ଓଡ଼ିଶା ରାଜନୀତିର ଇତିହାସ/ଓଡ଼ିଶାର ଗଡ଼ଜାତ ରାଜ୍ୟ

ଉଇକିପାଠାଗାର ରୁ
Jump to navigation Jump to search
ଓଡ଼ିଶା ରାଜନୀତିର ଇତିହାସ (୨୦୧୩)  ଲେଖକ/କବି: ଉଦ୍ଧବ ଚରଣ ନାୟକ
ଓଡ଼ିଶାର ଗଡ଼ଜାତ ରାଜ୍ୟ


ଷଷ୍ଠ ପରିଚ୍ଛେଦ
ଓଡ଼ିଶାର ଗଡ଼ଜାତ ରାଜ୍ୟ

ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ହେଲା । କିନ୍ତୁ ସେଥିରେ ଓଡ଼ିଶାର ଗଡ଼ଜାତ ରାଜ୍ୟଗୁଡ଼ିକ ମିଶିଲେ ନାହିିଁ । ଏହି ଗଡ଼ଜାତଗୁଡ଼ିକର ସଂଖ୍ୟା ଛବିଶ । ସେଗୁଡ଼ିକ ହେଲା, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ତାଳଚେର, ପାଲଲହଡ଼ା, ହିନ୍ଦୋଳ, ଆଠମଲ୍ଲିକ, ଆଠଗଡ଼, ବଣେଇ, ବାମଣ୍ଡା, ନୀଳଗିରି, ତିଗିରିଆ, ବଡ଼ମ୍ୱା, ନରସିଂହପୁର, ଦଶପଲ୍ଲା, ଖଣ୍ଡପଡ଼ା, ନୟାଗଡ଼, ରଣପୁର, କଳାହାଣ୍ଡି, ସୋନପୁର, ପାଟଣା, ବୌଦ୍ଧ, ଗାଙ୍ଗପୁର, ରେଢ଼ାଖୋଲ, ଷଢେ଼ଇକଳା ଓ ଖରସୁଆଁ ।

ଇଂରେଜମାନେ ୧୮୦୩ ମସିହା ଅକ୍ଟୋବର ଚାରି ତାରିଖରେ ମରହଟ୍ଟାମାନଙ୍କ ହାତରୁ ଓଡ଼ିଶାର ଶାସନଭାର ଗ୍ରହଣ କଲେ । କର୍ଣ୍ଣେଲ ହାର୍କୋଟ ଓ ମିଲବିନ୍‍ ସାହେବ ଇଷ୍ଟଇଣ୍ଡିଆ କମ୍ପାନୀର ପ୍ରଥମ କମିଶନର ଭାବରେ ନିଯୁକ୍ତି ପାଇ କଟକଠାରେ ଅବସ୍ଥାନ କଲେ । ସେମାନେ ସର୍ବପ୍ରଥମେ ଏକ ଘୋଷଣାପତ୍ର ଦ୍ୱାରା ଓଡ଼ିଶାର ରାଜା, ଜମିଦାର ଆଦିଙ୍କୁ ଇଂରେଜ ସରକାରର ବଶ୍ୟତା ସ୍ୱୀକାର କରିବାପାଇଁ ଓ ଇଂରେଜ ସରକାରକୁ ରାଜସ୍ୱ ପ୍ରଦାନ କରିବାପାଇଁ ନିର୍ଦ୍ଦେଶ ପ୍ରଦାନ କଲେ । ଏଥିନିମନ୍ତେ ଇଂରେଜ ସରକାର ସହ ଚୁକ୍ତି କରିବାପାଇଁ ଏକ ଚୁକ୍ତିନାମା ଫର୍ମର ନକଲ ମଧ୍ୟ ପଠାଇଦେଲେ । କଟକକୁ ଆସି ଶୀଘ୍ର ଚୁକ୍ତିପତ୍ର ସ୍ୱାକ୍ଷର କରିବାପାଇଁ କଡ଼ା ନିର୍ଦେଶ ପ୍ରଦାନ କଲେ । ଗଡ଼ଜାତ ରାଜାମାନେ ଇଂରେଜ ସରକାର ବିରୁଦ୍ଧରେ ସ୍ୱର ଉତ୍ତୋଳନ ନକରି ଇଂରେଜମାନଙ୍କ ଅଧୀନରେ ରହିବାପାଇଁ ରାଜି ହୋଇ ଇଂଜେମାନଙ୍କର ବଶ୍ୟତା ସ୍ୱୀକାର କଲେ ।

୧୮୦୪ ମସିହାରେ କଟକଠାରେ ଇଂରେଜମାନଙ୍କ ତରଫରୁ କର୍ଣ୍ଣେଲ ହାର୍କୋଟ ଓ ଜନ ମିଲ୍‍ବିନ୍‍ ଓଡ଼ିଶାର ଗଡ଼ଜାତ ରାଜାମାନଙ୍କର ଏହି ଚୁକ୍ତିପତ୍ରରେ ଦସ୍ତଖତ କଲେ । ଗଡ଼ଜାତ ରାଜାମାନେ ଜଣ ଜଣ କରି ଚୁକ୍ତିପତ୍ର ସ୍ୱାକ୍ଷରକରି ନିଜ ନିଜ ରାଜ୍ୟକୁ ପ୍ରତ୍ୟାବର୍ତ୍ତନ କରି ସ୍ଥାୟୀ ଭାବରେ ନିଜ ରାଜ୍ୟର ଶାସନ ପରିଚାଳନା କଲେ । ଏହା ପୂର୍ବରୁ ଏହି ରାଜାମାନେ ନିଜ ନିଜ

ରାଜ୍ୟର ସୀମା ବର୍ଦ୍ଧନ କରିବାପାଇଁ ପରସ୍ପର ମଧ୍ୟରେ ଯୁଦ୍ଧ କରିିବାର ବହୁ ନଜିର ରହିଛି । ଇଂରେଜମାନଙ୍କ ଓଡ଼ିଶା ଅଧିକାର ପୂର୍ବରୁ ଅନୁଗୁଳ ଜଣେ ରାଜାଙ୍କଦ୍ୱାରା ଶାସିତ ହେଉଥିଲା । କିନ୍ତୁ ଅନୁଗୋଳର ରାଜା ସୋମନାଥ ସିଂହ ବିଦ୍ରୋହୀ ହେବାରୁ ଇଂରେଜମାନେ ଅନୁଗୁଳକୁ ଖାସ୍‍ କରିଦେଲେ । ସେହିପରି ବୌଦ୍ଧରାଜା କନ୍ଧମାଳର କନ୍ଧମାନଙ୍କୁ ଶାସନ କରିନପାରି କନ୍ଧମାଳ ଇଲାକାକୁ ଇଂରେଜମାନଙ୍କ ହାତରେ ଅର୍ପଣ କରିଦେଲେ । ଫଳରେ ଇଂରେଜମାନେ ଅନୁଗୁଳ ଓ କନ୍ଧମାଳକୁ ମିଶାଇ ଅନୁଗୁଳ ଜିଲ୍ଲା ସୃଷ୍ଟିକରି ନିଜ ଦାୟିତ୍ୱରେ ରଖିଲେ ।

ଓଡ଼ିଶା କମିଶନର ଏହି ଗଡ଼ଜାତ ରାଜ୍ୟମାନଙ୍କର ସୁପରିଣ୍ଟେଣ୍ଡେଣ୍ଟ ଦାୟିତ୍ୱ ତୁଲାଉଥିଲେ । କାରଣ ଏହି ଗଡ଼ଜାତ ଗୁଡ଼ିକୁ କରଦରାଜ୍ୟ ଶ୍ରେଣୀଭୁକ୍ତ କରାଯାଇଥିଲା । ପରେ ଗଡ଼ଜାତ ରାଜ୍ୟଗୁଡ଼ିକର ଗୁରୁତ୍ୱ ବୃଦ୍ଧି ପାଇଲା । ଫଳରେ କମିଶନରଙ୍କ ଅଧୀନରେ ଜଣେ ପଲ୍‍ଟିକାଲ ଏଜେଣ୍ଟଙ୍କୁ ନିଯୁକ୍ତି ଦିଆଗଲା । ପଲ୍‍ଟିକାଲ ଏଜେଣ୍ଟଙ୍କ କାମ ହେଲା ପୂରାପୂରି ସ୍ୱତନ୍ତ୍ର ଭାବରେ ଗଡ଼ଜାତ ରାଜ୍ୟର ଶାସନ ତଦାରଖ କରିବା । ପଲ୍‍ଟିକାଲ ଏଜେଣ୍ଟଙ୍କ ଅଧୀନରେ ୨୬ଟିଯାକ ଗଡ଼ଜାତ ରହିଲା । ଗଡ଼ଜାତମାନଙ୍କ ମୁଖ୍ୟଙ୍କୁ 'ରାଜା' ବା Ruler-in-chief of the Feudatory State ବୋଲି କୁହାଗଲା । ୧୯୧୫ ମସିହାରେ ଷଢେ଼ଇକଳା ଓ ଖରସୁଆଁ ଦୁଇଟି ଗଡ଼ଜାତ ରାଜ୍ୟ ଇଷ୍ଟର୍ଣ୍ଣ ଏଜେନ୍‍ସିର ଅନ୍ତର୍ଭୁକ୍ତ ହୋଇଥିଲା ।

ଏହି ଗଡ଼ଜାତ ରାଜାମାନଙ୍କ ବିଚାର ବିରୁଦ୍ଧରେ ପଲ୍‍ଟିକାଲ ଏଜେଣ୍ଟ୍‍ଙ୍କ ପାଖରେ ଦରଖାସ୍ତ କରାଯାଉଥିଲା । ତା'ପରେ ଅପିଲ ହେଉଥିଲା କମିଶନରଙ୍କ ପାଖରେ । ୧୯୨୨ ମସିହାରେ କମିଶନରଙ୍କ କ୍ଷମତା ଲୋପ ପାଇଲା । ଗଡ଼ଜାତ ରାଜ୍ୟମାନଙ୍କ ଉପରେ କେବଳ ପଲ୍‍ଟିକାଲ ଏଜେଣ୍ଟ୍‍ ହେଲେ ସର୍ବେସର୍ବା । ତାଙ୍କୁ ସହାୟତା କରିବାପାଇଁ ଜଣେ ସହକାରୀ ରହିଲେ । ପଲଟିକାଲ ଏଜେଣ୍ଟ୍‍ ବିହାର-ଓଡ଼ିଶା ଲାଟସାହେବଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକଲେ । ଏହି ସମୟରେ ଗଡ଼ଜାତ ରାଜାମାନଙ୍କୁ କରଦ ରାଜା ନକହି 'ସାମନ୍ତରାଜା' ଭାବରେ ଆଖ୍ୟାୟିତ କରାଗଲା ।

୧୯୩୩ ମସିହାରେ ଭାରତ ସରକାରଙ୍କ ଖାସ୍‍ ତତ୍ତ୍ୱାବଧାନରେ ଏହି ଗଡ଼ଜାତ ରାଜାମାନେ ରହିଲେ । ପୂର୍ବଖଣ୍ଡ ଗଡ଼ଜାତ ରାଜ୍ୟଗୁଡ଼ିକ ଭାରତର ବଡ଼ଲାଟଙ୍କ ନିର୍ଦେଶମତେ ଜଣେ ଏଜେଣ୍ଟ ଜେନେରାଲଙ୍କ ଅଧୀନରେ ରହିଲେ । ଏହାଙ୍କ ଅଧୀନରେ ସେକ୍ରେଟାରୀ ଓ ପଲ୍‍ଟିକାଲ ଏଜେଣ୍ଟ ରହିଲେ । ବସ୍ତୁତଃ ଗଡ଼ଜାତ ରାଜ୍ୟଗୁଡ଼ିକୁ ଓଡ଼ିଶାରୁ ପୃଥକ ରଖାଯାଇ ପଲ୍‍ଟିକାଲ ଏଜେଣ୍ଟଙ୍କ ନିୟନ୍ତ୍ରଣରେ ରଖାଯାଇଥିଲା । ପଲ୍‌ଟିକାଲ ଏଜେଣ୍ଟଙ୍କ କାମ ଥିଲା - ବ୍ରିଟିଶ ସରକାରଙ୍କ ନୀତିନିୟମ ଠିକ୍‍ ଭାବରେଦ ଗଡ଼ଜାତମାନଙ୍କରେ କାର୍ଯ୍ୟକାରୀ ହେଉଛି କି ନାହିିଁ ତଦାରଖ କରିବା । କାରଣ ଏହି ଗଡ଼ଜାତ ରାଜାମାନଙ୍କ ଦୃଢ଼ତା, କାର୍ଯ୍ୟଦକ୍ଷତା ଓ ଲୋକପ୍ରିୟତା ଉପରେ ହିିଁ ବ୍ରିଟିଶ ସରକାରର ସ୍ଥାୟିତ୍ୱ ନିର୍ଭର କରୁଥିଲା । ଫଳରେ ପଲ୍‍ଟିକାଲ ଏଜେଣ୍ଟମାନେ ଗଡ଼ଜାତ ରାଜ୍ୟର ଶାସନ ପ୍ରଣାଳୀ ଉପରେ କଡ଼ା ନଜର ରଖୁିଥିଲେ ।

ଗଡ଼ଜାତ ରାଜାମାନଙ୍କ ଅଭିଷେକ ଉତ୍ସବରେ ପଲ୍‍ଟିକାଲ ଏଜେଣ୍ଟମାନେ ଇଂରେଜ ସରକାରଙ୍କ ପ୍ରତିନଧି ରୂପେ ମୁଖ୍ୟ ଅତିିଥି ଭାବରେ ଯୋଗ ଦେଉଥିଲେ । ରାଜାମାନଙ୍କୁ ଅଭିଷେକ

କରାଉଥିଲେ । ଅଭିଷେକ ସମୟରେ ରାଜାମାନଙ୍କ ମସ୍ତକରେ ରାଜ ମୁକୁଟ ପିନ୍ଧାଇ ହସ୍ତରେ ତରବାରି ଧରାଇ ଦେଉଥିଲେ । ରାଜାଙ୍କୁ ରାଜ୍ୟର ମୁଖ୍ୟ ଭାବରେ ସାଲ୍ୟୁଟ ପ୍ରଦାନ କରୁଥିଲେ । ଏହା ପରେ ଅନ୍ୟ ଦିନମାନଙ୍କରେ ରାଜାମାନେ ପଲ୍‍ଟିକାଲ ଏଜେଣ୍ଟଙ୍କୁ ସାଲ୍ୟୁଟ କରୁଥିଲେ ।

ସମ୍ୱଲପୁରଠାରେ ପୂର୍ବାଞ୍ଚଳ ରାଜ୍ୟସମୂହ ଇଷ୍ଟର୍ଣ୍ଣ ଏଜେନ୍‍ସିର ମୁଖ୍ୟ ଦପ୍ତର ପ୍ରତିଷ୍ଠା ହେବା ଆଗରୁ ଓଡ଼ିଶାର ଗଡ଼ଜାତଗୁଡ଼ିକ ବିଭିନ୍ନ କର୍ତ୍ତୃପକ୍ଷଙ୍କ ଅଧୀନରେ ରହି ପରିଚାଳିତ ହେଉଥିଲେ । ସେଣ୍ଟ୍ରାଲ ପ୍ରୋଭିନ୍‍ସ କମିଶନରଙ୍କ ଅଧୀନରେ ବାମଣ୍ଡା, କଳାହାଣ୍ଡି, ପାଟଣା, ରେଢ଼ାଖୋଲ ଓ ସୋନପୁର ଗଡ଼ଜାତ ରାଜ୍ୟମାନ ଥିଲା । ଓଡ଼ିଶା ଟ୍ରିବ୍ୟୁଟାରୀ ମାହାଲ ଅଧୀନରେ ଆଠଗଡ଼, ଆଠମଲ୍ଲିକ, ବଡ଼ମ୍ୱା, ବୌଦ୍ଧ, ଦଶପଲ୍ଲା, ଢେ଼ଙ୍କାନାଳ, ହିନ୍ଦୋଳ, ଖଣ୍ଡପଡ଼ା, କେନ୍ଦୁଝର, ମୟୂରଭଞ୍ଜ, ନରସିଂହପୁରୁ, ନୟାଗଡ଼, ନୀଳଗିରି ପାଲଲହଡା, ରଣପୁରୁ, ତାଳଚେର ଓ ତିଗିରିଆ ରାଜ୍ୟ ରହିିଥିଲା । ଛୋଟନାଗପୁର କମିଶନରଙ୍କ ଅଧୀନରେ ବଣେଇ ଓ ଗାଙ୍ଗପୁର ରାଜ୍ୟ ଥିଲା ।

ପ୍ରଥମେ ରାଜାମାନଙ୍କ କ୍ଷମତାରେ ତାରତମ୍ୟ ଥିଲା । କେତେକ ରାଜାଙ୍କୁ ସେସନ୍‍ସ ଜଜ୍‍ କ୍ଷମତା ଦିଆଯାଇଥିବା ବେଳେ ଆଉ କେତେକଙ୍କୁ ପ୍ରଥମ ଶ୍ରେଣୀ ଓ ଦ୍ୱିତୀୟ ଶ୍ରେଣୀ ମାଜିଷ୍ଟ୍ରେଟ କ୍ଷମତା ମଧ୍ୟ ପ୍ରଦାନ କରାଯାଇଥିଲା । ଏହା ବ୍ୟତୀତ କେତେକ ରାଜାଙ୍କୁ ନିଜ ସନନ୍ଦ ଥାଇ ଷ୍ଟାମ୍ପପେପର ପ୍ରଚଳନ କରିବା ନିମନ୍ତେ ଅଧିକାର ଦିଆଯାଇଥିଲା । ରାଜ୍ୟର ଗୁରୁତ୍ୱ, ଆୟ, ରାଜାମାନଙ୍କର ଶିକ୍ଷାଦୀକ୍ଷା ଓ ଆଚାର ବ୍ୟବହାରକୁ ବିିଚାରକୁ ନେଇ ଏହି ଗଡ଼ଜାତ ରାଜ୍ୟଗୁଡ଼ିକୁ ପ୍ରଥମ ଓ ଦ୍ୱିତୀୟ ଦୁଇଟି ଣ୍ରେଣୀରେ ବିଭକ୍ତ କରାଯାଇଥିଲା । ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ପାଟଣା, ଗାଙ୍ଗପୁର, କଳାହାଣ୍ଡି, ବୌଦ୍ଧ, ବାମଣ୍ଡା ଓ ନୟାଗଡ଼ ଆଦି ଥିଲେ ପ୍ରଥମଶ୍ରେଣୀର ଗଡ଼ଜାତ । ବାକି ଗଡ଼ଜାତଗୁଡ଼ିକ ଦ୍ୱିତୀୟ ଶ୍ରେଣୀର ବିବେଚିତ ହୋଇଥିଲେ ।

ମୟୂରଭଞ୍ଜ, କଳାହାଣ୍ଡି, ପାଟଣା ଓ ସୋନପୁରର ଶାସକ ରାଜାମାନଙ୍କୁ 'ରାଜା' ପରିବର୍ତ୍ତେ 'ମହାରାଜା' ବୋଲି ସମ୍ୱୋଧନ କରାଯାଉଥିଲା । ଇଂରେଜସରକାର କେତେକ ଉପାଧି ପ୍ରଚଳିତ କରିିଥିଲେ । ସେଥିରେ ରାଜା-ମହାରାଜା ଓ ଅନ୍ୟାନ୍ୟ ବ୍ୟକ୍ତିମାନଙ୍କ ନିମନ୍ତେ ଉପାଧି ଉଦ୍ଦିଷ୍ଟ ଥିଲା । ରାଜାମହାରାଜାଙ୍କ ପାଇଁ ସବୁଠାରୁ ବୃହତ୍‍ ଉପାଧି ଥିଲା 'ହିଜ୍‍ ହାଇନେସ' । କୌଣସି ରାଜା ୧୧ ବା ତା'ଠାରୁ ଅଧିକ ତୋପ ସଲାମୀ ପାଇବାପାଇଁ ଯୋଗ୍ୟବିବେଚିତ ହେଲେ ଯାଇ ତାଙ୍କୁ ଏହି ଉପାଧି ପ୍ରଦାନ କରାଯିବାର ବ୍ୟବସ୍ଥା ରହିଥିଲା । ଅନେକ ଦିଗରୁ ବିଚାରକରି ବ୍ରିଟିଶ ସରକାର ରାଜା-ମହାରାଜାଙ୍କୁ ଯେଉଁ ଉପାଧି ପ୍ରଦାନ କରୁଥିଲେ ସେଗୁଡିକ ହେଲା କେ.ସି.ଆଇ.ଇ (KCIE), ଓ.ବି.ଇ (OBE), ଏମ୍‍.ବି.ଇ (MBE) ଓ ନାଇଟ (Kt) । ସୋନପୁରର ତତ୍‍କାଳୀନ 'ମହାରାଜା' ବୀରମିତ୍ରୋଦୟ ସିଂହଦେବଙ୍କୁ ଓ ମୟୂରଭଞ୍ଜର ତତ୍‍କାଳୀନ ମହାରାଜା ପୂର୍ଣ୍ଣଚନ୍ଦ୍ର ଭଞ୍ଜଦେଓଙ୍କୁ କେ.ସି.ଆଇ.ଇ (KCIE) ଓ କଳାହାଣ୍ଡିର ତତ୍‍କାଳୀନ ମହାରାଜା ବ୍ରଜମୋହନ ଦେଓଙ୍କୁ ଓ.ବି.ଇ(OBE) ଉପାଧି ଇଂରେଜ ସରକାର ପ୍ରଦାନ କରିିଥିଲେ । ପ୍ରାଦେଶିକ ଗଭର୍ଣ୍ଣର, ତାଙ୍କ ମନ୍ତ୍ରୀ ହାଇକୋର୍ଟ ଜଜ୍‍, ଏକ୍‍ଜିକିଉଟିଭ କାଉନ୍‍ସିଲର ଓ ଦେଶୀୟ ରାଜାମାନଙ୍କୁ କେ.ସି.ଆଇ.ଇ (KCIE) ଠାରୁ ଉପରକୁ ଉପାଧିମାନ ମିଳିିଥିଲା ।

ବ୍ରିଟିଶ ସରକାର ରାଜାମାନଙ୍କ ଗତିବିଧି ପ୍ରତି ସତର୍କ ଦୃଷ୍ଟି ରଖିଥିଲେ ହେଁ ଅନେକ ରାଜା ମନୋମୁଖୀ ଶାସନ ଚଳାଇ ପ୍ରଜାମାନଙ୍କୁ ନିର୍ଯ୍ୟାତନା ଦେଉଥିଲେ । ନାରୀଧର୍ଷଣ, ନରହତ୍ୟା, ବେଠି, ବେଗାରି ଆଦି ଜଘନ୍ୟ କାର୍ଯ୍ୟରେ ଲିପ୍ତ ରହୁଥିଲେ । ପ୍ରଜାମାନେ ଦୁଃଖ ଯନ୍ତ୍ରଣା ମୁଣ୍ଡପାତି ସହୁଥିଲେ । ପଲ୍‍ଟିକାଲ ଏଜେଣ୍ଟ, ରେଭେନ୍ୟୁ କମିଶନର, ରେସିଡେଣ୍ଟ କମିଶନର ଆଦି ପଦସ୍ଥ ଅଧିକାରୀମାନେ ପରିଦର୍ଶନରେ ଆସିଲେ ସେମାନଙ୍କୁ ଉତ୍ତମ ସତ୍କାର କରାଯାଇ ବଶୀଭୂତ କରିଦିଆଯାଉଥିଲା । ଢେଙ୍କାନାଳ, ତାଳଚେର, ନୀଳଗିରି, ରଣପୁରରେ ରାଜାମାନଙ୍କର ଅତ୍ୟାଚାର ସବୁଠାରୁ ଅଧିକ ଥିଲା । ଫଳରେ ଏସବୁ ରାଜ୍ୟରେ ପ୍ରଜାମଣ୍ଡଳ ଗଠନ କରାଯାଇ ଗଣ ଆନ୍ଦୋଳନ ସୃଷ୍ଟି ହୋଇଥିଲା ।

ଗଡ଼ଜାତ ରାଜ୍ୟମାନଙ୍କ ସଂକ୍ଷିପ୍ତ ବିବରଣୀ :

Odisha Rajanitira Itihasa.pdf

ପାଟଣା ରାଜ୍ୟ ୧୯୦୫ ମସିହାରେ ମଧ୍ୟ-ପ୍ରଦେଶରୁ ଆସି ଓଡ଼ିଶାରେ ମିଶିଲା । ବଲାଙ୍ଗୀର ଏହି ରାଜ୍ୟର ରାଜଧାନୀ । ଏହି ରାଜ୍ୟର କ୍ଷେତ୍ରଫଳ ୨୩୯୯ ବର୍ଗମାଇଲ । ୧୭୬୬ଟି ଗ୍ରାମ ଓ ଗୋଟିଏ ସହର ଏହି ରାଜ୍ୟର ଅନ୍ତର୍ଭୁକ୍ତ । ଏହି ରାଜ୍ୟର ଶେଷ ସ୍ୱାଧୀନ ଶାସକ ହେଲେ ମହାରାଜା ରାଜେନ୍ଦ୍ର ନାରାୟଣ ସିଂହଦେଓ । ତାଙ୍କର ଜନ୍ମ ୧୯୧୨ ମସିହା ମାର୍ଚ୍ଚ ମାସ୧୨ ତାରିଖ । ତାଙ୍କ ପୂର୍ବର ରାଜା ପୃଥୀରାଜ ଦେବ ଅପୁତ୍ରକ ଥିବାରୁ ରାଜେନ୍ଦ୍ର ନାରାୟଣଙ୍କୁ ଷଢେ଼ଇକଳା ରାଜ୍ୟରୁ ପୋଷ୍ୟପୁତ୍ର କରି ଆଣିିଥିଲେ । ରାଜେନ୍ଦ୍ର ନାରାୟଣ ପଞ୍ଜାବର ପାତିଆଲା ମହାରାଜାଙ୍କ କନ୍ୟାଙ୍କର ପାଣିଗ୍ରହଣ କରିଥିଲେ । ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ୮.୩.୧୯୬୭ ରୁ ୯.୧.୧୯୭୧ ପର୍ଯ୍ୟନ୍ତ ବହନ କରିିଥିଲେ । ୨୩.୨.୧୯୭୫ ରେ ତାଙ୍କର ପରଲୋକ ହୋଇଗଲା ।

ସୋନପୁର ପ୍ରଥମେ ପାଟଣାରାଜ୍ୟ ଅଧୀନରେ ଥିଲା । ୧୫୬୦ରେ ସମ୍ୱଲପୁରର ରାଜା ମଧୁକର ରାୟ ଏହାକୁ ପାଟଣାରୁ ଅଲଗା କରିଦେଲେ । ଏହି ରାଜ୍ୟର ଆୟତନ ୯୦୬ ବର୍ଗମାଇଲ । ୨ଟି ସହର

Odisha Rajanitira Itihasa.pdf

ଓ ୮୨୭ ଗ୍ରାମ ଏହି ରାଜ୍ୟର ଅନ୍ତର୍ଭୁକ୍ତ । ରାଜଧାନୀର ନାମ ସୋନପୁର । ଏହି ରାଜ୍ୟର ଅନ୍ୟତମ ମହାରାଜା ସାର୍‍ ବୀରମିତ୍ରୋଦୟ ସିଂହଦେବ ଥିଲେ ଅତ୍ୟନ୍ତ ସାହିତ୍ୟ ଓ ସଂସ୍କୃତିସମ୍ପନ୍ନ ତ‌ଥା ଉତ୍ତମ ପ୍ରଜାପାଳକ । ସେ ୧୮୭୪ ମସିହା ଅଗଷ୍ଟ ୮ ତାରିଖରେ ଜନ୍ମଗ୍ରହଣ କରିଥିଲେ । ସେ ମାନ୍ୟତା ସ୍ୱରୂପ ଇଂରେଜ ସରକାରଙ୍କଠାରୁ ନଅଟି ତୋପସଲାମି ପାଉଥିଲେ । ସେ ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ସରକାରଙ୍କୁ ବିପୁଳ ପରିମାଣରେ ଚାଉଳ, ଅର୍ଥ ଓ ସୈନ୍ୟ ଯୋଗାଇଥିବାରୁ କେ.ସି.ଆଇ.ଇ ଉପାଧି ଲାଭ କରିିଥିଲେ । କଲିକତା ଓ ପାଟଣା ବିଶ୍ୱବିଦ୍ୟାଳୟରେ ଏହାଙ୍କ ଦାନ ଯୋଗୁ ଓଡ଼ିଆ ଭାଷା ଉଚ୍ଚ ପରୀକ୍ଷା ନିମନ୍ତେ ନିର୍ବାଚିତ ହୋଇଥିଲା । ତାଙ୍କର ମହାରାଣୀ ମଧ୍ୟ 'ସି.ଆଇ' ଉପାଧି ଲାଭ କରିିଥିଲେ । ପୁରୀ ଜିଲ୍ଲାର ଦୁର୍ଭିିକ୍ଷ ଓ ବଢ଼ି ସମୟରେ ସେ ଧାନ ଚାଉଳ ବହୁ ପରିମାଣରେ ସାହାଯ୍ୟ ଆକାରରେ ପ୍ରଦାନ କରିିଥିଲେ । ରେଭେନ୍‍ସା କଲେଜର 'ସୋନପୁର ଚେୟାର' ତାଙ୍କରି ଦାନରେ ସ୍ଥାପିତ । ସେ ପୁରୀ ଶ୍ରୀମନ୍ଦିରକୁ ମୂଲ୍ୟବାନ ବିଜୁଳି ଆଲୋକ ପ୍ରଦାନ କରିିଲେ । ତାଙ୍କର ଧର୍ମପ୍ରାଣତା ଯୋଗୁ ପୁରୀ ମୁକ୍ତିମଣ୍ଡପ ସଭା ତାଙ୍କୁ 'ଧର୍ମନିଧି ଜ୍ଞାନଗୁଣାକର' ଉପାଧି ପ୍ରଦାନ କରିଥିଲେ । ତାଙ୍କରି ପ୍ରଚେଷ୍ଟାରେ ବହୁ ଓଡ଼ିଆ ପୁସ୍ତକ ସୋନପୁର ଦରବାର ତରଫରୁ ପ୍ରକାଶିତ । ସମଗ୍ର ଉତ୍କଳରେ ସୋନପୁର ମହାରାଜା ସବୁଠାରୁ ବଡ଼ ଧନୀ ବୋଲି ପରିଚିତ ଥିଲେ । ସଂସ୍କୃତ ଭାଷାରେ ତାଙ୍କର ଓ ତାଙ୍କ ରାଣୀଙ୍କର ଗଭୀର ବ୍ୟୁତ୍ପତ୍ତି ଥିଲା । ତାଙ୍କଦ୍ୱାରା ପ୍ରତିଷ୍ଠିତ ସଂସ୍କୃତ ମହାବିଦ୍ୟାଳୟକୁ ଭାରତର ବିଭିନ୍ନ ପ୍ରାନ୍ତରୁ ଶିକ୍ଷାର୍ଥୀମାନେ ଆସି ଅଧ୍ୟୟନ କରୁଥିଲେ । ବିଶ୍ୱର ଶ୍ରେଷ୍ଠ ଆଦିବାସୀ କବି ମହାତ୍ମା ଭୀମ ଭୋଇ ଏ ମାଟିର ସନ୍ତାନ । ତାଙ୍କର ଗାଦି ଖଲିଆପାଲିଠାରେ ଅବସ୍ଥିତ ।

ମୟୂରଭଞ୍ଜ ରାଜ୍ୟ ଗଠନ ସମ୍ପର୍କରେ ଏକ ରୋଚକ କିମ୍ୱଦନ୍ତୀ ଶୁଣିବାକୁ ମିଳେ । ୧୦୯୮ରେ ରାଜସ୍ଥାନର ସୂର୍ଯ୍ୟବଂଶୀ ରାଜପୁତ ଜୟସିଂହ ପୁରୀକୁ ତୀର୍ଥ ଭ୍ରମଣରେ ଆସିିଥିଲେ । ଉତ୍କଳର ଗଜପତିଙ୍କ କନ୍ୟାକୁ ବିବାହ କରି ସେ ହରିପୁର (ବର୍ତ୍ତମାନର ମୟୂରଭଞ୍ଜ) ରାଜ୍ୟକୁ ଯୌତୁକ ସ୍ୱରୂପ ପାଇଥିଲେ । ତାଙ୍କର ଥିଲେ ଦୁଇପୁତ୍ର । ସେମାନେ ହେଲେ ଆଦି ସିଂହ ଓ ଯତି ସିଂହ । ଆଦି ସିଂହ ନିଜ ବୀରତ୍ୱ ବଳରେ ମୟୂରଧ୍ୱଜ ନାମକ ଜଣେ କ୍ଷୁଦ୍ର ସାମନ୍ତ ରାଜାଙ୍କୁ ଯୁଦ୍ଧରେ ପରାସ୍ତ କରି ଗଜପତିଙ୍କଠାରୁ ଭଞ୍ଜ ଉପାଧି ପ୍ରାପ୍ତ ହୋଇଥିଲେ । ଫଳରେ ରାଜ୍ୟର ନାମ ହେଲା

Odisha Rajanitira Itihasa.pdf

ମୟୂରଭଞ୍ଜ । ଏ ରାଜ୍ୟର ରାଜଚିହ୍ନ 'ମୟୂର' । ଏଠାରେ ମୟୂର ବଧ ନିଷେଧ । ଏହି ରାଜ୍ୟର କ୍ଷେତ୍ରଫଳ ୪୨୪୩ ବର୍ଗ ମାଇଲ । ଗ୍ରାମ ସଂଖ୍ୟା ୩୭୧୫ । ସହର ଗୋଟିଏ । ରାଜଧାନୀ ବାରିପଦା । ଓଡ଼ିଶାର ବିକାଶପାଇଁ ଏ ରାଜ୍ୟର ଶାସକ ମହାରାଜମାନେ ବିଭିନ୍ନ ସମୟରେ ବହୁ ସାହାଯ୍ୟ କରିଯାଇଛନ୍ତି । ବିଶେଷକରି ଓଡ଼ିଶାର ଶିକ୍ଷା, ସାହିତ୍ୟ ଓ ସଂସ୍କୃତିର ବିକାଶ ପାଇଁ ଏ ରାଜ୍ୟର ଅବଦାନ ଅବିସ୍ମରଣୀୟ ।

ଏହି ରାଜ୍ୟର ଶାସକରାଜ କୃଷ୍ଣଚନ୍ଦ୍ର ଭଞ୍ଜଦେଓ କଟକ କଲେଜିଏଟ୍‍ ସ୍କୁଲକୁ ୨୬,୨୦୦ ଟଙ୍କା ଦାନ କରି ବ୍ରିଟିଶ ସରକାରଙ୍କଠାରୁ ମହାରାଜା ଉପାଧି ପ୍ରାପ୍ତ ହୋଇଥିଲେ । ତାଙ୍କର ପୁତ୍ର ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ୧୯୦୩ରେ ଉତ୍କଳ ସମ୍ମିଳନୀ ପ୍ରଥମ ଅଧିବେଶନର ସଭାପତି ହୋଇଥିଲେ । ସେ ଶିକାରକୁ ଯାଇ ଆକସ୍ମିକ ଗୁଳି ଚୋଟରେ ପ୍ରାଣ ହରାଇଥିଲେ । ତାଙ୍କ ଅନ୍ତେ ତାଙ୍କ ପୁତ୍ର ପୂର୍ଣ୍ଣଚନ୍ଦ୍ର ଭଞ୍ଜଦେଓ ରାଜା ହେଲେ । ସେ ଥିଲେ ପ୍ରବଳ ପରାକ୍ରମୀ । କଟକ ରେଭେନ‌୍‌ସା କଲେଜରେ ବିଜୁଳ ଆଲୋକର ସୁବନ୍ଦୋବସ୍ତପାଇଁ ସେ ଏକଲକ୍ଷ ଟଙ୍କା ଦାନ କରିିଥିଲେ । ଗୋପାଳଚନ୍ଦ୍ର ପ୍ରହରାଜଙ୍କ ଭାଷାକୋଷ ତାଙ୍କରି ଦାନ ଅର୍ଥରେ ପ୍ରକାଶିତ । ଫଳରେ ତାହା 'ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ' ନାମରେ ନାମିତ । ମହାରାଜା ପୂର୍ଣ୍ଣଚନ୍ଦ୍ର ଭଞ୍ଜଦେଓଙ୍କ ପିତା ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଓଡ଼ିଆଜାତି ତ‌ଥା ଓଡ଼ିଶାର ଉନ୍ନତିପାଇଁ ଖୁବ୍‍ ଯତ୍ନବାନ ଥିଲେ । ରେଭେନ୍‍ସା କଲେଜର ଉନ୍ନତିପାଇଁ ସେ ବହୁ ଅର୍ଥ ଦାନ କରିିଥିଲେ । ଓଡ଼ିଶାର ଡାକ୍ତରୀ ବିଦ୍ୟାଳୟଟି ତାଙ୍କର ଅକୁଣ୍ଠ ସାହାଯ୍ୟ ଓ ପ୍ରେରଣାରେ ପ୍ରତିଷ୍ଠା ହୋଇଥିଲା । 'ଉତ୍କଳ ସାହିତ୍ୟ ସମାଜ' ଗଠନରେ ମହାରାଜାଙ୍କ

ଭୂମିକା ଉଲ୍ଲେଖନୀୟ । ଉତ୍କଳର ପ୍ରାଣକେନ୍ଦ୍ର କଟକ ମହାନଗରୀରେ ଥିବା ମେଡ଼ିକାଲ କଲେଜଟି ତାଙ୍କରି ନାମରେ ନାମିତ । କଟକ ମହାନଗରୀର ସାହିତ୍ୟ ଓ ସଂସ୍କୃତି କେନ୍ଦ୍ର ଶ୍ରୀରାମଚନ୍ଦ୍ର ଭବନ ତାଙ୍କ ନାମରେ ନାମିତ ହୋଇ ମହାରାଜାଙ୍କ ମହିମାର ଗୁଣଗାନ କରୁଛି । ମହାରାଜା ପୂର୍ଣ୍ଣଚନ୍ଦ୍ର ଭଞ୍ଜଦେଓ କ୍ଷୌର ହେଉଥିବା ସମୟରେ ଧନୁଷ୍ଟଙ୍କାର ରୋଗରେ ପଡ଼ି ୧୯୨୮ ମସିହାରେ ମୃତ୍ୟୁବରଣ କରିିଥିଲେ । ତାଙ୍କ ପରେ ତାଙ୍କର କନିଷ୍ଠଭ୍ରାତା ପ୍ରତାପଚନ୍ଦ୍ର ଭଞ୍ଜଦେଓ ମୟୂରଭଞ୍ଜର ଅଧିପତି ହେଲେ । ତାଙ୍କ ସମୟରେ ବହୁ ଉନ୍ନତି ଘଟିଲା । ସୁଶାସନ ପାଇଁ ସେ ଇଂରେଜ ସରକାରଙ୍କ ଠାରୁ କେ.ସି.ଆଇ.ଇ ଉପାଧି ଲାଭ କରିିଥିଲେ ।

କଳାହାଣ୍ଡି ଗଡ଼ଜାତ ରାଜ୍ୟ ଏକ ପ୍ରାଚୀନ ରାଜ୍ୟ । ପ୍ରାଚୀନ କାଳରେ ଏହା ମୂଷିକ ରାଜ୍ୟ ଅନ୍ତର୍ଭୁକ୍ତ ଥିଲା । କଳିଙ୍ଗର କୌଣସି ଗଙ୍ଗବଂଶୀୟ ରାଜା ଏହି ରାଜ୍ୟକୁ ଜୟ କରି ରାଜତ୍ୱ କଲେ । ଗଙ୍ଗବଂଶୀୟ ରାଜାମାନେ ଏଠାରେ ୧୦୦୮ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ରାଜତ୍ୱ କରିିଥିଲେ । ଶେଷ ଗଙ୍ଗବଂଶୀ ରାଜା ଅପୁତ୍ରକ ଥିବାରୁ ଉତ୍ତରାଞ୍ଚଳର କୌଣସି ରାଜପୁତ୍ରଙ୍କୁ ନିଜର କନ୍ୟାକୁ ପ୍ରଦାନ ପୂର୍ବକ ରାଜ୍ୟଭାର ଅର୍ପଣ କରିଥିଲେ । ଏହି ଗଡ଼ଜାତ ରାଜ୍ୟ ଅଧୀନରେ ଅଠରଗୋଟି ସାମନ୍ତରାଜ୍ୟ ଥିଲା । ଏ ରାଜ୍ୟର କ୍ଷେତ୍ରଫଳ ୩୭୪୫ ବର୍ଗମାଇଲ । ଗ୍ରାମସଂଖ୍ୟା ୨୨୪୫ ଓ ସହର ସଂଖ୍ୟା ୧ । ଏ ରାଜ୍ୟର ଶାସକ ମହାରାଜା ଶ୍ରୀ ଶ୍ରୀ ବ୍ରଜମୋହନ ଦେଓ ଓଡ଼ିଶାର ରାଜାମାନଙ୍କ ମଧ୍ୟରୁ ସର୍ବପ୍ରଥମେ ମାନ୍ୟସ୍ୱରୂପ ବ୍ରିଟିଶସରକାରଠାରୁ ନଅଗୋଟି ତୋପ ସଲାମି ଓ ଓ.ବି.ଇ ଉପାଧି ପ୍ରାପ୍ତ ହୋଇଥିଲେ । ତାଙ୍କର ପୁତ୍ର ପ୍ରତାପ କେଶରୀ ଦେଓ ଥିଲେ ଏ ରାଜ୍ୟର ଶେଷ ସ୍ୱାଧୀନ ରାଜା । ଭବାନୀପାଟଣା ଏ ରାଜ୍ୟର ରାଜଧାନୀ ।

କେନ୍ଦୁଝର ଗଡ଼ଜାତ ରାଜ୍ୟ ଏକ ପ୍ରାଚୀନ ଗଡ଼ଜାତ । ପ୍ରଥମେ ଏହା ମୟୂରଭଞ୍ଜ ରାଜ୍ୟ ସହ ସାମିଲ ହୋଇଥିଲା । ୧୧୧୮ରେ ଏହା ମୟୂରଭଞ୍ଜ ରାଜ୍ୟରୁ ପୃଥକ ହୋଇଥିଲା । ସେହିଦିନ ଠାରୁ ଦେଶ ସ୍ୱାଧୀନ ହେବାଯାଏ ୩୮ ଜଣ ରାଜା ଏ ରାଜ୍ୟକୁ ଶାସନ କରି ଅଛନ୍ତି । ଏ ରାଜ୍ୟର ରାଜା ସୂର୍ଯ୍ୟବଂଶୀ । ରାଜାଙ୍କର ସନ୍ତକ 'ମୟୂର ପୁଚ୍ଛ' । ୧୮୫୭ ସାଲରେ ଏଠାର କୋଲ ବିଦ୍ରୋହ ସମୟରେ ଏ ରାଜ୍ୟର ରାଜା ସାହାଯ୍ୟ କରିିଥିବାରୁ ଇଂରେଜ ସରକାର ତାଙ୍କୁ ମହାରାଜା ଉପାଧି ପ୍ରଦାନ କରିିଥିଲେ । ୧୮୬୧ ସାଲରେ କେନ୍ଦୁଝରର ରାଜା ନିଃସନ୍ତାନ ହୋଇ ମୃତ୍ୟୁବରଣ କରିବାରୁ ରାଣୀ ଧନୁର୍ଜ୍ଜୟ ଭଞ୍ଜଙ୍କୁ ପୋଷ୍ୟପୁତ୍ର ଭାବରେ ଗ୍ରହଣ କଲେ । ଶେଷ ସ୍ୱାଧୀନ ରାଜା ହେଉଛନ୍ତି ବଳଭଦ୍ର ନାରାୟଣ ଭଞ୍ଜଦେଓ । ସେ ୧୯୦୫ ମସିହା ଡ଼ିସେମ୍ୱର ୨୬ ତାରିଖରେ ଜନ୍ମଗ୍ରହଣ କରି ୧୯୨୬ ମସିହା ଅଗଷ୍ଟ ୧୨ ତାରିଖରେ ସିଂହାସନ ଆରୋହଣ କରିିଥିଲେ । ୧୮୬୧ ମସିହାରେ କେନ୍ଦୁଝରରେ କନ୍ଧ ମେଳି ହୋଇିଥିଲା । ଧରଣୀ ଭୂୟାଁ ଏହି ବିଦ୍ରୋହର ନେତା ଥିଲେ । ଇଂରେଜ ସରକାର ଏହି ବିଦ୍ରୋହକୁ ଦମନ କରିିଥିଲେ । ଏ ରାଜ୍ୟର କ୍ଷେତ୍ରଫଳ ୩୦୯୬ ବର୍ଗମାଇଲ । ଗ୍ରାମସଂଖ୍ୟା ୧୯୬୫ । ରାଜ୍ୟର ରାଜଧାନୀ କେନ୍ଦୁଝର ଗଡ଼ ।

ଢେଙ୍କାନାଳ ଗଡ଼ଜାତ ରାଜ୍ୟ ଏକ ଶିକ୍ଷିତ, ସମ୍ଭ୍ରାନ୍ତ ଓ ସଂସ୍କୃତିସମ୍ପନ୍ନ ଗଡ଼ଜାତ ରାଜ୍ୟ ଭାବରେ ପରିଚିତ । ପୂର୍ବକାଳରେ 'ଢେଙ୍କା' ନାମରେ ଜଣେ ଶବର ରାଜା, ଏ ରାଜ୍ୟକୁ ଶାସନ

Odisha Rajanitira Itihasa.pdf

କରୁଥିଲେ । ତାଙ୍କରି ନାମ ଅନୁସାରେ ଏହି ରାଜ୍ୟର ନାମ 'ଢେ଼ଙ୍କାନାଳ' ହୋଇଛି । ଚତୁର୍ଦ୍ଦଶ ଶତାବ୍ଦୀରେ ପୁରୀ ରାଜବଂଶୀୟ ସିଂହ ବିଦ୍ୟାଧର ଏହି ରାଜ୍ୟର ଶାସନଭାର ଗ୍ରହଣ କରିଥିଲେ । ମୀନକେତନ ରାଜବଂଶର ଚିହ୍ନ । ଏ ରାଜ୍ୟର କ୍ଷେତ୍ରଫଳ ୧୪୬୩ ବର୍ଗମାଇଲ । ରାଜ୍ୟରେ ୮୨୦ ଗ୍ରାମ ଓ ଦୁଇଟି ସହର ଅନ୍ତର୍ଭୁକ୍ତ । ରାଜ୍ୟର ରାଜଧାନୀ- ଢେଙ୍କାନାଳ । ୧୮୬୬ ମସିହା ନ'ଅଙ୍କ ଦୁର୍ଭିିକ୍ଷ ସମୟରେ ଏ ରାଜ୍ୟର ତତ୍‍‌କାଳୀନ ରାଜା ଭଗୀରଥି ମହୀନ୍ଦ୍ର ବାହାଦୂର ପାଣିସୁଅ ପରି ବହୁ ଅର୍ଥ ଓ ଚାଉଳ ସାହାଯ୍ୟ ପ୍ରଦାନ କରିଥିବାରୁ ଇଂରେଜ ସରକାର ତାଙ୍କୁ 'ମହାରାଜା' ଉପାଧି ପ୍ରଦାନ କରିିଥିଲେ । ଓଡ଼ିଶାରେ ସେତେବେଳେ ଛାପାଖାନା କି ଖବର କାଗଜ ନିଥିଲା । ବହୁ ଅର୍ଥ ବ୍ୟୟ କରି ମହାରାଜା ଭଗୀରଥି ମହୀନ୍ଦ୍ର ବାହାଦୂର କଟକର ପ୍ରିଣ୍ଟିଂକମ୍ପାନୀ ଛାପାଖାନା ବସିବାର ସୁବିଧା କରିଦେଲେ । ଫଳରେ ଏହି ଛାପାଖାନାରୁ 'ଉତ୍କଳ ଦୀପିକା' ଖବରକାଗଜ ପ୍ରକାଶ ପାଇଲା । ବହୁପ୍ରାଚୀନ ଗ୍ରନ୍ଥ ଏହି ଛାପାଖାନାରୁ ପ୍ରକାଶ ପାଇଥିଲା । ରାଜା ଭାଗୀରଥି ଓଡ଼ିଆ ପାଠ୍ୟପୁସ୍ତକ ଲେଖା ଓ ଛାପାହେବାପାଇଁ ବହୁ ଅର୍ଥଦାନ କରିଯାଇଛନ୍ତି । ସେ ଏହି ପାଠ୍ୟପୁସ୍ତକ ପ୍ରକାଶନ କମିଟିର ସଭ୍ୟ ମଧ୍ୟ ଥିଲେ । ଏହି ରାଜାଙ୍କ ସମୟରେ ଉତ୍କଳରେ ମହିମାଧର୍ମ ପ୍ରଚାର ହୋଇଥିଲା । ସିଂହ ବିଦ୍ୟାଧରଙ୍କଠାରୁ ଦେଶ ସ୍ୱାଧୀନ ହେବାଯାଏ ୨୬ ଜଣ ରାଜା ଏ ରାଜ୍ୟରେ ରାଜତ୍ୱ କରିଥିଲେ । ଏ ରାଜ୍ୟର ଶେଷ ସ୍ୱାଧୀନ ରାଜା ଶଙ୍କର ପ୍ରତାପ ମହେନ୍ଦ୍ର ବାହାଦୂର । ତାଙ୍କର ଜନ୍ମ ୧୯୦୪ ମସିହା ନଭେମ୍ୱର ୧୫ ତାରିଖ । ୧୯୧୮ ମସିହା ଅକ୍ଟୋବର ମାସ ୧୬ ତାରିଖରେ ସେ ସିଂହାସନ ଆରୋହଣ କଲେ । ଏ ରାଜ୍ୟ ପ୍ରଥମ ଶ୍ରେଣୀ ରାଜ୍ୟ ହୋଇଥିବାରୁ ଏଠାରେ ଆଧୁନିକ ଶାସନ ପଦ୍ଧତି ପ୍ରଚଳିତ ଥିଲା । ଏଠାରେ ଗୋଟିଏ ହାଇସ୍କୁଲ ପ୍ରତିଷ୍ଠା ହୋଇଥିଲା । ଶିକ୍ଷା କ୍ଷେତ୍ରରେ ରାଜ୍ୟ ବହୁ ଉଚ୍ଚରେ ଥିଲା । ସବୁଜ କବି ଅନ୍ନଦା ଶଙ୍କର ରାୟ, ଗଡ଼ଜାତ ଗାନ୍ଧୀ ସାରଙ୍ଗଧର ଦାସ, କବି ବ୍ରଜନାଥ ବଡ଼ଜେନା, ବିଶ୍ୱର ସର୍ବକନିଷ୍ଠ ବାଳକ ସହିଦ ବୀର ବାଜି ରାଉତ ଏ ମାଟିର ଅମର ସନ୍ତାନ ।

ନୟାଗଡ଼ ରାଜ୍ୟ ପ୍ରଥମେ ଖଣ୍ଡପଡ଼ା ରାଜ୍ୟ ଅନ୍ତର୍ଗତ ଥିଲା । ଚତୁର୍ଦ୍ଦଶ ଶତାବ୍ଦୀରେ ମଧ୍ୟପ୍ରଦେଶ ରେବା ବଂଶର ସୂର୍ଯ୍ୟମଣି ସିଂହ ନାମରେ ଜଣେ ରାଜପୁତ୍ର ପୁରୀ ଶ୍ରୀଜଗନ୍ନାଥଙ୍କ ଦର୍ଶନପାଇଁ ଆସିିଥିଲେ । ସେ ଆସିବା ସମୟରେ ନୟାଗଡ଼ର ଲୋକେ ବ୍ୟାଘ୍ର ଭୟରେ ଆତଙ୍କିତ

ଥିଲେ । ରାଜକୁମାର ବ୍ୟାଘ୍ରକୁ ବଧ କରି ଲୋକଙ୍କୁ ଆଶ୍ୱସ୍ତି ପ୍ରଦାନ କଲେ । ଫଳରେ ଲୋକେ ସେଠାକାର ରାଜା ଭାବରେ ତାଙ୍କୁ ବରଣ କଲେ । ଏ ରାଜବଂଶର ସନ୍ତକ ବାଘମୁଣ୍ଡ । ସେହିଦିନଠାରୁ ଦେଶ ସ୍ୱାଧୀନ ହେବାଯାଏ ଏ ରାଜ୍ୟରେ ପ୍ରାୟ ୨୪ ଜଣ ରାଜା ରାଜପଣ କରିଯାଇଛନ୍ତି । ଏହାର ଶେଷ ସ୍ୱାଧୀନ ରାଜା କୃଷ୍ଣଚନ୍ଦ୍ର ସିଂହ ମାନ୍‍ଧାତା । ତାଙ୍କର ଜନ୍ମ ୧୯୧୧ ମସିହା ଅଗଷ୍ଟ ୧୫ ତାରିଖ । ସେ ଗାଦିନସୀନ ହେଲେ ୧୯୧୮ ମସିହା ଡ଼ିସେମ୍ୱର ୭ ତାରିଖ ଦିନ ନାବାଳକ ଥିବା ସମୟରେ । ସେ ନେପାଳରେ ବିବାହ କରିଥିଲେ । ଏ ରାଜ୍ୟର କ୍ଷେତ୍ରଫଳ ୫୯୦ ବର୍ଗମାଇଲ । ଏଠାରେ ୫୬୫ ଗ୍ରାମ ରହିିଲା । ନୟାଗଡ଼ ଥିଲା ଏହାର ରାଜଧାନୀ । ଇଟାମାଟି ହେଲା ପ୍ରଧାନ ବାଣିଜ୍ୟ କେନ୍ଦ୍ର । ଏ ରାଜ୍ୟରେ ରଘୁନାଥଜୀଉ ଓ ଲଡୁକେଶ୍ୱର ମହାଦେବଙ୍କ ମନ୍ଦିର ବିଦ୍ୟମାନ ।

ଗାଙ୍ଗପୁର ଗଡ଼ଜାତ ରାଜ୍ୟର କ୍ଷେତ୍ରଫଳ ୨୪୯୨ ବର୍ଗମାଇଲ । ଏ ରାଜ୍ୟର ଗ୍ରାମ ସଂଖ୍ୟା ୧୧୧୮ । ସୁନ୍ଦରଗଡ଼ ଏହି ରାଜ୍ୟର ରାଜଧାନୀ । ଏ ରାଜ୍ୟ ଏକଦା ସମ୍ୱଲପୁର ଅଧୀନରେ ଥିଲା । ୧୮୦୩ରେ ମରହଟ୍ଟାମାନଙ୍କ ହାତରୁ ଏହା ଇଂରେଜମାନଙ୍କ ହାତକୁ ଆସି ପୁନର୍ବାର ୧୮୦୭ ମସିହାରେ ମରହଟ୍ଟାମାନଙ୍କ ହାତକୁ ଚାଲିଯାଇଥିଲା । ୧୯୦୫ରେ ଗାଙ୍ଗପୁର ଛୋଟନାଗପୁରରୁ ବିଚ୍ଛିନ୍ନ ହୋଇ ଓଡ଼ିଶା ସହିତ ମିଶିଲା । ଏ ରାଜ୍ୟର ପ୍ରଧାନ ଅଧିବାସୀ ଭୂୟାଁ ଜାତି । ଏ ରାଜ୍ୟର ଶେଷ ସ୍ୱାଧୀନ ରାଜା ଶ୍ରୀ ବୀରମିତ୍ର ପ୍ରତାପ ଶେଖର ଦେଓ । ୧୯୩୦ରେ ସେ ସିଂହାସନ ଆରୋହଣ କରିିଥିଲେ । ସେ ହେଉଛନ୍ତି ଗଙ୍ଗବଂଶୀ । ଭୂୟାଁମାନେ ଏ ରାଜ୍ୟର ପ୍ରଧାନ ଅଧିକାରୀ । ଭୂୟାଁମାନଙ୍କ ମୁହଁରୁ ଶୁଣାଯାଏ ଯେ, ଉତ୍କଳର ଜଣେ କେଶରୀବଂଶୀୟ ସାମନ୍ତ ଏ ରାଜ୍ୟକୁ ପ୍ରଥମେ ଶାସନ କରୁଥିଲେ । ତାଙ୍କର ବଂଶ ଲୋପପାଇବାରୁ ଲୋକେ ଶିଖର ଭୂମିରୁ ଶିଖର ବଂଶର ଜଣେ ବାଳକକୁ ଅପହରଣ କରିଆଣି ରାଜା କରିଥିଲେ । ସେହି ବଂଶ ଶେଷଯାଏ ଏ ରାଜ୍ୟର ଶାସନକର୍ତ୍ତା ବା ରାଜା ଭାବରେ ବିବେଚିତ ।

ବୌଦ୍ଧ ଏକ ପ୍ରାଚୀନ ଗଡ଼ଜାତ ରାଜ୍ୟ । ଆଦିମ କାଳରୁ ଏହି ରାଜ୍ୟ ଏକ କନ୍ଧ ରାଜ୍ୟ ଥିଲା । କୁହାଯାଏ, ପ୍ରାୟ ହଜାରେ ବର୍ଷ ତଳେ ଜଣେ ବ୍ରାହ୍ମଣ ଏହି ରାଜ୍ୟରେ ପ୍ରବେଶ କରି କନ୍ଧମାନଙ୍କୁ ଦକ୍ଷିଣ ଅଞ୍ଚଳକୁ ତଡ଼ିଦେଲେ । ସ୍ୱାଧୀନତା ପର୍ଯ୍ୟନ୍ତ ଏହି ବ୍ରାହ୍ମଣବଂଶୀୟ ୭୨ ଜଣ ରାଜା ଏ ରାଜ୍ୟକୁ ଶାସନ କରିଛନ୍ତି । ବୌଦ୍ଧ ଥିଲା ଏକ ବିରାଟ ରାଜ୍ୟ । କାଳକ୍ରମେ ପଡେ଼ାଶୀ ରାଜାମାନେ ଏହି ରାଜ୍ୟରୁ ଖଣ୍ଡିଏ ଖଣ୍ଡିଏ ଦଖଲ କରି ନିଜ ରାଜ୍ୟରେ ମିଶାଇ ଦେଇଛନ୍ତି । ଏ ବଂଶର ରାଜାମାନେ ଜଙ୍ଗଲ ପରିଷ୍କାର କରି ରାଜ୍ୟସ୍ଥାପନ କରିିଥିବାରୁ 'ଭଞ୍ଜ' ଉପାଧି ଲାଭକରିଥିଲେ । ରାଜା ପୀତାମ୍ୱର ଦେଓ କନ୍ଧମାଳର କନ୍ଧମାନଙ୍କ ନରବଳି ପ୍ରଥା ବନ୍ଦ କରି ନପାରି କନ୍ଧମାଳକୁ ୧୮୩୫ ମସିହାରେ ଇଂରେଜମାନଙ୍କୁ ଅର୍ପଣ କରିଥିଲେ । ଫଳରେ କନ୍ଧମାଳ ଅନୁଗୁଳ ଜିଲ୍ଲା ଅନ୍ତର୍ଭୁକ୍ତ ହେଲା । ଏ ରାଜ୍ୟର ଆୟତନ ୧୨୬୪ ବର୍ଗମାଇଲ । ଏଥିରେ ଥିଲା ୧୦୨୯ଟି ଗ୍ରାମ । ବୌଦ୍ଧର ଶେଷ ସ୍ୱାଧୀନ ରାଜା ନାରାୟଣ ପ୍ରସାଦ ଦେଓ ୧୯୦୪ ମାର୍ଚ୍ଚ ୧୪ ତାରିଖରେ ଜନ୍ମ ଗ୍ରହଣ କରି ୧୯୧୩ ମସିହା ମାର୍ଚ୍ଚ ୧୦ ତାରିଖରେ ସିଂହାସନ ପାଇଥିଲେ ।

ଏଠାରେ ହାଇସ୍କୁଲ ସ୍ଥାପିତ ହୋଇଥିଲା । ରାଜା ବହୁ ଜନମଙ୍ଗଳକାର୍ଯ୍ୟ ରାଜ୍ୟବାସୀଙ୍କ ପାଇଁ କରିଯାଇଛନ୍ତି ।

ବାମଣ୍ଡା ରାଜ୍ୟ ଥିଲା ଓଡ଼ିଶାର ଏକ ଆଦର୍ଶ ଗଡ଼ଜାତ ରାଜ୍ୟ । ଶୁଣାଯାଏ, ଉତ୍କଳର ଗଜପତି କପିଳେନ୍ଦ୍ର ଦେବଙ୍କ ପୁତ୍ର ସୁଭକ୍ତ ଏଠାରେ ରାଜୁତି କରୁଥିଲେ । ଫଳରେ ବାମଣ୍ଡାର ରାଜବଂଶ ନିଜକୁ ଗଙ୍ଗବଂଶୀ ବୋଲି କହିଥାଆନ୍ତି । ରାଜବଂଶର ସନ୍ତକ 'ଶଙ୍ଖ' । ଏ ରାଜ୍ୟର ଆୟତନ ୧୯୮୮ ବର୍ଗମାଇଲ । ଗ୍ରାମସଂଖ୍ୟା ୧୦୪୫, ଦେବଗଡ଼ ରାଜ୍ୟର ରାଜଧାନୀ । ସାହିତ୍ୟ, ସଂସ୍କୃତି, କୃଷିବିକାଶ, ଟେଲିଫୋନ, ଜଳବିଦ୍ୟୁତ୍‍, ଡ଼ାକସେବା ଓ ମୁଦ୍ରାଯନ୍ତ୍ର ପ୍ରଚଳନ କ୍ଷେତ୍ରରେ ଏ ରାଜ୍ୟ ଆଗୁଆ ଥିଲା । ଏଠାରେ ସ୍ୱତନ୍ତ୍ର ରେଜେଷ୍ଟ୍ରି ଷ୍ଟାମ୍ପ ପ୍ରଚଳିତ ଥିଲା । ଏହା କେବଳ ଏ ରାଜ୍ୟର ଆଦର୍ଶ ଶାସକ ସାର୍‍ ବାସୁଦେବ ସୁଢ଼ଳଦେବ ଓ ତାଙ୍କ ପୁତ୍ର ରାଜା ସଚ୍ଚିଦାନନ୍ଦ ତ୍ରିଭୁବନ ଗଙ୍ଗଦେବଙ୍କ ଯୋଗୁଁ ସମ୍ଭବ ହୋଇପାରିଥିଲା । ଓଡ଼ିଶାର ଲେଖକ, କବି, ସାହିତ୍ୟ ଓ ପଣ୍ଡିତମାନଙ୍କୁ ଏ ରାଜା ବିଶେଷ ସମାଦର ଓ ସମ୍ୱର୍ଦ୍ଧନା ପ୍ରଦାନ କରୁଥିଲେ । 'ସମ୍ୱଲପୁର ହିତୈଷିଣୀ' ନାମରେ ଏକ ସାହିତ୍ୟ ସଂସ୍କୃତିମୂଳକ ପତ୍ରିକା ଏଠାରୁ ପ୍ରକାଶ ପାଉଥିଲା । ଏଠାରେ ହାଇସ୍କୁଲ ଗଡ଼ଜାତ ଶାସନ ସମୟରୁ ପ୍ରତିଷ୍ଠିତ ହୋଇଛି । ଏ ରାଜ୍ୟର ଶେଷ ସ୍ୱାଧୀନ ରାଜା ହେଉଛନ୍ତି ଶ୍ରୀ ଭାନୁଗଙ୍ଗ ତ୍ରିଭୁବନ ଦେବ । ସେ ୧୯୧୪ ମସିହା ଫେବ୍ରୁଆରି ୨୫ ତାରିଖରେ ଜନ୍ମହୋଇ ୧୯୨୦ରେ ଗାଦିପ୍ରାପ୍ତ ହୋଇଥିଲେ । ଗୁରୁତ୍ୱ ଦୃଷ୍ଟିରୁ ବାମଣ୍ଡା ଗଡ଼ଜାତ ରାଜ୍ୟ ସ୍ୱତନ୍ତ୍ର ଉପସ୍ଥାପନା ଦାବି କରେ ।

ତାଳଚେର ଗଡ଼ଜାତ ରାଜ୍ୟ ଚତୁର୍ଦ୍ଦଶ ଶତାବ୍ଦୀରେ ରାଜସ୍ଥାନ ଜୟପୁରର ସୂର୍ଯ୍ୟବଂଶୀ ରାଜାଙ୍କର ଜଣେ ପୁତ୍ରଙ୍କଦ୍ୱାରା ସ୍ଥାପିତ ହୋଇଥିଲା । ସେ ଅନେକ ତାଳଗଛ ଉତ୍ପାଟନ କରାଇ ନିଜର ବାସସ୍ଥାନ ସ୍ଥାପନ କରିିଥିବାରୁ ଏହି ରାଜ୍ୟର ନାମ ତାଳଚେର ରାଜ୍ୟ ହୋଇଛି । ଏହା ଏକ ସଭ୍ୟ, ଶିକ୍ଷିତ ଓ ସଂସ୍କୃତିସମ୍ପନ୍ନ ଗଡ଼ଜାତ ରାଜ୍ୟଭାବରେ ବିବେଚିତ । ଏ ରାଜ୍ୟର ରାଜବଂଶ ସନ୍ତକ- 'ବ୍ୟାଘ୍ରମସ୍ତକ' । ଏ ରାଜ୍ୟର କ୍ଷେତ୍ରଫଳ ୩୯୯ ବର୍ଗମାଇଲ । ଏଥିରେ ୨୮୧ ଗ୍ରାମ ଓ ଗୋଟିଏ ସହର ରହିଛି । ଏଠାରେ କୋଇଲା ଖଣି, ଲୁହାଖଣି ଅଛି ଓ ରାଜାଙ୍କ ସ୍ଥାପିତ ଦିଆସିଲି କାରଖାନା ଥିଲା । 'ଗଡ଼ଜାତ ବାସିନୀ' ନାମରେ ଏ ରାଜ୍ୟରୁ ଏକ ସାହିତ୍ୟ ସଂସ୍କୃତି ପତ୍ରିକା ପ୍ରକାଶ ପାଉଥିଲା । ଏ ରାଜ୍ୟରେ 'ରାଣୀପାର୍କ' ନାମରେ ଏକ ପ୍ରାକୃତିକ ଚିଡ଼ିଆଖାନା ରହିଛି । ଏ ରାଜାଙ୍କର ରାଜପ୍ରାସାଦର ଫାଟକ ବ୍ରାହ୍ମଣୀନଦୀକୁ ମୁହଁ କରିରହିଛି । ଅନନ୍ୟ କାରୁକାର୍ଯ୍ୟରେ ଏହି ଫାଟକଟି ସୁଶୋଭିତ । ସହର ମଧ୍ୟକୁ ପ୍ରବେଶ କରିବା ପୂର୍ବରୁ ଓ ସହରର ମଝିରେ ମଝିରେ ଫାଟକମାନ ନିର୍ମାଣ କରାଯାଇଛି । 'ପ୍ରମୋଦ ଅଭିଧାନ' ନାମରେ ଏକ ବିରାଟ ଓଡ଼ିଆ କୋଷ ଏ ରାଜ୍ୟର ପଣ୍ଡିତ ଦାମୋଦର ମିଶ୍ରଙ୍କଦ୍ୱାରା ସଂକଳିତ ହୋଇ ବେଶ୍‍ ଆଦୃତି ଲାଭ କରିଛି । ସୁପ୍ରସିଦ୍ଧ ମା'ହିଙ୍ଗୁଳାଙ୍କ ପୀଠ ଏଠାରେ ବିଦ୍ୟମାନ । ରାଜା କିଶୋର ଚନ୍ଦ୍ର ବୀରବର ହରିଚନ୍ଦନ ଦେବଙ୍କ ଅମଳରେ ଏହାର ବହୁ ଉନ୍ନତି ସାଧିତ ହୋଇଥିଲା । ରାଜ୍ୟ ହସିଉଠିିଥିଲା । ରାଜ୍ୟରେ ବିଜୁଳି ଆଲୋକ ଓ ଟେଲିଫୋନ ସେବାର ସୁବିଧା ହୋଇଥିଲା । ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ପବିତ୍ର ମୋହନ ପ୍ରଧାନଙ୍କର ଏ ରାଜ୍ୟ ହେଉଛି ଜନ୍ମପୀଠ ।

ବଣାଇ ଏକ ପୁରାତନ ଗଡ଼ଜାତରାଜ୍ୟ । ଜଣାଯାଏ, ଲଙ୍କା ବା ସିଂହଳଦ୍ୱୀପରୁ ଏହି ରାଜବଂଶର ପୂର୍ବପୁରୁଷମାନେ ଆସି ଏଠାରେ ଥିବା ଗଣ୍ଡଭୂୟାଁ ଜମିଦାରମାନଙ୍କୁ ଯୁଦ୍ଧରେ ପରାସ୍ତ କରି ରାଜ୍ୟସ୍ଥାପନ କରିିଥିଲେ । ଏମାନେ କ୍ଷତ୍ରିୟ ଓ କଦମ୍ୱବଂଶୀ । ଏହି ରାଜବଂଶ ଜୟଚନ୍ଦ୍ରଙ୍କ ବଂଶଧର । ଏହି ରାଜ୍ୟର ଆୟତନ ୧୨୯୯ ବର୍ଗମାଇଲ । ୩୬୭ ଗ୍ରାମ ଏ ରାଜ୍ୟରେ ଅନ୍ତର୍ଭୁକ୍ତ । ଏ ରାଜ୍ୟ ପ୍ରାକୃତିକ ତ‌ଥା ବଣ୍ୟ ସମ୍ପଦରେ ଭରପୂର ।

ଆଠଗଡ଼ ରାଜା ଜାତିରେ କରଣ । ପୁରୀରାଜାଙ୍କଠାରୁ ସେମାନେ ଶ୍ରୀକରଣ ବେବର୍ତ୍ତା ପଟ୍ଟନାୟକ ଉପାଧି ପ୍ରାପ୍ତ ହୋଇଥିଲେ । ପୁରୀ ରାଜାଙ୍କର ମନ୍ତ୍ରୀ ନୀଳାଦ୍ରି ବେବର୍ତ୍ତା ଏହି ରାଜ୍ୟର ପ୍ରତିଷ୍ଠାତା । ପୁରୀ ରାଜା ତାଙ୍କୁ ଏହି ରାଜ୍ୟ ପ୍ରଦାନ କରିିଥିବା ଜଣାଯାଏ । ଷୋଡ଼ଶ ଶତାବ୍ଦୀରେ ଏ ରାଜ୍ୟ ପ୍ରତିଷ୍ଠା ହୋଇଥିବା ଜଣାଯାଏ । ଏ ରାଜ୍ୟର କ୍ଷେତ୍ରଫଳ ୧୬୮ ବର୍ଗମାଇଲ । ଏଥିରେ ୧୮୭ଟି ଗ୍ରାମ ଅନ୍ତର୍ଭୁକ୍ତ ଥିଲା । ପ୍ରସିଦ୍ଧ ଧବଳେଶ୍ୱର ମନ୍ଦିର ଏ ରାଜ୍ୟରେ ଅବସ୍ଥିତ । ରାଜ୍ୟର ରାଜା ଶ୍ରୀକରଣ ରାଧାନାଥ ବେବର୍ତ୍ତା ପଟ୍ଟନାୟକ ରାଜ୍ୟର ବହୁ ଉନ୍ନତି କରିଯାଇଛନ୍ତି । ବିଶିଷ୍ଟ ସମାଜସେବୀ ସ୍ୱାଧୀନତାସଂଗ୍ରାମୀ, 'ସମାଜ'ର ପୂର୍ବତନ ସଂପାଦକ ପଦ୍ମଶ୍ରୀ ରାଧାନାଥ ରଥ ଓ ମହାତ୍ମା ସାଧୁ ସୁନ୍ଦର ଦାସ ଏ ମାଟିର ସନ୍ତାନ ।

ରଣପୁର ଏକ ପ୍ରାଚୀନ ଗଡ଼ଜାତ ରାଜ୍ୟ । ପ୍ରାଚୀନ କାଳରେ ରଣାସୁର ନାମରେ ଏକ ରାକ୍ଷସ ଏଠାରେ ବାସ କରୁଥିଲା । ତାରି ନାମାନୁସାରେ ଏ ରାଜ୍ୟର ନାମ ରଣପୁର ହୋଇଛି । କଳିଯୁଗ ଆରମ୍ଭର ୧୭୪ ବର୍ଷ ପରେ ଏ ରାଜ୍ୟ ସ୍ଥାପିତ ହୋଇଛି ବୋଲି 'କପିଳ ସଂହିତା'ରେ ଉଲ୍ଲେଖ ଅଛି । ଶୁଣାଯାଏ, ବେଣୁ ରାଜବଂଶର ବିଶ୍ୱବାସବ ଏ ରାଜ୍ୟର ପ୍ରତିଷ୍ଠାତା । ଦ୍ୱାଦଶ ଶତାବ୍ଦୀରେ ଓଡ଼ିଶାର ରାଜା ଅନଙ୍ଗ ଭୀମଦେବ ତତ୍‍କାଳୀନ ରଣପୁର ରାଜାଙ୍କୁ 'ନରେନ୍ଦ୍ର' ଉପାଧି ପ୍ରଦାନ କରିିଥିଲେ । ରାଜବଂଶାବଳୀରୁ ଜଣାଯାଏ, ୩୬୦୦ ବର୍ଷ ମଧ୍ୟରେ ଏହି ରାଜ୍ୟରେ ୧୧୨ଜଣ ରାଜା ରାଜୁତି କରିସାରିଲେଣି । ଏ ରାଜ୍ୟର କ୍ଷେତ୍ରଫଳ ୨୦୩ ବର୍ଗମାଇଲ । ଏଥିରେ ୨୬୫ ଟି ଗ୍ରାମ ଅନ୍ତର୍ଭୁକ୍ତ । ଏଠାରେ ପ୍ରାଚୀନ ପ୍ରଥାରେ ଶାସନ ଚାଲୁଥିଲା । ମଣିନାଗ ଏ ରାଜ୍ୟର ପ୍ରସିଦ୍ଧ ଦେବତା । ଏ ରାଜ୍ୟ ସେତେ ଉନ୍ନତ ନଥିଲା । ଓଡି଼ଶା ରାଜ୍ୟର ପ୍ରଥମ ମହିଳା ମନ୍ତ୍ରୀ ବସନ୍ତ ମଞ୍ଜରୀ ଦେବୀ ହେଉଛନ୍ତି ରଣପୁରର ରାଜମାତା ।

ଆଠମଲ୍ଲିକ ଏକ ପୁରାତନ ରାଜ୍ୟ । ଜୟପୁରର ରାଜବଂଶ ଜଗନ୍ନଥ ଦର୍ଶନରେ ଆସି ଏହି ରାଜ୍ୟ ସ୍ଥାପନ କରିଥିଲେ । ଏହି ରାଜ୍ୟ ଅଷ୍ଟମଲ୍ଲଙ୍କଦ୍ୱାରା ଶାସିତ ହେଉଥିବାରୁ ଏହା ଆଠମଲ୍ଲିକ ନାମରେ ଖ୍ୟାତ । କଦମ୍ୱ ପୁଷ୍ପ ଏ ରାଜ୍ୟର ସନ୍ତକ । ଏହି ରାଜ୍ୟର ରାଜାମାନେ କଦମ୍ୱବଂଶୀ । ରାଜ୍ୟର କ୍ଷେତ୍ରଫଳ ୭୩୦ ବର୍ଗମାଇଲ । ଗ୍ରାମସଂଖ୍ୟା ୫୧୩ । ଏ ରାଜ୍ୟର ଶେଷ ଶାସକ ରାଜା ହେଉଛନ୍ତି କିଶୋର ଚନ୍ଦ୍ର ଦେଓ ସାମନ୍ତ । ୧୯୦୪ ନଭେମ୍ୱର ୧୦ ତାରିଖରେ ସେ ଜନ୍ମ ହୋଇଥିଲେ ଓ ୧୯୧୮ ମସିହା ନଭେମ୍ୱର ୩ ତାରିଖରେ ଗାଦି ପାଇଥିଲେ । ଓଡ଼ିଆ ସାହିତ୍ୟ ପ୍ରତି ଏହାଙ୍କ ଦାନ ଅତୁଳନୀୟ । ସାମନ୍ତ ଚନ୍ଦ୍ରଶେଖରଙ୍କ ସିଦ୍ଧାନ୍ତ ଦର୍ପଣ ତାଙ୍କରି ଅନୁଦାନରେ ସର୍ବପ୍ରଥମେ ପ୍ରକାଶ ପାଇ ସାରା ବିଶ୍ୱରେ ଚହଳ ପକାଇଥିଲା ।

ନୀଳଗିରି ରାଜ୍ୟ ଛୋଟନାଗପୁରର ରାଜପୁତ୍ରଙ୍କଦ୍ୱାରା ୧୧୨୫ ମସିହାରେ ପ୍ରତିଷ୍ଠିତ । ସେହି ରାଜପୁତ୍ର ଉତ୍କଳସମ୍ରାଟ ପ୍ରତାପରୁଦ୍ର ଦେବଙ୍କ କନ୍ୟାଙ୍କ ପାଣିଗ୍ରହଣ କରି ଏହି ରାଜ୍ୟକୁ ଯୌତୁକ ଆକାରରେ ଲାଭକରି ରାଜ୍ୟର ପ୍ରଥମ ରାଜା ଭାବରେ ପରିଚିତ ହୋଇଥିଲେ । ଏ ରାଜ୍ୟର କ୍ଷେତ୍ରଫଳ ୨୮୪ ବର୍ଗମାଇଲ । ୨୯୧ ଗ୍ରାମ ଏହି ରାଜ୍ୟର ଅନ୍ତର୍ଭୁକ୍ତ । ନୀଳଗିରି ଏ ରାଜ୍ୟର ରାଜଧାନୀ । ନୀଳଗିରିର ଶେଷ ସ୍ୱାଧୀନ ରାଜା କିଶୋର ଚନ୍ଦ୍ର ମର୍ଦ୍ଦରାଜ ହରିଚନ୍ଦନ ୧୯୦୪ ମସିହା ଫେବ୍ରୁଆରି ୨ ତାରିଖରେ ଜନ୍ମ ଲାଭକରି ୧୯୧୩ ଜୁଲାଇ ମାସ ୬ ତାରିଖରେ ସିଂହାସନ ଲାଭ କରିିଥିଲେ । ଏ ରାଜ୍ୟରେ ସେମିତି କିଛି ଆଖିଦୃଶିଆ ଉନ୍ନତି ହୋଇ ନଥିଲା । କିନ୍ତୁ ରାଜା ଥିଲେ ଜଣେ ଉଚ୍ଚମନା ଓ ପ୍ରଜାହିତୈଷୀ ।

ରେଢ଼ାଖୋଲ ରାଜ୍ୟ ପ୍ରଥମେ ସମ୍ୱଲପୁର ଅଧୀନ ଜମିଦାରୀ ଥିଲା । ପରେ ସ୍ୱାଧୀନ ହେଲା । 'ପଦ୍ମ' ଏହି ରାଜ ବଂଶର ସନ୍ତକ । ଏ ରାଜ୍ୟର କ୍ଷେତ୍ରଫଳ ୮୩୩ ବର୍ଗମାଇଲ । ଗ୍ରାମ ସଂଖ୍ୟା ୩୧୨ ।

ଦଶପଲ୍ଲା ରାଜ୍ୟ ପ୍ରଥମେ ବୌଦ୍ଧ ରାଜ୍ୟ ଅନ୍ତର୍ଭୁକ୍ତ ଥିଲା । ବୌଦ୍ଧର ଶାଳଭଞ୍ଜ ନାମକ ଜଣେ ରାଜପୁତ୍‍ ପାଞ୍ଚଶହ ବର୍ଷ ତଳେ ଏହି ରାଜ୍ୟକୁ ସ୍ୱାଧୀନ କଲେ । ଦଶପଲା ରାଜବଂଶ 'ଭଞ୍ଜ' ନାମରେ କଥିତ । ରାଜବଂଶର ସଙ୍କେତ ମୟୂର । କଥିତ ଅଛି ଯେ ଏହି ବଂଶର ପ୍ରଥମରାଜା ଏକ ମୟୂରଡ଼ିମ୍ୱରୁ ଜାତ ହୋଇଥିଲେ । ରାଜ୍ୟର ଶେଷ ସ୍ୱାଧୀନ ରାଜା କିଶୋର ଚନ୍ଦ୍ର ଦେବଭଞ୍ଜ । ସେ ୧୯୦୮ ଏପ୍ରିଲ ୧୬ ତାରିଖରେ ଜନ୍ମଗ୍ରହଣକରି ୧୯୧୩ ମସିହା ଡ଼ିସେମ୍ୱର ୧୩ ତାରିଖରେ ଗାଦି ପାଇଥିଲେ । ଶ୍ରୀଜଗନ୍ନାଙ୍କ ରଥ ନିର୍ମାଣପାଇଁ ପ୍ରତିବର୍ଷ ଏ ରାଜ୍ୟରୁ କାଠ ପ୍ରେରଣ କରାଯାଏ ।

ବଡ଼ାମ୍ୱା ରାଜ୍ୟ ୧୩୦୫ ଖ୍ରୀଷ୍ଟାବ୍ଦରେ ପ୍ରତିଷ୍ଠିତ ହୋଇଥିଲା । ଓଡ଼ିଶାର ରାଜା କିଶୋର ନରସିଂହ ଦେବ ଏହି ଅଂଚଳର ହଟକେଶ୍ୱର ରାଉତ ନାମକ ଜଣେ ମଲ୍ଲଙ୍କ ଯୁଦ୍ଧବିଦ୍ୟାରେ ସନ୍ତୁଷ୍ଟ ହୋଇ ତାଙ୍କୁ ଶଙ୍ଖ ଓ ମହୁରୀ ନାମରେ ଦୁଇଟି ଗ୍ରାମ ପୁରସ୍କାର ସ୍ୱରୂପ ଦେଇଥିଲେ । ହଟକେଶ୍ୱର କନ୍ଧମାନଙ୍କୁ ହଟାଇ ଏହି ରାଜ୍ୟ ବସାଇଲେ । ତାଙ୍କର ସାନ ଭାଇ ମାଳକେଶ୍ୱର ରାଉତ ତାଙ୍କ ପରେ ରାଜା ହୋଇ ଓଗାଲପୁରଠାରେ ଭଟ୍ଟାରିକା ବା ବୃହଦମ୍ୱା ଅବା ବଡ଼ମ୍ୱା ଦେବୀଙ୍କ ମନ୍ଦିର ଆବିଷ୍କାର କଲେ । ଦେବୀଙ୍କ ନାମ ଅନୁସାରେ ଏହି ରାଜ୍ୟର ନାମ 'ବଡ଼ାମ୍ୱା' ହୋଇଛି । ବଡ଼ାମ୍ୱାର ଶେଷ ସ୍ୱାଧୀନ ରାଜା ନାରାୟଣ ଚଦ୍ର ବୀରବର ମଙ୍ଗରାଜ ମହାପାତ୍ର । ସେ ୧୯୧୪ ମସିହା ଜାନୁଆରି ୧୦ ତାରିଖରେ ଜନ୍ମ ଗ୍ରହଣ କରି ୧୯୨୨ ମସିହା ଅଗଷ୍ଟ ୨୦ ତାରିଖରେ ଗାଦି ଲାଭ କରିଥିଲେ । ଏ ରାଜ୍ୟର କ୍ଷେତ୍ରଫଳ ୧୪୨ ବର୍ଗମାଇଲ । ଗ୍ରାମସଂଖ୍ୟା ୧୨୭ । ମାଣିଆବନ୍ଦି ଲୁଗା ଏ ରାଜ୍ୟର ପ୍ରସିଦ୍ଧ ହସ୍ତକଳା ଭାବରେ ଖ୍ୟାତ ।

ପାଲଲହଡ଼ା ରାଜ୍ୟ ଅଷ୍ଟାଦଶ ଶତାବ୍ଦୀ ପୂର୍ବରୁ ସନ୍ତୋଷ ପାଳ ନାମରେ ଜଣେ ବ୍ୟକ୍ତି ପ୍ରତିଷ୍ଠା କରିଥିଲେ । ପୂର୍ବେ ଏହି ରାଜ୍ୟ କେନ୍ଦୁଝର ସହ ମିଶି କରିଥିଲା । ଏ ରାଜ୍ୟର ରାଜାମାନେ ରାଜଚିହ୍ନ ସ୍ୱରୂପ 'ସର୍ପ' ଛବି ବ୍ୟବହାର କରନ୍ତି । ଏ ରାଜ୍ୟର କ୍ଷେତ୍ରଫଳ ୪୫୨ ବର୍ଗମାଇଲ । ଗ୍ରାମ ସଂଖ୍ୟା

୨୩୬ । ଏ ରାଜ୍ୟର ଶେଷ ଶାସକ ରାଜା ମୁନି ପାଲ ୧୯୦୩ ମସିହା ନଭେମ୍ୱର ୨୬ ତାରିଖରେ ଜନ୍ମଗ୍ରହଣ କରି ୧୯୧୩ ମସିହା ଏପ୍ରିଲ ୧୮ ତାରିଖରେ ରାଜଗାଦି ଲାଭ କରିିଥିଲେ । ରାଜ୍ୟର ସେମିତି କିଛି ବିକାଶ ହୋଇଥିବା ପରି ମନେହୁଏ ନାହିିଁ ।

ତିଗିରିଆ ଏକ କ୍ଷୁଦ୍ର ଗଡ଼ଜାତ ରାଜ୍ୟ । ଏ ରାଜାମାନେ ଚନ୍ଦ୍ରବଂଶୀୟ ହିନ୍ଦୁ ସମ୍ରାଟ ଅନଙ୍ଗ ପାଳଙ୍କ ବଂଶଧର । ପୀତାମ୍ୱର ତୋମର ଓ ନିତ୍ୟାନନ୍ଦ ତୋମର ନାମରେ ଦୁଇଭାଇ ଉତ୍ତର ଭାରତରୁ ଓଡ଼ିଶାକୁ ତୀର୍ଥଯାତ୍ରୀ ରୂପେ ଆସିିଥିଲେ । ସେ ସମୟରେ ଲାଙ୍ଗୁଳା ନରସିଂହ ଦେବଙ୍କ ରାଜତ୍ୱ । ନିତ୍ୟାନନ୍ଦ ସାହସୀ ଓ ଯୁଦ୍ଧପ୍ରିୟ ଥିବାରୁ ଓଡ଼ିଶା ରାଜାଙ୍କର ପ୍ରିୟପାତ୍ର ହୋଇଗଲେ । ଏହି ସମୟରେ ସେ ତିଗିରିଆର ଅନାର୍ଯ୍ୟ ସରଦାର ଧୂଳିଆଙ୍କୁ ପରାସ୍ତକରି ରାଜ୍ୟ ଅଧିକାର କଲେ । ୧୨୪୬ ମସିହାଠାରୁ ଓଡ଼ିଶା ରାଜାଙ୍କର କରଦ ରାଜ୍ୟ ଭାବରେ ତିଗିରିଆ ରାଜ୍ୟ ରହିଲ। । ପରେ ସ୍ୱାଧୀନ ଗଡ଼ଜାତର ପାହ୍ୟା ଲାଭ କଲା । ଏହାର ଆୟତନ ୪୬ ବର୍ଗମାଇଲ । ସ୍ୱାଧୀନତା ଯାଏ ଏ ରାଜ୍ୟରେ ୧୬ଜଣ ରାଜା ରାଜୁତି କରିଛନ୍ତି । ଏହା ଏକ କୃଷିପ୍ରଧାନ ରାଜ୍ୟ । ନୂଆପାଟଣା ଏ ରାଜ୍ୟର ପ୍ରଧାନ ଗ୍ରାମ । ଏଠାରେ ଟସର୍‍, ପାଟ ଓ ସରୁ ସୂତାର ଲୁଗା ତିଆରି ହୁଏ । ଏହାର କାରିଗରମାନେ ବୌଦ୍ଧ ସଂପ୍ରଦାୟର ।

ନରସିଂହପୁର ଅନ୍ୟ ଏକ କ୍ଷୁଦ୍ର ଗଡ଼ଜାତ ରାଜ୍ୟ । ୧୨୯୨ ଖ୍ରୀଷ୍ଟାବ୍ଦରେ ଧର୍ମସିଂହ ନାମରେ ଜଣେ ବ୍ୟକ୍ତି ଏହି ରାଜ୍ୟ ସ୍ଥାପନ କରିିଥିଲେ । ଏ ରାଜବଂଶର ସନ୍ତକ ବୃଶ୍ଚିକ । କିମ୍ୱଦନ୍ତୀ ଅଛି, 'ନରସିଂଗା' ଓ 'ପର' ନାମରେ ଦୁଇଜଣ କନ୍ଧରାଜାଙ୍କ ନାମରେ ଏହି ରାଜ୍ୟର ନାମକରଣ ନରସିଂହପୁର ହୋଇଛି । ଏହି ରାଜ୍ୟର ରାଜଧାନୀ ନରସିଂହପୁର ଓ କାନପୁର ପ୍ରଧାନ ଗ୍ରାମ । ଏହି ରାଜ୍ୟର କ୍ଷେତ୍ରଫଳ ୧୯୯ ବର୍ଗମାଇଲ । ଗ୍ରାମ ସଂଖ୍ୟା ୧୮୮୮ । ଏହି ରାଜ୍ୟର ଶେଷ ଶାସକ ରାଜା ଅନନ୍ତ ନାରାୟଣ ମାନସିଂହ ମହାପ।ତ୍ର । ତାଙ୍କ ଜନ୍ମ ୧୯୦୮ ମସିହ। ସେପ୍ଟେମ୍ୱର ୯ ତାରିଖରେ । ସେ ବିଲାତ ଆଦି ପାଶ୍ଚାତ୍ୟ ଦେଶ ଭ୍ରମଣକରି ନିଜ ରାଜ୍ୟର ଉନ୍ନତି ନିମନ୍ତେ ଚେଷ୍ଟିତ ଥିଲେ ।

Odisha Rajanitira Itihasa.pdf

ଖଣ୍ଡପଡ଼ା ମଧ୍ୟ ଏକ କ୍ଷୁଦ୍ର ଗଡ଼ଜାତ ରାଜ୍ୟ । ଏହାର କ୍ଷେତ୍ରଫଳ ୨୪୪ ବର୍ଗମାଇଲ । ଗ୍ରାମସଂଖ୍ୟା ୨୭୪ । ଏ ରାଜ୍ୟ ପୂର୍ବେ ନୟାଗଡ଼ ରାଜ୍ୟ ଅନ୍ତର୍ଭୁକ୍ତ ଥିଲା । ପ୍ରାୟ ୩୦୦ ବର୍ଷ ପୂର୍ବେ ନୟାଗଡ଼ର ଜଣେ ରାଜା ଖଣ୍ଡପଡ଼ାକୁ ସ୍ୱତନ୍ତ୍ର ରାଜ୍ୟ ଘୋଷଣା କରି ରାଜଗାଦିରେ ବସିଲେ । ଖଣ୍ଡପଡ଼ା ହେଲା ଏକ ସ୍ୱତନ୍ତ୍ର ରାଜ୍ୟ । ସ୍ୱାଧୀନତା ଯାଏ ଏ ରାଜ୍ୟରେ ପ୍ରାୟ ୧୧ ଜଣ


ରାଜା ରାଜୁତି କରିିଥିଲେ । ଖଣ୍ଡପଡ଼ାର ଶେଷ ସ୍ୱାଧୀନ ରାଜା ହରିହର ସିଂହ ମର୍ଦ୍ଦରାଜ ଭ୍ରମରବର ରାୟ । ୧୯୧୪ ମସିହା ଅଗଷ୍ଟ ୨୬ ତାରିଖରେ ସେ ଜନ୍ମହୋଇ ୧୯୨୨ରେ ସିଂହାସନ ଅଧିକାର କରିିଥିଲେ । ଏ ରାଜ୍ୟର ରାଜାଙ୍କ ଚିହ୍ନ ବାଘମୁଣ୍ଡ । ଏ ରାଜ୍ୟ ବିଶ୍ୱବିଖ୍ୟାତ ଓଡ଼ିଆ ବୈଜ୍ଞାନିକ ପଠାଣି ସାଆନ୍ତଙ୍କ ଜନ୍ମଭୂମି । ଏ ରାଜ୍ୟ ବହୁକାଳ କୋର୍ଟ ଅଫ୍‍ ଓ୍ୟାର୍ଡରେ ଥିବାରୁ ଏ ରାଜ୍ୟର ଅଶେଷ ଉନ୍ନତି ହୋଇଥିଲା । ଏ ରାଜ୍ୟର କଣ୍ଟିଲୋ ଏକ ପ୍ରସିଦ୍ଧ ଗ୍ରାମ । ଏଠାରେ ନୀଳମାଧବଙ୍କ ମନ୍ଦିର ବିଦ୍ୟମାନ । ଉତ୍ତମ କଂସା ବାସନ ନିମନ୍ତେ କଣ୍ଟିଲୋ ସୁପ୍ରସିଦ୍ଧ । ପ୍ରଧାନ ଗ୍ରାମ ହେଲା ପଦ୍ମାବତୀ । ଏହା ଏକ ବାଣିଜ୍ୟ ପେଣ୍ଠସ୍ଥଳୀ ।

ହିନ୍ଦୋଳ ଗଡ଼ଜାତ ରାଜ୍ୟ ୧୫୬୦ ଖ୍ରୀଷ୍ଟାବ୍ଦରେ ଓଡ଼ିଶାର ଶେଷ ସ୍ୱାଧୀନ ନରପତି ମୁକୁନ୍ଦଦେବ ହରିଚନ୍ଦନଙ୍କ ସମୟରେ ପ୍ରତିଷ୍ଠା ହୋଇଥିଲା । ଏ ରାଜ୍ୟର ପ୍ରତିଷ୍ଠାତା ଥିଲେ ଉଦ୍ଧବ ଦେବ ଜେନାମଣି । ସ୍ୱାଧୀନତା ଲାଭ ପର୍ଯ୍ୟନ୍ତ ଏ ରାଜ୍ୟରେ ୨୮ ଜଣ ରାଜା ରାଜତ୍ୱ କରିଛନ୍ତି । ଏହି ରାଜାମାନେ ଗଙ୍ଗବଂଶୀ । କଟାର ଏମାନଙ୍କର ରାଜବଂଶର ସନ୍ତକ । ଏହାର କ୍ଷେତ୍ରଫଳ ୩୧୨ ବର୍ଗମାଇଲ । ଗ୍ରାମ ସଂଖ୍ୟା ୧୪୯ । ରାଜ୍ୟର ରାଜଧାନୀ ହିନ୍ଦୋଳଗଡ଼ । ରାସୋଳ ପ୍ରଧାନ ଗ୍ରାମ । ଶେଷ ସ୍ୱାଧୀନ ରାଜା ନବ କିଶୋର ଚନ୍ଦ୍ର ମର୍ଦ୍ଦରାଜ ଜଗଦେବ । ୧୮୯୧ ମସିହା ଜୁନ୍‍ ୧୪ ତାରିଖରେ ସେ ଜନ୍ମହୋଇ ୧୯୦୬ ମସିହା ଫେବ୍ରୁଆରି ୧୦ ତାରିଖରେ ରାଜଗାଦିରେ ଅଧିଷ୍ଠିତ ହୋଇଥିଲେ ।

ଷଢ଼େଇକଳା ଗଡ଼ଜାତ ରାଜ୍ୟର ଆୟତନ ୪୯୯ ବର୍ଗମାଇଲ । ଏହା ଏକ ଓଡ଼ିଆ ଭାଷାଭାଷୀ ଅଞ୍ଚଳ । ଷଢେ଼ଇକଳା ଏ ରାଜ୍ୟର ରାଜଧାନୀ । ଏଠାରେ ହାଇସ୍କୁଲ ଓ ଡ଼ାକ୍ତରଖାନା ସେ କାଳରେ ପ୍ରତିଷ୍ଠା ହୋଇଥିଲା । ଖରସୁଆଁର କ୍ଷେତ୍ରଫଳ ୧୫୩ ବର୍ଗମାଇଲ । ଏହା ଏକ କ୍ଷୁଦ୍ର ଗଡ଼ଜାତ ହେଲେ ବି ଓଡ଼ିଆଭାଷାଭାଷୀ ଅଞ୍ଚଳ ।

ଓଡ଼ିଶାର ତତ୍‍କାଳୀନ ଗଡ଼ଜାତ ରାଜ୍ୟଗୁଡ଼ିକ ମଧ୍ୟରୁ ମୟୂରଭଞ୍ଜ, ସୋନପୁର, ବାମଣ୍ଡା, ଢେଙ୍କାନାଳ, ତାଳଚେର, ଆଠମଲ୍ଲିକ ଆଦିର ଶାସକମାନେ ଓଡ଼ିଶାର ସର୍ବାଙ୍ଗୀନ ବିକାଶ ପାଇଁ ବିଶେଷ ତ‌ତ୍ପର ଥିଲେ ।

***