ଓଡ଼ିଶା ରାଜନୀତିର ଇତିହାସ/ହରେକୃଷ୍ଣ ଦିଲ୍ଲୀ ଗଲେ, ନବକୃଷ୍ଣ ମୁଖ୍ୟମନ୍ତ୍ରୀ ହେଲେ

ଉଇକିପାଠାଗାର‌ରୁ
Jump to navigation Jump to search
ଓଡ଼ିଶା ରାଜନୀତିର ଇତିହାସ (୨୦୧୩)  ଲେଖକ/କବି: ଉଦ୍ଧବ ଚରଣ ନାୟକ
ହରେକୃଷ୍ଣ ଦିଲ୍ଲୀ ଗଲେ, ନବକୃଷ୍ଣ ମୁଖ୍ୟମନ୍ତ୍ରୀ ହେଲେ


ଅଷ୍ଟମ ପରିଚ୍ଛେଦ
ହରେକୃଷ୍ଣ ଦିଲ୍ଲୀ ଗଲେ,
ନବକୃଷ୍ଣ ମୁଖ୍ୟମନ୍ତ୍ରୀ ହେଲେ

ଓଡ଼ିଶାର ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବ ଦିଲ୍ଲୀ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଯୋଗଦେବା ଓ ତାଙ୍କ ସ୍ଥାନରେ ନବକୃଷ୍ଣ ଚୌଧୁରୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବା ପ୍ରସଙ୍ଗ ଆଲୋଚନା କରିବା ପୂର୍ବରୁ ସେ ୧୯୪୮ ମସିହା ଏପ୍ରିଲ ୨୩ ତାରିଖରେ ମହତାବ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେବା ପ୍ରସଙ୍ଗ ଏଠାରେ ପ୍ରଥମେ ଆଲୋଚନା କଲେ ପ୍ରାସଙ୍ଗିକ ହେବ ।

ଓଡ଼ିଶା ପାଇଁ ତାଙ୍କର ଆବଶ୍ୟକତା ଥିବା ସମୟରେ ନବବାବୁ ମନ୍ତ୍ରିମଣ୍ଡଳରୁ ଇସ୍ତଫା ପ୍ରଦାନ କଲେ । ନିଜର ଇସ୍ତଫା ସମ୍ପର୍କରେ ନବବାବୁ କହନ୍ତି-

"ଆମେ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଯାହା ଭାବି ଚାଲିିଥିଲୁ, ମୁଁ ଦେଖିଲି ମନ୍ତ୍ରିମଣ୍ଡଳର ସେ ଆଭିମୁଖ୍ୟ ରହିପାରିଲା ନାହିଁ । ବରଂ ଓଲଟା ହେଲା । ତେଣୁ ଲୋକଙ୍କ ସହିତ କିଛି ସମ୍ପର୍କ ରହିଲା ନାହିଁ । ସବୁ ମୂଳରେ ଲୋକ । ସେମାନେ ଯଦି ତାଙ୍କ ବଳ ଅନୁଭବ ନ କରନ୍ତି, ସେମାନେ ଯଦି ନ ଭାବନ୍ତି ଯେ ସେମାନେ ହିଁ ମୂଳ ତେବେ ସ୍ୱରାଜ୍ୟ ଆଉ କ'ଣ ହେଲା ? ସେତିକିବେଳେ ଠିକ୍‍ ଗାନ୍ଧିଙ୍କର ହତ୍ୟା ଓ ମୋ ପୁଅର ମୃତ୍ୟୁ ଏକ ସଙ୍ଗରେ ହେଲା । ମୁଁ ଭାରି ବିବ୍ରତ ହୋଇପଡ଼ିଲି । ତାହାରି ଭିତରେ ରାଜନୀତି ପ୍ରତି ଗୋଟିଏ dilillusionment ମଧ୍ୟ ଅତି ତୀବ୍ର ହେଉଥାଏ । ମୋର ଧାରଣା ହେଲା ଯେ ଆମର ରାଜନୀତିରେ ରହିବାଟା ଭୁଲ୍‍ । ତେଣୁ ୧୯୪୮ରେ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇ ମୌଳିକ ଶିକ୍ଷା ଦାୟିତ୍ୱରେ ରହିଲି ।" (ନବବାବୁଙ୍କ ସହ ଏକ ସାକ୍ଷାତକାରରୁ ଉଦ୍ଧୃତ- 'ଶ୍ରଦ୍ଧାଞ୍ଜଳି')

ବାସ୍ତବରେ ନବବାବୁଙ୍କର ଏକମାତ୍ର ପୁତ୍ର ବିନୟ ଚୌଧୁରୀ । ଡାକନାମ 'କାଲୁ' । ସେ ଥିଲେ ଜଣେ ଆଦର୍ଶଗୁଣସମ୍ପନ୍ନ ବାଳକ । ବୟସ ସେତେବେଳକୁ ୧୭ ବର୍ଷ । ତରୁଣ । ରେଭେନ୍‌ସା

କଲେଜର ପ୍ରଥମ ବର୍ଷ ବିଜ୍ଞାନ ଶ୍ରେଣୀର ଛାତ୍ର । ସେ ଥିଲେ ଅସାଧାରଣ ଶକ୍ତିସଂପନ୍ନ । ମନ୍ତ୍ରୀଙ୍କର ପୁଅ; ମା ଜଣେ ବିଶିଷ୍ଟ ନାରୀନେତ୍ରୀ- ମାଳତୀ ଦେବୀ ଚୌଧୁରୀ । କିନ୍ତୁ ସେ କଟକ ସହରରେ ସାଇକେଲରେ ବୁଲି 'କୃଷକ' ଖବର କାଗଜ ବିକ୍ରୀ କରୁଥିଲେ । କଟକରେ ସୋସାଲିଷ୍ଟ ପାର୍ଟି ଉଦ୍ୟମରେ ମେହେନ୍ତର ସଂଗଠନ କରାଗଲା । ସେ ହେଲେ ଏହାର ମୁଖ୍ୟ ଉଦ୍ୟୋକ୍ତା । ଛାତ୍ର ଓ ଯୁବଶକ୍ତିକୁ ଆକର୍ଷଣ କରିବା ପାଇଁ ତାଙ୍କ ପାଖରେ ଥିଲା ଅସୀମ ଶକ୍ତି । ତାଙ୍କ ପାଇଁ ଥିଲା ଏକ ଉଜ୍ଜ୍ୱଳ ଭବିଷ୍ୟତ । ହେଲେ ସେ ପୋଟାସିୟମ ଫେରୋସାଏନାଇଡ୍‍ ଖାଇ ଆତ୍ମହତ୍ୟା କଲେ । କାରଣ କ'ଣ କେହି ଜାଣିପାରିଲେ ନାହିଁ । ଏକମାତ୍ର ପୁତ୍ରର ଆତ୍ମହତ୍ୟା ଘଟଣାରେ ନବବାବୁ ଓ ମାଳତୀ ଦେବୀ ମ୍ରିୟମାଣ ହୋଇ ପଡିବା ସ୍ୱାଭାବିକ । ଫଳରେ ସେ ଇସ୍ତଫା ଦେଇ ଚାଲିଗଲେ ଅନୁଗୁଳକୁ । କିନ୍ତୁ ଜମିଜମା କମିଟିର ସଭାପତି ଭାବରେ କାର୍ଯ୍ୟ କଲେ । ୧୯୪୯ ମସିହା ଜୁଲାଇ ମାସରେ ଏ ସଂକ୍ରାନ୍ତୀୟ ରିପୋର୍ଟ ପ୍ରଦାନ କଲେ ।

ନବବାବୁଙ୍କ ଇସ୍ତଫାର କାରଣ ସମ୍ପର୍କରେ ହରେକୃଷ୍ଣ ମହତାବ ମଧ୍ୟ ସନ୍ଦିଗ୍ଧ ଥିଲେ । ମହତାବବାବୁ ନବ ବାବୁଙ୍କ ଇସ୍ତଫା ସମ୍ପର୍କରେ କହନ୍ତି-

"୧୯୪୮ ମସିହା ଏପ୍ରିଲ ୨୩ ତାରିଖରେ ନବକୃଷ୍ଣ ଚୌଧୁରୀ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ । ଅବଶ୍ୟ ତାଙ୍କର ଏକମାତ୍ର ପୁତ୍ରର ଆତ୍ମହତ୍ୟା ଏଇ ଇସ୍ତଫାର କାରଣ ଥିଲା ବୋଲି ସେ କହିଲେ ଓ ଆମେ ବିଶ୍ୱାସ କଲୁ । କିନ୍ତୁ ମୋ ମନର ଏକ କୋଣରେ ପ୍ରଚ୍ଛନ୍ନ ସନ୍ଦେହ ରହିଗଲା ଯେ, ସେ ମନ୍ତ୍ରିମଣ୍ଡଳରେ ସୁସ୍ଥ ଅନୁଭବ କଲେନାହିଁ । ଯେଉଁମାନଙ୍କ ସହ କଂଗ୍ରେସ ସମାଜବାଦୀ ଦଳ ଗଠନ, ଗଡ଼ଜାତ ଆନ୍ଦୋଳନ ଇତ୍ୟାଦି କରି ଆସିିଥିଲେ, ସେମାନେ ମୋଠାରୁ ନିଜକୁ ଅଲଗା କରିନେଇଥିଲେ ଯଥା: ମାଳତୀ ଦେବୀ, ସାରଙ୍ଗଧର ବାବୁ ଇତ୍ୟାଦି । ସମସ୍ତଙ୍କୁ ସବୁ କଥା ପଚାରି ବୁଝାଇ ଏକମତ କରାଇ ହୁଏତ ମୁଁ କରିପାରିଲି ନାହିଁ ।" (ସାଧନାର ପଥେ...)

ପୁତ୍ର ବିୟୋଗରେ ନବବାବୁ ଅତି ଦୁଃଖରେ କାଳାତିପାତ କରୁଥିଲେ । ତାଙ୍କୁ କୌଣସି କାର୍ଯ୍ୟରେ ନିଯୁକ୍ତି ଦେଲେ ଅବଶ୍ୟ ତାଙ୍କର ଏଇ ଦୁଃଖ ଲାଘବ ହୋଇଯିବ ଭାବି ସେବାଗ୍ରାମର ମୌଳିକ ଶିକ୍ଷା କଥା ବୁଝୁଥିବା ଆର୍ଯ୍ୟ ନାୟକମ ଓ ଆଶାଦେବୀ ଚିନ୍ତା କଲେ । ସେମାନେ ଦି' ଜଣଯାକ ଥିଲେ ନବବାବୁ ଓ ମାଳତୀ ଦେବୀଙ୍କର ଘନିଷ୍ଠ ବନ୍ଧୁ । ନବବାବୁଙ୍କୁ ଓଡ଼ିଶା ପାଇଁ ମୌଳିକ ଶିକ୍ଷା ସଂଗଠକ ଦାୟିତ୍ୱ ଦେବା ନିମନ୍ତେ ଆର୍ଯ୍ୟ ନାୟକମ୍‍ ଓ ଆଶାଦେବୀ ଓଡ଼ିଶା ସରକାରଙ୍କୁ ପ୍ରସ୍ତାବ ଦେଲେ । ଏହି ପ୍ରସ୍ତାବରେ ଓଡ଼ିଶା ସରକାର ଓ ନବବାବୁ ସମ୍ମତି ପ୍ରଦାନ କଲେ । ଫଳରେ ନବବାବୁଙ୍କୁ ବିଧାନସଭା ସଭ୍ୟପଦରୁ ଇସ୍ତଫା ଦେବାପାଇଁ ପଡ଼ିଲା । ସେ ନିର୍ବାଚିତ ହୋଇଥିବା ଉତ୍ତର କେନ୍ଦ୍ରାପଡ଼ା ବିଧାନସଭା ଆସନରୁ ଇସ୍ତଫା ପ୍ରଦାନ କଲେ । (ଅନିର୍ବାଣ)

ନବବାବୁ ଅନୁଗୁଳରେ ରହୁଥିବାରୁ ମୌଳିକ ଶିକ୍ଷା ସଂଗଠକଙ୍କ ଅଫିସ୍‍ ଅନୁଗୁଳରେ ଖୋଲିଲା । ସେ ସାଇକେଲରେ ଯିବା ଆସିବା କରି ବିଦ୍ୟାଳୟ ପରିଦର୍ଶନ କଲେ । କିଛି ଦିନ ପରେ ତାଙ୍କୁ ଏକ ଜିପ୍‍ ଗାଡ଼ି ମିଳିଲା । ନବବାବୁ ସରକାରୀ ଚାକିରିଆ ହୋଇଗଲେ । ଏହି

ସମୟରେ ମହତାବ ବାବୁଙ୍କୁ କେନ୍ଦ୍ର କ୍ୟାବିନେଟ୍‍କୁ ମନ୍ତ୍ରୀ କରିନେବା ପାଇଁ ନେହେରୁଙ୍କ ପ୍ରଚେଷ୍ଟା ଚାଲିଲା ବୋଲି ନବବାବୁ କହନ୍ତି । (ଶ୍ରଦ୍ଧାଞ୍ଜଳି)

ରାଜ୍ୟପାଳ ଡକ୍ଟର କୈଳାସ ନାଥ କାଟ୍‍ଜୁଙ୍କର ପଶ୍ଚିମବଙ୍ଗ ରାଜ୍ୟପାଳ ଭାବରେ ବଦଳି ହୋଇଗଲା । ସେ ୧୯୪୮ ମସିହା ଜୁନ୍‍ ୨୦ ତାରିଖରେ ଓଡ଼ିଶାରୁ ବିଦାୟ ନେଇ ଚାଲିଗଲେ । ତାଙ୍କ ସ୍ଥାନରେ ଏମ୍‍. ଆସଫ୍‍ ଅଲ୍ଲୀ ଓଡ଼ିଶାକୁ ରାଜ୍ୟପାଳ ହୋଇ ଆସିଲେ ।

ଡଃ କୈଳାସ ନାଥ କାଟ୍‍ଜୁଙ୍କ ସମ୍ପର୍କରେ କିଛି ଏଠାରେ ଉଲ୍ଲେଖ କରିବା ଆବଶ୍ୟକ: ଡକ୍ଟର କାଟ୍‍ଜୁ ଥିଲେ ଜଣେ ନୀତିନିଷ୍ଠ, ଦୃଢ଼ମନା ଓ କଠୋର ବ୍ୟକ୍ତି । ଦୁର୍ବଳ ଓ ଅବହେଳିତ ଶ୍ରେଣୀର ଲୋକଙ୍କ ପାଇଁ ତାଙ୍କ ହୃଦୟ ଥିଲା ସଦା ବିହ୍ୱଳିତ । ସେ ଥିଲେ ଜଣେ ବିଶିଷ୍ଟ ଆଇନଜ୍ଞ, ସ୍ୱାଧୀନତା ସଂଗ୍ରାମୀ, ଦକ୍ଷ ପ୍ରଶାସକ ଓ ଜଣେ ଦକ୍ଷ ମନ୍ତ୍ରୀ । ୧୮୮୭ ମସିହା ଜୁନ୍‍ ୧୭ ତାରିଖରେ ସେ ଉତ୍ତର ଭାରତର ଜାଓରା ନାମକ ଏକ ଅବହେଳିତ ଗଡ଼ଜାତ ରାଜ୍ୟରେ ଜନ୍ମଗ୍ରହଣ କରିିଥିଲେ । ତାଙ୍କ ପରିବାରରେ ସେ ଥିଲେ ପ୍ରଥମ ଇଂରାଜୀ ପଢ଼ୁଆ ବ୍ୟକ୍ତି । ତାଙ୍କ ପିତା ଥିଲେ ସେହି ରାଜ୍ୟର ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ । ୧୯୦୦ ମସିହାରେ ସେ ଜାଓରାରୁ ଶିକ୍ଷା ସମାପନ କରି ୧୯୦୫ ଫର୍ମାନ୍‍ ଖ୍ରୀଷ୍ଟିୟାନ୍‍ କଲେଜରୁ ବି.ଏ. ପାସ୍‍ କଲେ । ତା'ପରେ ସେ ଏହ୍ଲାବାଦର ମୁର୍‍ ସେଣ୍ଟ୍ରାଲ୍‍ କଲେଜରେ ନାମ ଲେଖାଇଲେ ଆଇନ ଅଧ୍ୟୟନ କରିବା ପାଇଁ । ସେଠାରେ ସେ ହିନ୍ଦୁ ହଷ୍ଟେଲର ସଭ୍ୟ ହୋଇ ଏଲ୍‍.ଏଲ୍‍.ବି ଶ୍ରେଣୀରେ ନାମ ଲେଖାଇଲେ । ୧୯୦୭ରେ ଏଲ. ଏଲ. ବି ପାସ୍‍ କଲେ ପ୍ରାଦେଶିକ ସ୍ତରରେ ଦ୍ୱିତୀୟ ସ୍ଥାନ ଅଧିକାର କରି । ୧୯୦୮ ମସିହାରେ ସେ ଏହ୍ଲାବାଦ ବିଶ୍ୱବିଦ୍ୟାଳୟରୁ ଇତିହାସରେ ଏମ୍‍.ଏ. ପାସ୍‍ କରି ଜନ୍ମସ୍ଥାନ ଜାଓରାକୁ ପ୍ରତ୍ୟାବର୍ତ୍ତନ କଲେ ।

ଏହିପରି ଭାବରେ ସେ ଉଚ୍ଚଶିକ୍ଷା ଲାଭ କରି କୌଣସି ସ୍ଥାନରେ ଚାକିରି ଖଣ୍ଡିଏ ପାଇବା ଇଚ୍ଛାରେ ଅପେକ୍ଷା କରି ରହିଲେ । ଶେଷରେ ୧୯୦୮ ମସିହାରେ ସେ କାନ୍‍ପୁର ଚାଲିଯାଇ ସେଠାରେ ଆଇନ୍‍ ବ୍ୟବସାୟ ଆରମ୍ଭ କଲେ । ୧୯୧୪ ମସିହାରେ କାନପୁର ତ୍ୟାଗ କରି ଏହ୍ଲାବାଦ ଯାଇ ସେଠାରେ ଓକିଲାତି କଲେ । ଏଠାରେ ତାଙ୍କର ଖ୍ୟାତି ଦିନକୁ ଦିନ ବଢ଼ିବାରେ ଲାଗିଲା । ସେ ରାଜନୀତି ପ୍ରତି ଆଗ୍ରହୀ ହେଲେ । ର।ଜନୀତିରେ ଯୋଗଦାନ କରି ଉତ୍ତରପ୍ରଦେଶର ତତ୍‍କାଳୀନ ଗୋବିନ୍ଦ ବଲ୍ଲଭ ପନ୍ଥଙ୍କ ମନ୍ତ୍ରିମଣ୍ଡଳରେ ଆଇନ୍‍ ଓ ବିଚାର ବିଭାଗର ମନ୍ତ୍ରୀ ଭାବରେ କାର୍ଯ୍ୟ ନିର୍ବାହ କଲେ । ଦ୍ୱିତୀୟ ମହାଯୁଦ୍ଧ ପରେ ସେ ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ କଲେ । ଫଳରେ ସେ ବ୍ରିଟିଶ ସରକାର ହାତରେ ବନ୍ଦୀ ହେଲେ । ୧୯୪୩ ମସିହାରେ ସେ ଖଲାସ ହୋଇ ପୁନର୍ବାର ନିଜର ଆଇନ ବ୍ୟବସାୟରେ ମନନିବେଶ କଲେ । ୧୯୪୬ ମସିହାରେ ସେ ପୁନର୍ବାର ସ୍ୱାଧୀନତା ପୂର୍ବବର୍ତ୍ତୀ ପ୍ରାଦେଶିକ ସରକାରରେ ଯୋଗଦେଇ ଗୋବିନ୍ଦ ବଲ୍ଲଭ ପନ୍ଥଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହେଲେ । ଦେଶ ସ୍ୱାଧୀନ ହେଲା । ସେ ଓଡ଼ିଶାର ରାଜ୍ୟପାଳ ଭାବରେ ୧୫.୮.୧୯୪୭ରେ ଯୋଗଦାନ କରି ୨୦.୬.୧୯୪୮ରେ ପଶ୍ଚିମବଙ୍ଗର ରାଜ୍ୟପାଳ ଭାବରେ ବଦଳି ହୋଇଗଲେ । ଏହା

ପରେ ସେ କେନ୍ଦ୍ର ମନ୍ତ୍ରିପରିଷଦରେ ଯୋଗଦାନ କରି ଘରୋଇ, ଆଇନ୍‍ ଓ ବୈଦେଶିକ ବିଭାଗର ଦାୟିତ୍ୱରେ ରହିଲେ । କିଛି ଦିନପାଇଁ ମଧ୍ୟ ସେ ଦେଶରକ୍ଷା ବିଭାଗ ଦାୟିତ୍ୱରେ ଥିଲେ । ଏହା ପରେ କିଛି ଦିନ ପାଇଁ ମଧ୍ୟ ସେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଦାୟିତ୍ୱରେ ଅବସ୍ଥାପିତ ହୋଇଥିଲେ । ଏହି ପଦବୀରୁ ଅବ୍ୟାହତି ନେବା ପରେ ସେ ଏହ୍ଲାବାଦ ଚାଲିଆସି ଜୀବନର ଶେଷଭାଗ ଅତିବାହିତ କରିଥିଲେ । ୧୯୬୮ ମସିହା ଫେବ୍ରୁଆରି ମାସରେ ତାଙ୍କର ମୃତ୍ୟୁ ହେଲା ।

ଓଡ଼ିଶାର ପ୍ରାଦେଶିକ ବିଧାନସଭା ପାଇଁ ୧୯୪୬ ମସିହାରେ ଅନୁଷ୍ଠିତ ନିର୍ବାଚନରେ ୫୬ ଜଣ ସଭ୍ୟ ନିର୍ବାଚିତ ହୋଇଥିଲେ ଓ ୪ ଜଣ ସଭ୍ୟ ମନୋନୀତ ହୋଇଥିଲେ । ଏହିପରି ଥିଲେ ୬୦ ଜଣ ସଭ୍ୟ । ଓଡ଼ିଶା ପ୍ରଦେଶରେ ଗଡ଼ଜାତ ରାଜ୍ୟଗୁଡ଼ିକର ମିଶ୍ରଣ ଘଟିବାରୁ ୩୧ ଜଣ ସଭ୍ୟ ମନୋନୀତ ହୋଇଆସିଲେ ମାନ୍ୟବର ରାଜ୍ୟପାଳଙ୍କ ଦ୍ୱାରା । ଓଡ଼ିଶା ବିଧାନସଭାର ସଭ୍ୟ ସଂଖ୍ୟା ହେଲା ୯୧ । ଏହି ନବଗଠିତ ବିଧାନସଭାର ପ୍ରଥମ ଅଧିବେଶନ ଅନୁଷ୍ଠିତ ହେଲା ଭୁବନେଶ୍ୱରର ସର୍ଦ୍ଦାର ପଟେଲ ହଲରେ ୧୯୪୯ ମସିହା ଅକ୍ଟୋବର ମାସର ୧୦ ରୁ ୧୨ ତାରିଖ ଯାଏ । ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଏମ୍‍. ଆସଫ୍ଅଲ୍ଲୀ ଅଧିବେଶନରେ ଉଦ୍‍ବୋଧନ ଦେଇଥିଲେ । ଏହା ଥିଲା ନୂଆ ରାଜଧାନୀ ଭୁବନେଶ୍ୱରଠାରେ ଓଡ଼ିଶା ବିଧାନସଭାର ପ୍ରଥମ ଅଧିବେଶନ ।

ଏହି ସମୟରେ କେନ୍ଦ୍ରରେ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ ନିମନ୍ତେ ପ୍ରସ୍ତୁତି ଆରମ୍ଭ ହେଲା । ସେଥିପାଇଁ ଗୋଟିଏ କାର୍ଯ୍ୟକାରୀ ସଂସଦ ଗଠନ କରାଗଲା । ଏଥିପାଇଁ ଓଡ଼ିଶାର ପ୍ରତିନିଧି ଥିଲେ- ବିଶ୍ୱନାଥ ଦାସ, ନନ୍ଦକିଶୋର ଦାସ, ଭୁବନାନନ୍ଦ ଦାସ, କୁଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେଓ, ବିଜୟ କୁମାର ପାଣି, ଜଗନ୍ନାଥ ଦାସ, ଜଗନ୍ନାଥ ମିଶ୍ର, ମୌଲବୀ ମହମ୍ମଦ ହନିଫ୍‍, ମୋତିଲାଲ ପଣ୍ଡିତ, ମହେଶ୍ୱର ନାୟକ, ଯୁଧିଷ୍ଠିର ମିଶ୍ର, ସାରଙ୍ଗଧର ଦାସ, ଏନ୍‍.ମାଧବ ରାଓ ଓ ଲାଲା ରାଜ କନଓ୍ୱାର ।

ଏହି ସମୟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କୁ କେନ୍ଦ୍ରକୁ ନେଇଯିବା ପାଇଁ ପଣ୍ଡିତ ଜବାହରଲାଲ ନେହେରୁ ସମ୍ପୂର୍ଣ୍ଣ ଭାବରେ ସ୍ଥିର କରିନେଲେ । ଏହାର କେତେଗୁଡ଼ିଏ କାରଣ ଥିଲା । ସେଗୁଡ଼ିକ ହେଲା:

ହରେକୃଷ୍ଣ ମହତାବ ଅହମ୍ମଦ ନଗର ଫୋର୍ଟରେ ବନ୍ଦୀ ଥିଲେ । ସେଠାରେ ତାଙ୍କ ସହ ଥିଲେ ପଣ୍ଡିତ ଜବାହରଲାଲ ନେହେରୁ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଓ ମୌଲାନା ଅବୁଲ କାଲାମ୍‍ ଆଜାଦ୍‍ ଆଦି ବିଶିଷ୍ଟ ନେତୃବର୍ଗ । ଏମାନେ ଦୀର୍ଘ ତିନିବର୍ଷରୁ ଅଧିକ କାଳ ଏହି ଜେଲ୍‍ରେ ବନ୍ଦୀ ହୋଇ ରହିିଥିଲେ । ସେମାନେ ପରସ୍ପର ମଧ୍ୟରେ ନିବିଡ଼ ବନ୍ଧୁତାରେ ଛନ୍ଦି ହୋଇଯାଇଥିଲେ । ଦେଶ ସ୍ୱାଧୀନ ହେବା ପରେ ନେହେରୁ, ପଟେଲ ଓ ଆଜାଦ୍‍ ଶାସନର ଶୀର୍ଷ ସ୍ଥାନରେ ରହିଲେ । ଏମାନଙ୍କର ମହତାବଙ୍କ ସହ ଉତ୍ତମ ସମ୍ପର୍କ ଥିଲା । ମହତାବଙ୍କର ଜ୍ଞାନ, ଗୁଣ, ଗାରିମା ଓ ପାଣ୍ଡିତ୍ୟ ସମ୍ପର୍କରେ ସେମାନେ ଥିଲେ ଖୁବ୍‍ ସଚେତନ ।

୧୯୪୬ ମସିହା ପ୍ରାଦେଶିକ ନିର୍ବାଚନରେ ଓଡ଼ିଶାରେ କଂଗେସ ଦଳର ବିପୁଳ ବିଜୟ ହୋଇଥାଏ । ତା'ପରେ ଦେଶ ସ୍ୱାଧୀନ ହେଲା । ସ୍ୱାଧୀନତା ପରେ ମହତାବଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତ‌ଥା ତାଙ୍କ ବୁଦ୍ଧି ଓ କୌଶଳ ପ୍ରୟୋଗଦ୍ୱାରା ଓଡ଼ିଶାର ଗଡ଼ଜାତ ରାଜ୍ୟଗୁଡ଼ିକର ସର୍ବ ପ୍ରଥମେ ଓଡ଼ିଶା ପ୍ରଦେଶ ସହ ମିଶ୍ରଣ ଘଟିଲା । ଏହା ଭାରତର ସର୍ବପ୍ରଥମ ଘଟଣା । ଯାହା ଫଳରେ କି ସର୍ଦ୍ଦାର ପଟେଲ କହିିଲେ "ଓଡ଼ିଶାରେ ମହତାବ ଆଜି ଯାହା ଚିନ୍ତା କରୁଛନ୍ତି ଭାରତ ତାହା ଆସନ୍ତା କାଲି ଚିନ୍ତା କରୁଛି ।" ଓଡ଼ିଶାର ଗଡ଼ଜାତ ମିଶ୍ରଣ ଦେଶର ଅନ୍ୟ ଦେଶୀୟ ଗଡ଼ଜାତ ମିଶ୍ରଣପାଇଁ ବାଟ ଦେଖେଇଲା । ସର୍ଦ୍ଦାର ପଟେଲଙ୍କର ଏପରି ପ୍ରଶଂସାପୂର୍ଣ୍ଣ ମନ୍ତବ୍ୟ ମହତାବଙ୍କୁ ଶୀର୍ଷ ସ୍ଥାନକୁ ଉଠାଇ ନେଲା । ସାରା ଭାରତରେ ମହତାବଙ୍କର ପ୍ରଶଂସା ଖେଳିଗଲା ।

୧୯୫୦ ମସିହାରେ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ଓଡ଼ିଶା ଭ୍ରମଣରେ ଆସି ଥାଆନ୍ତି । ତାଙ୍କ ସହ ଆସି ଥାଆନ୍ତି ଭାରତର ଶେଷ ଇଂରେଜ ବଡଲାଟ୍‍ ମାଉଣ୍ଟବ୍ୟାଟେନ୍‌ଙ୍କ ଧର୍ମ ପତ୍ନୀ ଲେଡି ଏଡ୍‍‌ୱିନା ମାଉଣ୍ଟବ୍ୟାଟେନ୍‍ । ସେତେବେଳେ ନେହେରୁଙ୍କର ଲେଡ଼ି ମାଉଣ୍ଟ୍‍ବ୍ୟାଟେନ୍‍ଙ୍କ ସହ ଘନିଷ୍ଠ ସମ୍ପର୍କ ରହିିଥିବା କଥା ଚାରିଆଡେ଼ ପ୍ରଚାର ହୋଇଯାଇଥିଲା । ଲେଡି ମାଉଣ୍ଟବ୍ୟାଟେନ୍‍ କୋଣାର୍କ ବୁଲିବା ସମୟରେ ତାଙ୍କ ସହ ଥିଲେ ପଣ୍ଡିତ ନେହେରୁ । ପାଖରେ ଉପସ୍ଥିତ ଥିଲେ ଓଡ଼ିଶାର ପ୍ରଧାନମନ୍ତ୍ରୀ ହରେକୃଷ୍ଣ ମହତାବ ଓ ମାନ୍ୟବର ରାଜ୍ୟପାଳ ଆସଫ୍‍ ଅଲ୍ଲୀ । ସେହି ସମୟରେ ଲେଡି ମାଉଣ୍ଟବ୍ୟାଟେନ୍‍ ନେହେରୁଙ୍କୁ କହିିଲେ, "ହରେକୃଷ୍ଣ ମହତାବଙ୍କ ଭଳି ବ୍ୟକ୍ତିଙ୍କୁ ଗୋଟିଏ ରାଜ୍ୟର ପ୍ରଧାନମନ୍ତ୍ରୀ ଭାବରେ ଅବସ୍ଥାନ ନ କରି କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ଦେବା ଉଚିତ ।" ପଣ୍ଡିତ ନେହେରୁ ଏଥିରେ ଏକମତ ହୋଇ ସମ୍ମତି ପ୍ରଦାନ କଲେ ।

ମହତାବଙ୍କ ଜାଗାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ କିଏ ହେବ? ଏଥିପାଇଁ ଚିନ୍ତା ପଡ଼ିଲା । ବିଶ୍ୱନାଥ ଦାସ, ନିତ୍ୟାନନ୍ଦ କାନୁନ୍‍ଗୋ ଓ ନବକୃଷ୍ଣ ଚୌଧୁରୀଙ୍କ ନାମ ନେହେରୁଙ୍କୁ କୁହାଗଲା । ହେଲେ ନେହେରୁଙ୍କର ବିଶ୍ୱନାଥ ଦାସଙ୍କ ପ୍ରତି ଆନ୍ତରିକତା ନଥାଏ । ଏଣେ ନିତ୍ୟାନନ୍ଦ କାନୁନ୍‍ଗୋଙ୍କୁ ମହତାବ ଭଲ ପାଉନଥାନ୍ତି । ମହତାବଜୀ ଠିକ୍‍ କଲେ ଯେ ନବବାବୁ ମୁଖ୍ୟମନ୍ତ୍ରୀ ହେଲେ ଖୁବ୍‍ ଭଲ ହେବ । କାରଣ ସେ କୂଟନୀତିର ଧାର ଧାରନ୍ତି ନାହିଁ । ଯେତେବେଳେ କହିଲେ ନବବାବୁ ପଦ ଛାଡ଼ିଦେବେ ଓ ସେ ଅନାୟସରେ ପୁଣି ମୁଖ୍ୟମନ୍ତ୍ରୀ ହୋଇପାରିବେ । କିନ୍ତୁ ନବବାବୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବାକୁ ଆଦୌ ରାଜି ହେଲେ ନାହିଁ । ଏହି ସମୟରେ ଦିନେ ବନମାଳୀ ପଟ୍ଟନାୟକ ନବବାବୁଙ୍କୁ ଆସି କହିଲେ, ପୁରୀ ଯାଇ ପଣ୍ଡିତ ନେହେରୁଙ୍କ ସାଙ୍ଗରେ କଥା ହେବା ପାଇଁ ମହତାବ କହିଛନ୍ତି । ସେଇଥିପାଇଁ ମୁଁ ଆପଣଙ୍କ ପାଖକୁ ଆସିଛି । ନବବାବୁ ପୁରୀ ଯାଇ ପଣ୍ଡିତ ନେହେରୁଙ୍କ ସହ ସାକ୍ଷାତ କଲେ । ସେତେବେଳେ ଲେଡି ମାଉଣ୍ଟବ୍ୟାଟେନ୍‍ ତାଙ୍କ ପାଖରେ ଉପସ୍ଥିତ ଥାନ୍ତି । ପଣ୍ଡିତ ନେହେରୁ ନବବାବୁଙ୍କୁ କହିଲେ, "ତୁମେ ଭଲ କାମ କରୁଛ । ଆମ ଦେଶ ପାଇଁ କାମ ମଧ୍ୟ କରିବାକୁ ହେବ ।" ଏପରି ଦୁଇ ଜଣଙ୍କ ମଧ୍ୟରେ ଅନେକ ଆଲୋଚନା ହେଲା । ଅନିଚ୍ଛା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ହେବାପାଇଁ ନବବାବୁ ରାଜି ହୋଇଗଲେ ।

ନବବାବୁ କହନ୍ତି- "ଏହି ରାଜି ହେବାଟା ଗୋଟାଏ Illusion weakness ହେଲା ବୋଧହୁଏ । ମୁଁ ଭାବିଲି, କ୍ଷମତା ବାହାରେ ରହି କିଛି କରିହେଉନି । କ୍ଷମତା ଭିତରେ ରହିଲେ ବୋଧହୁଏ କରିହେବ । ସେହି ସମୟରେ ଦୁଇ ତିନିଟା ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ହେଲା, କଂଗ୍ରେସ କର୍ମୀମାନେ ହାରିଗଲେ ।(ଶ୍ରଦ୍ଧାଞ୍ଜଳି)

ଏହା ପରେ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁ ଓଡ଼ିଶାର ପ୍ରଧାନମନ୍ତ୍ରୀ ହରେକୃଷ୍ଣ ମହତାବଙ୍କୁ ଚିଠି ଲେଖିଲେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଯୋଗଦାନ ପାଇଁ । ମହତାବବାବୁ କେନ୍ଦ୍ରକୁ ଯାଉଛନ୍ତି ଜାଣି ଓଡ଼ିଶାର ବୁଦ୍ଧିଜୀବୀ, ନେତୃବର୍ଗ ଓ ସାଧାରଣ ଲୋକଙ୍କ ମଧ୍ୟରେ ମିଶ୍ର ପ୍ରତିକ୍ରିୟା ସୃଷ୍ଟି ହେଲା । କେତେକ କହିଲେ, ମହତାବ ବାବୁ କେନ୍ଦ୍ରକୁ ଗଲେ ଓଡ଼ିଶାର ଗୌରବ ବୃଦ୍ଧିପାଇବ । ଆଉ କେତେକ ଏହାକୁ ନାପସନ୍ଦ କଲେ । ଯାହାହେଉ ଶେଷରେ ମହତାବ ବାବୁ ଚିଠି ଲେଖି ତାଙ୍କର ସମ୍ମତି ପଣ୍ଡିତ ନେହେରୁଙ୍କୁ ଜଣାଇ ଦେଲେ କେନ୍ଦ୍ର କ୍ୟାବିନେଟ୍‍ରେ ଯୋଗଦେବା ପାଇଁ ।

କେନ୍ଦ୍ରରେ ଗଠିତ ହୋଇଥାଏ ମଧ୍ୟବର୍ତ୍ତୀକାଳୀନ ସରକାର । ଏହା କାର୍ଯ୍ୟ କରିବ ୧୯୫୦-୫୨ ଯାଏ, ଅର୍ଥାତ୍ ପ୍ରଥମ ସାଧାରଣ ନିର୍ବାଚନ ହେବା ଯାଏ । ମହତାବବାବୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଯୋଗଦାନ କରି ପୂର୍ବ ଭଦ୍ରକ ବିଧାନସଭା ଆସନରୁ ଇସ୍ତଫା ପ୍ରଦାନ କଲେ । ତାଙ୍କ ପାଇଁ କାର୍ଯ୍ୟକାରୀ ସଂସଦରେ ଥିବା ଓଡ଼ିଶା ପ୍ରତିନିଧି ମୋତିଲାଲ ପଣ୍ଡିତ ସ୍ଥାନ ଖାଲି କରିଦେଲେ । ହରେକୃଷ୍ଣ ମହତାବ ମୋତିଲାଲ ପଣ୍ଡିତଙ୍କ ସ୍ଥାନରେ ୧୯୫୧ରେ ନିର୍ବାଚିତ ହୋଇ କାର୍ଯ୍ୟକାରୀ ସଂସଦର ସଭ୍ୟ ହେଲେ । ହରେକୃଷ୍ଣ ମହତାବ ହେଲେ କେନ୍ଦ୍ର କ୍ୟାବିନେଟ୍‍ରେ ଶିଳ୍ପ ଓ ଯୋଗାଣ ବିଭାଗ ମନ୍ତ୍ରୀ ।

୧୨.୫.୧୯୫୦ ତାରିଖରେ ନବକୃଷ୍ଣ ଚୌଧୁରୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ । ମହତାବବାବୁ ଇସ୍ତଫା ଦେଇଥିବା ପୂର୍ବ ଭଦ୍ରକ ବିଧାନସଭା ଆସନରୁ ଉପନିର୍ବାଚନ ଜରିଆରେ ଓଡ଼ିଶାର ବିଧାନସଭାକୁ ସେ ନିର୍ବାଚିତ ହେଲେ ।

ହରେକୃଷ୍ଣ ମହତାବ ସେତେବେଳେ କେନ୍ଦ୍ରକୁ ଯିବା ଉପରେ ନବକୃଷ୍ଣ ଚୌଧୁରୀ ପରବର୍ତ୍ତୀ ସମୟରେ ବିଶ୍ଲେଷଣ କରି ନିଜସ୍ୱ ମତ ପୋଷଣ କରି କହନ୍ତି-

"ସେ ସବୁର ବିଶ୍ଲେଷଣ ଆମେ ଏବେ ବୁଝୁଛୁ ଯେ That was a very deep game. ଏହା ଅଭିସନ୍ଧିମୂଳକ ଥିଲା । ଯେଉଁମାନେ ଚିନ୍ତା ଜଗତରେ ନେହେରୁଙ୍କର ବିରୋଧୀ ଥିଲେ, ଆର୍ଥାତ୍ ମହାତ୍ମା ଗାନ୍ଧୀଙ୍କ ପରି ଭାବୁଥିଲେ, ସେ ତାର ଓଲଟା ଭାବୁଥିଲେ । ସେହିମାନଙ୍କ ଭିତରୁ ଯେଉଁମାନେ ପ୍ରଧାନ (Prominent) ଲୋକ ଥିଲେ ସେମାନଙ୍କୁ ପାଲରେ ପକାଇବା ପାଇଁ ନେହେରୁ ଚକ୍ରାନ୍ତ କରୁଥିଲେ । ମହତାବବାବୁ ଥିଲେ କାର୍ଯ୍ୟକାରୀ କମିଟି (Working Committee)ର ସଭ୍ୟ । ଏହି କାର୍ଯ୍ୟକାରୀ କମିଟିରେ ଯେଉଁ ଭୋଟିଙ୍ଗ ଇତ୍ୟାଦି ହୁଏ ମହତାବବାବୁ ଓ ଅନ୍ୟ କେତେଜଣ ମହାତ୍ମା ଗାନ୍ଧୀଙ୍କ ବିଚାରଧାରାକୁ ସମର୍ଥନ କରୁଥିଲେ । ମହତାବବାବୁଙ୍କର ଖୁବ୍‍ ମହତ୍ତ୍ୱ ଥିଲା । ତେଣୁ ନେହେରୁ ମୂଳରୁ ଦେଖିଲେ, 'ଏ ଲୋକମାନଙ୍କୁ ନିଜ ଆଡ଼କୁ ନେବାକୁ ହେବ ।' ମହତାବବାବୁ ଚକ୍ରାନ୍ତର ଶିକାର ହେଲେ । ସେଠାକୁ ଯାଇ ସେ ଗୋଳମାଳରେ ପଡ଼ିଗଲେ । (ଶ୍ରଦ୍ଧାଞ୍ଜଳି)

ନବବାବୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବାରେ ତାଙ୍କର ଧର୍ମପତ୍ନୀ ମାଳତୀଦେବୀ ଆଦୌ ଖୁସି ନ ଥିଲେ । ସେ ବିରକ୍ତି ପ୍ରକାଶ କରି କହିିଲେ, "ନବବାବୁ ଯଦି ଶାସନ କ୍ଷେତ୍ରକୁ ଫେରି ଯାଉଛନ୍ତି ତାହା ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି; ଏପରିକି ସେ ଯଦି ପୁଣି ବିବାହ କରନ୍ତି ମୋର ବି ଆପତ୍ତି ନାହିଁ ।" (ଅନିର୍ବାଣ)

* * *