାଳ । ଦନ୍ତପର୍ବତ ଶୃଙ୍ଗମାଳ ॥୮୬
ତୁଣ୍ତ ଦିଶଇ ଅନ୍ଧକାର । ବିଷପବନ ଖରତର ॥୮୭
ପଶ୍ଚିମ ଦିଗେ ଯା'ନ୍ତି ଚଳି । ଗୋରୁ ଗୋପାଳ ବନମାଳୀ ॥୮୮
ମାୟା ଅସୁର ମୁଖ ଲାଗେ । ପୋଏ ମିଳିଲେ ଆସି ବେଗେ ॥୮୯
ବିଷ ପବନ ଖର ଶ୍ୱାସ । ଦେହେ ଲାଗନ୍ତେ ବଡ଼ ତ୍ରାସ ॥୯୦
ଚକିତେ ଚଉଦିଗେ ଚାହିଁ । ବୋଲନ୍ତି ଏକୁ ଆରେ ରହି ॥୯୧
କିଏ ଭାଜିଲା ଗିରିଖଣ୍ତ । ବିସ୍ତାର କରିଅଛି ତୁଣ୍ତ ॥୯୨
କେ ବୋଲେ ମେଘ କାମରୂପୀ । ଭୂମି ଗଗନେ ଅଛି ବ୍ୟାପୀ ॥୯୩
କେ ବୋଲେ ସର୍ପ ଏ ସ୍ୱରୂପ । ଅରୁଣ ବେନି ପାଟି ଦେଖ ॥୯୪
ଆମିଷ ପ୍ରାୟେ ପୂତିଗନ୍ଧ । ରୁକ୍ଷ ପବନ ମନ୍ଦମନ୍ଦ ॥୯୫
କେ ବୋଲେ ପୋଡୁଅଛି ବନ । ଜନ୍ତୁଏ ହୁଅନ୍ତି ଦହନ ॥୯୬
ତେଣୁ ଆମିଷଗନ୍ଧ ଦେଖ । ଏହାକୁ ଭଲେ ହୋ ନିରେଖ ॥୯୭
ବାମ ଦକ୍ଷିଣେ ଜିହ୍ୱା ଚାଳି । ଚାଞ୍ଛିଲା ବାଟ ପ୍ରାୟେ ଝଳି ॥୯୮
ଜାଣିଲୁ ସର୍ପ ଏ ଶରୀର । ମରଣ ହୋଇଲା ଆମ୍ଭର ॥୯୯
ଥୋକେ ବୋଲନ୍ତି କିମ୍ବା ଡର । ଆମ୍ଭର କୃଷ୍ଣ ବଳୀଆର ॥୧୦୦
ଯେବେ ଏ ଆମ୍ଭଙ୍କୁ ଗିଳିବ । ବକର ପ୍ରାୟେ ନାଶ ଯିବ ॥୧୦୧
କ୍ଷଣକେ ମରିବଟି ଏହି । ଏମନ୍ତେ ପଛକୁ ଅନାଇଁ ॥୧୦୨
ପଶିଲେ କରତାଳି ମାରି । ଆଗରେ ଅଡ଼ାନ୍ତି ବାଛୁରୀ ॥୧୦୩
କେ ବୋଲେ ଆଗ ହୋ ନପଶ । ନିକଟେ ନାହିଁ ପୀତବାସ ॥୧୦୪
ଚାହିଁଲେ କୃଷ୍ଣ ଛନ୍ତି ଦୂରେ । ଡାକନ୍ତି ଆସ ଖରତରେ ॥୧୦୫
ଦୂରୁ ଡାକନ୍ତି ଦାମୋଦର । ନ ପଶ ସର୍ପର ଉଦର ॥୧୦୬
ନ ଜାଣି ସର୍ବ ଏକମେଳେ । ଯେତେ ବାଛୁରୀ ଗୋପବାଳେ ॥୧୦୭
କୃଷ୍ଣର ବୋଲ ନ ଶୁଣିଲେ । ଅସୁର ଉଦରେ ପଶିଲେ ॥୧୦୮
କୃଷ୍ଣ ଧାଇଁଲେ ମାୟାମୋହେ । ଡାକନ୍ତି ରହ ରହ ପୋଏ ॥୧୦୯
ତୁଣ୍ତ ନିକଟେ ଚକ୍ରଧର । ଦେଖି ବିଚାରଇ ଅସୁର ॥୧୧୦
ଏହାର ନାମ ବାସୁଦେବ । ଏ ତ କଂସକୁ ସଂହାରିବ ॥୧୧୧
ଗର୍ଭେ ପଶିଲେ ମୋର ଯେତେ । ବଇରୀ ନୁହନ୍ତି ବାଳୁତେ ॥୧୧୨
ପ୍ରଭୁ ବଇରୀ ଗୋତ୍ରହତ । ଏହା ଯେ ନ କରେ ନିପାତ ॥୧୧୩
ତାହାର ଦେହ ଅକାରଣ । ସେ ଛାର କିସ ବଡ଼ପଣ ॥୧୧୪
ପ୍ରଭୁ ଝିଙ୍ଗାସ ଯେବେ ଶୁଣି । ନାନା ବିଚାରେ ପରିମାଣି ॥୧୧୫
ମାରି ପାରିଲେ ହୋଏ ଭଲ । ନିଜ ଶରୀରେ ଯେହୁ ଶଲ ॥୧୧୬
ଏ ମୋର ପ୍ରଭୁର ବଇରୀ । ବେନି ସୋଦର ଅଛି ମାରି ॥୧୧୭
ଗର୍ଭେ ପଶିବ ଯେତେବେଳେ । ପାଟି ପାଡ଼ିବି ଅବହେଳେ ॥୧୧୮
କୃଷ୍ଣ ଜାଣିଲେ ତା'ର ମନ । ବିଚାର କଲେ ଭଗବାନ ॥୧୧୯
ଯେବେ ନ ପଶିବଇଁ ମୁହିଁ । ବତ୍ସା ବାଳକ ମୁଁ ନ ପାଇ ॥୧୨୦
ଅସୁର ଉଦର ଅନଳ । ତୃଣ ପ୍ରାୟେକ ଗୋପବାଳ ॥୧୨୧
କି ବୁଦ୍ଧି କରିବଇଁ ଆଜ । ହେଳାଏ ହରାଇଲି କାର୍ଯ୍ୟ ॥୧୨୨
କେମନ୍ତେ ମାରିବି ଅସୁର । ବାଳକେ ହୋଇବେ ବାହାର ॥୧୨୩
କୃଷ୍ଣ ଚାହିଁଲେ ସ୍ଥିର ଦୃଷ୍ଟି । ଅସୁର ନ ପାଡ଼ଇ ପାଟି ॥୧୨୪
ଦେବେ ଦେଖନ୍ତି ଶୂନ୍ୟେ ରହି । ତୁଣ୍ତେ ପଶିଲେ ଭାବଗ୍ରାହୀ ॥୧୨୫
ଦେବେ କରନ୍ତି ହାହାକାର । ପାଟି ପାଡ଼ିଲା ଅଘାସୁର ॥୧୨୬
ଦେବଙ୍କୁ ଲାଗିଲା ବିଷାଦ । ଅସୁର ହୋଇଲା ଆନନ୍ଦ ॥୧୨୭
ସର୍ପ ଉଦରେ ଭଗବାନ । ଜାଣିଲେ ଦେବତାଙ୍କ ମନ ॥୧୨୮
ଦାସ ବତ୍ସଳ ନନ୍ଦବଳା । ରୁନ୍ଧିଲ ଦାନବର ଗଳା ॥୧୨୯
ଗିଳି ନ ପାରି ସେ ଦଇତ୍ୟ । ଶବଦ କଲା ଗର୍ଭଗତ ॥୧୩୦
ପ୍ରାଣ ହୋଇଲା ଛଟପଟ । ଫୁଲିଲା ଅସୁରର ପେଟ ॥୧୩୧
ଅସୁର ହେଲା ମହାକାୟ । କଣ୍ଠେ ବଢ଼ିଲେ ଦେବରାୟ ॥୧୩୨
ବଢ଼ନ୍ତେ ଗୋବିନ୍ଦ ଶରୀର । ତାଳୁ ଫାଟିଲା ଧାତିକାର ॥୧୩୩
ପ୍ରାଣ ଗମିଲା ଶୂନ୍ୟପଥେ । କୃଷ୍ଣ ପଶିଲେ ଗର୍ଭଗତେ ॥୧୩୪
ଅଘାର ଜୀବ ଯିବା କାଳେ । ବାଳକ ବତ୍ସା ସବୁ ମଲେ ॥୧୩୫
ଅମୃତ ନୟନେ ଚାହିଁଲେ । ସକଳ ଜୀବନ ପାଇଲେ ॥୧୩୬
ଗର୍ଭ ଭିତରେ ଯେତେ ଥିଲେ । କୃଷ୍ଣଙ୍କୁ ସମସ୍ତେ ଦେଖିଲେ ॥୧୩୭
କୃଷ୍ଣ ବୋଇଲେ ବତ୍ସା ଘେନି । ବାହାର ହୁଅ ଏହିକ୍ଷଣି ॥୧୩୮
ଉପରେ ଦେଖି ତାଳୁ ଦ୍ୱାର । ଗୋପାଳେ ହୋଇଲେ ବାହାର ॥୧୩୯
ଆଗେ ବାଛୁରୀ କଲେ ପାରି । ଗର୍ଭେ ରହିଲେ ଦଇତ୍ୟାରି ॥୧୪୦
ଦେଖିଲେ ଗର୍ଭେ କେହି ନାହିଁ । ବାହାର ହେଲେ ଭାବଗ୍ରାହୀ ॥୧୪୧
ଅଘା ଜୀବନ ଶୂନ୍ୟେ ଗଲା । ପୁଣି ଲେଉଟି ଅନାଇଲା ॥୧୪୨
ତାଳୁ ବାହାର ବ୍ରହ୍ମରାଶି । କାଳମେଘରୁ ଯେହ୍ନେ ଶଶୀ ॥୧୪୩
ଜୀବନ ଲେଉଟିଲା ବେଗେ । ତେଜ ବିରାଜେ ଦଶଦିଗେ ॥୧୪୪
ସ୍ୱର୍ଗେ ଦେଖନ୍ତି ଦେବତାଏ । ପଶିଲା ଗୋବିନ୍ଦର ଦେହେ ॥୧୪୫
ଦେଖି ଚକିତ ତିନିପୁର । ଦେବେ କରନ୍ତି ଜୟକାର ॥୧୪୬
କୁସୁମ ବରଷିଲେ ଆଣି । ବ୍ରାହ୍ମଣେ ବେଦସ୍ତୁତି ଭଣି ॥୧୪୭
ନାଚନ୍ତି ଅପସରୀ ବୃନ୍ଦ । ଗନ୍ଧର୍ବେ ଗୀତ ବାଦ୍ୟନାଦ ॥୧୪୮
ଆକାଶେ କଲେ ଜୟେ ଜୟେ । ଶୁଭିଲା ବ୍ରହ୍ମଲୋକ ଯାଏ ॥୧୪୯
ବ୍ରହ୍ମାର ସମାଧି ଭାଜିଲା । ହଂସ ବାହାନେ ବିଜେ କଲା ॥୧୫୦
କୃଷ୍ଣଙ୍କୁ ଦେଖି ବୃନ୍ଦାବନେ । ସ୍ତୁତି କରଇ ତୋଷମନେ ॥୧୫୧
କୃଷ୍ଣ ମହିମା ବ୍ରହ୍ମା ଦେଖି । ତୋଷେ ବୁଜିଲେ ଅଷ୍ଟଆଖି ॥୧୫୨
କୃଷ୍ଣଚରିତ ମନେ ଗୁଣି । ଚତୁର ମୁଖେ ବେଦ ଭଣି ॥୧୫୩
ରାଜନ ଶୁଣ ସାବଧାନେ । ସଂଶୟ ନ କର ତୁ ମନେ ॥୧୫୪
ମନୁଷ୍ୟ ଦେହେ ଅବତାର । ପଞ୍ଚବରଷ ଦାମୋଦର ॥୧୫୫
ଘୋର ଦାନବ ସଂହାରିଲେ । ବତ୍ସାବାଳକ ଉଦ୍ଧାରିଲେ ॥୧୫୬
ସଂଶୟ ମନେ ତୁ ନ କର । କୃଷ୍ଣେ ପଶିଲା ଅଘାସୁର ॥୧୫୭
ମିତ୍ର ଅଇରି ନାହିଁ ଯା'ର । ଭାବକୁ ଥାଇ ନିକଟର ॥୧୫୮
ଯାହାର ପାଦପୂଜା କରି । ପ୍ରାଣୀ ତରନ୍ତି ଭବବାରି ॥୧୫୯
ଗୋପୀ ଗୋପାଳ ଯା'ର ସଙ୍ଗେ । ତରିଲେ ଭବଜଳୁ ରଙ୍ଗେ ॥୧୬୦
ଏ କଥାମାନ କଉତୁକେ । ପୋଏ କହିଲେ ବରଷକେ ॥୧୬୧
ଆଜ ମାଇଲେ ସର୍ପ ହରି । ଶୁଣି ବିଷାଦ ନରନାରୀ ॥୧୬୨
ଯମୁନା ତୀରେ ଅଘାନାଶ । ଦେବଲୋକରୁ ଗଲା ତ୍ରାସ ॥୧୬୩
ଶ୍ରୀକୃଷ୍ଣ ଚରଣେ ବିଶ୍ୱାସ । କହଇ ଜଗନ୍ନାଥ ଦାସ ॥୧୬୪
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ଅଘାସୁରବଧୋ ନାମ ତ୍ରୟୋଦଶୋଽଧ୍ୟାୟଃ ॥
ଚତୁର୍ଦ୍ଦଶ ଅଧ୍ୟାୟ
[ସମ୍ପାଦନା]- ସୂତ ଉବାଚ
ଅଘା ଦଇତ୍ୟ ନାଶ ଶୁଣି । ପରୀକ୍ଷ ମନେ ମନେ ଗୁଣି ॥୧
କୃଷ୍ଣ ଚରିତ ଅଗୋଚର । ଦେଖି ଚକିତ ବେଦବର ॥୨
ସନ୍ଦେହ ବାକ୍ୟ ଶୁଣି ରାୟେ । ନମଇଁ ଶୁକମୁନି ପାୟେ ॥୩
- ରାଜା ଉବାଚ
ଭୋମୁନି ତୁ ତ ପୁଣ୍ୟଚେତା । ହରିବ ଏ ମୋହର ଚିନ୍ତା ॥୪
ସନ୍ଦେହ ଫେଡ଼ିବା ମୋହର । ମାୟା କି କଲେ ଚକ୍ରଧର ॥୫
ସର୍ପର ଗର୍ଭୁ ଦାମୋଦର । ତାରିଲେ ବାଛୁରୀ କୁମର ॥୬
ମାତାଙ୍କ ଆଗେ ଗୋପସୁତେ । କହିଲେ ବରଷକ ଅନ୍ତେ ॥୭
ସର୍ପ ଆମ୍ଭଙ୍କୁ ଗିଳିଥିଲା । ଆଜ ଗୋ ଶ୍ରୀକୃଷ୍ଣ ରଖିଲା ॥୮
ତୁମ୍ଭର ଉଦର ଶୀତଳ । କଲ୍ୟାଣ ନେଉ ନନ୍ଦବାଳ ॥୯
ଏମନ୍ତ ବୋଲିଣ କୁମରେ । କହିଲେ ଯେ ଯାହାର ଘରେ ॥୧୦
ଆବର କଥାଏ ସଂଶୟ । ଭୋ ମୁନିବର ମୋତେ କହ ॥୧୧
ଅଘା ଜୀବନ ଦେହୁ ଛାଡ଼ି । ଗଗନପଥେ ଥିଲା ଉଡ଼ି ॥୧୨
ସେ କେହ୍ନେ ବାହୁଡ଼ି ଅଇଲା । ଗୋବିନ୍ଦ ଶରୀରେ ପଶିଲା ॥୧୩
ଏ ବେନି କଥା ଅଗୋଚର । ବିଚାରି କହ ମୁନିବର ॥୧୪
ଏ ବଡ଼ ସଂଶୟ ମୋ' ଚିତ୍ତେ । ଭୋ ମୁନି ନ ଯାଇ ପରତେ ॥୧୫
ବରଷେ ଥିଲେ ପୋଏ କାହିଁ । କିବା ମୋହିଲେ ଭାବଗ୍ରାହୀ ॥୧୬
ଏ କଥା ମୋତେ କଉତୁକ । କାହିଁ ବଞ୍ଚିଲେ ବରଷକ ॥୧୭
ମୋର ଜୀବନ ହେଉ ସୁଖ । ତୋ ବାଣୀ ଶୁଣି ଯାଉ ଦୁଃଖ ॥୧୮
କ୍ଷତ୍ରିୟ ବଂଶେ ମୁହିଁ ଜାତ । ଧନ୍ୟ ମୋହର ତାତ ମାତ ॥୧୯
ହରିଚରିତ ସୁଧାଜଳ । ତୋ ମୁଖୁଁ ଗଳୁଛି ନିର୍ମଳ ॥୨୦
ସେଜଳେ ଧୋଇ ମୋର ଚିତ୍ତ । ମରଣେ ହୋଇବି ନିଶ୍ଚିନ୍ତ ॥୨୧
- ସୂତ ଉବାଚ
ଶୁଣି ପରୀକ୍ଷ ବାଣୀ କର୍ଣ୍ଣେ । ମୁନି ବସିଲେ ଯୋଗଧ୍ୟାନେ ॥୨୨
ଆନନ୍ଦେ ପୁଲକିତ ହୋଇ । ଗୋବିନ୍ଦ ପାଦେ ଚିତ୍ତ ଦେଇ ॥୨୩
ବେନି ଲୋଚନୁ ବହେ ନୀର । ବୋଲନ୍ତି ଶୁଣ ନୃପବର ॥୨୪
- ଶୁକ ଉବାଚ
ହରି ସେବକ ଶିରୋମଣି । ଶୁଣ ଶ୍ରୀଭାଗବତ ବାଣୀ ॥୨୫
ସାଧୁଙ୍କ ମଧ୍ୟେ ତୁହି ସାଧୁ । ତରିବୁ ଭବ ପରମାଦୁ ॥୨୬
ଯେତେ କହିଲି ଭାଗବତ । ତୋଷ ନୋହିଲା ତୋର ଚିତ୍ତ ॥୨୭
ତୁପୁଣ୍ୟ ପୁରୁଷ ବିବେକ । ହେଳେ ଜିଣିଲୁ ତିନିଲୋକ ॥୨୮
ସାଧୁଜନଙ୍କର ଏ ଗତି । ଯେସନେ ବିଟପୀ ଯୁବତୀ ॥୨୯
ସ୍ୱାମୀ ସେବାରେ ରହି ପୁଣ । ବିଟପେ ଦେଇଥାଇ ମନ ॥୩୦
ସଂସାରେ ଥାଇ ଯେ ଏମନ୍ତ । ନିକଟେ ପାଇ ସେ ଅନନ୍ତ ॥୩୧
ଏବେ ତୁ ଶୁଣ ସ୍ଥିର ହୋଇ । ଭାବ ସେବକେ ଏହା କହି ॥୩୨
ଯାହା ତୁ ପୁଚ୍ଛିଲୁ ନୃପତି । ବାଳୁତମାନଙ୍କର ଗତି ॥୩୩
ଅଘାର ଜୀବନ ମୋକ୍ଷଣ । ଆଗ କହିବା ତାହାଶୁଣ ॥୩୪
ପଛେ କହିବା ବନଭୋଜା । ଶୁଣ ତୁ ସୋମବଂଶୀ ରାଜା ॥୩୫
ଅଘାର ମୁଖେ ଦେବହରି । କଣ୍ଠରେ ରହିଲେ ଆବୋରି ॥୩୬
ତାଳୁ ଫାଟିଣ ପ୍ରାଣଗଲା । ଶ୍ରୀକୃଷ୍ଣ ମୁଖ ନ ଦେଖିଲା ॥୩୭
ମନେ ବିଚାର କଲା ଜୀବ । ସଂସାର ସୁଖ ପଦ୍ମନାଭ ॥୩୮
ଏହାର ଶ୍ରୀଚରଣ ଧରି । ଭବୁ ଶଙ୍କର ଗଲେ ତରି ॥୩୯
ମୋହର ଆନେ କିସ କାର୍ଯ୍ୟ । ଏ ସେ ଦେବାଧି ଦେବରାଜ ॥୪୦
ଏତେକ ବିଚାରି ଲେଉଟି । ଗର୍ଭେ ପଶିଲା ତାଳୁ ଫାଟି ॥୪୧
ଚାହିଁଲା ଶ୍ରୀକୃଷ୍ଣର ମୁଖ । ତେଜିଲା ଭବ ଭୟ ଦୁଃଖ ॥୪୨
ପ୍ରାଣ ପବନ ପଞ୍ଚଭୂତ । ଅଖଣ୍ତ ସୁଖ ଜ୍ଞାନତତ୍ତ୍ୱ ॥୪୩
ଶ୍ରୀହରି ଶରୀରେ ମିଶିଲା । ନିର୍ବାଣ ମୁକ୍ତି ସେ ଲଭିଲା ॥୪୪
ଅର୍ଦ୍ଧ ଆକାଶେ ସୁରଗଣ । ଦେଖିଲେ ଅଘାର ମୋକ୍ଷଣ ॥୪୫
ବ୍ରହ୍ମ ଲୋକରୁ ବ୍ରହ୍ମାଆସି । ସନକ ଆଦି ବ୍ରହ୍ମଋଷି ॥୪୬
ଦେଖିଣ ରିପୁ ମୋକ୍ଷ ଗତି । କୃଷ୍ଣଙ୍କୁ ପ୍ରଶଂସା କରନ୍ତି ॥୪୭
ବସିଣ ହଂସ ବାହାନରେ । ଚତୁର୍ବଦନେ ସ୍ତୁତି କରେ ॥୪୮
ପିତା ଦେଖିଲେ ବୃନ୍ଦାବନ । କାଳିନ୍ଦୀ ସକଳ ପୁଲୀନ ॥୪୯
ମନେ ବିଚାର ବେଦପତି । ଦେଖିବେ ପୁଅଙ୍କର ଗତି ॥୫୦
ଅନ୍ତର ହୋଇଣ ରହିଲେ । ଶୁଣ ରାଜନ ଏହା ଭଲେ ॥୫୧
ମରଣୁଁ ତରି ଗୋପବାଳେ । ମିଳିଲେ ଯମୁନାର କୂଳେ ॥୫୨
ନିର୍ମଳ ଦେଖି ବାଲିକୁଦ । ଶ୍ରୀକୃଷ୍ଣ ହୋଇଲେ ଆନନ୍ଦ ॥୫୩
ଗୋପାଳ ପୁଅଙ୍କୁ ଅନାଇଁ । ବୋଲନ୍ତି ପ୍ରଭୁ ଭାବଗ୍ରାହୀ ॥୫୪
ଦେଖ ସୁସଞ୍ଚ ବାଲିକୁଦ । ଚାହାନ୍ତେ ଲାଗଇ ଆନନ୍ଦ ॥୫୫
ନିର୍ମଳ ଯମୁନାର ଜଳ । ପବନ ବହଇ ଶୀତଳ ॥୫୬
ନାନା କୁସୁମେ ଜଳ ସ୍ଥଳ । ସୁବାସ ବହେ ପରିମଳ ॥୫୭
ଶୁକ କୋକିଳ ନାଦ ଭଣି । ଭ୍ରମରେ ମନୋହର ଧ୍ୱନି ॥୫୮
ନବ ପଲ୍ଲବ ତରୁଗଣ । ମୟୂର କଣ୍ଠନାଦ ଶୁଣ ॥୫୯
ଏଠାରେ ହୁଅ ଏକମେଳ । ବୋଲନ୍ତି ପ୍ରଭୁ ଆଦିମୂଳ ॥୬୦
ବତ୍ସା କରନ୍ତୁ ଜଳପାନ । ସକଳେ କରିବା ସ୍ନାହାନ ॥୬୧
ଦେଖ କୋମଳ ଘାସ ତୀରେ । ବାଛୁରୀ ଚରନ୍ତୁ ସଧୀରେ ॥୬୨
ଅନ୍ନ ଭୋଜନ ବସି କର । ପଞ୍ଚପରାଣ ହେଉ ସ୍ଥିର ॥୬୩
ବେଳ ହିଁ ହେଉଛି ଉଛୁର । କ୍ଷୁଧାଏ ଦେହ ଥରହର ॥୬୪
ମରୁଣୁଁ ଉବୁରିଲ ଆଜି । ପେଟ ପୁରୋଇ ଅନ୍ନଭୁଞ୍ଜି ॥୬୫
ତୁମ୍ଭମାନଙ୍କୁ ଯେ ଯୋଗାଇ । ହସି ବୋଲନ୍ତି ଭାବଗ୍ରାହୀ ॥୬୬
କୃଷ୍ଣର ବୋଲ ଶୁଣି ପୋଏ । ହରଷ ହୋଇଲେ ଥୋକାଏ ॥୬୭
ଚାହିଁଲେ କୃଷ୍ଣଙ୍କୁ ଆନନେ୍ଦ । ଅନ୍ନ ଥୋଇଲେ ବାଲିକୁଦେ ॥୬୮
ବତ୍ସାଙ୍କୁ ଜଳ ପିଆଇଲେ । କୋମଳ ଘାସେ ଛାଡ଼ିଦେଲେ ॥୬୯
ସାରିଲେ ଗୋପ ପୋଏ ସ୍ନାନ । ସନ୍ତୋଷେ କଲେ ଜଳପାନ ॥୭୦
ତୀରେ ଉଠିଲେ ଧାତିକାରେ । ଅନ୍ନ ଫେଇଲେ ଯେ ଯାହାରେ ॥୭୧
କେ ବୃକ୍ଷୁ ପତ୍ର ତୋଳି ଆଣି । ବିଷ୍ଣୁ ସୁମରି ସିଞ୍ଚେ ପାଣି ॥୭୨
ପାଷାଣ ଆଣନ୍ତି କେ ଯାଇ । ଅନ୍ନ ବାଢ଼ନ୍ତି ତାହା ଧୋଇ ॥୭୩
ବସ୍ତ୍ର ପାଡ଼ନ୍ତି ପୀତ ନୀଳ । କେ ବୃକ୍ଷୁ ଆଣନ୍ତି ବକଳ ॥୭୪
ଯେ ଯାହା ମତେ ଅନ୍ନ ଥୋଇ । କୃଷ୍ଣ ବୋଲନ୍ତି ତାହା ଚାହିଁ ॥୭୫
ଅନ୍ନ ଦେଖାଅ ସବୁ ମୋତେ । ବ୍ୟଞ୍ଜନ ଆଣିଛ କେ କେତେ ॥୭୬
ଶୁଣି ସାନନ୍ଦ ମନେ ପୋଏ । ମଧ୍ୟେ ବସିଲେ ଦେବରାୟେ ॥୭୭
ଯେ ଯାହା ଅନ୍ନପୁଡ଼ା ଫେଡ଼ି । କହନ୍ତି ବେନିକର ଯୋଡ଼ି ॥୭୮
ଦେଖ ଶ୍ରୀକୃଷ୍ଣ ମୋର ଭାତ । ବ୍ୟଞ୍ଜନ ଆଣିଛି ବହୁତ ॥୭୯
ବଗଡ଼ା ଅନ୍ନ କେ ଆଣିଲା । ବେଲ କରଡ଼ି ଲୁଣ ଅଁଳା ॥୮୦
କେ ବୋଲେ ଦଧିଅନ୍ନ ମୋର । ନିର୍ମଳ ଦେଖ ଦାମୋଦର ॥୮୧
କେ ବୋଲେ ସରୁଭାତ ମୁହିଁ । ଆଣିଛି ଖାଇବାର ପାଇଁ ॥୮୨
କେ ବୋଲେ ତୁଚ୍ଛା ଅନ୍ନ ମୋର । ଭୁଞ୍ଜିବି ପଛେ ଗୋଳି ନୀର ॥୮୩
ଏମନ୍ତେ ନେଇ ଦେଖାଇଲେ । ବେଢ଼ି ଗୋବିନ୍ଦଙ୍କୁ ବସିଲେ ॥୮୪
ଶ୍ରୀକୃଷ୍ଣ ଭୁଞ୍ଜିବାର ଆଶେ । ବେଣୁ ଖୋଷିଲେ ବାମପାଶେ ॥୮୫
କାଖେ ଯାକିଲେ ଶିଙ୍ଗା ବେତ । ଅନ୍ନ ପୁଡ଼ାଏ ବାମହସ୍ତ ॥୮୬
ଅଙ୍ଗୁଳି ସନ୍ଧିରେ ଅଏଁଳା । ହୃଦେ ଲମ୍ବଇ ବନମାଳା ॥୮୭
ପୁଅଙ୍କୁ ବୋଲେ ଭାବଗ୍ରାହୀ । ବସ ମଣ୍ତାଳାକାର ହୋଇ ॥୮୮
ତୁମ୍ଭଙ୍କୁ ପରଷଇ ଅନ୍ନ । ନିଶ୍ଚିନ୍ତେ କର ହୋ ଭୋଜନ ॥୮୯
ଶ୍ରୀକୃଷ୍ଣ ବୋଲେ ବ୍ରଜପୋଏ । ବସି ମଣ୍ତଳାକାର ହୋଏ ॥୯୦
ସହସ୍ରେ କେଶର କମଳ । ଯେହ୍ନେ ବେଷ୍ଟିତ ପଦ୍ମଦଳ ॥୯୧
ଶୋଭା ପାଇଲା ବୃନ୍ଦାବନ । ହରଷେ କରନ୍ତି ଭୋଜନ ॥୯୨
ସକଳ ପୁଅଙ୍କୁ ପରଷି । ମଧ୍ୟେ ବସିଲେ ବ୍ରହ୍ମରାଶି ॥୯୩
କୃଷ୍ଣର ଗୋଷ୍ଠୀ ପଦ୍ମପ୍ରାୟେ । ସ୍ୱର୍ଗେ ଦେଖନ୍ତି ଦେବତାଏ ॥୯୪
ବିବିଧ ମତେ ପରିହାସ । ଗୋପ କୁମରେ ହସ ହସ ॥୯୫
ଦିବ୍ୟ ବ୍ୟଞ୍ଜନ ମୁଖେ ଭରି । ବୋଲନ୍ତି ଶୁଣ ନରହରି ॥୯୬
ଏ ସ୍ୱାଦ ଅଧିକ ମୋହର । ଗ୍ରାସେ ଭୋଜନ ତୁମ୍ଭେ କର ॥୯୭
ଶ୍ରୀକୃଷ୍ଣ ଅଧରେ ଦିଅନ୍ତି । ଏକକୁ ଅରେକ କହନ୍ତି ॥୯୮
ଆନନ୍ଦ ଗୋପାଳଙ୍କ ମନ । ହରଷେ କରନ୍ତି ଭୋଜନ ॥୯୯
ଯଜ୍ଞ ଭୋକତା ବାଳକେଳି । ଦେଖନ୍ତି ସ୍ୱର୍ଗଲୋକେ ମିଳି ॥୧୦୦
ମଧ୍ୟେ ବସାଇ ପୀତବାସ । ବାଳକେ ହୁଅନ୍ତି ହରଷ ॥୧୦୧
ଗୋବିନ୍ଦ କ୍ରୀଡ଼ାରସ ରଙ୍ଗେ । ଗୋପାଳ ବାଳକଙ୍କ ସଙ୍ଗେ ॥୧୦୨
ହରଷେ ହୋଇ ମତ୍ତଭୋଳ । ଏ କିସ ମଦନ ଗୋପାଳ ॥୧୦୩
ଅନ୍ନ ଲୋଚିଏ ଘେନି କରେ । ଦିଅନ୍ତି ପୁଅଙ୍କ ହସ୍ତରେ ॥୧୦୪
ପୋଏ ତା 'ଘେନି ଯା'ନ୍ତି ଦୂରେ । ଭୁଞ୍ଜନ୍ତି ଲତା ଅଭ୍ୟନ୍ତରେ ॥୧୦୫
ହସି ବୋଲନ୍ତି ପୁଣି ଆସି । ବୋଲନ୍ତି ଦେବ ବ୍ରହ୍ମରାଶି ॥୧୦୬
କେହୁ ବୋଲନ୍ତି ମୋତେ ଦିଅ । ହରଷ ନାଦ ଗହ ଗହ ॥୧୦୭
ପୁଣି ଦଅନ୍ତି ନନ୍ଦବାଳ । ଭୁଞ୍ଜନ୍ତି ନାଚନ୍ତି ଗୋପାଳ ॥୧୦୮
ହରି ଚହଳ ଘନ ଘନ । ଭୁଞ୍ଜନ୍ତି ପ୍ରଭୁ ଭଗବାନ ॥୧୦୯
ଏମନ୍ତେ ଅବଶେଷେ ଭୋଜି । ନୃତ୍ୟ କରନ୍ତି ମନମଜ୍ଜି ॥୧୧୦
ସ୍ୱର୍ଗେ ଦେଖନ୍ତି ଦେବବୃନ୍ଦ । ଗୋପାଳ ପୁଅଙ୍କ ଆନନ୍ଦ ॥୧୧୧
ବ୍ରହ୍ମା ଯେ ଦେଖୁଥିଲେ ଶୂନ୍ୟେ । ଆସି ମିଳିଲେ ବୃନ୍ଦାବନେ ॥୧୧୨
ଦେଖିଣ ଗୋବିନ୍ଦର ଗତି । ମନେ ଚିନ୍ତଇ ବେଦପତି ॥୧୧୩
ଅଳପ ଦିନେ ଭଗବାନ । ଗୋକୁଳେ ପଡ଼ି ହେଲେ ଭ୍ରମ ॥୧୧୪
ଆତ୍ମାକୁ ନ ଚିହ୍ନଇ କିଛି । ଗୋପାଳମେଳେ ଭୁଞ୍ଜୁ ଅଛି ॥୧୧୫
ଏହାର ଅବିବେକ ପଣ । କେହ୍ନେ ବୋଲାଇ ନାରାୟଣ ॥୧୧୬
ଏ କଥା ଜାଣିବା କେମନ୍ତେ । ସନ୍ଦେହ ଲାଗିଲା ତ ମୋତେ ॥୧୧୭
ଦେଖିଲି ଅସୁର ମୋକ୍ଷଣ । ଏବେ ଭୁଞ୍ଜଇ ପୁଡ଼ା ଅନ୍ନ ॥୧୧୮
ପୁଅଙ୍କ ଉଚ୍ଛିଷ୍ଟ ବ୍ୟଞ୍ଜନ । ଆପଣେ କରଇ ଭୋଜନ ॥୧୧୯
ଯେବେ ଅଟଇ ଚକ୍ରଧର । ମୋର ମାୟାରୁ ହେଉ ପାର ॥୧୨୦
ଏହାକୁ ମାୟା ମୁଁ କରିବି । ବତ୍ସା ବାଳକ ହରି ନେବି ॥୧୨୧
ଦେଖିବି ଏହାର ବିକଳ । କେମନ୍ତେ ରଖିବ ଗୋକୁଳ ॥୧୨୨
ଏମନ୍ତ ବିଚାରଇ ବସି । ଅନ୍ନ ଭୁଞ୍ଜନ୍ତି ବ୍ରହ୍ମରାଶି ॥୧୨୩
କୋମଳ ତୃଣ ଚରି ଚରି । ଗହନେ ପଶିଲେ ବାଛୁରୀ ॥୧୨୪
ମାୟାରେ ବ୍ରହ୍ମା ତାହା ହରି । ରଖିଲେ କମଣ୍ତଳେ ଭରି ॥୧୨୫
ଗୋପାଳେ ବତ୍ସା ନ ଦେଖିଲେ । ଅନ୍ନଭୋଜନ ଉପେକ୍ଷିଲେ ॥ ।୧୨୬
ଚକିତେ ଚଉଦିଗେ ଚାହିଁ । ବୋଲନ୍ତି କୃଷ୍ଣଙ୍କୁ ଅନାଇଁ ॥୧୨୭
ବତ୍ସାଏ ଗଲେ କେଉଁ କତି । ଶୁଣିମା ପ୍ରଭୁ ଦାଶରଥି ॥୧୨୮
ନିକଟେ ବତ୍ସା ନ ଦିଶଇ । ଯେଝାରେ ଆଣିବୁ ଅଡ଼ାଇ ॥୧୨୯
ଶୁଣି ବୋଲନ୍ତି କୃଷ୍ଣ ହସି । ମୁହିଁ ଆଣିବି ବନେ ପଶି ॥୧୩୦
ସମସ୍ତେ ଏହିଠାରେ ଥାଅ । ଅନ୍ନ ବ୍ୟଞ୍ଜନ ସବୁ ଖାଅ ॥୧୩୧
ଆମ୍ଭେ ଆସିବୁ ବତ୍ସା ଲୋଡ଼ି । ବୋଲିଣ ଘେନିଲେ ଲଉଡି ॥୧୩୨
ସୁଖେ ଭୋଜନ ପାନ କର । କହି ଚଳିଲେ ବେଣୁଧର ॥୧୩୩
ପଞ୍ଚଗରାସ ତୁଣ୍ତେ ଭରି । ଅନ୍ନ ପୁଡ଼ାଏ କରେ ଧରି ॥୧୩୪
ଗିରି କାନନ ନଦୀତୀରେ । ଖୋଜନ୍ତି ଝାଳ ଜରଜରେ ॥୧୩୫
କୃଷ୍ଣେ ନ ଦେଖି ବେଦପତି । ମିଳିଲେ କୁମରଙ୍କ କତି ॥୧୩୬
ମାୟାର ବଳେ ଜ୍ଞାନ ହରି । ପୁଅଙ୍କୁ କମଣ୍ତଳେ ଭରି ॥୧୩୭
ତକ୍ଷଣେ ଘେନିଣ ଚଳିଲେ । ପର୍ବତ କ୍ରୋଟରେ ରଖିଲେ ॥୧୩୮
ବୃନ୍ଦାବନକୁ ଅନାଇଲେ । ନିଜ ଭୁବନେ ବିଜେ କଲେ ॥୧୩୯
ବତ୍ସା ନ ପାଇ ବନମାଳୀ । ପୁଣି ଭୋଜନ ସ୍ଥାନେ ମିଳି ॥୧୪୦
ଦେଖିଲେ ଗୋପପୋଏ ନାହିଁ । ଚକିତେ ଚଉଦିଗେ ଚାହିଁ ॥୧୪୧
ବାଳକେ କେଣେ ଗଲେ ବୋଲି । ଡାକନ୍ତି ଯେଝା ନାମ ଧରି ॥୧୪୨
ବତ୍ସା ବାଳକେ ବନେ ଖୋଜି । ଡାକନ୍ତି ଗତିପଥ ହେଜି ॥୧୪୩
ବୋଲନ୍ତି କିସ ବିପରୀତ । କେ ନେଲା ବତ୍ସା ଗୋପସୁତ ॥୧୪୪
ବେଳ ହୋଇଲା ଅବସାନ । ଗୋରୁଏ ମିଳିଲେ ସଦନ ॥୧୪୫
ବତ୍ସା ନ ଦେଖି ଗାଈମାନେ । ଧାଇଁ ଲୋଡ଼ନ୍ତି ନାନା ସ୍ଥାନେ ॥୧୪୬
ଗୋପାଳେ ରଖି ନ ପାରନ୍ତି । ଗୋରୁଏ ବନକୁ ଧାମନ୍ତି ॥୧୪୭
ଗୋରୁଙ୍କ ଦେଖିଣ ବିକଳ । ଗୋପାଳେ ପାଡ଼ନ୍ତି ଚହଳ ॥୧୪୮
ସହି ନ ପାରିଲାକି ନନ୍ଦ । ଡାକଇ ଗୋବିନ୍ଦ ଗୋବିନ୍ଦ ॥୧୪୯
ରାମ ଗୋବିନ୍ଦ ବନମାଳୀ । ନନ୍ଦ ଡାକିଲା ନାମ ଧରି ॥୧୫୦
ଡାକଇ ବୃନ୍ଦାବନେ ପଶି । ବତ୍ସା ନ ପାଇ ବ୍ରହ୍ମରାଶି ॥୧୫୧
ଧ୍ୟାନେ ନିରୋପି ଦେବେ ଚାହିଁ । ଜାଣିଲେ ପ୍ରଭୁ ଭାବଗ୍ରାହୀ ॥୧୫୨
ବିଧାତା ମୋତେ ମାୟା କରି । ବତ୍ସାବାଳକେ ନେଲା ହରି ॥୧୫୩
ମୋତେ ଦେଖାଇଲା ସ୍ୱଭାବ । ଆଜ ଗଞ୍ଜିବି ତା'ର ଗର୍ବ ॥୧୫୪
ଗୋପ ଯୁବତୀଙ୍କର ହିତେ । ବ୍ରହ୍ମାଙ୍କୁ ଗଞ୍ଜିବା ନିମନ୍ତେ ॥୧୫୫
ଉଭୟ ରୂପ ଅଙ୍ଗୀକାର । ଜଗତନାଥ ମାୟାଧର ॥୧୫୬
ନିଜ ସ୍ୱାଭାବ ସୁମରିଲେ । ଆମ୍ଭେଟି ଈଶ୍ୱର ଜାଣିଲେ ॥୧୫୭
ବ୍ରହ୍ମା ଶଙ୍କର ମୋର ଦାସ । ସ୍ୱର୍ଗ ଭୁବନ ଚତୁର୍ଦ୍ଦଶ ॥୧୫୮
ଆମ୍ଭେ ତ ଅଟୁ ପ୍ରଜାପତି । ସଂସାର ସଂହାରଣ ନୀତି ॥୧୫୯
ମୋହର ସଞ୍ଚିଲା ଏ ସର୍ବ । କିପାଁ ମାଗିବି କଲା ଗର୍ବ ॥୧୬୦
ଦେବେ କରିବେ ଉପହାସ । ମାଗନ୍ତେ ନାହିଁ ପଉରୁଷ ॥୧୬୧
କୋଟି ବ୍ରହ୍ମାଣ୍ତ ଗର୍ଭୁ ଜାତ । ବତ୍ସା ବାଳକ କେତେ ମାତ୍ର ॥୧୬୨
ମାୟା ଭିଆଣ ଜଗନ୍ନାଥ । ଗର୍ଭୁ ସକଳ କଲେ ଜାତ ॥୧୬୩
ଏମନ୍ତେ ପ୍ରଭୁ ନରହରି । ବତ୍ସାବାଳକ ରୂପ ଧରି ॥୧୬୪
ଯେତେ ବାଛୁରୀ ଗୋପସୁତ । କୃଷ୍ଣ ଦେହରୁ ହେଲେ ଜାତ ॥୧୬୫
ଯାହାର ଯେମନ୍ତ ସ୍ୱଭାବ । ମାୟାଭିଆଣ ପଦ୍ମନାଭ ॥୧୬୬
ବିବିଧ ବନ୍ଧେ କାଛା ପିନ୍ଧି । ଚୂଳେ ମୟୂରପୁଚ୍ଛ ବାନ୍ଧି ॥୧୬୭
ଗୁଞ୍ଜରାପାଟି ଫୁଲମାଳେ । ରତ୍ନକୁଣ୍ତଳ ଗଣ୍ତସ୍ଥଳେ ॥୧୬୮
କର ପୟର ଶିକା ଡ଼ାଳି । କଣ୍ଠେ ମୁକୁତା ବିଦମାଳୀ ॥୧୬୯
ବେଣୁ କଠାଉ ଶିଙ୍ଗା ବେତ । ଯାହାର ସ୍ୱରୂପ ଯେମନ୍ତ ॥୧୭୦
ଯାହାର ବଚନ ଯେମନ୍ତ । ରୂପ ବୟସ ସେହି ମତ ॥୧୭୧
ଯେ ଯେତେ ଉଚ୍ଚ ସଞ୍ଚ ସ୍ଥୂଳ । ଯାହାର ଯେମନ୍ତ କୁନ୍ତଳ ॥୧୭୨
ଓଁକାରୁ ଯେହ୍ନେ ବେଦ କ୍ଷରି । ସର୍ବ-ସ୍ୱରୂପ ନରହରି ॥୧୭୩
ରୂପୁଁ ଅନେକ ରୂପ କଲେ । ବିଶ୍ୱ-ପ୍ରପଞ୍ଚ ଦେଖାଇଲେ ॥୧୭୪
ବେଳ ହୋଇଲା ଅବସାନ । ଗୋପେ ଚଳିଲେ ଭଗବାନ ॥୧୭୫
ଆପେ ବାଛୁରୀ ଆପେ ପୋଏ । ଆତ୍ମାକୁ ଆପଣେ ଅଡ଼ାଏ ॥୧୭୬
ପ୍ରବେଶ ଗୋପପୁର ଲାଗେ । ପୋଏ ନାଚନ୍ତି ନାନାରଙ୍ଗେ ॥୧୭୭
ମୁରଲୀ ଶୁଣି ଗୋପନାରୀ । ପାଛୋଟି ଗଲେ ଆଗସରି ॥୧୭୮
ପୁତ୍ରଙ୍କୁ ଦେଖି ସ୍ନେହଭରେ । ହୃଦେ ଚାପିଲେ ତୋଳି କରେ ॥୧୭୯
ଯେଝା ବାଳକ ଧରି କୋଳେ । ସ୍ନେହ କରନ୍ତି କୁତୂହଳେ ॥୧୮୦
ଆନନ୍ଦ କେ ପାରିବ କହି । ସ୍ତନ୍ୟ ପିଆନ୍ତି ଚୁମ୍ବ ଦେଇ ॥୧୮୧
ଯଶୋଦା ରୋହିଣୀ ମିଳିଲେ । ରାମ-କୃଷ୍ଣଙ୍କୁ କୋଳ କଲେ ॥୧୮୨
ଆନନ୍ଦେ ପିଆବନ୍ତି ସ୍ତନ୍ୟ । ଶ୍ରୀମୁଖେ ଦିଅନ୍ତି ଚୁମ୍ବନ ॥୧୮୩
ବୋଲନ୍ତି ଲୁଚିଯିବି ତୋର । ଆଜ ତ ବନସ୍ତେ ଉଛୁର ॥୧୮୪
କୃଷ୍ଣ ବୋଲନ୍ତି ଶୁଣ ମାଏ । ଗଲୁଁ ଥୋକାଏ ଦୂର ଯାଏଁ ॥୧୮୫
ତେଣୁ ସେ ହୋଇଲା ଉଛୁର । ଭାବେ ଭଣ୍ତିଲେ ଚକ୍ରଧର ॥୧୮୬
ଗୋବତ୍ସା ଗଲେ ଯେଝା ଘରେ । ଗୋପୀ ମିଳିଲେ ନିଜ ପୁରେ ॥୧୮୭
ପୁତ୍ରଙ୍କୁ ମାଜଣା କରାଇ । ଦଧି-ଲବଣି ଅନ୍ନ ଦେଇ ॥୧୮୮
ଯେଝାରେ କରାଇ ଶୟନ । ଆନନ୍ଦ ଗୋପୀଙ୍କର ମନ ॥୧୮୯
ରାତ୍ରେ ଅଇଲେ ବନୁଁ ଗାଈ । ହମ୍ବାଳି ଛାଡ଼ିଣ ବୋବାଇ ॥୧୯୦
କୋଳେ ଆବୋରି ବତ୍ସା ଲେହି । ସ୍ତନ ପିଆନ୍ତି ସ୍ନେହ ବହି ॥୧୯୧
କି ପୁଣ୍ୟ ଗୋପୀଜନଙ୍କର । କୋଳେ ଧଇଲେ ଚକ୍ରଧର ॥୧୯୨
ପୂର୍ବେ ଅଛନ୍ତି ତପ କରି । ସ୍ତନ୍ୟ ପିଆନ୍ତି ନରହରି ॥୧୯୩
ପୁଣ୍ୟ କେ କହୁ ତାହାଙ୍କର । ଯାହା ନ ପା'ନ୍ତି ବ୍ରହ୍ମା ହର ॥୧୯୪
ଏ କଥା ନଜାଣନ୍ତି କେହି । ମାୟା ଭିଆଣ ଭାବଗ୍ରାହୀ ॥୧୯୫
ନିତ୍ୟେ ଚରାନ୍ତି ବତ୍ସା ବନେ । ଗୋପେ ମିଳନ୍ତି ରାତ୍ରମାନେ ॥୧୯୬
ଏମନ୍ତେ ପୂରିଲା ବରଷ । ଶୁଣ ରାଜନ କୃଷ୍ଣ ରସ ॥୧୯୭
ଦିନେକ ରାମ ଘେନି ସଙ୍ଗେ । ବନେ ମିଳିଲେ ଶିରୀରଙ୍ଗେ ॥୧୯୮
ପର୍ବତ ନାମ ଗୋବର୍ଦ୍ଧନ । କାଳିନ୍ଦୀତୀରେ ବୃନ୍ଦାବନ ॥୧୯୯
ଗୋପକୁମର ଘେନି ହରି । ସେ ବନେ ଚରାନ୍ତି ବାଛୁରୀ ॥୨୦୦
ପର୍ବତେ ଗାଈ ଚରୁଥିଲେ । ତଳେ ବତ୍ସାଙ୍କୁ ଅନାଇଲେ ॥୨୦୧
ଦେଖି ଧାଇଁଲେ ଅତି ଖରେ । ତଳେ ମିଳିଲେ ସ୍ନେହଭରେ ॥୨୦୨
ଉର୍ଦ୍ଧ୍ୱେ ଲାଙ୍ଗୁଳ-ମୁଖ ହୋଇ । ପର୍ବତୁଁ ପଡ଼ନ୍ତେ ଓହ୍ଲାଇ ॥୨୦୩
ଗୋପାଳେ ଓଗାଳିଲେ ଆସି । କରେ ଲଉଡ଼ିମାନ ତ୍ରାସି ॥୨୦୪
ତା'ଙ୍କ ବାରଣ ନ ମାନିଲେ । ପର୍ବତ ତଳେଣ ମିଳିଲେ ॥୨୦୫
ଆବୋରି ଯେ ଯାହାର ବତ୍ସା । ହମ୍ବାଳି ଲିହିବାରେ ଇଚ୍ଛା ॥୨୦୬
ସ୍ତନ୍ୟ ପିଆନ୍ତି ଦେହ ଲିହି । ହୁଙ୍କାର ନାଦେ ସର୍ବ ଗାଈ ॥୨୦୭
ଓଗାଳି ନ ପାରି ଗୋପାଳେ । ଲଜ୍ଜାରେ ରହିଲେ ସକଳେ ॥୨୦୮
ଗୋପାଳେ ଥିଲେ ଗିରି ପରେ । ତଳେ ମିଳିଲେ ଧାତିକାରେ ॥୨୦୯
ପୁତ୍ରଙ୍କୁ କହନ୍ତି ପିଅର । କିମ୍ବା ଆଣିଲ ବତ୍ସାପଲ ॥୨୧୦
ପିଇଲେ ସକଳ ବାଛୁରୀ । ଓଗାଳ ନ ପାରିଲୁ କରି ॥୨୧୧
ମାୟା କୁମାର ମୁଖ ଚାହିଁ । ଗୋପାଳେ ହୋଇଲେକି ମୋହି ॥୨୧୨
ନିଜ ବାଳକ ଦେଖି ତଳେ । ସ୍ନେହେକରିଲେ କାଖେ କୋଳେ ॥୨୧୩
ଚୁମ୍ବନ ଦେଇ ହୃଦେ ଚାପି । ସ୍ନେହେ ବୁଜିଲେ ବେନି ଆଖି ॥୨୧୪
ଗୋରୁ-ଗୋପାଳ ସ୍ନେହଭରେ । ଦେଖିଣ ରୋହିଣୀ-କୁମରେ ॥୨୧୫
ଭାଳନ୍ତି ବୃକ୍ଷତଳେ ରହି । ଏମନ୍ତ ଦେଖିଲା ତ ନାହିଁ ॥୨୧୬
ପୂର୍ବହୁଁ ସ୍ନେହ ତ ଅତ୍ୟନ୍ତ । ଏ କଥା ଜାଣିବା କେମନ୍ତ ॥୨୧୭
ମୋତେ ତ ସନ୍ଦେହ ଲାଗିଲା । କିମ୍ବା ଗୋବିନ୍ଦ ମାୟା କଲା ॥୨୧୮
ରାମ ଚାହିଁଲେ ଯୋଗବଳେ । ଯେତେ ବାଛୁରୀ ଗୋପବାଳେ ॥୨୧୯
ଦିଶନ୍ତି ଚାରି ଚାରି ଭୁଜ । କୋଟିଏ କାମ ଜିଣି ତେଜ ॥୨୨୦
ପୀତବସନ କଟୀ ମାଝେ । ମଣି କୁଣ୍ତଳ ରବି ଗଞ୍ଜେ ॥୨୨୧
ଦେଖି ଚକିତ ହଳଧର । କୃଷ୍ଣଙ୍କୁ କହନ୍ତି ମଧୁର ॥୨୨୨
ଦେବତା ଋଷି ଏ ନୁହନ୍ତି । ତୋହର ପ୍ରାୟେକ ଦିଶନ୍ତି ॥୨୨୩
ନିଜ ବାଳକ-ବତ୍ସା କାହିଁ । ତୋ' ତହୁଁ ଆନ ନ ଦିଶଇ ॥୨୨୪
ମାୟା କି କରିଅଛୁ ମୋତେ । କେମନ୍ତେ ଯିବଇଁ ପରତେ ॥୨୨୫
ହସି ବୋଲନ୍ତି ନନ୍ଦବାଳା । ବ୍ରହ୍ମା କଷଣ ମୋତେ ଦେଲା ॥୨୨୬
ବନେ ଭୋଜନ ଦେଖି ମୋର । ହରିଲ ବାଛୁରୀ-କୁମର ॥୨୨୭
ଏମାନ ଭିଆଇଲି ମୁହିଁ । ଶୁଣିମା ସାବଧାନ ହୋଇ ॥୨୨୮
ଶୁଣି ସାନନ୍ଦ ବଳରାମ । କୃଷ୍ଣଙ୍କୁ ଦିଅନ୍ତି ଚୁମ୍ବନ ॥୨୨୯
ଗୋପେ ମିଳିଲେ ରାତ୍ରକାଳେ । ଶୟନ ଯଶୋଦାର କୋଳେ ॥୨୩୦
ରଜନୀ ହୋଇଲା ପ୍ରଭାତ । ବନେ ଚଳିଲେ ଗୋପୀନାଥ ॥୨୩୧
ବ୍ରହ୍ମା ଯେ ବତ୍ସା ହରି ନେଲା । ମଞ୍ଚକୁ ବରଷେ ହୋଇଲା ॥୨୩୨
ବିଧାତା ବିଚାରଇ ମନେ । କୃଷ୍ଣେ ଭେଟିବି ବୃନ୍ଧାବନେ ॥୨୩୩
କେମନ୍ତ କଲେ ଦାମୋଦର । ଆଜ ଦେଖିବି ଗୋପପୁର ॥୨୩୪
ବ୍ରହ୍ମା ବିଚାରି ଏହା ମନେ । ବେଗେ ମିଳିଲା ବୃନ୍ଦାବନେ ॥୨୩୫
ଦେଖିଲା ଯମୁନାର କୂଳେ । ବତ୍ସା-ବାଳକ କୃଷ୍ଣମେଳେ ॥୨୩୬
ମୁରଲୀ ବାଇ ନାନାଛନ୍ଦେ । ବାଳକେ ନାଚନ୍ତି ଆନନ୍ଦେ ॥୨୩୭
ନିଶ୍ଚିନ୍ତେ ଚରାନ୍ତି ବାଛୁରୀ । ମଧ୍ୟେ ବିଜୟ ନରହରି ॥୨୩୮
ଦେଖି ଚକିତ ପ୍ରଜାପତି । ବନେ ଚାହଁଇ ଚଉକତି ॥୨୩୯
ଚକିତ ଚିତ୍ତେ ଛନ୍ନ ଛନ୍ନ । ବିଧାତା ବିଚାରଇ ମନ ॥୨୪୦
ବତ୍ସା ବାଳକ ମୁହିଁ ନେଇ । ମାୟା ଶୟଳେ ଅଛି ଥୋଇ ॥୨୪୧
ଏହାଙ୍କୁ କାହୁଁ ଭିଆଇଲା । ଏମନ୍ତ ବୋଲି ବାହୁଡ଼ିଲା ॥୨୪୨
ଦେଖିଲା ନିଜ ପୁରେ ଯାଇ । ବତ୍ସା ବାଳକେ ଛନ୍ତି ଶୋଇ ॥୨୪୩
ପୁଣି ମିଳିଲା ନଦୀତୀରେ । ବାଳକେ ଅଛନ୍ତି ସେଠାରେ ॥୨୪୪
ଆନନ୍ଦେ ଚରାନ୍ତି ବାଛୁରୀ । ନାଚନ୍ତି ବେଣୁନାଦ କରି ॥୨୪୫
ଉଭୟ ସଙ୍କଟେ ବିଧାତା । ମନେ ପାଇଲା ଗୁରୁ ଚିନ୍ତା ॥୨୪୬
ପୁଣି ଦେଖିଲା ଯାଇ ଘରେ । ଆସି ମିଳିଲା ନଦୀତୀରେ ॥୨୪୭
ବିଧାତା ବିଚାରି ଚକିତ । ବୋଲଇ ଏ କି ବିପରୀତ ॥୨୪୮
ମୋର ଭୁବନେ ଶୋଇଛନ୍ତି । ପୁଣି ଏ ବନେ ଚରୁଛନ୍ତି ॥୨୪୯
ଏହାଙ୍କୁ କାହୁଁ ଏ ଆଣିଲା । ମୋତେ ତ ସନ୍ଦେହ ଲାଗିଲା ॥୨୫୦
କି ବୁଦ୍ଧି କରିବଇଁ ଆଜ । ମୋତେ ହୋଇଲା ବଡ଼ ଲାଜ ॥୨୫୧
ଯେବେ ମୁଁ ବତ୍ସା ଦେବି ଆଣି । କୋପ କରିବେ ଚକ୍ରପାଣି ॥୨୫୨
କିବା ମୋହର ବଡ଼ପଣ । ହାସ୍ୟ କରିବେ ଦେବଗଣ ॥୨୫୩
କରିବି କେବଣ ଉପାୟ । ନ ପୁଣ କୋପେ ଦେବରାୟ ॥୨୫୪
କୋପ କରିଣ ଶିରୀବତ୍ସୀ । ଆନ ବ୍ରହ୍ମାଏ ଭିଆଇଛି ॥୨୫୫
ନୁହଇ ମୋହର ସଞ୍ଚିଲା । ଆନ ବ୍ରହ୍ମା କି ଭିଆଇଲା ॥୨୫୬
ବାଳକ ବାଛୁରୀ ଭିଆଇ । ଗୋବିନ୍ଦ ଅଛି କି ଲୁଚାଇ ॥୨୫୭
ନିଜ ମାୟାରେ ନିଜେ ଜଡ଼ି । ବ୍ରହ୍ମା ଭ୍ରମିଲା ପଥ ହୁଡ଼ି ॥୨୫୮
ମାୟା ମୋହିଲେ ଭଗବାନ । ଆନ ମାୟା ଯେ ବିଡ଼ମ୍ବନ ॥୨୫୯
ଘୋର ଅନ୍ଧାର ରାତ୍ରମାନେ । କୁହୁଡ଼ି ଦିଶେ କି ଗଗନେ ॥୨୬୦
ଦିବସେ ଜୁଳୁଜୁଳା ପୋକ । ପ୍ରକାଶି ପାରେ କି ଆଲୋକ ॥୨୬୧
କ୍ଷଣକେ ହୋଇଲା ସଚେତ । ପୁଣି ଚାହଁଇ ଭୟଚିତ୍ତ ॥୨୬୨
ଯେତେ ବାଛୁରୀ ଗୋପବାଳେ । ବ୍ରହ୍ମାଙ୍କୁ ଦିଶନ୍ତି ସକଳେ ॥୨୬୩
ନୀଳ-ଜଳଦ ତୁନୁକାନ୍ତି । ପୀତବସନ ଝଟକନ୍ତି ॥୨୬୪
ଶ୍ରବଣେ କୁଣ୍ତଳ ବିରାଜେ । ରବିଶଙ୍କ ତେଜ ଗଞ୍ଜେ ॥୨୬୫
ଶ୍ରୀବତ୍ସ ଚିହ୍ନ କଣ୍ଠେ ମଣି । କଟୀରେ ରତ୍ନ-ଓଡ଼ିଆଣି ॥୨୬୬
ମର୍କତସ୍ତମ୍ଭ ଭୁଜ ଚାରି । ଶଙ୍ଖ-କମଳ-ଗଦାଧାରୀ ॥୨୬୭
ଦକ୍ଷିଣ କରେ ଚକ୍ର ଶୋହେ । ରୂପେ କୋଟିଏ କାମ ମୋହେ ॥୨୬୮
କରେ କଙ୍କଣ ହୃଦେ ହାର । ଚରଣେ ବାଜେଣି ନୂପୁର ॥୨୬୯
କୋମଳ ତୁଳସୀର ମାଳେ । କଣ୍ଠୁ ଲମ୍ବଇ ପାଦତଳେ ॥୨୭୦
ବିକଟ-କମଳ-ଲୋଚନ । ଅଧର ବିମ୍ବଫଳ ବର୍ଣ୍ଣ ॥୨୭୧
ଯା'ର ମହିଁମା ପରିମାଣି । ବେଦ-ପୁରାଣେ ନୋହେ ଜାଣି ॥୨୭୨
ସ୍ତୁତି କରନ୍ତି ସୁରମୁନି । ପାଦେ କିଙ୍କର ପଦ୍ମଯୋନି ॥୨୭୩
ଅଶେଷ ବ୍ରହ୍ମାଣ୍ତ ଠାକୁର । ବ୍ରହ୍ମାଏ ଖଟନ୍ତି ପୟର ॥୨୭୪
ପୂଜନ୍ତି ନାନା ଉପହାରେ । ନୃତ୍ୟ କରନ୍ତି ଗୀତସ୍ୱରେ ॥୨୭୫
ସ୍ତମ୍ଭରୁ ବ୍ରହ୍ମ ପରିଯନ୍ତେ । ବ୍ରହ୍ମାଣ୍ତେ ଅଛନ୍ତି ଯେ ଯେତେ ॥୨୭୬
ପଞ୍ଚ ଇନ୍ଦ୍ରିୟ ପଞ୍ଚଭୂତ । ଯେ ଅଧିଷ୍ଠାତା ଦଇବତ ॥୨୭୭
ବୁଦ୍ଧି ଚେତନା ଅହଙ୍କାର । ଯେତେ ଏ ମନର ବିକାର ॥୨୭୮
ଯେଝା ବିଷୟ ଅନୁରୂପେ । ଖଟନ୍ତି ବ୍ରହ୍ମାଙ୍କ ସମୀପେ ॥୨୭୯
ଅଣିମା ଆଦି ଅଷ୍ଟନିଧି । କଳା ସ୍ୱଭାବେ କର୍ମସାଧି ॥୨୮୦
ସୃଷ୍ଟି କରନ୍ତି ଅପ୍ରମିତ । ଚଞ୍ଚଳ ବ୍ରହ୍ମାଙ୍କର ଚିତ୍ତ ॥୨୮୧
ଖଟନ୍ତି ଗୋବିନ୍ଦ ପୟର । ଦେଖି ଚକିତ ବେଦବର ॥୨୮୨
କୋଟି ଅଂଶରେ ତୁଲ୍ୟ ନୋହେ । ସ୍ୱରୂପ ବ୍ରବ୍ମାଙ୍କର ପ୍ରାୟେ ॥୨୮୩
ଏମନ୍ତ କୃଷ୍ଣମାୟା ଦେଖି । ଭୟେ ବୁଜିଲା ଅଷ୍ଟ ଆଖି ॥୨୮୪
ଯେସନେ ଦେବୀ ପୂଜା ଯୋଗେ । କାଷ୍ଠପିତୁଳା ଥୋଇ ଆଗେ ॥୨୮୫
ତେସନେ ହୋଇ ବେଦବର । ରହିଲା ଶ୍ରୀକୃଷ୍ଣ ଛାମୁର ॥୨୮୬
ବେଦେ ଗୋଚର ନୋହେ ଯେହୁ । ମହାମହିମ ମହାବାହୁ ॥୨୮୭
ପ୍ରମାଣି ନ ପାଇଲା ଅନ୍ତ । ବ୍ରହ୍ମା ହୋଇଲା ମୋହଗତ ॥୨୮୮
କଣ୍ଠେ ହୋଇଲା ପଞ୍ଚପ୍ରାଣ । ଜାଣିଲେ କମଳାରମଣ ॥୨୮୯
ଅଦୃଶ୍ୟ ଇନ୍ଦ୍ର ଜାଲ ମାୟା । ବିଶ୍ୱ ମୂରତି ଯା'ର କାୟା ॥୨୯୦
ମନେ ବିଚାରି ଚକ୍ରଧର । ଜାଣିଲେ ବ୍ରହ୍ମାର ଆତୁର ॥୨୯୧
ବୋଇଲେ ଅଳପ କର୍ମର । ଜ୍ଞାନ ହାରିଲା ବେଦବର ॥୨୯୨
ଏବେ କରିବା କର୍ମ ଯେତେ । ଧାତା କି ଜୀଇବ ଜୀବିତେ ॥୨୯୩
ବିଚାରି ପଟଳ କାଢ଼ିଲେ । ନିଜ ସ୍ୱରୂପ ଦେଖାଇଲେ ॥୨୯୪
ବ୍ରହ୍ମାଙ୍କୁ କୃଷ୍ଣ ଦୟା କଲେ । ମାୟା-ପଟଳ ଉହାଡ଼ିଲେ ॥୨୯୫
ଜ୍ଞାନ ପାଇଲା ପ୍ରଜାପତି । ଉଠି ଚାହିଁଲା ଚଉକତି ॥୨୯୬
ଦେଖିଲା ବୃନ୍ଦାବନ ଲାଗେ । ଲକ୍ଷ୍ମୀ ବିଜୟ ଚଉଦିଗେ ॥୨୯୭
ବନ୍ୟଜନ୍ତୁଙ୍କ ହିଂସା ନାହିଁ । ଚରନ୍ତି ମିତ୍ର ପ୍ରାୟ ହୋଇ ॥୨୯୮
ଦେଖିଲା କଦମ୍ବର ତଳେ । କୃଷ୍ଣ ନାଚନ୍ତି କୁତୂହଳେ ॥୨୯୯
ପୁଣି ଦେଖିଲା କେହି ନାହିଁ । ଚକିତେ ଚଉଦିଗେ ଚାହିଁ ॥୩୦୦
ସଭୟ ଚିତ୍ତେ ଛନଛନ । ଆରତେ ବୁଜିଲା ନୟନ ॥୩୦୧
ଘଡ଼ିକେ ପୁଣି ଅନାଇଲା । ଦେଖଇ ଗୋବିନ୍ଦର ଲୀଳା ॥୩୦୨
କରେଣ ଅନ୍ନପୁଡ଼ା ଘେନି । ବତ୍ସା ଖୋଜନ୍ତି ବନେ ଭ୍ରମି ॥୩୦୩
ଦେଖି ବାହନ ଉପେକ୍ଷିଲା । କୃଷ୍ଣର ନିକଟେ ମିଳିଲା ॥୩୦୪
ପାଦେ ପଡ଼ିଲା ବେଦବର । ଅବନୀ ଦିଶିଲା ସୁନ୍ଦର ॥୩୦୫
ନୀଳ-ପାଷାଣ ତଳେ ଥାଇ । ସୁବର୍ଣ୍ଣ ଯେମନ୍ତେ ଦିଶଇ ॥୩୦୬
ଚାରି ମୁକୁଟ ଶିରେ ଥିଲା । କୃଷ୍ଣର ଚରଣେ ଲାଗିଲା ॥୩୦୭
ବେନି ଚରଣେ ଶିର ଦେଇ । ଭୟେ ବୋଲଇ ତ୍ରାହି ତ୍ରାହି ॥୩୦୮
ପୂଜିଲା ଗୋବିନ୍ଦ ପୟର । ଦେଇ ବିବିଧ ଉପହାର ॥୩୦୯
ପାଦ ଧୋଇଲା ଚକ୍ଷୁ ଲୁହେ । ମନ ନିବେଶି କୃଷ୍ଣପାୟେ ॥୩୧୦
ଶତେକ ବେଳ ପାୟେ ପଡ଼ି । ଉଠିଲା ବେନିକର ଯୋଡ଼ି ॥୩୧୧
ସ୍ତୁତି କରଇ ଚାରିବେଦେ । ଆନନ୍ଦେ ଶୋକ ଗଦଗଦେ ॥୩୧୨
ସେ ହରି ଚରଣ-କମଳେ । ସୁଜନେ ଚିନ୍ତ ଧ୍ୟାନବଳେ ॥୩୧୩
ବତ୍ସା-ହରଣ ଏହୁ ଛାନ୍ଦ । ଏଣେ ଛାଡ଼ିବ ମୋହ-ଫାନ୍ଦ ॥୩୧୪
ଗର୍ବ ଗଞ୍ଜନ ଯା'ର ବାନା । ଭକ୍ତ-ଜନଙ୍କ ବଜ୍ର-ସେହ୍ନା ॥୩୧୫
ଭକ୍ତ ବତ୍ସଳ ନରହରି । ଯାହାର ନାହିଁ ମିତ୍ର ଅରି ॥୩୧୬
ଶ୍ରୀକୃଷ୍ଣ ପାଦେ ଦେଇ ଚିତ୍ତ । କହଇ ଦାସ ଜଗନ୍ନାଥ ॥୩୧୭
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ବ୍ରହ୍ମା ଗର୍ବଗଞ୍ଜନେ ନାମ ଚତୁର୍ଦ୍ଦଶୋଽଧ୍ୟାୟଃ ॥
=ପଞ୍ଚଦଶ ଅଧ୍ୟାୟ=sodasa
[ସମ୍ପାଦନା]- ଶୁକ ଉବାଚ
ଶୁଣ ପରୀକ୍ଷ ମହୀପତି । ବ୍ରହ୍ମାର ମନୁ ଗଲା ଭ୍ରାନ୍ତି ॥୧
ସଭୟେ ବେନି କରଯୋଡ଼ି । କ୍ଷଣ କ୍ଷଣକେ ପାୟେ ପଡ଼ି ॥୨
କୃଷ୍ଣ ଚରଣେ ଦେଇ ଶିର । ସ୍ତୁତି କରଇ ବେଦବର ॥୩
ନମସ୍ତେ ବ୍ରହ୍ମାଣ୍ତ ଠାକୁର । ତୋହର ମାୟା ଏ ସଂସାର ॥୪
ତୋ ତନୁ ନୀଳଘନ ତ୍ରାସ । ବିଜୁଳି ପ୍ରାୟ ପୀତବାସ ॥୫
ଗୁଞ୍ଜରା ପାଟି ଶିଖି ପୁଚ୍ଛ । ଏଣେ ନିର୍ମଳ ଚୂଳ ସଞ୍ଚ ॥୬
ଅଳପ ସ୍ଥିତ ରଙ୍ଗ ମୁଖ । ଚିନ୍ତିଲେ ଖଣ୍ତେ ଭବଦୁଃଖ ॥୭
ବନମାଳାଏ ଲମ୍ବେ ଉରେ । ଅନ୍ନ ପୁଡ଼ାଏ ବାମକରେ ॥୮
ବେତ ମୁରଲୀ ଶିଙ୍ଗା କରେ । କମଳା ସେବଇ ପୟରେ ॥୯
ଏ ଯେତେ ବାଛୁରୀ କୁମର । ତୋହର ଶରୀରୁ ବାହାର ॥୧୦
ତୋ ଅବତାର ମୋର ହିତେ । ସୁଖ ସମ୍ପଦ ଅବିରତେ ॥୧୧
ଇଚ୍ଛାରେ ହୋଇଅଛୁ ଜାତ । ତୋର ନିର୍ମାଣ ପଞ୍ଚଭୂତ ॥୧୨
ଏ ଦେହ ମହିମା ନ ଜାଣୁ । ମୁଁ ବ୍ରହ୍ମା ରୁଦ୍ର ମୁନିମନୁ ॥୧୩
ବୁଦ୍ଧି ବିଚାର ଅନୁମାନି । ବେଦ ପୁରାଣେ ପରିମାଣି ॥୧୪
ଯେ ଜ୍ଞାନଯୋଗେ ଇନ୍ଦ୍ରି ଜିଣେ । ତୋର ମହିମା ନ ପ୍ରମାଣେ ॥୧୫
ସେ ପ୍ରାଣୀ ହୁଅଇ ନିରାଶ । କେବଳ ଲଭେ ଦେହପ୍ରାସ ॥୧୬
ଜ୍ଞାନର ପଥ ଛାଡ଼ି ଥୋକେ । ତୋତେ ଚିନ୍ତନ୍ତି ସନ୍ଥ ଲୋକେ ॥୧୭
ସାଧୁଜନଙ୍କ ମୁଖୁ ଶୁଣି । ତୋର ମହିମା ମନେ ଗୁଣି ॥୧୮
ମନବଚନ କରି ଏକ । ହେଲେ ଜିଣନ୍ତି ତିନିଲୋକ ॥୧୯
ତୋର ଚରଣେ ଭାବ ଛାଡ଼ି । ଯେ ଯା'ନ୍ତି ଯୋଗପଥ ମାଡ଼ି ॥୨୦
ମନ ବଚନ ହୃଦେ ଛନ୍ଦି । ତପେ ଇନ୍ଦ୍ରିୟବଳ ରୁନ୍ଧି ॥୨୧
ଯେତେ କରନ୍ତି ଦେହଶ୍ରମ । ତୋର ମାୟାରେ ହୋନ୍ତି ଭ୍ରମ ॥୨୨
କେବଳ ଲାଭ ଦେହପ୍ରାସ । ସେ ପ୍ରାଣୀ ହୁଅନ୍ତି ନିରାଶ ॥୨୩
ତଣ୍ତୁଳ ଆଶେ ଚଷୁ କୁଟି । ଯେହ୍ନେ ମରନ୍ତି ପ୍ରାଣୀ ଫୁଟି ॥୨୪
ନିରାଶ ହୋନ୍ତି ବେନିପଥ । ପଶୁ ଯୋନିରେ ହୋନ୍ତି ଜାତ ॥୨୫
ତୋତେ ନ ପାଇ ନରହରି । ଭ୍ରମନ୍ତି ତୋ' ମାୟା ଆବୋରି ॥୨୬
ପୂର୍ବେ ଅନେକ ମୁନିଜନ । ସେବିଲେ ତୋହର ଚରଣ ॥୨୭
ନିଜ କରମ ଫଳ ଭୁଞ୍ଜି । ତୋ' ଗତି ଏକୁ ଆରେ ହେଜି ॥୨୮
ପାଇଲେ ତୋ' ପରମ ପଦ । ଖଣ୍ତିଲେ ବିଷୟ-ବିଷାଦ ॥୨୯
ନିର୍ମଳ ଆତ୍ମା ମୁନିଗଣେ । ତୋର ମହିମା ପରିମାଣେ ॥୩୦
ତୋର ବିକାର ନ ପାଇଲେ । ଭକତି ହେଜି ତରିଗଲେ ॥୩୧
ନିର୍ଗୁଣ ଆତ୍ମା ଗୁଣବନ୍ତ । ତୋର ମହିମା ଗୋପୀନାଥ ॥୩୨
ବ୍ରହ୍ମାଣ୍ତେ ଦେହବନ୍ତ ହୋଇ । ତୋ' ଗୁଣ କେ ପାରିବ କହି ॥୩୩
ଭୂମିରେ ଯେତେ ରେଣୁଛନ୍ତି । ଆକାଶେ ଯେତେ ତାରାପନ୍ତି ॥୩୪
ବରଷା ଧାରା ପଡ଼େ ଯେତେ । କେ ଗଣିପାରେ ଏ ଜଗତେ ॥୩୫
ଏ ତିନି ଗଣନେ ସମର୍ଥ । କେହି ବା ଥିବେ ଏ ଜଗତ ॥୩୬
ତୋର ମହିମା ଗୁଣ ଗୁଣି । କେହି ନ ପାରେ ଚକ୍ରପାଣି ॥୩୭
ଯାହାକୁ ହେଉ ତୁ ସଦୟେ । ସେ ନ ପଡ଼ଇ ମାୟାମୋହେ ॥୩୮
ତୋର ଭକତି ହୃଦେ ହେଜି । ଅର୍ଜିଲା କର୍ମଫଳ ଭୁଞ୍ଜି ॥୩୯
ଚିତ୍ତ ନିବେଶି ତୋର ପାଦେ । ସଂସାରୁ ଯା'ନ୍ତି ମୋକ୍ଷପଦେ ॥୪୦
ଅଜ୍ଞାନ ପଣ ଦେଖ ମୋର । ତୋତେ ଭଣ୍ତିଲି ମାୟାଧର ॥୪୧
ମାୟାବୀମାନଙ୍କର ଶ୍ରେଷ୍ଠ । ତୋ' ସଙ୍ଗେ କଲି ମାୟା-ହଟ ॥୪୨
ଅନଳ ଶିଖା କି ଅନଳ । ସଙ୍ଗତେ ହୋଇପାରେ ତୁଲ ॥୪୩
ଅଳପ ଲୋକେ ଅଧିକାର । ତୁ କିପାଁ ଦେଲୁ ଦାମୋଦର ॥୪୪
ଅଳପ ଲୋକେ ଆଧି ଦେଲେ । ସମ୍ଭାଳି ନ ପାରଇ ଭଲେ ॥୪୫
ବ୍ରହ୍ମା ବୋଲି ମୁଁ ବହି ଗର୍ବ । ତୋତେ ଭଣ୍ତିଲି ପଦ୍ମନାଭ ॥୪୬
ଏଣୁ ହୋଇଲି ଅପରାଧୀ । ତୁ ନାଥ କରୁଣା ବାରିଧି ॥୪୭
ମୋ' ଅପରାଧ କ୍ଷମାକର । ଭୋ ନାଥ ଶରଣ ତୋହର ॥୪୮
ମୁଁ ତୋର ନାଭିପଦୁଁ ଜାତ । ତୁ କି ନ ଜାଣୁ ଜଗନ୍ନାଥ ॥୪୯
ମୁଁ ତୋର ଯେତେକ ଅନ୍ତର । ତୁ କି ନ ଜାଣୁ ଚକ୍ରଧର ॥୫୦
ଅବନୀ ଆଦି ପଞ୍ଚଭୂତେ । ମନ ଚେତନା ଅହଂକୃତେ ॥୫୧
ଜୀବ ପରମ ଭାବ ବହି । ବ୍ରହ୍ମାଣ୍ତ ପାଳୁ ଭାବଗ୍ରାହୀ ॥୫୨
କେତେ ବ୍ରହ୍ମାଣ୍ତ ରୋମମୂଳେ । ଉଡୁ ଅଛନ୍ତି ଅନ୍ତରାଳେ ॥୫୩
ଜଳାକବାଟି ବାଟେ ଯେହ୍ନେ । ରେଣୁଏ ଉଡ଼ନ୍ତି ଗଗନେ ॥୫୪
ମୁଁ ଏକ ଅଣ୍ତ ମଧ୍ୟେ ରହି । ସପ୍ତ ଚାଖଣ୍ତ ଦେହ ବହି ॥୫୫
ଅଛଇ ଜୀବ ଆତ୍ମା ଧରି । ତୋ' ମାୟା-ପଟଳ ଆବୋରି ॥୫୬
ଏତେ ଅନ୍ତର ତୋର ମୋର । ତୋତେ ଭଣ୍ତିଲି ମୁଁ ପାମର ॥୫୭
ଗର୍ଭ ଭିତରେ ସୁତ ଥାଇ । ସେ ଯେହ୍ନେ ପାଦ ପ୍ରହାରଇ ॥୫୮
ସେ ଅପରାଧ ଚିତ୍ତେ ଘେନି । କୋପ କି କରଇ ଜନନୀ ॥୫୯
ତୋ' ନାଭିକମଳୁ ମୁଁ ଜାତ । ତୋତେ ଭଣ୍ତିଲି ଜଗନ୍ନାଥ ॥୬୦
ତୋହର ଉଦରେ ପଶିଲି । ଅଶେଷ ବ୍ରହ୍ମାଣ୍ତ ଦେଖିଲି ॥୬୧
ଜଳଧି ଶୟନର କାଳେ । ଏ କଥା ଜାଣନ୍ତି ସକଳେ ॥୬୨
ନଭ-ଅବନୀ ଦେହବ୍ୟାପୀ । ତୁ ନାଥ ନାରାୟଣ ରୂପୀ ॥୬୩
ସକଳ ନର ଆତ୍ମା ହେଉ । ତେଣୁ ନାରାୟଣ ବୋଲାଉ ॥୬୪
ପ୍ରଳୟଜଳେ ଥିଲୁ ଶୋଇ । ତୋ ରୂପ ଦେଖିଲଇଁ ମୁହିଁ ॥୬୫
ଦେଖି ସାନନ୍ଦ ମୋର ମନ । ତୁ କି ନଜାଣୁ ଜନାର୍ଦ୍ଦନ ॥୬୬
ମିଥ୍ୟା ନୁହଁଇ ନା ଏ କଥା । ତୋତେହେଁ ସାକ୍ଷୀ ତୋରମାତା ॥୬୭
ଗୋପାଳକୁମରଙ୍କ ମେଳେ । ମାଟି ଭକ୍ଷିଲୁ ଯେତେବେଳେ ॥୬୮
ଯଶୋଦା ଦେଖିଲା ତୋ ତୁଣ୍ତ । ଉଦରେ ଅଶେଷ ବ୍ରହ୍ମାଣ୍ତ ॥୬୯
ବାହାର ଭିତର ଆଚ୍ଛାଦି । ତୋ' ମାୟାବଳେ ଅଛୁ ରୁନ୍ଧି ॥୭୦
ଏବେ ଏ ବୃନ୍ଦାବନେ ମୋତେ । ମାୟା ନ କଲୁ କେତେ କେତେ ॥୭୧
ପ୍ରଥମେ ଦେଖିଲଇଁ ଏକ । କ୍ଷଣକେ ହୋଇଲୁ ଅନେକ ॥୭୨
ଯେତେ ବାଛୁରୀ ଗୋପପୋଏ । ଦିଶିଲେ ତୋହରି ପରାୟେ ॥୭୩
ନୀଳ ଶରୀର ଚାରିକର । ବ୍ରହ୍ମାଏ ଖଟନ୍ତି ପୟର ॥୭୪
ତୁହି ତୋହର ମାୟା ବହୁ । ବ୍ରହ୍ମା-ଶଙ୍କର ରୂପ ବହୁ ॥୭୫
ସୃଷ୍ଟିର ଅଗ୍ରେ ମୋତେ କରି । ସଙ୍ଖୋଳି ଦେଲୁ ବେଦଚାରି ॥୭୬
ଜଗତ କରାଇ ଭିଆଣ । ତୁ ତାହା ପାଳୁ ନାରାୟଣ ॥୭୭
ଭୂତ-ଭାବନ ରୂପ ବହୁ । ଭକତ ହିତେ ନିତ୍ୟେ ଥାଉ ॥୭୮
ଶଙ୍କର ରୂପେ କରୁ ଅନ୍ତ । ଏଣୁ ତୁ ବୋଲାଉ ଅନନ୍ତ ॥୭୯
ଦେବ ବ୍ରାହ୍ମଣ ଋଷି ପଶୁ । ଏତେ ଶରୀର ତୁ ପ୍ରକାଶୁ ॥୮୦
ଦୁଷ୍ଟ ନିବାରି ସନ୍ଥ ପାଳୁ । ଦୟାରେ ଧର୍ମ ତୁ ସମ୍ଭାଳୁ ॥୮୧
ସଂସାରେ ହେଉ ଅବତାର । ଦୁଷ୍ଟଦଳନ ବାନା ତୋର ॥୮୨
ତୁ ନାଥ ଧର୍ମ କରୁ ରକ୍ଷା । ଖଳନାଶନ ତୋର ଦୀକ୍ଷା ॥୮୩
କାହିଁ କିପରି କିସ ପାଇଁ । କେତେବେଳେ ବା ଖେଳୁ ତୁହି ॥୮୪
ବିସ୍ତାରି ତୋର ଯୋଗମାୟା । କେ ଜାଣିପାରେପ୍ରଭୁ ଏହା ॥୮୫
ଯୋଗେଶ୍ୱରଙ୍କୁ ଅଗୋଚର । ଭୋ ନାଥ ଏ ଲୀଳା ତୋହର ॥୮୬
ତେଣୁ ତୋ ମାୟାର ଜଗତ । ତୋ' ତହୁଁ ହୋନ୍ତି ଆତଜାତ ॥୮୭
ବିଜୁଳି ଝଟକ ଯେସନ । ମେଘରେ ଦିଶି ହୋନ୍ତି ଲୀନ ॥୮୮
ତୁନାଥ ପୁରୁଷ ପୁରାଣ । ଜ୍ୟୋତି ସ୍ୱରୂପ ଠୁଳଶୂନ୍ୟ ॥୮୯
ନିୟତ ପୂର୍ଣ୍ଣ ନିରଞ୍ଜନ । ଉପାଧିହୀନ ସୁଖପୂର୍ଣ୍ଣ ॥୯୦
ସକଳ ଜନ୍ତୁ ମଧ୍ୟେ ତୁହି । ବିହରୁ ଆତ୍ମାରୂପ ହୋଇ ॥୯୧
ଗୁରୁ ବଚନୁ ଜ୍ଞାନସାର । ପାଇ ଯେ କରନ୍ତି ବିଚାର ॥୯୨
ଭକ୍ତି ଭାବରେ ଜ୍ଞାନଲାଭ । ହୁଅଇ ଯା'ର ପଦ୍ମନାଭ ॥୯୩
ଭବ ଜଳଧି ସେ ତରନ୍ତି । ମାୟା-ପଟଳେ ନ ପଡ଼ନ୍ତି ॥୯୪
ଆତ୍ମାକୁ ଆତ୍ମଜ୍ଞାନେ ଜାଣି । ଚିନ୍ତା ନ କରେ ଯେଉଁ ପ୍ରାଣୀ ॥୯୫
ଅଜ୍ଞାନ ଭାବେ ଜ୍ଞାନ ନାଶ । ରଜ୍ଜୁରେ ଯେହ୍ନେ ସର୍ପତ୍ରାସ ॥୯୬
ଜୀବର ବନ୍ଧ-ମୋକ୍ଷ ଦୁଇ । ଅଜ୍ଞାନ ଭାବୁଁ ଜାତ ହୋଇ ॥୯୭
ତୋହର ତତ୍ତ୍ୱ ଯେ ଜାଣଇ । ତାହାର ବନ୍ଧ-ମୋକ୍ଷ ନାହିଁ ॥୯୮
ଆଦିତ୍ୟ ସଦା ପ୍ରକାଶିଲେ । ନ ଥା'ନ୍ତା ଦିବାରାତ୍ର ଭଲେ ॥୯୯
ତେସନେ ସଦା ସର୍ବସ୍ଥାନ । ସମାନ ଭାବେ ଅଛ ପୂର୍ଣ୍ଣ ॥୧୦୦
ତୋତେ ଯେ ନ ପାରନ୍ତି ଚିନ୍ତି । ଆତ୍ମାକୁ ବାହାରେ ଲୋଡ଼ନ୍ତି ॥୧୦୧
ଶ୍ରମ ଯେ ଲାଭ ତାହାଙ୍କର । ନାହିଁ ତୋ' ଭିତର ବାହାର ॥୧୦୨
ଯେ ତୋତେ ଶରୀରେ ଲୋଡ଼ନ୍ତି । ସୂକ୍ଷ୍ମ ସ୍ୱରୂପ ରୂପେ ଚିନ୍ତି ॥୧୦୩
ଅଜ୍ଞାନ ନାଶେ ତାହାଙ୍କର । ଭବ ସାଗରୁ ହୋନ୍ତି ପାର ॥୧୦୪
ଏ ଜ୍ଞାନୀ ଲୋକଙ୍କର ମତ । ତୋହର ଦୟାରେ ଅନନ୍ତ ॥୧୦୫
ତୋତେ ନିରୋପି ଏ ଶରୀରେ । ଶରୀର-ଭ୍ରାନ୍ତି ଦୂର କରେ ॥୧୦୬
ନିକଟେ ସର୍ପ ଯା'ର ଥାଇ । ସେ କି ଆନକୁ ପାରେ ଚାହିଁ ॥୧୦୭
ସର୍ପର ପ୍ରାୟ ତୋ' ସ୍ୱରୂପେ । ଜ୍ଞାନୀଏ ଜାଗରିତ ଆପେ ॥୧୦୮
ତୋର ଦୟାରେ ତୋତେ ଜାଣି । ଭାବି ତରନ୍ତି ସାଧୁପ୍ରାଣୀ ॥୧୦୯
ତୋ' ଅନୁଗ୍ରହ ଯାରେ ନାହିଁ । ବ୍ରହ୍ମାଣ୍ତେ ଲୋଡ଼ିଲେ ନ ପାଇ ॥୧୧୦
କେତେ କହିବି ନାଥ ତୋତେ । ଏମନ୍ତ ଆଜ୍ଞା ହେଉ ମୋତେ ॥୧୧୧
ନାନା-ଯୋନିରେ ଜାତ କର । ତୋ'ର ସେବକ ମଧ୍ୟେ ବର ॥୧୧୨
ଅପ୍ରାଧ କ୍ଷମାକର ମୋତେ । ତୋ' ପାଦେ ସେବଇଁ ଯେମନ୍ତେ ॥୧୧୩
ଗୋପେ ଅଛନ୍ତି ଯେତେ ଜନ । କେ ତା'ଙ୍କ ପୁଣ୍ୟ କରୁ ଆନ ॥୧୧୪
ହୋଇଣ ବାଛୁରୀ-କୁମର । ସ୍ତନ୍ୟ ପିଇଲୁ ତାହାଙ୍କର ॥୧୧୫
ତୋ' ମନରଞ୍ଜନେ ଅନନ୍ତ । ଯଜ୍ଞେ ନୋହିଲେ ସମରଥ ॥୧୧୬
ନନ୍ଦ-ଯଶୋଦା ଗୋପୀ-ଗୋପ । ଅନେକ କରିଛନ୍ତି ତପ ॥୧୧୭
ତୁ ନାଥ ମିତ୍ର ତାହାଙ୍କର । ବ୍ରହ୍ମା-ଶଙ୍କରେ ଅଗୋଚର ॥୧୧୮
ତୋ'ପାଦ ପଦ୍ମରେ ଅମୃତ । ତେଣେ ଲୋଭିତ ଯା'ର ଚିତ୍ତ ॥୧୧୯
ମନ ଭ୍ରମରେ କରି ପାନ । ତେଜିବେ ତୋ' ମାୟା ଅଜ୍ଞାନ ॥୧୨୦
କୀଟପତଙ୍ଗ ରୂପ ହୋଇ । ଗୋକୁଳେ ପଡ଼ିଥିବି ମୁହିଁ ॥୧୨୧
ଗୋପଜନଙ୍କ ପାଦଧୂଳି । ଦେହରେ ହେଉଥିବି ବୋଳି ॥୧୨୨
ଦେବେ ନ ପାନ୍ତି ଯା'କୁ ଖୋଜି । ଗୋପୀଏ ମିତ୍ରପଣେ ଭଜି ॥୧୨୩
ପୂତନା କରି ଶତ୍ରୁପଣ । ତୋ'ଦେହେ ପଶି ହେଲା ଲୀନ ॥୧୨୪
ଏଣୁ ତୋ' ନାହିଁ ମିତ୍ର ଅରି । ଜଗୁ ଜୀବନ ନରହରି ॥୧୨୫
ତୋର ଚରଣେ ଗୋପୀନାଥ । ଶରଣ ନ ପଶେ ଯାବତ ॥୧୨୬
ତାବତ କାମ-କ୍ରୋଧ ବଳେ । ଡ଼କା କରନ୍ତି ଅବହେଳେ ॥୧୨୭
ଗୃହ ହୁଅଇ ବନ୍ଦିଘର । ମୋହ ଶାଙ୍କୁଳି ଏ ପୟର ॥୧୨୮
ଦାରା ତନୟ ମୋହେ ଜଡ଼ି । ଦୁଃଖ ସଂକଟେ ଥା'ନ୍ତି ପଡ଼ି ॥୧୨୯
ଶରଣ ଜନର ଆନନ୍ଦ । ବଢ଼ାଇବାକୁ ଆଦିକନ୍ଦ ॥୧୩୦
ଅରୂପ ହୋଇ ରୂପ ଧରୁ । ପୁତ୍ରାଦି ରୂପେ ଲୀଳା କରୁ ॥୧୩୧
ଯେ ବୋଲେ ତୋହର ମହିମା । ଜାଣଇ ବୋଲି ଗୁଣସୀମା ॥୧୩୨
ସେ ଜାଣୁ ମୁହିଁ ତ ବହୁତ । ବିଚାରି ନ ପାଇଲି ଅନ୍ତ ॥୧୩୩
ତୁ ଅନ୍ତର୍ଯ୍ୟାମୀ ଜଗନ୍ନାଥ । ତୋ'ର ଏ ଦେହ ଏଜଗତ ॥୧୩୪
ଅଧିକ କି କହିବି ଆଉ । କିସ କରିବି ଆଜ୍ଞା ହେଉ ॥୧୩୫
ତୁ ବୃଷ୍ଣିବଂଶ-ଦିନକର । ପାଷଣ୍ତ ଧର୍ମ-ତମ ହର ॥୧୩୬
ଭୂମି ଦେବତା ଗୋ-ବ୍ରାହ୍ମଣ । ସମୁଦ୍ରକୁ ଯେ ଚନ୍ଦ୍ର ସମ ॥୧୩୭
ଭାରା ନିବାରୁ ଦୁଷ୍ଟ ନାଶି । ନମୋ ନମସ୍ତେ ବ୍ରହ୍ମରାଶି ॥୧୩୮
- ଶୁକ ଉବାଚ
ଶୁକ ବୋଲନ୍ତି ଶୁଣ ରାୟ । ବ୍ରହ୍ମା ଛାଡ଼ିଲା ମନୁ ଭୟ ॥୧୩୯
ପାଦେ ପଡ଼ିଲା ଶତେବାର । ବାହୁଡ଼ି ଗଲା ନିଜ ପୁର ॥୧୪୦
ବତ୍ସା ବାଳକ ଆଣିଦେଲା । ବିକଳେ କୃଷ୍ଣଙ୍କୁ ଚାହିଁଲା ॥୧୪୧
ବ୍ରହ୍ମାର ମୁଖକୁ ଅନାଇ । ବୋଲନ୍ତି ବ୍ରହ୍ମାଣ୍ତ ଗୋସାଇଁ ॥୧୪୨
ହସି ବୋଲନ୍ତି ଚକ୍ରଧର । ବିଧାତା ଯାଅ ନିଜପୁର ॥୧୪୩
ବ୍ରହ୍ମାଣ୍ତ ପାଳ ସୁଖେ ଯାଇ । ମୋହର ପାଦେ ଚିତ୍ତ ଦେଇ ॥୧୪୪
ଗୋବିନ୍ଦ ଆଜ୍ଞା ଘେନି ଶିରେ । ବ୍ରହ୍ମା ଚଳିଲେ ନିଜପୁରେ ॥୧୪୫
ମାୟା ମୋହିଲେ ଦେବରାୟେ । ଭୋଜନ କରୁଛନ୍ତି ପୋଏ ॥୧୪୬
କୃଷ୍ଣ ଆଣିଲେ ବତ୍ସା ଲୋଡ଼ି । ଅନ୍ନପୁଡ଼ାଏ କରେ ଧରି ॥୧୪୭
ଥୋକାଏ ତୁଣ୍ତେ ଅଛି ଭାତ । ପୋଏ ଦେଖିଲେ ଗୋପୀନାଥ ॥୧୪୮
କୃଷ୍ଣର ଅଙ୍ଗୁ ବହେ ଝାଳ । ଡ଼ାକନ୍ତି ଆସ ନନ୍ଦବାଳ ॥୧୪୯
ଏକଇ ଗ୍ରାସ ନାହୁଁ ଖାଇ । ଲୋଡ଼ି ଆଣିଲୁ ବତ୍ସା ଯାଇ ॥୧୫୦
ଆସି ତୋହର ଠାବେ ବସ । ଶୁଣି ଗୋବିନ୍ଦ ହସ ହସ ॥୧୫୧
ଶୁଣ ରାଜନ ହରିରସ । ଯାହା କହିଲେ ବେଦବ୍ୟାସ ॥୧୫୨
ଗୋପାଳ କୁମର ବାଛୁରୀ । ଶରୀରୁ ଯାହା ଜାତ କରି ॥୧୫୩
ସର୍ବ ଶରୀରେ ସଂହରିଲେ । ସଙ୍ଗପୁଅଙ୍କୁ ଘେନି ତୁଲେ ॥୧୫୪
ଅନ୍ନ ଭୁଞ୍ଜନ୍ତି କୃଷ୍ଣ ବସି । ଗୋପାଳପୁଏ ପରଶଂସି ॥୧୫୫
ଭୋଜନ ସାରି ଜଳେ ଯାଇ । କର-ଚରଣ-ମୁଖ ଧୋଇ ॥୧୫୬
ବେଳ ହୋଇଲା ଅବସାନ । ଗୋପେ ଚଳିଲେ ଭଗବାନ ॥୧୫୭
ପଥେ ଅଘାର ଦେହ ଚାହିଁ । ବୋଲନ୍ତି ପ୍ରଭୁ ଭାବଗ୍ରାହୀ ॥୧୫୮
ନିତ୍ୟେ ଖେଳିବା ଏଥେ ପଶି । ଶୁଣି ଗୋପାଳପୋଏ ହସି ॥୧୫୯
ଗ୍ରାମ ନିକଟେ ପୋଏ ଯାଇ । ଅତି ସାନନ୍ଦେ ବେଣୁ ବାଇ ॥୧୬୦
ମୟୂର ପୁଚ୍ଛ ଗୁଞ୍ଜମାଳୀ । ଗୁଞ୍ଜରା ପାଟି ରଙ୍ଗ ଢାଳି ॥୧୬୧
ଗୋରଜ ଶୋହେ କୃଷ୍ଣ ଦେହେ । ବେଢ଼ି ନାଚନ୍ତି ଗୋପପୋଏ ॥୧୬୨
ଗୋପୀଙ୍କ ନୟନ ଆନନ୍ଦ । ହୃଦୟ ପୂର୍ଣ୍ଣିମାର ଚାନ୍ଦ ॥୧୬୩
ପୋଏ ମିଳିଲେ ଯେଝା ଘରେ । କହିଲେ ମାତାଙ୍କ ଛାମୁରେ ॥୧୬୪
ସର୍ପ ଆମ୍ଭଙ୍କୁ ଗିଳୁଥିଲା । ଆପଦୁଁ ଗୋବିନ୍ଦ ରଖିଲା ॥୧୬୫
ସର୍ପ ଯେ ପାଟି ଫାଡ଼ିଥିଲା । କୃଷ୍ଣ ତା' ତାଳୁ ବିଦାରିଲା ॥୧୬୬
ସେବାଟେ ହୋଇଲୁ ବାହାର । ପଛେ ଗୋ ଥିଲା ଦାମୋଦର ॥୧୬୭
ଶୁଣି ଚକିତ ଗୋପନାରୀ । ଭୟେ ବୋଲନ୍ତି ହରି ହରି ॥୧୬୮
ଶୁଣି ପରୀକ୍ଷ ନୃପବର । ଶୁକକୁ ବୋଲଇ ଉତ୍ତର ॥୧୬୯
- ପରୀକ୍ଷିତ ଉବାଚ
ଭୋ ମୁନି ନିଜ ସୁତ ପାଇ । କେମନ୍ତ କଲେ ଗୋପଗୋଈ ॥୧୭୦
ମାୟା ବାଳକେ ସ୍ନେହ ଯେତେ । ନିଜ ବାଳକେ କଲେ କେତେ ॥୧୭୧
ଏଣେ ତ ମୋହର ସନ୍ଦେହ । ଭ୍ରାନ୍ତି ମୋ' ଯାଉ ମୁନି କହ ॥୧୭୨
- ଶୁକ ଉବାଚ
ଶୁକ ବୋଲନ୍ତି ଶୁଣ ରାୟେ । ଜଗତ ଅଛି ମାୟାମୋହେ ॥୧୭୩
ଆତ୍ମାକୁ ନ କରନ୍ତି ଚିନ୍ତା । ବିଷୟ-ଜଡ଼େ ବଳବନ୍ତା ॥୧୭୪
ସୁତ କଳତ୍ର ଦେହ ବିତ୍ତ । ସ୍ନେହେ ଜଡ଼ିତ ଅବିରତ ॥୧୭୫
ତଥାପି ଜାଣ ରାଜା ତୁହି । ଆତ୍ମାହୁଁ ପ୍ରିୟ କେହି ନାହିଁ ॥୧୭୬
ସୁତ କଳତ୍ର ଦେହଭଙ୍ଗ । ଜରାବ୍ୟାଧିରେ କ୍ଷୀଣ ଅଙ୍ଗ ॥୧୭୭
ହେଲେ ହେଁ ପୁଣି ପ୍ରାଣୀ କେହି । ଜୀବନ ଆଶା କି ଛାଡ଼ଇ ॥୧୭୮
କୃଷ୍ଣ ତୋ' ଜୀବର ଜୀବନ । କିମ୍ବା ନୋହିବେ ପ୍ରିୟତମ ॥୧୭୯
ଏଣେ ପୁତ୍ରଙ୍କୁ କଲେ ଦୟା । ବିଶେଷେ ଗୋବିନ୍ଦର ମାୟା ॥୧୮୦
ପୂର୍ବହୁଁ ଅତି ସ୍ନେହଭରେ । କୃଷ୍ଣେ ପାଳିଲେ ଗୋପପୁରେ ॥୧୮୧
ସେ ହରିପାଦେ ଦେଇ ମନ । ନିରତେ କରଇ ଯେ ଧ୍ୟାନ ॥୧୮୨
ବିପଦେ ତା'ର ନାହିଁ ଭ୍ରାନ୍ତି । ଭବସାଗରୁ ତରି ଯା'ନ୍ତି ॥୧୮୩
କୁମାର କାଳେ ବନମାଳୀ । ଯେମନ୍ତ କଲେ ବାଳକେଳି ॥୧୮୪
ଷଡ଼ବରଷ ହୋଏ ଏବେ । ଯେତେକ କଲେ ବାଳଭାବେ ॥୧୮୫
ଏଣେ ତୁ ହୁଅ ସାବଧାନ । ଖଣ୍ତିବୁ ମୋହ ଜଡ଼ ଭ୍ରମ ॥୧୮୬
ଦାସର ଦାସ ଜଗନ୍ନାଥ । ଗୀତେ ଗାଇଲା ଭାଗବତ ॥୧୮୭
ପଣ୍ତିତେ ନ ଘେନିବ ଦୋଷ । ହରିଚରିତ ସୁଧାରସ ॥ ।୧୮୮
କୃଷ୍ଣ ସବୁରି ଦେହେ ଥାଇ । ଯାହାକୁ ଯେମନ୍ତ ବୁଝାଇ ॥୧୮୯
କେ କରି ପାରିବ ତା' ଆନ । ଚିତ୍ତକୁ ସାକ୍ଷୀ ଭଗବାନ ॥୧୯୦
ମୋ' ମନ ମୋହିଲେ ମୁରାରି । ପୁରାଣ ଗୀତ ଅର୍ଥ କରି ॥୧୯୧
ଏଣୁ ମୋହର ଜ୍ଞାନ ନାହିଁ । ବାଳୁତଜନ ପ୍ରାୟ ହୋଇ ॥୧୯୨
ସୁଜନେ ଏଣେ ମନ ଦେଲେ । କୃଷ୍ଣ ଭେଟିବ ତୁମ୍ଭେ ଭଲେ ॥୧୯୩
ସେ ଦୟାନିଧି ହେଲେ ଭେଟ । ନ ଥିବ ଏ ସଂସାର କଷ୍ଟ ॥୧୯୪
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ବ୍ରହ୍ମସ୍ତୁତିର୍ନାମ ପଞ୍ଚଦଶୋଽଧ୍ୟାୟଃ ॥
ଷୋଡ଼ଶ ଅଧ୍ୟାୟ
[ସମ୍ପାଦନା]- ଶୁକ ଉବାଚ
ଏବେ ହୋ ଶୁଣ ପରୀକ୍ଷିତ । ଶ୍ରୀକୃଷ୍ଣ ବାଳକ ଚରିତ ॥୧
ଷଡ଼ବରଷେ ନରହରି । କାନନେ ଚରାନ୍ତି ବାଛୁରୀ ॥୨
ଦିନକୁ ଦିନ ବଳୀୟାର । ଗାଈ ଜଗିଲେ ଦାମୋଦର ॥୩
ରୋହିଣୀସୁତ ଘେନି ସଙ୍ଗେ । ବନେ ଖେଳନ୍ତି ନାନା ରଙ୍ଗେ ॥୪
ଦିନେକ କୃଷ୍ଣ ବେଣୁନାଦେ । ବାଳକେ ମିଳିଲେ ଆନନ୍ଦେ ॥୫
କୃଷ୍ଣଙ୍କୁ ବେଢ଼ି ଗୋପବାଳେ । ବେଣୁ ବଜାନ୍ତି କୁତୂହଳେ ॥୬
ଆଗେ ଅଡ଼ାଇ ବତ୍ସା ଗାଈ । ମିଳିଲେ କୃଷ୍ଣ ବନେ ଯାଇ ॥୭
କୋମଳ ଘାସ ନାନା ଫୁଲ । କୋକିଳ ଶବଦେ ଚହଳ ॥୮
ମୟୁରନାଦ ଭୃଙ୍ଗ ମେଳେ । ଗନ୍ଧକୁସୁମ ଜଳସ୍ଥଳେ ॥୯
ନବପଲ୍ଲବ ତରୁସ୍ଥିତ । କୋମଳ ବହଇ ମରୁତ ॥୧୦
ପଦ୍ମ କୁମୁଦ ଗନ୍ଧ ଘେନି । ଆନନ୍ଦେ ବିରାଜେ ଅବନୀ ॥୧୧
ଦେଖିଣ ଆନନ୍ଦ ଶ୍ରୀରଙ୍ଗ । ବାଳକମେଳେ ରାମ ସଙ୍ଗ ॥୧୨
ଫଳ କୁସୁମ ତରୁଗଣେ । ଲାଗନ୍ତି ରାମର ଚରଣେ ॥୧୩
ଦେଖି ହସିଲେ ଦାମୋଦର । ରାମଙ୍କୁ ବୋଲନ୍ତି ମଧୁର ॥୧୪
- ଶ୍ରୀକୃଷ୍ଣ ଉବାଚ
ଭୋ ଦେବ ଦେଖ ତରୁଗଣେ । ଲୋଟନ୍ତି ତୁମ୍ଭର ଚରଣେ ॥୧୫
ଦେବେ ନ ପାନ୍ତି ଯାହା ଖୋଜି । ତାହାଙ୍କୁ ତରୁଗଣେ ଭଜି ॥୧୬
ତରିବେ ଭବବନ୍ଧ ତାପୁଁ । ବୃକ୍ଷ ହୋଇଲେ କେଉଁ ପାପୁ ॥୧୭
ଏ ଯେ ଭ୍ରମର-ପକ୍ଷୀଗଣେ । ନାଦେ ଭଜନ୍ତି ତୋ' ଚରଣେ ॥୧୮
ଦେବେ ଗୁପତେ ବନଚାରୀ । ତୋତେ ପୂଜନ୍ତି ଧ୍ୟାନକରି ॥୧୯
ପକ୍ଷୀ ସ୍ୱରୂପେ ମୁନିଗଣେ । ମନ ନିରୋପି ତୋ' ଚରଣେ ॥୨୦
ଦେଖ ଏ ମୟୂରଙ୍କ ନୃତ୍ୟ । ମୃଗଯୁବତୀ ଯୂଥ ଯୂଥ ॥୨୧
ଗୋପୀଙ୍କ ପ୍ରାୟେ ଛନ୍ତି ରହି । ଦେଖନ୍ତି ନୟନ ପୁରୋଇ ॥୨୨
ଦେଖ ଗଭୀର ପିକନାଦ । ଶୁଣନ୍ତେ ଖଣ୍ତେ ମନଖେଦ ॥୨୩
ସାଧୁଜନଙ୍କ ପ୍ରାୟେ ହୋଇ । ଭାବନ୍ତି ତୋ' ମୁଖ ଅନାଇଁ ॥୨୪
ଏ ପୁଣ୍ୟବନ୍ତ ମହୀଧର । ଲାଗୁଛି ତୋହର ପୟର ॥୨୫
ତୋ'ପାଦ ଲାଗି ବୃକ୍ଷଲତା । ପୁଣ୍ୟେ ହୋଇଲେ ବଳବନ୍ତା ॥୨୬
ନଦୀ ପର୍ବତ ଖଗ ମୃଗ । ନିଶ୍ଚେ ଲଭିବେ ମୋକ୍ଷଯୋଗ ॥୨୭
- ଶୁକ ଉବାଚ
ଏମନ୍ତେ ରାମକୁ ଦେଖାଇ । ମିଳିଲେ ନଦୀକୂଳେ ଯାଇ ॥୨୮
ଗାଈ ଚରାନ୍ତି ବେଣୁ ବାଇ । ଆନନ୍ଦ କେ ପାରିବ କହି ॥୨୯
ଗୋପାଳପୋଏ ଗୀତନାଦେ । ଶ୍ରୀକୃଷ୍ଣ ନାଚନ୍ତି ଆନନ୍ଦେ ॥୩୦
ଗୋପ କୁମରେ ପରଶଂସି । ମୁରଲୀନାଦେ ବ୍ରହ୍ମରାଶି ॥୩୧
ହଂସର ରାବ ଶୁଣି ଡ଼ାକି । ନାଚନ୍ତି ମୟୂରଙ୍କୁ ଦେଖି ॥୩୨
ଶୁକ କୋକିଳ ନାଦ ଶୁଣି । ମୁରଲୀ ନାଦେ ତାହା ଭଣି ॥୩୩
ଗୋରୁଙ୍କୁ ଡ଼ାକନ୍ତି ସୁସ୍ୱରେ । ଗମ୍ଭୀରେ ନାମ ଧରି ଧୀରେ ॥୩୪
ପକ୍ଷୀଙ୍କ ନାଦ ଶୁଣି ଡ଼ାକି । ପଶୁଙ୍କୁ ଚାହାଁନ୍ତି ନିରେଖି ॥୩୫
ବେଳ ହୋଇଲା ଅବସାନ । ଫୁଟିଲେ ରୋହିଣୀନନ୍ଦନ ॥୩୬
ରାମର ଶ୍ରମ ଅନୁସରି । ବୃକ୍ଷରେ ଉଠିଲେ ମୁରାରି ॥୩୭
କୋମଳ ପତ୍ର ବୃକ୍ଷୁ ଆଣି । ଶଯ୍ୟା ପାରିଲେ ଚକ୍ରପାଣି ॥୩୮
ତହିଁ ଶୁଆଇ ହଳଧରେ । ପାଦ ଚାପନ୍ତି ଧୀରେ ଧୀରେ ॥୩୯
ଗୋପାଳପୋଏ ନୃତ୍ୟ କରି । ମନ ତୋଷିଲେ ହଳଧାରୀ ॥୪୦
କେଳି କରନ୍ତି ନାନାରଙ୍ଗେ । ବେଣୁ ବଜାନ୍ତି କୃଷ୍ଣ ସଙ୍ଗେ ॥୪୧
ଉଠିଣ ରାମ ପରଶଂସି । ହସ୍ତ ଧଇଲେ ବ୍ରହ୍ମରାଶି ॥୪୨
କୃଷ୍ଣ କରନ୍ତି ରଙ୍ଗେ ନୃତ୍ୟ । ଗୋପାଳେ ବେଣୁନାଦେ ଗୀତ ॥୪୩
କୃଷ୍ଣର ଶ୍ରମ ଦେଖି ପୋଏ । ପଲ୍ଲବ ଆଣିଲେ ଥୋକାଏ ॥୪୪
ବୃକ୍ଷର ମୂଳେ ଶଯ୍ୟା କରି । ତହିଁ ଶୁଆଇଲେ ମୁରାରି ॥୪୫
ଜାନୁରେ ରଖି ସୀମସ୍ଥାନ । କେ ବସି ଚାପନ୍ତି ଚରଣ ॥୪୬
ପତ୍ର-ବିଞ୍ଚଣା କରି ବିଞ୍ଚି । କେ ପାଣି କୃଷ୍ଣଦେହେ ସିଞ୍ଚି ॥୪୭
ସୁସ୍ୱରେ କଲେ ଗୀତରସ । ଯେଣେ ହୋଇବ ମନତୋଷ ॥୪୮
ଏମନ୍ତେ ଗୋପବାଳ ସଙ୍ଗେ । କୃଷ୍ଣ ଖେଳନ୍ତି ନାନାରଙ୍ଗେ ॥୪୯
ସୁଦାମା ନାମେ ଗୋପସୁତ । କୃଷ୍ଣର ମିତ୍ର ସେ ଯୁକତ ॥୫୦
ସୁବଳ ସ୍ତୋକକୃଷ୍ଣ ଆଦି । ଏମନ୍ତ ନାମ ପରସିଦ୍ଧି ॥୫୧
ରାମ ଗୋବିନ୍ଦ ମୁଖ ଚାହିଁ । ବୋଲନ୍ତି ଶିରେ କର ଦେଇ ॥୫୨
ଭୋ ରାମ ଶୁଣ ସାବଧାନ । ଆଗେ ଯେ ଦିଶେ ତାଳବନ ॥୫୩
ସୁପକ୍ୱଫଳ ରସମୟେ । ଦେଖ ଲୋଭିତ ଦେବତାଏ ॥୫୪
ପାଚିଣ ପଡ଼ୁଅଛି ତଳେ । ପୁରୁଷେ ପ୍ରମାଣ ବହଳେ ॥୫୫
ବୃକ୍ଷେ ଅଛଇ ଅପ୍ରମିତ । ଗନ୍ଧେ ଲୋଭିତ ଆମ୍ଭ ଚିତ୍ତ ॥୫୬
ପୂର୍ବେ ଏ ଫଳ ଲୋକେ ଖା'ନ୍ତି । ଏବେ ତ ଯାଇ ନପାରନ୍ତି ॥୫୭
ଧେନୁକ ନାମେ ମହାସୁର । ସେ ତାଳବନେ ତା'ର ଘର ॥୫୮
ବନ୍ଧୁବାନ୍ଧବ ଅପ୍ରମିତେ । ସେ ବନେ ଅଛନ୍ତି ନିଶ୍ଚିନ୍ତେ ॥୫୯
ତାହାର ଭୟେ ଲୋକେ ଡ଼ରି । ତିନି ଭୁବନେପଡ଼େ ହୁରି ॥୬୦
ଦେବେ ଡ଼ରନ୍ତି ତାର ନାଏଁ । ପ୍ରଚଣ୍ତେ ପବନ ନ ବହେ ॥୬୧
ଡ଼ରାଏ ଭୂତରୂପ ହୋଇ । ଲୋକେ ନ ଯା'ନ୍ତି ତାଳ ଖାଇ ॥୬୨
ସୀମା ଆବୋରି ପୁର କରି । ସେ ପୁରେ ପଶି ତ ନ ପାରି ॥୬୩
ଅପାରଦିନୁ ସେହୁ ବାଟ । ପଡ଼ି ଅଛଇ ନନ୍ଦଚାଟ ॥୬୪
ବୃଦ୍ଧେ କହନ୍ତି ପୂର୍ବବାଣୀ । ସେ ବନେ ଭୂତ ଥାଇ ପୁଣି ॥୬୫
ଡ଼ରି ନ'ଯାନ୍ତି ତହିଁ ଲୋକେ । ସେ ବନେ ନ ଆସନ୍ତି ଥୋକେ ॥୬୬
ତୁ ନାଥ ହୋଇଲେ ସଦୟେ । ସେ ଫଳ ଭୁଞ୍ଜିବୁ ଥୋକାଏ ॥୬୭
ଗୋପପୁରକୁ ନେବୁ ବହି । ଶୁଣି ହସନ୍ତି ବେନିଭାଇ ॥୬୮
ବୋଲନ୍ତି କଢ଼ାଅ ସେ ପଥ । ଆଗ ହୋଇଲେ ଗୋପୀନାଥ ॥୬୯
ତା' ଦେଖି ରୋହିଣୀକୁମର । ଧାଇଁଲେ ପବନହୁଁ ଖର ॥୭୦
ବେଗେ ପଶିଲେ ତାଳବନେ । ଗୋପାଳେ ମିଳିଲେ ବହନେ ॥୭୧
ରୋହିଣୀସୁତ ଆଗ ହୋଇ । ବୃକ୍ଷକୁ ଦେଲେ ଦୋହଲାଇ ॥୭୨
ଫଳ ଝାଡ଼ିଲେ ବୃକ୍ଷ ଚାଳି । ଘୋରଶବଦେ ମହାବଳୀ ॥୭୩
ବୃକ୍ଷକୁ ବୃକ୍ଷ ଦେହ ଲାଗି । ସକଳେ ପଡୁଛନ୍ତି ଭାଙ୍ଗି ॥୭୪
ଫଳ ପଡ଼ିଲା ସବୁ ଝଡ଼ି । ଶବଦ ମେଘ ଘଡ଼ଘଡ଼ି ॥୭୫
ବନରେ ଚହଳ ପଡ଼ିଲା । ତାଳ ବିପିନ ଭାଜିଗଲା ॥୭୬
ଧେନୁକାସୁର ବୀରମଣି । ଲୋକମୁଖରୁ ତାହା ଶୁଣି ॥୭୭
ପ୍ରତିଜ୍ଞା କରି ମହାବଳୀ । ବେଗେ ଧାଇଁଲା ପରଜ୍ୱଳି ॥୭୮
ଭାଜିବା ଦେଖି ତାଳବନ । ଅସୁର କଲା ଘୋର ସ୍ୱନ ॥୭୯
ଶବଦେ ଅବନୀ କମ୍ପିଲା । ରାମର ନିକଟେ ମିଳିଲା ॥୮୦
ବେନିଚରଣ ତୋଳି ବେଗେ । ମାଇଲା ହଳଧର ଅଙ୍ଗେ ॥୮୧
କ୍ଷଣକେ ପଛଘୁଞ୍ଚା ଦେଇ । ପୁଣି ମାଇଲା ପାଦ ନେଇ ॥୮୨
ଗର୍ଦ୍ଦଭ ସ୍ୱଭାବେ ଶବଦ । କରି ମାଇଲା ବେନିପାଦ ॥୮୩
ଅନନ୍ତ କୋପେ ଗୁରୁତର । ଆକର୍ଷି ଧଇଲେ ପୟର ॥୮୪
ବେନି ଚରଣ ଧରି କରେ । ବୁଲାଇ ପିଟିଲେ ବୃକ୍ଷରେ ॥୮୫
କରେ ଘୂରାନ୍ତେ ହଳଧର । ଜୀବନ ଛାଡ଼ିଲା ଅସୁର ॥୮୬
ତାଳ ସଙ୍ଗତେ ମୃତପିଣ୍ତ । ମାଡ଼ି ପଡ଼ିଲା ଭୂମିଖଣ୍ତ ॥୮୭
ବନ୍ଧୁ କୁଟୁମ୍ବ ତା'ର ଯେତେ । ରାକ୍ଷସ ବଳ ଅପ୍ରମିତେ ॥୮୮
ଧାଇଁଲେ ଅତି ଖରତରେ । ମିଳିଲେ ରାମର ଛାମୁରେ ॥୮୯
ମାରନ୍ତି ପାଦଘାତ କରି । ଦେଖି ଧାଇଁଲେ ହଳଧାରୀ ॥୯୦
ପଛ-ଚରଣ କରେ ଧରି । ବୁଲାଇ ଅନ୍ତରାଳ କରି ॥୯୧
ଏକ ଆରକେ ପ୍ରହାରିଲେ । ନିମିଷ ମାତ୍ରେ ସଂହାରିଲେ ॥୯୨
ଅସୁରଙ୍କର ଦେହ ସଙ୍ଗେ । ତାଳ ପଡ଼ିଲା ଭୂମିଭାଗେ ॥୯୩
ମେଘ ଯେସନେ ଢ଼ାଙ୍କେ ଶୂନ୍ୟ । ଅସୁର ଦେହେ ବ୍ୟାପେ ବନ ॥୯୪
ଦେଖି ସାନନ୍ଦ ଦେବତାଏ । ଆକାଶେ କଲେ ଜୟେ ଜୟେ ॥୯୫
ପୁଷ୍ପ ବରଷି ଦେବତାଏ । ନିର୍ଭୟ ହୋଇଲେ ଥୋକାଏ ॥୯୬
ତାଳ ଭୁଞ୍ଜିଲେ ଗୋପପୋଏ । ଘରକୁ ଆଣିଲେ ଥୋକାଏ ॥୯୭
ସେଦିନୁ ଗୋପ ନରନାରୀ । ନିର୍ଭୟେ ତାଳ ଭୋଗ କରି ॥୯୮
ସେ ବନେ ଚରାଇଲେ ଗାଈ । ନିଶ୍ଚିନ୍ତେ ଶିଙ୍ଗା ବେଣୁ ବାଇ ॥୯୯
ଦିନ ଅନ୍ତରେ ଗୋପେ ପଶି । ପଥେ ମୁରଲୀ ନାଦ ଘୋଷି ॥୧୦୦
ଗୋପବାଳକ ମଧ୍ୟେ ଥାଇ । ରଙ୍ଗେ ନାଚନ୍ତି ବେନିଭାଇ ॥୧୦୧
ଗୋରଜ ଭୂଷଣ ଶରୀରେ । ଗୁଞ୍ଜ ମୟୂରପୁଚ୍ଛ ଶିରେ ॥୧୦୨
ହୃଦେ ଲମ୍ବଇ ବନମାଳ । କରେ ସୁରଙ୍ଗ ତାଳଫଳ ॥୧୦୩
ଗୋପୀଏ ରାମକୃଷ୍ଣ ଦେଖି । ନିର୍ମଳ କଲେ ଚର୍ମଆଖି ॥୧୦୪
ଶ୍ରୀକୃଷ୍ଣ ଚାହିଁ ରସଭରେ । ମିଳିଲେ ନନ୍ଦର ମନ୍ଦିରେ ॥୧୦୫
ଆନନ୍ଦେ ଯଶୋଦା ରୋହିଣୀ । କୋଳେ ବସାନ୍ତି ପୁତ୍ରେ ଆଣି ॥୧୦୬
ପୁତ୍ରଙ୍କୁ ମାଜଣା କରାଇ । ସର ଲବଣି ଅନ୍ନ ଦେଇ ॥୧୦୭
ଶେଯେ ଶୁଆଇ ପୁତ୍ରବେନି । ସୁସ୍ୱରେ କଳେ ଗୀତଧ୍ୱନି ॥୧୦୮
ଏମନ୍ତେ ବଞ୍ଚିଲେ ରଜନୀ । ପରୀକ୍ଷେ କହେ ଶୁକମୁନି ॥୧୦୯
ପ୍ରଭାତେ ଉଠି ଦାମୋଦର । ବନେ ଚଳିଲେ ଧାତିକାର ॥୧୧୦
ଗୋପ କୁମରେ ଗାଈ ଘେନି । ଆନନ୍ଦେ କଲେ ବେଣୁଧ୍ୱନି ॥୧୧୧
ଘରେ ରହିଲେ ହଳଧର । କୃଷ୍ଣ ବିଜୟେ ନଦୀତୀର ॥୧୧୨
ଗୋରୁ ଚରାନ୍ତି ବନେପଶି । ରବି କିରଣ ପରକାଶି ॥୧୧୩
ତୃଷ୍ଣାରେ ନ ପାରନ୍ତି ଚଳି । କାଳିନ୍ଦୀ ହ୍ରଦେ ଯାଇ ମିଳି ॥୧୧୪
ସକଳେ କଲେ ଜଳପାନ । ତକ୍ଷଣେ ଛାଡ଼ିଲେ ଜୀବନ ॥୧୧୫
ଗୋରୁ ଗୋପାଳପୋଏ ମରି । ଦେଖି ଚକିତ ନରହରି ॥୧୧୬
ହ୍ରଦକୁ ଗୋବିନ୍ଦ ଅନାଇ । ବିଚାର କଲେ ଭାବଗ୍ରାହୀ ॥୧୧୭
ଗରୁଡ଼ ପକ୍ଷୀରାଜ ଡରେ । କାଳୀୟ ଅଛି କାଳିନ୍ଦୀରେ ॥୧୧୮
ତାହାର ବିଷେ ଜଳ ନାଶ । ଜନ୍ତୁଏ ନ କରନ୍ତି ଗ୍ରାସ ॥୧୧୯
ଏ ଜଳ ବୃନ୍ଦାବନେ ଥିଲେ । ପ୍ରାଣ ପାଇବ କେହୁ ଭଲେ ॥୧୨୦
ଭାରା ନିବାରେ ମୁହିଁ ଜାତ । ପୋଏ ହୋଇଲେ ପ୍ରାଣେ ହତ ॥୧୨୧
ନିର୍ବିଷ କରିବଇଁ ଆଜ । ଏଣେ ମୋହର ବଡ଼ କାର୍ଯ୍ୟ ॥୧୨୨
ଏତେ ବିଚାରି ଭାବଗ୍ରାହୀ । ଅମୃତ ନୟନେ ଅନାଇଁ ॥୧୨୩
ଗୋପବାଳକ ଗୋରୁ ସଙ୍ଗେ । ଜୀବନ ଦେଲେ ଶିରୀରଙ୍ଗେ ॥୧୨୪
ଗୋରୁ ବାଳକ ସଙ୍ଗ କରି । ଗୋପେ ମିଳିଲେ ନରହରି ॥୧୨୫
ସେ ହରିଚରଣ କମଳେ । ଚିତ୍ତ ମୋ ରହୁ ଭୃଙ୍ଗମେଳେ ॥୧୨୬
ହେ ଦୟାନିଧି ଦୟାକରି । ଏ ଦୀନ ଜନେ କର ପାରି ॥୧୨୭
କୃଷ୍ଣ ଚରିତ ଭାଗବତ । କହଇ ଦାସ ଜଗନ୍ନାଥ ॥୧୨୮
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ଧେନୁକବଧୋ ନାମ ଷୋଡ଼ଶୋଽଧ୍ୟାୟଃ ॥
ସପ୍ତଦଶ ଅଧ୍ୟାୟ
[ସମ୍ପାଦନା]- ଶୁକ ଉବାଚ
ଶୁଣ ରାଜନ କୃଷ୍ଣ କଥା । ଯେଣେ ଖଣ୍ତିବ ଭବବ୍ୟଥା ॥୧
ରଜନୀ ହୋଇଲା ପ୍ରଭାତ । ବନେ ଚଳିଲେ ଗୋପୀନାଥ ॥୨
ଗୋପ-ଗୋବତ୍ସା ସଙ୍ଗେ ଘେନି । ସୁସ୍ୱରେ କଲେ ବେଣୁ ଧ୍ୱନି ॥୩
ଗୋପାଳେ ବନୁ ପୁଷ୍ପ ତୋଳି । କାଳିନ୍ଦୀ ହ୍ରଦ ତଟେ ମିଳି ॥୪
ତୀରେ କଦମ୍ବ ତରୁ ବନ । ଦେଖି ବାଳକେ ତୋଷମନ ॥୫
ବୃକ୍ଷେ ଉଠିଲେ ଧାତିକାରେ । ଗାଈ ଚରାନ୍ତି ନଦୀତୀରେ ॥୬
ଗୋବିନ୍ଦ ବୃକ୍ଷତଳେ ରହି । ବିଚାର କଲେ ଭାବଗ୍ରାହୀ ॥୭
ଗଭୀର ନିର୍ମଳ ଶୀତଳ । ବିଷେ ଦୂଷିତ ପୁଣ୍ୟଜଳ ॥୮
ଏ ଜଳେ କାଳୀୟ ନ ଥିବ । ଜଳ ପିଇବେ ସର୍ବଜୀବ ॥୯
ଏମନ୍ତ ମନେ ବିଚାରିଲେ । କଦମ୍ବ ବୃକ୍ଷରେ ଉଠିଲେ ॥୧୦
ଉଚ୍ଚ ଶିଖର ଡାଳେ ରହି । ହଲାନ୍ତି ଜଳକୁ ଅନାଇଁ ॥୧୧
ଶୁଣି ପରୀକ୍ଷ ମନତୋଷେ । ମୁନିଙ୍କି ବୋଲନ୍ତି ହରଷେ ॥୧୨
- ପରୀକ୍ଷିତ ଉବାଚ
ଭୋ ମୁନି କାଳିନ୍ଦୀ ହ୍ରଦର । କାଳୀୟ କରିଥିଲା ଘର ॥୧୩
ଗୋବିନ୍ଦେ କି କଲାକ ଦୋଷ । କିମ୍ପା ତା' ଗର୍ବ କଲେ ନାଶ ॥୧୪
ଅଗାଧ ଜଳୁଁ ହୃଷୀକେଶ । ସର୍ପକୁ ଦେଲେ ପରବାସ ॥୧୫
ଅନେକ ଦିନୁଁ ଥିଲା ଜଳେ । କି ଦୋଷ କଲା ପାଦତଳେ ॥୧୬
କିମ୍ପା ନିର୍ବାସିଲେ ମୁରାରି । କହିବା ଶୁକ ବ୍ରହ୍ମଚାରୀ ॥୧୭
ହରିର ମହିମା ଅଶେଷ । ସଂସାର ହିତେ ପରକାଶ ॥୧୮
ମାୟା ମନୁଷ୍ୟ ଅବତାର । ଗୁପତେ ଛନ୍ତି ନନ୍ଦଘର ॥୧୯
ତା'ର ଚରିତ ଯେବା ଶୁଣି । ଅମୃତ ରସମୟ ବାଣୀ ॥୨୦
ସାଧବଜନଙ୍କର ମତେ । କେ ଛାଡ଼ି ପାରିବ ତା' ଚିତ୍ତେ ॥୨୧
କହ ତାହାଙ୍କ ବାଳକେଳି । ବୋଲେ ପରୀକ୍ଷ ଦଣ୍ତଧାରୀ ॥୨୨
କାଳୀୟ ଦର୍ପ ଚୂରି କେହ୍ନେ । ଏ କଥା ଶୁଣିବି ମୁଁ କର୍ଣ୍ଣେ ॥୨୩
- ଶୁକ ଉବାଚ
ବୋଲନ୍ତି ବ୍ୟାସଙ୍କ କୁମର । ଶୁଣ ପରୀକ୍ଷ ନୃପବର ॥୨୪
ଭାରା ନିବାରେ ନରହରି । ମନୁଷ୍ୟ ଦେହେ ଅବତରି ॥୨୫
ଦୁଷ୍ଟ ନିବାରି ସନ୍ଥ ପାଳି । ଦୟା ସାଗର ବନମାଳୀ ॥୨୬
କାଳୀୟ ବିଷେ ଜଳ ନାଶ । ଜନ୍ତୁଏ ନ କରନ୍ତି ଗ୍ରାସ ॥୨୭
ଗରଳ ଯୋଗେ ଜଳବାୟେ । ପକ୍ଷୀଏ ନ ଉଡ଼ନ୍ତି ଭୟେ ॥୨୮
ବିଶେଷେ ଗରଳ ଲହରୀ । ଜଳ ପିଅନ୍ତେ ଜନ୍ତୁ ମରି ॥୨୯
ଏମନ୍ତ ଦେଖି ବନମାଳୀ । ବିଚାର କଲେ ମନେ ଭାଳି ॥୩୦
ମୋହର ନୋହଇ ସହିଲା । କାଳୀ ଅନୀତି ଆଚରିଲା ॥୩୧
ଭାରା ନିବାରେ ମୋର ଜନ୍ମ । ଏମନ୍ତେ ବିଚାରିଣ ମନ ॥୩୨
ଦାସବତ୍ସଳ ହୃଷୀକେଶ । ଗାଢ଼େ ପିନ୍ଧିଲେ ପୀତବାସ ॥୩
ଆନନ୍ଦେ ବାହାସ୍ପୋଟ ମାରି । କଦମ୍ବ ଡାଳେ କରେ ଧରି ॥୩୪
ଜଳେ ପଡ଼ିଲେ କୃଷ୍ଣ ଡ଼େଇଁ । ଦେବେ ଦେଖନ୍ତି ସ୍ୱର୍ଗେ ରହି ॥୩୫
ଜଳ ଯେ ଉଛୁଳିଲା ବେଗେ । ଶତେକ ଧନୁ ଚାରିଦିଗେ ॥୩୬
କୃଷ୍ଣର ବଳ ଅପ୍ରମିତ । ସ୍ୱଭାବେ ମହିମା ଅନନ୍ତ ॥୩୭
ଖେଳନ୍ତି ବେନିଭୁଜ ତାଡ଼ି । ଶବଦ ମେଘ ଘଡ଼ଘଡ଼ି ॥୩୮
କାଳୀୟ ଶୁଣିଲା ପାତାଳେ । କିସ ଶବଦ ମୋର ଜଳେ ॥୩୯
ଦେଖିବ ବୋଲି ବିଜେକଲା । ସହସ୍ରଫଣା ଉଭାରିଲା ॥୪୦
ନୟନେ ଦେଖିଲା ମାଧବ । କୋପେ କମ୍ପଇ ଚକ୍ଷୁଶ୍ରବ ॥୪୧
ନୀଳଜୀମୂତ ଦେହକାନ୍ତି । ମଣିକଙ୍କଣ ଝଟକନ୍ତି ॥୪୨
ଶ୍ରୀବତ୍ସ ଚିହ୍ନ ପୀତବାସ । ରଙ୍ଗଅଧରେ ମନ୍ଦହାସ ॥୪୩
ନିଶ୍ଚିନ୍ତେ ଖେଳନ୍ତି ମୁରାରି । ସର୍ପ ଧାଇଁଲା କୋପ କରି ॥୪୪
କୋମଳ-ଚରଣେ ଦଂଶିଲା । ଦେହ ନିବିଡ଼େ ବନ୍ଦୀ କଲା ॥୪୫
ଗୋପାଳେ ବୃକ୍ଷଡ଼ାଳେ ଥିଲେ । ଜଳେ କୃଷ୍ଣଙ୍କୁ ଅନାଇଲେ ॥୪୬
କାଳୀୟ କରିଛି ବନ୍ଧନ । ୠରଳ ବହଇ ବଦନ ॥୪୭
ନାଗରେ ବନ୍ଧନ ଶରୀର । ଦେଖି ବାଳକେ ଥରହର ॥୪୮
ମନନୟନ କୃଷ୍ଣ ଦେହେ । ଢ଼ଳି ପଡ଼ିଲେ ଶୋକମୋହେ ॥୪୯
କାନ୍ଦନ୍ତି କୃଷ୍ଣଙ୍କୁ ଅନାଇଁ । ବିକଳ କେ ପାରିବ କହି ॥୫୦
ହୃଦେ ତାଡ଼ନ୍ତି ବେନି ପାଣି । ମୂର୍ଚ୍ଛିତେ ପଡ଼ିଲେ ଧରଣୀ ॥୫୧
ଗୋରୁଏ କୃଷ୍ଣଙ୍କୁ ଅନାଇଁ । କାନ୍ଦନ୍ତି ଚଉଦିଗ ଚାହିଁ ॥୫୨
କୃଷ୍ଣର ଦେହେ ଚକ୍ଷୁ ଦେଇ । ଚିତ୍ର-ପ୍ରତିମା ପ୍ରାୟ ରହି ॥୫୩
ବତ୍ସାଏ କାନ୍ଦିଣ ବିକଳ । ଆବୋରି କଦମ୍ବର ତଳ ॥୫୪
ଗୋକୁଳେ ପଡ଼ିଲା ଅରିଷ୍ଟି । ରୁଧିର ସଙ୍ଗେ ଜଳ ବୃଷ୍ଟି ॥୫୫
ଭୂମି କମ୍ପଇ ଥରହର । ଦିବସେ ଘୋର ଅନ୍ଧକାର ॥୫୬
ଗଗନେ ଶୁଭେ ଘୋରନାଦ । ତ୍ରିବିଧ ରିଷ୍ଟ ପରମାଦ ॥୫୭
ଦେଖି ଗୋପାଳେ ଖରତରେ । ମିଳିଲେ ନନ୍ଦର ମନ୍ଦିରେ ॥୫୮
ବୋଲନ୍ତି କାହିଁ ତୋ କୁମର । ରିଷ୍ଟ ପଡ଼ିଲା ଗୋପପୁର ॥୫୯
ଶୁଣି ଯଶୋଦା ଥରହର । ରାମର କରେ ଦେଇ କର ॥୬୦
ନନ୍ଦ ବୋଇଲା କୃଷ୍ଣ ନାହିଁ । ବନେ ଯେ ଘେନିଗଲା ଗାଈ ॥୬୧
ଅନନ୍ତ ଅଛି ମୋର ଘରେ । ରିଷ୍ଟ ପଡ଼ିଲା ଗୋପପୁରେ ॥୬୨
ନନ୍ଦ ହୋଇଲା ସ୍ତମ୍ଭୀଭୂତ । କାନ୍ଦଇ ପ୍ରାଣ କଣ୍ଠଗତ ॥୬୩
କି ବୁଦ୍ଧି କରିବଇଁ ମୁହିଁ । କେମନ୍ତେ କୃଷ୍ଣ ଦେଖିବଇଁ ॥୬୪
ଯଶୋଦା ଶୁଣି ମୋହମାନ । ଧରଣୀ ପଡ଼ି ଅଚେତନ ॥୬୫
ଶୁଣି କାନ୍ଦନ୍ତି ଗୋପନାରୀ । ଚହଳ ଚଉଦିଗେ ପୂରି ॥୬୬
ଲୋଡ଼ନ୍ତି ଯଶୋଦାର ସୁତ । କ୍ଷଣ କ୍ଷଣକେ ମୋହଗତ ॥୬୭
ସକଳେ ରାମ ଘେନି ସଙ୍ଗେ । ଚଳିଲେ ବୃନ୍ଦାବନ ଲାଗେ ॥୬୮
ରୋହିଣୀ ସୁତ ମନେ ଗୁଣି । କୃଷ୍ଣ-ପ୍ରଭାବ ପରିମାଣି ॥୬୯
ଅଳପ ଅଳପ ହସିଲେ । ବଚନେ କିଛି ନକହିଲେ ॥୭୦
କୃଷ୍ଣ-ଚରଣଚିହ୍ନ ଚାହିଁ । ଚଳନ୍ତି ଅଙ୍ଗୁଳି ଦେଖାଇ ॥୭୧
କମଳ ଜବାଂକୁଶ ଚିହ୍ନ । ଗାଈଙ୍କ ପାଦ ଖୋଜମାନ ॥୭୨
କାଳିନ୍ଦୀ ନିକଟେ ମିଳିଲେ । ଲହରୀ ଗଗନେ ପ୍ରକାଶି ॥୭୩
ହ୍ରଦେ ଦେଖିଲେ ଜଳରାଶି । ଲହରୀ ଗଗନେ ପ୍ରକାଶି ॥୭୪
ଜଳେ ଦେଖିଲେ ଦାମୋଦର । ନାଗରେ ବନ୍ଧନ ଶରୀର ॥୭୫
ବିଷ-ଅନଳେ ଅଚେତନ । ଗରଳ ବହଇ ବଦନ ॥୭୬
ଦେଖି ରୋଦନ୍ତି ଉଚ୍ଚସ୍ୱରେ । ଗୋରୁ-ଗୋପାଳ ତୀରେତୀରେ ॥୭୭
ଗୋପୀଙ୍କ ଦୃଷ୍ଟି କୃଷ୍ଣ ଦେହେ । କାନ୍ଦନ୍ତି ଅତି ମାୟାମୋହେ ॥୭୮
ବିକଳେ ହୋଇଲେ ମୂର୍ଚ୍ଛିତ । ନିର୍ଜୀବ ହୋଇ ଭୂମିଗତ ॥୭୯
ପ୍ରଳୟ ମଣିଲେ ଜଗତ । କୃଷ୍ଣର ଦେହେ ସର୍ପାଘାତ ॥୮୦
ଯଶୋଦା ଦେଖି ମୋହ ଗଲା । ଗୋପୀଙ୍କ ସାହସ ଉଡ଼ିଲା ॥୮୧
କୃଷ୍ଣଙ୍କୁ ଚାହିଁ ଅଚେତନ । ନନ୍ଦର ଦେହେ ନାହିଁ ଜ୍ଞାନ ॥୮୨
ବାଳୁତ କାଳୁ ଯେତେ ଗୁଣ । ସୁମରି କାନ୍ଦେ ପୁଣ ପୁଣ ॥୮୩
ଆହା ଦଇବ ଏହା କଲୁ । ସୁଖରେ ଭେଳା ବୁଡ଼ାଇଲୁ ॥୮୪
ଜଳେ ପଶନ୍ତେ କୃଷ୍ଣମାତ । ଗୋପୀ ଧଇଲେ ପାଦ ହସ୍ତ ॥୮୫
ନିଶ୍ଚୟ ଦେଖି ହଳଧର । ଅବୋରି କାଳିନ୍ଦୀର ତୀର ॥୮୬
ରାମ ବୋଲନ୍ତି ରହ ରହ । ଦେଖିବା ଶ୍ରୀକୃଷ୍ଣର ଦେହ ॥୮୭
ଗୋକୁଳ ମନ ଜାଣି ହରି । କାଳୀୟ ଅଛି ଦେହେ ଜଡ଼ି ॥୮୮
କୃଷ୍ଣର ଶରୀର ବଢ଼ିଲା । କାଳୀୟ ଛନ୍ଦି ନ ପାରିଲା ॥୮୯
କୃଷ୍ଣର ଦେହଭାଗ ଲାଗି । ସର୍ପର ଗଣ୍ଠି ଛନ୍ଦ ଭାଙ୍ଗି ॥୯୦
ତକ୍ଷଣେ କୃଷ୍ଣଙ୍କୁ ଛାଡ଼ିଲା । ସମ୍ଭାଳି ନ ପାରି ବୁଡ଼ିଲା ॥୯୧
ଉଠିଲା ଖଣ୍ତେ ଦୂରେ ଯାଇ । ଗର୍ଜିଲା କୃଷ୍ଣଙ୍କୁ ଅନାଇ ॥୯୨
ଫଣା ସହସ୍ରେ ଉଭାରିଲା । ଗରଳ ଅଗ୍ନି ଉଦ୍ଗାରିଲା ॥୯୩
ଜିହ୍ୱା ବୁଲାଇ ଅନ୍ତରାଳେ । ନାଗ କୋଟିଏ ଛନ୍ତି ମେଳେ ॥୯୪
ନାଗେ କରନ୍ତି ଫୁ ଫୁ କାର । ବିଷେ ପିଙ୍ଗଳ ଦୃଷ୍ଟି ତା'ର ॥୯୫
କୋପେ କୃଷ୍ଣଙ୍କୁ ଗୋଡ଼ାଇଲା । ଶବଦେ ବ୍ରହ୍ମାଣ୍ତ କମ୍ପିଲା ॥୯୬
ମାୟା ମନୁଷ୍ୟ ଅବତାର । ତୀରେ ଦେଖନ୍ତି ସୁର ନର ॥୯୭
ସର୍ପଙ୍କୁ ଚାହିଁ ନରହରି । ବୁଡ଼ିଲେ ସର୍ପେ ମାୟାକରି ॥୯୮
କାଳୀୟ ଖୋଜିଲା ଅନେକ । ଗଭୀର ଜଳ ଦୀର୍ଘପାଖ ॥୯୯
ଲୋଡ଼ି ନ ପାଇ ଦାମୋଦର । ପୁଣି ତୋଳିଲା ନିଜ ଶିର ॥୧୦୦
କୃଷ୍ଣଙ୍କୁ ଦେଖିଲା ନିକଟେ । ଗୋପୀ-ଗୋପାଳେ ଜଳତଟେ ॥୧୦୧
ଦେଖି ପଳାନ୍ତି ଚକ୍ରଧର । ଘୂରିଲେ ମଣ୍ତଳ ଆକାର ॥୧୦୨
ସର୍ପ ଗୋଡ଼ାଇ ନ ପାରିଲା । ଫୁଟିଣ ଗରଳ ଛାଡ଼ିଲା ॥୧୦୩
କୃଷ୍ଣଙ୍କୁ ଆଗ ପଛେ ଚାହିଁ । ଗର୍ଜଇ ରସନା ବୁଲାଇ ॥୧୦୪
ଦଂଶଇ ପୁନଃ ପୁନଃ ପାୟେ । ଗରଳ ଛାଡ଼େ କୃଷ୍ଣ ଦେହେ ॥୧୦୫
ଗୋବିନ୍ଦ କୋପେ ଗୁରୁତର । ଉଠିଲେ କାଳୀୟର ଶିର ॥୧୦୬
ସର୍ପର ଶିରେ ମଣି ଥିଲା । ଶ୍ରୀକୃଷ୍ଣ ଚରଣେ ଲାଗିଲା ॥୧୦୭
ମଣିର ତେଜ ରଙ୍ଗବର୍ଣ୍ଣ । ସୁନ୍ଦର ଶ୍ରୀକୃଷ୍ଣ ଚରଣ ॥୧୦୮
ତ୍ରିଭଙ୍ଗୀ ଛନ୍ଦେ ଉଭା ହୋଇ । ନାଚନ୍ତି ଗୋପାଳଙ୍କୁ ଚାହିଁ ॥୧୦୯
ଶ୍ରୀକୃଷ୍ଣ ନୃତ୍ୟ ଦେବେ ଚାହିଁ । ମିଳିଲେ ବୃନ୍ଦାବନେ ଯାଇ ॥୧୧୦
ତାଣ୍ତବ ରସେ ଗୀତ ଗାଇ । ଗନ୍ଧର୍ବେ ବେଣୁ ବୀଣା ବାଇ ॥୧୧୧
ମୃଦଙ୍ଗ ତାଳ ବାଦ୍ୟ କରି । ରଙ୍ଗେ ନାଚନ୍ତି ଅପସରୀ ॥୧୧୨
କୁସୁମ ବରଷିଲେ ଆଣି । ଯେ ଯାହା ମତେ ସ୍ତୁତି ଭଣି ॥୧୧୩
ଶୁଣି ସାନନ୍ଦ ବନମାଳୀ । ନୃତ୍ୟ କରନ୍ତି ପାଦଚାଳି ॥୧୧୪
କାଳୀୟ ପ୍ରାଣ କଣ୍ଠାଗ୍ରତ । ସହସ୍ରେ ଫଣା ମୂରୁଛିତ ॥୧୧୫
ଯେବଣ ଫଣା ଉଚ୍ଚେ ଥାଇ । ତହିଁ ଉଠନ୍ତି କୃଷ୍ଣ ଡ଼େଇଁ ॥୧୧୬
ରୋଷେ ନାଚନ୍ତି ପାଦ ଚାଳି । ରୁଧିର ସର୍ପ ମୁଖୁ ଗଳି ॥୧୧୭
କାଳୀୟ ମନେ ବିଚାରିଲା । ନିଶ୍ଚୟେ ମରଣ ହୋଇଲା ॥୧୧୮
ହରିରେ ପଶିବି ଶରଣ । ଡ଼ାକିଲା ରଖ ନାରାୟଣ ॥୧୧୯
କାଳୀୟ ଶିରେ କୃଷ୍ଣ ଥାଇ । ଜାଣିଲେ ପ୍ରଭୁ ଭାବଗ୍ରାହୀ ॥୧୨୦
ଦାସବତ୍ସଳ ପୀତବାସ । ତକ୍ଷଣେ ହୋଇଲେ ଉଶ୍ୱାସ ॥୧୨୧
କାଳୀୟ ଜୀବନ ପାଇଲା । ଶ୍ରୀକୃଷ୍ଣ ମୁଖକୁ ଚାହିଁଲା ॥୧୨୨
ସଭୟେ ନ ପାରଇ କହି । ତ୍ରାସେ କମ୍ପଇ ତା'ର ଦେହି ॥୧୨୩
ଶତେକ ପତ୍ନୀ ତା'ର ଥିଲେ । ସ୍ୱାମୀର ମରଣ ଜାଣିଲେ ॥୧୨୪
ଶ୍ରୀହରି ମହିମା ଜାଣନ୍ତି । ନାମ ଜପନ୍ତି ଦିବାରାତି ॥୧୨୫
ସୁତ ଦୁହିତା ଆଗ କରି । କରେ ଘେନିଲେ ଅର୍ଘ୍ୟଥାଳୀ ॥୧୨୬
ଗନ୍ଧ ଚନ୍ଦନ ନାନାମଣି । ନିର୍ମଳ ପଦ୍ମମାଳ ଘେନି ॥୧୨୭
ଶ୍ରୀକୃଷ୍ଣ ନିକଟେ ମିଳିଲେ । ବାଳକ ତଳେ ଶୁଆଇଲେ ॥୧୨୮
ପାଦେ ପଡ଼ିଲେ ସର୍ପବାଳୀ । ଦେଖି ସାନନ୍ଦ ବନମାଳୀ ॥୧୨୯
କେଶ ବସନ ଅସମ୍ଭାଳ । ନୟନୁ ଝରେ ଅଶ୍ରୁଜଳ ॥୧୩୦
ଉଠି କରନ୍ତି ଜୟେ ଜୟେ । ସ୍ୱର୍ଗେ ଦେଖନ୍ତି ଦେବତାୟେ ॥୧୩୧
ବୋଲନ୍ତି ଶରଣ ତୋହର । ତ୍ରାହି କରିବା ଚକ୍ରଧର ॥୧୩୨
ଦୋଷୀକୁ ଦଣ୍ତିବା ଯୁକତ । ଭାରା ନିବାରେ ତୁହି ଜାତ ॥୧୩୩
ତୋହର ଶତ୍ରୁ ମିତ୍ର ନାହିଁ । ତୋ'ର ଭିଆଣ ସର୍ବଦେହୀ ॥୧୩୪
ଭକତି କରନ୍ତି ଯେ ତୋତେ । ଯେ ଅବା ଭଜେ ଶତ୍ରୁମତେ ॥୧୩୫
ଦୁହିଁଙ୍କୁ ଦେଉ ଏକଗତି । ଦୟାସାଗର ଦାଶରଥି ॥୧୩୬
ଆମ୍ଭଙ୍କୁ କଲୁ ଅନୁଗ୍ରହ । ହେଲେ ନାଶିଲୁ ଦମ୍ଭ ମୋହ ॥୧୩୭
ସର୍ପ ହୋଇଲା ପାପକାରୀ । ତୋତେ ପାଇଲା ନରହରି ॥୧୩୮
ଏହାରେ ତରିଲୁ ସକଳ । ବନ୍ଧୁ ବାନ୍ଧବ ନାଗକୁଳ ॥୧୩୯
ପୂର୍ବେ ଏ କେତେ ତପ କଲା । ଅନେକ ଅନ୍ନଦାନ ଦେଲା ॥୧୪୦
ଜଳ ଦେଉଳ ନାନାମତେ । ପ୍ରାଣୀଙ୍କି ଦୟା ହୃଦ୍ଗତେ ॥୧୪୧
ତୋ' ନାମ-କୀର୍ତ୍ତନେ ଆନନ୍ଦ । ତେଣୁ ପାଇଲା ପଦ୍ମପାଦ ॥୧୪୨
କେତେ ବା ଅଛି ତପକରି । ତୋ' ପାଦରଜ ଶିରେ ଧରି ॥୧୪୩
ଯାହା ପାଇଲା ବଳି ପୁଣି । ତପ କରଇ କମଳିନୀ ॥୧୪୪
ଯାହା ପାଇବେ ବୋଲି ପୁଣି । ତପ କରନ୍ତି ସୁରମୁନି ॥୧୪୫
ତୋ ପାଦରଜ ପାଇ ଜନେ । ଅଧିକ ନବାଞ୍ଛନ୍ତି ମନେ ॥୧୪୬
ସ୍ୱର୍ଗ ଭୋଗକୁ ତୁଚ୍ଛ କରି । ବ୍ରହ୍ମପଦକୁ ନବିଚାରି ॥୧୪୭
ଏକାଙ୍ଗରାଜପଣେ ସଧ । ଯୋଗ-ସମାଧି-ଚତୁର୍ବେଦ ॥୧୪୮
ଯୋଗସିଦ୍ଧିକୁ ନ ଇଚ୍ଛଇ । ନିର୍ବାଣପଦ ନ ମାଗଇ ॥୧୪୯
ଏଣେ ନୁହନ୍ତି ସାବଧାନ । ତୋ' ପାଦେ ଥାଇ ଯାର ମନ ॥୧୫୦
ଦୁର୍ଲ୍ଲଭ ଅଟୁ ଦୁଷ୍ଟ ଚିତ୍ତେ । ଏ ତୋତେ ପାଇଲା କେମନ୍ତେ ॥୧୫୧
ତମ ଗୁଣରେ ଅଛି ଭେଦି । ବିଶେଷେ ସର୍ପ ଏ ପ୍ରମାଦି ॥୧୫୨
ତୋତେ ଏ ନିକଟେ ପାଇଲା । ଯେଣୁ ଏ ପୂର୍ବେ ତପ କଲା ॥୧୫୩
ନିର୍ଗୁଣ-ଆତ୍ମା ଗୁଣବନ୍ତ । ନମସ୍ତେ ପ୍ରଭୁ ଜଗନ୍ନାଥ ॥୧୫୪
ପଞ୍ଚଭୂତଙ୍କ ଆତ୍ମା ତୁହି । ତୋହର ଆଦିଅନ୍ତ ନାହିଁ ॥୧୫୫
ଜ୍ଞାନବିଜ୍ଞାନ-ନିଧି ହେଉ । ତ୍ରିଗୁଣେ ମାୟାରୂପ ବହୁ ॥୧୫୬
ସୃଷ୍ଟି ପାଳନ କରୁ ଅନ୍ତ । ତୁ କାଳରୂପୀ ଗୋପୀନାଥ ॥୧୫୭
ଅନନ୍ତ ରୂପ ସୂକ୍ଷ୍ମମୟ । ତ୍ରିଗୁଣ-ଭେଦେ ବହୁ ଦେହ ॥୧୫୮
ନିଗମମତେ ମାୟାକରି । ଜଗତେ ହେଉ ରୂପଧାରୀ ॥୧୫୯
ତୋହର ଦେହେ ତିନିଲୋକେ । କର୍ମ ଭୁଞ୍ଜନ୍ତି ଦୁଃଖସୁଖେ ॥୧୬୦
ଯେ ତୋତେ ସାଧୁପଣେ ଭଜେ । ସେ ତୋ'ର ଦେଲାଫଳ ଭୁଞ୍ଜେ ॥୧୬୧
ତୋତେ ଯେ ନ ଜାଣଇ ଚିତ୍ତେ । ସେ ପ୍ରାଣୀ ତରିବେ କେମନ୍ତେ ॥୧୬୨
ଆମ୍ଭର ସ୍ୱାମୀ ଏକବେଳେ । ଦ୍ରୋହ ଯେ କଲା ପାଦତଳେ ॥୧୬୩
ଏ ଦୋଷ ସହିବା ମୁରାରି । ଆମେ ତୋହର ପରିବାରୀ ॥୧୬୪
ପ୍ରାଣ ଛାଡ଼ିବ ଏହିକ୍ଷଣି । ତୁ କି ନ ଜାଣୁ ଚକ୍ରପାଣି ॥୧୬୫
ଆମ୍ଭଙ୍କୁ ଦିଅ ସ୍ୱାମୀ ଦାନ । ତୋରେ ଶରଣ ଭଗବାନ ॥୧୬୬
ଏବେ କରିବୁ କିସ କହ । ବିଚାର କରି ଆଜ୍ଞା ଦିଅ ॥୧୬୭
ପରୀକ୍ଷେ ଶୁକ ମୁନି କହେ । ଶୁଣି ହରଷ ଦେବରାୟେ ॥୧୬୮
ନାଗକାମିନୀ ସ୍ତୁତି ଶୁଣି । ଦୟାସାଗର କମ୍ବୁପାଣି ॥୧୬୯
ପାଦ ପ୍ରହାର ଛାଡ଼ି କରି । ଉଶ୍ୱାସ ହୋଇଲେ ମୁରାରି ॥୧୭୦
କାଳୀୟ ଜୀବନ ପାଇଲା । ଶ୍ରୀକୃଷ୍ଣ ମୁଖକୁ ଚାହିଁଲା ॥୧୭୧
ସଭୟେ ଶୋକ ଗଦଗଦେ । ପୁଣି ପଡ଼ଇ କୃଷ୍ଣପାଦେ ॥୧୭୨
- କାଳୀୟ ଉବାଚ
ବୋଲଇ ଶୁଣ ନାରାୟଣ । ଜଗତ ତୋହର ଭିଆଣ ॥୧୭୩
ସର୍ପରେ ଜାତ କଲୁ ମୋତେ । ସ୍ୱଭାବ ଛାଡ଼ିବି କେମନ୍ତେ ॥୧୭୪
ତାମସଗୁଣେ ଜାତ କରି । ଗରଳେ କଲୁ ଅଧିକାରୀ ॥୧୭୫
ତେଣୁ ମୁଁ କ୍ରୋଧେ ବଶ ହୋଇ । ସ୍ୱଭାବ ଛାଡ଼ି ନ ପାରଇ ॥୧୭୬
ତୋହର ମାୟା ଜାଣୁ ତୁହି । ଭୋନାଥ ରଖ ଭାବଗ୍ରାହୀ ॥୧୭୭
ତାମସଗୁଣେ ହୋଇ ବଦ୍ଧ । ତୋତେ ମୁଁ କଲି ଅପରାଧ ॥୧୭୮
ଏଣୁ ନିଷ୍ଠୁର ମୋ' ସ୍ୱଭାବ । ବିଚାରି ଦଣ୍ତ ପଦ୍ମନାଭ ॥୧୭୯
ଯେ ତୋର ଇଚ୍ଛା ମୋତେ କର । ତୋରେ ଶରଣ ଚକ୍ରଧର ॥୧୮୦
ସର୍ପ ବିକଳ କର୍ଣ୍ଣେ ଶୁଣି । ଦୟାସାଗର ବେଣୁପାଣି ॥୧୮୧
ବୋଲନ୍ତି ସର୍ପମୁଖ ଚାହିଁ । କାଳିନ୍ଦୀ ହ୍ରଦେ ନ ଥା' ତୁହି ॥୧୮୨
ବନ୍ଧୁବାନ୍ଧବ ଘେନି ସଙ୍ଗେ । ସମୁଦ୍ରେ ପଶ ଯାଇ ବେଗେ ॥୧୮୩
ଜଳଧି ଦ୍ୱୀପ ମଧ୍ୟଗତେ । ଗରୁଡ଼ ଭୟ ନାହିଁ ତୋତେ ॥୧୮୪
ମୋହର ପାଦ ତୋ'ର ଶିରେ । ଲାଗିଲା ସହସ୍ର ଫଣାରେ ॥୧୮୫
ଗରୁଡ଼ ଦେଖି ନିସ୍ତରିବ । ତୋହର ଚରଣେ ପଡ଼ିବ ॥୧୮୬
ନିର୍ଭୟ ହୋଇ ବେଗେ ଯାଅ । ମୋର ଭକତି ହୃଦେ ବହ ॥୧୮୭
ଏଜଳ ଅମୃତ ମୁଁ କରି । ଗରଳ ଦୂରେ ପରିହରି ॥୧୮୮
ଏ ବନେ ଯେତେ ବନଚାରୀ । ଆନନ୍ଦେ ଜଳପାନ କରି ॥୧୮୯
ସୁଖେ ବଞ୍ଚିବେ ସର୍ବଜୀବେ । ଏ ବନେ ନିଶ୍ଚିନ୍ତେ ରହିବେ ॥୧୯୦
ଶୁଣ କାଳୀୟ ମୋ' ଉତ୍ତର । କହଇ ତୋତେ ଦେଇ ବର ॥୧୯୧
ତୋ'ର ମୋହର ଏ ଚରିତ । ଯେ ସୁମରିବେ ଅବିରତ ॥୧୯୨
ସର୍ପ-ବିଘାତେ ନାହିଁ ବାଧା । ଯେ ମୋତେ ସୁମରେ ତ୍ରିସନ୍ଧ୍ୟା ॥୧୯୩
ଏ ଜଳେ ସ୍ନାହାନ କରିବେ । ପିତୃତର୍ପଣେ ପିଣ୍ତ ଦେବେ ॥୧୯୪
ଆହାର ତେଜି ଉପବାସେ । ଜାଗର ଦେଇ ନଦୀପାଶେ ॥୧୯୫
ମୋ' ନାମେ ରଜନୀ ବଞ୍ଚିବେ । ସକଳ ପାପୁଁ ସେ ତରିବେ ॥୧୯୬
ଶ୍ରୀହରି ଆଜ୍ଞା ଘେନି ଶିରେ । ତୀରେ ଉଠିଲା ଧାତିକାରେ ॥୧୯୭
କୁଟୁମ୍ବ ଘେନିଣ ସଙ୍ଗରେ । ପୂଜିଲା ଗୋବିନ୍ଦ ପୟରେ ॥୧୯୮
ଗନ୍ଧଚନ୍ଦନ ରଙ୍ଗବାସ । ଅମୂଲ୍ୟ ରତ୍ନ ମଣି ତ୍ରାସ ॥୧୯୯
କମଳମାଳା କଣ୍ଠେ ଦେଇ । ନାଚେ ଆନନ୍ଦେ ଗୀତ ଗାଇ ॥୨୦୦
କୁଟୁମ୍ବ ଘେନି ପ୍ରଦକ୍ଷିଣ । କାଳୀୟ କଲା ପୁଣ ପୁଣ ॥୨୦୧
ଉତ୍ତରଦିଗକୁ ଚାହିଁଲା । ଗୋବିନ୍ଦ ଆଦେଶେ ଚଳିଲା ॥୨୦୨
ପଶିଲା ସାହେର ଭିତରେ । ହରିଚରଣ ବହି ଶିରେ ॥୨୦୩
ଜଳଧିପତି ପୂଜା କଲା । ନାଗ ଗୋତ୍ରଙ୍କୁ ଠାବ ଦେଲା ॥୨୦୪
କୃଷ୍ଣର ଅନୁରାଗୁଁ କରି । ପୂଜା ପାଇଲା ଖଗଅରି ॥୨୦୫
ସେଦିନୁ ଜଳପାନ କରି । ଆନନ୍ଦ ଗୋପ ନରନାରୀ ॥୨୦୬
ସେ ହରି ଚରଣ କମଳେ । ମନ ମୋ ରହୁ ସୁଖଭୋଳେ ॥୨୦୭
ସୁଜନେ ଶୁଣ ମୋ ବଚନ । କୃଷ୍ଣ ଚରଣେ ଦେଇ ମନ ॥୨୦୮
ହୃଦେ ଚିନ୍ତିବ ନରହରି । ସୁଖେ ତରିବ ଭବବାରି ॥୨୦୯
ଭକତଜନେ ଏଣେ ରସ । କହଇ ଜଗନ୍ନାଥ ଦାସ ॥୨୧୦
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ କାଳୀୟମୋକ୍ଷଣଂ ନାମ ସପ୍ତଦଶୋଽଧ୍ୟାୟଃ ॥
ଅଷ୍ଟାଦଶ ଅଧ୍ୟାୟ
[ସମ୍ପାଦନା]- ରାଜା ଉବାଚ
ବୋଲନ୍ତି ଅଭିମନ୍ୟୁ ସୁତ । ଭୋ ମୁନି କହ ଭାଗବତ ॥୧
କେବଣ ହେତୁ କାଳୀସର୍ପ । ଛାଡ଼ିଲା ରମଣକ ଦ୍ୱୀପ ॥୨
ଗରୁଡ଼େ କରି ଅପରାଧ । ଲୁଚି ଯେ ଥିଲା କାଳୀ ହ୍ରଦ ॥୩
ହରିଚରଣ-ଚିହ୍ନ ଶିରେ । ଧରିଣ ଗଲା ନିଜ ପୁରେ ॥୪
ଏ କଥା କହ ମୁନି ମୋତେ । ସଂସାରୁ ତରିବି ଯେମନ୍ତେ ॥୫
କହନ୍ତି ଶୁକମୁନି ତୋଷେ । ଶ୍ରୀକୃଷ୍ଣ ଚରଣ ବିଶ୍ୱାସେ ॥୬
- ଶୁକ ଉବାଚ
ଶୁଣ ହୋ କାଳୀୟର କଥା । ତୁ ମୋକ୍ଷପଦେ ଶୁଦ୍ଧଚେତା ॥୭
ବ୍ରହ୍ମା ଯେ ବ୍ରହ୍ମାଣ୍ତ ଭିଆଇ । ଯେ ଯାହା ରୂପେ ଠାବ ଦେଇ ॥୮
କାଳୀୟ ଆଦି ଯେତେ ସର୍ପେ । ଥୋଇଲା ରମଣକଦ୍ୱୀପେ ॥୯
ନିର୍ଭୟ ହୋଇଥା'ନ୍ତି ତହିଁ । ଗରୁଡ଼େ ବଳିଭୋଜା ଦେଇ ॥୧୦
ବନ-ଗହନେ ବୃକ୍ଷମୂଳେ । ଗରୁଡେ ପୂଜନ୍ତି ସକଳେ ॥୧୧
ମାସକେ ନାନା ଉପହାର । ପାଳି ପଡ଼ଇ ଯେଝାଘର ॥୧୨
ସେ ବଳିଭୋଜା ଦେଇ ତୋଷେ । ପୂଜନ୍ତି ଜୀବନର ଆଶେ ॥୧୩
ଏମନ୍ତେ କାଳୀୟର ଘରେ । ପାଳି ପଡ଼ିଲା ଏକବାରେ ॥୧୪
ନାଗେ କହିଲେ ତା'ର ଆଗେ । ଗରୁଡ଼ ପୂଜା ତୋ'ର ଭାଗେ ॥୧୫
ଶୁଣି କାଳୀୟ ତୋଷଚିତ୍ତେ । ସଞ୍ଚା ସେ କଲା ନାନା ମତେ ॥୧୬
ଦଇବେ ନାଗଙ୍କର ରାଜା । ଅନେକ କଲା ବଳିଭୋଜା ॥୧୭
ବୃକ୍ଷର ମୂଳେ ନେଇ ଥୋଇ । ଅନେକ ବାଦ୍ୟନାଦ ବାଇ ॥୧୮
କାଳୀୟ ବିଚାରଇ ଦେଖି । ଗରୁଡ଼ ବୋଲି କେତେପକ୍ଷୀ ॥୧୯
ଏତେକ ଭୋଜା ତା'ଙ୍କୁ ଦେବି । ତେବେ ସେ ନିର୍ଭୟ ହୋଇବି ॥୨୦
ଏ ବଡ଼ ଲଜ୍ଜା ମୋତେ ହୋଇ । ବାସୁକି ମୋର ସାନଭାଇ ॥୨୧
ଏକ ଫଣାକେ ମହୀଧରି । ମୁଁ କିମ୍ବା ଗରୁଡ଼କୁ ଡ଼ରି ॥୨୨
ସହସ୍ର ଫଣା ଅଛି ମୋର । ଗରୁଡ଼ କେତେ ବଳୀୟାର ॥୨୩
ଏକା ପିଅର ପୁଅ ଆମ୍ଭେ । ସେ କିମ୍ବା ଏଡ଼େ ବଡ଼ ଦମ୍ଭେ ॥୨୪
ଆଜ ଗଞ୍ଜିବି ତାର ବଳ । ନିର୍ଭୟ ହେଉ ନାଗକୁଳ ॥୨୫
କେ ଅବା ନ ଜାଣନ୍ତି ମୋତେ । ବ୍ରହ୍ମାଣ୍ତ ମଧ୍ୟେ ଛନ୍ତି ଯେତେ ॥୨୬
ଏତେ ବିଚାରି ସର୍ପ ମନେ । ସବୁ ଖାଇଲା ଦୁଷ୍ଟପଣେ ॥୨୭
ଯେତେକ ନାଗବଳ ଥିଲେ । ତାହାର ଦୁର୍ବୁଦ୍ଧି ଦେଖିଲେ ॥୨୮
ଭୟେ ହୋଇଲେ ଥରହର । ଖଗନାଥଙ୍କୁ ବଡ଼ ଡ଼ର ॥୨୯
ନାଗଙ୍କୁ ବୋଇଲାକ ରାଇ । ଏଠାରେ ନ ଥିବଟି କେହି ॥୩୦
ଯାଅରେ ବୋଲି ଆଜ୍ଞା ଦେଲା । ଆପଣେ ବନସ୍ତେ ରହିଲା ॥୩୧
ସହସ୍ରଫଣା ଫୁ ଫୁ କରି । ବଦନୁଁ ଗରଳ ଉଦ୍ଗାରି ॥୩୨
ଏମନ୍ତେ ରଜନୀ ହୋଇଲା । ଗରୁଡ଼ ପକ୍ଷୀ ବିଜେ କଲା ॥୩୩
ଗଗନ ପୂରିଲା ଶବଦେ । କାନନେ ମିଳିଲା ଆନନ୍ଦେ ॥୩୪
ବୃକ୍ଷମୂଳକୁ ଦେଲା ଚାହିଁ । ଦେଖିଲା ବଳିଭୋଜା ନାହିଁ ॥୩୫
ମନେ ପାଇଲା ଗରୁତାପ । ମିଳିଲା କାଳୀୟ ସମୀପ ॥୩୬
କୋପେ ଚାହଁଇ ଖଗନାଥ । ଆବୋରି କାଳୀୟର ପଥ ॥୩୭
ଗର୍ଜେ ଗରୁଡ଼ କୋପଭରେ । କାଳୀୟ ମିଳିଲା ଛାମୁରେ ॥୩୮
ସହସ୍ରଫଣା ମେଘପ୍ରାୟେ । ଦଂଶିଲା ଗରୁଡ଼ର କାୟେ ॥୩୯
ଅର୍ଦ୍ଧଯୋଜନ ଘୁଞ୍ଚିଗଲା । ପୁଣି ହିଁ ଆଗେ ଓଗାଳିଲା ॥୪୦
ବିନତାସୁତ ବେଗେ ଧାଇଁ । ଚାପୋଡ଼େ ପ୍ରହାରିଲା ନେଇ ॥୪୧
ହରିଙ୍କି ବହଇ ଯେ କନ୍ଧେ । ସେ କି ପଡ଼ଇ ପରମାଦେ ॥୪୨
ଗରୁଡ଼ ପକ୍ଷଘାତ ପାଇ । କାଳୀୟ ମୂର୍ଚ୍ଛାଗତ ହୋଇ ॥୪୩
ଘଡ଼ିକେ ଚେତନା ପାଇଲା । ପବନୁଁ ବେଗେ ପଳାଇଲା ॥୪୪
କାଳନ୍ଦୀହ୍ରଦେ ପଶିଗଲା । ପାତାଳ-ବିବରେ ଲୁଚିଲା ॥୪୫
ନିର୍ଭୟେ ନିଶ୍ଚିନ୍ତେ ରହିଲା । ଗରୁଡ଼ ତହିଁ ନ ପଶିଲା ॥୪୬
କାଳୀୟ ଜାଣଇ ତଦନ୍ତ । ଗରୁଡ଼ ନ ପଶଇ ଏଥ ॥୪୭
ପୂର୍ବେ ସେ ଅଛି ଶାପ ପାଇ । କାଳିନ୍ଦୀ ହ୍ରଦକୁ ନ ଯାଇ ॥୪୮
ନିଶ୍ଚିନ୍ତେ ନାଗବଳ ସଙ୍ଗେ । ଜଳେ ରହିଲା ନବରଙ୍ଗେ ॥୪୯
ଗରୁଡ଼ ଦେଖି ବାହୁଡ଼ିଲା । ନିଜ ଭୁବନେ ବିଜେ କଲା ॥୫୦
ଶୁଣି ସାନନ୍ଦ ମହୀପତି । ମୁନିଙ୍କି ଚାହିଁ ତୋଷମତି ॥୫୧
- ପରୀକ୍ଷିତ ଉବାଚ
ବୋଲଇ ନିସ୍ତରିଲି ମୁହିଁ । ତୋ'ର ବଚନେ ମନ ଦେଇ ॥୫୨
ଭୋ ମୁନି ଅସମ୍ଭବ କଥା । ଗରୁଡ଼ ମହା ବଳବନ୍ତା ॥୫୩
ଗୋବିନ୍ଦ ଯାହାର ଠାକୁର । କେ ତା'ର ତୁଲେ ବଳୀୟାର ॥୫୪
କାଳିନ୍ଦୀ ଜଳେ ନ ପଶିଲା । ମୋତେ ତ ସନ୍ଦେହ ଲାଗିଲା ॥୫୫
ହସି ବୋଲନ୍ତି ବ୍ୟାସସୁତ । ଶୁଣ ହୋ ନୃପତି ତଦନ୍ତ ॥୫୬
- ଶୁକ ଉବାଚ
ପୂର୍ବେ ସେ ନଦୀତୀରେ ବନେ । ତପ କରନ୍ତି ମୁନିଜନେ ॥୫୭
ସୌଭରି ନାମେ ବ୍ରହ୍ମଋଷି । ତପ କରନ୍ତି ତଟେ ବସି ॥୫୮
ମୁନି ନିକଟେ ମୀନଗଣେ । କ୍ରୀଡ଼ା କରନ୍ତି ଅନୁକ୍ଷଣେ ॥୫୯
ବିଶ୍ୱାସ ଭାବେ ନିତିନିତି । ମୁନିଙ୍କି ନ କରନ୍ତି ଭୀତି ॥୬୦
ଦିନେକ ପ୍ରଭାତର କାଳେ । ଆସି ମିଳିଲେ ମତ୍ସ୍ୟବାଳେ ॥୬୧
ରୋହିତ ନାମେ ମତ୍ସ୍ୟରାଜ । ଖେଳଇ ଉଦ୍ଭାରିଣ ଲାଞ୍ଜ ॥୬୨
ମୀନ ବାଳକେ କ୍ରୀଡ଼ା କରି । ଦେଖନ୍ତି ମୁନି ସଉଭରି ॥୬୩
ଏମନ୍ତେ ଗରୁଡ଼ ମିଳିଲା । କାଳିନ୍ଦୀ ଜଳେ ଓହ୍ଲାଇଲା ॥୬୪
ଆହାର ଯତ୍ନେ ଖୋଜୁଥିଲା । ଜଳରେ ମୀନକୁ ଦେଖିଲା ॥୬୫
ନିଶ୍ଚଳେ ମୀନ ଚରୁଥିଲା । ଜଳ ହାନ୍ଦୋଳ କରିଦେଲା ॥୬୬
ନିଶ୍ଚିନ୍ତେ ବିହରଇ ମତ୍ସ୍ୟ । ମୁନି ତା' ଦେଖନ୍ତି ପ୍ରତ୍ୟକ୍ଷ ॥୬୭
ମୁନି ବୋଲନ୍ତି ରହ ରହ । ଏମାନେ ମୋର ନିଜ ଦେହ ॥୬୮
ଏହାକୁ ନ କର ଆହାର । ଏ ତୋ'ର କେବଣ ବେଭାର ॥୬୯
ଗରୁଡ଼ ନ ଶୁଣିଲା କର୍ଣ୍ଣେ । ରୋହିତେ ଗିଳିଲା ବହନେ ॥୭୦
ଦେଖି ଚକିତ ମୁନିବର । କୋପେ କମ୍ପିଲେ ଗୁରୁତର ॥୭୧
ବୋଲନ୍ତି ହରିଙ୍କି ଏ ବହି । ଏହାକୁ କୋପ ନ ଯୋଗାଇ ॥୭୨
ମୁହିଁ ଏହାକୁ କଲେ ନାଶ । କୋପ କରିବେ ପୀତବାସ ॥୭୩
ଏମନ୍ତେ ଚିତ୍ତ ସ୍ଥିର କରି । କୋପେ ବୋଲନ୍ତି ସଉଭରି ॥୭୪
ରେରେ ଗରୁଡ଼ ଏଡ଼େ ଗର୍ବ । ମୋତେ ଦେଖାଇଲୁ ସ୍ୱଭାବ ॥୭୫
ମୋହର ମନେ ଦେଲୁ ତାପ । ଉଚିତେ ଘେନ ମୋର ଶାପ ॥୭୬
କାଳିନ୍ଦୀ ହ୍ରଦେ ନ ପଶିବୁ । ଜୀବନେ ଯେତେ କାଳ ଥିବୁ ॥୭୮
ଯେବେ ପଶିବୁ ଦୁଷ୍ଟପଣେ । ଭସ୍ମ ହୋଇବୁ ତତ୍କ୍ଷଣେ ॥୭୯
ଶୁଣି ଗରୁଡ଼ ପଳାଇଲା । କାଳିନ୍ଦୀହ୍ରଦେ ନ ପଶିଲା ॥୮୦
ତାହା କାଳୀୟ ଜାଣିଥିଲା । ପଳାଇ ତହିଁ ସେ ଲୁଚିଲା ॥୮୧
ଲୁଚିଲାଠାରୁ ନେଇ ପୁଣି । ଏମନ୍ତ କଲେ ଚକ୍ରପାଣି ॥୮୨
ଶୁଣ ପରୀକ୍ଷ ଦଣ୍ତଧାରୀ । କୂଳେ ବିଜୟ ନରହରି ॥୮୩
କାଳୀୟ ସ୍ୱକୁଟୁମ୍ବ ଘେନି । ପୂଜି ଯେ ଗଲା ପାଦବେନି ॥୮୪
କୃଷ୍ଣର ଦେଖିଣ ବଦନ । ଆନନ୍ଦ ଯଶୋଦାର ମନ ॥୮୫
ଗୋପୀ ଗୋପାଳେ ବେଗେଧାଇଁ । କୋଳ କରନ୍ତି ଚୁମ୍ବ ଦେଇ ॥୮୬
କୃଷ୍ଣଙ୍କୁ ପାଇଣ ସମସ୍ତେ । ଚିନ୍ତା ଛାଡ଼ିଲେ ହୃଦଗତେ ॥୮୭
କୃଷ୍ଣଙ୍କୁ ଦେଖି ହଳଧର । କୋଳ କରନ୍ତି ସ୍ନେହଭର ॥୮୮
ଗାଈ ଗୋବତ୍ସା ଦେଖି ତୋଷେ । ରହିଲେ ମନର ହରଷେ ॥୮୯
ଆସି ମିଳିଲେ ବିପ୍ରଜନ । ନନ୍ଦକୁ ବୋଲନ୍ତି ବଚନ ॥୯୦
ବୋଲନ୍ତି ଭାଗ୍ୟବନ୍ତ ତୁହିଁ । ଏମନ୍ତ ଦେଖିଲା ତ ନାହିଁ ॥୯୧
ଏତେ ଆପଦୁଁ ପୁତ୍ର ତରି । ନିଶ୍ଚୟେ ରଖିଲେ ମୁରାରି ॥୯୨
ପୂର୍ବେ ସୁକୃତ ଯା'ର ଥାଇ । ସକଳ ଦୁସ୍ତରୁ ତରଇ ॥୯୩
କାଳୀୟ ବିଷଜ୍ୱାଳାବାଏ । ପକ୍ଷୀଏ ନ ଉଡ଼ନ୍ତି ଭୟେ ॥୯୪
ଏଡ଼େ ଗରଳ କଲା ନାଶ । ପ୍ରତ୍ୟେକ୍ଷ ବିଷ୍ଣୁ ତୋ'ର ଶିଷ ॥୯୫
କଲ୍ୟାଣ ହେଉ ତୋ' କୁମରେ । ବୋଲି ଚଳିଲେ ବିପ୍ରବରେ ॥୯୬
ଏମନ୍ତେ ହୋଇଲା ରଜନୀ । ଗୋପାଳେ ରାମକୃଷ୍ଣ ଘେନି ॥୯୭
ଗୋପକୁ ଯାଇ ନ ପାରିଲେ । ରଜନୀ ବଞ୍ଚିବା ବୋଇଲେ ॥୯୮
କ୍ଷୁଧା-ପିପାସା-ଦୁଃଖ ଭରେ । ଶୋଇଲେ କାଳିନ୍ଦୀର ତୀରେ ॥୯୯
ଏମନ୍ତ ଶୁଣ ମହୀପତି । ଅଗ୍ନି ବେଢ଼ିଲା ଚଉକତି ॥୧୦୦
ଦଇବେ ନିଦାଘର କାଳ । ପବନ ବହଇ ପ୍ରବଳ ॥୧୦୧
ପ୍ରଳୟାନଳ ପ୍ରାୟ ହୋଇ । ବେଢ଼ିଲା ଗୋପାଳଙ୍କୁ ଯାଇ ॥୧୦୨
ନିଦ୍ରାରେ ନ ଜାଣନ୍ତି କେହି । ରଜନୀ ଅର୍ଦ୍ଧ ଅଛି ହୋଇ ॥୧୦୩
ପ୍ରତ୍ୟେକ୍ଷେ ଗୋପାଳେ ଦେଖିଲେ । ବେଗେ ଶୟନ ଉପେକ୍ଷିଲେ ॥୧୦୪
ଅଗ୍ନି ଜଳଇ ପରଖର । ପବନ ଯୋଗେ ବଳୀୟାର ॥୧୦୫
ଦେଖି ଗୋପାଳେ ଖରତରେ । ପଶିଲେ କାଳନ୍ଦୀ ଭିତରେ ॥୧୦୬
ଡାକନ୍ତି ରଖ ନାରାୟଣ । ଗୋକୁଳେ ତୋହର ଶରଣ ॥୧୦୭
ଆମ୍ଭଙ୍କୁ ସଂକଟୁ ତାରିଲୁ । ତୁ ନାଥ ପରମ ଦୟାଳୁ ॥୧୦୮
ଏବେ ଆପଦୁଁ ରଖ ତୁହି । ଅନାଥ ହୋଇଲୁ ଗୋସାଇଁ ॥୧୦୯
ଗାଈ ଗୋପାଳ ଗୋପ ଆଦି । ଅନଳ ଆଣିଲା ନିରୋଧି ॥୧୧୦
ଗୋକୁଳ କଷ୍ଟ ଦେଖି ହରି । ଅନନ୍ତମାୟା ଯୋଗକରି ॥୧୧୧
ଦାସବତ୍ସଳ ଗୋପୀନାଥ । ଅନଳ କଲେ ଗର୍ଭଗତ ॥୧୧୨
ମାୟାରେ ମେଘମାନେ ଆସି । ବୃଷ୍ଟି କରନ୍ତି ବନେ ପଶି ॥୧୧୩
ତକ୍ଷଣେ ଅନଳ ଲିଭିଲା । ରବି କିରଣ ପ୍ରକାଶିଲା ॥୧୧୪
ଶୁଭେ ପାହିଲା ଘୋର ନିଶି । ନିର୍ମଳ ଦଶ ଦିଗ ଦିଶି ॥୧୧୫
ଯେ ହରି ମହିମା ଅନନ୍ତ । ଅନନ୍ତ ଶକ୍ତି ଗୁଣେ ଯୁତ ॥୧୧୬
ଗୋପୀ-ଗୋପାଳେ ରକ୍ଷା କରି । ଗୋପେ ମିଳିଲେ ନରହରି ॥୧୧୭
ସେ ହରି ଚରଣାରବିନ୍ଦେ । ମୋ ମନ-ଭ୍ରମର ଆନନ୍ଦେ ॥୧୧୮
ନିଶ୍ଚିନ୍ତେ ମକରନ୍ଦ ରସ । ସେବଇ ଜଗନ୍ନାଥ ଦାସ ॥୧୧୯
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ଦାବାଗ୍ନି ମୋଚନଂ ନାମ ଅଷ୍ଟାଦଶୋଽଧ୍ୟାୟଃ ॥
ଊନବିଂଶ ଅଧ୍ୟାୟ
[ସମ୍ପାଦନା]- ଶୁକ ଉବାଚ
ଏବେ ହୋ ଶୁଣ ନରନାଥ । ଅମୃତ କୃଷ୍ଣର ଚରିତ ॥୧
ଗୋପାଳେ ବୃନ୍ଦାବନେ ଥିଲେ । ସୁସ୍ଥେ ରଜନୀ ପୁହାଇଲେ ॥୨
ରାମ ଗୋବିନ୍ଦ ଘେନି ସଙ୍ଗେ । ମିଳିଲେ ଗୋପପୁର ଲାଗେ ॥୩
ଯେଝା ମନ୍ଦିରେ ଗୋପେ ଯାଇ । କହନ୍ତି ବୃଦ୍ଧଙ୍କୁ ବସାଇ ॥୪
କୃଷ୍ଣର ଯେତେ କର୍ମମାନ । ଶୁଣି ସକଳେ ତୋଷମନ ॥୫
ମାୟାଗୋପାଳ ରୂପ ହୋଇ । କ୍ରୀଡ଼ା କରନ୍ତି ବେନିଭାଇ ॥୬
ଏମନ୍ତେ ଶୁଣ ପରୀକ୍ଷିତ । ସ୍ୱଭାବେ ସରିଲା ବସନ୍ତ ॥୭
ନିଦାଘ କାଳ ଆଗମନେ । ଘର୍ମ ନ ଲାଗେ ବୃନ୍ଦାବନେ ॥୮
ସର୍ବଦା ବସନ୍ତ ପବନ । ସଧୀରେ ବହେ ଦିନୁ ଦିନ ॥୯
ବସନ୍ତ ନୋହେ ନା ଦୁର୍ଲ୍ଲଭ । ଯେ ବନେ ଶ୍ରୀରାମ ମାଧବ ॥୧୦
ନଦୀ ନିର୍ଝର ଜଳନାଦ । ନିବିଡ଼ ଝିଙ୍କାରି ଶବଦ ॥୧୧
ଅତି ଶୀତଳ ବନସ୍ଥଳୀ । ନିର୍ଝର ଜଳକଣା ମିଳି ॥୧୨
ନଦୀ ତଡ଼ାଗ ପ୍ରସ୍ରବଣ । ପବନ ଯୋଗେ ସ୍ନିଗ୍ଧବନ ॥୧୩
ଜଳେ ଅଛନ୍ତି ପୁଷ୍ପ ଯେତେ । କମଳ କୁମୁଦ ସହିତେ ॥୧୪
ତାହାଙ୍କ ରେଣୁ ଘେନି ବଳେ । ପବନ ବହେ କୁତୂହଳେ ॥୧୫
ଏଣୁ ସେ ବୃନ୍ଦାବନ ଦେଶେ । ନିଦାଘ ଗ୍ରୀଷମ ନ ପଶେ ॥୧୬
ଘନ ଗହନ ବନଭୂମି । ତେଣୁ ନୁହଁନ୍ତି ଜୀବେ ଶ୍ରମୀ ॥୧୭
ଅତି ଗଭୀର ନଦୀଜଳେ । ଲହରୀ ଉଠେ ବାୟୁବଳେ ॥୧୮
ପଙ୍କ ଦ୍ରବଇ ବେନିତଟେ । ସେ ଜଳେ ଗ୍ରୀଷ୍ମ ତ୍ରାସ କଟେ ॥୧୯
ତେଣୁ ଏ ବନଭୂମି ଦେଶ । ନ ଲାଗେ ଆଦିତ୍ୟର ତ୍ରାସ ॥୨୦
ଅରୁଣ ତେଜ ନ ଲାଗଇ । ଯହିଁ ବିଜୟ ଭାବଗ୍ରାହୀ ॥୨୧
ସ୍ୱଭାବେ କୁସୁମିତ ବନ । ମୃଗ ମୟୂର ପକ୍ଷୀସ୍ୱନ ॥୨୨
କୋକିଳ ସାରସ ନିକର । ଭ୍ରମରଧ୍ୱନି ମନୋହର ॥୨୩
ଏମନ୍ତେ ପ୍ରଭୁ ବନମାଳୀ । ଗୋପବାଳକ ମଧ୍ୟେ କେଳି ॥୨୪
ଆନନ୍ଦେ ଗୀତ ବେଣୁଧ୍ୱନି । ଗାଈ-ଗୋବତ୍ସା ସଙ୍ଗେ ଘେନି ॥୨୫
ମିଳିଲେ ବୃନ୍ଦାବନେ ଯାଇ । ରଙ୍ଗେ ନାଚନ୍ତି ବେନିଭାଇ ॥୨୬
ସଦାବସନ୍ତ ବୃନ୍ଦାବନେ । ନାନା କୁସୁମ ଫଳମାନେ ॥୨୭
ଯହିଁ ଗୋବିନ୍ଦ ବନଚାରୀ । ମିଶେଷ ସଙ୍ଗେ ହଳଧାରୀ ॥୨୮
ଶୀତଳ ଛାୟା ବୃକ୍ଷତଳେ । ଭ୍ରମର ପନ୍ତି ଫୁଲଡ଼ାଳେ ॥୨୯
ଶୋଭିତ ସରୋବର ଫୁଲ । ସୁଗନ୍ଧ ଶୀତଳ ଅମୂଲ୍ୟ ॥୩୦
ଅରୁଣ ତେଜ ନ ଲାଗଇ । ବନର ବହ୍ନି ବନେ ଥାଇ ॥୩୧
କୋମଳ ତୃଣ ଯୂଥେ ଯୂଥେ । ଗୋରୁଏ ଚରନ୍ତି ନିଶ୍ଚିନ୍ତେ ॥୩୨
ଯମୁନା ଜଳ ବୃକ୍ଷମୂଳେ । ପବନ ବହଇ ଶୀତଳେ ॥୩୩
ବନକୁସୁମ ପରିମଳ । ଦେଖି ସାନନ୍ଦ ଆଦିମୂଳ ॥୩୪
ବାଳକକ୍ରୀଡ଼ା ସାବଧାନେ । କୃଷ୍ଣ ବିଜୟେ ବୃନ୍ଦାବନେ ॥୩୫
ସେ ବନେ ଚରାଇଲେ ଗାଈ । ଗୋପେ ନାଚନ୍ତି ବେଣୁ ବାଇ ॥୩୬
ଶିରେ ଗୁଞ୍ଜରା ଜାମୁଡ଼ାଳୀ । ରତ୍ନଭୂଷଣ ଫୁଲମାଳୀ ॥୩୭
ପ୍ରବାଳ-ବରହିସ୍ତବକ । ଧାତୁଭୂଷଣ ରଙ୍ଗେରଖ ॥୩୮
ବାଳକେ ରାମକୃଷ୍ଣ ମେଳେ । ଯୁଦ୍ଧ କରନ୍ତି ବାହୁବଳେ ॥୩୯
ରାମଗୋବିନ୍ଦ ଗୋପସୁତେ । ଖେଳନ୍ତି ନୃତ୍ୟଗୀତ ଯୁତେ ॥୪୦
କୃଷ୍ଣର ନୃତ୍ୟ ଗୋପେ ଦେଖି । ମିଳିଲେ ଗୋବତ୍ସା ଉପେକ୍ଷି ॥୪୧
କେ ତାଳି ବାଇ ମନୋହରେ । ଗମ୍ଭୀର ଗୀତନାଦ ସ୍ୱରେ ॥୪୧
ଶିଙ୍ଗା ମୁରଲୀନାଦ ପୁରି । କେ ସାଧୁ ଧନ୍ୟ ଧନ୍ୟ କରି ॥୪୨
ଦେବେଯେ ଥିଲେ ଶୂନ୍ୟପଥେ । ମିଳିଲେ କୃଷ୍ଣର ଅଗ୍ରତେ ॥୪୩
ମାୟାବାଳକ ରୂପ ହୋଇ । କୃଷ୍ଣର ଚଉପାଶେ ଥାଇ ॥୪୪
ସ୍ତୁତି କରନ୍ତି କୃଷ୍ଣ ରାମେ । ଭାଟେ ଯେସନେ ଗୁଣଗାନେ ॥୪୫
ଏକ ଆରକେ ସାଧୁଭଣି । ଶୁଣ ପାଣ୍ତବ ଚୂଡ଼ାମଣି ॥୪୬
ତାଣ୍ତବ ରସେ ସୁଖେ ହରି । ବୃନ୍ଦା ବନରେ କ୍ରୀଡ଼ା କରି ॥୪୭
କୃଷ୍ଣର ନୃତ୍ୟ ଦେଖି ପୋଏ । ରାମଙ୍କୁ ବେଢ଼ିଲେ ଥୋକାଏ ॥୪୮
ଖେମଟାରସେ ଗୀତ ଗାଇ । କେ ଧାଏଁ ଶିଙ୍ଗାନାଦ ଦେଇ ॥୪୯
ତାଳି ମୁରଲୀ ଗାଲତୁର । ନାଚନ୍ତି ବ୍ରହ୍ମାଣ୍ତ ଠାକୁର ॥୫୦
ନୃତ୍ୟର ଅନ୍ତେ ପରଶଂସି । କେ ତହିଁ କହନ୍ତି ବିଶ୍ୱାସି ॥୫୧
ଥୋକେ କରନ୍ତି ନାନା ସ୍ତୁତି । ହରଷେ ପୁଷ୍ପ ପରଷନ୍ତି ॥୫୨
କୃଷ୍ଣ ସଙ୍ଗେ ନୃତ୍ୟ କରି । ବୁଲନ୍ତି ବୃନ୍ଦାବନେ ହେରି ॥୫୩
କେ ବଳେ ଏକୁ ଆରେ ଧରି । ଡାକନ୍ତି ବାହାନାଦ କରି ॥୫୪
କୃଷ୍ଣ ଉଠିଲେ ଉଚ୍ଚବୃକ୍ଷେ । ଫଳ ତୋଳିଲେ ନାନା ଶାଖେ ॥୫୫
ପୋଏ ତୋଳିଲେ ଯେଝାମତେ । ଅମର ଲୋକେ ଯୂଥେ ଯୂଥେ ॥୫୬
ଏକ ଆରକେ ମରାମରି । କେ ସାକ୍ଷୀ କରନ୍ତି ମୁରାରି ॥୫୭
କର ଚରଣ ଧରି ଛନ୍ଦେ । ଯୁଦ୍ଧ କରନ୍ତି ନାନା ବନ୍ଧେ ॥୫୮
କେ ପଛେ ଥାଇ ଚକ୍ଷୁ ବୁଜି । ନାମ ଧରନ୍ତି ମନେ ହେଜି ॥୫୮
ମୃଗଙ୍କ ପ୍ରାୟ କେହୁ ଧାଇଁ । ପକ୍ଷୀଙ୍କ ପ୍ରାୟ କେ ଉଡ଼ଇ ॥୫୯
ଭେକର ପ୍ରାୟ କେ ଡିଅଁନ୍ତି । ଚାଲନ୍ତି ଯେହ୍ନେ ହଂସପନ୍ତି ॥୬୦
ବସ୍ତ୍ର ବାନ୍ଧନ୍ତି ବୃକ୍ଷ ଡାଳେ । ଦୋଳି କରନ୍ତି କୁତୁହଳେ ॥୬୧
ପର୍ବତ କୁଞ୍ଜ ନଦୀକୂଳେ । ଖେଳନ୍ତି ରାମକୃଷ୍ଣ ମେଳେ ॥୬୨
ଗାଈ ଚରାଇ ବେଣୁବାଇ । ବନେ ଖେଳନ୍ତି ବେନି ଭାଇ ॥୬୩
ଏମନ୍ତେ କଂସ ଅନୁଚର । ବନେ ମିଳିଲା ନଦୀତୀର ॥୬୪
ପ୍ରଳମ୍ବ ନାମେ ମହାବଳୀ । ଲୁଚି ଦେଖଇ କୃଷ୍ଣକେଳି ॥୬୫
କ୍ଷଣକେ ସହି ନ ପାରିଲା । ଗୋପାଳ ରୂପେକ ହୋଇଲା ॥୬୬
ପ୍ରଳମ୍ବ ବିଚାରଇ ମନେ । କୃଷ୍ଣଙ୍କୁ ମାରିବି କେସନେ ॥୬୭
ପୁଅଙ୍କ ମେଳେ ଥିବି ବସି । ମୋର ନିକଟେ ଯେବେ ଆସି ॥୬୮
ମୁଣ୍ତ ମୋଡ଼ିବି ଧରି କରେ । କହିବି କଂସର ଛାମୁରେ ॥୬୯
ଏମନ୍ତ ବିଚାରିଲା ମନେ । ଲତାରେ ଥାଇ ବୃନ୍ଦାବନେ ॥୭୦
ମାୟା ଗୋପାଳ ରୂପ ହୋଇ । ମିଳିଲା ଗୋପ ମଧ୍ୟେ ଯାଇ ॥୭୧
ତାହା ଜାଣିଲେ ଭାବଗ୍ରାହୀ । କହନ୍ତି ଗୋପାଳଙ୍କୁ ଚାହିଁ ॥୭୨
ବାଳକେ ଶୁଣ ମୋ' ଉତ୍ତର । ମୁହିଁ ଜାଣଇଁ ଖେଡ଼ସାର ॥୭୩
ରାଜା ପରଜା ଖେଳ ଅଛି । ଆସ ଖେଳିବା ବଳ ଆଞ୍ଚି ॥୭୪
ଶୁଣି ସାନନ୍ଦ ମନେ ହସି । ରୁଣ୍ତ ହୋଇଲେ ପୋଏ ଆସି ॥୭୫
ରାମ ଗୋବିନ୍ଦେ କରି ରାଜା । ସକଳେ ହୋଇଲେ ପରଜା ॥୭୬
ଅଧେ ହୋଇଲେ ରାମ ଆଡ଼େ । ଥୋକେ ହୋଇଲେ କୃଷ୍ଣବାଡ଼େ ॥୭୭
କୃଷ୍ଣ ବୋଇଲେ ଦୁଇ ଦୁଇ । ବଳ କଷିବା ଯୁଦ୍ଧ ବିହି ॥୭୮
ଯୋଡ଼ି ଯୋଡ଼ିଏ ଏକ ସଙ୍ଗେ । ଯୁଦ୍ଧ କରିବା ନାନା ରଙ୍ଗେ ॥୭୯
ଖେଳ ପାଞ୍ଚିଲେ ଗୋପପୋଏ । ମାୟା ଭିଆଣ ଦେବରାୟେ ॥୮୦
ଜଣ ଜଣକେ ନାମ ଧରି । ଯୁନ୍ଧେ ପେଷିଲେ ନରହରି ॥୮୧
ଶ୍ରୀଦାମ ନାମ ଗୋପବାଳେ । ଯୁଝିଲା ଗୋବିନ୍ଦର ତୁଲେ ॥୮୨
ପ୍ରଳମ୍ବାସୁର ତୁଲେ ରାମ । କୃଷ୍ଣ ତୁଲେ ଭଦ୍ରସେନ ॥୮୩
ଏତେ ଭିଆଇ ଭାବଗ୍ରାହୀ । ବୋଲନ୍ତି ଗୋପାଳଙ୍କୁ ଚାହିଁ ॥୮୪
ଯୁଦ୍ଧ କରିବା ପୀଢ଼ କରି । ସଂଗ୍ରାମେ ଯେ ଯାହାକୁ ହାରି ॥୮୫
ଭାଣ୍ତୀର ବଟ ତଳେ ନେଇ । ଥୋଇବ କନ୍ଧରେ ବସାଇ ॥୮୬
ହେଉ ବୋଇଲେ ଗୋପବାଳେ । ଯୁଝନ୍ତି ଯେ ଯାହାର ବଳେ ॥୮୭
ହାରିଲେ ବୃକ୍ଷମୂଳେ ନେଇ । ଛାଡ଼ନ୍ତି କନ୍ଧରେ ବସାଇ ॥୮୮
ଏମନ୍ତେ ପ୍ରଭୁ ଦଇତାରି । ଶ୍ରୀଦାମ ତୁଲେ ଯୁଦ୍ଧ କରି ॥୮୯
ତାହାକୁ ଯୁଦ୍ଧେ କୃଷ୍ଣ ହାରି । ବଟେ ଛାଡ଼ିଲେ କଦ୍ଧେ କରି ॥୯୦
ଏବେ ହୋ ଶୁଣ ରସକଥା । ପ୍ରଳମ୍ବ ଅସୁର ବାରତା ॥୯୧
ପ୍ରଳମ୍ବାସୁର ରାମ ସଙ୍ଗେ । ପଡ଼ିଲା ପଞ୍ଚାପଞ୍ଚି ରଙ୍ଗେ ॥୯୨
ଯୁଦ୍ଧ କରନ୍ତେ ଗୁରୁତର । ରାମକୁ ହାରିଲା ଅସୁର ॥୯୩
ତକ୍ଷଣେ ବସାଇଲା କନ୍ଧେ । ଅସୁର ଭାଳଇ ଆନନ୍ଦେ ॥୯୪
ଏହାକୁ ବଟ ଯାଏ ନେଇ । ଘେନିଣ ପଳାଇବି ମୁହିଁ ॥୯୫
ମୁଣ୍ତ ମୋଡ଼ିବି ବନେ ପଶି । ପୁଣି ମିଳିବ ଏଥେ ଆସି ॥୯୬
କୃଷ୍ଣ ପଡ଼ିବ ଯେତେବେଳେ । ଘେନି ଉଡ଼ିବି ଅନ୍ତରାଳେ ॥୯୭
କଂସ ଛାମୁରେ ଦେବି ନେଇ । ନିଶ୍ଚିନ୍ତେ ଭୁଞ୍ଜିବ ସେ ମହୀ ॥୯୮
ଏତେ ବିଚାରି ମହାସୁର । କନ୍ଧେ ବସାଇ ହଳଧର ॥୯୯
ଭାଣ୍ତୀରବଟ ଗଲା ଜିଣି । ତାହା ଜାଣିଲେ ହଳପାଣି ॥୧୦୦
କୋଟିଏ ମେରୁ ଯେହ୍ନେ ଭାର । ଚଳି ନପାରିଲା ଅସୁର ॥୧୦୧
ତକ୍ଷଣେ ନିଜରୂପ ଧରି । ଅସୁର ଗଗନେ ସଞ୍ଚରି ॥୧୦୨
ନୀଳ-ଜୀମୂତ-ଦେହ କାନ୍ତି । ମଣିକଙ୍କଣ ଝଟକନ୍ତି ॥୧୦୩
ସ୍ୱାଭାବେ ନାନା ଅଳଙ୍କାର । ତେଜେ ବିରାଜିଲା ଅସୁର ॥୧୦୪
କି ଅବା ଦେବା ପଟାନ୍ତର । ଯାହାର କନ୍ଧେ ହଳଧର ॥୧୦୫
ବିଜୁଳି ଯେହ୍ନେ କଳାମେଘେ । ଯେସନେ ଶଶାଙ୍କର ଲାଗେ ॥୧୦୬
ଗଗନେ ବେଗେ ଯାଉଅଛି । ତା' ଦେଖି ରାମ ମନେ ପାଞ୍ଚି ॥୧୦୭
ଭ୍ରୂକୁଟି କୁଟିଳ ପ୍ରପଞ୍ଚ । ବିକଟ ଦନ୍ତ ତୀକ୍ଷ୍ଣ ଉଚ୍ଚ ॥୧୦୮
ସୁବର୍ଣ୍ଣ ତେଜେ ଦେହ ଝଳି । ନୀଳମେଘରେ କି ବିଜୁଳି ॥୧୦୯
ତକ୍ଷଣେ ପ୍ରଭୁ ହଳଧର । ଜାଣିଲେ ନିଶ୍ଚୟ ଅସୁର ॥୧୧୦
ମୁଷ୍ଟିଏ ପ୍ରହାରିଲେ ମୁଣ୍ତେ । ବଜ୍ର ଯେସନେ ଗିରିଖଣ୍ତେ ॥୧୧୧
ମୁଣ୍ତ ହୋଇଲା ଶତେ ଚୂର । ଶବଦ କଲା ମହାଘୋର ॥୧୧୨
ରୁଧିର ଉଦ୍ଗାରିଲା ମୁଖେ । ପଡ଼ିଲା ଗୋବର୍ଦ୍ଧନ ପାଖେ ॥୧୧୩
ଦେଖି ଚକିତ ଗୋପପୋଏ । ସ୍ୱର୍ଗେ ଯେ ଥିଲେ ଦେବତାଏ ॥୧୧୪
ସକଳେ ସାଧୁ ସାଧୁ ଭଣି । କୁସୁମ ବରଷିଲେ ଆଣି ॥୧୧୫
ରାମଙ୍କୁ ଧରି ଗୋପବାଳେ । କୋଳ କରିଣ ଚୁମ୍ବ ଦେଲେ ॥୧୧୬
ଅବନୀ ହୋଇଲା ଆନନ୍ଦ । ବାଳମୂରତି ଆଦିକନ୍ଦ ॥୧୧୭
ସେ ରାମଚରଣେ ବିଶ୍ୱାସ । ଶରଣ ଜଗନ୍ନାଥ ଦାସ ॥୧୧୮
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ପ୍ରଳମ୍ବବଧୋ ନାମ ଊନବିଂଶୋଽଧ୍ୟାୟଃ ॥
ବିଂଶ ଅଧ୍ୟାୟ
[ସମ୍ପାଦନା]କହନ୍ତି ବ୍ୟାସମୁନି ସୁତ । ଶୁଣ ରାଜନ ପରୀକ୍ଷିତ ॥୧
ଖେଳନ୍ତି ରାମ ନରହରି । ଗୋରୁଏ ଗଲେ ବନେଚରି ॥୨
ଚରନ୍ତେ ତୃଣ ଲୋଭେ ଗାଈ । ପଶିଲେ ଗିରିକୁଞ୍ଜେ ଯାଇ ॥୩
ଅଜା ମହିଷୀ ଗୋରୁ ସଙ୍ଗେ । ପ୍ରବେଶ କୁଞ୍ଜବନ ଲାଗେ ॥୪
ଅନଳ ଆବୋରିଲା ଆସି । କୁଞ୍ଜ ଗହନେ ଛନ୍ତି ପଶି ॥୫
ବିକଳେ ଚଉଦିଗେ ଚାହିଁ । କାନ୍ଦନ୍ତି କୃଷ୍ଣ ମନେ ଧ୍ୟାୟି ॥୬
ପୋଏ ଯେ ଥିଲେ କୃଷ୍ଣ ସଙ୍ଗେ । ଖେଳୁଁ ଚାହିଁଲେ ଚାରିଦିଗେ ॥୭
ବିକଳେ ଖେଦମନେ ଧାଇଁ । ଲୋଡ଼ନ୍ତି ବନେ ବତ୍ସା ଗାଈ ॥୮
ଗୋରୁଙ୍କ ଖୋଜ ଅନୁସରି । ଡାକନ୍ତି ଗାଈ ନାମଧରି ॥୯
ଗାଈଙ୍କି ନ ଦେଖି ବିକଳ । ପଛେ ଅଛନ୍ତି ଆଦିମୂଳ ॥୧୦
ବତ୍ସା ନ ପାଇ କୁଞ୍ଜବନେ । ପୋଏ କାନ୍ଦନ୍ତି ଦୁଃଖମନେ ॥୧୧
ତୃଷିତ ହୋଇ ବାହୁଡ଼ିଲେ । କୃଷ୍ଣର ନିକଟେ ମିଳିଲେ ॥୧୨
ପୁଅଙ୍କ ଦୁଃଖ ଦେଖି ହରି । ବୃକ୍ଷେ ଉଠିଲେ ଅନୁସରି ॥୧୩
ନୀଳ-ଜୀମୂତ ଦେହ ହରି । ପୀତବସନ ବନମାଳୀ ॥୧୪
ମେଘ-ଗମ୍ଭୀର ରସଭରେ । ଗୋରୁଙ୍କୁ ଡାକନ୍ତି ସୁସ୍ୱରେ ॥୧୫
ଗୋରୁଏ ନାମ ଶୁଣି କର୍ଣ୍ଣେ । ହୁଙ୍କାର କଲେ ତୋଷମନେ ॥୧୬
ଏମନ୍ତେ ବେଢ଼ିଲା ଅନଳ । ଯେସନେ ପ୍ରଳୟର କାଳ ॥୧୭
ପବନ ବହେ ଖରତର । ପ୍ରଚଣ୍ତ ତେଜ ମହାଘୋର ॥୧୮
ଅନଳ ଦେଖି ଗୋପବାଳେ । କୃଷ୍ଣଙ୍କୁ ଡାକନ୍ତି ବିକଳେ ॥୧୯
ହେ ରାମକୃଷ୍ଣ ଆସ ବେଗେ । ଅଗ୍ନି ବେଢ଼ିଲା ଚାରିଦିଗେ ॥୨୦
ଆମ୍ଭେ ତୋହର ବନ୍ଧୁବଳ । ତୋହରେ ଶରଣ ଗୋକୁଳ ॥୨୧
ମୁନି ବୋଲନ୍ତି ଶୁଣ ରାୟେ । ଗୋକୁଳେ କୃଷ୍ଣ କଲେ ଦୟେ ॥୨୨
କୃଷ୍ଣ ବୋଇଲେ ଯେଝାମତେ । ଚକ୍ଷୁ ଲୁଚାଅ ବେନିହସ୍ତେ ॥୨୩
ଶୁଣି ଲୋଚନେ କର ଦେଇ । ବୋଲନ୍ତି କୃଷ୍ଣ ତ୍ରାହି ତ୍ରାହି ॥୨୪
ଗୋବିନ୍ଦ ଯୋଗମାୟା ବଳେ । ଅଗ୍ନି ଗିଳିଲେ କଣ୍ଠନାଳେ ॥୨୫
ଗୋପକୁମରେ ବେଗେ ଧାଇଁ । ମିଳିଲେ ବଟତଳେ ଯାଇ ॥୨୬
ଭାଣ୍ତୀର ତଳେ ଚକ୍ଷୁ ଫେଇ । ସଭୟେ ଚଉଦିଗେ ଚାହିଁ ॥୨୭
ଗୋରୁଏ ମିଳିଲେ ତକ୍ଷଣ । ରଙ୍ଗେ ନାଚନ୍ତି ନାରାୟଣ ॥୨୮
କୃଷ୍ଣଙ୍କୁ ଚାହିଁ ଗୋପପୋଏ । ଗୁପତେ ଭାଳନ୍ତି ଥୋକାଏ ॥୨୯
କି ଏ କେବଣ ଦେବତାଏ । ଜାତ ହୋଇଛି ନରଦେହେ ॥୩୦
ଅନେକ ସଙ୍କଟୁ ତାରିଲେ । ଯଶୋଦା ଭାଗ୍ୟେ ଜାତ କଲେ ॥୩୧
ଏମନ୍ତେ ଗୋପାଳଙ୍କ ମନ । ଜାଣିଲେ ପ୍ରଭୁ ଭଗବାନ ॥୩୨
ମାୟାରେ ମୋହିଲେ କୁମର । ବିଶ୍ୱ ପ୍ରପଞ୍ଚ ଖେଡ଼ଘର ॥୩୩
ଏମନ୍ତେ ରବି-ଅସ୍ତକାଳେ । ଗୋବିନ୍ଦ ଘେନି ଗୋପବାଳେ ॥୩୪
ଗୋପେ ହୋଇଲେ ପରବେଶ । ବେଣୁ ଶବଦେ ଗୀତରସ ॥୩୫
ଗୋପୀଏ ନ ଦେଖି ଶ୍ରୀପତି । ଘଡ଼ିକ ଯୁଗ ସେ ମଣନ୍ତି ॥୩୬
ରାମଗୋବିନ୍ଦ ମୁଖ ଚାହିଁ । ଚିନ୍ତା ଛାଡ଼ିଲେ ତୋଷ ହୋଇ ॥୩୭
ଘରେ କହିଲେ ପୁଅମାନେ । ଆମ୍ଭେ ଯେ ଗଲୁ ବୃନ୍ଦାବନେ ॥୩୮
ଖେଳ ଖେଳିଲୁ ବେନିବଳ । ରାଜା-ପରଜା ଖେଳ ସାର ॥୩୯
ପ୍ରଳମ୍ବ ନାମେଣ ଅସୁର । ଖେଳ ଭିତରେ ଥିଲା ବୀର ॥୪୦
ରାମକୁ ବହି ନେଉଥିଲା । ଜାଣି ସେ ମୁଥ ପ୍ରହାରିଲା ॥୪୧
ମୁଣ୍ତ ହୋଇଲା ଶତେ ଚୁର । ଗର୍ଜିଣ ପଡ଼ିଲା ଅସୁର ॥୪୨
ଗୋବରଧନ ଗିରି ଲାଗେ । ପଡ଼ିଣ ଅଛି ମହୀଭାଗେ ॥୪୩
ତହୁଁଣ କୁଞ୍ଜ ବନେ ଗଲୁ । ଗାଈବାଛୁରୀ ନ ପାଇଲୁ ॥୪୪
ଲୋଡ଼ିଲୁ ଗହନ ବନରେ । ଅଗ୍ନି ବେଢ଼ିଲା ଧାତିକାରେ ॥୪୫
ବନେ ଅନଳ ତେଜ ଦିଶି । ଡାକିଲୁ ରଖ ବ୍ରହ୍ମରାଶି ॥୪୬
ପ୍ରତ୍ୟକ୍ଷେ ଅନଳ ଦେଖିଲୁ । ଆରତେ କୃଷ୍ଣ ସୁମରିଲୁ ॥୪୭
କୃଷ୍ଣ ବୋଇଲେ ଆଖି ବୁଜ । ଅନଳ ଲିଭାଇବୁଁ ଆଜ ॥୪୮
ତାହାର ବୋଲେ ଆଖିମାନ । ହସ୍ତରେ ବୁଜିଲୁ ବହନ ॥୪୯
ଦଣ୍ତକେ ଫେଡ଼ିଣ ଚାହିଁଲୁ । ତେଡ଼େ ଅନଳ ନ ଦେଖିଲୁ ॥୫୦
କେବଣ ମନ୍ତ୍ର କୃଷ୍ଣ କଲା । ତେଡ଼େ ଅନଳ ଲିଭାଇଲା ॥୫୧
ପୁଅଙ୍କ କଥାମାନ ଶୁଣି । ବିଷାଦ ବରଜତରୁଣୀ ॥୫୨
ଗୋପାଳେ ହରଷ ବିସ୍ମୟେ । ତ୍ରାସ ଲାଗିଲା ସର୍ବଦେହେ ॥୫୩
ଯୋଗମାୟାରେ ମୋହ ହୋଇ । କ୍ଷଣକେ ପାସୋରିଲେ ତାହିଁ ॥୫୪
ପୁତ୍ରଙ୍କ ସ୍ନେହଭାବ ଘେନି । ଭଜନ୍ତି ଗୋପର କାମିନୀ ॥୫୫
ସୁଜନେ କୃଷ୍ଣପାଦେ ଚିନ୍ତ । ସଂସାରେ ନୁହଁ ଭ୍ରମଚିତ୍ତ ॥୫୬
ସମ୍ପଦ ସ୍ୱପ୍ନପ୍ରାୟ ଦେଖ । ଧ୍ୟାନେଣ ଚିନ୍ତ ପଦ୍ମମୁଖ ॥୫୭
ବ୍ରାହ୍ମଣ କୁଳେ ଜାତ ହୋଇ । ବିଷ୍ଣୁବାସନା ମୋର ନାହିଁ ॥୫୮
ସାଧୁଚରଣେ ଆଶ୍ରେ ମୋର । ଉଧର କୃଷ୍ଣ-ହଳଧର ॥୫୯
ହରିଚରଣେ ଦିଅ ମନ । ଯେ ହରି ବିପତ୍ତିନାଶନ ॥୬୦
ଆବର ଯେତେ ଦ୍ରବ୍ୟମାନ । ସେ ସର୍ବ ନିଶିର ସ୍ୱପନ ॥୬୧
ସଂସାରୁ ତରିବ ଯେମନ୍ତ । ଭଣଇଁ ଦାସ ଜଗନ୍ନାଥ ॥୬୨
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ଦାବାଗ୍ନିପାନଂ ନାମ ବିଂଶୋଽଧ୍ୟାୟଃ ॥
ଏକବିଂଶ ଅଧ୍ୟାୟ
[ସମ୍ପାଦନା]- ଶୁକ ଉବାଚ
ଶୁଣ ରାଜନ ହରିରସ । ତୁ ଅଟୁ ଗୋବିନ୍ଦର ଦାସ ॥୧
କୃଷ୍ଣ ମହିମା ଶୁଣି କର୍ଣ୍ଣେ । ଗୋପୀ ଗୋପାଳ ତୋଷମନେ ॥୨
ରାମକୃଷ୍ଣଙ୍କୁ ପରଶଂସି । କିଏ ଦେବତା ଏଥେ ଆସି ॥୩
ନୋହିଲେ ଏଡ଼େ କର୍ମ କାହିଁ । ବିଷମ ସଂକଟୁ ତାରଇ ॥୪
ପରମାନନ୍ଦ ମୁଖ ଚାହିଁ । ଚିନ୍ତା ଛାଡ଼ିଲେ ତୋଷ ହୋଇ ॥୫
ଏମନ୍ତେ ଗ୍ରୀଷ୍ମକାଳ ଗଲା । ବରଷା ଋତୁ ପ୍ରସରିଲା ॥୬
ସକଳ ଋତୁଙ୍କର ସାର । ଶସ୍ୟ-ସମ୍ପଦ ମଞ୍ଚପୁର ॥୭
ମେଘେ ମିଳିଲେ ଶୂନ୍ୟପଥେ । ବିଜୁଳି-ପବନ ସଙ୍ଗତେ ॥୮
ଭୂମି-ସାଗର ଶୂନ୍ୟ ବ୍ୟାପୀ । ନୀଳ ଜିମୂତ ବିଶ୍ୱରୂପୀ ॥୯
ଆକାଶ ମେଘାଚ୍ଛନ୍ନ ହୋଇ । ଜ୍ୟୋତି ପ୍ରକାଶ ନ ଦିଶଇ ॥୧୦
ଗୁଣେ ଆଚ୍ଛନ୍ନ ବ୍ରହ୍ମ ଯେହ୍ନେ । ଆକାଶ ନଦିଶେ ତେସନେ ॥୧୧
ଭୂମିର ରସ ଅଷ୍ଟମାସ । ଆଦିତ୍ୟ କରିଥିଲା ଗ୍ରାସ ॥୧୨
ତେଜେ ଅବନୀ ଦୁଃଖ ଚାହିଁ । ଜଳ ଛାଡ଼ିଲା ତୋଷ ହୋଇ ॥୧୩
ଘୋର-ଶବଦେ ମେଘମାଳ । ଗର୍ଜିଣ ବରଷନ୍ତି ଜଳ ॥୧୪
ପ୍ରାଣୀ-ଜୀବନ ଜଳରାଶି । କରୁଣାଚିତ୍ତରେ ବରଷି ॥୧୫
ପୃଥିବୀ ରବିତେଜ ତ୍ରାସେ । ତାପିତ ଥିଲା ଅଷ୍ଟମାସେ ॥୧୬
ଜଳ ପାଇଲା ତୋଷଚିତ୍ତେ । ତପସ୍ୱୀଜନଙ୍କର ମତେ ॥୧୭
ତପସ୍ୟା ଫଳ ଯେହ୍ନେ ପାଇ । ଭୁଞ୍ଜନ୍ତି ଅତି ସୁଖୀ ହୋଇ ॥୧୮
ଖଦ୍ୟୋତ କୀଟ ନିଶାମୁଖେ । ଜଗତ ଆବୋରିଲେ ସୁଖେ ॥୧୯
ପାଷଣ୍ତେ ଯେହ୍ନେ କଳିଯୁଗେ । ବେଦ ନିନ୍ଦନ୍ତି ପାପ ଯୋଗେ ॥୨୦
ମଣ୍ତୁକେ ମେଘନାଦ ଶୁଣି । ଗର୍ଜିନ୍ତି ଆବୋରିଣ ପାଣି ॥୨୧
ରଜନୀ ଅନ୍ତେ ବିପ୍ରଜନେ । କରନ୍ତି ବେଦଧ୍ୱନି ଯେହ୍ନେ ॥୨୨
ଅଳପ ନଦୀଏ ପୂରିଲେ । ଲହରି ଘେନି ଉଛୁଳିଲେ ॥୨୩
ପୁଣି ଶୁଖନ୍ତି ଜଳଅନ୍ତେ । ଅଳପ ଲୋକଙ୍କର ମତେ ॥୨୪
ତୃଣରେ ଇନ୍ଦ୍ର ଗୋପ ମିଶି । ସୈନ୍ୟ ସଂପଦ ପ୍ରାୟ ଦିଶି ॥୨୫
ଛତୁଏ ଛତ୍ର ପ୍ରାୟ ହୋଇ । ରାଜାଙ୍କ ପ୍ରାୟ ଦିଶେ ମହୀ ॥୨୬
ନାନାପ୍ରକାରେ ଶସ୍ୟରାଶି । ଏଣେ ପୂରିତ ମହୀ ଦିଶି ॥୨୭
ଶସ୍ୟ-ସଂପଦେ କ୍ଷେତ୍ରମାନେ । ଦେଖି ଆନନ୍ଦ କୃଷିଜନେ ॥୨୮
ଦରିଦ୍ରଙ୍କର କୃଷିନାଶେ । ତାପ କରାଇଲେ ବିଶେଷେ ॥୨୯
ଦଇବ ବଳ ଅବିଶ୍ୱାସେ । ତାପକେ ପାଇଲେ ବିଶେଷେ ॥୩୦
ଅଶେଷ ଜୀବ ଜଳସ୍ଥଳେ । ଜଳ ଭକ୍ଷିଲେ କୁତୂହଳେ ॥୩୧
ଦିନକୁ ଦିନ ପୁଷ୍ଟ ହୋଇ । ହରିସେବକ ପ୍ରାୟ ରହି ॥୩୨
ସମୁଦ୍ର-ନଦୀଙ୍କର ମେଳେ । କଲ୍ଲୋଳ ଉଠେ ପୁଣ୍ୟଜଳେ ॥୩୩
ଅଳପ ଯୋଗୀଙ୍କର ଚିତ୍ତ । ଯେହ୍ନେ ଚଞ୍ଚଳଗୁଣେ ଗ୍ରସ୍ତ ॥୩୪
ପର୍ବେତେ ଜଳଧାରା ଘାଏ । ଛିଡ଼ନ୍ତେ ନ କରନ୍ତି ଭୟେ ॥୩୫
କୃଷ୍ଣ-ଆଶ୍ରିତ ପ୍ରାଣୀ ଯେହ୍ନେ । ଦୁଃଖିତ ନୁହନ୍ତି ବ୍ୟସନେ ॥୩୬
ପଥ ହୋଇଲା ତୃଣମୟ । ବାଟର ନ ମିଳିଲା ଥୟ ॥୩୭
ବ୍ରାହ୍ମଣେ ବେଦ ପାସୋରିଲେ । ଯେମନ୍ତେ ହ୍ୱନ୍ତି ପଚାରିଲେ ॥୩୮
ଜଗତବନ୍ଧୁ ମେଘମାଳେ । ବିଜୁଳି ନ ରହେ ନିଶ୍ଚଳେ ॥୩୯
ଗୁଣି ପୁରୁଷ ଥାଉଁ ମେଳେ । ବିଟପୀ ମନ ଯେହ୍ନେ ଟଳେ ॥୪୦
ଜଳଦ ମଧ୍ୟେ ଇନ୍ଦ୍ରଚାପ । ଦିଶଇ ନୀଳ-ପୀତରୂପ ॥୪୧
ତୃତୀୟ ଗୁଣେ ହୋଇ ଯୁତ । ନିର୍ଗୁଣ-ପୁରୁଷ ଯେମନ୍ତ ॥୪୨
ଚନ୍ଦ୍ର ନଦିଶେ ମେଘାଚ୍ଛନ୍ନେ । ମିଥ୍ୟା-ବଚନେ ସତ୍ୟ ଯେହ୍ନେ ॥୪୩
ମୟୂରେ ଗିରିଶିଖେ ଥାଇ । ନୃତ୍ୟ କରନ୍ତି ମେଘେ ଚାହିଁ ॥୪୪
ଅତିଥି ଦେଖି ଭକ୍ତଜନେ । ଯେସନେ ତୋଷ ହ୍ୱନ୍ତି ମନେ ॥୪୫
ବୃକ୍ଷଙ୍କ ମୂଳେ ଜଳ ପଶି । ଫଳ-ପଲ୍ଲବ ପରକାଶି ॥୪୬
ତପର ଅନ୍ତେ ଫଳ ପାଇ । ତପସ୍ୱୀ ଯେହ୍ନେ ତୁଷ୍ଟ ହୋଇ ॥୪୭
ଜଳ କୁକ୍କୁଟ ଆଦି ହଂସ । ପଙ୍କ-କଣ୍ଟକେ କଲେ ବାସ ॥୪୮
ଦୁଃଖ-କଷଣେ ନରନାରୀ । ଯେସନେ ଗୃହେ ବାସକରି ॥୪୯
ଜଳପ୍ରବାହେ ବନ୍ଧ ଭାଙ୍ଗେ । ଯେହ୍ନେ ପାଷାଣ୍ତେ ବେଦମାର୍ଗେ ॥୫୦
ପବନ ଯୋଗେ ମେଘ ବଢ଼ି । ଅମୃତ ପ୍ରାୟ ଜଳ ଛାଡ଼ି ॥୫୧
ବିପ୍ରଙ୍କ ବୋଲେ ମହୀପାଳେ । ଯେହ୍ନେ ଦିଅନ୍ତି ଦାନକାଳେ ॥୫୨
ବରଷା ରସେ ବନ ଭୂଇଁ । ଖର୍ଜ୍ଜୁର ଜମ୍ବୁମୟ ହୋଇ ॥୫୩
ଗୋରୁ ଗୋପାଳ ସଙ୍ଗେ ଘେନି । ବନେ ବିଜୟ ଭାଇବେନି ॥୫୪
ଗାଈଏ ସ୍ତନଭର ହୋଇ । କର୍ଦ୍ଦମେ ନପାରନ୍ତି ଯାଇ ॥୫୫
କୃଷ୍ଣର ଡାକ ଶୁଣି କର୍ଣ୍ଣେ । ନିକଟେ ମିଳିଲେ ବହନେ ॥୫୬
କାନନେ ଯେତେ ଜୀବ ଥିଲେ । ଗିରିକନ୍ଦରେ ଆଶ୍ରେ କଲେ ॥୫୭
ସକଳ ବୃକ୍ଷେ ମଧୁ ସ୍ରବେ । ବରଷା ଋତୁର ସ୍ୱଭାବେ ॥୫୮
ଗାଈ ଚରାନ୍ତି ନନ୍ଦବାଳ । ଭକ୍ଷନ୍ତି ଫଳ କନ୍ଦମୂଳ ॥୫୯
ବସନ୍ତି ବୃକ୍ଷଙ୍କର ତଳେ । ଦିନ ହରନ୍ତି କୁତୂହଳେ ॥୬୦
ଦଧିଅନ୍ନାଦି ଘରୁ ଆଣି । ଜଳ ନିକଟେ ଚକ୍ରପାଣି ॥୬୧
ଗୋପାଳ ମେଳେ ବେନିଭାଇ । ଭୁଞ୍ଜନ୍ତି ଶିଳାପରେ ଥୋଇ ॥୬୨
କୋମଳ ଘାସେ ପଶୁଗଣେ । ଚରନ୍ତି ମୁଦ୍ରିତ ଲୋଚନେ ॥୬୩
ବରଷା ଦେଖି ବ୍ରହ୍ମରାଶି । ନିଜ ମହିମା ପରଶଂସି ॥୬୪
ବନେ ବୁଲନ୍ତି ନନ୍ଦବାଳ । ପ୍ରବେଶ ଶରଦର କାଳ ॥୬୫
ଶୁକଳ ମେଘ ଶୂନ୍ୟେ ଦିଶି । ବିଷ୍ଣୁର ତେଜ ପରକାଶି ॥୬୬
ଭୂମିରେ ଯେତେ ଜଳ ଥିଲା । ଶରଦେ ନିର୍ମଳ ହୋଇଲା ॥୬୭
ଭ୍ରଷ୍ଟ ଯୋଗୀଙ୍କ ଚିତ୍ତ ଯେହ୍ନେ । ପୁଣି ନିର୍ମଳ ଯୋଗ ଧ୍ୟାନେ ॥୬୮
ଶରଦ ଭୟେ ମେଘ ଗଲା । ଆକାଶ ନିର୍ମଳ ଦିଶିଲା ॥୬୯
ଭାଙ୍ଗିଲା ଜନ୍ତୁଙ୍କ ଗହଳ । ଜଳୁ ହରିଲା ପଙ୍କ-ମଳ ॥୭୦
ହରି ଭକତି ବଳେ ଯେହ୍ନେ । ପାତକ ନ ଲଗାଇ ମନେ ॥୭୧
ସକଳ ଜଳ ଛାଡ଼ି ମେଘେ । ଶୁଭ୍ର ଦିଶିଲେ ଶୂନ୍ୟମାର୍ଗେ ॥୭୨
ସଂସାର ମୋହ ଛାଡ଼ି ଜନେ । ଯେହ୍ନେ ଦିଶନ୍ତି ଯୋଗଧ୍ୟାନେ ॥୭୩
ପର୍ବତେ ଯେତେ ଜଳ ଥିଲା । ସଞ୍ଚରି ଭୂମିରେ ପଡ଼ିଲା ॥୭୪
ଉତ୍ତମ ଶିଷ୍ୟେ ତୋଷ ହୋଇ । ଗୁରୁ ଯେସନେ ଜ୍ଞାନ ଦେଇ ॥୭୫
ଅଳପ ଜଳେ ଜନ୍ତୁ ଥାଇ । ରବି କିରଣେ ଭୟ ପାଇ ॥୭୬
ଜୀବନ ଦିନୁ ଦିନ କ୍ଷୀଣ । ଦରିଦ୍ର-କୁଟୁମ୍ବ ଯେସନ ॥୭୭
ଗଭୀର ଜଳେ ମୀନ ଥିଲେ । ରବି କିରଣ ନ ଜାଣିଲେ ॥୭୮
ଜଳେ ରମନ୍ତି ତୋଷ ଚିତ୍ତେ । ଅଜ୍ଞାନୀ ଜନଙ୍କର ମତେ ॥୭୯
ଭୂମିରେ ପଙ୍କ ଧୀରେ ଧୀରେ । ଶୁଖିଲେ ଶରଦ ଶିଶିରେ ॥୮୦
ଯେସନେ ଯୋଗଲୟ ପାଇ । ଅଜ୍ଞାନ ଭାବ କ୍ଷୟ ଯାଇ ॥୮୧
ଶରଦ ଋତୁ ଗୁଣ ଭେଦି । ନିଶ୍ଚଳ ହୋଇଲା ବାରିଧି ॥୮୨
ବେଦ-ବେଦାନ୍ତେ ପାଇ ତତ୍ତ୍ୱ । ଯେସନେ ଜ୍ଞାନୀଙ୍କର ଚିତ୍ତ ॥୮୩
କୃଷକେ ମିଳି ଧାନ୍ୟକ୍ଷେତ୍ରେ । ଜଳ ବାନ୍ଧିଲେ ଦୃଢ଼ମତେ ॥୮୪
ଯୋଗୀଏ ପବନର ବଳେ । ଇନ୍ଦ୍ରି ରୁନ୍ଧନ୍ତି ଯେହ୍ନେ କାଳେ ॥୮୫
ଶରଦ-ରବି-ତେଜ ଲାଗି । ଜନ୍ତୁଏ ହୋନ୍ତି ଦୁଃଖଭାଗୀ ॥୮୬
ରଜନୀନାଥ ତାହା ହରି । ଯେହ୍ନେ ଗୋବିନ୍ଦ ବ୍ରଜନାରୀ ॥୮୭
ନିର୍ମଳ ଦିଶେ ଶୂନ୍ୟପଥ । ଗ୍ରହ ନକ୍ଷତ୍ର ନିଶିନାଥ ॥୮୮
ଶବଦ ବ୍ରହ୍ମ ଜାଣି ଯେହ୍ନେ । ସାଧୁ ପୁରୁଷଙ୍କର ମନେ ॥୮୯
ନକ୍ଷତ୍ରଗଣ ମଧ୍ୟେ ଶଶୀ । ଅଖଣ୍ତମଣ୍ତଳ ପ୍ରକାଶି ॥୯୦
ଯାଦବ ଭୋଜବଂଶ ମଧ୍ୟେ । ଗୋବିନ୍ଦ ଯେସନେ ଆନନ୍ଦେ ॥୯୧
ଚନ୍ଦ୍ର କୁମୁଦ ଜଳରାଶି । ପବନ ପ୍ରସରନ୍ତେ ନିଶି ॥୯୨
ଗାଈ ହରିଣୀ ପକ୍ଷୀ ନାରୀ । ଶରଦ ଋତୁ ମଧ୍ୟେ ଚାରି ॥୯୩
ଇଚ୍ଛନ୍ତି ନିଜ ସ୍ୱାମୀ ସଙ୍ଗ । ମାୟାଭିଆଣ ଶିରୀରଙ୍ଗ ॥୯୪
କୁମୁଦ ବିନା ଜଳ ଫୁଲେ । ଆନନ୍ଦ ଦିବାକର ତୁଲେ ॥୯୫
ରାଜାର ତେଜେ ପ୍ରଜା ଯେହ୍ନେ । ଆନନ୍ଦ ହୋନ୍ତି ଚୋର ବିନେ ॥୯୬
ପୁରପାଟଣା ଗ୍ରାମ ଭୂଇଁ । ଚନ୍ଦ୍ର ଉତ୍ସବ ବିରାଜଇ ॥୯୭
କୃଷ୍ଣର ମାୟା ଶସ୍ୟରାଶି । ଦେଖି ମାନବେ ପରଶଂସି ॥୯୮
ଋଷି-ନୃପତି-ବଣିଜାରେ । ପ୍ରବାସ କଲେ ଯେ ଯାହାରେ ॥୯୯
ଆୟୁଷ ଅନ୍ତେ ଯେହ୍ନେ ସିଦ୍ଧେ । କାଳେ ଭୁଞ୍ଜନ୍ତି ବ୍ରହ୍ମପଦେ ॥୧୦୦
ମୁନି କହନ୍ତି ରାଜା ଆଗେ । ବାଳକ ଲୀଳା ରସ ଭାବେ ॥୧୦୧
ଶରଦ କାଳେ ବନଚାରୀ । ରାମ ଗୋପାଳ ନରହରି ॥୧୦୨
ହରି ଚରିତ ଭାଗବତ । କହଇ ଦାସ ଜଗନ୍ନାଥ ॥୧୦୩
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ପ୍ରାବୃଟ୍ ଶରଦ୍ ବର୍ଣ୍ଣନଂ ନାମ ଏକବିଂଶୋଽଧ୍ୟାୟଃ ॥
ଦ୍ୱାବିଂଶ ଅଧ୍ୟାୟ
[ସମ୍ପାଦନା]- ଶୁକ ଉବାଚ
ଶରଦ କାଳର ସ୍ୱାଭାବେ । ଗୋବିନ୍ଦ ବୃନ୍ଦାବନ ଠାବେ ॥୧
ନଦୀ ପୋଖରୀ ଜଳରାଶି । ସୁଗନ୍ଧ ଫୁଲେ ପରଶଂସି ॥୨
ବନକୁସୁମ ତରୁଡ଼ାଳେ । ଶୁକ କୋକିଳ ଭୃଙ୍ଗମେଳେ ॥୩
ବନଗହନ ଗିରିତଳେ । ଗାଈ ଚରାନ୍ତି ଗୋପବାଳେ ॥୪
ଆନନ୍ଦେ ବେଣୁ ନାଦକରି । ବନେ ବିଜୟ ନରହରି ॥୫
କୃଷ୍ଣ ମୁରଲୀ ନାଦ ଶୁଣି । ଗୋପୀଏ ଏକୁ ଆରେ ଭଣି ॥୬
କୃଷ୍ଣଲୀଳାରେ ଚିତ୍ତ ଦେଇ । ଅନଙ୍ଗରସ ଭାବେ ମୋହି ॥୭
ମନ ନିବେଶି କୃଷ୍ଟ ପାଦେ । ଗୋପୀଏ କହନ୍ତି ଆନନ୍ଦେ ॥୮
ଶୁଣ ଗୋ ସଖୀ କୃଷ୍ଣ କଥା । କାନନେ ଯେମନ୍ତ ବ୍ୟବସ୍ଥା ॥୯
ମୟୂରପୁଚ୍ଛ ଶିରେ ଶୋହେ । ତରୁଣୀଜନ ମନ ମୋହେ ॥୧୦
କର୍ଣ୍ଣେ ଖଞ୍ଜିତ କନିଅର । ସୁନ୍ଦର ସୁରଙ୍ଗ୍ ଅଧର ॥୧୧
ପୀତବସନ କଟୀତଟେ । ଲମ୍ବଇ ବନମାଳା କଣ୍ଠେ ॥୧୨
ବିବିଧ ନଟବେଶ ହୋଇ । ମଧୁରେ ବେଣୁ ନାଦ ବାଇ ॥୧୩
ଆନନ୍ଦେ ଶିଶୁଗଣ ସଙ୍ଗେ । କ୍ରୀଡ଼ନ୍ତି ବୃନ୍ଦାବନ ଲାଗେ ॥୧୪
ମୁରଲୀନାଦ ଶୁଭେ ବନେ । ଭୋ ସଖି ଶୁଣ ସାବଧାନେ ॥୧୫
ଗୋପାଳ ମେଳେ ନନ୍ଦସୁତ । ଗୋରୁ ଚରାନ୍ତି ଗୋପୀନାଥ ॥୧୬
ଚକ୍ଷୁ ବହନ୍ତି ଯେତେ ପ୍ରାଣୀ । କେ ପାରୁ ତା'ଙ୍କ ପୁଣ୍ୟ ଗଣି ॥୧୭
ଗୋପାଳ ମେଳେ କୃଷ୍ଣ ଦେଖି । ନିର୍ମଳ କଲେ ଚର୍ମ ଆଖି ॥୧୮
ଚୂତ ପଲ୍ଲବେ ଶିଖିପୁଚ୍ଛ । କଟୀରେ ପୀତ ନୀଳକାଛ ॥୧୯
ହୃଦେ କଦମ୍ବ ପଦ୍ମମାଳ । ରଙ୍ଗ ମୃତ୍ତିକା ଶ୍ରମଝାଳ ॥୨୦
ଗୋପାଳ ମେଳେ ବେନିଭାଇ । କି ପଟାନ୍ତର ଦେବା ସହି ॥୨୧
ରଙ୍ଗସଭାର ତଳେ ସାର । ଯେହ୍ନେ ଯୁଗଳ ନୃତ୍ୟକାର ॥୨୨
ଦେଖ ଗୋ ମୁରଲୀର ଭାଗ୍ୟ । ଅମୃତ ଅଧରେ ସଂଯୋଗ ॥୨୩
ଅନେକ ଜନ୍ମେ ପୁଣ୍ୟ ଦାହି । କୃଷ୍ଣ ଅଧର ପୁଟେ ଥାଇ ॥୨୪
ସବୁ ଖାଇଲା ସୁଧାରସ । ଗୋପୀଙ୍କି ନାହିଁ ଅବଶେଷ ॥୨୫
ଗୋପୀଙ୍କଠାରେ ଗର୍ବ ବହେ । ସୁହୃଦ ସପତଣୀ ପ୍ରାୟେ ॥୨୬
ନଦୀଏ ହୋଇ ସ୍ଥିରଗତି । ବୃକ୍ଷେ ଅଶ୍ରୁଜଳ ସ୍ରବନ୍ତି ॥୨୭
ଭୂମି ଆନନ୍ଦ ବୃନ୍ଦାବନେ । ଗୋବିନ୍ଦ-ପାଦପଦ୍ମ-ଚିହ୍ନେ ॥୨୮
କୃଷ୍ଣ-ମୁରଲୀନାଦ ଚାହିଁ । ଜନ୍ତୁଙ୍କ ଚକ୍ଷୁ ନ ଚଳଇ ॥୨୯
ମୃଗ ମୟୂର ପଶୁ ଯେତେ । ଗିରିକନ୍ଦରେ ଯୂଥେ ଯୂଥେ ॥୩୦
ଧନ୍ୟ ଏ ହରିଣ ଯୁବତୀ । ବେଣୁ ଶୁଣନ୍ତି କୃଷ୍ଣ କତି ॥୩୧
ଆବୋରି କୃଷ୍ଣ ମୁଖସାର । ନୟନେ ଦ୍ୟନ୍ତି ଉପହାର ॥୩୨
ଦେବକାମିନୀ ଶୂନ୍ୟେ ଥାଇ । ମୁରଲୀ ନାଦେ ମନଦେଇ ॥୩୩
ବଦନ-ନୟନ-ଆନନ୍ଦ । ଶୁଣି ମୋହନ-ବେଣୁନାଦ ॥୩୪
ବିମାନେ ଥାଇ ମୋହମାନ । ଫିଟିଲା କବରୀ-ବସନ ॥୩୫
ଗୋରୁଏ କୃଷ୍ଣ-ଗୀତ ଶୁଣି । ଚଳି ନ ପାରନ୍ତି ଧରଣୀ ॥୩୬
ତୃଣ କବଳ ତୁଣ୍ତେ କରି । ବେଶୁ ଶୁଣନ୍ତି କର୍ଣ୍ଣ ଡେରି ॥୩୭
ବତ୍ସାଏ ସ୍ତନେ ମୁଖ ଦେଇ । ବେଣୁ ଶୁଣନ୍ତି ସ୍ଥିର ହୋଇ ॥୩୮
ପକ୍ଷୀଏ ମୁନିଙ୍କର ତୁଲେ । ଧ୍ୟାନ କରନ୍ତି ବୃକ୍ଷ ଡାଳେ ॥୩୯
ନଦୀଏ ଶୁଣି ବେଣୁଗୀତ । ଅନଙ୍ଗବାଣେ ମୋହଗତ ॥୪୦
ଉର୍ମିର ଛଳେ ଭୁଜ ତୋଳି । କୋଳ କରିବେ ବନମାଳୀ ॥୪୧
କମଳ ଉପହାର ଦେଇ । ପୂଜା କରନ୍ତି ପାଦ ଦୁଇ ॥୪୨
ଇନ୍ଦ୍ର ଯେ ଦେଖୁଥିଲା ରହି । ମୁରଲୀ ନାଦେ ଚିତ୍ତ ଦେଇ ॥୪୩
ରାମ-ଗୋବିନ୍ଦ ଗୋପମେଳେ । ଫୁଟିଲେ ଶ୍ରମ ଘର୍ମ ଝାଳେ ॥୪୪
ଦଇବେ ଗୋବିନ୍ଦର ମିତ୍ର । ଉପରେ କଲା ମେଘଛତ୍ର ॥୪୫
ଶବରନାରୀମାନେ ଧନ୍ୟ । ଶୁଣ ଗୋ ତାହାଙ୍କର ପୁଣ୍ୟ ॥୪୬
ସ୍ତିରୀଙ୍କ ସ୍ତନ ବିଲେ ପନ । କୁଙ୍କୁମ ଅଗୁରୁ ଚନ୍ଦନ ॥୪୭
କୃଷ୍ଣର ପାଦଯୁଗେ ଥିଲା । କୋମଳ ଘାସେ ଗୋ ଲାଗିଲା ॥୪୮
କୃଷ୍ଣର ଶୁଣି ବେଣୁସ୍ୱନ । ଅନଙ୍ଗେ ହୋଇଲେ ଅଜ୍ଞାନ ॥୪୯
କୁଙ୍କୁମ ତୃଣ ମଧ୍ୟୁଁ ତୋଳି । ସ୍ତନ-ବଦନେ ତାହା ବୋଳି ॥୫୦
ବେଗେ ଛାଡ଼ିଲେ ମନତାପ । ଦେଖନ୍ତି ରାମକୃଷ୍ଣ ରୂପ ॥୫୧
ଦେଖ ଗୋ ଗିରି ଗୋବର୍ଦ୍ଧନ । ପୂର୍ବେ ଅନେକ କଲା ପୁଣ୍ୟ ॥୫୨
ହରି ସେବକ ଶିରୋମଣି । କୋମଳ ତୃଣ କନ୍ଦପାଣି ॥୫୩
ଏ ଉପହାରେ ସେ ଆନନ୍ଦ । ପୂଜିଲା ଗୋବିନ୍ଦର ପାଦ ॥୫୪
ଗୋରୁ-ଗୋପାଳ ଘେନି ସଙ୍ଗେ । ବେଣୁ ବଜାନ୍ତି କୃଷ୍ଣ ରଙ୍ଗେ ॥୫୫
ପ୍ରାଣୀଙ୍କି କଲେ ବିପରୀତ । ମୋହିତ ହୋଇଲେ ସମସ୍ତ ॥୫୬
ଶୁଣ ରାଜନ ତୋଷଚିତ୍ତେ । ଗୋପୀ କହନ୍ତି ଖେଦମତେ ॥୫୭
କୃଷ୍ଣର ପାଦେ ମନଦେଇ । ଦିନ ହରନ୍ତି ମୁଖ ଚାହିଁ ॥୫୮
ଗୋବିନ୍ଦ ମୁରଲୀର ନାଦ । ଶୁଣନ୍ତେ ଖଣ୍ତଇ ଆପଦ ॥୫୯
ସୁଜନେ ଶୁଣ ବେଣୁଗୀତ । କହଇ ଦାସ ଜଗନ୍ନାଥ ॥୬୦
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ବେଣୁଗୀତଂ ନାମ ଦ୍ୱାବିଂଶୋଽଧ୍ୟାୟଃ ॥
ତ୍ରୟୋବିଂଶ ଅଧ୍ୟାୟ
[ସମ୍ପାଦନା]- ଶୁକ ଉବାଚ
କହନ୍ତି ବ୍ୟାସଙ୍କ କୁମର । ଶୁଣ ରାଜନ ରସଭର ॥୧
ଶରଦଋତୁ ପୂର୍ଣ୍ଣ ହେଲା । ହେମନ୍ତ ଋତୁ ପ୍ରସରିଲା ॥୨
କୃଷ୍ଣ-ଆଦେଶେ ଗୋପପୁରୀ । ଯେତେ ଉପୁଜିଲେ କୁମାରୀ ॥୩
କୃଷ୍ଣ ଭଜନ ପୁଣ୍ୟଫଳେ । ରମିଲେ ବୃନ୍ଦାବନ ସ୍ଥଳେ ॥୪
ତୁଲ୍ୟବୟସୀ ନବବେଶେ । ଖେଳନ୍ତି ନାନା ଖେଳରସେ ॥୫
ହେମନ୍ତ ଋତୁ ଦେଖି ବନେ । କଳ୍ପିଲେ ଗଉରୀ ପୂଜନେ ॥୬
ବେଣୁ-ଶବଦେ ଗୀତରସ । ଗୋପୀଏ ହୋଇଲେ ହରଷ ॥୭
ହବିଷ୍ୟ ଭୁଞ୍ଜି ଏକବାରେ । ଦେବୀ ପୂଜନ୍ତି ନଦୀତୀରେ ॥୮
ଅଳପ ରାତ୍ର ଥାଉଁ ନିତ୍ୟେ । ଯମୁନା ଯା'ନ୍ତି ତୋଷଚିତ୍ତେ ॥୯
ସ୍ନାହାନ ସାରି ଶୀତଜଳେ । ବାଲୁକା ସ୍ଥାପି ନଦୀତୀରେ ॥୧୦
ପୂଜନ୍ତି ନାନା ଦ୍ରବ୍ୟଘେନି । ଜୟ ଶବଦେ ଗୀତ ଧ୍ୱନି ॥୧୧
ହର ଗଉରୀ କରି ଧ୍ୟାନ । ମନେ ଚିନ୍ତନ୍ତି ଭଗବାନ ॥୧୨
ପୂଜାର ଅନ୍ତେ ପାଦେ ପଡ଼ି । ଗୁପତେ କରନ୍ତି ଗୁହାରି ॥୧୩
ହେ କାତ୍ୟାୟନି ମହାମାୟି । ପରମ ଯୋଗେଶ୍ୱରୀ ତୁହି ॥୧୪
ଭୋ ମାତ ଶଙ୍କର-ଯୁବତୀ । ନନ୍ଦକୁମର ଦିଅ ପତି ॥୧୫
ଆନ ବରେଣ କାର୍ଯ୍ୟ ନାହିଁ । ପ୍ରସନ୍ନ ହୁଅ ମାତ ତୁହି ॥୧୬
ଷୋଳ ସହସ୍ର ଗୋପନାରୀ । ବର ଇଚ୍ଛିଲେ ନରହରି ॥୧୭
ଏକ ଅରକେ ନ ଜାଣନ୍ତି । ମନେ ବରିଲେ କୃଷ୍ଣେପତି ॥୧୮
ବୋଲନ୍ତି କୃଷ୍ଣ ବର ହେଉ । ତା' ପାଦ ସେବି ଦିନ ଯାଉ ॥୧୯
କୃଷ୍ଣ-ରମଣଭାବ ଆଶେ । ତପ ସାଧିଲେ ଏକମାସେ ॥୨୦
ପ୍ରଭାତୁଁ ଉଠି ଗୋପବାଳୀ । ଆନନ୍ଦେ ଦେଲେ ହୁଳହୁଳି ॥୨୧
ଚାଲନ୍ତି ଯୂଥ ଯୂଥ ହୋଇ । ମଙ୍ଗଳ ନାଦେ ଗୀତ ଗାଇ ॥୨୨
ଏକ ଆରେକ ଭୂଜ କନ୍ଧେ । କୃଷ୍ଣ ଭଜନ୍ତି ଗୀତବନ୍ଧେ ॥୨୩
ବିବିଧ ହାସ୍ୟରସ ଭରେ । ମିଳିଲେ ଯମୁନାର ତୀରେ ॥୨୪
ବସ୍ତ୍ର ପାଲଟି କୂଳେ ଥୋଇ । ଜଳେ ପଶିଲେ ଗୀତଗାଇ ॥୨୫
ଅନନ୍ଦ କେ କରିବ ଅନ୍ତ । ଯାହା ରମିବେ ଗୋପୀନାଥ ॥୨୬
ଏକ ଆରକେ ଜଳ ଫିଙ୍ଗେ । ବୁଡ଼ି ଉଠନ୍ତି ନାନା ରଙ୍ଗେ ॥୨୭
ବୁଡ଼ନ୍ତି ଏକୁ ଆରେ ଧରି । ମୁଖେ ସିଞ୍ଚନ୍ତି ଫୁ ଫୁ କରି ॥୨୮
କରନ୍ତି ହାସ୍ୟ-ପରିହାସ । ଏମନ୍ତେ ଜଳେ ଖେଳରସ ॥୨୯
ଶୁଣ ପରୀକ୍ଷ ନୃପବର । ତାହା ଜାଣିଲେ ଦାମୋଦର ॥୩୦
ଗୋପବାଳକ ଘେନି ସଙ୍ଗେ । ମିଳିଲେ ନଦୀତୀରେ ରଙ୍ଗେ ॥୩୧
କୂଳେ ଦେଖିଲେ ବସ୍ତ୍ରରାଶି । ପବନେ କହନ୍ତି ବିଶ୍ୱାସି ॥୩୨
ଶୁଣ ପବନ ମୋର ବାଣୀ । ବସ୍ତ୍ର ତୁ ଥୁଅ ବୃକ୍ଷେ ଆଣି ॥୩୩
ଗୋବିନ୍ଦ ଆଜ୍ଞା ଘେନି ଶିରେ । ପବନ ବହିଲା ସଧୀରେ ॥୩୪
ତକ୍ଷଣେ ପ୍ରଭୁ ଦାମୋଦର । ଉଠିଲେ କଦମ୍ବ ବୃକ୍ଷର ॥୩୫
ବସ୍ତ୍ର ଯେ ନଦୀତୀରେ ଥଲା । ପବନ ଯୋଗେ ଉଡ଼ିଗଲା ॥୩୬
କଦମ୍ବ ବୃକ୍ଷେ ଯାଇ ପଡ଼ି । ଦେଖି ହସନ୍ତି ନରହରି ॥୩୭
ଗୋପଙ୍କୁ ଚାହିଁ ଆଦିକନ୍ଦ । ବୋଇଲେ ଡାଳେ ବସ୍ତ୍ର ବାନ୍ଧ ॥୩୮
ଆଜ୍ଞା ପାଇଣ ଗୋପପୋଏ । ବୃକ୍ଷରେ ଉଠିଲେ ନିର୍ଭୟେ ॥୩୯
ଗୋପାଳେ ଉଠି ବୃକ୍ଷ ଡାଳେ । ବସ୍ତ୍ର ବାନ୍ଧିଲେ ମାଳେ ମାଳେ ॥୪୦
ବାଳକେ ବୃକ୍ଷ ଡାଳେ ଥାଇ । ନାଚନ୍ତି କରତାଳି ଦେଇ ॥୪୧
ମୁରଲୀ ଧ୍ୱନି ଉଚ୍ଚସ୍ୱର । ମଧ୍ୟେ ବିଜୟ ଦାମୋଦର ॥୪୨
ଗୋପୀଏ ଥିଲେ ଜଳ ମଧ୍ୟେ । କର୍ଣ୍ଣେ ଶୁଣିଲେ ବେଣୁ ନାଦେ ॥୪୩
ସଂଭ୍ରମେ ଛାଡ଼ି ଜଳକେଳି । ବୃକ୍ଷକୁ ଚାହାନ୍ତି ନିରୋଳି ॥୪୪
ବୋଲନ୍ତି ବୃକ୍ଷେ ଏତ କିସ । ଦେଖ ଗୋ ଦଇବ ଭବିଷ୍ୟ ॥୪୫
ଏଠାକୁ କେମନ୍ତେ ଅଇଲା । ବାଳକ ମେଳେ ନନ୍ଦବାଳା ॥୪୬
କେବୋଲେ ଏ ବନେ ନ ଥାଇ । ଆଜ ଅଇଲା କିସ ପାଇଁ ॥୪୭
କେବୋଲେ ଭଲ ତ ହୋଇଲା । ବ୍ରତ ଗୋ ଆଜହୁଁ ସରିଲା ॥୪୮
କେ ବୋଲେ ଦେଖ ବୃକ୍ଷ ଡାଳେ । ଅନେକ ଉଡ଼ଇ ଚିରାଳେ ॥୪୯
କୂଳକୁ ଚାହିଁଣ ବୋଲନ୍ତି । ମରଣ ହୋଇଲା ଏଘାନ୍ତି ॥୫୦
ପାଲଟା ବସ୍ତ୍ର କୂଳେ ନାହିଁ । ଚକିତେ ଚଉଦିଗେ ଚାହିଁ ॥୫୧
ବୋଲନ୍ତି ବସ୍ତ୍ର କେଣେ ଗଲା । ଏଡ଼େ ଗୋ ପବନ ବହିଲା ॥୫୨
ଉଡ଼ି କେବଣ ଦିଗେ ଗଲା । ଲଜ୍ଜା ତ ମରଣୁଁ ବଳିଲା ॥୫୩
କିସ କରିବୁ ଆଜ ଜଳେ । କନ୍ୟାଏ ଭାଳନ୍ତି ବିକଳେ ॥୫୪
ଦାସବତ୍ସଳ ଭାବଗ୍ରାହୀ । କହନ୍ତି ଗୋପୀଙ୍କୁ ଅନାଇ ॥୫୫
ବସ୍ତ୍ର ଗୋ ବନେ ପଡ଼ିଥିଲା । ପବନ ଉଡ଼ାଇ ଆଣିଲା ॥୫୬
ରୁଣ୍ତାଇ ବସ୍ତ୍ର ଆମ୍ଭେ ଆଣି । ବୃକ୍ଷେ ବାନ୍ଧିଲୁ ଏହିକ୍ଷଣି ॥୫୭
ଏ ଯେବେ ତୁମ୍ଭର ହୋଇଲା । ଆମ୍ଭର ଯଶ ଉପୁଜିଲା ॥୫୮
ଯେ ଯାହା ବସ୍ତ୍ର ଆସି ନିଅ । ଶୀତଳ ଜଳେ ଗୋ ନ ଥାଅ ॥୫୯
ଶୁଣି ଚକିତ ଗୋପବାଳୀ । ବୋଲନ୍ତି ପଡ଼ିଲୁ ପଞ୍ଚାଳି ॥୬୦
ଏକ ଆରକେ ମୁଖ ଚାହିଁ । ବୋଲନ୍ତି ଗାଲେ ହସ୍ତ ଦେଇ ॥୬୧
କେମନ୍ତେ ଉପେକ୍ଷିବା ଲାଜ । ମରଣୁଁ ବଳିଲା ତ ଆଜ ॥୬୨
ଶ୍ରୀକୃଷ୍ଣ ମୁଖକୁ ଅନାଇ । ବୋଲନ୍ତି କୋପଭର ହୋଇ ॥୬୩
ତୁ ଅଟୁ ଯଶୋଦା କୁମର । ପିଅର ନନ୍ଦ ମହାଖୁଡ଼ ॥୬୪
ଜାଣିଲୁ ତୋର ବଡ଼ପଣ । ଆମ୍ଭର ବସ୍ତ୍ର ବେଗେ ଆଣ ॥୬୫
ପକାଇ ଦିଅ ବେଗେ କାଢ଼ି । ବୃକ୍ଷୁ ପାଲଟା ଆମ୍ଭ ଶାଢ଼ୀ ॥୬୬
ଏଡ଼େ ନିର୍ଲ୍ଲଜପଣ ତୋ'ର । କେବେ ଶିଖିଲୁ ବେଣୁଧର ॥୬୭
ଶୁଣି ବୋଲନ୍ତି ଦାମୋଦର । ଏ ବଡ଼ ଅନୀତି ତୁମ୍ଭର ॥୬୮
ଯେ ପ୍ରାଣୀ ପରଉପକାରୀ । ତାହାକୁ ପଥେ ନେଇ ମାରି ॥୬୯
ପବନ ନେଉଥିଲା ବଳେ । ଆଣି ବାନ୍ଧିଲି ବୃକ୍ଷଡାଳେ ॥୭୦
ତହିଁର ଫଳ ମୁଁ ପାଇଲି । ତୁମ୍ଭଙ୍କୁ ବସ୍ତ୍ର ଯେ ଯାଚିଲି ॥୭୧
ମୁଁ ତ ନ କଲି ପରିହାସ । ତୁମ୍ଭେତ ମୋହର ବିଶ୍ୱାସ ॥୭୨
ଏବେ ଗୋ ବସ୍ତ୍ର ଆସି ନିଅ । ନ ଜାଣି କେତେ ଗାଳି ଦିଅ ॥୭୩
ମୋହର ଦେହେ ମିଥ୍ୟା ନାହିଁ । ହସି ବୋଲନ୍ତି ଭାବଗ୍ରାହୀ ॥୭୪
ଶୁଣି ସାନନ୍ଦମନ ହୋଇ । ଗୋପୀ ବୋଲନ୍ତି କୃଷ୍ଣେ ଚାହିଁ ॥୭୫
ତୁ କୃଷ୍ଣ ଗୋପପୁର ସାର । ବନ୍ଧୁବାନ୍ଧବ ଆମ୍ଭେ ତୋର ॥୭୬
ବସ୍ତ୍ର ପକାଇ ଦିଅ ତଳେ । ପଡ଼ୁଛୁ ତୋର ପାଦତଳେ ॥୭୭
ଶ୍ୟାମସୁନ୍ଦର ତୋ ଚରଣେ । ସେବା କରିବୁ ଦାସୀପଣେ ॥୭୮
ତୁ ଯେବେ ନ ଦେବୁ ପକାଇ । କହିବୁ କଂସ ଆଗେ ଯାଇ ॥୭୯
ଶୁଣି ବୋଲନ୍ତି ଚକ୍ରଧର । ତୁମେ ହୋ ଦାସୀ ଯେବେ ମୋର ॥୮୦
ତେବେ କରିବ ମୋ' ଉତ୍ତର । ନ ଜାଣି କିମ୍ବା କୋପ କର ॥୮୧
ଯେ ଯାହା ବସ୍ତ୍ର ବାଛି ନିଅ । ନ ଦେଲେ ରାଜା ଆଗେ କହ ॥୮୨
କଂସକୁ କିସ ମୋର ଡ଼ର । ସୋଦର ମଉଳା ମୋହର ॥୮୩
ତାହାକୁ ମୋର ଭୟ ନାହିଁ । ଅନ୍ୟାୟ ନ କଲି ନା ମୁହିଁ ॥୮୪
ବସ୍ତ୍ର ପବନ ନେଉଥିଲା । ଆଣିବା ଦୋଷ ମୋ' ହୋଇଲା ॥୮୫
ଏ କଥା ତୁମ୍ଭଙ୍କୁ ଯୋଗାଇ । ଧର୍ମ ହିଁ ଅଛଇ ଅନାଇ ॥୮୬
ତୁମ୍ଭେ ଅଧର୍ମେ ଯିବ ନାଶ । ରାଜା କରିବ ମୋର କିସ ॥୮୭
କୃଷ୍ଣ ମୋହନ କଥା ଶୁଣି । ଗୋପୀଏ ମନେ ମନେ ଗୁଣି ॥୮୮
କଣ୍ଠ-ପ୍ରମାଣ ଜଳେ ଥାଇ । କମ୍ପନ୍ତି କୃଷ୍ଣ ମୁଖ ଚାହିଁ ॥୮୯
ହରିଙ୍କୁ ଜିଣି ନ ପାରିଲେ । ନିର୍ଭୟେ ଲାଜ ଉପେକ୍ଷିଲେ ॥୯୦
ଯୋନି ଆଚ୍ଛାଦି ବାମକରେ । ତୀରେ ଉଠିଲେ ଲାଜଭରେ ॥୯୧
ଦୟାସାଗର ଭାବଗ୍ରାହୀ । ବୃକ୍ଷର ଡାଳୁ ବସ୍ତ୍ର ଫେଇ ॥୯୨
ପାଲଟାବସ୍ତ୍ର ଘେନି କନ୍ଧେ । ବୃକ୍ଷରୁ ଓହ୍ଲାଇ ଆନନ୍ଦେ ॥୯୩
ଗୋପୀଙ୍କ ଶୁଦ୍ଧଭାବ ଚାହିଁ । ହସି ବୋଲନ୍ତି ଭାବଗ୍ରାହୀ ॥୯୪
ଏ ନୁହେଁ ତୁମ୍ଭର ଉଚିତ । ବିଶେଷ କରିଅଛ ବ୍ରତ ॥୯୫
ବିବସ୍ତ୍ର ହୋଇ ଦିଅଁ ଆଗେ । ତୀରେ ଉଠିଲ ଆସି ବେଗେ ॥୯୬
ଏ ବଡ଼ ଅପରାଧ ହୋଇ । ନରକେ ପଡ଼ିବଟି ଯାଇ ॥୯୭
ଏ ଦୋଷ ନ ଥାଉ ତୁମ୍ଭର । ଦେବତା କର ନମସ୍କାର ॥୯୮
ହସି ବୋଲନ୍ତେ ବନମାଳୀ । ଶୁଣି ଚକିତ ଗୋପବାଳୀ ॥୯୯
କପାଳେ ଦେଇ ଏକ କର । ଦେବତା କଲେ ନମସ୍କାର ॥୧୦୦
ଦେଖି ବୋଲନ୍ତି ଯଦୁପତି । ଶୁଣ ଗୋ ବରଜ ଯୁବତୀ ॥୧୦୧
ଏକ ହସ୍ତକେ ନମସ୍କାର । ଏ ତୁମ୍ଭ କେବଣ ଆଚାର ॥୧୦୨
ଶାସ୍ତ୍ର ଶୁଣିଲା ତୁମ୍ଭ ନାହିଁ । ମୁଁ ତାହା ଅଳପ ଜାଣଇ ॥୧୦୩
ଶୁଣ ଗୋ ନାରୀ ଏକଚିତ୍ତେ । ବିପ୍ରେ କହନ୍ତି ବେଦମତେ ॥୧୦୪
ଯେ ଦେବ ଗୁରୁ ଏକକରେ । ନମନ୍ତି ଅଜ୍ଞାନବେଭାରେ ॥୧୦୫
ତାହାର ଛେଦି ଯେବେ କର । ସେ ଅପରାଧୁଁ ହୋଇପାର ॥୧୦୬
ନୋହିଲେ ଯେତେ ଜନ୍ମ ହୋଇ । କରଯୁଗଳ ତା ନ ଥାଇ ॥୧୦୭
ଶୁଣି କୁମାରୀ ରସଭର । କପାଳେ ଦେଲେ ବେନିକର ॥୧୦୮
ହୃଦୟେ ଲାଜ ଭୟ ନାହିଁ । ଦେଖି ସାନନ୍ଦ ଭାବଗ୍ରାହୀ ॥୧୦୯
ନିର୍ମଳଚିତ୍ତ ତାହାଙ୍କର । ଜାଣିଲେ ବ୍ରହ୍ମାଣ୍ତଠାକୁର ॥୧୧୦
ଗୋପୀଙ୍କ ଭାବେ ତୋଷହୋଇ । ଯେ ଯାହା ବସ୍ତ୍ର ଦେଲେ ନେଇ ॥୧୧୧
ଗୋପୀଏ ପିନ୍ଧି ଯେଝା ବାସ । ମନସାନନ୍ଦେ ହସହସ ॥୧୧୨
ଦେବତା ପୂଜାର ବିଧାନେ । କୃଷ୍ଣଙ୍କୁ ବରିଛନ୍ତି ମନେ ॥୧୧୩
ଲାଜେ ରହିଲେ ଶିରପୋତି । କୃଷ୍ଣଙ୍କୁ ଚାହିଁ ନ ପାରନ୍ତି ॥୧୧୪
କୃଷ୍ଣ ଜାଣିଲେ ତା'ଙ୍କ ମନ । ଗୋପୀଙ୍କି ହୋଇ ସାବଧାନ ॥୧୧୫
ହସି କହନ୍ତି ଜନାର୍ଦ୍ଦନ । ମୁହିଁ ଜାଣଇଁ ତୁମ୍ଭ ମନ ॥୧୧୬
ଯାହା ମାଗିଲ ଦିଅଁ ପୂଜି । ସେ କଥା ଅଛଇ ମୁଁ ହେଜି ॥୧୧୭
ମୁହିଁ କରିବି ତାହା ସତ୍ୟ । ବୋଲନ୍ତି ପ୍ରଭୁ ଗୋପୀନାଥ ॥୧୧୮
ମୋର ଚରଣେ ଯା'ର ଚିତ୍ତ । ପୁଣି ବିଷୟେ ହେଲେ ରତ ॥୧୧୯
ଜନ୍ମ-ମରଣ ତା'ର ନାହିଁ । ଭାଜିଲାଧାନ ପ୍ରାୟ ହୋଇ ॥୧୨୦
ଏ ବୃନ୍ଦାବନେ ଗୁପ୍ତେ ଥାଇ । ତୁମ୍ଭଙ୍କୁ ରମିବଇଁ ମୁହିଁ ॥୧୨୧
ସଂକଳ୍ପ କଲ ବ୍ରତ କରି । ହସି ବୋଲନ୍ତି ନରହରି ॥୧୨୨
ଏମନ୍ତେ କୃଷ୍ଣଆଜ୍ଞା ପାଇ । ଗୋପୀଏ ଗଲେ ତୋଷ ହୋଇ ॥୧୨୩
ଗୋବିନ୍ଦପାଦେ ଚିତ୍ତ ଥୋଇ । ମିଳିଲେ ନିଜ ପୁରେ ଯାଇ ॥୧୨୪
ଗୋପାଳ ମେଳେ ଦାମୋଦର । ଗାଈ ଚରାଇ ଗଲେ ଦୂର ॥୧୨୫
ନିଦାଘ ରବିତେଜ ଲାଗି । ପୋଏ ହୋଇଲେ ଦୁଃଖଭାଗୀ ॥୧୨୬
ଚରାନ୍ତି ଗୋରୁ ଗୋପମେଳେ । ଶୀତଳ ତରୁଛାୟା ତଳେ ॥୧୨୭
ବୃକ୍ଷକୁ ଚାହିଁ ଦାମୋଦର । କହନ୍ତି ପୁଅଙ୍କ ଆଗର ॥୧୨୮
ହେ ସ୍ତୋକକୃଷ୍ଣ ମିତ୍ର ମୋର । ଶ୍ରୀଦାମ ଅର୍ଜୁନ ସୁବଳ ॥୧୨୯
ଅଂଶୁ ବିଶାଳ ଦେବପ୍ରସ୍ଥ । ଦେଖ ଏ ବୃକ୍ଷଙ୍କ ମହତ୍ତ୍ୱ ॥୧୩୦
ପରେ କରନ୍ତି ଉପକାର । ସୁଜନ ପ୍ରାଣୀଙ୍କ ବେଭାର ॥୧୩୧
ଶୀତ ବରଷା ଗ୍ରୀଷ୍ମ ଦୁଃଖ । ସହି ଆମ୍ଭଙ୍କୁ ଦ୍ୟନ୍ତି ସୁଖ ॥୧୩୨
ଧନ୍ୟ ଜୀବନ ଏହାଙ୍କର । ସାଧନ୍ତି ପ୍ରାଣୀ ଉପକାର ॥୧୩୩
ସୁଜନ ଘରେ ଯେହ୍ନେ ଯାଇ । ଅତିଥି ନିରାଶ ନୁହଇ ॥୧୩୪
ପତ୍ର କୁସୁମ ଫଳ ଛାଇ । ମୂଳ ବକଳ ଦାରୁ ଦେଇ ॥୧୩୫
କ୍ଷାର ଅଙ୍ଗାର ଭସ୍ମ ଅଠା । ଗୃହକୁ ସାଜି ବାଡ଼ କଣ୍ଟା ॥୧୩୬
ଏତେ ପ୍ରକାରେ ସେବା କରି । ନିତ୍ୟେ ଏ ପରଉପକାରୀ ॥୧୩୭
ଏହାଙ୍କ ପ୍ରାୟେ ଯେବେ ହୋଇ । ସଂସାର ମଧ୍ୟେ ଦେହ ବହି ॥୧୩୮
ମନ-ବଚନ-ଧନେ କରି । ଯେ ହୋଏ ପର-ଉପକାରୀ ॥୧୩୯
ଦିନ ହରନ୍ତି ଦୁଃଖ ସୁଖେ । ସେ ଧନ୍ୟ ଇହପରଲୋକେ ॥୧୪୦
ପୁଷ୍ପ-ପଲ୍ଲବ-ଫଳ-ଦଳେ । ତରୁର ଲମ୍ବ ଡ଼ାଳ ତଳେ ॥୧୪୧
ଗୋରୁ ଗୋପାଳ ଘେନି ସଙ୍ଗେ । ମିଳିଲେ ଯମୁନାର ଲାଗେ ॥୧୪୨
ଶୀତଳ ଜଳ ପାନକରି । ବୃକ୍ଷର ତଳେ ନରହରି ॥୧୪୩
କୃଷ୍ଣଙ୍କୁ ଚାହିଁ ଗୋପବାଳେ । କହନ୍ତି କ୍ଷୁଧାର ଆକୁଳେ ॥୧୪୪
ସେ ରାମ କୃଷ୍ଣର ଅଗ୍ରତ । ନମଇଁ ଦାସ ଜଗନ୍ନାଥ ॥୧୪୫
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧ ପୂର୍ବାର୍ଦ୍ଧେ ଗୋପୀବସ୍ତ୍ରାପହାରୋ ନାମ ତ୍ରୟୋବିଂଶୋଽଧ୍ୟାୟଃ ॥
ଚତୁର୍ବିଂଶ ଅଧ୍ୟାୟ
[ସମ୍ପାଦନା]- ଶୁକ ଉବାଚ
ପରୀକ୍ଷେ ଚାହିଁ ଶୁକମୁନି । କହନ୍ତି କୃଷ୍ଣଭାବ ଘେନି ॥୧
ବାଳକେ କୃଷ୍ଣକୁ ଅନାଇଁ । ବୋଲନ୍ତି ଶିରେ କରଦେଇ ॥୨
ହେ ରାମକୃଷ୍ଣ କର ତ୍ରାହି । କ୍ଷୁଧାରେ କମ୍ପୁଅଛି ଦେହୀ ॥୩
ଆଣିତ ନ ପାରିଲୁ ଅନ୍ନ । ରାତ୍ରହୁଁ କଲ ବେଣୁସ୍ୱନ ॥୪
ଘର ହୋଇଲା ଦୂରପଥ । ଆଜ ତ ହୋଇଲୁ ଅନାଥ ॥୫
ବାଳକ ବୋଲ ଶୁଣି କର୍ଣ୍ଣେ । ଗୋବିନ୍ଦ ବିଚାରନ୍ତି ମନେ ॥୬
ଅନେକ ଜନ୍ମେ ଦୁଃଖ ସହି । ବ୍ରାହ୍ମଣୀଛନ୍ତି ମୋତେ ଧ୍ୟାୟି ॥୭
ତାହାଙ୍କୁ ନିସ୍ତାରିବି ଆଜ । ଏଣେ ମୋହର ବଡ଼କାର୍ଯ୍ୟ ॥୮
ପୁଅଙ୍କ ମୁଖ ଚାହିଁ ହସି । ବୋଲନ୍ତି ପ୍ରଭୁ ବ୍ରହ୍ମରାଶି ॥୯
ଏ ଯେ ଦିଶଇ ଧୂମବର୍ଣ୍ଣ । ନିକଟେ ଅଶୋକ-ବିପିନ ॥୧୦
ଯଜ୍ଞ କରନ୍ତି ବିପ୍ରେ ଯହିଁ । ତହିଁକି ଯାଅ ବେଗ ହୋଇ ॥୧୧
ବିଚାରି ବେଦ-ବ୍ରହ୍ମଦୀକ୍ଷା । ଯଜ୍ଞେ କରନ୍ତି ସ୍ୱର୍ଗ ଇଚ୍ଛା ॥୧୨
ଧନ-ବସନ-ଅନ୍ନ ଭୋଜା । ଅତିଥି କରୁଥାନ୍ତି ପୂଜା ॥୧୩
ଅତିଥିମତେ ତୁମ୍ଭେ ଯାଅ । ମୋର ମାଗିଲା ବୋଲି କହ ॥୧୪
ରାମ ଅଛନ୍ତି କୃଷ୍ଣ ସଙ୍ଗେ । ଅନ୍ନପୁଡ଼ାଏ ଦିଅ ବେଗେ ॥୧୫
ଶୁଣି ସାନନ୍ଦମନ ହୋଇ । ଯଜ୍ଞେ ମିଳିଲେ ପୋଏ ଯାଇ ॥୧୬
କପୋଳେ ଦେଇ ବେନିକର । ନ ମିଲେ ବିପ୍ରଙ୍କ ପୟର ॥୧୭
ଉଠିଲେ ଶିରେ କର ଦେଇ । କହନ୍ତି ବିପ୍ରଙ୍କୁ ଅନାଇଁ ॥୧୮
ଶୁଣିମା ସାବଧାନ ହୋଇ । ବନେ ବିଜୟ ବେନିଭାଇ ॥୧୯
ରାମ-ଗୋବିନ୍ଦ ଗୋପମେଳେ । ଫୁଟିଲେ କ୍ଷୁଧାର ବିକଳେ ॥୨୦
ଅଶୋକ ବୃକ୍ଷତଳେ ରହି । ଆମ୍ଭଙ୍କୁ ଦେଲେ ପଠିଆଇ ॥୨୧
ଅନ୍ନପୁଡ଼ାଏ ସ୍ୱାମୀ ଦେବ । ଭୁଞ୍ଜିବେ ଶ୍ରୀରାମ-ମାଧବ ॥୨୨
ଘରୁ ଆଣନ୍ତି ପ୍ରତିଦିନେ । ବନେ ଭୁଞ୍ଜନ୍ତି ତୋଷମନେ ॥୨୩
ରାତ୍ର ହିଁ ବନେ ଆଗସରି । ଅନ୍ନ ଯେ ଅଇଲୁ ପାସୋରି ॥୨୪
ଏଠାକୁ ଦୂର ଗୋପପୁର । କ୍ଷୁଧାଏ କମ୍ପଇ ଶରୀର ॥୨୫
ଆମ୍ଭଙ୍କୁ ରାଇ କୃଷ୍ଣ ପେଷି । ଅଛନ୍ତି ବୃକ୍ଷତଳେ ବସି ॥୨୬
ତାହାଙ୍କୁ ଯେବେ କର ସ୍ନେହ । ଅନ୍ନପୁଡ଼ାଏ ବେଗେ ଦିଅ ॥୨୭
ଯଜ୍ଞର ସ୍ୱଭାବ ଏମନ୍ତ । ଅତିଥି ପୂଜିବା ଯୁକତ ॥୨୮
ବ୍ରାହ୍ମଣେ ଶୁଣି ନ ଶୁଣିଲେ । ମନଚଞ୍ଚଳେ ଯଜ୍ଞ କଲେ ॥୨୯
ହରିର ମାୟାଚକ୍ରେ ପଡ଼ି । ଅଳପକର୍ମେ ପୁଣ୍ୟ ଲୋଡ଼ି ॥୩୦
ମନ ବୁଡ଼ାଇଛନ୍ତି ଯଜ୍ଞେ । ବ୍ରାହ୍ମଣ ଜନ୍ମର ସ୍ୱଭାବେ ॥୩୧
ଯେ ହରି ଦେଶକାଳ ପାତ୍ର । ଯଜ୍ଞାଦିଧର୍ମର ଦୈବତ ॥୩୨
ଯଜ୍ଞଭୋକତା ଆଦି କରି । ସର୍ବସମ୍ପଦ ନରହରି ॥୩୩
ପରମବ୍ରହ୍ମ ନ ଚିହ୍ନିଲେ । ମନୁଷ୍ୟବୁଦ୍ଧି ଆଚରିଲେ ॥୩୪
ଦେବା ନ ଦେବା ନ ବୋଇଲେ । ଗୋପାଳେ ନିରାଶ ହୋଇଲେ ॥୩୫
ଘଡ଼ିଏ ଥାଇ ଦୁଃଖସୁଖେ । ପୁଣି ମିଳିଲେ କୃଷ୍ଣପାଖେ ॥୩୬
ବୋଲନ୍ତି ଶିରେ କରଦେଇ । ଅନ୍ନ ମାଗିଲୁ ଆମ୍ଭେ ଯାଇ ॥୩୭
ତୋକଥା ଶୁଣି ନ ଶୁଣିଲେ । ଦେବା ନ ଦେବା ନ ବୋଇଲେ ॥୩୮
ଆମ୍ଭେ ଅଇଲୁ ଦୁଃଖପାଇ । ଶୁଣି ହସନ୍ତି ବେନିଭାଇ ॥୩୯
ବୋଲନ୍ତି ଶୁଣ ଗୋପପୋଏ । ଯାଅ ବ୍ରାହ୍ମଣଘର ଯାଏ ॥୪୦
ବ୍ରାହ୍ମଣୀମାନେ ଛନ୍ତି ଘରେ । ସେ ମୋତେ ଜାଣନ୍ତି ଅନ୍ତରେ ॥୪୧
ମୋ ଭାବ ନିତ୍ୟେ ସେ ଚିନ୍ତନ୍ତି । ମୋହର ଦର୍ଶନ ଇଚ୍ଛନ୍ତି ॥୪୨
ତାହାଙ୍କୁ ଅନ୍ନ ମାଗ ଯାଇ । ଭୁଞ୍ଜିବା ଉଦର ପୂରାଇ ॥୪୩
ବାଳକେ ଦୟା ସେ କରନ୍ତି । ଅତିଥି ଧର୍ମମତେ ଥାନ୍ତି ॥୪୪
ନାନାବ୍ୟଞ୍ଜନ ଆଣି ଦେବେ । ବେଗେ ବାହୁଡ଼ିଯାଅ ଏବେ ॥୪୫
ଗୋବିନ୍ଦ ଆଜ୍ଞା ଘେନି ଶିରେ । ପୋଏ ଚଳିଲେ ବିପ୍ରଘରେ ॥୪୬
ବ୍ରାହ୍ମଣୀମାନେ ଛନ୍ତି ବସି । ଅଳକ ତିଳକ ପ୍ରକାଶି ॥୪୭
ସ୍ତିରୀ ସ୍ୱଭାବେ ଅଳଙ୍କାର । ମଙ୍ଗଳନାଦେ ଗୀତସ୍ୱର ॥୪୮
କୃଷ୍ଣରନାମ ତୁଣ୍ତେ ଗାଇ । ପୋଏ ମିଳିଲେ ଘରେ ଯାଇ ॥୪୯
ଚରଣେ ଗଡ଼ଘାଲି ଶୋଇ । ବୋଲନ୍ତି ଶିରେ କରଦେଇ ॥୫୦
ଶୁଣିମା ସାବଧାନେ ମାଏ । ଆମ୍ଭେ ସକଳ ଗୋପପୋଏ ॥୫୧
ରାମ-ଗୋବିନ୍ଦ ଆମ୍ଭ ତୁଲେ । ବନରେ ଗାଈ ରଖିଥିଲେ ॥୫୨
କ୍ଷୁଧା-ଅନଳେ ଦୁଃଖଶ୍ରମେ । ବିଜୟ ଅଶୋକ ବିପିନେ ॥୫୩
ଆମ୍ଭଙ୍କୁ ରାଇ ବେନିଭାଇ । ଏଥକୁ ଦେଲେ ପଠିଆଇ ॥୫୪
ଅନ୍ନପୁଡ଼ାଏ ମାଏ ଦେବ । ଭୁଞ୍ଜିବେ ଶ୍ରୀରାମ-ମାଧବ ॥୫୫
ବହନ ଦିଅ ମାଏ ଅନ୍ନ । ତେବେ ସେ ପାଇବେ ଜୀବନ ॥୫୬
ଆମ୍ଭର ଦେଖୁଅଛ ଦେହ । ଦେବା ନ ଦେବା ବେଗେ କହ ॥୫୭
ଶୁଣି ଉଷତ ବିପ୍ରନାରୀ । ସକଳ ଚରଚା ପାସୋରି ॥୫୮
ଆନନ୍ଦେ ପୁଲକିତ ହୋଇ । ନୟନୁ ଅଶ୍ରୁଜଳ ବହି ॥୫୯
କୃଷ୍ଣର ନାମ ଜପୁଛନ୍ତି । ଫିଟିଲା ଭବବନ୍ଧ-ଭ୍ରାନ୍ତି ॥୬୦
ତକ୍ଷଣେ ଶୁଚିମନ୍ତ ହୋଇ । ଘରେ ପଶିଲେ ବେଗେ ଯାଇ ॥୬୧
ଅନ୍ନ ବ୍ୟଞ୍ଜନ ଷଡ଼ରସେ । ଆନନ୍ଦେ ବାଢ଼ିଲେ ବିଶେଷେ ॥୬୨
ବିବିଧପାତ୍ରେ ଅନ୍ନ ଘେନି । ବାହାର ହୋଇଲେ କାମିନୀ ॥୬୩
ଆନନ୍ଦେ ଦେଲେ ହୁଳହୁଳି । ଯେସନେ ସମୁଦ୍ର ଉଛୁଳି ॥୬୪
ସମ୍ପଦ ତୁଚ୍ଛପ୍ରାୟ କରି । ଏକ ଆରକେ ଆଗସରି ॥୬୫
ବିପ୍ରେ ଯେ ଯଜ୍ଞଶାଳ ଥିଲେ । ଗୋଡ଼ାଇ ଆଗେ ଓଗାଳିଲେ ॥୬୬
ବୋଲନ୍ତି କୋପଭର ହୋଇ । ତୁମ୍ଭଙ୍କୁ କେହୁ କଲାବାଇ ॥୬୭
ଗୋପାଳେ ବନେ ବେଣୁବାଇ । ବୁଲନ୍ତି ଗାଈଙ୍କି ଚରାଇ ॥୬୮
ତା'ଙ୍କ ନିକଟେ ତୁମ୍ଭେ ଗଲେ । ଆଉ କି ଥିବ ଜାତି-କୁଳେ ॥୬୯
ଭଲେ ବାହୁଡ଼ିଯାଅ ଘର । ଗଉଡ଼େ ବନେ ବଳୀୟାର ॥୭୦
ବ୍ରାହ୍ମଣୀ ନ ଶୁଣିଲେ ତାହା । କୃଷ୍ଣରେ ବଳିଛି ଉତ୍ସାହା ॥୭୧
ଗହଳେ ଗଲେ ପେଲା ପେଲି । ସ୍ୱାମୀଙ୍କି ପକାଇଲେ ଠେଲି ॥୭୨
ସମୁଦ୍ରେ ଆସନ୍ତେ ଲହରୀ । ତା' ବାଲିବନ୍ଧ କି ଆବୋରି ॥୭୩
କୃଷ୍ଣ ଭକ୍ତିରେ ବଳବନ୍ତା । ତେଣୁ ସେ ସ୍ୱାମୀଙ୍କି ଜିଣନ୍ତା ॥୭୪
ବ୍ରାହ୍ମଣେ ଧରି ନ ପାରିଲେ । ଯଜ୍ଞଶାଳକୁ ବାହୁଡ଼ିଲେ ॥୭୫
ଏକ ବ୍ରାହ୍ମଣୀ କ୍ଷୀଣଦେହୀ । ଗହଳେ ନ ପାରିଲା ଯାଇ ॥୭୬
ଦରିଦ୍ରପଣେ ଦୁଃଖ ପାଇ । ଅନ୍ନ-ବସନ ନ ମିଳଇ ॥୭୭
କୃଷ୍ଣହୁଁ ନ ଜାଣଇ ଆନ । ମନ-ବଚନେ ନିତ୍ୟେ ଧ୍ୟାନ ॥୭୮
ଅନେକ ଜନ୍ମେ ଦୁଃଖ ପାଇ । ତାହା ଜାଣନ୍ତି ଭାବଗ୍ରାହୀ ॥୭୯
ତାହାର ସ୍ୱାମୀ ଧରି କରେ । ନେଇ ବାନ୍ଧିଲା ନିଜ ଘରେ ॥୮୦
ମାଡ଼ ମାଇଲା ରୋଷଭରେ । ରୋଳେ ବାନ୍ଧିଲା ଧାତିକାରେ ॥୮୧
ଦ୍ୱାର କବାଟ ଆଣ୍ଟେ କିଳି । ଯଜ୍ଞଶାଳାରେ ଯାଇ ମିଳି ॥୮୨
ବ୍ରାହ୍ମଣୀ ହୋଇଲା ମୂର୍ଚ୍ଛିତ । କୃଷ୍ଣଚରଣେ ଦେଇ ଚିତ୍ତ ॥୮୩
ପୁଣି କ୍ଷଣକେ ଜ୍ଞାନ ପାଇ । ବୋଲଇ କାନ୍ଦି କୃଷ୍ଣ ତ୍ରାହି ॥୮୪
ଗଲେ ଯେ ବିପ୍ରନାରୀମାନେ । ମିଳିଲେ ଅଶୋକ-ବିିପିନେ ॥୮୫
ବୃକ୍ଷର ତଳେ ଗୋପମେଳେ । କୃଷ୍ଣ ଦେଖିଲେ ଚର୍ମଡ଼ୋଳେ ॥୮୬
ଶ୍ୟମସୁନ୍ଦର ତନୁ ବର୍ଣ୍ଣ । ପୀତବସନ ଶୋଭାବନ ॥୮୭
କଙ୍କଣ କୁଣ୍ତଳ ବିରାଜେ । ତେଜେ କୋଟିଏ କାମଗଞ୍ଜେ ॥୮୮
ରଙ୍ଗମୃତ୍ତିକା ଅଙ୍ଗେ ବୋଲି । ମୟୂରପୁଚ୍ଛ ଗୁଞ୍ଜମାଳୀ ॥୮୯
ଆମ୍ବବଉଳ ଜାମୁଡ଼ାଳ । ହୃଦେ ଲମ୍ବଇ ବନମାଳ ॥୯୦
ପାଦେ କଠାଉ ରଙ୍ଗସାର । ଶ୍ରୀଦାମ କନ୍ଧେ ବାମକର ॥୯୧
ଦକ୍ଷିଣ କରେ ପଦ୍ମଘେନି । ଧୀରେ ଘୂରାନ୍ତି ଅନ୍ତର୍ଯ୍ୟାମି ॥୯୨
କର୍ଣ୍ଣରେ ନୀଳ ଉତପଳ । ସୁନ୍ଦର ଅଳକା କପୋଳ ॥୯୩
ଯେସନେ ନଟବର ବେଶ । ରଙ୍ଗ ଅଧରେ ମନ୍ଦହାସ ॥୯୪
ଈଷିତ ହାସ୍ୟମୁଖ ହୋଇ । ବ୍ରାହ୍ମଣୀମାନଙ୍କୁ ଅନାଇଁ ॥୯୫
ବ୍ରାହ୍ମଣନାରୀ କୃଷ୍ଣ ଦେଖି । ପିଛାଡ଼ି ନ ପାରନ୍ତି ଆଖି ॥୯୬
ଦେହ ତିନ୍ତିଲା ଅଶ୍ରୁଜଳେ । ଅନ୍ନ ଥୋଇଲେ କାଖୁଁ ତଳେ ॥୯୭
ତକ୍ଷଣେ ଶିରେ କର ଦେଇ । ବୋଲନ୍ତି କୃଷ୍ଣ ତ୍ରାହି ତ୍ରାହି ॥୯୮
ଅନଳ ଦେଖିଣ ପତଙ୍ଗ । ଯେହ୍ନେ ହୁଅନ୍ତି ଉଦ୍ବେଗ ॥୯୯
ବୋଲନ୍ତି କରିବା ଗୋ କୋଳ । ଜୀବନ ହୋଇବ ସୁଫଳ ॥୧୦୦
କେ ବୋଲେ ଏମନ୍ତ ନୁହଁଇ । ବ୍ରାହ୍ମଣେ ନ ଦେବେଟି ଯାଇ ॥୧୦୧
ପରପୁରୁଷ କୋଳ କଲେ । ବିପ୍ରେ ଦଣ୍ତିବେ ଘରେ ଗଲେ ॥୧୦୨
ଏମନ୍ତ ବିଚାରନ୍ତି ରହି । କୃଷ୍ଣବଦନେ ଚକ୍ଷୁ ଦେଇ ॥୧୦୩
କଣ୍ଠ-କୁଣ୍ଠିତ ରସଭର । ଅଧର କମ୍ପେ ଥରହର ॥୧୦୪
ପୁଣ ପୁଲକଭରେ କୁଚ । ଜାନୁ କମ୍ପଇ ଘନଘଞ୍ଚ ॥୧୦୫
ପଡ଼ିଲେ ପଞ୍ଚଶରେ ଘାରି । କୃଷ୍ଣଙ୍କୁ ଦେଖି ବିପ୍ରନାରୀ ॥୧୦୬
ଆତ୍ମା ହୋଇଲା ମୋହଗତ । ପଞ୍ଚପରାଣ କଣ୍ଠାଗ୍ରତ ॥୧୦୭
ଚକ୍ଷୁ ବୁଜିଲେ ଭାବଭରେ । କୃଷ୍ଣଙ୍କୁ ଦେଖିଲେ ଭିତରେ ॥୧୦୮
ହୃଦୟେ ଦେଖି ନାରାୟଣ । ନିବିଡ଼େ କଲେ ଆଲିଙ୍ଗନ ॥୧୦୯
ତାପ ଛାଡ଼ିଲେ ବିପ୍ରନାରୀ । ଜନ୍ମମରଣ ଆଦିକରି ॥୧୧୦
ଯେହ୍ନେ ଜ୍ଞାନୀଙ୍କ ସଙ୍ଗ ପାଇ । ବିଷୟଖେଦ ନ ଲାଗଇ ॥୧୧୧
ଜ୍ଞାନକୁ ପାଇ ଦିନେ ଦିନେ । ତାପ ଛାଡ଼ନ୍ତି ଯେହ୍ନେ ଜନେ ॥୧୧୨
ପୁଣି କ୍ଷଣକେ ଚକ୍ଷୁ ଫେଇ । ଦେଖନ୍ତି ନୟନ ପୂରାଇ ॥୧୧୩
ଚିତ୍ରପ୍ରତିମା ପ୍ରାୟ ହୋଇ । ମନ ବୁଡ଼ିଲା କୃଷ୍ଣ ତହିଁ ॥୧୧୪
ଜାଣିଲେ ପ୍ରଭୁ ଭଗବାନ । ବୋଲନ୍ତି ମଧୁର ବଚନ ॥୧୧୫
ଭଲେ ଅଇଲଟିକି ପଥେ । ମୋ' ରୂପ ଦେଖିବା ନିମନ୍ତେ ॥୧୧୬
ଆସଗୋ ବିପ୍ରନାରୀଗଣ । ନମଇଁ ତୁମ୍ଭର ଚରଣ ॥୧୧୭
ତୁମ୍ଭ ଚରଣରେଣୁ ଶିରେ । ଘେନି ସଂସାରୁ ପ୍ରାଣୀ ତରେ ॥୧୧୮
ବସ ଏ ବୃକ୍ଷତଳେ ଆଇ । ମୋତେ ଅଇଲ ଅନ୍ନ ଦେଇ ॥୧୧୯
ଆଜ ପବିତ୍ର ମୋର ଦେହୀ । ହୋଇବ ଯଜ୍ଞଅନ୍ନ ଖାଇ ॥୧୨୦
ତୁମ୍ଭଙ୍କୁ କି କରିବା ସେବା । ବିଚାରି ମୋତେ ଆଜ୍ଞା ଦେବା ॥୧୨୧
ଜ୍ଞାନୀଏ ଆତ୍ମଜ୍ଞାନ ପାଇ । ଧ୍ୟାନେ ଚିନ୍ତନ୍ତି ମୋର ଦେହୀ ॥୧୨୨
ତୁମ୍ଭର ସ୍ୱାମୀ ସେବା ପ୍ରାୟେ । ଜ୍ଞାନୀ କରନ୍ତି ମୋତେ ଲୟେ ॥୧୨୩
ଏବେ ଦେଖିଲ ମୋ' ଶରୀର । ନିଜ ମନ୍ଦିରେ ବିଜେକର ॥୧୨୪
ତୁମ୍ଭର ସ୍ୱାମୀପାଦେ ସେବ । ଯେବେ ଏ ସଂସାରୁ ତରିବ ॥୧୨୫
ବେଗେ ଘରକୁ ଯାଅ ଆଇ । ପୂର୍ଣ୍ଣଆହୂତି ବେଳ ହୋଇ ॥୧୨୬
ତୁମ୍ଭଙ୍କୁ ଘେନି ବିପ୍ରବରେ । ପୁଣ୍ୟ ସାଧିବେ ନିଜ ଘରେ ॥୧୨୭
ଶୁଣି ଗୋବିନ୍ଦ ମୁଖୁଁ ବାଣୀ । ବିକଳେ ବୋଲନ୍ତି ବ୍ରାହ୍ମଣୀ ॥୧୨୮
ଭୋ ନାଥ କମଳଲୋଚନ । ଅଶେଷ ଦୁଃଖ ବିମୋଚନ ॥୧୨୯
ତୋହର ଆଦିଅନ୍ତ ନାହିଁ । ପ୍ରକୃତି ତୋତେ ନ ଜାଣଇ ॥୧୩୦
ଅଶେଷ-ବ୍ରହ୍ମାଣ୍ତ-ଗୋସାଇଁ । ଏମନ୍ତ ବୋଲ କାହିଁପାଇଁ ॥୧୩୧
ଆମ୍ଭେ ଛାଡ଼ିଲୁ ମୋହପାଶ । ତୋହର ପାଦମୂଳେ ଆଶ ॥୧୩୨
ତୋହର ଚରଣ ତୁଳସୀ । କବରୀଭାରେ ତାହା ଖୋସି ॥୧୩୩
କବରୀଭାର ସଜ କରି । ତୋପାଦେ ସେବିବୁଁ ମୁରାରି ॥୧୩୪
ଖଟିବୁ ପାଦପଦ୍ମତଳେ । ଅଶେଷ ଜନ୍ମ ପୁଣ୍ୟଫଳେ ॥୧୩୫
ସ୍ୱାମୀ-ତନୟ-ବନ୍ଧୁ-ଗୁରୁ । ତେଜିଲୁଁ ତୋହର କୃପାରୁ ॥୧୩୬
ଅଷ୍ଟାଙ୍ଗ ଯୋଗଲୟେ ବସି । ତୋ' ରୂପ ଚିନ୍ତନ୍ତି ସନ୍ନ୍ୟାସୀ ॥୧୩୭
ତାହା ପାଇଲୁଁ ପୁଣ୍ୟବଳେ । ଭୋନାଥ ରଖ ପାଦତଳେ ॥୧୩୮
ଇଷ୍ଟ କୁଟୁମ୍ବେ କାର୍ଯ୍ୟ ନାହିଁ । ବଞ୍ଚିବୁ ତୋ ମୁଖ ଅନାଇଁ ॥୧୩୯
ଏଠାରେ ଯେବେ ଆମ୍ଭେ ଯିବୁ । ଘରେ ତ ପଶି ନ ପାରିବୁ ॥୧୪୦
ବନ୍ଧୁ-ପିଅର-ପୁତ୍ର-ପତି । ଆମ୍ଭଙ୍କୁ ବୋଲିବେ ଅସତୀ ॥୧୪୧
ସଂସାରେ ନ ବୋଲିବେ ଭଲ । ବିଚାରି କହ ଆଦିମୂଳ ॥୧୪୨
ଉଭୟକୁଳ ନ ପାଇଲୁ । ଏବେ ନିଶ୍ଚୟ ନାଶ ଗଲୁ ॥୧୪୩
କିସ କରିବୁ ଘରେ ଯାଇ । ତୋ' ତହୁଁ ଆନଗତି ନାହିଁ ॥୧୪୪
ହସି ବୋଲନ୍ତି ଭଗବାନ । ଏମନ୍ତ ନବିଚାର ମନ ॥୧୪୫
ମୋର ଚରଣେ ଚିତ୍ତ ଦେଇ । ଚଣ୍ତାଳଘରେ ଯେବେ ଥାଇ ॥୧୪୬
ସଂସାର ତା'ର ପାଦେ ପୂଜେ । ଯେ ମୋର ନାମ ନିତ୍ୟେଭଜେ ॥୧୪୭
ତୁମ୍ଭଙ୍କୁ ଦେଖି ସ୍ୱାମୀଗଣେ । ଖଟିବେ ତୁମ୍ଭର ଚରଣେ ॥୧୪୮
ତୁମ୍ଭଙ୍କୁ ନୟନେ ଦେଖିବେ । ଜନ୍ମ ମରଣର ପାଶୋରିବେ ॥୧୪୯
ମୋର ମହିମା ଶୁଣନାରୀ । ଯେମୋର ନିକଟେ ଆବୋରୀ ॥୧୫୦
ମୋକ୍ଷବିଧାନେ ଯେ ଭଜଇ । ମୋହର ତହିଁ ମନ ଦେଇ ॥୧୫୧
ମୋତେ ପାଇବା ଆଶେ ଜଗି । ବିଘ୍ନେ ହୁଅନ୍ତି ଦୁଃଖଭାଗୀ ॥୧୫୨
ମୋହର ଆଦି ଅନ୍ତ ନାହିଁ । ପ୍ରାଣୀ ପାଇବେ ମୋତେ କାହିଁ ॥୧୫୩
ଯେ ମୋତେ ଦୂରେ ଥାଇ ଚିନ୍ତି । ସେ ମୋତେ ନିକଟେ ଦେଖନ୍ତି ॥୧୫୪
ମନ-ବଚନ ଦ୍ୟନ୍ତି ମୋତେ । ମୁଁ ଥାଇ ତା'ଙ୍କ ହୃଦଗତେ ॥୧୫୫
ବେଗେ ମନ୍ଦିରେ ଯାଆ ମାଏ । ଚିତ୍ତ ନିବେଶି ମୋର ପାୟେ ॥୧୫୬
ସଂସାରେ ସୁଖ ଭୋଗକରି । ଅନ୍ତେ ପାଇବ ମୋର ପୁରୀ ॥୧୫୭
ମୋ' ପାଦେ ତୁମ୍ଭ ମନଥାଉ । ମୋ' ନାମ ଧରି ଦିନ ଯାଉ ॥୧୫୮
ଏବେ ତୁମ୍ଭଙ୍କୁ ବୋଲୁଁ ଯାହା । ହେତୁ କରିଣ ଘେନ ତାହା ॥୧୫୯
ତୁମ୍ଭେ ସ୍ୱଭାବେ ସ୍ତିରୀଜନ୍ମ । ନଜାଣ ବେଦ ଅଧ୍ୟୟନ ॥୧୬୦
ଶାସ୍ତ୍ର ସ୍ମୃତି ଯେ ତୁମ୍ଭ ନାହିଁ । ନାମ ଭଜିବ ଗୀତ ଗାଇ ॥୧୬୧
ନିଶ୍ଚଳେ ନାମ-ଗୁଣ ଭଜି । ମୋତେ ପାଇବ ଗୁଣେ ରଞ୍ଜି ॥୧୬୨
ତୁମ୍ଭଙ୍କୁ ମୋର ବଡ଼ ଦୟେ । ଗୃହେ ଚଳିବା ଏବେ ମାଏ ॥୧୬୩
ଏ କଥା ଶୁଣି ବିପ୍ରନାରୀ । କୃଷ୍ଣବଚନ ଚିତ୍ତେ ଧରି ॥୧୬୪
ହରଷ-ବିସ୍ମୟେ ଆରତ । ଏବେ ହୋ ଶୁଣ ନରନାଥ ॥୧୬୫
କୃଷ୍ଣବଚନେ ଛାଡ଼ି ଭ୍ରାନ୍ତି । ପାଦେ ପଡ଼ିଲେ ବିପ୍ରସତୀ ॥୧୬୬
ଚରଣରେଣୁ ଘେନି ଶିରେ । ବ୍ରାହ୍ମଣୀ ଗଲେ ନିଜ ପୁରେ ॥୧୬୭
କୃଷ୍ଣର ପାଦେ ଚିତ୍ତ ଦେଇ । ଆନନ୍ଦ କେ ପାରିବ କହି ॥୧୬୮
ମଙ୍ଗଳ-ହୁଳହୁଳି-ନାଦେ । କର ନିବେଶି କାନ୍ଧେ କାନ୍ଧେ ॥୧୬୯
ମଙ୍ଗଳନାଦେ ଗୀତ ଗାଇ । ନାଚନ୍ତି କୃଷ୍ଣଭାବ ବହି ॥୧୭୦
ଶୁଣ ରାଜନ ଚୂଡ଼ାମଣି । ବନ୍ଧନେ ଥିଲା ଯେ ବ୍ରାହ୍ମଣୀ ॥୧୭୧
ଶୁଣିଲା ହୁଳହୁଳି ନାଦ । ବ୍ରାହ୍ମଣୀମାନଙ୍କ ଆନନ୍ଦ ॥୧୭୨
ଆତ୍ମାକୁ କହେ ରୋଷ ବହି । ନିର୍ଲ୍ଲଜ ଅଛୁ କାହିଁପାଇଁ ॥୧୭୩
ତୁ ଛାର ଅତ୍ୟନ୍ତ ପାତକୀ । କୃଷ୍ଣଙ୍କୁ ନ ପାରିଲୁ ଦେଖି ॥୧୭୪
ଯାହାର ନାମ ହୃଦେ ଧରି । ଶଙ୍କର ନିତ୍ୟେ ବ୍ରହ୍ମଚାରୀ ॥୧୭୫
ତୁ ଛାର ନ କଲୁ ଯେ ପୁଣ୍ୟ । ବ୍ରାହ୍ମଣୀମାନେ ବଡ଼ ଧନ୍ୟ ॥୧୭୬
କୃଷ୍ଣଙ୍କୁ ଦେଖିଲେ ନୟନେ । ଆଜ୍ଞା ଶୁଣିଲେ ବେନିକର୍ଣ୍ଣେ ॥୧୭୭
କିସ ପାଇବୁ ମୋ' ଶରୀରେ । ଦରିଦ୍ର ଦୁଃଖୀ ନିରନ୍ତରେ ॥୧୭୮
ଏତେ ବୋଲିଣ ମନକରି । ହୃଦରେ କୃଷ୍ଣନାମ ଧରି ॥୧୭୯
ଉଚ୍ଚେ ରଟିଲା ନାମ ଗୁଣ । ତ୍ରାହି କରିବା ନାରାୟଣ ॥୧୮୦
ହେ କୃଷ୍ଣ ପରମମଙ୍ଗଳ । ଦାସବତ୍ସଳ ଆଦିମୂଳ ॥୧୮୧
ମୁଁ ଛାର କୋଟିକେ ଅନ୍ତର । କାହିଁ ପାଇବି ତୋ' ପୟର ॥୧୮୨
ଏ ଛାର ଜୀବନ ନ ଥାଉ । ଗୋବିନ୍ଦନାମ ଶୁଣି ଯାଉ ॥୧୮୩
ମୁଣ୍ତ ମାଇଲା ସ୍ତମ୍ଭେ ନେଇ । ପ୍ରାଣ ଛାଡ଼ିଲା କୃଷ୍ଣଧ୍ୟାୟି ॥୧୮୪
କୃଷ୍ଣର ପାଦେ ମନ ଥିଲା । ତୁଣ୍ତରେ ନାମ ଉଚ୍ଚାରିଲା ॥୧୮୫
ତକ୍ଷଣେ ଦିବ୍ୟରୂପ ହୋଇ । ପଶିଲା କୃଷ୍ଣ-ଦେହେ ଯାଇ ॥୧୮୬
ଭକତବନ୍ଧୁ ଭାବଗ୍ରାହୀ । ହୃଦରେ ଠାବ ଦେଲେ ନେଇ ॥୧୮୭
ଏବେ ହୋ ଶୁଣ ମହୀପାଳ । ଶ୍ରୀକୃଷ୍ଣ-କ୍ରଡ଼ା-କୁତୂହଳ ॥୧୮୮
ଦାସବତ୍ସଳ ଭାବଗ୍ରାହୀ । ବୋଲନ୍ତି ପୁଅଙ୍କୁ ଅନାଇଁ ॥୧୮୯
ଅନ୍ନଭୋଜନ କର ବସି । ଆନନ୍ଦେ ନିଜ ଆତ୍ମା ତୋଷି ॥୧୯୦
ଶୁଣି ସାନନ୍ଦ ଗୋପପୋଏ । ସଙ୍ଗେ ଭୁଞ୍ଜିଲେ ଦେବରାୟେ ॥୧୯୧
ସ୍ୱର୍ଗେ ଦେଖନ୍ତି ଦେବତାଏ । ଗୋପଙ୍କ ସ୍ନେହ କୃଷ୍ଣଠାଏଁ ॥୧୯୨
ଏମନ୍ତ ଲୀଳା ବନମାଳୀ । ଗୋପୀ-ଗୋପାଳ ମେଳେ କେଳି ॥୧୯୩
ଅନନ୍ତ ପ୍ରଭୁ ଆଦିମୂଳ । ଗୋପେ ମିଳିଲେ ରାତ୍ରକାଳ ॥୧୯୪
ବ୍ରାହ୍ମଣେ ନିଜ ନାରୀ ଦେଖି । କୃଷ୍ଣର ଭାବ ଉପଲକ୍ଷ୍ୟି ॥୧୯୫
ବେଦ-ପୁରାଣେ ପରିମାଣି । ନିଶ୍ଚେ ଜାଣିଲେ ଚକ୍ରପାଣି ॥୧୯୬
ଭକତି ଦେଖି ନାରୀଙ୍କର । ମନେ ପାଇଲେ ଖେଦଭର ॥୧୯୭
ବୋଲନ୍ତି ଆତ୍ମନିନ୍ଦା କରି । ଜଣଜଣକେ ନାମ ଧରି ॥୧୯୮
ଶ୍ରୀକୃଷ୍ଣେ କଲୁଁ ଅପରାଧ । ଧିକ ଆମ୍ଭର ବ୍ରହ୍ମପଦ ॥୧୯୯
ବେଦ-ପୁରାଣ ଯେତେ ପଢ଼ୁଁ । ଧିକ ଆମ୍ଭର ଆତ୍ମା ପୋଡ଼ୁ ॥୨୦୦
ବେଦ-ପୁରାଣ ଦୀକ୍ଷା ପାଇ । ଯେ କୃଷ୍ଣଭାବ ନ ଜାଣଇ ॥୨୦୧
ଧିକ ତାହାର ଜନ୍ମ-କର୍ମ । ଅନେକ ମତେ ହୋଏ ଭ୍ରମ ॥୨୦୨
ଏମନ୍ତ ବିଚାରି ବ୍ରାହ୍ମଣେ । ଧନ୍ୟ ବୋଲନ୍ତି ନାରୀଗଣେ ॥୨୦୩
ଯେ ଯାହା ପତ୍ନୀମୁଖ ଚାହିଁ । ତୋଷ ହୋଇଲେ ଯଜ୍ଞଦାହୀ ॥୨୦୪
କୃଷ୍ଣର ମାୟା ଅଗୋଚର । ଭ୍ରମନ୍ତି ବ୍ରହ୍ମାଶିବସୁର ॥୨୦୫
ଜଗତଗୁରୁପଣେ ଥାଇ । ବ୍ରାହ୍ମଣ ନାମ ଆମ୍ଭେ ବହି ॥୨୦୬
ସ୍ତିରୀଙ୍କି ନୋହିଲୁ ଭାଜନ । ଏହାଙ୍କ ନାହିଁ ଦିବ୍ୟଜ୍ଞାନ ॥୨୦୭
କେମନ୍ତେ କୃଷ୍ଣଙ୍କୁ ଜାଣିଲେ । ପୂର୍ବେ ଏ କେତେ ତପ କଲେ ॥୨୦୮
ଦେଖ ଆମ୍ଭର କର୍ମଫଳ । ଅନ୍ନ ମାଗିଲେ ଆଦିମୂଳ ॥୨୦୯
ଯଜ୍ଞେ ପୂଜୁଛୁଁ ଯା'ର ପାଦ । ପ୍ରତ୍ୟକ୍ଷେ ମିଳିଲେ ଗୋବିନ୍ଦ ॥୨୧୦
ତାହାଙ୍କୁ ନ ଚିହ୍ନୁଲୁ ମୋହେ । ଜୀବନ ଅଛି କିମ୍ବା ଦେହେ ॥୨୧୧
ଯେ ହରି ଦେଶ-କାଳ-ପାତ୍ର । ମଙ୍ଗଳ-ଦିବ୍ୟ-ବେଦତତ୍ତ୍ୱ ॥୨୧୨
ବିପ୍ର ଅନଳ ଦେବଗଣ । ଯଜ୍ଞକରତା ଜନାର୍ଦ୍ଦନ ॥୨୧୩
ସକଳ ପ୍ରଭୁ ଭଗବାନ । ନ ଜାଣି ହୋଇଲୁ ଅଜ୍ଞାନ ॥୨୧୪
କମଳା ଥାଇ ପାଦତଳେ । ବଦନ ନିରୋପି ନିଶ୍ଚଳେ ॥୨୧୫
ଚଞ୍ଚଳା ପଦ୍ମପାଦେ ସେବି । ଭାବି ନ ପାଇଲା ସାଧବୀ ॥୨୧୬
ଅନାଦି ପ୍ରଭୁ ଯୋଗେଶ୍ୱର । ଗୁପତେ ଅଛି ନନ୍ଦଘର ॥୨୧୭
ଜାଣି ନ ପାରିଲୁ ସକଳେ । କୃଷ୍ଣର ମାୟା-ଯୋଗ-ବଳେ ॥୨୧୮
ନମଉଁ ପ୍ରଭୁ ଯୋଗେଶ୍ୱର । ଗତି-ମୁକତି ଗଦାଧର ॥୨୧୯
ତୋହର ମାୟାଚକ୍ରେ ଭ୍ରମି । ଆମ୍ଭେ ବୋଲାଉ ନିତ୍ୟକର୍ମୀ ॥୨୨୦
ଅନେକ କଲୁ ଅପରାଧ । ତ୍ରାହି କରିବା ପଦ୍ମନାଭ ॥୨୨୧
ଏମନ୍ତ ବୋଲି ଗୋଡ଼ାଇଲେ । ବନେ ଅନେକ ଦୂର ଗଲେ ॥୨୨୩
କୃଷ୍ଣ ନ ଦେଖି ଘୋରବନେ । ବ୍ରାହ୍ମଣେ ବିଚାରନ୍ତି ମନେ ॥୨୨୪
ଗୋବିନ୍ଦ ବିଜେ ନନ୍ଦଘରେ । ଜାତ ହୋଇଲେ ମଧୁପୁରେ ॥୨୨୫
ଆମ୍ଭେ ନ ଯିବା ଗୋପପୁର । ନ ପୁଣ ଜାଣେ କଂସାସୁର ॥୨୨୬
ମଥୁରା ଯେତେବେଳେ ଯିବେ । କୃଷ୍ଣ କଂସକୁ ସଂହାରିବେ ॥୨୨୭
କୃଷ୍ଣେ ଦେଖିବା ରାମ ତୁଲେ । ଏମନ୍ତ ବୋଲି ବାହୁଡ଼ିଲେ ॥୨୨୮
ସୁଜନେ ଶୁଣ କର୍ଣ୍ଣଦ୍ୱାରେ । ନ ବୁଡ଼ ସଂସାର ସାଗରେ ॥୨୨୯
ସକଳ ପ୍ରାଣୀ ହୃଦେ ଥାଇ । ଭ୍ରମ କରାନ୍ତି ଭାବଗ୍ରାହୀ ॥୨୩୦
ତାହାର ନାମ ଉଚ୍ଚାରିଲେ । ଭ୍ରମ ନ ଥାଇ ଆତ୍ମାତୁଲେ ॥୨୩୧
କହିଲି ଏ ପରମତତ୍ତ୍ୱ । କୃଷ୍ଣସେବକ ବଳବନ୍ତ ॥୨୩୨
ରେ ମନ କୃଷ୍ଣ ଆଶ୍ରେକର । ସର୍ବ ଆପଦ ହେବ ଦୂର ॥୨୩୩
କହଇ ଦାସ ଜଗନ୍ନାଥ । କୃଷ୍ଣଚରିତ ଭାଗବତ ॥୨୩୪
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ଯଜ୍ଞପତ୍ନୀ ଉଦ୍ଧରଣଂ ନାମ ଚତୁର୍ବିଂଶୋଽଧ୍ୟାୟଃ ।
ପଞ୍ଚବିଂଶ ଅଧ୍ୟାୟ
[ସମ୍ପାଦନା]- ଶୁକ ଉବାଚ
ଶୁଣ ରାଜନ ଚୂଡ଼ାମଣି । ଗୋପନଗରେ ଚକ୍ରପାଣି ॥୧
ରୋହିଣୀ ନନ୍ଦନର ତୁଲେ । ଦିନ ହରନ୍ତି ଗୋପମେଳେ ॥୨
ଗୋପାଳେ ମିଳି ଏକଦିନେ । ଇନ୍ଦ୍ରର ଉତ୍ସବ ବିଧାନେ ॥୩
ସକଳେ ବିଚାରନ୍ତି ବସି । କୃଷ୍ଣ ମିଳିଲେ ମଧ୍ୟେ ଆସି ॥୪
ଅଶେଷ-ବ୍ରହ୍ମାଣ୍ତ-ଠାକୁର । ଜାଣନ୍ତି ଗୋପଙ୍କ ବିଚାର ॥୫
ଲୋକବେଭାରେ ଭାବଗ୍ରାହୀ । ବୋଲନ୍ତି ନନ୍ଦ ମୁଖ ଚାହିଁ ॥୬
ବୃଦ୍ଧ ଗୋପାଳେ ଛନ୍ତି ଯେତେ । ବିଶ୍ୱାସକର ଯେଝାମତେ ॥୭
ନନ୍ଦକୁ ପୁଚ୍ଛନ୍ତି ଅନନ୍ତ । ଇନ୍ଦ୍ରଉତ୍ସବର ବୃତ୍ତାନ୍ତ ॥୮
ଭୋ ତାତ କେବଣ ଉତ୍ସବ । ଏ କଥା କହ ସର୍ବଭାବ ॥୯
ତୁମ୍ଭ ବିଚାର ଯଜ୍ଞମତେ । ଉଦ୍ଦେଶ୍ୟ ଜାଣିବୁ କେମନ୍ତେ ॥୧୦
କେବଣ ମତେ ସାଧ୍ୟ କରି । ଯଜ୍ଞ କରନ୍ତି ନରନାରୀ ॥୧୧
ଏ ଯଜ୍ଞ କଲେ କିସ ଫଳ । ହସି କହନ୍ତି ନନ୍ଦବାଳ ॥୧୨
ଭୋ ତାତ ହୋଇବା ପ୍ରସନ୍ନ । କହ ଏ ପୂଜାର ବିଧାନ ॥୧୩
ଗୁପତ ନ କର ପିଅର । ଏ ସାଧୁଜନଙ୍କ ବେଭାର ॥୧୪
ଭାବ-ସେବକେ ସତ୍ୟ କହି । ବିଶେଷ ତୋ'ର ପୁତ୍ର ମୁହିଁ ॥୧୫
ସମଦରଶୀ ଯା'ର ଚିତ୍ତ । ନାହିଁ ତାହାର ରିପୁ ମିତ୍ର ॥୧୬
ସଂସାରଧର୍ମେ ଥାଇ ଜନ୍ତୁ । ଇଚ୍ଛନ୍ତି ନାନାକର୍ମ ହେତୁ ॥୧୭
ଜାଣି ନ ଜାଣି ଫଳ ଆଶେ । କର୍ମସାଧନ୍ତି ମନତୋଷେ ॥୧୮
ଦଇବମତେ ଫଳ ହୋଇ । ଯେ ଯାହା କର୍ମବଳେ ପାଇ ॥୧୯
ବେଦପୁରାଣ-କ୍ରିୟା ଘେନି । କର୍ମ ସାଧନ୍ତି ବିପ୍ର ମୁନି ॥୨୦
ତୁମ୍ଭେ ସାଧିବ କେଉଁମତେ । ବିଚାରି କହ ତାତ ମୋତେ ॥୨୧
କୃଷ୍ଣ ବଚନ ନନ୍ଦ ଶୁଣି । କୋଳେ ବସାଇ ଚକ୍ରପାଣି ॥୨୨
ବୋଲଇ ଶୁଣ ଦାମୋଦର । ପୂଜା କରିବୁ ସୁରେଶ୍ୱର ॥୨୩
ତା'ର ଆଜ୍ଞାରେ ମେଘମାଳ । ସଂସାରେ ବରଷନ୍ତି ଜଳ ॥୨୪
ମେଦିନୀ ଜଳଯୋଗ ପାଇ । ଅନେକ ଶସ୍ୟ ଉପୁଜାଇ ॥୨୫
ଜୀବିକା ହୋଇ ପ୍ରାଣୀଙ୍କର । ତେବେ ସେ ବଞ୍ଚଇ ସଂସାର ॥୨୬
ଶସ୍ୟ-ସମ୍ପଦ ଘେନି ଜନେ । ଯଜ୍ଞ କରନ୍ତି ତୋଷମନେ ॥୨୭
ନାନା ଦେବତା ଯଜ୍ଞେ ଦାହୀ । ପୂଜି ଅନେକ ଫଳ ପାଇ ॥୨୮
ଏମନ୍ତେ ଯେ ଯାହାର ମତେ । ଇନ୍ଦ୍ରଙ୍କୁ ପୂଜନ୍ତି ଜଗତେ ॥୨୯
ଯେ ଯାହା ମତେ ନାନା ଯାଗ । କରି ଲଭନ୍ତି ତିନିବର୍ଗ ॥୩୦
ଇଷ୍ଟଦେବତା ଶୁଭକାଳେ । ପୂଜା କରନ୍ତି ମହୀତଳେ ॥୩୧
ଯେ ନର ଲୋଭବଶ ହୋଇ । ଇଷ୍ଟଦେବତା ନ ପୂଜଇ ॥୩୨
ତାହାର ନାହିଁ ସୁଖଲେଶ । ଆପଦ ହୋଏ ପରବେଶ ॥୩୩
ନନ୍ଦ ବଚନ କୃଷ୍ଣ ଶୁଣି । ବୃଦ୍ଧ ଗୋପାଳେ ଯାହା ଭଣି ॥୩୪
ଇନ୍ଦ୍ର ବିଷୟେ କୋପକରି । ନନ୍ଦକୁ ବୋଲନ୍ତି ମୁରାରି ॥୩୫
କୃଷ୍ଣ ବୋଲନ୍ତି ଶୁଣ ତାତ । ଜଗତ କର୍ମେ ଆତଯାତ ॥୩୬
ଏ ଜୀବ ଆତ୍ମା କର୍ମ ଘେନି । ଗତ ଆଗତ ପଥଶ୍ରମୀ ॥୩୭
କର୍ମର ମତେ ଦୁଃଖସୁଖ । ଜନ୍ମମରଣ ହୋଏ ଦେଖ ॥୩୮
କର୍ମଟି ଦୁଃଖସୁଖଦାତା । ବିଶ୍ୱ ସଂସାରେ ବଳବନ୍ତା ॥୩୯
ଭୋ ତାତ କର୍ମପାଦେ ସେବ । କର୍ମହୁଁ ନାହିଁ ଅନ୍ୟ ଦେବ ॥୪୦
କର୍ମଭୂଞ୍ଜନ୍ତା ପ୍ରାଣୀଙ୍କର । ଇନ୍ଦ୍ର ତ ନୋହଇ ଠାକୁର ॥୪୧
କର୍ମ-ସଞ୍ଚିଲା ଏ ଜଗତ । ସ୍ୱଭାବେ ହୋନ୍ତି ଆତଯାତ ॥୪୨
କର୍ମର ବଳେ ଦେହ ଘେନି । ଜୀବ ଭ୍ରମଇ ନାନାଯୋନି ॥୪୩
କର୍ମ ଯେ ଶତ୍ରୁମିତ୍ର ହୋଇ । ଗୁରୁଙ୍କ ପ୍ରାୟେ ଶିକ୍ଷା ଦେଇ ॥୪୪
ସକଳେ କର୍ମ ସେବା କର । କହନ୍ତି ପ୍ରଭୁ ଦାମୋଦର ॥୪୫
ଯେ ପ୍ରାଣୀ ନିଜକର୍ମ ଛାଡ଼ି । ଅନ୍ୟ ଜୀବିକା ଲୋଭେ ଲୋଡ଼ି ॥୪୬
ଦୁର୍ଗତିପଥ ଆବୋରୋନ୍ତି । ଯେସନେ ବିଟପୀ ଯୁବତୀ ॥୪୭
ଭୋ ତାତ ଶୁଣ କର୍ମକଥା । ବେଦପୁରାଣେ ଯେ ବ୍ୟବସ୍ଥା ॥୪୮
ବ୍ରାହ୍ମଣଆଦି ଚାରିବର୍ଣ୍ଣ । ଯେ ଯାହା ମତେ ବୃତ୍ତି ଭିନ୍ନ ॥୪୯
ବେଦବିଚାରେ ଷଟକର୍ମ । ବ୍ରାହ୍ମଣ ଜନର ଏ ଧର୍ମ ॥୫୦
ଭୂମିପାଳନ ଶୂରବନ୍ତ । ଦାନ-ପୌରୁଷ କ୍ଷତ୍ରିବୃତ୍ତ ॥୫୧
କୃଷି ବାଣିଜ୍ୟ ଗୋରୁବୃତ୍ତି । ବୈଶ୍ୟଜନଙ୍କର ଏ ଗତି ॥୫୨
ବ୍ରାହ୍ମଣପାଦେ ସେବାକରି । ଶୂଦ୍ରେ ହୋଇବେ ସୁଖଚାରୀ ॥୫୩
ଏ ଚାରି ବର୍ଣ୍ଣର ବେଭାର । ବୈଶ୍ୟଙ୍କ ମତଟି ଆମ୍ଭର ॥୫୪
ଭୋ ତାତ ଶୁଣ ଆଦିଅନ୍ତ । ଯେମନ୍ତ କହଇ ବେଦାନ୍ତ ॥୫୫
ସୃଷ୍ଟିର କାଳେ ନାରାୟଣ । ଆଗେ ସର୍ଜିଲା ତିନିଗୁଣ ॥୫୬
ରଜୋଗୁଣରୁ ବ୍ରହ୍ମା ହୋଇ । ସତ୍ତ୍ୱଗୁଣକୁ ବିଷ୍ଣୁ ପାଇ ॥୫୭
ରୁଦ୍ରଙ୍କୁ ଦେଲେ ତମୋଗୁଣ । ସୃଷ୍ଟି ପାଳନ ସଂହାରଣ ॥୫୮
ବ୍ରହ୍ମାଭିଆଣେ ମେଘମାଳ । ସଂସାରେ ବରଷନ୍ତି ଜଳ ॥୫୯
ଜନ୍ତୁ ଜୀବିକା ତେଣେ ହୋଇ । ଇଦ୍ରେ ତ ପ୍ରୟୋଜନ ନାହିଁ ॥୬୦
ଇନ୍ଦ୍ରର ଭାଗ୍ୟେ ବଡ଼ପଣ । ଜଗତ ବିଷ୍ଣୁର ଭିଆଣ ॥୬୧
ଗ୍ରାମପାଟଣା ଦେଶ ପୁରେ । ଇନ୍ଦ୍ରକୁ ପୂଜିବେ ବେଭାରେ ॥୬୨
ବନଗହନେ ଆମ୍ଭ ଘର । ଗୋରୁ ଚରାଉ ନଦୀତୀର ॥୬୩
ନିର୍ଝର ଜଳପାନ କରି । ଆମ୍ଭ ଦେବତା ବନଗିରି ॥୬୪
ତୁମ୍ଭର ଯଜ୍ଞ ଯେବେ ସତ୍ୟ । କହଇ ଶୁଣ ଏକଚିତ୍ତ ॥୬୫
ଗୋରୁ ବ୍ରାହ୍ମଣ ପ୍ରୀତିଫଳେ । ଯଜ୍ଞ କରିବା ଗିରିତଳେ ॥୬୬
ପୂଜିବା ଗୋବର୍ଦ୍ଧନ ଶିରେ । ଯେ ଇନ୍ଦ୍ର ଯଜ୍ଞର ସମ୍ଭାରେ ॥୬୭
ଦ୍ୱିଗୁଣ କରି ବଳି ଭୋଜା । ସୁଖେ କରିବା ଗିରିପୂଜା ॥୬୮
ନାନା ବ୍ୟଞ୍ଜନ ଷଡ଼ରସ । ପିଷ୍ଟକ ପ୍ରପାନ ପାୟସ ॥୬୯
ଗୋରସ ଘୃତ ସରପୁଳି । ନାନାପିଷ୍ଟକେ ଖଣ୍ତ ବୋଳି ॥୭୦
ଅନଳ ପୂଜା ହୋମ କର । ଋତ୍ୱିଜ ଚାରି ବେଦୁଁ ବର ॥୧
ପୂର୍ଣ୍ଣ ଆହୂତି ଯଜ୍ଞ ଅନ୍ତେ । ଦକ୍ଷିଣା ଦିଅ ଯଥୋଚିତ୍ତେ ॥୭୨
ଗୋରୁ କାଞ୍ଚନ ତିଳ ଅନ୍ନ । ଅତିଥି ପୂଜାର ବିଧାନ ॥୭୩
ଯେ ଯାହା ମତେ ତୋଷ କରି । ସୁଖେ ଭୁଞ୍ଜିବେ ନରନାରୀ ॥୭୪
କୋମଳତୃଣ ଅନ୍ନ ସଙ୍ଗେ । ଗୋରୁଙ୍କୁ ଭୁଞ୍ଜାଇବା ରଙ୍ଗେ ॥୭୫
ପର୍ବତେ ବଳି ଭୋଜା ଦେଇ । ସକଳେ ଅଳଙ୍କାର ଲାଇ ॥୭୬
କରିବା ଗିରି ପ୍ରଦକ୍ଷିଣ । ଆରାଧି ଅନଳ ବ୍ରାହ୍ମଣ ॥୭୭
ମୋହର ମତେ ଏ ଯୋଗାଇ । କୃଷ୍ଣ ବୋଲନ୍ତି ନନ୍ଦେ ଚାହିଁ ॥୭୮
ଶୁକ କହନ୍ତି ରାଜା ଆଗେ । ଶୁଣି ଗୋପାଳେ ଉଦ୍ବେଗେ ॥୭୯
କୃଷ୍ଣବଚନ ପ୍ରତିପାଳି । ନନ୍ଦକୁ ମଧ୍ୟେ ଘେନି ଭାଳି ॥୮୦
ଶ୍ରୀକୃଷ୍ଣ ବଚନ ପ୍ରଶଂସି । ମିଳିଲେ ଯେଝା ଘରେ ଆସି ॥୮୧
ଦ୍ୱିଗୁଣେ ନାନା ଦ୍ରବ୍ୟ ଘେନି । କରନ୍ତି ବାଦ୍ୟ ଶଙ୍ଖଧ୍ୱନି ॥୮୨
ପର୍ବତତଳେ ଯାଇ ମିଳି । କାମିନୀ ଦ୍ୟନ୍ତି ହୁଳହୁଳି ॥୮୩
ଯଜ୍ଞ ଆରମ୍ଭି ଗିରିତଳେ । ପୂଜିଲେ ଗୋ-ବିପ୍ର-ଅନଳେ ॥୮୪
ଯେ ଯାହା ମତେ ଦେଲେ ଦାନ । ସୁବର୍ଣ୍ଣ ବସ୍ତ୍ର ଗୋରୁ ଅନ୍ନ ॥୮୫
ଦେବ ଅତିଥି ତୋଷ କରି । ଭୋଜନ କଲେ ନରନାରୀ ॥୮୬
ବିବିଧ ଅଳଙ୍କାର ଲାଇ । ଗୋରୁ ବ୍ରାହ୍ମଣ ମଧ୍ୟେ ଥାଇ ॥୮୭
ପର୍ବତ କଲେ ପ୍ରଦକ୍ଷିଣ । ଗୋରୁଙ୍କୁ ଦେଲେ ଅନ୍ନ ତୃଣ ॥୮୮
ଶକଟ ମଣ୍ତିଲେ ଗୋପାଳେ । ଦିବ୍ୟବସନ ରତ୍ନମାଳେ ॥୮୯
ବାଳକ କୋଳେ ଘେନି ନାରୀ । ନନ୍ଦ ଯଶୋଦା ଆଦିକରି ॥୯୦
ରୋହିଣୀ ଯଶୋଦାର ମେଳେ । ରାମ ଗୋବିନ୍ଦ ଘେନି କୋଳେ ॥୯୧
ଶଙ୍ଖ ମହୁରୀ ନାଦ ଭେରୀ । ମୁରଲୀ ନାଦେ ଗୀତ ସ୍ଫୁରି ॥୯୨
ବୁଲନ୍ତି ଗିରି ଚାରିଦିଗେ । କୃଷ୍ଣ ଆନନ୍ଦ ବଳି ଯୋଗେ ॥୯୩
ଗୋବିନ୍ଦ ଯୋଗମାୟା ବଳେ । ପର୍ବତ ଶିଖେ ବିଜେ କଲେ ॥୯୪
ଯଶୋଦା କୋଳେ ଛନ୍ତି ବସି । ଗୋପୀ ଗୋପାଳଙ୍କୁ ବିଶ୍ୱାସି ॥୯୫
ପର୍ବତ ଶିଖେ ବିଶ୍ୱରୂପୀ । ଟେକି ଚାହାଁନ୍ତି ଗୋପଗୋପୀ ॥୯୬
ବେନି ଯୋଜନ ଲମ୍ବେ ଭୁଜ । ଶିରେ ଲାଗଇ ଗ୍ରହରାଜ ॥୯୭
ଶ୍ୟାମସୁନ୍ଦର ତନୁବର୍ଣ୍ଣ । ଗୋପଙ୍କୁ ଚାହିଁ ସାବଧାନ ॥୯୮
ବୋଲନ୍ତି ହୋଇଲି ମୁଁ ତୋଷ । ତୁମ୍ଭର ପୂରାଇବି ଆଶ ॥୯୯
ନିଶ୍ଚିନ୍ତ ହୋଇଥାଅ ବନେ । ମୋହର ପୂଜାର ବିଧାନେ ॥୧୦୦
ଖଣ୍ତିବି ସକଳ ଆପଦ । ଗୋକୁଳ ହୋଇବ ଆନନ୍ଦ ॥୧୦୧
ତଳେ ଲମ୍ବାଇ ବେନି ଭୁଜ । ବଳି ଭୁଞ୍ଜନ୍ତି ଗିରିରାଜ ॥୧୦୨
ଗୋପୀ ଗୋପାଳଙ୍କୁ ଅନାଇଁ । ବୋଲନ୍ତି ପ୍ରଭୁ ଭାବଗ୍ରାହୀ ॥୧୦୩
ଦେଖ ହୋ ପର୍ବତ ମହିମା । ଯଜ୍ଞର ବଳେ ପୁଣ୍ୟକର୍ମା ॥୧୦୪
ପ୍ରସନ୍ନ ହୋଇଲେଟି ଆଜ । କିସ କରିବେ ଦେବରାଜ ॥୧୦୫
ଏତେହେଁ କାଳ କଲ ପୂଜା । ଦେବତା ନ ଖାଇଲା ଭୋଜା ॥୧୦୬
ଏମନ୍ତ ଦିଅଁ ଅଛି କାହିଁ । ହସ୍ତ ପ୍ରସାରି ବଳି ଖାଇ ॥୧୦୭
ଇନ୍ଦ୍ରର ଚିହ୍ନ ବର୍ଣ୍ଣ ନାହିଁ । ନ ଜାଣି ପୂଜ ବାଇ ହୋଇ ॥୧୦୮
ଏମନ୍ତ ନ ଦେଖିଲ ଦିନେ । ବଳି ଭୁଞ୍ଜଇ ତୋଷମନେ ॥୧୦୯
ଏବେ ତୁମ୍ଭର ଚିନ୍ତା ନାହିଁ । ନିଶ୍ଚିନ୍ତେ ଥିବ ଏହା ଧ୍ୟାୟି ॥୧୧୦
ଏ ଆମ୍ଭ ପୁରାଇବେ ଆଶା । ଏଣେ ସେ ଆମ୍ଭର ଭରସା ॥୧୧୧
ଏହାଙ୍କୁ ନମସ୍କାର କର । ଏ ଆମ୍ଭ ଜୀବନ ଠାକୁର ॥୧୧୨
ଏହାଙ୍କୁ ଅବଜ୍ଞା ଯେ କରି । ପଡ଼ିବେ ନରକ ଆବୋରି ॥୧୧୩
ଏ ଆମ୍ଭ ରଖିବେ ଗୋକୁଳ । ବୋଲନ୍ତି ପ୍ରଭୁ ଆଦିମୂଳ ॥୧୧୪
ଏମନ୍ତ କହି ବନମାଳୀ । ଆପଣେ କଲେ ନିଉଛାଳି ॥୧୧୫
ଦେଖି ଆନନ୍ଦ ଗୋପଗୋପୀ । ନମିଲେ ପର୍ବତ ନିରୋପି ॥୧୧୬
ବୋଲନ୍ତି ଆମ୍ଭେ ଭାଗ୍ୟବନ୍ତ । ପ୍ରତ୍ୟକ୍ଷେ ଦେଖିଲୁ ପର୍ବତ ॥୧୧୭
କଲ୍ୟାଣ ହେଉ ନନ୍ଦବାଳେ । ଏ ଆମ୍ଭ ରଖିବ ଗୋକୁଳେ ॥୧୧୮
ଏମନ୍ତ ପୂଜାବିଧି କଲେ । ଗୋପେ ମିଳିଲେ ସନ୍ଧ୍ୟାକାଳେ ॥୧୧୯
କୃଷ୍ଣ ଚରିତ ପରଶଂସି । ମିଳିଲେ ନିଜ ପୁରେ ଆସି ॥୧୨୦
ସେ ହରିଚରଣେ ବିଶ୍ୱାସ । କହଇ ଜଗନ୍ନାଥ ଦାସ ॥୧୨୧
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ପଞ୍ଚବିଂଶୋଽଧ୍ୟାୟଃ ॥
ଷଡ଼ବିଂଶ ଅଧ୍ୟାୟ
[ସମ୍ପାଦନା]ପରୀକ୍ଷରାଜା ମୁଖ ଚାହିଁ । ଶୁକ କହନ୍ତି ତୋଷ ହୋଇ ॥୧
- ଶୁକ ଉବାଚ
ଶୁଣ ହୋ କୁରୁନୃପମଣି । ସ୍ୱର୍ଗେ ଜାଣିଲେ ବଜ୍ରପାଣି ॥୨
କୃଷ୍ଣର ଦେଖି ଦୁଷ୍ଟପଣ । କୋପେ କମ୍ପିଲା ସୁରରାଣ ॥୩
କହଇ ଦେବଙ୍କୁ ବସାଇ । ମେଘ ପବନକୁ ଅଣାଇ ॥୪
ପ୍ରଳୟକାରୀ ମେଘଗଣ । ଅନାଇଁ କହେ ମଘବାନ ॥୫
ଶୁଣ ପବନ ମେଘମାଳେ । ମୋ' ପୂଜା ଭାଙ୍ଗିଲେ ଗୋପାଳେ ॥୬
ଯଶୋଦାସୁତ କୃଷ୍ଣ ବୋଲେ । ଗୋପାଳେ ମୋତେ ନ ମାନିଲେ ॥୭
ବାଳକ କୃଷ୍ଣ ବୋଲି ନାମ । ତା ବେଲେ କଲେ ଏଡ଼େ କର୍ମ ॥୮
ମନୁଷ୍ୟ ହୋଇ ବଳୀୟାର । ପୂଜା ଭାଙ୍ଗିଲା ଗୋପେ ମୋର ॥୯
ଗଉଡ଼େ କୃଷ୍ଣ ସଙ୍ଗେ ଭୋଳ । ମୁଁ ଆଜ ପୂରାଇବି କାଳ ॥୧୦
ଏ ଅପମାନ କେବା ସହି । ସ୍ୱର୍ଗରେ ଇନ୍ଦ୍ରପଦ ବହି ॥୧୧
ସମ୍ପଦ-ମତ୍ତଗର୍ବ ଅନ୍ଧେ । ସିନ୍ଧୁ ତରିବେ ବାଲିବନ୍ଧେ ॥୧୨
ଦଦରା ନାବେ ଯେହ୍ନେ ବସି । ସମୁଦ୍ରତରଣେ ସାହସୀ ॥୧୩
ଭବତରଣେ ପଥ ଲୋଡ଼ି । ପଣ୍ତିତେ ଧର୍ମଶାସ୍ତ୍ର ଛାଡ଼ି ॥୧୪
ଏମନ୍ତ ମଣିଲେ ଗୋପାଳେ । ନନ୍ଦବାଳକ କୃଷ୍ଣ ବୋଲେ ॥୧୫
ବାଳକ ସପତବରଷ । ତାବୋଲେ କରିଲେ ବିଶ୍ୱାସ ॥୧୬
ବାଳୁତ ପ୍ରାୟ ଖେଳୁଥାଇ । ପାଠପଠନ ନ ଜାଣଇ ॥୧୭
ଗାଈ ଚରାଇ ବନେ ବନେ । ଗୋପାଳ ସଙ୍ଗେ ବେଣୁସ୍ୱନେ ॥୧୮
ପଣ୍ତିତ ପ୍ରାୟ ତା'କୁ ମଣି । ମୋହର ମହିମା ନ ଜାଣି ॥୧୯
ଏଡ଼େ ଅନୀତି ଆଚରିଲେ । ଆଜ ସଂଗ୍ରାମ କୃଷ୍ଣ ତୁଲେ ॥୨୦
ଜାଣିବା କୃଷ୍ଣ ଆଶ୍ରେ କରି । କେମନ୍ତେ ଥିବେ ଗୋପପୁରୀ ॥୨୧
ଗୋରୁ ଗୋପାଳ କୃଷ୍ଣ ଆଦି । ଏ ମୋର ଯଜ୍ଞଭଙ୍ଗେ ବାଦୀ ॥୨୨
ଏହାଙ୍କୁ କର ବେଗେ ନାଶ । ଆବୋରି ବୃନ୍ଦାବନଦେଶ ॥୨୩
ତୁମ୍ଭେ ପ୍ରଳୟ ଚାରିମେଘେ । ଗୋପେ ବରଷ ଯାଇ ବେଗେ ॥୨୪
ଶୁଣ ପବନ ଅଣଚାଶ । ଏ ଚାରିମେଘେ ତୁମ୍ଭେ ମିଶ ॥୨୫
ବିଜୁଳି ଘୋରନାଦ ଘେନି । ଶବଦେ କମ୍ପାଅ ମେଦିନୀ ॥୨୬
ବଜ୍ର ପାଷାଣ ସଙ୍ଗେ ବାରି । ବରଷ ଘୋରନାଦ କରି ॥୨୭
ମୁଁ ପୁଣି ତୁମ୍ଭ ପଛେ ଥାଇ । ଅଇରାବତରେ ଆରୋହୀ ॥୨୮
ବଜ୍ର ମାରିବି ନିରନ୍ତରେ । ଅନଳଜ୍ୟୋତି ପରଖରେ ॥୨୯
ନନ୍ଦସମ୍ପଦ କରି ନାଶ । ତେବେ ହୋଇବ ମନତୋଷ ॥୩୦
ରିପୁ ନ ସାଧନ୍ତି ଯେ ପ୍ରାଣୀ । ତାହାଙ୍କୁ ମନୁଷ୍ୟେ ନ ଗଣି ॥୩୧
ଶୁକ କହନ୍ତି ରାଜା ଆଗେ । ଇନ୍ଦ୍ରର ବୋଲେ ଚାରିମେଘେ ॥୩୨
ପବନ ଘେନି ଚଳିଗଲେ । ଗୋପନଗରକୁ ବେଢ଼ିଲେ ॥୩୩
ଗୋପନଗର ସୀମା ଯେତେ । ରୁନ୍ଧିଲେ ଦିଗ-ଶୂନ୍ୟପଥେ ॥୩୪
ବିଜୁଳିନାଦ ଖରତର । ଦିବସେ କଲେ ଅନ୍ଧକାର ॥୩୫
ପବନ ଘୋରନାଦ କରି । ଶବଦେ କମ୍ପେ ବସୁନ୍ଧରୀ ॥୩୬
ହସ୍ତୀର ଶୁଣ୍ଢ ପ୍ରାୟ ଜଳ । ଧାରା ବରଷନ୍ତି ଗହଳ ॥୩୭
ଜଳର ସଙ୍ଗେ ଶିଳା ପଡ଼ି । ଶବଦ ମେଘ ଘଡ଼ଘଡ଼ି ॥୩୮
ଦଣ୍ତକେ ଉଛୁଳିଲା ମହୀ । ସ୍ଥଳ ଗଭୀର ନ ଦିଶଇ ॥୩୯
ଶୀତ ପବନ ସଙ୍ଗେ ବାରି । କମ୍ପନ୍ତି ଗୋପ ନରନାରୀ ॥୪୦
ଗୋପାଳେ ଦେଖି ବିପରୀତ । ବୋଇଲେ ହୋଇଲୁ ଅନାଥ ॥୪୧
ଯଶୋଦା ନନ୍ଦନର ବୋଲେ । ବିବାଦ କଲୁ ଇନ୍ଦ୍ରତୁଲେ ॥୪୨
ବାଳବଚନ ସତ୍ୟ କରି । ଅନାଥ ହେଲୁ ଗୋପପୁରୀ ॥୪୩
କାହାରେ ପଶିବୁଁ ଶରଣ । ଅକାଳେ ହୋଇଲା ମରଣ ॥୪୪
ଅନାଥ ହୋଇଲୁ ଗୋକୁଳ । ଡ଼ାକନ୍ତ ରଖ ଆଦିମୂଳ ॥୪୫
ହେ କୃଷ୍ଣ ତୋ'ର ବୋଲ କରି । ନିଶ୍ଚେ ବୁଡ଼ିଲା ଗୋପଶିରୀ ॥୪୬
ଗୋରୁଏ ଶିଳା ଜଳେ କମ୍ପି । କୃଷ୍ଣଙ୍କୁ ଚାହାଁନ୍ତି ନିରୋପି ॥୪୭
ଲାଞ୍ଜେ ଆଚ୍ଛାଦି ମୁଖଦେଶେ । ମିଳିଲେ ଗୋବିନ୍ଦର ପାଶେ ॥୪୮
ବୃଦ୍ଧ ବାଳକେ ଥରହର । ଡ଼ାକନ୍ତି ରଖ ଦାମୋଦର ॥୪୯
ତୋରେ ଶରଣ ଗୋପପୁର । ତୁ ନାଥ ଆମ୍ଭ ବଳୀୟାର ॥୫୦
ତୁ ନାଥ ଆମ୍ଭର ପରାଣ । ତୋ ବେଳେ ଗଲା ଆମ୍ଭ ପ୍ରାଣ ॥୫୧
ଥୋକେ ବୋଲନ୍ତି କୃଷ୍ଣ ବୋଲେ । ବିବାଦ କଲୁଁ ଇନ୍ଦ୍ର ତୁଲେ ॥୫୨
ଏ କାହିଁ ରଖିବ ଗୋକୁଳ । ମନୁଷ୍ୟଜନ୍ମ ନନ୍ଦବାଳ ॥୫୩
ସକଳେ ହୋଇଲୁ ନିରେଖ । ଡ଼ାକନ୍ତି ନାରାୟଣ ରଖ ॥୫୪
ମଧୁସୂଦନ ଚକ୍ରଧର । ଅନାଦି ଧର୍ମ ନିରାକାର ॥୮୫
ତୋର ଶରଣୁଁ ଅନ୍ୟ ନାହିଁ । ଗୋକୁଳ ରଖ ଭାବଗ୍ରାହୀ ॥୮୬
ଇନ୍ଦ୍ରର ହୋଇଲୁଁ ବଇରୀ । ବୁଡ଼ିଲା ଗୋପପୁର ଶିରୀ ॥୮୭
ସକଳେ ହୋଇଲୁ ନିରାଶ । ଛାଡ଼ିଲୁଁ ଜୀବନର ଆଶ ॥୮୮
ଗୋପର ଦେଖିଣ ବିକଳ । ହସି ବୋଲନ୍ତି ନନ୍ଦବାଳ ॥୮୯
ଏତ ଅଋତୁ ବରଷଣ । ପ୍ରଚଣ୍ତ ପବନ ପାଷାଣ ॥୯୦
ବରଷା ଋତୁ ଏ ନୁହଁଇ । ଇନ୍ଦ୍ର ବରଷେ କୋପ ବହି ॥୯୧
ବାସବ ମୋତେ ନ ଜାଣଇ । ମନୁଷ୍ୟ ପ୍ରାୟେକ ମଣଇ ॥୯୨
ମୋହର ଜୀବନ ଗୋକୁଳ । ଏହାଙ୍କୁ କରଇ ବିକଳ ॥୯୩
ମୋତେ ସେ କଲା ଏଡ଼େ କର୍ମ । ଭୋଳେ ହୋଇଲା ମତିଭ୍ରମ ॥୯୪
ପୂର୍ବେ ଏ ଅଛି ତପ ଦାହୀ । ମୋହର ପାଦେ ଚିତ୍ତ ଦେଇ ॥୯୫
କେମନ୍ତେ ନାଶିବି ସମ୍ପଦ । ମୋହର ଦେଲା ଇନ୍ଦ୍ରପଦ ॥୯୬
ଏହାର ଗର୍ବ ଆଜ ନାଶି । ପୁଣି ମୁଁ ସ୍ଥାପିବି ଆଶ୍ୱାସି ॥୯୭
ମୋହର ଭାବ ଯେ ଜାଣଇ । ତାହାର ଦେହେ ଗର୍ବ ନାହିଁ ॥୯୮
ଗର୍ବଗଞ୍ଜନେ ବାନା ମୋର । ଦୁଷ୍ଟଦଳନେ ଅବତାର ॥୯୯
ମୋର ସମ୍ପଦ ଗୋପପୁରୀ । ମୁହିଁ ସେ ଗୋପପୁର ଶିରୀ ॥୧୦୦
ମୋତେ ମାରିବ ବୋଲେ କୋପେ । ଇନ୍ଦ୍ର ହିଁ ଆସିଅଛି ଗୋପେ ॥୧୦୧
ଅଇରାବତ ସେ ଆରୋହି । ବଜ୍ର ମାରଇ ମୋତେ ଚାହିଁ ॥୧୦୨
ଆଜ ମୁଁ ରଖିବି ଗୋକୁଳ । କେ ସହୁ ଗୋରୁଙ୍କ ବିକଳ ॥୧୦୩
ଏମନ୍ତ ବିଚାରି ଅନନ୍ତ । ବଢ଼ାଇ ଦେଲେ ବାମହସ୍ତ ॥୧୦୪
ପର୍ବତ ଥିଲା ନଦୀତୀରେ । ଗୋବିନ୍ଦ ଉପାଡ଼ିଲେ ହେଳେ ॥୧୦୫
ଅଚଳ ମୃତ୍ତବନ୍ତ ହୋଇ । ଶ୍ରୀଭୁଜେ ବସିଲାକ ଯାଇ ॥୧୦୬
ଜାଣି ସେ କୃଷ୍ଣ ନିଜ ଧାମ । ପର୍ବତ ତେଜିଲା ଆଶ୍ରମ ॥୧୦୭
ଯହୁଁ ସେ ପ୍ରଭୁ ଦେବରାଜ । ବିସ୍ତାର କଲେ ମହାଭୁଜ ॥୧୦୮
କରେ ପର୍ବତ ବସାଇଲେ । ବିଶ୍ୱମୂରତି ପ୍ରକାଶିଲେ ॥୧୦୯
ଛତ୍ର ପ୍ରାୟେକ ଗିରି ତୋଳି । ଡ଼ାକନ୍ତି ପ୍ରଭୁ ବନମାଳୀ ॥୧୧୦
ହେ ତାତ ମାତ ଗୋପବାଳେ । ବହନ ପଶ ଗିରିତଳେ ॥୧୧୧
ଗୋରୁ ଗୋପାଳ ଆଦିକରି । ସର୍ବସମ୍ପଦ ନରନାରୀ ॥୧୧୨
ନିର୍ଭୟ ହୋଇ ସର୍ବେ ପଶ । ମନେ ନ କର କିଛି ତ୍ରାସ ॥୧୧୩
ହସି ବୋଲନ୍ତି ପୀତବାସ । ତୁମ୍ଭେ ଯେ ମୋହର ବିଶ୍ୱାସ ॥୧୧୪
ମୋହର କରେ ଗିରି ଥିବ । ତୁମ୍ଭ ଉପରେ ନ ପଡ଼ିବ ॥୧୧୫
ପୁଷ୍ପ ହୁଁ ଉଶ୍ୱାସଟି ମୋତେ । ତୁମ୍ଭେ ନ ଯାଅ ଅପରତେ ॥୧୧୬
ତୁମ୍ଭର ହିତେ ଗିରିବରେ । ଦେଖ ତୋଳିଲି ବାମକରେ ॥୧୧୭
ତୁମ୍ଭେ ଯେ ମଲେ ହତ୍ୟା ମୋର । କହନ୍ତି ପ୍ରଭୁ ଦାମୋଦର ॥୧୧୮
ତୁମ୍ଭର ହିତେ ମୋହ ଦେହୀ । ଜନ୍ମିଛି ନରଦେହ ବହି ॥୧୧୯
ମୋହର ବୋଲେ ଯଜ୍ଞ ଭାଜି । ଏବେ ହୋଇଲେ ଇଦ୍ରେ ଗଞ୍ଜି ॥୧୨୦
ମୁଁ ଆଜ ରଖିବି ତୁମ୍ଭଙ୍କୁ । କିମ୍ପାଇ ଡ଼ର ବାସବକୁ ॥୧୨୧
ନିର୍ଭୟ ଚିତ୍ତେ ସର୍ବେପଶ । ପର୍ବତ ବଡ଼ଇ ଉଶ୍ୱାସ ॥୧୨୨
ଭୃତ୍ୟଙ୍କ ଛଳେ ନରହରି । ତୋଳିଲେ ଗୋବର୍ଦ୍ଧନ ଗିରି ॥୧୨୩
କୃଷ୍ଣବଚନେ ସୁଖଭୋଳେ । ପଶିଲେ ପର୍ବତର ତଳେ ॥୧୨୪
ଯାହାର ଘରେ ଯେତେ ଦ୍ରବ୍ୟ । ପଶିଲେ ସଙ୍ଗେ ଘେନି ସର୍ବ ॥୧୨୫
ଗିରିକନ୍ଦରେ ଗଲେ ପଶି । ଶ୍ରୀକୃଷ୍ଣ ବଚନେ ବିଶ୍ୱାସି ॥୧୨୬
ଦାସବତ୍ସାଳ ବନମାଳୀ । ପୁଷ୍ପର ପ୍ରାୟେ ଗିରି ତୋଳି ॥୧୨୭
ବାମ-କନିଷ୍ଠ-ଅଙ୍ଗୁଳିରେ । ଗୋବିନ୍ଦ ବସାଇଲେ ଧୀରେ ॥୧୨୮
ଅଙ୍ଗୁଳି-ଅଗ୍ରେ ଗିରି ଦେଖି । ଭୟେ ବୁଜିଲେ ସର୍ବେ ଆଖି ॥୧୨୯
ଗୋପୀଏ ଗୁରୁଙ୍କର ମେଳେ । ଅନାଇ କାନ୍ଦନ୍ତି ବିକଳେ ॥୧୩୦
ବୋଲନ୍ତି ଏବେ ନାଶଗଲୁ । ଗିରିକନ୍ଦରେ ପ୍ରାଣ ଦେଲୁ ॥୧୩୧
ସାତ ବରଷ ପୁଅ କରେ । ପର୍ବତ ଅଙ୍ଗୁଳି ଅଗ୍ରରେ ॥୧୩୨
ଏ କେତେବେଳ ଧରିଥିବ । ପବନ ବହିଲେ ପଡ଼ିବ ॥୧୩୩
କୋପ କରିଛି ଇନ୍ଦ୍ରରାଜା । ଆମେ ନ ଦେଲୁ ବଳି ଭୋଜା ॥୧୩୪
ନନ୍ଦର ସୁତ ଆମ୍ଭ କାଳ । ତୋବୋଲେ ବୁଡ଼ିଲା ଗୋକୁଳ ॥୧୩୫
ଏମନ୍ତେ ପର୍ବତକୁ ଚାହିଁ । ଗୋପୀଙ୍କ ଦେହେ ପ୍ରାଣ ନାହିଁ ॥୧୩୬
ସମସ୍ତ ଚକ୍ଷୁ ଏକମେଳେ । ଥୋଇଲେ କୃଷ୍ଣ କରତଳେ ॥୧୩୭
କ୍ଷୁଧା ପିପାସେ ନାହିଁ ମନ । ନିମିଷେ କଲେ ସାତଦିନ ॥୧୩୮
କୃଷ୍ଣର ମାୟାଯୋଗ ବଳେ । ରାତ୍ର ଦିବସ ନ ଜାଣିଲେ ॥୧୩୯
କୃଷ୍ଣଙ୍କୁ ବୋଲନ୍ତି ଗୋପାଳେ । ଗିରି ଧଇଲୁ ବାଳକାଳେ ॥୧୪୦
ଆମ୍ଭଙ୍କୁ ଲାଗୁଅଛି ଭୟ । ମରଣ ହୋଇଲା ନିଶ୍ଚୟ ॥୧୪୧
ଆସ ହୋ ଗୋପାଳେ ସମସ୍ତେ । ଗିରି ଧରିବା ଯେଝାମତେ ॥୧୪୨
ବାଳୁତ ପୁଅ ହସ୍ତେ ମେରୁ । ଏଡ଼େ ଅଚଳ ମହାଗରୁ ॥୧୪୩
ପଡ଼ିଲେ ସମସ୍ତେ ମରିବା । ଯେ ଯାହା ମତେ ଧରିଥିବା ॥୧୪୪
ଏତକ ବୋଲିଣ ଗୋପାଳେ । ଲଉଡ଼ି ଦେଲେ ଗିରିମୂଳେ ॥୧୪୫
ଯେ ଯାହା ଅନୁରୂପେ ଧରି । ରହିଲେ ଗୋପ ନରନାରୀ ॥୧୪୬
ଇନ୍ଦ୍ର ଯେ ଶୂନ୍ୟେ ରହିଥିଲା । ସପତ ଦିନ ବରଷିଲା ॥୧୪୭
ପ୍ରଳୟକାରୀ ମେଘମାଳ । ଫୁଟିଣ ହୋଇଲେ ନିର୍ଜଳ ॥୧୪୮
ପବନ ଚଳି ନ ପାରିଲେ । ଅଳପ ଅଳପ ବହିଲେ ॥୧୪୯
ବିଜୁଳି ମେଘେ ଲୀନ ହେଲା । ଶବଦ ନିଶ୍ଚଳ ହୋଇଲା ॥୧୫୦
ଦେଖି କମ୍ପିଲା ସୁରପତି । ଆରୋହି ଐରାବତ ହସ୍ତୀ ॥୧୫୧
ଆପଣା କରେ ବଜ୍ର ଘେନି । କୋପେ ଧାଇଁଲା ସସ୍ରଯୋନି ॥୧୫୨
ସହସ୍ର ଧାର ଶକ୍ତି ତୋଳି । ମନେ ଜାଣିଲେ ବନମାଳୀ ॥୧୫୩
ଇନ୍ଦ୍ର ଯେ ଆସୁଅଛି ରଙ୍ଗେ । ମାରିବ ଗୋବର୍ଦ୍ଧନ ଅଙ୍ଗେ ॥୧୫୪
ବଜ୍ରେ ପର୍ବତ ହେବ ଧ୍ୱଂସ । ଗୋପୀଗୋପାଳେ ଯିବେ ନାଶ ॥୧୫୫
ଏତେ ବିଚାରି ଚକ୍ରଧାରୀ । ପର୍ବତ ଚକ୍ରେଣ ଉହାଡ଼ି ॥୧୫୬
କୋପ ଯେ ହୋଇ ସୁରପତି । ବଜ୍ର ପ୍ରହାର କଲା ଧାତି ॥୧୫୭
ପର୍ବତେ ପଡ଼ି ବଜ୍ର ଶର । ଝଲକି ଉଠିଲା ଅନଳ ॥୧୫୮
ଦେଖି କ୍ରୋଧଇ ସୁରେଶ୍ୱର । ପୁଣି କଲାକ ସେ ପ୍ରହାର ॥୧୫୯
ବାସବ ଦେହେ ଶସ୍ତ୍ର ବାଜି । ପୁଣି ପିଟିଲା ଗଳଗାଜି ॥୧୬୦
ଚକ୍ରେ ପଡ଼ନ୍ତେ ବଜ୍ରଶର । ମୁଖରୁ ବହିଲା ରୁଧିର ॥୧୬୧
ସର୍ମ ପାଇଲା ସୁରପତି । ଜାଣିଲା ନିଶ୍ଚେ ଏ ଶ୍ରୀପତି ॥୧୬୨
ଇନ୍ଦ୍ରର କରେ ଶସ୍ତ୍ର ନାହିଁ । ବୋଲଇ ମେଘକୁ ଅନାଇ ॥୧୬୩
ଆଉ କି ଗର୍ବ ଅଛି ମୋର । ଗିରି ତୋଳିଲେ ଦାମୋଦର ॥୧୬୪
ରଖିଲେ ଗୋପପୁର ଶିରୀ । ଆସ ହୋ ଯିବା ନିଜ ପୁରୀ ॥୧୬୫
ଏମନ୍ତ ବୋଲି ବାହୁଡ଼ିଲା । ନିଜ ଭୁବନେ ବିଜେ କଲା ॥୧୬୬
କୃଷ୍ଣ ଯେ ଥିଲେ ଗିରିତୋଳି । ଜାଣିଲେ ମେଘେ ଗଲେ ଚଳି ॥୧୬୭
ହାରିଣ ବାହୁଡ଼ିଲା ଇନ୍ଦ୍ର । ଜାଣିଲେ ପ୍ରଭୁ ଆଦିକନ୍ଦ ॥୧୬୮
ବୋଲନ୍ତି ଗୋପାଳଙ୍କୁ ଚାହିଁ । ବାହାର ହୁଅ ବେଗ ହୋଇ ॥୧୬୯
ଗଗନ ନିର୍ମଳ ଦିଶିଲା । ରବି କିରଣ ପ୍ରକାଶିଲା ॥୧୭୦
ସକଳ ଜଳ ନଦୀମାର୍ଗେ । ପଶିଲେ ସମୁଦ୍ର ସଂଯୋଗେ ॥୧୭୧
ପବନ ବହିଲା ଉଶ୍ୱାସ । ଦିଶିଲା ବନ ଦିଗ ଦେଶ ॥୧୭୨
ଏବେ ବାହାର ହୁଅ ବେଗେ । ନିର୍ମଳ ବନଭୂମି ଭାଗେ ॥୧୭୩
ପର୍ବତ ଧରି ନ ପାରଇ । ପଡ଼ିଲେ ମୋର ଦୋଷ ନାହିଁ ॥୧୭୪
ଶୁଣି ଗୋପାଳେ ଥରହର । ବାହାର ହୋଇଲେ ସତ୍ୱର ॥୧୭୫
ଯେ ଯାହା ଧନ ଦ୍ରବ୍ୟ ଲଇ । ବୃଦ୍ଧ ବାଳକ ବତ୍ସା ଗାଈ ॥୧୭୬
ବାହାର ହୋଇଲେ ସକଳେ । କୃଷ୍ଣ ଚାହିଁଲେ ଗିରିତଳେ ॥୧୭୭
ଦେଖିଲେ ତଳେ ନାହିଁ କେହି । ଗୋପୀ ଗୋପାଳ ବତ୍ସା ଗାଈ ॥୧୭୮
ପରମାନନ୍ଦ ତୋଷମନେ । ଗିରି ସ୍ଥାପିଲେ ଯଥାସ୍ଥାନେ ॥୧୭୯
ଦେଖନ୍ତି ସ୍ୱର୍ଗେ ଦେବତାଏ । ହରଷେ କଲେ ଜୟେ ଜୟେ ॥୧୮୦
ନିବେଶି ନିଜ ସ୍ଥାନେ ଗିରି । ଗୋପେ ମିଳିଲେ ନରହରି ॥୧୮୧
କୃଷ୍ଣଙ୍କୁ ଦେଖିଣ ଗୋପାଳେ । ଧରନ୍ତି ଜଣେ ଜଣେ କୋଳେ ॥୧୮୨
ଦଧି ଅକ୍ଷତ ଜଳ ଘେନି । କୃଷ୍ଣଙ୍କୁ ସିଞ୍ଚନ୍ତି କାମିନୀ ॥୧୮୩
ନନ୍ଦ ରୋହିଣୀ ଯଶୋବନ୍ତୀ । କୃଷ୍ଣଙ୍କୁ କୋଳରେ ବସାନ୍ତି ॥୧୮୪
ଆଶିଷ ଦ୍ୟନ୍ତି ସ୍ନେହଭରେ । ଗୋରଜ ଲେପନ୍ତି ଶରୀରେ ॥୧୮୫
ଆକାଶେ ଥାଇ ଦେବନାରୀ । ସିଦ୍ଧ-ଚାରଣେ ସ୍ତୁତି କରି ॥୧୮୬
ଦୁନ୍ଦୁଭି ବାଦ୍ୟ ଗୀତନାଦେ । ଗନ୍ଧର୍ବେ ମଙ୍ଗଳ ଶବଦେ ॥୧୮୭
ପୁଷ୍ପ ବରଷି ସ୍ତୁତି କରି । ରଙ୍ଗେ ନାଚନ୍ତି ଅପସରୀ ॥୧୮୮
ଦିନକୁ ଦିନ ଅତି ରସ । ଗୋକୁଳେ ରାମ ହୃଷିକେଶ ॥୧୮୯
କୃଷ୍ଣ ମହିମା ଦେଖ ଜନେ । ଆନନ୍ଦ ଗୋପାଳଙ୍କ ମନେ ॥୧୯୦
ହରି ମହିମା ହୃଦେ ଧରି । ଦିନ ବଞ୍ଚନ୍ତି ଗୋପନାରୀ ॥୧୯୧
ସେ ଗିରିଧର ପଦ୍ମପାଦେ । ମୋ' ଚିତ୍ତ ରହୁ ଅପ୍ରମାଦେ ॥୧୯୨
ସେ ରାମକୃଷ୍ଣ ପାଦେ ଆଶ । କହଇ ଜଗନ୍ନାଥ ଦାସ ॥୧୯୩
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ଷଡ଼ବିଂଶୋଽଧ୍ୟାୟଃ ॥
ସପ୍ତବିଂଶ ଅଧ୍ୟାୟ
[ସମ୍ପାଦନା]- ଶୁକ ଉବାଚ
ଶୁଣ ପାଣ୍ତବ-ଚୂଡ଼ାମଣି । ନନ୍ଦନନ୍ଦନ କର୍ମବାଣୀ ॥୧
ଗୋପୀ ଗୋପାଳେ ରୁଣ୍ତ ହୋଇ । କହନ୍ତି ନନ୍ଦକୁ ବସାଇ ॥୨
ମନୁଷ୍ୟ ନୋହେ ତୋ ବାଳକ । ଏହାର କର୍ମମାନ ଦେଖ ॥୩
କେଉଁ ଦେବତା ଗୋପ୍ୟ ହୋଇ । ଜନ୍ମ ହୋଇଲା ଦେହ ବହି ॥୪
ଆମ୍ଭର ବଂଶେଜାତ ହୋଇ । ଏମନ୍ତ ଦେଖିଲା ତ ନାହିଁ ॥୫
ସାତ ବରଷ ତୋର ବାଳ । କରେ ତୋଳିଲା ଗିରିବର ॥୬
ନଳିନୀ ଯେହ୍ନେ ଗଜ-କରେ । ପର୍ବତ ତୋଳିଲା ସଧୀରେ ॥୭
ତିନିଦିନର ତୋର ସୁତ । ପୂତନା ପ୍ରାଣ କଲା ହତ ॥୮
ଅନ୍ତୁଡ଼ି ଉଠିଆରୀ ଦିନେ । ଶକଟ ଭାଙ୍ଗିଲା ଚରଣେ ॥୯
ଦିନେକ ଦ୍ୱାରେ ବସିଥିଲା । ତୃଣାବର୍ତ୍ତ ଯେ ହରିନେଲା ॥୧୦
ଗଗନେ ନେଇ ତା' ମାଇଲା । ଶିଳାରେ ପଡ଼ି ଉବୁରିଲା ॥୧୧
ଦଧିମନ୍ଥନ ବେଳେ ଧରି । ରୋଳେ ବାନ୍ଧିଲା ତୋର ନାରୀ ॥୧୨
ଘରୁ ବାହାର ହୋଇଗଲା । ବୃକ୍ଷର ତଳରେ ମିଳିଲା ॥୧୩
ବୃକ୍ଷ ମଧ୍ୟରେ ପଶିଗଲା । ଯାମଳା ଅର୍ଜୁନ ଭାଙ୍ଗିଲା ॥୧୪
ଅଘା ଦଇତ ବାଳକାଳେ । ମାଇଲା କୁମାରଙ୍କ ମେଳେ ॥୧୫
ଦିନେକ ବକ ଗିଳୁଥିଲା । ସେ ପୁଣି କେମନ୍ତେ ଜାଣିଲା ॥୧୬
ବକାସୁରକୁ କରେ ଧରି । ଚିରିଲା ବେନିଫାଳ କରି ॥୧୭
ଧେନୁକା ତାଳବନେ ନାଶି । ଫଳ ଆଣିଲା ମନ ତୋଷି ॥୧୮
ପ୍ରଳମ୍ବା ଯୁଦ୍ଧେ ମରାଇଲା । ଗୋକୁଳ ଅନଳୁଁ ତାରିଲା ॥୧୯
ଜାଣୁ ନା କାଳୀୟର କଥା । କେ ତା'ରେ ଅଛି ସାମରଥା ॥୨୦
ହେଳେ ଗଞ୍ଜିଲା ତା'ର ବଳ । ଅମୃତ କଲା ବିଷଜଳ ॥୨୧
ଲୋଚନେ ତା'ର ମୁଖ ଚାହିଁ । ଗୋପୀଗୋପାଳେ ହେଉଁ ବାଇ ॥୨୨
ଆମ୍ଭର ବଡ଼ଇ ମୁହାଁସ । ବାଳକେ ନଛାଡ଼ନ୍ତି ପାଶ ॥୨୩
ଏବେ ତୋଳିଲା ଗିରିବର । ସାତବରଷ ତୋ' କୁମର ॥୨୪
ଆମ୍ଭେ ପାଇଲୁ ମନେ ଶଙ୍କା । ନନ୍ଦ ତୁ ଏଥେ ଥାଅ ଏକା ॥୨୫
କିଏ ଅସୁର ତୋ'ର କୋଳେ । ଆମ୍ଭଙ୍କୁ ଗିଳିବ ସେ ହେଳେ ॥୨୬
ପଳାଇଯିବୁ ତୋର ପୁରୁ । ତୋର ସୁତକୁ ଆମ୍ଭେ ଡ଼ରୁ ॥୨୭
ଦଇବେ ଆମେ ରାଜଦ୍ରୋହୀ । ଏ ପୁରେ ନ ରହିବୁ କେହି ॥୨୮
ଯେତେ ଅସୁର ମଲେ ଏଥ । ସମସ୍ତେ ରାଜା ଅମନାତ୍ୟ ॥୨୯
ରାଜବଇରୀ ପଣ ହୋଇ । କେ ପ୍ରଜା ନଗ୍ରେ ଥାଇ ରହି ॥୩୦
ଏବେ ହୋଇଲା ବଡ଼ ଭୟ । ଯଜ୍ଞ ଭାଙ୍ଗିଲା ତୋର ପୁଅ ॥୩୧
ଇନ୍ଦ୍ରର ତୁଲେ ବାଦ କରି । କେ ରହିପାରେ ମର୍ତ୍ତ୍ୟପୁରୀ ॥୩୨
ନନ୍ଦ ବୋଇଲା ତାହା ଶୁଣି । ଗୋପବଚନ ପରିମାଣି ॥୩୩
ଶୁଣ ସକଳ ଗୋପଜନ । ଗର୍ଗ ଋଷିଙ୍କର ବଚନ ॥୩୪
ପୁତ୍ରଙ୍କ ନାମକର୍ମ କାଳେ । ମୋତେ କହିଲେ ଏକମେଳେ ॥୩୫
ବୋଇଲେ ତୋର ପୁତ୍ରକଥା । ଜାଣଇଁ ଜନ୍ମର ବାରତା ॥୩୬
ଚାରିଯୁଗରେ ଚାରିବର୍ଣ୍ଣ । ଶୁକ୍ଳ ଶୋଣିତ ପୀତ ଶ୍ୟାମ ॥୩୭
ପୂର୍ବେ ଏ ବସୁଦେବ ଘରେ । ଜନ୍ମିଲା ଦେବକୀ ଉଦରେ ॥୩୮
ଏହାର ନାମ ବାସୁଦେବ । ବିଦିତ ବୋଲନ୍ତି ସାଧବ ॥୩୯
ଏହାର ନାମ ଗୁଣ ଯେତେ । ମୁହିଁ ଜାଣଇ ଯୋଗମତେ ॥୪୦
ଗୋକୁଳ ତାରିବ ଏ ଭଲେ । ସୁଖେ ବଞ୍ଚିବ ଏହା ତୁଲେ ॥୪୧
ପୂର୍ବେ ସାଧବେ ସିଦ୍ଧେ ରହି । ତରିଲେ ଏହା ପାଦ ଧ୍ୟାୟି ॥୪୨
ଏହାର ପାଦେ ସେବା କରି । ହେଳେ ତରିବେ ନରନାରୀ ॥୪୩
ହେ ନନ୍ଦ ଶୁଣ ସାବଧାନ । ମନୁଷ୍ୟ ନୋହେ ତୋ' ନନ୍ଦନ ॥୪୪
ଦେଖ ଏହାର ବର୍ଣ୍ଣଚିହ୍ନ । ପ୍ରତ୍ୟକ୍ଷେ ବିଷ୍ଣୁର ସମାନ ॥୪୫
ଏମନ୍ତ କହିଗଲେ ମୁନି । ତାହାଙ୍କ ବୋଲ ଶିରେ ଘେନି ॥୪୬
ମଣିଲି ନାରାୟଣ ପ୍ରାୟ । ତୁମ୍ଭେ ନ କର ମନେ ଭୟ ॥୪୭
ପୁତ୍ରର ଜନ୍ମ ତିନିଦିନେ । ଅଇଲି ମଥୁରା ଭୁବନେ ॥୪୮
କଂସ ବିଡ଼ିଆକର ଘେନି । ରହିଲି ସେଦିନ ରଜନୀ ॥୪୯
ନବରେ ଦେଖି ବସୁଦେବ । ସେ ମୋର ପ୍ରିୟ ମିତ୍ରଭାବ ॥୫୦
ଏହାର ଯେତେ କଥାମାନ । ଯାହା କହିଲେ ତପୋଧନ ॥୫୧
ମୁଁ ହାଦେ ହେଜୁଥାଇ ବସି । ପ୍ରିୟବଚନ ଅହର୍ନିଶି ॥୫୨
ଆବର କଥା ଏକ ଶୁଣ । କହି ଅଛନ୍ତି ତପୋଧନ ॥୫୩
ଏ ପୁତ୍ର ଯେତେ ଯେତେ କଥା । ଏଥକୁ ନ କରିବୁ ବ୍ୟଥା ॥୫୪
ଯେତେ ଅରିଷ୍ଟ ତୋର ପୁରେ । ମରିବେ ଯେତେକ ଅସୁରେ ॥୫୫
ଏଥକୁ ନ ପାଇବୁ ଚିନ୍ତା । ତୋ' ପୁତ୍ର ପ୍ରତ୍ୟକ୍ଷେ ବିଧାତା ॥୫୬
ମୋତେ ଅଛନ୍ତି ଏତେ କହି । ଏଥକୁ ନ ବିଚାର କେହି ॥୫୭
ଏମନ୍ତ ନନ୍ଦ ମୁଖୁଁ ଶୁଣି । ଗର୍ଗବଚନ ମନେ ଗୁଣି ॥୫୮
ନନ୍ଦବଚନେ ମନଦେଇ । ଶଙ୍କା ଛାଡ଼ିଲେ କୃଷ୍ଣେ ଚାହିଁ ॥୫୯
ଆନନ୍ଦେ ଆଲିଙ୍ଗନ କରି । ମାୟା ମୋହିଲେ ନରହରି ॥୬୦
ଗୋପାଳେ ହୋଇଲେ ହରଷ । କୃଷ୍ଣଙ୍କୁ ଚାହିଁ ହସହସ ॥୬୧
ଆନନ୍ଦେ ଶିରେ କର ଦେଇ । ବୋଲନ୍ତି କୃଷ୍ଣ କର ତ୍ରାହି ॥୬୨
ବାସବ ତ୍ରାସୁ ଯେ ତାଲିଲା । ପର୍ବତ କରେ ଉପାଡ଼ିଲା ॥୬୩
ସେ ଆମ୍ଭ ରଖୁ ସର୍ବକାଳେ । ଗୋରୁ ଗୋପାଳ ଏକମେଳେ ॥୬୪
ଶରଣ ଗଲୁଁ ତା'ର ପାଦେ । ଗୋପାଳେ ବୋଲନ୍ତି ଆନନ୍ଦେ ॥୬୫
ହରିଚରିତ ସୁଧାବାରି । ଶ୍ରୁତିଯୁଗଳେ ପାନ କରି ॥୬୬
ଆନନ୍ଦମନେ କର ଲୟ । ହେଲେ ତାରିବେ ଦେବରାୟ ॥୬୭
ସୁଜନଜନେ ଏଣେ ରସ । ହେଳେ ଖଣ୍ତିବ ମୋହପାଶ ॥୬୮
ହରିଚରଣ ଆଶ୍ରା କର । ଆଉ ନ ଥିବ ଦୁଃଖ ଘୋର ॥୬୯
ବୋଲଇ ଦାସ ଜଗନ୍ନାଥ । ଗୀତ ପ୍ରବନ୍ଧେ ଭାଗବତ ॥୭୦
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ସପ୍ତବିଂଶୋଽଧ୍ୟାୟଃ ॥
ଅଷ୍ଟାବିଂଶ ଅଧ୍ୟାୟ
[ସମ୍ପାଦନା]ବ୍ୟାସନନ୍ଦନ ହରଷିତ । ବୋଲନ୍ତି ଶୁଣ ନରନାଥ ॥୧
କୃଷ୍ଣଙ୍କୁ କରି ଅପରାଧ । ଇନ୍ଦ୍ର ପାଇଲା ମନେ ଖେଦ ॥୨
ଭାଳଇ ମନର ବିଷାଦେ । ଦ୍ରୋହ ଯେ କଲି ପଦ୍ମପାଦେ ॥୩
ଅଜ୍ଞାନେ ହୋଇଲି ମୁଁ ବାଇ । ଆଉ ସମ୍ପଦ ମୋର କାହିଁ ॥୪
କାହାରେ ପଶିବି ଶରଣ । ନିଶ୍ଚୟ ହୋଇଲା ମରଣ ॥୫
ଯାହାର ମହିମା ଅନନ୍ତ । ହୃଦରେ ଅଛଇ ଜଗତ ॥୬
ତା'ରେ ବଇରୀପଣ ହୋଇ । କେ ଥିଲା ଥିବ ଦେହ ବହି ॥୭
କି ବୁଦ୍ଧି କରିବଇଁ ଆଜ । ଭୟେ କମ୍ପଇ ଦେବରାଜ ॥୮
ସୁରଭି ସ୍ୱର୍ଗପୁରେ ଥିଲା । ଇନ୍ଦ୍ରର ରୋଦନ ଶୁଣିଲା ॥୯
ବୋଲଇ ଇନ୍ଦ୍ର ମୁଖ ଚାହିଁ । ରୋଦନ କରୁ କାହିଁପାଇଁ ॥୧୦
ଇନ୍ଦ୍ର ବୋଇଲେ ଶୁଣ ମାତ । କୃଷ୍ଣ ନ ଭାବି ଚଉମାଥ ॥୧୧
ବତ୍ସା ବାଳକ ହରିନେଲା । ଆପଣା ଭୁବନେ ଥୋଇଲା ॥୧୨
କୃଷ୍ଣ ତା'ଜାଣି ବିଚାରିଲେ । ବତ୍ସା ବାଳକ ଭିଆଇଲେ ॥୧୩
ଲଜ୍ଜା ପାଇଲେ ବେଦପତି । ବେଦେ ଅନେକ କଲେ ସ୍ତୁତି ॥୧୪
ଏ କଥା ଥିଲି ମୁହିଁ ଜାଣି । କାଳେ ପାସୋର ଗଲା ପୁଣି ॥୧୫
ନ ଜାଣି ହୋଇଲଇଁ ବଣା । ଲୋଚନ ଥାଇ ହେଲି କଣା ॥୧୬
କେମନ୍ତେ ଚାହିଁବି ତା' ମୁଖ । ଏତେ ହୋଇଲା ବଡ଼ଦୁଃଖ ॥୧୭
ସୁରଭି ବୋଇଲେ ତୁ ଜାଣି । ଦ୍ରୋହ ଚିନ୍ତୁଲୁ ଚକ୍ରପାଣି ॥୧୮
ଏମନ୍ତେ କଲୁ ଅପରାଧ । ସେ ତୋତେ ଦେଇଛି ସମ୍ପଦ ॥୧୯
ଅଜ୍ଞାନ ମତ୍ତବୁଦ୍ଧି ଫଳେ । ଦ୍ରୋହ ଯେ କଲୁ ପାଦତଳେ ॥୨୦
ମହିମା ନ ଜାଣୁ ତାହାର । ଅଶେଷ-ବ୍ରହ୍ମାଣ୍ତ-ଠାକୁର ॥୨୧
ଦାସବତ୍ସଳ ପାଦଯୁଗେ । ଶରଣ ପଶଯାଇ ବେଗେ ॥୨୨
ତୋ'ର ରକ୍ଷକ କେହି ନାହିଁ । ବିଶ୍ୱ ସଂସାରେ ଦେହ ବହି ॥୨୩
ଶୋକ ସଂହରି ଦେବରାୟ । ଶରଣ ପଶ କୃଷ୍ଣପାୟେ ॥୨୪
ମୋହର ପଛେ ଥାଅ ତୁହି । କୃଷ୍ଣଙ୍କୁ ଭେଟାଇବି ନେଇ ॥୨୫
ସ୍ତୁତି କରିବି ତୋ'ର ପାଇଁ । ତାହାର ନାମ ଭାବଗ୍ରାହୀ ॥୨୬
ଚରଣେ ପଶ ଯା'ଶରଣ । ତୋତେ ରଖିବେ ନାରାୟଣ ॥୨୭
ଏମନ୍ତ କହି ଲୋକମାତ । ଘେନି ଚଳିଲେ ସୁରନାଥ ॥୨୮
ମିଳିଲେ ବୃନ୍ଦାବନେ ଯାଇ । ଜାଣିଲେ ପ୍ରଭୁ ଭାବଗ୍ରାହୀ ॥୨୯
ଗାଈ ଚରାଉଥିଲେ ବନେ । ଗୋପାଳମେଳେ ବେଣୁସ୍ୱନେ ॥୩୦
ଘୋର ଗହନେ ପଶିଗଲେ । ଗୋପାଳ ପୋଏ ନଜାଣିଲେ ॥୩୧
ଇନ୍ଦ୍ର ସୁରଭି ଯହିଁ ଛନ୍ତି । ଜାଣିଲେ ପ୍ରଭୁ ଶିରୀପତି ॥୩୨
ମିଳିଲେ ସୁରଭିର ଲାଗେ । ଇନ୍ଦ୍ର ହିଁ ଅଛି ପୃଷ୍ଠଭାଗେ ॥୩୩
ସୁରଭି ଦେଖି ତୋଷଚିତ୍ତେ । ନମିଲା କୃଷ୍ଣ ପାଦଗତେ ॥୩୪
ସ୍ତୁତି କରଇ କୃଷ୍ଣେ ଚାହିଁ । ବୋଲଇ ଶିରେ କରଦେଇ ॥୩୫
ଭୋ ନାଥ ଶୁଣ ନରହରି । ଇନ୍ଦ୍ର ଯେ ତୋତେ ହେୟ କରି ॥୩୬
ଘୋର ବରଷଣ ବିବାଦେ । ଦ୍ରୋହ ଯେ କଲା ପଦ୍ମପାଦେ ॥୩୭
ସମ୍ପଦ ଦେଇଛୁ ତାହାରେ । ଏବେ ଶରଣ ତୋ'ପୟରେ ॥୩୮
ଲୁଚିଣ ଅଛି ମୋର ପଛେ । ଭୋ ନାଥ ଦେଖସି ପ୍ରତ୍ୟକ୍ଷେ ॥୩୯
ଶୁଣି ଚାହିଁଲେ ଗିରିଧର । ବାସବ ପଡ଼ିଲା ପୟର ॥୪୦
ଭୟେ କମ୍ପଇ ତା'ର ଦେହୀ । ଦନ୍ତେ ତିରଣ ଅଛି ଦେଇ ॥୪୧
ପୁଣି ଉଠିଲା ଭୟଚିତ୍ତେ । କର ଅଞ୍ଜଳି ଦେଇ ମାଥେ ॥୪୨
ଶିର ନିବେଶି ପଦ୍ମପାଦେ । ବୋଲଇ ଶୋକ ଗଦଗଦେ ॥୪୩
- ଇନ୍ଦ୍ର ଉବାଚ
ଭୋ ନାଥ ଆଦିନିରଞ୍ଜନ । ଜ୍ୟୋତି ପ୍ରକାଶ ମହାଶୂନ୍ୟ ॥୪୪
ଗୁଣେ ପ୍ରକାଶ ତୋ'ର ନାହିଁ । ଭକତହିତେ ବହୁ ଦେହୀ ॥୪୫
ମାୟା-ମୋହିତ-ଭବଜଳେ । ତୋର ବିାହାର ଯୋଗବଳେ ॥୪୬
ଲୋଭର ମୂଳେ ଷଡ଼ ଅରି । ତୋହର ମହିମା ଆବୋରି ॥୪୭
ନିରତେ ଭ୍ରମାନ୍ତି ଶୟଳେ । ତୋହର ମାୟାଚକ୍ର ବଳେ ॥୪୮
ଜଗତ ହୋଏ ଆତଯାତ । ତୋହର ମାୟାରେ ଅନନ୍ତ ॥୪୯
ତୁହି ସେ ମାୟାକୁ ଆବୋରି । ଶରୀର ବହୁ ନରହରି ॥୫୦
ଦୁଷ୍ଟଙ୍କୁ ଦଣ୍ତିବାରେ ଆଶେ । ସାଧୁଙ୍କୁ ରଖୁ ତୁ ବିଶ୍ୱାସେ ॥୫୧
ଜଗତ-ତାତ-ମାତ ତୁହି । ତୁ ଦଣ୍ତଧର ଭାବଗ୍ରାହୀ ॥୫୨
ତୋହର ସମ୍ପଦ ଆବୋରି । ଯେ ବୋଲେ ମୋହରି ମୋହରି ॥୫୩
ତାହାଙ୍ଗ ଗର୍ବ ନାଶିବାରେ । ଜନମ ହେଉ ଏ ସଂସାରେ ॥୫୪
ମୋହର ପ୍ରାୟେ ଜ୍ଞାନ ହାରି । ଯେ ତୋର ସମ୍ପଦ ଆବୋରି ॥୫୫
ଗର୍ବବହନ୍ତି ଦୁଷ୍ଟ ଚିତ୍ତେ । ତାହାଙ୍କୁ ଦଣ୍ତୁ ତୁ ଉଚିତେ ॥୫୬
ଗର୍ବଗଞ୍ଜନ ତୋର ଦେଖି । ଭୟେ ମୁଦ୍ରିତ ବେନି ଆଖି ॥୫୭
ତକ୍ଷଣ ଗର୍ବ ଦୂରକରି । ତୋହର ମହିମା ସୁମରି ॥୫୮
ତୋତେ ଭଜନ୍ତି ସାଧୁଚିତ୍ତେ । ଖଳନାଶନ ଦେଖି ତୋତେ ॥୫୯
ଏବେ ମୁଁ କଲି ଅପରାଧ । ଭୋ ନାଥ ରଖ ପଦ୍ମପାଦ ॥୬୦
ଏ ଅପରାଧ କ୍ଷମାକର । ଭୋ ନାଥ ଶରଣ ତୋହର ॥୬୧
ଅଜ୍ଞାନମତେ ଭୋଗ ପାଇ । ଭୋଳ ହୋଇଲି ଭାବଗ୍ରାହୀ ॥୬୨
ଭାରାନିବାରେ ତୋ'ର ଜାତ । ତୋହର ସଞ୍ଚିଲା ଜଗତ ॥୬୩
ଅବନୀଭାରା ନାଶ କରି । ସାଧୁଙ୍କୁ ରଖୁ ନରହରି ॥୬୪
ନମଇ ପରମ ମଙ୍ଗଳ । ପରମ ଆତ୍ମା ଆଦିମୂଳ ॥୬୫
ନମଇଁ ବସୁଦେବ ସୁତ । ଯାଦବବଂଶ ଦଇବତ ॥୬୬
ଶୁଦ୍ଧମୂରତି ଦିବ୍ୟଜ୍ଞାନ । ଇଚ୍ଛାଏ ହେଉ ନାନାବର୍ଣ୍ଣ ॥୬୭
ସକଳଜୀବ ଆଦିପିତା । ନମଇଁ କଇବଲ୍ୟଦାତା ॥୬୮
ତୁ ଦେଲୁ ଇନ୍ଦ୍ରପଦ ମୋତେ । ଦ୍ରୋହ ଚିନ୍ତିଲି ମୁହିଁ ତୋତେ ॥୬୯
ଅଳପ ଲୋକ ମୁଁ ସ୍ୱଭାବେ । ମୋତେ ଥୋଇଲୁ ଇନ୍ଦ୍ରପଦେ ॥୭୦
ମୁଁ ଛାର ନୁହଁଇ ଭାଜନ । ତୁ କି ନ ଜାଣୁ ଭଗବାନ ॥୭୧
ଅଳପଲୋକେ ସୁଖ ଦେଲେ । ଆବୋରି ନ ପାରଇ ଭଲେ ॥୭୨
ଏଣୁ ହୋଇଲି ଅପରାଧୀ । ତୁ ନାଥ କରୁଣା ବାରିଧି ॥୭୩
ତୋ'ର ଚରଣୁଁ ନାହିଁ ଆନ । ଶରଣ ରଖ ଭଗବାନ ॥୭୪
ଶୁକ ବୋଲନ୍ତି ଶୁଣ ରାୟେ । କମ୍ପଇ ବାସବର କାୟେ ॥୭୫
ଦାସବତ୍ସଳ ଭାବଗ୍ରାହୀ । ବୋଲନ୍ତି ଇନ୍ଦ୍ରମୁଖ ଚାହିଁ ॥୭୬
ମେଘ-ଗମ୍ଭୀର ପ୍ରାୟ ବାଣୀ । ହସି କହନ୍ତି ଚକ୍ରପାଣି ॥୭୭
- ଭଗବାନ ଉବାଚ
ଶୁଣ ହୋ ତ୍ରିଦଶର ନାଥ । ତୋ'ର ଦେଖିଲୁ ଦୁଷ୍ଟଚିତ୍ତ ॥୭୮
ମୋର ସମ୍ପଦେ ଅନ୍ଧ ହୋଇ । ମୋତେ ନ ଚିହ୍ନୁ ଗର୍ବ ବହି ॥୭୯
ତୋତେଟି ଅଛି ମୋର ଦୟା । ତେଣୁଟି ଦେଖାଇଲି ମାୟା ॥୮୦
ଭାଙ୍ଗିଲି ତୋ'ର ଯଜ୍ଞକର୍ମ । ତୁ ଯେଣୁ ହେଲୁ ମତିଭ୍ରମ ॥୮୧
ଛାଡ଼ିଲୁ ମୋର ପାଦଚିନ୍ତା । ସମ୍ପଦେ ହୋଇଲୁ ଅଚେତା ॥୮୨
ଯେ ମୋ ସମ୍ପଦେ ଅନ୍ଧ ହୋଇ । ଅଜ୍ଞାନେ ମୋତେ ନ ଜାଣଇ ॥୮୩
ସେ ଅପରାଧେ ଦଣ୍ତ ପାଇ । ତାହାର ସୁଖ ଲେଶ ନାହିଁ ॥୮୪
ଯାହାକୁ ହୁଅଇ ସଦୟେ । ସମ୍ପଦ ହରଇ ଥୋକାଏ ॥୮୫
ପୁଣି ଜାଣଇ ଯେବେ ମୋତେ । ନାମ ଜପଇ ହୃଦଗତେ ॥୮୬
ମୋହର ଭାବେ ଯେ ପଶଇ । ଜନ୍ମ-ମରଣ ତାର ନାହିଁ ॥୮୭
ଏବେ ତୁ ନିଜପୁରେ ଯାଅ । ମୋହର ପାଦେ ଚିତ୍ତ ଦିଅ ॥୮୮
ମୋହର ଆଜ୍ଞା ଘେନି ଶିରେ । ଗର୍ବ ନ ଥାଉ ତୋ' ଶରୀରେ ॥୮୯
ଇନ୍ଦ୍ରକୁ ଦେଖି ତୋଷଚିତ୍ତ । ସୁରଭି ନମଇ ଅଚ୍ୟୁତ ॥୯୦
ତକ୍ଷଣେ ହୃଷ୍ଟମୁଖ ହୋଇ । ସ୍ତୁତି କରଇ କୃଷ୍ଣେ ଚାହିଁ ॥୯୧
ହେ କୃଷ୍ଣ ତୁ ପରମଯୋଗୀ । ବିଶ୍ୱ ସଂସାରେ ବିଶ୍ୱଭୋଗୀ ॥୯୨
ତୁ ଆମ୍ଭ ପାଳକ ଗୋପାଳ । ନମସ୍ତେ ପ୍ରଭୁ ଆଦିମୂଳ ॥୯୩
ଆମ୍ଭର ଇନ୍ଦ୍ର ଅଟୁ ତୁହି । ତୋ' ପାଦୁଁ ଅନ୍ୟ ଗତି ନାହିଁ ॥୯୪
ଗୋରୁ-ବ୍ରାହ୍ମଣ-ଦେବଙ୍କର । ତୁ ନାଥ ଶରଣ ସୋଦର ॥୯୫
ବ୍ରହ୍ମାବଚନେ ମୁହିଁ ତୋତେ । ପୂଜିବି ଅଭିଷେକ ମତେ ॥୯୬
ତୁ ନାଥ ଗୋକୁଳର ଇନ୍ଦ୍ର । ନାମ ମୁଁ ଦେବଇଁ ଗୋବିନ୍ଦ ॥୯୭
ତକ୍ଷଣେ ଇନ୍ଦ୍ର ଚଳିଗଲା । ମେଘମାନଙ୍କୁ ଆଜ୍ଞା ଦେଲା ॥୯୮
ଅଇରାବତ ଦିଗପାଳେ । ପାରିଜାତକ ଗଙ୍ଗାଜଳେ ॥୯୯
ବ୍ରହ୍ମଣେ ମିଳି ବେଦନାଦେ । କୃଷ୍ଣେ ସଞ୍ଚିଲେ ଇନ୍ଦ୍ରପଦେ ॥୧୦୦
ସୁରଭି କ୍ଷୀର ବରଷିଲା । ଗୋବିନ୍ଦ ବୋଲି ନାମ ଦେଲା ॥୧୦୧
ନାରଦ ଆଦି ବିଦ୍ୟାଧରେ । ତୁମ୍ବୁରୁ ଚାରଣ କିନ୍ନରେ ॥୧୦୨
ଗୀତବିନୋଦେ ନୃତ୍ୟରଙ୍ଗେ । ସୁସ୍ୱରେ ବାଦ୍ୟନାଦ ସଙ୍ଗେ ॥୧୦୩
ପୁଷ୍ପ ବରଷି ସ୍ତୁତି ଭଣି । ସୁନ୍ଦର ଦିଶଇ ଧରଣୀ ॥୧୦୪
ସୁରଭି ପୟେ ଇନ୍ଦ୍ର ଜଳେ । ଆନନ୍ଦ ହୋଇଲେ ସକଳେ ॥୧୦୫
ମେଦିନୀ କ୍ଷୀର ନୀର ପାଇ । ବରଷାକାଳ ପ୍ରାୟ ହୋଇ ॥୧୦୬
ସରସ ହୋଇ ମହୀରୂହେ । ମଧୁ ବରଷିଲେ ଥୋକାଏ ॥୧୦୭
ଶସ୍ୟ ହୋଇଲା ଆକର୍ଷଣେ । ମଣିଏ ଉପୁଜିଲେ ବନେ ॥୧୦୮
ଗୋବିନ୍ଦ ନାମ ଶୁଣି କର୍ଣ୍ଣେ । ହିଂସା ଛାଡ଼ିଲେ ପଶୁଗଣେ ॥୧୦୯
ଗୋବିନ୍ଦ ଆଜ୍ଞା ଘେନି ଶିରେ । ଦେବେ ଚଳିଲେ ନିଜପୁରେ ॥୧୧୦
ସୁରଭି ଗଲା ତୋଷ ହୋଇ । ଗୋବିନ୍ଦପାଦ ହୃଦେ ଧ୍ୟାୟି ॥୧୧୧
ସୁଜନେ ଗୋବିନ୍ଦର ପାଦେ । ଚିତ୍ତକୁ ମଜ୍ଜାଅ ଆନନ୍ଦେ ॥୧୧୨
ଗୋବିନ୍ଦ ନାମ ଭେଳା କରି । ହେଳେ ତରିବ ଭବବାରି ॥୧୧୩
ସେ ହରି କରୁଣା ସାଗର । ନିର୍ଦ୍ଦୟାଭାବ ନାହିଁ ତା'ର ॥୧୧୪
ବୋଲଇ ଦାସ ଜଗନ୍ନାଥ । ଗୋବିନ୍ଦପାଦେ ଦେଇ ଚିତ୍ତ ॥୧୧୫
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ଇନ୍ଦ୍ରସ୍ତୁତିନାମ ଅଷ୍ଟାବିଂଶୋଽଧ୍ୟାୟଃ ॥
ଊନତ୍ରିଂଶ ଅଧ୍ୟାୟ
[ସମ୍ପାଦନା]- ଶୁକ ଉବାଚ
ଶୁଣ ପରୀକ୍ଷ ରାଜଋଷି । ନନ୍ଦ ଯେ କଲେ ଏକାଦଶୀ ॥୧
ପୂଜା କରାଇ ଚକ୍ରଧର । ରାତ୍ରେ ହୋଇଲେ ଉଜାଗର ॥୨
ଉଛୁର ପାରଣାର ବେଳା । ଯମୁନା ରାତ୍ର ଥାଉଁଗଲା ॥୩
ବରୁଣ ରାଜା ତାହା ଜାଣି । ଦୂତ ପେଷିଲା ପରିମାଣି ॥୪
ବୋଲଇ ଆଣ ହୋ ନନ୍ଦକୁ । ଏଠାରେ ଦେଖିବା କୃଷ୍ଣଙ୍କୁ ॥୫
ଆଜ୍ଞା ପ୍ରମାଣେ ଦୂତ ଗଲେ । ଯମୁନାଜଳେ ଲୁଚିଥିଲେ ॥୬
ଏମନ୍ତ ସମୟରେ ନନ୍ଦ । ଯମୁନା ସ୍ନାହାନେ ଆନନ୍ଦ ॥୭
ଢ଼ାଳ କଠଉ ବସ୍ତ୍ର କୂଳେ । ଥୋଇ ପଶିଲା ଯାଇ ଜଳେ ॥୮
ବରୁଣ ଦୂତେ ଲୁଚିଥିଲେ । ନନ୍ଦକୁ ଯାଇଣ ଧଇଲେ ॥୯
ନନ୍ଦ ବୋଲଇ ନାହିଁ ଦୋଷ । କାହାକୁ କଲି ଅବା କିସ ॥୧୦
କିପାଇଁ ଧରିନିଅ ମୋତେ । ଜାଣିଲେ ଯିବଇଁ ପରତେ ॥୧୧
ଗୋବିନ୍ଦ ମୋହର ତନୟ । ଧନକୁ ମୋର ନାହିଁ ଭୟ ॥୧୨
ଯେତେ ଲୋଡ଼ିବ ଧନ ଦେବି । ଦୋଷ କହିଲେ ମୁଁ ଜାଣିବି ॥୧୩
ନନ୍ଦର ବୋଲ ନ ଶୁଣିଲେ । ଦୂତେ ଯେ ଧରି ଘେନିଗଲେ ॥୧୪
ନନ୍ଦର ଧରି ବେନିକର । ମିଳିଲେ ବରୁଣ ଛାମୁର ॥୧୫
ଦେଖି ବରୁଣ ତୋଷ ହୋଇ । ନନ୍ଦଙ୍କୁ ଆସନେ ବସାଇ ॥୧୬
ବୋଲଇ ନିସ୍ତରିଲି ଆଜ । ଏବେ ଦେଖିବି ଦେବରାଜ ॥୧୭
ଅନେକ ପୂଜା ସନମାନ । ନନ୍ଦଙ୍କୁ କରଇ ବରୁଣ ॥୧୮
ପୂଜା ଗୌରବେ ନନ୍ଦ ରହି । ଏଣେ ଆଦିତ୍ୟ ଉଦେ ହୋଇ ॥୧୯
ଅମୃତ ପାକ ଯେ ସମ୍ପାଇ । ଯଶୋଦା ଛନ୍ତି ବାଟ ଚାହିଁ ॥୨୦
ଅପାର ହୋଇଲାଣି ବେଳ । ରନ୍ଧନ ହୋଇଲା ଶୀତଳ ॥୨୧
ମନ ବଚନେ ଯଶୋବନ୍ତ । ଯେସନେ ଅନାଏ ଯୁବତୀ ॥୨୨
ବାରତା ନ ପାଇଲେ ଯହୁଁ । ମନ ଚଞ୍ଚଳ କଲେ ତହୁଁ ॥୨୩
ଏବେ ହେଁ ନଇଲେଟି ନନ୍ଦ । କି ଅବା ପଡ଼ିଲା ପ୍ରମାଦ ॥୨୪
ନନ୍ଦର କଲା ଯେତେ ଗୁଣ । ସୁମରି କରଇ କାରୁଣ୍ୟ ॥୨୫
ନନ୍ଦକୁ ନ ଦେଖି ଗୋପାଳେ । କାଳିନ୍ଦୀ ନିକଟେ ମିଳିଲେ ॥୨୬
ସ୍ନାନଶକୁନ ଦେଖି କୂଳେ । ଖୋଜନ୍ତି ଯାଇ ଜଳସ୍ଥଳେ ॥୨୭
ନ ଦେଖି ଅତି ଶୋକଭରେ । କହିଲେ ଯଶୋଦା ଆଗରେ ॥୨୮
ଯଶୋଦା ଶୁଣି ମୋହଗଲା । ନିଚେଷ୍ଟେ ଭୂମିରେ ଶୋଇଲା ॥୨୯
ଗୋପୀଏ ମିଳିଲେ ତୁରିତେ । ତୋଳି ଧଇଲେ କୃଷ୍ଣମାତେ ॥୩୦
ଉଠି ଲୋଡ଼ନ୍ତି ଯଶୋବନ୍ତୀ । ରୋଦନ୍ତି ଗୋକୁଳ ଯୁବତୀ ॥୩୧
ଉଚ୍ଚେ ରୋଦନ୍ତି ଗୋପପୁର । ନନ୍ଦକୁ ଗିଳିଲା କୁମ୍ଭୀର ॥୩୨
ଗୋପାଳେ ଧାଇଁ ଅତି ଖରେ । କହିଲେ ଗୋବିନ୍ଦ ଛାମୁରେ ॥୩୩
ଶୁଣି ଚକିତ ଭାବଗ୍ରାହୀ । କହନ୍ତି ରାମଙ୍କୁ ଅନାଇଁ ॥୩୪
ପିତାଙ୍କୁ ନେଇଛି ବରୁଣ । ପୂଜିବ ମୋହର ଚରଣ ॥୩୫
ଏମନ୍ତେ ଧାଇଁ ବେନିଭାଇ । ଯମୁନାତଟେ ହେଲେ ଯାଇ ॥୩୬
ଦେଖି ଧାମନ୍ତି ଯଶୋବନ୍ତୀ । ଯେସନେ ଅନାଥ ଯୁବତୀ ॥୩୭
ନନ୍ଦର କଲା ଯେତେ ଗୁଣ । ସୁମରି କରଇ କାରୁଣ୍ୟ ॥୩୮
ବୋଲଇ କୃଷ୍ଣମୁଖ ଚାହିଁ । ଅନାଥ ହୋଇଲି ତ ମୁହିଁ ॥୩୯
କୃଷ୍ଣ କହନ୍ତି ଶୁଣ ମାତ । ଏକ୍ଷଣି ଆଣିବି ମୁଁ ତାତ ॥୪୦
ଏଥକୁ କାନ୍ଦ କାହିଁପାଇଁ । ମୁହିଁ ଆଣିବି ତାତ ଯାଇ ॥୪୧
ରାମଙ୍କୁ ବୋଲନ୍ତି ଅଚ୍ୟୁତ । ତୁ ସ୍ୱାମୀ ରହିଥାଅ ଏଥ ॥୪୨
ମୁହିଁ ପିତାଙ୍କୁ ଆଣେ ଯାଇ । ବୋଲନ୍ତି ବ୍ରହ୍ମାଣ୍ତ ଗୋସାଇଁ ॥୪୩
ସମସ୍ତେ ଯାଅ ନିଜ ଘରେ । କହି ଚଳିଲେ କୃଷ୍ଣ ଖରେ ॥୪୪
ବରୁଣପରେ ଦଇତ୍ୟାରି । ମିଳିଲେ ନିଜ ରୂପ ଧରି ॥୪୫
ଦେଖି ସାନନ୍ଦ ଜଳରାଜା । କୃଷ୍ଣଚରଣେ କଲା ପୂଜା ॥୪୬
ବିବିଧମତେ ଉପହାର । ଜାଣଇଁ ପୂଜାର ବେଭାର ॥୪୭
ଅନେକ ମଣିରତ୍ନ ଦେଇ । ପୂଜା କରଇ ଜଳସାଇଁ ॥୪୮
ବନ୍ଦଇ କୃଷ୍ଣର ଚରଣେ । କୁଟୁମ୍ବ ଘେନି ପ୍ରଦକ୍ଷିଣେ ॥୪୯
ପୂଜି ପଡ଼ିଲା କୃଷ୍ଣପାଦେ । ବୋଲଇ ଶୋକ ଗଦଗଦେ ॥୫୦
ଆଜ ଜୀବନ ମୋର ଧନ୍ୟ । ଦେଖିଲି ପ୍ରଭୁ ନିରଞ୍ଜନ ॥୫୧
ସୁତ-କୁଟୁମ୍ବ-ଘରଦ୍ୱାର । ପବିତ୍ର ହୋଇଲା ମୋହର ॥୫୨
ଯାହାର ପାଦରଜ ପାଇ । ଜନ୍ମ ମରଣ ଭୟ ନାହିଁ ॥୫୩
ବ୍ରହ୍ମା ଶଙ୍କର ଯା'ର ନିତ୍ୟେ । ନାମ ଜପନ୍ତି ହୃଦଗତେ ॥୫୪
ତୋହର ପାଦେ ଧ୍ୟାନ କରି । ସୁଖେ ତରନ୍ତି ଭବଭାରି ॥୫୫
ଅରୂପ ରୂପରାଶି ହୋଇ । ମନୁଷ୍ୟ ଦେହେ ବେନି ଭାଇ ॥୫୬
ଯେ ରୂପ ଦେଖିବାର ପାଇଁ । ନିରତେ ହୃଦରେ ଗୁଣଇ ॥୫୭
ବିଚାରେଁ ନନ୍ଦକୁ ଆଣିବି । ଗୋବିନ୍ଦ ଚରଣେ ପୂଜିବି ॥୫୮
ଭୋ ଦେବ ବାଞ୍ଛାକଳ୍ପତରୁ । ତୋ'ର ମହିମା ମହାମେରୁ ॥୫୯
ଯେ ଯାହା ମନେ ତହିଁ ବାଞ୍ଛି । ତୁ ତାହା ଦେଉ ଶିରୀବତ୍ସି ॥୬୦
ମୋହର ମନବାଞ୍ଛା ପୁରି । ଚରଣେ ଦେଖିଲି ମୁରାରି ॥୬୧
ଭୋ ନାଥ ଗର୍ବ ବହି ମୁହିଁ । ତୋର ପିତାକୁ ଆଣିଲଇଁ ॥୬୨
ତୋତେ ଦେଖିବା ମୋର ସଧ । ଭୋ ନାଥ କଲି ଅପରାଧ ॥୬୩
କ୍ଷମାସାଗର ନରହରି । ଶରଣସୋଦର ମୁରାରି ॥୬୪
ବରୁଣେ ଚାହିଁଣ ଶ୍ରୀବତ୍ସି । ବୋଇଲେ ତାତ କାହିଁ ଅଛି ॥୬୫
ଶୁଣି ସାନନ୍ଦ ଜଳପତି । ନନ୍ଦକୁ ଆଣିଲା ତଡ଼ତି ॥୬୬
ବୋଇଲେ ଶିରେ ଦେଇ କର । ଭୋ ନାଥ ନିଅ ତୋ' ପିଅର ॥୬୭
ବରୁଣଭାବ ହୃଦେ ଘେନି । ଦାସବତ୍ସଳ ଅନ୍ତର୍ଯ୍ୟାମୀ ॥୬୮
ନନ୍ଦର କରେ ଦେଇ ହସ୍ତ । ଗୋପେ ମିଳିଲେ ଗୋପୀନାଥ ॥୬୯
ଗୋପାଳେ ଦେଖିଣ ହରଷ । ଆସି ମିଳିଲେ ନନ୍ଦପାଶ ॥୭୦
ନନ୍ଦକୁ ପୁଚ୍ଛନ୍ତି ବାରତା । ଯଶୋଦା ଛାଡ଼ିଲାକି ଚିନ୍ତା ॥୭୧
ନନ୍ଦ ବୋଲଇ ମୋତେ ହରି । ନେଲା ଯେ ଜଳ ଅଧିକାରୀ ॥୭୨
ଦେଖିଲା କୃଷ୍ଣର ବଦନ । ଆଣି ସମର୍ପି ତତ୍କ୍ଷଣ ॥୭୩
ଗୋପେ ବୋଲନ୍ତି ତାହା ଶୁଣି । ନନ୍ଦ-ବଚନ ପରିମାଣି ॥୭୪
ବୋଲନ୍ତି ବରୁଣ ଯେ ନେଲା । କୃଷ୍ଣଙ୍କୁ ଦେଖି ଛାଡ଼ିଦେଲା ॥୭୫
ନୋହିଲେ ମରନ୍ତା ପିଅର । ଭାଗ୍ୟ ଦିଶିଲା ଗୋପପୁର ॥୭୬
ନନ୍ଦ ଆନନ୍ଦମନ ହୋଇ । ବୋଲନ୍ତି ଗୋପାଳଙ୍କୁ ଚାହିଁ ॥୭୭
ଦେଖିଲି ବରୁଣ ଭୁବନ । ନିର୍ମଳ ହୋଇଲା ନୟନ ॥୭୮
ଗୋପେ ବୋଲନ୍ତି ତାହା ଶୁଣି । ନନ୍ଦବଚନ ମନେ ଗୁଣି ॥୭୯
ତୁ ଭାଗ୍ୟବନ୍ତ ଗୋପବୀର । ଯାର କୁମର ଦାମୋଦର ॥୮୦
ଆମ୍ଭେ ଦେଖିବୁ ତାହା କାହିଁ । ମର୍ତ୍ତ୍ୟେ ମାନବ ଦେହ ବହି ॥୮୧
ଆମ୍ଭର ଗତି ତୋ' କୁମର । ଗୋକୁଳ ଶରଣ ତାହାର ॥୮୨
ଗୋପଙ୍କ ମନ କୃଷ୍ଣ ଜାଣି । ମାୟା ମୋହିଲେ ଚକ୍ରପାଣି ॥୮୩
ବୋଲନ୍ତି ଜୀବର ବେଭାର । ଭ୍ରମଇଁ ମାୟାଜଡ଼ ଘୋର ॥୮୪
ଆପଣା ଗତି ନ ଜାଣଇ । ନାନା ଯୋନିରେ ଦେହ ବହି ॥୮୫
ଗୋପେ ମୋସଙ୍ଗେ ଭାବକଲେ । ଏହାଙ୍କୁ ଦେଖାଇବି ଭଲେ ॥୮୬
ତକ୍ଷଣେ ଦେଖାଇଲେ ନେଇ । ବରୁଣ ପୁରେ ଭାବଗ୍ରାହୀ ॥୮୭
ପୁଣି ଦେଖାଇ ନିଜପୁର । ଯେ ବଇକୁଣ୍ଠର ବେଭାର ॥୮୮
ଅନନ୍ତ ସତ୍ୟଜ୍ଞାନ ଜ୍ୟୋତି । ବ୍ରହ୍ମାଶଙ୍କର ଯାହା ଚିନ୍ତି ॥୮୯
ଗୋପ-ଗୋପାଳେ କରି ଦୟା । ମାୟାରେ ଦେଖାଇଲେ ତାହା ॥୯୦
ମାୟା ଛାଡ଼ିଲେ ଭଗବାନ । ଗୋପାଳେ ପାଇଲେ ଚେତନ ॥୯୧
ଶୁଣ ପରୀକ୍ଷ ପୁଣ୍ୟଦେହା । ଅକ୍ରୁର ଦେଖିବଟି ତାହା ॥୯୨
ଚେତନା ପାଇଲେ ଗୋପାଳେ । ଆନନ୍ଦେ କୃଷ୍ଣ କଲେ କୋଳେ ॥୯୩
ହରି ମହିମା ଗୋପେ ଦେଖି । ଆନନ୍ଦେ ନୟନେ ନିରେଖି ॥୯୪
ଚକିତେ ନିଜପୁରେ ଯାଇ । କହନ୍ତି ଗୋପୀଙ୍କି ବସାଇ ॥୯୫
ସେ ଗୋପୀ-ଗୋପାଳଙ୍କ ପାୟେ । ସୁଜନଜନେ କର ଲୟେ ॥୯୬
କୃଷ୍ଣ କରିବେ ମୋତେ ତ୍ରାହି । କୃଷ୍ଣହୁଁ ଅନ୍ୟଗତି ନାହିଁ ॥୯୭
କୃଷ୍ଣ ଚରଣେ ଅବିରତ । ନମଇଁ ଦାସ ଜଗନ୍ନାଥ ॥୯୮
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ଊନତ୍ରିଂଶୋଽଧ୍ୟାୟଃ ॥
ତ୍ରିଂଶ ଅଧ୍ୟାୟ
[ସମ୍ପାଦନା]- ଶୁକ ଉବାଚ
ଶୁଣ ପରୀକ୍ଷ ନରନାଥ । କୃଷ୍ଣଚରିତ ଭାଗବତ ॥୧
ଶରଦକାଳର ଯେ ଶଶୀ । ମଲ୍ଲିକାପୁଷ୍ପ ପ୍ରାୟେ ଦିଶି ॥୨
ଦେଖି ସାନନ୍ଦ ଦାମୋଦର । ମାୟାମନୁଷ୍ୟ ମାୟାଧର ॥୩
ଗୋବିନ୍ଦ ବିଚାରନ୍ତି ମନେ । ଆଜ ରମିବା ବୃନ୍ଦାବନେ ॥୪
ଷୋଳସହସ୍ର ଗୋପନାରୀ । ମୋତେ ବରିଲେ ତପ କରି ॥୫
ମୁଁ ତାଙ୍କ ପୂରାଇବି ଆଶ । ସେ ମୋର ଭକତ ବିଶ୍ୱାସ ॥୬
ଅନେକ ଜନ୍ମେ ତପ କରି । ଏବେ ହୋଇଲେ ଗୋପନାରୀ ॥୭
ରମିଣ ଦେବି ନିଜପୁର । ଆଜ ମୁଁ କରିବି ନିସ୍ତାର ॥୮
ଏତେ ବିଚାରି ବନମାଳୀ । ଘେନିଲେ ବିରହ ମୁରଲୀ ॥୯
ସ୍ୱଭାବେ ଶରଦର କାଳ । ପବନ ବହେ ପରିମଳ ॥୧୦
ଫୁଟିଲେ ଜଳସ୍ଥଳେ ଫୁଲ । ସୁଗନ୍ଧ ଶୀତଳ ଅମୂଲ୍ୟ ॥୧୧
ଗଗନେ ପ୍ରକାଶିଲା ଶଶୀ । ନିର୍ମଳ ବିରାଜଇ ନିଶି ॥୧୨
ଚନ୍ଦ୍ରମଣ୍ତଳ ଅଖଣ୍ତିତ । ଦେଖି ଉଷତ ଗୋପୀନାଥ ॥୧୩
ଲକ୍ଷ୍ମୀର ମୁଖପ୍ରାୟ ଦିଶି । କିରଣେ ଦଶଦିଗ ତୋଷି ॥୧୪
କାଳିନ୍ଦୀକୂଳେ ବ୍ରହ୍ମରାଶି । ସହସ୍ରଯୁଗେ ଯାହା ଘୋଷି ॥୧୫
ତ୍ରିଭଙ୍ଗ ଛନ୍ଦେ ହୋଇ ଉଭା । ଚାରୁ ଅଧରେ ବେଣୁ ଶୋଭା ॥୧୬
ଗୋପୀଙ୍କ ନାମ ଧରି ଧୀରେ । ମୁରଲୀ ଡ଼ାକଇ ସୁସ୍ୱରେ ॥୧୭
ଗୋପୀଏ ଥିଲେ ନିଜ ପୁରେ । ନାଦ ଶୁଣିଲେ ଯେଝା ଘରେ ॥୧୮
ଦଣ୍ତେ ଶୁଣିଲେ ସ୍ଥିର କରି । ବେଣୁ ଡ଼ାକଇ ନାମ ଧରି ॥୧୯
ଶୁଣି ହୋଇଲେ ଛନଛନ । ବ୍ୟାପାରେ ନ ଲାଗିଲା ମନ ॥୨୦
କର ଚରଣ ନଚଳଇ । ମଦନେ କମ୍ପୁଅଛି ଦେହୀ ॥୨୧
ନାଦେ ମୋହିଲେ ବନମାଳୀ । ଷୋଳସହସ୍ର ଗୋପବାଳୀ ॥୨୨
ଏକକୁ ଆରେକ ଲୁଚାଇ । ଧାଇଁଲେ ଅସମ୍ଭାଳ ହୋଇ ॥୨୩
ବୋଲନ୍ତି ନ ପୁଣ ଏଜାଣି । ମୋତେ ହୋଇବ ସପତଣୀ ॥୨୪
ଆଗେ ମୁଁ ଯିବି ବୃନ୍ଦାବନେ । ରମିବି ନନ୍ଦର ନନ୍ଦନେ ॥୨୫
ଦେଖିବି ନୟନ ପୂରାଇ । ମୋହର ନାମେ ବେଣୁ ବାଇ ॥୨୬
କିପା ଡ଼ାକଇ ରାତ୍ରକାଳେ । ଉଭାରି କଦମ୍ବର ମୂଳେ ॥୨୭
ଜଳକ୍ରୀଡ଼ାର ବେଳେ ଗଲା । ଆମ୍ଭର ବସ୍ତ୍ର ଚୋରି କଲା ॥୨୮
କଦମ୍ବବୃକ୍ଷେ ନେଇ ଥୋଇ । ମାଗିଲେ ବସ୍ତ୍ର ନ ଦିଅଇ ॥୨୯
ଉଲଗ୍ନେ ଜଳମଧ୍ୟେ ଥାଇ । ଶୀତେ କମ୍ପଇ ଆମ୍ଭ ଦେହୀ ॥୩୦
ଅନେକ ବିନୟ ହୋଇଲୁ । ଦନ୍ତରେ ତିରଣ ଧଇଲୁ ॥୩୧
ବୋଇଲା ଉଠିଆସ ଜଳୁ । ଯେ ଯାହା ବସ୍ତ୍ର ନିଅ ଡ଼ାଳୁ ॥୩୨
ଯେ ଯାହା ବସ୍ତ୍ର ଚିହ୍ନି ନିଅ । ନୋହିଲେ ଜଳମଧ୍ୟେ ଥାଅ ॥୩୩
ତା'ର ବଚନେ ଲଜ୍ଜା ଛାଡ଼ି । ଆଣି ପିନ୍ଧୁଲୁ ଯେଝା ଶାଢ଼ୀ ॥୩୪
ଆମ୍ଭର ଶୁଦ୍ଧମନ ଜାଣି । ହସି ବୋଇଲେ ବେଣୁ ପାଣି ॥୩୫
ଦେବତା ପୂଜି ନଦୀତୀରେ । ମୋତେ ଯେ ବରିଅଛ ବରେ ॥୩୬
ସେ କଥା କରିବଇଁ ମୁହିଁ । ନିୟମ କଲେ ବେଣୁ ଛୁଇଁ ॥୩୭
ସେ କଥା ସୁମରିଲେ ଆଜ । ଆମ୍ଭର ଛଡ଼ାଇବେ ଲାଜ ॥୩୮
ପତି ତନୟ ଛନ୍ତି କୋଳେ । କେମନ୍ତେ ଯିବୁ ରାତ୍ରକାଳେ ॥୩୯
ନ ଗଲେ ନ ରହେ ଜୀବନ । କାଳ ହୋଇଲା ବେଣୁ ସ୍ୱନ ॥୪୦
ଏମନ୍ତେ ହୋଇଲେ ବାହାର । ମଦନେ କମ୍ପଇ ଶରୀର ॥୪୧
କେ ଗୋପୀ ଦୁହୁଁଥିଲା ଗାଈ । ବାଛୁରୀ ବାନ୍ଧି ଛନ୍ଦ ଦେଇ ॥୪୨
ମୁରଲୀ ଶୁଣି କର୍ଣ୍ଣମୂଳେ । ଦୁହୁଣୀ ପକାଇଲା ତଳେ ॥୪୩
ମୁରଲୀ ଧ୍ୱନି ଶୁଣି ବେଗେ । ଧାଇଁଲା ବୃନ୍ଦାବନ ଲାଗେ ॥୪୪
କେ ବସି କାଢ଼ୁଥିଲା ସର । ମୁରଲୀ ଶୁଣିଲା ସୁସ୍ୱର ॥୪୫
ଡ଼ାକଇ ତା'ର ନାମ ଧରି । ବେଗେ ଧାଇଁଲା ଗୋପନାରୀ ॥୪୬
କେ କରୁଥିଲା ଦଧି ଯୋଗ । ଶୁଣି ଧାଇଁଲା ବେଗବେଗ ॥୪୭
କେ ଦୁଧ ଚୁଲିରେ ବସାଇ । ମୁରଲୀ ଶୁଣି ଗଲା ଧାଇଁ ॥୪୮
କେ କୋଳେ ବାଳକ ବସାଇ । ଦୁଧ ପିଆଉଁ ଗୀତ ଗାଇ ॥୪୯
କର୍ଣ୍ଣେ ଶୁଣିଲା ବେଣୁଧ୍ୱନି । ଡ଼ାକଇ ତା'ର ନାମ ଘେନି ॥୫୦
ବାଳକ ପକାଇଲା ତଳେ । ଧାଇଁଲା ମଦନ ବିକଳେ ॥୫୧
ସ୍ୱାମୀ ଶୟନସ୍ଥାନେ ଥାଇ । କେ ଗୋପୀ ଚରଣ ଚାପଇ ॥୫୨
ମୁରଲୀ ତା'ର ନାମ ଧରି । ଡାକଇ ଆସ ବେଗ କରି ॥୫୩
ପତି ଚରଣ ଥୋଇ ତଳେ । ବେଗେ ଧାଇଁଲା କାମଭୋଳେ ॥୫୪
କେ ବସି ଭୁଞ୍ଜୁଥିଲା ଅନ୍ନ । କର୍ଣ୍ଣେ ଶୁଣିଲା ବେଣୁସ୍ୱନ ॥୫୫
ବୋଲଇ ଆସ ତୁହି ବେଗେ । କୃଷ୍ଣଙ୍କୁ ଦେଖ ବନଭାଗେ ॥୫୬
ଶୁଣି ଭୋଜନ ଉପେକ୍ଷିଲା । ହସ୍ତ ପଖାଳି ନ ପାରିଲା ॥୫୭
ବେଗେ ଧାଇଁଲା ବୃନ୍ଦାବନ । ଯେଣେ ଶୁଭଇ ବେଣୁସ୍ୱନ ॥୫୮
କେ ବସି ଲିପୁଥିଲା ଘର । ମୁରଲୀ ଶୁଣିଲା କର୍ଣ୍ଣର ॥୫୯
ବୋଲଇ ଆସ ତୁ ବହନେ । ହରିଙ୍କି ରମ ବୃନ୍ଦାବନେ ॥୬୦
ଘର ବ୍ୟାପାର ଉପେକ୍ଷିଲା । ବେଗେ ସେ ବୃନ୍ଦାବନେ ଗଲା ॥୬୧
କେ ବସିଥିଲା ନିଜ ଘରେ । କଜ୍ଜ୍ୱଳପାତି ଘେନି କରେ ॥୬୨
ଏକ ଲୋଚନେ ରଞ୍ଜିଥିଲା । ତା' ନାମେ ମୁରଲୀ ଡ଼ାକିଲା ॥୬୩
ଧାମଇଁ ଅସମ୍ଭାଳ ହୋଇ । କଜ୍ଜ୍ୱଳପାତି କରେ ଲଇଁ ॥୬୪
କେ ଗୋପୀ ବସ୍ତ୍ରତଳେ ଥୋଇ । କୁଙ୍କୁମ ଶରୀରେ ଲେପଇ ॥୬୫
କର୍ଣ୍ଣେ ଶୁଣିଲା ବେଣୁଧ୍ୱନି । ଉଠିଲା କରେ ବସ୍ତ୍ର ଘେନି ॥୬୬
ଜ୍ଞାନ ହାରିଲା କାମଭୋଳେ । ପିନ୍ଧିଲା କନ୍ଧରୁ ଅଞ୍ଚଳେ ॥୬୭
କେ ଗୋପୀ କୃଷ୍ଣନାମ ଧରି । ଗୃହ ବ୍ୟାପାର ଗୃହେ କରି ॥୬୮
ଶୁଣିଲା କୃଷ୍ଣ-ବେଣୁନାଦ । ମଦନବାଣେ ତନୁ ଖେଦ ॥୬୯
କେହୁ ତାମ୍ବୁଳ ଭୁଞ୍ଜୁଥିଲା । ଅର୍ଦ୍ଧେକ ହସ୍ତରେ ଘେନିଲା ॥୭୦
କେହୁ ପାହୁଡ଼ ଗୋଡୁ କାଢ଼ି । ଲେଉଟି ନ ପାରିଲା ଭରି ॥୭୧
କେହି ତିଳକ ଘେନୁଥିଲା । ଅର୍ଦ୍ଧେ ତିଳକ ସେ ଲିହିଲା ॥୭୨
କେ ଗୋପୀ ରତ୍ନଚାପସରି । ଚରଣେ ବାନ୍ଧିଲା ପାସୋରି ॥୭୩
ମୁରଲୀନାଦ ଅନୁସରି । ବନେ ଧାଇଁଲା ଗୋପନାରୀ ॥୭୪
ଏମନ୍ତେ କହିବଇଁ କେତେ । ଷୋଳସହସ୍ର ଯେଝାମତେ ॥୭୫
କାହାର ସ୍ୱାମୀ ବଳବନ୍ତ । ଆଗରେ ଓଗାଳିଲା ପଥ ॥୭୬
କାହାର ପୁତ୍ର ଗୋଡ଼ାଇଲା । ଶ୍ୱଶୁର ଖୁଡ଼ୁତା ମଉଳା ॥୭୭
ଭାଇ ଭଣଜା ଇଷ୍ଟ ମିତ୍ର । ଆଗରୁ ଓଗାଳିଲେ ପଥ ॥୭୮
ବୋଲନ୍ତି ଗୋପୀଙ୍କି ଅନାଇ । ଏ କଥା ଉଚିତ ନୁହଁଇ ॥୭୯
ରଜନୀକାଳେ ଯାଅ ବନ । ଲଜ୍ଜା କି ଛାଡ଼ିଲା ବଦନ ॥୮୦
ଶୁଣି ବୋଲନ୍ତି ଗୋପବାଳୀ । ବନେ ବିଜୟ ବନମାଳୀ ॥୮୧
ଶୁଣ ଶୁଭଇ ବେଣୁନାଦ । ମୁରଲୀ ବଡ଼ଇ ଆନନ୍ଦ ॥୮୨
କ୍ଷଣେ ମୁରଲୀ ନାଦ ଶୁଣି । ଆମ୍ଭେ ଆସିବୁ ଏହିକ୍ଷଣି ॥୮୩
ଦାସବତ୍ସଳ ଭଗବାନ । ମୋହିଲେ ଗୋପାଳଙ୍କ ମନ ॥୮୪
ତୁଣ୍ତରୁ ନ ଇଲା ଉତ୍ତର । ବାହୁଡ଼ିଗଲେ ଯେଝା ଘର ॥୮୫
ଏକ ଗୋପିକା କ୍ଷୀଣଦେହୀ । ଗହଳେ ନ ପାରିଲା ଯାଇ ॥ ୮୬
ତାହାର ସ୍ୱାମୀ କର ଧରି । ଘରେ ଆଣିଲା ନିଜ ନାରୀ ॥୮୭
ଗମ୍ଭୀରୀ ଭିତରେ ବାନ୍ଧିଲା । ଅନେକ ମାଡ ହିଁ ମାଇଲା ॥୮୮
ଦ୍ୱାରେ କବାଟ ଦେଲା କିଳି । ବିକଳେ କାନ୍ଦଇ ଗୁଆଳୀ ॥୮୯
ମୁରଲୀ ତା'ର ନାମ ଧରି । ଡ଼ାକଇ ଆସ ବେଗକରି ॥୯୦
ସେ ଗୋପୀ ବନ୍ଧନରେ ପଡ଼ି । କାନ୍ଦଇ ସ୍ତମ୍ଭେ ମୁଣ୍ତକୋଡ଼ି ॥୯୧
କୃଷ୍ଣର ଦେହେ ଦେଇ ମନ । କ୍ଷଣକ୍ଷଣକେ ଅଚେତନ ॥୯୨
ସହି ନ ପାରି ତାପଭର । ବେନିଲୋଚନ କଲା ସ୍ଥିର ॥୯୩
ନୟନ ପିତୁଳି ଲେଉଟି । ଭିତରେ କଲା ଏକଦୃଷ୍ଟି ॥୯୪
ଧ୍ୟାନେ ଦେଖିଲା ଭଗବାନ । ନିର୍ଭରେ କଲା ଆଲିଙ୍ଗନ ॥୯୫
ଡ଼ାକିଲା କୃଷ୍ଣ ତ୍ରାହି ତ୍ରାହି । ପ୍ରାଣ ଛାଡ଼ିଲା ଚୁମ୍ବ ଦେଇ ॥୯୬
ଜୀବନ ଛାଡ଼ି ରସଭରେ । ପଶିଲା ଗୋବିନ୍ଦ ଶରୀରେ ॥୯୭
ଶୁଣି ପରୀକ୍ଷ ଦଣ୍ତଧାରୀ । ମୁନି ଚରଣତଳେ ପଡ଼ି ॥୯୮
ବୋଲଇ ହେଲି କୃତକୃତ୍ୟ । ଶୁଣି ଚରିତ ଭାଗବତ ॥୯୯
ଭୋ ମୁନି ହୋଇଲି ଚକିତ । ତୁମ୍ଭେ କହିଲ ବିପରୀତ ॥୧୦୦
ପରପୁରୁଷେ ମନ ଦେଇ । ଯେ ନାରୀ ଏକାନ୍ତେ ରମଇଁ ॥୧୦୧
ବିଟପୀବାଦ ହୋଇ ତାରେ । ନରକେ ପଡ଼ଇ ନିର୍ଭରେ ॥୧୦୨
ସେ କିମ୍ବା ଗୋବିନ୍ଦେ ପଶିଲା । ମୋତେ ତ ସନ୍ଦେହ ଲାଗିଲା ॥୧୦୩
ସ୍ୱଭାବେ ସ୍ତିରୀ ଜନ୍ମ ହୋଇ । ଧର୍ମ-ଅଧର୍ମ ନ ଜାଣଇ ॥୧୦୪
ପରପୁରୁଷେ ମନ ଦେଲା । ସେ କିପାଁ କୃଷ୍ଣଙ୍କୁ ପାଇଲା ॥୧୦୫
ଶୁଣି ହସିଲେ ମୁନିବର । ବୋଲନ୍ତି ଶୁଣ ଦଣ୍ତଧର ॥୧୦୬
ପୂର୍ବେ ମୁଁ କହିଅଛି ତୋତେ । ପୁରାଣ ଶିରୀଭାଗବତେ ॥୧୦୭
କୃଷ୍ଣଙ୍କୁ କରି ଶତ୍ରୁବଳ । ମୋକ୍ଷ ହେଇଲା ଶିଶୁପାଳ ॥୧୦୮
ଏ ଆଦି ଅରିପଣ କଲେ । ପଶିଲେ କୃଷ୍ଣର ଶରୀରେ ॥୧୦୯
ମିତ୍ର ସ୍ୱଭାବେ ଦାମୋଦର । ଏ ଆଦି ଯେତେ ମିତ୍ରବର ॥୧୧୦
ମିତ୍ର ଅଇରୀ ଯେଣୁ ନାହିଁ । ତରିଲେ ସୂକ୍ଷ୍ମପଦ ପାଇ ॥୧୧୧
ତାହାଙ୍କୁ ପ୍ରିୟପଣେ ସେବି । କିପାଁ ନୋହିବେ ମୋକ୍ଷଭାଗୀ ॥୧୧୨
ଭକତ ତାରିବାର ଆଶେ । ବ୍ରହ୍ମ ପ୍ରକାଶି ଅଛି ଅଂଶେ ॥୧୧୩
ନିର୍ଗୁଣ ହୋଇ ଗୁଣବନ୍ତ । ଦାସବତ୍ସଳ ଗୋପୀନାଥ ॥୧୧୪
ତାହାର ନାହିଁ କାମ କ୍ରୋଧ । ଏକଇ ସ୍ୱଭାବ ସୁହୃଦ ॥୧୧୫
ଯାହାର ମନ ହୋଏ ଲୟେ । ସେ ପ୍ରାଣୀ ପଶେ କୃଷ୍ଣଦେହେ ॥୧୧୬
ଏଣେ ତୁ ସନ୍ଦେହ ନ କର । ମହାମହିମା ଯୋଗେଶ୍ୱର ॥୧୧୭
ଏଣେ ନ କର ଖେଦଚିତ୍ତ । କହଇ ଶୁଣ ଭାଗବତ ॥୧୧୮
ଗୋପୀଏ ଗଲେ ରାତ୍ରକାଳେ । ମିଳିଲେ କଦମ୍ବର ତଳେ ॥୧୧୯
ଷୋଳସହସ୍ର ଗୋପବାଳୀ । ଦେଖିଲେ ପ୍ରଭୁ ବନମାଳୀ ॥୧୨୦
ନାନା କୁସୁମେ ପରିମଳ । ହୃଦେ ଲମ୍ବଇ ବନମାଳ ॥୧୨୧
ଗୁଞ୍ଜରାପାଟି ତାଳୁମୂଳ । ଶ୍ରବଣେ ମକର କୁଣ୍ତଳ ॥୧୨୨
ନୁପୁର କଙ୍କଣ ବିରାଜେ । ରତ୍ନମେଖଳା କଟିମାଝେ ॥୧୨୩
ପୀତବସନ ବେଣୁଧର । ନିବିଡ଼ ସୁରଙ୍ଗ ଅଧର ॥୧୨୪
କୋଟିଏ କାମ ନୋହେ ସରି । ଦେଖି ଉଷତ ଗୋପନାରୀ ॥୧୨୫
ଅନଳ ଦେଖିଣ ପତଙ୍ଗ । ଯେହ୍ନେ ଧାମନ୍ତି ଉଦ୍ବେଗ ॥୧୨୬
ବେଢ଼ିଲେ ଶତେପୁର ହୋଇ । କମ୍ପନ୍ତି କୃଷ୍ଣଙ୍କୁ ଅନାଇଁ ॥୧୨୭
ଗୋପୀଙ୍କି ଦେଖି ବନମାଳୀ । ବଦନୁ ଥୋଇଲେ ମୁରଲୀ ॥୧୨୮
କୋମଳ ମଦୁର ବଚନ । କହନ୍ତି ପ୍ରଭୁ ଭଗବାନ ॥୧୨୯
ଶୁଣ ଗୋ ବ୍ରଜବଧୂ ଜନେ । ତୁମ୍ଭେ ଅଇଲ କିପାଁ ବନେ ॥୧୩୦
ଗୋପର କହ ଭଲ କଥା । ନନ୍ଦ-ଯଶୋଦାଙ୍କ ବାରତା ॥୧୩୧
ଗୋପେ କି ଆପଦ ପଡ଼ିଲା । ମୋତେ ତ ସନ୍ଦେହ ଲାଗିଲା ॥୧୩୨
ଗୋରୁଗୋପାଳେ ନେଲେ ବାନ୍ଧି । ତୁମ୍ଭେ ଅଇଲ ବନେ କାନ୍ଦି ॥୧୩୩
ସର୍ବ ସମ୍ପଦ କଲେ ଜୂର । କି ଅବା ମିଳିଲେ ଅସୁର ॥୧୩୪
ଏମନ୍ତ ପ୍ରାୟ ମୁଁ ମଣଇ । କିପାଁ ଅଇଲ ବନେ ଧାଇଁ ॥୧୩୫
ଭଲେ ଅଇଲ ମୋ' ନିକଟେ । ବଣା ନୋହିଲ ବଣବାଟେ ॥୧୩୬
ପତି-ତନୟ ଛାଡ଼ି କରି । ଗୃହ କୀରତି ପରିହରି ॥୧୩୭
କିପାଁ ଅଇଲ ଘୋରବନ । ନୁହଁଇ ଉଚିତ ବିଧାନ ॥୧୩୮
ଭାଗ୍ୟେ ମୁଁ ବାଉଥିଲି ବେଣୁ । ମୋତେ ଭେଟିଲ ଆସି ତେଣୁ ॥୧୩୯
ରଜନୀ ହୋଇଛି ଅପାର । ବନ ଗହନ କୁଞ୍ଜ ଘୋର ॥୧୪୦
ବ୍ୟାଘ୍ର ଭଲ୍ଲୁକ ବନଜୀବେ । ତୁମ୍ଭଙ୍କୁ ଦେଖିଲେ ଖାଇବେ ॥୧୪୧
ବେଗେ ବାହୁଡ଼ିଯାଅ ଘର । ରଜନୀ ହେଉଛି ଉଛୁର ॥୧୪୨
ସ୍ୱଭାବେ ସ୍ତିରୀଜନ୍ମ ହୋଇ । ବନେ ତୁମ୍ଭର ଭୟ ନାହିଁ ॥୧୪୩
ନିଶ୍ଚେ ହୋଇବ ଆଜ ନାଶ । ମରଣେ କଲଟି ବିଶ୍ୱାସ ॥୧୪୪
ଯାଅ ନ ଥାଅ ବନଘୋରେ । ତୁମ୍ଭଙ୍କୁ ଲୋଡ଼ୁଥିବେ ଘରେ ॥୧୪୫
ମାତା ପିଅର ପୁତ୍ର ଭାଇ । ଲୋଡୁ ଯେ ଥିବେ ନାମ ରାଇ ॥୧୪୬
ଯେ ଯାହା ସ୍ୱାମୀ କୋପଚିତ୍ତେ । ଲୋଡ଼ିବେ ଘରଦ୍ୱାର ପଥେ ॥୧୪୭
ନ ପାଇ କରିବେଟି ରୋଷ । ତୁମ୍ଭେ ହୋଇବ ଜାତି ନାଶ ॥୧୪୮
ବନ୍ଧୁ ବାନ୍ଧବେ ତୁମ୍ଭ ଘର । ଅନ୍ନ ନ କରିବେ ଆହାର ॥୧୪୯
ଜଳ ହିଁ ନକରିବେ ପାନ । ତୁମ୍ଭେ ହୋଇବ ଜାତିହୀନ ॥୧୫୦
ନ ଜାଣି ଯେବେ ଗୋ ଅଇଲ । ବହନ କର ମୋର ବୋଲ ॥୧୫୧
ଦେଖିଲ ବନ ପରିମଳ । ନାନା କୁସୁମେ ନଦୀଜଳ ॥୧୫୨
ମଳୟ ପବନ ଶୀତଳ । ତରୁପଲ୍ଲବେ ଭୃଙ୍ଗମେଳ ॥୧୫୩
ବହନ ଯାଅ ଗୋପପୁର । ନିଜ ପତିଙ୍କି ସେବା କର ॥୧୫୪
ଗାଈଙ୍କ ଗୋଡ଼େ ବତ୍ସା ବାନ୍ଧି । ତୁମ୍ଭେ ଯେ ଦୁହୁଁଥିଲ ଛନ୍ଦି ॥୧୫୫
କ୍ଷୀର ନ ପାଇଣ ବାଛୁରୀ । କାନ୍ଦନ୍ତି ହମ୍ବା ରାବ କରି ॥୧୫୬
ବାଳକ ଧରିଥିଲ କୋଳେ । ପକାଇ ଅଇଲ ଯେ ତଳେ ॥୧୫୭
ଛିଡ଼ିଲା ଓଷ୍ଟ ଦନ୍ତ ପାଟି । କାନ୍ଦନ୍ତି ତୁଣ୍ତେ ଭରି ମାଟି ॥୧୫୮
ବହନ ନିଜ ପୁରେ ଯାଅ । ସ୍ତନ୍ୟ ପିଆଇ ଗାଈ ଦୁହଁ ॥୧୫୯
ଯେବେ ଅଇଲ ବେଣୁ ନାଦେ । ମୋ' ରୂପ ଦେଖିବାର ସଧେ ॥୧୬୦
ଏବେ ଦେଖିଲ ମୋର ଦେହ । ଯାଅ ଗୋ ଦଣ୍ତେ ହେଁ ନ ରହ ॥୧୬୧
ସ୍ୱାମୀଙ୍କ ସଙ୍ଗେ ପ୍ରୀତିକର । ଉଚିତ ଧର୍ମ ଗୋ ତୁମ୍ଭର ॥୧୬୩
ସ୍ୱାମୀର ଯେତେ ଇଷ୍ଟଜନ । ବାଳତନୟଙ୍କ ପୋଷଣ ॥୧୬୪
ଏ ନିତ୍ୟକର୍ମ ଗୋ ତୁମ୍ଭର । ପୁଣି ବୋଲନ୍ତି ବେଣୁଧର ॥୧୬୫
ପୂର୍ବ ଅର୍ଜିଲା କର୍ମ ଲଇ । ଯେ ଯାହା ସ୍ୱାମୀ ଗୋ ମିଳଇ ॥୧୬୬
ସେ ଯେତେ ହୋଏ ଅସୁନ୍ଦର । ଦୁଃଖୀ ଦରିଦ୍ର ବ୍ୟାଧିକର ॥୧୬୭
ତାହାଙ୍କୁ ନ କରିବ ସାନ । ସେ ବିଷ୍ଣୁଦେବଙ୍କ ସମାନ ॥୧୬୮
ତାହାଙ୍କ ପାଦେ ଏକଚିତ୍ତେ । ସେବା କରିବ ଅବିରତେ ॥୧୬୯
ଏ ମାୟା ସଂସାର ବେଭାର । ଯାହା ସଞ୍ଚିଲା ବେଦବର ॥୧୭୦
ଏହା ଯେ ନ କରନ୍ତି ଭଲେ । ନରକେ ଯା'ନ୍ତି ଅନ୍ତଃକାଳେ ॥୧୭୧
ପରପୁରୁଷେ ଚିତ୍ତ ଦେଇ । ଯେ ନାରୀ ରମେ ଦେହ ବହି ॥୧୭୨
ତାହାଙ୍କ ନାହିଁ ସୁଖ ଲେଶ । ନରକେ ହୁଅନ୍ତି ପ୍ରବେଶ ॥୧୭୩
ନିନ୍ଦିତ ହୋ'ନ୍ତି ବେନିଲୋକେ । ନିରାଶ ହୋ'ନ୍ତି ସ୍ୱାମୀ ସୁଖେ ॥୧୭୪
ବିଧବା ହୋନ୍ତି ଜନ୍ମ ସାତ । ଯେ ନାରୀ ସ୍ୱାମୀ ଅଭକତ ॥୧୭୫
ମୋତେ ଅଇଲ ଯେବେ ଦେଖି । ଏତେକେ ପୂରିଲାନି ଆଖି ॥୧୭୬
ଯେ ମୋତେ ଦୂରେ ଥାଇ ଚିନ୍ତି । ମନ ବଚନ ମୋତେ ଦ୍ୟନ୍ତି ॥୧୭୭
ବେଗେ ହୁଅନ୍ତି ଭବୁଁ ପାର । ଖଣ୍ତଇ ଭ୍ରମ ତାହାଙ୍କର ॥୧୭୮
ଯେ ମୋର ନିକଟେ ରହଇ । ସେ ପ୍ରାଣୀ ମୋତେ ନ ଭଜଇ ॥୧୭୯
ମାୟାରେ ହୋଏ ଛନଛନ । ବିଷୟାଜଡ଼େ ଥାଇ ମନ ॥୧୮୦
ସେ ମୋତେ ପାଇବ କେମନ୍ତ । ହସି ବୋଲନ୍ତି ଗୋପୀନାଥ ॥୧୮୧
ମୁନି ବୋଲନ୍ତି ରାୟେ ଶୁଣ । ଯାହା କହିଲେ ନାରାୟଣ ॥୧୮୨
କେ ତାହା କରିବଟି ଆନ । ସବୁରି ପ୍ରଭୁ ଭଗବାନ ॥୧୮୩
ଗୋପିଏ କୃଷ୍ଣକଥା ଶୁଣି । ଚିନ୍ତା ବିକଳେ ମନେ ଗୁଣି ॥୧୮୪
ବଜ୍ରପଡ଼ିଲା ଯେହ୍ନେ ଶିର । ବଦନୁ ନ ଇଲା ଉତ୍ତର ॥୧୮୫
ନିଃଶ୍ୱାସ ବହେ ଖରତର । ଶୁଖିଲା ସୁରଙ୍ଗ ଅଧର ॥୧୮୬
ଦଶନେ ଅଧର କାମୋଡ଼ି । କରଯୁଗଳ ଶିରେ ତାଡ଼ି ॥୧୮୭
ଚରଣ ଅଙ୍ଗୁଳିର ଅଗ୍ରେ । ଭୂମି ଚିରନ୍ତି କାମ ବ୍ୟଗ୍ରେ ॥୧୮୮
କମ୍ପଇ ବିକଳେ ଶରୀର । ବେନି ଲୋଚନୁ ବହେ ନୀର ॥୧୮୯
ଅଞ୍ଜନ କୁଙ୍କୁମର ସଙ୍ଗେ । ଲୁହ ପଡ଼ଇ କୁଚଯୁଗେ ॥୧୯୦
ଦୁଃଖସାଗରେ ନିମଜ୍ଜିଲେ । ସଭୟେ ଲୋଚନ ବୁଜିଲେ ॥୧୯୧
ହୋଇଲେ ମୃତପିଣ୍ତ ପ୍ରାୟେ । ଦେଖନ୍ତି ପ୍ରଭୁ ଦେବରାୟେ ॥୧୯୨
କୃଷ୍ଣ ନିଷ୍ଠୁର ବୋଲ ଶୁଣି । ଧର୍ମ ଅଧର୍ମ ମନେ ଗୁଣି ॥୧୯୩
ଯାହାର ପାଇଁ ଗୃହବାସ । ଛାଡ଼ିଲୁ ଜୀବନର ଆଶ ॥୧୯୪
ତା'ର ନିଷ୍ଠୁର କଥା ପାଇ । ଜୀବନ ଦଣ୍ତେ ନ ରହଇ ॥୧୯୫
ବେନି ଲୋଚନ ଘଷି କରେ । କୃଷ୍ଣଙ୍କୁ ଚାହିଁଲେ ସଧୀରେ ॥୧୯୬
ପାଦେ ପଡ଼ିଲେ ଏକାବେଳେ । କହନ୍ତି ଜୀବନ ବିକଳେ ॥୧୯୭
ଶିର ଲଗାଇ ପଦ୍ମପାଦେ । ବୋଲନ୍ତି ଶୋକ ଗଦଗଦେ ॥୧୯୮
ଭୋ ନାଥ ପ୍ରଭୁ ଭାବଗ୍ରାହୀ । ଏମନ୍ତ ବୋଲୁ କାହିଁପାଇଁ ॥୧୯୯
ତୁ ନୋହୁ ଯଶୋଦାନନ୍ଦନ । ଅନାଦି ପ୍ରଭୁ ନିରଞ୍ଜନ ॥୨୦୦
ଆମ୍ଭେ ଅଭାଗୀ ଦୁଃଖିନାରୀ । ଆଉ କି ଯିବୁ ଗୋପପୁରୀ ॥୨୦୧
ଛାଡ଼ିଲୁ ବିଷୟା-ବିଷାଦ । ପାଇ ତୋହର ପଦ୍ମପାଦ ॥୨୦୨
ଲକ୍ଷ୍ମୀ ଯା' ନ ଛାଡ଼ଇ କ୍ଷଣେ । ଗଙ୍ଗା ରହିଲା ନଖକୋଣେ ॥୨୦୩
ସେ ପାଦ ପାଇ ଆମ୍ଭେ ସୁଖୀ । ଏବେ ହୋଇଲୁ ନିରିମାଖୀ ॥୨୦୪
ଆମ୍ଭଙ୍କୁ ତେଜୁ କାହିଁପାଇଁ । ତୋ' ତହୁଁ ଆନଗତି ନାହିଁ ॥୨୦୫
ତୋ' ପାଦପଙ୍କଜର ମୂଳେ । ଜ୍ଞାନୀ ଚିନ୍ତନ୍ତି ଯୋଗବଳେ ॥୨୦୬
ସେ ପାଦପଦ୍ମ ଆମ୍ଭେ ପାଇ । କାହିଁକି ଯିବୁ ଭାବଗ୍ରାହୀ ॥୨୦୭
ତୋହର ପାଇଁ ଦାମୋଦର । ଛାଡ଼ିଲୁ ପତି ସୁତ ଘର ॥୨୦୮
ଭଜନ୍ତି ଯେ ତୋହର ନାମ । ତାହାଙ୍କୁ ନାହିଁ ଦୁଃଖଶ୍ରମ ॥୨୦୯
ଆମ୍ଭେ ତୋ ପାଦେ ଚିତ୍ତ ଦେଇ । ନିରାଶ ହୋଇଲୁ ଗୋସାଇଁ ॥୨୧୦
ଉଭୟେ ନ ପାଇଲୁ କୂଳ । ତୁ ଯେ ବୋଲାଉ ଆଦିମୂଳ ॥୨୧୧
ଧର୍ମବକତାଙ୍କର ଗୁରୁ । ତୋ'ର ମହିମା ମହାମେରୁ ॥୨୧୨
ଯାହା ବୋଇଲୁ ବେଦମତେ । ଭୋନାଥ ଶୁଣ ଏକଚିତ୍ତେ ॥୨୧୩
ଏ ଯେ ତୋହର ସାଧୁପଣ । ସେବିବୁଁ ସ୍ୱାମୀଙ୍କ ଚରଣ ॥୨୧୪
ଏ କଥା ଉଚିତ ତୋହର । ଭୋ ନାଥ ଶୁଣ ବେଦସାର ॥୨୧୫
ତୁ ଯେ ସକଳ ପ୍ରାଣୀଙ୍କର । ଦେହ ଜୀବନର ଠାକୁର ॥୨୧୬
ଯେ ପ୍ରାଣୀ ତୋହରେ ଭଜଇ । ତାହାର ଜନ୍ମବନ୍ଧ ନାହିଁ ॥୨୧୭
ଅନେକ ପୁଣ୍ୟ କରିଥିଲେ । ତୋ' ନାମ ଧରି ଅନ୍ତଃକାଳେ ॥୨୧୮
ଅଭୟବ୍ରହ୍ମେ ସେ ପଶନ୍ତି । ଆମ୍ଭର ନାହିଁ ମନେ ଭ୍ରାନ୍ତି ॥୨୧୯
ଆଉ କି ଗୋପପୁର ଯିବୁଁ । ପତି-ତନୟ ଆବୋରିବୁଁ ॥୨୨୦
ଆମ୍ଭର ତେଣେ ନାହିଁ ଆଶା । ତୋ ନାମ କରିଛୁ ଭରସା ॥୨୨୧
ମନ କି ନ ଜାଣୁ ଆମ୍ଭର । ଆଶା-ବିଶ୍ରାମ-ବାନା ତୋ'ର ॥୨୨୨
କାଳିନ୍ଦୀତୀରେ ବ୍ରତ କରି । ପୂଜିଲୁ ଶଙ୍କର ଗଉରୀ ॥୨୨୩
ବର ମାଗିଲୁ ଆମ୍ଭେ ଯାହା । ଭୋ ନାଥ ନ ଜାଣୁ କି ତାହା ॥୨୨୪
ଆମ୍ଭର ବସ୍ତ୍ର ଚୋରି କରି । ତୁ ଯେ ବୋଇଲୁ ନରହରି ॥୨୨୫
ରମିବି ବୃନ୍ଦାବନେ ମୁହିଁ । ନିୟମ କଲୁ ବେଣୁ ଛୁଇଁ ॥୨୨୬
ଆମ୍ଭର ସାକ୍ଷୀ ଏ ମୁରଲୀ । କିପାଁ ପାସୋରୁ ବନମାଳୀ ॥୨୨୭
ତୋହର ଯେବେ ଦୟା ନାହିଁ । କିପାଁ ରାଇଲୁ ବେଣୁ ବାଇ ॥୨୨୮
ଆମ୍ଭର ମନ ନିଜ ଘରେ । ବୁଡ଼ାଇ ଥିଲୁ ମୁହାଁସରେ ॥୨୨୯
ଶ୍ରବଣେ ମୁରଲୀ ଶୁଭିଲା । କରଚରଣ ନ ଚଳିଲା ॥୨୩୦
ଜୀବନ ହରିଲୁ ଆମ୍ଭର । ଏବେ ତ କହିଲୁ ନିଷ୍ଠୁର ॥୨୩୧
ଭୋ ନାଥ କର ପ୍ରାଣ ରକ୍ଷା । ଆମ୍ଭେ ପାଇଲୁ ବେଣୁ ଦୀକ୍ଷା ॥୨୩୨
ତୋ'ର ଅଧରାମୃତ ରସ । ଆମ୍ଭର ମୁଖରେ ବରଷ ॥୨୩୩
ଜୀବନ ରଖ ନନ୍ଦବାଳ । ଆମ୍ଭର ପୂରିଲାଟି କାଳ ॥୨୩୪
କ୍ରୋଟ-ଅନଳ ପ୍ରାୟ ହୋଇ । କାମ ଅନଳ ହୃଦ ଦହି ॥୨୩୫
ଲିଭାଅ ମୁଖୁଁ ରସ ଦେଇ । ଦାସବତ୍ସଳ ଭାବଗ୍ରାହୀ ॥୨୩୬
ଯେବେ ନ ରଖୁ ବନମାଳୀ । ମରିବୁ ସକଳ ଗୁଆଳୀ ॥୨୩୭
ହତ୍ୟା ହୋଇବ ତୋର କନ୍ଧେ । ଶୁଣି ହସନ୍ତି ଆଦିକନ୍ଦେ ॥୨୩୮
ଗୋପୀ ବୋଲନ୍ତି କୃଷ୍ଣେ ଚାହିଁ । ପୂତନା ପ୍ରାଣ ଅଛୁ ଖାଇ ॥୨୩୯
ତୁ କାହିଁ ରଖିବୁ ଆମ୍ଭନ୍ତ । ନିଶ୍ଚୟେ ହୋଇଲୁ କୃତାନ୍ତ ॥୨୪୦
ମରିବୁ ତୋହର ଉପରେ । ଜୀବନ ନ ରହେ ଶରୀରେ ॥୨୪୧
ଭୋ ନାଥ ତୋହର ପୟରେ । କମଳା ସେବେ ନିରନ୍ତରେ ॥୨୪୨
ଆମ୍ଭର ପ୍ରିୟ ଅଟୁ ତୁହି । ଆଶା ନ ଛେଦ ଭାବଗ୍ରାହୀ ॥୨୪୩
ତୋହର ପାଦର ତୁଳସୀ । ମାଳା କରିଣ ବ୍ରହ୍ମରାଶି ॥୨୪୪
କବରୀଭାର ସଜ କରି । ତୋ ପାଦେ ସେବିବୁ ମୁରାରି ॥୨୪୫
ତୋହର ପାଦ ହୃଦଗତେ । ମୁନିଏ ଭଜୁଥାନ୍ତି ନିତ୍ୟେ ॥୨୪୬
ସେ ପାଦେ ପଶିଲୁ ଶରଣ । ଜୀବନ ରଖ ନାରାୟଣ ॥୨୪୭
ତୋ'ର ଚରଣ ନରହରି । ସ୍ତନ-ବଦନ-ଶିରେ ଧରି ॥୨୪୮
ଆମ୍ଭର ତାପ ହୃଦୁଁ ଯିବ । ଶରଣ ରଖ ପଦ୍ମନାଭ ॥୨୪୯
ତୋ'ର ସମ୍ପଦ ଭୋଗ କରି । ତୋ' ମୁଖ ଚାହିଁ ଦିନ ହରି ॥୨୫୦
ତୋ'ର ସୁନ୍ଦର ରୂପ ଦେଖି । ପିଛାଡ଼ି ନ ପାରୁଁ ଯେ ଆଖି ॥୨୫୧
ତୋହର ରୂପ ହୃଦେ ଗୁଣି । ବ୍ରହ୍ମାଣ୍ତେ ଯେତେକ ତରୁଣୀ ॥୨୫୨
କେ ଦେହ ଧରିବ ନିର୍ଭରେ । ଶୁଣିଲା ନାହିଁ ତିନିପୁରେ ॥୨୫୩
ତୋ' ରୂପ ଦେଖି ପଶୁ ବନେ । ପୁଲ ହୋନ୍ତି ତରୁଗଣେ ॥୨୫୪
ବୋଲନ୍ତି ଶୁକ ମୁନିବର । ଶୁଣ ହୋ କୃଷ୍ଣ ରସ ସାର ॥୨୫୫
ଦେଖିଣ ଗୋପୀଙ୍କ ବିକଳ । ଦୟା ବସିଲା ଆଦିମୂଳ ॥୨୫୬
ଆନନ୍ଦେ ବେନିଭୁଜ ତୋଳି । ଆସ ବୋଇଲେ ବନମାଳୀ ॥୨୫୭
ବାହୁ ବିସ୍ତାରି କଲେ କୋଳ । ବିଶ୍ୱସ୍ୱରୂପୀ ଆଦିମୂଳ ॥୨୫୮
ଆକର୍ଷି ଆଣି ନିଜ କରେ । ହୃଦେ ଲଗାଇ କୋଳ କଲେ ॥୨୫୯
ଟାକି ଯେ ଥିଲା ଯୋଗମାୟା । ଶୂନ୍ୟରେ ବିକାଶିଲା କାୟା ॥୨୬୦
ଅତ୍ୟନ୍ତ ଦିବ୍ୟରୂପମାନ । ସୁରେଖ ତିଳକ ବଦନ ॥୨୬୧
ଅଙ୍ଗେ ଆଦିତ୍ୟରତ୍ନ ଶୋଭା । ଅଗ୍ନିଧଉତ ବାସ ପ୍ରଭା ॥୨୬୨
କପାଳେ ମଳୟ ଚନ୍ଦନ । ତାମ୍ବୁଳେ ସୁରଙ୍ଗ ବଦନ ॥୨୬୩
ମେଘେ ବିଜୁଳି ଯେହ୍ନେ ଜାଣି । ସୁରେଖ ତିଳକ ତରୁଣୀ ॥୨୬୪
କୃଷ୍ଣର ବେନିଭୁଜେ ପଶି । ତାପ ଛାଡ଼ିଲେ ଶୁଭ୍ରକେଶୀ ॥୨୬୫
ତକ୍ଷଣେ ପାଇଲେ ଜୀବନ । ହରଷ ଗୋପୀଙ୍କର ମନ ॥୨୬୬
କୃଷ୍ଣଙ୍କୁ ବେଢ଼ିଲେ ଯୁବତୀ । ଗଗନେ ଯେହ୍ନେ ତାରାପନ୍ତି ॥୨୬୭
ଗୋପୀଏ ତୋଷମନ ହୋଇ । ପୁଷ୍ପ ତୋଳନ୍ତି ବନେ ଯାଇ ॥୨୬୮
ମାଳା ଗୁନ୍ଥିଲେ ଯତ୍ନ କରି । ବର ବରିଲେ ନରହରି ॥୨୬୯
କାଳିନ୍ଦୀ ବାଲିକୁଦେ ଯାଇ । ଗୋପୀଙ୍କ ମଧ୍ୟେ ଭାବଗ୍ରାହୀ ॥୨୭୦
ଯୋଗମାୟାର ବଳେ ହରି । ଷୋଳସହସ୍ର ରୂପ ଧରି ॥୨୭୧
ହୋଇଲେ ବେନି-ବେନିଜନ । ଗୋପୀ ରମିଲେ ଭଗବାନ ॥୨୭୨
ରତି ପଣ୍ତିତ ବଳବନ୍ତ । ତୋଷିଲେ ଗୋପୀଙ୍କର ଚିତ୍ତ ॥୨୭୩
କୃଷ୍ଣରମଣ ରସ ପାଇ । ଜ୍ଞାନ ହାରିଲେ ସର୍ବଗୋଇ ॥୨୭୪
ସବୁରି ଦେହେ ନଖକ୍ଷତ । ସବୁ କୁଚରେ ପଦ୍ମହସ୍ତ ॥୨୭୫
ସକଳେ ଆଲିଙ୍ଗନ ପାଇ । ହରଷ ହୋଇ ସର୍ବଗୋଈ ॥୨୭୬
ମନେ ବିଚାର କଲେ ନାରୀ । ସ୍ୱାମୀର ଗର୍ବ ମନେ ଧରି ॥୨୭୭
ଆମ୍ଭର ପ୍ରାୟ ଭାଗ୍ୟବନ୍ତ । ନାହିଁ ନୋହିବ ଏ ଜଗତ ॥୨୭୮
ରମିଲୁ ଅନାଦି ପୁରୁଷ । ଆମ୍ଭରେ ହରି ହେଲେ ବଶ ॥୨୭୯
କୃଷ୍ଣ ଭକତ ଆମ୍ଭ ପ୍ରାୟେ । ସ୍ୱର୍ଗେ ନୋହିବେ ଦେବତାଏ ॥୨୮୦
ଏମନ୍ତେ ମନେ ଗର୍ବ ବହି । ତାହା ଜାଣିଲେ ଭାବଗ୍ରାହୀ ॥୨୮୧
ଗୋପୀଙ୍କ ଭାବ ଜାଣିବାରେ । ମାୟା ମୋହିଲେ ନଦୀତୀରେ ॥୨୮୨
ଗୋପୀଏ ବୃନ୍ଦାବତୀ ନାମେ । ଥିଲା ସେ କୃଷ୍ଣ ସନ୍ନିଧାନେ ॥୨୮୩
ପୂର୍ବେ ସେ ଅଛି ତପ କରି । ଗୋବିନ୍ଦ ତା'ର ଭୁଜ ଧରି ॥୨୮୪
ଛନ୍ଦିଲେ ଗୋପୀଙ୍କର ମନ । କୃଷ୍ଣ ହୋଇଲେ ଅନ୍ତର୍ଦ୍ଧାନ ॥୨୮୫
ବୋଲଇ ଦାସ ଜଗନ୍ନାଥ । ବନେ ନିରୋପି କୃଷ୍ଣପଥ ॥୨୮୬
ମୋହର ମନ ଗୋଡ଼ାଇଲା । କୃଷ୍ଣଙ୍କୁ ଭେଟ ନ ପାଇଲା ॥୨୮୭
ବାହୁଡ଼ି ହୋଇଲା ନିରାଶ । ସୁଜନେ ବୃନ୍ଦାବନେ ପଶ ॥୨୮୮
ମୁଁ ଅବା ହରିଙ୍କି ଅନାଇଁ । କାହିଁ ପାଇବି ଭାବଗ୍ରାହୀ ॥୨୮୯
ମୁଁ ଅବା କେତେକ ମାତର । କାହିଁ ପାଇବି ଚକ୍ରଧର ॥୨୯୦
ପାମର ହୀନ ମୋ'ର ବୁଦ୍ଧି । କୃଷ୍ଣ ଚରଣେ ମନ ଖେଦି ॥୨୯୧
ମୋ ଛାର ପାଇବଇଁ କାହିଁ । ଯାହାର ଆଦି ଅନ୍ତ ନାହିଁ ॥୨୯୨
ସେ ଦୟାମୟ ହରିପାଦେ । ମନ ମୋ' ରହୁ ଅପ୍ରମାଦେ ॥୨୯୩
ସୁଜନଜନଙ୍କର ହିତ । କହଇ ଦାସ ଜଗନ୍ନାଥ ॥୨୯୪
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ଭଗବତୋ ରସକ୍ରୀଡ଼ାବର୍ଣ୍ଣନଂ ନାମ ତ୍ରିଂଶୋଽଧ୍ୟାୟଃ ।
ଏକତ୍ରିଂଶ ଅଧ୍ୟାୟ
[ସମ୍ପାଦନା]- ଶୁକ ଉବାଚ
ଶୁଣ ରାଜନ ତୋଷମନେ । କୃଷ୍ଣ ଯେ ଗଲେ ଅନ୍ତର୍ଦ୍ଧାନେ ॥୧
ଗୋପଯୁବତୀ ନଦୀକୂଳେ । ଘଡ଼ିକେ ଜାଣିଲେ ସକଳେ ॥୨
କୃଷ୍ଣ ନ ଦେଖି ବନଘୋରେ । ଭୟେ ଚିନ୍ତନ୍ତି ସେ କାତରେ ॥୩
କମ୍ପନ୍ତି ଚଉଦିଗେ ଚାହିଁ । ରଜନୀ ଅଛି ଅର୍ଦ୍ଧ ହୋଇ ॥୪
ଶ୍ରୀକୃଷ୍ଣ ମାୟା ଘେନି ମେଘେ । ମିଳିଲେ ଶଶାଙ୍କର ଲାଗେ ॥୫
ଦେଖି ବିକଳ ଗୋପନାରୀ । ଡ଼ାକନ୍ତି କୃଷ୍ଣ ନାମ ଧରି ॥୬
ଭୋ ନାଥ ଆସ ତୁ ବହନ । ମେଘ ଆଚ୍ଛାଦିଲା ଗଗନ ॥୭
ବିଶେଷେ ଯମୁନାର ତୀରେ । ମେଘ ଅନ୍ଧାର ଘନଘୋରେ ॥୮
ଅନାଥ କରି ଗଲୁ କାହିଁ । ଅନ୍ଧାରେ ପଥ ନ ଦିଶଇ ॥୯
ଏମନ୍ତେ କରନ୍ତି ରୋଦନ । କ୍ଷଣ କ୍ଷଣକେ ଅଚେତନ ॥୧୦
ନିଶି ଅନ୍ଧାର ବନଘୋରେ । ରୋଦନ କଲେ ଉଚ୍ଚସ୍ୱରେ ॥୧୧
ବାଳୁତ ପ୍ରାୟ ହୋଇ କାନ୍ଦି । ଏକ ଅରକେ ଛନ୍ଦାଛନ୍ଦି ॥୧୨
କୃଷ୍ଣର ପ୍ରୀତି ଅନୁରାଗ । ଅଳପ ହାସ ମୁଖ ରଙ୍ଗ ॥୧୩
ମଧୁର ଚାହିଁବାର ରସେ । ମନ ନିବେଶି କୃଷ୍ଣ ପାଶେ ॥୧୪
ବାଳୁତ କାଳୁ ଯେତେ କଲା । ସୁମରି ଗୋବିନ୍ଦର ଲୀଳା ॥୧୫
ମନ ନିବେଶି କୃଷ୍ଣ ଦେହେ । ଗୋପୀପଡ଼ିଲେ ଶୋକ ମୋହେ ॥୧୬
ପୁଣି ଉଠିଲେ ଜ୍ଞାନ ପାଇ । କହନ୍ତି ବାଇ ପ୍ରାୟ ହୋଇ ॥୧୭
କେ ବୋଲେ ମୁହିଁ ନାରାୟଣ । ସେବଲୋ ମୋହରି ଚରଣ ॥୧୮
କେ ବୋଲେ ମୁହିଁ ନନ୍ଦବାଳ । ଦେଖ ମୋ ଶିରେ ଗୁଞ୍ଜାମାଳ ॥୧୯
ପୁଣି ଗୋପୀଏ ଆଗସରି । ବୋଲଇ ମୁହିଁ ନରହରି ॥୨୦
ଦେଖ ମୋଶିଙ୍ଗା ବେଣୁ ବେତ । ମୁଖେ ବଜାଇ ବେନି ହସ୍ତ ॥୨୧
ତ୍ରିଭଙ୍ଗ ଛନ୍ଦେ ଉଭା ହୋଇ । ବୋଲଇ ନନ୍ଦସୁତ ମୁହିଁ ॥୨୨
କେ ବୋଲେ ଦେଖିଲଇଁ ହରି । ସଖୀ ଗୋଟିଏ ସଙ୍ଗକରି ॥୨୩
ଜାଣଇଁ ଏହି ପଥେ ଗଲା । ମୁରଲୀ ଘେନି ନନ୍ଦବାଳା ॥୨୪
ପୁଣି ଉଠିଲେ ଧାତିକାରେ । ପଶିଲେ ଲତାକୁଞ୍ଜ ଘୋରେ ॥୨୫
ଖୋଜନ୍ତି ପଶି ବନେ ବନ । ଡ଼ାକନ୍ତି ଆସ ନନ୍ଦନାନ ॥୨୬
ବାତୁଳଙ୍କର ପ୍ରାୟ ହୋଇ । ପୁଚ୍ଛନ୍ତି ଆକାଶକୁ ଚାହିଁ ॥୨୭
ବୋଲନ୍ତି ଚାହିଁ ତରୁଗଣ । ତୁମ୍ଭେ ଦେଖିଲ ନାରାୟଣ ॥୨୮
କ୍ରୋଟ ଭିତରେ ଥୋଇଅଛ । ଏ କଥା ଅଟଇ ପ୍ରତ୍ୟକ୍ଷ ॥୨୯
ଅଶ୍ୱତ୍ଥ ବଟ ଶାଳବୃକ୍ଷେ । ତୁମ୍ଭେ କି ଦେଖିଲ ପ୍ରତ୍ୟକ୍ଷେ ॥୩୦
ପଣସ ଅସନ ବକୁଳ । ଚମ୍ପା ବରୁଣ ନାଗେଶ୍ୱର ॥୩୧
ବିଶେଷେ ଉଚ୍ଚବୃକ୍ଷ ଅଟ । ଦେଖିଯେ ଥିବ ନନ୍ଦଚାଟ ॥୩୨
ତୁମ୍ଭେ ବୋଲିବ କିପାଁ ଲୋଡ଼ । ପରର ପାଇଁ ମୁଣ୍ତକୋଡ଼ ॥୩୩
ଏମନ୍ତ ବୋଲ ଅବା ବୃକ୍ଷ । ଆମ୍ଭ ଜୀବନ ନନ୍ଦ ବତ୍ସ ॥୩୪
ମଧୁର ହାସ୍ୟେ ଆମ୍ଭ ମନ । ବାନ୍ଧିଣ ନେଲେ ନନ୍ଦନାନ ॥୩୫
ହେ କୁରୁବକ ନାଗେଶ୍ୱର । ଚମ୍ପା ପୁନ୍ନାଗ କନିଅର ॥୩୬
ତୁମ୍ଭ ପୀରତି ଘେନି ଚିତ୍ତେ । ଗୋବିନ୍ଦ ଗଲେ କି ଏ ପଥେ ॥୩୭
ତୁ ଯେ ତୁଳସୀ ହରିପ୍ରିୟା । ଲୁଚାଇ କରୁଅଛୁ ମାୟା ॥୩୮
ଗୋବିନ୍ଦ ହୃଦେ ଲମ୍ବିଥାଉ । ଆମ୍ଭେ ପଚାରିଲେ ନ କହୁ ॥୩୯
ଆମ୍ଭେ ତୋ' କଥା ଭଲେ ଜାଣି । ତୁ ଯେ ଆମ୍ଭର ସପତଣୀ ॥୪୦
ମାଳତୀ ମଲ୍ଲୀ ଜାଈ ଯୁଇ । ତୁମ୍ଭେ ଦେଖିଲ ଭାବଗ୍ରାହୀ ॥୪୧
କୃଷ୍ଣର ନଖକ୍ଷତ ଲାଗି । ନପୁଣ ହୋଇଛ ସୁହାଗୀ ॥୪୨
ହେ ଚୂତ ପଣସ ପିଆଳ । ଅସନ ଜମ୍ବୁ କୋବିଦାର ॥୪୩
ବେଲ ବକୁଳ ଲିମ୍ବଯୁଥେ । ଗୋବିନ୍ଦ ଗଲେ କି ଏପଥେ ॥୪୪
ତୁମ୍ଭେ ଯେ ଯମୁନାର ତୀରେ । ଥାଅ ଯେ ଫଳପୁଷ୍ପ ଭରେ ॥୪୫
ପରେଣ କର ଉପକାର । ଏ ତୁମ୍ଭ ମହତ ବିଚାର ॥୪୬
କହ ଶ୍ରୀକୃଷ୍ଣ ଗଲେ କାହିଁ । ମରିବୁ ତା ମୁଖ ନ ଚାହିଁ ॥୪୭
ଯା'ନ୍ତେ ଦେଖିଲେ ବନଦେଶେ । ଅବନୀ ନ ଦିଶଇ ଘାସେ ॥୪୮
ତାହାକୁ ଚାହିଁ ଗୋପନାରୀ । ବୋଲନ୍ତି ଦେଖିଲୁକି ହରି ॥୪୯
ଏଣେ ଯେ ଗଲେ କୃଷ୍ଣ ଧାଇଁ । ତାପାଦ ଲାଗି ତୋର ଦେହୀ ॥୫୦
ପୁଲକ ହୋଇ ଅଛି ଦେଖ । ଆମ୍ଭେ ଯେ ହୋଇଲୁ ନିରେଖ ॥୫୧
ହରିଣୀ ଯୂଥଙ୍କୁ ଅନାଇ । ବୋଲନ୍ତି ଶୋକଭର ହୋଇ ॥୫୨
ଆମ୍ଭେ ଜାଣିଲୁ ସତ୍ୟ ଆଜ । ତୁମ୍ଭେ ଦେଖିଲ ଦେବରାଜ ॥୫୩
ହରି-ଚରଣଯୁଗ ଦେଖି । ନିର୍ମଳ କରିଅଛ ଆଖି ॥୫୪
ଏକ ଗୋପିକା ପଛେ ଥାଇ । ବୋଲଇ ଗୋପୀଙ୍କି ଅନାଇଁ ॥୫୫
କୃଷ୍ଣ ଏବାଟେ ଯାଉଥିଲେ । କୁସୁମମାଳ ଛାଡ଼ିଗଲେ ॥୫୬
ବହନ ଆଣିଲା ସାଉଁଟି । ଦେଖାଇ କୁନ୍ଦମାଳ ଗୋଟି ॥୫୭
ଯେ ନାରୀ କୃଷ୍ଣେ ଘେନିଗଲା । ଏମାଳ ତା'ର ହୃଦେ ଥିଲା ॥୫୮
କୃଷ୍ଣର ଆଲିଙ୍ଗନ କାଳେ । ଛିଡ଼ି ଗୋ ପଡ଼ିଅଛି ତଳେ ॥୫୯
ତେଣୁ ଗୋ ସୁଗନ୍ଧ ଏହାର । ଏବେ ପାଇବା ଦାମୋଦର ॥୬୦
ପ୍ରିୟାର କାନ୍ଧେ ଦେଇ ହାତ । ଏପଥେ ଗଲେ ଗୋପୀନାଥ ॥୬୧
ପଦ୍ମଗୋଟିଏ ଘେନି କରେ । ବୃକ୍ଷଙ୍କ ଫଳପୁଷ୍ପ ଭରେ ॥୬୨
ପଶି ଯେ ଗଲେ ଏଇବାଟେ । ଦେଖିଣ ନମନ୍ତି ଉଚ୍ଚାଟେ ॥୬୩
ପୁଣି ଗୋପିଏ ବୃକ୍ଷେ ଚାହିଁ । ମାଳତୀ ଯା'ର ହୃଦେ ଥାଇ ॥୬୪
ବୋଲଇ କେତେ ସଉଭାଗୀ । ଦେଖ ଗୋ କୃଷ୍ଣ ନଖ ଲାଗି ॥୬୫
ପୁଲକ ହୋଇଛି ଶରୀର । ଯେଣୁ ଲାଗିଲା କୃଷ୍ଣକର ॥୬୬
ଏମନ୍ତେ ହୋଇ ଉନମତ୍ତ । କୃଷ୍ଣର ପାଦେ ଦେଇ ଚିତ୍ତ ॥୬୭
ନଟନାରୀଙ୍କ ହଟମତେ । ଗୁଣ ପ୍ରକାଶ କଲେ ଅନ୍ତେ ॥୬୮
ମିଳିଲେ ମହାବନ ଘୋରେ । କାଳିନ୍ଦୀପୁଲିନ ତଟରେ ॥୬୯
ଉଜ୍ଜ୍ୱଳ ଚନ୍ଦ୍ରମା କିରଣ । ପିକ ଝିଙ୍କାରୀ ଶୁକ ତାନ ॥୭୦
ଏକାନ୍ତ ସ୍ଥାନେ ସର୍ବେ ବସି । କୃଷ୍ଣର ନାମ ଗୁଣ ଘୋଷି ॥୭୧
ଏକ ଗୋପିକା ଆଗ ସରି । କୋଳେ ଚାପିଲା ଗୋପନାରୀ ॥୭୨
ତାହାର କୁଚେ ମୁଖ ଦେଇ । ନିର୍ଭରେ ଦେଲାକ ପକାଇ ॥୭୩
ବୋଲଇ ମୁହିଁ ନାରାୟଣ । ଶୋଷିଲି ପୂତନାର ପ୍ରାଣ ॥୭୪
ମୋତେ ଲୋ ଭଜ ଗୋପନାରୀ । ଚାପଇ କରେ କର ଧରି ॥୭୫
ଏକ ଗୋପିକା ପଛେ ଥିଲା । ଚରଣେ ଛନ୍ଦି ପକାଇଲା ॥୭୬
ବୋଲଇ ମୁହିଁ ଦାମୋଦର । ପାଦେ ଶକଟ କଲି ଚୁର ॥୭୭
ଏକ ଗୋପୀକି କରି କାନ୍ଧେ । ପକାଇ ବୋଲଇ ଆନନ୍ଦେ ॥୭୮
ଦେଖ ମାଇଲି ତୃଣାବର୍ତ୍ତ । ମୁଁ ହାଦେ ଯଶୋଦାର ସୁତ ॥୭୯
କେ ଗୋପୀ ଉଦୁଖଳେ ଟାଣି । ଗୁରୁଣ୍ତେ ବଜାଇ କିଙ୍କିଣୀ ॥୮୦
ବୋଲଇ ମୋତେ ସେବାକର । ମୁଁ ସେ ଲୋ ଯଶୋଦାକୁମର ॥୮୧
ମୋ ଗର୍ଭେ ଥିଲାଟି ଜଗତ । ଯାହା ଦେଖିଲା ମୋର ମାତ ॥୮୨
କେ ବେନି ରାମକୃଷ୍ଣ ହୋଏ । ବାଛୁରୀ ଗୋପାଳ ଥୋକାଏ ॥୮୩
ପୁଣି ହିଁ ଏକଇ ଗୋପୀଏ । ହୋଇଲା ବତ୍ସାସୁର ପ୍ରାୟେ ॥୮୪
ଏକ ଗୋପୀଏ ଧରି କରେ । ବୁଲାଇ ପିଟିଲା ବୃକ୍ଷରେ ॥୮୫
ବୋଲଇ ମୁହିଁ ଦାମୋଦର । ଦେଖ ମାଇଲି ବତ୍ସାସୁର ॥୮୬
ଆର ଗୋପୀଏ ବୃକ୍ଷଡ଼ାଳେ । ଧରି ଚିରିଲା ବେନିଫାଳେ ॥୮୭
ବୋଲେ ମୁଁ ଯଶୋଦା କୁମର । ଦେଖ ଚିରିଲି ବକାସୁର ॥୮୮
କେ ବୃକ୍ଷଡ଼ାଳେ ମୁଖ ଦେଇ । ଗୀତ ସୁସ୍ୱରେ ବେଣୁ ବାଇ ॥୮୯
ଏକର କନ୍ଧେ ଦେଇ ହସ୍ତ । ଚାଲଇ ଯେହ୍ନେ ଗୋପୀନାଥ ॥୯୦
ବୋଲଇ ମୁହିଁ ବେଣୁଧର । ଦେଖ ମୋ' ଚାଲିବା ସୁନ୍ଦର ॥୯୧
ପୁଣି ଗୋପୀଏ ଆଗସରି । ବୋଲଇ ହୃଦେ ହସ୍ତ ମାରି ॥୯୨
ଇନ୍ଦ୍ର ଛାରକୁ କିପାଁ ଡ଼ର । ଆଜ ତୋଳିବି ଗିରିବର ॥୯୩
କେତେ ଲୋ ବରଷିବ ଆଜ । ବଜ୍ର ପାଷାଣ ଦେବରାଜ ॥୯୪
ଶାଢ଼ୀ ପାଲଟି ବାମକରେ । ତୋଳିଲା ଅଙ୍ଗୁଳି ଅଗ୍ରରେ ॥୯୫
ଏକ ଗୋପିକା ବେଗେ ଧାଇଁ । ଆରକ ଶିରେ ପାଦ ଦେଇ ॥୯୬
ବୋଲଇ ପଳାଅ କାଳୀୟ । କାଳନ୍ଦୀ ହ୍ରଦରେ ନ ରହ ॥୯୭
ଖଳନାଶନ ବାନା ମୋର । ଅମୃତ କରିବଇଁ ନୀର ॥୯୮
ତୋହର ପ୍ରାୟ ଖଳଜନ । ନାଶିବୁ ଯେତେ ଦୁଷ୍ଟମାନ ॥୯୯
କେ ଗୋପୀ ଡ଼ାକଇ ସୁସ୍ୱରେ । ନୟନ ବୁଜି ଧାତିକାରେ ॥୧୦୦
ଅନଳ ଲିଭାଇବି ମୁହିଁ । ବସଲୋ ମୁଖେ କର ଦେଇ ॥୧୦୧
କେ ଗୋପୀ ଫୁଲମାଳ ଘେନି । କୋପେ ବୋଲଇ ଶିର ଝୁଣି ॥୧୦୨
ଲବଣୀ ଖାଉ ତୁ ଚୋରାଇ । ରୋଳେ ବାନ୍ଧିବି ତୋତେ ନେଇ ॥୧୦୩
ଆକର୍ଷି ପିନ୍ଧିଲା ବସନ । ବାନ୍ଧୁ ଅଛଇ ମନେ ମନ ॥୧୦୪
କେ ଗୋପୀ ଚାଲେ ଗୁଳୁଗୁଞ୍ଜା । କଟୀରେ ରୋଳ ବସ୍ତ୍ର ସଞ୍ଜା ॥୧୦୫
ବୋଲଇ ମୁହିଁ ନାରାୟଣ । ଭାଙ୍ଗିଲି ଯାମଳା ଅର୍ଜୁନ ॥୧୦୬
ଏମନ୍ତେ କୃଷ୍ଣ ଗୁଣମାନ । ଦେହେ ପୁରୋଇ ଗୋପୀଜନ ॥୧୦୭
କଳ୍ପନା ଭାବେ ଗୁଣ ବହି । ଯେ ଆତ୍ମା ପୂର୍ଣ୍ଣାନନ୍ଦ ଦେହି ॥୧୦୮
ହେ ନୃପ ସଂଶୟ ନ କର । ଯେ ଗୋପୀ-ଗୋଧନ ଗୋପାଳ ॥୧୦୯
ଦ୍ୱାଦଶ ବୃନ୍ଦାବନ ଯେତେ । ସବୁ ହିଁ କୃଷ୍ଣ ଗର୍ଭଗତେ ॥୧୧୦
ଯେ ହରି ସେହୁ ଗୋପନାରୀ । ଗୋପୀ ଗୋପାଳ କୃଷ୍ଣସରି ॥୧୧୧
ଏମନ୍ତେ ଗୋପୀ ବାଇପଣେ । ରାତ୍ରେ ବୁଲନ୍ତି ବନେ ବନେ ॥୧୧୨
ଯାଉଁ ଦେଖିଲେ ବାଲିକୁଦ । ପଡ଼ିଛି ଗୋବିନ୍ଦର ପାଦ ॥୧୧୩
ଚିହ୍ନିଲେ କୃଷ୍ଣପାଦ ବୋଲି । ଗୋପୀ ଧାଇଁଲେ ପେଲାପେଲି ॥୧୧୪
ଧ୍ୱଜ ଅଙ୍କୁଶ ପଦ୍ମଚିହ୍ନ । ଦେଖି ଆନନ୍ଦ କଲେ ମନ ॥୧୧୫
କୃଷ୍ଣର ପାଦ ଅନୁସରି । ବନେ ଚାଲନ୍ତି ଗୋପନାରୀ ॥୧୧୬
ପୁଣି କେତେହେଁ ଦୂର ଯାଇ । ବୋଲନ୍ତି କୃଷ୍ଣ ପାଦ ଚାହିଁ ॥୧୧୭
ଦେଖ ଗୋ ଚରଣ ପାଖର । ପଡ଼ିଛି କାହାର ପୟର ॥୧୧୮
ଯାହାକୁ କୃଷ୍ଣ ଘେନିଗଲା । ସେ ତା'ର ପାଶେ ଯାଉଥିଲା ॥୧୧୯
ଧନ୍ୟଗୋ ତାହାର ଜୀବନ । ମୋହିଲା ଯଶୋଦା ନନ୍ଦନ ॥୧୨୦
କେତେ ଏ କୃଷ୍ଣେ ଆରାଧିଲା । ଏକାନ୍ତେ କୃଷ୍ଣଙ୍କୁ ରମିଲା ॥୧୨୧
ଯେ ପାଦ ବ୍ରହ୍ମା ତ୍ରିପୁରାରି । ଲଭିବା ପାଇଁ ଆଶା କରି ॥୧୨୨
ଲକ୍ଷ୍ମୀ ଯା ସେବଇ ନିରତେ । ଏ ତାହା ଲଭିଲା ଏକାନ୍ତେ ॥୧୨୩
ତାହାର ପାଦ ବର୍ଣ୍ଣ ଚିହ୍ନ । ଦହଇ ଆମ୍ଭର ଜୀବନ ॥୧୨୪
କୃଷ୍ଣ ଅଧର ସୁଧାପାନ । ଯାହାଟି ଗୋପୀଙ୍କ ଜୀବନ ॥୧୨୫
ଏକାନ୍ତେ ନେଇ ପାନ କଲା । କେତେ ଗୋ ତପ କରିଥିଲା ॥୧୨୬
ପୁଣି ନଦେଖିଲେ ପୟର । ଗହଳେ ଅଛି ତୃଣାଙ୍କୁର ॥୧୨୭
ବୋଲନ୍ତି କୋମଳ ତା' ପାଦ । ଯେଣୁ ପାଇଲା ତୃଣେ ଖେଦ ॥୧୨୮
ତେଣୁ ତାହାକୁ କନ୍ଧେ କଲେ । ନ ଦିଶେ ପାଦଚିହ୍ନ ଭଲେ ॥୧୨୯
ପୁଣି କ୍ଷଣକେ ପାଦ ଦେଖି । ଗୋପୀଏ ଚାହାନ୍ତି ନିରେଖି ॥୧୩୦
ଦେଖ ଗୋ କୃଷ୍ଣ ପୟର । ଅଧିକେ ଦିଶଇ ଗଭୀର ॥୧୩୧
ଯାହାକୁ କୃଷ୍ଣ ନେଉଥିଲା । ସେ ବାମା ଫୁଟିଣ ରହିଲା ॥୧୩୨
କନ୍ଧେ ବସାଇ ନେଲା ପ୍ରାୟେ । ପାଦ ଗଭୀର ଦେଖ ମାଏ ॥୧୩୩
କୃଷ୍ଣ ଯାହାକୁ ନେଉଥିଲା । ଏଠାରେ କବରୀ ଖସିଲା ॥୧୩୪
କନ୍ଧୁ ଓହ୍ଲାଇ ତା'ର ଅର୍ଥେ । ଫୁଲ ତୋଳିଲା ପରା ଏଥେ ॥୧୩୫
ଅଗ୍ରପାଦରେ ଠିଆ ହୋଇ । ଦେଖ ଏ ଚିହ୍ନି ତ ଦିଶଇ ॥୧୩୬
ବସିଣ ଖୋଷିଛି କବରୀ । ପିଚା ଆକୃତି ଅନୁସରି ॥୧୩୭
ପାଦ ଉପରେ ତା'କୁ ତୋଳି । ଦେଖ ଗୋ ଫୁଲ ଅଛି ପଡ଼ି ॥୧୩୮
ରମଣ କଲା ତା'ର ତୁଲେ । କଥା ଥୋଇଲା ମହୀତଳେ ॥୧୩୯
ଦେଖ କାମିନୀ ଦୁଷ୍ଟପଣ । ବଶ ଗୋ କଲା ନାରାୟଣ ॥୧୪୦
ଶୁଣ ପରୀକ୍ଷ ରାସକେଳି । ଯାହାକୁ ନେଇ ବନମାଳୀ ॥୧୪୧
ସେ ଗୋପୀ କୃଷ୍ଣ ପଛେ ଥାଇ । ଗରବ ମନେ ବିଚାରଇ ॥୧୪୨
ମୁଁ ଯେ ମୋହିଲି ହରି ଚିତ୍ତ । ମୋ ତହୁଁ ନାହିଁ ଭାଗ୍ୟବନ୍ତ ॥୧୪୩
ତାହା ଜାଣିଲେ ଭାବଗ୍ରାହୀ । ଗର୍ବ ବହିଲା ଏହା ଦେହୀ ॥୧୪୪
ମାୟା ମୋହିଲେ ଗୋପୀ ମନ । କୃଷ୍ଣଙ୍କୁ ବୋଲଇ ବଚନ ॥୧୪୫
ଭୋ ନାଥ ନ ପାରଇ ଯାଇ । ନିଅତୁ କନ୍ଧରେ ବସାଇ ॥୧୪୬
ମୋହରେ ଅଛି ଯେବେ ମନ । ବିଶେଷେ ଘୋର ବୃନ୍ଧବନ ॥୧୪୭
ମୁଁ ଏବେ ନ ପାରଇ ଚାଲି । ଶୁଣି ହସିଲେ ବନମାଳୀ ॥୧୪୮
ବୋଇଲେ ବସ ମୋର କାନ୍ଧେ । କୃଷ୍ଣ ବସିଲେ ବାଲିକୁଦେ ॥୧୪୯
ଶୁଣି ଗୋପିକା ତୋଷ ହୋଇ । ବସିଲା କୃଷ୍ଣକାନ୍ଧେ ଯାଇ ॥୧୫୦
ଉଠିଲେ ପ୍ରଭୁ ଚକ୍ରଧର । କାମିନୀ ଧରିଅଛି ଶିର ॥୧୫୧
କେତେ ହେଁ ଦୂର ବନେ ଯାଇ । ଅନ୍ତର ହେଲେ ଭାବଗ୍ରାହୀ ॥୧୫୨
ଗୋପୀ ପଡ଼ିଲା ମୁଖ ମାଡ଼ି । ଅଧର ଓଷ୍ଠ ଗଲା ଛିଡ଼ି ॥୧୫୩
ଦଣ୍ତେ ହୋଇଲା ମୂରୁଛିତ । ଉଠି ଲୋଡ଼ଇ ଗୋପୀନାଥ ॥୧୫୪
ସେ କାହିଁ ପାଇବ ମୁରାରି । ଗର୍ବଗଞ୍ଜନ ନରହରି ॥୧୫୫
ବିକଳେ ଚଉଦିଗେ ଚାହିଁ । କାନ୍ଦଇ ମୁଣ୍ତେ କର ଦେଇ ॥୧୫୬
ଆସ ବହନ ଗୋପୀନାଥ । ଗହଳେ ନ ଦିଶଇ ପଥ ॥୧୫୭
ମୋତେ ନିଶ୍ଚୟେ ନାଶ କଲୁ । ଗୋପୀଙ୍କ ସଙ୍ଗ ଛଡ଼ାଇଲୁ ॥୧୫୮
ପୂର୍ବର ଭାଗ୍ୟେ ତୋତେ ଦେଖି । ଏବେ ହୋଇଲି ନିରିମାଖୀ ॥୧୫୯
ଏକା କରିଣ ମୋତେ ଆଣି । ସୁଖେ ରମିଲୁ ବେଣୁପାଣି ॥୧୬୦
ମୁଁ ଦୁଃଖୀ କଲି ଦ୍ରୋହ କର୍ମ । ମତ୍ତେ ଦୋଇଲି ମତିଭ୍ରମ ॥୧୬୧
କନ୍ଧରେ ବସାଅ ବୋଇଲି । ଅଜ୍ଞାନେ ଦେହ ପାସୋରିଲି ॥୧୬୨
ଅବଳାଜନ୍ମ ମାତ୍ର କେତେ । ଯହୁଁ ମୁଁ ରମିଲି ଏକାନ୍ତେ ॥୧୬୩
କି ଦୋଷ କଲି ମୁହିଁ ତୋରେ । ନିବେଶି ଗଲୁ ବନଘୋରେ ॥୧୬୪
ଏମନ୍ତେ କାନ୍ଦଇ ତରୁଣୀ । କୃଷ୍ଣ ହସିଲେ ତାହା ଶୁଣି ॥୧୬୫
ଭାବକୁ ନିକଟ ଗୋସାଇଁ । ଭାବେ ପାଲଟାବସ୍ତ୍ର ବହି ॥୧୬୬
ନିକଟେ ଥାଇ ନ ଦିଶନ୍ତି । ଗରବ କ୍ଷଣେ ନ ସହନ୍ତି ॥୧୬୭
ଗୋପୀଏ ଯାଉଥିଲେ ବନେ । ତା'ର ରୋଦନ ଶୁଣି କର୍ଣ୍ଣେ ॥୧୬୮
ନିକଟେ ମିଳିଲେ ତାହାର । ତୋଳିଲେ ଧରି ବେନି କର ॥୧୬୯
ସଚେତ କରି ପଚାରିଲେ । ବୋଇଲେ ଥିଲୁ କୃଷ୍ଣ ତୁଲେ ॥୧୭୦
ଏକା କରିଣ ତୋତେ ଆଣି । କି କି ଗୋ କଲେ ବେଣୁପାଣି ॥୧୭୧
ପୁରୁଷ ଦଇନ୍ୟ ବେଭାର । ପକାଇ ହୋଇଲା ଅନ୍ତର ॥୧୭୨
ତୋତେ ପକାଇ ଘୋରବନେ । ଗୋବିନ୍ଦ ଗଲେ କେଉଁସ୍ଥାନେ ॥୧୭୩
ଏଡ଼େ ନିଷ୍ଠୁର ତା'ର ଦେହୀ । ପୂତନା ପ୍ରାଣ ଅଛି ଖାଇ ॥୧୭୪
ଅନେକ ହତ୍ୟା ଅଛି କରି । ଏବେ ଖାଇବ ଗୋପନାରୀ ॥୧୭୫
ଅଇଲୁ ତା'ର ବେଣୁସ୍ୱନେ । ଘୋର ଗହନ ବୃନ୍ଦାବନେ ॥୧୭୬
ଛାଡ଼ିଲୁ ଗୃହ ସୁତ କାନ୍ତ । ଏବନେ ହୋଇଲୁଁ ଅନାଥ ॥୧୭୭
ଏମନ୍ତ ପଥ ଅନୁସରି । କାନ୍ଦନ୍ତି କୃଷ୍ଣଙ୍କୁ ସୁମରି ॥୧୭୮
ସଖୀକି ହୃଦେ କୋଳକରି । କାନ୍ଦନ୍ତି ଷୋଳସସ୍ର ନାରୀ ॥୧୭୯
ସାହେର ଶବଦ ରୋଦନ । ଉଚ୍ଚବିଳାପ ବହୁସ୍ୱନ ॥୧୮୦
ଚେତନା କରଇ ଅଥିର । ହୃଦରେ କ୍ରୋଧ ଗୁରୁତର ॥୧୮୧
ସଖୀକି ପଚାରନ୍ତି ପୁଣି । କାହିଁ ଛାଡ଼ିଲୁ ବେଣୁପାଣି ॥୧୮୨
ସେ ନାରୀ ସଖୀ ଆଗେ କହି । ଯାହା ସେ କଲେ ଭାବଗ୍ରାହୀ ॥୧୮୩
ତାହାର ଗର୍ବମାନ ଯେତେ । କହିଲା ସଖୀଙ୍କ ଅଗ୍ରତେ ॥୧୮୪
ଶୁଣି ବିକଳ ଗୋପନାରୀ । ଉଚ୍ଚେ ବିଳାପଧ୍ୱନି କରି ॥୧୮୫
କାନନେ ପଶିଲେ ସକଳେ । ଷୋଳସହସ୍ର ଏକାବେଳେ ॥୧୮୬
ବୃକ୍ଷଗହଳ ଛାୟା ଦେଖି । ଅନ୍ଧାର ପ୍ରାୟ ଉପଲକ୍ଷ୍ୟି ॥୧୮୭
ଭୟେ ବାହୁଡ଼ିଲେ ସକଳେ । ପୁଣି ମିଳିଲେ ନଦୀକୂଳେ ॥୧୮୮
ମନ ନିବେଶି କୃଷ୍ଣପାଦେ । କାନ୍ଦନ୍ତି ଶୋକ ଗଦଗଦେ ॥୧୮୯
ଦେହ-ସଂସାର ପାସୋରିଲେ । ମରଣପଥ ଆବୋରିଲେ ॥୧୯୦
କୃଷ୍ଣଚରଣେ ମନ ଦେଇ । କାନ୍ଦନ୍ତି ଶୋକଭର ହୋଇ ॥୧୯୧
ନିର୍ମଳ ବାଲୁକା ବିଶେଷି । ସକଳ ସଖୀ ତହିଁ ବସି ॥୧୯୨
ସମାଧି ଯୋଗଧ୍ୟାନ ପ୍ରାୟେ । କୃଷ୍ଣ ଚରଣେ କରି ଲୟେ ॥୧୯୩
କୋଟି ସମ୍ପଦ ଦୂର କଲେ । ବ୍ରହ୍ମପ୍ରଦୀପ ଦେଖାଇଲେ ॥୧୯୪
ସେ ଗୋପୀ ଗୋବିନ୍ଦର ପାୟେ । ସୁଜନ ଜନ କର ଲୟେ ॥୧୯୫
ହରିଚରିତ ଭାଗବତ । ଅମୃତ ରସମୟ ଗୀତ ॥୧୯୬
ଏଣେ କରିବା ମନତୋଷ । କହଇ ଜଗନ୍ନାଥ ଦାସ ॥୧୯୭
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ରାସକ୍ରୀଡ଼ାୟାଂ କୃଷ୍ଣାନ୍ୱେଷଣଂ ନାମ ଏକତ୍ରିଂଶୋଽଧ୍ୟାୟଃ ॥
ଦ୍ୱାତ୍ରିଂଶ ଅଧ୍ୟାୟ
[ସମ୍ପାଦନା]- ଶୁକ ଉବାଚ
ଗୋପୀଏ ବସି ବାଲିକୁଦେ । କାନ୍ଦନ୍ତି ଶୋକ ଗଦଗଦେ ॥୧
- ଗୋପୀଜନ ଉବାଚ
ଭୋ ନାଥ ଯଶୋଦା କୁମର । ତୋ ଜନ୍ମ କାଳୁଁ ଗୋପପୁର ॥୨
ଦାରିଦ୍ର୍ୟ ଦୁଃଖ ତ ନ ଜାଣି । ଆମ୍ଭର ଘରେ କମଳିନୀ ॥୩
ଅନେକ ହୋଇଲା ସମ୍ପଦ । କେ କହୁ ଆମ୍ଭର ଆନନ୍ଦ ॥୪
ଆମ୍ଭ ଜୀବନ ଅଟୁ ତୁହି । ତୋ ତହୁଁ ଅନ୍ୟ ଗତି ନାହିଁ ॥୫
ତୋ'ର ସମ୍ପଦ ଭୋଗ କରି । ତୋ' ମୁଖ ଚାହିଁ ଦିନ ହରି ॥୬
ମୁରଲୀନାଦେ ଅଣାଇଲୁ । ମୁଖୁଁ ଅମୀୟରସ ଦେଲୁ ॥୭
ଘୋର-ଗହନ-ବନେ ଥୋଇ । ଅନାଥ କରି ଗଲୁ କାହିଁ ॥୮
ଏବେ ଦେଖାଅ ପଦ୍ମମୁଖ । ବାରେ ଜୀବନ ଆମ୍ଭ ରଖ ॥୯
ତୋହର ଆଶେ ବ୍ରଜନାରୀ । ଏ ବନେ ତୋତେ ଅନୁସରି ॥୧୦
ଆମ୍ଭର ଆରତ ବିନାଶୁ । କୋଟିଏ କାମ ପ୍ରାୟେ ଦିଶୁ ॥୧୧
ତୋ'ର ସେବକ ଦୁଃଖ ନାଶୁ । ନିରେଖଜନଙ୍କୁ ଆଶ୍ୱାସୁ ॥୧୨
ତୋର ସେବକ ଆମ୍ଭେମାନେ । ତୋ ମୁଖ ନ ଦେଖୁଁ ନୟନେ ॥୧୩
ପଥ ନ ଦିଶେ ରାତ୍ରକାଳେ । ବୁଡ଼ାଇ ଗଲୁ ଶୋକଜଳେ ॥୧୪
ଭୋ ନାଥ କମଳଲୋଚନ । ଦେଖାଅ ନିର୍ମଳ ବଦନ ॥୧୫
ତୋ' ମୁଖକମଳର ତେଜେ । ଶରଦ-ପଦ୍ମ-ଶିରୀ ଗଞ୍ଜେ ॥୧୬
ସେ ଧନେ କିଣିଲୁ ଆମ୍ଭନ୍ତ । ଏ ବନେ କଲୁ ତୁ ଅନାଥ ॥୧୭
ସୁରତନାଥ ତୁ ଆମ୍ଭର । କିଣିଲା ଦାସୀ ଆମ୍ଭେ ତୋ'ର ॥୧୮
ଯାହାକୁ କିଣି ଧନ ଦେଇ । କେ ତାହା ଛାଡ଼େ ଭାବଗ୍ରାହୀ ॥୧୯
ସେ କି ନୋହଇ ତା'ର ବଧ । ବେଦ ପୁରାଣେ ଏହି ବାଦ ॥୨୦
ଅନେକ ଦୁଖୁଁ ଅଛୁ ରଖି । ଏବେ ତୁ କଲୁ ନିରିମାଖୀ ॥୨୧
ବକ ଉଦକ ଅଘାସୁର । ଇନ୍ଦ୍ର ବରଷା ମହାଘୋର ॥୨୨
ବନ ଅନଳ ଷଣ୍ଢା ମୁଖୁଁ । ତୁ ନାଥ ରଖିଛୁ ଆମ୍ଭଙ୍କୁ ॥୨୩
ତୋହର ପାଦ ଆଶ୍ରେ କରି । ଜନ୍ମ ମରଣକୁ ନ ଡ଼ରି ॥୨୪
ତୁ ନୋହୁଁ ଯଶୋଦା କୁମର । ଜୀବନ ଅଟୁ ପ୍ରାଣୀଙ୍କର ॥୨୫
ସକଳ ଜନ୍ତୁ ହୃଦେ ଥାଇ । ଅନ୍ତର ଜାଣୁ ଭାବଗ୍ରାହୀ ॥୨୬
ତୋତେ ଚିନ୍ତିଲା ବେଦବର । ନାଶିଲୁ ଅବନୀର ଭାର ॥୨୫୭
ତେଣୁ ଯାଦବକୁଳେ ଜାତ । ତୋହର ନାହିଁ ଆଦି ଅନ୍ତ ॥୨୮
ଭୋ ବୃଷ୍ଣିବଂଶ ଚୂଡ଼ାମଣି । ଆମ୍ଭର ଶିରେ ଦିଅ ପାଣି ॥୨୯
ତୋହର କର ବ୍ରହ୍ମରାଶି । ଜନ୍ମ ମରଣ ଭୟ ନାଶି ॥୩୦
ପଦ୍ମ ହୁଁ ଅତି ସୁକୁମାର । କମଳା ବରିଅଛି ବର ॥୩୧
ତୋହର ପାଦପଦ୍ମ ଦୁଇ । ବନେ ଗୋରୁଙ୍କ ପଛେ ଥାଇ ॥୩୨
ପ୍ରଣତଦେହୀ ପାପ ନାଶ । ଜଳଧିତନୟାନିବାସ ॥୩୩
ସହସ୍ର ଫଣା କାଳୀୟର । ସୁନ୍ଦର କଲା ଯେ ପୟର ॥୩୪
ଆମ୍ଭର କୁଚେ ତା' ଲଗାଅ । କାମ ଅନଳ ତୁ ଲିଭାଅ ॥୩୫
ତୋହର ମଧୁର ବଚନ । ହୃଦେ ଭାବନ୍ତି ମୁନିଜନ ॥୩୬
ଆମ୍ଭେ ତୋହର ପରିବାରୀ । ମୂର୍ଚ୍ଛିତ ହୋଇଲୁ ମୁରାରି ॥୩୭
ତୋ'ର ଅଧରୁ ସୁଧା ଦେଇ । ଜୀବନ ରଖ ଭାବଗ୍ରାହୀ ॥୩୮
ତୋ'ର ଚରିତ ସୁଧାବାରି । ଶ୍ରୁତିଯୁଗଳେ ପାନ କରି ॥୩୯
ଜନ୍ମ ମରଣ ତାପ ନାଶେ । ଦୂରିତମାନ ଦେହୁ ଧ୍ୱଂସେ ॥୪୦
ମଙ୍ଗଳ କରେ ଶ୍ରୁତିପଥେ । ଯେ ଯାହା ବିଚାରେ ଜଗତେ ॥୪୧
ତେଣେ ଯେ ହୋଇ ଉନମତ୍ତା । ସେ ନର ଚଉବର୍ଗଦାତା ॥୪୨
ତୋ' ଦରହସିତ ବଦନ । କୋମଳ ମଧୁର ବଚନ ॥୪୩
ଧ୍ୟାନମଙ୍ଗଳ ତୋ' ବିହାର । ଏକାନ୍ତ କଥା ହୃଦହାର ॥୪୪
କପଟ ପ୍ରାୟ ତୋ'ର ରୀତି । ଆମ୍ଭର ମନ ଏ ଦହନ୍ତି ॥୪୫
ତୁନାଥ ଗୋରୁଙ୍କର ମେଳେ । କାନନେ ଯାଉ ଯେତେବେଳେ ॥୪୬
କୋମଳ ପାଦପଦ୍ମ ଚାହିଁ । ଆମ୍ଭର ହୃଦୟ ଦହଇ ॥୪୭
କଣ୍ଟା ପାଷାଣ ତୃଣ ଲାଗି । ନ ପୁଣ ହୋଏ ଦୁଃଖଭୋଗୀ ॥୪୮
ଯେବେ ଲୋଚନେ ଦେଖୁଁ ତାହା । ତେବେ ସେ ସ୍ଥିର ହୋଏ ହିଆ ॥୪୯
ବନୁ ଯେ ଆସୁ ଦିନଅନ୍ତେ । ଆତୁର ହୋଇ ଦେଖୁଁ ପଥେ ॥୫୦
କପୋଳେ କୁଟୀଳ କୁନ୍ତଳ । ହୃଦେ ଲମ୍ବଇ ବନମାଳ ॥୫୧
ଗୋରଜ ଦେଖି ତୋ'ର ଦେହେ । ଆମ୍ଭ ଜୀବନ କାମ ଦହେ ॥୫୨
ତୋ'ର ଅଭୟ ପଦ୍ମପାଦ । ଶରଣଜନଙ୍କ ସମ୍ପଦ ॥୫୩
କମଳା ଦଣ୍ତେ ନ ଛାଡ଼ଇ । ଆପଦ କାଳେ ଯାହା ଧ୍ୟାୟି ॥୫୪
ଅନେକ ସୁଖ ପ୍ରସରଇ । ରଖ ଆମ୍ଭଙ୍କୁ ସ୍ତନେ ଦେଇ ॥୫୫
ସୁରତ ପଣେ ବଳୀୟାର । ଶୋକ ବିନାଶେ ପ୍ରାଣୀଙ୍କର ॥୫୬
ସୁସ୍ୱର ବେଣୁ ଯେ ଅଧରେ । ଜନ୍ମ ମରଣ ତାପ ହରେ ॥୫୭
ତୁ ସେ ଅଧର ସୁଧାରସ । ଦେଇ ଆମ୍ଭର ମନ ତୋଷ ॥୫୮
ଗୋରୁ ଚରାଇ ଯାଉ ବନେ । ତୋତେ ନ ଦେଖିଲେ ନୟନେ ॥୫୯
ନିମିଷ ଯୁଗ ପ୍ରାୟ ମଣୁ । ଗୁରୁ ଗଉରବ ନ ଗଣୁ ॥୬୦
ତୁଯେତେବେଳେ ଗୋପେ ପଶୁ । ପଥେ ମୁରଲୀ ନାଦ ଘୋଷୁ ॥୬୧
କୁଟୀଳ-କୁନ୍ତଳ-ବଦନ । ଦେଖି ନ ଚଳଇ ନୟନ ॥୬୨
ପତି ତନୟ ବନ୍ଧୁ ଭାଇ । ଆମ୍ଭେ ତେଜିଲୁ ତୋ'ର ପାଇଁ ॥୬୩
ସୁସ୍ୱରେ ଗାଉ ବେଣୁଗୀତ । ଆମ୍ଭେ ହୋଇଲୁ ମୂରୁଛିତ ॥୬୪
ରାତ୍ରେ ଆଣିଲୁ ଘୋରବନେ । ଆମ୍ଭଙ୍କୁ ତେଜିଲୁ କେସନେ ॥୬୫
ଏଡ଼େ ନିର୍ଦ୍ଦୟ ତୋ'ଶରୀର । ବିଶ୍ୱାସ ନାଶିଲୁ ଆମ୍ଭର ॥୬୬
ଶୁଣି ତୋ' ଏକାନ୍ତ ବଚନ । ହୃଦୟ ଦହଇ ମଦନ ॥୬୭
ଅଳପ ହାସ୍ୟ ମୁଖ ଦେଖି । ପିଛାଡ଼ି ନ ପାରୁ ଯେ ଆଖି ॥୬୮
ତୋହର ଶ୍ରୀମୁଖ ଅନାଇଁ । ଆମ୍ଭର ମନ ନ ରହଇ ॥୬୯
ଆମ୍ଭ ଆରତ ଖଣ୍ତିବାରେ । ତୋର ଜନମ ଗୋପପୁରେ ॥୭୦
ସୁଫଳ କରଇ ସଂସାର । ଦେହୁ ଖଣ୍ତଇ ତମଘୋର ॥୭୧
ତୋ' ପାଦୁଁ ଆନଗତି ନାହିଁ । ନିରାଶ ନ କର ଗୋସାଇଁ ॥୭୨
ଯେବଣ ପାଦ ଆମ୍ଭେ ଧରି । ସ୍ତନେ ନ ଚାପୁ ଗୋପନାରୀ ॥୭୩
କର୍କଶସ୍ତନ ଯେ ଆମ୍ଭରି । ପ୍ରାସ କରିବ ବୋଲି ଡ଼ରି ॥୭୪
ସେ ବେନିପାଦେ ତୃଣାଙ୍କୁରେ । ଏବେ ଚାଲିଲୁ ବନଘୋରେ ॥୭୫
ନ ପୁଣ କ୍ଷତ ହୋଏ ପାଦ । ମନରେ ଲଭୁଛୁଁ ବିଷାଦ ॥୭୬
ତୋହର ଦାସ ଜଗନ୍ନାଥ । ସେ ପାଦେ ରଖ ଗୋପୀନାଥ ॥୭୭
ବୁଡ଼ିଲି ଘୋର ଭବଜଳେ । ଉଦ୍ଧରି ଥୁଅ ନେଇ କୂଳେ ॥୭୮
ପୁରାଣରସ ଭାଗବତ । କହଇ ଦାସ ଜଗନ୍ନାଥ ॥୭୯
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ରାସକ୍ରୀଡ଼ାୟାଂ ଗୋପୀଗୀତଂ ନାମ ଦ୍ୱାତ୍ରିଂଶୋଽଧ୍ୟାୟଃ ॥
ତ୍ରୟତ୍ରିଂଶ ଅଧ୍ୟାୟ
[ସମ୍ପାଦନା]କହନ୍ତି ଶୁକ ମହାମୁନି । ଶୁଣ ରାଜନ ଚୂଡ଼ାମଣି ॥୧
ଏମନେ ବନେ ଗୋପନାରୀ । କାନ୍ଦନ୍ତି କୃଷ୍ଣନାମ ଧରି ॥୨
ଜୀବନ କୃଷ୍ଣପାଦେ ଦେଇ । ଦିଶ-ଆକାଶ ନ ଦିଶଇ ॥୩
ରୋଦନ ଉଚ୍ଚସ୍ୱରେ ଧ୍ୱନି । କ୍ଷତ ହରିଣୀପ୍ରାୟେ ଜାଣି ॥୪
ଗୋପୀଙ୍କ ରୋଦନ ଶବଦ । ରାତ୍ରେ କୋକିଳସ୍ୱର ନାଦ ॥୫
ଶୁକ ଝିଙ୍କାରୀ ପକ୍ଷୀକୁଳ । ଶୁଣିଲେ ଗୋପୀଙ୍କ ବିକଳ ॥୬
ପୃଥ୍ୱୀ ସହିତେ ଶୋକ କରି । ଆକାଶ ଦିଗେ ଧ୍ୱନି ପୂରି ॥୭
ଶ୍ରୀହରି ନାମ କୀରିତନ । ରୋଦନ କରି ଅଚେତନ ॥୮
ଭକ୍ତବତ୍ସଳ ଦୟାନିଧି । ଶରଣ ସୋଦର ବାରିଧି ॥୯
ଭକତଜନ ମୋକ୍ଷପାଳ । ଶୁଣିଲେ ଗୋପୀଙ୍କ ବିକଳ ॥୧୦
ଭାବକୁ ନିକଟ ମୁରାରି । ଗର୍ବ ଯେ କଲେ ଗୋପନାରୀ ॥୧୧
ବନେ ଅନେକ ଦୁଃଖ ଦେଇ । ତୋଷ ହୋଇଲେ ଭାବଗ୍ରାହୀ ॥୧୨
ଯେସନେ ଜଳଦେ ବିଜୁଳି । ଗୋପୀଙ୍କ ମଧ୍ୟେ ଯାଇ ମିଳି ॥୧୩
ନୀଳ ଶରୀର ପୀତବାସ । ମୁଖପଙ୍କଜେ ମନ୍ଦହାସ ॥୧୪
କଣ୍ଠେ ଲମ୍ବଇ ବନମାଳ । ସୁନ୍ଦର ମଦନଗୋପାଳ ॥୧୫
ଭୁଜ ବିସ୍ତାରି ନରହରି । ଡ଼ାକନ୍ତି ଆସ ଗୋପନାରୀ ॥୧୬
ଗୋପୀ ଚାହିଁଲେ ତାହା ଶୁଣି । ମଧ୍ୟେ ବିଜୟ ଚକ୍ରପାଣି ॥୧୭
ଜୀବନ ପାଇଲେ ସକଳେ । ଗୋପୀ ଉଠିଲେ ଏକାବେଳେ ॥୧୮
ପତଙ୍ଗଅନଳକୁ ଚାହିଁ । ଯେହ୍ନେ ପଡ଼ନ୍ତି ବେଗେ ଧାଇଁ ॥୧୯
ବହନ ବେଢ଼ିଲେ ମୁରାରି । ଧନ୍ୟଜୀବନ ବ୍ରଜନାରୀ ॥୨୦
ପରମଆତ୍ମା ପୁରୁଷକୁ । ପାଇଣ ଦମ୍ଭ କଲେ ବୁକୁ ॥୨୧
ଅଙ୍ଗୁଳି ଛନ୍ଦନ୍ତି କେ କରେ । ଚରଣ ଭିଡ଼ନ୍ତି ନିର୍ଭରେ ॥୨୨
କେ ବାହୁମୂଳେ କୋଳ କଲା । କେ ପାଦ ଅଙ୍ଗୁଳି ଧଇଲା ॥୨୩
କେ ପିଠି କୋଳକରି ରହି । କେ ଜାନୁ ଧଇଲାକ ଯାଇ ॥୨୪
କେ ମୁଖେ ମୁଖଭରି ଚାହେଁ । କେ ସ୍ତମ୍ଭ ପ୍ରାୟେ ହୋଇ ରହେ ॥୨୫
କେ ଗୋପୀ ନୟନ ଆକର୍ଷି । କଟାକ୍ଷ ଭାବେ ଦରହାସି ॥୨୬
ବେଢ଼ି ଧଇଲେ ନାରାୟଣ । ବିଚିତ୍ର ଭଙ୍ଗିମା କରିଣ ॥୨୭
ପଣତେ ବାନ୍ଧି ବନମାଳୀ । ଆନନ୍ଦେ ଦେଲେ ହୁଳହୁଳି ॥୨୮
କେ କୁଚ ପରେ ଆଲିଙ୍ଗନ । କେ ମୁଖେ ଦିଅନ୍ତି ଚୁମ୍ବନ ॥୨୯
କେ ଗୋପୀ ଅଧରେ ଅଧର । ତାମ୍ବୁଳ କରନ୍ତି ଆହାର ॥୩୦
କେ ବେନିହସ୍ତେ ପାଦ ଧରି । ସ୍ତନେ ଚାପଇ ଗୋପନାରୀ ॥୩୧
କେ ଗୋପୀ ହୃଦେ ହସ୍ତ ଦେଇ । କଟାକ୍ଷ-ନୟନେ ଅନାଇଁ ॥୩୨
କେ ଦୂରୁଁ ଚାହେଁ କୋପକରି । ସୁରଙ୍ଗ ଅଧର କାମୋଡ଼ି ॥୩୩
କେ ଯାଇ ନ ପାରେ ଗହଳେ । ଧୀରେ ଚାହଁଇ ବେନିଡ଼ୋଳେ ॥୩୪
ଚକ୍ଷୁ ବୁଜିଣ ରସଭରେ । ଗୋବିନ୍ଦେ ଦେଖିଲା ଭିତରେ ॥୩୫
ଅଣ୍ତାଳି କଲା ଆଲିଙ୍ଗନ । ତାପ ଛାଡ଼ିଲା ଗୋପୀମନ ॥୩୬
କେ ରୂପ ଦେଖି ଚକ୍ଷୁ ବୁଜି । ପୁଲକ କଲା ରୋମରାଜି ॥୩୭
ଆନନ୍ଦମନେ ଧ୍ୟାନ କଲା । ଯୋଗୀଙ୍କ ପ୍ରାୟେ ସେ ରହିଲା ॥୩୮
କୃଷ୍ଣର ଦର୍ଶନେ ଆନନ୍ଦ । ଛାଡ଼ିଲେ ମନୁ ଚିନ୍ତା ଖେଦ ॥୩୯
ବ୍ରହ୍ମସମାଧି ଲଭି ଜନେ । ନିଶ୍ଚଳ ହୋନ୍ତି ଯୋଗଧ୍ୟାନେ ॥୪୦
ତକ୍ଷଣେ ଉଠିଲେ ମୁରାରି । ଆବୋରିଛନ୍ତି ବ୍ରଜନାରୀ ॥୪୧
ଯେସନେ ବ୍ରହ୍ମ ଗୁଣବନ୍ତ । ଅଧିକ ଶୋଭା ଗୋପୀନାଥ ॥୪୨
ଗୋପୀଙ୍କି ଘେନି ବନମାଳୀ । ଯମୁନା ବାଲିକୁଦେ ମିଳି ॥୪୩
କୁନ୍ଦ ମନ୍ଦାର ଫୁଲ ଗନ୍ଧ । ବିକାଶେ ଭ୍ରମର ସମ୍ପଦ ॥୪୪
ଶରଦଚନ୍ଦ୍ର ଯେହ୍ନେ ଝଳି । ନିର୍ମଳ ବିରାଜଇ ବାଲି ॥୪୫
କୃଷ୍ଣର ଦେହବର୍ଣ୍ଣ ଝଳି । ଯେସନେ ବିରାଜେ ବିଜୁଳି ॥୪୬
ପାଇଣ କୃଷ୍ଣ ଅଙ୍ଗସଙ୍ଗ । ତାପ ଛାଡ଼ିଲେ ଗୋପୀଅଙ୍ଗ ॥୪୭
ବ୍ରହ୍ମ ବିଚାରେ ଜ୍ଞାନ ପାଇ । ଯେହ୍ନେ ପଣ୍ତିତ ତୋଷ ହୋଇ ॥୪୮
ପାଲଟି ପାଡ଼ିଲେ ବସନ । କୃଷ୍ଣଙ୍କୁ ବସାଇ ଆସନ ॥୪୯
ବୋଲନ୍ତି ବସ ପ୍ରାଣନାଥ । ବୁଲି ଯେ ଅଛ ଘୋରପଥ ॥୫୦
ବସ୍ତ୍ର ଆସନେ କୃଷ୍ଣ ବସି । ଗୋପୀଙ୍କ ମୁଖ ଚାହିଁ ହସି ॥୫୧
ଯାହାଙ୍କୁ ହୃଦେ ଯୋଗୀଜନେ । ବସାନ୍ତି କଳ୍ପିତ ଆସନେ ॥୫୨
ଦିବ୍ୟ କନକ ସିଂହାସନ । ପାଟପତନି ବିଦ୍ୟମାନ ॥୫୩
ଅମରବୃନ୍ଦ ଏକମେଳେ । ଆସନ କରନ୍ତି ନିରୋଳେ ॥୫୪
ବସାଇ ନ ପାରନ୍ତି ହରି । ଧ୍ୟାନପଥରେ ଅନୁସରି ॥୫୫
ସେ ସ୍ୱାମୀ ପାଲଟା ବସନେ । ପାଡ଼ିଣ କଲେକ ଆସନେ ॥୫୬
ଭାବକୁ ହୋଏ ଏଡ଼େ ବାଇ । ପୂର୍ବେ ପାଲଟାବସ୍ତ୍ର ବହି ॥୫୭
ଗୋପୀଙ୍କ ଭାବ ହୃଦେ ଧରି । ମଧ୍ୟେ ବିଜୟ ନରହରି ॥୫୮
ଅଶେଷ-ବ୍ରହ୍ମାଣ୍ତ-ଠାକୁର । ରୂପେ କି ଦେବା ପଟାନ୍ତର ॥୫୯
କୃଷ୍ଣେ ବସାଇ ଗୋପୀଜନେ । ଚାହାାଁନ୍ତି କଟାକ୍ଷ ନୟନେ ॥୬୦
ହରିର ବେନିଭୁଜ ଧରି । କୋପେ ବୋଲନ୍ତି ଗୋପନାରୀ ॥୬୧
ତୁ ଧୂର୍ତ୍ତ ଚତୁର ନାଗର । ଆମ୍ଭଙ୍କୁ ଛାଡ଼ି ବନଘୋର ॥୬୨
ତୁ ପୁଣି ଯାଉ ଏକା ହୋଇ । ସଖୀ ଗୋଟିଏ ସଙ୍ଗେ ଲଇଁ ॥୬୩
ନିଶାରେ ଛାଡ଼ି ଗଲୁ କେଣେ । ଆମ୍ଭେ ବୁଲିଲୁ ବଣେ ବଣେ ॥୬୪
ଏଡ଼େ ନିଷ୍ଠୁର ତୋ'ର ଦେହୀ । ବିପିନେ ଛାଡ଼ି ଗଲୁ କାହିଁ ॥୬୫
ଆମ୍ଭେ ତ ନୋହୁ ତୋ'ର ରିପୁ । ତୋହର ନାମ ହୃଦେ ଜପୁ ॥୬୬
ଆମ୍ଭଙ୍କୁ ନିର୍ଦ୍ଦୟା ତୋହର । ଏବେ ଜାଣିଲୁ ବେଣୁଧର ॥୬୭
ବିଶ୍ୱାସେ ପୂତନା ପରାଣ । ପିଇ ଯେ ଅଛୁ ନାରାୟଣ ॥୬୮
ଏତେ କହିଣ ଗୋପନାରୀ । ବିମ୍ବଅଧର କରେ ଧରି ॥୬୯
ଶ୍ରୀମୁଖୁଁ କଲେ ମଧୁପାନ । ଆକର୍ଷି ଦେଲେକି ଚୁମ୍ବନ ॥୭୦
ଧନ୍ୟ ଜୀବନ ଗୋପବଧୁ । ଭାବେ ପାଇଲେ ସୁଖସିନ୍ଧୁ ॥୭୦
ସମସ୍ତେ ବେଢ଼ିଣ ବସିଲେ । ବିଚ୍ଛେଦ କଥା ପଚାରିଲେ ॥୭୧
ବୋଲନ୍ତି ଶୁଣ ପ୍ରାଣନାଥ । ଆମ୍ଭେ ଦେଖିଲୁ ବିପରୀତ ॥୭୨
ଭଜନ୍ତା ଜନେ କେ ଭଜଇ । ନ ଭଜିଲେ ବା ଭଜେ କେହି ॥୭୩
ଯେ ଯା'କୁ ଭାବେଣ ଭଜଇ । ସେ ପୁଣି ତାହାକୁ ତେଜଇ ॥୭୪
ଭୋ ନାଥ ତୋହର ପରାୟେ । ଭାବେ ନ ଭଜନ୍ତି ଥୋକାଏ ॥୭୫
ସେ ବେନିକୁଳ ନ ଭଜନ୍ତି । ଭୋ ନାଥ ଫେଡ଼ ମନୁ ଭ୍ରାନ୍ତି ॥୭୬
ଶୁଣି ବୋଲନ୍ତି କୃଷ୍ଣ ହସି । ବରଜଯୁବତୀ ଆଶ୍ୱାସି ॥୭୭
ଶୁଣ ସକଳ ଗୋପନାରୀ । ଯେ ଯାହା ଭାବେ ପ୍ରୀତିକରି ॥୭୮
ଏକ ଆରେକ ଉପକାରେ । ଭଜନ୍ତି ସଂସାର ବେଭାରେ ॥୭୯
ଯହିଁ ସୁହୃଦପଣ ନାହିଁ । ଭାବ ନ ଦେଖିଲେ ଛାଡ଼ଇ ॥୮୦
ଭାବ ନ ଦେଖିଲେ ଭଜଇ । ତାତ ଜନନୀ ପ୍ରାୟ ହୋଇ ॥୮୧
ତାହାକୁ ବୋଲି ବଡ଼ପଣ । ସେ ପାଇ ବିଷ୍ଣୁର ଚରଣ ॥୮୨
ଥୋକେ ଭକତ ନ ଭଜନ୍ତି । ଆତ୍ମବଡ଼ିମା ପ୍ରକାଶନ୍ତି ॥୮୩
ସେ ଗୁରୁଦ୍ରୋହ ଦୋଷ ପାଇ । ଉଭୟ ଲୋକେ ସୁଖ ନାହିଁ ॥୮୪
ଶୁଣ ଗୁଆଳୀ ସାବଧାନେ । ମୋତେଭଜନ୍ତି ଯେତେ ଜନେ ॥୮୫
ତାହାଙ୍କୁ ଭଜୁଥାଇ ମୁହିଁ । ମୁ ତାଙ୍କ ଭକତି ଜାଣଇଁ ॥୮୬
ମୋତେ ଯେ ଭକତି କରନ୍ତି । ନିଶ୍ଚଳ ହୋଏ ତାଙ୍କ ମତି ॥୮୭
ଦରିଦ୍ର ଯେହ୍ନେ ଧନ ପାଇ । ପ୍ରାଣୁ ଅଧିକ ସମ୍ଭାଳଇ ॥୮୮
କାଳେ ହରାଇ ସେହି ଧନ । ବିଷାଦ ହୋଏ ତାର ମନ ॥୮୯
ଭାଳଇ ଧନେ ମନ ଦେଇ । କ୍ଷୁଧା ପିପାସା ନ ଲାଗଇ ॥୯୦
ପୁଣି ପ୍ରାପତ ହୋଏ ଧନ । ଆତ୍ମାରୁ ଅଧିକେ ଯତନ ॥୯୧
ତେମନ୍ତ ହୋଇ ନରଲୋକେ । ଭକତି କରୁଥା'ନ୍ତି ଥୋକେ ॥୯୨
ତୁମ୍ଭେ ତେମନ୍ତ ପ୍ରାୟେ ହୋଇ । ମୋହର ପାଦେ ଚିତ୍ତ ଦେଇ ॥୯୩
ଲୋକ ବେଭାର ବେଦପଥ । ଛାଡ଼ି ଭଜିଲ ଅବିରତ ॥୯୪
ପ୍ରେମେ ବିଳାପ କଲ ଯେତେ । ଶୁଣିଲି ତୁମ୍ଭର ସଙ୍ଗତେ ॥୯୫
ପଛେ ମୁଁ ଥାଇ ତୁମ୍ଭ ତୁଲେ । ଭକତି ଜାଣିଲଇଁ ଭଲେ ॥୯୬
ଗରବ କଲ ତୁମ୍ଭେ ଯାହା । ମନେ ମୁଁ ଜାଣିଲଇଁ ତାହା ॥୯୭
ସେ ଘେନି ହୋଇଲି ଅନ୍ତର । ଗର୍ବଗଞ୍ଜନ-ବାନା ମୋର ॥୯୮
ତୁମ୍ଭର ଗର୍ବ ଗଞ୍ଜିବାରେ । ଅଦୃଶ୍ୟ ହୋଇଲି ଅନ୍ଧାରେ ॥୯୯
ତୁମ୍ଭର ପ୍ରେମଭକ୍ତି ଜାଣି । ଆସି ମିଳିଲି ଏବେ ପୁଣି ॥୧୦୦
ଏ କଥା ମୋର ଭଲପଣ । ତୁମ୍ଭଙ୍କୁ ହୋଇଲା କାରଣ ॥୧୦୧
ଆବର ଗର୍ବ ନ କରିବ । ମୋ' ନାମ ନିରତେ ଭାବିବ ॥୧୦୨
ମୋତେ ନ କର ତୁମ୍ଭେ ରୋଷ । ମୁଁ ତୁମ୍ଭ ପୁରାଇବି ଆଶ ॥୧୦୩
ତୁମ୍ଭର ଭାବ ମୁଁ ଜାଣଇ । ଛନ୍ଦ କୁଟିଳ ମାୟା ନାହିଁ ॥୧୦୪
ଅନେକ କାଳେହେଁ ତୁମ୍ଭର । ଶୁଝି ନ ପାରେ ଉପକାର ॥୧୦୫
ମୋହର ମାୟାର ଶାଙ୍କୋଳି । ଭାବେ କାଟିଲ ଗୋବାଳୀ ॥୧୦୬
ତୁମ୍ଭର ଜନ୍ମ ବନ୍ଧ ନାହିଁ । ମୋତେ କିଣିଲ ଭାବ ଦେଇ ॥୧୦୭
ମୋ'ର ଭକତି ଯେ ଲୋଡ଼ନ୍ତି । ସେ ମୋ'ର ପଥ ଆବୋରନ୍ତି ॥୧୦୮
ମୁହିଁ ଠାକୁର ତାହାଙ୍କର । ସୁଜନଜନଙ୍କ ବେଭାର ॥୧୦୯
କହଇ ଦାସ ଜଗନ୍ନାଥ । ମୁଁ କୃଷ୍ଣ ସେବକର ଭୃତ୍ୟ ॥୧୧୦
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ରାସକ୍ରୀଡ଼ାୟାଂ ଗୋପୀସାନ୍ତ୍ୱନଂ ନାମ ତ୍ରୟତ୍ରିଂଶୋଽଧ୍ୟାୟଃ ॥
ଚତୁସ୍ତ୍ରିଂଶ ଅଧ୍ୟାୟ
[ସମ୍ପାଦନା]କହନ୍ତି ବ୍ୟାସଙ୍କ ତନୁଜ । ଶୁଣ ପରୀକ୍ଷ ମହାରାଜ ॥୧
- ଶୁକ ଉବାଚ
ଗୋପୀଏ କୃଷ୍ଣ ବୋଲ ଶୁଣି । ଚିନ୍ତା ଛାଡିଲେ ମନେ ଗୁଣି ॥୨
ସେ ବାଲିକୁଦେ ହୃଷୀକେଶ । ଆରମ୍ଭ କଲେ କେଳିରସ ॥୩
ରାସଉତ୍ସବେ ବ୍ରଜନାରୀ । ଏକର କର ଆରେ ଧରି ॥୪
ଅନନ୍ତ ମାୟାଯୋଗ କରି । ଷୋଳସହସ୍ର ରୂପ ଧରି ॥୫
ଗୋପୀ କେ ଗୋବିନ୍ଦ ଗୋଟିଏ । ସ୍ୱର୍ଗେ ଦେଖନ୍ତି ଦେବତାଏ ॥୬
କେ କଣ୍ଠତଟେ ଭିଡ଼ି ତୋଷେ । ଚୁମ୍ବନ ଦିଅନ୍ତି ହରଷେ ॥୭
କୃଷ୍ଣର ଦେଖି କ୍ରୀଡ଼ାରସ । ତ୍ରିଦଶେ ହୋଇଲେ ହରଷ ॥୮
ଗନ୍ଧର୍ବ ଯକ୍ଷ ଅପସରୀ । ବିମାନେ ଗଗନେ ସଞ୍ଚରି ॥୯
ଦେଖନ୍ତି ଗୋବିନ୍ଦର କେଳି । ସପତ-ସ୍ୱର୍ଗଲୋକେ ମିଳି ॥୧୦
ଦୁନ୍ଦୁଭିନାଦ ଗୀତସ୍ୱରେ । କୁସୁମ ବରଷନ୍ତି ଶିରେ ॥୧୧
ଗନ୍ଧର୍ବେ ଅପସରୀ ମେଳେ । ନୃତ୍ୟ କରନ୍ତି ରସଭୋଳେ ॥୧୨
ହରି-ବିନୋଦେ ବ୍ରଜନାରୀ । ଆନନ୍ଦେ ବୃନ୍ଦାବନେ ପୁରି ॥୧୩
ଅମରେ ସ୍ୱଦାରା ସହିତେ । ବିମାନେ ବସି ଶୂନ୍ୟପଥେ ॥୧୪
ଦେଖନ୍ତି ଗୋବିନ୍ଦର ନୃତ୍ୟ । ସମସ୍ତେ ହୋଇ ମୋହଗତ ॥୧୫
ଗୋପୀଙ୍କ ଢ଼ଳିବାର ଗତି । ଅଙ୍ଗଭଙ୍ଗିମା ଝଲକନ୍ତି ॥୧୬
ବଳୟ ନୂପୁର ଶବଦେ । କିଙ୍କିଣି ତାଳ ଗୀତନାଦେ ॥୧୭
କେହି ନ ଶୁଣନ୍ତି ଗହଳେ । କୃଷ୍ଣର ମାୟାଯୋଗ ବଳେ ॥୧୮
ନୀଳପର୍ବତ ମଧ୍ୟେ ହରି । ଯେସନେ ସୁବର୍ଣ୍ଣପାଚେରୀ ॥୧୯
ଗୋପୀଙ୍କ ମଧ୍ୟେ ଶିରୀରଙ୍ଗ । ସୁନ୍ଦର କୋଟିଏ ଅନଙ୍ଗ ॥୨୦
ନୃତ୍ୟ କରନ୍ତି ଗୋପନାରୀ । ଗୀତେ ମୋହିଲେ ନରହରି ॥୨୧
ବେନି ଯୁବତୀ କନ୍ଧେ କର । ଦେଇଣ ଉଭା ଚକ୍ରଧର ॥୨୨
ଏ ବିଧି ସବୁ ନାରୀ କନ୍ଧେ । ଭୁଜଯୁଗଳ ଦେଇ ଛନ୍ଦେ ॥୨୩
ଯେହ୍ନେ କନକକଣ୍ଠି ବେନି । ମଧ୍ୟରେ ଶୋହେ ନୀଳମଣି ॥୨୪
ହୋଇଣ ଅନେକ ପୀରତି । ମଣ୍ତଳ ଆକାର ଯୁବତୀ ॥୨୫
ପାଦ ଚାଳନ୍ତି ଅଙ୍ଗଭଙ୍ଗେ । ଭ୍ରୁକୁଟି କୁଟିଳ ଅପାଙ୍ଗେ ॥୨୬
କୁଚମଣ୍ତଳୁ ବସ୍ତ୍ର ଚଳି । ନାଚନ୍ତି ଦେଇ କରତାଳି ॥୨୭
ମୁଖେ ଶୋହଇ ଶ୍ରମଝାଳ । କବରୀ ଖସି ଫୁଲମାଳ ॥୨୮
ବସ୍ତ୍ର ପଡ଼ଇ ଫିଟି ତଳେ । କଟୀମେଖଳା ଅସମ୍ଭାଳେ ॥୨୯
ବିଜୁଳି ଯେହ୍ନେ ନୀଳମେଘେ । ଦିଶନ୍ତି ଗୋବିନ୍ଦର ଲାଗେ ॥୩୦
ଗୋପୀଏ ମିଳି ନୃତ୍ୟରସେ । ଗାବନ୍ତି ଗୀତ ମନତୋଷେ ॥୩୧
ଅତି ସୁସ୍ୱରେ କଲେ ଗାନ । ଶବଦେ ପୂରିଲା ଗଗନ ॥୩୨
ଏକ ଗୋପିକା କୃଷ୍ଣ ସଙ୍ଗେ । ଆଳାପ କଲା ଗୀତରାଗେ ॥୩୩
ଷଡ଼ଜ ଆଦି ପଞ୍ଚସ୍ୱର । ମୋହିଲା କମଳାର ବର ॥୩୪
ସେ ନାଦ ଘେନି ଆର ଗୋପୀ । ଆଳାପ କଲାକ ନିରୋପି ॥୩୫
ଧ୍ରୁବତାଳରେ ବିଶ୍ରାମିଲା । ଶୁଣି ହସନ୍ତି ନନ୍ଦବଳା ॥୩୬
କେ ଶ୍ରମେ କୃଷ୍ଣ ପାଶେ ଥାଇ । ଭୁଜେ ଆଲିଙ୍ଗନ କରଇ ॥୩୭
କୃଷ୍ଣର କନ୍ଧେ ଦେଇ ହସ୍ତ । ଶିଥିଳ ହେଲା ଝୀନବସ୍ତ୍ର ॥୩୮
କବରୀ ଫିଟି ଫୁଲମାଳେ । ଅବନୀ ପଡ଼ିଲେ ଗହଳେ ॥୩୯
ଶ୍ରୀକୃଷ୍ଣ ଭୁଜ ଧରି ଗୋପୀ । ଆଘ୍ରାଣ କଲା ଶ୍ୱାସ କ୍ଷେପି ॥୪୦
ଚନ୍ଦନେ ସାମଳିଲା ହୋଇ । ଉତ୍ପଳ ପ୍ରାୟେକ ବାସଇ ॥୪୧
ଆଘ୍ରାଣ କରି ନାସା ଦ୍ୱାରେ । ରୋମାଞ୍ଚ ହୋଇଲା ଶରୀରେ ॥୪୨
କେ ଗୋପୀ ନାଟଶ୍ରମ ପାଇ । ଗୋବିନ୍ଦ କର୍ଣ୍ଣମୂଳେ ଯାଇ ॥୪୩
କୁଣ୍ତଳ ତଳେ ମୁଖ ଦେଲା । ଚୁମ୍ବନ୍ତେ ତାମ୍ବୁଳ ପାଇଲା ॥୪୪
କେ ଭୁଜ ଧରି କୁଚେ ଚାପି । କେ ମୁଖେ ଚାହାଁନ୍ତି ନିରୋପି ॥୪୫
କଟିମେଖଳା କ୍ଷୁଦ୍ରଘଣ୍ଟି । ଶବଦ କରି ନୃତ୍ୟେ ଫୁଟି ॥୪୬
ଗୋବିନ୍ଦ କର ଦେଇ ଶିରେ । ଶ୍ରମ ଛାଡ଼ିଲେ ସୁଖଭରେ ॥୪୭
କୃଷ୍ଣଙ୍କୁ କାନ୍ତପଣେ ପାଇ । ଗୋପୀ ରମିଲେ ତୋଷ ହୋଇ ॥୪୮
ହରିର କଣ୍ଠେ ଭୁଜ ଦେଇ । ତୋଷେ ରମିଲେ ଗୀତ ଗାଇ ॥୪୯
ନୀଳ ଉତ୍ପଳ ଗୋପୀ କର୍ଣ୍ଣେ । ଅଳକେ ଶୋହେ ଝାଳ ଶ୍ରମେ ॥୫୦
ବଳୟ ନୂପୁର ଶବଦେ । ଗୋବିନ୍ଦ ନାଚନ୍ତି ଆନନ୍ଦେ ॥୫୧
ଭ୍ରମିଣ ରଙ୍ଗେ ନୃତ୍ୟକରି । ରାସ ଉତ୍ସବେ ବ୍ରଜନାରୀ ॥୫୨
କବରୀ ଫିଟି ଫୁଲମାଳ । କଟିମେଖଳା ଅସମ୍ଭାଳ ॥୫୩
ଏମନ୍ତେ ନାନାରସ ବନ୍ଧେ । ଗୋବିନ୍ଦ ରମନ୍ତି ଆନନ୍ଦେ ॥୫୪
କୁବେର ଯେହ୍ନେ ଗିରିଶିଖେ । କିନ୍ନରୀ ରମେ ଆତ୍ମା ସୁଖେ ॥୫୫
ବାଳକ ନିଜ ବିମ୍ବ ଦେଖି । ଖେଳଇ ଯେହ୍ନେ ହୋଇ ସୁଖୀ ॥୫୬
କୃଷ୍ଣର ଅଙ୍ଗସଙ୍ଗ ଲାଗି । ଗୋପୀ ହୋଇଲେ ଶ୍ରମଭାଗୀ ॥୫୭
କେଶ ବସନ ସ୍ତନବାସ । ଖସିଲେ ଭୂଷଣ ଅଶେଷ ॥୫୮
କୃଷ୍ଣର କ୍ରୀଡ଼ାରସ ଦେଖି । ତ୍ରିଦଶବଧୂଜନେ ସୁଖୀ ॥୫୯
ନକ୍ଷତ୍ରଗଣ ଚନ୍ଦ୍ର ସଙ୍ଗେ । ସକଳେ ପୀଡ଼ିଲେ ଅନଙ୍ଗେ ॥୬୦
ଗୋପୀକେ କୃଷ୍ଣରୂପ ହୋଇ । ଲୀଳାବିନୋଦେ ଭାବଗ୍ରାହୀ ॥୬୧
ଯାହାର ନାହିଁ ରୂପରେଖ । ଗୋପୀଙ୍କି ଦେଲେ ଆତ୍ମା ସୁଖ ॥୬୨
ଗୋପୀଙ୍କ ମୁଖେ ଘର୍ମ ଚାହିଁ । କରେ ପୋଛନ୍ତି ଭାବଗ୍ରାହୀ ॥୬୩
ଯେ ଯାହା ଅଳଙ୍କାର ଭରି । ଗୋପୀ ଚାହାନ୍ତି ନରହରି ॥୬୪
କୃଷ୍ଣ ନଖକ୍ଷତ ପାଇଁ । ଆନନ୍ଦେ ପୁଲକିତ ହୋଇ ॥୬୫
କୃଷ୍ଣର କର୍ମଗୁଣ ମୁଖେ । କହନ୍ତି ଏକକୁ ଆରକେ ॥୬୬
ବ୍ରଜକାମିନୀ ଘେନି ସଙ୍ଗେ । ସ୍ତନକୁଙ୍କୁମ କୃଷ୍ଣ ଅଙ୍ଗେ ॥୬୭
ବ୍ରହ୍ମଯାମିନୀ ଅବଶେଷ । ସମୟ ଜାଣି ହୃଷିକେଶ ॥୬୮
ଜଳକ୍ରୀଡ଼ାକୁ ମନ କରି । ଗୋପୀଙ୍କି ଘେନି ବନମାଳୀ ॥୬୯
ପଶିଲେ କାଳିନ୍ଦୀ ଭିତରେ । ଶ୍ରମ-ଆରତ ଖଣ୍ତିବାରେ ॥୭୦
କରିଣୀଯୂଥେ ଗଜ ଯେହ୍ନେ । ଗୋପୀଙ୍କ ଶ୍ରମ ଜାଣି ମନେ ॥୭୧
ଗୋବିନ୍ଦ ଦେହେ ଗୋପନାରୀ । ଜଳ ସିଞ୍ଚନ୍ତି କରେ ଧରି ॥୭୨
କଟାକ୍ଷେ ଚାହାଁନ୍ତି ଶ୍ରୀମୁଖ । ଖଣ୍ତିଲେ କୋଟିଜନ୍ମ ଦୁଃଖ ॥୭୩
ବିମାନେ ଥାଇ ଦେବନାରୀ । ପୁଷ୍ପ ବରଷି ସ୍ତୁତି କରି ॥୭୪
ଗଜେନ୍ଦ୍ର ପ୍ରାୟ ରଙ୍ଗମେଳେ । ଲୀଳା ବିନୋଦେ ନଦୀଜଳେ ॥୭୫
ଚନ୍ଦ୍ର କିରଣେ ବନଭୂମି । ସୁନ୍ଦର ପ୍ରକାଶେ ଯାମିନୀ ॥୭୬
ବ୍ରଜଅବଳା ଘେନି ସଙ୍ଗେ । କୃଷ୍ଣ କ୍ରୀଡ଼ନ୍ତି ସୁଖରଙ୍ଗେ ॥୭୭
ଯାହାର ନାହିଁ ରସଚ୍ୟୁତ । ଅଚ୍ୟୁତ ନାମ ତେଣୁ ଖ୍ୟାତ ॥୭୮
ଶୁଣି ଅଭିମନ୍ୟୁନନ୍ଦନ । ଚାହିଁଲେ ଶୁକଙ୍କ ବଦନ ॥୭୯
ସଭୟେ କହଇ ମଧୁର । ଚରଣେ ଦେଇ ବେନିକର ॥୮୦
- ପରୀକ୍ଷିତ ଉବାଚ
ଭୋ ମୁନି ଅସମ୍ଭବ ବାଣୀ । ସଂଶୟ ଲାଗିଲା ତ ଶୁଣି ॥୮୧
ମନୁଷ୍ୟ ଅଂଶେ ଜାତ ହୋଇ । ଅଖିଳ-ବ୍ରହ୍ମାଣ୍ତ-ଗୋସାଇଁ ॥୮୨
ଅଧର୍ମ ନାଶିବାର ଆଶେ । ଜାତ ହୋଇଲେ ଯଦୁବଂଶେ ॥୮୩
ଧର୍ମପାଳନ ନରହରି । ସେ କିପାଁ ଅଧର୍ମ ଆଚରି ॥୮୪
ଜଗତଜନ ଗୁରୁ ପିତା । ନୀତି ଅନୀତି ଅଧିଷ୍ଠାତା ॥୮୫
ଯା' ନାମ ମୁକତିପସରା । ସେ କିପାଁ କଲେ ପରଦାରା ॥୮୬
ମହାନିଶାରେ ଜଳେ ପଶି । କ୍ରୀଡ଼ା କଲେକ ବ୍ରହ୍ମରାଶି ॥୮୭
ବେଦ-ବିରୋଧୀ କର୍ମ କରି । ନିଷେଧବନ୍ଧ ପରିହରି ॥୮୮
ସଂସାରେ ନୁହିଁଇ ଏ ଭଲ । କର୍ମକାଣ୍ତକୁ ଯେହୁ ସଲ ॥୮୯
ଈଶ୍ୱର ହୋଇ ହୀନକର୍ମ । କିପାଁ ଛାଡ଼ିଲେ ନିଜ ଧର୍ମ ॥୯୦
ନିଜ ମହିମା ଆତ୍ମାରତ । ସେ କିମ୍ବା କଲେ ବିପରୀତ ॥୯୧
କି ଅଭିପ୍ରାୟ ନ ଜାଣଇ । ସଂଶୟ ଛେଦ ମୋ ଗୋସାଇଁ ॥୯୨
ରାଜା ବଦନ ଚାହିଁ ମୁନି । କହନ୍ତି କୃଷ୍ଣ ଭାବ ଘେନି ॥୯୩
- ଶୁକ ଉବାଚ
ଶୁଣ ରାଜନ ଭାଗବତ । ଏ ବଡ଼ଲୋକଙ୍କର ମତ ॥୯୪
ଏହାଙ୍କ କର୍ମ ବିପରୀତ । ଯେଣୁ ଏ ତେଜେ ବଳବନ୍ତ ॥୯୫
ତେଣୁଟି ଦୋଷଗୁଣ ନାହିଁ । ଅଗ୍ନି ଯେସନେ ସର୍ବ ଦହି ॥୯୬
ସତ୍ୟପୁରୁଷ ଆତ୍ମାରତ । ଆବୋରି ଅଛଇ ଜଗତ ॥୯୭
ତୁ ଅବା ବେଦକର୍ମ କହୁ । ବେଦପାଦରୁ ଜନ୍ମ ଯେହୁ ॥୯୮
ତେଣୁ ସେ ନମାନନ୍ତି ତାହା । ଖଟାନ୍ତି ପରିଚାରେ ଯାହା ॥୯୯
ଏହାଙ୍କ ମତ ଯେ ଆଚରି । ମନବଚନେ ଦେହ ଧରି ॥୧୦୦
ତୁ ଅବା ବୋଲୁ ମହିଲୋକେ । ଏକଥା କରିବେଟି ଥୋକେ ॥୧୦୧
ବଡ଼ର କର୍ମ ଅନୁସରି । ସାନ କି ତାହା କରିପାରି ॥୧୦୨
ଯେବେ କରିବେ ମୂଢ଼ପଣେ । ନାଶ ହୋଇବେ ତତ୍କ୍ଷଣ ॥୧୦୩
ଜଳଧିମନ୍ଥନର ବିଷ । ରୁଦ୍ରହୁଁ ଆନେ ନାହିଁ ଗ୍ରାସ ॥୧୦୪
କୃଷ୍ଣ ଯେ ଧଇଲେ ମନ୍ଦର । ଦ୍ୱାଦଶଯୁଣ ଗିରିବର ॥୧୦୫
ଆନର ଶକ୍ୟ ନୋହେ କରି । ଅଙ୍ଗୁଳି ଅଗ୍ରେ ଗିରି ଧରି ॥୧୦୬
ଏହାଙ୍କ ବଚନ ହିଁ ସତ୍ୟ । ଆନ ନ କରନ୍ତି ଏମନ୍ତ ॥୧୦୭
ଯେ ବୁଦ୍ଧିମନ୍ତ ସାଧୁ ଧୀର । ସେ ନ କରିବେ ଏ ବେଭାର ॥୧୦୮
ଈଶ୍ୱର ଆଦିଙ୍କର ମତ । ଅଳପଜନେ ବିପରୀତ ॥୧୦୯
ପଶୁ-ମନୁଷ୍ୟ-ଦେବଙ୍କର । ଈଶ୍ୱରଙ୍କର ସେ ଈଶ୍ୱର ॥୧୧୦
ଯାହାର ଦେହବୁଦ୍ଧି ନାହିଁ । ଶୁଭ-ଅଶୁଭ ତାର କାହିଁ ॥୧୧୧
ଯାହାର ପାଦପଦ୍ମ ଧୂଳି । ଆନନ୍ଦ ହୋଇ ଶିରେ ବୋଳି ॥୧୧୨
ନିଶ୍ଚଳ ଯୋଗେ ଶ୍ରମ କରି । କର୍ମ ନାଶନ୍ତି ବ୍ରହ୍ମଚାରୀ ॥୧୧୩
ଯାହାର ପଦ୍ମପାଦ ବାରି । ଆନନ୍ଦେ ଶିବ ଶିରେ ଧରି ॥୧୧୪
ତାହାର ଜନ୍ମବନ୍ଧ ନାହିଁ । ଇଚ୍ଛା ସମ୍ପଦ ଯା'ର ଦେହୀ ॥୧୧୫
ଗୋପୀ ଗୋପାଳ ଆଦିକରି । ଜନ୍ତୁ ଜୀବନ ଯେ ଆବୋରି ॥୧୧୬
ଜଗତଜନ ତାରିବାରେ । ଯେ ଜାତ ମନୁଷ୍ୟ ଶରୀରେ ॥୧୧୭
ତା'ର ଚରିତ ମନେ ଚିନ୍ତି । ଭକତିପଥ ଆବୋରନ୍ତି ॥୧୧୮
ଗୋପେ ଗୋବିନ୍ଦ ମାୟା ମୋହି । କୋପ ନ କଲେ ଗୋପୀ ଚାହିଁ ॥୧୧୯
ପାଶେ ଥିବାର ପ୍ରାୟେ ମଣି । ଗୋପାଳେ ଦେଖନ୍ତି ତରୁଣୀ ॥୧୨୦
ପୂର୍ବହୁଁ ଅଧିକ ସେନେହ । ଯୁବତୀଜନେ ନାହିଁ କୋହ ॥୧୨୧
ଶୁଣ ରାଜନ କୃଷ୍ଣରସ । ବ୍ରହ୍ମଯାମିନୀ ହେଲା ଶେଷ ॥୧୨୨
ଏମନ୍ତେ ରଜନୀ ପାହିଲା । ଗଗନେ ଅରୁଣ ଦିଶିଲା ॥୧୨୩
କୃଷ୍ଣର ଅଙ୍ଗସଙ୍ଗ ପାଇ । ଗୋପୀଏ ଗଲେ ତୋଷ ହୋଇ ॥୧୨୪
କୃଷ୍ଣ ଚରଣେ ଦେଇ ମନ । ମିଳିଲେ ଯେ ଯାହା ଭୁବନ ॥୧୨୫
ଗୋପୀ ଗୋବିନ୍ଦ କେଳିବନ । ଏଣେ ଯେ ହୋନ୍ତି ସାବଧାନ ॥୧୨୬
ଭକତି ହୃଦେ ପରିମାଣି । ଏଣେ ଭେଟିବେ ଚକ୍ରପାଣି ॥୧୨୭
ସକଳ ଦୁରିତରୁ ତରେ । ସେ ନ ପଡ଼ଇ ମାୟା ଘୋରେ ॥୧୨୮
ବୋଲଇ ଦାସ ଜଗନ୍ନାଥ । ରାସଉତ୍ସବ ଭାଗବତ ॥୧୨୯
ସୁଜନଜନେ ଏହା ଚିନ୍ତି । ଏଣେ ଛାଡ଼ିବ ମନଭ୍ରାନ୍ତି ॥୧୩୦
ଭକତି ହୋଇବ ତୁମ୍ଭର । ହେଳେ ତରିବ ମାୟାଘୋର ॥୧୩୧
ମୁଁ ଛାର ହୀନ ମୂଢ଼ପଣେ । ସେବଇ ତୁମ୍ଭର ଚରଣେ ॥୧୩୨
ମୋହର ନ ଘେନିବା ଦୋଷ । ଗୀତେ କହିଲି କୃଷ୍ଣରସ ॥୧୩୩
ପୁରାଣ କଲି ଗୀତରସ । ଯାହା ବୋଇଲେ ପୀତବାସ ॥୧୩୪
କେ ତାହା କରିବଟି ଆନ । ସବୁରି ପ୍ରଭୁ ଭଗବାନ ॥୧୩୫
ଯହୁଁ ମୁଁ ହରିସେବା କଲି । ଭାବେଣ ତୃପତ ନୋହିଲି ॥୧୩୬
ଆଜ୍ଞା ମାଗିଲି ପାଦେ ପଡ଼ି । ଧ୍ୟାନ ଧାରଣା କର୍ମ ଛାଡ଼ି ॥୧୩୭
ମୋ ମନ ହୋଇଲା ପ୍ରସନ୍ନ । ଆଜ୍ଞା ଯେ ଦେଲେ ଭଗବାନ ॥୧୩୮
ପୁରାଣ ଦେଶଭାଷା ଗୀତ । ରଚିବୁ ଶିରୀଭାଗବତ ॥୧୩୯
ତୋହର ହୃଦେ ଆମ୍ଭେ ଥାଇ । ପଦକୁ ପଦ ଦେବୁ କହି ॥୧୪୦
ଅଠର ସହସ୍ର ଶୋଳକ । ଟୀକା ବଖାଣ ଏକୁ ଏକ ॥୧୪୧
ପୂର୍ବେ ପରୀକ୍ଷିତ ଆଗର । କହିଲେ ଶୁକ ମୁନିବର ॥୧୪୨
ତାହା ପ୍ରକାଶ ମଞ୍ଚେ କର । ଆଜ୍ଞା ସେ ଦେଲେ ଦାମୋଦର ॥୧୪୩
ତେଣୁ ମୁଁ ଏ ଗ୍ରନ୍ଥରେ ପଶି । ଗୀତ ପ୍ରବନ୍ଧରସେ ରସି ॥୧୪୪
ସୁଜନେ ଶୁଣ ଏକ ଚିତ୍ତେ । ହରିଙ୍କି ଭଜ ଅନୁବ୍ରତେ ॥୧୪୫
ପୁରାଣ ଶିରୀଭାଗବତ । ବେଦର ମଧ୍ୟେ ସାରସ୍ୱତ ॥୧୪୬
ଶୁକ କହିଲେ ଯେଉଁ କଥା । ଶୁଣିଲେ ଛାଡ଼େ ଭାବବ୍ୟଥା ॥୧୪୭
ଶ୍ରୀକୃଷ୍ଣ ଗୋପକ୍ରୀଡ଼ା ରସ । କହଇ ଜଗନ୍ନାଥ ଦାସ ॥୧୪୮
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ରାସକ୍ରୀଡ଼ା ବର୍ଣ୍ଣନଂ ନାମ ଚତୁଃତ୍ରିଂଶୋଽଧ୍ୟାୟଃ ॥
ପଞ୍ଚତ୍ରିଂଶ ଅଧ୍ୟାୟ
[ସମ୍ପାଦନା]- ଶୁକ ଉବାଚ
କହନ୍ତି ଶୁକ ପୁଣ୍ୟକର୍ମା । ଶୁଣ ହୋ ଶ୍ରୀକୃଷ୍ଣ ମହିମା ॥୧
ଦିନେକ ନନ୍ଦ ଆଦି ଲୋକେ । ତୀର୍ଥ ଉତ୍ସବ କଉତୁକେ ॥୨
ଅମ୍ବିକାପୂଜାର ବିଧାନେ । ଗୋପୀଗୋପାଳ ତୋଷମନେ ॥୩
ଶକଟେ ନାନାଦ୍ରବ୍ୟ ଭରି । ଗୋପୁଁ ବାହାର ନରନାରୀ ॥୪
କାନନେ ମିଳିଲେ ସକଳେ । ନିର୍ମଳ ସରସ୍ୱତୀ କୂଳେ ॥୫
ଗୋପାଳେ ନିତ୍ୟକର୍ମ ସାରି । ପୁଜିଲେ ଶଙ୍କର ଗଉରୀ ॥୬
ବିବିଧ ଦ୍ରବ୍ୟ ଉପହାରେ । ତୋଷିଲେ ଭବାନୀଶଙ୍କରେ ॥୭
ଗୋରୁ କାଞ୍ଚନ ମିଷ୍ଟଅନ୍ନ । ଶିବ ସନ୍ତୋଷେ ଦେଲେ ଦାନ ॥୮
ବୋଲନ୍ତି ଦେବ ତ୍ରିଲୋଚନ । ଆମ୍ଭରେ ହୋଇବା ପ୍ରସନ୍ନ ॥୯
ସୁଲଭ ଲତା ତୃଣ ଜଳ । ଯେମନ୍ତେ ଗୋରୁ ଦ୍ୟନ୍ତି କ୍ଷୀର ॥୧୦
ସର୍ବବିପଦ ବିଘ୍ନନାଶ । ଭୋ ଦେବଦେବ ବିଶ୍ୱବାସ ॥୧୧
ଏମନ୍ତ ବୋଲି ସ୍ତୁତି କଲେ । ହର-ଚଣ୍ତିଙ୍କି ଆରାଧିଲେ ॥୧୨
ଆନନ୍ଦେ ବଞ୍ଚିଲେ ଦିବସ । ନୃତ୍ୟଖଟଣି ଗୀତରସ ॥୧୩
ବ୍ରତ ଆଚରି ଶୁଚିମନ୍ତେ । ସେବନେ ଶୋଇଲେ ନିଶ୍ଚିନ୍ତେ ॥୧୪
ନନ୍ଦ ସୁନନ୍ଦ ଆଦିକରି । ଗୋପର ଯେତେ ନରନାରୀ ॥୧୫
ରଜନୀ ଘୋର ଅନ୍ଧକାର । ଯଶୋଦା କୋଳେ ଦାମୋଦର ॥୧୬
ଘୋର ଗହନ ଅର୍ଦ୍ଧନିଶି । ସର୍ପେ ମିଳିଲା ତହିଁ ଆସି ॥୧୭
କେହି ନଦେଖିଲେ ନୟନେ । ମିଳିଲା ନନ୍ଦର ଶୟନେ ॥୧୮
ମୁଖ ବିସ୍ତାରି ମହାକାୟେ । କୋପେ ଗିଳିଲା କଣ୍ଠଯାଏ ॥୧୯
ସର୍ପଉଦରେ ଥାଇ ନନ୍ଦ । ବିକଳେ ଡ଼ାକଇ ଗୋବିନ୍ଦ ॥୨୦
ହେ କୃଷ୍ଣ ସର୍ପ ବଳୀୟାର । ଗିଳିଲା ମୋହର ଶରୀର ॥୨୧
ବହନ ଆସ ବେନିଭାଇ । ପିତା ତୁମ୍ଭର ନାଶ ଯାଇ ॥୨୨
ନନ୍ଦର ଦେଖିଣ ବିକଳ । ଗୋପାଳେ ପାଡ଼ନ୍ତି ଚହଳ ॥୨୩
ଉଠି ଧାଇଁଲେ ଧାତିକାରେ । କାଷ୍ଠ-ପାଷାଣ ଘେନି କରେ ॥୨୪
ସର୍ପ ଉପରେ ନେଇ ପିଟି । ନନ୍ଦ ଶରୀରେ ଅଛି ଘୋଟି ॥୨୫
କୃଷ୍ଣ ଧାଇଁଲେ ତାହା ଶୁଣି । ନିଦ୍ରା ଉପେକ୍ଷି ସେହିକ୍ଷଣି ॥୨୬
ସର୍ପକୁ ଦେଖି କୋପଭରେ । ପାଦ ପ୍ରହାରିଲେ ଉପରେ ॥୨୭
କୃଷ୍ଣର ଲାଗି ଶ୍ରୀପୟର । ପ୍ରାଣ ଛାଡ଼ିଲା ଅଜଗର ॥୨୮
ତକ୍ଷଣେ ନିଜ ରୂପ ହୋଇ । ତେଜେ ବିରାଜେ ବନଭୂଇଁ ॥୨୯
ଦିବ୍ୟପୁରୁଷ ଅବତାର । ତୁଲ୍ୟ ନୁହଁନ୍ତି ବିଦ୍ୟାଧର ॥୩୦
ଗଞ୍ଜଇ ଦଶଦିଶ ଦେହେ । ପଡ଼ିଲା କୃଷ୍ଣ ପଦ୍ମପାୟେ ॥୩୧
ଦେଖି ତାହାର ଦିବ୍ୟଭେକ । ହସିଲେ ପ୍ରଭୁ ପଦ୍ମମୁଖ ॥୩୨
ବିବିଧ ରତ୍ନମାଳ ରେଖ । ଶରଦଚନ୍ଦ୍ର ପାୟେ ମୁଖ ॥୩୩
ବିବିଧ ଆଭରଣ ଦେହେ । ଶିର ଦେଇଛି କୃଷ୍ଣପାୟେ ॥୩୪
ବୋଲନ୍ତି ଦେବକୀନନ୍ଦନ । କୋମଳ ମଧୁର ବଚନ ॥୩୫
ଏ ତ ଅଟଇ ବିପରୀତ । ସର୍ପ ଉଦରୁ ତୋର ଜାତ ॥୩୬
ତୋ ରୂପେ ପଟାନ୍ତର ନାହିଁ । କିପାଇଁ ଥିଲୁ ସର୍ପ ହୋଇ ॥୩୭
କହ ଏ କେବଣ ବେଭାର । ଶୁଣିତେ ଶରଧା ମୋହର ॥୩୮
ସଂସାରେ ତୋ'ର ରୂପ ଦେଖି । ପିଛାଡ଼ି ନ ପାରନ୍ତି ଆଖି ॥୩୯
ଏଗତି ପାଇଲୁ କେମନ୍ତେ । ସର୍ପଶରୀର ବିପରୀତେ ॥୪୦
କୃଷ୍ଣବଚନ ଶୁଣି ଧୀରେ । କରଅଞ୍ଜଳି ଦେଇ ଶିରେ ॥୪୧
ବେନି ଲୋଚନୁ ବହେ ନୀର । ବୋଲଇ ଶୁଣ ବେଣୁଧର ॥୪୨
ଭୋ ନାଥ ଶୁଣିମା ଅନନ୍ତ । ମୁଁ ଇନ୍ଦ୍ର ଦେବତାର ସୁତ ॥୪୩
ଅତି ସୁନ୍ଦର ରୂପ ଦେଖି । ପିତା ମୋ' ନାମ ଉପଲକ୍ଷ୍ୟି ॥୪୪
ରୂପେ ମୋହିଲି ତିନିପୁର । ସୁଦରଶନ ନାମ ମୋର ॥୪୫
ଶୁଣିମା ପ୍ରଭୁ ଦାଶରଥି । ଗର୍ବେ ହୋଇ ମୁଢ଼ମତି ॥୪୬
ଅଙ୍ଗିରା ଋଷିଙ୍କର ବାଳେ । ଖେଳନ୍ତି କଳ୍ପବୃକ୍ଷ ତଳେ ॥୪୭
ଦଇବେ ଋଷିଙ୍କ କୁମର । ତପସାଧନେ ଅସୁନ୍ଦର ॥୪୮
ତାହାଙ୍କୁ ବୋଇଲି ଧିକ୍କାରି । ଏ ଦେହ କିପାଁ ଅଛ ଧରି ॥୪୯
ଦେଖ ମୋହର ଦିବ୍ୟରୂପ । ଶ୍ରମେ କି ସାଧୁଅଛ ତପ ॥୫୦
ରକତ ମାଂସ ଦେହେ ନାହିଁ । ଶୁଭ୍ର ଦିଶିବ ତୁମ୍ଭେ କାହିଁ ॥୫୧
ମୁଖକୁ ନାହିଁ ପଟାନ୍ତର । ଯେସନେ ଚମ୍ପକ ବାନର ॥୫୨
କର ଚରଣ ବେକ ଜିଣି । ଯେସନେ ଭଲ୍ଲୁକ ଚାହାଣି ॥୫୩
ଏମନ୍ତ ଉପହାସ କଲି । ଖେଳର ସ୍ଥାନରେ ମିଳିଲି ॥୫୪
ଶୁଣି ଚାହିଁଲେ କୋପବହି । ବୋଇଲେ ସର୍ପ ହୁଅ ତୁହି ॥୫୫
କୁତ୍ସିତ ଅଜଗର ରୂପୀ । ରହିବୁ ବନଗିରି ବ୍ୟାପୀ ॥୫୬
ବନଗହନେ ପାଅ ଦୁଃଖ । ଯେହୁ ପଡ଼ିବ ତୋର ମୁଖ ॥୫୭
ସେ ବଳି ହୋଇବ ତୋହର । ପାଇଲେ କରିବୁ ଆହାର ॥୫୮
ଗରବ ବହିଲୁ ଯେ ମନେ । ସର୍ପ ତୁ ହୁଅ ବୃନ୍ଦାବନେ ॥୫୯
ଶୁଣି ଯୋଡ଼ିଲି ବେନିକର । ଭୟେ କମ୍ପିଲି ଥରହର ॥୬୦
ପଡ଼ି ତାହାଙ୍କ ପାଦତଳେ । କାନ୍ଦିଲି ଜୀବନ ବିକଳେ ॥୬୧
ମୋ'ର ବିକଳ ଦେଖି ମନେ । ଦୟା ବସିଲା ମୁନିଜନେ ॥୬୨
ବୋଇଲେ ଯାଅ ମଞ୍ଚପୁର । ଏ ଦେହେ ହୁଅ ଅଜଗର ॥୬୩
ମଥୁରା ବୃନ୍ଦାବନ ଲାଗେ । ଗୋବର୍ଦ୍ଧନର ପୂର୍ବଭାଗେ ॥୬୪
ସାରଦା ନଦୀର ଉତ୍ତରରେ । ଥାଅ ତୁ କୁଞ୍ଜବନ ଘୋରେ ॥୬୫
ଭାରା-ନିବାରଣେ ମୁରାରି । ମନୁଷ୍ୟଦେହେ ଅବତରି ॥୬୬
ଗୋପାଳ ମେଳେ ଯାତ୍ରାକାଳେ । ଭେଟିବୁ ସରସ୍ୱତୀକୂଳେ ॥୬୭
ନନ୍ଦକୁ ଗିଳିବୁ ତୁ ଯାଇ । ଦେଖି ଧାଇଁବେ ଭାବଗ୍ରାହୀ ॥୬୮
ତୋହର ଉପରେ ଶ୍ରୀଧର । କୋପେ ପ୍ରହାରିବେ ପୟର ॥୬୯
ତେବେ ହୋଇବୁ ଶାପୁଁ ପାର । ପୁଣି ଆସିବୁ ନିଜପୁର ॥୭୦
ତେଣୁ ହୋଇଲି ଅଜଗର । ତୁ ହରି କଲୁ ମୋତେ ପାର ॥୭୧
ତୁ ଯେ ଜଗତଜନ ବନ୍ଧୁ । ମୋତେ ଉଦ୍ଧର ଦୟାସିନ୍ଧୁ ॥୭୨
ମୋତେ ପ୍ରସନ୍ନ ହୁଅ ହରି । ପୁରାଣ- ପୁରୁଷ-ମୁରାରି ॥୭୩
ଲାଗିଣ ତୋହର ପୟର । ହୋଇଲି ପ୍ରହ୍ମଶାପୁଁ ପାର ॥୭୪
ଭୋନାଥ ଶରଣ ତୋହର । ଅଶେଷ-ବ୍ରହ୍ମାଣ୍ତ-ଠାକୁର ॥୭୫
ଏବେ ମୁଁ ହୋଇଲି ମୁକତ । ମେଲାଣି ଦିଅ ଜଗନ୍ନାଥ ॥୭୬
ତୋହର ନାମ କର୍ଣ୍ଣେ ଶୁଣି । ତରନ୍ତି ଭବଜଳୁଁ ପ୍ରାଣୀ ॥୭୭
ଧନଜୀବନ ଆଦି କରି । ପବିତ୍ର ହୋନ୍ତି ନରନାରୀ ॥୭୮
ତୋହର ପାଦ ଲାଗି ମୁହିଁ । ନିସ୍ତାର ହୋଇଲି ଗୋସାଇଁ ॥୭୯
ସୁଦରଶନ ଏତେ କହି । ପୟରେ ଶିର ଦେଲା ନେଇ ॥୮୦
କୃଷ୍ଣଙ୍କୁ ପ୍ରଦକ୍ଷିଣ କଲା । ତକ୍ଷଣେ ଗଗନେ ଚଳିଲା ॥୮୧
ଦେବବିମାନେ ବସି କରି । ଯାଇ ମିଳିଲା ସ୍ୱର୍ଗପୁରୀ ॥୮୨
ନନ୍ଦକୁ ରଖିଲେ ଗୋବିନ୍ଦ । ଗୋପାଳେ ଦେଖିଣ ଆନନ୍ଦ ॥୮୩
କୃଷ୍ଣ ମହିମା ଗୁଣ ଦେଖି । ଗୋପଗୋପୀ ଭୟ ଉପେକ୍ଷି ॥୮୪
ସୁଖେ ପହିଲା ଘୋର ନିଶି । ରବିକିରଣ ପରକାଶି ॥୮୫
ହରଗଉରୀ ପୂଜା ସାରି । ଗୋପେ ଚଳିଲେ ନରନାରୀ ॥୮୬
ଗୋପାଳେ ସକଳ ସମ୍ଭାର । ଘେନି ଚଳିଲେ ଗୋପପୁର ॥୮୭
ଯା'ନ୍ତେ କହନ୍ତି କୃଷ୍ଣକଥା । ଛାଡ଼ିଲେ ମନୁ ଦୁଃଖ ଚିନ୍ତା ॥୮୮
ଇନ୍ଦ୍ର କୁମରେ କୃଷ୍ଣ ତାରି । ଗୋପେ ବିଜୟ ନରହରି ॥୮୯
ପରୀକ୍ଷେ ଶୁକମୁନି କହେ । ସୁଜନଜନେ କର ଲୟେ ॥୯୦
କହଇ ଦାସ ଜଗନ୍ନାଥ । ହରିଚରିତ ଭାଗବତ ॥୯୧
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ଶ୍ରୀକୃଷ୍ଣ ବିଜୟେ ସୁଦର୍ଶନ ମୋକ୍ଷଣଂ ନାମ ପଞ୍ଚତ୍ରିଂଶୋଽଧ୍ୟାୟଃ ॥
ଷଟ୍ତ୍ରିଂଶ ଅଧ୍ୟାୟ
[ସମ୍ପାଦନା]- ଶୁକ ଉବାଚ
ଏବେ ହୋ ଶୁଣ ନରନାଥ । କୃଷ୍ଣ ଚରିତ ଭାଗବତ ॥୧
ଦିନେକ ଦେବ ଦଇତ୍ୟାରି । ସଙ୍ଗତେ ଘେନି ଗୋପନାରୀ ॥୨
ବଳଦେବଙ୍କୁ ଘେନି ସଙ୍ଗେ । ମିଳିଲେ ବୃନ୍ଦାବନ ଲାଗେ ॥୩
ଶୀତଳ-ବସନ୍ତର ବାୟେ । ବନେ ବିଜୟ ଦେବରାୟେ ॥୪
ଶଶାଙ୍କ-କିରଣେ ରଜନୀ । ସୁନ୍ଦର ଦିଶେ ବନଭୂମି ॥୫
ରାମଗୋବିନ୍ଦ ଗୋପନାରୀ । ବିବିଧମତେ ନାନାକେଳି ॥୬
ମଧ୍ୟେ ବିଜୟ ହଳଧର । ଗୋପୀ ସାନନ୍ଦେ ଗୀତସ୍ୱର ॥୭
କୃଷ୍ଣ କରନ୍ତି ଗୀତନାଦ । ହରିଲେ କାମିନୀ ବିଷାଦ ॥୮
କୁନ୍ଦ ମଲ୍ଲିକା ଗନ୍ଧସାର । ଶୀତଳ ବହଇ ସମୀର ॥୯
ଗୋବିନ୍ଦ ଗୀତ ଶୁଣି କର୍ଣ୍ଣେ । ମୂର୍ଚ୍ଛିତ ହେଲେ ପଶୁଗଣେ ॥୧୦
ପୁଲକ ହୋନ୍ତି ବୃକ୍ଷପନ୍ତି । ସ୍ୱର୍ଗେ ଦେବତା କଲେ ସ୍ତୁତି ॥
ଶୁଣି ଗୋବିନ୍ଦ ଗୀତନାଦ । ଗୋପୀ ପାଇଲେ ମନେ ଖେଦ ॥
କଟିମେଖଳା ଝୀନବାସ । କବରୀ ହୋଇଲା ଉଶ୍ୱାସ ॥
ମଦନଭୋଳେ ଗୀତଗାଇ । ଗୋପୀ ମୋହିଲେ ଭାବଗ୍ରାହୀ ॥
ଏମନ୍ତ ଶୁଣି ନରନାଥ । ସର୍ପେ ହୋଇଲା ଶଙ୍ଖଚୂଡ଼ ॥
ଦେଖନ୍ତି ରାମ ବନମାଳୀ । ଗୋପୀଙ୍କ ମଧ୍ୟେ ଆସି ମିଳି ॥
ଉତ୍ତର ଦିଗୁଁ ଫୁଫୁ କରି । ଦେଖି ପଳାନ୍ତି ବ୍ରଜନାରୀ ॥
ଡ଼ାକନ୍ତି ରାମକୃଷ୍ଣ ରଖ । ଏବନେ ହୋଇଲୁ ନିରେଖ ॥
ଶାର୍ଦ୍ଦୁଳେ ଦେଖି ଗୋରୁପଲ । ଯେହ୍ନେ ପଳାନ୍ତି ଅନ୍ତରାଳ ॥
ଶୁଣି ଧାଇଁଲେ ବେନିଭାଇ । ନଡ଼ର ବୋଲି ଡ଼ାକ ଦେଇ ॥
କରେ ଉପାଡ଼ି ବେନିଶାଳ । ମିଳିଲେ ଗୋପୀଙ୍କର ମେଳ ॥
ଯମର ଦୂତ ପ୍ରାୟେ ହୋଇ । ଦେଖି ଶଙ୍ଖଚୂଡ଼ ପଳାଇ ॥
ଗୋପକାମିନୀ ମଧ୍ୟେ ଥିଲା । ଜୀବନ ଭୟେ ପଳାଇଲା ॥
ତାହାର ଶିରେ ମଣି ଚାହିଁ । ବେଗେ ଧାଇଁଲେ ଭାବଗ୍ରାହୀ ॥
ପଛେ ରହିଲେ ହଳଧାରୀ । ଗୋପକାମିନୀଙ୍କି ଆବୋରି ॥
ପଛେ ଗୋଡ଼ାନ୍ତେ ନାରାୟଣ । ସର୍ପ ହୋଇଲା ବଳ କ୍ଷୀଣ ॥
ମୁଷ୍ଟି ପ୍ରହାରି ସର୍ପ ଶିରେ । ମଣି ଘେନିଲେ କୃଷ୍ଣ କରେ ॥
ଗୋବିନ୍ଦ ମୁଷ୍ଟି ଶିରେ ଲାଗି । ସର୍ପ ହୋଇଲା ମୋକ୍ଷଭାଗୀ ॥
ଗୋବିନ୍ଦ ମଣି ଘେନି କରେ । ମିଳିଲେ ରାମର ଛାମୁରେ ॥
ରାମର କରେ ମଣି ଦେଇ । ପ୍ରଣାମ କଲେ ଭାବଗ୍ରାହୀ ॥
ସେ ରାମକୃଷ୍ଣ ପାଦଗତେ । ନମଇଁ ଦାସ ଜଗନ୍ନାଥେ ॥
କର ସୁଦୟା ବେନିଭାଇ । ମରୁଛି ଭବେ ପଡ଼ି ମୁହିଁ ॥
ଇତି ଶ୍ରୀମଦ୍ଭଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ଶଙ୍ଖଚୂଡ଼ବଧୋ ନାମ ଷଟ୍ତ୍ରିଂଶୋଽଧ୍ୟାୟଃ ॥
ସପ୍ତତ୍ରିଂଶ ଅଧ୍ୟାୟ
[ସମ୍ପାଦନା]- ଶୁକ ଉବାଚ
ଶୁଣ ପରୀକ୍ଷ ଦଣ୍ତଧାରୀ । ଗୋପନଗର ନରନାରୀ ॥୧
କୃଷ୍ଣ ବନକୁ ଯିବା ଚାହିଁ । କହନ୍ତି ଯଶୋଦା ବସାଇ ॥୨
- ଗୋପୀଜନ ଉବାଚ
ଶୁଣ ଗୋ ନନ୍ଦର ଘରଣୀ । ତୋ' ସୁତ କୃଷ୍ଣର କାହାଣୀ ॥୩
ବାଙ୍କନୟନ ଚାଳି ଧୀରେ । ମୁରଲୀ ଲଗାଇ ଅଧରେ ॥୪
ଅଙ୍ଗୁଳି ବେଣୁ ରନ୍ଧ୍ରେ ଦେଇ । ତ୍ରିଭଙ୍ଗ ଛନ୍ଦେ ଉଭା ହୋଇ ॥୫
ବାମକପୋଳ ଢ଼ାଳି ଧୀରେ । ନିବେଶି ବାମ ବାହୁମୂଳେ ॥୬
କପାଳେ କସ୍ତୁରୀ ବିରାଜେ । ପୀତବସନ କଟି ସାଜେ ॥୭
ଯମୁନା କଦମ୍ବର ମୂଳେ । ବେଣୁ ବଜାନ୍ତେ କୁତୂହଳେ ॥୮
ଆକାଶେ ସିଦ୍ଧଗଣ ତୁଲେ । ଦେବକାମିନୀ ମୋହ ଗଲେ ॥୯
ଲଜ୍ଜା ଛାଡ଼ିଲେ କାମଭୋଳେ । କେଶବସନ ଅସମ୍ଭାଳେ ॥୧୦
ଶୁଣ ଗୋ ବେଣୁଧର ମାତା । ତୋ'ର କୁମର ଚିତ୍ର କଥା ॥୧୧
ହୃଦେ ଲମ୍ବାଇ ବନମାଳ । ଅଳପ ହସି ତୋ'ର ବାଳ ॥୧୨
ବେଣୁ ବଜାଏ ଯେବେ ବନେ । ଆରତ ହୋନ୍ତି ଜନ୍ତୁଗଣେ ॥୧୩
ଗୋରୁ ମହିଷ ମୃଗଯୂଥ । ଶୁଣି ତୋ' ସୁତ ବେଣୁଗୀତ ॥୧୪
ତୃଣ କବଳ ଉପେକ୍ଷିଲେ । ମୁରଲୀ ନାଦେ ଚିତ୍ତ ଦେଲେ ॥୧୫
ବତ୍ସାଏ ମୁଖ ଦେଇ ସ୍ତନେ । ଶୁଣନ୍ତି ମୁଦ୍ରିତ ଲୋଚନେ ॥୧୬
ଚିତ୍ରପ୍ରତିମା ପ୍ରାୟ ହୋଇ । ଜନ୍ତୁଙ୍କ ଚକ୍ଷୁ ନ ଚଳଇ ॥୧୭
ପୁଷ୍ପ ସ୍ତବକେ ଶିଖୀ ପୁଚ୍ଛ । ରଙ୍ଗ ମୃତ୍ତିକା ମାଲକାଛ ॥୧୮
ଆମ୍ଭ କୁମର ଘେନି ସଙ୍ଗେ । ଗୋରୁଙ୍କୁ ଚରାନ୍ତି ସୁରଙ୍ଗେ ॥୧୯
ନଦୀଏ ନ ବହନ୍ତି ଘନେ । ଶୁଣି ତୋ' ସୁତ ବେଣୁସ୍ୱନେ ॥୨୦
ଅତି ସଧୀରେ ବହେ ବାରି । ପବନେ ଉଜାଣି ଲହରୀ ॥୨୧
ତା' ପାଦରଜେ ଚିତ୍ତ ଦେଇ । ବହଇ କି ସେ ସ୍ଥିର ହୋଇ ॥୨୨
ପବନ ଆଣିବ ଉଡ଼ାଇ । ଆମ୍ଭେ ତରିବୁ ରେଣୁ ପାଇ ॥୨୩
ଆଦି ପୁରୁଷ ପ୍ରାୟ ସେହି । ଆମ୍ଭ ବାଳକ ସଙ୍ଗେ ଥାଇ ॥୨୪
ଗିରି ନିକଟେ ପଶୁଗଣେ । ଚରନ୍ତି ତୃଣ ତୋଷମନେ ॥୨୫
ଗୋରୁଙ୍କ ନାମ ବେଣୁସ୍ୱନେ । ଡାକନ୍ତି ମଧୁର ବଚନେ ॥୨୬
ଲତାଏ ତରୁଙ୍କୁ ଆବୋରି । ଫଳ ପଲ୍ଲବ ପୁଷ୍ପେ ଭରି ॥୨୭
ଢ଼ାଳନ୍ତି ଚାମର ପରାଏ । ବସନ୍ତ ସୁଶୀତଳ ବାୟେ ॥୨୮
ବୃକ୍ଷେ ହୋଇଲେ ପୁଲକିତ । ଶୁଣି ତା' ମୁରଲୀର ଗୀତ ॥୨୯
ମଧୁ ବରଷିଲେ ଗହଳ । ଯେହ୍ନେ ନୟନୁ ଅଶ୍ରୁଜଳ ॥୩୦
ସୁନ୍ଦରବର ତୋ କୁମର । ତୁଳସୀମାଳ ଲମ୍ବେ ଊର ॥୩୧
ଗନ୍ଧେ ଭ୍ରମର ନ ଛାଡ଼ନ୍ତି । ବେଣୁ ଶବଦେ ଆବୋରନ୍ତି ॥୩୨
ନଦୀ ତଡ଼ାଗ ଜଳେ ଥାଇ । ହଂସ ସାରସେ ସ୍ଥିର ହୋଇ ॥୩୩
ମନ ନିରୋପି ବେଣୁସ୍ୱନେ । ମୁଦ୍ରିତ ହୋଇଲେ ଲୋଚନେ ॥୩୪
ନାନା କୁସୁମେ ବେଶ ହୋଇ । ରୋହିଣୀସୁତ ସଙ୍ଗେ ଥାଇ ॥୩୫
ବେଣୁ ଶବଦେ ତୋ'ର ବଳା । ଅଶେଷ ବ୍ରହ୍ମାଣ୍ତ ମୋହିଲା ॥୩୬
ଇନ୍ଦ୍ରବଚନେ ମେଘମାଳେ । ସୁନ୍ଦର ଗଗନମଣ୍ତଳେ ॥୩୭
ମିତ୍ରର ଶ୍ରମ ବନେ ଚାହିଁ । ମେଘେ ଢ଼ାଙ୍କିଲେ ଛତ୍ର ହୋଇ ॥୩୮
ଗୋପେ ବିବିଧ ରସେ ପୂରି । ଶିଖିଛି ବେଣୁନାଦ କରି ॥୩୯
ସପତ ସ୍ୱରେ ବେଣୁବାଇ । ବାଙ୍କନୟନେ ରଙ୍ଗେ ଚାହିଁ ॥୪୦
ତୋ'ର ନନ୍ଦନ ବେଣୁସ୍ୱରେ । ବ୍ରହ୍ମାଶଙ୍କର ଇନ୍ଦ୍ରତୁଲେ ॥୪୧
ମୁନିଙ୍କ ସଙ୍ଗେ ବନ ମଧ୍ୟେ । ମୋହ ହୋଇଲେ ବେଣୁନାଦେ ॥୪୨
ଅପୂର୍ବ ଶୁଣ କୃଷ୍ଣମାଏ । ଧ୍ୱଜ ଅଙ୍କୁଶ ପଦ୍ମପାୟେ ॥୪୩
ଚିତ୍ରିତ କଲା ବନଭୂଇଁ । ମତ୍ତମାତଙ୍ଗ ପ୍ରାୟ ହୋଇ ॥୪୪
ତା'ର ଚାଲିବା ଦେଖି ମାଏ । ଚାଲିତ ନ ପାରୁଁ ଭେଡ଼ାଏ ॥୪୫
ବୃକ୍ଷଙ୍କ ଗତି ଆମ୍ଭେ ଭଜୁ । ଚାହିଁ ନ ପାରି ଚକ୍ଷୁ ବୁଜୁ ॥୪୬
ମଦନଶରେ ହେଉଁ ଭୋଳ । ଫିଟଇ କବରୀ ଅଞ୍ଚଳ ॥୪୭
ମଣି-ଗୁଞ୍ଜରା ଶିରେ ଧରି । ଗାଈଙ୍କ ପଛେ ବନେଚାରୀ ॥୪୮
ତୁଳସୀମାଳା ଶୋହେ ହୃଦେ । ଭୁଜ ଗୋପାଳ ପୁଅ କନ୍ଧେ ॥୪୯
ମଧୁର ସ୍ୱରେ ବେଣୁବାଇ । ଚାଲନ୍ତି ଚଉଦିଗେ ଚାହିଁ ॥୫୦
ହରିଣୀଗଣ କୃଷ୍ଣ ଚାହିଁ । ବେଣୁ ଶବଦେ ଚିତ୍ତ ଦେଇ ॥୫୧
ଛାଡ଼ିଣ ସୁତ ଗୃହବାସ । କ୍ଷଣେ ନ ଛାଡ଼ନ୍ତି ତା' ପାଶ ॥୫୨
ସକଳ ଗୁଣଙ୍କର ସିନ୍ଧୁ । ମୁଖମଣ୍ତଳ ପୂର୍ଣ୍ଣଇନ୍ଦୁ ॥୫୩
ଉତ୍ତରୀଛଳେ କୁନ୍ଦମାଳ । ସଙ୍ଗତେ ଗୋରୁ ଗୋପବାଳ ॥୫୪
କାଳିନ୍ଦୀତଟେ ତୋ' କୁମର । ହୃଦୟ ଭେଦିଲା ଆମ୍ଭର ॥୫୫
ପବନ ଯୋଗେ ବୃକ୍ଷଡ଼ାଳେ । ଲାଗନ୍ତି ତା'ର ପାଦତଳେ ॥୫୬
ତ୍ରିଦଶେ ବାଦ୍ୟନାଦ କରି । ସ୍ତୁତି କରନ୍ତି ବ୍ରହ୍ମଚାରୀ ॥୫୭
ବିବିଧ ଅଙ୍ଗଭଙ୍ଗୀ ତା'ର । ମହିମା କେ କରୁ ଗୋଚର ॥୫୮
ଇନ୍ଦ୍ରର ଛଳେ ତୋ' କୁମର । କରେ ତୋଳିଲା ଗିରିବର ॥୫୯
ବ୍ରହ୍ମା ଶଙ୍କର ଆଦିକରି । ବନ୍ଦିଲେ ତା'ର ପାଦ ଧରି ॥୬୦
ଗୋଧନ ଘେନି ଦିନ ଅନ୍ତେ । ଗୋପେ ସେ ଆସନ୍ତି ଉଷତେ ॥୬୧
ଗୋଧୂଳି ଭୂଷଣ ଶରୀର । ଜୀବନ ଦହେ ଗୋ ଆମ୍ଭର ॥୬୨
ଗୋପବାଳକ ଇଷ୍ଟଦାତା । ଦେବକୀ ଦେବୀ ଯା'ର ମାତା ॥୬୩
ନକ୍ଷତ୍ର ପ୍ରାୟ ଗୋପବାଳ । ତୋ' ସୁତ ଶଶାଙ୍କମଣ୍ତଳ ॥୬୪
ବେନିଲୋଚନ ମତ୍ତଭୋଳେ । ନାଚେ ଗୋପାଳ ପୁଅମେଳେ ॥୬୫
ଗୋରୁଙ୍କ ଧୂଳି ମୁଖେ ମିଶି । ବଦରୀ ଫଳ ପ୍ରାୟ ଦିଶି ॥୬୬
ରତ୍ନକୁଣ୍ତଳ କର୍ଣ୍ଣେ ଶୋହେ । ରୂପେ କୋଟିଏ କାମମୋହେ ॥୬୭
ଚାଲଇ ମତ୍ତଗଜ ଛନ୍ଦ । ମୁଖ ତା ପୂର୍ଣ୍ଣମୀର ଚାନ୍ଦ ॥୬୮
ଆମ୍ଭେ ଗୋ ଚାହିଁ ତା'ର ମୁଖ । ଖଣ୍ତୁ ବିରହ ତାପ ଦୁଃଖ ॥୬୯
- ଶୁକ ଉବାଚ
ନନ୍ଦଘରଣୀ ଆଗେଯାଇ । ଏମନ୍ତ କୃଷ୍ଣଲୀଳା କହି ॥୭୦
ଗୋଟିଏ କୃଷ୍ଣ ପାଦେ ଚିତ୍ତ । ଦିନକୁ ଦିନ ଅପ୍ରମିତ ॥୭୧
ଛାଡ଼ିଲେ ଭବବନ୍ଧ-ଭ୍ରମ । କୃଷ୍ଣ ହୁଁ ନ ଜାଣନ୍ତି ଆନ ॥୭୨
ସେ ଗୋପୀଗୋପଙ୍କ ପୟରେ । ମନ ମୋ ରହୁ ନିରନ୍ତରେ ॥୭୩
ନାମ ମୋହର ଜଗନ୍ନାଥ । ଭକତି ଛାଡ଼ି ଅରକ୍ଷିତ ॥୭୪
ବ୍ରାହ୍ମଣକୁଳେ ଜାତ ହୋଇ । ହରି ଭକତି ମୋର ନାହିଁ ॥୭୫
ସୁଜନଜନେ ହରିପଥେ । ସେବକ କରି ନିଅ ମୋତେ ॥୭୬
ନିବିଡ଼-ମୋହ-ଜଡ଼େ ଥାଇ । କୃଷ୍ଣଚରଣେ ମନ କାହିଁ ॥୭୭
ଏ ଘୋର-ସଂସାର-ସାଗର । ଏଣେ ହୋ ବିଶ୍ୱାସ ନ କର ॥୭୮
ନିରତେ ଭଜ ଦୃଢ଼ଚିତ୍ତେ । ହରିଚରଣ ଅବିରତେ ॥୭୯
ବ୍ରହ୍ମ ହୁଁ କୀଟ ଜନ୍ମଯାଏ । ସକଳେ ଛାଡ଼ି ମାୟାମୋହେ ॥୮୦
କେବଳ ଗୋବିନ୍ଦ ଭରସା । ଛାଡ଼ ସକଳ ମାୟା ଆଶା ॥୮୧
ପଥିକ ଯେହ୍ନେ ପଥଶ୍ରମେ । ମିଳନ୍ତି ବୃକ୍ଷର ଆଶ୍ରମେ ॥୮୨
ଶ୍ରମ ସରିଲେ ଯେଝାମତେ । ଚଳନ୍ତି ବୃକ୍ଷ ଥାଇପଥେ ॥୮୩
ଏସନ ସଂସାର କୁଟୁମ୍ବ । ସୁଖ ଦୁଃଖରେ ପରାଭବ ॥୮୪
ଗୋବିନ୍ଦ ବିନା ଆଶ୍ରେ ତା'ର । ଅନ୍ୟଥା ନାହିଁ ପ୍ରତିକାର ॥୮୫
ପୁରାଣ ଶିରି ଭାଗବତ । ବାଇଙ୍କ ପ୍ରାୟେ କଲି ଗୀତ ॥୮୬
ପଣ୍ତିତେ ନ କରିବା ହାସ । ତୁମ୍ଭ ଶ୍ରୀଚରଣେ ମୁଁ ଦାସ ॥୮୭
ବିନୋଇ ହୋଇଣ ବିଶ୍ୱାସ । କହଇ ଜଗନ୍ନାଥ ଦାସ ॥୮୮
ଇତି ଶ୍ରୀମଦ୍ଭଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ବୃନ୍ଦାବନ କ୍ରୀଡ଼ାୟାଂ ଗୋପିକାଯୁଗଳଗୀତଂ ନାମ
ସପ୍ତତ୍ରିଂଶୋଽଧ୍ୟାୟଃ ॥
ଅଷ୍ଟତ୍ରିଂଶ ଅଧ୍ୟାୟ
[ସମ୍ପାଦନା]- ଶୁକ ଉବାଚ
ଶୁଣ ରାଜନ ପରୀକ୍ଷିତ୍ । ଗୋପେ ଅସୁର ଉପଗତ ॥୧
ଅରିଷ୍ଟ ନାମେ ଷଣ୍ଢରୂପୀ । ମିଳିଲା ବନଗିରି ବ୍ୟାପୀ ॥୨
ବୃଷଭରୂପୀ ମହାକାୟେ । ଅବନୀ ଖୋଳୁଅଛି ପାୟେ ॥୩
ଗର୍ଜଇ ଘୋରନାଦ କରି । ପାଦେ କମ୍ପଇ ବସୁନ୍ଧରୀ ॥୪
ଲାଞ୍ଜ ଉଭାରି ବେଗେ ଧାଇଁ । ଶୃଙ୍ଗେ ଖୋଳଇ ଉଚ୍ଚଭୂଇଁ ॥୫
ଅଳପ ଅଳପ ମୂତଇ । ଚକ୍ଷୁ ବୁଜିଣ ପୁଣ ଚାହିଁ ॥୬
ଶୁଣି ତାହାର ଘୋରନାଦ । ଗାଈ ଗୁଆଳୀଙ୍କ ବିଷାଦ ॥୭
ପତନ ହୋଇ ଗର୍ଭତଳେ । ଦେବେ ଡ଼ରନ୍ତି ସ୍ୱର୍ଗଆଳେ ॥୮
ପିଠି ଉପରେ ଚୁଳ ଦେଖି । ପର୍ବତ ପ୍ରାୟ ଉପଲକ୍ଷ୍ୟି ॥୯
ମେଘ ଦିଶନ୍ତି ତା' ଉପରେ । ଶୃଙ୍ଗଯୁଗଳ ତୀକ୍ଷ୍ଣଧାରେ ॥୧୦
ଅସୁର ବଡ଼ ଭୟଙ୍କର । ଗର୍ଜଇ ଅତି ଘୋରତର ॥୧୧
ଗୋପୀଗୋପାଳ ଦେଖି ଡ଼ରେ । ପଳାଇ ଗଳେ ବନଘୋରେ ॥୧୨
ଗୋରୁଏ ପଳାଇଲେ ଦେଖି । ଭୟେ ବୁଜିଲେ ବେନିଆଖି ॥୧୩
ପଡ଼ିଲା ଗୋପପୁରେ ହୁରି । ଡ଼ାକନ୍ତି କୃଷ୍ଣନାମ ଧରି ॥୧୪
ରଖ ଗୋକୁଳ ଦାମୋଦର । ଆମ୍ଭେ ଯେ ଶରଣ ତୋହର ॥୧୫
ବିକଳ ଦେଖିଣ ଗୋକୁଳ । ଧାଇଁଲେ ପ୍ରଭୁ ଆଦିମୂଳ ॥୧୬
ଆନନ୍ଦେ ତୋଳି ବେନି ଭୁଜ । ଡ଼ାକନ୍ତି ପ୍ରଭୁ ଦେବରାଜ ॥୧୭
ଭୟ ନ କର ତୁମ୍ଭେ କେହି । ଅସୁର ସଂହାରିବି ମୁହିଁ ॥୧୮
ଏମନ୍ତ ବୋଲି ନରହରି । ଡ଼ାକିଲେ ଷଣ୍ଢ ନାମ ଧରି ॥୧୯
ରେରେ ଦଇତ୍ୟ ଷଣ୍ଢାସୁର । କିପାଁ ଅଇଲୁ ଗୋପପୁର ॥୨୦
ଦୁଷ୍ଟଦଳନ ବାନା ମୋର । ଆଜି ପେଷିବି ଯମପୁର ॥୨୧
ଧାଇଁଲେ ବାହାନାଦ କରି । ସ୍ୱର୍ଗେ ଦେଖନ୍ତି ଦେବନାରୀ ॥୨୨
ଗୋବିନ୍ଦ ଦେଲେ କରତାଳ । ଶୁଣି ଅସୁର ଅସମ୍ଭାଳ ॥୨୩
ପଛେ ଅଛନ୍ତି ଭାବଗ୍ରାହୀ । ବାଳକକନ୍ଧେ ହସ୍ତ ଦେଇ ॥୨୪
କୃଷ୍ଣର ଶୁଣି କରତାଳି । କୋପେ ଅସୁର ପରଜ୍ୱଳି ॥୨୫
କ୍ଷୁରେ ଖୋଳଇ ମହୀସ୍ଥଳ । ଲାଞ୍ଜ ବୁଲାଇ ଅନ୍ତରାଳ ॥୨୬
ମେଘେ ଉଡ଼ିଲେ ଲାଞ୍ଜବାଏ । ନିଶ୍ୱାସ ଖରତର ବହେ ॥୨୭
ଆଗେ ଉଭାରି ଶୃଙ୍ଗ ଦୁଇ । ଚକ୍ଷୁ ବୁଜିଲା କୃଷ୍ଣେ ଚାହିଁ ॥୨୮
ଷଣ୍ଢ ଧାଇଁଲା ଧାତିକାରେ । ବଜ୍ର ଯେସନେ ଇନ୍ଦ୍ରକରେ ॥୨୯
ଆଗ ହୋଇଲେ ଭାବଗ୍ରାହୀ । କରେ ଧଇଲେ ଶୃଙ୍ଗ ଦୁଇ ॥୩୦
ଅସୁର ନ ପାରିଲା ଯାଇ । ପଛକୁ ଦେଲେ ହାବୁଡ଼ାଇ ॥୩୧
ଅସୁର ପାଇ ମହାତ୍ରାସ । ଘୁଞ୍ଚିଲା ଭେଡ଼ା ଅଷ୍ଟାଦଶ ॥୩୨
ଯେହ୍ନେ ଉଭାରି ବେନିଗଜ । ପଛେ ଘୁଞ୍ଚିଲେ ଦେବରାଜ ॥୩୩
ଦଇତ୍ୟ ମୂର୍ଚ୍ଛାଗତ ହୋଇ । ପୁଣି ଉଠିଲା ଜ୍ଞାନ ପାଇ ॥୩୪
ଧାଇଁଲା ପବନହୁଁ ଖର । ଶୃଙ୍ଗ ଧଇଲେ ଚକ୍ରଧର ॥୩୫
ଅସୁର ଦେହେ ପାଦ ଦେଇ । ତଳେ ପାଡ଼ିଲେ ବେଗେ ନେଇ ॥୩୬
ପଛ ଚରଣ ପାଦେ ଚାପି । ମୁଣ୍ତ ମୋଡ଼ିଲେ ବିଶ୍ୱରୂପୀ ॥୩୭
ଓଦା ବସନ ପ୍ରାୟେ ମୋଡ଼ି । ତା'ର ମସ୍ତକୁ ଶୃଙ୍ଗ ଝାଡ଼ି ॥୩୮
ମୁଖରୁ ବହିଲା ରୁଧିର । ବେଗେ ଛାଡ଼ିଲା ମୂତ୍ର ମଳ ॥୩୯
ଚାରିଚରଣ ପ୍ରସାରିଲା । ଗୋବିନ୍ଦ ମୁଖକୁ ଚାହିଁଲା ॥୪୦
ପ୍ରାଣ ଛାଡ଼ିଲା ମହାବଳୀ । ଦେଖନ୍ତି ସ୍ୱର୍ଗଲୋକେ ମିଳି ॥୪୧
ଦେବେ କରନ୍ତି ପୁଷ୍ପ ବୃଷ୍ଟି । ଶ୍ରୀକୃଷ୍ଣ ନାଶିଲେ ଅରିଷ୍ଟି ॥୪୨
ଏମନ୍ତେ ଅସୁର ନିବାରି । ଉଶ୍ୱାସ କଲେ ଗୋପପୁରୀ ॥୪୩
ଗୋପୀ-ଗୋପାଳ ନନ୍ଦମେଳେ । ସ୍ତୁତି କରନ୍ତି ପାଦତଳେ ॥୪୪
ଗୋପୀଏ ଚାହାଁନ୍ତି ଶ୍ରୀମୁଖ । ଖଣ୍ତିଲେ ଭବଭୟ-ଦୁଃଖ ॥୪୫
କୃଷ୍ଣ ଚରଣେ ଦେଇ ଚିତ୍ତ । କହଇ ଦାସ ଜଗନ୍ନାଥ ॥୪୬
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ଷଣ୍ଢାସୁରମୋକ୍ଷଣଂ ନାମ ଅଷ୍ଟତ୍ରିଂଶୋଽଧ୍ୟାୟଃ ॥
ଊନଚତ୍ୱାରିଂଶ ଅଧ୍ୟାୟ
[ସମ୍ପାଦନା]- ଶୁକ ଉବାଚ
ଶୁଣ ପରୀକ୍ଷ ନୃପମଣି । ସ୍ୱର୍ଗେ ଶୁଭିଲା ଜୟବାଣୀ ॥୧
ଆକାଶେ ଥିଲେ ଯେ ନାରଦ । ଜାଣିଲେ ଷଣ୍ଢାସୁର ବଧ ॥୨
ଆନନ୍ଦ ମନେ ଦେବ ଋଷି । କୃଷ୍ଣ ମହିମା ପରଶଂସି ॥୩
ମଥୁରା ନବରେ ମିଳିଲେ । କଂସ ରାଜାର ସଭାତଳେ ॥୪
ଦେଖି ଉଠିଲା ଭୋଜବୀର । ନମିଲା ମୁନିଙ୍କ ପୟର ॥୫
ଆନନ୍ଦେ ଶିରେ କର ଦେଇ । ଆସନେ ବସାଇଲେ ନେଇ ॥୬
ସ୍ୱଭାବେ ଭୋଜବଂଶେ ରାଜା । ମୁନିଚରଣେ କଲା ପୂଜା ॥୭
କୁଶଳ ବାରତା ପଚାରି । ବିଶ୍ୱାସ କରି ପାଦ ଧରି ॥୮
କଂସର ଭକ୍ତିରେ ନାରଦ । କହନ୍ତି ପାଇ ମନେଖେଦ ॥୯
ତୁ ରାଜା ମୋହର ବିଶ୍ୱାସ । ହେଳେ ହୋଇବୁ ପ୍ରାଣେ ନାଶ ॥୧୦
ତୋତେ ମୋହର ଚିତ୍ତେ ଦୟା । ପୂର୍ବେ ମୁଁ କହିଗଲି ଯାହା ॥୧୧
ତୁ ରାଜା ନ ହେଜିଲୁ ମନେ । ଏବେ ମରିବୁ ଅଳ୍ପଦିନେ ॥୧୨
ଶୁଣିଲେ ପାଇବୁ ତୁ ଖେଦ । ମୁଖୁଁ ମୋ' ନସ୍ଫୁରଇ ପଦ ॥୧୩
ଦେବତାମାନେ ତୋ ବଇରୀ । ତୋ'ର ମରଣେ କୂଟ କରି ॥୧୪
ଗୋପେ ଯାଦବେ ଅବତାର । ଦେବକୀ ବସୁଦେବ ଘର ॥୧୫
ହରିଙ୍କି କରାଇଲେ ଜନ୍ମ । ଭିଣୋଇ କଲା ଏଡ଼େ କର୍ମ ॥୧୬
ଅଷ୍ଟମ ଗର୍ଭେ ଏହା ନାରୀ । ରାତ୍ରେ ପ୍ରସବିଲା ମୁରାରି ॥୧୭
ତୋ'ର ଭିଣୋଇ ତାହା ନେଇ । ଅଇଲା ନନ୍ଦଘରେ ଥୋଇ ॥୧୮
କନ୍ୟାଏ ଥିଲା ତା'ର ଘରେ । ତୁ ତାହା କଚାଡ଼ିଲୁ ଶିଳେ ॥୧୯
ଦେବଙ୍କ ବୋଲେ ମହାମାୟା । ହୋଇଲେ ବାଳରୂପ କାୟା ॥୨୦
ତୋହର ହାତୁ ଶୂନ୍ୟେ ଗଲା । ତେବେହେଁ ଜ୍ଞାନ ତୋନୋହିଲା ॥୨୧
କହିଲା ତୋର ମୃତ୍ୟୁଭେଦ । ତେବେହେଁ ନୋହିଲା ତୋ'ଖେଦ ॥୨୨
ରୋହିଣୀ ବସୁଦେବ ନାରୀ । ପଳାଇଗଲେ ତୋତେ ଡ଼ରି ॥୨୩
ତାହାର ଗର୍ଭ ହୋଇଥିଲା । ସେହି କୁମରେ ପ୍ରସବିଲା ॥୨୪
ହରିର ଅଂଶେ ଅବତାର । ସେ ତୋତେ ମାରିବେଟି ବୀର ॥୨୫
ରାମ ଗୋବିନ୍ଦ ବେନିଭାଇ । ବଢ଼ିଲେ ଗୋପପୁରେ ଥାଇ ॥୨୬
ବସୁଦେବର ମିତ୍ର ନନ୍ଦ । ସେ ତୋତେକଲା ଏଡ଼େ ଛନ୍ଦ ॥୨୭
ପୂତନା ଆଦି ଷଣ୍ଢା ଯାଏ । ସବୁ ମାଇଲେ ବେନିପୋଏ ॥୨୮
ଇନ୍ଦ୍ରର ଦର୍ପ କରି ଚୂର । କରେ ତୋଳିଲା ଗିରିବର ॥୨୯
କାଳୀୟ କାଳିନ୍ଦୀରେ ଥିଲା । ତାହାର ଡ଼ରେ ପଳାଇଲା ॥୩୦
କେତେ କହିବି ଗୁଣ ତା'ର । ଦେବଦାନବେ ଅଗୋଚର ॥୩୧
ଏମନ୍ତ ବୋଲି ମୁନିବର । କହିଲେ ସମସ୍ତ ବିଚାର ॥୩୨
ଶୁଣି ଅସୁର ଥରହର । କାତରେ କମ୍ପଇ ଶରୀର ॥୩୩
ଖଡଗ ଧରି ନିଜ କରେ । ବେଗେ ଉଠିଲା କୋପଭରେ ॥୩୪
ବସୁଦେବକୁ ଅଣାଇଲା । ଅନେକ ମାଡ଼ ମରାଇଲା ॥୩୫
ହାଣିବ ବୋଲି କୋପଭର । ନାରଦ ଧଇଲେ ତା' କର ॥୩୬
ନାରଦ ବଚନେ ବିଶ୍ୱାସ । ପାଦେ ଭରିଲା ଲୈାହପାଶ ॥୩୭
ଧନସମ୍ପଦ ଜୂର କଲା । ବନ୍ଦୀ ମନ୍ଦିରେ ରଖାଇଲା ॥୩୮
କଂସ ଆଗରେ ବ୍ରହ୍ମାସୁତ । କହନ୍ତି ବଚନ ନିୟତ ॥୩୯
ଶୁଣ ତୁ ଭୋଜ ନୃପନାଥ । ମୁହିଁ କହଇ ତୋ'ର ହି୍ତ ॥୪୦
କୃଷ୍ଣ ଯେ ତୋହର ବଇରୀ । ମର୍ତ୍ତ୍ୟମଣ୍ତଳେ ଅବତରି ॥୪୧
ଅବଶ୍ୟ ମାରିବ ସେ ତୋତେ । କଂସ ତୁ ଜାଣିଥା ଯୁକତେ ॥୪୨
କୃଷ୍ଣଙ୍କୁ ସଂହାରିଲେ ତୁହି । ରାଜ୍ୟେଣ ଥିବୁ ସୁସ୍ଥ ହୋଇ ॥୪୩
ବହୁତ ଉପାୟ କରିବୁ । ବୀରଙ୍କ ହସ୍ତେ ମରାଇବୁ ॥୪୪
କେଶୀ ଯେ ଅଛି ତୋ'ର ପାଶ । ସେ ତୋ'ର ଜୀବନ ବିଶ୍ୱାସ ॥୪୫
ପାରଇ ନାନା ମୂର୍ତ୍ତି ଧରି । ତାହାକୁ ପେଷ ଦଣ୍ତଧାରୀ ॥୪୬
ଏହାର ମରଣେ ତୋହର । ମାଲେ ଯେ ମୁଷ୍ଟିକ ଚାଣୂର ॥୪୭
ଏହାଙ୍କ ଥା'ନ୍ତେ କିସ ଭୀତି । ଯାଦବେ ତୋହର ଅପ୍ରୀତି ॥୪୮
ଏମନ୍ତ କହି ବ୍ରହ୍ମାସୁତ । ଆକାଶେ ଚଳିଲେ ତୁରିତ ॥୪୯
ମୁନି ଅନ୍ତରେ ଭୋଜରାୟେ । ଭାଳଇ ଜୀବନର ଭୟେ ॥୫୦
କେଶୀଦଇତ୍ୟକୁ ଅଣାଇଁ । କହଇ ବିଶ୍ୱାସ କରାଇ ॥୫୧
ତୁ ମୋର ଭ୍ରାତ ସହୋଦର । ବହନ ଯାଆ ଗୋପପୁର ॥୫୨
ବସୁଦେବର ପୁତ୍ର ଦୁଇ । ରାମଗୋବିନ୍ଦ ବେନିଭାଇ ॥୫୩
ଗୁପତେ ନନ୍ଦଘରେ ଥାଇ । ବଢ଼ିଲେ ବଳବନ୍ତ ହୋଇ ॥୫୪
ଯେତେ ଅସୁର ମୋର ଗଲେ । ଗୋପରେ ଥାଇ ସଂହାରିଲେ ॥୫୫
ଦୁହିଁଙ୍କି କର ପ୍ରାଣେ ନାଶ । ଦେବି ସମ୍ପଦ ଗ୍ରାମ ଦେଶ ॥୫୬
ଜୀବନ ରହିବ ମୋହର । ହେ ଭ୍ରାତ ବିଳମ୍ବ ନ କର ॥୫୭
କଂସର ଆଜ୍ଞା ଘେନି ଶିରେ । କେଶୀ ଚଳିଲା ଗୋପପୁରେ ॥୫୮
ଚାଣୁର ମୁଷ୍ଟିକର ମେଳେ । ଦର୍ପିଷ୍ଟ ମହାବଳୀୟାରେ ॥୫୯
ଗଜକୁବଳୟା ମାହୁନ୍ତ । ପାତ୍ର ସାମନ୍ତ ଇଷ୍ଟ ମିତ୍ର ॥୬୦
ଅଣାଇଁ କହଇ ଅସୁର । ଜଣ ଜଣକେ ଧରି କର ॥୬୧
ଭୋ ବୀର ମୁଷ୍ଟିକ ଚାଣୂର । କହି ଯେ ଗଲେ ମୁନିବର ॥୬୨
ବସୁଦେବ ତା' ପୁତ୍ରଦୁଇ । ଗୋପରେ ଅଇଲା ଲୁଚାଇ ॥୬୩
ଗୁପତେ ନନ୍ଦଘରେ ଥାଇ । ବଢ଼ିଲେ ବଳବନ୍ତ ହୋଇ ॥୬୪
ଯେତେକ ବୀର ମୋର ଗଲେ । ଗୋଟିଏ ବାହୁଡ଼ି ନଇଲେ ॥୬୫
ଦିନକୁ ଦିନ ବଳୀୟାର । କେମନ୍ତେ କରିବି ସଂହାର ॥୬୬
ତାହାଙ୍କୁ ଅଣାଇବି ଧରି । ଏଥେ ମାରିବି କୂଟ କରି ॥୬୭
ମାଲବିନ୍ଧାଣେ ମରାଇବି । ତେବେଟି ଜୀବନ ପାଇବି ॥୬୮
ସେ ମୋର ବୀରଙ୍କୁ ମାଇଲା । ବନସ୍ତେ କେହି ନ ଦେଖିଲା ॥୬୯
ମୁଁ ଆଣି ମଥୁରାରେ ଥୋଇ । ମାଲଙ୍କ ହସ୍ତେ ତାଙ୍କୁ ଦେଇ ॥୭୦
ମାରନ୍ତେ ଦେଖିବେ ସକଳ । ଯାଦବ ଭୋଜବଂଶ ବୀର ॥୭୧
ରଙ୍ଗସଭାଏ କରାଇବି । ଏମନ୍ତେ ଶତ୍ରୁ ସଂହାରିବି ॥୭୨
ତୁମ୍ଭେ ସକଳେ ମୋର ମିତ୍ର । ବେଗେ ନିବାର ନନ୍ଦସୁତ ॥୭୩
ଦେବଇଁ ସମ୍ପଦ ବହୁତ । ଗଜତୁରଙ୍ଗ ଯୂଥ ଯୂଥ ॥୭୪
ଶୁଣ ହୋ ପାତ୍ର ମନ୍ତ୍ରୀ ମୋର । ମଞ୍ଚା କରାଇବ ଅପାର ॥୭୫
ତୁମ୍ଭେ ସକଳେ ଦେଖୁଥିବ । ମୋହର ଶତ୍ରୁ ନାଶଯିବ ॥୭୬
ଦେବକୀ ବସୁଦେବ ଆସି । ମଞ୍ଚା ଉପରେ ଥିବେ ବସି ॥୭୭
ତୁମ୍ଭେ କରିବ ମାଲପଣ । ଦେଖିବେ ପୁତ୍ରଙ୍କ ମରଣ ॥୭୮
ମାହୁନ୍ତ ଥିବ ରଙ୍ଗଦ୍ୱାରେ । ବସି କୁବଳୟାପୀଡ଼ରେ ॥୭୯
ମାରିବ ସଭାତଳେ ନେଇ । ଦନ୍ତେ ଗୁନ୍ଥାଇ ବେନିଭାଇ ॥୮୦
ଅନେକ ଧନରତ୍ନ ଦେବି । ମୋହର ମଇତ୍ର କରିବି ॥୮୧
ଶୁଣ ହୋ ପାତ୍ରମନ୍ତ୍ରୀ ମୋର । ତୁମ୍ଭେ ଭିଆଅ ଧନୁଘର ॥୮୨
ଶୁକଳ ଚତୁର୍ଦ୍ଦଶୀ ଦିନେ । ପୂଜା କରିବ ରାତ୍ରମାନେ ॥୮୩
ଛେଳି ମହିଷ ବଳିଭୋଜା । କ୍ଷେତ୍ରପାଳଙ୍କୁ କର ପୂଜା ।୮୪
ଘୋଷଣା ଦିଅ ଚାରିଦିଗେ । ଗ୍ରାମ ପାଟଣା ପୁରଲାଗେ ॥୮୫
ଜନପରଜା ରଙ୍କି ଦୁଃଖୀ । ଆସିବେ ଧନୁଯାତ୍ରା ଦେଖି ॥୮୬
ଦେବଇଁ ଧନ ବସ୍ତ୍ର ଅନ୍ନ । ତୁଳାପୁରୁଷ ଆଦିଦାନ ॥୮୭
ଏମନ୍ତ କହି କଂସ ଗଲା । ଭିତର ପୁରେ ବିଜେକଲା ॥୮୮
ଅକ୍ରୁର ନାମେ ମନ୍ତ୍ରୀବର । ଯାଦବ ବଂଶେ ବଳୀୟାର ॥୮୯
କଂସର ବିଶ୍ୱାସ ଅପାର । ଡ଼କାଇ ଆଣିଲା ସତ୍ୱର ॥୯୦
ତାହାର କରେ ହସ୍ତ ଦେଇ । କହଇ ଏକାନ୍ତେ ବସାଇ ॥୯୧
ଭୋ ମିତ ଶୁଣ ମୋ' ଉତ୍ତର । ବିଶ୍ୱାସୀ ଅଟୁ ତୁ ମୋହର ॥୯୨
ଇଷ୍ଟ ବନ୍ଧୁରେ ସତ୍ୟ କହି । ବେଦପୁରାଣେ ଏ ଅଛଇ ॥୯୩
ତୋ' ତହୁଁ ନାହିଁ ଅନ୍ୟ ମିତ୍ର । ତୁ ମୋର ପ୍ରାଣ ପଞ୍ଚଭୂତ ॥୯୪
ତୋହର ବଳେ ଆଜ ମୁହିଁ । ଶତ୍ରୁ ସଂହାରିତେ ଲୋଡ଼ଇ ॥୯୫
ଯେସନେ ବିଷ୍ଣୁ ଆଶ୍ରେ କରି । ଦେବେ ହୁଅନ୍ତି ସୁଖଚାରୀ ॥୯୬
ନନ୍ଦଗୋକୁଳେ ବେଗେ ଯାଅ । ମୋହର ହିତେ ଯେବେ ଥାଅ ॥୯୭
ତୋହର ବଳେ ମୁଁ ନିଶ୍ଚିନ୍ତ । ଭୋ ମିତ୍ର କହିଲିଟି ସତ୍ୟ ॥୯୮
ବସୁଦେବର ପୁତ୍ର ଦୁଇ । ରାମଗୋବିନ୍ଦ ବେନିଭାଇ ॥୯୯
ଥୋଇଲା ନେଇ ନନ୍ଦଘରେ । ଲୁଚାଇ ବସୁଦେବ ଡ଼ରେ ॥୧୦୦
ତୁ ବେଗେ ରଥ ଘେନିଯାଅ । ମୋର ଛାମୁରେ ଆଣିଦିଅ ॥୧୦୧
ଦେବକୀ ବିଭା ହେଲା ଯେବେ । ମୋତେ ଯା କହିଥିଲେ ଦେବେ ॥୧୦୨
ସେ କଥା ହୋଇଲା ଯୁକତେ । ନାରଦ କହିଗଲେ ମୋତେ ॥୧୦୩
ମୋତେ ମାରିବେ ବେନିଭାଇ । ଏ କଥା ଉଚିତ ନୁହଁଇ ॥୧୦୪
ଗୋକୁଳେ ଥାଇ ବଳୀୟାର । ମାଇଲେ ଅନେକ ଅସୁର ॥୧୦୫
ବାଳୁତ କାଳୁଁ ତା'ଙ୍କୁ ଧରି । ବେଗେ ମୁଁ ପକାଇବି ମାରି ॥୧୦୬
ତେବେ ମୋହର ମନସ୍ଥିର । ଭୋ ମିତ୍ର ଧରୁଅଛି କର ॥୧୦୭
ନନ୍ଦଯଶୋଦାଙ୍କର ସଙ୍ଗେ । ଘେନାଇ ଆସ ଯାଇ ବେଗେ ॥୧୦୮
ଗୋରସ ଆଣ ଶତେଭାର । ଧନୁ ଉତ୍ସବ ଯାତ୍ରା ମୋର ॥୧୦୯
ଅଣାଇ ମଥୁରା ନବରେ । ବନ୍ଦୀ କରିବି ବନ୍ଦୀଘରେ ॥୧୧୦
ରାମଗୋବିନ୍ଦ ଅଣାଇବି । ହସ୍ତୀର ଦନ୍ତେ ଗୁନ୍ଥାଇବି ॥୧୧୧
ଯେବେ ଉବୁରିବେ ସେଠାରୁ । ମାଲେ ଅଛନ୍ତି ମହାମେରୁ ॥୧୧୨
ଏହାଙ୍କ ହସ୍ତେ ମରାଇବି । ତେବେ ସେ ଜୀବନ ପାଇବି ॥୧୧୩
ମେହାର ଯଦୁବଂଶ ବାଦୀ । ସବୁଙ୍କୁ ପକାଇବି ଛେଦି ॥୧୧୪
ନନ୍ଦଯଶୋଦା ବସୁଦେବ । ଦେବକୀ ଯେତେକ ଯାଦବ ॥୧୧୫
ଏହାଙ୍କୁ ପେଷି ଯମପୁର । ତେବେ ଜୀବନ ସ୍ଥିର ମୋର ॥୧୧୬
ଉଗ୍ରସେନଙ୍କୁ ଧରି ଆଣି । ଏଠାରେ ପକାଇବି ହାଣି ॥୧୧୭
ଦେବକନାମେ ତା'ର ଭାଇ । ମୋର ମରଣ ସେ ଲୋଡ଼ଇ ॥୧୧୮
ମୋର ବଇରୀଛନ୍ତି ଯେତେ । ଭୋ ମିତ୍ର ମାରିବି ଏମନ୍ତେ ॥୧୧୯
ତେବେ ସେ ମହୀ ଅକଣ୍ଟକେ । ଭୋଗ କରିବି ମୁହିଁ ଏକେ ॥୧୨୦
ଶ୍ୱଶୁର ଜରାସନ୍ଧ ମୋର । ସଙ୍ଗାତ ଦ୍ୱିବିନ୍ଦ ବାନର ॥୧୨୧
ଶୂର ନାରକା ବାଣାସୁର । ଅଛନ୍ତି ମହା ମହା ବୀର ॥୧୨୨
ଶାଲ୍ୱକ ଦନ୍ତବକ୍ର ବୀର । ପୁଣ୍ତ୍ରକ କାଶୀ-ରାଜେଶ୍ୱର ॥୧୨୩
ଏ ମୋର ସମ ବଳୀୟାର । ମୋତେ ଡରଇ ସୁନାସୀର ॥୧୨୪
ଭୋ ମିତ୍ର ଯାଆ ବେଗ ହୋଇ । ଧନୁ ଉତ୍ସବ ଯାତ୍ରା କହି ॥୧୨୫
ବହନ ଆଣ ୧ବେନିଭାଇ । ମିତ୍ର ମୋହର ଯେବେ ତୁହି ॥୧୨୬
ସେ ବିଷ୍ଣୁଅଂଶେ ଜାତ ହୋଇ । ରାମଗୋବିନ୍ଦ ବେନିଭାଇ ॥୧୨୭
ବିଚାରେ ବଳବାନ କରି । ତା'ଙ୍କ ମରଣ ମନେ ଧରି ॥୧୨୮
ଯେତେକ ବୀର ମୋର ଗଲେ । ଗୋଟିଏ ବାହୁଡ଼ି ନଇଲେ ॥୧୨୯
ତାହାଙ୍କ ବଳ ପରିମାଣି । ବଳେ ନୋହଇ ତା'ଙ୍କୁ ଆଣି ॥୧୩୦
ତୁ ଯେଣୁ ବିଷ୍ଣୁଭକ୍ତଜନ । ତୋରେ ସଦୟ ଭଗବାନ ॥୧୩୧
ବହନ କରି ଭାବେ କହି । ବେଗେ ତୁ ଘେନି ଆସ ଯାଇ ॥୧୩୨
ଟାଣ ନ କହି ଆଣ ବେଗେ । ରଥେ ବସାଇ ତୋର ସଙ୍ଗେ ॥୧୩୩
ତୋହର ଭକ୍ତିଭାବ ଘେନି । ଏଥେ ଆସିବେ ଭାଇ ବେନି ॥୧୩୪
ଏମନ୍ତ କଂସ ବୋଲ ଶୁଣି । ଅକ୍ରୁର ମନେ ମନେ ଗୁଣି ॥୧୩୫
- ଅକ୍ରୁର ଉବାଚ
ବୋଲଇ ଶୁଣ ନରନାଥ । ଏ କଥା ତୋହର ଉଚିତ ॥୧୩୬
ଶତ୍ରୁକୁ ବୁଦ୍ଧିବଳେ ମାରି । ତେବେ ଜୀବନ ସୁଖେ ଧରି ॥୧୩୭
କହଇ ଶୁଣ ନୃପବର । ଦଇବବଳ ବଳୀୟାର ॥୧୩୮
ଯେ ଯାହା କର୍ମଫଳ ବଳେ । ଭୋଗ କରନ୍ତି ମହୀତଳେ ॥୧୩୯
ମର୍ତ୍ତ୍ୟେମାନବ ଦେହ ବହି । ଲାଭ ଅଲାଭ ନ ଜାଣଇ ॥୧୪୦
ଯେ ଯାହା ପୂର୍ବେ ଥାଇ କରି । ଭୁଞ୍ଜଇ ସେ ଫଳ ଆବୋରି ॥୧୪୧
ଶୋକ ହରଷ ବେନିପଥେ । ମିଳନ୍ତି କର୍ମର ଆୟତ୍ତେ ॥୧୪୨
କର୍ମ ଯେ ବଡ଼ ବୁଦ୍ଧିଦାତା । କର୍ମ ହିଁ ଅଲେଖ ବିଧାତା ॥୧୪୩
ଯେବେ ତୋ' କର୍ମ ବଳୀୟାର । ଭୋଗ କରିବୁ ଦିବ୍ୟପୁର ॥୧୪୪
ବିବିଧ ରତ୍ନ ଅଶ୍ୱଗଜ । କରୀଦଶନଖଟ ଶେଯ ॥୧୪୫
ଅମୂଲ୍ୟପୁର ବାରସ୍ୱତୀ । ଦେବେ କରିବେ ତୋତେ ସ୍ତୁତି ॥୧୪୬
ଯଦି ତୋ କର୍ମ ବିଡ଼ମ୍ବନ । ହୋଇବ ଅକାଳ ମରଣ ॥୧୪୭
ଭଣଜା ହସ୍ତେ ଯେବେ ମୃତ୍ୟୁ । ଯାହା କହିଛି କୁଶକେତୁ ॥୧୪୮
ଏଥକୁ ନିଷତ ହୋଇଲେ । ଆଉ କି ଥିବ ଦେହ ଭଲେ ॥୧୪୯
ତୋହର ଆଜ୍ଞା ଶିରେ ଧରି । ଭୋ ରାଜା ଯିବି ଗୋପପୁରୀ ॥୧୫୦
ଶୁଣି ସନ୍ତୋଷ ଭୋଜରାଜା । ଅକ୍ରୁରେ କଲା ଦିବ୍ୟପୂଜା ॥୧୫୧
କଂସ ପଶିଲା ନିଜ ପୁର । ଅକ୍ରୁର ହୋଇଲା ବାହାର ॥୧୫୨
ପଥେ ସେ ବିଚାରଇ ମନେ । କୃଷ୍ଣଙ୍କୁ ଦେଖିବି କେସନେ ॥୧୫୩
ସତେ କି ଦେଖିବି ଶ୍ରୀମୁଖ । ଖଣ୍ତିବି କୋଟିଜନ୍ମ ଦୁଃଖ ॥୧୫୪
ମିଳିଲା ନିଜ ପୁରେ ଯାଇ । ଗୋବିନ୍ଦପାଦେ ଚିତ୍ତ ଦେଇ ॥୧୫୫
କହଇ ଦାସ ଜଗନ୍ନାଥ । ଅକ୍ରୁର ସଜକଲା ରଥ ॥୧୫୬
ସେ ରଥ ପଛେ ଥାଇ ଧୀରେ । ମନ ମୋ' ଯାଉ ଗୋପପୁରେ ॥୧୫୭
ସୁଜନେ ଆସ ସଙ୍ଗମେଳେ । କୃଷ୍ଣ ଦେଖିବା ବେନିଡ଼ୋଳେ ॥୧୫୮
ଅକ୍ରୁର ରଥେ ମନ ଥୁଅ । ସଂସାର ବନ୍ଧେ ଧନ୍ଦି ନୁହଁ ॥୧୫୯
ବାରେ ଦେଖିଲେ କୃଷ୍ଣ ରୂପ । ଆଉ କି ଥିବ ମନେ ତାପ ॥୧୬୦
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ଅକ୍ରୁରସମ୍ପ୍ରେଷଣଂ ନାମ ଊନଚତ୍ୱାରିଂଶୋଽଧ୍ୟାୟଃ ॥
ଚତ୍ୱାରିଂଶ ଅଧ୍ୟାୟ
[ସମ୍ପାଦନା]- ଶୁକ ଉବାଚ
ଶୁଣ ରାଜନ କୃଷ୍ଣ ଲୀଳା । କେଶୀ ଯେ ବୃନ୍ଦାବନେ ଗଲା ॥୧
ରଜନୀ ହୋଇଲା ପ୍ରଭାତ । ଗଗନେ ଉଦେ ଛାୟାକାନ୍ତ ॥୨
ଅଶ୍ୱର ପ୍ରାୟେ ରୂପ ଧରି । ଦେଖି ଗଗନେ ଦେବେ ଡ଼ରି ॥୩
ମନହୁଁ ବେଗବନ୍ତ ହୋଇ । କୋପେ ଖୋଳଇ କ୍ଷୁରେ ମହୀ ॥୪
କାନ୍ଧର ବାଳ ଠିଆ କରି । ଗଗନେ ପଡୁଅଛି ହୁରି ॥୫
ବିମାନେ ବସି ଦେବତାଏ । ଉଡ଼ିଣ ଗଲେ ଲାଞ୍ଜବାଏ ॥୬
ଗୋରୁଏ ପଳାଇଲେ ଛନ୍ନେ । ପଶିଲେ ଗହନ ବିପିନେ ॥୭
କେଶୀର ନିଶ୍ୱାସ ପବନେ । ଉଡ଼ିଲେ ବୃକ୍ଷେ ଘୋର ଶୂନ୍ୟେ ॥୮
ଶବଦ ଶୁଣି ମହାଘୋର । ଗୋବିନ୍ଦ ହୋଇଲେ ବାହାର ॥୯
ଦେଖିଲେ ଗୋପର ବିକଳ । ଶୂନ୍ୟେ କମ୍ପନ୍ତି ଦିଗପାଳ ॥୧୦
ଶୁଣି ଦୈତ୍ୟର ଘୋରରଡ଼ି । ଦେବେ ଗଗନ ଗଲେ ଛାଡ଼ି ॥୧୧
ଦେଖିଲେ ମଦନ ଗୋପାଳ । ଅସୁର ତେଜ ଅନର୍ଗଳ ॥୧୨
ଧନ ସମ୍ପଦ ଦାରା ଛାଡ଼ି । ଲୋକେ ପଳାନ୍ତି ବନମାଡ଼ି ॥୧୩
କିଜାଣି ବେଢ଼ିଲା ଅନଳ । କି ଅବା ପ୍ରଳୟର କାଳ ॥୧୪
ଉଲୁକାପାତ ଦିଶେ ମହୀ । ଦିବସେ ଅନ୍ଧକାର ହୋଇ ॥୧୫
କଂସର ହିତେ ମହାବଳୀ । ଲୋଡ଼ଇ ରାମ ବନମାଳୀ ॥୧୬
ଅସୁର ବିଚାରଇ ମନେ । କୃଷ୍ଣଙ୍କୁ ଦେଖିବି କେସନେ ॥୧୭
ଲୁଚାଇ ଅଛି ବସୁଦେବ । ମୋହର ଡରେ ପଳାଇବ ॥୧୮
ମୁଖ ବିସ୍ତାରି ବେଗେ ଧାଇଁ । ଆଜ ଗିଳିବି ବେନିଭାଇ ॥୧୯
ଏମନ୍ତ ବିଚାରି ଆନନ୍ଦେ । ମିଳିଲା ଗୋପପୁର ମଧ୍ୟେ ॥୨୦
ଗୋପବାଳକ ମଧ୍ୟେ ଥାଇ । ଦେଖିଲେ ପ୍ରଭୁ ଭାବଗ୍ରାହୀ ॥୨୧
ଗୋପକୁମର କନ୍ଧେ ହସ୍ତ । ଆଗ ହୋଇଲେ ଗୋପୀନାଥ ॥୨୨
ଗୋବିନ୍ଦ କଲେ ଶିଙ୍ଗାନାଦ । କେଶୀ ପାଇଲା ମନେ ଖେଦ ॥୨୩
ଜାଣିଲା ଏହି ନାରାୟଣ । ଶୋଷିଲା ପୂତନା ପରାଣ ॥୨୪
ଶକଟା ତୃଣା ବତ୍ସାସୁର । ଅଘା ପ୍ରଳମ୍ବା ମହାବୀର ॥୨୫
ଧେନୁକ ଷଣ୍ଢ ଆଦିକରି । ଏ ବନେ ମାଇଲା ମୁରାରି ॥୨୬
ଏହି ସେ ନନ୍ଦର କୁମର । ଜାଣି ଧାଇଁଲା ନିଶାଚର ॥୨୭
ମୁଖ ବିସ୍ତାରି କୋପଭରେ । ଧାଇଁଲା ପବନହୁଁ ଖରେ ॥୨୮
ମୁଖେ କି ପିଉଛି ଆକାଶ । ମିଳିଲା ଗୋବିନ୍ଦର ପାଶ ॥୨୯
ଉଞ୍ଚାଇ ପଛ ବେନିପାଦେ । ମାଇଲା ଗୋବିନ୍ଦର ହୃଦେ ॥୩୦
ଶ୍ରୀକୃଷ୍ଣ ବଞ୍ଚାଇଲେ ତାହା । ବଜ୍ର ହୁଁ ଆଣ୍ଟ ଯା'ର ହିଆ ॥୩୧
ଚରଣ ଧରି ବାମକରେ । ପକାଇଦେଲେ କୋପଭରେ ॥୩୨
ଗରୁଡ଼ ଯେହ୍ନେ ନାଗ ଧରି । ପକାଇ ରହଇ ଆବୋରି ॥୩୩
ପୁଣି କ୍ଷଣକେ ଜ୍ଞାନ ପାଇ । କେଶୀ ଧାଇଁଲା ରୋଷ ବହି ॥୩୪
ବିସ୍ତାର ଦେଖି ତା'ର ତୁଣ୍ତ । କୃଷ୍ଣ ଭରିଲେ ଭୁଜଦଣ୍ତ ॥୩୫
ସର୍ପ ପଶଇ ଯେହ୍ନେ ବିଳେ । ଦେଖି ହସନ୍ତି ଗୋପବାଳେ ॥୩୬
ଦଇତ୍ୟ କାମୋଡ଼ିଲା କର । ଦନ୍ତ ତା ଝଡ଼ିଲା ଅଧର ॥୩୭
ତପତଫାଳ ପ୍ରାୟେ କର । ଚାପି ନ ପାରିଲା ଅସୁର ॥୩୮
କେଶୀ ଉଦରେ କୃଷ୍ଣକର । ବଢ଼ିଲା ଯେହ୍ନେ ଗିରିବର ॥୩୯
ଗର୍ଭ ମନ୍ଥିଲେ ଭୁଜଦଣ୍ତ । ଖୁଆ ଯେସନେ ଦଧିଭାଣ୍ତେ ॥୪୦
ନିରୋଧ ହୋଇ କଣ୍ଠଦ୍ୱାର । ବିସ୍ତାର କଲା ଚାରି କ୍ଷୁର ॥୪୧
ବେଗେ ଛାଡ଼ିଲା ମଳମୂତ୍ର । ପଡ଼ି ହୋଇଲା ମୂରୁଚ୍ଛିତ ॥୪୨
ବେନି ଲୋଚନ କଲା ସ୍ଥିର । ଜୀବନ ଛାଡ଼ିଲା ଅସୁର ॥୪୩
ଦେଖନ୍ତି ସ୍ୱର୍ଗେ ଦେବତାଏ । ପଶିଲା ଗୋବିନ୍ଦର ଦେହେ ॥୪୪
ପାଚିଲା ଫୁଟି ପ୍ରାୟେ ହୋଇ । ଅସୁର ପଡ଼ିଲା ମିଳାଇ ॥୪୫
ତାହାର ଗର୍ଭୁ ଦାମୋଦର । ଫେଇ ଆଣିଲେ ନିଜ କର ॥୪୬
ଦେଖି ଆନନ୍ଦ ଦେବତାଏ । ଆକାଶେ କଲେ ଜୟେ ଜୟେ ॥୪୭
ପୁଷ୍ପ ବରଷିଲେ ଗହଳେ । ସ୍ତୁତି କରନ୍ତି ଦେବବରେ ॥୪୮
କେଶୀ ମରଣ ଦେଖି ହସି । ଆସି ମିଳିଲେ ଦେବଋଷି ॥୪୯
ଏକାନ୍ତେ ଦେଖି ନରହରି । ସ୍ତୁତି କରନ୍ତି ପାଦେ ପଡ଼ି ॥୫୦
ଉଠି ଗୋବିନ୍ଦ ମୁଖ ଚାହିଁ । ବୋଲନ୍ତି ଶିରେ କର ଦେଇ ॥୫୧
- ନାରଦ ଉବାଚ
ଭୋ କୃଷ୍ଣ ପ୍ରଭୁ ଯୋଗେଶ୍ୱର । ଯାଦବବଂଶର ଠାକୁର ॥୫୨
ଅଶେଷ ଜନ୍ତୁ ହୃଦଗତେ । ଜ୍ଞାନୀ ଚିନ୍ତନ୍ତି ଯୋଗମତେ ॥୫୩
ଜ୍ୟୋତି ସ୍ୱରୂପ ନିରଞ୍ଜନ । ସକଳ ଆତ୍ମାରେ ଅଭିନ୍ନ ॥୫୪
ମନ ବୁଦ୍ଧିରେ ଅଗୋଚର । ମହାପୁରୁଷ ତୁ ଈଶ୍ୱର ॥୫୫
ତୋହର ମାୟାକୁ ଆବୋରି । ଶରୀର ବହୁ ନରହରି ॥୫୬
ସଂସାର କରୁ ତୁ ଭିଆଣ । ସୃଷ୍ଟି ପାଳନ ସଂହାରଣ ॥୫୭
ଭାରା ନିବାରେ ଦେହ ବହି । ସାଧୁଙ୍କୁ ରଖୁ ଭାବଗ୍ରାହୀ ॥୫୮
ଦୁଷ୍ଟ ନିବାରି ରଖୁ ମହୀ । ମର୍ତ୍ତ୍ୟେ ଉଦ୍ଧରୁ ରୂପ ବହି ॥୫୯
ଲୀଳାଏ ମାଇଲୁ ଅସୁର । ଦେଖି ହରଷ ସୁର ନର ॥୬୦
ଦେବେ ନ ରହନ୍ତି ଆକାଶେ । ଏ କେଶୀ ଦଇତ୍ୟର ତ୍ରାସେ ॥୬୧
ଭୋ ନାଥ ଶୁଣ ଚକ୍ରଧର । ମାରିବୁ ମୁଷ୍ଟିକ ଚାଣୂର ॥୬୨
ଧନୁ ଭାଙ୍ଗିବୁ ବାମକରେ । ହସ୍ତୀ ମାରିବୁ ରଙ୍ଗଦ୍ୱାରେ ॥୬୩
କଂସ ମାରିବୁ ଚାରିଦିନେ । ରାଜ୍ୟ ନିବେଶି ଉଗ୍ରେସେନେ ॥୬୪
କଂସର ଅଷ୍ଟମଲ୍ଲ ନାଶି । ଯାଦବ ବଂଶକୁ ଆଶ୍ୱାସି ॥୬୫
କାଳ ଯବନ ଶଙ୍ଖାସୁର । ମୁର ନାରକା ବେଗେ ମାର ॥୬୬
ଇନ୍ଦ୍ରଭୁବନୁ ପାରିଜାତ । ବଳେ ଆଣିବୁ ଗୋପୀନାଥ ॥୬୭
ବୀରରାଜାଙ୍କ କନ୍ୟା ଆଣି । ବିଭା ହୋଇବୁ ଚକ୍ରପାଣି ॥୬୮
ଜରାସନ୍ଧର ଭୟେ ଯାଇ । ସମୁଦ୍ରେ ଦ୍ୱାରକା ଭିଆଇ ॥୬୯
ନୃଗରାଜାଙ୍କୁ ସୁଖ ଦେବୁ । କୃକଲାଶ ରୂପ ନାଶିବୁ ॥୭୦
ତୋହର ପୁରେ ଶକ୍ରାଜିତ । ତୋତେ ବରିବ ଗୋପୀନାଥ ॥୭୧
ସତ୍ୟଭାମାର ତୁଲେ ମଣି । ତୋହର ପାଦେ ଦେବ ଆଣି ॥୭୨
ଯମର ଘରୁ ପୁତ୍ର ଆଣି । ତୋଷିବୁ ଗୁରୁଙ୍କ ଘରଣୀ ॥୭୩
ଘୋର ଦଇତ୍ୟ ପୁଣ୍ତରୀକ । ତାହାକୁ ମାରି ଦେବୁ ମୋକ୍ଷ ॥୭୪
ଦହନ କରି କାଶୀପୁର । ଯୁଦ୍ଧେ ମାରିବୁ ଦନ୍ତବକ୍ର ॥୭୫
ପାଣ୍ତବ ଯଜ୍ଞସଭା ତଳେ । ଚକ୍ରେ ଛେଦିବୁ ଶିଶୁପାଳେ ॥୭୬
ଦ୍ୱାରକା ପୁରେ ବନମାଳୀ । ଯେତେ କରିବୁ ସୁଖକେଳି ॥୭୭
ମୁଁ ତାହା ଦେଖିବି ଲୋଚନେ । ପୁରାଣେ ଶୁଣିଅଛି କର୍ଣ୍ଣେ ॥୭୮
ଅର୍ଜ୍ଜୁନ ରଥେ ତୁ ସାରଥି । ମୁଁ ପୁଣି ଥିବି ତୋ'ର କତି ॥୭୯
ଅନେକ ରାଜା ସୈନ୍ୟବଳ । ସଂହାର କରିବୁ ଗୋପାଳ ॥୮୦
ଶୁଦ୍ଧ ବିବେକ ନିରଞ୍ଜନ । ଆଦି ଅନାଦି ସ୍ଥୂଳ ଶୂନ୍ୟ ॥୮୧
ଅଶେଷ ପୁଣ୍ୟଫଳ ଦାତା । ତୁମ୍ଭେ ଜଗତ ପିତାମାତା ॥୮୨
ଆପଣା ମହିମା ବିସ୍ତାରି । ଗୁଣ ପ୍ରକାଶୁ ନରହରି ॥୮୩
ମନୁଷ୍ୟ ଦେହେ ଅବତାର । ଯାଦବବଂଶର ଠାକୁର ॥୮୪
ଏମନ୍ତେ ବ୍ରହ୍ମାର ନନ୍ଦନ । ଆନନ୍ଦେ କଲେ ସାମଗାନ ॥୮୫
ଗୋବିନ୍ଦ ଆଜ୍ଞା ଶିରେ ଘେନି । ଗଲେ ନାରଦ ମହାମୁନି ॥୮୬
ଏମନ୍ତେ ଅସୁର ସଂହାରି । ଗୋପେ ବିଜୟ ନରହରି ॥୮୭
- ଶୁକ ଉବାଚ
ଏବେ ହୋ ଶୁଣ ନରନାଥ । କୃଷ୍ଣର ଲୀଳା ଭାଗବତ ॥୮୮
ଦିନେକ ପ୍ରଭୁ ଭଗବାନ । ବାଳକ ମେଳେ ଗଲେ ବନ ॥୮୯
ଗିରିକନ୍ଦରେ ଘୋରବନେ । ଗାଈ ଚରାନ୍ତି ତୋଷମନେ ॥୯୦
ହସି ବୋଲନ୍ତି ଦାମୋଦର । ଏମନ୍ତ ଖେଳଅଛି ମୋର ॥୯୧
ଥୋକାଏ ହୁଅ ତୁମ୍ଭେ ଚୋର । ଥୋକାଏ ହୁଅ ରାତ୍ରପାଳ ॥୯୨
ଖେଳିବା କଦମ୍ବର ତଳ । ଏମନ୍ତ କହି ଆଦିମୂଳ ॥୯୩
ଥୋକାଏ ହୁଅ ପଶୁଗଣ । ଛାଗଳ ମହିଷ ହରିଣ ॥୯୪
ଥୋକାଏ ହୁଅ ଦଣ୍ତୁଆସି । ହସି କହନ୍ତି ବ୍ରହ୍ମରାଶି ॥୯୫
ତକ୍ଷଣେ କରି ସନମତ । ପୋଏ ହୋଇଲେ ଯୂଥ ଯୂଥ ॥୯୬
ଥୋକେ ହୋଇଲେ ଗୃହବାସୀ । ଥୋକାଏ ଚୋର ଦଣ୍ତୁଆସୀ ॥୯୭
ଏମନ୍ତେ ଖେଳଲୀଳା କରି । ଖେଳନ୍ତି ବନେ ନରହରି ॥୯୮
ଶୁଣ ରାଜନ ବିପରୀତ । ଅସୁର ମିଳିଲା ତୁରିତ ॥୯୯
ମୟଦଇତ୍ୟର କୁମର । ନାମ ତାହାର ବ୍ୟୋମାସୁର ॥୧୦୦
ମାୟାଗୋପାଳ ରୂପ ଧରି । ଅନେକ ନେଲା ଚୋରି କରି ॥୧୦୧
ଗିରିକ୍ରୋଟରେ ଲୁଚାଇଲା । ଦ୍ୱାରେ ପାଷାଣ ଅଚ୍ଛାଦିଲା ॥୧୦୨
ଏମନ୍ତେ ନେଲା ବେଳ ଦଶ । ରହିଲେ ପାଞ୍ଚ ସାତ ଶେଷ ॥୧୦୩
ଗୋପକୁମରଙ୍କୁ ଅନାଇଁ । ଜାଣିଲେ ପ୍ରଭୁ ଭାବଗ୍ରାହୀ ॥୧୦୪
ଦଇତ୍ୟ ମୋତେ ମାୟା କଲା । ମୋର ବାଳକ ହରିନେଲା ॥୧୦୫
ଭଲା ମୁଁ କଲି ଖେଳ ରସ । ମୋର ଗୋପାଳେ ଗଲେ ନାଶ ॥୧୦୬
ଦଇତ୍ୟ ନେଇ ଗିରିବରେ । ଲୁଚାଇ ଢ଼ାଙ୍କିଛି ଦୁଆରେ ॥୧୦୭
କୃଷ୍ଣ ଧାଇଁଲେ ଧାତିକାରେ । ମିଳିଲେ ପର୍ବତ କନ୍ଦରେ ॥୧୦୮
ବେନିବାଳକ ଯାକି କାଖେ । ଦଇତ୍ୟ ଚଳେ ଗିରିପାଖେ ॥୧୦୯
ତାହାର କେଶ ବାମକରେ । କୃଷ୍ଣ ଧଇଲେ କୋପଭରେ ॥୧୧୦
ତକ୍ଷଣେ ନିଜ ରୂପ ହୋଇ । ପଳାଇ ଲୋଡ଼ଇ ଛଡ଼ାଇ ॥୧୧୧
କୃଷ୍ଣ ଧଇଲେ ତାର ହସ୍ତ । ଘୂରାଇ ପକାଇଲେ ପଥ ॥୧୧୨
ପଶୁଙ୍କ ପ୍ରାୟ ମୁଣ୍ତମୋଡ଼ି । ପଡ଼ିଲା ଦେଇ ଘୋରରଡ଼ି ॥୧୧୩
ତକ୍ଷଣେ ଛାଡ଼ିଲା ଜୀବନ । କୃଷ୍ଣର ଦେହେ ହେଲା ଲୀନ ॥୧୧୪
ପର୍ବତ କ୍ରୋଟଦ୍ୱାରେ ଯାଇ । ଦ୍ୱାର ଫେଇଲେ ଭାବଗ୍ରାହୀ ॥୧୧୫
ଗୋପବାଳକ ଉଦ୍ଧରିଲେ । ଦେବେ କୁସୁମ ବରଷିଲେ ॥୧୧୬
ଆନନ୍ଦେ ଘେନି ଗୋପବାଳ । ଗୋପେ ବିଜୟ ଆଦିମୂଳ ॥୧୧୭
ଏବେ ସରିଲା ବନକେଳି । ମଥୁରା ଯିବେ ବନମାଳୀ ॥୧୧୮
ତାରିଲେ ଗୋପ ନରନାରୀ । ଭକତ ବନ୍ଧୁ ଦଇତ୍ୟାରି ॥୧୧୯
ଭକତଜନ ତାରିବାରେ । ଗୋରୁ ଚରାଇ ବନଘୋରେ ॥୧୨୦
ବାଳକ ରୂପେ ଅବତାର । ବଢ଼ିଲେ ନନ୍ଦର ମନ୍ଦିର ॥୧୨୧
ମଥୁରାପୁର ନରନାରୀ । ପୂର୍ବେ ଅଛନ୍ତି ତପ କରି ॥୧୨୨
ନୟନେ ଦେଖି କୃଷ୍ଣରୂପ । ଖଣ୍ତିବେ ଭବବନ୍ଧ ତାପ ॥୧୨୩
ସୁଜନଜନେ ଶୁଣ ଧୀରେ । କୃଷ୍ଣ ଚରିତ କର୍ଣ୍ଣଦ୍ୱାରେ ॥୧୨୪
ରାମଗୋବିନ୍ଦ ବାଳକେଳି । ଗୁନ୍ଥି ଲମ୍ବାଅ କଣ୍ଠେ ମାଳୀ ॥୧୨୫
ଚିତ୍ତ ନିରୋପି କୃଷ୍ଣ ପାୟେ । ନ ବୁଡ଼ ଭବଜଳେ ମୋହେ ॥୧୨୬
କହଇ ଦାସ ଜଗନ୍ନାଥ । ଗୀତ ବିନୋଦେ ଭାଗବତ ॥୧୨୭
ଭକତଜନେ ଏହା ଗାଇ । କୃଷ୍ଣଲୀଳାରେ ମନ ଦେଇ ॥୧୨୮
ହୋଇବ ଭବଜଳୁଁ ପାର । କୃପା କରିବେ ଦାମୋଦର ॥୧୨୯
ଭକତଜନଙ୍କର ହିତ । ରଚିଲି ଶିରୀଭାଗବତ ॥୧୩୦
ଶୁଣି ସୁଜନେ ହୁଅ ତୋଷ । କହଇ ଜଗନ୍ନାଥ ଦାସ ॥୧୩୧
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ କେଶୀବ୍ୟୋମାସୁରବଧୋ ନାମ ଚତ୍ୱାରିଂଶୋଽଧ୍ୟାୟଃ ॥
ଏକଚତ୍ୱାରିଂଶ ଅଧ୍ୟାୟ
[ସମ୍ପାଦନା]- ଶୁକ ଉବାଚ
ବୋଲନ୍ତି ବ୍ୟାସଙ୍କ କୁମର । ଶୁଣ ପରୀକ୍ଷ ନୃପବର ॥୧
ଏଣେ ତୁ ହୋଇବୁ ନିସ୍ତାରି । ହେଳେ ତରିବୁ ଭବବାରି ॥୨
କେଶୀ କି ଆଶ କରି କଂସ । ରଖି ଯେ ଅଛି ଯଦୁବଂଶ ॥୩
କେଶୀ ଅଇଲେ କାର୍ଯ୍ୟ କରି । ସମସ୍ତ ପକାଇବ ମାରି ॥୪
ଏମନ୍ତ ସମୟେ ସଭାର । ବାରତା କହିଲା ଡ଼ଗର ॥୫
କରଅଞ୍ଜଳି ଶିରେ ଦେଇ । ଚରଣେ ନିବେଶିଲା ଯାଇ ॥୬
ଡଗର ମୁଖେ ପରକାଶେ । କହିଲେ ଦ୍ରୋହ ମୋରଶେଷେ ॥୭
ନାହିଁତ କିଛି ତୋ'ର ଦ୍ରୋହ । ଯାହା ଦେଖିଲୁ ତାହା କହ ॥୮
କଂସର ଏ ବଚନ ଶୁଣି । ଡଗର କହେ ପରିମାଣି ॥୯
ପୂର୍ବହୁଁ ଅଛଇ ଜଣାଇ । ପୂତନା ପଡ଼ିଲା ଗୋସାଇଁ ॥୧୦
ତୃଣା ଶକଟା ବତ୍ସାସୁର । ତିନିହେଁ ଗଲେ ଯମଆଳ ॥୧୧
ଅଘାର ଦେହ ନିସ୍ତାରଣ । ବିଚିତ୍ର ତାହାର ମରଣ ॥୧୨
ଧେନୁକ ପ୍ରଳମ୍ବ ଦଇତ୍ୟ । ତା' ଭାଇ ରାମ କଲା ହତ ॥୧୩
କଥାଏ କହିବି ଗୋସାଇଁ । ନୋହିଲେ ପ୍ରତେ ଯିବୁ ନାହିଁ ॥୧୪
ସାତବରଷର ବାଳୁତ । କରେ ତୋଳିଲା ପରବତ ॥୧୫
ପୋଏ ତୋଳନ୍ତି ଯେହ୍ନେ ଛତି । କୃଷ୍ଣର ବିକ୍ରମ ମୂରତି ॥୧୬
ବିବାଦେ ଇନ୍ଦ୍ର ହାରିଗଲା । କୃଷ୍ଣରେ ଶରଣ ପଶିଲା ॥୧୭
କାଳୀୟ କାଳିନ୍ଦୀ ହ୍ରଦରେ । ଫଣା ସେ ମର୍ଦ୍ଦିଲା ପୟରେ ॥୧୮
ଅରିଷ୍ଟ ଷଣ୍ଢ ଗୋପେ ଚଳି । ଯାଇ ମିଳିଲେ ଗୋପପୁରୀ ॥୧୯
ହୋଇଲେ ଲୀଳାମାତ୍ରେ ଶେଷ । ଜନନୀ ଦେଖିଲା ଅଶେଷ ॥୨୦
ଶୁଣ ତୁ ଭୋଜ ରାଜବଂଶୀ । ଏବେ ପଡ଼ିଲା ତୋ'ର କେଶୀ ॥୨୧
ଶୁଣି କମ୍ପିଲା ତା'ର ତନୁ । ଢଳି ପଡ଼ିଲା ସିଂହାସନୁଁ ॥୨୨
ପଡ଼ିଣ ମୂର୍ଚ୍ଛାଗତ ହେଲା । ଅଚେଷ୍ଟ ହୋଇଣ ରହିଲା ॥୨୩
ପୁଣ ସେ ପାଇଣ ଚେତନ । କଲାକ ବହୁତ ରୋଦନ ॥୨୪
ତୁ କେଶୀ ମୋର ପ୍ରାଣ ସାହା । ଛିଡ଼ି ପଡ଼ିଲା ମୋର ବାହା ॥୨୫
ତୋତେ ନ ଦେଖି ମୋର ଡ଼କା । ତୁ କେଶୀ ମୋର ପ୍ରାଣସଖା ॥୨୬
ବାଳୁତ କାଳୁ ଯେତେ ଗୁଣ । ସୁମରି କାନ୍ଦେ ନୃପରାଣ ॥୨୭
ଅନେକ ରୋଦନ ଚହଳ । ସଭାରେ ହୋଇଲା ବିକଳ ॥୨୮
ଶୋକ ଦେଖିଣ ମହାମଲ୍ଲେ । ପ୍ରତିଜ୍ଞା କରିଣ ତୋଳିଲେ ॥୨୯
ଆମ୍ଭେ ଯେ ତୋହର ସେବକ । ତୁ ରାଜା କରୁ କିମ୍ବା ଶୋକ ॥୩୦
ତୋ'ର ଆଦେଶେ ଦିଗପାଳ । ସ୍ୱର୍ଗେ ଜିଣିଲୁଁ ଆଖଣ୍ତଳ ॥୩୧
ଏମନ୍ତ ପ୍ରତିଜ୍ଞା ତୋହର । ଏଥକୁ ଶୋଚନା ନ କର ॥୩୨
ରାମ ଗୋବିନ୍ଦ ବେନିଭାଇ । ପାରୁ କି ଏଥକୁ ଅଣାଇ ॥୩୩
ଦେଖିବୁ ବିଚିତ୍ର ସମର । ରାମକୃଷ୍ଣ ସଙ୍ଗେ ଆମ୍ଭର ॥୩୪
ଶୁଣି ସାନନ୍ଦ କଂସନୃପ । ମନରୁ ଛାଡ଼ିଲା ସନ୍ତାପ ॥୩୫
ବୀରଙ୍କୁ କହଇ ଉତ୍ତର । ସେ ମେର ଆତ୍ମା ଉର ଶଲ୍ୟ ॥୩୬
ଉପାୟ କରି ତା'କୁ ଜିଣ । ତା' ହସ୍ତେ ମୋହର ମରଣ ॥୩୭
ଅକ୍ରୁର ପେଷୁଅଛି ମୁହିଁ । ଘେନି ଆସିବ ବେନିଭାଇ ॥୩୮
ନନ୍ଦ ଯଶୋଦା ଆଦି କରି । ସଭିଙ୍କି ପକାଇବି ମାରି ॥୩୯
କହିଣ ଭିତରକୁ ଗଲା । ଶୁଣ ହୋ ଅଭିମନ୍ୟୁ ବଳା ॥୪୦
କଂସ ଆଦେଶ ଘେନି ଶିରେ । ଅକ୍ରୁର ବସିଲା ରଥରେ ॥୪୧
ଅରୁଣ ତେଜ ପ୍ରକାଶିଲା । ଦିଗ ଆନନ୍ଦେ ବିକାଶିଲା ॥୪୨
ବ୍ରାହ୍ମଣେ ଉଠି ରାତ୍ର ଅନ୍ତେ । ସ୍ତୁତି କରନ୍ତି ବେଦମନ୍ତ୍ରେ ॥୪୩
ମଙ୍ଗଳସ୍ୱରେ ବେଦଧ୍ୱନି । ଚଳିଲେ ତପୋବନେ ମୁନି ॥୪୪
ଜନେ ସୁମରନ୍ତି ମୁରାରି । ଯେ ଯାହାମତେ ସ୍ତୁତି କରି ॥୪୫
ମଳିନ ହୋଇ ତାରାଗଣ । ନିର୍ମଳ ଦିଶିଲା ଗଗନ ॥୪୬
ଉତ୍ତରଦିଗେ ବଳୀୟାର । ପବନ ବହଇ ମଧୁର ॥୪୭
ଶଙ୍ଖଶବଦ ଦେବଆଳେ । ଅମର ଗୁରୁ ଲଗ୍ନ ବେଳେ ॥୪୮
ଅଶ୍ୱ ଯୋଚିଲା ରଥଦଣ୍ତେ । ମଙ୍ଗଳ ମଥୁରାର ଦାଣ୍ତେ ॥୪୯
ମନେ ଚିନ୍ତଇ ଭଗବାନ । ଅକ୍ରୁର ହରଷ ବଦନ ॥୫୦
ଚିନ୍ତଇ ପ୍ରଭୁ ଆଦିମୂଳ । ଆନନ୍ଦେ ବହେ ଅଶ୍ରୁଜଳ ॥୫୧
ପଦ୍ମଲୋଚନ ପାଦତଳେ । ଭାବଇ ମତ୍ତଭୃଙ୍ଗ ବଳେ ॥୫୨
ମନ ନିବେଶି କୃଷ୍ଣପାଦେ । ବୋଲଇ ଶୋକ ଗଦଗଦେ ॥୫୩
ପୂର୍ବେ କି କରିଅଛି ପୁଣ୍ୟ । ତପ ସମାଧି ଯଜ୍ଞ ଦାନ ॥୫୪
ଦେବ ବ୍ରାହ୍ମଣ ପୂଜା ହିତେ । ଧନ ବା ଦେଲି ଅପ୍ରମିତେ ॥୫୫
କି ଅବା ଅଛି ତପକରି । ଦେଖିବି ପ୍ରଭୁ ନରହରି ॥୫୬
ଦୁର୍ଲ୍ଲଭ ପ୍ରାୟ ମୁଁ ମଣଇଁ । କୃଷ୍ଣ ଭେଟିବି ଅବା କାହିଁ ॥୫୭
ବେଦ ପଠନ ଶୂଦ୍ରଜନେ । ଦୁର୍ଲ୍ଲଭ ଜଗତେ ଯେସନେ ॥୫୮
ଗୋବିନ୍ଦ ଦରଶନ ମୋତେ । କେମନ୍ତେ ଯିବଇଁ ପରତେ ॥୫୯
ଭବସାଗରେ ଦେହ ଧରି । କୋଟିକେ ଗୋଟଏ ବା ତରି ॥୬୦
ଏମନ୍ତେ ଦୁଃଖ ମୋ' ଦହନ । ଧନ୍ୟ ହୋଇବ ଦେହ ଜନ୍ମ ॥୬୧
ଯେ ପାଦପଦ୍ମ ଗୋପୀଜନେ । ହୃଦେ ଲଗାନ୍ତି ଅବଧାନେ ॥୬୨
ତହିଁ ଲାଗିବ ମୋର ଶିର । ଧନ୍ୟରେ ଜୀବନ ମୋହର ॥୬୩
ମୋହରେ କଂସ ଦୟା କରି । ଯେଣେ ଦେଖିବି ନରହରି ॥୬୪
ଅଶେଷଜନ୍ମ ଘୋରତମ । ଆଜ ଛାଡ଼ିବି ମାୟାଭ୍ରମ ॥୬୫
ପାଦଯୁଗଳ ନଖ ତେଜ । ଦେଖି ମୁଁ ନିସ୍ତରିବି ଆଜ ॥୬୬
ବ୍ରହ୍ମା ଶଙ୍କର ଆଦି ଦେବେ । ଚିନ୍ତା କରନ୍ତି ପାଦସେବେ ॥୬୭
ଗୋପୀଙ୍କ କୁଚଯୁଗେ ଥାଇ । କୁଙ୍କୁମ ଲାଗିଅଛି ଯହିଁ ॥୬୮
ଗୋପକୁମର ଘେନି ବନେ । ଗୋରୁ ଚରାନ୍ତି ଅବଧାନେ ॥୬୯
ନନ୍ଦମନ୍ଦିରେ ତା'ଙ୍କୁ ଦେଖି । ନିର୍ମଳ ହେବ ଚର୍ମଆଖି ॥୭୦
ଅଶେଷ ତୀର୍ଥଙ୍କର ଘର । ସେବନ୍ତି ବ୍ରହ୍ମାଶିବ ସୁର ॥୭୧
କଳ୍ପବୃକ୍ଷର ପ୍ରାୟ ହୋଇ । ସକଳ ବାଞ୍ଛାଫଳ ଦେଇ ॥୭୨
ସକଳ ସମ୍ପଦର ସାର । ସେବକଜନ ଦୁଃଖହର ॥୭୩
ଜନ୍ମମରଣ ପଥ ଦୁଇ । ଏଣେ ଯେ ଅଜ୍ଞାନେ ଭ୍ରମଇଁ ॥୭୪
ତାହାଙ୍କ ବିଶ୍ରାମ ମନ୍ଦିର । ଭବ-ନିଦାଘେ ଛତ୍ରସାର ॥୭୫
ଦେଖିବି ସୁନ୍ଦର କପୋଳ । ନାସା ଶ୍ରବଣ ବେନିଡ଼ୋଳ ॥୭୬
ଅଳପ ହାସ ରଙ୍ଗମୁଖ । ଗୁଞ୍ଜ ଅଳକାପାଟୀ ରେଖ ॥୭୭
ଶୁଭ ଲକ୍ଷଣ ଆଜଦିନେ । ଶୃଗାଳ ଯାଉଅଛି ବାମେ ॥୭୮
ଭାରା ନିବାରଣେ ମୁରାରି । ମର୍ତ୍ତ୍ୟେ ମାନବ ଦେହ ଧରି ॥୭୯
ଅତି ସୁନ୍ଦର ଦେଖି ରୂପ । ଖଣ୍ତିବି କୋଟିଜନ୍ମ-ପାପ ॥୮୦
ଯାହାର ନାମ ଭାବଗ୍ରାହୀ । କାର୍ଯ୍ୟ-କାରଣ ଯା'ର ନାହିଁ ॥୮୧
ସେ ରୂପେ ପୂରାଇ ଲୋଚନ । ତେଜିବି ମାୟା ମୋହ ଭ୍ରମ ॥୮୨
ଯେ ଆତ୍ମାମାୟା ଯୋଗ କରି । ଗୋପୀ ଗୋପାଳ ମଧ୍ୟେ ହରି ॥୮୩
ଯାହାର ଗୁଣ କର୍ମ ଘେନି । ଦିନ ହରନ୍ତି ବ୍ରହ୍ମମୁନି ॥୮୪
ପ୍ରାଣ ଧରନ୍ତି ଦୁଃଖ ସୁଖେ । ପବିତ୍ର କରି ତିନିଲୋକେ ॥୮୫
ଏଣେ ଯାହାର ଚିତ୍ତ ନାହିଁ । ପଶୁଙ୍କ ପ୍ରାୟ ସେ ଜିଅଇ ॥୮୬
ଅଂଶେ ମାନବ ଦେହ ଧରି । ଯାଦବବଂଶେ ଅବତରି ॥୮୭
ଯଶ ବିସ୍ତାରି ଏହାଙ୍କର । ସତ୍ୟସ୍ୱରୂପ ଦାମୋଦର ॥୮୮
ଯା' ନାମ ପରମମଙ୍ଗଳ । ମହତଗତି ଆଦିମୂଳ ॥୮୯
କୋମଳ ମନୋହର ରୂପ । ଦେଖି ତରିବି ଭବକୂପ ॥୯୦
ଏ ଉଷାକାଳ ଶୁଭ ମୋତେ । ମଙ୍ଗଳ ମଥୁରାର ପଥେ ॥୯୧
କୃଷ୍ଣଙ୍କୁ ଦେଖି ବୃନ୍ଦାବନେ । ରଥୁଁ ଓହ୍ଲାଇବି ବହନେ ॥୯୨
ରାମଗୋବିନ୍ଦ ପଦ୍ମପାଦେ । ପଡ଼ିବି ମୋକ୍ଷଫଳ ସଧେ ॥୯୩
ଯୋଗି ଚିନ୍ତନ୍ତି ଧ୍ୟାନବଳେ । ଦେଖିବି ଗୋପାଳଙ୍କ ମେଳେ ॥୯୪
ପାଦେ ପଡ଼ିବି ଯେତେବେଳେ । କୃଷ୍ଣଧରିବେ ମୋତେ କୋଳେ ॥୯୫
ଶିରେ ମୋ' ଦେବେ ପଦ୍ମକର । ନାଶିବେ ଦୁଃଖ ମହାଘୋର ॥୯୬
କାଳ-ଭୁଜଙ୍ଗ ଭୟ ପାଇ । ଯେ ନର ଶରଣ ପଶଇ ॥୯୭
ସେ ପଦ୍ମକର ରଖେ ତା'ରେ । ବେଗେ ପଶଇ ମୋକ୍ଷଦ୍ୱାରେ ॥୯୮
ଯେବଣ କରେ ଦାନ ଦେଇ । ବଳି ପାତାଳେ ଭୋଗ ପାଇ ॥୯୯
ଭୁଞ୍ଜଇ ପୂଜି କୃଷ୍ଣପାଦ । ସ୍ୱର୍ଗେ ପାଇବ ଇନ୍ଦ୍ରପଦ ॥୧୦୦
ରାସଉତ୍ସବେ ବୃନ୍ଦାବନେ । ଯେବଣ ଭୁଜେ ଗୋପୀଜନେ ॥୧୦୧
ସୁଗନ୍ଧ କୁଚେ ଲଗାଇଲେ । କାମ-ଅନଳ ଲିଭାଇଲେ ॥୧୦୨
ଗୋପ କାମିନୀ ସ୍ୱେଦନୀରେ । ପୋଛିଲେ କାମ-ସ୍ନେହଭରେ ॥୧୦୩
ସେକର ଦେବେ ମୋର ମାଥେ । ଜନ୍ମ ସୁକୃତ ମହାପଥେ ॥୧୦୪
କଂସର ଦୂତ ବୋଲି ମୋତେ । କୋପ ନ ଥିବ କୃଷ୍ଣଚିତ୍ତେ ॥୧୦୫
ସେ ତାହା ଅଛଇନା ଜାଣି । ଯାହାର ନାମ ଅନ୍ତର୍ଯ୍ୟାମୀ ॥୧୦୬
ସକଳ ଜନ୍ତୁ ହୃଦେ ଥାଇ । ଭାବ-ଅଭାବ ସେ ଜାଣଇ ॥୧୦୭
ମୁଁ ଯେ ଚରଣତଳେ ପଡ଼ି । ଶିରେ ଅଞ୍ଜଳି ଥିବି ଯୋଡ଼ି ॥୧୦୮
ଅଳପ ହସି ବାଙ୍କେ ଚାହିଁ । ମୋତେ ଦେଖିବେ ଭାବଗ୍ରାହୀ ॥୧୦୯
ତକ୍ଷଣେ ହୋଇବି ନିର୍ମଳ । ଭୟ ଛାଡ଼ିଣ ରସେ ଭୋଳ ॥୧୧୦
ଅତି ଉଷତେ ସୁଖ ପାଇ । ବୋଲିବି କୃଷ୍ଣ ତ୍ରାହି ତ୍ରାହି ॥୧୧୧
ମୁଁ ତା'ର ଜ୍ଞାତି ସହୋଦର । ସୁହୃଦପଣେ ହେଁ ବେଭାର ॥୧୧୨
ମୋହର ବେନି ଭୁଜ ଧରି । ତୋଳିବେ ରାମ ଦଇତ୍ୟାରି ॥୧୧୩
ପବିତ୍ର ହୋଇବଇଁ ମୁହିଁ । କୋଟିଏ ତୀର୍ଥ ପୁଣ୍ୟ ପାଇ ॥୧୧୪
ନିକଟେ ଦେଖି ବ୍ରହ୍ମରାଶି । ଛେଦିବି କାଳଦଣ୍ତପାଶି ॥୧୧୫
କୃଷ୍ଣର ଅଙ୍ଗସଙ୍ଗ ପାଇ । ଚାହିଁବି ଶିରେ କର ଦେଇ ॥୧୧୬
ଦାସବତ୍ସଳ ନରହରି । ମୋତେ ଡ଼ାକିବେ ନାମ ଧରି ॥୧୧୭
ପବିତ୍ର ହୋଇବଇଁ ମୁହିଁ । ଆଉ ରହିବ ପାପ କାହିଁ ॥୧୧୮
ତେବେ ସେ ଜନ୍ମସୁଖ ମୋର । ସଂସାର ପ୍ରାଣୀଙ୍କର ସାର ॥୧୧୯
ତାହାର ନାହିଁ ମିତ୍ର ଅରି । ପ୍ରିୟ ଉଦାସ ଆଦିକରି ॥୧୨୦
ତଥାପି ଭକତର ହିତେ । ଭଜଇ ସୁରଦ୍ରୁମ ମତେ ॥୧୨୧
ରୋହିଣୀସୁତ ଦେଖି ମତେ । ବେଗେ କରିବେ କୋଳାଗ୍ରତେ ॥୧୨୨
ଘରକୁ ନେଇ ମୋର ପାଶେ । ବସିବେ ସୁହୃଦ ବିଶ୍ୱାସେ ॥୧୨୩
ବନ୍ଧୁକୁଶଳ ପଚାରିବେ । ଜନ୍ମମରଣ ମୋ' ନାଶିବେ ॥୧୨୪
କଂସ ବିଚାରିଅଛି ଯାହା । ଗୋବିନ୍ଦ ଜାଣନ୍ତିନା ତାହା ॥୧୨୫
ରଥ ବାହିଲା ଖରତର । ଏମନ୍ତ କରିଣ ବିଚାର ॥୧୨୬
ସତ୍ୟସ୍ୱରୂପ ଦାମୋଦର । ହୃଦେ ଚିନ୍ତଇ ଚକ୍ରଧର ॥୧୨୭
ଅସ୍ତ ହୋଇଲେ ଦିନକର । ଗୋକୁଳେ ମିଳିଲା ଅକ୍ରୁର ॥୧୨୮
ବାଟେ ଦେଖିଲା ବାଲିକୁଦ । ପଡ଼ିଛି ଗୋବିନ୍ଦର ପାଦ ॥୧୨୯
ଧ୍ୱଜ ଅଙ୍କୁଶ ପଦ୍ମଚିହ୍ନ । ଦେଖି ସାନନ୍ଦ କଲା ମନ ॥୧୩୦
ପୁଲକ ହେଲା ରୋମରାଜି । ଅଶ୍ରୁ ଗଳଇ ଚକ୍ଷୁବୁଜି ॥୧୩୧
ରଥୁ ପଡ଼ିଲା ବେଗେ ଡ଼େଇଁ । ବୋଲଇ କୃଷ୍ଣ ତ୍ରାହି ତ୍ରାହି ॥୧୩୨
ପାଦପଙ୍କଜ ଚିହ୍ନ ଧୂଳି । ଅକ୍ରୁର ଶିରେ ବେଗେ ବୋଳି ॥୧୩୩
ଲୋଟଇ ପାଦଚିହ୍ନ ପରେ । ତାଡ଼ଇ ବେନିକର ଶିରେ ॥୧୩୪
ଅକ୍ରୁର ଥାଇ ନିଜ ଘରେ । ଯାହା ଶୁଣିଛି କର୍ଣ୍ଣଦ୍ୱାରେ ॥୧୩୫
ତାହାର ପାଦଚିହ୍ନ ପାଇ । ଉଠିଣ ଆନନ୍ଦେ ନାଚଇ ॥୧୩୬
ଆନନ୍ଦସାଗରେ ବୁଡ଼ିଲା । ଦେହ-ଜୀବନ ପାସୋରିଲା ॥୧୩୭
ଏମନ୍ତେ ଖଣ୍ତେଦୂର ଯାଇ । ଅକ୍ରୁର ଦୂରୁ ଦେଲା ଚାହିଁ ॥୧୩୮
ଦେଖିଲା ଗୋପାଳଙ୍କ ମେଳେ । ଗୋରୁଏ ଅଛନ୍ତି ଗହଳେ ॥୧୩୯
ଗାଈ ଦୁହଁନ୍ତି ଗୋପପୋଏ । ଶବଦ ସମୁଦ୍ର ପରାୟେ ॥୧୪୦
କ୍ଷୀର ଢ଼ାଳନ୍ତି ଭାଣ୍ତେ ନେଇ । ପୁଣ ଦୁହଁନ୍ତି ଗୀତ ଗାଈ ॥୧୪୧
ଯେ ଯାହା ଅନୁରୂପେ ରୂପ । ଦେଖଇ ଏକଇ ସ୍ୱରୂପ ॥୧୪୨
କଙ୍କଣ ନୂପୁର ବାଜେଣୀ । ବିବିଧ ଛନ୍ଦରେ କାଛେଣୀ ॥୧୪୩
ମୟୂରପୁଚ୍ଛ ଗୁଞ୍ଜ ଶିରେ । ସୁରଙ୍ଗ ପାଦୁକା ପୟରେ ॥୧୪୪
ଗୋରୁଙ୍କ ଲାଞ୍ଜଧୂଳି ସଙ୍ଗେ । ଭୂଷଣ ଗୋପାଳଙ୍କ ଅଙ୍ଗେ ॥୧୪୫
ଛନ୍ଦଦଉଡ଼ି ଧରି କରେ । ବାଛୁରୀ ଛନ୍ଦନ୍ତି ସଧୀରେ ॥୧୪୬
ଶ୍ରବଣେ ଶୋହଇ କୁଣ୍ତଳ । କଣ୍ଠେ ଲମ୍ବଇ ବନମାଳ ॥୧୪୭
ଅକ୍ରୁର ଦେଖି ବିଚାରଇ । ରାମ ଗୋବିନ୍ଦ ନ ଚିହ୍ନଇ ॥୧୪୮
ସର୍ବେ ଦିଶନ୍ତି ଏକମତେ । ମୁଁ ଅବା ଜାଣିବି କେମନ୍ତେ ॥୧୪୯
ଦାସବତ୍ସଳ ଭଗବାନ । ଜାଣିଲେ ଅକ୍ରୁରର ମନ ॥୧୫୦
ତକ୍ଷଣେ ଦିବ୍ୟରୂପ ହୋଇ । ଗାଈ ଦୁହଁନ୍ତି ବେନିଭାଇ ॥୧୫୧
ଧବଳ ରୂପ ରାମକାୟେ । କୋଟିଏ ଚନ୍ଦ୍ର ସରି ନୋହେ ॥୧୫୨
ନୀଳ ପତନୀ କଟି ଭରେ । ରଙ୍ଗବସନ ପାଗ ଶିରେ ॥୧୫୩
ଶିରେ ସପତ ନାଗଫଣୀ । କରେ କଙ୍କଣ କଣ୍ଠେ ମଣି ॥୧୫୪
କର୍ଣ୍ଣେ କୁଣ୍ତଳ ରତ୍ନସାର । ନିବିଡ଼ ସୁରଙ୍ଗ ଅଧର ॥୧୫୫
କୃଷ୍ଣ ଦେଖିଲା ବାମପାଖେ । ଗୁଞ୍ଜ ମୟୂରପୁଚ୍ଛ ଶିଖେ ॥୧୫୬
ନୀଳ ଜୀମୂତ ତନୁ ଶୋହେ । କୋଟିଏ କାମ ସରି ନୋହେ ॥୧୫୭
ଶ୍ରବଣେ ମକରକୁଣ୍ତଳ । ହୃଦେ ଲମ୍ବଇ ବନମାଳ ॥୧୫୮
ଶ୍ରୀବତ୍ସ ଚିହ୍ନ ପୀତବାସ । ରଙ୍ଗ ଅଧରେ ମନ୍ଦହାସ ॥୧୫୯
ରତ୍ନକଠାଉ ପାଦଯୁଗେ । ମଣିମେଖଳା କଟିଭାଗେ ॥୧୬୦
କ୍ଷୀର କଣିକା ନୀଳଦେହେ । ଦିଶନ୍ତି ନକ୍ଷତ୍ର ପରାୟେ ॥୧୬୧
ଲୋଚନ ପଦ୍ମପ୍ରାୟେ ଦିଶି । ମହାମହିମା ବ୍ରହ୍ମରାଶି ॥୧୬୨
ଅକ୍ରୁର ମନେ ବିଚାରଇ । ଭେଟିଲି ପ୍ରଭୁ ଭାବଗ୍ରାହୀ ॥୧୬୩
ଏ ସେ ରୋହିଣୀସୁତ ରାମ । ସୁନ୍ଦର ପଣେ ନାହିଁ ସମ ॥୧୬୪
ଆଜାନୁଭୁଜ ବଳୀୟାର । ମଝା ସିଂହକୁ ପଟାନ୍ତର ॥୧୬୫
ବିକ୍ରମ ସିଂହ ପ୍ରାୟେ ହୋଇ । ଏ ସେ ଗୋବିନ୍ଦ ବେନିଭାଇ ॥୧୬୬
ସ୍ୱଭାବେ ବୟସ କିଶୋର । ଅଟନ୍ତି ବେନି ସହୋଦର ॥୧୬୭
ଗନ୍ଧଚନ୍ଦନ ଦେହେ ବୋଳି । କପୋଳେ ଶୋହେ ଗୋରୁଧୂଳି ॥୧୬୮
ପ୍ରଧାନ ପୁରୁଷ ଏ ବେନି । ସଂସାର ପିଅର ଜନନୀ ॥୧୬୯
ମର୍କତ ରୌପ୍ୟ ଗିରି ଘେରି । ଶୋହେ କି କନକପାଚେରୀ ॥୧୭୦
ଅବନୀଭାରାର ଉଶ୍ୱାସେ । ଜନ୍ମ ହୋଇଲେ ଯଦୁବଂଶେ ॥୧୭୧
ତ୍ରୈଲୋକ୍ୟଠାକୁର ଗୋସାଇଁ । କଂସର ଡ଼ରେ ଗୋପେ ଥାଇ ॥୧୭୨
ଦଶଦିଗର ତମ ନାଶେ । ନିଜ ସ୍ୱରୂପ ପରକାଶେ ॥୧୭୩
ରଥରୁ ଓହ୍ଲାଇ ଅକ୍ରୁର । ପାୟେ ଚାଳଇ ସ୍ନେହଭର ॥୧୭୪
ଗୋବିନ୍ଦ ନିକଟେ ମିଳିଲା । ସଂଭ୍ରମେ ଲୋଚନ ବୁଜିଲା ॥୧୭୫
ଅଭୟ ପାଦେ ଶିର ଦେଇ । ପଡ଼ିଲା ଦଣ୍ତ ପ୍ରାୟ ହୋଇ ॥୧୭୬
ବେନି ନୟନୁଁ ବହେ ନୀର । କଣ୍ଠ ହୋଇଲା ଶୋକଭର ॥୧୭୭
କହି ନ ପାରି ଆତ୍ମ ନାମ । ମନେ ବୋଲଇ କୃଷ୍ଣ ରାମ ॥୧୭୮
ପୁଣି ଉଠିଲା ଭାବଭରେ । ପଡ଼ିଲା ରାମର ପୟରେ ॥୧୭୯
ଦେଖି ସାନନ୍ଦ ବେନିଭାଇ । ଉଠିଲେ ଅକ୍ରୁରକୁ ଚାହିଁ ॥୧୮୦
ଧରି ଅକ୍ରୁର ବେନିଭୁଜ । ତୋଳିଲେ ପ୍ରଭୁ ଦେବରାଜ ॥୧୮୧
ଚାପିଲେ ହୃଦରେ ଲଗାଇ । ଅକ୍ରୁର ବୋଲେ ତ୍ରାହି ତ୍ରାହି ॥୧୮୨
ପୁଣି ପଡ଼ଇ ପାଦତଳେ । ରାମ ଧଇଲେ ନେଇ କୋଳେ ॥୧୮୩
ଅକ୍ରୁର ମୁଖେ ନୀର ଦେଇ । ବସ୍ତ୍ରେ ପୋଛିଲେ ଭାବଗ୍ରାହୀ ॥୧୮୪
ଶାନ୍ତ କରାଇ ସହୋଦର । କନ୍ଧେ ଘେନାଇ ବେନିକର ॥୧୮୫
ରାମ ଗୋବିନ୍ଦ କନ୍ଧେ କର । ସଧୀରେ ଚାଲଇ ଅକ୍ରୁର ॥୧୮୬
ଆନନ୍ଦସାଗରେ ବୁଡ଼ିଲା । ରାତ୍ର ଦିବସ ନ ଜାଣିଲା ॥୧୮୭
ଅକ୍ରୁରେ ଘେନି ବେନିଭାଇ । ମିଳିଲେ ନନ୍ଦଘରେ ଯାଇ ॥୧୮୮
ବନ୍ଧୁଜନଙ୍କର ବେଭାର । କରନ୍ତି ରାମ ଦାମୋଦର ॥୧୮୯
ପାଦ ଧୋଇଲେ ଚକ୍ରଧର । ବିଞ୍ଚନ୍ତି ରୋହିଣୀକୁମର ॥୧୯୦
ଆସନ ଦେଇ ଦାମୋଦର । ପୂଜିଲେ ଅକ୍ରୁର ପୟର ॥୧୯୧
ସ୍ୱଭାବେ ଖୁଡୁତା ଅକ୍ରୁର । ବନ୍ଧୁଜନର ଯେ ବେଭାର ॥୧୯୨
ମଧୁର କୋମଳ ବଚନ । କହି ତୋଷିଲେ ତା'ର ମନ ॥୧୯୩
ଅନ୍ନ ବ୍ୟଞ୍ଜନ ବାସପାଣି । ଗୋବିନ୍ଦ ପରଶିଲେ ଆଣି ॥୧୯୪
ଦଧି ଅଧାମ ଘୃତ ସର । ଦିଅନ୍ତି ରୋହିଣୀକୁମର ॥୧୯୫
ଏମନ୍ତେ ନାନା ଭଲ ଦ୍ରବ୍ୟ । ଅକ୍ରୁରେ ଭୁଞ୍ଜାଇଲେ ସର୍ବ ॥୧୯୬
ଅକ୍ରୁର ଭୁଞ୍ଜିଣ ଶୀତଳ । ଆଚମନକୁ ବାସନୀର ॥୧୯୭
ମୁଖ ପଖାଳି ବାସଗୁଆ । ଗୋବିନ୍ଦ ଭୁଞ୍ଜାନ୍ତି ବିଡ଼ିଆ ॥୧୯୮
ଗନ୍ଧଚନ୍ଦନ ଫୁଲମାଳ । ଦେଇ ବସିଲେ ପାଦତଳ ॥୧୯୯
ଅକ୍ରୁର ପାଦେ କର ଦେଇ । ଧୀରେ ଚାପନ୍ତେ ଭାବଗ୍ରାହୀ ॥୨୦୦
ରାମ ଚାପନ୍ତେ କରସ୍ଥଳ । ପୁଲକ ଅକ୍ରୁର ଶରୀର ॥୨୦୧
ଅକ୍ରୁର ଦେହୁ ଶ୍ରମ ଗଲା । ଆନନ୍ଦେ ନନ୍ଦ ପଚାରିଲା ॥୨୦୨
ଭୋ ମିତ୍ର କହିବା କୁଶଳ । ଭଲେ କି ଛନ୍ତି ଯଦୁକୁଳ ॥୨୦୩
କି ଆର ପଚାରିବି ମୁହିଁ । ଜୀବନ ଡ଼ରେ ଘରେ ରହି ॥୨୦୪
ଯାବତ ଅଛି ଭୋଜପତି । ଆମ୍ଭର କାହିଁ ଭଲଗତି ॥୨୦୫
ପଶୁମାରକ ଘରେ ଯେହ୍ନେ । ବନ୍ଦୀରେ ଥା'ନ୍ତି ପଶୁଗଣେ ॥୨୦୬
କଂସ ଜୀବନେ ଯେବେ ଥାଇ । ଆମ୍ଭର ସୁଖ ଲେଶ ନାହିଁ ॥୨୦୭
ଭଗିନୀ ସହୋଦର ପୋଏ । କଂସ ଯେ ମାଇଲା ନିର୍ଦ୍ଦୟେ ॥୨୦୮
ତା'ର ପ୍ରଜାଙ୍କ କି କୁଶଳ । ସ୍ୱଭାବେ ଅଟଇ ଅସୁର ॥୨୦୯
ଏମନ୍ତ ବିଶ୍ୱାସେ ପଚାରି । ଅକ୍ରୁର କର କରେ ଧରି ॥୨୧୦
ନୟନୁ ବହେ ଅଶ୍ରୁଜଳ । ଅକ୍ରୁର ଦେଖିଲା ବିକଳ ॥୨୧୧
ଉଠି ନନ୍ଦକୁ ଧରି କୋଳେ । ମୁଖ ଧୋଇଲା ବାସଜଳେ ॥୨୧୨
ଛାଡ଼ିଲା ଆପଣାର ଶ୍ରମ । ଶୁଣିଣ ମଧୁର ବଚନ ॥୨୧୩
ଥିଲା ଯେ ଦାସ ଜଗନ୍ନାଥ । ଶିରେ ନିବେଶି ବେନିହସ୍ତ ॥୨୧୪
ସୁଜନ ଜନ ପଛେ ଥାଇ । ରାମ ଗୋବିନ୍ଦ ମୁଖ ଚାହିଁ ॥୨୧୫
ଛାଡ଼ିଲା ଭବବନ୍ଧ-ତ୍ରାସ । ଗୀତେ ଭିଆଇ କୃଷ୍ଣରସ ॥୨୧୬
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ଅକ୍ରୁର ଆଗମନଂ ନାମ ଏକଚତ୍ୱାରିଂଶୋଽଧ୍ୟାୟଃ ॥
ଦ୍ୱିଚତ୍ୱାରିଂଶ ଅଧ୍ୟାୟ
[ସମ୍ପାଦନା]- ଶୁକ ଉବାଚ
ବୋଲନ୍ତି ବ୍ୟାସଙ୍କ କୁମର । ଶୁଣ ପରୀକ୍ଷ ନୃପବର ॥୧
ପଲଙ୍କେ ବସାଇ ଅକ୍ରୁର । କୃଷ୍ଣ ଯେ ପୂଜିଲେ ପୟର ॥୨
ଯାହା ବିଚାରିଥିଲା ପଥେ । କୃଷ୍ଣ ପୂଜିଲେ ସେହିମତେ ॥୩
ଯାହାର ନାମ ପଦ୍ମନାଭ । ତାହାଙ୍କୁ କିସ ଅପୂରୁବ ॥୪
ଶୀତଳ ମଣୋହି କରାଇ । ବୋଲନ୍ତି ପ୍ରଭୁ ଭାବଗ୍ରାହୀ ॥୫
ବନ୍ଧୁ ବିଷୟେ ରାଜା କଂସ । ଯେମନ୍ତେ କରିଛି ବିଶ୍ୱାସ ॥୬
- ଶ୍ରୀକୃଷ୍ଣ ଉବାଚ
କୃଷ୍ଣ ବୋଲନ୍ତି ଶୁଣ ତାତ । ଭଲେ ଅଇଲଟିକି ପଥ ॥୭
ବନ୍ଧୁ କୁଶଳ ଅଛ ଜାଣି । ଭୋ ତାତ କହ ପରିମାଣି ॥୮
ଯାବତ କୁଳବ୍ୟାଧି ହୋଇ । କଂସ ମାତୁଳ ମୋ' ଅଛଇ ॥୯
ତାବତ ସୁଖ କାହିଁ ଆର । ବନ୍ଧୁବାନ୍ଧବ ଯେତେ ମୋର ॥୧୦
ହୋଇଲେ ବଡ଼ ଦୁଃଖଭାଗୀ । ତାତ ଜନନୀ ମୋର ଲାଗି ॥୧୧
ସୁତମାରଣ ମୋର ବାଦେ । ଲୌହ ଶାଙ୍କୁଳି ବେନିପାଦେ ॥୧୨
ଆଜ ମୋହର ଭାଗ୍ୟ ଦେଖ । ଦେଖିଲି ଜ୍ଞାତିଜନ ମୁଖ ॥୧୩
ଭୋ ତାତ ତୋର ଆମଗନ । କହିବା କେବଣ କାରଣ ॥୧୪
କପଟ ନ କର ତୁ ମୋତେ । କହ ହରଷ ବହି ଚିତ୍ତେ ॥୧୫
- ଶୁକ ଉବାଚ
କୃଷ୍ଣବଚନ କର୍ଣ୍ଣେ ଶୁଣି । ଅକ୍ରୁର କହେ ମଞ୍ଜୁବାଣୀ ॥୧୬
ଭୋ ଦେବ ଯଦୁକୁଳ ଇନ୍ଦ୍ର । ଯୋଗୀଙ୍କ ଯୋଗ ପୂର୍ଣ୍ଣଚନ୍ଦ୍ର ॥୧୭
ମୁହିଁ ଅଇଲି ଯେଉଁ ପାଇ । ବଚନ ଶୁଣ ଭାବଗ୍ରାହୀ ॥୧୮
କଂସ କରିଛି ଯେତେ କର୍ମ । ଶୁଣିଲେ ଉପୁଜିବ ଶ୍ରମ ॥୧୯
ଯାଦବବଂଶେ ଦ୍ରୋହ କଲା । ବସୁଦେବଙ୍କୁ ହାଣୁଥିଲା ॥୨୦
ନାରଦ ଅନେକ କହିଲେ । ଖଡଗ ଛଡ଼ାଇ ଘେନିଲେ ॥୨୧
ମୁନିଙ୍କ ବୋଲେ ବେଳେ ରଖି । ପିଅର ଜନନୀ ତୋ ଦୁଃଖୀ ॥୨୨
ଧନୁ ଉତ୍ସବ ଯାତ୍ରା ଛଳେ । ଗୋପେ ପେଷିଲା ମୋତେ ବଳେ ॥୨୩
ତୋହର ଜନ୍ମ ଆମ୍ଭ ଘରେ । ନାରଦ କହିଲେ ଛାମୁରେ ॥୨୪
ଶୁଣି ଯେତେକ କଷ୍ଟ ଦେଲା । ଭୋ ନାଥ ନୁହଁଇ କହିଲା ॥୨୫
କିସ କହିବି ଆଉ ମୁହିଁ । ତୁ କି ନ ଜାଣୁ ଭାବଗ୍ରାହୀ ॥୨୬
ଅକ୍ରୁର ବୋଲ କୃଷ୍ଣ ଶୁଣି । ହସନ୍ତି ରାମ ଚକ୍ରପାଣି ॥୨୭
ନନ୍ଦକୁ ଚାହିଁ ବେନିଭାଇ । କହନ୍ତି ଅକ୍ରୁରେ ବସାଇ ॥୨୮
ନନ୍ଦକୁ ବୋଲନ୍ତି ଅକ୍ରୁର । ମଥୁରା ଯିବା ସଜକର ॥୨୯
ଧନୁ ଉତ୍ସବ ମଧୁପୁର । ଗୋରସ ଘେନି ଶତେ ଭାର ॥୩୦
ସରଲବଣୀ ଆଦିକରି । ଗୋପରେ ଯେତେ ନରନାରୀ ॥୩୧
ବହନ ସାଜ ରାତ୍ର ଥାଉଁ । କଂସ ରାଜାର କୋପନୋହୁ ॥୩୨
ଶକଟେ ନାନା ଦ୍ରବ୍ୟ ଭରି । ଆଗହୁଁ ଯା'ନ୍ତୁ ନରନାରୀ ॥୩୩
ରାଜା ହକରା ଚାରିଦିଗେ । ଲୋକେ ମିଳିବେ ଧନୁଯୋଗେ ॥୩୪
ଯେ ଯାହା ମତେ ପୂଜା କରି । ତୋଷ କରିବେ ଦଣ୍ତଧାରୀ ॥୩୫
ରାଜନ ହୋଇ ସାବଧାନ । ଯେ ଯାହା ମତେ ଦେବେ ଦାନ ॥୩୬
ଧନ ବସନ ଅଳଙ୍କାର । ଅନେକ କରିଛି ସମ୍ଭାର ॥୩୭
ଏମନ୍ତ କହି ରାଜା ଲୋକ । ନନ୍ଦକୁ ଦେଲାକ ଶ୍ରୀମୁଖ ॥୩୮
ନନ୍ଦ ଉଠିଣ ଘେନିକରେ । ଶ୍ରୀମୁଖ ଲଗାଇଲା ଶିରେ ॥୩୯
ପଢ଼ି ସାନନ୍ଦ ଗୋପବୀର । ଘୋଷଣା ଦେଲା ଗୋପପୁର ॥୪୦
ଗୋପାଳେ ବେଗେ ହୁଅ ସଜ । ଆଜ୍ଞା ଦେଇଛି ଭୋଜରାଜ ॥୪୧
ଧନୁଉତ୍ସବ ମଧୁପୁର । ଗୋରସ ଘେନି ଶତେ ଭାର ॥୪୨
ଯେ ଯାହା ମତେ ବେଗେ ଯାଅ । ରାତ୍ର ହୁଁ ଦଣ୍ତେ ହେଁ ନରହ ॥୪୩
ବିଳମ୍ବ ନକର କେବେ ହେଁ । କୋପ କରିବ କଂସରାଏ ॥୪୪
ରାମଗୋବିନ୍ଦ ମୋର ସଙ୍ଗେ । ରଥେ ମଥୁରା ଯିବେ ବେଗେ ॥୪୫
ରାଜାଙ୍କୁ କରିବେ ଦର୍ଶନ । ଦେଖିବେ ଧନୁଯାତ୍ରାମାନ ॥୪୬
ରାତ୍ର ହୁଁ ଯାଅ ବେଗକରି । ଶକଟେ ଘୃତ ସର ଭରି ॥୪୭
ଗୋପରେ ଶୁଭିଲା ଘୋଷଣ । ମଥୁରା ଯିବେ ନରାୟଣ ॥୪୮
ରାଜାଙ୍କୁ ଦର୍ଶନ କରିବେ । ମଥୁରା କଟକେ ରହିବେ ॥୪୯
ବନ୍ଦୀ କରିବ ମଧୁପୁରେ । ଲୁଚିଯେ ଛନ୍ତି ନନ୍ଦଘରେ ॥୫୦
ଶୁଣି ଗୋପାଳେ ଛନ୍ନ ଛନ୍ନ । ବିକଳ ଗୋପୀଙ୍କର ମନ ॥୫୧
ଏକ ଆରକେ ମୁଖ ଚାହିଁ । କହନ୍ତି ବାଇ ପ୍ରାୟ ହୋଇ ॥୫୨
ଶୁଣ ଗୋ ସଖି ବିପରୀତ । ଆସି ଯେ ଅଛି କଂସଦୂତ ॥୫୩
ନନ୍ଦ ଗୋବିନ୍ଦ ଆଦିକରି । ମଥୁରା ଘେନିଯିବ ଧରି ॥୫୪
ନେଇ ମାରିବ ବେନିଭାଇ । ଆମ୍ଭର ନେବ ଗୋରୁଗାଈ ॥୫୫
କେ ବୋଲେ ନୁହଁଇ ଏମନ୍ତ । ମଥୁରାପୁରେ ଧନୁଯାତ ॥୫୬
ଯାତ୍ରାକୁ ଯିବେ ବେନିଭାଇ । ରଥ ଦେଇଛି ପଠିଆଇ ॥୫୭
ରାଜନିଯୋଗ ଆବୋରିବେ । ମଥୁରା କଟକେ ରହିବେ ॥୫୮
ନନ୍ଦ ଯଶୋଦା ଆଦି କରି । ଗୋପରେ ଯେତେ ନରନାରୀ ॥୫୯
ଗୋରସ ଦେବେ ରାଜା ଆଗେ । ଯାତ୍ରା ଦେଖିବେ ନବରଙ୍ଗେ ॥୬୦
ପୁଣି ଆସିବେ ଗୋପପୁର । ରହିବେ ରାମ ଦାମୋଦର ॥୬୧
ଶୁଣି ଗୁଆଳୀ ଶୋକଚିତ୍ତେ । ଥୋକେ ବୋଲନ୍ତି ଏହିମତେ ॥୬୨
କି ବୁଦ୍ଧି କରିବା ଗୋ ଏବେ । କୃଷ୍ଣ ମଥୁରା ଯେବେ ଯିବେ ॥୬୩
କେମନ୍ତେ ବଞ୍ଚିବା ଗୋ ଦିନ । କୃଷ୍ଣ ଯେ ଆମ୍ଭର ଜୀବନ ॥୬୪
କହି କାତରେ କମ୍ପେ କାୟେ । ମୂର୍ଚ୍ଛିତେ ପଡ଼ିଲେ ଥୋକାଏ ॥୬୫
ଶିଶିରେ ଯେହ୍ନେ ପଦ୍ମବନ । କ୍ଷଣକେ ହୁଅଇ ଦହନ ॥୬୬
କାହାର ମୁଖ ଗଲା ଶୁଖି । କେ ଭାବେ ବୁଜେ ବେନିଆଖି ॥୬୭
କାହାର ଫିଟିଲା ଅଞ୍ଚଳ । କଟିମେଖଳା ଅସମ୍ଭାଳ ॥୬୮
କେ ଗଡ଼ି କାନ୍ଦଇ ଧରଣୀ । ଦେହ ଅବନୀ କେ ନ ଜାଣି ॥୬୯
ହା କୃଷ୍ଣ ବୋଲି ମୋହେ ପଡ଼ି । କେ ମୁଣ୍ତେ ବେନିକର ତାଡ଼ି ॥୭୦
ଶିରେ କେ ମାରଇ ପଥର । ହା ହା ଗୋବିନ୍ଦ ହଳଧର ॥୭୧
କେ ବୋଲେ ଜାଣିବାଟି ଆଜ । ମୋର ମହିମା ତୁମ୍ଭେ ବୁଝ ॥୭୨
ଅକ୍ରୁର ସଂହାରିବି ଆଜ । କି କରିପାରେ ଭୋଜରାଜ ॥୭୩
ରାମଗୋବିନ୍ଦ ବେନିଭାଇ । ମୁଁ ହିଁ ଗୋ ଆସିବି ରୁହାଇ ॥୭୪
କଂସ କି କରିବ ମୋହର । ଆମ୍ଭର କୃଷ୍ଣ ବଳୀୟାର ॥୭୫
ଦେଖିଲଟିକି ଚକ୍ଷୁଦ୍ୱାରେ । ଗିରି ତୋଳିଲେ ବାମକରେ ॥୭୬
ପୂତନା ଆଦି କେଶୀ ଯାଏ । ଗୋବିନ୍ଦ ମାଇଲେ ନିର୍ଭୟେ ॥୭୭
ତାହାର ଭୁଜ ଆଶ୍ରେ କରି । ସୁଖେଣ ଗୋପରେ ବିହରି ॥୭୮
ଅକ୍ରୁର ମାରିବା ଗୋ ଆସ । କି କରି ପାରିବ ସେ କଂସ ॥୭୯
ଆଜ ଗୋବିନ୍ଦ ଗୋପୁଁଗଲେ । ଆମ୍ଭେ ମରିବା ଏକାବେଳେ ॥୮୦
କିସ କରିବା ଗୋପପୁର । କୃଷ୍ଣ ଯେ ଜୀବନ ଆମ୍ଭର ॥୮୧
ରାମଗୋବିନ୍ଦ ଅନୁରାଗ । ଅଳପସ୍ମିତ ମୁଖରଙ୍ଗ ॥୮୨
ହୃଦେ ସୁମରି ଲୁହ ବହି । ଚିତ୍ରପ୍ରତିମା ପ୍ରାୟ ରହି ॥୮୩
ସୁନ୍ଦର ଚାଲିବାର ଠାଣି । ଯେମନ୍ତ କହେ ମୃଦୁବାଣୀ ॥୮୪
ଅଳପ ହସି ବାଙ୍କେ ଚାହିଁ । କଟାକ୍ଷେ ଜଗତ ମୋହଇ ॥୮୫
ଯେତେ ସଙ୍କଟୁ ଅଛି ତାରି । କେତେ ଅସୁର ଅଛି ମାରି ॥୮୬
ଏଣେ ନିରୋପି ଶୋକମନ । କୃଷ୍ଣ ବିଯୋଗେ ଛନ ଛନ ॥୮୭
ସକଳେ ହୋଇ ଏକରୁଣ୍ତ । ଶୋକେ ଚହଳ ଗୋପଦାଣ୍ତ ॥୮୮
କାନ୍ଦନ୍ତି ଦଇବ ସୁମରି । ବିଚ୍ଛେଦ ଦୁଃଖେ ଗୋପନାରୀ ॥୮୯
ତୁ ହୋ ଦଇବ ବଡ଼ ମନ୍ଦ । ଗୋପନଗରେ କଲୁ ଛନ୍ଦ ॥୯୦
ସଂଯୋଗ କଲୁ କୃଷ୍ଣସଙ୍ଗ । ଏବେ ତ କରୁଛୁ ବିଯୋଗ ॥୯୧
ଆମ୍ଭର ନ ପୂରିଲା ଆଶ । ଅଳପେ କଲୁ ତୁ ନିରାଶ ॥୯୨
ନିଷ୍ଠୁର ସ୍ୱଭାବ ତୋ ହିଆ । ଆମ୍ଭରେ ନାହିଁ ତୋର ଦୟା ॥୯୩
ବାଳୁତ ପ୍ରାୟେ ତୋର କର୍ମ । କେମନ୍ତେ ସହିବଟି ଧର୍ମ ॥୯୪
ନୀଳକୁନ୍ତଳ ଚାରୁମୁଖ । ଦେଖିଲେ ଛାଡ଼େ ଭବଦୁଃଖ ॥୯୫
ମଧୁରହାସ ନାସା ରେଖ । ଦେଖିଲେ ପାଉଁ ମନେ ସୁଖ ॥୯୬
ସେ ସୁଖ କରାଉଛୁ ଦୂର । ଅସାଧୁ କର୍ମ ଏ ତୋହର ॥୯୭
ଏମନ୍ତେ ଅକ୍ରୁରକୁ ଚାହିଁ । ବୋଲନ୍ତି କୋପଭର ହୋଇ ॥୯୮
ତୁ ଯେବେ ଅକ୍ରୁର ବୋଲାଉ । କ୍ରୁର ସ୍ୱଭାବ କିପାଜ୍ଞ ବହୁ ॥୯୯
ଆମ୍ଭର ଚକ୍ଷୁ ବନମାଳୀ । ତୁ ତାହା ନେଉଅଛୁ ଖୋଳି ॥୧୦୦
ନନ୍ଦକୁମର କୃଷ୍ଣ ସଙ୍ଗେ । ସୁହୃଦ କଲୁଁ ଭାବରଙ୍ଗେ ॥୧୦୧
ଛାଡ଼ିଲୁଁ ସୁତ ଧନଘର । ଲଜ୍ଜା ସ୍ୱଭାବ ବନ୍ଧୁବର ॥୧୦୨
ପୀରତି କରିଅଛୁ ନୂଆ । ଅକ୍ରୁର ନ ଛଡ଼ା ତୁ ଏହା ॥୧୦୩
ମଥୁରାନାରୀଙ୍କର ଭାଗ୍ୟ । ଶତଜନମେ ଯାଗଯଜ୍ଞ ॥୧୦୪
ସୁଖେ ପାହିବ ଆଜ ନିଶି । ଦେଖିବେ କୃଷ୍ଣ ଦ୍ୱାରେ ବସି ॥୧୦୫
ନଗ୍ରେ ପଶନ୍ତେ ବେନିଭାଇ । ବାମଦକ୍ଷିଣେ ଥିବେ ଚାହିଁ ॥୧୦୬
କଟାକ୍ଷେ ଦେଖି କୃଷ୍ଣରୂପ । ଛାଡ଼ିବେ କୋଟିଜନ୍ମତାପ ॥୧୦୭
କୃଷ୍ଣର ମୁଖପଦ୍ମରସ । ନୟନପାନେ ହୋଇ ତୋଷ ॥୧୦୮
ଗୁରୁ-ଗଉରବ ନ ଗଣି । ଦାଣ୍ତେ ଦେଖିବେ ବେଣୁପାଣି ॥୧୦୯
ମଥୁରାପୁର ନାରୀଗଣ । ଚାହିଁ ମୋହିବେ ନାରାୟଣ ॥୧୧୦
ମଥୁରାହାସେ କୃଷ୍ଣମନ । ପଣତେ ବାନ୍ଧିବେ ବହନ ॥୧୧୧
ଏମନ୍ତେ ନାନାଭାବ କରି । ମନମୋହିବେ ନରହରି ॥୧୧୨
ଗୋବିନ୍ଦ ରତିରସେ ଜିତା । ଛାଡ଼ିବେ ଗୋପପୁର ଚିନ୍ତା ॥୧୧୩
ଭୁଲାଇ କୃଷ୍ଣ-ହଳଧର । ଛାଡ଼ି ନ ଦେବେ ଗୋପପୁର ॥୧୧୪
ଯାଦବ ଆଦି ସାତବଂଶ । ତାହାଙ୍କ ପୁଣ୍ୟ ଗୋ ଅଶେଷ ॥୧୧୫
ଆଜ ପାଇବେ ତପଫଳ । ଦେଖିବେ ମଦନଗୋପାଳ ॥୧୧୬
ଆମ୍ଭର ପୂର୍ବପାପେ ଜାଣ । ଅକ୍ରୁର ହୋଇଲା ଦାରୁଣ ॥୧୧୭
ଆମ୍ଭର ଦୁଃଖ ନ ଜାଣଇ । ମଥୁରା ନେବ ବେନିଭାଇ ॥୧୧୮
ଦେହରୁ ପ୍ରାଣ ନେବ ହରି । ଆଜ ମରିବୁ ଗୋପନାରୀ ॥୧୧୯
ଦେଖ ଗୋପାଳେ ଏଡ଼େ ମନ୍ଦ । ବିଚାର ନ କରଇ ନନ୍ଦ ॥୧୨୦
ପୁଅଙ୍କ ଭଲ ନ ଜାଣଇ । ଅକ୍ରୁର ବୋଲେ ପଠିଆଇ ॥୧୨୧
ଯଶୋଦା ନ ଜାଣଇ ଏହା । କେମନ୍ତେ ଧରିବଟି ହିଆ ॥୧୨୨
ଗଉଡ଼େ ବାଇ ପ୍ରାୟେ ହୋଇ । ସଜ ହୁଅନ୍ତି ଆଗେ ଯାଇ ॥୧୨୩
ଦଇବ ହୋଇଲା ବଇରୀ । ଆଜୁଁ ବୁଡ଼ିଲା ଗୋପଶିରୀ ॥୧୨୪
ଆସ ଗୋ ଓଗାଳିବା ପଥ । ଅକ୍ରୁର କେତେ ବଳବନ୍ତ ॥୧୨୫
ରଥ କରିବା ଖଣ୍ତ ଖଣ୍ତ । ଛେଦିବା ଅକ୍ରୁରର ମୁଣ୍ତ ॥୧୨୬
କି କରି ପାରିବେ ଗୋପାଳେ । ରଥ ଭାଙ୍ଗିବା ଆମ୍ଭେ ବଳେ ॥୧୨୭
ଶୁଣି ଗୋ କଂସ କରୁ ରୋଷ । ଆମ୍ଭେ ନ ଥିବା ତା'ର ଦେଶ ॥୧୨୮
ଅର୍ଦ୍ଧନିମିଷେ କୃଷ୍ଣ ସଙ୍ଗ । ଛାଡ଼ି ମଣିବୁ ଶତେଯୁଗ ॥୧୨୯
ସେ ଆମ୍ଭ ଦୁଃଖର ସୋଦର । ଦଇବ କଲା ଏବେ ଦୂର ॥୧୩୦
ଆମ୍ଭର ରାସକେଳି ରସେ । ଜାଣନା ବୃନ୍ଦାବନ ଦେଶେ ॥୧୩୧
ନିମିଷେ ନ ପାଇ ମୁରାରି । କେମନ୍ତ ହେଲୁ ଗୋପନାରୀ ॥୧୩୨
ତକ୍ଷଣେ ପାଇ ବ୍ରହ୍ମରାଶି । ନିମିଷ କଲୁଁ ବ୍ରହ୍ମନିଶି ॥୧୩୩
ତାହାର ଗୁଣ ମନେ ଗୁଣି । ଏବେ ମରିବୁ ଗୋପାଳୁଣୀ ॥୧୩୪
ଗୋରୁ ଚରାଉଥାଇ ବନେ । ଗୋପେ ଆସଇ ରାତ୍ରମାନେ ॥୧୩୫
ଯେବେ ଗୋ ତା'ର ମୁଖ ଦେଖି । ପିଛାଡ଼ି ନ ପାରୁ ଯେ ଆଖି ॥୧୩୬
କଟାକ୍ଷ କରି ବେଣୁବାଇ । ଚାହଁନ୍ତେ ଜଗତ ମୋହଇ ॥୧୩୭
ଏବେ ମଥୁରାପୁର ଗଲେ । କେମନ୍ତେ ବଞ୍ଚିବା ଗୋ ଭଲେ ॥୧୩୮
ଏମନ୍ତ ହୋଇ ଗୋପନାରୀ । କୃଷ୍ଣ ବିଚ୍ଛେଦେ ତନୁ ଘାରି ॥୧୩୯
ଲାଜ ଛାଡ଼ିଲେ ଗୋପଦାଣ୍ତେ । ତାଡ଼ନ୍ତି ବେନିକର ମୁଣ୍ତେ ॥୧୪୦
ବିକଳେ ବୁଜନ୍ତି ନୟନ । କାନ୍ଦନ୍ତି ଧରି କୃଷ୍ଣନାମ ॥୧୪୧
ମୁକୁନ୍ଦ ଦାମୋଦର ହରି । ମାଧବ କୃଷ୍ଣ ଦଇତ୍ୟାରି ॥୧୪୨
ଜୀବନ ଗଲାଟି ଆମ୍ଭର । ମଥୁରା ନ ଯା ଦାମୋଦର ॥୧୪୩
ତୋତେ ନ ପାଇ ଭାବଗ୍ରାହୀ । ଦିନ ବଞ୍ଚିବୁ କାହା ଚାହିଁ ॥୧୪୪
ଅକ୍ରୁର ଆମ୍ଭ ଚକ୍ଷୁ ନେଲା । ଜୀବନ ଜିଉଁ ଜିଉଁ ମଲା ॥୧୪୫
ରୋଦନ ଶୁଣି ଗୋପୀଜନେ । ଅକ୍ରୁର କୋପକଲା ମନେ ॥୧୪୬
ବୋଲଇ ନନ୍ଦ ମୁଖ ଚାହିଁ । ଲେଉଟି ଯିବି ଆଜ ମୁହିଁ ॥୧୪୭
ବଳେ ପାରିବୁଟିକି ରହି । ଗୋପୀଏ ହେଉଛନ୍ତି ବାଈ ॥୧୪୮
କହନ୍ତି ଆନୁଆନ କରି । ରୁଣ୍ତ ହୋଇଣ ସର୍ବନାରୀ ॥୧୪୯
ଜାଣୁନା କଂସର ମହିମା । ଗୋପନଗରେ ଯେତେ ବାମା ॥୧୫୦
କ୍ଷଣକେ କରିବ ନିପାତ । କିସ କରିବେ ବଳବନ୍ତ ॥୧୫୧
ଏହାଙ୍କୁ କରି ନିବାରଣ । ବେଗେଣ ଚଳ ମଧୁବନ ॥୧୫୨
ଲେଉଟିଗଲେ ଆଜ ମୁହିଁ । ଗୋପେ ପାରିବୁଟିକି ରହି ॥୧୫୩
ଦଣ୍ତେ ହେଁ ନ କର ଉଚୁର । କୁଶଳ ଇଚ୍ଛା ଯେବେ ତୋ'ର ॥୧୫୪
ରାମଗୋବିନ୍ଦ ମୋତେ ଦେଇ । ନ ଯାଇ ପଛେ ଥାଅ ତୁହି ॥୧୫୫
ଯଶୋଦା ଅକ୍ରୁରକୁ ଚାହିଁ । କାନ୍ଦଇ କୃଷ୍ଣ କୋଳେ ଲଇଁ ॥୧୫୬
ରୋହିଣୀ ଘେନି ହଳଧରେ । ରୋଦନ କଲେ ଉଚ୍ଚସ୍ୱରେ ॥୧୫୭
ବଜ୍ର ପଡ଼ିଲା ଶିରେ ଜାଣି । କାନ୍ଦନ୍ତି ଯଶୋଦା-ରୋହିଣୀ ॥୧୫୮
ଦଇବ କଲୁ ବିପରୀତ । କାହାକୁ ସମର୍ପିବୁ ସୁତ ॥୧୫୯
ଜୀବନ ଥିବ ଆମ୍ଭ କାହିଁ । ମରିବୁ ପୁତ୍ରକୁ ନ ପାଇ ॥୧୬୦
ଯଶୋଦା କୃଷ୍ଣ ମୁଖ ଚାହିଁ । କାନ୍ଦଇ ମୁଖେ ଚୁମ୍ବ ଦେଇ ॥୧୬୧
ତୁ କୃଷ୍ଣ ଗଲେ ମଧୁପୁରୀ । ଜୀବନ ନ ପାରିବି ଧରି ॥୧୬୨
ଗୋରୁ ଚରାଉ ଯେତେବେଳେ । କାନନେ ଗୋପସୁତ ମେଳେ ॥୧୬୩
ଦଣ୍ତେ ମୁଁ ନ ଦେଖିଲେ ତୋତେ । ନିମିଷ ହୁଏ ଯୁଗ ଶତେ ॥୧୬୪
ପୁଛଇଁ ଜଣେ ଜଣେ ମୁହିଁ । ପୁତ୍ର ମୋ' କେ ଦେଖିଛ କାହିଁ ॥୧୬୫
କ୍ଷତ-ହରିଣୀ ପ୍ରାୟ ହୋଇ । ରବିକିରଣେ ଚାହୁଁଥାଇ ॥୧୬୬
ବେଳ ତ ହୋଇଲା ଉଛୁର । କୃଷ୍ଣ ନ ଇଲା କିପାଁ ଘର ॥୧୬୭
ଅନ୍ନ ବ୍ୟଞ୍ଜନ ମୋତେ ପିତା । ତୋତେ ନ ଦେଖି ମୋର ଚିନ୍ତା ॥୧୬୮
ନିମିଷ ଯୁଗପ୍ରାୟ ହୋଇ । ଘରବାହାରେ ନ ରହଇ ॥୧୬୯
ତୋ'ର ବଦନ ଯେତେବେଳେ । ଦେଖଇ ନୟନ-ଯୁଗଳେ ॥୧୭୦
ତେବେ ମୋ' ଜୀବନ ପଶଇ । ସରଲବଣୀ ତୋତେ ଦେଇ ॥୧୭୧
ଏବେ ତୁ ମଧୁପୁର ଗଲେ । ମୁହିଁ ଯିବଇଁ ତୋର ତୁଲେ ॥୧୭୨
ପୁଣି ରାମକୁ କୋଳ କରି । ଶୋକେ ବୋଲଇ ନନ୍ଦନାରୀ ॥୧୭୩
ତୁ ରାମ ବଳେ ବଳୀୟାର । କୃଷ୍ଣ ମୋ' ନୁହଇ ଚତୁର ॥୧୭୪
ସଙ୍ଗ ତୁ ନ ଛାଡ଼ିବୁ ଦଣ୍ତେ । ଗହଳ ମଥୁରାର ଦାଣ୍ତେ ॥୧୭୫
ଏମନ୍ତ କହି ନନ୍ଦନାରୀ । ବେନିଲୋଚନୁ ବହେ ବାରି ॥୧୭୬
ଅକ୍ରୁର କୋପେ ପରଜ୍ୱଳି । ରୋଷେ ନନ୍ଦକୁ ଦେଲା ଗାଳି ॥୧୭୭
କୃଷ୍ଣ ସାରିଲେ ନିତ୍ୟକର୍ମ । ସଜ ହୋଇଲେ ବଳରାମ ॥୧୭୮
ଗୋପୀଙ୍କ ରୋଦନ ଚହଳ । ଗୋପରେ ଶୁଭୁଅଛି ଗୋଳ ॥୧୭୯
ପ୍ରଳୟ ସିନ୍ଧୁ ପ୍ରାୟ ମଣି । ବୋଲନ୍ତି ରାମଚକ୍ରପାଣି ॥୧୮୦
ଗୋପାଳେ ହୁଅ ଆଗୁସାର । ଗୋରସ ଶକଟ ସମ୍ଭାର ॥୧୮୧
ଅକ୍ରୁର ନିତ୍ୟକର୍ମ ସାରି । ରଥେ ତୋଳିଲା ରାମହରି ॥୧୮୨
ମଙ୍ଗଳବାଦ୍ୟ ଗୀତ ଧ୍ୱନି । ଆନନ୍ଦେ ଉଛୁଳେ ମେଦିନୀ ॥୧୮୩
ଆକାଶେ ଥାଇ ଦେବଲୋଭେ । କୁସୁମ ବରଷନ୍ତି ଥୋକେ ॥୧୮୪
ଦିଗେ ଦିଶନ୍ତି ପରିମଳ । ପବନ ବହଇ ଶୀତଳ ॥୧୮୫
କୃଷ୍ଣର ପଥ ଅନୁକୂଳ । ଶୂନ୍ୟେ ମିଳିଲେ ମେଘମାଳ ॥୧୮୬
ଗଗନେ ଦୁନ୍ଦୁଭି ଶବଦ । ମଙ୍ଗଳ କଲେ ଗୀତନାଦ ॥୧୮୭
ଦେଖନ୍ତି ଦଶଦିଗପାଳେ । ବାହାର ହୋଇଲେ ଗୋପାଳେ ॥୧୮୮
ଶକଟ ଯା'ନ୍ତି ଯୂଥ ଯୂଥ । ଗୋରସ-ଭାର ଅପ୍ରମିତ ॥୧୮୯
ବାଜଇ ମଙ୍ଗଳ-ମହୁରି । ମଥୁରା ଯିବେ ନରହରି ॥୧୯୦
ଗୋପୀଏ ଓଗାଳନ୍ତି ରଥ । କାହିଁକି ଯିବ ଗୋପୀନାଥ ॥୧୯୧
ଆମ୍ଭ ଜୀବନ ହସ୍ତେ ଘେନି । ମଥୁରା ଯାଆ ଭାଇବେନି ॥୧୯୨
ଏଡ଼େ ନିର୍ଦ୍ଦୟ ତୋ'ର ହିଆ । ଆମ୍ଭରେ ଛାଡ଼ିଲୁ ତୁ ଦୟା ॥୧୯୩
ଯେବେ ଅକ୍ରୁର ତୋତେ ଧରି । ନେଉଛି ମଥୁରା ନଗରୀ ॥୧୯୪
ଆମ୍ଭେ ସକଳେ ତୋର ସଙ୍ଗେ । ଥିବୁ ତୋ' ରଥ ଲାଗେ ଲାଗେ ॥୧୯୫
କଂସର ମୁଖେ ତୋତେ ଦେଇ । ଘରେ ରହିବୁ କିସ ପାଇଁ ॥୧୯୬
ଆମ୍ଭେ ତୋହର ସର୍ବବାଳୀ । ଗୋପ ନ ଛାଡ଼ ବନମାଳୀ ॥୧୯୭
କାକର ଘରେ ପିକ ପରି । ଏବେ ତ ପକାଉ ପାସୋରି ॥୧୯୮
ଶୁଣି ବୋଲନ୍ତି ଦାମୋଦର । କୋମଳ ବଚନ ଗଭୀର ॥୧୯୯
ଶୁଣ ଗୋ ସଖୀଜନେ ମୋର । ରାଜାର ଆକଟ ଅପାର ॥୨୦୦
ଦେଖ ଆମ୍ଭଙ୍କୁ ରଥେ ଭରି । ଅକ୍ରୁର ନେଉଅଛି ଧରି ॥୨୦୧
ଧନୁଉତ୍ସବ ରଙ୍ଗସଭା । ଆମ୍ଭେ ଗୋ ନୟନେ ଦେଖିବା ॥୨୦୨
ରାଜା ହୋଇବ ବଡ଼ ତୋଷ । ଆମ୍ଭଙ୍କୁ ଦେବ ଗ୍ରାମ ଦେଶ ॥୨୦୩
ଚାରିଦିଗରୁ ଲୋକେ ଆସି । ରଙ୍ଗସଭାରେ ଥିବେ ବସି ॥୨୦୪
ଅନେକ ଦୁରୁଁ ନରନାରୀ । ଅଣାଇଅଛି ଦଣ୍ତଧାରୀ ॥୨୦୫
ଉତ୍ସବ ଦେଖି ତୋଷମନେ । ଆମେ ଆସିବୁ ଚାରିଦିନେ ॥୨୦୬
ତୁମ୍ଭେ ଗୋ ଯାଅ ଯେଝାଘରେ । ମନ ନିବେଶି ମୋ' ପୟରେ ॥୨୦୭
ଅକ୍ରୁର ଶୁଣି କେପଭରେ । ରଥ ବାହିଲା ଧାତିକାରେ ॥୨୦୮
ଗୋପୀଏ ଛାଡ଼ନ୍ତି ବୋବାଳି । ବାଲିରେ ନ ପାରନ୍ତି ଚାଲି ॥୨୦୯
ଆହା ଗୋବିନ୍ଦ ନନ୍ଦସୁତ । ବୋଲି ହୋଇଲେ ମୂରୁଛି୍ତ ॥୨୧୦
କଦଳୀ ଯେହ୍ନେ ବାତଘାତେ । ପଡ଼ିଲେ ଗୋପବାଳୀ ପଥେ ॥୨୧୧
ପଡ଼ିଣ ଗୋପୀ ଅଣାୟତ୍ତେ । ଅଜ୍ଞାନ ମୋହେ ରାଜପଥେ ॥୨୧୨
ଗୋପୀ ବିକଳ କୃଷ୍ଣ ଚାହିଁ । ଗୋପାଳପୁଅଙ୍କୁ ସେ ରାଇ ॥୨୧୩
ଶ୍ରୀଦାମ ନାମେ ଗୋପବାଳ । ତା'ରେ ବିଶ୍ୱାସ ନନ୍ଦବାଳ ॥୨୧୪
ତାହାକୁ ନିକଟେ ଅଣାଇଁ । କହନ୍ତି ବିଶ୍ୱାସ କରାଇ ॥୨୧୫
ଗୋପୀଙ୍କି କହ ତୁ ବହନେ । ଆମ୍ଭେ ଆସିବୁ ଚାରିଦିନେ ॥୨୧୬
ଧନୁଉତ୍ସବ ମୁଁ ଦେଖିବି । ରାଜାର ମନକୁ ତୋଷିବି ॥୨୧୭
ମଥୁରା ନ ରହିବି ଦଣ୍ତେ । ତୁମ୍ଭେ ଗୋ ଜଗିଥିବ ଦାଣ୍ତେ ॥୨୧୮
ମୋତେ ଦେଖିବ ରାତ୍ରମାନେ । ନନ୍ଦମନ୍ଦିରେ ଚାରିଦିନେ ॥୨୧୯
ମୋହର ସତ୍ୟ ଏ ବଚନ । ଏଥକୁ ସାକ୍ଷି ନିରଞ୍ଜନ ॥୨୨୦
ଆବର କହିବୁ ତୁ ଯାହା । କହଇ ଶୁଣ ତୋରେ ତାହା ॥୨୨୧
ମୁଁ ଯେ ଭକତ ଭାବେ ବାଇ । ଭାବ ନିକଟେ ନିତ୍ୟେ ଥାଇ ॥୨୨୨
ଶରଦରାସ କାଳେ ଯାହା । ହୋଇଲେ ଯେତେକ ଉତ୍ସାହା ॥୨୨୩
ତାହାଙ୍କ ଭକ୍ତିଭାବ ଘେନି । ରମିଲି ସକଳ କାମିନୀ ॥୨୨୪
ସେ ମୋର ଦେହର ଜୀବନ । ଚକ୍ଷୁପିତୁଳୀ ନିରଞ୍ଜନ ॥୨୨୫
ଜୀବନ ଛାଡ଼ି ଯାଉଅଛି । ମୃତ୍ୟୁପିଣ୍ତକୁ କେହୁ ଗଚ୍ଛି ॥୨୨୬
କେବଳ ରାଜକାର୍ଯ୍ୟ ସାରି । ତହିଁ ରହିବୁ ଦିନ ଚାରି ॥୨୨୭
ଏ କଥା ଗୋପୀଙ୍କି କହିବୁ । ଘରକୁ ପଠିଆଇ ଦେବୁ ॥୨୨୮
ତକ୍ଷଣେ କୃଷ୍ଣ ଆଜ୍ଞା ପାଇ । ଶ୍ରୀଦାମ ଗଲା ବେଗ ହୋଇ ॥୨୨୯
କହିଲା ଗୋପୀଙ୍କ ଆଗର । ବୋଇଲା ଯାଅ ଯେଝାଘର ॥୨୩୦
ଶୁଣି ଗୋପୀଏ ଛନ ଛନ । କୃଷ୍ଣର ତହିଁ ଦେଇ ମନ ॥୨୩୧
ରଥକୁ ଚାହାଁନ୍ତି ନିରୋପି । ଚିତ୍ରପ୍ରତିମା ପ୍ରାୟ ଗୋପୀ ॥୨୩୨
କେ ବୃକ୍ଷେ ଉଠିଲେ ବହନ । ରଥରେ ନିବେଶି ନୟନ ॥୨୩୩
ପୀଢ଼ାରେ ଉଠି କେ ଦେଖନ୍ତି । ବୃକ୍ଷ ଆରୋହି କେ ଚାହାଁନ୍ତି ॥୨୩୪
କେ ଉଚ୍ଚଶିଖେ ଉଠି ଡ଼ାକି । ରଥ-ପତାକେ ଦେଇ ଆଖି ॥୨୩୫
କେ ବୋଲେ ଯିବା ଧାତିକାରେ । କୃଷ୍ଣ ଭେଟିବା ନଦୀତୀରେ ॥୨୩୬
ଏମନ୍ତେ କୁହାକୁହି ହୋନ୍ତେ । ବିମାନ ନ ଦିଶିଲା ପଥେ ॥୨୩୭
ହୋଇଲା ବିମାନ ଅଦୃଶ୍ୟ । ଗୋପୀଏ ହୋଇଲେ ନିରାଶ ॥୨୩୮
ନିଃଶ୍ୱାସ ଛାଡ଼ି ଖେଦଭରେ । ଜୀବନ ନ ରହେ ଶରୀରେ ॥୨୩୯
ଗୁରୁ ଗଉରବ ନ ଗଣି । ରାତ୍ର-ଦିବସ ଏକ ମଣି ॥୨୪୦
ମନ ନିବେଶି କୃଷ୍ଣପାଦେ । ଗୋପୀଏ ରହିଲେ ବିଷାଦେ ॥୨୪୧
ଅକ୍ରୁର ତୋଷମନ ହୋଇ । ବନଗହନେ ରଥ ବାହି ॥୨୪୨
ପବନୁଁ ବେଗେ ରଥ ଗଲା । କାଳିନ୍ଦୀ ନିକଟେ ମିଳିଲା ॥୨୪୩
ରଥୁଁ ଓହ୍ଲାଇ ବେନିଭାଇ । ଜଳ ପିଇଲେ ତୋଷ ହୋଇ ॥୨୪୪
ନିର୍ମଳ କାଳିନ୍ଦୀର ଜଳ । ସ୍ୱଭାବେ ସୁସ୍ୱାଦୁ ଶୀତଳ ॥୨୪୫
ଶିରବଦନେ ଜଳସିଞ୍ଚି । କରଯୁଗଳେ ମୁଖପୋଛି ॥୨୪୬
ବୃକ୍ଷର ମୂଳେ ନେଇ ରଥ । ବସିଲେ ରାମଗୋପୀନାଥ ॥୨୪୭
ଅକ୍ରୁର ବେନିକର ଯୋଡ଼ି । କହଇ କୃଷ୍ଣପାଦେ ପଡ଼ି ॥୨୪୮
ଭୋନାଥ ହୋଇବା ପ୍ରସନ୍ନ । କରିବି ଯମୁନାରେ ସ୍ନାନ ॥୨୪୯
ଉଠି ତୋହର ମୁଖ ଚାହିଁ । ପବିତ୍ର ହୋଇବଇଁ ମୁହିଁ ॥୨୫୦
ବୋଲନ୍ତି ପ୍ରଭୁ ଭଗବାନ । ଯା' ବେଗେ କରତୁ ସ୍ନାହାନ ॥୨୫୧
ବହନ ଯିବା ମଧୁପୁର । ଅକ୍ରୁର ନ କର ଉଚ୍ଛୁର ॥୨୫୨
ରଥୁଁ ଓହ୍ଲାଇ ଖରତରେ । ପଶିଲା କାଳିନ୍ଦୀ ଭିତରେ ॥୨୫୩
ବୁଡ଼ିଲା ମାଧବ ସୁମରି । ଜଳେ ଦେଖିଲା ରାମହରି ॥୨୫୪
ଯେସନେ କୂଳେ ଗଲା ଚାହିଁ । ଦେଖିଲା ଜଳମଧ୍ୟେ ତା ହିଁ ॥୨୫୫
ଦେଖି ଚକିତମନ ହୋଇ । ବୋଲେ ଅଇଲେ କି ପଳାଇ ॥୨୫୬
କଂସର ଡ଼ରେ ରଥେ ବସି । ବେନି ସୋଦର ଜଳେ ପଶି ॥୨୫୭
ପଳାଇ ଯିବେ ଗୋପପୁର । ମୋତେ ମାରିବ କଂସାସୁର ॥୨୫୮
କି ବୁଦ୍ଧି କରିବଇଁ ମୁହିଁ । କୂଳେ ଯେ ଅଇଲି ବସାଇ ॥୨୫୯
ଡ଼ରେଣ ଗଲେ କି ପଳାଇ । ଉଠି କୂଳକୁ ଦେଲା ଚାହିଁ ॥୨୬୦
ଦେଖଇ ବୃକ୍ଷତଳେ ରଥ । ଅଛନ୍ତି ରାମ-ଗୋପୀନାଥ ॥୨୬୧
ଚକିତ ହୋଇଲା ଅକ୍ରୁର । ଭୟେ କମ୍ପଇ ଥରହର ॥୨୬୨
ବୋଲଇ ଜଳେ ଅନ୍ୟକିସ । ମୁହିଁ ଯେ ଦେଖିଲି ସଦୃଶ ॥୨୬୩
କି ମୋର ଚିତ୍ତ ହୋଏ ଭ୍ରମ । ହୋଇଲା ଅଦଭୁତ କର୍ମ ॥୨୬୪
ମିଥ୍ୟା ନୁହଁଇନା ସେ ଜଳେ । ପୁଣି ବୁଡ଼ିଲା ଆଉ ବେଳେ ॥୨୬୫
ଦେଖଇ ରତ୍ନମୟ-ପୁରେ । ସୁବର୍ଣ୍ଣ ବିମାନ ଉପରେ ॥୨୬୬
ସୁରଙ୍ଗ ରତ୍ନସିଂହାସନ । ଶୀତଳ ବହଇ ପବନ ॥୨୬୭
ଅନନ୍ତ ରୂପେ ହଳଧର । କୋଟିଏ ଚନ୍ଦ୍ର ପଟାନ୍ତର ॥୨୬୮
ସହସ୍ର ଫଣା ମଣି ଶିର । କଟି ଦୂକୁଳ ନୀଳାମ୍ବର ॥୨୬୯
ରୂପେ ଶୋଭିତ ଶିବଗିରି । କୋଟିଏ କାମ ନୋହେ ସରି ॥୨୭୦
ମଣିକୁଣ୍ତଳ ବନମାଳ । ସୁରଙ୍ଗ ଅଳକ କପୋଳ ॥୨୭୧
କଟିମେଖଳା ରତ୍ନସାର । ନିବିଡ଼ ସୁରଙ୍ଗ ଅଧର ॥୨୭୨
ହାର କେୟୂର ଝଟକନ୍ତି । ଯେହ୍ନେ ଗଗନେ ତାରାପତି ॥୨୭୩
ଅନନ୍ତକୋଳେ ବନମାଳୀ । ନୀଳଜୀମୂତ ଦେହ ଝଳି ॥୨୭୪
ପୀତବସନ ବନମାଳ । ଶ୍ରବଣେ ମକର କୁଣ୍ତଳ ॥୨୭୫
ସୁନ୍ଦର ନୀଳଭୁଜ ଚାରି । ଶଙ୍ଖ କମଳ ଗଦା ଅରୀ ॥୨୭୬
ବିକଚ-କମଳ-ଲୋଚନ । ସୁରଙ୍ଗ ହସିତ ବଦନ ॥୨୭୭
ଅନଙ୍ଗ ଚାପ ଭୁରୁ ରେଖା । ସୁନ୍ଦର କପୋଳ ନାସିକା ॥୨୭୮
ରଙ୍ଗ ଅଧରେ ମନ୍ଦ ହାସ । କର୍ଣ୍ଣେ କୁଣ୍ତଳ ରବିତ୍ରାସ ॥୨୭୯
ଦୀର୍ଘ ଶ୍ରୀଭୁଜ ଜାନୁଯାଏଁ । ଦିଶେ ମର୍କତ ସ୍ତମ୍ଭ ପ୍ରାୟେ ॥୨୮୦
ତୁଙ୍ଗ ହୃଦୟ ଶ୍ରୀନିବାସ । ଶ୍ରୀବତ୍ସ ଚିହ୍ନ ବାମପାଶ ॥୨୮୧
ଦକ୍ଷିଣାବର୍ତ୍ତ କମ୍ବୁଗ୍ରୀବ । ପେଟେ ତ୍ରିବଳୀ ପଦ୍ମନାଭ ॥୨୮୨
ନାଭି ଗଭୀର ମଝାକ୍ଷୀଣ । ବୃଶାଳକଟି ରତ୍ନଦାମ ॥୨୮୩
ନିତମ୍ବ କରୀକୁମ୍ଭ ଜିଣି । କଟିମେଖଳା ଓଡ଼ିଆଣୀ ॥୨୮୪
ଉଲଟରମ୍ଭା ଜାନୁ ଯୁଗ । ଗୁଳ୍ଫଯୁଗଳ ସଞ୍ଚତୁଙ୍ଗ ॥୨୮୫
ମାଣିକ୍ୟ ପ୍ରାୟ ନଖପନ୍ତି । ଅଙ୍ଗୁଳି ଅଗ୍ରେ ଝଟକନ୍ତି ॥୨୮୬
ନବପଲ୍ଲବ ପ୍ରାୟ ଝଳି । କୋମଳ ଦିଶଇ ଅଙ୍ଗୁଳି ॥୨୮୭
କମଳକୋଷ ପ୍ରାୟ ହୋଇ । ବେନି ଚରଣ ବିରାଜଇ ॥୨୮୮
ଅମୂଲ୍ୟରତ୍ନମୟ ରାଶି । ବିବିଧ ଅଳଙ୍କାର ମିଶି ॥୨୮୯
ଶିରେ ମୁକୁଟ ହୃଦେ ହାର । କଟିମେଖଳା ରତ୍ନସାର ॥୨୯୦
ଉତ୍ତରୀ ଯଜ୍ଞସୂତ୍ର କନ୍ଧେ । କୁଣ୍ତଳ କର୍ଣ୍ଣଯୁଗଭାଗେ ॥୨୯୧
ରତ୍ନସମୂହ ତେଜରାଶି । ଚତୁର ଭୁଜ ପରକାଶି ॥୨୯୨
ଚକ୍ର କମଳ ଗଦା ଶଙ୍ଖ । ଗଣ୍ତଯୁଗଳେ ରାହୁରେଖ ॥୨୯୩
ଶ୍ରୀବତ୍ସ ଚିହ୍ନ ହୃଦୟରେ । ବନମାଳାଏ ଲମ୍ବେ ଉରେ ॥୨୯୪
ସୁନନ୍ଦ ଆଦି ପାରିଷଦେ । ପକାନ୍ତି ଚାମର ଆନନେ୍ଦ ॥୨୯୫
ସନକ ଆଦି ମୁନିଗଣେ । ଖଟନ୍ତି ଅଭୟଚରଣେ ॥୨୯୬
ବ୍ରହ୍ମା ଶଙ୍କର ଇନ୍ଦ୍ର ଘେନି । ସ୍ତୁତି କରନ୍ତି ସୁରମୁନି ॥୨୯୭
କିନ୍ନରୀ ତୁମ୍ବୁରୁ ନାରଦ । ବୀଣାଶବଦେ ଗୀତନାଦ ॥୨୯୮
ଭକତ ପ୍ରହଲ୍ଲାଦ ଆଦି । ଧ୍ରୁବଭୂଷଣ୍ତ ବେଦବାଦୀ ॥୨୯୯
ନିର୍ମଳବାଣୀ ଯେଝାମତେ । ସ୍ତୁତି କରନ୍ତି ଦୃଢ଼ଚିତ୍ତେ ॥୩୦୦
କମଳା ଆଦି ଯେତେ ଦେବୀ । ଧୀରେ ଚରଣେ ଛନ୍ତି ସେବି ॥୩୦୧
ଏମନ୍ତ କୃଷ୍ଣରୂପ ଜଳେ । ଦେଖି ଅକ୍ରୁର ବେନିଡ଼ୋଳେ ॥୩୦୨
ରୋମାଞ୍ଚ ହୋଇଲା ଶରୀର । ଅଶ୍ରୁ ଗଳଇ ନିରନ୍ତର ॥୩୦୩
ଆନନ୍ଦେ କଣ୍ଠ ଗଦ ଗଦ । ମୁଖୁଁ ନସ୍ଫୁରଇ ଶବଦ ॥୩୦୪
ଜଳୁ ବାହାର ହୋଇ ଆସି । କୂଳେ ଦେଖିଲା ବ୍ରହ୍ମରାଶି ॥୩୦୫
ପାଦେ ପଡ଼ିଲା ବେଗେ ଯାଇ । ଉଠିଲା ଶିରେ କର ଦେଇ ॥୩୦୬
ସଭୟେ ବୁଜିଲା ନୟନ । ପୁଣି ଚାହଁଇ ଛନଛନ ॥୩୦୭
ଆନନ୍ଦସାଗରେ ବୁଡ଼ିଲା । କରଅଞ୍ଜଳି ଶିରେ ଦେଲା ॥୩୦୮
ଭୟେ କମ୍ପିଲା ତା'ର ଦେହୀ । ସ୍ତୁତି କରଇ କୃଷ୍ଣ ଚାହିଁ ॥୩୦୯
କହଇ ଜଗନ୍ନାଥ ଦାସ । ଗୋବିନ୍ଦ ଚରଣେ ବିଶ୍ୱାସ ॥୩୧୦
କାଳିନ୍ଦୀଜଳେ ଦେଇ ଚିତ୍ତ । ସୁଜନେ ଚିନ୍ତ କୃଷ୍ଣପଥ ॥୩୧୧
ଜନ୍ମମରଣ ଭୟ ନାଶ । କୃଷ୍ଣ ଚରଣେ ହୁଅ ଦାସ ॥୩୧୨
ନିରତେ ଚିନ୍ତ ରାମହରି । ଭବସାଗରୁ ହୁଅ ପାରି ॥୩୧୩
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ଅକ୍ରୁର ପ୍ରତିଯାନେ ନାମ ଦ୍ୱିଚତ୍ୱରିଂଶୋଽଧ୍ୟାୟଃ ॥
ତ୍ରିଚତ୍ୱାରିଂଶ ଅଧ୍ୟାୟ
[ସମ୍ପାଦନା]- ଶୁକ ଉବାଚ
କହନ୍ତି ବ୍ୟାସଙ୍କର ସୁତ । ଶୁଣ ପରୀକ୍ଷ ଭାଗବତ ॥୧
ଅକ୍ରୁର ଶିରେ କର ଦେଇ । ବୋଲଇ କୃଷ୍ଣଙ୍କୁ ଅନାଇଁ ॥୨
ନମସ୍ତେ ଅନାଦି ପୁରୁଷ । ଅଖିଳ ଜ୍ୟୋତି ପରକାଶ ॥୩
ମାୟାର ହେତୁ ନାରାୟଣ । ନିର୍ଗୁଣ ପୁରୁଷ ପୁରାଣ ॥୪
ଅବ୍ୟକ୍ତ ବ୍ରହ୍ମ ନିରାକାର । ବ୍ରହ୍ମା ତୋ' ନାଭିରୁ ବାହାର ॥୫
ତୋହର ତହୁଁ ଏ ଜଗତ । ଲୋକେ ହୁଅନ୍ତି ଆତଯାତ ॥୬
ପୃଥିବୀ ଉଦକ ଅନଳ । ପବନ ଆକାଶମଣ୍ତଳ ॥୭
ମହତ ଆଦି ମହାଭୂତେ । ମନ ଇନ୍ଦ୍ରିୟ ଆଦି ଯେତେ ॥୮
ଇନ୍ଦ୍ରିୟ ଅର୍ଥେ ସୁରଗଣ । ଯେତେ ଏ ଜଗତେ ଭିଆଣ ॥୯
ଏମାନେ ତୋହର ଶରୀର । ତୁ ଆଦିଧର୍ମ ନିରାକାର ॥୧୦
ବ୍ରହ୍ମାଣ୍ତେ ତୋ'ର ଦେହେ ଥା'ନ୍ତି । ତୋହର ରୂପ ନ ଜାଣନ୍ତି ॥୧୧
ତ୍ରିଗୁଣେ ବ୍ରହ୍ମା ଜଡ଼ ହୋଇ । ତୋ'ର ସ୍ୱରୂପ ନ ଜାଣଇ ॥୧୨
ସନକଆଦି ଯୋଗୀଜନେ । ପୂଜନ୍ତି ତୋହର ଚରଣେ ॥୧୩
ମହାପୁରୁଷ ଶୂନ୍ୟରୂପ । ଜୀବସଞ୍ଚାରେ ତିନିରୂପ ॥୧୪
କର୍ମଯୋଗୀଏ ବେଦପଥେ । ତୋତେ ପୂଜନ୍ତି ଯଜ୍ଞମତେ ॥୧୫
ଅଖିଳ କର୍ମ ଦେଇ ତୋତେ । ଜ୍ଞାନୀ ସେବନ୍ତି ଯୋଗମତେ ॥୧୬
ନିଶ୍ଚଳ-ସମାଧିରେ ମନ । ତୋ'ର ଚରଣେ କରିଧ୍ୟାନ ॥୧୭
ଅନେକ ରୂପେ ଏକରୂପୀ । ତୋତେ ଜାଣିବ କେ ନିରୋପି ॥୧୮
ଶିବ ପୁରାଣର ଉକତେ । କେ ତୋତେ ଭଜେ ଶିବମତେ ॥୧୯
ଅନେକ ଋଷିଙ୍କ ସମେତେ । ଶଙ୍କର ପୂଜୁଥା'ନ୍ତି ତୋତେ ॥୨୦
ତୁନାଥ ସର୍ବଦେବମୟେ । ସର୍ବେ ଭଜନ୍ତି ତୋ'ର ପାୟେ ॥୨୧
ନାନା ଦେବଙ୍କୁ ସେ ଭଜନ୍ତି । ସେ ଭିନ୍ନ ବୁଦ୍ଧି ଆଚରନ୍ତି ॥୨୨
ଅନେକ କର୍ମଯୋଗେ ଭ୍ରମି । ଫୁଟି ହୁଅନ୍ତି ପଥଶ୍ରମି ॥୨୩
ନଦୀ ପୂରନ୍ତି ବୃଷ୍ଟିକାଳେ । ସମୁଦ୍ରେ ହୋନ୍ତି ଏକମେଳେ ॥୨୪
ସର୍ବଦେବତା ପୂଜା ଯେତେ । ଭଜନ ତୋ'ର ପାଦଗତେ ॥୨୫
ତୋ'ର ପ୍ରକୃତି ତହୁଁ ଜାତ । ତାମସ ରଜଗୁଣ ସତ୍ତ୍ୱ ॥୨୬
ଇନ୍ଦ୍ରିୟଗୁଣ ଗଳେ ଛନ୍ଦି । ଜନ୍ତୁଏ ମାୟାଜଡ଼େ ବନ୍ଦୀ ॥୨୭
ତୋତେ ପାଇବେ ଅବା କାହିଁ । ତୋହର ଆଦିଅନ୍ତ ନାହିଁ ॥୨୮
ନମସ୍ତେ ପ୍ରଭୁ ଜ୍ଞାନଆଖି । ସକଳ ବୁଦ୍ଧିଙ୍କର ସାକ୍ଷୀ ॥୨୯
ଦେବ ମନୁଷ୍ୟ ପଶୁଆଦି । ତୋ' ମାୟାବଳେ ସର୍ବେବନ୍ଦୀ ॥୩୦
ଅନଳ ତୋର ମୁଖୁଁ ଜାତ । ଚରଣୁଁ ଅବନୀ ସମ୍ଭୂତ ॥୩୧
ଆଦିତ୍ୟ ତୋହର ନୟନ । ନାଭିରୁ ପ୍ରକାଶ ଗଗନ ॥୩୨
ଶ୍ରବଣୁଁ ତୋର ଦଶଦିଶ । ଶିର ତୋହର ସ୍ୱର୍ଗଦେଶ ॥୩୩
ଭୁଜ ତୋ ଦଶଦିଗପାଳ । ଉଦର ବଡ଼ବା ଅନଳ ॥୩୪
ପଞ୍ଚପବନ ତୋର ପ୍ରାଣ । ରୋମ ଔଷଧିବୃକ୍ଷ ପୁଣ ॥୩୫
ମେଘ ତୋହର କେଶ ଶିର । ତୋ ନଖ ଅସ୍ଥି ଗିରିବର ॥୩୬
ନିମିଷ ହୋନ୍ତି ଦିବାରାତ୍ରି । ତୋର ବୃଷଣ ପ୍ରଜାପତି ॥୩୭
ତୋହର ତେଜେ ଦେବରାଜ । ବୃଷ୍ଟି କରଇ ତୋର ବୀର୍ଯ୍ୟ ॥୩୮
ଅବ୍ୟୟ ପୂର୍ଣ୍ଣ ନିରଞ୍ଜନ । ତୋ ଦେହେ ଚଉଦଭୁବନ ॥୩୯
ବାସବ ଆଦି ଦେବଗଣେ । ସ୍ଥାବର ସିଦ୍ଧ ଯେ ଚାରଣେ ॥୪୦
ବ୍ରହ୍ମାଣ୍ତେ ତୋହର ଶରୀରେ । ମଶା ଯେସନେ ଉଡ଼ୁମ୍ବରେ ॥୪୧
ମନର ଆଦିଅନ୍ତ ରୂପୀ । ଜଗତେ ଅଛୁ ନାଥ ବ୍ୟାପୀ ॥୪୨
ସଂସାର ଲୀଳାରେ ଶରୀର । ଭୋନାଥ ଯେତେ ରୂପ ତୋର ॥୪୩
ତେଣେ ନିର୍ମଳ ହୋଇ ଚିତ୍ତ । ତୋ ଯଶ ଭାବନ୍ତି ଜଗତ ॥୪୪
ନମସ୍ତେ ମତ୍ସ୍ୟ ରୂପଧାରୀ । ପ୍ରଳୟ ଉଦକ ବିହାରୀ ॥୪୫
ହେ ହୟଗ୍ରୀବ ତୋ ଶରଣ । ମଧୁ କଇଟଭ ଦଳନ ॥୪୬
କମଠରୂପୀ କଳେବର । ନମସ୍ତେ ଶଙ୍ଖଚକ୍ରଧର ॥୪୭
ଶୂକର ରୂପେ ମହୀ ଧରି । ନମସ୍ତେ ପ୍ରଭୁ ଦଇତ୍ୟାରି ॥୪୮
ନୃସିଂହ ରୂପୀ ତୋ' ଶରୀର । ନାଶିଲୁ ହିରଣ୍ୟ-ଅସୁର ॥୪୯
ବାମନ ରୂପେ ବଳି ଚାପି । ନମସ୍ତେ ତ୍ରିବିକ୍ରମ ରୂପୀ ॥୫୦
ଦୁଷ୍ଟ କ୍ଷତ୍ରିୟ ନିବାରଣ । ନମସ୍ତେ ପ୍ରଭୁ ଭୃଗୁରାମ ॥୫୧
ଜାନକୀ-ଛଳେ ଦାଶରଥି । କୋପେ ନାଶିଲୁ ଲଙ୍କପତି ॥୫୨
ନମୋ ଗୋବିନ୍ଦ ଦାମୋଦର । ଗିରି ତୋଳିଲୁ ବାମକର ॥୫୩
ନମସ୍ତେ ବସୁଦେବସୁତ । ରେହିଣୀ ପୁତ୍ର ବଳବନ୍ତ ॥୫୪
ରୁକ୍ମିଣୀ ଦେବୀ ପୁତ୍ର ନାତି । ନମସ୍ତେ ଯଦୁ ଭୋଜପତି ॥୫୫
ବଉଦ୍ଧରୂପୀ ଶୁଦ୍ଧକର୍ମା । ଅସୁର ମୋହନେ ତୋ ବାନା ॥୫୬
ମ୍ଳେଚ୍ଛ କ୍ଷତ୍ରିୟ ବଳବନ୍ତ । କଳକୀ ରୂପେ କରୁ ଅନ୍ତ ॥୫୭
ତୋହର ମାୟାରେ ଜଗତ । ଅଜ୍ଞାନେ ହୋଇ ଆତଯାତ ॥୫୮
ପର ଆପଣା ବୋଲି ହୁଡ଼ି । ଭ୍ରମନ୍ତି ମାୟାଚକ୍ରେ ପଡ଼ି ॥୫୯
ମୋହର ଆତ୍ମା ପୁତ୍ର ଘର । ଦାରା ସମ୍ପଦ ବନ୍ଧୁ ମୋର ॥୬୦
ସପନ ପ୍ରାୟେ ଏ ଜଗତ । ଆବୋରି ଅଛି ମୋହପଥ ॥୬୧
ଅନିତ୍ୟ ସଂସାର ସାଗରେ । ମୁଁ ଯେ ବୁଡ଼ିଲି ଦୁଃଖଘୋରେ ॥୬୨
ଆତ୍ମାର ଗତି ନ ଜାଣଇ । ଭୋ ନାଥ ରଖ ଭାବଗ୍ରାହୀ ॥୬୩
ଶୀତଳ ଜଳ ଛାଡ଼ି ମୁହିଁ । ମୃଗତୃଷ୍ଣାକୁ ଅଛି ଧାଇଁ ॥୬୪
ତୃଷିତ ହୋଇଲି ଅପାର । ତୋତେ ନ ଜାଣି ଚକ୍ରଧର ॥୬୫
ଅଳପ ବଳ ନାଥ ମୋର । କର୍ମ ଅଶେଷ ବଳୀୟାର ॥୬୬
ମନ ପଶିଲା କର୍ମମେଳେ । ହାରିଲି ଇନ୍ଦ୍ରିୟଙ୍କ ବଳେ ॥୬୭
ଇନ୍ଦ୍ରିୟ ଅର୍ଥେ ବିପରୀତ । ହସ୍ତରୁ ପକାଇ ଅମୃତ ॥୬୮
ବିଷ ଭକ୍ଷଇ ସ୍ୱାଦୁ ମଣି । ଆତ୍ମାର ଗତି ନ ପ୍ରମାଣି ॥୬୯
ମନକୁ ନ ପାରଇ ଧରି । ତୁ ମୋତେ ରଖ ନରହରି ॥୭୦
ତୋହର ଚରଣ କମଳେ । ଶରଣ ରଖ ମୋତେ ବେଳେ ॥୭୧
ଅଭୟ ଚରଣ ତୋହର । ଅଜ୍ଞାନୀଜନେ ଅଗୋଚର ॥୭୨
ତୋହର ଭାବ ଯେ ଜାଣଇ । ତାହାର ଦୁଃଖ ଭୟ ନାହିଁ ॥୭୩
ସଂସାର ତୁଟଇ ତାହାର । ଯେ ତୋତେ କରଇ ବିଚାର ॥୭୪
ତୋର ଚରଣେ ଭଗବାନ । ନିଶ୍ଚଳ କର ମୋର ମନ ॥୭୫
ଜ୍ଞାନ-ବିଜ୍ଞାନ-ଦାତାରୂପୀ । ସର୍ବସଂପଦ ମାୟା ବ୍ୟାପୀ ॥୭୬
ପରମ ପୁରୁଷ ବିଧାତା । ଅନନ୍ତ ରୂପ ବଳବନ୍ତା ॥୭୭
ନମଇ ପ୍ରଭୁ ବାସୁଦେବ । ଭବସାଗରେ ସୁଖ-ନାବ ॥୭୮
ଇନ୍ଦ୍ରିୟମାନଙ୍କ ଈଶ୍ୱର । ଭୋ ନାଥ ଶରଣ ତୋହର ॥୭୯
କହଇ ଦାସ ଜଗନ୍ନାଥ । ଅକ୍ରୁର ଜଳେ ଦେଖି ରଥ ॥୮୦
ଆନନ୍ଦେ କଲା ଯେତେ ସ୍ତୁତି । ସୁଜନେ ଏଣେ କର ମତି ॥୮୧
ଅକ୍ରୁର ସ୍ତୁତି ଯେ ଶୁଣନ୍ତି । ଭବସାଗରେ ନ ପଡନ୍ତି ॥୮୨
କର୍ମ ବାସନା ହୋଏ କ୍ଷୟ । ତାରନ୍ତି ପ୍ରଭୁ ଦେବରାୟ ॥୮୩
ଇତି ଶ୍ରୀମଦ୍ଭଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ଅକ୍ରୁର ସ୍ତୁତିର୍ନାମୋ ତ୍ରିଚତ୍ୱାରିଂଶୋଽଧ୍ୟାୟଃ ॥
ଚତୁଃଚତ୍ୱାରିଂଶ ଅଧ୍ୟାୟ
[ସମ୍ପାଦନା]- ଶୁକ ଉବାଚ
ଶୁଣ ହେ ଅଭିମନ୍ୟୁବଳା । ଅକ୍ରୁର ଜଳେ ସ୍ତୁତି କଲା ॥୧
ପୁଣ ଚରଣତଳେ ଶୋଇ । ବୋଲଇ କୃଷ୍ଣ ତ୍ରାହି ତ୍ରାହି ॥୨
ଭକତବନ୍ଧୁ ଜନାର୍ଦ୍ଦନ । ଜଳେ ହୋଇଲେ ଅନ୍ତର୍ଦ୍ଧାନ ॥୩
ଯେସନେ ନଟଙ୍କର ଗତି । ପ୍ରସ୍ତାବ ସଦୃଶେ ଭଜନ୍ତି ॥୪
ଅକ୍ରୁରେ ଦେଖାଇ ଶରୀର । ତକ୍ଷଣେ ହୋଇଲେ ଅନ୍ତର ॥୫
ଅକ୍ରୁର ଥିଲା ପାୟେ ପଡ଼ି । ପୁଣି ଉଠିଲା କରଯୋଡ଼ି ॥୬
ଦେଖିଲା କେହି ନାହିଁ ଜଳେ । ଉଠି ଚାହିଁଲା ନଦୀକୂଳେ ॥୭
ବୃକ୍ଷର ମୂଳେ ରଥେ ଥାଇ । ଡ଼ାକନ୍ତି ପ୍ରଭୁ ଭାବଗ୍ରାହୀ ॥୮
ଅକ୍ରୁର ଦେଖି ତୋଷମନ । ବେଗେ ସାରିଲା ନିତ୍ୟକର୍ମ ॥୯
ଆସି ମିଳିଲା ରଥତଳେ । ପଡ଼ିଲା କୃଷ୍ଣପାଦତଳେ ॥୧୦
ହସି ବୋଲନ୍ତି ଦାମୋଦର । ଜଳେ ତ ବିଳମ୍ବ ତୋହର ॥୧୧
ମଥୁରା ଯିବା କେତେବେଳେ । କିସ ଦେଖିଲୁ ପୁଣ ଜଳେ ॥୧୨
ଗଗନ ଶୂନ୍ୟ ମହୀଭାଗେ । କି ଅବା ଦଶଦିଗ ଲାଗେ ॥୧୩
ଯାହା ଦେଖିଲୁ କହ ମୋତେ । ତେବେ ହେଁ ଯିବଇଁ ପରତେ ॥୧୪
ଅକ୍ରୁର ଶିରେ କର ଦେଇ । କହଇ ଶ୍ରୀମୁଖେ ଅନାଇଁ ॥୧୫
ଜଳେ ଦେଖିଲି ମୁହିଁ ଯାହା । ଭୋ ନାଥ ନ ଜାଣୁ କି ତାହା ॥୧୬
ମୋତେ ପଚାରୁ ମାୟା କରି । ଭକତ-ସୋଦର ମୁରାରି ॥୧୭
ତୋହର ତହୁଁ ଆନ ନାହିଁ । ଜଳେ ଦେଖିଲି ତୋତେ ମୁହିଁ ॥୧୮
ଭୋ ନାଥ ସର୍ବଘଟେ ପୂରି । ସଂସାର ଅଛୁ ଯେ ଆବୋରି ॥୧୯
ତୋର ନ ଥିଲା ଅଛି କାହିଁ । ଜଳ ଅନଳ ସ୍ଥଳେ ତୁହି ॥୨୦
ବଣ ପର୍ବତ ତରୁଲତା । ମେରୁ ସମାନ ବଳବନ୍ତା ॥୨୧
ତୃଣ ସମାନ ତନୁକ୍ଷୀଣ । ରୂପକୁ ରୂପ ଭିନ୍ନ ଭିନ୍ନ ॥୨୨
ମୁଁ କାହିଁ ଜାଣିବି ଅଶେଷ । ଘୋଟି ଯେ ଅଛୁ ଦଶଦିଶ ॥୨୩
ମୁହିଁ ମାନବ ତନୁ ବହି । ଜାଣିପାରିବି ତାହା କାହିଁ ॥୨୪
ବ୍ରହ୍ମା ଶଙ୍କର ପୁରନ୍ଦର । ଲକ୍ଷ୍ମୀ ସାରଦା ଶୀତକର ॥୨୫
ସୂର୍ଯ୍ୟ ପବନ ଗ୍ରହଗଣ । ମୁନି ମାନବ ଜଣେ ଜଣ ॥୨୬
ସୁର ଅସୁରଠାରେ ତୁହି । ସକଳଘଟେ ପୂର୍ଣ୍ଣ ହୋଇ ॥୨୭
ଏମାନେ ନ ପାଇଲେ ଲେଶ । ବିଶ୍ୱସଂସାରେ ତୋ' ପ୍ରକାଶ ॥୨୮
ଏତେ ବୋଲିଣ ପାଦତଳେ । ପଡ଼ିଲା ଆତ୍ମାର ବିକଳେ ॥୩୦
କୃଷ୍ଣ ବୋଲନ୍ତି ଶୁଣି ତାହା । ଅକ୍ରୁର ବେଗେ ରଥ ବାହା ॥୩୧
ତକ୍ଷଣେ କୃଷ୍ଣ ଆଜ୍ଞା ପାଇ । ରଥେ ବସିଲା ବେଗେ ଯାଇ ॥୩୨
ଗୋବିନ୍ଦ ପାଦେ ମନ ଦେଇ । ରଥ ବାହଇ ତୋଷ ହୋଇ ॥୩୩
ଆନନ୍ଦେ ତେଜ ଅବସାନେ । ମିଳିଲା ମଥୁରା ଭୁବନେ ॥୩୪
ପଥେ ଯେ ଥିଲେ ନରନାରୀ । ରଥେ ଦେଖିଲେ ରାମହରି ॥୩୫
ଦେଖି ଅପୂର୍ବ ରୂପ ଦୁଇ । ପାଦ-ନୟନ ନଚଳଇ ॥୩୬
ଗ୍ରାମେ ପ୍ରବେଶ ଭଗବାନ । ଦେଖି ସାନନ୍ଦ ମନେ ମନ ॥୩୭
ବୋଲନ୍ତି ପ୍ରଭୁ ଜଗନ୍ନାଥ । ଅକ୍ରୁର ଦଣ୍ତେ ରୁହା ରଥ ॥୩୮
ପଛେ ଅଛନ୍ତି ଗୋପବାଳ । ଏଠାରେ ହୋନ୍ତୁ ଏକମେଳ ॥୩୯
ଗୋରସ ଅଛି ଯେତେ ଭାର । ରାଜାର ଉଚିତ ଭଣ୍ତାର ॥୪୦
ସକଳେ ଏକରୁଣ୍ତ ହୋଇ । ମିଳିବୁ ରାଜା ଆଗେ ଯାଇ ॥୪୧
ତେବେ ହୋଇବ ତୋର ଯଶ । ପାଇବୁ ଶାଢ଼ୀ ଗ୍ରାମ ଦେଶ ॥୪୨
ଏମନ୍ତ କହୁଁ କହୁଁ ପଥେ । ଗୋପାଳେ ମିଳିଲେ ତୁରିତେ ॥୪୩
ଦେଖି ସାନନ୍ଦ ଭାବଗ୍ରାହୀ । ବୋଲନ୍ତି ଅକ୍ରୁରେ ରୁହାଇ ॥୪୪
ରଥୁଁ ଓହ୍ଲାଇ ଦାମୋଦର । ଅକ୍ରୁର ହସ୍ତେ ଦେଇ କର ॥୪୫
କୋମଳ ମଧୁର ବଚନ । ଆଶ୍ୱାସି ଅକ୍ରୁରର ମନ ॥୪୬
ଭୋ ତାତ ରଥ ଘେନିଯାଅ । ରାଜାର ଛାମୁରେ ଜଣାଅ ॥୪୭
ବୋଲ ଅଇଲେ ବେନିଭାଇ । ଅଇଲି ତୋଟାରେ ରୁହାଇ ॥୪୮
ସକଳେ ହୋଇ ଏକମେଳ । ସଙ୍ଗେ ଅଛନ୍ତି ଗୋପବାଳ ॥୪୯
ଧନ ଗୋରସ ଆଦି କରି । ଶକଟମାନଙ୍କରେ ଭରି ॥୫୦
ସକଳେ ହୋଇ ଏକସ୍ଥାନ । କାଲି କରିବେ ଦରଶନ ॥୫୧
ଏତେକ କହିଣ ଛାମୁର । ଭୋ ତାତ ଯାଅ ନିଜ ଘର ॥୫୨
ଆମ୍ଭେ ଦେଖିବୁ ମଧୁପୁର । କେମନ୍ତ ଦିଶଇ ସୁନ୍ଦର ॥୫୩
ଅକ୍ରୁର ଶିରେ କର ଦେଇ । ବୋଲଇ କୃଷ୍ଣମୁଖ ଚାହିଁ ॥୫୪
ଏ କଥା ନୁହଁଇ ଉଚିତ । ତୁ କି ନ ଜାଣୁ ଗୋପୀନାଥ ॥୫୫
ତୁମ୍ଭ ଦୁହିଁକି ଛାଡ଼ି କରି । ଜୀବନ ଥିବ କି ମୋହରି ॥୫୬
ଭକତବତ୍ସଳ ମୁରାରି । ମୋତେ ନ ଛାଡ଼ କୋପକରି ॥୫୭
ଭୋ ନାଥ ଆସ ମୋର ଘର । ବାନ୍ଧବ ଯେବେ ମୁଁ ତୁମ୍ଭର ॥୫୮
ପବିତ୍ର କର ମୋର ପୁର । ଅଶେଷ ବ୍ରହ୍ମାଣ୍ତଠାକୁର ॥୫୯
ସଙ୍ଗତେ ରୋହିଣୀ କୁମର । ଯେତେ ଗୋପାଳେଛନ୍ତି ତୋର ॥୬୦
ସବୁନ୍ତ ଘେନି ମୋର ଘର । ବିଜୟ କର ଚକ୍ରଧର ॥୬୧
ତୋହର ପାଦରଜ-ନୀର । ପବିତ୍ର କରୁ ମୋର ଘର ॥୬୨
ପିତୃ ଯେ ଅଗ୍ନି ଦଇବତ । ଯାହା ଚିନ୍ତନ୍ତି ଅବିରତ ॥୬୩
ବଳି ଯେ ଧୋଇ ତୋ'ର ପାଦ । ପାଇଲା ଅଶେଷ ସମ୍ପଦ ॥୬୪
ଯଶ ରହିଲା ତିନିଲୋକେ । ଭକତି କଲା ସେହି ଏକେ ॥୬୫
ଗଙ୍ଗା ତୋ' ଚରଣୁ ବାହାର । ପବିତ୍ର କଲା ତିନିପୁର ॥୬୬
ଶଙ୍କର ବହିଅଛି ଶିରେ । ସଗରପୁତ୍ରେ ସ୍ୱର୍ଗେ ଗଲେ ॥୬୭
ତୁ ଦେବ ଦେବ ଜଗନ୍ନାଥ । ପୁଣ୍ୟକୀର୍ତ୍ତନ କୀର୍ତ୍ତିମନ୍ତ ॥୬୮
ଯଦୁଉତ୍ତମ ପୁଣ୍ୟଶ୍ଳୋକ । ନମଇଁ ଜଗତପାଳକ ॥୬୯
ଶୁଣି ବୋଲନ୍ତି ଚକ୍ରଧର । ଅକ୍ରୁର କନ୍ଧେ ଦେଇ କର ॥୭୦
ଭୋ ତାତ ଶୁଣ ମୋ ବଚନ । ମନେ ତୁ ନ ବିଚାର ଆନ ॥୭୧
ଅବଶ୍ୟ ଯିବି ତୋ'ର ପୁର । ସଙ୍ଗତେ ଘେନି ହଳଧର ॥୭୨
ଆଗେ ମୁଁ କଂସ ଦର୍ପ ଧ୍ୱଂସି । ବନ୍ଧୁବାନ୍ଧବ ମନତୋଷି ॥୭୩
ପଛେ ମୁଁ ଯିବି ତୋ'ର ପୁର । ଏ ସତ୍ୟବଚନ ମୋହର ॥୭୪
କୃଷ୍ଣ-ମୋହନ କଥା ଶୁଣି । ଅକ୍ରୁର ଗଲା ରଥ ଘେନି ॥୭୫
ଭୟେ ବିଚାର କରି ମନ । ନବରେ ପ୍ରବେଶି ବହନ ॥୭୬
ରଥ ରୁହାଇ ସିଂହଦ୍ୱାରେ । ଦର୍ଶନ କଲା ନୃପବରେ ॥୭୭
କଂସର ଆଗେ ଜଣାଇଲା । କୃଷ୍ଣଙ୍କୁ ଆଣିଲି ବୋଇଲା ॥୭୮
ନନ୍ଦ ସୁନନ୍ଦ ରାମ ସଙ୍ଗେ । ଗୋରସ ଗୋପାଳଙ୍କ ଲାଗେ ॥୭୯
ରୁଣ୍ତ ହୋଇଲେ ଗଡ଼ଦ୍ୱାରେ । ଆଜକ ରହିଲେ ତୋଟାରେ ॥୮୦
କାଲି କରିବେ ଦରଶନ । ଶୁଣ ହରଷ କଂସମନ ॥୮୧
ସନ୍ତୋଷ ମନେ ଭୋଜବୀର । ଅକ୍ରୁରେ ଦେଲା ଉପହାର ॥୮୨
ରତ୍ନବସନ ଅଳଙ୍କାର । ମେଲାଣି ପାଇଲା ଅକ୍ରୁର ॥୮୩
କଂସକୁ କରି ତୋଷମନ । ମିଳିଲା ଆପଣା ଭୁବନ ॥୮୪
କୃଷ୍ଣ ପ୍ରବେଶ କଥା ଶୁଣି । କଂସ ଯେ ମନେ ମନେ ଗୁଣି ॥୮୫
ନିକଟ ହୋଇଲା ବଇରୀ । ଅନେକ ବୀର ଅଛି ମାରି ॥୮୬
ହରଷ-ବିସ୍ମୟେ ରାଜନ । ମନ ହୋଇଲା ଛନ ଛନ ॥୮୭
କ୍ଷୁଧା ପିପାସା ସୁଖ ଭୋଗ । ସବୁ ହୋଇଲା ବିଷଯୋଗ ॥୮୮
କୃଷ୍ଣର ତହୁଁ ଏକମନ । ଚିତ୍ତ ନିରୋପି କରେ ଧ୍ୟାନ ॥୮୯
ନିକଟ ହୋଏ ସଂଜୀବନୀ । କହଇ ଆନୁଆନ ବାଣୀ ॥୯୦
ଏମନ୍ତେ ଶୁଣ ନରନାଥ । କୃଷ୍ଣ ଚରିତ ଭାଗବତ ॥୯୧
କୃଷ୍ଣ ଯେ ଥିଲେ ଉପବନେ । ଗୋପାଳେ ମିଳିଲେ ବହନେ ॥୯୨
ତୋଟାରେ ହୋଇଲେକ ରୁଣ୍ତ । ଆବୋରି ମଥୁରାର ଦାଣ୍ତ ॥୯୩
ଯେ ଯାହା ମତେ ସାଜି ଘର । ନାନା ପ୍ରକାରେ ଉପହାର ॥୯୪
କରନ୍ତି ରନ୍ଧନ ଭୋଜନ । ହରଷ ଗୋପାଳଙ୍କ ମନ ॥୯୫
ଭୋଜନ ସାରି ବେନିଭାଇ । ଗୋପାଳ ପୁଅଙ୍କୁ ଅନାଇ ॥୯୬
ବୋଲନ୍ତି ହୋଇ ହସହସ । ମଥୁରା ବୁଲିଯିବା ଆସ ॥୯୭
ବେଳ ହୋଇବ ଅବସାନ । ଥୋକାଏ ଦେଖିବା ଭୁବନ ॥୯୮
ଦେଖିବା ରାଜାର କଟକ । କେମନ୍ତ ଦିଶଇ ଛଟକ ॥୯୯
ଭିଆଇ ଧନୁଯାତ୍ରାଘର । କେମନ୍ତ କରିଛି ସମ୍ଭାର ॥୧୦୦
ଅକ୍ରୁର ହସ୍ତେ ଦେଇ ରଥ । ଆମ୍ଭଙ୍କୁ ଅଣାଇଛି ଏଥ ॥୧୦୧
ଏବେ କି କରିବ ଆମ୍ଭନ୍ତ । ହୋଇଲୁ ତାହାର ଆୟତ୍ତ ॥୧୦୨
ଆସ ହୋ ଯିବା ମଧୁପୁରୀ । ଆଗ ହୋଇଲେ ହଳଧାରୀ ॥୧୦୩
ଗୋପ କୁମରେ କୃଷ୍ଣ ସଙ୍ଗେ । ମିଳିଲେ ଗଡ଼ଦ୍ୱାରେ ଲାଗେ ॥୧୦୪
ଦେଖିଲେ ସ୍ପଟିକେ ନିର୍ମିତ୍ । ଉଚ୍ଚ ପୁରୁଷ ପାଞ୍ଚସାତ ॥୧୦୫
ବେନିକବାଟ ହେମମୟେ । ଲୁହାର କିଳିଣୀ ଯୋଡ଼ାଏ ॥୧୦୬
ତୋରଣ ବେନି ବୃକ୍ଷ ବାନ୍ଧି । ବିବିଧ ଫଳଡ଼ାଳେ ଛନ୍ଦି ॥୧୦୭
ତମ୍ବାର ପାଚେରୀ ବହଳ । ଖଣା ଗଭୀର ଶୁଦ୍ଧଜଳ ॥୧୦୮
ଭିତରେ ନାନା ବୃକ୍ଷମାନ । ଦେଖି ସାନନ୍ଦ କୃଷ୍ଣରାମ ॥୧୦୯
ଯେ ଯାହାମତେ ଅଳଙ୍କାର । ବେଦୀଏ ଦିଶନ୍ତି ସୁନ୍ଦର ॥୧୧୦
ଅ
ଟ୍ଟାଳୀ ଉପରେ ସୁନ୍ଦର । ସୁନା କଳସ ଧ୍ୱଜସାର ॥୧୧୧
ଉପରେ ଶୋହେ ରତ୍ନମାଳା । ସ୍ପଟିକ ହୀରାର ମେଖଳା ॥୧୧୨
ବୈଡ଼ୁର୍ଯ୍ୟ ମର୍କତ ମୁକୁତା । ଲମ୍ବନ୍ତି ମାଳ ମାଳ ଗୁନ୍ଥା ॥୧୧୩
ସୁବର୍ଣ୍ଣ କାନ୍ଥ ରତ୍ନ ଚାଳ । ଜଳାକବାଟି ପରିମଳ ॥୧୧୪
ପାରା ମୟୂର ନାଦ କରି । ଝିଙ୍କ କୋକିଳ ଶୁକ ଶାରୀ ॥୧୧୫
ଗଜ ତୁରଙ୍ଗଶାଳା ପାଖେ । ବରାହ ମୃଗ ଝାଙ୍କେଝାଙ୍କେ ॥୧୧୬
ବନକୁକ୍କୁଟ ରାଜହଂସୀ । ଦେଖି ଶ୍ରୀକୃଷ୍ଣ ପରଶଂସି ॥୧୧୭
ତହୁଁ ପଶିଲେ ପୁରେ ଯାଇ । ପୋଏ ଚାହାଁନ୍ତି ତୋଷ ହୋଇ ॥୧୧୮
ଦେଖିଲେ ରାଜମାର୍ଗେ ହରି । ଚନ୍ଦନ ଛେରାଏ ପହଁରି ॥୧୧୯
ତଣ୍ତୁଳ ଲାଜା ଦୁର୍ବାସଙ୍ଗେ । ନାରୀଏ ବନ୍ଦାନ୍ତି ସୁରଙ୍ଗେ ॥୧୨୦
ସବୁରି ଦ୍ୱାରେ ପୂର୍ଣ୍ଣକୁମ୍ଭ । ଦଧି ଅକ୍ଷତ ବସ୍ତ୍ରଲମ୍ବ ॥୧୨୧
ଫଳ ପଲ୍ଲବ ଦୀପାବଳୀ । ଶଙ୍ଖ ମହୁରି ହୁଳହୁଳି ॥୧୨୨
ଦ୍ୱାରେ କଦଳୀ ବେନିବୃକ୍ଷେ । ତୋରଣ ମାଳ ଧ୍ୱଜ ଉଚ୍ଚେ ॥୧୨୩
ଦ୍ୱାରର ଖମ୍ବେ ପାଟଶାଢ଼ୀ । ଉପରେ ଚାନ୍ଦୁଆ ଉହାଡ଼ି ॥୧୨୪
ବସୁଦେବର ବେନିସୁତେ । ଗୋପାଳ ମେଳେ ରାଜପଥେ ॥୧୨୫
ଦେଖି ଆନନ୍ଦ ନରନାରୀ । ପଡ଼ିଲା ରାଜପଥେ ହୁରି ॥୧୨୬
ନାନା ପସରା ହାଟବାଟେ । କାମିନୀ ଧାମନ୍ତି ଉଚ୍ଚାଟେ ॥୧୨୭
ବୃକ୍ଷ ଅଟ୍ଟାଳୀ ଆରୋହନ୍ତି । ପିଢ଼ାରେ ଉଠି କେ ଦେଖନ୍ତି ॥୧୨୮
କେ ନାରୀ ଚିତ୍ତ ଅନାୟତ୍ତେ । ବସ୍ତ୍ର ପିନ୍ଧିଲା ବିପରୀତେ ॥୧୨୯
ଅଙ୍ଗଭୂଷଣ ଆନୁ ଆନେ । ଅଞ୍ଜନ ଏକଇ ନୟନେ ॥୧୩୦
ଏକ ଶ୍ରବଣେ କାପ ଭରି । ନୂପୁର ଏକପାଦେ କରି ॥୧୩୧
ବଳୟ ଭରି ବାମହସ୍ତେ । କବରୀ ଫିଟିଅଛି ମାଥେ ॥୧୩୨
କେ ଭୁଞ୍ଜୁଥିଲା ଦଧିଭାତ । ଧାଇଁଲା ନ ପଖାଳି ହାତ ॥୧୩୩
ତୈଳ ଅଏଁଳା ଘେନି ଶିରେ । କେ ଅବା ଥିଲେ ନଦୀତୀରେ ॥୧୩୪
ସ୍ନାହାନ ଉପେକ୍ଷି ବହନ । ଧାଇଁଲେ ଶୁଣି ବାଦ୍ୟସ୍ୱନ ॥୧୩୫
ଶୋଇଲା ଲୋକଙ୍କୁ ଚିଆଇଁ । ଆସଗୋ ବୋଲି ବେଗେ ଧାଇଁ ॥୧୩୬
କାଖରୁ ବାଳକ ପକାଇ । ଧାମନ୍ତି କୃଷ୍ଣେ ମନ ଦେଇ ॥୧୩୭
ଦେଖିଣ ବସୁଦେବସୁତ । ନିର୍ମଳ କଲେ ଚର୍ମନେତ୍ର ॥୧୩୮
ମଥୁରାନାରୀଙ୍କର ମନ । ମୋହିଲେ ପ୍ରଭୁ ଭଗବାନ ॥୧୩୯
ଲଳିତଗତି ଦିବ୍ୟବେଶ । ରଙ୍ଗଅଧରେ ମନ୍ଦହାସ ॥୧୪୦
ମତ୍ତମାତଙ୍ଗ ପ୍ରାୟ ହୋଇ । କଟାକ୍ଷନୟନେ ଅନାଇଁ ॥୧୪୧
ମଥୁରାପୁରନାରୀଙ୍କର । ଉତ୍ସବ ହୋଇଲା ଅପାର ॥୧୪୨
ଯାହାର ଜନ୍ମ-କର୍ମ-ପଥେ । ବାରତା ଶୁଣୁଥିଲେ ନିତ୍ୟେ ॥୧୪୩
ଦେଖିଲେ ନୟନ ପୂରାଇ । ଗୋବିନ୍ଦ-ସୁଧାରସ ପାଇ ॥୧୪୪
ଭିତରେ କୃଷ୍ଣଙ୍କୁ ଦେଖିଲେ । ଆନନ୍ଦେ ଲୋଚନ ବୁଜିଲେ ॥୧୪୫
ହୃଦରେ ଭିଡ଼ି ଆଲିଙ୍ଗନ । କରି ଛାଡ଼ିଲେ ଖେଦମନ ॥୧୪୬
ବୃକ୍ଷ ଅ
ଟ୍ଟାଳୀ ଗୃହେ ଥାଇ । ଆନନ୍ଦ ଲୋଚନେ ଅନାଇଁ ॥୧୪୭
ହରଷେ କୁସୁମ ଅଞ୍ଜଳି । ଦେଇ କରନ୍ତି ହୁଳାହୁଳି ॥୧୪୮
ଅନେ୍ଧ ବନ୍ଧୁଙ୍କ କନେ୍ଧ ହସ୍ତ । ଦେଖି ଆସନ୍ତି ଗୋପୀନାଥ ॥୧୪୯
ବ୍ରହ୍ମଣେ ଆସି ରାଜଦାଣ୍ତେ । କରଅଞ୍ଜଳି ଦେଇ ମୁଣ୍ତେ ॥୧୫୦
ଦଧି ଅକ୍ଷତ ଗଙ୍ଗାନୀର । କୁସୁମ ଗନ୍ଧ ଉପହାର ॥୧୫୧
ଆନନ୍ଦେ କୃଷ୍ଣ ବଳରାମ । ବ୍ରାହ୍ମଣେ ପୂଜି ତୋଷମନ ॥୧୫୨
ମଥୁରାପୁର ଲୋକେ ମିଳି । ଦେଖିଲେ ରାମ ବନମାଳୀ ॥୧୫୩
କହନ୍ତି ଗୋପାଳଙ୍କ ଭାବ । ଶତ-ଜନମେ କେ ପାଇବ ॥୧୫୪
ଅନେକ ଜନ୍ମେ ତପ କରି । ଗୋପରେ ଯେତେ ନରନାରୀ ॥୧୫୫
ଗାଈ ମହିଁଷି ବନଭାଗେ । ଦିନ ବଞ୍ଚିଲେ କୃଷ୍ଣ ସଙ୍ଗେ ॥୧୫୬
ରାମ ଗୋବିନ୍ଦ ମୁଖ ଚାହିଁ । ଜନ୍ମ ମରଣ ଭୟ ନାହିଁ ॥୧୫୭
ଏମନ୍ତ ବୋଲୁଁ ବୋଲୁଁ ଲୋକେ । ରଜକ ମିଳିଲା ଛଟକେ ॥୧୫୮
ଭାଇ ସୋଦର ବନ୍ଧୁବଳ । ଘେନାଇଁ ରାଜା ମଢ଼ିଆଳ ॥୧୫୯
ଆଗେ ବାଜଇ ଶଙ୍ଖ ବେନି । ଚାଲଇ ମଢ଼ିଆଳ ଘେନି ॥୧୬୦
ଦେଖି ପଚାରିଲେ ମୁରାରି । କେ ଯାଏ ବାଦ୍ୟନାଦ କରି ॥୧୬୧
ଲୋକେ ବୋଇଲେ ଏ ରଜକ । ଅଟଇ କଂସର ସେବକ ॥୧୬୨
ନିତ୍ୟେ ଏ ମଢ଼ିଆଳ ନେଇ । ଯମୁନାନଦୀରେ କାଚଇ ॥୧୬୩
ଏ ନେଇ ଦେବ ଗନ୍ତାଘରେ । ଭୋଜ ନୃପତିଙ୍କ ଛାମୁରେ ॥୧୬୪
ଶୁଣି ଗୋବିନ୍ଦ ତୋଷ ହୋଇ । ଡ଼ାକନ୍ତି ରହ ରହ ଭାଇ ॥୧୬୫
ଆଗେ ଓଗାଳି ହଳଧର । ପୋଏ ବେଢ଼ିଲେ ଧାତିକାର ॥୧୬୬
ରଜକ ମୁଖ ଚାହିଁ ହସି । ବୋଲନ୍ତି ପ୍ରଭୁ ବ୍ରହ୍ମରାଶି ॥୧୬୭
ଦେଖିବା ରାଜା ମଢ଼ିଆଳ । ବସ୍ତ୍ର ତୁ ବେଗେ ଥୁଅ ତଳ ॥୧୬୮
ଆମ୍ଭେ ହୋ ବସୁଦେବସୁତେ । ଗୋପରେ ଥିଲୁ ଦିନାକେତେ ॥୧୬୯
ଦେଖିବା କେମନ୍ତ ସୁନ୍ଦର । କଂସ ରାଜାର ମଢ଼ିଆଳ ॥୧୭୦
ଯେବେ ତୁ ନ ଦେବୁ ଦେଖାଇ । ଆମ୍ଭଙ୍କୁ ଦିଅ ବସ୍ତ୍ର ଦୁଇ ॥୧୭୧
ନୀଳ ଧବଳ ଦେହ ଚାହଁ । ଆମ୍ଭ ଉଚିତେ ବସ୍ତ୍ର ଦିଅ ॥୧୭୨
ଆମ୍ଭେଟି ରାଜାର ଭଣଜା । ବସ୍ତ୍ର ତୁ ଦେଇଣ କହ ଯା ॥୧୭୩
ଶୁଣି ନୃପତି ହେବେ ତୋଷ । ସଂସାରେ ଥିବ ତୋର ଯଶ ॥୧୭୪
ରଜକ ଛଦ୍ରମେଣ କାଲ । ନ ଶୁଣି ରାମକୃଷ୍ଣ ବୋଲ ॥୧୭୫
ପୁଣି ଚାଲଇ ପହଲାଇ । ଆଗ ହୋଇଲେ ଭାବଗ୍ରାହୀ ॥୧୭୬
ମିଳିଲେ ରୋହିଣୀର ବଳା । ଦେଖି ରଜକ କୋପ କଲା ॥୧୭୭
ଦଇବେ ରାଜାର ସେବକ । ରଜକ ସ୍ୱଭାବେ ମୂରୁଖ ॥୧୭୮
ବୋଲଇ ଧିକ୍କାର ବଚନ । ତୁମ୍ଭେ ଯେ ଅଟ ଜାତିହୀନ ॥୧୭୯
ତୁମ୍ଭର କୁଳମୂଳ ନାହିଁ । ବନେ ଚରାଉଥାଅ ଗାଈ ॥୧୮୦
ଗଉଡ଼ଜାତି ହୀନ ଲୋକ । ଶୃଗାଳ ପ୍ରାୟେ ତୁମ୍ଭ ମୁଖ ॥୧୮୧
ବାଇଙ୍କ ପ୍ରାୟ ଗାଈ ଘେନି । କରୁ ଯେ ଥାଅ ବେଣୁଧ୍ୱନି ॥୧୮୨
ଏଡ଼େ ଭରସା ଗର୍ବ ବହ । ରାଜା ମଢ଼ିଆଳ ରୁହାଅ ॥୧୮୩
ନିର୍ଲ୍ଲଜ ବୋଲି ଏହା ବୋଲ । ଜୀବନ ଥାଉଁ ଥାଉଁ ମଲ ॥୧୮୪
ତୁମ୍ଭର ପୂର୍ବେ ତପ ନାହିଁ । ଗଉଡ଼େ ଅଛ ଜାତ ହୋଇ ॥୧୮୫
ଜୀବନେ ଯେବେ ଅଛି ଆଶ । ବେଗେ ପଳାଅ ନିଜ ଦେଶ ॥୧୮୬
ରାଜାର ଲୋକେ ଏହା ଶୁଣି । ସବୁନ୍ତ ପକାଇବେ ହାଣି ॥୧୮୭
ତୁମ୍ଭେ ନ ମାଗ ମଢ଼ିଆଳ । ତୁମ୍ଭର ପୂରିବଟି କାଳ ॥୧୮୮
କଂସ ହିଁ ଅଛଇ ଅଣାଇ । ନିଶ୍ଚେ ମରିବ ବେନିଭାଇ ॥୧୮୯
ଜୀବନେ ମାରିବ ତୁମ୍ଭଙ୍କୁ । ବନ୍ଦୀ ସେ କରିବ ନନ୍ଦକୁ ॥୧୯୦
ହୋଇବ ତୁମ୍ଭେ ବିଷାବଳି । ଶୁଣି କୋପିଲେ ବନମାଳୀ ॥୧୯୧
ଚାପୁଡ଼େ ମାରି ବାମକର । ଛେଦିଲେ ରଜକର ଶିର ॥୧୯୨
ତାହାର ସଙ୍ଗେ ଯେତେ ଥିଲେ । ବସ୍ତ୍ର ପକାଇ ପଳାଇଲେ ॥୧୯୩
ରଜକ ଭୂମିରେ ପଡ଼ିଲା । ଜୀବନ ଗୋବିନ୍ଦେ ପଶିଲା ॥୧୯୪
ହସି ବୋଲନ୍ତି ଭଗବାନ । ବସ୍ତ୍ର ଯେ ଘେନ ଯେଝାମନ ॥୧୯୫
ରାମ ଫେଡ଼ିଲେ ବସ୍ତ୍ରପୁଡ଼ା । ଥିଲା ତହିଁରେ ଯେତେ ଯୋଡ଼ା ॥୧୯୬
ବାଛି ଘେନିଲେ ପୀତ ନୀଳ । ସୁନ୍ଦର ରାଜା ମଢ଼ିଆଳ ॥୧୯୭
ଗୋପାଳ ପୋଏ ଯେଝାମତେ । ବସ୍ତ୍ର ପିନ୍ଧିଲେ ତୋଷଚିତ୍ତେ ॥୧୯୮
ଯେତେ ମଢ଼ିଆଳ ଉବୁରି । ପକାଇ ଗଲେ କୁଢ଼ କରି ॥୧୯୯
କନ୍ଧେପକାଇ ମଢ଼ିଆଳ । ଚାହାଁନ୍ତି ମଦନ ଗୋପାଳ ॥୨୦୦
ଥିଲା ଯେ କଂସ ବେଶକାରୀ । ଆଗେ ମିଳିଲା କରଯୋଡ଼ି ॥୨୦୧
ବୋଲଇ ଶିରେ କର ଦେଇ । ରାଜାର ଗନ୍ତାୟତ ମୁହିଁ ॥୨୦୨
ବସ୍ତ୍ର ମୁଁ ପିନ୍ଧାଇବି ରଙ୍ଗେ । କାଛେଣି ନାନା ପରିଭଙ୍ଗେ ॥୨୦୩
ଶୁଣି ସାନନ୍ଦ ଗୋପୀନାଥ । ବସନ ଦେଲେ ତା'ର ହସ୍ତ ॥୨୦୪
ତକ୍ଷଣେ ପିନ୍ଧାଇଲା କାଛି । ରାମ ଗୋବିନ୍ଦେ ବଳ ଆଞ୍ଚି ॥୨୦୫
ବିବିଧମତେ ଅଳଙ୍କାର । ସ୍କଭାବେ ଦିଶିଲା ସୁନ୍ଦର ॥୨୦୬
ବସ୍ତ୍ର ପିନ୍ଧିଲେ ପୀତନୀଳ । ଉତ୍ସବ ଯେହ୍ନେ ପର୍ବକାଳ ॥୨୦୭
ବାଳକହସ୍ତୀ ବେଶକରି । ଯେସନେ ଆନନ୍ଦେ ବିହରି ॥୨୦୮
ରାମଗୋବିନ୍ଦ ସେହିମତେ । ଦିଶନ୍ତି ମଥୁରାର ପଥେ ॥୨୦୯
ଗୋବିନ୍ଦ ଗନ୍ତାୟତେ ଚାହିଁ । ବୋଲନ୍ତି ପ୍ରଭୁ ଭାବଗ୍ରାହୀ ॥୨୧୦
ସମ୍ପଦ ହେଉ ତୋ' ଅନେକ । ବହୁତ ପୁତ୍ର ନାତି ଦେଖ ॥୨୧୧
ବଳ ତୋହର ଦେହେ ଥାଉ । ମୋହର ପାଦେ ଚିତ୍ତ ରହୁ ॥୨୧୨
ଅନ୍ତେ ପଶିବୁ ମୋର ଦେହେ । କହି ଚଳିଲେ ଦେବରାୟେ ॥୨୧୩
ଚଳନ୍ତି ମଥୁରାଏ ହେରି । ଗୋପାଳ ପୋଏ ରାମହରି ॥୨୧୪
ସୁଦାମା ନାମେ ମାଳାକାର । କୃଷ୍ଣ ମିଳିଲେ ତା'ର ଘର ॥୨୧୫
ନାନା କୁସୁମେ ପରିମଳ । ପବନ ବହଇ ଶୀତଳ ॥୨୧୬
ମାଳୀର ଦ୍ୱାରେ ଉଭା ହୋଇ । ଡ଼ାକନ୍ତି ପ୍ରଭୁ ଭାବଗ୍ରାହୀ ॥୨୧୭
କୋମଳ ମଧୁର ବଚନ । ସୁଦାମା ଶୁଣି ତୋଷମନ ॥୨୧୮
ବାହାର ହୋଇଲା ବହନ । ଦେଖିଲା ରାମ ଭଗବାନ ॥୨୧୯
ଆନନ୍ଦେ ଗଡ଼ଘାଲି ଶୋଇ । ବୋଲଇ ନିସ୍ତରିଲି ମୁହିଁ ॥୨୨୦
ପତ୍ନୀ ଆଣିଲା ଜଳଝରି । ପାଦ ଧୋଇଲା ଯତ୍ନକରି ॥୨୨୧
ପାଦଉଦକ ଘେନି ଶିରେ । ସିଞ୍ଚିଲା ନେଇ ଘରଦ୍ୱାରେ ॥୨୨୨
ପତିପତ୍ନୀ ସେ ଜଳ ପାଇ । ନାଚନ୍ତି ଶିରେ କର ଦେଇ ॥୨୨୩
ଆନନ୍ଦ ସାଗରେ ବୁଡ଼ିଲେ । ଗୋବିନ୍ଦ ଚରଣେ ପୂଜିଲେ ॥୨୨୪
ଯେତେକ ଅର୍ଘ୍ୟ ଆଚମନ । ଧୂପ ଦୀପ ଗନ୍ଧ ଚନ୍ଦନ ॥୨୨୫
ରୋହିଣୀସୁତ କୃଷ୍ଣ ସଙ୍ଗେ । ପୂଜିଲା ପଦ୍ମପାଦ ଯୁଗେ ॥୨୨୬
ପୂଜାର ଅନ୍ତେ ପାଦେ ପଡ଼ି । ବୋଲଇ ଶିରେ କରଯୋଡ଼ି ॥୨୨୭
ଧନ୍ୟ ହୋଇଲା ଆଜଦିନ । ପବିତ୍ର ହେଲା ମୋର ଜନ୍ମ ॥୨୨୮
ନିର୍ମଳ ହୋଇଲା ମୋ' କୁଳ । ଦେଖିଲି ପ୍ରଭୁ ଆଦିମୂଳ ॥୨୨୯
ପିତୃ ଦେବତା ଋଷି ଯେତେ । ତୋଷ ହୋଇଲେ ଆଜମୋତେ ॥୨୨୯
ଦେଖିଲି ପୁରୁଷ ପୁରାଣ । ଅନାଦି ପରମ କାରଣ ॥୨୩୦
ଅବନୀଭାରାର ଉଶ୍ୱାସେ । ଦେହ ବହିଲେ ନରଅଂଶେ ॥୨୩୧
ଏ ରୂପ ଅସୁର ନାଶନ । ସାଧୁଙ୍କୁ ଦେଲ ଆତ୍ମଜ୍ଞାନ ॥୨୩୨
ତୁମ୍ଭେ ଜଗତ ପିତାମାତ । ନାହିଁ ତୁମ୍ଭର ଆଦିଅନ୍ତ ॥୨୩୩
ସକଳଜନ୍ତୁଙ୍କ ଜୀବନ । ପାଳନ ହେତୁ ନିରଞ୍ଜନ ॥୨୩୪
ଭାବକରନ୍ତି ପ୍ରାଣୀ ଯେତେ । ତାହାଙ୍କୁ ଭାବୁ ଏକଚିତ୍ତେ ॥୨୩୫
ଭୋ ନାଥ ମୋତେ ଆଜ୍ଞାକର । କିମ୍ବା ଅଇଲ ମୋର ଘର ॥୨୩୬
ତୋହର ଆଜ୍ଞା ଶିରେ ଘେନି । ତରନ୍ତି ଭବଜଳୁଁ ପ୍ରାଣୀ ॥୨୩୭
ଏମନ୍ତ ବୋଲି ତୋଷମନେ । ପାଦେ ପଡ଼ିଲେ ବେନିଜନେ ॥୨୩୮
କୃଷ୍ଣ ବୋଇଲେ ଶୁଣ ତୁହି । ଆମ୍ଭେ ଅଇଲୁ ଯହିଁ ପାଇଁ ॥୨୩୯
ଦିଅ କୁସୁମମାଳମାନ । ଯାହାକୁ ଯେହୁ ଶୋଭାବନ ॥୨୪୦
ସୁଦମା କୃଷ୍ଣର ବଚନେ । ପଶିଲା ଆପଣା ଭୁବନେ ॥୨୪୧
ସୁଗନ୍ଧ କୁସୁମର ଗଭା । ସୁନ୍ଦର ଦିଶୁଅଛି ଶୋଭା ॥୨୪୨
କୃଷ୍ଣ ନିକଟେ ଦେଲା ନେଇ । ରାମ ଦେଖନ୍ତି ତାଟ ଫେଇ ॥୨୪୩
ରାମ ଗୋବିନ୍ଦ ବେନିଭାଇ । ତାଟୁ ଘେନିଲେ ମାଳ ଦୁଇ ॥୨୪୪
ଲମ୍ବାଇ ରାମକୃଷ୍ଣ ହୃଦେ । ସୁଦାମା ଚାହଁଇ ଆନନ୍ଦେ ॥୨୪୫
ଚୂଳେ ବାନ୍ଧିଲା ବେନିଗଭା । ଦିଶନ୍ତି ରାମକୃଷ୍ଣ ଶୋଭା ॥୨୪୬
ତ୍ରିମୁଣ୍ତି ଗଭା ଶିରେ ଦେଇ । ବୋଲଇ କୃଷ୍ଣ ତ୍ରାହି ତ୍ରାହି ॥୨୪୭
ସୁଦାମା ମୁଖ ଚାହିଁ ହରି । ବୋଲନ୍ତି ରାମ କର ଧରି ॥୨୪୮
ବର ତୁ ମାଗ ତୋଷମନେ । ତୋହର ବାଞ୍ଛା ଯେତେ ମନେ ॥୨୪୯
ମାଳୀ ବୋଲଇ ଯୋଡ଼ିକର । ଶୁଣିମା ପ୍ରଭୁ ଦାମୋଦର ॥୨୫୦
ସର୍ବସମ୍ପଦ ଅଟୁ ତୁହି । ତୋ' ତହୁଁ ଅନ୍ୟଗତି ନାହିଁ ॥୨୫୧
ମୋର ସମ୍ପଦେ ନାହିଁ କାର୍ଯ୍ୟ । ଶୁଣିମା ପ୍ରଭୁ ଦେବରାଜ ॥୨୫୨
ତୋ'ର ଭକତ ଯେତେ ଜନେ । ସେବିବି ତାହାଙ୍କ ଚରଣେ ॥୨୫୩
ପ୍ରାଣୀଙ୍କ ହିତେ ମୋର ଦୟା । ଭୋ ନାଥ ମୋତେ ଦିଅ ଏହା ॥୨୫୪
ଶୁଣି ସାନନ୍ଦ ମହାବାହୁ । ବୋଇଲେ ବାଞ୍ଛା ସିଦ୍ଧ ହେଉ ॥୨୫୫
ମାଳୀର ମନ ତୋଷ କରି । ଧନ ଆୟୁଷ ଯଶ ଶିରୀ ॥୨୫୬
ଦେଇ ଚଳିଲେ ଦାମୋଦର । ଗୋପ କୁମରେ ହଳଧର ॥୨୫୭
କହଇ ଦାସ ଜଗନ୍ନାଥ । ଗୋବିନ୍ଦ ମଥୁରାର ପଥ ॥୨୫୮
ଏବେ ହୋଇବ ମହୀ ସ୍ଥିର । ଅସୁର କରିବେ ସଂହାର ॥୨୫୯
ଭକତଜନେ ଶୁଣି ଏହା । ଖଣ୍ତିବେ ଘୋର ଜଡ଼ ମାୟା ॥୨୬୦
ଏଣେ ହରିଙ୍କି ଧ୍ୟାନ କରି । ଭବସାଗରୁ ଯିବ ତରି ॥୨୬୧
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ମଥୁରାପୁରପ୍ରବେଶୋ ନାମ ଚତୁଃଚତ୍ୱାରିଂଶୋଽଧ୍ୟାୟଃ ॥
ପଞ୍ଚଚତ୍ୱାରିଂଶ ଅଧ୍ୟାୟ
[ସମ୍ପାଦନା]- ଶୁକ ଉବାଚ
କହନ୍ତି ଶୁକ ବ୍ରହ୍ମଋଷି । ଶୁଣ ରାଜନ କୁରୁବଂଶୀ ॥୧
ସେଠାରୁ ଗଲେ ବନମାଳୀ । ଦେଖନ୍ତି ପୁରଜନେ ମିଳି ॥୨
ଚାଲନ୍ତେ ପ୍ରଭୁ ଦେବରାଜା । ବାଟରେ ମିଳିଲା କୁବୁଜା ॥୩
ସୁଗନ୍ଧପେଡ଼ି ଘେନି କାଖେ । ଚାଲଇ ପଥେ ତିନିବାଙ୍କେ ॥୪
ମୁଖ ତା' ଦିଶଇ ସୁନ୍ଦର । କଟାକ୍ଷେ ଚାହଁଇ ମଧୁର ॥୫
ଗନ୍ଧଚନ୍ଦନ ନିତ୍ୟେ ନେଇ । କଂସର ଛାମୁରେ ଭେଟଇ ॥୬
ତା'ର ଚନ୍ଦନ ଦେଖି କଂସ । ମନେ ଅନେକ ହୋଏ ତୋଷ ॥୭
କୁବୁଜା କୃଷ୍ଣଙ୍କୁ ଦେଖିଲା । ସଭୟେ ପଥ ଉପେକ୍ଷିଲା ॥୮
ଲାଜରେ ଗଲା ଆଡ଼ ହୋଇ । ଦେଖନ୍ତି ରାମକୃଷ୍ଣ ଦୁଇ ॥୯
କୃଷ୍ଣ ମିଳିଲେ ତା'ର ପାଖେ । ବୋଲନ୍ତି କିସ ତୋର କାଖେ ॥୧୦
ଚନ୍ଦନ ପ୍ରାୟେକ ବାସଇ । କାହାକୁ ଦେବୁ ଏହା ନେଇ ॥୧୧
କହ ତୋହର ନାମ କିସ । ଦିଶୁଛୁ ଏମନ୍ତ ଭବିଷ୍ୟ ॥୧୨
କାହାର ପତ୍ନୀ ତୁ ବୋଲାଉ । ପିଠିରେ ତିନି କୁଜ ବହୁ ॥୧୩
କି କର୍ମେ ହୋଇଲୁ ଏମନ୍ତ । ଭୟ ନ କରି କହ ସତ୍ୟ ॥୧୪
ଆମ୍ଭେ ଗୋ ଅଟୁ ସହୋଦର । ରେହିଣୀସୁତ ଦାମୋଦର ॥୧୫
ଦେଖ ଆମ୍ଭର ଦେହ ଶୂନ୍ୟ । ଥୋକାଏ ଦେବୁକି ଚନ୍ଦନ ॥୧୬
ଆମ୍ଭେ ହୋଇବୁ ତୋଷ ମନ । ପାଇବୁ ପରଲୋକ ଧର୍ମ ॥୧୭
ରାଜା ହୋଇବ ମନେତୋଷ । ଜଗତେ ଥିବ ତୋର ଯଶ ॥୧୮
କୁବୁଜା କୃଷ୍ଣ ବୋଲ ଶୁଣି । କହେ ଅମୀୟ ରସ ବାଣୀ ॥୧୯
ଯାହା ତୁ ପଚାରିଲୁ ସ୍ୱାମୀ । ସକଳଭୂତେ ଅନ୍ତର୍ଯ୍ୟାମୀ ॥୨୦
ତୁ ଅଟୁ ଜଗତ ସୁନ୍ଦର । ଦାସୀ ମୁଁ ହୋଇବି ତୋହର ॥୨୧
କଂସର ଅଟଇ ନିଯୋଗୀ । କରଇ ଚତୁଃସମ ଲାଗି ॥୨୨
ସ୍ୱାମୀ ତନୟ ମୋର ନାହିଁ । ଜନ୍ମହୁଁ କୁବୁଜା ଅଟଇ ॥୨୩
ବିରୂପ ଦେଖି ମୋର ଶୋଭା । କେହିନୋହିଲେ ମୋତେ ବିଭା ॥୨୪
ଜାତି ମୋହର ଘଟୁଆରୀ । ଜୀବିକା କଂସ-ସେବାକାରୀ ॥୨୫
ପିତା ମୋ' ଅପୁତ୍ରିକ ହୋଇ । କାଳେ ଲଭିଲା ସ୍ୱର୍ଗ ଭୂଇଁ ॥୨୬
ପିତାର ପୁତ୍ର ଯହୁଁ ନାହିଁ । ସେବା ଆବୋରିଅଛି ମୁହିଁ ॥୨୭
ମୋର ଚନ୍ଦନେ ନୃପ ତୋଷ । ଦେଇଛି ମୋତେ ତିନିଦେଶ ॥୨୮
ବହୁତ ଧନରତ୍ନ ମୋର । ଜୀବନ ହୋଇଲା ଅସାର ॥ ୨୯
ନିଷ୍ଫଳ ହୋଇଲା ମୋ' ଦେହୀ । ପୂର୍ବେ ଅର୍ଜିଲି ଯାହା ମୁହିଁ ॥୩୦
ତୋ ରୂପ ଦେଖି ମୋର ମନ । ନିର୍ମଳ ହୋଇଲା ନୟନ ॥୩୧
ଏ ହାଦେ ରାଜାଗନ୍ଧପେଡ଼ି । ଦେଖାଇ କୃଷ୍ଣ ଆଗେ ଫେଡ଼ି ॥୩୨
ରାଜାର ଗନ୍ଧ ଏ ଅଟଇ । ତୁମ୍ଭ ଦୁହିଁଙ୍କି ଏ ଯୋଗାଇ ॥୩୩
ଥୋକାଏ ଦେବି ଗନ୍ଧ ତୋତେ । କଂସ କୋପିବଯେବେ ମୋତେ ॥୩୪
ତାହାକୁ ନାହିଁ ମୋର ଡ଼ର । ତୁମ୍ଭେ ମୋହର ବଳୀୟାର ॥୩୫
ଏମନ୍ତ ବୋଲି ଗନ୍ଧ ଫେଇ । ଲେପିଲା କୃଷ୍ଣ ଅଙ୍ଗେ ନେଇ ॥୩୬
ନାଭିରୁ ଶିରଯାଏ ବୋଳି । ଆନନ୍ଦେ ଦେଲା ହୁଳହୁଳି ॥୩୭
କପାଳେ ଦେଲା ଠିଆ ଚିତା । କର୍ପୂର କସ୍ତୁରୀ ଶୋଭିତା ॥୩୮
ରାମଙ୍କୁ କଲା ସେହି ମତ । ଦେଖି ହସନ୍ତି ଗୋପୀନାଥ ॥୩୯
ଦୟାସାଗର ଦାମୋଦର । ଧଇଲେ କୁବୁଜାର କର ॥୪୦
ବେନିଚରଣେ ପାଦ ଦେଇ । ଓଷ୍ଠରେ ଅଙ୍ଗୁଳି ଲଗାଇ ॥୪୧
ଅଳପେ କରି ଦେଲେ ଟେକି । ପୋଏ ହସନ୍ତି ତାହା ଦେଖି ॥୪୨
ଲାଗନ୍ତେ ଚକ୍ରଧର କର । ତକ୍ଷଣେ ହୋଇଲା ସୁନ୍ଦର ॥୪୩
ତା' ତିନିକୁଜ କେଣେ ଗଲା । ରୁପେଣ ଅନଙ୍ଗ ମୋହିଲା ॥୪୪
ହୋଇଲା ଅପୂର୍ବ କାମିନୀ । ଦେଖି ଟଳିବେ ସୁର ମୁନି ॥୪୫
ଜଗତେ ନାହିଁ ପଟାନ୍ତର । ଦିଶଇ ଅତ୍ୟନ୍ତ ସୁନ୍ଦର ॥୪୬
ଦେଖି ଚକିତ ଦେବତାଏ । କୃଷ୍ଣ ହୁଁ ଆନେ ନ ଯୋଗାଏ ॥୪୭
କୁବୁଜା ନିଜ ରୂପ ଚାହିଁ । କୃଷ୍ଣଙ୍କୁ ଦେଖି ବିଚାରଇ ॥୪୮
ଏତ ଅନାଦି ବିଶ୍ୱକର୍ମା । ନାହିଁ ନା ଜଗତେ ଉପମା ॥୪୯
ଏ ମୋତେ କଲାକି ସୁନ୍ଦର । ଏ ଯେ ମୋହର ନିଜ ବର ॥୫୦
ଅନେକ ଅଛି ମୋର ଭାଗ୍ୟ । ଦଇବ କରିଛି ସଂଯୋଗ ॥୫୧
ଏମନ୍ତ କୁବୁଜା ବିଚାରି । ଧଇଲା କୃଷ୍ଣର ଉତ୍ତରୀ ॥୫୨
ଲଜ୍ଜା ହିଁ ନ କଲା ରାମଙ୍କୁ । ବୋଇଲା ଆସ ମୋ' ଘରକୁ ॥୫୩
ମୋର ମନ୍ଦିରେ ଆଜ ରହି । କାଲି ଭେଟିବ ନୃପସାଇଁ ॥୫୪
ତୁମୋତେ କଲୁ ଏଡ଼େ ରୂପ । ଭୋ ନାଥ ନ କରିବା କୋପ ॥୫୫
ଏ ଦେହ ହେଲେ ଆନେଭୋଗ୍ୟ । ଅନଳେ କରିବି ସଂଯୋଗ ॥୫୬
ତୁ ଆଜ ଗଲେ ମୋତେ ଛାଡ଼ି । ବଜ୍ର ପଡ଼ିବ ଶିରେ ମାଡ଼ି ॥୫୭
ଜୀବନ ରଖ ମୋର ଆଜ । ଶୁଣି ପାଇଲେ କୃଷ୍ଣ ଲାଜ ॥୫୮
ଗୋପକୁମରଙ୍କୁ ଅନାଇ । ବୋଇଲେ କୁବୁଜୀ ରୁହାଇ ॥୫୯
ଆମ୍ଭେ ଗୋ ଥିଲୁ ଗୋପପୁରୀ । ରାଜା ଅଣାଇ ଅଛି ଧରି ॥୬୦
କାଲି ଭେଟିବୁ ନୃପବର । ଛାମୁରେ ଦେଇ ଘୃତସର ॥୬୧
ମେଲାଣି ଦେଲେ କଂସ ରାୟେ । ସଙ୍ଗେ ନ ଥିବେ ଗୋପପୋଏ ॥୬୨
ଏବେ ଅଛନ୍ତି ସଙ୍ଗେ ଯେତେ । ଦଣ୍ତେ ହେଁ ନ ଛାଡ଼ନ୍ତି ମୋତେ ॥୬୩
ମୋହର ଜ୍ୟେଷ୍ଠ ହଳଧର । ଦେଖ ଏ ଧରିଛନ୍ତି କର ॥୬୪
ରାଜା ମେଲାଣି ଘେନି ଶିରେ । ଏହାଙ୍କୁ ପେଶି ଗୋପପୁରେ ॥୬୫
ନିଶ୍ଚୟ ଯିବି ତୋ'ର ଘର । ସଙ୍ଗେ ନ ଥିବେ ହଳଧର ॥୬୬
ଏମନ୍ତେ ପ୍ରଭୁ ଭଗବାନ । ତୋଷିଲେ କୁବୁଜାର ମନ ॥୬୭
କୁବୁଜା ବେନିକର ଯୋଡ଼ି । ପୁଣି କହିଲା ପାଏ ପଡ଼ି ॥୬୮
ମୁଁ ଯାଇ ମଣ୍ତୁଅଛି ଘର । ଭୋ ନାଥ ବିଳମ୍ବ ନ କର ॥୬୯
ମୁଁ ତୋତେ ନ ପାରିଲେ ଦେଖି । ଉପାଡ଼ି ପକାଇବି ଆଖି ॥୭୦
ମନ ମୋ' ଅଛି ତୋର ତହିଁ । ଉଛୁର ନ କର ଗୋସାଇଁ ॥୭୧
ଉତ୍ତରୀ ଛାଡ଼ିଲା କୁବୁଜା । କୃଷ୍ଣ ବୋଇଲେ ଘରେ ଯା ଯା ॥୭୨
ଗୋବିନ୍ଦ ପାଦେ ଚିତ୍ତ ଥୋଇ । କୁବୁଜା ଗଲା ତୋଷ ହୋଇ ॥୭୩
ଥିଲା ଯେ ବିପ୍ର ଜଗନ୍ନାଥ । ଗୋଡ଼ାଇ ଅଛି କୃଷ୍ଣ ପଥ ॥୭୪
ଗୋବିନ୍ଦ ଯା'ନ୍ତେ ଆଗସରି । ପଡ଼ିଲା ଧନୁଘରେ ହୁରି ॥୭୫
ବାଟେ ଯେ ଥିଲେ ବଣିଜାରେ । ପସରା ଘେନି ଯେ ଯାହାରେ ॥୭୬
ରାମ ଗୋବିନ୍ଦ ମୁଖ ଦେଖି । ନିର୍ମଳ କଲେ ଚର୍ମଆଖି ॥୭୭
ଯେଝାରେ ଘେନି ଉପହାର । ପୁଷ୍ପ ତାମ୍ବୁଳ ଗନ୍ଧସାର ॥୭୮
ଗୋପାଳକୁମରଙ୍କ ମେଳେ । ପୂଜିଲେ ବସୁଦେବବାଳେ ॥୭୯
କାମିନୀ ଚାହିଁ କୃଷ୍ଣ ମୁଖ । କନ୍ଦର୍ପବାଣେ ମନ ଦୁଃଖ ॥୮୦
କୃଷ୍ଣର ଦେହେ ଦେଇ ଡ଼ୋଳ । କେଶ ବସନ ଅସମ୍ଭାଳ ॥୮୧
ମଥୁରାପୁର ଲୋକେ ଚାହିଁ । ବୋଲନ୍ତି ବ୍ରହ୍ମାଣ୍ତ ଗୋସାଇଁ ॥୮୨
ରାଜାର ଧନୁଘର କାହିଁ । ଆମ୍ଭଙ୍କୁ ଦେଖାଅସି ନେଇ ॥୮୩
ରାଜା ହିଁ ଅଛନ୍ତି ଅଣାଇ । ଆମ୍ଭେ ଦେଖିବୁ ଧନୁ ଯାଇ ॥୮୪
ଲୋକେ ହୋଇଲେ ଆଗୁସାର । ପଛେ ଗୋବିନ୍ଦ ହଳଧର ॥୮୫
ଗୋପକୁମରେ ଗଲେ ଆଗେ । ମିଳିଲେ ଧନୁଘର ଲାଗେ ॥୮୬
ଦେଖିଲେ ରାଜା ଧନୁଘର । ଉତ୍ସବ ମଣ୍ତଣି ବେଭାର ॥୮୭
ଧ୍ୱଜ ପତାକା କେରା କେରା । ତୋରଣେ ମୁକୁତାର ଝରା ॥୮୮
ଚାନ୍ଦୁଆ ଟାଣି ଫୁଲମାଳ । ଚିତ୍ରବିଚିତ୍ରେ ମଣ୍ତି ଚାଳ ॥୮୯
ସପତ ଖମ୍ବେ ଧନୁ ଡ଼େରି । ବାଜଇ ମର୍ଦ୍ଦଳ ମହୁରି ॥୯୦
ସୁବର୍ଣ୍ଣଘଣ୍ଟି ଧନୁ ହୁଳେ । ଲମ୍ବେ ମୁକୁତା ରତ୍ନମାଳେ ॥୯୧
ବିବିଧ ଚାମର ଖଞ୍ଜଣି । ଇନ୍ଦ୍ରର ଧନୁପ୍ରାୟ ମଣି ॥୯୨
ବାଜଇ ବୀର ତୂର ନାଦ । କେ କହୁ ଧନୁର ସମ୍ପଦ ॥୯୩
ଅନେକ ଦେଶୁଁ ରାଜାମାନେ । ମିଳିଲେ କଂସର ଭୁବନେ ॥୯୪
ଧନୁ ଦେଖନ୍ତି ନରନାରୀ । ଅଙ୍ଗେଣ ଅଳଙ୍କାର ଭରି ॥୯୫
ଆନନ୍ଦ ହୋଇ ଯୂଥ ଯୂଥ । ଗହଳ ଧନୁଘର ପଥ ॥୯୬
କାମିନୀ ଦ୍ୟନ୍ତି ହୁଳ ହୁଳି । ମିଳିଲେ ରାମ ବନମାଳୀ ॥୯୭
ପାହାରି ଧନୁ ଦ୍ୱାରେ ରହି । ଭିତରେ ନ ଦିଅନ୍ତି ଯାଇ ॥୯୮
କୃଷ୍ଣ ବୋଲନ୍ତି ଛାଡ଼ ଦ୍ୱାର । ଆମ୍ଭେ ଦେଖିବୁ ଧନୁଘର ॥୯୯
ଶୁଣି ପାହାରୀ ପରଜ୍ୱଳି । ରାମକୃଷ୍ଣଙ୍କୁ ଦ୍ୟନ୍ତି ଗାଳି ॥୧୦୦
ତୁମ୍ଭେ ଯେ ସ୍ୱଭାବେ ଗୋପାଳ । ରାଜ୍ୟେ କି କରୁଅଛ ଗୋଳ ॥୧୦୧
ତୁମ୍ଭର କୁଳମୂଳ ନାହିଁ । ବନେ ଚରାଉଥାଅ ଗାଈ ॥୧୦୨
ଆମ୍ଭଙ୍କୁ ରାଜା ଆଜ୍ଞା ନାହିଁ । ଦ୍ୱାରା ଛାଡ଼ିବୁ କାହିଁପାଇଁ ॥୧୦୩
ରାଜାଙ୍କ ଆଗେ ଜଣାଇଲେ । ଏଥେ ପଶିବ ତୁମ୍ଭେ ଭଳେ ॥୧୦୪
ଶୁଣି ବୋଇଲେ ଦାମୋଦର । ଆମ୍ଭର ପାଇଁ ଧନୁଘର ॥୧୦୫
ରାଜା ଅକ୍ରୁରେ ପଠିଆଇ । ଆମ୍ଭଙ୍କୁ ଅଛଇ ଅଣାଇ ॥୧୦୬
ଆମ୍ଭର ପାଇଁଟି ଉତ୍ସବ । ହସି ବୋଲନ୍ତି ପଦ୍ମନାଭ ॥୧୦୭
ପାହାରୀ ନ ଛାଡ଼ନ୍ତି ଦ୍ୱାର । ଆଗ ହୋଇଲେ ହଳଧର ॥୧୦୮
ଦେଖି ବେଢ଼ିଲେ ଆସି ଲୋକେ । କୋପେ ଜାକିଲେ ବେନିକାଖେ ॥୧୦୯
ଭୁଜ ଉପାଡ଼ି ପକାଇଲେ । ଦେଖି ଥୋକାଏ ପଳାଇଲେ ॥୧୧୦
ଦ୍ୱାର ଅର୍ଗଳି ଭାଙ୍ଗିଗଲା । ପାହାରୀ ଦ୍ୱାର ଛାଡ଼ିଦେଲା ॥୧୧୧
ପୁଣି ଯେ ଶସ୍ତ୍ରମାନ ଧରି । ରାଗେଣ ଧାଇଁଲେ ପାହାରୀ ॥୧୧୨
ରଜନୀମୁଖେ ଗୋଳବାଣୀ । ପଳାନ୍ତି ନରନାରୀ ଶୁଣି ॥୧୧୩
ରୋହିଣୀସୁତ ଆଗ ହୋଇ । ଯଷ୍ଟି ପ୍ରହାର କଲେ ନେଇ ॥୧୧୪
କେଶ ଧରିଣ ହଳଧର । ବୁଲାଇ ଫିଙ୍ଗିଲେ ଭୂମିର ॥୧୧୫
ଶତେ ପାହାରୀ ଗଲେ ନାଶ । ମାଇଲେ ରାମ ହୃଷିକେଶ ॥୧୧୬
ତକ୍ଷଣେ ସେଠାବରୁ ଚଳି । ପୁଣି ବହୁତ ଯୋଦ୍ଧା ମିଳି ॥୧୧୭
ଅନେକ ସୈନ୍ୟ ଜଗିଥିଲେ । ରାମକୃଷ୍ଣଙ୍କୁ ଓଗାଳିଲେ ॥୧୧୮
କରେଣ ଶସ୍ତ୍ରମାନ ଧରି । ଓଗାଳି କଲେ ଦ୍ୱାର ପାରି ॥୧୧୯
ଏଡ଼େରେ ସାହସ ତୁମ୍ଭର । ପଶିଲ ଆସି ଧନୁଘର ॥୧୨୦
ଗଉଡ଼ ହୋଇ ଏଡ଼େ ଟାଣ । ମଥୁରା କଲ ରଣଭଣ ॥୧୨୧
ବୋଲାଅ ନୃପତି ଭଣଜା । ତହୁଁ ଅଣାଇଅଛି ରାଜା ॥୧୨୨
ରାଜା ସୁହୃଦପଣ ଯହୁଁ । ସେ ଘେନି ନ ମାରନ୍ତି କେହୁ ॥୧୨୩
ରଜକ ମୁଣ୍ତ ଛିଣ୍ତାଇଲ । ରାଜାର ବସ୍ତ୍ର ଜୂର କଲ ॥୧୨୪
କୁବୁଜା ଚତୁଃସମ ପେଡ଼ି । ହାତରୁ ଘେନିଲ ଉଛୁଡ଼ି ॥୧୨୫
ଏବେ ପଶିଲ ଧନୁଘରେ । ମାଇଲ ଶତେ ଦ୍ୱାରପାଳେ ॥୧୨୬
ଶସ୍ତ୍ର ଧରିଣ ଯୁଦ୍ଧ କଲେ । ଏମନ୍ତ ବୋଲି ଆକ୍ରୋଶିଲେ ॥୧୨୭
ପୋଏ ଲଉଡ଼ିମାନ ଘେନି । ଦୈତ୍ୟଙ୍କୁ ପିଟିଲେକି ପୁଣି ॥୧୨୮
ଗୋପାଳେ ବୋବୀ ଦେଇ ଉଠି । ପ୍ରହାର କଲେ ଦୃଢ଼େ ଯଷ୍ଟି ॥୧୨୯
ଜଣ ଜଣକେ ଦଶବିଂଶ । ଗୋପାଳବଳ ନୋହେ ଶେଷ ॥୧୩୦
ଗୋଳ କରିଣ ପ୍ରହାରିଲେ । ଅସୁରେ ରହି ନ ପାରିଲେ ॥୧୩୧
ତ୍ରାଶ ପାଇଣ ପଳାଇଲେ । ଥୋକାଏ ପ୍ରାଣ ହରାଇଲେ ॥୧୩୨
ପଶିଲେ ରାମ ଦାମୋଦର । ଗୋପକୁମରଙ୍କ ସଙ୍ଗର ॥୧୩୩
ଗୋବିନ୍ଦ ପଶି ଅତି ଖରେ । ଧନୁ ଧଇଲେ ବାମକରେ ॥୧୩୪
ଇନ୍ଦ୍ରର ଧନୁ ପ୍ରାୟ ଶୋଭା । ରାମ ବୋଇଲେ ଗୁଣ ଦେବା ॥୧୩୫
ଧନୁରେ ଅଛି କେତେ ବଳ । ଗୁଣ ଘେନିଲେ ନନ୍ଦବାଳ ॥୧୩୬
ଗୋବିନ୍ଦ ପାଦେ ଧନୁ ମାଡ଼ି । ହୁଳେ ବସାଇ ଧନୁ ଭିଡ଼ି ॥୧୩୭
ତୋଳିଲେ ବାମ ଭୁଜେ ହରି । ଗୁଣ ଟଙ୍କାରି ନାଦ କରି ॥୧୩୮
ଦକ୍ଷିଣ କର୍ଣ୍ଣ ଯାଏଁ ଟାଣି । ବଳ ଆଞ୍ଚିଲେ ଚକ୍ରପାଣି ॥୧୩୯
ଧନୁ ହୋଇଲା ବେନିଖଣ୍ତ । ଶବଦ କଲା ପରଚଣ୍ତ ॥୧୪୦
ଶୁଭିଲା ବ୍ରହ୍ମଲୋକ ଯାଏ । କଂସ ପାଇଲା ମନେ ଭୟେ ॥୧୪୧
ପାହାରୀ ଥିଲେ ଯେ ପଳାଇ । ଅଇଲେ ଧନୁଭଗ୍ନ ଚାହିଁ ॥୧୪୨
ମାରନ୍ତି ନାନା ଶସ୍ତ୍ର ଘେନି । ଚହଳେ କମ୍ପଇ ମେଦିନୀ ॥୧୪୩
ଦେଖି ଧାଇଁଲେ ହଳଧରେ । ଭାଜିଲା ଧନୁ ଘେନିକରେ ॥୧୪୪
ବୁଲାଇ ପିଟିଲେ କୋପରେ । ପାହାରୀ ଗଲେ ଯମପୁରେ ॥୧୪୫
ରାଜାର ଯେତେ ବଳ ଥିଲେ । ରାମର ହସ୍ତେ ପ୍ରାଣ ଦେଲେ ॥୧୪୬
ଦେଖିଣ ଅନନ୍ତ ମୂରତି । ଭୟେ କମ୍ପଇ ସୁରପତି ॥୧୪୭
କମ୍ପିଲେ ଦଶଦିଗପାଳେ । ଚହଳ ଆକାଶମଣ୍ତଳେ ॥୧୪୮
ନିମିଷମାତ୍ରେ ଧନୁ ଭାଙ୍ଗି । କଂସର ବଳ ଦର୍ପ ଗଞ୍ଜି ॥୧୪୯
ଗୋବିନ୍ଦ ହୋଇଲେ ବାହାର । ଗୋପକୁମରେ ହଳଧର ॥୧୫୦
ଦେଖିଲେ ରବି ଅସ୍ତ ଗଲା । ହସି ବୋଲନ୍ତି ନନ୍ଦବାଳା ॥୧୫୧
ଚାଲ ହୋ ଯିବା ନିଜ ସ୍ଥାନ । କାଲି ଯେ ରାଜା ଦରଶନ ॥୧୫୨
ଏମନ୍ତ ବୋଲି ବାହୁଡ଼ିଲେ । ମଥୁରା ତୋଟାରେ ମିଳିଲେ ॥୧୫୩
କହନ୍ତି ଶୁକ ମୁନିବର । ଶୁଣ ରାଜନ ରସଭର ॥୧୫୪
ଅକ୍ରୁର ମୁଖ ଚାହିଁ କୋପେ । ଯାହାବୋଇଲେ ନାରୀ ଗୋପେ ॥୧୫୬
ବୋଇଲେ ମଥୁରା ଭୁବନେ । ଭାଗ୍ୟଟି କଲେ ନାରୀଜନେ ॥୧୫୭
ତାହାଙ୍କ ନୟନ ଆନନ୍ଦ । ଦେଖିବେ ପୂର୍ଣ୍ଣମୀର ଚାନ୍ଦ ॥୧୫୮
ଦେଖିଣ ରାମକୃଷ୍ଣ ମୁଖ । ଖଣ୍ତିବେ କୋଟିଜନ୍ମ ଦୁଃଖ ॥୧୫୯
ସେ କଥା ହୋଇଲା ସ୍ୱରୂପ । ଦେଖିଲେ ରାମକୃଷ୍ଣ ରୂପ ॥୧୬୦
ଗୋପାଳେ ଦେଖି ମଧୁପୁର । କହନ୍ତି ନନ୍ଦର ଛାମୁର ॥୧୬୧
ଆମ୍ଭେ ତୋ' କୃଷ୍ଣସଙ୍ଗେ ଥାଇ । ମଥୁରା ଦେଖିଲୁ ଗୋସାଇଁ ॥୧୬୨
ନିର୍ମଳ ହୋଇଲା ନୟନ । ଆମ୍ଭ ଜୀବନ କଲୁ ଧନ୍ୟ ॥୧୬୩
ନନ୍ଦ ଯେ ଘେନି ବେନିସୁତ । କୋଳେ ବସାଇ ତୋଷଚିତ୍ତ ॥୧୬୪
ଚୁମ୍ବନ ଦେଲେ ନନ୍ଦରାୟେ । ପାଖେ ବସିଲେ ବେନିପାଏ ॥୧୬୫
ସ୍ନାହାନ କରାଇ ହରଷ । ଭୁଞ୍ଜାନ୍ତି ରାମ ହୃଷୀକେଶ ॥୧୬୬
ଛେନା ଗୋଟିକା ଦୁଧ ସର । ଗୋରସ ଅନେକ ପ୍ରକାର ॥୧୬୭
ଗୋପସୁତଙ୍କୁ ଘେନି ସଙ୍ଗେ । ଭୁଞ୍ଜନ୍ତି ରାମକୃଷ୍ଣ ରଙ୍ଗେ ॥୧୬୮
ମଣୋହି ସାରି ଭଗବାନ । ଶୀତଳ ଜଳେ ଆଚମନ ॥୧୬୯
କର୍ପୂର ମୁଖବାସ ଗୁଆ । ତାମ୍ବୁଳ ଭୁଞ୍ଜନ୍ତି ବିଡ଼ିଆ ॥୧୭୦
ଗନ୍ଧଚନ୍ଦନ ଅଙ୍ଗେ ବୋଳି । ବସିଲେ ରାମ ବନମାଳୀ ॥୧୭୧
ଚାମର ଗୋପପୁଅ କରେ । ଢ଼ାଳନ୍ତି ନାନା ଗୀତସ୍ୱରେ ॥୧୭୨
ପୁଷ୍ପ ବରଷି ସ୍ତୁତି କରି । ଶୋଇଲେ ରାମ ନରହରି ॥୧୭୩
କହଇ ଦାସ ଜଗନ୍ନାଥ । କୃଷ୍ଣଚରଣେ ଦେଇ ଚିତ୍ତ ॥୧୭୪
ବୋଲନ୍ତି ଶୁକ ମୁନିବର । କୃଷ୍ଣ ଚରିତ ସୁଧାସାର ॥୧୭୫
ରଜନୀ ହୋଇଲା ବହୁତ । କଂସକୁ ଜଣାଇଲା ଦୂତ ॥୧୭୬
ଶୁଣନ୍ତୁ ଭୋଜ ନୃପଇନ୍ଦ୍ର । ଅବନୀପତି କୁଳଚନ୍ଦ୍ର ॥୧୭୭
ଅକ୍ରୁର ରାମକୃଷ୍ଣ ବେନି । ଗୋପବାଳକ ନନ୍ଦ ଘେନି ॥୧୭୮
ତୋଟାରେ ପ୍ରବେଶ ହୋଇଲେ । ନଗ୍ର ବିହାର କରିଗଲେ ॥୧୭୯
ଗୋପାଳ ପୁଅ ସଙ୍ଗେ ଘେନି । ଦାଣ୍ତେ ଆସନ୍ତେ ଭାଇ ବେନି ॥୧୮୦
ରଜକ ବସ୍ତ୍ର ଘେନିଯା'ନ୍ତେ । ଗଉଡ଼େ ବେଢ଼ିଲେ ତୁରିତେ ॥୧୮୧
ରଜକେ କଲେ ପ୍ରାଣେ ନାଶ । ଫେଡ଼ିଣ ମଢ଼ିଆଳ ବାସ ॥୧୮୨
ଯେ ଯାହା ମତେ ଜୂର କଲେ । ମାଳୀର ଦ୍ୱାରେଣ ମିଳିଲେ ॥୧୮୩
ଭୟେଣ ଫୁଲ ଦେଲା ମାଳୀ । ତହୁଁ ଅଇଲେ ବେଗେ ଚଳି ॥୧୮୪
କୁବୁଜା ଚତୁଃସମପେଡ଼ି । କାଖରୁ ଘେନିଲେ ଉଛୁଡ଼ି ॥୧୮୫
ଗନ୍ଧ ଚନ୍ଦନ ଚତୁଃସମ । ବୋଳି ହୋଇଲେ କୃଷ୍ଣରାମ ॥୧୮୬
ସଳଖ କଲେ ତିନିବାଙ୍କ । ଦେଖିଲେ କଟକର ଲୋକ ॥୧୮୭
କି ସେ ଈଶ୍ୱର ଅଂଶେ ଜାତ । ଏ କଥା ଲୋକେ ବିପରୀତ ॥୧୮୮
ଶୁଣ ତୁ ବୀର ଭୋଜବଂଶୀ । ଗଉଡ଼େ ଧନୁଘରେ ପଶି ॥୧୮୯
ଶତେ ପାହାରୀ ନାଶକଲେ । ଅନେକ ସଇନ ମାଇଲେ ॥୧୯୦
ଧନୁ ଆମଞ୍ଚି ଗୁଣ ଦେଲେ । ଓଟାରି ବେନିଖଣ୍ତ କଲେ ॥୧୯୧
କଟକେ ପଡ଼ିଲା ଚହଳ । ଭାଜିଲେ ହାଟ ବଣିଜାର ॥୧୯୨
ତୋଟାରେ ରନ୍ଧନ ଭୋଜନ । ସୁଖେଣ କଲେକ ଶୟନ ॥୧୯୩
ବାରତା କହିଲାକି ଦୂତ । କଂସ ଭାଳଇ ଭୟ ଚିତ୍ତ ॥୧୯୪
ରଜନୀ ହୋଇଲା ଅପାର । ଶୁଣ ହୋ ରାଜାର ବିଚାର ॥୧୯୫
ଧନୁର ଭଗ୍ନ କଥା ଶୁଣି । କୃଷ୍ଣର କର୍ମ ମନେ ଗୁଣି ॥୧୯୬
ରଜକେ ପେଶି ଯମପୁର । ମୋହର ବସ୍ତ୍ର କଲେ ଜୂର ॥୧୯୭
କୁବୁଜା ଗନ୍ଧ ବଳେ ନେଇ । ସୁନ୍ଦର କଲେ ତା'ର ଦେହୀ ॥୧୯୮
ଏବେ ଭାଙ୍ଗିଲେ ଧନୁ ମୋର । ବାଳକେ ଏଡ଼େ ବଳୀୟାର ॥୧୯୯
ଧନୁଘରେଣ ଯୋଦ୍ଧା ଯେତେ । ସମସ୍ତେ ମଲେ ତା'ଙ୍କ ହସ୍ତେ ॥୨୦୦
ନନ୍ଦର ଘରେ ବାଳକାଳେ । ଯେତେ ଅସୁର ମୋର ଗଲେ ॥୨୦୧
ସବୁ ମାଇଲେ ବେନିଭାଇ । ବନେ ଚରାଉଥା'ନ୍ତି ଗାଈ ॥୨୦୨
ଏବେ ମୁଁ କରିବି କେମନ୍ତ । ଅଛନ୍ତି ମାଲ ଯେ ମାହୁନ୍ତ ॥୨୦୩
ଗଜ ମୋ' ଅଛି କୁବଳୟା । ନ ଜାଣି ବିଧାତାର ମାୟା ॥୨୦୪
କେମନ୍ତେ ରଖିବି ଜୀବନ । ଏମନ୍ତଭାଳି ଛନଛନ ॥୨୦୫
ନିଦ୍ରା ନ ମାଡ଼ଇ ନୟନେ । ଭାଳଇ ଅତି ଭୟମନେ ॥୨୦୬
ପୁଣି କ୍ଷଣକେ ନିଦ୍ରା ମୋହି । ସଭୟେ ପୁଣି ହିଁ ଚିଆଇଁ ॥୨୦୭
ଦେଖଇ ସ୍ୱପ୍ନ ନାନା ବର୍ଣ୍ଣ । ମରଣ ହେତୁଙ୍କର ଚିହ୍ନ ॥୨୦୮
ସୁବର୍ଣ୍ଣ କାନ୍ଥେ ଦେହ ଛାଇ । ଦେଖଇ ତା'ର ମୁଣ୍ତ ନାହିଁ ॥୨୦୯
ଦର୍ପଣେ ଆଦିତ୍ୟର ଜ୍ୟୋତି । ରାତ୍ରେ ଦେଖଇ ଭୋଜପତି ॥୨୧୦
ଦୀପେ ଦିଶନ୍ତି ଦୁଇ ଦୁଇ । ଚନ୍ଦ୍ର ହିଁ ତେମନ୍ତ ଦିଶଇ ॥୨୧୧
ଛାୟାର ଦେହେ ଛିଦ୍ରମୟେ । ନିଃଶ୍ୱାସ ଶୁଭେ ଶଙ୍ଖପ୍ରାୟେ ॥୨୧୨
ସୁବର୍ଣ୍ଣ ପ୍ରତିମାଏ ବୃକ୍ଷେ । କଂସକୁ ଦିଶଇ ପ୍ରତ୍ୟକ୍ଷେ ॥୨୧୩
ବୃକ୍ଷର ଡ଼ାଳେ ପଶୁଗଣ । ବରାହ ଶୃଗାଳ ହରିଣ ॥୨୧୪
ମୃତ୍ୟୁପିଣ୍ତକୁ କରି କୋଳ । ସାନନ୍ଦେ ଗୀତନାଦେ ଭୋଳ ॥୨୧୫
ଗର୍ଦ୍ଧଭ କନ୍ଧେ ଚଢ଼ିଯା'ନ୍ତେ । ବିଷ ଭକ୍ଷଇ ଲୌହପାତ୍ରେ ॥୨୧୬
ତଇଳେ ସିକ୍ତ ଦିଗମ୍ବର । ହୃଦରେ ରଙ୍ଗପୁଷ୍ପମାଳ ॥୨୧୭
ଦକ୍ଷିଣଦିଗେ ଯାଏ ଧାଇଁ । ଚୂଳ ବନ୍ଧନ ଶିରେ ନାହିଁ ॥୨୧୮
ଏମନ୍ତ ଦେଖଇ ସ୍ୱପନ । କ୍ଷଣକ୍ଷଣକେ ମୁହ୍ୟମାନ ॥୨୧୯
ଏମନ୍ତେ ପାହିଲା ରଜନୀ । କଂସ ଭାଲଇ ଭୟ ଘେନି ॥୨୨୦
ଯେମନ୍ତ ଦେଖିଲି ସ୍ୱପନ । ନିଶ୍ଚୟେ ହୋଇଲା ମରଣ ॥୨୨୧
କଂସ ଜାଣଇ ଯୋଗବଳେ । ଗୋବିନ୍ଦ ମାରିଅଛି ବେଳେ ॥୨୨୨
ସେ ବେଳେ ନୋହିଲି ମୁଁ ମୋକ୍ଷ । ଏବେ ତ ଦେଖିବି ପ୍ରତ୍ୟକ୍ଷ ॥୨୨୩
ଉଦେ ହୋଇଲେ ଦିନକର । କଂସ ହିଁ ହୋଇଲା ବାହାର ॥୨୨୪
ରଙ୍ଗସଭାରେ ବିଜେ କଲା । ରାଜାମାନଙ୍କୁ ଅଣାଇଲା ॥୨୨୫
ଆସି ଯେ ଥିଲେ ରାଜାଗଣେ । କଂସ ଡ଼ାକଇ ଜଣେ ଜଣେ ॥୨୨୬
ରାଜାଏ ଶମ୍ବରର ମୂଳେ । ନାରକାସୁର ଶିଶୁପାଳେ ॥୨୨୭
ବଜ୍ରକବଚ ବାଣାସୁର । ପୁଣ୍ତ୍ରକ ଶାଲ୍ୱ ଦନ୍ତବକ୍ର ॥୨୨୮
ଯୋଜନାବାହୁ ବଜ୍ରନାଭ । ଏ ଆଦି ଯେତେକ ଦାନବ ॥୨୨୯
ଏମାନେ ମହୀପତି ଛଳେ । ଆସି ଅଛନ୍ତି ସୈନ୍ୟବଳେ ॥୨୩୦
କାହାର ଭାଇ ପୁତ୍ର ନାତି । କେ ଆପେ ଖଟଇ ନୃପତି ॥୨୩୧
କ୍ଷତ୍ରିୟ ରବି-ସୋମ-ବଂଶ । କଂସର ଯେତେକ ବିଶ୍ୱାସ ॥୨୩୨
ନୃଗ କଳିଙ୍ଗ ଭଦ୍ରସେନ । ବିଦେହ ନୈଷଧ ରାଜନ ॥୨୩୩
କଂସର ପ୍ରିୟପଣେ ଆସି । ମିଳିଲେ ସୋମ-ସୂର୍ଯ୍ୟବଂଶୀ ॥୨୩୪
ଦଇବେ ଭୋଜ ଦଣ୍ତଧାରୀ । ଅନେକ ମଞ୍ଚା ଅଛି କରି ॥୨୩୫
ମଣ୍ତିଛି ନାନା ଉପହାରେ । ନିର୍ମଳ-ଦର୍ପଣ-ଚାମୁରେ ॥୨୩୬
ବିବିଧମତେ ବସ୍ତ୍ର ଦେଇ । ଉପରେ ଚାନ୍ଦୁଆ ଖଞ୍ଜାଇ ॥୨୩୭
ଲମ୍ବଇ ମୁକୁତାର ଝରା । ମାଳ କୁସୁମ କେରା କେରା ॥୨୩୮
କାଞ୍ଚନମୟ ସିଂହାସନ । ଦେଖିଲେ ତୋଷ ହୋଏ ମନ ॥୨୩୯
ସୁଗନ୍ଧ ଧୂପ ଦୀପପାତ୍ର । ଉପରେ ଶୋହେ ଧ୍ୱଜ ଛତ୍ର ॥୨୪୦
ରାଜାଏ କଂସ ଆଜ୍ଞା ପାଇ । ମଞ୍ଚାରେ ବସିଛନ୍ତି ଯାଇ ॥୨୪୧
ରାଜା ଗୋଟିକେ ଏକ ମଞ୍ଚା । ସକଳ କରିଅଛି ସଞ୍ଚା ॥୨୪୨
ତାହାଙ୍କୁ ପୂଜି ଜଣେ ଜଣେ । ଚନ୍ଦନ କୁସୁମ ବସନେ ॥୨୪୩
ବିବିଧମତେ ଭୋଗ ଦେଇ । କହଇ ରାଜାଙ୍କୁ ଅନାଇ ॥୨୪୪
ତୁମ୍ଭେ ସକଳ ବନ୍ଧୁଜନେ । କହଇ ଶୁଣ ସାବଧାନେ ॥୨୪୫
ବସୁଦେବର ପୁତ୍ର ଦୁଇ । ବଢ଼ିଲେ ଗୋପପୁରେ ଥାଇ ॥୨୪୬
ଭିଣୋଇ କଲା ଏଡ଼େ ଛନ୍ଦ । ମୋତେ ଯେ ନ ଗଣଇ ନନ୍ଦ ॥୨୪୭
ଅନେକ ବଳ ମୋର ଥିଲେ । ରାମଗୋବିନ୍ଦ ସଂହାରିଲେ ॥୨୪୮
ବଳେ ମୋ' ଧନୁ ହିଁ ଭାଙ୍ଗିଲେ । ପାହାରୀମାନଙ୍କୁ ମାଇଲେ ॥୨୪୯
ରଜକ ମାରି ବସ୍ତ୍ର ଜୂର । ଗନ୍ଧ ଛଡ଼ାଇ ନେଲେ ମୋର ॥୨୫୦
ଗଉଡ଼ମେଳି ଏ ଭିଆଇ । ମୋତେ ମାରିବେ ବେନିଭାଇ ॥୨୫୧
ଏବେ ମୁଁ ଅଣାଇଲି ଧରି । ତାତ ଜନନୀ ଆଦିକରି ॥୨୫୨
ହସ୍ତୀର ହସ୍ତେ ମରାଇବି । ଏମନ୍ତେ ବଇରୀ ସାଧିବି ॥୨୫୩
ଯେବେ ସେଠାରୁ ଉବୁରିବେ । ମାଲଙ୍କ ହସ୍ତେ ପ୍ରାଣ ଦେବେ ॥୨୫୪
ମଞ୍ଚାରେ ବସି ପିତାମାତା । ଦେଖିବେ ପୁତ୍ରଙ୍କର ହତ୍ୟା ॥୨୫୫
ତୁମ୍ଭେ ସକଳେ ଦେଖୁଥିବ । ମୋହର ଶତ୍ରୁ ନାଶଯିବ ॥୨୫୬
ସେ ମୋର ଭଗ୍ନିର କୁମରେ । ଦ୍ରୋହ ପାଞ୍ଚିଲେ ମୋହଠାରେ ॥୨୫୭
ତୁମ୍ଭେ ମୋହର ବନ୍ଧୁ ଶୁଣ । କହିଲି ହିତକଥା ପୁଣ ॥୨୫୮
ଏମନ୍ତ ବୋଲି ଭୋଜସାଇଁ । ରାଜାଙ୍କୁ ମଞ୍ଚାରେ ବସାଇ ॥୨୫୯
ବାଜଇ ବୀର ତୂର ବାଦ୍ୟ । କେ କହୁ କଂସର ସମ୍ପଦ ॥୨୬୦
ଚାଣୁର ମୁଷ୍ଟିକର ମେଳେ । ଶଲ ତୋଷଳ ଚାରିମାଲେ ॥୨୬୧
ଏହାଙ୍କ ତୁଲେ ଶତେ ମାଲ । ଅଣାଇ କହେ ଭୋଜପାଳ ॥୨୬୨
ତୁମ୍ଭର ବଳେ ମୋ' ଭରସା । ଆଜ ମୋ' ପୂରାଇବ ଆଶା ॥୨୬୩
ନନ୍ଦ-ଗୋପାଳଙ୍କୁ ଅଣାଇ । ଗୋରସ ଭଣ୍ତାରେ ଥୁଆଇ ॥୨୬୪
ମଞ୍ଚାରେ ନେଇ ବସାଇଲା । ସମର ଦେଖିବୁ ବୋଇଲା ॥୨୬୫
ବସୁଦେବର ପୁତ୍ର ଦୁଇ । ଘରେ ଲୁଚାଇଥିଲୁ ନେଇ ॥୨୬୬
ବସୁଦେବର ମିତ୍ରପଣୁଁ । ତୋହର ଦୋଷ ନାହିଁ ତେଣୁ ॥୨୬୭
ବନ୍ଧୁର ହିତ କଲୁ ଯେବେ । ତା'ଙ୍କ ମରଣ ଦେଖ ଏବେ ॥୨୬୮
ନନ୍ଦକୁ ମଞ୍ଚାରେ ବସାଇ । ବୋଲଇ ପାତ୍ର ମନ୍ତ୍ରୀ ଚାହିଁ ॥୨୬୯
ତୁମ୍ଭେ ହୋ ଥିବ ମୋର ପାଖେ । ମଞ୍ଚାରେ ବସି ଦେଖ ସୁଖେ ॥୨୭୦
ଆପଣେ ମଞ୍ଚାରେ ବସିଲା । ଦୂତଙ୍କୁ ରାଇ ଆଜ୍ଞା ଦେଲା ॥୨୭୧
ବେଗରେ ଯାଅ ମଧୁବନ । ରାମକୃଷ୍ଣଙ୍କୁ ଧରିଆଣ ॥୨୭୨
କଂସର ଆଜ୍ଞା ଘେନି ଶିରେ । ଦୂତେ ଚଳିଲେ ଧାତିକାରେ ॥୨୭୩
ବୋଲଇ ଦାସ ଜଗନ୍ନାଥ । ଭେଟିଲେ ରାମ ଗୋପୀନାଥ ॥୨୭୪
ସେ ରାମକୃଷ୍ଣର ଚରଣେ । ସୁଜନେ ଚିନ୍ତ ଅନୁକ୍ଷଣେ ॥୨୭୫
ଗୋବିନ୍ଦ ଆଜ୍ଞା ଶିରେ ଲଇଁ । ଯାହା ବା ପାରିଲଇଁ କହି ॥୨୭୬
କହିଲେ ପ୍ରଭୁ ଚକ୍ରଧର । ପୁରାଣ ରସ ଗୀତସାର ॥୨୭୭
ଏଣୁ ନ କର ଖେଦମନ । ସବୁରି ପ୍ରଭୁ ଭଗବାନ ॥୨୭୮
ରୂପ-ଅରୂପ ଜ୍ଞାନଗୁରୁ । ଯାହା ମହିମା ମହାମେରୁ ॥୨୭୯
କୃଷ୍ଣଚରଣେ ମନ ଦେଇ । ସଂସାରୁ ତର ଏହା ଗାଇ ॥୨୮୦
ଏଣେ ହୋଇବ ଭବୁଁ ପାର । ତାରିବେ ଦେବ ଦାମୋଦର ॥୨୮୧
ଦୟାସାଗର ରାମହରି । ବିପଦୁଁ ଧରିବେ ଉଦ୍ଧରି ॥୨୮୨
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ମଲ୍ଲରଙ୍ଗ ଉପବର୍ଣ୍ଣନଂ ନାମ ପଞ୍ଚଚତ୍ୱାରିଂଶୋଽଧ୍ୟାୟଃ ॥
ଷଟ୍ଚତ୍ୱାରିଂଶ ଅଧ୍ୟାୟ
[ସମ୍ପାଦନା]- ଶୁକ ଉବାଚ
ବୋଲନ୍ତି ଶୁକ ମୁନିବର । ସାନନ୍ଦେ ଶୁଣ କୁରୁବୀର ॥୧
ରାମଗୋବିନ୍ଦ ମଧୁବନେ । ଭେଟିଲେ କଂସଦୂତମାନେ ॥୨
ନିକଟେ ଦୂତଙ୍କୁ ରୁହାଇ । ସ୍ନାହାନ କଲେ ବେନିଭାଇ ॥୩
ଭୋଜନ କଲେ ଦୁଧସର । ଆନନ୍ଦେ ନାନା ଉପହାର ॥୪
ବିବିଧ ରତ୍ନ ଅଳଙ୍କାର । ବସ୍ତ୍ର ପିନ୍ଧିଲେ ପୀତ ନୀଳ ॥୫
ମାଲ ଦୁନ୍ଦୁଭିଘୋଷ ଶୁଣି । ସାନନ୍ଦ କୃଷ୍ଣ ହଳପାଣି ॥୬
ଗୋପାଳ ପୋଏ ସଜ ହୋଇ । ମଧ୍ୟେ ବିଜୟ ବେନିଭାଇ ॥୭
ମଥୁରା ନଗରେ ପଶିଲେ । କଂସର ଦୂତେ ଆଗେ ଗଲେ ॥୮
ପଡ଼ଇ କ୍ଷଣେ କ୍ଷଣେ ହୁରି । ଉଲୁକାପାତେ ବସୁନ୍ଧରୀ ॥୯
ଆକାଶେ ଧୂମମୟ ଜ୍ୟୋତି । ମେଘେ ଲୁଚିଲେ ଛାୟାପତି ॥୧୦
ପଥେ ଆସନ୍ତେ ଭାଇ ବେନି । ବିବିଧ ବାଦ୍ୟନାଦ ଧ୍ୱନି ॥୧୧
ଯୋଡ଼ି ମର୍ଳ ଶଙ୍ଖ ବାଜେ । ଶରଦମେଘ ଯେହ୍ନେ ଗର୍ଜେ ॥୧୨
ରାମଗୋବିନ୍ଦ ଦେଖି ପଥେ । ଲୋକେ ମିଳିଲେ ଯୂଥେଯୂଥେ ॥୧୩
ଏକ ଆରକେ ସଜ ହୋଇ । କାମିନୀଗଣେ ଛନ୍ତି ଧାଇଁ ॥୧୪
ସକଳେ ଘରଦ୍ୱାରା ଛାଡ଼ି । ଧାମନ୍ତି ରାଜପଥ ମାଡ଼ି ॥୧୫
ସ୍ତିରୀ ପୁରୁଷ ବାଳବୃନ୍ଦେ । ଗୋବିନ୍ଦ ଦେଖିବାର ସଧେ ॥୧୬
ଆଗେ ଧାମନ୍ତି ବଳବନ୍ତ । ଗହଳ ମଥୁରାର ପଥ ॥୧୭
ଅନଳ ଦେଖିଣ ପତଙ୍ଗେ । ଯେହ୍ନେ ଧାମନ୍ତି ଉଦ୍ବେଗେ ॥୧୮
ଦେଖନ୍ତି ନରନାରୀ ମିଳି । ହରଷେ ଦେଇ ହୁଳହୁଳି ॥୧୯
ରାମଗୋବିନ୍ଦ ମୁଖ ଚାହିଁ । ନୟନ ପିଛାଡ଼ି ନୋହଇ ॥୨୦
ଦେହ ସଂସାର ପାସୋରିଲେ । ଆନନ୍ଦସାଗରେ ବୁଡ଼ିଲେ ॥୨୧
ସ୍ୱର୍ଗେ ଦେଖନ୍ତି ଦେବତାଏ । ରାମଗୋବିନ୍ଦର ବିଜୟେ ॥୨୨
ମଙ୍ଗଳନାଦେ ଅପସରୀ । ଦେଖନ୍ତି ଦିଗପାଳେ ମିଳି ॥୨୩
ପବନ ବହଇ ଶୀତଳ । ଶୂନ୍ୟେ ଉଡ଼ନ୍ତି ମେଘମାଳ ॥୨୪
ଜନଗହଳ ରାଜପଥେ । ଗୋବିନ୍ଦ ଦେଖନ୍ତି ଉଷତେ ॥୨୫
କହନ୍ତି ଏକ ଆରେ ଚାହିଁ । କାନ୍ଦି ହୃଦୟେ କର ଦେଇ ॥୨୬
ଦେଖ ଗୋ କଂସର ନିର୍ଦ୍ଦୟେ । କି ଦୋଷ କଲେ ବାଳପୋଏ ॥୨୭
ଲୁଚି ଏ ଥିଲେ ନନ୍ଦଘରେ । ସୋଦର ମଉଳାର ଡ଼ରେ ॥୨୮
କି ଦୋଷ କଲେ ଏ ତାହାର । ଦୁଷ୍ଟ ଦାନବ ଦୁରାଚାର ॥୨୯
ଏହାଙ୍କୁ ଆଣିଅଛି ଧରି । ବଳେ ମାରିବ ଘରେ ଭରି ॥୩୦
କେମନ୍ତେ ସହିବଟି ଧର୍ମ । ଏହାଙ୍କୁ କରି ଏଡ଼େ କର୍ମ ॥୩୧
ଏ ପୋଏ ଗୋପପୁରେ ଥିଲେ । କି ଅପରାଧ ଅବା କଲେ ॥୩୨
ଏହାଙ୍କୁ କରି ପ୍ରାଣେ ନାଶ । ଭାଙ୍ଗିବ ଗୋପପୁର ଦେଶ ॥୩୩
ଏହାଙ୍କ କଷ୍ଟ ଦେଖିବାରେ । ଚାଲ ନ ଥିବା ଏ ନଗରେ ॥୩୪
ହୃଦୟ ଧରିବା କେମନ୍ତେ । ଏହାଙ୍କୁ ନ ଦେଖିଲେ ନେତ୍ରେ ॥୩୫
ଏମନ୍ତ କହି ନରନାରୀ । ବିକଳେ ଚାହାନ୍ତି ମୁରାରି ॥୩୬
ହୃଦୟେ ବିଚାରି ବିକଳ । ନୟନୁ ବହେ ଅଶ୍ରୁଜଳ ॥୩୭
ରାମଗୋବିନ୍ଦ ଗୋପବାଳେ । ମିଳିଲେ କଂସ ରଙ୍ଗଦ୍ୱାରେ ॥୩୮
ଦେଖିଲେ ଦ୍ୱାରେ ଅଛି ଗଜ । ମାହୁନ୍ତ ହୋଇଅଛି ସଜ ॥୩୯
କୃଷ୍ଣଙ୍କୁ ଦେଖିଣ ମାହୁନ୍ତ । ଆକ୍ରୋଷି ଗଜ ବଳବନ୍ତ ॥୪୦
ଦ୍ୱାର ଆବୋରିଲା ବହନ । ମାରିବା ପ୍ରାୟ କୋପମନ ॥୪୧
ସ୍ୱଭାବେ ମତ୍ତ କରୀବର । ତେଜେ ପ୍ରଚଣ୍ତ ମହାଘୋର ॥୪୨
ତାହା ଜାଣିଲେ ଭାବଗ୍ରାହୀ । ଗୋପାଳ ପୁଅଙ୍କୁ ରୁହାଇ ॥୪୩
ଦୃଢ଼େ ବାନ୍ଧିଲେ ତାଳୁ ଚୁଳ । ସୁନ୍ଦର ଅଳକାକପୋଳ ॥୪୪
ବସନ ବାନ୍ଧି ଆଣ୍ଟ କରି । ସଜ ହୋଇଲେ ହଳଧାରୀ ॥୪୫
ମାହୁନ୍ତ କୋପଭର ହୋଇ । ଅଳପ ଅଳପ ଟିପଇ ॥୪୬
ହସ୍ତୀ ଟିପଇ ପାଦ ଲଇଁ । ଦେଖି ଗୋବିନ୍ଦ ଆଗ ହୋଇ ॥୪୭
ବୋଇଲେ ଆଡ଼ହୁଅ ଭାଇ । ମାହୁନ୍ତ ଶୁଣି ନ ଶୁଣଇ ॥୪୮
ଶୁଣ ମାହୁନ୍ତ ମୋ' ଉତ୍ତର । ଆମ୍ଭଙ୍କୁ ଛାଡ଼ ରଙ୍ଗଦ୍ୱାର ॥୪୯
ରାଜା ଆମ୍ଭରେ କୋପମନ । ବେଗେ କରିବୁ ଦରଦଶନ ॥୫୦
ଦ୍ୱାର ତୁ ଛାଡ଼ ବେଗ ହୋଇ । ଉଛୁର ବେଳ ନ ଯୋଗାଇ ॥୫୧
ଶୁଣି ମାହୁନ୍ତ କୋପକଲା । କୃଷ୍ଣର ବୋଲ ନ ଶୁଣିଲା ॥୫୨
ହସ୍ତୀର କୁମ୍ଭେ ଦେଇ କର । ଦନ୍ତ କରାଇଲା ଉଭାର ॥୫୩
କୃଷ୍ଣ ବୋଇଲେ ମାହୁନ୍ତକୁ । ମାରିବା ପ୍ରାୟେ ତ ସଳଖୁ ॥୫୪
ଜୀବନେ ଅଛି ଯେବେ କାର୍ଯ୍ୟ । ହସ୍ତୀ ଦୁଆରୁ ନିଅ ଆଜ ॥୫୫
ନୋହିଲେ ଯିବୁ ଯମପୁର । ହସ୍ତୀ ହିଁ ସଙ୍ଗତେ ତୋହର ॥୫୬
ଶୁଣି ମାହୁନ୍ତ ପରଜ୍ୱଳି । ହସ୍ତୀ ଟିପିଲା ପାଦଚାଳି ॥୫୭
କୃଷ୍ଣଙ୍କୁ ଦେଖି ଗଜ ଧାଇଁ । କାଳଦେବତା ପ୍ରାୟ ହୋଇ ॥୫୮
ପବନୁଁ ବେଗେ ଧାଇଁ ଖରେ । ଶୁଣ୍ଢ ପିଟିଲା କୃଷ୍ଣଶିରେ ॥୫୯
କେଶ ଧଇଲା ଧାତିକାର । ଛଡ଼ାଇ ଗଲେ ଦାମୋଦର ॥୬୦
ଗୋବିନ୍ଦ ମାୟା ଯୋଗବଳେ । ରହିଲେ ହସ୍ତୀ ପେଟତଳେ ॥୬୧
ହସ୍ତୀ ଚାହଁଇ ଚଉଦିଗେ । କୋପେ ଗର୍ଜଇ ଘୋରରଙ୍ଗେ ॥୬୨
ଆଘ୍ରାଣେ କୃଷ୍ଣ ବାସ ପାଇ । ପୁଣି ଧଇଲା ଶୁଣ୍ଢେ ନେଇ ॥୬୩
ପୁଣି ଛଡ଼ାଇ ତା'ର କର । ପଛେ ମିଳିଲେ ମାୟାଧର ॥୬୪
ହସ୍ତୀର ଲାଞ୍ଜ କରେ ଧରି । ପଛକୁ ଆଣିଲେ ଓଟାରି ॥୬୫
ପଚିଶଧନୁ ଯାଏଁ ଟାଣି । ରହିଲେ ପ୍ରଭୁ ଚକ୍ରପାଣି ॥୬୬
ସର୍ପର ଲାଞ୍ଜ ତୁଣ୍ତେ ଭରି । ଯେସନେ ଗରୁଡ଼ ଓଟାରି ॥୬୭
ଲାଙ୍ଗୁଳ ଧରି ବନମାଳୀ । ବାମଦକ୍ଷିଣ ପାଖେ ଚାଳି ॥୬୮
ଗଜ ଚାହଁଇ ଦୁଇପାଶେ । କୃଷ୍ଣଙ୍କୁ ଧରିବାର ଆଶେ ॥୬୯
ବତ୍ସାଙ୍କ ଲାଞ୍ଜ ପୋଏ ଧରି । ଯେମନ୍ତେ ହୋନ୍ତି ଘୂରାଘୂରି ॥୭୦
ଲାଙ୍ଗୁଳ ଛାଡ଼ି ଅତି ଖରେ । ଆଗ ହୋଇଲେ ରୋଷଭରେ ॥୭୧
ଚାପୁଡ଼େ ମାରି ହସ୍ତୀ ମୁଣ୍ତେ । କୃଷ୍ଣ ପଳାନ୍ତି ରାଜଦାଣ୍ତେ ॥୭୨
ପ୍ରଚଣ୍ତକୋପେ ଖରତର । ଦେଖି ଧାଇଁଲା କରୀବର ॥୭୩
ଦେଖନ୍ତି ପୁର ନରନାରୀ । ଭୟେ ପଳାନ୍ତି ନରହରି ॥୭୪
ଶିର ଲାଗଇ ଥୋର-ହସ୍ତେ । ଲୋକେ ଦେଖନ୍ତି ରାଜପଥେ ॥୭୫
ପାଦର ଘାଏ ଧୂଳି ଉଡ଼ି । କୃଷ୍ଣ ପଡ଼ିଲେ ମୁଖ ମାଡ଼ି ॥୭୬
ତକ୍ଷଣେ ହୋଇଲେ ଅନ୍ତର । ମାହୁନ୍ତ ବୋଲେ ମାର ମାର ॥୭୭
କୃଷ୍ଣ ପଡ଼ିଲା ପ୍ରାୟ ମଣି । ଗଜ ମାଇଲା ଦନ୍ତ ଆଣି ॥୭୮
ଲୋକେ ହୋଇଲେ ହତଜ୍ଞାନ । ଡ଼ାକନ୍ତି ରଖ ନାରାୟଣ ॥୭୯
ଏଡ଼େ କରମ କଂସ କଲା । କେ ବୋଲେ ଜୀଉଁଜୀଉଁ ମଲା ॥୮୦
ଚାଲ ନ ଥିବା ଏହା ଦେଶେ । କଂସକୁ ଗାଳିଦ୍ୟନ୍ତି ରୋଷେ ॥୮୧
ଏମନ୍ତ ବୋଲୁଁ ବୋଲୁଁ ଜନେ । ଶ୍ରୀକୃଷ୍ଣ ମିଳିଲେ ବହନେ ॥୮୨
ନୀଳ-ଜୀମୂତ ଦେହ ଝଳି । ଝାଳ ଗଳଇ ଲାଗି ଧୂଳି ॥୮୩
ଡାକନ୍ତି ତୋଳି ବେନିକର । ହସ୍ତୀରେ ସମ୍ଭାଳ ତୋହର ॥୮୪
ଦେଖି ଚକିତ ନରନାରୀ । ଚାପୁଡ଼େ ମାଇଲେ ମୁରାରି ॥୮୫
ପଛେ ଯେ ଥିଲେ ହଳଧର । ହସ୍ତୀକି ମାଇଲେ ପୟର ॥୮୬
ଧାମଇଁ ପଛକୁ ଅନାଇଁ । ମୁଥେ ମାଇଲେ କୃଷ୍ଣ ନେଇ ॥୮୭
ଗଜ ଚାହଁଇ ଆଗପଛ । ମାହୁନ୍ତ ଟିପଇ ପ୍ରତ୍ୟକ୍ଷ ॥୮୮
ନ ଯାଇ ଆଗପଛେ ଡ଼ରେ । ଗର୍ଜଇ ଅତି କୋପଭରେ ॥୮୯
ମାହୁନ୍ତ ପୁଣି ହିଁ ଟିପଇ । ଦେଖି ପଳାନ୍ତି ବେନିଭାଇ ॥୯୦
ଦେଖିଣ ଗଜ କୋପଭରେ । ଧାଇଁଲା ପବନହୁଁ ଖରେ ॥୯୧
କୃଷ୍ଣର ଶିରେ ଥୋର-ହସ୍ତ । ଦେଖି ପଳାନ୍ତି ଗୋପୀନାଥ ॥୯୨
ଧାଇଁଲେ ପବନ ହୁଁ ବେଗେ । ଘୂରି କୁମ୍ଭାରଚକ୍ର ମାର୍ଗେ ॥୯୩
ଗୋବିନ୍ଦ ଯୋଗମାୟା ବଳେ । ଘୂରାଇ ପକାଇଲେ ତଳେ ॥୯୪
ତଳେ ପଡ଼ନ୍ତେ ପ୍ରାଣଗଲା । ତକ୍ଷଣେ ଗୋବିନ୍ଦେ ପଶିଲା ॥୯୫
ଚରଣ ଦେଇ ଗଜମୁଣ୍ତେ । ଦନ୍ତ ଧୋଇଲେ ଭୁଜଦଣ୍ତେ ॥୯୬
ବେଗେ ଉପାଡ଼ି ବେନିକରେ । ପିଟିଲେ ମାହୁନ୍ତ ଉପରେ ॥୯୭
ମାହୁନ୍ତ ପ୍ରାଣ ବେଗେ ଗଲା । ଜୀବନ ଗୋବିନ୍ଦେ ପଶିଲା ॥୯୮
ରାମ ଗୋବିନ୍ଦ ବେନିଭାଇ । କନ୍ଧେ ଘେନିଲେ ଦନ୍ତ ଦୁଇ ॥୯୯
ରୁଧିର-ଭୂଷଣ ଶରୀର । ଝାଳ ଧୂଳିରେ ଜରଜର ॥୧୦୦
ମୁଖପଙ୍କଜେ ଝାଳ ଶୋଭା । କି ଅବା ପଟାନ୍ତର ଦେବା ॥୧୦୧
ଗୋପକୁମରେ ଛନ୍ତି ବେଢ଼ି । ପଶିଲେ ରଙ୍ଗଦ୍ୱାର ମାଡ଼ି ॥୧୦୨
କନ୍ଧେ ପକାଇ ଗଜଦନ୍ତ । ମିଳିଲେ ରାମ-ଗୋପୀନାଥ ॥୧୦୩
ଲୋକେ ପଶିଲେ ବଳୀୟାରେ । କେ ବେଗେ ଉଠିଲେ ବୃକ୍ଷରେ ॥୧୦୪
ଜଗତୀ ଅଟ୍ଟାଳୀ ଆରୋହି । ଦେଖନ୍ତି ରାମକୃଷ୍ଣ ଦୁଇ ॥୧୦୫
ରଙ୍ଗସଭାରେ ଯେତେ ଲୋକେ । କେତେ କହିବା ଏକେ ଏକେ ॥୧୦୬
ମାଲେ ଯେ ଥିଲେ ମଞ୍ଚାତଳେ । ରାମକୃଷ୍ଣଙ୍କୁ ଅନାଇଲେ ॥୧୦୭
ବଜ୍ର ପଡ଼ିଲା ପ୍ରାୟେ ଦେଖି । ଭୟେ ବୁଜିଲେ ବେନି ଆଖି ॥୧୦୮
ଯେତେ ଅଛନ୍ତି ପୁରନର । ତାହାଙ୍କୁ ଦିଶନ୍ତି ସୁନ୍ଦର ॥୧୦୯
କାମିନୀ-ଲୋଚନେ ଅନଙ୍ଗ । ଗୋପାଳ ପୋଏ ବାଳଅଙ୍ଗ ॥୧୧୦
ଅସୁର-ନୃପତିଙ୍କି କାଳ । ମାତାପିତାଙ୍କୁ ବେନିବାଳ ॥୧୧୧
କଂସକୁ ଦିଶେ ଯମ ପ୍ରାୟ । ଜ୍ଞାନୀଜନଙ୍କୁ ଜ୍ଞାନମୟ ॥୧୧୨
ଯୋଗୀଙ୍କ ନେତ୍ରେ ଜ୍ଞାନତତ୍ତ୍ୱ । ବୃଷ୍ଣିବଂଶକୁ ଦଇବତ ॥୧୧୩
ଏମନ୍ତେ ରାମକୃଷ୍ଣ ରୂପ । ଦିଶନ୍ତି ଯାହାକୁ ଯେ ରୂପ ॥୧୧୪
ସଭାର ତଳେ ବେନିଭାଇ । ଆକାଶେ ଦେବେ ଛନ୍ତି ଚାହିଁ ॥୧୧୫
ବ୍ରହ୍ମା ଶଙ୍କର ଇନ୍ଦ୍ରମୂଳେ । ତେତିଶକୋଟି ଦେବ ବଳେ ॥୧୧୬
ଶୂନ୍ୟେ ଦେଖନ୍ତି ରାମହରି । ଗନ୍ଧର୍ବଗଣ-ଦେବନାରୀ ॥୧୧୭
କଂସ ଚାହିଁଲା ବେନିଭାଇ । ଭୟେ କମ୍ପଇ ତାର ଦେହୀ ॥୧୧୮
ଗଜ-ମାହୁନ୍ତ ଦ୍ୱାରେ ମାରି । ଦନ୍ତ ଅଛନ୍ତି କରେ ଧରି ॥୧୧୯
ନିଶ୍ଚୟ ମରଣ ହୋଇଲା । ଏମନ୍ତ ମନେ ବିଚାରିଲା ॥୧୨୦
କାତରେ କମ୍ପଇ ଶରୀର । ବଦନୁଁ ନ ଇଲା ଉତ୍ତର ॥୧୨୧
ରଙ୍ଗସଭାର ତଳେ ଥାଇ । ରାମଗୋବିନ୍ଦ ବେନିଭାଇ ॥୧୨୨
ନାନା ବିଚିତ୍ର ବେଶ ହୋଇ । ଯେସନେ ନଟବର ଦୁଇ ॥୧୨୩
ଦେଖନ୍ତା ପ୍ରାଣୀଙ୍କର ମନ । ମୋହିଲେ ରାମ-ଭଗବାନ ॥୧୨୪
ମଞ୍ଚାରେ ଯେତେ ରାଜାଗଣେ । ଗ୍ରାମ ପାଟଣା ପୁରଜନେ ॥୧୨୫
ହରଷ ବଶେ ଚକ୍ଷୁ ଫେଇ । ଦେଖନ୍ତି ରାମକୃଷ୍ଣ ଦୁଇ ॥୧୨୬
ଚକୋର ଦେଖି ଚନ୍ଦ୍ର ଯେହ୍ନେ । ତେସନେ ପିବନ୍ତି ନୟନେ ॥୧୨୭
ତୋଷ ନୋହିଲେ ମୁଖ ଚାହିଁ । ଚାହାନ୍ତେ ପିଞ୍ଛା ନଚଳଇ ॥୧୨୮
ପିଇବା ପ୍ରାୟେ ଚକ୍ଷୁଦ୍ୱାରେ । ଜିହ୍ୱା କି ଲିହିବ ଶରୀରେ ॥୧୨୯
ଆଘ୍ରାଣ କରି ନାସାଦ୍ୱାରେ । ଆଣି ଭିଡ଼ିବେ ବେନିକରେ ॥୧୩୦
ଏମନ୍ତ ହୋଇ ଉଦ୍ବେଗ । ଅଗ୍ନି କି ଯେସନେ ପତଙ୍ଗ ॥୧୩୧
ଯେମନ୍ତେ ଶୁଣୁଥିଲେ କର୍ଣ୍ଣେ । ପ୍ରତ୍ୟକ୍ଷ ଦେଖିଲେ ନୟନେ ॥୧୩୨
କୃଷ୍ଣର ରୂପ ଗୁଣମାନ । ଦେଖି ପାଇଲେ ଦିବ୍ୟଜ୍ଞାନ ॥୧୩୩
ଏକକୁ ଆରେକ ଅନାଇଁ । ବୋଲନ୍ତି ଅଙ୍ଗୁଳି ଦେଖାଇ ॥୧୩୪
ଏ ବେନି ବସୁଦେବ ସୁତେ । ଭାରା ନିବାରିବା ନିମନ୍ତେ ॥୧୩୫
ବିଷ୍ଣୁର ଅଂଶେ ଜାତ ହୋଇ । ନୀଳ ଧବଳ ରୂପ ଦୁଇ ॥୧୩୬
ଦେଖ ଏ କୃଷ୍ଣଦେହ କଳା । ଦେବକୀଗର୍ଭେ ଉପୁଜିଲା ॥୧୩୭
ଏହାକୁ ବସୁଦେବ ନେଇ । ଗୋପରେ ଅଇଲା ଲୁଚାଇ ॥୧୩୮
ବଢ଼ିଲେ ନନ୍ଦର ଭୁବନେ । ଏହି ବାଳକ ତିନିଦିନେ ॥୧୩୯
ଶୋଷିଲା ପୂତନା ପରାଣ । ଭାଜିଲା ଯାମଳା ଅର୍ଜୁନ ॥୧୪୦
ପାଦେ ଶକଟା କଲା ଚୂର । ନାଶିଲା ତୃଣାବର୍ତ୍ତ ବୀର ॥୧୪୧
ଅଘା ଧେନୁକା ବକ କେଶୀ । ବତ୍ସା ମାୟାବୀ ଷଣ୍ଢା ନାଶି ॥୧୪୨
କାଳୀୟ ଘଉଡ଼ିଲା ବଳେ । ଅମୃତ କଲା ବିଷଜଳେ ॥୧୪୩
ଗୋରୁମହିଷ ଗୋପଶିରୀ । ବନଅନଳୁ ଅଛି ତାରି ॥୧୪୪
ଇନ୍ଦ୍ରର ଦର୍ପ କଲା ଚୂର । କରେ ତୋଳିଲା ଗିରୀର ॥୧୪୫
ସପତ ଦିନ ବରଷିଲା । ଏହାର କରେ ଗିରି ଥିଲା ॥୧୪୬
ଗୋପୀଏ ଚାହିଁ ଏହା ମୁଖ । ଖଣ୍ତିଲେ ଜନ୍ମବନ୍ଧ-ଦୁଃଖ ॥୧୪୭
ଯାଦବବଂଶ ଏ ରଖିବ । ଅବନୀଭାରା ଉଶ୍ୱାସିବ ॥୧୪୮
ଦେଖ ଏ ରୋହିଣୀକୁମର । କୋଟିଏ କାମ ପଟାନ୍ତର ॥୧୪୯
ଆଗେ ହୋଇଲେ ଗୋପେଜାତ । ଏହାଙ୍କ ବଳ ଅପ୍ରମିତ ॥୧୫୦
ଯୁଦ୍ଧେ ପ୍ରଳମ୍ବା ନାଶ କଲା । ବତ୍ସା ଧେନୁକା ସଂହାରିଲା ॥୧୫୧
ଏମନ୍ତ କହୁଁ କହୁଁ ଜନ । ବାଜିଲା ବୀରତୂର ମାନ ॥୧୫୨
ମାଲେ ଯେ ଥିଲେ ସଭାତଳେ । କୃଷ୍ଣର ନିକଟେ ମିଳିଲେ ॥୧୫୩
ଚାଣୂର ବୀର ଆଗ ହୋଇ । ବୋଲଇ କୃଷ୍ଣମୁଖ ଚାହିଁ ॥୧୫୪
ତୁ ପରା ଥିଲୁ ନନ୍ଦଘରେ । ରୋହିଣୀସୁତ ସଙ୍ଗତରେ ॥୧୫୫
ତୁମ୍ଭେ ଯେ ରାମବନମାଳୀ । ବୋଲଅ ବାହୁଯୁଦ୍ଧେ ବଳୀ ॥୧୫୬
ରାଜା ତୁମ୍ଭର କଥା ଶୁଣି । ଯୁଦ୍ଧର ପାଇଁ ଅଛି ଆଣି ॥୧୫୭
ଦେଖିବେ ଯୁଦ୍ଧକଉତୁକ । ରାଜାଏ ଅଛନ୍ତି ଅନେକ ॥୧୫୮
ପ୍ରଜାଏ ରାଜାଙ୍କୁ ମନାଇଁ । ଭୋଗ କରନ୍ତି ସୁଖେ ମହୀ ॥୧୫୯
ରାଜାର ସମୀପେ ବସନ୍ତି । ଧନ୍ୟ ଇହଲୋକେ ବୋଲାନ୍ତି ॥୧୬୦
ରାଜାର ନୁହଁନ୍ତି ଯେ ପ୍ରିୟ । ତାହାଙ୍କ ସୁଖ କାହିଁ କହ ॥୧୬୧
ତୁମ୍ଭେ ଯେ ଗୋପାଳଙ୍କ ମେଳେ । ଗୋରୁ ଚରାଅ ନଦୀକୂଳେ ॥୧୬୨
ଦେହରେ ଘଷି ରଙ୍ଗମାଟି । ଲଲାଟେ ଗୁଞ୍ଜରାର ପାଟି ॥୧୬୩
ଏକ ଆରକେ ବାହୁବଳେ । ମାଲ ବିନ୍ଧାଣ କୁତୂହଳେ ॥୧୬୪
ବାଳକ କାଳୁଁ ସାଧୁଅଛ । ଏବେ ତ ପ୍ରତ୍ୟକ୍ଷ ଦିଶୁଛ ॥୧୬୫
ତେଣୁ ତୁମ୍ଭର ସଙ୍ଗେ ଆମ୍ଭେ । ବିନ୍ଧାଣ କରିବା ଆରମ୍ଭେ ॥୧୬୬
ଯେତେ ଅଛନ୍ତି ରାଜାଗଣେ । ଗ୍ରାମ ପାଟଣା ପୁରଜନେ ॥୧୬୭
ସକଳେ ହୋଇବେ ପ୍ରସନ୍ନ । ତୋଷିବା କଂସରାଜା ମନ ॥୧୬୮
ମାଲଙ୍କ ଟାଣକଥା ଶୁଣି । କହନ୍ତି ପ୍ରଭୁ ଚକ୍ରପାଣି ॥୧୬୯
ଉଚିତବାଣୀ ଦେଶକାଳ । କହନ୍ତି ମଦନଗୋପାଳ ॥୧୭୦
ଯୁଦ୍ଧ ହିଁ ଇଚ୍ଛା ଆପଣାର । କହନ୍ତି ମନୁଷ୍ୟବେଭାର ॥୧୭୧
ଶୁଣ ଚାଣୁର ବୀରମଣି । ଉଚିତ ପ୍ରସ୍ତାବ ତୋ' ବାଣୀ ॥୧୭୨
ସ୍ୱଭାବେ ଆମ୍ଭେ ବନଲୋକ । ନ ଜାଣୁ ଯୁଦ୍ଧ କଉତୁକ ॥୧୭୩
ଧନ ଗୋରସ ଦେଇ ଖଟୁ । ରାଜା ଭଣଜା ଆମ୍ଭେ ଅଟୁ ॥୧୭୪
ଅଳପେ କରଇ ସଦୟ । ଆମ୍ଭ ମଉଳା କଂସରାୟ ॥୧୭୫
ବାଳୁତ ପୁଅଙ୍କର ମେଳେ । ଖେଳୁ କାନନ ନଦୀକୂଳେ ॥୧୭୬
ନାନା ଭିଆଣେ ଖେଳ ଖେଳି । ବନସ୍ତେ ଚରାଉଁ ବାଛୁରୀ ॥୧୭୭
ପୁଅଙ୍କ ଖେଳର ଉଚିତ । ଆମ୍ଭର ଯୁଦ୍ଧ ସେହିମତ ॥୧୭୮
ଏ ତ ନୁହଁଇ ଖେଳମୟେ । ତୁମ୍ଭେ ଯେ ପର୍ବତପରାୟେ ॥୧୭୯
ତୁମ୍ଭର ପ୍ରାୟ ଯେବେ ହୋଇ । ତେବେ ସେ ସଂଗ୍ରାମ ଯୋଗାଇ ॥୧୮୦
ବାଳକ ଆମ୍ଭେ ବାଳମେଳେ । ଯୁଝିବୁ ରଙ୍ଗ-କୁତୂହଳେ ॥୧୮୧
ତୁମ୍ଭର ତୁଲେ ଯୁଦ୍ଧ କାହିଁ । ଏ କଥା ଉଚିତ ନୁହଁଇ ॥୧୮୨
ଅଧର୍ମ ହୋଇବଟି ଭଲେ । ତୁମ୍ଭେ ଯୁଝିଲେ ଆମ୍ଭ ତୁଲେ ॥୧୮୩
ସଭାକୁ ହୋଇବ ଧିକ୍କାର । ତା ଶୁଣି ହସଇ ଚାଣୂର ॥୧୮୪
ବୋଲଇ ପରୁଷ ବଚନ । କରାଇ କଂସ ସାବଧାନ ॥୧୮୫
ତୁମ୍ଭେ ଯେ ବାଳକ ବୋଲାଅ । କହିଲେ ଲଜ୍ଜା ହିଁ ନ ପାଅ ॥୧୮୬
ବାଳକୁମର ନୁହଁ ଯୁବା । ତୁମ୍ଭର ମହିମା କହିବା ॥୧୮୭
ଏଯେ ତୋହର ଜ୍ୟେଷ୍ଠ ରାମ । ବଳେ ତ ନାହିଁ ସରିସମ ॥୧୮୮
ସହସ୍ରେ ମତ୍ତଗଜ ଦେହା । ବଳ ବହଇ କୁବଳୟା ॥୧୮୯
ତାହାକୁ ଲୀଳାଏ ମାଇଲ । ଇଷିତେ ଦନ୍ତ ଉପାଡ଼ିଲ ॥୧୯୦
ରଜକ ମାରି ବାମକରେ । ଧନୁ ଭାଙ୍ଗିଲ ବଳାକ୍ରାରେ ॥୧୯୧
ତୁମ୍ଭ ମହିମା ସର୍ବଜନେ । ଭଲେ ଜାଣନ୍ତି ତ୍ରିଭୁବନେ ॥୧୯୨
ଏମନ୍ତ ନ କହନା ଆର । ମୁଷ୍ଟିକ ବୋଲେ ଧରଧର ॥୧୯୩
ଅଧର କାମୁଡ଼ି ଚାଣୂର । ବୋଇଲା ରାମକୁ ତୁ ଧର ॥୧୯୪
କୃଷ୍ଣର ତୁଲେ ଯୁଦ୍ଧ ମୋର । ଏ ଯେ ବୋଲାଇ ବଳୀୟାର ॥୧୯୫
ମୁଷ୍ଟିକ ରାମ ଆଗେ ରହି । କୋପେ ଅଧର କାମୋଡ଼ଇ ॥୧୯୬
କହଇ ଦାସ ଜଗନ୍ନାଥ । ଚାଣୂର ଧରି ଗୋପୀନାଥ ॥୧୯୭
ମୁଷ୍ଟିକ ରାମଙ୍କୁ ଧଇଲା । ସେଠାରେ ମନ ମୋ' ରହିଲା ॥୧୯୮
ଦେଖ ହୋ ଗୋବିନ୍ଦର ରଣ । ସୁଜନେ ପଶିବା ଶରଣ ॥୧୯୯
ବାଳକ ସଙ୍ଗେ ଯୁଦ୍ଧ କରି । ଦେଖନ୍ତି ପୁରନରନାରୀ ॥୨୦୦
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ କୁବଳୟାପୀଡ଼ବଧୋ ନାମ ଷଟ୍ଚତ୍ୱାରିଂଶେଽଧ୍ୟାୟଃ ॥
ସପ୍ତଚତ୍ୱାରିଂଶ ଅଧ୍ୟାୟ
[ସମ୍ପାଦନା]- ଶୁକ ଉବାଚ
ଶୁଣ ରାଜନ ବୀରରସ । କଂସ ଯେ ହୋଇଲା ହରଷ ॥୧
ରାମ ମୁଷ୍ଟିକ ଧରାଧରି । ଚାଣୂର ସଙ୍ଗେ ନରହରି ॥୨
ହସ୍ତଚରଣ ଛନ୍ଦାଛନ୍ଦି । ଗଜକୁ ଯେହ୍ନେ ଗଜବାନ୍ଧି ॥୩
ଏକ ଆରକେ ବଳୀୟାର । ମୁଷ୍ଟିକି ମୁଷ୍ଟି ପଡ଼ିତାଳ ॥୪
ଦେହୁ ଗଳଇ ଶ୍ରମଝାଳ । କେ ପଡ଼େ ଉପରେ କେ ତଳ ॥୫
ଜାନୁରେ ଜାନୁ ପରିବନ୍ଧ । କୋପେ କରନ୍ତି ବୀରନାଦ ॥୬
ମୁଣ୍ତକୁ ମୁଣ୍ତ ମରାମରି । ହୃଦରେ ହୃଦ ଭିଡ଼ାଭିଡ଼ି ॥୭
ଧରି ଘୂରାଇ ପୁଣି ଛାଡ଼ି । ପୁଣି ବସନ୍ତି ବେଗେ ମାଡ଼ି ॥୮
ପୁଣି ଛାଡ଼ିଣ ପଛଘୂଞ୍ଚି । ଧରନ୍ତି ବେଗେ ବଳ ଆଞ୍ଚି ॥୯
ଏକ ଆରକେ ଧରି ବେଗେ । ଗର୍ଜି ପଡ଼ନ୍ତି ଭୂମିଭାଗେ ॥୧୦
ପେଲି ପକାଇ ପୁଣି ଉଠି । ହୃଦେ ତାଡ଼ନ୍ତି ବଜ୍ରମୁଷ୍ଟି ॥୧୧
ପୁଣି ଧରନ୍ତି ତଳେ ମାଡ଼ି । ମୁଣ୍ତକୁ ମୁଣ୍ତ କୋଡ଼ାକୋଡ଼ି ॥୧୨
ରୁଧିର ବହେ ତାଳୁ ଫାଟି । ଦେହକୁ ଦେହ ପିଟାପିଟି ॥୧୩
ପର୍ବତ ପ୍ରାୟ ବେନି ମାଲେ । ଯୁଝନ୍ତି ରାମକୃଷ୍ଣ ତୁଲେ ॥୧୪
ଦେଖି ବୋଲନ୍ତି ନରନାରୀ । ଅନ୍ୟାୟ କଲା ଦଣ୍ତଧାରୀ ॥୧୫
ବାଳକ ରାମକୃଷ୍ଣ ଦୁଇ । ମାଲଙ୍କ ସଙ୍ଗତେ ଯୁଝାଇ ॥୧୬
କେମନ୍ତେ ଦେଖୁଅଛି ଏହା । ହୃଦ୍ରେ ନ ବସଇ ଦୟା ॥୧୭
ମରାଇ ବାଳୁତ ପୁଅଙ୍କୁ । ଧର୍ମ କି ସହିବ ଏହାକୁ ॥୧୮
ସଭାରେ ବସି ବଡ଼ଲୋକେ । ଅଧର୍ମ କରୁଛନ୍ତି ଥୋକେ ॥୧୯
ସକଳେ କଂସ-ପ୍ରିୟକାରୀ । ଧର୍ମ ଅଧର୍ମ ନ ବିଚାରି ॥୨୦
ଯୁଦ୍ଧେ କେ ଅବା ବଳୀୟାର । ଏହା ନ କରନ୍ତି ବିଚାର ॥୨୧
ପର୍ବତପ୍ରାୟ ବେନିମାଲ । ବଜ୍ର-ଶରୀର ଏହାଙ୍କର ॥୨୨
ବାଳକ ପୁଅଙ୍କୁ ଅନାଅ । ଅତି ହିଁ ସୁକୁମାର ଦେହ ॥୨୩
ଏହା ସଭାରେ ଧର୍ମ ନାହିଁ । ଏଠାରେ ଥିବା ନ ଯୋଗାଇ ॥୨୪
ମୁନିଏ କହିଛନ୍ତି ପୂର୍ବେ । ବେଦ ପୁରାଣର ପ୍ରସ୍ତାବେ ॥୨୫
ଅଧର୍ମ-କୁଟସଭା ଯହିଁ । ପଣ୍ତିତେ ନ ବସିବେ ତହିଁ ॥୨୬
ସଭାର ଦୋଷ ଯେ ଜାଣନ୍ତି । ବିଚାରି ପ୍ରବେଶ ନୁହଁନ୍ତି ॥୨୭
ଜାଣିଣ ଯେହୁ ପକ୍ଷ କହି । ନରକେ ପଡ଼ନ୍ତି ସେ ଯାଇ ॥୨୮
ଏମନ୍ତ ରାମକୃଷ୍ଣ ତୁଲେ । ସମର କରୁଛନ୍ତି ମାଲେ ॥୨୯
ଏକ ଆରକେ ଛିଦ୍ର ଟାକି । ନିଶ୍ଚଳ କରୁଛନ୍ତି ଆଖି ॥୩୦
ରାମଗୋବିନ୍ଦେ ଲୋକେ ଚାହିଁ । କହନ୍ତି ଅଙ୍ଗୁଳି ଦେଖାଇ ॥୩୧
ଦେଖ ଏ କୃଷ୍ଣର ବଦନ । ଗଳୁଛି ଝାଳକଣା ମାନ ॥୩୨
ଫୁଟିଲା ପଦ୍ମକୋଷ କିସେ । ଜଳ ସିଞ୍ଚିଲା ପ୍ରାୟ ଦିଶେ ॥୩୪
ଦେଖ ଏ ରାମର ବଦନ । ତମ୍ବାର ପ୍ରାୟେକ ଲୋଚନ ॥୩୫
ଏ ବେନି ଲୋଚନ ବଦନ । ଅଳପହାସେ ଶୋଭାବନ ॥୩୬
ଧନ୍ୟ ସେ ବ୍ରଜଭୂମି ଦେଶ । ପୁଣ୍ୟ ସେ କଲା ଗୋ ଅଶେଷ ॥୩୭
ମାୟା ମନୁଷ୍ୟ ରୂପ ଧରି । ଯହିଁ ବୁଲନ୍ତି ରାମହରି ॥୩୮
ଚିତ୍ର-ବିଚିତ୍ର ବନମାଳେ । ଗୋପାଳ ପୁଅଙ୍କର ମେଳେ ॥୩୯
ଗାଈ ଚରାଇ ବେଣୁସ୍ୱନେ । ପାଦେ ବୁଲନ୍ତି ବନେ ବନେ ॥୪୦
ଧ୍ୱଜ ଅଙ୍କୁଶ ଚିହ୍ନ ପାଦେ । ଶଙ୍କର ପୂଜନ୍ତି ଆନନ୍ଦେ ॥୪୧
ନନ୍ଦର ବ୍ରଜେ ଗୋପନାରୀ । ଅନେକ ଛନ୍ତି ତପକରି ॥୪୨
ଅପୂର୍ବ ରୂପ ଏହାଙ୍କର । ଦେଖି ତେଜିଲେ ଘରଦ୍ୱାର ॥୪୩
ପିବନ୍ତି ଚକ୍ଷୁଦ୍ୱାରେ ରୂପ । ଅଜ୍ଞାନୀଜନେ କରେ ତାପ ॥୪୪
ଦୋହନେ ମନ୍ଥନେ ରନ୍ଧନେ । ଲେପନେ ଦୋଳା ଅବଧାନେ ॥୪୫
ଅଗଣା ପିଣ୍ତା ଛେରା ଦେଇ । ଯେତେ ବ୍ୟାପାର ଗୃହେ ଥାଇ ॥୪୬
ଏହାଙ୍କ ନାମ ଗାଇ ତୁଣ୍ତେ । ଗୋପୀଏ ହାଟ ରାଜଦାଣ୍ତେ ॥୪୭
ଏହାଙ୍କ ପାଦେ ଚିତ୍ତ ଦେଇ । ସୁସ୍ୱର କଣ୍ଠେ ଗୀତ ଗାଈ ॥୪୮
ଧନ୍ୟ ତାହାଙ୍କର ଜୀବନ । କୃଷ୍ଣହୁଁ ନ ଜାଣନ୍ତି ଆନ ॥୪୯
ଗୋରୁ ଚରାଇ ବୃନ୍ଦାବନେ । ଏ ଯେ ଆସନ୍ତି ରାତ୍ରମାନେ ॥୫୦
ଯିବାର ବେଳେ ବେଣୁଗୀତ । ଶୁଣି ହୁଅନ୍ତି ମୂରୁଛିତ ॥୫୧
ଘରୁ ବାହାର ହୋଇ ଦେଖି । ନିର୍ମଳ କରୁଥା'ନ୍ତି ଆଖି ॥୫୨
ଏମନ୍ତ ବୋଲୁଁ ବୋଲୁଁ ଜନେ । କୋପ ବସିଲା କୃଷ୍ଣମନେ ॥୫୩
ମଞ୍ଚାରେ ବସି ତାତମାତ । ତାଡ଼ନ୍ତି ନିଜ ଶିରେ ହସ୍ତ ॥୫୪
ଦଇବ କରିଅଛି ଏହା । ଆମ୍ଭରେ ନାହିଁ ତା'ର ଦୟା ॥୫୫
ନନ୍ଦର ଘରେ ଲୁଚାଇଲୁ । ଏବେ କଂସର ମୁଖେ ଦେଲୁ ॥୫୬
ବିଧାତା ଦେଉଛି କଷଣ । ଦେଖିବୁ ପୁତ୍ରଙ୍କ ମରଣ ॥୫୭
ଦେବକୀ ପୁତ୍ରମୁଖ ଚାହିଁ । ବେନିନୟନୁ ଅଶ୍ରୁବହି ॥୫୮
ବୁଡ଼ିଲା ମହାଶୋକଜଳେ । ଧରିଛି ବସୁଦେବ କୋଳେ ॥୫୯
ମନୁଷ୍ୟ ମଣି କଲେ ଭ୍ରାନ୍ତି । ପୁତ୍ରଙ୍କ ବଳ ନ ଜାଣନ୍ତି ॥୬୦
ମାଲଙ୍କ ତୁଲେ ବେନିବାଳେ । ଯୁଦ୍ଧ କରନ୍ତି କୁତୂହଳେ ॥୬୧
କୃଷ୍ଣର ମୁଷ୍ଟିବଜ୍ରପ୍ରାୟ । କମ୍ପଇ ଚାଣୂରର କାୟ ॥୬୨
ମୂର୍ଚ୍ଛିତ ହୋଇ ମହାବଳୀ । ମୁଖରୁ ରୁଧିର ନିକିଲି ॥୬୩
ପୁଣି ଉଠିଲା ଜ୍ଞାନ ପାଇ । ଧାଇଁଲା ମୁଥେକ ଉଞ୍ଚାଇ ॥୬୪
କୃଷ୍ଣର ହୃଦରେ ପ୍ରହାରି । ଗର୍ଜଇ ବାହାନାଦ କରି ॥୬୫
ଚାଣୂର ମୁଷ୍ଟି ପଡ଼ି ହୃଦେ । ଗୋବିନ୍ଦ ନ ଘୁଞ୍ଚିଲେ ପାଦେ ॥୬୬
ଫୁଲମଣ୍ତାଏ କରେ ଧରି । ଗଜ ଶରୀରେ ଯେହ୍ନେ ମାରି ॥୬୭
ଚାଣୂର କର କୃଷ୍ଣ ଧରି । ବୁଲାଇ ଅନ୍ତରାଳ କରି ॥୬୮
ଭୂମିରେ ପାଡ଼ିଲେ ତକ୍ଷଣ । ଚାଣୂର ଛାଡ଼ିଲା ଜୀବନ ॥୬୯
ଇନ୍ଦ୍ରଧ୍ୱଜର ପ୍ରାୟେ ପଡ଼ି । ଗୋବିନ୍ଦ କଲେ ସିଂହରଡ଼ି ॥୭୦
ଉଠିଲେ ଚାଣୂର ଉପରେ । ଅଳପ କେଶ ଧରି କରେ ॥୭୧
କୃଷ୍ଣଙ୍କୁ ଚାହିଁ ବଳରାମ । ଦେହେ ବସିଲା ଗରୁତମ ॥୭୨
ବଜ୍ରମୁଷ୍ଟିଏ ପ୍ରହାରିଲେ । ମୁଷ୍ଟିକ ମୁଣ୍ତ ଚୂର କଲେ ॥୭୩
ମୁଖରୁ ରୁଧିର ଗଳଇ । ପଡ଼ିଲା ମୃତପିଣ୍ତ ହୋଇ ॥୭୪
ପବନଘାତେ ମହାବୃକ୍ଷ । ଯେସନେ ପଡ଼ଇ ପ୍ରତ୍ୟକ୍ଷ ॥୭୫
ମାଲେକ କୂଟ ନାମେ ଥିଲା । ରାମର ନିକଟେ ମିଳିଲା ॥୭୬
ବାମମୁଷ୍ଟିରେ ମୁଣ୍ତ ଚୂର । ପଡ଼ିଲା କରି ନାଦଘୋର ॥୭୭
ଶଲ ତୋଶଳ ମାଲ ଦୁଇ । ମିଳିଲେ କୃଷ୍ଣପାଶେ ଯାଇ ॥୭୮
ପାଦ ପ୍ରହାରନ୍ତେ ମୁରାରି । ମାଲେ ପଡ଼ିଲେ ନାଦ କରି ॥୭୯
ଆଉ ଯେତେକ ମାଲେ ଥିଲେ । ରଣ ଉପେକ୍ଷି ପଳାଇଲେ ॥୮୦
ମାଲେ ପଳାନ୍ତେ ବେନିଭାଇ । ଡ଼ାକନ୍ତି ପଳାଅ କିପାଁଇଁ ॥୮୧
ଗୋପକୁମରେ ଥିଲେ ସଙ୍ଗେ । ମିଳିଲେ ରାମକୃଷ୍ଣ ଆଗେ ॥୮୨
ମାଲ ବିନ୍ଧାଣ ଗରୁତର । ଭୂମି କମ୍ପଇ ଥରହର ॥୮୩
କୃଷ୍ଣର ମାଲଯୁଦ୍ଧ ଦେଖି । ଅସୁରେ ଚାହାଁନ୍ତି ନିରେଖି ॥୮୪
କୃତାନ୍ତ ପ୍ରାୟ ରୂପ ଦେଖି । ଡ଼ରେ ବୁଜିଲେ ବେନିଆଖି ॥୮୫
କମ୍ପଇ କଂସର ଶରୀର । ଦେଖି ହରଷ ସୁରନର ॥୮୬
ବୋଲନ୍ତି କୃଷ୍ଣ ସାଧୁ ସାଧୁ । ତରିଲେ ମାଲଙ୍କ ପ୍ରମାଦୁ ॥୮୭
ନୂପୁର କୃଷ୍ଣଙ୍କ ଚରଣ । ଚାଲନ୍ତେ ବାଜେ ରୁଣଝୁଣ ॥୮୮
ଶୁଭଇ ବୀରତୂର ଧ୍ୱନି । ସ୍ତୁତି କରନ୍ତି ସୁରମୁନି ॥୮୯
ପଡ଼ି ଅଛନ୍ତି ପଞ୍ଚମାଲେ । ସକଳେ ଭୟେ ପଳାଇଲେ ॥୯୦
ଦେଖିଣ ଉଗ୍ରସେନବଳା । ବାଦ୍ୟଶବଦ ରୁହାଇଲା ॥୯୧
କୋପେ ବୋଲଇ ଶିର ଝୁଣି । କରେ ଖଡଗ ଅଛି ଘେନି ॥୯୨
ଭୃତ୍ୟଙ୍କୁ ବୋଲଇ ବଚନ । ମାରରେ ଗୋପପୁର ଜନ ॥୯୩
ବସୁଦେବର ପୁତ୍ର ଦୁଇ । ରାଜ୍ୟ ବାହାରେ ଛାଡ଼ ନେଇ ॥୯୪
ନନ୍ଦସମ୍ପଦ ଗୋପପୁର । ବହନ କର ଯାଇ ଜୂର ॥୯୫
ନନ୍ଦ-ବସୁଦେବକୁ ନିଅ । ଶିର ଛେଦିଣ ଶୂଳି ଦିଅ ॥୯୬
ଦେବକୀ ଉଗ୍ରେସେନ ମୂଳେ । ଚାରିହେଁ ବସିଥିବେ ଶୂଳେ ॥୯୭
ରାମକୃଷ୍ଣଙ୍କୁ ଧରି ନିଅ । ତାହାଙ୍କ ମରଣ ଦେଖାଅ ॥୯୮
ଶିର ଛେଦିବ ଏହାଙ୍କର । ତେବେ ସେ ଶତ୍ରୁଯିବେ ମୋର ॥୯୯
ଯେତେ ଗୋପାଳପୁଅ ସଙ୍ଗେ । ହାଣି ପକାଅ ନେଇ ବେଗେ ॥୧୦୦
ଏମନ୍ତ କଂସମୁଖୁଁ ଶୁଣି । କୋପେ ଚାହିଁଲେ ଚକ୍ରପାଣି ॥୧୦୧
ବୋଇଲେ ପ୍ରଳାପ ଉତ୍ତର । କେତେରେ କହୁଛୁ ଅସୁର ॥୧୦୨
ଏଥି ସଙ୍ଗତେ ତୋ'ର ମୃତ୍ୟୁ । ଯାହା କହିଛି କୁଶକେତୁ ॥୧୦୩
ମରଣକାଳେ ପ୍ରାଣୀଙ୍କର । ଯେସନ ପ୍ରଳାପ ଉତ୍ତର ॥୧୦୪
ଜୀବନ ଯିବାର ନିକଟ । କିପାଁ ତୁ ହେଉ ଛଟପଟ ॥୧୦୫
ଯେତେ ଦିନକୁ ଥିଲା ଯୋଗ । ଅମୂଲ୍ୟରତ୍ନ କଲୁ ଭୋଗ ॥୧୦୬
ଈଶ୍ୱରେ ନିନ୍ଦିଲୁ ପାପିଷ୍ଠ । ତହିଁର ଫଳେ ମୃତ୍ୟୁକଷ୍ଟ ॥୧୦୭
କଂସର ମର୍ମକଥାମାନ । କହି ଚଳିଲେ ଭଗବାନ ॥୧୦୮
କଂସର ମଞ୍ଚାରେ ଉଠିଲେ । ସ୍ୱର୍ଗେ ଦେବତାଗଣ ଥିଲେ ॥୧୦୯
ଦେଖି କରନ୍ତି ଜୟ ଜୟ । ଅବନୀ ହୋଇଲା ନିର୍ଭୟ ॥୧୧୦
କୃଷ୍ଣଙ୍କୁ ଦେଖି କଂସ ଉଠି । ଖଡ଼ଗେ କଲାଦୃଢ଼ମୁଷ୍ଟି ॥୧୧୧
ଉଞ୍ଚାଇ ଗୋବିନ୍ଦ ଉପରେ । ଡ଼େଇଁ ପଡ଼ନ୍ତେ ରୋଷଭରେ ॥୧୧୨
ଛଞ୍ଚାଣ ପ୍ରାୟେ ଧାତିକାରେ । କେଶ ଧଇଲେ କୃଷ୍ଣ କରେ ॥୧୧୩
ଅସୁର ନ ପାରିଲା ଚଳି । କୃଷ୍ଣଙ୍କୁ ଚାହିଁଲା ନିରୋଳି ॥୧୧୪
ଚକ୍ଷୁର ବାଟେ ପ୍ରାଣ ଗଲା । କୃଷ୍ଣର ଶରୀରେ ପଶିଲା ॥୧୧୫
ନାଗ ଆବୋରି ଖଗପତି । ତେସନ ଗୋବିନ୍ଦର ଗତି ॥୧୧୬
ରତ୍ନମୁକୁଟ କଂସ ଶିରେ । କୃଷ୍ଣେ ଝିଙ୍କିଲେ ରୋଷଭରେ ॥୧୧୭
କଂସକୁ ଧରି ବାମକରେ । ଗୋବିନ୍ଦ ମଞ୍ଚାର ଉପରେ ॥୧୧୮
ଜଗତସ୍ୱାମୀ ଯୋଗବଳେ । ପଡ଼ିଲେ ରଙ୍ଗସଭାତଳେ ॥୧୧୯
କଂସ ଉପରେ ଦାମୋଦର । ଅବନୀ ଦିଶିଲା ସୁନ୍ଦର ॥୧୨୦
ଯେତେ ଅସୁରରାଜା ଥିଲେ । କୃଷ୍ଣଙ୍କୁ ଦେଖି ପଳାଇଲେ ॥୧୨୧
ସମସ୍ତ ଲୋକେ ଛନ୍ତି ଚାହିଁ । ବିକ୍ରମସିଂହ ପ୍ରାୟ ହାଇ ॥୧୨୨
କଂସର କେଶ ଧରି କରେ । କୃଷ୍ଣ ଝିଙ୍କିଲେ ରୋଷଭରେ ॥୧୨୩
ରଙ୍ଗସଭାର ତଳେ ଥାଇ । ମୃତପିଣ୍ତକୁ ଘୋଷଡ଼ାଇ ॥୧୨୪
ଉତ୍ତାନ କରି ପକାଇଲେ । ଗୋପବାଳକେ ଡ଼େଇଁଗଲେ ॥୧୨୫
ଲୋକେ କରନ୍ତି ହାହାକାର । କେ ବୋଲେ ପଡ଼ିଲା ଅସୁର ॥୧୨୬
ଦେଖି ସାନନ୍ଦ ପୁରଜନ । ମଥୁରା ନାରୀଙ୍କର ମନ ॥୧୨୭
ଆକାଶୁ କୁସୁମ ବରଷି । ନିର୍ମଳ ଦଶଦିଗ ଦିଶି ॥୧୨୮
ପବନ ବହଇ ଶୀତଳ । ନିଶ୍ଚଳେ ଜଳଇ ଅନଳ ॥୧୨୯
ଆକାଶ ଦିଶିଲା ନିର୍ମଳ । ଖଣ୍ତିଲା ଅବନୀର ଭାର ॥୧୩୦
ଜୟଶବଦ ଶୂନ୍ୟେ ପୂରି । ନୃତ୍ୟ କରନ୍ତି ଅପସରୀ ॥୧୩୧
ଗୀତବିନୋଦେ ବିଦ୍ୟାଧର । ଦୁନ୍ଦୁଭି ବାଜଇ ସୁସ୍ୱର ॥୧୩୨
ଦଇବେ କଂସ ଅବିରତେ । କୃଷ୍ଣଙ୍କୁ ଭୟ କରି ଚିତ୍ତେ ॥୧୩୩
ଜଳ ପିବନ୍ତେ କମ୍ପେ ଦେହୀ । ଭୋଜନ କରନ୍ତେ ଡ଼ରଇ ॥୧୩୪
ଭୟେ ନ ସ୍ଫୁରଇ ବଚନ । ନିଦ୍ରା ନ ମାଡ଼ଇ ନୟନ ॥୧୩୫
ଯାହାକୁ ଡ଼ରୁଥାଇ ନିତ୍ୟେ । ପ୍ରତ୍ୟକ୍ଷ ଦେଖିଲା ଅଗ୍ରତେ ॥୧୩୬
ଦେହେ ପଶିଲା କଂସରାୟ । ଖଣ୍ତିଲା ଜନ୍ମମୃତ୍ୟୁ ଭୟ ॥୧୩୭
ନିର୍ମଳ ଯୋଗୀଙ୍କି ଦୁର୍ଲ୍ଲଭ । କଂସକୁ ହୋଇଲା ସୁଲଭ ॥୧୩୭
କଂସର ଅଷ୍ଟଭ୍ରାତ ଥିଲେ । ମିଳିଲେ ରାମକୃଷ୍ଣ ତୁଲେ ॥୧୩୮
କଙ୍କ ନ୍ୟଗ୍ରୋଧ ଆଦିକରି । ଧାଇଁଲେ ଖଡ଼ଗ ଉଭାରି ॥୧୩୯
ଭାଇ ମରଣେ କ୍ରୋଧ ପାଇ । ବେଢ଼ିଲେ ଗୋବିନ୍ଦଙ୍କୁ ଯାଇ ॥୧୪୦
ଜଗତିଦ୍ୱାର ରୁନ୍ଧି ବୀରେ । କୁନ୍ତ ଶାବେଳୀ ଭାଲା କରେ ॥୧୪୧
ଆଚ୍ଛାଦି କଲେ ମହାରଣ । ପଡ଼ିଲା କୋଟିବଜ୍ର ବାଣ ॥୧୪୨
ଦିବସ ହୋଇଲା ଅନ୍ଧାର । ବିଚିତ୍ର ଗତି କରବାଳ ॥୧୪୩
ଦେଖି ଧାଇଁଲେ ହଳଧର । ବୁଲାଇ ଲୌହର ମୂଷଳ ॥୧୪୪
ସିଂହ ଯେସନେ ଗଜଯୂଥେ । ପିଟନ୍ତି ଅତି ବଳବନ୍ତେ ॥୧୪୫
ଶସ୍ତ୍ରକୁ ଶସ୍ତ୍ର ପଡ଼ିତାଳ । ନ ପାରି ଘୁଞ୍ଚିଲେ ସକଳ ॥୧୪୬
ରାମର ବଜ୍ରଦଣ୍ତ ଘାୟେ । ପଡ଼ିଲେ ଇନ୍ଦୁମତୀ ପୋଏ ॥୧୪୭
ଗତ ଜୀବନ ଅଷ୍ଟବୀର । ମୁଖରୁ ଗଳଇ ରୁଧିର ॥୧୪୮
ଦେଖି ସାନନ୍ଦ ଦେବଗଣ । ବଳଦେବଙ୍କ ବୀରପଣ ॥୧୪୯
ପୁଷ୍ପବରଷି ସ୍ତୁତି କରି । ଜୟଶବଦେ ଅପସରୀ ॥୧୫୦
କଂସର ଅଷ୍ଟ୍ରଭ୍ରାତା ମୂଳେ । ଯେତେ କାମିନୀ ପୁରେ ଥିଲେ ॥୧୫୧
ବାହାର ହୋଇଲେ ବିକଳେ । କାନ୍ଦନ୍ତି ସ୍ୱାମୀ ଧରି କୋଳେ ॥୧୫୨
ମୁଣ୍ତେ ହୃଦୟେ କରତାଡ଼ି । ଗଡ଼ନ୍ତି ମହୀତଳେ ପଡ଼ି ॥୧୫୩
ଭୋ ନାଥ ପ୍ରିୟ ମହୀପତି । ଅନାଥ ହୋଇଲୁ ଯୁବତୀ ॥୧୫୪
ଭୋ ନାଥ ମରଣେ ତୋହର । ମଥୁରା ନ ଦିଶେ ସୁନ୍ଦର ॥୧୫୫
ତୋର ବିଯୋଗେ ମଧୁପୁରୀ । ଏବେ ଦିଶିଲା ହତଶିରୀ ॥୧୫୬
ତୁ ନାଥ ପ୍ରାଣୀଙ୍କର ତୁଲେ । ଦ୍ରୋହ ଚିନ୍ତିଲୁ ସର୍ବକାଳେ ॥୧୫୭
ଅସୁରବୁଦ୍ଧି ତୋ'ର ମନ୍ଦ । ସାଧୁଙ୍କ ତୁଲେ କଲୁ ବାଦ ॥୧୫୮
ଧର୍ମକୁ ନିଶ୍ଚୟ ଛାଡ଼ିଲୁ । ଭଣଜା ହସ୍ତେ ପ୍ରାଣ ଦେଲୁ ॥୧୫୯
ପ୍ରାଣୀଙ୍କ ହୃଦୟେ ଅନନ୍ତ । ଜଗତ ଯା'ର ଗର୍ଭଗତ ॥୧୬୦
ବ୍ରହ୍ମାଣ୍ତଠାକୁର ଶ୍ରୀହରି । ତାହାର ହୋଇଲୁ ବଇରୀ ॥୧୬୧
ତାହାର ସଙ୍ଗେ ବାଦ କଲୁ । ଅକାଳେ ପ୍ରାଣ ହରାଇଲୁ ॥୧୬୨
ସୃଷ୍ଟି ପାଳନ ଯା'ର ବାନା । ଭକତଜନ ବଜ୍ରସେହ୍ନା ॥୧୬୩
ସଂସାରେ ଧର୍ମରୂପ ହୋଇ । ଭାବ ଅଭାବ ସେ ଘେନଇ ॥୧୬୪
ତା'ର ମହିମା ତୁ ନ ଜାଣି । ଦ୍ରୋହ ଚିନ୍ତିଲୁ ଚକ୍ରପାଣି ॥୧୬୫
ମରିବା ଉଚିତ ତୋହର । ଅନାଥ କଲୁ ମଧୁପୁର ॥୧୬୬
କହନ୍ତି ବ୍ୟାସଙ୍କ ନନ୍ଦନ । ଗୋବିନ୍ଦ ଶୁଣିଲେ ରୋଦନ ॥୧୬୭
ଛାଡ଼ିଲେ କଂସେ କୋପମନ । ଦୟାସାଗର ଭଗବାନ ॥୧୬୮
ରାଜକାମିନୀ ମଧ୍ୟେ ଯାଇ । ବିଜୟ ବ୍ରହ୍ମାଣ୍ତ ଗୋସାଇଁ ॥୧୬୯
ଲୋକବେଭାରେ ନରହରି । ଲୋଚନୁ ବହେ ଅଶ୍ରୁବାରି ॥୧୭୦
କାନ୍ଦନ୍ତି ମାଇଁଙ୍କର ମେଳେ । ଗୋବିନ୍ଦ ମାୟା ଯୋଗ ବଳେ ॥୧୭୧
ବୋଲନ୍ତି ମୋର କର୍ମ ମନ୍ଦ । ଦଇବ କରିଅଛି ଛନ୍ଦ ॥୧୭୨
ମୋହର କର୍ମେ ଭଲ ନାହିଁ । କଷ୍ଟ ମୁଁ ଯେତେ ପାଇଛଇଁ ॥୧୭୩
ଜାତ ହୋଇଲି ବନ୍ଦୀଘରେ । ପିତା ମୋ'ଘେନି ଗଲେ ଡ଼ରେ ॥୧୭୪
ଲୁଚାଇ ନନ୍ଦର ମନ୍ଦିରେ । ସୋଦର ମଉଳାର ଡ଼ରେ ॥୧୭୫
ଗଉଡ଼ ପଣେ ଦିନ ନେଇ । ମୋହର କୁଳ ମୂଳ ନାହିଁ ॥୧୭୬
ସେବକ ପ୍ରାୟେ ନନ୍ଦ ଘରେ । ଗୋରୁ ଚରାଏ ବନଘୋରେ ॥୧୭୭
ଦିବସେ ନ ରହଇ ଘରେ । ଅନ୍ନପୁଡ଼ାଏ ଘେନି କରେ ॥୧୭୮
ବନେ ଭୁଞ୍ଜଇ ଏକବେଳେ । ନିଦ୍ରା ନ ମାଡ଼େ ରାତ୍ରକାଳେ ॥୧୭୯
ରାତ୍ର ପାହିଲେ ବନେ ଯାଇ । ଏମନ୍ତେ ଜୀବନ ପୋଷଇ ॥୧୮୦
ଯେତେ ପଡ଼ିଲା ରିଷ୍ଟ ମତେ । ସୁମରି କହିବଇଁ କେତେ ॥୧୮୧
ମୁଁ ମାର ଦୁଃଖ ସୁଖେ ଥାଇ । ମଉଳା ତାହା ନ ଜାଣଇ ॥୧୮୨
ମାଇଲା ମୋର ଷଡ଼ଭାଇ । ମାତାପିତାଙ୍କୁ ଦୁଃଖ ଦେଇ ॥୧୮୩
ସୋଦର କଷ୍ଟ ବାଳବଧ । କେହି ତ ନ କଲ ବିରୋଧ ॥୧୮୪
ମତେ ମାରିବ ବିଚାରିଲା । ଅକ୍ରୁର ହସ୍ତେ ଅଣାଇଲା ॥୧୮୫
ଧନୁଯାତ୍ରା ଏ ମିଛେ କଲା । ଦ୍ୱାରେ ଗୋ ହସ୍ତୀଏ ଥୋଇଲା ॥୧୮୬
ଦଇବେ ତହୁଁ ଉବୁରିଲି । ମାମୁଁଙ୍କ ଛାମୁରେ ମିଳିଲି ॥୧୮୭
ତେବେ ହେଁ ଦୟା ଗୋ ନ କଲା । ମାଲଙ୍କ ସଙ୍ଗେ ଯୁଝାଇଲା ॥୧୮୮
ତହୁଁ ଜୀଇଁଲି କର୍ମବଳେ । ମିଳିଲି ଯାଇ ମଞ୍ଚାତଳେ ॥୧୮୯
ବୋଇଲା କୋପଭର ହୋଇ । ତାଡାଇ ଦିଅ ବେନିଭାଇ ॥୧୯୧
ବସୁଦେବକୁ ନନ୍ଦ ସଙ୍ଗେ । ହାଣି ପକାଅ ନେଇ ବେଗେ ॥୧୯୨
ଦେବକୀ ସଙ୍ଗେ ଉଗ୍ରସେନ । ଶୂଳରେ ବସାଅ ବହନ ॥୧୯୩
ନନ୍ଦ ସମ୍ପଦ କର ଜୂର । ରାମ ଗୋବିନ୍ଦ ବେଗେ ମାର ॥୧୯୪
ଶୁଣି ମୋ' ଦେହ ଥରହର । ଜୀବନ ଉଡ଼ିଲା ମୋହର ॥୧୯୫
ବିକଳେ ଉଠିଲି ମଞ୍ଚାରେ । ତା' କୋପ ଶାନ୍ତି କରିବାରେ ॥୧୯୬
ପାଦେ ପଡ଼ିଲି ମୁହିଁ ଯାଇ । ଧାଇଁଲା ଖଡ଼ଗ ଉଞ୍ଚାଇ ॥୧୯୭
ତା' ଦେଖି ହୋଇଲି ବିକଳ । ବେଗେ ଧଇଲା ମୋର ବାଳ ॥୧୯୮
ମଞ୍ଚାରୁ ଦେଲା ଫୋପଡ଼ାଇ । ତଳେ ଗୋ ପଡୁଥିଲି ମୁହିଁ ॥୧୯୯
ବିକଳେ ଧଇଲି ପୟର । ପଡ଼ିଲା ମୋହର ଉପର ॥୨୦୦
ମଞ୍ଚାରୁ ପଡ଼ି ମାମୁଁ ମଲା । ମୋତେ ତ ଦଇବ ରଖିଲା ॥୨୦୧
ମୋହର କର୍ମେ ନାହିଁ ଭୋଗ । ରାଜା ଭଣଜା ପଣେ ଯୋଗ ॥୨୦୨
ଅରଜି ଥିଲି ଯାହା ପୂର୍ବେ । ଫଳିଲା ମୋତେ ଆସି ଏବେ ॥୨୦୩
ମାୟା ସଂସାରେ ଏହି ମତେ । ଜନ୍ମମରଣ ବେନିପଥେ ॥୨୦୪
ପ୍ରାଣୀ ହୁଅନ୍ତି ଆତଜାତ । କର୍ମର ଫଳେ ସେ ପ୍ରାପତ ॥୨୦୫
ପଥୁକୀ ପଥଶ୍ରମ ପାଇ । ବସନ୍ତି ବୃକ୍ଷ ତଳେ ଯାଇ ॥୨୦୬
ଶ୍ରମ ସରିଲେ ଯେଝାମତେ । ଚଳନ୍ତି ବୃକ୍ଷ ଥାଇ ପଥେ ॥୨୦୭
ତେମନ୍ତ ପ୍ରାୟ ଜନ୍ତୁ ମିଳି । ମାୟା ସଂସାରେ ବିଷ୍ଣୁକେଳି ॥୨୦୮
ଜଗତଜୀବ ଏହି ମତେ । ସମସ୍ତେ ଯିବା ଶୂନ୍ୟପଥେ ॥୨୦୯
କେ ଆଗ ପଛ କେ ତୁରିତ । ସବୁରି ଦ୍ୱାରେ ଯମଦୂତ ॥୨୧୦
ଏଣେ ଯେ ନ କରନ୍ତି ଖେଦ । ତାହାଙ୍କୁ ନ ଲାଗେ ପ୍ରମାଦ ॥୨୧୧
ତୁମ୍ଭେ ଗୋ ଅର୍ଜିଅଛ ଯାହା । ଅବଶ୍ୟ ଭୁଞ୍ଜିବଟି ତାହା ॥୨୧୨
ଏମନ୍ତ ବୋଲି ଭଗବାନ । ମୋହିଲେ ମାଇଁଙ୍କର ମନ ॥୨୧୩
ଆଶ୍ୱାସ କରି କଂସନାରୀ । ବଦନ ପୋଛିଲେ ମୁରାରି ॥୨୧୪
ଜଣ ଜଣକେ ବୋଧ କଲେ । ଅନଳେ କଂସ ପୋଡ଼ାଇଲେ ॥୨୧୫
ରାମ ଗୋବିନ୍ଦ ବେନିଭାଇ । ପିତାମାତାଙ୍କ ପାଶେ ଯାଇ ॥୨୧୬
କଷ୍ଟ ଦେଖିଣ ତାହାଙ୍କର । ନୟନୁ ବହେ ଅଶ୍ରୁଜଳ ॥୨୧୭
ମଞ୍ଚା ଉପରେ କୃଷ୍ଣରାମ । ପୟର ଦେଖି ଶୋକମନ ॥୨୧୮
ଚରଣୁଁ ବନ୍ଧନ ଫେଡ଼ାଇ । ପିତାମାତାଙ୍କ ମୁଖ ଚାହିଁ ॥୨୧୯
ଦେବକୀ ବସୁଦେବ ପାଦେ । ପଡ଼ିଲେ ଶୋକ ଗଦଗଦେ ॥୨୨୦
ଦେଖି ଚକିତ ତାତମାତ । ପୟର ଘୁଞ୍ଚାଇ ତୁରିତ ॥୨୨୧
ମନେ ଜାଣିଲେ ଅବହେଳେ । ବିଷ୍ଣୁମୂରତି ପାଦତଳେ ॥୨୨୨
ଭୟେ କମ୍ପନ୍ତି ଥରହର । ବୋଲନ୍ତି ଶରଣ ତୋହର ॥୨୨୩
ଅନାଦି ନାଥ ନିରଞ୍ଜନ । ଆମ୍ଭର ଦୋଷ ତୁ ନ ଘେନ ॥୨୨୪
ପୁତ୍ର ପ୍ରାୟେକ ତୋତେ ମଣି । ଯାହା ଚିନ୍ତିଲୁ ଚକ୍ରପାଣି ॥୨୨୫
ସେ ଦୋଷ ନ ଘେନ ଆମ୍ଭର । ଶରଣ ରଖ ଚକ୍ରଧର ॥୨୨୬
ଏମନ୍ତ ବୋଲି ବାପମାୟେ । ଚକ୍ଷୁ ବୁଜିଲେ ମହାଭୟେ ॥୨୨୭
ବୋଲନ୍ତି ଶୁକ ମୁନିବର । ଜାଣିଲେ ପ୍ରଭୁ ଦାମୋଦର ॥୨୨୮
ବଳଦେବଙ୍କୁ ଅନାଇଲେ । ବୋଇଲେ ଜ୍ଞାନ ଏ ପାଇଲେ ॥୨୨୯
ଆମ୍ଭଙ୍କୁ ଚିହ୍ନିଲେ ଏ ଆଜ । କେମନ୍ତେ ହେବ ଦେବକାର୍ଯ୍ୟ ॥୨୩୦
ଏମନ୍ତ ବୋଲି ବିଚାରିଲେ । ବିଷ୍ଣୁ ମାୟାକୁ ପ୍ରକାଶିଲେ ॥୨୩୧
ପିତାମାତାଙ୍କ ଦେହେ ଯାଇ । ପଶିଲେ ଶୋକମୋହ ହୋଇ ॥୨୩୨
ସେ ମାୟାଧର ପାଦଗତ । ଭଜଇ ବିପ୍ର ଜଗନ୍ନାଥ ॥୨୩୩
କଂସ ଦାନବ ସଂହାରିଲେ । ଅବନୀ ଭାରା ନିବାରିଲେ ॥୨୩୪
ଭକତଜନଙ୍କର ବନ୍ଧୁ । ନାମ କରୁଣାମୟ ସିନ୍ଧୁ ॥୨୩୫
ଏଣେ ନିବେଶି କୃଷ୍ଣେମନ । ଶରଣ ପଶ ଭଗବାନ ॥୨୩୬
ବୁଡ଼ି ନ ମର ଭବଜଳେ । କଷ୍ଣ ସୁମରି ଉଠ କୂଳେ ॥୨୩୭
ବ୍ରାହ୍ମଣ କୁଳେ ଜାତ ହୋଇ । ବିଷ୍ଣୁ ବାସନା ମୋର ନାହିଁ ॥୨୩୮
ସ୍ୱପନେ କହିଲେ ମୁରାରି । ପୁରାଣ ଗୀତନାଦ କରି ॥୨୩୯
ରଚିବୁ ଶିରୀ ଭାଗବତ । ବେଦ ପୁରାଣେ ଯାହା ତତ୍ତ୍ୱ ॥୨୪୦
ଏଣୁ ମୋହର ଭୟ ନାହିଁ । ସୁଜନେ ତର ଏହା ଗାଇ ॥୨୪୧
ସୁଜନେ ନ ଧର ମୋ ଦୋଷ । କହଇ ଜଗନ୍ନାଥ ଦାସ ॥୨୪୨
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ କଂସବଧୋ ନାମ ସପ୍ତଚତ୍ୱାରିଂଶୋଽଧ୍ୟାୟଃ ॥
ଅଷ୍ଟଚତ୍ୱାରିଂଶ ଅଧ୍ୟାୟ
[ସମ୍ପାଦନା]- ଶୁକ ଉବାଚ
କହନ୍ତି ବ୍ୟାସଙ୍କ କୁମର । ଶୁଣ ପରୀକ୍ଷ ନୃପବର ॥୧
ଜଗତବନ୍ଧୁ ଜନାର୍ଦ୍ଦନ । ମୋହିଲେ ପିତାମାତା ମନ ॥୨
ରାମର ମୁଖକୁ ଚାହିଁଲେ । ବିଷ୍ଣୁର ମାୟା ପ୍ରକାଶିଲେ ॥୩
ଅଶେଷ ଜୀବଜନ୍ତୁ ଦେହେ । ବିଶ୍ୱ ସଂସାରେ ମାୟାମୋହେ ॥୪
ତାତ ଜନନୀ ପାଦତଳେ । ରାମଗୋବିନ୍ଦ ଏକମେଳେ ॥୫
ପଡ଼ନ୍ତି ପୁଣ ପୁଣ ପାଦେ । କହନ୍ତି ଶୋକ ଗଦଗଦେ ॥୬
ହେ ତାତ ମାତ ଶୁଣ ମୋର । ଦଇବବଳ ବଳୀୟାର ॥୭
କଂସର ଡ଼ରେ ବେନିଭାଇ । ଏତେ ଦିବସ ଗୋପେ ଥାଇ ॥୮
ବାଳକକାଳେ ମାତା କୋଳେ । ସୁତେ ବସନ୍ତି ସୁଖ ଭୋଳେ ॥୯
ସେ ସୁଖ ନୋହିଲା ଆମ୍ଭର । କର୍ମର ଫଳ ବଳୀୟାର ॥୧୦
ତାତ ଜନନୀ ଉପକାର । ସୁଝିବ କେବଣ କୁମର ॥୧୧
ଗର୍ଭେ ବହନ୍ତି ଦୁଃଖ ସହି । ପୁଣି ପାଳନ୍ତି କ୍ଷୀର ଦେଇ ॥୧୨
ସର୍ବ ସମ୍ପଦ ପୁଣ ଦେଇ । ତାହାଙ୍କ ପୋଷଣେ ଜୀଅଇ ॥୧୩
ତାହାଙ୍କ ପ୍ରତି ଉପକାରେ । ଶତଜନମେ କେହୁ ପାରେ ॥୧୪
ସେ ତାତ ଜନନୀ ପୋଷଣେ । ସମର୍ଥ ନୁହନ୍ତି ଯେ ଜନେ ॥୧୫
ତାହାଙ୍କ ଜୀବନର ଅନ୍ତେ । ବେଗେ ମିଳନ୍ତି ଯମଦୂତେ ॥୧୬
କର-ଚରଣ ବାନ୍ଧି କୋପେ । ନିଅନ୍ତି ଯମର ସମୀପେ ॥୧୭
ନିରାଶ ପଥେ ସେ ବିକଳେ । କାନ୍ଦଇ କ୍ଷୁଧାର ଆକୁଳେ ॥୧୮
ତା'ର ବିକଳ ଦେଖି ପଥେ । କୋପେ ବୋଲନ୍ତି ଯମଦୂତେ ॥୧୯
ପିତାମାତାଙ୍କୁ ଦୁଃଖ ଦେଇ । ଜୀବନ ପୋଷିଲୁ ଯେ ତୁହି ॥୨୦
ଯେ ଅବା ପୁଣ୍ୟ ଥିଲା ତୋ'ର । ସେ ପାପେ ହୋଇଲା ଅନ୍ତର ॥୨୧
ଏବେ ଖାଇବୁ ଆଉ କିସ । ଏମନ୍ତ ବୋଲି ତା'ର ମାଂସ ॥୨୨
କାଟି ତାହାର ମୁଖେ ଦ୍ୟନ୍ତି । ନିର୍ଦ୍ଦୟେ ଯଷ୍ଟି ପ୍ରହାରନ୍ତି ॥୨୩
ଭୋ ତାତ ଶୁଣ ଏକଚିତ୍ତେ । ବିପ୍ରେ କହନ୍ତି ବେଦମତେ ॥୨୪
ତାତ ଜନନୀ ବୃଦ୍ଧକାଳେ । ନିଜ ଭାରିଜା ଶିଶୁମେଳେ ॥୨୫
ଗୋରୁ ବ୍ରାହ୍ମଣ ଗୁରୁଜନ । ଏହାଙ୍କୁ ନ ଦେଇ ଭୋଜନ ॥୨୬
ଯେ ପ୍ରାଣୀ ଆତ୍ମାକୁ ପୋଷନ୍ତି । ଜୀବନ ଥାଉଁ ସେ ମରନ୍ତି ॥୨୭
କଂସର ଡରେ ଗୋପେ ଥାଇ । ଦୁଃଖେ ବଢ଼ିଲୁ ବେନିଭାଇ ॥୨୮
ତୁମ୍ଭ ସେବାରେ ନାହିଁ ମନ । ନିଷ୍ଫଳେ ଗଲା ଏତେ ଦିନ ॥୨୯
ସେ ଦୋଷ କ୍ଷମାକର ତାତ । ଆମ୍ଭେ ହୋଇଲୁ ପରାୟତ୍ତ ॥୩୦
ଏମନ୍ତ କହି ଦାମୋଦର । ମନ ମୋହିଲେ ତାହାଙ୍କର ॥୩୧
କୃଷ୍ଣ ବଚନେ ମାତାପିତା । ଛାଡ଼ିଲେ ମନୁ ଖେଦ ଚିନ୍ତା ॥୩୨
ଅତି ଆନନ୍ଦେ ବେନିଜନ । ପୁତ୍ରଙ୍କୁ ଦିଅନ୍ତି ଚୁମ୍ବନ ॥୩୩
କୋଳେ ବସାଇ ହୃଦେ ଭିଡ଼ି । ବେନିଲୋଚନୁ ବହେ ବାରି ॥୩୪
ବୁଡ଼ିଲେ ମାୟାମୋହ ଜଳେ । କଣ୍ଠ ନସ୍ଫୁରେ ଶୋକଭରେ ॥୩୫
ଏମନ୍ତେ ପ୍ରଭୁ ବ୍ରହ୍ମରାଶି । ତାତଜନନୀ ମନ ତୋଷି ॥୩୬
କୋମଳ-ମଧୁର-ବଚନେ । ମଞ୍ଚାରୁ ଉତୁରି ବହନେ ॥୩୭
ଉଗ୍ରସେନଙ୍କୁ ଅଣାଇଲେ । ରାଜଆସନେ ବସାଇଲେ ॥୩୮
ବୋଲନ୍ତି ପ୍ରଭୁ ଦେବରାଜା । ଆମ୍ଭେ ସକଳେ ତୋର ପ୍ରଜା ॥୩୯
ତୁ ଭୋଜବଂଶ ନୃପବର । ଆମ୍ଭେ ଖଟିବୁ ତୋ' ପୟର ॥୪୦
ଯଯାତି ନାମେ ମହାନୃପ । ଯଦୁଙ୍କୁ ଦେଇଅଛି ଶାପ ॥୪୧
ତେଣୁ ଯଦୁଙ୍କୁ ପାଟ ନାହିଁ । ରାଜା ହୋଇଲେ କ୍ଷୟ ଯାଇ ॥୪୨
ତୁ ଆମ୍ଭ ବୋଲେ ନୃପବର । ବହିବୁ ରାଜ୍ୟ ମହାଭାର ॥୪୩
ଏମନ୍ତ ବୋଲି ବନମାଳୀ । ଆପଣେ କଲେ ନିଉଛାଳି ॥୪୪
ସୁବର୍ଣ୍ଣ କୁମ୍ଭେ ଗଙ୍ଗାନୀର । ଦଧି ଅକ୍ଷତ ଗନ୍ଧସାର ॥୪୫
ଗୋବିନ୍ଦ ତୋଳି ନିଜ କରେ । ଢ଼ାଳିଲେ ଉଗ୍ରସେନ ଶିରେ ॥୪୬
ନାନା ଉତ୍ସବେ ଅଭିଷେକ । ସ୍ୱର୍ଗେ ଦେଖନ୍ତି ସୁରଲୋକ ॥୪୭
ବାଜଇ ବୀରତୂର ବାଦ୍ୟ । ମଥୁରା ହୋଇଲା ଆନନ୍ଦ ॥୪୮
ଉଗ୍ରସେନଙ୍କୁ ରାଜା କରି । କୃଷ୍ଣ କହନ୍ତି କରଯୋଡ଼ି ॥୪୯
ଭ୍ରାନ୍ତି ତୁ ନ କର ମନରେ । ତୋ ରିପୁ ନହିଁ ଏ ସଂସାରେ ॥୫୦
ମୁହିଁ ଯାହାର ଆଜ୍ଞାକାରୀ । କେ ତା'ର ହୋଇବ ବଇରୀ ॥୫୧
ମହେନ୍ଦ୍ର ଆଦି ଦିଗପାଳେ । ଖଟିବେ ତୋ'ର ପାଦତଳେ ॥୫୨
ମର୍ତ୍ତ୍ୟରାଜାଙ୍କୁ ନାହିଁ ଡ଼ର । ବୋଲନ୍ତି ବ୍ରହ୍ମାଣ୍ତ ଠାକୁର ॥୫୩
ଏମନ୍ତେ ରାଜପଦ ଦେଇ । ରାମଗୋବିନ୍ଦ ବେନିଭାଇ ॥୫୪
ଯେତେ ଡ଼ଗର ଥିଲେ ଦେଶେ । ଅଣାଇଁ କହନ୍ତି ବିଶ୍ୱାସେ ॥୫୫
ତୁମେ ହୋ ଯାଅ ଚାରିଦିଗେ । ମୋହର ଆଜ୍ଞା ଘେନି ବେଗେ ॥୫୬
ଯାଦବ ଆଦି ସାତବଂଶେ । ଯେବା ଅଛନ୍ତି ଯେଉଁ ଦେଶେ ॥୫୭
ବୋଲିବ ଆସ ହେ ନିର୍ଭୟେ । ତୁମ୍ଭଙ୍କୁ ଗୋବିନ୍ଦ ସଦୟେ ॥୫୮
ଏମନ୍ତ ବୋଲି ଆଜ୍ଞା ଦେଲେ । ବହନ ଆଣ ହୋ ବୋଇଲେ ॥୫୯
ତକ୍ଷଣେ ଡ଼ଗରାଏ ଯାଇ । ଚାରିଦିଗରେ ଆଜ୍ଞା କହି ॥୬୦
ଯେତେକ ଗୋବିନ୍ଦ ଉତ୍ତର । ସମସ୍ତ କହିଲେ ଡଗର ॥୬୧
ରାମଗୋବିନ୍ଦଙ୍କ ଚରିତ । ତୁମ୍ଭଙ୍କୁ ସଦୟ ବହୁତ ॥୬୨
ଏମନ୍ତ ଡଗରେ କହିଲେ । ତକ୍ଷଣେ ଆସ ହୋ ବୋଇଲେ ॥୬୩
ବନ୍ଧୁବାନ୍ଧବ ଆଦି କରି । ତକ୍ଷଣେ ଆଜ୍ଞା ଶିରେ ଧରି ॥୬୪
ସକଳେ ହୋଇଲେ ବାହାର । ଆସନ୍ତି ଅତି ଖରତର ॥୬୫
ରାମଗୋବିନ୍ଦଙ୍କୁ ଭେଟିଲେ । ସମସ୍ତେ ଆନନ୍ଦ ହୋଇଲେ ॥୬୬
ରାମଗୋବିନ୍ଦ ବେନିଜନ । କହିଲେ ମଧୁର ବଚନ ॥୬୭
ଜଣଜଣକେ ତୋଷ କରି । ଦାସବତ୍ସଳ ନରହରି ॥୬୮
ଯେଝାର ପୁରେ ଦେଲେ ବାସ । ଧନ ସମ୍ପଦ ଗ୍ରାମ ଦେଶ ॥୬୯
ଯାଦବେ କୃଷ୍ଣର ବିଶ୍ୱାସେ । ଗୃହେ ରହିଲେ ମନତୋଷେ ॥୭୦
ରାତ୍ର ଦିବସେ କୃଷ୍ଣମୁଖ । ଦେଖି ଛାଡ଼ିଲେ ମନୁଦୁଃଖ ॥୭୧
ବୃଦ୍ଧ ବାଳକ ରୂପ ନାହିଁ । ସକଳେ ଯୁବାପ୍ରାୟ ହୋଇ ॥୭୨
କୃଷ୍ଣର ଅପୂର୍ବ ବଦନ । ଦେଖି ହୋଇଲେ ତୋଷମନ ॥୭୩
ସେ କୃଷ୍ଣ ଚରଣେ ବିଶ୍ୱାସ । ଭଣଇ ଜଗନ୍ନାଥ ଦାସ ॥୭୪
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ଉଗ୍ରସେନ ସିଂହାସନ ଆରୋହଣଂ ନାମ ଅଷ୍ଟଚତ୍ୱାରିଂଶୋଽଧ୍ୟାୟଃ ॥
ଦଶମସ୍କନ୍ଧ (ଦ୍ୱାରକାଲୀଳା)
[ସମ୍ପାଦନା]ଊନପଞ୍ଚାଂଶ ଅଧ୍ୟାୟ
[ସମ୍ପାଦନା]- ଶୁକ ଉବାଚ
କହନ୍ତି ବ୍ୟାସଙ୍କର ସୁତ । ଶୁଣ ରାଜନ ପରୀକ୍ଷିତ ॥ ୧
ରାମଗୋବିନ୍ଦ ଏକମେଳେ । ନନ୍ଦର ନିକଟେ ମିଳିଲେ ॥ ୨
କରଅଞ୍ଜଳି ଦେଇ ଶିରେ । ନମିଲେ ତାହାଙ୍କ ପୟରେ ॥ ୩
ନନ୍ଦର ଚରଣେ ପ୍ରଣମି । ଅଶେଷ ଜନ୍ତୁ ଅନ୍ତର୍ଯ୍ୟାମୀ ॥ ୪
ରାମଗୋବିନ୍ଦ ମାୟାବଳେ । ବସିଲେ ବେନିଭାଇ କୋଳେ ॥ ୫
ବେନିବାଳକ କୋଳେ ଜାକି । ସ୍ନେହେ ବୁଜିଲେ ବେନି ଆଖି ॥ ୬
ଆନନ୍ଦେ ଅଶ୍ରୁଜଳ ବହେ । ନନ୍ଦକୁ ଚାହିଁ ଦେବରାୟେ ॥ ୭
କହନ୍ତି ଶୁଣ ଆହେ ତାତ । ଆମ୍ଭେ ତୁମ୍ଭର ବେନିସୁତ ॥ ୮
ତୁମ୍ଭେ ପାଳିଲ ସ୍ନେହ ବହି । ତାତ ଜନନୀ ପ୍ରାୟ ହୋଇ ॥ ୯
ଅନାଥ ବାଳକଙ୍କୁ ଆଣି । ଧର୍ମେ ପୋଷନ୍ତି ଯେଉଁ ପ୍ରାଣୀ ॥ ୧୦
ସେ ଧର୍ମପିଅର ଜନନୀ । ବୋଲନ୍ତି ବେଦମତେ ମୁନି ॥ ୧୧
ହେ ତାତ ଯାଅ ଗୋପପୁର । ବନ୍ଧୁବାନ୍ଧବ ଘେନି ତୋର ॥ ୧୨
ମୁଁ ଏଥି ରହି ଦିନାକେତେ । ବନ୍ଧୁବାନ୍ଧବ ମୋର ଯେତେ ॥ ୧୩
ତାହାଙ୍କୁ ନିଶ୍ଚିନ୍ତ କରାଇ । ଯେ ଯାହା ବାସ ତାଙ୍କୁ ଦେଇ ॥ ୧୪
ପଛେ ମୁଁ ଯିବି ଗୋପପୁର । ଭୋ ତାତ ବିଳମ୍ବ ନ କର ॥ ୧୫
ଏମନ୍ତ କହି ଭାବଗ୍ରାହୀ । ନନ୍ଦର ହସ୍ତେ ହସ୍ତ ଦେଇ ॥ ୧୬
କଂସର ଯେତେକ ଭଣ୍ତାର । ନନ୍ଦକୁ ଦେଲେ ଦାମୋଦର ॥ ୧୭
ବୋଇଲେ ଗୋପେ ହୁଅ ରାଜା । ଆନନ୍ଦେ ପାଳ ଜନ ପ୍ରଜା ॥ ୧୮
ନନ୍ଦ ଗୋପାଳଙ୍କର ମନ । ମୋହିଲେ ପ୍ରଭୁ ଭଗବାନ ॥ ୧୯
ରାମଗୋବିନ୍ଦେ ଘେନି କୋଳେ । ଚୁମ୍ବନ ଦେଲେ ସୁଖଭୋଳେ ॥ ୨୦
ଯେତେ ବାଳକ କୃଷ୍ଣସଙ୍ଗେ । ଗୋପେ ବଢ଼ିଲେ ନବରଙ୍ଗେ ॥ ୨୧
କୃଷ୍ଣଙ୍କୁ ଜଣେ ଜଣେ ଧରି । ବୋଲନ୍ତି ଆଲିଙ୍ଗନ କରି ॥ ୨୨
ହେ ରାମକୃଷ୍ଣ ତୁମ୍ଭ ସଙ୍ଗେ । ବନେ ବଞ୍ଚିଲୁ ନାନାରଙ୍ଗେ ॥୨୩
ହେ ପ୍ରଭୁ ତୋର ଜନ୍ମକାଳୁ । ଆମ୍ଭେ ଯେ କ୍ଷଣେ ଛାଡ଼ିଲୁାା ୨୪
ଏବେ ଛାଡ଼ିଲ କିସପାଇଁ । ବଞ୍ଚିବୁ କାହା ମୁଖ ଚାହିଁ ॥୨୫
ଶୁଣି ବୋଲନ୍ତି ବେନିଭାଇ । ମୋହନ ନୟନେ ଅନାଇଁ ॥୨୬
ଗୋପାଳେ ଯାଅ ଯେଝା ଘର । ମନ ନିବେଶି ମୋ ପୟର ॥୨୭
ଆମ୍ଭର ମନ ତୁମ୍ଭ ତହିଁ । ନିକଟେ ଯିବୁ ବେନିଭାଇ ॥୨୮
ଏମନ୍ତେ ଜଣେ ଜଣେ ତୋଷି । ଗୋପାଳ ପୁଅକୁ ଆଶ୍ୱାସି ॥୨୯
କୃଷ୍ଣର ଆଜ୍ଞା ନନ୍ଦ ପାଇ । କାନ୍ଦଇ ପୁଣ ପୁଣ ଚାହିଁ ॥୩୦
ପୁଣି ସେ ରାମକୃଷ୍ଣ ଲଇ । କୋଳେ ବସାଇ ଚୁମ୍ବ ଦେଇ ॥୩୧
ମନ ନିବେଶି କୃଷ୍ଣପାଦେ । ବୁଡ଼ିଲା ଶୋକ ଗଦଗଦେ ॥୩୨
ବାଜଇ ବୀରତୂର ବାଦ୍ୟ । ଘେନାଇ ସକଳ ସମ୍ପଦ ॥୩୩
ନନ୍ଦ ଚଳିଲା ଗୋପପୁର । ଶୁଣ ରାଜନ କୁରୁବୀର ॥୩୪
ଏ ଯେତେ ଦେଖି କୃଷ୍ଣଭାବ । ପୁତ୍ରଙ୍କୁ ପାଇ ବସୁଦେବ ॥୩୫
ଦ୍ୱିଜଙ୍କ ସଙ୍ଗେ ପୁରୋହିତ । ଅଣାଇଁ କହଇ ଉଚିତ ॥୩୬
ଏ ଯେ ମୋହର ବେନିବାଳେ । ଗୋପୁଁ ଅଇଲେ ଏତେକାଳେ ॥୩୭
ଏହାଙ୍କ କ୍ରିୟା-କର୍ମ ନାହିଁ । ସଂସ୍କାର କର ବେନିଭାଇ ॥୩୮
ବସୁଦେବର ବୋଲ ଶୁଣି । ବ୍ରାହ୍ମଣେ ରାମକୃଷ୍ଣ ଘେନି ॥୩୯
କଲେ ଯେ ବେଦ-କ୍ରିୟାକର୍ମ । କୁଳଉଚିତ ଯଥାଧର୍ମ ॥୪୦
ଆନନ୍ଦ ହୋଇ ବସୁଦେବ । ବିପ୍ରଙ୍କୁ କରାଇ ଉତ୍ସବ ॥୪୧
ଅୟୁତେ ଧେନୁ ବତ୍ସାମୂଳେ । ମଣ୍ତିଲା ନାନା ଅଳଙ୍କାରେ ॥୪୨
କୃଷ୍ଣର ଜନ୍ମକାଳେ ଯାହା । ମନେ କଳ୍ପିଲା ପୁଣ୍ୟଦେହା ॥୪୩
ବିପ୍ରଙ୍କୁ ଦେଲା ମନତୋଷେ । କଲ୍ୟାଣ କଲେ ସେ ହରଷେ ॥୪୪
ବସାଇ ରାମକୃଷ୍ଣ ଦୁଇ । ଆନନ୍ଦମନେ ବେଦ କହି ॥୪୫
ଗାୟତ୍ରୀମନ୍ତ୍ର ବିଦ୍ୟାଧର୍ମ । କୁଳଉଚିତ ଦଶକର୍ମ ॥୪୬
କରାଇ ଗଲେ ବିପ୍ରଜନେ । କୃତାର୍ଥ ବସୁଦେବ ମନେ ॥୪୭
ଯେ ହରି ସର୍ବବିଦ୍ୟା ହେତୁ । ଦାନ ଆଶ୍ରମ ତପ ତତ୍ତୁ ॥୪୮
ମନୁଷ୍ୟ ଜନ୍ମ ଯଦୁପତି । ତେଣୁ ହୋଇଲେ ବିଦ୍ୟାଅର୍ଥୀ ॥୪୯
ଗୋବିନ୍ଦ ବିଚାରନ୍ତି ରହି । ବିଦ୍ୟା ପଢିବା ଆମ୍ଭେ କାହିଁ ॥୫୦
ଶୁଣି ବୋଲନ୍ତି ହଳଧର । ଅବନ୍ତୀ ରାଜ୍ୟେ ବିପ୍ରବର ॥୫୧
କଶ୍ୟପ ଗୋତ୍ରେ ବିଦ୍ୟମାନ । ତାହାଙ୍କ ସାନ୍ଦୀପନୀ ନାମ ॥୫୨
ଏମନ୍ତ ଭାଳି ବେନିଭ୍ରାତେ । ବିଜୟ କଲେ ଏକରଥେ ॥୫୩
ରାମଗୋବିନ୍ଦ ଯୋଗବଳେ । ଅବନ୍ତୀ ନଗରେ ମିଳିଲେ ॥୫୪
ନିତି ଘେନନ୍ତି ଗୁରୁଦୀକ୍ଷା । ପାଠ ପଠନେ ବଡ଼ ଇଚ୍ଛା ॥୫୫
ପୂଜନ୍ତି ଗୁରୁଙ୍କ ଚରଣ । ଦେବତା ପ୍ରାୟେ ଆଚରଣ ॥୫୬
ସେବନ୍ତି ଗୁରୁଭାବ ଜାଣି । ଧର୍ମପାଳନେ ଚକ୍ରପାଣି ॥୫୭
ଭକ୍ତି ଦେଖି କୃଷ୍ଣରାମ । ଗୁରୁ ହୋଇଲେ ତୋଷମନ ॥୫୮
ପଢାନ୍ତି ବ୍ରହ୍ମ-ବେଦସାର । ସକଳ ଶାସ୍ତ୍ର ନିତ୍ୟାଚାର ॥୫୯
କହିଲେ ଧନୁର୍ବେଦ ରଙ୍ଗେ । ଧର୍ମ ମୀମାଂସା ନ୍ୟାୟ ସଙ୍ଗେ ॥୬୦
ଉପାୟ ଦଣ୍ତ ତର୍କବିଧି । ଯେ ରାଜନୀତି ସର୍ବସିଦ୍ଧି ॥୬୧
ଯେ ହରି ସର୍ବଶାସ୍ତ୍ରମୟେ । କୋଟି ବ୍ରହ୍ମାଣ୍ତ ଯାର ଦେହେ ॥୬୨
ଗୁରୁଙ୍କ ମୁଖୁଁ ଶୁଣି ବେଳେ । ସକଳ ବିଦ୍ୟା ଅବହେଳେ ॥୬୩
ରାମଗୋବିନ୍ଦ ମନତୋଷେ । ଚାରିଦିବସ ବେନିମାସେ ॥୬୪
ପଢି ସାନନ୍ଦ ବେନିଭାଇ । ବୋଲନ୍ତି ଶିରେ କରଦେଇ ॥୬୫
ଭୋ ବିପ୍ର ଆଜ୍ଞା ଯେବେ ହୋଇ । ଗୁରୁଦକ୍ଷିଣା ଆମ୍ଭେ ଦେଇ ॥୬୬
ପୂଜିବୁ ତୁମ୍ଭର ପୟର । ମେଲାଣି ଦିଅ ଯିବୁ ଘର ॥୬୭
ଶୁଣି ସାନନ୍ଦ ବିପ୍ରବର । କହିଲେ ପତ୍ନୀର ଆଗର ॥୬୮
ଶୁଣ ଭାବିନୀ ଚିତ୍ରକଥା । ରାମଗୋବିନ୍ଦଙ୍କ ବ୍ୟବସ୍ଥା ॥୬୯
ସକଳଶାସ୍ତ୍ର ଆମ୍ଭ ପାଶେ । ବସି ପଢିଲେ ବେନିମାସେ ॥୭୦
କେ କହୁ ତାହାଙ୍କ ମହିମା । ସକଳଗୁଣେ ସିଦ୍ଧକର୍ମା ॥୭୧
ନୁହନ୍ତି ମନୁଷ୍ୟ ଶରୀର । କି ଅବା ରବି ସୁନାସୀର ॥୭୨
ଗୁରୁଦକ୍ଷିଣା ସେ ଯାଚନ୍ତି । କହ ତୁ ଫିଟୁ ମନଭ୍ରାନ୍ତି ॥୭୩
ଶୁଣି ସାନନ୍ଦ ବିପ୍ରନାରୀ । କହନ୍ତି ବେନିକର ଯୋଡ଼ି ॥୭୪
ଭୋ ନାଥ ଶୁଣ ମୋର ବାଣୀ । ଆମ୍ଭର ପୁରେ କମଳିନୀ ॥୭୫
ଅନେକ ସମ୍ପତ୍ତି ଆମ୍ଭର । ଜୀବନ ହୋଇଲା ଅସାର ॥୭୬
ସନ୍ତତି ନାହିଁ ଆମ୍ଭ ଘରେ । କି ସୁଖ ସଂସାର ବେଭାରେ ॥୭୭
ଆମ୍ଭର ପୁତ୍ରଗୋଟି ଥିଲା । ପ୍ରଭାସତୀର୍ଥେ ନାଶ ଗଲା ॥୭୮
ସେ ପୁତ୍ର ଯେବେ ଆଣିଦ୍ୟନ୍ତେ । ତେବେ ସେ ଜୀବନ ରଖନ୍ତେ ॥୭୯
ଆନ ସମ୍ପଦେ ନାହିଁ କାର୍ଯ୍ୟ । ଶୁଣି ସାନନ୍ଦମନେ ଦ୍ୱିଜ ॥୮୦
ରାମଗୋବିନ୍ଦ ମୁଖଚାହିଁ । ବୋଲନ୍ତି ଶୁଣ ମନଦେଇ ॥୮୧
ପ୍ରଭାସତୀର୍ଥେ ମୋ କୁମର । ମରିଛି ଦ୍ୱାଦଶବର୍ଷର ॥୮୨
ତାହାକୁ ଯେବେ ଦେବ ଆଣି । ତୋଷିବ ଆମ୍ଭର ଘରଣୀ ॥୮୩
ଯେବେ ପାରିବ ତାହା ଦେଇ । ତେବେ ଦକ୍ଷିଣା ମୋର ପାଇ ॥୮୪
ହୋଇବ କୃତାର୍ଥ ଜୀବନ । ତୁମ୍ଭେ ପାଇବ ଯଶ-ଧର୍ମ ॥୮୫
ଶୁଣି ସାନନ୍ଦମନ ହୋଇ । ରଥେ ବସିଲେ ବେନିଭାଇ ॥୮୬
ଗୋବିନ୍ଦ ଯୋଗମାୟା ବଳେ । ମିଳିଲେ ବାରାନିଧି କୂଳେ ॥ ୮୭
ବଳରାମଙ୍କୁ କୃଷ୍ଣ ଚାହିଁ । ଭୋ ପ୍ରଭୁ ଥାଅ କୂଳେ ରହି ॥୮୮
ରଥୁଁ ଓହ୍ଲାନ୍ତେ ନନ୍ଦବଳା । ତକ୍ଷଣେ ବରୁଣ ମିଳିଲା ॥୮୯
ଜଳୁଁ ବାହାର ବେଗେ ହୋଇ । କରଅଞ୍ଜଳି ଶିରେ ଦେଇ ॥୯୦
ବୋଇଲ ଶୁଣ ନାରାୟଣ । ଅଶେଷ ବ୍ରହ୍ମାଣ୍ତ କାରଣ ॥୯୧
କିମ୍ପାଇ ଅଇଲ ମୋ ପୁର । ଶୁଣି ବୋଲନ୍ତି ଚକ୍ରଧର ॥୯୨
ଆମ୍ଭର ଗୁରୁପୁତ୍ର ନେଇ । ଲୁଚାଇ ଥୋଇଅଛୁ କାହିଁ ॥୯୩
ଆମ୍ଭେ ତୋଷିବୁ ଗୁରୁନାରୀ । ବରୁଣ ଆଣ ବେଗକରି ॥୯୪
ଶୁଣି ବରୁଣ ମହାଭୟେ । ପଡ଼ିଲା କୃଷ୍ଣପଦ୍ମପାଏ ॥୯୫
ଭୋ ନାଥ ଗୁରୁପୁତ୍ର କାହିଁ । ତୁ କି ନ ଜାଣୁ ଭାବଗ୍ରାହୀ ॥୯୬
ମୋର ଭିତରେ ଶଙ୍ଖାସୁର । ତୁ ଯେ ମାଇଲୁ ଚକ୍ରଧର ॥୯୭
ବ୍ରହ୍ମାଙ୍କୁ ଦେଲୁ ବେଦ ନେଇ । ତାହାର ପୁତ୍ରେକ ଅଛଇ ॥୯୮
ନାମ ତାହାର ପଞ୍ଚଜନ । ମାୟାଦୀ ଅସୁରନନ୍ଦନ ॥୯୯
ସେ ଅବା ନେଇଅଛି ହରି । ଶୁଣି ସାନନ୍ଦ ନରହରି ॥୧୦୦
ବଳଦେବଙ୍କୁ ତୀରେ ଥୋଇ । ଜଳେ ପଶିଲେ କୃଷ୍ଣ ଯାଇ ॥୧୦୧
ଅଗାଧଜଳେ ଭାବଗ୍ରାହୀ । ଧଇଲେ ଅସୁରକୁ ଯାଇ ॥୧୦୨
ମୁଷ୍ଟି ପ୍ରହାରିଲେ ପ୍ରଚଣ୍ତ । ଶିର ହୋଇଲା ବେନିଖଣ୍ତ ॥୧୦୩
ତାର ଉଦରେ ଭଗବାନ । ଖୋଜିଲେ ଗୁରୁଙ୍କ ନନ୍ଦନ ॥୧୦୪
ଖୋଜି ନ ପାଇ ପଦ୍ମମୁଖ । ତାର ଉଦରୁ ନାଭିଶଙ୍ଖ ॥୧୦୫
ଘେନି ବାହାର ବ୍ରହ୍ମରାଶି । ରାମର ସଙ୍ଗେ ରଥେ ବସି ॥୧୦୬
କହନ୍ତି କମଳାର ବର । ଭୋ ସ୍ୱାମୀ ଯିବା ଯମପୁର ॥୧୦୭
ଗୁରୁବାଳକ ଏଥେ ନାହିଁ । ଏମନ୍ତ ବୋଲି ରଥବାହି ॥୧୦୮
ଯାନ୍ତେ କରନ୍ତି ଶଙ୍ଖନାଦ । ଖଣ୍ତିଲେ ଜନ୍ତୁଙ୍କ ବିଷାଦ ॥୧୦୯
ଯମର ଗଡ଼ଦ୍ୱାରେ ଯାଇ । ଗୋବିନ୍ଦ ଶଙ୍ଖନାଦ ବାଇ ॥୧୧୦
ଯମଯାତନା ଘୋରପଥେ । ନିବାସିଥିଲେ ପ୍ରାଣୀ ଯେତେ ॥୧୧୧
ଶୁଣି କୃଷ୍ଣର ଶଙ୍ଖନାଦ । ଖଣ୍ତିଲେ ଘୋର-ପାପବନ୍ଧ ॥୧୧୨
ହୋଇଲେ ଚାରିଚାରି ଭୁଜ । ଶଙ୍ଖ କମଳ ଗଦାତେଜ ॥୧୧୩
ଚକ୍ରତେଜ ସହିତେ ଚିହ୍ନ । ତକ୍ଷଣେ ଉଠିଲେ ଗଗନ ॥୧୧୪
ଶଙ୍ଖ ଶବଦ ଘନେ ସ୍ପୁରି । ଯମଭୁବେନେ ପଡେ଼ ହୁରି ॥୧୧୫
ଯମକୁ ଜଣାଇଲେ ଦୂତ । ବିଜୟ କଲେ ଗୋପୀନାଥ ॥୧୧୬
ତୋର ସମ୍ପଦ ଆଜୁଁ ଗଲା । ତା ଶୁଣି ଯମ ଭୟ କଲା ॥୧୧୭
ଚିତ୍ରଗୁପତ କର ଧରି । ବେଗେ ଭେଟିଲା ନରହରି ॥୧୧୮
କୃଷ୍ଣଚରଣ ତଳେ ପଡି । ଯମ ବୋଲଇ କରଯୋଡି ॥୧୧୯
ଭୋ ନାଥ ନିସ୍ତରିଲି ମୁହିଁ । ବିଜୟ କଲ କାହିଁପାଇଁ ॥୧୨୦
ଶୁଣି ବୋଲନ୍ତି ଶିରୀରଙ୍ଗ । ଗୁରୁଙ୍କ ପୁତ୍ର ଆଣ ବେଗ ॥୧୨୧
ତାର ମରଣକାଳ ଜାଣି । ତୋହର ଦୂତେ ଛନ୍ତି ଆଣି ॥୧୨୨
ମୋର ବଚନେ ଆଣ ତୁହିଁ । ଆନ କେ ପାରିବଟି ନେଇ ॥୧୨୩
ଶୁଣି ସାନନ୍ଦ ଜନ୍ତୁନାଥ । କୃଷ୍ଣଙ୍କୁ ଦେଲା ଗୁରୁପୁତ୍ର ॥୧୨୪
ଗୁରୁ-ବାଳକ କର ଧରି । ରଥେ ବସିଲେ ଦଇତ୍ୟାରି ॥୧୨୫
ବସିଲେ ଯାଇ ରାମ ତୁଲେ । ଗୁରୁ-ବାଳକ ଘେନି କୋଳେ ॥୧୨୬
ଅବନ୍ତୀପୁରେ ବନମାଳୀ । ଗୁରୁ-ମନ୍ଦିରେ ବେଗେ ମିଳି ॥୧୨୭
ରଥୁଁ ଓହ୍ଲାଇ ଦାମୋଦର । ଗୁରୁକୁମର ଧରି କର ॥୧୨୮
ଭିତରେ ପଶି ବେନିଭାଇ । ଗୁରୁ-କାମିନୀ କୋଳେ ନେଇ ॥୧୨୯
ସୁତ ବସାଇ ପ୍ରଦକ୍ଷିଣ । ହସି ବୋଲନ୍ତି ନାରାୟଣ ॥୧୩୦
ତୁମ୍ଭର ପୁତ୍ର ମାଏ ନିଅ । ଦକ୍ଷିଣା ଦେବୁ ଆଜ୍ଞା ଦିଅ ॥୧୩୧
ଶୁଣି ଉଠିଲେ ଗୁରୁନାରୀ । ରାମ-ଗୋବିନ୍ଦ କର ଧରି ॥୧୩୨
କଲ୍ୟାଣ କରି ଚୁମ୍ବ ଦେଇ । ତୁମ୍ବରେ ନିଉଛାଳି ହୋଇ ॥୧୩୩
ଆନ ସମ୍ପଦେ କାର୍ଯ୍ୟ ନାହିଁ । କୃତାର୍ଥ କଲ ପୁତ୍ର ଦେଇ ॥୧୩୪
ଏମନ୍ତ କହି ବେନିଜନ । ଚାହାଁନ୍ତି କୃଷ୍ଣର ବଦନ ॥୧୩୫
ଲୋଚନୁ ଅଶ୍ରୁଜଳ ବହେ । କୃଷ୍ଣ ମୋହିଲେ ମାୟାମୋହେ ॥୧୩୬
ତକ୍ଷଣେ ହୋଇ ତୋଷମନ । ଆନନ୍ଦେ କରନ୍ତି କଲ୍ୟାଣ ॥୧୩୭
ଯାଅ ମଥୁରା ବେନିଭାଇ । ଅକ୍ଷୟ ହେଉ ତୁମ୍ଭ ଦେହୀ ॥୧୩୮
ଯେତେ ପଢ଼ିଲ ମୋର ତହୁଁ । ଅକ୍ଷୟ ହୋଇ ହୃଦେ ରହୁ ॥୧୩୯
ମୋର ଆୟୁଷ ଯଶ ଯେତେ । ତୁମ୍ଭଙ୍କୁ ହେଉ ପରାପତେ ॥୧୪୦
ତକ୍ଷଣେ ଗୁରୁ-ଆଜ୍ଞା ପାଇ । ରଥେ ବସିଲେ ବେନିଭାଇ ॥୧୪୧
ମନ ନିବେଶି ଗୁରୁପାଦେ । ମଥୁରା ଗଲେ ଅପ୍ରମାଦେ ॥୧୪୨
ଗୁରୁ-କାମିନୀ ପୁତ୍ର ପାଇ । ଆନନ୍ଦ କେ ପାରିବ କହି ॥୧୪୩
ବେନିସ୍ତନରୁ ଖିର ଝରେ । ସ୍ତନ୍ୟ ପିଆନ୍ତି ସ୍ନେହଭରେ ॥୧୪୪
କେ କହୁ ଗୁରୁଙ୍କ ଆନନ୍ଦ । ଯାହାର ଶିଷ୍ୟ ଆଦିକନ୍ଦ ॥୧୪୫
ଏବେ ହୋ ଶୁଣ ନୃପବର । କୃଷ୍ଣ ମିଳିଲେ ମଧୁପୁର ॥୧୪୬
କୃଷ୍ଣ ଆଗମନେ ଆନନ୍ଦ । ଆସି ମିଳଲେ ଯଦୁବୃନ୍ଦ ॥୧୪୭
ଦେଖି ଆନନ୍ଦ ଭାଇବେନି । ହରଷ ପିଅର-ଜନନୀ ॥୧୪୮
ସେ ଆଦିକନ୍ଦ ପାଦତଳେ । ସୁଜନେ ଚିନ୍ତ ଧ୍ୟାନବଳେ ॥୧୪୯
କହଇ ଜଗନ୍ନାଥ ଦାସ । ହରିଚରିତ ସୁଧାରସ ॥ ୧୫୦
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ଗୁରୁପୁତ୍ରାନୟନଂ ନାମ ଊନପଞ୍ଚାଶତ୍ ଅଧ୍ୟାୟଃ ॥
ପଞ୍ଚାଂଶ ଅଧ୍ୟାୟ
[ସମ୍ପାଦନା]- ଶୁକ ଉବାଚ
ଶୁଣ ପାଣ୍ତବ-ଚୂଡ଼ାମଣି । ମଥୁରାପୁରେ ଚକ୍ରପାଣି ॥ ୧
ସଂହାରି ଗଜ-ମାଲ-କଂସ । ଯଦୁଙ୍କୁ ଦେଇ ଗ୍ରାମଦେଶ ॥୨
ସକଳ ବେଦବିଦ୍ୟା ଜାଣି । ଯମର ଘରୁ ପୁତ୍ର ଆଣି ॥୩
ଗୁରୁଙ୍କୁ କରି ସନମାନ । ମୋହିଲେ ମଥୁରାଭୁବନ ॥୪
ଦୟାସାଗର ନରହରି । ମନେ ସୁମରି ଗୋପନାରୀ ॥୫
ଆନନ୍ଦେ ରଜନୀ ପାହିଲା । ରବିକିରଣ ପ୍ରକାଶିଲା ॥୬
ଉଦ୍ଧବେ ରାଇ ନରହରି । କହନ୍ତି କରେ କର ଧରି ॥୭
ତୁ ଦେବଗୁରୁଙ୍କର ଶିଷ୍ୟ । ଜ୍ଞାନ ତୋ ଅତି ହିଁ ବିଶେଷ ॥୮
ସୁବୁଦ୍ଧିଜନ ମଧ୍ୟେ ସାର । ଯାଦବକୁଳେ ମନ୍ତ୍ରୀବର ॥୯
ତୁ ଅଟୁ ମିତ୍ର ଯେଣୁ ମୋର । କହଇ ଶୁଣ ମୋ ଉତ୍ତର ॥୧୦
ଏକାନ୍ତେ ଭଜୁଥାଉ ତୁହି । ତୋହର ମନ ମୁଁ ଜାଣଇଁ ॥୧୧
ତୁ ମୋର ପ୍ରିୟ ଅଟୁ ଯେବେ । ଗୋପପୁରକୁ ଯାଅ ତେବେ ॥୧୨
ଅକ୍ରୁର ଯେତେବେଳେ ମୋତେ । ରଥେ ବସାଇ ଗୋପପଥେ ॥୧୩
ଆଣିଲାବେଳେ ଗୋପନାରୀ । ମୋହର ରଥ ଥିଲେ ଧରି ॥୧୪
ମୁଁ ତାଙ୍କୁ କହିଲି ବିଶ୍ୱାସେ । ଉତ୍ସବ ଦେଖିବାର ଆଶେ ॥୧୫
ତୁମ୍ଭେ ଗୋ ଥାଅ ସ୍ଥିରମନେ । ଆମ୍ଭେ ଆସିବୁ ଚାରିଦିନେ ॥୧୬
ତେଣୁ ସେ ଆମ୍ଭରେ ଭରଷା । କରିଣଥିବେ ପ୍ରତିଆଶା ॥୧୭
ମୋତେ ନ ଦେଖି ଖେଦମନ । ମରମେ ଦହଇ ମଦନ ॥୧୮
ନିମିଷେ ଶତଯୁଗ ମଣି । ଅଛନ୍ତି ଗୋପର ତରୁଣୀ ॥୧୯
ତୁ ମୋର ଆଜ୍ଞା ଘେନିଯାଅ । ଗୋପ-କାମିନୀ ମଧ୍ୟେ କହ ॥୨୦
ଗୋପୀଙ୍କ ମନ ମୋର ତହିଁ । ମୁଁ ତାଙ୍କ ଜୀବନ ଅଟଇ ॥୨୧
ଦେହବେଭାର ମୋର ଅର୍ଥେ । ଛାଡ଼ି ଭଜିଲେ ମୋର ପଥେ ॥୨୨
ଇଷ୍ଟଦେବତା ତାଙ୍କ ମୁହିଁ । ମୋ ତହୁଁ ଆନଗତି ନାହିଁ ॥୨୩
ଏ ଲୋକଧର୍ମ ଛାଡ଼ି ମୋତେ । ଭଜନ୍ତି ଭକ୍ତିଭାବ ଚିତ୍ତେ ॥୨୪
ତାହାଙ୍କୁ ବହଇ ମୁଁ ହୃଦେ । ସେବନ୍ତି ମୋର ପଦ୍ମପାଦେ ॥୨୫
ପ୍ରିୟଜନଙ୍କ ପ୍ରିୟ ମୁହିଁ । ଦଇବେ ଦୂରେ ଅଛି ରହି ॥୨୬
ସଂସାର ଚେଷ୍ଟା ଛାଡ଼ି ଚିତ୍ତେ । ମୋର ସଙ୍ଗତି ଅବିରତେ ॥୨୭
ନିତ୍ୟେ ସୁମରି ମୋର ଗତି । କ୍ଷଣକ୍ଷଣକେ ମୋହ ଯାନ୍ତି ॥୨୮
ବିରହ-ବିଯୋଗେ କାତର । ମନ ନିବେଶି ମୋ ପୟର ॥୨୯
ଦେହ ଧରନ୍ତି ଅତିକଷ୍ଟେ । ପଞ୍ଚପରାଣ କଣ୍ଠତଟେ ॥୩୦
କୃଷ୍ଣ ଆସିବେ ଗୋପପୁର । ଏଣେ ଭରଷା ତାହାଙ୍କର ॥୩୧
ଏମନ୍ତେ କୃଷ୍ଣର ସନ୍ଦେଶ । ଘେନି ଉଦ୍ଧବ ମନେ ତୋଷ ॥୩୨
ଆନନ୍ଦେ ବସିଲା ବିମାନେ । ଚଳିଲା ବରଜ-ଭୁବନେ ॥୩୩
ଦିବସଶେଷେ ଗୋପେ ମିଳି । ଗଗନେ ଉଡେ଼ ଗୋରୁଧୂଳି ॥୩୪
ରବି ପଶ୍ଚିମେ ଅସ୍ତ ଗଲା । ଉଦ୍ଧବ ଗୋପରେ ମିଳିଲା ॥୩୫
ଗୋପେ ପଶନ୍ତେ ଗୋରୁଙ୍କର । ଧୂଳିରେ ଛନ୍ନ ଦିବାକର ॥୩୬
ଗାଈଙ୍କ ଋତୁ ଦେଖି ତୋଷେ । ଗର୍ଜିଣ ଧାଉଁଛନ୍ତି ବୃକ୍ଷେ ॥୩୭
ଗାଈଏ ସ୍ତନ କ୍ଷୀରଭାରେ । ବତ୍ସାଙ୍କୁ ଡ଼ାକନ୍ତି ହୁଙ୍କାରେ ॥୩୮
ଯେସନେ ସମୁଦ୍ର ଉଲ୍ଲୋଳ । ବତ୍ସାଏ ଧାମନ୍ତି ଗହଳ ॥୩୯
ଗୋରୁେଦୋହନ ରାବ ସଙ୍ଗେ । ମୁରଲୀ ନାଦ ନବରଙ୍ଗେ ॥୪୦
ରାମଗୋବିନ୍ଦଙ୍କ ଚରିତ । ବେଣୁଶବଦେ ପୂରେ ଗୀତ ॥୪୧
ଗୋପୀଗୋପାଳ ରୂପବନ୍ତ । ସୁନ୍ଦର ଘର ଦ୍ୱାର ପଥ ॥୪୨
ଅଗ୍ନି ଅତିଥି ବିପ୍ରଗଣେ । ଗୁରୁଦେବତାଙ୍କ ପୂଜନେ ॥୪୩
ଧୂପ ପ୍ରଦୀପ ପୁଷ୍ପସାର । ସୁନ୍ଦର ଗୋପାଳଙ୍କ ପୁର ॥୪୪
ପୁଷ୍ପିତବନ ଚାରିଦିଗେ । ପକ୍ଷୀ ଭ୍ରମର ନାଦ ରଙ୍ଗେ ॥୪୫
ପଦ୍ମକୁମୁଦେ ଜଳରାଶି । ହଂସ-ସାରସେ ପରଶଂସି ॥୪୬
ଅତି ସୁନ୍ଦର ଗୋପପୁର । କି ଅବା ଦେବା ପଟାନ୍ତର ॥୪୭
ନନ୍ଦର ମନ୍ଦିରେ ଉତ୍ସବ । ଆନନ୍ଦେ ମିଳିଲେ ଉଦ୍ଧବ ॥୪୮
ନନ୍ଦ ଉଠିଲା ବେଗେ ଦେଖି । ତକ୍ଷଣେ ଆସନ ଉପେକ୍ଷି ॥୪୯
ଜାଣିଲା କୃଷ୍ଣର ଏ ଦୂତ । ଆନନ୍ଦେ ନନ୍ଦ କୃତକୃତ୍ୟ ॥୫୦
କୃଷ୍ଣର ପ୍ରାୟ ତାକୁ ମଣି । ପୂଜିଲା ଦେଇ ଅର୍ଘ୍ୟ ପାଣି ॥୫୧
ଦଧି ଶାକର କ୍ଷୀର ଅନ୍ନ । ଭୁଞ୍ଜି ଉଦ୍ଧବ ତୋଷମନ ॥୫୨
ତାମ୍ବୁଳ ମୁଖବାସ ଦେଇ । ପଲ୍ୟଙ୍କେ ବସାଇଲା ନେଇ ॥୫୩
ସୁଖେ ବସାଇ କୃଷ୍ଣଦୂତ । ନନ୍ଦ ହୋଇଲା କୃତକୃତ୍ୟ ॥୫୪
ଉଦ୍ଧବ ପଦେ ଦେଇ କର । ଶୋକେ କହଇ ଗୋପବୀର ॥୫୫
ତୁ ଭାଗ୍ୟବନ୍ତ ଯଦୁବୀର । ମିତ୍ର ବସୁଦେବ ମୋହର ॥୫୬
ତାର କୁଶଳେ ମୋର ଇଷ୍ଟ । ନିଶ୍ଚୟେ ମଲା କଂସ ଦୁଷ୍ଟ ॥୫୭
ସାଧୁଙ୍କୁ ଦିଏ ଯେ କଷଣ । ତାକୁ ସଂହାରେ ନାରାୟଣ ॥୫୮
କଂସର ସଙ୍କଟୁ ତାରିଲା ବନ୍ଧୁବାନ୍ଧବ ଆବୋରିଲା ॥୫୯
ଏ କଥା ଭାଗ୍ୟଟି ଆମ୍ଭର । ଉଦ୍ଧବ ଶୁଣ ମୋ ଉତ୍ତର ॥୬୦
ତୁ ଯେ ଗୋବିନ୍ଦର ବିଶ୍ୱାସ । କ୍ଷଣେ ନ ଛାଡ଼ୁ ତାର ପାଶ ॥୬୧
କୃଷ୍ଣକୁ ମୋର ବଡ଼ ସ୍ନେହ । ତାର କୁଶଳ ମୋତେ କହ ॥୬୨
ଯଶୋଦା ଜନନୀ ତାହାର । ସୁହୃଦେ ଗୋପର କୁମର ॥୬୩
ଗୋରୁ ଗୋପାଳ ଗୋପପୁର । ସେ କୃଷ୍ଣ ଜୀବନ ଆମ୍ଭର ॥୬୪
ଏ ବୃନ୍ଦାବନ ଗୋବର୍ଦ୍ଧନ । ଯମୁନାଜଳ ରମ୍ୟସ୍ଥାନ ॥୬୫
ଉଦ୍ଧବ କହ ତୁ ବହନ । କୃଷ୍ଣ କି କରେ ସୁମରଣ ॥୬୬
ବନ୍ଧୁବାନ୍ଧବ ଦେଖିବାରେ । ସେ କୃଷ୍ଣ ଆସିବ କି ବାରେ ॥୬୭
ନିଶ୍ଚୟ ସତ୍ୟ କି ଉଦ୍ଧବ । ଦୟା କି କରିବେ ମାଧବ ॥୬୮
କେବେ ଦେଖିବୁ ତା ବଦନ । ସୁନ୍ଦର ଚକ୍ଷୁ ନାସା କର୍ଣ୍ଣ ॥୬୯
ରଙ୍ଗଅଧର ସ୍ମିତମୁଖ । ଦେଖିଲେ ଖଣ୍ତେ ଭବଦୁଃଖ ॥୭୦
ଦାବାନଳର ମୁଖୁଁ ତାରି । ଇନ୍ଦ୍ର ବିବାଦେ ଗିରି ଧରି ॥୭୧
ବୃଷଭ ଅଘା ମଣିଚୂଡ଼ । ତୃଣ ଶକଟ ବକାସୁର ॥୭୨
ଅନେକ ମାରି ଘୋର ଦୃଷ୍ଟ । ଆମ୍ଭର ଫେଡ଼ିଲା ସଙ୍କଟ ॥୭୩
ଅପାଙ୍ଗ କଟାକ୍ଷ ଲୋଚନ । ସୁନ୍ଦର ହସିତ ବଦନ ॥୭୪
ମେଘ-ଗଭୀର ମୃଦୁବାଣୀ । ତାହାର ଲୀଳା ମନେ ଗୁଣି ॥୭୫
ଆମ୍ଭର କ୍ରିୟାକର୍ମ ଗଲା । ସୁମରି ଗୋବିନ୍ଦର ଲୀଳା ॥୭୬
ନଦୀ ପର୍ବତ ବନଭୂଇଁ । ଗୋବିନ୍ଦ ପାଦଚିହ୍ନ ଚାହିଁ ॥୭୭
ଯହିଁ ଯେମନ୍ତେ କ୍ରୀଡ଼ା କଲା ଆମ୍ଭର ମନରୁ ନ ଗଲା ॥୭୮
ଚିତ୍ତ ନ ରହେ ହୃଦଗତେ । ଜୀବନ ଧରିବୁ କେମନ୍ତେ ॥୭୯
ଗର୍ଗବଚନ ମନେ ଗୁଣି । ନିଶ୍ଚୟେ ଅଛଇ ମୁଁ ଜାଣି ॥୮୦
ଯଦୁବଂଶର ସୁଖହିତେ । କେଉଁ ଦେବତା ଭୂମିଗତେ ॥୮୧
ଉଭୟ ରୂପେ ଅବତାର । ଜୀବନ ରହିଲା ଆମ୍ଭର ॥୮୨
ଦଶସହସ୍ର ମତ୍ତଗଜ । ବଳ ବହଇ ଭୋଜରାଜ ॥୮୩
ଚାଣୂର ମୁଷ୍ଟିକ ଯେମନ୍ତ । ଗଜ କୁବଳୟା ମାହୁନ୍ତ ॥୮୪
ଏହାଙ୍କୁ ଲୀଳାୟେ ସଂହାରି । ପଶୁଙ୍କୁ ଯେସନେ କେଶରୀ ॥୮୫
କଂସର ଯେଉଁ ଯାତ୍ରା ଧନୁ । ଉଦ୍ଧବ ତୁ ତ ଭଲେ ଜାଣୁ ॥୮୬
ସ୍ୱଭାବେ ଉଚ୍ଚ ତିନିତାଳ । ବଜ୍ରହୁଁ ଆଣ୍ଟ ତାର ବଳ ॥୮୭
ସେ ଧନୁ କଲା ବେନିଖଣ୍ତ । ହସ୍ତୀ ଯେସନେ ଇକ୍ଷୁଦଣ୍ତ ॥୮୮
ବରଷା ଦେଖି ଗୋପପୁର । ହସ୍ତେ ତୋଳିଲା ଗିରିବର ॥୮୯
ସପତଦିନ ବରଷିଲା । କୃଷ୍ଣ କରେ ଗରି ଥିଲା ॥୯୦
ପ୍ରଳମ୍ବା ଧେନୁକା ଦଇତ । ଷଣ୍ଢା ଅସୁର ତୃଣାବର୍ତ୍ତ ॥୯୧
ବକା ମାୟାବୀ ବଳବନ୍ତ । ଦେବଦେନବେ ଦେଖି ଭୀତ ॥୯୨
ଏହାଙ୍କୁ ହେଳାଏ ମାଇଲା । ଲୀଳାମାତ୍ରକେ ମୋର ବଳା ॥୯୩
ଶୁକ ବୋଲନ୍ତି ରାୟେ ଶୁଣ । ନନ୍ଦ ସୁମରି କୃଷ୍ଣଗୁଣ ॥୯୪
ସୁତ-ଲାଳସେ ଦୃଢ ଚିତ୍ତ । କାନ୍ଦଇ ପ୍ରାଣ କଣ୍ଠାଗ୍ରତ ॥୯୫
କଣ୍ଠକୁଣ୍ଠିତ ଶୋକନାଦେ । ପଡ଼ଇ କୃଷ୍ଣଦୂତ ପାଦେ ॥୯୬
ପ୍ରେମ ଆନନ୍ଦ ହୃଦେ ଘେନି । ବିକଳେ ନନ୍ଦ ହେଲା ତୁନି ॥୯୭
ନନ୍ଦ କହଇ କୃଷ୍ଣକଥା । ଶୁଣି ଯଶୋଦା ମନେ ବ୍ୟଥା ॥୯୮
ପୁତ୍ରର ଗୁଣକର୍ମମାନ । ଗୁଣି ହୋଇଲା ହତଜ୍ଞାନ ॥୯୯
କ୍ଷୀର ବରଷି ପୟୋଧରେ । କାନ୍ଦଇ ଶୋକେ ଗୁରୁତରେ ॥୧୦୦
ଏମନ୍ତ ଶୋକ ତାଙ୍କ ଦେଖି । ଉଦ୍ଧବ ମନେ ଉପଲକ୍ଷ୍ୟି ॥୧୦୧
ନନ୍ଦ-ଯଶୋଦାଙ୍କର ଭାଗ୍ୟ । କୃଷ୍ଣ-ବିଷୟେ ଅନୁରାଗ ॥୧୦୨
ଦେଖି ଉଦ୍ଧବ ମନେ ଗୁଣି । ଆନନ୍ଦେ କହେ ମୃଦୁବାଣୀ ॥୧୦୩
ମୋ ବୋଲ ଶୁଣ ନନ୍ଦରାୟେ । ଜ୍ଞାନ ନ ହାର ମାୟାମୋହେ ॥୧୦୪
ଏ ମହୀତଳେ ଯେତେ ଜନ । ତାହାଙ୍କ ମଧ୍ୟେ ତୁମ୍ଭେ ଧନ୍ୟ ॥୧୦୫
ଏଡେ଼ ଭକତି ଯୋଗସାର । ଗୋବିନ୍ଦ ବିଷୟେ ତୁମ୍ଭର ॥୧୦୬
ଏ ବଳରାମ ଶିରୀଧର । ଜଗତ ଜନନୀ ପିଅର ॥୧୦୭
ପ୍ରଧାନ ପୁରୁଷ ଏ ଦୁଇ । ଭଲେ ନିଗମ ନ ଜାଣଇ ॥୧୦୮
ଜୀବର ଜୀବନ ମୁରାରି । ପ୍ରକୃତି ରାମରୂପ ଧରି ॥୧୦୯
ସକଳଭୂତେ ଅନ୍ତର୍ଯ୍ୟାମୀ । ପୁରାଣ ପୁରୁଷ ଏ ବେନି ॥୧୧୦
ଜୀବର ଜ୍ଞାନ ଏ ଈଶ୍ୱର । ବିଷ୍ଣୁର ମାୟା ଅଗୋଚର ॥୧୧୧
ପ୍ରାଣ-ବିଯୋଗ-କାଳେ ଜନ । ତାହାଙ୍କ ପାଦେ ଦେଲେ ମନ ॥୧୧୨
ଅର୍ଜିଲା ଶୁଭାଶୁଭକର୍ମ । ତକ୍ଷଣେ କରଇ ଦହନ ॥୧୧୩
କୋଟିଏ ସୂର୍ଯ୍ୟ ତେଜ ବହି । ପରମବ୍ରହ୍ମେ ନିମଜ୍ଜଇ ॥୧୧୪
ଭାରା ନିବାରଣେ ଅନନ୍ତ । ମନୁଷ୍ୟେ ହୋଇଛନ୍ତି ଜାତ ॥୧୧୫
ଅଖିଳ-ଲୋକଆତ୍ମା-ହରି । ସୃଷ୍ଟି ପାଳନେ ଅଧିକାରୀ ॥୧୧୬
ତୁମ୍ଭର ଭାବ କୃଷ୍ଣ ତହିଁ । ଏମନ୍ତ ଦେଖିଲାତ ନାହିଁ ॥୧୧୭
ମନୁଷ୍ୟ ସାଧ୍ୟକର୍ମ ଯେତେ । ତୁମ୍ଭେ ନ କଲ ଅବା କେତେ ॥୧୧୮
ତୁମ୍ଭର ପ୍ରିୟ ସେ ମାଧବ । ନିକଟେ ଗୋପକୁ ଆସିବ ॥୧୧୯
କଂସ ସଂହାରି ରଙ୍ଗମଧ୍ୟେ । ସକଳ ଜନ ସୁଖ ସାଧେ ॥୧୨୦
ଯେ କଂସ ଜଗତର ଖଳ । ଭୟେ କମ୍ପନ୍ତି ଯଦୁବଳ ॥୧୨୧
ତାହାକୁ ମାରି ନରହରି । ଯାହା ବୋଇଲେ ହସ୍ତଧରି ॥୧୨୨
ସେ କଥା କରିବେ ତୁମ୍ଭର । ସତ୍ୟବଚନ ଏ ମୋହର ॥୧୨୩
ଖେଦ ନ କର ତୁମ୍ଭେ ହୃଦେ । କୃଷ୍ଣ ପାଇବ ଅପ୍ରମାଦେ ॥୧୨୪
ସେ ହରି ସର୍ବଭୂତ ଦେହେ । ନିବାସ ଆଦିତ୍ୟର ପ୍ରାୟେ ॥୧୨୫
ତାହାର ପ୍ରିୟ-ରିପୁ ନାହିଁ । ଉତ୍ତମ ମଧ୍ୟମ ନୋହଇ ॥୧୨୬
ସମ-ଅସମ ନାହିଁ ତାର । ଭାବକୁ ଥାଇ ନିକଟର ॥୧୨୭
ନାହିଁ ତାହାର ତାତ-ମାତ । ଦାରା-ତନୟ-ବନ୍ଧୁ-ମିତ୍ର ॥୧୨୮
ପରଆପଣା ଯାର ନାହିଁ । ତାହାର ଜନ୍ମମମୃତ୍ୟୁ କାହିଁ ॥୧୨୯
ତ୍ରିବିଧକର୍ମ ନାହିଁ ତାର । ଯେତେ ଏ ଲୋକର ବେଭାର ॥୧୩୦
ଦେବ ମନୁଷ୍ୟ ପଶୁଯୋନି । ତାହାର ଯୋଗମାୟା ଘେନି ॥୧୩୧
ଜନ୍ତୁଏ ଆତଯାତ ହୋନ୍ତି । ଜଳଫୋଟକା ଯେହ୍ନେ ଥାନ୍ତି ॥୧୩୨
କେବଳ କ୍ରୀଡ଼ାରଙ୍ଗମତେ । ସାଧୁଙ୍କୁ ରଖିବା ନିମନ୍ତେ ॥୧୩୩
ଜଗତେ ବହଇ ଶରୀର । ଧର୍ମପାଳନେ ଶିରୀଧର ॥୧୩୪
ନିର୍ଗୁଣ ହୋଇ ଗୁଣେ ମିଶେ । ଜଗତ ପାଳିବାର ଆଶେ ॥୧୩୫
ସ୍ୱଭାବେ ଚେଷ୍ଟା ଯାର ନାହିଁ । ତ୍ରିଗୁଣେ ପ୍ରତିମା ନଚାଇ ॥୧୩୬
ସର୍ଜଇ ପାଳଇ ଜଗତ । ଅନନ୍ତ କରୁଥାଇ ଅନ୍ତ ॥୧୩୭
ଭ୍ରମନ୍ତା ପ୍ରାଣୀଙ୍କର ଯେହ୍ନେ । ସଂସାରେ ଭ୍ରମୁଥାଇ ଶୂନ୍ୟେ ॥୧୩୮
ସେ ଯେହ୍ନେ ସତ୍ୟପ୍ରାୟ ମଣି । ଆପଣା ଭ୍ରମକୁ ନ ଜାଣି ॥୧୩୯
ଚିତ୍ତରେ ମାୟାଭ୍ରମ ଲଇଁ । ବୋଲଇ କରୁଅଛି ମୁହିଁ ॥୧୪୦
ଏଟି ଜୀବର ଅହଙ୍କାର । ମାୟାଭିଆଣ ଏ ହରିର ॥୧୪୧
ତୁମ୍ଭେ ଯେ ବୋଲ ଦାମୋଦର । ନିଶ୍ଚୟ ଆମ୍ଭର କୁମର ॥୧୪୨
ସକଳ ଜନ୍ତୁ ଆତ୍ମଭୂତ । ତାତଜନନୀ ସେ ଅନନ୍ତ ॥୧୪୩
ସକଳ ଜୀବଆତ୍ମା ହରି । ମାୟାର ବଳେ ଅଛି ଧରି ॥୧୪୪
ଏଣୁ ସେ ଈଶ୍ୱର ବୋଲାଇ । ଜନ୍ମ ମରଣ ତାର ନାହିଁ ॥୧୪୫
ଯେତେ ହୋ ନନ୍ଦ ଦେଖୁ ତୁହି । ଭୂତଭବିଷ୍ୟ ଯେତେ ହୋଇ ॥୧୪୬
ସ୍ଥାବର ଜଙ୍ଗମ ଜଗତ । ଯେତେକ ଅଳପ ବହୁତ ॥୧୪୭
ହରିହୁଁ ନୁହଇଟି ଆନ । ସକଳ ପ୍ରଭୁ ଭଗବାନ ॥୧୪୮
ଉଦ୍ଧବ କହୁଁ ନନ୍ଦ ଆଗେ । ରଜନୀ ପାହିଲାକ ବେଗେ ॥୧୪୯
ଗୋପୀଏ ନିଦ୍ରାଗତେ ଥିଲେ । ଶୟନ ତେଜିଣି ଉଠିଲେ ॥୧୫୦
ବେଗେ ଜାଳିଲେ ଦୀପପନ୍ତି । ଦଧିମନ୍ଥନ୍ତେ ଦୃଢମତି ॥୧୫୧
ବାସ୍ତୁମାର୍ଜନ ଛେରା ଦେଇ । ସୁବାସଜଳେ ମୁଖ ଧୋଇ ॥୧୫୨
ସ୍ୱଭାବେ ନାନା ଅଳଙ୍କାର । ଭୂଷଣ ମଣିରତ୍ନ ସାର ॥୧୫୩
ପ୍ରଦୀପ ତେଜେ ବିରାଜନ୍ତି । ଗଗନେ ଯେହ୍ନେ ତାରାପନ୍ତି ॥୧୫୪
ଖୁଆ ଦଉଡ଼ି ଧରି କରେ । ଦଧି ମନ୍ଥନ୍ତି ଧୀରେ ଧୀରେ ॥୧୫୫
କରେ କଙ୍କଣ ତାଡ଼ ଶୋହେ । ହୃଦରେ ହାର ଜନମୋହେ ॥୧୫୬
ସ୍ତନ ନିତମ୍ବ ହେମମାଳ । କୁଣ୍ତଳ ଅଳକା କପୋଳ ॥୧୫୭
ଚଳନ୍ତି ମନ୍ଥନର ବେଳା । ରଙ୍ଗକମଳ ପ୍ରାୟେ ଡେ଼ାଳା ॥୧୫୮
ପଦ୍ମଲୋଚନ ନାମ ଧରି । ଉଚ୍ଚେ ଗାବନ୍ତି ବ୍ରଜନାରୀ ॥୧୫୯
ଦଧିମନ୍ଥନର ଶବଦ । ସଙ୍ଗେ ମିଳିଲା ଗୀତନାଦ ॥୧୬୦
ସକଳ ମଙ୍ଗଳ ସେ ହରି । ଶୁଭିଲା ଦଶଦିଗ ପୂରି ॥୧୬୧
ଦଧିମନ୍ଥନେ ଗୀତନାଦ । ଶୁଣନ୍ତେ ଦେବତା ଆନନ୍ଦ ॥୧୬୨
ଦେବେ ବୋଲନ୍ତି ନିସ୍ତରିଲୁ । ନାମ ଭକ୍ତମୁଖୁଁ ଶୁଣିଲୁ ॥୧୬୩
ଏମନ୍ତେ ରଜନୀ ପାହିଲା । ରବିକିରଣ ପ୍ରକାଶିଲା ॥୧୬୪
ମନ୍ଥନ ସାରି ଗୋପୀ ସୁଖେ । କୁମ୍ଭ ଘେନିଣ ନିଜ କାଖେ ॥୧୬୫
ଯମୁନା ଯାଉଁ ଯାଉଁ ଧୀରେ । ଦେଖିଲେ ନନ୍ଦରାଜଦ୍ୱାରେ ॥୧୬୬
ସୁବର୍ଣ୍ଣରଥ ରତ୍ନମୟ । ଯୋଚିଲା ଅଛି ଚାରି ହୟ ॥୧୬୭
ଧ୍ୱଜେ ଶୋଭିତ ମଣିସାର । ତା ଦେଖି କରନ୍ତି ବିଚାର ॥୧୬୮
ଏ ଟି କାହାର ଦେଖ ରଥ । ଆବୋରି ଅଛି ରାଜପଥ ॥୧୬୯
ଇନ୍ଦ୍ରବିମାନ ପ୍ରାୟ ଦିଶେ । ଗୋପୀ ମିଳିଲେ ଯାଇ ପାଶେ ॥୧୭୦
ବୋଲନ୍ତି ଅକ୍ରୁର ଅଇଲା । ଯେ କୃଷ୍ଣେ ମଧୁପୁର ନେଲା ॥୧୭୧
ଥୋକେ ବୋଲନ୍ତି ମଲା କଂସ । ଅକ୍ରୁର ତାହାର ବିଶ୍ୱାସ ॥୧୭୨
ଆମ୍ଭ ଶୋଣିତ ମାଂସ ନେବ । କଂସକୁ କ୍ରିୟାପିଣ୍ତ ଦେବ ॥୧୭୩
ଏମନ୍ତୁ କହୁଁ ଗୋପନାରୀ । ଉଦ୍ଧବ ନିତ୍ୟକର୍ମ ସାରି ॥୧୭୪
ଆସି ମିଳିଲା ଦିବ୍ୟରଥେ । ଗୋପୀ ଦେଖନ୍ତି ରାଜପଥେ ॥୧୭୫
ବୋଲଇ ବିପ୍ର ଜଗନ୍ନାଥ । ଗୋପୀ ବେଢିଲେ ଯାଇ ରଥ ॥୧୭୬
ସେ ଗୋପୀ ଉଦ୍ଧବ ପାଦେ । ସୁଜନେ ନମ ହୋ ଆନନ୍ଦେ ॥୧୭୭
ଭକତି ହୋଇବ ତୁମ୍ଭର । ତରିବ ଭବ ମହାଘୋର ॥୧୭୮
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ନନ୍ଦଶୋକ ଅପନୟନଂ ନାମ
ପଞ୍ଚାଶତ୍ ଅଧ୍ୟାୟଃ ॥
ଏକପଞ୍ଚାଂଶ ଅଧ୍ୟାୟ
[ସମ୍ପାଦନା]- ଶୁକ ଉବାଚ
କହନ୍ତି ଶୁକ ମୁନିବର । ଶୁଣ ପରୀକ୍ଷ ନୃପବର ॥୧
ଉଦ୍ଧବେ ଦେଖି ଗୋପଗୋପୀ । ବଦନ ଚାହାଁନ୍ତି ନିରୋପି ॥୨
ଦଇବେ କୃଷ୍ଣ ଅନୁଚର । ତେଜେ ଗଞ୍ଜଇ ସୁରନର ॥୩
ଆଜାନୁ ଲମ୍ବେ ବେନିଭୁଜ । କମଳପ୍ରାୟେ ଚକ୍ଷୁତେଜ ॥୪
ପୀତବସନ କଟିମୂଳେ । କମଳମାଳ ବକ୍ଷସ୍ଥଳେ ॥୫
କର୍ଣ୍ଣେ କୁଣ୍ତଳ ବେନି ଶୋହେ । ରୂପେ କନ୍ଦର୍ପ ସରି ନୋହେ ॥୬
ଦେଖି ବିସ୍ମିତେ ଗୋପୀଜନେ । ଚକିତେ ବିଚାରନ୍ତି ମନେ ॥୭
ଦେଖ ସୁନ୍ଦରବର ଏହୁ । କେ ବୋଲେ ଅଇଲା ଏ କାହୁଁ ॥୮
କୃଷ୍ଣଭୂଷଣ ଏହା ଦେହେ । କେ ବୋଲେ ଦିଶେ କୃଷ୍ଣପ୍ରାୟେ ॥୯
ଏମନ୍ତ ବୋଲି ଗୋପନାରୀ । ଉଦ୍ଧବରଥକୁ ଆବୋରି ॥୧୦
ଜାଣିଲେ କୃଷ୍ଣର ଏ ଦୂତ । ଆମ୍ଭର ପାଇ ଉପଗତ ॥୧୧
ଗୋପୀଙ୍କ ଦେଖି ସ୍ନେହଭାବ । ରଥରୁ ଓହ୍ଲାଇ ଉଦ୍ଧବ ॥୧୨
ଗୋପୀଙ୍କ ମଧ୍ୟରେ ପ୍ରବେଶ । ସକଳେ ହୋଇଲେ ହରଷ ॥୧୩
ଆନନ୍ଦେ କୃଷ୍ଣଦୂତେ ନେଇ । ପୂଜିଲେ ଆସନେ ବସାଇ ॥୧୪
ଉଦ୍ଧବେ ହରଷ କରାଇ । ଭକ୍ତିଭାବରେ କଥା କହି ॥୧୫
ବୋଲନ୍ତି ଆଜ ଶୁଭଦିନ । ଦେଖିଲୁ କୃଷ୍ଣ ଚିହ୍ନମାନ ॥୧୬
କୃଷ୍ଣ ଯେ ଆମ୍ଭର ଜୀବନ । ତା ବିନୁ ନ ରହଇ ମନ ॥୧୭
ଏମନ୍ତେ କୃଷ୍ଣଦୂତ ସଙ୍ଗେ । ଗୋପକାମିନୀ ଖେଦଯୋଗେ ॥୧୮
କ୍ଷଣକ୍ଷଣକେ ଶୋକମୋହେ । ନୟନୁ ଅଶ୍ରୁଜଳ ବହେ ॥୧୯
ବୋଲନ୍ତି ଶୁଣ କୃଷ୍ଣଦୂତ । ତୁମ୍ଭେ ଯେ ବଡ଼ ଭାଗ୍ୟବନ୍ତ ॥୨୦
ଜାଣିଲୁ ଉଦ୍ଧବ ତୋ ନାମ । ତୋତେ ବିଶ୍ୱାସ ଭଗବାନ ॥୨୧
ତାହାଙ୍କ ଅଙ୍ଗସଙ୍ଗ ତୁହି । ତୋତେ ପେଷିଲେ ଆମ୍ଭପାଇଁ ॥୨୨
ମାତା ପିଅର ପ୍ରିୟଭାବେ । ଉଦ୍ଧବ ଆସିଅଛୁ ଏବେ ॥୨୩
ସେ କୃଷ୍ଣ କିମ୍ପା ସୁମରିବ । ଆମ୍ଭର ଘେନିଗଲା ଜୀବ ॥୨୪
ସ୍ନେହବନ୍ଧନ ବନ୍ଧୁଙ୍କର । ବାନ୍ଧଇ ସୁରମୁନିନର ॥୨୫
କାହାରି ବୋଲେ ଛାଡ଼ି ନୋହେ । ବନ୍ଧୁ ବିଶ୍ୱାସେ ମାୟାମୋହେ ॥୨୬
ଶୁଣ ଉଦ୍ଧବ ଆମ୍ଭ ବାଣୀ । ମରୁଛୁଁ ଗୋପର ତରୁଣୀ ॥୨୭
ଯେ ଅବା ଅର୍ଥଭାବ ଜାଣି । ଭାବେ ଭଜନ୍ତି ଯେଉଁ ପ୍ରାଣୀ ॥୨୮
ଯାବତ ଥାଇ ଅର୍ଥଲାଭ । ତାବତ ଥାଇ ପ୍ରିୟଭାବ ॥୨୯
ପରପୁରୁଷେ ପ୍ରୀତି ବହି । ଯେ ନାରୀ ଜୀବନ ବହଇ ॥୩୦
ତାହାର କାହିଁ ସ୍ନେହ ମତ । ଧନରେ ପ୍ରୀତି ଅବିରତ ॥୩୧
କୁସୁମେ ଯେସନେ ଭ୍ରମର । ମଧୁ ପିଇଣ ଯାଇ ଦୂର ॥୩୨
ଉଦ୍ଧବ ଶୁଣ ବେଦସାର । ସ୍ୱଭାବେ ସଂସାର ବେଭାର ॥୩୩
ସୁନ୍ଦର ପୁରୁଷ ନିର୍ଦ୍ଧନ । ଗଣିକା ଛାଡ଼ଇ ଯେସନ ॥୩୪
ରାଜାକୁ ଆଭାଜନ ଦେଖି । ପ୍ରଜା ଛାଡ଼ିଣ ହୋନ୍ତି ସୁଖୀ ॥୩୫
ବିଦ୍ୟା ପାଇଲେ ଶିଷ୍ୟେ ଗୁରୁ । ଯେସନେ ତେଜନ୍ତି ମନରୁ ॥୩୬
ଦକ୍ଷିଣା ପାଇ ବିପ୍ରଜନେ । ଯେହ୍ନେ ଛାଡନ୍ତି ଯଜମାନେ ॥୩୭
ଫଳ ସରିଲେ ବୃକ୍ଷ ଛାଡ଼ି । ପକ୍ଷୀଏ ଯେହ୍ନେ ଯାନ୍ତି ଉଡ଼ି ॥୩୮
ଅତିଥି ଅନ୍ନ ଭିକ୍ଷା ପାଇ । ଯେସନେ ଗୃହେ ନ ରହଇ ॥୩୯
ପୋଡିଲା ବନୁ ପଶୁ ଯେହ୍ନେ । ଛାଡି ପଳାନ୍ତି ଅନ୍ୟ ବନେ ॥୪୦
ପରପୁରୁଷ ପରନାରୀ । ଯେସନେ ରମିଣ ପାସୋରି ॥୪୧
ତେମନ୍ତେ କଲେ ବନମାଳୀ । ଛାଡି ସକଳ ଗୋପବାଳୀ ॥୪୨
ଏମନ୍ତ କହି ଗୋପନାରୀ । ବେନିଲୋଚନୁଁ ବହେ ବାରି ॥୪୩
ମନ ବଚନ କୃଷ୍ଣଦେହେ । ଛାଡିଲେ ଜୀବନର ମୋହେ ॥୪୪
ବାତୁଳ ପ୍ରାୟ ଉଚ୍ଚସ୍ୱର । ଛାଡିଲେ ଲୋକର ବେଭାର ॥୪୫
କୃଷ୍ଣର ଲୀଳାକର୍ମମାନ । ସୁମରି କରନ୍ତି ରୋଦନ ॥୪୬
ଲାଜ ଛାଡ଼ିଲେ ଗୋପଦାଣ୍ତେ । ବଜ୍ର ପଡିଲା ଯେହ୍ନେ ମୁଣ୍ତେ ॥୪୭
ଆପଣା ହୃଦେ ଭାବ ଲଇଁ । କୃଷ୍ଣର ରୂପ ଗୁଣ ଧ୍ୟାୟି ॥୪୮
ବାଲୁତକାଳୁଁ ଯେତେ କଲା । ସୁମରି ଗୋବିନ୍ଦର ଲୀଳା ॥୪୯
ଅତି ସଙ୍କଟେ ଶୋକଜଳେ । ବୁଡ଼ିଣ କାନ୍ଦନ୍ତି ବିକଳେ ॥୫୦
ଉଦ୍ଧବ ପାଦତଳେ ପଡ଼ି । ଶୋକସାଗରେ ଗୋପୀ ବୁଡ଼ି ॥୫୧
ବାଳୁତ ପ୍ରାୟେ ଗୋପନାରୀ । ଉଚ୍ଚେ ବୋଲନ୍ତି ହରିହରି ॥୫୨
ଏମନ୍ତେ ଶୁଣ ନରପତି । ଗୋପୀଏ ନାମ ବୃନ୍ଦାବତୀ ॥୫୩
ଗହଳେ ଯାଇ ନ ପାରିଲା । ଅଳପ ନିକଟେ ବସିଲା ॥୫୪
ଗୋବିନ୍ଦ ଦେହେ ମନ ଦେଇ । ଚକ୍ଷୁ ବୁଜିଲା ଭାବ ବହି ॥୫୫
ଶ୍ରମେ ଚରଣ ପ୍ରସାରିଲା । ଶୁଣ ରାଜନ କୃଷ୍ଣଲୀଳା ॥୫୬
ଭ୍ରମର ଉଡ଼ୁଥିଲା ଶୂନ୍ୟେ । ବସିଲା ତାହାର ଚରଣେ ॥୫୭
ଅଙ୍ଗୁଳି ଅଗ୍ରେ ଧ୍ୱନି କରି । ଶୁଣି ଚାହିଁଲା ଗୋପନାରୀ ॥୫୮
କୃଷ୍ଣର ଦୂତପ୍ରାୟ ମଣି । ଚରଣ ମାଇଲା ତରୁଣୀ ॥୫୯
ପଡ଼ିଲା ଖଣ୍ତେ ଦୂରେ ଯାଇ । କୋପେ ବୋଲଇ ତାକୁ ଚାହିଁ ॥୬୦
ମଧୁପ ଶୁଣ ମୋ ବଚନ । ତୋର ଠାକୁର ଜନାର୍ଦ୍ଦନ ॥୬୧
କୃଷ୍ଣର ବାନ୍ଧବ ତୁ ଅଟୁ । ମୋର ଚରଣେ କିମ୍ପା ଖଟୁ ॥୬୨
ମଥୁରା-ନଗର-ତରୁଣୀ । ନିଶ୍ଚେ ମୋହିଲେ ଚକ୍ରପାଣି ॥୬୩
ସେ ଯେ ଆମ୍ଭର ସପତଣୀ । ଏକଥା ତ୍ରିଭୁବନେ ଜାଣି ॥୬୪
ତୁ ଷଟପଦ ତା ନ ଜାଣି । ଚରଣେ ଲାଗୁ ପୁଣ ପୁଣ ॥୬୫
ସୁନ୍ଦର ମଧୁପୁର ନାରୀ । ରାତ୍ରେ ରମିଲେ ନରହରି ॥୬୬
ଚନ୍ଦନ କୁଙ୍କୁମର ସଙ୍ଗେ । କୁସୁମମାଳ ତାର ଅଙ୍ଗେ ॥୬୭
କୃଷ୍ଣର ଦେହେ ଲାଗିଥିଲା । ରାତ୍ର ପାହିଲେ ପକାଇଲା ॥୬୮
ତୁହି ଯେ ଥିଲୁ କୃଷ୍ଣ ପାଶେ । ପୁଷ୍ପେ ବସିଲୁ ଗନ୍ଧ ଆଶେ ॥୬୯
ମଧୁ ଚୁମ୍ବନ କଲୁ ଶୁଖେ । କୁଙ୍କୁମ ଲାଗି ଅଛି ମୁଖେ ॥୭୦
ଏଣୁ ତୋ ମୁଖେ ଲାଜ ନାହିଁ । ଚରଣେ ପଡୁ କାହିଁପାଇଁ ॥୭୧
କୃଷ୍ଣରେ ନାହିଁ ମୋର କାର୍ଯ୍ୟ । ତାହାରେ ହୋଇଲୁ ନିର୍ଲ୍ଲଜ ॥୭୨
ହରିସନ୍ଦେଶ ଯେବେ ଘେନି । ଅଇଲୁ ହୋଇ ପଥଶ୍ରମୀ ॥୭୩
ତାର ପ୍ରସାଦେ କାର୍ଯ୍ୟ ନାହିଁ । କହ ତୁ କୃଷ୍ଣ ଆଗେ ଯାଇ ॥୭୪
ମଥୁରାନାରୀଙ୍କର ମନ । ରଞ୍ଜାଇ କରୁ ସେ ପ୍ରସନ୍ନ ॥୭୫
ଯଦୁସଭାରେ ତା ପ୍ରସନ୍ନ । ଶୁଣି ହସନ୍ତୁ ସର୍ବଜନ ॥୭୬
ତାହାର ଦୂତ ଅଟୁ ତୁହି । ତୋହର ମୁଖେ ଲାଜ ନାହିଁ ॥୭୭
ମୋର ବଚନ ତୁ ଭ୍ରମର । ଶୁଣିଲେ ହୋଇବୁ ବିକଳ ॥୭୮
ଯମୁନା କଦମ୍ବର ମୂଳେ । ରାତ୍ରେ ବସିଲା କାମଭୋଳେ ॥୭୯
ଗଭୀର ବେଣୁନାଦ କଲା । ଆମ୍ଭର ଜୀବନ ହରିଲା ॥୮୦
ସଂସାର ହୁଡି ତା ନିକଟେ । ମିଳିଲୁ ଯମୁନାର ତଟେ ॥୮୧
ଅନେକ କରାଇ କଷଣ । ପ୍ରସନ୍ନେ କଲା ଆଲିଙ୍ଗନ ॥୮୨
ଯେ ରସେ ଜଗତ ମୋହିଲା । ଆମ୍ଭର ମୁଖେ ଚୁମ୍ବ ଦେଲା ॥୮୩
ଅଧରୁ ସୁରପାନ ଦେଇ । ମଥୁରା ଗଲା ସେ ପଳାଇ ॥୮୪
ତୁ ଯେହ୍ନେ ପୁଷ୍ପେ ମଧୁ ଖାଉ । ନିବଡେ଼ ଆଲିଙ୍ଗନ ଦେଉ ॥୮୫
ପଳାଇ ନ ସମ୍ଭାଳୁ ତାହା । ତେମନ୍ତ କୃଷ୍ଣର ସେନେହା ॥୮୬
ତାହାର ପାଦେ ଅନୁବ୍ରତେ । କମଳା ଖଟଇ କେମନ୍ତେ ॥୮୭
ମାୟାମୋହନ କଥା କହି । ଲକ୍ଷ୍ମୀର ମନ ସେ ବାନ୍ଧଇ ॥୮୮
ଦୃଷ୍ଟି ହରଷ କାମଭୋଳେ । ତେଣୁ କମଳା ତାର କୋଳେ ॥୮୯
କିମ୍ପାଇଁ ରସୁ ମୋର ପାଶେ । ଗୋବିନ୍ଦ ଗାଉ ତୁ ହରଷେ ॥୯୦
ଆମ୍ଭର ନାହିଁ ଘରଦ୍ୱାର । କି ତୋରେ ଦେବା ଉପହାର ॥୯୧
ମଥୁରାନାରୀଙ୍କର ଆଗେ । ତାର ପ୍ରସଙ୍ଗ ଗାଅ ରଙ୍ଗେ ॥୯୨
ତାହାଙ୍କ ସଙ୍ଗେ ନାହିଁ ଭ୍ରାନ୍ତି । କୃଷ୍ଣର ଇଷ୍ଟ ସେ ଅଟନ୍ତି ॥ ୯୩
ସେ ତୋତେ ଇଷ୍ଟଫଳ ଦେବେ । ବେଗେ ମଥୁରା ଯାଅ ଏବେ ॥୯୪
ତିନିଭୁବନେ ଯେତେ ଛନ୍ତି । ସୁଗୁଣ ସୁନ୍ଦର ଯୁବତୀ ॥୯୫
ଦୁଲ୍ଲଭ ନୁହନ୍ତି ତାହାର । କୋଟିଏ କାମରୂପ ଯାର ॥୯୬
ପ୍ରସନ୍ନ ସୁନ୍ଦର ବଦନ । ହାସ୍ୟ କଟାକ୍ଷେ ମୋହେ ମନ ॥୯୭
ସେ କୃଷ୍ଣ ପଦରଜ ଆଶେ । କମଳା ଖଟିଥାଇ ପାଶେ ॥୯୮
ଆମ୍ଭେ କି ଜାଣୁ ତାର ଅନ୍ତ । ଯାହାର ମହିମା ଅନନ୍ତ ॥୯୯
ତଥାପି ଶୁଣ ହେ ଭ୍ରମର । କୃଷ୍ଣ ଯେ କରୁଣାସାଗର ॥୧୦୦
ଦରିଦ୍ରଲୋକେ ଯାର ଦୟା । ତାହାକୁ ବୋଲି ପୁଣ୍ୟଦେହା ॥୧୦୧
ତୁ ମୋର ଛାଡରେ ଚରଣ । ଜାଣିଲି ତୋର ଦୂତପଣ ॥୧୦୨
ମୁକୁନ୍ଦ ବୋଲେ ଚାଟୁବାଣୀ । ମୋ ଆଗେ କହୁ ପୁଣପୁଣି ॥୧୦୩
ବୋଧିବା ପ୍ରାୟ ତୋ ଭରସା । ଏଣେ ନ ପୂରେ ମୋର ଆଶା ॥୧୦୪
ଯା ତୁ ନ କହ ପୁଣ ପୁଣ । ଶୁଣ କହିବା ତାର ଗୁଣ ॥୧୦୫
ପତି ତନୟ ଇଷ୍ଟ ଭାଇ । ଆମ୍ଭେ ତେଜିଲୁ ତାର ପାଇଁ ॥୧୦୬
ତାହାର କଲାକର୍ମମାନ । ମନେ ପଡ଼ିଲେ ବୁଡେ଼ ଜ୍ଞାନ ॥୧୦୭
ଯେବେଳେ ରାମ ଅବତାର । ବଡ଼ ନିର୍ଦ୍ଦୟ ତା ଶରୀର ॥୧୦୮
ଏମନ୍ତେ ରାମେ ଦେଖି ଏକା । ଆସି ମିଳିଲା ସୂର୍ପଣଖା ॥୧୦୯
ଦେଖି ଶ୍ରୀରାମ ରୂପ ଗୁଣ । ଏକାନ୍ତେ ମାଗିଲା ରମଣ ॥୧୧୦
ନାସା ଶ୍ରବଣ ଛେଦି ତାର । ବିରୂପ କଲା ରଘୁବୀର ॥୧୧୧
ସୁଗ୍ରୀବ ଜ୍ୟେଷ୍ଠଭ୍ରାତା ବଳି । ବାନର ହୋଇ ମହାବଳୀ ॥୧୧୨
ତାକୁ ବଧିଲା ତୀକ୍ଷ୍ମବାଣେ । ଶବର ଯେସନ ହରିଣେ ॥୧୧୩
ସୀତା ହରାଇ ବେନିଭାଇ । ବୁଲନ୍ତି ବନେବନେ ଯାଇ ॥୧୧୪
କାକ ଯେସନେ ପିଣ୍ତ ପାଇ । ଖାଇ ଚରଣେ ତା ପକାଇ ॥୧୧୫
ବଳିକି କଲା ସେହିମତ । ଏଡେ଼ ନିର୍ଦ୍ଦୟ ଗୋପୀନାଥ ॥୧୧୬
ଏମନ୍ତ ରୂପେ ଗୁଣ ତାର । ତୁ ଆନ ନ କହ ଭ୍ରମର ॥୧୧୭
ତାର ଚରିତ କର୍ଣ୍ଣେ ଶୁଣି । ସଂସାର ମଧ୍ୟେ ଯେତେ ପ୍ରାଣୀ ॥୧୧୮
ସଂସାର-କର୍ମ ଛାଡ଼ିକରି । ବୁଲନ୍ତି ବନେ ବନଚାରୀ ॥୧୧୯
ପକ୍ଷୀଙ୍କ ପ୍ରାୟେ ଭିକ୍ଷା ମାଗି । କେହୁ ସନ୍ୟାସୀ କେହୁ ଯୋଗୀ ॥୧୨୦
ହରିଙ୍କି କଲୁ ବଡ଼ ସ୍ନେହ । ସେ ପୁଣି ଏଡ଼ିକି ନିର୍ଦ୍ଦୟ ॥୧୨୧
ବ୍ୟାଧ ଯେସନେ ମୃଗ ମାରି । ଶବଦ ଘଣ୍ଟି ଚାଳେ ଧରି ॥୧୨୨
ସୁସ୍ୱରନାଦେ ଗାଇ ଗୀତ । ହରଇ ମୃଗ ପଶୁ ଚିତ୍ତ ॥୧୨୩
ତାହାର ନାଦ ଶୁଣି କର୍ଣ୍ଣେ । ଲୋଭେ ମିଳନ୍ତି ପଶୁଗଣେ ॥୧୨୪
ତାହାର ବାଣେ କ୍ଷତ ହୋଇ । ବିକଳେ ବନେ ସେ ପଳାଇ ॥୧୨୫
ରୁଧିରଧାରା କଳେବର । ଜୀବନ ଛାଡ଼ଇ ତାହାର ॥୧୨୬
ତେମନ୍ତ କଲା ନନ୍ଦବଳା । ଆମ୍ଭର କୁଚେ ନଖ ଦେଲା ॥୧୨୭
ବ୍ୟାପାର କରନ୍ତେ ତା ଦେଖି । ବିକଳେ ବୁଜୁଁ ବେନିଆଖି ॥୧୨୮
ଜୀବନ ତାର ଦେହେ ଥାଇ । କରଚରଣ ନ ଚଳଇ ॥୧୨୯
ଅନଙ୍ଗରୂପ ଦାମୋଦର । ତୁହିଁ ଯେ ଉପମନ୍ତ୍ରୀ ତାର ॥୧୩୦
କହିଲେ କହ ଆନ କଥା । କୃଷ୍ଣ ସନ୍ଦେଶେ ମନବ୍ୟଥା ॥୧୩୧
ଏମନ୍ତେ ଭ୍ରମରକୁ ଚାହିଁ । ପୁଣି ବୋଲଇ ଗୋପଗୋଈ ॥୧୩୨
ଗୋବିନ୍ଦ ସଖା ଅଟୁ ତୁହି । ପୁଣି ଅଇଲୁ କାହିଁପାଇଁ ॥୧୩୩
ପ୍ରିୟ ପେଷିଲେ ମୋର ପାଇଁ । ମାଗ ତୁ କି ଦେବା ବଧାଇ ॥୧୩୪
ସାଧୁଜୀବନ ତୋର ଧନ୍ୟ । ମୋହର ଅଟୁ ବଡ଼ ମାନ୍ୟ ॥୧୩୫
ଏ ଗୋପପୁରେ ଅଛି ମୁହିଁ । କେମନ୍ତେ ଘେନିଯିବୁ ତୁହି ॥୧୩୬
ଏ କଥା କହ ନିଶ୍ଚେଁ ତୁହି । ଯେମନ୍ତେ ପ୍ରତେ ଯିବି ମୁହିଁ ॥୧୩୭
ଛାଡ଼ି ନ ପାରି ଯାର ସଙ୍ଗ । ଲକ୍ଷ୍ମୀ ବସଇ ବାମଅଙ୍ଗ ॥୧୩୮
ଶୁଣ ଭ୍ରମର ମୋ ଉତ୍ତର । କୃଷ୍ଣ ଯେ ଗଲେ ମଧୁପୁର ॥୧୩୯
ଅଛିଟି ଶ୍ରୀକୃଷ୍ଣ କୁଶଳେ । ଭାଇ ବଳରାମଙ୍କ ମେଳେ ॥୧୪୦
ପିତା ଜନନୀ ଗୋପକୁଳେ । କୃଷ୍ଣ କି ସମରଇ ବେଳେ ॥୧୪୧
ଆମ୍ଭର କଥା କୃଷ୍ଣ ମୁଖେ । ଭ୍ରମର ଶୁଣୁଟିକି ସୁଖେ ॥୧୪୨
କୃଷ୍ଣର ଭୁଜଦଣ୍ତ ଦୁଇ । ଅଗୁରୁ ପ୍ରାୟେକ ବାସଇ ॥୧୪୩
ଶିରେ ଚାପିବୁ କହ କେବେ । ଆମ୍ଭର ପ୍ରିୟ ଅଟୁ ଯେବେ ॥୧୪୪
ତେବେ ଛାଡିବୁ ଅଭିମାନ । କହିଣ ହୋଇଲା ମଉନ ॥୧୪୫
କହନ୍ତି ବ୍ୟାସଙ୍କ ନନ୍ଦନ । ରାଜନ ଶୁଣ ସାବଧାନ ॥୧୪୬
କୃଷ୍ଣର ତହିଁ ଦୃଢଭାବ । ଗୋପୀଙ୍କୁ ଦେଖିଣ ଉଦ୍ଧବ ॥୧୪୭
ଗୋବିନ୍ଦ ଆଜ୍ଞା ଗୋପୀମଧ୍ୟେ । ଉଦ୍ଧବ କହଇ ଆନନ୍ଦେ ॥୧୪୮
- ଉଦ୍ଧବ ଉବାଚ
ଶୁଣିବା ସର୍ବ ଗୋପୀଜନ । ତୁମ୍ଭ ଜୀବନ ବଡ଼ ଧନ୍ୟ ॥୧୪୯
ସକଳ ଲୋକେ ତୁମ୍ଭ ପୂଜା । କି ପଟାନ୍ତର ଦେବା ଦୁଜା ॥୧୫୦
ଗୋବିନ୍ଦ ପାଦେ ଯାର ମନ । ନିଶ୍ଚଳେ ହୋଏ ନିମଗନ ॥୧୫୧
ବ୍ରତ ସାଧନ ଦାନ ତପ । ବେଦପଠନ ହୋମ ଜପ ॥୧୫୨
ପ୍ରାଣସଂଯମ ଯୋଗମତେ । ଜୀବର ଶ୍ରେୟକର୍ମ ଯେତେ ॥୧୫୩
ବିଷ୍ଣୁର ଭକତି ସାଧନ । ଏଣେ ନିର୍ମଳ ତୁମ୍ଭମନ ॥୧୫୪
ଗୋବିନ୍ଦ ଭାବେ ତୁମ୍ଭ ଚିତ୍ତ । ନିବିଡେ଼ ନିତ୍ୟେ ଉପଗତ ॥୧୫୫
କୃଷ୍ଣରେ ଭକତି ତୁମ୍ଭର । ମୁନିମନୁଷ୍ୟେ ଅଗୋଚର ॥୧୫୬
ମନୁଷ୍ୟ ଜନ୍ମେ ତୁମ୍ଭ ଭାବ । ବ୍ରହ୍ମାଣ୍ତମଧ୍ୟେ କେ ପାଇବ ॥୧୫୭
ତନୟ ପତି ଦେହଭାବ । ସ୍ୱଜନ ଭବନ ବାନ୍ଧବ ॥୧୫୮
ଛାଡି ଭଜିଲ କୃଷ୍ଣପାଦେ । ଦୁଃଖୁ ତରିଲ ଅପ୍ରମାଦେ ॥୧୫୯
ଏକାନ୍ତଭାବ କୃଷ୍ଣତହିଁ । ଦେବେ ପାଇବେ ଅବା କାହିଁ ॥୧୬୦
ତୁମ୍ଭର ହରିଭାବ ଦେଖି । ନିର୍ମଳ କଲି ଚର୍ମଆଖି ॥୧୬୧
ଶୁଣ ଗୋବିନ୍ଦ ଆଜ୍ଞା ଧୀରେ । କହିବି ତୁମ୍ଭର ଛାମୁରେ ॥୧୬୨
ତୁମ୍ଭ ଭକତିଭାବ ଚିତ୍ତେ । ଗୋବିନ୍ଧ କହିଛନ୍ତି ଯେତେ ॥୧୬୩
ଉଦ୍ଧବ କୃଷ୍ଣର ବଚନ । କହେ କରାଇ ସାବଧାନ ॥୧୬୪
ଶୁଣ ଗୋ ତୁମ୍ଭେ ଗୋପୀଜନେ । ତୁମ୍ଭେ ଯେ ଦୁଃଖ କର ମନେ ॥୧୬୫
ତୁମ୍ଭ ବିୟୋଗ ମୋର ନାହିଁ । ପ୍ରାଣୀଙ୍କ ପ୍ରାଣ ମୁଁ ଅଟଇ ॥୧୬୬
ପ୍ରାଣୀଙ୍କ ଦେହେ ପଞ୍ଚଭୂତ । ଯେହ୍ନେ ଜଡ଼ିତ ଅବିରତ ॥୧୬୭
ମନର ସଙ୍ଗେ ପ୍ରାଣ ବୁଦ୍ଧି । ଦଶଇନ୍ଦ୍ରିୟ ଗୁଣେ ଛନ୍ଦି ॥୧୬୮
ମୋହର ଆତ୍ମାଭାବ ଦେଇ । ସର୍ଜି ପାଳଇ ସଂହାରଇ ॥୧୬୯
ମୋହର ମାୟା ଅନୁଭବ । ଭୂତ ଇନ୍ଦ୍ରିୟ ଗଣ ସର୍ବ ॥୧୭୦
ଏ ଜୀବ ଆତ୍ମା ଗୁଣ ହୀନ । ବିବେକ ଶୁଦ୍ଧ ଚଇତନ ॥୧୭୧
ସୁଷୁପ୍ତି ସ୍ୱପ୍ନ ଉଜାଗର । ମନର ବୃତ୍ତି ଏ ବେଭାର ॥୧୭୨
ଇନ୍ଦ୍ରିୟଅର୍ଥେ ଯେଣେ ଧ୍ୟାୟି । ସ୍ୱପନ ସତ୍ୟପ୍ରାୟ ହୋଇ ॥୧୭୩
ନିଦ୍ରା ବିଯୋଗେ ପୁରୁଷଙ୍କୁ । ସେ ମାୟା ନ ଲାଗେ ତାହାଙ୍କୁ ॥୧୭୪
ଏ ଭାବେ ଜ୍ଞାନ ଯାର ହୋଇ । ସଂସାର ତାକୁ ନ ଲାଗଇ ॥୧୭୫
ବେଦବେଦାନ୍ତର ଏ ଅର୍ଥ । ମୁନିଙ୍କ ସାଂଖ୍ୟଯୋଗ ମତ ॥୧୭୬
ସନ୍ୟାସ ତପ ଧର୍ମ ସତ୍ୟ । ପଠନ ସାଧନ ସମେତ ॥୧୭୭
ମନ ନିରୋେଧେ ସର୍ବସିଦ୍ଧି । ଜଳଧି ମଧ୍ୟେ ଯେହ୍ନେ ନଦୀ ॥୧୭୮
ତୁମ୍ଭଙ୍କୁ ମୋର ମାୟା ନାହିଁ । ତେଣୁ ରହିଲି ଦୂର ହୋଇ ॥୧୭୯
ଚନ୍ଦ୍ରକୁମୁଦ କେତେ ଦୂର । ପୀରତି ଅଜର ଅମର ॥୧୮୦
ତୁମ୍ଭ ନୟନ ମନ ସଙ୍ଗ । ବଢିବ ମୋର ଅନୁରାଗ ॥୧୮୧
ଯାହାର ସ୍ୱାମୀ ଥାଇ ଦୂରେ । ପ୍ରିୟାର ମନ ତା ସଙ୍ଗରେ ॥୧୮୨
ମନରୁ କ୍ଷଣେ ନ ଛାଡ଼ନ୍ତି । ଭାବ ହୃଦୟଗତେ ଚିନ୍ତି ॥୧୮୩
ଚକ୍ଷୁ ଗୋଚରେ ସ୍ୱାମୀ ଥିଲେ । ମନ ତା ନ ରହେ ନିଶ୍ଚଳେ ॥୧୮୪
ମୋହର ତହିଁ ଦେଇ ମନ । ଛାଡ଼ି ସକଳ ମାୟାଭ୍ରମ ॥୧୮୫
ନିରତେ ନାମ ସୁମରଣେ । ମୋ ଦେହ ପାଇବ ମରଣେ ॥୧୮୬
ଏ ବୃନ୍ଦାବନ ତୁମ୍ଭ ସଙ୍ଗେ । ଯେ ଗୋପୀ ରାସକ୍ରୀଡ଼ା ରଙ୍ଗେ ॥୧୮୭
ଯାଇ ନ ପାରି ସ୍ୱାମୀବଳେ । ପ୍ରାଣ ଛାଡ଼ିଲା ଧ୍ୟାନଭୋଳେ ॥୧୮୮
ଆକାଶେ ଥିଲେ ଦେବେ ଚାହିଁ । ପଶିଲା ମୋର ଦେହେ ଯାଇ ॥୧୮୯
କହନ୍ତି ଶୁକ ମହାମୁନି । ଗୋପୀଏ କୃଷ୍ଣକଥା ଘେନି ॥୧୯୦
ଉଦ୍ଧବ ମୁଖକୁ ଅନାଇଁ । କହନ୍ତି କୃଷ୍ଣଭାବ ଲଇଁ ॥୧୯୧
- ଗୋପୀଗଣ ଉବାଚ
ଆମ୍ଭର ଭାଗ୍ୟ ହେ ଉଦ୍ଧବ । କଂସ ସଂହାରିଲେ ମାଧବ ॥୧୯୨
ଆବର ଦୁଷ୍ଟଦୈତ୍ୟ ମଲେ । ଯଦୁଙ୍କୁ କଷ୍ଟ ଦେଉଥିଲେ ॥୧୯୩
ସକଳ ଅର୍ଥ ସିଦ୍ଧ କରି । ସୁଖେ ଅଛନ୍ତି ରାମହରି ॥୧୯୪
ଯାଦବ ଭୋଜବଂଶ ଆଦି । କଂସର ଯେତେ ଥିଲେ ବାଦୀ ॥୧୯୫
କଂସକୁ ମାରି କଲେ ସୁଖୀ । ଦୁଷ୍ଟେ ଭାଜିଲେ ତାହା ଦେଖି ॥୧୯୬
ସଭିଁଙ୍କୁ କରାଇ ହରଷ । ତହିଁ ରହିଲେ ପୀତବାସ ॥୧୯୭
ମଥୁରାନାରୀଙ୍କର ମଧ୍ୟେ । କୃଷ୍ଣ କି ଅଛନ୍ତି ଆନନ୍ଦେ ॥୧୯୮
ଆମ୍ଭର କଥା ତାଙ୍କ ଆଗେ । ଗୋବିନ୍ଦ କହେ କି ପ୍ରସଙ୍ଗେ ॥୧୯୯
ତାହାଙ୍କ ସ୍ନେହଭାବ ଘେନି । ଛାଡ଼ିଲେ ଗୋପର କାମିନୀ ॥୨୦୦
ଏ ବୃନ୍ଦାବନେ ରାତ୍ରିକାଳେ । କୁନ୍ଦ କୁସୁମ ପରିମଳେ ॥୨୦୧
ନୁପୁର କଙ୍କଣ ଶବଦେ । ନାଚୁ ଯେ ଥିଲେ ଗୋପୀମଧ୍ୟେ ॥୨୦୨
ଆମ୍ଭର ସଙ୍ଗେ ରମୁଥାଇ । କୃଷ୍ଣ କି ତାହା ସୁମରଇ ॥୨୦୩
ରାସକ୍ରୀଡ଼ାରେ ଯେତେ କଲା । କ୍ଷଣ କ୍ଷଣକେ ନାନା ଲୀଳା ॥୨୦୪
ଦେଖି ଚକିତ ଦେବଗଣ । ଦ୍ରବିଲା ସବୁଙ୍କରି ମନ ॥୨୦୫
ଆମ୍ଭେ ରମିଲୁ ତାର ଭାବେ । ତାହା କି ସୁମରଇ ଏବେ ॥୨୦୬
ହୃଦୟ କଥା ଯେତେ କହୁଁ । ତାହାର ଭାବେ ହୃଦେ ବହୁ ॥୨୦୭
ଉଦ୍ଧବ କହ ତୁମ୍ଭେ ସତ । ଗୋପେ କି ଆସିବେ ଅନନ୍ତ ॥୨୦୮
ତାର ନ ପାଇ ଅଙ୍ଗସଙ୍ଗ । ଦହଇ ପ୍ରତିକ୍ଷଣେ ଅଙ୍ଗ ॥୨୦୯
ଆଶ୍ୱାସ କରି ନିଜ କରେ । ଜୀବନ ଦେବେ କି ଆମ୍ଭରେ ॥୨୧୦
ବରଷା ଜଳ ପାଇ ଯେହ୍ନେ । ଜୀବନ ପାନ୍ତି ତରୁ ବନେ ॥୨୧୧
ତାହାର ଆଶ୍ରେ ଭୃତ୍ୟ ହୋଇ । ଜୀବନ ରଖୁ ମୁଖ ଚାହିଁ ॥୨୧୨
ସେ ହରି ଆମ୍ଭଙ୍କୁ ତେଜିଲା । ମଥୁରାପୁରେ ବିଜେ କଲା ॥୨୧୩
କଂସକୁ ମାରି ରାଜ୍ୟ ପାଇ । ରାଜା ହୋଇଲେ କୃଷ୍ଣ ତହିଁ ॥୨୧୪
ରାଜକନ୍ୟାଙ୍କୁ ହେବେ ବିଭା । ଯାଦବ ମଧ୍ୟେ ଯାର ଶୋଭା ॥୨୧୫
କ୍ଷତ୍ରିୟ ବୃତ୍ତି ଆଚରିଲେ । ସେ କିମ୍ପା ଗୋପପୁଅ ତୁଲେ ॥୨୧୬
ଗୋରୁଙ୍କ ସଙ୍ଗେ ନେବେ ଦିନ । କିମ୍ପା ଭ୍ରମିବେ ବନେ ବନ ॥୨୧୭
ସେ କାହିଁ ଗୋପକୁ ଆସିବ । ଏମନ୍ତ ନ ଦେଖୁ ଉଦ୍ଧବ ॥୨୧୮
ସ୍ୱଭାବେ ଆମ୍ଭେ ବନଚାରୀ । ଲକ୍ଷ୍ମୀ ଯାହାର ପରିବାରୀ ॥୨୧୯
ସେ ପୁରନାରୀଙ୍କ ଆୟତ୍ତ । ତାର ବଚନ କାହିଁ ସତ୍ୟ ॥୨୨୦
ପିଙ୍ଗଳା ନାମେ ଥିଲା ବେଶ୍ୟା । ତାହାର ନ ପୂରିଲା ଆଶା ॥୨୨୧
ନିରାଶ ହୋଇଲା ସେ ଯେହ୍ନେ । ଗୋପକାମିନୀ ଆମ୍ଭେ ତେହ୍ନେ ॥୨୨୨
ଗୋବିନ୍ଦ ଲୀଳାରସ ପାଇ । ଆମ୍ଭେ ଗୋପୀଏ ତୋଷ ନୋହି ॥୨୨୩
ନଦୀ ପର୍ବତ ବନ ଦେଶେ । ଗମଇଁ ବେଣୁନାଦ ଘୋଷେ ॥୨୨୪
ଆମ୍ଭର ତୁଲେ ଯାହା କଲା । ଅନେକ ବୃନ୍ଦାବନେ ଲୀଳା ॥୨୨୫
ଏଣୁ ସେ କୃଷ୍ଣଭାବ ଜାଣି । ମନ ଦହଇ ପୁଣ ପୁଣି ॥୨୨୬
ଦେଖିତ ପଦ୍ମପାଦ ଛାୟା । କେମନ୍ତେ ପାସୋରିବୁ ତାହା ॥୨୨୭
ଲଳିତ ଗତି ହାସ ରଙ୍ଗେ । କୃଷ୍ଣ ଯେ ଚାହାନ୍ତି ତ୍ରିଭଙ୍ଗେ ॥୨୨୮
ମଧୁର ବଚନ ମୋହ୍ନ । କେମନ୍ତେ ପାସୋରିବୁ ମନ ॥୨୨୯
ହେ ନାଥ ରମାନାଥ ହରି । ଆରତଭଂଜନ ମୁରାରି ॥୨୩୦
ଆମ୍ଭର ଦେଖୁଅଛ ଦୁଃଖ । ଗୋକୁଳ ଶୋକଜଳୁ ରଖ ॥୨୩୧
କହନ୍ତି ଶୁକ ବ୍ରହ୍ମଚାରୀ । ତାପପଛାଡିଲେ ବ୍ରଜନାରୀ ॥୨୩୨
କୃଷ୍ଣ ସନ୍ଦେଶେ ମନ ସ୍ଥିର । ପୂଜିଲେ ଉଦ୍ଧବ ପୟର ॥୨୩୩
କୃଷ୍ଣର ପ୍ରାୟେ ପୂଜା କରି । ଉଦ୍ଧବ ସଙ୍ଗେ ଗୋପନାରୀ ॥୨୩୪
କେତେହେଁ ଦିନ ଗୋପପୁରେ । ଗୋପୀଙ୍କ ମନ ତୋଷିବାରେ ॥୨୩୫
କୃଷ୍ଣର ରସ ଲୀଳା ଗାଇ । ଗୋପୀଙ୍କ ମନ ସେ ରଞ୍ଜଇ ॥୨୩୬
ଯେତେ ଦିବସ ନନ୍ଦପୁରେ । ଉଦ୍ଧବ ରହିଲା ନିର୍ଭରେ ॥୨୩୭
କୃଷ୍ଣର କଥା ରସମୟ । ଗୋପୀ ବଂଚିଲେ କ୍ଷଣ ପ୍ରାୟ ॥୨୩୮
ଗୋପୀଙ୍କ ମନ ତୋଷ ପାଇଁ । ଉଦ୍ଧବ କହଇ ମଣାଇଁ ॥୨୩୯
ଶୁଣ ସକଳ ବ୍ରଜନାରୀ । ତୁମ୍ଭରେ ତୁଷ୍ଟ ନରହରି ॥୨୪୦
ତୁମ୍ଭେ ଗୋ ବଡ଼ ଭାଗ୍ୟବନ୍ତ । ତୁମ୍ଭର ହୃଦ ଅବିରତ ॥୨୪୧
କୃଷ୍ଣହୁଁ ନ ଜାଣଇ ଆନ । ଯେ ପ୍ରଭୁ ଗୋପୀଙ୍କ ଜୀବନ ॥୨୪୨
ତାହା ଘେନିଲ ତୁମ୍ଭେ ହୃଦେ । ଈଶ୍ୱର ଗୁଣ ଅନୁବାଦେ ॥୨୪୩
ତୁମ୍ଭେ ଭେଦିଲେ ସେହୁ ହରି । ଦେବ ମାନବେ ନାହିଁ ସରି ॥୨୪୪
ଗୋପୀ ବୋଲନ୍ତି ହେ ଉଦ୍ଧବ । ଆମ୍ଭର ପ୍ରାଣ ପଦ୍ମନାଭ ॥୨୪୫
ଆମ୍ଭର ଦେହ ଗୋପପୁରେ । ଜୀବନ କୃଷ୍ଣର ଶରୀରେ ॥୨୪୬
ମନବଚନ କୃଷ୍ଣ ପାଦେ । ବ୍ୟାପାର କରୁ ଘର ମଧ୍ୟେ ॥୨୪୭
ତୁମ୍ଭଙ୍କୁ କହିଲୁଟି ସତ୍ୟ । ଆମ୍ଭର ପ୍ରାଣ ଗୋପୀନାଥ ॥୨୪୮
ନଦୀ କାନନ ଗିରି ତଟେ । କୁସୁମତରୁଙ୍କ ନିକଟେ ॥୨୪୯
ଉଦ୍ଧବେ ଘେନି ଗୋପନାରୀ । ଦେଖାନ୍ତି କରେ କର ଧରି ॥୨୫୦
ଦେଖ ଉଦ୍ଧବ କୃଷ୍ଣଲୀଳା । ଯହିଁ ଯେମନ୍ତ କରିଥିଲା ॥୨୫୧
ଗୋପୀଙ୍କ ଦେଖି କୃଷ୍ଣଭାବ । ଆନନ୍ଦେ ବୋଲଇ ଉଦ୍ଧବ ॥୨୫୨
ଗୋପୀଙ୍କ ପାଦତଳେ ପଡ଼ି । ଉଦ୍ଧବ କହେ କରଯୋଡ଼ି ॥୨୫୩
ଏ ଗୋପୀମାନଙ୍କର ଜନ୍ମ । ଏ ମହୀତଳେ ବଡ଼ ଧନ୍ୟ ॥୨୫୪
ଦେବେ ନ ଜାଣନ୍ତି ଯାହାଙ୍କୁ । ଗୋପୀଏ ପାଇଲେ ତାହାଙ୍କୁ ॥୨୫୫
ଗୋପୀଏ କରି ନିତ୍ୟେ ଧ୍ୟାନ । ନ ଜାଣି ପାଇଲେକ ଜ୍ଞାନ ॥୨୫୬
ବ୍ରହ୍ମାଶଙ୍କର ଆଦି କରି । ନିତ୍ୟେ ଚିନ୍ତନ୍ତି ଦୃଢେ ଧରି ॥୨୫୭
ଏ ଭାବ ଜାଣି ନ ପାରିଲେ । ଗୋପୀଙ୍କି ଚଉବର୍ଗ ଦେଲେ ॥୨୫୮
ଭାବି ନ ପାନ୍ତି ବ୍ରହ୍ମମୁନି । ଏ ଭାବ ଜାଣିଲେ କାମିନୀ ॥୨୫୯
କୃଷ୍ଣିର ଗୀତନାଦେ ସୁଖୀ । ପ୍ରେମେ ବିହ୍ୱଳ ପଦ୍ମମୁଖୀ ॥୨୬୦
ଆଶା ବଢିଲା କୃଷ୍ଣଦେହେ । ଛାଡ଼ି ନ ପାରି ମାୟାମୋହେ ॥୨୬୧
କେମନ୍ତେ ଛାଡ଼ିବେ ମୁରାରୀ । ପଦ୍ମା ଯାହାଙ୍କୁ ଆଶ୍ରେ କରି ॥୨୬୨
ରାସଉତ୍ସବେ ଏ କାମିନୀ । କୃଷ୍ଣଚରଣ କରେ ଘେନି ॥୨୬୩
ସ୍ତନ-ବଦନ-କରେ ଚାପି । ଛାଡ଼ିଲେ ତିନିତାପ ଗୋପୀ ॥୨୬୪
ଏହାଙ୍କୁ ପଦରଜ ମୁହିଁ । ନିରତେ କପାଳେ ଘେନଇ ॥୨୬୫
ଏମନ୍ତେ ହୃଦେ ଲଭି ଭାବ । ମଥୁରା ଗମନେ ଉଦ୍ଧବ ॥୨୬୬
ଗୋପୀଙ୍କି ଆଜ୍ଞା ମାଗି ଧୀରେ । ନନ୍ଦ ଯଶୋଦାଙ୍କ ପୟରେ ॥୨୬୭
ଗୋପଙ୍କୁ ଆଲିଙ୍ଗନ ଦେଇ । ରଥେ ବସିଲେ ତୋଷହୋଇ ॥୨୬୮
ଗୋପୀଗୋପାଳ ଆଦି କରି । ରଥରେ ନାନାଦ୍ରବ୍ୟ ଭରି ॥୨୬୯
ଉଦ୍ଧବ ପାଶେ ନନ୍ଦ କାନ୍ଦେ । କହଇ ଅଶ୍ରୁ ଗଦଗଦେ ॥୨୭୦
ଆମ୍ଭର ମନୋବାଞ୍ଛା ଯେତେ । ସଙ୍କଳ୍ପ କରି ହୃଦଗତେ ॥୨୭୧
ସେ ସବୁ କୃଷ୍ଣପଦେ ଥାଉ । ତା ନାମ ଧରି ଦିନ ଯାଉ ॥୨୭୨
ଆମ୍ଭର ମନ ତାର ପାଦେ । ନିରତେ ରହୁ ଅପ୍ରମାଦେ ॥୨୭୩
ଆମ୍ଭେ ଯେ କର୍ମମାର୍ଗେ ଭ୍ରମି । ଫୁଟି ହୋଇଲୁ ପଥଶ୍ରମୀ ॥୨୭୪
ଈଶ୍ୱର ମାୟାତନ୍ତ୍ରେ ପଡ଼ି । ଜନ୍ମମରଣାପଥ ହୁଡ଼ି ॥୨୭୫
ଶୁଦ୍ଧ ଆଚାର ଜ୍ଞାନ ଭେଦେ । ଗତି ପାଇବୁ କୃଷ୍ଣପାଦେ ॥୨୭୬
କହନ୍ତି ବ୍ୟାସଙ୍କର ସୁତ । ଉଦ୍ଧବ ଗୋବିନ୍ଦର ଦୂତ ॥୨୭୭
ନମିଣ ଗୋପୀଙ୍କର ପାଦେ । ନନ୍ଦ ଯଶୋଦା ପାଦେ ବନ୍ଦେ ॥୨୭୮
ଉଦ୍ଧବ ହୋଇଣ ଆନନ୍ଦ । ମଥୁରା ଗଲେ ଅପ୍ରମାଦ ॥୨୭୯
ଗୋପୀଗୋପାଳ ଭାବ ଜାଣି । କୃଷ୍ଣଙ୍କୁ କହେ ପୁଣପୁଣି ॥୨୮୦
ବସୁଦେବର ପାଶେ ଯାଇ । ଆନନ୍ଦେ ରାମଙ୍କୁ ବସାଇ ॥୨୮୧
ଗୋପୀଙ୍କ ଉପହାର ଦ୍ରବ୍ୟ । ନିକଟେ ଥୋଇଲା ଉଦ୍ଧବ ॥୨୮୨
ଦେଖି ଆନନ୍ଦ ବସୁଦେବ । ହସନ୍ତି ଶ୍ରୀରାମ ମାଧବ ॥୨୮୩
ଉଦ୍ଧବ କହେ କଥାମାନ । ତୋଷ ହୋଇଲେ ଭଗବାନ ॥୨୮୪
ବ୍ରାହ୍ମଣ ଦାସ ଜଗନ୍ନାଥ । ଗୀତବିନୋଦେ ଭାଗବତ ॥୨୮୫
ଉଦ୍ଧବ ଜ୍ଞାନ ଯା କହିଲା । ଗୋପୀଗୋପାଳଙ୍କର ଲୀଳା ॥୨୮୬
ସେ କଥା ଶୁଣି ହୋଏ ତୋଷ । ମନେ ସୁମରି କୃଷ୍ଣର ॥୨୮୭
ସୁଜନେ ଶୁଣ କର୍ଣ୍ଣପଥେ । ଭକ୍ତି ହେବ ହୃଦଗତେ ॥୨୮୮
ନିରତେ ଭଜ ରାମହରି । ଏଣେ ତରିବ ଭବବାରି ॥୨୮୯
ସେ ଗୋପୀଗୋବିନ୍ଦ ଚରଣେ । ସୁଜନେ ଚିନ୍ତ ଅନୁକ୍ଷଣେ ॥୨୯୦
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ଉଦ୍ଧବ ପ୍ରତିଯାନେ ନାମ
ଏକ ପଞ୍ଚାଶତ୍ ଅଧ୍ୟାୟଃ ॥
ଦ୍ୱିପଞ୍ଚାଂଶ ଅଧ୍ୟାୟ
[ସମ୍ପାଦନା]କହନ୍ତି ବ୍ୟାସଙ୍କ ନନ୍ଦନ । ଗୋବିନ୍ଦପାଦେ ଦେଇ ମନ ॥ ୧
- ଶୁକ ଉବାଚ
ଏବେ ହୋ ଶୁଣ ନରନାଥ । ଭକତ ବତ୍ସଳ ଅନନ୍ତ ॥୨
ମଥୁରାଦାଣ୍ତେ ଗନ୍ଧ ଘେନି । କୁବୁକା ନାମେ ଯେ କାମିନୀ ॥୩
କୃଷ୍ଣଙ୍କୁ ମାଗିଥିଲା ବର । ଭୋ ନାଥ ଯିବୁ ମୋର ପୁର ॥୪
ତାହାର ଭାବ ହୃଦେ ବହି । କରୁଣାସିନ୍ଧୁ ଭାବଗ୍ରାହୀ ॥୫
ଉଦ୍ଧବ ସଙ୍ଗେ ବିଜେକଲେ । କୁବୁଜା ଭୁବନେ ମିଳିଲେ ॥୬
ଗୋବିନ୍ଦ ଆଗମନ ଆଶେ । ଗୃହ ମଣ୍ତିଛି ମନତୋଷ ॥୭
ସୁନ୍ଦର ଗୃହ ଉପହାର । କି ଅବା ଦେବା ପଟାନ୍ତର ॥୮
ସୁଗନ୍ଧ ଧୂପଦୀପ ବାସ । ଅମୂଲ୍ୟମଣିରତ୍ନ ତ୍ରାସ ॥୯
ଗନ୍ଧ ଚନ୍ଦନ ପରିମଳ । ପବନ ବହଇ ଶୀତଳ ॥୧୦
କାମ ଉପାୟ ସନ୍ଦୀପନ । ଦେଖି ମୋହିତ ହୁଏ ମନ ॥୧୧
ମୁକୁତା ପ୍ରବାଳ ଖଞ୍ଜଣି । ଉପରେ ଚନ୍ଦ୍ରାତପ ଟାଣି ॥୧୨
ରତ୍ନ ପଲଙ୍କେ ଶେଯ ପାଡ଼ି । ରତ୍ନପାଦୁକା ସୁନାପିଢି ॥୧୩
ସୁଗନ୍ଧ ଧୂପ ଥୋଇ ତଳେ । ଉପରେ ଲମ୍ବେ ଫୁଲମାଳ ॥୧୪
କୃଷ୍ଣ ଆଗମ ପଥ ଚାହିଁ । କୁବୁଜା ଦେହେ ଜ୍ଞାନ ନାହିଁ ॥୧୫
ନିମିଷ ଯୁଗପ୍ରାୟ ମଣି । ରଜନୀ ଦିବସ ନ ଗଣି ॥୧୬
ଜାଣିଣ ପ୍ରଭୁ ନାରାୟଣ । ବିଜୟ କଲେ ତା ଭୁବନ ॥୧୭
ହରିଙ୍କି ନିଜ ଦ୍ୱାରେ ଦେଖି । ସଂଭ୍ରମେ ଆସନ ଉପେକ୍ଷି ॥୧୮
ସଙ୍ଗତେ ଘେନି ସଖୀଗଣ । ପୂଜିଲା ଗୋବିନ୍ଦ ଚରଣ ॥୧୯
ରତ୍ନପାଦୁକା ତଳେ ଥୋଇ । ସୁତୀର୍ଥ ଜଳେ ପାଦ ଧୋଇ ॥୨୦
ଝୀନବସନେ ପାଦ ପୋଛି । ନିଜ ମଥାରେ ଗର୍ଭେ ସିଞ୍ଚି ॥୨୧
ଅର୍ଘ୍ୟ ଆଚମନେ ତୋଷଇ । ଅଧରେ ମଧୁରସ ଦେଇ ॥୨୨
ଏମନ୍ତେ କୃଷ୍ଣଙ୍କୁ ପୂଜିଲା । ଉଦ୍ଦବ ନିକଟେ ମିଳିଲା ॥୨୩
ବିବିଧ ମତେ ଉପହାରେ । ପୂଜିଲା ଉଦ୍ଧବ ପୟରେ ॥୨୪
ରତ୍ନଆସନ ତଳେ ଥୋଇ । କୁବୁଜା ଗଲା ଭୋଳ ହୋଇ ॥୨୫
ଉଦ୍ଧବ ହରଷ ବଦନ । ଚରଣେ ଚାଲିଲା ଆସନ ॥୨୬
ଏକାନ୍ତେ ଭୂମିରେ ବସିଲା । କୃଷ୍ଣଚରଣେ ମନ ଦେଲା ॥୨୭
କୁବୁଜା ଗୃହ ମଧ୍ୟେ ଯାଇ । କୃଷ୍ଣଙ୍କୁ ପଲଙ୍କେ ବସାଇ ॥୨୮
ତାହାର ଭାବେ ବଶ ହରି । ରତ୍ନପଲଙ୍କେ ବିଜେକରି ॥୨୯
ଅଶେଷ ବ୍ରହ୍ମାଣ୍ତ ଠାକୁର । କପଟେ ମନୁଷ୍ୟ ବେଭାର ॥୩୦
କୁବୁଜା କୁଙ୍କୁମ ଲେପିଣ । ତକ୍ଷଣେ ସାରିଲା ସ୍ନାହାନ ॥୩୧
ଝୀନ ବସନ ରତ୍ନସାର । ଘେନିଣ ନାନା ଅଳଙ୍କାର ॥ ୩୨
ହୃଦେ ଚନ୍ଦନ କଣ୍ଠେ ହାର । ତାମ୍ବୁଳେ ସୁରଙ୍ଗ ଅଧର ॥୩୩
ସୁଧା ଆସବ ପାନ କଲା । ଗୋବିନ୍ଦ ଛାମୁରେ ମିଳିଲା ॥୩୪
ହାସବଦନେ କାମବତୀ । କଟାକ୍ଷେ ମୋହିଲା ଶ୍ରୀପତି ॥୩୫
କୁବୁଜା ଚାହିଁ ବନମାଳୀ । ଡାକନ୍ତି ବେନିଭୁଜ ତୋଳି ॥୩୬
ନବସଙ୍ଗମେ ଲାଜ ପାଇ । କୁବୁଜା ନ ପାରଇ ଯାଇ ॥୩୭
ସଂକୋଚେ ଗମନ ସଧୀରେ । ରତ୍ନକଙ୍କଣ ବେନିକରେ ॥୩୮
ମାୟା ମୋହିଲେ ଭାବଗ୍ରାହୀ । ଲାଜ ଛାଡ଼ିଲା କୃଷ୍ଣେ ଚାହିଁ ॥୩୯
ଗୋବିନ୍ଦ ଭୁଜେ ଭୁଜ ଦେଇ । ପଲଙ୍କେ ବସାଇଲେ ନେଇ ॥୪୦
କୁବୁଜା କୃଷ୍ଣେ ଘେନି କୋଳେ । ଗନ୍ଧ ଲେପିଲା ପୂଣ୍ୟବଳେ ॥୪୧
ରମିଲେ କମଳାର ବର । ଅଶେଷ ବ୍ରହ୍ମାଣ୍ତ ଠାକୁର ॥୪୨
କୁବୁଜା କାମଭୋଳେ କରି । କୃଷ୍ଣ ଚରଣ କରେ ଧରି ॥୪୩
ଚକ୍ଷୁ ହୃଦୟ କୁଚ ଭରେ । ଆଘ୍ରାଣ କଲା ନାସାଦ୍ୱାରେ ॥୪୪
ଯେତେ କଳୁଷ ଦେହେ ଥିଲା । ଗୋବିନ୍ଦ ଚରଣେ ମାଜିଲା ॥୪୫
ନିର୍ଭରେ ବେନିଭୁଜ ତୋଳି । ହୃଦେ ଲଗାଇ ବନମାଳୀ ॥୪୬
ଆନନ୍ଦ ରୂପ ଭଗବାନ । ନିବିଡେ କଲା ଆଲିଙ୍ଗନ ॥୪୭
ଜନ୍ମୁଁ ସଞ୍ଚିଲା ବହୁ ପାପ । ହେଳେ ଛାଡ଼ିଲା ତିନିତାପ ॥୪୮
ଯେ ହରି କଇବଲ୍ୟନାଥ । ଲୋଡ଼ି ନ ପାନ୍ତି ମୁନି ସନ୍ଥ ॥୪୯
ତାଙ୍କୁ କୁବୁଜା ଘେନି କୋଳେ । ଗନ୍ଧ ଲେପିଲା ପୁଣ୍ୟବଳେ ॥୫୦
ହସି ବୋଇଲେ ନାରାୟଣ । ବର ତୁ ମାଗ ଗୋ ବହନ ॥୫୧
ଦେଖ ହୋ ଭାଗ୍ୟବଳ ତାର । କୃଷ୍ଣଙ୍କୁ ମାଗିଲା ସେ ବର ॥୫୨
ଭୋ ନାଥ ରହ କିଛିଦିନ । ତୋଷ ନୋହିଲା ମୋର ମନ ॥୫୩
ପଦ୍ମଲୋଚନ ତୋର ସଙ୍ଗେ । କ୍ରୀଡା କରିବି ନାନାରଙ୍ଗେ ॥୫୪
ମୁିନି କହନ୍ତି ରାଜା ଆଗ । ଦେଖ ଏ କୁବୁଜାର ଭାଗ୍ୟ ॥୫୫
ଶୁଣି ସାନନ୍ଦ ଗୋପୀନାଥେ । ତହିଁ ରହିଲେ ଦିନାକେତେ ॥୫୬
କାମନା ପୂର୍ଣ୍ଣ କରି ତାର । ତହୁଁ ଚଳିଲେ ଦାମୋଦର ॥୫୭
ଅଶେଷ ସୁଖ ଭୋଗ ଦେଇ । ଉଦ୍ଧବ ସଙ୍ଗେ ଭାବଗ୍ରାହୀ ॥ ୫୮
ପ୍ରବେଶ ଆପଣା ମନ୍ଦିର । ଶୁଣ ହୋ କୁବୁଜା ବେଭାର ॥ ୫୯
ଦୁର୍ଲ୍ଲଭ ଯାର ପାଦସେବା । ଲୋଡି ନ ପାନ୍ତି ସୁରଦେବା ॥ ୬୦
ତାହାଙ୍କୁ ତପବଳେ ପାଇ । ବିଷୟସୁଖ ଯେ ଲୋଡ଼ଇ ॥ ୬୧
କୁତ୍ସିତମତି ବୋଲି ତାରେ । ପଡ଼ଇ ଦୁଃଖ ଅନ୍ଧକାରେ ॥ ୬୨
ଅଜ୍ଞାନ ବିପ୍ର ଜଗନ୍ନାଥ । କାହିଁ ପାଇବ କୃଷ୍ଣପଥ ॥ ୬୩
ଶୁଣ ହୋ ଅଭିମନ୍ୟୁ ସୁତ । ମଥୁରା ପୁରେ ଜଗନ୍ନାଥ ॥ ୬୪
ରଜନୀ ଅନ୍ତେ ମନେ ଗୁଣି । ଦୟା ସାଗର ଚକ୍ରପାଣି ॥ ୬୫
କଳ୍ପିତ-କାର୍ଯ୍ୟ ଉପଦେଶେ । ପଣ୍ତୁ ତନୟଙ୍କ ଉଦ୍ଧେଶ୍ୟେ ॥ ୬୬
ଅକ୍ରୁରହିତ ମନେ ଗୁଣି । ରାମ ଉଦ୍ଧବ ସଙ୍ଗେ ଘେନି ॥ ୬୭
ମିଳିଲେ ଅକ୍ରୁର ମନ୍ଦିର । ଦୟାସାଗର ଦାମୋଦର ॥ ୬୮
ନିକଟେ ଦେଖି ବନ୍ଧୁଜନ । ଅକ୍ରୁର ହରଷ ବଦନ ॥ ୬୯
ଆନନ୍ଦେ କୃଷ୍ଣ ସଙ୍ଗ ପାଇ । ନିବିଡେ଼ ଆଲିଙ୍ଗନ ଦେଇ ॥ ୭୦
ପୁଲକେ ଅଶ୍ରୁଜଳ ବହେ । ପ୍ରଣାମ କଲା କୃଷ୍ଣପାୟେ ॥ ୭୧
ରାମର ପାଦେ ପୁଣ ପଡ଼ି । ଉଦ୍ଧବ କର ହୃଦେ ଭିଡ଼ି ॥ ୭୨
ରାମଗୋବିନ୍ଦ ବନ୍ଧୁପଣେ । ନମିଲେ ଅକ୍ରୁର ଚରଣେ ॥ ୭୩
ଅକ୍ରୁର ନିଜ ଘରେ ନେଇ । ଉତ୍ତମ ଆସନେ ବସାଇ ॥ ୭୪
ଜାଣଇ ପୂଜାର ବିଧାନ । ଆନନ୍ଦ ମନେ ଛନଛନ ॥ ୭୫
ସୁବର୍ଣ୍ଣପାତ୍ରେ ଜଳ ନେଇ । ରାମଗୋବିନ୍ଦ ପାଦ ଧୋଇ ॥ ୭୬
ପାଦଉଦକ ଶିରେ ଘେନି । ଭାବେ ବୁଜିଲା ଚକ୍ଷୁ ବେନି ॥ ୭୭
ଦିବ୍ୟବସନ ଗନ୍ଧମାଳେ । ପୂଜିଲା ମଦନଗୋପାଳେ ॥ ୭୮
ମଣିମୁକୁତା ହାର ରଙ୍ଗେ । ମଣ୍ତିଲା ଗୋବିନ୍ଦର ଅଙ୍ଗେ ॥ ୭୯
ରାମଙ୍କୁ ଦେଇ ଅଳଙ୍କାର । ଭାବେ ଯୋଡିଲା ବେନିକର ॥ ୮୦
ଖଟେ ବସାଇ ଦାମୋଦର । ଚରଣ ଚାପଇ ଅକ୍ରୁର ॥ ୮୧
ରାମର ପାଦେ ହସ୍ତ ଦେଇ । ବିଶ୍ୱାସେ ଅକ୍ରୁର ବୋଲଇ ॥ ୮୨
- ଅକ୍ରୁର ଉବାଚ
ଭୋ ନାଥ ପ୍ରଭୁ ନାରାୟଣ । ଅଶେଷ ବ୍ରହ୍ମାଣ୍ତ କାରଣ ॥ ୮୩
ପାପିଷ୍ଠ କଂସରାଜା ମଲା । ଆମ୍ଭର କୁଳେ ଭାଗ୍ୟ ଥିଲା ॥ ୮୪
ତାହାର ଭୟେ ଯଦୁବଂଶ । ନିଶ୍ଚୟେ ହେଉଥିଲା ଧ୍ୱଂସ ॥ ୮୫
ତାହାଙ୍କୁ ହେଳେ ନାଶ କଲ । ବୁଡ଼ିଲା ଭେଳା ଉଦ୍ଧରିଲ ॥ ୮୬
ଏ କୁଳ ଏବେ ତ ବଢ଼ିବ । ଅବନିତଳେ ଯଶ ଥିବ ॥ ୮୭
ତୁମ୍ଭେ ଯେ ପ୍ରକୃତିପୁରୁଷ । ଲୀଳା ଏ ସଂସାରେ ପ୍ରବେଶ ॥ ୮୮
ଜଗତ ନାନାରୂପ ହୋଇ । ତୁମ୍ଭ ଶରୀରୁ ପ୍ରକାଶଇ ॥ ୮୯
ଏଣୁ ଜଗତମୟ ନାମା । କି ଅବା କରିବା ଉପମା ॥ ୯୦
କାର୍ଯ୍ୟକାରଣ ବିଚାରଣେ । ତୋ ବିନୁ ନାହିଁ ଅନ୍ୟ ଜଣେ ॥ ୯୧
ତୁମ୍ଭେ ଏ ସଂସାର ଭିଆଇ । ଜୀବ ପରମ ରୂପ ହୋଇ ॥ ୯୨
ଆତ୍ମାର ତେଜ ବଳ ତୁମ୍ଭେ । ପ୍ରବେଶ କ୍ରୀଡ଼ା ଅନୁଭାବେ ॥ ୯୩
ନାନାପ୍ରକାରେ ରୂପହୋଇ । ଏ କଥା ନିଗମ ଜାଣଇ ॥ ୯୪
ସଚରାଚର ଭୂତଯୋନି । ଶବଦ ଆଣି କୂଣ ଘେନି ॥ ୯୫
ବହୁ ପ୍ରକାରେ ପ୍ରକାଶନ୍ତି । ତୁମ୍ଭ ମହିମା ନ ଜାଣନ୍ତି ॥ ୯୬
ଏମନ୍ତ ପ୍ରକାଶ ତୁମ୍ଭର । କେବଳ ଆତ୍ମାଜ୍ଞାନ ସାର ॥ ୯୭
ପ୍ରପଞ୍ଚ ନାନା ରୂପ ହୋଇ । ମାୟାସଂସାରେ ବିହରଇ ॥ ୯୮
ତୁ ପୁଣି ତୋହର ଆୟତ୍ତ । ମାୟାରେ ଭ୍ରମାଉଁ ଜଗତ ॥ ୯୯
ସୃଷ୍ଟି ପାଳନ ସଂହାରଣ । ରଜ ସାତ୍ତ୍ୱିକ ତମଗୁଣ ॥ ୧୦୦
ଏଣୁ ଯେ ତୋର ବନ୍ଧନାହିଁ । ଯେଣୁ ଏହାର ହେତୁ ତୁହି ॥ ୧୦୧
ଉପାଧି ରୂପ ତନୁ ଯାର । ଜନ୍ମ ମରଣ ନାହିଁ ତାର ॥ ୧୦୨
ତରଙ୍ଗ ଯେହ୍ନେ ନାଶ ଯାଇ । ନିଶ୍ଚଳ ଭାବେ ଜଳ ଥାଇ ॥ ୧୦୩
ଗୁଣ ବେଭାର ଯାର ଭେଦ । ତାହାର ଦୁଃଖ ସୁଖେ ଖେଦ ॥ ୧୦୪
ଅଭେଦ ଆତ୍ମା ତୁ ପ୍ରତ୍ୟକ୍ଷ । ତୋହର ନାହିଁ ବନ୍ଧ-ମୋକ୍ଷ ॥ ୧୦୫
ନାହିଁ ତୋହର ଭିନ୍ନ ଭାବ । ଏଣୁ କେ ମହିମା କହିବ ॥ ୧୦୬
ତୋର ବଚନ ଶ୍ରୁତିଗଣ । ସଂସାର-ହିତର କାରଣ ॥ ୧୦୭
ପାଷାଣ୍ତେ ନିଜ ବାଦବଳେ । ବେଦ ନିନ୍ଦନ୍ତି ଯେତେବେଳେ ॥ ୧୦୮
ତୁ ନାଥ ସତ୍ତ୍ୱଗୁଣ ଭଜୁ । ତାହାଙ୍କ ଗର୍ବ ହେଳେ ଗଞ୍ଜୁ ॥ ୧୦୯
ନିନ୍ଦନ୍ତି ନିଜ ଧର୍ମ କର୍ମ । ତୋର ଶରୀର ସର୍ବଧର୍ମ ॥ ୧୧୦
ଈଶ୍ୱର ଆଦି ଦେବ ଯାଏଁ । ନିନ୍ଦା କରନ୍ତି ପଶୁପ୍ରାୟେ ॥ ୧୧୧
ପ୍ରକୃତିପୁରୁଷ ତୁ ଅଟୁ । ସ୍ତିରୀପୁରୁଷ ରୂପେ ଖଟୁ ॥ ୧୧୨
ପାଷାଣ୍ତେ କରନ୍ତି ତା ଭିନ୍ନ । ସର୍ବଶରୀରେ ନାରାୟଣ ॥ ୧୧୩
ଏହା ଯେ ବିଚାର ନ କରେ । ତାହାକୁ ଲେଖିବ ପଶୁରେ ॥ ୧୧୪
ତାହାଙ୍କ ଦର୍ପ କରି ନାଶ । ନରକେ ଦେଉ ତାଙ୍କୁ ବାସ ॥ ୧୧୫
ଏମନ୍ତେ ପ୍ରଭୁ ନରହରି । ଯାଦବ ବଂଶେ ଅବତରି ॥ ୧୧୬
ବସୁଦେବର ଘରେ ନାଥ । ଅଂଶେ ହୋଇଲୁ ଦେହବନ୍ତ ॥ ୧୧୭
ଅବନୀଭାରା ନିବାରଣ । ଅଶେଷ ବ୍ରହ୍ମାଣ୍ତ କାରଣ ॥ ୧୧୮
ଅସୁରବଳ କରି ନାଶ । ଥୋଇବୁ ଯଦୁକୁଳେ ଯଶ ॥ ୧୧୯
ଏମନ୍ତ ମହିମା ତୋହର । ବିଜୟ କଲୁ ମୋର ପୁର ॥ ୧୨୦
ଦେବତା ପିତୃ ଭୂତ ରୂପ । ତୁ ନାଥ ସକଳ ସ୍ୱରୂପ ॥ ୧୨୧
ତୁ ଯହିଁ ହୋଇବୁ ପ୍ରକାଶ । ସେ ଧନ୍ୟ ପୁଣ୍ୟ ଗୃହବାସ ॥ ୧୨୨
ତୋହର ଚରଣ ଉଦକ । ପବିତ୍ର କରେ ତିନିଲୋକ ॥ ୧୨୩
କେଉଁ ପଣ୍ତିତ ତୋ ଚରଣ । ଛାଡ଼ି ଭଜିବ ଆନଜଣ ॥ ୧୨୪
ଭକତପ୍ରିୟ ତୁହି । ସତ୍ୟବଚନ ତୋର ତହିଁ ॥ ୧୨୫
ତୁ ଜୀବଆତ୍ମା ତତ୍ତ୍ୱ ଜାଣୁ । ଶୁଭଅଶୁଭ ପରିମାଣୁ ॥ ୧୨୬
ଭକ୍ତି ଅନୁରୂପେ ଫଳ । ଦେଉ ତୁ ଭକତବତ୍ସଳ ॥ ୧୨୭
ଭାବକୁ ଆତ୍ମା ଦେଉ ତୁହି । ବୃଦ୍ଧି ବିନାଶ ତୋର ନାହିଁ ॥ ୧୨୮
ତୁ ଯେ ସକଳ ମୁକ୍ତିଦାତା । ଭବଜଳଧିରୁ ତାରନ୍ତା ॥ ୧୨୯
ଆମ୍ଭେ ସକଳ ହତଜ୍ଞାନ । କେବଳ ଭାଗ୍ୟେ ଜନାର୍ଦ୍ଦନ ॥ ୧୩୦
ତୋତେ ପାଇଲୁ ପୁଣ୍ୟଫଳେ । ଚିହ୍ନି ନ ପାରୁ ଚର୍ମଡୋଳେ ॥ ୧୩୧
ସକଳ ସୁର ସିଦ୍ଧ ଯତି । ଜାଣି ନ ପାରନ୍ତି ତୋ ଗତି ॥୧୩୨
ସୁତ କଳତ୍ର ଧନ ମିତ୍ର । ଗୃହ ବାନ୍ଧବ ବୃତ୍ତି କ୍ଷେତ୍ର ॥୧୩୩
ଏ ରୂପେ ତୋର ମାୟାଫାନ୍ଦେ । ବନ୍ଧନେ ଅଛୁଁ ଆମ୍ଭେ ହାଦେ ॥୧୩୪
ତୋହର ଅଛି ଯେବେ ଦୟା । ଭୋ ନାଥ ଛେଦ ବେଗେ ଏହା ॥୧୩୫
ତୁ ନାଥ ଚଉବର୍ଗଦାତା । ତୋ ତହୁଁ ନାହିଁନା କରତା ॥୧୩୬
ତୁ ନାଥ କର ଏଥୁଁ ପାର । ଶରଣ ଗଲି ତୋ ପୟର ॥୧୩୭
ଏମନ୍ତ ଅକ୍ରୁରର ବାଣୀ । ଶୁଣି ହସନ୍ତି ଚକ୍ରପାଣି ॥୧୩୮
ମୋହିଲେ ଅକ୍ରୁରର ମନ । କୋମଳ ଗଭୀର ବଚନ ॥୧୩୯
କହନ୍ତି ପ୍ରଭୁ ଭାବଗ୍ରାହୀ । ମାୟାମୋହନ ନେତ୍ରେ ଚାହିଁ ॥୧୪୦
- ଭଗବାନ ଉବାଚ
ତୁ ମୋର ଗୁରୁ ପିତାମାତ । ବାନ୍ଧବ ମଧ୍ୟରେ ପୂଜିତ ॥୧୪୧
ଆମ୍ଭେ ତୋହର ପୁତ୍ର ଦୁଇ । ତୋର ପୋଷଣେ ଆମ୍ଭ ଦେହୀ ॥୧୪୨
ତୋହର ପାଦେ ସେବାକରି । ତେବେ ସେ ଥିବୁ ଦେହ ଧରି ॥୧୪୩
ତୋ ପରି ସାଧୁ ସେବାକରି । ତେବେ ସେ ଭବୁ ହୋଇପାରି ॥୧୪୪
ଆପଣା ହିତ ସାଧ୍ୟମତେ । ଦେବଦାନବ ଏ ଜଗତେ ॥୧୪୫
ଏ ଭାବ ସାଧୁଜନେ ନାହିଁ । ହସି ବୋଲନ୍ତି ଭାବଗ୍ରାହୀ ॥୧୪୬
ଜଳେ ପୂରିତ ତୀର୍ଥଗଣ । ଦେବତା ମୃତ୍ତିକା ପାଷାଣ ॥୧୪୭
ଏହାଙ୍କୁ ସେବୁଥିଲେ ନିତି । ଅନେକନ କାଳେ ଫଳ ଦ୍ୟନ୍ତି ॥୧୪୮
ସାଧୁଙ୍କ ଦରଶନ ମାତ୍ରେ । ଦୂରିତ ନ ରହଇ ଗାେତ୍ରେ ॥୧୪୯
ବନ୍ଧୁଙ୍କ ମଧ୍ୟେ ଶ୍ରେଷ୍ଠ ମୋର । ଏବେ ତୁ ମୋ ବଚନ କର ॥୧୫୦
ହସ୍ତିନାପୁର ଯାଅ ବେଗେ । କହଇ କଥା ତୋର ଆଗେ ॥୧୫୧
ପଣ୍ତୁରାଜାର ପଞ୍ଚସୁତ । ପିତାମରଣେ ଅରକ୍ଷିତ ॥୧୫୨
ଅଛନ୍ତି ଧୃତରାଷ୍ଟ୍ରପୁରେ । ବନ୍ଦୀ ଯେସନେ ବନ୍ଦୀଘରେ ॥୧୫୩
ଅମ୍ବିକାସୁତ ଚକ୍ଷୁହୀନ । ତାହାର ପୁତ୍ର ଦୁର୍ଯ୍ୟୋଧନ ॥୧୫୪
ଶତେକ ପୁତ୍ର ମଧ୍ୟେ ଶ୍ରେଷ୍ଠ । ଉଗ୍ରସ୍ୱଭାବ ମହାଦୁଷ୍ଟ ॥୧୫୫
ରାଜା ତାହାରେ ବଶ ହୋଇ । ସମେ ନ ଦେଖେ ପାଞ୍ଚଭାଇ ॥୧୫୬
ତାଙ୍କ ନିମନ୍ତେ ନାଶଯିବ । ପୃଥ୍ୱୀର ଭାରା ଉଶ୍ୱାସିବ ॥୧୫୭
ତୁ ଏବେ ଯାଅ ମୋର ବୋଲେ । ତାଙ୍କ କୁଶଳ ବୁଝ ଭଲେ ॥୧୫୮
ଭୋ ତାତ ଚଳ ବେଗ ହୋଇ । କହି ଉଠିଲେ ବେନିଭାଇ ॥୧୫୯
ଶୁଣି ଅକ୍ରୁର କୃତକୃତ୍ୟ । ବୋଲଇ ଶୁଣ ଗୋପୀନାଥ ॥୧୬୦
ମଣୋହି ସାରି ବିଜେକର । ମୁଁ ଯିବି ହସ୍ତିନାନଗର ॥୧୬୧
ଅକ୍ରୁରବାକ୍ୟ କର୍ଣ୍ଣେ ଶୁଣି । ହରଷ କୃଷ୍ଣ ହଳପାଣି ॥୧୬୨
ବେଗେ ତୁ ମଣୋହି କରାଇ । ହସ୍ତିନା ଯାଅ ବେଗ ହୋଇ ॥୧୬୩
ଭିତରପୁରେ ବେନିଭାଇ । ମଣୋହି କରାଇଲା ନେଇ ॥୧୬୪
ଅମୃତପାନ ଘୃତ ସୁର । ଭୁଞ୍ଜନ୍ତି ରାମ ଦାମୋଦର ॥୧୬୫
ଉଦ୍ଧବ ଭୁଞ୍ଜନ୍ତି ହରଷେ । କ୍ଷୀରି ଶାକର ଘୃତରସେ ॥୧୬୬
ଭୁଞ୍ଜି ସାନନ୍ଦ ବେନିଭାଇ । ଯମୁନାନୀରେ ମୁଖ ଧୋଇ ॥୧୬୭
ହସ୍ତ ପଖାଳି ବାସ ଗୁଆ । ଅକ୍ରୁର ଯୋଗାଏ ବିଡ଼ିଆ ॥୧୬୮
ଭୁଞ୍ଜନ୍ତି ରାମ ଦଇତ୍ୟାରି । ରତ୍ନପଲଙ୍କେ ବିଜେକରି ॥୧୬୯
କେଶେ ସାଜଇ ଦିବ୍ୟ ଗଭା । ରାମଗୋବିନ୍ଦ ମୁଖପ୍ରଭା ॥୧୭୦
ଚନ୍ଦନ ଶ୍ରୀଅଙ୍ଗେ ବୋଳଇ । କଣ୍ଠେ ବିବିଧ ମାଳା ଦେଇ ॥୧୭୧
ହୃଦେ ପଦକ କଣ୍ଠେ ମଣି । କୁଣ୍ତଳ ରବିତେଜ ଜିଣି ॥୧୭୨
କଚଟି ବାହୁଟି ସାଜଇ । ଅଷ୍ଟରତନମାଳା ଦେଇ ॥୧୭୩
ଦେଇଣ ନାନା ଉପହାର । ଚରଣେ ପଡ଼ିଲା ଅକ୍ରୁର ॥୧୭୪
ରାମ ଗୋବିନ୍ଦ ପାଦ ଧରି । ଅଶ୍ରୁ ଗଳଇ ମୋଦଭରି ॥୧୭୫
ରାମ ଗୋବିନ୍ଦ ଦୟା କଲେ । ପଲ୍ୟଙ୍କେ ନେଇ ବସାଇଲେ ॥୧୭୬
ବୋଲନ୍ତି ଆମ୍ଭର ପିଅର । ବସୁଦେବ ହୁଁ ଶ୍ରେଷ୍ଠ ସାର ॥୧୭୭
ଜୀବନ୍ତେ ଭୋଗ ତୁ କରିବୁ । ଅନ୍ତେ ମୋ ଶରୀରେ ପଶିବୁ ॥୧୭୮
ଅକ୍ରୁର ନାରୀ ହୀରାବତୀ । ମିଳିଲା ରାମକୃଷ୍ଣ କତି ॥୧୭୯
ଶତେକ ସୁନ୍ଦର କାମିନୀ । ପୁତ୍ର ଦୁହିତା ସଙ୍ଗେ ଘେନି ॥୧୮୦
ସୁଗନ୍ଧ ନାନା ଉପହାର । ପୂଜିଲା ରାମଦାମୋଦର ॥୧୮୧
ଗୋବିନ୍ଦ ମହାତୋଷ ହୋଇ । ବର ଦିଅନ୍ତି ଭାବଗ୍ରାହୀ ॥୧୮୨
ଅନେକ ହୋଇବ ସମ୍ପଦ । କେ କହୁ ତୁମ୍ଭର ଆନନ୍ଦ ॥୧୮୩
ମୋର ଚରଣେ ଚିତ୍ତ ରହୁ । ମୋ ନାମ ଧରି ଦିନ ଯାଉ ॥୧୮୪
ଭକତି ତୁମ୍ଭର ହୋଇବ । ଏ ଘୋରଜଳେ ନ ପଡ଼ିବ ॥୧୮୫
ଏମନ୍ତ ବର ଦେଇ ହରି । ତୋଷିଲେ ଅକ୍ରୁରର ନାରୀ ॥୧୮୬
ରାମ ଉଦ୍ଧବ ସଙ୍ଗେ କରି । ନିଜ ଭୁବନେ ଯାଇ ମିଳି ॥୧୮୭
ଅକ୍ରୁର ହରଷ ବଦନେ । ଗଲା ସେ ହସ୍ତିନା ଭୁବନେ ॥୧୮୮
ସେ ରାମକୃଷ୍ଣ ପାଦଯୁଗେ । ଚିତ୍ତ ମୋ ରହୁ ଧ୍ୟାନଯୋଗେ ॥୧୮୯
ସୁଜନେ ଏହି ଭାବେ ରସ । କଟିବ ଭବବନ୍ଧପାଶ ॥୧୯୦
ନାମେ ସକଳ ପାପ ହର । ଏ ଘୋର - ସଂସାରୁ ନିସ୍ତର ॥୧୯୧
ବୋଲଇ ଦାସ ଜଗନ୍ନାଥ । ସୁଜନ ହିତେ ଭାଗବତ ॥୧୯୨
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ଦ୍ୱିପଞ୍ଚାଶତ୍ ଅଧ୍ୟାୟଃ ॥
ତ୍ରିପଞ୍ଚାଂଶ ଅଧ୍ୟାୟ
[ସମ୍ପାଦନା]- ଶୁକ ଉବାଚ
ଶୁଣ ହୋ ରାଜା ପରୀକ୍ଷିତ । ଅକ୍ରୁର ଚଢି ଦିବ୍ୟରଥ ॥୧
ଗୋବିନ୍ଦ ଆଜ୍ଞା ପରମାଣେ । ଅକ୍ରୁର ଗଲା ତତ୍କ୍ଷଣେ ॥୨
ବିମାନେ ବସି କୁତୁହଳେ । ମିଳିଲା ହସ୍ତିନା ମଣ୍ତଳେ ॥୩
କୃଷ୍ଣ ବିମାନ ପ୍ରାୟ ଦିଶି । ସକଳ ଲୋକେ ପରଶଂସି ॥୪
ରଥୁଁ ଓହ୍ଲାଇ ଭୂମିତଳେ । ମିଳିଲା ଯାଇ କୁରୁମେଳେ ॥୫
ରାଜନ ବସି ସଭାତଳେ । ବନ୍ଧୁବାନ୍ଧବ ଘେନି ମେଳେ ॥୬
ପରମ ହରଷେ ବସିଲା । ଶ୍ରୀରାମ ଗୋବିନ୍ଦ ଭାଷିଲା ॥୭
ତଦନ୍ତେ ଅକ୍ରୁର ହରଷ । ଦେଖଇ କୁରୁଙ୍କର ଦେଶ ॥୮
ଭୀଷ୍ମ ବିଦୁର ସଙ୍ଗେ ନୃପ । ଗାନ୍ଧାରୀ କୁନ୍ତୀ ଦ୍ରୋଣ କୃପ ॥୯
ରବିକୁମର ଦୁର୍ଯୋଧନ । ଦ୍ରୋଣନନ୍ଦନ ଦୁଃଶାସନ ॥୧୦
ପଣ୍ତୁର ପଞ୍ଚପୁତ୍ର ଦେଖି । ଅଶ୍ରୁପୂରିତ କଲା ଆଖି ॥୧୧
ଅକ୍ରୁର ଦେଖି ଜଣେ ଜଣ । ଆନନ୍ଦେ କରି ଆଲିଙ୍ଗନ ॥୧୨
ବନ୍ଧୁ କୁଶଳ ପଚାରିଲେ । ଆନନ୍ଦେ ଅକ୍ରୁରର ତୁଲେ ॥୧୩
ଅକ୍ରୁର ବିଚାରଇ ମନେ । ବିଶ୍ୱାସ ଜାଣିବି କେସନେ ॥୧୪
ସ୍ୱାମୀ ମରଣେ ଅଶ୍ରୁମୁଖୀ । ପଞ୍ଚବାଳକ ଘେନି ଦୁଃଖି ॥୧୫
କୁନ୍ତୀ ଯେ ଅଛି ଏହା ପୁରେ । କି ଅବା ବିଚାରେ ମନରେ ॥୧୬
ନିରତେ ଖଳ ବୁଦ୍ଧିହୀନ । ଅନ୍ଧ ସ୍ୱଭାବେ ହତଜ୍ଞାନ ॥୧୭
ଶତେକୁମର ପାଞ୍ଚମେଳେ । ସମେ କି ଦେଖିବ କୁଶଳେ ॥୧୮
ପଣ୍ତୁପୁତ୍ରଙ୍କ ଗୁଣ ଯେତେ । ଅନ୍ଧ ନ ସହେ ହୃଦଗତେ ॥୧୯
ତେଜ ପ୍ରତାପ କ୍ଷତ୍ରିବୃତ୍ତ । ରାଜନ୍ୟ ଷଡ଼ଗୁଣ ଯୁକ୍ତ ॥୨୦
ଏ ଆଦି ପ୍ରଜା ଅନୁରାଗ । ଦେଖି ପାଇଲା ଉଦ୍ବେଗ ॥୨୧
ମାରିବା ପାଇଁ ବିଚାରିଲେ । କପଟେ ବିଷଲଡ଼ୁ ଦେଲେ ॥୨୨
ଏ ଆଦି ଯେତେକ ବେଭାର । ଏକାନ୍ତେ କହିଲେ ବିଦୁର ॥୨୩
କୁନ୍ତୀ କହିଲା ସେହି ମତ । ଶୁଣି ଅକ୍ରୁର ଦୁଃଖଚିତ୍ତ ॥୨୪
କୁନ୍ତ୍ରୀ ଅକ୍ରୁର ମୁଖ ଚାହିଁ । ବୋଲଇ ଶୋକଭର ହୋଇ ॥୨୫
କାନ୍ଦନ୍ତି ଅଧର କମ୍ପାଇ । ଜନ୍ମମନ୍ଦିର ସୁମରଇ ॥୨୬
ହେ ଭ୍ରାତ ଶୁଣ ମୋ ଉତ୍ତର । ତାତ ଜନନୀ ଯେ ମୋହର ॥୨୭
ଭାଇ ଭଗିନୀ ବନ୍ଧୁ ନାରୀ । ସଖା ସୁହୃଦ ଆଦି କରି ॥୨୮
ଯେତେ ଅଛନ୍ତି ସହୋଦର । ଚିନ୍ତା କରନ୍ତିଟିକି ମୋର ॥୨୯
ସ୍ୱାମୀ ମରଣେ ଦୁଃଖ ପାଇ । ପଞ୍ଚବାଳକ କୋଳେ ଲଇଁ ॥୩୦
ଏହାଙ୍କ ଘରେ ବନ୍ଦୀ ପ୍ରାୟେ । ଦେଖ ଦୁଃଖିତ ମୋର ପୋଏ ॥୩୧
ଅର୍ଜିଲା କର୍ମ ଏ ମୋହର । କିସ କରିବି ସହୋଦର ॥୩୨
ମୋହର ଭ୍ରାତା ବସୁଦେବ । ଯାହାର ସୁତ ବାସୁଦେବ ॥୩୩
ସେ କୃଷ୍ଣ ଶରଣସୋଦର । ଭକତବନ୍ଧୁ ବାନା ତାର ॥୩୪
ପିତୃ-ଭଗିନୀ-ସୁତ କଥା । ସେ ନାଥ କରଇ କି ଚିନ୍ତା ॥୩୫
ପଦ୍ମଲୋଚନ ହଳଧର । ତାରେ ଶରଣ ମୋ କୁମର ॥୩୬
ଶତ୍ରୁଙ୍କ ମଧ୍ୟେ ମୋର ବାସ । କୁରୁ କୁଟୁମ୍ବେ ଅବିଶ୍ୱାସ ॥୩୭
ଶାର୍ଦ୍ଦୂଳ ମଧ୍ୟେ ମୃଗ ଥାଇ । ସେ ଯେହ୍ନେ ପଥ ନ ଜାଣଇ ॥୩୮
ମୋର ବାଳକେ ପିତୃହୀନ । ଏମନ୍ତ ମୋହର ଜୀବନ ॥୩୯
ସେ କୃଷ୍ଣ ମୋର ଘରେ ଆସି । କୋମଳ ବଚନେ ଆଶ୍ୱାସି ॥୪୦
ଶାନ୍ତି କରିବ ମୋର ପ୍ରାଣ । ତା ପାଦେ ପଶିଲି ଶରଣ ॥୪୧
ସେ କୃଷ୍ଣ ମହାଯୋଗେଶ୍ୱର । ବିଶ୍ୱପାଳକ ଦାମୋଦର ॥୪୨
ପଞ୍ଚବାଳକ ମୋର ନେବି । ମୁଁ ତାରେ ଶରଣ ପଶିବି ॥୪୩
ମୃତ୍ୟୁ ସଂସାର ଭୟେ ଜନେ । ଭାଳନ୍ତି ପାଇ ଖେଦମନେ ॥୪୪
ପଶଇ ଯେବେ ତାର ପାଦେ । ତେବେ ବଂଚଇ ଅପ୍ରମାଦେ ॥୪୫
ତା ପାଦୁଁ ଆନଠାବ ନାହିଁ । ଏମନ୍ତ ପ୍ରାୟ ମୁଁ ମଣଇ ॥୪୬
ନମସ୍ତେ କୃଷ୍ଣ ଶୁଦ୍ଧଦେହୀ । ଜୀବ ପରମଆତ୍ମା ତୁହି ॥୪୭
ଯଜ୍ଞସ୍ୱରୂପ ଯୋଗେଶ୍ୱର । ଭୋ ନାଥ ଶରଣ ମୁଁ ତୋର ॥୪୮
ଏମନ୍ତ ସୁମନେ ସୁମରି । କୃଷ୍ଣଚରଣେ ଧ୍ୟାନ କରି ॥୪୯
କାନ୍ଦେ ଅକ୍ରୁର ମୁଖ ଚାହିଁ । ପରୀକ୍ଷ ତୋ ପ୍ରପିତାମହୀ ॥୫୦
ପାଣ୍ତବଜନନୀ ରୋଦନ । ଶୁଣି ଅକ୍ରୁର ଖେଦମନ ॥୫୧
ନିକଟେ ବସିଲା ଅକ୍ରୁର । କହଇ ହୋଇ ଚିନ୍ତାଭର ॥୫୨
ଭୋ ମାତ ସାବଧାନେ ଶୁଣ । ତୋହର ପୁତ୍ରଙ୍କର ଗୁଣ ॥୫୩
ଧର୍ମ ପବନ ସୁନାସୀର । ବିବୁଧ ଅଶ୍ୱିନୀ କୁମାର ॥୫୪
ଏହାଙ୍କ ଅଂଶେ ଜାତ ହୋଇ । ଭାରା ନିବାରେ ପାଞ୍ଚଭାଇ ॥୫୫
ଅନାଦି ବିଷ୍ଣୁ ଯାର ବନ୍ଧୁ । ଏହା ନ ବୁଝି କିମ୍ପା କାନ୍ଦୁ ॥୫୬
ଏମନ୍ତ କହି କଲେ ଶାନ୍ତି । ଶୁଣି ହରଷ ହେଲେ କୁନ୍ତୀ ॥୫୭
ଅକ୍ରୁର ବିଚାରଇ ଚିତ୍ତେ । ଏଥେ ରହିବି ଦିନାକେତେ ॥୫୮
ବୁଝିବି ରାଜାର ବେଭାର । ତେବେ ମୁଁ ଯିବି ନିଜପୁର ॥୫୯
ଏମନ୍ତ ମନେ ବିଚାରଇ । ବିଦୁର ହସ୍ତେ ହସ୍ତ ଦେଇ ॥୬୦
ତକ୍ଷଣେ ଅକ୍ରୁର ବିଦୁର । ମିଳିଲେ ନୃପତି ଛାମୁର ॥୬୧
ପୁତ୍ରଲାଳସେ କୁରୁପ୍ତି । ବିଷମ ଦମ୍ଭ ତାର ମତି ॥୬୨
ବନ୍ଧୁ ସୁହୃଦେ ମଧ୍ୟେ ଥାଇ । ଅକ୍ରୁର ବୋଲେ ଅନ୍ଧେ ଚାହିଁ ॥୬୩
ରାମଗୋବିନ୍ଦଙ୍କ ବଚନେ । ଅକ୍ରୁର କହେ ଶୁଦ୍ଧମନେ ॥୬୪
- ଅକ୍ରୁର ଉବାଚ
ତୁ କୁରୁବଂଶେ ବିଦ୍ୟମାନ । ବିଚିତ୍ରବୀର୍ଯ୍ୟର ନନ୍ଦନ ॥୬୫
ପଣ୍ତୁରାଜାର ଅନ୍ତଃକାଳେ । ରାଜା ହୋଇଲୁ କୁରୁକୁଳେ ॥୬୬
ଧର୍ମେ ପାଳନ କର ମହୀ । ପ୍ରଜାର ହିତେ ଚିତ୍ତ ଦେଇ ॥୬୭
ଶତେକ ପୁତ୍ର ଅଛି ତୋର । ଏ ପଞ୍ଚ ପଣ୍ତୁର କୁମର ॥୬୮
ଏହାଙ୍କୁ ଦେଖ ସମ କରି । ଯେବେ ପାଇବୁ ଯଶଶିରୀ ॥୬୯
ଏହା ନ କରି ମୂଢ ପ୍ରାୟେ । ଯେବେ ବୁଡ଼ିବୁ ମାୟାମୋହେ ॥୭୦
ଅଧର୍ମ କରି ଇହଲୋକେ । ଅନ୍ତେ ତୁ ପଡ଼ିବୁ ନରକେ ॥୭୧
ଏ ଯେ ପଣ୍ତୁର ପାଞ୍ଚପୁଅ । ତୋହର ଶତେକ ତନୟ ॥୭୨
ଏଣେ ସମାନଚିତ୍ତ କର । ତୋତେ ରଖିବେ ଦାମୋଦର ॥୭୩
ଏ ଭବ ମଧ୍ୟେ ଯେତେ ଜନ । ନିତ୍ୟେ ନ ଥାନ୍ତି ଏକ ସ୍ଥାନ ॥୭୪
ଏ ଦେହ ମଧ୍ୟେ ନରହରି । ସମେ ଅଛନ୍ତି ସେହୁ ପୂରି ॥୭୫
ନିଜ ଶରୀର ନ ରହଇ । ପୁତ୍ର କଳତ୍ର ଆର କାହିଁ ॥୭୬
ଏ ଜୀବ ଆତ୍ମା ଏକ ହୋଇ । ନାନା ଯୋନିରେ ଦେହ ବହି ॥୭୭
କର୍ମବିପାକେ ଛାଡେ଼ ଦେହ । ନିତ୍ୟେ କଳ୍ପିତ ମାୟାମୋହ ॥୭୮
ଭୁଞ୍ଜଇ ଦୁଃଖ ସୁଖ ଫଳେ । ଏକା ଭ୍ରମଇଁ ଅନ୍ତଃକାଳେ ॥୭୯
ଅଧର୍ମେ ସଂଚଇ ଯେ ଧନ । ତାର ବିଯୋଗେ ଭୁଞ୍ଜେ ଆନ ॥୮୦
ଅଧର୍ମ ମାର୍ଗେ ମୂଢପ୍ରାଣୀ । ଧନ ସଂଚଇ ଗୃହେ ଆଣି ॥୮୧
ପୁତ୍ର କଳତ୍ର ବନ୍ଧୁ ଭାଇ । ସଂଚିଲା ଧନ ତାର ଖାଇ ॥୮୨
ଯେ ଯାହା ପଥେ ଯାନ୍ତି ବେଗେ । ଦୁଷ୍କୃତ ରହେ ତାର ସଙ୍ଗେ ॥୮୩
ମୋର କୁଟୁମ୍ବ ବୋଲି ମୋହେ । ଅଧର୍ମ କରି ନିଜ ଦେହେ ॥୮୪
ଧନ ସଂଚଇ କରି ପୋଷେ । ସେ କାହିଁଥିବେ ତାର ପାଶେ ॥୮୫
ବିଷ୍ଣୁର ମାୟାବଳେ ଭ୍ରାନ୍ତି । ଅନାଥ କରି ଛାଡ଼ିଯାନ୍ତି ॥୮୬
ଧନ ଜୀବନ ଦାରା ସୁତ । ଆବୋରି ଆପଣାର ପଥ ॥୮୭
ଏ ମୋହମାୟାକୁ ଆବୋରି । ଯେ ବୋଲେ ମୋହରି ମୋହରି ॥୮୮
ତାହାକୁ ବୋଲି ଅପଣ୍ତିତ । ସଂଚିତ-ପାପେ ହୋଏ ଗ୍ରସ୍ତ ॥୮୯
ପଡ଼ଇ ଅନ୍ଧକାର ତମେ । ମହାନରକେ ଅତିଶ୍ରମେ ॥୯୦
ସ୍ୱଧର୍ମେ ଛାଡ଼ିଲେ ଏମନ୍ତ । ଏ ବେଦପୁରୁଷଙ୍କ ମତ ॥୯୧
ସ୍ୱପ୍ନର ପ୍ରାୟ ଏ ଜଗତ । ଭ୍ରମଇଁ ମାୟା-ମନୋରଥ ॥୯୨
ତୁ ମହାପୁରୁଷଙ୍କ ଅଂଶ । କିମ୍ପାଇଁ ହେଉ ବୁଦ୍ଧିଭ୍ରଂଶ ॥୯୩
ମାୟାକୁ ଆତ୍ମଜ୍ଞାନେ ଭେଦି । ଚଞ୍ଚଳ ଇନ୍ଦ୍ରିୟ ନିରୋଧି ॥୯୪
ସମଦୃଷ୍ଟିରେ ଶାନ୍ତି ଭଜ । ତୁ କୁରୁବଂଶେ ମହାରାଜ ॥୯୫
ଏମନ୍ତେ ଅକ୍ରୂରର ବାଣୀ । ବୋଲଇ ଧୃତରାଷ୍ଟ୍ର ଶୁଣି ॥୯୬
ଧୃତରାଷ୍ଟ୍ର ଉବାଚ
ଅକ୍ରୂର କହୁଅଛୁ ଯେତେ । ଅମୃତପ୍ରାୟ ମଣେ ଚିତ୍ତେ ॥ ୯୭
ମନୁଷ୍ୟ ପାଇ ସୁଧାରସ । ପିବନ୍ତେ ମନ ନୋହେ ତୋଷ ॥ ୯୮
ଦରିଦ୍ର ପାଇ ଯେହ୍ନେ ଧନ । ତୋଷ ନୋହଇ ତାର ମନ ॥ ୯୯
ତୋର ବଚନ ସେହିମତ । ଶୁଣି ଚଞ୍ଚଳ ମୋର ଚିତ୍ତ ॥୧୦୦
ତୋ ବାଣୀ ନ ରହେ ମୋ ମନେ । ମେଘେ ବିଜୁଳିରୂପ ଯେହ୍ନେ ॥୧୦୧
ପୁତ୍ରର ଅନୁରାଗେ ଚିତ୍ତ । ଈଶ୍ୱରମାୟାରେ ମୋହିତ ॥୧୦୨
ଏମନ୍ତ ଗୋବିନ୍ଦର ମାୟା । ଅନ୍ୟଥା କେ କରିବ ତାହା ॥୧୦୩
ଅବନୀଭାରେ ଭାବଗ୍ରାହୀ । ଯାଦବବଂଶେ ଜାତ ହୋଇ ॥୧୦୪
ଏ କଥା ତାହାର ଭିଆଣ । ଅକ୍ରୁର ସ୍ଥିରମନେ ଶୁଣ ॥୧୦୫
ବିଷ୍ଣୁର ମାୟା ମହିମା । କେ ଜାଣିପାରେ ତାର ସୀମା ॥୧୦୬
ସେ ମାୟାବଳେ ଗୁଣ ତିନି । ଆପଣେ ଭ୍ରମେ ନାନାଯୋନି ॥୧୦୭
ଜୀବନରୂପେ ତହିଁ ପଶି । ଭୁଞ୍ଜଇ କର୍ମଫଳ ବସି ॥୧୦୮
ପରମ ଭିନ୍ନରୂପେ ଥାଇ । କରନ୍ତା କର୍ମ ନ ଲାଗଇ ॥୧୦୯
ଏମନ୍ତ ମହିମା ତାହାର । ମୁଁ କିସ କହିବି ପାମର ॥୧୧୦
ତାହାର କ୍ରୀଡ଼ା ଏ ଜଗତ । କେ ଜାଣିପାରେ ତାର ମତ ॥୧୧୧
ସଂସାର ଚକ୍ରଗତି କରି । ମାୟାର ବଳେଛନ୍ତି ଧରି ॥୧୧୨
ତାହାଙ୍କୁ ମୋର ନମସ୍କାର । ଛାମୁରେ କହିବୁ ଅକ୍ରୂର ॥୧୧୩
ଏମନ୍ତ ରାଜାର ବଚନେ । ଅକ୍ରୂର ଶୁଣି ତୋଷମନେ ॥୧୧୪
ବନ୍ଧୁବାନ୍ଧବ ପାଦେ ଲାଗି । କର ପ୍ରସାରି ଆଜ୍ଞା ମାଗି ॥୧୧୫
ପାଇଣ ଅକ୍ଷତ ବେଭାର । ମିଳିଲା ପାଣ୍ତବଙ୍କ ପୁର ॥୧୧୬
କୁନ୍ତୀଦେବୀଙ୍କି ଆଜ୍ଞା ମାଗି । ରଥ ଚଢିଣ ଚଳେ ବେଗି ॥୧୧୭
ପବନୁଁ ବେଗେ ଗତି ଯାନ । ସ୍ୱର୍ଗେ ଦେଖନ୍ତି ଦେବଗଣ ॥୧୧୮
ମଥୁରା ଗଲା ତତକ୍ଷଣ । ଦେଖିଲା ଗୋବିନ୍ଦଚରଣ ॥୧୧୯
ରାମର ପାଦେ ହସ୍ତ ଦେଇ । ବନ୍ଧୁକୁଶଳ କଥା କହି ॥୧୨୦
ପଣ୍ତୁବାଳକେ ରାଜା ଚିତ୍ତ । ବକ୍ରବେଭାର ବିପରୀତ ॥୧୨୧
ଶୁଣି ହସିଲେ ଭଗବାନ । ଅକ୍ରୂର ମୁଖେ ଅବଧାନ ॥୧୨୩
ସେ ରାମକୃଷ୍ଣ ପାଦେ ଚିତ୍ତ । ନମଇଁ ଦାସ ଜଗନ୍ନାଥ ॥୧୨୪
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ପୂର୍ବାର୍ଦ୍ଧେ ତ୍ରିପଞ୍ଚାଶତ୍ ଅଧ୍ୟାୟଃ ॥
ଚତୁଃପଞ୍ଚାଂଶ ଅଧ୍ୟାୟ
[ସମ୍ପାଦନା]- ଶୁକ ଉବାଚ
ଏବେ ହୋ ଶୁଣ ନରନାଥ । ରାମ ଗୋବିନ୍ଦଙ୍କ ଚରିତ ॥ ୧
କୃଷ୍ଣ ଯେ କଂସକୁ ମାଇଲେ । ତାହାର ବେନି ନାରୀ ଥିଲେ ॥ ୨
ଅସ୍ତି ପ୍ରାପତି ନାମେ ଦୁଇ । ସ୍ୱାମୀ ମରଣେ ଦୁଃଖ ପାଇ ॥ ୩
ବିଧବା କଷ୍ଟେ ଗରୁଚିନ୍ତା । ଜରାସନ୍ଧର ସେ ଦୁହିତା ॥ ୪
ବିଚାର କରି ମନେ ଗୁଣି । ସ୍ୱାମୀ ମରଣେ ସେ ତରୁଣୀ ॥ ୫
ମନେ ଅନେକ ଦୁଃଖ କରି । ଯାଇ ମିଳିଲେ ଜରାପୁରୀ ॥ ୬
ମାତାର ପାଦତଳେ ପଡ଼ି । ଉଠିଲେ ଶିରେ କରଯୋଡି ॥ ୭
ସ୍ୱାମୀ ମରଣେ ଯେତେ ଦୁଃଖ । ଭୋ ମାତ ଚାହାଁ ଆମ୍ଭ ମୁଖ ॥ ୮
କାନ୍ଦି କହିଲେ ପିତା ଆଗେ । ନିଜ ଜନନୀ ଘେନି ସଙ୍ଗେ ॥ ୯
ଭୋ ତାତ ବସୁଦେବ ପୋଏ । ଆମ୍ଭର ସ୍ୱାମୀ କଲେ କ୍ଷୟେ ॥ ୧୦
କେମନ୍ତେ ବଞ୍ଚିବୁଟି ଦିନ । ଆମ୍ଭର କର୍ମ ବଡ଼ ହୀନ ॥ ୧୧
ବେନୁଦୁହିତା ବାକ୍ୟ ଶୁଣି । କୋପେ ବୋଲଇ ନୃପମଣି ॥ ୧୨
ଯାଦବବଂଶେ କୃଷ୍ଣରାମ । ଈଷିତେ କଲେ ଏଡେ଼ କର୍ମ ॥ ୧୩
ଭୂମିରେ ଯଦୁବଂଶ ଥିଲେ । ଆମ୍ଭ କୁଶଳ ନାହିଁ ଭଲେ ॥ ୧୪
ରାମ ଗୋବିନ୍ଦ ବେଗେ ମାରି । ଏ ଭୂମି ଅଯାଦବ କରି ॥ ୧୫
ତେବେ ଜୀବନ ମୋର ସ୍ଥିର । କୋପେ ବୋଲଇ ନୃପବର ॥ ୧୬
ତେଇଶ ଅକ୍ଷୌହିଣୀ ସଙ୍ଗେ । ବଳ ସାଜିଲା ଚତୁରଙ୍ଗେ ॥ ୧୭
ପାହି ପାଇକ ନୃପଗଣ । ସାଜିଲା ମଗଧରାଜନ ॥ ୧୮
ଶବଦେ କମ୍ପେ ମହୀସ୍ଥଳୀ । ବାହାର ହେଲେ ମହାବଳୀ ॥ ୧୯
ରଜନୀ ଅଛି ବେନିଘଡି । ମଥୁରାପୁର ଯାଇ ବେଢ଼ି ॥ ୨୦
ରୁନ୍ଧିଲେ ଅଷ୍ଟଦିଗେ ପଥ । ଗହଳେ ନ ବହେ ମରୁତ ॥ ୨୧
କୃଷ୍ଣ ଦେଖିଲେ ତାର ବଳ । ଯେସନେ ସମୁଦ୍ର ଉଲ୍ଲୋଳ ॥ ୨୨
ପ୍ରଳୟକାଳେ ଜଳରାଶି । ଭୂମି ଗଗନ ଯେହ୍ନେ ଗ୍ରାସି ॥ ୨୩
ଦେଖି ମଥୁରାପୁରଜନ । ଡାକନ୍ତି ରଖ ଭଗବାନ ॥ ୨୪
ନିଶ୍ଚୟ ଆଜ ଗଲୁ ନାଶ । ଛାଡ଼ିଲୁ ଜୀବନର ଆଶ ॥ ୨୫
କାନ୍ଦନ୍ତି ଦଇବ ସୁମରି । ମଥୁରାପୁର ନରନାରୀ ॥ ୨୬
ଏମନ୍ତେ ମଥୁରାର ପ୍ରାଣୀ । ଦେଖି ଭାଳନ୍ତି ଚକ୍ରପାଣି ॥ ୨୭
ଭୂମିର ଭାରା ଖଣ୍ତିବାରେ । ମୋ ଜନ୍ମ ମନୁଷ୍ୟ ଶରୀରେ ॥ ୨୮
ବ୍ରହ୍ମା ଶଙ୍କର ବୋଲେ ମୁହିଁ । ଯାଦବ ବଂଶେ ଦେହ ବହି ॥ ୨୯
ନାଶିବି ଅବନୀର ଭାର । ଏଣେ ସେ ପ୍ରୟୋଜନ ମୋର ॥ ୩୦
ଏ ବଳ ଆଜ ମୁଁ ସହାରି । କିଞ୍ଚିତେ ଭୂମିବାରା ହରି ॥ ୩୧
ଜରାସନ୍ଧର ତୁଲେ ରଣ । ଦେଖି ଗଗନେ ସୁରଗଣ ॥ ୩୨
ଆନନ୍ଦେ ହୋଇବେ ହରଷ । ସଂସାରେ ଥିବ ମୋର ଯଶ ॥ ୩୩
ଭୂମିରେ ଯେତେ ନରପତି । ଶୁଣି ପାଇବେ ମନେ ଭୀତି ॥ ୩୪
ତେଇଶ ଅକ୍ଷୌହିଣୀ ବଳ । ଭାରେ ଧରଣୀ ଟଳମଳ ॥ ୩୫
ଜରା ଜୀବନ ମାତ୍ର ଥୋଇ । ଏ ବଳ ସଂହାରିବି ମୁହିଁ ॥ ୩୬
ମୁଣ୍ତ ମୁଣ୍ତାଇ ଅବହେଳେ । ଗଳାଇ ଦେବି ଜାନୁତଳେ ॥ ୩୭
ଏ ଅପମାନ ମନେ ଘେନି । ପୁଣି ଆସିବ ବଳ ଘେନି ॥ ୩୮
ଏମନ୍ତେ ଅଷ୍ଟାଦଶ ବାର । ଏହାର ତୁଲେ ରଣ ମୋର ॥ ୩୯
ଏମନ୍ତେ ଅବନୀର ଭାର । ଥୋକାଏ ହୋଇବ ସଂହାର ॥ ୪୦
ଦୁଷ୍ଟଦାନବ ବଳ ନାଶି । ସାଧୁଜନଙ୍କୁ ମୁଁ ଆଶ୍ୱାସି ॥ ୪୧
ଅଧର୍ମ ନାଶି ଧର୍ମ ଥୋଇ । ଏଥିନିମନ୍ତେ ମୋର ଦେହୀ ॥ ୪୨
ଏମନ୍ତ ଚିତ୍ତେ ପରିମାଣି । ଚାହିଁଲେ ପ୍ରଭୁ ଚକ୍ରପାଣି ॥ ୪୩
ଗଗନମାର୍ଗେ ବେନିରଥ । କୃଷ୍ଣ ସମୀପେ ଉପଗତ ॥ ୪୪
ଆଦିତ୍ୟପ୍ରାୟ ତେଜରାଶି । ବେନି ସାରଥି ଛନ୍ତି ବସି ॥ ୪୫
ଦେବ-ଆୟୁଧ ବାଣ ଦୀକ୍ଷା । ଶର କୋଦଣ୍ତ ଦେହ ରକ୍ଷା ॥ ୪୬
ବିଷ୍ଣୁର ନିଜ ଶସ୍ତ୍ରମାନ । ଦେଖି ସାନନ୍ଦ କୃଷ୍ଣମନ ॥ ୪୭
ରାମର ବଦନ ଅନାଇ । ବୋଲନ୍ତି ପ୍ରଭୁ ଭାବଗ୍ରାହୀ ॥ ୪୮
ଭୋ ରାମ ଦେଖ ଜରାସନ୍ଧ । ସ୍ୱଭାବେ ଦୁଷ୍ଟ ବଡ଼ ମନ୍ଦ ॥ ୪୯
ଏହାର ବଳ ନାଶକରି । ମଥୁରାଜନଙ୍କୁ ଉଦ୍ଧରି ॥ ୫୦
କେବଳ ଜରାସନ୍ଧ ଥିବ । ଅନେକ ସୈନ୍ୟ ସେ ଆଣିବ ॥ ୫୧
ଏଠାରେ କରିବା ସଂହାର । ଯୁଝିବା ଅଷ୍ଟାଦଶ ବାର ॥ ୫୨
ଏବେ ଏ ରଥେ ବିଜେ କର । ତେଇଶି ଅକ୍ଷୌହିଣୀ ମାର ॥ ୫୩
ଏ ଯେ ତୁମ୍ଭର ନିଜ ରଥ । ହଳ ମୁଷଳ ଅଛି ଏଥ ॥ ୫୪
ଜରାସନ୍ଧର ବଳ ଦେଖ । ଯାଦବେ ହୋଇବେ ନିରେଖ ॥ ୫୫
ମେଦିନୀ ଭାରା ନାଶିବାରେ । ଆମ୍ଭ ଜନମ ମର୍ତ୍ତ୍ୟପୁରେ ॥ ୫୬
ଏତେ ବିଚାରି ବେନିଭାଇ । ରଥେ ବସିଲେ ବେଗେ ଯାଇ ॥ ୫୭
ସମରେ ସଜ ବୀରମତେ । ବିବିଧ ଶସ୍ତ୍ର ଘେନି ହସ୍ତେ ॥ ୫୮
ମଥୁରାପୁର ନରନାରୀ । ଦେଖିଣ ଆଶ୍ଚର୍ଯ୍ୟେ ବିଚାରି ॥ ୫୯
ରାମଗୋବିନ୍ଦ ସଙ୍ଗେ ରଥ । କାହୁଁ ଆଣିଲେ ଯଦୁନାଥ ॥ ୬୦
ଦେବଦାନବେ ଅଗୋଚର । ବେନି ବିମାନ କାମଚର ॥ ୬୧
ଦେଖି ଆନନ୍ଦ ସର୍ବଜନ । ସୈନ୍ୟ ସହିତେ ଭଗ୍ରସେନ ॥ ୬୨
ଉଗ୍ରସେନର ବଳ ଘେନି । ଯୁଦ୍ଧକୁ ସଜ ଭାଇବେନି ॥ ୬୩
ଶଙ୍ଖ ଶବଦ କଲେ ହରି । ଶୁଭିଲା ଦଶଦିଗ ପୂରି ॥ ୬୪
ଦାରୁକ ନନ୍ଦିଘୋଷ ରଥେ । ଅଶ୍ୱଦଉଡ଼ି ଘେନି ହସ୍ତେ ॥ ୬୫
ଶୁଣି ଗୋବିନ୍ଦ ଶଙ୍ଖଧ୍ୱନି । ଜୟ ଶବଦେ ସୁରମୁନି ॥ ୬୬
ପୁଷ୍ପ ବରଷି ସ୍ତୁତି କରି । ରଥେ ଦେଖିଲେ ରାମହରି ॥ ୬୭
ଶଙ୍ଖଶବଦ କର୍ଣ୍ଣେ ଶୁଣି । ବଳ ତେଇଶ ଅକ୍ଷୌହିଣୀ ॥ ୬୮
ହୃଦୟ କମ୍ପିଲା ବିକଳେ । ଶସ୍ତ୍ର ପଡ଼ିଲା ହସ୍ତୁ ତଳେ ॥ ୬୯
ଜରା ଧାଇଁଲା ଏକରଥେ । ଆବୋରି ଗୋବିନ୍ଦର ପଥେ ॥ ୭୦
କୃଷ୍ଣଙ୍କୁ ଚାହିଁ ମହାବଳୀ । ବୋଲଇ ବାମଭୁଜ ତୋଳି ॥ ୭୧
ତୁ କୃଷ୍ଣ ପୁରୁଷ ଅଧମ । ତୁ କାହିଁ ଜାଣିବୁ ସଂଗ୍ରାମ ॥ ୭୨
ବାଳକ ହୋଇ ଗଣେ ସଜ । ମୁଖେ ନ ପାର କିମ୍ପା ଲାଜ ॥ ୭୩
ତୋହର ତୁଲେ ଯୁଦ୍ଧ କଲେ । ଲୋକେ ହସିବେ ମୋତେ ଭଲେ ॥ ୭୪
ଗୁପତେ ବନ୍ଧୁ କଲୁ ନାଶ । ତୋର ମଉଳା ବୀର କଂଶ ॥ ୭୫
ତୋହର ବଦନ ନ ଦେଖି । ପଳା ତୁ ସମର ଉପେକ୍ଷି ॥ ୭୬
ହେ ରାମ ତୁ ଯେ ବଳୀୟାର । ସଂଗ୍ରାମେ ଇଚ୍ଛା ଯେବେ ତୋର ॥ ୭୭
ହୃଦୟ ସ୍ଥିର କରି ଭଲେ । ସଂଗ୍ରାମ କର ମୋର ତୁଲେ ॥ ୭୮
ମୋହର ବାଣେ ପ୍ରାଣ ଦେଇ । ଯମର ପୁରେ ଯାଅ ତୁହି ॥ ୭୯
କି ଅବା କର ମୋତେ ନାଶ । ସଂସାରେ ଥିବ ତୋର ଯଶ ॥ ୮୦
ଜରାସନ୍ଧର ବୋଲ ଶୁଣି । ଆଗ ହୋଇଲେ ଚକ୍ରପାଣି ॥ ୮୧
କୋମଳ ଗଭୀର ବଚନ । କହିଲେ ଶ୍ରୀମଧୁସୂଦନ ॥ ୮୨
ଶୁଣ ମଗଧ ମହୀପତି । କହଇ ଏଥିର ଯୁକତି ॥ ୮୩
ଶଉର୍ଯ୍ୟବଳ ଯାର ଥାଇ । ସଂଗ୍ରାମ ମଧ୍ୟେ ସେ ଦେଖାଇ ॥ ୮୪
ଆତ୍ମପ୍ରଶଂସା ଆତ୍ମ ମୁଖେ । ଯେ ପ୍ରାଣୀ କହୁଥାନ୍ତି ସୁଖେ ॥ ୮୫
ଯଶ ନ ରହେ ବେନିଲୋକେ । ମରଣେ ପଡ଼ନ୍ତି ନରକେ ॥ ୮୬
ଆପଣା ମରଣ ନ ଜାଣୁ । ମୁଖେ ଅଶୁଭ କିମ୍ବା ଭଣୁ ॥ ୮୭
ମରଣ କାଳେ ତୋର ବାଣି । ଆମ୍ଭର କର୍ଣ୍ଣେ ତା ନ ଶୁଣି ॥ ୮୮
ଆଜ ଜାଣିବା ତୋର ରଣ । ଅବଶ୍ୟ ଘେନି ତୋ ପରାଣ ॥ ୮୯
ଦାତାପଣକୁ ତୁ ଯେ ଟାଣ । ଦାନ ତୁ ଦେବୁ ସୈନ୍ୟଗଣ ॥ ୯୦
ଆପଣେ ଯିବୁ ପ୍ରାଣ ଘେନି । ଦକ୍ଷିଣା ଦେବୁ ପୁଣ ଆଣି ॥ ୯୧
ଏମନ୍ତେ ଅଷ୍ଟାଦଶ ବେଳ । ଶୁଣ ତୁ ଜରା ମହୀପାଳ ॥ ୯୨
ଶୁକ ବୋଲନ୍ତି ଶୁଣ ରାୟେ । କୋପ ବସିଲା ଜରାଦେହେ ॥ ୯୩
କୃଷ୍ଣର କଟୁବାକ୍ୟ ଶୁଣି । ହୃଦେ ଚିନ୍ତିଲା ନୃପମଣି ॥ ୯୪
ଦନ୍ତେ ଅଧର କାମୁଡିଲା । କୃଷ୍ଣକୁ ମାରରେ ବୋଇଲା ॥ ୯୫
ତକ୍ଷଣେ ରଥ-ଗଜ ଯୂଥ । ରୁନ୍ଧିଲେ ରାମକୃଷ୍ଣ ପଥ ॥ ୯୬
ପବନ ରେଣୁ ଘେନି ଯେହ୍ନେ । ଆଦିତ୍ୟ ଆଚ୍ଛାଦେ ଗଗନେ ॥ ୯୭
ମଥୁରାପୁର ନରନାରୀ । ଆରୋହୀ ଜଗତି ଅଟ୍ଟାଳି ॥ ୯୮
କେ ବୃକ୍ଷେ ଉଠି ଦୃଷ୍ଟି ଦେଇ । ରାମ ଗୋବିନ୍ଦ ରଥେ ଚାହିଁ ॥ ୯୯
ସଂଗ୍ରାମେ ନ ଦିଶିଲା ରଥ । ପଡ଼ି ହୋଇଲେ ମୋହଗତ ॥ ୧୦୦
କାନ୍ଦନ୍ତି କୃଷ୍ଣ ନାମ ଧରି । ତାହା ଜାଣିଲେ ନରହରି ॥ ୧୦୧
ଜରା ସଇନି ମେଘପ୍ରାୟେ । ବାଣ ବିନ୍ଧିଲେ ଅପ୍ରମୟେ ॥ ୧୦୨
ଅସୁର ବାଣେ ଚାରିପଥେ । ଆପଣା ନିଜ ବଳ ଯେତେ ॥ ୧୦୩
ମୂର୍ଚ୍ଛିତ ଦେଖି ନରହରି । ସାରଙ୍ଗଧନୁ କରେ ଧରି ॥ ୧୦୪
ଗୋବିନ୍ଦ କଲେ ଗୁଣ ଘୋଷ । ଶବଦ ପୂରେ ଦଶଦିଶ ॥ ୧୦୫
କନ୍ଧେ ଯେ ଥିଲା ବେନି ତୂଣ । ତହୁଁ ଘେନିଲେ ତୀକ୍ଷ୍ଣ ବାଣ ॥ ୧୦୬
ଗୁଣେ ବସାଇ ଦେବରାୟେ । ଧନୁ ଟାଣିଲେ କର୍ଣ୍ଣଯାଏଁ ॥ ୧୦୭
ମନ୍ତ୍ର ସୁମରି କୋଟି କୋଟି । ଗୋବିନ୍ଦ କଲେ ଶରବୃଷ୍ଟି ॥ ୧୦୮
ରଥ କୁଞ୍ଜର ବାଜି ନର । ବାଣେ ଛେଦିଲେ ଚକ୍ରଧର ॥ ୧୦୯
ଅନଳଗତି ପ୍ରାୟ ବାଣ । କୃଷ୍ଣ ବିନ୍ଧିଲେ ପୁଣ ପୁଣ ॥ ୧୧୦
କୃଷ୍ଣର ବାଣ ନିରନ୍ତରେ । ପଡ଼ିଲା ଗଜ-ବାଜି ଶିରେ ॥ ୧୧୧
ରଥୀ ପଦାତି ଶିର ଛିଡି । ପଡ଼ିଲେ ରଣଭୂମି ମାଡ଼ି ॥ ୧୧୨
ଧ୍ୱଜ ସାରଥି ତୁଲେ ରଥ । ରଣେ ପଡ଼ଲେ ୟୁଥ ୟୁଥ ॥ ୧୧୩
ପଦାତି ରଣେ ଛନ୍ତି ପଡ଼ି । ଭୁଜ-ଚରଣକନ୍ଧ ଛିଡି ॥ ୧୧୪
ଆନନ୍ଦେ ଶୁକମୁନି କହେ । ଶୁଣ ପରୀକ୍ଷ କୁରୁରାୟେ ॥ ୧୧୫
ନର କୁଞ୍ଜର ଶିର ଛିଡ଼ି । ରୁଧିରନଦୀ ବେଗେ ବଢ଼ି ॥ ୧୧୬
ଶତେ ସହସ୍ର ଧାରା ପୂରି । ବିଷମ ତରଙ୍ଗ ଲହରୀ ॥ ୧୧୭
ଗଭୀର ଘୋରନାଦ ପୁଣ । ରାଜନ ସାବଧାନେ ଶୁଣ ॥ ୧୧୮
ଭୁଜେ ଭାସନ୍ତି ସର୍ପପ୍ରାୟେ । ଶିର ଦିଶନ୍ତି କୂର୍ମମୟେ ॥ ୧୧୯
ଗହଳେ ହସ୍ତୀଦେହ ଭାସି । ନଦୀର କୁବ ପ୍ରାୟେ ଦିଶି ॥ ୧୨୦
କୁମ୍ଭୀର ପ୍ରାୟ କୋଟି କୋଟି । ତୁରଙ୍ଗ ଦେହେ ଯାଏ ଘୋଟି ॥ ୧୨୧
ମୀନଙ୍କ ପ୍ରାୟ କର ଉର । ବାଳ ଭାସଇ ଯେହ୍ନେ ଦଳ ॥୧୨୨
ତରଙ୍ଗ ପ୍ରାୟ ଧନୁର୍ଗୁଣ । ଆୟୁଦ୍ଧ ଯେହ୍ନେ ବୃକ୍ଷ ତୃଣ ॥୧୨୩
ଖଡ଼ଗ ଚର୍ମ ଉର୍ମିପାଳ । ଘୋର ଗଭୀର ଅନ୍ତରାଳ ॥୧୨୪
ମଣିଏ ଭେକ ପ୍ରାୟ ଦିଶି । ରୁଧିର ସଙ୍ଗେ ଯାନ୍ତି ଭାସି ॥୧୨୫
ବାଲୁକା ପ୍ରାୟ କ୍ଷୁଦ୍ର ମଣି । ଶୁଣ ରାଜନ ଯୁଦ୍ଧ ବାଣୀ ॥୧୨୬
ମଡ଼ାଏ ଯାନ୍ତି କୋଟି କୋଟି । ଲହରୀ ଯେହ୍ନେ ରହେ ଫୁଟି ॥୧୨୭
ରୁଧିର ଜଳେ ନଦୀଗଣେ । ବହିଲେ ଗୋବିନ୍ଦମାରଣେ ॥୧୨୮
ଦେଖି ହସନ୍ତି ଦେବତାଏ । ସ୍ୱର୍ଗେ ଶୁଭିଲା ଜୟେ ଜୟେ ॥୧୨୯
ମୂଷଳ ଘାତେ ହଳଧର । ଅନେକ ରଥ କଲେ ଚୂର ॥୧୩୦
ସେ ଉଗ୍ରସେନ ନୃପବର । ସଂଗ୍ରାମ କଲେକ ଅପାର ॥୧୩୧
ଯାଦବ ସଙ୍ଗେ ମହାବୀର । ସଂଗ୍ରାମ କଲେ ଅତି ଘୋର ॥୧୩୨
ସମସ୍ତେ ହୋଇଣ ହରଷ । ଜରା ସଇନି କଲେ ନାଶା ॥୧୩୩
ଦେଖି ଅସୁରବଳ ରାୟେ । ଘୋର ପ୍ରଳୟ ସିନ୍ଧୁ ପ୍ରାୟେ ॥୧୩୪
କାହାର ବଳ ତାହା ସାଧି । ଦୁର୍ଗମ ଦୁସ୍ତର ଜଳଧି ॥୧୩୫
ବସୁଦେବର ବେନି ପୋଏ । କିଞ୍ଚିତ ମାତ୍ରେ କଲେ କ୍ଷୟେ ॥୧୩୬
ଜଗତେ ଶୂରବୀରପଣ । ଈଷିତେ ଶତ୍ରୁ ସଂହାରଣ ॥୧୩୭
ଏ ତିନିଭୁବନ କାରଣ । ମାୟାମନୁଷ୍ୟ ନାରାୟଣ ॥୧୩୮
ଲୀଳା ମାତ୍ରକେ ନରହରି । ଅନନ୍ତ ନାନା ରୂପ ଧରି ॥୧୩୯
ସେ ମାୟାଧର ଯେତେ କୃତ୍ୟ । ମନୁଷ୍ୟ ଲୋକେ ବିପରୀତ ॥୧୪୦
ଏମନ୍ତେ ରିପୁ କଲେ ନାଶ । ରହିଲା ଜରାସନ୍ଧ ଶେଷ ॥୧୪୧
ଯେଣେ ଚାହଁଇ ନୃପମଣି । ଦେଖେ ରୁଧିର ତରଙ୍ଗିଣୀ ॥୧୪୨
ରକତ ସିନ୍ଧୁ ଦଶଦିଶେ । ଦେଖଇ କେହି ନାହିଁ ପାଶେ ॥୧୪୩
ରାମ ଗୋବିନ୍ଦ ବେନିରଥେ । ସାରଙ୍ଗଧନୁ-ଜଳହସ୍ତେ ॥୧୪୪
ଯେସନେ ନଟବର ଦୁଇ । ସଂଗ୍ରାମ ମଧ୍ୟେ ଛନ୍ତି ରହି ॥୧୪୫
ଦୁର୍ଜୟ ବଳ କରି ନାଶ । ରଙ୍ଗ ଅଧରେ ମନ୍ଦହାସ ॥୧୪୬
ସିଂହକୁ ସିଂହ ଯେହ୍ନେ ମାଡ଼ି । ଜରା ଛାଡ଼ିଲା ଘୋର ରଡ଼ି ॥୧୪୭
ସଂଗ୍ରାମ ମଧ୍ୟେ କରି ଗତି । ଯେସନେ ଯୂଥଭ୍ରଷ୍ଟ ହସ୍ତୀ ॥୧୪୮
ଦେଖି ଧାଇଁଲେ ହଳଧର । ମୁଷଳେ ରଥ କଲେ ଚୂର ॥୧୪୯
କେଶ ଧଇଲେ ବାମହସ୍ତେ । କୋପେ ଚାପିଲେ ଭୂମିଗତେ ॥୧୫୦
ସିଂହ ଯେସନେ ହସ୍ତୀ ପାଡ଼ି । ରାମ ଛାଡ଼ିଲେ ଘୋର ରଡ଼ି ॥୧୫୧
ଦେଖି ତାହାର କର୍ମଫଳ । ହେଳେ ହସିଲେ କୃଷ୍ଣ ବଳ ॥୧୫୨
ନର-ବରୁଣ ପାଶ ଆଣି । ବନ୍ଧନ କଲେ ହଳପାଣି ॥୧୫୩
ଦେଖି ଧାଇଁଲେ ଦେବହରି । ତାର ବନ୍ଧନ ବେଗେ ଫେଡ଼ି ॥୧୫୪
ବୋଲନ୍ତି ଶୁଣି ଦେବରାଜ । ଏହାରେ ଅଛି ବଡ଼ କାର୍ଯ୍ୟ ॥୧୫୫
ଏମନ୍ତ କହି ସୁଖଭୋଳେ । ଗଳାଇ ଦେଲେ ଜାନୁତଳେ ॥୧୫୬
ଜୀବନ ଘେନି ପଳାଇଲା । ଡ଼ରେ ଅନେକ ଦୂର ଗଲା ॥୧୫୭
ସ୍ୱଭାବେ ବୀର ମଧ୍ୟେ ଶ୍ରେଷ୍ଠ । କର୍ମେ ପାଇଲା ବଡ଼ କଷ୍ଟ ॥୧୫୮
ପଥେ ବସିଲା ଲଜ୍ଜା ପାଇ । ଭାଳଇ ଚଉଦିଗ ଚାହିଁ ॥୧୫୯
ଏ ଭୂମି ଭୋଗ ତପଫଳେ । ଭୁଞ୍ଜଇ ବେନି ଭୁଜବଳେ ॥୧୬୦
ମୁଁ ଏବେ ଘୋରତପ କରି । ପୂଜିବି ଶଙ୍କରଗଉରୀ ॥୧୬୧
ଈଶ୍ୱର ତହୁଁ ବର ପାଇ । ଯଦୁଙ୍କୁ ସଂହାରିବି ମୁହିଁ ॥୧୬୨
ରାମ ଗୋବିନ୍ଦ ମୋ ବଇରୀ । ନିଶ୍ଚେ ମାରିବି ତପକରି ॥୧୬୩
ଏମନ୍ତ ବିଚାରଇ ମନେ । ଲାଜ ନ ପାଇବି ଯେସନେ ॥୧୬୪
ବୋଇଲା ଏତ ମହାପାପ । ନିରସ୍ତ୍ର କଲେ ଶିଶୁଗୋପ ॥୧୬୫
ମରଣୁଁ ବଳିଲା ଏ ଲାଜ । କିସ ବୋଲିବେ ସର୍ବରାଜ ॥୧୬୬
ଏମନ୍ତ ଭାଳି ମନେ ମନ । ଜରା ହୋଇଲା ଛନଛନ ॥୧୬୭
ସୈନ୍ୟ ମୋ ହୋଇଲେ ନିଧନ । କିସ ବୋଲିବେ ସର୍ବଜନ ॥୧୬୮
ପାତ୍ର-ମନ୍ତ୍ରୀଏ ଦାରାସୁତ । କି ବୋଲି କହିବି ତାହାନ୍ତ ॥୧୬୯
କାହାର ଚାହିଁବଇଁ ମୁଖ । ଦଇବ ଦେଲା ବଡ଼ ଦୁଃଖ ॥୧୭୦
ଏମନ୍ତ ବିଚାରନ୍ତେ ମନେ । ଆସି ମିଳିଲେ ବନ୍ଧୁଜନେ ॥୧୭୧
ବୋଲନ୍ତି ରାଜାମୁଖ ଚାହିଁ । ବିମନ ହେଉ କିସ ପାଇଁ ॥୧୭୨
ଅର୍ଜିଲା କର୍ମବନ୍ଧ-ଫଳେ । ରଣେ ହାରିଲୁ ଏକାବେଳେ ॥୧୭୩
ଯଦୁଙ୍କ ହସ୍ତେ ପରାଭବ । ଏକଥା ସଂଚିଲା ଦଇବ ॥୧୭୪
କ୍ଷତ୍ରିୟଧର୍ମ ମହୀତଳେ । ଜୟ-ଅଜୟ ଯୁଦ୍ଧକାଳେ ॥୧୭୫
କ୍ଷତ୍ରିୟ ନ କରେ ବିଷାଦ । ଶତ୍ରୁର ସଙ୍ଗେ ଯେବେ ବାଦ ॥୧୭୬
ତହିଁକି ପୁଣ ପୁଣ କରି । ଯୁଦ୍ଧ କରିବ ଦଣ୍ତଧାରୀ ॥୧୭୭
ସର୍ବେ କରିବା ମହାରଣ । ରାଜନ ଆମ୍ଭ ବୋଲ ଶୁଣ ॥୧୭୮
ଯଦୁଙ୍କୁ ସମରେ ସଂହାରି । ମହୀ ଭୁଞ୍ଜିବୁ ଦଣ୍ତଧାରୀ ॥୧୭୯
ଏମନ୍ତ ମନବୋଧ କରି । ରଥେ ତୋଳିଲେ ହସ୍ତଧରି ॥୧୮୦
ପଛେ ଗୋଡ଼ାନ୍ତି ବନ୍ଧୁଜନେ । ଜରା ଚଳିଲା ଦୁଃଖମନେ ॥୧୮୧
ଲାଜେ ନ ଚାହିଁ ଦଶଦିଶ । ରାେତ୍ରେ ମିଳିଲା ନିଜ ଦେଶ ॥୧୮୨
ଏବେ ହୋ ଶୁଣ ନୃପମଣି । ସଂଗ୍ରାମେ କୃଷ୍ଣ ହଳପାଣି ॥୧୮୩
ଉଗ୍ରସେନର ଯେତେ ବଳ । ରଖିଲେ ମଦନଗୋପାଳ ॥୧୮୪
ସକଳେ ବିଷ୍ଣୁେତେଜମୟେ । କ୍ଷତ ନୋହିଲା ତାଙ୍କ ଦେହେ ॥୧୮୫
ରିପୁ ସାଗରୁ ସୈନ୍ୟ ତାରି । ବିଜୟ କଲେ ରାମହରି ॥୧୮୬
ଦେବେ କରନ୍ତି ଜୟଧ୍ୱନି । ସ୍ତୁତି କରନ୍ତି ସୁରମୁନି ॥୧୮୭
ପୁଷ୍ପ ବରଷି ଜଳସଙ୍ଗେ । ନାଚନ୍ତି ସୁରନାରୀ ରଙ୍ଗେ ॥୧୮୮
ମଥୁରାପୁର ନରନାରୀ । ମିଳିଲେ କରେ ଅର୍ଘ୍ୟ ଧରି ॥୧୮୯
ପଛେ ଗୋଡ଼ାନ୍ତି ବନ୍ଧୁଜନେ । ଦେଖନ୍ତି ହରଷ ନୟନ ॥୧୯୦
ସୂତ ମାଗଧେ ଯଶ ଭଣି । ଦ୍ୱିଜେ ମଙ୍ଗଳ ବେଦଧ୍ୱନି ॥୧୯୧
ଶଙ୍ଖ ଦୁନ୍ଦୁଭି ବାଦ୍ୟଘୋଷ । ଗୋବିନ୍ଦ ମଥୁରା ପ୍ରବେଶ ॥୧୯୨
ଚନ୍ଦନ ଛେରା ମାର୍ଗେ ଦେଇ । ଉପରେ ତୋରଣା ଲମ୍ବାଇ ॥୧୯୩
ଦଧି ଅକ୍ଷତ ପୂର୍ଣ୍ଣକୁମ୍ଭ । କରନ୍ତି ମଙ୍ଗଳ ଆରମ୍ଭ ॥୧୯୪
ଦୁର୍ବା କୁସୁମ ଘେନି ନାରୀ । ଆନନ୍ଦେ ବନ୍ଦାପନା କରି ॥୧୯୫
ରାମ ଗୋବିନ୍ଦ ବେନିଭାଇ । ହରଷ ନୟେନ ଅନାଇ ॥୧୯୬
ମିଳିଲେ ଆପଣା ଭୁବନେ । ସଙ୍ଗତେ ଉଗ୍ରସେନ ସୈନ୍ୟେ ॥୧୯୭
ଯୁଦ୍ଧେ ଜିଣିଲା ଧନ ଆଣି । ବୋଲନ୍ତି ପ୍ରଭୁ ଚକ୍ରପାଣି ॥୧୯୮
ରାଜନ ଜିଣିଲୁ ସମର । ଏ ଧନ ଭଣ୍ତାର ତୁମ୍ଭର ॥୧୯୯
ଉଗ୍ରସେନକୁ ଧନ ଦେଇ । ପୁରେ ମିଳିଲେ ବେନିଭାଇ ॥୨୦୦
ରାମଗୋବିନ୍ଦ ଭାଇବେନି । ପିତାମାତାଙ୍କ ପାଦେ ନମି ॥୨୦୧
ଭୋ ତାତ ମାତ ତୋ ପ୍ରସାଦେ । ଶତ୍ରୁ ଜିଣିଲୁ ଅପ୍ରମାଦେ ॥୨୦୨
ଉଗ୍ରସେନର ବଳ ଘେନି । ଆମ୍ଭେ ଜିଣିଲୁ ଭାଇବେନି ॥୨୦୩
ଶୁଣି ଆନନ୍ଦ ବାପମାଏ । କୋଳେ ବସାଇ ଚୁମ୍ବ ଦିଏ ॥୨୦୪
ଭିତରପୁରେ ବିଜେ କଲେ । ଯେ ଯାହା ପୁରେ ସର୍ବେ ଗଲେ ॥୨୦୫
କହନ୍ତି ବ୍ୟାସଙ୍କ ତନୟ । ଶୁଣ ସୁମନେ କୁରୁରାୟ ॥୨୦୬
ସପତଦଶବାର ଆଣି । ବଳ ତେଇଶ ଅକ୍ଷୌହିଣୀ ॥୨୦୭
ଗୋବିନ୍ଦ ସଙ୍ଗେ ଯୁଦ୍ଧ କଲା । ମାଗଧ ବେଳେ ନ ଜିଣିଲା ॥୨୦୮
କୃଷ୍ଣର ତେଜେ ଯଦୁବଳ । ଯୁଦ୍ଧେ ଦିଶନ୍ତି ସର୍ବକାଳ ॥୨୦୯
ଅଭେଦ୍ୟ ତାହାଙ୍କ ଶରୀର । ଏବେ ହୋ ଶୁଣ ନୃପବର ॥୨୧୦
ଜରାସନ୍ଧର ଯେତେ କୃତ୍ୟ । ତୋତେ କହିଲି ଭାଗବତ ॥୨୧୧
ସପତଦଶବାର ହାରି । ପୁଣ ସାଜିଲା ଦଣ୍ତଧାରୀ ॥୨୧୨
ବ୍ରହ୍ମାନନ୍ଦନ ତାହା ଜାଣି । ଭାଳନ୍ତି ମନେ ପରିମାଣି ॥୨୧୩
କାଳଯବନ ବୀର ଥିଲେ । ଯଦୁକୁଶଳ ନାହିଁ ଭଲେ ॥୨୧୪
ଆଜ କରିବି ଦେବକାର୍ଯ୍ୟ । ଗଞ୍ଜିବି ଯବନର ତେଜ ॥୨୧୫
ଏତେ ବିଚାରି ଶୂନ୍ୟବାଟେ । ମିଳିଲେ ଯବନ ନିକଟେ ॥୨୧୬
ଦେଖି ସାନନ୍ଦ ନୃପବର । ପୂଜିଲା ନାରଦ ପୟର ॥୨୧୭
କରଯୁଗଳ ଦେଇ ଶିରେ । ନମିଲା ମୁନିଙ୍କ ପୟରେ ॥୨୧୮
କାଳଯବନ ମୁଖ ଚାହିଁ । ମୁନି କହନ୍ତି ଖେଦ ବହି ॥୨୧୯
ଯାଦବବଂଶେ ମହାବଳୀ । ଅଛନ୍ତି ରାମବନମାଳୀ ॥୨୨୦
ଜରାସନ୍ଧର ଯେତେ ବଳ । ମାଇଲେ ସପ୍ତଦଶ ବେଳ ॥୨୨୧
ତାହାଙ୍କ ସଙ୍ଗେ ଯୁଦ୍ଧକାରୀ । ତିନିଭୁବନେ ନାହିଁ ସରି ॥୨୨୨
ତୁ ଯେ ବୋଲାଉ ବଳୀୟାର । ଯଦୁଙ୍କ ସଙ୍ଗେ ଯୁଦ୍ଧ କର ॥୨୨୩
ଜରା ହିଁ ସାଜିଅଛି ଯୁଦ୍ଧେ । ପାରିଲେ ସାଧ ଏହି ମଧ୍ୟେ ॥୨୨୪
ଆସ ମୋହର ତୁଲେ ତୁହି । କୃଷ୍ଣଙ୍କୁ ଭେଟାଇବି ନେଇ ॥୨୨୫
କୃଷ୍ଣର ରୂପ ଗୁଣ କହି । ନାରଦ ଗଲେ ଆଗ ହୋଇ ॥୨୨୬
କାଳଯବନ ଶୁଣି ତାହା । ଯୁଦ୍ଧକୁ ବଳିଲା ଉତ୍ସାହା ॥୨୨୭
ଯବନ ବଳ ତିନିକୋଟି । ସାଜିଲା ବନ ଗିରି ଘୋଟି ॥୨୨୮
ରଜନୀକାଳେ ମଧୁପୁରୀ । ରୁନ୍ଧିଲା ତିନିପୁର କରି ॥୨୨୯
ଯବନ ବଳ ଦେଖି ହରି । କହନ୍ତି ରାମ କର ହଟ ॥୨୩୦
ଦେଖ ଯାଦବ ବଳ କଷ୍ଟ । ଦଇବ ଆଣି କଲା ହଟ ॥୨୩୧
ମାଗଧ ଆସୁଅଛି ବାହି । ଯାଦବେ ଯିବେ ଆଜ କାହିଁ ॥୨୩୨
ଯବନ ସଙ୍ଗେ ଯୁଦ୍ଧ କରି । ରହିଲେ ସମର ଆବୋରି ॥୨୩୩
ଏମନ୍ତେ ମାଗଧ ଆସିବ । ଯଦୁଙ୍କୁ ପ୍ରାଣେ ସଂହାରିବ ॥୨୩୪
ଧନଜୀବନ ବନ୍ଦୀ କରି । ଘେନାଇ ଯିବ ନିଜ ପୁରୀ ॥୨୩୫
ନିର୍ଜନେ ଦୁର୍ଗେକ ଭିଆଇ । ଧନ କୁଟୁମ୍ବ ତହିଁ ଥୋଇ ॥୨୩୬
ତେବେ କରିବା ରଣରଙ୍ଗ । ଏମନ୍ତେ କହିଲେ ଶ୍ରୀରଙ୍ଗ ॥୨୩୭
ଜଳଧି ମଧ୍ୟେ କୃଷ୍ଣ ଯାଇ । ବୋଲନ୍ତି ବରୁଣଙ୍କୁ ଚାହିଁ ॥୨୩୮
ସମୁଦ୍ର ମଧ୍ୟେ ଛାଡ଼ ସ୍ଥାନ । ଏଥେ ମୁଁ କରିବି ବିଶ୍ରାମ ॥୨୩୯
ଶୁଣି ଗୋବିନ୍ଦର ବଚନ । ଛାଡ଼ିଲା ଦ୍ୱାଦଶ ଯୋଜନ ॥୨୪୦
ଗୋବିନ୍ଦ ବିଶ୍ୱକର୍ମା ରାଇ । ବୋଲନ୍ତି ତାର ମୁଖ ଚାହିଁ ॥୨୪୧
ଦ୍ୱାରକାର ନାମେ ଦିବ୍ୟପୁର । ଦେବ ମାନବେ ଅଗୋଚର ॥୨୪୨
ମଥୁରାପୁର ପ୍ରାୟ କର । ଯାହାର ଯେମନ୍ତ ମନ୍ଦିର ॥୨୪୩
ଗୋବିନ୍ଦ ଆଜ୍ଞା ପରମାଣେ । ନିର୍ମାଣ କଲା ତତକ୍ଷଣେ ॥୨୪୪
ଚିତ୍ରବିଚିତ୍ର ପୁରମାନ । ଦେଖିଲେ ମୋହେ ଜନମନ ॥୨୪୫
ଅତି ସୁସଞ୍ଚ ଉଚ୍ଚସାର । ମେଢ ଅଟ୍ଟାଳୀ ପୁରଦ୍ୱାର ॥୨୪୬
ହେମ ରଜତ ତମ୍ବା ମହୀ । ନାନା ଭୁବନ ପ୍ରକାଶଇ ॥୨୪୭
ମହାମର୍କତ ପଦ୍ମରାଗ । ନୀଳଲୋହିତ ପୀତ ରଙ୍ଗ ॥୨୪୮
ବ୍ରାହ୍ମଣ ଆଦି ଚାରିବର୍ଣ୍ଣ । ଯେ ଯାହା ପୁର ଭିନ୍ନ ଭିନ୍ନ ॥୨୪୯
ସୁଧର୍ମା ସଭା ପାରିଜାତ । ଆଣି ସ୍ଥାପିଲା ଶଚୀନାଥ ॥୨୫୦
ଯହିଁ ବସିଲେ ମର୍ତ୍ତ୍ୟଜନ । ଦିଶନ୍ତି ଦେବତା ସମାନ ॥୨୫୧
ବରୁଣ ଅଶ୍ୱ ଶ୍ୟାମକର୍ଣ୍ଣ । ମନପବନ ଗତି ଯାନ ॥୨୫୨
ଏମନ୍ତ ଅଶ୍ୱ ଆଣି ଦେଲା । ଗୋବିନ୍ଦ ଚରଣେ ପୂଜିଲା ॥୨୫୩
ବାସବଆଦି ଦିଗପତି । ନିଯୋଗେ ପୂଜିଲେ ଶ୍ରୀପତି ॥୨୫୪
ଗୋବିନ୍ଦ ଯୋଗମାୟା କରି । ରାତ୍ରେ ମଥୁରାପୁର ଶିରୀ ॥୨୫୫
ଦ୍ୱାରକାପୁର ମଧ୍ୟେ ଥୋଇ । ମିଳିଲେ ରାମସଙ୍ଗେ ଯାଇ ॥୨୫୬
ରଜନୀ ହୋଇଲା ପ୍ରଭାତ । ବାହାର ହେଲେ ଗୋପୀନାଥ ॥୨୫୭
କମଳମାଳା କଣ୍ଠେ ଶୋହି । କରଯୁଗଳେ ଶସ୍ତ୍ର ନାହିଁ ॥୨୫୮
କହଇ ଦାସ ଜଗନ୍ନାଥ । ସେ ହରିପାଦେ ଦେଇ ଚିତ୍ତ ॥୨୫୯
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରାମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ଉତ୍ତରାର୍ଦ୍ଧେ ଦୁର୍ଗନିବେଶନଂ ନାମ ଚତୁଃପଞ୍ଚାଶତ୍ ଅଧ୍ୟାୟଃ ॥
ପଞ୍ଚପଞ୍ଚାଂଶ ଅଧ୍ୟାୟ
[ସମ୍ପାଦନା]- ଶୁକ ଉବାଚ
ନମଇଁ କୃଷ୍ଣର ଚରଣ । ଅନାଦି ପୁରୁଷ ପୁରାଣ ॥୧
କହନ୍ତି ଶୁକ ମୁନିବର । ଶୁଣ ପରୀକ୍ଷ ନୃପବର ॥୨
ସକଳ ନିଯୋଜିତ କରି । ସୈନ୍ୟ ଆଗରେ ନରହରି ॥୩
ମଥୁରା ଗଡ଼ଦ୍ୱାର ମଧ୍ୟେ । କୃଷ୍ଣ ବିଜୟ ପଦ୍ମପାଦେ ॥୪
ଉଦୟଗିରି ମଧ୍ୟେ ଆସି । ଯେହ୍ନେ ବିରାଜେ ପୂର୍ଣ୍ଣଶଶୀ ॥୫
ଅତି ସୁନ୍ଦର ଶ୍ୟାମଦେହୀ । ପୀତବସନ ବିରାଜଇ ॥୬
ଶ୍ରୀବତ୍ସଲାଞ୍ଚନ ସୁନ୍ଦର । କୌସ୍ତୁଭମଣି ହୃଦେ ହାର ॥୭
ଆଜାନୁଲମ୍ବେ ଚାରିଭୁଜ । ଅରୁଣ ଚକ୍ଷୁ ପଦ୍ମତେଜ ॥୮
ନିତ୍ୟ ଆନନ୍ଦ ହାସମୁଖ । ସୁନ୍ଦର କପୋଳ ସୁରେଖ ॥୯
କର୍ଣ୍ଣେ ମକରାକାର ହୋଇ । ରତ୍ନକୁଣ୍ତଳ ବିରାଜଇ ॥୧୦
କୋଟି କନ୍ଦର୍ପରୂପ ସାର । ରୂପକୁ ଚାହିଁ ପଟାନ୍ତର ॥୧୧
କାଳଯବନ କୃଷ୍ଣେ ଚାହିଁ । ନାରଦ ବାକ୍ୟେ ମନ ଦେଇ ॥୧୨
ବୋଲଇ ବାସୁଦେବ ଏହି । ଶ୍ରୀବତ୍ସ ଚିହ୍ନ ହୃଦେ ଶୋହି ॥୧୩
ଆଜାନୁଲମ୍ବେ ଚାରିଭୁଜେ । କମଳନୟନ ବିରାଜେ ॥୧୪
ବନମାଳାଏ ଲମ୍ବେ ଉର । ଅପୂର୍ବ ମୋହନ ସୁନ୍ଦର ॥୧୫
ନାରଦ କହିଛନ୍ତି ଯେତେ । ଚିହ୍ନ ଦେଖିଲି ଏହା ଗାତ୍ରେ ॥୧୬
କୃଷ୍ଣହୁଁ ନୋହଇ ଏ ଆନ । ରୂପେ ମୋହିଲା ମୋର ମନ ॥୧୭
ଏହାର କରେ ଶସ୍ତ୍ର ନାହିଁ । ଚରଣେ ଚାଲୁଅଛି ମହୀ ॥୧୮
ମୁଁ କିମ୍ପା କରେ ଶସ୍ତ୍ର ଧରି । ଏହାର ତୁଲେ ଯୁଦ୍ଧ କରି ॥୧୯
ନିନ୍ଦା ପାଇବି ଇହଲୋକେ । ମରଣେ ପଡ଼ିବି ନରକେ ॥୨୦
ମୁହିଁ ହୋଇବି ନିରାୟୁଧ । ତେବେଏହାର ତୁଲେ ଯୁଦ୍ଧ କରି ॥୨୧
ଏମନ୍ତ ଅସୁର ବିଚାରି । ତାହା ଜାଣିଲେ ନରହରି ॥୨୨
ମାୟାରେ ମୋହି ତାର ମନ । ବେଗେ ଧାଇଁଲେ ଭଗବାନ ॥୨୩
କାଳଯବନ ବିଚାରଇ । ଲୁଚିଣ ଯିବ ଏ ପଳାଇ ॥୨୪
ଯୁଦ୍ଧ ନ କରି ପଳାଇଲା । ଏମନ୍ତ ବୋଲି ଗୋଡ଼ାଇଲା ॥୨୫
ଯେ ହରି ଦେବଙ୍କୁ ଦୁର୍ଲ୍ଲଭ । ତାହାଙ୍କୁ ମଣଇ ସୁଲଭ ॥ ୨୬
ଧରିବ ବୋଲି କୃଷ୍ଣ ପଛେ । ଯବନ ଧାଇଁଲା ପ୍ରତ୍ୟକ୍ଷ ॥ ୨୭
ହସ୍ତ ଲାଗଇ କୃଷ୍ଣଦେହେ । ପାଦ ବାଜଇ ବେନିପାୟେ ॥ ୨୮
ଏମନ୍ତେ ଦୂରପଥ ନେଇ । ବନଗହନେ ଭାବଗ୍ରାହୀ ॥ ୨୯
କୃଷ୍ଣଙ୍କୁ ଗୋଡ଼ାଇ ଯବନ । ବୋଲଇ ଝିଙ୍ଗାସ ॥ ୩୦
ଯାଦବକୁଳେ ଜାତ ହୋଇ । ଡରେ ପଳାଉ କାହିଁପାଇଁ ॥ ୩୧
ଉଚିତ ନୁହଇ ତୋ ଯଶ । ଲୋକେ କରିବେ ଉପହାସ ॥ ୩୨
କ୍ଷତ୍ରିୟଅଂଶେ ଜାତ ହୋଇ । ଶୃଗାଳ ପ୍ରାୟ ତୁ ପଳାଇ ॥ ୩୩
ଏ ନୋହେ ତୋର କ୍ଷତ୍ରିଧର୍ମ । କିମ୍ପାଇ କରୁ ଏଡେ କର୍ମ ॥ ୩୪
ନିନ୍ଦଇ ଗୋବିନ୍ଦ ମହିମା । ଯେଣୁ ଅଟଇ ହୀନକର୍ମା ॥ ୩୫
ଏମନ୍ତ ବାକ୍ୟେ ଦେଇ ଗାଳି । ଗିରିଗହନେ ଯାଇ ମିଳି ॥ ୩୬
ପଶିଲେ ପର୍ବତକନ୍ଦରେ । ଯବନ ଘେନି ଅନ୍ଧକାରେ ॥ ୩୭
ହରି ହୋଇଲେ ଅନ୍ତର୍ଦ୍ଧାନ । ଭିତରେ ପଶିଲା ଯବନ ॥ ୩୮
ଚାହଁଇ ଚଉଦିଗେ କୋପେ । ପୁରୁଷେ ଦେଖିଲା ସମୀପେ ॥ ୩୯
ଶୟନେ ନିଦ୍ରାଗତେ ହୋଇ । ଉତ୍ତାନମତେ ଅଛି ଶୋଇ ॥ ୪୦
ଦେଖି ବୋଲଇ କୋପମନେ । ନିନ୍ଦିତ-ପୁରୁଷ-ବଚନେ ॥ ୪୧
ଏତେ ଯୋଜନା ମୋତେ ଆଣି । ମୋହର ମହିମା ନ ଜାଣି ॥ ୪୨
ସାଧୁଙ୍କ ପ୍ରାୟ ଅଚି ଶୋଇ । ମିଛେ ବୁଜିଣ ଚକ୍ଷୁ ଦୁଇ ॥ ୪୩
ମରଣକାଳେ ନିଦ୍ରା ଗଲେ । କାଳ କି ବଞ୍ଚାଇବ ଭଲେ ॥ ୪୪
ଏମନ୍ତେ କରି ଘୋରନାଦ । ହୃଦେ ମାଇଲା ବେନିପାଦ ॥ ୪୫
ବଜ୍ର ସମାନ ପାଦ ବାଜି । ତାହାର ନିଦ୍ରା ଗଲା ଭାଜି ॥ ୪୬
ଉଠି ବସିଲା ମହାବଳୀ । ଚାହଁଇ ନୟନ ନିରୋଳି ॥ ୪୭
ବେନିପାରୁଶ ଆଗପଛେ । ଯବନେ ଦେଖିଲା ପ୍ରତ୍ୟକ୍ଷେ ॥ ୪୮
କୋପେ କମ୍ପଇ ତାର ଦେହୀ । ଅନଳନୟନେ ଅନାଇଁ ॥ ୪୯
ଅଗ୍ନି ଉଠିଲା ମହାଘୋର । ପଡ଼ିଲା ଯବନ ଉପର ॥ ୫୦
ଦେଖନ୍ତି ପ୍ରଭୁ ନାରାୟଣ । ଭସ୍ମ ହୋଇଲା ତତକ୍ଷଣ ॥ ୫୧
ଶୁଣି ପରୀକ୍ଷ ପଚାରଇ । ବ୍ୟାସନନ୍ଦନ ମୁଖ ଚାହିଁ ॥ ୫୨
- ପରୀକ୍ଷିତ ଉବାଚ
ଭୋ ମୁନି ଶୋଇଲା ପୁରୁଷ । କହ ତାହାର ନାମ କିସ ॥ ୫୩
କାହାର ପୁତ୍ର ଏଡେ଼ ବଳୀ । ନୟନେ ଅଗ୍ନି ପରଜ୍ୱଳି ॥ ୫୪
କାଳଯବନ ଭସ୍ମଗଲା । ଏ ତପ କେମନ୍ତେ ସାଧିଲା ॥ ୫୫
ନିଦ୍ରାରେ ଗିରିମଧ୍ୟେ ଶୋଇ । କହ ସେ ପୂର୍ବେ ଥିଲା କାହିଁ ॥ ୫୬
- ଶୁକ ଉବାଚ
କହନ୍ତି ବ୍ୟାସଙ୍କ କୁମର । ଇକ୍ଷାକୁବଂଶେ ନୃପବର ॥ ୫୭
ମାନଧାତା ନାମେ ମହେନ୍ଦ୍ର । ତାର କୁମର ମୁଚୁକୁନ୍ଦ ॥ ୫୮
ବିପ୍ର ସେବକ ସତ୍ୟବାଦୀ । ସକଳ ଗୁଣେ ଗୁଣନିଧି ॥ ୫୯
ତାହାକୁ ଦେବଗଣେ ଆସି । ବଚନ କହିଲେ ବିଶ୍ୱାସି ॥ ୬୦
ତୋର ଶରଣ ନୃପବର । ଆମ୍ଭେ ଛାଡିଲୁ ସ୍ୱର୍ଗପୁର ॥ ୬୧
ହାରିଲୁ ଅସୁରଙ୍କୁ ରଣେ । ପଶିଲୁ ତୋହର ଶରଣେ ॥ ୬୨
ତୁ ଏବେ କର ପ୍ରତିକାର । ଅସୁରବଳ ବେଗେ ମାର ॥ ୬୩
ଏମନ୍ତ କହି ସୁରବୃନ୍ଦ । ଘେନାଇ ଗଲେ ମୁଚୁକୁନ୍ଦ ॥ ୬୪
ଦେବତାଗଣେ ଦୁଃଖ ଦେଖି । ସେ ମୁଚୁକୁନ୍ଦ ପଦ୍ମଆଖି ॥ ୬୫
ନିଜ ବିନାନେ ବିଜେ କଲା । ତେଜେ ବିରାଜେ ରବିକଳା ॥ ୬୬
ନାନା ଆୟୁଧ ଘେନି ହସ୍ତେ । ବିଜୟ କଲେ ଶୂନ୍ୟ ପଥେ ॥ ୬୭
ଅସୁର ତୁଲେ କଲେ ରଣ । ଗଗନ ପଥେ ଦେବଗଣ ॥ ୬୮
ତାହା ଦେଖିଣ ନୃପବର । ମିଳିଲା ସଂଗ୍ରାମ ମଧ୍ୟର ॥ ୬୯
ଦେବତା ଅସୁର-ସମରେ । କ୍ଷୋଭ ପାଇଲେ ତୀକ୍ଷ୍ଣ ଶରେ ॥ ୭୦
ଏମନ୍ତ ଦେଖି ନୃପବର । କ୍ଷୁଦ୍ଧ କରଇ ମହାଘୋର ॥ ୭୧
ମୁଚୁକୁନ୍ଦର ତୀକ୍ଷଣ ବାଣେ । ଅସୁରେ ପଳାଇଲେ ରଣେ ॥ ୭୨
ଅନେକ ହେଲେ ପ୍ରାଣେ ନାଶ । ରହିଲେ ପାଞ୍ଚ ସାତ ଶେଷ ॥ ୭୩
ସେ ରାଜା ମହା ବଳୀୟାର । ଅନେକ କଲାକ ସମର ॥ ୭୪
ପୁଣି ଅନେକ ଯୁଦ୍ଧ କରି । ସକଳ ଅସୁର ସଂହାରି ॥ ୭୫
ଗଜର ସମରେ କେଶରୀ । ଯେଉଁ ପ୍ରକାରେ ନାସ କରି ॥ ୭୬
ତେମନ୍ତ କରିଣ ସମର । ଅସୁର କଲାକ ସହାଂର ॥ ୭୭
ଅସୁର ସୈନ୍ୟ ନାଶ କରି । ଦେବଙ୍କୁ ଦେଲା ସ୍ୱର୍ଗପୁରୀ ॥ ୭୮
ଯୁଦ୍ଧରେ ତମ ଗୁଣ ଘେନି । ରାତ୍ର ଦିବସ ହିଁ ନ ଜାଣି ॥ ୭୯
ଏମନ୍ତ ତାର କାଳ ଗଲା । ଯୁଦ୍ଧରେ ନୃପତିର ବଳା ॥ ୮୦
କାର୍ତ୍ତିକେ ପାଇ ସେନାପତି । ଦେବତାମେଳେ ବୃହସ୍ପତି ॥ ୮୧
ବୋଲନ୍ତି ଚାହିଁ ମୁଚୁକୁନ୍ଦ । ଆମ୍ଭେ ଯେ ହୋଇଲୁ ଆନନ୍ଦ ॥ ୮୨
ତୋ ଯଶ ପରଉପକାର । ସମ୍ପଦ ରଖିଲୁ ଆମ୍ଭର ॥ ୮୩
ତୁ ଆଉ ନ କର ସମର । ଅସୁର ଭୟ ଗଲା ଦୂର ॥ ୮୪
ତୁ ମର୍ତ୍ତ୍ୟପୁର ନୃପବର । ଏ ଯେ ଅମର ସ୍ୱର୍ଗପୁର ॥ ୮୫
ଆମ୍ଭେ ଆଣିଲୁ ତୋତେ ବରି । ତୁ ଏବେ ଏହାଙ୍କୁ ସଂହାରି ॥ ୮୬
ରଖିଲୁ ଦେବଙ୍କ ସମ୍ପଦ । ଥିଲା ଯେ ତୋର ରାଦପଦ ॥ ୮୭
ସମରେ ତୋର ମନ ଥିଲା । ମଞ୍ଚେ ଅନେକ କାଳ ଗଲା ॥ ୮୮
ସୁତ କଳତ୍ର ବନ୍ଧୁ ଗୋତ୍ର । ସକଳେ ହେଲେ କାଳଗ୍ରସ୍ତ ॥ ୮୯
ପ୍ରଜା ଯେ ଥିଲେ ତୋର ତୁଲେ । କାଳେ ସକଲେ ନାଶ ଗଲେ ॥ ୯୦
ଦଇବବଳେ କାଳବଳୀ । ଜନ୍ତୁଙ୍କୁ କର୍ମବଳେ ଗିଳି ॥ ୯୧
ଇଶ୍ୱର ଭାବେ ଖେଳେ କାଳ । ପଶୁଙ୍କୁ ଯେହ୍ନେ ପଶୁପାଳ ॥ ୯୨
କିସ କରିବୁ ନର ଲୋକେ । ପଡିବୁ ପୁତ୍ର ଦାରା ଶୋକେ ॥ ୯୩
ରାଜନ ଛାଡୁ ମନୁ ଚିନ୍ତା । ଆମ୍ଭେ ହୋଇଲୁ ବର ଦାତା ॥ ୯୪
ଧନ ସମ୍ପଦ କାମ ଯେତେ । ମାଗ ତୁ ଦେବୁ ଅପ୍ରମିତେ ॥ ୯୫
ମୋକ୍ଷକୁ ନୋହୁଁ ଅଧିକାରୀ । ଏଥକୁ ପ୍ରଭୁ ନରହରି ॥ ୯୬
ଦେବଙ୍କ ବାକ୍ୟ କର୍ଣ୍ଣେ ଶୁଣି । ରାଜମ ମନେ ମନେ ଗୁଣି ॥ ୯୭
ଦେବଙ୍କୁ କରି ନମସ୍କାର । ବୋଲଇ ଯୋଡି ବେନିକର ॥ ୯୮
ଯେବେ ମୋହର ମୋକ୍ଷ ନାହିଁ । ବର ମାଗିବି କିସ ପାଇଁ ॥ ୯୯
ଯୁଦ୍ଧରେ ଗଲା ଏତେ ଦିନ । ନିଦ୍ରା ତ ନାହିଁ ମୋ ନୟନ ॥ ୧୦୦
ଶୋଇବ ବରେ କାର୍ଯ୍ୟ ନାହିଁ । ନିଦ୍ରା ପିଡୀତ ମୋର ଦେହୀ ॥ ୧୦୧
ଶୁଣି ସାନନ୍ଦ ଦେବେ ମନେ । ମିଳିଲେ ଦୁର୍ଗମ କାନନେ ॥ ୧୦୨
ଗିରିକନ୍ଦରେ ଶଯ୍ୟା କରି । ତହିଂ ଶୁଆଇ ଦଣ୍ତଧାରୀ ॥ ୧୦୩
ବୋଇଲେ ଇନ୍ଦ୍ରାଆଦି ଦେବେ । ତୋହର ନିଦ୍ରା ଯେ ଭାଙ୍ଗିବେ ॥ ୧୦୪
ତୋର-ନୟନ-ଅଗ୍ନି ବାଣେ । ବସ୍ମ ହୋଇବ ତତକ୍ଷଣେ ॥ ୧୦୫
ତୋହର ନିଦ୍ରା ଅନ୍ତକାଳେ । ଦେଖିବୁ ପ୍ରଭୁ ଆଦିମୂଳେ ॥ ୧୦୬
ଏମନ୍ତ କହି ଦେବେ ଗଲେ । କୃଷ୍ଣ ଜାଣନ୍ତି ତାହାଭଲେ ॥ ୧୦୭
ଯବନ ମରାଇଲେ ନେଇ । ଶୁଣ ରାଜନ ମନଦେଇ ॥ ୧୦୮
କାଳଯବନ ନାଶ ଗଲା । ଶୁଣ ହୋ ଗୋବିନ୍ଦର ଲୀଳା ॥ ୧୦୯
କୃଷ୍ଣଶରୀର ତେଜ ରାଶି । ଗିରିକନ୍ଦର-ତମ ନାଶି ॥ ୧୧୦
ଚକିତେ ଚାହିଁ ନୃପବର । ଦେଖିଲା ବ୍ରହ୍ମାଣ୍ୟଠାକୁର ॥ ୧୧୧
ନୀଳଜଳଦ-ତନୁବର୍ଣ୍ଣ । ପୀତ ବସନ ପରିଧାନ ॥ ୧୧୨
ଶ୍ରୀବତ୍ସ ଚିହ୍ନ ମଣି କଣ୍ଠେ । ରତ୍ନମେଘଳା କଟିତଟେ ॥ ୧୧୩
ସୁନ୍ଦର ବନମାଳା ସାଜେ । ନିଜ ଆୟୁଧ ଚାରିଭୁଜେ ॥ ୧୧୪
ପ୍ରସନ୍ନ ବଦନ ଗୋପାଳ । ଶ୍ରବଣେ ମକରକୁଣ୍ତଳ ॥ ୧୧୫
ଅତି ସୁନ୍ଦର ହାସମୁଖ । କୁଟୀଳ କୁନ୍ତଳ ସୁରେଖ ॥ ୧୧୬
ଆଜାନୁଲମ୍ବେ ଚାରିଭୁଜ । ବିକ୍ରମସିଂହ ପ୍ରାୟ ତେଜ ॥ ୧୧୭
ଏମନ୍ତ କୃଷ୍ଣଦେହେ ତେଜ । ଦେଖି ଚକିତ ମହାରାଜ ॥ ୧୧୮
ଗୋବିନ୍ଦ ତେଜେ ହରଷିତ । ଶଙ୍କିତେ ଯୋଡ଼ି ବେନିହସ୍ତ ॥ ୧୧୯
କୃଷ୍ଣବଦନ ଅରବିନ୍ଦ । ଚାହିଁ ବୋଲାଇ ମୁଚୁକୁନ୍ଦ ॥ ୧୨୦
- ମୁଚୁକୁନ୍ଦ ଉବାଚ
କହ ତୁ କାହାର ନନ୍ଦନ । କୁଳ ପ୍ରବର ନିଜ କାମ ॥ ୧୨୧
ଏମନ୍ତ ଦେଖିଲା ତ ନାହିଁ । ଗିରିକନ୍ଦରେ ଥିଲୁ କାହିଁ ॥ ୧୨୨
କମଳ ପ୍ରାୟ ତୋ ଚରଣ । କିମ୍ପାଇ ବୁଲୁ ଘୋରବନ ॥ ୧୨୩
ତେଜସ୍ୱୀମାନଙ୍କର ତେଜ । କି ଅବା ପ୍ରଭୁ ଦେବରାଜ ॥ ୧୨୪
ସୂର୍ଯ୍ୟ ଶଶାଙ୍କ ଆଖଣ୍ତଳ । କି ଅବା କେଉଁ ଦିଗପାଳ ॥ ୧୨୫
ବିଷ୍ଣୁ ଶଙ୍କର ପଦ୍ମଯୋନି । ଦେବଙ୍କ ଦେବତା ଏ ତିନି ॥ ୧୨୬
ଏ ତିନିମଧ୍ୟେ ଏକ ତୁହି । ଗୋବିନ୍ଦପ୍ରାୟ ମୁଁ ମଣଇଁ ॥ ୧୨୭
ଶୟନକାଳେ ଦେବଗଣେ । ବର ଯେ ଦେଲେ ଶୁଦ୍ଧମନେ ॥ ୧୨୮
ସେ କି ହୋଇଲା ପରାପତ । ତୁମ୍ଭେ ବା ଅଟ ହେ ଅଚ୍ୟୁତ ॥ ୧୨୯
ତୋହର ତେଜେ ତମ ଗଲା । ପ୍ରଦୀପ ପ୍ରାୟ ପ୍ରକାଶିଲା ॥ ୧୩୦
ସତ୍ୟବଚନ କହ ମୋତେ । ମୁଁ ତୋତେ ଜାଣଇଁ ଯେମନ୍ତେ ॥ ୧୩୧
ଦେବତାବରେ ନିଦ୍ରା ମୁହିଁ । ଅନେକ କାଳୁ ଅଛି ଯାଇ ॥ ୧୩୨
ମୋହର ନିଦ୍ରା ଯେ ଭାଙ୍ଗିବ । ଚକ୍ଷୁଅନଳେ ନାଶଯିବ ॥ ୧୩୩
କେ ମୋର କଲା ନିଦ୍ରା ଭଙ୍ଗ । ତୁମ୍ଭେ କି ଥିଲ ତାର ସଙ୍ଗ ॥ ୧୩୪
ଦିଶୁଛ ଆଦିସୂର୍ଯ୍ୟ ପ୍ରାୟେ । ଭୟେ କମ୍ପଇ ମୋର କାୟେ ॥ ୧୩୫
ଶ୍ରବଣେ ଯେବେ ମୁହିଁ ପାତ୍ର । କହ ତୋହର ନାମ ଗୋତ୍ର ॥ ୧୩୬
ମୋହର କଥା ଶୁଣ ତୁହି । ଇକ୍ଷ୍ୱାକୁ ବଂଶେ ଜାତ ମୁହିଁ ॥ ୧୩୭
ମାନ୍ଧାତା ନୃପତି-ନନ୍ଦନ । ମୋହର ମୁଚୁକୁନ୍ଦ ନାମ ॥ ୧୩୮
ଯୁଦ୍ଧେ ଉନ୍ନିଦ୍ର-ଶ୍ରମ ପାଇ । ନିରୋଳେ ନିଦ୍ରାଗତ ହୋଇ ॥ ୧୩୯
ନିଦ୍ରା ଯେ ଭାଙ୍ଗିଲା ମୋହର । ଭସ୍ମ ହୋଇଲା ତା ଶରୀର ॥ ୧୪୦
ଏବେ ମୁଁ ତୋର ରୂପ ଦେଖି । ଚାହାନ୍ତେ ସ୍ପୁରେ ବେନିଆଖି ॥ ୧୪୧
ଦେଖି ତୋହର ରୂପ ତେଜ । ହତ ମୋ ହେଲା ବଳବୀର୍ଯ୍ୟ ॥ ୧୪୨
ଏମନ୍ତ ରାଜାମୁଖୁଁ ଶୁଣି । ବୋଲନ୍ତି ପ୍ରଭୁ ଚକ୍ରପାଣି ॥ ୧୪୩
ଗଭୀର ମେଘପ୍ରାୟ ଘୋଷ । ରଙ୍ଗଅଧରେ ମନ୍ଦହାସ ॥ ୧୪୪
ମୋତେ ତୁ ପଚାରିଲୁ ଯାହା । ଶୁଣ ରାଜନ ପୁଣ୍ୟଦେହା ॥ ୧୪୫
ମୋହର ଜନ୍ମ-କର୍ମ-ଗତି । ସହସ୍ର ସଂଖ୍ୟାଏ ଅଛନ୍ତି ॥ ୧୪୬
ନାମ ହିଁ ଅଛି ମୋର ଯେତେ । ସଂଖ୍ୟା କରିବ କେହୁ କେତେ ॥ ୧୪୭
ଭୂମିରେ ଅଛି ରେଣୁ ଯେତେ । ଅନନ୍ତସଂଖ୍ୟା ଅପ୍ରମିତ ॥ ୧୪୮
ଏମାନ ଗଣି କେ ପାରଇ । ଅନେକ ଜନ୍ମେ ଦେହ ବହି ॥ ୧୪୯
ମୋହର ଜନ୍ମ-କର୍ମ ନାମ । ଗଣି ନପାରେ କେହି ଜନ ॥ ୧୫୦
ମୋହର ଜନ୍ମ-କର୍ମ ଯେତେ । ତ୍ରିକାଳବ୍ୟାପୀ ଏ ଜଗତେ ॥ ୧୫୧
ପରମଋଷି ଯେତେ ଛନ୍ତି । କେହି ସେ ତତ୍ତ୍ୱ ନ ଜାଣନ୍ତି ॥ ୧୫୨
ଏବେ ମୁଁ କହୁଅଛି ଯେତେ । ରାଜନ ଶୁଣ ଏକଚିତ୍ତେ ॥ ୧୫୩
ବ୍ରହ୍ମା ଶଙ୍କର ଦେବେ ଯାଇ । କ୍ଷୀରଜଳଧି ତଟେ ରହି ॥ ୧୫୪
ସ୍ତୁତି ସେ କଲେ ମୋ ଚରଣେ । ମେଦିନୀଭାରା ନିବାରଣେ ॥ ୧୫୫
ଅସୁରବଳ କରି ନାଶ । ସାଧୁଙ୍କୁ କରିବି ଆଶ୍ୱାସ ॥ ୧୫୬
ଏଣୁ ମୁଁ ବସୁଦେବ ଘରେ । ଜନ୍ମିଲି ଦେବକୀ ଉଦରେ ॥ ୧୫୭
ବସୁଦେବର ପୁତ୍ରଭାବ । ତେଣୁ ମୋ ନାମ ବାସୁଦେବ ॥ ୧୫୮
ରମିଲି ବୃନ୍ଦାବନେ ରହି । କଂସକୁ ସଂହାରିଲି ମୁହିଁ ॥ ୧୫୯
ପ୍ରଳମ୍ବାଆଦି ୟେ ଦାନବେ । ମୁହିଁ ମାଇଲି ବାଳଭାବେ ॥ ୧୬୦
କାଳଯବନ ଅଣାଇଲି । ତୋର ନୟନ ସଂହାରିଲି ॥ ୧୬୧
ତୋତେ ମୋ ଅନୁଗ୍ରହ ଚିତ୍ତେ । ତେଣୁ ମିଳିଲି ତୋ ଅଗ୍ରତେ ॥ ୧୬୨
ପୂର୍ବେ ତୁ ଘୋରତପ କରି । ମନପବନ ହୃଦେ ଧରି ॥ ୧୬୩
ଦେବେ ତ ଦେଇଛନ୍ତି ବର । ଶୟନକାଳେ ନୃପବର ॥ ୧୬୪
ମୋତେ ଦେଖିବୁ ବୋଲି ଚିତ୍ତେ । ଏବେ ପ୍ରସନ୍ନ ହେଲି ତୋତେ ॥ ୧୬୫
ଭକତ ବତ୍ସଳ ମୋ ନାମ । ବର ତୁ ମାଗ ଇଚ୍ଛା କାମ ॥ ୧୬୬
ଯାହା ମାଗିବୁ ଶୁଦ୍ଧଚିତ୍ତେ । ପ୍ରସନ୍ନେ ଦେବଇଁ ମୁଁ ତୋତେ ॥ ୧୬୭
ମୋରେ ଯେ ଶରଣ ପଶନ୍ତି । ସଂସାରେ ନାହିଁ ତାଙ୍କ ଭୀତି ॥ ୧୬୮
- ଶୁକ ଉବାଚ
ଏମନ୍ତ କୃଷ୍ଣମୁଖୁଁ ଶୁଣି । ପ୍ରଣାମ କଲା ପୁଣପୁଣି ॥ ୧୬୯
ଗର୍ଗବଚନ ପରିମାଣି । ନିଶ୍ଚେ ଜାଣିଲା ଚକ୍ରପାଣି ॥ ୧୭୦
ଆନନ୍ଦେ ବେନିକର ଯୋଡି । କହଇ କୃଷ୍ଣପାଦେ ପଡ଼ି ॥ ୧୭୧
- ମୁଚୁକୁନ୍ଦ ଉବାଚ
ଭୋ ନାଥ ତୋର ମାୟାବଳେ । ମୋହିତ ପ୍ରାଣୀଏ ଶୟଳେ ॥୧୭୨
ଅନର୍ଥ ଅର୍ଥ ପ୍ରାୟ ମଣେ । ନଭଜେ ତୋହର ଚରଣେ ॥୧୭୩
ଦୁଃଖଗହନେ ସୁଖ ଆଶେ । ପଡ଼ଇ ଦାରା ମୋହପାଶେ ॥୧୭୪
ମୈଥୁନସୁଖେ କାଳ ବଂଚେ । ନଭୁଞ୍ଜି ନିତ୍ୟେ ଧନ ସଂଚେ ॥୧୭୫
ଅଶେଷ ଜନ୍ମ ପୁଣ୍ୟଫଳେ । ମନୁଷ୍ୟଦେହ ମହୀତଳେ ॥୧୭୬
ଇନ୍ଦ୍ରିୟସୁଖେ ଦେଇ ମତି । ତୋର ଚରଣେ ନ ଭଜନ୍ତି ॥୧୭୭
ପଡ଼ନ୍ତି ଅନ୍ଧକୂପ-ଗୃହେ । ପଶୁ ଯେସନେ ତୃଣ ମୋହେ ॥୧୭୮
ଶୁଣ ହେ ମଦନଗୋପାଳ । ନିଷ୍ଫଳେ ଗଲା ଏତେ କାଳ ॥୧୭୯
ରାଜ୍ୟ ସମ୍ପଦେ ଭୋଳ ହୋଇ । ଆତ୍ମାର ଗତି ନ ଜାଣଇ ॥୧୮୦
ଦେହାଭିମାନ ବୁଦ୍ଧିବଳେ । ସୁତ କଳତ୍ର ମୋହଜାଲେ ॥୧୮୧
ଦୁରନ୍ତ ଚିନ୍ତା ପଥେ ମଜ୍ଜେ । ତୋତେ ନ ଭଜି ଦେବରାଜେ ॥୧୮୨
ମୃତ୍ତିକାଘଟ ମଧ୍ୟେ ଥାଇ । ବୋଲଇ ନରଦେବ ମୁହିଁ ॥୧୮୩
ରଥ କୁଞ୍ଜର ଅଶ୍ୱଯୂଥେ । ପଦାତିବଳ ଅପ୍ରମିତେ ॥୧୮୪
ଖେଳଇ ଏ ମହୀମଣ୍ତଳେ । ତୋତେ ନ ଜାଣି ମତିଭୋଳେ ॥୧୮୫
ପଶୁଙ୍କ ପ୍ରାୟେ ଏ ସଂସାରେ । ପଶି ଗହନ ଚିନ୍ତାଘୋରେ ॥୧୮୬
ବିଷୟ ସୁଖ ଭୋଗେ ବଢି । ତୋ ପାଦପଦ୍ମ ଚିନ୍ତା ଛାଡ଼ି ॥୧୮୭
ପଡ଼ଇ ତୋର ମାୟାବଳେ । ତୁ ତାକୁ ନାଶୁ ଅବହେଳେ ॥୧୮୮
ଗ୍ରାସଇ ତୋର କାଳରୂପ । ଇନ୍ଦୁରେ ଯେହ୍ନେ କାଳସର୍ପ ॥୧୮୯
ପୂର୍ବେ ସୁବର୍ଣ୍ଣମୟ ରଥେ । କୁଞ୍ଜରକନ୍ଧେ ନାନାପଥେ ॥୧୯୦
ନରଦେବତା ନାମ ବହି । ଭ୍ରମଇଁ ମତ୍ତଭୋଳେ ମହୀ ॥୧୯୧
ସେ ଦେହ ତୋର ଅଂଶ କାଳ । କରଇ କୃମି ଭସ୍ମ ମଳ ॥୧୯୨
କେ ଅବା ନୃପ ଚୂଡ଼ାମଣି । ଅଶେଷ ଦିଗଭାଗ ଜିଣି ॥୧୯୩
ସଂଗ୍ରାମେ ଦଶଦିଗ ବାହି । ଅଭୂତ ବିଗ୍ରହ ବୋଲାଇ ॥୧୯୪
ଉତ୍ତମ ସିଂହାସନେ ପୂଜା । ପାଦେ ନମନ୍ତି ସର୍ବରାଜା ॥୧୯୫
ଏମନ୍ତ ପ୍ରାଣକୁ ଯେ ଧରି । ସ୍ତିରୀଏ କ୍ରୀଡ଼ାମୃଗ କରି ॥୧୯୬
ମୈଥୁନ ସୁଖ ଗୃହମଧ୍ୟେ । କରନ୍ତି ପରମଆନନ୍ଦେ ॥୧୯୭
ଯେ ପ୍ରାଣୀ ଦେବପୂଜା କରି । ବୋଲଇ ଭବୁ ଯିବି ତରି ॥୧୯୮
ନିବୃତ୍ତିମାର୍ଗେ ମହାଶ୍ରମେ । ତପ ଆରାଧି ନାନାକର୍ମେ ॥୧୯୯
ଦେବତା ବରଦାନ କାଳେ । ପୁଣ ମାଗଇ ସୁଖଭୋଳେ ॥୨୦୦
କରଇ ସ୍ୱର୍ଗଭୋଗ ବାଞ୍ଛା । ପରମସୁଖେ ନାହିଁ ଇଚ୍ଛା ॥୨୦୧
ଜନ୍ମମରଣ ବେନିପଥେ । ସେ ପ୍ରାଣୀ ଭ୍ରମୁଥାଇ ନିତ୍ୟେ ॥୨୦୨
ତାହାର ଯେବେ ଭାଗ୍ୟ ଥାଇ । ସୁସାଧୁ-ସଙ୍ଗତେ ମିଳଇ ॥୨୦୩
ସତ୍ସଙ୍ଗେ ହୋଇ ପାପ ନାଶ । ନିର୍ମଳ ପ୍ରକାଶଇ ଯଶ ॥୨୦୪
ସୁସାଧୁ-ଯୋଗୀଙ୍କର ପ୍ରାୟେ । ଶୁଦ୍ଧ ପ୍ରକାଶେ ତାର ଦେହେ ॥୨୦୫
ପରମବ୍ରହ୍ମ ତୋର ପାଦେ । ସେ ପ୍ରାଣୀ ଭଜଇ ଆନନ୍ଦେ ॥୨୦୬
ତୋହର ମାର୍ଗେ ହୋଇ ଗତି । ତୁଟଇ ଭଜବନ୍ଧ-ଭ୍ରାନ୍ତି ॥୨୦୭
ଭୋ ନାଥ ଜାଣିଲି ମୁଁ ଚିତ୍ତେ । ତୋହର ଅନୁଗ୍ରହ ମୋତେ ॥୨୦୮
ରାଜ୍ୟ-ସମ୍ପଦ-ବନ୍ଧ-ପାଶ । ଏବେ ହୋଇଲା ମୋର ନାଶ ॥୨୦୯
ଅଖଣ୍ତ-ଅବନୀ-ମଣ୍ତଳେ । ଅଶେଷ ଭୋଗ ମହୀତଳେ ॥୨୧୦
ଯେ ଛାଡ଼ି ଭଜେ ତୋ ଚରଣ । ଏକା ବୁଲଇ ବନେବନ ॥୨୧୧
ଅଶେଷ ଘୋରାତପ କରି । ଯାହା ଚିନ୍ତନ୍ତି ବ୍ରହ୍ମଚାରୀ ॥୨୧୨
ଭୋ ନାଥ ପରମ ମଙ୍ଗଳ । ଅନାଦିଧର୍ମ ଆଦିମୂଳ ॥୨୧୩
ତୋହର ଅଭୟଚରଣ । ନିତ୍ୟେ ସେବିବି ନାରାୟଣ ॥୨୧୪
ଆନ ସମ୍ପଦେ କାର୍ଯ୍ୟ ନାହିଁ । ଏ ବର ଦିଅ ମୋତେ ତୁହି ॥୨୧୫
ତୁ ନାଥ କଇବଲ୍ୟଦାତା । ଦୁଃଖୀଜନଙ୍କ ପିତାମାତା ॥୨୧୬
ତୋହର ଦରଶନ ପାଇ । ଆତ୍ମାର ବନ୍ଧ ଯେ ମାଗଇ ॥୨୧୭
ତାହାକୁ ବୋଲି ଅପଣ୍ତିତ । ତୋର ମାୟାରେ ଜ୍ଞାନହତ ॥୨୧୮
ଭୋ ନାଥ ପରମଈଶ୍ୱର । ତୁ ଯେ ଯାଚିଲୁ ମୋତେ ବର ॥୨୧୯
ତ୍ରିଗୁଣେ ବନ୍ଧ ମୋହପାଶ । ସେ ବରେ ନାହିଁ ମୋର ଆଶ ॥୨୨୦
ନିର୍ଗୁଣ-ନିରଞ୍ଜନ-ପର । କେବଳ ଆତ୍ମଜ୍ଞାନ ସାର ॥୨୨୧
ଏମନ୍ତ ପୁରୁଷର ପାଦେ । ଶରଣ ଯିବି ଅପ୍ରମାଦେ ॥୨୨୨
ଏ ଭବସିନ୍ଧୁ ମଧ୍ୟେ ମୁହିଁ । ଅଶେଷ ଜନ୍ମ ଦୁଃଖ ପାଇ ॥୨୨୩
ବାସନାବଳେ କରି ପାପ । ସୁମରି ପଛେ ଅନୁତାପ ॥୨୨୪
ସେ ତାପେ ପୀଡ଼ିତ ଜୀବନେ । ଭ୍ରମଇଁ ଦୁଃଖେ ପଥଶ୍ରମେ ॥୨୨୫
ଷଡ଼ଅଇରି ସଙ୍ଗେ ଭ୍ରମି । ନିଗମପଥେ ମହାଶ୍ରମୀ ॥୨୨୬
ତୃଷିତେ ଜଳପାନ ଚିନ୍ତି । କେବେ ନୁହଇ ତୃଷା ଶାନ୍ତି ॥୨୨୭
ସେ ଜଳ ତୋର ପାଦେ ଥୋଇ । ସଂସାର ତାପ ନିବାରଇ ॥୨୨୮
ନିର୍ଭୟ-ସତ୍ୟ-ଶୋକହର । ଭୋନାଥ ଶରଣ ତୋହର ॥୨୨୯
ଆପଦକଳେ ସୁଖ ଦେଇ । ତୋ ପାଦେ ରଖ ଭାବଗ୍ରାହୀ ॥୨୩୦
ଏମନ୍ତ ରାଜାବାକ୍ୟ ଶୁଣି । କୃଷ୍ଣ କହନ୍ତି ମୃଦୁବାଣୀ ॥୨୩୧
- ଭଗବାନ ଉବାଚ
ତୁ ମହାଭାଗ ଚକ୍ରବର୍ତ୍ତୀ । ନିର୍ମଳ-ନିଷ୍କାମ ତୋ ମତି ॥୨୩୨
ବରେ ମୋହିଲି ତୋର ଚିତ୍ତ । ଲୋଭେ ନୋହିଲୁ ଅଭିଭୂତ ॥୨୩୩
ଏମନ୍ତ ବୁଦ୍ଧି ଯେବେ ତୋର । ନିଶ୍ଚେ ତରିବୁ ଭବଘୋର ॥୨୩୪
ଭକତଜନଙ୍କର ଚିତ୍ତ । ସମ୍ପଦେ ନୋହେ ମୋହଗ୍ରସ୍ତ ॥୨୩୫
ଅଷ୍ଟାଙ୍ଗଯୋଗ ଲୟ କରି । ମୋତେ ଚିନ୍ତନ୍ତି ବ୍ରହ୍ମଚାରୀ ॥୨୩୬
ମୋର ଭକତି ନ ଜାଣନ୍ତି । ତାହାଙ୍କ ଚିତ୍ତେ ନାହିଁ ଶାନ୍ତି ॥୨୩୭
କର୍ମ-ବାସନା ରଜ୍ଜୁ-ବନ୍ଧୁ । ଭାବେ ଭ୍ରମଇ ଯେହ୍ନେ ଅନ୍ଧ ॥୨୩୮
ମୋହର ପାଦେ ଚିତ୍ତ ଦେଇ । ଏବେ ତୁ ସୁଖେ ଭ୍ରମ ମହୀ ॥୨୩୯
ନିଶ୍ଚଳ ହୋଇ ମୋର ପାଦେ । ତୋର ଭକତି ଅପ୍ରମାଦେ ॥୨୪୦
ହେଉ ବୋଇଲେ ଚକ୍ରପାଣି । ଏବେ ହୋ ଶୁଣ ନୃପମଣି ॥୨୪୧
କ୍ଷତ୍ରିୟକୁଳେ ହୋଇ ଜାତ । ଜୀବ ମାଇଲୁ ଅପ୍ରମିତ ॥୨୪୨
ମୃଗୟା କରି ମାଂସ ଖାଇ । ଏ ଜନ୍ମେ ତୋର ଗତି ନାହିଁ ॥୨୪୩
ମୋହର ପାଦେ ଆଶ୍ରେ କର । ସାଧିବୁ ତପ ମହାଘୋର ॥୨୪୪
ତେବେ ହୋଇବ ପାପକ୍ଷୟେ । ଭେଦିବୁ ବ୍ରହ୍ମଲୋକ ଯାଏ ॥୨୪୫
ପାପ-ଅନ୍ତରେ ଏ ସଂସାରେ । ଜନ୍ମିବୁ ବ୍ରାହ୍ମଣୀ ଉଦରେ ॥୨୪୬
ସୁହୃଦ ହୋଇ ସର୍ବଭୂତେ । ତୁ ମୋତେ ଚିହ୍ନିବୁ ଯୁକତେ ॥୨୪୭
ବ୍ରାହ୍ମଣକର୍ମ ସଦ୍ଭାବେ । କରିବୁ ଯଥାବିଧି ଲାଭେ ॥୨୪୮
ଷଡ଼କରମେ ଯୁତ ହୋଇ । ମୋ ପାଦେ ସମର୍ପିବୁ ତୁହି ॥୨୪୯
ତେବେ ପାଇବୁ ମୋ ଚରଣ । ହସି ବୋଲନ୍ତି ନାରାୟଣ ॥୨୫୦
ସେ ନାରାୟଣ ପାଦଗତ । ନମଇଁ ଦାସ ଜଗନ୍ନାଥ ॥୨୫୧
ଇତି ଶ୍ରୀମଦ୍ଭାଗବତ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ଉତ୍ତରାର୍ଦ୍ଧେ ମୁଚୁକୁନ୍ଦସ୍ତୁତି ନାମ
ପଞ୍ଚପଞ୍ଚାଶତ୍ ଅଧ୍ୟାୟଃ ॥
ଷଟ୍ପଞ୍ଚାଂଶତ ଅଧ୍ୟାୟ
[ସମ୍ପାଦନା]- ଶୁକ ଉବାଚ
ଶୁକ ବୋଲନ୍ତି ଶୁଣ ରାୟେ । ଏମନ୍ତେ କୃଷ୍ଣ ଅନୁଗ୍ରହେ ॥୧
ହୃଦ-ଉତ୍ସାହେ ମୁଚୁକୁନ୍ଦ । ନିର୍ମଳେ ଚାହଁଇ ଗୋବିନ୍ଦ ॥୨
ଆନନ୍ଦେ ଶୋକ ଗଦ୍ଗଦେ । ପ୍ରଣାମ କଲା କୃଷ୍ଣପାଦେ ॥୩
ଭୋ ନାଥ କର ପ୍ରତିକାର । ଏ ଭବସାଗରୁ ଉଦ୍ଧର ॥୪
ତପ କରିବି ଯେଉଁମତେ । କହ ତୁ ମୋତେ ଶୁଦ୍ଧଚିତ୍ତେ ॥୫
ହସି ବୋଲନ୍ତି ନାରାୟଣ । ଯାଅ ତୁ ବଦରିକାଶ୍ରମ ॥୬
ତପ କରିବୁ ବନେପଶି । ନର-ନାରାୟଣ ବିଶ୍ୱାସି ॥୭
ଆସନେ ଶୁଦ୍ଧି କରି ମନେ । ପବନ ଫଳମୂଳ ବନେ ॥୮
ଏହାନ୍ତ କରିବୁ ଆହାର । ମନେ ନ ଧରିବୁ ସଂସାର ॥୯
ଶୁଣି ହରଷ ନୃପବର । ଶିରେ ଯୋଡ଼ିଲା ବେନିକର ॥୧୦
ଶିର ଲଗାଇ କୃଷ୍ଣପାଦେ । ଆନନ୍ଦେ ଶୋକ ଗଦଗଦେ ॥୧୧
ବାହାର ହୋଇ ମୁଚୁକୁନ୍ଦ । ଚଳିଲା ଚାହାଁନ୍ତି ଗୋବିନ୍ଦ ॥୧୨
ଦେଖିଲା ସ୍ଥାବର ଜଙ୍ଗମ । ବନ ଦୁର୍ଗମ ଗିରିମାନ ॥୧୩
ପଶୁଙ୍କୁ ଚାହିଁ ବିଚାରଇ । ଏମନ୍ତ ଦେଖିଲାତ ନାହିଁ ॥୧୪
ଅଳପପ୍ରାୟେ ତ ଦିଶନ୍ତି । ଏମନ୍ତେ କଲା ମନେ ଭ୍ରାନ୍ତି ॥୧୫
ପୁଣି କ୍ଷଣକେ ଅନୁରାଗ । ଏ କି ହୋଇଲା କଳିଯୁଗ ॥୧୬
ନିଦ୍ରାରେ ତିନିଯୁଗ ଗଲା । ଏମନ୍ତ ବୋଲି ବିଚାରିଲା ॥୧୭
ଉତ୍ତରଦିଗେ ନୃପବର । ଗଲା ଅନେକ ପଥଦୂର ॥୧୮
ସର୍ବସଂଶୟ ସଙ୍ଗ ଛାଡ଼ି । ତପ ସାଧନେ ଚିତ୍ତବୁଡ଼ି ॥୧୯
ସମାଧି କରି କୃଷ୍ଣପାଦେ । ମନ ନିବେଶି ଅପ୍ରମାଦେ ॥୨୦
ଗନ୍ଧମାର୍ଦ୍ଦନ ମଧ୍ୟେ ଗଲା । ବଦ୍ରିକା ଆଶ୍ରମେ ମିଳିଲା ॥୨୧
ନରନାରାୟଣ ଆଶ୍ରମେ । ଶୁଚି ପବିତ୍ର ପୁଣ୍ୟଧାମେ ॥୨୨
ସମାଧିବଳେ ତପ କରି । ମନପବନ ହୃଦେ ଧରି ॥୨୩
ସକଳ ଇନ୍ଦ୍ରି ଦୁଃଖ ସହି । ସମଦରଶୀ ଶୁଦ୍ଧଦେହୀ ॥୨୪
ହରି ଆରାଧି ଯୋଗବଳେ । ବସିଲା ଆସନେ ନିଶ୍ଚଳେ ॥୨୫
ଏବେ ହୋ ଶୁଣ ନୃପବର । ମାୟା-ମନୁଷ୍ୟ ଚକ୍ରଧର ॥୨୬
କପଟେ ମରାଇ ଯବନ । ମିଳିଲେ ମଥୁରାଭୁବନ ॥୨୭
ଯବନ ବଳ ତିନିକୋଟି । ମଥୁରାପୁର ଥିଲେ ଘୋଟି ॥୨୮
ତାହାଙ୍କୁ ମାରି ଭଗବାନ । ଯୁଦ୍ଧେ ପାଇଲେ ଯେତେ ଧନ ॥୨୯
ଗୋରୁ ମହିଷ ବନମାଳୀ । ଧରି ଦ୍ୱାରକାପୁରେ ଚଳି ॥୩୦
ବିଚାରି କାର୍ଯ୍ୟ ଅନୁବନ୍ଧ । ଆସି ମିଳିଲା ଜରାସନ୍ଧ ॥୩୧
ତେଇଶ ଅକ୍ଷୌହିଣି ବଳ । ଶୁଭଇ ମୁଖରାବ ଗୋଳ ॥୩୨
ସୈନ୍ୟର ଦେଖି ବ୍ୟଗ୍ରଗତି । ଭାଳନ୍ତି ରାମ ଯଦୁପତି ॥୩୩
ଆମ୍ଭେ ଏ ନଗରେ ନ ଥିବା । ପଳାଇ ପର୍ବତେ ଲୁଚିବା ॥୩୪
ମନୁଷ୍ୟ ଚେଷ୍ଟା ଆଶ୍ରେ କରି । ଛାଡ଼ି ମଥୁରାପୁର ଶିରୀ ॥୩୫
ଅଭୟଦାତା ଭୟ ପାଇ । ପାଦେ ଚଳନ୍ତି ବେନିଭାଇ ॥୩୬
ଆକ୍ରମି ଅନେକ ଯୋଜନ । ପଶିଲେ ଗହନକାନନ ॥୩୭
ଭାଜିବା ଦେଖି କୃଷ୍ଣରାମେ । ପଛେ ଧାମଇଁ ଜରା ତମେ ॥୩୮
ରଥ କୁଞ୍ଜର ଘେନି ସଙ୍ଗେ । ପଥେ ହସନ୍ତି ନବରଙ୍ଗେ ॥୩୯
ଆଜ କିଣିବି କରି ରଣ । ନ ଜାଣେ ଈଶ୍ୱର ପ୍ରମାଣ ॥୪୦
ରାମକୃଷ୍ଣ ଯେ ବେନିଭାଇ । ବନେ ଅନେକ ଶ୍ରମ ପାଇ ॥୪୧
ଏକ ଆରେକ ଧରି କରେ । ଉଠିଲେ ପର୍ବତ ଶିଖରେ ॥୪୨
ନିତ୍ୟେ ବରଷେ ସୁନାସୀର । ପ୍ରବର୍ଷଣ ନାମ ତାହାର ॥୪୩
ଉଠନ୍ତେ ପର୍ବତ ଉପରେ । ଜରା ଦେଖିଲା ଥାଇ ଦୂରେ ॥୪୪
ଅଧିକ ପାଦେ ହେଁ ନ ଗଲା । ପର୍ବତ ରୁନ୍ଧରେ ବୋଇଲା ॥୪୫
ବେଢି ପର୍ବତ ଚାରିଦେଗେ । ଅନଳ ଲଗାଇଲେ ବେଗେ ॥୪୬
ଦହ୍ନ କରି ବନଘୋର । ଜାଣିଲା ଶତ୍ରୁ ଗଲା ମାର ॥୪୭
ଅନଳଯୋଗେ ମହୀଧର । ତାପିଲା ଅତ୍ୟନ୍ତ ପ୍ରଖର ॥୪୮
ତକ୍ଷଣେ ରାମ ନରହରି । ଗଗନଗତି ଅନୁସରି ॥୪୯
ପର୍ବତ ଶିଖ ଅତିଶେଷ । ଉଚ୍ଚ ଯୋଜନ ଏକାଦଶ ॥୫୦
ରାମଗୋବିନ୍ଦ ବାହୁବଳେ । ଡେ଼ଇଁ ପଡ଼ିଲେ ମହୀତଳେ ॥୫୧
ବଳ ସହିତେ ଜରା ଥିଲା । ରାମକୃଷ୍ଣଙ୍କୁ ନ ଦେଖିଲା ॥୫୨
ଲୁଚି ପଳାଇ ବେନିଭାଇ । ମିଳିଲେ ନିଜ ପୁରେ ଯାଇ ॥୫୩
ଜଳଧିପରିଖା ଯାହାର । ଦେବମାନବେ ଅଗୋଚର ॥୫୪
ମିଥ୍ୟାକୁ ସତ୍ୟପ୍ରାୟ ମଣି । ମନେ ଆନନ୍ଦ ନୃପମଣି ॥୫୫
ବୋଲଇ ବଳଙ୍କୁ ଅନାଇ । ପର୍ବତେ ମଲେ ବେନିଭାଇ ॥୫୬
ଭସ୍ମ ହୋଇଲେ ଅଗ୍ନିଯୋଗେ । ଚାଲି ବାହୁଡ଼ିଯିବା ବେଗେ ॥୫୭
ବଳ ଆକର୍ଷି ମହାବଳୀ । ନିଜ ଭୁବନେ ଯାଇ ମିଳି ॥୫୮
ସଂଗ୍ରାମେ ଜିଣି ଜୟବାଦ୍ୟ । ବଜାଇ ହୋଇଲେ ଆନନ୍ଦ ॥୫୯
ଏବେ ହୋ ଶୁଣ ନରନାଥ । ଆନର୍ତ୍ତପତି ରଇବତ ॥୬୦
ରେବତୀ ନାମେ କନ୍ୟା ଥିଲା । ବଳଦେବଙ୍କୁ ବିଭା ଦେଲା ॥୬୧
ବ୍ରହ୍ମାବଚନେ ଦେଲା ଆଣି । ନବମସ୍କନ୍ଧେ ଅଛୁ ଶୁଣି ॥୬୨
ଭୀଷ୍ମକ ନାମେ ମହାରାଜା । ରୁକ୍ମିଣୀ ତାହାର ତନୁଜା ॥୬୩
ଅଂଶେ କମଳା ଅବତାର । କୁର୍ଣ୍ଣୀନଗର ନୃପବର ॥୬୪
ରୁକ୍ମିଣୀ ବିବାହ ବିଚାରେ । ହରି ହରିଲେ ସ୍ୱୟମ୍ବରେ ॥୬୫
ରାଜାଏ ଥିଲେ ଯେ ପ୍ରତ୍ୟକ୍ଷେ । ଆବୋରି ଶିଶୁପାଳ ପକ୍ଷେ ॥୬୬
ଶାଲ୍ୱ ମାଗଧ ଆଦି ଯେତେ । ବଳ ହିଁ ଥିଲେ ଅପ୍ରମିତେ ॥୬୭
ତାହାଙ୍କ ଗର୍ବ କରି ଚୂର । ପଥେ ଦେଖନ୍ତି ସୁରନର ॥୬୮
କନ୍ୟା ହରିଲେ ଦାମୋଦର । ଅମୃତ ଯେହ୍ନେ ଖଗେଶ୍ୱର ॥୬୯
ତା ଶୁଣି ଅଭିମନ୍ୟୁବାଳା । ଶୁକମୁନିଙ୍କି ପଚାରିଲା ॥୭୦
- ପରୀକ୍ଷିତ ଉବାଚ
ଭୋ ମୁନି ଭୀଷ୍କକନନ୍ଦିନୀ । ରୁକ୍ମିଣୀ ରୁଚିରବଦନୀ ॥୭୧
କେମନ୍ତେ ପ୍ରଭୁ ନରହରି । ରାକ୍ଷସ ମତେ ବିଭାକରି ॥୭୨
ଶୁଣି ଚକିତ ମୋର ଚିତ୍ତ । ଅସୁର ବଳ ଅପ୍ରମିତ ॥୭୩
କେମନ୍ତେ ଶିଶୁପାଳ ଆଦି । ପଥେ ତାହାଙ୍କ ବଳ ଛେଦି ॥୭୪
ଏକାକୀ ରଥେ ଚକ୍ରପାଣି । କେମନ୍ତେ ହରିଲେ ରୁକ୍ମଣୀ ॥୭୫
କୃଷ୍ଣର କଥା ପୁଣ୍ୟମୟ । କର୍ଣ୍ଣ ବଚନେ ସୁଧାପ୍ରାୟ ॥୭୬
ଅଖିଳଜନ ପାପ ନାଶେ । ପରମବ୍ରହ୍ମ ପରକାଶେ ॥୭୭
କାହାର ଚିତ୍ତ ଶୁଣି ଏହା । ସନ୍ତୋଷେ ନୋହିବ ଉତ୍ସାହା ॥୭୮
ନବୀନ ବସ୍ତୁ ପାଇ ଯେହ୍ନେ । ଆଦରରେ ଆବୋରନ୍ତି ଜନେ ॥୭୯
କୃଷ୍ଣଚରିତ ସେହିମତେ । ଭୋ ମୁନି କହ ଭାଗବତ ॥୮୦
ଶୁଣି ସନ୍ତୋଷଚିତ୍ତ ହୋଇ । ଶୁକ କହନ୍ତି ରାଜା ଚାହିଁ ॥୮୧
- ଶୁକ ଉବାଚ
ଭୀଷ୍ମକ ନାମେ ମହୀନାଥ । ବିଦର୍ଭଗରେ ସମ୍ଭୂତ ॥୮୨
ତାହାର ପତ୍ନୀଗର୍ଭୁ ଜାତ । ଏକ ଦୁହିତା ପାଞ୍ଚସୁତ ॥୮୩
ରୁକ୍ମୀ ଅଗ୍ରଜ ରୁକ୍ମରଥ । ଏ ବେନି ବଳେ ଅପ୍ରମିତ ॥୮୪
ପୁଣ ହୋଇଲା ରୁକ୍ମବାହୁ । ତାର ପ୍ରତାପ କେବା କହୁ ॥୮୫
ଚତୁର୍ଥ ପୁତ୍ର ରୁକ୍ମକେଶ । ପଞ୍ଚମ ରୁକ୍ମମାଳୀ ଶେଷ ॥୮୬
ଏହାଙ୍କ ଶେଷେ କନ୍ୟାଜାତ । ପ୍ରତ୍ୟକ୍ଷେ କମଳା ସମ୍ଭୂତ ॥୮୭
ରୁକ୍ମିଣୀ ନାମେ ବିଦ୍ୟମାନ । ତାର ମହିମା ଏବେ ଶୁଣ ॥୮୮
କୃଷ୍ଣର ଗୁଣ କର୍ମ ଯେତେ । ସେହୁ ଶୁଣଇ ହୃଷ୍ଟଚିତ୍ତେ ॥୮୯
ଦ୍ୱାରକାପୁର ଲୋକେ ଆସି । କହନ୍ତି ତାର ପାଶେ ବସି ॥୯୦
ନିରତେ କୃଷ୍ଣକଥା ଶୁଣି । ରୁକ୍ମିଣୀ ମନେ ମନେ ଗୁଣି ॥୯୧
ଆତ୍ମ-ସଦୃଶେ ଶୁଣି ବର । ମନେ ବରିଲା ଚକ୍ରଧର ॥୯୨
ଗୋବିନ୍ଦ ତାର ମନ ଜାଣି । ସଙ୍କଳ୍ପେ ବରିଲେ ରୁକ୍ମିଣୀ ॥୯୩
ଅଂଶେ କମଳା ଦେହଧରି । ଆତ୍ମସଦୃଶେ କନ୍ୟା ବରି ॥୯୪
ବନ୍ଧୁବାନ୍ଧବଙ୍କର ମେତେ । ଦୁହିତା ବିଭାର ଉଚିତେ ॥୯୫
ଭୀଷ୍ମକ କୃଷ୍ଣକୁ ବରିଲା । ତା ଶୁଣି ରୁକ୍ମୀ କୋପ କଲା ॥୯୬
ଅନେକ ନିନ୍ଦାବାକ୍ୟ କରି । ଶିଶୁପାଳକୁ ଗଲା ବରି ॥୯୭
ଶିଶୁପାଳକୁ ଦେବା ଶୁଣି । ଚକିତେ ଭାଳଇ ରୁକ୍ମିଣୀ ॥୯୮
ବିକଳଚିତ୍ତେ ବିଚାରିଲା । ବୃଦ୍ଧବ୍ରାହ୍ମଣ ହକାରିଲା ॥୯୯
ବିଶ୍ୱାସବାକ୍ୟ ତାଙ୍କୁ କହି । ଚରଣେ ବେନିକର ଦେଇ ॥୧୦୦
ବୋଲଇ ଶୁଣ ବିପ୍ରମଣି । ଦ୍ୱାରକା ଯାଅ ଏହିକ୍ଷଣି ॥୧୦୧
ଯେବେ ଆସିବେ ଚକ୍ରଧର । ତେବେ ସେ ଜୀବନ ମୋହର ॥୧୦୨
ଅଧିକ କହିବଇଁ କେତେ । କୃଷ୍ଣ ଜାଣନ୍ତି ଏହା ଚିତ୍ତେ ॥୧୦୩
ହେଉ ବୋଇଲେ ବିପ୍ରବର । ଦେଖିବି କୃଷ୍ଣର ପୟର ॥୧୦୪
କନ୍ୟା ବଚନେ ବିପ୍ର ଗଲେ । ଦ୍ୱାରକାଭୁବନେ ମିଳିଲେ ॥୧୦୫
ଦ୍ୱାରେ ଯେ ଦ୍ୱାରପାଳ ଥିଲା । କୃଷ୍ଣଙ୍କୁ ନେଇ ଭେଟାଇଲା ॥୧୦୬
ସୁବର୍ଣ୍ଣ ସିଂହାସନେ ହରି । ଯାଦବେ ଅଛନ୍ତି ଆବୋରି ॥୧୦୭
ଖଟନ୍ତି ଦଶଦିଗପାଳ । ବିପ୍ର ଦେଖିଲେ ଚର୍ମଡେ଼ାଳେ ॥୧୦୮
ବିପ୍ରବତ୍ସଳ ନରହରି । ଉଠି ବ୍ରାହ୍ମଣ କର ଧରି ॥୧୦୯
ନିଜ ଆସନେ ବସାଇଲେ । ଅନେକ ମତ ପୂଜା କଲେ ॥୧୧୦
ତାହାଙ୍କୁ ଯେହ୍ନେ ଦେବଗଣେ । ବିଶ୍ୱାସେ ପୂଜନ୍ତି ଚରଣେ ॥୧୧୧
କୃଷ୍ଣ ପୂଜିଲେ ସେହିମତେ । ଶୁଣ ରାଜନ ଏକଚିତ୍ତେ ॥୧୧୨
ବିପ୍ରଙ୍କୁ କରାଇ ଭୋଜନ । ପାଶେ ବସିଲେ ଭଗବାନ ॥୧୧୩
ଶ୍ରମ ଦେଖିଣ ନରହରି । ବିପ୍ରଚରଣ କରେ ଧରି ॥୧୧୪
ଚାପନ୍ତେ ପ୍ରଭୁ ଭଗବାନ । ବିପ୍ରଚରଣୁ ଗଲା ଶ୍ରମ ॥୧୧୫
ବିଶ୍ରାମ ଦେଖି ବିପ୍ରବର । ପୁଚ୍ଛନ୍ତି ବ୍ରହ୍ମାଣ୍ତଠାକୁର ॥୧୧୬
ଭୋ ବିପ୍ର ବଡ଼ଦୁଃଖ ପାଇ । ଆସିଛ ପଥଶ୍ରମୀ ହୋଇ ॥୧୧୭
ବେଦ ଉଚିତ ହୋମକର୍ମ । ଯଜନ ଆଦି ଷଟ୍କର୍ମ ॥୧୧୮
ସ୍ୱଧର୍ମେ ବଞ୍ଚଟିକି ସୁଖେ । ସନ୍ତୋଷଚିତ୍ତେ ଗୃହଦୁଃଖେ ॥୧୧୯
ଧର୍ମେ ପ୍ରାପତ ଯେତେ ଧନ । ତେଣେ ସନ୍ତୋଷ ଯାର ମନ ॥୧୨୦
ସେ ଦୁଃଖୀ ଦରିଦ୍ର ନୁହଁଇ । ସ୍ୱଧର୍ମେ ବିପ୍ର ଶାନ୍ତ ହୋଇ ॥୧୨୧
ଦୁଃଖେ ଯେ ନ ଚଳନ୍ତି ଧର୍ମୁ । ସେ ଧର୍ମ ବିପ୍ର କାମଧେନୁ ॥୧୨୨
ଅଖିଳ କାମ୍ୟଫଳ ଦେଇ । ସ୍ୱଧର୍ମେ ବିପ୍ର ସେ ଜୀଅଇ ॥୧୨୩
ବହୁତ ଥାଇ ଯାର ଧନ । ହେଳା କରଇ ନିଜ କର୍ମ ॥୧୨୪
ନିରେତେ ଚିତ୍ତ ଅସନ୍ତୋଷ । ଉଭୟଲୋକେ ନାହିଁ ଯଶ ॥୧୨୫
ଦରିଦ୍ରପଣେ ଦୁଃଖ ସହି । ନିଜ ଧର୍ମକୁ ନ ଛାଡ଼ଇ ॥୧୨୬
ସେ ବିପ୍ର ହୋଇ ମୋର ସଙ୍ଗ । ତରଇ ସଂସାର ତରଙ୍ଗ ॥୧୨୭
ଯଥାଲାଭରେ ଯେ ସନ୍ତୋଷ । ଅଧର୍ମେ ନ କରନ୍ତି ଆଶ ॥୧୨୮
ସାଧୁ-ସୁହୃଦ ସର୍ବଭୂତ । ସକଳ ଜୀବହିତେ ରତ ॥୧୨୯
ହୃଦେ ନ ବହେ ଅଳଙ୍କାର । ସମଦରଶୀ ଚିତ୍ତ ଯାର ॥୧୩୦
ତାହାଙ୍କୁ ମୋର ନମସ୍କାର । ବୋଲନ୍ତି ବ୍ରହ୍ମାଣ୍ତଠାକୁର ॥୧୩୧
ଭୋ ବିପ୍ର କୁଶଳ ତୁମ୍ଭର । କହ କଲ୍ୟାଣ କ୍ଷେମସାର ॥୧୩୨
ରାଜାଏ ବସନ୍ତି ଜଗତେ । ପ୍ରଜା ପାଳନ୍ତି ଧର୍ମମତେ ॥୧୩୩
ଯାହାର ରାଜ୍ୟେ ପ୍ରଜାଜନେ । ସୁଖେ ବଞ୍ଚନ୍ତି ରାତ୍ରଦିନେ ॥୧୩୪
ସେ ରାଜା ମୋର ବଡ଼ ପ୍ରିୟ । ଭୋ ବିପ୍ର ଆଗମନ କହ ॥୧୩୫
କେବଣ କାର୍ଯ୍ୟେ ଉପଗତ । ଏଡେ଼ ଦୁର୍ଗମ ଜିଣି ପଥ ॥୧୩୬
ଗୁପତ ନୋହେ ଯେବେ ବାଣୀ । ଭୋ ବିପ୍ର କହ ଏହିକ୍ଷଣି ॥୧୩୭
ମୁଁ ଅବା କି କହିବି ତୋତେ । ସଂଶୟ ଫେଡ଼ି କହ ମୋତେ ॥୧୩୮
ଏମନ୍ତ କୃଷ୍ଣବାକ୍ୟ ଶୁଣି । ବ୍ରାହ୍ମଣ ବୋଲେ ସାଧୁବାଣୀ ॥୧୩୯
ରୁକ୍ମିଣୀ କହିଛନ୍ତି ଯାହା । ଭୋ ନାଥ ଶୁଣି ଚଉବାହା ॥୧୪୦
- ରୁକ୍ମିଣୀ ଉଚାବ
ହେ କୃଷ୍ଣ ଭୁବନସୁନ୍ଦର । ଶୁଣିଲି ଗୁଣକର୍ମ ତୋର ॥୧୪୧
ତୋହର ଗୁଣ-କର୍ମ-ଯଶ । ଯାହାର ଶ୍ରବଣେ ପ୍ରବେଶ ॥୧୪୨
ହରେ ଅଶେଷ ଜନ୍ମ ପାପ । ଆଧ୍ୟାତ୍ମଆଦି ତିନିତାପ ॥୧୪୩
ଚକ୍ଷୁ ବହନ୍ତି ଯେତେ ପ୍ରାଣୀ । ତୋହର ରୂପ ପରିମାଣି ॥୧୪୪
ଅଖିଳ ଅର୍ଥଲାଭ ବଳେ । ଲଭନ୍ତି ରୂପ ଦେଖି ଡେ଼ାଳେ ॥୧୪୫
ସେ ରୂପ କର୍ଣ୍ଣର୍ପଥେ ଶୁଣି । ମୋହର ଚିତ୍ତ ଚକ୍ରପାଣି ॥୧୪୬
ଲାଜ ଉପେକ୍ଷି ତୋ ଶରଣେ । ପଶିଲା ଅଭୟ-ଚରଣେ ॥୧୪୭
କେଉଁ ଯୁବତୀ ଦେହ ବହି । ପିତା ଜନନୀ କୋଳେ ଥାଇ ॥୧୪୮
ବିବାହକାଳେ କନ୍ୟା ହୋଇ । ଉତ୍ତମକୁଳେ ଜନ୍ମ ପାଇ ॥୧୪୯
ଶୀଳ ସ୍ୱରୂପ ବିଦ୍ୟାବଳ । ଦ୍ରବିଣ ତେଜେ ଆତ୍ମା ତୁଲ୍ୟ ॥୧୫୦
ସୁଧୀର ସାଧୁ କୁଳବତୀ । ତୋହର ପ୍ରାୟ ଥାଉଁ ପତି ॥୧୫୧
ହେ ନରସିଂହ ପୂର୍ଣ୍ଣକାମ । ଜନଲୋଚନ ଅଭିରାମ ॥୧୫୨
ଶ୍ରବଣେ ଶୁଣି ତୋର ଭାବ । ସେ କିମ୍ପା ଆନକୁ ବରିବ ॥୧୫୩
ଏବେ ବରିଲି ତୋତେ ମୁହିଁ । ମନ ବଚନ ତନୁ ଦେଇ ॥୧୫୪
ତୋହର ଅର୍ଥେ ଏ ଶରୀର । ବିଚାରି ମୋତେ ତ୍ରାହି କର ॥୧୫୫
ଭୋ ନାଥ ବୀରଙ୍କର ବୀର । ମୁଁ ତୋ ଆମିଷ ଉପହାର ॥୧୫୬
ନିକଟେ ଶିଶୁପାଳ ଆସି । ନ ବସୁ ତୋର ବଳିଗ୍ରାସି ॥୧୫୭
ସିଂହର ବଳି ତଳେ ଚାହିଁ । ଶୃଗାଳ ଯେସନେ ଧାମଇଁ ॥୧୫୮
ମୁଁ ଯେବେ ପୂର୍ବଜନ୍ମଗତେ । ତପ ଆରାଧି ନାନାମତେ ॥୧୫୯
ତଡ଼ାଗ ଇଷ୍ଟ ଯଜ୍ଞ ଦାନ । ନିୟମ ତୀର୍ଥ ବ୍ରତ ଧର୍ମ ॥୧୬୦
ଦେବତା ବିପ୍ର ଗୁରୁ ପୂଜି । ନିରତେ ବିଷ୍ଣୁପାଦେ ଭଜି ॥୧୬୧
ଏ ଯେବେ ପ୍ରମାଣ ମୋହର । ବେଗେ ଆସିବେ ଚକ୍ରଧର ॥୧୬୨
ମୋହର ହସ୍ତ ଆଗ ଧରୁ । ଦଇବ ଏହି ବର କରୁ ॥୧୬୩
ଦମଘୋଷର ପୁତ୍ର ଆଦି । ଯେତେ ଅଛନ୍ତି ଅପରାଧୀ ॥୧୬୪
ଏମାନେ ନ ପାଇବେ ମୋତେ । ପ୍ରମାଣ ଯେବେ ବେଦପଥେ ॥୧୬୫
ରାତ୍ର ପାହିଲେ ଅଧିବାସ । ହୋଇବ ମଙ୍ଗଳ-ଦିବସ ॥୧୬୬
ତୁ ନାଥ ସାଜି ନନ୍ଦିଘୋଷେ । ଘେନାଇ ଯଦୁବଳ ପାଶେ ॥୧୬୭
ମଙ୍ଗଳକାଳେ ଗୋପ୍ୟ ହୋଇ । ଆସିବ ନ ଜାଣିବେ କେହି ॥୧୬୮
ଗୁପତେ ଗ୍ରାମ ଅନ୍ତେ ଥାଇ । ମୋର ଗମନେ ବାଟ ଚାହିଁ ॥୧୬୯
ସଂଗ୍ରାମେ ରାଜା ଶିଶୁପାଳ । ମୋର ପିତାର ଯେତେ ବଳ ॥୧୭୦
ଏହାଙ୍କ ଗର୍ବ ନାଶ କରି । ତୁ ମୋତେ ବଳେ ନିଅ ହରି ॥୧୭୧
ରାକ୍ଷସମତେ ବିଭାକର । କିଣିଲା ସେବକୀ ମୁଁ ତୋର ॥୧୭୨
ତୁ ନାଥ ଭାଳୁ ଅବା ଚିତ୍ତେ । ମୁଁ ତୋତେ ଆଣିବି କେମନ୍ତେ ॥୧୭୩
ରାଜାର ଅନ୍ତଃପୁରେ ଥାଉ । ତୋତେ ପାଇବି ମୁହିଁ କାହୁଁ ॥୧୭୪
ତହିଁକି କହିବି ଉପାୟ । ଶୁଣିମା ପ୍ରଭୁ ଦେବରାୟ ॥୧୭୫
ଆମ୍ଭର ଅଛି କୁଳାଚାର । କନ୍ୟାକୁ କରନ୍ତି ବାହାର ॥୧୭୬
ଭବାନୀ ପୂଜିବା ନିମନ୍ତେ । ଅମ୍ବିକା ଗୃହେ ଗ୍ରାମପ୍ରାନ୍ତେ ॥୧୭୭
ଯାତ୍ରା-ଉତ୍ସବେ ମୁହିଁ ଯିବି । ଭବାନୀ ଚରଣେ ପୂଜିବି ॥୧୭୮
ପଥେ ଆସିବା ବେଳେ ମୋତେ । ପ୍ରଜାଏ ଦେଖିବେ ସମସ୍ତେ ॥୧୭୯
ଥିବି ମୁଁ ନାରୀଙ୍କର ମେଳେ । ସେଠାରୁ ନିଅ ମୋତେ ବଳେ ॥୧୮୦
ଯାହାର ପାଦପଦ୍ମଧୂଳି । ମହତଜନେ ଶିରେ ବୋଳି ॥୧୮୧
ନୀଳଲୋହିତ କରେ ଆଶ । ଏଣେ ହୋଇବ ତମ ନାଶ ॥୧୮୨
ସେ ପାଦପଦ୍ମ ମୁହିଁ ଯେବେ । ଲଭି ନ ପାରିବି ପ୍ରସ୍ତାବେ ॥୧୮୩
ବ୍ରତେ ଶୁଖାଇ ପଞ୍ଚପ୍ରାଣ । ନିଶ୍ଚେ ଛାଡ଼ିବି ନାରାୟଣ ॥୧୮୪
ଏମନ୍ତେ ଶତେଜନ୍ମ ଯାଏଁ । ପ୍ରାଣ ଛାଡ଼ିବି ତୋର ପାୟେ ॥୧୮୫
ସତ୍ୟବଚନ ଏ ମୋହର । ତୁ କି ନ ଜାଣୁ ମାୟାଧର ॥୧୮୬
ବ୍ରାହ୍ମଣ କୃଷ୍ଣମୁଖ ଚାହିଁ । ରୁକ୍ମିଣୀ ସନ୍ଦେଶ କହଇ ॥୧୮୭
ବୋଲଇ ଯୋଡ଼ି ବେନିକର । ଯେ ତୋର ଇଚ୍ଛା ଏବେ କର ॥୧୮୮
କହଇ ଦାସ ଜଗନ୍ନାଥ । କୃଷ୍ଣ ଧଇଲେ ବିପ୍ର ହସ୍ତ ॥୧୮୯
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ଉତ୍ତରାର୍ଦ୍ଧେ ରୁକ୍ମିଣୀ ଉଦ୍ବାହ ପ୍ରସ୍ତାବେ
ଷଟ୍ପଞ୍ଚାଶତ୍ ଅଧ୍ୟାୟଃ ॥
ସପ୍ତପଞ୍ଚାଶତ୍ ଅଧ୍ୟାୟ
[ସମ୍ପାଦନା]- ଶୁକ ଉବାଚ
ଭୀଷ୍ମକ-ନନ୍ଦିନୀର ବାଣୀ । ଗୋବିନ୍ଦ ବିପ୍ରମୁଖୁଁ ଶୁଣି ॥୧
ବ୍ରାହ୍ମଣ ହସ୍ତ କରେ ଧରି । ହସି ବୋଲନ୍ତି ନରହରି ॥୨
ମୋହର ତହିଁ ଚିତ୍ତେ ଦେଇ । ରୁକ୍ମିଣୀ ନିଦ୍ରା ନ ଲଭଇ ॥୩
ମୋହର ମନ ସେହିମତ । ରାତ୍ର ନୁହଇ ନିଦ୍ରାଗତ ॥୪
ଜାଣଇଁ ତାର ଜ୍ୟେଷ୍ଠ ଭାଇ । ମୋର ବିଭାରେ ରୋଷ ହୋଇ ॥୫
ଅନେକ ନିନ୍ଦା ମୋତେ କଲା । ଶିଶୁପାଳକୁ ସେ ବରିଲା ॥୬
ମୁହିଁ ଆଣିବି ତାକୁ ହରି । ସଂଗ୍ରାମେ ରିପୁବଳ ମାରି ॥୭
ସେ କନ୍ୟା ଅନନ୍ଦିତା ଦେହୀ । ଅନଳ ଶିଖା ପ୍ରାୟ ହୋଇ ॥୮
ମୋହର ପାଦେ ଧ୍ୟାନ କରି । ହୃଦରେ ମୋତେ ଅଛି ବରି ॥୯
ଏମନ୍ତେ ମଦନଗୋପାଳ । ଜାଣିଣ ବିଭାଲଗ୍ନ ବେଳ ॥୧୦
ଦାରୁକେ ରାଇ ଦାମୋଦର । ବୋଇଲେ ରଥ ସଜ କର ॥୧୧
ଶୁଣି ଦାରୁକ ଯାଇ ବେଗେ । ରଥ ସାଜିଲା ଅତି ବ୍ୟଗ୍ରେ ॥୧୨
ଶୈବ୍ୟ ସୁଗ୍ରୀବ ମେଘପୁଷ୍ପ । ଯୋଚିଲା ବଳାହକ ଅଶ୍ୱ ॥୧୩
ଗୋବିନ୍ଦ ନିକଟେ ମିଳିଲା । କରଅଞ୍ଜଳି ଶିରେ ଦେଲା ॥୧୪
ଆନନ୍ଦେ ବିପ୍ର କର ଧରି । ରଥେ ବସିଲେ ନରହରି ॥୧୫
ଦାରୁକ ରଥ ବାହେ ବଳେ । ଶୂନ୍ୟେ ଗମିଲେ ରାତ୍ରକାଳେ ॥୧୬
କୁଣ୍ତୀ ନଗରେ ଏକାରାତ୍ରେ । ମିଳିଲେ ଅଳପ ପ୍ରଭାତେ ॥୧୭
ଭୀଷ୍ମକ ପୁତ୍ରରବଶ ହୋଇ । ଶିଶୁପାଳକୁ ବିଭାପାଇଁ ॥୧୮
ମଙ୍ଗଳକାର୍ଯ୍ୟେ ଦେଇ ଚିତ୍ତ । ପୁରମଣ୍ତିଲା ନରନାଥ ॥୧୯
ଚନ୍ଦନଛେରା ରାଜପଥେ । ମାର୍ଜନା କରି ନାନାମତେ ॥୨୦
ଚିତ୍ର ପତାକା ଧ୍ୱଜ ଦେଇ । ପଲ୍ଲବ ତୋରଣ ଲମ୍ବାଇ ॥୨୧
ବିବିଧ ଅଳଙ୍କାର ଭରି । ରାଜ୍ୟରେ ଯେତେ ନରନାରୀ ॥୨୨
ଗନ୍ଧଚନ୍ଦନ ପୁଷ୍ପସାର । ବିବିଧ ନାନା ଉପହାର ॥୨୩
ନାରୀ ପୁରୁଷେ ସଜ ହୋଇ । ଗୃହେ ଅଗୁରୁ ଧୂପ ଦେଇ ॥୨୪
ମଙ୍ଗଳ ଶ୍ରାଦ୍ଧେ ବିପ୍ରଜନ । ରାଜା କରାଇଲେ ଭୋଜନ ॥୨୫
ପିତୃଦେବତା ପୂଜା ସାରି । ବ୍ରାହ୍ମଣେ ଶାନ୍ତିବାକ୍ୟ କରି ॥୨୬
ମଙ୍ଗଳଘୋଷ ନାନାବାଦ୍ୟ । ବିପ୍ରେ ପଢନ୍ତି ଶୁଭବେଦ ॥୨୭
ଯୁବତୀଗଣେ ଗୀତରସ । ଦ୍ୱିଜେ କରନ୍ତି ଅଧିବାସ ॥୨୮
ମଙ୍ଗଳଗୀତେ ବଧୂଜନ । କନ୍ୟାକୁ କରାଇଲେ ସ୍ନାନ ॥୨୯
କୁଙ୍କୁମ ଲେପି କଳେବର । ମଙ୍ଗଳସୂତ୍ର ବାନ୍ଧି କରେ ॥୩୦
ଉତ୍ତମ ଅଳଙ୍କାର ଦେଇ । ମଙ୍ଗଳନାଦେ ଗୀତ ଗାଇ ॥୩୧
ବ୍ରାହ୍ମଣେ ବେଦମନ୍ତ୍ରେ ଦୀକ୍ଷା । କନ୍ୟାକୁ କରାଇଲେ ରକ୍ଷା ॥୩୨
ଗୋଚରେ ଗ୍ରହଶାନ୍ତି ଅର୍ଥେ । ଅଥର୍ବବେଦୀ ପୁରୋହିତେ ॥୩୩
ହୋମ କରାଇ ଗ୍ରହ ଶାନ୍ତି । ଆନନ୍ଦମନେ ମହୀପତି ॥୩୪
ହେମ ରଜତ ବସ୍ତ୍ର ତିଳ । ଗୁଡେ଼ ମିଶାଇଣ ପ୍ରବାଳ ॥୩୫
ସୁବର୍ଣ୍ଣଶୃଙ୍ଗ ଧେନୁ ଦେଇ । ବିପ୍ରଙ୍କୁ ସନ୍ତୋଷ କରାଇ ॥୩୬
ବେଦ ଆଗମ ପଥଭେଦି । ରାଜା ଜଣାଇ ସର୍ବବିଧି ॥୩୭
ଏମନ୍ତେ ରାଜା ଦମଘୋଷ । ଉତ୍ସବ କଲା ନିଜ ଦେଶ ॥୩୮
ପୁତ୍ରର ଶୁଭଅର୍ଥେ ରାଜା । ପିତୃଦେବତା କଲା ପୂଜା ॥୩୯
ମଙ୍ଗଳସୂତ୍ର ବାନ୍ଧି ହସ୍ତେ । ବସିଲା ଶିଶୁପାଳ ରଥେ ॥୪୦
ମତ୍ତକୁଞ୍ଜର ଅଶ୍ୱରଥୀ । ପଦାତିତୁଲେ ନରପତି ॥୪୧
ଘେନାଇ ଚତୁରଙ୍ଗ ବଳ । ବାଜଇ ବାଦ୍ୟ ସୁମଙ୍ଗଳ ॥ ୪୨
କୁଣ୍ତୀନଗରେ ବେଗେ ଗଲା । ହରଷେ ଦମଘୋଷ ବଳା ॥ ୪୩
ଭୀଷ୍ମକ ଆସି କିଛି ଦୂର । ପ୍ରବେଶ କରାଇଲା ପୁର ॥ ୪୪
ଉତ୍ତମ ଗୃହେ ବାସ ଦେଇ । ପୂଜିଲା ଆସନେ ବସାଇ ॥ ୪୫
ଶିଶୁପାଳର ପକ୍ଷ ହୋଇ । ରାଜାଏ ମିଳିଛନ୍ତି ଯାଇ ॥ ୪୬
ଶାଲ୍ୱ ମଗଧ ନରନାଥ । ବିକଟ ଦନ୍ତ ବିଦୂରତ ॥ ୪୭
ପୌଣ୍ତ୍ରକ ଆଦି ଯେତେ ଥିଲେ । ସହସ୍ର ସଂଖ୍ୟାରେ ମିଳିଲେ ॥ ୪୮
ସ୍ୱଭାବେ କୃଷ୍ଣର ବଇରି । ଶିଶୁପାଳର ହିତକାରୀ ॥ ୪୯
ବୋଲନ୍ତି ରାମକୃଷ୍ଣ ଆସି । ଗୁପତେ ସଭାମଧେ ବସି ॥ ୫୦
ନପୁଣ କନ୍ୟା ହରି ନ୍ୟନ୍ତି । ଏମନ୍ତ ଭାଳି କଲେ ଭ୍ରାନ୍ତି ॥ ୫୧
ମିଳିଲେ ଦଣ୍ତ ସଜକରି । ଯୁଦ୍ଧେ ମାରିବା ରାମହରି ॥ ୫୨
ଶିଶୁପାଳକୁ କନ୍ୟାଦେଇ । ଧରଣୀ ମଧ୍ୟେ ଯଶ ଥାଇ ॥ ୫୩
ଏମନ୍ତ ଭାଳି ଦୃଢ କଲେ । ବିଦର୍ଭ ଦେଶରେ ମିଳିଲେ ॥ ୫୪
ଯେ ଯାହା ଅଙ୍ଗ ବଳ ଘେନି । ଶବଦେ କମ୍ପାଇ ମେଦିନୀ ॥ ୫୫
ଏକଥା ଶୁଣି ବଳରାମ । ବିପକ୍ଷ ନଡପତି ଆଗମ ॥ ୫୬
କୃଷ୍ଣ ଯେ ଗଲେ ଏକା ରଥେ । ନପୁଣ ଗୋଳ ହୋଏ ରଥେ ॥ ୫୭
ଏମନ୍ତ ମନେ ଶଙ୍କା କରି । ସଜ ହୋଇଲେ ହଳଧାରୀ ॥ ୫୮
ଅନେକ ବଳ ଘେନି ପାଶେ । ଧାଇଁଲେ ଭ୍ରାତୃସ୍ନେହ ବଶେ ॥ ୫୯
ଏମନ୍ତ ଶୁଣ ନୃପମଣୀ । ଭବନେ ଭୀଷ୍ମକ ନନ୍ଦୀନୀ ॥ ୬୦
କୃଷ୍ଣ ଆଗମେ ଆଶା କରି । ଜୀବନେ ନ ପାରଇ ଧରି ॥ ୬୧
ନ ଦେଖି ବିପ୍ର ଆଗମନ । କାତରେ କମ୍ପଇ ଜୀବନ ॥ ୬୨
କାନ୍ଦଇ ଦଇବ ସୁମରି । ଧରଣୀ ଗତେ ଶିର ତାଡି ॥ ୬୩
ରାତ୍ର ପାଇଲେ ବିଭା ମୋର । କିମ୍ପା ନଇଲେ ଦାମୋଦର ॥ ୬୪
ବ୍ରାହ୍ମଣ ନଇଲା ମୋହର । କେମନ୍ତେ ଧରିବି ଶରୀର ॥ ୬୫
ସେ ହରି କୃପା-ପୟୋନିଧି । ମୁଁ ଅବା ପାପୀ ଅପରାଧୀ ॥ ୬୬
ନିନ୍ଦିତକର୍ମ ଦେଖି ମୋର । କୋପ କି କଲେ ଚକ୍ରଧର ॥ ୬୭
ବିବାହ ଅର୍ଥେ ମୋ ନଇଲେ । ଦଇବ ମୋତେ ମାୟା କଲେ ॥ ୬୮
ଈଶ୍ୱରସେବା ମୋର ନାହିଁ । କୃଷ୍ଣ ଦେଖିବି ଅବା କାହିଁ ॥ ୬୯
ମୋରେ ବା ବିମୁଖ ଭବାନୀ । ଅନେକ ଅପରାଧ ଘେନି ॥ ୭୦
ଏମନ୍ତେ କୃଷ୍ଣ ଆଗମନେ । ନିଶ୍ଚଳ-ଧ୍ୟାନ କଲା ମନେ ॥ ୭୧
ଅଶ୍ରୁପୂରିତ ବେନିଡୋଳେ । ନିରାଶେ ରହିଲା ନିଶ୍ଚଳେ ॥ ୭୨
କୃଷ୍ଣ ଆଗମେ ମନ ଦେଲା । ଏମନ୍ତେ ଶୁଭ ପ୍ରକାଶିଲା ॥ ୭୩
ସ୍ପୁରଇ ବାମନେତ୍ର ତାର । ଜାନୁ କମ୍ପଇ ଥରହର ॥ ୭୪
କୃଷ୍ଣ ଯେ ଯାଉଥିଲେ ପଥେ । ବ୍ରାହ୍ମଣ ଘେନି ନିଜ ରଥେ ॥ ୭୫
ବୋଇଲେ ବିପ୍ରମୁଖ ଚାହିଁ । କହ ରୁକ୍ମିଣୀ ଆଗେ ଯାଇ ॥ ୭୬
ଅଇଲୁ ବୋଲି ବେଗେ କହ । ନୋହିଲେ ଛାଡ଼ିବଟି ଦେହ ॥ ୭୭
ଗୋବିନ୍ଦବାଣୀ ଶୁଣି କର୍ଣ୍ଣେ । ବ୍ରାହ୍ମଣ ଗଲା ତୋଷମନେ ॥ ୭୮
ରାଜାର ଭୁବନେ ପଶିଲା । ରୁକ୍ମିଣୀ ନିକଟେ ମିଳିଲା ॥ ୭୯
ନୟନେ ଦେଖି ବିପ୍ରବର । ଚଞ୍ଚଳଚିତ୍ତ କଲା ସ୍ଥିର ॥ ୮୦
ବ୍ରାହ୍ମଣ ହରଷବଦନ । ଦେଖିରୁକ୍ମିଣୀ ତୋଷମନ ॥ ୮୧
ଶୁଭଲକ୍ଷଣ ଦେଖି ତାର । ଚରଣେ କଲା ନମସ୍କାର ॥ ୮୨
ବେନିଚରଣେ କର ଦେଇ । ପୁଚ୍ଛଇ ବିପ୍ରମୁଖ ଚାହିଁ ॥ ୮୩
ବ୍ରାହ୍ମଣ କହେ ଶୁଭବାଣୀ । ବିଜୟ କଲେ ଚକ୍ରପାଣି ॥ ୮୪
ସତ୍ୟବଚନ ମୋତେ କହି । କୃଷ୍ଣ ଅଇଲେ ତୋର ପାଇଁ ॥ ୮୫
ଲିଭିବୁ ତ୍ରୈଲୋକ୍ୟଠାକୁର । ଧନ୍ୟ ଗୋ ଜନନୀ ତୋହର ॥ ୮୬
କୃଷ୍ଣ ଆଗମ କଥା ଶୁଣି । ଆନନ୍ଦସାଗରେେ ରୁକ୍ମିଣୀ ॥ ୮୭
ବୁଡି ହୋଇଲା ଛନଛନ । ନିକଟେ ନ ଦେଖଇ ଜନ ॥ ୮୮
ଅନ୍ୟ ପ୍ରିୟକୁ ନ ଗଣଇ । ବ୍ରାହ୍ମଣ ଚରଣେ ପୂଜଇ ॥ ୮୯
ଏମନ୍ତେ ଶୁଣ ନରନାଥେ । କୃଷ୍ଣ ରହିଲେ ଏକା ରଥେ ॥ ୯୦
ଦୂତେ ଯେ ଜଗିଥିଲେ ପଥେ । କୃଷ୍ଣଙ୍କୁ ଦେଖିଲେ ସେ ରଥେ ॥ ୯୧
ରାମର ସଙ୍ଗେ ଯଦୁବଳ । ଶୁଣିଲେ ମୁଖରାବର ରୋଳ ॥ ୯୨
ବେଗେ ଭୀଷ୍ମକ ଆଗେ ଯାଇ । କହିଲେ ଶିରେ କର ଦେଇ ॥ ୯୩
ଶୁଣ ଭୀଷ୍ମକ ମହୀପାଳ । ଶୁଣିଲୁ ମୁଖରାବ ରୋଳ ॥ ୯୪
ରାମଗୋବିନ୍ଦ ସୈନ୍ୟ ଘେନି । ନଗ୍ରେ ପଶିଲେ ଏହିକ୍ଷଣି ॥ ୯୫
ଅନେକ ବଳ ତାଙ୍କ ସଙ୍ଗେ । ବିବାହ ଦେଖିବାର ରଙ୍ଗେ ॥ ୯୬
ଆଗେ ଅଇଲେ ବେନିଭାଇ । କହିଲୁ ଆମ୍ଭ ଦୋଷ ନାହିଁ ॥ ୯୭
ଶୁଣି ସଂଭ୍ରମେ ନୃପବର । ଘେନାଇ ନାନା ଉପହାର ॥ ୯୮
ସୁବର୍ଣ୍ଣ ପାତ୍ରେ ମଧୁରସ । ନୀଳଦୁକୂଳ ପୀତବାସ ॥ ୯୯
ବିବିଧ ଉପହାର ଘେନି । ଭାବେ ପୂଜିଲା ଭାଇ ବେନି ॥ ୧୦୦
ଉତ୍ତମପୁରେ ଦେଲା ସ୍ଥାନ । ପୂଜିଲା ଯଥା ବିଧିବିଧାନ ॥ ୧୦୧
ରାଜାଏ ଆସିଛନ୍ତି ଯେତେ । ପୂଜିଲା ଯଥାବିଧି ମତେ ॥୧୦୨
କୃଷ୍ଣଆଗମ କଥା ଶୁଣି । ବିଦର୍ଭପୁରେ ଯେତେ ପ୍ରାଣୀ ॥୧୦୩
ସକଳେ ନିଜପୁର ଛାଡ଼ି । ଧାଇଁଲେ ରାଜପଥ ମାଡ଼ି ॥୧୦୪
କୃଷ୍ଣଙ୍କୁ ଦେଖି ବେନିନେତ୍ରେ । ଅଞ୍ଜଳି କରି ନେତ୍ର-ପାତ୍ରେ ॥୧୦୫
ଗୋବିନ୍ଦ-ମୁଖ-ପଦ୍ମ-ରସ । ପିବନ୍ତେ ନୋହେ ମନତୋଷ ॥୧୦୬
ଆନନ୍ଦେ ବୋଲନ୍ତି ଯୁବତୀ । ରୁକ୍ମିଣୀ ସଦୃଶ ଏ ପତି ॥୧୦୭
କନ୍ୟା ସଦୃଶ ଏହୁ ବର । ତୁଳନା ନାହିଁ ତିନିପୁର ॥୧୦୮
ଆମ୍ଭର ପୁଣ୍ୟବଳ ଯେତେ । ତେଣୁ ଈଶ୍ୱର ତୋଷଚିତ୍ତେ ॥୧୦୯
ପ୍ରସନ୍ନ ହୋନ୍ତୁ ଶୂଳଧର । ରୁକ୍ମିଣୀ ଲଭୁ ଏହୁ ବର ॥୧୧୦
ଏମନ୍ତ ବୋଲୁ ବୋଲୁ ଜନ । ଶୁଭିଲା ନାନାବାଦ୍ୟ ସ୍ୱନ ॥୧୧୧
ରୁକ୍ମିଣୀ ଘେନି ବିପ୍ରନାରୀ । ସଙ୍ଗେ ଅଛନ୍ତି ପରିବାରୀ ॥୧୧୨
ଆବୋରି ଚତୁରଙ୍ଗ ବଳ । ଶୂନ୍ୟେ ଦେଖନ୍ତି ଦିଗପାଳ ॥୧୧୩
ବୀରେ ଆବୋରି ଚଉପାଶେ । ଗମନ୍ତି ରିପୁବଳ ତ୍ରାସେ ॥୧୧୪
ବେନିଚରଣେ ଚାଲେ ପଥେ । ଅମ୍ବିକା ପୂଜିବା ନିମନ୍ତେ ॥୧୧୫
କୃଷ୍ଣଚରଣେ ମନ ଦେଇ । ଚାଲଇ ଚଉଦିଗ ଚାହିଁ ॥୧୧୬
ମାତାଙ୍କ ସଙ୍ଗେ ଚାଲେ ପଥେ । କଥା ନ କହି ମୌନବ୍ରତେ ॥୧୧୭
ରାଜପୁରୁଷେ ଆଗସରି । ଚାଲନ୍ତି ନାନା ଶସ୍ତ୍ର ଧରି ॥୧୧୮
ମୃଦଙ୍ଗ ଶଙ୍ଖ ତୁରୀ ଭେରୀ । ଶୁଭଇ ଦଶଦିଗ ପୂରି ॥୧୧୯
ଶତ ସହସ୍ର ପରିବାରୀ । କରେ ଚାମର ଛନ୍ତି ଧରି ॥୧୨୦
ଆଗେ ଖଟନ୍ତି ବେଶ୍ୟାନାରୀ । ଚଳନ୍ତି ରଙ୍ଗେ ନୃତ୍ୟକରି ॥୧୨୧
ବ୍ରାହ୍ମଣନାରୀ କନ୍ୟା ସଙ୍ଗେ । ପୁଷ୍ପଚନ୍ଦନ ରତ୍ନ ଅଙ୍ଗେ ॥୧୨୨
ସୂତ ମାଗଧ ସ୍ତୁତି ରଙ୍ଗେ । ନାନା ସୁବାଦ୍ୟ ଗୀତ ସଙ୍ଗେ ॥୧୨୩
କନ୍ୟା ଆବୋରି ଯୂଥ ଯୂଥ । ସୁନ୍ଦର ଦିଶେ ରାଜପଥ ॥୧୨୪
ଦେବୀଭୁବନେ ଯାଇ ମିଳି । କାମିନୀ ଦ୍ୟନ୍ତି ହୁଳହୁଳି ॥୧୨୫
କର ଚରଣ ମୁଖ ଧୋଇ । ରୁକ୍ମିଣୀ ହସ୍ତେ ପୁଷ୍ପ ଦେଇ ॥୧୨୬
ଦେବୀ ଅଗ୍ରତେ ନେଇ କରି । ପାଶେ ବସିଲେ ବିପ୍ରନାରୀ ॥୧୨୭
ବୟସେ ଅଧିକ ଖଟନ୍ତି । ସକଳ ବିଧି ସେ ଜାଣନ୍ତି ॥୧୨୮
କନ୍ୟାର ସ୍ୱାମୀ ହିତ ଅର୍ଥେ । ପୂଜା କରାଇ ନାନାମତେ ॥୧୨୯
ବୋଇଲେ ନମସ୍କାର କର । ଯେମନ୍ତ ବାଞ୍ଛା ମନେ ତୋର ॥୧୩୦
ଆପଣା ସ୍ୱାମୀସୁଖ ଅର୍ଥେ । ବର ତୁ ମାଗ ଶୁଦ୍ଧଚିତ୍ତେ ॥୧୩୧
ଶୁଣି ରୁକ୍ମିଣୀ କରଯୋଡ଼ି । କହେ ଅମ୍ବିକା ପାଦେ ପଡ଼ି ॥୧୩୨
ନମଇ ଅମ୍ବିକାର ପାଦେ । ସକଳ-ସୁଖ-ବରପ୍ରଦେ ॥୧୩୩
ପୁତ୍ର ଦୁହିତା ସୁଖ ଘେନି । ଈଶ୍ୱରି ହୁଅ ବରଦାନୀ ॥୧୩୪
ଭୋ ମାତ ତୋହର ପ୍ରସାଦେ । ବର ମାଇଇ ଅପ୍ରମାଦେ ॥୧୩୫
କୃଷ୍ଣ ମୋହର ବର ହେଉ । ତା ପାଦ ସେବି ଦିନ ଯାଉ ॥୧୩୬
ପବିତ୍ରଜଳ ଗନ୍ଧାକ୍ଷତ । ବସ୍ତ୍ରଭୂଷଣ ନାନାମତ ॥୧୩୭
ଅନେକ ଉପହାର ଦେଇ । ଧୂପ ପ୍ରଦୀପ ତଳେ ଥୋଇ ॥୧୩୮
ବ୍ରାହ୍ମଣନାରୀ ସୁଲକ୍ଷଣୀ । ଦେବୀପ୍ରସାଦ ଦେଲେ ଆଣି ॥୧୩୯
ପ୍ରସାଦ ଘେନି କନ୍ୟା ହସ୍ତେ । ନାରୀଙ୍କି ଦେଲା ନାନାମତେ ॥୧୪୦
ଶେଷେ ଘେନିଲା ନିଜ ଶିରେ । ନମିଲା ନାରୀଙ୍କ ପୟରେ ॥୧୪୧
ମଉନବ୍ରତ କଲା ଦୂର । ମନ୍ଦିରୁ ହୋଇଲା ବାହାର ॥୧୪୨
ସଖୀଏ ବାମପାଶେ ଥିଲା । ତାହାର କନ୍ଧେ ହସ୍ତ ଦେଲା ॥୧୪୩
ରତ୍ନମୁଦ୍ରିକା ବିରାଜଇ । ଚଞ୍ଚଳେ ଚଉଦିଗେ ଚାହିଁ ॥୧୪୪
ଅଂଶେ କମଳା ଅବତାର । ରୂପେ କି ଦେବା ପଟାନ୍ତର ॥୧୪୫
କିଏ ସ୍ୱରୂପେ ଦେବମାୟା । ବୀରମୋହିନୀ ରୂପ ଏହା ॥୧୪୬
ଦଇବ ଭିଆଇଲା ବାମା । ଜଗମୋହିନୀ ଏ ସୁଷମା ॥୧୪୭
ନବଯୁବତୀ ମଧ୍ୟେ ବାମା । ଚିତ୍ର କି କଲା ବିଶ୍ୱକର୍ମା ॥୧୪୮
ରତ୍ନକୁଣ୍ତଳ କର୍ଣ୍ଣେ ଶୋହେ । ତିନିଭୁବନ ମନମୋହେ ॥୧୪୯
କଟିମେଖଳା କଣ୍ଠମାଳ । ନାନାରତନେ କି ଉଜ୍ଜ୍ୱଳ ॥୧୫୦
ହୃଦୟ ଫୁଟି ବେନି ସ୍ତନ । କୁନ୍ତଳେ ଶଙ୍କିତ ନୟନ ॥୧୫୧
ଅଳପହାସେ ମୁଖରଙ୍ଗ । ଓଷ୍ଠ ପାଚିଲା ଫଳ ବିମ୍ବ ॥୧୫୨
କୁନ୍ଦକୁଳିକା ଦନ୍ତପନ୍ତି । ଯେହ୍ନେ ସିନ୍ଦୂରେ ଗଜମୋତି ॥୧୫୩
ରାଜହଂସର ପ୍ରାୟେ ଧୀରେ । ଚାଲଇ ନୂପୁର ପୟରେ ॥୧୫୪
ବିବାହଯାତ୍ରା ଛଳେ ଆସି । ଅନେକ ରାଜା ଥିଲେ ବସି ॥୧୫୫
ଏମନ୍ତେ ରୁକ୍ମିଣୀ ବଦନ । ଦେଖି ହାରିଲେ ନିଜ ଜ୍ଞାନ ॥୧୫୬
ରୁକ୍ମିଣୀ ରୂପ ଦେଖି ବୀରେ । ଜ୍ଞାନ ହାରିଲେ କାମଜ୍ୱରେ ॥୧୫୭
ଗଜ ତୁରଙ୍ଗ ରଥେ ଥାଇ । ରୁକ୍ମିଣୀ ରୂପକୁ ଅନାଇଁ ॥୧୫୮
ହସ୍ତୁ ପଡ଼ିଲା ଶସ୍ତ୍ର ଝଡ଼ି । ଅଜ୍ଞାନ ହୋଇ ତଳେ ପଡ଼ି ॥୧୫୯
ଏମନ୍ତେ ଦେବୀଯାତ୍ରା ଛଳେ । ଚାଲଇ ଯୁବତୀଙ୍କ ମେଳେ ॥୧୬୦
ଆପଣା ଦେହର ଯେ କାନ୍ତି । ଦେଖାଇ ଲୋଡ଼ଇ ଶ୍ରୀପତି ॥୧୬୧
ଗଗନେ ଟେକିଣ ବଦନ । ଚିନ୍ତଇ କମଳଲୋଚନ ॥୧୬୨
କେତେହେଁ ଦୂର ପୁଣି ଯାଇ । ବିକଳେ ଦଶଦିଗେ ଚାହିଁ ॥୧୬୩
ନୟନେ ନିରେଖି ସଧିରେ । ଶୂନ୍ୟେ ଦେଖିଲା ଚକ୍ରଧରେ ॥୧୬୪
ନୟେନେ ଅନଳକୁ ଚାହିଁ । ପତଙ୍ଗ ଯେହ୍ନେ ପଡେ଼ ଧାଇଁ ॥୧୬୫
ଗଗନେ ଦେଖି କୃଷ୍ଣରଥ । ବେଗେ ତୋଳିଲା ବେନିହସ୍ତ ॥୧୬୬
ରଥେ ଉଠିଲା ପ୍ରାୟ ମଣି । କର ଧଇଲେ ଚକ୍ରପାଣି ॥୧୬୭
ନେଇଣ ବସାଇଲେ କୋଳେ । ଶୂନ୍ୟେ ଦେଖନ୍ତି ଦିଗପାଳେ ॥୧୬୮
ମାଗଧ ଆଦି ରିପୁ ଯେତେ । ସକଳ ଦୃଷ୍ଟି କୃଷ୍ଣରଥେ ॥୧୬୯
ଗରୁଡ଼ଧ୍ୱଜ ରଥେ ଆଣି । କୋଳେ ବସାଇ କମଳିନୀ ॥୧୭୦
କ୍ଷତ୍ରିୟବଳ ତୁଚ୍ଛ କରି । ସାରଙ୍ଗଧନୁ କରେ ଧରି ॥୧୭୧
ବିଜୟ କଲେ ଦାମୋଦର । ସଙ୍ଗେ ସାତ୍ୟକି ହଳଧର ॥୧୭୨
ଯାଦବବଳ ଅପ୍ରମିତ । ଗହଳେ ନ ଦିଶଇ ପଥ ॥୧୭୩
ଶୃଗାଳ ମଧ୍ୟୁ ମାଂସଭାଗ । ବଳେ ହରଇ ଯେହ୍ନେ ସିଂହ ॥୧୭୪
ଦେଖି ଚକିତ ସର୍ବଜନ । ଥିଲେ ଯେ ଅନେକ ରାଜନ ॥୧୭୫
ଏକ ଆରେକ ମୁଖ ଚାହିଁ । ବଦନୁ ବାକ୍ୟ ନ ସ୍ପୁରଇ ॥୧୭୬
ଶୁଭଇ ନେଲା ନେଲା ବାଣୀ । ଚହଳେ କମ୍ପଇ ଧରଣୀ ॥୧୭୭
ଘଡ଼ିକେ ଜାଣିଲେ ସକଳେ । କନ୍ୟା ହରିଲେ କୃଷ୍ଣ ବଳେ ॥୧୭୮
କୃଷ୍ଣର ରିପୁରାଜା ଯେତେ । ବିବିଧ ଶସ୍ତ୍ର ଘେନି ହସ୍ତେ ॥୧୭୯
ଶିଶୁପାଳର ସଭାତଳେ । ପ୍ରତିଜ୍ଞା କଲେ ସେହୁବଳେ ॥୧୮୦
ଆମ୍ଭେ ଆଣିବୁ ତୋର ନାରୀ । ସଂଗ୍ରାମେ ରାମକୃଷ୍ଣ ମାରି ॥୧୮୧
ଏବେ ହୋଇଲା ଯଶ ନାଶ । ସମ୍ଭ୍ରମେ ଛାଡ଼ନ୍ତି ନିଃଶ୍ୱାସ ॥୧୮୨
ବୋଲନ୍ତି ଅଧର କାମୋଡ଼ି । ଆପଣା ଶିରେ କର ତାଡ଼ି ॥୧୮୩
ଆମ୍ଭର ବଳ ଧିକ୍ ହେଉ । ଗୃଧ୍ର ଶୃଗାଳ ମାଂସ ଖାଉ ॥୧୮୪
ଗୋପାଳେ ନେଲେ ବଳ କରି । ଆମ୍ଭର ମଧ୍ୟୁ କନ୍ୟା ହରି ॥୧୮୫
ଶୃଗାଳ ସିଂହଭାଗ ନେଲା । ଏମନ୍ତ ଶବଦ ଶୁଭିଲା ॥୧୮୬
ରୁକ୍ମିଣୀ ହରଣ ଏ ବାଣୀ । ଶୁଣି ସଂସାରୁ ତର ପ୍ରାଣୀ ॥୧୮୭
ବୋଲଇ ଦାସ ଜଗନ୍ନାଥ । ସଜ ହୋଇଲେ ନୃପଯୂଥ ॥୧୮୮
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ଉତ୍ତରାର୍ଦ୍ଧେ ରୁକ୍ମିଣୀହରଣଂ ନାମ ସପ୍ତପଞ୍ଚାଶତ୍ ଅଧ୍ୟାୟଃ ॥
ଅଷ୍ଟପଞ୍ଚାଂଶ ଅଧ୍ୟାୟ
[ସମ୍ପାଦନା]- ଶୁକ ଉବାଚ
କହନ୍ତି ଶୁକ ରାଜା ଆଗେ । ଏମନ୍ତ ବୋଲି ଚାରିଦିଗେ ॥୧
ଯେ ଯାହା ବାହାନ ଆବୋରି । ଅଙ୍ଗେ ସକଳେ ସ୍ନେହା ଭରି ॥୨
ସବୁ ସଇନ୍ୟ କରି ଆଗେ । ଧାଇଁଲେ ଶସ୍ତ୍ର ଘେନି ବେଗେ ॥୩
ବୋଲନ୍ତି ମାର ମାର ବାଣୀ । ଯାଦବବଳ ତାହା ଶୁଣି ॥୪
ଥିଲେ ଯେ ରାମ କୃଷ୍ଣ ପାଖେ । ଆବୋରି ରହିଲେ ସମ୍ମୁଖେ ॥୫
କୋପେ କରନ୍ତି ଗୁଣଘୋଷ । ଶବଦେ କମ୍ପେ ଦଶଦିଶ ॥୬
ଅଶ୍ୱ କୁଞ୍ଜର ରଥେ ଥାଇ । ନିଜ କୋଦଣ୍ତ ଗୁଣ ଦେଇ ॥୭
ଶର ବିନ୍ଧନ୍ତି ମେଘ ପ୍ରାୟେ । ପଡ଼ଇ ଯାଦବଙ୍କ ଦେହେ ॥୮
ଗିରିଶିଖରେ ଘୋଟି ଘନେ । ବୃଷ୍ଟି କରନ୍ତି ଯେହ୍ନେ ବନେ ॥୯
ଯାଦବବଳେ ବାଣ ସୃଷ୍ଟି । ଦେଖି ରୁକ୍ମିଣୀ ଭୟଦୃଷ୍ଟି ॥୧୦
ଲଜ୍ଜାରେ ଜଡ଼ିତ ନୟନ । ଚାହିଁଲା କୃଷ୍ଣର ବଦନ ॥୧୧
ବାଣବରଷଣେ ଅନାଇଁ । କମ୍ପଇ କୃଷ୍ଣକୋଳେ ଥାଇ ॥୧୨
ହାସବଦନେ ଭାଗଗ୍ରାହୀ । ବୋଲନ୍ତି କନ୍ୟାମୁଖ ଚାହିଁ ॥୧୩
କିମ୍ପା ସୁନ୍ଦରୀ ପାଉ ତ୍ରାସ । ହେଳେ ତୋ ରିପୁ ଯିବେ ନାଶ ॥୧୪
ମୋହର ବଳ ଦେଖ ଏବେ । ଅକ୍ଷୟ ଅଟନ୍ତି ଯାଦବେ ॥୧୫
ଏମନ୍ତ ବୋଲୁ ବୋଲୁ ଭାବେ । ସଂଗ୍ରାମେ ଧାଇଁଲେ ଯାଦବେ ॥୧୬
ଗଦ ସଙ୍କରଷଣ ଆଦି । ଯାଦବବଳେ ଏ ପ୍ରସିଦ୍ଧି ॥୧୭
କରିଣ ବାଣବୃଷ୍ଟି ଘୋର । ଦିବସ କଲେ ଅନ୍ଧକାର ॥୧୮
ରଥକୁଞ୍ଜର ଅଶ୍ୱ ତୁଲେ । ତୀକ୍ଷ୍ମ ନାରାଚେ ସଂହାରିଲେ ॥୧୯
ରିପୁଙ୍କ ଶିର କୋଟି କୋଟି । ଛିଡ଼ି ପଡ଼ିଲେ ମହୀ ଘୋଟି ॥୨୦
କନ୍ଧ ସହିତେ ମୁଣ୍ତମାଳ । ଲୋଟନ୍ତି କିରୀଟ କୁଣ୍ତଳ ॥୨୧
ଗଦା ଖଡ଼ଗ ବାଣ ହସ୍ତେ । ଛିଡ଼ି ପଡ଼ିଲେ ମହୀଗତେ ॥୨୨
ହସ୍ତ ହୃଦୟ ଜାନୁ ଛିଡ଼ି । ପଡ଼ିଣେ ରଣଭୂମି ମାଡ଼ି ॥୨୩
ତୁରଙ୍ଗ ଅଶ୍ୱତର ନାଗ । ଉଷ୍ଟ୍ର ଗର୍ଦ୍ଦଭ ଶିର ଭାଗ ॥୨୪
ମନୁଷ୍ୟ ଶିର ସଙ୍ଗେ ପଡ଼ି । ଭଲେ ନ ଦିଶେ ବସୁନ୍ଧରୀ ॥୨୫
ଦେଖି ଯାଦବବଳେ ତେଜ । ରଣେ ଭାଜିଲେ ସର୍ବରାଜା ॥୨୬
ମାଗଧ ଆଦି ସର୍ବବୀରେ । ମିଳିଲେ ବିଦର୍ଭ ନଗରେ ॥୨୭
ଦେଖିଲେ ଛାୟାବେଦୀ ମଧ୍ୟେ । ବର ବସିଛି କନ୍ୟା ସଧେ ॥୨୮
ଦାରାହରଣ ଶୋକ ଦୁଃଖେ । ଧୂଳି ପଡ଼ିଲା ପ୍ରାୟ ମୁଖେ ॥୨୯
ଲଜ୍ଜାରେ ଶୁଖିଲା ଅଧର । ସୁନ୍ଦରପଣ ହେଲା ଦୂର ॥୩୦
ଛାଡ଼ିଲା ବିବାହର ଆଶ । ଲାଜେ ନ ଚାହେଁ ଦଶଦିଶ ॥୩୧
ବଚନ ନ ସ୍ପୁରଇ ମୁଖେ । ରାଜାଏ ବସି କର ପାଖେ ॥୩୨
ବୋଲନ୍ତି ଶୁଣ ନରରାୟ । ମନେ ନ କର ଦୁଃଖ ଭୟ ॥୩୩
ବିମନ ଛାଡ଼ ବେଗେ ତୁହି । ଶୁଣ ତୁ ଯାହା ଆମ୍ଭେ କହି ॥୩୪
ଅର୍ଜିଲା କର୍ମ ଭୁଞ୍ଜେ ଦେହୀ । ଏହାର ପ୍ରିୟାପ୍ରିୟ ନାହିଁ ॥୩୫
ଏ ଦେହୀ ଈଶ୍ୱର ଆୟତ୍ତ । ସ୍ୱକର୍ମ ପଥେ ଆତଯାତ ॥୩୬
କାଷ୍ଠପିତୁଳୀ ହସ୍ତେ ନେଇ । କୁହୁକୀ ଯେମନ୍ତ ନଚାଇ ॥୩୭
ପ୍ରତିମା ନାଚେ ସେହିମତ । ସେ ଯେହ୍ନେ କୁହୁକୀ ଆୟତ୍ତ ॥୩୮
ଈଶ୍ୱର ଆୟତ୍ତ ଏ ଦେହୀ । ଏହାର ଦୁଃଖ ସୁଖ ନାହିଁ ॥୩୯
ଜରା କହଇ ସାଧୁବାଣୀ । ବିଧାତା ଗତିକୁ ନ ଜାଣି ॥୪୦
ଶୁଣ ମୋହର କର୍ମବାଣୀ । ବଳ ଦେଇଣ ଅକ୍ଷୌହିଣୀ ॥୪୧
ସପତଦଶ ବାର ହାରି । ବେଳେ ଜିଣିଲି ରାମ ହରି ॥୪୨
ଏହା ମୁଁ ଅନୁଭବ କରି । ଜୟ ଅଜୟ ନ ବିଚାରି ॥୪୩
ହରଷ ଶୋକେ ନାହିଁ ଇଚ୍ଛା । ନିଜ କରମଫଳ ଦୀକ୍ଷା ॥୪୪
ଜୀବଟି କର୍ମେ ଆତଯାତ । କାଳର କ୍ରୀଡ଼ା ଏ ଜଗତ ॥୪୫
ଦେଖ ଏ କାଳର ମହିଁମା । ଆମ୍ଭେ ସକଳେ ବୀର ସିନା ॥୪୬
ହାରିଲୁ ନିଜ କର୍ମ ବଳେ । ଯାଦବେ ଜିଣିଲେ ସମରେ ॥୪୭
ରିପୁଙ୍କ କାଳ ବଳୀୟାର । ଅଯଶ ଆମ୍ଭ କର୍ମ ଫଳ ॥୪୮
ଆମ୍ଭର ପୁଣ୍ୟଯଶ କାଳେ । ରିପୁ ଜିଣିବା ଅବହେଳେ ॥୪୯
ଏମନ୍ତ ପ୍ରବୋଧ-ବଚନେ । ହରଷ କଲା ତାର ମନେ ॥୫୦
ନିଜ ନଗରେ ତାକୁ ନେଇ । ଅନେକ ପ୍ରବୋଧନ କହି ॥୫୧
ରାଜାଏ ଦୁଃଖ ଶୋକ ମନେ । ମିଳିଲେ ଯେ ଯାହା ଭୁବନେ ॥୫୨
ରୁକ୍ମି ଯେ କୃଷ୍ଣର ବଇରୀ । ଶିଶୁପାଳକୁ ଥିଲା ବରି ॥୫୩
କନ୍ୟା ଗୋବିନ୍ଦ ହରି ନେଲେ । ଶତ୍ରୁଙ୍କ ଗର୍ବ ନାଶ କଲେ ॥୫୪
ମାଗଧ ଆଦି ମହୀପାଳେ । ଯେ ଯାହା ଗୃହେ ଯିବାବେଳେ ॥୫୫
ସମସ୍ତ ରାଜା ମଧ୍ୟେ ଥାଇ । ପ୍ରତିଜ୍ଞା କଲା ଗର୍ବ ବହି ॥୫୬
ଅଭେଦ ସ୍ନେହା ଦେହେ ଘେନି । ପିତାର ବଳ ଅକ୍ଷୌହିଣୀ ॥୫୭
ସଙ୍ଗତେ ଘେନି ମହାବୀର । ରାଜାଙ୍କୁ ବୋଲଇ ଉତ୍ତର ॥୫୮
ତୁମ୍ଭେତ ହୋଇଲ ନିରେଖ । ମୋର ମହିମା ଆଜ ଦେଖ ॥୫୯
ସମରେ ରାମକୃଷ୍ଣ ମାରି । ବନ୍ଦୀରୁ ରୁକ୍ମିଣୀ ଉଦ୍ଧରି ॥୬୦
ଆଜ ଆଣିବି ବାହୁବଳେ । ଯଶ ମୋ ଥିବ ମହୀତଳେ ॥୬୧
ଏହା ମୁଁ କରି ନ ପାରିଲେ । ବାହୁଡ଼ି ନ ଆସିବି ଭଲେ ॥୬୨
ସତ୍ୟବଚନ ଏ ମୋହର । ନଗରୁ ହୋଇଲା ବାହାର ॥୬୩
ରଥେ ବସିଲା ବେଗେ ଯାଇ । ବୋଲେ ସାରଥି ମୁଖ ଚାହିଁ ॥୬୪
ରଥ ତୁ ବାହା ବେଗେ କରି । ଯହିଁ ଅଛନ୍ତି ରାମହରି ॥୬୫
ରାମ-ଗୋବିନ୍ଦ ଯୁଦ୍ଧେ ମାରି । ରୁକ୍ମିଣୀ ଆଣିବି ଉଦ୍ଧରି ॥୬୬
ତୀକ୍ଷ୍ଣ ନାରାଚ ଦେଖ ମୋର । ହେଳେ ଜିଣିବି ଯଦୁବଳ ॥୬୭
ଗୋପାଳେ ବଳେ ବଳୀୟାର । ଆଜ କରିବି ଗର୍ବ ଚୂର ॥୬୮
ବଳେ ହରିଲା ମୋ ବହେଣୀ । ଆଜ ଆଣିବି ଶିର ହାଣି ॥୬୯
ମୋତେ ଦେଖାଏ ବଳ-ଗର୍ବ । ଅଜାତି ଗଉଡ଼ ସ୍ୱଭାବ ॥୭୦
ଏମନ୍ତ ଗର୍ବ ମନେ ବହି । ହରିମହିମା ନ ଜାଣଇ ॥୭୧
ବେଗେ ଧାଇଁଲା ଏକା ରଥେ । ଡ଼ାକଇ ରହ ରହ ପଥେ ॥୭୨
ଗୁଣେ ବସାଇ ତିନିବାଣ । ଶ୍ରବଣ ଯାଏଁ ଟାଣି ଗୁଣ ॥୭୩
ବିନ୍ଧିଲା ଗୋବିନ୍ଦ ଉପରେ । ଡ଼ାକଇ କୁତ୍ସିତ ବେଭାରେ ॥୭୪
ଯାଦବ-କୁଳପାଂଶୁ ତୁହି । ମୋର ସଂଗ୍ରାମେ ଯିବୁ କାହିଁ ॥୭୫
କ୍ଷଣେକ ରହ ରଣ ମଧ୍ୟେ । ରୁକ୍ମିଣୀ ହରିଲୁ ଯେ ସଧେ ॥୭୬
କାକ ଯେସନେ ମାୟା କରି । ଯଜ୍ଞର ଚରୁ ନିଏ ହରି ॥୭୭
ମନ୍ଦ ମାୟାବୀ କୂଟଯୋଦ୍ଧି । ଗୋପାଳେ ହୀନ ଦୁଷ୍ଟବୁଦ୍ଧି ॥୭୮
ଆଜ ଜିଣିବି ତୋତେ ହାଣି । ଯାବଦ ନ ଛାଡ଼ୁ ରୁକ୍ମିଣୀ ॥୭୯
ଶୁଣି ହସିଲେ ଦାମୋଦର । ସାରଙ୍ଗଧନୁ ଧରି କର ॥୮୦
ଈଷିତେ ଷଡ଼ବାଣ ବିନ୍ଧି । ତାହାର ହସ୍ତୁ ଧନୁ ଛେଦି ॥୮୧
ପୁଣ ବିନ୍ଧିଲେ ଅଷ୍ଟବାଣ । ଲୀଳା ମାତ୍ରକେ ନାରାୟଣ ॥୮୨
ରଥର ଚାରି ଅଶ୍ୱ ହାଣି । ପୁଣି ବିନ୍ଧିଲେ ବାଣ ତିନି ॥୮୩
ରଥସାରଥୀ ମୁଣ୍ତ କାଟି । ତିନି ନାରାଚେ ଧ୍ୱଜ ଲୋଟି ॥୮୪
ଦେଖିଣ ରୁକ୍ମୀ ବହି ମନ୍ୟୁ । ହସ୍ତେ ଘେନିଲା ଆର ଧନୁ ॥୮୫
ସେ ଧନୁ କାଟିଲେ ମୁରାରି । ଗୁଣ ଟଙ୍କାରନାଦ କରି ॥୮୬
ପୁଣ ଘେନିଲା ଆନ ଧନୁ । ତାହା ଛେଦିଲେ ଦେବ କାହ୍ନୁ ॥୮୭
ପରିଘ ଖଡ଼୍ଗ ଶୂଳ ଚର୍ମ । ଶକ୍ତି ତୋମର ତୀକ୍ଷ୍ଣ ମୁନ ॥୮୮
ଯେତେ ଆୟୁଧ କରେ ଧରି । ସବୁ ଛେଦିଲେ ନରହରି ॥୮୯
ତକ୍ଷଣେ ରଥୁଁ ଓହ୍ଲାଇଲା । କୋପେ ଖଡ଼ଗ ହସ୍ତେ ନେଲା ॥୯୦
କୃଷ୍ଣଙ୍କୁ ମାରିବାର ଆଶେ । ଡେ଼ଇଁ ଉଠିଲା ନନ୍ଦିଘୋଷେ ॥୯୧
ଗୋପେ ଗର୍ଜଇ କୃଷ୍ଣ ପାଖେ । ପବନ ଯେସନେ ପାବକେ ॥୯୨
ଦେଖି ଗୋବିନ୍ଦ ବେଗେ ଉଠି । ତିଳ ପ୍ରମାଣେ ଶସ୍ତ୍ର କାଟି ॥୯୩
କୋପେ ଉଞ୍ଚାଇ ଅସିବର । କେଶ ଧଇଲେ ସେ ରୁକ୍ମିର ॥୯୪
କୃଷ୍ଣର କୋପମୁଖ ଦେଖି । ଭୟେ କମ୍ପଇ ଶଶୀମୁଖୀ ॥୯୫
ଭାଇର ପ୍ରାଣନାଶ ଜାଣି । ଚରଣେ ପଡ଼ିଲା ରୁକ୍ମିଣୀ ॥୯୬
କାତରେ କରଇ କାରୁଣ୍ୟ । ଭୋ ନାଥ ଯୋଗେଶ୍ୱର ଶୁଣ ॥୯୭
ଅନନ୍ତ ମହିମା ତୋହର । ଦୋଷ ଉପେକ୍ଷ ଦେବ ତାର ॥୯୮
ଜଗତପ୍ତି ନାରାୟଣ । ମୁଁ ତୁମ୍ଭ ଚରଣେ ଶରଣ ॥୯୯
ନ ମାର ମୋର ଜ୍ୟେଷ୍ଠଭ୍ରାତ । ପରମାନନ୍ଦ ଜଗନ୍ନାଥ ॥୧୦୦
ଶୁକ ବୋଲନ୍ତି ଶୁଣ ରାୟେ । ଦୟା ବସିଲା କୃଷ୍ଣଦେହେ ॥୧୦୧
ଚାହିଁଲେ ରୁକ୍ମିଣୀ ଶରୀର । ଭୟେ କମ୍ପଇ ଥରହର ॥୧୦୨
ଶୋକେ ଶୁଖିଲା ଦେବୀ ଓଷ୍ଠ । ବାକ୍ୟ ନ ସ୍ପୁରେ ରୁନ୍ଧି କଣ୍ଠ ॥୧୦୩
କାତରେ ହେମକଣ୍ଠୀମାଳ । ପଡ଼ିଲା କୃଷ୍ଣପାଦତଳେ ॥୧୦୪
ରୁକ୍ମିଣୀ ଉଠି କରଯୋଡ଼ି । ପୁଣି କୃଷ୍ଣର ପାଦେ ପଡ଼ି ॥୧୦୫
ଅଶେଷ ବ୍ରହ୍ମାଣ୍ତ ଠାକୁର । ରଖିବା ଜୀବନ ଏହାର ॥୧୦୬
ଏମନ୍ତ ଦେଖି କନ୍ୟାଦୁଃଖ । କରୁଣା କଲେ ପଦ୍ମମୁଖ ॥୧୦୭
ଆକର୍ଷି ଧରି ତାର କର । ବସ୍ତ୍ରେ ବାନ୍ଧିଲେ ଦାମୋଦର ॥୧୦୮
ବିମାନ ଖମ୍ବେ ନେଇ ବାନ୍ଧି । ବେନିଚରଣ ତାର ଛନ୍ଦି ॥୧୦୯
ତୀକ୍ଷ୍ଣ ନାରାଚେ ହୃଷୀକେଶ । ବିରୂପ କଲେ ତାର ବେଶ ॥୧୧୦
ସାତପ୍ରକାରେ କେଶ ଧରି । କୋପେ କାଟିଲେ ଦେବହରି ॥୧୧୧
ସଙ୍ଗତେ ଯଦୁବଳ ଥିଲେ । ରୁକ୍ମୀର ସୈନ୍ୟଙ୍କୁ ବେଢିଲେ ॥୧୧୨
ତକ୍ଷଣେ ସର୍ବ କଲେ ନାଶ । ଅଳପ ରହେ ଅବଶେଷ ॥୧୧୩
ନଳିନୀବନେ ଗଜେ ପଶି । କ୍ଷଣକେ ଯାନ୍ତି ଯେହ୍ନେ ଧ୍ୱଂସି ॥୧୧୪
ସୈନ୍ୟ ହୋଇଲେ ବଳ କ୍ଷୀଣ । ରୁକ୍ମି ଯେ ପଡ଼ିଲା ବନ୍ଧନ ॥୧୧୫
ରଥ ନିକଟେ ରାମ ଯାଇ । ବୋଲନ୍ତି କୃଷ୍ଣମୁଖ ଚାହିଁ ॥୧୧୬
ବନ୍ଧନ ଫେଡ଼ାଇ ବହନ । ଚାହିଁଲେ ରୁକ୍ମୀର ବଦନ ॥୧୧୭
ବିରୂପ ଦେଖି ତାର ଦେହୀ । ରାମ ବୋଲନ୍ତି କୃଷ୍ଣେ ଚାହିଁ ॥୧୧୮
ହେ କୃଷ୍ଣ କଲୁ ଦୁଷ୍ଟପଣ । ଆପଣା ବନ୍ଧୁରେ କଷଣ ॥୧୧୯
ଅସାଧୁ କର୍ମ ଏ ତୋହର । ନିନ୍ଦା କରିବେ ତିନିପୁର ॥୧୨୦
ବିରୂପ କଲୁ କେଶ-ବେଶ । ନାଶିଲୁ ସୁହୃଦ ବିଶ୍ୱାସ ॥୧୨୧
ନ ଜାଣି କଲୁ ଏଡେ଼ କାର୍ଯ୍ୟ । ମରଣୁଁ ଅଧିକ ଏ ଲାଜ ॥୧୨୨
ଏମନ୍ତ କହି ବଳରାମ । ଚାହିଁଲେ ରୁକ୍ମିଣୀ ବଦନ ॥୧୨୩
ବୋଲନ୍ତି ରେବତୀରମଣ । କୋମଳ ମଧୁର ବଚନ ॥୧୨୪
ଜ୍ୟେଷ୍ଠଭ୍ରାତର ରୂପ ଦେଖି । କିମ୍ପାଇ ମନେ ହୁଅ ଦୁଃଖୀ ॥୧୨୫
ଆତ୍ମାକୁ ନିନ୍ଦିତ ନ କର । ଦଇବ ବଳ ବଳୀୟାର ॥୧୨୬
କର୍ମ ସେ ସୁଖ ଦୁଃଖ ଦେଇ । ପୁରୁଷ ଅବଶ୍ୟ ଭୁଞ୍ଜଇ ॥୧୨୭
କୃଷ୍ଣଙ୍କୁ ଚାହିଁ ହଳଧର । କହନ୍ତି ସଂସାର ବେଭାର ॥୧୨୮
ମରଣତୁଲ୍ୟ ଦୋଷ ଯେବେ । ବନ୍ଧୁ କରଇ ମୂଢଭାବେ ॥୧୨୯
ତାହାକୁ ନ କରିବ ନାଶ । ଆପଣା ଦୋଷେ ତା ଅଯଶ ॥୧୩୦
ତାହାର ଲାଜେ ସେ ମରଇ । ପୁଣି କହନ୍ତି କନ୍ୟା ଚାହିଁ ॥୧୩୧
କ୍ଷତ୍ରିୟ ଧର୍ମର ଏ ଗତି । ଯାହା ସଂଚିଲା ପ୍ରଜାପତି ॥୧୩୨
ଅତି ଦାରୁଣ ତମଘୋରେ । ଭାଇକି ଭାଇ ବଳେ ମାରେ ॥୧୩୩
ପୁଣି ଗୋବିନ୍ଦ ମୁଖ ଚାହିଁ । କହନ୍ତି ସ୍ୱଧର୍ମ ଦେଖାଇ ॥୧୩୪
ରାଜ୍ୟଧରଣୀ ବିତ୍ତ ଆଶେ । ମାନ ସମ୍ପଦ ତେଜେ ବଶେ ॥୧୩୫
ଆପଣା ଅର୍ଥେ ମତ୍ତ ହୋଇ । ପ୍ରାଣୀ ପୀଡ଼ନ୍ତି ଗର୍ବ ବହି ॥୧୩୬
ତୋର ବିଷମବୁଦ୍ଧି ଚିତ୍ତେ । ମୁହିଁ ଦେଖିଲି ସର୍ବମତେ ॥୧୩୭
ରୁକ୍ମିଣୀମୁଖ ଚାହିଁ ପୁଣି । ବୋଲନ୍ତି ପ୍ରଭୁ ହଳପାଣି ॥୧୩୮
ଶତ୍ରୁର ଅମଙ୍ଗଳ ଦେଖି । ଆପଣା ଚିତ୍ତେ ହେଉ ସୁଖୀ ॥୧୩୯
ସୁହୃଦ ସ୍ନେହେ ମୂର୍ଖ ପଣୁ । ଭଲକୁ ମନ୍ଦ ପ୍ରାୟ ମଣୁ ॥୧୪୦
ତାର ଉଚିତ ଦଣ୍ତ ଦେଖି । ଆପଣା ମନେ ହେଉ ଦୁଃଖୀ ॥୧୪୧
ଦଇବ ମାୟାବଳେ ଜନ । ଆତ୍ମାରେ କଳ୍ପଇ ଅଜ୍ଞାନ ॥୧୪୨
ଆତ୍ମାରେ ଭେଦ ସେ କରନ୍ତି । ଉଦାସୀ ଶତ୍ରୁ ମିତ୍ର ହୋନ୍ତି ॥୧୪୩
ସକଳ ଦେହେ ଆତ୍ମା ଏକ । ଅଜ୍ଞାନୀଜନଙ୍କୁ ଅନେକ ॥୧୪୪
ଯେହ୍ନେ ଗଗନ ଆର ଜ୍ୟୋତି । ଅନେକ ମତେ ଦୃଶ୍ୟ ହୋନ୍ତି ॥୧୪୫
ଜନ୍ମ ମରଣ ପଥେ ଦେହୀ । ଦ୍ରବ୍ୟ ଇନ୍ଦ୍ରିୟ ଗୁଣ ବହି ॥୧୪୬
ଆତ୍ମା ଯେ ମୋହଜଡ଼ ହୋଇ । ଜନ୍ମମରଣେ ଭ୍ରମୁ ଥାଇ ॥୧୪୭
ଆତ୍ମା ନିର୍ଗୁଣ ନିରଞ୍ଜନ । ସଂଯୋଗ ବିଯୋଗୁଁ ଏ ଭିନ୍ନ ॥୧୪୮
ଆଦି କାରଣ ଆତ୍ମା ଯେଣୁ । ଦୃଷ୍ଟି ରୂପକୁ ଯେହ୍ନେ ଭାନୁ ॥୧୪୯
ଜନ୍ମ ବିକାର ଷଡ଼ଗୁଣ । ଏ ଆଦି ପିଣ୍ତର କାରଣ ॥୧୫୦
ଆତ୍ମାର ବିକାର ନୁହନ୍ତି । କଳାରେ ଚନ୍ଦ୍ର ଯେହ୍ନେ ଥାନ୍ତି ॥୧୫୧
ଅମାନିଶାରେ କଳାହୀନ । ବିଚାରେ ଶଶାଙ୍କ ନିର୍ଗୁଣ ॥୧୫୨
ଶୟନେ ପୁରୁଷ ଯେସନ । ଦେଖନ୍ତି ବିଷୟ ସ୍ୱପନ ॥୧୫୩
ବାସନାବଳେ ଅନୁଭବ । କରି ଲଭନ୍ତି ଯେହ୍ନେ ଭୋଗ ॥୧୫୪
ଏଣୁ ଅଜ୍ଞାନୁ ଶୋକ ଜାତ । ଆତ୍ମା ସେ ଶୋକ ମୋହଗ୍ରସ୍ତ ॥୧୫୫
ଏ ମାୟା ତତ୍ତ୍ୱଜ୍ଞାନେ ହରି । ନିର୍ମଳଜ୍ଞାନ ଚିତ୍ତେ ଧରି ॥୧୫୬
ସଂସାର ଭ୍ରମପ୍ରାୟ ଦେଖି । ଶୋକ ସଂହର ଚନ୍ଦ୍ରମୁଖି ॥୧୫୭
ଏମନ୍ତେ ଶ୍ରୀରାମର ବାଣୀ । ଆଦରେ ଶୁଣିଲା ରୁକ୍ମିଣୀ ॥୧୫୮
ବିମନ ଛାଡ଼ି ଜ୍ଞାନ ପାଇ । ଶୋକ ଛାଡ଼ିଲା ରାମେ ଚାହିଁ ॥୧୫୯
କହନ୍ତି ଶୁକମୁନି ତୋଷେ । ରୁକ୍ମୀ ଯେ ଥିଲା ନନ୍ଦିଘୋଷେ ॥୧୬୦
କେବଳ ଅବଶେଷ ପ୍ରାଣ । ରଥୁଁ ଓହ୍ଲାଇଲା ରୁକ୍ମଣ ॥୧୬୧
ବିଶେଷେ ହତବଳ ସର୍ବ । ହରି ଗଞ୍ଜିଲେ ତାର ଗର୍ବ ॥୧୬୨
ସଙ୍କଳ୍ପ-ଭଙ୍ଗେ ପଳାଇଲା । କୁଣ୍ତୀନଗରେ ନ ପଶିଲା ॥୧୬୩
ହରିଙ୍କି ମାରିଯିବା ବେଳେ । ପ୍ରତିଜ୍ଞା କରିଥିଲା ବଳେ ॥୧୬୪
ଆଜ ଗୋବିନ୍ଦମୁଣ୍ତ ହାଣି । ଆଣି ନ ପାରିଲେ ରୁକ୍ମିଣୀ ॥୧୬୫
କୁଣ୍ତୀନଗରେ ନ ପଶିବି । ଜୀବନ୍ତେ ଯେତେକାଳ ଥିବି ॥୧୬୬
ଏମନ୍ତେ ପଶି ଘୋରବନେ । ବୃକ୍ଷ କଟାଇ କୋପମନେ ॥୧୬୭
ବସାଇଲା ସେ ବହୁଗ୍ରାମ । ନଗର ଭୋଜକଟ ନାମ ॥୧୬୮
ତହିଁ ରହିଲା ବାସକରି । କୃଷ୍ଣ ବଇର ମନେ ଧରି ॥୧୬୯
ରୁକ୍ମିଣୀ ଘେନି ଭଗବାନ । ପ୍ରବେଶ ଦ୍ୱାରକାଭୁବନ ॥୧୭୦
ସମରେ ଜିଣି ସର୍ବରାଜା । ଯାଦବେ କଲେ ପାଦପୂଜା ॥୧୭୧
ସ୍ତୁତି କରନ୍ତି ସୁରନର । ଆନନ୍ଦ ଦ୍ୱାରାବତୀପୁର ॥୧୭୨
ଗୋବିନ୍ଦ ବିଭାର ଉତ୍ସବେ । ପୁରମଣ୍ତିଲେ ନାନାଭାବେ ॥୧୭୩
ଉତ୍ସବ କଲେ ସର୍ବପୁରେ । ବାଦ୍ୟ ବଜାଇ ପଞ୍ଚସ୍ୱରେ ॥୧୭୪
ଦ୍ୱାରକାପୁର ନରନାରୀ । ବିବିଧ ଅଳଙ୍କାର ଭରି ॥୧୭୫
କୃଷ୍ଣ ବିବାହେ ଉନମତ୍ତ । କାମିନୀ କଲେ ନୃତ୍ୟଗୀତ ॥୧୭୬
ମଙ୍ଗଳ ଦ୍ୱାରକାନଗର । କି ଅବା ଦେବା ପଟାନ୍ତର ॥୧୭୭
ଧ୍ୱଜ ତୋରଣ ରତ୍ନମାଳ । ପୂର୍ଣ୍ଣକଳସ ସୁମଙ୍ଗଳ ॥୧୭୮
ଅଗୁରୁ ଧୂପ ଦୀପାବଳୀ । ପଥେ ସିଂଚନ୍ତି ଗନ୍ଧ ଗୋଳି ॥୧୭୯
ମାର୍ଜନା କରି ଦାଣ୍ତ କକ୍ଷ । ଦ୍ୱାରେ ରୋପିଲେ ରମ୍ଭାବୃକ୍ଷ ॥୧୮୦
ବନ୍ଧୁବେଭାରେ ରାଜାଗଣେ । ଆସି ମିଳିଲେ ଜଣେ ଜଣେ ॥୧୮୧
କୁରୁ ସୃଞ୍ଜୟ ଆଦି ରାଜ । ବିଦର୍ଭ ଯଦୁ କୁନ୍ତି ଭୋଜ ॥୧୮୨
ଆରୋହି ଘୋଟକ-ବାରଣେ । ପ୍ରବେଶ ଦ୍ୱାରକାଭୁବନେ ॥୧୮୩
ହସ୍ତୀଙ୍କ ମଦଜଳେ ମହୀ । ବରଷାକାଳ ପ୍ରାୟ ହୋଇ ॥୧୮୪
ଏକ ଆରେକ ମତ୍ତ ହୋଇ । ଆନନ୍ଦ କେ ପାରିବ କହି ॥୧୮୫
ମଙ୍ଗଳ କର୍ମମାନ କଲେ । ଗୁରୁଦେବତା ଆରାଧିଲେ ॥୧୮୬
ରୁକ୍ମିଣୀହରଣର ବାଣୀ । ଭରତଖଣ୍ତ ରାଜା ଶୁଣି ॥୧୮୭
ରାଜକୁମାରୀ ଯେତେ ଛନ୍ତି । ଭଲେ ପାଇଲେ ମନେ ଭ୍ରାନ୍ତି ॥୧୮୮
ଦ୍ୱାରକାପୁରେ ଯେତେ ନର । କେ କହୁ ତପ ତାହାଙ୍କର ॥୧୮୯
ଆନନ୍ଦ କଲେ ପୁରେ ପୁରେ । ନୟନେ ଦେଖି କନ୍ୟାବରେ ॥୧୯୦
ଲକ୍ଷ୍ମୀମାଧବ ବିଭାକାଳେ । ବାନ୍ଧବେ ଯଉତୁକ ଦେଲେ ॥୧୯୧
ସେ ବରକନ୍ୟା ପାଦଗତ । ନମଇଁ ଦାସ ଜଗନ୍ନାଥ ॥୧୯୨
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ଉତ୍ତରାର୍ଦ୍ଧେ ରୁକ୍ମିଣୀହରଣଂ ନାମ ସପ୍ତପଞ୍ଚାଶତ୍ ଅଧ୍ୟାୟଃ ॥
ଉନଷଷ୍ଟିତମ ଅଧ୍ୟାୟ
[ସମ୍ପାଦନା]ନମଇଁ ନୃସିଂହ ଚରଣ । ଅନାଦି ପରମ କାରଣ ॥୧
କହନ୍ତି ବ୍ୟାସଙ୍କର ଶିଷ । ଶୁଣ ରାଜନ ମନତୋଷ ॥୨
ରୁକ୍ମିଣୀ ଘେନି ଭଗବାନ । ରଙ୍ଗେ ରମିଲେ କେତେଦିନ ॥୩
ଏମନ୍ତେ ବିଧାତାର ବଶେ । କନ୍ଦର୍ପ ନାରାୟଣ ଅଂଶେ ॥୪
ଜାତ ହୋଇଲା ଦେହ ବହି । ଶୁଣ ରାଜନ ମନଦେଇ ॥୫
ପୂର୍ବେ ଦେବଙ୍କ କାର୍ଯ୍ୟେ ଗଲା । ଈଶ୍ୱର ତପ ଭଗ୍ନ କଲା ॥୬
ଘୋର ସମାଧି ଭଗ୍ନକାଳେ । କଠୋର-ନୟନ-ଅନଳେ ॥୭
ଶରୀର କଲା ଭସ୍ମଯୋଗ । ତେଣୁ ସେ ବୋଲାଇ ଅନଙ୍ଗ ॥୮
କୃଷ୍ଣର ବୀର୍ଯ୍ୟେ ଜାତ ହୋଇ । ପୁଣି ପାଇଲା ନିଜ ଦେହୀ ॥୯
ତାହାର ପତ୍ନୀ ନାମ ରତି । ମାୟା ସଂଯୋଗେ ମାୟାବତୀ ॥୧୦
କାମଦେବର ଭସ୍ମକାଳେ । ଶମ୍ବର ନେଲା ତାକୁ ବଳେ ॥୧୧
ଅସୁର ଘରେ କାମସତୀ । ମାୟା ମୋହିଲା ମାୟାବତୀ ॥୧୨
ନିତ୍ୟେ କନ୍ୟାଏ ଜାତକରେ । ଶମ୍ବର ଭୋଗ କରେ ତାରେ ॥୧୩
ଦିନ ହରଇ ତହିଁ ଥାଇ । ଏକଥା ନ ଜାଣନ୍ତି କେହି ॥୧୪
ଏମନ୍ତେ ଶୁଣ ନରନାଥ । ଶମ୍ବରପୁରେ ବ୍ରହ୍ମାସୁତ ॥୧୫
ରାେତ୍ରେ ମିଳିଲେ ତାର ପାଶେ । କହନ୍ତି ସୁହୃଦ ବିଶ୍ୱାସେ ॥୧୬
ବୋଲନ୍ତି ଅସୁରକୁ ଚାହିଁ । ନିଶ୍ଚିତେ ଅଛୁ କାହିଁପାଇଁ ॥୧୭
କନ୍ଦର୍ପ ତୋହର ବଇରୀ । ଆଜ ଜନ୍ମିଲା ଯଦୁପୁରୀ ॥୧୮
ରୁକ୍ମିଣୀ ଗର୍ଭେ କୃଷ୍ଣବୀର୍ଯ୍ୟେ । ଜାତ ହୋଇଲା ମହାତେଜେ ॥୧୯
ତୁ ଯାଇ ବେଗେ କର ନାଶ । ସେ ତୋର ମରଣେ ବିଶ୍ୱାସ ॥୨୦
କହି ଚଳିଲେ ଶୂନ୍ୟପଥେ । ଅସୁର ମାରିବାର ଅର୍ଥେ ॥୨୧
ନାରଦବଚନେ ଅସୁର । ପଶିଲା ଦ୍ୱାରକା ନଗର ॥୨୨
କୃଷ୍ଣର ଅନ୍ତଃପୁରେ ଯାଇ । ଯହିଁ ରୁକ୍ମିଣୀଛନ୍ତି ଶୋଇ ॥୨୩
ପଶିଲା ମାୟାରୂପ ଧରି । ସୂତିକା ଘରୁ ପୁତ୍ର ହରି ॥୨୪
ଗଗନମାର୍ଗେ ଘେନିଯାନ୍ତେ । ଦୈତ୍ୟ ଭାଳଇ ହୃଦଗତେ ॥୨୫
ଏ ଯେବେ ମୋହର ବଇରୀ । ମୁଁ କିମ୍ପା ଅଛି କୋଳେ ଧରି ॥୨୬
ଏମନ୍ତ ମନେ ବିଚାରିଲା । ସମୁଦ୍ର ମଧ୍ୟେ ପକାଇଲା ॥୨୭
ଆହାର ପ୍ରାୟ ପାଇ ଭାବ । ତକ୍ଷଣେ ଗିଳିଲା ରାଘବ ॥୨୮
କୃଷ୍ଣର ବଳବୀର୍ଯ୍ୟ ଯୋଗେ । ଭସ୍ମ ନୋହିଲା ମୀନଗର୍ଭେ ॥୨୯
ରାଘମ ମତ୍ସ୍ୟଗଣ ମେଳେ । ପଡ଼ିଲା କୈବର୍ତ୍ତ ଜାଲରେ ॥୩୦
ଧୀବରଗଣେ ତାହା ପାଇ । ଶମ୍ବର ଆଗେ ଦେଲେ ନେଇ ॥୩୧
ଅସୁର ମୀନ ଦେଖି ହସି । ସେବକେ ବୋଲଇ ବିଶ୍ୱାସି ॥୩୨
ସୂପକାରଙ୍କ ପାଶେ ଦିଅ । ରନ୍ଧନ କର ବୋଲି କୁହ ॥୩୩
ତକ୍ଷଣେ ମୀନ ଘେନି କରେ । ସେବକେ ମିଳିଲେ ଭିତରେ ॥୩୪
ମୀନ କାଟନ୍ତେ ସୂପକାରେ । ବାଳକ ଦେଖିଲେ ଉଦରେ ॥୩୫
ତକ୍ଷଣେ ପୁତ୍ର କୋଳେ ଲଇଁ । ଶମ୍ବର ଆଗେ ଦେଲେ ନେଇ ॥୩୬
ଦେଖି ସାନନ୍ଦ ମହାସୁର । ବୋଲଇ ଶୁଣ ସୂପକାର ॥୩୭
ଦଇବେ ମୋର ପୁତ୍ର ନାହିଁ । ରତି ସମୀପେ ଦିଅ ନେଇ ॥୩୮
ଏ ମୋର ହୋଇବ କୁମର । ତକ୍ଷଣେ ଗଲେ ସୂପକାର ॥୩୯
ରତିର କୋଳେ ନେଇ ଦେଲେ । ଭୋ ମାତ ପାଳ ଏହା ଭଲେ ॥୪୦
ଦେଖି ସାନନ୍ଦ ମାୟାବତୀ । ପୁତ୍ରପାଳନେ ଦେଲା ମତି ॥୪୧
ଦିନକୁ ଦିନ କୃଷ୍ଣବୀର୍ଯ୍ୟ । ବଢଇ ଅପ୍ରମିତ ତେଜ ॥୪୨
ଏମନ୍ତେ ଗଲା କେତେ ଦିନ । ମିଳିଲେ ବ୍ରହ୍ମାଙ୍କ ନନ୍ଦନ ॥୪୩
ଅସୁର ଅନ୍ତଃପୁରେ ପଶି । ରତିକି କହନ୍ତି ବିଶ୍ୱାସି ॥୪୪
ଆଦିକାରଣ କଥା କହି । ବୋଇଲେ ତୋର ସ୍ୱାମୀ ଏହି ॥୪୫
ଅନଙ୍ଗ କୃଷ୍ଣବୀର୍ଯ୍ୟେ ଜାତ । ସୂତିକା ଘରୁ ଏ ଦଇତ ॥୪୬
ହରି ଆଣନ୍ତେ ବାହୁବଳେ । ପଥେ କ୍ଷେପିଲା ସିନ୍ଧୁଜଳେ ॥୪୭
ଆହାର ପ୍ରାୟ ମଣି ମୀନ । ଗିଳିଲା କୃଷ୍ଣର ନନ୍ଦନ ॥୪୮
ବନ୍ଦୀ ପଡ଼ିଲା ମହାଜାଲେ । ଦଇବ ଦେଲା ତୋତେ ଭଲେ ॥୪୯
ଏହାକୁ ପାଳ ଚିତ୍ତ ଦେଇ । ଶମ୍ବର ସଂହାରିବ ଏହି ॥୫୦
ବିମାନେ ତୋତେ କୋଳ କରି । ଗମିବ ଦ୍ୱାରକା ନଗରୀ ॥୫୧
ଲଭିବୁ ତୋର ନିଜ କାନ୍ତ । କହି ଚଳିଲେ ବ୍ରହ୍ମାସୁତ ॥୫୨
ସେ କାମନାରୀ ମାୟାବତୀ । ସ୍ୱାମୀ ସଙ୍ଗମ ମନେ ଚିନ୍ତି ॥ ୫୩
ଅସୁର ବୋଲେ ପାକଶାଳେ । ବସଇ ସୂପକାର ମେଳେ ॥ ୫୪
ରନ୍ଧନ କରି ଷଡ଼ରସ । ଅସୁର ମନ କରେ ତୋଷ ॥ ୫୫
ଏମନ୍ତେ ଶୁଣ ନରନାଥ । ଦିନକୁ ଦିନ କୃଷ୍ଣସୁତ ॥ ୫୬
ଶୁକଳ ପକ୍ଷେ ଚନ୍ଦ୍ର ଯେହ୍ନେ । ତେଜେ ବଢ଼ଇ ଦିନେ ଦିନେ ॥ ୫୭
ନିଜ ସ୍ୱାମୀଙ୍କି ଶିଶୁ ଦେଖି । ସ୍ନେହେ ପାଳଇ ଶଶୀମୁଖୀ ॥ ୫୮
ଅଳପଦିନେ ଯୁବା ଦେହ । ଦେଖି କାମିନୀ ଗଲେ ମୋହ ॥ ୫୯
ଭସ୍ମଅଙ୍କୁର ସେ ମଦନ । ବିଶେଷେ କୃଷ୍ଣର ନନ୍ଦନ ॥ ୬୦
ଲୋଚନେ ଦିଶେ ପଦ୍ମତେଜ । ଲମ୍ବ ସୁନ୍ଦର ବେନିଭୁଜ ॥ ୬୧
ଅତି ସୁନ୍ଦର ରୂପ ଦେଖି । ଅଳପ ହାସେ ଶଶୀମୁଖୀ ॥ ୬୨
କଟାକ୍ଷ ନୟନେ ଅନାଇଁ । ଭାବେ କାମିନୀ ପ୍ରାୟ ହୋଇ ॥ ୬୩
ମିଳିଲା କୃଷ୍ଣସୁତ ପାଶେ । ସକାମେ ରତିରଙ୍ଗ ଆଶେ ॥ ୬୪
ଦେଖି ତାହାର ବିପରୀତ । ଭୟେ ଉଠିଲା କୃଷ୍ଣସୁତ ॥ ୬୫
ସଂଭ୍ରମେ ତାର ମୁଖ ଚାହିଁ । ବୋଲଇ ଶିରେ କରଦେଇ ॥ ୬୬
ତୁହି ମୋହର ନିଜ ମାତ । ଏବେ ଦେଖିଲି ବିପରୀତ ॥ ୬୭
ମାତାର ସ୍ନେହ ଦୂର କରି । କାମିନୀଭାବକୁ ଆଚରି ॥ ୬୮
କହ କେବଣ ଏହୁ କୃତ୍ୟ । ଭୟେ ବୋଲଇ କୃଷ୍ଣସୁତ ॥ ୬୯
ଶୁଣି ଭାଷଇ ମାୟାବତୀ । ତୁ ନାଥ ମୋର ନିଜ ପତି ॥ ୭୦
ରୁଦ୍ରନୟନେ ଭସ୍ମ ହୋଇ । ଅନଙ୍ଗ ନାମ ବହୁ ତୁହି ॥ ୭୧
କେତେହେଁ କାଳେ ନିଜତେଜ । ଜାତ ହୋଇଲୁ କୃଷ୍ଣବୀର୍ଯ୍ୟେ ॥ ୭୨
ନାରଦମୁଖୁଁ ତୋର ବାଣୀ । ନିଜ ମରଣ ତଥ୍ୟ ଶୁଣି ॥ ୭୩
ମାୟା-ଅସୁର ବେଗେ ଗଲା । ଦ୍ୱାରକା ନବରେ ମିଳିଲା ॥ ୭୪
ସୂତିକାଘରୁ ତୋତେ ଆଣି । ଆତ୍ମବଇରୀ ପ୍ରାୟ ମଣି ॥ ୭୫
ଲବଣଜଳେ ପକାଇଲା । ତୋତେ ଯେ ମୀନ ଗିଳିଥିଲା ॥ ୭୬
ସେ ମୀନ ଅସୁର ନିକଟେ । ଧୀବର ଆଣିଦେଲା ଭେଟେ ॥ ୭୭
ସୁଆର ଆଣି ପାକଶାଳେ । ଶସ୍ତ୍ରେ ଛେଦିଲା ଯେତେବେଳେ ॥ ୭୮
ମୀନ ଉଦରୁ ତୋତେ ପାଇ । ପାଳଇ ସ୍ନେହଭରେ ମୁହିଁ ॥ ୭୯
ନାରଦ କହିଗଲେ ଏବେ । ତେଣୁ ସେବଇ ପତ୍ନୀଭାବେ ॥ ୮୦
ମୋହର ନିଜ ନାମ ରତି । ଦଇବ ମିଳାଇଲା ପତି ॥ ୮୧
ମାୟାରେ ବଞ୍ଚାଇ ଅସୁର । ବସଇ ଶମ୍ବରର ପୁର ॥ ୮୨
ଦୁର୍ଜୟ ରିପୁ ଏ ତୋହର । ଏହାର ପ୍ରାଣ ବେଗେ ହର ॥ ୮୩
ଅନେକ ମାୟାଶସ୍ତ୍ର ଜାଣେ । ଦେବେ ଡରନ୍ତି ଏହା ଜାଣେ ॥ ୮୪
ମୋହର ମାୟା ଅଛି ଯେତେ । ଶମ୍ବର ନ ଜାଣଇ ତେତେ ॥ ୮୫
ମାୟାମୋହନ ଶସ୍ତ୍ର ଭେଦି । ବେଗେ ଏହାର ଶିର ଛେଦି ॥ ୮୬
ବିମାନେ ବସି ନାଥ ଏବେ । ଚାଲ ଦ୍ୱାରକା ଯିବା ବେଗେ ॥ ୮୭
ତୋର ଜନନୀ ଚନ୍ଦ୍ରମୁଖୀ । ରୁକ୍ମିଣୀଦେବୀ ବଡ଼ ଦୁଃଖୀ ॥ ୮୮
ଉଦରେ ବସି ଦଶମାସ । ପ୍ରସବି ହୋଇଲେ ନିରାଶ ॥ ୮୯
କୁରରୀ ପ୍ରାୟେ ପୁତ୍ର ଶୋକେ । ଦିନ ବଞ୍ଚଇ ଅତିଦୁଃଖେ ॥ ୯୦
ଆକୁଳେ ପୁତ୍ର ଶୋକେ ଦେହି । ମୃତବତ୍ସିକା ଯେହ୍ନେ ଗାଈ ॥ ୯୧
ଏମନ୍ତ କହି ତାର ପାଶେ । ମୋହ୍ନ ବିଦ୍ୟା ଦେଲା ତୋଷେ ॥ ୯୨
ସକଳ ମାୟା ଯେଣେ ଜିଣି । ସ୍ୱାମୀଙ୍କି କହିଲା ତରୁଣୀ ॥ ୯୩
କୃଷ୍ଣନନ୍ଦନ ଶୁଣି ତାହା । ଅଭ୍ୟାସ କଲା ସର୍ବମାୟା ॥ ୯୪
ଏମନ୍ତେ ପାହିଲା ରଜନୀ । କନ୍ଦର୍ପ କରେ ଗଦା ଘେନି ॥ ୯୫
ଶମ୍ବର ସଭାତଳେ ମିଳି । ଯୁଦ୍ଧେ ଡାକଇ ମହାବଳୀ ॥ ୯୬
ଅନେକ ନିନ୍ଦାବାକ୍ୟ ମତ । କହନ୍ତେ କଳି କଲା ଦୈତ୍ୟ ॥ ୯୭
ଅତିନିନ୍ଦିତ କଥା ଶୁଣି । ବେଗେ ଉଠିଲା ଶିର ଶୁଣି ॥ ୯୮
ଶମ୍ବର କହେ ବଳଦର୍ପେ । ଯଷ୍ଟି ପ୍ରହାରେ ଯେହ୍ନେ ସର୍ପେ ॥ ୯୯
ବଜ୍ରସମାନ ଗଦା କର । ଶମ୍ବର ହୋଇଲା ବାହାର ॥ ୧୦୦
ରୋଷେ ଲୋଚନ ତମ୍ବାପ୍ରାୟେ । ପିଟିଲା ପ୍ରଦ୍ୟୁମ୍ନର ଦେହେ ॥ ୧୦୧
କୋପେ ଛାଡ଼ିଲା ଘୋରରଡ଼ି । ଯେସନେ ବଜ୍ର ଘଡ଼ଘଡ଼ି ॥ ୧୦୨
କୃଷ୍ଣନନ୍ଦନ ଗଦା ବେଗେ । କୋପେ ବୁଲାଇ ଦଶଦିଗେ ॥ ୧୦୩
ଶମ୍ବର ଗଦା କଲା ଚୂର । କୋପେ ଡାକିଲା ମହାବୀର ॥ ୧୦୪
କନ୍ଦର୍ପ କରେ ଗଦା ଦେଖି । ଅସୁର ସମର ଉପେକ୍ଷି ॥ ୧୦୫
ଗଗନମାର୍ଗେ ଆଶ୍ରେ କରି । ଅନେକ ମାୟାଶସ୍ତ୍ର ଧରି ॥ ୧୦୬
ଶର ବରଷା ମହାଘୋର । କଲାକ ମାୟାବୀ ଅସୁର ॥ ୧୦୭
ବାଣ ବରଷେ ପୀଡା ପାଇ । କନ୍ଦର୍ପ ଚଉଦିଗେ ଚାହିଁ ॥ ୧୦୮
ନିଜ ମୋହିନୀମାୟା ସତ୍ତ୍ୱ । ଶମ୍ବରମାୟା କଲା ହତ ॥ ୧୦୯
ପୁଣି ଅସୁର ଶୂନ୍ୟଦେହା । ପ୍ରକାଶ କଲା ନାନାମାୟା ॥ ୧୧୦
ପିଶାଚ ଗନ୍ଧର୍ବ ଗୁହ୍ୟକ । ରାକ୍ଷସ ଉରଗ ଶୋଷକ ॥ ୧୧୧
ଶତସହସ୍ର ଅପ୍ରମିତ । ଯୁଦ୍ଧେ ପ୍ରକାଶିଲା ଦଇତ୍ୟ ॥ ୧୧୨
ସକଳମାୟା କୃଷ୍ଣସୁତ । ନିଜ ମାୟାରେ କଲା ହତ ॥ ୧୧୩
ନିଜ ଖଡ଼ଗ କରେ ଧରି । ପ୍ରଦ୍ୟୁମ୍ନ ଗଗନେ ସଞ୍ଚରି ॥ ୧୧୪
ଶମ୍ବର ଶିର ବାମକରେ । ଧରି କାଟିଲା କୋପଭରେ ॥ ୧୧୫
ମୁଣ୍ତ ପଡ଼ିଲା ଭୂମିତଳେ । ସୁନ୍ଦର କିରୀଟ କୁଣ୍ତଳେ ॥ ୧୧୬
ତମ୍ବାର ପ୍ରାୟ ଦାଢ଼ି ମୁଖେ । ଦେଖନ୍ତି ସ୍ୱର୍ଗେ ଦେବଲୋକେ ॥ ୧୧୭
ଆନନ୍ଦେ କୁସୁମ ବରଷି । କାମର ବିକ୍ରମ ପ୍ରଶଂସି ॥ ୧୧୮
ଶମ୍ବର ମାରି କୃଷ୍ଣବଳା । ସୁବର୍ଣ୍ଣରଥେ ବିଜେ କଲା ॥ ୧୧୯
କୋଳେ ବସାଇ ମାୟାବତୀ । ବେଗେ ଚଳିଲା ଦ୍ୱାରାବତୀ ॥ ୧୨୦
ଗଗନମାର୍ଗେ କୃର୍ଷ୍ଣପୁରେ । ବିମାନ ପଶିଲା ଭିତରେ ॥ ୧୨୧
ବିଜୁଳି ସଙ୍ଗେ ମେଘ ଯେହ୍ନେ । ଦେଖି ଚକିତ ସର୍ବଜନେ ॥ ୧୨୨
କୃଷ୍ଣର ପୁରେ ଯେତେ ନାରୀ । ରୁକ୍ମିଣୀ ଆଦି ମନୋହାରୀ ॥ ୧୨୩
ଅପୂର୍ବ କୃଷ୍ଣର ନନ୍ଦନ । ଦିଶନ୍ତି ଅତି ଶୋଭାବନ ॥ ୧୨୪
ନୀଳଜୀମୂତ ପ୍ରାୟ ଦେହୀ । ପୀତବସନ ବିରାଜଇ ॥ ୧୨୫
ପଦ୍ମଲୋଚନ ଦୀର୍ଘବାହୁ । ବୋଲନ୍ତି ଅଇଲା ଏ କାହୁଁ ॥ ୧୨୬
ଅଳପ ହାସେ ମୁଖ ଶୋହେ । ରୂପେ କାମିନୀ ମନମୋହେ ॥ ୧୨୭
ନୀଳକୁନ୍ତଳ ଭୃଙ୍ଗ ତେଜେ । ସୁନ୍ଦର ମୁଖପଦ୍ମ ସାଜେ ॥ ୧୨୮
କୃଷ୍ଣର ପ୍ରାୟ ତାକୁ ମଣି । ସଂଭ୍ରମେ ଲୁଚିଲେ ତରୁଣୀ ॥ ୧୨୯
ପୁଣି କ୍ଷଣକେ ସ୍ଥିର ଚାହିଁ । ଜାଣିଲେ କୃଷ୍ଣ ଏ ନୁହେଇ ॥ ୧୩୦
ପୁଣି ମିଳିଲେ ତାର ପାଶେ । ନିଶ୍ଚୟ ଜାଣିବାର ଆଶେ ॥ ୧୩୧
ଆନନ୍ଦେ ତାର ମୁଖ ଚାହିଁ । ମଦନେ ମନ ନ ଚଳଇ ॥ ୧୩୨
କାମିନୀରତ୍ନ ତାର କୋଳେ । ଦେଖି ଭାଲନ୍ତି କାମଭୋଳେ ॥ ୧୩୩
ରୁକ୍ମିଣୀ ସୁତକୁ ଅନାଇ । ବିତର୍କମନେ ବିଚାରଇ ॥ ୧୩୪
ପ୍ରସବକାଳେ ମୋ କୁମର । ଶୟନସ୍ଥାନୁ ନେଲା ଚୋର ॥ ୧୩୫
ପୁତ୍ର ସୁମରି ଦୁଃଖମନେ । କ୍ଷୀର ସ୍ରବଇ ବେନିସ୍ତନେ ॥ ୧୩୬
କାହୁଁ ଅଇଲା ଏ କୁମର । ମନୁଷ୍ୟ ରତ୍ନ କଳେବର ॥ ୧୩୭
କୃଷ୍ଣର ଚିହ୍ନ ଏହା ଦେହେ । ଦିଶଇ ଇନ୍ଦ୍ରନୀଳ ପ୍ରାୟେ ॥ ୧୩୮
କାହାର ଗର୍ଭେ ଏହୁ ଥିଲା । ଅପୂର୍ବ କାହୁଁ ଏ ଅଇଲା ॥ ୧୩୯
ଯୁବତୀରତ୍ନ ଅଛି କୋଳେ । ଲଭିଲା ପୂର୍ବ ପୁଣ୍ୟଫଳେ ॥ ୧୪୦
ମୋର ବାଳକ ନାଶ ଗଲା । ସୂତିକା ଘରୁ କେ ହରିଲା ॥ ୧୪୧
ଜୀବନେ ଥିଲେ ଯହିଁ ତହିଁ । ଏହାର ତୁଲେ ସମ ହୋଇ ॥୧୪୨
ଏ ଯେ ସକଳ ଚିହ୍ନ ବହି । କୃଷ୍ଣର ପ୍ରାୟେକ ଦିଶଇ ॥୧୪୩
ଆକୃତି ବୟ ବପୁ ଯେହ୍ନେ । ସୁନ୍ଦର ହାସ ବିଲୋକନେ ॥୧୪୪
ସେ ପୁତ୍ର ଅବା ହୋଇ ଏବେ । ଯାହା ଧଇଲି ମୁହିଁ ଗର୍ଭେ ॥୧୪୫
ମୋ ଚିତ୍ତେ ସ୍ନେହ ଏହା ଚାହିଁ । ବାମନୟନ ମୋ ସ୍ପୁରଇ ॥୧୪୬
ପୁଲକେ କମ୍ପେ ବାମଭୁଜ । ଏହାର ଅଙ୍ଗେ କୃଷ୍ଣତେଜ ॥୧୪୭
ରୁକ୍ମିଣୀ ଏମନ୍ତ ବିଚାରି । ବିଜୟ କଲେ ନରହରି ॥୧୪୮
ଦେବକୀ ବସୁଦେବ ସଙ୍ଗେ । କୃଷ୍ଣ ମିଳିଲେ ସୁତ ଆଗେ ॥୧୪୯
ଗୋବିନ୍ଦ ତାହା ସର୍ବ ଜାଣି । କୁମର ଦେଖି ହେଲେ ତୁନି ॥୧୫୦
ଏମନ୍ତେ ଶୁଣ ନରନାଥ । ବ୍ରହ୍ମାନନ୍ଦନ ଉପଗତ ॥୧୫୧
ଦେଖିଣ ସଂଶୟ ବିଷାଦ । ସକଳ କହିଲେ ନାରଦ ॥୧୫୨
ଶୁଣି ନାରଦ ମୁଖୁଁ ବାଣୀ । ଗୋବିନ୍ଦ ଯେତେକ ତରୁଣୀ ॥୧୫୩
ତରୁଣ ବାଳ ବୃଦ୍ଧ ସଙ୍ଗେ । ଉତ୍ସବ କଲେ ନାନା ରଙ୍ଗେ ॥୧୫୪
ଦେଖ ରୁକ୍ମିଣୀ ପୁଣ୍ୟ ରାଶି । ଯମଭୁବନୁ ପୁତ୍ର ଆସି ॥୧୫୫
ମୋହିଲା ଦ୍ୱାରକା ଭୁବନ । ବାଳ ତରୁଣ ବୃଦ୍ଧଜନ ॥୧୫୬
କୋଳେ କାମିନୀ ସୁକୁମାରୀ । ରୂପେ ଭୁବନେ ନାହିଁ ସରି ॥୧୫୭
ଦେବକୀଦେବୀ ବସୁଦେବ । ଥିଲେ ଯେ ଶ୍ରୀରାମ ମାଧବ ॥୧୫୮
ଯଦୁନଗରେ ନାରୀ ଯେତେ । ମିଳିଲେ ଦୁର୍ବାଙ୍କୁର ହସ୍ତେ ॥୧୫୯
ଅକ୍ଷତ ଦେଇ ପୁତ୍ର ଶିରେ । ମଙ୍ଗଳ କଲେ ଉଚ୍ଚସ୍ୱରେ ॥୧୬୦
ରୁକ୍ମିଣୀ ଘେନି ପୁତ୍ର କୋଳେ । ଚୁମ୍ବନ ଦେଲେ ସୁଖଭୋଳେ ॥୧୬୧
ସଙ୍ଗେ ସକଳ ପରିବାରୀ । ଆନନ୍ଦେ କୋଳେ ବଧୂ ଧରି ॥୧୬୨
ଯଦୁନଗରେ ଯେତେ ଜନ । ଶୁଣି ସାନନ୍ଦ କଲେ ମନ ॥୧୬୩
ରୁକ୍ମିଣୀଦେବୀ ଭାଗ୍ୟ ଦେଖ । ମରଣୁ ଅଇଲା ବାଳକ ॥୧୬୪
ଶୁକ କହନ୍ତି ଶୁଣ ନୃପ । ମାତାଏ ଦେଖି ପୁତ୍ରରୂପ ॥୧୬୫
କୃଷ୍ଣର ପ୍ରାୟ ମଣି ତାହା । ଆନନ୍ଦେ ବଳିଲା ଉତ୍ସାହା ॥୧୬୬
ସ୍ୱଭାବେ କାମ କୃଷ୍ଣପ୍ରାୟେ । ସର୍ବଲକ୍ଷଣ ଅଛି ଦେହେ ॥୧୬୭
ଅନ୍ୟ ଭୁବନେ ନାରୀ ଯେତେ । ତାହାକୁ ଦେଖି ଦୃଷ୍ଟିପଥେ ॥୧୬୮
କାମେ ହୋଇଲେ ଉନମତ୍ତ । ଚିତ୍ର ନୋହଇ ଏହୁ କଥା ॥୧୬୯
ବୋଲଇ ଦାସ ଜଗନ୍ନାଥ । ରୁକ୍ମିଣୀ ତନୟ ପ୍ରାପତ ॥୧୭୦
ସୁଜନେ ଶୁଣ ଶ୍ରୁତିପଥେ । ସଂସାରୁ ତରିବ ଯେମନ୍ତେ ॥୧୭୧
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ଉତ୍ତରାର୍ଦ୍ଧେ ପ୍ରଦ୍ୟୁମ୍ନ ଉତ୍ପତ୍ତି ନିରୁପଣଂ ନାମ
ଉନଷଷ୍ଟିତମ ଅଧ୍ୟାୟଃ ॥
ଷଷ୍ଟିତମ ଅଧ୍ୟାୟଃ
[ସମ୍ପାଦନା]- ଶୁକ ଉବାଚ
କହନ୍ତି ଶୁକ ମହାମୁନି । ଶୁଣ ରାଜନ ସାଧୁବାଣୀ ॥୧
ଯଦୁନଗରେ ସତ୍ରାଜିତ । କୃଷ୍ଣରେ କରି ଦ୍ରୋହଚିତ୍ତ ॥୨
ନିଜ ଦୁହିତା ସତ୍ୟଭାମା । ଅଂଶେ ସମ୍ଭୂତ ଯେହୁ ରମା ॥୩
ଅମୂଲ୍ୟ ସ୍ୟମନ୍ତକ ମଣି । ନିଜ ଦୁହିତା ସଙ୍ଗେ ଆଣି ॥୪
କୃଷ୍ଣଚରଣେ ଦେଲା ନେଇ । ଆତ୍ମ ଅପରାଧ ଛଡ଼ାଇ ॥୫
ଏମନ୍ତେ ଶୁକ ବାକ୍ୟ ଶୁଣି । ପରୀକ୍ଷ କହେ ସାଧୁବାଣୀ ॥୬
- ପରୀକ୍ଷିତ ଉବାଚ
କହ କେମନ୍ତେ ସତ୍ରାଜିତ । କୃଷ୍ଣ ବିଷୟେ ବିପରୀତ ॥୭
କାହୁଁ ଆଣିଲା ରତ୍ନମଣି । ଦୁହିତା ତୁଲେ ଦେଲା ଆଣି ॥୮
କି ଦ୍ରୋହ କଲା ଯଦୁପୁରେ । ସ୍ୱଜନ ବାନ୍ଧବ ବେଭାରେ ॥୯
- ଶୁକ ଉବାଚ
ଶୁଣି କହନ୍ତି ବ୍ୟାସସୁତ । ରାଜନ ଶୁଣ ଦେଇ ଚିତ୍ତ ॥୧୦
ଅନେକ ତପେ ସତ୍ରାଜିତ । ସୂର୍ଯ୍ୟ ସଙ୍ଗତେ ହେଲା ମିତ ॥୧୧
ପ୍ରସନ୍ନ ଚିତ୍ତେ ଦିନମଣି । ଆପଣା କଣ୍ଠୁ ରତ୍ନମଣି ॥୧୨
ସତ୍ରାଜିତର କଣ୍ଠେ ଦେଇ । ତପନ ଗଲେ ତୋଷ ହୋଇ ॥୧୩
ଏମନ୍ତେ ମଣି କଣ୍ଠେ ଭରି । ଆନନ୍ଦେ ଗଲା ନିଜ ପୁରୀ ॥୧୪
ପଥେ ଆସନ୍ତେ ସତ୍ରାଜିତ । ଦିଶଇ ଦ୍ୱିତୀୟ ଆଦିତ୍ୟ ॥୧୫
ମଣିର ତେଜେ ତାର ଦେହି । ଜନନୟନେ ନୋହେ ଚାହିଁ ॥୧୬
ଚାହିଁଲେ ଚକ୍ଷୁତେଜ ନାଶେ । କେହି ନ ରହେ ତାର ପାଶେ ॥୧୭
ଦେଖି ସକଳେ ପଳାଇଲେ । କୃଷ୍ଣର ନିକଟେ ମିଳିଲେ ॥୧୮
ଅଭୟ ପଦ୍ମପାଦେ ପଡ଼ି । କହନ୍ତି ବେନିକର ଯୋଡ଼ି ॥୧୯
ଅକ୍ଷ ଖେଳନ୍ତେ ଭଗବାନ । ଜନବଚନେ ଅବଧାନ ॥୨୦
ଜନେ କହନ୍ତି ଯୋଡ଼ିକର । ଭୋ ନାଥ ଶୁଣ ଚକ୍ରଧର ॥୨୧
ପଦ୍ମଲୋଚନ ନାରାୟଣ । ଅନାଦି ସଂସାର କାରଣ ॥୨୨
ଭୋ ନାଥ ତୋର ପଦ୍ମପାଦ । ଦର୍ଶନେ ରବି କଲା ସଧ ॥୨୩
ଗଗନେ ଛନ୍ତି ଦେହ ଧରି । ମର୍ତ୍ତ୍ୟେ ପ୍ରତ୍ୟକ୍ଷେ ବିଜେ କରି ॥୨୪
ତାହାର ତେଜେ ଭଗବାନ । ଚାହିଁଲେ ଝଲସେ ନୟନ ॥୨୫
ତୁ ନାଥ ଜଗତ ଠାକୁର । ସକଳେ ତୋହର କିଙ୍କର ॥୨୬
ଦେବେ ତୋହର ପଦ୍ମପାଦେ । ସେବନ୍ତି ମୋକ୍ଷଫଳ ସଧେ ॥୨୭
ଏ ଯଦୁବଂଶେ ତୋ ସମ୍ଭୁତ । ଶୁଣି ସାନନ୍ଦେ ଛାୟାକାନ୍ତ ॥୨୮
ଦେଖିବ ତୋହର ଚରଣ । ତୁ ଯେ ଅନାଦି ନାରାୟଣ ॥୨୯
ବୋଲନ୍ତି ଶୁକ ମହାମୁନି । ଜନବଚନ କୃଷ୍ଣ ଶୁଣି ॥୩୦
ପଦ୍ମଲୋଚନେ ଚାହିଁ ବସି । କହନ୍ତି ସ୍ୱଜନେ ଆଶ୍ୱାସି ॥୩୧
- ଭଗବାନ ଉବାଚ
ସେ ନୋହେ ପ୍ରଭୁ ଦିନନାଥ । ବର ଲଭିଲା ସତ୍ରାଜିତ ॥୩୨
ତପେ ଆଦିତ୍ୟେ ସେବା କରି । ଆସଇ ମଣି କଣ୍ଠେ ଭରି ॥୩୩
ମଣି କିରଣ ରବିପ୍ରାୟ । ତୁମ୍ଭେ ନକର ମନେ ଭୟ ॥୩୪
ଏମନ୍ତ କହି ଭଗବାନ । ଅକ୍ଷକ୍ରୀଡ଼ାରେ ଦେଲେ ମନ ॥୩୫
ଏମନ୍ତେ ସତ୍ରାଜିତ ଗଲା । ନିଜ ଭୁବନେ ବିଜେ କଲା ॥୩୬
ନିତ୍ୟେ ଉତ୍ସବ ତାର ପୁରେ । ଦେବମନ୍ଦିରେ ବିପ୍ରବରେ ॥୩୭
ମଣି ନିବେଶି ଦେବଘରେ । ଆନନ୍ଦେ ପଶିଲା ଭିତରେ ॥୩୮
ଶୁଣ ରାଜନ ସାଧୁବାଣୀ । ତାର ଭୁବନେ ରତ୍ନମଣି ॥୩୯
ସୁବର୍ଣ୍ଣ ଅଷ୍ଟଭାର ନିତି । ମଣି ଶରୀରୁ ଉତପତ୍ତି ॥୪୦
ଦୁର୍ଭିକ୍ଷ ମାରୀଭୟ ନାହିଁ । ଅଶୁଭ ତ୍ରାସ ନ ଲାଗଇ ॥୪୧
ସର୍ପବିଘାତ ଆଦି ରୋଗ । ନୁହଁନ୍ତି ଭୁବନେ ସଂଯୋଗ ॥୪୨
ଯହିଁ ପୂଜନ୍ତି ରତ୍ନମଣି । ତହିଁ ନ ଥାନ୍ତି ମାୟା ପ୍ରାଣୀ ॥୪୩
ଏମନ୍ତେ ଗଲା ଦିନାକେତେ । ଶୁଣ ରାଜନ ଏକଚିତ୍ତେ ॥୪୪
ଦିନେକ ପ୍ରଭୁ ଜଗନ୍ନାଥ । ଗୃହେ ଅଣାଇ ସତ୍ରାଜିତ ॥୪୫
କହନ୍ତି ପ୍ରଭୁ ଚକ୍ରପାଣି । ଉଗ୍ରସେନକୁ ଦିଅ ମଣି ॥୪୬
ଏହା ଭଣ୍ତାରେ ନାହିଁ ଧନ । ମଣି ଏ ପୂଜୁ କିଛିଦିନ ॥୪୭
ଏମନ୍ତେ ଗୋବିନ୍ଦ ବଚନେ । ଭାଳଇ ସତ୍ରାଜିତ ମନେ ॥୪୮
ଦିନକୁ ଦିନ ଅଷ୍ଟଭାର । ସୁବର୍ଣ୍ଣ ଭଣ୍ତାରେ ମୋହର ॥୪୯
କେମନ୍ତେ ଦେବି ରତ୍ନମଣି । ଏମନ୍ତେ ଭାଳି ହେଲା ତୁନି ॥୫୦
ଅର୍ଥ-କାମୁକ ଧନଆଶେ । ପଡ଼ିଲା ମାୟା-ମୋହ-ପାଶେ ॥୫୧
ଦେବା ନ ଦେବା ନ ବୋଇଲା । କୃଷ୍ଣର ଆଜ୍ଞା ଭଗ୍ନ କଲା ॥୫୨
ନିରାଶ କରି ଚକ୍ରଧରେ । ମିଳିଲା ଆପଣା ମନ୍ଦିରେ ॥୫୩
ଏମନ୍ତେ ଶୁଣ ନରନାଥ । ପ୍ରସେନ ନାମେ ତାର ଭ୍ରାତ ॥୫୪
ସେ ରତ୍ନମଣି କଣ୍ଠେ ଭରି । ଅଶ୍ୱ ଉପରେ ବିଜେ କରି ॥୫୫
ମୃଗୟାଛଳେ ସୁଖମନେ । ପଶିଲା ଗହନକାନନେ ॥୫୬
ଗହନବନେ ସିଂହ ଥିଲା । ପ୍ରସେନ ଦେଖି ଓଗାଳିଲା ॥୫୭
ଅଶ୍ୱ ସହିତେ ତାକୁ ମାରି । ସିଂହ ସେ ମଣି କଣ୍ଠେ ଭରି ॥୫୮
ପର୍ବତ ନିକଟେ ମିଳିଲା । ତହିଁ ଜାମ୍ବବ ବୀର ଥିଲା ॥୫୯
ଭଲ୍ଲକୁ ରୂପ ସେ ସ୍ୱଭାବେ । ଧାଇଁଲା ସିଂହ ଦେଖି ଜବେ ॥୬୦
କର ପ୍ରହାରେ ମୁଣ୍ତ କାଟି । ସିଂହ ପଡ଼ିଲା ମହୀ ଲୋଟି ॥୬୧
ସେ ମଣି ଘେନି ଅତିଖରେ । ପଶିଲା ବିବର ଭିତରେ ॥୬୨
ନିଜ ଭୁବନେ ବୀର ଯାଇ । ସେ ମଣି ପୁତ୍ରକଣ୍ଠେ ଦେଇ ॥୬୩
ଧାଇ ଖେଳାଏ ତାର ସୁତ । ଏବେ ହୋ ଶୁଣ ନରନାଥ ॥୬୪
ପ୍ରସନେ ନ ଦେଖି ନୟନେ । ଭାଳଇ ସତ୍ରାଜିତ ମନେ ॥୬୫
ମୃଗୟା ଗଲା ମୋର ଭ୍ରାତ । ପୁରେ ନୋହିଲା ଉପଗତ ॥୬୬
ବନେ କି ପଡ଼ିଲା ଆପଦ । ଶୋକେ ହୋଇଲା ଗଦଗଦ ॥୬୭
ଏମନ୍ତେ କରଇ ରୋଦନ । ବିକଳେ ବିଚାରଇ ମନ ॥୬୮
କୃଷ୍ଣ ମାଗିଲେ ମୋତେ ମଣି । ନଦେଇ ହୋଇଲି ମୁଁ ତୁନି ॥୬୯
ସେ ଅବା ମୋତେ ମାୟା କଲା । ପ୍ରସେନ ମାରି ମଣି ନେଲା ॥୭୦
ସେ କଥା ଶୁଣି ସର୍ବଜନେ । ମିଳି କହନ୍ତି କାନେ କାନେ ॥୭୧
ଗୋବିନ୍ଦ କଲେ ଏଡେ଼ କର୍ମ । ଲୋକରେ ଶୁଭିଲା ଲାଞ୍ଛନ ॥୭୨
ବିଷମଲୋକ ଅପବାଦ । ଶୁଣି ପାଇଲେ କୃଷ୍ଣ ଖେଦ ॥୭୩
ବୋଲନ୍ତି ମୋର ଅପମାନ । ମୁହିଁ ସେ କରିବି ମାର୍ଜନ ॥୭୪
ସଙ୍ଗତେ ଘେନି ସର୍ବଜନ । ବନେ ପଶିଲେ ଭଗବାନ ॥୭୫
ବନେ ଖୋଜନ୍ତି ବନମାଳୀ । ପ୍ରସେନ ହତସ୍ଥାନେ ମିଳି ॥୭୬
ଅଶ୍ୱ ସହିତେ ବନେ ମରି । ଦେଖି ଚକିତ ନରହରି ॥୭୭
ବୋଲନ୍ତି ମଲା ଏ କେମନ୍ତେ । ଦେଖିଲେ ସିଂହପାଦ ପଥେ ॥୭୮
ପହଣ୍ତ ଚିହ୍ନି ସର୍ବଜନେ । ଥୋକାଏ ଗଲେ ଘୋରବନେ ॥୭୯
ଗିରି-ନିକଟେ ନାରାୟଣ । ଦେଖିଲେ ସିଂହର ମରଣ ॥୮୦
ଚକିତେ ପ୍ରଭୁ ନରହରି । ସିଂହ ମରଣ ଅନୁସରି ॥୮୧
ଦେଖିଲେ ଭଲ୍ଲୁକ ଚରଣ । ସମ୍ଭ୍ରମେ ମିଳି ସର୍ବଜନ ॥୮୨
ଭଲ୍ଲୁକ ପାଦଚିହ୍ନ ଚାହିଁ । ଚଳନ୍ତି ଅଙ୍ଗୁଳି ଦେଖାଇ ॥୮୩
ପୁଣି କେତେହେଁ ଦୂର ଗଲେ । ଚରଣ ପଡ଼ିଛି ବିବରେ ॥୮୪
ସେ ବିଳ ଘୋର ଅନ୍ଧକାର । ଦେଖି ବୋଲନ୍ତି ଦାମୋଦର ॥୮୫
ତୁମ୍ଭେ ସକଳ ପ୍ରଜାଜନେ । ଏଠାରେ ଥାଅ ସାବଧାନେ ॥୮୬
ଆଜ ସେ ଲୋକ ଅପବାଦେ । ମୁହିଁ ପଶିବି ବିଳ ମଧ୍ୟେ ॥୮୭
ଏମନ୍ତ କହି ଭାବଗ୍ରାହୀ । ବିଳେ ପଶିଲେ ବେଗେ ଯାଇ ॥୮୮
ଅନ୍ଧାର ପଥେ ଦଇତ୍ୟାରି । ଜାମ୍ବବ ପୁରେ ବିଜେ କରି ॥୮୯
ତାହାର ପୁତ୍ରକଣ୍ଠେ ମଣି । ଦୂରୁ ଦେଖିଲେ ଚକ୍ରପାଣି ॥୯୦
ବେଗେ ମିଳିଲେ ତାର ପାଶେ । ସେ ମଣି ଲିଭିବାର ଆଶେ ॥୯୧
ଧାଈ ଯେ ପୁତ୍ରପାଶେ ଥିଲା । ଅପୂର୍ବ ପୁରୁଷ ଦେଖିଲା ॥୯୨
ମନୁଷ୍ୟ ଦେଖି ଭୟ କରି । ସଂଭ୍ରମେ ପୁତ୍ର କୋଳେ ଧରି ॥୯୩
ଭୟେ ଡ଼ାକିଲା ଉଚ୍ଚସ୍ୱରେ । ଜାମ୍ବବ ଥିଲା ଯେ ଭିତରେ ॥୯୪
ଶୁଣି ଧାଇଁଲା ମହାବଳୀ । ବେଗେ ବାଳକପାଶେ ମିଳି ॥୯୫
ଦେଖିଲା ପ୍ରଭୁ ଭଗବାନ । ହୃଦରେ ଶ୍ରୀବତ୍ସର ଚିହ୍ନ ॥୯୬
ଜାମ୍ବବ ଜଗନ୍ନାଥ ଚାହିଁ । ମାୟାରେ ଚିହ୍ନି ନ ପାରଇ ॥୯୭
ଇତରଲୋକ ପ୍ରାୟ ମଣି । କୋପେ ଧାଇଁଲା ଶିରଝୁଣି ॥୯୮
ଭଲ୍ଲୁକ ସ୍ୱଭାବ ଯୁକତ । ବେଗେ ଧାଇଁଲା କୃଷ୍ଣହସ୍ତ ॥୯୯
ହରି ମହିମା ନ ଜାଣିଲା । ମଣିଷ ପ୍ରାୟ ସେ ମଣିଲା ॥୧୦୦
ତକ୍ଷଣେ ପାଦେ ପାଦ ଛନ୍ଦି । ଭୁଜଯୁଗଳେ ହୃଦବାନ୍ଧି ॥୧୦୧
ବିଷମ ମାଲଯୁଦ୍ଧ ଘୋର । ଜିଣିବା ଆଦେଶ ବଳୀୟାର ॥୧୦୨
ଜିଣି ନ ପାରି ମାଲଯୁଦ୍ଧେ । ସମର କରନ୍ତି ଆୟୁଧେ ॥୧୦୩
ବୃକ୍ଷ ପାଷାଣ କରେ ଧରି । ପିଟନ୍ତି ଘୋରନାଦ କରି ॥୧୦୪
ଆମିଷ ଅର୍ଥେ ଯେହ୍ନେ ଖଗ । କୋପେ କରନ୍ତି ରଣରଙ୍ଗ ॥୧୦୫
ଏମନ୍ତେ ଅଷ୍ଟାଦଶ ଦିନ । ସମର କଲେ ବେନିଜନ ॥୧୦୬
ବୃକ୍ଷ ପାଷାଣ ଯେଣୁ ଗଲା । ଅନେକ କୋପ ଉପୁଜିଲା ॥୧୦୭
ମୁଷ୍ଟି ପ୍ରହାର ହୃଦେ ପଡ଼ି । ଶବଦ ବଜ୍ର ଘଡ଼ଘଡ଼ି ॥୧୦୮
ନିରତେ କରନ୍ତି ସମର । ଶୁଣ ରାଜନ କୁରୁବୀର ॥୧୦୯
କୃଷ୍ଣର ମୁଷ୍ଟି ହୃଦେ ବାଜି । ଜାମ୍ବବ ଅସ୍ଥି ଛନ୍ଦ ଭାଜି ॥୧୧୦
କ୍ଷୀଣ ହୋଇଲା ବଳ ଗାତ୍ର । ବିସ୍ମୟେ ହୋଇ ମୂରୁଛିତ ॥୧୧୧
ଚାହିଁଲା କୃଷ୍ଣ ବଦନ । ତକ୍ଷଣେ ପାଇ ଦିବ୍ୟଜ୍ଞାନ ॥୧୧୨
ବୋଲଇ କୃଷ୍ଣମୁଖ ଚାହିଁ । ଭୋନାଥ ମୋତେ କର ତ୍ରାହି ॥୧୧୩
ତୁ ସର୍ବ ପ୍ରାଣ ଓଜ ବଳ । ମହାପୁରୁଷ ଆଦିମୂଳ ॥୧୧୪
ପୁରାଣପୁରୁଷ ଅନାଦି । ସଂସାର ମାୟାବଳେ ଛନ୍ଦି ॥୧୧୫
ବରଦ ବିଷ୍ଣୁ ତୁ ଈଶ୍ୱର । ମହାମହିମ ଯୋଗେଶ୍ୱର ॥୧୧୬
ବ୍ରହ୍ମାଦି ଯେତେ ସୃଷ୍ଟିପାଳ । ତାହାଙ୍କ ସ୍ୱାମୀ ତୁ ଗୋପାଳ ॥୧୧୭
ଏ ସୃଷ୍ଟି ଅନ୍ତେ ତୋର ଦେହେ । ପଶନ୍ତି ପରମାଣୁ ପ୍ରାୟେ ॥୧୧୮
କାଳଦଳନ ବାନା ତୋର । ପରମ ଆତ୍ମା ଯୋଗେଶ୍ୱର ॥୧୧୯
ଈଷିତ ରୋଷ ତୋ ବଦନ । ଦେଖି ଜଳଧି କମ୍ପମାନ ॥୧୨୦
ଯେ ମହାମତ୍ସ୍ୟ ଗ୍ରାହଗଣ । କ୍ଷୋଭିତ ହୋଇ ଅନୁକ୍ଷଣ ॥୧୨୧
ତୋହର ଚରଣେ ପଡ଼ିଲେ । ଲଙ୍କା ଗମନେ ମାର୍ଗ ଦେଲେ ॥୧୨୨
ପର୍ବତେ ସେତୁବନ୍ଧ କରି । ଘୋର ସମୁଦ୍ର ହେଳେ ତରି ॥୧୨୩
ଲଙ୍କା ଦହିଲୁ ଘୋର ଦୃଷ୍ଟି । ରାବଣ ଦଶମୁଣ୍ତ କାଟି ॥୧୨୪
ରାକ୍ଷସ ଶିରେ ମହୀସ୍ଥଳୀ । ଯୁଦ୍ଧେ ଢାଙ୍କିଲୁ ବନମାଳୀ ॥୧୨୫
ଏମନ୍ତ ମହିମା ଯାହାର । ଭୋନାଥ ଶରଣ ମୁଁ ତୋର ॥୧୨୬
ମୁଁ ଛାର ନ ଜାଣିଲି ତୋତେ । ପଶୁରେ ଜନ୍ମକଲୁ ମୋତେ ॥୧୨୭
ଗୋବିନ୍ଦ ଶୁଣି ତା ବଚନ । ହୋଇଲେ ଅତି ହୃଷ୍ଟମନ ॥୧୨୮
ଶୁକ ବୋଲନ୍ତି ଶୁଣ ରାୟେ । ଦୟା ବସିଲା କୃଷ୍ଣଦେହେ ॥୧୨୯
ଜାମ୍ବବ ଶିରେ ଦେଇ କର । ଆଶ୍ୱାସ କଲେ ଚକ୍ରଧର ॥୧୩୦
ପରମ ଦୟାଳୁ ମୁରାରି । କହନ୍ତି ତାର କର ଧରି ॥୧୩୧
ମେଘ ଗମ୍ଭୀର ପ୍ରାୟ ବାଣୀ । ହସି କହନ୍ତି କମ୍ଭୁପାଣି ॥୧୩୨
ଏମଣି ହେତୁ ତୋର ବିଳେ । ପଶିଲି ମିଥ୍ୟାବାଦ ଛଳେ ॥୧୩୩
ଦୁଃସହ ଜନ ଅପବାଦ । ମିଥ୍ୟାବଚନେ ମନଖେଦ ॥୧୩୪
ଏ ମଣି ଯଦୁପୁରେ ନେବି । ଆପଣା ଦୋଷ ଛଡ଼ାଇବି ॥୧୩୫
ଜାମ୍ବବ କୃଷ୍ଣବାକ୍ୟ ଶୁଣି । ଆନନ୍ଦମନେ ପରିମାଣି ॥୧୩୬
କୃଷ୍ଣ ଅଇଲେ ମୋର ଘର । କି ଅବା ଦେବି ଉପହାର ॥୧୩୭
ମୋର ଦୁହିତା ଜାମ୍ବବତୀ । ତାର ସଦୃଶେ କୃଷ୍ଣପତି ॥୧୩୮
ଏମନ୍ତ ମନେ ବିଚାରିଲା । କନ୍ୟାର କଣ୍ଠେ ମଣି ଦେଲା ॥୧୩୯
କୃଷ୍ଣର ପାଦତଳେ ନେଇ । ବୋଲଇ ଶିରେ କର ଦେଇ ॥୧୪୦
ଭୋ ନାଥ ପରମପୁରୁଷ । ମୋହର ନ ଘେନିବା ଦୋଷ ॥୧୪୧
ଅନେକ କଲି ଅପରାଧ । ନ ଚିହ୍ନ ତୋର ପଦ୍ମପାଦ ॥୧୪୨
ଏମନ୍ତେ ଶୁଣ ହୋ ରାଜନ । ଦ୍ୱାରେ ଯେ ଥିଲେ ସର୍ବଜନ ॥୧୪୩
ନିରତେ ବିଳଦ୍ୱାରେ ଚାହିଁ । କୃଷ୍ଣ ଆଗମେ ମନ ଦେଇ ॥୧୪୪
ବଂଚିଲେ ଦ୍ୱାଦଶ ଦିବସ । ନ ଦେଖି ହୋଇଲେ ନିରାଶ ॥୧୪୫
ବାହୁଡ଼ିଗଲେ ଦୁଃଖ ମନେ । କହିଲେ କୃଷ୍ଣର ଭୁବନେ ॥୧୪୬
ଶୁଣି ଦେବକୀ ବସୁଦେବ । ଏ ଆଦି ସକଳ ଯାଦବ ॥୧୪୭
ରୁକ୍ମିଣୀ ଆଦି ବଧୂଜନ । ଶୁଣି ହୋଇଲେ ହତଜ୍ଞାନ ॥୧୪୮
ମିଳି ସୁହୃଦେ ବନ୍ଧୁଜନ । ବିକଳେ କରନ୍ତି ରୋଦନ ॥୧୪୯
ନ ଦେଖି ଅଭୟ ଚରଣ । ସଙ୍କଳ୍ପେ ଚିନ୍ତନ୍ତି ମରଣ ॥୧୫୦
ନ ଦେଖି ପ୍ରଭୁ ନରହରି । ଜୀବନ ନ ପାରନ୍ତି ଧରି ॥୧୫୧
ଦ୍ୱାରକାପୁର ଜନେ ଯାଇ । ନିନ୍ଦନ୍ତି ସତ୍ରାଜିତ ଚାହିଁ ॥୧୫୨
ତୋହର ଯୋଗୁଁ ଯଦୁପୁରୀ । ଆଜୁଁ ହୋଇଲା ହତଶିରୀ ॥୧୫୩
ଏମନ୍ତେ ଦୁଃଖ ଶୋକମନେ । ମିଳିଲେ ଅମ୍ବିକା ଭୁବନେ ॥୧୫୪
କୃଷ୍ଣଙ୍କୁ ଲଭିବାର ଆଶେ । ସ୍ତୁତି କରନ୍ତି ଦେବୀପାଶେ ॥୧୫୫
ନମୋ ଜଗତ ଆଦିମାତ । ଯାଦବେ ହୋଇଲୁ ଅନାଥା ॥୧୫୬
ଦୁର୍ଗମ ଦୁଃଖ ନାଶିବାରେ । ଦୁର୍ଗା ବୋଲାଉ ତିନିପୁରେ ॥୧୫୭
ତୋ ପାଦେ ପଶିଲୁ ଶରଣ । ଦେଖାଅ ଗୋବିନ୍ଦ ଚରଣ ॥୧୫୮
ଯଦୁଙ୍କ ଦୁଃଖ ଶୋକ ଜାଣି । ଶୂନ୍ୟେ କହନ୍ତି ଠାକୁରାଣୀ ॥୧୫୯
ମନେ ନ କର ତୁମ୍ଭେ ଶୋକ । ଦେଖିବ ଶ୍ରୀକୃଷ୍ଣର ମୁଖ ॥୧୬୦
ଏମନ୍ତ କହୁଁ କହୁଁ ଜନେ । ଗୋବିନ୍ଦ ମିଳିଲେ ଭୁବନେ ॥୧୬୧
କନ୍ୟା ସହିତେ ଭଗବାନ । ଘେନାଇ ଅମୂଲ୍ୟ ରତନ ॥୧୬୨
ହରଷ କରି ସୁରନର । ବିଜୟ କଲେ ଚକ୍ରଧର ॥୧୬୩
ଦେଖି ସାନନ୍ଦ ସର୍ବଜନେ । ମିଳିଲେ କୃଷ୍ଣ ଦରଶନେ ॥୧୬୪
ମଲା ପୁରୁଷ ଯେହ୍ନେ ଆସି । କହନ୍ତି କୃଷ୍ଣଙ୍କୁ ପ୍ରଶଂସି ॥୧୬୫
କନ୍ୟା ସହିତେ ଦାମୋଦର । ପ୍ରବେଶ ଆପଣା ମନ୍ଦିର ॥୧୬୬
ତକ୍ଷଣେ ସତ୍ରାଜିତେ ଆଣି । କହନ୍ତି ପ୍ରଭୁ ଚକ୍ରପାଣି ॥୧୬୭
ଉଗ୍ରସେନର ସଭାମଧ୍ୟେ । କୃଷ୍ଣ କହନ୍ତି ମନ ଖେଦେ ॥୧୬୮
ମଣି ଆଣିଲେ ଯେତେ ଦୁଃଖେ । କହିଲେ ଆପଣା ଶ୍ରୀମୁଖେ ॥୧୬୯
ମଣି ତାହାର କରେ ଦେଇ । ପୁରେ ମିଳିଲେ କୃଷ୍ଣଯାଇ ॥୧୭୦
ସଭାରୁ ସତ୍ରାଜିତ ମଣି । ସଭୟେ ନିଜ କରେ ଘେନି ॥୧୭୧
ଅତି ଲଜ୍ଜିତେ ଅଧୋମୁଖ । ପଥେ ଗମଇ ଦୁଃଖଶୋକେ ॥୧୭୨
ମତେ ବାଧିଲା ଅନୁତାପ । କୃଷ୍ଣଚରଣେ କଲି ପାପ ॥୧୭୩
ଦିନକୁ ଦିନ ମନଖେଦେ । ଭାଳଇ କୃଷ୍ଣ ଅପରାଧେ ॥୧୭୪
ନିରତେ ଭାଳଇ ବିଷାଦେ । ଦ୍ରୋହ ଯେ କଲି କୃଷ୍ଣପାଦେ ॥୧୭୫
କେମନ୍ତେ ଆତ୍ମଦୋଷ ଯିବ । ଗୋବିନ୍ଦ ପ୍ରସନ୍ନ ହୋଇବ ॥୧୭୬
ଲୋକେ ବୋଲିବେ ମୋତେ ଭଲ । ତେବେ ସେ ଯିବ ଆତ୍ମାଶଲ ॥୧୭୭
ବିଚାର ନାହିଁ ମୋର ତହିଁ । ସ୍ୱଭାବେ କ୍ଷୁଦ୍ର ମୁଁ ଅଟଇ ॥୧୭୮
ଅଜ୍ଞାତ ମୂଢ ଧନଲୋଭୀ । ଆପଣା ପାପେ ପରାଭବୀ ॥୧୭୯
ମଣିକାଞ୍ଚନେ ଲୋଭ ମୋର । ଅଯଶ କଲି ତିନିପୁର ॥୧୮୦
ଏ ଯେ ଦୁହିତା ଅଛି ମୋର । ଅପୂର୍ବ ସ୍ତିରୀ ରତ୍ନସାର ॥୧୮୧
ଏ ମଣି ଏହା କଣ୍ଠେ ଦେଇ । କୃଷ୍ଣଙ୍କୁ ସମର୍ପିବି ନେଇ ॥୧୮୨
ଏହି ଉପାୟ ମୋର ଭଲ । ଏ କନ୍ୟାରତ୍ନ ମଣି ତୁଲ୍ୟ ॥୧୮୩
ସେ ହରି କମଳାର ପତି । ଅନ୍ୟଥା ନାହିଁ ତାର ଶାନ୍ତି ॥୧୮୪
ଏମନ୍ତ ନିଜ କର୍ମ ଚିନ୍ତି । ଛାଡ଼ିଲା ମନୁ ଖେଦ ଭ୍ରାନ୍ତି ॥୧୮୫
ଏମନ୍ତ ମନେ ବିଚାରିଲା । ଦୁହିତା ଅଳଙ୍କୃତ କଲା ॥୧୮୬
କନ୍ୟାର କଣ୍ଠେ ମଣି ଦେଇ । ମିଳିଲା କୃଷ୍ଣପାଖେ ଯାଇ ॥୧୮୭
ଅଞ୍ଜଳି କରି ବେନିକର । କୃଷ୍ଣଙ୍କୁ କହଇ ମଧୁର ॥୧୮୮
ତୁ ନାଥ ଜଗତଠାକୁର । ମୁଁ ତୋର ଚରଣେ କିଙ୍କର ॥୧୮୯
ସତ୍ୟଭାମାକୁ ତୋତେ ଦେଇ । ଶରଣ ପଶିଲି ଗୋସାଇଁ ॥୧୯୦
ଏମନ୍ତ ତାର ବାକ୍ୟ ଶୁଣି । ଦୟାସାଗର ଚକ୍ରପାଣି ॥୧୯୧
ଆନନ୍ଦମନେ ଦେବଦେବା । ସତ୍ୟଭାମାକୁ ହେଲେ ବିଭା ॥୧୯୨
ଅଂଶେ କମଳା ଅବତାର । କି ଅବା ଦେବା ପଟାନ୍ତର ॥୧୯୩
ସୁନ୍ଦର ରୂପ ଦେଖି ତାର । ଅନେକ ହୋଇଥିବେ ବର ॥୧୯୪
ବିବାହ ଅନ୍ତେ ଚକ୍ରପାଣି । ସେ ମଣିରତ୍ନ କରେ ଘେନି ॥୧୯୫
ସତ୍ରାଜିତର ମୁଖ ଚାହିଁ । ବୋଇଲେ ମଣି ନିଅ ତୁହି ॥୧୯୬
ଏ ସୂର୍ଯ୍ୟକଣ୍ଠୁ ଅବତରି । କେ ଏହା ପାରିବଟି ଧରି ॥୧୯୭
ରବିଭକତି ତପଫଳେ । ତୁ ଏହା ଧରିପାରୁ ଭଲେ ॥୧୯୮
ଏ ପାପୀଜନଙ୍କୁ ନ ସହି । ଏ ମଣି ଆଉ ତୋର ତହିଁ ॥୧୯୯
ମଣି ପ୍ରସାଦେ ମୁଁ ବିହରି । ବିଭା ହୋଇଲି ବେନିନାରୀ ॥୨୦୦
ହରିଚରିତ ସୁଧମୟ । ଶୁଣନ୍ତେ ପାପ ହୋଏ କ୍ଷୟ ॥୨୦୧
ସୁଜନେ ଏହି ରସେ ରସ । ହେଳେ ତରିବ ମୋହପାଶ ॥୨୦୨
ବୋଲଇ ଦାସ ଜଗନ୍ନାଥ । ଗୀତବିନୋଦେ ଭାଗବତ ॥୨୦୩
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରାମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ଉତ୍ତରାର୍ଦ୍ଧେ ସ୍ୟମନ୍ତକ ଉପାଖ୍ୟାନେ
ଷଷ୍ଠିତମ ଅଧ୍ୟାୟଃ ॥
ଏକଷଷ୍ଟିତମ ଅଧ୍ୟାୟ
[ସମ୍ପାଦନା]ଆନନ୍ଦେ କୃଷ୍ଣଭାବ ଘେନି । କହନ୍ତି ଶୁକ ମହାମୁନି ॥୧
- ଶୁକ ଉବାଚ
ଶୁଣ ପରୀକ୍ଷ ନରନାଥ । ଦ୍ୱାରକାପୁରେ ଉପଗତ ॥୨
କୁରୁନଗରୁ ଦୂତ ବେଗେ । କହିଲା ରାମକୃଷ୍ଣ ଆଗେ ॥୩
ଜାଣନ୍ତି ପ୍ରଭୁ ଦେବରାୟେ । ଭଲେ ଅଛନ୍ତି ପଣ୍ତୁପୋଏ ॥୪
ଜତୁର ଘରେ ପଞ୍ଚଭ୍ରାତ । ଜନନୀ ତୁଲେ ହେଲେ ହତ ॥୫
ଶୁଣି ବିକଳ ବସୁଦେବ । ଭୁବନେ ଯେତେକ ଯାଦବ ॥୬
ବିଷାଦେ କରନ୍ତି ରୋଦନ । ରାମଗୋବିନ୍ଦ ଦୁଃଖମନ ॥୭
ଶୋକ ନିବାରି ବେନିଭାଇ । ରଥେ ବସିଲେ ସଜ ହୋଇ ॥୮
କୁଳ ବେଭାରେ ରାମହରି । କୁରୁନଗରେ ବିଜେ କରି ॥୯
ଭୀଷ୍ମ ବିଦୁର କୃପମେଳେ । ଗାନ୍ଧାରୀ ଦ୍ରୋଣ ଶଲ୍ୟ ତୁଲେ ॥୧୦
ଲୋକ ବେଭାରେ ବେନିଭାଇ । କହନ୍ତି ମନେ ଦୁଃଖ ବହି ॥୧୧
ପ୍ରେତ ଉଚିତ କ୍ରିୟାକରି । ମାୟାଭିଆଣ ନରହରି ॥୧୨
ବନ୍ଧୁଙ୍କ ମୁଖ ଚାହିଁ ଭଣି । ପଦ୍ମଲୋଚନ ହଳପାଣି ॥୧୩
ଦେଖ ଏ ସଂସାର ବେଭାର । ଭ୍ରମନ୍ତି ଦେବାସୁରନର ॥୧୪
ଭବସାଗରେ ଏହି ମତେ । ସକଳେ ଯିବା ଶୂନ୍ୟପଥେ ॥୧୫
ଏମନ୍ତେ ବହୁ ଦୁଃଖ ବହି । ବାନ୍ଧବ ମଧ୍ୟେ ବେନିଭାଇ ॥୧୬
କହିଲେ ସଂସାର-ବେଭାର । ଏବେ ହୋ ଶୁଣ ନୃପବର ॥୧୭
ଦ୍ୱାରକାପୁରେ ତିନିଜଣ । ବିଚାର କଲେ ଏକମନ ॥୧୮
ଗଗନେ ଅସ୍ତ ହେଲେ ଭାନୁ । ଅକ୍ରୁର ତୁଲେ ଶତଧନୁ ॥୧୯
କୃତବର୍ମାଙ୍କୁ ରାଇ ଧୀରେ । ବିଚାର କଲେ ଏକସ୍ୱରେ ॥୨୦
ଦେଖ ଏ ପାପୀ ଶତ୍ରାଜିତ । ଅନ୍ୟାୟେ କଲା ବିପରୀତ ॥୨୧
ସତ୍ୟଭାମାଙ୍କୁ ଦେବାପାଇଁ । ବରିଲା ସତ୍ୟବାକ୍ୟ ଦେଇ ॥୨୨
ଏବେ ଆମ୍ଭଙ୍କୁ ନିନ୍ଦା କଲା । କନ୍ୟା ଗୋବିନ୍ଦେ ସମର୍ପିଲା ॥୨୩
ଦୁଷ୍ଟ ଦୁର୍ଜନ ମନ୍ଦଭାଗ୍ୟ । ପ୍ରସେନ ପଥକୁ ଏ ଯୋଗ୍ୟ ॥୨୪
ଅମୂଲ୍ୟ ମଣି ଏହା ତହିଁ । କେମନ୍ତେ ଆମ୍ଭ କରେ ହୋଇ ॥୨୫
ଅକ୍ରୁର ବୋଲେ ତାହା ଶୁଣି । ଜୀବନ୍ତେ ନ ଦେବ ସେ ମଣି ॥୨୬
ଏମନ୍ତ ବୋଲଇ ବିଚାରିଲେ । ନିଜ ମନ୍ଦିରେ ରାତ୍ରେ ଗଲେ ॥୨୭
ଆପଣା ଘରେ ଶତଧନୁ । କୋପେ କମ୍ପଇ ତାର ତନୁ ॥୨୮
ବସ୍ତ୍ର ପିନ୍ଧିଲା ଭିଡ଼ି ଗାଢେ । କରେ ଘେନିଲା ଯମଦାଢେ ॥୨୯
ରାତ୍ରେ ମିଳିଲା ତାର ପୁରେ । ଶତ୍ରାଜିତର ଶଯ୍ୟାଠାରେ ॥୩୦
ଦଇବେ କ୍ଷୀଣ ତା ଜୀବନ । ଯାହା ସଂଚିଲେ ଭଗବାନ ॥୩୧
ନିକଟେ ଥିଲେ ଯେ କାମିନୀ । ସଭୟେ କଲେ ଗୋଳଧ୍ୱନି ॥୩୨
ଅନାଥ ପ୍ରାୟ ଶୋକକରି । ତାହାର କରଛନ୍ତି ଧରି ॥୩୩
ସ୍ତିରୀଙ୍କ କରି ଅବହେଳା । ଛେଦିଲା ଶତ୍ରାଜିତ ଗଳା ॥୩୪
ପଶୁଙ୍କ ପ୍ରାୟ ବଧ କରି । ଅମୂଲ୍ୟ ମଣି କରେ ଧରି ॥୩୫
ନିଜ ଭୁବନେ ବିଜେ କଲା । ଏମନ୍ତେ ରଜନୀ ପାଇଲା ॥୩୬
ଶୁଣ ରାଜନ ଶୁଦ୍ଧକର୍ମା । ପିତାମରଣେ ସତ୍ୟଭାମା ॥୩୭
ବିଳାପ କରେ ଶୋକେ ପଡ଼ି । ଭୁଜ ଯୁଗଳ ଶିରେ ତାଡ଼ି ॥୩୮
ହା ହା ପିଅର ବୋଲି ମୋହେ । ଜୀବନ ନ ରହଇ ଦେହେ ॥୩୯
ପୁଣି ତଦନ୍ତେ ଚେତା ପାଇ । ସେହୁ ଶରଦଚନ୍ଦ୍ରମୁହୀଁ ॥୪୦
ମୃତଶରୀରରେ ଗନ୍ଧଲେପି । ତଇଳେଦ୍ରୋଣୀ ମଧ୍ୟେ କ୍ଷେପି ॥୪୧
ପିତା ବିଯୋଗେ ଶୋକତ୍ରାସେ । ରଥେ ଗମିଲା କୁରୁଦେଶେ ॥୪୨
ପିତା ବିଯୋଗ ଦୁଃଖ ବହି । ଚଳନ୍ତେ ଦିଗ ନ ଦିଶଇ ॥୪୩
କୃଷ୍ଣ ଜାଣନ୍ତି ତାହା ଭଲେ । ହସ୍ତିନାପୁରେ ରାମ ତୁଲେ ॥୪୪
ଏମନ୍ତେ ସତ୍ୟଭାମା ଯାଇ । କହନ୍ତି କୃଷ୍ଣ ମୁଖ ଚାହିଁ ॥୪୫
ଭୋ ନାଥ ଶତଧନୁ ଚୋର । ବଧିଲା ପିଅର ମୋହର ॥୪୬
ଘରେ ପଶିଲା ଶସ୍ତ୍ର ଧରି । ପଶୁର ପ୍ରାୟ ବଧ କରି ॥୪୭
ଅମୂଲ୍ୟମଣି ଘେନି କରେ । ପଳାଇଗଲା ଅନ୍ଧକାରେ ॥୪୮
ଅନାଥ ମୋହର ଜୀବନ । ବୋଲି ସେ କରଇ ରୋଦନ ॥୪୯
ଶୁଣି ଚକିତ ଦାମୋଦର । ବେନିଲୋଚନୁ ବହେ ନୀର ॥୫୦
ସତ୍ୟଭାମାର ମୁଖ ଚାହିଁ । ରୋଦନ କଲେ ବେନିଭାଇ ॥୫୧
କପଟେ କୁରୁବଳ ମଧ୍ୟେ । ଗୋବିନ୍ଦ କହିଲେ ବିଷାଦେ ॥୫୨
ସତ୍ୟଭାମାଙ୍କୁ ଆଗକରି । ରଥେ ବସିଲେ ରାମହରି ॥୫୩
ଦାରୁକ ଦାହ ଧାତିକାରେ । କୃଷ୍ଣ ବୋଲନ୍ତି କୋପଭରେ ॥୫୪
ଶତଧନୁର ଶିରହାଣି । ଆଜ ଆଣିବି ରତ୍ନମଣି ॥୫୫
ଏମନ୍ତେ ଶୁଣ ହେ ରାଜନ । ରାମ ଗୋବିନ୍ଦ ଆଗମନ ॥୫୬
ସଭୟେ ଶତଧନୁ ଶୁଣି । କରେ ଘେନିଲା ରତ୍ନମଣି ॥୫୭
କୃତବର୍ମାର ପୁରେ ପଶି । ବିଶ୍ୱାସେ କହେ ପାଶେ ବସି ॥୫୮
ଶତ୍ରାଜିତ୍ର ଶିର ହାଣି । ମୁଁ ଯେ ଆଣିଲି ରତ୍ନମଣି ॥୫୯
ତୋର ବଚନେ ମତିଭ୍ରମ । ନ ଜାଣି କଲି ଏଡେ଼ କର୍ମ ॥୬୦
ମୋତେ ମାରିବେ ଚକ୍ରଧର । ତୁ ଏବେ ପକ୍ଷ ହୁଅ ମୋର ॥୬୧
ଏମନ୍ତ କୃତବର୍ମା ଶୁଣି । ଭୟେ ବୋଲଇ ସାଧୁବାଣୀ ॥୬୨
ରାମକୃଷ୍ଣରେ ଦ୍ରୋହ କରି । କେ ଅବା ଥିବ ଦେହଧରି ॥୬୩
ଯାହାର କୋପେ କଂସ ମଲା । ସର୍ବସମ୍ପଦ ନାଶଗଲା ॥୬୪
ସପତଦଶବାର ଦ୍ୱନ୍ଦ । ଯୁଦ୍ଧେ ହାରିଲା ଜରାସନ୍ଧ ॥୬୫
ତାର ବଇରୀ ହୋଇ ବଳେ । କେ ଅବା ଥିବ ରବି ତଳେ ॥୬୬
ଏମନ୍ତ ଶୁଣି ତା ବଚନ । ମିଳିଲା ଅକ୍ରୁର ଭୁବନ ॥୬୭
ପଡ଼ି ତାହାର ପାଦତଳେ । ବୋଲଇ ଜୀବନ ବିକଳେ ॥୬୮
ମୋତେ କୋପିଲେ ଚକ୍ରଧର । ମୁଁ ଏବେ ଶରଣ ତୋହର ॥୬୯
ତୁ ଏବେ ମୋତେ ହୁଅ ସାହା । ତୋହର ବୋଲେ କଲି ଏହା ॥୭୦
ଶୁଣିଣ ବୋଲଇ ଅକ୍ରୁର । ନ ଜାଣୁ ଗତି ଗୋବିନ୍ଦର ॥୭୧
ଯେ ରାମକୃଷ୍ଣରେ ବଇରୀ । ତାହାକୁ କେବା ରଖିପାରି ॥୭୨
ଯେ ବିଶ୍ୱମାୟା ଲୀଳା କରି । ସର୍ଜଇ ପାଳଇ ସଂହରି ॥୭୩
ତାର ମହିମା କେବା କହି । ମାୟା ସଂସାରେ ଦେହ ବହି ॥୭୪
ଜାଣୁନୁ ବାଳକ ବୟସେ । କି କି ନ କଲେ ନନ୍ଦଦେଶେ ॥୭୫
ଇନ୍ଦ୍ରର ତୁଲେ ବାଦ କଲା । ହସ୍ତକେ ପର୍ବତ ଧଇଲା ॥୭୬
ବାଳକ କରେ ଛତ୍ର ଯେହ୍ନେ । ଦେଖି ଚକିତ ସର୍ବଜନେ ॥୭୭
ଯେ କୃଷ୍ଣ ଜଗତ କାରଣ । ଅଦ୍ଭୁତ ଯାର କର୍ମଗୁଣ ॥୭୮
ଅନନ୍ତ ଆଦିକୂଟ ହରି । ଯେ ଆତ୍ମା ରୂପେ ବିଶ୍ୱ ଧରି ॥୭୯
ତାହାଙ୍କୁ ମୋର ନମସ୍କାର । ଏମନ୍ତ କହିଲା ଅକ୍ରୁର ॥୮୦
ତା ଶୁଣି ଶତଧନୁ ଭୟେ । ବୋଲଇ ପଡ଼ି ତାର ପାୟେ ॥୮୧
ଏ ମଣି ଥାଉ ତୋର ତହିଁ । ମୋର ଜୀବନ ଆର କାହିଁ ॥୮୨
ନିଶ୍ଚେ ମାରିବେ ଚକ୍ରଧର । ଅର୍ଜିଲା କର୍ମ ଏ ମୋହର ॥୮୩
ମଣି ଅକ୍ରୁର କରେ ଦେଇ । ମିଳିଲା ଅଶ୍ୱଶାଳେ ଯାଇ ॥୮୪
ଯେ ଅଶ୍ୱ ଗମେ ପାଦବଳେ । ଶତେଯୋଜନ ଅବହେଳେ ॥୮୫
ଅଶ୍ୱ ଉପରେ ସେ ବସିଲା । ଉତ୍ତର ଦିଗେ ପଳାଇଲା ॥୮୬
ଏମନ୍ତେ ଶୁଣି ନୃପମଣି । ରାମଗୋବିନ୍ଦ ତାହା ଜାଣି ॥୮୭
ଦାରୁକ ବେଗେ ରଥବାହି । ପଛେ ଧାଇଁଲେ ବେନିଭାଇ ॥୮୮
ସେ ଶତଧନୁ ଗୁରୁଦ୍ରୋହୀ । ଧର୍ମ ଅଧର୍ମ ନ ଜାଣଇ ॥୮୯
ଅଶ୍ୱେ ପଳାନ୍ତେ ମହାବଳୀ । ମିଥିଳା ଉପବନେ ମିଳି ॥୯୦
ଅଶ୍ୱ ପଡ଼ିଲା ମୁହଁ ମାଡ଼ି । ତକ୍ଷଣେ ପ୍ରାଣ ଗଲା ଛାଡ଼ି ॥୯୧
ଅଶ୍ୱ ଉପେକ୍ଷି ମହାବୀର । ପାଦେ ଗମିଲା ଅତି ଖର ॥୯୨
ଗୋବିନ୍ଦ ଦେଖି ତା ଗମନ । ରଥୁଁ ଓହ୍ଲାଇଲେ ବହନ ॥୯୩
କୋପେ ନୟନେ ନରହରି । ଧାଇଁଲେ କରେ ଚକ୍ର ଧରି ॥୯୪
ଦେଖି ସେ ଗୋବିନ୍ଦର ମନ୍ୟୁ । ଭୟେ ପଳାଏ ଶତଧନୁ ॥୯୫
ଭୟେ ପଳାନ୍ତେ କମ୍ପେ କାୟେ । ଚକ୍ର ପେଶିଲେ ଦେବରାୟେ ॥୯୬
କୃଷ୍ଣର ଚକ୍ର ତୀକ୍ଷ୍ଣ ଧାର । କାଟିଲା ଶତଧନୁ ଶିର ॥୯୭
ଛିଡ଼ି ପଡ଼ିଲା କଣ୍ଠୁ ତଳେ । ଗୋବିନ୍ଦ ନିକଟେ ମିଳିଲେ ॥୯୮
ତାହାର ବସ୍ତ୍ରେ ମଣି ଖୋଜି । ନ ପାଇଁ କୃଷ୍ଣ ମନେ ହେଜି ॥୯୯
ମଣି କାହାର କରେ ଦେଇ । ଭୟରେ ଅଇଲା ପଳାଇ ॥୧୦୦
ଏମନ୍ତ ବୋଲି ବାହୁଡ଼ିଲେ । ରାମର ନିକଟେ ମିଳିଲେ ॥୧୦୧
ବୋଲନ୍ତି ପ୍ରଭୁ ଜଗନ୍ନାଥ । ଭୋ ଦେବ ଶୁଣି ବିପରୀତ ॥୧୦୨
ମିଛେ ମାଇଲି ଶତଧନୁ । ଯେଣୁ ସେ ମୋତେ କଲା ମନ୍ୟୁ ॥୧୦୩
ମଣି ଏହାର ତହିଁ ନାହିଁ । କହିଲେ ରାମ ମୁଖ ଚାହିଁ ॥୧୦୪
ଶୁଣି ବୋଲନ୍ତି ହଳଧର । କୋମଳ ବଚନ ଗମ୍ଭୀର ॥୧୦୫
ଏ ମଣି ଅଛି ତୋ ଭୁବନେ । ସନ୍ଦେହ ନ କର ତୁ ମନେ ॥୧୦୬
କାହାର ହସ୍ତେ ଅବା ଦେଇ । ଭୟେ ଏ ଅଇଲା ପଳାଇ ॥୧୦୭
ମଣି ଉଦ୍ଦେଶ୍ୟେ ଯାଅ ଘର । ମୁଁ ଯିବି ଜନକ ନଗର ॥୧୦୮
ପ୍ରିୟ ସୁହୃଦ ସେ ମୋହର । ଦେଖିବି ତାହାର ବେଭାର ॥୧୦୯
ଏମନ୍ତ କହି ହଳଧାରୀ । ଜନକପୁରେ ବିଜେକରି ॥୧୧୦
ରାମ ଆଗମ ଦେଖି ରାଜା । ସଂଭ୍ରମେ କଲା ପାଦପୂଜା ॥୧୧୧
ଜନକ ପୂଜନ୍ତେ ଚରଣ । ସନ୍ତୋଷେ ରେବତୀରମଣ ॥୧୧୨
କେତେହେଁ ଦିନ ତହିଁ ରହି । ଜନକ ପ୍ରିୟ ଭାବ ବହି ॥୧୧୩
ହସ୍ତିନାପୁରେ ଦୁର୍ଯ୍ୟୋଧନ । ଶୁଣିଲା ରାମ ଆଗମନ ॥୧୧୪
ମନଆନନ୍ଦେ ଅନ୍ଧସୁତ । ମିଥିଳାପୁରେ ଉପଗତ ॥୧୧୫
ମିଳିଲା ହଳଧର ପାଶେ । ଅନେକ ଭକତି ବିଶ୍ୱାସେ ॥୧୧୬
ଗଦାସମର ଘୋର ଦୀକ୍ଷା । ରାମର ତହୁଁ କଲା ଶିକ୍ଷା ॥୧୧୭
ଗୋବିନ୍ଦ ବସି ନନ୍ଦିଘୋଷେ । ଆସି ମିଳିଲେ ନିଜ ଦେଶେ ॥୧୧୮
ଶତଧନୁର ଶିର ହାଣି । ତା ତହୁଁ ନ ପାଇଲେ ମଣି ॥୧୧୯
ସକଳ ପ୍ରିୟା ଆଗେ କହି । ମାୟା ଭିଆଣ ଭାବଗ୍ରାହୀ ॥୧୨୦
ବନ୍ଧୁବାନ୍ଧବ ସଙ୍ଗେ ମିଳି । ବାନ୍ଧବ ପ୍ରିୟ ବନମାଳୀ ॥୧୨୧
ମଲା ଯେ ଶତଧନୁ ବୀର । ପ୍ରେତ ଉଚିତ କ୍ରିୟା ତାର ॥୧୨୨
ଶ୍ରୀକୃଷ୍ଣ କରାଇଲେ ଭାବେ । ଶୁଣ ପରୀକ୍ଷନୃପ ଏବେ ॥୧୨୩
ଶତଧନୁର ବଧ ଶୁଣି । ଅକ୍ରୁର ମନେମନେ ଗୁଣି ॥୧୨୪
କୃତବର୍ମାର ତୁଲେ ଭାଳି । ନିଶ୍ଚେ ମାରିବେ ବନମାଳୀ ॥୧୨୫
ଏମନ୍ତ ଭାଳି ମନଛନ୍ନେ । ପଳାଇଗଲେ ବେନିଜନେ ॥ ୧୨୬
ଅକ୍ରୁର ଯେତେବେଳେ ଗଲା । ଶୁଣ ରାଜନ କୃଷ୍ଣଲୀଳା ॥ ୧୨୭
ଦ୍ୱାରକାପୁରେ ରିଷ୍ଟଜାତ । ଦେଖି ଚକିତ ଯଦୁନାଥ ॥ ୧୨୮
ଉତ୍ପାତ ଦେଖିଲେ ପ୍ରତ୍ୟକ୍ଷେ । ଭୂମି-ଗଗନ-ଅନ୍ତରୀକ୍ଷେ ॥ ୧୨୯
ପ୍ରାଣୀଙ୍କ ଦେହେ ବ୍ୟାଧି ଜାତ । ମନ ଉଚ୍ଚାଟ ଉଲ୍କାପାତ ॥ ୧୩୦
ରୁଧିର ବୃଷ୍ଟି ଦଶଦିଶେ । ଭୂମି କମ୍ପଇ ମହାତ୍ରାସେ ॥ ୧୩୧
ଦ୍ୱାରକାପୁରଜନେ ଚାହିଁ । ଭାଳନ୍ତି ଏକରୁଣ୍ତ ହୋଇ ॥ ୧୩୨
ଘୋର ଆପଦ ଆଗମନେ । ଭାଳି ବୋଲନ୍ତି ବୃଦ୍ଧଜନେ ॥ ୧୩୩
ଅକ୍ରୁର ପଳାଇଲା ଡରେ । ତେଣୁ ଆପଦ ଯଦୁପୁରେ ॥ ୧୩୪
ଅକ୍ରୁର ବିନୁ ଏହି ରିଷ୍ଟି । ରୁଧିର ସଙ୍ଗେ ଶିଳା ବୃଷ୍ଟି ॥ ୧୩୫
ଅନେକ ଅକ୍ରୁରର ଗୁଣ । ତୁମ୍ଭେ ହୋ ସାବଧାନେ ଶୁଣ ॥ ୧୩୬
ପୂର୍ବେ ଯେ ଥିଲା କାଶୀରାଜା । ସୁଖେ ପାଳଇ ଜନପ୍ରଜା ॥ ୧୩୭
ଏମନ୍ତେ ଇନ୍ଦ୍ର ତା ଭୁବନେ । ବୃଷ୍ଟି ନ କଲା କୋପମନେ ॥ ୧୩୮
ଅନ୍ନ ନ ପାଇ କ୍ଷୁଧାଭୟେ । ଅନେକ ଜନ୍ତୁ ଗଲେ କ୍ଷୟେ ॥ ୧୩୯
ସଙ୍ଗତେ ଘେନି ଜନପ୍ରଜା । ଭୟେ ଭାଳଇ କାଶୀରାଜା ॥ ୧୪୦
ବିଚାର କଲେ ଏକଭାବ । ଶ୍ୱଫଲ୍ଲ ନାମେଣ ଯାଦବ ॥ ୧୪୧
ପୂର୍ବେ ଅନେକ ତପ କଲା । ଇନ୍ଦ୍ର ତାହାକୁ ବର ଦେଲା ॥ ୧୪୨
ସେ ଯହିଁ ଥାଇ ପୁଣ ରହି । ସେ ଦେଶେ ଇନ୍ଦ୍ର ବରଷଇ ॥ ୧୪୩
ଏମନ୍ତ ବିଚାରିଲେ ବସି । ସ୍ୱଫଲ୍ଲ ଆଣିଲେ ଆଶ୍ୱାସି ॥ ୧୪୪
କନ୍ୟାଏ ଥିଲା ତାର ଘର । ଅତି ସୁନ୍ଦର ରୂପସାର ॥ ୧୪୫
ଶୁଣ କନ୍ୟାର ଜନ୍ମବାଣୀ । ଆମ୍ଭେ ଯେ ପୂର୍ବେ ଅଛୁ ଶୁଣି ॥ ୧୪୬
ଜନନୀ ଗର୍ଭେ ଚିରବାସ । ରହିଲା ଦ୍ୱାଦଶ ବରଷ ॥ ୧୪୭
ଜାତ ନୋହିଲା ଯେତେବେଳେ । ନୃପତି ଭାଳଇ ବିକଳେ ॥ ୧୪୮
ଦିନେକ ପତ୍ନୀ ଗର୍ଭ ଚାହିଁ । କହେ ବିକଳ ଭାବ ବହି ॥ ୧୪୯
ହେ ଗର୍ଭ ଶୁଣ ମୋ ଉତ୍ତର । ହେଳେ ନାଶିଲୁ ଘର ମୋର ॥ ୧୫୦
କହ ତୁ କେବଣ କାରଣ । ଏ ବଡ଼ ମରଣ କଷଣ ॥ ୧୫୧
ଏମନ୍ତ ରାଜା ବାକ୍ୟ ଶୁଣି । ଗର୍ଭ କହିଲା ମୁକ୍ତିବାଣୀ ॥ ୧୫୨
ଭୋ ତାତ ଶୁଣ ମୋ ଉତ୍ତର । ଯେମନ୍ତ ବ୍ୟବସ୍ଥା ଗର୍ଭର ॥ ୧୫୩
ଉତ୍ତମଧେନୁ ପ୍ରତିଦିନେ । ଦାନ ତୁ ଦିଅ ବିପ୍ରଜନେ ॥ ୧୫୪
ସଂପୂର୍ଣ୍ଣ ଦ୍ୱାଦଶବରଷେ । ଜନମ ହୋଇବି ବିଶ୍ୱାସେ ॥ ୧୫୫
ତକ୍ଷଣେ ଗର୍ଭର ବଚନେ । ନୃପତି ଶୁଣି ତୋଷମନେ ॥ ୧୫୬
ନିରତେ କଲା ସେହି ମତ । ଧେନୁ ସେ ଦେଲା ଅପ୍ରମିତ ॥ ୧୫୭
ଏମନ୍ତେ କନ୍ୟା ଜାତ ହୋଇ । କାଶୀନଗରେ ଥିଲା ରହି ॥ ୧୫୮
ସେ କନ୍ୟା ଶ୍ୱଫଳ୍କରେ ବରି । ବିବାହ ଦେଲା ଦଣ୍ତଧାରୀ ॥ ୧୫୯
ତାହାର ଦେଶେ ଶସ୍ୟନାଶ । ନିର୍ଜଳ ଦ୍ୱାଦଶ ବରଷ ॥ ୧୬୦
ତକ୍ଷଣେ ମିଳି ମେଘମାଳ । ଆନନ୍ଦେ ବରଷିଲେ ଜଳ ॥ ୧୬୧
ତାର କୁମର ଦାନପତି । ଏମନ୍ତ ଅକ୍ରୁରର ଗତି ॥ ୧୬୨
ସେ ମହାଭାଗ ଯହିଁ ଥାଇ । ରିଷ୍ଟ ଅରିଷ୍ଟ ଭୟ ନାହିଁ ॥ ୧୬୩
ଏମନ୍ତ ବୃଦ୍ଧ ବାକ୍ୟ ଶୁଣି । ଆନନ୍ଦେ ପ୍ରଭୁ ଚକ୍ରପାଣି ॥ ୧୬୪
କାଶୀନଗରେ ଦୂତ ପେଶି । ଆଣିଲେ ଅକ୍ରୁରେ ଆଶ୍ୱାସି ॥ ୧୬୫
କାଶୀନଗରେ ସେ ଅକ୍ରୁର । କଲା ଅନେକ ଯଜ୍ଞ ସାର ॥ ୧୬୬
ପୂର୍ବେ ତା ପିତୃ ପିତାମହୀ । କାଶୀନଗରେ ବଡ଼ ସ୍ନେହୀ ॥ ୧୬୭
ଅନେକ ଯଜ୍ଞର ବିଧାନ । ପୁରୁଷଅର୍ଥ ଧର୍ମମାନ ॥ ୧୬୮
ସେ ପୁରେ ଧର୍ମବିଧି ମତେ । ଯଜ୍ଞ ସେ କଲା ନାନାମତେ ॥ ୧୬୯
ଦଇବେ ମଣି ରତ୍ନସାର । ଦିଅଇ ସ୍ୱର୍ଣ୍ଣ ଅଷ୍ଟଭାର ॥ ୧୭୦
ସେ ଦ୍ରବ୍ୟ ରଖିଣ ନିଃଶଙ୍କେ । ଅନେକ ଯଜ୍ଞ କଲା ସୁଖେ ॥ ୧୭୧
ତାହା ଜାଣିଲେ ଭଗବାନ । ଅକ୍ରୁର ଅଣାଇ ବହନ ॥ ୧୭୨
ପାଶେ ବସାଇ ଦାମୋଦର । ବିଶ୍ୱାସେ କହନ୍ତି ମଧୁର ॥ ୧୭୩
ସେ କୃଷ୍ଣ ଜଗତ ଜୀବନ । ଜାଣନ୍ତି ପ୍ରାଣୀଙ୍କର ମନ ॥ ୧୭୪
ଆଶ୍ୱାସି ବସାଇ ଅକ୍ରୁର । ବୋଲନ୍ତି ବ୍ରହ୍ମାଣ୍ତଠାକୁର ॥ ୧୭୫
ଶୁଣ ଅକ୍ରୁର ମୋର ବାଣୀ । ତୋ ତହିଁ ସ୍ୟମନ୍ତକମଣି ॥ ୧୭୬
ଥୋଇଣ ଶତଧନୁ ଗଲା । ଦଇବେ ପ୍ରାଣ ସେ ହାରିଲା ॥ ୧୭୭
ସେ ମଣିସଂକଟୁ ଉଦ୍ଦରି । ବିଭା ହୋଇଲି ବେନି ନାରୀ ॥ ୧୭୮
ଉଚିତେ ସେ ମଣି ମୋହର । ଶ୍ୱଶୁର ଦେଲା ଉପହାର ॥ ୧୭୯
ସତ୍ରାଜିତର ପୁତ୍ରୀ ନାହିଁ । ଦୁହିତା ସତ୍ୟଭାମା ହୋଇ ॥ ୧୮୦
ମରଣେ ପ୍ରେତକ୍ରିୟା ସାରି । ଦୁର୍ଗମ-ନରକୁ ଉଦ୍ଧାରି ॥ ୧୮୧
ତାହାର ପୁତ୍ରୀ ମଣି ନେବ । ଏମନ୍ତ ଶାସ୍ତ୍ରର ପ୍ରସ୍ତାବ ॥ ୧୮୨
ସତ୍ରାଜିତର ତପ ଫଳେ । ରବି ତାହାଙ୍କୁ ମଣି ଦେଲେ ॥ ୧୮୩
ନିର୍ମଳଲୋକେ ତାହା ଧରି । ଆନ କେ ପାରିବ ଆବୋରି ॥ ୧୮୪
ସୁକୃତ-ତନୁ ପୁଣ୍ୟବନ୍ତ । ତୁ ସେ ଧାରଣେ ସାମରଥ ॥ ୧୮୫
ରାମ ମୋହର ଜ୍ୟେଷ୍ଠଭାଇ । ତାହାଙ୍କ ଚିତ୍ତଶୁଦ୍ଧି ନାହିଁ ॥ ୧୮୬
ବନ୍ଧୁବାନ୍ଧବ ଯେତେ ମୋର । ଚିତ୍ତେ ସଂଶୟ ତାହାଙ୍କର ॥ ୧୮୭
ଏ ସଭା ମଧ୍ୟେ ମଣି ତୁହି । ଦେଖାଅ ମୋର ଭାବ ବହି ॥ ୧୮୮
ତାହାଙ୍କ ମନୁ ଯିବ ଭ୍ରାନ୍ତି । ଏଥେ ମୋହର ମନ ଶାନ୍ତି ॥ ୧୮୯
ଏ ମଣି କାଶୀପୁରେ ନେଇ । ଅନେକ ଯଜ୍ଞ କଲୁ ତୁହି ॥ ୧୯୦
ସୁବର୍ଣ୍ଣ ଯଜ୍ଞବେଦୀ ତୋର । ଦେଖନ୍ତି ଦେବାସୁର ନର ॥ ୧୯୧
ଏମନ୍ତେ କୃଷ୍ଣ ସାଧୁବାଣୀ । ଅକ୍ରୁର ଶୁଣି ରତ୍ନମଣି ॥ ୧୯୨
ବସ୍ତ୍ରେ ଲୁଚାଇଥିଲା କାଖେ । ସଭାରେ ଥୋଇଲା ପ୍ରତ୍ୟକ୍ଷେ ॥ ୧୯୩
ସୂର୍ଯ୍ୟକିରଣ ପ୍ରାୟ ଦେଖି । ଜନେ ବୁଜିଲେ ବେନି ଆଖି ॥ ୧୯୪
ଏମନ୍ତେ ମଣି ଦେଖାଇଲେ । ଆତ୍ମାର ବାଦ ଦୂର କଲେ ॥ ୧୯୫
ଗୋବିନ୍ଦ କରେ ଘେନି ମଣି । ଅକ୍ରୁର ମୁଖ ଚାହିଁ ଭଣି ॥ ୧୯୬
ତୁ ପୁଣ୍ୟକର୍ମା ସାଧୁଜନ । ଏ ମଣି ଧାରଣେ ଭାଜନ ॥ ୧୯୭
ଏ ମଣି ଥାଉ ତୋର ତହିଁ । ଏମନ୍ତ କହି ଭାବଗ୍ରାହୀ ॥ ୧୯୮
ନିଜ ଭୁବ ବିଜେ କଲେ । ଲୋକେ ଅଯଶ ନିବାରିଲେ ॥ ୧୯୯
ଏବେ ହୋ ଶୁମ ନରନାଥ । ତୁ ସାଧୁ ପୁଣ୍ୟ ଭାଗ୍ୟବନ୍ତ ॥ ୨୦୦
ମଣିହରଣ ସାଧୁବାଣୀ । କର୍ଣ୍ଣେ ଶୁଣନ୍ତି ଯେତେ ପ୍ରାଣୀ ॥ ୨୦୧
ଦୁଃଖ-ଦୁରିତ-ଅପବାଦ । ଏ ଆଦି ଯେତର ମନଖେଦ ॥ ୨୦୨
ଦୁଷ୍ଟସ୍ୱପନ ଗ୍ରହଗତି । ଶ୍ରବଣେ ପଠନେ ନାଶନ୍ତି ॥ ୨୦୩
ସର୍ବମଙ୍ଗଳ ଉପଗତ । କହଇ ଦାସ ଜଗନ୍ନାଥ ॥ ୨୦୪
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ଉତ୍ତରାର୍ଦ୍ଧେ ସ୍ୟମନ୍ତକ ଉପାଖ୍ୟାନେ
ଏକଷଷ୍ଟିତମ ଅଧ୍ୟାୟଃ ॥
ଦ୍ୱିଷଷ୍ଟିତମ ଅଧ୍ୟାୟ
[ସମ୍ପାଦନା]- ଶୁକ ଉବାଚ
ଏବେ ହୋ ଶୁଣ ନରପତି । ଅଶେଷ ଗୋବିନ୍ଦର ଗତି ॥ ୧
ପାଣ୍ତବେ ବହୁ ଦୁଃଖ ତ୍ରାସେ । ଅରଣ୍ୟେ ଦ୍ୱାଦଶ ବରଷେ ॥ ୨
ଅଜ୍ଞାତ ଘୋର ବନବାସେ । ଥିଲେ ସେ ବିରାଟର ଦେଶେ ॥ ୩
ବରଷେ ବଞ୍ଚି ତା ଭୁବନେ । ବିଖ୍ୟାତ ପଣ୍ତର ନନ୍ଦନେ ॥ ୪
ଇନ୍ଦ୍ରପ୍ରସ୍ତରେ ଛନ୍ତି ରହି । ସେ କଥା ଶୁଣି ଭାବଗ୍ରାହୀ ॥ ୫
ଦାରୁକ ସାଜି ନନ୍ଦିଘୋଷେ । ଚଳିଲେ ସୁହୃଦ ବିଶ୍ୱାସେ ॥ ୬
ଇନ୍ଦ୍ରପ୍ରସ୍ଥରେ ବନମାଳୀ । ଧର୍ମନନ୍ଦନ ଗୃହେ ମିଳି ॥ ୭
ଦେଖି ସାନନ୍ଦ ପଞ୍ଚଜନେ । ଚାହାନ୍ତି ନିଶ୍ଚଳ ନୟନେ ॥ ୮
ବେଗେ ଉଠିଲେ ପାଞ୍ଚଭାଇ । କି ପଟାନ୍ତର ଦେବି ମୁହିଁ ॥ ୯
ଜୀବନ ଗଲା ପିଣ୍ତ ଯେହ୍ନେ । ପୁଣି ଉଠଇ ଦିବ୍ୟଜ୍ଞାନେ ॥ ୧୦
ଦେଖି ଅଖିଳ ଯୋଗେଶ୍ୱର । ନୟନ ପିଛା କଲେ ସ୍ଥିର ॥ ୧୧
ରୋମ ପୁଲକେ କମ୍ପେ ଦେହୀ । ନୟନଯୁଗୁଁ ଲୁହ ବହି ॥ ୧୨
ଗୋବିନ୍ଦ ଜଣେ ଜଣେ ଧରି । ହୃଦେ ଲଗାଇ କୋଳକରି ॥ ୧୩
ପଦ୍ମଲୋଚନ ସଙ୍ଗ ପାଇ । ପବିତ୍ର ହେଲେ ପାଞ୍ଚଭାଇ ॥ ୧୪
ଧର୍ମନନ୍ଦନ ଭୀମ ପାଦେ । ଗୋବିନ୍ଦ ନମିଲେ ଆନନ୍ଦେ ॥ ୧୫
ପାର୍ଥକୁ କଲେ ଆଲିଙ୍ଗନ । ନକୁଳ ଆଦି ବେନିଜନ ॥ ୧୬
ମାଦ୍ରୀକୁମର ସହଦେବ । ବନ୍ଦିଲେ ଗୋବିନ୍ଦର ପାଦ ॥ ୧୭
ଆନନ୍ଦେ କଲେ ନମସ୍କାର । ଯେସନେ ସଂସାର ବେଭାର ॥ ୧୮
କୃଷ୍ଣଙ୍କୁ ଆସନେ ବସାଇ । ଭାବେ ପୂଜିଲେ ପାଞ୍ଚଭାଇ ॥ ୧୯
ଦ୍ରୋପଦୀ ଥିଲେ ନିଜ ପୁରେ । କୃଷ୍ଣ ଆଗମ ଜାଣି ଧୀରେ ॥ ୨୦
ନମ୍ରଶିରରେ ଲଜ୍ଜାଭରେ । କୃଷ୍ଣଙ୍କୁ ନମିଲେ ଅନ୍ତରେ ॥ ୨୧
ସାତ୍ୟକି କର କରେ ଧରି । ଶ୍ରୀକୃଷ୍ଣ ତୁଲେ ପୂଜାକରି ॥ ୨୨
ଯେତେକ ଥିଲେ କୃଷ୍ଣ ସଙ୍ଗେ । ପୂଜିଲେ ସର୍ବେ ଅନୁରାଗେ ॥ ୨୩
କୁନ୍ତୀ ଯେ ଥିଲେ ପୁରଦେଶେ । ହା କୃଷ୍ଣ ବୋଲି ସ୍ନେହବଶେ ॥ ୨୪
ଆନନ୍ଦେ ପାଣ୍ତବଜନନୀ । ହସ୍ତରେ ଉପାୟନ ଘେନି ॥ ୨୫
ବେଗେ ମିଳିଲେ କୃଷ୍ଣ ଆଗେ । ଦ୍ରୌପଦୀ ତୁଲେ ଅନୁରାଗେ ॥ ୨୬
ଲୋକବେଭାରେ ଦାମୋଦର । ନମିଲେ କୁନ୍ତୀର ପୟର ॥ ୨୭
କୁନ୍ତୀ ଗୋବିନ୍ଦେ କୋଳକରି । ତୋଳିଲା ବେନିଭୁଜେ ଧରି ॥ ୨୮
ବନ୍ଧୁକୁଶଳ ପୁଚ୍ଛାକରି । ଦୌପଦୀକର କରେ ଧରି ॥ ୨୯
ମୁକୁନ୍ଦ ବଦନ ଅନାଇ । କହନ୍ତେ ଅଶ୍ରୁଜଳ ବହି ॥ ୩୦
ଯେମନ୍ତ କ୍ଲେଶ ବନବାସେ । ବଞ୍ଚିଲେ ଦ୍ୱାଦଶବରଷେ ॥ ୩୧
ତାହା ସୁମରି କୁନ୍ତୀ କାନ୍ଦେ । ମନ ନିବେଶି କୃଷ୍ଣପାଦେ ॥ ୩୨
ହେ କୃଷ୍ଣ ତବ ଦରଶନ । କୃତାର୍ଥ କଲା ମୋ ଜୀବନ ॥ ୩୩
ହସ୍ତିନାପୁରେ ଦୁଃଖ ସହି । ସ୍ୱାମୀ ମରଣେ ଥିଲି ମୁହିଁ ॥ ୩୪
ତୁ ନାଥ ଅକ୍ରୁରକୁ ପେଶି । ମୋର କୁମରଙ୍କୁ ଆଶ୍ୱାସି ॥ ୩୫
ସେଦିନୁ ଦୁଃଖ ମୋ ଦହନ । ଏବେ ଦେଖିଲି ତୋ ବଦନ ॥ ୩୬
ତୁ ନାଥ ଶରଣସୋଦର । ପର ଆପଣା ନାହିଁ ତୋର ॥ ୩୭
ତଥାପି ଯେ ତୋତେ ଲୋଡ଼ଇ । ତାହାର ହୃଦେ ଥାଉ ତୁହି ॥ ୩୮
ଅଶେଷ ଦୁଃଖ କରୁ ହତ । ଏମନ୍ତ ପ୍ରଭୁ ତୁ ଅଚ୍ୟୁତ ॥ ୩୯
ଧର୍ମନନ୍ଦନ କୃଷ୍ଣ ଚାହିଁ । ବୋଲନ୍ତି ପ୍ରିୟଭାବ ବହି ॥ ୪୦
ଅନେକ ଅଛି ପୁଣ୍ୟବଲ । ତୋତେ ଭେଟିଲୁ ଆଦିମୂଳ ॥ ୪୧
ଭୋ ନାଥ ମହିମା ତୋହର । ଯୋଗେଶ୍ୱରଙ୍କୁ ଆଗୋଚର ॥ ୪୨
ଆମ୍ଭେ କିଞ୍ଚିତ ବୁଦ୍ଧିହୀନ । ପାଇଲୁ ତବ ଦରଶନ ॥ ୪୩
ଏମନ୍ତେ ଭକତ ବିଶ୍ୱାସେ । କୃଷ୍ଣ ପରମ ମନତୋଷେ ॥ ୪୪
ତହିଁ ବରଷା ଚାରି ମାସ । ରହିଲେ ପ୍ରଭୁ ପୀତବାସ ॥ ୪୫
ଇନ୍ଦ୍ରପ୍ରସ୍ଥର ଯେତେ ଜନ । କରନ୍ତି କୃଷ୍ଣ ଦରଶନ ॥ ୪୬
ଚର୍ମଲୋଚନ କରି ସାଧୁ । ତରିଲେ ଭବ ପରମାଦୁ ॥ ୪୭
ଏମନ୍ତେ ଶୁଣ ନରନାଥ । ଦିନେକ କୃଷ୍ଣ ଧରି ପାର୍ଥ ॥ ୪୮
ପିତୃଦିବସ ଆଗମନେ । ମଳିଲା ହରଷ ବଦନେ ॥ ୪୯
ଧର୍ମନନ୍ଦନ ଆଜ୍ଞାମତେ । ବସିଲା କପିଧ୍ୱଜ ରଥେ ॥ ୫୦
ଦାରୁକ ଘେନି ନନ୍ଦିଘୋଷେ । ଗୋବିନ୍ଦ ବସିଲେ ହରଷେ ॥ ୫୧
ଅର୍ଜୁନ କରେ ଧନୁ ଘେନି । କନ୍ଧେ ଶୋଭିତ ତ୍ରୋଣ ବେନି ॥ ୫୨
ଗହନ ବନେ ନରହରି । ଅନେକ ମୃଗ ବଧ କରି ॥ ୫୩
ଅର୍ଜୁନ କରେ ତୀକ୍ଷ୍ଣ ବାଣ । ଦିଗ ଆବୋରି ନାରାୟଣ ॥ ୫୪
ବରାହ ମହିଷ ହରିଣ । ଶଶା ଶାର୍ଦ୍ଦୂଳ ପକ୍ଷୀଗଣ ॥ ୫୫
ଶରଭ ଗବୟ ଖଡ଼ଗ । ପିତୃଯଜ୍ଞକୁ ଯେତେ ଯୋଗ୍ୟ ॥ ୫୬
ରାଜସେବକେ ତାହା ବହି । ପାଣ୍ତବପୁରେ ଦେଲେ ନେଇ ॥ ୫୭
ତୃଷିତ ହୋଇ ବୀର ପାର୍ଥ । ଯମୁନାତୀରେ ଉପଗତ ॥ ୫୮
ସଙ୍ଗେ ମିଳିଲେ ଭଗବାନ । ସନ୍ତୋଷେ କଲେ ଜଳପାନ ॥ ୫୯
ମୁଖ-ନୟନ ଜଳେ ଧୋଇ । ଆନନ୍ଦେ ଚଉଦିଗ ଚାହିଁ ॥ ୬୦
ଯମୁନାଜଳେ ବାଲିକୁଦେ । କନ୍ୟାଏ ବସି ତାର ମଧ୍ୟେ ॥ ୬୧
ତପ କରଇ ସୂର୍ଯ୍ୟେ ଚାହିଁ । ତା ରୁପ ପାରିବ କେ କହି ॥ ୬୨
ଅତି ସୁସଞ୍ଚ ଚାରୁବେଶ । ମୋହଇ ବନ ଗିରି ଦେଶ ॥ ୬୩
ଦେଖି ଚକିତ ଭଗବାନ । ଚାହିଁଲେ ଅର୍ଜୁନ ବଦନ ॥ ୬୪
ବୋଲନ୍ତି ଦେଖ ରୂପରାଶି । କାଳିନ୍ଦୀ ବାଲିକୁଦେ ବସି ॥ ୬୫
ତପ କରଇ କିସ ସଧେ । ନିର୍ଜନ ଘୋରବନ ମଧ୍ୟେ ॥ ୬୬
କୃଷ୍ଣବଚନେ ପଣ୍ତୁବଳା । କନ୍ୟା ସମୀପେ ବିଜେ କଲା ॥ ୬୭
ପୁଛଇ କନ୍ୟାମୁଖ ଚାହିଁ । ତୋ ରୂପ ଦେଖିଲା ତ ନାହିଁ ॥ ୬୮
କାହାର ଦୁହିତା ବୋଲାଉ । କିମ୍ପା ତୁ ଏତେ ଦୁଃଖ ସହୁ ॥ ୬୯
କାହୁଁ ଆସି ଏ ଘୋରବନେ । ତପ ଆଚରୁ ଶୁଦ୍ଧମନେ ॥ ୭୦
କେବଣ ଫଳେ ତବ ଇଚ୍ଛା । କି ଅବା ବରେ ତୋର ବାଞ୍ଛା ॥ ୭୧
କହ ନକରି ମନେ ଭ୍ରାନ୍ତି । କାହାକୁ ଇଚ୍ଛୁ ନିଜ ପତି ॥ ୭୨
ଅର୍ଜୁନ ବାଣୀ ଶୁଣି କର୍ଣ୍ଣେ । କାଳିନ୍ଦୀ କହେ ଶୁଦ୍ଧମନେ ॥ ୭୩
ଅନ୍ଧାରେ ଜ୍ୟୋତିରୂପ ଧରେ । ପ୍ରାଣୀନୟନ ଯେ ବିସ୍ତାରେ ॥ ୭୪
ରଥେ ଗମଇ ଅନ୍ତରୀକ୍ଷେ । ତାର ଦୁହିତା ମୁଁ ପ୍ରତ୍ୟକ୍ଷେ ॥ ୭୫
ସେ ତାତା ଆଜ୍ଞା ପରମାଣେ । ଦୁସ୍ତର ତପ ଆଚରଣେ ॥ ୭୬
ଅତି ନିଷ୍ଠୁର ଘୋର ଦୀକ୍ଷା । ତପ କରଇ କାନ୍ତ ଇଚ୍ଛା ॥ ୭୭
ହରିଙ୍କି ତପେ ତୋଷକରି । ହୋଇବି ତାର ପରିବାରୀ ॥ ୭୮
ଅନାଥନାଥ ଦାମୋଦର । ମୋହର ହୋଇବେ ସେ ବର ॥ ୭୯
କମଳାକାନ୍ତ ଭଗବାନ । ଦୁର୍ଗମ ଦୁରିତ ଦହନ ॥ ୮୦
ଅଶେଷ ଫଳ ସୁଖଦାତା । ତାରେ ବରିଲା ମୋର ପିତା ॥ ୮୧
କାଳିନ୍ଦୀ ନାମଟି ମୋହର । ପିତା ମୋହର ଦିନକର ॥ ୮୨
ଯାବତ ନ ପାଇବି ହରି । ପ୍ରାଣ ଛାଡ଼ିବି ତପକରି ॥ ୮୩
ମୋହର ସତ୍ୟ ଏ ବଚନ । ଶୁଣି ଅର୍ଜୁନ ତୋଷମନ ॥ ୮୪
ବେଗେ ମିଳିଲା କୃଷ୍ଣପାଶେ । କହିଲା ଆନନ୍ଦ-ବିଶ୍ୱାସେ ॥ ୮୫
ଭୋ ନାଥ ତୋର ପାଦ ଇଚ୍ଛା । କାଳିନ୍ଦୀ କରେ ମନେ ବାଞ୍ଛା ॥ ୮୬
ଅତି ନିଷ୍ଠୁର ତପ ତାର । ଶୁଣି ସାନନ୍ଦ ଦାମୋଦର ॥ ୮୭
ଯମୁନାତୀରେ ଯାଇ ମିଳି । ଭକତବନ୍ଧୁ ବନମାଳୀ ॥ ୮୮
ବୋଲନ୍ତି କନ୍ୟାମୁଖ ଚାହିଁ । ତପ ତୁ କରୁ ଯହିଁପାଇଁ ॥ ୮୯
ସେ କଥା ହୋଇଲା ସଫଳ । ଏମନ୍ତ ବୋଲି ଆଦିମୂଳ ॥ ୯୦
ରଥେ ବସାଇ ଭଗବାନ । ଆଣିଲେ ପାଣ୍ତବ ଭୁବନ ॥ ୯୧
ତକ୍ଷଣେ ବିଶ୍ୱକର୍ମା ରାଇ । ବିଶ୍ୱାସ ବାକ୍ୟ ତାକୁ କହି ॥ ୯୨
ଦେବମାନବେ ଅଗୋଚର । ଏମନ୍ତ ପୁର ବେଗେ କର ॥ ୯୩
ଗୋବିନ୍ଧ ଆଜ୍ଞା ପରମାଣେ । ନିର୍ମାଣ କଲା ତତକ୍ଷଣେ ॥ ୯୪
ସେପୁରେ କୃଷ୍ଣ କନ୍ୟା ଥୋଇ । ଧର୍ମଚନ୍ଦନ ପ୍ରିୟେ ରହି ॥ ୯୫
ଏମନ୍ତେ ଗଲା କେତେଦିନ । ଶୁଣ ପରୀକ୍ଷ ସାବଧାନ ॥ ୯୬
ଅଗ୍ନିପୁରୁଷ, କରଯୋଡ଼ି । କହିଲା କୃଷ୍ଣପାଦେ ପଡ଼ି ॥ ୯୭
ସତ୍ୟବ୍ରତର ଯଜ୍ଞେ ମୁହିଁ । ରୋଗୀ ହୋଇଲି ଘୃତ ଖାଇ ॥ ୯୮
ଭୋ ନାଥ ରଖ ମୋ ଜୀବନ । ଦେଇ ଔଷଧ ରସ ଦାନ ॥ ୯୯
ଶୁଣି ଭକତବନ୍ଧୁ ହରି । ଅର୍ଜୁନ କର କରେ ଧରି ॥ ୧୦୦
ଦାରୁକ କଲା ରଥ ସଜ । ବିଜୟ କଲେ ଦେବରାଜ ॥ ୧୦୧
ଅର୍ଜୁନ ସଙ୍ଗେ ବନମାଳୀ । ଖାଣ୍ତବବନେ ବେଗେ ମିଳି ॥ ୧୦୨
ତକ୍ଷଣେ ରୁନ୍ଧି ଦଶଦିଗ । କାନନେ କଲେ ଅଗ୍ନିଯୋଗ ॥ ୧୦୩
ସର୍ବଔଷଧି ବନମଧ୍ୟେ । ଅନଳ ଭକ୍ଷିଲା ଆନନ୍ଦେ ॥ ୧୦୪
ତକ୍ଷଣେ ବ୍ୟାଧି ଗଲା ନାଶ । ଅନଳ ହୋଇଲା ସନ୍ତୋଷ ॥ ୧୦୫
ଅଗ୍ନି ଶରୀରୁ ବ୍ୟାଧି ଗଲା । ଧନୁଏ ଅର୍ଜୁନକୁ ଦେଲା ॥ ୧୦୬
ଶ୍ୱେତକୁଞ୍ଜର ଶ୍ୱେତରଥ । ଅଭେଦ କବଚ ସହିତ ॥ ୧୦୭
ଅକ୍ଷୟେତ୍ରୋଣ ବେନି ଦେଲା । ନାନାଦି ମନ୍ତ୍ର ସେ କହିଲା ॥ ୧୦୮
ମୟଦାନବ ବନେ ଥିଲା । ଅର୍ଜୁନ ତାହାକୁ ଦେଖିଲା ॥ ୧୦୯
ଅଗ୍ନିଦହନ କାଳେ ବନେ । ଥିଲା ସେ ଅର୍ଜୁନ ଶରଣେ ॥ ୧୧୦
ଜୀବନ ପାଇ ତୋଷ ହୋଇ । ମାୟା ସଭାଏ ସେ ଭିଆଇ ॥ ୧୧୧
ସନ୍ତୋଷେ ଅର୍ଜୁନକୁ ଦେଲା । ଶୁଣ ରାଜନ କୃଷ୍ଣଲୀଳା ॥ ୧୧୨
ଯହିଁ ରାଜୁସି ଯଜ୍ଞକାଳେ । ଅନ୍ଧନନ୍ଦନ ରାଜାମେଳେ ॥ ୧୧୩
ବସିବା କାଳେ ହୀନିମାନ । ହୋଇଲା ଜଳେ ସ୍ଥଳ ଭ୍ରମ ॥ ୧୧୪
ସେ ସଭା ଘେନି ବନମାଳୀ । ଇନ୍ଦ୍ରପ୍ରସ୍ଥରେ ଯାଇ ମିଳି ॥ ୧୧୫
ଧର୍ମନନ୍ଦନ ମୁଖ ଚାହିଁ । କହନ୍ତି ପ୍ରିୟଭାବ ବହି ॥ ୧୧୬
ମେଲାଣି ଦିଅ ଯିବୁ ଘର । ତୁମ୍ଭେ ତ ଜୀବନ ମୋହର ॥ ୧୧୭
ଏମନ୍ତେ ପ୍ରଭୁ ଭଗବାନ । ସଙ୍ଗେ ଘେନାଇ ନିଜ ଜନ ॥ ୧୧୮
ଦ୍ୱାରକାପୁରେ ଗଲେ ହରି । ଏବେ ହୋ ଶୁଣ ଦଣ୍ତଧାରୀ ॥ ୧୧୯
ଉତ୍ତରାୟଣ ଶୁଦ୍ଧକାଳେ । ଶୁଭନକ୍ଷତ୍ର ଶୁଭବେଳେ ॥ ୧୨୦
ଅମରଗୁରୁ ଲଗ୍ନ ତୁଲେ । କାଳିନ୍ଦୀକନ୍ୟା ବିଭା ହେଲେ ॥ ୧୨୧
ଉତ୍ସବ-ବରକନ୍ୟା ଦେଖି । ଯାଦବେ ଧନ୍ୟ କଲେ ଆଖି ॥ ୧୨୨
କାଳିନ୍ଦୀ ବିଭାର ବିଧାନ । ଯେ କରେ ଶ୍ରବଣ ପଠନ ॥ ୧୨୩
ଦୁରିତ ଦୁଃଖ ଭୟ ନାଶେ । ଅନ୍ତେ ମିଳଇ କୃଷ୍ଣପାଶେ ॥ ୧୨୪
ସେ ହରି ପାଦେ ମନ ଦେଇ । ସୁଜନେ ତର ଏହା ଗାଇ ॥ ୧୨୫
କହଇ ବିପ୍ର ଜଗନ୍ନାଥ । କୃଷ୍ଣଚରିତ ଭାଗବତ ॥ ୧୨୬
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତାୟାଂ
ଦଶମସ୍କନ୍ଧେ ଉତ୍ତରାର୍ଦ୍ଧେ ଖାଣ୍ତବବନ ଦହନେ କାଳିନ୍ଦୀ ବିବାହେ
ନାମ ଦ୍ୱିଷଷ୍ଟିତମ ଅଧ୍ୟାୟଃ ॥
ତ୍ରିଷଷ୍ଟିତମ ଅଧ୍ୟାୟ
[ସମ୍ପାଦନା]- ଶୁକ ଉବାଚ
ଏବେ ହୋ ଶୁଣ ନରନାଥ । ଶ୍ରୀକୃଷ୍ଣଲୀଳା ଭାଗବତ ॥ ୧
ଅବନ୍ତୀପୁରେ ବେନିଭାଇ । ବିନ୍ଦାନୁବିନ୍ଦ ନାମ ବହି ॥ ୨
ସେ ଦୁର୍ଯ୍ୟୋଧନର ବିଶ୍ୱାସେ । ପ୍ରଜା ପାଳନ୍ତି ନିଜେ ଦେଶେ ॥ ୩
ମିତ୍ରବିନ୍ଦା ଯେ କନ୍ୟାସାର । ବହେଣୀ ଥିଲା ତାହାଙ୍କର ॥ ୪
ନବମସ୍କନ୍ଧେ ମୁହିଁ ତୋତେ । କହିଛି ବଂଶାନୁଚରିତେ ॥ ୫
ଶୂର ଯାଦବକୂଳେ ଜାତ । ଥିଲା ତା ପାଞ୍ଚ ଯେ ଦୁହିତ ॥ ୬
ପାଞ୍ଚ ଦୁହିତା ମଧ୍ୟେ ସାର । ରାଜାଧିଦେବୀ ନାମ ଯାର ॥ ୭
ତାର କୁମାରୀ ଅନୁପମ । ସୁନ୍ଦର ମିତ୍ରବିନ୍ଦା ନାମ ॥ ୮
ତାହାର ସ୍ୱୟଂମ୍ବର କାଳେ । ମିଳିଲେ ନୃପତି ସକଳେ ॥ ୯
ଗୋବିନ୍ଦଗଲେ ତାହା ଶୁଣି । ସଙ୍ଗେ ଯାଦବ ବଳ ଘେନି ॥ ୧୦
କନ୍ୟାର ସ୍ୱୟମ୍ବର କାଳେ । ରାଜକୁମାରମାନେ ଥିଲେ ॥ ୧୧
ସେ ବେନିଭାଇ ରାଜା ମେଳେ । କନ୍ୟାକୁ ଯେତେ ନିଷେଧିଲେ ॥ ୧୨
ସେ କନ୍ୟା କୃଷ୍ଣଙ୍କୁ ବରିଲା । ଅନେକ ଗୋଳ ଉପୁଜିଲା ॥ ୧୩
ତାହାର ସ୍ୱୟମ୍ବର କାଳେ । କୃଷ୍ଣ ହରିଲେ ତାକୁ ବଳେ ॥ ୧୪
ଦେକନ୍ତି ରାଜପୁତ୍ରେ ମିଳି । ରଥେ ବସାଇ ବନମାଳୀ ॥ ୧୫
ଦ୍ୱାରକାପଥେ ବିଜେ କଲେ । ଶଙ୍ଗ ଦୁନ୍ଦୁଭି ସୁମଙ୍ଗଳେ ॥ ୧୬
କୃଷ୍ଣର ଭଗ୍ନୀ ସେ ଯୁକ୍ତେ । ଜନ ବେଭାର କୁଳ ମତେ ॥ ୧୭
ଏବେ ହୋ ଶୁଣ ନୃପମଣି । ଯେମନ୍ତ କାଲେ ଚକ୍ରପାଣି ॥ ୧୮
କୋଶଳରାଜ୍ୟେ ନରନାଥ । ଧାର୍ମିକ ନାମେ ନଗ୍ନଜିତ ॥ ୧୯
ତାର ଦୁହିତା ସତ୍ୟା ନାମ । ରୂପେ ସୁନ୍ଦର ଅନୁପମ ॥ ୨୦
ନୃପତି ତାର ସ୍ୱୟମ୍ବର । ନିୟମ କଲା ଗୁରୁତରେ ॥ ୨୧
ସପ୍ତ ବୃକ୍ଷଭ ପୁରେ ଥୋଇ । ବୋଲେ ସାରଥି ମୁଖ ଚାହିଁ ॥ ୨୨
ଘୋଷଣା ଚଉଦିଗେ ଦିଅ । ଏମନ୍ତେ ବାକ୍ୟ ମୋର କହ ॥ ୨୩
ଏ ସାତବୃକ୍ଷ ଏକ ତୁଲ୍ୟେ । ବନ୍ଧନ କରିବ ଯେ ବଳେ ॥ ୨୪
ଏ କନ୍ୟା ହୋଇବ ତାହାର । ସତ୍ୟବଚନ ଏ ମୋହର ॥ ୨୫
ଏମନ୍ତ ଶୁଣି ତାର ପୁରେ । ମିଳିଲେ ନୃପତି କୁମରେ ॥ ୨୬
ସପତ ଷଣ୍ଢ ମୁଖ ଚାହିଁ । ସମୀପେ ନ ପାରନ୍ତି ଯାଇ ॥ ୨୭
ଆଘ୍ରାଣେ ବୀର-ଗନ୍ଧ ପାଇ । କୁଟୀଳନୟନେ ଅନାଇ ॥ ୨୮
ଜଳଦପ୍ରାୟ ନାଦ କରି । ଖୁରେ ଖୋଳନ୍ତି ସବୁନ୍ଧରୀ ॥ ୨୯
ଚଉଦଶୃଙ୍ଘ ତୀକ୍ଷଖୁର । ଦେଖି ଭାଜିଲେ ସର୍ବବୀର ॥ ୩୦
ବୃକ୍ଷ-ବନ୍ଦନେ କନ୍ୟା ଲାଭ । ଏମନ୍ତ ଶୁଣି ପଦ୍ମନାଭ ॥ ୩୧
ହରଷ ମଦନ ଗୋପାଳ । ସଙ୍ଗତେ ଘେନି ଯଦୁବଳ ॥ ୩୨
ମିଳିଲେ କୋଶଳ ଭୁବନେ । ଦେଖି ନୃପତି ତୋଷମନେ ॥ ୩୩
ଗନ୍ଧକୁସୁମ ଉପହାରେ । ପୂଜିଲା ଗୋବିନ୍ଦ ପୟରେ ॥ ୩୪
ସୁବର୍ଣ୍ଣ ଆସନେ ବସାଇ । ବୋଲଇ କୃଷ୍ଣମୁଖ ଚାହିଁ ॥ ୩୫
ଆଜ ଜୀବନ ମୋର ଧନ୍ୟ । ଦେଖିଲି ପ୍ରଭୁ ନିରଞ୍ଜନ ॥ ୩୬
ସିଦ୍ଧମୁନିଙ୍କି ଅଗୋଚର । ଅଶେଷ-ବ୍ରହ୍ମାଣ୍ତ-ଠାକୁର ॥ ୩୭
ସୃଷ୍ଟିପାଳନ ସଂହାରଣ । ତୁ ଆଦି ପରମକାରଣ ॥ ୩୮
ପରମ ସନ୍ତୋଷ ହୋଇଲା । ଏମନ୍ତ ସ୍ତୁତି ସେହୁ କଲା ॥ ୩୯
ଏମନ୍ତେ କୃଷ୍ଣଙ୍କୁ ପୂଜିଲା । ଦୁହିତା ତାର ପଛେ ଥିଲା ॥ ୪୦
ରାଜକୁମାରୀ କୃଷ୍ଣେ ଚାହିଁ । ଆନନ୍ଦ ମନେ ବିଚାରଇ ॥ ୪୧
ପୂର୍ବେ ମୋହର ତପ ଯେବେ । ସାଧିଲା ଅଛି ଶୁଦ୍ଧଭାବେ ॥ ୪୨
ଇଷ୍ଟଦେବତା ହୋଇ ତୋଷ । ସଫଳ କରିବେ ମୋ ଆଶ ॥ ୪୩
ଯେ କୃଷ୍ଣ-ପାଦପଦ୍ମ ଧୂଳି । ବ୍ରହ୍ମାଶଙ୍କର ଶିରେ ବୋଳି ॥ ୪୪
ବାସବ ଆଦି ଦେବତାଏ । ନମନ୍ତି ଯାର ପଦ୍ମପାୟେ ॥ ୪୫
ସୁକୃତସେତୁ ରକ୍ଷା ପାଇଁ । ଲୀଲାଏ ନାନା ରୂପ ବହି ॥ ୪୬
ଅଧର୍ମ ନାଶି ଧର୍ମ ସ୍ଥାପି । ନିର୍ମଳ ସୂକ୍ଷ୍ମ ଶୂନ୍ୟେ ବ୍ୟାପି ॥ ୪୭
ସେ ହରି କେଉଁ ପୁଣ୍ୟଫଳେ । ତୋଷ ହୋଇବେ ସୁମଙ୍ଗଳେ ॥ ୪୮
ଅଶେଷ-ବ୍ରହ୍ମାଣ୍ତର ଗତି । ସେ ମୋର ହେଉ ପ୍ରାଣପତି ॥ ୪୯
ଏମନ୍ତେ ଶୁଦ୍ଧଭାବ ବହି । ରାଜା ବୋଲଇ କୃଷ୍ଣ ଚାହିଁ ॥ ୫୦
ଭୋ ନାଥ ଜଗତ ଈଶ୍ୱର । ଅନାଦି ଧର୍ମ ନିରାକାର ॥ ୫୧
ଜଗତ ଆତ୍ମଭୂତ ତୁହି । ଜଗତ ପୁଣ୍ୟମୟ ଦେହୀ ॥ ୫୨
ଜଗତ-ମୋହନ ତୋ ରୂପ । ସ୍ୱଭାବେ ମୁହିଁ ଯେ ଅଳପ ॥ ୫୩
ଭୋ ନାଥ ଶରଣସୋଦର । କିମ୍ପା ଅଇଲ ମୋର ପୁର ॥ ୫୪
ଆନନ୍ଦେ ବସିଣ ଆସନେ । ଜଳଦ-ଗମ୍ଭୀର-ବଚନେ ॥ ୫୫
ରାଜା ବଚନ ଶୁଣି ହସି । ବୋଲନ୍ତି ପ୍ରଭୁ ବ୍ରହ୍ମରାଶି ॥ ୫୬
- ଶ୍ରୀକୃଷ୍ଣ ଉବାଚ
ଶୁଣ ରାଜନ ଚୂଡ଼ାମଣି । କ୍ଷତ୍ରିୟଜନ ଧର୍ମବାଣୀ ॥ ୫୭
ଭିକ୍ଷାଗ୍ରହଣେ ନିନ୍ଦା ପାଇ । ଉଭୟଲୋକେ ସୁଖ ନାହିଁ ॥ ୫୮
ତଥାପି ତୋର ଭାବ ଲଇଁ । କନ୍ୟା ମାଗିବା ଆଶେ ମୁହିଁ ॥ ୫୯
ମିଳିଲି ତୋହର ଭୁବନେ । ବିଦିତ କଥା ସର୍ବଜନେ ॥ ୬୦
ଆମ୍ଭର କୁଳଧର୍ମ ଏହି । ବିଭା ନ କରୁ ଧନଦେଇ ॥ ୬୧
କୃଷ୍ଣବଚନ ରାଜା ଶୁଣି । ବୋଲଇ ହୃଦେ ପରିମାଣ ॥ ୬୨
- ରାଜା ବଚନ
ଭୋ ନାଥ ଶୁଣ ଦାମୋଦର । କନ୍ୟା ଉଚିତେ ତୁମ୍ଭେ ବର ॥ ୬୩
ସକଳ ଗୁଣ ତୋର ତହିଁ । ତୋ ଅଙ୍ଗେ କମଳା ବସଇ ॥ ୬୪
ଯଦୁବଂଶର ତୁ ଈଶ୍ୱର । ଶୁଣ ଗୋବିନ୍ଦ ମୋ ବିଚାର ॥ ୬୫
ରାଜାଙ୍କ ବଳ ଜାଣିବାରେ । ସତ୍ୟ ମୁଁ କଲି ସ୍ୱୟମ୍ଭରେ ॥ ୬୬
ସପତଷଣ୍ଢ ମହାବଳୀ । ମୋହର ପୁରେ ବନମାଳୀ ॥ ୬୭
ଶୃଙ୍ଗଯୁଗଳ ତୀକ୍ଷ୍ଣଖୁର । ଦୁର୍ମଦ ଦୁଷ୍ଟ ମହାଘୋର ॥ ୬୮
ଦେଖିଣ ତାହାଙ୍କ ବଦନ । ଭାଜିଲେ ନୃପତି ନନ୍ଦନ ॥ ୬୯
ସଂକଳ୍ପ କରିଅଛି ମୁହିଁ । ଘୋଷଣା ଚାରିଦିଗେ ଦେଇ ॥ ୭୦
ଏ ସାତବୃଷେ ବନ୍ଦୀ କଲେ । ତାହାକୁ କନ୍ୟା ଦେବି ଭଲେ ॥ ୭୧
ସତ୍ୟବଚନ ଏ ମୋହର । ଭୋ ନାଥ ଶୁଣ ଦାମୋଦର ॥ ୭୨
ତୁ ଯେବେ ବାନ୍ଧିପାରୁ ଏହା । ନିଶ୍ଚୟେ କନ୍ୟା ଦେବି ବାହା ॥ ୭୩
ଏମନ୍ତ ରାଜା ବାକ୍ୟ ଶୁଣି । ଅଳପ ହସି ଚକ୍ରପାଣି ॥ ୭୪
କନ୍ୟା ହୃହୟ ବିଚାରିଲେ । ଗୋବିନ୍ଦ ମାୟା ପ୍ରକାଶିଲେ ॥ ୭୫
ତକ୍ଷଣେ ସାତରୂପ ହୋଇ । ମାୟାରେ ନଦେଖିଲେ କେହି ॥ ୭୬
ମାୟା ଗୋବିନ୍ଦ ସାତରୂପ । କନ୍ୟାକୁ ଦେଖାନ୍ତି ସ୍ୱରୂପ ॥ ୭୭
ଜନେ ଦେଖିଲେ କଉତୁକେ । କୃଷ୍ଣ ବାନ୍ଧିଲେ ସାତ ଏକେ ॥ ୭୮
ଦାଉଣି ବାନ୍ଧି ସାତଷଣ୍ଢେ । କୃଷ୍ଣ ବିଜୟ ରାଜଦାଣ୍ତେ ॥ ୭୯
ଏକଦଉଡ଼ି ସାତ କନ୍ଧେ । ଗୋବିନ୍ଧ ବାନ୍ଧିଲେ ଆନନ୍ଦେ ॥ ୮୦
କାଷ୍ଠ ପିତୁଳୀ ବାନ୍ଧି ହସ୍ତେ । ବାଳକେ ଖେଳନ୍ତି ଯେମନ୍ତେ ॥ ୮୧
ଦେଖି ହରଷ ସର୍ବଜନ । ଆନନ୍ଦ କୋଶଳ ରାଜନ ॥ ୮୨
ତକ୍ଷଣେ ମିଳି ବନ୍ଧୁଜନେ । ଉତ୍ସବ ରାଜାର ଭୁବନେ ॥ ୮୩
ବେଦ ଉଚିତ ଧର୍ମ ଘେନି । ମଙ୍ଗଳ କଲେକ କାମିନୀ ॥ ୮୪
ବରକନ୍ୟାଙ୍କୁ କରି ଶୋଭା । ଆନନ୍ଦେ କରାଇଲେ ବିଭା ॥ ୮୫
ରାଜକାମିନୀ ମିଳି ଧୀରେ । ଅକ୍ଷତ ଦେଲେ କୃଷ୍ଣ ଶିରେ ॥ ୮୬
ଦୁହିତା ତୁଲ୍ୟ ବର ଦେଖି । ନିର୍ମଳ କଲେ ଚର୍ମଆଖି ॥ ୮୭
ଗୀତମଙ୍ଗଳ ଶଙ୍ଖ ଭେରୀ । ଆନନ୍ଦେ ବାଦ୍ୟନାଦ କରି ॥ ୮୮
ବିପ୍ରେ ଆଶିଷ ଶିରେ ଦେଇ । ଉତ୍ସବ କେ ପାରିବ କହି ॥ ୮୯
କୋଶଳପୁର ନରନାରୀ । ଅନେକ ଅଳଙ୍କାର ଭରି ॥ ୯୦
ଦିବ୍ୟବସନ ପୁଷ୍ପମାଳେ । ବିବାହେ ମିଳିଲେ ସକଳେ ॥ ୯୧
କୋଶଳପତି ସୁବିବେକ । ଅନେକ ଦେଲା ଯଉତୁକ ॥ ୯୨
ଦଶସହସ୍ର ଧେନୁ ଦେଲା । ଶୁଣ ହୋ ଅଭିମନ୍ୟୁବଳା ॥ ୯୩
ତିନିସହସ୍ର ପରିବାରୀ । ବିବିଧ ଅଳଙ୍କାରେ ଭରି ॥ ୯୪
ଦୁହିତା ହିତେ ନୃପମଣି । କୃଷ୍ଣସମୀପେ ଦେଲା ଆଣି ॥ ୯୫
ନବସହସ୍ର ମତ୍ତହସ୍ତୀ । କୃଷ୍ଣଙ୍କୁ ଦେଲା ନରପତି ॥ ୯୬
ସୁବର୍ଣ୍ଣ ରଥ ନବଲକ୍ଷ । କୃଷ୍ଣଙ୍କୁ ଦେଲା ସେ ପ୍ରତ୍ୟକ୍ଷ ॥ ୯୭
ଆନନ୍ଦ ମନେ ନରଇନ୍ଦ୍ର । ତୁରଙ୍ଗ ଦେଲା ନବବୃନ୍ଦ ॥ ୯୮
ପଦାତି ନବପଦ୍ମ ଦେଇ । ବରକନ୍ୟାଙ୍କୁ ରଥେ ଥୋଇ ॥ ୯୯
ସଙ୍ଗତେ ନିଜବଳ ଘେନି । ବଜାଇ ବୀରତୂର ଧ୍ୱନି ॥ ୧୦୦
ଆନନ୍ଦେ ଅଶ୍ରୁଜଳ ବହି । ପଥେ କେତେହେଁ ଦୂର ଯାଇ ॥ ୧୦୧
କୃଷ୍ଣଙ୍କୁ ମାଗି ଅନୁଯାନ । ମିଳିଲା ଆପଣା ଭୁବନ ॥ ୧୦୨
ଗୋବିନ୍ଦ ଦ୍ୱାରକାର ପଥେ । ବିଜୟ ନନ୍ଦିଘୋଷ ରଥେ ॥ ୧୦୩
ଅନେକ ନୃପତି କୁମରେ । ଥିଲେ ଯେ କନ୍ୟା ସ୍ୱୟମ୍ବରେ ॥ ୧୦୪
ସାତଷଣ୍ଢର ଯୁଦ୍ଧେ ହାରି । କନ୍ୟାକୁ ଚିତ୍ତେ ଥିଲେ ବରି ॥ ୧୦୫
କନ୍ୟାକୁ ବଳେ ନେବୁଆଜ । କିସ କରିବେ ଯଦୁଭୋଜ ॥ ୧୦୬
ଏମନ୍ତ ଭାଳି କୁବିଚାରେ । ପଛେ ଧାଇଁଲେ ଅତିଖରେ ॥ ୧୦୭
ବୃଷ୍ଟି ପରାୟେ ବାଣବିନ୍ଧି । ବେଗେ ଯାଦବ ବଳ ରୁନ୍ଧି ॥ ୧୦୮
ଅର୍ଜୁନ ଥିଲେ କୃଷ୍ଣସଙ୍ଗେ । ଦେଖି ଧାଇଁଲେ ଅତିବେଗେ ॥ ୧୦୯
ଗାଣ୍ତୀବ ଚାପେ ଗୁଣ ଦେଇ । ମନ୍ତ୍ର ସୁମରି କୋପ ବହି ॥ ୧୧୦
ଅକ୍ଷୟତ୍ରୋଣଁ ବାଣ ବିନ୍ଧି । ଅନେକ ରଥ ଗଜ ଛେଦି ॥ ୧୧୧
ଶର ବରଷା ମହାଘୋର । ଦେଖି ଭାଜିଲେ ନୃପବର ॥ ୧୧୨
ଯୁଦ୍ଧେ ହାରିଲେ ରିପୁଜନେ । କେଶରୀ ମୁଖେ ମୃଗ ଯେହ୍ନେ ॥ ୧୧୩
କନ୍ୟା ଘେନିଣ ଭଗବାନ । ମିଳିଲେ ଦ୍ୱାରକା ଭୁବନ ॥ ୧୧୪
ଯଦୁ-କୁମୁଦ-ନିଶାକର । ପୁରେ ମିଳିଲେ କନ୍ୟାବର ॥ ୧୧୫
ଲକ୍ଷ୍ମୀର ଅଂଶ ସତ୍ୟା ସଙ୍ଗେ । କୃଷ୍ଣ ରମିଲେ ସୁଖରଙ୍ଗେ ॥ ୧୧୬
ଅନାଦି ପ୍ରଭୁ ଜଗନ୍ନାଥ । ଦେବକୀଦେବୀ ଯାର ମାତ ॥ ୧୧୭
ଏବେ ହୋ ଶୁଣ ନରପତି । କେକୟ ରାଣୀ ଶ୍ରୁତକୀର୍ତ୍ତି ॥ ୧୧୮
ତାର ଦୁହିତା ଭଦ୍ରା ନାମ । ରୂପେ କମଳା ନୋହେ ସମ ॥ ୧୧୯
ପିତୃଭଗିନୀ ସୁତା ସେହି । ଭ୍ରାତା ବିଚାରେ କନ୍ୟା ଦେଇ ॥ ୧୨୦
ସକଳ ବନ୍ଧୁଜନ ମିଳି । ବିବାହ କଲେ ବନମାଳୀ ॥ ୧୨୧
ମଦ୍ରାଧିପତିର ଦୁଲଣୀ । ଲକ୍ଷଣା ନାମେ ସୁଲକ୍ଷଣୀ ॥ ୧୨୨
ତାହାର ସ୍ୱୟମ୍ବର କାଳେ । କୃଷ୍ଣ ହରିଲେ ତାକୁ ବଳେ ॥ ୧୨୩
ଦୁର୍ଗମ ଲାଖ ହେଳେ ବିନ୍ଧି । ସମରେ ରିପୁବଳ ଛେଦି ॥ ୧୨୪
ଦେବଙ୍କମଧ୍ୟୁ ସୁଧାରାଶି । ଗରୁଡ଼ ଯେସନେ ଗରାସି ॥ ୧୨୫
ଏବେ ହୋ ଶୁଣ ନୃପମଣି । ନାରକାପୁରୁ ଚକ୍ରପାଣି ॥ ୧୨୬
ଷୋଳସହସ୍ର ଶତେ ନାରୀ । ଆଣିଲେ ଘୋରଯୁଦ୍ଧ କରି ॥ ୧୨୭
ମାଇଲେ ଅନେକ ଅସୁର । ଦୁଷ୍ଟଦଳନ ଦାମୋଦର ॥ ୧୨୮
ସେ ହରିପାଦ ଅବିରତେ । ସୁଜନେ ଚିନ୍ତ ଧ୍ୟାନମତେ ॥ ୧୨୯
ଫିଟିବ ଜଡ଼କ ମୋହପାଶ । କହଇ ଜଗନ୍ନାଥ ଦାସ ॥ ୧୩୦
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ଉତ୍ତରାର୍ଦ୍ଧେ ଅଷ୍ଟମହିଷୀ ଉଦ୍ବାହୋ ନାମ
ତ୍ରିଷଷ୍ଟିତମ ଅଧ୍ୟାୟଃ ॥
ଚତୁଃଷଷ୍ଟିତମ ଅଧ୍ୟାୟ
[ସମ୍ପାଦନା]କୃଷ୍ଣସେବକ ଭାଗ୍ୟବନ୍ତ । କୁରୁନନ୍ଦନ ପରୀକ୍ଷିତ ॥ ୧
ବ୍ୟାସ ନନ୍ଦନ ମୁଖ ଚାହିଁ । କହଇ ଶିରେ କରଦେଇ ॥ ୨
- ପରୀକ୍ଷିତ ଉବାଚ
ଭୋ ମୁନି କେମନ୍ତେ ଅନନ୍ତ । ନାରକାସୁର କଲେହତ ॥ ୩
ଆଣିଲେ ଅନେକ ସୁନ୍ଦରୀ । ଦାନବଙ୍କର ପ୍ରାଣ ହରି ॥ ୪
ସାରଙ୍ଗ ଧନୁ ଧରି କର । ମହା ମହିମା ଯୋଗେଶ୍ୱର ॥ ୫
ଅବନୀ ଭାରା ନିବାରଣ । ନିର୍ଗୁଣ ପୁରୁଷ ପୁରାଣ ॥ ୬
କହ କେମନ୍ତେ ନରହରି । କନ୍ୟା ଆଣିଲେ ଶତ୍ରୁ ମାରି ॥ ୭
କେମନ୍ତେ ନାରକା ଅସୁର । ରଣେ ଜିଣିଲା ତିନିପୁର ॥ ୮
କାହୁଁ ଆଣିଲା କନ୍ୟା ହରି । ନିଜ ଭୁବନେ ଥିଲା ଭରି ॥ ୯
ଶୁକ କହନ୍ତି ତାହା ଶୁଣି । କୃଷ୍ଣ-ମହିମା ମନେ ଗୁଣି ॥ ୧୦
- ଶୁକ ଉବାଚ
ଶୁଣ ପରୀକ୍ଷ ମହୀପାଳ । ସ୍ୱର୍ଗଭୁବନୁ ଆଖଣ୍ତଳ ॥ ୧୧
ନାରକାସୁର ଭୟେ ତ୍ରାସି । ଯଦୁନଗରେ ରାତ୍ରେ ପଶି ॥ ୧୨
ମିଳିଲା ଗୋବିନ୍ଦର ପାଶେ । ଏକାନ୍ତେ କହଇ ବିଶ୍ୱାସେ ॥ ୧୩
ଭୋ ନାଥ ଦୁଷ୍ଟ ନିବାରଣ । ଅନାଦି-ପରମ-କାରଣ ॥ ୧୪
ଅଦିତି ମୋହର ଜନନୀ । ସୁପୁଣ୍ୟ-ଦକ୍ଷର ନନ୍ଦିନୀ ॥ ୧୫
ଅମୂଲ୍ୟ-ଦିବ୍ୟ ମଣି ବେନି । କର୍ଣ୍ଣେ କୁଣ୍ତଳ ଥିଲା ଘେନି ॥ ୧୬
ନାରକାସୁର ମୋର ପୁରେ । ପଶିଲା ଯୁଦ୍ଧ-ମହାଘୋରେ ॥ ୧୭
କୁଣ୍ତଳ ମାତା କର୍ଣ୍ଣୁ ନେଲା । ସ୍ୱର୍ଗେ ବରୁଣଛତ୍ର ଥିଲା ॥ ୧୮
ମୋତେ ଘଉଡ଼ି ବାହୁବଳେ । ସର୍ବ ହରିଲା ଅବହେଳେ ॥ ୧୯
ମନ୍ଦରଗିରିଶିଖ ମୂଳେ । ମଣି ପର୍ବତ ନେଲାବେଳେ ॥ ୨୦
ରାଜାଙ୍କ କନ୍ୟା ବିଭା ଛଳେ । ହରି ଆଣିଲା ଭୁଜବଳେ ॥ ୨୧
ପୁରେ ନିବେଶି କନ୍ୟା ବଳେ । ବିଭା ହୋଇବ ଏକାବେଳେ ॥ ୨୨
ତାର ମହିମା ଶୁଣି କର୍ଣ୍ଣେ । ତିନିଭୁବନେ ଯେତେ ଜନେ ॥ ୨୩
ଭୟେ ଚକିତମନେ ଛନ୍ନ । ବଦନୁ ନ ସ୍ପୁରେ ବଚନ ॥ ୨୪
ତାହାର ଡରେ ଦାମୋଦର । ଭାଜିଲା ଅମର-ନଗର ॥ ୨୫
ହରିଲା ମୋର ଅଧିକାର । ଭୋ ନାଥ ଶରଣ ମୁଁ ତୋର ॥ ୨୬
ବାସବ ବାକ୍ୟ ଶୁଣି କର୍ଣ୍ଣେ । ଗୋବିନ୍ଦ ହରଷ, ବଦନେ ॥ ୨୭
ବୋଇଲେ ଯାଅ ନିଜପୁର । ମୁହିଁ କରିବି ପ୍ରତିକାର ॥ ୨୮
କୃଷ୍ଣ ନୋକଟେ ମିଳେ ଆସି । ଗୋବିନ୍ଦ ତାର ସ୍କନ୍ଧେ ବସି ॥ ୨୯
ସତ୍ୟଭାମାର କରଧରି । ଗୋବିନ୍ଦ ଗରୁଡ ସୁମରି ॥ ୩୦
ଧ୍ୟାନେ ଜାଣିଲା ଖଗେଶ୍ୱର । ମିଳିଲା ଦ୍ୱାରକା ନବର ॥ ୩୧
କୃଷ୍ଣ ନିକଟେ ମିଳେ ଆସି । ଗୋବିନ୍ଦ ତାର ସ୍କନ୍ଧେ ବସି ॥ ୩୨
ସତ୍ୟଭାମାକୁ କୋଳେ ଘେନି । ଗୋବିନ୍ଦ କଲେ ଶଙ୍ଖ ଧ୍ୱନି ॥ ୩୩
ଦେଖନ୍ତି ଦଶଦିଗପାଳେ । ଗରୁଡ଼ ଉଡେ଼ ଅନ୍ତରାଳେ ॥ ୩୪
ପ୍ରାଗଜ୍ୟୋତିଷପୁର ନାମେ । ମିଳିଲା ନାରକା-ଭୁବନେ ॥ ୩୫
ଶତେଯୋଜନଦୀର୍ଘ ସ୍ଥଳୀ । ଦେଖି ହରଷ ବନମାଳୀ ॥ ୩୬
ଶୁଣ ରାଜନ ତା ମହିମା । ଦୁର୍ଗମ ଦାନବର ସୀମା ॥ ୩୭
ଗିରିଦୁର୍ଗମ ଚାରିପାଖେ । ବାଣକମାଣ ଶସ୍ତ୍ର ରଖେ ॥ ୩୮
ବାଣ ଅନ୍ତରେ ଜଳଖଣା । ଦେଖିଲେ ଦେବେ ହୋନ୍ତି ବଣା ॥ ୩୯
ଗଭୀର କେ କରୁ ପ୍ରମାଣ । ଘୋର ଗହ୍ନ ଗ୍ରାହଗଣ ॥ ୪୦
ସେ ଦୁର୍ଗ ଅନ୍ତରେ ଅନଳ । ଉଚ୍ଚେ ଜଳଇ ତିନିତାଳ ॥ ୪୧
ଅଗ୍ନି ଅନ୍ତରେ ସମୀରଣ । ପ୍ରଚଣ୍ତେ ବହଇ ପବନ ॥ ୪୨
ରିପୁ ପଡ଼ିଲେ ଯାନ୍ତି ଉଡ଼ି । ମରନ୍ତି ଅଗ୍ନି ଜଳେ ପଡ଼ି ॥ ୪୩
ତାର ଅନ୍ତରେ ମୁରପାଶୀ । ନୀଳଜୀମୂତ ପ୍ରାୟେ ଦିଶି ॥ ୪୪
ଏମନ୍ତ ଗଡ଼ ସେ ଭିଆଇ । ନିଶ୍ଚିନ୍ତେ ମଧ୍ୟେ ଅଛି ରହି ॥ ୪୫
ହେଳେ ଜିଣିଲା ସୁରନର । ଦେଖି ହସନ୍ତି ଚକ୍ରଧର ॥ ୪୬
ଗଦା ପ୍ରହାରେ ଗଦାଧର । ଗିରି ଦୁର୍ଗମ କଲେ ଚୂର ॥ ୪୭
ବାଣକମାଣ ନରହରି । ତୀକ୍ଷ୍ଣ ନାରାଚେ ଚୁର୍ଣ୍ଣ କରି ॥ ୪୮
ଜଳ ଅନଳ ସମୀରଣ । ଚକ୍ରେ ଶୋଷିଲେ ନାରାୟଣ ॥ ୪୯
ଖଡ଼ଗ ଧାରେ ବ୍ରହ୍ମରାଶି । ବେଗେ ଛେଦିଲେ ମୁରପାଶୀ ॥ ୫୦
ଶଙ୍ଖ ଶବଦ କଲେ ହରି । ଶୁଭିଲା ଦଶଦିଗ ପୂରି ॥ ୫୧
ଗିରିଦୁର୍ଗମକୁ ଆବୋରି । ବୀରେ ଯେ ଥିଲେ ଶସ୍ତ୍ର ଧରି ॥ ୫୨
ହୃଦୟ କମ୍ପିଲା ବିକଳେ । ଶସ୍ତ୍ର ପଡ଼ିଲା ହସ୍ତୁ ତଳେ ॥ ୫୩
ଗୋବିନ୍ଦ ବସି ଖଗେଶ୍ୱରେ । ମିଳିଲେ ନାରକାର ଦ୍ୱାରେ ॥ ୫୪
ଶିଳାପାଚେରୀ ଚାରିଦିଗେ । ଦେଖି ଗୋବିନ୍ଦ ଅତିବେଗେ ॥ ୫୫
ଗଦା ପ୍ରହାରେ ଚୂର୍ଣ୍ଣ କରି । ଶବଦେ କମ୍ପେ ବସୁନ୍ଧରୀ ॥ ୫୬
କୃଷ୍ଣର ଶୁଣି ଶଙ୍ଖନାଦ । ଅସୁରେ ମନେ ପାଇ ଖେଦ ॥ ୫୭
ଯୁଗାନ୍ତ ବଜ୍ରପ୍ରାୟ ମଣି । ମୁରଦାନବ ତାହା ଶୁଣି ॥ ୫୮
ଗଭୀର ଜଳେ ଶୋଇଥିଲା । ଖବଦ ଶୁଣି ବିଜେ କଲା ॥ ୫୯
ପର୍ବତ ପ୍ରାୟ ପଞ୍ଚଶିର । ନିଦ୍ରା ବିଯୋଗ ମହାବୀର ॥ ୬୦
ତ୍ରିଶୂଳ ଅଛି ତାର କରେ । କିବା ଉପମା ଦେବା ତାରେ ॥ ୬୧
ପ୍ରଳୟକାଳେ ଦିବାକର । ପ୍ରଚଣ୍ତ ଜ୍ୟୋତି ପରଖର ॥ ୬୨
ତେମନ୍ତ ପ୍ରାୟ ଶୂଳ ଦିଶି । ଧାଇଁଲା ତ୍ରିଭୁବନ ତ୍ରାସି ॥ ୬୩
ଗିଳିବା ପ୍ରାୟ ପଞ୍ଚଭୂତ । ପଞ୍ଚବଦନ ବିସ୍ତାରିତ ॥ ୬୪
କୃଷ୍ଣ ଦେଖନ୍ତି ତାର ବେଗ । ଗରୁଡ଼ ମୁଖେ ଯେହ୍ନେ ନାଗ ॥ ୬୫
ଧାମଇଁ ମରଣ ନ ଜାଣି । ଦେଖି ହସନ୍ତି ଚକ୍ରପାଣି ॥ ୬୬
ତ୍ରିଶୂଳ ଅତି ଘେନି ଅତି ବେଗେ । ପିଟିଲା ଗରୁଡର ଅଙ୍ଗେ ॥ ୬୭
ଶବଦ କଲା ପଞ୍ଚତୁଣ୍ତ । ପୂରିଲା ଅଖିଳ ବ୍ରହ୍ମାଣ୍ତ ॥ ୬୮
ତ୍ରିଶୂଳ ଦେଖି ନାରାୟଣ । ବେଗେ ବିନିଧିଲେ ବେନି ବାଣ ॥ ୬୯
ତକ୍ଷଣେ ତିନିଖଣ୍ତ କରି । ଶୂଳ କାଟିଲେ ନରହରି ॥ ୭୦
କୃଷ୍ଣ ବିନ୍ଧିଲେ ତୀକ୍ଷ୍ଣ ବାଣ । ଅସୁର କୋପେ ଗରୁଟାଣ ॥ ୭୧
ଗଦାଏ ଥିଲା ବାମ କରେ । ପିଟିଲା ଗୋବିନ୍ଦ ଉପରେ ॥ ୭୨
ତକ୍ଷଣେ ମଦନଗୋପାଳ । ଗଦାକୁ ଗଦା ପରିତାଳ ॥ ୭୩
ଦାନବ ଗଦା ଚୂର୍ଣ୍ଣକରି । ଶଙ୍ଖେ ଶବଦ କଲେ ହରି ॥ ୭୪
ନିରସ୍ତ୍ର ହୋଇ ସେ ଦନୁଜ । ବେଗେ ତୋଳିଲା ବେନି ଭୁଜ ॥ ୭୫
ଧାମଇଁ ଘୋର ନାଦ କରି । ପାଦେ କମ୍ପଇ ବସନ୍ଧରୀ ॥ ୭୬
ସ୍ୱର୍ଗେ ଦେଖନ୍ତି ଦେବେ ମିଳି । ଚକ୍ର ପେଶିଲେ ବନମାଳୀ ॥ ୭୭
ତକ୍ଷଣେ ହୋଇ ବେନିଖଣ୍ତ । ଜଳେ ପଡ଼ିଲା ମୃତପିଣ୍ତ ॥ ୭୮
ବାସବ-ବଜ୍ରେ ହୋଇ ଭଙ୍ଗ । ଯେହ୍ନେ ପଡ଼ଇ ଗିରିଶୃଙ୍ଗ ॥ ୭୯
ସପ୍ତ କୁମର ତାର ଥିଲେ । ପିତାର ମରଣ ଜାଣିଲେ ॥ ୮୦
ପିତୃ-ବଇରୀ ମାରିବାରେ । ଧାଇଁଲେ ପବନହୁଁ ଖରେ ॥ ୮୧
ଅତି ଗହ୍ନ ଘୋରତମ । ଶୁଣ ହୋ ତାହାଙ୍କର ନାମ ॥ ୮୨
ତାମ୍ର ଅନ୍ତରୀକ୍ଷ ଶ୍ରବଣ । ଚତୁର୍ଥ ବିଭାବସୁ ଜାଣ ॥ ୮୩
ପଞ୍ଚମ ବସୁ ମହାବୀର । ଷଷ୍ଠରେ ନବସ୍ୱାନ ଶୂର ॥ ୮୪
ପୁଣ ଅରୁଣ ନାମେ ବୀର । ଏମନ୍ତେ ଧାଇଁଲେ ଅସୁର ॥ ୮୫
ବିବିଧ ଶସ୍ତ୍ର କରେ ଘେନି । ସାଜିଲେ ନାରକା ସଇନି ॥ ୮୬
ଯୂଥପତିଙ୍କି କରି ଆଗେ । ନାରକା ସୈନ୍ୟ ବେନିଭାଗେ ॥ ୮୭
ଆବୋରି ଧାଇଁଲା ସମରେ । ଭୂମି କମ୍ପାଇ ପାଦଭରେ ॥ ୮୮
ବାଣ ଖଡ଼ଗ ଗଦା ଋଷ୍ଟି । ଶୂଳ ତୋମର ଲୌହଯଷ୍ଟି ॥ ୮୯
ରବିକିରଣ ପ୍ରାୟ ଦିଶି । ଭୂମି ଗଗନେ ତେଜ ଗ୍ରାସି ॥ ୯୦
ଶର ବରଷା ମେଘପ୍ରାୟେ । ବିନ୍ଧିଲେ ଗୋବିନ୍ଦର ଦେହେ ॥ ୯୧
ଦେଖି କେଶବ ଅତି ଖରେ । ସାରଙ୍ଗଧନୁ ଧରି କରେ ॥ ୯୨
କୃଷ୍ଣ ବିନ୍ଧିଲେ ପୁଣପୁଣ । ଅନଳପ୍ରାୟ ତୀକ୍ଷ୍ଣ ବାଣ ॥ ୯୩
ଅସୁରଙ୍କର ଶସ୍ତ୍ର ନାଶେ । ରବି ଯେସନେ ତମ ଗ୍ରାସେ ॥ ୯୪
ତିଳପ୍ରମାଣେ ଶସ୍ତ୍ର କାଟି । ଗୋବିନ୍ଦ କଲେ ଶର ବୃଷ୍ଟି ॥ ୯୫
ଅସୁରଙ୍କର ସେହ୍ନାଫୁଟି । ଭୁଜ ଚରଣ ଶିର ତୁଟି ॥ ୯୬
ତକ୍ଷଣେ ପଡ଼ିଲେ ସକଳେ । ମେଦିନୀ ନ ଦିଶେ ଗହଳେ ॥ ୯୭
କୃଷ୍ଣର ବାଣ ତୀକ୍ଷ୍ଣ ଫଳ । ଧ୍ୱଂସିଲା ଚତୁରଙ୍ଗ ବଳ ॥ ୯୮
ନାରକାସୁର ତାହା ଦେଖି । ଧାଇଁଲା ଭୁବନ ଉପେକ୍ଷି ॥ ୯୯
ଷଷ୍ଟିସହସ୍ର ଗଜୟୂଥ । ଜଳଧି ମନ୍ଥନୁଁ ସମ୍ଭୂତ ॥ ୧୦୦
ବରଷା ପ୍ରାୟ ମଦଗଳି । ଦିଶନ୍ତି କରୀବରେ ଝଳି ॥ ୧୦୧
ଅଙ୍କୁଶ ମାହୁନ୍ତଙ୍କ କରେ । ଝଲକେ ରବି ପଟାନ୍ତରେ ॥ ୧୦୨
ନାରକାସୁର ଗଜ ମଧ୍ୟେ । ବେଗେ ମିଳିଲା ଘୋରନାଦେ ॥ ୧୦୩
ଉଚ୍ଚ କୁଞ୍ଜରେ ଭୂମିସୁତ । ନୟନେ ଦେଖିଲା ଅନନ୍ତ ॥ ୧୦୪
ସୁବର୍ଣ୍ଣ ପ୍ରାୟ ପକ୍ଷୀରାଜ । ଶୂନ୍ୟେ ଉଡ଼ଇ ମହାତେଜ ॥ ୧୦୫
ତାହାର ପୃଷ୍ଠେ ନରହରି । ସତ୍ୟଭାମାକୁ କୋଳେ ଧରି ॥ ୧୦୬
ଉର୍ଦ୍ଧ୍ୱେ ତୋଳିଣ ଭୁଜଚାରି । ଶଙ୍ଖ କୋଦଣ୍ତ ଗଦାଧରି ॥ ୧୦୭
ଦକ୍ଷିଣ କରେ ଚକ୍ର ସାଜେ । କୋଟି ଆଦିତ୍ୟ ତେଜ ଗଞ୍ଜେ ॥ ୧୦୮
ବନମାଳାଏ ଲମ୍ବେ ଉରେ । କିବା ଉପମା ଦେବା ତାରେ ॥ ୧୦୯
ନୀଳଜୀମୂତ ଶୂନ୍ୟେ ମିଳି । ଯେସନେ ପ୍ରକାଶେ ବିଜୁଳି ॥ ୧୧୦
ରବି ଯେସନେ ତେଜ ବହି । ଗଗନମଧ୍ୟେ ବିରାଜଇ ॥ ୧୧୧
ଏମନ୍ତ କୃଷ୍ଣରୂପ ଚାହିଁ । ନାରକାସୁର କୋପ ବହି ॥ ୧୧୨
ଶକ୍ତିଏ ଥିଲା କରେ ଘେନି । ନାମ ତାହାର ଶତଘନି ॥ ୧୧୩
ପ୍ରହାର କରି ଅବିରତ । ରିପୁ ମାଇଲା ଶତଶତ ॥ ୧୧୪
କୃଷ୍ଣ ଉପରେ ପ୍ରହାରିଲା । ପ୍ରତାପେ ଘୋରନାଦ କଲା ॥ ୧୧୫
ଯେତେ ମାହୁନ୍ତ ସଙ୍ଗେ ଥିଲେ । କୃଷ୍ଣଙ୍କୁ ଶକ୍ତି ପ୍ରହାରିଲେ ॥ ୧୧୬
ଶକ୍ତି ପଡ଼ନ୍ତେ କୃଷ୍ଣ ଚାହିଁ । ନାରାଚ ଗୁଣରେ ବସାଇ ॥ ୧୧୭
ନିରତେ ବିନ୍ଧି ତୀକ୍ଷ୍ଣ ଶର । ଶକ୍ତି ସମୂହ କଲେ ଚୂର ॥ ୧୧୮
ନାରକା-ସୈନ୍ୟଙ୍କୁ ଅନାଇଁ । ନାରାଚ ଘେନି ଭାବଗ୍ରାହୀ ॥ ୧୧୯
ବଜ୍ରଶବଦ ପ୍ରାୟ ବାଣ । କୃଷ୍ଣ ବିନ୍ଧିଲେ ପୁଣପୁଣ ॥ ୧୨୦
ସୈନ୍ୟ ପଡ଼ିଲେ ମହୀଲୋଟି । ଜାନୁ ହୃଦୟ ଶିରଫୁଟି ॥ ୧୨୧
ଅଶ୍ୱ କୁଞ୍ଜର ରଥ ଯେତେ । ଛିଡ଼ି ପଡ଼ିଲେ ଭୂମିଗତେ ॥ ୧୨୨
ଶସ୍ତ୍ର ସହିତେ ରିପୁ-ପିଣ୍ତ । ଛିଡ଼ି ପଡ଼ିଲେ ଖଣ୍ତଖଣ୍ତ ॥ ୧୨୩
ଗରୁଡ଼ ନଖ ଚଞ୍ଚୁଘାତେ । ଗଜ ପଡ଼ିଲେ ୟୂଥେ ଯୂଥେ ॥ ୧୨୪
କେତେ ପକାଇ ପୁରେ ପଶି । ଥୋକାଏ ଜଳେ ପଡ଼ି ଭାସି ॥ ୧୨୫
ଯୁଦ୍ଧ କରଇ ମହୀସୁତ । କୁଞ୍ଜରେ ହୋଇଲେ ଅନାଥ ॥ ୧୨୬
ଗରୁଡ଼ବାେତେ ସୈନ୍ୟଗଲା । ଦେଖି ନାରକା କୋପକଲା ॥ ୧୨୭
ପୁଣ ଶକ୍ତିଏ କରେ ଧରି । ଯେହ୍ନେ କୁଞ୍ଜର ଦେହେ ମାରି ॥ ୧୨୮
ବଜ୍ର ଭାଙ୍ଗଇ ଯାର ଘାଏ । ପିଟିଲା ଗରୁଡ଼ର ଦେହେ ॥ ୧୨୯
ଶକ୍ତି ପ୍ରହାରେ କୋପମନ । ଗରୁଡ ନିଶ୍ଚଳ ଆସନ ॥ ୧୩୦
ଫୁଲପେଣ୍ତାଏ କରେ ଧରି । ଯେହ୍ନେ କୁଞ୍ଜର ଦେହେ ମାରି ॥ ୧୩୧
ଶକ୍ତି ଗରୁଡ଼ ଦେହେ ବାଜି । ପଡ଼ିଲା ଭୂମିଗତେ ଭାଜି ॥ ୧୩୨
ତ୍ରିଶୂଳ ଘେନି ଭୂମିସୁତ । ମିଳିଲା କୃଷ୍ଣର ଅଗ୍ରତ ॥ ୧୩୩
ନିଷ୍ପଳ ଉଦ୍ୟମ ତାହାର । ଯୁଦ୍ଧ ଦେଖନ୍ତି ସୁରନର ॥ ୧୩୪
ତ୍ରିଶୂଳ ଦେଖି କରେ ତାର । ଚକ୍ର ପେଷିଲେ ଚକ୍ରଧର ॥ ୧୩୫
ଗଜ ଉପରେ ବସିଥିଲା । ସୁନ୍ଦର ଧରଣୀର ବଳା ॥ ୧୩୬
ଅମୂଲ୍ୟ କିରୀଟ ବିରାଜେ । କର୍ଣ୍ଣେ କୁଣ୍ତଳ ବେନି ସାଜେ ॥ ୧୩୭
ଛିଡ଼ି ପଡ଼ିଲା କନ୍ଧୁଁ ଶିର । ଅବନୀ ଦିଶିଲା ସୁନ୍ଦର ॥ ୧୩୮
ହା ହା ଶବଦ ଅତିଘୋର । ଶୁଭିଲା ନାରକାନବର ॥ ୧୩୯
ଦେବସମୂହେ ବ୍ରହ୍ମଋଷି । ସ୍ୱଗ୍ରେ ଯେ ଦେଖୁଥିଲେ ବସି ॥ ୧୪୦
ଜୟ ଶବଦ ଉଚ୍ଚସ୍ୱରେ । ପୁଷ୍ପ ବର୍ଷିଲେ କୃଷ୍ଣଶିରେ ॥ ୧୪୧
ଭୂମି ନାରକାପୁରେ ଥିଲା । ପୁତ୍ରର ମରଣ ଶୁଣିଲା ॥ ୧୪୨
ଭୂମି ନାରକାପୁରେ ଥିଲା । ପୁତ୍ରର ମରଣ ଶୁଣିଲା ॥ ୧୪୩
ହିରଣ୍ୟମୟ ରତ୍ନମାଳା । ଘେନିଣ ଅଦିତି କୁଣ୍ତଳ ॥ ୧୪୪
ବରୁଣଛତ୍ର ମଣିଗିରି । ବନମାଳାଏ କରେ ଧରି ॥ ୧୪୫
କୃଷ୍ଣ ସମୀପେ ନେଇ ଦେଲା । ଅଭୟଚରଣେ ପୂଜିଲା ॥ ୧୪୬
ଭୁଜଯୁଗଳ ଦେଇ ଶିରେ । ସ୍ତୁତି କରଇ ଶୋକଭରେ ॥ ୧୪୭
- ଭୂମି ଉବାଚ
ଭୂମି ବୋଲଇ ଯୋଡ଼ିକର । ତୁ ନାଥ ଦେବଙ୍କର ବର ॥ ୧୪୮
ଶଙ୍ଖ କମଳ ଗଦା ହସ୍ତେ । ଦେବାଧିଦେବ ନମୋସ୍ତୁତେ ॥ ୧୪୯
ଯେ ତୋତେ ଯେମନ୍ତ ଭଜଇ । ସେ ଅନୁରୂପେ ତୋତେ ପାଇ ॥ ୧୫୦
ପରମଆତ୍ମା ଆଦିମୂଳ । ନମସ୍ତେ ପରମମଙ୍ଗଳ ॥ ୧୫୧
ପଙ୍କଜନାଭ ପଦ୍ମମାଳୀ । ପଦ୍ମଲୋଚନ ତୋତେ ବୋଲି ॥ ୧୫୨
ପଙ୍ଗଜନିଧି ତୋ ପୟର । ଭୋ ନାଥ ଶରଣ ମୁଁ ତୋର ॥ ୧୫୩
ନମସ୍ତେ ପ୍ରଭୁ ଭଗବାନ । ବିଷ୍ଣୁ ବାସୁଦେବ ତୋ ନାମ ॥ ୧୫୪
ଆଦିପୁରୁଷ ବୀଜଆଦି । ସମ୍ପୂର୍ଣ୍ଣ ଜ୍ଞାନ ତୋ ପ୍ରସିଦ୍ଧି ॥ ୧୫୫
ଜଗତଜନ୍ମ କରୁ ତୁହି । ଜନ୍ମମରଣ ତୋର ନାହିଁ ॥ ୧୫୬
ବ୍ରହ୍ମଣ୍ୟରୂପୀ ନମୋନମ । ଅନନ୍ତଶକ୍ତି ଅନୁପମ ॥ ୧୫୭
ପରଅପର ଭୂତଆତ୍ମା । ପରମାନନ୍ଦ ତୋ ମହିମା ॥ ୧୫୮
ଏ ସୃଷ୍ଟି ଉପୁଜିବା କାଳେ । ତୁ ରଜ ଗୁଣ ଧରୁ ହେଳେ ॥ ୧୫୯
ନିରୋଧକାଳେ ତମଗୁଣ । ଆନନ୍ଦେ ବହୁ ନାରାୟଣ ॥ ୧୬୦
ସୃଷ୍ଟିପାଳନେ ଧର୍ମରୂପେ । ସତ୍ତ୍ୱଗୁଣକୁ ଭଜୁ ଆପେ ॥ ୧୬୧
ପ୍ରଧାନପୁରୁଷ ତୁ କାଳ । ନିର୍ଗୁଣ ଆତ୍ମା ନନ୍ଦବାଳ ॥ ୧୬୨
ମୋ ଆଦି ସଲିଳ ଅନଳ । ପବନ ଆକାଶମଣ୍ତଳ ॥ ୧୬୩
ଶଦ୍ଦ ସ୍ପରଶ ରୂପ ରସ । ଗନ୍ଧ ଇନ୍ଦ୍ରିୟ ଏକାଦଶ ॥ ୧୬୪
ଲୋକପାଳକ ଦେବଗଣ । ତୁ ଆଦି ପରମ କାରଣ ॥ ୧୬୫
ତୁ ଅହଙ୍କାର ଭୂତ ଆଦି । ସଚରାଚର ପରସିଦ୍ଧି ॥ ୧୬୬
ଏ ମାୟା ତୋର ଦେହୁଁ ଭ୍ରମ । ତୁ ଏକ ବିଭୁ ପରଂବ୍ରହ୍ମ ॥ ୧୬୭
ତୁ ମୋର ନାଶିଲୁ ତନୁଜ । ଯେ ତୋର ପୁତ୍ର ଦେବରାଜ ॥ ୧୬୮
ଏହାର ପୁତ୍ର ଅଛି ଏକ । ଭୋ ନାଥ ହୋଇଲା ନିରେଖ ॥ ୧୬୯
ତୋ ପାଦପଦ୍ମେ ଅଛି ଶୋଇ । ଭୁଜଯୁଗଳ ଶିରେ ଦେଇ ॥ ୧୭୦
ଏହାକୁ ରଖ ଜଗନ୍ନାଥ । ଶିରେ ନିବେଶି ପଦ୍ମହସ୍ତ ॥ ୧୭୧
- ଶୁକ ଉବାଚ
ଶୁକ କହନ୍ତି ରାଜା ଚାହିଁ । ଭୂମି-ବଚନେ ଭାବଗ୍ରାହୀ ॥ ୧୭୨
ନାରକାପୁତ୍ରକୁ ତୋଳିଲେ । ଅଭୟହସ୍ତ ଶିରେ ଦେଲେ ॥ ୧୭୩
ବାଳକ ଘେନି ବ୍ରହ୍ମରାଶି । ନାରକାପୁର ମଧ୍ୟେ ପଶି ॥ ୧୭୪
ରାଜା କରାଇ ଯଦୁନାଥ । ନାମ ତୋ ଦେଲେ ଭଗଦତ୍ତ ॥ ୧୭୫
ତକ୍ଷଣେ ଅନ୍ତଃପୁରେ ପଶି । ସେବକଜନଙ୍କୁ ଆଶ୍ୱାସି ॥ ୧୭୬
ଦେଖିଲେ ରାଜକନ୍ୟାୟୂଥ । ଷୋଳସହସ୍ର ଏକଶତ ॥ ୧୭୭
କୃଷ୍ଣଙ୍କୁ ଦେଖି ସର୍ବନାରୀ । ଏକୁ ଆରେକ ଆଗସରି ॥ ୧୭୮
ଚର୍ମଲୋଚନେ କୃଷ୍ଣ ଦେଖି । ପିଛାଡ଼ି ନ ପାରନ୍ତି ଆଖି ॥ ୧୭୯
ଚଞ୍ଚଳଚିତ୍ତ କାମବାଣେ । ଚଳି ନ ପାରନ୍ତି ଚରଣେ ॥ ୧୮୦
ନିଶ୍ଚଳେ ଚାହାଁନ୍ତି ଯୁବତୀ । ଦଇବ ମିଳାଇଲା ପତି ॥ ୧୮୧
ବୋଲନ୍ତି କୃଷ୍ଣ ସ୍ୱାମୀ ହେଉ । ବିଧାତା ଏହି ବର ଦେଉ ॥ ୧୮୨
ଏମନ୍ତ କୃଷ୍ଣଭାବ ସଧେ । ବରିଲେ ହୃଦୟର ମଧ୍ୟେ ॥ ୧୮୩
ଗୋବନ୍ଦ ଜାଣି ତାଙ୍କ ମନ । ଆନନ୍ଦେ ହୋଇଲେ ପ୍ରସନ୍ନ ॥ ୧୮୪
ଷୋଳସହସ୍ର ଶତେବାଳୀ । ଲଭିଲେ ପ୍ରଭୁ ବନମାଳୀ ॥ ୧୮୫
କନ୍ୟା ସହିତେ ଭଗବାନ । ନରକୁଞ୍ଜର ଯେତେ ଧନ ॥ ୧୮୬
ଅଶ୍ୱ ଗୋଧନ ଧନରାଶି । ଦ୍ୱାରକାପୁରେ ତାହା ପେଶି ॥ ୧୮୭
ନାରକା ଅସୁରର ପୁର । ଥିଲେ ଯେ ଅନେକ କୁଞ୍ଜର ॥ ୧୮୮
ଅଇରାବତ କୁଳେ ଜାତ । ସ୍ୱଭାବେ ଚାରି ଚାରି ଦାନ୍ତ ॥ ୧୮୯
ମଦ ଗଳଇ କର୍ଣ୍ଣପାଟି । ଏମନ୍ତେ ନେଲେ ଚଉଷଠି ॥ ୧୯୦
ଗମନେ ଅତି ବଳୀୟାର । ସ୍ୱଭାବେ ଦିଶନ୍ତି ପାଣ୍ତୁର ॥ ୧୯୧
ତାହାଙ୍କୁ ଦେବକୀନନ୍ଦନ । ଚଳାଇ ଦ୍ୱାରକାଭୁବନ ॥ ୧୯୨
ଗରୁଡେ଼ ବସି ଦାମୋଦର । ତକ୍ଷଣେ ଗଲେ ସ୍ୱର୍ଗପୁରେ ॥ ୧୯୩
ଅଦିତି ହସ୍ତେ ଭାବଗ୍ରାହୀ । ରତ୍ନକୁଣ୍ତଳ ଦେଲେ ନେଇ ॥ ୧୯୪
ଦେଖି ଅଦିତି ତୋଷ ହୋଇ । କୃଷ୍ଣଙ୍କୁ ଆସନେ ବସାଇ ॥ ୧୯୫
ଶଚୀ ସହିତେ ସୁରରାୟେ । ପୂଜିଲେ ଗୋବିନ୍ଦର ପାୟେ ॥ ୧୯୬
ଗୋବିନ୍ଦ ସମୀପେ ଅଦିତି । ଅନେକ କଲା ଦିବ୍ୟସ୍ତୁତି ॥ ୧୯୭
ସନ୍ତୋଷେ ପ୍ରଭୁ ଦେବରାୟେ । ମେଲାଣି ମାଗି ମାତା ପୋଏ ॥ ୧୯୮
ସନ୍ତୋଷ କରି ଦେବବୃନ୍ଦ । ଦ୍ୱାରକା ଗମନେ ଆନନ୍ଦ ॥ ୧୯୯
ସଙ୍ଗେ ସୁନ୍ଦରୀ ସତ୍ୟବତୀ । ବୋଲନ୍ତି ଶୁଣ ଯଦୁପତି ॥ ୨୦୦
ଦେଖ ସୁନ୍ଦର ପାରିଜାତ । ଗନ୍ଧେ ଲୋଭିତ ମୋର ଚିତ୍ତ ॥ ୨୦୧
ସିନ୍ଧୁମନ୍ଥନୁଁ ଏ ପ୍ରକାଶେ । ଶୁଦ୍ଧ ସୁବର୍ଣ୍ଣ ପ୍ରାୟ ଦିଶେ ॥ ୨୦୨
ଏ ବୃକ୍ଷ ନରଲୋକେ ନାହିଁ । ମୋର ମନ୍ଦିରେ ନେବି ମୁହିଁ ॥ ୨୦୩
ଭୋ ନାଥ ଘେନ ପାରିଜାତ । ଭାମାବଚନେ ଗୋପୀନାଥ ॥ ୨୦୪
ବୃକ୍ଷ ଉପାଡ଼ି ବାମକରେ । ଥୋଇଲେ ଗରୁଡ଼ ଉପରେ ॥ ୨୦୫
ବନରକ୍ଷକ ଯେତେ ଥିଲେ । ଗୋବିନ୍ଦ ସଙ୍ଗେ ଯୁଦ୍ଧ କଲେ ॥ ୨୦୬
ବାସବ ଆଦି ଦିଗପାଳ । ଆବୋରି ଆକାଶମଣ୍ତଳ ॥ ୨୦୭
କୃଷ୍ଣର ତୁଲେ କଲେ ରଣ । ଜ୍ଞାନ ବିନାଶି ଦେବଗଣ ॥ ୨୦୮
ବିଷ୍ଣୁମାୟାରେ ଭୋଳ ହୋଇ । ଅଜ୍ଞାନେ ତମଗୁଣ ବହି ॥ ୨୦୯
ଯାହାର ପଦ୍ମପାଦେ ନିତି । ମୁକୁଟଶିରେ ସେ ନମନ୍ତି ॥ ୨୧୦
ସେ ହରି ମହିମା ନ ଜାଣି । ମନୁଷ୍ୟ ପ୍ରାୟ ତାଙ୍କୁ ମଣି ॥ ୨୧୧
ଏ ଅପରାଧ ତାହାଙ୍କର । ଏବେ ହୋ ଶୁଣ ନୃପବର ॥ ୨୧୨
ଦେବଙ୍କ ଗର୍ବ ହେଳେ ନାଶି । ଦ୍ୱାରକା ବିଜେ ବ୍ରହ୍ମରାଶି ॥ ୨୧୩
ସତ୍ୟଭାମାର ପୁରେ ଆଣି । ଆନନ୍ଦେ ପ୍ରଭୁ ଚକ୍ରପାଣି ॥ ୨୧୪
ରୋପିଲେ ପାରିଜାତ ବନ । ଗନ୍ଧେ ମୋହିତ ସର୍ବଜନ ॥ ୨୧୫
ଯାହାର ଛାୟା ଲାଗି ଦେହେ । ବୃଦ୍ଧେ ଦିଶନ୍ତି ଯୁବାପ୍ରାୟେ ॥ ୨୧୬
କଳ୍ପବୃକ୍ଷର ଗୁଣ ଯେତେ । କହି ପାରିବି ମୁହିଁ କେତେ ॥ ୨୧୭
ଏବେ ହୋ ଶୁଣ କୁରୁବୀର । ଦ୍ୱାରକାପୁରେ ଦାମୋଦର ॥ ୨୧୮
ନାରକାପୁରୁ କନ୍ୟା ଆଣି । ଏକଇ ଲଗ୍ନେ ଚକ୍ରପାଣି ॥ ୨୧୯
ବିଭା ହୋଇଲେ ବିଧିମତେ । ଶୁଣ କହୁଛି ମୁହିଁ କେତେ ॥ ୨୨୦
ନାନା ଭୁବନେ କନ୍ୟା ଥୋଇ । ସୁଖେ ରମିଲେ ଭାବଗ୍ରାହୀ ॥ ୨୨୧
କନ୍ୟାଙ୍କ ପୁରୁ ଯଦୁବୀର । ଦଣ୍ତେ ହେଁ ନୁହନ୍ତି ବାହାର ॥ ୨୨୨
ତ୍ରିଗୁଣ ହୋଏ ଯହିଁ ଲୀନ । ନାମ ଯାହାର ନିରଞ୍ଜନ ॥ ୨୨୩
ଇତରଜନ ପ୍ରାୟ ହୋଇ । ଯୁବତୀଗଣ ମଧ୍ୟେ ରହି ॥ ୨୨୪
ରମିଲେ ବ୍ରହ୍ମାଣ୍ତଠାକୁର । ଶୁଣ ମହିମା ନାରୀଙ୍କର ॥ ୨୨୫
କିବା ସ୍ତିରୀଙ୍କ ଭାଗ୍ୟ କହି । ରମାରମଣ ସ୍ୱାମୀ ପାଇ ॥ ୨୨୬
ସଲ୍ଲଜ ହାସ କ୍ରୀଡ଼ାରଙ୍ଗେ । ନିତ୍ୟେ ରମନ୍ତି କୃଷ୍ଣସଙ୍ଗେ ॥ ୨୨୭
କୃଷ୍ଣ ଆଗମ ଦେଖି ଉଠି । କେତେ ହେଁ ଦୂରରୁ ପାଛୋଟି ॥ ୨୨୮
ଆଣନ୍ତି ହସ୍ତେ ହସ୍ତ ଦେଇ । ସୁଗନ୍ଧଜଳେ ପାଦ ଧୋଇ ॥ ୨୨୯
ବସାଇ ଉତ୍ତମ ଆସନେ । ପୂଜନ୍ତି ସ୍ୱାମୀ ସୁବିଧାନେ ॥ ୨୩୦
ଅନ୍ନଭୋଜନ ଜଳପାନେ । ଖଟନ୍ତି ତାମ୍ବୁଳ ଯୋଗାଣେ ॥ ୨୩୧
କେଶ ପ୍ରସାଧନ ରଞ୍ଜନ । ଯେ ବିଧି ସ୍ୱାମୀ ସେବାମାନ ॥ ୨୩୨
ବ୍ରହ୍ମାଦି ମୁନି ଯାର ପଥେ । ବିବେକୀ ନୋହିଲେ ସମର୍ଥେ ॥ ୨୩୨
ବ୍ରହ୍ମାଦି ମୁନି ଯାର ପଥେ । ବିବେକୀ ନୋହିଲେ ସମର୍ଥେ ॥ ୨୩୩
ହରିଙ୍କ ସଙ୍ଗେ ସେ କାମିନୀ । ରମିଲେ ନାନାଭାବ ଘେନି ॥ ୨୩୪
ରାତ୍ରଦିବସ ନ ଜାଣିଲେ । କୃଷ୍ଣଙ୍କୁ ପ୍ରେମେ ମୁଗ୍ଧ କଲେ ॥ ୨୩୫
ଦାସୀ ସହସ୍ରେ ଘେନି ସଙ୍ଗେ । ସେବନ୍ତି କୃଷ୍ଣପାଦଯୁଗେ ॥ ୨୩୬
ସେ ମାୟାଧର ପାଦଗତେ । ସୁଜନେ ଚିନ୍ତ ଅବିରତେ ॥ ୨୩୭
ଖଣ୍ତିବ ମାୟାମୋହପାଶ । କହଇ ଜଗନ୍ନାଥ ଦାସ ॥ ୨୩୮
ଇତି ଶ୍ରୀମଦ୍ଭାଗବତ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ଉତ୍ତରାର୍ଦ୍ଧେ ପାରିଜାତ ହରଣ ନରକବଧୋ ନାମ
ଚତୁଃଷଷ୍ଟିତମ ଅଧ୍ୟାୟଃ ॥
ପଞ୍ଚଷଷ୍ଟିତମ ଅଧ୍ୟାୟ
[ସମ୍ପାଦନା]ବିରାଟସୁତାସୁତ ପାଶେ । ଗୋବିନ୍ଦ ଭକତି ବିଶ୍ୱାସେ ॥ ୧
ବ୍ୟାସକୁମର ତତ୍ତ୍ୱଜ୍ଞାନୀ । କହନ୍ତି କୃଷ୍ଣଭାବ ଘେନି ॥ ୨
- ଶୁକ ଉବାଚ
ଏବେ ହୋ ଶୁଣ ନରନାଥ । କୃଷ୍ଣଚରିତ ଭାଗବତ ॥ ୩
ଦ୍ୱାରକାପୁରେ ଏକଦିନେ । ରୁକ୍ମିଣୀ ଏକାନ୍ତଭୁବନେ ॥ ୪
ଯେ ହରି ତ୍ରିଗୁଣ ଅତୀତ । ପଲ୍ୟଙ୍କ ମଧ୍ୟେ ଉପଗତ ॥ ୫
ଯେ ବିଶ୍ୱମାୟା ଲୀଳା କରି । ସର୍ଜଇ ପାଳଇ ସଂହରି ॥ ୬
ସ୍ୱଧର୍ମ ପାଳିବାର ଆଶେ । ଯାହାର ଜନ୍ମ ଯଦୁବଂଶେ ॥ ୭
ତାର ନିକଟେ ଭାବ ଘେନି । ମିଳିଲେ ଭୀଷ୍ମକ ନନ୍ଦିନୀ ॥ ୮
ଦିବ୍ୟ ଆଲଟ କରେ ଧରି । ସଙ୍ଗେ ଅଛନ୍ତି ପରିବାରୀ ॥ ୯
କୃଷ୍ଣ ଅଛନ୍ତି ଯେ ଭୁବନେ । କି ପଟାନ୍ତର ଦେବା ଅନ୍ୟେ ॥ ୧୦
ଉପରେ ଚନ୍ଦ୍ରାତପ ଟାଣି । ମୁକୁତାଦାମେ ସୁଖଞ୍ଜଣି ॥ ୧୧
ରତ୍ନପ୍ରଦୀପ ଚାରିଦିଗେ । ମଲ୍ଲିକାମାଳା ତଥି ଲାଗେ ॥ ୧୨
ମଧୁପେ ମକରନ୍ଦ ଆଶେ । ନାବେ ଉଡ଼ନ୍ତି ପୁଷ୍ପବାସେ ॥ ୧୩
ଜଳାକବାଟି ବାଟେ ଯାଇ । ଚନ୍ଦ୍ରକିରଣ ପ୍ରକାଶଇ ॥ ୧୪
ଆବୋରି ପାରିଜାତ ବନ । ସୁଗନ୍ଧ ବହଇ ପବନ ॥ ୧୫
ଅଗୁରୁ ଧୂପ ଜଳାରନ୍ଧ୍ରେ । ପ୍ରସରେ ଦଶଦିଗ ଗନ୍ଧେ ॥ ୧୬
ସୁନ୍ଦର ପାଟବସ୍ତ୍ରମାନ । ନିର୍ମଳ ଅତ୍ୟନ୍ତ ଯତନ ॥ ୧୭
ଶୁଭ୍ର ସୁଝୀନ ପାଟବସ୍ତ୍ରେ । ଶଯ୍ୟା ନିର୍ମିତ ହସ୍ତୀଦନ୍ତେ ॥ ୧୮
ପୁଷ୍ପପାଖୁଡ଼ା ସଙ୍ଗେ ମିଶି । ଗୋରସଫେନ ପ୍ରାୟ ଦିଶି ॥ ୧୯
ସଖୀର କନ୍ଧେ ହସ୍ତ ଦେଇ । ଶୁଭ୍ର ଚାମର କରେ ଲଇ ॥ ୨୦
ଯେ ହରି ଜଗତର ଗତି । ରୁକ୍ମିଣୀଦେବୀ ନିଜ ପତି ॥ ୨୧
ଚାମର ବିଞ୍ଚି କରେ ସେବା । ଯାହା ନ ପାନ୍ତି ସୁରଦେବା ॥ ୨୨
ନିର୍ମଳ ନାନା ରତ୍ନପନ୍ତି । ରୁକ୍ମିଣୀ ଅଙ୍ଗେ ଝଟକନ୍ତି ॥ ୨୩
ସଖୀର କନ୍ଧେ ବାମକର । ଦକ୍ଷିଣେ ଜାଳଇ ଚାମର ॥ ୨୪
ବତ୍ସଜଡ଼ିତ ହୃଦେ ଥାଇ । କୁଚଯୁଗଳ ବିରାଜଇ ॥ ୨୫
କୁଙ୍କୁମାଙ୍କିତ ହୃଦେ ହାର । କଟିମେଖଳା ରତ୍ନସାର ॥ ୨୬
ତୁଙ୍ଗ ନିତମ୍ବ ବେନି ଶୋହେ । ରୂପେ ଜଗତଜନ ମୋହେ ॥ ୨୭
କୃଷ୍ଣହୁଁ ନ ଜାଣଇ ଆନ । ମନ ବଚନେ ସାବଧାନ ॥ ୨୮
ଲୀଳା ମନୁଷ୍ୟ ରୂପ ଧରି । ସେ ରୂପେ ରୂପ ଅନୁସରି ॥ ୨୯
କର୍ଣ୍ଣେ କୁଣ୍ତଳ ରବି ତ୍ରାସ । ସଲ୍ଲଜ ମୁଖେ ମନ୍ଦହାସ ॥ ୩୦
କଣ୍ଠେ ଅମୂଲ୍ୟହାର ଶୋହେ । ନୀଳକୁନ୍ତଳ ମନ ମୋହେ ॥ ୩୧
ଏମନ୍ତ ଦେଖି ତା ବଦନ । ବୋଲନ୍ତି ଦେବକୀନନ୍ଦନ ॥ ୩୨
ହେ ରାଜପୁତ୍ରି ମୋ ବଚନ । ଶୁଣ ତୁ ହୋଇ ସାବଧାନ ॥ ୩୩
ଅନେକ ନୃପତିକୁମରେ । ମିଳିଲେ ତୋର ସ୍ୱୟମ୍ବରେ ॥ ୩୪
ଅଶେଷ ଗୁଣ ତାହାଙ୍କର । ସୁର ସୁନ୍ଦର ବଳୀୟାର ॥ ୩୫
ତୋର ପିଅର ଜ୍ୟେଷ୍ଠଭାଇ । ଶିଶୁପାଳକୁ ସେ ଅଣାଇ ॥ ୩୬
ତୋହର ରୂପେ ଲୋଭ ବହି । ମିଳିଲେ ରାଜପୁତ୍ରେ ଯାଇ ॥ ୩୭
ରଣେ ଦୁର୍ମଦ ମହାବୀର । ଅନେକ ବଳ ତାହାଙ୍କର ॥ ୩୮
ତାହାଙ୍କୁ ଅବଜ୍ଞା ତୁ କରି । ମୁଁ ତାଙ୍କୁ କେଉଁଗୁଣେ ସରି ॥ ୩୯
କି ଗୁଣେ ବରିଲୁ ତୁ ମୋତେ । ସନ୍ଦେଶ ଦେଇ ବିପ୍ରହସ୍ତେ ॥ ୪୦
ରାଜାଙ୍କ ଡରେ ମୁଁ ପଳାଇ । ସମୁଦ୍ର ମଧ୍ୟେ ଅଛି ରହି ॥ ୪୧
ବଳିଷ୍ଠ ରାଜକୁଳେ ବାଦ । ଆମ୍ଭେ ନ ଇଚ୍ଛୁ ପରମାଦ ॥ ୪୨
ଯଯାତି ଶାପ ପୂର୍ବେ ପାଇ । ନୃପଆସନ ମୋର ନାହିଁ ॥ ୪୩
ଅଜ୍ଞାତ ମାର୍ଗ ମୋର ପଥ । ସ୍ୱବାବେ ନାହିଁ ଲୋକମତ ॥ ୪୪
ତାହାକୁ ସ୍ୱାମୀପଣେ ବରି । ସୁଖୀ ହୋଇବ କେଉଁ ନାରୀ ॥ ୪୫
ସ୍ୱଭାବେ ଅକିଞ୍ଚନ ମୁହିଁ । ଦରିଦ୍ରପ୍ରିୟ ମୁଁ ବୋଲାଇ ॥ ୪୬
ଏଣୁ ସମ୍ପଦେ ଅନ୍ଧ ଲୋକେ । ମୋତେ ନ ଭଜନ୍ତି ବିମୁଖେ ॥ ୪୭
ଶୁଣ ସୁନ୍ଦରି ଶାସ୍ତ୍ରବାଣୀ । ବେଦଆଗମେ ପରିମାଣି ॥ ୪୮
ବରକନ୍ୟାର ବିଭାକାଳେ । ବୟ ସମ୍ପଦ କୁଳ ତୁଲେ ॥ ୪୯
ସେ ବିଭା ମିତ୍ରପଣେ ସମ । ନ କରି ଅଧମ ଉତ୍ତମ ॥ ୫୦
ତୁ ପୁଣି ଜାଣୁ ଏହା ଭଲେ । ବିଚାର କରି ବିପ୍ରତୁଲେ ॥ ୫୧
ମୋତେ ବରିଲୁ କିସ ଦେଖି । ଶୁଣ ସୁନ୍ଦରୀ ଚନ୍ଦ୍ରମୁଖି ॥ ୫୨
ଦେଖ ନିର୍ଗୁଣ ଦେହ ମୋର । ଭିକ୍ଷୁକ ଜନେ ମୋ ସୋଦର ॥ ୫୩
ନ ଜାଣି କଲୁ ଏଡେ଼ କର୍ମ । କେ ତୋତେ କଲା ମତିଭ୍ରମ ॥ ୫୪
ଏବେ ଏମନ୍ତ ତୁହି କର । ଆତ୍ମାର ଅନୁରୂପେ ବର ॥ ୫୫
ଉତ୍ତମ ରାଜପୁତ୍ର ଦେଖି । ଏ ନାରୀଜନ୍ମ କର ସୁଖୀ ॥ ୫୬
ଯେ ତୋର ଇଚ୍ଛା ଭୋଗସୁଖେ । ଲଭିବୁ ଇହପରଲୋକେ ॥ ୫୭
ତୋହର ବର ଶିଶୁପାଳ । ବେଗେ ତାହାର ପୁରେ ଚଳ ॥ ୫୮
ଶାଲ୍ୱ ମାଗଧ ବକ୍ରଦନ୍ତ । ଏ ଆଦି ଯେତେ ନୃପନାଥ ॥ ୫୯
ମୋତେ ହିଂସନ୍ତି ଗର୍ବ ବହି । ରୁକ୍ମୀ ଯେ ତୋର ଜ୍ୟେଷ୍ଠଭାଇ ॥ ୬୦
ଏ ଆଦି ବୀର ଛନ୍ତି ଯେତେ । ତାହାଙ୍କ ଗର୍ବ ଅଭିମତେ ॥ ୬୧
ତୋର ବିଚାରେ ସ୍ୱାମୀ ବର । ବୋଲନ୍ତି ପ୍ରଭୁ ଦାମୋଦର ॥ ୬୨
ଶୁଣ ସୁନ୍ଦରୀ ମନସ୍ଥିରେ । ତାହାଙ୍କ ଗର୍ବ ନାଶିବାରେ ॥ ୬୩
ବଳେ ଆଣିଲି ତୋତେ ମୁହିଁ । ଅସାଧୁ ଗର୍ବ ନ ସହଇ ॥ ୬୪
ଉଦାସୀଜନ ମୁଁ ବୋଲାଇ । ଦାରା ସମ୍ପଦେ କାର୍ଯ୍ୟ ନାହିଁ ॥ ୬୫
ଆତ୍ମଲାଭରେ ପୂର୍ଣ୍ଣ ମୁହିଁ । ଗୃହେ ପ୍ରଦୀପ ପ୍ରାୟ ଥାଇ ॥ ୬୬
ଶୁକ ବୋଲନ୍ତି ରାୟେ ଶୁଣ । ଏମନ୍ତେ ପ୍ରଭୁ ନାରାୟଣ ॥ ୬୭
ଲାଳା ମନୁଷ୍ୟ ଦେହ ଧରି । ଆତ୍ମସଦୃଶେ ପ୍ରିୟନାରୀ ॥ ୬୮
କୂଟବଚନ ମନେ ଧରି । ମଉନ ହେଲେ ଦଇତ୍ୟାରି ॥ ୬୯
ଏମନ୍ତ କୃଷ୍ଣ ବାକ୍ୟ ଶୁଣି । ଚକିତେ ଚାହିଁଲା ରୁକ୍ମିଣୀ ॥ ୭୦
ତ୍ରୈଲୋକ୍ୟପ୍ତି ଆତ୍ମାନାଥ । କୃଷ୍ଣର କଥା ବିପରୀତ ॥ ୭୧
ଅଶ୍ରୁତ-ଅପୂର୍ବ ବଚନ । ଶୁଣି ହାଲିଲା ଦେବୀ ଜ୍ଞାନ ॥ ୭୨
ଭୟେ କମ୍ପଇ ଥରହର । ହୃଦରେ ଚିନ୍ତା ଶୋକଭର ॥ ୭୩
ପାଦଅଙ୍ଗୁଳି ନଖପନ୍ତି । ଅରୁଣ ପ୍ରାୟ ଝଟକନ୍ତି ॥ ୭୪
ସେ ପାଦ ଅଙ୍ଗୁଳିର ଅଗ୍ରେ । ଶୋକେ ଲେଖଇ ଭୂମିଭାଗେ ॥ ୭୫
ଅଞ୍ଜନରଞ୍ଜିତ ଲୋଚନେ । ଅଶ୍ରୁ ବହଇ ଖେଦମନେ ॥ ୭୬
ହୃଦେ ପଡ଼ନ୍ତି ଅଶ୍ରୁଧାରେ । କୁଙ୍କୁମ ଚିହ୍ନ କୁଚଭାରେ ॥ ୭୭
ଅଧୋବଦନେ ଦେବୀ ରହି । କଣ୍ଠେ ବଚନ ନ ସ୍ପୁରଇ ॥ ୭୮
ସେ ଦୁଃଖ ଭୟ ଶୋକାତୁରେ । ବୁଦ୍ଧି ଭ୍ରମିଲା ଖେଦଭରେ ॥ ୭୯
ବଳୟ ବେନି ହସ୍ତେ ଥିଲେ । ଶ୍ଲଥ ହୋଇଲେ ଏକତୁଲେ ॥ ୮୦
ଚାମର ଶ୍ରୀହସ୍ତରେ ଥିଲା । ତକ୍ଷଣେ ଭୂମିରେ ପଡ଼ିଲା ॥ ୮୧
ରମ୍ଭା ଯେସନେ ଘୋରବାତେ । ଭାଜି ପଡ଼ଇ ଭୂମିଗତେ ॥ ୮୨
କେଶ ବସନ ଅସମ୍ଭାଳ । ନୟନୁ ବହେ ଅଶ୍ରୁଜଳ ॥ ୮୩
ପଡ଼ିଲା ମୃତପିଣ୍ତ ପ୍ରାୟ । ଦେଖନ୍ତି ପ୍ରଭୁ ଦେବରାୟ ॥ ୮୪
ପ୍ରିୟାର ପ୍ରେମଭାବ ଚିନ୍ତି । ଗୋବିନ୍ଦ ମନେ ବିଚାରନ୍ତି ॥ ୮୫
ହାସ୍ୟ ମୁଁ କଲି ଭାବ ବହି । ଜାଣି ନ ପାରି ଚନ୍ଦ୍ରମୁହିଁ ॥ ୮୬
ମୋ ହୁଁ ଆନ ନ ଜାଣଇ । ତେଣୁ ଏହାର ଜ୍ଞାନ ନାହିଁ ॥ ୮୭
ଏମନ୍ତ ଚିତ୍ତେ ଭାବବହି । ପ୍ରିୟା ବିଷୟେ ଭାବଗ୍ରାହୀ ॥ ୮୮
ମନେ ସୁମରି ଅନୁତାପ । ତକ୍ଷଣେ ହୋଇ ଦିବ୍ୟରୂପ ॥ ୮୯
ପଲ୍ୟଙ୍କୁ ଉଠି ଦେବରାଜ । ସୁନ୍ଦର ଶୋଭା ଚାରିଭୁଜ ॥ ୯୦
ଭୂମିରୁ ବେନିଭୁଜେ ତୋଳି । କୋଳେ ବସାଇ ବନମାଳୀ ॥ ୯୧
ବସ୍ତ୍ର ପିନ୍ଧାଇ ଦେବରାଜେ । କେଶ ବାନ୍ଧିଲେ ବେନିଭୁଜେ ॥ ୯୨
ମୁଖମାର୍ଜନ କରି ଧୀରେ । ଅଶ୍ରୁ ପୋଛିଲେ ପୀତାମ୍ବରେ ॥ ୯୩
ଶ୍ରୀଭୁଜେ କଲେ ଆଲିଙ୍ଗନ । କୃଷ୍ଣ ଜାଣନ୍ତି ତାର ମନ ॥ ୯୪
ମନ ବଚନ କର୍ମ ଲଇଁ । କୃଷ୍ଣହୁଁ ଆନ ନ ଜାଣଇ ॥ ୯୫
ପ୍ରିୟ ବଚନେ ଚକ୍ରପାଣି । ଶାନ୍ତି କରାଇ କମଳିନୀ ॥ ୯୬
ହରି ଜାଣିଲେ ତାର ମନ । ହାସ୍ୟକୁ ନୋହେ ଏ ଭାଜନ ॥ ୯୭
ସଚେତ କରି ନିଜ ନାରୀ । ହସି ବୋଲନ୍ତି ନରହରି ॥ ୯୮
ଶୁଣ ବିଦର୍ଭ ରାଜପୁତ୍ରି । ବିଭ୍ରମ କଲୁ ନିଜ ମତି ॥ ୯୯
ମୁହିଂ ଜାଣଇ ହୃଦଗତେ । ମୋ ତହୁଁ ଅନ୍ୟ ନାହିଁ ଚିତ୍ତେ ॥ ୧୦୦
ମୋ ତହୁଁ ନ ଜାଣୁ ତୁ ଆନ । ମୁହିଁ ତୋହର ନିଜ ଧନ ॥ ୧୦୧
ମନେ ନ କର ତୁମ୍ଭେ ରୋଷ । ଶୁଣ ମୁଁ କହଇ ବିଶ୍ୱାସ ॥ ୧୦୨
ହାସ୍ୟ ମୁଁ କଲି ତୋର ପାଶେ । ତୋ ଚିତ୍ତ ଜାଣିବାର ଆଶେ ॥ ୧୦୩
ତୋହର କୁପିତ ବଦନ । ଭ୍ରୁକୁଟି କୁଟିଳଲୋଚନ ॥ ୧୦୪
ଦେଖିବା ପାଇଁ କଲି ଏହା । ତୁ ପୁଣି ନ ଜାଣିଲୁ ତାହା ॥ ୧୦୫
ଯେ ପ୍ରାଣୀ ଥାଇ ଗୃହବାସେ । ପ୍ରିୟାସଂଯୋଗେ ହାସ୍ୟରସେ ॥ ୧୦୬
ଦିନ ହରଇ ପ୍ରିୟଭାବେ । ବିଷୟ ସୁଖେ ଏହା ଲଭେ ॥ ୧୦୭
ଶୁଣ ପରୀକ୍ଷ ନରପତି । ମୋହନ ବାକ୍ୟେ ତାର ମତି ॥ ୧୦୮
ଶାନ୍ତ କରାଇ ଭଗବାନ । ମୋହିଲେ ରୁକ୍ମିଣୀର ମନ ॥ ୧୦୯
ଦେଖି ରୁକ୍ମିଣୀ କୃଷ୍ଣ ଭାବ । ଛାଡ଼ିଲା ଚିନ୍ତା ପରାଭବ ॥ ୧୧୦
କୃଷ୍ଣର ପଦ୍ମମୁଖ ଚାହିଁ । କଟାକ୍ଷ ନୟନେ ଅନାଇ ॥ ୧୧୧
ପୁରୁଷୋତ୍ତମ ପାଶେ ରହି । କହେ କମଳମୁଖ ଚାହିଁ ॥ ୧୧୨
ଅମଳ-କମଳ ଲୋଚନ । ତୋହର ସତ୍ୟ ଏ ବଚନ ॥ ୧୧୩
ଅନାଦି ପ୍ରଭୁ ନିରଞ୍ଜନ । ମୁଁ ତୋରେ ନୁହଁଇ ଭାଜନ ॥ ୧୧୪
ନିଜ ମହିମା ରୂପ ବହୁ । ତ୍ରିଗୁଣ ଅତୀତ ବୋଲାଉ ॥ ୧୧୫
ଗୁଣ ପ୍ରକୃତି ବନ୍ଧେ ମୁହିଁ । ତୋର ଚରଣ ତଳେ ଥାଇ ॥ ୧୧୬
ଏତେ ଅନ୍ତର ତୋର ମୋର । ତୁ ନୋହୁ ପ୍ରକୃତି ଗୋଚର ॥ ୧୧୭
ବୋଲୁ ଯେ ରାଜଭୟେ ମୁହିଁ । ସମୁଦ୍ର ମଧ୍ୟେ ଅଛି ରହି ॥ ୧୧୮
ଏକତା ପ୍ରମାଣ ତୋହର । ଯେଣୁ ତ୍ରିଗୁଣେ ଅଗୋଚର ॥ ୧୧୯
ଗୁମ ଦୋଷକୁ ଭୟକରି । ପ୍ରଳୟେ ବ୍ରହ୍ମରୂପ ଧରି ॥ ୧୨୦
ଆତ୍ମା ସ୍ୱରୂପ ମାତ୍ର ଲକ୍ଷେ । ସମୁଦ୍ରେ ଶୋଉ ତୁ ପ୍ରତ୍ୟକ୍ଷେ ॥ ୧୨୧
ଇନ୍ଦ୍ରିୟଗଣେ ତୋର ବାଦ । ଏମନ୍ତ କହିଛନ୍ତି ବେଦ ॥ ୧୨୨
ତୋର ସେବକ ଯେତେ ପ୍ରାଣୀ । ସମ୍ପଦ ତୁଚ୍ଛପ୍ରାୟ ମଣି ॥ ୧୨୩
ତୋ ପାଦପଦ୍ମ-ମକରନ୍ଦ । ନିତ୍ୟେ ପିବନ୍ତି ମୁନିବୃନ୍ଦ ॥ ୧୨୪
ଅଭେଦ ତାହାଙ୍କର ଗତି । ନୃ-ପଶୁଗଣେ ନ ଜାଣନ୍ତି ॥ ୧୨୫
ତୋହର ମହିମା ତ୍ରୈଲୋକ୍ୟେ । ଗୋଚର କେ କରୁ ଅନେକେ ॥ ୧୨୬
ତୋର ସେବକ ଯେତେ ଜନ । ତୋ ତହୁଁ ନ ଜାଣନ୍ତି ଆନ ॥ ୧୨୭
ବୋଲୁ ଯେ ଅକିଞ୍ଚନ ମୁହିଁ । ଯହୁଂ ତୋ ତହୁଁ ଆନ ନାହିଁ ॥ ୧୨୮
ବ୍ରହ୍ମାଦି ଯେତେ ମୁନି ଛନ୍ତି । ସେ ତୋ ମହିମା ନ ଜାଣନ୍ତି ॥ ୧୨୯
ପୂଜନ୍ତି ତୋହର ଚରଣ । ତୁ ଆଦି ପରମକାରଣ ॥ ୧୩୦
ଇନ୍ଦ୍ରିୟଅର୍ଥେ ତୋଷ ଯେହୁ । ସେ ତୋତେ ପାଇବଟି କାହୁଁ ॥ ୧୩୧
ଦାରା ସମ୍ପଦେ ଅନ୍ଧ ପ୍ରାଣୀ । ସେ ତୋତେ ନିକଟେ ନ ଜାଣି ॥ ୧୩୨
ତୋର ମାୟାରେ ମର୍ତ୍ତ୍ୟଲୋକେ । ନିକଟେ ଅନ୍ତକ ନ ଦେଖେ ॥ ୧୩୩
ତେବେ ଭୁଞ୍ଜନ୍ତି ଯଜ୍ଞେବଳି । ସେ ତୋର ପାଦେ ବନମାଳୀ ॥ ୧୩୪
ପୂଜା କରନ୍ତି ବଳି ଦେଇ । ତାହାଙ୍କ ଇଷ୍ଟ ଯେଣୁ ତୁହି ॥ ୧୩୫
ପରମଆତ୍ମା ଆଦିମୂଳ । ତୁ ସର୍ବପୁରୁଷାର୍ଥ ଫଳ ॥ ୧୩୬
ଯାହା ଲଭିବା ଇଚ୍ଛା କରି । ସଂସାର ଛାଡେ଼ ବ୍ରହ୍ମଚାରୀ ॥ ୧୩୭
ତାହାଙ୍କୁ ହେଉ ତୁ ସୁଲଭ । ବ୍ରହ୍ମାଦି ଦେବଙ୍କୁ ଦୁର୍ଲଭ ॥ ୧୩୮
ସନ୍ନ୍ୟାସୀଜନଙ୍କର ହୃଦେ । ତୁ ନାଥ ବସୁ ଅପ୍ରମୋଦେ ॥ ୧୩୯
ଭାବରେ ଆତ୍ମା ରୂପେ ଥାଉ । ଭାବକୁ ଆତ୍ମାପଦ ଦେଉ ॥ ୧୪୦
ଏଣୁ ବରିଲି ତୋତେ ମୁହିଁ । ତୋ ବିନୁ ଆନ ବର ନାହିଁ ॥ ୧୪୧
ତୋର ଭ୍ରୁକୁଟିଭଙ୍ଗୀ କାଳ । ଜଗତ ମଧ୍ୟେ ମହାବଳ ॥ ୧୪୨
ସେ କାଳବଳେ ହୋଇ ଧ୍ୱସ୍ତ । ଭବ ବିରଞ୍ଚି ସୁରନାଥ ॥ ୧୪୩
ଉଡ଼ନ୍ତି ରେଣୁପ୍ରାୟ ହୋଇ । ଅନ୍ୟ କେ ଅଛି ଦେହ ବହି ॥ ୧୪୪
ସାରଙ୍ଗଧନୁର ଶବଦେ । ରାଜାଙ୍କୁ ଜିଣି ଅପ୍ରମାଦେ ॥ ୧୪୫
ହରି ଆଣିଲୁ ମୋତେ ହେଳେ । ସିଂହ ଯେସନେ ବାହୁବଳେ ॥ ୧୪୬
ପଶୁଙ୍କ ମଧ୍ୟୁ ମହାବେଗେ । ଆକର୍ଷି ଭୁଞ୍ଜଇ ସ୍ୱଭାଗେ ॥ ୧୪୭
ସେ ରାଜା ଭୟେ ନାରାୟଣ । ପଶିଲୁ ସମୁଦ୍ରେ ଶରଣ ॥ ୧୪୮
ସତ୍ୟବଚନ ଏ ତୋହର । ଯେଣୁ ବଢ଼ିଲୁ ଗୋପପୁର ॥ ୧୪୯
ବିତର୍କ କହୁ ମୋର ପାଶେ । ତୋ ପାଦ ଲଭିବାର ଆଶେ ॥ ୧୫୦
ବେଣର ପିତା ପୁଣି ପୁତ୍ର । ନାହୁଷ ଗୟ ଯେ ଜାୟନ୍ତ ॥ ୧୫୧
ଚିତ୍ତ ନିବାରି ରାଜ୍ୟସୁଖେ । ବନେ ପଶିଲେ ଘୋରଦୁଃଖେ ॥ ୧୫୨
କଠୋର ଯୋଗ କରି ସାଧ୍ୟ । ଲଭିଲେ ତୋର ପଦ୍ମପାଦ ॥ ୧୫୩
ସେ ପାଦ ସରୋଜର ଗନ୍ଧ । ପୁଣ୍ୟ ପବିତ୍ର ମକରନ୍ଦ ॥ ୧୫୪
ଆଘ୍ରାଣ ନାସାରନ୍ଧ୍ରେ କରି । କେ ନାରୀ ଆନ ବର ବରି ॥ ୧୫୫
ତୁ ନାଥ ଜଗତ ଈଶ୍ୱର । ସକଳ ଆତ୍ମା କାମପୁର ॥ ୧୫୬
ବିବାହକାଳେ ଏ ବିଚାରେ । ତୋରେ ବରିଲି ମୁହିଁ ବରେ ॥ ୧୫୭
ଭବ ବିରଞ୍ଚି ଆଦି ସଭା । ମଧ୍ୟେ ତୋ ଗୁଣ କଥା ଶୋଭା ॥ ୧୫୮
ତୋର ମହିମା ଦାମୋଦର । ନ ପଶେ କର୍ଣ୍ଣପଥେ ଯାର ॥ ୧୫୯
ସେ ନାରୀ ବରେ ଅନ୍ୟ ଲୋକେ । ଇନ୍ଦ୍ରିୟ ଅର୍ଥ ଲୋଭ ସୁଖେ ॥ ୧୬୦
ସେ ନାରୀ ବଶେ ଯେ ରହଇ । ଶ୍ୱାନ ମାର୍ଜାର ପ୍ରାୟ ହୋଇ ॥ ୧୬୧
ଗୋରୁ ଗର୍ଦ୍ଦଭ ଅଶ୍ୱରୂପେ । ନିର୍ବନ୍ଧ ଗୃହ ଅନ୍ଧକୂପେ ॥ ୧୬୨
କୁନ୍ତଳ ନଖ ଚର୍ମ ଦାଢ଼ି । ଦେହ ଉପରେ ଛନ୍ତି ବେଢ଼ି ॥ ୧୬୩
ରୁଧିର ମାଂସ ମଜ୍ଜା ଅସ୍ଥି । ଶିରା ନିର୍ବନ୍ଧ ଗୃହ ଅନ୍ଧକୂପେ ॥ ୧୬୪
ଅନ୍ତରେ ମଳ କୃମି ମୂତ୍ର । କଫ ଦୁର୍ଜୟ ବାତ ପିତ୍ତ ॥ ୧୬୫
ଏଣେ ନିର୍ମିତ ଯାର ଦେହି । ଜୀବନ୍ତେ ମୃତପିଣ୍ତ ସେହି ॥ ୧୬୬
ତାହାକୁ ସ୍ୱାମୀପଣେ ବରି । ଜୀବନ ବହେ ଦୁଷ୍ଟ ନାରୀ ॥ ୧୬୭
ତୋର ଚରଣ ମକରନ୍ଦ । ଆଘ୍ରାଣ ନ କଲା ଯେ ଗନ୍ଧ ॥ ୧୬୮
ତୋର ଚରଣ ଉପାସନ । ନିଶ୍ଚଳେ କରୁ ମୋର ମନ ॥ ୧୬୯
ସ୍ୱଭାବେ ଆତ୍ମାରତ ତୁହି । ପର ଅପର ତୋର ନାହିଁ ॥ ୧୭୦
ତୁ ଯେବେ ରଜଗୁଣ ମଧ୍ୟେ । ମୋତେ ଦେଖିବୁ ଅନୁବନ୍ଧେ ॥ ୧୭୧
ଏ ବର ମୋତ ନିତ୍ୟେ ହେଉ । ତୋ ପାଦ ସେବି ଦିନ ଯାଉ ॥ ୧୭୨
ଭୋ ନାଥ ତୋର ବାକ୍ୟ ମୁହିଁ । କପଟ ପ୍ରାୟ ନ ମଣଇ ॥ ୧୭୩
ଅମ୍ବା କନ୍ୟାର ଚିତ୍ତ ଯେହ୍ନେ । ଭୀଷ୍ମଙ୍କୁ ନ ବରିଲା ମନେ ॥ ୧୭୪
ଦୁଷ୍ଟଯୁବତୀଙ୍କର ମନ । ଭଜଇ ଅଭିନବ ଜନ ॥ ୧୭୫
ଅସତୀବାଦ ତାଙ୍କ ତହିଁ । ପଣ୍ତିତେ ନ କରିବେ ତ୍ରାହି ॥ ୧୭୬
ଯେ ନର ତାହାଙ୍କୁ ବିଶ୍ୱାସ । ଉଭୟ ଲୋକ କରେ ନାଶ ॥ ୧୭୭
ଏମନ୍ତ ପତ୍ନୀ ବାକ୍ୟ ଶୁଣି । ହସି ବୋଲନ୍ତି ପଦ୍ମପାଣି ॥ ୧୭୮
ତୁ ସ୍ୱାଧୀପଣେ ଅନୁପମ । ମୋହର ଆତ୍ମା ଅଭିରାମ ॥ ୧୭୯
ଶୁଣିବା ପାଇଁ ତୋ ବଚନ । ମୁଁ ତୋର ମନ କଲି ଛନ୍ନ ॥ ୧୮୦
ମୋର ଉଦ୍ଦେଶ୍ୟେ ତୋର ବାଣୀ । ଏ ଶୁଦ୍ଧ ସତ୍ୟ ପରିମାଣ ॥ ୧୮୧
ଏବେ ମୁଁ ହୋଇଲି ପ୍ରସନ୍ନ । ବର ତୁ ମାଗ ତୋଷମନ ॥ ୧୮୨
ଯେ ତୋର ଇଚ୍ଛା ମାଗ ବର । ହସି ବୋଲନ୍ତି ଦାମୋଦର ॥ ୧୮୩
ଏକାନ୍ତ ପ୍ରିୟା ରି ମୋହର । ସକଳ ସମ୍ପଦ ତୋହର ॥ ୧୮୪
ତୋହର ଇଷ୍ଟ ପତିବ୍ରତ । ମୁହିଁ ଜାଣିଲି ଆଜ ସତ୍ୟ ॥ ୧୮୫
ଅନେକ କଲି ଉପାଲମ୍ଭ । ତୋହର ଚିତ୍ତ ବଡ଼ ଦମ୍ଭ ॥ ୧୮୬
ଭ୍ରଷ୍ଟ ନୋହିଲା ମୋର ପାଦୁଁ । ତରିବୁ ସକଳ ପ୍ରମାଦୁଁ ॥ ୧୮୭
ଯେ ପ୍ରାଣୀ ବ୍ରହ୍ମଚାରୀ ମତେ । ତପ ସାଧନ୍ତି ଶୁଦ୍ଧଚିତ୍ତେ ॥ ୧୮୮
ତପର କାମ୍ୟ ଫଳଆଶ । ବର ମାଗନ୍ତି ଗୃହବାସ ॥ ୧୮୯
ସେ ତୋତେ ପାଇବେଟି କାହିଁ । ଅଭୟ-ବରଦାତା ମୁହିଁ ॥ ୧୯୦
ମୋହର ମାୟାବଳ ଏହି । ହସି ବୋଲନ୍ତି ଭାବଗ୍ରାହୀ ॥ ୧୯୧
ମୋକ୍ଷଭଣ୍ତାର ମୋତେ ପାଇ । ଯେ ପ୍ରାଣୀ ସମ୍ପଦ ଇଚ୍ଛଇ ॥ ୧୯୨
ସେ ମନ୍ଦଭାଗୀ ଦୁଃଖୀ ହୋଇ । ନରକେ ପଡ଼ିଛନ୍ତି ଯାଇ ॥ ୧୯୩
ତୁ ମୋର ଗୃହ-ଠାକୁରାଣୀ । ମୋର ମହିମା ପରିମାଣି ॥ ୧୯୪
ଭବମୋଚନ ବୃତ୍ତୋ ମୋର । ଖଳ ସମୂହେ ଆଗୋଚର ॥ ୧୯୫
ସେ ଭାବ କଲୁ ମୋର ତହିଁ । ସ୍ୱଭାବେ ସ୍ତିରୀଜନ୍ମ ହୋଇ ॥ ୧୯୬
ତୋହାର ପ୍ରାୟ ଗୃହେଶ୍ୱରୀ । ନାହିଁ ନୋହିବ ପୁରନାରୀ ॥ ୧୯୭
ତୋର ବିବାହକାଳେ ଆସି । ଲକ୍ଷେ ନୃପତି ଥିଲେ ବସି ॥ ୧୯୮
ତାହାଙ୍କୁ ତୁଚ୍ଛ ଭାବ ବହି । ବିପ୍ର ପେଷିଲୁ ମୋର ତହିଁ ॥ ୧୯୯
ମୁଁ ତୋତେ ହରିଆଣୁ ପଥେ । ତୋହର ଭାଇ ଏକାରଥେ ॥ ୨୦୦
ଘୋର ସମର ମୋରେ କଲା । ଦଇବେ ବନ୍ଧନେ ପଡ଼ିଲା ॥ ୨୦୧
ରୂପ ବିରୂପ ତାର କଲି । ଶସ୍ତ୍ରରେ ଚୂଳ ତା କାଟିଲି ॥ ୨୦୨
ବିଭା-ମଙ୍ଗଳ ପର୍ବକାଳେ । ବନ୍ଧୁବାନ୍ଧବ-ଗୋଷ୍ଠୀମେଳେ ॥ ୨୦୩
ଅକ୍ଷକ୍ରୀଡ଼ାର କାଳେ ବଳେ । ଦୁଷ୍ଟରାଜନ ସଙ୍ଗମେଳେ ॥ ୨୦୪
ବଳଦେବଙ୍କୁ ଦ୍ରୋହ କଲା । ସେକାଳେ ଭ୍ରାତ ତୋର ମଲା ॥ ୨୦୫
ଏ ବେନି ଗୁର ଅପରାଧ । ଉଭୟ-ସଂକଟ ପ୍ରମାଦ ॥ ୨୦୬
ଦୁଃସହ-ତାପ ଦୁଃଖ ଏହି । କାହାର ସାଧ୍ୟ ଏହା ସହି ॥ ୨୦୭
କିଛି ନ ବୋଲି ମୁଖଗତେ । ନିଶ୍ଚେ ଜିଣିଲୁ ଏବେ ମୋତେ ॥ ୨୦୮
ବିପ୍ରକୁ ମୋର ତହିଁ ପେଶି । ଯୁଗ ମଣିଲୁ ଏକ ନିଶି ॥ ୨୦୯
ଜଗତ ଦେଖି ଶୂନ୍ୟମୟେ । ଅନଳ ଦେଇ ନିଜ ଦେହେ ॥ ୨୧୦
ମରିବା ପ୍ରାୟ କଲୁ ଯୋଗ । ଏ ଦେହ ଆନେ କାହିଁ ଭୋଗ ॥ ୨୧୧
ସେ ଭାବ ଘେନି ହୃଦଗତେ । ବଳେ ଆଣିଲି ଯାଇ ତୋତେ ॥ ୨୧୨
ଶୁକ କହନ୍ତି ରାୟ ଶୁଣ । ଏମନ୍ତ କହି ନାରାୟଣ ॥ ୨୧୩
ନିଜ ମହିମା ଆତ୍ମାରତି । ରୁକ୍ମିଣୀ ଲଭିଲେ ଶ୍ରୀପତି ॥ ୨୧୪
ଏକାନ୍ତ ଲକ୍ଷ୍ମୀନାରାୟଣ । ଏ ନରଲୋକେ ବିଡ଼ମ୍ବନ ॥ ୨୧୫
ଅଷ୍ଟ ଅଧିକ ଏକଶତେ । ଷୋଳସହସ୍ର ପତ୍ନୀ ଯେତେ ॥ ୨୧୬
ତାହାଙ୍କ ପୁରେ ନରହରି । ମାୟାରେ ତୁଲ୍ୟ ରୂପ ଧରି ॥ ୨୧୭
ଗୃହସ୍ଥ ଧର୍ମେ ଭୋଗକରି । ନିର୍ଗୁଣ ଆତ୍ମା ନରହରି ॥ ୨୧୮
ସେ ଲକ୍ଷ୍ମୀ ନାରାୟଣ ପାଦେ । ସୁଜନେ ଚିନ୍ତ ଅପ୍ରମାଦେ ॥ ୨୧୯
ଏକାନ୍ତ ଲକ୍ଷ୍ମୀ ନାରାୟଣ । ଶୁଣନ୍ତେ ଦୁଃଖ ନିବାରଣ ॥ ୨୨୦
ଚିତ୍ତେ ନିରୋପି ଭାଗବନ । କହଇ ବିପ୍ର ଜଗନ୍ନାଥ ॥ ୨୨୧
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ଉତ୍ତରାର୍ଦ୍ଧେ କୃଷ୍ଣରୁକ୍ମିଣୀସମ୍ବାଦେ ନାମ
ପଞ୍ଚଷଷ୍ଟିତମ ଅଧ୍ୟୟଃ ॥
ଷଷ୍ଠଷଷ୍ଟିତମ ଅଧ୍ୟାୟ
[ସମ୍ପାଦନା]- ଶୁକ ଉବାଚ
ବୋଲନ୍ତି ବ୍ୟାସଙ୍କର ସୁତ । ଶୁଣ ରାଜନ ପରୀକ୍ଷିତ ॥ ୧
କୃଷ୍ଣ ବରିଲେ ଯେତେ ନାରୀ । ରୁକ୍ମିଣୀଦେବୀ ଆଦି କରି ॥ ୨
ତାହାଙ୍କ ଗର୍ଭେ ଯେତେ ଜାତ । ହୋଇଲେ ଗୋବିନ୍ଦର ସୁତ ॥ ୩
ହରିର ବଂଶ ସଂଖ୍ୟା କରି । କେ କହୁ ନରଦେହ ଧରି ॥ ୪
ପ୍ରଦ୍ୟୁମ୍ନ ଆଦି ପୁତ୍ର ଯେତେ । ପ୍ରଧାନେ କହିବଇଁ କେତେ ॥ ୫
କନ୍ୟା କେ ଦଶ ଦଶ ସୁତ । ଅପରେ ଏକଇ ଦୁହିତ ॥ ୬
କୃଷ୍ଣର ପ୍ରାୟ ରୂପଗୁଣ । ଏବେ ହୋ ସାବଧାନେ ଶୁଣ ॥ ୭
କନ୍ୟାଏ କୃଷ୍ଣ ପାଦଗତେ । ସେବା କରନ୍ତି ଅନୁବ୍ରତେ ॥ ୮
ତାହାଙ୍କ ପୁରୁ ଦାମୋଦର । ଦଣ୍ତେ ହେଁ ନୁହନ୍ତି ଅନ୍ତର ॥ ୯
ଦେଖି ଗୋବିନ୍ଦ ସ୍ନେହଭାବ । ଆତ୍ମାକୁ ମଣିଲେ ଦୁର୍ଲ୍ଲଭ ॥ ୧୦
କୃଷ୍ଣ ମହିମା ନ ଜାଣନ୍ତି । ସ୍ୱାମୀର ପ୍ରାୟ ସେ ମଣନ୍ତି ॥ ୧୧
କାହୁଁ ଜାଣିବେ କୃଷ୍ଣଭାବ । ଯେ ବ୍ରହ୍ମାଶଙ୍କରେ ଦୁର୍ଲ୍ଲଭ ॥ ୧୨
ଶୋଭାରେ ଜଗତମୋହିନୀ । ବିଶେଷେ କୃଷ୍ଣର କାମିନୀ ॥ ୧୩
କୃଷ୍ଣର ମାୟାର ବେଭାରେ । ଭ୍ରମନ୍ତି ବ୍ରହ୍ମା-ଶିବ-ସୁରେ ॥ ୧୪
ଚାରୁକମଳ-କୋଷବର୍ଣ୍ଣ । ନିର୍ମଳ ମୋହ୍ନ ବଦନ ॥ ୧୫
ବିସ୍ତାର ଭୁଜନେତ୍ର ବେନି । ପ୍ରେମହସିତ ରସ ଘେନି ॥ ୧୬
ସପ୍ରେମ ଦୃଷ୍ଟି ମର୍ମବାଣୀ । ଏ ଭାବେ ମୋହିତ ତରୁଣୀ ॥ ୧୭
ଯୁବତୀଗଣେ କୃଷ୍ଣମନ । ମୋହନେ ନୋହିଲେ ଭାଜନ ॥ ୧୮
ଯେ ହରି ସର୍ବ ପରିପୂର୍ଣ୍ଣ । ରୂପ ଅରୂପ ନିରଞ୍ଜନ ॥ ୧୯
ଯୁବତୀମାନେ ଅନୁଦିନ । ସକାମେ ସସ୍ମିତ ବଦନ ॥ ୨୦
କଟାକ୍ଷ ଦୃଷ୍ଟି ପ୍ରେମଭାବ । ଆତ୍ମାକୁ ମଣିଲେ ଦୁର୍ଲ୍ଲଭ ॥ ୨୧
ଅନଙ୍ଗବାଣ ଆଣ୍ଟେ ଟାଣି । ବିନ୍ଧନ୍ତି କୃଷ୍ଣର ତରୁଣୀ ॥ ୨୨
ସ୍ୱଭାବେ ହରିର ଭାବିନୀ । ଶୁଦ୍ଧ ସୁରତ ଭାବ ଘେନି ॥ ୨୩
ଷୋଳସହସ୍ର ପରିହାସେ । କୃଷ୍ଣର ଚିତ୍ତ ପ୍ରେମପାଶେ ॥ ୨୪
ବନ୍ଧନେ ନୋହିଲେ ଭାଜନ । ତେଣୁ ନ ଘଟେ ଅନୁମାନ ॥ ୨୫
ରମାରମଣ ଜଗନ୍ନାଥ । ତାହାଙ୍କୁ ପାଇ ନିଜ କାନ୍ତ ॥ ୨୬
ବ୍ରହ୍ମାଦି ଦେବମୁନି ଯତି । ଯାର ମାୟାରେ ମୋହ ଯାନ୍ତି ॥ ୨୭
ସେ ହରି ସଙ୍ଗତେ ଯୁବତୀ । ଆନନ୍ଦେ ନିରତେ ରମନ୍ତି ॥ ୨୮
ନବ-ସଂଗମେ ପ୍ରିୟଭାବ । ନିତ୍ୟେ ବର୍ଦ୍ଧିତ ଅନୁରାଗ ॥ ୨୯
ସେବନ୍ତି କୃଷ୍ଣର ଚରଣେ । ଯୁବତୀ ଭାବ ଆଚରଣେ ॥ ୩୦
କୃଷ୍ଣର ଆଗମନ ଦେଖି । ଉଠନ୍ତି ଆସନ ଉପେକ୍ଷି ॥ ୩୧
କେତେହେଁ ଦୂର ବେଗେ ଯାଇ । କୃଷ୍ଣର ହସ୍ତେ ହସ୍ତ ଦେଇ ॥ ୩୨
ସକାମ ଲାଳସେ ତରୁଣୀ । କୃଷ୍ଣଙ୍କୁ ନିଜ ଗୃହେ ଆଣି ॥ ୩୩
ସୁବର୍ଣ୍ଣ ଆସନେ ବସାଇ । ବେନି ଚରଣ ହସ୍ତେ ଧୋଇ ॥ ୩୪
ସୁଗନ୍ଧ ଲେପି କୃଷ୍ଣ ଅଙ୍ଗେ । ଚାମର ପକାନ୍ତି ସୁରଙ୍ଗେ ॥ ୩୫
ବିଶ୍ରାନ୍ତ କରି ନିଜ ପତି । ସୁଗନ୍ଧେ କୁସୁମେ ପୂଜନ୍ତି ॥ ୩୬
କେଶ ପ୍ରସାଧନ ରଞ୍ଜନେ । ସେବନ୍ତି ସ୍ନାହାନ ଭୋଜନେ ॥ ୩୭
ଏମନ୍ତେ କୃଷ୍ଣର ଚରଣେ । ସେବନ୍ତି ସେବକୀ ପ୍ରମାଣେ ॥ ୩୮
କନ୍ୟାକେ ଶତ ଶତ ନାରୀ । ପାଶେ ଖଟନ୍ତି ତାହାଙ୍କରି ॥ ୩୯
ତଥାପି ସ୍ୱାମୀର ଚରଣେ । ସେବନ୍ତି ସେବକୀ ପ୍ରମାଣେ ॥ ୪୦
ଏବେ ହୋ ଶୁଣ ନରପତି । କୃଷ୍ଣର ଯେତେକ ଯୁବତୀ ॥ ୪୧
ତହିଁରେ ଶ୍ରେଷ୍ଠ ଅଷ୍ଟନାରୀ । ରୁକ୍ମିଣୀଦେବୀ ଆଦିକରି ॥ ୪୨
ଏକ କନ୍ୟାକେ ଦଶସୁତ । ତାହାଙ୍କ ଉଦରୁ ସମ୍ଭୂତ ॥ ୪୩
ଷୋଳସହସ୍ର ଏକଶତେ । ପୂର୍ବେ ମୁଁ କହିଅଛି ତୋତେ ॥ ୪୪
ତାହାଙ୍କ ଗର୍ଭୁ ସେହିମତ । ଏକ ଦୁହିତା ଦଶପୁତ୍ର ॥ ୪୫
ଜନ୍ମ ହୋଇଲେ କୃଷ୍ଣବୀର୍ଯ୍ୟେ । କି ପଟାନ୍ତର ଦେବା ତେଜେ ॥ ୪୬
ସୁର-ସୁନ୍ଦର ସର୍ବଗୁଣେ । ସୃଷ୍ଟିର ଦୁଷ୍ଟ ସଂହାରଣେ ॥ ୪୭
ସର୍ବେ ଦିଶନ୍ତି କୃଷ୍ଣତେଜ । ଏବେ ହୋ ଶୁଣ ମହାରାଜ ॥ ୪୮
ହରିର ବଂଶ ସଂଖ୍ୟା କରି । କେ କହିପାରେ ଦେହ ଧରି ॥ ୪୯
ଅଷ୍ଟକନ୍ୟାଙ୍କ ପୁତ୍ର ଯେତେ । ପ୍ରମାଣି କହିବି ମୁଁ ତୋତେ ॥ ୫୦
ସେ କଥା ଶୁଣ ନରନାଥ । ରୁକ୍ମିଣୀ ଗର୍ଭୁ ଯେତେ ପୁତ୍ର ॥ ୫୧
ପ୍ରଦ୍ୟୁମ୍ନ ଚାରୁଦେଷ୍ଣ ଆଦି । ସୁଦେଷ୍ଣ ତୃତୀୟ ପ୍ରସିଦ୍ଧି ॥ ୫୨
ଚତୁର୍ଥ ପୁତ୍ର ଚାରୁଦେହ । ଏହାଙ୍କ ବଳ ଅପ୍ରମେୟ ॥ ୫୩
ସୁଚାରୁ ଚାରୁଗୁପ୍ତ ବେନି । ସପ୍ତମେ ଭଦ୍ରଚାରୁ ଘେନି ॥ ୫୪
ଚାରୁଚନ୍ଦ୍ର ବିଚାରୁ ନାମ । ଚାରୁ ସହିତେ ଏ ଦଶମ ॥ ୫୫
ରୁକ୍ମିଣୀ ଗର୍ଭୁ ଏ ସମ୍ଭୂତ । କୃଷ୍ଣର ପ୍ରାୟ ନେତ୍ର ଗାତ୍ର ॥ ୫୬
ସତ୍ୟଭାମାର ଯେତେ ସୁତ । ଏବେ ହୋ ଶୁଣ ନରନାଥ ॥ ୫୭
ପ୍ରଥମେ ଭାନୁ ଯେ ସୁଭାନୁ । ତୃତୀୟ ସ୍ୱର୍ଭାନୁ ପ୍ରଭାନୁ ॥ ୫୮
ଭାନୁମାନ ଯେ ଚନ୍ଦ୍ରଭାନୁ । ବୃହଦ୍ଭାନୁ ଯେ ଅତିଭାନୁ ॥ ୫୯
ଶ୍ରୀଭାନୁ ପ୍ରତିଭାନୁ ଶେଷ । ଏ ସତ୍ୟଭାମା ପୁତ୍ର ଦଶ ॥ ୬୦
ରକ୍ଷ ନନ୍ଦିନୀ ଜାମ୍ବବତୀ । ଶୁଣ ତୁ ତାହାର ସନ୍ତତି ॥ ୬୧
ଶାମ୍ବ ସୁମିତ୍ର ପୁରୁଜିତ । ସହସ୍ରଜିତ ଶତଜିତ ॥ ୬୨
ବିଜୟ ପୁଣି ଚିତ୍ରକେତୁ । ଦ୍ରବିଡ଼ ବସୁମାନ କ୍ରତୁ ॥ ୬୩
ସତ୍ୟାର ପୁତ୍ର ଶୁଣ ଏବେ । ତୋତେ କହିବି ପ୍ରିୟଭାବେ ॥ ୬୪
ବୀର ଚନ୍ଦ୍ର ଯେ ଅଶ୍ୱସେନ । ଚିତ୍ରଗୁବୃକ୍ଷ ବେଗବାନ ॥ ୬୫
ଶ୍ରୀମାନ-ଶଙ୍କୁ ବସୁ ଆମ । କୁନ୍ତି ସହିତେ ଏ ଦଶମ ॥ ୬୬
ସାଧୁ-ସୁନ୍ଦର-ଶ୍ରୁତ କବି । ତୃତୀୟେ ବୃଷ ଅନୁଭବି ॥ ୬୭
ବୀର ସୁବାହୁ ଭଦ୍ର-ଏକ । ଶାନ୍ତି ଅଷ୍ଟମ ଯେ ସୋମକ ॥ ୬୮
ଦରଶ ପୂର୍ଣ୍ଣମାସ ଶେଷ । କାଳିନ୍ଦୀପୁତ୍ର ଏ ଯେ ଦଶ ॥ ୬୯
ପ୍ରଘୋଷ ଗାତ୍ରବାନ ବଳ । ସିଂହ ଉର୍ଦ୍ଧ୍ୱଗ ଯେ ପ୍ରବଳ ॥ ୭୦
ମହାଶକ୍ତି ଯେ ସହ ଓଜ । ଅପରାଜିତ ଯେ ଆତ୍ମଜ ॥ ୭୧
ଲକ୍ଷ୍ମଣା ଦଶପୁତ୍ର ଏହି । ଶୁଣ ରାଜନ ମନଦେଇ ॥ ୭୨
ଏହାଙ୍କ ମହିମା ଏମନ୍ତ । ଶୁଣ ତୁ ମିତ୍ରବିନ୍ଦା ସୁତ ॥ ୭୩
ବୃକ ହର୍ଷ ଅନିଳ ଗୃଧ୍ର । ବର୍ଦ୍ଧନ ଆବର ଅନ୍ନାଦ ॥ ୭୪
ମହାଶ ପାବନ ଯେ ବହ୍ନି । କ୍ଷୁଧି ସହିତେ ଦଶ ଘେନି ॥ ୭୫
ଏ ସର୍ବେ ମିତ୍ରବିନ୍ଦାସୁତ । ଏବେ ହୋ ଶୁଣ ଭଦ୍ରା ସୁତ ॥ ୭୬
ସଂଗ୍ରାମଜିତ ବୃହତ୍ସେନ । ଶୁଭ ସତ୍ୟକ ପ୍ରହରଣ ॥ ୭୭
ଜୟ ସୁଭଦ୍ର ଅରିଜିତ । ବାମ ଆୟୁ ଏ ଦଶସୁତ ॥ ୭୮
ଏମନ୍ତେ ଅଷ୍ଟପାଟରାଣୀ । ଷୋଳସହସ୍ର ମଧ୍ୟେ ଗଣି ॥ ୭୯
ଦୀପ୍ତିମାନ ଯେ ତାମ୍ରତପ୍ତ । ରୋହିଣୀ ଗର୍ଭେ କୃଷ୍ଣସୁତ ॥ ୮୦
ଏମନ୍ତେ କୃଷ୍ଣପତ୍ନୀ ଯେତେ । ପୁତ୍ର ପୁତ୍ରୀ ଯେ ଅପ୍ରମିତେ ॥ ୮୧
ଅନଙ୍ଗ ଅନୁରୂପେ ଜାତ । ପ୍ରଦ୍ୟୁମ୍ନ ରୁକ୍ମିଣୀର ସୁତ ॥ ୮୨
ରୁକ୍ମୀ କୁମାରୀ ରୁକ୍ମବତୀ । ସାଧ୍ୱୀ ଲକ୍ଷଣା ଶୁଦ୍ଧମତି ॥ ୮୩
ତାହାକୁ ସ୍ୱୟମ୍ବର ମଧ୍ୟେ । ପ୍ରଦ୍ୟୁମ୍ନ ହରିଲା ବିବାଦେ ॥ ୮୪
ରାଜାଙ୍କ ବଳ ଦର୍ପ ହରି । କନ୍ୟା ପ୍ରଦ୍ୟୁମ୍ନେ ବିଭା କରି ॥ ୮୫
ସେ କନ୍ୟା ଗର୍ଭେ ପୁତ୍ର ଜାତ । ଯା ନାମ ଅନିରୁଦ୍ଧ ଖ୍ୟାତ ॥ ୮୬
ଏମନ୍ତ ପରୀକ୍ଷତ ଶୁଣି । ଆନନ୍ଦ ମନେ ପରିମାଣି ॥ ୮୭
ବୋଲଇ ମଧୁର ବଚନ । ଶୁଣ ହେ ବ୍ୟାସଙ୍କ ନନ୍ଦନ ॥ ୮୮
ଏ ବଡ଼ କଉତୁକ ବାଣୀ । ସନ୍ଦେହ ଲାଗିଲା ତ ଶୁଣି ॥ ୮୯
ରୁକ୍ମୀ ଯେ କୃଷ୍ଣର ବଇରୀ । ସଂଗ୍ରାମ କାଳେ ଅଛି ହାରି ॥ ୯୦
କେମନ୍ତେ ରିପୁସୁତେ ବରି । ବିବାହ ଦେଲା ତା କୁମାରୀ ॥ ୯୧
ଯେ ନିତ୍ୟେ ମୋହ ବୁଦ୍ଧି ଗାଢେ଼ । କୃଷ୍ଣ ମରଣ ଛିଦ୍ର ଲୋଡେ଼ ॥ ୯୨
ମାରିବା ପାଇଁ କରେ ଆଶ । ସେ କାହିଁ ବିବାହେ ବିଶ୍ୱାସ ॥ ୯୩
ଉଭୟେ ବଇରୀ ବିରୋଧ । କେମନ୍ତେ ବିବାହ ସମ୍ବନ୍ଧ ॥ ୯୪
ଭୂତ ଭବିଷ୍ୟ ବର୍ତ୍ତମାନେ । ଏକଥା ନ ଘଟଇ ମନେ ॥ ୯୫
ବଇରୀ ଭାବେ ବନ୍ଧୁ କାହିଁ । ଉତ୍ତମ ଲୋକେ ଛନ୍ତି କହି ॥ ୯୬
କହନ୍ତି ଶୁକ ମୁନିବର । ଶୁଣ ହୋ ରୁକ୍ମୀର ବେଭାର ॥ ୯୭
କୃଷ୍ଣର ତହିଁ ଅପମାନେ । ବଇରୀ ଭାବ ଅଛି ମନେ ॥ ୯୮
ତଥାପି ଭଗିନୀର ସୁତ । ଭଣଜା ପଣେ ବରପାତ୍ର ॥ ୯୯
କୁଳ ବେଭାର ଏହିମତେ । ଦେଲା ଭଗିନୀ ପ୍ରିୟଅର୍ଥେ ॥ ୧୦୦
ରୁକ୍ମିଣୀ ସୁତା ଅନୁପମ । ଯାହାର ଚାରୁମତୀ ନାମ ॥ ୧୦୧
ବଳୀ ଯେ କୃତବର୍ମା ସୁତ । ତାରେ ବରିଲେ ଯଦୁନାଥ ॥ ୧୦୨
ରୁକ୍ମୀପୁତ୍ରର କନ୍ୟା ଥିଲା । ଅନିରୁଦ୍ଧକୁ ବିଭା ଦେଲା ॥ ୧୦୩
କୃଷ୍ଣର ବଇରୀ ଯୁକତେ । ଦେଲା ରୁକ୍ମିଣୀ ପ୍ରିୟଅର୍ଥେ ॥ ୧୦୪
ଅଧର୍ମ ଶାସ୍ତ୍ର ଏ ବିଚାରି । ତଥାପି ଦେଲା ସ୍ନେହଭରି ॥ ୧୦୫
ତାର ବିବାହକାଳେ ହରି । ରାମ ରୁକ୍ମିଣୀ ଆଦି କରି ॥ ୧୦୬
ଶାମ୍ବ ପ୍ରଦ୍ୟୁମ୍ନ ଆଦି ସୁତେ । ଯାଦବ ସଇନ୍ୟ ସହିତେ ॥ ୧୦୭
ବିବାହ ସାରି ତାର ପୁରେ । ଯେମନ୍ତେ କୁଟୁମ୍ବ ବେଭାରେ ॥ ୧୦୮
ବିବାହର ସାରି ତାର ପୁରେ । ଯେମନ୍ତ କୁଟୁମ୍ବ ବେଭାରେ ॥ ୧୦୯
ତାର ବିବାହେ ବିପରୀତ । ଶୁଣ ରାଜନ ପରୀକ୍ଷିତ ॥ ୧୧୦
ଉତ୍ସବ ଅନ୍ତେ ଏକଦିନେ । ବିବାହେ ଥିଲେ ଯେ ରାଜନେ ॥ ୧୧୧
କଳିଙ୍ଗରାଜ ଆଦି ଯେତେ । ବିଚାର କରନ୍ତେ ଏକାନ୍ତେ ॥ ୧୧୨
ଆଜ ସଭାର ମଧ୍ୟେ ବସି । ରୋହିଣୀନନ୍ଦନେ ବିଶ୍ୱାସି ॥ ୧୧୩
ଆନନ୍ଦେ ପଶାଖେଳ କରି । ଛଳେ ଜିଣିବା ହଳଧାରୀ ॥ ୧୧୪
ଖେଳ ନ ଜାଣେ ବଳରାମ । ଜିଣିବା ଗଜ ଧନ ଗ୍ରାମ ॥ ୧୧୫
ରୁକ୍ମିର ସଙ୍ଗେ ଖେଳାଇବା । ଆମ୍ଭେ ନିକଟେ ବସିଥିବା ॥ ୧୧୬
ଏତେ ବିଚାରି ଖେଳ କଲେ । କପଟେ ରାମଙ୍କୁ ଆଣିଲେ ॥ ୧୧୭
ସଭାର ମଧ୍ୟେ ଖେଳ କରି । ସୁଖେ ଖେଳନ୍ତି ହଳଧାରୀ ॥ ୧୧୮
ପ୍ରଥମେ ଲକ୍ଷ ଲକ୍ଷ ପଣ । ଯେମନ୍ତେ ଖେଳର ଭିଆଣ ॥ ୧୧୯
ରାମ ପାତିଲେ ପଶାଦାନ । ଜିଣିଲା ଭୀଷ୍ମକନନ୍ଦନ ॥ ୧୨୦
ପାଶେ ଯେ ଥିଲା ଦନ୍ତବକ୍ର । ସ୍ୱଭାବେ କରିଅଛି ଚକ୍ର ॥ ୧୨୧
ହସିଲା ରାମମୁଖ ଚାହିଁ । ବିକଟ-ଦର୍ଶନ ଦେଖାଇ ॥ ୧୨୨
ଖେଳର ସ୍ୱଭାବ ଏମନ୍ତ । କୋପ ନ କଲେ ହଳହସ୍ତ ॥ ୧୨୩
ଲକ୍ଷକୁ ଦଶଗୁଣ କରି । ହୁଡ଼ ଧରିଲେ ହଳଧାରୀ ॥ ୧୨୪
ସେବେଳେ ହଳଧର ଜିଣି । ରୁକ୍ମୀ ବୋଇଲା ଏହୁ ବାଣୀ ॥ ୧୨୫
ମୁହିଁ ଜିଣିଲି ଏତେ ଧନ । ଭୋ ରାମ ପୁଚ୍ଛ ସଭାଜନ ॥ ୧୨୬
ସେଠାରେ ଯେତେ ରାଜା ଥିଲେ । ରୁକ୍ମୀ ଯେ ଜିଣିଲା ବୋଇଲେ ॥ ୧୨୭
ଏମନ୍ତେ କଇତବ କଲା । ରାମର କୋପ ଉପୁଜିଲା ॥ ୧୨୮
ଜଳଧି ଯେହ୍ନେ ପର୍ବକାଳେ । ଉଛୁଳେ ବହୁତ କଲ୍ଲୋଳେ ॥ ୧୨୯
ସ୍ୱଭାବେ ଅରୁଣ ଲୋଚନ । କୋପେ ବୋଲନ୍ତି ବଳରାମ ॥ ୧୩୦
ଏବେ ମୋହର ପଣ ଶୁଣ । ହୁଡ଼ିଲି ଦଶକୋଟି ଧନ ॥ ୧୩୧
ଏତେକ ସୁବର୍ଣ୍ଣ ମୋହର । କୋପେ ବୋଲନ୍ତି ହଳଧର ॥ ୧୩୨
ଏମନ୍ତେ ଖେଳପୀଢ଼ କରି । ଦାନ ପାତିଲେ ହଳଧାରୀ ॥ ୧୩୩
ଧର୍ମେ ଜିଣିଲେ ବଳରାମ । କପଟେ ବୋଇଲା ରୁକ୍ମଣ ॥ ୧୩୪
ଏ ବେଳେ ଜିଣିଲିଟି ମୁହିଁ । ପଚାର ସଭାମଧ୍ୟେ ତୁହି ॥ ୧୩୫
ସେକଥା ଦନ୍ତବକ୍ର ଶୁଣି । ବୋଇଲା ମୁହିଁ ଅଛି ଜାଣି ॥ ୧୩୬
ଏବେଳେ ଜିଣିଲା ରୁକ୍ମଣ । ସୁବର୍ଣ୍ଣ ଯେତେ ପୀଢ଼ ପୁଣ ॥ ୧୩୭
ରୋହିଣୀସୁତ ତାହା ଶୁଣି । କପାଳକଣ୍ଟି ହେଲେ ତୁନି ॥ ୧୩୮
ସେକାଳେ ଅନ୍ତରୀକ୍ଷ ବାଣୀ । ଶୁଭିଲା ରାମ ଏହା ଜିଣି ॥ ୧୩୯
କପଟ କରଇ ରୁକ୍ମଣ । ଏମନ୍ତ ଆକାଶ ବଚନ ॥ ୧୪୦
ଧର୍ମବଚନ ନିନ୍ଦା କରି । ରୁକ୍ମୀ ବୋଲଇ କୋପଭରି ॥ ୧୪୧
ଏମନ୍ତ ଶୁଣିଲାତ ନାହିଁ । ଜିଣିଲି ସଭାମଧ୍ୟେ ମୁହିଁ ॥ ୧୪୨
ଦୁଷ୍ଟ ରାଜନେ ତାହା ଶୁଣି । ବୋଲନ୍ତି ଏହୁ ଅଛି ଜିଣି ॥ ୧୪୩
ଶୁଣି ରୁକ୍ମଣ କଲା ହାସ । ଯେଣୁ ଆବୃତ୍ତ କାଳପାଶ ॥ ୧୪୪
ବୋଲଇ ପରୁଷ ବଚନ । ତୁମ୍ଭେ ଯେ ଅଟ ଜାତିହୀନ ॥ ୧୪୫
ତୁମ୍ଭେ ଜାଣିବ ଖେଳ କାହିଁ । ବନେ ଗୋପାଳମେଳେ ଥାଇ ॥ ୧୪୬
ସ୍ୱଭାବେ ତୁମ୍ଭେ ବନ୍ୟଲୋକ । ନ ଜାଣ ପଶା-କଉତୁକ ॥ ୧୪୭
ଗୋରୁ ଚରାଇ ଗଲା ଦିନ । ତୁମ୍ଭର ଏଣେ କାହିଁ ଜ୍ଞାନ ॥ ୧୪୮
ଖେଳ ଜଣନ୍ତି ରାଜସୁତେ । ସଂଗ୍ରାମେ ଜୟ ଏହୁ ମତେ ॥ ୧୪୯
ପଶା ଦେଖିଲା ତୁମ୍ଭ ନାହିଁ । ରୁକ୍ମୀ ବୋଇଲା ରାମେ ଚାହିଁ ॥ ୧୫୦
ଏମନ୍ତେ ରୁକ୍ମୀର ବଚନ । ଶୁଣି ହସିଲେ ସଭାଜନ ॥ ୧୫୧
ରାମ କୋପିଲେ ତାହା ଶୁଣି । ପରିଘ ଶସ୍ତ୍ର କରେ ଘେନି ॥ ୧୫୨
ରୁକ୍ମୀର ମୁଣ୍ତେ ଘୋରନାଦେ । ପ୍ରହାର କଲେ ସଭାମଧ୍ୟେ ॥ ୧୫୩
ତଳେ ଯେ ଥିଲା ପଶାକାଠି । ରାମ ଘେନିଲେ କୋପଦୃଷ୍ଟି ॥ ୧୫୪
ସଭାର ଅପମାନ ଦୁଃଖେ । ପିଟିଲେ ଦନ୍ତବକ୍ର ମୁଖେ ॥ ୧୫୫
ବଜ୍ରସମାନ ପଶାକାଠି । ବାଜି ଝଡ଼ିଲା ଦନ୍ତପାଟି ॥ ୧୫୬
ଯେ ଦନ୍ତେ ରାମଙ୍କୁ ହସିଲା । ସେ ଭାଜି ଭୂମିରେ ପଡ଼ିଲା ॥ ୧୫୭
ରୁଧିର ଗଳେ ତାର ତୁଣ୍ତେ । ଗୋଳ ଶୁଭିଲା ରାଜଦାଣ୍ତେ ॥ ୧୫୮
ରାମର ଅକ୍ଷକ୍ରୀଡ଼ା କାଳେ । ଦୁଷ୍ଟେ ଯେ ଥିଲେ ସଭାମେଳେ ॥ ୧୫୯
ରାମର ଶସ୍ତ୍ରେ ଖଣ୍ତ ଖଣ୍ତ । ଛିଡ଼ିଲା ଭୁଜ ଊରୁ ମୁଣ୍ତ ॥ ୧୬୦
ଅଙ୍ଗ ରୁଧିର ରଙ୍ଗବେଶେ । ପଳାଇଗଲେ ନିଜ ଦେଶେ ॥ ୧୬୧
ରୁକ୍ମୀର ହତ କୃଷ୍ଣ ଦେଖି । ଭାଳି ବୁଜିଲେ ବେନି ଆଖି ॥ ୧୬୨
ରାମ ରୁକ୍ମିଣୀ ସ୍ନେହଭଙ୍ଗ । ଭୟେ ମଉନ ଶିରୀରଙ୍ଗ ॥ ୧୬୩
ତକ୍ଷଣେ ପ୍ରଭୁ ଭଗବାନ । ଆରୋହୀ ନନ୍ଦୀଘୋଷ ଯାନ ॥ ୧୬୪
ବରକନ୍ୟାଙ୍କୁ ଘେନି ସଙ୍ଗେ । ଦ୍ୱାରକା ବିଜେକଲେ ରଙ୍ଗେ ॥ ୧୬୫
ରାମ ଯାଦବ ଆଦି ଯେତେ । ଗମିଲେ କୃଷ୍ଣ ଅନୁପଥେ ॥ ୧୬୬
ସେ ରାମକୃଷ୍ଣ ପାଦଗତ । ନମଇ ଦାସ ଜଗନ୍ନାଥ ॥ ୧୬୭
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ଉତ୍ତରାର୍ଦ୍ଧେ ଅନିରୁଦ୍ଧ ବିବାହେ ରୁକ୍ମୀବଧୋ ନାମ
ଷଟ୍ଷଷ୍ଟିତମ ଅଧ୍ୟାୟଃ ॥
ସପ୍ତଷଷ୍ଟିତମ ଅଧ୍ୟାୟ
[ସମ୍ପାଦନା]- ଶୁକ ଉବାଚ
ଶୁଣ ପରୀକ୍ଷ ଦଣ୍ତଧର । ଶୋଣିତପୁରେ ମହାବୀର ॥ ୧
ଦନୁଜବଳୀର କୁମର । ନାମ ତାହାର ବାଣାସୁର ॥ ୨
ଶତେ କୁମର ମଧ୍ୟେ ଶ୍ରେଷ୍ଠ । ତାମସ ଭାବେ ମହାଦୁଷ୍ଟ ॥ ୩
ତପେ ସେ ଈଶ୍ୱରଙ୍କୁ ଧ୍ୟାୟି । ବରେ ସହସ୍ରଭୁଜ ପାଇ ॥ ୪
ସେହୁ ସହସ୍ରଭୁଜ ବଳେ । ଯୁଦ୍ଧେ ଭ୍ରମିଲା ମହୀତଳେ ॥ ୫
ଦେଖି ତାହାର ଭୁଜ ତେଜ । ଯୁଦ୍ଧେ ହାରିଲେ ସର୍ବରାଜ ॥ ୬
ଯୁଦ୍ଧ ନ ପାଇ ମନସ୍ତାପେ । ମିଳିଲା ଈଶ୍ୱର ସମୀପେ ॥ ୭
ମର୍ଦ୍ଦଳ ପଞ୍ଚଶତ କନ୍ଧେ । ଦିବ୍ୟତାଣ୍ତବ ଅନୁବନ୍ଧେ ॥ ୮
ତୋଷିଲା ଭବାନୀଶଙ୍କର । ପ୍ରସନ୍ନ ହୋଇ ଶୂଳଧର ॥ ୯
ବୋଇଲେ ବର ମାଗ ତୁହି । ତୋତେ ପ୍ରସନ୍ନ ହେଲି ମୁହିଁ ॥ ୧୦
ସେ ବୋଲେ ହୁଅ ମୋର ଦ୍ୱାରୀ । ହେଉ ବୋଇଲେ ଶୂଳଧାରୀ ॥ ୧୧
ଦିନେ ସମ୍ଭ୍ରମେ ମହାବୀର । ରତ୍ନମୁକୁଟ ଅଛି ଶିର ॥ ୧୨
ସେ ଶିରେ ହରପାଦେ ପଡ଼ି । ବୋଲଇ ବେନିକର ଯୋଡ଼ି ॥ ୧୩
ନମଇଁ ତୁମ୍ଭର ଚରଣ । ଅନିଦା ପରମକାରଣ ॥ ୧୪
ତୁ ନାଥ ସର୍ବଲୋକଗୁରୁ । ଭକତଜନେ ଦୟା କରୁ ॥ ୧୫
ଅପୂର୍ଣ୍ଣକାମ ଯେତେ ଜନ । ତମ୍ଭେ ତାହାଙ୍କ କଳ୍ପଦ୍ରୁମ ॥ ୧୬
ସର୍ବସମ୍ପଦ ପାର ଦେଇ । ଭକତ ଯେମନ୍ତ ଲୋଡ଼ଇ ॥ ୧୭
ସହସ୍ରେ ଦେଲୁ ମୋତେ କର । କେବଳ ଭାର ଏ ମୋହର ॥ ୧୮
କି ପ୍ରୟୋଜନ ଭୁଜ ବହି । ସଂଗ୍ରାମେ ସୁଖ ମୋର ନାହିଁ ॥ ୧୯
ସମର ଆଶେ ତିନିଲୋକେ । ତୁଲେ ଖୋଜିଲି ଏକେ ଏକେ ॥ ୨୦
ମୋ ଆଗେ ନ ମିଳିଲେ କେହି । ତୁ ମାତ୍ର ଅଛୁ ଶେଷ ହୋଇ ॥ ୨୧
ଏ ମୋର ଭୁଜକଣ୍ତୁ ବଳେ । ଭ୍ରମିଲି ଅବନୀମଣ୍ତଳେ ॥ ୨୨
ଅଇରାବତ ଆଦିନାଗେ । ଯେ ଛନ୍ତି ଅଷ୍ଟଦିଗଭାଗେ ॥ ୨୩
ତାହାଙ୍କ ତୁଲେ ମୁଁ ଆନନ୍ଦେ । ସମର କରିବାର ସଧେ ॥ ୨୪
ପର୍ବତେ ପିଟିଲି ମୁଁ କର । ତକ୍ଷଣେ ଗିରି ହେଲା ଚୂର ॥ ୨୫
ଦେଖି ମୋହର ଭୁଜତେଜ । ଭୟେ ଭାଜିଲେ ସୁରରାଜ ॥ ୨୬
ଏମନ୍ତ ଶୁଣି ତା ବଚନ । କୋପନୟନେ ତ୍ରିଲୋଚନ ॥ ୨୭
ବୋଇଲେ ଶୁଣ ବାଣାସୁର । ରଥେ ଯେ ଧ୍ୱଜ ଅଛି ତୋର ॥ ୨୮
ସେ ଧ୍ୱଜ ରଥୁଁ ଯେତେବେଳେ । ଛିଡି ପଡ଼ିବ ମହୀତଳେ ॥ ୨୯
ଏ ଭୁଜ ଗର୍ବ ନାଶିବାରେ । ରିପୁ ମିଳିବ ତୋ ନଗରେ ॥ ୩୦
ସେ ବେଳେ ତାର ତୁଲେ ରଣ । କରିବୁ ଶୁଣ ମୂଢ଼ ବାଣ ॥ ୩୧
ଏମନ୍ତ ହରବାକ୍ୟ ଶୁଣି । ଆନନ୍ଦମନେ ବୀରମଣି ॥ ୩୨
ନିତ୍ୟେ ଚିନ୍ତଇ ହରକଥା । କେମନ୍ତେ ଯିବ ଭୁଜବ୍ୟଥା ॥ ୩୩
ଚିନ୍ତଇ ନିଜ ବୀର୍ଯ୍ୟ ନାଶ । କୁମତିକୁଳ କାଳପାଶ ॥ ୩୪
ଶୁଣ ରାଜନ ଚିତ୍ରକଥା । ଊଷା ନାମରେ ତା ଦୁହିତା ॥ ୩୫
ଅତି ସୁନ୍ଦର ରୂପରାଶି । କି ଅବା କହିବା ପ୍ରଶଂସି ॥ ୩୬
ତାହାର କନ୍ୟାକାଳ ଜାଣି । ନିରୋଧେ କଲା ଦୈତମଣି ॥ ୩୭
ଅତି ଦୁର୍ଗମପୁର କରି । ନିରୋଧେ ଜଗାଇ ପାହାରୀ ॥ ୩୮
ଦେବମାନବେ ଅଗୋଚର । ଏମନ୍ତ କରି କନ୍ୟାପୁର ॥ ୩୯
ଉତ୍ତମକୁଳେ ବର ବରି । ବିବାହ ଦେବଇଁ କୁମାରୀ ॥ ୪୦
ଏମନ୍ତେ ରଖି ଯତ୍ନକରି । ଏବେ ହୋ ଶୁଣ ଦଣ୍ତଧାରୀ ॥ ୪୧
ସେ କନ୍ୟା ସେ ପୁରରେ ଥାଇ । ହରପାର୍ବତୀ ଆରାଧଇ ॥ ୪୨
ଅନେକମତେ କଲା ସେବା । ପ୍ରସନ୍ନ ହେଲେ ଶିବଶିବା ॥ ୪୩
ତପେ ଆରାଧି ଶାକମ୍ବରୀ । ବରପାଇଲା ଉଷାନାରୀ ॥ ୪୪
ଦେବୀ ବୋଇଲେ ମାଗ ବର । ଉଷା ଯୋଡ଼ିଲା ବେନିକର ॥ ୪୫
ଭୋ ଦେବି ହେଲୁ ଯେ ପ୍ରସନ୍ନ । ଜାଣୁ ତ ସ୍ତିରୀଙ୍କର ମନ ॥ ୪୬
ଯୁବାଅବସ୍ଥା ହେଲା ମୋର । ମନେ ପାଇଲି ଚିନ୍ତା ଘୋର ॥ ୪୭
କରିବାରୁ ମୁଁ ଆରାଧନ । ମୋତେ ହୋଇଲୁ ପରସନ୍ନ ॥ ୪୮
ମୋର ସମାନେ ବର ଦେବ । ସଂସାରେ କଥା ରହିଥିବ ॥ ୪୯
ଉଷାବଚନେ ମହାମାୟୀ । ବୋଲନ୍ତି ହରଷିତ ହୋଇ ॥ ୫୦
ସ୍ୱପନେ ଯାହା ସଙ୍ଗେ ତୁହି । ରାତ୍ରେ ରମିବୁ ତୋଷ ହୋଇ ॥ ୫୧
ସେ ତୋର ହେବ ପ୍ରାଣନାଥ । ଆମ୍ଭେ କହିଲୁ ତୋତେ ସତ୍ୟ ॥ ୫୨
କହି ସେ ହେଲେ ଅନ୍ତର୍ଦ୍ଧାନ । ହରଷ ହେଲା ଉଷା ମନ ॥ ୫୩
ସେ କନ୍ୟା ରାତ୍ରେ ନିଦ୍ରାକାଳେ । ସ୍ୱପ୍ନେ ରମିଲା କାନ୍ତକୋଳେ ॥ ୫୪
ପ୍ରଦ୍ୟୁମ୍ନସୁତ ସଙ୍ଗେ ରମି । ପ୍ରଳାପେ କଲା ଶୋକଧ୍ୱନି ॥ ୫୫
ହେ କାନ୍ତ କାହିଁ ଗଲ ଛାଡ଼ି । ଶୋକସାଗରେ ମୋତେ ଏଡ଼ି ॥ ୫୬
ନ ଦେଖି ଛାଡ଼ିବି ଜୀବନ । ଦେଖାଅ ସୁନ୍ଦରବଦନ ॥ ୫୭
ଏମନ୍ତ ନିଦ୍ରାଭୋଳ-ବାଣୀ । ଉଠିଲେ ସଖୀଜନେ ଶୁଣି ॥ ୫୮
ସଚେତ କରିଣ ବହନ । ବସାଇ କହନ୍ତି ବଚନ ॥ ୫୯
ବାଣାସୁରର ମନ୍ତ୍ରୀବର । କୁମ୍ଭାଣ୍ତ ବୋଲି ନାମ ତାର ॥ ୬୦
ତାର କୁମାରୀ ଚିତ୍ରଲେଖା । କନ୍ୟାର ତୁଲେ ଥିଲା ଏକା ॥ ୬୧
ଅନ୍ତରେ ଅଛନ୍ତି କାମିନୀ । ସେ ବୋଲେ କନ୍ୟା କୋଳେ ଘେନି ॥ ୬୨
ଶୁଣ ସୁନ୍ଦରି ମୋର ବାଣୀ । ତୋର ପିଅର ନୃପବର ॥ ୬୩
ବିଭା ନ ଦେଲା ତୋତେ ବରେ । ଥୋଇଲା ବନ୍ଦୀପ୍ରାୟ ଘରେ ॥ ୬୪
ତୋହର କାନ୍ତସଙ୍ଗ ନାହିଁ । ପ୍ରଳାପ କଲୁ କାହିଁପାଇ ॥ ୬୫
ଏ ତ ନୁହଁଇ ଭଲ ଚିହ୍ନ । ଶୁଣିବେ ଦ୍ୱାରପାଳଗଣ ॥ ୬୬
କହିବେ ତୋର ପିତା ଆଗେ । କଷ୍ଟ ହୋଇବ ମୋର ଭାଗେ ॥ ୬୭
ତାର ବଚନ କର୍ଣ୍ଣେ ଶୁଣି । ଉଷା ଭାଷଇ ମଞ୍ଜୁବାଣୀ ॥ ୬୮
ସ୍ୱପନେ ଦେଖିଲି ପୁରୁଷ । ଅତିସୁନ୍ଦର ତାର ବେଶ ॥ ୬୯
ଶ୍ୟାମଳ କମଳଲୋଚନ । ସୁନ୍ଦର ଶଶାଙ୍କ-ବଦନ ॥ ୭୦
ପୀତବସନ ପରିଧାନ । ଯୁବତୀଜନଙ୍କୁ ମଦନ ॥ ୭୧
ନିବିଡେ଼ ଦେଇ ଆଲିଙ୍ଗନ । ସେ ମୋର ଚୁମ୍ବିଲା ବଦନ ॥ ୭୨
ଶୋକସାଗରେ ମୋତେ ଥୋଇ । ତକ୍ଷଣେ ଗଲା ସେ ପଳାଇ ॥ ୭୩
ମୁଁ ତାର ନ ଦେଖି ବଦନ । ନିଶ୍ଚୟେ ଛାଡ଼ିବି ଜୀବନ ॥ ୭୪
ଏମନ୍ତ କନ୍ୟାବୋଲ ଶୁଣି । ସେ ଚିତ୍ରଲେଖା ମନେ ଗୁଣି ॥ ୭୫
ହରଷେ ଧରି କନ୍ୟା କର । ବୋଇଲା ଚିତ୍ତ ସ୍ଥିର କର ॥ ୭୬
ମୋହର ସିଦ୍ଧବିଦ୍ୟା ଅଛି । ପ୍ରତ୍ୟକ୍ଷେ ଦେଖ କମଳାକ୍ଷି ॥ ୭୭
ଲେଖି ଆଣିବି ତିନିପୁର । ପୁରୁଷ ଯେତେକ ସୁନ୍ଦର ॥ ୭୮
ଚିତ୍ରେ ଦେଖିଣ ସର୍ବଜନ । ତୋହର କାନ୍ତ ଭଲେ ଚିହ୍ନ ॥ ୭୯
ତାହାକୁ ଦେବି ତୋତେ ଆଣି । ଶୋକ ନକର ସୁଲକ୍ଷଣି ॥ ୮୦
ଏମନ୍ତ କହି ଚନ୍ଦ୍ରମୁଖୀ । ଚିତ୍ରେ ତ୍ରିଲୋକଜନ ଲେଖି ॥ ୮୧
ଦେବ ଗନ୍ଧର୍ବ ସିଦ୍ଧଗଣ । ଗୁହ୍ୟକ କିନ୍ନର ଚାରଣ ॥ ୮୨
ଅସୁର ବିଦ୍ୟାଧର ଯକ୍ଷ । ଦାନବ ମାନବ ପ୍ରତ୍ୟକ୍ଷ ॥ ୮୩
ମନୁଷ୍ୟ ମଧ୍ୟେ ବୃଷ୍ଣିବଂଶେ । ଦେବେ ଉପୁଜିଛନ୍ତି ଅଂଶେ ॥ ୮୪
ବସୁଦେବଙ୍କୁ ପଟେ ଲେଖି । ଦେଖ ଗୋ ବୋଲେ ଚନ୍ଦ୍ରମୁଖୀ ॥ ୮୫
ପୁଣି ଲେଖିଲା କୃଷ୍ଣରାମ । ରୂପ ଯାହାଙ୍କ ଅନୁପମ ॥ ୮୬
ପ୍ରଦ୍ୟୁମ୍ନ କୃଷ୍ଣପାଶେ ଲେଖି । ତା ଦେଖି ଉଷା ଅଧୋମୁଖୀ ॥ ୮୭
ପ୍ରଦ୍ୟୁମ୍ନପୁତ୍ର ଅନିରୁଦ୍ଧ । ଲେଖନ୍ତେ ଉଷା କଲା ସଧ ॥ ୮୮
ସକାମ ଦୃଷ୍ଟିରେ ସେ ଦେଖି । ଲାଜେ ହୋଇଲା ଅଧୋମୁଖୀ ॥ ୮୯
ବୋଲଇ ଚିତ୍ରଲେଖା ଚାହିଁ । ଭୋ ସଖି ସେ ପୁରୁଷ ଏହି ॥ ୯୦
ଆନନ୍ଦେ ହରଷ ବଦନ । ସଖୀ ଜାଣିଲା ତାର ମନ ॥ ୯୧
ତାର ଲୀଳାରେ ସୁଖ ପାଇ । ବିଳାପ କରୁ ଛନ୍ନ ହୋଇ ॥ ୯୨
ଚିତ୍ରଲେଖାର କଥା ଶୁଣି । ପାଦେ ପଡ଼ିଲା ଉଷା ପୁଣି ॥ ୯୩
ଭୋ ସଖି ଶୁଣ ଚିତ୍ରଲେଖା । ତାହାକୁ ଆଣି ମୋତେ ଦେଖା ॥ ୯୪
ନୋହିଲେ ଛାଡ଼ିବିଟି ପ୍ରାଣ । ତୋ କଷ୍ଟ ହେବ ଅକାରଣ ॥ ୯୫
ଉଷାର ଦେଖିଣ ବିକଳ । ବୋଲଇ କିଛି ହିଁ ନ ଭାଳ ॥ ୯୬
ମହାହରଷେ ବଞ୍ଚ ଆଜ । ଆଣି ମୁଁ ଦେବି ବୀରରାଜ ॥ ୯୭
ସିଦ୍ଧଯୋଗିନୀ ଯୋଗବଳେ । ଗମିଲା ଗଗନମଣ୍ତଳେ ॥ ୯୮
ଏମନ୍ତେ ପ୍ରକାଶିଲା ନିଶି । ବେଗେ ଦ୍ୱାରକାପୁରେ ପଶି ॥ ୯୯
ଅନିରୁଦ୍ଧର ନିଦ୍ରାକାଳେ । ହରିଲା ଯୋଗମାୟା ବଳେ ॥ ୧୦୦
ଶଯ୍ୟା ସହିତେ ଶୂନ୍ୟପଥେ । ଘେନିଣ ଚଳିଲା ତୁରିତେ ॥ ୧୦୧
ଗଗନମାର୍ଗେ ଅତି ଖରେ । ପ୍ରବେଶି ଶୋଣିତନଗରେ ॥ ୧୦୨
ଉଷା ଶୟନେ ଦରଶନ । କରାଇ ତୋଷ କଲା ମନ ॥ ୧୦୩
ଉଷା ପୂଜିଲା ବୀରପାଦ । ଛାଡ଼ିଲା ମନର ବିଷାଦ ॥ ୧୦୪
ସୁନ୍ଦରବର ଦେଖି ହସି । ରମିଲା ହୃଦୟ ବିଶ୍ୱାସି ॥ ୧୦୫
ଏକାନ୍ତପୁର ମଧ୍ୟେ ଥାଇ । ଯହିଁ ପୁରୁଷ ଦୃଷ୍ଟି ନାହିଁ ॥ ୧୦୬
ପୁଷ୍ପ ଚନ୍ଦନ ଧୂପ ଦୀପ । ଆସନ ଭୋଜନ ସମୀପ ॥ ୧୦୭
ଏକବସନ ବେନିଦେହେ । ସେବା ସୁବାକ୍ୟେ ମନ ମୋହେ ॥ ୧୦୮
ପୂଜିତ କୃଷ୍ଣସୁତ ବଳା । ରତିପଣ୍ତିତ କାମକଳା ॥ ୧୦୯
ଗୁପତେ କନ୍ୟାପୁରେ ଥାଇ । ଅଧିକ ସ୍ନେହଭାବ କହି ॥ ୧୧୦
ରାତ୍ର-ଦିବାସ ନ ଜାଣିଲା । ଏମନ୍ତେ କେତେଦିନ ଗଲା ॥ ୧୧୧
ଉଷାର ପ୍ରିୟପ୍ରେମ ଲୋଭେ । ଯନ୍ତ୍ରିତ ଇନ୍ଦ୍ରିୟ ସ୍ୱଭାବେ ॥ ୧୧୨
କୁମର ପ୍ରେମପ୍ରିୟ ଭରେ । ରହିଲା ବୀର ଅନ୍ତଃପୁରେ ॥ ୧୧୩
ଏମନ୍ତେ ଶୁଣ ମହୀପତି । କନ୍ୟାର ଦେଖି ହୃଷ୍ଟମତି ॥ ୧୧୪
ଯଦୁକୁମର ସଙ୍ଗେ ରମି । ଚିହ୍ନ ଦିଶଇ ରତିଶ୍ରମୀ ॥ ୧୧୫
କନ୍ୟା-ଦୂଷଣ ଚିହ୍ନମାନ । ଦେଖି ଡରିଲେ ଦ୍ୱାରୀଗଣ ॥ ୧୧୬
ତକ୍ଷଣେ ନୃପନାଥ ଆଗେ । କହିଲେ କରଯୋଡ଼ି ବେଗେ ॥ ୧୧୭
ଶୁଣ ରାଜନ ଚୂଡ଼ାମଣି । ଦେଖିଲୁ ତୋହର ଦୁଲଣୀ ॥ ୧୧୮
କୁଳଦୂଷଣ କନ୍ୟାଗୁଣ । ରାଜନ ସାବଧାନେ ଶୁଣ ॥ ୧୧୯
କନ୍ୟାର ଦ୍ୱାରେ ଆମ୍ଭେ ଥାଇ । ଦଣ୍ତେ ହେଁ ଅବକାଶ ନାହିଁ ॥ ୧୨୦
ଶଶୀ-ତପନ ଶୂନ୍ୟେ ଯାନ୍ତି । କନ୍ୟାର ରୂପ ନ ଦେଖନ୍ତି ॥ ୧୨୧
ପୁରୁଷ ଦୃଷ୍ଟି ଯହିଁ ନାହିଁ । ତପନତେଜ ନ ଲାଗଇ ॥ ୧୨୨
ପରେ ଦୂଷିତା କନ୍ୟା ଦେଖି । ଅଇଲୁ ଭୁବନ ଉପେକ୍ଷି ॥ ୧୨୩
ଯେ ତୋର ଇଚ୍ଛା ଏବେ କର । ଏଥକୁ ସାକ୍ଷୀ ଦିବାକାର ॥ ୧୨୪
ଆମ୍ଭେ ଜାଣିବୁ ଅବା କାହିଁ । କହିଲୁ ଆମ୍ଭ ଦୋଷ ନାହିଁ ॥ ୧୨୫
ଶୁଣି ଚକିତ ନୃପବର । କାତରେ କମ୍ପଇ ଶରୀର ॥ ୧୨୬
ପୁଣି ନ ଚଳଇ ଚରଣ । ଦୁଃସହ ଦୁହିତାକଷଣ ॥ ୧୨୭
ବାଣ-କୋଦଣ୍ତ ଧରି କରେ । ବେଗେ ମିଳିଲା କନ୍ୟାପୁରେ ॥ ୧୨୮
ଦେଖିଲା ମଦନତନୁଜ । ଆଜାନୁଲମ୍ବେ ବେନିଭୁଜ ॥ ୧୨୯
ପୀତବସନ ହୃଦେ ହାର । ଅଶେଷ ଭୁବନ ସୁନ୍ଦର ॥ ୧୩୦
ଶ୍ୟାମସୁନ୍ଦର ପଦ୍ମନେତ୍ର । ଅଳକା-କପୋଳ ବିଚିତ୍ର ॥ ୧୩୧
କର୍ଣ୍ଣେ କୁଣ୍ତଳ ବେନି ଶୋହେ । ସୁନ୍ଦରରୂପ ଜନ ମୋହେ ॥ ୧୩୨
ଅଧରେ ଶୋହେ ମନ୍ଦହାସ । ସୁଚିତ୍ତେ ବସି କନ୍ୟା ପାଶ ॥ ୧୩୩
ଅକ୍ଷ ଖେଳଇ ପ୍ରିୟା ସଙ୍ଗେ । କୁଚକୁଙ୍କୁମ ସର୍ବଅଙ୍ଗେ ॥ ୧୩୪
ମଲ୍ଲିକା ପୁଷ୍ପମାଳ ହୃଦେ । ଆନ୍ଦୋଳେ ବେନିଭୁଜ ମଧ୍ୟେ ॥ ୧୩୫
ଏମନ୍ତେ କନ୍ୟାର ସମୀପେ । ଦେଖି ଦାନବ ମହାକୋପେ ॥ ୧୩୬
ଚକିତେ ଚଉଦିଗ ଚାହିଁ । କମ୍ପେ କୋଦଣ୍ତ ଗୁଣ ଦେଇ ॥ ୧୩୭
ଅନେକ ବୀର ତାର ସଙ୍ଗେ । ଦ୍ୱାର ରୁନ୍ଧିଲେ ଚାରିଦିଗେ ॥ ୧୩୮
ଦେଖି ତାହାର ସୈନ୍ୟବଳ । ସମ୍ଭ୍ରମେ ପ୍ରଦ୍ୟୁମ୍ନ ଦୁଲାଳ ॥ ୧୩୯
କରେ ପରିଘ ଶସ୍ତ୍ର ଧରି । ଉଠିଲା ଘୋରନାଦ କରି ॥ ୧୪୦
କନ୍ୟାର ଆଗେ ହୋଇ ଉଭା । କୃତାନ୍ତ ପ୍ରାୟ ଦିଶେ ଶୋଭା ॥ ୧୪୧
ଧରିବା ଆଶେ ଚଉଦିଗେ । ବୀରେ ଯେ ଥିଲେ ଦ୍ୱାରଲାଗେ ॥ ୧୪୨
ପରିଘ ପ୍ରହାରେ ବିନାଶି । ସିଂହ ଯେସନେ ପଶୁଗ୍ରାସି ॥ ୧୪୩
ପରିଘଘାତେ ବଜ୍ର ପ୍ରାୟେ । ଜୀବନ ନଶିଲେ ଥୋକାଏ ॥ ୧୪୪
କାହାର ଭୁଜ ଉର ଛିଡ଼ି । ପଳାଇଗଲେ ରଣ ଛାଡ଼ି ॥ ୧୪୫
ଦେଖିଣ ଅନିରୁଦ୍ଧ ରଣ । ଭାଜିଲେ ଅସୁର ସଇନ୍ୟ ॥ ୧୪୬
ବାଣା ଯୁଝଇ ଅତି ରୋଷେ । ବାଣେ ତାହାର ବାଣ ନାଶେ ॥ ୧୪୭
ଶସ୍ତ୍ରରେ ନ ପାରିଲା ଜିଣି । ମନେ ବିଚାରେ ନୃପମଣି ॥ ୧୪୮
ଦେଖିଣ ଅନିରୁଦ୍ଧ ଗତି । ନାଗପାଶରେ ମହାରଥୀ ॥ ୧୪୯
ବଳିନନ୍ଦନ ବେଗେ ବାନ୍ଧେ । ବନ୍ଧନ ଦେଖି ଉଷା କାନ୍ଦେ ॥ ୧୫୦
ଦେଖଇ ବିପ୍ର ଜଗନ୍ନାଥ । ନାଗବନ୍ଧନେ କାମସୁତ ॥ ୧୫୧
ସୁଜନେ ସାବଧାନେ ଶୁଣ । କୃଷ୍ଣ ନାଶିବେ ଏ କଷଣ ॥ ୧୫୨
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ଉତ୍ତରାର୍ଦ୍ଧେ ଅନିରୁଦ୍ଧେ ବନ୍ଧୋ ନାମ ସପ୍ତଷଷ୍ଟିତମ ଅଧ୍ୟାୟଃ ॥
ଅଷ୍ଟଷଷ୍ଟିତମ ଅଧ୍ୟାୟ
[ସମ୍ପାଦନା]- ଶୁକ ଉବାଚ
ଶୁଣ ରାଜନ ଭାଗବତ । ଦ୍ୱାରକାପୁରେ କାମସୁତ ॥ ୧
ନ ଦେଖି ଅତି ଶୋକଭରେ । ଲୋଡ଼ନ୍ତି ଗ୍ରାମ ବନଘୋରେ ॥ ୨
ନ ଦେଖି ହୋଇଲେ ନିରାଶ । ଏମନ୍ତେ ଗଲା ଚାରିମାସ ॥ ୩
ବହ୍ମାନନ୍ଦନ ଏକଦିନେ । ମିଳିଲେ ଦ୍ୱାରକାଭୁବନେ ॥ ୪
ରାମଗୋବିନ୍ଦ ପାଶେ ବସି । ମୁନି କହନ୍ତି ମନ୍ଦେ ବସି ॥ ୫
ଶୁଣ ଗୋବିନ୍ଦ ହଳଧର । ତୁମ୍ଭର ପୁତ୍ରର କୁମର ॥ ୬
ଶୋଣିତପୁରେ କନ୍ୟାଛଳେ । ବନ୍ଧନ ନିଜ କର୍ମଫଳେ ॥ ୭
ବଳୀର ପୁତ୍ର ବାଣାସୁର । ଦୁର୍ଜୟ ଦୁଷ୍ଟ ଦୁରାଚାର ॥ ୮
ତାର ସହସ୍ରଭୁଜ ବହି । ତା ସମ ରଣେ ବୀର ନାହିଁ ॥ ୯
ଈଶ୍ୱରବରେ ଭୁଜ ବହି । ତା ସମ ରଣେ ବୀର ନାହିଁ ॥ ୧୦
ଦେଖି ଡରନ୍ତି ସର୍ବଜନେ । ଅଜେୟ ଏ ତିନିଭୁବନେ ॥ ୧୧
ଏମନ୍ତ କହି କୃଷ୍ଣଆଗେ । ନାରଦ ଗଲେ ଶୂନ୍ୟମାର୍ଗେ ॥ ୧୨
କୃଷ୍ଣ ଆଦେଶେ ଉଗ୍ରସେନ । ସାଜିଲେ ଯଦୁ ଭୋଜ ସୈନ୍ୟ ॥ ୧୩
ପ୍ରଦ୍ୟୁମ୍ନ ଯୁଯୁଧାନ ଗଦ । ଶାମ୍ବ ସାରଣ ଉପନନ୍ଦ ॥ ୧୪
ଭଦ୍ର ସୁନନ୍ଦ ଆଦି ବେଗେ । ସାଜିଲେ ରାମକୃଷ୍ଣ ସଙ୍ଗେ ॥ ୧୫
ଦ୍ୱାଦଶ ଅକ୍ଷୌହିଣୀ ଘେନି । ଶବଦେ କମ୍ପଇ ମେଦିନୀ ॥ ୧୬
ଶଙ୍ଖ ଶବଦେ ଦିଗ ପୂରି । ରୁନ୍ଧିଲେ ଶୋଣିତନଗରୀ ॥ ୧୭
ଦୁର୍ଜୟ ଯଦୁ ଭୋଜବୀର । ଭାଙ୍ଗିଲେ ବନ ଗ୍ରାମ ପୁର ॥ ୧୮
ପାଚେରୀ ଅଟ୍ଟାଳୀ ଗୋପୁର । ଭାଙ୍ଗିଣ ସର୍ବ କଲେ ଚୂର ॥ ୧୯
ଗହନ ଘୋରନାଦ ଶୁଣି । ବଳିନନ୍ଦନ ବୀରମଣି ॥ ୨୦
ଦୁଷ୍ଟସ୍ୱଭାବେ ମହାରୋଷେ । ବେଗେ ମିଳିଲା ରୁଦ୍ର ପାଶେ ॥ ୨୧
ସମ୍ଭ୍ରମେ ରୁଦ୍ରପାଦେ ପଡ଼ି । ବୋଲଇ ବେନିକର ଯୋଡ଼ି ॥ ୨୨
ଭୋ ନାଥ ଅମ୍ବିକାରମଣ । ମୋ ପୁରେ କନ୍ୟାର ଦୂଷଣ ॥ ୨୩
ନିର୍ଭୟେ ପ୍ରଦ୍ୟୁମ୍ନ କୁମର । ବଳେ ହରିଲା କନ୍ୟା ମୋର ॥ ୨୪
ବନ୍ଧନ କଲି ନାଗପାଶେ । ତା ଶୁଣି କୃଷ୍ଣ ମହାରୋଷେ ॥ ୨୫
ବଳେ ମୋହର ପୁରେ ଆସି । ରାହୁ ଯେସନେ ଶଶୀ ଗ୍ରାସି ॥ ୨୬
ଭାଜିଲେ ମୋର ଗଡ଼ ଗ୍ରାମ । ଶୁଣି ଶଙ୍କର ଗରୁତମ ॥ ୨୭
ବିଶେଷେ କନ୍ୟାର ଦୂଷଣ । ଶୁଣି ସାଜିଲେ ରୁଦ୍ରଗଣ ॥ ୨୮
ତକ୍ଷଣେ ବଳିର ନନ୍ଦନ । ମିଳିଲା ଆପଣା ଭୁବନ ॥ ୨୯
କୃଷ୍ଣର ବଳ ପରିମାଣି । ସାଜି ଦ୍ୱାଦଶ ଅକ୍ଷୌହିଣୀ ॥ ୩୦
ସଙ୍ଗତେ ଘେନି ମହାବୀର । ନଗରୁ ହୋଇଲା ବାହାର ॥ ୩୧
ଦେଖି ତାହାର ଆଗୁସାର । ତକ୍ଷଣେ ମିଳିଲେ ଶଙ୍କର ॥ ୩୨
ସଙ୍ଗେ କାର୍ତ୍ତିକ ଗଣପତି । ଆବର ଯେତେ ସେନାପତି ॥ ୩୩
ବୃଷଭ ପୃଷ୍ପେ ବସି ହର । ମିଳିଲେ ଯହିଁ ଚକ୍ରଧର ॥ ୩୪
ଶଙ୍କର ଗଣ ଅପ୍ରମିତ । ରଣ ଆବୋରି ଯୂଥ ଯୂଥ ॥ ୩୫
ମାରନ୍ତି ନାନାଶସ୍ତ୍ର ଘେନି । ଶବଦେ କମ୍ପଇ ମେଦିନୀ ॥ ୩୬
ଶୂନ୍ୟେ ଦେଖନ୍ତି ଦିଗପାଳ । କୃଷ୍ଣଶଙ୍କର ରଣଗୋଳ ॥ ୩୭
ଦୁର୍ଲ୍ଲଭ ହରିହର ଗଣ । ଶୁଣନ୍ତେ ରୋମହରଷଣ ॥ ୩୮
ଅଦ୍ଭୁତ ଶୁଭେ ଘୋରନାଦ । ଶୁଣ ହୋ ସଂଗ୍ରାମ ପ୍ରମାଦ ॥ ୩୯
କୃଷ୍ଣଶଙ୍କର ରଣ ଘୋର । କାର୍ତ୍ତିକେ ରୁକ୍ମିଣୀକୁମର ॥ ୪୦
ବାଣର ମନ୍ତ୍ରୀ ବେନିଜନ । ନାମ କୁମ୍ଭାଣ୍ତ କୂପକର୍ଣ୍ଣ ॥ ୪୧
କୁମ୍ଭାଣ୍ତ କୂପକର୍ଣ୍ଣ ବୀର । ସଙ୍ଗେ ଯୁଝନ୍ତି ହଳଧର ॥ ୪୨
ବାଣକୁମର ଶାମ୍ବ ବେନି । ଯୁଦ୍ଧ କରନ୍ତି ଶସ୍ତ୍ର ଘେନି ॥ ୪୩
ସାତ୍ୟକି ବାଣ ତୁଲେ ରଣ । କେ କହୁ ଯୁଦ୍ଧ ଗରୁଟାଣ ॥ ୪୪
ସହସ୍ର ଭୁଜେ ବେନିଭୁଜ । ଯେଣୁ ସାତ୍ୟକି ବିଷ୍ଣୁତେଜ ॥ ୪୫
ଦେଖି ଅଦ୍ଭୁତ ଘୋରଗଣ । ଶୁନ୍ୟେ ମିଳିଲେ ଦେବଗଣ ॥ ୪୬
ବ୍ରହ୍ମାଙ୍କ ତୁଲେ ଆଖଣ୍ତଳ । ସିଦ୍ଧଚାରଣ ଦିଗପାଳ ॥ ୪୭
ଗନ୍ଧର୍ବ ଅପସରା ଯକ୍ଷ । ବିମାନେ ମିଳିଲେ ପ୍ରତ୍ୟକ୍ଷ ॥ ୪୮
ଗୋବିନ୍ଦ ଦେଖି ରୁଦ୍ରଗଣ । ନିଜ କୋଦଣ୍ତେ ଦେଲେ ଗୁଣ ॥ ୪୯
ଭୂତ ପ୍ରମଥ ଗୁହ୍ୟଗଣ । ଗ୍ରହ ଡାକିନୀ ଯାତୁଧାନ ॥ ୫୦
ବେତାଳ ଆଦି ବିନାୟକ । କୋଟରା ରେବତୀ ଅନ୍ତକ ॥ ୫୧
ଜ୍ୟେଷ୍ଠା ପୂତନା ଆଦି ଯେତେ । ପ୍ରେତ ମାତୃକାଗଣ ଯୂଥେ ॥ ୫୨
ପିଶାଚ କୁଷ୍ମାଣ୍ତକ ବୀର । ବ୍ରହ୍ମରାକ୍ଷସ ମହାଘୋର ॥ ୫୩
ଏ ଆଦି କହିବି ମୁଁ କେତେ । ରୁଦ୍ରର ବଳ ଛନ୍ତି ଯେତେ ॥ ୫୪
ସାରଙ୍ଗ ଧନୁର୍ବାଣ ବିନ୍ଧି । ନିମିଷ ମାେତ୍ର କୃଷ୍ଣ ଛେଦି ॥ ୫୫
ତା ଦେଖି ରୁଦ୍ର କୋପଭରେ । ପିନାକ ଧନୁ ଧରି କରେ ॥ ୫୬
ତକ୍ଷଣେ ଦଶଦିଗ ରୁନ୍ଧି । କୃଷ୍ଣ ଉପରେ ବାଣ ବିନ୍ଧି ॥ ୫୭
ରୁଦ୍ର ନାରାଚ ଦେଖି ହରି । ଗୁଣ ଟଙ୍କାରି ନାଦ କରି ॥ ୫୮
ବାଣକୁ ବାଣ ପରିତାଳ । କରନ୍ତି ମଦନଗୋପାଳ ॥ ୫୯
ତିଳପ୍ରମାଣ ଛେଦି କରି । କାଟିଲେ ରୁଦ୍ରବାଣ ହରି ॥ ୬୦
ଲୀଳାମାତ୍ରକେ ବାଣ ଗଲା । ତା ଦେଖି ରୁଦ୍ର କୋପ କଲା ॥ ୬୧
ଦହିବା ପ୍ରାୟ ତିନିପୁର । ଗୁଣେ ବସାଇ ରୁଦ୍ରଶର ॥ ୬୨
ଆକର୍ଣ୍ଣଯାଏ ଟାଣି ଗୁଣ । ଦେଖି ହସନ୍ତି ନାରାୟଣ ॥ ୬୩
ବ୍ରହ୍ମଅସ୍ତ୍ରରେ ତାହା ଛେଦି । ପର୍ବତବାଣ ରୁଦ୍ର ବିନ୍ଧି ॥ ୬୪
ବଜ୍ର ପ୍ରହାରି ଜଗନ୍ନାଥ । ରୁଦ୍ରଶସ୍ତ୍ରକୁ କଲେ ହତ ॥ ୬୫
ହର ପେଷିଲେ ମେଘମାଳ । ପବନଶରେ ନନ୍ଦବାଳ ॥ ୬୬
ମେଘସମୂହେ ବେଗେ ନାଶେ । ଶଙ୍କର ଅନଳ ବରଷେ ॥ ୬୭
ଗୋବିନ୍ଦ ଜଳବୃଷ୍ଟି କରି । ତକ୍ଷଣେ ଅନଳ ନିବାରି ॥ ୬୮
ଦେଖି ଶଙ୍କର କୋପଚିତ୍ତେ । ବେଗେ ବିନ୍ଧିଲେ ପାଶୁପତେ ॥ ୬୯
କୃଷ୍ଣ ପେଷିଲେ ଚକ୍ର ବେଗେ । ପଡ଼ିଲା ପାଶୁପତ ଅଙ୍ଗେ ॥ ୭୦
ତକ୍ଷଣେ କଲା ଭସ୍ମସାର । ଯୁଦ୍ଧ ଦେଖନ୍ତି ସୁର ନର ॥ ୭୧
ରୁଦ୍ର ଶରୀରେ ଗୋପୀନାଥ । ଜୃମ୍ଭଣ ଶସ୍ତ୍ର କଲେ ଘାତ ॥ ୭୨
ପୁଣି ମୋହନଶସ୍ତ୍ର ଧରି । ଶଙ୍କର ଦେହେ କୃଷ୍ଣ ମାରି ॥ ୭୩
ତକ୍ଷଣେ ଅମ୍ବିକାରମଣ । ମୋହେ ପଡ଼ିଲେ ଘୋରରଣ ॥ ୭୪
ପଞ୍ଚପରାଣ କଣ୍ଠାଗ୍ରତ । ତକ୍ଷଣେ ହୋଇଲେ ଅଚେତ ॥ ୭୫
ରୁଦ୍ରଙ୍କୁ କରାଇ ମୋହନ । ଚାହିଁଲେ ଦେବକୀନନ୍ଦନ ॥ ୭୬
ବାଣାସୁରର ବଳ ଦେଖି । ଧନୁକୁ କଲେ ଅଧୋମୁଖୀ ॥ ୭୭
ଗଦାଖଡ଼ଗ ବାଣେ ହରି । ଦ୍ୱାଦଶ ଅକ୍ଷୌହିଣୀ ମାରି ॥ ୭୮
ଗୋବିନ୍ଦ କଲେ ଶଙ୍ଖଧ୍ୱନି । ଶବଦେ କମ୍ପିଲା ମେଦିନୀ ॥ ୭୯
କାର୍ତ୍ତିକ ପ୍ରଦ୍ୟୁମ୍ନର ତୁଲେ । ଘୋରଶବଦେ ରଣ କଲେ ॥ ୮୦
ପ୍ରଦ୍ୟୁମ୍ନବାଣେ ହରବଳା । ମୟୁର ଘେନି ପଳାଇଲା ॥ ୮୧
କୁମ୍ଭାଣ୍ତ କୂପକର୍ଣ୍ଣ ବେନି । ରାମର ତୁଲେ ଧନୁ ଘେନି ॥ ୮୨
ଯୁଦ୍ଧ କରନ୍ତି ଗୁରୁତର । ଦେଖି କୋପିଲେ ହଳଧର ॥ ୮୩
ମୂଷଳ ଘେନି ବେଗେ ପିଟି । ପଡ଼ିଲେ ବେନିବୀର ଲୋଟି ॥ ୮୪
ସନ୍ନିଧ୍ୟେ ଯେତେ ବୀର ଥିଲେ । ସମର ଛାଡି ପଳାଇଲେ ॥ ୮୫
ସାତ୍ୟକି ତୁଲେ ବାଣାସୁର । ନିବିଡେ଼ କରନ୍ତେ ସମର ॥ ୮୬
ଦେଖିଲା ନିଜ ସୈନ୍ୟ ନାହିଁ । ସମ୍ଭ୍ରମେ ଦଶଦିଗ ଚାହିଁ ॥ ୮୭
ତା ଦେଖି ବଳିର କୁମର । କୋପ ବଢ଼ିଲା ଗରୁତର ॥ ୮୮
ସାତ୍ୟକି ତୁଲେ ରଣ ଛାଡି । ଧାଇଁଲା ରଣଭୂମି ମାଡ଼ି ॥ ୮୯
କୃଷ୍ଣନିକଟେ ରଥ ନେଇ । ରଖିଲା ଚାପେ ଗଣ ଦେଇ ॥ ୯୦
ଆକର୍ଷି ଧନ ପାଞ୍ଚଶତ । ଅସୁର ବଳ ଅପ୍ରମିତ ॥ ୯୧
ଗୁଣକେ ବେନି ବେନି ବାଣ । କୋପେ ବିନ୍ଧିଲା ଗରୁଟାଣ ॥ ୯୨
ରଣ-ଦୁର୍ମଦ ଅତି ଖରେ । ବିନ୍ଧିଲା ଗୋବିନ୍ଦ ଉପରେ ॥ ୯୩
ଦେଖି ତାହାର ବାଣବୃଷ୍ଟି । ଗୋବିନ୍ଦ କଲେ ଦୃଢ଼ମୁଷ୍ଠି ॥ ୯୪
ଏକାବେଳେକେ ଦେବରାଜ । ବିନ୍ଧିଲେ ସହସ୍ର ନାରାଚ ॥ ୯୫
ଶରର ମୁଖେ ଶର ବାଜି । ଅସୁର ବାଣ ଗଲା ଭାଜି ॥ ୯୬
ତକ୍ଷଣେ ତିନିଶର ବିନ୍ଧି । ଅଶ୍ୱ ସାରଥି ରଥ ଛେଦି ॥ ୯୭
ବାଣ ହୋଇଲା ଭୂମିପାଦ । ଗୋବିନ୍ଦ କଲେ ଶଙ୍ଖନାଦ ॥ ୯୮
ତାର ଜନନୀ ପୁରେ ଥିଲା । ପୁତ୍ରର ମରଣ ଜାଣିଲା ॥ ୯୯
ସିଦ୍ଧଯୋଗିନୀ ସେ ଯୁକତେ । ସଂଗ୍ରାମେ ମିଳିଲା ତୁରିତେ ॥ ୧୦୦
କୃଷ୍ଣର ନିକଟ ହୋଇଲା । ଅତି ବିରୂପ ପ୍ରକାଶିଲା ॥ ୧୦୧
କେଶ ମୁକୁଳା ମୁଣ୍ତେ ଚାଲେ । ବସ୍ତ୍ର ପଡ଼ିଲା ଫିଟି ତଳେ ॥ ୧୦୨
ବିବସ୍ତ୍ର ଦେଖି ତା ଶରୀର । ବିଷ୍ଣୁ ସୁମରି ଗଦାଧର ॥ ୧୦୩
ଅଧୋବଦନ ନାରାୟଣ । ବିରଥ ହୋଇଥିଲା ବାଣ ॥ । ୧୦୪
ବେଗେ ପଳାଇ ପୁରେ ପଶି । ଗୋପନେ ଜୀବନ ଆଶ୍ୱାସି ॥ ୧୦୫
ଭୁବନେ ହୋଇଲା ନିଶ୍ଚିନ୍ତ । ଏମନ୍ତ ଶୁଣ ନରନାଥ ॥ ୧୦୬
ରୁଦ୍ର ଯେ ପଡ଼ିଥିଲେ ମୋହେ । ଜ୍ଞାନ ପଶିଲା ନିଜ ଦେହେ ॥ ୧୦୭
ଉଠି ସମ୍ଭାଳି କଳେବର । ଶରୀରୁ ଜାତ କଲେ ଜ୍ୱର ॥ ୧୦୮
ବୋଇଲେ କୃଷ୍ଣେ ମାର ତୁହି । ତକ୍ଷଣେ ଶିବ ଆଜ୍ଞା ପାଇ ॥ ୧୦୯
ସ୍ୱଭାବେ ତ୍ରିଶିର ତ୍ରିପାଦ । ଚଳନ୍ତେ କଲେ ଘୋର ନାଦ ॥ ୧୧୦
ଶବଦେ ଭୁବନ କମ୍ପିଲା । କୃଷ୍ଣର ନିକଟେ ମିଳିଲା ॥ ୧୧୧
ଅଦ୍ଭୁତ ଦେଖି ରୂପ ତାର । ଅଳପ ହସି ଚକ୍ରଧର ॥ ୧୧୨
କୃଷ୍ଣ ଆଦେଶେ ବିଷ୍ଣୁଜ୍ୱର । ଶରୀରୁ ହୋଇଲା ବାହାର ॥ ୧୧୩
ଏ ବେନି ଜ୍ୱର ଏକମେଳେ । ଶୂନ୍ୟେ ଦେଖନ୍ତି ଦିଗପାଳେ ॥ ୧୧୪
କେପେ ଯୁଝନ୍ତି ବେନି ଜ୍ୱର । ଶବଦେ କମ୍ପେ ତିନିପୁର ॥ ୧୧୫
ବଜ୍ର ଶବଦ ଘୋରନାଦେ । ସମର କଲେ ବାହୁଯୁଦ୍ଧେ ॥ ୧୧୬
ବିଷ୍ଣୁର ଜ୍ୱର ମହାଘୋର । ଦେଖି ଭାଜିଲା ଶିବଜ୍ୱର ॥ ୧୧୭
ପଳାଇଗଲା ଅନ୍ତରୀକ୍ଷେ । ଗୋଡାଏ ବିଷ୍ଣୁଜ୍ୱର ପଛେ ॥ ୧୧୮
ଭ୍ରମିଲା ଦଶଦିଶ ତ୍ରାସେ । କେହି ନୋହିଲେ ତା ବିଶ୍ୱାସେ ॥ ୧୧୯
ଚଉଦଭୁବନେ ବୁଲିଲା । ଶରଣ କେହି ନ ରଖିଲା ॥ ୧୨୦
କୃଷ୍ଣବଇରୀ କେ ବିଶ୍ୱାସ । ଜୀବନେ ଅଛି ଯାର ଆଶ ॥ ୧୨୧
ନିରାଶେ ଶିବଜ୍ୱର ଧାଇଁ । ମିଳିଲା କୃଷ୍ଣ ପାଶେ ଯାଇ ॥ ୧୨୨
ଭୟେ ରୋଦଇ ଘୋରନାଦେ । ଶରଣ ଗଲା କୃଷ୍ଣ ପାଦେ ॥ ୧୨୩
ଆରତେ କୃଷ୍ଣ ପାଦେ ଯାଇ । କରଯୁଗଳ ଶିରେ ଦେଇ ॥ ୧୨୪
କତରେ ଯୋଡ଼ି ବେନିକର । ସ୍ତୁତିକରଇ ଶିବଜ୍ୱର ॥ ୧୨୫
- ଜ୍ୱର ଉବାଚ
ନମଇଁ ପ୍ରଭୁ ଭାବଗ୍ରାହୀ । ଅନନ୍ତଶକ୍ତିମୟ ତୁହି ॥ ୧୨୬
ପରମପୁରୁଷ ତୁ ହରି । ଜଗତେ ଅତ୍ମାରୂପେ ପୂରି ॥ ୧୨୭
ତୋହର ନାହିଁ ଆଦିଅନ୍ତ । କେବଳ ଆତ୍ମଜ୍ଞାନେ ରତ ॥ ୧୨୮
ସୃଷ୍ଟିପାଳନ ସଂହାରଣ । ତୁ ନାଥ ପରମକାରଣ ॥ ୧୨୯
ଯେ ନିର୍ବିକାର ବ୍ରହ୍ମତତ୍ତ୍ୱ । ବେଦାନ୍ତେ ବୋଲନ୍ତି ପ୍ରଶସ୍ତ ॥ ୧୩୦
କାଳ ଦଇବ କର୍ମ ଜୀବ । ଏମନ୍ତେ ପଞ୍ଚମେ ସ୍ୱଭାବ ॥ ୧୩୧
ତୁ ଭୂତ ସୂକ୍ଷ୍ମ କ୍ଷେତ୍ରଆତ୍ମା । ବିକାର ପଞ୍ଚ ତୋ ମହିମା ॥ ୧୩୨
ଏ ଦଶଇନ୍ଦ୍ରି ଏକକରି । ତୋ ମାୟା ବୀଜରୂପ ଧରି ॥ ୧୩୩
ଅଙ୍କୁରି ଫଳଇ ବ୍ରହ୍ମାଣ୍ତ । ଏଣେ ବିଲଗ ତୋର ପିଣ୍ତ ॥ ୧୩୪
ଲୀଳାଏ ଉତପନ୍ନ ହେଉ । ତୁ ନାଥ ଭାବେ ଦେହ ବହୁ ॥ ୧୩୫
ଦେବତା ସାଧୁ ଲୋକଧର୍ମ । ଯଜ୍ଞାଦି ଯେତେ ଶୁଭକର୍ମ ॥ ୧୩୬
ଏ ଆଦି ଯେତେ ଧର୍ମହେତୁ । ଏହାଙ୍କ ରକ୍ଷଣେ ତୁ ସେତୁ ॥ ୧୩୭
ସାଧୁ ହିଂସନ୍ତି ଯେତେ ପ୍ରାଣୀ । ତାହାଙ୍କୁ ଦଣ୍ତୁ ଚକ୍ରପାଣି ॥ ୧୩୮
ଭୂମିର ଭାର ଖଣ୍ତିବାରେ । ତୋହର ଜନ୍ମ ଏ ସଂସାରେ ॥ ୧୩୯
ତୋହର ତେଜେ ନିଜ ଜ୍ୱର । ଦୁଃସହ ଘୋର ଭୟଙ୍କର ॥ ୧୪୦
ତାହାର ମହାତେଜେ ମୁହିଁ । ବ୍ରହ୍ମାଣ୍ତେ ଭ୍ରମି ଶ୍ରମ ପାଇ ॥ ୧୪୧
ପଶିଲି ତୋହରେ ଶରଣ । ତୁ ମୋତେ ରଖ ନାରାୟଣ ॥ ୧୪୨
ଯାବତ ଜନ୍ତୁ ତୋର ପାଦେ । ଶରଣ ନ ପଶେ ପ୍ରମାଦେ ॥ ୧୪୩
ତାବତ ତାପତ୍ରୟେ ଦୁଃଖୀ । କର୍ମବନ୍ଧନେ ଉପଲକ୍ଷ୍ୟି ॥ ୧୪୪
ଏମନ୍ତ ଜ୍ୱର ବାକ୍ୟଶୁଣି । ହସି ବୋଲନ୍ତି ଚକ୍ରପାଣି ॥ ୧୪୫
- ଭଗବାନ ଉବାଚ
ତ୍ରିଶିର ଶୁଣ ମୋ ବଚନ । ମୁଁ ତୋତେ ହୋଇଲି ପ୍ରସନ୍ନ ॥ ୧୪୬
ତୋତେ ମୋ ଜ୍ୱର ଭୟ ନାହିଁ । ଶୁଣ ମୁଁ ପ୍ରସନ୍ନେ ବୋଲଇ ॥ ୧୪୭
ତୋହର ମୋହର ସମ୍ବାଦ । ଶୁଣନ୍ତେ ଖଣ୍ତିବ ପ୍ରମାଦ ॥ ୧୪୮
ଜ୍ୱର ନ ଲାଗୁ ତା ଶରୀର । ସତ୍ୟବଚନ ଏ ମୋହର ॥ ୧୪୯
ଏମନ୍ତ କୃଷ୍ଣବାକ୍ୟ ଶୁଣି । ଜ୍ୱର ନମିଲା ଚକ୍ରପାଣି ॥ ୧୫୦
ଆନନ୍ଦେ ଗଲା ଶିବଜ୍ୱର । ଏବେ ହୋ ଶୁଣ ନୃପବର ॥ ୧୫୧
ବାଣ ଯେ ନିଜପୁରେ ଥିଲା । ପୁଣି ସଂଗ୍ରାମେ ବିଜେ କଲା ॥ ୧୫୨
ରଥେ ବସିଲା କୋପଭରେ । ଅର୍ଦ୍ଧସହସ୍ର ଧନୁ କରେ ॥ ୧୫୩
ସହସ୍ରଭୁଜେ ମହାରୋଷେ । ବାଣ ବରଷେ ଦଶଦିଶେ ॥ ୧୫୪
ଆୟୁଧ ନାନାରୂପେ ଧରି । ମିଳିଲା ଯହିଁ ନରହରି ॥ ୧୫୫
ବାଣ ବରଷେ ମହାଘୋର । ଯେହ୍ନେ ଗଗନେ ଜଳଧର ॥ ୧୫୬
ଦେଖି ତାହାର ବାଣବୃଷ୍ଟି । କୃଷ୍ଣ ଚାହିଁଲେ ସ୍ଥିରଦୃଷ୍ଟି ॥ ୧୫୭
ସୁଦରଶନ ଘେନି ହସ୍ତେ । ଆସନ୍ତେ ପ୍ରହାରିଲା ପଥେ ॥ ୧୫୮
ବାଣବରଷା ଅତିବେଗେ । କୋପେ ଛେଦିଲେ ଶୂନ୍ୟମାର୍ଗେ ॥ ୧୫୯
ବଜ୍ରଶବଦ ପ୍ରାୟ ସ୍ପୁରି । କୋଟିତପନ ରୂପ ଧରି ॥ ୧୬୦
ପଡିଲା ବାଣାସୁର କନ୍ଧେ । ଭୁଜଛେଦିଲା ଘୋରନାଦେ ॥ ୧୬୧
ବାମ-ଦକ୍ଷିଣେ ବେଗେ ପଡେ଼ । ବୃକ୍ଷରୁ ପତ୍ର ଯେହ୍ନେ ଝଡେ଼ ॥ ୧୬୨
ବାଣର ଭୁଜ ନାଶ ଦେଖି । ଶଙ୍କର ସମର ଉପେକ୍ଷି ॥ ୧୬୩
ମିଳିଲେ ଗୋବିନ୍ଦ ନିକଟେ । ଦେବେ ଦେଖନ୍ତି ଶୂନ୍ୟବାଟେ ॥ ୧୬୪
ଭକତବନ୍ଧୁ ସେ ଶଙ୍କର । ଶିରେ ନିବେଶି ବେନିକର ॥ ୧୬୫
- ରୁଦ୍ର ଉବାଚ
ବୋଲନ୍ତି ଚକ୍ରାୟୁଦ ତୁହି । ତୁ ନାଥ ନୋହୁ ଭୂତଦେହୀ ॥ ୧୬୬
ତୁ ବ୍ରହ୍ମ ପୁରୁଷ ପୁରାଣ । ଅଶେଷ-ପରମକାରଣ ॥ ୧୬୭
ପରମଜ୍ୟୋତି ରୂପ ତୋର । ଚର୍ମଲୋଚନେ ଆଗୋଚର ॥ ୧୬୮
ନିର୍ମଳଆତ୍ମା ଯୋଗୀଜନେ । ତୋତେ ଭାବନ୍ତି ଶୁଦ୍ଧମନେ ॥ ୧୬୯
ତୁ ଆତ୍ମାରୂପେ ସର୍ବଦେହେ । ତୋତେ ଦେଖନ୍ତି ପୁଣ୍ୟମୟେ ॥ ୧୭୦
ତୋହର ନାଭି ଅନ୍ତରୀକ୍ଷ । ବଦନ ଅନଳ ପ୍ରତ୍ୟକ୍ଷ ॥ ୧୭୧
ଆପ ତୋହର ରେତସାର । ଗଗନ ଘେନି ତୋର ଶିର ॥ ୧୭୨
ଦିଗ ଯେ ତୋହର ଶ୍ରବଣ । ମେଦିନୀ ପ୍ରକାଶ ଚରଣ ॥ ୧୭୩
ତୋହର ମନ ନିଶାକର । ରବି ତୋ ନୟନୁ ବାହାର ॥ ୧୭୪
ମୁଁ ତୋର ଆତ୍ମାର ନିକଟ । ସପ୍ତ ସମୁଦ୍ର ତୋର ପେଟ ॥ ୧୭୫
ତୋହର ଭୁଜ ଆଖଣ୍ତଳ । ତୋ ତନୁରୋମ ତରୁମାଳ ॥ ୧୭୬
ଜୀମୂତଗଣେ ତୋର କେଶ । ବିରଞ୍ଚି ତୋ ବୁଦ୍ଧି ପ୍ରକାଶ ॥ ୧୭୭
ତୋର ବୃଷଣ ପ୍ରଜାପତି । ଏଣୁକେ ଜାଣେ ତୋର ଗତି ॥ ୧୭୮
ଧର୍ମ ତୋ ହୃଦୟୁ ପ୍ରକାଶ । ଏଣୁ ତୁ ବିରାଟପୁରୁଷ ॥ ୧୭୯
ଜଗତେ ତୋର ଅବତାର । ଧର୍ମରକ୍ଷଣେ ଚକ୍ରଧର ॥ ୧୮୦
ଜଗତହିତେ ତୋର ଦେହୀ । ତୋ ମାୟା ନ ଜାଣନ୍ତି କେହି ॥ ୧୮୧
ତୋ ଅନୁଭବ ଆମ୍ଭେ କେଉଁ । ଆଜ୍ଞାରୁ ଭୁବନ ଭିଆଉଁ ॥ ୧୮୨
କରୁ ପାଳନ ସଂହାରଣ । ତୋହର ଆଜ୍ଞା ପରମାଣ ॥ ୧୮୩
ଆଦିପୁରୁଷ ଏକ ତୁହି । ଦ୍ୱିତୀୟଭାବ ତୋର ନାହିଁ ॥ ୧୮୪
ଜ୍ଞାନ ପ୍ରକାଶ ଶୁଦ୍ଧଜ୍ୟୋତି । ହେତୁ ଅହେତୁ ତୁ ଶ୍ରୀପତି ॥ ୧୮୫
ପ୍ରକାଶ ହେଉ ଯଥାବିଧି । ତୋ ମାୟା ସକଳେ ପ୍ରସିଦ୍ଧ ॥ ୧୮୬
ସୂର୍ଯ୍ୟର ତହୁଁ ଛାୟା ଜାତ । ଛାୟାରେ ଛନ୍ନ ଛାୟାକାନ୍ତ ॥ ୧୮୭
ଛାୟାର ମଧ୍ୟେ ନାନାରୂପ । ତେସନେ ତୋର ମାକ୍ଷାକଳ୍ପ ॥ ୧୮୮
ତ୍ରିଗୁଣେ ନୋହୁ ତୁ ବିକାଶ । ରବି ଯେସନେ ସ୍ୱପ୍ରକାଶ ॥ ୧୮୯
ଆତ୍ମାପ୍ରକାଶେ ଗୁଣ ନାଶେ । ଆଦିତ୍ୟ ଯେସନେ ଆକାଶେ ॥ ୧୯୦
ତୁ ନାଥ ନିତ୍ୟ ଶୁଦ୍ଧଜ୍ଞାନ । ମହାମହିମ ଭଗବାନ ॥ ୧୯୧
ତୋର ମାୟାରେ ବୁଦ୍ଧିନାଶି । ଜୀବନ ଗଳେ ମୋହପାଶି ॥ ୧୯୨
ପୁତ୍ର-କଳତ୍ର-ଗୃହ-ଧନେ । ବନ୍ଧନ ତୋହର ବଚନେ ॥ ୧୯୩
ଦୁଃଖସାଗରେ ମୂଢ଼ମତି । ବୁଡ଼ନ୍ତି ପୁଣି ପ୍ରକାଶନ୍ତି ॥ ୧୯୪
ପମାଦେ କରୁଥାନ୍ତି କେଳି । ତୋର ମାୟାରେ ବନମାଳୀ ॥ ୧୯୫
ମନୁଷ୍ୟ ଦେହ ପଦ୍ମନାଭ । ନିଶ୍ଚୟ ଦେବଙ୍କୁ ଦୁର୍ଲ୍ଲଭ ॥ ୧୯୬
ଏ ଦେହ ପାଇ ଜ୍ଞାନ ହାରି । ତୋତେ ନ ଜାଣେ ଦଇତ୍ୟାରି ॥ ୧୯୭
ଭାବ ତୋ ଚରଣେ ନ ସଞ୍ଚେ । ସେ ଦୁଃଖେ ନିଜ ଆତ୍ମା ବଞ୍ଚେ ॥ ୧୯୮
ଆତ୍ମା ଈଶ୍ୱର ପ୍ରିୟ ତୁହି । ସେ ପ୍ରାଣୀ ତୋତେ ପାସୋରଇ ॥ ୧୯୯
ଇନ୍ଦ୍ରିୟ ଅର୍ଥେ ବିପରୀତ । ହସ୍ତରୁ ପକାଇ ଅମୃତ ॥ ୨୦୦
ବିଷ ଭକ୍ଷଇ ସ୍ୱାଦୁ ମଣି । ତୋ ମାୟାଗୁଣେ ଚକ୍ରପାଣି ॥ ୨୦୧
ମୁହିଁ ବିରଞ୍ଚି ମୁନି ଦେବା । ନିର୍ମଳ ତୋତେ ସେବା ॥ ୨୦୨
କରୁଁ ସଂସାରେ ଦେହ ବହି । ଜୀବର ଇଷ୍ଟଦାତା ତୁହି ॥ ୨୦୩
ସ୍ଥିତି-ପାଳନ-ଅନ୍ତ ହେତୁ । ସମ ପ୍ରଶାନ୍ତ ଆତ୍ମା କେତୁ ॥ ୨୦୪
ଆତ୍ମା ଦେବତା ତୁ ଅନେକ । ତୋ ତହୁଁ ନାହିଁ ଅନ୍ୟ ଏକ ॥ ୨୦୫
ତୁ ଏ ଜଗତମିତ୍ର ହେତୁ । ଜନ୍ମ ମରଣ ବନ୍ଧ ସେତୁ ॥ ୨୦୬
ତୋତେ ଭଜିଲେ ନରନାରୀ । ତୋ ମାୟାବନ୍ଧରୁ ନିସ୍ତରି ॥ ୨୦୭
ଏ ବାଣାସୁର ଭକ୍ତ ମୋର । ପ୍ରିୟ ସୁହୃଦ ଅନୁଚର ॥ ୨୦୮
ଏହାର ତପେ ତୋଷ ହୋଇ । ଅଭୟ ବର ଦେଲି ମୁହିଁ ॥ ୨୦୯
ସେ ବର ପ୍ରତିପାଳ ତୁହି । ମୋହର ଭାବେ ତୋଷ ହୋଇ ॥ ୨୧୦
ଅସୁରସୁତ ପ୍ରହଲ୍ଲାଦ । ତରିଲା ଅନେକ ପ୍ରମାଦ ॥ ୨୧୧
ତୋର ପ୍ରସାଦେ ଭାବଗ୍ରାହୀ । ମୋର ସେବକ ରଖ ତୁହି ॥ ୨୧୨
ଏମନ୍ତ ଶମ୍ଭୁବାକ୍ୟ ଶୁଣି । ହସି ବୋଲନ୍ତି ଚକ ଚକ୍ରପାଣି ॥ ୨୧୩
- ଭଗବାନ ଉବାଚ
ଭୋ ଦେବ ତୋହର ବଚନ । ଅବଶ୍ୟ କରିବି ପାଳନ ॥ ୨୧୪
ଯେମନ୍ତ ଆଜ୍ଞା ଦେବୁ ମୋତେ । କରିବି ତୋର ଅନୁମତେ ॥ ୨୧୫
ଏ ମୋର ହସ୍ତେ ନ ମରଇ । ଭଲେ ଜାଣଇ ଏହା ମୁହିଁ ॥ ୨୧୬
ମୋର ଭକତ ପ୍ରହଲ୍ଲାଦ । ତାହାରେ ନ ଲାଗେ ପ୍ରମାଦ ॥ ୨୧୭
ତାର କୁମର ବିରୋଚନ । ବଳି ଯେ ତାହାର ନନ୍ଦନ ॥ ୨୧୮
ବଳିର ପୁତ୍ର ବାଣାସୁର । ଏଣୁ ଏ ଅବଧ୍ୟ ମୋହର ॥ ୨୧୯
ପ୍ରହଲ୍ଲାଦର ବଂଶ ଯେଣୁ । ଏହାକୁ ନ ମାରିବି ତେଣୁ ॥ ୨୨୦
ପୂର୍ବେ ମୁଁ ଅଛି ବର ଦେଇ । ତା ବଂଶ ନ ମାରିବି ମୁହିଁ ॥ ୨୨୧
ଏହାର ଗର୍ବ ନାଶିବାରେ । ଚକ୍ର ପେଷିଲି କୋପଭରେ ॥ ୨୨୨
ସହସ୍ରଭୁଜ ଛେଦି କରି । ଦ୍ୱାଦଶ ଅକ୍ଷୌହିଣୀ ମାରି ॥ ୨୨୩
ତ୍ରିଦଶହିତେ ଭୂମିଭାର । ବିନାଶ ଅର୍ଥେ ଅବତାର ॥ ୨୨୪
ଏବେ ମୁଁ କଲି ଦେବକାର୍ଯ୍ୟ । ଥାଉ ଏହାର ଚାରିଭୁଜ ॥ ୨୨୫
ଅଜରାମର-ପ୍ରାଣ ହେଉ । ତୋର ସେବକ ସୁଖେ ଥାଉ ॥ ୨୨୬
ଅଭୟ ହେଉ ଏ ଅସୁର । ଏମନ୍ତ କୃଷ୍ଣ ଦେଲେ ବର ॥ ୨୨୭
ଏମନ୍ତ କୃଷ୍ଣବାକ୍ୟ ଶୁଣି । ଅସୁର ନମେ ଚକ୍ରପାଣି ॥ ୨୨୮
ବାଜଇ ନାନାବାଦ୍ୟ ରଙ୍ଗେ । ଉଷାରୁ ଅନିରୁଦ୍ଧ ସଙ୍ଗେ ॥ ୨୨୯
ରଥେ ବସାଇ ବଳି-ବଳା । କୃଷ୍ଣ ସମୀପେ ଆଣି ଦେଲା ॥ ୨୩୦
ଉଷା ସହିତେ ଅନିରୁଦ୍ଧେ । ଦେଇ ନମିଲା କୃଷ୍ଣପାଦେ ॥ ୨୩୧
ଯାଦବବଳ ମଧ୍ୟେ ହରି । ବରକନ୍ୟାଙ୍କୁ ରଥେ ଧରି ॥ ୨୩୨
ରୁଦ୍ରଙ୍କୁ କରି ନମସ୍କାର । ଦ୍ୱାରକା ବିଜେ ଦାମୋଦର ॥ ୨୩୩
କୃଷ୍ଣବିଜୟେ ଦ୍ୱାରାପୁରୀ । ଅଧିକେ ଅଳଙ୍କୃତ କରି ॥ ୨୩୪
ତୋରଣ ବାନ୍ଧି ଉଚ୍ଚବୃକ୍ଷେ । ମାର୍ଜନା କଲେ ଦାଣ୍ତରାକ୍ଷେ ॥ ୨୩୫
ମଙ୍ଗଳଦ୍ରବ୍ୟ କରେ ଘେନି । ଆନନ୍ଦେ ମିଳିଲେ କାମିନୀ ॥ ୨୩୬
ଶଙ୍ଖ ଦୁନ୍ଦୁଭି ବାଦ୍ୟସ୍ୱରେ । ଆଶିଷ ଦେଲେ କନ୍ୟାବରେ ॥ ୨୩୭
ଆନନ୍ଦେ ନୃତ୍ୟ ବାଦ୍ୟ । ବିଜୟେ ଦ୍ୱାରକା-ସମ୍ପଦ ॥ ୨୩୮
ଏମନ୍ତ ହରିହର-ରଣ । ଯେ କରେ ଶ୍ରବଶ କୀର୍ତ୍ତନ ॥ ୨୩୯
ପ୍ରଭାତକାଳେ ପ୍ରତିଦିନେ । ଯେ ପ୍ରାଣୀ ଚିନ୍ତେ ଶୁଦ୍ଧମନେ ॥ ୨୪୦
ତାହାର ନାହିଁ ପରାଭବ । ନିରତେ ରଖନ୍ତି ମାଧବ ॥ ୨୪୧
କୃଷ୍ଣମଙ୍ଗଳ ଶୁଦ୍ଧବାଣୀ । ଶୁଣି ସଂସାରୁ ତର ପ୍ରାଣୀ ॥ ୨୪୨
ସୁଜନହିତେ ଭାଗବତ । କହିଲା ଦାସ ଜଗନ୍ନାଥ ॥ ୨୪୩
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ଉତ୍ତରାର୍ଦ୍ଧ ଅନିରୁଦ୍ଧ ଆନୟନଂ ନାମ ଅଷ୍ଟଷଷ୍ଟିତମ ଅଧ୍ୟାୟଃ ॥
ଏକୋନସପ୍ତତିତମ ଅଧ୍ୟାୟ
[ସମ୍ପାଦନା]- ଶୁକ ଉବାଚ
ଶୁଣ ରାଜନ ସାବଧାନେ । ଦ୍ୱାରକାପୁରେ ଏକ ଦିନେ ॥ ୧
କୃଷ୍ଣ ରାଜନ ସାବଧାନେ । କହିବା ଏକେ ଏକେ କେତେ ॥ ୨
ପ୍ରଦ୍ୟୁମ୍ନ ଶାମ୍ବ ଆଦି ମିଳି । ବନେ କରନ୍ତି ନାନା କେଳି ॥ ୩
ଅନେକବେଳ କ୍ରୀଡାକରି । ତୃଷିତେ ଲୋଡୁଛନ୍ତି ବାରି ॥ ୪
ଏମନ୍ତେ ଜଳପାନ ସଧେ । କୂପ ଦେଖିଲେ ବନମଧ୍ୟେ ॥ ୫
ସକଳେ କୂପପାଶେ ମିଳି । ଚାହାନ୍ତି ନୟନ ନିରୋଳି ॥ ୬
ତୃଣ ଗହଳ ଅନ୍ଧକାରେ । ଅଦ୍ଭୁତ ଜନ୍ତୁ ତା ଭିତରେ ॥ ୭
ଦିଶଇ ପର୍ବତ ସୃଦଶ । ଦେଖି ଚିହ୍ନିଲେ କୃକଲାଶ ॥ ୮
ବିସ୍ମିତେ ଏକ ଆରେ ଚାହିଁ । ବୋଲନ୍ତି ଅଙ୍ଗୁଳି ଦେଖାଇ ॥ ୯
ଦଣ୍ତେ ବିଚାରି ଯତ୍ନକରି । ବୋଲନ୍ତି ଦେଖିବା ଉଦ୍ଧରି ॥ ୧୦
ଏତେ ବିଚାରି ଦୟା ବହି । ଲାଙ୍ଗୁଳେ ଦଉଡ଼ି ଲଗାଇ ॥ ୧୧
ତୃଣବକଳ ଚର୍ମପାଶି । ନିବିଡେ଼ ବାନ୍ଧିଲେ ଆକର୍ଷି ॥ ୧୨
ଟାଣନ୍ତି ଧରି ଜଣେ ଜଣ । ନ ତଳେ ତାହାରି ଚରଣ ॥ ୧୩
ଦେଖି ଚକିତ କୃଷ୍ଣବାଳେ । ସର୍ବେ ଟାଣିଲେ ଏକାବେଳେ ॥ ୧୪
ତିଳେ ନ ଚଳେ କୃକଲାଶ । ଟାଣି ପାଇଲେ ସର୍ବେ ତ୍ରାସ ॥ ୧୫
ପୁଣି ଧରନ୍ତି ବାହୁବଳେ । ଟାଣନ୍ତେ କେବେହେଁ ନ ଚଳେ ॥ ୧୬
ଏମନ୍ତେ ବହୁ କ୍ଲେଶ ପାଇ । ଏକ ଆର କେ ମୁଖ ଚାହି ॥ ୧୭
ବୋଲନ୍ତି ଦେଖି ବିପରୀତ । ଆମ୍ଭର ବଳବୀର୍ଯ୍ୟ ହତ ॥ ୧୮
ଟାଣନ୍ତେ ତିଳେ ନ ଚଳିଲା । ଲାଜ ତ ମରଣୁ ବଳିଲା ॥ ୧୯
ଶ୍ରୀକୃଷ୍ଣ ବୀର୍ଯ୍ୟେ ଆମ୍ଭ ଜନ୍ମ । ଶୁଣି ହସିବେ ସର୍ବଜନ ॥ ୨୦
ରିପୁ ହସିବେ ଏହା ଶୁଣି । କିବା ବୋଲିବେ ଚକ୍ରପାଣି ॥ ୨୧
ରୋହିଣୀସୁତ ଶୁଣି ଏହା । ଆମ୍ଭରେ ହୋଇବେ ନିର୍ଦ୍ଦୟା ॥ ୨୨
ପୁରେ ହସିବେ ବଧୂଜନେ । ବସନ ଆଚ୍ଛାଦି ବଦନେ ॥ ୨୩
ନିରାଶେ କୃଷ୍ଣପାଶେ ଯାଇ । ବୋଲନ୍ତି ଶିରେ କର ଦେଇ ॥ ୨୪
ଭୋ ଦେବ ଶୁଣ ସାବଧାନେ । ଅଦ୍ଭୁତ କଥା ଘୋରବନେ ॥ ୨୫
ବନଗହ୍ନେ ଅନ୍ଧକୂପ । ତା ମଧ୍ରେକୃକଲାଶ ରୂପ ॥ ୨୬
ପର୍ବତ ପ୍ରାୟ ତା ଶରୀର । ନ ଚଳେ ଅତି ଗରୁତର ॥ ୨୭
ଓଟାରି ନ ପାରିଲୁ ବଳେ । ଟାଣନ୍ତେ ଚରଣ ନ ଚଳେ ॥ ୨୮
ଏ ବଡ ଲଜ୍ଜା ବିପରୀତ । ଶୁଣି ହସିଲେ ଯଦୁନାଥ ॥ ୨୯
ବୋଲନ୍ତି ଚାଲ ଯିବା ବନେ । ପୋଏ ଧାଇଁଲେ ତୋଷମନେ ॥ ୩୦
ଏମନ୍ତେ ଘୋରବନେ ଯାଇ । କୂପେ ଚାହିଁଲେ ଭାବଗ୍ରାହୀ ॥ ୩୧
ଦେଖିଲେ ଘୋର ଅନ୍ଧକାର । ନିର୍ଜଳ ତୃଣେ ମହାଘୋର ॥ ୩୨
ଅଦ୍ଭୁତ କୃକଲାଶ କାୟେ । ଦିଶଇ ଗିରିଶୃଙ୍ଗ ପ୍ରାୟେ ॥ ୩୩
ଅଧୋବଦନ ଉର୍ଦ୍ଧ୍ୱଲାଞ୍ଜ । ଦେଖି ଚକିତ ଦେବରାଜ ॥ ୩୪
ଦୟାସାଗର ଦେବହରି । ତା ଲାଞ୍ଜ ବାମକରେ ଧରି ॥ ୩୫
କୂପୁଁ ତୋଳିଲେ ଦାମୋଦର । ମାଳା ଯେସନେ ମାଳାକାର ॥ ୩୬
ତୋଳି ପକାନ୍ତେ ହୃଷୀକେଶ । ପ୍ରାଣ ଛାଡିଲା କୃକଲାଶ ॥ ୩୭
ଯେଣୁ ଲାଗିଲା କୃଷ୍ଣକର । ଦିବ୍ୟସ୍ୱରୂପ ହେଲା ତାର ॥ ୩୮
ଉଦୟ ଗିରିଶିଖେ ଶଶୀ । ଯେସନେ ଗଗନେ ପ୍ରକାଶି ॥ ୩୯
ଶୁଦ୍ଧସୁବର୍ଣ୍ଣ ଦେହ ଝଳି । ଜଳଦେ ଯେସନେ ବିଜୁଳି ॥ ୪୦
ଦିବ୍ୟବସନ ଗନ୍ଧମାଳ । ଦେଖି ଚକିତ ନନ୍ଦବାଳ ॥ ୪୧
ତାହା ଜାଣନ୍ତି କୃଷ୍ଣ ଏକେ । ବିଖ୍ୟାତ ଅର୍ଥେ ନରଲୋକେ ॥ ୪୨
ତାର ବଦନ ଚାହିଁ ହସି । ପୁଚନ୍ତି ପ୍ରଭୁ ବ୍ରହ୍ମରାଶି ॥ ୪୩
ତୁ ମହାଭାଗ ପୁଣ୍ୟଦେବୀ । ଦେବତାପ୍ରାୟ ମୁଁ ମଣଇ ॥ ୪୪
କହ ତୁ କେବଣ ପୁରୁଷ । କିମ୍ପା ହୋଇଲୁ କୃକଲାଶ ॥ ୪୫
କି ପାପବଶୁଁ ଭୋଗ କରି । ଶରୀର ଅନ୍ଧକୂପେ ଭରି ॥ ୪୬
ଏ କୂପେ ଅଛୁ କେତେକାଳ । କହ ନ କରି ଅବହେଳ ॥ ୪୭
ତୁହି ତ ନୋହୁ ପାପୀଜନ । କହ ଏ କେବଣ ବିଧାନ ॥ ୪୮
ଶୁଣିତେ ଯୋଗ୍ୟ ଯେବେ ମୁହିଁ । କହ ନିର୍ଭୟ ଚିତ୍ତ ହୋଇ ॥ ୪୯
ଏମନ୍ତ କୃଷ୍ଣ ବାକ୍ୟ ଶୁଣି । ଆନନ୍ଦେ କହେ ନୃପମଣି ॥ ୫୦
ଶିରେ ମୁକୁଟ ରବିପ୍ରାୟେ । ନମିଲା ଗୋବିନ୍ଦର ପାୟେ ॥ ୫୧
ଭୋ ନାଥ ନୃଗରାଜା ମୁହିଁ । ଈକ୍ଷ୍ୱାକୁବଂଶେ ଜାତ ହୋଇ ॥ ୫୨
ଜଗତମଧ୍ୟେ ଯେତେ ଦାନୀ । ତାହାଙ୍କ ମଧ୍ୟେ ମୁଁ ଅଗ୍ରଣୀ ॥ ୫୩
ତୁ ତାହା ଅଛୁ ଭଲେ ଜାଣି । ମୁଁ କି କହିବି ପରିମାଣି ॥ ୫୪
ସର୍ବଭୂତଙ୍କ ଆତ୍ମା ତୁହି । ଅଶେଷ ଜ୍ଞାନ ତୋର ତହିଁ ॥ ୫୫
ତୁ ନାଥ ଭଲେ ଏହା ଜାଣୁ । କେବଳ ମୋତେ ପରିମାଣୁ ॥ ୫୬
ତଥାପି ଆଜ୍ଞା ଘେନି ଶିରେ । କହିବି ତୋହର ଛାମୁରେ ॥ ୫୭
ଭୋ ନାଥ ଶୁଣ ମୋ ବଚନ । ଅନେକ ଦେଲି ଗୋରୁଦାନ ॥ ୫୮
ସଂଖ୍ୟା କରିବି ମୁହିଁ କେତେ । ଶୁଣ ଉପମା କହୁଁ ତୋତେ ॥ ୫୯
ଭୂମିରେ ଅଛି ଯେତେ ଧୂଳି । ଗଗନେ ଯେତେ ତାରାମାଳୀ ॥ ୬୦
ବରଷାଧାରା ଯେତେ ହୋଇ । ଏହି ପ୍ରମାଣେ ଦେଲି ଗାଈ ॥ ୬୧
କ୍ଷୀର ସମ୍ପୂର୍ଣ୍ଣ ରୂପବନ୍ତୀ । ସାଧି ତରୁଣ ବତ୍ସାବତୀ ॥ ୬୨
ସୁନ୍ଦର ସୁକପିଳ ବର୍ଣ୍ଣ । ସୁବର୍ଣ୍ଣଶୃଙ୍ଗ ଗୁଣପୂର୍ଣ୍ଣ ॥ ୬୩
ଖୁରରେ ରଜତ ଖଞ୍ଜଣି । ଉଚିତ ଧନେ ତାହା କିଣି ॥ ୬୪
ଦୋହନ ଅର୍ଥେ କାଂସ୍ୟପାତ୍ର । ବସ୍ତ୍ର କୁସୁମମାଳା ଗାତ୍ର ॥ ୬୫
ଗନ୍ଧଚନ୍ଦନ ମାଳ ସାଜି । ଡେ଼ର୍ଘ୍ୟେ ବିପ୍ରପାଦ ପୂଜି ॥ ୬୬
ବରିଲି ଯେମନ୍ତ ବ୍ରାହ୍ମଣ । ଭୋ ନାଥ ସାବଧାନେ ଶୁଣ ॥ ୬୭
ଯୁବା ସୁଗୁଣ ସାଧୁଶୀଳ । ଦରିଦ୍ର କୁଟମ୍ବଗହଳ ॥ ୬୮
ଉତ୍ତମ ବ୍ରହ୍ମଚର୍ଯ୍ୟ ଦୀକ୍ଷା । ବେଦାଧ୍ୟୟନେ ମନ୍ତ୍ର ଶିକ୍ଷା ॥ ୬୯
ଏମନ୍ତ ବିପ୍ରେ ସାବଧାନ । ସୁପୁଣ୍ୟକାଳେ ଦେଲି ଦାନ ॥ ୭୦
ଅଧିକ ଦାମ ଦେଲି ଯେତେ । ଶୁଣ କହିବା ତୋ ଅଗ୍ରତେ ॥ ୭୧
ଗୋ ଚର୍ମମାପେ ଭୂମିଦାନ । ଶୁଣ ସୁବର୍ଣ୍ଣ ଆୟତନ ॥ ୭୨
ଗଜ ତୁରଗ କନ୍ୟାଦାସୀ । ତିଳ ପର୍ବତ ଧାନ୍ୟରାଶି ॥ ୭୩
ଭୋଗ୍ୟସମ୍ପୂର୍ଣ୍ଣ ସୁଖଶଯ୍ୟା । ବସ୍ତ୍ରଭୂଷଣ ବଳିଭୋଜା ॥ ୭୪
ଯଜ୍ଞେ ସୁବର୍ଣ୍ଣରଥ ଯେତେ । ସଂଖ୍ୟାରେ କହିବି ମୁଁ ତୋତେ ॥ ୭୫
ଦେବମନ୍ଦିରେ ଜଳ ଅନ୍ନ । ସୁମିଷ୍ଟ ପବିତ୍ର ଭୋଜନ ॥ ୭୬
ଏମନ୍ତେ ନାନା ଦାନ କରି । କିଞ୍ଚିତେ ପାପ ମୁଁ ଆଚରି ॥ ୭୭
ବ୍ରାହ୍ମର ଦାମ ନେଲା ଗାଈ । ଫିଟି ପଶିଲା ଗୋଷ୍ଠେ ଯାଇ ॥ ୭୮
ଅଜ୍ଞାନେ ନ ଜାଣି ପ୍ରଭାତେ । ଦାନ ମୁଁ ଦେଲି ବିପ୍ରହସ୍ତେ ॥ ୭୯
ବ୍ରାହ୍ମଣ ଧେନୁ ଘେନି ଯାନ୍ତେ । ବିପ୍ର ଦେଖିଲା ରାଜପଥେ ॥ ୮୦
ତା ନିଜ ଧେନୁ ଚିହ୍ନି ବଳେ । ତକ୍ଷଣେ ଧଇଲା ଲାଙ୍ଗୁଳେ ॥ ୮୧
ବୋଇଲା ମୋର ଧେନୁ ଏହି । ହଜିଲା ଲୋଡୁଅଛି ମୁହିଁ ॥ ୮୨
ଶୁଣି ବ୍ରାହ୍ମଣ କୋପମନେ । ବୋଲଇ ପରୁଷ ବଚନେ ॥ ୮୩
ପ୍ରତ୍ୟକ୍ଷେ ଘେନିଅଛି ଦାନ । ଦେଖ ତୁ ଫେଡ଼ିଣ ନୟନ ॥ ୮୪
ଜଳ ତୁଳସୀ କୁଶ ହସ୍ତେ । ତିଳ ହିଁ ଦେଖ ତୁ ପ୍ରତ୍ୟକ୍ଷେ ॥ ୮୫
ଏ ଧେନୁ କେମନ୍ତେ ତୋହର । ଶୁଣି ବୋଲଇ ବିପ୍ରବର ॥ ୮୬
ଧେନୁ ଶରୀରେ ମୋର ଲେଖ । ତୋହର ଚକ୍ଷୁ ଥିଲେ ଦେଖ ॥ ୮୭
ଏମନ୍ତ କହି ଶୃଙ୍ଗ ଧରି । ଘେନି ଚଳିଲା ନିଜପୁରୀ ॥ ୮୮
ବ୍ରାହ୍ମଣ ଧରେ ଲାଞ୍ଜେ ଧେନୁ । ଏମନ୍ତେ ଉପୁଜିଲା ମନ୍ୟୁ ॥ ୮୯
କଳି ଭିଆଇ ପଥ ମଧ୍ୟେ । ପ୍ରହାର କଲେ ହସ୍ତପାଦେ ॥ ୯୦
ଏମନ୍ତ ଉଚ୍ଚବାଚ ହୋଇ । ମିଳିଲେ ମୋର ପୁରେ ଯାଇ ॥ ୯୧
ବ୍ରାହ୍ମଣ ମୋର ମୁଖ ଚାହିଁ । ବୋଲଇ କୋପଭର ହୋଇ ॥ ୯୨
ତୁ ମୋର ହସ୍ତେ ଧେନୁ ଦେଇ । ଏବେ ହରିଲୁ କିସ ପାଇଁ ॥ ୯୩
ଉତ୍ସର୍ଗ-ଦାନ ଯେହୁ ହରେ । ଅନ୍ତେ ନରକ ଭୋଗ କରେ ॥ ୯୪
ଯେ ବିପ୍ର ପ୍ରତିଗ୍ରହ ତ୍ୟାଗେ । ସେହି ପଡ଼ଇ ଦୁଃଖଭାଗେ ॥ ୯୫
ଏମନ୍ତ ବିପ୍ର-ବାକ୍ୟ ଶୁଣି । ବଜ୍ର ପଡ଼ିଲା ଶିରେ ମଣି ॥ ୯୬
ମନେ ପାଇଲି ମହାଭୟ । କାତରେ କମ୍ପେ ମୋର କାୟ ॥ ୯୭
ଉଭୟ ସଙ୍କଟେ ମୁଁ ପଡ଼ି । କରଯୁଗଳ ଶିରେ ଯୋଡି ॥ ୯୮
ବେନି ବିପ୍ରଙ୍କ ପାଦତଳେ । ପ୍ରବୋଧ କଲି ନାନାମତେ ॥ ୯୯
ସଙ୍କଳ୍ପ ଲକ୍ଷେଧେନୁ କରି । ବୋଇଲି ବିପ୍ର ପାଦ ଧରି ॥ ୧୦୦
ଭୋ ବିପ୍ର ଲକ୍ଷେ ଧେନୁ ନେଇ । ଏ ଧେନୁ ଗୋଟି ଦିଅ ତୁହି ॥ ୧୦୧
ତୁ ମୋତେ ଅନୁଗ୍ରହ କର । ଉଭୟ-ସଙ୍କଟୁ ଉଦ୍ଧର ॥ ୧୦୨
ନ ଜାଣି କଲି ଏଡେ଼ କର୍ମ । ଭୋ ବିପ୍ର ରଖ ମୋର ଧର୍ମ ॥ ୧୦୩
ନକର ମନେ ଆନ ବୁଦ୍ଧି । ଦକ୍ଷିଣା ଦେବି ହେମ-ନିଧି ॥ ୧୦୪
ନରକପଥୁଁ ରଖ ମୋତେ । ଏ ଧେନୁ ଦିଅ ତୋଷଚିତ୍ତେ ॥ ୧୦୫
ଶୁଣି ବୋଲଇ ପ୍ରତିଗ୍ରାହୀ । ଲକ୍ଷକେ ମୋର କାର୍ଯ୍ୟ ନାହିଁ ॥ ୧୦୬
ଏମନ୍ତ ବୋଲି ବିପ୍ର ଗଲା । ଆନ ଯେ ପ୍ରତିଗ୍ରାହୀ ଥିଲା ॥ ୧୦୭
ଅୟୁତେ ଦେଲି ତାକୁ ଧେନୁ । ତା ଦେଖି ବିପ୍ର କଲା ମନ୍ୟୁ ॥ ୧୦୮
ବୋଇଲି ଲକ୍ଷେ ନିଅ ତୁହି । ଶୁଣି କୋପିଲା ମୋତେ ଚାହିଁ ॥ ୧୦୯
ବୋଇଲା ପରୁଷ ବଚନେ । ନିନ୍ଦା ତୁ କଲୁ ମହାଜନେ ॥ ୧୧୦
କୋପେ ଚଳିଲା ନିଜ ଘରେ । ନିତ୍ୟେ ଆସଇ ମୋର ପୁରେ ॥ ୧୧୧
ପ୍ରତିଦିବସେ ବୋଧ କରି । ବୋଲଇ ବିପ୍ରପାଦ ଧରି ॥ ୧୧୨
କୋପେ ନ ଶୁଣେ ମୋ ବଚନ । ଏମନ୍ତେ ଗଲା କେତେଦିନ ॥ ୧୧୩
ଭୋ ନାଥ ଶୁଣ ଜନାର୍ଦ୍ଦନ । କାଳେ ମୁଁ ଛାଡିଲି ଜୀବନ ॥ ୧୧୪
ମରଣକାଳେ ଯମଦୂତେ । ମିଳିଲେ ମୋହର ଅଗ୍ରତେ ॥ ୧୧୫
ବନ୍ଧନ କରି ମୋର ଦେହୀ । ଯମ ନିକଟେ ଦେଲେ ନେଇ ॥ ୧୧୬
ତକ୍ଷଣେ ରବିର ନନ୍ଦନ । ଅନେକ କଲା ସନମାନ ॥ ୧୧୭
ପୁଣ୍ୟ-ପାତକ ବିଚାରିଲା । ଆନନ୍ଦେ ମୋତେ ଆଜ୍ଞା ଦେଲା ॥ ୧୧୮
ଶୁଣ ରାଜନ ପୁଣ୍ୟବନ୍ତ । କେ କରୁ ତୋର ପୁଣ୍ୟ ଅନ୍ତ ॥ ୧୧୯
କିଞ୍ଚିତ ପାପ ଅଛି ତୋର । ଯେ ଇଚ୍ଛା ଆଗେ ଭୋଗ କର ॥ ୧୨୦
ଶୁଭ-ଅଶୁଭ ଫଳ ଦୁଇ । ନିଶ୍ଚୟ ଭୋଗ ସେ କରଇ ॥ ୧୨୧
ବ୍ରହ୍ମା-ଶଙ୍କର ଦେହ ଧରି । ଅନ୍ୟଥା ନ ପାରନ୍ତି କରି ॥ ୧୨୨
ଏମନ୍ତ ଯମବାକ୍ୟ ଶୁଣି । ଆପଣା ଚିତ୍ତେ ପରିମାଣି ॥ ୧୨୩
ଅନେକ ଅଛି ପୁଣ୍ୟ ରାଶି । କିଞ୍ଚିତେ ପାତକ ପ୍ରକାଶି ॥ ୧୨୪
ଆଗ ଭୁଞ୍ଜିବି ପାପଭାର । ଏ ଦୁଃଖ ଘୋର ଭୟଙ୍କର ॥ ୧୨୫
ପଛେ ଭୁଞ୍ଜିବି ପୁଣ୍ୟ ମୁହିଁ । ଯମ ବୋଇଲେ ଦୂତେ ରାଇ ॥ ୧୨୬
ବ୍ରହ୍ମସ୍ୱ-ସାପ ମହାଘୋର । ଏହାକୁ କୃକଲାଶ କର ॥ ୧୨୭
ବନ-ଗହନ ଅନ୍ଧକୂପେ । ଅନେକ କାଳ ଥାଉ ପାପେ ॥ ୧୨୮
ଏମନ୍ତ ବୋଲୁଁ ବୋଲୁଁ ଯମ । ଲଭିଲି କୃକଲାଶ ଜନ୍ମ ॥ ୧୨୯
ଆତ୍ମା-ସଂଯୋଗ କାଳେ ମୁହିଁ । ଡାକିଲି କର ମୋତେ ତ୍ରାହି ॥ ୧୩୦
ତା ଶୁଣି ଯମ ଦୟା କଲା । ଡାକିଲି କର ମୋତେ ତ୍ରାହି ॥ ୧୩୧
ଏ ପାପଅନ୍ତେ ମହୀପାଳ । ଭେଟିବୁ ମଦନଗୋପାଳ ॥ ୧୩୨
ସେ କୃଷ୍ଣ-କର ଲାଗି ତୁହି । ତକ୍ଷଣେ ଦିବ୍ୟତନୁ ବହି ॥ ୧୩୩
ସ୍ୱର୍ଗେ ବସିବୁ ପୁଣ୍ୟବଳେ । ନିଜ ସୁକୃତ-ତପଫଳେ ॥ ୧୩୪
ଭୋନାଥ ତୋର ଆଜ୍ଞାବଳେ । କହିଲି ପଦ୍ମପାଦ ତଳେ ॥ ୧୩୫
ବିପ୍ରସେବକ ସମ ମତି । ତୋହର ପାଦେ ଚିତ୍ତବୃତ୍ତି ॥ ୧୩୬
ଏଣୁ ତୋହର ଦରଶନ । ନିରତେ ଚିନ୍ତଇ ମୋ ମନ ॥ ୧୩୭
ଜାତି ସୁମରି ଦୁଃଖ ସହି । ଏ ଅନ୍ଧ ରୂପେ ପଡ଼ିଲଇଁ ॥ ୧୩୮
ଏବେ ଦେଖିଲି ତୋ ଶ୍ରୀମୁଖ । ଖଣ୍ତିଲି ଜନ୍ମବନ୍ଧ-ଦୁଃଖ ॥ ୧୩୯
ଏ ପାପୁଁ ଉଦ୍ଧରିଲୁ ମୋତେ । କି ପୂଣ୍ୟେ ଦେଖିଲି ମୁଁ ତୋତେ ॥ ୧୪୦
ଭୋ ନାଥ ଚରଣ ତୋହର । ଯୋଗେଶ୍ୱରଙ୍କୁ ଅଗୋଚର ॥ ୧୪୧
ନିଜ ଅର୍ଜିତ ଦୃଢ଼ବନ୍ଧେ । ପାପ-ପଟଳ-ଚକ୍ଷୁ ଅନ୍ଧେ ॥ ୧୪୨
ମୁଁ ଅନ୍ଧକୂପ ମଧ୍ୟେ ଥାଇ । ଅନେକକାଳ ଦୁଃଖ ସହି ॥ ୧୪୩
ପାଇଲି ତବ ଦରଶନ । ଭୋ ନାଥ ରଖ ଭଗବାନ ॥ ୧୪୪
ଯାର ଦର୍ଶନେ ବନ୍ଧ ମୋକ୍ଷ । ସେ ମୋତେ ହୋଇଲା ପ୍ରତ୍ୟକ୍ଷ ॥ ୧୪୫
ତୁ ଦେବଦେବ ଜଗନ୍ନାଥ । ସୁହୃଦ ଆତ୍ମା ଦଇବତ ॥ ୧୪୬
ଗୋବିନ୍ଦ ପୁରୁଷ-ପୁରାଣ । ତୁ ହୃଷୀକେଶ ନାରାୟଣ ॥ ୧୪୭
ଅବ୍ୟୟ ଅଚ୍ୟୁତ ପ୍ରକାଶ । ତୋର ଚରିତ ପୁଣ୍ୟଯଶ ॥ ୧୪୮
ଏବେ ତୁ ଆଜ୍ଞାଦିଅ ମୋତେ । ନିଶ୍ଚିନ୍ତେ ଯିବି ପୁଣ୍ୟପଥେ ॥ ୧୪୯
ଯହିଁ ମୁଁ ଥିବି ବହି । ତୋର ଶରଣ ଭାବଗ୍ରାହୀ ॥ ୧୫୦
ତୋ ପାଦେ ମୋର ମନଥିବ । ଯାହା ନ ପାନ୍ତି ବ୍ରହ୍ମା-ଶିବ ॥ ୧୫୧
ନମସ୍ତେ ସର୍ବଭୂତ-ଦେହୀ । ବ୍ରହ୍ମ ଅନନ୍ତଶକ୍ତି ତୁହି ॥ ୧୫୨
ଶ୍ରୀକୃଷ୍ଣ ବସୁଦେବସୁତ । ତୁ ଯୋଗେଶ୍ୱର ଯୋଗତତ୍ତ୍ୱ ॥ ୧୫୩
ଏମନ୍ତ କହି ନୃଗରାଜା । କୃଷ୍ଣଚରଣେ କଲା ପୂଜା ॥ ୧୫୪
କିରୀଟ ଅଛି ଶିର ମଧ୍ୟେ । ନମିଲା କୃଷ୍ଣ ପଦ୍ମପାଦେ ॥ ୧୫୫
ତକ୍ଷଣେ ବସି ଦିବ୍ୟରଥେ । ବିଜୟ କଲା ଶୂନ୍ୟପଥେ ॥ ୧୫୬
ଦେଖନ୍ତି ଦିଗପାଳେ ମିଳି । ଜଳଦେ ଯେସନେ ବିଜୁଳି ॥ ୧୫୭
ରାଜା ମିଳିଲା ସ୍ୱର୍ଗପୁରେ । ଗୋବିନ୍ଦ ଅନ୍ଧକୂପ ଦ୍ୱାରେ ॥ ୧୫୮
ସ୍ୱଜନ ଚାହିଁ ଜନାର୍ଦ୍ଦନ । ବୋଲନ୍ତି ନିଗମ ବଚନ ॥ ୧୫୯
କ୍ଷତ୍ରୀୟ-ଶିକ୍ଷା ଧର୍ମବାଣୀ । ଯେ ଧର୍ମଶାସ୍ତ୍ର ପରିମାଣି ॥ ୧୬୦
ବିପ୍ର-ବତ୍ସଳ ଦାମୋଦର । ବୋଲନ୍ତି ଶୁଣ ସର୍ବବୀର ॥ ୧୬୧
ଦେଖ ଦୁର୍ଜୟ ବ୍ରହ୍ମଧନ । ଅନଳେ ନୁହଇ ଦହନ ॥ ୧୬୨
ରାଜ୍ୟଈଶ୍ୱର ରାଜା ହୋଇ । କେ ପାର କରେ ତାହା ଖାଇ ॥ ୧୬୩
ଗରଳ ହଳାହଳ ବିଷ । ମୁଁ ତାହା ମଣଇ ଉଶ୍ୱାସ ॥ ୧୬୪
ଯାହାର ପ୍ରତିକାର ଥାଇ । ତାର ଭକ୍ଷଣେ ଭୟ ନାହିଁ ॥ ୧୬୫
ବ୍ରହ୍ମସ୍ୱ ମହାବିଷ ହୋଇ । ତାହାର ପ୍ରତିକାର ନାହିଁ ॥ ୧୬୬
ବିଷ ଭକ୍ଷିଲେ ଜଣେ ମରେ । ବ୍ରହ୍ମସ୍ୱ ବଂଶନାଶ କରେ ॥ ୧୬୭
ଯେ ବନ ଦହଇ ଅନଳ । ରକ୍ଷା କରଇ ତହିଁ ଜଳ ॥ ୧୬୮
ବ୍ରହ୍ମସ୍ୱ-ଅଗ୍ନି ଏ ସଂସାରେ । ସମୁଳେ ବଂଶ ନାଶ କରେ ॥ ୧୬୯
ବ୍ରହ୍ମସ୍ୱ-ଅଗ୍ନି ତେଜ ଯେତେ । କେ ଲଘିଂ ପାରିବ ଜଗତେ ॥ ୧୭୦
ବାହ୍ମଣଧନ ଯେତୁ ଗ୍ରାସେ । ତିନିପୁରୁଷ ତାର ନାଶେ ॥ ୧୭୧
ତାତ ଜନନୀ ବେନିବଂଶ । ଉଭୟକୁଳ କରେ ନାଶ ॥ ୧୭୨
ଆତ୍ମା ସହିତେ କରେ ନାଶା । ଏ କଥା ଦେବରେ ପ୍ରକାଶ ॥ ୧୭୩
ବ୍ରାହ୍ମଣଧନ ଯେହୁ ହରେ । ପଡେ଼ ନରକ ତମଘୋରେ ॥ ୧୭୪
କ୍ଷତ୍ରିୟ ରାଜପଣ ପାଇ । ଆତ୍ମାର ଗତି ନ ଜାଣଇ ॥ ୧୭୫
ବ୍ରାହ୍ମଣଧନ ସ୍ୱାଦୁ ମଣି । ବଳେ ହରନ୍ତି ଯେତେ ପ୍ରାଣୀ ॥ ୧୭୬
ନିରତେ ସୁଖ ପ୍ରାୟ ମଣି । ପଢ଼ନ୍ତି ତମ-ତରଙ୍ଗିଣୀ ॥ ୧୭୮
ଅନ୍ନ ନ ପାଇ ବିପ୍ରଜନ । ବିକଳେ କରନ୍ତି ରୋଦନ ॥ ୧୭୯
ବିପ୍ରରୋଦନ ଲୁହ ପଡ଼ି । ଭୂମିରେ ଯେତେ ରେଣୁ ଜଡ଼ି ॥ ୧୮୦
ତାବତ କଳ୍ପ ମହାଘୋରେ । ନରକେ ପଡଇ ନିର୍ଭରେ ॥ ୧୮୧
ସେ ନିରଙ୍କୁ ହୋଇ ନର୍କେ । ଅନ୍ତେ ପଡ଼ଇ କୁମ୍ଭୀପାକେ ॥ ୧୮୨
ସ୍ୱଦତ୍ତ-ପରଦତ୍ତ-ବୃତ୍ତି । ଯେ ଅଜ୍ଞାନେ ହରନ୍ତି ॥ ୧୮୩
ଷାଠିଏ-ସହସ୍ର-ବରଷ । ବିଷ୍ଠାନେ କୃମି ରୂପେ ବାସ ॥ ୧୮୪
ମୋହର ବଂଶେ ଯେତେ ଜନ । ବଳେ ହରିବେ ବିପ୍ରଧନ ॥ ୧୮୫
ତାହାର ନାହିଁ ଭଲ ଗତି । ହସି ବୋଲନ୍ତି ଶିରୀପତି ॥ ୧୮୬
ମୋହର ବଂଶେ ଯେତେ ଜନ । ବିପ୍ରେ ନ କର ଅପମାନ ॥ ୧୮୭
ବ୍ରାହ୍ମଣେ କଲେ ଅପରାଧ । ବେଗେ ବନ୍ଦିବ ତାଙ୍କ ପାଦ ॥ ୧୮୮
ମାରନ୍ତେ ଶନ୍ତିରେ ସହିବ । କେବେହେଁ କୋପ ନ କରିବ ॥ ୧୮୯
ବିପ୍ର ଗ୍ରାସିବ ଲୋଭେ ଯାହା । ସାତ୍ତ୍ୱିକମତେ ଦେବ ତାହା ॥ ୧୯୦
ମୁହିଁ ଯେମନ୍ତ ବିପ୍ରପାଦେ । ସର୍ବଦା ନମଇଁ ଆନନ୍ଦେ ॥ ୧୯୧
ତୁମ୍ଭେ ନମିଦ ସେହିମତେ । ନୋହିଲେ ଦଣ୍ତ ମୋର ହସ୍ତେ ॥ ୧୯୨
ଅପହରଣେ ବିପ୍ରଧାନ । ନିଶ୍ଚୟେ ନରକେ ପତନ ॥ ୧୯୩
ଅଜ୍ଞାନେ ନୃଗରାଜା ହରି । ଏତେ ନରକ ଭୋଗ କରି ॥ ୧୯୪
ଯେଣୁ ତାହାର ପୂଣ୍ୟ ଥିଲା । ମୋହର ହସ୍ତେ ସେ ଲାଗିଲା ॥ ୧୯୫
ଦେଖିଲ ତୁମ୍ଭେ ମୋର ଆଗେ । କହି ଚଳିଲା ସ୍ୱର୍ଗମାର୍ଗେ ॥ ୧୯୬
ଏମନ୍ତ କହି ନିଜ ଜନେ । ମୁକୁନ୍ଦ ମିଳିଲେ ସଦନେ ॥ ୧୯୭
ଯାହାର ନାମ ପାପବନ । ଶ୍ରବଣେ କରଇ ଦହନ ॥ ୧୯୮
ଶୁଣ ହୋ ଅଭିମନ୍ୟୁବାଳ । ସାଧୁଙ୍କ ଦରଶନ ଫଳ । ୧୯୯
ନୃଗ ନରକୁ ପାର ହେଲା । ଦେବଭବନେ ଭୋଗ କଲା ॥ ୨୦୦
ସାଧୁଙ୍କ ମୁଖ ଦରଶନ । ଯେ କରେ ଶ୍ରବଣ କୀର୍ତ୍ତନ ॥ ୨୦୧
ସ୍ତୁତିବଚନ ଅଙ୍ଗସଙ୍ଗ । ପବିତ୍ରକରେ ନିଜ ଅଙ୍ଗ ॥ ୨୦୨
ଲଭେ କୋଟିଏ ତୀର୍ଥଫଳ । ଯେ କରେ ସାଧୁସଙ୍ଗେ ମେଳ ॥ ୨୦୩
ତୁ ଏହା ଜାଣି ସାଧୁମେଳେ । ଏ କାଳ ବଞ୍ଚ ସୁଖଭୋଳେ ॥ ୨୦୪
ବ୍ରାହ୍ମଣଧନ ତୁ ନ ହର । ଅମୃତେ ଯେବେ ତୋର ॥ ୨୦୫
ବୋଲଇ ବିପ୍ର ଜଗନ୍ନାଥ । ନିବେଶି କୃଷ୍ଣପାଦେ ଚିତ୍ତ ॥ ୨୦୬
ଭବଜଳଧି ମଧ୍ୟେ ଥାଇ । ଭାବ ଅଭାବ ନ ଜାଣଇ ॥ ୨୦୭
ସୁଜନେ କୃଷ୍ଣପାଦେ ରସ । କହଇ ଜଗନ୍ନାଥ ଦାସ ॥ ୨୦୮
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ଉତ୍ତରାର୍ଦ୍ଧେ ନୃଗ ଉପାଖ୍ୟାନଂ ନାମ
ଏକୋନସପ୍ତତିତମ ଅଧ୍ୟାୟଃ ॥
ସପ୍ତତିତମ ଅଧ୍ୟାୟ
[ସମ୍ପାଦନା]- ଶୁକ ଉବାଚ
ଏବେ ହୋ ଶୁଣ କୁରୁବୀର । ଦ୍ୱାରକାପୁରେ ହଳଧର ॥ ୧
ସୁହୃଦ ଦରଶନ ସଧେ । ବିଜୟ ତାଳଧ୍ୱଜ ମଧ୍ୟେ ॥ ୨
ନିଜ ସେବକ ସଙ୍ଗମେଳେ । ମିଳିଲେ ନନ୍ଦର ଗୋକୁଳେ ॥ ୩
ରାମର ଆଗମନ ଶୁଣି । ଗୋପାଳେ ଗୋପର ତରୁଣୀ ॥ ୪
ମିଳିଲେ ରାମର ଛାମୁରେ । ମଙ୍ଗଳଦ୍ରବ୍ୟ ଘେନି କରେ ॥ ୫
ଆନନ୍ଦେ ରୋହିଣୀନନ୍ଦନ । ଗୋପଙ୍କୁ କଲେ ଆଲିଙ୍ଗନ ॥ ୬
ଗୋପି ମିଳିଲେ ଭାବଭରି । ରାମଚରଣ ହୃଦେ ଧରି ॥ ୭
ଶିର-ବଦନେ ଚାପି ପାଦ । ଛାଡିଲେ ଚିର ମନଖେଦ ॥ ୮
ହରଷେ ରେବତୀରମଣ । ବନ୍ଦିଲେ ନନ୍ଦନଚରଣ ॥ ୯
ଯଶୋଦା ପାଦତଳେ ପଡ଼ି । ଶୋକବଦନେ କରଯୋଡି ॥ ୧୦
ନନ୍ଦଯଶୋ ସୁଖଭୋଳେ । ରାମଙ୍କୁ ବସାଇଲେ କୋଳେ ॥ ୧୧
ଚିରବିଚ୍ଛେଦେ ହୃଦେ ଜାକି । ଅଶ୍ରୁପୂରିତ ବେନି ଆଖି ॥ ୧୨
ବଦନୁ ନ ସ୍ପୁରେ ବଚନ । ନିବିଡେ କଲେ ଆଲିଙ୍ଗନ ॥ ୧୩
ବୋଲନ୍ତି ଶୋକଭର ହୋଇ । ଜଗଦୀଶ୍ୱର ତୁମ୍ଭେ ଦୁଇ ॥ ୧୪
ନିରାଶ କଲ ମୋର ଘର । ମୁଁ ଏବେ ଶରଣ ତୁମ୍ଭର ॥ ୧୫
ଗୋପନଗର ବୃଦ୍ଧ ଜଣେ । ମିଳିଲେ ରାମ ସନ୍ନିଧାନେ ॥ ୧୬
ରାମ ନମିଲେ ଜଣେ ଜଣେ । ଗୋପାଳବୃଦ୍ଧଙ୍କ ଚରଣେ ॥ ୧୭
ତୁଲ୍ୟବୟସ ଗୋପଜନେ । ସଙ୍ଗେ ଯେ ଥିଲେ ବୃନ୍ଦାବନେ ॥ ୧୮
ରାମଙ୍କୁ ଦେଖି ସ୍ନେହଭରେ । କୋଳ କରନ୍ତି ସୁଖଭୋଳେ ॥ ୧୯
ସ୍ନେହବନ୍ଧନେ ବନ୍ଧୁସଙ୍ଗେ । ରାମ ଯେ ଥିଲେ ନାନାରଙ୍ଗେ ॥ ୨୦
ନିବିଡେ଼ ଭିଡ଼ି କୋଳ କଲେ । ଆନନ୍ଦସାଗରେ ବୁଡ଼ିଲେ ॥ ୨୧
ଏମନ୍ତେ ଜଣେ ଜଣେ କୋଳ । କରି ବସିଲେ ଏକମେଳ ॥ ୨୨
କ୍ଷୀର-ପାୟସ-ମଧୁରସେ । ରାମଙ୍କୁ ଭୁଞ୍ଜାଇ ହରଷେ ॥ ୨୩
ବିଶ୍ରାମ କରାଇ ଗୋପାଳେ । ବସି ପୁଛନ୍ତି ଏକମେଳେ ॥ ୨୪
ନେତ୍ରେ ପୂରିତ ଅଶ୍ରୁଜଳ । ପୁଛନ୍ତି ବନ୍ଧୁଙ୍କ କୁଶଳ ॥ ୨୫
କୃଷ୍ଣଚରଣେ ମନ ଦେଇ । ସମ୍ଭ୍ରମେ ନ ପାରନ୍ତି କହି ॥ ୨୬
ବିଷୟସୁଖ ନ ଜାଣନ୍ତି । କୃଷ୍ଣକୁଶଳ ପଚାରନ୍ତି ॥ ୨୭
ହେ ରାମ କମଳଲୋଚନ । କହ ତୁ ଯାଉ ଖେଦମନ ॥ ୨୮
କୃଷ୍ଣ ଯେ ଗଲେ ମଧୁବନ । ତାର ସଙ୍ଗତେ ଆମ୍ଭ ମନ ॥ ୨୯
ବନ୍ଦୀ ହୋଇଲା ପ୍ରେମଭୋଳେ । ଏବେ ନ ଦେଖୁ ଚର୍ମଡୋଳେ ॥ ୩୦
ପୁତ୍ର କଳତ୍ର ଧନ ପାଇ । ଆମ୍ଭ ସ୍ମରଣ ତାର କାହିଁ ॥ ୩୧
ଆମ୍ଭର ଭାଗ୍ୟେ ମଲା କଂସ । ନିଶ୍ଚିନ୍ତ ହେଲା ଯଦୁବଂଶ ॥ ୩୨
ସକଳ ରିପୁବଳ ମାରି । ଦ୍ୱାରକାପୁରେ ବିଜେ କରି ॥ ୩୩
ସୁଖେ ଅଛନ୍ତି ଯଦୁନାଥ । ଏଣୁଟି ଆମ୍ଭେ ଭାଗ୍ୟବନ୍ତ ॥ ୩୪
ଗୋପୀଏ ରାମଙ୍କୁ ଅନାଇଁ । ବୋଲନ୍ତି ସ୍ନେହଭର ହୋଇ ॥ ୩୫
ହେ ରାମ କହ କୃଷ୍ଣକଥା । ଯେଣେ ଛାଡ଼ିବ ମନୁ ବ୍ୟଥା ॥ ୩୬
ଭଲେ କି ଛନ୍ତି ପଦ୍ମନାଭ । ମଥୁରାନାରୀଙ୍କ ବଲ୍ଲଭ ॥ ୩୭
ମାତା ଯଶୋଦା ନନ୍ଦ ପିତା । ଏହାଙ୍କୁ କରେଟିକି ଚିନ୍ତା ॥ ୩୮
ଆମ୍ଭେ ତାହାଙ୍କୁ ଭଲେ ଜାଣି । ସୁହୃଦ୍ପଣେ ପରିମାଣି ॥ ୩୯
ତାହାର ଅର୍ଥେ ଆମ୍ଭ ଦୁଃଖ । କହିବୁ ଶୁଣ ଚନ୍ଦ୍ରମୁଖ ॥ ୪୦
ମାତା ପିଅର ଭ୍ରାତୃଗଣ । ପତି ତନୟ ଗୁରୁଜନ ॥ ୪୧
ତାର ଆନନ୍ଦେ ଆମ୍ଭେ ଛାଡ଼ି । ନିରତେ ପ୍ରିୟଭାବେ ବୁଡ଼ି ॥ ୪୨
ସକଳ ଛାଡ଼ି ତା ବିଶ୍ୱାସ । ହୋଇଲୁ କଲା ସେ ନିରାଶ ॥ ୪୩
କ୍ଷଣକେ ଛାଡ଼ି ଆମ୍ଭ ଭାବ । ନିର୍ଦ୍ଦୟ ହୋଇଲେ ମାଧବ ॥ ୪୪
ମଥୁରାପୁର ବଧୂଜନ । ମଧୂରେ କହନ୍ତି ବଚନ ॥ ୪୫
କ୍ଷଣସୁହୃଦ କୂଟମତି । କେମନ୍ତେ ବିଶ୍ୱାସ କରନ୍ତି ॥ ୪୬
ତାହାର ଆତ୍ମା ତାର ନୋହେ । ଭକତଜନ ତାକୁ ମୋହେ ॥ ୪୭
କୃତଘ୍ନଭାବ ଦୁଷ୍ଟମତି । ମଥୁରାନାରୀ ନ ଜାଣନ୍ତି ॥ ୪୮
ତାହାର ବିଚିତ୍ରବଚନ । ସସ୍ମିତ ଅନଙ୍ଗବର୍ଦ୍ଧନ ॥ ୪୯
ଦେଖିଲେ ହୋଏ ମୋହଗତ । ଅନଙ୍ଗବାଣେ ଜଡ଼ି ଚିତ୍ତ ॥ ୫୦
କେତେ କହିବୁ ତାର ଗୁଣ । ବୋଲନ୍ତି ସଖୀଜନେ ଶୁଣ ॥ ୫୧
ତାହାର କଥା କିମ୍ପା କହ । ଶୁଣନ୍ତେ ଦହେ ପ୍ରାଣ ଦେହ ॥ ୫୨
ଆମ୍ଭେ ଯେ ନାହୁଁ ତାର ସଙ୍ଗେ । ଏତେ ଦିବସ ନାନାରଙ୍ଗେ ॥ ୫୩
ସେ ଯେ ଆମ୍ଭର ସଙ୍ଗେ ନାହିଁ । କାଳ କି ଅଛି ସ୍ଥିର ହୋଇ ॥ ୫୪
ଏମନ୍ତ ସ୍ନେହଭର ହୋଇ । କୃଷ୍ଣର ରୂପେ ମନ ଦେଇ ॥ ୫୫
କୃଷ୍ଣର ହସିତବଦନ । ମୋହ୍ନ ଗଭୀର ବଚନ ॥ ୫୬
କଟାକ୍ଷଦୃଷ୍ଟି ଚିତ୍ରଗତି । ପ୍ରେମ ଆଲିଙ୍ଗନ ସୁରତି ॥ ୫୭
କାନ୍ଦନ୍ତି କୃଷ୍ଣଭାବ ବହି । ସଙ୍କରଷଣ ତାହା ଚାହିଁ ॥ ୫୮
କୃଷ୍ଣର ଯଶକଥାମାନ । କହି ତୋଷିଲେ ତାଙ୍କ ମନ ॥ ୫୯
ନାନା ବିଶ୍ୱାସବାକ୍ୟେ ରାମ । ଗୋପୀଙ୍କ ଚିତ୍ତ କଲେ ସାମ ॥ ୬୦
ସେ ରାମ ଗୋପୀଙ୍କ ବିଶ୍ୱାସ । ଗୋପେ ରହିଲେ ବେନିମାସ ॥ ୬୧
ମଧୁମାଧବ ମାସ ବେନି । ଗୋପୀଙ୍କ ପ୍ରିୟଭାବ ଘେନି ॥ ୬୨
ସେ ରାମ ଯୋଗମାୟା ବଳେ । ଗୋପକାମିନୀ ସଙ୍ଗେ ମେଳେ ॥ ୬୩
ନିତ୍ୟେ ରଜନୀକାଳ ବେଳେ । ଗୋପକାମିନୀ ସଙ୍ଗେ ଖେଳେ ॥ ୬୪
ବିସ୍ତାରି ଯୋଗମାୟା ଗତି । ଯମୁନାକୂଳେ ଯଦୁପତି ॥ ୬୫
ଚନ୍ଦ୍ରକିରଣ ବୃନ୍ଦାବନ । ସୁଗନ୍ଧ ବହଇ ପବନ ॥ ୬୬
କାମିନୀଗଣ ମଧ୍ୟେ ବସି । ତାରାମଣ୍ତଳେ ଯେହ୍ନେ ଶଶୀ ॥ ୬୭
ଏମନ୍ତେ ପରୀକ୍ଷିତ ଶୁଣ । ଜଳଧିପତି ଯେ ବରୁଣ ॥ ୬୮
ବାରୁଣୀ ନାମେ ତା ନନ୍ଦିନୀ । ରାମର ପ୍ରିୟଭାବ ଘେନି ॥ ୬୯
ବରୁଣ-ବିଶ୍ୱାସ ବଚନେ । ବେଗେ ମିଳିଲା ବୃନ୍ଦାବନେ ॥ ୭୦
ବୃକ୍ଷକ୍ରୋଟରୁ ସୁଧାରୂପେ । ବହିଲା ରାମର ସମୀପେ ॥ ୭୧
ତାର ସୁଗନ୍ଧେ ବନ ବାସେ । ରାମ ମିଳିଲେ ଦେଖି ପାଶେ ॥ ୭୨
ଗୋପୀ ସହିତେ ବଳରାମ । ଆନନ୍ଦେ କଲେ ମଧୁପାନ ॥ ୭୩
ବାରୁଣୀପାନେ ଭୋଳ ହୋଇ । ଗୋପୀଏ ରାମ ଯଶ ଗାଇ ॥ ୭୪
ନାନା କୌତୁକେ ସେ କାନନେ । ରାମଙ୍କୁ ସେବି ଶୁଦ୍ଧମନେ ॥ ୭୫
ବୁଲନ୍ତି ରାମ ବୃକ୍ଷତଳେ । ବାରୁଣୀପାନେ ମତ୍ତଭୋଳେ ॥ ୭୬
ମଦ୍ୟେ ମୁଦ୍ରିତ ବେନି ଆଖି । ମତ୍ତକୁଞ୍ଜର ପ୍ରାୟ ଲକ୍ଷ୍ୟ ॥ ୭୭
ଶୋଭିତ ଶ୍ରବଣେ କୁଣ୍ତଳ । ହୃଦେ ଲମ୍ବଇ ବନମାଳ ॥ ୭୮
ମୁଖକମଳେ ମନ୍ଦହାସ । ଝାଳେ ଜଡ଼ିତ ନୀଳବାସ ॥ ୭୯
ରବିକିରଣେ ଶ୍ରମ ପାଇ । ବୋଲନ୍ତି ଯମୁନାକୁ ଚାହିଁ ॥ ୮୦
ଆସ କାଳିନ୍ଦୀ ମୋର ପାଶ । ଶକଳ ଶ୍ରମ କର ନାଶ ॥ ୮୧
ତୋ ଜଳେ କରି ଅବଗାହ । ଶ୍ରମ ନ ରହୁ ମୋର ଦେହ ॥ ୮୨
ଯମୁନା ରାମବାଣୀ ଶୁଣି । ମଦିରାମତ୍ତ ପ୍ରାୟ ମଣି ॥ ୮୩
ଅବଜ୍ଞା କରି ରାମବାଣୀ । ତରଳେ ବହେ ତରଙ୍ଗିଣୀ ॥ ୮୪
ତା ଦେଖି ରାମ କୋପଭରେ । ତୀକ୍ଷ୍ଣ ଲଙ୍ଗଳ ଧରି କରେ ॥ ୮୫
କାଳିନ୍ଦୀ ମଧ୍ୟେ ହଳ ସ୍ଥାପି । କୋପେ ବୋଲନ୍ତି ବିଶ୍ୱରୂପୀ ॥ ୮୬
ରେ ପାପୀ ଏଡେ଼ ଗର୍ବ ତୋର । ଅବଜ୍ଞା କଲୁ ବାକ୍ୟ ମୋର ॥ ୮୭
ତୁ ମୋତେ କରୁ ଅବହେଳ । ଆଜ ପାଇବୁ ପ୍ରତିଫଳ ॥ ୮୮
ଲଙ୍ଗଳ ଅଗ୍ରେ ତୋତେ ଧରି । କାଟିବି ଶତଖଣ୍ତ କରି ॥ ୮୯
ନିଶ୍ଚେ ମରିବୁ ଆଜ ତୁହି । ଆଜ୍ଞା ଭାଙ୍ଗିଲୁ ଗର୍ବ ବହି ॥ ୯୦
ଏମନ୍ତ ରାମବାକ୍ୟ ଶୁଣି । ଭୟେ ବୋଲଇ ତରଙ୍ଗିଣୀ ॥ ୯୧
ଲହରୀ ବ୍ୟାଜେ ବେନିକରେ । ମିଳିଲା ରାମର ପୟରେ ॥ ୯୨
କମଳ ଉପହାର ମୁଖେ । ରାମଙ୍କୁ ବୋଲେ ଭୟଦୁଃଖେ ॥ ୯୩
ହେ ରାମ ରାମ ମହାଭୁଜ । ମୁହିଁ ନ ଜାଣେ ତୋର ତେଜ ॥ ୯୪
ତୋହର ଏକ ଅଂଶେ ମହୀ । ମୁକୁଟ ଶିରେ ଅଛି ହୋଇ ॥ ୯୫
ଜଗତପତି ମହୀଧର । ଭୋ ନାଥ ଶରଣ ମୁଁ ତୋର ॥ ୯୬
ତୋର ମହିମା ଭଗବାନ । ନ ଜାଣି କଲି ଅବଜ୍ଞାନ ॥ ୯୭
ପଶିଲି ତୋହରେ ଶରଣେ । ସୁନ୍ଦର ଅଭୟଚରଣେ ॥ ୯୮
ତୁ ନାଥ ଭକତବତ୍ସଳ । ଶରଣ ରଖ ଆଦିମୂଳ ॥ ୯୯
ଏମନ୍ତ ନଦୀବାକ୍ୟ ଶୁଣି । ହଳ ସଂହରି ହଳପାଣି ॥ ୧୦୦
ସକଳ ଗୋପନାରୀ ମେଳେ । ପଶିଲେ ଯମୁନାର ଜଳେ ॥ ୧୦୧
କରିଣୀଯୂଥେ ଗଜବର । ଯେହ୍ନେ ଦିଶଇ ମନୋହର ॥ ୧୦୨
ନିଶ୍ଚିନ୍ତେ ଜଳକ୍ରୀଡ଼ା ସାରି । କୂଳେ ମିଳିଲେ ହଳଧାରୀ ॥ ୧୦୩
ତକ୍ଷଣେ ରବିର ନନ୍ଦିନୀ । ନିର୍ମଳ ନୀଳବସ୍ତ୍ର ଘେନି ॥ ୧୦୪
ରାମର କରେ ଦେଲା ଆଣି । ଭୂଷଣ ନାନାରତ୍ନମଣି ॥ ୧୦୫
ନୀଳକମଳମାଳ ଗଳେ । ଦେଇ ନମିଲା ପାଦତଳେ ॥ ୧୦୬
ନୀଳବସନ ଅନୁପମ । ଆନନ୍ଦେ ପିନ୍ଧି ବଳରାମ ॥ ୧୦୭
ଭୂଷଣ ନାନାରତ୍ନକୁଳ । ହୃଦେ ଲମ୍ବାଇ ବନମାଳ ॥ ୧୦୮
ଗନ୍ଧ ଚନ୍ଦନ ଲେପି ଦେହେ । ଦିଶିଲେ ଇନ୍ଦ୍ରହସ୍ତୀ ପ୍ରାୟେ ॥ ୧୦୯
ଶୁମ ହେ ଅଭିମନ୍ୟୁସୁତ । ଯମୁନାକୂଳେ ରାମକୃତ୍ୟ ॥ ୧୧୦
ଅଦ୍ୟାପି ବୃନ୍ଦାବନ ଦେଶେ । ଯମୁନା ବକ୍ରେ ବହି ଆସେ ॥ ୧୧୧
ଅନନ୍ତବଳୀ ବଳରାମ । ତାର ଚରିତ ଅନୁପମ ॥ ୧୧୨
ଯମୁନାତଟେ ବୃନ୍ଦାବନେ । ଏବେ ତୁ ଶୁଣ ସାବଧାନେ ॥ ୧୧୩
ଏମନ୍ତ କରି କ୍ରୀଡ଼ାରସ । ରାମ ରହିଲେ ବେନିମାସ ॥ ୧୧୪
ଯେତେ ରଜନୀ ବେନିମାସେ । ଗୋପୀଏ ବୃନ୍ଦାବନ ଦେଶେ ॥ ୧୧୫
ରାମର ପ୍ରିୟଭାବେ ମିଶି । ଜାଣନ୍ତି ଗଲା ଏକ ନିଶି ॥ ୧୧୬
ସେ ରାମ ପାଦପଦ୍ମତଳେ । ସୁଜନେ ଚିନ୍ତ ଧ୍ୟାନବେଳେ ॥ ୧୧୭
ଅନନ୍ତ ଚରିତ ଅମୃତ । କହଇ ବିପ୍ର ଜଗନ୍ନାଥ ॥ ୧୧୮
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ଉତ୍ତରାର୍ଦ୍ଧେ ବଳଦେବ ବିଜୟେ ଯମୁନାକର୍ଷଣଂ ନାମ
ସପ୍ତତିତମ ଅଧ୍ୟାୟଃ ॥
ଏକସପ୍ତତିତମ ଅଧ୍ୟାୟ
[ସମ୍ପାଦନା]ଆନନ୍ଦମନେ ବ୍ୟାସସୁତ । ବୋଲନ୍ତି ଶୁଣ ପରୀକ୍ଷିତ ॥ ୧
ଗୋପେ ଯେ ଗଲେ ହଳହସ୍ତ । ଏବେ ହୋ ଶୁଣ ଭାଗବତ ॥ ୨
ପୌଣ୍ତ୍ରକ ନାମେ ନୃପବର । କରୁଷ ଦେଶେ ତାର ଘର ॥ ୩
କୃଷ୍ଣର ଜନ୍ମକର୍ମବାଣୀ । ଶୁଣି ନିରତେ ମନେ ଗୁଣି ॥ ୪
ନିର୍ଗୁଣବ୍ରହ୍ମ ଯେବେ ଅଂଶେ । ଜନ୍ମ ହୋଇଲେ ଯଦୁବଂଶେ ॥ ୫
କେମନ୍ତେ ଦେଖିବି ଲୋଚନେ । ନିତ୍ୟେ ଭାବଇ ଶୁଦ୍ଧମନେ ॥ ୬
ଏତେ ବିଚାରି ହୃଷ୍ଟମନ । ଶରୀରେ ବହେ କୃଷ୍ଣଚିହ୍ନ ॥ ୭
ନିଜଜନଙ୍କୁ ପାଶେ ରାଇ । ବୋଲଇ ବିଶ୍ୱାସ କରାଇ ॥ ୮
ଅଟଇ ମୁହିଁ ବାସୁଦେବ । ମୋର ଚରଣେ ତୁମ୍ଭେ ସେବ ॥ ୯
ତୁମ୍ଭେ ତ ପ୍ରଜାଜନେ ମୋର । ଦେଖ ମୋହର କଳେବର ॥ ୧୦
ମୁହଁଟି ଦେବ ଜନାର୍ଦ୍ଦନ । ଦେଖ ମୋହର ବର୍ଣ୍ଣ ଚିହ୍ନ ॥ ୧୧
ଏମନ୍ତ ପ୍ରଜାଗଣେ କହି । କୃଷ୍ଣର ପ୍ରାୟ ସଜ ହୋଇ ॥ ୧୨
ବହଇ କୃଷ୍ଣର ସ୍ୱଭାବ । ବୋଲଇ ମୁହିଁ ବାସୁଦେବ ॥ ୧୩
ଯେ ମୋତେ ନ ବୋଲିବ ହରି । ତାହାକୁ ପକାଇବି ମାରି ॥ ୧୪
ଧନ ସମ୍ପଦ ଦେବି ବଳେ । ତା ଶୁଣି ପ୍ରଜାଏ ବିକଳେ ॥ ୧୫
ବୋଲନ୍ତି ତୁ ସେ ନାରାୟଣ । ଅନାଦି ପରମକାରଣ ॥ ୧୬
ତୋହର ଅଂଶେ ସୁରଦେବା । ତୋର ଚରଣେ ଆମ୍ଭ ସେବା ॥ ୧୭
ଏମନ୍ତେ ପ୍ରଜା ତାର ପୁରେ । ବିଶ୍ୱାସେ ସେବନ୍ତି ପୟରେ ॥ ୧୮
ନାମ ଜପନ୍ତି ତାର ନିତି । ନିରତେ ଚରଣେ ସେବନ୍ତି ॥ ୧୯
ଏମନ୍ତେ କେତେଦିନ ଗଲା । ପୌଣ୍ତ୍ରକ ମନେ ବିଚାରିଲା ॥ ୨୦
ନିଶ୍ଚୟେ ମୁହିଁ ଜଗଦୀଶ । ସକଳ ଦେହରେ ପ୍ରକାଶ ॥ ୨୧
ଏତେ ବିଚାରି ଦୂତେ ରାଇ । ତାହାର ହସ୍ତେ ଲେଖ ଦେଇ ॥ ୨୨
ବୋଲଇ ଯାଅ ଯଦୁପୁର । କହିବୁ କୃଷ୍ଣର ଛାମୁର ॥ ୨୩
ଜଗତେ ମୋର ଅବତାର । ନାଶିବି ଅବନୀର ଭାର ॥ ୨୪
ମୁଁ ବ୍ରହ୍ମ ପରମକାରଣ । ଅନାଦି ପୁରୁଷ ପୁରାଣ ॥ ୨୫
ମୋହର ଅଛି ଚାରି କର । ମୁହଁଟି ଶଙ୍ଗଚକ୍ରଧର ॥ ୨୬
ଗଦା କମଳ କରେ ଘେନି । ଶ୍ରୀବତ୍ସ ଚିହ୍ନ କଣ୍ଠେ ମଣି ॥ ୨୭
ପୀତବସନ ବନମାଳ । କର୍ଣ୍ଣେ ମୋ ମକରକୁଣ୍ତଳ ॥ ୨୮
କିରୀଟ ବଳୟ କଙ୍କଣ । ବିଜୟ ଗରୁଡ଼ ଆସନ ॥ ୨୯
ମୋ ତହୁଁ ପରେ ନାହିଁ କେହି । ମୁହିଁ ସକଳଜୀବ-ଦେହୀ ॥ ୩୦
ପ୍ରାଣୀଙ୍କି ଦୟା ବହି ଚିତ୍ତେ । ମୋହର ଜନ୍ମ ଏ ଜଗତେ ॥ ୩୧
ନାଶିବି ଅବନୀର ଭାର । ତୁ ବେଗେ ଛାଡ଼ ଚିହ୍ନ ମୋର ॥ ୩୨
ମିଛେ ହେଁ ବୋଲୁ କୃଷ୍ଣ ମୁହିଁ । ତୋ କଥା ଭଲେ ମୁଁ ଜାଣଇ ॥ ୩୩
ଏବେ ତୁ ମୋର ଚିହ୍ନ ଛାଡ଼ି । ମୋହର ପାଦେ କରଯୋଡ଼ି ॥ ୩୪
ଶରଣ ପଶ ଆସି ବେଗେ । ତୋର ଜୀବନ ମୋର ଭାଗେ ॥ ୩୫
ଯେବେ ନ ପଶିବୁ ଶରଣ । ମୋହର ତୁଲେ କର ଗଣ ॥ ୩୬
ଜିଣିଲେ ବାସୁଦେବ ତୁହି । ତୁ ମଲେ ବାସୁଦେବ ମୁହିଁ ॥ ୩୭
ଏମନ୍ତ କହି ଦୂତ ଆଗେ । ବୋଲେ ଦ୍ୱାରକା ଯାଅ ବେଗେ ॥ ୩୮
ତାହାର ଆଜ୍ଞା ଘେନି ଶିରେ । ଦୂତ ମିଳିଲା ଯଦୁପୁରେ ॥ ୩୯
କୃଷ୍ଣର ସଭାମଧ୍ୟେ ଯାଇ । କହିଲା ଶିରେ କର ଦେଇ ॥ ୪୦
ଲେଖପ୍ରମାଣେ ତାର ବାଣୀ । ଗୋବିନ୍ଦ ସଭାମଧ୍ୟେ ଶୁଣି ॥ ୪୧
ଅଳପ ହସି ଭଗବାନ । ଦୂତ ବଚନେ ଅବଧାନ ॥ ୪୨
ଶୁଣି ହସିଲେ ଉଗ୍ରସେନ । ସଭାର ମଧ୍ୟେ ଯେତେ ଜନ ॥ ୪୩
ଏକ ଆରକେ ମୁଖ ଚାହିଁ । ହସିଲେ କରତାଳି ଦେଇ ॥ ୪୪
ଦୂତକୁ ଚାହିଁ ଚକ୍ରପାଣି । ବୋଲନ୍ତି ପରିହାସ ବାଣୀ ॥ ୪୫
ରେ ଦୂତ ଶୁଣ ମୋ ବଚନ । ମୋହର ବାସୁଦେବ ଚିହ୍ନ ॥ ୪୬
ମୂଢ଼ବଚନ ଉପଲକ୍ଷ୍ୟ । ନିଶ୍ଚେ ଛାଡ଼ିବି ତାକୁ ଦେଖି ॥ ୪୭
ମୋହର ଚିହ୍ନ-ବେଶ ବହି । ବୀରଶୟନେ ଥିବ ଶୋଇ ॥ ୪୮
କଙ୍କ ଶୃଗାଳ ଗୃଧ୍ର ଶ୍ୱାନ । ପଶିବ ତାହାରେ ଶରଣ ॥ ୪୯
କୃଷ୍ଣବଚନେ ଦୂତ ଗଲା । ପୌଣ୍ତ୍ରକ ଆଗରେ କହିଲା ॥ ୫୦
ଦାରୁକେ ରାଇ ଦାମୋଦର । ବୋଇଲେ ରଥ ସଜ କର ॥ ୫୧
ତକ୍ଷଣେ ସାଜି ନନ୍ଦିଘୋଷ । ମିଳିଲା ଗୋବିନ୍ଦର ପାଶ ॥ ୫୨
ରଥେ ବିଜୟ ନରହରି । ଶଙ୍ଖ-ଶବଦେ ଦିଗ ପୂରି ॥ ୫୩
କରୁଷଦେଶେ ବନମାଳୀ । ନିମିଷମାତ୍ରେ ଯାଇ ମିଳି ॥ ୫୪
କୃଷ୍ଣର ଆଗମନ ଶୁଣି । ପୋଣ୍ତ୍ରକ ବେନି ଅକ୍ଷୌହିଣୀ ॥ ୫୫
ସାଜି ମିଳିଲା କୃଷ୍ଣପାଶେ । ସଂଗ୍ରାମେ ଜିଣିବାର ଆଶେ ॥ ୫୬
ତାହାର ମିତ୍ର କାଶୀରାଜ । ସେହୁ ତାହାର ତୁଲେ ସଜ ॥ ୫୭
କୃଷ୍ଣର ତୁଲେ ରଣ ଜାଣି । ସାଜିଲା ତିନି ଅକ୍ଷୌହିଣୀ ॥ ୫୮
କୃଷ୍ଣଙ୍କୁ ଦେଖି ମହାରୋଷେ । ବେଗେ ରୁନ୍ଧିଲା ଚଉପାଶେ ॥ ୫୯
କୃଷ୍ଣ ଚାହାଁନ୍ତି ରଣମଧ୍ୟେ । ପୌଣ୍ତ୍ରକ ଦେଖିବାର ସଧେ ॥ ୬୦
ବାଜଇ ବୀରତୂରମାନ । ରଣେ ପୌଣ୍ତ୍ରକ ଆଗମନ ॥ ୬୧
କୃଷ୍ଣ ଦେଖିଲେ ତାର ରଥ । ରତ୍ନଭୂଷଣ ଅପ୍ରମିତ ॥ ୬୨
ରଥ ଉପରେ ପକ୍ଷୀରାଜ । ଧ୍ୱଜପତାକା ମଧ୍ୟେ ସଜ ॥ ୬୩
ବିମାନମଧ୍ୟେ ତା ଶରୀର । ଦେଖିଲେ କମଳାର ବର ॥ ୬୪
ବିସ୍ତାର ଶୋହେ ଭୁଜ ଚାରି । ଶଙ୍ଗ କମଳ ଗଦା ଧରି ॥ ୬୫
ସାରଙ୍ଗଧନୁ ଅଛି କରେ । ଶ୍ରୀବତ୍ସଚିହ୍ନ ହୃହୟରେ ॥ ୬୬
କଣ୍ଠେ ଲମ୍ବଇ ରତ୍ନମଣି । ରବିକିରଣ ପ୍ରାୟ ଜାଣି ॥ ୬୭
ହୃଦେ ଲମ୍ବଇ ବନମାଳ । ଶ୍ରବଣେ ମକର କୁଣ୍ତଳ ॥ ୬୮
ପୀତବସନ ଦେହେ ଝଳି । ନୀଳଜୀମୂତେ କି ବିଜୁଳି ॥ ୬୯
ଅମୂଲ୍ୟ କିରୀଟ ବିରାଳେ । ରତ୍ନମେଖଳା କଟି ସାଜେ ॥ ୭୦
ତାର କପଟବେଶ ଦେଖି । ଆତ୍ମାର ପ୍ରାୟ ଉପଲକ୍ଷ୍ୟି ॥ ୭୧
ନଟର ପ୍ରାୟ ବେଶ ଧରି । ଦେଖି ହସିଲେ ନରହରି ॥ ୭୨
କୃଷ୍ଣଙ୍କୁ ଦେଖି ରିପୁଗଣ । ଉଭାରି କଲେ ଘୋରରଣ ॥ ୭୩
ଶୂଳ ପରିଘ ଗଦା ଋଷ୍ଟି । ପାଶ ତୋମର ଲୌହଯଷ୍ଟି ॥ ୭୪
ଅସି କୁଠାର ପର୍ଶୁ ଯେତେ । ପ୍ରହାର କଲେ ଅପ୍ରମିତେ ॥ ୭୫
ପୌଣ୍ତ୍ରକ କାଶୀରାଜାବଳ । ଦେଖିଲେ ମଦନଗୋପାଳ ॥ ୭୬
ପଦାତି ରଥ ଗଜ ବାଜି । ଏମନ୍ତେ ଚତୁରଙ୍ଗ ସାଜି ॥ ୭୭
ଏମନ୍ତେ ଚତୁରଙ୍ଗବଳ । ଲାଗିଲା ରଣରଙ୍ଗ ଗୋଳ ॥ ୭୮
ଗଦା ଖଡ଼ଗ ଚକ୍ର ବାଣ । କୋପେ ପ୍ରହାରି ନାରାୟଣ ॥ ୭୯
ବେଗେ ନାଶିଲେ ରିପୁବଳ । ଯେସନେ ଯୁଗାନ୍ତଅନଳ ॥ ୮୦
ରୁଦ୍ରନୟନୁ ଜାତ ହୋଇ । ତିନି ଭୁବନ ଯେହ୍ନେ ଦହି ॥ ୮୧
କୃଷ୍ଣ ସଂଗ୍ରାମେ ରଣ ଭୂଇଁ । କି ପଟାନ୍ତର ଦେବି ମୁହିଁ ॥ ୮୨
ଗଜ ତୁରଗ ରଥ ଖର । ଉଷ୍ଟ୍ର ପଦାତି ମହାଘୋର ॥ ୮୩
ଚକ୍ର ପ୍ରହାରଣେ ଖଣ୍ତିତ । ଜଳଧି ସଦୃଶେ ଶୋଣିତ ॥ ୮୪
ଉଛୁଳି ବହେ ରଣମଧ୍ୟେ । ଗଗନେ ଦେଖନ୍ତି ବିବୁଧେ ॥ ୮୫
ବ୍ରହ୍ମାଦିବସ ଅନ୍ତେ ମହୀ । ପ୍ରଳୟଜଳେ ହତ ହୋଇ ॥ ୮୬
ଈଶ୍ୱରକ୍ରୀଡ଼ାସ୍ଥାନେ ପ୍ରାୟେ । ରକତେ ରଣଭୂମି ଶୋହେ ॥ ୮୭
ପୌଣ୍ତ୍ରକ ଅଛି ଏକା ରଥେ । ଉଭାରି ଗୋବିନ୍ଦ ଅଗ୍ରତେ ॥ ୮୮
ସମରେ ତାର ମୁଖ ଚାହିଁ । ହସି ବୋଲନ୍ତି ଭାବଗ୍ରାହୀ ॥ ୮୯
ଆହେ ପୌଣ୍ତ୍ରକ ତୋର ଦୂତ । ମୋ ଆଗେ କହିଲା ଯେମନ୍ତ ॥ ୯୦
ତୋହର ଚିହ୍ନ ବର୍ଣ୍ଣମାନ । ହୁଡ଼ିଲି ସମ୍ଭାଳ ବହନ ॥ ୯୧
ମିଛେ ମୁଁ ଧରି ତୋର ବେଶ । ବିଷ୍ଣୁ ବୋଲାଏ ମର୍ତ୍ତ୍ୟଦେଶ ॥ ୯୨
ଯେବେ ହାରିବି ତୋତେ ରଣେ । ଛାଡ଼ି ପଶିବି ତୋ ଶରଣେ ॥ ୯୩
ଏମନ୍ତ କହି ଦାମୋଦର । ବେଗେ ବିନ୍ଧିଲେ ତୀକ୍ଷ୍ଣ ଶର ॥ ୯୪
ବିରଥ କରି ତାର ଶିର । ଚକ୍ରେ ଛେଦିଲେ ଚକ୍ରଧର ॥ ୯୫
ବାସବବଜ୍ରେ ହତ ହୋଇ । ପର୍ବତ ଯେମନ୍ତ ଦିଶଇ ॥ ୯୬
କାଶୀରାଜାର ଦେଖି ରଥ । ବେଗେ ମିଳିଲେ ଗୋପୀନାଥ ॥ ୯୭
ନିଜ କୋଦଣ୍ତେ ଦେଇ ଗୁଣ । ସନ୍ଧାନ କଲେ ତୀକ୍ଷ୍ଣ ବାଣ ॥ ୯୮
କାଶୀରାଜାର ଶିର କାଟି । ନାରାଚ ଗଲା ଶୂନ୍ୟେ ଘୋଟି ॥ ୯୯
ନିଜ କୋଦଣ୍ତେ ଦେଇ ଗୁଣ । ସନ୍ଧାନ କଲେ ତୀକ୍ଷ୍ଣ ବାଣ ॥ ୧୦୦
ରାଜାର ଦ୍ୱାରେ ଦେଖି ମୁଣ୍ତ । ଲୋକେ ହୋଇଲେ ବେଗେ ରୁଣଜ୍ଞତ । ୧୦୧
ପବନବଳେ ଛିଡ଼ି ପାଶ । ଯେହ୍ନେ ଦିଶଇ ପଦ୍ମକୋଷ ॥ ୧୦୨
ଏମନ୍ତେ ଶୁଣ ଦଣ୍ତଧାରୀ । ପଞ୍ଚ ଅକ୍ଷୌହିଣୀ ସଂହାରି ॥ ୧୦୩
ପୌଣ୍ତ୍ରକ କାଶୀରାଜା ତୁଲେ । ରଣେ ଗୋବିନ୍ଦ ସଂହାରିଲେ ॥ ୧୦୪
ଦେଖି ଆନନ୍ଦ ଦେବଗଣେ । ରିପୁ ନିବାରି ଘୋରରଣେ ॥ ୧୦୫
ଦ୍ୱାରକା ବିଜେ ଲକ୍ଷ୍ମୀକାନ୍ତ । ଏବେ ହୋ ଶୁଣ ନରନାଥ ॥ ୧୦୬
ପୌଣ୍ତ୍ରକ ଗୋବିନ୍ଦର ଭାବ । ନିରତେ କରି ଅନୁଭବ ॥ ୧୦୭
ମରଣେ ଚାହିଁ ପଦ୍ମମୁଖ । ଲଭିଲା ଆତ୍ମଗତି ସୁଖ ॥୧୦୮
କାଶୀରାଜାର ଶିର ଦେଖି । ଜନେ ବୋଲନ୍ତି ଉପଲକ୍ଷ୍ୟି ॥୧୦୯
ଏହୁ କାହାର ଦେଖ ଶିର । ଛିଡ଼ି ପଡ଼ିଲା ରାଜଦ୍ୱାର ॥୧୧୦
ଏମନ୍ତେ କରନ୍ତେ ବିଚାର । ଚିହ୍ନିଲେ କାଶୀରାଜା ଶିର ॥୧୧୧
ସମରେ କୃଷ୍ଣ କଲେ ନାଶ । ଜାଣି ପାଇଲେ ମନେ ତ୍ରାସ ॥୧୧୨
ତାହାର ଯେତେକ ତରୁଣୀ । ସ୍ୱାମୀମରଣ କଥା ଶୁଣି ॥୧୧୩
ବନ୍ଧୁ ବାନ୍ଧବ ଜନେ ମିଳି । କାନ୍ଦନ୍ତେ ଭୁବନ ଉଛୁଳି ॥ ୧୧୪
କାନ୍ଦନ୍ତି ନାଥ ନାଥ ବାଣୀ । ଗୋଳ ପ୍ରଳୟ ପ୍ରାୟ ମଣି ॥ ୧୧୫
ତାର କୁମର ସୁଦକ୍ଷିଣ । ଶୋକ ନିବାରି ସର୍ବଜନ ॥୧୧୬
ପିତାର ପ୍ରେତକ୍ରିୟା ସାରି । ସଙ୍କଳ୍ପ କଲା କୋପଭରି ॥ ୧୧୭
ପିତୃବଇରୀ ଯେବେ ମାରି । ତେବେ ମୁଁ ଥିବି ଦେହ ଧରି ॥ ୧୧୮
ଏମନ୍ତେ ମନ ସ୍ଥିର କରି । ସେବିଲା ଶଙ୍କର-ଗଉରି ॥ ୧୧୯
ସମାଧି କରି ଯୋଗବଳେ । ତୋଷିଲା ଶିବଙ୍କୁ ନିଶ୍ଚଳେ ॥ ୧୨୦
ପ୍ରସନ୍ନ ହୋଇ ଶୂଳଧର । ବୋଇଲେ ଦେବି ମାଗ ବର ॥ ୧୨୧
ଭଗ୍ନ-ସମାଧି ସୁଦକ୍ଷିଣ । ବନ୍ଦିଲା ଈଶ୍ୱରଚରଣ ॥ ୧୨୨
ବୋଲଇ ଶିରେ ଦେଇ କର । ପିତୃବଇରୀ ଅଛି ମୋର ॥ ୧୨୩
ତାହାକୁ କରିବି ମୁଁ ହତ । ଏ ବର ଦିଅ ଉମାକାନ୍ତ ॥ ୧୨୪
ଶୁଣି ବୋଇଲେ ଦେବହର । ତୁ ଏବେ ଅଗ୍ନିସେବା କର ॥ ୧୨୫
ବିପ୍ରବଚନ ମନେ ଧରି । ନାନାସମିଧ ମିଶ୍ର କରି ॥ ୧୨୬
ଆଗମଶାସ୍ତ୍ରର ବିଧାନେ । ଅନଳ ପୂଜ ଏକମନେ ॥ ୧୨୭
ଋତ୍ୱିଜ କରିଣ ବରଣ । ମାରଣେ ବେଦ ଅଥର୍ବଣ ॥ ୧୨୮
ଆଭିଚାରିକ ବେଦନାଦେ । ଆହୁତି ଦେବୁ କୁଣ୍ତ ମଧ୍ୟେ ॥ ୧୨୯
ଅଗ୍ନିପୁରୁଷ ଜାତ ହେବ । ତେବେ ତୋ କାମନା ପୂରିବ ॥ ୧୩୦
ମରିବ ରିପୁ ସେ ତୋହର । ବ୍ରାହ୍ମଣେ ସେବା ନାହିଁ ଯାର ॥ ୧୩୧
ଏମନ୍ତେ ରୁଦ୍ରବାକ୍ୟ ଶୁଣି । ଯଜ୍ଞ ଆରମ୍ଭେ ନୃପମଣି ॥ ୧୩୨
ଅନଳେ ଅଭିଚାର ମତେ । ଆହୁତି ଦେଲା ଅପ୍ରମିତେ ॥ ୧୩୩
କୁବୁଦ୍ଧିପଣ ଦେଖ ତାର । କୃଷ୍ଣଙ୍କୁ ଚିନ୍ତେ ଅଭିଚାର ॥ ୧୩୪
ଅଗ୍ନିପୁରୁଷ କୁଣ୍ତମଧ୍ୟେ । ଜାତ ହୋଇଲେ ଘୋରନାଦେ ॥ ୧୩୫
ଅତିଭୀଷଣ ରୂପବନ୍ତ । ତା ରୂପ ଶୁଣ ନରନାଥ ॥ ୧୩୬
ତପତତମ୍ବା ପ୍ରାୟ ଶିଖା । ଶ୍ମଶ୍ରୁ ନାସିକା ପିଙ୍ଗରେଖା ॥ ୧୩୭
ଗ୍ରହରାଜର ତେଜ ତାର । ଲୋଚନ ବଚନ ଗଭୀର ॥ ୧୩୮
ଅଙ୍ଗାର ଉଦ୍ଗାରଇ ତୁଣ୍ତେ । ବିକଟ ଦଶନ ପ୍ରଚଣ୍ତେ ॥ ୧୩୯
ଭ୍ରୂକୁଟୀ କୁଟୀଳ କଠୋର । ତୁଣ୍ତ ଗଭୀର ଅନ୍ଧକାର ॥ ୧୪୦
ଜିହ୍ୱା ବୁଲାଇ ବେନିକଳେ । ଯେସନେ ବିଜୁଳି ଚଞ୍ଚଳେ ॥ ୧୪୧
ଉଲଗ୍ନ ଶରୀର କରାଳ । ହସ୍ତେ କମ୍ପଇ ତୀକ୍ଷ୍ଣ ଶୂଳ ॥ ୧୪୨
ଚଳଇ କରି ଘୋର ନାଦ । ତାଳ ପ୍ରମାଣେ ବେନି ପାଦ ॥ ୧୪୩
କୋପେ ଧାଣଇଁ ଶୂଳହସ୍ତେ । ଅବନୀ କମ୍ପେ ପାଦଘାତେ ॥ ୧୪୪
ପ୍ରମଥଭୂତଗଣ ସଙ୍ଗେ । ଦ୍ୱାରକା ଗଲା ଅତିବେଗେ ॥ ୧୪୫
ତାହାର ତେଜ ଦେହେ ଦିଶ । ସଧୂମେ ପୂରିଲା ଆକାଶ ॥ ୧୪୬
ଏମନ୍ତେ ବହ୍ନିର ଆଗମ । ଧୂମ ପୂରିତ ମହାତମ ॥ ୧୪୭
ଦ୍ୱାରକାପୁରେ ଯେତେ ଜନ । ଭୟେ କମ୍ପନ୍ତି ଛନଛନ ॥ ୧୪୮
ଭୟେ ଭାଜିଲେ ଚାରିଦିଗେ । ବନ ଦହନେ ଯେହ୍ନେ ମୃଗେ ॥ ୧୪୯
ପଶା ଖେଳନ୍ତି ଭଗବାନ । ଏମନ୍ତେ ମିଳି ସର୍ବଜନ ॥ ୧୫୦
ବୋଲନ୍ତି କୃଷ୍ଣମୁଖ ଚାହିଁ । ଭୋ ନାଥ କର ଜନେ ତ୍ରାହି ॥ ୧୫୧
ତ୍ରୈଲୋକ୍ୟନାଥ ତୋର ପୁର । ଅନଳ ଦହ୍ନୁ ଉଦ୍ଧର ॥ ୧୫୨
ଏମନ୍ତେ ସ୍ୱଜନ ବିକଳ । ଦେଖି ବୋଲନ୍ତି ଆଦିମୂଳ ॥ ୧୫୩
ଶରଣ ବନ୍ଧୁ ବନମାଳୀ । ବୋଲନ୍ତି ବେନିଭୁଜ ତୋଳି ॥ ୧୫୪
ଭୟ ନ କର ତୁମ୍ଭେ କେହି । ଅନଳ ସଂହାରିବି ମୁହିଁ ॥ ୧୫୫
ଯେ ହରି ଅଶେଷ ଶରୀରେ । ବିଦିତ ଅନ୍ତର ବାହାରେ ॥ ୧୫୬
ସ୍ୱଜନ ଶୁଭାଶୁଭ ଜାଣେ । ଏମନ୍ତ ନିଗମ ବଖାଣେ ॥ ୧୫୭
ରୁଦ୍ରଅନଳ କୃଷ୍ଣ ଜାଣି । ଚକ୍ରେ ସୁମରି ଚକ୍ରପାଣି ॥ ୧୫୮
ଚକ୍ର ଗୋବିନ୍ଦ ପାଶେ ଥିଲା । କୃଷ୍ଣର ମନ ସେ ଜାଣିଲା ॥ ୧୫୯
କୋଟି-ଆଦିତ୍ୟ-ତେଜ ନାଶେ । ପ୍ରଳୟ ଅନଳ ପ୍ରକାଶେ ॥ ୧୬୦
ଭୂମି ଗଗନ ତେଜ ବ୍ୟାପି । କୃଷ୍ଣର ତେଜ ବିଶ୍ୱରୂପୀ ॥ ୧୬୧
ସେ କୃଦ୍ୟାଅଗ୍ନି ଅଙ୍ଗେ ପଡ଼ି । ଶବଦ ଶୁଭେ ଘଡ଼ଘଡ଼ି ॥ ୧୬୨
ଚକ୍ର ସଂଯୋଗେ ଅଗ୍ନି ନାଶ । ଭସ୍ମ ଉଡ଼ିଲା ଦଶଦିଶ ॥ ୧୬୩
ଘୋର ଅନଳ ନାଶି ଖରେ । ଚକ୍ର ମିଳିଲା କାଶୀପୁରେ ॥ ୧୬୪
ଯଜ୍ଞଶାଳରେ ଯାଇ ମିଳି । କୋଟି ଆଦିତ୍ୟ ପ୍ରାୟ ଝଳି ॥ ୧୬୫
ରତ୍ୱିଜ ସଙ୍ଗେ ସୁଦକ୍ଷିଣ । ଦହନ କଲା ତତକ୍ଷଣ ॥ ୧୬୬
ପ୍ରଚଣ୍ତ ତେଜ ମହାଘୋର । କୋପେ ଦହିଲା କାଶୀପୁର ॥ ୧୬୭
ନରକୁଞ୍ଜର ଅଶ୍ୱ ରଥ । ଭସ୍ମ ହୋଇଲେ ଯୂଥ ଯୂଥ ॥ ୧୬୮
ସକଳଗୁଣ କାଶୀପୁରେ । କିବା ଉପମା ଦେବା ତାରେ ॥ ୧୬୯
ଦହନ କରି ସେହୁ ପୁର । କୃଷ୍ଣର ତେଜ ମହାଘୋର ॥ ୧୭୦
ଦେଖି ଅଖିଳ ଜନ ତ୍ରାସେ । ପୁଣି ମିଳିଲା କୃଷ୍ଣପାଶେ ॥ ୧୭୧
ବୋଲନ୍ତି ଶୁକ ମୁନିବର । ଶୁଣ ସୁମନେ କୁରୁବୀର ॥ ୧୭୨
କୃଷ୍ଣ-ବିକ୍ରମ-ରସ ବାଣୀ । ଯେ ଏହା ଜନମଧ୍ୟେ ଭଣି ॥ ୧୭୩
ଯେ ଅବା ଶ୍ରବଣେ ଶୁଣନ୍ତି । ସକଳ ପାପୁଁ ସେ ତରନ୍ତି ॥ ୧୭୪
ସୁଜନେ ଶୁଣ କୃଷ୍ଣରସ । ଭଣଇ ଜଗନ୍ନାଥ ଦାସ ॥ ୧୭୫
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ଉତ୍ତରାର୍ଦ୍ଧେ ପୌଣ୍ତ୍ରକାଦିବଧୋ ନାମ
ଏକସପ୍ତତିତମ ଅଧ୍ୟାୟଃ ॥
ଦ୍ୱିସପ୍ତତିତମ ଅଧ୍ୟାୟ
[ସମ୍ପାଦନା]ଶୁକଚରଣେ ଦେଇ ଚିତ୍ତ । ଭାବେ ବୋଲଇ ପରୀକ୍ଷିତ ॥ ୧
- ପରିକ୍ଷିତ ଉବଚ
ଭୋ ମୁନି ପ୍ରଭୁ କାମପାଳ । ସୁନ୍ଦର ବୀରବାହୁ ବଳ ॥ ୨
ଯମୁନା ଆକର୍ଷଣ କରି । ବନେ ରମିଲେ ଗୋପନାରୀ ॥ ୩
ତୁମ୍ଭ ବଦନୁ ସୁଧାବାଣୀ । କୃଷ୍ଣ ଚରିତ କର୍ଣ୍ଣେ ଶୁଣି ॥ ୪
ନିର୍ମଳ କଲି ପ୍ରାଣ ଦେହ । ରାମ ବିକ୍ରମ ମୋତେ କହ ॥ ୫
ଅନନ୍ତ ଅପ୍ରମେୟ ତେଜ । ଯେଣୁ ସେ କୃଷ୍ଣର ଅଗ୍ରଜ ॥ ୬
କହନ୍ତି ବ୍ୟାସଙ୍କର ସୁତ । ଶୁଣ ହୋ ରାମର ଚରିତ ॥ ୭
ନାରକା ପୃଥିବୀର ବଳା । ସଂଗ୍ରାମେ କୃଷ୍ଣହାତେ ମଲା ॥ ୮
ତାର ସୁହୃଦ ସଖା ଯେତେ । ରାଜ୍ୟେ ଅଛନ୍ତି ନାନାମତେ ॥ ୯
ତାର ମରଣ ଶୁଣି କର୍ଣ୍ଣେ । ବାନରେ ଥିଲା ଘୋରବନେ ॥ ୧୦
ପ୍ରଚଣ୍ତ ଦ୍ୱିବିଦ ବାନର । ଦେବମାନବେ ଅଗୋଚର ॥ ୧୧
ବାଳୀ ସୁଗ୍ରୀବ ମନ୍ତ୍ରୀ ସେହି । ମଇନ୍ଦ ତାର ଜ୍ୟେଷ୍ଠ ଭାଇ ॥ ୧୨
ଶୁଝିବା ଅର୍ଥେ ମିତ୍ରଋଣ । ଇଚ୍ଛଇ କୃଷ୍ଣତୁଲେ ଋଣ ॥ ୧୩
ତାର ସମରେ ନାହିଁ ବୀର । ପର୍ବତୁଁ ହୋଇଲା ବାହାର ॥ ୧୪
ଦେଖି ପାଇଲେ ଦେବେ ତ୍ରାସ । କରଇ ଜନପ୍ରଜା ନାଶ ॥ ୧୫
ଗ୍ରାମ-ପାଟଣା-ପୁରେ ଯାଇ । ଲାଙ୍ଗୁଳେ ଅନଳ ଲଗାଇ ॥ ୧୬
ଦୁର୍ଗମ ବନ ଦେଶ ଗ୍ରାମ । କରଇ ବାନର ଦହନ ॥ ୧୭
ଧାମଇଁ ଶିଳା ବୃକ୍ଷ ଘେନି । ଶବଦେ କମ୍ପଇ ମେଦିନୀ ॥ ୧୮
ପ୍ରଚଣ୍ତ-ଘୋରନାଦ କରି । ଭାଙ୍ଗଇ ପୁର ଗ୍ରାମ ଗିରି ॥ ୧୯
ମିଳିଲା ଦ୍ୱାରକାନଗରୀ । ଲୋଡ଼ଇ ମିତ୍ର ଶତ୍ରୁ ମାରି ॥ ୨୦
ପ୍ରଚଣ୍ତ-ଘୋରନାଦ କରି । କୃଷ୍ଣଙ୍କୁ ଲୋଡେ଼ ଅନୁସରି ॥ ୨୧
କୃଷ୍ଣ ମାରିବି ଭୁଜବଳେ । ମିତ୍ର ତୋଷିବି ଗଙ୍ଗାଜଳେ ॥ ୨୨
ସମୁଦ୍ରଜଳ କୋପାନଳେ । ଫିଙ୍ଗଇ ବେନିଭୁଜବଳେ ॥ ୨୩
ସମୁଦ୍ରକୁଳେ ଗ୍ରାମ ଯେତେ । ଜଳେ ଭାସିଲେ ଅପ୍ରମିତେ ॥ ୨୪
ଅୟୁତେ ମତ୍ତଗଜ ବଳ । ଫିଙ୍ଗଇ ରାତ୍ରଦିନେ ଜଳ ॥ ୨୫
ଭାଙ୍ଗଇ ଫଳପୁଷ୍ପ ଦ୍ରୁମ । ନାଶିଲା ମୁନିଙ୍କ ଆଶ୍ରମ ॥ ୨୬
ମୁନିଙ୍କ ଯଜ୍ଞକୁଣ୍ତେ ଯାଇ । ଅନଳ ଦେଖି ରୋଷ ବହି ॥ ୨୭
ଭାଙ୍ଗଇ ଯଜ୍ଞର ମଣ୍ତଳ । ଅନଳେ କ୍ଷେପେ ମୂତ୍ର ମଳ ॥ ୨୮
ସ୍ତିରୀ ପୁରୁଷ ବଳେ ଧରି । ଗିରିକନ୍ଦର ମଧ୍ୟେ ଭରି ॥ ୨୯
ଦ୍ୱାର ରୁନ୍ଧଇ ଶିଳା ଦେଇ । କୁମ୍ଭାରକୀଟ ପ୍ରାୟ ହୋଇ ॥ ୩୦
ଏମନ୍ତେ ଦେଶ ନାଶ କରି । ଦୂଷଣ କରେ କୁଳସ୍ତିରୀ ॥ ୩୧
ରଜନୀକାଳେ ଏକ ଦିନେ । ରୈବତଗିରି ଘୋରବନେ ॥ ୩୨
ସୁସ୍ୱରଗୀତ କର୍ଣ୍ଣେ ଶୁଣି । କୋପେ ଧାଇଁଲା ବୀରମଣି ॥ ୩୩
ଗିରିଶିଖରେ ବେଗେ ଉଠି । ଚାହଁଇ ସ୍ଥିରକରି ଦୃଷ୍ଟି ॥ ୩୪
କାମିନୀଗଣ ମଧ୍ୟେ ରାମ । ଯଦୁସୁନ୍ଦର ଅନୁପମ ॥ ୩୫
ବିବିଧ ଅଳଙ୍କାର ଶୋହେ । କୁସୁମମାଳା ମନ ମୋହେ ॥ ୩୬
ବାରୁଣୀପାନେ ମତ୍ତ ହୋଇ । କାମିନୀ ସଙ୍ଗେ ଗୀତ ଗାଇ ॥ ୩୭
ମଦ୍ୟେ ଅରୁଣ ଚକ୍ଷୁ ଦୁଇ । କି ପଟାନ୍ତର ଦେବି ମୁହିଁ ॥ ୩୮
କରିଣୀଯୂଥ ମଧ୍ୟେ ପଶି । ମତ୍ତକୁଞ୍ଜର ପ୍ରାୟ ଦିଶି ॥ ୩୯
ଦୁଷ୍ଟବାନର ବାହୁବଳେ । ବୃକ୍ଷେ ଉଠିଲା କୋପାନଳେ ॥ ୪୦
ଡାଳେ କମ୍ପାଇ ତାର ପାଦ । କରଇ କିଳିକିଳା ନାଦ ॥ ୪୧
ତଦନ୍ତେ ବୃକ୍ଷଶିଖେ ଯାଇ । ଗର୍ଜଇ ଦଶନ ଦେଖାଇ ॥ ୪୨
ଦେଖି ତାହାର ଦୁଷ୍ଟପଣ । ଭୟେ ଚାହିଁଲେ ସ୍ତିରୀଗଣ ॥ ୪୩
କରାଳ ତାର ମୁଖ ଦେଶ । ଦେଖି କାମିନୀ କଲେ ହାସ ॥ ୪୪
ଦେଖି ବାନର କୋପମନେ । ଭ୍ରୂକୁଟୀ କୁଟୀଳ ନୟନେ ॥ ୪୫
କପି ସ୍ୱଭାବେ କରି ନାଦ । ନାରୀଙ୍କି ଦେଖାଇଲା ଗୁଦ ॥ ୪୬
ଏମନ୍ତ ତାର ଦୁଷ୍ଟପଣ । ଦେଖିଲେ ରେବତୀରମଣ ॥ ୪୭
ପାଷାଣ ଖଣ୍ତ ଧରି କରେ । ଫିଙ୍ଗିଲେ ବାନର ଉପରେ ॥ ୪୮
ଦେଖି ବାନର କୋପ ବହି । ଡେଇଁ ପଡ଼ିଲା ମଧ୍ୟେ ଯାଇ ॥ ୪୯
ବାରୁଣୀକୁମ୍ଭ ଘେନି କରେ । ପିଟିଲା ରାମର ଉପରେ ॥ ୫୦
ରାମଙ୍କୁ ଚାହିଁ କୋପମନ । ଘୂରାଇ ଅରୁଣଲୋଚନ ॥ ୫୧
ଲାଙ୍ଗୁଳ ନିଜ ମୁଖେ ଭରି । ରାମର ବସ୍ତ୍ର କରେ ଧରି ॥ ୫୨
ତକ୍ଷଣେ କଲା ବେନିଫାଳ । ବାନର ତେଜେ ଅନର୍ଗଳ ॥ ୫୩
କଦର୍ଥ କରି ହଳଧର । ମଦ୍ୟକଳସ କଲା ଚୂର ॥ ୫୪
ରାମଙ୍କୁ ମଣି ତୁଚ୍ଛ ପ୍ରାୟେ । ଓଷ୍ଠ କାମୋଡ଼ି କୋପେ ଚାହେଁ ॥ ୫୫
ଦୁଷ୍କର କର୍ମ ଦେଖି ତାର । ଜାଣିଲେ ରୋହିଣୀକୁମର ॥ ୫୬
ଅନେକ ପ୍ରାଣୀ କରି ନାଶ । ଆସି ମିଳିଲା ମୋର ପାଶ ॥ ୫୭
ଏ ଦୁଷ୍ଟ କପି ପ୍ରାଣେ ଥିଲେ । ଆଉ କି ପ୍ରାଣୀ ଥିବେ ଭଲେ ॥ ୫୮
ଏମନ୍ତ ହୃଦରେ ବିଚାରି । ହଳମୂଷଳ କରେ ଧରି ॥ ୫୯
କୋପିତ ରୋହିଣୀନନ୍ଦନ । ରିପୁମାରଣେ ସାବଧାନ ॥ ୬୦
ଦେଖି ବାନର କୋପ କଲା । ହୁଙ୍କାରେ ବୃକ୍ଷ ଉପାଡିଲା ॥ ୬୧
କରେ ବୁଲାଇ କୋପଭରେ । ପିଟିଲା ରାମର ଉପରେ ॥ ୬୨
ମୁଣ୍ତେ ପଡ଼ନ୍ତେ ମହାଦ୍ରୁମ । ଅଚଳ ପ୍ରାୟ ରହି ରାମ ॥ ୬୩
ମୁଷଳଘାତେ ମହାବୀର । ତାହାର ବୃକ୍ଷ କଲେ ଚୂର ॥ ୬୪
ପୁଣି ଘୂରାଇ ବାହୁଦଣ୍ତେ । ପିଟିଲେ ଦୁଷ୍ଟକପି ମୁଣ୍ତେ ॥ ୬୫
ଘୋର ପ୍ରହାରେ ଶିର ଫାଟି । ରୁଧିର ଗଳେ ଦନ୍ତପାଟି ॥ ୬୬
ରୁଧିରଧାର ତା ଶରୀରେ । କିବା ଉପମା ଦେବା ତାରେ ॥ ୬୭
ପର୍ବତୁଁ ଯେହ୍ନେ ଗେରୁ ଗଳେ । ରଙ୍ଗ ବିରାଜେ ବୃଷ୍ଟିକାଳେ ॥ ୬୮
ପୁଣି ମୁଷଳେ ବେଗେ ମାରି । ଦେଖି ବାନର କୋପ କରି ॥ ୬୯
ତେଡେ଼ ପ୍ରହାର ନ ଗଣଇ । ପୁଣ ଘେନିଲା ବୃକ୍ଷ ଦୁଇ ॥ ୭୦
ସକ୍ରୋଧ ବଳେ ବୃକ୍ଷ ଧରି । ରାମର ଉପରେ ପ୍ରହାରି ॥ ୭୧
ବୃକ୍ଷ ପଡ଼ନ୍ତେ ହଳଧର । ମୁଷଳେ କଲେ ଶତେଚୂର ॥ ୭୨
ପୁଣି ଉପାଡ଼ି ବୃକ୍ଷ ଦୁଇ । କୋପେ ଧାଇଁଲା ନାଦ ଦେଇ ॥ ୭୩
ରାମ ମୁଷଳେ ଚୂର୍ଣ୍ଣ କରି । ଦେଖି ବାନର କୋପଭରି ॥ ୭୪
ପୁଣି ଉପାଡ଼ି ବୃକ୍ଷଶ୍ରେଣୀ । ପିଟଇ ବଜ୍ରାଘାତ ଜାଣି ॥ ୭୫
ଏମନ୍ତେ ପୁଣ ପୁଣ ପିଟି । ବୃକ୍ଷେ ପଡ଼ିଲେ ମହୀଲୋଟି ॥ ୭୬
ପୁଣିହିଁ କପି କୋପମନ । ନିବୃକ୍ଷ କଲା ଘୋରବନ ॥ ୭୭
ବୃକ୍ଷ ନପାଇ କୋପଭରେ । ପାଷାଣ ତୋଳି ବେନି କରେ ॥ ୭୮
ସନ୍ତତେ କଲା ଘୋର ବୃଷ୍ଟି । ଧାମଇଁ ତୋଳି ବେନି ମୁଷ୍ଟି ॥ ୭୯
ପ୍ରହାର କରି ରାମହୃଦେ । ପୁଣି ଗର୍ଜଇ ଘୋରନାଦେ ॥ ୮୦
ହଳମୂଷଳ ଘେନି କରେ । ତକ୍ଷଣେ ରାମ କୋପଭରେ ॥ ୮୧
ପାଷାଣ ବୃଷ୍ଟି କଲେ ଚୂର । ଲୀଳା ମାତ୍ରକେ ହଳଧର ॥ ୮୨
ପାଷାଣ ବୃଷ୍ଟି ନାଶ ଗଲା । ଦେଖି ବାନର କୋପ କଲା ॥ ୮୩
କୋପେ ବାନର ବିଶ୍ୱକାୟେ । ମୁଷ୍ଟି ତୋଳିଲା ବଜ୍ରପ୍ରାୟେ ॥ ୮୪
ପିଟିଲା ହଳଧର ହୃଦେ । ଲାଙ୍ଗୁଳ ଚାଳି ଘୋରନାଦେ ॥ ୮୫
ରାମ ତାହାର ଗର୍ବ ଦେଖି । ମଦ୍ୟେ ଅରୁଣ ବେନି ଆଖି ॥ ୮୬
ହଳମୁଷଳ ଏକାବେଳେ । ଶୂନ୍ୟେ ବୁଲାଇ କୋପଭରେ ॥ ୮୭
ପ୍ରହାର କଲେ ତାର ଶିର । ତକ୍ଷଣେ ହେଲା ଶତେ ଚୂର ॥ ୮୮
ରୁଧିର ବହେ ଶତଧାର । ଜୀବନ ଛାଡ଼ିଲା ବାନର ॥ ୮୯
ଭୂମିରେ ପଡ଼ି ତା ଶରୀର । ଶବଦ କଲା ମହାଘୋର ॥ ୯୦
ଗିରି କମ୍ପିଲା ମହାଭୟେ । ଜଳେ ପବନେ ନାବ ପ୍ରାୟେ ॥ ୯୧
ଏମନ୍ତେ ବାନର ବିନାଶି । ସାଧୁଶବଦ ଶୂନ୍ୟେ ଘୋଷି ॥ ୯୨
ଦେଖି ଗଗନେ ଦେବଗଣ । ବନ୍ଦିଲେ ରାମର ଚରଣ ॥ ୯୩
ଜୟଶବଦ ଶୂନ୍ୟେ ପୂରି । ନମୋ ଶବଦେ ସ୍ତୁତି କରି ॥ ୯୪
ଦୁନ୍ଦୁଭି ବାଇଲେ ଆକାଶେ । ତ୍ରିଦଶେ ମନର ହରଷେ ॥ ୯୫
ଆନନ୍ଦ ହୋଇ ସୁରକୁଳ । ପୁଷ୍ପ ବରଷିଲେ ଗହଳ ॥ ୯୬
ସାଧୁଶବଦେ ନାଦ କରି । ରଙ୍ଗେ ନାଚନ୍ତି ଅପସରୀ ॥ ୯୭
ପୁରେ ପ୍ରବେଶ ହଳଧର । ଶୋହେ ସୁନ୍ଦର ଯଦୁପୁର ॥ ୯୮
ସେ ରାମଚରଣେ ବିଶ୍ୱାସ । କହଇ ଜଗନ୍ନାଥ ଦାସ ॥ ୯୯
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ଉତ୍ତରାର୍ଦ୍ଧେ ଦ୍ୱିବିଦବଧୋନାମ ଦ୍ୱିସପ୍ତତିତମ ଅଧ୍ୟାୟଃ ॥
ତ୍ରିସପ୍ତତିତମ ଅଧ୍ୟାୟ
[ସମ୍ପାଦନା]- ଶୁକ ଉବାଚ
କହନ୍ତି ବ୍ୟାସଙ୍କ ନନ୍ଦନ । ଶୁଣ ହୋ ରାମର ବିକ୍ରମ ॥ ୧
ଥିଲା ଯେ ଦୁର୍ଯ୍ୟୋଧନ ରାଜା । ଲକ୍ଷ୍ମଣା ତାହାର ତନୁଜା ॥ ୨
ତାହାର ସ୍ୱୟମ୍ବର କାଳେ । କୃଷ୍ଣନନ୍ଦନ ଯାଇ ବଳେ ॥ ୩
ହରିଲା ଶାମ୍ବ ବଳବନ୍ତ । ସୁନ୍ଦର ଜାମ୍ବବତୀସୁତ ॥ ୪
ଦେଖି କନ୍ୟାର ରୂପଗୁଣ । ହରିଲା ସ୍ୱୟମ୍ବରୁ ପୁଣ ॥ ୫
ଲକ୍ଷେକ ରାଜା ଥିଲେ ଚାହିଁ । ରଥେ ବସିଲା କନ୍ୟା ନେଇ ॥ ୬
ଯେମନ୍ତ ବିକ୍ରମ କୃଷ୍ଣର । ତେମନ୍ତ କଲା ଶାମ୍ବବୀର ॥ ୭
ଦେଖି ତାହାର ଦୁଷ୍ଟପଣ । କୋପେ କମ୍ପିଲା କୁରୁରାଣ ॥ ୮
ଦେଖ ଏ ଶ୍ରୀକୃଷ୍ଣରବଳା । ଆମ୍ଭର ମୁଖେ ଦେଲା କଳା ॥ ୯
ଆମ୍ଭଙ୍କୁ କରି ହୀନିମାନ । କୁଳୁ ହରିଲା କନ୍ୟାଧନ ॥ ୧୦
ଆମ୍ଭ ବିଚାରେ ଦେବା ନାହିଁ । ଏମନ୍ତ କହି କୋପ ବହି ॥ ୧୧
ଏହାକୁ ବନ୍ଦୀକର ବଳେ । କି କରି ପାରିବେ ଗୋପାଳେ ॥ ୧୨
ଆମ୍ଭର ଦେଲା ରାଜପଣ । ରାଜ୍ୟ ଭୁଞ୍ଜନ୍ତି ଯଦୁଗଣ ॥ ୧୩
ଏହାର ପାଇଁ ଯେବେଛଳେ । ଯାଦବେ ଆସି ବାହୁବଳେ ॥ ୧୪
ଆମ୍ଭର ତୁଲେ ଯୁଦ୍ଧ କରି । ହେଳେ ସଂଗ୍ରାମେ ଯିବେ ହାରି ॥ ୧୫
ବିମୁଖେ ନ କରିବେ ରଣ । ଯୋଗେ ଯେସନ ଇନ୍ଦ୍ରିଗଣ ॥ ୧୬
ଏମନ୍ତେ କରି ଏକମନ । ଭୁରିଶ୍ରବାଦି ଶଲ୍ୟ କର୍ଣ୍ଣ ॥ ୧୭
ଯୁଯଜ୍ଞକେତୁ ଦୁର୍ଯ୍ୟୋଧନ । ଆରାଧି ଅନ୍ଧର ବଚନ ॥ ୧୮
ଭୀଷ୍ମ ଦ୍ରୋଣଙ୍କ ଆଜ୍ଞା ପାଇ । ସକଳ ବୀରେ ସଜ ହୋଇ ॥ ୧୯
ଏକ ଆରକେ ମହାଦମ୍ଭ । ସମର କରଣେ ଆରମ୍ଭ ॥ ୨୦
କୃପ ଧାଇଁଲେ ମନଦୁଃଖେ । ମିଳିଲେ ଶାମ୍ବର ସମ୍ମୁଖେ ॥ ୨୧
ଦେଖି ତାହାଙ୍କ ଦୁଷ୍ଟଚିତ୍ତ । କୃଷ୍ଣନନ୍ଦନ ବଳବନ୍ତ ॥ ୨୨
ନିଜ କୋଦଣ୍ତେ ଗୁଣ ଦେଇ । ରହିଲା ସିଂହପ୍ରାୟ ହୋଇ ॥ ୨୩
ବେଗେ ମିଳିଲେ କୁରୁବଳ । ଶୁଭଇ ମୁଖରାବ-ଗୋଳ ॥ ୨୪
ଡାକନ୍ତି ଧର ଧର ବାଣୀ । ସିନ୍ଧୁଶବଦ ପ୍ରାୟ ମଣି ॥ ୨୫
ଶାମ୍ବକୁ ଜିଣିବାର ଆଶେ । ବେଗେ ମିଳିଲେ ତାର ପାଶେ ॥ ୨୬
ରୁନ୍ଧିଲେ ଚାରିଦିଗ କୋଣେ । କର୍ଣ୍ଣ ସହିତେ ଘୋରରଣେ ॥ ୨୭
ସ୍ୱଭାବେ ସର୍ବେ ଧନୁର୍ଦ୍ଧର । ଶର ବରଷା ମହାଘୋର ॥ ୨୮
କରି ରୁନ୍ଧିଲେ ଦଶଦିଶେ । ତା ଦେଖି ଶାମ୍ବ ମହାରୋଷେ ॥ ୨୯
କୋପେଣ କମ୍ପଇ ଶରୀର । ନିର୍ଭୟେ କୃଷ୍ଣରକୁମର ॥ ୩୦
ଛାଗଳ ପଲ ମଧ୍ୟେ ଥାଇ । କେଶରୀ ଯେମନ୍ତେ ଦିଶଇ ॥ ୩୧
ଶାମ୍ବ କରନ୍ତେ ଗୁଣଘୋଷ । ଶବଦେ କମ୍ପେ ଦଶଦିଶ ॥ ୩୨
କର୍ଣ୍ଣ ସହିତେ ଷଡ଼ରଥୀ । ଶାମ୍ବକୁ ବାଣ ବରଷନ୍ତି ॥ ୩୩
ଦେଖି କୁପିତ କୃଷ୍ଣସୁତ । ବାଣ ବରଷେ ଅବିରତ ॥ ୩୪
କର୍ଣ୍ଣକୁ ପାଞ୍ଚବାଣ ବିନ୍ଧି । ରଥ ସାରଥି ଅଶ୍ୱ ଛେଦି ॥ ୩୫
ଷଡ଼ରଥୀଙ୍କି ଏହିମତେ । ବାଣ ବିନ୍ଧିଲା ଅପ୍ରମିତେ ॥ ୩୬
ଦେଖି ତାହାର କ୍ଷତ୍ରିପଣ । କୁରୁଏ କଲେ ଘୋରରଣ ॥ ୩୭
ସାଧୁଶବଦ ଉଚ୍ଚନାଦେ । ଶୁଭିଲା କୁରୁବଳ ମଧ୍ୟେ ॥ ୩୮
ଶାମ୍ବ ଉପରେ କୁରୁବୀରେ । ତୀକ୍ଷ୍ଣ ନାରାଚ କୋପଭରେ ॥ ୩୯
ବିନ୍ଧି ସାରଥି କଲେ ନାଶ । ଛେଦିଲେ ଅଶ୍ୱଙ୍କର ପାଶ ॥ ୪୦
ରଥକୁ କଲେ ଖଣ୍ତ ଖଣ୍ତ । ଛେଦିଲେ ହସ୍ତର କୋଦଣ୍ତ ॥ ୪୧
ବିରଥ କରି ତାକୁ ବଳେ । ବନ୍ଧନ କଲେ ଅବହେଳେ ॥ ୪୨
କନ୍ୟା ସହିତେ ତାକୁ ଧରି । ମିଳିଲେ ହସ୍ତିନାନଗରୀ ॥ ୪୩
କଷ୍ଟରେ କୃଷ୍ଣସୁତ ଜିଣି । ସମରେ ଜୟପ୍ରାୟ ମଣି ॥ ୪୪
ହୋଇଲେ ନିର୍ଭୟ ନିଶ୍ଚିନ୍ତ । ଏବେ ହୋ ଶୁଣ ନରନାଥ ॥ ୪୫
ବ୍ରହ୍ମନନ୍ଦନ ତାହା ଜାଣି । ରାମ-ବିକ୍ରମ ପରିମାଣି ॥ ୪୬
ମିଳିଲେ ଦ୍ୱାରକାଭୁବନେ । ରାମ-ଗୋବିନ୍ଦ ସନ୍ନିଧାନେ ॥ ୪୭
ଉଗ୍ରସେନର ସଭାମଧ୍ୟେ । ନାରଦ କହେ ମନଖେେଦେ ॥ ୪୮
ଶୁଣ ହୋ ଭୋଜ ନୃପବର । କୁରୁସଭାର ଅବିଚାର ॥ ୪୯
ତାହାର କନ୍ୟା-ସ୍ୱୟମ୍ବରେ । ଶାମ୍ବ ଯେ ଗଲା ତାର ପୁରେ ॥ ୫୦
କନ୍ୟା ବରିଲା ଇଚ୍ଛାମତେ । ଦେଖି କୌରବେ କୋପଚିତ୍ତେ ॥ ୫୧
କୂଟ ସଂଗ୍ରାମେ ତାକୁ ଧରି । ରଖିଲେ ହସ୍ତିନାନଗରୀ ॥ ୫୨
ଏମନ୍ତ କହି କୃଷ୍ଣଆଗେ । ନାରଦ ଗଲେ ଶୂନ୍ୟମାର୍ଗେ ॥ ୫୩
ନାରଦବାକ୍ୟ କର୍ଣ୍ଣେ ଶୁଣି । ସମରେ ସଜ ଚକ୍ରପାଣି ॥ ୫୪
ପୁତ୍ରବନ୍ଧନ ଶୁଣି ରୋଷେ । ଦାରୁକ ରାଇଲେ ବିଶ୍ୱାସେ ॥ ୫୫
ବୋଇଲେ ରଥ ସାଜ ବେଗେ । ତା ଶୁଣି ସାଜିଲେ ଯାଦବେ ॥ ୫୬
ଉଗ୍ରସେନର ଆଜ୍ଞା ପାଇ । ବୀରେ ଚଳିଲେ ସଜ ହୋଇ ॥ ୫୭
କେ କହୁ କୃଷ୍ଣର ସଇନି । ଚଳନ୍ତେ କମ୍ପଇ ମେଦିନୀ ॥ ୫୮
ବାଜଇ ବୀରତୂରମାନ । ରଥେ ବିଜୟ ଭଗବାନ ॥ ୫୯
ଦେଖିଣ ଗୋବିନ୍ଦ ଆଗମ । ବୋଲନ୍ତି ପ୍ରଭୁ ବଳରାମ ॥ ୬୦
ଏ ତ ନୁହଇ ଭଲ କଥା । ବନ୍ଧୁରେ ବିରୋଧ ବ୍ୟବସ୍ଥା ॥ ୬୧
ସେ ଯେବେ ନ ଜାଣି ଆଚରି । ଆମ୍ଭେ କେମନ୍ତେ ବାଦ କରି ॥ ୬୨
ତୁମ୍ଭେ ନ ମନେରୋଷ । ମୁହିଁ ଯେ ତାଙ୍କର ବିଶ୍ୱାସ ॥ ୬୩
ଆଜ ହସ୍ତିନା ଯିବି ମୁହିଁ । ଉଭୟକୁଳ ଭାବ ବହି ॥ ୬୪
ତୁମ୍ଭେ ନ କର ଆଗମନ । ଶୁଣି ରହିଲେ ଭଗବାନ ॥ ୬୫
ଏମନ୍ତେ ପ୍ରଭୁ ବଳରାମ । ଯାଦବବଳ କରି ସାମ ॥ ୬୬
ଉଗ୍ରସେନକୁ ବୋଧ କରି । ହସ୍ତିନା ବିଜେ ହଳଧାରୀ ॥ ୬୭
କୁରୁଯାଦବ ହିତ ଅର୍ଥେ । ବେଗେ ଚଳିଲେ ହଳହସ୍ତେ ॥ ୬୮
ଆନନ୍ଦେ ରେବତୀରମଣ । କଳି-କଳୁଷ-ନିବାରଣ ॥ ୬୯
କୁଳବୃଦ୍ଧଙ୍କୁ ରାଇ ବେଗେ । ଉତ୍ତମବିପ୍ର ଘେନି ସଙ୍ଗେ ॥ ୭୦
ରଥେ ବସିଲେ ତୋଷମନେ । ନକ୍ଷତ୍ର ମଧ୍ୟେ ଚନ୍ଦ୍ର ଯେହ୍ନେ ॥ ୭୧
ମିଳିଲେ ହସ୍ତିନାଭୁବନେ । ଦୁର୍ଯ୍ୟୋଧନର ଉପବନେ ॥ ୭୨
ରାମ ଆଦେଶେ ମନ୍ତ୍ରୀବର । ଉଦ୍ଧବ ଗଲା କୁରୁପୁର ॥ ୭୩
ଦୁର୍ଯ୍ୟୋଧନର ସଭାମଧ୍ୟେ । ନମିଲା ଧୃତରାଷ୍ଟ୍ର ପାଦେ ॥ ୭୪
ଭୀଷ୍ମ-ଦ୍ରୋଣଙ୍କ ପାଦେ ନମି । ବୋଲେ ସୁହୃଦଭାବ ଘେନି ॥ ୭୫
ଦୁର୍ଯ୍ୟୋଧନଙ୍କୁ କରି ଶମ । କହିଲା ରାମର ଆଗମ ॥ ୭୬
ଶୁଣି ରାମର ଆଗମନ । ଆନନ୍ଦ ହୋଇ ଭୀଷ୍ମ ଦ୍ରୋଣ ॥ ୭୭
ସଭାରୁ ଉଠି ଧାତିକାରେ । ମିଳିଲେ ରାମର ଛାମୁରେ ॥ ୭୮
ବନ୍ଧୁସ୍ୱଭାବପଣେ ହେଜି । ରାମଙ୍କୁ ଷଡ଼ଅର୍ଘ୍ୟେ ପୂଜି ॥ ୭୯
କହିଣ ମଧୁର ବଚନ । ଆନନ୍ଦ କଲେ ରାମ ମନ ॥ ୮୦
କୁରୁଙ୍କ ମଧ୍ୟେ ଧୀରମତି । ରାମ ମହିମା ସେ ଜାଣନ୍ତି ॥ ୮୧
ଭାବେ ନମିଲେ ରାମପାଦେ । ବନ୍ଦୁ କୁଶଳ ପ୍ରୀତି ସଧେ ॥ ୮୨
ରାମହିଁ କଲେ ଯଥାବିଧି । ଯେ ବନ୍ଧୁକୁଶଳ ପ୍ରସିଦ୍ଧି ॥ ୮୩
କୁରୁଙ୍କ ମଧ୍ୟେ ହଳପାଣି । କହନ୍ତି ପ୍ରିୟଭାବ ଘେନି ॥ ୮୪
ରାଜାଧିରାଜ ଉଗ୍ରସେନ । ଯେମନ୍ତ ବୋଲିଛି ବଚନ ॥ ୮୫
ବେଗେ କରିବ ସେହିମତ । ଆତ୍ମାକୁଳଶ ଯେବେ ଚିନ୍ତ ॥ ୮୬
ତୁମ୍ଭେ ଉତ୍ତମ ଶସ୍ତ୍ରଧାରୀ । ଧର୍ମର ପଥ ନ ବିଚାରି ॥ ୮୭
କପଟଯୁଦ୍ଧେ କୃଷ୍ଣସୁତ । ଧରି ମଣିଲ କୃତକୃତ୍ୟ ॥ ୮୮
ଏ ଅପରାଧ ଆମ୍ଭେ ସହି । ବନ୍ଧୁକୁଶଳ ମନେ ବହି ॥ ୮୯
ଏମନ୍ତ ଶୁଣି ରାମକଥା । ସ୍ୱଭାବେ ସର୍ବେ ମହାରଥା ॥ ୯୦
କୁରୁନନ୍ଦନ ଦୁର୍ଯ୍ୟୋଧନ । ଆବର ଯେତେ ଦୁଷ୍ଟଜନ ॥ ୯୧
ଆତ୍ମାର ନିନ୍ଦାପ୍ରାୟ ବାଣୀ । ବଳଦେବଙ୍କ ମୁଖୁଁ ଶୁଣି ॥ ୯୨
ବଦନ ଚାହିଁ ଏକେ ଏକେ । କୋପେ ବୋଲନ୍ତି ମନଦୁଃଖେ ॥ ୯୩
ଦେଖ ବିଚିତ୍ର କାଳଗତି । ଯାହା କହିଲେ ଯଦୁପତି ॥ ୯୪
ଚର୍ମପାଦୁକା ଗର୍ବ ବହି । ଶିରମୁକୁଟ ଶିଖେ ଯାଇ ॥ ୯୫
ଥିବାକୁ କରଇ ବିଚାର । ଏମନ୍ତ ଗର୍ବ ଏହାଙ୍କର ॥ ୯୬
ଏହାଙ୍କୁ ଆମ୍ଭେ ବନ୍ଧୁପଣେ । ରାଜ୍ୟେ ସ୍ଥାପିଲୁ ରାଜାପଣେ ॥ ୯୭
ନୁହଁନ୍ତି ରାଜପଣେ ଯୋଗ୍ୟ । ଆମ୍ଭର ଦେଲା ବଇଭୋଗ ॥ ୯୮
ଭୁଞ୍ଜି ମଣନ୍ତି ଆତ୍ମାଶିରୀ । ଯେଣୁ ଉପେକ୍ଷା ଆମ୍ଭେ କରି ॥ ୯୯
ଏହାଙ୍କ ରାଜ୍ୟ ନେବା ବଳେ । ଗର୍ବ ଯେ କଲେ ମତ୍ତଭୋଳେ ॥ ୧୦୦
ରାଜ୍ୟକୁ ନୁହଁନ୍ତି ଭାଜନ । ସର୍ପକୁ ଯେହ୍ନେ କ୍ଷୀରପାନ ॥ ୧୦୧
କ୍ଷୀର-ସଂଯୋଗେ ବଢେ଼ ବିଷ । ଦାତାକୁ କରେ ପ୍ରାଣେ ନାଶ ॥ ୧୦୨
ଆମ୍ଭର ଦେଲା ଅନ୍ନ ଖାଇ । ସର୍ପର ପ୍ରାୟ ଗର୍ବ ବହି ॥ ୧୦୩
ଆମ୍ଭଙ୍କୁ ଆଜ୍ଞା ଏ ଦିଅନ୍ତି । ଅଳପ ପ୍ରାୟେକ ମଣନ୍ତି ॥ ୧୦୪
ଦେଖ ଆମ୍ଭର ତୁଲେ ବାଦେ । ଇନ୍ଦ୍ର ନ ରହେ ରଣମଧ୍ୟେ ॥ ୧୦୫
ସିଂହ ସମ୍ମୁଖେ ଯେହ୍ନେ ମେଷ । ତେହ୍ନେ ଛାଡ଼ଇ ସ୍ୱର୍ଗଦେଶ ॥ ୧୦୬
କହନ୍ତି ଶୁକମୁନିବର । ଶୁଣ ହେ କୁରୁଙ୍କ ବେଭାର ॥ ୧୦୭
ଉତ୍ତମଜନ ବନ୍ଧୁଜନେ । ଗର୍ବ ବହିଲେ ଦୁଷ୍ଟମନେ ॥ ୧୦୮
ଏମନ୍ତ କୁରୁ ଦୁଷ୍ଟବାଣୀ । ଶୁଣି କୋପିଲେ ହଳପାଣି ॥ ୧୦୯
କୋପେ ଯମର ପ୍ରାୟ ଦିଶି । ବୋଲନ୍ତି ପୁଣ ପୁଣ ହସି ॥ ୧୧୦
ଦେଖ ସଂସାର ବେଭାର । ସମ୍ପଦ ବଢ଼ଇ ଯାହାର ॥ ୧୧୧
ଅସାଧୁପଣ ଆଚରନ୍ତି । ଆତ୍ମାର ସୁଖ ନ ଇଚ୍ଛନ୍ତି ॥ ୧୧୨
ତାଙ୍କ ପ୍ରସଙ୍ଗେ ଦଣ୍ତ ହିତ । ପଶୁଙ୍କୁ ଲଗୁଡ଼ ଯେମନ୍ତ ॥ ୧୧୩
ଏ ବଡ଼ ଖେଦ ମୋର ମନେ । ଉଗ୍ରସେନର ଅପମାନେ ॥ ୧୧୪
ଯଦୁଙ୍କ ତୁଲେ ନାରାୟଣ । ଏହାଙ୍କ ସଙ୍ଗେ ଇଚ୍ଛି ରଣ ॥ ୧୧୫
ସକଳ ସୈନ୍ୟ ତୁଲେ ସାଜି । ରଥ କୁଞ୍ଜର ନର ବାଜି ॥ ୧୧୬
ନଗରୁ ହୋଇଲେ ବାହାର । ମୁଁ ଏହା କରି ସୁବିଚାର ॥ ୧୧୭
ଏହାଙ୍କ ପ୍ରିୟଭାବ ବହି । ନିବାରି ଅଇଲି ଯେ ମୁହିଁ ॥ ୧୧୮
ତହିଁର ଫଳ ଏବେ ମୋତେ । ଦଇବେ ଫଳିଲା ଉଚିତେ ॥ ୧୧୯
ଏ ଯେ ସ୍ୱଭାବେ ମନ୍ଦମତି । କଳହରୁଚି ଖଳପ୍ରୀତି ॥ ୧୨୦
ଦେଖ ଅବଜ୍ଞା ମୋତେ କଲେ । ଦୁଷ୍ଟବଚନ ନିନ୍ଦାବୋଲେ ॥ ୧୨୧
ଭୋଜ ଅନ୍ଧକ ବୃଷ୍ଣିବଂଶ । ଯାହାର ପୁତ୍ର ବୀରକଂସ ॥ ୧୨୨
ଯାଦବକୁଳର ଈଶ୍ୱର । କୃଷ୍ଣ ଯାହାର ଅନୁଚର ॥୧୨୩
ସେ କାହିଁ ରାଜପଣେ ସାଜେ । ଦେବେ ଖଟନ୍ତି ଯା ସମାଜେ ॥୧୨୪
ବାସବ ଆଦି ଦିଗପାଳେ । ସେବନ୍ତି ଯାର ପାଦତଳେ ॥୧୨୫
ସୁଧର୍ମାସଭା ଯାର ଦ୍ୱାରେ । ପାରିଜାତକପୁଷ୍ପ ପୁରେ ॥୧୨୬
ମର୍ତ୍ତ୍ୟେ କରଇ ସ୍ୱର୍ଗଭୋଗ । ସେ ନୋହେ ରାଜପଣେ ଯୋଗ୍ୟ ॥୧୨୭
ପଦ୍ମସମ୍ଭବା କମଳିନୀ । ସ୍ୱଭାବେ ଜଗତଜନନୀ ॥୧୨୮
ସେ ଯାର ସେବଇ ଚରଣେ । ସେ କାହିଁ ଯୋଗ୍ୟ ରାଜ ପଣେ ॥୧୨୯
ଯାହାର ପାଦପଦ୍ମରଜ । ଅଖିଳଦେବଙ୍କ ସମାଜ ॥୧୩୦
ପବିତ୍ର କରେ ମୁନି ତୀର୍ଥ । ଯେଣୁ ସେ ତୀର୍ଥଙ୍କର ତୀର୍ଥ ॥୧୩୧
ବ୍ରହ୍ମାଶଙ୍କର ଆଦି ମୁହିଁ । ଯାହାର ଅଂଶେ ଦେହବହି ॥୧୩୨
ଲକ୍ଷ୍ମୀ ସହିତେ ଆଜ୍ଞା ବହି । ତାହାର ନୃପାସନ କାହିଁ ॥୧୩୩
କୁରୁଙ୍କ ଭୋଗ ଆମ୍ଭେ ଖାଇ । ଧରଣୀ ମଧ୍ୟେ ଦେହ ବହି ॥୧୩୪
ଆମ୍ଭେ ସକଳେ ଉପାନହ । କୁରୁ ବହନ୍ତି ଶିର ଦେହ ॥୧୩୫
କାହାର ବଳେ ଏହା ସହି । ରୁଧିର ମାଂସ ଦେହ ବହି ॥୧୩୬
ଦେଖ ଏ କୁରୁକୁଳ ମତ । ସମ୍ପଦେ ହୋଇ ଅନାୟତ୍ତ ॥୧୩୭
ମାନୀ ଅଟନ୍ତି ଗର୍ବ ବହି । କେ ଏହା ସହେ ପ୍ରଭୁ ହୋଇ ॥୧୩୮
ଆଜ କରିବି ପ୍ରତିଫଳ । ଏମନ୍ତ ବୋଲି ତୀକ୍ଷ୍ଣ ହଳ ॥୧୩୯
ତକ୍ଷଣେ ଘେନି ବାମହସ୍ତେ । ବୋଲନ୍ତି ରାମ କୋପଚିତ୍ତେ ॥୧୪୦
ଆଜ ମୁଁ ଏହାଙ୍କୁ ସଂହାରି । ସୁଖୀ କରିବି ବସୁନ୍ଧରୀ ॥୧୪୧
ତେବେ ସେ ଯିବି ନିଜପୁର । ସତ୍ୟବଚନ ଏ ମୋହର ॥୧୪୨
ଏମନ୍ତ ବୋଲି କୋପେ ଉଠି । ଦୃଢେ ଧଇଲେ ହଳମୁଷ୍ଟି ॥୧୪୩
ରାମର କୋପ ଗୁରୁତର । ତେଜ କି ଦହେ ତିନିପୁର ॥୧୪୪
ଲଙ୍ଗଳେ ହସ୍ତିନା ଉପାଡ଼ି । ଶବଦ ଶୁଭେ ଘଡ଼ଘଡ଼ି ॥୧୪୫
ଦକ୍ଷିଣ କରେ ସଉନନ୍ଦ । ଶୂନ୍ୟେ ଦେଖନ୍ତି ଦେବବୃନ୍ଦ ॥୧୪୬
ନଗର ଛାଡ଼ି ଗଙ୍ଗାଜଳେ । କୌରବେ ପଡ଼ନ୍ତୁ ପାତାଳେ ॥୧୪୭
ଏମନ୍ତ ବୋଲି ହଳଧାରୀ । ହସ୍ତିନା ଉପାଡ଼ିଲେ ଧରି ॥୧୪୮
ସମୁଦ୍ରେ ନାବପ୍ରାୟ ହୋଇ । ହସ୍ତିନାନଗର କମ୍ପଇ ॥୧୪୯
ପଡ଼ିବା ପ୍ରାୟ ଗଙ୍ଗାଜଳେ । ଦେଖିଣ କୌରବେ ବିକଳେ ॥୧୫୦
କୁଟୁମ୍ବ ତୁଲେ ଉଚ୍ଚନାଦେ । ଶରଣ ଗଲେ ରାମପାଦେ ॥୧୫୧
ଡ଼ାକନ୍ତି ଜୀବନ ବିକଳେ । ଭୋ ରାମ ରଖ ପାଦତଳେ ॥୧୫୨
ଆମ୍ଭେ ତ ସ୍ୱଭାବେ ନିରେଖ । ତୋର କୁମର ବଧୁ ରଖ ॥୧୫୩
କୁମର ତୁଲେ କନ୍ୟା ନେଇ । ରାମଚରଣ ତଳେ ଯାଇ ॥୧୫୪
ଏ କନ୍ୟା ଦେଇ ତୋ ଶରଣ । ପଶିଲୁ ଅଭୟଚରଣ ॥୧୫୫
ହେ ରାମ ତୋହର ମହିମା । ବେଦ ନ ଜାଣେ ଆଦିସୀମା ॥୧୫୬
ମୂଢ ଅଜ୍ଞାନ ଆମ୍ଭେ ହେଉଁ । ତୋ ଭାବ ଜାଣିବୁଟି କାହୁଁ ॥୧୫୭
ଆମ୍ଭେ କୌରବେ ଅପରାଧୀ । ତୁ ନାଥ କରୁଣାବାରିଧି ॥୧୫୮
ସ୍ଥିତି-ପାଳନ-ଅନ୍ତ କରୁ । ଯେଣୁ ତୁ ଶେଷରୂପ ଧରୁ ॥୧୫୯
ତୁ ଆଦିହେତୁ ନିର୍ବିଷୟ । ନିର୍ଲେପ ଏକ ତୁ ଅବ୍ୟୟ ॥୧୬୦
ତୋହର କ୍ରୀଡ଼ାର କନ୍ଦୁକ । ସ୍ୱଭାବେ ହୋନ୍ତି ତିନିଲୋକ ॥୧୬୧
ସହସ୍ର ସହସ୍ର ସଂଖ୍ୟାରେ । ମହୀମଣ୍ତଳ ତୋର ଶିରେ ॥୧୬୨
ସୋରିଷ ପ୍ରାୟ ଅଛୁ ଧରି । ଲୀଳାମାତ୍ରକେ ବସୁନ୍ଧରୀ ॥୧୬୩
ପାଳନ କରି ପୁଣି ହରୁ । ତେଣୁ ତୁ ଶେଷରୂପ ଧରୁ ॥୧୬୪
ଯେ କୋପ ତୋର ଦେହୁଁ ତାତ । ଏକ ଅଖିଳ-ଶିକ୍ଷା-ଅର୍ଥ ॥୧୬୫
ହିଂସା ମତ୍ସର ନାହିଁ ଯେଣୁ । ପାଳନ ହେତୁ ତୋର ତେଣୁ ॥ ୧୬୬
ସୃଷ୍ଟି ପାଳନେ ବ୍ୟଗ୍ର ହେଉ । ତୁ ନାଥ ସତ୍ତ୍ୱଗୁଣ ବହୁ ॥ ୧୬୭
ସଂସାର ମଧ୍ୟେ ତୋର ଲୀଳା । ଯେହ୍ନେ ବାଳୁତଜନ ଖେଳା ॥ ୧୬୮
ନମସ୍ତେ ସର୍ବଭୂତ ପ୍ରାଣ । ଭକତବନ୍ଧୁ ସଙ୍କର୍ଷଣ ॥ ୧୬୯
ଜୀବର ଶକତି ଧାରଣ । ତୋବିନୁ ନାହିଁ ଅନ୍ୟ ଜନ ॥ ୧୭୦
ଅବ୍ୟୟ ବୋଲାଉ ଜଗତେ । ଭୋ ନାଥ ତୋର ଅନୁମତେ ॥ ୧୭୧
ତୁ ବିଶ୍ୱକର୍ମା ଜ୍ଞାନ ସାର । ଭୋ ନାଥ ତୋତେ ନମସ୍କାର ॥ ୧୭୨
ତୋହର ପାଦପଦ୍ମ ତଳେ । ଶରଣ ପଶିଲୁ ନିଶ୍ଚଳେ ॥ ୧୭୩
ଶୁକ ବୋଲନ୍ତି ରାୟେ ଶୁଣ । ଭକତବନ୍ଧୁ ସଙ୍କର୍ଷଣ ॥ ୧୭୪
କୁରୁଙ୍କ ଦୁଃଖ ଭୟ ଚାହିଁ । ପ୍ରସନ୍ନ ଚିତ୍ତେ ଦୟା ବହି ॥ ୧୭୫
ହଳ ସଂହରି ହଳଧର । ବୋଇଲେ ନାହିଁ ତୁମ୍ଭ ଡର ॥ ୧୭୬
ନିର୍ଭୟ ହୋଇ କୁରୁଜନ । ତକ୍ଷଣେ ରାଜା ଦୁର୍ଯ୍ୟୋଧନ ॥ ୧୭୭
କନ୍ୟା ସହିତେ କୃଷ୍ଣସୁତ । ସମର୍ପି ରାମର ଆଗ୍ରତ ॥ ୧୭୮
ଅନେକ ଯଉତୁକ ଦେଲା । ଶୁଣ ହୋ ଅଭିମନ୍ୟୁ ବଳା ॥ ୧୭୯
ଅତି ସୁନ୍ଦର ମନୋହର । ଦେଲା ବାରଶତ କୁଞ୍ଜର ॥ ୧୮୦
ଅଶ୍ୱ ସେ ଦେଲାକ ଅୟୁତେ । ଷଟସହସ୍ର ସ୍ୱର୍ଣ୍ଣରଥେ ॥ ୧୮୧
ରଥେ ଦିଶନ୍ତି ରବିତେଜ । ପୁଣି ଆନନ୍ଦେ କୁରୁରାଜ ॥ ୧୮୨
ଦୁହିତା ହିତେ କୁରୁପତି । ସହସ୍ରେ ଦେଲାକ ଯୁବତୀ ॥ ୧୮୩
ଅମୂଲ୍ୟରତ୍ନ କଣ୍ଠେ ଭରି । ଦେଲା ସେବକୀ ସଜ କରି ॥ ୧୮୪
ଏମନ୍ତେ କନ୍ୟାଆଦି ଯେତେ । ରାମ ଘେନାଇଁ ତୋଷଚିତ୍ତେ ॥ ୧୮୫
ଏ ଆଦି ଘେନି ହଳଧର । ଗମନ୍ତେ ସର୍ବ କୁରୁବୀର ॥ ୧୮୬
ରାମଙ୍କୁ କରି ପ୍ରଦକ୍ଷିଣ । ମିଳିଲେ ହସ୍ତିନା ଭୁବନ ॥ ୧୮୭
ସଙ୍କରଷ ତୋଷଚିତ୍ତେ । ଆନନ୍ଦେ ରାମର ଅଗ୍ରତେ ॥ ୧୯୦
କନ୍ୟା ସହିତେ କୃଷ୍ଣସୁତ । ସଙ୍ଗେ ସମ୍ପଦ ଅପ୍ରମିତ ॥ ୧୯୧
ଦେଖି ହରଷ ସର୍ବଜନ । ସଭାର ମଧ୍ୟେ ବଳରାମ ॥ ୧୯୨
କୁରୁଙ୍କ କୃତକର୍ମ କହି । କୃଷ୍ଣର ପ୍ରିୟଭାବ ବହି ॥ ୧୯୩
କହନ୍ତି ବ୍ୟାସଙ୍କର ସୁତ । ଶୁଣ ରାଜନ ପରୀକ୍ଷିତ ॥ ୧୯୪
ଅଦ୍ୟାପି ରାମର ଚରିତ । ହସ୍ତିନାନଗରେ ବିଦିତ ॥ ୧୯୫
ରାମ-ବିକ୍ରମ-ଯଶ ଅଛି । ପୁର ଦକ୍ଷିଣଭାଗେ ଲକ୍ଷ୍ୟି ॥ ୧୯୬
ଉତ୍ତର ଭାଗ ନୀଚ ଦିଶେ । ଯେହ୍ନେ ଜାହ୍ମବୀ ଜଳେ ମିଶେ ॥ ୧୯୭
ଏମନ୍ତେ ରାମର ମହିମା । କେ କହିପାରେ ଅନ୍ତଃସୀମା ॥ ୧୯୮
ସେ ରାମ ପାଦେ ଦେଇ ଚିତ୍ତ । କହଇ ବିପ୍ର ଜଗନ୍ନାଥ ॥ ୧୯୯
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ଉତ୍ତରାର୍ଦ୍ଧେ ହାସ୍ତିନାପୁର କର୍ଷଣ ରୂପ ସଙ୍କର୍ଷଣ ବିଜୟୋ
ନାମ ତ୍ରିସପ୍ତତିତମ ଅଧ୍ୟାୟଃ ॥
ଚତୁଃସପ୍ତତିତମ ଅଧ୍ୟାୟ
[ସମ୍ପାଦନା]- ଶୁକ ଉବାଚ
ଏବେ ହୋ ଶୁଣ ନରନାଥ । କୃଷ୍ଣଚରିତ ଭାଗବତ ॥ ୧
ବ୍ରହ୍ମାନନ୍ଦନ ଏକଦିନେ । ବିଚାର କଲେ ବସି ମନେ ॥ ୨
ରଣେ ନାରକାସୁର ମାରି । କୃଷ୍ଣ ଆଣିଲେ ଯେତେ ନାରୀ ॥ ୩
ଷୋଳସହସ୍ର ଏକଶତ । ଗୃହେ ନିବେଶି ଏକମତ ॥ ୪
ଏକ ଅନେକ ନାରୀ ରମେ । ଏତେ ବିଚାରି ମନଭ୍ରମେ ॥ ୫
କେମନ୍ତେ ରମଇଁ ଏକାନ୍ତେ । ପୁତ୍ର ପଉତ୍ର ଅପ୍ରମିତେ ॥ ୬
ଏକେ ଅଏକ ନାରୀ ରମେ । ଏତେ ବିଚାରି ମନଭ୍ରମେ ॥ ୭
ଦେଖିବି ବୋଲି କରି ସଧ । ଦ୍ୱାରକା ମିଳିଲେ ନାରଦ ॥ ୮
ସ୍ୱଭାବେ ଗୋବିନ୍ଦର ପୁର । କି ଅବା ଦେବା ପଟାନ୍ତର ॥ ୯
ପୁଷ୍ପିତ ଉପବନ ମଧ୍ୟେ । ଭ୍ରମର ପକ୍ଷୀ କଳନାଦେ ॥ ୧୦
ନୀଳ କୁମୁଦ ପଦ୍ମସାର । ସୁଗନ୍ଧ କୁସୁମ କହ୍ଲାର ॥ ୧୧
ହଂସ ସାରସ ମଧ୍ୟେ ପଶି । ସୁନ୍ଦର ଜଳାଶୟେ ଭାସି ॥ ୧୨
ଶୁଭ୍ର ପ୍ରାସାଦ ନବଲକ୍ଷ । ସ୍ପଟିକ ରଜତ ପ୍ରତ୍ୟକ୍ଷ ॥ ୧୩
ମହାମର୍କତ ତେଜ କାନ୍ତି । ରତ୍ନସୁବର୍ଣ୍ଣ ଝଟକନ୍ତି ॥ ୧୪
ଏକାନ୍ତ ମାର୍ଗ ଚତୁଷ୍ପଥ । ହାଟ ପାଟଣା ସୁଶୋଭିତ ॥ ୧୫
ଦେବତା ଗୃହ ଯଜ୍ଞଶାଳ । ଦିଶନ୍ତି ଯେହ୍ନେ ମେଘମାଳ ॥ ୧୬
ମାର୍ଗ ଅଗଣା ରାଜପଥ । ମାର୍ଜିତ ଚନ୍ଦନେ ସିଞ୍ଚିତ ॥ ୧୭
ଚିତ୍ରପିତୁଳି କାନ୍ଥମାଝେ । ଧ୍ୱଜ ପତାକା ତଥି ସାଜେ ॥ ୧୮
ଏଣୁ ନ ଲାଗେ ରବି ତେଜ । ଯହିଁ ବିଜୟେ ଦେବରାଜ ॥ ୧୯
କେ କହୁ ପୁରଙ୍କର ଶୋଭା । କିବା ଉପମା ତାକୁ ଦେବା ॥ ୨୦
କୃଷ୍ଣର ଅନ୍ତଃପୁର ଦ୍ୱାରେ । ଦେବେ ଖଟନ୍ତି ନିରନ୍ତରେ ॥ ୨୧
ବିଶ୍ୱକର୍ମାର ଶିଳ୍ପୀପଣ । ଯେପୁରେ ହୋଇଛି ପ୍ରମାଣ ॥ ୨୨
ଷୋଳସହସ୍ରଶତେ ନାରୀ । ସେ ପୁରେ ଗୃହବାସ୍ତୁ କରି ॥ ୨୩
କୃଷ୍ଣ ସେବନ୍ତି ମନସୁଖେ । କେ କହୁ ତାଙ୍କ ପୁଣ୍ୟ ମୁଖେ ॥ ୨୪
ବ୍ରହ୍ମାନନ୍ଦନ ଏକସରେ । ମିଳିଲେ କୃଷ୍ଣ-ଅନ୍ତଃପୁରେ ॥ ୨୫
ବିଦ୍ରୁମ ସ୍ତମ୍ଭମାନ ଶୋହେ । ଚଳଇ ଇନ୍ଦ୍ରନୀଳ ପ୍ରାୟେ ॥ ୨୬
ଫଳକମାନ ବଇଦୂର୍ଯ୍ୟ । ଖଞ୍ଜିତ ନାନା ମଣିପୁଞ୍ଜ ॥ ୨୭
ଏଣେ ଗଞ୍ଜଇ ସର୍ବଜ୍ୟୋତି । ତମେ ଯେସନେ ତାରାପନ୍ତି ॥ ୨୮
ମୁକୁତା ଦେମେ ଚନ୍ଦ୍ରାତପ । ଯେ ବିଶ୍ୱକର୍ମାର ଶିଳିପ ॥ ୨୯
ଆସନ ପଲ୍ୟଙ୍କ ସହିତେ । ନିର୍ମିତ କରି ବରଦନ୍ତେ ॥ ୩୦
ଖଚିତ ପଦ୍ମରାଗ ପନ୍ତି । ଦେଖନ୍ତେ ମନ ସେ ହରନ୍ତି ॥ ୩୧
କୃଷ୍ଣ କାମିନୀଙ୍କର ପାଶେ । ସେବକୀ ସେବନ୍ତି ବିଶ୍ୱାସେ ॥ ୩୨
ତାହାଙ୍କ କଣ୍ଠେ ରତ୍ନମଣି । ରବିକିରଣ ପ୍ରାୟେ ଜାଣି ॥ ୩୩
ବିବିଧ ବସ୍ତ୍ର ପରିଧାନ । ରୂପ ବୟସ ସୁଘଟଣ ॥ ୩୪
ବଳୟ କରେ ବିଭୂଷଣ । ପାଦେ ନୂପୁର ରୁଣଝୁଣ ॥ ୩୫
ମଣିକୁଣ୍ତଳ ଶୋହେ କର୍ଣ୍ଣେ । କୃଷ୍ଣକାମିନୀ ଅବଧାନେ ॥ ୩୬
ଜଳନ୍ତି ରତ୍ନଦୀପ ପନ୍ତି । ନିବିଡ଼ତମ ସେ ହରନ୍ତି ॥ ୩୭
ଚିତ୍ର-ଜଗତି ଶିଖେ ଥାଇ । ଅଗୁରୁ ଧୂପ ଧୂମ ଚାହିଁ ॥ ୩୮
ଜଳଦ ପ୍ରାୟ ମଣି ମନେ । ନାଚନ୍ତି ନୀଳକଣ୍ଠଗଣେ ॥ ୩୯
ଏମନ୍ତ ପୁରେ କୃଷ୍ଣନାରୀ । ସମାନ ବୟ-ବେଶଧାରୀ ॥ ୪୦
ସେବନ୍ତି କୃଷ୍ଣର ଚରଣେ । ନିଜ ମନ୍ଦିରେ ଜଣେ ଜଣେ ॥ ୪୧
ଦାସୀ-ସହସ୍ର ମେଳେ ଥାଇ । ସେବନ୍ତି ଭାବେ ଭାବଗ୍ରାହୀ ॥ ୪୨
ଏମନ୍ତେ ରୁକ୍ମିଣୀ ଭୁବନେ । ନାରଦ ମୁନି ଶୁଦ୍ଧମନେ ॥ ୪୩
ମିଳିଲେ କୃଷ୍ଣପାଶେ ଯାଇ । ଦେଖି ଉଠିଲେ ଭାବଗ୍ରାହୀ ॥ ୪୪
ଧାର୍ମିକ ବର ବ୍ରହ୍ମରାଶି । ଲକ୍ଷ୍ମୀ ପଲ୍ୟଙ୍କ ତଳେ ବସି ॥ ୪୫
କିରୀଟ ଶିରେ ଦେବହରି । ନମିଲେ ମୁନି ପାଦ ଧରି ॥ ୪୬
ନାରଦ ହସ୍ତେ ହସ୍ତ ଦେଇ । ଆସନେ ବସାଇଲେ ନେଇ ॥ ୪୭
ମୁନି ଚରଣଯୁଗ ଧୋଇ । ଶିରେ ଘେନିଲେ ଭାବଗ୍ରାହୀ ॥ ୪୮
ବ୍ରହ୍ମଣ୍ୟଦେବ ଯାର ନାମ । ସକଳ ଗୁଣେ ଅନୁପମ ॥ ୪୯
ଯାହାର ଚରଣ ଉଦକ । ହରଇ ସକଳ ପାତକ ॥ ୫୦
ପୁରାଣପୁରୁଷ ମୁରାରି । ବୋଲନ୍ତି ମୁନିପାଦ ଧରି ॥ ୫୧
ହସି ବୋଲନ୍ତି ମହାବାହୁ । ନିଯୋଗ ଆଜ୍ଞା ମୋତେ ହେଉ ॥ ୫୨
ନାରଦ କୃଷ୍ଣ ମୁଖ ଚାହିଁ । ବୋଲନ୍ତି ଶିରେ କର ଦେଇ ॥ ୫୩
ଭୋ ନାଥ ଶୁଣ ନାରାୟଣ । ଅଖିଳ ବ୍ରହ୍ମାଣ୍ତ କାରଣ ॥ ୫୪
କସଳଜନେ ତୋର କୀର୍ତ୍ତି । ଖଳ-ଦଣ୍ତନେ ବକ୍ରଗତି ॥ ୫୫
ସାଧୁଙ୍କ ନିସ୍ତାର ନିମନ୍ତେ । ତୋ ଅବତାର ଏ ଜଗତେ ॥ ୫୬
କ୍ଷିତି ରକ୍ଷଣେ ଚକ୍ରଧର । ତୋହର ଯେତେ ଅବତାର ॥ ୫୭
ନିଗମେ ତୋର ଯଶ ଗାଇ । ଏହା ତ ଭଲେ ମୁଁ ଜାଣଇଁ ॥ ୫୮
ଦେଖିଲି ତୋ ଚରଣ ଯୁଗ । ଯହୁଁ ଜନ୍ମଇ ଅପବର୍ଗ ॥ ୫୯
ଯେ ପାଦ ବହ୍ମା ବେଦବାଦୀ । ଯାହା ଚିନ୍ତନ୍ତି ନିରବଧି ॥ ୬୦
ସଂସାର-କୂପ ମଧ୍ୟେ ପଡ଼ି । ଜନ୍ତୁଏ ମାୟାଜଳେ ବୁଡ଼ି ॥ ୬୧
ତାହାଙ୍କ ଧରିବା ନିଶୁଣି । ତୋ ପାଦପଦ୍ମ ଚକ୍ରପାଣି ॥ ୬୨
ସେ ପାଦ ଧ୍ୟାୟୀ ଏ ଜଗତେ । ମୁଁ ଯେ ବୁଲଇ ଅବିରତେ ॥ ୬୩
ସେ ପାଦ ଚିନ୍ତା ମୋର ହୃଦେ । ନିରତେ ଥାଉ ଅପ୍ରମାଦେ ॥ ୬୪
ତୋତେ ଅଇଲି ଦେଖି ମୁହିଁ । ଏମନ୍ତେ ଶିରେ କର ଦେଇ ॥ ୬୫
ନାରଦ ଗଲେ ସ୍ନେହଭରେ । ପୁଣି ମିଳିଲେ ଅନ୍ୟପୁରେ ॥ ୬୬
କୃଷ୍ଣର ମାୟା ଯୋଗମତ । ବୁଝିବା ଅର୍ଥେ ବ୍ରହ୍ମାସୁତ ॥ ୬୭
ସତ୍ୟଭାମାର ପୁରେ ଯାଇ । ମିଳିଲେ ବୀଣାବାଦ୍ୟ ବାଇ ॥ ୬୮
ଉଦ୍ଧବ ସଙ୍ଗେ ଯଦୁପତି । ପଶାଖେଳରେ ଦୃଢ଼ମତି ॥ ୬୯
ପ୍ରିୟାସହତେ ଦାମୋଦର । ଦେଖିଲେ ବ୍ରହ୍ମାର କୁମର ॥ ୭୦
ନାରଦ ଆଗମନ ଦେଖି । ଗୋବିନ୍ଦ ଆସନ ଉପେକ୍ଷି ॥ ୭୧
ପ୍ରିୟାସହତେ ନରହରି । ଉଦ୍ଧବ କରେ କର ଧରି ॥ ୭୨
ପୂଜିଲେ ନାରଦ ଚରଣ । ବିପ୍ରଭକତ ନାରାୟଣ ॥ ୭୩
ଆସନ ଆଦି ଉପଚାରେ । ଗୃହସ୍ଥ ଆଶ୍ରମ ବେଭାରେ ॥ ୭୪
ପୂଜି କପାଳେ ଯୋଡ଼ିକର । ପୁଚ୍ଛନ୍ତି ପ୍ରଭୁ ଦାମୋଦର ॥ ୭୫
କେଣେ ଆଗମନ ତୁମ୍ଭର । ପବିତ୍ର କଲ ମୋର ପୁର ॥ ୭୬
ତମ୍ଭେ ସକଳ ଗୁଣେ ପୂର୍ଣ୍ଣ । ସ୍ୱଭାବେ ମୁହିଁ କ୍ଷୁଦ୍ର ଜନ ॥ ୭୭
କି ଅବା କରିବଇଁ ସେବା । ବିଚାରି ମୋତେ ଆଜ୍ଞା ଦେବା ॥ ୭୮
କହ କିମର୍ଥେ ଆଗମନ । ପବିତ୍ର କର୍ମ ମୋର ଜନ୍ମ ॥ ୭୯
ସୁଫଳ ହେଉ ଆଜ୍ଞା ବହି । ବୋଲନ୍ତି ପ୍ରଭୁ ଭାବଗ୍ରାହୀ ॥ ୮୦
ଶୁଣି ନାରଦ ମହାମୁନି । କିଛି ନ ବୋଲି ହେଲେ ତୁନି ॥ ୮୧
ତକ୍ଷଣେ ଉଠି ବ୍ରହ୍ମାସୁତ । ଅନ୍ୟ ଭୁବନେ ଉପଗତ ॥ ୮୨
ତହିଁ ଦେକିଲେ ନରହରି । ବାଳକ କୋଳେ ଛନ୍ତି ଧରି ॥ ୮୩
ଶିଶୁ ଲାଳନେ ଭଗବାନ । ଦେଖି ନାରଦ ଆଗମନ ॥ ୮୪
ସଂଭ୍ରମେ ପ୍ରଭୁ ଦେବରାଜା । ପୂର୍ବ ପ୍ରାୟେକ କଲେ ପୂଜା ॥ ୮୫
ନାରଦ ମୁନି ଶୁଖଭରେ । ପୁଣି ମିଳିଲେ ଅନ୍ୟପୁରେ ॥ ୮୬
ତହିଁ ଦେଖିଲେ ଭଗବାନ । ସ୍ନାହାନ ଅର୍ଥେ ଆଗମନ ॥ ୮୭
ପୁଣି ଦେଖିଲେ ଅନ୍ୟ ପୁରେ । କୃଷ୍ଣ ଅଛନ୍ତି ଯଜ୍ଞଘରେ ॥ ୮୮
ଅଗ୍ନି ପୂଜନ ପଞ୍ଚମୁଖେ । ବ୍ରହ୍ମାନନ୍ଦନ ଦେଖି ସୁଖେ ॥ ୮୯
ଅନ୍ୟ ଭୁବନେ ପୁଣି ମିଳି । ଦେଖନ୍ତି ପ୍ରଭୁ ବନମାଳୀ ॥ ୯୦
ବିପ୍ରେ ଭୁଞ୍ଜାଇ ମିଷ୍ଟଅନ୍ନେ । ଶେଷ ଭୁଞ୍ଜନ୍ତି ତୋଷମନେ ॥ ୯୧
ତକ୍ଷଣେ ଅନ୍ୟ ପୁରେ ପଶି । କୃଷ୍ଣେ ଦେଖିଲେ ବ୍ରହ୍ମଋଷି ॥ ୯୨
ଗୋବିନ୍ଦ ସନ୍ଧ୍ୟା ଉପାସନେ । ଗାୟତ୍ରୀ ଜପନ୍ତି ମଉନେ ॥ ୯୩
ଖଡ଼ଗ ଚର୍ମ ଧରି କରେ । ଶର ସାଧନ୍ତି କେଉଁ ପୁରେ ॥ ୯୪
ଆରୋହୀ ଅଶ୍ୱ-ରଥ-ଗଜେ । ନାନା ଭୁବନେ ନାନା ସଜେ ॥ ୯୫
ଏମନ୍ତ ଦେଖି ବ୍ରହ୍ମଋଷି । ପୁଣି ହିଁ ଅନ୍ୟ ପୁରେ ପଶି ॥ ୯୬
ତହିଁ ଦେଖିଲେ ଭଗବାନ । ପଲ୍ୟଙ୍କ ଉପରେ ଶୟନ ॥ ୯୭
ଉପରେ ଚନ୍ଦ୍ରାତପ ଶୋହି । ସେବନ୍ତି ବାମାଗମେ ରହି ॥ ୯୮
ସ୍ତୁତି କରନ୍ତି ବନ୍ଦୀଜନେ । ଦେଖି ଚଳିଲେ ତୋଷମନେ ॥ ୯୯
ଦେଖନ୍ତି ଅନ୍ୟ ପୁରେ ଯାଇ । ଉଦ୍ଧବେ ନିକଟେ ବସାଇ ॥ ୧୦୦
ମନ୍ତ୍ରଣା ମନ୍ତ୍ରଗଣ ସଙ୍ଗେ । ଦେଖି ନାରଦ ଭାବରଙ୍ଗେ ॥ ୧୦୧
ପୁଣି ମିଳିଲେ ଅନ୍ୟ ପୁରେ । ଦେଖନ୍ତି ଜଳର ଭିତରେ ॥ ୧୦୨
ଦିବ୍ୟଯୁବତୀଗଣ ସଙ୍ଗେ । ଜଳେ ଖେଳନ୍ତି ନାନାରଙ୍ଗେ ॥ ୧୦୩
ପୁଣି ମିଳିଲେ ଅନ୍ୟ ସ୍ଥାନେ । ଗୋବିନ୍ଦ ବସି ତୋଷମନେ ॥ ୧୦୪
ଗୋରୁଙ୍କୁ କରି ଅଳଙ୍କାର । ପ୍ରସନ୍ନେ କମଳାର ବର ॥ ୧୦୫
ଉତ୍ତମ ବିପ୍ରେ ଗୋରୁଦାନ । କରନ୍ତି ପ୍ରଭୁ ଭଗବାନ ॥ ୧୦୬
ତକ୍ଷଣେ ବ୍ରହ୍ମାଙ୍କ କୁମର । ପୁଣି ମିଳିଲେ ଅନ୍ୟ ପୁର ॥ ୧୦୭
ତହିଁ ଦେଖିଲେ ନାରାୟଣ । ମଙ୍ଗଳପୁରାଣ ଶ୍ରବଣ ॥ ୧୦୮
କେବଣଠାରେ ହାସ୍ୟମୁଖେ । ହସି ଚାହାନ୍ତି ପ୍ରିୟା ସୁଖେ ॥ ୧୦୯
କେବଣଠାରେ ଚିନ୍ତି ଧର୍ମ । ଅନ୍ୟ ଭବନେ ଅର୍ଥକାମ ॥ ୧୧୦
ଧ୍ୟାନ-ସମାଧି ଅନ୍ୟ ସ୍ଥାନେ । ବ୍ରହ୍ମ ଚିନ୍ତନ୍ତି ସ୍ଥିରମନେ ॥ ୧୧୧
କେବଣଠାରେ ଗୁରୁପୂଜା । ସକାମ-ଭୋଗେ ପରିଚର୍ଯ୍ୟା ॥ ୧୧୨
କେବଣ ସ୍ଥାନେ ଯଦୁପତି । ସନ୍ଧି ବିଗ୍ରହ ରାଜନୀତି ॥ ୧୧୩
ଚିନ୍ତନ୍ତି ରାମ ଅନୁମତେ । ଯେ ଅବା ଭକ୍ତଜତ ହିତେ ॥ ୧୧୪
କେବଣ ପୁରେ ନରହରି । ଦୁହିତ ଅଳଙ୍କାର ଭରି ॥ ୧୧୫
ଶ୍ୱଶୁରଭୁବନେ ପେଷନ୍ତି । ପୁତ୍ରର ପତ୍ନୀଙ୍କି ଅଣାନ୍ତି ॥ ୧୧୬
ଅନ୍ୟ ଭୁବନେ ନନ୍ଦବାଳ । ପୁତ୍ରଦୁହିତାଙ୍କ ମଙ୍ଗଳ ॥ ୧୧୭
ବିଚାରି କରନ୍ତି ଉତ୍ସବ । ନାରଦ ଦେଖି ନାନାଭାବ ॥ ୧୧୮
ଅଦ୍ଭୁତ କର୍ମ ନରଲୋକେ । ଅନ୍ୟ ଭୁବନେ ମିଳି ସୁଖେ ॥ ୧୧୯
ତହିଁ ଦେଖିଲେ ନାରାୟଣ । ଯଜ୍ଞେ ପୂଜନ୍ତି ଦେବଗଣ ॥ ୧୨୦
କେବଣପୁର ଜଳଦାନ । କୂପ-ତଡ଼ାଗେ ଅବଧାନ ॥ ୧୨୧
ମଣ୍ତପ ଦେବତାମନ୍ଦିର । ଯେ ଧର୍ମ ଗୃହସ୍ଥ ବେଭାର ॥ ୧୨୨
ପୁଣି ଦେଖନ୍ତି ଅନ୍ୟ ପୁରେ । କୃଷ୍ଣ ମୃଗୟା ଅନୁସରେ ॥ ୧୨୩
ଆରୋହି ଅଶ୍ୱ ସଇନ୍ଧବ । ବନେ ମାରନ୍ତି ନାନା ଜୀବ ॥ ୧୨୪
ପବିତ୍ର ପଶୁ କରି ହତ । ନିଜ ଭୁବନେ ଉପଗତ ॥ ୧୨୫
ଏମନ୍ତେ ପତ୍ନୀପୁର ଅନ୍ତେ । ମଧ୍ୟେ ବୁଲନ୍ତି ବ୍ରହ୍ମାସୁତେ ॥ ୧୨୬
ପୁଣ ଦେଖିଲେ ଭଗବାନ । କପଟ ମାୟାରୂପେ ଛନ୍ନ ॥ ୧୨୭
ବୁଲନ୍ତି ନାରୀଙ୍କ ଭୁବନେ । ସ୍ତିରୀଚରିତ ଅବଧାନେ ॥ ୧୨୮
ଦେଖି ନାରଦ ମହାଋଷି । କୃଷ୍ଣବଦନ ଚାହିଁ ହସି ॥ ୧୨୯
ବୋଲନ୍ତି ବ୍ରହ୍ମାଙ୍କ ନନ୍ଦନ । କୋମଳ ଶଂକିତ ବଚନ ॥ ୧୩୦
ଲୀଳା ମନୁଷ୍ୟ ଅବତାର । ଭୋ ନାଥ ଦେଖଲି ତୋହର ॥ ୧୩୧
ଯୋଗେଶ୍ୱରଙ୍କୁ ଅଗୋଚର । ଭୋ ନାଥ ମହିମା ତୋହର ॥ ୧୩୨
ଜଦଦୀଶ୍ୱର ତୁ ଜଗତେ । ତୋ ପାଦପଦ୍ମ ସେବା ଅର୍ଥେ ॥ ୧୩୩
ତୋହର ଯଶ ଓ ଜଗତେ । ମୁଁ ତାହା ଗାଇଣ ନିରତେ ॥ ୧୩୪
ଯେ ଯଶ ଅଖିଳ ପାବନି । ଗାଇ ବୁଲିବି ଦେହ ଘେନି ॥ ୧୩୫
ନାରଦ ବାକ୍ୟେ ତୋଷ ହୋଇ । ବୋଲନ୍ତି ପ୍ରଭୁ ଭାବଗ୍ରାହୀ ॥ ୧୩୬
- ଭଗବାନ ଉବାଚ
ଶୁଣ ନାରଦ ସାଧୁକଥା । ମୁହିଁ ଯେ ଧର୍ମର ବକତା ॥ ୧୩୭
ହର୍ତ୍ତା କରତା ମୁଁ ବୋଲାଇ । ସ୍ୱକର୍ମ ଜଗତେ କରାଇ ॥ ୧୩୮
ଧର୍ମରକ୍ଷଣେ ମୁଁ ଜଗତେ । ଶରୀର ଧରି ନାନାମତେ ॥ ୧୩୯
ବୁଲଇ ହୋଇ ରୂପଭେଦ । ମନେ ନ କର ତୁମେ ଖେଦ ॥ ୧୪୦
କହନ୍ତି ଶୁକ ବ୍ରହ୍ମବେତ୍ତା । ଶୁଣ ରାଜନ କୃଷ୍ଣକଥା ॥ ୧୪୧
ଏମନ୍ତେ ଗୃହାଶ୍ରମ ଧର୍ମ । ଗୋବିନ୍ଦ କଲେ ଯେତେ କର୍ମ ॥ ୧୪୨
ଏକ ଶରୀର ନରହରି । ସର୍ବକାମିନୀ ପୁରେ ପୁରୀ ॥ ୧୪୩
ଅନନ୍ତ ଯୋଗ ମାୟାରାଶି । ଦେଖି ସାନନ୍ଦ ବ୍ରହ୍ମଋଷି ॥ ୧୪୪
ଆନନ୍ଦେ ପାଇ କଉତୁକ । ବିସ୍ମିତ ସୁଜ୍ଞାନି ବିବେକ ॥ ୧୪୫
କୃଷ୍ଣର ଗୃହମେଧିକର୍ମ । ଯେ ନିତ୍ୟ ଧର୍ମ ଅର୍ଥ କାମ ॥ ୧୪୬
ଦେଖି ନାରଦ ମହାମୁନି । ପରମବ୍ରହ୍ମ ତତ୍ତ୍ୱଜ୍ଞାନୀ ॥ ୧୪୭
ତକ୍ଷଣେ କୃଷ୍ଣ ଆଜ୍ଞା ପାଇ । କୃଷ୍ଣ ମହିମା ମନେ ଧ୍ୟାୟି ॥ ୧୪୮
ଗଲେ ନାରଦ ବ୍ରହ୍ମଚାରୀ । ଶୁଣ ପରୀକ୍ଷ ଦଣ୍ତଧାରୀ ॥ ୧୪୯
ଏମନ୍ତ ମନୁଷ୍ୟର କର୍ମ । ଯେ ନିତ୍ୟ କାମ ଅର୍ଥ ଧର୍ମ ॥ ୧୫୦
ଏ ଅନୁପଥେ ଦେହ ବହି । ସଂସାର ହିତେ ଭାବଗ୍ରାହୀ ॥ ୧୫୧
ଷେଳସହଶ୍ର ନାରୀ ମଧ୍ୟେ । ରମିଲେ ନାନା ଅନୁବନ୍ଧେ ॥ ୧୫୨
ସୃଷ୍ଟି ପାଳନ ସଂହାରଣ । ଯେ ହରି ପରମ କାରଣ ॥ ୧୫୩
ଅଦ୍ଭୁତ କର୍ମ କଲେ ଯେତେ । ଗୃହସ୍ଥ ଆଶ୍ରମ ଭକତେ ॥ ୧୫୪
ଯେ ଏହା ଶୁଣି ଭାବ ବହେ । ଜଗତଜନ ମଧ୍ୟେ କହେ ॥ ୧୫୫
କୃଷ୍ଣଚରଣେ ଭକ୍ତିଭାବ । ସେ ପ୍ରାଣୀ ଲଭେ ଅପବର୍ଗ ॥ ୧୫୬
କହଇ ଜଗନ୍ନାଥ ଦାସ । କୃଷ୍ଣ ମହିମା ସୁଧାରସ ॥ ୧୫୭
ଗୋବିନ୍ଦ ମାୟାଯୋଗ ବାଣୀ । ଶୁଣି ସାନନ୍ଦ ନୃପମଣି ॥ ୧୫୮
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ଉତ୍ତରାର୍ଦ୍ଧେ କୃଷ୍ଣଗାର୍ହସ୍ଥ୍ୟଦର୍ଶନଂ ନାମ
ଚତୁଃସପ୍ତତିତମ ଅଧ୍ୟାୟଃ ॥
ପଞ୍ଚସପ୍ତତିତମ ଅଧ୍ୟାୟ
[ସମ୍ପାଦନା]- ଶୁକ ଉବାଚ
ଏବେ ହୋ ଶୁଣ ନରପତି । କୃଷ୍ଣର ଯେତେକ ଯୁବତୀ ॥ ୧
ରଜନୀ ପ୍ରଭାତ କଟେ । ଗୃହୀତ ନିଜ ପତି କଣ୍ଠେ ॥ ୨
କୃଷ୍ଣର ବିରହେ କାତର । ଭାବେ ଅଧିକ ସ୍ନେହଭର ॥ ୩
କୁକ୍କୁଟନାଦ ଶୁଣ କର୍ଣ୍ଣେ । ତାହାକୁ ଅତି ଦୁଃଖ ମନେ ॥ ୪
ଶପନ୍ତି ବିରହ ବିଷାଦେ । ନିବିଡେ ଭିତି ସ୍ୱାମୀ ହୃଦେ ॥ ୫
କୋକିଳ ଆଦି ପକ୍ଷୀଗଣ । ନାଦେ ବୋଧନ୍ତି ନାରାୟଣ ॥ ୬
ବନ୍ଦୀ ମାଗଧ ପ୍ରାୟ ହୋଇ । ସେ ବିଶ୍ୱମ୍ବର ମନ ମୋହି ॥ ୭
ସ୍ୱଭାବେ ପାରିଜାତ ବନ । ସୁଗନ୍ଧ ବହଇ ପବନ ॥ ୮
ସୁନ୍ଦର ନ ମଣେ ପ୍ରଭାତ । ରୁକ୍ମିଣୀ କୃଷ୍ଣଭାବେ ଚିତ୍ତ ॥ ୯
କୃଷ୍ଣ-ଆଲିଙ୍ଗନ-ବିଷାଦେ । ପଶିଲା ବେନିଭୁଜ ମଧ୍ୟେ ॥ ୧୦
ପ୍ରକାଶେ ଅରୁଣ କିରଣ । ଶଯ୍ୟାରୁ ଉଠି ନାରାୟଣ ॥ ୧୧
ପବିତ୍ରଜଳେ ମୁଖ ଧୋଇ । ଚିତ୍ତେ ପରମପଦ ଧ୍ୟାୟି ॥ ୧୨
ଆତ୍ମାକୁ ଆତ୍ମଜ୍ଞାନେ ଚିନ୍ତି । ଯେ ଏକ ନିତ୍ୟ ସ୍ୱୟଂଜ୍ୟୋତି ॥ ୧୩
ଅବ୍ୟୟସ୍ଥିତି ବିଶ୍ୱରୂପୀ । ବ୍ରହ୍ମାଣ୍ତ ମଧ୍ୟେ ଅଛି ବ୍ୟାପି ॥ ୧୪
ରୂପ-ବର୍ଜିତ ନିରଞ୍ଜନ । କଳି-କଳୁଷ ନିବାରଣ ॥ ୧୫
ଏମନ୍ତ ବ୍ରହ୍ମ ଯାର ନାମ । ତ୍ରିଗୁଣ ମୟା ହେତୁ ଧାମ ॥ ୧୬
ଜଗତ ଯାହାର ପ୍ରକାଶେ । ନିର୍ପଣ ବିମ୍ବ ପ୍ରାୟ ଦିଶେ ॥ ୧୭
ଏମନ୍ତ ପ୍ରଭୁ ନରହରି । ନିର୍ମଳ ଜଳେ ସ୍ନାନ ସାରି ॥ ୧୮
କ୍ରିୟାକଳାପ ଯଥାବିଧି । ପବିତ୍ର ପୀତବସ୍ତ୍ର ପିନ୍ଧି ॥ ୧୯
ସନ୍ଧ୍ୟାତର୍ପଣ ଆଦି କର୍ମ । ଅନଳ ପୂଜା ଗୃହଧର୍ମ ॥ ୨୦
ମଉନେ ବେଦମନ୍ତ୍ର ଜପି । ତର୍ପଣ ବିଧି ପାଶେ ସ୍ଥାପି ॥ ୨୧
ରବି ସମ୍ମୁଖେ ନନ୍ଦବଳା । ତର୍ପଣେ ତୋଷି ଆତ୍ମକଳା ॥ ୨୨
ଦେବତା ଋଷି ପିତୃଗଣେ । ଗୋବିନ୍ଦ ପୂଜିଲେ ତର୍ପଣେ ॥ ୨୩
ବୃଦ୍ଧ-ବାଳକ ମୁଖେ ଦେଇ । ବିପ୍ରଙ୍କୁ ଆସନେ ବସାଇ ॥ ୨୪
ସୁବର୍ଣ୍ଣଶୃଙ୍ଗୀ ଧେନୁ ହରି । ମଣ୍ତିଲେ ଅଳଙ୍କାର ଭରି ॥ ୨୫
ମୁକୁତାମାଳେ ପୁଷ୍ପପନ୍ତି । ସାଧୁ ସୁବସ୍ତ୍ର ରୂପବତୀ ॥ ୨୬
କ୍ଷୀରସମ୍ପନ୍ନା ପୀନସ୍ତନୀ । ଦେହେ ମଣ୍ତିଲେ ବତ୍ସ ଘେନି ॥ ୨୭
ରଜତେ ମଣ୍ତି କ୍ଷୁର ଚାରି । ପାଟବସନେ ତିଳ ପୂରି ॥ ୨୮
ନିର୍ମଳ-କୃଷ୍ଣାଜିନ ସଙ୍ଗେ । ବେଦବିହିତ ବିଧି ମାର୍ଗେ ॥ ୨୯
ବିପ୍ରଙ୍କୁ କରି ଅଳଙ୍କୃତ । ଧେନୁ ଅର୍ପିଲେ ଯୂଥ ଯୂଥ ॥ ୩୦
ଏମନ୍ତେ କୃଷ୍ଣ ପ୍ରତିଦିନେ । ବିପ୍ରେ ତୋଷନ୍ତି ଧେନୁଦାନେ ॥ ୩୧
ଗୋ-ବିପ୍ର-ବୃଦ୍ଧ-ଗୁରୁଗଣେ । ଦେନ୍ତା ଆଦି ସର୍ବଜନେ ॥ ୩୨
ଯେତେ ବିଷୟ ଆତ୍ମାଭୂତ । ତାହାଙ୍କୁ ନମି ଗୋପୀନାଥ ॥ ୩୩
ଜଗତଗୁରୁ ଭଗବାନ । ମଙ୍ଗଳ ଦ୍ରବ୍ୟ ସ୍ପରଶନ ॥ ୩୪
ସ୍ୱଭାବେ ଜଗତସୁନ୍ଦର । ଭୂଷଣ ନାନା ଅଳଙ୍କାର ॥ ୩୫
ପୀତବସନେ ଅନୁପମ । ଶ୍ରୀବତ୍ସ କଉସ୍ତୁଭଦାମ ॥ ୩୬
ଦିବ୍ୟକୁସୁମ ମାଳମାଳ । ଶୋହେ ସୁନ୍ଦର ବକ୍ଷସ୍ଥଳ ॥ ୩୭
ଘୃତ୍ୟ ଦର୍ପଣେ ମୁଖ ଚାହିଁ । ବିପ୍ର ଦେବତା କରେ ଛୁଇଁ ॥ ୩୮
ପ୍ରକୃତି ଅନ୍ତଃପୁର ବାସୀ । ଧନେ ତାହାଙ୍କ ମନ ତୋଷି ॥ ୩୯
ବ୍ରାହ୍ମଣ ଆଦି ଚାରିବର୍ଣ୍ଣେ । କୃଣ୍ଣ ପୂଜିଲେ ଅବଧାନେ ॥ ୪୦
ପ୍ରବୋଧ କରି ପୁରଜକନ । ଆନନ୍ଦ କଲେ ଆତ୍ମମନ ॥ ୪୧
ତାମ୍ବୁଳ କୁସୁମ ସୁଗନ୍ଧ । ବିଭାଗ କରି ଆଦିକନ୍ଦ ॥ ୪୨
ବିପ୍ରଙ୍କୁ ଦେଇ ଅଗ୍ରଭାଗ । ଦାରା ପ୍ରକୃତି ଯେଝା ଭାଗ ॥ ୪୩
ସକଳ ଜନେ ସୁଖ ଦେଇ । ଭୋଜନ କଲେ ଭାବଗ୍ରାହୀ ॥ ୪୪
ଯାତ୍ରା ଉତ୍ସବେ ପଦ୍ମମୁଖ । ତକ୍ଷଣେ ମିଳିଲେ ଦାରୁକ ॥ ୪୫
ଅଦ୍ଭୁତ ରଥ ସଜ କରି । ରଥେ ଯୋଚିଲା ଅଶ୍ୱ ଚାରି ॥ ୪୬
ସୁଗ୍ରୀବ ଆଦି ଚାରିଯାନ । ସୁନ୍ଦର ଗୋବିନ୍ଦ ବିମାନ ॥ ୪୭
କାଞ୍ଚନରଜ୍ଜୁ ଅଶ୍ୱ ଯୋଗେ । ସାଜି ମିଳିଲା କୃଷ୍ଣ ଆଗେ ॥ ୪୮
ଦାରୁକ ହସ୍ତେ ହସ୍ତ ଦେଇ । ରଥେ ବିଜୟ ଭାବଗ୍ରାହୀ ॥ ୪୯
ସାତ୍ୟକି ଉଦ୍ଧବ ବିଶ୍ୱାସେ । ବସିଲେ କୃଷ୍ଣ ବେନି ପାଶେ ॥ ୫୦
କି ଅବା ଦେବା ପଟାନ୍ତର । ଶୁଣ ସୁମନେ ଶୋଭା କରେ ॥ ୫୧
ଉଦୟ ପର୍ବତ ଶିଖରେ । ରବି ଯେସନେ ଶୋଭା କରେ ॥ ୫୨
ଯେତେକ ପୁର ବଧୂଜନ । ହାସ୍ୟ କଟାକ୍ଷେ ଭଗବାନ ॥ ୫୩
ସ୍ନେହଲାଳସେ ଅପସରି । ପୁରୁ ବାହାର ନରହରି ॥ ୫୪
ଉଗ୍ରସେନର ସଭାମଧ୍ୟେ । ଯାଇ ମିଳିଲେ ଆଦିକନ୍ଦେ ॥ ୫୫
ବେନିଜନଙ୍କ ହସ୍ତ ଧରି । ସଭାର ମଧ୍ୟେ ବିଜେ କରି ॥ ୫୬
ଉଗ୍ରସେନଙ୍କୁ ନିଉଛାଳି । କରି ବସିଲେ ବନମାଳୀ ॥ ୫୭
ବାମ ଦକ୍ଷିଣେ ବେନି ବୀର । ମଧ୍ୟେ ବିଜୟ ଦାମୋଦର ॥ ୫୮
ଶୁଣ ରାଜନ କୁରୁବୀର । ଉଗ୍ରସେନର ସଭାଘର ॥ ୫୯
ଯାଦବବଳେ ଇନ୍ଦ୍ରସଭା । କିରଣେ ଯେହ୍ନେ ରବିପ୍ରଭା ॥ ୬୦
କୃଷ୍ଣ ସୁଧର୍ମା ମଧ୍ୟସ୍ଥାନେ । ବିଜୟ କାଞ୍ଚନ-ଆସନେ ॥ ୬୧
ମନୁଷ୍ୟ ସୁଧର୍ମା-ପ୍ରବେଶେ । ତକ୍ଷଣେ ଷଡ଼ଉର୍ମ୍ମି ନାଶେ ॥ ୬୨
କୃଷ୍ଣର ତେଜେ ଇନ୍ଦ୍ରସଭା । ବିକାଶେ ଦଶଦିଗ-ପ୍ରଭା ॥ ୬୩
ଯଦୁବୀରଙ୍କ ମଧ୍ୟେ ବସି । ତାରା ମଣ୍ତଳେ ଯେହ୍ନେ ଶଶୀ ॥ ୬୪
ଯେ ଉପମନ୍ତ୍ରୀଗଣ ପାଶେ । ନାନାପ୍ରବନ୍ଧ ପରିହାସେ ॥ ୬୫
କୃଷ୍ଣ ସମୀପେ ସୁଖେ ବସି । କଥା ପ୍ରସ୍ତାବେ ମନ ତୋଷି ॥ ୬୬
ନଟ ନର୍ତ୍ତକୀ ଆଦି ଯେତେ । ମିଳିଲେ ନାନା ବାଦ୍ୟହସ୍ତେ ॥ ୬୭
ନୃତ୍ୟ, ତାଣ୍ତବ ଗୀତ ସ୍ୱନେ । ସୂତ ମାଗଧ ବନ୍ଦୀଜନେ ॥ ୬୮
କୃଷ୍ଣେ କରାଇ ସାବଧାନ । କରନ୍ତି ନୃତ୍ୟ ଗୀତ ମାନ ॥ ୬୯
ବ୍ରାହ୍ମଣେ ଶୁଦ୍ଧ ବେଦନାଦେ । ଶାସ୍ତ୍ର ଆଗମ ଅନୁବନ୍ଧେ ॥ ୭୦
ପୁରାଣ ପ୍ରବନ୍ଧ ପ୍ରମାଣେ । ପୂର୍ବେ ଯେ ଥିଲେ ରାଜାଗଣେ ॥ ୭୧
ତାହାଙ୍କ ପୁଣ୍ୟଯଶ ଗାଇ । କହନ୍ତି କୃଷ୍ଣମୁଖ ଚାହିଁ ॥ ୭୨
ଏବେ ହୋ ଶୁଣ ନରନାଥ । ସଭାରେ ଯେତେ ରାଜଦୂତ ॥ ୭୩
କୃଷ୍ଣ ଆଦେଶେ ଦ୍ୱାରପାଳେ । ପ୍ରବେଶ କଲେ ସଭାତଳେ ॥ ୭୪
ଅଦୃଷ୍ଟପୂର୍ବ ଶ୍ରେଷ୍ଠ ରୂପେ । ମିଳିଲେ ଗୋବିନ୍ଦ ସମୀପେ ॥ ୭୫
ଦୂର ଆଗମେ ପଥଶ୍ରମୀ । ସେ ଦୂତ କୃଷ୍ଣପାଦେ ନମି ॥ ୭୬
କରଅଞ୍ଜଳି ଦେଇ ମୁଣ୍ତେ । ରାଜନିଯୋଗ କହେ ତୁଣ୍ତେ ॥ ୭୭
ଜରାସନ୍ଧର ବନ୍ଦୀଘରେ । ନିବିଡ଼ ଦୁଃଖ ଶୋକଭରେ ॥ ୭୮
ତାହାର ଦିଗବିଜେ କାଳେ । ଯେ ନ ନମିଲେ ପାଦତଳେ ॥ ୭୯
ତାହାଙ୍କୁ ନିଜ ଭୁଜବଳେ । ବନ୍ଧନ କଲା ଏକମେଳେ ॥ ୮୦
ବେନି ଅୟୁତ ପରିମିତ । ରାଜା ନିରୋଧେ ଜରାସୁତ ॥ ୮୧
ଅନେକ ଦୁଃଖଶୋକ ପାଇ । ଦୂତର ହସ୍ତେ ଲେଖ ଦେଇ ॥ ୮୨
ହେ କୃଷ୍ଣ କୃଷ୍ଣ ମହାବାହୁ । ଶରଣ ତୋର ପାଦେ ଯେହୁ ॥ ୮୩
ତାହାର ଦୁଃଖ କରୁ ନାଶ । ତୁ ନାଥ ଭକତବିଶ୍ୱାସ ॥ ୮୪
ପ୍ରପନ୍ନଭୟ ନାଶୁ ଯେଣୁ । ଆମ୍ଭେ ତୋ ପଦ୍ମପାଦେ ତେଣୁ ॥ ୮୫
ବିଭ୍ରମ ବୁଦ୍ଧି ଭବଭୟେ । ଶରଣ ଗଲୁ ତୋର ପାୟେ ॥ ୮୬
ଭୋ ନାଥ ଶୁଣ ଭାବଗ୍ରାହୀ । ଆମ୍ଭେ ଯେ ରାଜଭୋଗ ପାଇ । ୮୭
ଶ୍ରୀମଦେ ବୁଦ୍ଧି କଲୁ ନାଶ । ଏ ଭୂମି ଜୟ କରି ଆଶ ॥ ୮୮
ଏକ ଆରକେ ଯୁଦ୍ଧବଳେ । ପ୍ରଜା ନାଶିଲୁ ମତ୍ତଭୋଳେ ॥ ୮୯
ଅତି ନିର୍ଦ୍ଦୟକର୍ମ କରି । ଅଗ୍ରେ ମରଣ ନ ବିଚାରି ॥ ୯୦
ଏ ଜୀବଲୋକେ ତୋ ସଂସାରେ । ବିକର୍ମେ ରତ ନିରନ୍ତରେ ॥ ୯୧
ତୋହର ମାୟାଚକ୍ରେ ପଡ଼ି । କୁଶଳ କର୍ମପଥ ହୁଡ଼ି ॥ ୯୨
ତାର ଜୀବନ ଆଶା ତୁହି । ନିମିଷେ ନାଶୁ ମାୟାବହି ॥ ୯୩
ଏଣୁ ତୋ ନାମ ଅନିମିଷ । ନମସ୍ତେ ଅନାଦି ପୁରୁଷ ॥ ୯୪
ତୁ ଏ ଜଗତେ ମାୟାଧର । ନିଜ କଳାରେ ଅବତାର ॥ ୯୫
ଆଦିପୁରୁଷ ତୁ ଦୟାଳୁ । ଖଳ ନିବାରି ସନ୍ଥ ପାଳୁ ॥ ୯୬
ଏ ଜରାସନ୍ଧ ଆଦି ଦୁଷ୍ଟ । ଲୋକେ ଦିଅନ୍ତି ନାନା କଷ୍ଟ ॥ ୯୭
ଅବଜ୍ଞା କରି ତୋ ବଚନେ । ଚଳନ୍ତି ନିଜ ଅଭିମାନେ ॥ ୯୮
କି ଅବା କର୍ମଫଳ ବଳେ । କଷ୍ଟ ଲଭୁଛୁଁ ଏ ଶୟଳେ ॥ ୯୯
ଜାଣି ନ ପାରୁ ଆମ୍ଭେ ଏହା । ଯେଣୁ ସକଳ ତୋର ମାୟା ॥ ୧୦୦
ସ୍ୱପ୍ନସଦୃଶ ନୃପସୁଖ । ପର ଆୟତ୍ତେ ନିତ୍ୟେ ଦୁଃଖ ॥ ୧୦୧
ଏ ମୃତ୍ୟୁପିଣ୍ତେ ସ୍ନେହ ବହି । ଯେଣୁ ଆମ୍ଭର ଜ୍ଞାନ ନାହିଁ ॥ ୧୦୨
ତୁ ଆତ୍ମାରୂପୀ ନରହରି । ତୋ ପାଦ ଅନାଦର କରି ॥ ୧୦୩
ତୋତେ ନ ଚିହ୍ନି କ୍ଲେଶ ପାଇ । ତୋହର ମାୟାଜଡେ଼ ଥାଇ ॥ ୧୦୪
ତୋର ଶରଣ ଚକ୍ରଧର । ପ୍ରଣତଜନ ଦୁଃଖ ହର ॥ ୧୦୫
ଏ ଜରାସନ୍ଧ ଧୂମକେତୁ । ଆମ୍ଭର କର୍ମପାଶ-ହେତୁ ॥ ୧୦୬
ତାର ବନ୍ଧନୁ ରକ୍ଷାକର । ଭୋ ନାଥ ଶରଣ ତୋହର ॥ ୧୦୭
ଏ ଦୁରାଚାର ଅତି ଖଳ । ଅୟୁତ-ମତ୍ତଗଜ-ବଳ ॥ ୧୦୮
ଏକ ଅନେକେ ଅଛି ଧରି । ପଶୁଙ୍କୁ ଯେସନେ କେଶରୀ ॥ ୧୦୯
ଏ ଜରାସନ୍ଧ ତୋର ମେଳେ । ଯୁଦ୍ଧେ ନ ଜିଣି ବାହୁବଳେ ॥ ୧୧୦
ତେଇଶି ଅକ୍ଷୌହଣୀ ସାଜି । ସପତଦଶବାର ଭାଜି ॥ ୧୧୧
ତୋର ମାୟାରେ ଚକ୍ରପାଣି । ବେଳେ ଜିଣିଲା ପ୍ରାୟ ମଣି ॥ ୧୧୨
ଲୀଳାମନୁଷ୍ୟ ରୂପ ତୁହି । ତୋତେ ନ ଜାଣି ଗର୍ବ ବହି ॥ ୧୧୩
ତୋହର ପ୍ରଜା କଲା ନାଶ । ଆମ୍ଭେ ନ ଜାଣୁ ତୋ ବିଶ୍ୱାସ ॥ ୧୧୪
ଯେ ତୋର ଇଚ୍ଛା ଏବେ କର । ଆମ୍ଭେ ତୋ ଚରଣେ କିଙ୍କର ॥ ୧୧୫
ଏମନ୍ତ ଦୁଃଖେ ନୃପବରେ । ବନ୍ଧନ ମଗଧ ଦେଶରେ ॥ ୧୧୬
ଇଚ୍ଛନ୍ତି ତବ ଦରଶନ । ଭୋ ନାଥ ହୋଇବା ପ୍ରସନ୍ନ ॥ ୧୧୭
ଆମ୍ଭେ ଦୁଃଖିତ ରାଜାଗଣ । ତୋ ପାଦେ ପଶିଲୁ ଶରଣ ॥ ୧୧୮
ପରମଦୁଃଖୁଁ କର ତ୍ରାହି । ଭୋ ନାଥ ରଖ ଭାବଗ୍ରାହୀ ॥ ୧୧୯
ଏମନ୍ତ କହୁଁ ରାଜଦୂତ । ଆସି ମିଳିଲେ ବ୍ରହ୍ମାସୁତ ॥ ୧୨୦
ଅତିସୁନ୍ଦର ରୂପକାନ୍ତି । ରବିକିରଣ ପ୍ରାୟ ଜ୍ୟୋତି ॥ ୧୨୧
ପିଙ୍ଗଳଜଟା ଶୋହେ ଶିରେ । ମିଳିଲେ ଗୋବିନ୍ଦ ସଭାରେ ॥ ୧୨୨
ନାରଦେ ଦେଖି ଭଗବାନେ । ତକ୍ଷଣେ ତେଜିଲେ ଆସନ ॥ ୧୨୩
ଈଶ୍ୱର ସର୍ବଲୋକ ନାଥ । ନାରଦପାଦେ ପ୍ରଣମିତ ॥ ୧୨୪
ସଭାରେ ମଧ୍ୟେ ଲୋକଯେତେ । ତାହାଙ୍କୁ ନମିଲେ ତୁରିତେ ॥ ୧୨୫
ଆନନ୍ଦେ କମଳାରମଣ । ପୂଜିଲେ ନାରଦ ଚରଣ ॥ ୧୨୬
କନକ ଆସନେ ବସାଇ । କୋମଳେ ବାକ୍ୟେ ଭାବଗ୍ରାହୀ ॥ ୧୨୭
ନାରଦ ମନ କରି ତୋଷ । ପ୍ରସନ୍ନେ ଭକତବିଶ୍ୱାସ ॥ ୧୨୮
ବୋଲନ୍ତି ଶୁଣ ବ୍ରହ୍ମାସୁତ । ଆଜ ମୁଁ ଲଭିଲି ସୁକୃତ ॥ ୧୨୯
ଏ ତିନିପୁର ଲୋକ ଯେତେ । ତାହାଙ୍କ କଲ୍ୟାଣ ନିମନ୍ତେ ॥ ୧୩୦
ତୋର ଭ୍ରମଣ ଏ ଜଗତେ । କୁଶଳ କହ ଶୁଦ୍ଧଚିତ୍ତେ ॥ ୧୩୧
ତୋହର ଗତି ତ୍ରିଭୁବନ । ମିତ୍ର ଅଇରି ତୋର ସମ ॥ ୧୩୨
ଈଶ୍ୱର ନିର୍ମାଣ ଜଗତେ । ନ ଘଟେ ତୋର ଅବିଦିତେ ॥ ୧୩୩
ବାରୁଣାବନ୍ତେ ପାଣ୍ତୁସୁତେ । ଅଛନ୍ତି ଜନନୀ ସହିତେ ॥ ୧୩୪
କି ଅବା କରନ୍ତି ବିଚାର । ତୁମ୍ଭେ ସୁହୃଦ ତାହାଙ୍କର ॥ ୧୩୫
ମୋହର ମନ ତାଙ୍କ କାହିଁ । ତେଣୁ ପୁଚ୍ଛଇ ଭାବ ରହି ॥ ୧୩୬
କୃଷ୍ଣ ବଚନ ବ୍ରହ୍ମାସୁତ । ଶୁଣି ଯୋଡିଲେ ବେନି ହସ୍ତ ॥ ୧୩୭
ଭୋ ନାଥ ନିଜ ମାୟା ତୋର । ବ୍ରହ୍ମାଶଙ୍କରେ ଅଗୋଚର ॥ ୧୩୮
ବିଶ୍ୱେ ସର୍ଜ୍ଜିତ ଯେତେ ଜନ । ମାୟାରେ ମୋହୁ ତାଙ୍କ ମନ ॥ ୧୩୯
ପ୍ରାଣୀଙ୍କ ଦେହେ ଥାଉ ତୁହି । ଅନଳ ପ୍ରାୟ ଗୋପ୍ୟ ହୋଇ ॥ ୧୪୦
ଅଦ୍ଭୂତ ନୁହଁଇନା ତୋତେ । ତେଣୁ ଭାବଇ ମୁହିଁ ଚିତ୍ତେ ॥ ୧୪୧
ତୋହର ମହିମା କେ ଜାଣେ । ଆଗମ ନିଗମ ପ୍ରମାଣେ ॥ ୧୪୨
ସ୍ୱମାୟାବଳେ ଏ ଜଗତ । ସୃଜି ପାଳିଣ କରୁ ଅନ୍ତ ॥ ୧୪୩
ତୁ ସତ୍ୟ ଆତ୍ମାଶକ୍ତି ବଳେ । ନିଜେ ପ୍ରକାଶୁ ଏ ଶୟଳେ ॥ ୧୪୪
ତୋ ଆତ୍ମାରୂପ ବିଲକ୍ଷଣ । ଏଣୁ ନମଇଁ ତୋ ଚରଣ ॥ ୧୪୫
ଜୀବର ସଞ୍ଚରଣ -ପାଶ । ଅନର୍ଥ -ଶରୀର-ପ୍ରକାଶ ॥ ୧୪୬
ଲୀଳାବତୀର ରୂପ ତୋର । ଦୀପ ଯେସନେ ଅନ୍ଧକାର ॥ ୧୪୭
ନାଶଇ ନିଜ ତେଜବଳେ । ତେଣୁ ମୁଁ ତୋର ପାଦତଳେ ॥ ୧୪୮
ପଶିଲି ଛାଡି ମନ ଭ୍ରାନ୍ତି । ଯେଣୁ ତୁ ଅଗତିର ଗତି ॥ ୧୪୯
ତଥାପି ତୋହର ପ୍ରଶନ । ଏ ନରଲୋକେ ବିଡମ୍ବନ ॥ ୧୫୦
ତଥାପି ଶୁଣ ଶୁଦ୍ଧଚେତା । କହିବି ପାଣ୍ତବଙ୍କ କଥା ॥ ୧୫୧
ପିତୃଭଗିନୀସୁତ ତୋର । ଯେ ରାଜା ନାମ ଯୁଧିଷ୍ଠିର ॥ ୧୫୨
ବିଶ୍ୱାସୀ ଭକତ ସେ ତୋର । ଶୁଣ ତୁ ତାହାଙ୍କ ବିଚାର ॥ ୧୫୩
ଦୁସ୍ତର ରାଜସୂୟ ଯାଗେ । ପୂଜିବେ ତୋର ପାଦଯୁଗେ ॥ ୧୫୪
ପରମଇଷ୍ଟ ତାର କାମ । ଆଜ୍ଞା ତୁ ଦିଅ ଶୁଦ୍ଧଧାମ ॥ ୧୫୫
ସେ ରାଜସୂୟ ଯଜ୍ଞବରେ । ଯେତେ ଏ ଲୋକ ତିନିପୁରେ ॥ ୧୫୬
ତୋ ରୂପ ଦେଖିବାର ସଧେ । ଗଗନୁ ଆସିବେ ବିବୁଧେ ॥ ୧୫୭
ଯେତେ ରାଜନ ଯଶକାରୀ । ତୋତେ ଦେଖିବେ ନରହରି ॥ ୧୫୮
ତୋ ନାମ ଶ୍ରବଣ କୀର୍ତ୍ତନ । ନିଶ୍ଚଳ ଚିତ୍ତେ ଯୋଗ ଧ୍ୟାନ ॥ ୧୫୯
ପତିତଜନ ଶୁଦ୍ଧକରେ । ଯେ ପ୍ରାଣୀ ଶରଣ ତୋହରେ ॥ ୧୬୦
ତୁ ବ୍ରହ୍ମ ପରମକାରଣ । କିବା ଅଧିକ ବିଚାରଣ ॥ ୧୬୧
ତୋର ସ୍ମୃତି ଶୃତିପଥ । ନିର୍ମଳ କରଇ ଜଗତ ॥ ୧୬୨
ପାଦଉଦକ ପାପ ହରେ । ଶରୀର ବାହ୍ୟ ଅଭ୍ୟନ୍ତରେ ॥ ୧୬୩
ବଚନ ଶାସ୍ତ୍ରମତେ ହୋଇ । ବିଧି ନିଷେଧ ପଥ ଦୁଇ ॥ ୧୬୪
କାଳ ଅନଳ ଜଳେ ଭ୍ରମୀ । ହତ ବିଭୂତି ମହାଶ୍ରମୀ ॥ ୧୬୫
ତୋହର ଚରଣ ସ୍ପରଶେ । ଜୀବନ ବହୁ ସେ ଉଶ୍ୱାସେ ॥ ୧୬୬
ସେ ପାଦପଦ୍ମ ମହାବାହୁ । ଆମ୍ଭଙ୍କୁ ଚଉବର୍ଗ ଦେଉ ॥ ୧୬୭
ଭୋ ନାଥ ଭୁବନମଙ୍ଗଳ । ତୋହର ଯଶ ସୁନିର୍ମଳ ॥ ୧୬୮
ବିଖ୍ୟାତ ଏ ତିନିଭୁବନେ । ଭଲେ ଜାଣନ୍ତି ସର୍ବଜନେ ॥ ୧୬୯
ସୁରଭୁବନେ ମନ୍ଦାକିନୀ । ପୁଣି ସେ ନିଜ ରୂପ ଘେନି ॥ ୧୭୦
ପାତାଳପୁରେ ଭୋଗବତୀ । ଗଙ୍ଗା ଏ ମଞ୍ଚପୁରେ ସ୍ଥିତି ॥ ୧୭୧
ତୋ ପାଦ ଜଳର ମହିମା । କେ ଜାଣିପାରେ ଗୁଣସୀମା ॥ ୧୭୨
ପବିତ୍ର କରେ ବିଶ୍ୱଜନ । ତୁ ନାଥ ଜଗତମୋହନ ॥ ୧୭୩
ଏମନ୍ତ ସଭା ଆତ୍ମପକ୍ଷେ । ଗୋବିନ୍ଦ ବିଚାରି ପ୍ରତ୍ୟକ୍ଷେ ॥ ୧୭୪
ଜାଣିବା ପାଇଁ ସର୍ବଜନ । ଉଦ୍ଧବେ ଚାହିଁ ଭଗବାନ ॥ ୧୭୫
କୋମଳ ବଚନ ଗଭୀର । ବୋଲନ୍ତି ପ୍ରଭୁ ଦାମୋଦର ॥ ୧୭୬
ଉଦ୍ଧବ ଶୁଣ ମୋ ଉତ୍ତର । ତୁ ମୋର ଚକ୍ଷୁ ମନ୍ତ୍ରବୀର ॥ ୧୭୭
ପ୍ରିୟ ସୁହୃଦ ତୁହି ସାର । ତୋତେ ମୁଁ ପୁଛଇ ବିଚାର ॥୧୭୮
ସଂଶୟ ପ୍ରସ୍ତାବଟି ଏହି । ମୁଁ କି କରିବି କହ ତୁହି ॥୧୭୯
ଏମନ୍ତ କୃଷ୍ଣ ବାକ୍ୟ ଶୁଣି । ଉଦ୍ଧବ ମନେ ମନେ ଗୁଣି ॥୧୮୦
ସର୍ବଜ୍ଞ ଜଗତଜୀବନ । ଅଲଂଘ୍ୟ ଯାହାର ବଚନ ॥୧୮୧
ତାହାର ଆଜ୍ଞା ଶିରେ ବହି । କହେ ଗୋବିନ୍ଦ ମୁଖ ଚାହିଁ ॥୧୮୨
ସେ ହରି ଚରଣ କମଳେ । ମନ ମୋ ରହୁ ଧ୍ୟାନବଳେ ॥୧୮୩
ଅନାଥନାଥ ଜଗନ୍ନାଥ । ସଂସାର ହିତେ ଭାଗବତ ॥୧୮୪
ସୁଜନପାଦ ହୃଦେ ଲଇଁ । କରିଣ ନୃତ୍ୟ ଗୀତ ଗାଇ॥ ୧୮୫
କହଇ ଦାସ ଜଗନ୍ନାଥ । ଗୀତବିନୋଦେ ଭାଗବତ ॥୧୮୬
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ଉତ୍ତରାର୍ଦ୍ଧେ ଭଗବଦ୍ଯାନ ବିଚାରେ
ପଞ୍ଚସପ୍ତତିତମ ଅଧ୍ୟାୟଃ ॥
ଷଟ୍ସପ୍ତତିତମ ଅଧ୍ୟାୟ
[ସମ୍ପାଦନା]ମୁନି କହନ୍ତି ଭାବ ବହି । ଆନନ୍ଦେ ରାଜାମୁଖ ଚାହିଁ ॥୧
- ଶୁକ ଉବାଚ
ଏବେ ହୋ ପରୀକ୍ଷିତ ଶୁଣ । ସୁଧର୍ମା ମଧ୍ୟେ ନାରାୟଣ ॥୨
ଉଦ୍ଧବେ ପଚାରିଲେ ଯାହା । ଶୁଣ ତୁ ଏକମନେ ତାହା ॥୩
ଉଦ୍ଧବ ଯଦୁସଭା ମଧ୍ୟେ । ନାରଦ ବାକ୍ୟ ଅନୁବନ୍ଧେ ॥୪
ସଭାଜନଙ୍କ ମନ ଜାଣି । ଶ୍ରୀକୃଷ୍ଣ ମୁଖ ଚାହିଁ ଭଣି ॥୫
ରାଜାଙ୍କ ଦୂତର ବଚନ । କାର୍ଯ୍ୟ ହୋଇବ ସମାଧାନ ॥୬
ସର୍ବଜ୍ଞପଣ ଅଛି ତାର । ଯାଦବକୁଳ ମନ୍ତ୍ରୀବର ॥୭
ପବିତ୍ର ମଧୁର ବଚନ । ହରଷ କରି ସର୍ବ ମନ ॥ ୮
କୃଷ୍ଣ ସମୀପେ ଯୋଡ଼ି କର । ବୋଲେ ଉଦ୍ଧବ ମନ୍ତ୍ରୀବର ॥ ୯
ଭୋ ନାଥ ଶୁଣ ଭଗବାନ । ସଂସାର ହିତେ ତୋ ଜନମ ॥ ୧୦
ନାରଦମୁନି ଯାହା କହି । ତୁ ତାହା ଜାଣୁ ଭାବଗ୍ରାହୀ ॥୧୧
ପିତୃଭଗିନୀସୁତ କର୍ମ । ଶରଣ ରକ୍ଷଣ ତୋର ଧର୍ମ ॥୧୨
ପଣ୍ତୁନନ୍ଦନ ଅନୁରାଗେ । ଉତ୍ସବ ରାଜସୂୟ ଯାଗେ ॥୧୩
ହୋଇବ ଜରାସନ୍ଧ ହତ । ଏ ବେନି କାର୍ଯ୍ୟ ମୋର ମତ ॥୧୪
ଏଣୁ ଆମ୍ଭର ବଡ଼ ଲାଭ । ହୋଇବ ଶୁଣ ପଦ୍ମନାଭ ॥୧୫
ତୋହର ଯଶ ମଞ୍ଚେ ଥିବ । ରାଜାଙ୍କ ଦୁଃଖ ନାଶ ଯିବ ॥୧୬
ଭୋ ନାଥ ଶୁଣ ନାରାୟଣ । ଜରାସନ୍ଧର ବୀରପଣ ॥୧୭
ଦଶସହସ୍ର ମତ୍ତହସ୍ତୀ । ବଳବହଇ ସେ ନୃପତି ॥୧୮
ଏଣୁ ବିଷମ କର୍ମ ତାର । କ୍ଷତ୍ରିୟ ମଧ୍ୟେ ବଳିୟାର ॥୧୯
କେହି ନୁହଁନ୍ତି ଯୁଦ୍ଧେ ସମ । ସମରେ ପାରେ ଅବା ଭୀମ ॥୨୦
ଅବଶ୍ୟ ଭୀମ ମାଲଯୁଦ୍ଧେ । ମାରିବ ଘୋରରଣ ମଧ୍ୟେ ॥୨୧
ସୈନ୍ୟ ତେଇଶି ଅକ୍ଷୌହିଣୀ । କେ ପାରେ ରଣେ ତାକୁ ଜିଣି ॥୨୨
ଭିକ୍ଷୁକ ବ୍ରାହ୍ମଣ ବଚନ । ସର୍ବଥା ନ କରଇ ଆନ ॥୨୩
ଏଣୁ ବ୍ରାହ୍ମଣ ବେଶ ହୋଇ । ଭୀମ ଅର୍ଜୁନ ତୁଲେ ତୁହି ॥୨୪
ଭିକ୍ଷୁକ ରୂପେ ଯଜ୍ଞଦ୍ୱାରେ । ମାଗିବୁ ବ୍ରାହ୍ମଣ ବେଭାରେ ॥୨୫
ସତ୍ୟ କରାଇ ଦାନକାଳେ । ଭୀମ ମାରିବ ତାକୁ ବଳେ ॥୨୬
କେବଳ ସାକ୍ଷୀ ପ୍ରାୟ ହୋଇ । ସମର ମଧ୍ୟେ ଥିବୁ ତୁହି ॥୨୭
ତୋର ମହିମା ନ ଜାଣନ୍ତି । ଶିବ-ବିରଞ୍ଚି-ପ୍ରଜାପତି ॥୨୮
ରାଜାଏ ବନ୍ଦୀମୋକ୍ଷ ହୋଇ । ଆନନ୍ଦେ ନିଜ ପୁରେ ଯାଇ ॥୨୯
କାମିନୀ ମଧ୍ୟେ ତୋର ଯଶ । କହି ହୋଇବେ ମନେ ତୋଷ ॥୩୦
ଆତ୍ମାର ବନ୍ଦୀ ବିମୋକ୍ଷଣ । ସେ ଜରାସନ୍ଧର ମରଣ ॥୩୧
ନନ୍ଦଗୋକୁଳେ ଗୋପୀଗଣ । ଯେ ଯଶ କରନ୍ତି ଗାୟନ ॥୩୨
ଗଜ-କୁମ୍ଭୀର ମୋକ୍ଷ କଥା । ରାବଣ ବଧି ଆଣି ସୀତା ॥୩୩
କଂସର ବନ୍ଧନୁ ନିସ୍ତାରି । ତୋହର ତାତ ଗର୍ଭଧାରୀ ॥୩୪
ମୁନି ବ୍ରାହ୍ମଣ ଅନୁମତେ । ଆମ୍ଭେ ତୋହର ବନ୍ଧୁ ଯେତେ ॥ ୩୫
ଯେସନେ ତୋରା ଯଶ ଗାଇ । ଭଜନେ ତୋର ବହୁଁ ଦେହୀ ॥୩୬
ଭୋ ନାଥ ଜରାସନ୍ଧ ମଲେ । ରାଜାଏ ନିସ୍ତରିବେ ଭଲେ ॥୩୭
ହୋଇବ ଯୁଧିଷ୍ଠିର ଯାଗ । ଆମ୍ଭର ଥିବ ଯେବେ ଭାଗ୍ୟ ॥୩୮
ଏମନ୍ତ ଉଦ୍ଧବ ବଚନ । ଶୁଣି ଗୋବିନ୍ଦ ତୋଷମନ ॥୩୯
ବ୍ରହ୍ମାନନ୍ଦନ ଯଦୁବୃନ୍ଦେ । ଉଦ୍ଧବେ ଚାହିଁ ସାଧୁବାଦେ ॥୪୦
ସନ୍ତୋଷେ କରନ୍ତି କଲ୍ୟାଣ । ଏବେ ହୋ ପରୀକ୍ଷିତ ଶୁଣ ॥୪୧
ତକ୍ଷଣେ ପ୍ରଭୁ ଦେବରାଜ । ଇନ୍ଦ୍ରପ୍ରସ୍ଥକୁ ହେଲେ ସଜ ॥୪୨
ସାତ୍ୟକି ଦାରୁକ ବଦନ । ହରଷେ ଚାହିଁ ଭଗବାନ ॥୪୩
ବୋଇଲେ ରଥ ସଜ କର । ଗୁରୁଙ୍କୁ କରି ନମସ୍କାର ॥୪୪
କୃଷ୍ଣର ଯେତେକ କାମିନୀ । ସୁତ-ସମ୍ପଦ ସଙ୍ଗେ ଘେନି ॥୪୫
କୃଷ୍ଣବଚନେ ସଜ ହୋନ୍ତି । ବିବୁଧେ ଗଗନେ ଦେଖନ୍ତି ॥୪୬
ଦାରୁକ ସାଜି ଦେବରଥ । ମିଳିଲା ଗୋବିନ୍ଦ ଅଗ୍ରତ ॥୪୭
ଗରୁଡ଼ଧ୍ୱଜ ରଥେ ହରି । ଶଙ୍ଖଶବଦେ ବିଜେକରି ॥୪୮
ତକ୍ଷଣେ ଚତୁରଙ୍ଗ ବଳ । ଚଳନ୍ତେ ଶୁଭେ ମୁଖଗୋଳ ॥୪୯
ମୃଦଙ୍ଗ ଆଦି ବାଦ୍ୟଘୋଷ । କମ୍ପେ ଗଗନେ ଭୂମିଦେଶ ॥୫୦
ନରକୁଞ୍ଜର ଅଶ୍ୱରଥେ । ସୁବର୍ଣ୍ଣ ଶିବିକା ସହିତେ ॥୫୧
ସକଳଜନ ଅନୁମତେ । ସେବକ ସେବକୀ ସହିତେ ॥୫୨
କୃଷ୍ଣର ଅନୁପଥେ ଯାନ୍ତି । ଯେହ୍ନେ ଗଗନେ ତାରାପନ୍ତି ॥୫୩
କୋଳେ ବସାଇ ସୁତ ସୁତା । କୃଷ୍ଣକାମିନୀ ପତିବ୍ରତା ॥୫୪
ଦିବ୍ୟବସନ ପରିଧାନ । କୁଙ୍କୁମ ସୁଗନ୍ଧ ଲେପନ ॥୫୫
ଖଡ଼ଗ ଚର୍ମ ଧନୁହସ୍ତେ । ବୀରେ ଆବୋରି ଯୂଥେ ଯୂଥେ ॥୫୬
ଓଟ ମଇଁଷି ଗୋରୁ ନର । ଗର୍ଦ୍ଦଭ ଅଶ୍ୱ ଅଶ୍ୱତର ॥୫୭
ଯାନ ଶକଟେ କରି ଘର । ଚିତ୍ରବିଚିତ୍ର ତମ୍ବୁଦ୍ୱାର ॥୫୮
ହସ୍ତୀଙ୍କ ଉପରେ ଅମାରି । ଆନନ୍ଦେ ଯାନ୍ତି ପରିବାରୀ ॥୫୯
ଏ ଆଦି ସକଳ ସମ୍ଭାର । ଚଳନ୍ତେ ଶୋହେ ମଞ୍ଚପୁର ॥୬୦
ଗମନ୍ତି କୃଷ୍ଣର ସଇନି । ପ୍ରଳୟସିନ୍ଧୁ ପ୍ରାୟ ମଣି ॥୬୧
ଉତ୍ତମଧ୍ୱଜ ଛତ୍ରପାଟ । ଚାମର କଳସ କିରୀଟ ॥୬୨
ବିବିଧ ଶସ୍ତ୍ରମାନ ସାଜେ । ଝଲକି ରବିରଶ୍ମି ଗଞ୍ଜେ ॥୬୩
ଘୋର ଶବଦ ଘରଷଣେ । ଜଳଧି ଯେହ୍ନେ ଉର୍ମିଗଣେ ॥୬୪
ବିଷମ କଲ୍ଲୋଳ ସଙ୍କୁଳ । ବିରାଜେ ଯଦୁଭୋଜ-ବଳ ॥୬୫
କୃଷ୍ଣବଚନେ ବ୍ରହ୍ମାସୁତ । ନିଜଭୁବନେ ଉପଗତ ॥୬୬
ହରିଚରଣେ ନମସ୍କାରି । ହୃଦେ ଗୋବିନ୍ଦ ଭାବ ଭରି ॥୬୭
ମୁକୁନ୍ଦ ଦରଶନ ଫଳେ । ଚଞ୍ଚଳ ଇନ୍ଦ୍ରିୟ ନିଶ୍ଚଳେ ॥୬୮
ଗଗନମାର୍ଗେ ମୁନି ଗଲେ । ଦୂତ ଯେ ଥିଲା କୃଷ୍ଣତୁଲେ ॥୬୯
ରାଜାଙ୍କ ଦୁଃଖ କଷ୍ଟ ଜାଣି । ଦୂତ ବଦନ ଚାହିଁ ଭଣି ॥୭୦
ହେ ଦୂତ କହ ଯାଇ ବେଗେ । ବନ୍ଧନ ନୃପତିଙ୍କ ଆଗେ ॥୭୧
ଭୟ ନ କର ତୁମ୍ଭେ କେହି । ନାଶିବି ଜରାସନ୍ଧ ମୁହିଁ ॥୭୨
ଆଜ୍ଞା ପ୍ରମାଣେ ଦୂତ ଗଲା । ରାଜାଙ୍କୁ ସନ୍ଦେଶ କହିଲା ॥୭୩
ଦୂତବଚନ ଶୁଣି କର୍ଣ୍ଣେ । ରାଜାଏ ନିବିଡ଼ ବନ୍ଧନେ ॥୭୪
ଛାଡ଼ିଲେ ଘୋରବନ୍ଧ ଦୁଃଖ । କୃଷ୍ଣଦରଶନେ ଉତ୍ସୁକ ॥୭୫
କୃଷ୍ଣଚରଣେ ମନ ଦେଇ । ରାତ୍ର ଦିବସେ ପଥ ଚାହିଁ ॥୭୬
ଗୋବିନ୍ଦ ବସି ନିଜ ରଥେ । ଗମନ କଲେ ରାଜପଥେ ॥୭୭
ଆନର୍ତ୍ତ ସଉବୀର ପୁରୀ । ମରୁଭୁବନ ବେଗେ ତରି ॥୭୮
ତକ୍ଷଣେ କୁରୁକ୍ଷେତ୍ର ଜିଣି । ବନ ପର୍ବତ ତରଙ୍ଗିଣୀ ॥୭୯
ବିବିଧ ଗ୍ରାମ ପୁର ଘୋଷ । ବନଗହନ ନାନା ଦେଶ ॥୮୦
ଦୃଷଦବତୀ ସରସ୍ୱତୀ । ପଥେ ଲଂଘିଲେ ଯଦୁପତି ॥୮୧
ପାଞ୍ଚାଳ ମତ୍ସ୍ୟଦେଶ ଜିଣି । ଇନ୍ଦ୍ରପ୍ରସ୍ଥରେ ଚକ୍ରପାଣି ॥୮୨
ମିଳି କରନ୍ତି ଶଙ୍ଖନାଦ । ଖଣ୍ତିଲା ସଂସାର ବିଷାଦ ॥୮୩
ଶଙ୍ଖଶବଦ ଶୁଣି କର୍ଣ୍ଣେ । ଧର୍ମନନ୍ଦନ ତୋଷମନେ ॥୮୪
ଗୁରୁ ସୁହୃଦ ଘେନି ସଙ୍ଗେ । କୃଷ୍ଣଦର୍ଶନ ଅନୁରାଗେ ॥୮୫
ଗୀତଶବଦ ନାନାବାଦ୍ୟେ । ବିପ୍ର-ମଙ୍ଗଳ-ବେଦନାଦେ ॥୮୬
କୁସୁମ ବୃଷ୍ଟି ପଥେ କରି । ମଙ୍ଗଳେ ଶୁଭେ ହରିହରି ॥୮୭
ମିଳିଲେ କୃଷ୍ଣ ପାଶେ ଯାଇ । କିବା ଉପମା ଦେବି ମୁହିଁ ॥୮୮
ପ୍ରାଣ ଆଗମେ ମୃତଦେହୀ । ଯେହ୍ନେ ଉଠଇ ଜ୍ଞାନ ପାଇ ॥୮୯
ନିଶ୍ଚଳ ଚିତ୍ତେ କୃଷ୍ଣଦେଖି । ନିର୍ମଳ କଲେ ଚର୍ମଆଖ ॥୯୦
ଗୋବିନ୍ଦ ସ୍ନେହ ହୃଦେ ବହି । ଅନେକ ଦିନେ ଭେଟ ପାଇ ॥୯୧
ହୃଦେ ଲଗାଇ ପୁନଃ ପୁନଃ । ନିବିଡେ଼ କଲେ ଆଲିଙ୍ଗନ ॥୯୨
କମଳା ଥାଇ ଯାର ଦେହେ । ସେ ଦେହ ଛୁଇଁ ସ୍ନେହମୋହେ ॥୯୩
ନିର୍ମଳ ହୋଇ କମ୍ପେ ଦେହ । ନୟନଯୁଗୁଁ ବହେ ଲୁହ ॥୯୪
ହରଷେ ତନୁ ପୁଲକିଲା । ଲୋକ ବେଭାର ପାସୋରିଲା ॥୯୫
ଭୀମସେନକୁ ନମସ୍କାର । ଯେମନ୍ତେ ସୁହୃଦ ବେଭାର ॥୯୬
ମାତୁଳପୁତ୍ର ପାଇ କୋଳେ । ଆଣ୍ଟେ ଭିଡ଼ିଲେ ପ୍ରେମଭୋଳେ ॥୯୭
ଗୋବିନ୍ଦ ଅର୍ଜ୍ଜୁନକୁ କୋଳେ । ବସାଇ ଅତି ସୁଖଭୋଳେ ॥୯୮
ନକୁଳ ସହଦେବ ଦୁଇ । କୃଷ୍ଣଚରଣେ ଶିର ଦେଇ ॥୯୯
ପ୍ରଣାମ କଲେ ଜଣେ ଜଣୋ ସଙ୍ଗେ ଅେକ ବିପ୍ରଗଣେ ॥୧୦୦
ତାହାଙ୍କ ପାଦେ ଦେଇ କର । ନମିଲେ ବ୍ରହ୍ମାଣ୍ତ ଠାକୁର ॥୧୦୧
କୁଳବୃଦ୍ଧଙ୍କ ମୁଖ ଚାହିଁ । କପାଳେ ବେନିକର ଦେଇ ॥୧୦୨
ଯେ ଯାହାମତେ ମାନ୍ୟ କରି । ଅର୍ଜ୍ଜୁନକର କରେ ଧରି ॥୧୦୩
କୁରୁ ସୃଞ୍ଜୟ କଇକେୟ । ଗୋବିନ୍ଦ ଦେଖି ସ୍ନେହମୋହ ॥୧୦୪
ସୂତ ମାଗଧ ବନ୍ଦୀଜନ । ଗନ୍ଧର୍ବ ଉପମନ୍ତ୍ରୀଗଣ ॥୧୦୫
ମୃଦଙ୍ଗ ଶଙ୍ଖ ଭେରୀନାଦ । ବିବିଧ ବେଣୁ ବୀଣାବାଦ୍ୟ ॥୧୦୬
ବ୍ରାହ୍ମଣେ କୃଷ୍ଣମୁଖ ଚାହିଁ । ସ୍ତୁତି କରନ୍ତି ବେଦ ଗାଇ ॥୧୦୭
ଗୋବିନ୍ଦ ଆଗେ ଆଗସରି । ନୃତ୍ୟ କରନ୍ତି ଅପସରୀ ॥୧୦୮
ସୁହୃଦଗଣେ ସ୍ତୁତିଭଣି । ପୁଣ୍ୟ ପୁରୁଷ ଶିଖାମଣି ॥୧୦୯
ଏମନ୍ତେ ପ୍ରଭୁ ବନମାଳୀ । ଧର୍ମନନ୍ଦନ ପୁରେ ମିଳି ॥୧୧୦
କୁଞ୍ଜର-ମଦଗନ୍ଧ ପାଣି । ସିଞ୍ଚନ୍ତେ ସୁନ୍ଦର ଧରଣୀ ॥୧୧୧
ଚିତ୍ର-ପତାକା ଧ୍ୱଜ-ସ୍ତମ୍ଭ । ପତ୍ର ତୋରଣା ପୂର୍ଣ୍ଣକୁମ୍ଭ ॥୧୧୨
ବିବିଧ ଅଳଙ୍କାର ଘେନି । ସୁନ୍ଦର ପୁରୁଷ କାମିନୀ ॥୧୧୩
ସେବନ୍ତି ନାନା ଉପହାରେ । ଚଞ୍ଚଳଚିତ୍ତେ ପୁରଦ୍ୱାରେ ॥୧୧୪
ମାଣିକ୍ୟଦୀପ ଜଳାରନ୍ଧ୍ରେ । ପ୍ରକାଶେ ନାନାପରିବନ୍ଧେ ॥୧୧୫
ଅଗୁରୁ ଧୂପ ଗନ୍ଧବାସେ । ସେ ଧୂମ ମୋହେ ଦଶଦିଶେ ॥୧୧୬
ନାନା ପତାକା ଚାରିପାଶେ । ସୁନ୍ଦର ସୁବର୍ଣ୍ଣ କଳସେ ॥୧୧୭
ରଜତଗିରି ଶୃଙ୍ଖ ପ୍ରାୟେ । ଧର୍ମନନ୍ଦନପୁର ଶୋହେ ॥୧୧୮
ଆନନ୍ଦମନେ ହୃଷୀକେଶ । ପାଣ୍ତବଭୁବନେ ପ୍ରବେଶ ॥୧୧୯
କୃଷ୍ଣଆଗମ କର୍ଣ୍ଣେ ଶୁଣି । ସେ ପୁରେ ଯେତେକ ତରୁଣୀ ॥୧୨୦
ଜନଲୋଚନ ପାନପାତ୍ର । ଭାବେ ତୃଷିତ ବେନିନେତ୍ର ॥୧୨୧
ଦେଖିବା ଅର୍ଥେ ଭାବସୁଖେ । ଧାଇଁଲେ ଆନନ୍ଦ ଉତ୍ସୁକେ ॥୧୨୨
କେଶବସନ ଅସମ୍ଭାଳେ । ଚରଣ ନ ଚଳେ ନିଶ୍ଚଳେ ॥୧୨୩
ଭୋଳେ ତେଜିଲେ ଘରଦ୍ୱାର । ଶଯ୍ୟାରେ ଛାଡ଼ି ନିଜ ବର ॥୧୨୪
କୃଷ୍ଣଙ୍କୁ ଦେଖିବାରେ ସଧେ । ଧାଇଁଲେ ରାଜପଥ ମଧ୍ୟେ ॥୧୨୫
ଶୁଭଇ ମୁଖରାବ ଗୋଳ । ଯେସନେ ସମୁଦ୍ର ଉଲ୍ଲୋଳ ॥୧୨୬
ନାନାସୁବାକ୍ୟେ ଦିଗ ପୂରେ । କେ ଯାଇ ଉଠେ ବୃକ୍ଷପରେ ॥୧୨୭
ଜଗତି ଅଟ୍ଟାଳୀ ପାଚେରୀ । ଆରୋହି ଲଜ୍ଜା ଦୂର କରି ॥୧୨୮
ନିଜ ଯୁବତୀଗଣ ସାଥେ । କୃଷ୍ଣଙ୍କୁ ଦେଖି ଦିବ୍ୟରଥେ ॥୧୨୯
ପୁଷ୍ପବରଷି ସ୍ତୁତି ଭଣି । ଗୁରୁଗଉରବ ନ ଗଣି ॥୧୩୦
କୃଷ୍ଣ ସୁନ୍ଦରରୂପ ଦେଖି । ନିର୍ମଳ କଲେ ଚର୍ମ ଆଖି ॥୧୩୧
ଅନ୍ତରେ ଆଲିଙ୍ଗନ ଦେଇ । ନୟନେ ସ୍ୱାଗତ ଜଣାଇ ॥୧୩୨
କୃଷ୍ଣକାମିନୀ ମଧ୍ୟେ ବସି । ତାରାମଣ୍ତଳେ ଯେହ୍ନେ ଶଶୀ ॥୧୩୩
ବୋଲନ୍ତି ଏକୁ ଆରେ ଚାହିଁ । କି ପୁଣ୍ୟ କଲେ ଏ ଗୋ ସହି ॥୧୩୪
ଦେଖ ଏ ପୁରୁଷଉତ୍ତମ । ରୂପେ ଗଞ୍ଜଇ କୋଟି କାମ ॥୧୩୫
ସୁରଙ୍ଗମୁଖେ ମନ୍ଦହାସେ । ଜୀବନବାନ୍ଧେ କାମପାଶେ ॥୧୩୬
ସୁରେଖ ଦେଖ ଭୁରୂଭଙ୍ଗ । ଲୋଚନ ବିସ୍ତାରେ ଅନଙ୍ଗ ॥୧୩୭
ଏମନ୍ତ ଭାବୁଁ ନାରୀମାନେ । ଆସି ମିଳିଲେ ପୁରଜନେ ॥୧୩୮
ମଙ୍ଗଳ ଦ୍ରବ୍ୟ ଭୁଜଦଣ୍ତେ । କୃଷ୍ଣେ ଦଖନ୍ତି ନୟନେ ॥୧୩୯
କୃଷ୍ଣଙ୍କୁ ନମି ଅଶ୍ରୁମୁଖେ । ତରିଲେ ଭବବନ୍ଧଦୁଃଖେ ॥୧୪୦
ରାଜାର ଅନ୍ତଃପୁର ଜନେ । କୃଷ୍ଣଙ୍କୁ ଦଖନ୍ତି ନୟନେ ॥୧୪୧
ଅଭିଗମନେ ଅନୁସରି । କୃଷ୍ଣଙ୍କୁ ଅନ୍ତଃପୁରେ ଭରି ॥୧୪୨
ଉତ୍ସବ କେବା ପରିମାଣି । କୃଷ୍ଣ ଆଗମ କୁନ୍ତୀ ଶୁଣି ॥୧୪୩
ଯେ ହରି ତ୍ରିଭୁବନନାଥ । ଲୋକବେଭାରେ ଭ୍ରାତୃସୁତ ॥୧୪୪
ନିଜ ପଲ୍ୟଙ୍କୁ ଉଠି ବେଗେ । ଦ୍ରୌପଦୀବଧୂ ଘେନି ସଙ୍ଗେ ॥୧୪୫
କୋଳେ ବସାଇ ଭଗବାନ । ଆନନ୍ଦେ କଲେ ଆଲିଙ୍ଗନ ॥୧୪୬
ଗୋବିନ୍ଦେ ଆଣି ନିଜପୁରେ । ଧର୍ମନନ୍ଦନ ସ୍ନେହଭରେ ॥୧୪୭
ଆନନ୍ଦସିନ୍ଧୁଜଳେ ବୁଡ଼ି । ପୂଜାର କର୍ମପଥ ହୁଡ଼ି ॥୧୪୮
ପିତୃଭଗିନୀ ଗୁରୁନାରୀ । ଚରଣ ବନ୍ଦିଲେ ମୁରାରି ॥୧୪୯
ସୁଭଦ୍ରା ଦ୍ରୌପଦୀର ସଙ୍ଗେ । ନମିଲା କୃଷ୍ଣପାଦଯୁଗେ ॥୧୫୦
ଦ୍ରୁପଦସୁତା ଶୁଦ୍ଧମନେ । ତକ୍ଷଣେ କୁନ୍ତୀର ବଚନେ ॥୧୫୧
ପୂଜିଲା ଯଥା ଅନୁମତେ । ଯେ ଯାହା ବିଧାନ ଯେମନ୍ତେ ॥୧୫୨
ରୁକ୍ମିଣୀ ସତ୍ୟଭାମା ସତୀ । ଭଦ୍ରା କାଳିନ୍ଦୀ ଜାମ୍ବବତୀ ॥୧୫୩
ଲକ୍ଷଣା ସତ୍ୟା ମିତ୍ରବିନ୍ଦା । ଏ ଅଷ୍ଟକୃଷ୍ଣର ପ୍ରମଦା ॥୧୫୪
ଏ ଆଦି ଯେତେ କୃଷ୍ଣନାରୀ । ପୂଜିଲେ ଅଳଙ୍କାର ଭରି ॥୧୫୫
ଏମନ୍ତେ ଧର୍ମର ନନ୍ଦନ । ସୁଖେ ନିବେଶି ଜନାର୍ଦ୍ଦନ ॥୧୫୬
ସକଳଜନ ତୁଲେ ହରି । ନିତ୍ୟେ ନୂତନେ ପୂଜା କରି ॥୧୫୭
ପୂର୍ବେ ଅର୍ଜ୍ଜୁନ ତୁଲେ ହରି । ଖାଣ୍ତବବନ ଦାହ କରି ॥୧୫୮
ଅଗ୍ନିର କରି ଉପକାର । ରଖିଲେ ମୟଦୈତ୍ୟ ବୀର ॥୧୫୯
ତାର ନିର୍ମିତ ମାୟାସଭା । କିବା ଉପମା ଦେବା ଅବା ॥୧୬୦
ସେ ସଭାମଧ୍ୟେ ହୃଷୀକେଶ । ଭାବେ ରହିଲେ କେତେ ମାସ ॥୧୬୧
ଅର୍ଜ୍ଜୁନ ତୁଲେ ନାରାୟଣ । ସଙ୍ଗତେ ଘେନି ବୀରଗଣ ॥୧୬୨
ରଥ ଆରୋହି ଭଗବାନ । ନିତ୍ୟେ ଭ୍ରମନ୍ତି ଦେଶବନ ॥୧୬୩
ସେ ହରିଚରଣ ପଙ୍କଜେ । ବ୍ରାହ୍ମଣ ଜଗନ୍ନାଥ ଭଜେ ॥୧୬୪
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ଉତ୍ତରାର୍ଦ୍ଧେ କୃଷ୍ଣସ୍ୟ ଇନ୍ଦ୍ରପ୍ରସ୍ଥ ଗମନଂ ନାମ
ଷଟ୍ସପ୍ତତିତମ ଅଧ୍ୟାୟଃ ॥
ସପ୍ତସପ୍ତତିତମ ଅଧ୍ୟାୟ
[ସମ୍ପାଦନା]- ଶୁକ ଉବାଚ
ଶୁକ ବୋଲନ୍ତି ଶୁଦ୍ଧମନେ । ଇନ୍ଦ୍ରପ୍ରସ୍ଥରେ ଏକଦିନେ ॥୧
ସଭାରେ ମଧ୍ୟେ ଧର୍ମସୁତ । ସଙ୍ଗତେ ଘେନି ଚାରିଭ୍ରାତ ॥୨
ସନ୍ନିଧେ ବ୍ରହ୍ମଋଷିଜନ । ବ୍ରାହ୍ମଣ ଆଦି ଚାରିବର୍ଣ୍ଣ ॥୩
ବୃଦ୍ଧେ ଅଛନ୍ତି ଯେତେ ଭାବେ । ସିଦ୍ଧାଦି ଗନ୍ଧର୍ବେ ଏ ସର୍ବେ ॥୪
ଏହାଙ୍କୁ କରି ସାବଧାନ । ଚାହିଁଣ କୃଷ୍ଣର ବଦନ ॥୫
ସମ୍ଭ୍ରମେ ଯୋଡ଼ି ବେନିକର । କୃଷ୍ଣଙ୍କୁ ବୋଲେ ନୃପବର ॥୬
ଭୋ ଦେବ ଶୁଣ ସାବଧାନେ । ଯଜ୍ଞ ରାଜସୂୟ ବିଧାନେ ॥୭
ତୋର ବିଭୂତି ଦେବଗଣେ । ପବିତ୍ର ପରମକାରଣେ ॥୮
ତାହାଙ୍କୁ ତୋର ପାଦଗତେ । ପୂଜିବି ମହାଯଜ୍ଞମତେ ॥୯
ଏଣୁ ମୋହର ମନଖେଦ । କର ତୁ ଏ ଯଜ୍ଞ ସମ୍ପାଦ ॥୧୦
ତୋର ଚରଣ ଅବିରତେ । ଯେ ପ୍ରାଣୀ ଚିନ୍ତେ ଶୁଦ୍ଧଚିତ୍ତେ ॥୧୧
ନିଶ୍ଚଳଚିତ୍ତେ କରି ଧ୍ୟାନ । ମୁଖେ ଗୁଣନ୍ତି ତୋର ନାମ ॥୧୨
ସେବନ୍ତି ଉପବାସ ବ୍ରତେ । ବେଦବଚନ ଶାସ୍ତ୍ରମତେ ॥୧୩
ସେ ତୋତେ କରନ୍ତି ପ୍ରଣାମ । ତୁ ଅପବର୍ଗର କାରଣ ॥୧୪
ତୁ ଦେବଦେବ ନରହରି । ଯେ ତୋର ପାଦେ ସେବାକରି ॥୧୫
ସେବାର ଫଳେ ଯେତେ ଲାଭ । ଉଭୟଲୋକ ଅନୁଭବ ॥୧୬
ଏ ସଭାଲୋକର ସମ୍ମୁଖେ । ତୁ ଏବେ ଦେଖାଅ ପ୍ରତ୍ୟକ୍ଷେ ॥୧୭
ଯେ ତୋତେ ଭଜେ ଦୃଢଚିତ୍ତେ । ଯେ ଅବା ନ ଭଜନ୍ତି ତୋତେ ॥୧୮
ଏ ବେନିଜନଙ୍କର ଗତି । ପ୍ରକାଶ କର ଦାଶରଥି ॥୧୯
କୁରୁ ସୃଞ୍ଜୟ ସଭା ମଧ୍ୟେ । ଏ ଲୋକେ ଦେଖନ୍ତୁ ଆନନ୍ଦେ ॥୨୦
ତୁ ଯେ ନିର୍ଗୁଣ ବ୍ରହ୍ମସାର । ମିତ୍ର ଅଇରି ନାହିଁ ତୋର ॥୨୧
ଏ ସର୍ବଭୂତେ ତୋର ବାସ । ଏଣୁ ବୋଲାଉ ସମଦୃଶ ॥୨୨
ସ୍ୱସୁଖ-ଅନୁଭବେ ପୂର୍ଣ୍ଣ । ସେବକେ ହେଉ ସୁରଦ୍ରୁମ ॥୨୩
ସେବାର ଅନୁରୂପେ ହିତ । ଏଣେ ତୋ ନାହିଁ ବିପରୀତ ॥୨୪
ଏମନ୍ତେ ଧର୍ମସୁତ ବାଣୀ । ଗୋବିନ୍ଦ ସଭାମଧ୍ୟେ ଶୁଣି ॥୨୫
ଅଳପ ହସି ଭାବଗ୍ରାହୀ । ବୋଲନ୍ତି ରାଜାମୁଖ ଚାହିଁ ॥୨୬
- ଭଗବାନ ଉବାଚ
ଶୁଣ ହୋ ଶତ୍ରୁ-କରଷଣ । ଏ ତୋର ଉତ୍ତମ ପ୍ରମାଣ ॥୨୭
ତୋହର ପୁଣ୍ୟଯଶ-ବାଣୀ । ତିନିଭୁବନଲୋକେ ଶୁଣି ॥୨୮
କଲ୍ୟାଣବାଣୀ ରାତ୍ରି ଅନ୍ତେ । ସୁଜନେ ସୁମରିବେ ନିତ୍ୟେ ॥୨୯
ଶୁଣ ଏ ଯଜ୍ଞର ମହିମା । ଅଧିକେ କି ଦେବା ଉପମା ॥୩୦
ଋଷି ଦେବତା ପିତୃଗଣ । ଏ ପୁଣ୍ୟ ଯଜ୍ଞରେ ତର୍ପଣ ॥୩୧
ସୁହୃଦ ଆଦି ଯେତେ ଜନ୍ତୁ । ଏଣେ ତାହାଙ୍କ ସୁଖ ହେତୁ ॥୩୨
ସମରେ ସର୍ବନୃପ ଜିଣି । ତୁ ବଶ କର ଏ ଧରଣୀ ॥୩୩
ସର୍ବସମ୍ଭାରେ ନୃପବର । ସୁଖେ ତୁ ମହାଯଜ୍ଞ କର ॥୩୪
ଏ ଯେ ତୋହର ଚାରିଭ୍ରାତ । ଦିଗପାଳଙ୍କ ଅଂଶେ ଜାତ ॥୩୫
ମୁହିଁ ଦୁର୍ଜୟ ସୁରାସୁରେ । ଭାବେ ଖଟଇ ତୋ ପୟରେ ॥୩୬
ଏବେ ହୋ ଶୁଣ ତୁ ରାଜନ । ମୋର ସେବକ ଯେତେ ଜନ ॥୩୭
ତାହାଙ୍କୁ ଇହପରଲୋକେ । ଥୋଇଣ ଥାଇ ନାନାସୁଖେ ॥୩୮
ତେଜ ଶଉର୍ଯ୍ୟ ଯଶ ଶିରୀ । ନାନାବିଭୂତି ଆଦି କରି ॥୩୯
କେହି ନ ପାରେ ତାଙ୍କୁ ଜିଣି । ମୋର ଶରଣ ଯେତେ ପ୍ରାଣୀ ॥୪୦
ଦେବେ ନ ପୀଡ଼ନ୍ତି ଯାହାକୁ । କି ଭୟ ମନୁଷ୍ୟ ରାଜାକୁ ॥୪୧
ଭାବେ କହନ୍ତି ବ୍ୟାସସୁତ । ଶୁଣ ସୁମନେ ପରୀକ୍ଷିତ ॥୪୨
ଏମନ୍ତେ କୃଷ୍ଣବାଣୀ ଶୁଣି । ଆନନ୍ଦମନେ ନୃପମଣି ॥୪୩
ଚାରିଦିଗକୁ ଚାରିଭାଇ । ପେଷିଲେ କୃଷ୍ଣଆଜ୍ଞା ପାଇ ॥୪୪
ତକ୍ଷଣେ ବିଷ୍ଣୁ ତେଜରାଶି । ବେଗେ ତାହାଙ୍କ ଦେହେ ପଶି ॥୪୫
ଦିଶନ୍ତି ବିଷ୍ଣୁତେଜକାନ୍ତି । ଏବେ ହୋ ଶୁଣ ନରପତି ॥୪୬
ଦକ୍ଷିଣ ଦିଗେ ସହଦେବ । ତକ୍ଷଣେ ପେଷିଲେ ମାଧବ ॥୪୭
ସୃଞ୍ଜୟବଳ ସଙ୍ଗେ ଦେଇ । ବୋଲନ୍ତି ନକୁଳକୁ ଚାହିଁ ॥୪୮
ପଶ୍ଚିମ ଦିଗେ ତୁମ୍ଭେ ଚଳ । ସଙ୍ଗେ ଘେନିଣ ମତ୍ସ୍ୟବଳ ॥୪୯
ଅର୍ଜୁନମୁଖ ଚାହିଁ ହରି । ବୋଲନ୍ତି କରେ କର ଧରି ॥୫୦
ଉତ୍ତରଦିଗେ ଯାଅ ତୁହି । ମୋହର ନିଜ ଭାବ ବହି ॥୫୧
କୈକୟବଳ ସଙ୍ଗେ ଘେନ । ଆନନ୍ଦେ ଚଳ ହେ ଅର୍ଜ୍ଜୁନ ॥୫୨
ପୁଣି ଅନାଇଁ ବୃକୋଦର । ବୋଇଲେ ବ୍ରହ୍ମାଣ୍ତଠାକୁର ॥୫୩
ମଦ୍ର ରାଜନବଳ ସଙ୍ଗେ । ଭୀମ ତୁ ଯାଅ ପୂର୍ବଦିଗେ ॥୫୪
ବୋଲନ୍ତି ପ୍ରଭୁ ନାରାୟଣ । ରାଜାଙ୍କୁ କରି ନିମନ୍ତ୍ରଣ ॥୫୫
ବହନ ଆଣ ଚାରିଭାଇ । ଯଜ୍ଞସମ୍ଭାର ସଙ୍ଗେ ଲଇ ॥୫୬
ଗୋବିନ୍ଦ ଆଜ୍ଞା ପରମାଣେ । ଗଲେ ସେ ରାଜା ନିମନ୍ତ୍ରଣେ ॥୫୭
ବୋଲନ୍ତି ବ୍ୟାସଙ୍କ ନନ୍ଦନ । ଶୁଣ ହୋ ପରୀକ୍ଷ ରାଜନ ॥୫୮
ରାଜାଙ୍କୁ ବିଷ୍ଣୁତେଜେ ଜିଣି । ଧନସମ୍ପଦ ବେଗେ ଆଣି ॥୫୯
ଧର୍ମନନ୍ଦନ ପାଶେ ଦେଲେ । କୃଷ୍ଣର ଛାମୁରେ କହିଲେ ॥୬୦
ଭୋ ନାଥ ଶୁଣିମା ଗୋବିନ୍ଦ । ଘୋର ଦୁର୍ଜୟ ଜରାସନ୍ଧ ॥୬୧
ତାହାକୁ ନ ପାରିଲୁ ଜିଣି । ଶୁଣି ହସନ୍ତି ଚକ୍ରପାଣି ॥୬୨
ଦ୍ୱାରକାପୁରେ କଲୁ ବାସ । ସେ ଦୈତ୍ୟ ନୋହିଲା ବିନାଶ ॥୬୩
ସବୁ ନୃପତି ବନ୍ଦୀ କରି । ତୁ କି ନ ଜାଣୁ ଚକ୍ରଧାରୀ ॥୬୪
ତୋର ବୁଦ୍ଧିରେ ନାଶ ଯିବ । ତେବେ ସେ ମୋ ଯଜ୍ଞ ହୋଇବ ॥ ୬୫
ଶୁଣି ବୋଲନ୍ତି ଚକ୍ରପାଣି । ଏ କଥା ମୁହିଁ ଅଛି ଜାଣି ॥୬୬
ସେ ବନ୍ଦୀ ନୃପତିଙ୍କ ଚାର । କହିଲା ମୋହର ଆଗର ॥୬୭
ଅବଶ୍ୟ ତାକୁ ସଂହାରିବି । ବନ୍ଦୀନୃପତି ଉଦ୍ଧରିବି ॥୬୮
ରାଜାଏ କରୁ ମନେ ଧ୍ୟାନ । ତକ୍ଷଣେ ଜାଣି ଜନାର୍ଦ୍ଦନ ॥୬୯
ଉଦ୍ଧବ ବାକ୍ୟ ସୁମରଣ । କରି ଉଠିଲେ ନାରାୟଣ ॥୭୦
ଭୀମ ଅର୍ଜୁନ ତୁଲେ ହରି । ତକ୍ଷଣେ ବିପ୍ରରୂପ ଧରି ॥୭୧
ମିଳିଲେ ଯାଇ ଗିରିବରେ । ଦୁର୍ଗମ ଜରାସନ୍ଧପୁରେ ॥୭୨
ଅତିଥିବେଶେ ତାର ଦ୍ୱାରେ । ମିଳିଲେ ଭିକ୍ଷୁକ ବେଭାରେ ॥୭୩
ଗୃହସ୍ଥଧର୍ମ ଭିକ୍ଷୁପୂଜା । ବ୍ରହ୍ମଣ୍ୟ ଜରାସନ୍ଧ ରାଜା ॥୭୪
ଦ୍ୱର ସମୀପେ ଭଗବାନ । ସୁସ୍ୱରେ କଲେ ସାମଗାନ ॥୭୫
କ୍ଷତ୍ରିୟକୁଳେ ଜାତ ହୋଇ । ଛଦ୍ମେ ବ୍ରାହ୍ମଣ ରୂପ ବହି ॥୭୬
କୃଷ୍ଣର ବେଦନାଦ ଶୁଣି । ମନେ ବିଚାରେ ନୃପମଣି ॥୭୭
ଏତ ଅପୂର୍ବ ବିପ୍ରବର । ମିଳିଲେ ମୋହର ନବର ॥୭୮
ଆଜ ଜୀବନ ମୋର ଧନ୍ୟ । ଉତ୍ତମ ବିପ୍ରେ ଦେବି ଦାନ ॥୭୯
ଏମନ୍ତ ମନେ ବିଚାରିଲା । କୃଷ୍ଣର ନିକଟେ ମିଳିଲା ॥୮୦
ତାର ବଦନ ଚାହିଁ ହରି । କହନ୍ତି ଅଞ୍ଜଳି ପ୍ରସାରି ॥୮୧
ଶୁଣ ଧାର୍ମିକ ନୃପବର । ଅନେକ ଦୂରେ ଆମ୍ଭ ଘର ॥୮୨
ତୋର ମହିମା ଶୁଣି କର୍ଣ୍ଣେ । ଆମ୍ଭେ ଅଇଲୁ ପଥଶ୍ରମେ ॥୮୩
ତୋର କୁଶଳ ହେଉ ସୁଖେ । ଯାହା ମାଗିବୁ ଆମ୍ଭେ ମୁଖେ ॥୮୪
ସନ୍ତୋଷେ ଦେବୁ ନୃପବର । ଏ ଧର୍ମେ ବିଳମ୍ବ ନ କର ॥୮୫
ତୁ ପୁଣ୍ୟବନ୍ତ ଶିରୋମଣି । ଆମ୍ଭେ ଅଇଲୁ ଯଶ ଶୁଣି ॥୮୬
ସଂସାର ଦୁଃଖର କାରଣ । ତିତିକ୍ଷୁ ବୋଲାନ୍ତି ଯେ ଜନ ॥୮୭
ତାର ସଦୃଶ ନାହିଁ କେହି । ଦୁର୍ଲ୍ଲଭ ମାଗିଲେ ସେ ନେଇ ॥୮୮
ଅସାଧୁ ବୁଦ୍ଧି ଯେତେ ନର । କିବା ଅକାର୍ଯ୍ୟ ତାହାଙ୍କର ॥୮୯
ଜାଣି ନ ଜାଣି ସୁଖଲାଭେ । କର୍ମ କରନ୍ତି ପଶୁ ଭାବେ ॥୯୦
ବିପାକେ ଫଳ ବିପରୀତ । ବୋଲନ୍ତି ପ୍ରଭୁ ଜଗନ୍ନାଥ ॥୯୧
ନିର୍ମଳଜ୍ଞାନ ଯାର ଦେହୀ । ଅଦେୟ ବସ୍ତୁ ତାର ନାହିଁ ॥୯୨
ପ୍ରାଣୀର ହିତେ ସର୍ବ ଦେଇ । ତାହାକୁ ବୋଲି ପୁଣ୍ୟଦେହୀ ॥୯୩
ସମଦରଶୀ ଚିତ୍ତ ଯାର । ମିତ୍ର ଅଇରି ନାହିଁ ତାର ॥୯୪
ଯେ ପ୍ରାଣୀ ଅନିତ୍ୟ ଶରୀରେ । ନିର୍ମଳଯଶ ଏ ସଂସାରେ ॥୯୫
ପୁଣ୍ୟପୁରୁଷେ ଯାହା ଗାଇ । ତାହା ନ ସଞ୍ଚେ ଦେହ ବହି ॥୯୬
ନିଷ୍ଫଳ ତାହାର ଜୀବନ । ନିନ୍ଦା କରନ୍ତି ସର୍ବଜନ ॥୯୭
ତା ସୁଖ ନାହିଁ ବେନିଲୋକେ । ଜୀବନ ବହେ ଦୁଃଖଶୋକେ ॥୯୮
ପୁଣ୍ୟପୁରୁଷ ପୂର୍ବକାଳେ । ଥିଲେ ଯେ ଏ ମହୀମଣ୍ତଳେ ॥୯୯
ଯେ ହରିଶ୍ଚନ୍ଦ୍ର ମହୀପତି । ଯେ ରନ୍ତିଦେବ ଉଞ୍ଚବୃତ୍ତି ॥୧୦୦
ଶିବିରାଜନ ଭାଗ୍ୟବନ୍ତ । ବଳି ଯେ ବିରୋଚନସୁତ ॥୧୦୧
ବ୍ୟାଧକପୋତ ଆଦି ଯେତେ । ଅଧ୍ରୁବ ଦେହେ ଧ୍ରୁବପଥେ ॥୧୦୨
ଗମିଲେ ପୁଣ୍ୟଫଳେ ସୁଖେ । ଯଶ ରହିଲା ତିନିଲୋକେ ॥୧୦୩
- ଶୁକ ଉବାଚ
ଏମନ୍ତେ କୃଷ୍ଣବାଣୀ ଶୁଣି । ବିପ୍ରଙ୍କୁ ଚାହିଁ ନୃପମଣି ॥୧୦୪
ସ୍ୱର ଆକୃତି ପରିମାଣେ । ହସ୍ତକର୍କଶ ଧନୁଗୁଣେ ॥୧୦୫
ଦେଖି କରଇ ବିଚାରଣ । ନିଶ୍ଚେ ଏ ନୁହଁଇ ବ୍ରାହ୍ମଣ ॥୧୦୬
ପୂର୍ବେ ଏହାଙ୍କୁ ଅଛି ଦେଖି । ଏମନ୍ତ ମନେ ଉପଲକ୍ଷ୍ୟି ॥୧୦୭
ପୁଣି ବିଚାରେ ଶୁଦ୍ଧଚିତ୍ତେ । ଅତିଥି ଲଘିଂବି କେମନ୍ତେ ॥୧୦୮
ବ୍ରାହ୍ମଣ ରୂପେ ହୋଇ ଛନ୍ନ । ଯେବେ କ୍ଷତ୍ରିୟ ମାଗେଦାନ ॥୧୦୯
ଏହାକୁ ନାହିଁ ମୋର ଭୀତି । ମୋହର ଦ୍ୱାରେ ଏ ଅତିଥି ॥୧୧୦
ଏହାଙ୍କୁ ନିଶ୍ଚେ ଦେବି ଦାନ । ଯେବେ ମାଗିବେ ମୋ ଜୀବନ ॥୧୧୧
ବଳି ରାଜାର ଯଜ୍ଞକାଳେ । ବିଷ୍ଣୁ ମିଳିଲେ ବିପ୍ରଛଳେ ॥୧୧୨
ତିନିଚରଣେ ମହୀ ଦେଲା । ତା ଯଶ ସଂସାରେ ରହିଲା ॥ ୧୧୩
ବିଷ୍ଣୁ ନାଶିଲେ ତାର ଦୁଃଖ । ଭୁଞ୍ଜେ ଅଛିଦ୍ର ନିତ୍ୟସୁଖ ॥ ୧୧୪
ମନ୍ତ୍ରୀବଚନ ନ ଶୁଣିଲା । ଯେଣୁ ତା ପୂର୍ବଭାଗ୍ୟ ଥିଲା ॥ ୧୧୫
କ୍ଷତ୍ରିୟକୁଳେ ଜାତ ହୋଇ । ବ୍ରାହ୍ମଣହିତ ଯେ ନ ବହି ॥ ୧୧୬
ଧନ ଜୀବନ ଧିକ ତାର । ନିର୍ମଳ ଯଶ ନାହିଁ ଯାର ॥ ୧୧୭
ଏମନ୍ତ କରି ଅନୁମାନ । ବିପ୍ରଙ୍କୁ ବୋଲଇ ବଚନ ॥ ୧୧୮
ଭୋ ବିପ୍ରବରେ ମାଗ ଦାନ । ଦେବଇଁ ସତ୍ୟ ମୋ ବଚନ ॥ ୧୧୯
ଏ ଧର୍ମେ ବିଳମ୍ବ ନ କର । ମାଗିଲେ ଦେବି ଆଜ ଶିର ॥ ୧୨୦
ଶୁଣି ତାହାର ସତ୍ୟବାଣୀ । ବୋଲନ୍ତି ପ୍ରଭୁ ଚକ୍ରପାଣି ॥ ୧୨୧
ତୁ ପୁଣ୍ୟବନ୍ତ ନୃପମଣି । ଆମ୍ଭେ ତୋହର ଯଶ ଶୁଣି ॥ ୧୨୨
ଅଇଲୁ ଦୁଃଖ ଦୁରପଥ । ଯେଣୁ ତୁ ପୁରୁଷ ମହତ ॥ ୧୨୩
ଆମ୍ଭଙ୍କୁ ଯୁଦ୍ଧ ଦିଅ ଦାନ । ଆନରେ ନାହିଁ ପ୍ରୟୋଜନ ॥ ୧୨୪
ଶସ୍ତ୍ରସମରେ ନାହିଁ ସଧ । ଆମ୍ଭଙ୍କୁ ଦିଅ ବାହୁଯୁଦ୍ଧ ॥ ୧୨୫
ଯେବେ ତୋ ଇଷ୍ଟଧର୍ମ ସତ୍ୟ । ଆମ୍ଭେ କହିବୁ ଶୁଣ ତତ୍ତ୍ୱ ॥ ୧୨୬
କ୍ଷତ୍ରିୟ ଜନ୍ମ ଆମ୍ଭେ ତିନି । ଏବେ ତୁ ନ ପାରିଲୁ ଚିହ୍ନି ॥ ୧୨୭
ତା ଶୁଣି ଚକିତେ ରାଜନ । ଚାହିଁ କରଇ ଅନୁମାନ ॥ ୧୨୮
କି ଏ ଗନ୍ଧର୍ବ ବିଦ୍ୟାଧର । ମନୁଷ୍ୟ ରାକ୍ଷସ କିନ୍ନର ॥ ୧୨୯
ବ୍ରାହ୍ମଣ କାହିଁ ଏତେ ତେଜ । କର୍କଶ ଧନୁର୍ଗୁଣେ ଭୁଜ ॥ ୧୩୦
ନିଶ୍ଚେ କ୍ଷତ୍ରିୟ ତିନିଜଣ । ପୁଣି କହନ୍ତି ନାରାୟଣ ॥ ୧୩୧
ଦେଖ ଏ ବୀର ବୃକୋଦର । ବାମେଟି ଅଜୁନ ଏହାର ॥ ୧୩୨
ଏହାଙ୍କ ମାତୁଳଜ ଭ୍ରାତ । ମୁଁ କୃଷ୍ଣ ବସୁେଦେବସୁତ ॥ ୧୩୩
ମୁଁ ତୋର ରିପୁ ମହାବଳ । ଜିଣିଲି ସପ୍ତଦଶବେଳ ॥ ୧୩୪
ବେଳେ ଜିଣିଲୁ ବଳେ ତୁହି । ତା ଶୁଣି କୃଷ୍ଣ ମୁଖ ଚାହିଁ ॥ ୧୩୫
ଉଚ୍ଚେ ହସିଲା ଜରାସନ୍ଧ । ବୋଲଇ ତୁରେ ବଡ଼ ମନ୍ଦ ॥ ୧୩୬
କୋପେ ବୋଲଇ କୃଷ୍ଣେ ଚାହିଁ । ସତ୍ୟ ଯେ କରିଅଛି ମୁହିଁ ॥ ୧୩୭
ସଂଗ୍ରାମ ମୋହର ଉଚିତ । ତୁ ପୁଣି ସଂଗ୍ରାମେ ନିସତ ॥ ୧୩୮
ପଳାଇ ଗଲୁ ମୋର ଭୟେ । ଏବେ ଭଣ୍ତିଲୁ କୁଟଯମୋହେ ॥ ୧୩୯
ମଥୁରା ଛାଡି ଜଳେ ପଶି । ଏବେ ଛଳିଲୁ ମୋତେ ଆସି ॥ ୧୪୦
ସମୁଦ୍ରେ ପଶିଲୁ ଶରଣ । ତୋହର ତୁଲେ କାହିଁ ରାଣ ॥ ୧୪୧
ଏ ଯେ ଅର୍ଜୁନ ସଖା ତୋର । ତୁଲ୍ୟ ବୟସ ନୋହେ ମୋର ॥ ୧୪୨
ଏହାର ଦେହେ ନାହିଁ ବଳ । ଏ କାହିଁ ହେବ ମୋର ତୁଲ ॥ ୧୪୩
ମୋହର ତୁଲ୍ୟ ବଳୀ ଭୀମ । ସେ ଜାଣେ ବାହୁଯୁଦ୍ଧ ଧର୍ମ ॥ ୧୪୪
ଏମନ୍ତ ବୋଲି କୋପଭରେ । ବେଗେ ମିଳିଲା ନିଜପୁରେ ॥ ୧୪୫
ବୁଲାଇ ବେନିଗଦା ହସ୍ତେ । ମିଳିଲା କୃଷ୍ଣର ଅଗ୍ରତେ ॥ ୧୪୬
ଗଦାଏ ଭୀମହସ୍ତେ ଦେଲା । ସମର କର ତୁ ବୋଇଲା ॥ ୧୪୭
ଆପଣେ ଗଦା ହସ୍ତେ ଧରି । ରଣେ ପଶିଲା ଆଗସରି ॥ ୧୪୮
ସମରେ ଭୀମ-ଜରାସନ୍ଧ । ଶୂନ୍ୟେ ଦେଖନ୍ତି ଦେବବୃନ୍ଦ ॥ ୧୪୯
ଅନ୍ତରେ ନିଜ ଛଳ ଆଞ୍ଚି । ଗଦାସମରେ ପଞ୍ଚାପଞ୍ଚି ॥ ୧୫୦
ରଣେ ଦୁର୍ମଦ ବେନିବୀର । ଘୂରାଇ କରନ୍ତି ପ୍ରହାର ॥ ୧୫୧
ଶବଦ ଯେହ୍ନେ ଘଡଘଡି । ଶୁଭଇ ବେନିଦେହେ ପଡି ॥ ୧୫୨
ବାମ ଦକ୍ଷିଣେ ଗଦା ଚାଳି । କୋପେ ପିଟନ୍ତି ଭୁଜତୋଳି ॥ ୧୫୩
ସମରେ ମତ୍ତଗଜ ପ୍ରାୟେ । ଗଦା ପିଟନ୍ତି ବେନି ଦେହେ ॥ ୧୫୪
ଶୁଭଇ ଘଡଘଡି ନାଦ । ଗଜେ ଯେସନେ ଗଜଯୁଦ୍ଧ ॥ ୧୫୫
ବଜ୍ରଶବଦେ ଦିଗ ପୁରେ । ମାଗଧ ଭୀମର ସମରେ ॥ ୧୫୬
ଏମନ୍ତେ ବେନି ଗଦା ତୋଳି । ଅନ୍ୟୋନ୍ୟେ ପ୍ରହାରନ୍ତି ବଳୀ ॥ ୧୫୭
ପିଟନ୍ତି ଭୁଜଯୁଗେ ବେଗେ । ଗଦାଏ ବାଜି ତାଙ୍କ ଅଙ୍ଗେ ॥ ୧୫୮
କଟୀ ଜଘନ ଊର କନ୍ଧେ । ବଜ୍ରଶବଦ ଘୋରନାଦେ ॥ ୧୫୯
ଭାଜି ପଡିଲେ ଗଦାତଳେ । ହସ୍ତୀ ସଂଗ୍ରାମେ ଯେହ୍ନେ ଡାଳେ ॥ ୧୬୦
ସେ ବେନିଗଦା ଯହୁଁ ଗଲା । ଅନେକ କୋପ ଉପୁଜିଲା ॥ ୧୬୧
ମୁଷ୍ଟି ଉଞ୍ଚାଇ ମହାକୋପେ । ପ୍ରହାର କଲେ ଆପେ ଆପେ ॥ ୧୬୨
ଶୁଭଇ ବଜ୍ର ଘଡଘଡି । ପୁଣି ପ୍ରହାରେ ଆଗ ବଢି ॥ ୧୬୩
ଏମନ୍ତେ ବଢିଲା ସଂଗ୍ରାମ । ଦଇବ ବେନିବୀରେ ସମ ॥ ୧୬୪
ନିରତେ ସମର ବଢିଲା । ସପତବିଂଶ ଦିନ ଗଲା ॥ ୧୬୫
ଏମନ୍ତେ ରଜନୀ ପ୍ରବେଶେ । କୃଷ୍ଣ ଯେ ଥିଲେ ଭୀମ ପାଶେ ॥ ୧୬୬
କୃଷ୍ଣବଦନ ଭୀମ ଚାହିଁ । କହିଲା ଆଙ୍ଗୁଳି ଦେଖାଇ ॥ ୧୬୭
ଏହାକୁ ନ ପାରିବି ମୁହିଁ । ଉପାୟ ଥିଲେ କହ ତୁହି ॥ ୧୬୮
ଭୀମ ବଚନେ ନାରାୟଣ । ଚିନ୍ତିଲେ ଜରାର ମରଣ ॥ ୧୬୯
ଜରାରାକ୍ଷସୀ ଜନ୍ମକାଳେ । ସନ୍ଧାନ କଲା ବେନିଫାଳେ ॥ ୧୭୦
ବୋଇଲା ହୁଅ ତୁ ଅକ୍ଷୟ । କେ ଜାଣିପାରେ ଏ ଉପାୟ ॥ ୧୭୧
ତୋତେ କରିବ ବେନିଫାଳ । ଖଣ୍ତେ କ୍ଷେପିବ ଅନ୍ତରାଳ ॥ ୧୭୨
ଖଣ୍ତେ ପଡିବ ସିନ୍ଧୁଜଳେ । ଦହିବ ବଡବା ଅନଳେ ॥ ୧୭୩
ତେବେ ସେ ତୋହର ମରଣ । ଏ କଥା ଜାଣି ନାରାୟଣ ॥ ୧୭୪
ଭୀମ ଶରୀରେ ନରହରି । ତକ୍ଷଣେ ନିଜ ତେଜ ଭରି ॥ ୧୭୫
ନିର୍ଭୟ କଲେ ତାର ମନ । ଘୋର ଶବଦେ ଭୀମସେନ ॥ ୧୭୬
ଚାହିଁଲା କୃଷ୍ଣର ବଦନ । ତକ୍ଷଣେ ପ୍ରଭୁ ଭଗବାନ ॥ ୧୭୭
ଶତ୍ରୁର ମରଣ ଉପାୟ । ତୃଣ ଉପାଡି ଦେବରାୟ ॥ ୧୭୮
ଭୀମେ ଦେଖାଇ ନରହରି । ଚିରିଲେ ବେନିଫାଳ କରି ॥ ୧୭୯
ତକ୍ଷଣେ ଚାହିଁ ବୃକୋଦର । ଶବଦ କଲା ମହାଘୋର ॥ ୧୮୦
ଉତ୍ତାନେ ପଡିଥିଲା ଭୀମ । ଦେହେ ବସିଲା ଗରୁତମ ॥ ୧୮୧
ଜରାକୁ ପକାଇଲା ତଳେ । ତକ୍ଷଣେ ଉଠି ମହାବଳେ ॥ ୧୮୨
ବିଷ୍ଣୁର ତେଜେ ଘୋରନାଦ । କରି ଧଇଲା ବେନି ପାଦ ॥ ୧୮୩
ଆକର୍ଷି ପାଦେ ପାଦ ମୋଡି । ଆର ଚରଣ ହସ୍ତେ ତାଡି ॥ ୧୮୪
ଦେଖନ୍ତି ପ୍ରଭୁ ଦାମୋଦର । ବେଗେ ଫାଟିଲା ମଳଦ୍ୱାର ॥ ୧୮୫
ହୁଙ୍କାରନାଦେ ମହାବଳ । ତକ୍ଷଣେ କଲା ବେନିଫାଳ ॥ ୧୮୬
ଦେବେ ତା ଦେଖନ୍ତି ପ୍ରତ୍ୟକ୍ଷେ । ଖଣ୍ତେ ଫିଙ୍ଗିଲା ଅନ୍ତରୀକ୍ଷେ ॥ ୧୮୭
ଆର ଖଣ୍ତକ ଭୂମିଗତେ । ପଡିଲା କୃଷ୍ଣର ଅଗ୍ରତେ ॥ ୧୮୮
ଗଜ ଯେସନେ ବୃକ୍ଷଡାଳ । ଲୀଳାଏ କରେ ବେନିଫାଳ ॥ ୧୮୯
ଏକଇ ଚରଣ ବୃଷଣ । ଜଘନ କଟୀ ପୃଷ୍ଠ ସ୍ତନ ॥ ୧୯୦
ଏକଇ ଭୁଜ ଅଂଶ ଧରି । ଯେହ୍ନେ କରତେ କାଷ୍ଠ ଚିରି ॥ ୧୯୧
ଏକଇ ନାସାପୁଟ କର୍ଣ୍ଣ । ଚକ୍ଷୁ କପୋଳ ଦେଖି ଜନ ॥ ୧୯୨
ଶୁଭଇ ହାହାକାର ବାଣୀ । ଭୀମ ଉଠିଲା ଶିରଝୁଣି ॥ ୧୯୩
ଜରାସନ୍ଧର ପାଦ ଧରି । ବୁଲାଇ ଅନ୍ତରାଳ କରି ॥ ୧୯୪
ବଡବାନଳେ ପକାଇଲା । ଏମନ୍ତେ ଶତ୍ରୁ ନାଶ ଗଲା ॥ ୧୯୫
ତକ୍ଷଣେ ପାର୍ଥ ଜଗନ୍ନାଥ । ଧଇଲେ ବୃକୋଦର ହସ୍ତ ॥ ୧୯୬
ଜୟ ଶବଦେ ନରହରି । ଭୀମକୁ ଆଲିଙ୍ଗନ କରି ॥ ୧୯୭
ଜରାସନ୍ଧର ପୁତ୍ରେ ଆଣି । ନୃପ ଆସନେ ଚକ୍ରପାଣି ॥ ୧୯୮
ବସାଇ ନିଜ ଜନ ମଧ୍ୟେ । କୃଷ୍ଣ ସଞ୍ଚିଲେ ରାଜପଦେ ॥ ୧୯୯
ବନ୍ଧନେ ଯେତେକ ନୃପତି । ତାହାଙ୍କୁ ସୁମରି ଶ୍ରୀପତି ॥ ୨୦୦
ପର୍ବତକ୍ରୋଟ ମଧ୍ୟଗତେ । ଗୋବିନ୍ଦ ଗଲେ ପାଦଗତେ ॥ ୨୦୧
ସେ ହରିଚରଣେ ବିଶ୍ୱାସ । ଶରଣେ ଜଗନ୍ନାଥ ଦାସ ॥ ୨୦୨
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ଉତ୍ତରାର୍ଦ୍ଧେ ଜରାସନ୍ଧ ବଧୋ ନାମ
ସପ୍ତସପ୍ତତିତମ ଅଧ୍ୟାୟଃ ॥
ଅଷ୍ଟସପ୍ତତିତମ ଅଧ୍ୟାୟ
[ସମ୍ପାଦନା]- ଶୁକ ଉବାଚ
ଶୁକ ବୋଲନ୍ତି ରାୟେ ଶୁଣ । ରିପୁ ସଂହାରି ନାରାୟଣ ॥ ୧
ଗିରିକନ୍ଦରେ ବନମାଳୀ । ରାଜା ନିରୋଧସ୍ଥାନେ ମିଳି ॥ ୨
ଜରା-ବନ୍ଧନ ଦୁଃଖ ସହି । ଯେତେ ନୃପ୍ତି ଥିଲେ ତହିଁ ॥ ୩
ଶୁଣ ହେ ଅଭିମନ୍ୟୁ ସୁତ । ବେନିଅୟୁତ ଅଷ୍ଟଶତ ॥ ୪
ଦିଗବିଜୟେ ଜରାସୁର । ଲୀଳାଏ ଜିଣି ନୃପବର ॥ ୫
ବନ୍ଧନ କରିଅଛି ବଳେ । ସର୍ବନୃପତି ଏକମେଳେ ॥ ୬
ମଳିନ ବସ୍ତ୍ର ପରିଧାନେ । କ୍ଷୁଧାର୍ତ୍ତେ ଦୁଃଖିତ ବଦନ ॥ ୭
ତୃଷାରେ କମ୍ପଇ ଶରୀର । ବନ୍ଦୀଭୂବନ ଅନ୍ଧକାର ॥ ୮
ଦ୍ୱାରକୁ ଚାହାନ୍ତି ନିରୋଳି । ବିଜୟ କଲେ ବନମାଳୀ ॥ ୯
ପୂର୍ବ ପର୍ବତେ ରବି ଯେହ୍ନେ । କିରଣ ପ୍ରକାଶେ ଗଗନେ ॥ ୧୦
ଶରୀର ଶ୍ୟାମଘନ ପ୍ରାୟେ । ପୀତବସନ ଜନ ମୋହେ ॥ ୧୧
ଶ୍ରୀବତ୍ସ ଚିହ୍ନ ହୃଦେ ସାଜେ । ରତ୍ନମେଖଳା କଟୀ ମାଝେ ॥ ୧୨
ଆଜାନୁଲମ୍ବେ ଚାରି କର । ଶଙ୍ଖ କମଳ ଚକ୍ରଧର ॥ ୧୩
ପଦ୍ମର ପ୍ରଭା ପ୍ରାୟ ହୋଇ । ରଙ୍ଗନୟନ ବିରାଜଇ ॥ ୧୪
ସୁନ୍ଦର ଶ୍ରୀମୁଖ ମଣ୍ତଳ । ଶ୍ରବଣେ ମକରକୁଣ୍ତଳ ॥ ୧୫
ହାର କିରୀଟ ରତ୍ନମୟେ । କରେ କଙ୍କଣ ଜନ ମୋହେ ॥ ୧୬
କଣ୍ଠେ ବିରାଜେ ରତ୍ନମଣି । ରବି କିରଣ ପ୍ରାୟ ଜାଣି ॥ ୧୭
ହୃଦେ ଲମ୍ବଇ ବନମାଳ । ମଦନମୋହନ ଗୋପାଳ ॥ ୧୮
ଦେଖି ସକଳ ନୃପମଣି । ଅମୃତନିଧି ପ୍ରାୟ ମଣି ॥ ୧୯
ପିଇବା ପ୍ରାୟ ଚକ୍ଷୁଦ୍ୱାରେ । କି ଅବା ଲିହିବେ ଜିହ୍ୱାରେ ॥ ୨୦
ଆଘ୍ରାଣ କରି ନାସାରନ୍ଧ୍ରେ । ହୃଦେ ଭିଡିବେ ବାହୁବନ୍ଧେ ॥ ୨୧
ଏମନ୍ତ ଭାବେ ନୃପବରେ । ନମିଲେ ଶ୍ରୀକୃଷ୍ଣ ପୟରେ ॥ ୨୨
କିରୀଟ ସହିତରେ କରି । ପ୍ରଣାମ କଲେ ପାଦ ଧରି ॥ ୨୩
ଲଭିଲେ କୃଷ୍ଣ ଦରଶନ । ହତ ହୋଇଲା ଦୁଃଖ ଶ୍ରମ ॥ ୨୪
କରଅଞ୍ଜଳି ଶିରେ ଦେଇ । ବୋଲନ୍ତି କୃଷ୍ଣ ତ୍ରାହି ତ୍ରାହି ॥ ୨୫
ନମସ୍ତେ ଦେବଦେବବର । ପ୍ରପନ୍ନଜନ ଦୁଃଖହର ॥ ୨୬
ଅବ୍ୟୟପୁରୁଷଉତ୍ତମ । ଶରଣଜନଙ୍କ ଜୀବନ ॥ ୨୭
ଘୋର ସଂସାରେ ଅଧୋମୁଖେ । ଆମ୍ଭେ ଭ୍ରମିଲୁ ଅତି ଦୁଃଖେ ॥ ୨୮
ଅନାଥନାଥ ତୋ ମହିମା । ଆମ୍ଭେ ନ ଜାଣୁ ଗୁଣସୀମା ॥ ୨୯
ତୋହର ଗତି ଚକ୍ରଧର । ନ ଜାଣେ ଶିବ ବେଦବର ॥ ୩୦
ଏଣୁରୁ ଦୁର୍ଲ୍ଲଭ ସଂସାରେ । ଶୁଣ କହିବୁ ତୋ ଛାମୁରେ ॥ ୩୧
ଏ ଯେ ମାଗଧ ଜରାସନ୍ଧ । ଏହାକୁ ନ ବୋଲିବା ମନ୍ଦ ॥ ୩୨
ତୋହର ଅନୁଗ୍ରହେ ହରି । ଆମ୍ଭଙ୍କୁ ବଳେ ବନ୍ଦୀ କରି ॥ ୩୩
ଥୋଇଲା ଧରି ଏ ପର୍ବତେ । ତୋ ମୁଖ ଦେଖିବାର ଅର୍ଥେ ॥ ୩୪
ଏ ଆମ୍ଭ ରାଜ୍ୟଭ୍ରଷ୍ଟ କଲା । ଯେଣୁ ତୋହର ଆଜ୍ଞା ଥିଲା ॥ ୩୫
ଯେ ରାଜମଦେ ମତ୍ତ ହୋଇ । ତାହାର ଶ୍ରେୟ ଲାଭ କାହିଁ ॥ ୩୬
ତୋର ମାୟାରେ ହୋଇ ରତ । ମିଥ୍ୟା ସମ୍ପଦ ମଣେ ସତ୍ୟ ॥ ୩୭
ଅଜ୍ଞାନମତେ ହୋଇ ଭୋଳ । ମୃଗତୃଷ୍ଣାକୁ ମଣେ ଜଳ ॥ ୩୮
ନିବିଡ ମାୟାର ବିକାରେ । ବସ୍ତୁ ବିଚାରେ ଅବସ୍ତୁରେ ॥ ୩୯
ଆମ୍ଭେ ସକଳେ ନୃପଦେହେ । ଶ୍ରୀମଦେ ନଷ୍ଟ ବୁଦ୍ଧି ମୋହେ ॥ ୪୦
ଏ ଭୂମି ଜିଣିବାର ଆଶେ । ଘୋରସଂକଟ ରଣ ତ୍ରାସେ ॥ ୪୧
ଏକ ଆରକେ ରିପୁପଣେ । ପ୍ରଜା ନାଶିଲୁ ଅକାରଣେ ॥ ୪୨
ଅତି ନିର୍ଦ୍ଦୟକର୍ମ କଲୁ । ତୋର ମହିମା ପାସୋରିଲୁ ॥ ୪୩
ନିକଟେ ନ ଦେଖି ମରଣ । ବୁଦ୍ଧି ଦୁର୍ମଦ କରଷଣ ॥ ୪୪
ତୁ ପୁଣି କାଳରୁପେ ହରି । ବଳେ ହରିଲୁ ଆମ୍ଭ ଶିରୀ ॥ ୪୫
ଯେଣୁ ତୋହର ଅନୁଗ୍ରହ । ଆମ୍ଭର ଗଲା ଦୁଃଖ ମୋହ ॥ ୪୬
ଏବେ ସୁମରି ତୋ ଶରଣେ । ପଶିଲୁ ଅଭୟ ଚରଣେ ॥ ୪୭
ଏ ମୃଗତୃଷ୍ଣା ପ୍ରାୟ ରାଜ୍ୟ । ଏଣେ ଆମ୍ଭର ନାହିଁ କାର୍ଯ୍ୟ ॥ ୪୮
ଏ ଛିଦ୍ର ଜଳଘଟ ପ୍ରାୟ । ନିତି ପତନ ଏହି କାୟ ॥ ୪୯
ସର୍ବରୋଗର ମୂଳଭୂମି । ସଦା ଅନିତ୍ୟେ ପଥଶ୍ରମୀ ॥ ୫୦
ଏଣେ ଆମ୍ଭର ନାହିଁ କାର୍ଯ୍ୟ । ଶୁଣିବା ପ୍ରଭୁ ଦେବରାଜ ॥ ୫୧
କର୍ମକରଣ ଯଜ୍ଞମେଳେ । କର୍ଣ୍ଣରୋଚନ କ୍ରିୟାଫଳେ ॥ ୫୨
ଏଣେ ଆମ୍ଭର କାର୍ଯ୍ୟ ନାହିଁ । ଏମନ୍ତ ଆଜ୍ଞା ଦିଅ ତୁହି ॥ ୫୩
ତୋ ପାଦପଦ୍ମେ ଅବିରତ । ନିରତେ ଥିବ ଆମ୍ଭ ଚିତ୍ତ ॥ ୫୪
ତୋର ସ୍ମରଣେ ଆମ୍ଭ ମନ । ଦଣ୍ତେ ନଛାଡୁ ଭଗବାନ ॥ ୫୫
ସଂସାର ଭ୍ରମଣ ଆମ୍ଭର । ବେଗେ ନିବାର ଚକ୍ରଧର ॥ ୫୬
ଶ୍ରୀକୃଷ୍ଣ ବାସୁଦେବ ହରି । ପରମ ଆତ୍ମା ତୁ ମୁରାରି ॥ ୫୭
ପ୍ରଣତଜନ କ୍ଳେଶ ହରି । ନମୋ ଗୋବିନ୍ଦ ଦାମୋଦର ॥ ୫୮
ଏମନ୍ତେ ପ୍ରଭୁ ଚକ୍ରପାଣି । ରାଜାଙ୍କ ସ୍ତୁତିବାକ୍ୟ ଶୁଣି ॥ ୫୯
ଶରଣ୍ୟ କରୁଣାସାଗର । କୋମଳବଚନ ଗଭୀର ॥ ୬୦
ରାଜାଙ୍କ ମୁଖ ଚାହିଁ ହସି । ବୋଲନ୍ତି ପ୍ରଭୁ ବ୍ରହ୍ମରାଶି ॥ ୬୧
ତୁମ୍ଭର ଚିତ୍ତ ସୁନିଶ୍ଚଳେ । ଆଜହୁଁ ମୋ ପାଦକମଳେ ॥ ୬୨
ହେଉ ବୋଇଲେ ଭଗବାନ । ଏ ମୋର ନିଶ୍ଚିତ ବଚନ ॥ ୬୩
ତୁମ୍ଭେ କହିଲେ ସତ୍ୟବାଣୀ । ମୁହିଁ ସନ୍ତୋଷ ତାହା ଶୁଣି ॥ ୬୪
ମନୁଷ୍ୟ ମଧ୍ୟେ ଥାଇ ଯେତେ । ସମ୍ପଦ ଅଇଶ୍ୱର୍ଯ୍ୟ ମତ୍ତେ ॥ ୬୫
ଗର୍ବ ଯେ ବହନ୍ତି ମନରେ । ନିଶ୍ଚେ ମୁଁ ନାଶଇ ତାହାରେ ॥ ୬୬
ସହସ୍ରାର୍ଜୁନ ନାମେ ରାଜା । ନୃପ ନହୁଷ ମହାତେଜା ॥ ୬୭
ଅଙ୍ଗନୃପତିସୁତ ବେଣ । ନାରକାସୁର ଦଶାନନ ॥ ୬୮
ଦେବ ଦାନବ କୁଳେ ଜାତ । ଥିଲେ ଯେ ଅଇଶ୍ୱର୍ଯ୍ୟ ମତ୍ତ ॥ ୬୯
ତାହାଙ୍କୁ କଲି ସ୍ଥାନଭ୍ରଷ୍ଟ । ଯେଣୁ ହୋଇଲେ ବୁଦ୍ଧିନଷ୍ଟ ॥ ୭୦
ତୁମ୍ଭେ ସକଳ ଏହା ଜାଣି । ଏ ଦେହ ମିଥ୍ୟା ପ୍ରାୟ ମଣି ॥ ୭୧
ଯଜ୍ଞେ ପୂଜିବ ମୋ ଚରଣ । ପାଳିବ ନିଜ ପ୍ରଜାଗଣ ॥ ୭୨
ଧର୍ମସେବନ ରାତ୍ରଦିନେ । ନିରତେ ହୋଇ ଅବଧାନେ ॥ ୭୩
ଦୁର୍ଗତି ବିଭବ ବିମୁଖେ । ଜନ୍ମ ସଞ୍ଚିତ ଦୁଃଖସୁଖେ ॥ ୭୪
କର୍ମକଷଣ ହାନି ଲାଭ । ଗତ-ଆଗତେ ସମଭାବ ॥ ୭୫
ଏତେ ଗହନେ ତୁମ୍ଭେ ଥାଇ । ମୋର ଚରଣେ ଚିତ୍ତ ଦେଇ ॥ ୭୬
ମାୟାସଂସାରେ ପଡି ଭ୍ରମ । କେବେ ହେଁ ନୋହୁ ତୁମ୍ଭ ମନ ॥ ୭୭
ଏ ଦେହ ଆଦି ମୋର ଯେତେ । ନ ଲାଗୁ ତୁମ୍ଭ ଶୁଦ୍ଧ ଚିତ୍ତେ ॥ ୭୮
ନିରତେ ହେଉ ଆତ୍ମଜ୍ଞାନ । ନିଶ୍ଚଳଚିତ୍ତେ ମୋର ଧ୍ୟାନ ॥ ୭୯
ପବିତ୍ର ହୋଇ ବ୍ରହ୍ମପଥେ । ପଶିବ ମୋର ଦେହେ ଅନ୍ତେ ॥ ୮୦
କହନ୍ତି ବ୍ୟାସଙ୍କର ସୁତ । ଏବେ ହୋ ଶୁଣ ପରୀକ୍ଷିତ ॥ ୮୧
ଭକତବନ୍ଧୁ ଭଗବାନ । ରାଜାଙ୍କୁ କହି ଦିବ୍ୟଜ୍ଞାନ ॥ ୮୨
ତାହାଙ୍କ ଅଭିଷେକ ଅର୍ଥେ । ନାରୀପୁରୁଷ ଶତେ ଶତେ ॥ ୮୩
ମାର୍ଜନା କରି ସର୍ବରାଜା । ଗୋବିନ୍ଦ କରାଇଲେ ପୂଜା ॥ ୮୪
ଜରାସନ୍ଧର ପୁତ୍ର ହସ୍ତେ । ଭାବେ ଗୋବିନ୍ଦ ଅନୁମତେ ॥ ୮୫
ରାଜଉଚିତେ ଅଳଙ୍କାର । ପୁଷ୍ପ ଚନ୍ଦନ ବସ୍ତ୍ରସାର ॥ ୮୬
ରତ୍ନମୁକୁଟ ଶିରେ ଖଞ୍ଜି । ଉତ୍ତମ ଅନ୍ନ ଜଳ ଭୁଞ୍ଜି ॥ ୮୭
ନାନାପ୍ରକାରେ ରାଜଭୋଗ । ତାମ୍ବୁଳ କର୍ପୂର ସଂଯୋଗ ॥ ୮୮
କର୍ଣ୍ଣେ କୁଣ୍ତଳ ସମସରି । ହାର କେୟୁର ହୃଦେ ଭରି ॥ ୮୯
ବନ୍ଧନ ଦୁଃଖୁଁ ପାର ହୋଇ । କିବା ଉପମା ଦେବି ମୁହିଁ ॥ ୯୦
ବରଷାକାଳ ଅନ୍ତେ ଯେହ୍ନେ । ଗ୍ରହେ ବିରାଜନ୍ତି ଗଗନେ ॥ ୯୧
ବସାଇ ରତ୍ନମୟ ଯାନେ । ଗୋବିନ୍ଦ କୋମଳ ବଚନେ ॥ ୯୨
ବୋଇଲେ ନିଜପୁରେ ଯିବ । ଯଜ୍ଞର ଆରମ୍ଭେ ଆସିବ ॥ ୯୩
ଅନେକ ସୈନ୍ୟ ବଳ ଦେଇ । ପେଷିଲେ ପ୍ରଭୁ ଭାବଗ୍ରାହୀ ॥ ୯୪
ଏମନ୍ତେ କୃଷ୍ଣ ପରସାଦୁ । ରାଜାଏ ବଞ୍ଚିଲେ ପ୍ରମାଦୁ ॥ ୯୫
କୃଷ୍ଣର ପାଦେ ଦେଇ ମନ । ଗଲେ ସେ ଯେ ଯାହା ଭୁବନ ॥ ୯୬
ଗୋବିନ୍ଦ ଆଜ୍ଞା ଘେନି ଶିରେ । ସୁଖେ ରହିଲେ ନିଜ ପୁରେ ॥ ୯୭
ଏମନ୍ତେ ଜରାସନ୍ଧ ମାରି । ଭୀମଅର୍ଜୁନ ତୁଲେ ହରି ॥ ୯୮
ଜରାନନ୍ଦନ ସହଦେବ । ଆନନ୍ଦେ ପୂଜିଲେ ମାଧବ ॥ ୯୯
ତାହାକୁ ପ୍ରଭୁ ଭଗବାନ । ଅନେକ କଲେ ସନମାନ ॥ ୧୦୦
ସେ ରାଜ୍ୟେ ତାକୁ ରାଜା କରି । କହନ୍ତି ଅନୁଗ୍ରହ ହରି ॥ ୧୦୨
ତୋର ପିଅର ଦୁଷ୍ଟମତି । ନୃପତିଗଣେ ଦେଲା ଶାସ୍ତି ॥ ୧୦୩
ବହୁତଜନେ ହିଂସା କରି । କେମନ୍ତେ ଥିବ ଦେହ ଧରି ॥ ୧୦୪
ଏ ମୋର ଧର୍ମର ସଂସାର । ଏଥେ ଯେ କରେ ଅବିଚାର ॥ ୧୦୫
ମୁଁ ତାହା ନ ପାରଇ ସହି । ଧର୍ମ ଧାରଣେ ମୋର ଦେହୀ ॥ ୧୦୬
ତୋର ପିଅର ନାଶ ଗଲା । ପୃଥିବୀ ଉଶ୍ୱାସ ହୋଇଲା ॥ ୧୦୭
ଏଥକୁ ନ କର ବିଚାର । ସୁଖେ ତୁ ନିଜ ରାଜ୍ୟ କର ॥ ୧୦୮
ମୋର ଚରଣେ ଚିତ୍ତ ଦେଇ । ସୁଖେ ତୁ ପାଳ ନିଜ ମହୀ ॥ ୧୦୯
ଯାଗ ଆରମ୍ଭ କାଳେ ଯାଇ । ମିଳିବୁ ମୋର ଆଜ୍ଞା ବହି ॥ ୧୧୦
ଏମନ୍ତ କୃଷ୍ଣମୁଖୁଁ ଶୁଣି । ହରଷ ହୋଇ ନୃପମଣି ॥ ୧୧୧
କୃଷ୍ଣର ପଦ୍ମପାଦେ ପଡି । ଉଠି ବୋଲଇ କରଯୋଡି ॥ ୧୧୨
ଭୋ ନାଥ ହୋଇଲି ନିସ୍ତାର । ଭାରାନିବାରେ ଅବତାର ॥ ୧୧୩
ଈଶ୍ୱର ସଂସାର କାରଣ । ମୁଁ ତୋର ଚରଣେ ଶରଣ ॥ ୧୧୪
ତୁ ମୋତେ କଲୁ ଅନୁଗ୍ରହ । ଫିଟିଲା ମନର ସନ୍ଦେହ ॥ ୧୧୫
ଭୀମ ଅର୍ଜୁନ କୃଷ୍ଣ ତୁଲେ । ସାଷ୍ଟାଙ୍ଗେ ପୁଜି ସୁଖ ଭୋଳେ ॥ ୧୧୬
ଅନେକ ଧନରତ୍ନ ଦେଲା । ଦିବ୍ୟବିମାନ ସମର୍ପିଲା ॥ ୧୧୭
କୃଷ୍ଣର ପାଦେ ଚିତ୍ତ ଦେଇ । ହୃଦେ ପରମ ସୁଖ ପାଇ ॥ ୧୧୮
କୃଷ୍ଣଙ୍କୁ ମାଗି ଅନୁଯାନ । ମିଳିଲା ଆପଣା ଭୁବନ ॥ ୧୧୯
ଭୀମ ଅର୍ଜୁନ ବନମାଳୀ । ବିମାନେ ବସି ହଂସକେଳି ॥ ୧୨୦
ପବନବେଗେ ରଥ ଚଳି । ଇନ୍ଦ୍ରପ୍ରସ୍ଥରେ ଯାଇ ମିଳି ॥ ୧୨୧
ଶଙ୍ଖ ବଜାନ୍ତେ ଭଗବାନ । ହରଷ ହେଲେ ବନ୍ଧୁଜନ ॥ ୧୨୨
ଖଳଜନଙ୍କ ମନେ ଦୁଃଖ । ହେଲେ ନିବେଶି ପଦ୍ମମୁଖ ॥ ୧୨୩
ଇନ୍ଦ୍ରପ୍ରସ୍ଥରେ ରାଜାଗଣ । ଶୁଣିଲେ ମାଗଧ ମରଣ ॥ ୧୨୪
ନିଶ୍ଚିନ୍ତେ ଧର୍ମସୁତ କାର୍ଯ୍ୟ । ସୁଖେ ସଞ୍ଚିଲେ ଦେବରାଜ ॥ ୧୨୫
ହରଷେ ଧର୍ମର କୁମର । ସଙ୍ଗତେ ଘେନି ସହୋଦର ॥ ୧୨୬
ବନ୍ଧୁବାନ୍ଧବ ପ୍ରଜାଜନ । କୃଷ୍ଣଙ୍କୁ ଭାବେ କଲେ ମାନ୍ୟ ॥ ୧୨୭
ଭୀମ ଅର୍ଜୁନ ନାରାୟଣ । ବନ୍ଦିଲେ ଯୁଧିଷ୍ଠି ଚରଣ ॥ ୧୨୮
ଯେମନ୍ତେ ଜରା ନାଶ ଗଲା । ସଂକ୍ଷେପି କହି ନନ୍ଦବଳା ॥ ୧୨୯
ବସିଲେ ଧର୍ମସୁତ ପାଶେ । ଶୁଣି ନୃପତି ମନତୋଷେ ॥ ୧୩୦
ପୁଲକ କଲେ ରୋମରାଜି । ବାକ୍ୟ ନ ସ୍ପୁରେ ଚକ୍ଷୁବୁଜି ॥ ୧୩୧
ସେ ହରି ଚରଣ ପଙ୍କଜେ । ବ୍ରାହ୍ମଣ ଜଗନ୍ନାଥ ଭଜେ ॥ ୧୩୨
ଇତି ଶ୍ରୀମଦ୍ଭଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ କୃଷ୍ଣାଦିଆଗମନେ ଅଷ୍ଟସପ୍ତତିତମ ଅଧ୍ୟାୟଃ
ଏକୋନଅଶୀତିତମ ଅଧ୍ୟାୟ
[ସମ୍ପାଦନା]- ଶୁକ ଉବାଚ
ଏବେ ହୋ ଶୁଣ ନୃପମଣି । ଜରାସନ୍ଧର ବଧ ଶୁଣି ॥ ୧
କୃଷ୍ଣମହିମା ଅନୁଭବ । ଆତ୍ମାକଳ୍ପିତ କାର୍ଯ୍ୟ ଲାଭ ॥ ୨
ଯୁଧିଷ୍ଠି ବୋଲେ ପ୍ରିୟମନେ । କୋମଳ ଗଭୀର ବଚନେ ॥ ୩
- ଯୁଧିଷ୍ଟିର ଉବାଚ
ବ୍ରହ୍ମା ଶଙ୍କର ଆଦି ଯେତେ । ଦେବେ ଅଛନ୍ତି ଏ ଜଗତେ ॥ ୪
ତୋର ଦୁର୍ଲ୍ଲଭ ଆଜ୍ଞା ପାଇ । ଶିରେ ବହନ୍ତି ତୋଷ ହୋଇ ॥ ୫
ଏମନ୍ତ ପ୍ରଭୁ ମହାବାହୁ । ତୁ ଯେ ମୋହର ଆଜ୍ଞା ବହୁ ॥ ୬
ଏ ବଡ ବିଡମ୍ବନ କର୍ମ । ତୁ ଆଦି ନିରଞ୍ଜନ ଧର୍ମ ॥ ୭
ଏକ ଅଦ୍ୱିତୀୟ ଅନନ୍ତ । ପରମଆତ୍ମା ତୁ ଅଚ୍ୟୁତ ॥ ୮
ତୁ ସର୍ବଭୂତେ ଦେହ ବହି । କର୍ମବନ୍ଧନ ତୋର କାହିଁ ॥ ୯
ପ୍ରବେଶ ହେଉ ସର୍ବଜନେ । ଆଦିତ୍ୟ ଯେସନେ ଗଗନେ ॥ ୧୦
ଗୁଣ ଗ୍ରହଣେ ତୁ ଅଜିତ । ଯେ ପ୍ରାଣୀ ତୋହର ଭକତ ॥ ୧୧
ତାହାଙ୍କ ଚିତ୍ତେ ନାହିଁ ଭ୍ରାନ୍ତି । ମୁହିଁ ମୋହର ନ ବୋଲନ୍ତି ॥ ୧୨
ଏ ତୋର ମାୟାର ବିକାର । କେ ଜାଣିପାରେ ଦାମୋଦର ॥ ୧୩
ବୋଲନ୍ତି ଶୁକ ମହାଯତି । ଶୁଣ ରାଜନ କୁରୁପତି ॥ ୧୪
ଧର୍ମନନ୍ଦନ ଯଜ୍ଞକାଳେ । କହି ଗୋବିନ୍ଦ ପାଦତଳେ ॥ ୧୬
ସଙ୍ଗତେ ଘେନି ନରହରି । ରତ୍ୱିଜ ଚାରିବେଦୁଁ ବରି ॥ ୧୭
ଶ୍ରୀବେଦବ୍ୟାସ ଭରଦ୍ୱାଜ । ସୁମନ୍ତୁ ଗଉତମ ଦ୍ୱିଜ ॥ ୧୮
ଅସିତ ବଶିଷ୍ଠ ଚ୍ୟବନ । କବଷ ମହାତେଜା କଣ୍ୱ ॥ ୧୯
ସୁପୁଣ୍ୟ ମଇତ୍ରେୟ ଋଷି । ଏ ଆଦି ଯେତେ ଭୃଗୁବଂଶୀ ॥ ୨୦
ଯେ ବିଶ୍ୱାମିତ୍ର ବାମଦେବ । ସୁମିତି ଜୈମିନି ଅଥର୍ବ ॥ ୨୧
କ୍ରତୁ ପଇଳ ପରାଶର । ଗର୍ଗ ଗଉତମକୁମର ॥ ୨୨
ବୈଶମ୍ପାୟନ ମୁନିବର । କଶ୍ୟପ ବ୍ରହ୍ମାଙ୍କ କୁମର ॥ ୨୩
ଧୌମ୍ୟ ଭାର୍ଗବ ପର୍ଶୁରାମ । ଆସୁରି ବୀତିହୋତ୍ର ନାମ ॥ ୨୪
ମଧୁଛନ୍ଦା ଯେ ବୀରସେନ । ଅକୃତବଣ ମୁନିଜନ ॥ ୨୫
ଅଣାଇ ନାନା ମୁନିଗଣ । ଆଦରେ ପୁଜି ଭୀଷ୍ମଦ୍ରୋଣ ॥ ୨୬
କୃପ ସହିତେ କୁରୁନାଥ । ସଙ୍ଗେ ଘେନାଇ ପୁତ୍ରଶତ ॥ ୨୭
ବିଦୁର ଆଦି ବନ୍ଧୁ ଯେତେ । ମିଳିଳେ ଆଖଣ୍ତଳପ୍ରସ୍ଥେ ॥ ୨୮
ବ୍ରାହ୍ମଣ ଆଦି ଚାରିବର୍ଣ୍ଣ । ଯଜ୍ଞ ଉତ୍ସବେ ଆଗମନ ॥ ୨୯
ଭୂମିରେ ଯେତେ ନୃପଗଣ । ଯଜ୍ଞମଙ୍ଗଳେ ନିମନ୍ତ୍ରଣ ॥ ୩୦
ପ୍ରକୃତି ସଙ୍ଗତେ ମିଳିଲେ । ଧର୍ମନନ୍ଦନ ଯଜ୍ଞକାଳେ ॥ ୩୧
ଉତ୍ତମ ଶୁଭଲଗ୍ନ ବେଳେ । ବ୍ରାହ୍ମଣେ ସୁବର୍ଣ୍ଣଲଙ୍ଗଳେ ॥ ୩୨
କରନ୍ତି ଭୂମି କରଷଣ । ଶୁଭେ ମଙ୍ଗଳେ ଉଚ୍ଚାରଣ ॥ ୩୩
ଯଥା ଉଚିତ ବେଦମନ୍ତ୍ର । ଦୀକ୍ଷିତ କଲେ ଧର୍ମସୂତେ ॥ ୩୪
ଶଙ୍ଖେ ଉଦକ କୁଶ କରେ । ବିପ୍ରେ ବରିଲେ ମନ୍ତ୍ରସ୍ୱରେ ॥ ୩୫
ସର୍ବ ସୁବର୍ଣ୍ଣ ପରିଚ୍ଛଦ । କେ କହୁ ଯଜ୍ଞର ସମ୍ପଦ ॥ ୩୬
ପୂର୍ବେ ବରୁଣଯଜ୍ଞେ ଯେହ୍ନେ । ଧରଣୀ ପୁରିଲା ସୁବର୍ଣ୍ଣେ ॥ ୩୭
ବାସବ ଆଦି ଦିଗପାଳେ । ଭବ ବିରଞ୍ଚି ସିଦ୍ଧମେଳେ ॥ ୩୮
ଗନ୍ଧର୍ବ ବିଦ୍ୟାଧର ନାଗ । ଯକ୍ଷ ରାକ୍ଷସ ଯେ ଉରଗ ॥ ୩୯
ଖଗ କିନ୍ନର ଯେ ଚାରଣ । ପତ୍ନୀ ସହିତେ ରାଜାଗଣ ॥ ୪୦
ଧର୍ମନନ୍ଦନ ଯଜ୍ଞେ ଆସି । ସମ୍ପଦ ଦେଖି ପରଶଂସି ॥ ୪୧
କୃଷ୍ଣଭକତ ଯେତେ ନର । କିବା ସମ୍ପଦ ତାଙ୍କୁ ଦୂର ॥ ୪୨
ନାନା ସମ୍ପଦ ସୁଖସୀମା । ଏ ସର୍ବ କୃଷ୍ଣର ମହିମା ॥ ୪୩
ରାଜାର ପୁରୋହିତ ଯେତେ । ଶୁଦ୍ଧ ଶରୀରେ ବେଦମତେ ॥ ୪୪
ସେ ରାଜସୂୟ ଯଜ୍ଞ ବିଧି । କରାଇ ସକଳ ସମୃଦ୍ଧି ॥ ୪୫
ବରୁଣଯଜ୍ଞେ ଦେବଗଣେ । ଯେମନ୍ତେ ଥିଲେ ନିମନ୍ତ୍ରଣେ ॥ ୪୬
ଯଜ୍ଞ ଆରମ୍ଭ ପୂର୍ବଦିନେ । ଧର୍ମନନ୍ଦନ ଶୁଦ୍ଧମନେ ॥ ୪୭
ଯାଜ୍ଞିକ ସଭାସଦ ଆଦି । ପାଦପୂଜନେ ଅର୍ଘ୍ୟବିଧି ॥ ୪୮
ଘେନି ମିଳିଲେ ସଭାତଳେ । ବନ୍ଧୁବାନ୍ଧବ ଭ୍ରାତମେଳେ ॥ ୪୯
ରାଜୁସି ଯଜ୍ଞେ ମହାସଭା । ଅଛନ୍ତି ଶୁର ମୁନି ଦେବା ॥ ୫୦
ଧର୍ମନନ୍ଦନ ସଭା ଚାହିଁ । ହୃଦୟ ମଧ୍ୟେ ବିଚାରଇ ॥ ୫୧
ଏ ଅର୍ଘ୍ୟ ଦେବି କାହା ପାଦେ । ଭାଳଇ ସଂଶୟ ବିଷାଦେ ॥ ୫୨
ମୁହୁର୍ତ୍ତେ ରହି ଦୃଢଭାବ । ତା ଦେଖି ବୋଲେ ସହଦେବ ॥ ୫୩
କରଅଞ୍ଚଳି ଶିରେ ଦେଇ । କହେ ରାଜନ ମୁଖ ଚାହିଁ ॥ ୫୪
ଜାଣଇ କୃଷ୍ଣର ମହିମା । ସର୍ବଜ୍ଞ ପଣେ ଏକସୀମା ॥ ୫୫
ଶୁଣ ରାଜନ ଚୁଡାମଣି । ମୋର ଉଚିତ ଧର୍ମବାଣୀ ॥ ୫୬
ଏ ମହାସଭା ମଧଗତେ । ଅର୍ଘ୍ୟକୁ ପାତ୍ର ଜଗନ୍ନାଥେ ॥ ୫୭
ଦେଖ ଏ କୃଷ୍ଣର ଚରଣ । ଅନାଦି ପରମ କାରଣ ॥ ୫୮
ଯେ ହରି ସର୍ବେଦେବମୟ । ସର୍ବେ ଅଛନ୍ତି ଏହା ଦେହେ ॥ ୫୯
ଏ କୃଷ୍ଣ ଦେଶ କାଳ ପାତ୍ର । ଧନ ଜୀବନ ବେଦମନ୍ତ୍ର ॥ ୬୦
ଯଜ୍ଞପୁରୁଷ ଏହୁ ହରି । ଏହାର ଦେହେ ବିଶ୍ୱ ପୁରି ॥ ୬୧
ଯଜ୍ଞ ଆହୁତି ଭୋକ୍ତା ଏହୁ । ଯଜ୍ଞର କର୍ତ୍ତା ମହାବାହୁ ॥ ୬୨
ଏଟି ଅନଳ ଦେବଗଣ । ଏ ବେଦମନ୍ତ୍ର ଉଚ୍ଚାରଣ ॥ ୬୩
ଏହାର ଦେହେ ସାଂଖ୍ୟ ଯୋଗ । ଏଟି ଭୁଞ୍ଜଇ ହବିର୍ଭାଗ ॥ ୬୪
ନିତ୍ୟେ ଏ ଏକ ନୋହେ ଦୁଇ । ଏ ସର୍ବଜୀବ ଦେହେ ଥାଇ ॥ ୬୫
ଏ ମାୟା ସୃଷ୍ଟି ଆତ୍ମା ଏହି । ମାୟାପୁରୁଷ ଏ ବୋଲାଇ ॥ ୬୬
ଏହାରା ମାୟା ତିନିଗୁଣ । ସୃଷ୍ଟି ପାଳନ ସଂହାରଣ ॥ ୬୭
କରଇ ଆତ୍ମଯୋଗ ବଳେ । ଲୀଳା ବିହାର ମହୀତଳେ ॥ ୬୮
ବିବିଧ କର୍ମଦାତା ଏହି । କର୍ମବିପାକ ଏ ଦିଅଇ ॥ ୬୯
ଏହାର ଭ୍ରୂଭଙ୍ଗିମା ଭାବେ । ଜଗତ ପ୍ରକାଶ ସ୍ୱଭାବେ ॥ ୭୦
ଧର୍ମାର୍ଥ କାମ ମୋକ୍ଷସଙ୍ଗେ । ଥାନ୍ତି ଏହାର ପାଦଯୁଗେ ॥ ୭୧
ଏଣୁ ଏ ମହାବିଷ୍ଣୁପାଦେ । ଏ ଅର୍ଘ୍ୟ ଦିଅ ହେ ଆନନ୍ଦେ ॥ ୭୨
ସର୍ବଭୂତଙ୍କ ପିଣ୍ତ ପ୍ରାଣ । ଏଣେଟି ହୋଇବ ତର୍ପଣ ॥ ୭୩
ଯେଣୁ ଏ ସର୍ବଭୂତଦେହୀ । ଭେଦ ଅଭେଦ ଭାବ ନାହିଁ ॥ ୭୪
ଏହାର ପାଦେ ମହାଅର୍ଘ୍ୟ । ଦେଇ ତୁ ଲଭ ଚଉବର୍ଗ ॥ ୭୫
କୃଷ୍ଣର ପାଦେ ଅର୍ଘ୍ୟ ଦେଲେ । ବ୍ରହ୍ମାଣ୍ତ ପୂଜିବୁ ତୁ ଭଲେ ॥ ୭୬
ସର୍ବଜୀବଙ୍କ ଆତ୍ମାଭୂତ । ପ୍ରଭୁ ଅନନ୍ତ ଦଇବତ ॥ ୭୬
କର୍ମର ଫଳ ଏହା ପାଦେ । ଯେ ପ୍ରାଣୀ ସମର୍ପେ ଆନନ୍ଦେ ॥ ୭୭
ଏହାକୁ କର୍ମଫଳ ଦେଇ । ଅନ୍ତେ ଅନନ୍ତଫଳ ପାଇ ॥ ୭୯
ଏମନ୍ତ କୃଷ୍ଣର ସ୍ୱଭାବ । ଜାଣି କହିଲା ସହଦେବ ॥ ୮୦
ଶୁଣି ସହଦେବ ବଚନ । ସଭାର ମଧ୍ୟେ ଯେତେ ଜନ ॥ ୮୧
ସର୍ବେ କରନ୍ତି ସାଧୁବାଣୀ । ଧର୍ମନନ୍ଦନ ତାହା ଶୁଣି ॥ ୮୨
ପ୍ରଣମି ପ୍ରିୟଭାବେ ଭୋଳ । ଗୋବିନ୍ଦପାଦେ ଅର୍ଘ୍ୟଜଳ ॥ ୮୩
ବେଦବଚନେ ରାଜା ଢାଳି । ପାଦଉଦକ ଶିରେ ବୋଳି ॥ ୮୪
ପତ୍ନୀ ସହିତେ ଭ୍ରାତାଗଣ । ପୂଜିଲେ ଗୋବିନ୍ଦଚରଣ ॥ ୮୫
ବନ୍ଧୁ କୁଟୁମ୍ବ ଆଦି ଯେତେ । ନମିଲେ କୃଷ୍ଣପାଦଗତେ ॥ ୮୬
ନାନାଭୂଷଣ ହସ୍ତେ ଘେନି । ଉତ୍ତମ ପୀତବସ୍ତ୍ର ବେନି ॥ ୮୭
ଆନନ୍ଦେ କୃଷ୍ଣପାଦେ ପୂଜି । ଅଶ୍ରୁପୂରିତ ଚକ୍ଷୁବୁଜି ॥ ୮୮
ରୋମପୁଲକ ସର୍ବେଦେହୀ । କୃଷ୍ଣଙ୍କୁ ନ ପାରନ୍ତି ଚାହିଁ ॥ ୮୯
ଏମନ୍ତେ ସଭାଜନେ ଚାହିଁ । କର ଅଞ୍ଜଳି ଶିରେ ଦେଇ ॥ ୯୦
ଶୁଭିଲା ଜୟ ଜୟ ବାଣୀ । ନମ ଶବଦେ ସ୍ତୁତି ଭଣି ॥ ୯୧
ଦେବେ କରନ୍ତି ପୁଷ୍ପବୃଷ୍ଟି । ତା ଦେଖି ଶିଶୁପାଳ ଉଠି ॥ ୯୨
କୋପେ ଅଧର କାମୋଡଇ । ଶୋଣିତ ନୟନେ ଅନାଇଁ ॥ ୯୩
ପ୍ରଚଣ୍ତ ଦମଘୋଷ ବଳା । କୃଷ୍ଣର ନିକଟେ ମିଳିଲା ॥ ୯୪
କୃଷ୍ଣର ଗୁଣ କର୍ମ ତେଜ । କହଇ ତୋଳି ବେନିଭୂଜ ॥ ୯୫
ସଭାଜନଙ୍କୁ କୋପମନେ । ବୋଲଇ ପୁରୁଷବଚନେ ॥ ୯୬
ଦେଖ ଏ ଦୁରାଶୟ କାଳ । ଈଶ୍ୱର ଚେଷ୍ଟା ଅନ୍ତରାଳ ॥ ୯୭
ଏ ସତ୍ୟବତୀସୁତ ବାଣୀ । ଭବିଷ୍ୟେ ଯାହା ପରିମାଣି ॥ ୯୮
ଧ୍ରୁବବଚନ ମହୀତଳେ । ଭାଙ୍ଗିଲ ବାଳକର ବୋଲେ ॥ ୯୯
ସେ କଥା ହୋଇଲା ପ୍ରତ୍ୟକ୍ଷେ । ଏ ସଭାଜନଙ୍କ ସମ୍ମୁଖେ ॥ ୧୦୦
ହେ ସଭାଜନେ ମୋ ବଚନ । ଶ୍ରବଣେ ହୁଅ ସାବଧାନ ॥ ୧୦୧
ପାତ୍ର ଅପାତ୍ର ବେନିମତେ । କୁଶଳେ ଜାଣ ତ ସମସ୍ତେ ॥ ୧୦୨
ବାଳବଚନ କିମ୍ପା କର । ଏ ବଡ ଅନୀତି ତୁମ୍ଭର ॥ ୧୦୩
ସଭାରେ ବସି ମତିଭ୍ରମ । କେମନ୍ତେ କଲ ଏଡେ କର୍ମ ॥ ୧୦୪
ଦେଖ ଏ ସଭାମଧ୍ୟଗତେ । ଉତ୍ତମପାତ୍ର ଛନ୍ତି କେତେ ॥ ୧୦୫
ତପସ୍ୱୀ ବିଦ୍ୟା ବ୍ରତଧର । ଜ୍ଞାନବିଧୃତ କଳେବର ॥ ୧୦୬
ଦେଖ ଉତ୍ତମ ଋଷିଗଣ । ଦେବେ ପୂଜନ୍ତି ଯା ଚରଣ ॥ ୧୦୭
ଏ ଆଦି ଯେତେ ନୃପବର । କେ କହୁ ଗୁଣ ତାହାଙ୍କର ॥ ୧୦୮
ଏ ମହାସଭା ପୂଜା ଏଡି । ବାଳବଚନେ ତୁମ୍ଭେ ହୁଡି ॥ ୧୦୯
ଏ ମହାସଭା ବ୍ରତ ବଳୀ । ଅଜ୍ଞାନ ବେନିଭୁଜ ତୋଳି ॥ ୧୧୦
ଏ ସହଦେବ ଅନୁବାଦେ । ନେଇ ଢାଳିଲ କାକ ପାଦେ ॥ ୧୧୧
ଏ ଯଜ୍ଞସଭା ପୁରୋଡାଶ । କେମନ୍ତେ କାକ କଲା ଗ୍ରାସ ॥ ୧୧୨
ଦେଖ ଏ ମନ୍ଦ ଗୋପଶିଶୁ । ବ୍ରଜଗୋପାଳ କୁଳପାଂଶୁ ॥ ୧୧୩
ଏହାର ଗୁଣ କର୍ମ ନାହିଁ । କେମନ୍ତେ ବଳିଭୋଗ୍ୟ ହୋଇ ॥ ୧୧୪
ଏହାକୁ କେମନ୍ତେ ପୂଜିଲ । ବେଦବଚନ ନ ମାନିଲ ॥ ୧୧୫
ଏ ନାହିଁ ଚାରିବର୍ଣ୍ଣ ମଧ୍ୟେ । ଆଶ୍ରମ କୁଳ ଧର୍ମ ବାଦେ ॥ ୧୧୬
ଏ ଥାଇ ଆପଣାର ମତେ । ସମସ୍ତେ ଜାଣନ୍ତି ଜଗତେ ॥ ୧୧୭
ଏହାର ଗୁଣ କିଛି ନାହିଁ । କେମନ୍ତେ ଅର୍ଘ୍ୟଯୋଗ୍ୟ ଏହି ॥ ୧୧୮
ପୂର୍ବେ ଯଯାତି ଶାପଫଳେ । ନୃପଆସନ ନାହିଁ କୁଳେ ॥ ୧୧୯
ନିଶ୍ଚୟେ ନାହିଁ ଜାତି କୁଳ । ନିତ୍ୟେ ଏ ମଧୁପାନେ ଭୋଳ ॥ ୧୨୦
ଏ ତ ନୁହଁଇ ତୁମ୍ଭ ଭଲ । କେମନ୍ତେ ଏହାକୁ ପୂଜିଲ ॥ ୧୨୧
ଦେଖ ଏ ପୁଣ୍ୟଭୂମି ଛାଡି । ଋଷି ବ୍ରାହ୍ମଣ ସଙ୍ଗ ଏଡି ॥ ୧୨୨
ସମୁଦ୍ର ମଧ୍ୟେ ଘର କରି । କଷ୍ଟେ ଜୀବନ ଅଛି ଧରି ॥ ୧୨୩
ନିତ୍ୟେ ପିଡଇ ଜନ ପ୍ରଜା । କେମନ୍ତେ ଏହା ପାଦେ ପୂଜା ॥ ୧୨୪
କେତେ କହିବା ଏହା ଗୁଣ । ଏ ନୋହେ ତୁମ୍ଭର ପ୍ରମାଣ ॥ ୧୨୫
ଅଧିକେ ଦୋଷ ଗୁଣ ଯେତେ । ଲୋକେ ଜାଣନ୍ତି ଏ ଜଗତେ ॥ ୧୨୬
ଏମନ୍ତ କହି ମନ୍ଦବାଣୀ । କୋପେ କମ୍ପଇ ଶିରଝୁଣି ॥ ୧୨୭
ନିନ୍ଦା ପୁରୁଷ ତାର ବାଣୀ । ଗୋବିନ୍ଦ ସଭାମଧ୍ୟେ ଶୁଣି ॥ ୧୨୮
ଚାହିଁଲେ ହସିତ ବଦନେ । ଶୃଗାଳ ବାକ୍ୟେ ସିଂହ ଯେହ୍ନେ ॥ ୧୨୯
ଏ ଦୁଷ୍ଟ ଶିଶୁପାଳବାଣୀ । ସେ ମହାସଭାଜନେ ଶୁଣି ॥ ୧୩୦
ଦୁଃସହ ବଚନ ତାହାର । ଶୁଣି ଉଠିଲେ କୋପଭର ॥ ୧୩୧
ଅଙ୍ଗୁଳି ଦେଇ କର୍ଣ୍ଣଦ୍ୱାରେ । ଗମିଲେ ଯେ ଯାହା ମନ୍ଦିରେ ॥ ୧୩୨
ଚଳନ୍ତି ଅତି କୋପ ବହି । ଶିଶୁପାଳକୁ ଗାଳି ଦେଇ ॥ ୧୩୩
ବୋଲନ୍ତି କୋପଭର ହୋଇ । ଧର୍ମବଚନେ ମନ ଦେଇ ॥ ୧୩୪
ବିଷ୍ଣୁର ନିନ୍ଦା ଯହିଁ ଶୁଣି । ବିଷ୍ଣୁଭକତ ଯେତେ ପ୍ରାଣୀ ॥ ୧୩୫
ସେ ଠାବ ତେଜି ଯେ ନ ଯାନ୍ତି । ନିଶ୍ଚୟେ ନରକେ ପଡନ୍ତି ॥ ୧୩୬
ଏମନ୍ତେ ସଭାମଧ୍ୟେ ଗୋଳ । ଶୁଭିଲା ଦିଗ ଅନ୍ତରାଳ ॥ ୧୩୭
ଶୁଣି ପାଣ୍ତବେ କୋପଭରି । ଧାଇଁଲେ କରେ ଶସ୍ତ୍ର ଧରି ॥ ୧୩୮
ମତ୍ସ୍ୟ କେକୟ ଯେ ସୃଞ୍ଜୟ । ଶସ୍ତ୍ର ଆୟୁଧ ବର୍ମଦେହ ॥ ୧୩୯
ବୋଲନ୍ତି ମାର ଶିଶୁପାଳ । ନିଶ୍ଚେ ପୁରିଲା ତାର କାଳ ॥ ୧୪୦
ଏମନ୍ତ ବୋଲି ମହାରୋଷେ । ମିଳିଲେ ଶିଶୁପାଳ ପାଶେ ॥ ୧୪୧
ଦେଖି ସମ୍ଭ୍ରମେ ଶିଶୁପାଳ । ସ୍ୱଭାବେ ଦୁଷ୍ଟ ମହାବଳ ॥ ୧୪୨
ଖଡଗ ଚର୍ମ କରେ ଧରି । ରହିଲା ସମର ଆବୋରି ॥ ୧୪୩
କୃଷ୍ଣର ପକ୍ଷ ଯେତେ ଜନ । ତାହାଙ୍କୁ କରଇ ଭର୍ତ୍ସନ ॥ ୧୪୪
ରୋଷେ ଗର୍ଜଇ ଘୋରନାଦେ । ଧର୍ମନନ୍ଦନ ସଭାମଧ୍ୟେ ॥ ୧୪୫
ଦେଖି ତାହାର ଦୁଷ୍ଟପଣ । ଗୋବିନ୍ଦ ଆବୋରିଲେ ଋଣ ॥ ୧୪୬
ପାଣ୍ତବବଳ ପୃଷ୍ଠଭାଗେ । ମିଳିଲେ ଶିଶୁପାଳ ଆଗେ ॥ ୧୪୭
ଦୁରନ୍ତ ଚକ୍ରେ ଦାମୋଦର । ଛେଦିଲେ ଶିଶୁପାଳ ଆଗେ ॥ ୧୪୮
ଶିର କମଳ ତାର କଟି । ପଡିଲା ମହୀତଳେ ଲୋଟି ॥ ୧୪୯
ଦେଖି ତାହାର ରତ୍ନଶିର । ଜନେ କରନ୍ତି ହାହାକାର ॥ ୧୫୦
ଶୁଭଇ ମୁଖରାବ ଗୋଳ । ଶୁଣି ସମ୍ଭ୍ରମେ ମହୀପାଳ ॥ ୧୫୧
ଯେ ଶିଶୁପାଳ ପକ୍ଷେ ଥିଲେ । ମରଣ ଡରେ ପଳାଇଲେ ॥ ୧୫୨
ଶିଶୁପାଳର ମୃତପିଣ୍ତ । ଚକ୍ରେ ହୋଇଣ ବେନିଖଣ୍ତ ॥ ୧୫୩
ପଡିଲା ମହାସଭା ତଳେ । ଶୁନ୍ୟେ ଦେଖନ୍ତି ଦିଗପାଳେ ॥ ୧୫୪
ତାର ଶରୀରୁ ଦିବ୍ୟଜ୍ୟୋତି । ଶିଶୁତପନ ପ୍ରାୟ କାନ୍ତି ॥ ୧୫୫
ପଶିଲା ଗୋବିନ୍ଦର ଦେହେ । ଦେଖି ବିବୁଧେ କଲେ ଜୟେ ॥ ୧୫୬
ପୂର୍ବେ ସେ ବିଷ୍ଣୁଦ୍ୱାରପାଳ । ବ୍ରାହ୍ମଣେ କରି ଅବହେଳ ॥ ୧୫୭
ବିଷ୍ଣୁଙ୍କୁ ଶତ୍ରୁପ୍ରାୟ ମଣି । ବ୍ରାହ୍ମଣ କରି ଅବହେଳ ॥ ୧୫୮
ଏ ମହୀତଳେ ତାଙ୍କ ଭ୍ରମ । ବିଷ୍ଣୁଙ୍କୁ କରାଇଲେ ଜନ୍ମ ॥ ୧୫୯
ତୃତୀୟଜନ୍ମ ଭ୍ରାତମେଳେ । ଭ୍ରମିଲା ଅବନୀମଣ୍ତଳେ ॥ ୧୬୦
କୃଷ୍ଣେ ବଇରୀଭାବ ଘେନି । ତିନିଜନମ ଭାଇବେନି ॥ ୧୬୧
ଆଦି ଅସୁର ମହାବପୁ । ଜନ୍ମିଲା ହିରଣ୍ୟକଶିପୁ ॥ ୧୬୨
ଅନୁଜ ହିରଣ୍ୟାକ୍ଷ ବୀର । ପୁଣି ଜନ୍ମିଲା ସହୋଦର ॥ ୧୬୩
ବିଶ୍ରବାମୁନି ଘରେ ଯାଇ । ପୁଣି ରାକ୍ଷସ ଜନ୍ମ ହୋଇ ॥ ୧୬୪
ରାବଣ କୁମ୍ଭକର୍ଣ୍ଣ ନାମ । ସମରେ ନାହିଁ କେହି ସମ ॥ ୧୬୫
ପୁଣି ଜନ୍ମିଲେ ଚେବିଦେଶେ । କ୍ଷତ୍ରିୟ ଦମଘୋଷ ବଂଶେ ॥ ୧୬୬
ଦନ୍ତବିକଟ ଶିଶୁପାଳ । ଘୋରସମରେ ମହାବଳ ॥ ୧୬୭
ପୂର୍ବେ ନୃସିଂହରୂପେ ହରି । ହିରଣ୍ୟକଶିପୁ ବିଦାରି ॥ ୧୬୮
ବରାହ ରୂପେ ହିରଣ୍ୟାକ୍ଷ । ଶ୍ରୀକୃଷ୍ଣ ବଧିଲେ ପ୍ରତ୍ୟକ୍ଷ ॥ ୧୬୯
ତେଜେ ପ୍ରଚଣ୍ତ ଘୋରତମ । ପୁଣି ଜନ୍ମିଲେ ରଘୁରାମ ॥ ୧୭୦
ଜାନକୀଛଳେ ଧନୁର୍ଦ୍ଧର । ଛେଦିଲେ ବେନିଭାଇ ଶିର ॥ ୧୭୧
ଏବେ ବଇରୀ ଅନୁବନ୍ଧେ । ଚକ୍ରେ ଛେଦିଲେ ବେନିକନ୍ଧେ ॥ ୧୭୨
ନିର୍ମଳରୂପେ ବେନିଭାଇ । ପଶିଲେ କୃଷ୍ଣଦେହେ ଯାଇ ॥ ୧୭୩
ବ୍ରାହ୍ମଣ ଶାପୁଁ ମୋକ୍ଷ ହୋଇ । ମିଳିଲେ ବିଷ୍ଣୁପୁରେ ଯାଇ ॥ ୧୭୪
ଭାବେ ଭଜିଲେ ନାରାୟଣ । ଏବେ ହୋ ସାବଧାନେ ଶୁଣ ॥ ୧୭୫
ଭାବଟି ଜନ୍ମର କାରଣ । ହୃଦେ ଯେ ଚିନ୍ତେ ନାରାୟଣ ॥ ୧୭୬
ଶିଶୁପାଳର ପ୍ରାଣ ନାଶ । ଅବନୀମଣ୍ତଳ ଉଶ୍ୱାସ ॥ ୧୭୭
ନିର୍ମଳ ଦଶଦିଶ ଦିଶେ । ଧର୍ମନନ୍ଦନ କୃଷ୍ଣପାଶେ ॥ ୧୭୮
ଋତ୍ୱିଜ ବିପ୍ରଗଣ ଯେତେ । ଥିଲେ ଯେ ସଭା ଅନ୍ତର୍ଗତେ ॥ ୧୭୯
ଦକ୍ଷିଣା ଦେଇ ଧର୍ମସୂତ । ଯଜ୍ଞର ଅନ୍ତେ ଅବଭୃଥ ॥ ୧୮୦
ସ୍ନାନ କରିଲେ ନୃପମେଳେ । ସାନନ୍ଦେ ଭାଗିରଥୀ ଜଳେ ॥ ୧୮୧
ଏମନ୍ତେ ଯୁଧିଷ୍ଠିର ଯଜ୍ଞେ । ସମ୍ପାଦି କୃଷ୍ଣ ଅନୁରାଗେ ॥ ୧୮୨
ହୋଇଲା ରାଜ୍ୟେ ଏକ ରାଜା । ସର୍ବନୃପତି କଲେ ପୂଜା ॥ ୧୮୩
ଏମନ୍ତେ କୃଷ୍ଣ ସ୍ନେହଭରେ । କେତେହେଁ ମାସ ତା ନବରେ ॥ ୧୮୪
ରହି ରଞ୍ଜିଲେ ତାଙ୍କ ମନ । ପୁଣି ଦ୍ୱାରକା ଆଗମନ ॥ ୧୮୫
ନିଜ କୁଟୁମ୍ବ ସଙ୍ଗେ ଘେନି । ଯାଦବ ଯେତେକ ସଇନି ॥ ୧୮୬
ଗମନ୍ତେ ଶୋଭା ଦିଶେ ପଥ । ଆନନ୍ଦେ ଦେବକୀର ସୁତ ॥ ୧୮୭
ନିଜ ଭୁବନେ ଗଲେ ହରି । ଶିଶୁପାଳକୁ ମୋକ୍ଷ କରି ॥ ୧୮୮
ସୁର ଅସୁର ନରଲୋକେ । ଯଜ୍ଞେ ଯେ ଥିଲେ ଏକେଏକେ ॥ ୧୮୯
କୃଷ୍ଣମହିମା ସ୍ତୁତି କରି । ଆନନ୍ଦେ ଗଲେ ଯେଝାପୁରୀ ॥ ୧୯୦
ଅନ୍ଧନନ୍ଦନ ଦୁର୍ଯ୍ୟୋଧନ । ଅଧିକେ କରି ଦୁଃଖମନ ॥ ୧୯୧
ରାଜସମ୍ପଦ ନ ସହିଲା । ନିଜ ହସ୍ତିନାପୁରେ ଗଲା ॥ ୧୯୨
ବଇରୀ ଅନୁବନ୍ଧ ଦେହେ । ପାଣ୍ତବ ସମ୍ପଦ ନ ସହେ ॥ ୧୯୩
ଏ ମହାଯଜ୍ଞ ଯଶ ବାଣୀ । ଯେ ଏହା ସାବଧାନେ ଶୁଣି ॥ ୧୯୪
କୃଷ୍ଣର ମହିମା ପ୍ରତ୍ୟକ୍ଷ । ଜୟବିଜୟ ଶାପୁଁ ମୋକ୍ଷ ॥ ୧୯୫
ସକଳ ପାପୁଁ ସେ ତରନ୍ତି । ତୁଟଇ ଭବ ଭୟ ଭ୍ରାନ୍ତି ॥ ୧୯୬
କୃଷ୍ଣବିଷୟ ଭାଗବତ । କହଇ ଜଗନ୍ନାଥ ଦାସ ॥ ୧୯୭
ଇତି ଶ୍ରୀମଦଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ଉତ୍ତରାର୍ଦ୍ଧେ ଶିଶୁପାଳ ବଧୋ ନାମ
ଏକୋନଅଶୀତିତମ ଅଧ୍ୟାୟଃ ।
ଅଶୀତିତମ ଅଧ୍ୟାୟ
[ସମ୍ପାଦନା]ବୋଲନ୍ତି ରାଜା ପରୀକ୍ଷିତ । ଶୁକଚରଣେ ଦେଇ ହସ୍ତ ॥ ୧
- ପରୀକ୍ଷିତ ଉବାଚ
ଭୋ ମୁନି କୃଷ୍ଣର ଚରିତ । ଶୁଣି ହୋଇଲି କୃତକୃତ୍ୟ ॥ ୨
ଏ ମହାଯଜ୍ଞେ ଯେତେ ଥିଲେ । କୃଷ୍ଣ ମହିମା ସେ ଦେଖିଲେ ॥ ୩
ଆନନ୍ଦେ ଗଲେ ନିଜପୁର । ପ୍ରଶଂସି ଧର୍ମର କୁମର ॥ ୪
ଅନ୍ଧନନ୍ଦନ ଦୁର୍ଯ୍ୟୋଧନ । ସେ କିମ୍ପା ହେଲା ଦୁଃଖମନ ॥ ୫
ଏଣେ ସଂଶୟ ମୋର ଚିତ୍ତ । ଭୋ ମୁନି କହିବା ତଦନ୍ତ ॥ ୬
ଏମନ୍ତେ ରାଜାବାଣୀ ଶୁଣି । ଶୁକ କହନ୍ତି ମନେ ଗୁଣି ॥ ୭
- ଶୁକ ଉବାଚ
ବୋଲନ୍ତି ଶୁକ କୁରୁବୀର । ତୋ ପିତାମହ ଯୁଧିଷ୍ଠିର ॥ ୮
ବନ୍ଧୁବାନ୍ଧବ ତା ଭୁବନେ । ଯଜ୍ଞସଭାର ପ୍ରୟୋଜନେ ॥ ୯
ଯେ ଯାହାମତେ କାର୍ଯ୍ୟକଲେ । ଧର୍ମନନ୍ଦନ କୃଷ୍ଣ ବୋଲେ ॥ ୧୦
ଯାଗର ପାକଶାଳେ ଭୀମ । ଧନେ ଅଧ୍ୟକ୍ଷ ଦୁର୍ଯ୍ୟୋଧନ ॥ ୧୧
ସଭାଜନଙ୍କ ପୂଜାଭାବ । ଅର୍ଥ ସାଧନେ ସହଦେବ ॥ ୧୨
ନକୁଳ ଦ୍ରବ୍ୟ ସମ୍ପାଦନେ । ଦେବକୀନନ୍ଦନ ବଚନେ ॥ ୧୩
ଗନ୍ଧଚନ୍ଦନ ପୁଷ୍ପଦାନେ । ଅର୍ଜୁନ ଥିଲା ସାବଧାନେ ॥ ୧୪
ବିପ୍ରଚରଣ ସମାର୍ଜନ । କରନ୍ତି ନନ୍ଦରନନ୍ଦନ ॥ ୧୫
ଦୃପଦରାଜାର ନନ୍ଦିନୀ । ସେ ଯଜ୍ଞେ ଅନ୍ନ-ପଋଷୁଣୀ ॥ ୧୬
ଦାନେ ଅଧୀପ ବୀରକର୍ଣ୍ଣ । ଧନେ ତୋଷିଲା ବିପ୍ରମନ ॥ ୧୭
ବିକର୍ଣ୍ଣ ବୀର ଯୁଯୁଧାନ । ବିଦୁର ହାର୍ଦ୍ଧିକ୍ୟନନ୍ଦନ ॥ ୧୮
ଭୃଶୁବା ବାହ୍ଲୀକନନ୍ଦନ । ଏ ଆଦି ବୀର ସନ୍ତର୍ଦ୍ଧନ ॥ ୧୯
ଧର୍ମନନ୍ଦନ ଅନୁବାଦେ । ଯଜ୍ଞର ନାନାକର୍ମ ସାଧ୍ୟେ ॥ ୨୦
ପଣ୍ତୁକୁମର ପ୍ରିୟମତେ । ଥିଲେ ସନ୍ତୋଷଭାବ ଚିତ୍ତେ ॥ ୨୧
ଯାଜ୍ଞିକ ଆଦି ସଭାସଦ । ସୁମ୍ରି ବାନ୍ଧବ ସୁହୃଦ ॥ ୨୨
ଇଷ୍ଟକୁଟୁମ୍ବ ଆଦି ଯେତେ । ଦକ୍ଷିଣା ପୂଜା ଯେଝାମତେ ॥ ୨୩
ରାଜୁସିଯଜ୍ଞସଭା ମଧ୍ୟେ । ମଧୁସୁଦନ ପଦ୍ମପାଦେ ॥ ୨୪
ଶିଶୁପାଳର ପଞ୍ଚପ୍ରାଣ । ନିଶ୍ଚିନ୍ତେ ପଶିଲା ଶରଣ ॥ ୨୫
ଏମନ୍ତେ ମହାଯଜ୍ଞ ସାରି । ଧର୍ମନନ୍ଦନ ଦଣ୍ତଧାରୀ ॥ ୨୬
ଉତ୍ସବ ବାଦ୍ୟନାଦ ମେଳେ । ଯଜ୍ଞସ୍ନାହାନ ଗଙ୍ଗାଜଳେ ॥ ୨୭
ମିଳିଲେ ମଙ୍ଗଳ ସମ୍ପଦେ । ଶଙ୍ଖଶବଦ ବେଦନାଦେ ॥ ୨୮
ଦେବ ଗନ୍ଧର୍ବ ପିତୃଗଣ । କରନ୍ତି ପୁଷ୍ପ ବରଷଣ ॥ ୨୯
ଯହିଁ ବିଜୟ ନରନାରୀ । ନାନାଭୂଷଣ ଅଙ୍ଗେ ଭରି ॥ ୩୦
ଗନ୍ଧଚନ୍ଦନ ଗଙ୍ଗାଜଳେ । ଦେହେ ସିଞ୍ଚନ୍ତି ଭୁଜବଳେ ॥ ୩୧
କ୍ରୀଡନ୍ତି ନାନାରସଭାବେ । ସୁପୁଣ୍ୟବାଦେ ଜନସର୍ବେ ॥ ୩୨
ତଇଳ ଘୃତ ଗନ୍ଧୋଦକ । ହରିଦ୍ରା କୁଙ୍କୁମ ଶଶାଙ୍କ ॥ ୩୩
ପୁରୁଷେ ନାରୀଙ୍କର ମୁଖେ । ଲେପି ସିଞ୍ଚନ୍ତି ମନସୁଖେ ॥ ୩୪
ରାଜକାମିନୀ ନାନାରଥେ । ବିଜୟ କଲେ ରାଜପଥେ ॥ ୩୫
ପାଶେ ଆବୃତ ଶୂରବରେ । ବେଗେ ମିଳିଲେ ଗଙ୍ଗାତୀରେ ॥ ୩୬
ଦେବକାମିନୀ ପ୍ରାୟ ମିଳି । କରନ୍ତି ଗଙ୍ଗାଜଳେ କେଳି ॥ ୩୭
କୃଷ୍ଣକାମିନୀ ପରିହାସେ । ସିଞ୍ଚନ୍ତି ନୀର ମୁଖ କେଶେ ॥ ୩୮
ସଲ୍ଲଜେ ହରଷେ ହସନ୍ତି । ଯେହ୍ନେ ଗଗନେ ତାରାପନ୍ତି ॥ ୩୯
ଭୀମ ଅର୍ଜୁନ ଆଦି ଯେତେ । ସର୍ବକାମିନୀ ମଧ୍ୟଗତେ ॥ ୪୦
ଜଳ ସିଞ୍ଚନ୍ତି ବେନିହସ୍ତେ । ଝୀନବସନ ଉର ଗାତ୍ରେ ॥ ୪୧
ପ୍ରକାଶେ ଜାନୁ କଟୀ ସ୍ତନ । ଓଦାବସନେ କି ସୁବର୍ଣ୍ଣ ॥ ୪୨
ଦେଖି କାମିନୀ ଦୁଷ୍ଟଜନେ । ଅନଙ୍ଗବାଣେ ମନଛନ୍ନେ ॥ ୪୩
ବଦନେ ମନ୍ଦହାସ ଦେଖି । ମୋହେ ବୁଜିଲେ ବେନି ଆଖି ॥ ୪୪
ଏମନ୍ତେ ଅବଭୃଥ ସ୍ନାନ । ଆନନ୍ଦେ କରି ସର୍ବଜନ ॥ ୪୫
କୂଳେ ବିଜୟ ମହାରାଜ । ଉଦୟରବି ଜିଣି ତେଜ ॥ ୪୬
ନାନା ଭୂଷଣେ ଅଳଙ୍କୃତ । ରଥେ ଆରୋହି ଧର୍ମସୂତ ॥ ୪୭
ପାଶେ ଆବୃତ ନାରୀଜନେ । କ୍ରିୟା କଳାପେ ଯଜ୍ଞ ଯେହ୍ନେ ॥ ୪୮
ଦ୍ରୌପଦୀ ଘେନି ରାଜା କୋଳେ । ସ୍ନାହାନ କରି ଗଙ୍ଗାଜଳେ ॥ ୪୯
ବାଜଇ ବୀରତୁର ଭେରୀ । ଗଙ୍ଗାରେ ଅଭିଷେକ କରି ॥ ୫୦
ଦୁନ୍ଦୁଭି ଶୁଭଇ ଆକାଶେ । ସୁଗନ୍ଧ କୁସୁମ ବରଷେ ॥ ୫୧
ବ୍ରାହ୍ମଣ ଆଦି ଚାରିବର୍ଣ୍ଣ । ଅଗ୍ରତେ ଚତୁର୍ଥ ଆଶ୍ରମ ॥ ୫୨
ରାଜାର ଅବଭୃଥ କାଳେ । ସ୍ନାହାନ କରି ଗଙ୍ଗାଜଳେ ॥ ୫୩
ନିର୍ମଳ କଲେ ଦେହ ମନ । ଯେ ଜଳେ କଳୁଷହଦନ ॥ ୫୪
ବିଶେଷେ ଚାହିଁ କୃଷ୍ଣମୁଖ । ଛାଡିଲେ ଭବବନ୍ଧ ଦୁଃଖ ॥ ୫୫
ଉତ୍ତମ ବସ୍ତ୍ର ଆଦି ଧନ । ଅଣାଇ ପଣ୍ତୁର ନନ୍ଦନ ॥ ୫୬
ଯଜ୍ଞେ ବରଣ ବ୍ରହ୍ମା ଆଦି । ଯେ ଅବା ଥିଲେ ମନ୍ତ୍ରବାଦୀ ॥ ୫୭
ଜ୍ଞାତି ବାନ୍ଧବ ନୃପଗଣେ । ମିତ୍ର ସୁହୃଦ ଯେବା ଅନ୍ୟେ ॥ ୫୮
କୃଷ୍ଣବଚନେ ପୂଜା କରି । ମନ ତୋଷିଲେ ଦଣ୍ତଧାରୀ ॥ ୫୯
ମଣି କୁଣ୍ତଳ ପାଗ ଶିରେ । ନାନାଭୂଷଣ ରତ୍ନହାରେ ॥ ୬୦
ନାରୀପୁରୁଷେ ବିରାଜନ୍ତ । ଯେହ୍ନେ ଗଗନେ ତାରାପନ୍ତି ॥ ୬୧
କୃଷ୍ଣ ପାଣ୍ତବ ଅନୁଯାନେ । ଗଲେ ସେ ଯେ ଯାହା ଭୁବନେ ॥ ୬୨
ଯେ ରାଜା ଗୋବିନ୍ଦର ଦାସ । ସେ ମହାଯଜ୍ଞେ ତାର ଯଶ ॥ ୬୩
ଆନନ୍ଦେ ମୁଖେ ମୁଖ ଚାହିଁ । ପଥେ ଚଳନ୍ତି ଗୀତ ଗାଇ ॥ ୬୪
ପୁଣି ସନ୍ତୋଷ ନୋହେ ମନ । ମନୁଷ୍ୟେ ଯେହ୍ନେ ସୁଧାପାନ ॥ ୬୫
ରତ୍ୱିକ ଆଦି ମନ୍ତ୍ରବାଦୀ । ଅନେକ ରାଜଋଷି ଆଦି ॥ ୬୬
ଧର୍ମନନ୍ଦନ ବନ୍ଧୁଗଣେ । ପ୍ରିୟବଚନେ ଜଣେ ଜଣେ ॥ ୬୭
ଦେବକୀନନ୍ଦନ ସଙ୍ଗତେ । ଭାବେ ରହିଲେ ଦିନାକେତେ ॥ ୬୮
ତକ୍ଷଣେ ପ୍ରଭୁ ଭଗବାନ । ପାଶେ ବସାଇ ଉଗ୍ରସେନ ॥ ୬୯
ପ୍ରଦ୍ୟୁମ୍ନ ଆଦି ଯେତେ ସୁତ । କୁଟୁମ୍ବ ସୁହୃଦ ସହିତ ॥ ୭୦
ମେଲାଣି ଦେଇ ନିଜପୁରେ । କୃଷ୍ଣ ରହିଲେ ରାଜାଘରେ ॥ ୭୧
ଏମନ୍ତେ ପଣ୍ତୁର ନନ୍ଦନ । ଦୁସ୍ତର-ମନୋରଥ-ପୂର୍ଣ୍ଣ ॥ ୭୨
କୃଷ୍ଣଚରଣ ଭେଳା କଲେ । ଯଜ୍ଞ ଜଳଧି ନିସ୍ତରିଲେ ॥ ୭୩
ଏମନ୍ତେ ଶୁଣ ହେ ରାଜନ । ଦିନେକ ରାଜା ଦୁର୍ଯ୍ୟୋଧନ ॥ ୭୪
ଧର୍ମନନ୍ଦନ ଅନ୍ତଃପୁରେ । ପଶିଲା ବାନ୍ଧବ ବେଭାରେ ॥ ୭୫
ଦେଖି ସମ୍ପଦ ଅଗୋଚର । ଉପନା ନାହିଁ ତିନିପୁର ॥ ୭୬
ଯଜ୍ଞେ ଗୋବିନ୍ଦର ମହିମା । କେ କହିପାରେ ଗୁଣସୀମା ॥ ୭୭
ଯାହାର ଧ୍ୟାନ କୃଷ୍ଣପାଦେ । କେଅନ୍ତ କରୁ ତା ସମ୍ପଦେ ॥ ୭୮
ନର ଅସୁର ସୁର ଶିରୀ । ଯାର ଭୁବନେ ଅଛି ପୁରି ॥ ୭୯
ବ୍ରହ୍ମା ସଞ୍ଚିତ ଭୋଗ ଯେତେ । ନାନାପ୍ରକାରେ ଅପ୍ରମିତେ ॥ ୮୦
ଦ୍ରୁପଦ ରାଜାର ନନ୍ଦୀନୀ । ସର୍ବସମ୍ପଦ ସଙ୍ଗେ ଘେନି ॥ ୮୧
ସେବଇ ଯୁଧିଷ୍ଠିର ପାଦେ । କୃଷ୍ଣପ୍ରସନ୍ନେ ଅପ୍ରମାଦେ ॥ ୮୨
ତା ଦେଖି ଅନ୍ଧରନନ୍ଦନ । ଅନ୍ତରେ ଦହଇ ଜୀବନ ॥ ୮୩
ଯହିଁ ଗୋବିନ୍ଦ ନାରୀଗଣେ । ବଳୟ ନୁପୂର କଙ୍କଣେ ॥ ୮୪
ଚାଲନ୍ତେ ନୂପୁର ବାଜେଣୀ । କଟୀରେ ରତ୍ନ ଓଡ଼ିଆଣୀ ॥୮୫
କୁଚ-କୁଙ୍କୁମେ ଶୋଣହାର । କର୍ଣ୍ଣେ କୁଣ୍ତଳ ରତ୍ନସାର ॥ ୮୬
ଏମନ୍ତ ଦେଖି ତା ଭୁବନ । ଅନ୍ଧନନ୍ଦନ ଦୁର୍ଯ୍ୟୋଧନ ॥ ୮୭
ବାହୁଡି ହରଷ ବିଷାଦେ । ପୁଣି ମିଳିଲା ସଭାମଧ୍ୟେ ॥ ୮୮
ମୟନିର୍ମିତ ମାୟାସଭା । କି ଅବା ପଟାନ୍ତର ଦେବା ॥ ୮୯
ଯହିଁ ବିଜୟ ଦାମୋଦର । ସ୍ୱଭାବେ କାଳଚକ୍ରଧର ॥ ୯୦
ଚକ୍ଷୁ ଚଳନ୍ତେ ବିଶ୍ୱଚଳେ । ତାହାର ଜନ୍ମ ମହୀତଳେ ॥ ୯୧
ଭାବ ଅଭାବ ମତ ବେନି । କହନ୍ତି ହସ୍ତେ ବେତ୍ର ଘେନି ॥ ୯୨
ସେ ସଭାମଧ୍ୟେ ଧର୍ମସୂତ । ସଙ୍ଗେ ଅଛନ୍ତି ଚାରିଭ୍ରାତ ॥ ୯୩
କାଞ୍ଚନ ଆସନେ ବିଜୟେ । ଦିଶେ ଆକାଶେ ଇନ୍ଦ୍ର ପ୍ରାୟେ ॥ ୯୪
ବ୍ରହ୍ମାଙ୍କ ସଭା ପ୍ରାୟ ଦିଶି । ସୂତ-ମାଗଧେ ପରଶଂସି ॥ ୯୫
ଏମନ୍ତେ ମିଳି ଅନ୍ଧସୁତ । ସଙ୍ଗେ ଅଛନ୍ତି ଶତେ ଭ୍ରାତ ॥ ୯୬
ରତ୍ନମୁକୁଟ ଅଛି ଶିରେ । ହସ୍ତନିବେଶି ମନ୍ତ୍ରୀ କରେ ॥ ୯୭
ରୋଷେ କମ୍ପଇ ତା ଶରୀର । ଏମନ୍ତେ ଶୁଣ ନୃପବର ॥ ୯୮
ମୟନିର୍ମିତ ମାୟାସଭା । ଯହିଁ ଭ୍ରମନ୍ତି ଶୂର ଦେବା ॥ ୯୯
କୃଷ୍ଣ ମହିମା ଅନ୍ତରାଳ । କ୍ଷଣକେ ଦିଶେ ଜଳସ୍ଥଳ ॥ ୧୦୦
ସ୍ଥଳକୁ ଜଳ ପ୍ରାୟ ମଣି । ବସ୍ତ୍ର ତୋଳିଲା କରେ ଆଣି ॥ ୧୦୧
ଜଳକୁ ସ୍ଥଳ ପ୍ରାୟ ବୁଝି । କୋପେ ପଶିଲା ଚକ୍ଷୁବୁଜି ॥ ୧୦୨
ଜଳେ ହୋଇଲା ସ୍ଥଳ ଭ୍ରାନ୍ତି । ମୟ-ମାୟାରେ ମୋହଗତି ॥ ୧୦୩
ଜଳେ ପଡନ୍ତି କୁରୁପତି । ତା ଦେଖି ହସିଲା ମାରୁତି ॥ ୧୦୪
ଦ୍ରୌପଦୀ ଆଦି ଯେତେ ନାରୀ । ସର୍ବେ ହସିଲେ ହାସ୍ୟ କରି ॥ ୧୦୫
ଯେତେ ନୃପତି ଥିଲେ ବସି । ମୁଖେ ବସନ ଦେଇ ହସି ॥ ୧୦୬
ଚକ୍ଷୁ ଚାଳିଣ ଚକ୍ରଧର । ଠାରିଲେ ସର୍ବେ ହାସ୍ୟ କର ॥ ୧୦୭
ଏମନ୍ତେ ସର୍ବ ସଭାଜନେ । ହସିଲେ ବିକୃତ ବଦନେ ॥ ୧୦୮
ଦେହ ସମ୍ଭାଳି କୁରୁନାଥ । ଉଠିଲା ଧରି ଭ୍ରାତହସ୍ତ ॥ ୧୦୯
ଅଧୋବଦନେ କୋପକରି । ଦୁଃଶାସନର କର ଧରି ॥ ୧୧୦
ଜନେ କରନ୍ତି ହାହାକାର । ହସ୍ତିନା ଗଲା ନୃପବର ॥ ୧୧୧
ତା ଦେଖି ଧର୍ମର ନନ୍ଦନ । ସମ୍ଭ୍ରମେ କଲେ ଦୁଃଖମନ ॥ ୧୧୨
ପଣ୍ତୁନନ୍ଦନ ଭାବ ଘେନି । ଗୋବିନ୍ଦ ଜାଣି ହେଲେ ତୁନି ॥ ୧୧୩
ଅଶେଷ ଅବନୀର ଭାର । ଯେ ହରି କରିବେ ସଂହାର ॥ ୧୧୪
ଯାହାର ମାୟାରେ ମୋହିତ । ହୋଇଛି ଅଶେଷ ଜଗତ ॥ ୧୧୫
ବ୍ରହ୍ମାଶଙ୍କରେ ଅଗୋଚର । ଏ ପୁଣି ମନୁଷ୍ୟ ମାତର ॥ ୧୧୬
ଶୁଣ ପରୀକ୍ଷ ଶୁଦ୍ଧଚିତ୍ତେ । ତୁ ଯାହା ପଚାରିଲୁ ମୋତେ ॥ ୧୧୭
ରାଜସୂୟଯଜ୍ଞେ ବରଣ । ଦୁର୍ଯ୍ୟୋଧନର ଦୁଷ୍ଟପଣ ॥ ୧୧୮
ବୋଲଇ ଦାସ ଜଗନ୍ନାଥ । କୃଷ୍ଣରଚିତ ଭାଗବନ ॥ ୧୧୯
ରାଜୁସିଯଜ୍ଞ କଥା ଶୁଣି । ସଂସାରୁ ତର ସର୍ବପ୍ରାଣୀ ॥ ୧୨୦
ଗୋବିନ୍ଦ ପାଦେ କର ଭାବ । ଯେବେ ଏ ସଂସାରୁ ତରିବ ॥ ୧୨୧
ଜଗତହିତେ କୃଷ୍ଣବାଣୀ । ଗୀତେ ମୁଁ ବଖାଣିଲି ଆଣି ॥ ୧୨୨
ଏଣେ ନିଶ୍ଚଳ କର ଚିତ୍ତ । ମୁଁ ତୁମ୍ଭ ଭୃତ୍ୟଙ୍କର ଭୃତ୍ୟ ॥ ୧୨୩
ଇତି ଶ୍ରୀମଦଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ଉତ୍ତରାର୍ଦ୍ଧେ ଦୁର୍ଯ୍ୟୋଧନ ମାନଭଙ୍ଗୋ ନାମ
ଅଶୀତିତମ ଅଧ୍ୟାୟଃ ।
ଏକାଶିତିତମ ଅଧ୍ୟାୟ
[ସମ୍ପାଦନା]- ଶୁକ ଉବାଚ
ଆନନ୍ଦମନେ ବ୍ୟାସଚୁତ । ବୋଲନ୍ତି ଶୁଣ ପରୀକ୍ଷିତ ॥ ୧
ଅଦ୍ଭୂତ କୃଷ୍ଣକର୍ମବାଣୀ । ଶୁଣି ସଂସାରୁ ତର ପ୍ରାଣୀ ॥ ୨
କ୍ରୀଡା ମନୁଷ୍ୟେ ଅବତାର । ଦେବମାନବେ ଅଗୋଚର ॥ ୩
ଯେମନ୍ତେ ପ୍ରଭୁ ଜଗନ୍ନାଥ । ଶାଳ୍ୱରାଜାଙ୍କୁ କଲେ ହତ ॥ ୪
ଧର୍ମନନ୍ଦନ ଯଜ୍ଞକାଳେ । ଶିଶୁପାଳକୁ ସଂହାରିଲେ ॥ ୫
ତାହାର ସଖା ଶାଲ୍ୱ ନାମ । ମିତ୍ର ମରଣେ ବହେ ତମ ॥ ୬
ପୂର୍ବେ ରୁକ୍ମିଣୀବିଭାକାଳେ । ଥିଲା ସେ ନୃପତିଙ୍କ ମେଳେ ॥ ୭
କୃଷ୍ଣଙ୍କୁ ହାରି ଯୁଦ୍ଧକାଳେ । ମାଗଧ ଆଦି ରାଜାମେଳେ ॥ ୮
ସେ ଦିନୁ ଅଭିମାନେ ଗଲା । କୃଷ୍ଣର ମରଣ ଇଚ୍ଛିଲା ॥ ୯
ଏବେ ଶୁଣିଲା ମିତ୍ରବଧ । ହୃଦରେ ବହେ ଗୁରୁକ୍ରୋଧ ॥ ୧୦
କୃଷ୍ଣ ଅଛନ୍ତି ଇନ୍ଦ୍ରପ୍ରସ୍ଥେ । ଥୋକାଏ ବଳ ଅଛି ସାଥେ ॥ ୧୧
ଏ ଛିଦ୍ରକଥାମାନ ଜାଣି । ସଇନି ସାଜି ନୃପମଣି ॥ ୧୨
ନିଜ କାର୍ମୁକ ଧରି କରେ । ବୋଲଇ ସ୍ପୁରିତ ଅଧରେ ॥ ୧୩
ଯାଦବ ବିହୀନ ଧରଣୀ । କରିବି ସତ୍ୟ ମୋର ବାଣୀ ॥ ୧୪
ତୁମ୍ଭେ ସକଳ ନୃପବର । ଦେଖିବ ପୌରୁଷ ମୋହର ॥ ୧୫
ଏମନ୍ତେ ମୂଢ ଗର୍ବ ବହି । ମିଳିଲା ଘୋରବନେ ଯାଇ ॥ ୧୬
ଭବାନୀକାନ୍ଧେ ଦେଇ କର । ବୋଇଲେ ବେଗେ ମାଗ ବର ॥ ୧୭
ଶୁଣି ନୃପତି ଜ୍ଞାନ ପାଇ । କପାଳେ ବେନିକର ଦେଇ ॥ ୨୧
ବୋଲଇ ଶୁଣ ବିଶ୍ୱନାଥ । ତୋର ସଞ୍ଚିତ ଏ ଜଗତ ॥ ୨୨
ବିବୁଧ ଅସୁର ମନୁଷ୍ୟ । ଗନ୍ଧର୍ବ କିନ୍ନର ରାକ୍ଷସ ॥ ୨୩
ଏ ଆଦି ଯେତେ ଦିଗପାଳେ । ଭୂମି ପାତାଳ ଅନ୍ତରାଳେ ॥ ୨୪
କେହି ନ ପାରୁ ମୋତେ ଜିଣି । ଏ ବର ଦିଅ ଶୁଳପାଣି ॥ ୨୫
ମାୟାବିମାନ ଦିଅ ମୋତେ । ସେ ପୁଣି ମୋହର ଆୟତ୍ତେ ॥ ୨୬
ରୂପ ଅରୂପ ସ୍ଥୁଳ ସୁକ୍ଷ୍ମେ । ଅଣୁ ପ୍ରମାଣେ ଅନ୍ତରୀକ୍ଷେ ॥ ୨୭
ଯହିଁ କଳ୍ପିବ ମୋର ମନ । ସେ ପୁରେ ପଶିବ ବିମାନ ॥ ୨୮
ଦୃଶ୍ୟ ଅଦୃଶ୍ୟ ମହାଘୋର । ବୃଷ୍ଟି ଯାଦବେ ଭୟଙ୍କର ॥ ୨୯
ଏ ବର ଦିଅ ବିଶ୍ୱନାଥ । ଶୁଣି ସନ୍ତୋଷ ଉମାକାନ୍ତ ॥ ୩୦
ମୟଦାନବେ ସୁମରଣ । କରନ୍ତି ଅମ୍ବିକାରମଣ ॥ ୩୧
ଚିନ୍ତା କରନ୍ତେ ମହେଶ୍ୱର । ଜାଣିଲା ମାୟାବୀ ଅସୁର ॥ ୩୨
ତକ୍ଷଣେ ପରପୁରଞ୍ଜୟ । ବେଗେ ମିଳିଲା ବୀରମୟ ॥ ୩୩
ନଦୀପୁଲିନେ ଘୋରବନେ । ନମିଲା ଇଶ୍ୱର ଚରଣେ ॥ ୩୪
ପ୍ରସନ୍ନେ ପ୍ରଭୁ ଉମାକାନ୍ତ । ବୋଇଲେ ଧରି ତାର ହସ୍ତ ॥ ୩୫
ମାୟାବିମାନ ବେଗେ କର । ଦେବଦାନବେ ଅଗୋଚର ॥ ୩୬
ଏହାର ମନ ଅନୁମତେ । କହି ଚଳିଲେ ଶୂନ୍ୟପଥେ ॥ ୩୭
ତକ୍ଷଣେ ରୁଦ୍ରଆଜ୍ଞା ପାଇ । ଅଦ୍ଭୂତ ବିମାନ ଭିଆଇ ॥ ୩୮
ତାହାର ନାମ ସୌଭପୁର । ନିର୍ମିତ ଲୌହମୟ ସାର ॥ ୩୯
ଆନନ୍ଦେ ପ୍ରଜାପତିବଳା । ଶାଳ୍ୱ ସମ୍ମୁଖେ ଆଣି ଦେଲା ॥ ୪୦
ସେ ମାୟାରଥ କାମରୂପୀ । ପ୍ରକାଶେ ଘୋରତମ ବ୍ୟାପୀ ॥ ୪୧
କେହି ନ ପାରେ ତାହା ଜାଣି । ଏମନ୍ତେ ଶୁଣ ନୃପମଣି ॥ ୪୨
ବସିଲା ଯାଇ ମାୟାରଥେ । ଗମିଲା ନିଜପୁର ପଥେ ॥ ୪୩
ଈଶ୍ୱରବରେ ପାଇ ରଥ । ନିଜ ଭୁବନେ ଉପଗତ ॥ ୪୪
କୃଷ୍ଣବଇର ଭାବ ଗୁଣି । ସାଜିଲା ନିଜ ଅକ୍ଷୌହିଣୀ ॥ ୪୫
କୋପେ ବସିଲା ମାୟାରଥେ । ଗମିଲା ଦ୍ୱାରାବତୀ ପଥେ ॥ ୪୬
ରଜନୀ ମଧ୍ୟେ ନରପତି । ବଳେ ରୁନ୍ଧିଲା ଦ୍ୱାରାବତୀ ॥ ୪୭
ଭାଙ୍ଗଇ ବନ ଉପବନ । ଗ୍ରାମ ପାଟଣା ପୁରମାନ ॥ ୪୮
ଦ୍ୱାର ଅଟ୍ଟାଳୀ କ୍ରୀଡାପୁର । ଅନଳେ କଲା ଭସ୍ମସାର ॥ ୪୯
ଶର ବରଷଇ ଗହଳ । ଯେହ୍ନେ ଗଗନୁ ବୃଷ୍ଟିଜଳ ॥ ୫୦
ଦ୍ରୁମ ପାଷାଣ ବଜ୍ର ବାରି । ସର୍ପ ଖର୍ପର ଆଦିକରି ॥ ୫୧
ପ୍ରଚଣ୍ତେ ବହେ ଚକ୍ରବାତ । ଧୂଳିରେ ଦଶଦିଗ ଗ୍ରସ୍ତ ॥ ୫୨
ଏମନ୍ତେ ମାୟାରଥେ ବୀର । କୃଷ୍ଣନଗର କଲା ଚୁର ॥ ୫୩
ଅସୁର ତେଜେ ଯଦୁପୁରୀ । ତକ୍ଷଣେ ହେଲା ହତଶିରୀ ॥ ୫୪
ପୂର୍ବେ ଅନ୍ଧକ ଯୁଦ୍ଧକାଳେ । ଯେହ୍ନେ ଅଦ୍ଭୂତ ମହୀତଳେ ॥ ୫୫
ଘୋରଗହନ ଅନ୍ଧକାର । ତା ଦେଖି ରୁକ୍ମିଣୀକୁମର ॥ ୫୬
ବିମାନେ ବସି ମହାବଳୀ । ଡାକଇ ବେନିଭୁଜ ତୋଳି ॥ ୫୭
ଭୟ ନ କର ତୁମ୍ଭେ କେହି । ଏ ମାୟା ସଂହାରିବି ମୁହିଁ ॥ ୫୮
ଏମନ୍ତ କହି ରାଜପଥେ । ବେଗେ ଧାଇଁଲେ ଏକା ରଥେ ॥ ୫୯
ଦେଖି ତାହାର ବୀରପଣ । ଋଣେ ମିଳିଲେ ଯଦୁଗଣ ॥ ୬୦
ସାତ୍ୟକି ଚାରୁଦେଷ୍ଣ ଶାମ୍ବ । ଅକ୍ରୁର ଯଦୁଙ୍କ ଉତ୍ତମ ॥ ୬୧
ଭୋଜ ଅନ୍ଧକ ବୀରଚନ୍ଦ୍ର । ମିଳିଲେ ସର୍ବ ଯଦୁବୃନ୍ଦ ॥ ୬୨
ଅଜେୟ ହାର୍ଦ୍ଧିକ୍ୟନନ୍ଦନ । ଶୁକ ସାରଣ ଭାନୁମାନ ॥ ୬୩
ଗଦ ସଙ୍କରଷଣ ଆଦି । ଯାଦବ ମଧ୍ୟେ ଯେ ପ୍ରସିଦ୍ଧି ॥ ୬୪
ଏ ଆଦି ଯେତେ ଧନୁର୍ଦ୍ଧର । ଦୁର୍ଜୟ କୃଷ୍ଣର କୁମର ॥ ୬୫
ରଥେ ବିଜ ପନ୍ତି ପନ୍ତି । ଘୋଟକ କୁଞ୍ଜର ପଦାତି ॥ ୬୬
ଶାଳ୍ୱ ସହିତେ ଯଦୁବଳ । ଶୁଭେଇ ମୁଖରାବ ଗୋଳ ॥ ୭୭
କୋପେ କରନ୍ତି ଗୁଣଘୋଷ । ଶବଦେ କମ୍ପେ ଦଶଦିଶ ॥ ୭୮
ଉଭାରି କରନ୍ତି ସମର । ଘୋର ଗହନ ଅନ୍ଧକାର ॥ ୬୯
ଅମୃତ ଅର୍ଥେ ଭୁଜବଳେ । ଦେବ ଅସୁର ପୂର୍ବକାଳେ ॥ ୭୦
ତେମନ୍ତ ହୋଇଲାକ ଋଣ । ଅଦ୍ଭୂତ ରୋମହରଷଣ ॥ ୭୧
ଶାଲ୍ୱର ମାୟାଗତି ଯେତେ । ନାନାପ୍ରପଞ୍ଚ ଅପ୍ରମିତେ ॥ ୭୨
ପ୍ରକାଶି ଥିଲା ଶୂନ୍ୟମଧ୍ୟେ । ଶାଳ୍ୱ ଯାଦବ ଘୋରଯୁଦ୍ଧେ ॥ ୭୩
ରୁକ୍ମିଣୀସୁତ ଦେଖି ତାହା । ଶସ୍ତ୍ରେ ଛେଦିଲା ତାର ମାୟା ॥ ୭୪
ରଜନୀଅନ୍ତେ ରବିତ୍ରାସ । ଯେହ୍ନେ ଅନ୍ଧାର କରେ ନାଶ ॥ ୭୫
ସୁବର୍ଣ୍ଣପୁଚ୍ଛ ଲୌହମୁଖ । ବିଚିତ୍ର ସୁରଙ୍ଗ ସୁରେଖ ॥ ୭୬
ଗୁଣେ ବସାଇ ମହାରୋଷେ । ବାଣ ବିନ୍ଧିଲା ପଞ୍ଚବିଂଶେ ॥ ୭୭
ଶାଳ୍ୱର ସେନାପତି ଅଙ୍ଗେ । ଅଶ୍ୱ ବିମାନ ଧ୍ୱଜ ସଙ୍ଗେ ॥ ୭୮
ତକ୍ଷଣେ କରି ହତପ୍ରାଣ । ପୁଣ ବିନ୍ଧିଲା ଗରୁଟାଣ ॥ ୭୯
ଶାଲ୍ୟ ଉପରେ କୃଷ୍ଣବଳା । ଶତେ ନାରାଚ ବରଷିଲା ॥ ୮୦
ଅପରେ ସଇନି ଯେତେକେ । ତାହାଙ୍କୁ ପେଷେ ଏକ ଏକ ॥ ୮୧
ରଥୀ ସାରଥୀଙ୍କ ଉପରେ । ଦଶ ନାରାଚ କୋପଭରେ ॥ ୮୨
ଅଶ୍ୱକୁ ବିନ୍ଧି ତିନିଶର । ଶବଦ କଲା ମହାଘୋର ॥ ୮୩
ରୁକ୍ମିଣୀସୁତ କର୍ମ ଦେଖି । ସକଳେ ସଂଗ୍ରାମ ଉପେକ୍ଷି ॥ ୮୪
ପର ଅପର ବୀରଶ୍ରେଣୀ । କରନ୍ତି ସାଧୁ ସାଧୁ ବାଣୀ ॥ ୮୫
ମୟନିର୍ମିତ ମାୟାରଥ । ତାର ମହିମା ଅପ୍ରମିତ ॥ ୮୬
ନିଜ ସୈନ୍ୟଙ୍କୁ ଦିଶେ ଏକ । ରିପୁଙ୍କୁ ଦିଶଇ ଅନେକ ॥ ୮୭
ଭିତରେ ଦିଶେ ଅନ୍ଧକାର । ଦେବମାନବେ ଅଗୋଚର ॥ ୮୮
ସମ୍ମୁଖେ ଦିଶେ ମହୀତଳେ । ଚାହିଁଲେ ଉଡେ ଅନ୍ତରାଳେ ॥ ୮୯
ପର୍ବତଶିଖେ କ୍ଷଣେ ଥାଇ । କ୍ଷଣକେ ସମୁଦ୍ରେ ବୁଡଇ ॥ ୯୦
ପୁଣି ଗଗନ ଅତିକ୍ରମେ । ଅଲାତଚକ୍ର ପ୍ରାୟେ ଭ୍ରମେ ॥ ୯୧
ଏମନ୍ତେ ଦେଖି ତା ବିମାନ । କ୍ଷଣକେ କୃଷ୍ଣର ନନ୍ଦନ ॥ ୯୨
ଉତ୍ତାରି କୋଦଣ୍ତ ବିହନ । କୋପେ ବିନ୍ଧିଲା ତୀକ୍ଷଣବାଣ ॥ ୯୩
ଧାବନ୍ତେ ଶୁଭେ ମୁଖରାବ । କ୍ଷଣେ ନ ରହେ ଏକ ଠାବ ॥ ୯୪
ପବନ ଯୋଗେ ଯେହ୍ନେ ମେଘ । ଧାମନ୍ତି ଅତି ଉଦବେଗ ॥ ୯୫
ଯହିଁ ଦେଖନ୍ତି ତାର ରଥ । କୃଷ୍ଣକୁମରେ ଯୁଥ ଯୁଥ ॥ ୯୬
ଧନୁ ଆମଞ୍ଚି ପୁଣ ପୁଣ । କରନ୍ତି ଶର ବରଷଣ ॥ ୯୭
ଅଗ୍ନି ଆଦିତ୍ୟ ପ୍ରାୟ ଦିଶି । ପଡନ୍ତି ରିପୁବଳେ ଗ୍ରାସି ॥ ୯୮
ବାଣଶବଦ ବଜ୍ରପ୍ରାୟେ । ଭେଦିଲା ଅସୁରଙ୍କ କାୟେ ॥ ୯୯
ରୁଧିର ବୃଷ୍ଟି ରଣମଧ୍ୟେ । ଯେସନେ ଦେବାସୁର ଯୁଦ୍ଧେ ॥ ୧୦୦
ଯଦୁବୀରଙ୍କ ବାଣଘାୟେ । ରଥେ ପଡିଲା ଶାଲ୍ୱ ମୋହେ ॥ ୧୦୧
ମାୟାବିମାନ ଶୂନ୍ୟପଥେ । କୃଷ୍ଣକୁମରେ ଭୂମିଗତେ ॥ ୧୦୨
ଉଭୟବଳୁଁ ଶରବୃଷ୍ଟି । ରୁଧିର ଗଳେ ତନୁ ଫୁଟି ॥ ୧୦୩
କ୍ଷତ୍ରିୟଧର୍ମ ମହାଘୋର । କେହି ନ ଛାଡନ୍ତି ସମର ॥ ୧୦୪
ଉଭୟଲୋକେ ଜୟ ଇଚ୍ଛା । ସାୟକଗୁଣେ ବାଣ ଦୀକ୍ଷା ॥ ୧୦୫
ଦ୍ୟୁମନ ନାମେ ମହାବଳୀ । ରୁକ୍ମିଣୀସୁତ ପାଶେ ମିଳି ॥ ୧୦୬
ପୂର୍ବେ ପ୍ରଦ୍ୟୁମ୍ନ ବାଣଘାତେ । ପଡି ଯେ ଥିଲା ମୋହଗତେ ॥ ୧୦୭
ଶାଳ୍ୱର ମନ୍ତ୍ରୀ ସେ ଯୁକତେ । ବିଷମ ଲୌହଗଦା ହସ୍ତେ ॥ ୧୦୮
ଚନ୍ଦ୍ରସମୀପେ ଯେହ୍ନେ ରାହୁ । ହୁଙ୍କାରେ ତୋଳି ବେନିବାହୁ ॥ ୧୦୯
ରୁକ୍ମିଣୀସୁତ ବକ୍ଷସ୍ଥଳେ । ପ୍ରହାର କଲା ଭୁଜବଳେ ॥ ୧୧୦
ଗର୍ଜଇ କରି ମହାରୋଷ । ଶବଦେ କମ୍ପେ ଦଶଦିଶ ॥ ୧୧୧
ଗଦାପ୍ରହାରେ କୃଷ୍ଣବାଳା । ବିମାନେ ପଡି ମୋହଗଲା ॥ ୧୧୨
ଦେଖି ତାହାର ମୋହଗତ । ତକ୍ଷଣେ ଦାରୁକର ସୁତ ॥ ୧୧୩
ସଂଗ୍ରାମ ଛାଡି ରଥ ବାହି । ଯୁଦ୍ଧର ଧର୍ମ ସେ ଜାଣଇ ॥ ୧୧୪
ସଂଗ୍ରାମ ହୁଡି ପଳାଇଲା । କେତେକ ଦୂରେ ବିଶ୍ରାମିଲା ॥ ୧୧୫
ପ୍ରଦ୍ୟୁମ୍ନ ପଡିଥିଲା ମୋହେ । ଶୀତପବନ ଲାଗି ଦେହେ ॥ ୧୧୬
ତକ୍ଷଣେ ପାଇଲା ଜୀବନ । ଚାହିଁଲା ସାରଥୀ ବଦନ ॥ ୧୧୭
ବୋଲଇ କୋପଭର ହୋଇ । ଏମନ୍ତ ଦେଖିଲା ତ ନାହିଁ ॥ ୧୧୮
ଅସାଧୁକର୍ମା କିମ୍ପା କଲୁ । ସଂଗ୍ରାମ ଛାଡି ପଳାଇଲୁ ॥ ୧୧୯
ଯାଦବକୁଳେ ହୋଇ ଜାତ । ସଂଗ୍ରାମେ ନପୁଂସକ ହୋଇ ॥ ୧୨୦
ଚୁ ଦୁରାଚାର ମତିଭ୍ରମ । ନ ଜାଣି କଲୁ ଏଡେ କର୍ମ ॥ ୧୨୧
ତୋର ସାରଥିପଣେ ମୁହିଁ । ସଂଗ୍ରାମେ ନପୁଂସକ ହୋଇ ॥ ୧୨୨
ସଂଗ୍ରାମେ ପଳାଉ ନିରେଖ । ତୋର ଜୀବନ ହେଉ ଧିକ ॥ ୧୨୩
କେମନ୍ତେ କୃଷ୍ଣପାଶେ ଯାଇ । ବଦନ ଦେଖାଇବି ମୁହିଁ ॥ ୧୨୪
ରାମର ବଦନ କେମନ୍ତେ । ଚାହିଁବି ସଂଗ୍ରାମ ନିସତେ ॥ ୧୨୫
କିବା କହିବି କୃଷ୍ଣପାଶେ । ପଳାଇ ଜୀବନର ଆଶେ ॥ ୧୨୬
ସଂଗ୍ରାମେ ମୋର ବୀରପଣ । ଶୁଣି ହସିବେ ଶତ୍ରୁଗଣ ॥ ୧୨୭
ପୁରେ ହସିବେ ବଧୁଜନେ । ବସନ ଆଚ୍ଛାଦି ବଦନେ ॥ ୧୨୮
ତୁ ଧିକ ମୋହର ସାରଥୀ । ଭଜିଲୁ ନପୁସକ ଗତି ॥ ୧୨୯
କିମ୍ପା ଛାଡିଲୁ ରଣଭୂଇଁ । ଅର୍ଦ୍ଧଯୋଜନେ ରଥବାହି ॥ ୧୩୦
କହ ନ କର ମନେ ଭ୍ରାନ୍ତି । ତା ଶୁଣି ବୋଲଇ ସାରଥୀ ॥ ୧୩୧
ଶୁଣ ହୋ କୃଷ୍ଣର କୁମର । ସଂଗ୍ରାମ ଧର୍ମ ଏ ମୋହର ॥ ୧୩୨
ରଥୀର ମୋହ ଯେବେ ଦେଖି । ସାରଥୀ ସଂଗ୍ରାମ ଉପେକ୍ଷି ॥ ୧୩୩
କେତେହେଁ ଦୂରେ ରଥ ଧରି । ରଥୀ ଜୀବନ ସ୍ଥିର କରି ॥ ୧୩୪
ପୁଣ ସମରେ ବାହେ ରଥ । ଏ ଧର୍ମ ସାରଥୀଙ୍କ ମତ ॥ ୧୩୫
ଏହା ଯେ ନ ଜାଣି ରହନ୍ତି । ରଥୀ ସାରଥୀ ନାଶଯାନ୍ତି ॥ ୧୩୬
ସ୍ୱର୍ଗେ ବସଇ ରଥୀ ଏକେ । ସାରଥୀ ପଡଇ ନରକେ ॥ ୧୩୭
ଏଣୁ ମୁଁ କଲି ନିଜ ଧର୍ମ । ଯେଣୁ ତୁ ଗଦାଘାତେ ଭ୍ରମ ॥ ୧୩୮
କହଇ ବିପ୍ର ଜଗନ୍ନାଥ । ସାରଥୀ ବାକ୍ୟେ କୃଷ୍ଣସୁତ ॥ ୧୩୯
ବୋଲଇ ବାହ ବେଗେ ରଥ । ଆଜ ନାଶିବି ରିପୁଯୁଥ ॥ ୧୪୦
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ଉତ୍ତରାର୍ଦ୍ଧେ ଶାଳ୍ୱଯୁଦ୍ଧେ ନାମ ଏକାଶୀତିତମ ଅଧ୍ୟାୟଃ ॥
ଦ୍ୱିଅଶୀତିତମ ଅଧ୍ୟାୟ
[ସମ୍ପାଦନା]- ଶୁକ ଉବାଚ
ଶୁକ କହନ୍ତି ରାଜା ଆଗେ । କୃଷ୍ଣନନ୍ଦନ ଅତିବେଗେ ॥ ୧
ତୃଷିତେ ରଥୁଁ ଅବତରି । ସନ୍ତୋଷେ ଜଳପାନ କରି ॥ ୨
କର-ଚରଣ- କଳେବରେ । ଜଳ ସିଞ୍ଚିଲା ସୁଖଭରେ ॥ ୩
କବଚ ଭରି କଳେବରେ । ଧନୁ ଧଇଲା ବାମକରେ ॥ ୪
ମୀନକେତନେ ବିଜେ କଲା । ସାରଥୀ ମୁଖକୁ ଚାହିଁଲା ॥ ୫
ବୋଲେ ସାରଥୀ ମୁଖ ଚାହିଁ । ବେଗେ ତୁ ଚଳ ରଥ ବାହି ॥ ୬
ଦ୍ୟୁମାନ ମୁଖେ ରଥ କର । ତା ତୁଲେ ସମର ମୋହର ॥ ୭
ଶୁଣି ଦାରୁକସୁତ ବେଗେ । ମିଳିଲା ଦ୍ୟୁମାନର ଲାଗେ ॥ ୮
ଅସୁରମାୟା ଅପ୍ରମିତ । ଅସୁରବଳ କରେ ହତ ॥ ୯
ରୁକ୍ମିଣୀସୁତ ଦେଖି ରୋଷେ । ହୁଙ୍କାର କରି ଗୁଣ ଘୋଷେ ॥ ୧୦
ସନ୍ଧାନ କଲା ଅଷ୍ଟଶର । କେ କହୁ ମହିମା ତାହାର ॥ ୧୧
ରଥ ତୁରକ ଚାରିବାଣେ । ଛିଡି ପଡିଲେ ଘୋରରଣେ ॥ ୧୨
ସାରଥୀ ଏକବାଣେ ମଲା । ବେନି ନାରାଚେ ଧ୍ୱଜ ଗଲା ॥ ୧୩
ଏକା ନାରାଚେ ଛେଦି ଶିର । ବିମାନ କଲା ଶତେ ଚୁର ॥ ୧୪
ଗଦ ସାତ୍ୟକି ଶାମ୍ବ ଆଦି । ତୀକ୍ଷ୍ମ ନାରାଚ ବେଗେ ବିନ୍ଧି ॥ ୧୫
ଶାଲ୍ୱସଇନି କଲେ ନାଶ । ନାରାଚେ ନ ଦିଶେ ଆକାଶ ॥ ୧୬
ଶିର ଛିଡିଲା ଭୁଜବଳେ । ପଡିଲା ବାରାନିଧି ଜଳେ ॥ ୧୭
ଏମନ୍ତେ ଶାଲ୍ୱ ଯଦୁବୀରେ । ଋଣ ବଢିଲା ଏକୁଆରେ ॥ ୧୮
ଯୁଦ୍ଧ କରନ୍ତେ କୃଷ୍ଣବାଳା । ତ୍ରିନବରାତ୍ର ହେଲେ ଗଲା ॥ ୧୯
ଏବେ ହୋ ଶୁଣ ପରୀକ୍ଷିତ । ଇନ୍ଦ୍ରପ୍ରସ୍ଥରେ ଯଦୁନାଥ ॥ ୨୦
ଥିଲେ ରାଜୁସିଯଜ୍ଞକାଳେ । ଚକ୍ରେ ସଂହାରି ଶିଶୁପାଳେ ॥ ୨୧
ତାହାର ଭ୍ରାତ ଶାଲ୍ୱବୀର । ଯଦୁଙ୍କ ସଙ୍ଗତେ ସମର ॥ ୨୨
ତାହା ଜାଣିଲେ ଭାବଗ୍ରାହୀ । ଏମନ୍ତେ ଇନ୍ଦ୍ରପ୍ରସ୍ଥେ ଥାଇ ॥ ୨୩
ଦ୍ୱାରକାଯିବା ସଜ ହୋଇ । ପଣ୍ତୁନନ୍ଦ ଆଗେ କହି ॥ ୨୪
ଗୁରୁ ବୃଦ୍ଧଙ୍କୁ ଆଜ୍ଞା ମାଗି । ପିତୃଭଗିନୀପାଦେ ଲାଗି ॥ ୨୫
ମୁନିଙ୍କି କରି ନମସ୍କାର । ଗୋବିନ୍ଦ ହୋଇଲେ ବାହାର ॥ ୨୬
ଦେଖିଲେ ଅନ୍ଧକାର ଦିଶ । ନିର୍ଘାତେ କମ୍ପଇ ଆକାଶ ॥ ୨୭
ଭୂମି ଗଗନ ଅନ୍ତରୀକ୍ଷେ । ଉତ୍ପାତ ଦିଶଇ ପ୍ରତ୍ୟକ୍ଷେ ॥ ୨୮
ଘୋର ନିର୍ଘାତ ରିଷ୍ଟ ଚାହିଁ । ମନେ ଭାଳନ୍ତି ଭାବଗ୍ରାହୀ ॥ ୨୯
ଧର୍ମନନ୍ଦନପୁରେ ମୁହିଁ । ନିଶ୍ଚିନ୍ତେ ଅଛି ଭାବବହି ॥ ୩୦
ବନ୍ଧୁବାନ୍ଧବ ମୋର ସଙ୍ଗେ । ସୁଖେ ବଞ୍ଚନ୍ତି ନାନାରଙ୍ଗେ ॥ ୩୧
ଦୁଷ୍ଟସ୍ୱଭାବେ ମହାବଳ । ମୁଁ ଯେ ନାଶିଲି ଶିଶୁପାଳ ॥ ୩୨
ତାହାର ପକ୍ଷ ରାଜା ଯେତେ । ସକଳ ମିଳି କୋପଚିତ୍ତେ ॥ ୩୩
ନିଶ୍ଚେ ନାଶିଲେ ମୋର ପୁର । ତେଣୁ ଏ ରିଷ୍ଟ ମହାଘୋର ॥ ୩୪
ଶ୍ରୀକୃଷ୍ଣ ଏମନ୍ତ ବିଚାରି । ବେଗେ ମିଳିଲେ ନିଜପୁରୀ ॥ ୩୫
ଦେଖିଲେ ପ୍ରଜାଙ୍କ କଷଣ । ପୁତ୍ରେ କରନ୍ତି ଘୋରରଣ ॥ ୩୬
ନିଜ କୁଟୁମ୍ବ ରକ୍ଷା କରି । ପୁରେ ରହିଲେ ହଳଧାରୀ ॥ ୩୭
ରାମଙ୍କୁ ରଖି ନିଜପୁରେ । ଗୋବିନ୍ଦ ସାଜିଲେ ସମରେ ॥ ୩୮
ଦାରୁକେ ରାଇ ବନମାଳୀ । ବୋଲନ୍ତି ବେନିଭୂଜ ତୋଳି ॥ ୩୯
ତୁ ଯେବେ ସାରଥୀ ମୋହର । ଶାଲ୍ୱ ନିକଟେ ରଥ କରି ॥ ୪୦
ଚିତ୍ତେ ନ କର ତୁହି ହ୍ରାସ । ଜାଣ ତୁ ଶାଲ୍ୱ ଗଲା ନାଶ ॥ ୪୧
ଏମନ୍ତେ କୃଷ୍ଣଆଜ୍ଞା ପାଇ । ଦାରୁକ ବେଗେ ରଥ ବାହି ॥ ୪୨
ଗରୁଡ ବସେ ରଥ ଶିଖେ । ସ୍ୱର୍ଗେ ଦେଖନ୍ତି ବୃନ୍ଦାରକେ ॥ ୪୩
ଉଭୟବଳ ମଧ୍ୟେ ରଥ । ଶାଲ୍ୱ ଦେଖିଲା ଯଦୁନାଥ ॥ ୪୪
ସ୍ୱଭାବେ ହୀନବଳ- ପ୍ରାଣ । ମାୟା ପ୍ରକାଶେ ଗରୁଟାଣ ॥ ୪୫
ଦେଖି ଦାରୁକ ଦାମୋଦର । କୋପେ ଗର୍ଜଇ ମହାବୀର ॥ ୪୬
ଶକ୍ତିଏ ଥିଲା ତାର ହସ୍ତେ । କୋପେ ବୁଲାଇ ଶୂନ୍ୟପଥେ ॥ ୪୭
ରବିକିରଣ ପ୍ରାୟ ଦିଶି । କୃଷ୍ଣ ଉପରେ ଦେଲା ପେଷି ॥ ୪୮
ଶକ୍ତିଶବଦେ ଦିଗ ପୁର । ଦେଖି ଗୋବିନ୍ଦ ଧନୁ ଧରି ॥ ୪୯
ତୀକ୍ଷ୍ନ ନାଚାଚେ ଦାମୋଦର । ଶକତି କଲେ ଶତେ ଚୁର ॥ ୫୦
ଆକାଶେ ଭ୍ରମେ ମାୟାରଥ । ଶାଲ୍ୱ ସେ ବିମାନେ ଗୁପତ ॥ ୫୧
ଦେହ ନ ଦିଶେ ଅନ୍ଧକାରେ । ଚାହିଁ ଗୋବିନ୍ଦ କୋପଭରେ ॥ ୫୨
ଶର ବରଷେ ଯଦୁନାଥ । ଗଗନେ ଯେହ୍ନେ ଛାୟାକାନ୍ତ ॥ ୫୩
ତାପଇ ନିଜ ରଶ୍ମିଜାଳେ । କୃଷ୍ଣନାରାଚ ଅନ୍ତରାଳେ ॥ ୫୪
ନିମିଷମାତ୍ରେ କୋଟି କୋଟି । ବିଷ୍ଣୁନାରାଚ ଶୁନ୍ୟେ ଘୋଟି ॥ ୫୫
ଦେଖି ଚକିତ ମହାବୀର । ଲ୍ୟୈହ ଧନୁଏ ଧରି କର ॥ ୫୬
ମାୟା ପ୍ରକାଶି ଗରୁଟାଣ । କୋପେ ବିନ୍ଧିଲା ତୀକ୍ଷ୍ମବାଣ ॥ ୫୭
ତକ୍ଷଣେ କୃଷ୍ଣବାମ ମୁଷ୍ଟି । ଧନୁସହିତେ ଗଲା ଫୁଟି ॥ ୫୮
ହସ୍ତୁ ପଡିଲା ଧନୁ ତଳେ । ଦେଖି ଚକିତ ଦିଗପାଳେ ॥ ୫୯
କରନ୍ତି ହାହାକାରା ବାଣୀ । ଶାଲ୍ୱ ବୋଲଇ ତାହା ଶୁଣି ॥ ୬୦
ରେ ମୂଢ ଶୁଣ ମୋର ବାଣୀ । ମୋ ମିତ ବରିଲା ରୁକ୍ମିଣୀ ॥ ୬୧
ମଙ୍ଗଳ ଶୁଭଲଗ୍ନ ବେଳେ । ସେ କନ୍ୟା ନେଇଅଛୁ ବଳେ ॥ ୬୨
ସଭାର ମଧ୍ୟେ ଅବିଶ୍ୱାସ । ଶିଶୁପାଳକୁ କଲୁ ନାଶ ॥ ୬୩
ଏବେ ପଡିଲୁ ମୋର ମୁଖେ । ସମର କର ଆତ୍ମା ସୁଖେ ॥ ୬୪
ଦେଖ ମୋ ନାରାଚ ପ୍ରଚଣ୍ତ । ଏଥେ କାଟିବି ତୋର ମୁଣ୍ତ ॥ ୬୫
ଅଜେୟ ବୋଲାଉ ଜଗତେ । ଆଜ ପଡିଲୁ ମୋ ଅଗ୍ରତେ ॥ ୬୬
ଏମନ୍ତ ତାର ବାକ୍ୟ ଶୁଣି । ହସି ବୋଲନ୍ତି ଚକ୍ରପାଣି ॥ ୬୭
ଶୁଣ ମୋ ଶାଲ୍ୱ ମହାବୀର । ଏ କଥା ଉଚିତ ତୋହର ॥ ୬୮
ତୋ ପଞ୍ଚପ୍ରାଣ କଣ୍ଠତଟେ । ଯମକୁ ନ ଦେଖୁ ନିକଟେ ॥ ୬୯
ମରଣକାଳେ ଯେହ୍ନେ ପ୍ରାଣୀ । ଗୁରୁଗଉରବ ନ ଗଣି ॥ ୭୦
ପ୍ରଳାପ କରେ ରୋଗତାପେ । କୃତାନ୍ତ ସେବକ ସମୀପେ ॥ ୭୧
ଯେ ଯାହା ବୀରପଣ ବଳେ । ଲୋକେ ଦେଖନ୍ତି ଯୁଦ୍ଧକାଳେ ॥ ୭୨
ଆତ୍ମପ୍ରଶଂସା ଯେ କରନ୍ତି । ସେ ପ୍ରାଣୀ ନରକେ ପଡନ୍ତି ॥ ୭୩
ଏମନ୍ତ କହୁଁ କହୁଁ ହରି । ଦକ୍ଷିଣଭୂଜେ ଗଦା କରି ॥ ୭୪
ଉଠି ତାହାର ରଥ ଦଣ୍ତେ । ଗଦା ପ୍ରହାର କଲେ ମୁଣ୍ତେ ॥ ୭୫
ଶବଦ ଶୁଭେ ମହାଘୋର । ବଦନୁ ଗଳାଇ ରୁଧିର ॥ ୭୬
ଦେଖନ୍ତି ପ୍ରଭୁ ଭଗବାନ । ଶାଲ୍ୱ ହୋଇଲା ଅନ୍ତର୍ଦ୍ଧାନ ॥ ୭୭
କୃଷ୍ଣ ଚାହାନ୍ତି ଦଶଦିଶେ । ବିଷମମାୟା ପରକାଶେ ॥ ୭୮
ଏମନ୍ତେ ଗଲା ଦଣ୍ତଚାରି । ମାୟାପୁରୁଷ ରୂପ ଧରି ॥ ୭୯
ବେଗେ ମିଳିଲା କୃଷ୍ଣପାଶେ । ଚରଣେ ନମଇଁ ବିଶ୍ୱାସେ ॥ ୮୦
ବୋଲଇ ଶିରେ ଦେଇ ହସ୍ତ । ଦେବକୀଦେବୀର ମୁଁ ଦୂତ ॥ ୮୧
କଣ୍ଠକୁଣ୍ଠିତେ ବାକ୍ୟ କହେ । ବେନି ଲୋଚନୁ ଅଶ୍ରୁ ବହେ ॥ ୮୨
ହେ କୃଷ୍ଣ କୃଷ୍ଣ ମହାଭୁଜ । ମହାପୁରୁଷ ବିଶ୍ୱତେଜ ॥ ୮୩
ଆଜ ରଜନୀ ଅର୍ଦ୍ଧନିଶି । ଶାଲ୍ୱ ଦ୍ୱାରକାପୁରେ ପଶି ॥ ୮୪
ଯୁଦ୍ଧେ ଯାଦବବଳ ମାରି । ବସୁଦେବଙ୍କୁ ନେଲା ଧରି ॥ ୮୫
ପୁରେ କାନ୍ଦନ୍ତି ବଧୁଜନେ । ପଶୁଙ୍କୁ ପଶୁମାର ଯେହ୍ନେ ॥ ୮୬
ପିତୃବତ୍ସଳ ନାଥ ତୁହି । କହିଲି ମୋର ଦୋଷ ନାହିଁ ॥ ୮୭
ଏମନ୍ତେ ଦୂତବାକ୍ୟ ଶୁଣି । ମନୁଷ୍ୟ - ମୋହେ ଚକ୍ରପାଣି ॥ ୮୮
ପିତାର ସ୍ନେହପାଶେ ଗ୍ରସ୍ତ । ବିଭ୍ରମଚିତ୍ତେ ମୋହଗତ ॥ ୮୯
ଇତରଜନ ପ୍ରାୟ ଭାଳି । ମନେ ଚିନ୍ତିଲେ ବନମାଳୀ ॥ ୯୦
ଏ ତ ବିଷମ ବିପରୀତ । ଦେବକୀ ପେଷିଛନ୍ତି ଦୂତ ॥ ୯୧
ଯହିଁ ରକ୍ଷକ ହଳଧର । ଦେବଦାନବେ ଅଗୋଚର ॥ ୯୨
ତାହାଙ୍କୁ ଜିଣିଲା କେମନ୍ତେ । ବିହି ହୋଇଲା ବାମ ମୋତେ ॥ ୯୩
ଏ ଶାଲ୍ୱ କୀଟ ପ୍ରାୟ ମୋତେ । ରାମଙ୍କୁ ଜିଣିଲା କେମନ୍ତେ ॥ ୯୪
ଏତେ ବିଚାରି ନରହରି । ଭାଳନ୍ତି ହସ୍ତେ ଗଦା ଧରି ॥ ୯୫
ଦିଗେ ଦିଶନ୍ତି ଧୂମମେୟ । ଭୂମି ପ୍ରଚଣ୍ତ ଘୋରବାୟେ ॥ ୯୬
ଦେଖନ୍ତି ପ୍ରଭୁ ଭଗବାନ । ଗଗନେ ପ୍ରକାଶେ ବିମାନ ॥ ୯୭
ରବିକିରଣ ପ୍ରାୟ ଦିଶେ । ଶାଲ୍ୱ ମିଳିଲା କୃଷ୍ଣ ପାଶେ ॥ ୯୮
ବସୁଦେବର କେଶ ଧରି । ଝିଙ୍କଇ ଘୋରନାଦ କରି ॥ ୯୯
କୃଷ୍ଣଙ୍କୁ ଚାହିଁ ମହାରୋଷେ । ବୋଲଇ ବଚନ ପରୁଷେ ॥ ୧୦୦
ଦେଖ ଏ ତୋ ପିତା ଅଧମ । ଯାହାର ବୀର୍ଯ୍ୟେ ତୁ ଜନମ ॥ ୧୦୧
ଏହାର ଅର୍ଥେ ଦେହ ବହୁ । ଶ୍ରୀବାସୁଦେବ ତୁ ବୋଲାଉ ॥ ୧୦୨
ତୁ ଯେବେ ବୋଲାଉ ସମର୍ଥ । ଆଜ ମରୁଣୁ ରତ ତାତ ॥ ୧୦୩
ଏମନ୍ତେ କରଇ ଭର୍ତ୍ସନ । ଦୁଃସହ ନିଷ୍ଠୁର ବଚନ ॥ ୧୦୪
ଆକର୍ଷି ବସୁଦେବ ଆଣି । ତୀକ୍ଷ୍ମ ଖଡଗେ ଶିର ହାଣି ॥ ୧୦୫
କୃଷ୍ଣ କୋଳକୁ ଫିଙ୍ଗି ଦେଲା । ବିମାନେ ଗଗନେ ପଶିଲା ॥ ୧୦୬
ପିତାବଦନ ଦେଖି ହରି । ମୁହୂର୍ତ୍ତେ ମାତ୍ର ଶୋକ କରି ॥ ୧୦୭
ସ୍ୱଜନ ଅନୁଷଙ୍ଗ ଦୋଷେ । ନିଜ ପ୍ରକୃତି ମାୟା ଗ୍ରାସେ ॥ ୧୦୮
ଶୁଦ୍ଧ ସ୍ୱଭାବେ ନିରଞ୍ଜନ । ସ୍ୱୟଂ ପ୍ରକାଶ ଠୁଳ ଶୂନ୍ୟ ॥ ୧୦୯
ଜଗତପତି ଜ୍ଞାନଗୁରୁ । କେବା ମହିମା ଅନ୍ତଃ କରୁ ॥ ୧୧୦
ତକ୍ଷଣେ ପ୍ରଭୁ ଭଗବାନ । ନିଜ ସ୍ୱଭାବେ ଅବଧାନ ॥ ୧୧୧
ଜ୍ଞାନପ୍ରକାଶେ ମାୟା ନାଶ । ସୁଜ୍ଞାନ ଗୋବିନ୍ଦେ ପ୍ରକାଶ ॥ ୧୧୨
ଜାଣିଲେ ମୟ-ମାୟାବଳେ । ଶାଲ୍ୱ ଯୁଝଇ ମୋର ତୁଲେ ॥ ୧୧୩
ଏମନ୍ତ ଭାଳି କୃଷ୍ଣ ଚାହିଁ । ଦେଖିଲେ ରଥେ କେହି ନାହିଁ ॥ ୧୧୪
ନ ଦିଶେ ପିତା ଛିନ୍ନଶିର । ଦୂତ ହିଁ ହୋଇଲା ଅନ୍ତର ॥ ୧୧୫
ସ୍ୱପ୍ନେ ଯେସନେ ନିଦ୍ରାବୋଧେ । ଶ୍ରୀକୃଷ୍ଣ ଚାହାନ୍ତି ଆନନ୍ଦେ ॥ ୧୧୬
ଘୋର ଅନ୍ଧାରେ ମୟଯାନ । ଗଗନେ ଦେଖି ଭଗବାନ ॥ ୧୧୭
ରିପୁମାରଣେ ସାବଧାନ । ଶୁଣ ହୋ ପରୀକ୍ଷ ରାଜନ ॥ ୧୧୮
ବେଦବଚନେ ଋଷିଗଣେ । ପୂଜନ୍ତି ଯାହାର ଚରଣେ ॥ ୧୧୯
ସ୍ମରଣ କରି ନାମ ହୃଦେ । ତରନ୍ତି ସଂସାର ପ୍ରମାଦେ ॥ ୧୨୦
ତାହାର କାହିଁ ଶୋକ ମୋହ । ଅଜ୍ଞାନେ ଜାତ ସ୍ନେହଭୟ ॥ ୧୨୧
ଲୀଳା ପ୍ରକାରେ ଅନୁମାନେ । ଅବିଦ୍ୟା ବିରୋଧ ବଚନେ ॥ ୧୨୨
ଅଖଣ୍ତ ବିଜ୍ଞାନ ଯାହାର । ଜ୍ଞାନ ଅଜ୍ଞାନର ଈଶ୍ୱର ॥ ୧୨୩
ଯା ପାଦପଦ୍ମ ସେବା ଫଳେ । ନିର୍ମଳଆତ୍ମା ଜ୍ଞାନବଳେ ॥ ୧୨୪
ଅଜ୍ଞାନ ଅବିଦ୍ୟା ନାଶନ୍ତି । ଜନ୍ମ ମରଣେ ନାହିଁ ଭ୍ରାନ୍ତି ॥ ୧୨୫
ଲଭନ୍ତି ଆତ୍ମାନନ୍ଦ ହରି । ସକଳ ବିଷାଦ ପାସୋରି ॥ ୧୨୬
ଯାର ସେବକ ଏ ଜଗତେ । ମୋହ ନଯାନ୍ତି ମାୟାଗ୍ରସ୍ତେ ॥ ୧୨୭
ତାହାର ମାୟାମୋହ କାହିଁ । ଏବେ ହୋ ଶୁଣ ମନଦେଇ ॥ ୧୨୮
ଶାଲ୍ୱ ଗଗନପଥେ ଥାଇ । କୃଷ୍ଣଙ୍କୁ ବାଣ ବରଷଇ ॥ ୧୨୯
ଦେଖି ତାହାର ରଥ ଶୁନ୍ୟେ । ଗୋବିନ୍ଦ ତୀକ୍ଷ୍ମବାଣ ମୁନେ ॥ ୧୩୦
ତାହାର ଶସ୍ତ୍ର କଲେ ନାଶ । ତମ ଯେସନେ ରବିତ୍ରାସ ॥ ୧୩୧
ଚର୍ମ ଖଡଗ ଧନୁଦଣ୍ତ । ତକ୍ଷଣେ କଲେ ଖଣ୍ତ ଖଣ୍ତ ॥ ୧୩୨
ତାହାର ଶିରୋମଣି ହରି । ଗଦା ପ୍ରହାରେ ରଥ ଚୁରି ॥ ୧୩୩
ଗୋବିନ୍ଦ ହସ୍ତେ ଗଦା ବେଗେ । ମାୟାବିମାନ ଶୂନ୍ୟମାର୍ଗେ ॥ ୧୩୪
ଭାଙ୍ଗି ହୋଇଲା ଶତେଖଣ୍ତ । ଶବଦ ଶୁଭଇ ପ୍ରଚଣ୍ତ ॥ ୧୩୫
ଆକାଶେ ଦେଖନ୍ତି ବିବୁଧେ । ବୁଡିଲା ସିନ୍ଧୁଜଳ ମଧ୍ୟେ ॥ ୧୩୬
ବିମାନୁଁ ପଡି ଅନ୍ତରାଳେ । ଶାଲ୍ୱ ମିଳିଲା ମହୀତଳେ ॥ ୧୩୭
ଦକ୍ଷିଣକରେ ଗଦା ଘେନି । ଧାମନ୍ତେ କମ୍ପଇ ମେଦିନୀ ॥ ୧୩୮
ଦେଖି ଗୋବିନ୍ଦ ଆଗସରି । ଅଭେଦ ବାଣ କରେ ଧରି ॥ ୧୩୯
ଗଦା ସହିତେ ତାର କର । ଦୁରୁ ଛେଦିଲେ ଦାମୋଦର ॥ ୧୪୦
ଶାଲ୍ୱର ପ୍ରାଣ ନାଶିବାରେ । ସୁଦରଶନ ଧରି କରେ ॥ ୧୪୧
ପ୍ରଳୟରବି ପ୍ରାୟ ତେଜେ । ଶୋହେ ଶ୍ରୀକୃଷ୍ଣ ଦକ୍ଷଭୁଜେ ॥ ୧୪୨
ଯାହାର ତେଜେ କମ୍ପେ ମହୀ । କି ପଟାନ୍ତର ଦେବି ମୁହିଁ ॥ ୧୪୩
ଉଦୟଗିରି ସୂର୍ଯ୍ୟଯୋଗେ । ଯେହ୍ନେ ବିରାଜେ ପୂର୍ବଦିଗେ ॥ ୧୪୪
ଚକ୍ର ପ୍ରହାରି ଦାମୋଦର । ଦୁରୁ ଛେଦିଲେ ତାର ଶିର ॥ ୧୪୫
ଶିର ପଡିଲା ମହୀତଳେ । ବିରାଜେ କିରୀଟ କୁଣ୍ତଳେ ॥ ୧୪୬
ବାସବ ବଜ୍ରେ ବୃତ୍ତ୍ର ଯେହ୍ନେ । ହାହା ଶବଦ କଲେ ଶୂନ୍ୟେ ॥ ୧୪୭
ଶାଲ୍ୱ ଜୀବନ ତେଜରାଶି । ତକ୍ଷଣେ କୃଷ୍ଣଦେହେ ପଶି ॥ ୧୪୮
ବିଜୁଳି ଯେହ୍ନେ ନୀଳମେଘେ । ଦେବେ ଦେଖନ୍ତି ଶୂନ୍ୟମାର୍ଗେ ॥ ୧୪୯
ଏମନ୍ତେ ଶାଲ୍ୱ ନାଶ ଗଲା । ଅବନୀ ଉଶ୍ୱାସ ହୋଇଲା ॥ ୧୫୦
ବାଜଇ ଦୁନ୍ଦୁଭି ଶବଦ । ନାଚନ୍ତି ଅପସରାବୃନ୍ଦ ॥ ୧୫୧
ତାହାର ସଖା ଦନ୍ତବକ୍ର । ଗୋବିନ୍ଦେ ହୋଇ ରିପୁଚକ୍ର ॥ ୧୫୨
ମିଳିଲା ଶ୍ରୀକୃଷ୍ଣ ଅଗ୍ରତ । ହୃଦେ ସୁମରି ଭାତୃହତ ॥ ୧୫୩
କହଇ ବିପ୍ର ଜଗନ୍ନାଥ । କୃଷ୍ଣଚରିତ ଭାଗବତ ॥ ୧୫୪
ଭାରା ହରଣେ କୃଷ୍ଣ କଥା । ଶୁଣନ୍ତେ ହରେ ଭବବ୍ୟଥା ॥ ୧୫୫
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ଉତ୍ତରାର୍ଦ୍ଧେ ସୌଭବଧୋ ନାମ ଦ୍ୱିଅଶୀତିତମ ଅଧାୟଃ ॥
ତ୍ରିଅଶୀତିତମ ଅଧ୍ୟାୟ
[ସମ୍ପାଦନା]- ଶୁକ ଉବାଚ
ବୋଲନ୍ତି ବ୍ୟାସଙ୍କ ନନ୍ଦନ । ରାଜନ ପୁଅ ସାବଧାନ ॥ ୧
ମଲେ ଯେ ଶାଲ୍ୱ ଶିଶୁପାଳ । ଯୁଦ୍ଧେ ପୌଣ୍ତ୍ରକ ମହାବଳ ॥ ୨
ଏହାର ସଖା ଦନ୍ତବକ୍ର । କୃଷ୍ଣେ ସାଜିଲା ରିପୁଚକ୍ର ॥ ୩
ସୁହୃଦ୍ଧର୍ମ ପରଲୋକେ । ଦେଖାଇ ଯୁଦ୍ଧେ ଗଲା ଏକେ ॥ ୪
ଏକାକୀ ଧାଏଁ କୋପ କରି । ଦକ୍ଷିଣଭୂଜେ ଗଦା ଧରି ॥ ୫
ଧରଣୀ କମ୍ପେ ପାଦଭରେ । ମିଳିଲା କୃଷ୍ଣର ଛାମୁରେ ॥ ୬
ଦେଖି ତାହାର ମହାକାୟ । ସତ୍ୱରେ ପ୍ରଭୁ ଦେବରାୟ ॥ ୭
ରଥୁଁ ଓହ୍ଲାଇ ପାଦେ ଗମି । ଧାଇଁଲେ କରେ ଗଦା ଘେନି ॥ ୮
ସମୁଦ୍ର ଯେହ୍ନେ ଲଙ୍ଘେ ତୀର । କୃଷ୍ଣ ମିଳିଲେ ତା ଛାମୁର ॥ ୯
କୃଷ୍ଣଙ୍କୁ ଦେଖି ଗଦା ତୋଳି । କୋପେ ବୋଲଇ ମହାବଳୀ ॥ ୧୦
ଆଜ ମୋହର ଭାଗ୍ୟରାଶି । ତୁ ମୋର ଦୃଷ୍ଟିପଥେ ଆସି ॥ ୧୧
ପଡିଲୁ ଆଜ ଯିବୁ କାହିଁ ।ରେ ଦୁଷ୍ଟ ମୁଖ ତୋ ନ ଚାହିଁ ॥ ୧୨
ମୋର ମାତୁଳସୁତ ତୁହି । ସ୍ୱଭାବେ ଅଟୁ ମିତ୍ରଦ୍ରୋହୀ ॥ ୧୩
ଧିକ ତୋହର ଶସ୍ତ୍ରଦୀକ୍ଷା । ମୋର ମରଣେ ତୋର ଇଚ୍ଛା ॥ ୧୪
ଏ ବଜ୍ରକଳ୍ପ ଗଦାଘାତେ । ଆଜ ପେଷିବି ଯମପଥେ ॥ ୧୫
ତୋହର ତୁଲେ କରି ଋଣ । ଆଜ ଶୁଝିବି ଭାତୃଋଣ ॥ ୧୬
ତୁ ବନ୍ଧୁ ରିପୁ ମୋ ବଇରୀ । ମୁଁ ଆଜ ଋଣେ ତୋତେ ମାରି ॥ ୧୭
ନିଶ୍ଚିନ୍ତେ ହୋଇବି ଆନନ୍ଦ । ବ୍ୟାଧିକି ଯେସନେ ଔଷଧ ॥ ୧୮
ରୋଗ ନ ମଲେ ଦେହ ମରେ । ବ୍ୟାଧି ଚିକିତ୍ସା ଯେ ନ କରେ ॥ ୧୯
ଏମନ୍ତେ କଟୁବାକ୍ୟ ବୋଲି । ଦକ୍ଷିଣଭୁଜେ ଗଦାତୋଳି ॥ ୨୦
ପିଟିଲା ଗୋବିନ୍ଦର ମୁଣ୍ତେ । ଘୋରଶବଦ କରି ତୁଣ୍ତେ ॥ ୨୧
ଗଦା ପ୍ରହାରେ ଋଣ ମଧ୍ୟେ । ଗୋବିନ୍ଦ ନ ଚଳିଲେ ପାଦେ ॥ ୨୨
ବିଷମ-ଗଦାଘାତ ସହି । ତକ୍ଷଣେ ପ୍ରଭୁ ଭାବଗ୍ରାହୀ ॥ ୨୩
କଉମୋଦକୀ ଗଦା ବେଗେ । କୋପେ ବୁଲାଇ ଶୂନ୍ୟମାର୍ଗେ ॥ ୨୪
ହୁଙ୍କାର କରି ବାହୁବଳେ । ପିଟିଲେ ତାର ବକ୍ଷସ୍ଥଳେ ॥ ୨୫
ଗଦା ପ୍ରହାରେ ହୃଦଫାଟି । ପଡିଲା ମହୀତଳେ ଲୋଟି ॥ ୨୬
ମୁଖରୁ ଗଳଇ ରୁଧିର । ଜନେ କରନ୍ତି ହାହାକାର ॥ ୨୭
ପ୍ରସାରି କେଶ-ପାଦ-କର । ରଣେ ପଡିଲା ମହାବୀର ॥ ୨୮
ତାର ଶରୀରୁ ପୁଣ୍ୟତେଜ । ଯେହ୍ନେ ଉଦିତ ଗ୍ରହରାଦ ॥ ୨୯
ପଶିଲା କୃଷ୍ଣଦେହ ମଧ୍ୟେ । ଗଗନେ ଦେଖନ୍ତି ବିବୁଧେ ॥ ୩୦
ଧର୍ମନନ୍ଦନ ସଭାମଧ୍ୟେ । ଯେସନେ ଶିଶୁପାଳ ବଧେ ॥ ୩୧
ଦେଖିଣ ଦନ୍ତବକ୍ର ହତ । ତାହାର ଭ୍ରାତ ବିଦୁରଥ ॥ ୩୨
ଭ୍ରାତୃମରଣ ଶୋକେ ତାପି । ରୋଷେ ଦଶନେ ଓଷ୍ଠ ଚାପି ॥ ୩୩
ଖଡଗ ଚର୍ମ କରେ ଧରି । କୃଷ୍ଣଙ୍କୁ ସମରେ ଆବୋରି ॥ ୩୪
ନିଷ୍ଠୁର ବାକ୍ୟ କହେ ତୁଣ୍ତେ । ବଜ୍ର ପ୍ରହାର ଯେହ୍ନେ ମୁଣ୍ତେ ॥ ୩୫
ଦେଖି ତାହାର ବ୍ୟଗ୍ରଗତି । ଚକ୍ରପ୍ରହାରେ ଯଦୁପତି ॥ ୩୬
ବେଗେ ଛେଦିଲେ ତା କପାଳ । ବିରାଜେ କିରୀଟ କୁଣ୍ତଳ ॥ ୩୭
ଶିର ପଡିଲା ଭୂମିମଧ୍ୟେ । ପ୍ରାଣ ପଶିଲା କୃଷ୍ଣହୃଦେ ॥ ୩୮
ଏମନ୍ତେ ଶାଲ୍ଫ ଶିଶୁପାଳ । ସଂହାରି ମଦନଗୋପାଳ ॥ ୩୯
ଦନ୍ତବିକଟ ବିଦୁରଥ । କୃଷ୍ଣର ହସ୍ତେ ହୋଇ ହତ ॥ ୪୦
ପଶିଲେ ଅଭୟଚରଣେ । ଯେ ଅବା ମଲେ କୃଷ୍ଣରଣେ ॥ ୪୧
ମୁନି କରନ୍ତି ଜୟବାଣୀ । ପୁଷ୍ପବରଷି ସ୍ତୁତି ଭଣି ॥ ୪୨
ଦେବେ ଯେ ଶୂନ୍ୟମାର୍ଗେ ଥିଲେ । ଶ୍ରୀଅଙ୍ଗେ ପୁଷ୍ପ ବରଷିଲେ ॥ ୪୩
ଦୁନ୍ଦୁଭି ବାଜେ ସୁରଲୋକେ । ନାରୀ ନାଚନ୍ତି କଉତୁକେ ॥ ୪୪
ଯକ୍ଷ କିନ୍ନର ବିଦ୍ୟାଧରେ । ଗନ୍ଧର୍ବେ ଗାବନ୍ତି ସୁସ୍ୱରେ ॥ ୪୫
କୃଷ୍ଣବିଜୟ କଉତୁକେ । ଆନନ୍ଦେ ସୁର- ନରଲୋକେ ॥ ୪୬
ଯାଦବବଳ ସଙ୍ଗେ ହରି । ପ୍ରବେଶ ଦ୍ୱାରକାନଗରୀ ॥ ୪୭
ସେ ହରିଚରଣ ପଙ୍କଜେ । ବ୍ରାହ୍ମଣ ଜଗନ୍ନାଥ ଭଜେ ॥ ୪୮
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତାୟାଂ ଦଶମସ୍କନ୍ଧେ ଉତ୍ତରାର୍ଦ୍ଧେ ଦନ୍ତବକ୍ର -
ବିଦୁରଥବଧୋ ନାମ ତ୍ରିଅଶୀତିତମ ଅଧ୍ୟାୟଃ ॥
ଚତୁଃଅଶୀତିତମ ଅଧ୍ୟାୟ
[ସମ୍ପାଦନା]- ଶୁକ ଉବାଚ
ଶୁଣ ହୋ ଅଭିମନ୍ୟୁସୁତ । କୃଷ୍ଣଚରିତ ଭାଗବତ ॥ ୧
ଏମନ୍ତେ ପ୍ରଭୁ ନରହରି । ମନୁଷ୍ୟରୂପେ ଅବତରି ॥ ୨
ସ୍ୱଭାବେ ମାୟା ଅପ୍ରମିତ । ସେ କାହୁଁ ହେବେ ପରାଜିତ ॥ ୩
ତାହାଙ୍କୁ ପୀଡନ୍ତି ଅସୁରେ । ବିନାଶ ହୁଅନ୍ତି ସମରେ ॥ ୪
ପଶୁଦୁଷ୍ଟଙ୍କର ଏ ମତ । ଏ ନୋହେ ପୁଣି ପରମାର୍ଥ ॥ ୫
ଏବେ ହୋ ଶୁଣ ନୃପମଣି । ଦ୍ୱାରକାପୁରେ ହଳପାଣି ॥ ୬
କୁରୁପାଣ୍ତବ ଘୋରତମ । ଶୁଣିଲେ ଯୁଦ୍ଧର ଉଦ୍ୟମ ॥ ୭
ମଧ୍ୟସ୍ଥ ପଣେ ହଳପତି । ତୀର୍ଥ ଗମନ ବ୍ୟାଜମତ ॥ ୮
ପିତାମାତାଙ୍କୁ ଆଜ୍ଞା ମାଗି । ଗୁରୁପୁତ୍ରଙ୍କ ପାଦେ ଲାଗି ॥ ୯
ସାଧୁଜନଙ୍କୁ ସଙ୍ଗ କରି । ବିଜୟ କଲେ ହଳଧାରୀ ॥ ୧୦
ଯାଇ ମିଳିଲେ କୁରୁକ୍ଷେତ୍ରେ । ପର୍ଶୁରାମର କୀର୍ତ୍ତି ଯେତେ ॥ ୧୧
ସ୍ନାହାନ ସାରି ରାମ ହ୍ରଦେ । ଦେବତା ପିତୃଙ୍କୁ ଆନନ୍ଦେ ॥ ୧୨
ଜଳତର୍ପଣେ ତୋଷି ମନ । ବ୍ରାହ୍ମଣେ ଦେଇ ମହାଦାନ ॥ ୧୩
ଗମନ୍ତି ସରସ୍ୱତୀତୀରେ । ସଙ୍ଗେ ସକଳ ବିପ୍ରବରେ ॥ ୧୪
ପୃଥୁଉଦକ ବିନ୍ଦୁସର । ଏ ବେନି ତୀର୍ଥେ ହଳଧର ॥ ୧୫
ପିତୃଦେବତା ବିପ୍ରେ ପୁଜି । ତ୍ରିତକୂପକୁ ପୁଣ ଭଜି ॥ ୧୬
ସୁଦରଶନ ସୁବିଶାଳ । ଏ ବେନିତୀର୍ଥେ କାମପାଳ ॥ ୧୭
ଆନନ୍ଦେ ସାରି ନିତ୍ୟକର୍ମ । ବ୍ରହ୍ମତୀର୍ଥରେ ଆଗମନ ॥ ୧୮
ପୁଣି ମିଳିଲେ ଚକ୍ରତୀର୍ଥେ । ସୁପ୍ରାଚୀ ସରସ୍ୱତୀ ପଥେ ॥ ୧୯
ଯମୁନାସ୍ନାନ ସାରି ଧୀରେ । ଆସି ମିଳିଲେ ଗଙ୍ଗାତୀରେ ॥ ୨୦
ତହୁଁ ଚଳିଲେ ଶୁଦ୍ଧମନେ । ମିଳିଲେ ନୈମିଷଅରଣ୍ୟେ ॥ ୨୧
ଷଷ୍ଟିସହସ୍ର ବ୍ରହ୍ମଋଷି । ଯଜ୍ଞ କରନ୍ତି ତହିଁ ବସି ॥ ୨୨
ରାମଙ୍କୁ ମୁନିଜନେ ଦେଖି । ତକ୍ଷଣେ ଆସନ ଉପେକ୍ଷି ॥ ୨୩
ପୋଛୋଟି ଗଲେ କିଛି ଦୂରେ । ପୂଜିଲେ ଅତିଥି ବେଭାରେ ॥ ୨୪
ଏମନ୍ତେ ଆଣି ତୋଷମନେ । ରାମଙ୍କୁ ବସାଇ ଆସନେ ॥ ୨୫
ସ୍ତୁତି କରନ୍ତି ମୁନିଗଣ । ଏମନ୍ତେ ରୋମହରଷଣ ॥ ୨୬
ବ୍ୟାସଙ୍କ ଶିଷ୍ୟ ସେ ଯୁକତେ । ଆସନେ ରାମଙ୍କ ଅଗ୍ରତେ ॥ ୨୭
ବସି କହନ୍ତି କୃଷ୍ଣକଥା । ଦେଖି ପାଇଲେ ରାମ ବ୍ୟଥା ॥ ୨୮
ମନେ ଭାଳନ୍ତି କୋପଚିତ୍ତେ । ଏ ତ ଅବଜ୍ଞା କଲା ମୋତେ ॥ ୨୯
ଏ ଶୂଦ୍ର ହୋଇ ବିପ୍ରମଧ୍ୟେ । ଧର୍ମାଦି ଶିକ୍ଷା ଅନୁବାଦେ ॥ ୩୦
ଗୁରୁଙ୍କ ପ୍ରାୟ ଗର୍ବ କଲା । ମୋତେ ଆସନ ନ ତେଜିଲା ॥ ୩୧
କେମନ୍ତେ ଧର୍ମ ବିପ୍ରଜନେ । କହେ ଅନୁବାଦ ବଚନେ ॥ ୩୨
ଏ ବଡ ମୋତେ ବୀପରୀତ । ସ୍ୱଭାବେ ପ୍ରତିଲୋମ ଜାତ ॥ ୩୩
ଯେଣୁ ଏ ବ୍ୟାସଙ୍କର ଶିଷ୍ୟ । ଜାଣଇ ଅତୀତ ଭବିଷ୍ୟ ॥ ୩୪
ପୁରାଣ ଇତିହାସ ଆଦି । ଏ ସର୍ବଶାସ୍ତ୍ର ଧର୍ମବାଦୀ ॥ ୩୫
କେବଳ ଆତ୍ମାକୁ ନ ଜାଣେ । ଅବିନୀତ ଏ ପରମାଣେ ॥ ୩୬
ଦମ୍ଭେ ଏ ପଣ୍ତିତ ବୋଲାଇ । ମୋତେ ନ ଗଣେ ଗର୍ବ ବହି ॥ ୩୭
ଦଷ୍ଟ ଦାମ୍ଭିକ ଦୁରାଚାର । ସ୍ୱଭାବେ ଗର୍ବ ଅହଙ୍କାର ॥ ୩୮
ଏହାର ଧର୍ମବିଦ୍ୟା ଯେତେ । ନିଶ୍ଚେ ନୁହଇଁ ଗୁଣଅର୍ଥେ ॥ ୩୯
ଏହାଙ୍କୁ ଦଣ୍ତିବାର ଅର୍ଥେ । ମୋ ଅବତାର ଏ ଜଗତେ ॥ ୪୦
ଏମନ୍ତ ହୃଦରେ ବିଚାରି । ଅନନ୍ତବଳ ଆଗସରି ॥ ୪୧
ଯେ ରାମ ଆତ୍ମାଗୁଣେ ରତ । ବିଧାତା ଫଳ ବିପରୀତ ॥ ୪୨
ହସ୍ତେ ଯେ ଥିଲା କୁଶମୁଷ୍ଟି । ତାମସଗୁଣେ କୋପଦୃଷ୍ଟି ॥ ୪୩
କୁଶକୁ ଘେନି ଅତି କୋପେ । ମିଳିଲେ ତାହାର ସମୀପେ ॥ ୪୪
କୋପେ ପ୍ରଚଣ୍ତ ଗୁରୁତର । କୁଶେ ଛେଦିଲେ ତାର ଶିର ॥ ୪୫
ହା ହା ଶବଦେ ବିପ୍ରଜନେ । ରାମଙ୍କୁ ଚାହିଁ ଖେଦମନେ ॥ ୪୬
ସଙ୍କରଷଣମୁଖ ଚାହିଁ । ବୋଲନ୍ତି ଶିରେ କର ଦେଇ ॥ ୪୭
ଭୋ ନାଥ ଜଗତ କାରଣ । ଏ ବଡ ପାପ ଆଚରଣ ॥ ୪୮
ଆଗମ ନିଗମ ଏ ବାଦ । ପ୍ରତ୍ୟେକ୍ଷ କଲୁ ବ୍ରହ୍ମବଧ ॥ ୪୯
ଭୋ ନାଥ ମହାଯଜ୍ଞ ଅର୍ଥେ । ଏହାଙ୍କୁ ଅଣାଇ ସମସ୍ତେ ॥ ୫୦
ବ୍ରହ୍ମା ଆସନେ ବସାଇଲୁ । ବଳ ଆୟୁଷ ବିସ୍ତାରିଲୁ ॥ ୫୧
ସ୍ଥାପିଲୁ କରି ଅଭିମତ । ଯାବତ ଯଜ୍ଞ ସମାପ୍ତ ॥ ୫୨
ତୁ ଯେବେ କଲୁ ଏଡେ କର୍ମ । ଏବେ ଆଚର ଦୀକ୍ଷାଧର୍ମ ॥ ୫୩
ତୁ ଯୋଗେଶ୍ୱର ଭଗବାନ । ପାଳ ତୁ ନିଗମବଚନ ॥ ୫୪
ଲୋକ ସଂଗ୍ରହ ତୁମ୍ଭେ କର । ଏ ବ୍ରହ୍ମବଧ ପ୍ରତିକାର ॥ ୫୫
ଶୁଣି ଚକିତ ହଳଧର । ବୋଲନ୍ତି ଯୋଡି ବେନିକର ॥ ୫୬
ନମସ୍ତେ ବ୍ରହ୍ମଋଷିଗଣ । କହ ହେ ଏହାର କାରଣ ॥ ୫୭
ଲୋକେ ବେଭାରେ ଯଥାବିଧି । ପ୍ରଥମକଳ୍ପେ ଯେ ପ୍ରସିଦ୍ଧି ॥ ୫୮
କହ କି କରିବି ଉପାୟ । ଯେମନ୍ତେ ହତ୍ୟା ଯିବ କ୍ଷୟ ॥ ୫୯
ମୁଁ ପୁଣି ତୁମ୍ଭ ଯଜ୍ଞଅର୍ଥେ । ସାଧିବି ନିଜ ଯୋଗମତେ ॥ ୬୦
ଏହାଙ୍କୁ ଜିଆଇବୀ ମୁହିଁ । ବଳ ଶଉର୍ଯ୍ୟ ବୁଦ୍ଧି ଦେଇ ॥ ୬୧
ସ୍ଥାପିବି ଏ ମୋହର ସତ୍ୟ । ଯାବତ ଯଜ୍ଞ ସମାପତ ॥ ୬୨
ଏମନ୍ତେ ରାମବାକ୍ୟ ଶୁଣି । ବିପ୍ରେ ବୋଲନ୍ତି ମନେ ଗୁଣି ॥ ୬୩
ଭୋ ନାଥ ଶୁଣ ହଳଧର । ଏ ସତ୍ୟବଚନ ଆମ୍ଭର ॥ ୬୪
ମରଣେ ନୋହିବ ଏ ଗ୍ରସ୍ତ । ତୁମ୍ଭର ବଚନ ଯେମନ୍ତ ॥ ୬୫
ଯଜ୍ଞେ ଏ ଥିବ ଆମ୍ଭ ମେଳେ । ଧର୍ମସଂଶୟ ପ୍ରଶ୍ନକାଳେ ॥ ୬୬
ବିପ୍ରଙ୍କ ବାକ୍ୟ ସାଧୁବାଣୀ । ରାମ ବୋଲନ୍ତି ତାହା ଶୁଣି ॥ ୬୭
ଆତ୍ମାରୁ ଆତ୍ମାର ସମ୍ଭୂତ । ଏ ବେଦବାକ୍ୟ ଅନୁମତ ॥ ୬୮
ଏହାର ପୁତ୍ରକୁ ବସାଇ । ବଳ ଆୟୁଷ ଜ୍ଞାନ ଦେଇ ॥ ୬୯
ପିତାହୁଁ ହେଉ ଗୁଣାକର । ଏମନ୍ତ କହି ହଳଧର ॥ ୭୦
ତାର ପୁତ୍ରକୁ ସାବଧାନେ । ବସାଇ ବ୍ରହ୍ମାର ଆସନେ ॥ ୭୧
ବୋଇଲେ ହୁଅ ଜ୍ଞାନସିଦ୍ଧି । ତାତୁଁ ଅନେକ ହେଉ ବୃଦ୍ଧି ॥ ୭୨
ଏମନ୍ତେ ସ୍ଥାପି ତାର ସୁତ । ବୋଲନ୍ତି ରେବତୀର କାନ୍ତ ॥ ୭୩
ଏବେ କରିବି କିସ କହ । ବିଚାରି ମୋତେ ଆଜ୍ଞା ଦିଅ ॥ ୭୪
ଶୁଣି ଆନନ୍ଦ ମୁନିଗଣ । ବୋଲନ୍ତି ଶୁଣ ସଙ୍କର୍ଷଣ ॥ ୭୫
ଇଲ୍ୱଳ ନାମେ ମହାସୁର । ବଲ୍ୱଳ ତାହାର କୁମର ॥ ୭୬
ନିତ୍ୟେ ପାର୍ବଣ ଯୋଗେ ଆସେ । ଆମ୍ଭର ଯଜ୍ଞକର୍ମ ନାଶେ ॥ ୭୭
ସେ ଦୁରାଚାର ନାଶ ଗଲେ । ଯଜ୍ଞ କରିବୁ ଆମ୍ଭେ ଭଲେ ॥ ୭୮
ଶଶୀ-ପ୍ରଳୟ-ନିଶି-ଜାଣି । ସଙ୍ଗେ ଅସୁର ବଳ ଆଣି ॥ ୭୯
ରାତ୍ରେ ମିଳଇ ଯଜ୍ଞଶାଳେ । ରାକ୍ଷସ ମାୟା ଯୋଗବଳେ ॥ ୮୦
ପୂଯ ଶୋଣିତ ମଳ ମୂତ୍ର । କୁଣ୍ତେ ବରଷେ ଅପ୍ରମିତ ॥ ୮୧
ତାହାକୁ କରି ପ୍ରାଣେ ହତ । ଆମ୍ଭକୁ କରାଅ ନିଶ୍ଚିନ୍ତ ॥ ୮୨
ଭାରତ ମଧ୍ୟେ ଯେତେ ପୂରୀ । ଦକ୍ଷିଣ ପ୍ରଦିକ୍ଷଣ କରି ॥ ୮୩
ଏମନ୍ତେ ଦ୍ୱାଦଶ ଯେ ମାସ । ଭ୍ରମିବ ପୁର ଗ୍ରାମ ଦେଶ ॥ ୮୪
ଏମନ୍ତେ ହତ୍ୟା ଯିବ ନାଶ । ନିର୍ମଳେ ନିଜପୁରେ ପଶ ॥ ୮୫
ବୋଲଇ ବିପ୍ର ଜଗନ୍ନାଥ । ତା ଶୁଣି ରାମ କୃତ୍ୟକୃତ୍ୟ ॥ ୮୬
ଅସୁର ଆଗମନ ଚାହିଁ । ଯଜ୍ଞେ ରହିଲେ ତୋଷ ହୋଇ ॥ ୮୭
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ଉତ୍ତରାର୍ଦ୍ଧେ ବଳଦେବ ଚରିତ୍ରେ ବଲ୍ୱଳବଧ ଉପକ୍ରମୋ
ନାମ ଚତୁଃଅଶୀତିତମ ଅଧ୍ୟାୟଃ ।
ପଞ୍ଚଅଶୀତିତମ ଅଧ୍ୟାୟ
[ସମ୍ପାଦନା]- ଶୁକ ଉବାଚ
ଶୁକ କହନ୍ତି ରାଜା ଆଗେ । ରାକ୍ଷସ ମିଳି ଯଜ୍ଞଭାଗେ ॥୧
ଶଶୀପାର୍ବଣ ରାତ୍ରକାଳେ । ପ୍ରଚଣ୍ତ ବାତ ସଙ୍ଗ ମେଳେ ॥୨
ଧୂଳି ପୁରିଲା ଦଶଦିଶେ । କୁତ୍ସିତ ଯୂପ ଗନ୍ଧବାସେ ॥୩
ବଲ୍ୱଳବୀର ମହାରୋଷେ । ଆଚ୍ଛାଦି ଅମେଧ୍ୟ ବରଷେ ॥୪
ଯଜ୍ଞନାଶନେ ମହାବୀର । ମାୟା ପ୍ରକାଶେ ଅନ୍ଧକାର ॥ ୫
ଭୟେ ଚାହାନ୍ତି ବ୍ରହ୍ମମୁନି । ମିଳିଲା ହସ୍ତେ ଶୂଳ ଘେନି ॥ ୬
ଘୋର ପ୍ରଚଣ୍ତ ମହାକାୟେ । ଓଷ୍ଠ କାମୋଡି କୋପେ ଚାହେଁ ॥ ୭
ତାର ବଦନ ଚାରିପାଶେ । ଅନଳଖଣ୍ତ ପ୍ରାୟ ଦିଶେ ॥ ୮
ତପତତମ୍ବା ପ୍ରାୟ ଦାଢି । ବଦନୁ ଶୁଭେ ଘୋରରଡି ॥ ୯
ବିକଟଦନ୍ତ ତାର ମୁଖେ । ଭ୍ରୁକୁଟି କୁଟିଳ ସୁରେଖେ ॥ ୧୦
ଦେଖି ତାହାର ଦୁଷ୍ଟମତି । ହଳ ସୁମରି ହଳପତି ॥ ୧୧
ହସ୍ତ ପାତିଲେ ଶୂନ୍ୟମାର୍ଗେ । ହଳ ମିଳିଲା ଆସି ବେଗେ ॥ ୧୨
ଘୋରଦାନବ ନିବାରଣେ । ମୁଷଳ ମିଳିଲା ତକ୍ଷଣେ ॥ ୧୩
ଗଗନେ ଦେଖି ତା ଶରୀର । ଲଙ୍ଗଳ ଅଗ୍ରେ ନୀଳାମ୍ବର ॥ ୧୪
ଆକର୍ଷି ଆଣି ଯଜ୍ଞଦାଣ୍ତେ । ମୁଷଳ ପ୍ରହାରିଲେ ମୁଣ୍ତେ ॥ ୧୫
ତକ୍ଷଣେ ହୋଇ ଖଣ୍ତ ଖଣ୍ତ । ତଳେ ପଡିଲା ମୃତପିଣ୍ତ ॥ ୧୬
ରୁଧିର ଗଳେ ତା ବଦନେ । ପ୍ରାଣ ଛାଡିଲା ଘୋରସ୍ୱନେ ॥ ୧୭
ଶବଦ ଦଶଦିଗେ ପୁରି । ବାସବ ବଜ୍ରେ ଯେହ୍ନେ ଗିରି ॥ ୧୮
ଅବନୀ ହୋଇଲା ଉଶ୍ୱାସ । ବ୍ରାହ୍ମଣେ ମିଳି ରାମ ପାଶ ॥ ୧୯
କଲ୍ୟାଣ କରନ୍ତି ଆନନ୍ଦେ । ନିଗମ ବାକ୍ୟ ଅନୁବାଦେ ॥ ୨୦
ପୁଷ୍ପ ବରଷି ସ୍ତୁତି ଭଣି । ସୁନ୍ଦର ଦିଶଇ ଧରଣୀ ॥ ୨୧
ରାମେ ପୁଜିଲେ ମହାଜନେ । ବୃତ୍ତ ବିନାଶେ ଇନ୍ଦ୍ରେଯେହ୍ନେ ॥ ୨୨
ନାନା କୁସୁମେ ପରିମଳ । ହୃଦେ ଲମ୍ବାଇ ବନମାଳ ॥ ୨୩
ନୀଳଦୂକୁଳ ରତ୍ନମଣି । ପୂଜିଲେ ହରଷରେ ଘେନି ॥ ୨୪
ବ୍ରାହ୍ମଣେ ହୋଇ ଅନୁଜ୍ଞାତ । ହରଷେ ରୋହିଣୀର ସୁତ ॥ ୨୫
ଚଳିଲେ ତୀର୍ଥର କାରଣେ । ମିଳିଲେ କଉଶିକୀ ସ୍ଥାନେ ॥ ୨୬
ତକ୍ଷଣେ କଉଶିକୀ ଜଳେ । ସ୍ନାନ ସାରିଲେ ବିପ୍ରମେଳେ ॥ ୨୭
ପିତୃତର୍ପଣ ସାରି ତୀରେ । ମିଳିଲେ ମାନସରୋବରେ ॥ ୨୮
ସରଯୂ ଅନୁସ୍ରୋତେ ଚଳି । ବେଣୀ-ପ୍ରୟାଗେ ଯାଇ ମିଳି ॥ ୨୯
ଗଙ୍ଗା ଯମୁନାର ସଙ୍ଗମେ । ପ୍ରୟାଗ ତୀର୍ଥେ ଶୁଦ୍ଧମନେ ॥ ୩୦
ରାମ ସାରିଲେ ନିତ୍ୟକର୍ମ । ପିତୃଦେବଙ୍କୁ ଜଳଦାନ ॥ ୩୧
ପୁଲହାଶ୍ରମ ତହୁଁ ଗଲେ । ଋଷି ବ୍ରାହ୍ମଣଙ୍କର ତୁଲେ ॥ ୩୨
ସୁଖେ ଗମନ ଯଦୁପତି । ମିଳିଲେ ଗଣ୍ତକୀ ଗୋମତୀ ॥ ୩୩
ବିପାଶା ଶୋଣନଦୀ ଜିଣି । ଗୟା ଗମିଲେ ହଳପାଣି ॥ ୩୪
ପିଣ୍ତେ ଉଦ୍ଧରି ପିତୃଗଣ । ତହୁଁ ଚଳିଲେ ତୋଷମନ ॥ ୩୫
ତହୁଁ କେତେ ହେଁ ଦିନେ ହଳୀ । ଗଙ୍ଗାସାଗରେ ଯାଇ ମିଳି ॥ ୩୬
ସ୍ନାନ ସାରିଣ କାମପାଳ । ପ୍ରବେଶ ହେଲେ ନୀଳାଚଳ ॥ ୩୭
ସମୁଦ୍ରେ ସାରିଲେ ସ୍ନାହାନ । ତହୁଁ ଚଳିଲେ ତୋଷମନ ॥ ୩୮
ମିଳିଲେ ମହେନ୍ଦ୍ର ଆଶ୍ରମେ । ତହିଁ ଭେଟିଲେ ପର୍ଶୁରାମେ ॥ ୩୯
ତାହାଙ୍କୁ କରି ନମସ୍କାର । ଗମନ କଲେ ହଳଧର ॥ ୪୦
ସପତ ଗୋଦାବରୀ ବେଣୀ । ପମ୍ପା ଯେ ଭୀମରଥୀ ଜିଣି ॥ ୪୧
କାର୍ତ୍ତିକେୟଙ୍କୁ ଦେଖିବାରେ । ମିଳିଲେ ଯାଇ ଶ୍ରୀଶଇଳେ ॥ ୪୨
ରୁଦ୍ରଙ୍କୁ କରି ନମସ୍କାର । ଦ୍ରାବିଡେ ଗଲେ ହଳଧର ॥ ୪୩
ବେଙ୍କଟପ୍ରଭୁ ଦରଶନ । ଆନନ୍ଦେ ରୋହିଣୀ ନନ୍ଦନ ॥ ୪୪
କରି ଚଳିଲେ ତପନିଷ୍ଠୀ । ପୁଣି ମିଳିଲେ କାମକୋଟୀ ॥ ୪୫
କାଞ୍ଚିକାବେରୀ ତହୁଁଗଲେ । ଯୋଗୀଜନଙ୍କ ସଙ୍ଗମେଳେ ॥ ୪୬
ଶ୍ରୀରଙ୍ଗତୀର୍ଥ ତହିଁ କରି । ନିତ୍ୟ ସଂସ୍ଥିତ ଯହିଁ ହରି ॥ ୪୭
ଋଷଭଗିରି ବିଷ୍ଣୁସ୍ଥାନ । ତହୁଁ ଚଳିଲେ ମଧୁବନ ॥ ୪୮
ଦକ୍ଷିଣପଥେ ଅପ୍ରମାଦେ । ତହୁଁ ଚଳିଲେ ସେତୁବନ୍ଧେ ॥ ୪୯
ଦୁରିତ ଦହେ ଦରଶନେ । ଶ୍ରୀରାମେ ପୂଜି ତୋଷମନେ ॥ ୫୦
ରଘୁନାଥଙ୍କ ପ୍ରୀତୀ ଅର୍ଥେ । ଧେନୁ ଉତ୍ସର୍ଗିଲେ ଅୟୁତେ ॥ ୫୧
ତହୁଁ ଆନନ୍ଦେ କାମପାଳ । ମିଳିଲେ ପୁଣ୍ୟ କୃତମାଳ ॥ ୫୨
ତହୁଁ ଚଳିଲେ ତାମ୍ରପର୍ଣ୍ଣୀ । ସଙ୍ଗେ ଅନେକ ବିପ୍ର ଘେନି ॥ ୫୩
ମଳୟ କୁଳାଚଳ ଦେଶେ । ମିଳିଲେ ଅଗସ୍ତିଙ୍କ ପାଶେ ॥ ୫୪
ଚରଣେ କରି ନମସ୍କାର । ଆଶିଷ ଘେନି ତାହାଙ୍କର ॥ ୫୫
ଦକ୍ଷିଣସିନ୍ଧୁତୀରେ ମିଳି । ରାମ ଦେଖିଲେ ଭଦ୍ରକାଳୀ ॥ ୫୬
ଦୁର୍ଗା ନିକଟୁ କୁମ୍ଭମାସେ । ରାମ ଚଳିଲେ ମନତୋଷେ ॥ ୫୭
ଉତ୍ତମ ପଞ୍ଚଅପସର । ତହୁଁ ଚଳିଲେ ହଳଧର ॥ ୫୮
ଯହିଁ ଗୋବିନ୍ଦ ସନ୍ନିହିତ । ଧେନୁ ଉତ୍ସର୍ଗିଲେ ଅୟୁତ ॥ ୫୯
ତହୁଁ ଆନନ୍ଦେ ବଳରାମ । କେରଳ ନଗରେ ଆଗମ ॥ ୬୦
ତ୍ରିଗର୍ତ୍ତଦେଶ ତହୁଁ ଦେଖି । ରାମ ମିଳିଲେ ଜ୍ୱାଳାମୁଖୀ ॥ ୬୧
ଗୋକର୍ଣ୍ଣତୀର୍ଥ ମହାସ୍ଥାନ । ଯହିଁ ଧୂର୍ଜ୍ଜଟି ସନ୍ନିଧାନ ॥ ୬୨
ତହୁଁ ଭେଟିଲେ ଆର୍ଯ୍ୟାଦେବୀ । ବ୍ୟାସନନ୍ଦିନୀ ପାଦେ ସେବି ॥ ୬୩
ତାପ୍ତୀ ପୟୋଷ୍ଣୀ ବିନ୍ଧ୍ୟା ସେବି । ଦଣ୍ତକାରଣ୍ୟ ପୁଣ୍ୟଭୁବି ॥ ୬୫
ତହୁଁ ଗମନ ରେବାତୀରେ । ପ୍ରବେଶ ମାହିଷ୍ମତୀପୁରେ ॥ ୬୬
ସ୍ନାହାନ ସାରି ମନୁତୀର୍ଥେ । ଧେନୁ ଉତ୍ସର୍ଗ ଶିବ ଅର୍ଥେ ॥ ୬୭
ସନ୍ତୋଷେ ରୋହିଣୀ ନନ୍ଦନ । ପୁଣି ପ୍ରଭାସେ ଆଗମନ ॥ ୬୮
ବନ୍ଦିଲେ ବିପ୍ରଙ୍କ ଚରଣ । ଶୁକ ବୋଲନ୍ତି ରାୟ ଶୁଣ ॥ ୬୯
କୁରୁପାଣ୍ତବ ଯୁଦ୍ଧ ବାଣୀ । ବିପ୍ରଙ୍କ ମୁଖୁ ରାମ ଶୁଣି ॥ ୭୦
ଅନେକ ରାଜା ଗଲେ ନାଶ । ବଳାକ୍ଷୌହିଣୀ ଅଷ୍ଟାଦଶ ॥ ୭୧
ଶୁଣି ସାନନ୍ଦ ହଳଧର । ବୋଇଲେ ଗଲା ଭୂମିଭାର ॥ ୭୨
ସୁଜନେ ନାହିଁ ଦୁଷ୍ଟବାଧା । ଯୁଦ୍ଧ ହୋଇଲା ଶେଷ ଗଦା ॥ ୭୩
ଶେଷେ ଯୁଝନ୍ତି ବେନିଜନ । ଦୁର୍ଜୟ ଭୀମ ଦୁର୍ଯ୍ୟୋଧନ ॥ ୭୪
ବିଷମ ଶୁଣି ଗଦାଯୁଦ୍ଧ । ରାମ ମିଳିଲେ ରଣମଧ୍ୟ ॥ ୭୫
ରାମଙ୍କୁ ଦେଖି ଧର୍ମସୁତ । ସଙ୍ଗେ ଅଛନ୍ତି ତିନିଭ୍ରାତ ॥ ୭୬
କୃଷ୍ଣ ଅଛନ୍ତି ତାଙ୍କ ମେଳେ । ତା ଦେଖି ରାମ ସୁଖଭୋଳେ ॥ ୭୭
କୃଷ୍ଣଙ୍କୁ ଆଲିଙ୍ଗନ କରି । ଧର୍ମନନ୍ଦନ କର ଧରି ॥ ୭୮
ଗୋବିନ୍ଦ ରାମପାଦେ ନମି । କିଛି ନ ବୋଲି ହେଲେ ତୁନି ॥ ୭୯
ରାମ ଚାହିଁଲେ ବେନିବୀର । ଗଦାସମରେ ମହାଘୋର ॥ ୮୦
ବାରିବା ଅର୍ଥେ ବିଚାରିଲେ । ଜାଣି ଗୋବିନ୍ଦ ମାୟା କଲେ ॥ ୮୧
ଦେଖି ମଣ୍ତଳ ଗଦାଗତି । ବୋଲନ୍ତି ରେବତୀର ପତି ॥ ୮୨
ଶୁଣ ହୋ ଦୁର୍ଯ୍ୟୋଧନ ଭୀମ । ଗଦାସମରେ ଦୁହେଁ ସମ ॥ ୮୩
ଉତ୍ତମ ଶିକ୍ଷା ଦୁର୍ଯ୍ୟୋଧନ । ବଳେ ଅଧିକ ଭୀମସେନ ॥ ୮୪
ଏ ଗଦାରଣେ ଫଳ ନାହିଁ । ସଂଗ୍ରାମ ଛାଡ ଦୁଇଭାଇ ॥ ୮୫
ଗଦା ପ୍ରହାରେ ଦୃଢମତି । ରାମର ବାକ୍ୟ ନ ଶୁଣନ୍ତି ॥ ୮୬
ବଇରୀ ବଧ ସୁମରନ୍ତି । ଘୋର ଶବଦେ ପ୍ରହାରନ୍ତି ॥ ୮୭
ରାମ ଦେଖିଲେ ତାଙ୍କ ଗତି । ଆନନ୍ଦମନେ ଦ୍ୱାରାବତୀ ॥ ୮୮
ମିଳିଲେ ରୋହିଣୀ ନନ୍ଦନ । ଦେଖି ଆନନ୍ଦ ଉଗ୍ରସେନ ॥ ୮୯
ବନ୍ଧୁ ବାନ୍ଧବ ପୁତ୍ର ବଳ । କରନ୍ତି ଜଣେ ଜଣେ କୋଳ ॥ ୯୦
ଏମନ୍ତେ ରହି ଦିନାକେତେ । ମିଳିଲେ ନଇମିଷ ତୀର୍ଥେ ॥ ୯୧
ଯଜ୍ଞେ ଯେ ଥିଲେ ମୁନିଜନେ । ତକ୍ଷଣେ ରାମର ବଚନେ ॥ ୯୨
ରାମଙ୍କୁ କରାଇଲେ ଯାଗ । ନିବୃତ କ୍ରିୟା ଅନୁରାଗ ॥ ୯୩
ସନ୍ତୋଷେ ରୋହିଣୀନନ୍ଦନ । ମୁନିଙ୍କି ଦେଲେ ଦିବ୍ୟଜ୍ଞାନ ॥ ୯୪
ଯାହାର ମାୟାବଳେ ବିଶ୍ୱ । ରବିର ପ୍ରାୟ ଦୃଶ୍ୟାଦୃଶ୍ୟ ॥ ୯୫
ସଙ୍ଗତେ ଘେନି ନିଜ ନାରୀ । ସେ ଅବଭୃଥ ସ୍ନାନ କରି ॥ ୯୬
ସୁହୃଦ ବନ୍ଧୁ ମଧ୍ୟେ ଥାଇ । ଶଶାଙ୍କ ପ୍ରାୟ ବିରାଜଇ ॥ ୯୭
ଏ ଆଦି ଯେତେ କର୍ମ ଗୁଣ । ରାଜନ ଏକମନେ ଶୁଣ ॥ ୯୮
ମାୟା ମନୁଷ୍ୟ ଅବତାର । କେ କହୁ ମହିମା ତାହାର ॥ ୯୯
ଏ ରାମକର୍ମ ଯେ ଶୁଣନ୍ତି । ମାୟାମୋହରେ ନ ପଡନ୍ତି ॥ ୧୦୦
ଉଭୟ ସନ୍ଧ୍ୟାକାଳେ ଶୁଣି । କୃଷ୍ଣସେବକ ଯେତେ ପ୍ରାଣୀ ॥ ୧୦୧
ଲଭନ୍ତି ଭକତି ତତ୍ତ୍ୱ । କହଇ ବିପ୍ର ଜଗନ୍ନାଥ ॥ ୧୦୨
ଇତି ଶ୍ରୀମଦଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ଉତ୍ତରାର୍ଦ୍ଧେ ବଳଦେବ ତୀର୍ଥଯାତ୍ରା ନିରୁପଣଂ ନାମ
ପଞ୍ଚଅଶୀତିତମ ଅଧ୍ୟାୟଃ
ଷଟ୍ଅଶୀତିତମ ଅଧ୍ୟାୟ
[ସମ୍ପାଦନା]ଶୁକ ଚରଣେ ଦେଇ ଶିର । ବୋଲେ ପରୀକ୍ଷ ନୃପବର ॥ ୧
- ପରୀକ୍ଷିତ ଉବାଚ
ଭୋ ମୁନି ଅନନ୍ତ ଚରିତ । ଶୁଣି ହୋଇଲି କୃତକୃତ୍ୟ ॥ ୨
ମହାତ୍ମା ଅନନ୍ତର ବାଣୀ । ଆତ୍ମା ପବିତ୍ର କଲି ଶୁଣି ॥ ୩
ଅପରେ କର୍ମ କଲେ ଯେତେ । ଅନନ୍ତ ବଳ ଅପ୍ରମିତେ ॥ ୪
ମାୟାମନୁଷ୍ୟ ରୂପ ଧରି । ଦେବେ ଅଦ୍ଭୂତ କର୍ମ କରି ॥ ୫
ଅଧର୍ମ ନାଶି ଧର୍ମରକ୍ଷା । ପୁରାଇ ସାଧୁ ମନବାଞ୍ଛା ॥ ୬
ହରିଲେ ଧରଣୀର ଭାର । ବ୍ରହ୍ମାଶଙ୍କରେ ଅଗୋଚର ॥ ୭
ଆବର କର୍ମ କଲେ ଯେତେ । ଭୋ ମୁନି କହ ମୋ ଅଗ୍ରତେ ॥ ୮
କୃଷ୍ଣଚରିତ ଅବିରତ । ଶୁଣି କେ ନୋହେ ତୋଷଚିତ୍ତ ॥ ୯
କାମ୍ୟ ସଙ୍କଳ୍ପେ ମୂଢକନ । ବିଷ୍ଣୁମାୟାରେ ହୋଇ ଛନ୍ନ ॥ ୧୦
ଯନ୍ତ୍ରିତ ହୋଇ ମାୟାପାଶ । ଦୁର୍ଲ୍ଲଭଜନ୍ମ କରେ ନାଶ ॥ ୧୧
କୃଷ୍ଣର ଗୁଣ ଶୁଦ୍ଧମନେ । ନିରତେ ଗୁଣେ ଯେ ବଚନେ ॥ ୧୨
ତାହାକୁ ବୋଲି ବାକ୍ୟସାର । ଅନ୍ୟ ପ୍ରଳାପ ଅନ୍ଧକାର ॥ ୧୩
ଯେ ହସ୍ତ କରେ ବିଷ୍ଣୁକର୍ମ । ତାହାକୁ ବୋଲି ହସ୍ତଧର୍ମ ॥ ୧୪
ସ୍ଥାବର ଜଙ୍ଗମରେ ହରି । ଅନ୍ତର ବାହ୍ୟେ ଛନ୍ତି ପୂରି ॥ ୧୫
ଏ ଭାବେ କରଇ ଯେ ଧ୍ୟାନ । ତାହାକୁ ବୋଲି ଶୁଦ୍ଧମନ ॥ ୧୬
କୃଷ୍ଣର ଗୁଣ କର୍ମ ବାଣୀ । ଯେ କର୍ଣ୍ଣେ ନିରନ୍ତରେ ଶୁଣି ॥ ୧୭
ତାହାକୁ କର୍ଣ୍ଣବୋଲି ଲେଖି । ଅନ୍ୟଥା ଭୂମିବିଳ ଲକ୍ଷ୍ୟ ॥ ୧୮
ସ୍ଥାବର ଆଦି ଯେତେ ଦେହୀ । ଏହାଙ୍କ ମଧ୍ୟେ ବିଷ୍ଣୁ ଥାଇ ॥ ୧୯
ଯେ ଜାଣି କରେ ନମସ୍କାର । ନିଶ୍ଚେ ତାହାକୁ ବୋଲି ଶିର ॥ ୨୦
କୃଷ୍ଣର ରୂପ ଯେ ଲୋଚନ । ନିରତେ କରେ ଦରଶନ ॥ ୨୧
ତାହାକୁ ବୋଲି ଚକ୍ଷୁ ଏକା । ଅନ୍ୟ ସେ ମୟୂରଚନ୍ଦ୍ରିକା ॥ ୨୨
ବିଷ୍ଣୁ ସେବକ ଯେତେ ଲୋକ । ତାହାଙ୍କ ଚରଣଉଦକ ॥ ୨୩
ଯାହାଙ୍କ ଶରୀରେ ଲାଗଇ । ସେ ପ୍ରାଣୀ ଧନ୍ୟ ଦେହ ବହି ॥ ୨୪
- ସୂତ ଉବାଚ
ଏମନ୍ତ ଶୁଣି ରାଜା ମୁଖେ । ଶୁକ ଲୋଚନ ବୁଜି ସୁଖେ ॥ ୨୫
କୃଷ୍ଣଚରଣେ ମନ ଦେଇ । କହନ୍ତି ରାଜାମୁଖ ଚାହିଁ ॥ ୨୬
- ଶୁକ ଉବାଚ
ଶୁଣ ହୋ ଅଭିମନ୍ୟୁବଳା । ପୂର୍ବେ ଦରିଦ୍ର ବିପ୍ରେ ଥିଲା ॥ ୨୭
ବିଦ୍ୟାପଠନେ ଗୁରୁଘରେ । ଗୋବିନ୍ଦ ଅବନ୍ତୀନଗରେ ॥ ୨୮
ତାହାର ସଙ୍ଗେ ହେଲେ ମିତ୍ର । ଏ କଥା ଇହଲୋକେ ଚିତ୍ର ॥ ୨୯
ସେ ବିପ୍ର ବେଦବିଦ୍ୟା ମଧ୍ୟେ । ଉତ୍ତମ ଇନ୍ଦ୍ରିଗଣ ସାଧ୍ୟେ ॥ ୩୦
ଗୃହସ୍ଥ ଆଶ୍ରମେ ବସଇ । ସ୍ୱଧର୍ମେ ଯେତେ ଧନପାଇ ॥ ୩୧
ସେ ଧନେ ପୋଷଇ ଜୀବନ । ନିରତେ କୃଷ୍ଣପାଦେ ମନ ॥ ୩୨
କୁତ୍ସିତବସ୍ତ୍ର ପରିଧାନ । କ୍ଷୁଧାରେ ଶରୀର ତା କ୍ଷୀଣ ॥ ୩୩
ତାର କାମିନୀ ପତିବ୍ରତା । ନିରତେ ସ୍ୱାମୀ ପାଦେ ଚିନ୍ତା ॥ ୩୪
ଏମନ୍ତେ ମହାଦୁଃଖ ସହି । ବୋଲେ ସ୍ୱାମୀର ମୁଖ ଚାହିଁ ॥ ୩୫
ଭୋ ନାଥ ସଂସାରର ସାର । ଦୁର୍ଲ୍ଲଭ ମନୁଷ୍ୟଶରୀର ॥ ୩୬
ପୂର୍ବେ ସଞ୍ଚିଲା ପୁଣ୍ୟ ନାହିଁ । ଦରିଦ୍ରପଣେ ଦେହ ବହି ॥ ୩୭
ଆହାରେ ହୋଇଲୁଁ ନିରାଶ । ଧିକ ଆମ୍ଭର ଗୃହବାସ ॥ ୩୮
ପୂର୍ବେ ନ ଦେଲୁ ବିପ୍ରହସ୍ତେ । ଏବେ ପାଇବୁ କେଉଁମତେ ॥ ୩୯
ହୋଇଲୁଁ ଦରିଦ୍ର ଜୀବନ । ଭୋ ନାଥ ଶୁଣ ମୋ ବଚନ ॥ ୪୦
ତୁମ୍ଭେ ଯେ ବୋଲୁଥାଅ ନିତ୍ୟେ । ମୁଁ ମିତ୍ର କୃଷ୍ଣର ସଙ୍ଗତେ ॥ ୪୧
ସେ ହରି ବ୍ରାହ୍ମଣବତ୍ସଳ । କରୁଣାସିନ୍ଧୁ ଆଦିମୂଳ ॥ ୪୨
ଅନାଥଜନ ନିସ୍ତାରଣ । ଶରଣ ପରମ କାରଣ ॥ ୪୩
ସାଧୁଜନଙ୍କର ସେ ଗତି । ନିଶ୍ଚିନ୍ତେ ଛନ୍ତି ଦ୍ୱାରାବତୀ ॥ ୪୪
ତାଙ୍କ ନିକଟେ ତୁମ୍ଭେ ଯାଅ । ଆମ୍ଭ ଦରିଦ୍ରପଣ କହ ॥ ୪୫
ମିତ୍ରକାମିନୀ ଦୁଃଖ ଶୁଣି । ଦୟାସାଗର ଚକ୍ରପାଣି ॥ ୪୬
ଅନେକ ଧନ ତୁମ୍ଭ ହସ୍ତେ । ଦେବେ ସେ ମିତ୍ରଭାବ ଅର୍ଥେ ॥ ୪୭
ତାହାଙ୍କ ପଦ୍ମପାଦେ ଚିତ୍ତ । ଯେ ପ୍ରାଣୀ ଚିନ୍ତେ ଅବିରତ ॥ ୪୮
ତାହାଙ୍କୁ ଆତ୍ମାପଦ ଦ୍ୟନ୍ତି । ଏ ତଥ୍ୟ ବେଦେ କହିଛନ୍ତି ॥ ୪୯
ଯେ ଅବା ଭୋଗଅର୍ଥେ ସେବେ । ଧର୍ମାଦି ଚତୁବର୍ଗ ଲଭେ ॥ ୫୦
ଏମନ୍ତ ମହିମା ତାଙ୍କର । ଭୋ ନାଥ ବିଳମ୍ବ ନ କର ॥ ୫୧
ଏମନ୍ତ ଶୁଣି ତା ବଚନ । ବ୍ରାହ୍ମଣ ବିଚାରିଇ ମନ ॥ ୫୨
ଏ ତ ପରମ ଭାଗ୍ୟ ମୋର । ଦେଖିବି ଶରଣସୋଦର ॥ ୫୩
ବଡ ପରମଲାଭ ମୋର । ଜନ୍ମ ମରଣ ଯିବ ଦୂର ॥ ୫୪
ବ୍ରାହ୍ମଣବତ୍ସଳ ଅନନ୍ତ । ସ୍ୱଭାବେ ମୁହିଁ ତାଙ୍କ ମିତ୍ର ॥ ୫୫
ପ୍ରାଣୀର ଭାବ ସେ ଜାଣନ୍ତି । ଯେଣୁ ସକଳ ହୃଦେ ଥାନ୍ତି ॥ ୫୬
କମଳା ସେବେ ଯା ଚରଣ । ମୁଁ ତାରେ ପଶିବି ଶରଣ ॥ ୫୭
ପତ୍ନୀବଚନେ ମୋ ଗମନ । ଗୋବିନ୍ଦ ଦେବେ ମୋତେ ଧନ ॥ ୫୮
ମିତ୍ର ଅଇରି ନାହିଁ ଯାର । ଭାବକୁ ବଶ ଆତ୍ମା ତାର ॥ ୫୯
ଏମନ୍ତ କରି ଅନୁମାନ । ପତ୍ନୀକି ବୋଲଇ ବଚନ ॥ ୬୦
ମିତ୍ରଭୂବନ ଯିବି ମୁହିଁ । ଭେଟିବି କିବା ଦ୍ରବ୍ୟ ଦେଇ ॥ ୬୧
ବନ୍ଧୁସୁହୃଦ ଗୃହଗତେ । ଯେ ପ୍ରାଣୀ ଗମେ ଶୂନ୍ୟହସ୍ତେ ॥ ୬୨
ଭାବ ନ ରହେ ବେନି ମଧ୍ୟେ । ନିନ୍ଦିତ ଶାସ୍ତ୍ର ଅନୁବାଦେ ॥ ୬୩
ଯେ ଅବା ଅଛି ମୋର ଘରେ । ଆଣ କଲ୍ୟାଣି ଉପହାରେ ॥ ୬୪
ଯିବଇଁ ମିତ୍ର ଦରଶନେ । ଏମନ୍ତେ ସ୍ୱାମୀର ବଚନେ ॥ ୬୫
ବିପ୍ରଘରଣୀ ଭିକ୍ଷାକରି । ପୃଥୁତଣ୍ତୁଳ ମୁଷ୍ଟି ଚାରି ॥ ୬୬
ଚିରାବସନେ ବାନ୍ଧି ଧୀରେ । ତକ୍ଷଣେ ଦେଲା ସ୍ୱାମୀ କରେ ॥ ୬୭
ପୃଥୁକ ଘେନି ଉପାୟେନ । ଚଳିଲା ଦ୍ୱାରକାଭୁବନ ॥ ୬୮
ବିପ୍ର ଚିନ୍ତଇ ପଥେ ଯାନ୍ତେ । କୃଷ୍ଣଙ୍କୁ ଭେଟିବି କେମନ୍ତେ ॥ ୬୯
ଦାରିଦ୍ର୍ୟ ଦୁଃଖ ଏ ମୋହର । ଯେ ହରି ବ୍ରହ୍ମାଣ୍ତଠାକୁର ॥ ୭୦
ଜାଣନ୍ତି ସକଳ ବେଦନା । ପ୍ରାଣୀଙ୍କ ହୃଦୟଭାବନା ॥ ୭୧
ସେ ପ୍ରଭୁ ସଂସାରଈଶ୍ୱର । ମୁହିଁ ଦରିଦ୍ର ଦୁରାଚାର ॥ ୭୨
ଯାଦବ ଭୋଜ ବୃଷ୍ଟି କରି । ବସି ଯେ ଥିବେ ଦେବହରି ॥ ୭୩
କେମନ୍ତେ ଦେବଇଁ ମୁଁ ଏହା । କିସ ବୋଲିବେ ଚଉବାହା ॥ ୭୪
ସଭାରେ ଯେତେ ଲୋକ ଥିବେ । ଦେଖିଣ କି ଅବା ବୋଲିବେ ॥ ୭୫
ଏମନ୍ତ ବିଚାରଇ ମନେ । ପଥେ ଗମଇ ସାବଧାନେ ॥ ୭୬
କଣ୍ଟକ ତୃଣ ଲତା ଗୁଳ୍ମ । ପାଷାଣ ପର୍ବତ ଦୁର୍ଗମ ॥ ୭୭
ଏମନ୍ତେ ଯାଇ କେତେ ଦୂରେ । ପ୍ରବେଶ ହେଲା ବନଘୋର ॥ ୭୮
ଘୋର ଗହନ ବନ ଜିଣି । ଗମଇ ଦିବସ ରଜନୀ ॥ ୭୯
ଅନେକ ପାଇ ପଥଶ୍ରମ । ମିଳିଲା ଦ୍ୱାରକାଭୁବନ ॥ ୮୦
ବୃଷ୍ଟି ଅନ୍ଧକ ଯଦୁପୁର । କି ଅବା ଦେବା ପଟାନ୍ତର ॥ ୮୧
ଯହିଁ ଗୋବିନ୍ଦ ଗୃହାଶ୍ରମୀ । ଷୋଳସହସ୍ର ନାରୀ ରମି ॥ ୮୨
ସେ ପୁରେ ବିପ୍ର ପରବେଶେ । ଜୀବ ଯେସନେ ବ୍ରହ୍ମେ ମିଶେ ॥ ୮୩
ମିଳିଲା ରୁକ୍ମିଣୀ ମନ୍ଦିର । ଯହିଁ ବିଜୟ ଚକ୍ରଧର ॥ ୮୪
ବିପ୍ର ମିଳିଲା ସେ ଭୁବନେ । ଭକତ ବନ୍ଧୁ ଦରଶନେ ॥ ୮୫
ଗୋବିନ୍ଦ ବିପ୍ର ମୁଖ ଦେଖି । ଉଠିଲେ ଆସନ ଉପେକ୍ଷି ॥ ୮୬
ପ୍ରିୟାର ସଙ୍ଗ ଛାଡ଼ି ହରି । ବିପ୍ରକୁ ଆଲିଙ୍ଗନ କରି ॥ ୮୭
ଭକତବନ୍ଧୁ ଦାମୋଦର । ହୃଦେ ଲଗାଇ ବିପ୍ରବର ॥ ୮୮
ଆନନ୍ଦେ ପୁଣ ପୁଣ କୋଳ । ନୟନୁ ବହେ ଅଶ୍ରୁଜଳ ॥ ୮୯
ପଲ୍ୟଙ୍କେ ମିତ୍ରକୁ ବସାଇ । ଚରଣ ଶୁଦ୍ଧଜଳେ ଧୋଇ ॥ ୯୦
ଶେଷ ଉଦକ ଶିରେ ଲଇଁ । ନମିଲେ ବ୍ରହ୍ମାଣ୍ତ ଗୋସାଇଁ ॥ ୯୧
ଯା ପାଦଜଳ ଗଙ୍ଗାନଦୀ । ପବିତ୍ର ଜଗତେ ପ୍ରସିଦ୍ଧି ॥ ୯୨
ଯା ନାମ ସର୍ବପାପ ହରେ । ସେ ବିପ୍ରପାଦ ବହେ ଶିରେ ॥ ୯୩
ଶ୍ରୀକରେ ଘେନି ଚତୁଃସମ । ସୌରଭ ଗନ୍ଧେ ମନୋରମ ॥ ୯୪
ଆନନ୍ଦେ ବିପ୍ରଅଙ୍ଗେ ବୋଳି । ଭକତବନ୍ଧୁ ବନମାଳୀ ॥ ୯୫
ଅଗୁରୁ ଧୂପ ଥୋଇ ପାଶେ । ପାଦ ପୋଛନ୍ତି ପୀତବାସେ ॥ ୯୬
କର୍ପୂର ବାସେ ଦୀପପନ୍ତି । ଆନନ୍ଦେ ଜାଳି ଯଦୁପତି ॥ ୯୭
ଚରଣ ପୂଜି ଷଡ଼ଅର୍ଘ୍ୟେ । ତାମ୍ବୁଳ ଦେଲେ ଅନୁରାଗେ ॥ ୯୮
କୁତ୍ସିତ ବସ୍ତ୍ର ଦ୍ୱିଜବର । ଦୁଃଖେ ମଳିନ କଳେବର ॥ ୯୯
କୁତ୍ସିତ ବସ୍ତ୍ର ଦ୍ୱିଜବର । ଦୁଃଖେ ମଳିନ କଳେବର ॥ ୧୦୦
କ୍ଷୁଧା ଅନଳେ କମ୍ପେ କାୟେ । ଶିରା ଦିଶଇ ସର୍ବଦେହେ ॥ ୧୦୧
ଦିବ୍ୟଚାମର କରେ ଘେନି । ବିଞ୍ଚନ୍ତି ଭୀଷ୍ମକନନ୍ଦିନୀ ॥ ୧୦୨
କୃଷ୍ଣର ଅନ୍ତଃପୁର ନାରୀ । ବିପ୍ରଙ୍କୁ ଦେଖନ୍ତି ଉଭାରି ॥ ୧୦୩
କୃଷ୍ଣର ସେବା ଅନୁମାନେ । ଦେଖନ୍ତି ବିସ୍ମିତ ବଦନେ ॥ ୧୦୪
ଏକ ଆରେକ ମୁଖ ଚାହିଁ । ବୋଲନ୍ତି ଗାଲେ ହସ୍ତ ଦେଇ ॥ ୧୦୫
ଦେଖ ଏହାର ତପଫଳ । ଯାର ସେବକ ନନ୍ଦବାଳ ॥ ୧୦୬
ଏମନ୍ତ ନାହିଁ ନା ଦେଖିଲା । ପୂର୍ବେ ଏ କେତେ ପୁଣ୍ୟ କଲା ॥ ୧୦୭
ରୂପ ଦିଶଇ ବିପରୀତ । କେଶ ଖାଙ୍କର ଅବଧୂତ ॥ ୧୦୮
ଦେଖ ଏ ଅଧମ ନିର୍ଦ୍ଧନ । ଇହ ସଂସାରେ କ୍ରିୟାହୀନ ॥ ୧୦୯
ଏହାର ଦେହେ ନନ୍ଦବଳା । ଶ୍ରୀଭୁଜେ ଆଲିଙ୍ଗନ କଲା ॥ ୧୧୦
ଲକ୍ଷ୍ମୀର ସଙ୍ଗ ସ୍ନେହ ତେଜି । ଆନନ୍ଦେ ବେନିଚକ୍ଷୁ ବୁଜି ॥ ୧୧୧
ଆନନ୍ଦେ ତୋଳି ବେନି ଭୁଜେ । ଯେସନେ ବଳଭଦ୍ରେ ଭଜେ ॥ ୧୧୨
ଏମନ୍ତ ବୋଲୁଁ ପୁରଜନେ । ଗୋବିନ୍ଦ ଗଭୀର ବଚନେ ॥ ୧୧୩
ଗୁରୁଭୁବନେ ବାଲ୍ୟକାଳେ । ଥିଲେ ଯେ ବିଦ୍ୟାସଙ୍ଗ ମେଳେ ॥ ୧୧୪
ସେ କଥା ଗୋବିନ୍ଦ ସୁମରି । କହନ୍ତି ମିତ୍ର ହସ୍ତ ଧରି ॥ ୧୧୫
ଲଳିତ ଗଦି ଦାମୋଦର । ବୋଲନ୍ତି ଶୁଣ ବିପ୍ରବର ॥ ୧୧୬
କାଷ୍ଠ ଆଣିବା ଦିନ ଯେତେ । ଦୁଃଖ ପାଇଣ ଅଛୁଁ ମିତେ ॥ ୧୧୭
ସେ କଥା ଅଛିଟିକି ମନ । ହସି ବୋଲନ୍ତି ଭଗବାନ ॥ ୧୧୮
ଗୁରୁଦକ୍ଷିଣା ଆମ୍ଭେ ଦେଇ । ପୁରେ ଅଇଲୁ ବେନିଭାଇ ॥ ୧୧୯
ତୁମ୍ଭେ ଯେ ବିଦ୍ୟା ସମାପତେ । ନିଜଭୁବନେ ଉପଗତେ ॥ ୧୨୦
ଉତ୍ତମକୁଳେ କନ୍ୟା ବରି । ବିଭା ହୋଇଲ ନିକି ନାରୀ ॥ ୧୨୧
ତାହା ମୁଁ ନ ମଣଇ ସତ । ଦେଖି ତୁମ୍ଭର ଦୁଃଖ ଚିତ୍ତ ॥ ୧୨୨
ଗୃହକରେଣ କାମଭୋଗେ । ତୁମ୍ଭର ମନ ବଇରାଗେ ॥ ୧୨୩
ନିରେଖ ପ୍ରାୟ ମୁଁ ମଣଇଁ । ବୋଲନ୍ତି ପ୍ରଭୁ ଭାବଗ୍ରାହୀ ॥ ୧୨୪
ଥୋକାଏ ଲୋକ ଏ ସଂସାରେ । କର୍ମ ସାଧନ୍ତି ନିଜଘରେ ॥ ୧୨୫
କର୍ମେ ନୁହନ୍ତି ହତଚେତା । ସଂସାର ଗୃହେ ମୁହିଁ ଯଥା ॥ ୧୨୬
ଭୋ ମିତ୍ର ଗୁରୁଗୃହେ ଥାଇ । ବିଦ୍ୟା ପଢିଲୁଁ ବେନିଭାଇ ॥ ୧୨୭
ତୁମ୍ଭର ସଙ୍ଗେ ଶିଶୁମେଳେ । ଯେ ଅବା କଲୁଁ ବାଳକାଳେ ॥ ୧୨୮
ଗୁରୁ କହନ୍ତି ଜ୍ଞାନସାର । ଯେଣେ ନ ଲାଗେ ଏ ସଂସାର ॥ ୧୨୯
ଯେ ଗୁରୁ ପୁଣ୍ୟକର୍ମଫଳେ । ଜନ୍ମ ଲଭିଲୁଁ ମହୀତଳେ ॥ ୧୩୦
ସେ ଆଦିଗୁରୁ ଜନ୍ମକର୍ତ୍ତା । ତହୁଁ ଅଧିକ ବିଦ୍ୟାଦାତା ॥ ୧୩୧
ତା ତହୁଁ ଶ୍ରେଷ୍ଠ ଜ୍ଞାନଗୁରୁ । ମହିମା କେବା ଅନ୍ତ କରୁ ॥ ୧୩୨
ଆଶ୍ରମୀ ଜନ କାମଦାତା । ମୁଁ ଯେହ୍ନେ ଜ୍ଞାନଗୁରୁ କର୍ତ୍ତା ॥ ୧୩୩
ଯେ ପ୍ରାଣୀ ବର୍ଣ୍ଣାଶ୍ରମ ମଧ୍ୟେ । ପଣ୍ତିତ ଶାସ୍ତ୍ର ଅନୁବାଦେ ॥ ୧୩୪
ମୋର ବଚନ ଉପଦେଶେ । ସଂସାରୁ ତରନ୍ତି ବିଶ୍ୱାସେ ॥ ୧୩୫
ଯଜ୍ଞ ସମାଧି ତପ ଶାନ୍ତି । ଏ ମାର୍ଗେ ଯେ ମୋତେ ସେବନ୍ତି ॥ ୧୩୬
ତାହାଙ୍କୁ ଯେତେ ନାହିଁ ତୋଷ । ଗୁରୁଭକତେ ମୋ ବିଶ୍ୱାସ ॥ ୧୩୭
ହେ ବିପ୍ର ଶୁଣ ମିତ୍ର ମୋର । ସ୍ମରଣ ଅଛିକି ତୁମ୍ଭର ॥ ୧୩୮
ଆ୍ରମ୍ଭେ ଯେ ଗୁରୁଗୃହେ ଥାଇ । ଗୁରୁକାମିନୀ ଆଜ୍ଞା ପାଇ ॥ ୧୩୯
ଗୁରୁଙ୍କ ଅନ୍ନସିଦ୍ଧ ଅର୍ଥେ । ଅରଣ୍ୟେ ପଶିଲୁ ସମସ୍ତେ ॥ ୧୪୦
ଶୁଖିଲା କାଷ୍ଠ ଆଣିବାରେ । ମିଳିଲୁ ଘୋର ବନସ୍ତରେ ॥ ୧୪୧
ଏମନ୍ତେ ଅପଋତୁ କାଳେ । ଗଗନେ ମିଳି ମେଘମାଳେ ॥ ୧୪୨
ଦିବସେ କଲେ ଅନ୍ଧକାର । ବାତ ବରଷା ମହାଘୋର ॥ ୧୪୩
ନିଷ୍ଠୁର ବଜ୍ରଘାତ ତ୍ରାସ । ବନେ ନ ଦିଶେ ଦଶଦିଶ ॥ ୧୪୪
ତକ୍ଷଣେ ରବି ଅସ୍ତ ଗଲା । ଘୋର ତିମିର ପ୍ରକାଶିଲା ॥ ୧୪୫
ଶୁଖିଲା କାଷ୍ଠ ଘେନି କରେ । ଆମ୍ଭେ ବୁଲିଲୁ ସ୍ଥାନ ଖୋଜି ॥ ୧୪୬
ଜଳେ ପୂରିଲା ବନଭୂଇଁ । ସ୍ଥଳ ଗଭୀର ନ ଦିଶଇ ॥ ୧୪୭
ଜଳ ପବନ ଦେହେ ବାଜି । ଆମ୍ଭେ ବୁଲିଲୁ ବନଘୋରେ ॥ ୧୪୮
ଏକ ଆରକେ ହସ୍ତ ଧରି । ଦିଗ ନ ପାରୁ ସ୍ଥିର କରି ॥ ୧୪୯
କାତରେ ଉଠି ବୃକ୍ଷଡାଳେ । ରାତ୍ରେ ବଞ୍ଚିଲୁ ସଙ୍ଗ ମେଳେ ॥ ୧୫୦
ଏମନ୍ତେ ରଜନୀ ପାହିଲା । ରବି କିରଣ ପ୍ରକାଶିଲା ॥ ୧୫୧
ଗୁରୁକାମିନୀ ଗୁରୁ ତୁଲେ । ଆମ୍ଭଙ୍କୁ ଖୋଜି ପ୍ରାତଃକାଳେ ॥ ୧୫୨
ମିଳିଲେ ବନଭୂମି ଲାଗେ । ସେ ପତିପତ୍ନୀ ଏକସଙ୍ଗେ ॥ ୧୫୩
ଡାକନ୍ତି ମୁଖେ ନାମ ଧରି । ଖୋଜନ୍ତି ଘୋରବନେ ହେରି ॥ ୧୫୪
ଶବଦ ଶୁଣି ଘୋର ବନେ । ଆମ୍ଭେ ମିଳିଲୁ ତୋଷମନେ ॥ ୧୫୫
ଆତୁରେ ଶୁଖିଛି ବଦନ । ଆମ୍ଭଙ୍କୁ ଦେଖି ତୋଷମନ ॥ ୧୫୬
ଆମ୍ଭର ଦୁଃଖ ମୁଖ ଚାହିଁ । ଗୁରୁ ବୋଲନ୍ତି ତୋଷ ହୋଇ ॥ ୧୫୭
ହେ ଶିଷ୍ୟ ପୁତ୍ର ମୋର ଅର୍ଥେ । ଅଇଲ ଗହନ ବନସ୍ତେ ॥ ୧୫୮
ଦୁର୍ଲ୍ଲଭ ପ୍ରାଣ ଏ ଜଗତେ । ଏହା ନ ଗଣି ମୋର ଅର୍ଥେ ॥ ୧୫୯
ଦୁଃଖେ ଭ୍ରମିଲ ଘୋରବନେ । ମୁଁ ଆଜ ହୋଇଲି ପ୍ରସନ୍ନ ॥ ୧୬୦
ଯେତେ ତୁମ୍ଭର ମନୋରଥ । ମୋର କଲ୍ୟାଣେ ହେଉ ସାର୍ଥ ॥ ୧୬୧
ତୁମ୍ଭର ବିଦ୍ୟା ତିନିଲୋକେ । ଅକ୍ଷୟ ହୋଇଥାଉ ସୁଖେ ॥ ୧୬୨
ଏମନ୍ତ କଲେ ସେ କଲ୍ୟାଣ । କୃଷ୍ଣ ବୋଲନ୍ତି ମିତ୍ର ଶୁଣ ॥ ୧୬୩
ଏମନ୍ତେ ନାନା କଉତୁକେ । ବଞ୍ଚିଲୁ ଗୁରୁଗୃହେ ସୁଖେ ॥ ୧୬୪
ଗୁରୁପ୍ରସନ୍ନେ ବିଦ୍ୟା ଜାଣି । ବ୍ରାହ୍ମଣ ବୋଲେ ତାହା ଶୁଣି ॥ ୧୬୫
ତୁ ନାଥ ଦେବଙ୍କର ଗୁରୁ । ବିପାକ ଫଳକୁ ବିଚାରୁ ॥ ୧୬୬
ଗୁରୁଭବନେ ତୋର ମେଳେ । ମୁଁ ଯେ ବଞ୍ଚିଲି ବାଳକାଳେ ॥ ୧୬୭
ତୋ ସଙ୍ଗ ପାଇ ପୂର୍ଣ୍ଣକାମ । କାହୁଁ ଲାଗିବ ଭବଭ୍ରମ ॥ ୧୬୮
ଦେବଙ୍କ ସ୍ଥାନ ତୋ ଶରୀର । ତୁ ଆଦି ଧର୍ମ ନିରାକାର ॥ ୧୬୯
ସର୍ବସମ୍ଭବ ତୋ ଶରୀରେ । ତୋ ସଙ୍ଗେ ଗୁରୁଙ୍କ ନବରେ ॥ ୧୭୦
ମୁଁ ଥିଲି ବୋଲିବ କେ ଜନ । ଏ ବଡ଼ ଶାସ୍ତ୍ର ବିଡ଼ମ୍ବନ ॥ ୧୭୧
ପୂର୍ବ ବାସନା ପୁଣ୍ୟଫଳେ । ଭେଟ ହୋଇଲା ଏହିଠାରେ ॥ ୧୭୨
କୃଷ୍ଣପ୍ରସନ୍ନେ ଭାଗବତ । କହଇ ବିପ୍ର ଜଗନ୍ନାଥ ॥ ୧୭୩
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ଉତ୍ତରାର୍ଦ୍ଧେ ଶ୍ରୀଦାମଚରିତେ ଷଟ୍ଅଶୀତିତମ ଅଧ୍ୟାୟଃ ॥
ସପ୍ତଅଶୀତିତମ ଅଧ୍ୟାୟ
[ସମ୍ପାଦନା]ଏମନ୍ତେ ହରିପାଦ ଧ୍ୟାୟି । ପରୀକ୍ଷ ଆଗେ ଶୁକ କହି ॥ ୧
- ଶୁକ ଉବାଚ
ଗୋବିନ୍ଦ ମିତ୍ର ଅଙ୍ଗସଙ୍ଗେ । ବିବିଧ କଥା ଭାବରଙ୍ଗେ ॥ ୨
ଯେ ହରି ସର୍ବଭୂତଗାମୀ । ପରମବ୍ରହ୍ମ ଅନ୍ତର୍ଯ୍ୟାମୀ ॥ ୩
ମିତ୍ରବତ୍ସଳ ଚାହିଁ ହସି । ବୋଲନ୍ତି ପ୍ରଭୁ ବ୍ରହ୍ମରାଶି ॥ ୪
ବିପ୍ରବତ୍ସଳ ଚକ୍ରପାଣି । ଯାର କଟାକ୍ଷେ କମଳିନୀ ॥ ୫
ମିତ୍ରର ସର୍ବଅଙ୍ଗ ଚାହିଁ । ହସି ବୋଲନ୍ତି ଭାବଗ୍ରାହୀ ॥ ୬
- ଭଗବାନ ଉବାଚ
ଭୋ ମିତ୍ର ମୋର ପ୍ରାଣସଖା । କିସ ଆଣିଛ ମୋତେ ଦେଖା ॥ ୭
ମୋର ଭକତପ୍ରାଣୀ ଯେବେ । ମୋତେ ପୂଜଇ ପ୍ରେମଭାବେ ॥ ୮
ସେ ଅଣୁମାତ୍ରେ ଯେବେ ଦେଇ । ପର୍ବତ ପ୍ରାୟ ମୁଁ ମଣଇ ॥ ୯
ଯେ ମୋର ଭାବ ନ ଜାଣନ୍ତି । ପର୍ବତ ପ୍ରାୟ ଧନ ଦ୍ୟନ୍ତି ॥ ୧୦
ସେ ମୋତେ ଦିଶେ ତୁଚ୍ଛପ୍ରାୟ । ବୋଲନ୍ତି ପ୍ରଭୁ ଦେବରାୟ ॥ ୧୧
ପତ୍ର କୁସୁମ ଫଳ ପାଣି । ଯେ ମୋତେ ଭାବେ ଦ୍ୟନ୍ତି ଆଣି ॥ ୧୨
ତାର ଭକତି ଭାବେ ଲଇଁ । ହସ୍ତ ପ୍ରସାରି ମୁଁ ଭଞ୍ଜଇ ॥ ୧୩
ଏମନ୍ତ କହି ରମାକାନ୍ତ । ଭାବେ ପାତିଲେ ବେନିହସ୍ତ ॥ ୧୪
ଦେଖି ଚକିତ ବିପ୍ରବର । ଅନ୍ତରେ କରଇ ବିଚାର ॥ ୧୫
ମୋର ଅର୍ଜିତ କର୍ମଫଳ । ଆଣିଛି ପୃଥକ ତଣ୍ତୁଳ ॥ ୧୬
କେମନ୍ତେ ଦେବି କୃଷ୍ଣକରେ । ହସିବେ ନାରୀ ଅନ୍ତଃପୁରେ ॥ ୧୭
ଏମନ୍ତ ଭାଳି ଲଜ୍ଜା ଦୁଃଖେ । ବିପ୍ର ରହିଲା ଅଧୋମୁଖେ ॥ ୧୮
ତା ଦେଖି କମଳାର ବର । ହୃଦରେ କରନ୍ତି ବିଚାରେ ॥ ୧୯
ଏ ବିପ୍ର ପତ୍ନୀର ବଚନେ । ମିଳିଲା ମୋହର ଭୁବନେ ॥ ୨୦
ଦରିଦ୍ରପଣେ ଦୁଃଖ ପାଇ । ଅର୍ଜିଲା କର୍ମ ନ ଜାଣଇ ॥ ୨୧
ଏହାର ପୂର୍ବଜନ୍ମ ଯେତେ । ନିଷ୍କାମେ ଭଜିଅଛି ମୋତେ ॥ ୨୨
ସକାମେ ମୋତେ ନ ଭଜଇ । ଏବେ ପାଇବ ଭୋଗ କାହିଁ ॥ ୨୩
ପତ୍ନୀବଚନେ ଭୋଗ ଚିନ୍ତେ । ଯେବେ ମିଳିଲା ମୋ ଅଗ୍ରତେ ॥ ୨୪
ପତିବ୍ରତାର ସୁଖ ଅର୍ଥେ । ମୋହର ମିତ୍ରପଣ ହିତେ ॥ ୨୫
ଦେବି ସମ୍ପଦ ସର୍ବଭାବ । ବ୍ରହ୍ମାଣ୍ତ ମଧ୍ୟେ ଯେ ଦୁର୍ଲ୍ଲଭ ॥ ୨୬
ଏତେ ବିଚାରି ନରହରି । ବିପ୍ରର ଛିନ୍ନବସ୍ତ୍ର ଧରି ॥ ୨୭
କି ବସ୍ତୁ ବୋଲି ଆଦିମୂଳ । ଘେନିଲେ ପୃଥକତଣ୍ତୁଳ ॥ ୨୮
ଛିଣ୍ତା କବଟା ମଧ୍ୟୁଁ ଫେଇ । କୃଷ୍ଣ ବୋଲନ୍ତି କରେ ଲଇଁ ॥ ୨୯
ଭୋ ମିତ୍ର ତୁମ୍ଭ ଉପହାର । ଏ ମୋର ପ୍ରାଣ-ପ୍ରୀତିକର ॥ ୩୦
ତୁମ୍ଭର ପୃଥୁକତଣ୍ତୁଳ । ଅଶେଷ ଭୁବନମଙ୍ଗଳ ॥ ୩୧
ମୋହର ଜୀବନ ସହିତେ । ତୃପତ କଲ ଆଜ ମୋତେ ॥ ୩୨
ଏମନ୍ତ କହି ରହରି । ବେନି ଲୋଚନୁ ବହେ ବାରି ॥ ୩୩
ଗୋବିନ୍ଦ ମିତ୍ର ପ୍ରୀତିଅର୍ଥେ । ପୃଥୁତଣ୍ତୁଳ ବେନି ହସ୍ତେ ॥ ୩୪
କମଳା ଚାହେଁ ସ୍ଥିରଦୃଷ୍ଟି । ତୁଣ୍ତେ ଭରିଲେ ଏକ ମୁଷ୍ଟି ॥ ୩୫
ସନ୍ତୋଷେ ଭୁଞ୍ଜି ଦାମୋଦର । ଦ୍ୱିତୀୟ ମୁଷ୍ଟି ଘେନି କର ॥ ୩୬
ତୁଣ୍ତେ ଭରନ୍ତେ ଗୋପୀନାଥ । ଲକ୍ଷ୍ମୀ ଧଇଲେ ବେଗେ ହସ୍ତ ॥ ୩୭
ବୋଲନ୍ତି ଜଗତଜନନୀ । ପୃଥୁକ ମୁଷ୍ଟି କରେ ଘେନି ॥ ୩୮
ଭୋ ବିଶ୍ୱନାଥ ଭଗବାନ । ଏ ମୁଷ୍ଟି ନ କର ଭୋଜନ ॥ ୩୯
ତୋର ସନ୍ତୋଷେ ନାରାୟଣ । ଉଭୟ ଲୋକର କାରଣ ॥ ୪୦
ମୁଷ୍ଟିକେ ଦେଲୁ ସର୍ବସୁଖ । କେବଳ ମାତ୍ର ମୋତେ ରଖ ॥ ୪୧
ମୁଁ ତୋର ଚରଣକମଳେ । ଯେମନ୍ତେ ସେବଇଁ ନିଶ୍ଚଳେ ॥ ୪୨
ଏମନ୍ତ କହି ଅନୁବାଦେ । ପଶିଲା ଗୋବିନ୍ଦର ହୃଦେ ॥ ୪୩
ଏମନ୍ତେ ରବି ଅସ୍ତ ଗଲା । ଶୁଣ ହୋ ଅଭିମନ୍ୟୁବାଳା ॥ ୪୪
ଗୋବିନ୍ଦ ତୁଲେ ବିପ୍ର ତୋଷେ । ଭୋଜନ କଲେ ଷଡ଼ରସେ ॥ ୪୫
ରତ୍ନପଲ୍ୟଙ୍କେ କୃଷ୍ଣମେଳେ । ରଜନୀ ବଞ୍ଚେ ସୁଖଭୋଳେ ॥ ୪୬
ଅଙ୍ଗନିବେଶି କୃଷ୍ଣଦେହେ । ମଣିଲା ସ୍ୱର୍ଗଭୋଗ ପ୍ରାୟେ ॥ ୪୭
ଏମନ୍ତେ ପାହିଲା ରଜନୀ । ଗୋବିନ୍ଦ ଝୀନବସ୍ତ୍ର ଘେନି ॥ ୪୮
ବିପ୍ରେ କରାଇ ଅବଧାନ । ପାଲଟି ପିନ୍ଧାଇ ବସନ ॥ ୪୯
ଆନନ୍ଦେ ଆଲିଙ୍ଗନ କରି । ଭାବେ ବ୍ରାହ୍ମଣ ପାଦ ଧରି ॥ ୫୦
ଅନୁଗମନ କିଛି ଦୂରେ । ବିପ୍ର ପେଷିଲେ ନିଜପୁରେ ॥ ୫୧
କୃଷ୍ଣ ବାହୁଡେ ନିଜପୁର । ଏବେ ହୋ ଶୁଣ ନୃପବର ॥ ୫୨
ବିଶ୍ୱକର୍ମାକୁ କୃଷ୍ଣ ରାଇ । ଧୀରେ କହନ୍ତି ମୁଖ ଚାହିଁ ॥ ୫୩
ବେଗେ ତୁ ଯାଅ ବିପ୍ରଘର । ଉତ୍ତମ କରିଦେବୁ ପୁର ॥ ୫୪
ଦେବଦାନବେ ଅଗୋଚର । ଏମନ୍ତେ ହୋଇବ ସୁନ୍ଦର ॥ ୫୫
ନାନାରତନ ଧନ ଜନ । ବେଗେ ତୁ ଭିଆଅ ଏମାନ ॥ ୫୬
ଆଜ୍ଞା ପ୍ରମାଣେ ଚଳିଗଲା । ଦିବ୍ୟଭୁବନ ଭିଆଇଲା ॥ ୫୭
ରଥ ତୁରଗ ପରିବାରୀ । ତୋଟା ପୋଖରୀ ମନୋହରୀ ॥ ୫୮
ଏମନ୍ତ କରି ସେ ନିର୍ମାଣ । ଶୁନ୍ୟେ ଗମିଲା ତତ୍କ୍ଷଣ ॥ ୫୯
ଏବେ ହୋ ଶୁଣ କୁରୁବୀର । ବିପ୍ର ଚଳଇ ନିଜ ଘର ॥ ୬୦
ବିପ୍ର ଗମନ୍ତେ ନିଜସ୍ଥାନେ । ଭାଳଇ କୃଷ୍ଣଗୁଣ ମନେ ॥ ୬୧
କିଛି ନ ଦେଲେ ନାରାୟଣ । ଲାଜେ ନ ମାଗିଲା ବ୍ରାହ୍ମଣ ॥ ୬୨
ପଥେ ଗମଇ ଧୀରପାଦେ । କୃଷ୍ଣ ଦରଶନ ଆନନ୍ଦେ ॥ ୬୩
ଲଜ୍ଜା ଜଡିତ ଅଧୋମୁଖେ । ପଥେ ବିଚାରେ ମନଦୁଃଖେ ॥ ୬୪
ଏ ମୋ ଅର୍ଜିତ କର୍ମଗୁଣ । ବିପ୍ରବତ୍ସଳ ନାରାୟଣ ॥ ୬୫
ଅତି ଦରିଦ୍ର ମୁଁ ପାମର । ସେ କୃଷ୍ଣ କରୁଣା ସାଗର ॥ ୬୬
କମଳା ସେବେ ଯାର ପାଦେ । ସେ ହୃଦେ ପରମଆନନ୍ଦେ ॥ ୬୭
ଲଗାଇ ମୋତେ ତୋଷମନ । ନିବିଡେ କଲେ ଆଲିଙ୍ଗନ ॥ ୬୮
ଅତି ଦରିଦ୍ର ପାପୀ ମୁହିଁ । କୋଟି ବ୍ରହ୍ମାଣ୍ତନାଥ କାହିଁ ॥ ୬୯
ବ୍ରାହ୍ମଣ ବୋଲି ଦୟାକଲେ । ଶ୍ରୀଭୁଜେ ଆଲିଙ୍ଗନ ଦେଲେ ॥ ୭୦
ଲକ୍ଷ୍ମୀ-ପଲ୍ୟଙ୍କେ ମୋତେ ନେଇ । ଭାଇର ପ୍ରାୟ ସ୍ଥାନ ଦେଇ ॥ ୭୧
ଚାମର ଧରି ନିଜ କରେ । ଲକ୍ଷ୍ମୀ ବିଞ୍ଚିଲେ ମୋତେ ଧୀରେ ॥ ୭୨
ମିତ୍ର ସୁହୃଦ ବନ୍ଧୁବର୍ଗେ । ମୋତେ ପୂଜିଲେ ଷଡଅର୍ଘେ ॥ ୭୩
ଯେ ହରି ସଂସାର ଦୁର୍ଲ୍ଲଭ । ସେ ମୋତେ ହୋଇଲେ ସୁଲଭ ॥ ୭୪
ବିପ୍ର ଦେବତା ସେ ଯୁକତେ । ଏଣୁ ପୂଜିଲେ କୃଷ୍ଣ ମୋତେ ॥ ୭୫
ଭୂମି ଗଗନ ରସାତଳ । ସ୍ୱର୍ଗାପବର୍ଗ ବେନି ଫଳ ॥ ୭୬
ସର୍ବସମ୍ପଦର କାରଣ । ଯାହାର ଅଭୟଚରଣ ॥ ୭୭
ସେ ମୋର ମିତ୍ର ନରହରି । ହୃଦରେ ଏମନ୍ତ ବିଚାରି ॥ ୭୮
ଦୁଃଖୀ ଦରିଦ୍ର ଏ ବ୍ରାହ୍ମଣ । ଏହାକୁ ଯେବେ ଦେବା ଧନ ॥ ୭୯
ଧନ ପ୍ରାପତେ ମତ୍ତ ହୋଇ । ମୋତେ ସ୍ମରିବ ଆର କାହିଁ ॥ ୮୦
ତାହାର ମୋତେ ବଡ ଦୟା । ମୁଁ ପାପୀ ନ ଜାଣଇ ଏହା ॥ ୮୧
ଧନ ସମ୍ପଦ ଯେତେ ଜନ । ମତ୍ତଗରବ ଅନୁକ୍ଷଣ ॥ ୮୨
ଧନ ସମ୍ପଦେ ବଢେ ଆଶ । ସେ କାହିଁ କୃଷ୍ଣରେ ବିଶ୍ୱାସ ॥ ୮୩
ଏଣୁ ନ ଦେଲେ ମୋତେ ଧନ । ଧନ୍ୟ ସେ ମୋହର ଜୀବନ ॥ ୮୪
ମନରେ ଏମନ୍ତ ବିଚାରି । ବିପ୍ର ମିଳିଲା ନିଜପୁରୀ ॥ ୮୫
ଦେଖଇ ଆପଣା ମନ୍ଦିର । କି ଅବା ଦେବା ପଟାନ୍ତର ॥ ୮୬
ରବି ଅନଳ ଚନ୍ଦ୍ରକାନ୍ତି । ବୈଦୁର୍ଯ୍ୟମାନ ଝଟକନ୍ତି ॥ ୮୭
ନାନା ବିଚିତ୍ର ଉପବନ । ହଂସ ମୟୁର ପିକ ସ୍ୱନ ॥ ୮୮
ବିବିଧ ଜଳାଶୟ ରାଶି । ପୁଷ୍ପସୁଗନ୍ଧ ବାୟୁ ମିଶି ॥ ୮୯
କହ୍ଲାର ଉତ୍ପଳ କୁମୁଦ । ପବନ କରଇ ଆମୋଦ ॥ ୯୦
ନାରୀ ପୁରୁଷ ନାନାରଙ୍ଗେ । ବିବିଧ ଅଳଙ୍କାର ଅଙ୍ଗେ ॥ ୯୧
ଏମନ୍ତ ଦେଖି ବିପ୍ରବର । ହୃଦରେ କରଇ ବିଚାର ॥ ୯୨
ଏ କି କାହାର ଦିବ୍ୟପୁର । ଅବନୀ ମଧ୍ୟେ ଅଗୋଚର ॥ ୯୩
ମୋର କୁଟୁମ୍ବ ଏହି ସ୍ଥାନେ । ଛାଡି ଗଲି ଯେ ବିଦ୍ୟମାନେ ॥ ୯୪
ଦରିଦ୍ରପତ୍ନୀ ଗଲା କାହିଁ । କି ଅବା ପଥ ହୁଡିଲଇଁ ॥ ୯୫
ଭ୍ରମେ ମିଳିଲି ଅନ୍ୟ ସ୍ଥାନେ । ଏମନ୍ତ ବିଚାରଇ ମନେ ॥ ୯୬
ଭୟେ ବୁଜଇ ଚକ୍ଷୁ ବେନି । ପୁଣି ଭାଳଇ ମନେ ଗୁଣି ॥ ୯୭
ଚିହ୍ନିଲା ଲୋକ ନାହିଁ ଜଣେ । ପୁଛିବି କେବଣ କାରଣେ ॥ ୯୮
ମୁହିଁ ଯେ ଗଲି ସାତଦିନ । କେ କଲା ଏମନ୍ତ ଭୁବନ ॥ ୯୯
ମୋର ବ୍ରାହ୍ମଣୀ କେଣେ ଗଲା । ଏଡେ ଅନୀତି କେହୁ କଲା ॥ ୧୦୦
ଏତେ ବିଚାରି ଦ୍ୱିଜବର । ସ୍ଥକିତେ ଚାହଁଇ ନବର ॥ ୧୦୧
ଏମନ୍ତେ ଶୁଣି ନୃପବର । ବ୍ରାହ୍ମଣୀ ନବରୁ ବାହାର ॥ ୧୦୨
ଅମରପ୍ରଭା ନରନାରୀ । ବିବିଧ ପାତ୍ର କରେ ଧରି ॥ ୧୦୩
ସୁସ୍ୱର ଦିବ୍ୟଗୀତ ନାଦ । ଅଦ୍ଭୂତ ଅଖିଳ ସମ୍ପଦ ॥ ୧୦୪
ଆଗେ ଶତେକ ପରିବାରୀ । କରେ ଚାମର ଛନ୍ତି ଧରି ॥ ୧୦୫
ମଙ୍ଗଳଗୀତ ନାଦ ବାଣୀ । ମଧ୍ୟେ ବିଜୟ ତା ଘରଣୀ ॥ ୧୦୬
ରୂପେ କି ଦେବା ପଟାନ୍ତର । ଅପୂର୍ବ ବେଶ ମନୋହର ॥ ୧୦୭
କରନ୍ତି ଜୟ ଜୟ ଧ୍ୱନି । ଏମନ୍ତେ ବିପ୍ରର କାମିନୀ ॥ ୧୦୮
ପତି ଆଗମନେ ଆନନ୍ଦ । ସଙ୍ଗେ ସୁନ୍ଦରୀ ସଖୀବୃନ୍ଦ ॥ ୧୦୯
ଭୁବନୁ ହୋଇଲା ବାହାର । ରୂପେ ମୋହଇ ସୁର ନର ॥ ୧୧୦
କମଳା ଯେହ୍ନେ ହରିପୁରେ । ବ୍ରାହ୍ମଣୀ ଶୋହେ ସେ ପ୍ରକାରେ ॥ ୧୧୧
ବିପ୍ରକାମିନୀ ପତିବ୍ରତା । ଜଗତେ ଯାର ପୁଣ୍ୟକଥା ॥ ୧୧୨
ନୟନେ ଅଶ୍ରୁଜଳ ପୂରି । ସ୍ୱାମୀଚରଣ କରେ ଧରି ॥ ୧୧୩
ଭାବେ ନମଇ ପୁଣ ପୁଣ । ମନରେ କଲା ଆଲିଙ୍ଗନ ॥ ୧୧୪
ଅନେକମତେ ପୂଜାକରି । ମନେ ଚିନ୍ତଇ ନରହରି ॥ ୧୧୫
ବ୍ରାହ୍ମଣ ନିଜ ନାରୀ ଚାହିଁ । ଚକିତମନେ ବିଚାରଇ ॥ ୧୧୬
ସୁନ୍ଦର ନିବିଡ ସୁଶ୍ରୋଣୀ । କିଏ ଗଗନ ବିଳାସିନୀ ॥ ୧୧୭
ରମ୍ଭା ମେନକା ଅପସରୀ । ସେମାନେ ନୁହନ୍ତି ନା ସରି ॥ ୧୧୮
ଅଦ୍ଭୂତ ରୂପକାନ୍ତି ସାଜେ । ସୁନ୍ଦରୀ ଦାସିଗଣ ମାଝେ ॥ ୧୧୯
ଏମନ୍ତେ ସ୍ୱାମୀକର ଧରି । ଗୃହେ ପଶିଲା ବିପ୍ରନାରୀ ॥ ୧୨୦
ସ୍ତମ୍ଭେ ଦିଶନ୍ତି ରତ୍ନରାଶି । ଇନ୍ଦ୍ରଭୂବନ ପ୍ରାୟ ଦିଶି ॥ ୧୨୧
ଗୋକ୍ଷୀର ଫେନ ପ୍ରାୟ କାନ୍ତି । ଶଯ୍ୟା ପଲଙ୍କେ ବିରାଜନ୍ତି ॥ ୧୨୨
ରତ୍ନପଲଙ୍କେ ହେମଦଣ୍ତେ। ନିର୍ମିତ ହସ୍ତୀତନ୍ତ ମଣ୍ତେ ॥ ୧୨୩
ଶ୍ୱେତଚାମର ରତ୍ନପନ୍ତି । ମୁକୁତାମାଳ ବିରାଜନ୍ତି ॥ ୧୨୪
ନାନା ଆସନ ରତ୍ନମୟ । ମୁକୁତାମାଳ ବିରାଜନ୍ତି ॥ ୧୨୫
ବିବିଧ ଚନ୍ଦ୍ରାତାପ ଲମ୍ବେ । ଯାହା ଭିଆଣ ଦେବରାୟ ॥ ୧୨୬
ସ୍ପଟିକ କାନ୍ଥେ ଦୀପପନ୍ତି । ନିର୍ମଳ ରତ୍ନ ବିରାଜନ୍ତି ॥ ୧୨୭
ପାନ -ଭୋଜନ ଅପ୍ରମିତ । ବ୍ରାହ୍ମଣ ଦେଖିଲା ଅଦ୍ଭୂତ ॥ ୧୨୮
ନୃତ୍ୟ ଗାୟନ ନାନାସ୍ଥାନେ । ବିପ୍ରଭୋଜନ ଆଚମନେ ॥ ୧୨୯
ଦେବତା ପୂଜା ମହୋତ୍ସବ । ପୁର ମଣ୍ତିତ ସର୍ବଠାବ ॥ ୧୩୦
ସର୍ବସମ୍ପଦ ଏକଠୁଳେ । ଦେଖଇ ନୟନ ନିଶ୍ଚଳେ ॥ ୧୩୧
ମନେ ଚିନ୍ତଇ ଯୋଗବଳେ । ଏ କର୍ମ ନାହିଁ ରବିତଳେ ॥ ୧୩୨
ଏମନ୍ତ ସମ୍ପଦ ମୋହର । ନିଶ୍ଚୟ ଦେଲେ ଦାମୋଦର ॥ ୧୩୩
କୃଷ୍ଣର ପୁରେ ମୁଁ ଯେ ଥିଲି । ଏଡେ ସମ୍ପଦ ନ ଦେଖିଲି ॥ ୧୩୪
ପରମାନନ୍ଦର ମହିମା । ନିଗମ ନ ଜାଣଇ ସୀମା ॥ ୧୩୫
ମାଗିଲେ ନିଷ୍ଠୁର ଭଜଇ । ଭକତେ ଆଚମ୍ବିତ ଦେଇ ॥ ୧୩୬
କାଳ ନିୟମ ଯାର ନାହିଁ । ଗଗନ-ଘନ ପ୍ରାୟ ଦେଇ ॥ ୧୩୭
ମୋହର ମିତ୍ର ଯଦୁପତି । ବେଦ ନ ଜାଣେ ଯାର ଗତି ॥ ୧୩୮
ଅଭାବେ ଦେଲେ କୃଷ୍ଣ ଚିତ୍ତ । କିଞ୍ଚିତେ ମଣଇ ବହୁତ ॥ ୧୩୯
ଅଳପ ଦେଲେ ଭାବ ଘେନି । ବହୁତ ଘେନେ ଅନ୍ତର୍ଯ୍ୟାମୀ ॥ ୧୪୦
ପୃଥୁକମୁଷ୍ଟି ଦେଲି ମୁହିଁ । ଭାବେ ଘେନିଲେ ଭାବଗ୍ରାହୀ ॥ ୧୪୧
ମୁଷ୍ଟିଏ ଖାଇ ତୋଷଚିତ୍ତ । ଲକ୍ଷ୍ମୀ ଧଇଲେ ବେଗେ ହସ୍ତ ॥ ୧୪୨
ତେଣୁ ଏ ସମ୍ପଦ ମୋହର । ଏତେ ବିଚାରି ବିପ୍ରବର ॥ ୧୪୩
ବୋଲଇ ହୋଇ କୃତକୃତ୍ୟ । କପାଳେ ଦେଇ ବେନି ହସ୍ତ ॥ ୧୪୪
କୃଷ୍ଣଚରଣେ ମୋର ଚିତ୍ତ । ନିଶ୍ଚଳେ ରହୁ ଅବିରତ ॥ ୧୪୫
ମିତ୍ର ସୁହୃଦ ଦାସପଣେ । ଖଟିବି ଅଭୟ ଚରଣେ ॥ ୧୪୬
ଅଶେଷ ଯୋନି ମଧ୍ୟେ ଜାତ । ହୋଇ ଖଟିବି ଅବିରତ ॥ ୧୪୭
ତାର ଭକତିପଥ ଦ୍ୱାର । ବ୍ରହ୍ମାଶଙ୍କରେ ଅଗୋଚର ॥ ୧୪୮
ମୋର ଭକତିଭାବ ଘେନି । ଏ ଧନ ଦେଲେ ଚକ୍ରପାଣି ॥ ୧୪୯
ଏମନ୍ତ ଭାଳି ବିପ୍ର ଚିତ୍ତେ । ସମ୍ପଦେ ରହିଲା ନିଶ୍ଚିନ୍ତେ ॥ ୧୫୦
ଭ୍ରମର ପ୍ରାୟ ଭୋଗ କରି । ଅନ୍ତେ ପାଇଳା ନରହରି ॥ ୧୫୧
ଶୁଣ ପରୀକ୍ଷ ଦଣ୍ତଧର । ବିପ୍ର ଭକତ ଦାମୋଦର ॥ ୧୫୨
ଏହା ଯେ କରନ୍ତି ଶ୍ରବଣ । ଖଣ୍ତନ୍ତି କର୍ମର ବନ୍ଧନ ॥ ୧୫୩
ସେ ହରି ଚରଣକମଳେ । ମୋ ମନ ରହୁ ସୁନିଶ୍ଚଳେ ॥ ୧୫୪
କୃଷ୍ଣଚରଣେ କରି ଆଶ । କହଇ ଜଗନ୍ନାଥ ଦାସ ॥ ୧୫୫
ଇତି ଶ୍ରୀମଦଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ଉତ୍ତରାର୍ଦ୍ଧେ ପୃଥୁକ ଉପାଖ୍ୟାନଂ ନାମ
ସପ୍ତଅଶୀତିତମ ଅଧ୍ୟାୟଃ ।
ଅଷ୍ଟଅଶୀତିତମ ଅଧ୍ୟାୟ
[ସମ୍ପାଦନା]- ଶୁକ ଉବାଚ
ପ୍ରେମ ଆନନ୍ଦେ ମୁନିବର । ବୋଲନ୍ତି ଶୁଣ କୁରୁବୀର ॥ ୧
ଧରଣୀଭାରା ନିବାରଣ । ଅନାଦିପରମ କାରଣ ॥ ୨
ଅନନ୍ତ ତୁଲେ ନରହରି । ମନୁଷ୍ୟ ରୂପେ ଅବତରି ॥ ୩
ଆନନ୍ଦେ ଦ୍ୱାରାବତୀ ପୁରେ । ବିହରେ ନରକଳେବରେ ॥ ୪
ଜ୍ୟୋତିଷବିଦ୍ୟା ଅନୁମାନେ । ବିଚାରି ଋଷିଙ୍କ ବଚନେ ॥ ୫
ଜ୍ୟୋତିଷେ କୃଷ୍ଣ ପାଶେ ଯାଇ । କହିଲେ ଶିରେ କର ଦେଇ ॥ ୬
ଭୋ ନାଥ ଶୁଣ ସାବଧାନେ । ମକର ପଞ୍ଚଦଶ ଦିନେ ॥ ୭
ତୃତୀୟ ମୁହୂର୍ତ୍ତ ପ୍ରବେଶେ । ସିଂହିକାସୁତ ରବି ଗ୍ରାସେ ॥ ୮
ଦିବସେ ପ୍ରକାଶିବ ନିଶି । ପ୍ରଳୟକାଳ ପ୍ରାୟ ଦିଶି ॥ ୯
ଏମନ୍ତେ ଦଇବଜ୍ଞ ବାଣୀ । ଗୋବିନ୍ଦ ସାବଧାନେ ଶୁଣି ॥ ୧୦
ଘୋଷଣ ଦେଲେ ନିଜପୁରେ । ତୀର୍ଥଗମନ ଅନୁସାରେ ॥ ୧୧
ତ୍ରେତୟାଯୁଗେ ଭୃଗୁରାମ । ରାଜାଙ୍କୁ ବହି ଘୋରତମ ॥ ୧୨
ଦିଗବିଜୟେ ପର୍ଶୁପାଣି । ରାଜାଙ୍କୁ କୁରୁକ୍ଷେେତ୍ର ଆଣି ॥ ୧୩
କୋପେ ଛେଦିଲେ ତାଙ୍କ ମୁଣ୍ତ । ରୁଧିରେ କରି ସାତକୁଣ୍ତ ॥ ୧୪
ରୁଧିରକୁଣ୍ତ ସ୍ନାନ କରି । ପିତାଙ୍କୁ ତର୍ପଣେ ଉଦ୍ଧରି ॥ ୧୫
ତେଣୁ ହୋଇଲା ତୀର୍ଥକଳ୍ପ । ସ୍ନାନେ ହରଇ ସର୍ବପାପ ॥ ୧୬
ଏମନ୍ତେ ଜନେ ରାମତୀର୍ଥେ । ସ୍ନାହାନ ଦାନ ଯେଝାମତେ ॥ ୧୭
କରନ୍ତି ନିଗମ ବେଭାର । ଏବେ ହୋ ଶୁଣ କୁରୁବୀର ॥ ୧୮
ଭାରତଭୂମି ପ୍ରଜା ଯେତେ । ପୁତ୍ର କଳତ୍ର ଧନ ଯୁତେ ॥ ୧୯
ରାଜା ପରଜା ନରନାରୀ । ସଞ୍ଚପି କେ ତା କହିପାରି ॥ ୨୦
ଏମନ୍ତେ ଚାରିଦିଗୁଁ ଯେତେ । ପ୍ରବେଶ ହେଲେ କୁରୁକ୍ଷେତ୍ରେ ॥ ୨୧
ଜ୍ଞାନ ଅଜ୍ଞାନ ପାପ ଯେତେ । ସ୍ନାନେ ଖଣ୍ତିବେ ରାହୁଗ୍ରସ୍ତେ ॥ ୨୨
ସୁତୀର୍ଥେ ସ୍ନାନ ଦାନ ଫଳେ । ପାପୁଁ ତରିବେ ପୁଣ୍ୟବଳେ ॥ ୨୩
ଏତେ ବିଚାରି ପୁଣ୍ୟଧ୍ୟାୟି । ମିଳିଲେ କୁରୁକ୍ଷେତ୍ରେ ଯାଇ ॥ ୨୪
ଗୋବିନ୍ଦ ନନ୍ଦିଘୋଷ ରଥେ । ବସି ଚଳିଲେ ରାଜପଥେ ॥ ୨୫
ଶ୍ରୀକୃଷ୍ଣ ଯାନ୍ତେ କୁରୁକ୍ଷେତ୍ରେ । ସଜ ହୋଇଲେ ଜ୍ଞାତି ଗୋତ୍ରେ ॥ ୨୬
ଦେବକୀ ବସୁଦେବ ଘେନି । କୃଷ୍ଣର ଯେତେକ କାମିନୀ ॥ ୨୭
ପ୍ରଦ୍ୟୁମ୍ନ ଶାମ୍ବ କୃଷ୍ଣସୁତେ । ଶୁକ ସାରଣର ସହିତେ ॥ ୨୮
କୃତବର୍ମା ଯେ ଅନିରୁଦ୍ଧ । ପୁର ରଖନ୍ତି ଯେତେ ଯୋଧ ॥ ୨୯
ଉଗ୍ରସେନର ଯେତେ ବଳ । ସଜ ହୋଇଲେ କାମପାଳ ॥ ୩୦
ଏମନ୍ତେ ଗଲେ ଯଦୁଯୁଥେ । ଆରୋହି ଅଶ୍ୱ ଗଜ ରଥେ ॥ ୩୧
ନିଜ କାମିନୀ ଘେନି ସାଥେ । ଗମିଲେ କୁରୁକ୍ଷେେତ୍ର ପଥେ ॥ ୩୨
ଇନ୍ଦ୍ରର ସଙ୍ଗେ ଦେବବୃନ୍ଦେ । ଯେମନ୍ତେ ଗମନ୍ତି ଆନନ୍ଦେ ॥ ୩୩
ଗଗନେ ଗ୍ରସ୍ତ ଦିବାକର । ଦିବସେ ଦିଶିଲା ଅନ୍ଧାର ॥ ୩୪
ଗଗନେ ଦେଖି ରବିଗ୍ରାସ । ସକଳେ ହୋଇଲେ ହରଷ ॥ ୩୫
ଏମନ୍ତେ ରାହୁ ଗ୍ରାସ କାଳେ । ରାଜା ପରଜା ପୁଣ୍ୟଜଳେ ॥ ୩୬
କରନ୍ତି ସ୍ନାନ ଦାନ ବିଧି । ବେଦବଚନେ ଯେ ପ୍ରସିଦ୍ଧି ॥ ୩୭
ଗୋବିନ୍ଦ ଉପବାସ ଛଳେ । ହରଷେ ପଶି ତୀର୍ଥଜଳେ ॥ ୩୮
ବିପ୍ରଙ୍କୁ ବରି ଭଗବାନ । ଦେଲେ ସବତ୍ସା ଧେନୁଦାନ ॥ ୩୯
ବିବିଧ ଅଳଙ୍କାର ଭରି । କୋଟିଏ ଧେନୁ ଦାନ କରି ॥ ୪୦
ଅନ୍ନ ସୁବର୍ଣ୍ଣ ବସ୍ତ୍ର ଦାନ । ଆନନ୍ଦ ମନେ ଭଗବାନ ॥ ୪୧
ବିବିଧ ମତେ ଦାନ ଦେଇ । ତୀରେ ବସିଲେ କୃଷ୍ଣ ଯାଇ ॥ ୪୨
ଯାଦବ ଭୋଜ ସେହିମତେ । ସ୍ନାହାନ କଲେ ଯଥୋଚିତେ ॥ ୪୩
ଭୋଜନ ସାରି ସଙ୍ଗମେଳେ । ବସିଲେ ନାନା ବୃକ୍ଷତଳେ ॥ ୪୪
ଦେବକୀଦେବୀ ବସୁଦେବ । ବସିଲେ ରାମ ପଦ୍ନନାଭ ॥ ୪୫
ଏ ଆଦି କହିବି ମୁଁ କେତେ । କୃଷ୍ଣର ପତ୍ନୀ ସୁତ ଯେତେ ॥ ୪୬
ବୃକ୍ଷଙ୍କ ମୂଳେ ବିରାଜନ୍ତି । ଗଗନେ ଯେହ୍ନେ ତାରାପନ୍ତି ॥ ୪୭
ଏମନ୍ତେ ରାମହ୍ରଦତଟେ । ରାମ ଗୋବିନ୍ଦର ନିକଟେ ॥ ୪୮
କୃଷ୍ଣର ଦର୍ଶନେ ଆନନ୍ଦ । ଆସି ମିଳିଲେ ବନ୍ଧୁବୃନ୍ଦ ॥ ୪୯
ମତ୍ସ୍ୟ ଉଶୀନର କୋଶଳ । ବିଦର୍ଭ ଆଦି କୁରୁବଳ ॥ ୫୦
ସୃଞ୍ଜୟ କାମ୍ବୋଜ କୈକୟ । ଆନର୍ତ୍ତ କୁନ୍ତୀ ମଦ୍ରରାୟ ॥ ୫୧
କହିବି ଏକେ ଏକେ କେତେ । କେରଳ ଆଦି ରାଜା ଯେତେ ॥ ୫୨
ସୁହୃଦବନ୍ଧୁ ମିତ୍ରଜନ । ଅପରେ ଅନେକ ରାଜନ ॥ ୫୩
ନନ୍ଦ ଯଶୋଦା ଆଦି କରି । ଗୋପରେ ଯେତେ ନରନାରୀ ॥ ୫୪
ଗୋପୀଏ କୃଷ୍ଣରୁପ ଦେଖି । ଅଶ୍ରୁ ଗଳଇ ବେନି ଆଖି ॥ ୫୫
ଫୁଟିଲା ପଦ୍ମପ୍ରାୟ ନେତ୍ର । ନୀଳ କୁନ୍ତଳ ହୃଦ ଗାତ୍ର ॥ ୫୬
କି ଅବା ଦେବା ପଟାନ୍ତର । ଯାହା ରମିଲେ ଦାମୋଦର ॥ ୫୭
ଲୋଚନେ କରି ମନେ ଧ୍ୟାନ । ଅନ୍ତର କଲେ ଆଲିଙ୍ଗନ ॥ ୫୮
ପୁଲକେ ଅଙ୍ଗେ ରୋମରାଜି । ପ୍ରେମ ଆନନ୍ଦେ ଚକ୍ଷୁବୁଜି ॥ ୫୯
କଣ୍ଠକୁଣ୍ଠିତ ମଞ୍ଜୁବାଣୀ । ତା ଦେଖି କୃଷ୍ଣର ତରୁଣୀ ॥ ୬୦
ସୁହୃଦଭାବେ ଏକମେଳେ । କରନ୍ତି ଜଣେ ଜଣେ କୋଳେ ॥ ୬୧
ମୁଖେ ବିସ୍ମିତ ମନ୍ଦହାସେ । ଦୃଢେ ଯନ୍ତ୍ରିତ ସ୍ନେହପାଶେ ॥ ୬୨
ନିବିଡେ କୁଙ୍କୁମ ଲେପନ । ଭାବେ ଲଗାଇ ସ୍ତନେ ସ୍ତନ ॥ ୬୩
ଭୁଜେ କରନ୍ତି କୋଳେକୋଳେ । ଅଶ୍ରୁପୁରିତ ବେନିଡୋଳ ॥ ୬୪
କୃଷ୍ଣକାମିନୀ ଗୋପନାରୀ । ସେନେହ ଭାବ ମନେ ଧରି ॥ ୬୫
କହନ୍ତି କୃଷ୍ଣ କଥାମାନ । ସୁମରି କରନ୍ତି ରୋଦନ ॥ ୬୬
ଗୋପିଙ୍କୀ ବୋଧି କୃଷ୍ଣନାରୀ । କଥା ପ୍ରବନ୍ଧେ ମନ ହରି ॥ ୬୭
ସମସ୍ତେ ହୋଇଲେ ହରଷ । କୃଷ୍ଣର ଭାବ ମଧୁରସ ॥ ୬୮
ଏହି ପ୍ରକାରେ ବଧୁଜନେ । ଯେ ବିଧି ଯଥା ଅନୁମାନେ ॥ ୬୯
ଆଶିଷ ବଚନ୍ତେ କରନ୍ତି । କୁଳ କୁଶଳ ପଚାରନ୍ତି ॥ ୭୦
ଏକ ଆରକେ ବହି ବ୍ୟଥା । ଆନନ୍ଦେ କହେ କୃଷ୍ଣକଥା ॥ ୭୧
କୃଷ୍ଣଭକତି ହୃଦେ ଘେନି । ମିଳିଲେ ପାଣ୍ତବ ଜନନୀ ॥ ୭୨
ଭ୍ରାତ ଭଗିନୀଜନ ମଧ୍ୟେ । ପୁତ୍ର ପଉତ୍ର ଅନୁବନ୍ଧେ ॥ ୭୩
ପିତା ଜନନୀ ମୁଖ ଚାହିଁ । ଭାତୃକାମିନୀ ମଧ୍ୟେ ଥାଇ ॥ ୭୪
ଅନାଇଁ ଗୋବିନ୍ଦ ଶ୍ରୀମୁଖ । ଛାଡିଲା କଷ୍ଟ ଦୁଃଖ ଶୋକ ॥ ୭୫
ବସୁଦେବର ମୁଖ ଚାହିଁ । ବୋଲଇ ଶୋକଭର ହୋଇ ॥ ୭୬
- କୁନ୍ତୀ ଉବାଚ
ହେ ଭ୍ରାତ ଏ ମୋହର ଜନ୍ମ । ମନୁଷ୍ୟ ମଧ୍ୟେ ହୀନକର୍ମ ॥ ୭୭
ଯେତେ ଆପଦ ମୋତେ ହୋଇ । ମୋ ତହୁଁ ଆନ କେବା ସହି ॥ ୭୮
ତେଡେ ଆପଦେ ନ ସୁମର । ଅଭାଗୀ ଜୀବନ ମୋହର ॥ ୭୯
ସୁହୃଦ ଜ୍ଞାତି ପୁତ୍ର ଭାଇ । ପିତା ଜନନୀ ଯାର ଥାଇ ॥ ୮୦
ଆପଦେ ନ କରନ୍ତି ଚିନ୍ତା । ତାହାକୁ ବାମଟି ବିଧାତା ॥ ୮୧
ଏମନ୍ତ କର୍ମ ମୋର ଭାବ । ତା ଶୁଣି ବୋଲେ ବସୁଦେବ ॥ ୮୨
ଶୁଣ ଗୋ ମାତ ମୋ ବଚନ । ଆମ୍ଭଙ୍କୁ ନ କର ନିନ୍ଦନ ॥ ୮୩
ଦେଖ ସଂସାରେ ଯେତେ ଲୋକ । ଈଶ୍ୱର କ୍ରୀଡାର କନ୍ଦୁକ ॥ ୮୪
ଈଶ୍ୱର ଯନ୍ତ୍ର ମଧ୍ୟେ ପଡି । କାର୍ଯ୍ୟ କାରଣେ ପଥ ହୁଡି ॥ ୮୫
ଈଶ୍ୱର ଆଜ୍ଞା ଅନୁମତେ । ପ୍ରାଣୀ ଭାଜନ୍ତି ନାନାପଥେ ॥ ୮୬
କଂସ ପ୍ରତାପେ ଆମ୍ଭେ ତାପୀ । ବୁଲିଲୁ ବନ ଦେଶବ୍ୟାପୀ ॥ ୮୭
ପୁଣି ମିଳିଲୁ ନିଜଦେଶେ । ଏସର୍ବ ଈଶ୍ୱର ଆଦେଶେ ॥ ୮୮
କହନ୍ତି ବସୁଦେବ ସ୍ନେହେ । ସଂସାରବନ୍ଧ ମାୟାମୋହେ ॥ ୮୯
ଶୁଣି ପ୍ରବୋଧ ପଣ୍ତୁରାଣୀ । ଭାବବଚନେ ହେଲା ତୁନି ॥ ୯୦
କହନ୍ତି ବ୍ୟାସଙ୍କ ନନ୍ଦନ । ଶ୍ରୀବାସୁଦେବ ଉଗ୍ରସେନ ॥ ୯୧
ଯାଦବେ ମାନ ଗଉରବେ । ପୂଜିଲେ ନୃପତିଙ୍କି ଭାବେ ॥ ୯୨
ରାଜାଏ କୃଷ୍ଣ ଦରଶନେ । ହରଷେ ପୂଜିଲେ ସୁମନେ ॥ ୯୩
ଶୁଣ ବିରାଟସୁତାସୁତ । ଗୋବିନ୍ଦ ସମୀପେ ଆଗତ ॥ ୯୪
ଜାହ୍ନବୀସୁତ ଦ୍ରୋଣଗୁରୁ । ଅମ୍ବିକାପୁତ୍ର ମହାମେରୁ ॥ ୯୫
ଗାନ୍ଧାରୀ ଘେନି ପୁତ୍ରଶତ । ଦ୍ରୌପଦୀ ସମୀପେ ଆଗତ ॥ ୯୬
ଶକୁନି ସଞ୍ଜୟ ବିଦୁର । ଏ ଆଦି ଯେତେ ନୃପବର ॥ ୯୭
ବିରାଟ ତୁଲେ କୁନ୍ତୀଭୋଜ । ଭୀଷ୍ମକ ନଗ୍ନଜିତ ରାଜ ॥ ୯୮
ଦ୍ରୁପଦ ପୁରୁଜିତ ବେନି । ଶଲ୍ୟ ଯେ ଧୃଷ୍ଟକେତୁ ଘେନି ॥ ୯୯
କାଶୀନୃପତି ଦମଘୋଷ । ବିଶାଳା ମିଥିଳାର ଈଶ ॥ ୧୦୦
ମଦ୍ରକ କଇକେୟ ଭାନୁ । ସଙ୍ଗେ ନୃପତି ଯୁଧାମନ୍ୟୁ ॥ ୧୦୧
ସୁଶର୍ମା ବାହ୍ଲୀକର ମେଳେ । ମିଳିଲେ ଯୁଧିଷ୍ଠିର ତୁଲେ ॥ ୧୦୨
ଷୋଳସହସ୍ର ଶତେ ନାରୀ । ଅଷ୍ଟ ଅଧିକ ଆଦି କରି ॥ ୧୦୩
ଦେଖି ବିସ୍ମୟେ ନୃପଗଣେ । ନମିଲେ କୃଷ୍ଣର ଚରଣେ ॥ ୧୦୪
ରାମଗୋବିନ୍ଦ ତୋଷମନେ । ରାଜାଙ୍କୁ ବସାଇ ଆସନେ ॥ ୧୦୫
ନାନା ପ୍ରକାରେ ପୂଜାବିଧି । ପୂଜିଲେ ବେଭାର ପ୍ରସିଦ୍ଧି ॥ ୧୦୬
ଆନନ୍ଦେ ସର୍ବ ନୃପବର । ଯଦୁଙ୍କୁ ବୋଲନ୍ତି ମଧୁର ॥ ୧୦୭
ହେ ଭୋଜପତି ଦୁମ୍ଭ ଜନ୍ମ । ସଂସାର ମଧ୍ୟେ ବଡ ଧନ୍ୟ ॥ ୧୦୮
ଯେ ହରି ଯୋଗୀଙ୍କି ଦୁର୍ଲ୍ଲଭ । ତୁମ୍ଭଙ୍କୁ ହୋଇଲେ ସୁଲଭ ॥ ୧୦୯
ଦୃଷ୍ଟିଗୋଚର କୃଷ୍ଣ ଦେଖି । ନିର୍ମଳ କଲ ଚର୍ମଆଖି ॥ ୧୧୦
ଯାର ବିଶ୍ରୁତି ଶ୍ରୁତିସ୍ତୁତ । ପବିତ୍ର କରଇ ଜଗତ ॥ ୧୧୧
ପାଦଉଦକ ସୁରଧୁନୀ । ପବିତ୍ର କରେ ପୁର ତିନି ॥ ୧୧୨
ସକଳଶାସ୍ତ୍ର ଯାର ବାଣୀ । ଜଗତ ତରେ ଯାହା ଶୁଣି ॥ ୧୧୩
କାଳଅନଳେ ଏ ଧରଣୀ । ଭାବେ ଭର୍ଜିତ ପ୍ରାୟ ମଣି ॥ ୧୧୪
ଯାହାର ଚରଣ ସ୍ପରଶେ । ଜୀବନ ପାଇ ଭାରା ନାଶେ ॥ ୧୧୫
ଏମନ୍ତ ପ୍ରଭୁ ମହାବାହୁ । ଆମ୍ଭଙ୍କୁ ଚଉବର୍ଗ ଦେଉ ॥ ୧୧୬
ସେ ହରି ନିତ୍ୟେ ତୁମ୍ଭ ପାଶେ । ନରକପଥ-ଗୃହବାସେ ॥ ୧୧୭
ତାର ଦର୍ଶନ ହାସ୍ୟରସ । ଅନୁଗମନ ପରିହାସ ॥ ୧୧୮
ଯୋନି ସମ୍ବନ୍ଧେ ପିଣ୍ତଦାନ । ନାନା ସମ୍ବନ୍ଧେ ଅନୁଧ୍ୟାନ ॥ ୧୧୯
ଏହା ପାଇଲ ତପ ଦାହି । ସ୍ୱର୍ଗାପବର୍ଗେ ବାଞ୍ଛା ନାହିଁ ॥ ୧୨୦
ଏମନ୍ତେ ରାଜାଙ୍କ ବଚନ । ଶୁଣି ହରଷ ଉଗ୍ରସେନ ॥ ୧୨୧
କହନ୍ତି ବ୍ୟାସଙ୍କର ବଳା । ନନ୍ଦ ଯେ କୁରୁକ୍ଷେେତ୍ର ଥିଲା ॥ ୧୨୩
ନିଜ ଗୋକୁଳ ସଙ୍ଗତରେ । ମିଳିଲା ଶ୍ରୀକୃଷ୍ଣ ଛାମୁରେ ॥ ୧୨୪
ଶକଟ ସାଜି ନାନାମତେ । ଅନେକ ପରଜା ସଙ୍ଗତେ ॥ ୧୨୫
ନନ୍ଦକୁ ଦେଖି ଯଦୁଗଣ । ଆସନ ତେଜିଲେ ତକ୍ଷଣ ॥ ୧୨୬
ପିଣ୍ତ ଯେସନେ ପ୍ରାଣ ପାଇ । ଉଠି ଆନନ୍ଦେ ସମ୍ଭାଷଇ ॥ ୧୨୭
ଚିତଦରଶନ କାତରେ । ହୃଦେ ଭିଡନ୍ତି ସ୍ନେହଭରେ ॥ ୧୨୮
ଆନନ୍ଦେ ଉଠି ବସୁଦେବ । ନନ୍ଦର ମିତ୍ର ପ୍ରିୟଭାବ ॥ ୧୨୯
କଂସର କୃତକ୍ଳେଶ ଯେତେ । ସର୍ବ ସୁମରି ଶୋକଚିତ୍ତେ ॥ ୧୩୦
କୃଷ୍ଣଙ୍କୁ ଘେନି ରାତ୍ରକାଳେ । ଯେମନ୍ତେ ଥୋଇଲା ଗୋକୁଳେ ॥ ୧୩୧
ତାହା ସୁମରି ଅତି ସ୍ନେହେ । ଚିତ୍ତଜଡିତ ମାୟାମୋହେ ॥ ୧୩୨
ପାଶେ ଯେ ଥିଲେ ରାମହରି । ନନ୍ଦ ଯଶୋଦା ପାଦ ଧରି ॥ ୧୩୩
ନମିଲେ ଅତି ସୁଖଭୋଳେ । ବସିଲେ ବେନିଜନ କୋଳେ ॥ ୧୩୪
ହୃଦରେ କରି ଆଲିଙ୍ଗନ । ବଦନୁ ନ ସ୍ପୁରେ ବଚନ ॥ ୧୩୫
ଯଶୋଦା ବେନି ଭୁଜେ ଧରି । ହୃଦେ ଲଗାଇ ନରହରି ॥ ୧୩୬
ପ୍ରାଣହୁଁ ଅତି ସ୍ନେହ ଭରି । ନିବିଡେ ଆଲିଙ୍ଗନ କରି ॥ ୧୩୭
ପରମାନନ୍ଦ ଲଭି ସୁଖ । ବେଗେ ହୁଡିଲା ମନଦୁଃଖ ॥ ୧୩୮
ନନ୍ଦ ରାମଙ୍କୁ କରି କୋଳ । ନୟନୁ ବହେ ଅଶ୍ରୁଜଳ ॥ ୧୩୯
ହୃଦେ ନିରୋପି ଦିବ୍ୟଜ୍ଞାନ । ଛାଡିଲା ଦୁଃଖ ଶୋକମାନ ॥ ୧୪୦
ଦେବକୀ ରୋହିଣୀ ଆନନ୍ଦେ । ଭାବେ ଲଗାଇ ହୃଦହୃଦେ ॥ ୧୪୧
ନିର୍ଭରେ ଆଲିଙ୍ଗନ କରି । ମିତ୍ର ସ୍ୱଭାବେ ବ୍ରଜେଶ୍ୱରୀ ॥ ୧୪୨
ବିପଦକାଳେ ମିତ୍ରଗୁଣ । ଶୋକେ ସୁମରି ପୁଣ ପୁଣ ॥ ୧୪୩
ବୋଲନ୍ତି ଯଶୋଦାକୁ ଚାହିଁ । କିସ ଉପମା ଦେବି ମୁହିଁ ॥ ୧୪୪
ଇନ୍ଦ୍ରସମ୍ପଦ ସୁଖ ଭୁଞ୍ଜି । କେ ପାରୁ ତୁମ୍ଭ ଋଣ ଶୁଝି ॥ ୧୪୫
ବେନି ବାଳକ ତୁମ୍ଭ ଘରେ । ପ୍ରାଣ ପୋଷିଲେ କଂସ ଡରେ ॥ ୧୪୬
ରାମଗୋବିନ୍ଦ ଭାଇ ବେନି । ତୁମ୍ଭେ ଯେ ପିଅର ଜନନୀ ॥ ୧୪୭
ପାଳିଲ ପୁତ୍ରହୁଁ ଅଧିକେ । ତୁମ୍ଭେ ଯେ ଧନ୍ୟ ବେନିଲୋକେ ॥ ୧୪୮
ପୋଷିଲ ପୁତ୍ରଭାବ ଘେନି । ଅନ୍ଧ ଯେସନେ ଚକ୍ଷୁବେନି ॥ ୧୪୯
କି ଆର ସଂସାର ବେଭାର । ତୁମ୍ଭର ନାହିଁ ପରାପର ॥ ୧୫୦
ଏମନ୍ତେ ଯଶୋଦାର ତୁଲେ । ଦେବକୀ ରୋହିଣୀ ବସିଲେ ॥ ୧୫୧
ଶୁଣ ରାଜନ ଚୁଡାମଣି । ଆନନ୍ଦେ ଗୋପର ତରୁଣୀ ॥ ୧୫୨
କୃଷ୍ଣଙ୍କୁ ଦେଖି ସୁଖଭୋଳେ । ନିରୋପି ନୟନେ ନିଶ୍ଚଳେ ॥ ୧୫୩
ଲଜ୍ଜା ଉପେକ୍ଷି ଗୋପୀବୃନ୍ଦ । ଚିରଦରଶନେ ଆନନ୍ଦ ॥ ୧୫୪
କୃଷ୍ଣର ବଦନ ଦେଖନ୍ତି । ଚକ୍ଷୁ ନିମିଷେ ନ ଚାଳନ୍ତି ॥ ୧୫୫
ଚାହାନ୍ତି କୃଷ୍ଣ ସର୍ବଅଙ୍ଗ । ଅଗ୍ନିକି ଯେସନେ ପତଙ୍ଗ ॥ ୧୫୬
କୃଷ୍ଣର ରୂପ ପ୍ରିୟଭାବେ । ହୃଦେ ଭରିଲେ ଦୃଷ୍ଟିମାର୍ଗେ ॥ ୧୫୭
ଆନନ୍ଦ ରୂପ ଭଗବାନ । ଅନ୍ତରେ କଲେ ଆଲିଙ୍ଗନ ॥ ୧୫୮
ଲଭିଲେ ନିଜ ପ୍ରିୟଭାବ । ଯେ ହରି ଯୋଗିଙ୍କି ଦୁର୍ଲ୍ଲଭ ॥ ୧୫୯
ଗୋପୀଙ୍କ ଭାବ ଦେଖି ହରି । ଅନନ୍ତମାୟା ଯୋଗ କରି ॥ ୧୬୦
କେହି ନ ଦେଖେ ରୂପ ଡୋଳେ । ମିଳିଲେ ଗୋପୀଙ୍କର ମେଳେ ॥ ୧୬୧
ପଚାରି ଗୋପୀଙ୍କ କୁଶଳ । କରନ୍ତି ଜଣେ ଜଣେ କୋଳ ॥ ୧୬୨
ବୋଲନ୍ତି ଜଗତମୋହନ । କୋମଳ ଗଭୀର ବଚନ ॥ ୧୬୩
ଶୁଣ ଗୋ ସଖୀଜନେ ମୋର । ମୁଁ ଯେ ରହିଲି ମଧୁପୁର ॥ ୧୬୪
ଅଇଲି ନିଜ କର୍ମ ଆଶେ । ଭାରା ନିବାରଣ ବିଶ୍ୱାସେ ॥ ୧୬୫
ଅନେକ ଦିନୁଁ ନାହିଁ ଦେଖା । ମୁହିଁ ତୁମ୍ଭର ନିଜ ସଖା ॥ ୧୬୬
ଈଶ୍ୱର ମାୟାରେ ସଂସାର । ସଂଯୋଗ ବିଯୋଗ ବେଭାର ॥ ୧୬୭
ପବନ ଯେହ୍ନେ ମେଘମାଳା । ଧରଣୀ ରେଣୁ ତୃଣ ତୁଳା ॥ ୧୬୮
କରଇ ସଂଯୋଗ ବିଯୋଗ । ଏମନ୍ତ ଈଶ୍ୱରର ଯୋଗ ॥ ୧୬୯
ମୋହରେ ଭାବ ଯେ କରନ୍ତି । ମୋ ତହୁଁ ଭିନ୍ନ ସେ ନୁହନ୍ତି ॥ ୧୭୦
ତୁମ୍ଭର ଭାଗ୍ୟ ଏ ସଂସାରେ । ଭାବେ ଭଜିଲ ମୋ ପୟରେ ॥ ୧୭୧
ମୁହିଁ ସକଳ ପ୍ରାଣୀଙ୍କର । ଆବୋରି ଭିତର ବାହାର ॥ ୧୭୨
କରଇ ସୃଷ୍ଟି ଆଦିଅନ୍ତ । ଯେହ୍ନେ ଜଡିତ ପଞ୍ଚଭୂତ ॥ ୧୭୩
ଉଭୟ ମହିମା ମୋହର । ଜ୍ଞାନୀଜନଙ୍କୁ ଅଗୋଚର ॥ ୧୭୪
ଏମନ୍ତେ ପ୍ରଭୁ ଭଗବାନ । ଗୋପିଙ୍କି କହି ତତ୍ତ୍ୱଜ୍ଞାନ ॥ ୧୭୫
ଗୋପୀଏ କୃଷ୍ଣର ବଚନ । ଶୁଣି ପାଇଲେ ଦିବ୍ୟଜ୍ଞାନ ॥ ୧୭୬
ନିର୍ଲୋଭ କୃଷ୍ଣ ରୂପ ଚାହିଁ । ବୋଲନ୍ତି ଶିରେ କର ଦେଇ ॥ ୧୭୭
ଭୋ ନାଥ ଶୁଣ ପଦ୍ମନାଭ । ଲଭିଲୁ ତୋ ଚରଣେ ଭାବ ॥ ୧୭୮
ତୋର ଚରଣ ହେ ଅନନ୍ତ । ଯୋଗୀଙ୍କ ହୃଦପଦ୍ମେ ସ୍ଥିତ ॥ ୧୭୯
ଅଜ୍ଞାନ ମାୟାର ପ୍ରବୋଧ । ଭୋ ନାଥ ତୋର ପଦ୍ମପାଦ ॥ ୧୮୦
ସଂସାର ଅନ୍ଧକାର କୂପେ । ପ୍ରାଣୀଯନ୍ତ୍ରିତ ତିନିତାପେ ॥ ୧୮୧
ତୋ ପଦ୍ମପାଦ ଚକ୍ରପାଣି । ତାହାଙ୍କ ତରିବା ନିଶୁଣି ॥ ୧୮୨
ଗୋପୀଏ କୃଷ୍ଣପାଦ ଧରି । ବୋଲନ୍ତି ତରିଲୁ ମୁରାରି ॥ ୧୮୩
ଆମ୍ଭର ତୋ ଚରଣେ ମନ । ଏ ବର ଦେବୁ ନାରାୟଣ ॥ ୧୮୪
ଏମନ୍ତ ଗୋପୀଙ୍କ ବଚନ । ଶୁଣି ସନ୍ତୋଷ ଭଗବାନ ॥ ୧୮୫
ହସି ବୋଲନ୍ତି ଦାମୋଦର । ପୂର୍ବହୁଁ ଦେଅଛୁ ବର ॥ ୧୮୬
ତୁମ୍ଭର ମୋ ଚରଣେ ମନ । ନିଶ୍ଚେ ପାଇବ ମୋର ସ୍ଥାନ ॥ ୧୮୭
ଏମନ୍ତେ ଗୋପିଙ୍କି ନିସ୍ତାରି । ନିଜ ଆସନେ ବିଜେ କରି ॥ ୧୮୮
ସେ ହରି ଚରଣକମଳେ । ମୋ ମନ ରହୁ ଧ୍ୟାନବଳେ ॥ ୧୮୯
ସୁଜନେ ଚିନ୍ତ ଦୃଢମନେ । ଗୋପୀଙ୍କ ପ୍ରାୟ ଶୁଦ୍ଧଧ୍ୟାନେ ॥ ୧୯୦
ପାଇବ ପରମକାରଣ । ତାରିବେ ପ୍ରଭୁ ନାରାୟଣ ॥ ୧୯୧
ଗୋପୀଙ୍କ ପ୍ରାୟ ଭାବେ ଧ୍ୟାୟି । ସକଳ କର୍ମେ ଭାବଗ୍ରାହୀ ॥ ୧୯୨
ପାଇ ନ ପାଇ କଲି ଆଶ । ବୋଲଇ ଜଗନ୍ନାଥ ଦାସ ॥ ୧୯୩
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ଉତ୍ତରାର୍ଦ୍ଧେ ବୃଷ୍ଟିଗୋପସଙ୍ଗମୋନାମ
ଅଷ୍ଟଅଶୀତିତମ ଅଧ୍ୟାୟଃ
ଏକୋନନବତିତମ ଅଧ୍ୟାୟ
[ସମ୍ପାଦନା]- ଶୁକ ଉବାଚ
କହନ୍ତି ବ୍ୟାସଙ୍କର ସୁତ । ଶୁଣ ସୁମନେ ପରୀକ୍ଷିତ ॥ ୧
ଅଖିଳଜନଗୁରୁ ହରି । ବ୍ରଜକାମିନୀ ବୋଧ କରି ॥ ୨
ଧର୍ମନନ୍ଦନ ତୁଲେ ଯେତେ । ସୁହୃଦ ବାନ୍ଧବ ସମେତେ ॥ ୩
ତାହାଙ୍କୁ ଚାହିଁ ନନ୍ଦବାଳ । ହରଷେ ପୁଚ୍ଛନ୍ତି କୁଶଳ ॥ ୪
ଭୋ ରାଜା ଶୁଣ ମୋ ବଚନ । କୁଶଳ କହ ସର୍ବଜନ ॥ ୫
କୃଷ୍ଣବଚନ ଶୁଣି କର୍ଣ୍ଣେ । ଆନନ୍ଦ ମନେ ବନ୍ଧୁଜନେ ॥ ୬
କୃଷ୍ଣର ପାଦପଦ୍ମ ଚାହିଁ । ତାହାଙ୍କ ଦେହେ ପାପ ନାହିଁ ॥ ୭
ବୋଲନ୍ତି ସ୍ନେହ ଗଦଗଦେ । ଚିତ୍ତ ନିବେଶି ପଦ୍ମପାଦେ ॥ ୮
ଭୋ ନାଥ ଶୁଣ ହୃଷୀକେଶ । ତୋ ପାଦପଦ୍ମ ମଧୁରସ ॥ ୯
ମହତ ମୁଖୁଁ ଝରେ ନିତି । ଯେ କର୍ଣ୍ଣପୁଟରେ ପିବନ୍ତି ॥ ୧୦
ନିତ୍ୟେ ପିବନ୍ତି ମୋଦଭରି । ତେଣେ ଅଜ୍ଞାନମାର୍ଗ ହରି ॥ ୧୧
ତାର ଅଶୁଭ ଫଳ କାହିଁ । ପୁଣି ବୋଲନ୍ତି କୃଷ୍ଣେ ଚାହିଁ ॥ ୧୨
ଭୋ ନାଥ ଶୁଣ ପୂର୍ଣ୍ଣକାମ । ନିର୍ମଳ ତୋର ଆତ୍ମଧାମ ॥ ୧୩
ମାୟା ଅଙ୍କୁର ପରକାଶ । ଯାର ସ୍ମରଣେ ଯାଇ ନାଶ ॥ ୧୪
ଆନନ୍ଦ ସୁଖସିନ୍ଧୁ ନାବ । ଅଖଣ୍ତ ଅକୁଣ୍ଠିତ ଭାବ ॥ ୧୫
ନିଗମେ ଯେବେ ବିନଶନ୍ତି । କାଳ ସର୍ଜିତ ମାୟାକୃତି ॥ ୧୬
ସ୍ୱରୂପେ ଥାଇ ଜନହିତେ । ତୁ ଦେହ ବହୁ ଏ ଜଗତେ ॥ ୧୭
ନିଜ ପରମହଂସ ଗତି । ଆମ୍ଭର ତୋର ପାଦ ମତି ॥ ୧୮
ବୋଲନ୍ତି ବ୍ୟାସଙ୍କ ନନ୍ଦନ । ଶୁଣ ହେ ପରୀକ୍ଷ ରାଜନ ॥ ୧୯
ସମସ୍ତେ କୃଷ୍ଣମୁଖ ଚାହିଁ । ସ୍ତୁତି କରନ୍ତି ଭାବରହି ॥ ୨୦
ଏମନ୍ତ ଜନେ ସ୍ତୁତି ଭଣି । ଉତ୍ତମ ଯଶ ଶିଖାମଣି ॥ ୨୧
ସମୀପେ ଦେଖି ନରହରି । ବୃଷ୍ଟି ଅନ୍ଧକ କୁରୁନାରୀ ॥ ୨୨
ଆନନ୍ଦେ ବସି ମନସୁଖେ । କହନ୍ତି କୃଷ୍ଣକଥା ମୁଖେ ॥ ୨୩
ଏକ ଆରକେ ମୁଖ ଚାହିଁ । ତ୍ରୈଲୋକ୍ୟ ତରେ ଯାହା ଗାଇ ॥ ୨୪
କୃଷ୍ଣକାମିନୀଗଣ ଚାହିଁ । ହରଷେ ଦ୍ରୌପଦୀ ବୋଲଇ ॥ ୨୫
ହେ ବଇଦର୍ଭି ରୂପଶୀଳେ । ହେ ଜାମ୍ବବତୀ କଉଶଲ୍ୟେ ॥ ୨୬
ହେ ସତ୍ୟଭାମା ରବିସୁତେ । ଶୈବ୍ୟା ଲକ୍ଷଣା ଆଦି ଯେତେ ॥ ୨୭
ଭଦ୍ରା ରୋହିଣୀ ଆଦି କରି । ଷୋଳସହସ୍ର ଯେତେ ନାରୀ ॥ ୨୮
କେମନ୍ତେ କୃଷ୍ଣଙ୍କୁ ବରିଲ । ଏ ମାୟାବନ୍ଧୁ ନିସ୍ତାରିଲ ॥ ୨୯
କେବଣ ତପ ପୂର୍ବେ ଦାହି । କୃଷ୍ଣଙ୍କୁ ସ୍ୱାମୀ ପଣେ ପାଇ ॥ ୩୦
କହ ଶ୍ରବଣେ ଇଚ୍ଛା ମୋର । କେମନ୍ତେ କୃଷ୍ଣ ତୁମ୍ଭ ବର ॥ ୩୧
ଏକଇ ପୁରୁଷ ଗୋବିନ୍ଦ । ଅନେକ ନାରୀ ଯେ ଆନନ୍ଦ ॥ ୩୨
କେମନ୍ତେ ମନାଇଲ ହରି । କହ ଉଚିତ ଭାବ ଭରି ॥ ୩୩
ଏମନ୍ତେ ଦ୍ରୌପଦୀ ବଚନେ । ରୁକ୍ମିଣୀ କହେ ତୋଷମନେ ॥ ୩୪
ରୁକ୍ମୀ ଯେ ମୋର ଜ୍ୟୈଷ୍ଠଭାଇ । ଶିଶୁପାଳକୁ ଦେବାପାଇଁ ॥ ୩୫
ମଙ୍ଗଳ ଲଗ୍ନେ ବର ବରି । ରାଜାଏ ନାନା ଶସ୍ତ୍ର ଧରି ॥ ୩୬
ମୋତେ ଆବୋରି ରାଜପଥେ । ଅନେକ ଗଜ ଅଶ୍ୱ ରଥେ ॥ ୩୭
ମୋହର ସ୍ୱୟମ୍ବର ଶୁଣି । ଅଇଲେ ପ୍ରଭୁ ଚକ୍ରପାଣି ॥ ୩୮
ମୋତେ ହରିଲେ ଏକା ରଥେ । ସିଂହ ଯେସନେ ମେଷୟୁଥେ ॥ ୩୯
ତାର ଶ୍ରୀଯୁତ ପଦ୍ମପାଦେ । ଚିତ୍ତ ମୋ ସେବୁ ଅପ୍ରମାଦେ ॥ ୪୦
କହି ହରଷ କୃଷ୍ଣବାମା । ତଦନ୍ତେ କଲେ ସତ୍ୟଭାମା ॥ ୪୧
ମୋହର ପିତା ଶତ୍ରାଜିତ । ସୂର୍ଯ୍ୟଙ୍କ ରୁଲେ ହେଲେ ମିତ ॥ ୪୨
ସନ୍ତୋଷେ ପ୍ରଭୁ ଦିନମଣି । ଦେଲେ ସେ ସ୍ୟମନ୍ତକ ମଣି ॥ ୪୩
ଏକଇ ଦିନେ ପିତା ମୋର । ଗଳାରେ ଖଞ୍ଜିଣ ବାହାର ॥ ୪୪
ସଭାର ମଧ୍ୟେ ଚକ୍ରପାଣି । ମାଗିଲେ ସାମନ୍ତକ ମଣି ॥ ୪୫
ପିତା ମୋ ନ ଦେଲା ତାହାଙ୍କୁ । ପ୍ରସେନ ନେଲା ବନସ୍ତକୁ ॥ ୪୬
ମୃଗୟା ବିନୋଦେ ଗମନ । ଚଢିଣ ଥିଲା ହୟଯାନ ॥ ୪୭
ବନେ ତା ସିଂହ କଲା ହତ । ନ ଦେଖି ତାତ ସାନଭ୍ରାତ ॥ ୪୮
ମନେ ଭାଳଇ ପୁଣ ପୁଣି । କୃଷ୍ଣ ଯେ ମାଗିଥିଲେ ମଣି ॥ ୪୯
ମୁଁ ଯେ ନ ଦେଲି ଲୋଭବଶେ । ତେଣୁ ଗୋବିନ୍ଦ ଅବିଶ୍ୱାସେ ॥ ୫୦
ମୋ ଭ୍ରାତ ବନେ ସଂହାରିଲା । ଏମନ୍ତ ଅପବାଦ ଦେଲା ॥ ୫୧
ସେ ଅପବାଦ ମାର୍ଜିବାରେ । କୃଷ୍ଣ ମିଳିଲେ ବନଘୋରେ ॥ ୫୨
ବନ୍ଧୁବାନ୍ଧବେ ବନେ ମିଳି । ଦେଖି ପ୍ରସେନ ମୃତ୍ୟୁସ୍ଥଳୀ ॥ ୫୩
ସିଂହର ଦନ୍ତ ନଖଘାତେ । ଦେଖି ସମସ୍ତେ ସ୍ତମ୍ଭୀଭୂତେ ॥ ୫୪
ଜାଣିଲେ ରକ୍ଷ ସିଂହ ମାରି । ସେ ମଣି ନେଲା ନିଜପୂରୀ ॥ ୫୫
ତା ଦେଖି କୃଷ୍ଣ ବିଳେ ପଶି । ଜାମ୍ବବ ତୁଲେ ହୃଷୀକେଶୀ ॥ ୫୬
ରକ୍ଷକୁ ମାଲଯୁଦ୍ଧେ ଜିଣି । ଆଣିଲେ ସାମନ୍ତ୍ୟକ ମଣି ॥ ୫୭
ସେ ମଣି ପିତା କଣ୍ଠେ ନେଇ । କୃଷ୍ଣ ସନ୍ତୋଷମନେ ଦେଇ ॥ ୫୮
ପିତା ମୋ କଣ୍ଠେ ନେଇ । କୃଷ୍ଣ ସନ୍ତୋଷମନେ ଦେଇ ॥ ୫୯
ଏଣୁ ମୁଁ କୃଷ୍ଣର ଯୁବତୀ । ତା ଶୁଣି ବୋଲେ ଜାମ୍ବବତୀ ॥ ୬୦
ଏ ମଣି ହେତୁ ନରହରି । ମୋ ତାତ ତୁଲେ ଯୁଦ୍ଧକରି ॥ ୬୧
ତ୍ରିନବଦିନ ମହାଘୋର । ଯୁଦ୍ଧେ ହାରିଲା ପିତା ମୋର ॥ ୬୨
ଗାଢ ପ୍ରହାରେ ତନୁ କ୍ଷୀଣ । ପ୍ରତ୍ୟେକ୍ଷ ଜାଣି ବିଷ୍ଣୁଚିହ୍ନ ॥ ୬୩
ଜାଣିଲା ଏ ମୋ ନିଜ ନାଥ । ରଘୁନନ୍ଦନ ସୀତାକାନ୍ତ ॥ ୬୪
ପୂର୍ବର କଥା ମନେ ଗୁଣି । ଚିହ୍ନିଲା ପ୍ରଭୁ ଚକ୍ରପାଣି ॥ ୬୫
ମଥୁରା ଜନମ ମୁରାରି । ମୋ ମନକଥା ଜାଣିକରି ॥ ୬୬
ଅଇଲେ ଯୁଦ୍ଧଦେବା ଅର୍ଥେ । ମୁଁ ଏବେ ପରମକୃତାର୍ଥେ ॥ ୬୭
କୋପସଂହାରି ଗୁଣମଣି । ଅନେକ ସ୍ତୁତିବାକ୍ୟ ଭଣି ॥ ୬୮
ପଡିଲା କୃଷ୍ଣପଦ୍ମପାଦେ । ଆନନ୍ଦେ ଶୋକ ଗଦଗଦେ ॥ ୬୯
ନିଜ ଅପରାଧ ବିଚାରି । ମଣି ମୋହର କଣ୍ଠେ ଭରି ॥ ୭୦
ଗୋବିନ୍ଦପାଦେ ଦେଲା ଆଣି । ଏଣୁ ମୁଁ କୃଷ୍ଣର ଘରଣୀ ॥ ୭୧
ଏ କଥା ଜଗତେ ପ୍ରସିଦ୍ଧି । ତା ଶୁଣି ବୋଲଇ କାଳିନ୍ଦୀ ॥ ୭୨
ଶୁଣ ଗୋ ସଖୀ କଥା ମୋର । ପିତା ମୋହର ଦିନକର ॥ ୭୩
ବୋଇଲେ ତପକର ଯାଇ । ପାଇବୁତ୍ରୈଲୋକ୍ୟଗୋସାଇଁ ॥ ୭୪
ପିତାବଚନେ ଘୋରବନେ । ତପ କରଇ ଶୁଦ୍ଧମନେ ॥ ୭୫
ଅଭୟପାଦ ସେବା ଆଶେ । ତା ଜାଣି କୃଷ୍ଣ ମୋର ପାଶେ ॥ ୭୬
ଅର୍ଜୁନେ ପେଷି ମୋତେ ଆଣି । ବିଭା ହୋଇଲେ ଚକ୍ରପାଣି ॥ ୭୭
ପିତାବଚନ ଶିରେ ଘେନି । ତେଣୁ ମୁଁ କୃଷ୍ଣର କାମିନୀ ॥ ୭୮
ଏଣୁ ମୋ ବର ଚକ୍ରପାଣି । ମିତ୍ରବିନ୍ଦା ବୋଲେ ତା ଶୁଣି ॥ ୭୯
ଶୁଣ ଗୋ ଦ୍ରୁପଦକୁମାରୀ । ମୋ ପିତା ସ୍ୱୟମ୍ବର କରି ॥ ୮୦
ଅନେକ ଥିଲେ ରାଜାଗଣେ । କେତେ କହିବି ଜଣେ ଜଣେ ॥ ୮୧
ଏମନ୍ତ ଜାଣି ଗୋପୀନାଥେ । ଯାଇ ମିଳିଲେ ଏକାରଥେ ॥ ୮୨
ଗୋବିନ୍ଦ ଆସି ନୃପମେଳେ । ସମରେ ଜିଣି ବାହୁବଳେ ॥ ୮୩
ମୋତେ ହରିଲେ ଏକାରଥେ । ସିଂହ ଯେସନେ ଶ୍ୱାନଯୁଥେ ॥ ୮୪
ହରଇ ନିଜ ଭାଗ ବଳେ । ମୋ ଭାତୃଗଣ ମୋର ଛଳେ ॥ ୮୫
କୃଷ୍ଣର ତୁଲେ କଲେ ରଣ । ତାହାଙ୍କୁ ଜିଣି ତତ୍କ୍ଷଣ ॥ ୮୬
ମୋତେ ଆଣିଲେ ଶ୍ରୀନିବାସ । ତାର ଚରଣେ ସେବା ଆଶ ॥ ୮୭
ସେ ପଦ୍ମପାଦେ ମୋର ସେବା । ହେଉ ଏମନ୍ତ ଆଜ୍ଞା ଦେବା ॥ ୮୮
ମିତ୍ରବିନ୍ଦାର ଏ ବଚନେ । ସତ୍ୟା ବୋଲଇ ତୋଷମନେ ॥ ୮୯
ମୋ ପିତା ଭୁବନେ ପ୍ରଚଣ୍ତ । ଥିଲେ ଯେ ଦୃଷ୍ଟ ସାତଷଣ୍ଢ ॥ ୯୦
ଅତି ସୁତୀକ୍ଷଣ ଶୃଙ୍ଗ ଖୁର । ଦେଖି ଡରନ୍ତି ମହାବୀର ॥ ୯୧
ତାହାଙ୍କୁ ନିଜ ପୁରେ ଥୋଇ । ଘୋଷଣ ଚଉଦିଗେ ଦେଇ ॥ ୯୨
ରାଜାଙ୍କ ବଳ ପରୀକ୍ଷାର୍ଥେ । ମଧ୍ୟେ ସଞ୍ଚିତ କରି ମୋତେ ॥ ୯୩
ଏ ସାତଷଣ୍ଢ ବାହୁବଳେ । ଯେ ବାନ୍ଧିପାରେ ଏକାବେଳେ ॥ ୯୪
ଏ କନ୍ୟା ହୋଇବ ତାହାର । ସତ୍ୟବଚନ ଏ ମୋହର ॥ ୯୫
ତା ଶୁଣି ନୃପତିକୁମରେ । ମିଳିଲେ ମୋ ପିତା ନଗରେ ॥ ୯୬
ଦେଖି ସପତଷଣ୍ଢ ରୂପ । ଭୟେ ଭାଜିଲେ ସର୍ବ ନୃପ ॥ ୯୭
ଏମନ୍ତେ ପ୍ରଭୁ ବନମାଳୀ । ବେଗେ ମୋ ପିତା ପୁରେ ମିଳି ॥ ୯୮
ସେ ସାତଷଣ୍ଢ ବାହୁବଳେ । ବନ୍ଧନ କଲେ ଏକାବେଳେ ॥ ୯୯
ଛାଗବାଳକ ରାଜପଥେ । ବାଳକେ ବାନ୍ଧନ୍ତି ଯେମନ୍ତେ ॥ ୧୦୦
ଏମନ୍ତେ ବୃକ୍ଷ ବନ୍ଦୀ କରି । ମୋତେ ଲଭିଲେ ନରହରି ॥ ୧୦୧
ପଥେ ସମରେ ରାଜା ଜିଣି । ଦ୍ୱାରକା ନେଲେ ଚକ୍ରପାଣି ॥ ୧୦୨
ସେ ହରି ଅଭୟ ଚରଣେ । ମୋ ଚିତ୍ତ ରହୁ ଅନୁକ୍ଷଣେ ॥ ୧୦୩
ଯାର ସ୍ମରଣେ ନାହିଁ ବାଧା । ତା ଶୁଣି ବୋଲଇ ଯେ ଭଦ୍ରା ॥ ୧୦୪
କୃଷ୍ଣ ମୋ ମାତୁଳକୁମର । ପିତା ବରିଲା ତାଙ୍କୁ ବର ॥ ୧୦୫
କୃଷ୍ଣଙ୍କୁ ଆଣି ନିଜପୁରେ । ବିବାହ ଦେଲା ସୁହୃଦରେ ॥ ୧୦୬
ଶୁଣ ଦ୍ରୌପଦୀ ମନଦେଇ । ମୋହର ଚିତ୍ତ କୃଷ୍ଣ ତହିଁ ॥ ୧୦୭
ବଳ ଅକ୍ଷୌହିଣୀ ସଙ୍ଗତେ । ସଖୀ ସମେତ ଦେଲା ମୋତେ ॥ ୧୦୮
ସେ ହରିପାଦେ ମୋର କର୍ମେ । ସ୍ମରଣ ହେଉ ଜନ୍ମେ ଜନ୍ମେ ॥ ୧୦୯
ଏ ଭବଜଳେ ମୋର ଜନ୍ମ । ଅର୍ଜିତକର୍ମେ ପଥଶ୍ରମ ॥ ୧୧୦
ସେ କୃଷ୍ଣପାଦେ ସେବା ହେଉ । ଏ ମୋର ମାୟାଭ୍ରମ ଯାଉ ॥ ୧୧୧
ଏମନ୍ତେ ଶୁଣି ସର୍ବବାଣୀ । ଲକ୍ଷଣା କହେ ମନେ ଗୁଣି ॥ ୧୧୨
ଶୁଣ ଗୋ ଧର୍ମସୁତରାଣି । ଲକ୍ଷଣା କହେ ମନେ ଗୁଣି ॥ ୧୧୩
ନାରଦମୁନି ଶୁଦ୍ଧଚେତା । କୃଷ୍ଣର ଜନ୍ମଧର୍ମକଥା ॥ ୧୧୪
ନିତ୍ୟେ କହନ୍ତି ମୋର ପାଶେ । ତା ଶୁଣି ମନ ମୋ ବିଶ୍ୱାସେ ॥ ୧୧୫
ମୁକୁନ୍ଦପାଦେ ଲୋଭ କରି । ଯେ ପାଦ ଲକ୍ଷ୍ମୀ ଅଛି ଧରି ॥ ୧୧୬
ଲୋକପାଳଙ୍କୁ ତେଜି ଦୂରେ । ସେବଇ ଶ୍ରୀକୃଷ୍ଣ ପୟରେ ॥ ୧୧୭
ତା ପାଦେ ଭଜିଲା ମୋ ଚିତ । କ୍ଷଣକ୍ଷଣକେ ମୋହଗତ ॥ ୧୧୮
ମନବଚନ କୃଷ୍ଣପାଦେ । କଣ୍ଠ ମୋ ଶୋକ ଗଦଗଦେ ॥ ୧୧୯
ମୋର ପିଅର ବୃହତସେନ । ତକ୍ଷଣେ ଜାଣିଲା ମୋ ମନ ॥ ୧୨୦
ସ୍ୱଭାବେ ଦୁହିତାବତ୍ସଳ । ପୁଣ୍ୟପବିତ୍ର ଯାର କୂଳ ॥ ୧୨୧
ଉପାୟ କଲା ମୋର ଅର୍ଥେ । ଶୁଣ କହିବି ତୋଷଚିତ୍ତେ ॥ ୧୨୨
ଭୋ ଦେବି ତୋର ସ୍ୱୟମ୍ବରେ । ଯେମନ୍ତେ ଦ୍ରୁପଦନଗରେ ॥ ୧୨୩
ଲାଖ ଭିଆଣ ପାର୍ଥଛଳେ । ମତ୍ସ୍ୟ ସଂକାଶ କୁମ୍ଭଜଳେ ॥ ୧୨୪
ବସ୍ତ୍ର ଆଚ୍ଛାଦି ଅଷ୍ଟଦିଶେ । ଧନୁ ସ୍ଥାପିଲା କୁମ୍ଭପାଶେ ॥ ୧୨୫
ତା ଶୁଣି ନୃପତିକୁମରେ । ମିଳିଲେ ମୋ ପିତା ନଗରେ ॥ ୧୨୬
ଜାଣନ୍ତି ଅସ୍ତ୍ରଶସ୍ତ୍ର ତତ୍ତ୍ୱ । ସ୍ୱଗୁରୁ ତୁଲେ ଉପଗତ ॥ ୧୨୭
ଚାରିଦିଗରୁ ଲକ୍ଷେ ରାଜା । ଦେଖି ମୋ ପିତା କଲା ପୂଜା ॥ ୧୨୮
ପୂଜିଲା ନାନା ଉପହାରେ । ଯାହାକୁ ଯେମନ୍ତ ବେଭାରେ ॥ ୧୨୯
ସକଳେ ମିଳି ଲାଖତଳେ । ଧନୁସନ୍ଧାନ ବାହୁବଳେ ॥ ୧୩୦
କେ ଧନୁ ନ ପାରନ୍ତି ତୋଳି । କା ମୁଖୁଁ ରୁଧୁର ନିକିଳି ॥ ୧୩୧
କେ ଗୁଣ ଦେଇ ନ ପାରନ୍ତି । କେ ହୁଡି ଭୂମିରେ ପଡନ୍ତି ॥ ୧୩୨
କେ ଧନୁହୁଳେ ଗୁଣ ତାଡି । ପଡିଲେ ଧନୁହୃଦେ ମାଡି ॥ ୧୩୩
ମାଗଧ ଆଦି ବୀର ଯେତେ । ଧନୁସାଧନ ଗୁରୁମତେ ॥ ୧୩୪
ଥିଲେ ଯେ ଭୀମ ଦୁର୍ଯ୍ୟୋଧନ । ରବିନନ୍ଦନ ବୀରକର୍ଣ୍ଣ ॥ ୧୩୫
ମୀନର ନ ଦେଖିଲେ ସ୍ଥାନ । ତା ଦେଖି ଉଠିଲା ଅର୍ଜୁନ ॥ ୧୩୬
ଧନୁ ଆମଞ୍ଚି ଦୃଢମୁଷ୍ଟି । ଉର୍ଦ୍ଧ୍ୱନାରାଚ ଅଧୋଦୃଷ୍ଟି ॥ ୧୩୭
ମତ୍ସ୍ୟ ଆଭାସ ଦେଖି ଜଳେ । ବାଣ ଛାଡିଲା ଅନ୍ତରାଳେ ॥ ୧୩୮
ମତ୍ସ୍ୟରେ ଲାଗି ବାଣ ଗଲା । ଲାଜେ ଅର୍ଜ୍ଜୁନ ବାହୁଡିଲା ॥ ୧୩୯
ଏମନ୍ତେ ସକଳ ରାଜନ । ଲାଜେ ନିବୃତ୍ତ ଅପମାନ ॥ ୧୪୦
ମାନୀଙ୍କ ମାନଭଙ୍ଗ ଡରେ । କେହି ନଗଲେ ଧନୁଘରେ ॥ ୧୪୧
ଏମନ୍ତେ କମଳଲୋଚନ । ଧନୁମନ୍ଦିରେ ଆଗମନ ॥ ୧୪୨
ଲୀଳାଏ ବାମ କରେ ଧରି । ଗୁଣ ଟଙ୍କାର ନାଦ କରି ॥ ୧୪୩
ନାରାଚ ତୋଳି ଧନୁ ଧରି । ଅଧୋବଦନେ ବନମାଳୀ ॥ ୧୪୪
ମତ୍ସ୍ୟକୁ ଚାହିଁ କୁମ୍ଭଜଣେ । ବାଣ ଛାଡିଲେ ବାହୁବଳେ ॥ ୧୪୫
ନାରାଚ ତେଜେ ମୀନ ଗୋଟି । ତଳେ ପଡିଲା ଚକ୍ଷୁଫୁଟି ॥ ୧୪୬
ମୁହୂର୍ତ୍ତ ଅଭିଜିତ କାଳେ । ବିବୁଧେ ଗଗନ ମଣ୍ତଳେ ॥ ୧୪୭
ଦୁନ୍ଦୁଭି-ବାଦ୍ୟ-ନାଦ କଲେ । ଜୟ ଶବଦ ମହୀତଳେ ॥ ୧୪୮
ହରଷ ଭୋଳେ ସୁରଗଣ । କରନ୍ତି ପୁଷ୍ପବରଷଣ ॥ ୧୪୯
ଶୁଣ ପାଞ୍ଚାଳି ଶୁଦ୍ଧଚିତ୍ତେ । ମୁଁ ତହିଁ ମିଳିଲି ଯେମନ୍ତେ ॥ ୧୫୦
ଗଭୀର ନୁପୁର ଶବଦେ । ମଞ୍ଜୁ କୋମଳ ବେନିପାଦେ ॥ ୧୫୧
କରେ ନିର୍ମଳ ରତ୍ନମାଳ । ମୋହ୍ନ ଭୁବନମଣ୍ତଳ ॥ ୧୫୨
ନବୀନ ପାଟବସ୍ତ୍ର ପିନ୍ଧି । କବରୀଭାରେ ପୁଷ୍ପ ବାନ୍ଧି ॥ ୧୫୩
ଅଳପ ଲାଜେ ମନ୍ଦହାସେ । ମୁଖ ଶୋଭିତ ରଙ୍ଗରସେ ॥ ୧୫୪
ନିକଟେ ଦେଖି ବନମାଳୀ । ଲଜ୍ଜା ଛାଡିଲି ମୁଖ ତୋଳି ॥ ୧୫୫
ନୀଳକୁନ୍ତଳ ମୋ କପୋଳେ । ରତ୍ନକୁଣ୍ତଳ ଗଣ୍ତସ୍ଥଳେ ॥ ୧୫୬
ସସ୍ମିତହାସ ମୁଖେ ସାଜେ । କଟାକ୍ଷ ଲୋଚନ ବିରାଜେ ॥ ୧୫୭
ଦେଖନ୍ତି ସକଳ ରାଜନେ । ନିର୍ମଳ ନିଶ୍ଚଳ ଲୋଚନେ ॥ ୧୫୮
ଭୋ ସଖି ଦୂର କଲି ଲାଜ । ଧୀରେ ମୁଁ ତୋଳି ବେନିଭୁଜ ॥ ୧୫୯
କୃଷ୍ଣର ଦେହେ ଚିତ୍ତ ମୋର । ରଙ୍ଗେ ଦେଖନ୍ତି ସୁରନର ॥ ୧୬୦
ଶଙ୍ଖ ଶବଦ ଜୟନାଦେ । ମାଳା ମୁଁ ଦେଲି କୃଷ୍ଣହୃଦେ ॥ ୧୬୧
ମୃଦଙ୍ଗ ପଟହ ଶବଦେ । ଦୁନ୍ଦୁଭି ଆଦି ବାଦ୍ୟନାଦେ ॥ ୧୬୨
ରଙ୍ଗେ ନାଚନ୍ତି ନାରୀଗଣେ । ଗୀତ ସୁସ୍ୱର ବାଦ୍ୟସ୍ୱନେ ॥ ୧୬୩
ଏମନ୍ତେ କୃଷ୍ଣଙ୍କୁ ମୁଁ ବରି । ରାଜାଏ ଦେଖି ଯୁଦ୍ଧ କରି ॥ ୧୬୪
ମୋ ରୂପେ ହୋଇ ଅସମ୍ଭାଳ । ଯୁଦ୍ଧ ଆରମ୍ଭି କଲେ ଗୋଳ ॥ ୧୬୫
ତା ଦେଖି ପ୍ରଭୁ ବନମାଳୀ । ନନ୍ଦିଘୋଷରେ ମୋତେ ତୋଳି ॥ ୧୬୬
ରଥେ ଚତୁର ଅଶ୍ୱଯୁତ । ଶାରଙ୍ଗଧନୁ ଧରି ହସ୍ତ ॥ ୧୬୭
ସନ୍ନିଧେ ଦେଖି ରଣସଜ । ରଥେ ହୋଇଲେ ଚର୍ତୁଭୂଜ ॥ ୧୬୮
ରତ୍ନବିମାନେ ଜନ ମୋହେ । ଦାରୁକ ବିଷ୍ଣୁ ତେଜେ ବାହେ ॥ ୧୬୯
ଦେଖନ୍ତି ସର୍ବ ରାଜାଗଣ । ରଣେ ମିଳିଲେ ନାରାୟଣ ॥ ୧୭୦
ଶୁଣ ପାଞ୍ଚାଳି ଏକମନେ । ମୃଗଙ୍କ ମଧ୍ୟେ ସିଂହ ଯେହ୍ନେ ॥ ୧୭୧
ଅନେକ ରାଜା ରାଜପଥେ । ରୁନ୍ଧିଲେ ଅତି ବଳବନ୍ତେ ॥ ୧୭୨
ସଜ୍ଜିତ ହୋଇ ଧନୁ ଧରି । ରହିଲେ କୃଷ୍ଣଙ୍କୁ ଆବୋରି ॥ ୧୭୩
ସିଂହକୁ ଯେହ୍ନେ ଶ୍ୱାନଯୁଥ । ଆବୋରି ଚଉଦିଗ ପଥ ॥ ୧୭୪
କୃଷ୍ଣ ସାରଙ୍ଗଧନୁ ବାଣେ । ରଣେ ପଡିଲେ ରାଜାଗଣେ ॥ ୧୭୫
ବାହୁଚରଣ କନ୍ଧ ଛାଡି । ପଡିଲେ ରଣଭୂମି ମାଡି ॥ ୧୭୬
ଥୋକାଏ ପ୍ରାଣରକ୍ଷା ଆଶେ । ପଳାଇଗଲେ ନିଜ ଦେଶେ ॥ ୧୭୭
ସମରେ ଜିଣି ବନମାଳୀ । ବିଜୟ କଲେ କୁଶସ୍ଥଳୀ ॥ ୧୭୮
ଅତି ସୁନ୍ଦର ଅଳଙ୍କୃତ । ଧ୍ୱଜ ପତାକା ନାନା ଚିତ୍ର ॥ ୧୭୯
ନାନା ତୋରଣ ଗୃହେ ଶୋହେ । ଦେଖନ୍ତେ ଜନମନ ମୋହେ ॥ ୧୮୦
ଯେ କୁଶସ୍ଥଳୀ ଦିବ୍ୟଭୂମି । ଯହିଁ ବିଜୟ ଅନ୍ତର୍ଯ୍ୟାମୀ ॥ ୧୮୧
ପିତା ମୋହର ବିଭାକାଳେ । ବନ୍ଧୁବାନ୍ଧବ ଜ୍ଞାତିମେଳେ ॥ ୧୮୨
ପୂଜିଲା ନାନା ଉପହାରେ । ଶଯ୍ୟା ଆସନ ଅଳଙ୍କାରେ ॥ ୧୮୩
ଅନେକ ଦାସ ଦାସୀ ଧନ । ବାଜି କୁଞ୍ଜର ବହୁ ସୈନ୍ୟ ॥ ୧୮୪
ବିବିଧ ଅସ୍ତ୍ରଶସ୍ତ୍ର ଆଣି । ଦେଲାକ ସର୍ବ ପରିମାଣି ॥ ୧୮୫
କୃଷ୍ଣଙ୍କୁ ଯଉତୁକ ଦେଲା । ଅନେକ ଭକ୍ତିଭାବ କଲା ॥ ୧୮୬
ଯେ ହରି ନିଜ ତେଜ ଧାମ । ମହାମହିମ ପୂର୍ଣ୍ଣକାମ ॥ ୧୮୭
ସେ ହରି ପଦ୍ମପାଦ ତଳେ । ମୋ ନିଜ ସଖୀ ସଙ୍ଗମେଳେ ॥ ୧୮୮
ତାହାର ଗୃହଦାସୀ ସଙ୍ଗେ । ନିବୃତ୍ତ ଚିତ୍ତ ଅନୁରାଗେ ॥ ୧୮୯
ତପସ୍ୟା ଫଳୁଁ ଚିତ୍ତ ରହୁ । ସେ ପାଦ ସେବି ଦିନ ଯାଉ ॥ ୧୯୦
ଏମନ୍ତେ ଲକ୍ଷଣା ବଚନେ । ଷୋଳସହସ୍ର ନାରୀଜନେ ॥ ୧୯୧
ଶତେ ଅଧିକ ସେ ସ୍ୱଭାବେ । ହସି କହନ୍ତି ପ୍ରିୟଭାବେ ॥ ୧୯୨
ଭୂମିନନ୍ଦନ ମହାବୀର । ଦୁର୍ଜୟ ନାରକା ଅସୁର ॥ ୧୯୩
ଦିଗବିଜୟେ ବୀରମଣି । ଅନେକ ରାଜକନ୍ୟା ଆଣି ॥ ୧୯୪
ନିଜ ଭୁବନେ ଥିଲା ଭରି । ସମରେ କୃଷ୍ଣ ତାକୁ ମାରି ॥ ୧୯୫
ଆମ୍ଭଙ୍କୁ ବନ୍ଦିମୋକ୍ଷ କରି । ଆଣିଲେ ପ୍ରଭୁ ଦଇତ୍ୟାରି ॥ ୧୯୬
ଘୋର ସଂସାର ମାୟାବନ୍ଧ । ଧ୍ୟାନେ ଛେଦଇ ଯାର ପାଦ ॥ ୧୯୭
ସେ ହରି ଆମ୍ଭ ଚିତ୍ତ ଜାଣି । ଉଦ୍ଧରି ନିଜପୁରେ ଆଣି ॥ ୧୯୮
ଆମ୍ଭେ ହୋଇଲୁ ତାର ଦାସୀ । ଅଭୟ-ପଦ୍ମପାଦେ ଆସି ॥ ୧୯୯
ସ୍ୱଭାବେ ଆତ୍ମାରାମ ସେହି । ତାହାର ଆଦିଅନ୍ତ ନାହିଁ ॥ ୨୦୦
ନିତ୍ୟେ ଚିନ୍ତଉଁ ସର୍ବନାରୀ । ଗୋବିନ୍ଦ ପାଦେ ମନ ଧରି ॥ ୨୦୧
ସେ ପ୍ରଭୁ ଜଗତଜୀବନ । ପଶିଲୁ ତାହାରେ ଶରଣ ॥ ୨୦୨
ଶୁଣ ସାଧବି ଆମ୍ଭ ବାଣୀ । ଚିତ୍ତେ ଏମନ୍ତ ପରିମାଣି ॥ ୨୦୩
ସକଳ ରାମରାଜ୍ୟ ଭୋଗ । ଅଣିମା ଆଦି ସିଦ୍ଧିଯୋଗ ॥ ୨୦୪
ଇନ୍ଦ୍ର କି ବ୍ରହ୍ମପଦ ଅବା । କୈବଲ୍ୟ ବଇକୁଣ୍ଠ କିବା ॥ ୨୦୫
ଏଣେ ଆମ୍ଭର ନାହିଁ ଇଚ୍ଛା । ଅଭୟ ପାଦପଦ୍ମେ ବାଞ୍ଛା ॥ ୨୦୬
ଶ୍ରୀକୃଷ୍ଣ ପାଦପଦ୍ମ ଧୂଳି । କୁଚ କୁଙ୍କୁମେ ଲକ୍ଷ୍ମୀ ବୋଳି ॥ ୨୦୭
ତେଣୁ ସୁଗନ୍ଧ ଅତି ସ୍ପୁରେ । ନିତ୍ୟେ ବହିଁବୁଁ ତାହା ଶିରେ ॥ ୨୦୮
ଯା ପାଦ-ସରସିଜ ତିନି । ବାଞ୍ଛନ୍ତି ଗୋପାଳ ଯୁବତୀ ॥ ୨୦୯
ପୁଲିନ ତୃଣ ଗୁଳ୍ମ ଜାତି । ଗାବ ଗୋପାଳେ ଯାହା ଚିନ୍ତି ॥ ୨୧୦
ସେ ପଦ୍ମପାଦ ଆମ୍ଭ ଚିତ୍ତେ । ସ୍ମରଣ ହେଉ ଅବିରତେ ॥ ୨୧୧
କୃଷ୍ଣ ମହିମା ଅଗୋଚର । ମୁଁ କୀଟ କୋଟିକେ ଅନ୍ତର ॥ ୨୧୨
ଏଣୁ ହୋଇଲି ଅପରାଧୀ । ଯେହ୍ନେ ଗଗନେ ଲାଖ ବିନ୍ଧି ॥ ୨୧୩
ସୁଜନେ ଶୁଣ ପରିହସ । ମୁଁ ତୁମ୍ଭ ଚରଣରେ ଦାସ ॥ ୨୧୪
ଏଣେ ସୁଜନେ ମନ ଦେଇ । ଭେଟିବ ପ୍ରଭୁ ଭାବଗ୍ରାହୀ ॥ ୨୧୫
ବୋଲଇ ଦାସ ଜଗନ୍ନାଥ । ଗୀତବିନୋଦେ ଭାଗବତ ॥ ୨୧୬
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ଉତ୍ତରାର୍ଦ୍ଧେ ଏକୋନନବତିତମ ଅଧ୍ୟାୟଃ ।
ନବତିତମ ଅଧ୍ୟାୟ
[ସମ୍ପାଦନା]ଶୁକ ବୋଲନ୍ତି ଶୁଦ୍ଧମନେ । ହରଷେ ରାଜା ସନ୍ନିଧ୍ୟାନେ ॥ ୧
- ଶୁକ ଉବାଚ
ଶୁଣ ସୁମନେ ଶୁଦ୍ଧଚେତା । କୃଷ୍ଣ ମଙ୍ଗଳ ଗୁଣଗାଥା ॥ ୨
କୃଷ୍ଣର ଅଷ୍ଟପାଟରାଣୀ । ତାହାଙ୍କ ମୁଖୁଁ ବାକ୍ୟ ଶୁଣି ॥ ୩
କୁନ୍ତୀ ଗାନ୍ଧାରୀ ଯାଜ୍ଞସେନୀ । ମାଧବୀ ସୁଭଦ୍ରା କାମିନୀ ॥ ୪
ଅପରେ ରାଜପତ୍ନୀ ଯେତେ । ବ୍ରଜକାମିନୀଗଣ ସାଥେ ॥ ୫
କୃଷ୍ଣମହିମା ଶୁଣି କର୍ଣ୍ଣେ । ଅପରେ ଯେତେ ବଧୂଜନେ ॥ ୬
ପରମାନନ୍ଦ ବିଷ୍ଣୁଭାବେ । ପ୍ରେମ ଅନୁବନ୍ଧ ସ୍ୱଭାବେ ॥ ୭
ଆନନ୍ଦେ ତନୁ ପୁଲକିତ । ଲୋଚନ କୋଣେ ଅଶ୍ରୁଜାତ ॥ ୮
ଏକ ଆରେକ ମୁଖ ଚାହିଁ । କୃଷ୍ଣ ମହିମା ଗୁଣ ଗାଇ ॥ ୯
ସୁଖସାଗରେ ନିମଜ୍ଜିଲେ । ଏମନ୍ତେ ବିପ୍ରେ ବିଜେ କଲେ ॥ ୧୦
ଦେଖିବା ଅର୍ଥେ ରାମ ହରି । ଅନେକ ଦୂରୁଁ ଆଶା କରି ॥ ୧୧
ବ୍ୟାସ ସହିତେ ବ୍ରହ୍ମାସୂତ । ଚ୍ୟବନ ଦେବଳ ଅସିତ ॥ ୧୨
ବିଶ୍ୱାମିତ୍ର ଯେ ମହାମୁନି । ସଙ୍ଗତେ ଶତାନନ୍ଦ ଘେନି ॥ ୧୩
ଭରଦ୍ୱାଜ ଯେ ଗଉତମ । ମିଳିଲେ ଶ୍ରୀପରଶୁରାମ ॥ ୧୪
ବଶିଷ୍ଠ ଶିଷ୍ୟଙ୍କ ସହିତେ । ଗାଲବ ଆଦି ଭୃଗୁ ଯେତେ ॥ ୧୫
ପୁଲସ୍ତ୍ୟ କଶ୍ୟପ ଯେ ଅତ୍ରି । ମୃକଣ୍ତୁସୁତ ବୃହସ୍ପତି ॥ ୧୬
ବ୍ରହ୍ମାର ସୁତ ଦ୍ୱିତ ତ୍ରିତ । ଏକତ୍ର ଅଙ୍ଗିରା ସହିତ ॥ ୧୭
ଅଗସ୍ତ୍ୟ ଯାଜ୍ଞବଲ୍କ୍ୟ ମୁନି । ଅପରେ ବାମଦେବ ଘେନି ॥ ୧୮
ଋଷିଙ୍କି ଦେଖି କିଛି ଦୂରେ । ବେଗେ ଉଠିଲେ ନୃପବରେ ॥ ୧୯
ପାଣ୍ତବେ ରାମକୃଷ୍ଣ ତୁଲେ । ବିପ୍ରଙ୍କ ପାଦେ ପ୍ରଣମିଲେ ॥ ୨୦
ବିଶ୍ୱବନ୍ଦିତ ମୁନିଗଣ । କୃଷ୍ଣ ନମନ୍ତି ପୁଣ ପୁଣ ॥ ୨୧
ରାମ ସହିତେ ଦାମୋଦର । ପୂଜିଲେ ବିପ୍ରଙ୍କ ପୟର ॥ ୨୨
ଆସନ ପାଦ୍ୟ ଅର୍ଘ୍ୟ ମାଲ୍ୟେ । ଆନନ୍ଦେ ଗନ୍ଧ ଧୂପ ଦେଲେ ॥ ୨୩
ସୁଖେ ବସାଇ ମୁନିଗଣ । ଧର୍ମପାଳନ ନାରାୟଣ ॥ ୨୪
ଯେମନ୍ତେ ସଭାଲୋକେ ଶୁଣି । ଉଚ୍ଚବଚନେ ଚକ୍ରପାଣି ॥ ୨୫
ବୋଲନ୍ତି ପ୍ରଭୁ ଭଗବାନ । ଆଜ ଜୀବନ ମୋର ଧନ୍ୟ ॥ ୨୬
ଯେ ଫଳ ଅତି ତପ ଦାହି । ଆଜ ଲଭିଲି ତାହା ମୁହିଁ ॥ ୨୭
ଯୋଗେଶ୍ୱରଙ୍କ ଦରଶନ । ଦେବଙ୍କୁ ଦୁର୍ଲଭ ଏ ଜାଣ ॥ ୨୮
ଏ ଜନ ମଧ୍ୟେ ଯାର ଜହ୍ନ । ଅଳ୍ପ ତପସ୍ୟା ପୁଣ୍ୟହୀନ ॥ ୨୯
ଏହାଙ୍କ ଦରଶନ ପାଇ । ନିର୍ମଳ ନ କରଇ ଦେହୀ ॥ ୩୦
ଏହାଙ୍କ ମୁଖ ଦରଶନ । ପ୍ରଣାମ ପୁଚ୍ଛା ସ୍ପରଶନ ॥ ୩୧
ଆବର ପାଦପୂଜା କରି । ପ୍ରାଣୀ ତରନ୍ତି ଭବବାରି ॥ ୩୨
ତୀର୍ଥ ପୂରିତ ପୁଣ୍ୟଜଳେ । ଯେତେ ଦେବତା ଭୂମିତଳେ ॥ ୩୩
ପାଷାଣ ମୃତ୍ତିକା ଭିଆଣେ । ଆଗମ ନିଗମ ପ୍ରମାଣେ ॥ ୩୪
ଅନେକ କାଳେ ଏ ତାରନ୍ତି । ସେବା ଉଚିତେ ଫଳ ଦ୍ୟନ୍ତି ॥ ୩୫
ସାଧୁଙ୍କୁ ଦେଖି ଦୃଷ୍ଟିପଥେ । ପାପ ନ ରହେ ଅନ୍ତର୍ଗତେ ॥ ୩୬
ଅନଳ ରବି ନିଶାକର । ନକ୍ଷତ୍ର ମହୀ ସର୍ବ ନୀର ॥ ୩୭
ଶୂନ୍ୟ ପବନ ବାକ୍ୟ ମନ । ଏ ଆଦି ବିଷୟ ପ୍ରଧାନ ॥ ୩୮
ଏହାଙ୍କୁ ସେବନ୍ତି ଯେ ନିତ୍ୟେ । ଶାସ୍ତ୍ର ପୁରାଣ ବେଦମତେ ॥ ୩୯
ତାହାର ପାପ ନ ଛାଡଇ । ସେବା ଉଚିତେ ଫଳ ପାଇ ॥ ୪୦
ସାଧୁଙ୍କ ଜ୍ଞାନବାଣୀ ଶୁଣି । ମୁହୂର୍ତ୍ତେ ସେବନ୍ତି ଯେ ପ୍ରାଣୀ ॥ ୪୧
ସକଳ ପାପୁଁ ସେ ନିସ୍ତରେ । ନିର୍ମଳ ବାହ୍ୟ ଅଭ୍ୟନ୍ତରେ ॥ ୪୨
ତ୍ରିଧାତୁରୂପ ଏ ଶରୀର । ନିତ୍ୟେ ମରଣ ଅଧିକାର ॥ ୪୩
ଏ ଦେହ ଆତ୍ମା ବୁଦ୍ଧି ଯାର । କଳତ୍ର ଆଦି ବୋଲେ ମୋର ॥ ୪୪
ମାଟି ପାଷାଣ ଦାରୁଖଣ୍ତ । ଏଣେ ନିର୍ମିତ ଦେବପିଣ୍ତ ॥ ୪୫
ତହିଁ ଯାହାର ପୂଜାବିଧି । ଜଳେ ଯାହାର ତୀର୍ଥବୁଦ୍ଧି ॥ ୪୬
ସାଧବେ ନ କରେ ଆଦର । ତାହାକୁ ବୋଲିଟି ଗୋଖର ॥ ୪୭
ଶୁକ କହନ୍ତି ମୁନିଜନେ । ଏମନ୍ତେ କୃଷ୍ଣର ବଚନେ ॥ ୪୮
ଶୁଣି ସମ୍ଭ୍ରମେ ଋଷିଜନ । ଚିତ୍ତେ ମଣିଲେ ବୁଦ୍ଧିଚ୍ଛନ୍ନ ॥ ୪୯
ଦୁରଧିଗମ୍ୟ ବାକ୍ୟ ଶୁଣି । ଚଞ୍ଚଳ ଚିତ୍ତେ ହୋଇ ତୁନି ॥ ୫୦
ଈଶ୍ୱର ବାକ୍ୟ ଅବଧାନେ । ଚିତ୍ତେ ବିଚାରି ଦୃଢମନେ ॥ ୫୧
ଜନ ସଂଗ୍ରହ ଅର୍ଥେ ଧ୍ୟାୟି । ହସି ବୋଲନ୍ତି କୃଷ୍ଣ ଚାହିଁ ॥ ୫୨
- ମୁନିଗଣ ଉବାଚ
ବ୍ରହ୍ମାଦି ଯେତେ ପ୍ରଜାପତି । ଏ ବିଶ୍ୱସଂସାର ସର୍ଜନ୍ତି ॥ ୫୩
ତାଙ୍କ ଈଶ୍ୱର ଅଟୁ ତୁହି । ବିଷ୍ଣୁର ମାୟାତନ୍ତ୍ରେ ମୋହି ॥ ୫୪
ଭ୍ରମୁଁ ସଂସାରଚକ୍ରେ ପଡି । ନିଜ ନିସ୍ତାର ପଥ ହୁଡି ॥ ୫୫
ବିଚିତ୍ର ବିଷ୍ଣୁର ଚେଷ୍ଟିତ । ଯେଣୁ ଭ୍ରମାନ୍ତି ଏ ଜଗତ ॥ ୫୬
ସ୍ୱଭାବେ ନିର୍ବିକଳ୍ପ ହରି । ଆତ୍ମରେ ଆତ୍ମମାୟା କରି ॥ ୫୭
ଏ ବିଶ୍ୱ ସର୍ଜଇ ପାଳଇ । ପ୍ରଳୟକାଳେ ସଂହାରଇ ॥ ୫୮
ଏ ପୁଣି କର୍ମେ ବଦ୍ଧ ନୋହେ । ମାୟାର ବଳେ ବିଶ୍ୱ ମୋହେ ॥ ୫୯
ମୃତ୍ତିକା ଯେସନେ ବିକାରେ । ବହୁତ ନାମ ରୂପ ଧରେ ॥ ୬୦
ତେସନ ଈଶ୍ୱର ରଚିତ । ମାୟାବିଡମ୍ବେ ବିପରୀତ ॥ ୬୧
ପୁଣି ଗୋବିନ୍ଦ ମୁଖ ଚାହିଁ । ବୋଲନ୍ତି ଶିରେ କର ଦେଇ ॥ ୬୨
ତୋର ମହିମା ଏହିମତ । ଯେଣୁ ତୋ ସର୍ଜନା ଜଗତ ॥ ୬୩
ତଥାପି ଖଳ ନିବାରଣ । ସୁଜନ ଧର୍ମ ସମ୍ପାଦନ ॥ ୬୪
ନିର୍ମଳ ଦେହେ ବିଶ୍ୱବ୍ୟାପୀ । ଲୀଳାଏ ବେଦପଥ ସ୍ଥାପି ॥ ୬୫
ଯେ ସନାତନ ବର୍ଣ୍ଣାଶ୍ରମ । ତୁ ରଖୁ ଏହାଙ୍କର ଧର୍ମ ॥ ୬୬
ଯେଣୁ ତୁ ପରମପୁରୁଷ । ଏ ଜନ ମଧ୍ୟେ ତୋର ଯଶ ॥ ୬୭
ଯେ ବ୍ରହ୍ମ ଅନାଦିକରଣ । ସେ ତୋର ହୃଦୟ ପ୍ରମାଣ ॥ ୬୮
ସ୍ୱାଧ୍ୟାୟ ତପ ପ୍ରାଣାୟମେ । ଯାହାକୁ ଲଭି ଅତିଶ୍ରମେ ॥ ୬୯
ସେ ତୋର ତହୁଁ ଆତଯାତ । ଯାର ପ୍ରମାଣ ବ୍ୟକ୍ତାବ୍ୟକ୍ତ ॥ ୭୦
ତୁ ସର୍ବଶାସ୍ତ୍ରଙ୍କ ଜନନୀ । ତେଣୁ ତୁ ଆତ୍ମମାୟା ଘେନି ॥ ୭୧
ବ୍ରହ୍ମକୁଳକୁ ରକ୍ଷା କରୁ । ତୁ ନାଥ ଆତ୍ମା ଜ୍ଞାନଗୁରୁ ॥ ୭୨
ବ୍ରହ୍ମଣ୍ୟବର ତୋର ନାମ । ତୁ ଜାଣୁ ତୋର ନିଜ ଧାମ ॥ ୭୩
ଆଜ ସଫଳ ଆମ୍ଭ ଜନ୍ମ । ତପ ସମାଧି ବିଦ୍ୟା କର୍ମ ॥ ୭୪
ଏ ଦୃଷ୍ଟି ଶ୍ରବଣର ଲାଭ । ତୋ ସଙ୍ଗେ ବାକ୍ୟ ପ୍ରିୟଭାବ ॥ ୭୫
ଜୀବନ ମୋକ୍ଷ ତୋ ନିକଟେ । ଲଭିଲୁଁ ପୁଣ୍ୟତୀର୍ଥେ ତଟେ ॥ ୭୬
ବଚନ ତୋତେ ନ ଜାଣଇ । ମନ ପାଇବ ଅବା କାହିଁ ॥ ୭୭
ଏମନ୍ତେ କୃଷ୍ଣ ରୂପେ ତୋର । ନମସ୍ତେ ପ୍ରଭୁ ଦାମୋଦର ॥ ୭୮
ସୁଯୋଗ ମାୟାଚ୍ଛନ୍ନ ତୁହି । ମାୟାମନୁଷ୍ୟ ରୂପ ବହି ॥ ୭୯
ତୁ ପରମାତ୍ମା ନାରାୟଣ । ନମସ୍ତେ ପରମକାରଣ ॥ ୮୦
ତୋର ସୁହୃଦ ରାଜା ଯେତେ । ସ୍ୱଜନ ବାନ୍ଧବ ସହିତେ ॥ ୮୧
ଭୋଜ ଯାଦବ ବୃଷ୍ଟି ବଂଶେ । ତୁ ଯେ ପ୍ରକାଶି ଅଛୁ ଅଂଶେ ॥ ୮୨
ତୋହର ଅଙ୍ଗ ସଙ୍ଗେ ଥାଇ । ଏ ତୋତେ ଜାଣିଲେଟି ନାହିଁ ॥ ୮୩
ତୁ ଆତ୍ମା ପରମୀଶ୍ୱର । ମାୟାପଟଳେ ଅଗୋଚର ॥ ୮୪
ଯେହ୍ନେ ପୁରୁଷ ନିଦ୍ରାଭୋଳେ । ଶୟନ ଶରୀର ନିଶ୍ଚଳେ ॥ ୮୫
ଅଜ୍ଞାନ ଭାବ ମାୟାତୁଲେ । ଆତ୍ମାକୁ ନ ଜାଣଇ ଭଲେ ॥ ୮୬
ତୋର ମାୟାରେ ଛନ୍ନ ହୋଇ । ତୋତେ ଜାଣିବେ ଅବା କାହିଁ ॥ ୮୭
ଭୋ ନାଥ ତୋହର ଚରଣ । ଆଜ ଦେଖିଲୁଁ ନାରାୟଣ ॥ ୮୮
ଯେ ପାଦ ସର୍ବପାପ ନାଶେ । ଯୋଗୀଙ୍କ ହୃଦୟେ ପ୍ରକାଶେ ॥ ୮୯
ଅଶେଷ ତୀର୍ଥଫଳ ସେହି । ଯେ ଭଜିପାରେ ଦେହ ବହି ॥ ୯୦
ଉତ୍ତମ ଭକ୍ତି ଯୋଗବଳେ । ଅନ୍ତର ବାହାର ନିଶ୍ଚଳେ ॥ ୯୧
ନିରୋପି ପଦ୍ମପାଦେ ମତି । ସେ ତୋତେ ପାଇବେ ଶ୍ରୀପତି ॥ ୯୨
ତୋର ଭଜନେ ଆମ୍ଭ ଦେହ । ଆମ୍ଭଙ୍କୁ କର ଅନୁଗ୍ରହ ॥ ୯୩
- ଶୁକ ଉବାଚ
କୃଷ୍ଣଙ୍କୁ ମାଗିଣ ମେଲାଣି । ହରଷମନେ ସର୍ବମୁନି ॥ ୯୪
ଯୁଧିଷ୍ଠି ବଦନକୁ ଚାହିଁ । ଧୃତରାଷ୍ଟଙ୍କ ଆଗେ କହି ॥ ୯୫
ନିଜ ଆଶ୍ରମକୁ ଗମନ । କଳ୍ପିଲା ଋଷିଙ୍କର ମନ ॥ ୯୬
ରାମ ଗୋବିନ୍ଦଙ୍କ ସମ୍ମୁଖେ । ଥିଲା ଯେ ବସୁଦେବ ସୁଖେ ॥ ୯୭
ଅନୁଗମନ ପ୍ରଶ୍ନ ଆଶେ । ମିଳିଲା ମୁନିଙ୍କର ପାଶେ ॥ ୯୮
ପ୍ରଣାମ କରି ତାଙ୍କ ପାୟେ । ସାନନ୍ଦ ଚିତ୍ତେ ବାକ୍ୟ କହେ ॥ ୯୯
ନମସ୍ତେ ସର୍ବ ମୁନିବର । ଶୁଣିମା ବଚନ ମୋହର ॥ ୧୦୦
କି କର୍ମ କର୍ମଫଳ ନାଶେ । ନିର୍ମଳ ଜ୍ଞାନ ସୁପ୍ରକାଶେ ॥ ୧୦୧
ଜ୍ଞାନେ ଅଜ୍ଞାନେ କର୍ମ କରି । ବୃଦ୍ଧ ବୟସେ ତା ସୁମରି ॥ ୧୦୨
ତହିଁ କି ପ୍ରାୟଶ୍ଚିତ କଲେ । କର୍ମ ନାଶଇଟିକି ଭଲେ ॥ ୧୦୩
ଶୁଣି ବସୁଦେବ ବଚନ । ବୋଲନ୍ତି ବ୍ରହ୍ମାଙ୍କ ନନ୍ଦନ ॥ ୧୦୪
ହେ ମୁନିଗଣେ ଶୁଣ ଧୀରେ । ଏ ବସୁଦେବର ବିଚାରେ ॥ ୧୦୫
ଚିତ୍ର ନୁହଁଇ ଏ ପ୍ରଶନ । ଗୋବିନ୍ଦ ଯାହାର ନନ୍ଦନ ॥ ୧୦୬
କୃଷ୍ଣଙ୍କୁ ପୁତ୍ରପ୍ରାୟ ମଣି । ଏମନ୍ତ ପ୍ରଶ୍ନ କଲା ଆଣି ॥ ୧୦୭
ଆତ୍ମାର ଗତି ତ ଜାଣଇ । ଏହାଙ୍କୁ ବିଷ୍ଣୁମାୟା ମୋହି ॥ ୧୦୮
ନିକଟେ ଥିଲେ ଅନାଦର । ଏହିଟି ସଂସାର ବେଭାର ॥ ୧୦୯
ଗଙ୍ଗା ନିକଟେ ଯେତେ ଜନେ । ଅତି ପରଚେ ଅପମାନେ ॥ ୧୧୦
ଆତ୍ମାର ଗତି ଶୁଦ୍ଧି ଅର୍ଥେ । ଲୋଭେ ଭ୍ରମନ୍ତି ଅନ୍ୟ ତୀର୍ଥେ ॥ ୧୧୧
ଯାହାର ଆତ୍ମା ଅନୁଭବ । କାଳେ ନୁହଁଇ ପରାଭବ ॥ ୧୧୨
ଏହାର ସୁତ ଏ ଅନନ୍ତ । ତଥାପି ବିଷ୍ଣୁମାୟାଗ୍ରସ୍ତ ॥ ୧୧୩
ଶୁଣ ହେ କୃଷ୍ଣର ମହିମା । କେ କହିପାରେ ଗୁଣସୀମା ॥ ୧୧୪
କର୍ମ କଷଣ ପରିତାପ । ଗୁଣପ୍ରବାହ ତ୍ରୟତାପ ॥ ୧୧୫
ଏଣେ ନ ଲାଗେ ଯାର ଦେହ । ଏଣୁ ଈଶ୍ୱର ଅଦ୍ୱିତୀୟ ॥ ୧୧୬
ପ୍ରାଣ ଇନ୍ଦ୍ରିୟ ତିନିଗୁଣ । ଯେଣୁ ଏ ଶରୀର ଭିଆଣ ॥ ୧୧୭
ଏଣେ ଆଚ୍ଛନ୍ନ ପ୍ରାୟ ଦିଶେ । ଆଦିତ୍ୟ ଯେସନେ ଆକାଶେ ॥ ୧୧୮
ହିମ ପରାମ ମେଘେ ଛନ୍ନ । ଏଣୁ ମୋହିତ ପ୍ରାଣୀ ମନ ॥ ୧୧୯
ଏମନ୍ତେ ସର୍ବ ମୁନିଜନ । ଚାହିଁ ବସୁଦେବ ବଦନ ॥ ୧୨୦
ଶୁଣନ୍ତି ସର୍ବ ରାଜାମାନେ । ରାମ ଗୋବିନ୍ଦ ସନ୍ନିଧାନେ ॥ ୧୨୧
ବୋଲନ୍ତି ଶୁଣ ବସୁଦେବ । ଏ ସାଧୁଜନଙ୍କ ସ୍ୱଭାବ ॥ ୧୨୨
ଅଶେଷ ଯଜ୍ଞର କାରଣ । ଅନାଦି ପ୍ରଭୁ ନାରାୟଣ ॥ ୧୨୩
ତାହାଙ୍କୁ ଯଜ୍ଞମାର୍ଗେ ପୂଜି । ତେବେ ଯେ ଚଉବର୍ଗ ଅର୍ଜି ॥ ୧୨୪
ଚଞ୍ଚଳଚିତ୍ତ ଶାନ୍ତି ଅର୍ଥେ । ଶାସ୍ତ୍ରଲୋଚନେ ଧର୍ମପଥେ ॥ ୧୨୫
ସୁଗମ ମାର୍ଗେ କବିଜେନେ । ଦେଖାଇଛନ୍ତି ବିଦ୍ୟମାନେ ॥ ୧୨୬
ଏ ଯଜ୍ଞ ଆତ୍ମାସୁଖ ଦେଇ । ଗୃହସ୍ଥାଶ୍ରମ ଧର୍ମ ଏହି ॥ ୧୨୭
ଶ୍ରଦ୍ଧା ସହିତେ ଶୁଦ୍ଧଚିତ୍ତେ । ପୁଷ୍କଳ ଧନେ ବେଦମତେ ॥ ୧୨୮
ଯଜ୍ଞପୁରୁଷ ପୂଜା କରି । ହେଳେ ତରନ୍ତି ଭବବାରି ॥ ୧୨୯
ବିତ୍ତ ଅଛନ୍ତି ଯଜ୍ଞଦାନେ । ଗୃହକରଣେ ସୁତ ଧନେ ॥ ୧୩୦
ନିବର୍ତ୍ତାଏ ଯେ ଜ୍ଞାନବନ୍ତ । ସର୍ବସଂକଳ୍ପ କାଳଗ୍ରସ୍ତ ॥ ୧୩୧
ବିଚାରି ସକଳ ତେଜଇ । ଗ୍ରାମ୍ୟ ଭୋଗକୁ ନ ଇଚ୍ଛଇ ॥ ୧୩୨
ଏମନ୍ତ ଜାଣି ଦିବ୍ୟଜ୍ଞାନେ । କାଳେ ତେଜନ୍ତି ସୁଜ୍ଞଜନେ ॥ ୧୩୩
ବିପ୍ର କ୍ଷତ୍ରିୟ ବୈଶ୍ୟଜନ । ଏ ତିନି ମଧ୍ୟେ ଯେତେ ଜନ ॥ ୧୩୪
ଦେବତା ଋଷି ପିତୃଙ୍କର । ସ୍ୱଭାବେ ରଣୀ ଏ ଶରୀର ॥ ୧୩୫
ଏହା ନ ଶୁଝି ଧର୍ମ ଛାଡି । ମଲେ ନରକେ ଥାନ୍ତି ପଡି ॥ ୧୩୬
ନିର୍ମଳ ଧନେ ଯଜ୍ଞ କଲେ । ଦେବତା ଋଣ ଶୁଝି ଭଲେ ॥ ୧୩୭
ବିଦ୍ୟାପଠନେ ଋଷିଗଣ । ନିଶ୍ଚେ ଶୁଝନ୍ତି ଜ୍ଞାନିଜନ ॥ ୧୩୮
ପୁତ୍ର ପଉତ୍ର ଜାତ କଲେ । ପିତୃଙ୍କ ଋଣ ଶୁଝି ଭଲେ ॥ ୧୩୯
ତୁ ଏବେ ବେନି ଋଣ ଅଛି ତୋର । ତୁ ଏବେ ସୁଖେ ଯାଗ କର ॥ ୧୪୦
ଏ ତିନି ରଣୁ ତୁ ନିସ୍ତରି । ସୁଖେ ବିହର ଯଦୁପୁରୀ ॥ ୧୪୧
ଶୁଣ ସୁମନେ ଯଦୁବୀର । ନିର୍ମଳ ବଚନ ଆମ୍ଭର ॥ ୧୪୩
ପରମ ଭକ୍ତିଭାବ ଭରି । ପୂର୍ବେ ପୂଜିଲୁ ନରହରି ॥ ୧୪୪
ଅନାଦିପ୍ରଭୁ ଜଗନ୍ନାଥ । ତୋହର ପୁତ୍ର ରୂପେ ଜାତ ॥ ୧୪୫
ବୋଲନ୍ତି ଶୁକ ମହାମୁନି । ବ୍ରହ୍ମାନନ୍ଦନ ବାକ୍ୟ ଶୁଣି ॥ ୧୪୬
ସମ୍ଭ୍ରମ ଚିତ୍ତେ ଶୁରବାଳା । ଋଷିଙ୍କି ଋତ୍ୱିଜେ ବରିଲା ॥ ୧୪୭
ପ୍ରଣାମ କରି ତାଙ୍କ ପାଦେ । ଯଜ୍ଞ ଆରମ୍ଭିଲା ଆନନ୍ଦେ ॥ ୧୪୮
ବେଦବଚନେ ମୁନିଜନ । କରନ୍ତି ଯଜ୍ଞର ବିଧାନ ॥ ୧୪୯
ଆନନ୍ଦେ ବସି କୁରୁକ୍ଷେତ୍ରେ । ଶୁଦ୍ଧ ସୁବର୍ଣ୍ଣ ନାନା ପାତ୍ରେ ॥ ୧୫୦
ଉତ୍ତମକାଳେ ବେଦମତେ । ରାମ ଗୋବିନ୍ଦଙ୍କ ଅଗ୍ରତେ ॥ ୧୫୧
ଦୀକ୍ଷିତ ହୋଇ ବୃଷ୍ଟିବୀର । ଭୂଷିତ ନାନା ଅଳଙ୍କାର ॥ ୧୫୨
ଦେବକୀ ଆଦି ଯେତେ ନାରୀ । ବସୁଦେବର ତୁଲେ ବରି ॥ ୧୫୩
ରାଜାଙ୍କୁ ଅଳଙ୍କୃତ କଲେ । ପତ୍ନୀ ସହିତେ ଯଜ୍ଞକାଳେ ॥ ୧୫୪
ରାଜକାମିନୀ ନିଜେ ମଧ୍ୟ । ସୁବାସ ଲେପନ୍ତି ଆନନ୍ଦେ ॥ ୧୫୫
ମଙ୍ଗଳ ଦ୍ରବ୍ୟ କରେ ଲଇଁ । ମିଳିଲେ ଯଜ୍ଞଶାଳେ ଯାଇ ॥ ୧୫୬
ନାନା ଶବଦ ବାଦ୍ୟନାଦେ । ନର୍ତ୍ତକୀ ନାଚନ୍ତି ଆନନ୍ଦେ ॥ ୧୫୭
ସୂତ ମାଗଧ ସ୍ତୁତି ଭଣି । କିନ୍ନରୀ ଗୀତନାଦ ବାଣୀ ॥ ୧୫୮
କୋମଳ ସୁସଙ୍ଗୀତ ନାଦେ । ଗାଇଲେ ଗନ୍ଧର୍ବେ ଆନନ୍ଦେ ॥ ୧୫୯
ଋତ୍ୱିଜେ ଉତ୍ତମ ଆସନେ । ବସି ମଙ୍ଗଳ ବେଦସ୍ୱନେ ॥ ୧୬୦
ବସୁଦେବକୁ ମଧ୍ୟେ କରି । ସଙ୍ଗେ ବସାଇ ତାର ନାରୀ ॥ ୧୬୧
ବିବିଧ ଅଳଙ୍କାର ବେଶେ । ବସୁଦେବର ବାମପାଶେ ॥ ୧୬୨
ବସିଲେ ଅଷ୍ଟାଦଶ ନାରୀ । ସୁବର୍ଣ୍ଣ କୁମ୍ଭେ ତୀର୍ଥବାରି ॥ ୧୬୩
ପଲ୍ଲବେ ତୋଳି ଜଳକଣା । ମୁନିଏ କରନ୍ତି ମାର୍ଜନା ॥ ୧୬୪
ସ୍ୱଭାବେ ଅଗ୍ନିଷ୍ଟୋମ ସଭା । ମଧ୍ୟେ କି ପଟାନ୍ତର ଦେବା ॥ ୧୬୫
ନକ୍ଷତ୍ର ମଧ୍ୟେ ଯେହ୍ନେ ଶଶୀ । ତେମନ୍ତ ବସୁଦେବ ଦିଶି ॥ ୧୬୬
ବସୁଦେବର ନାରୀଗଣେ । ନାନା ଭୂଷଣ ଆଭରଣେ ॥ ୧୬୭
ଦିଶନ୍ତି ରୂପ ଅନୁପମ । ଆବୃତ କୃଷ୍ଣମୃଗଚର୍ମ ॥ ୧୬୮
ବସୁଦେବର ବିପ୍ରଜନେ । ପୀତବସନ ପରିଧାନେ ॥ ୧୬୯
ସଭାଜନଙ୍କ ମଧ୍ୟେ ଥାଇ । କିବା ଉପମା ଦେବି ମୁହିଁ ॥ ୧୭୦
ସ୍ୱର୍ଗେ ବାସବଯଜ୍ଞକାଳେ । ମୁନିଏ ବୃନ୍ଦାରକ ମେଳେ ॥ ୧୭୧
ଯେମନ୍ତେ ଥିଲେ ପନ୍ତି ପନ୍ତି । ଋତ୍ୱିଜେ ତେମନ୍ତ ଦିଶନ୍ତି ॥ ୧୭୨
ରାମ ଗୋବିନ୍ଦ ସେହିମତେ । ସଭାଜନଙ୍କ ମଧ୍ୟଗତେ ॥ ୧୭୩
ବନ୍ଧୁବାନ୍ଧବ ଜ୍ଞାତି ମେଳେ । ନିଜ କାମିନୀ ସୁତ ତୁଲେ ॥ ୧୭୪
ନିଜ ବିଭୂତି ସଙ୍ଗେ ଘେନି । ବିଜୟେ ଆନନ୍ଦ ମେଦିନୀ ॥ ୧୭୫
ରାମ ଗୋବିନ୍ଦ ସଭାମେଳେ । ବସୁଦେବ ସେ ଯଜ୍ଞକାଳେ ॥ ୧୭୬
ବିଶେଷେ କୃଷ୍ଣର ପିଅର । ଉତ୍ତମ ଜ୍ଞାନ କ୍ରିୟାସାର ॥ ୧୭୭
ପୂଜିଲା ଅଗ୍ନିହୋତ୍ର ମନ୍ତ୍ରେ । ଯେମନ୍ତେ ପ୍ରାକୃତ-ବୈକୃତେ ॥ ୧୭୮
ଏମନ୍ତେ ଯଜ୍ଞ ସମାପତେ । ଦକ୍ଷିଣା ଦେଲେ ବେଦମତେ ॥ ୧୭୯
ବିପ୍ରଙ୍କୁ ଦେଇ ଅଳଙ୍କାର । ଆନନ୍ଦମନେ ଯଦୁବୀର ॥ ୧୮୦
ଗୋ ଭୂମି କନ୍ୟା ମହାଧନ । ବିପ୍ରଙ୍କୁ ଦେଲେ ତୋଷମନ ॥ ୧୮୧
ଯଜ୍ଞସମ୍ପଦ କାମପୂର୍ଣ । କରନ୍ତି ଅବଭୃଥ ସ୍ନାନ ॥ ୧୮୨
ନାନା ସୁବାଦ୍ୟେ ବେଦନାଦେ । ସ୍ନାନ ସାରିଲେ ରାମହ୍ରଦେ ॥ ୧୮୩
ବସୁଦେବର ନାରୀମାନେ । ବିବିଧ ଅଳଙ୍କାର ଧନେ ॥ ୧୮୪
ଗୋ ଭୂମି ଅନ୍ନ ବସ୍ତ୍ର ତୁଲେ । ଆଚାର୍ଯ୍ୟ ଆଦି ବିପ୍ରେ ଦେଲେ ॥ ୧୮୫
ଏମନ୍ତେ ବର୍ଣ୍ଣାଶ୍ରମୀ ଯେତେ । ଅନ୍ନ ବସନ ନାନାମତେ ॥ ୧୮୬
ପୂଜି ସନ୍ତୋଷ କଲେ ମନ । ଅପରେ ଯେତେ ବନ୍ଧୁଜନ ॥ ୧୮୭
ଦାରା ତନୟ ପରିମାଣି । ସନ୍ତୋଷେ ଦେଲେ ମନ ଜାଣି ॥ ୧୮୮
ବିଦର୍ଭ କୋଶଳ ସହିତେ । କୁରୁ ସୃଞ୍ଜୟ ଆଦି ଯେତେ ॥ ୧୮୯
ସଭାରେ ଯେତେ ଋଷି ଥିଲେ । ସୁର ମାନବ ଭୃତ୍ୟ ମେଳେ ॥ ୧୯୦
ପିତୃ ଚାରଣ ଆଦି ଜନ । କୃଷ୍ଣଙ୍କୁ ମାଗି ଅନୁଯାନ ॥ ୧୯୧
ନିଜ ଭୁବନେ ସର୍ବେ ଗଲେ । ଏମନ୍ତେ ଯେତେ ବନ୍ଧୁ ଥିଲେ ॥ ୧୯୨
ଆନନ୍ଦେ ଯେତେ ରାଜବଂଶୀ । ଚଳନ୍ତି ଯଜ୍ଞକୁ ପ୍ରଶଂସି ॥ ୧୯୩
ବିଦୁର ଧୃତରାଷ୍ଟ୍ର ବେନି । ପାଣ୍ତବ ଭୀଷ୍ଣ ଦ୍ରୋଣ ଘେନି ॥ ୧୯୪
ନକୁଳ ସହଦେବ ବେନି । କୁନ୍ତୀ ଯେ ପାଣ୍ତବଜୟନ୍ତୀ ॥ ୧୯୫
ବ୍ୟାସ ନାରଦ ମହାମୁନି । ଆନନ୍ଦେ ପ୍ରିୟଭାବ ଘେନି ॥ ୧୯୬
ସୁହୃଦ ସମୂହେ ବାନ୍ଧବ । ପ୍ରିୟ ବଚନେ ବସୁଦେବ ॥ ୧୯୭
ବନ୍ଧୁଙ୍କୁ ଆଲିଙ୍ଗନ କରେ । ଅତ୍ୟନ୍ତ ପ୍ରୀତିଭାବଭରେ ॥ ୧୯୮
ବିଚ୍ଛେଦ ବିରହ କାତରେ । ଗଲେ ସେ ଯେ ଯାହାର ପୁରେ ॥ ୧୯୯
ନନ୍ଦଙ୍କୁ ଗୋପାଳଙ୍କ ତୁଲେ । ପୂଜିଲା ବସୁଦେବ ଭଲେ ॥ ୨୦୦
ରାମ ଗୋବିନ୍ଦ ଉଗ୍ରସେନ । ନନ୍ଦଙ୍କୁ କଲେ ସନମାନ ॥ ୨୦୧
ସୁଭାଗ୍ୟବନ୍ତ ବସୁଦେବ । ତରିଲା ମାୟାବନ୍ଧ ଭାବ ॥ ୨୦୨
ବନ୍ଧୁ ସୁହୃଦ ଭାବ ଭରି । ଆନନ୍ଦେ ନନ୍ଦ କର ଧରି ॥ ୨୦୩
ବୋଲଇ ବସୁଦେବ ସ୍ନେହେ । ଭୁଜେ ଆବୋରି ଦେହେ ଦେହେ ॥ ୨୦୪
ଭୋ ମିତ୍ର ଦେଖ ଏ ଜଗତ । ଈଶ୍ୱରତନ୍ତ୍ରେ ମୋହଗତ ॥ ୨୦୫
ଅତି ସୁହୃଦେ ସ୍ନେହ ପାଶି । ସୁରଯୋଗୀଙ୍କ ଚିତ୍ତ ଗ୍ରାସି ॥ ୨୦୬
ତୁମ୍ଭେ ଯେ ମିତ୍ରସ୍ନେହ ରଙ୍ଗେ । ଭାବେ ମିଳିଲ ମୋର ସଙ୍ଗେ ॥ ୨୦୭
ମିତ୍ର ସୁପ୍ରୀତି ଫଳ ଯେତେ । ମୁଁ ତେଣେ ନୋହିଲି ସମର୍ଥେ ॥ ୨୦୮
ପର ଆୟତ୍ତ ପୂର୍ବକାଳ । ଏଣୁ ମୋ ହୋଇଲା ନିଷ୍ଫଳ ॥ ୨୦୯
ତୁମ୍ଭ ବିଷୟେ ମିତ୍ରପଣ । ନ କରି ଲଭିଲି କଷଣ ॥ ୨୧୦
ଏବେ ଶ୍ରୀମଦେ ଅନ୍ଧ ହୋଇ । ମିତ୍ରଭାବକୁ ନ ଦେଖଇ ॥ ୨୧୧
ଆତ୍ମାର ହିତ ଇଚ୍ଛା ଯାର । ରାଜସମ୍ପଦ ନୋହୁ ତାର ॥ ୨୧୨
ରାଜସମ୍ପଦେ ଅନ୍ଧ ହୋଇ । ବନ୍ଧୁ ସ୍ୱଜନ ନ ଦେଖଇ ॥ ୨୧୩
ଏମନ୍ତେ ମିତ୍ରଭାବ ଚିତ୍ତେ । ରୋଦନ କଲା ମୋହଗ୍ରସ୍ତେ ॥ ୨୧୪
ସୁମରି ନନ୍ଦ ମିତ୍ରପଣ । ଲୋତକ ପୂରେ ଘନ ଘନ ॥ ୨୧୫
ମିତ୍ରର ପ୍ରିୟଭାବେ ନନ୍ଦ । ସଙ୍ଗତେ ଘେନି ଗୋପବୃନ୍ଦ ॥ ୨୧୬
ରାମ ଗୋବିନ୍ଦ ସଙ୍ଗ ପାଇ । ଅନେକ ସ୍ନେହଭାବି ବହି ॥ ୨୧୭
ହୋଇଣ ହରଷ ବିଷାଦ । ମନରେ ବିଚାରଇ ନନ୍ଦ ॥ ୨୧୮
ଆଜ ରହିବି ଅନୁକୂଳେ । କାଲି ମୁଁ ଯିବି ପ୍ରାତଃକାଳେ ॥ ୨୧୯
ଯଦୁଙ୍କ ଅତି ମାନ୍ୟବଶେ । ନନ୍ଦ ରହିଲା ସେ ବିଶ୍ୱାସେ ॥ ୨୨୦
ରାମ ଗୋବିନ୍ଦ ଧରି କୋଳେ । ଦିନ ହରିଲେ ରସଭୋଳେ ॥ ୨୨୧
ଗୋପୀ ଗୋପାଳ ଆଦି କରି । କୃଷ୍ଣମୋହନେ ଦିନ ହରି ॥ ୨୨୨
ନାନା ବିନୋଦ କ୍ରୀଡାରାସ । ଏମନ୍ତେ ଗଲା ତିନିମାସ ॥ ୨୨୩
ବ୍ରଜ ସହିତେ ବନ୍ଧୁଜନେ । ପୂଜିଲେ ବସନ ଭୂଷଣେ ॥ ୨୨୪
ନନ୍ଦକୁ ବସୁଦେବ ଯେତେ । ବିଚାରି ଉଗ୍ରସେନ ମତେ ॥ ୨୨୫
ଉଦ୍ଧବ ଆଦି ବନ୍ଧୁ ଯେତେ । ରାମ ଗୋବିନ୍ଦ ଅନୁମତେ ॥ ୨୨୬
ଆଦରେ ଦେଲେ ଯେତେ ଧନ । ନନ୍ଦ ଘେନାଇ ତୋଷମନ ॥ ୨୨୭
କେତେହେଁ ଦୂର ନନ୍ଦ ତୁଲେ । ରାମ ଗୋବିନ୍ଦ ସୁଖଭୋଳେ ॥ ୨୨୮
ଯଶୋଦା ଆଦି ବ୍ରଜନାରୀ । ସବୁରି ମନ ଗୃହେ ଦେଲେ ॥ ୨୨୯
ଗୋବିନ୍ଦ ମାୟାଯୋଗବଳେ । ସବୁରି ମନ ଗୃହେ ଦେଲେ ॥ ୨୩୦
ସମସ୍ତେ ହୋଇଣ ହରଷ । ଚଳିଲେ ନିଜ ଗୃହବାସ ॥ ୨୩୧
ଯାଦବେ ସ୍ନେହଭରେ ଗଲେ । ପୁଣି ବାହୁଡାବିଜେ କଲେ ॥ ୨୩୨
ଗୋପୀ ଗୋପାଳ ମନ । କୃଷ୍ଣ ଚରଣେ କରି ଲୀନ ॥ ୨୩୩
ସମ୍ଭାଳି ନ ପାରନ୍ତି ଭଲେ । ଗୋବିନ୍ଦ ଚରଣେ ନିଶ୍ଚଳେ ॥ ୨୩୪
ଏମନ୍ତେ ଗଲେ ଗୋପପୁର । ଶୁଣ ପରୀକ୍ଷା ନୃପବର ॥ ୨୩୫
ବାନ୍ଧବେ ଯାନ୍ତେ ନିଜ ପୁରେ । ଯାଦବେ ଗୋବିନ୍ଦ ବିଚାରେ ॥ ୨୩୬
ବରଷା ଆଗମନ ଜାଣି । ରୋହିଣୀସୁତ ଚକ୍ରପାଣି ॥ ୨୩୭
ବନ୍ଧୁ ବାନ୍ଧବ ଘେନି ତୁଲେ । ଦ୍ୱାରକାପୁରେ ବିଜେ କଲେ ॥ ୨୩୮
ଯାଦବେ ନିଜ ପୁରେ ଯାଇ । କୁଳବୃଦ୍ଧଙ୍କ ପାଶେ ଥାଇ ॥ ୨୩୯
ବସୁଦେବର ଯଜ୍ଞକର୍ମ । ବନ୍ଧୁବାନ୍ଧବ ଆଗମନ ॥ ୨୪୦
କହନ୍ତି ହର୍ଷିତ ବଦନ । ଶୁଣି ସାନନ୍ଦ ସର୍ବଜନ ॥ ୨୪୧
ବୋଲଇ ଦାସ ଜଗନ୍ନାଥ । ରବିଗ୍ରହଣେ ଗୋପୀନାଥ ॥ ୨୪୨
ସୁପୁଣ୍ୟତୀର୍ଥେ ଯାହା କଲେ । ସୁଜନେ ସୁମର ତା ଭଲେ ॥ ୨୪୩
ତୁଟିବ ଭବବନ୍ଧ ଭ୍ରମ । ନ ଲାଗେ ତାପତ୍ରୟଶ୍ରମ ॥ ୨୪୪
ଏ ଭାବେ ରସ ନିରନ୍ତରେ । ନ ବୁଡ ସଂସାର-ସାଗର ॥ ୨୪୫
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ଉତ୍ତରାର୍ଦ୍ଧେ ତୀର୍ଥଯାତ୍ରାନୁବର୍ଣ୍ଣନଂ
ନାମ ନବତିତମ ଅଧ୍ୟାୟଃ
ଏକନବତିତମ ଅଧ୍ୟାୟ
[ସମ୍ପାଦନା]- ଶୁକ ଉବାଚ
ଶୁକ ବୋଲନ୍ତି ତୋଷମନେ । ଦ୍ୱାରକାପୁରେ ଏକ ଦିନେ ॥ ୧
ରାମ ଗୋବିନ୍ଦ ବେନିଭାଇ । ତାତ ଜନନୀ ପାଶେ ଯାଇ ॥ ୨
ପ୍ରଣାମ କଲେ ବେନିପାଦେ । ସ୍ନେହହରଷ ଗଦଗଦେ ॥ ୩
ଆନନ୍ଦ ବସୁଦେବ ହୋଇ । ରାମ ଗୋବିନ୍ଦ ମୁଖ ଚାହିଁ ॥ ୪
ଆନନ୍ଦେ ତନୁ ପୁଲକିତ । କୋଳେ ବସାଇ ବେନିସୁତ ॥ ୫
ମୁନିଜନଙ୍କ ବାକ୍ୟ ଶୁଣି । କୃଷ୍ଣମହିମା ପରିମାଣି ॥ ୬
ବୋଲଇ ଶଙ୍କିତ ବଚନେ । କୃଷ୍ଣ ମହିମା ଭାବି ମନେ ॥ ୭
ହେ କୃଷ୍ଣ କୃଷ୍ଣ ଭଗବାନ । ସଙ୍କରଷଣ ସନାତନ ॥ ୮
ଆନନ୍ଦ ମୁକୁନ୍ଦ ମୁରାରି । ଯା ନାମେ ମୁନିଜନେ ତରି ॥ ୯
ନିଶ୍ଚେ ଜାଣିଲି ଏବେ ମୁହିଁ । ସୃଷ୍ଟିକାରଣ ତୁମ୍ଭେ ଦୁଇ ॥ ୧୦
ପରମବ୍ରହ୍ମ ପରକାଶ । ତୁମ୍ଭେ ଯେ ପ୍ରଧାନ ପୁରୁଷ ॥ ୧୧
ଯହିଁ ଯେମନ୍ତ ଯହୁଁ ଜାତ । ଯାହାର ଯେ ଅବା ନିର୍ମିତ ॥ ୧୨
ଯେ ଅବା ଯେବେ ଯଥାଭାବେ । ଯାହାର ପ୍ରୟୋଜନ ଲାଭେ ॥ ୧୩
ସମ୍ଭୂତ ହୋଇ ଏ ସଂସାର । ତୁମ୍ଭେ ସେ ପ୍ରଧାନ ଈଶ୍ୱର ॥ ୧୪
ତୁମ୍ଭର ସୃଷ୍ଟି ଏ ଜଗତ । ସ୍ଥାବର ଆଦି ନାନାମତ ॥ ୧୫
ଏହାଙ୍କ ଦେହେ ତୁମ୍ଭେ ପଶି । ପ୍ରାଣୀଙ୍କ ଜୀବନ ଆଶ୍ୱାସି ॥ ୧୬
ପ୍ରାଣାଦି ପଞ୍ଚମହାଭୂତ । ସୃଷ୍ଟି କରନ୍ତି ଆତଯାତ ॥ ୧୭
ତାହାଙ୍କ ଶକ୍ତି ତୁମ୍ଭେ ଧରି । ସଚେତ ଅଚେତ ବିଚାରି ॥ ୧୮
ବ୍ରହ୍ମାଣ୍ତ ତେଜ କାନ୍ତି ପ୍ରଭା । ଆବର ବଳ ନାନା ଶୋଭା ॥ ୧୯
ଚନ୍ଦ୍ରର କାନ୍ତି ରବିପ୍ରଭା । ତାରା ବିଜୁଳି ଅଗ୍ନି ଆଭା ॥ ୨୦
ଗିରି ସ୍ଥିରତା ଭୂମି ବାସ । ଏ ସର୍ବ ତୁମ୍ଭର ପ୍ରକାଶ ॥ ୨୧
ଜଳରେ ତର୍ପଣ ଜୀବନ । ଆବର ରସ ତୋ ଭିଆଣ ॥ ୨୨
ପବନ ଗତି ଚେଷ୍ଟା ବଳ । ଦିଗଙ୍କ ମଧ୍ୟେ ଅନ୍ତରାଳ ॥ ୨୩
ଓଁକାର ନାଦ ବର୍ଣ୍ଣ ସ୍ୱର । ଆକୃତି ମଧ୍ୟେ ନାନାକାର ॥ ୨୪
ଇନ୍ଦ୍ରିୟ ମଧ୍ୟେ ତୁମ୍ଭେ ମନ । ତୋ ଅନୁଗ୍ରହେ ଦେବଗଣ ॥ ୨୫
ବୁଦ୍ଧିର ବୋଧବୁଦ୍ଧି ତୁମ୍ଭେ । ଜୀବର ଶକ୍ତି ତୁ ଆରମ୍ଭ ॥ ୨୬
ଭୂତଙ୍କ ମଧ୍ୟେ ଭୂତ ଆଦି । ଇନ୍ଦ୍ରିୟଗଣ ତେଜ ସିଦ୍ଧି ॥ ୨୭
ବିକଳ୍ପ ମଧ୍ୟେ ତୁ ବିକାର । ପ୍ରଧାନ ରୂପ ଜୀବଙ୍କର ॥ ୨୮
ବିନାଶୀଭୂତଙ୍କର ମଧ୍ୟ । ତୁମ୍ଭେ ଅବିନାଶୀ ପ୍ରସିଦ୍ଧ ॥ ୨୯
ଦ୍ରବ୍ୟ ବିକାର ଦ୍ରବ୍ୟ ତୁମ୍ଭେ । ତ୍ରିଗୁଣବୃତ୍ତିର ଆରମ୍ଭେ ॥ ୩୦
ଆତ୍ମା କଳ୍ପିତ ଏ ଶୟଳେ । ତୁମ୍ଭର ଯୋଗମାୟା ବଳେ ॥ ୩୧
ଏ ଘେନି ଅନୁମାନ କଲେ । ମାୟା ନ ଲାଗେ ତୁମ୍ଭ ତୁଲେ ॥ ୩୨
ନାନା ବିକାରଙ୍କ ପ୍ରମାଣେ । ନ ଘଟେ ତୁମ୍ଭ ବିଚାରଣେ ॥ ୩୩
ଏ ଗୁଣ ପ୍ରବାହ ତୁମ୍ଭର । ଅଜ୍ଞାନଜନେ ଅଗୋଚର ॥ ୩୪
ଏଣୁ ସଂସାରେ କର୍ମବଳେ । ପ୍ରାଣୀ ଭ୍ରମନ୍ତି ଅନ୍ତରାଳେ ॥ ୩୫
ଅନେକ ଭାଗ୍ୟେ ଏ ସଂସାରେ । ମନୁଷ୍ୟରୂପ ପ୍ରାଣୀ ଧରେ ॥ ୩୬
ନିତ୍ୟ ସମର୍ଥ ଆତ୍ମାଭାବ । ପ୍ରାଣୀଙ୍କ ମଧ୍ୟେ ଏ ଦୁର୍ଲଭ ॥ ୩୭
ତୁମ୍ଭ ମାୟାରେ ପ୍ରାଣୀ ମୋହି । ଆତ୍ମାର ଗତି ନ ଜାଣଇ ॥ ୩୮
ବୟସ ହରେ ପ୍ରମାଦରେ । ନିବିଡ ସଂସାରେ ବେଭାରେ ॥ ୩୯
ମୁହିଁ ମୋହର ଏ ସଂସାର । ସୁତ କଳତ୍ର ଧନ ମୋର ॥ ୪୦
ଏମନ୍ତ ସ୍ନେହପାଶ ଦେଇ । ବନ୍ଧନ କର ତୁମ୍ଭେ ଦୁଇ ॥ ୪୧
ପ୍ରଧାନପୁରୁଷ ଈଶ୍ୱର । ତୁମ୍ଭେ ଯେ ମୋହର କୁମର ॥ ୪୨
ଭୂମିର ଭାରା ନିବାରଣେ । ମୋହର କୁଳ ନିସ୍ତାରଣେ ॥ ୪୩
ଏଣୁ ମୋହର ନୁହଁ ସୁତ । ଏ ମାୟା ତୁମ୍ଭର ନିର୍ମିତ ॥ ୪୪
ସଂସାର-ସଙ୍କଟ-ନିସ୍ତାର । ତୁମ୍ଭର ଅଭୟ ପୟର ॥ ୪୫
ସେ ପାଦେ ପଶିଲି ଶରଣ । ଏବେ ତୁ ରଖ ନାରାୟଣ ॥ ୪୬
ଆରତଜନ ବନ୍ଧୁ ତୁମେ । ଏ ମାୟାସଂସାର ଆରମ୍ଭେ ॥ ୪୭
ଲୋଭ ଲାଳସା ମୋର ନୋହୁ । ଏମନ୍ତ ଆଜ୍ଞା ମୋତେ ହେଉ ॥ ୪୮
ତୁ ନିରାକାର ନିରଞ୍ଜନ । ପରମବ୍ରହ୍ମ ଭଗବାନ ॥ ୪୯
ତୋର ବିଷୟେ ପୁତ୍ରବୁଦ୍ଧି । ଭୋ ନାଥ ପକା ଏହା ଛେଦି ॥ ୫୦
ହେ କୃଷ୍ଣ ଶରଣ ସୋଦର । ତୁମ୍ଭେ ଯେ କରୁଣାସାଗର ॥ ୫୧
କଂସ ରାଜାର ବନ୍ଦୀଘରେ । ରଜନୀ ଦ୍ୱିତୀୟ ପ୍ରହରେ ॥ ୫୨
ତୋହର ଜନ୍ମକାଳେ ମୋତେ । ଯାହା କହିଲୁ ଦୟାଚିତ୍ତେ ॥ ୫୩
ବୋଇଲୁ ଜନ ଅନୁରାଗେ । ମୋହର ଜନ୍ମ ଯୁଗେ ଯୁଗେ ॥ ୫୪
ଏଣୁ ତୁ ଧର୍ମରକ୍ଷା ଅର୍ଥେ । ଶରୀର ବହୁ ନାନାମତେ ॥ ୫୫
ଗଗନେ ଯେହ୍ନେ ମେଘପନ୍ତି । ଉଭାରି ପୁଣି ଲୀନ ହୋନ୍ତି ॥ ୫୬
ଏମନ୍ତ ତୋ ମାୟାବିଭୂତି । କେ ଜାଣିପାରେ ତୋର ଗତି ॥ ୫୭
କହନ୍ତି ଶୁକ ମହାମୁନି । ପିତାବଚନ କୃଷ୍ଣ ଶୁଣି ॥ ୫୮
ହସିଣ ଯୋଡି ବେନିକର । କୋମଳ ବଚନ ମଧୁର ॥ ୫୯
ବୋଲନ୍ତି ପ୍ରଭୁ ଭଗବାନ । ଭୋ ତାତ ସାଧୁ ତୋ ବଚନ ॥ ୬୦
ଆମ୍ଭେ ତୋହର ପୁତ୍ର ଦୁଇ । ପୁତ୍ର ଉଦ୍ଦେଶ୍ୟ ଭାବ ବହି ॥ ୬୧
ତୁମ୍ଭେ କହିତ ତତ୍ତ୍ୱଜ୍ଞାନ । ଏ କଥା ସର୍ବମତେ ସମ ॥ ୬୨
ମୁଁ ପୁତ୍ର ତୁମ୍ଭେ ମୋର ତାତ । ଏ ଯେ ମୋହର ଜ୍ୟେଷ୍ଠଭ୍ରାତ ॥ ୬୩
ଦ୍ୱାରକାପୁର ଜନ ଯେତେ । ସଚରାଚର ଏହି ମତେ ॥ ୬୪
ଈଶ୍ୱର ମାୟା ଏ ସଂସାର । ଏଣେ ଭ୍ରମନ୍ତି ସୁରନର ॥ ୬୫
ଏ ଆତ୍ମା ଏକ ସ୍ୱୟଂଜ୍ୟୋତି । ନିତ୍ୟ ନିର୍ଗୁଣ ଶୁଦ୍ଧକାନ୍ତି ॥ ୬୬
ଆତ୍ମାକଳ୍ପିତ ସୃଷ୍ଟି ମଧ୍ୟେ । ଆତ୍ମା ପ୍ରବେଶ ଅନୁବାଦେ ॥ ୬୭
ନାନା ପ୍ରପଞ୍ଚ ବହୁରୂପେ । କ୍ରୀଡା କରାଇ ମୋହକଳ୍ପେ ॥ ୬୮
ଶୂନ୍ୟ ପବନ ଜ୍ୟୋତି ଜଳ । ତାରେ ନିର୍ମିତ ଭୂମଣ୍ତଳ ॥ ୬୯
ଅଳ୍ପ ବିଶେଷ ନାନାମତେ । ଈଶ୍ୱର ରୂପ ଏ ଜଗତେ ॥ ୭୦
ଶୁକ ବୋଲନ୍ତି ରାୟେ ଶୁଣ । ଯାହା କହିଲେ ନାରାୟଣ ॥ ୭୧
ତା ଶୁଣି ବସୁଦେବ ଜ୍ଞାନ । ନାନା ପ୍ରକାରେ ନୋହି ଛନ୍ନ ॥ ୭୨
ବିନଷ୍ଟ ଭେଦବୃଦ୍ଧି ଘେନି । ପ୍ରେମ ଆନନ୍ଦେ ହେଲା ତୁନି ॥ ୭୩
ଏବେ ହୋ ଶୁଣ କୁରୁରାୟ । ଦେବକୀ ସର୍ବଦେବମୟ ॥ ୭୪
ଭାବେ ଗୋବିନ୍ଦ ମୁଖ ଚାହିଁ । ବିସ୍ମିତ ମନେ ବିଚାରଇ ॥ ୭୫
ଗୁରୁଙ୍କ ପୁତ୍ର ମରିଥିଲା । ଏ ଯମଘରୁ ଆଣିଦେଲା ॥ ୭୬
ଏ କୃଷ୍ଣବାଦେ ମୋର ପୋଏ । କଂସ କଚାଡିଲା ନିର୍ଦ୍ଦୟେ ॥ ୭୭
ସୁମରି ପୁତ୍ରକଷ୍ଟ ମନେ । କାନ୍ଦଇ ଦୁଃଖିତ ବଦନେ ॥ ୭୮
ପୁଣି କ୍ଷଣକେ ସ୍ଥିର ହୋଇ । ବୋଲଇ ରାମ କୃଷ୍ଣ ଚାହିଁ ॥ ୭୯
ଶୁଣ ହେ କୃଷ୍ଣ ହଳଧର । ମହାମହିମା ଯୋଗେଶ୍ୱର ॥ ୮୦
ମୁହିଁ ଜାଣଇ ତୁମ୍ଭ ଗତି । ସଂସାରେ ଯେତେ ପ୍ରଜାପତି ॥ ୮୧
ତୁମ୍ଭେ ତାହାଙ୍କର ଈଶ୍ୱର । ଆଦିପୁରୁଷ ନିରାକାର ॥ ୮୨
ଏ ଭୂମିତଳେ ରାଜା ଯେତେ । ବିନଷ୍ଟମତି କାଳଗ୍ରସ୍ତେ ॥ ୮୩
ତାହାଙ୍କ ପାଦଭାରେ ମହୀ । ତୋତେ ନମିଲା ଭାବଗ୍ରାହୀ ॥ ୮୪
ଏଣୁ ମୋ ଗଭୁଁ ତୁମ୍ଭେ ଜାତ । ମାୟାମନୁଷ୍ୟ ବେନିଭ୍ରାତ ॥ ୮୫
ତୋହର ଅଂଶାଅଂଶ ଭାବେ । ଏ ବିଶ୍ୱସଂସାର ସମ୍ଭବେ ॥ ୮୬
ସୃଷ୍ଟି ପାଳନ ଅନ୍ତ ହୋଇ । ଏଣୁ ମୋ ଗତି ତୁମ୍ଭେ ଦୁଇ ॥ ୮୭
ବିଦ୍ୟାପାଠନ କାଳେ ପୁଣି । ଗୁରୁଙ୍କ ମଲାପୁତ୍ର ଆଣି ॥ ୮୮
ଗୁରୁଦକ୍ଷିଣା ଦେଇଅଛି । ଏହା ମୁଁ ଜାଣଇ ପ୍ରତ୍ୟକ୍ଷ ॥ ୮୯
ଏଣୁ ମୋହର ବାକ୍ୟ କର । ତୁମ୍ଭେ ଯେ ଭୁବନ ଈଶ୍ୱର ॥ ୯୦
କଂସ ମାଇଲା ଯେତେ ସୂତ । ତୁମ୍ଭର ଜ୍ୟେଷ୍ଠ ଷଢଭ୍ରାତ ॥ ୯୧
ତାହାଙ୍କୁ ଲୋଚନେ ମୁଁ ଦେଖି । ଜୀବନ କରିବଇଁ ସୁଖୀ ॥ ୯୨
କହନ୍ତି ଶୁକ ମହାମୁନି । ଏମନ୍ତ ମାତା ବାକ୍ୟ ଶୁଣି ॥ ୯୩
ରାମ ଗୋବିନ୍ଦ ସଙ୍ଗମେଳେ । ଦୁର୍ଗମ ଯୋଗମାୟା ବଳେ ॥ ୯୪
ସୁତଳେ ପଶି ବେନିଭାଇ । ମିଳିଲେ ବଳି ଦ୍ୱାରେ ଯାଇ ॥ ୯୫
ସେ ଯେ ଅସୁର ନୃପମଣି । କୃଷ୍ଣ ଆଗମ କଥା ଶୁଣି ॥ ୯୬
ନିକଟେ ମିଳି ତତକ୍ଷଣ । ସଙ୍ଗତେ ଘେନି ପରଜନ ॥ ୯୭
ପୁତ୍ର ପଉତ୍ର ସଙ୍ଗେ ଘେନି । ନମିଲା ରାମ କୃଷ୍ଣ ବେନି ॥ ୯୮
ବସାଇ ସୁବର୍ଣ୍ଣ ଆସନେ । ପୂଜିଲା ତାଙ୍କୁ ତୋଷମନେ ॥ ୯୯
ପଖାଳି ପଦ୍ମପାଦ ଦୁଇ । ଶିରେ ଘେନିଲା ଜଳ ଦେଇ ॥ ୧୦୦
ଯେ ନୀର ବ୍ରହ୍ମଲୋକ ଆଦି । ପରମ ପବିତ୍ର ପ୍ରସିଦ୍ଧି ॥ ୧୦୧
ମଙ୍ଗଳ ଦ୍ରବ୍ୟମାନ ଘେନି । ପୂଜିଲା ରାମ କୃଷ୍ଣ ବେନି ॥ ୧୦୨
ଚକ୍ଷୁ ଆନନ୍ଦ ଜଳେ ପୂରେ । ରୋମ ହରଷ କଳେବରେ ॥ ୧୦୩
କର ନିବେଶି କୃଷ୍ଣପାଦେ । କହଇ କଣ୍ଠ ଗଦଗଦେ ॥ ୧୦୪
ନମେ ଅନନ୍ତ ମହାଶୟ । ସୃଷ୍ଟିକାରଣ ବ୍ରହ୍ମଦେହ ॥ ୧୦୫
ତୁ ବ୍ରହ୍ମ ପରମ କାରଣ । ତୁ ସାଂଖ୍ୟଯୋଗ ବିସ୍ତାରଣ ॥ ୧୦୬
ତୁମ୍ଭର ଦରଶନ ଲାଭ । ଜଗତେ ଯୋଗିଙ୍କୀ ଦୁର୍ଲ୍ଲଭ ॥ ୧୦୭
ଆମ୍ଭେ ସ୍ୱଭାବେ ରଜ ତମ । ପାଇଲୁ ତୁମ୍ଭ ଦରଶନ ॥ ୧୦୮
ଦଇତ୍ୟ ଦାନବ ଗନ୍ଧର୍ବ । ସିଦ୍ଧ ଚାରଣ ମହୋରଗ ॥ ୧୦୯
ଯକ୍ଷ ପିଶାଚ ଆଦି ଯେତେ । ଭୂତ ପ୍ରମଥ ନାନାମତେ ॥ ୧୧୦
ବିଶୁଦ୍ଧସତ୍ତ୍ୱ ତୁ ଅଗାଧ । ତୋ ପଥ କରନ୍ତି ବିରୋଧ ॥ ୧୧୧
ତୁ ଶାସ୍ତ୍ରଶରୀର ଅନନ୍ତ । ଏଣେ ନ ଲଭି ଜ୍ଞାନତତ୍ତ୍ୱ ॥ ୧୧୨
ଏହାଙ୍କ ମାର୍ଗେ ଥାନ୍ତି ଯେତେ । ସେ ତୋତେ ଲଭିବେ କେମନ୍ତେ ॥ ୧୧୩
ଏ ଆଦି ଯେ ତୋର ଚରଣେ । ଯେବେ ଭଜନ୍ତି ଶତ୍ରୁପଣେ ॥ ୧୧୪
ଲଭନ୍ତି ତୋର ପଦ୍ମପାଦ । ନାହିଁ ତାହାଙ୍କ ଶାସ୍ତ୍ରବାଦ ॥ ୧୧୫
ଯେ ଅବା ଶତ୍ରୁପଣେ ଥାଇ । ତୋ ପାଦକମଳ ଭଜଇ ॥ ୧୧୬
ବଦ୍ଧବଇର ଭାବ ଚିନ୍ତି । ଭୋ ନାଥ ତୋତେ ସେ ଲଭନ୍ତି ॥ ୧୧୭
ଭକତି ଭାବେ ଯେ ଭଜନ୍ତି । ଯେ ଅବା କାମମାର୍ଗେ ଚିନ୍ତି ॥ ୧୧୮
ସେ ତୋତେ ନିକଟେ ଲଭନ୍ତି । ନରକେ ନାହିଁ ତାଙ୍କ ଭ୍ରାନ୍ତି ॥ ୧୧୯
ସତ୍ତ୍ୱପ୍ରଧାନ ଦେବଗଣେ । ତୋର ନିକଟେ ଅନୁକ୍ଷଣେ ॥ ୧୨୦
ଏମନ୍ତ ତୋ ମାୟା ପ୍ରଭାବ । ସେମାନେ ନ ପାଇଲେ ଠାବ ॥ ୧୨୧
ତୁ ନାଥ ଯୋଗିଙ୍କି ଦୁର୍ଲ୍ଲଭ । ତୋତେ କେ ଜାଣେ ପଦ୍ମନାଭ ॥ ୧୨୨
ନିଶ୍ଚୟ କରି ତୋ ଶରୀର । କେ ଜାଣିପାରେ ଯୋଗେଶ୍ୱର ॥ ୧୨୩
ତୋର ମହିମା ଯୋଗମାୟା । ଆମ୍ଭେ ଜାଣିବୁ କାହୁଁ ତାହା ॥ ୧୨୪
ଭୋ ନାଥ ଶୁଣ ନିରଞ୍ଜନ । ତୁ ମୋତେ ହୋଇବା ପ୍ରସନ୍ନ ॥ ୧୨୫
ଗୃହାନ୍ଧକୂପେ ଥାଇ ନିତି । ତୋ ପାଦପଦ୍ମ ମୁଁ ନ ଚିନ୍ତି ॥ ୧୨୬
ସେ ପାଦପଦ୍ମ ଲଭିବାରେ । ସନ୍ଥ ଯେସନେ ଆଶା କରେ ॥ ୧୨୭
ସଙ୍ଗେ ମୁଁ ଘେନି ସଖାଗଣ । ସେବିବି ତୋହର ଚରଣ ॥ ୧୨୮
ତୋର ଆଗମ ମୋତେ କହ । ନିଷ୍ପାପ କର ମୋର ଦେହ ॥ ୧୨୯
ତୋହର ଆଜ୍ଞା ଘେନି ଶିରେ । ଘୋରସଂସାରୁ ପ୍ରାଣୀ ତରେ ॥ ୧୩୦
- ଶୁକ ଉବାଚ
ବଳି ବଚନେ ଦାମୋଦର । କୋମଳ ବଚନ ଗଭୀର ॥ ୧୩୧
ବୋଲନ୍ତି ଶୁଣ ନୃପମଣି । ପ୍ରଥମ ମନ୍ୱନ୍ତର ବାଣୀ ॥ ୧୩୨
ଛପୁତ୍ର ମରୀଚିର ଘରେ । ଜନ୍ମିଲେ ଉର୍ଣ୍ଣାର ଉଦରେ ॥ ୧୩୩
ସ୍ୱଭାବେ ଦୁଷ୍ଟଭାବ ଘେନି । ନିର୍ଭୟେ ଭ୍ରମନ୍ତି ଅବନୀ ॥ ୧୩୪
ଦେବଳ ନାମେ ବ୍ରହ୍ମଋଷି । ତାହାଙ୍କ ତପୋବନେ ପଶି ॥ ୧୩୫
ତାହାଙ୍କ ରୂପ ଦେଖି ହସି । ଆକର୍ଷି ଗୃହମଧ୍ୟେ ପଶି ॥ ୧୩୬
ଦୁହିତା ଦେଖି ଗୃହମଧ୍ୟେ । ଧଇଲେ ମଇଥୁନ ସଧେ ॥ ୧୩୭
ଦେଖି କୁପିତ ମୁନିବର । ବୋଇଲେ ଶୁଣ ଷଢବୀର ॥ ୧୩୮
ଅସୁର ଯୋନି ତୁମ୍ଭେ ପାଅ । ଜନ୍ମି ତକ୍ଷଣେ କ୍ଷୟ ଯାଅ ॥ ୧୩୯
ଏଣୁ ସେ ଶାପ ଗୁରୁତରେ । ହିରଣ୍ୟକଶିପୁ ମନ୍ଦିରେ ॥ ୧୪୦
ଜନ୍ମିଲେ ଯୋଗମାୟା ଭରେ । ପୁଣି ହିଁ ଦେବକୀ ଉଦରେ ॥ ୧୪୧
ତାହାଙ୍କୁ ଜନ୍ମମାତ୍ରେ ଧରି । କଂସ ମାଇଲା କୋପକରି ॥ ୧୪୨
ଏବେ ଦେବକୀ ଦେଖି ମୁଖ । ତୁଟିବ ଭବବନ୍ଧ ଦୁଃଖ ॥ ୧୪୩
ନିତ୍ୟେହେଁ ଜନନୀ ମୋହରି । କାନ୍ଦଇ ପୁତ୍ରଶୋକେ ଘାରି ॥ ୧୪୪
ଏହାଙ୍କୁ ତୋର ପୁରୁ ନେଇ । ମାତା ନିକଟେ ଦେବି ମୁହିଁ ॥ ୧୪୫
ଜନନୀ ହୋଇବେ ଆନନ୍ଦ । ଏହାଙ୍କ ଫିଟୁ ମାୟାବନ୍ଧ ॥ ୧୪୬
ବୋଲନ୍ତି ପ୍ରଭୁ ନାରାୟଣ । ଷଡ ଭାଇଙ୍କ ନାମ ଶୁଣ ॥ ୧୪୭
ସ୍ମର ଉଦ୍ଗୀଥ ପରିଷ୍ୱଙ୍ଗ । ଘୃଣି କ୍ଷୁଦ୍ରଭୃତ ପତଙ୍ଗ ॥ ୧୪୮
ମୋର ପ୍ରସାଦେ ଷଡ ଜଣ । ପୁଣି ଲଭିବେ ମୋକ୍ଷସ୍ଥାନ ॥ ୧୪୯
ଏମନ୍ତ କୃଷ୍ଣମୁଖୁଁ ଶୁଣି । ବଳି ତାହାଙ୍କୁ ଦେଲା ଆଣି ॥ ୧୫୦
ତକ୍ଷଣେ ରାମ ଯଦୁପତି । ମିଳିଲେ ପୁର ଦ୍ୱାରାବତୀ ॥ ୧୫୧
ଦେବକୀ ପାଶେ ତାଙ୍କୁ ଦେଇ । ପ୍ରଣାମ କଲେ ବେନିଭାଇ ॥ ୧୫୨
ତାହାଙ୍କୁ ଦେଖିଣ ଦେବକୀ । ସ୍ନେହେ ଲୋତକପୂର୍ଣ୍ଣ ଆଖି ॥ ୧୫୩
କ୍ଷୀର ସ୍ରବଇ ପୟୋଧରେ । କୋଳେ ବସାଇ ସ୍ନେହଭରେ ॥ ୧୫୪
ଆଘ୍ରାଣ କରି ତାଙ୍କ ଶିରେ । ସ୍ତନ ପିଆଇ ସ୍ନେହଭରେ ॥ ୧୫୫
କୃଷ୍ଣର ମାୟାରେ ମୋହିତ । ଶୁଣ ରାଜନ ପରୀକ୍ଷିତ ॥ ୧୫୬
କୃଷ୍ଣ ଭକ୍ଷିତ ଶେଷ କ୍ଷୀର । ଭାବେ ପିଇଲେ ଷଡବୀର ॥ ୧୫୭
ଅମୃତସମ କ୍ଷୀର ପିଇ । କୃଷ୍ଣ-ଶ୍ରୀଅଙ୍ଗସଙ୍ଗ ପାଇ ॥ ୧୫୭
ଦେଖିଣ ରାମ କୃଷ୍ଣ ମୁଖ । ଫିଟିଲା ଭବବନ୍ଧ ଦୁଃଖ ॥ ୧୫୮
ଆନନ୍ଦେ ଉଠି ଷଡ ଭାଇ । କୃଷ୍ଣର ପାଦେ ଶିର ଦେଇ ॥ ୧୫୯
ରାମର ପାଦରଜ ଘେନି । ବନ୍ଦିଲେ ପିଅର ଜନନୀ ॥ ୧୬୦
ଦେଖନ୍ତି ଦିଗପାଳେ ମିଳି । ଗଗନେ ଯେସନେ ବିଜୁଳି ॥ ୧୬୧
ଦିବ୍ୟ ଶରୀରେ ଷଡ ଜଣ । ଗଗନମାର୍ଗେ ହେଲେ ଲୀନ ॥ ୧୬୨
ଦେବକୀ ଦେବୀ ତାହା ଦେଖି । କୃଷ୍ଣ ମହିମା ଉପଲକ୍ଷି ॥ ୧୬୩
ମଲା ପୁତ୍ରଙ୍କୁ ଦେଲେ ଆଣି । ପରମାନନ୍ଦ ହଳପାଣି ॥ ୧୬୪
ଏମାୟା କୃଷ୍ଣର ଉପାୟ । ଏତେ ବିଚାରି କଲା ଭୟ ॥ ୧୬୫
ଅଦ୍ଭୂତ କୃଷ୍ଣକର୍ମ ଦେଖି । ସଂଶୟେ ରହିଲା ଦେବକୀ ॥ ୧୬୬
ଶୁଣ ହୋ ଅଭିମନ୍ୟୁସୁତ । କୃଷ୍ଣର ମହିମା ଏମନ୍ତ ॥ ୧୬୭
ଏ ଆଦି ଯେତେ କୃଷ୍ଣଗୁଣ । ଅଦ୍ଭୂତକର୍ମା ନାରାୟଣ ॥ ୧୬୮
ଏମନ୍ତେ କର୍ମ କଲେ ଯେତେ । ଅନ୍ତ କରିବି ତାହା କେତେ ॥ ୧୬୯
ଶ୍ରୀକୃଷ୍ଣ ଲୀଳା ଭାଗବତ । ଯେ ନର ଶୁଣେ ଅବିରତ ॥ ୧୭୦
ଯେ ଅବା ସାଧୁସଙ୍ଗ ମେଳେ । ଆନନ୍ଦେ କହେ ସୁଖଭୋଳେ ॥ ୧୭୧
ଅଶେଷ ପାପବନ୍ଧୁ ତରି । ଅନ୍ତେ ଲଭଇ ନରହରି ॥ ୧୭୨
ସେ ହରିଚରଣେ ବିଶ୍ୱାସ । କହଇ ଜଗନ୍ନାଥ ଦାସ ॥ ୧୭୩
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ଉତ୍ତରାର୍ଦ୍ଧେ ମୃତଅଗ୍ରଜ ଆନୟନଂ ନାମ ଏକନବତିତମ ଅଧ୍ୟାୟଃ
ଦ୍ୱିନବତିତମ ଅଧ୍ୟାୟ
[ସମ୍ପାଦନା]ଶୁକ ସନ୍ନିଧ୍ୟେ ଯୋଡିହସ୍ତ । ଆନନ୍ଦେ ବୋଲେ ପରୀକ୍ଷିତ ॥ ୧
- ପରୀକ୍ଷିତ ଉବାଚ
ରାମ ଗୋବିନ୍ଦଙ୍କ ଭଗିନୀ । ସୁଭଦ୍ରା ନାମେଣ କାମିନୀ ॥ ୨
କେମନ୍ତେ ଅର୍ଜୁନ ତା ପାଇ । ସେ ଯେ ମୋହର ପିତାମହୀ ॥ ୩
କୁହନ୍ତି ବ୍ୟାସଙ୍କର ସୁତ । ଶୁଣ ରାଜନ ପରୀକ୍ଷିତ ॥ ୪
ଅର୍ଜୁନ ତୀର୍ଥଯାତ୍ରା ଛଳେ । ଭ୍ରମଇଁ ଅବନୀମଣ୍ତଳେ ॥ ୫
ପ୍ରଭାସତୀର୍ଥେ ଏକଦିନେ । ଅର୍ଜୁନ ରହି ତୋଷମନେ ॥ ୬
ଶୁଣିଲା ଦ୍ୱାରକାର ବାଣୀ । ନିଜ ମାତୁଳର ନନ୍ଦିନୀ ॥ ୭
ସଙ୍କରଷଣ ଅନୁମତେ । ଦୁର୍ଯ୍ୟୋଧନଙ୍କୁ ଦେବା ଅର୍ଥେ ॥ ୮
କାହାରି ନାହିଁ ସନମତ । ଶୁଣି ବିଚାରେ ମନେ ପାର୍ଥ ॥ ୯
ସୁଭଦ୍ରା ଲଭିବାର ଆଶେ । ତକ୍ଷଣେ ବ୍ରହ୍ମଚାରୀ ବେଶେ ॥ ୧୦
ମାୟାତ୍ରିତଣ୍ତୀ ରୂପ ଧରି । ମିଳିଲା ଦ୍ୱାରକାନଗରୀ ॥ ୧୧
ଆପଣା କାର୍ଯ୍ୟ ସିଦ୍ଧି ଆଶେ । ରହି ବରଷା ଚାରିମାସେ ॥ ୧୨
ଯାଦବେ ନିତ୍ୟେ ଅନ୍ନ ଦ୍ୟନ୍ତି । ଏ କଥା ରାମ ନ ଜାଣନ୍ତି ॥ ୧୩
ଦିନେକ କୃଷ୍ଣ ହଳପାଣି । ଅତିଥି ନିଜ ଘରେ ଆଣି ॥ ୧୪
ଶରଧା ଚିତ୍ତେ ଭିକ୍ଷା ଦେଲେ । ହରଷେ ଅର୍ଜୁନ ଭୁଞ୍ଜିଲେ ॥ ୧୫
ଅନ୍ନ ଭୋଜନେ ବୀରମଣି । ଦେଖି ବସୁଦେବ ଦୁଲଣୀ ॥ ୧୬
ବୀରମୋହିନୀ ରୂପ ତାର । ଭୁବନେ ନାହିଁ ପଟାନ୍ତର ॥ ୧୭
ଅପାଙ୍ଗ ଲୋଚନେ ଅନାଇଁ । ହୃଦେ ଅନଙ୍ଗ ଭାବ ବହି ॥ ୧୮
ସ୍ୱଭାବେ ଅର୍ଜୁନ ସୁନ୍ଦର । ରୂପେ କାମିନୀ ମନୋହର ॥ ୧୯
ସୁଭଦ୍ରା ଦେଖି ତା ବଦନ । ସମ୍ଭ୍ରମେ ପୀଡିତ ମଦନ ॥ ୨୦
ଏକେ ତ କୃଷ୍ଣର ଭଗିନୀ । ରୂପେ ମୋହଇ ପୁର ତିନି ॥ ୨୧
ସବ୍ରୀଡହାସେ ମୁଖ ଶୋହେ । କଟାକ୍ଷେ ମୁନିଜନ ମୋହେ ॥ ୨୨
ଅର୍ଜୁନ ଦେଖି ଅଭିରାମ । ଚିତ୍ତ ମୋହିତ କୋଟିକାମ ॥ ୨୩
ସୁଭଦ୍ରାରୂପେ ମନ ଦେଇ । ଅର୍ଜୁନ ବସି ବିଚାରଇ ॥ ୨୪
କେମନ୍ତେ ଲଭିବି ଏ ନାରୀ । ନିରେତେ ଛିଦ୍ର ଅନୁସରି ॥ ୨୫
ଏମନ୍ତେ ଦେବଯାତ୍ରା କାଳେ । ବନ୍ଧୁବାନ୍ଧବ ଜ୍ଞାତିମେଳେ ॥ ୨୬
ଉତ୍ତମରଥେ କନ୍ୟା ଘେନି । ମଙ୍ଗଳକରଣେ କାମିନୀ ॥ ୨୭
ଦ୍ୱାରକାପୁର ଦୁର୍ଗ ମଧ୍ୟେ । ଚଳନ୍ତି ନୃତ୍ୟ ଗୀତ ବାଦ୍ୟେ ॥ ୨୮
ପିତାମାତାଙ୍କ ଶୁଦ୍ଧଚିତ୍ତେ । କୃଷ୍ଣର ଭାବ ଅନୁମତେ ॥ ୨୯
ଅର୍ଜୁନ ଦେବଯାତ୍ରା ଛଳେ । କନ୍ୟା ହରିଲା ବାହୁବଳେ ॥ ୩୦
ଆପଣେ ନିଜ ରଥେ ବସି । ଧନୁ ଟଙ୍କାରେ ଗୁଣ ଘୋଷି ॥ ୩୧
କନ୍ୟା ଆବୋରି ଥିଲେ ଯେତେ । ନାନା ଆୟୁଧ ଧରି ହସ୍ତେ ॥ ୩୨
ତାହାଙ୍କ ଗର୍ବ ନାଶ କରି । ସ୍ୱଭାଗ ଯେସନେ କେଶରୀ ॥ ୩୩
ପଶୁଙ୍କ ମଧ୍ୟୁ ହରେ ଯେହ୍ନେ । ତା ଦେଖି ରାମ କୋପମନେ ॥ ୩୪
ଯେହ୍ନେ ପୂର୍ଣ୍ଣିମା ନିଶାକାଳେ । ସମୁଦ୍ର ଉଛୁଳେ ଉଲ୍ଲୋଳେ ॥ ୩୫
ରାମର କୋପ ଦେଖି ହରି । ବାନ୍ଧବ ସଙ୍ଗତେ ବିଚାରି ॥ ୩୬
ବୃଦ୍ଧଙ୍କ ସଙ୍ଗେ ବିଚାରିଲେ । ରାମର କୋପ ଶାନ୍ତି କଲେ ॥ ୩୭
କୃଷ୍ଣ ବଚନେ ହଳପାଣି । ଅନେକ ରତ୍ନବସ୍ତ୍ର ଆଣି ॥ ୩୮
ବରକନ୍ୟାର ବିଭାକାଳେ । ଅନେକ ଯଉତୁକ ଦେଲେ ॥ ୩୯
ଅମୂଲ୍ୟରତ୍ନ ବସ୍ତ୍ର ଧନ । ଅଶ୍ୱ କୁଞ୍ଜର ଦାସୀଜନ ॥ ୪୦
ଘେନି ଆନନ୍ଦେ କନ୍ୟା ବର । ମଙ୍ଗଳେ ଗଲେ ନିଜ ପୁର ॥ ୪୧
ବନ୍ଧୁବାନ୍ଧବ ଯେତେଜନ । ଗଲେ ସେ ଯେ ଯାହା ଭୂବନ ॥ ୪୨
କହନ୍ତି ବ୍ୟାସଙ୍କର ସୁତ । କୃଷ୍ଣମଙ୍ଗଳ ଭାଗବତ ॥ ୪୩
କୃଷ୍ଣର ସଖା ପୂର୍ବକାଳେ । ଥିଲା ଯେ ବିଦେହମଣ୍ତଳେ ॥ ୪୪
କୃଷ୍ଣର ଅତି ପ୍ରିୟଭାବ । ନାମ ତାହାର ଶୁତଦେବ ॥ ୪୫
ଏକାନ୍ତ ହରିଭାବ ଭୋଳେ । ସମ୍ପୁର୍ଣ୍ଣ ହୃଦୟ ନିଶ୍ଚଳେ ॥ ୪୬
ଯୋଗେ ଇନ୍ଦ୍ରିୟ ବଳ ଜିଣି । ଜଗତଆତ୍ମା ପରିମାଣି ॥ ୪୭
ମିଥିଳାପୁରେ ଗୃହାଶ୍ରମୀ । ବ୍ରାହ୍ମଣଭାବେ ନିତ୍ୟକର୍ମୀ ॥ ୪୮
ଧନ ଅର୍ଜନେ ନାହିଁ ଚିତ୍ତ । କେବଳ ପ୍ରାଣ ବୃତ୍ତି ମାତ୍ର ॥ ୪୯
ଅଧର୍ମମାର୍ଗେ ମନେ ଭୀତି । କ୍ରିୟାକଳାପ କରେ ନିତି ॥ ୫୦
ଏମନ୍ତେ ବହୁଳାଶ୍ୱ ନାମ । ମିଥିଳାନଗରେ ରାଜନ ॥ ୫୧
ସେ ବେନିଜନ ହରିଭାବେ । ଜିତଇନ୍ଦ୍ରିୟ ସେ ସ୍ୱଭାବେ ॥ ୫୨
ତାହାଙ୍କ ଭାବ ଘେନି ହୃଦେ । ଗୋବିନ୍ଦ ପରମଆନନ୍ଦେ ॥ ୫୩
ଭକତଭାବେ ବଶ ହରି । ଉଦ୍ଧବ ସଙ୍ଗେ ଦଇତ୍ୟାରି ॥ ୫୪
ଦାରୁକ ରଥ କଲା ଆଣି । ମୁନିଙ୍କ ସଙ୍ଗେ ଚକ୍ରପାଣି ॥ ୫୫
ରଥ ଆରୋହି ହୃଷୀକେଶ । ମିଥିଳାନଗରେ ପ୍ରବେଶ ॥ ୫୬
ନାରଦ ବାମଦେବ ଅତ୍ରି । ବ୍ୟାସ ପରଶୁରାମ ଯତି ॥ ୫୭
ଅସିତ କେବଳ ଅରୁଣି । ଦେବଙ୍କଗୁରୁ ଶୁକମୁନି ॥ ୫୮
କଣ୍ୱ ମଇତ୍ରେୟ ଚ୍ୟବନ । ଏ ଆଦି ବ୍ରହ୍ମଋଷିଗଣ ॥ ୫୯
ମିଳିଲେ ସକଳେ ହେଁ ଆସି । ଦେଖି ଗୋବିନ୍ଦ ରୂପରାଶି ॥ ୬୦
ଶୁଣି ଗୋବିନ୍ଦ ଆଗମନ । ମିଥିଳାପଥେ ଯେତେ ଜନ ॥ ୬୧
ବିବିଧ ଅର୍ଘ୍ୟପାତ୍ର କରେ । ମିଳିଲେ କୃଷ୍ଣର ଛାମୁରେ ॥ ୬୨
ଆଦିତ୍ୟ ଉଦୟ ନିକଟେ । ଯେହ୍ନେ ବ୍ରାହ୍ମଣେ ଜଳଘାଟେ ॥ ୬୩
ତେହ୍ନେ ଦିଶନ୍ତି ଶୀରିବସ୍ତ୍ର । ଅନନ୍ତ ରୂପ କି ପ୍ରତ୍ୟକ୍ଷ ॥ ୬୪
ଧନୁତୁଣୀର କମ୍ବୁ ଚକ୍ର । ଗଦା କମଳ ପଦ୍ମନେତ୍ର ॥ ୬୫
ଦେଖିଣ ଆନନ୍ଦ ସବୁରି । ମଙ୍ଗଳ ଶବଦ ଉତାରି ॥ ୬୬
ଆନର୍ତ୍ତ ଧନ୍ୱ ଯେ ଜାଙ୍ଗଳ । କୁରୁ କଙ୍କ ମତ୍ସ୍ୟ ପାଞ୍ଚାଳ ॥ ୬୭
କୈକୟ ମଧୁ କୁନ୍ତୀ ଆଦି । କୋଶଳଦେଶ ଯେ ପ୍ରସିଦ୍ଧି ॥ ୬୮
ଏ ଆଦି ଯେତେ ଜନପଦେ । କୃଷ୍ଣର ବଦନ ଆନନ୍ଦେ ॥ ୬୯
ପିବନ୍ତି ଚକ୍ଷୁରନ୍ଦ୍ରେ ଭରି । ଅଶେଷ ତପେ ନରନାରୀ ॥ ୭୦
ତାହାଙ୍କ ତପସିଦ୍ଧ କରି । ଭକତବନ୍ଧୁ ନରହରି ॥ ୭୧
ଦିଗପୂରିତ ନିଜ ଯଶ । ତାହାଙ୍କ ମୁଖୁଁ ହୃଷୀକେଶ ॥ ୭୨
ଅଶୁଭନାଶନ ମଙ୍ଗଳ । ଶୁଣି ସାନନ୍ଦ ନନ୍ଦବାଳ ॥ ୭୩
ସର୍ବକୁଶଳ ସ୍ନେହଭରେ । ପ୍ରବେଶ ମିଥିଳାନଗରେ ॥ ୭୪
ମିଥିଳାପୁର ନରନାରୀ । କୃଷ୍ଣ ଆଗମ ଅନୁସରି ॥ ୭୫
ମଙ୍ଗଳ ଦ୍ରବ୍ୟ ଘେନି କରେ । ମିଳିଲେ କୃଷ୍ଣର ଛାମୁରେ ॥ ୭୬
ଗୋବିନ୍ଦମୁଖ ଦେଖି ଜନେ । ପ୍ରଫୁଲ୍ଲ ନିଶ୍ଚଳ ନୟନେ ॥ ୭୭
କରଅଞ୍ଜଳି ଦେଇ ଶିରେ । ରୋମପୁଲକ କଳେବରେ ॥ ୭୮
ସକଳେ ମୁନିଗଣ ମେଳେ । ନମିଲେ କୃଷ୍ଣ ପାଦତଳେ ॥ ୭୯
ଜନକ ଶ୍ରୁତଦେବ ବେନି । ହୃଦେ ଗୋବିନ୍ଦ ଭାବ ଘେନି ॥ ୮୦
ବୋଲନ୍ତି ଆମ୍ଭ ଅନୁଗ୍ରହେ । ବିଜୟ କଲେ ଦେବରାୟେ ॥ ୮୧
ଏମନ୍ତେ ପରମ ଆନନ୍ଦେ । ପ୍ରଣାମ କଲେ କୃଷ୍ଣପାଦେ ॥ ୮୨
ମୁନି ସମେତେ ନାରାୟଣ । ଅତିଥି କଲେ ନିମନ୍ତ୍ରଣ ॥ ୮୩
କୃଷ୍ଣଙ୍କୁ ଆସନେ ବସାଇ । ପୂଜିଲେ ଷଡଅର୍ଘ୍ୟ ଦେଇ ॥ ୮୪
ସେ ବେନିଜନଙ୍କର ମନ । ଜାଣନ୍ତି ଜଗତଜୀବନ ॥ ୮୫
ଭାବରେ ବନ୍ଧୁ ଦାମୋଦର । ମନରେ କରନ୍ତି ବିଚାର ॥ ୮୬
ଦୁହିଁଙ୍କ ଘରେ ମୁହିଁ ରହି । ଚିତ୍ତ ଆନନ୍ଦେ ବୋଧ ଦେଇ ॥ ୮୭
ତେବେ ମୁଁ ଯିବି ନିଜ ପୁର । ଏତେ ବିଚାରି ଚକ୍ରଧର ॥ ୮୮
ଜନକ ଗୃହେ ଭଗବାନ । ମୁନିଙ୍କି ଘେନି ଆଗମନ ॥ ୮୯
ଆନନ୍ଦମନେ ମହାରାଜା । ମୁନିଙ୍କି କଲେ ପାଦପୂଜା ॥ ୯୦
ହରଷୁ ତନୁ ରୋମମୂଳ । ନୟନୁ ବହେ ଅଶ୍ରୁଜଳ ॥ ୯୧
ପଖାଳି ମୁନିଙ୍କର ପାଦ । ଆନନ୍ଦେ କଣ୍ଠ ଗଦଗଦ ॥ ୯୨
ବିଶ୍ୱପବିତ୍ର ପାଦଜଳ । କୁଟୁମ୍ବ ସଙ୍ଗେ ଘେନି ଶିର ॥ ୯୩
ମୁନିଙ୍କ ଚରଣ ସମୀପେ । ପୁଷ୍ପଚନ୍ଦନ ଧୂପ ଦୀପେ ॥ ୯୪
ଅର୍ଘ୍ୟ ଗୋ ବୃଷ ଆଦି ଦେଇ । ମଧୁର ସ୍ୱରେ ବାକ୍ୟ କହି ॥ ୯୫
ଆତ୍ମଦରଶୀ ମୁନିଗଣେ । ଆନନ୍ଦେ ବସିଲେ ଆସନେ ॥ ୯୬
କୃଷ୍ଣଙ୍କୁ ପଲ୍ୟଙ୍କେ ବସାଇ । ବେନିଚରଣ କୋଳେ ଲଇଁ ॥ ୯୭
ପାଦମର୍ଦ୍ଦଇ ମନସୁଖେ । କହେ କୋମଳ ବାଣୀ ମୁଖେ ॥ ୯୮
ଭୋ ନାଥ ସର୍ବପ୍ରାଣୀଙ୍କର । ତୁ ଆତ୍ମାସାକ୍ଷୀ ଦାମୋଦର ॥ ୯୯
ତୋର ଚରଣ ଚକ୍ଷୁଦ୍ୱାରେ । ଦେଖିଲି ମନୁଷ୍ୟ ଶରୀରେ ॥ ୧୦୦
ତୋହର କର୍ମ ଶୁଣି କର୍ଣ୍ଣେ । ପ୍ରତ୍ୟେକ୍ଷ ଦେଖିଲି ନୟନେ ॥ ୧୦୧
ତୋ ପାଦରଜ ଜଗନ୍ନାତା । ଲଭିବା ପାଇଁ କରେ ଚିନ୍ତା ॥ ୧୦୨
ଏହା ଯେ ଚିତ୍ତେ ଭଲେ ଜାଣି । ସଂସାରୁ ତରଇ ସେ ପ୍ରାଣୀ ॥ ୧୦୩
ସମଦରଶୀ ଚିତ୍ତ ଯାର । ଶାନ୍ତ ନିଷ୍କାମ ମୁନିଙ୍କର ॥ ୧୦୪
ମରଣେ ଦେଉ ଆତ୍ମପଦ । ଆଗମ ନିଗମେ ପ୍ରସିଦ୍ଧ ॥ ୧୦୫
ସଂସାର ପ୍ରାଣୀଙ୍କର ମଧ୍ୟେ । ତୁ ନାଥ ଭୂମିଭାରା ସାଧ୍ୟେ ॥ ୧୦୬
ଯାଦବବଂଶେ ହୋଇ ଜାତ । ତୋ ଯଶ ଜଗତେ ବିଦିତ ॥ ୧୦୭
ତୋ ପାଦରେଣୁ ପାପ ନାଶେ । ନିର୍ମଳ ସୁଜ୍ଞାନ ପ୍ରକାଶେ ॥ ୧୦୮
ନମସ୍ତେ ପ୍ରଭୁ ଭଗବାନ । ତୁ କୃଷ୍ଣ ବଇକୁଣ୍ଠଧାମ ॥ ୧୦୯
ତୁ ନର ନାରାୟଣ ରୂପୀ । ଅଶେଷ ପ୍ରାଣୀ ହିତେ ତପୀ ॥ ୧୧୦
ଭୋ ନାଥ ଘେନି ମୁନିଜନ । ମୋ ଗୃହେ ରହ କିଛିଦିନ ॥ ୧୧୧
ତୋ ପାଦରଜେ ମୋର କୁଳ । ପବିତ୍ର ହେଉ ଆଦିମୂଳ ॥ ୧୧୨
ଏମନ୍ତ ରାଜା ବାକ୍ୟ ଶୁଣି । ମନ ଆନନ୍ଦେ ଚକ୍ରପାଣି ॥ ୧୧୩
ମିଥିଳା ନରନାରୀଙ୍କର । ପ୍ରୀତି କାରଣେ ଚକ୍ରଧର ॥ ୧୧୪
ରହିଲେ କେତେଦିନ ତହିଁ । ଜନକ ପ୍ରିୟଭାବ ବହି ॥ ୧୧୫
ଆନନ୍ଦମନେ ହୃଶୀକେଶ । ଶ୍ରୁତଦେବ ଗୃହେ ପ୍ରବେଶ ॥ ୧୧୬
ସ୍ୱଗୃହେ ଗୋବିନ୍ଦ ଆଗମେ । ଦେଖି ଶ୍ରୁତଦେବ ବିଭ୍ରମେ ॥ ୧୧୭
ନମି ଗୋବିନ୍ଦେ ଶୁଦ୍ଧଚିତ୍ତେ । ଭତ୍ତରୀ ତୋଳି ବେନି ହସ୍ତେ ॥ ୧୧୮
ଭାବେ ସୁମନେ ନୃତ୍ୟ କରି । ଆନନ୍ଦେ ବୋଲେ ହରିହରି ॥ ୧୧୯
ଶ୍ରୀକୃଷ୍ଣ ପାଦପଦ୍ମ ବେନି । ପୂଜିଲା ପ୍ରିୟଭାବ ଘେନି ॥ ୧୨୦
ସଙ୍ଗତେ ଘେନି ନିଜ ନାରୀ । ଶ୍ରୀକୃଷ୍ଣପାଦ କରେ ଧରି ॥ ୧୨୧
ପଖାଳି ଶୀତଳ ଉଦକେ । ଉଦକ ଘେନିଲା ମସ୍ତକେ ॥ ୧୨୨
ଜଳ ସିଞ୍ଚିଲା ନେଇ ଘରେ । ଯେ ଜଳେ ମେନୋରଥ ପୂରେ ॥ ୧୨୩
ସକଳ ଫଳ ଥାଇ ଯହିଁ । ସେ ପାଦ ପୂଜେ ଭାବ ବହି ॥ ୧୨୪
ସୁଗନ୍ଧତୃଣ ବାସ ଜଳେ । ଶ୍ୟାମତୁଳସୀ ପଦ୍ମତଳେ ॥ ୧୨୫
ଯେ ଅବା ଥିଲା ତା ମନ୍ଦିରେ । ଅର୍ପିଲା ସର୍ବ ଉପହାରେ ॥ ୧୨୬
ବିତର୍କେ ବିଚାରଇ ଚିତ୍ତେ । ପୂର୍ବେ ମୁଁ ପୁଣ୍ୟ କଲି କେତେ ॥ ୧୨୭
ସେ ପୁଣ୍ୟେ ଲଭିଲି ଏ ଗତି । ମୋର ମନ୍ଦିରେ ଯଦୁପତି ॥ ୧୨୮
ଯାହାର ପାଦରଜ-ନୀର । ସକଳ ତୀର୍ଥଙ୍କର ଘର ॥ ୧୨୯
ଆତ୍ମାନିକେତ ମୁନିମେଳେ । ଗୋବିନ୍ଦ ମୋ ଗୃହମଣ୍ତଳେ ॥ ୧୩୦
ଏମନ୍ତେ କୃଷ୍ଣଙ୍କୁ ବସାଇ । କରଅଞ୍ଜଳି ଶିରେ ଦେଇ ॥ ୧୩୧
ସୁତ କଳତ୍ର ବନ୍ଧୁ ଘେନି । ଚାପଇ କୃଷ୍ଣପାଦ ବେନି ॥ ୧୩୨
ବୋଲଇ କୋମଳ ବଚନ । ପାଦପଙ୍କଜେ ଦେଇ ମନ ॥ ୧୩୩
ଆଜ ଯେ ଧନ୍ୟ ମୋର ବଂଶ । ଦେଖିଲି ପରମପୁରୁଷ ॥ ୧୩୪
ଯେ ହରି ଜଗତ ଭିଆଇ । ଖେଳଇ ସର୍ବରୁପ ହୋଇ ॥ ୧୩୫
ନିଦ୍ରିତ ପୁରୁଷ ଯେମନ୍ତେ । ସ୍ୱପ୍ନ ଦେଖଇ ନାନମତେ ॥ ୧୩୬
ଚିଆଇଁ ପୁଣି ଚିତ୍ତେ ଧ୍ୟାୟେ । ସେ କଥା ମଣେ ସତ୍ୟ ପ୍ରାୟେ ॥ ୧୩୭
ତୋ ନାମ ଶୁଣନ୍ତି ଯେ କର୍ଣ୍ଣେ । ନିରତେ ଗୁଣନ୍ତି ବଦନେ ॥ ୧୩୮
ନିଶ୍ଚଳ ଧ୍ୟାନେ ମନେ ଚିନ୍ତି । ତୋର ପ୍ରତିମା ଯେ ପୂଜନ୍ତି ॥ ୧୩୯
ବିଷୟସଙ୍ଗ ଦୂର କରି । ତୋତେ ଭାବନ୍ତି ହୃଦେ ଧରି ॥ ୧୪୦
ତାହାଙ୍କ ହୃଦେ ତୁ ଗୋବିନ୍ଦ । ପ୍ରକାଶୁ ଜଳେ ଯେହ୍ନେ ଚନ୍ଦ୍ର ॥ ୧୪୧
କର୍ମେ ଚଞ୍ଚଳ ଯାର ଚିତ୍ତ । ତାହାକୁ ଦୂର ତୁ ଅଚ୍ୟୁତ ॥ ୧୪୨
ହୃଦରେ ଥାଇ ଦୂର ହେଉ । ତୋତେ ପାଇବେ ସେ ବା କାହୁଁ ॥ ୧୪୩
ତୋ ଗୁଣ ଯେହୁ ଗୁଣେ ରଟେ । ତୁ ଥାଉ ତାହାର ନିକଟେ ॥ ୧୪୪
ଆତ୍ମାର ଶକ୍ତି ଅଗୋଚର । ଭୋ ନାଥ ମହିମା ତୋହର ॥ ୧୪୫
ନମସ୍ତେ ପ୍ରଭୁ ନିରଞ୍ଜନ । ଅଧ୍ୟାତ୍ମଜ୍ଞାନୀଙ୍କ ଜୀବନ ॥ ୧୪୬
ଅଜ୍ଞାନୀ ଦେହବନ୍ତଙ୍କର । ମୃତ୍ୟୁ ସ୍ୱରୁପ ତୁ ନିକର ॥ ୧୪୭
ସ୍ୱଭାବେ ଦେହ ତୋର ନାହିଁ । ମାୟାରେ ବହୁ ସର୍ବଦେହୀ ॥ ୧୪୮
କାରଣ ସଙ୍ଗେ ଅକାରଣ । ଉଭୟଲିଙ୍ଗ ତୁ ଧାରଣ ॥ ୧୪୯
ମାୟା ଆବୃତେ ରୁଦ୍ଧଦୃଷ୍ଟି । ଏଣୁ ତୋ ନାନା ରୂପ ସୃଷ୍ଟି ॥ ୧୫୦
ମୁଁ ତୋର ଭୃତ୍ୟଙ୍କ କିଙ୍କର । ସୁହୃଦ କୋଟିକେ ଅନ୍ତର ॥ ୧୫୧
ମୁଁ ତୋର କି କରିବି ସେବା । ବିଚାରି ମୋତେ ଆଜ୍ଞା ଦେବା ॥ ୧୫୨
ଦୃଷ୍ଟିଗୋଚର ଯାର ତୁହି । ତାହାର କ୍ଳେଶ ଆଉ କାହିଁ ॥ ୧୫୩
କହନ୍ତି ଶୁକ ମହାମୁନି । ଶ୍ରୁତ ଦେବର ବାକ୍ୟ ଶୁଣି ॥ ୧୫୪
ପ୍ରାଣୀଙ୍କକ ଆରତଭଞ୍ଜନ । ହରଷେ ପ୍ରଭୁ ଭଗବାନ ॥ ୧୫୫
ବ୍ରାହ୍ମଣ ହସ୍ତ କରେ ଧରି । ହସି ବୋଲନ୍ତି ନରହରି ॥ ୧୫୬
ତୋତେ ପ୍ରସନ୍ନ ମନ ମୋର । ତେଣୁ ଅଇଲି ତୋର ଘର ॥ ୧୫୭
ଏ ମୁନିଜନଙ୍କ ମହିମା । କେ କହିପାରେ ଗୁଣସୀମା ॥ ୧୫୮
ଏହାଙ୍କ ପାଦରଜ ଶିରେ । ଘେନି ସଂସାରୁ ପ୍ରାଣୀ ତରେ ॥ ୧୫୯
ଦେବତାକ୍ଷେତ୍ର ତୀର୍ଥଜନେ । ଦର୍ଶନ-ସ୍ପପର୍ଶ-ଅର୍ଚ୍ଚନେ ॥ ୧୬୦
ଶୁଦ୍ଧ କରନ୍ତି ଚିରକାଳେ । ଯେ ଯାହା କର୍ମ ଫଳାଫଳେ ॥ ୧୬୧
ସାଧୁଙ୍କ ଦରଶନ ମାତ୍ରେ । ଦୁରିତ ନ ରହଇ ଗାତ୍ରେ ॥ ୧୬୨
ସକଳ ପ୍ରାଣୀ ମଧ୍ୟେ ସାର । ବ୍ରାହ୍ମଣ ଶରୀର ଯାହାର ॥ ୧୬୩
ସନ୍ତୋଷ ତପ ବିଦ୍ୟାଫଳେ । କ୍ରିୟା କଳାପ ଯୋଗବଳେ ॥ ୧୬୪
ବ୍ରାହ୍ମଣ ସର୍ବଦେବମୟ । ସେ ମୋର ଦେହଟି ନିଶ୍ଚୟ ॥ ୧୬୫
ଚତୁରଭୁଜ ମୋର ଦେହୀ । ଏହା ମୁଁ ପ୍ରିୟ ନ ମଣଇଁ ॥ ୧୬୬
ବ୍ରାହ୍ମଣଜନ ପ୍ରିୟ ମୋର । ହସି ବୋଲନ୍ତି ଚକ୍ରଧର ॥ ୧୬୭
ବ୍ରାହ୍ମଣ ଗୁରୁ ଚାରିବର୍ଣ୍ଣେ । ମୋହର ସ୍ୱରୂପ ଅଭିନ୍ନେ ॥ ୧୬୮
ତାହା ନ ଜାଣି ମୂଢଜନେ । ପ୍ରତିମା ପୂଜେ ଦୃଢମନେ ॥ ୧୬୯
ଏ ଚରାଚର ବିଶ୍ୱ ମଧ୍ୟେ । ଦେଖନ୍ତି ଯେ ମୋତେ ଅଭେଦେ ॥ ୧୭୦
ଏ ବିପ୍ରବରେ ଶ୍ରଦ୍ଧା ବହି । ସ୍ୱଧର୍ମଭାବେ ପୂଜ ତୁହି ॥ ୧୭୧
ଏହାଙ୍କୁ ସେବା କର ନିତ୍ୟେ । ମୋ ଭାବ ପାଇବୁ ଯେମନ୍ତେ ॥ ୧୭୨
ବିପ୍ରସେବନେ ମୋତେ ପାଇ । ଅନ୍ୟଥା କୋଟି ଯଜ୍ଞେ ନୋହି ॥ ୧୭୩
ଶୁକ କହନ୍ତି ଶୁଦ୍ଧମନେ । ଏମନ୍ତ ବିଷ୍ଣୁର ବଚନେ ॥ ୧୭୪
ବିପ୍ରଙ୍କୁ ପୂଜି ନିତିନିତି । ଲଭିଲେ ଅପବର୍ଗ ଗତି ॥ ୧୭୫
ଏମନ୍ତେ ପ୍ରଭୁ ଭଗବାନ । ମିଥିଳା ରହି କେତେଦିନ ॥ ୧୭୬
ତାହାଙ୍କୁ ନିଜ ଜ୍ଞାନ ଦେଇ । ଦ୍ୱାରକା ବିଜେ ଭାବଗ୍ରାହୀ ॥ ୧୭୭
ସେ ହରିପାଦେ ଦେଇ ଚିତ୍ତ । କହଇ ଦାସ ଜଗନ୍ନାଥ ॥ ୧୭୮
ସୁଜନେ କୃଷ୍ଣପାଦେ ସେବ । ସଂସାର-ସାଗରୁ ତରିବ ॥ ୧୭୯
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ
ଦଶମସ୍କନ୍ଧେ ଉତ୍ତରାର୍ଦ୍ଧେ ଶ୍ରୁତଦେବ ଅନୁଗ୍ରହୋ ନାମ
ଦ୍ୱିନବତିତମ ଅଧ୍ୟାୟଃ ॥
ତ୍ରିନବତିତମ ଅଧ୍ୟାୟ
[ସମ୍ପାଦନା]ସୁଭଦ୍ରା-ତନୟ-କୁମର । କୃଷ୍ଣସେବକ ମଧ୍ୟେ ସାର ॥ ୧
ପ୍ରଣାମ କରି ଶୁକ ପାଦେ । ବୋଲେ ଆନନ୍ଦ ଗଦଗଦେ ॥ ୨
- ପରୀକ୍ଷିତ ଉବାଚ
ଭୋ ମୁନି ତୁମ୍ଭର ମହିମା । କେ କହିପାରେ ଗୁଣସୀମା ॥ ୩
କୃଷ୍ଣସେବକ ମଧ୍ୟେ ବର । ମୁଁ ତୁମ୍ଭ ଚରଣେ କିଙ୍କର ॥ ୪
ପାଣ୍ତବ କୁଳେ ଜାତ ହୋଇ । ସ୍ୱଭାବେ ଭାଗ୍ୟବନ୍ତ ମୁହିଁ ॥ ୫
ତୁମ୍ଭର ମୁଖୁଁ କୃଷ୍ଣବାଣୀ । ନିରତେ ଶ୍ରୁତିପଥେ ଶୁଣି ॥ ୬
ଅନେକ ଜନ୍ମ ତପଫଳେ । ଜନ୍ମିଲି ଭାରତମଣ୍ତଳେ ॥ ୭
ଦେଖ ମୋହର ଜନ୍ମକାଳେ । ଲିଖିତ ଅଛି ଯେ କପାଳେ ॥ ୮
ସେ ଘେନି ପ୍ରାଣ ତ୍ୟାଗ କାଳେ । ଚରଣ ଦେଇ ଗଙ୍ଗାଜଳେ ॥ ୯
ବ୍ରହ୍ମ ବିଚାର ତୁମ୍ଭ ତୁଲେ । କଲି ଆନନ୍ଦ ସୁଖ ଭୋଳେ ॥ ୧୦
ବିଶ୍ୱସଂସାର ମଧ୍ୟେ ହରି । ଜନ୍ମିଲେ ଯେତେ ରୂପ ଧରି ॥ ୧୧
ମୀନ କମଠ ଆଦି ରୂପ । ଧରି ନାଶିଲେ ମହୀତାପ ॥ ୧୨
ଯେ ଏହା ଶୁଣେ କର୍ଣ୍ଣଦ୍ୱାରେ । ନ ବୁଡେ ସଂସାର ସାଗରେ ॥ ୧୩
ହରି ମହିମା ତୁମ୍ଭେ ଯେତେ । ମୋତେ କହିଲ ଭାଗବତେ ॥ ୧୪
ସଂସାର-ବୃକ୍ଷ-ମୂଳ-କନ୍ଦ । ଅନାଦି ପୁରୁଷ ଗୋବିନ୍ଦ ॥ ୧୫
ନିଜ ସ୍ୱରୂପେ ବ୍ରହ୍ମରାଶି । ଏକ ଅନେକ ରୂପେ ଦିଶି ॥ ୧୬
ବସଇ ସର୍ବଜୀବ ଦେହେ । ବିଷୟ-ମାୟା-ଜଡ ମୋହେ ॥ ୧୭
କର୍ମ କରଇ ତେଜ ବହି । କାର୍ଯ୍ୟକାରଣେ ନ ଲାଗଇ ॥ ୧୮
ଏଣୁ ତା ନିଜ ରୂପ ଭାବ । ସଂସାରେ କେ ଅବା କହିବ ॥ ୧୯
ବେଦ-ବେଦାନ୍ତ କେବା ଜାଣୁ । ଯେ ନୋହେ ଅଣୁ ପରମାଣୁ ॥ ୨୦
ନାଭିକମଳୁ ବ୍ରହ୍ମା ଜାତ । ସେ ଖୋଜି ନ ପାଇଲା ଅନ୍ତ ॥ ୨୧
ତାର ନିଃଶ୍ୱାସୁଁ ବେଦ ଜନ୍ମି । ତ୍ରିଗୁଣ ମାୟାଚକ୍ରେ ଭ୍ରମି ॥ ୨୨
କେମନ୍ତେ ବିଷ୍ଣୁଙ୍କୁ ଜାଣନ୍ତି । ଏ ମୋର ମନେ ବଡ ଭ୍ରାନ୍ତି ॥ ୨୩
ସ୍ୱଭାବେ ବିଷ୍ଣୁ ନିରଞ୍ଜନ । ନୋହେ ପ୍ରକାଶ ସ୍ଥୂଳ ଶୂନ୍ୟ ॥ ୨୪
ଏ କଥା କହ ମୁନିବର । ନିର୍ମଳ ହେଉ ମୋ ଶରୀର ॥ ୨୫
ଏମନ୍ତ ପରୀକ୍ଷିତ ବାଣୀ । ଶୁକ ବୋଲନ୍ତି ତାହା ଶୁଣି ॥ ୨୬
- ଶୁକ ଉବାଚ
ତୁ ପୁଣ୍ୟବନ୍ତ ନୃପବର । ଚଞ୍ଚଳ ମନ ସ୍ଥିର କର ॥ ୨୭
ଜଗତ ଈଶ୍ୱର ମୁରାରି । ସଂସାର ମାୟାଯୋଗେ କରି ॥ ୨୮
ଭିଆଇ ସୂକ୍ଷ୍ମରୂପେ ଜୀବ । ସ୍ଥାବର ଆଦି ଦେହୀ ସର୍ବ ॥ ୨୯
ଆଗେ ଭିଆଣ କଲା ମନ । ଅହଙ୍କାର ବୁଦ୍ଧି ଚେତନ ॥ ୩୦
କର୍ମର ଅର୍ଥେ ଇନ୍ଦ୍ରିଗଣ । ସର୍ଜିଲା ଆଦି ନାରାୟଣ ॥ ୩୧
କର୍ମରୁ ବାସନା ସମ୍ଭୂତ । ତେଣୁଟି ବଦ୍ଧ ଏ ଜଗତ ॥ ୩୨
କର୍ମ ବାସନା ରଜ୍ଜୁ ବଳେ । ପ୍ରାଣୀ ଭ୍ରମନ୍ତି ଏ ଶୟଳେ ॥ ୩୩
ଏଣୁ ସେ ଇହ ପରଲୋକେ । ଫଳ ଭୁଞ୍ଜଇ ଦୁଃଖେ ସୁଖେ ॥ ୩୪
ଏ ଘେନି କର୍ମର ଭିଆଣ । ପ୍ରବୃତ୍ତି ନିବୃତ୍ତି କାରଣ ॥ ୩୫
ଦେହ ଧାରଣା ଦଶପ୍ରାଣ । ଭିରରେ ବାହାରେ ପ୍ରମାଣ ॥ ୩୬
ଏମନ୍ତ ସର୍ଜି ବିଶ୍ୱକାୟା । ତୁ ମୋତେ ପଚାରିଲୁ ଯାହା ॥ ୩୭
ବୋଲୁ ଯେ ବିଷ୍ଣୁର ମହିମା । କେ ଜାଣିପାରେ ଗୁଣସୀମା ॥ ୩୮
ବେଦ କେମନ୍ତେ ତାହା ଜାଣି । କହେ ମହିମା ପରିମାଣି ॥ ୩୯
ବୁଦ୍ଧି ଇନ୍ଦ୍ରିୟ ପ୍ରାୟ ମନ । ଏହାଙ୍କ ବିଷୟ ପ୍ରମାଣ ॥ ୪୦
ଯେ ରୂପେ ହୋଇବ ପ୍ରବେଶ । ତହିଁକି ଦେବ ଉପଦେଶ ॥ ୪୧
ବିଧାତା ଆଦି ଯେତେ ମୁନି । ବେଦରୁ ବ୍ରହ୍ମଭାଗ ଘେନି ॥ ୪୨
ସେ ବ୍ରହ୍ମଜ୍ଞାନକୁ ଶ୍ରବଣ । ଆବର କରନ୍ତି ଧାରଣ ॥ ୪୩
ବେଦ ବଚନେ ବ୍ରହ୍ମ ଜାଣି । ଭବସାଗରୁ ତରେ ପ୍ରାଣୀ ॥ ୪୪
ବେଦୁଁ ପରମ ଗତି ପାନ୍ତି । ଉପନିଷଦ ଭାଗ ଚିନ୍ତି ॥ ୪୫
ଶୁଣ ପାଣ୍ତବ ଚୂଡାମଣି । ଯେମନ୍ତେ ବେଦୁଁ ବ୍ରହ୍ମ ଜାଣି ॥ ୪୬
ପୁଣ୍ୟ ଆଶ୍ରମ ବଦରିକା । ଯହିଁ ଗୋବିନ୍ଦ ବେନି ସଖା ॥ ୪୭
ସେ ନର ନାରାୟଣ ରୂପେ । ସାଧନ୍ତି ଜନ୍ମସୁଖ ତପେ ॥ ୪୮
ଭାରତ ମଧ୍ୟେ ଯେତେ ଜନ୍ତୁ । ଏହାଙ୍କ ତପ ତାଙ୍କ ହେତୁ ॥ ୪୯
କଳାପ ଗ୍ରାମେ ଯଜ୍ଞବାଟେ । ମୁନିଏ ଅଛନ୍ତି ନିକଟେ ॥ ୫୦
ତହିଁ ନାରଦ ମହାମୁନି । ମିଳିଲେ ବିଷ୍ଣୁଭାବ ଘେନି ॥ ୫୧
ସେ ମୁନି ବିଷ୍ଣୁର ସ୍ୱରୂପ । ଜୀବନମୁକ୍ତ ଜ୍ଞାନଦୀପ ॥ ୫୨
ନିରତେ ଜନ ଉପକାରେ । ଭ୍ରମନ୍ତି ଚତୁର୍ଦ୍ଦଶପୁରେ ॥ ୫୩
ବୀଣାଶବଦ କରେ ବାଇ । ମିଳିଲେ ବିଷ୍ଣୁ ପାଶେ ଯାଇ ॥ ୫୪
ଚରଣେ ଦେଇ ବେନିକର । ନମିଲେ ବ୍ରହ୍ମାଙ୍କ କୁମର ॥ ୫୫
କହନ୍ତି ଶୁକ ମୁନିବର । ଶୁଣ ପରୀକ୍ଷ ନୃପବର ॥ ୫୬
ବିଷ୍ଣୁ ନାରଦଙ୍କ ସମ୍ବାଦ । ଶୁଣନ୍ତେ ନ ଲାଗେ ପ୍ରମାଦ ॥ ୫୭
ବୋଲି ନାରଦ ମହାଋଷି । ବିଷ୍ଣୁ ଚରଣତଳେ ବସି ॥ ୫୮
ନମଇଁ ପ୍ରଭୁ ନାରାୟଣ । ତୁମ୍ଭର ଅଭୟଚରଣ ॥ ୫୯
ହୃଦରେ ଅଛି ମୋ ସନ୍ଦେହ । ବ୍ରହ୍ମବିଚାର ମୋତେ କୁହ ॥ ୬୦
କହନ୍ତି ନାରାୟଣ ଋଷି । ନାରଦ ବାକ୍ୟ ପରଶଂସି ॥ ୬୧
- ନାରାୟଣ ଉବାଚ
ଶୁଣ ନାରଦ ଶୁଦ୍ଧଚେତା । ଜନଲୋକ ସମ୍ବାଦ କଥା ॥ ୬୨
ବ୍ରହ୍ମା ମନରୁ ଜାତ ହୋଇ । ସନକ ଆଦି ଚାରିଭାଇ ॥ ୬୩
ଯୋଗ ସାଧନେ ଉର୍ଦ୍ଧ୍ୱରେତା । ବ୍ରହ୍ମବିଚାରେ ସେ ବକତା ॥ ୬୪
ସମାନ ବୁଦ୍ଧି ଚାରିଭାଇ । ଶ୍ରୋତା ବକତା ହୋଇ ତହିଁ ॥ ୬୫
ତାହାଙ୍କ ମଧ୍ୟେ ବିଚାରଣ । ଯେ ବ୍ରହ୍ମ ପରମକାରଣ ॥ ୬୬
ସେ ବ୍ରହ୍ମବିଚାର ସୂଚକେ । ତୁମ୍ଭେ ନ ଥିଲ ଜନଲୋକେ ॥ ୬୭
ଅଗାଧ ଜଳେ ଶ୍ୱେତଦୀପେ । ବିଷ୍ଣୁ ଶୟନ ମହାସର୍ପେ ॥ ୬୮
ଦେଖିବା ପାଇଁ ତୁମ୍ଭେ ଗଲ । ସେ ଘେନି ସେ ଲୋକେ ନଥିଲ ॥ ୬୯
ତୁମ୍ଭ ଗଲାରେ ପ୍ରଶ୍ନ ହୋଇ । ଶୁଣିଲି ଜନଲୋକ ମୁହିଁ ॥ ୭୦
- ନାରଦ ଉବାଚ
ମୁନି ବୋଲନ୍ତି ନାରାୟଣ । ଗହନ ବ୍ରହ୍ମ ବିଚାରଣ ॥ ୭୧
ମନ ବଚନେ ନୋହେ ଧରି । ବେଦ କି ପାରେ ଅନ୍ତଃ କରି ॥ ୭୨
ସମାନଜ୍ଞାନୀ ଚାରିମୁନି । ଶ୍ରୋତା ବକତା ଭାବ ଘେନି ॥ ୭୩
ବ୍ରହ୍ମ ସମ୍ବାଦ କଲେ ଯାହା । ଭୋ ନାଥ ମୋତେ କହ ତାହା ॥ ୭୪
- ନାରାୟଣ ଉବାଚ
କହନ୍ତି ପ୍ରଭୁ ନାରାୟଣ । ନାରଦ ସାବଧାନେ ଶୁଣ ॥ ୭୫
ବ୍ରହ୍ମାର ସେ ଚାରି କୁମର । ମହାମହିମା ତାହାଙ୍କର ॥ ୭୬
ସନନ୍ଦ ମୁନି ମୁଖ ଚାହିଁ । ବ୍ରହ୍ମ ପୁଚ୍ଛିଲେ ତିନିଭାଇ ॥ ୭୭
ମୁନିଏ ବାଳଖିଲ୍ୟା ଆଦି । ଅନେକ ଥିଲେ ବ୍ରହ୍ମବାଦୀ ॥ ୭୮
ସନନ୍ଦ କହେ ଶୁଦ୍ଧମନେ । ବ୍ରାହ୍ମଣେ ଶୁଣ ସାବଧାନେ ॥ ୭୯
ପୁରାଣ ପୁରୁଷ ମୁରାରି । ମାୟାର ବଳେ ସୃଷ୍ଟି କରି ॥ ୮୦
ପାଳନ ଧର୍ମରୂପେ କଲା । ପୁଣି ପ୍ରଳୟେ ସଂହାରିଲା ॥ ୮୧
ସେ ମାୟା ନିଜ ଦେହେ ଧରି । ଜଳ ଶୟନେ ନରହରି ॥ ୮୨
ବିଷ୍ଣୁ ରଜନୀ ପ୍ରକାଶିଲା । କେ ଜାଣେ କେତେଗାଳ ଗଲା ॥ ୮୩
ପ୍ରବୋଧ କାଳେ ସେ ପୁରୁଷ । ଅଳସେ ଛାଡିଲା ନିଶ୍ୱାସ ॥ ୮୪
ଶୁଭିଲା ପ୍ରଚଣ୍ତ ଶବଦ । ତହୁଁ ଜନ୍ମିଲେ ତିନି ବେଦ ॥ ୮୫
ଦୁର୍ଗମ ଅନ୍ଧକାର ଦେଖି । ଭୟେ ବୁଜିଲେ ବେନିଆଖି ॥ ୮୬
ବିଷ୍ଣୁର ତେଜ ସେ ବହନ୍ତି । ବିଷ୍ଣୁ ଭେଟିଲେ ଯିବ ଭ୍ରାନ୍ତି ॥ ୮୭
ଏତେ ବିଚାର ମନେ ଘେନି । ସ୍ତୁତି କରନ୍ତି ବେଦ ତିନି ॥ ୮୮
ମାଗଧେ ରଜନୀର ଅନ୍ତେ । ରାଜାଙ୍କୁ ଡାକନ୍ତି ଯେମନ୍ତେ ॥ ୮୯
- ବେଦଗଣ ଉବାଚ
ପ୍ରଥମେ ଜୟ ଜୟ ସ୍ତୁତି । ନିର୍ଗୁଣ ନିଗମେ ବୋଲନ୍ତି ॥ ୯୦
ଜୟ ଅଜିତ ଆଦିକନ୍ଦ ଆଦିକନ୍ଦ । ନିର୍ଲେପ ପରମ ଆନନ୍ଦ ॥ ୯୧
ଜୟ ମଙ୍ଗଳ ଜଗନ୍ନାଥ । ଏ ଜୀବ ତୋର ତହୁଁ ଜାତ ॥ ୯୨
ସ୍ଥାବର ଆଦି ଚାରି ମୂଳେ । ବନ୍ଧନ ବାସନାର ବଳେ ॥ ୯୩
ତୋର ମାୟାରେ ଭ୍ରମ ପାଇ । ନାନା ଯୋନିରେ ଜାତ ହୋଇ ॥ ୯୪
ଭ୍ରମନ୍ତି ତୋ ଭାବ ନ ପାଇ । ତାହାଙ୍କ ମାୟା ଛେଦ ତୁହି ॥ ୯୫
ସେ ମାୟା ପ୍ରକାଶିବୁ କେତେ । ଗୁଣ ଯେ ଭଜେ ଦୋଷ ଅର୍ଥେ ॥ ୯୬
ତୁ ଆତ୍ମାଗୁଣେ ନରହରି । ଅଷ୍ଟମ ନିଧି ଯୋଗଧାରୀ ॥ ୯୭
ଉପାଧି ଭେଦେ ନୋହୁଁ ସଙ୍ଗ । ସଲିଳେ ଯେସନେ ତରଙ୍ଗ ॥ ୯୮
ପରମ ଆତ୍ମା ରୂପେ ବସୁ । ଜୀବର ଶକ୍ତି ତୁ ପ୍ରକାଶୁ ॥ ୯୯
ତୋ ମାୟା ତରିବାର ଆଶେ । ବୈରାଗ ଜ୍ଞାନ ସେ ଅଭ୍ୟାସେ ॥ ୧୦୦
ନାନାପ୍ରକାରେ ବୁଦ୍ଧି କରି । ତୋ ମାୟା ନ ପାରନ୍ତି ତରି ॥ ୧୦୧
ଏଣୁ ଜୀବର ଘୋର ମାୟା । ତୁଟଇ ଯାକୁ କରୁ ଦୟା ॥ ୧୦୨
ଅନାଦିମାୟା ସୃଷ୍ଟି କାଳେ । ତୁ ସେ ମାୟାର ସଙ୍ଗମେଳେ ॥ ୧୦୩
ଜୀବ ପରମ ରୂପ ଧରି । ତୋହର କ୍ରୀଡା ନରହରି ॥ ୧୦୪
ଅନନ୍ତ ଶକ୍ତି ତୋର ମାୟା । କେ ଜାଣିପାରେ ନାଥ ତାହା ॥ ୧୦୫
ଆଦି ଅନ୍ତ ନାହିଁ ତୋହର । ଏ ଘେନି କେ କରୁ ଗୋଚର ॥ ୧୦୬
ଦ୍ୱିତୀୟେ ବୃହଦୁପଲବ୍ଧ । ଭାବେ ବୋଲନ୍ତି ତିନି ବେଦ ॥ ୧୦୭
ତୁ ନାଥ ପରମଆନନ୍ଦ । ସଂସାର ମୂଳ ଆଦିକନ୍ଦ ॥ ୧୦୮
ତୁ ବୋଲୁ ବେଦ ଯେ ଅନାଦି । ସର୍ବ ପାରନ୍ତି ଏ ସମ୍ପାଦି ॥ ୧୦୯
ବାସବ ଆଦି ଦେବଗଣ । ଏ ଦେବେ ଯଜ୍ଞରେ ବରଣ ॥ ୧୧୦
କର୍ମ କରଣ ଶୁଭାଶୁଭ । ମୋକ୍ଷାଦି ଦିଅନ୍ତି ଏ ସର୍ବ ॥ ୧୧୧
ତହିଁ କି କହିବୁ ତୋ ଆଗେ । ପବନ ଯୋଗେ ଜଳବିମ୍ବେ ॥ ୧୧୨
କରିବା ଯେତେ ଅନୁମାନ । ଜଳୁ ସେ ନୁହନ୍ତି ତା ଭିନ୍ନ ॥ ୧୧୩
ତୁ ସର୍ବମୟ ନିରାକାର । ଅଶେଷ ଶେଷ ନାହିଁ ତୋର ॥ ୧୧୪
ସୃଷ୍ଟି ସମ୍ବୂତ ତୋର ତହୁଁ । ତୁ ବ୍ରହ୍ମ ବିକାର ଯେ ନୋହୁ ॥ ୧୧୫
ଘଟାଦି ମୃତ୍ତିକା ଯେସନେ । ଉଦୟ ଅସ୍ତ ଅନୁମାନେ ॥ ୧୧୬
ବାସବ ଆଦି ଏ ଜଗତେ । ତୋହର ସଞ୍ଚିଲା ଜଗତେ ॥ ୧୧୭
ଏ ଘେନି ଋଷିଗଣ ଯେତେ । ମନବଚନ ଦେଇ ତୋତେ ॥ ୧୧୮
ସମର୍ପି ତୋ ପାଦ କମଳେ । ତୋ ମାୟା ନିସ୍ତରନ୍ତି ହେଳେ ॥ ୧୧୯
ଦିଗପାଳଙ୍କ ପୂଜା ଘେନି । ଯଜ୍ଞେ କି ନ ତରିବେ ମୁନି ॥ ୧୨୦
କାଷ୍ଠ ତୃଣ ଅବା ପାଷାଣ । ଏଣେ ଯେ ଚାଳନ୍ତି ଚରଣ ॥ ୧୨୧
ବାଳକ ଦୃଷ୍ଟି ଦିଶେ ଭ୍ରାନ୍ତି । ଜାଣିଲେ ଭୂମିରେ ସେ ଥାନ୍ତି ॥ ୧୨୨
ତୃତୀୟେ ଇତି ବେଦେ ବାଣୀ । ଭାବେ ବୋଲନ୍ତି ପରିମାଣି ॥ ୧୨୩
ତ୍ରି ଅଧପତି ତୋର ନାମ । କହିବୁଁ ଶୁଣ ସାବଧାନ ॥ ୧୨୪
ତ୍ରିଗୁଣ ମାୟାଯନ୍ତ୍ର କରି । ମୃଗୀ ନଚାଉ ନରହରି ॥ ୧୨୫
ଏଣୁ ତୋ ତ୍ରିଅଧିପ ନାମ । ଶୁଣ କହିବୁଁ ଗୁଣ ଗ୍ରାମ ॥ ୧୨୬
ଆଦ୍ୟେ ଯେ ମୃଗ ଅନ୍ୱେଷଣ । ତାହାର ଅର୍ଥଟି ଭ୍ରମଣ ॥ ୧୨୭
ସେ ଭ୍ରମ ଅଛି ଯାର ତହିଁ । ଏ ଘେନି ମୃଗୀ ସେ ବୋଲାଇ ॥ ୧୨୮
ଅଶେଷ ଯୋନି ମଧ୍ୟେ ଥାଇ । ଜୀବ ଭ୍ରମଇ ଦେହ ବହି ॥ ୧୨୯
ଏଣୁ ଏ ଜୀବ ମୃଗୀ ନାମ । ଯେଣୁ ନିରତେ ତାର ଭ୍ରମ ॥ ୧୩୦
ତ୍ରିଗୁଣ ସତ୍ତ୍ୱ ରଜ ତମ । ଏମନ୍ତ ଯନ୍ତ୍ର ଅନୁମାନ ॥ ୧୩୧
ନାନା ବିଷୟ ବିଦ୍ୟମାନେ । ଜୀବ ନାଚଇ ସାବଧାନେ ॥ ୧୩୨
ଏଣୁ ତ୍ରିଅଧିପ ବୋଲାଉ । ଯେ ଯନ୍ତ୍ରେ ଜୀବକୁ ନଚାଉ ॥ ୧୩୩
ଏମନ୍ତେ ବେଦ ଅନୁମାନି । ପୁଣି ବୋଲନ୍ତି ଭାବ ଘେନି ॥ ୧୩୪
ସଂସାରେ ସୁପଣ୍ତିତ ପ୍ରାଣୀ । ତୋ ଅନୁମାନେ ତୋତେ ଜାଣି ॥ ୧୩୫
ତୋ କଥା ଅମୃତ ସାଗର । ଅଶେଷ ପାପ ଯହିଁ ଦୂର ॥ ୧୩୬
ସେ ଜଳେ ମନ ବୁଡାଇଲେ । ନଲାଗେ ତାପତ୍ରୟ ଭଲେ ॥ ୧୩୭
ତୋ ନାମ ମହିମା ଏମନ୍ତ । ତୋ ରୂପ କେ କରିବ ଅନ୍ତ ॥ ୧୩୮
ଯୋଗୀଏ ବସି ଯୋଗାସନେ । ଅଖଣ୍ତାନନ୍ଦ ରୂପ ଧ୍ୟାନେ ॥ ୧୩୯
ଅନ୍ତଃ କରଣେ ତାହା ଧରି । ତେଜି କାମାଦି ଷଡ ଅରି ॥ ୧୪୦
ଗର୍ଭ ଜନ୍ମ ବାଳ କିଶୋର । ତରୁଣ ବୃଦ୍ଧ ଦେହାନ୍ତର ॥ ୧୪୧
ଏ ସପ୍ତଦଶା ଜିଣି କରି । ମାୟା ସଂସାର ଯାନ୍ତି ତରି ॥ ୧୪୨
ଚତୁର୍ଥେ ଈଶ୍ୱରର ସ୍ତୁତି । ନିର୍ମଳ ନିଗମେ ବୋଲନ୍ତି ॥ ୧୪୩
ଭୋ ନାଥ କମ୍ବୁଚକ୍ରପାଣି । ତୋତେ ଯେ ନ ଭଜନ୍ତି ପ୍ରାଣୀ ॥ ୧୪୪
ଶରୀର ବହି ଏ ଶୟଳେ । ପ୍ରାଣ ତରନ୍ତି ସୁଖ ଭୋଳେ ॥ ୧୪୫
ତାଙ୍କ ଜୀବନ ଅକାରଣ । ଭୋ ନାଥ ଶୁଣ ନାରାୟଣ ॥ ୧୪୬
କର୍ମକାରକ ଯନ୍ତ୍ର ବଳେ । ଭାତିଏ ଗର୍ଜୁଥାନ୍ତି ଶାଳେ ॥ ୧୪୭
ଛାଡିଲେ ନଥାଇ ପବନ । ତେମନ୍ତ ତାହାଙ୍କ ଜୀବନ ॥ ୧୪୮
ମହତ ଅହଙ୍କାର ମନ । ଗଗନ ଆବର ପବନ ॥ ୧୪୯
ଜଳ ଅନଳ ସଙ୍ଗେ ମହୀ । ତୋ ଅନୁଗ୍ରହେ ଜଡ ହୋଇ ॥ ୧୫୦
ବ୍ରହ୍ମାଣ୍ତ ହୋଏ ଦେହଧାରୀ । ତୁ ନାଥ ଜୀବରୂପ ଧରି ॥ ୧୫୧
ପଞ୍ଚଶରୀରେ ତୋର ବାସ । ଯାହାକୁ ବୋଲି ପଞ୍ଚକୋଷ ॥ ୧୫୨
ଅନ୍ନ ଯେ ପ୍ରାଣ ଆର ମନ । ବିଜ୍ଞାନ ଆନନ୍ଦ ଏ ନାମ ॥ ୧୫୩
ଏ ପଞ୍ଚପୁରେ ତୁ ଯେ ପଶି । ଜ୍ୟୋତିସ୍ୱରୂପ ପରକାଶି ॥ ୧୫୪
ଏହାଙ୍କୁ ତୁଲେ ଲଗ୍ନ ନୋହୁ । ଯେଣୁ ନିର୍ଲେପ ରୂପ ବହୁ ॥ ୧୫୫
ଏଣୁ ତୋ ଚରଣ କମଳେ । ଯେ ନ ଭଜନ୍ତି ସୁଖଭୋଳେ ॥ ୧୫୬
ତୁ ନାଥ ତାହାଙ୍କୁ ଦୁର୍ଲ୍ଲଭ । ସେ ପ୍ରାଣୀ ଲଭେ ପରାଭାବ ॥ ୧୫୭
ଉଦର ପଞ୍ଚମରେ ସ୍ତୁତି । ବେଦେ ବାସୁଦେବ ବୋଲନ୍ତି ॥ ୧୫୮
ଶୁଣ ହେ ପରମ କାରଣ । ଋଷିଙ୍କ ମାର୍ଗ ବିଚାରଣ ॥ ୧୫୯
ସ୍ଥୂଳ ଦୃଷ୍ଟିରେ ତୋତେ ଚିନ୍ତି । ସୂକ୍ଷ୍ମ ସ୍ୱରୂପ ନ ଜାଣନ୍ତି ॥ ୧୬୦
ଗୁରୁଙ୍କ ଉପଦେଶ ଶୁଣି । ଉଦରେ ବ୍ରହ୍ମ ପରିମାଣି ॥ ୧୬୧
କୁମ୍ଭକ କର୍ମେ ବାୟୁ ପୁରି । ନାଭିଚକ୍ରକୁ ଧ୍ୟାନ କରି ॥ ୧୬୨
ଉଦର ଚକ୍ରେ ଦୃଷ୍ଟିସ୍ଥିରେ । ଚିନ୍ତତି ପବନ ନିଶ୍ଚଳେ ॥ ୧୬୩
ଚକ୍ର ପବନେ ସୂକ୍ଷ୍ମ ରେଣୁ । ନୟନେ ଆଚ୍ଛାଦଇ ତେଣୁ ॥ ୧୬୪
ତାହାକୁ ଅନ୍ଧ ବୋଲି ଜାଣି । ସେ ତୋତେ କାହିଁ ପରିମାଣି ॥ ୧୬୫
ସେ ନାଭିଚକ୍ର ଉର୍ଦ୍ଧ୍ୱଗତେ । ଦଶ ଅଙ୍ଗୁଳି ପରିମିତେ ॥ ୧୬୬
ସହସ୍ର ସଂଖ୍ୟା ଦ୍ୱିସପ୍ତତି । ନାଡୀଏ ଅଧ ଉର୍ଦ୍ଧ୍ୱେଛନ୍ତି ॥ ୧୬୭
ଏହାଙ୍କ ଦେହେ ପ୍ରାଣ ବହେ । ଦେହ ଆବୋରି ବସ୍ତ୍ର ପ୍ରାୟେ ॥ ୧୬୮
ଏ ନାଡୀମାନଙ୍କର ମୂଳ । ନାମ ତା ହୃଦୟ କମଳ ॥ ୧୬୯
ଆରୁଣି ବଂଶେ ଯେତେ ମୁନି । ତାହାଙ୍କ ଗୁରୁ ଶିକ୍ଷା ଘେନି ॥ ୧୭୦
ସେ ତୋତେ ସୂକ୍ଷ୍ମରୂପେ ଚିନ୍ତି । ହୃଦୟେ ଧ୍ୟାନ ସେ କରନ୍ତି ॥ ୧୭୧
ଭୋ ନାଥ ସୂକ୍ଷ୍ମର ମହିମା । ଆମ୍ଭେ କରିବୁ ଗୁଣ ସୀମା ॥ ୧୭୨
ତୀକ୍ଷ୍ମ ଶସ୍ତ୍ରରେ ବାଳ ଅଗ୍ର । ଚିରି କରିବ ଦଶଭାଗ ॥ ୧୭୩
ତାହାକୁ ପୁଣି ସହସ୍ରକେ । ଚିରି ଗଣିବ ଏକେ ଏକେ ॥ ୧୭୪
ତହିଁର ଏକ ଭାଗ ସମ । ସୂକ୍ଷ୍ମ ବୋଲାଇ ତାର ନାମ ॥ ୧୭୫
ତହିଁ ଯାହାର ମନ ରହେ । ତା ତହୁଁ ଅଧିକ ବୋଲାଏ ॥ ୧୭୬
ଏ ଦୁଇ ଚକ୍ର ଭେଦ କଲେ । ସୁଷୁମ୍ନା ରନ୍ଧ୍ରେ ଯୋଗବଳେ ॥ ୧୭୭
ମୃଣାଳସୂତ୍ର ରନ୍ଧ୍ର ପଥେ । ମନ ପବନ ଉର୍ଦ୍ଧ୍ୱଗତେ ॥ ୧୭୮
ଶିର କମଳେ ଯେବେ ମିଶେ । ତୋ ରୂପ ତାହାକୁ ପ୍ରକାଶେ ॥ ୧୭୯
ଛାଡଇ ଭବ ଭୟ ଭ୍ରାନ୍ତି । ସେ ଯମ ମୁଖେ ନ ପଡନ୍ତି ॥ ୧୮୦
ସ୍ୱକୃତ ବିଚିତ୍ର ସଷ୍ଟମ । ବେଦେ ବୋଲନ୍ତି ଗୁଣଗ୍ରାମ ॥ ୧୮୧
ତୋର ସଞ୍ଚିଲା ନାନା ଯୋନି । ତୁ ତହିଁ ଜୀବରୂପ ଘେନି ॥ ୧୮୨
ବାସନା ବଳେ ଉଚ୍ଚ ନୀଚ୍ଚ । ଏଣୁ ଟି ତୋ ରୂପ ପ୍ରପଞ୍ଚ ॥ ୧୮୩
ଅଣୁ ପ୍ରମାଣେ ସୂକ୍ଷ୍ମ ସ୍ଥୂଳେ । ରୂପ ପ୍ରକାଶୁ ମାୟା ବଳେ ॥ ୧୮୪
କାଷ୍ଠ ପ୍ରମାଣେ ଅଗ୍ନି ଯେହ୍ନେ । ଜ୍ୟୋତି ପ୍ରକାଶେ ସ୍ଥୂଳେ ଶୂନ୍ୟେ ॥ ୧୮୫
ଏ ନାନା ଜ୍ୟୋତି ଯେତେବେଳେ । ବିନାଶ ହୋନ୍ତି କର୍ମ ବଳେ ॥ ୧୮୬
ତୁ ଏକା ରହୁ ଅବସାନେ । ଘଟ ବିନାଶେ ଚନ୍ଦ୍ର ଯେହ୍ନେ ॥ ୧୮୭
ଏମନ୍ତ କରି ଅନୁମାନ । ଯାର ପ୍ରକାଶେ ଦିବ୍ୟଜ୍ଞାନ ॥ ୧୮୮
ଚୈତନ୍ୟ ସତ୍ୟ ତାହାଙ୍କର । ସେ ତୋତେ କରନ୍ତି ବିଚାର ॥ ୧୮୯
ତୋର ବିହାର ଆତ୍ମ ସୁଖେ । ପ୍ରକାଶ ଇହ ପରଲୋକେ ॥ ୧୯୦
ମିଥ୍ୟା ପ୍ରକାଶ ଏହା ଜାଣି । ଆତ୍ମାସ୍ୱରୂପ ପରିମାଣି ॥ ୧୯୧
ଏ ସର୍ବ ଛାଡି ତୋ ଶରଣେ । ପଶନ୍ତି ଅଭୟ ଚରଣେ ॥ ୧୯୨
ତୋ ରୂପ ଏକରସେ ରସି । ପରମ କ୍ଷେମ ଧାମେ ମିଶି ॥ ୧୯୩
ସ୍ୱକୃତ ସ୍ତୁତି ସପତମେ । ବିଷ୍ଣୁଙ୍କୁ ବୋଲନ୍ତି ନିଗମେ ॥ ୧୯୪
ଅନନ୍ତ ପ୍ରଭୁ ହେ ଅଚ୍ୟୁତ । ତୋର ସଂଚିଲା ଏ ଜଗତ ॥ ୧୯୫
ମାୟାରେ ଭିଆଇ ବ୍ରହ୍ମାଣ୍ତ । ଅଶେଷ ରୂପେ କରୁ ପିଣ୍ତ ॥ ୧୯୬
ପୁଣି ଏ ପ୍ରପଞ୍ଚେ ପ୍ରକାଶ । ବାସନା ଅନ୍ତେ ହୋଇ ନାଶ ॥ ୧୯୭
କର୍ମ ନଥିଲେ ଜୀବ କାହୁଁ । ତୁହି ସେ ଅବଶେଷେ ରହୁ ॥ ୧୯୮
ପ୍ରାଣୀର ବାହ୍ୟ ଅନ୍ତେ ଥାଉ । ସ୍ୱଭାବେ ପଞ୍ଚକୋଷ ବହୁ ॥ ୧୯୯
ଘଟକୁ ଥୋଇ ଯେହ୍ନେ ନୀର । ପୁରଇ ଭିତର ବାହାର ॥ ୨୦୦
ଅଶେଷ ଦେହେ ନାରାୟଣ । ଏ ପିଣ୍ତ ତୋହର ଭିଆଣ ॥ ୨୦୧
ଏ ପିଣ୍ତ ବାହ୍ୟ ଅଭ୍ୟନ୍ତରେ । ତୋ ତହୁଁ କେ ଅଛି ଅପରେ ॥ ୨୦୨
ସ୍ୱକର୍ମେ ଯେତେ ଦେହ ଜାତ । ତୋ ଅଂଶ ତାର ମଧ୍ୟଗତ ॥ ୨୦୩
କର୍ମରେ ଯେ ଫଳ ଉପୁଜେ । ତୋ ଅଂଶ ଦେହ ମଧ୍ୟେ ଭୁଞ୍ଜେ ॥ ୨୦୪
ଜୀବର ଏହି ଗତି ଜାଣି । ତୋ ପାଦେ ଭଜନ୍ତି ଯେ ପ୍ରାଣୀ ॥ ୨୦୫
ଜୀବର ବଳ ଅଳ୍ପ ପ୍ରାୟେ । ସକଳ ଶକ୍ତି ତୋର ପ୍ରାୟେ ॥ ୨୦୬
ତେଣୁ ସକଳ ତ୍ୟାଗ କରି । ତୋ ପାଦ ଚିନ୍ତେ ବ୍ରହ୍ମଚାରୀ ॥ ୨୦୭
ବେଦରୁ ଯେତେ କର୍ମ ଫଳେ । ସେ ଥାନ୍ତି ତୋ ଚରଣ ତଳେ ॥ ୨୦୮
ଏଣୁ ତୋ ପାଦେ ଯାର ଆଶ । ନ ଲାଗେ ଭବ-ବନ୍ଧ-ପ୍ରାସ ॥ ୨୦୯
ବେଦଙ୍କ ସ୍ତୁତି ଯେ ଅଷ୍ଟମ । ବୋଲନ୍ତି ଯେ ଦୁରବଗମ ॥ ୨୧୦
କେହି ତା ତତ୍ତ୍ୱ ନ ଜାଣଇ । ତାହା ତୁ ଜଣାଇବା ପାଇଁ ॥ ୨୧୧
ନାନା ଯୋନିରେ ରୂପ ତୋର । ତୁ ଏକ ବାହାର ଭିତର ॥ ୨୧୨
ଅମୃତସିନ୍ଧୁ ତୋର ନାମ । ଅବଗାହନେ ନାଶେ ଶ୍ରମ ॥ ୨୧୩
ପରମଜ୍ଞାନୀ ତାହା ଜାଣି । ତୋ ନାମ ଜଳେ ପରମାଣି ॥ ୨୧୪
ନିରେତ ଅବଗାହ କରି । ଶ୍ରମ ଛାଡନ୍ତି ନାମ ଧରି ॥ ୨୧୫
ସଂସାର ମତେ ବେଦ ଧର୍ମ । ସାଧି ଲଭନ୍ତି ପ୍ରାଣୀ ଶ୍ରମ ॥ ୨୧୬
ତୋ ନାମ ସୁଧାଜଳେ ବୁଡି । ଜ୍ଞାନ ସାଧନା ଶ୍ରମ ଛାଡି ॥ ୨୧୭
ମୋକ୍ଷକୁ ନ କରି ସେ ଇଚ୍ଛା । ତୋ ନାମ ତତ୍ତ୍ୱେ କରି ଦୀକ୍ଷା ॥ ୨୧୮
ତୋ ନାମ ସ୍ୱର୍ଗ-ଅପବର୍ଗ । ତେଣୁ ଛାଡିଲେ ଜ୍ଞାନମାର୍ଗ ॥ ୨୧୯
ଭକ୍ତିରେ ତୋ ନାମ ଆବୋରି । ବେଗେ ତରିଲେ ଭବବାରି ॥ ୨୨୦
ତୋ ନାମ ସୁଧା ସିନ୍ଧୁଜଳେ । ହଂସର ପ୍ରାୟ ଜ୍ଞାନୀ ଭୋଳେ ॥ ୨୨୧
ବୁଡି ଉଠନ୍ତି ପୁଣ ପୁଣି । ତୋ ନାମ ଉଚ୍ଚସ୍ୱରେ ଭଣି ॥ ୨୨୨
ନିତ୍ୟେ ସୁମରି ତୋ ଚରଣ । ତାହାଙ୍କୁ ନ ଲାଗେ ମରଣ ॥ ୨୨୩
ସଂସାର ଛାଡି ସୁଖଭୋଳେ । ଯେ ତାଇ ତାଙ୍କ ସଙ୍ଗ ମେଳେ ॥ ୨୨୪
ତୋତେ ଜାଣନ୍ତି ସତସଙ୍ଗେ । ନ ଲାଗେ ଭବଦୁଃଖ ଅଙ୍ଗେ ॥ ୨୨୫
ତ୍ୱପନୁପଥ ଯେ ନବମ । କୃଷ୍ଣଙ୍କୁ ବୋଲନ୍ତି ନିଗମ ॥ ୨୨୬
ଶୁଣ ହେ କମଳାର ବର । ଯେତେ ଏ ଜନ୍ତୁଙ୍କ ଶରୀର ॥ ୨୨୭
ତୋହର ଅନୁପଥ ଏହି । ଯେଣୁ ଏହାଙ୍କ ପଥେ ତୁହି ॥ ୨୨୮
ଜୀବ ପରମ ରୂପ ଧରି । ତୋ ଭୋଗ କ୍ରୀଡା ଅନୁସରି ॥ ୨୨୯
ଏଣୁ ତୋ ଅନୁପଥ ଏହି । କୁଲାୟ ନାମ ଏ ବୋଲାଇ ॥ ୨୩୦
ତୁ ନୋହୁ ଲଗ୍ନ ଏ ଶରୀରେ । ନଳିନୀ ଥାଇ ଯେହ୍ନେ ନୀରେ ॥ ୨୩୧
ତୋର ମହିମା ଯେ ନ ଜାଣି । ଦେହକୁ ସତ୍ୟ ପ୍ରାୟ ମଣି ॥ ୨୩୨
ପ୍ରିୟ ସୁହୃଦ ବନ୍ଧୁ ପ୍ରାୟେ । ପ୍ରୀତି କରନ୍ତି ମୃତ ଦେହେ ॥ ୨୩୩
ତୋତେ ନ ଭଜେ ସୁଖଭୋଳେ । ବାଳକ ଯେହ୍ନେ ମାତା କୋଳେ ॥ ୨୩୪
ମାତାର ପ୍ରାୟ ହିତ ତୁହି । ଅଜ୍ଞାନ ତୋତେ ନ ଜାଣଇ ॥ ୨୩୫
ତୁ ଆତ୍ମାହିତ ପ୍ରିୟବନ୍ଧୁ । ନିର୍ବାଣଦାତା ସୁଖସିନ୍ଧୁ ॥ ୨୩୬
ଏ ବୀପରୀତ କିବା କହି । ଦେହ ଘେନିଣ ଭ୍ରମେ ମହୀ ॥ ୨୩୭
ଦେହକୁ ମଣିଥାଇ ସତ୍ୟ । ଅନିତ୍ୟ ଜଳବିମ୍ବ ବତ ॥ ୨୩୮
ଏଣେ ଯାହାର ପ୍ରୀତି ହୋଇ । ଅସାଧୁଜନ ମଧ୍ୟେ ସେହି ॥ ୨୩୯
ଉତ୍ତମ ନାବ ଥାଉଁ କୂଳେ । ସେ ଯେ ନ ତରେ ଭବଜଳେ ॥ ୨୪୦
କୁଦେହ ଘେନି ଭବେ ଭ୍ରମି । ଜନ୍ମ ମରଣ ପଥେ ଶ୍ରମି ॥ ୨୪୧
ତାହାକୁ ବୋଲି ଆତ୍ମାହତ । ନିଷ୍ଫଳ ତାହାଙ୍କ ଜୀବନ ॥ ୨୪୨
ନିଭୃତ ମରୁତ୍ ଦଶ ସ୍ତୁତି । ନିଗମେ ନିର୍ଭରେ ବୋଲନ୍ତି ॥ ୨୪୩
ଅଷ୍ଟାଙ୍ଗଯୋଗେ ମୁନିଜନେ । ବସି ନିର୍ଜନ ଘୋର ବନେ ॥ ୨୪୪
ଇନ୍ଦ୍ରିୟଗଣ କରି ବନ୍ଦୀ । ମନ ପବନ ହୃଦେ ଛନ୍ଦି ॥ ୨୪୫
ଯାହା ଲଭିବା ଅର୍ଥେ ଚିତ୍ତେ । ଚିନ୍ତା କରନ୍ତି ଅବିରତେ ॥ ୨୪୬
ଯେ ତୋତେ ଶତ୍ରୁପଣେ ଚିନ୍ତି । ସେ ପୁଣି ତୋ ଦେହେ ପଶନ୍ତି ॥ ୨୪୭
ଭୋ ନାଥ ତୋର ଯେତେ ଗଣ । ଆଉ କହିବୁଁ କିଛି ଶୁଣ ॥ ୨୪୮
ଗୋପନଗରେ ନାରୀଜନେ । କୁବୁଜୀ ଆଦି ମଧୁବନେ ॥ ୨୪୯
ସେ ତୋରେ ପରିଗ୍ରହ ହୋଇ । ଚୁମ୍ବନ ଆଲିଙ୍ଗନ ଦେଇ ॥ ୨୫୦
ଭୋ ନାଥ ତୋର ବେନିକର । ଉରଗଇନ୍ଦ୍ର ପଟାନ୍ତର ॥ ୨୫୧
ସେ ଭୁଜେ ଆଲିଙ୍ଗନ ପାଇ । ମନ ବଚନ ତୋତେ ଦେଇ ॥ ୨୫୨
କାମିନୀ ରୂପେ ଭାବବୋଳେ । ସେ ତୋତେ ଭଜିଲେ ନିଶ୍ଚଳେ ॥ ୨୫୩
ଆମ୍ଭେ ସକଳ ବେଦବୃନ୍ଦେ । ଭାବେ ପଶିବୁଁ ସେହି ପାଦେ ॥ ୨୫୪
ଯେଣୁ ତୋ ରିପୁ ମିତ୍ର ନାହିଁ । ସମଦରଶୀ ତେଣୁ ତୁହି ॥ ୨୫୫
ପ୍ରପଞ୍ଚେ ଉଚ୍ଚ ନୀଚ ଯୋନି । ତୁ ବହୁ ଲୀଳାଭାବ ଘେନି ॥ ୨୫୬
ଏ ଯେ ତୋହର ପଦ୍ମପାଦ । ସ୍ରବଇ ସୁଧାମକରନ୍ଦ ॥ ୨୫୭
ସେ ପାଦେ ଆମ୍ଭ ବୁଦ୍ଧି ମତି । ପ୍ରେମ ଭକ୍ତିରେ ଭଜୁ ନିଜି ॥ ୨୫୮
କ ଇହ ଏକାଦଶ ବାଣୀ । ବେଦେ ବୋଲନ୍ତି ପରିମାଣି ॥ ୨୫୯
ତୁ ନାଥ କରୁଣାଜଳଧି । ସର୍ବବିଷୟ ପୂର୍ବସିଦ୍ଧି ॥ ୨୬୦
ତୋ ତହୁଁ ସୃଷ୍ଟି ଆଦିକାଳେ । ପ୍ରାଣୀ ଉପୁଜେ ମାୟାବଳେ ॥ ୨୬୧
ଉପୁଜି ପ୍ରଳୟ ହୁଅନ୍ତି । ଏ ଘେନି ତୋତେ ନ ଜାଣନ୍ତି ॥ ୨୬୨
ତୋହର ନାହିଁ ମୋହ ଦ୍ୱନ୍ଦ । ଏଣୁ ବୋଲାଉ ଆଦିକନ୍ଦ ॥ ୨୬୩
ବିଧାତା ଜାତ ତୋର ତହୁଁ । ନିଗମ ଜାତ ଯାର ଦେହୁଁ ॥ ୨୬୪
ତୋ ତହୁଁ ଦେବାସୁର ଜାତ । ତାପତ୍ରୟାଦି ଏ ଜଗତ ॥ ୨୬୫
ବ୍ରହ୍ମା ସୃଷ୍ଟିରେ ଜାତ ଯେତେ । ଏ ଘେନି କେ ଜାଣିବ ତୋତେ ॥ ୨୬୬
ତୋହର ଆଶ୍ରେ ଏ ଜଗତ । ସୃଷ୍ଟି ପ୍ରଳୟ ତୋର ମତ ॥ ୨୬୭
ସୃଷ୍ଟି ସଂହାରି ଯୋଗବଳେ । ଶୟନ କରୁ ମହାଜଳେ ॥ ୨୬୮
ସେ କାଳେ ପ୍ରାଣୀ ଯେବେ ଥାନ୍ତେ । ତୋ ରୂପ ନୟନେ ଦେଖନ୍ତେ ॥ ୨୬୯
ଅବନୀ ଆଦି ପଞ୍ଚଭୂତ । ମହତ ଆଦି ତିନିତତ୍ତ୍ୱ ॥ ୨୭୦
ଅସତ୍ୟ ସତ୍ୟ ଏ ବୋଲାନ୍ତି । ଏ କାହୁଁ ତୋ ରୂପ ଜାଣନ୍ତି ॥ ୨୭୧
ତୋର ମହିମା ଜ୍ଞାନିଜନେ । ଦୁର୍ଲ୍ଲଭ ଗଗନ ଯେସନେ ॥ ୨୭୨
ବ୍ରହ୍ମବିଚାରି ଶାସ୍ତ୍ରଭାବେ । ବେଦ ବିଚାରି ତୋର ଲାଭେ ॥ ୨୭୩
ସକଳେ ଯାନ୍ତି ଉପହାସେ । ଭକତ ରହେ ତୋର ପାଶେ ॥ ୨୭୪
ଜନି ଅସତ ଏ ଦ୍ୱାଦଶ । ବେଦେ ବୋଲନ୍ତି ହରିଯଶ ॥ ୨୭୫
ବଇଶେଷିକ ଶାସ୍ତ୍ରପଥ । ତୋତେ ବିଚାରେ ନାମମାତ୍ର ॥ ୨୭୬
ବିନାଶ ଏକବିଂଶ ଦୁଃଖ । ମୋକ୍ଷ ବୋଲନ୍ତି ନୈୟାୟିକ ॥ ୨୭୭
ସତ ଅସତ ମାର୍ଗେ ଚିନ୍ତି । ମିଥ୍ୟା ଏ ଜଗତ ବୋଲନ୍ତି ॥ ୨୭୮
ବ୍ରହ୍ମ ଯେ ବିଦ୍ୟମାନ ସତ୍ୟ । ବିଚାରେ ପାତଞ୍ଜଳି ମତ ॥ ୨୭୯
ସାଂଖ୍ୟଯୋଗୀଙ୍କ ବିଚାରଣା । ଜଗତ ଆତ୍ମକଳପଣା ॥ ୨୮୦
କର୍ମ ବେଭାର ମୀମାଂସକେ । ଜଗତ ସତ୍ୟ ତାଙ୍କ ଲେଖେ ॥ ୨୮୧
ଏ ଭ୍ରାନ୍ତି ଶାସ୍ତ୍ରମାର୍ଗେ ଭ୍ରମି । ବିବାଦେ ହୋନ୍ତି ପରିଶ୍ରମୀ ॥ ୨୮୨
ଭ୍ରମେ ଭ୍ରମନ୍ତି ବହୁଶ୍ରମେ । କାହୁଁ ଜାଣିବେ ନିଜ ଭ୍ରମେ ॥ ୨୮୩
ଯେଣୁ ଏ ଜୀବ ଗୁଣମୟେ । ଏଣୁ ବିଚାର ଭେଦ ରହେ ॥ ୨୮୪
ଅଜ୍ଞାନେ ତୋ ଭେଦ ବିଚାରି । ତୁ ସଙ୍ଗୀ ନୋହୁନା କାହାରି ॥ ୨୮୫
ସଦିବମନ ତ୍ରୟୋଦଶେ । ଶ୍ରୁତି ବୋଲନ୍ତି ହୃଷୀକେଶେ ॥ ୨୮୬
ପ୍ରପଞ୍ଜ ତ୍ରିଗୁଣେ ଜଗତ । ଜାଣିଲେ ନିଶ୍ଚେ ନୋହେ ସତ୍ୟ ॥ ୨୮୭
ମନ ବିଳାସ ମାତ୍ର ଏହି । ଅସତ୍ୟ ସତ୍ୟ ଆଭାସଇ ॥ ୨୮୮
ତୁ ଏଥ ଅଧିପତି ଯେଣୁ । ଆଭାସେ ସତ୍ୟ ପ୍ରାୟ ତେଣୁ ॥ ୨୮୯
ଅସତ୍ୟ ସତ୍ୟ ପ୍ରାୟ ଦିଶି । ଛାୟା ଦର୍ପଣେ ଯେହ୍ନେ ଶଶୀ ॥ ୨୯୦
ଜୀବର ଜନ୍ମ ତୋର ତହିଁ । ବ୍ୟାପିଛୁ ଜଗତକୁ ମୋହି ॥ ୨୯୧
କାରଣ କାର୍ଯ୍ୟ ନୋହେ ଭିନ୍ନ । ଶୁଣ କହିବା ଅନୁମାନ ॥ ୨୯୨
ସୁବର୍ଣ୍ଣେ କାର୍ଯ୍ୟ ଯାର ପଡେ । କୁଣ୍ତଳ ଆଦି କମ ଗଢେ ॥ ୨୯୩
ପୁଣି ଅନଳେ ପାକ କଲେ । ସୁବର୍ଣ୍ଣ ହୋଇ ଏକଠୁଳେ ॥ ୨୯୪
ନାମ ବିକାର ନାଶ ଯାନ୍ତି । ଏଣୁ ଜଗତେ ଭେଦ ଭ୍ରାନ୍ତି ॥ ୨୯୫
ଏ ଘେନି ଶାସ୍ତ୍ର ଅନୁମାନ । ତୋ ତହୁଁ ସୃଷ୍ଟି ନୋହେ ଭିନ୍ନ ॥ ୨୯୬
ଚତୁରଦଶେ ତବପରି । ବେଦେ ବୋଲନ୍ତି ଶୁଣ ହରି ॥ ୨୯୭
ଯେଣୁ ତୋ ସର୍ବଭୂତେ ବାସ । ଏ ଘେନି ପ୍ରାଣୀ ତୋ ବିଶ୍ୱାସ ॥ ୨୯୮
ଏହା ଯେ ଜାଣି ତୋତେ ଭାବେ । ସେ ନ ପଡନ୍ତି ପରାଭବେ ॥ ୨୯୯
ଚରଣ ମୃତ୍ୟୁଶିରେ ଦ୍ୟନ୍ତି । ପରମପଦେ ସେ ପଶନ୍ତି ॥ ୩୦୦
ତୋ ଭାବ ନ ଜାଣନ୍ତି ଯେହୁ । ତରିବେ ଭବସିନ୍ଧୁ କାହୁଁ ॥ ୩୦୧
ପଣ୍ତିତପଣେ ଶାସ୍ତ୍ରବାଦେ । ଭାବ ନକରି ତୋର ପାଦେ ॥ ୩୦୨
ସ୍ୱକର୍ମପାଶେ ପାଦ ଛନ୍ଦି । ବେଦବଚନେ ହୋନ୍ତି ବନ୍ଦୀ ॥ ୩୦୩
ପଶୁପାଳଙ୍କ ଘରେ ଯେହ୍ନେ । ବନ୍ଧନେ ଥାନ୍ତି ପଶୁମାନେ ॥ ୩୦୪
ତେସନ ଏ ଭବବନ୍ଧନେ । ଜୀବ-ବନ୍ଦୀ ବେଦବଚନେ ॥ ୩୦୫
ଏଣୁ ସଂସାରେ ଯେତେ ଜନ୍ତୁ । ତୋ ବାକ୍ୟବନ୍ଧ କରି ହେତୁ ॥ ୩୦୬
ଏ ଘେନି ତୋ ପାଦକମଳେ । ଯେ ଭାବ କରେ ପ୍ରୀତି ଭୋଳେ ॥ ୩୦୭
ସଂସାର ତାରି ସେ ତରନ୍ତି । ମରଣେ ନାହିଁ ତାଙ୍କ ଭ୍ରାନ୍ତି ॥ ୩୦୮
ତୋତେ ନ ଜାଣି ଧର୍ମ ଚିନ୍ତି । ଯଜ୍ଞ ଦାନ ତୀର୍ଥେ ଭଜନ୍ତି ॥ ୩୦୯
ଆତ୍ମାକୁ ନିସ୍ତାରି ନପାରେ । ତା ବୋଲେ ସଂସାର କି ତରେ ॥ ୩୧୦
ତୋର ବିମୁଖ ଶାସ୍ତ୍ରେ ଭ୍ରମି । ଜନ୍ମମରଣେ ପଥଶ୍ରମୀ ॥ ୩୧୧
ତ୍ୱମକରଣ ପଞ୍ଚଦଶେ । ବେଦେ ବୋଲନ୍ତି ଉପଦେଶେ ॥ ୩୧୨
ଭୋ ନାଥ ତୋହର ଜଗତେ । କର୍ମ କରନ୍ତି ପ୍ରାଣୀ ଯେତେ ॥ ୩୧୩
ତୁ ତାହା ନ କରୁ ଗ୍ରହଣ । ଏଣୁ ତୋ ନାମ ଅକାରଣ ॥ ୩୧୪
କର୍ମକରଣ ତୋର ନାହିଁ । ସ୍ୱଭାବେ ନିରଞ୍ଜନ ତୁହି ॥ ୩୧୫
ତଥାପି ସର୍ବ ଜନ୍ତୁ ଦେହେ । ତୋ ଅଂଶ ଅଛି ଜୀବ ପ୍ରାୟେ ॥ ୩୧୬
ପ୍ରାଣୀର ରସନା ଲୋଚନ । ଶ୍ରବଣ ନାସା ଚର୍ମ ଘେନ ॥ ୩୧୭
ଜ୍ଞାନଇନ୍ଦ୍ରିୟ ଏ ବୋଲାନ୍ତି । ମନର ସଙ୍ଗେ ବିହରନ୍ତି ॥ ୩୧୮
ପାଦ ବଚନ ଭୁଜ ଲିଙ୍ଗ । ମୂଳକମଳ ଦ୍ୱାର ସଙ୍ଗ ॥ ୩୧୯
କର୍ମଇନ୍ଦ୍ରିୟ ଏ ବୋଲାନ୍ତି । କର୍ମକରଣେ ଥାନ୍ତି ନିତି ॥ ୩୨୦
ଅଗ୍ନି ବାସବ ଲକ୍ଷ୍ମୀକାନ୍ତ । ମିତ୍ରାବରୁଣ ପ୍ରଜାନାଥ ॥ ୩୨୧
ଏ ପଞ୍ଚଦେବ ବସି ରଥେ । ତୋତେ ସେବନ୍ତି ଅବିରତେ ॥ ୩୨୨
ତୁ ନାଥ ଭୂତଆତ୍ମାଦେହୀ । ଏହାଙ୍କ ଶକ୍ତି ବହୁ ତୁହି ॥ ୩୨୩
ବାସବ ଆଦି ବେଦଧାମ । ବହନ୍ତି ଅନିମିଷ ନାମ ॥ ୩୨୪
ବିଧାତା ଆଦି ସର୍ବଦେବା । ତୋର ଚରଣେ ତାଙ୍କ ସେବା ॥ ୩୨୫
ମାନବେ ତାହାଙ୍କୁ ସେବନ୍ତି । ତାହାଙ୍କ ବଳି ସେ ଭୁଞ୍ଜନ୍ତି ॥ ୩୨୬
ଅଜର ଅମର ନିର୍ଭୟେ । ତଥାପି ତୋର ପଦ୍ମପାୟେ ॥ ୩୨୭
ପୂଜନ୍ତି ଅତି ଭୟମନେ । ଖଣ୍ତମଣ୍ତଳପତି ଯେହ୍ନେ ॥ ୩୨୮
ପ୍ରଜାଙ୍କ ତହୁଁ କର ଦ୍ୟନ୍ତି । ରାଜାଙ୍କ ଚରଣେ ସେବନ୍ତି ॥ ୩୨୯
ଅଧିକ ଧକ ମାନ ଦ୍ୟନ୍ତି । ନିରତେ ଚରଣେ ଖଟନ୍ତି ॥ ୩୩୦
ଏମନ୍ତେ ଦେବେ ତୋର ପାଶେ । ଖଟନ୍ତି ଭକତି ବିଶ୍ୱାସେ ॥ ୩୩୧
ଷୋଡଶ ସ୍ତୁତି ସ୍ଥିରଚର । ଶୁଣ ହେ ବ୍ରହ୍ମାଣ୍ତଠାକୁର ॥ ୩୩୨
ତୋହର କ୍ରୀଡା ନାନାରଙ୍ଗେ । ଇଚ୍ଛାରେ ମାୟା ଘେନି ସଙ୍ଗେ ॥ ୩୩୩
ଦର୍ପଣ ଘେନି ଯେହ୍ନେ ହସ୍ତ । ଚାହିଁଲେ ଛାୟା ହୋଏ ଜାତ ॥ ୩୩୪
ସ୍ତାବର ଆଦି ଏ ଜଗତେ । ତୋ ତହିଁ ଜୀବ ସେହିମତେ ॥ ୩୩୫
ତୁ ପୁଣି ତାଙ୍କ ମଧ୍ୟେ ଥାଉ । କର୍ମକରଣେ ଶିକ୍ଷା ଦେଉ ॥ ୩୩୬
ସେ କର୍ମଫଳେ ନୋହୁ ସଙ୍ଗ । ଦର୍ପଣେ ଯେହ୍ନେ ଛାୟା ଅଙ୍ଗ ॥ ୩୩୭
ଦେହ ବେଭାର କରୁଥାଇ । ସେ ଯେହ୍ନେ ତାକୁ ନ ଲାଗଇ ॥ ୩୩୮
ମାୟାକୁ ଥାଉ ଅତି ଦୂରେ । ଆଦିତ୍ୟ ଯେସନେ ଅମ୍ବରେ ॥ ୩୩୯
ମାୟା ବିସ୍ତାରି ମାୟାକାରୀ । ଯେହ୍ନେ ସଂସାର ମନ ହରି ॥ ୩୪୦
ମୋହନ କରେ ସଂସାରକୁ । ସେ ଯେହ୍ନେ ନ ଲାଗେ ତାହାକୁ ॥ ୩୪୧
ଏମନ୍ତ ତୋହର ମହିମା । କେ ଜାଣି ପାରେ ଗୁଣ ସୀମା ॥ ୩୪୨
ଜଗତେ ହେଉ ସାକ୍ଷୀରୂପ । ମନ୍ଦିରେ ଯେସନେ ପ୍ରଦୀପ ॥ ୩୪୩
ଏ ସର୍ବଜୀବ କ୍ରୀଡା ଅନ୍ତେ । ପଶନ୍ତି ତୋର ଗର୍ଭବତେ ॥ ୩୪୪
ପୁଣି ଯେମନ୍ତେ ଜାତ ହୋନ୍ତି । ଶୁଣ କହିବା ତାଙ୍କ ଗତି ॥ ୩୪୫
ଦେହକୁ ପାଇ ମାୟା ଗ୍ରସ୍ତେ । କର୍ମ କରନ୍ତି ଅବିରତେ ॥ ୩୪୬
ତେଣୁ ସେ ଜନ୍ମ ମୃତ ହୋନ୍ତି । ବାସନାରଜ୍ଜୁ ବନ୍ଧେ ଥାନ୍ତି ॥ ୩୪୭
କର୍ମ ତାହାଙ୍କୁ ସୃଷ୍ଟିକାଳେ । ଧରଇ ନିଜ ଭୁଜବଳେ ॥ ୩୪୮
ଅଶେଷ ଯୋନି ମଧ୍ୟେ ଭରି । ବିହରେ ନାନାରୂପ ଧରି ॥ ୩୪୯
ଦେହକୁ ଧରି କର୍ମବଳେ । ଭୁଞ୍ଜନ୍ତି ଦୁଃଖସୁଖ ଫଳେ ॥ ୩୫୦
ତୋ ଦେହେ ପ୍ରାଣୀ ଏ ଜଗତେ । ମିଳନ୍ତି କର୍ମର ଆୟତ୍ତେ ॥ ୩୫୧
ତୋହର ରିପୁ ମିତ୍ର ନାହିଁ । ଏ ଘେନି କର୍ମ ନ ଲାଗଇ ॥ ୩୫୨
କର୍ମେ ପ୍ରପଞ୍ଚ ଏ ଜଗତ । ଏହାର ଫଳ ବୀପରିତ ॥ ୩୫୩
ଦୁଃଖୀ ଦରିଦ୍ର ବ୍ୟାଧିବନ୍ତ । ଥୋକାଏ ସୁଖୀ ଧନବନ୍ତ ॥ ୩୫୪
ଏ ଦୁଃଖସୁଖ ତୋର ନାହିଁ । କର୍ମକରତା ସେ ଭୁଞ୍ଜଇ ॥ ୩୫୫
ଗଗନେ ଯେତେ ଦିଗ ପୂରୀ । ଶୂନ୍ୟ ରୂପେ ସର୍ବ ଆବୋରି ॥ ୩୫୬
ଏଣୁ ନ ଜାଣେ ତୋତେ ପ୍ରାଣୀ । ମନ ବଚନେ ପରିମାଣି ॥ ୩୫୭
ଅପରିମିତ ସପ୍ତଦଶ । ବେଦେ କହନ୍ତି ଜ୍ଞାନରସ ॥ ୩୫୮
ନାନା ଯୋନିରେ ଜୀବ ଯେତେ । ଅନନ୍ତ ହୋନ୍ତି ଅପ୍ରମିତେ ॥ ୩୫୯
କର୍ମ ସରିଲେ ପୁଣ ଯାନ୍ତି । ଏଣୁ ଏ ଅଧ୍ରୁବ ବୋଲାନ୍ତି ॥ ୩୬୦
ତୋ ତହୁଁ ଯେବେ ଏ ନୁହଁନ୍ତି । ଇଚ୍ଛାରେ ସର୍ବ ଆବୋରନ୍ତି ॥ ୩୬୧
ଏହାଙ୍କ ଦଣ୍ତକ ତୁ ଯେବେ । ତୋ ତହୁଁ ଦଣ୍ତ କେ ପାଇବେ ॥ ୩୬୨
ଏମନ୍ତେ ନ ଘଟେ ବିଚାର । ସକଳ ଜୀବ ତୋ ଶରୀର ॥ ୩୬୩
ତୁ ଥାଉ ଏହାଙ୍କ ଜୀବନେ । ଅନଳ କାଷ୍ଠ ସଙ୍ଗେ ଯେହ୍ନେ ॥ ୩୬୪
ତୋତେ ଜାଣଇ ଯେବା କହେ । ଅଜ୍ଞାନୀ ମିଥ୍ୟାଭାବ ବହେ ॥ ୩୬୫
ଉପାଧି ଲିଙ୍ଗ ଏ ଶରୀର । ଜନ୍ମ ମରଣ ହୋଏ ତୋର ॥ ୩୬୬
ତା ମଲେ ନ ମରେ ଜୀବନ । ଘଟ ବିଯୋଗେ ଯେହ୍ନେ ଶୂନ୍ୟ ॥ ୩୬୭
ତେଣୁ ତୋ ଅଂଶ ଏହି ଜୀବ । ସେ କାହିଁ ତୋତେ ବା ଜାଣିବ ॥ ୩୬୮
ଅଷ୍ଟାଦଶରେ ନ ଘଟତ । ବେଦେ ବୋଲନ୍ତି ଜ୍ଞାନତତ୍ତ୍ୱ ॥ ୩୬୯
ପ୍ରକୃତି ପୁରୁଷ ଏ ବେନି । ଜଗତ ପିଅର ଜନନୀ ॥ ୩୭୦
ସ୍ୱଭାବେ ଅଜ ନାମ ବହି । ଯେଣୁ ଏହାଙ୍କ ଜନ୍ମ ନାହିଁ ॥ ୩୭୧
କେବେ ହେଁ ନୁହନ୍ତି ଏ ଭିନ୍ନ । ଏଣୁ ନ ଘଟେ ଅନୁମାନ ॥ ୩୭୨
ଏହାଙ୍କ ତହୁଁ ଜାତ ଜୀବ । ଜଳୁ ଯେସନେ ଜଳବିମ୍ବ ॥ ୩୭୩
ନିଶ୍ଚଳ ଜଳବାୟୁ ଯୋଗେ । ଯେମନ୍ତେ ଉଚ୍ଛୁଳେ ତରଙ୍ଗେ ॥ ୩୭୪
ବେନି ତରଙ୍ଗ ଅଙ୍ଗଘାତେ । ବିମ୍ବ ଉପୁଜନ୍ତି ଯେମନ୍ତେ ॥ ୩୭୫
ଜଳେ ପବନେ ସେ ନଥାନ୍ତି । ବେନି ସଂଯୋଗେ ଜାତ ହୋନ୍ତି ॥ ୩୭୬
ବିବିଧ ନାମ ରୂପ ବହି । କ୍ରୀଡନ୍ତି ଜଳମଧ୍ୟେ ଥାଇ ॥ ୩୭୭
କର୍ମର ଅନ୍ତେ ତୋ ଶରୀରେ । ପଶନ୍ତି ଯେମନ୍ତ ବେଭାରେ ॥ ୩୭୮
ସକଳ ନଦୀଜଳ ବେଗେ । ଯେମନ୍ତେ ପଶନ୍ତି ଅର୍ଣ୍ଣବେ ॥ ୩୭୯
ମଧୁକରଙ୍କ ଗୃହବାସେ । ଯେହ୍ନେ ପଶନ୍ତି ପୁଷ୍ପରସେ ॥ ୩୮୦
ଊନବିଂଶତି ନୃଷୁତବ । ବେଦେ କହନ୍ତି ବିଷ୍ଣୁଭାବ ॥ ୩୮୧
ତୋ ମାୟା ଭ୍ରମ ଜୀବ ଦେହେ । ତେଣୁ ଅଜ୍ଞାନେ ଥାନ୍ତି ମୋହେ ॥ ୩୮୨
ଏଣୁ ପଣ୍ତିତେ ଏହା ଜାଣି । ତୋ ଭାବ ମନେ ପରିମାଣି ॥ ୩୮୩
ତୋ ପାଦପଦ୍ମ ମଧୁ ଲୋଭେ । ପଶିଲେ ଉନମତ୍ତ ଭାବେ ॥ ୩୮୪
ତାହାଙ୍କୁ ନାହିଁ କାଳଡର । ତୋ ପଦ୍ମପାଦେ ଆଶା ଯାର ॥ ୩୮୬
ତ୍ରିନେମିକାଳ ତୋ ଭ୍ରୁଭଙ୍ଗ । ରୂପ ଅରୂର ଯାର ଅଙ୍ଗ ॥ ୩୮୭
ହିମ ଶୀତଳ ଘର୍ମ ବୃଷ୍ଟି । ଏ ଆଦି ଯେତେ ନାନା ରିଷ୍ଟି ॥ ୩୮୮
ତାହାକୁ ନ ଲାଗନ୍ତି କେହି । ତୋ ନାମ ଯାର ହୃଦେ ଥାଇ ॥ ୩୮୯
ବିଜିତ ହୃଷୀକ ବିଂଶତି । ବେଦେ ବୋଲନ୍ତି ଦିବ୍ୟ ସ୍ତୁତି ॥ ୩୯୦
ମୁନିଏ ଯୋଗ ଧ୍ୟାନ ସାଧି । ମନ ପବନ ହୃଦେ ରୁନ୍ଧି ॥ ୩୯୧
ଯେତେ ସେ କରନ୍ତି ଉପାୟେ । ମନତରଙ୍ଗ ସ୍ଥିର ନୋହେ ॥ ୩୯୨
ସ୍ୱଭାବେ ଅଦମ୍ୟ ସେ ଯେଣୁ । ରୁନ୍ଧି ନ ପାରେ ପ୍ରାଣୀ ତେଣୁ ॥ ୩୯୩
ନାନା ପ୍ରକାରେ ଖେଦ ପାଇ । ମନ ନ ପାରନ୍ତି ରୁହାଇ ॥ ୩୯୪
ଗୁରୁପାଦେ ଆଶ୍ରେ ନକରି । ସାଧନା ଶ୍ରମେ ଯାନ୍ତି ମରି ॥ ୩୯୫
ବୋଇତେ ବସି ବଣିଜାରେ । ଯେସନେ ଭାସନ୍ତି ସାଗରେ ॥ ୩୯୬
ନାନାପ୍ରକାରେ ବାହୁଥାନ୍ତି । କେବେହେଁ କୂଳେ ନ ଲାଗନ୍ତି ॥ ୩୯୭
ଯାବତ ନାହିଁ କର୍ଣ୍ଣଧାର । କାହିଁ ଲଭିବେ ସିନ୍ଧୁପାର ॥ ୩୯୮
ପବନ ରୁନ୍ଧି ଇନ୍ଦ୍ରି ଜିଣି । ଗୁରୁ ଉପଦେଶ ନ ମଣି ॥ ୩୯୯
ଚଞ୍ଚଳ ମନ କାହୁଁ ସ୍ଥିର । ଯାବତ ସଂଶୟ ଶରୀର ॥ ୪୦୦
ନିଶ୍ଚଳ ନିର୍ମଳ ତୋ ପାଦେ । ତୋ ରୂପ ଗୁଣ ଅନୁବାଦେ ॥ ୪୦୧
ନିତ୍ୟେ ଯେ ଚିନ୍ତେ ଧ୍ୟାନବଳେ । ତା ମନ ରହଇ ନିଶ୍ଚଳେ ॥ ୪୦୨
ସ୍ୱଜନସୁତ ଏକବିଂଶେ । ବେଦେ ବୋଲନ୍ତି ବିଷ୍ଣୁପାଶେ ॥ ୪୦୩
ସ୍ୱଜନ ସୁତ ଦାରା ଧର । ଗୃହ ମେଦିନୀ ସୁଖାସନ ॥ ୪୦୪
ତୋ ପାଦ ହୃଦେ ଯାର ଥାଇ । ଏଣେ ପ୍ରୟୋଜନ ନାହିଁ ॥ ୪୦୫
ତୋତେ ଯେ ନ ଭଜନ୍ତି ଚିତ୍ତେ । ତାହାଙ୍କ ମନ ଅବିରତେ ॥ ୪୦୬
ଲୋଭ ଲାଳସେ ମୋହେ ଜଡି । ବିପଦପଦେ ଥାନ୍ତି ପଡି ॥ ୪୦୭
ସକଳ ଦୁଃଖ ଯହିଁ ଥାନ୍ତି । ଅମୃତ ପ୍ରାୟ ତା ମଣନ୍ତି ॥ ୪୦୮
ସକଳ ସୁଖ ତୋର ପାଦେ । ତହିଁ ଯେ ବିଶ୍ରମେ ଆନନ୍ଦେ ॥ ୪୦୯
ଏ ମାୟା ତାକୁ ତୁଚ୍ଛ ହୋଏ । ପର୍ବତଶିଖ ଭୂମି ପ୍ରାୟେ ॥ ୪୧୦
ତୋ ପାଦ ଆଶ୍ରେ ଯେ ନ କରି । ମୈଥୁନ ସୁଖ ମନେ ଧରି ॥ ୪୧୧
ତେଣୁ ଏ ସଂସାର ସାଗରେ । ବୁଡନ୍ତି ଦୁଃଖ ମହାଘୋରେ ॥ ୪୧୨
କ୍ଷଣେ ହେଁ ନ ପାରନ୍ତି ତରି । ତୋ ବିଶ୍ୱମାୟାକୁ ଆବୋରି ॥ ୪୧୩
ସଂସାର ଅସାର ପ୍ରତ୍ୟକ୍ଷେ । ସାର ଯେସନେ ରମ୍ଭାବୃକ୍ଷେ ॥ ୪୧୪
ତୋ ନାମ ସଂସାରରେ ସାର । ନ ଭଜି କେ ହୋଇବ ପାର ॥ ୪୧୫
ଭୁବିପୁରୁପୁଣ୍ୟ ଦ୍ୱାବିଂଶେ । ବେଦେ କହନ୍ତି ମହାତୋଷେ ॥ ୪୧୬
ଭୂମିରେ ଯେତେ ତୀର୍ଥ ଅଛନ୍ତି । ମୁନିଏଁ ତହିଁ ବିଶ୍ରାମନ୍ତି ॥ ୪୧୭
ମଦ ମତ୍ସର ଅହଙ୍କାର । ହୃଦୟେ ନାହିଁ ତାହାଙ୍କର ॥ ୪୧୮
ତୋ ପାଦ ହୃଦୟେ ବହନ୍ତି । ସଂସାରେ ନାହିଁ ତାଙ୍କ ଭୀତି ॥ ୪୧୯
ତାଙ୍କ ଚରଣ -ନୀର ସଙ୍ଗେ । ପାପ ନ ରହେ ପ୍ରାଣୀ ଅଙ୍ଗେ ॥ ୪୨୦
ସୁପୁଣ୍ୟତୀର୍ଥ ସାଧୁ ସଙ୍ଗେ । ନିତ୍ୟେ ଭ୍ରମନ୍ତି ଅନୁରାଗେ ॥ ୪୨୧
ଏଣୁ ତୋ ପାଦ ଆଶ୍ରେ କରି । ଯେ ପ୍ରାଣୀ ଚିତ୍ତ ସ୍ଥିର କରି ॥ ୪୨୨
ପରମଆତ୍ମା ସୁଖସୀମା । ଶୁଣିମା ତାହାଙ୍କ ମହିମା ॥ ୪୨୩
ବିବେକ ଶାନ୍ତି କ୍ଷମା ଧୀର । ଏ ଚାରି ପୁରୁଷଙ୍କ ସାର ॥ ୪୨୪
ଏହା ହରଇ ଗୃହଦ୍ୱନ୍ଦ୍ୱ । ଅଜ୍ଞାନୀଜନଙ୍କ ଆନନ୍ଦ ॥ ୪୨୫
ଯେ ତୋତେ ଚିନ୍ତେ ଅବିରତେ । ଗୃହ ନ ଲାଗେ ତାର ଚିତ୍ତେ ॥ ୪୨୬
ତାଙ୍କ ମହିମା ଏ ବ୍ରହ୍ମାଣ୍ତେ । କେ କହିପାରେ ଏକ ତୁଣ୍ତେ ॥ ୪୨୭
ତ୍ରୟବିଂଶତି ସତ ଇଦଂ । ଯାହା କହିଲେ ତିନି ବେଦ ॥ ୪୨୮
ଭୋ ଦେବ ପରମପୁରୁଷ । ସଂସାର ତୋ ତହୁଁ ପ୍ରକାଶ ॥ ୪୨୯
ଏ ସତ୍ୟ ନୋହେ ସତ୍ୟବାଦେ । ବିଚାର ତର୍କ ଅନୁବାଦେ ॥ ୪୩୦
କାର୍ଯ୍ୟ କାରଣ ପ୍ରାୟ ଯେଣୁ । କହିବା ଅନୁମାନେ ତେଣୁ ॥ ୪୩୧
ମୁକୁତା ସିପେ କରି ଭ୍ରାନ୍ତି । ରଜତ ପ୍ରାୟ ତା ମଣନ୍ତି ॥ ୪୩୨
ପୁଣି ବିଚାରେ ସେ ଯେମନ୍ତ । ମୁକୁତା ସିପ ହୋଏ ସତ୍ୟ ॥ ୪୩୩
ମାୟା ପ୍ରକାଶ ତୋ ବ୍ରହ୍ମାଣ୍ତେ । ସର୍ପ ଯେସନେ ରଜ୍ଜୁଖଣ୍ତେ ॥ ୪୩୪
କାର୍ଯ୍ୟ କାରଣ ମାୟାଲକ୍ଷି । ତୁ ପରମାତ୍ମା ଏତେ ସାକ୍ଷୀ ॥ ୪୩୫
ସାକ୍ଷୀ ସ୍ୱରୂପେ ରହେ ଆତ୍ମା । ଏହା ତ ମାନନ୍ତି ମହାତ୍ମା ॥ ୪୩୬
ସ୍ୱର୍ଗାଦିଫଳ ବେଦ କହି । ଏ ଘେନି ପ୍ରାଣୀ କର୍ମଦାହି ॥ ୪୩୭
ଏଣୁ ସଂସାର ସତ୍ୟ ଦିଶେ । କର୍ମ ସାଧନ୍ତି ମନତୋଷେ ॥ ୪୩୮
ଭବପ୍ରବଞ୍ଚ ବ୍ୟବହାରେ । ଚିତ୍ତ ବୁଡାଇଥାନ୍ତି ଧୀରେ ॥ ୪୩୯
ବେଦବାଦୀଏ ତାଙ୍କ ମନ । ଶିକ୍ଷା ଦେଇ ବେଦ ବଚନ ॥ ୪୪୦
କର୍ମର ଫଳ ସତ୍ୟ ପ୍ରାୟେ । ବିଷୟ ତାପ ଭ୍ରମେ ମୋହେ ॥ ୪୪୧
ଏ ଘେନି କର୍ମ କରି ଦେହେ । ଭ୍ରମନ୍ତି ତବ ମାୟାମୋହେ ॥ ୪୪୨
ପୂର୍ବ ଲୋକଙ୍କ କର୍ମ ଦେଖି । ଅପର ଲୋକେ ତାହା ଶିଖି ॥ ୪୪୩
ଭୋ ନାଥ ବେଦ ତୋ ବଚନ । ପୁଷ୍ପର ପ୍ରାୟ ଅନୁମାନ ॥ ୪୪୪
ପୁଷ୍ପରେ ଥାଇ ସର୍ବଗନ୍ଧ । ଭ୍ରମର ଲଭେ ମକରନ୍ଦ ॥ ୪୪୫
ବେଦବଚନେ ପୁଷ୍ପ ପ୍ରାୟେ । କର୍ଣ୍ଣେ ଶୁଣନ୍ତେ ଚିତ୍ତଧ୍ୟାୟେ ॥ ୪୫୬
ସର୍ବେ ବୋଲନ୍ତି ସାଧୁ ସାଧୁ । କେହି ନ ଲଭେ ପୁଷ୍ପମଧୁ ॥ ୪୫୭
ପ୍ରାଣୀଙ୍କି କର୍ମ ସେ କରାଏ । ଅନ୍ଧକୁ ଅନ୍ଧ ଯେହ୍ନେ ବାହେ ॥ ୪୪୮
ନ ଯଦିଦ ଯେ ଚତୁର୍ବିଂଶ । ଶୁଣ କହିବା ତା ଉଦ୍ଦେଶ୍ୟ ॥ ୪୪୯
ଏ ସୃଷ୍ଟି ପୂର୍ବେ ଥିଲା କାହିଁ । ପୁଣି ଏ ଅନ୍ତେ ଥିବ କାହିଁ ॥ ୪୫୦
ଏଣୁ ଏହାର ସତ୍ତା ନାହିଁ । ଶାସ୍ତ୍ର ମାର୍ଗରେ ଏହା କହି ॥ ୪୫୧
ତୋ ତହୁଁ ବିରାଟ ପୁରୁଷ । ଏ ମିଥ୍ୟା ସଂସାରେ ପ୍ରକାଶ ॥ ୪୫୨
ବ୍ରହ୍ମ ନିର୍ମାତା ଏକ ତୁହି । ତୋ ଅଙ୍ଗେ ସତ୍ୟ ଆଭାସଇ ॥ ୪୫୩
ଏ ନାନା ଦ୍ରବ୍ୟମାନ ଯେତେ । ଆମ୍ଭେ ଜାଣିଲୁ ଏବେ ତଥ୍ୟେ ॥ ୪୫୪
ମୃତ୍ତିକା ଆଦି ଧାତୁ ଯେତେ । ଏ ଯେତେ ଘଟ ବସ୍ତ୍ର ପାତ୍ରେ ॥ ୪୫୫
ଜଗତ ତୁଲେ ଏ ଶୟନ । ପୁଣ କହିବୁ ଅନୁମାନ ॥ ୪୫୬
ଯାହାର ତହୁଁ ସେ ଘଟନ । ବିଚାରେ ତହୁଁ ନୋହେ ଆନ ॥ ୪୫୭
ନାମ ମାତ୍ରକେ ଭେଦ ରହେ । ଏ ଅନୁମାନ ବେଦ କହେ ॥ ୪୫୮
କାରଣୁ କାର୍ଯ୍ୟ ଭିନ୍ନେ ଥାନ୍ତି । ଅନ୍ତେ କାରଣେ ସେ ମିଶନ୍ତି ॥ ୪୫୯
ଜଗତ କାରଣ ଯେ ତୁହି । କାର୍ଯ୍ୟ ଭିନ୍ନ ପ୍ରାୟ ଦିଶଇ ॥ ୪୬୦
ତୁ ସତ୍ୟ ଭବମଧ୍ୟେ ହରି । କେ ତୋ ମହିମା କହିପାରି ॥ ୪୬୧
ମନ ବିଳାସ ମାତ୍ର ଏହି । ଅଜ୍ଞାନେ ପ୍ରତ୍ୟକ୍ଷ ଦିଶଇ ॥ ୪୬୨
ସଯଦ ପଞ୍ଚବିଂଶ ସ୍ତୁତି । ବେଦ କହନ୍ତି ଭାବ ଚିନ୍ତି ॥ ୪୬୩
ତୁ ମହାମହିମ ଅନନ୍ତ । ଆଗମ ନିମନ୍ତେ ତୋ ଅନ୍ତ ॥ ୪୬୪
କେହି ନ ଜାଣେ ଅନୁମାନେ । ନିର୍ମଳ ଚିତ୍ତେ ଶୁଦ୍ଧଜ୍ଞାନେ ॥ ୪୬୫
ମିଥ୍ୟା ପ୍ରପଞ୍ଚ ଏ ଜଗତେ । ଜୀବ କି ଜାଣିପାରେ ଚିତ୍ତେ ॥ ୪୬୬
ବେଦବଚନେ ମିତ୍ୟେ ଭ୍ରମି । ଜନ୍ମମରଣ ପଥେ ଶ୍ରମୀ ॥ ୪୬୭
ଜୀବକୁ ମାୟାବଳେ ଧରି । କ୍ରୀଡଇ ସଂସାରେ ବିହରି ॥ ୪୬୯
ଗୁଣ ଇନ୍ଦ୍ରିୟ ଦେହମେଳେ । ଭ୍ରମେ ତୋ ମାୟା ଯୋଗବଳେ ॥ ୪୭୦
ଦେହାଦି ଧର୍ମ ଯେ ଭଜନ୍ତି । ସେ କାହିଁ ତୋ ଭାବ ଜାଣନ୍ତି ॥ ୪୭୧
ଅପେତଭଗ ସେ ବୋଲାଇ । ତେଣୁ ସଂସାର ନ ଛାଡଇ ॥ ୪୭୨
ତାପେ ତାପିତ ଏ ଶୟଳେ । ମରଇ ଅନ୍ତେ କର୍ମବଳେ ॥ ୪୭୩
ପୁରୁଣା ଚର୍ମ ଯେହ୍ନେ ସର୍ପେ । ଛାଡଇ ପାଇ ନିଜ ରୂପ ॥ ୪୭୪
ଏ ମାୟା ଯେବେ ଛାଡୁ ତୁହି । ଜୀବ ସ୍ୱରୂପେ ବିରାଜଇ ॥ ୪୭୫
ଅପରିମିତଭଗ ଯେଣୁ । ନିତ୍ୟେ ପ୍ରାପତ ସୁଖ ତେଣୁ ॥ ୪୭୬
ଯଦିନସମୁ ଷଡବିଂଶେ । ନିଗମେ ବୋଲନ୍ତି ହରଷେ ॥ ୪୭୭
ଅଶେଷ ବାସନା ଦଉଡି । ସେ ଅଜଗର ରୂପେ ଜଡି ॥ ୪୭୮
ତହୁଁ ସଞ୍ଚରେ କାମବୃକ୍ଷ । ପତ୍ର ପୁଷ୍ପ ଫଳ ପ୍ରତ୍ୟକ୍ଷ ॥ ୪୭୯
ଜୀବ ତା ସୁଖେ ଭୋଗ କରେ । ପଶୁ ଯେସନେ ପତ୍ର ଚରେ ॥ ୪୮୦
ସେ କାମବୃକ୍ଷ ଅବିରତେ । ସୁଖେ ବଢଇ ହୃଦଗତେ ॥ ୪୮୧
ତାହାକୁ ବଳେ ଛଳେ ଭିଡି । କେହି ନ ପାରନ୍ତି ଉପାଡି ॥ ୪୮୨
ବୁଲନ୍ତି ନାନା ତପଫଳେ । ଯୋଗ ସମାଧି ତୀର୍ଥ ଛଳେ ॥ ୪୮୩
ଅତି କଠୋରେ ସେ ଭ୍ରମନ୍ତି । ହୃଦରୁ ନ ତୁଟଇ ଭ୍ରାନ୍ତି ॥ ୪୮୪
ବିବିଧମତେ ଦୁଃଖ ପାଇ । ତାହାଙ୍କୁ ଅତି ଦୂର ତୁହି ॥ ୪୮୫
ନିତ୍ୟେ ସେ କାମଭୋଗ ଚିନ୍ତି । ଏ ଘେନି ତୋତେ ପାସୋରନ୍ତି ॥ ୪୮୬
ଅସାଧୁପଣ ତାହାଙ୍କର । ଶୁଣ ହେ କମଳାରବର ॥ ୪୮୭
ଅମୂଲ୍ୟମଣି କଣ୍ଠେ ଧରି । ମନ ବିଷୟ ଜଡେ ଭରି ॥ ୪୮୮
ଯାବତ ସୁମରଣ ନାହିଁ । ପ୍ରାପତ ନୋହେ କଣ୍ଠେ ଥାଇ ॥ ୪୮୯
ମଣିର ପ୍ରାୟ କଣ୍ଠତଟେ । ତୁ ଥାଉ ପ୍ରାଣୀଙ୍କ ନିକଟେ ॥ ୪୯୦
ନିତ୍ୟେ ତୋ ମାୟା ମୋହ ଚିନ୍ତି । ଏ ଘେନି ତୋତେ ନ ଜାଣନ୍ତି ॥ ୪୯୧
ଯୋଗୀ ବୋଲାଇ ଜ୍ଞାନପଥେ । ବିଷୟରସ ଅବିରତେ ॥ ୪୯୨
ନିରତେ ଇନ୍ଦ୍ରିୟ ପୋଷଣେ । ଧନ ସଞ୍ଚୟ କରଷଣେ ॥ ୪୯୩
ଉଭୟ ଲୋକ ତାର ନାହିଁ । ତୋତେ ପାଇବେ ଅବା କାହିଁ ॥ ୪୯୪
ଯାବତ ତୋ ଚରଣ ତଳେ । ଚିତ୍ତ ନ ରହଇ ନିଶ୍ଚଳେ ॥ ୪୯୫
ସପ୍ତବିଂଶେ ତ୍ୱଦବଗମୀ । ବେଦେ ବୋଲନ୍ତି ଶୁଣ ସ୍ୱାମୀ ॥ ୪୯୬
ଭୋ ନାଥ ତୋତେ ଯେ ଜାଣନ୍ତି । ତାଙ୍କ ମହିମା କେବା ଚିନ୍ତି ॥ ୪୯୭
ପ୍ରାଣୀଙ୍କ ଚିତ୍ତ ତୋ ଚରଣେ । ଆଶ୍ରିତ ଥାଇ ଅନୁକ୍ଷଣେ ॥ ୪୯୮
ଯେ ଯାହା କର୍ମଫଳ ଘେନି । ଫଳଇ ଦୁଃଖ ସୁଖ ବେନି ॥ ୪୯୯
ଏ ବେନିଫଳଙ୍କର ରସ । ନିଶ୍ଚେ ନ ଜାଣେ ତୋର ଦାସ ॥ ୫୦୦
ଦେହାଭିମାନୀ ପ୍ରାଣୀଙ୍କର । ବିଧି ନିଷେଧ ଅନୁଚର ॥ ୫୦୧
ତାହାଙ୍କ ନିନ୍ଦା ସ୍ତୁତି ବାଣୀ । ତୋର ସେବକ ତାହା ଶୁଣି ॥ ୫୦୨
ଚିତ୍ତେ ନ କରନ୍ତି ବିଚାର । ଏମନ୍ତ ମହିମା ତୁମର ॥ ୫୦୩
ଯୁଗାନୁଯୁଗ ତୋ ଶରୀର । ମତ୍ସ୍ୟାଦି ନାନା ଅବତାର ॥ ୫୦୪
ତୋହର ଗୁଣ କର୍ମ ଯେତେ । ଯେ ପ୍ରାଣୀ ଶୁଣେ କର୍ଣ୍ଣପଥେ ॥ ୫୦୫
ତୁଣ୍ତେ ଭାଷନ୍ତି ଅନୁକ୍ଷଣେ । ଚିନ୍ତନ୍ତି ତୋହର ଚରଣେ ॥ ୫୦୬
ତୁ ନାଥ ଅପବର୍ଗ ଗତି । ଅନ୍ତେ ତୋ ଚରଣେ ପଶନ୍ତି ॥ ୫୦୭
ଅଷ୍ଟବିଂଶତି ପୂର୍ଣ୍ଣସୁତି । ବୋଲନ୍ତି ଦ୍ୟୁପତୟ ଶ୍ରୁତି ॥ ୫୦୮
ବେଦେ ବୋଲନ୍ତି ହେ ଅନନ୍ତ । ନିତ୍ୟେ ତୋହର ଆଦିଅନ୍ତ ॥ ୫୦୯
ମନ ବଚନ ବହୁ ଚିନ୍ତି । ବ୍ରହ୍ମାଦି ଦେବେ ନ ଜାଣନ୍ତି ॥ ୫୧୦
ତୋ ରୂପ ତୁହି ନ ପ୍ରମାଣୁ । କେ ତାହା ଦେହ ବହି ଜାଣୁ ॥ ୫୧୧
ତୁ ଅବା ବୋଲୁ ମୋ ମହିମା । ମୁଁ କିମ୍ବା ନ ଜାଣଇ ସୀମା ॥ ୫୧୨
ସର୍ବଜ୍ଞପଣ କି ମୋ ନାହିଁ । କହିବୁଁ ଶୁଣ ଭାବଗ୍ରାହୀ ॥ ୫୧୩
ସ୍ୱଭାବେ ଶୂନ୍ୟ ଅପ୍ରମିତ । କେ ଜାଣେ ତୋର ଆଦି ଅନ୍ତ ॥ ୫୧୪
ଉଦୟ ଅସ୍ତ ନାହିଁ ଯାର । ଏଣୁ ତୁ ତୋତେ ଅଗୋଚର ॥ ୫୧୫
ଏଣୁ ଆମ୍ଭର ଅନୁମତେ । ସର୍ବଜ୍ଞ ବୋଲିବୁ କେମନ୍ତେ ॥ ୫୧୬
ଶଶାର ମୁଣ୍ତେ ଶୃଙ୍ଗ ଜାତ । ବନ୍ଧ୍ୟା କି ପ୍ରସବିବ ସୁତ ॥ ୫୧୭
ଏ ବେନି ନ ଜାଣନ୍ତି ଯେହୁ । ସର୍ବଜ୍ଞ ବୋଲାଇବେ କାହୁଁ ॥ ୫୧୮
ତୋ ଆଦି ଅନ୍ତ ମଧ୍ୟ ତୁହି । କହିବୁଁ ଶୁଣ ମନଦେଇ ॥ ୫୧୯
ଏକ ଆରକେ ଦଶଗୁଣ । ବ୍ରହ୍ମାଣ୍ତ ସପ୍ତ ଆବରଣ ॥ ୫୨୦
ଏମନ୍ତେ ଅଶେଷ ବ୍ରହ୍ମାଣ୍ତ । ଆଶ୍ରେ କରନ୍ତି ତୋର ପିଣ୍ତ ॥ ୫୨୧
ଭ୍ରମନ୍ତି କାଳଚକ୍ର ବଳେ । ଧୂଳି ଯେସନେ ଅନ୍ତରାଳେ ॥ ୫୨୨
ସେ ରେଣୁ ମଧ୍ୟେ ପ୍ରାଣୀ ଥାଇ । ତୋ ରୂପ ପ୍ରମାଣିବ କାହିଁ ॥ ୫୨୩
ବେନ୍ଦେ ବୋଲନ୍ତି ବିଶ୍ୱମଧ୍ୟେ । ଆମ୍ଭେ ହୋ ଭ୍ରମୁ ମାୟାବନ୍ଧେ ॥ ୫୨୪
ତୋର ମହିମା ଅଛି ଯେତେ । ଆମ୍ଭେ ତା ଜାଣିବୁ କେମନ୍ତେ ॥ ୫୨୫
ସଗୁଣ ନିର୍ଗୁଣର ସୀମା । ଭୋ ନାଥ ତୋହର ମହିମା ॥ ୫୨୬
ବିଧିନିଷେଧ ବାଦ କରି । ତୋର ମହିମା କେ ବିଚାରି ॥ ୫୨୭
ବିଧି ନିଷେଧ ହିଁ ନ ଜାଣେ । ପ୍ରଣମେ ତୋହର ଚରଣେ ॥ ୫୨୮
ବେଦେ ବୋଲନ୍ତି ଆମ୍ଭ ଚିତ୍ତେ । ତୋର ମହିମା ଅନୁମତେ ॥ ୫୨୯
ସୃଷ୍ଟି ସଂହାରି ତୋ ଶରଣେ । ପଶିଲୁଁ ଅଭୟ ଚରଣେ ॥ ୫୩୦
ନିରତେ ତୋର ପଦ୍ମପାଦେ । ଥିବୁଁ ସର୍ବଦା ସୁଖ ସଧେ ॥ ୫୩୧
ଏମନ୍ତେ ବେଦଙ୍କ ବଚନ । ଶୁଣି ବୋଲନ୍ତି ନାରାୟଣ ॥ ୫୩୨
ଏମନ୍ତେ ବ୍ରହ୍ମାର ନନ୍ଦନ । ସନନ୍ଦ ତହୁଁ ଆତ୍ମଜ୍ଞାନ ॥ ୫୩୩
ଶୁଣି ସାନନ୍ଦ ତିନି ଭାଇ । ଚରଣଯୁଗେ ଶିର ଦେଇ ॥ ୫୩୪
ପୂଜିଲେ ସନନ୍ଦ ଚରଣ । କହନ୍ତି ପ୍ରଭୁ ନାରାୟଣ ॥ ୫୩୫
- ନାରାୟଣ ଉବାଚ
ଶୁଣ ନାରଦ ମୁନିଙ୍କର । ସେ ଚାରି ବ୍ରହ୍ମାର କୁମର ॥ ୫୩୬
ବ୍ରହ୍ମ ସମାଧି ସଙ୍ଗ ପାଇ । ନିରତେ ଆତ୍ମାନନ୍ଦ ଧ୍ୟାୟି ॥ ୫୩୭
ଆଗମ ପୁରାଣ ବଖାଣି । ଉପନିଷଦେ ବ୍ରହ୍ମ ଜାଣି ॥ ୫୩୮
ତୁ ବିପ୍ରବର ଜ୍ଞାନବଳେ । ନିରତେ ଭ୍ରମି ଭୂମଣ୍ତଳେ ॥ ୫୩୯
ନିର୍ମଳ ଚିତ୍ତେ ଜ୍ଞାନ ଜାଣୁ । ଜୀବନ ମୁକତି ପ୍ରମାଣୁ ॥ ୫୪୦
ଏ ତତ୍ତ୍ୱଜ୍ଞାନେ ଯାର ଚିତ୍ତ । ଆନନ୍ଦ ବଢେ ଅବିରତ ॥ ୫୪୧
ସଂସାର ବାସନାରୁ ତରେ । ନ ବୁଡେ ଭବ ମହାଘୋରେ ॥ ୫୪୨
- ଶୁକ ଉବାଚ
କହିଲେ ନରନାରାୟଣ । ପ୍ରସ୍ତାବେ ବ୍ରହ୍ମର କାରଣ ॥ ୫୪୩
ଏ ଦୁଇଜନଙ୍କ ସମ୍ବାଦ । ଯେତେ କହିଲେ ତିନି ବେଦ ॥ ୫୪୪
ଶୁକ କହନ୍ତି ଅନୁରାଗେ । ବେଦ ଉପନିଷଦ ଭାଗେ ॥ ୫୪୫
ଶୁଣି ସାନନ୍ଦ ମୁନିବର । ନମିଲେ ବିଷ୍ଣୁର ପୟର ॥ ୫୪୬
ଗୋବିନ୍ଦ ଯଶ ଗାଇ ତୁଣ୍ତେ । ଆନନ୍ଦେ ଗଲେ ସେ ବ୍ରହ୍ମାଣ୍ତେ ॥ ୫୪୭
ଶୁଣ ହୋ ଅଭିମନ୍ୟୁସୁତ । ମୋ ଜନ୍ମ କର୍ମର ଚରିତ ॥ ୫୪୮
ଯଜ୍ଞର ଅର୍ଥେ ପରାଶର । ଅଗ୍ନିମନ୍ଥନେ ତତପର ॥ ୫୪୯
ମନ୍ତ୍ର ଉଚ୍ଚାରନ୍ତି ଆନନ୍ଦେ । ଏମନ୍ତେ ଅଗ୍ନିକୁଣ୍ତ ମଧ୍ୟେ ॥ ୫୫୦
ଅରଣି ଯୋଗେ କାମଚିତ୍ତ । ପଡିଲା ବ୍ୟାସଙ୍କର ରେତ ॥ ୫୫୧
ସେ ବୀର୍ଯ୍ୟ ଅଙ୍କୁରୁ ମୁଁ ଜାତ । ତେଣୁ ମୁଁ ଅଯୋନି ସମ୍ଭୂତ ॥ ୫୫୨
ଏ ଘେନି ବ୍ୟାସ ମୋର ତାତ । ତାଙ୍କ ଆଶ୍ରମେ ଉପଗତ ॥ ୫୫୩
ନାରଦ ଋଷି ଆଗମନ । ଦେଖି ପରାଶର ନନ୍ଦନ ॥ ୫୫୪
ଆସନୁ ଉଠି କିଛି ଦୂରେ । ଅଭିଗମନ ତତପରେ ॥ ୫୫୫
ଉତ୍ତମ ଆସନେ ବସାଇ । ପାଦ ପୂଜିଲେ ଅର୍ଘ୍ୟ ଦେଇ ॥ ୫୫୬
ବ୍ୟାସଙ୍କୁ କହିଲେ ନାରଦ । ନର ନାରାୟଣ ସମ୍ବାଦ ॥ ୫୫୭
ତୁ ଯାହା ପଚାରିଲୁ ମୋତେ । ବ୍ରହ୍ମ ସମ୍ବାଦ ଭାବଚିତ୍ତେ ॥ ୫୫୮
ବୋଲୁ ଯେ ନିର୍ବିକାର ବ୍ରହ୍ମ । କେମନ୍ତେ ଜାଣନ୍ତି ନିଗମ ॥ ୫୫୯
ତାହା ତ କହିଲି ମୁଁ ତୋତେ । ଏବେ ହୋ ଶୁଣ ଏକଚିତ୍ତେ ॥ ୫୬୦
ଯେ ହରି ଜଗତ ଭିଆଇ । ଆଦ୍ୟନ୍ତ ସାକ୍ଷୀରୂପ ହୋଇ ॥ ୫୬୧
ପ୍ରକୃତି ପୁରୁଷହୁଁ ଦୂର । ବ୍ରହ୍ମାଣ୍ତ ଯାର ଖେଳଘର ॥ ୫୬୨
ବ୍ରହ୍ମାଣ୍ତେ ପଶି ଆତ୍ମାଅଂଶେ । ଜୀବକୁ ପାଳଇ ଆଶ୍ୱାସେ ॥ ୫୬୩
ନିଜ ସେବକେ ମୋକ୍ଷ ଦେଇ । ନିତ୍ୟେ ଭକତ ପାଶେ ଥାଇ ॥ ୫୬୪
ତୋ ରୂପ ଜୀବରେ ନିରେଖି । ମାୟା ଛାଡଇ ତାହା ଦେଖି ॥ ୫୬୫
ତୁ ଯେ ବୋଇଲୁ ଏ ଜଗତେ । ଜୀବନମୁକ୍ତ ଛନ୍ତି ଯେତେ ॥ ୫୬୬
ଶରୀରବନ୍ଧ ତାଙ୍କ ଦେଖି । ମାୟା କେମନ୍ତେ ତା ଉପେକ୍ଷି ॥ ୫୬୭
ଶୁଣ ଯାହାକୁ କୃଷ୍ଣ ଦୟା । ତାହାକୁ ନ ଲାଗଇ ମାୟା ॥ ୫୬୮
ଆତ୍ମାର ଜ୍ଞାନ ନିତ୍ୟେ ବଢେ । ଦେହାଦି ଧର୍ମକୁ ସେ ଛାଡେ ॥ ୫୬୯
ଯେମନ୍ତେ ନିଦ୍ରାଗତ । ଦେହାଦି ଧର୍ମ ନ ଲାଗଇ ॥ ୫୭୧
ଆତ୍ମାରେ ଜଗତ ଦେଖଇ । ଦେହାଦି ଧର୍ମ ନ ଲାଗଇ ॥ ୫୭୧
ସମସ୍ତ ପ୍ରାଣୀ ଦୃଷ୍ଟି ତାକୁ । ତା ଦୃଷ୍ଟି ନ ଥାଇ ଦେହକୁ ॥ ୫୭୨
ସେ ହରି ନିରଞ୍ଜନ ରୂପ । କେବଳ ସାକ୍ଷୀ ଏ ସ୍ୱରୂପ ॥ ୫୭୩
ଅଭୟଦାତାର ଚରଣ । ନିରତେ କର ସୁମରଣ ॥ ୫୭୪
ଯା ରୂପ ନିରନ୍ତର ଲୋଡି । ମନ ବଚନ ହିଁ ବାହୁଡି ॥ ୫୭୫
ଅଧିକ କି କହିବି ମୁହିଁ । ପରୀକ୍ଷ ଭାଗ୍ୟବନ୍ତ ତୁହି ॥ ୫୭୬
ବୋଲଇ ଦାସ ଜଗନ୍ନାଥ । ବେଦ ସମ୍ବାଦେ ଭାଗବତ ॥ ୫୭୭
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତାୟାଂ ଦଶମସ୍କନ୍ଧେ ଉତ୍ତରାର୍ଦ୍ଧେ
ନାରଦନାରାୟଣ ସମ୍ବାଦେ ବେଦସ୍ତୁତିର୍ନାମ ତ୍ରିନବତିତମ ଅଧ୍ୟାୟଃ
ଚତୁଃନବତିତମ ଅଧ୍ୟାୟ
[ସମ୍ପାଦନା]ପରୀକ୍ଷ ଶୁକମୁଖ ଚାହିଁ । ବୋଲଇ ଶିରେ କର ଦେଇ ॥ ୧
- ପରୀକ୍ଷିତ ଉବାଚ
ଭୋ ମୁନି ସଂଶୟ ମୋ ମନେ । ଛେଦନ କର ସୁପ୍ରସନ୍ନେ ॥ ୨
ଦେବ ଅସୁର ନର ମଧ୍ୟେ । ଯେ ସେବା କରେ ରୁଦ୍ରପାଦେ ॥ ୩
ତାହାଙ୍କ ଘରେ କମଳିନୀ । ସକଳ ନିଧି ସଙ୍ଗେ ଘେନି ॥ ୪
ଖଟଇ ଭୃତ୍ୟପ୍ରାୟ ହୋଇ । ଅନେକ ସୁଖ ସେ ଭୁଞ୍ଜଇ ॥ ୫
ଅଜେୟ ସର୍ବଲୋକ ହୋନ୍ତି । ଏଣୁ ବିଷ୍ଣୁଙ୍କୁ ନ ଭଜନ୍ତି ॥ ୬
କମଳାକାନ୍ତ ଯେ ମୁରାରି । ପ୍ରାଣୀ ତାହାଙ୍କୁ ସେବା କରି ॥ ୭
ସକଳ ଦୁଃଖେ ହୋନ୍ତି ଦୁଃଖୀ । ସ୍ୱଜନେ ତାହାଙ୍କୁ ଉପେକ୍ଷି ॥ ୮
ଜଗତ ଅନାଦର ଭୟେ । ବନେ ପଶଇ ଦୁଃଖ ଦେହେ ॥ ୯
ସେ ହରିହର ଏକମତ । ଭକତେ କିମ୍ପା ବୀପରିତ ॥ ୧୦
ଏଣୁ ସଂଶୟ ଚିତ୍ତ ମୋର । କହି ନିର୍ମଳ ମୋତେ କର ॥ ୧୧
ଶୁଣି ସାନନ୍ଦ ବ୍ୟାସସୁତ । ବୋଲନ୍ତି ଶୁଣ ନରନାଥ ॥ ୧୨
- ଶୁକ ଉବାଚ
ଶିବ ଯେ ନିତ୍ୟ ଶକ୍ତିଯୁକ୍ତ । ତ୍ରିଲିଙ୍ଗ ତ୍ରିଗୁଣ ସମ୍ଭୂତ ॥ ୧୩
ସାତ୍ତ୍ୱିକ ରାଜସ ତାମସ । ତ୍ରିଧା ଅହଙ୍କାର ପ୍ରକାଶ ॥ ୧୪
ତେଣୁ ବିକାରେ ହୋନ୍ତି ଜାତ । ବ୍ରହ୍ମାଣ୍ତେ ଏ ଷୋଡଶତତ୍ତ୍ୱ ॥ ୧୫
ଏଥୁ ଏ ବିଭୂତିଙ୍କ ଗତି । ଅଧିଦୈବତେ ଆବୋରନ୍ତି ॥ ୧୬
ଏ ଜୀବ ଆତ୍ମାରୂପ ଧରି । ବିଭୂତିରସ ଭୋଗ କରି ॥ ୧୭
ଏଣୁ ଭକତଜନ ଲାଭେ । ବିଭୂତି ଈଶ୍ୱର ଯେ ଭାବେ ॥ ୧୮
ଭକତେ ଦେଇ ସୁଖଫଳ । ଏବେ ହୋ ଶୁଣ ମହୀପାଳ ॥ ୧୯
ନିର୍ଗୁଣ ନିରଞ୍ଜନ ହରି । ପ୍ରକୃତି ନପାରେ ଆବୋରି ॥ ୨୦
ଏ ସୃଷ୍ଟିପାଳକ ସ୍ୱରୂପେ । ସବୁ ଦେଖଇ ସାକ୍ଷୀରୂପେ ॥ ୨୧
ସେ ହରି ପାଦେ ଯେ ଶରଣ । ତାକୁ ନ ଲାଗେ ତିନିଗୁଣ ॥ ୨୨
ଏଣୁ ନିର୍ଗୁଣ ମୋକ୍ଷ ରୂପେ । ରହନ୍ତି ବିଷ୍ଣୁର ସମୀପେ ॥ ୨୩
ଏ ଭବଜଳୁ ହୋନ୍ତି ପାର । ଏବେ ହୋ ଶୁଣ ନୃପବର ॥ ୨୪
ତୋ ପିତାମହ ଯୁଧିଷ୍ଠିର । ବିଖ୍ୟାତ ଧର୍ମର କୁମର ॥ ୨୫
ରାଜୁଯିସଜ୍ଞ ସମାପତେ । ଆନନ୍ଦେ କୃଷ୍ଣର ଅଗ୍ରତେ ॥ ୨୬
ଧର୍ମପ୍ରସଙ୍ଗ କରୁଥିଲା । ଏ କଥା କୃଷ୍ଣଙ୍କୁ ଅଗ୍ରତେ ॥ ୨୬
ଧର୍ମପ୍ରସଙ୍ଗ କରୁଥିଲା । ଏ କଥା କୃଷ୍ଣଙ୍କୁ ପୁଚ୍ଛିଲା ॥ ୨୭
ଯେ ହରି ଜନଙ୍କର ହିତେ । ମନୁଷ୍ୟ ରୂପ ଏ ଜଗତେ ॥ ୨୮
ଧର୍ମନନ୍ଦନ ପ୍ରଶ୍ନ ଶୁଣି । କହିଲେ ପ୍ରଭୁ ଚକ୍ରପାଣି ॥ ୨୯
- ଭଗବାନ ଉବାଚ
ଯାହାକୁ ଚିତ୍ତେ ଦୟା ମୋର । ସମ୍ପଦ ହରଇ ତାହାର ॥ ୩୦
ନିର୍ଦ୍ଧନ ଦେଖି ବନ୍ଧୁଜନେ । ତାକୁ ଛାଡନ୍ତି ଦୁଃଖମନେ ॥ ୩୧
ତାର ସଂସାରେ ଇଚ୍ଛା ନୋହେ । ବନେ ଭ୍ରମିଣ ଦୁଃଖ ସହେ ॥ ୩୨
ମୋର ଭକତ ମିତ୍ରପଣେ । ମୋତେ ଭଜଇ ଅନୁକ୍ଷଣେ ॥ ୩୩
ତାହାର କର୍ମନାଶ କାଳେ । ମୋର ଭକତିଭାବ ବଳେ ॥ ୩୪
ପରମବ୍ରହ୍ମ ସୂକ୍ଷ୍ମରୂପ । ସଚ୍ଚିଦାନନ୍ଦ ମୁଁ ନିର୍ଲେପ ॥ ୩୫
ଏମନ୍ତ ରୂପେ ମୋତେ ଧ୍ୟାୟି । ପଶଇ ମୋର ଦେହେ ଯାଇ ॥ ୩୬
ଏହାକୁ ନ ଲାଗେ ସଂସାର । ଏମନ୍ତ ମହିମା ମୋହର ॥ ୩୭
ଏଣୁ ସଂସାରେ ଇଚ୍ଛା ଯାର । ସେ ମୋତେ ନ କରେ ଆଦର ॥ ୩୮
ରାଜସମ୍ପଦ ଭୋଗ ଇଚ୍ଛା । କରଇ ନାନାମତେ ଦୀକ୍ଷା ॥ ୩୯
ଅଳପ ତପେ ତୋଷ ହୋନ୍ତି । ବେଗେ ବାଞ୍ଛିତ ଫଳ ଦ୍ୟନ୍ତି ॥ ୪୦
ଏମନ୍ତ ଦେବତାଙ୍କୁ ସେବି । ସୁଖ ସମ୍ପଦ ଅନୁଭବି ॥ ୪୧
କାଳେ ଲଭନ୍ତି ମହାଦୁଃଖ । କହି ହସନ୍ତି ପଦ୍ମମୁଖ ॥ ୪୨
ଏମନ୍ତ କୃଷ୍ଣର ବଚନ । କହିଲେ ବ୍ୟାସଙ୍କ ନନ୍ଦନ ॥ ୪୩
ପୁଣି ବୋଲନ୍ତି ଶୁଦ୍ଧଚିତ୍ତେ । ତିନି ଦେବତା ଏ ଜଗତେ ॥ ୪୪
ଶାପ ପ୍ରସାଦର ଈଶ୍ୱର । ବ୍ରହ୍ମା ଗୋବିନ୍ଦ ଶୁଳଧର ॥ ୪୫
ଶାପ ପ୍ରସାଦ ତତକ୍ଷଣେ । ଭକତେ ଦ୍ୟନ୍ତି ବେନି ଜନେ ॥ ୪୬
ଚତୁରାନନ ପଶୁପତି । ଏମନ୍ତେ ନୋହେ କୃଷ୍ଣଗତି ॥ ୪୭
ଏବେ ତୁ ଶୁଣ ତୋଷମନେ । ପୂର୍ବେ ପଣ୍ତିତ ମହାଜନେ ॥ ୪୮
କହିଲେ ଇତିହାସ ବାଣୀ । ତାହାଙ୍କ ମୁଖୁ ମୁହିଁ ଶୁଣି ॥ ୪୯
ଜାଣଇ ଈଶ୍ୱର ବେଭାର । ଶୁଣ କହିବା ତୋ ଛାମୁର ॥ ୫୦
ବୃକାସୁରକୁ ପୂର୍ବକା । ଈଶ୍ୱର ତାର ତପଫଳେ ॥ ୫୧
ପ୍ରସନ୍ନ ହୋଇ ବର ଦେଲେ । ବିଷମ ସଙ୍କଟେ ପଡ଼ିଲେ ॥ ୫୨
ଶକୁନି ନାମେ ମହାସୁର । ଘୋର ଦୁର୍ଗମ ବଳୀୟାର ॥ ୫୩
ମହାବଳିଷ୍ଠ ତା କୁମର । ନାମ ତାହାର ବୃକାସୁର ॥ ୫୪
ସୁର ଅସୁରେ ସେ ଅଜିତ । ଶୁଣ ତାହାର ବିପରୀତ ॥ ୫୫
ମୃଗୟା ଅର୍ଥେ ଏକଦିନେ । ପଥେ ଚଳଇ ଘୋରବନେ ॥ ୫୬
ଚିନ୍ତଇ ପଶୁଙ୍କ ପ୍ରମାଦ । ଏମନ୍ତେ ଭେଟିଲା ନାରଦ ॥ ୫୭
ପ୍ରମାଣ କରି ପାଦଯୁଗେ । କହଇ ନାରଦଙ୍କ ଆଗେ ॥ ୫୮
ଭୋ ମୁନିବର ଏ ଜଗତେ । ଦେବେ ଅଛନ୍ତି ନାନାମତେ ॥ ୫୯
ଭକତଜନ ତପଫଳେ । କେ ବର ଦ୍ୟନ୍ତି ଅଳ୍ପକାଳେ ॥ ୬୦
ତୁମ୍ଭର ମୁଖୁଁ ମୁହିଁ ଶୁଣି । ସେବା କରିବି ତଥ୍ୟ ଜାଣି ॥ ୬୧
ଶୁଣି ବୋଲନ୍ତି ବ୍ରହ୍ମଋଷି । ଅସୁର ବଚନ ପ୍ରଶଂସି ॥ ୬୨
ସାଧୁ ବିଚାର ଏ ତୋହର । ଈଶ୍ୱର ପାଦେ ସେବାକର ॥ ୬୩
ଚତୁରାନନ ଭଗବାନ । ଏହାଙ୍କ ତପେ ମହାବିଘ୍ନ ॥ ୬୪
ତାହାଙ୍କ ତପସ୍ୟା କଠୋର । ଅନେକ କାଳେ ଦ୍ୟନ୍ତି ବର ॥ ୬୫
ତୋହର ଭୋଗେ ଯେବେ ଇଚ୍ଛା । ବେଗେ ତୁ କର ହରଦୀକ୍ଷା ॥ ୬୬
ପୂର୍ବେ ରାବଣ ବାଣାସୁର । ତାଣ୍ତବେ ସେବି ଶୂଳଧର ॥ ୬୭
ଅନେକମତେ କଲେ ଭାବ । ପ୍ରସନ୍ନ ହୋଇ ସଦାଶିବ ॥ ୬୮
ଅତୁଳ ଅଇଶ୍ୱର୍ଯ୍ୟ ଦେଲେ । କାଳେ ସେ ସଙ୍କଟ ଲଭିଲେ ॥ ୬୯
ଏମନ୍ତ କହି ଗଲେ ମୁନି । ବୃକଦାନବ ତାହା ଶୁଣି ॥ ୭୦
ହିମକେଦାର କୁଣ୍ତେ ଯାଇ । ଅନଳ ଜାଳି ତପ ଦାହି ॥ ୭୧
ପରଶୁ ଘେନି ଦୃଢମୁଷ୍ଟି । ନିଜ ଶରୀରୁ ମାଂସ କାଟି ॥ ୭୨
ଘୃତେ ବୁଡ଼ାଇ ମନ୍ତ୍ର ତୋଳି । ଅନଳେ କ୍ଷେପେ ସ୍ୱାହା ବୋଲି ॥ ୭୩
ଅଗ୍ନି ବଦନେ ରୁଦ୍ରେ ଧ୍ୟାୟି । ଶରୀରୁ ସର୍ବ ମାଂସ ଦେଇ ॥ ୭୪
ଅତି କଠୋର ତପ କଲା । ରୁଦ୍ର ଦର୍ଶନ ନ ପାଇଲା ॥ ୭୫
ମନେ ବିଚାରେ ମହାସୁର । ଆଜି କାଟିବି ନିଜ ଶିର ॥ ୭୬
ପୂର୍ଣ୍ଣଆହୁତି କୁଣ୍ତେ ଦେବି । ଏମନ୍ତ ଦୃଢମନେ ଭାବି ॥ ୭୭
କେଦାରକୁଣ୍ତ ଜଳ ଶିରେ । ଆଣି ସିଞ୍ଚିଲା ବେନି କରେ ॥ ୭୮
ହର ସୁମରି ଶସ୍ତ୍ର ଧରି । ଅନଳକୁଣ୍ତେ ମୁଣ୍ତ କରି ॥ ୭୯
ପରଶୁ ପ୍ରହାରନ୍ତେ କନ୍ଧେ । ତକ୍ଷଣେ ଶଙ୍କର ଆନନ୍ଦେ ॥ ୮୦
ସେ କୁଣ୍ତୁ ହୋଇଲେ ବାହାର । ଅନଳ ପ୍ରାୟ ପଞ୍ଚଶିର ॥ ୮୧
ସଙ୍ଗେ ସୁନ୍ଦରୀ ନିଜ ନାରୀ । ଭୁଜେ ଅସୁର କର ଧରି ॥ ୮୨
ବୋଇଲେ ହୋଇଲି ମୁଁ ତୋଷ । ତୋହର ପୁରାଇବି ଆଶ ॥ ୮୩
ଈଶ୍ୱର କର ଦେହେ ଲାଗି । ଅସୁର ହୋଏ ସୁଖଭାଗୀ ॥ ୮୪
ତକ୍ଷଣେ ନିଜ ଦେହ ପାଇ । ତେଜେ ସୁନ୍ଦର ବିରାଜଇ ॥ ୮୫
ଦେଖି ତାହାର ଦିବ୍ୟ ତେଜ । ବୋଲନ୍ତି ପ୍ରଭୁ ଦେବରାଜ ॥ ୮୬
ତପେ ପ୍ରସନ୍ନ ମୁହିଁ ତୋତେ । ବର ତୁ ମାଗ ଦୃଢଚିତ୍ତେ ॥ ୮୭
ତୋର ଦୁର୍ଲ୍ଲଭ ତପଘୋର । ଯେ ତୋର ଇଚ୍ଛା ମାଗ ବର ॥ ୮୮
ଈଶ୍ୱର ଆଜ୍ଞା ପରମାଣେ । ଅସୁର ନମିଲା ଚରଣେ ॥ ୮୯
ଉଠି ଯୋଡିଣ ବେନି କର । ବୋଇଳ ଶୁଣ ଶୁଳଧର ॥ ୯୦
ମୁଁ ଯାର ମୁଣ୍ତେ ଦେବି କର । ଭସ୍ମ ହୋଇବ ତା ଶରୀର ॥ ୯୧
ଏମନ୍ତ ଅସୁର ବଚନେ । ଦୁଃଖ ବିଚାରି ରୁଦ୍ର ମନେ ॥ ୯୨
ହେଉ ବୋଇଲେ ତ୍ରିଲୋଚନ । ସର୍ପକୁ ଯେହ୍ନେ କ୍ଷୀରପାନ ॥ ୯୩
ବିଷ ବର୍ଦ୍ଧନ ମାତ୍ର ଲାଭ । ଦାତାର କାହିଁ ସୁଖଭାବ ॥ ୯୪
ଏମନ୍ତେ ରୁଦ୍ର ବର ପାଇ । ଅସୁର ନିଶ୍ଚଳେ ଅନାଇଁ ॥ ୯୫
ଈଶ୍ୱର ବାମଭୁଜ ଧରି । ବିରାଜେ ତ୍ରିପୁରାସୁନ୍ଦରୀ ॥ ୯୬
ଜଗନ୍ମୋହିନୀ ରୂପ ଚାହିଁ । ଅସୁର ମନେ ବିଚାରଇ ॥ ୯୭
ଏ ରୂପ ଅତି ଅଗୋଚର । ଭୁବନେ ନାହିଁ ପଟାନ୍ତର ॥ ୯୮
ତପର ଫଳମାତ୍ର ଏହୁ । ଏ କନ୍ୟା ମୋତେ ଭୋଗ ହେଉ ॥ ୯୯
ଈଶ୍ୱର ମୁଣ୍ତେ ହସ୍ତ ଦେଇ । ଏ କନ୍ୟା ଘେନି ଯିବି ମୁହିଁ ॥ ୧୦୦
ବର ପ୍ରତ୍ୟକ୍ଷ ଅନୁମାନ । ବିଡିବା ଈଶ୍ୱର ବଚନ ॥ ୧୦୧
ଏମନ୍ତ ମନେ ବିଚାରିଲା । ଈଶ୍ୱର ନିକଟେ ମିଳିଲା ॥ ୧୦୨
ତାହା ଜାଣିଲେ ଶୂଳଧର । ଅସୁର ତୋଳେ ବାମକର ॥ ୧୦୩
ଈଶ୍ୱର ମୁଣ୍ତେ ଦେବ ହସ୍ତ । ତା ଦେଖି ବେଗେ ଉମାକାନ୍ତ ॥ ୧୦୪
ରୁଦ୍ର ପଳାଇଲେ ପ୍ରତ୍ୟେକ୍ଷେ । ଅସୁର ଗୋଡାଇଲା ପଛେ ॥ ୧୦୫
ସ୍ୱଭାବେ ରୁଦ୍ର ମହାବଳ । ଧାଇଁଲେ ଅବନୀ ମଣ୍ତଳ ॥ ୧୦୬
ପଛକୁ ଚାହିଁ ଶିବ ଭୟେ । ଅସୁର ଲାଗେ ପାୟେ ପାୟେ ॥ ୧୦୭
ଦେଖି ବିକଳେ ଭୂମି ଛାଡି । ଶିବ ଧାଇଁଲେ ଶୂନ୍ୟ ମାଡି ॥ ୧୦୮
ସଙ୍ଗେ ଉଡିଲା ମହାସୁର । ଦେଖି ଡରିଲେ ସୁର ନର ॥ ୧୦୯
ରୁଦ୍ର ଧାମନ୍ତେ ଅନ୍ତରାଳେ । ଡାକନ୍ତି ରଖ ଦିଗପାଳେ ॥ ୧୧୦
ହରବଚନ ଶୁଣି କର୍ଣ୍ଣେ । ତ୍ରିଦଶେ ରହିଲେ ମଉନେ ॥ ୧୧୧
ନ ଶୁଣି ଦେବଙ୍କ ଉତ୍ତର । ଭୟେ ପଳାନ୍ତି ଦେବ ହର ॥ ୧୧୨
ପୁଣି ଚାହାନ୍ତି ପଛ ଭରେ । ଅସୁରକର ଲାଗେ ଶିରେ ॥ ୧୧୩
ଏମନ୍ତେ ରୁଦ୍ର ପଳାଇଲେ । ଭୂର୍ଲୋକ ଭୁବର୍ଲୋକେ ଗଲେ ॥ ୧୧୪
ସ୍ୱର୍ଲୋକ ମହର୍ଲୋକ ଜିଣି । ଜନଲୋକରେ ଶୂଳପାଣି ॥ ୧୧୫
ଡାକନ୍ତି ରଖ ମୁନିଜନେ । ବିଲୋଳ ବିକୃତ ବଚନେ ॥ ୧୧୬
ମୁନି ଯେ ଥିଲେ ତପଲୋକେ । ବାକ୍ୟ ନ ସ୍ପୁରେ ତାଙ୍କ ମୁଖେ ॥ ୧୧୭
ତହୁଁ ମିଳିଲେ ବ୍ରହ୍ମଲୋକେ । ମାୟା ଅସୁର ପଛେ ଡାକେ ॥ ୧୧୮
ତା ଶୁଣି ରୁଦ୍ର ଭୟଚିତ୍ତେ । ଧାଇଁଲେ ବଇକୁଣ୍ଠ ପଥେ ॥ ୧୧୯
ଭୟେ କାତର ଶୁଳଧର । ଡାକନ୍ତି ରଖ ଚକ୍ରଧର ॥ ୧୨୦
ତୁ ନିରଞ୍ଜନ ନାରାୟଣ । ରଖ ମୋହର ପଞ୍ଚପ୍ରାଣ ॥ ୧୨୧
ଶରଣ ପଶିଲି ତୋ ପାଦେ । ଡାକନ୍ତି ଶୋକ ଗଦଗଦେ ॥ ୧୨୨
ହେ ଦେବ ଦେବଙ୍କ ଈଶ୍ୱର । ମୋର ଜୀବନ ରକ୍ଷା କର ॥ ୧୨୩
ଭୟ କାତରେ ତୋ ଶରଣେ । ପଶିଲି ଅଭୟ ଚରଣେ ॥ ୧୨୪
ଦୁଷ୍ଟ ଦାନବ ପରାଭାବେ । ହେ ଗଦାଗ୍ରଜ ତୋତେ ଭାବେ ॥ ୧୨୫
ଏକଇ ଆତ୍ମା ତୋର ମୋର । ଏଣୁ ଏ ଅଶେଷ ସଂସାର ॥ ୧୨୬
ତୋହର ମାୟା କେବା ଜାଣି । ଅଶେଷ ଭୁବନେ ପ୍ରମାଣି ॥ ୧୨୭
ଏ ମାୟା ତୋହର ସର୍ଜନ । ଏଣେ ଅଶେଷ ତ୍ରିଭୁବନ ॥ ୧୨୮
ଯେ ମନ୍ଦ ଦୁଷ୍ଟ ମୂଢଜନେ । ତୁ ନାଥ ତାହାଙ୍କ ମାର୍ଜନେ ॥ ୧୨୯
ଜଗତେ ହେଉ ଅବତାର । ତୋ ପାଦନୀର ଗଙ୍ଗାଜଳ ॥ ୧୩୦
ଗୋବିନ୍ଦ ହେ ଗୋକୁଳ ପତି । ଶରଣ ରଖ ଦାଶରଥି ॥ ୧୩୧
ଭୋ ନାଥ ପ୍ରଭୁ ଚକ୍ରପାଣି । ଚତୁରାନନ ସ୍ତୁତି ଭଣି ॥ ୧୩୨
ତୁ ନାଥ ମୀନରୁପ ହେଳେ । ଧରି ପଶିଲୁ ସିନ୍ଧୁଜଳେ ॥ ୧୩୩
ତକ୍ଷଣେ ମାରି ଶଙ୍ଖାସୁର । ବେଦ ଉଦ୍ଧରି ଚକ୍ରଧର ॥ ୧୩୪
ତୋର ସଞ୍ଚିଲା ଏ ଜଗତ । ତୋହର ମାୟାରେ ମୋହିତ ॥ ୧୩୫
ତାହାଙ୍କୁ ସ୍ୱର୍ଗ ମୋକ୍ଷ ଦାନ । ଦେଇ କରାଉ ମହୀୟାନ ॥ ୧୩୬
ସଚରାଚର ମହୀସ୍ଥଳ । ଲୀଳାରେ କଲୁ ଆଦିମୂଳ ॥ ୧୩୭
ଗୋପୀ ବିନୋଦ ପରିପୂର୍ଣ୍ଣ । ଭୋ ନାଥ ତୋର ବେଣୁସ୍ୱନ ॥ ୧୩୮
କୋମଳ ଗଭୀର ଶବଦେ । ଗିରିକାନନ ପୂରେ ନାଦେ ॥ ୧୩୯
ଗୋପାଳବୃନ୍ଦ ରକ୍ଷା ଅର୍ଥେ । ଗିରି ତୋଳିଲୁ ବାମହସ୍ତେ ॥ ୧୪୦
ଏଣୁ ତୋ ନାମ ଗିରିଧର । ମୋର ଜୀବନ ରକ୍ଷାକର ॥ ୧୪୧
ଏମନ୍ତ ସ୍ତୁତି ରୁଦ୍ର ଭଣି । ଡାକନ୍ତି ରଖ ଚକ୍ରପାଣି ॥ ୧୪୨
ମିଳିଲେ ବଇକୁଣ୍ଠ ଦ୍ୱାରେ । କି ପଟାନ୍ତର ଦେବା ତାରେ ॥ ୧୪୩
ପରମଯୋଗୀଙ୍କର ମନ । ଯୋଗରେ ହୋଇ ଯହିଁ ଲୀନ ॥ ୧୪୪
ପରମବ୍ରହ୍ମ ଜ୍ୟୋତି ରୂପେ । ଯାହାର ତେଜ ବିଶ୍ୱବ୍ୟାପେ ॥ ୧୪୫
ଯହିଁ ଅଶେଷ ଲୋକଗତି । ଜନଜୀବନ ରମାପତି ॥ ୧୪୬
ଶିବ ବିକଳ କର୍ଣ୍ଣେ ଶୁଣି । ତକ୍ଷଣେ ପ୍ରଭୁ ଚକ୍ରପାଣି ॥ ୧୪୭
ମାୟାବଟୁକ ରୂପ ଧରି । ପଥେ ମିଳିଲେ ନରହରି ॥ ୧୪୮
ଚର୍ମମେଖଳା କଟିଭରେ । ତ୍ରିଦଣ୍ତ କମଣ୍ତଳୁ କରେ ॥ ୧୪୯
କଣ୍ଠେ ଲମ୍ବଇ ଅକ୍ଷମାଳ । ମାୟା -ମୂରତି ଆଦିମୂଳ ॥ ୧୫୦
ଅନଳ ପ୍ରାୟେ ତେଜ ଦିଶି । ପଥେ ମିଳିଲେ କୃଷ୍ଣ ଆସି ॥ ୧୫୧
କଲ୍ୟାଣ କରି କୁଶହସ୍ତେ । ବିନୋଇ ବାକ୍ୟ ନାନାମତେ ॥ ୧୫୨
ବୋଲନ୍ତି ପ୍ରଭୁ ଭଗବାନ । କୋମଳ ଗଭୀର ବଚନ ॥ ୧୫୩
- ଭଗବାନ ଉବାଚ
ଶକୁନି ପୁତ୍ର ତୁହି ଏକ । ତୋହର ନାମ ପରା ବୃକ ॥ ୧୫୫
ତୁ ଅତିଦୁଃଖେ ଶ୍ରାନ୍ତ ହୋଇ । ଗଗନେ କିମ୍ବା ଅଛୁ ଧାଇଁ ॥ ୧୫୬
ତୋର ସୁନ୍ଦର ନିଜ ତନୁ । ଅଖିଳ ଫଳ କାମଧେନୁ ॥ ୧୫୭
ଆତ୍ମାରେ ଅତି ଶ୍ରମ କରି । ହୃଦରେ ମହାକୋପ ଭରି ॥ ୧୫୮
କିମ୍ବା ଗଗନେ ପାଉ ଶ୍ରମ । ମୋ ଆଗେ କ୍ଷଣେ ତୁ ବିଶ୍ରମ ॥ ୧୫୯
କହ କି ଅର୍ଥେ ତୋ ଗମନ । ଶୁଣିତେ ଶ୍ରଦ୍ଧା ମୋର ମନ ॥ ୧୬୦
ପ୍ରାଣୀ ଯେ ଆପଣାର ହିତେ । କର୍ମ ସାଧନ୍ତି ଅବିରତେ ॥ ୧୬୧
କହ କେବଣ କଥା ତୋର । ହସି ବୋଲନ୍ତି ମାୟାଧର ॥ ୧୬୨
ବୋଲନ୍ତି ଶୁକ ମହାମୁନି । ଏମନ୍ତ କୃଷ୍ଣକଥା ଶୁଣି ॥ ୧୬୩
କୃଷ୍ଣର କହିଲା ସର୍ବକଥା । ଈଶ୍ୱର ତପସ୍ୟା ବ୍ୟବସ୍ଥା ॥ ୧୬୪
ଶୁଣି ହସିଲେ ଭଗବାନ । କହନ୍ତି ମୋହନ ବଚନ ॥ ୧୬୫
ରୁଦ୍ର ବୋଇଲେ ତୋତେ ଯାହା । ସତ ନ କରୁ ଆମ୍ଭେ ତାହା ॥ ୧୬୬
ଦକ୍ଷ ଯେ ପ୍ରଜାପତି ଥିଲା । କୋପେ ରୁଦ୍ରକୁ ଶାପ ଦେଲା ॥ ୧୬୭
ସେ ଶାପ ପାଇ ଦେବ ହର । କ୍ରୋଧ ବହିଲେ ନିରନ୍ତର ॥ ୧୬୮
ତେଣୁ ଦୁରାତ୍ମା ପଦ ପାଇ । ପ୍ରେତ ପିଶାଚ ମଧ୍ୟେ ଥାଇ ॥ ୧୬୯
ଭୂତ ବେତାଳ ପ୍ରତଗଣେ । ଭ୍ରମଇ ଶମଶାନ ସ୍ଥାନେ ॥ ୧୭୦
ତାର ବଚନେ ପ୍ରତେ କାହିଁ । ଭଲେ ଜାଣଇଁ ଏହା ମୁହିଁ ॥ ୧୭୧
ତୋର ବିଚାରେ ଯେବେ ରୁଚେ । ଏଠାରେ ବୁଝ ତୁ ପ୍ରତ୍ୟକ୍ଷେ ॥ ୧୭୨
ଆପଣା ମୁଣ୍ତେ ଦିଅ କର । କିଛି ହିଁ ନୋହିବ ତୋହର ॥ ୧୭୩
ତୋତେ ଭଣ୍ତିଲା ଯେଣୁ ମିଛେ । ତେଣୁ ସେ ପଳାଏ ପ୍ରତ୍ୟକ୍ଷେ ॥ ୧୭୪
ତୁ ତାହା ବାକ୍ୟ ସତ୍ୟ କରି । ଗଗନେ ଭ୍ରମୁ ଅନୁସରି ॥ ୧୭୫
ଏମନ୍ତ ଗୋବିନ୍ଦର ବାଣୀ । ଅସୁର ଚିତ୍ତେ ପରିମାଣି ॥ ୧୭୬
ବିଷ୍ଣୁମାୟାରେ ମୋହ ଗଲା । ଆପଣା ମୁଣ୍ତେ ହସ୍ତ ଦେଲା ॥ ୧୭୭
ତକ୍ଷଣେ ହୋଇ ଭସ୍ମରାଶି । ଗଗନେ ଉଡି ଦିଗେ ମିଶି ॥ ୧୭୮
ବଜ୍ରପ୍ରହାରେ ଗିରି ଯେହ୍ନେ । ବିବୁଧେ ଦେଖନ୍ତି ଗଗନେ ॥ ୧୭୯
କରନ୍ତି ଜୟ ଜୟ ବାଣୀ । ନାମ ଶବଦେ ସ୍ତୁତି ଭଣି ॥ ୧୮୦
ସାଧୁଶବଦ ଦଶଦିଶେ । ଆକାଶୁଁ କୁସୁମ ବରଷେ ॥ ୧୮୧
ପାପିଷ୍ଠ ବକାସୁର ନାଶେ । ରୁଦ୍ର ମିଳିଲେ କୃଷ୍ଣ ପାଶେ ॥ ୧୮୨
ପିତୃ ଦେବତା ଋଷିଗଣ । ସଙ୍ଗତେ ଅମ୍ବିକାରମଣ ॥ ୧୮୩
ଅସୁର ସଂକଟୁ ନିସ୍ତରି । ହରିଙ୍କି ଆଲିଙ୍ଗନ କରି ॥ ୧୮୪
ଗୋବିନ୍ଦ ହରମୁଖ ଚାହିଁ । ବୋଲନ୍ତି କରେ କର ଦେଇ ॥ ୧୮୫
ହେ ଦେବ ଦେବଙ୍କ ଈଶ୍ୱର । ତୋ ଅପରାଧୀ ଏ ଅସୁର ॥ ୧୮୬
ଅର୍ଜିତ କର୍ମେ ଗଲା ନାଶ । ଏ ସତ୍ୟ ଧର୍ମର ବିଶ୍ୱାସ ॥ ୧୮୮
ଦେବହେଳନ ଯେ କରନ୍ତି । ସ୍ୱକର୍ମ ଫଳ ସେ ଭୁଞ୍ଜନ୍ତି ॥ ୧୮୯
ଏମନ୍ତେ କୃଷ୍ଣର ବଚନେ । ଗଲେ ସେ ଯେ ଯାହା ଭୁବନେ ॥ ୧୯୦
କହନ୍ତି ଶୁକ ମହାମୁନି । ଶୁଣ ରାଜନ ଚୂଡାମଣି ॥ ୧୯୧
ଗିରିଶ ମୋକ୍ଷ ଯେ ଶୁଣନ୍ତି । ସର୍ବ ସଙ୍କଟୁ ନିସ୍ତରନ୍ତି ॥ ୧୯୨
ହରି ମହିମା ଦୃଢ ଚିତ୍ତେ । ସୁଜନେ ଶୁଣ ଭାଗବତେ ॥ ୧୯୩
ସୁଜନେ ଏଣେ କର ଚିତ୍ତ । କହଇ ଦାସ ଜଗନ୍ନାଥ ॥ ୧୯୪
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ଦଶମସ୍କନ୍ଧେ ଉତ୍ତରାର୍ଦ୍ଧେ ରୁଦ୍ରମୋକ୍ଷଣଂ
ନାମ ଚତୁର୍ନବତିତମ ଅଧ୍ୟାୟ ॥
ପଞ୍ଚନବତିତମ ଅଧ୍ୟାୟ
[ସମ୍ପାଦନା]- ଶୁକ ଉବାଚ
ଶୁଣ ରାଜନ ପରୀକ୍ଷିତ । କୃଷ୍ଣ ମହିମା ଭାଗବତ ॥ ୧
ପୂର୍ବେ ଯେ ସରସ୍ୱତୀ ତୀରେ । ମିଳି ସକଳ ମୁନିବରେ ॥ ୨
ଯଜ୍ଞ କରିବା ଅନୁମତେ । ବିଚାର କଲେ ସର୍ବଶାସ୍ତ୍ରେ ॥ ୩
ଜଗତେ ଦେବଦେବ ତିନି । ବିଷ୍ଣୁ ଶଙ୍କର ପଦ୍ମଯୋନି ॥ ୪
ଏ ତିନି ମଧ୍ୟେ ଯେ ପ୍ରଧାନ । ସେ ଆମ୍ଭର ଯଜ୍ଞରେ ବରଣ ॥ ୫
ଏମନ୍ତେ କରି ସନମତ । ଭୃଗୁ ନାମେଣ ବ୍ରହ୍ମାସୁତ ॥ ୬
ଏ ତିନି ଦେବତା କଳନେ । ତାହାଙ୍କୁ ପେଶି ଦୂତପଣେ ॥ ୭
ବୋଇଲେ ବଚନ ବିଶ୍ୱାସ । ତିନି ଦେବଙ୍କୁ ବରି ଆସି ॥ ୮
ଋଷିଙ୍କ ଆଜ୍ଞା ଘେନି ବେଗେ । ଭୃଗୁ ଚଳିଲେ ଶୂନ୍ୟମାର୍ଗେ ॥ ୯
ବ୍ରହ୍ମାର ସଭା ମଧ୍ୟେ ଯାଇ । ଭୃଗୁ ମିଳିଲେ ଛଳ ବହି ॥ ୧୦
ବ୍ରହ୍ମାଙ୍କୁ ଛଳିବାର ଆଶେ । ଅବଜ୍ଞା କରି ବସି ପାଶେ ॥ ୧୧
ବ୍ରହ୍ମାଙ୍କୁ ପ୍ରଣାମ ନକଲେ । ସ୍ତୁତି ବଚନ ନ ବୋଇଲେ ॥ ୧୨
ତା ଦେଖି ବ୍ରହ୍ମା ମହାକୋପି । ଗାଢେ ଦଶନେ ଓଷ୍ଠ ଚାପି ॥ ୧୩
ବୋଲନ୍ତି ଜ୍ୟେଷ୍ଠପୁତ୍ର ଏହି । ଏ ମୋତେ ଅବଜ୍ଞା ସେ ବହି ॥ ୧୪
ପୁଣି ବିଚାରି ଦିବ୍ୟଜ୍ଞାନେ । ପୁତ୍ରଙ୍କୁ ନାଶିବା କେସନେ ॥ ୧୫
ଏହାକୁ କଲେ ଆଜ ନାଶ । ମୋତେ ହୋଇବ ଅପଯଶ ॥ ୧୬
ଏତେ ବିଚାରି ଦୁଷ୍ଟମନ । ତକ୍ଷଣେ ବ୍ରହ୍ମା କଲେ ଶମ ॥ ୧୭
ଅନଳ ଯେହ୍ନେ ଜଳ ପାଇ । ଲିଭଇ କୁଣ୍ତ ମଧ୍ୟେ ଥାଇ ॥ ୧୮
ଭୃଗୁକୁ ପୁତ୍ରଭାବ ଘେନି । ଶାନ୍ତ ହୋଇଲେ କୁଶପାଣି ॥ ୧୯
ତାହା ଜାଣିଲେ ବ୍ରହ୍ମାସୁତ । କପୋଳେ ଦେଇ ଘେନି ହସ୍ତ ॥ ୨୦
ପ୍ରଣମି ବ୍ରହ୍ମାଙ୍କ ଚରଣେ । ଭୃଗୁ ଚଳିଲେ ତତକ୍ଷଣେ ॥ ୨୧
ପଥେ ଚଳନ୍ତେ ମନତୋଷେ । ମିଳିଲେ କଇଳାସ ଦେଶେ ॥ ୨୨
ରୁଦ୍ର ଉଠିଲେ ଭୃଗୁ ଚାହିଁ । ବୋଲନ୍ତି ଏ ମୋ ଜ୍ୟେଷ୍ଠଭାଇ ॥ ୨୩
ଧାଇଁଲେ ଆଲିଙ୍ଗନ ଆଶେ । ଭୃଗୁ ଚଳିଲେ ବାମ ପାଶେ ॥ ୨୪
ତା ଦେଖି ରୁଦ୍ର କୋପଭରେ । ବେଗେ ତ୍ରିଶୁଳ ଧରି କରେ ॥ ୨୫
ଧାଇଁଲେ ଅରୁଣଲୋଚନେ । ଦହିବା ପ୍ରାୟ ତ୍ରିଭୁବନେ ॥ ୨୬
ତା ଦେଖି ଭୃଗୁ କରଯୋଡି । ବେଗେ ଶଙ୍କର ପାଦେ ପଡି ॥ ୨୭
ଅନେକ ସ୍ତୁତିବାକ୍ୟ ଭଣି । ଶାନ୍ତ କରାଇ ଶୂଳପାଣି ॥ ୨୮
ଅନେକ ମତେ ଭାବ କଲେ । ତକ୍ଷଣେ ବଇକୁଣ୍ଠ ଗଲେ ॥ ୨୯
ଦ୍ୱାରେ ପଶନ୍ତେ ବ୍ରହ୍ମାସୂତ । ଶୁଣିଲେ ବିଷ୍ଣୁ ନିଦ୍ରାଗତ ॥ ୩୦
ମୁହୂର୍ତ୍ତେ ରହି ଅବକାଶେ । ତକ୍ଷଣେ ଭୃଗୁ ମହାରୋଷେ ॥ ୩୧
ବିଷ୍ଣୁ ଶୟନସ୍ଥାନେ ମିଳି । ନିଦ୍ରା ଅଚେତ ବନମାଳୀ ॥ ୩୨
ଉତ୍ତାନ ଶୟନେ ଆନନ୍ଦେ । ତା ଦେଖି ଭୃଗୁ ମହା କ୍ରୋଧେ ॥ ୩୩
ବ୍ରାହ୍ମଣପଣେ ଗର୍ବ ବହି । ପାଦେ ମାଇଲେ ହୃଦେ ନେଇ ॥ ୩୪
କୋପେ ଗର୍ଜନ୍ତି ଗରୁତର । ଶୁଣି ଉଠିଲେ ଚକ୍ରଧର ॥ ୩୫
ଲକ୍ଷ୍ମୀର କରେ ଧରି ମୁଷ୍ଟି । ପଲ୍ୟଙ୍କୁ କୃଷ୍ଣ ବେଗେ ଉଠି ॥ ୩୬
ବିପ୍ରଚରଣେ ତଳେ ପଡି । ବୋଲନ୍ତି ବେନିକର ଯୋଡି ॥ ୩୭
ଭୋ ବିପ୍ର ତୋର ଆଗମନ । ଆଜ ଶରୀର ମୋର ଧନ୍ୟ ॥ ୩୮
ଭୋ ବିପ୍ର ବସ ଏ ଆସନେ । ଅପ୍ରାଧ କଲି ମୁଁ ଅଜ୍ଞାନେ ॥ ୩୯
ଏ ଅପରାଧ କ୍ଷମା କର । କୋମଳ ଚରଣ ତୁମ୍ଭର ॥ ୪୦
କଠୋର ହୃଦୟେ ବାଜିଲା । ମୋ ମନେ କଷ୍ଟ ଉପୁଜିଲା ॥ ୪୧
ନପୁଣ ବଥାଇ ଚରଣ । ଏମନ୍ତ ବୋଲି ନାରାୟଣ ॥ ୪୨
ବିପ୍ରଚରଣ ଜଳେ ଧୋଇ । ପାଦଉଦକ ଶିରେ ଲଇଁ ॥ ୪୩
ଆଜ ଶରୀର ମୋର ଧନ୍ୟ । ପବିତ୍ର ହୋଇଲା ଜୀବନ ॥ ୪୪
ଏ ବିଶ୍ୱ ସଂସାର ସମେତ । ଲୋକପାଳକ ଛନ୍ତି ଯେତେ ॥ ୪୫
ଆଜ ପବିତ୍ର ଏ ସକଳେ । ତୋ ପାଦରଜ ତୀର୍ଥଜଳେ ॥ ୪୬
ଭୋ ବିପ୍ରବର ମୋର ହୃଦେ । କମଳା ବସଇ ଆନନ୍ଦେ ॥ ୪୭
ଆଜ ପବିତ୍ର ମୋର ଘର । ଧନ୍ୟ ଏ ଜୀବନ ମୋହର ॥ ୪୮
ଅତି ଆଦରେ ନାରାୟଣ । ପୂଜିଲେ ଭୃଗୁର ଚରଣ ॥ ୪୯
ମଧୁର ବାକ୍ୟେ ଲକ୍ଷ୍ମୀପତି । ବ୍ରାହ୍ମଣ ମନ କଲେ ଶାନ୍ତି ॥ ୫୦
ବିଷ୍ଣୁ ମହିମା ଗୁଣ ଦେଖି । ଭୃଗୁ ବୁଜିଲେ ବେନି ଆଖି ॥ ୫୧
କଣ୍ଠକୁଣ୍ଠିତ ମନ୍ଦସ୍ୱର । ରୋମପୁଲକ କଳେବର ॥ ୫୨
ବିଷ୍ଣୁର ଭାବ ହୃଦେ ବହି । ଭୃଗୁ ଚଳିଲେ ତୋଷ ହୋଇ ॥ ୫୩
ଏମନ୍ତେ ବିଷ୍ଣୁଭାବ ଭୋଳେ । ମିଳିଲେ ସରସ୍ୱତୀ କୂଳେ ॥ ୫୪
ବ୍ରହ୍ମଋଷିଙ୍କ ମଧ୍ୟେ ଯାଇ । ବୋଲନ୍ତି ଶିରେ କର ଦେଇ ॥ ୫୫
ବ୍ରାହ୍ମଣ କହେ ସର୍ବକଥା । ଯାହାର ଯେମନ୍ତ ବ୍ୟବସ୍ଥା ॥ ୫୬
ଭୃଗୁବଚନ ବିପ୍ରେ ଶୁଣି । ବିଷ୍ଣୁ ମହିମା ପରିମାଣି ॥ ୫୭
ଯେ ହରି ଜଗତଠାକୁର । ମିତ୍ର ଅଇରି ନାହିଁ ଯାର ॥ ୫୮
ତାର ସ୍ମରଣେ ମନ ଶାନ୍ତି । ନ ଲାଗେ ଭବବନ୍ଧ ଭ୍ରାନ୍ତି ॥ ୫୯
ଯାର ଚିନ୍ତନେ ଧର୍ମଜ୍ଞାନ । ଶୁଚି ନିଷ୍କାମେ ଯୋଗ କ୍ଷେମ ॥ ୬୦
ନିର୍ମଳ ଯଶ ବିକାଶଇ । ଯାର ସ୍ମରଣେ ପାପ ନାହିଁ ॥ ୬୧
ମୁନି ସନ୍ନ୍ୟାସୀ ଶାନ୍ତନର । ସମଦରଶୀ ଚିତ୍ତ ଯାର ॥ ୬୨
ଯେ ଅବା ଅକିଞ୍ଚନ ଜନ । ତାହାଙ୍କ ଗତି ଭଗବାନ ॥ ୬୩
ଯା ପ୍ରିୟରୂପ ସତ୍ତ୍ୱଗୁଣ । ଯା ଇଷ୍ଟ ଦେବତା ବ୍ରାହ୍ମଣ ॥ ୬୪
ତାହାକୁ ଯଜ୍ଞେ ପୂଜା କରି । ସକଳ ଦୁଃଖ ଅପହରି ॥ ୬୫
ତ୍ରିଗୁଣେ ତିନି ରୂପ ତାର । ରାକ୍ଷସ ଅସୁର ଯେ ସୁର ॥ ୬୬
ଯେ ରୂପ ସତ୍ତ୍ୱଗୁଣମୟ । ତହୁଁ ମିଳିଲା ସର୍ବଶ୍ରେୟ ॥ ୬୭
ନିର୍ମଳ ଚିତ୍ତେ ମୁନିଗଣେ । କାନନେ ନିଶ୍ଚଳେ ଆସନେ ॥ ୬୮
ଗୋବିନ୍ଦପାଦେ ଧ୍ୟାନ କରି । ହେଳେ ତରିଲେ ଭବବାରି ॥ ୬୯
ବୋଲଇ ବିପ୍ର ଜଗନ୍ନାଥ । କୃଷ୍ଣ ମହିମା ବ୍ୟାସସୁତ ॥ ୭୦
ଯାହା କହିଲେ ରାଜା ଆଗେ । ସୁଜନେ ଚିନ୍ତ ସେହି ମାର୍ଗେ ॥ ୭୧
ପୁରାଣ ଭାଗବତ ବାଣୀ । କେ କହିପାରେ ପରିମାଣି ॥ ୭୨
କୃଷ୍ଣ ସକଳ ପ୍ରାଣୀ ଦେହେ । ଦୃଶ୍ୟଅଦୃଶ୍ୟେ ଜ୍ଞାନମୋହେ ॥ ୭୩
ନିର୍ଲେପ ସାକ୍ଷୀରୂପ ହୋଇ । ଯାହାକୁ ଯେତେ ଜ୍ଞାନ ଦେଇ ॥ ୭୪
ସକଳ ଜନ୍ତୁ ଚିତ୍ତଗତେ । ଗତ ଆଗତ କର୍ମପଥେ ॥ ୭୫
ଭ୍ରମଣ ଦୁଃଖ କରେ ଦୂର । ଯେବେ ଭଜଇ ତା ପୟର ॥ ୭୬
ଶୁଣ ରାଜନ ସାବଧାନେ । ବ୍ରାହ୍ମଣ ଦ୍ୱାରକା ଭୁବନେ ॥ ୭୭
ସେ ବିପ୍ର ଦ୍ୱାରକା ବସତି । ପତ୍ନୀର ଗର୍ଭେ ତା ସନ୍ତତି ॥ ୭୮
ଗର୍ଭପ୍ରସବ କାଳେ ତାର । ଯେତେ ଉପୁଜିଲେ କୁମର ॥ ୭୯
ଗର୍ଭରେ ଦଶମାସ ଥାନ୍ତି । ଭୂମିରେ ପଡିଲେ ମରନ୍ତି ॥ ୮୦
ସେ ମୃତପିଣ୍ତ କୋଳେ ଧରି । ବିପ୍ର ବିକଳେ ଶୋକ କରି ॥ ୮୧
କୃଷ୍ଣର ଦ୍ୱାରେ ନେଇ ଥୋଇ । ବିପ୍ର ବୋଲଇ କୋପ ବହି ॥ ୮୨
ବ୍ରହ୍ମହିଂସକ ଯଦୁବଂଶ । ଶଠ ହୃଦୟ ଅବିଶ୍ୱାସ ॥ ୮୩
ନିର୍ଦ୍ଦୟ ବୁଦ୍ଧି ଦୁରାଚାର । ଦୁଃଶୀଳ ପାପିଷ୍ଠ ଆମର ॥ ୮୪
ଗର୍ବିତ ବିଷୟ ବିଳାସେ । ଏମନ୍ତ ରାଜା କର୍ମଦୋଷେ ॥ ୮୫
ଦଣ୍ତେ ନଥାଇ ଏହା ଦେଶେ । ଏମନ୍ତ ବୋଲି ମହାରୋଷେ ॥ ୮୬
ମୋ ପୁତ୍ର ଜନ୍ମକାଳେ ମଲା । ଏମନ୍ତ ବୋଲି ଶୋକ କଲା ॥ ୮୭
ପୁଣି ବୋଲଇ ଖେଦଚିତ୍ତେ । ଏ ଦୁଷ୍ଟକାଳ ବିପରୀତେ ॥ ୮୮
ହିଂସା ବେଭାର ନରରାୟ । ଦୁଃଶୀଳ ଅଜିତ ଇନ୍ଦ୍ରିୟ ॥ ୮୯
ଏମନ୍ତ ନରପତି ଦେଶେ । ଯେ ପ୍ରଜା ରହନ୍ତି ବିଶ୍ୱାସେ ॥ ୯୦
ଦୁଃଖୀ ଦରିଦ୍ର ହୋନ୍ତି ନିତ୍ୟେ । ମରନ୍ତି କାଳ ଅପ୍ରାପତେ ॥ ୯୧
ଏମନ୍ତେ ବାଳକ ପକାଇ । ବିପ୍ର କାନ୍ଦଇ ଗୃହେ ଚାହିଁ ॥ ୯୨
ଏମନ୍ତେ ପ୍ରତି ସମ୍ବତ୍ସରେ । ପୁତ୍ର ମରନ୍ତେ ବିପ୍ରଘରେ ॥ ୯୩
ପୁଣି ପକାଇ ରାଜଦ୍ୱାରେ । ବିପ୍ର କାନ୍ଦଇ ଉଚ୍ଚସ୍ୱରେ ॥ ୯୪
ନିତ୍ୟେ ନିନ୍ଦଇ କୃଷ୍ଣ ରାମ । ବିପ୍ର ସ୍ୱଭାବେ ଗରୁତମ ॥ ୯୫
ଏକ ଦ୍ୱିତୀୟ ବୋଲି ଗଣେ । ତୃତୀୟ ଚତୁର୍ଥ ପ୍ରମାଣେ ॥ ୯୬
କୃଷ୍ଣର ଦ୍ୱାରେ ପୁତ୍ର ଥୋଇ । କୋପେ ଅନେକ ଗାଳି ଦେଇ ॥ ୯୭
ଏମନ୍ତେ ନବ ପୁତ୍ର ମଲା । ଶୁଣ ହୋ ଶ୍ରୀକୃଷ୍ଣର ଲୀଳା ॥ ୯୮
ଅର୍ଜୁନ ଥିଲା ନିଜ ଦେଶେ । ଏକଥା ଶୁଣି ସେ ବିଶ୍ୱାସେ ॥ ୯୯
ମିଳିଲା ରାଜଦ୍ୱାରେ ଆସି । ଦେଖିଲା ବିପ୍ର ଅଛି ବସି ॥ ୧୦୦
ମୃତବାଳକ ଧରି କୋଳେ । କାନ୍ଦଇ ଜୀବନ ବିକଳେ ॥ ୧୦୧
ନିନ୍ଦଇ ରାମ ବନମାଳୀ । ଗର୍ଜଇ କୋପେ ଦେଇ ଗାଳି ॥ ୧୦୨
ବିଷ୍ଣୁନନ୍ଦନ ବାକ୍ୟ ଶୁଣି । କୋପେ ଚାହିଁଲା ବୀରମଣି ॥ ୧୦୩
ବ୍ରାହ୍ମଣ ବୋଲି ଭୟ ପାଇ । କର ଅଞ୍ଜଳି ଶିରେ ଦେଇ ॥ ୧୦୪
ବୋଲଇ ଶୁଣ ବିପ୍ରବର । ଏ କୋପ ଶୋକ ତୁ ସଂହର ॥ ୧୦୫
ତୋହର ରାଜ୍ୟେ ବିପ୍ରବର । ବୀର କି ନାହିଁ ଧନୁର୍ଦ୍ଧର ॥ ୧୦୬
ବ୍ରାହ୍ମଣ ପ୍ରାୟ ଯଜ୍ଞ କରି । କିବା ବୁଲନ୍ତି ପେଟ ଭରି ॥ ୧୦୭
ଧନ ତନୟ ଦାରାଯୁତେ । ଯହିଁ ବ୍ରାହ୍ମଣ ଶୋକଚିତ୍ତେ ॥ ୧୦୮
ଜନ ପରଜା ଯହିଁ ଦୁଃଖୀ । ପଣ୍ତିତ ଜନେ ନିରିମାଖି ॥ ୧୦୯
ସେ ରାଜା ରାଜକୁଳେ ହୀନ । ଧିକତ ତାହାର ଜୀବନ ॥ ୧୧୦
ଜନ ପରଜା ନ ରଖନ୍ତି । ନଟଙ୍କ ପ୍ରାୟ ସେ ଜୀଅନ୍ତି ॥ ୧୧୧
ଏବେ ହୋ ବିପ୍ରବର ଶୁଣ । ଦେଖ ମୋହର ବୀରପଣ ॥ ୧୧୨
ଧନୁ ଗାଣ୍ତୀବେ ଗୁଣ ଦେଇ । ତୋ ରିପୁ ସଂହାରିବି ମୁହିଁ ॥ ୧୧୩
ରଖିବି ତୋହର ବାଳକ । ମୋର ପ୍ରତିଜ୍ଞା ଏବେ ଦେଖ ॥ ୧୧୪
ପ୍ରସବକାଳେ ତୋର ଘରେ । ମୁଁ ଧନୁ ଧରିଥିବି କରେ ॥ ୧୪୫
ରଖିବି ତୋହର କୁମର । ସତ୍ୟବଚନ ଏ ମୋହର ॥ ୧୪୬
ଦେଖ ମୋହର ଧନୁଦୀକ୍ଷା । ଯେବେ ନ ପାରେ କରି ରକ୍ଷା ॥ ୧୪୭
ଅନଳେ ଛାଡିବି ମୁଁ ପ୍ରାଣ । ତା ଶୁଣି ବୋଲଇ ବ୍ରାହ୍ମଣ ॥ ୧୪୮
ସଙ୍କରଷଣ ଦାମୋଦର । ପ୍ରଦ୍ୟୁମ୍ନ ରୁକ୍ମିଣୀକୁମର ॥ ୧୪୯
ଶାମ୍ବକୁମର ଅନିରୁଦ୍ଧ । ଧନୁ ସଂଗ୍ରାମେ ମହାଯୋଦ୍ଧ ॥ ୧୫୦
ଏ ସର୍ବେ ମୋ ପୁତ୍ର ରକ୍ଷଣେ । କ୍ଷମ ନୋହିଲେ କେହି ଜଣେ ॥ ୧୫୧
କି ଅର୍ଥେ ରଖିବି ମୁଁ ଆଶା । ଦେଖାଇ କରୁଛୁ ଭରସା ॥ ୧୫୨
ଏଣେ ମୋହର ପ୍ରତେ ନାହିଁ । ତୋ ବୀରପଣ ମୁଁ ଜାଣଇ ॥ ୧୫୩
ଶୁଣି ଅର୍ଜୁନ କୋପଭରେ । ଶ୍ରୀ ଜଗନ୍ନାଥ ଭରସାରେ ॥ ୧୫୪
ବୋଲଇ ଧନୁ ଧରି କର । ଭୋ ବିପ୍ର ସତ୍ୟ ଏ ମୋହର ॥ ୧୫୫
ଭୋ ବିପ୍ର ଶୁଣ ମୋ ବଚନ । ମୁଁ ନୋହେ ରୋହିଣୀନନ୍ଦନ ॥ ୧୫୬
କୃଷ୍ଣ ପ୍ରଦ୍ୟୁମ୍ନ ନୋହେ ମୁହିଁ । ଅର୍ଜୁନ ନାମ ମୁଁ ବୋଲାଇ ॥ ୧୫୭
ଦେଖ ଗାଣ୍ତୀବଧନୁ ମୋର । ରଣେ ମୁଁ ତୋଷିଲି ଈଶ୍ୱର ॥ ୧୫୮
ଅକ୍ଷୟ ତୂଣ ମୋର ହସ୍ତେ । ଏକଥା ବିଦିତ ଜଗତେ ॥ ୧୫୯
ମୃତ୍ୟୁଦେବତା ରଣେ ଜିଣି । ତୋର ବାଳକ ଦେବି ଆଣି ॥ ୧୬୦
ନ ଦେଲେ ଛାଡିବି ଜୀବନ । ଶୁଣି ସାନନ୍ଦ ବିପ୍ରମନ ॥ ୧୬୧
ମୃତବାଳକ ରାଜଦ୍ୱାରେ । ଥୋଇ ଚଳିଲା ନିଜ ପୁରେ ॥ ୧୩୨
ଶୋକ ହରଷ ଖେଦଛନ୍ନେ । ଅର୍ଜୁନ ତେଜ ଗୁଣ ମନେ ॥ ୧୩୩
ଏମନ୍ତେ ସମ୍ବତ୍ସର ପରେ । ବିପ୍ର କାମିନୀ ନିଜ ଘରେ ॥ ୧୩୪
ଗର୍ଭ ହୋଇଲା ଦଶମାସ । ଦେଖି ବ୍ରାହ୍ମଣ ମନେ ତ୍ରାସ ॥ ୧୩୫
ବିକଳେ ଅର୍ଜୁନ ସୁମରି । ଉଚ୍ଚେ ଡାକଇ ନାମ ଧରି ॥ ୧୩୬
ହେ ବୀରମଣି ରକ୍ଷାକର । ମରଣ ମୁଖୁଁ ମୋ କୁମର ॥ ୧୩୭
ଶୁଣି ଅର୍ଜୁନ ବେଗେ ଧାଇଁ । ମିଳିଲା ବିପ୍ରଦ୍ୱାରେ ଯାଇ ॥ ୧୩୮
କର ଚରଣ ମୁଖ ଧୋଇ । ତକ୍ଷଣେ ଶୁଚିମନ୍ତ ହୋଇ ॥ ୧୩୯
ହର ଗଉରୀ ପାଦ ଚିନ୍ତି । ନମଇଁ ପୁଣପୁଣ କ୍ଷିତି ॥ ୧୪୦
ଗାଣ୍ତୀବେ ଗୁଣ ଦେଇ କରେ । ମନ୍ତ୍ର ସୁମରି ବିପ୍ରଘରେ ॥ ୧୪୧
ରୁନ୍ଧିଲା ନାନାଶସ୍ତ୍ର ଯୋଗେ । ବିପ୍ରଭୁବନ ଦଶଦିଗେ ॥ ୧୪୨
ପଞ୍ଜୁରୀ ମଧ୍ୟେ ଯେହ୍ନେ ପକ୍ଷୀ । ବିପ୍ରଭୁବନ ତେହ୍ନେ ଲକ୍ଷ୍ୟ ॥ ୧୪୩
ଏମନ୍ତେ ଜନ୍ମିଲା ନନ୍ଦନ । ଅର୍ଜୁନ ଶୁଣିଲା ରୋଦନ ॥ ୧୪୪
ଭୂମି ସ୍ପରଶେ ଶୂନ୍ୟେ ଗଲା । ବାଳକ କେହି ନ ଦେଖିଲା ॥ ୧୪୫
ତକ୍ଷଣେ ବିପ୍ର କୋପଭରେ । ମିଳିଲା ଅର୍ଜୁନ ଛାମୁରେ ॥ ୧୪୬
ବୋଲଇ ପୁରୁଷ ବଚନ । ଧିକ ଅର୍ଜୁନ ତୋ ଜୀବନ ॥ ୧୪୭
ତୋହର ନପୁଂସକ ବାଣୀ । ମୁହିଁ ପାପିଷ୍ଠ ତାହା ଶୁଣି ॥ ୧୪୮
ନ ଜାଣି ହୋଇଲି ହରଷ । ଏବେ ମୁଁ ନିଶ୍ଚୟେ ନିରାଶ ॥ ୧୪୯
ମୃତବାଳକ ଧରି କୋଳେ । ଦଣ୍ତେ ଦେଖଇ ବେନିଡୋଳେ ॥ ୧୫୦
ଏବେ ମୋ ପୁତ୍ରକ୍ଷ ଗଲା କେଣେ । ଧନ୍ୟ ଅର୍ଜୁନ ବୀରପଣେ ॥ ୧୫୧
ରୁକ୍ମିଣୀପୁତ୍ର ମହାଯୋଦ୍ଧ । ତାହାର ପୁତ୍ର ଅନିରୁଦ୍ଧ ॥ ୧୫୨
ସଙ୍କରଷଣ ଜଗନ୍ନାଥ । ଏ ଯହିଁ ନୋହିଲେ ସମର୍ଥ ॥ ୧୫୩
କାହାର ବଳ ରକ୍ଷା କରି । ମର୍ତ୍ତେ ମାନବ ଦେହ ଧରି ॥ ୧୫୪
ଧିକ ତୋହର ମିଥ୍ୟା ବାଣୀ । ପ୍ରତିଜ୍ଞା କଲୁ ତୁ ନ ଜାଣି ॥ ୧୫୫
ଧିକ ଗାଣ୍ତିବଧନୁ ତୋର । ବିବିଧ ଶସ୍ତ୍ର ଉପହାର ॥ ୧୫୬
ଦଇବେ ହତକର୍ମ ତୋର । କୁମତି ପାପିଷ୍ଠ ପାମର ॥ ୧୫୭
ମୁଖେ ଯେ କହୁ ଗର୍ବରାଣୀ । ଆପଣାବଳ ତୁ ନ ଜାଣି ॥ ୧୫୮
ଏମନ୍ତ ବିପ୍ର କୋପବାଣୀ । ଅର୍ଜୁନ ସାବଧାନେ ଶୁଣି ॥ ୧୫୯
ବିବିଧ ମତେ ବିଧି କରି । ଗାଣ୍ତବୀ ଧନୁ କରେ ଧରି ॥ ୧୬୦
ମିଳିଲା ଯମର ଭୁବନେ । ରବିକୁମାର ସନ୍ନିଧାନେ ॥ ୧୬୧
ତାହାର ପୁରେ ବିପ୍ରସୁତ । ଅର୍ଜୁନ ଖୋଜିଲା ବହୁତ ॥ ୧୬୨
ନ ପାଇ ମନ ଦୁଃଖ କରି । ପୁଣି ମିଳିଲା ଇନ୍ଦ୍ରପୁରୀ ॥ ୧୬୩
ତହିଁ ନ ପାଇ ବିପ୍ରସୁତ । ଅଗ୍ନିଭୁବନେ ଉପଗତ ॥ ୧୬୪
ନ ପାଇ ନଈରତ ଦେଶେ । କୋପେ ମିଳିଲା ସୋମ ପାଶେ ॥ ୧୬୫
ତହିଁ ନ ପାଇ ବିପ୍ରବାଳା । ବରୁଣ ନଗରେ ମିଳିଲା ॥ ୧୬୬
ତହିଁ ନ ପାଇ ବେଗେ ଯାଇ । କୁବେର ଭୁବନେ ଖୋଜଇ ॥ ୧୬୭
ନ ଦେଖି ବିପ୍ରବର ସୁତ । ବିସ୍ମୟେ ଭାଳି ବୀର ପାର୍ଥ ॥ ୧୬୮
ତକ୍ଷଣେ ନିଜ ବିଦ୍ୟାବଳେ । ଖୋଜିଲା ସପତ ପାତାଳେ ॥ ୧୬୯
ନ ପାଇ ନାଗଲୋକ ତଳେ । ପୁଣି ଉଠିଲା ଅନ୍ତରାଳେ ॥ ୧୭୦
ଉର୍ଦ୍ଧ୍ୱେ ସପଟଲୋକେ ଗଲା । ବିପ୍ରବାଳକ ନ ଦେଖିଲା ॥ ୧୭୧
ଧନୁ ଖଡଗ ଧରି କରେ । ପୁଣି ମିଳିଲା ବିପ୍ରଦ୍ୱାରେ ॥ ୧୭୩
ପ୍ରତିଜ୍ଞା ଭଙ୍ଗେ ବୀରମଣି । ଅଗ୍ନି ଜାଳିଲା ବେଗେ ଆଣି ॥ ୧୭୪
ଅନଳ ଜଳଇ ପ୍ରଚଣ୍ତେ । ଲୋକଗହଳ ରାଜଦାଣ୍ତେ ॥ ୧୭୫
ଗୋବିନ୍ଦ ଶୁଣି ନିଜ ପୁରେ । ମିଳିଲେ ଅର୍ଜୁନ ଛାମୁରେ ॥ ୧୭୬
ସୁହୃଦ ଭାବେ ନରହରି । ବୋଲନ୍ତି ବେନିକର ଧରି ॥ ୧୭୭
ଦେଖ ଏ ମନୁଷ୍ୟ ଶରୀର । ଦେବ ଦୁର୍ଲ୍ଲଭ ସୁଖସାର ॥ ୧୭୮
ଯେ ଦେହେ ଚଉବର୍ଗ ସାଧି । ଏ ତ ନୁହଇ ଅପରାଧୀ ॥ ୧୭୯
ଏ ଦେହ ନାଶିବୁ କେମନ୍ତେ । ସତ୍ୟବଚନ ଭଙ୍ଗ ଅର୍ଥେ ॥ ୧୮୦
ମୁଁ ତୋତେ ଦେଖାଇବି ନେଇ । ବିପ୍ର ବାଳକ ଦଶଭାଇ ॥ ୧୮୧
ଆତ୍ମାକୁ ଆପଣେ ନ ମାର । ଶୁଣ ପାଣ୍ତବ ବୀରବର ॥ ୧୮୨
ତୋର ମହିମା ଏ ଜଗତେ । ମୁହିଁ ସ୍ଥାପିବି ଦୃଢମତେ ॥ ୧୮୩
ଯାବତ ଥିବ ଏ ମେଦିନୀ । ତୋର ନିର୍ମଳ ଯଶ ଘେନି ॥ ୧୮୪
ଏମନ୍ତ ଅର୍ଜୁନକୁ କହି । ଦାରୁକ କୃଷ୍ଣ ଆଜ୍ଞା ପାଇ ॥ ୧୮୫
ଉତ୍ତମ ଅଶ୍ୱେ ସାଜି ରଥ । ଦାରୁକ ଭତ୍ତା ଯୋଡି ହସ୍ତ ॥ ୧୮୬
ତକ୍ଷଣେ ପ୍ରଭୁ ଚକ୍ରଧର । ଧରି ଅର୍ଜୁନ ବାମକର ॥ ୧୮୭
ରଥେ ବିଜୟ ନରହରି । ଆନନ୍ଦେ ଶଙ୍ଖନାଦ କରି ॥ ୧୮୮
ପଶ୍ଚିମଦିଗେ ରଥ ବାହି । ଚଳନ୍ତେ ନ ଦେଖିଲେ କେହି ॥ ୧୮୯
ସପତସିନ୍ଧୁ ସପ୍ତଦୀପ । ବେଗେ ଲଂଘିଲେ ବିଶ୍ୱରୂପ ॥ ୧୯୦
ଗିରି କାନନ ଭୂମି ଜିଣି । ଅର୍ଜୁନ ସଙ୍ଗେ ଚକ୍ରପାଣି ॥ ୧୯୧
ଜିଣିଲେ ଲୋକାଲୋକ ଦେଶ । ଘୋର ଅନ୍ଧକାରେ ପ୍ରବେଶ ॥ ୧୯୨
ରଥେ ଯୋଚିଲା ଅଶ୍ୱ ଚାରି । ଅନ୍ଧାରେ ପଥ ନ ବିଚାରି ॥ ୧୯୩
ଦିଗ ନ ଜାଣି ଭ୍ରମଗତି । ତା ଦେଖି କମଳାର ପତି ॥ ୧୯୪
ଚକ୍ର ଯେ ଥିଲା କୃଷ୍ଣଭୁଜେ । ସହସ୍ର ଆଦିତ୍ୟର ତେଜେ ॥ ୧୯୫
ଅଗ୍ରେ ପେଷିଲେ ଚକ୍ରଧର । ଖଣ୍ତିଲା ଘୋର ଅନ୍ଧକାର ॥ ୧୯୬
ରାମ କୋଦଣ୍ତବାଣ ଯେହ୍ନେ । ତେଜ ବିରାଜେ ରିପୁ ସୈନ୍ୟ ॥ ୧୯୭
ଚକ୍ରର ପଥ ତମ ଗଞ୍ଜେ । ନିଜ ପରମ ଜ୍ୟୋତି ତେଜେ ॥ ୧୯୮
ତମ ନାଶିଲେ କୃଷ୍ଣ ପଥେ । ଦେଖି ଅର୍ଜୁନ ଭୟଚିତ୍ତେ ॥ ୧୯୯
ହସ୍ତେ ବୁଜିଲା ବେନି ଆଖି । ପଥେ ଅଦ୍ଭୂତ କର୍ମ ଦେଖି ॥ ୨୦୦
ଏମନ୍ତେ ଗଲେ ତମ ଜିଣି । ରଥେ ଅର୍ଜୁନ ଚକ୍ରପାଣି ॥ ୨୦୧
ଦିଶିଲା ଜଳପୂର୍ଣ୍ଣ ଦେଶ । ତକ୍ଷଣେ ସମୁଦ୍ରେ ପ୍ରବେଶ ॥ ୨୦୨
ପବନ ଯୋଗେ ଉର୍ମିଗଣ । ଦିଶନ୍ତି ସ୍ୱରୂପେ ଭୀଷଣ ॥ ୨୦୩
ସେ ଜଳମଧ୍ୟେ ଯାଇ ପଶି । ଦେଖିଲେ ଦିବ୍ୟ ତେଜରାଶି ॥ ୨୦୪
ଦିବ୍ୟଭୁବନ ବିରାଜଇ । କିବା ଉପମା ଦେବି ମୁହିଁ ॥ ୨୦୫
ସହସ୍ର ମଣିସ୍ତମ୍ଭ ସାଜେ । ସୁନ୍ଦର ଅଧିକେ ବିରାଜେ ॥ ୨୦୬
ମଧ୍ୟେ ସୁବର୍ଣ୍ଣ ସିଂହାସନ । ଦେଖି ନିଶ୍ଚଳ କଲେ ମନ ॥ ୨୦୭
ଅନନ୍ତ ମହାଯୋଗେଶ୍ୱର । ଅଦ୍ଭୂତ ରୂପ ଭୟଙ୍କର ॥ ୨୦୮
ଫଣାସହସ୍ରେ ମଣି ସାଜେ । ଅମୂଲ୍ୟ ରତନ ବିରାଜେ ॥ ୨୦୯
ଦ୍ୱିଗୁଣେ ବିରାଜଇ ଜ୍ୟୋତି । ଉତ୍କଟ ଲୋଚନେ ଦିଶନ୍ତି ॥ ୨୧୦
ବେନି ସହସ୍ର ଜିହ୍ୱା ଶୋହେ । ସୁନ୍ଦର ଶିବଗିରି ପ୍ରାୟେ ॥ ୨୧୧
ତାର ଉପରେ ଦିବ୍ୟରୂପେ । ସୁଖ ଆସନେ ମହାସର୍ପେ ॥ ୨୧୨
ମହାନୁଭବ ଅନୁପମ । ସୁନ୍ଦର ପୁରୁଷଉତ୍ତମ ॥ ୨୧୩
ନୀଳଜୀମୂତ ଦେହକାନ୍ତି । ପୀତବସନ ବିରାଜନ୍ତି ॥ ୨୧୪
ପ୍ରସନ୍ନ ବଦନ ସୁନ୍ଦର । ବେନିଲୋଚନ ଶୋଭାକର ॥ ୨୧୫
କିରୀଟ ରବିକୋଟି ଗଞ୍ଜେ । ଅମୂଲ୍ୟ ମଣିଗଣ ପୁଞ୍ଜେ ॥ ୨୧୬
କପୋଳେ କୁଟିଳ କୁନ୍ତଳ । ଶ୍ରବଣେ ମକରକୁଣ୍ତଳ ॥ ୨୧୭
ଆଜାନୁଲମ୍ବେ ଚାରି ଭୂଜ । କଣ୍ଠେ କୌସ୍ତୁଭମଣି ତେଜ ॥ ୨୧୮
ଶ୍ରୀବତ୍ସ ଚିହ୍ନ ହୃଦେ ଶୋହେ । ବନମାଳାଏ ଜନ ମୋହେ ॥ ୨୧୯
ନନ୍ଦସୁନନ୍ଦ ଆଦି ଦେବା । କରନ୍ତି ପଦ୍ମପାଦେ ସେବା ॥ ୨୨୦
ଶଙ୍ଖ କମଳ ଚକ୍ର ଗଦା । ଯେ ଶୋହେ ଚତୁର୍ଭୂଜେ ସଦା ॥ ୨୨୧
ନିଜ ମୂରତି ଧରି ପାଶେ । ଖଟନ୍ତି ଭକତି ବିଶ୍ୱାସେ ॥ ୨୨୨
କମଳା ଆଦି ଅଷ୍ଟଦେବୀ । ବାମ ଦକ୍ଷିଣେ ଛନ୍ତି ସେବି ॥ ୨୨୩
ବ୍ରହ୍ମା ଶଙ୍କର ଆଦି ଯେତେ । ଅଷ୍ଟଲୋକପାଳ ସହିତେ ॥ ୨୨୪
ବ୍ରହ୍ମାଦି ଦେବଙ୍କର ଗତି । ଦେଖି ସମ୍ଭ୍ରମେ ଯଦୁପତି ॥ ୨୨୫
ପରମଆତ୍ମା ପାଦଯୁଗେ । କୃଷ୍ଣ ବନ୍ଦିଲେ ଅନୁରାଗେ ॥ ୨୨୬
କୃଷ୍ଣଙ୍କୁ ଦେଖି ବିଷ୍ଣୁ ତୋଷେ । ବୋଲନ୍ତି ପରମ ହରଷେ ॥ ୨୨୭
ତୁମ୍ଭେ ଯେ ନରନାରାୟଣ । ସଂସାର ପରମକାରଣ ॥ ୨୨୮
ଭାରା ନିବାରେ ଦେବବାଣୀ । କ୍ଷୀର ଜଳଧିତଟେ ଶୁଣି ॥ ୨୨୯
ଆତ୍ମାରୁ ତୁମ୍ଭଙ୍କୁ ଭିଆଇ । ମର୍ତ୍ତେ ମନୁଷ୍ୟ ଦେହ ଦେଇ ॥ ୨୩୦
ତୁମ୍ଭଙ୍କୁ କଲି ଅବତାର । ଖଣ୍ତିଲ ଅବନୀର ଭାର ॥ ୨୩୧
ସଂସାର ଇନ୍ଦ୍ରିୟ ଲାଳସେ । ଏବେ ହେଁ ନ ମିଳିଲ ପାଶେ ॥ ୨୩୨
ଏଣୁ ମୁଁ ଚିତ୍ତେ କୋପକରି । ଆଣିଲି ବିପ୍ରସୁତ ହରି ॥ ୨୩୩
ଦେଖିବା ପାଇଁ ରୂପ ତୁମ୍ଭ । ହସି କହନ୍ତି ପଦ୍ମନାଭ ॥ ୨୩୪
ଏବେ ହୋ ବିଳମ୍ବ ନକର । ଏମନ୍ତ ଏହି ଚକ୍ରଧର ॥ ୨୩୫
ବିଷ୍ଣୁର ପଛେ ବିପ୍ରସୁତେ । ଥିଲେ ଯେ ଅଭୟ ନିଶ୍ଚିନ୍ତେ ॥ ୨୩୬
କୃଷ୍ଣ ଅର୍ଜୁନ ପାଶେ ଯାଇ । ମିଳିଲେ ବିପ୍ର ଦଶ ଭାଇ ॥ ୨୩୭
ଦେଖି ସାନନ୍ଦ ଚକ୍ରପାଣି । ଅର୍ଜୁନ ତୁଲେ ତାଙ୍କୁ ଆଣି ॥ ୨୩୮
ରଥେ ବସାଇ ଦାମୋଦର । ସେଠାରୁ ହୋଇଲେ ବାହାର ॥ ୨୩୯
ବିଷ୍ଣୁଙ୍କୁ କରି ନମସ୍କାର । ଆସି ମିଳିଲେ ନିଜ ପୁର ॥ ୨୪୦
ବ୍ରାହ୍ମଣ ଦ୍ୱାରେ ପୁତ୍ର ଦେଇ । ପାଦେ ନମିଲେ ଭାବଗ୍ରାହୀ ॥ ୨୪୧
ବୋଲନ୍ତି ନିଅ ତୋର ସୁତ । ତୁ ମୋତେ ନିନ୍ଦିଲୁ ବହୁତ ॥ ୨୪୨
ଦଶ ବାଳକ ନିଅ ଗଣି । ସମ୍ଭାଳ ବୋଲେ ଚକ୍ରପାଣି ॥ ୨୪୩
ଅର୍ଜୁନ କର କରେ ଧରି । ମିଳିଲେ ନିଜ ପୁରେ ହରି ॥ ୨୪୪
କୃଷ୍ଣ ଅଦ୍ଭୂତ କର୍ମ ଦେଖି । ଅର୍ଜୁନ ମନେ ଉପଲିକ୍ଷ୍ୟ ॥ ୨୪୫
ବିଷ୍ଣୁ ପରମଧାମ ଚିନ୍ତି । ନର ସ୍ୱଭାବେ କଲା ଭୀତି ॥ ୨୪୬
ଚତୁରବର୍ଗ ଦାତା ହରି । କପଟେ ନରରୂପ ଧରି ॥ ୨୪୭
ପ୍ରାଣୀଙ୍କୁ କରେ ଅନୁକମ୍ପା । ଏତେ ବିଚାରି କଲା ଶଙ୍କା ॥ ୨୪୮
କହନ୍ତି ଶୁକ ମୁନିବର । ଶୁଣ ପରୀକ୍ଷ ଦଣ୍ତଧର ॥ ୨୪୯
ଏ ଆଦି ଯେତେ କର୍ମ ହରି । କଲେ ମନୁଷ୍ୟ ଦେହ ଧରି ॥ ୨୫୦
ନାନା ବିଷୟ ଭୋଗ ଭୁଞ୍ଜି । ଦେବମାନବ ମନ ରଞ୍ଜି ॥ ୨୫୧
କ୍ଷତ୍ରିୟ ଧର୍ମର ଉଚିତେ । ବ୍ରାହ୍ମଣ ବାକ୍ୟେ ବେଦମତେ ॥ ୨୫୨
ଅନେକ କଲେ ଯଜ୍ଞଦାନ । ଯେ ବେଦ ଆଗମ ବିଧାନ ॥ ୨୫୩
ଯଜ୍ଞ ଭୋଜନେ ତୋଷ ହୋଇ । ଯେମନ୍ତେ ଇନ୍ଦ୍ର ବରଷଇ ॥ ୨୫୪
ଅଶେଷ ସୁଖ ସେହିମତେ । କୃଷ୍ଣ ବରଷିଲେ ଜଗତେ ॥ ୨୫୫
ବ୍ରାହ୍ମଣ ଆଦି ପ୍ରଜା ଯେତେ । ସର୍ବ ସମ୍ପଦ ନାନାମତେ ॥ ୨୫୬
ଯାଦବବଂଶେ ହୋଇ ଜାତ । ସଙ୍ଗତେ ଘେନି ପଣ୍ତୁସୁତ ॥ ୨୫୭
ନିମିତ୍ତ ମାତ୍ର ତାଙ୍କୁ କରି । ଭାରା ନାଶିଲେ ନରହରି ॥ ୨୫୮
ଅଧର୍ମ ନାଶି ଧର୍ମ ପାଳି । ଜଗତନାଥ ବନମାଳୀ ॥ ୨୫୯
ସେ କୃଷ୍ଣ ଚରଣ କମଳେ । ସୁଜନେ ଚିନ୍ତ ଧ୍ୟାନବଳେ ॥ ୨୬୦
ମାୟା ସଂସାରେ ନୁହଁ ରତ । ଛାଡି ଅମୃତ ଭାଗବତ ॥ ୨୬୧
ଏ ସୁଖନାବ ହେଲେ ଛାଡି । ନ ମର ଭବଜଳେ ବୁଡି ॥ ୨୬୨
କୃଷ୍ଣଚରଣେ କରି ଆଶ । କହଇ ଜଗନ୍ନାଥ ଦାସ ॥ ୨୬୩
ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ଦଶମସ୍କନ୍ଧେ ଉତ୍ତରାର୍ଦ୍ଧେ ଦ୍ୱିଜକୁମାର
ଆନୟନଂ ନାମ ପଞ୍ଚନବତିତମ ଅଧ୍ୟାୟଃ ॥
ଷଡନବତିତମ ଅଧ୍ୟାୟ
[ସମ୍ପାଦନା]ବ୍ୟାସନନ୍ଦନ ତୋଷମନେ । ପୁଣି କହନ୍ତି କୃଷ୍ଣଧ୍ୟାନେ ॥ ୧
- ଶୁକ ଉବାଚ
ବୋଲନ୍ତି ଶୁଣ ନରନାଥ । କୃଷ୍ଣଚରିତ ଭାଗବତ ॥ ୨
ସକଳ ସୁଖ ଭୋଗ ପୂର୍ଣ୍ଣେ । ଗୋବିନ୍ଦ ଦ୍ୱାରକାଭୂବନେ ॥ ୩
ଅଖଣ୍ତ କଳା ଯେହ୍ନେ ଶଶୀ । ନିର୍ମଳ ଆକାଶେ ପ୍ରକାଶି ॥ ୪
ଯଦୁକୁମୁଦବନ ଦେଶେ । ସୁଖେ ପ୍ରକାଶେ ମନ ତୋଷ ॥ ୫
ଯହିଁ ଅମୂଲ୍ୟମଣି ପୁଞ୍ଜେ । ତପନ୍ତେଜ ହେଲେ ଗଞ୍ଜେ ॥ ୬
ସର୍ବସମ୍ପଦ ସୁଖଘରେ । କମଳା ସେବେ ନିରନ୍ତରେ ॥ ୭
ନିଜ ଯୁବତୀ ସୁଖମନେ । ଷୋଳସହସ୍ର ଏକଶତେ ॥ ୮
ଅଷ୍ଟମହିଷୀ ଅଙ୍ଗସଙ୍ଗେ । ଦିନ ହରନ୍ତି ଭାବରଙ୍ଗେ ॥ ୯
କନ୍ଦୁକ ଆଦି କ୍ରୀଡାରସେ । ସେବନ୍ତି କୃଷ୍ଣ ଭାବରଙ୍ଗେ ॥ ୧୦
ଅଦ୍ଭୂତ ଦ୍ୱାରାବତୀପୁର । ଦେବମାନବେ ଅଗୋଚର ॥ ୧୧
ସୁଗନ୍ଧହସ୍ତୀ ମଦ ଜଳେ । ଶୁଭସୁନ୍ଦର ମହୀତଳେ ॥ ୧୨
ଯହିଁ ଯାଦବେ ଯୁଥଯୁଥ । ଦିଶନ୍ତି ନାନା ଅଳଙ୍କୃତ ॥ ୧୩
ମାର୍ଗେ ଉଜ୍ଜଳ ରଥପନ୍ତି । ନକ୍ଷତ୍ର ପ୍ରାୟ ବିରାଜନ୍ତି ॥ ୧୪
ନାନା ଉଦ୍ୟାନେ ବନରାଶି । ପୁଷ୍ପପଲ୍ଲବେ ପରକାଶି ॥ ୧୫
ଭୃଙ୍ଗ ବିହଙ୍ଗ ଅନୁବାଦେ । ମନ ହରନ୍ତି ମୃଦୁନାଦେ ॥ ୧୬
ତିନି ଭୁବନେ ଅଗୋଚର । କୃଷ୍ଣଭୁବନ ମନୋହର ॥ ୧୭
ଏମନ୍ତ ପୁରେ ନରହରି । ଷୋଳସହସ୍ର ଶତେ ନାରୀ ॥ ୧୮
ମାୟାମନୁଷ୍ୟ ରୂପ ହୋଇ । ନିତ୍ୟେ ତାହାଙ୍କ ପୁରେ ଥାଇ ॥ ୧୯
ତୋଷନ୍ତି ନାରୀଙ୍କର ମନ । ଇତର ପୁରୁଷ ଯେସନ ॥ ୨୦
ନିଦାଘ କାଳେ ଶୀତଜଳେ । ନାନାକୁସୁମ ପରିମଳେ ॥ ୨୧
ବିବିଧ ଜଳାଶୟ ମାନ । ସୁଗନ୍ଧେ ପ୍ରସାରେ ପବନ ॥ ୨୨
କୁସୁମରଜ ଜଳେ ମିଶେ । ଶୁକ କୋକିଳ ନାଦ ଘୋଷେ ॥ ୨୩
ଏମନ୍ତେ ନାନାଜଳେ ହରି । ସଙ୍ଗେ ସୁନ୍ଦରୀ ମନୋହରୀ ॥ ୨୪
କନ୍ୟାଙ୍କ ସଙ୍ଗେ ବନମାଳୀ । କରନ୍ତି ନାନାରଙ୍ଗେ କେଳି ॥ ୨୫
ନାରୀଙ୍କ ଆଲିଙ୍ଗନ କାଳେ । କୁଚକୁଙ୍କୁମ ବକ୍ଷସ୍ଥଳେ ॥ ୨୬
ଦେବେ ଆବୋରି ଦଶଦିଶେ । ନାନା ସୁବାଦ୍ୟ ଗୀତରସେ ॥ ୨୭
ସୂତ ମାଗଧ ମହୀତଳେ । ବୀଣାଦି ବାଦ୍ୟ କୁତୁହଳେ ॥ ୨୮
କାମିନୀ ଜଳ ଘେନି କରେ । ହସି ସିଞ୍ଚନ୍ତି କୃଷ୍ଣଶିରେ ॥ ୨୯
କୁବେର ଯେହ୍ନେ ପକ୍ଷୀ ମେଳେ । ବିରାଜେ ଜଳକ୍ରୀଡା ସ୍ଥଳେ ॥ ୩୦
ଜଳେ କୃଷ୍ଣର ନାରୀଜନ । ହୃଦରେ ଜଡିତ ବସନ ॥ ୩୧
କୃଷ୍ଣ ସି୍ଚନ୍ତି କରେ ନୀର । ଦିଶଇ ହୃଦୟ ବିକାର ॥ ୩୨
କାଞ୍ଚନ ପ୍ରାୟ କୁଚ ବର୍ଣ୍ଣେ । ଦିଶନ୍ତି ଆରଦ୍ର ବସନେ ॥ ୩୩
ଓଦା ବସନେ ଉରୁଦେଶ । ଅଧିକେ କରଇ ପ୍ରକାଶ ॥ ୩୪
କବରୀ ମଧ୍ୟେ ପୁଷ୍ପଭାର । ହରଷେ ବରଷନ୍ତି ନୀର ॥ ୩୫
କୃଷ୍ଣଙ୍କୁ ଜିଣିବାର ଆଶେ । ଅଧିକେ ସିଞ୍ଚନ୍ତି ହରଷେ ॥ ୩୬
ମୁଖ କି କନ୍ଦର୍ପ ଲହରୀ । ଜଳ ସିଞ୍ଚନ୍ତି ସର୍ବନାରୀ ॥ ୩୭
ସିଞ୍ଚନ୍ତି ପୁଣପୁଣ ଅଙ୍ଗେ । କାମ ବିକାର ନାନାରଙ୍ଗେ ॥ ୩୮
କରିଣୀ ମଧ୍ୟେ ଯେହ୍ନେ ଗଜ । ନାରୀଙ୍କ ମଧ୍ୟେ ଦେବରାଜ ॥ ୩୯
ନାନା ପ୍ରକାରେ କ୍ରୀଡାରସ । କରି ପିନ୍ଧିଲେ ପୀତବାସ ॥ ୪୦
ଉତ୍ସବ ଗୀତବାଦ୍ୟ ରୋଳେ । ଦେବମାନବ ସୁଖ ଭୋଳେ ॥ ୪୧
ତୀରେ ବିଜୟ ବନମାଳୀ । ନାରୀଙ୍କ କର କରେ ଧରି ॥ ୪୨
ନଟ ନର୍ତ୍ତକୀଗଣ ଚାହିଁ । ଆନନ୍ଦମନେ ଭାବଗ୍ରାହୀ ॥ ୪୩
ଅନେକ ବସ୍ତ୍ର ଅଳଙ୍କାର । ତାହାଙ୍କୁ ଦେଲେ ଦାମୋଦର ॥ ୪୪
କନ୍ୟାଏ ନାନା ରତ୍ନବାସ । ନଟଙ୍କୁ ଦେଲେ ହୋଇ ତୋଷ ॥ ୪୫
ଏମନ୍ତେ କ୍ରୀଡାରସେ ହରି । ଜଗମୋହ୍ନ ରୂପ ଧରି ॥ ୪୬
ହରିଲେ ନାରୀଙ୍କର ମନ । ବୁଦ୍ଧି ଅହଙ୍କାର ଚେତନ ॥ ୪୭
କନ୍ୟାଏ ନିଜ ପୁରେ ଯାଇ । କୃଷ୍ଣବଦନେ ମନ ଥୋଇ ॥ ୪୮
ନିମିଷେ ନଦେଖି ମୁରାରି । ଜୀବନ ନ ପାରନ୍ତି ଧରି ॥ ୪୯
ଚିନ୍ତନ୍ତି ସ୍ୱଗୃହେ ତରୁଣୀ । ଜଡ ଉନ୍ମତ୍ତ ପ୍ରାୟ ବାଣୀ ॥ ୫୦
ଯେମନ୍ତ କଲେ ବିପରୀତ । କହିବା ଶୁଣ ପରୀକ୍ଷିତ ॥ ୫୧
ବୃକ୍ଷରେ ପକ୍ଷୀଗଣ ଚାହିଁ । ବୋଲନ୍ତି ବାଇ ପ୍ରାୟ ହୋଇ ॥ ୫୨
କୁରରୀ ଆମ୍ଭବାଣୀ ଶୁଣ । କିମ୍ପା ଉନ୍ନିଦ୍ର ତୋ ନୟନ ॥ ୫୩
ଏ ରାତ୍ରକାଳେ ସର୍ବଜନ । ନିଦ୍ରା ମୋହିତେ ଅଚେତନ ॥ ୫୪
ଆମ୍ଭ ଜୀବନ ଗୋପୀନାଥ । ଦେଖ ନିଶ୍ଚିନ୍ତେ ନିଦ୍ରାଗତ ॥ ୫୫
ତାର ନିବିଡ ଆଲିଙ୍ଗନ । ତେଣେ ଯନ୍ତ୍ରିତ ଆମ୍ଭ ମନ ॥ ୫୬
ଲୋଚନେ ନିଦ୍ରା ନ ମାଡଇ । ତୁ ଯେ ଆମ୍ଭର ପ୍ରାୟ ହୋଇ ॥ ୫୭
ଦେଖିଛୁ କଟାକ୍ଷ ନୟନ । ତେଣୁ ଚଞ୍ଚଳ ତୋର ମନ ॥ ୫୮
ପୁଣି ବୋଲନ୍ତି ଭ୍ରମ ପାଇ । ଚକ୍ରବାକୀର ମୁଖ ଚାହିଁ ॥ ୫୯
ଏ ରାତ୍ରକାଳେ ସ୍ୱାମୀ ସଙ୍ଗ । ନ ଲଭି ଦୁଃଖିତ ତୋ ଅଙ୍ଗ ॥ ୬୦
ଅତି କାରୁଣ୍ୟେ କିମ୍ବା କାନ୍ଦୁ । ଦେଖ ଆମ୍ଭର ପ୍ରାଣବନ୍ଧୁ ॥ ୬୧
ନିଦ୍ରିତେ ନ ପାଇଲୁ ସଙ୍ଗ । ଯେମନ୍ତେ ତୋର ସଙ୍ଗଭଙ୍ଗ ॥ ୬୨
କିମ୍ପାଇ ଆମ୍ଭ ମୁଖ ଚାହୁଁ । କି ଅବା ତେଣେ ତୋଷ ହେଉ ॥ ୬୩
ଆମ୍ଭେ ଯେ ଗୋବିନ୍ଦର ଦାସୀ । ତା ପାଦପଦ୍ମର ତୁଳସୀ ॥ ୬୪
କବରୀ ଭାର ସଜ କରି । କଣ୍ଠେ ଜୀବନ ଅଛୁ ଧରି ॥ ୬୫
ସେମାନ ଇଚ୍ଛା କରୁ ଯେବେ । ଦେବୁ ଯେ ତୋତେ ପ୍ରିୟଭାବେ ॥ ୬୬
କବରୀଭାର ସଜ କର । ସେବ ତୋହର ନିଜ ବର ॥ ୬୭
ପୁଣି ସମୁଦ୍ରକୁ ଅନାଇଁ । ବୋଲନ୍ତି କୃଷ୍ଣଭାବ ବହି ॥ ୬୮
ହେ ନଦୀକାନ୍ତ ହେ ସମୁଦ୍ର । ତୁ କିମ୍ପା ଏ ରାତ୍ରେ ଉନ୍ନିଦ୍ର ॥ ୬୯
ନିଦ୍ରା ନ ଯାଇ ନାଦ କରୁ । ତୁ କୃଷ୍ଣକଥା କି ସୁମରୁ ॥ ୭୦
ତାର ନୟନ ବାଣେ ଛନ୍ନ । ଯେମନ୍ତ ଆମ୍ଭର ଜୀବନ ॥ ୭୧
ସେ ଦୋଷ ତୋତେ କି ବାଧିଲା । ନିଶ୍ଚେ ଜାଣିଲୁ କୃଷ୍ଣଲୀଳା ॥ ୭୨
ପୁଣି ସେ ଚନ୍ଦ୍ରକୁ ଅନାଇଁ । ବୋଲନ୍ତି ପ୍ରିୟଭାବ ବହି ॥ ୭୩
କୁମୁଦବନ୍ଧୁ ତୁ ବୋଲାଉ । ମୃଗଲାଞ୍ଛନ ହୃଦେ ବହୁ ॥ ୭୪
ପୂର୍ବେ ଅର୍ଜିଲା କର୍ମଭୋଗ । ଏଣୁ ତୋ ଦେହେ କ୍ଷୟ ରୋଗ ॥ ୭୫
ନିଜ କରମେ କ୍ଷୀଣ ହେଉ । ତୁ କିମ୍ପା ରାତ୍ରେ ଉଦେ ନୋହୁ ॥ ୭୬
ଆମ୍ଭେ ଯେ କୃଷ୍ଣର ତରୁଣୀ । ତାର ମୋହନ କଥା ଶୁଣି ॥ ୭୭
ଆତ୍ମା ନ ସୁମରି ଯେମନ୍ତେ । ତେମନ୍ତେ ଦେଖିଲୁ ଯେ ତୋତେ ॥ ୭୮
ତୋର ଗୋବିନ୍ଦଭାବେ ମନ । ତେଣୁ କି ହୋଇଲୁ ମଉନ ॥ ୭୯
ମଳୟାନିଳ ଦେଖି ଭ୍ରମେ । ବିଶ୍ୱାସେ ବୋଲନ୍ତି ପବନେ ॥ ୮୦
ଶୁଣି ତୁ କୃଷ୍ଣବାକ୍ୟବନ୍ଧ । ଭୁବନେ ବହୁ ମନ୍ଦମନ୍ଦ ॥ ୮୧
କୃଷ୍ଣଲୀଳାରେ କରୁ ଆଶା । ଯେ ଭାବେ ଆମ୍ଭର ଭରସା ॥ ୮୨
ଆମ୍ଭଙ୍କୁ ଚାହିଁ ମେଘମାଳା । ଛଳେ କହନ୍ତି କୃଷ୍ଣଲୀଳା ॥ ୮୩
ବୋଲନ୍ତି ମେଘକୁ ଅନାଇଁ । କୃଷ୍ଣର ମିତ୍ର ଅଟୁ ତୁହି ॥ ୮୪
ନିଶ୍ଚେ ତୁ କରୁ କୃଷ୍ଣେ ଧ୍ୟାନେ । ଯା ହୃଦେ ଶ୍ରୀବତ୍ସର ଚିହ୍ନ ॥ ୮୫
ଆମ୍ଭର ପ୍ରାୟ ପ୍ରେମବନ୍ଧେ । ଚିନ୍ତା ତୁ କରୁ କୃଷ୍ଣପାଦେ ॥ ୮୬
ହୃଦେ ନିବିଡ ପ୍ରେମଭରେ । ଆମ୍ଭେ ଯେମନ୍ତ ଚକ୍ଷୁଦ୍ୱାରେ ॥ ୮୭
ନିତ୍ୟେ ଲୋତକ କୁଚେ ସିଞ୍ଚୁ । ତୋତେ ତେମନ୍ତ ପ୍ରାୟ ପାଞ୍ଚୁ ॥ ୮୮
ତୋ ହୃଦେ କୃଷ୍ଣପ୍ରେମ ଭରା । ତେଣୁ ତୁ ସିଞ୍ଚୁ ଜଳଧାରା ॥ ୮୯
ସୁମରି ପୁଣ ପୁଣ ସୁଖ । ତାଙ୍କ ପ୍ରସଙ୍ଗ ମହାଦୁଃଖ ॥ ୯୦
କୋକିଳନାଦ କର୍ଣ୍ଣେ ଶୁଣି । ବୋଲନ୍ତି କୃଷ୍ଣର ତରୁଣୀ ॥ ୯୧
ଶୁଣ କୋକିଳ ଆମ୍ଭ ବାଣୀ । ଆମ୍ଭେ ତୋହର ଭାବ ଜାଣି ॥ ୯୨
ତେଣୁ ତୁ ଦୁଃଖୀ ଆମ୍ଭ ଦୁଃଖେ । କୋମଳବାଣୀ କହୁ ମୁଖେ ॥ ୯୩
କିସ କରିବୁ କହ ତୋର । ତୁ ଆମ୍ଭ ଜୀବନ ସୋଦର ॥ ୯୪
ପର୍ବତଶୃଙ୍ଗ ଚାହିଁ ପୁଣି । ବୋଲନ୍ତି କୃଷ୍ଣର ତରୁଣୀ ॥ ୯୫
ତୁ ମହୀଧର ବଡ ଧନ୍ୟ । ନ ଚଳୁ ନ ବୋଲୁ ବଚନ ॥ ୯୬
ଉଦାର ବୃଦ୍ଧି ତୋର ଜାଣି । ଗୁପତେ ଚିନ୍ତୁ ଚକ୍ରପାଣି ॥ ୯୭
ଆମ୍ଭେ ଗୋବିନ୍ଦପାଦ ଯେହ୍ନେ । କୁଚେ ଲଗାଉ ସାବଧାନେ ॥ ୯୮
ତୁହି ତେମନ୍ତ କରୁ ଆଶ । ତେଣୁ ତୁ ଆମ୍ଭର ବିଶ୍ୱାସ ॥ ୯୯
ନିକଟେ ଦଦୀସ୍ରୋତ ଦେଖି । ଭାବେ ବୋଲନ୍ତି ଚନ୍ଦ୍ରମୁଖୀ ॥ ୧୦୦
ପ୍ରିୟବିଯୋଗେ ସଖି ତୋର । ଶୁଖିଲା ବେନି ତଟୁଁ ନୀର ॥ ୧୦୧
କମଳ ଉପହାର କରୁ । ସ୍ୱାମୀର ସଙ୍ଗ ତୁ ସୁମରୁ ॥ ୧୦୨
ଦେଖ ଆମ୍ଭର ମନ ଛନ୍ନ । ନ ଦେଖି କୃଷ୍ଣର ବଦନ ॥ ୧୦୩
ଦୁଃଖ ହୃଦୟେ ଦିନ ବଞ୍ଚୁ । ଆମ୍ଭର ପ୍ରାୟ ତୋତେ ପାଞ୍ଚୁ ॥ ୧୦୪
ପୁଣି ଚାହାନ୍ତି ଦଶଦିଶେ । ଦେଖିଲେ ରାଜହଂସ ପାଶେ ॥ ୧୦୫
କୃଷ୍ଣର ଦୂତ ପ୍ରାୟ ମଣି । ବୋଲନ୍ତି ପ୍ରିୟଭାବେ ବାଣୀ ॥ ୧୦୬
ଭଲେ ଅଇଲୁ ହଂସ ପଥେ । ଆମ୍ଭର ପ୍ରିୟ ଘେନି ଚିତ୍ତେ ॥ ୧୦୭
ଆସ ତୁ କ୍ଷୀର କର ପାନ । ଆମ୍ଭ ସମୀପେ ତୋ ଆସନ ॥ ୧୦୮
ବସି ତୁ କହ କୃଷ୍ଣକଥା । ତୋ ତହିଁ ବିଶ୍ୱାସ ବ୍ୟବସ୍ଥା ॥ ୧୦୯
ଜାଣିଲୁ ଦୂତ ବୋଲି ତୋତେ । ଶ୍ରମ ପାଇଲୁ ଆସି ପଥେ ॥ ୧୧୦
ଭଲେ କି ଛନ୍ତି ଦାମୋଦର । କହ ତୁ କପଟ ନକର ॥ ୧୧୧
କପଟ ହୃଦୟ ତାହାର । ଚଞ୍ଚଳ ସୁହୃଦ ବେଭାର ॥ ୧୧୨
ଆମ୍ଭର ଭାବ କି ସୁମରେ । ଏ ମାୟା ସଂସାରେ ସାଗରେ ॥ ୧୧୩
କିବା କରିବୁ ଯିବୁ ନାହିଁ । ତା ତହୁଁ ଆନଗତି ନାହିଁ ॥ ୧୧୪
ଅମୃତ ବଚନ ତାହାର । ଶୁଣି ଶ୍ରବଣ ସୁଖକର ॥ ୧୧୫
ସକାମ କରେ ଆମ୍ଭ ମନ । ତା ଭାବ ଛାଡିବୁ କେସନ ॥ ୧୧୬
ଏମନ୍ତେ କୃଷ୍ଣର କାମିନୀ । ଚିତ୍ତେ ନିର୍ମଳ ଭାବ ଘେନି ॥ ୧୧୭
ଯୋଗେଶ୍ୱରଙ୍କୁ ଅଗୋଚର । ଅଭୟ ଚରଣ ଯାହାର ॥ ୧୧୮
ସେ ହରିପାଦେ ଭାବ କଲେ । ଜନ୍ମ ମରଣୁଁ ନିସ୍ତରିଲେ ॥ ୧୧୯
ପରମପଦେ ତାଙ୍କ ଗତି । ଏବେ ହୋ ଶୁଣ ନରପତି ॥ ୧୨୦
ସେ ହରିଗୁଣ ଶ୍ରୁତିପଥେ । ପଶି କାମିନୀଗଣ ଚିତ୍ତେ ॥ ୧୨୧
ବଳେ କରଇ କାମମୟେ । ଯେ ଭାବେ ବସି ନିତ୍ୟେ ଧ୍ୟାୟେ ॥ ୧୨୨
ତା ରୂପ ଚକ୍ଷୁଦ୍ୱାରେ ଦେଖି । କାମିନୀ କେ ନୋହିବେ ସୁଖୀ ॥ ୧୨୩
ତାହାଙ୍କୁ ସ୍ୱାମୀପଣେ ପାଇ । ପାଦେ ସେବନ୍ତି ଗୃହେ ଥାଇ ॥ ୧୨୪
ତାହାଙ୍କ ତପ କେ ବର୍ଣ୍ଣିବ । ଯାହା ବାଞ୍ଛନ୍ତି ବ୍ରହ୍ମା ଶିବ ॥ ୧୨୫
ଏମନ୍ତ ପ୍ରଭୁ ବନମାଳୀ । ବଦଉଚିତେ ଧର୍ମ ପାଳି ॥ ୧୨୬
ଗୃହସ୍ଥିଧର୍ମ ଅନୁମତେ । ଚତୁରବର୍ଗ ସିଦ୍ଧି ଅର୍ଥେ ॥ ୧୨୭
ଷୋଳସହସ୍ର ଶତେ ନାରୀ । ଗୃହେ ରମିଲେ ନରହରି ॥ ୧୨୮
ନାରୀଙ୍କ ମଧ୍ୟେ ଅଷ୍ଟଦେବୀ । କମଳା ଅଂଶେ କୃଷ୍ଣ ସେବି ॥ ୧୨୯
ଏ ଆଦି ସକଳ ଯୁବତୀ । ଗୋବିନ୍ଦ ଗୃହେ ପୁତ୍ରବତୀ ॥ ୧୩୦
କନ୍ୟାକେ ଦଶଦଶ ସୁତ । ଏକ ଦୁହିତା ହୋଏ ଜାତ ॥ ୧୩୧
ପୁତ୍ରଙ୍କ ମଧ୍ୟେ ସାଧୁ ଧୀର । ଉତ୍ତମ ଅଷ୍ଟାଦଶ ବୀର ॥ ୧୩୨
ସୁଯୋଦ୍ଧା ରଥୀ ଅନୁପମ । ଶୁଣ ତୁ ପୁତ୍ରଙ୍କର ନାମ ॥ ୧୩୩
ପ୍ରଦ୍ୟୁମ୍ନ ଦୀପ୍ତିମାନ ଭାନୁ । ଶାମ୍ବ ମଧୁ ଯେ ବୃହଦ୍ଭାନୁ ॥୧୩୪
ଚିତ୍ରଭାନୁ ବୃକ ଅରୁଣ । ଚିତ୍ରବାହୁ ଯେ ସୁନନ୍ଦନ ॥୧୩୫
ପୁଷ୍କର ବେଦବାହୁ ବେନି । ଚଉଦ ଶ୍ରୁତଦେବ ଘେନି ॥୧୩୬
ବିରୂପ କବି ଯେ ନ୍ୟଗ୍ରୋଧ । ପ୍ରଦ୍ୟୁମ୍ନ ପୁତ୍ର ଅନିରୁଦ୍ଧ ॥୧୩୭
ଏହାଙ୍କ ମଧେ ଜ୍ୟେଷ୍ଠଭ୍ରାତ । ଉତ୍ତମ ରୁକ୍ମିଣୀର ସୁତ ॥୧୩୮
କୃଷ୍ଣର ପ୍ରାୟେକ ଦିଶଇ । ରୁକ୍ମୀ ଯେ ରୁକ୍ମିଣୀର ଭାଇ ॥୧୩୯
ତାର ଦୁହିତା ତାକୁ ଦେଲା । ତାହାର ଅନିରୁଦ୍ଧ ବଳା ॥୧୪୦
ରୁକ୍ମୀପୁତ୍ର ନାରୀ ଉଦରେ । କନ୍ୟାଏ ଥିଲା ତାର ପୁରେ ॥୧୪୧
ପ୍ରଦ୍ୟୁମ୍ନ ପୁତ୍ରେ ତାହା ବରି । ବିଭା କରାଇଲେ ମୁରାରି ॥୧୪୨
ବଜ୍ର ତାହାର ତହୁଁ ଜାତ । ଏବେ ହୋ ଶୁଣ ପରୀକ୍ଷିତ ॥୧୪୩
ମୂଷଳ ଅବଶେଷ ସେହୁ । ତାର କୁମର ପ୍ରତିବାହୁ ॥୧୪୪
ସୁବାହୁ ତା ତହୁଁ ଜନମ । ତାର କୁମର ଶାନ୍ତସେନ ॥୧୪୫
ତାହାର ଶତସେନ ବଳା । ସେଠାରୁ ଯଦୁବଂଶ ଗଲା ॥୧୪୬
ସେ ଯଦୁବଂଶେ ମହୀତଳେ । ଯେତେ କୁମର ଉପୁଜିଲେ ॥୧୪୭
ଏ ବଂଶେ ଯେତେକ ସନ୍ତ୍ତି । ନିର୍ଦ୍ଧନ ଅପୁତ୍ରୀ ନୁହଁନ୍ତି ॥୧୪୮
ଅକାଳେ ନୁହଁନ୍ତି ବିନାଶ । ନାହିଁ ପାପିଷ୍ଠ ଅଳ୍ପାୟୁଷ ॥୧୪୯
ଏ ହରିବଂଶର ମହିମା । କେ କହିପାରେ ଗୁଣସୀମା ॥୧୫୦
ଯେତେ ବାଳକ ଉପୁଜିଲେ। କେ ଗଣିପାରେ ତାହା ଭଲେ ॥୧୫୧
ଶୁଣ ତା କହିବା ପ୍ରକଟି । ଅଠାଶୀସସ୍ର ତିନିକୋଟି ॥୧୫୨
ଏତେ ଆଚୁାର୍ଯ୍ୟ ବିଦ୍ୟାଗୁରୁ । ଏଣୁ କେ ସଂଖ୍ୟା କରିପାରୁ ॥୧୫୩
ଅୟୁତ ନିୟୁତ ପ୍ରମାଣି । କେ ପାରୁ ହରିବଂଶ ଗଣି ॥୧୫୪
ପୂର୍ବେ ଯେ ଦେବାସୁର ରଣେ । ଯେ ଅବା ମଲେ ଯାତୁଧାନେ ॥୧୫୫
ପୁଣି ମନୁଷ୍ୟ ଦେହ ବହି । ଅଶେଷ ମହୀତଳେ ହୋଇ ॥୧୫୬
ତାହାଙ୍କ ସଂହାରଣ ଅର୍ଥେ । ବିଷ୍ଣୁର ଅଂଶ ଏ ଜଗତେ ॥୧୫୭
ମନୁଷ୍ୟେ ହୋଇ ଅବତାର । ହରିଲେ ଅବନୀର ଭାର ॥୧୫୮
ଦେବେ ସକଳେ ଆଜ୍ଞା ପାଇ । ଯାଦବବଂଶେ ଜାତ ହୋଇ ॥୧୫୯
ଏକ ଉତ୍ତର ଶତବଂଶ । ଧରଣୀ ମଧ୍ୟେ କଲେ ନାଶ ॥୧୬୦
ଯାଦବବଂଶେ ହୋଇ ଜନ୍ମ । ଯହିଁ ସେ କଲେ ଯେତେ କର୍ମ ॥୧୬୧
ଆସନ ଶୟନ ଭୋଜନ । ଯଦୁଙ୍କ ତୁଲେ ଭଗବାନ ॥ ୧୬୨
ଏମନ୍ତେ ଦ୍ୱାରାବତୀପୁର । ସର୍ବସମ୍ପଦ ସୁଖସାର ॥ ୧୬୩
ଅଖଣ୍ତସୁଖ ଭୋଗ କରେ । ଦ୍ୱାରକାପୁରବାସୀ ॥ ୧୬୪
ଏମନ୍ତେ ସାତବଂଶ ଜନ । ସ୍ୱଧର୍ମେ ବଞ୍ଚନ୍ତି ସେଦିନ ॥ ୧୬୫
ଯହିଁ ସେ ରାମ କୃଷ୍ଣ ବେନି । ସୁକୃତକର୍ମ ଅବଧାନୀ ॥ ୧୬୬
ସକଳତୀର୍ଥ ଯଦୁକୁଳ । ଯହିଁ ବିଜୟ ଆଦିମୂଳ ॥ ୧୬୭
ପାଦଉଦକ ଗଙ୍ଗାତୀର । କମଳା ସେବେ ନିରନ୍ତର ॥ ୧୬୮
ଯା ନାମ ସର୍ବଦେବ ଘୋଷେ । ଶ୍ରବଣେ ଅମଙ୍ଗଳ ନାଶେ ॥ ୧୬୯
ମନୁଷ୍ୟଭାବ କର୍ମ କରି । ଅନ୍ତେ ସକଳ ଦେହେ ଭରି ॥ ୧୭୦
ଯାହାର କାଳଚକ୍ର ହସ୍ତେ । କେ ଜାଣି ପାରେ ତା ଜଗତେ ॥ ୧୭୧
ଦେବକୀ ଗର୍ଭେ ଅବତରି । ତେଜେ ଧରଣୀଭାରା ହରି ॥ ୧୭୨
ସ୍ଥାବର ଆଦି ଯେତେ ଜନ୍ମ । ଖଣ୍ତିଲେ ତାହାଙ୍କର ନାମ ॥ ୧୭୩
ଶ୍ରୀମୁଖ ଚାହିଁ ଗୋପନାରୀ । କାମ ଗରଳ ସେ ନିବାରି ॥ ୧୭୪
ସେ ହରି କଲେ କର୍ମ ଯେତେ । ସଂକ୍ଷେପେ କହିଲି ମୁଁ ତୋତେ ॥ ୧୭୫
ଏ କଥା କର୍ଣ୍ଣେ ଯେ ଶୁଣନ୍ତି । ଆନନ୍ଦେ ହୃଦୟେ ଗୁଣନ୍ତି ॥ ୧୭୬
ଜନ୍ମ ମରଣ ତାଙ୍କ ନାହିଁ । ଯେ ନିତ୍ୟେ କୃଷ୍ଣଲୀଳା ଗାଇ ॥ ୧୭୭
ଅମୃତ ଭାଗବତ ବାଣୀ । ଶୁଣି ସଂସାରୁ ତର ପ୍ରାଣୀ ॥ ୧୭୮
ବୋଲଇ ଦାସ ଜଗନ୍ନାଥ । ସୁଜନ ହିତେ ଭାଗବତ ॥ ୧୭୯
ଦଶମେ କୃଷ୍ଣର ମହିମା । ଯାହା ନ ଜାଣେ ଶିବ ବ୍ରହ୍ମା ॥ ୧୮୦
ସେ ହରି ଆଜ୍ଞା ଶିରେ ବହି । ଗୀତେ ପାରିଲି ଯାହା କହି ॥ ୧୮୧
ପ୍ରାକୃତ ଭାଷା ଏ ପ୍ରବନ୍ଧ । ଫିଟେ ଅନ୍ଧାର - ଭବବନ୍ଧ ॥ ୧୮୨
ମୁଁ ଛାର ହୀନ ମୂଢମତି । କୃଷ୍ଣଚରଣେ ହେଉ ମତି ॥ ୧୮୩
ଦଶମସ୍କନ୍ଧ ପୁଣ୍ୟବାଣୀ । ଶୁଣି ସଂସାରୁ ତର ପ୍ରାଣୀ ॥ ୧୮୪
ଇତି ଶ୍ରୀମଦ୍ ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ଦଶମସ୍କନ୍ଧେ ଉତ୍ତରାର୍ଦ୍ଧେ ଶ୍ରୀକୃଷ୍ଣ
ଚରିତ ଅନୁବର୍ଣ୍ଣନଂ ନାମ ଷଣ୍ଣବତିତମ ଅଧ୍ୟାୟଃ ।