ଓଡ଼ିଶା ରାଜନୀତିର ଇତିହାସ/୧୯୩୬ର ରାଜନୈତିକ ପୃଷ୍ଠଭୂମି

ଉଇକିପାଠାଗାର‌ରୁ
Jump to navigation Jump to search
ଓଡ଼ିଶା ରାଜନୀତିର ଇତିହାସ (୨୦୧୩)  ଲେଖକ/କବି: ଉଦ୍ଧବ ଚରଣ ନାୟକ
୧୯୩୬ର ରାଜନୈତିକ ପୃଷ୍ଠଭୂମି


ପ୍ରଥମ ପରିଚ୍ଛେଦ
୧୯୩୬ର ରାଜନୈତିକ ପୃଷ୍ଠଭୂମି

ଆମ ରାଜ୍ୟ ଓଡ଼ିଶା ଏକ ପ୍ରାଚୀନ ରାଜ୍ୟ । ପୂର୍ବେ ଏହାର ନାମ ଥିଲା, 'କଳିଙ୍ଗ' ଓ 'ଉତ୍କଳ' । ଏହାର ଶ୍ରେଷ୍ଠତା ଶାସ୍ତ୍ର-ପୁରାଣମାନଙ୍କରେ ଲିପିବଦ୍ଧ । କପିଳ ସଂହିତାରେ ଲେଖାଯାଇଛି :

ବର୍ଷାଣାଂ ଭାରତଃ ଶ୍ରେଷ୍ଠୋ ଦେଶାନାମୁତ୍କଳଃ ଶ୍ରୁତଃ,
ଉତ୍କଳସ୍ୟ ସମୋ ଦେଶୋ ଦେଶୋ ନାସ୍ତି ମହୀତଳେ ॥

ଏହି ଶ୍ଲୋକର ଅର୍ଥ ସହଜରେ ବୁଝିହେଉଛି । ବର୍ତ୍ତମାନ ଆମ ରାଜ୍ୟର ନାମ ଓଡ଼ିଶା ।

ସେହିପରି କବିବର ରାଧାନାଥ ରାୟ ଉତ୍କଳ ସଂପର୍କରେ ଲେଖିଯାଇଛନ୍ତି-

ଭାରତ ପଙ୍କଜ ଦଳମିଦ ମୁତ୍କଳ ମଣ୍ଡଳମିତି ବିଦିତଂ ଯତ୍‍ ।
ତସ୍ୟ କୃତେ ବୟମତ୍ର ସମେତା ବହିତ୍ରୋତ୍କଳ-ସଂସଦ ।

ମହାଭାରତ ଯୁଦ୍ଧ ପୂର୍ବରୁ ଗୋଦାବରୀ ନଦୀଠାରୁ ଦାମୋଦର ନଦୀ ଓ ମହୋଦଧି ପୁରୀଠାରୁ ପଶ୍ଚିମର ରାଏଗଡ଼ ମଧ୍ୟରେ ଅନେକ କ୍ଷୁଦ୍ର ରାଜ୍ୟ ମୁଣ୍ଡ ଟେକିିଥିଲା । ଦକ୍ଷିଣର ଉପକୂଳ ଅଞ୍ଚଳକୁ ଦକ୍ଷିଣ କଳିଙ୍ଗ; ଉତ୍ତର ଉପକୂଳ ଅଞ୍ଚଳ ଯଥା; ସିଂହଭୂମ, ମୟୂରଭଞ୍ଜ, ମେଦିନପୁର ଓ କଟକକୁ ଉତ୍ତରକଳିଙ୍ଗ, ମଧ୍ୟ ଅଞ୍ଚଳକୁ ମଧ୍ୟ କଳିଙ୍ଗ ବୋଲି କୁହାଯାଉଥିଲା । ସୋନପୁର ଓ ସମ୍ବଲପୁରକୁ କୋଶଳ ରାଜ୍ୟ; କଳାହାଣ୍ଡି, ଜୟପୁର, ବସ୍ତରକୁ ନେଇ ମୂଷିକ ରାଜ୍ୟ ଗଢ଼ି ଉଠିିଲା । କ୍ରମେ ଉତ୍ତର କଳିଙ୍ଗ ଉତ୍କଳିଙ୍ଗ ନାମରେ ପରିଚିତ ହୋଇ ଧୀରେ ଧୀରେ ଉତ୍କଳ ହେଲା । xxx ପ୍ରତାପ ରୁଦ୍ରଙ୍କ ରାଜତ୍ୱକାଳ (୧୪୯୫-୧୫୩୨)ରେ ଏହିସବୁ ଅଞ୍ଚଳ ମିଶି ଉତ୍କଳ ସାମ୍ରାଜ୍ୟ ଗଠିତ ହେଲା । ଏହାର ଶାସକ ହେଲେ ଗଜପତି ରାଜାମାନେ । ଏହା ପରେ ମୋଗଲ, ମରହଟ୍ଟା ଓ ଇଂରେଜ ଶାସନ କାଳରେ ଉତ୍କଳ ଶାସିତ ହୋଇ ଖଣ୍ଡ ବିଖଣ୍ଡିତ ହେଲା ।

ଓଡ଼ିଶାରେ ପଠାଣ ଓ ମୋଗଲ ରାଜତ୍ୱ କାଳ ହେଲା ୧୫୬୮-୧୭୫୧ ଖ୍ରୀଷ୍ଟାବ୍ଦ । ଏହି ସମୟରେ ଉତ୍କଳ ବଙ୍ଗଳାର ନବାବ ଓ ମୋଗଲ ଶାସନାଧୀନ ଥାଇ ବହୁ ଅତ୍ୟାଚାର ଭୋଗ କରୁିଥିଲା । ବିଦ୍ରୋହ ଓ ଯୁଦ୍ଧ ଆଦିରେ ଲିପ୍ତ ହୋଇ ଉତ୍କଳରାଜ୍ୟ ଅନ୍ତଃସାରଶୂନ୍ୟ ହୋଇଗଲା । ୧୫୬୯ ମସିହାରେ ଉତ୍କଳର ରାଜା ମୁକୁନ୍ଦ ଦେବଙ୍କ ମୃତ୍ୟୁ ଘଟିଲା । ଉତ୍କଳ ରାଜସିଂହାସନ ଶୂନ୍ୟ ପଡ଼ିଲା । ଏହାର ସୁବିଧା ଉଠାଇଲେ ମୁକୁନ୍ଦଦେବଙ୍କ ପ୍ରଧାନମନ୍ତ୍ରୀ ଭୋଇ ଜନାର୍ଦ୍ଦନ ବିଦ୍ୟାଧରଙ୍କ ପୁତ୍ର ରମାଇ ରାଉତରା । ସେ ରାମଚନ୍ଦ୍ର ଦେବ ନାମ ଧାରଣ କଲେ । ଆଉ ନିଜକୁ ରାଜବଂଶର ଉତ୍ତରାଧିକାରୀ ଘୋଷଣା କରି ଉତ୍କଳ ସିଂହାସନ ଆରୋହଣ କଲେ । ୧୫୮୦ ମସିହାର କଥା । ସେତେବେଳେ ଦିଲ୍ଲୀ ସମ୍ରାଟ ଥାଆନ୍ତି ଆକବର । ତୋଡର ମଲ୍ଲ ଆକବରଙ୍କ ସେନାପତି । ସେ ପଠାଣମାନଙ୍କ ବିରୁଦ୍ଧରେ ଉତ୍କଳ ଜୟ କରିବା ନିମନ୍ତେ ଆସିଲେ । ରାମଚନ୍ଦ୍ର ଦେବଙ୍କୁ ସେ ରାଜା ବୋଲି ସ୍ୱୀକାର କଲେ । ସ୍ୱୀକାର କରିବା ସହ ରାମଚନ୍ଦ୍ର ଦେବଙ୍କୁ ସମଗ୍ର ଖୋରଧା, ରାହାଙ୍ଗ, ଚବିଶକୁଦ, ସିରାଇ ଓ ଲେମ୍ବାଇ ପ୍ରଗନାମାନ ନିସ୍କର ଭାବରେ ଛାଡ଼ିଦେଲେ । ଏସମସ୍ତ ଅଞ୍ଚଳର ଆୟତନ ଥିଲା ୧୫୪୭ ବର୍ଗମାଇଲ । ଏସବୁ ଅଞ୍ଚଳ ବ୍ୟତୀତ ଅନ୍ୟ ଅଞ୍ଚଳ ଗୁଡ଼ିକ ମୋଗଲମାନଙ୍କ ଶାସନ ଅଧୀନରେ ରହିଲା ।

ତୋଡ଼ରମଲ୍ଲଙ୍କ ଦ୍ୱାରା ୧୫୮୨ ଖ୍ରୀଷ୍ଟାବ୍ଦରେ ଉତ୍କଳରେ ବନ୍ଦୋବସ୍ତ ବା ଜରିବ କାର୍ଯ୍ୟ ସମ୍ପନ୍ନ ହେଲା । ପଠାଣମାନେ ପୁନର୍ବାର ବିଦ୍ରୋହାତ୍ମକ ପନ୍ଥା ଅବଲମ୍ବନ କରିିବାରୁ ଦିଲ୍ଲୀ ଆକବରଙ୍କ ଦରବାରର ରାଜା ମାନସିଂହ ୧୫୯୦ ମସିହାରେ ଓଡ଼ିଶା ଆକ୍ରମଣକରି ବିଦ୍ରୋହ ଦମନ କରିବା ସହ ଆହୁରି ୧୨୯ କିଲ୍ଲା ରାମଚନ୍ଦ୍ର ଦେବଙ୍କୁ ପ୍ରଦାନ କଲେ । ଏହା ଛଡ଼ା ୩୦ଟି ଗଡ଼ଜାତ ମଧ୍ୟ ତାଙ୍କ ଅଧୀନରେ ରହିଲା । ମୋଗଲ ଦରବାରରେ ତାଙ୍କୁ ଉଚ୍ଚ ସମ୍ମାନ ପ୍ରଦାନ କରାଗଲା । ସେ 'ମାନ୍‍ସୁବେଦାରୀ' ଉପାଧିରେ ଭୂଷିତ ହୋଇ ମୋଗଲ ସାମ୍ରାଜ୍ୟର କରଦରାଜ୍ୟ ଭାବରେ ରହିଲେ । ମୋଗଲ ରାଜତ୍ୱ କାଳରେ ଓଡ଼ିଆଭାଷା ସାହିତ୍ୟର ଶ୍ରୀବୃଦ୍ଧି ଘଟିଥିଲା । ଏ ଯୁଗର ଓଡ଼ିଆ କବିମାନେ ହେଲେ ଦୀନକୃଷ୍ଣ, ଉପେନ୍ଦ୍ରଭଞ୍ଜ, କବିସୂର୍ଯ୍ୟ ଓ ବିଶ୍ୱନାଥ ଖୁଣ୍ଟିଆ ଆଦି କବି ଓ ପଣ୍ଡିତଗଣ । ଉତ୍କଳର ଶାସନ ଦାୟିତ୍ୱରେ ଯେଉଁ ମୋଗଲ ସୁବେଦାରମାନେ ଥିଲେ, ସେମାନେ ହେଲେ:

ହକିମ ଖାଁ- ୧୬୦୭-୧୧
କଲ୍ୟାଣ ସିଂହ (ତୋଡ଼ରମଲ୍ଲଙ୍କ ପୁତ୍ର) - ୧୬୧୧-୧୭
ମକରମ ଖାଁ - ୧୬୧୭-୨୩
ମିର୍ଜା ଅହମ୍ମଦ ବେଗ୍‍ ଖାଁ - ୧୬୨୩-୨୪
ବାଖର ଖାଁ - ୧୬୨୮-୩୨
ମତାକଦ ଖାଁ - ୧୬୩୨-୪୧
ଶାକଓ୍ୱାଜ ଖାଁ - ୧୬୪୧-୪୨
ମହମ୍ମଦ ଜମନତିହାରାନି ଖାଁ - ୧୬୪୨-୪୫

ମତାକଦ୍‍ ଖାଁ - ୧୬୪୫-୪୮
ଟରନିୟତ ଖାଁ - ୧୬୪୮-୫୬
ଇତ୍‍ସାମ୍‍ ଖାଁ - ୧୬୫୯-୬୦
ଖାନି ଦୁରାନିଖାଁ - ୧୬୬୦-୬୭
ଟରନିୟତ ଖାଁ - ୧୬୬୭-୬୯
ସାଫି ଖାଁ - ୧୬୬୯-୭୬
ନୁରୁଲ ଖାଁ - ୧୬୭୬-୭୮
ତମ୍‍ଗର୍‍ ଖାଁ - ୧୬୭୮-୮୪
ମୁର୍ଶିଦକୁଲି ଖାଁ - ୧୭୦୫-୨୫
ମହମ୍ମଦ ତକିଖାଁ - ୧୭୨୫-୩୪
ମୁର୍ଶିଦ କୁଲିଖାଁ - ୧୭୩୪-୪୧

ମୁର୍ଶିଦକୁଲି ଖାଁଙ୍କର ଜାମାତା ସୁଜାଉଦ୍ଦିନ ମହମ୍ମଦ ୧୭୦୬ ମସିହାରେ ଉତ୍କଳର ନାଏବ ସୁବେଦାର ଭାବରେ ନିଯୁକ୍ତି ପାଇଲେ । ସେ କଟକରେ କଦମରସୁଲ ନିର୍ମାଣ କଲେ । ମରିବା ପରେ ସେଠାରେ ତାଙ୍କୁ କବର ଦିଆଗଲା । ସେ ଓଡ଼ିଶାରେ ସତ୍ୟ ନାରାୟଣ ପାଲା ପ୍ରଚଳନ କରିିବାର ଜଣାଯାଏ । ଏହାଙ୍କ ସମୟରେ ମେଦିନୀପୁର ଜିଲ୍ଲା ଉତ୍କଳରୁ ଅଲଗା ହୋଇ ବଙ୍ଗ ଦେଶରେ ମିଶିଲା । ମୋଗଲ ଶାସନ ସମୟରେ ଉତ୍କଳକୁ ଭୋଇ ବଂଶର ରାଜାମାନେ ଶାସନ କରୁଥିଲେ । ସେମାନେ ହେଲେ, ରାମଚନ୍ଦ୍ର ଦେବ (୧୫୬୮-୧୬୦୦), ରାମଚନ୍ଦ୍ର ଦେବ ପୁରୀ ନିକଟରେ ଷୋଳଶାସନ ବସାଇଥିଲେ । ପୁରୁଷୋତ୍ତମ ଦେବ (୧୬୦୦-୧୬୨୨) । ପୁରୁଷୋତ୍ତମ ଦେବଙ୍କ ସମୟରେ ମୋଗଲ ସୁବେଦାରମାନେ ବହୁ ଅତ୍ୟାଚାର କରୁଥିଲେ । ପୁରୀ ମନ୍ଦିର ଲୁଣ୍ଠନ ବି କରିଥିଲେ । ନରସିଂହ ଦେବ (୧୬୨୨-୧୬୪୬), ଗଙ୍ଗାଧର ଓ ବଳଭଦ୍ର ଦେବ (୧୬୪୬-୧୬୫୫), ମୁକୁନ୍ଦଦେବ (୧୬୫୫-୧୬୯୩), ଦିବ୍ୟସିଂହ ଦେବ (୧୬୯୩-୧୭୨୦), ହରେକୃଷ୍ଣ ଦେବ (୧୭୨୦-୧୭୨୫), ଗୋପୀନାଥ ଦେବ (୧୭୨୫-୧୭୩୨) ରାମଚନ୍ଦ୍ର ଦେବ (୨ୟ) (୧୭୩୨-୧୭୪୩) । ଏହି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ସମୟରେ ମୋଗଲ ସୁବେଦାର ଭୁବନେଶ୍ୱର ଆକ୍ରମଣ କରିବା ସହ ପୁରୀ ଲୁଣ୍ଠନ କରିିଥିଲେ । ୨ୟ ରାମଚନ୍ଦ୍ର ଦେବଙ୍କୁ ବନ୍ଦୀ କରି କଟକରେ ରଖି ମୁସଲମାନ ଧର୍ମରେ ଦୀକ୍ଷିତ କରାଇ ମୁର୍ଶିଦ କୁଲିଖାଁଙ୍କ କନ୍ୟାକୁ ବିବାହ ଦେଲେ । ରାମଚନ୍ଦ୍ର ଦେବଙ୍କର ନାମ ପରିବର୍ତ୍ତନ ହେଲା । ସେ ହାଫିଜ କାଦର ବେଗ୍‍ ନାମରେ ପରିଚିତ ହେଲେ । ଫଳରେ ସେ ଶ୍ରୀ ମନ୍ଦିରରେ ପ୍ରବେଶ ସୁବିଧାରୁ ବଞ୍ଚିତ ହେଲେ । ତାଙ୍କ ଦର୍ଶନାର୍ଥେ ପୁରୀ ଶ୍ରୀମନ୍ଦିର ସିଂହଦ୍ୱାରରେ ସ୍ଥାପିତ ହେଲେ ପତିତପାବନ ମୂର୍ତ୍ତିି ।

ଓଡ଼ିଶାରେ ମରହଟ୍ଟା ଶାସନ : ଓଡ଼ିଶାରେ ମରହଟ୍ଟା ଶାସନର ସମୟ ହେଲା ୧୭୫୧ - ୧୮୦୩ । ମରହଟ୍ଟାମାନେ ଉତ୍କଳର ରାଜସ୍ୱ ଅଧିକାର ଲାଭ କଲେ ୧୭୫୧ ମସିହାରେ ଓ

୧୭୫୭ରେ ଓଡ଼ିଶାର ଶାସନଭାର ଗ୍ରହଣ କଲେ । ମରହଟ୍ଟା ମାନଙ୍କର ଶାସନ ମୁଖ୍ୟକୁ ସୁବେଦାର ବୋଲି କୁହାଯାଉଥିଲା । ଓଡ଼ିଶାର ପ୍ରଥମ ସୁବେଦାର ଥିଲେ ଶିଓଭଟ୍ଟ ସାମନ୍ତରାଓ । ସେ ୧୭୫୭- ୧୭୬୫ ଯାଏ ଓଡ଼ିଶା ଶାସନ ଦାୟିତ୍ୱ ବହନ କରିିଥିଲେ । ଏହି ସମୟରେ ସେ ୧୭୬୨ ମସିହାରେ ଓଡ଼ିଶାରେ ବନ୍ଦୋବସ୍ତ କାର୍ଯ୍ୟକରି ନୂତନ କର ଧାର୍ଯ୍ୟ କଲେ । ଏହାଙ୍କ ପରେ ବିମନାସାହୁ ଓ ଉଦୟ ପୁରୀ ସୁବେଦାର ହୋଇଥିଲେ । ଏମାନଙ୍କ ପରେ ଭବାନୀ ପଣ୍ଡିତ ଓଡ଼ିଶାର ସୁବେଦାର ହୋଇଆସିଲେ । ସେ ଆସିଲା ବେଳେ ସାଙ୍ଗରେ ଆଣିିଲେ ଅନେକ ସୈନ୍ୟ ସାମନ୍ତ । ଏହି ସୈନ୍ୟ ସାମନ୍ତମାନେ ଉତ୍କଳରେ ନାନା ଅତ୍ୟାଚାର କରିଥିଲେ । ତାହା ଲୋକମାନେ ଭୁଲିପାରି ନାହାନ୍ତି । ଏହାକୁ କୁହାଯାଏ ବର୍ଗୀ ଅତ୍ୟାଚାର । ଭବାନୀ ପଣ୍ଡିତ ଉତ୍କଳର ସୁବେଦାର ଥିଲେ ୧୭୬୮ ମସିହାଯାଏ । ତାଙ୍କ ପରର ମରହଟ୍ଟା ସୁବେଦାର ମାନେ ହେଲେ :

ଶମ୍ଭୁଜୀ ଗଣେଶ- ୧୭୬୮-୭୧
ବାବାଜୀ ନାୟକ - ୧୭୭୧-୭୩
ମାଧୋଜୀ ହରି - ୧୭୭୩-୭୫
ବାବାଜୀ ନାୟକ - ୧୭୭୫
ମାଧୋଜୀ ହରି - ୧୭୭୫-୭୮
ରାଜାରାମ ପଣ୍ଡିତ,
ସଦାଶିବ ରାଓ, ୧୭୮୨-୧୮୦୩ ।
ଲଙ୍କାଜୀ ଶୁକଦେବ
ବାଲାଜୀ କଞ୍ଜୀ

ମରହଟ୍ଟା ଅମଳରେ କବି ଅଭିମନ୍ୟୁ ସାମନ୍ତସିଂହାର, ଭୀମାଧୀବର ଓ ଅଚ୍ୟୁତାନନ୍ଦ ଦାସ ଆଦି ପ୍ରସିଦ୍ଧ କବିମାନେ ଓଡ଼ିଆ ଭାଷା ସାହିତ୍ୟର ବିଶେଷ ଉନ୍ନତି ଘଟାଇଥିଲେ । ମରହଟ୍ଟା ସୁବେଦାର ରାଜାରାମଙ୍କ ହାତରୁ ଇଂରେଜମାନେ ୧୮୦୩ ମସିହା ଅକ୍ଟୋବର ୪ ତାରିଖରେ ଓଡ଼ିଶା ଶାସନ ଭାର ଗ୍ରହଣ କଲେ ।

ଓଡ଼ିଶାରେ ଇଂରେଜ ଶାସନ :

ମରହଟ୍ଟାମାନଙ୍କ ହାତରୁ ଇଂରେଜମାନେ ଓଡ଼ିଶା ଶାସନ ଦାୟିତ୍ୱ ଗ୍ରହଣ କରିବା ପରେ ସଙ୍ଗେ ସଙ୍ଗେ ବୌଦ୍ଧ, ଦଶପଲ୍ଲା, ସୋନପୁର ଓ ଅନୁଗୋଳର ରାଜାମାନେ ଇଂରେଜମାନଙ୍କର ବଶ୍ୟତା ସ୍ୱୀକାର କଲେ । ଉତ୍କଳ ଅଧିକାର କରି ଇଂରେଜମାନେ ଜଣେ କମିଶନର ନିଯୁକ୍ତି କଲେ । ଉତ୍କଳର ଶାସନ ସୁବିଧା ପାଇଁ ଏହାକୁ ଦୁଇଟି ଜିଲ୍ଲାରେ ପରିଣତ କଲେ । ଦୁଇଜଣ ଜଜ୍‍ ମାଜିଷ୍ଟ୍ରେଟଙ୍କ ହାତରେ ଏହି ଜିଲ୍ଲା ଦୁଇଟିର ଶାସନ ଦାୟିତ୍ୱ ଅର୍ପଣ କରାଗଲା । ୧୮୦୫ରେ ଆଉ ଗୋଟିଏ ଜିଲ୍ଲା ସୃଷ୍ଟି ହେଲା । ଗଡ଼ଜାତ ରାଜ୍ୟଗୁଡ଼ିକ ମଧ୍ୟ ଏହି ଜିଲ୍ଲାଗୁଡ଼ିକ ଅଧୀନରେ

ରହିଲା । ତିନୋଟି ଯାକ ଜିଲ୍ଲା ହେଲା କଟକ, ପୁରୀ ଓ ବାଲେଶ୍ୱର । ୧୮୪୦ରେ ଇଂରେଜମାନଙ୍କ ବିରୁଦ୍ଧରେ ବାଙ୍କି ରାଜା ବିଦ୍ରୋହ କଲେ । ୧୮୪୭ରେ ଅନୁଗୁଳ ରାଜା ବିଦ୍ରୋହ କଲେ । ଫଳରେ ଏଇ ଦୁଇରାଜ୍ୟକୁ ଇଂରେଜମାନେ ଖାସ କରି ସେମାନଙ୍କ ଶାସନ ପରିସରକୁ ଆଣିଲେ । ୧୮୪୯ରେ ସମ୍ବଲପୁର ରାଜା ନିଃସନ୍ତାନ ହୋଇ ପ୍ରାଣ ତ୍ୟାଗ କରିବାରୁ ସମ୍ବଲପୁର ଖାସ୍‍ ହେଲା । ୧୮୬୦ରେ ସମ୍ବଲପୁର ଓଡ଼ିଶା ସହିତ ମିଶିଲା । ୧୯୦୫ ମସିହାରେ ଅନ୍ୟ କେତୋଟି ଗଡ଼ଜାତର ମଧ୍ୟ ଓଡ଼ିଶା ସହ ମିଶ୍ରଣ ଘଟିଲା । ୧୮୫୪ ମସିହାଠାରୁ ୧୯୩୬ ମସିହା ଯାଏ ଇଂରେଜ ଶାସନର ଓଡ଼ିଶା କମିଶନରମାନଙ୍କ ନାମ ତାଲିକା ପରିଶିଷ୍ଟ 'କ'ରେ ଦିଆଯାଇଛି ।

ଉତ୍କଳର ଅଙ୍ଗଚ୍ଛେଦ :

ଅନଙ୍ଗଭୀମ ଦେବ ତାଙ୍କ ଶାସନକାଳ (୧୧୯୦-୧୨୦୨)ରେ ଉତ୍କଳକୁ ଜରିବ କରାଇଥିଲେ । ସେତେବେଳେ ଉତ୍କଳର ସୀମାଥିଲା ହୁଗୁଳୀ ଠାରୁ ଗୋଦାବରୀ ନଦୀ ପର୍ଯ୍ୟନ୍ତ । ମୁସଲମାନ ଶାସନ କାଳରେ ୧୫୯୦ ଖ୍ରୀଷ୍ଟାବ୍ଦରେ ଉତ୍କଳର ପ୍ରଥମ ଅଙ୍ଗଚ୍ଛେଦ ହେଲା । ଆକବରଙ୍କ ମନ୍ତ୍ରୀମାନେ ହୁଗୁଳୀ ଏବଂ ଉତ୍କଳର ୧୦ଟି ମାହାଲ ଉତ୍କଳରୁ ନେଇଯାଇ ବଙ୍ଗଦେଶରେ ମିଶାଇ ଦେଲେ । ଉତ୍କଳର ପଶ୍ଚିମରେ ଥିବା ବିଶିନପୁର ଠାରୁ କଳାହାଣ୍ଡି, ଜୟପୁର, ବସ୍ତରକୁ ନେଇ ଏକ ଅଲଗା ତଉଜି ଗଠନ କଲେ । ରାଜମହେନ୍ଦ୍ରୀ, ଟିକାଲି, ରଘୁନାଥପୁର ଠାରୁ ଦକ୍ଷିଣ କଳିଙ୍ଗରାଜ୍ୟ, ଗୋଲକୁଣ୍ଡାର ମୁସଲମାନ ନବାବମାନେ ଉତ୍କଳରୁ ଅଲଗା କରିଦେଲେ । ୧୭୨୬ ଖ୍ରୀଷ୍ଟାବ୍ଦର କଥା । ହାଇଦ୍ରାବାଦ ନିଜାମଙ୍କ କର୍ମଚାରୀମାନେ ଗଞ୍ଜାମର କ୍ଷମତାଶାଳୀ ଜମିଦାରଙ୍କ ସହ ଷଡ଼ଯନ୍ତ୍ର କରି ଚିଲିକା ଠାରୁ ସମଗ୍ର ଦକ୍ଷିଣ ଉତ୍କଳକୁ କାଢ଼ି ନେଲେ । ଏହାପରେ ନବାବ ସୁଜାଉଦ୍ଦିନ ମହମ୍ମଦ ଖାଁ ପଟାସପୁର ପ୍ରଗଣା ବ୍ୟତୀତ ସମଗ୍ର ଜଳେଶ୍ୱର ତଉଜିକୁ ଅର୍ଥାତ୍ ସୁବର୍ଣ୍ଣରେଖା ପର୍ଯ୍ୟନ୍ତ ମୁର୍ଶୀଦାବାଦ ସହ ମିଶାଇଦେଲେ । ଉତ୍କଳର ସୀମା ଖୁବ୍‍ ଛୋଟ ହୋଇଗଲା । ଉତ୍ତରରେ ପଟାସପୁର ଓ ସୁବର୍ଣ୍ଣରେଖା ପର୍ଯ୍ୟନ୍ତ, ଦକ୍ଷିଣରେ ଚିଲିକା ପର୍ଯ୍ୟନ୍ତ, ପୂର୍ବରେ ସମୁଦ୍ର ଓ ପଶ୍ଚିମରେ ବଡ଼ମୂଳ ଘାଟି ପର୍ଯ୍ୟନ୍ତ ଉତ୍କଳର ସୀମା ରହିଲା ।

୧୭୫୧ ମସିହାରେ ଆଲିବର୍ଦ୍ଦିଖାଁଙ୍କ ସହ ମରହଟ୍ଟା ମାନଙ୍କର ସନ୍ଧିହେଲା । ସନ୍ଧି ପରେ ଏହି ସୀମା ବିଶିଷ୍ଟ ଉତ୍କଳ ପ୍ରଦେଶକୁ ମୋଗଲମାନେ ମରହଟ୍ଟାମାନଙ୍କୁ ହସ୍ତାନ୍ତର କଲେ । ସେହି ସନ୍ଧି ବଳରେ ସୁବର୍ଣ୍ଣରେଖା ନଦୀ ଉତ୍କଳ ଓ ବଙ୍ଗଦେଶର ସୀମା ଭାବରେ ସ୍ଥିରୀକୃତ ହେଲା । ଏହିପରି ଉତ୍କଳର ଅଙ୍ଗଚ୍ଛେଦ ହୋଇଛି ।

ଇଂରେଜ ଶାସନ କାଳରେ ଦକ୍ଷିଣ ମେଦିନୀପୁର ଉତ୍କଳରେ ଥିଲା । ୧୯୦୫ରେ ଲର୍ଡ କର୍ଜନଙ୍କ ଶାସନ କାଳରେ କଳାହାଣ୍ଡି, ପାଟଣା, ସୋନପୁର, ରେଢ଼ାଖୋଲ, ଗାଙ୍ଗପୁର, ବାମଣ୍ଡା ଓ ବଣେଇ ଆଦି ଗଡଜାତ ରାଜ୍ୟ ମଧ୍ୟପ୍ରଦେଶ ଓ ଛୋଟନାଗପୁର ଆସି ଓଡ଼ିଶାରେ ମିଶିଲା ।

ବିଚ୍ଛିନ୍ନ ଓଡ଼ିଶାର ଏକତ୍ରୀକରଣ ପ୍ରୟାସ :

୧୮୮୧ ମସିହାରେ ମଧୁବାବୁ କଲିକତାରୁ କଟକ ଫେରି ଆସିଲେ । ପତ୍ନୀ ବିୟୋଗଜନିତ ଦୁଃଖରେ ସେ ଥା'ନ୍ତି ଉଦାସୀନ । କଟକ ସହରର ଡଗରପଡ଼ା ଅନ୍ତର୍ଗତ ବିହାରୀବାଗଠାରେ ସେ ଅବସ୍ଥାନ କଲେ । ଏଇଠି ରହି ସେ ଆରମ୍ଭ କଲେ ଓକିଲାତି ବ୍ୟବସାୟ । ଏହି ସମୟରେ ମଧୁବାବୁଙ୍କ ପାଖରେ ଆସି ପହଞ୍ଚିଲେ ସିଂହଭୂମ, ସମ୍ବଲପୁର ଓ ଅନ୍ୟାନ୍ୟ ବିଚ୍ଛିନ୍ନାଞ୍ଚଳର ଅନେକ ମେଧାବୀ ତ‌ଥା ଦେଶ ପ୍ରେମୀ ଛାତ୍ର । ଏମାନଙ୍କୁ ନେଇ ମଧୁବାବୁ ଗଠନ କଲେ 'ଓଡ଼ିଶା ୟଙ୍ଗ୍‌ମେନସ୍‍ ଆସୋସିଏସନ୍‍' । ଓଡ଼ିଆରେ ଏହି ଅନୁଷ୍ଠାନର ନାମ ହେଲା 'ଓଡ଼ିଶା ଯୁବକ ସଂଘ' । ଏହି ଅନୁଷ୍ଠାନ ତରଫରୁ ଗଠନ କରାଗଲା ଏକ ପାଠାଗାର । ଦେଶ-ବିଦେଶର ପତ୍ର-ପତ୍ରିକା ଏଠାକୁ ଆସିଲା । ସଭ୍ୟମାନେ ଏ ସବୁକୁ ପଠନ କରିବା ନିମନ୍ତେ ମଧୁବାବୁ ଜୋର୍‍ ଦେଲେ । ଯାହା ଫଳରେ କି ସଭ୍ୟମାନେ ଦେଶ ବିଦେଶ ସଂପର୍କରେ ସମ୍ୟକ୍‍ ଧାରଣା ପାଇବା ପାଇଁ ସକ୍ଷମ ହେଲେ । ସେମାନଙ୍କ ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ ଘଟିଲା । ମନରୁ ସଂକୀର୍ଣ୍ଣତା ଦୂର ହେଲା ।

ଓଡ଼ିଶା ଆସୋସିଏସନ୍‍ ବା ଉତ୍କଳ ସଭା :

ଧୀରେଧୀରେ ଏହି ଅନୁଷ୍ଠାନ ସହ ବିଚିତ୍ରାନନ୍ଦ ଦାସ, ଭୁବନାନନ୍ଦ ଦାସ, ଲକ୍ଷ୍ମୀଧର ମହାନ୍ତି, ଅଭିରାମ ଭଞ୍ଜ ଓ ପାରେଶ୍ୱର ମହାନ୍ତି ଆଦି ବିଶିଷ୍ଟ ବ୍ୟକ୍ତି ଜଡ଼ିତ ହୋଇ ସଭ୍ୟ ପଦ ଗ୍ରହଣ କଲେ । ଏହା ପରେ ୧୮୮୨ ମସିହା ଅଗଷ୍ଟ ଷୋହଳ ତାରିଖରେ ମଧୁବାବୁଙ୍କ ଆବାହନକ୍ରମେ କଟକ ପ୍ରିଣ୍ଟିଙ୍ଗ୍‍ କମ୍ପାନୀ କୋଠାରେ ଓଡ଼ିଶାର ପ୍ରଥମ ବିଦ୍ଧିବଦ୍ଧ ସମ୍ବାଦପତ୍ର 'ଉତ୍କଳ ଦୀପିକା'ର ସଂପାଦକ ଗୌରୀଶଙ୍କର ରାୟଙ୍କ ସାହାଯ୍ୟ ସହଯୋଗକ୍ରମେ ଓଡ଼ିଶାର ପ୍ରଥମ ରାଜନୈତିକ ମଞ୍ଚ 'ଉତ୍କଳ ସଭା' ବା 'ଓଡ଼ିଆ ଆସୋସିଏସନ୍‍' ପ୍ରତିଷ୍ଠା ହେଲା । ଓଡ଼ିଆମାନଙ୍କର ସର୍ବବିଧ ହିତକର କାର୍ଯ୍ୟକରିବା ହେଲା ଏହି ସଭାର ଉଦ୍ଦେଶ୍ୟ । ବାବୁ ବିହାରୀଲାଲ୍‍ ପଣ୍ଡିତଙ୍କ ପ୍ରସ୍ତାବମତେ ଓ ବିଚ୍ଛନ୍ଦଚରଣ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ଉତ୍କଳ ସଭାର ସଭାପତି ଭାବରେ ଚୌଧୁରୀ କାଶୀନାଥ ଦାସ, ସହକାରୀ ସଭାପତି ଭାବରେ ନନ୍ଦକିଶୋର ଦାସ ଓ ହାଜୀ ଅବ୍‍ଦୁଲ୍‍ ରହମାନ୍‍ ଏବଂ ସଂପାଦକ ଭାବରେ ଗୌରୀଶଙ୍କର ରାୟ ମନୋନୀତ ହେଲେ । ମଧୁସୂଦନଙ୍କ ବ୍ୟତୀତ ଉତ୍କଳସଭା କ'ଣ ସମ୍ଭବ ? ଏଣୁ ମଧୁସୂଦନଙ୍କୁ ସହକାରୀ ସଭାପତି ବା ସଂପାଦକ ରୂପେ ରଖିବାପାଇଁ ଗୌରୀଶଙ୍କର ରାୟ ଏକ ସଂଶୋଧନ ପ୍ରସ୍ତାବ ଆଗତ କରିବାପାଇଁ ଉଠୁଥିବା ବେଳେ ମଧୁସୂଦନ ବାରଣ କଲେ । କହିଲେ, 'ଆରମ୍ଭରୁ ଅନୁଷ୍ଠାନର କର୍ମକର୍ତ୍ତା ହୋଇ ରହିଲେ ଅନେକେ ନାନାକଥା ଉଠାଇ ପାରନ୍ତି । ଅକାରଣରେ ଅନୁଷ୍ଠାନର ବିରୋଧକରି ବସିବେ । ଫଳରେ ଉତ୍କଳ ସଭାର ଲାଭ ପରିବର୍ତ୍ତେ ବହୁତ କ୍ଷତି ହେବାର ଆଶଙ୍କା ଅଛି । ଏଣୁ ନେପଥ୍ୟରେ ରହିବା ସବୁଠାରୁ ଭଲ । ଗଛର ଚେର ସମସ୍ତଙ୍କ ଅଜାଣତରେ ସବୁବେଳେ ଥାଏ ମାଟିତଳେ ।'

ମଧୁସୂଦନ ଦାସ ଏହି ସଭାରେ କେବଳ ଧନ୍ୟବାଦ ପ୍ରଦାନ କରିିଥିଲେ ।

୧୮୮୫ ମସିହାର କଥା । ଏହି ବର୍ଷ ନଭେମ୍ବର ୧୮ ତାରିଖ ଦିନ ସେସମୟର ବଙ୍ଗପ୍ରଦେଶ (ବିହାର, ଓଡ଼ିଶା, ବଙ୍ଗ ଓ ଆସାମ)ର ଛୋଟଲାଟ୍‍ (ଲେଫଟ୍‍ନାଣ୍ଟ ଗଭର୍ଣ୍ଣର) ସାର ରିଚାର୍ଡସ ଟମସନ୍‍ ପରିଦର୍ଶନରେ ଆସିିଥିଲେ କଟକ ସହରକୁ । ଓଡ଼ିଆ ଅଞ୍ଚଳର ଏକତ୍ରୀକରଣ ନିମନ୍ତେ ଏକ ସ୍ମାରକପତ୍ର ଲାଟସାହେବଙ୍କୁ ଉତ୍କଳ ସଭା ପକ୍ଷରୁ ପ୍ରଦାନ କରାଯାଇଥିଲା । ଏଥିରେ ମଧୁବାବୁ ମୁଖ୍ୟ ଅଂଶ ଗ୍ରହଣକରି ଲାଟ୍‍ଙ୍କ ଦରବାରରେ ସ୍ମାରକପତ୍ରଟିକୁ ପାଠ କରିଥିଲେ । ୧୮୮୮ ମସିହା ନଭେମ୍ବର ୨୪ ତାରିଖରେ ବଙ୍ଗଳାର ଲାଟ୍‍ସାହେବ ଷ୍ଟୁଆର୍ଟ ବେଲି (Bailey) କଟକ ପରିଦର୍ଶନରେ ଆସିିଥିବା କାଳରେ ତାଙ୍କ ଦରବାର ସଭାରେ ଉତ୍କଳସଭା ତରଫରୁ ଦେଶ ମିଶ୍ରଣ ଦାବିର ସ୍ମାରକପତ୍ର ପ୍ରଦାନ କରାଯାଇଥିଲା ।

୧୮୯୫ରେ ସମ୍ବଲପୁର ଜିଲ୍ଲାର କୋର୍ଟ କଚେରିରୁ ଓଡ଼ିଆ ଭାଷାକୁ ଉଠାଇ ହିନ୍ଦୀ ଭାଷା ପ୍ରଚଳନ ନିମନ୍ତେ ମଧ୍ୟପ୍ରଦେଶର ଚିଫ୍‍ କମିଶନର ସାର୍‍ ଜନ୍‍ ଉଡ଼ବର୍ଣ୍ଣ ଦେଇିବା ପ୍ରସ୍ତାବ ବିରୁଦ୍ଧରେ ଓଡ଼ିଆମାନେ ସଭା ସମିତି କଲେ । ପତ୍ରପତ୍ରିକାରେ ଏହି ପ୍ରସ୍ତାବର ବିରୋଧ କରାଗଲା । ଜୁନ୍‍ ୨୦ ତାରିଖରେ କଟକଠାରେ ଉତ୍କଳସଭା ତରଫରୁ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହେଲା । ସର୍ବସମ୍ମତି କ୍ରମେ ବଡ଼ଲାଟ ଏଲ୍‌ଗିନ୍‌ଙ୍କ ପାଖକୁ ପଠାଗଲା ଏକ ସ୍ମାରକପତ୍ର । ଏହି ସ୍ମାରକପତ୍ରରେ ପ୍ରସ୍ତାବ ଉଲ୍ଲେଖ ହେଲା, ସମ୍ବଲପୁରକୁ ଓଡ଼ିଶା ଡିଭିଜନ ସହ ମିଶାଇ ଦେବାପାଇଁ । ଏହି ପ୍ରସଙ୍ଗରେ ମଧୁବାବୁ ଓଡ଼ିଶା କମିଶନର କୁକ୍‍ ସାହେବଙ୍କୁ ଭେଟି ସମସ୍ତ ଉପାନ୍ତ ଓଡ଼ିଆ ଅଞ୍ଚଳକୁ ଓଡ଼ିଶା ସହିତ ମିଶାଇ ଦେବାପାଇଁ ଅନୁରୋଧ କଲେ । କୁକ୍‍ ସାହେବ ଏହି ପ୍ରସ୍ତାବକୁ ସମର୍ଥନ କରି ଏକ ପ୍ରସ୍ତାବ ବଙ୍ଗ ସରକାରଙ୍କୁ ପଠାଇଦେଲେ ।

୧୮୯୭ରେ ମଧୁବାବୁ ପ୍ରଥମଥର ପାଇଁ ବିଲାତ ଯାଇ ଭାରତ ସଚିିବ ଲର୍ଡ ଜର୍ଜ ହାମିଲ୍‍ଟନ୍‍ଙ୍କୁ ଭେଟି ଓଡ଼ିଶା ଦେଶ ମିଶ୍ରଣର ଏକ ପ୍ରସ୍ତାବ ଛପା ପୁସ୍ତିକା ଆକାରରେ ପ୍ରଦାନ କଲେ । ୧୯୦୦ରେ ସିମ୍‍ଳାଠାରେ ମଧୁବାବୁ ବଡ଼ଲାଟ ଲର୍ଡ କର୍ଜନଙ୍କୁ ଭେଟି ଓଡ଼ିଶାର ସମସ୍ୟା ଓ ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣ ପ୍ରସ୍ତାବ ଦେଲେ । ସେହିବର୍ଷ ଡିସେମ୍ବର ୧୬ ତାରିଖରେ ବଡ଼ଲାଟ କର୍ଜନ ଓଡ଼ିଶା ଆସିଲେ କେବଳ ମଧୁବାବୁଙ୍କ ସହ ସାକ୍ଷାତ ଆଲୋଚନା ପାଇଁ । ସେ ମଧୁବାବୁଙ୍କ ବାକ୍‍ଚାତୁରୀ ଓ ବ୍ୟବହାରରେ ହୋଇଯାଇିଲେ ଅତ୍ୟନ୍ତ ମୁଗ୍ଧ ।

ଉତ୍କଳ ସମ୍ମିଳନୀର ଜନ୍ମ :

୧୯୦୧ ମସିହାର କଥା । ସେହିବର୍ଷ ସେପ୍ଟେମ୍ବର ମାସରେ ସପ୍ତମ ଏଡ଼ଓ୍ୱାର୍ଡଙ୍କ ଅଭିଷେକ ଉତ୍ସବ ଦିଲ୍ଲୀଠାରେ ଅନୁଷ୍ଠିତ ହେବାପାଇଁ ସ୍ଥିର ହୋଇଥାଏ । ଏହି ଉତ୍ସବରେ ଯୋଗ ଦେବା ନିମନ୍ତେ ଭାରତବର୍ଷର ବିଭିନ୍ନ ରାଜା ଓ ଜମିଦାରମାନଙ୍କୁ ନିମନ୍ତ୍ରଣ କରାଯାଇ ଥାଏ । ଖଲ୍ଲିକୋଟର ରାଜା ସାହେବ ହରିହର ମର୍ଦ୍ଦରାଜ ଦେଓ ଓ ଅନ୍ୟମାନଙ୍କ ପରି ଏହି ସମ୍ମିଳନୀରେ ଯୋଗଦେବା ନିମନ୍ତେ ନିମନ୍ତ୍ରଣ ପାଇଲେ । ଦିଲ୍ଲୀ ଯିବାପାଇଁ ରାଜାସାହେବ ତାଙ୍କ ଶୁଭେଚ୍ଛୁମ।ନଙ୍କ ସହ ପରାମର୍ଶ

ଓ ମନ୍ତ୍ରଣାରେ ଲାଗି ପଡ଼ିଲେ । ତାଙ୍କର ଏହି ଶୁଭେଚ୍ଛୁମାନଙ୍କ ଭିତରେ ଥିଲେ ଗଞ୍ଜାମର ଅନ୍ୟତମ ଶିକ୍ଷିତ ତ‌ଥା ସରକାରୀ କର୍ମଚାରୀ ନରସିଂହ ଦାସ । ରାଜା ନରସିଂହବାବୁଙ୍କୁ ଖୁବ୍‍ ଭଲ ପାଉଥିଲେ । ଅନେକ କଥାରେ ରାଜା ତାଙ୍କର ପରାମର୍ଶ ଲୋଡ଼ନ୍ତି । ଦିଲ୍ଲୀ ଯିବାର ସମସ୍ତ ଆୟୋଜନ ହେଲା । ଏଥିପାଇଁ ୩୦,୦୦୦ ଟଙ୍କା ଖର୍ଚ୍ଚ ହେବ ବୋଲି ମଧ୍ୟ ଅଟକଳ ହେଲା । ଏତେଗୁଡ଼ିଏ ଟଙ୍କା ରାଜକୋଷରୁ ବ୍ୟୟ ହୋଇଯିବ ! ଏକା ନରସିଂହ ଦାସଙ୍କ ମନକୁ ପାଇଲା ନାହିଁ । କିନ୍ତୁ ସେ ରାଜାଙ୍କୁ ମୁହଁଖୋଲି କିଛି କହି ପାରିଲେ ନାହିଁ । କାଳେ ରାଜା ତାଙ୍କୁ ଖରାପ ଭାବିବେ । ତ‌ଥାପି ନରସିଂହ ଦାସେ ଓରଉଣ୍ଡି ନାନା ଭାବରେ ରାଜାଙ୍କ ସହ ଆଳାପ ଆଲୋଚନା ଓ ଯୁକ୍ତିତର୍କ କରି ଦିଲ୍ଲୀ ଗସ୍ତ କାର୍ଯ୍ୟକ୍ରମରୁ ରାଜାଙ୍କୁ ବିରତ କରି ଦେଲେ । ସେ ରାଜାଙ୍କୁ ବିନୟ ସହକାରେ ବୁଝାଇ ସୁଝାଇ କହିଲେ- "ତିରିଶ ହଜାର ଟଙ୍କା ଖର୍ଚ୍ଚ ହେବ; ଅଥଚ ଆପଣ ଯେଉଁ ଜମିଦାରକୁ ସେଇ ଜମିଦାର ହୋଇ ରହିବେ । ବରଂ ବିଭିନ୍ନ ପ୍ରଦେଶରେ ରହିିଥିବା ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକାଠି କରିବାରେ ଏହି ଟଙ୍କାକୁ ବ୍ୟୟକଲେ ଓଡ଼ିଆ ଜାତିର ଲୁପ୍ତ ଗୌରବ ଉଦ୍ଧାର ହେବା ସଙ୍ଗେ ସଙ୍ଗେ ରାଜା ହରିହର ମର୍ଦ୍ଦରାଜ ଦେଓ ଙ୍କ ନାମ ଚିରଦିନ ପାଇଁ ଓଡ଼ିଶା ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ ।"

ନରସିଂହ ଦାସଙ୍କ ଏହି ଯଥାର୍ଥ ଯୁକ୍ତି ରଜା ହରିହର ମର୍ଦ୍ଦରାଜ ଦେଓଙ୍କ ମନକୁ ବେଶ୍‍ ସ୍ପର୍ଶ କଲା । ତାଙ୍କ ମନରେ ଦେଖାଦେଲା ଘୋର ପରିବର୍ତ୍ତନ । ଓଡ଼ିଆ ଭାଷା ଭାଷୀ ଅଞ୍ଚଳକୁ ଏକତ୍ର କରିବାପାଇଁ ସେ ମନପ୍ରାଣ ଢାଳିଦେଲେ । ଦିଲ୍ଲୀ ଗସ୍ତକୁ ବାତିଲ୍ କରିଦେଲେ । ଦୈବଯୋଗକୁ ଏହି ସମୟରେ ବାମଣ୍ଡା ରାଜା ବାସୁଦେବ ସୁଢ଼ଳ ଦେବଙ୍କ ସହ ମନୋମାଳିନ୍ୟ ଘଟାଇ ଖଲିକୋଟଠାରେ ଆସି ପହଞ୍ଚିଥିଲେ ବିଶିଷ୍ଟ ସାହିତ୍ୟିକ, ସାମ୍ବାଦିକ ଓ ସଂପାଦକ ନୀଳମଣି ବିଦ୍ୟାରତ୍ନ । ୧୯୦୨ ମସିହା ଏପ୍ରିଲ୍ ମାସରେ ରମ୍ଭା ରାଜପ୍ରାସାଦଠାରେ ଗଞ୍ଜାମ ସମ୍ମିଳନୀ ନାମରେ ଏକ ବିରାଟ ସଭାର ଆୟୋଜନ କରାଗଲା । ଉତ୍କଳର ବିଭିନ୍ନ ସ୍ଥାନର ନେତୃ ସ୍ଥାନୀୟ ବ୍ୟକ୍ତି ମାନଙ୍କୁ ଏହିସଭାରେ ଯୋଗଦାନ କରିବା ପାଇଁ ନିମନ୍ତ୍ରଣ କରାଗଲା । ସେହି ସମୟରେ ମଧୁସୂଦନ ଥିଲେ କଲିକତାରେ । ଏହି ସମ୍ମିଳନୀରେ ଆସି ଯୋଗଦାନ କରିବା

ନିମନ୍ତେ ତାଙ୍କୁ ଟେଲିଗ୍ରାମ କରାଗଲା । ମଧୁବାବୁ ଆସିଲେ । ଏହି ସମ୍ମିଳନୀ ଆୟୋଜନ କରିିବାରୁ ସେ ପ୍ରଥମେ ରାଜା ହରିହର ମର୍ଦ୍ଦରାଜ ଓ ନୀଳମଣି ବିଦ୍ୟାରତ୍ନଙ୍କୁ ଆନ୍ତରିକ ଧନ୍ୟବାଦ ଅର୍ପଣ କଲେ ।

ଏହି ସମ୍ମିଳନୀରେ ଉତ୍କଳର ଯେଉଁ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦାନ କରିିଲେ ସେମାନଙ୍କ ମଧ୍ୟରେ ଶଶିଭୂଷଣ ରାୟ, ଗୋପାଳ ଚନ୍ଦ୍ର ପ୍ରହରାଜ, ବିଶ୍ୱନାଥ କର ଓ ପୁରୀର ମୁକ୍ତାର ରାମଚନ୍ଦ୍ର ଦାସ ଆଦି ଅନ୍ୟତମ । ଗୋପବନ୍ଧୁ ଦାସ ଜଣେ ତରୁଣ ଛାତ୍ର ଥିବାରୁ ସେ ଜଣେ ସ୍ୱେଚ୍ଛାସେବୀ ଭ।ବରେ ଏହି ସମ୍ମିଳନୀରେ ଯୋଗଦାନ କରିିଥିଲେ । ଗଞ୍ଜାମର ସର୍ବପ୍ରଥମ ବି.ଏ. ଡିଗ୍ରୀଧାରୀ ଶ୍ୟାମସୁନ୍ଦର ରାଜଗୁରୁ ଏହି ସମ୍ମିଳନୀରେ ସଭାପତିତ୍ୱ କରିିଥିଲେ । ପୂର୍ବରୁ ମଧୁବାବୁ କଟକଠାରେ ଗଠନ କରିିଥିବା 'ଓଡ଼ିଆ ଆସୋସିଏସନ୍‍' ବା ଉତ୍କଳ ସଭାକୁ ଏହି ଅନୁଷ୍ଠାନ ସହ ମିଶାଇ ଦେଇ ନୂତନ ଅନୁଷ୍ଠାନର ନାମ ରଖିଲେ, 'ଉତ୍କଳ ସମ୍ମିଳନୀ' । ଉତ୍କଳ ସମ୍ମିଳନୀର ପ୍ରଥମ ସଂପାଦକ ହେଲେ ବ୍ରହ୍ମପୁରର ଓକିଲ ପର୍ଶୁରାମ ପାତ୍ର । ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନ କଟକଠାରେ ଅନୁଷ୍ଠିତ ହେବାପାଇଁ ଏହି ସମ୍ମିଳନୀରେ ନିଷ୍ପତ୍ତି ଗ୍ରହଣ କରାଗଲା । ଏହିପରି ଭାବରେ ରାଜା ହରିହର ମର୍ଦ୍ଦରାଜ ଦେଓଙ୍କ ଉଦ୍ୟମରେ ରମ୍ଭା ରାଜପ୍ରାସାଦଠାରେ ଉତ୍କଳ ସମ୍ମିଳନୀର ବୀଜବପନ ହୋଇଥିଲା ।

ରାଜା ହରିହର ମର୍ଦ୍ଦରାଜଙ୍କ ଅର୍ଥ ସାହାଯ୍ୟରେ ୧୯୦୨ ମସିହା ଜୁନ୍‍ ମାସରେ 'ପ୍ରଜାବନ୍ଧୁ' ନାମରେ ଏକ ସାପ୍ତାହିକ ପତ୍ରିକା ନୀଳମଣି ବିଦ୍ୟାରତ୍ନଙ୍କ ସଂପାଦନାରେ ପ୍ରକାଶ ପାଇଲା । 'ପ୍ରଜାବନ୍ଧୁ' ହେଲା ଉତ୍କଳ ସମ୍ମିଳନୀ ଓ ଓଡ଼ିଆ ଆନ୍ଦୋଳନରେ ମୁଖପତ୍ର । ଏହି ପତ୍ରିକା ପ୍ରକାଶ ପାଇଁ ରାଜା ହରିହର ରମ୍ଭାଠାରେ ପ୍ରତିଷ୍ଠା କଲେ ଏକ ସ୍ୱତନ୍ତ୍ର ପ୍ରେସ୍‍ ।

ଉତ୍କଳ ସମ୍ମିଳନୀର ଭିତ୍ତି ପ୍ରଦାନ :

କଟକ ସହରର ଲାଲବାଗ୍‍ କୋଠି ପରିସରରେ ସମ୍ରାଟ ସପ୍ତମ ଏଡଓ୍ୱାର୍ଡଙ୍କର ଅଭିଷେକ ଉତ୍ସବ ୧୯୦୩ ଜାନୁଆରି ୨ ତାରିଖରେ ମହା ସମାରୋହରେ ପାଳିତ ହେଲା । ଏହି ଉପଲକ୍ଷେ ଆୟୋଜିତ ହେଲା ଦରବାର । ଏହି ଉତ୍ସବରେ ଓଡ଼ିଶାର ରାଜା ମହାରାଜା, ଜମିଦାରୀ ଇଲାକାର ଜମିଦାର ଓ ଓଡ଼ିଶାର ଅନେକ ବିଶିଷ୍ଟ ଭଦ୍ରବ୍ୟକ୍ତି ନିମନ୍ତ୍ରିତ ହୋଇ

ଯୋଗଦାନ କଲେ । କଟକରେ ଏମାନଙ୍କ ଉପସ୍ଥିତିର ସୁଯୋଗ ନେବାପାଇଁ ମଧୁସୂଦନ ଦାସ, ଗୌରୀଶଙ୍କର ରାୟ, ଶ୍ରୀକରଣ ବିଶ୍ୱନାଥ ବେବର୍ତ୍ତା ପଟ୍ଟନାୟକ ପ୍ରମୁଖ ନେତାମାନେ ଉଦ୍ୟମ କଲେ । ଫଳରେ ତା ୬-୧-୧୯୦୩ ତାରିଖରେ ମଧୁସୂଦନ ଦାସଙ୍କ କୋଠିରେ ଏହି ସମସ୍ତ ବ୍ୟକ୍ତିମାନଙ୍କର ଏକ ସମ୍ମିଳନୀ ଅନୁଷ୍ଠିତ ହେଲା । ଉପସ୍ଥିତ ରାଜା, ଜମିଦାର ଓ ଭଦ୍ରମଣ୍ଡଳୀଙ୍କୁ ଆହ୍ୱାନ ଜଣାଇ ମଧୁସୂଦନ ଦାସ ଦେଶ ମିଶ୍ରଣ ନିମନ୍ତେ ଏକତାର ଅଭାବ ସଂପର୍କରେ ଏକ ବକ୍ତୃତା ପ୍ରଦାନ କଲେ । ମନ ଧ୍ୟାନ ଦେଇ ଜନ୍ମଭୂମିର ସେବା କରିବା ନିମନ୍ତେ ଅନୁରୋଧ କଲେ । ଆଠଗଡ଼ ରାଜା ବିଶ୍ୱନାଥ ବେବର୍ତ୍ତା ପଟ୍ଟନାୟକ ପ୍ରସ୍ତାବ ଦେଲେ କି, ଓଡ଼ିଶାର ଏହି ମହାନଗରୀରେ ଏପରି ଏକ ସମ୍ମଳନୀ ଆୟୋଜନର ଦିବସ ଧାର୍ଯ୍ୟ କରାଯାଉ । ସମସ୍ତେ ଏହି ପ୍ରସ୍ତାବରେ ସମ୍ମତ ହେଲେ । ସମସ୍ତଙ୍କର ମୁଖ ସ୍ୱରୂପ କେନ୍ଦୁଝର ରାଜା ଧନୁର୍ଜୟ ନାରାୟଣ ଭଞ୍ଜ ଦେଓ ଏହି ସମ୍ମିଳନୀର ଭାର ମଧୁସୂଦନ ଦାସଙ୍କ ଉପରେ ନ୍ୟସ୍ତ କରିବା ନିମନ୍ତେ ପ୍ରସ୍ତାବ ଦେଲେ । ଏହି ପ୍ରସ୍ତାବ ବିପୁଳ କରତାଳି ଧ୍ୱନିରେ ଆନନ୍ଦ ଉଲ୍ଲାସର ସହ ଅନୁମୋଦନ ଲାଭ କଲା । ଏଇଠି ପଡ଼ିଲା ଉତ୍କଳ ସମ୍ମିଳନୀର ଭିତ୍ତି ଯେଉଁ ଅନୁଷ୍ଠାନ କି ଜନ୍ମ ନେଇଥିଲା ରମ୍ଭା ରାଜ ପ୍ରାସାଦରେ ।

ସେହି ବର୍ଷ ମାର୍ଚ୍ଚ ମାସ ୭ ତାରିଖରେ ବଙ୍ଗ ପ୍ରଦେଶର ଛୋଟଲାଟ୍‍ ଜେମ୍‍ସ ବୋର୍ଡ଼ଲନ୍‌ କଟକସହର ପରିଦର୍ଶନରେ ଆସିଲେ । ତାଙ୍କୁ ଭେଟିବାପାଇଁ ଓଡ଼ିଶାର ବହୁରାଜା ମହାରାଜା ଓ ଜମିଦାର ଆସିଲେ । ସେମାନଙ୍କ ଭିତରେ ଥିଲେ ମୟୂରଭଞ୍ଜର ରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ, କନିକା ରାଜା ରାଜେନ୍ଦ୍ର ନାରାୟଣ ଭଞ୍ଜ ଦେଓ, ବାଲେଶ୍ୱର ରାଜା ବୈକଣ୍ଠ ନାଥ ଦେଓ, ଖଲିକୋଟ ରାଜା ହରିହର ମର୍ଦ୍ଦରାଜ ଦେଓ ଏମାନଙ୍କୁ ମଧୁସୂଦନ ଦାସ ନିଜ କୋଠିକୁ ନିମନ୍ତ୍ରଣ କରି ଦେଶ ମିଶ୍ରଣ ସଂପର୍କରେ ଏକ ଉତ୍ତେଜନା ପୂର୍ଣ୍ଣ ଭାଷଣ ପ୍ରଦାନ କଲେ । ଫଳରେ ରାଜା ଜମିଦାରମାନେ ଦେଶ ମିଶ୍ରଣ ନିମନ୍ତେ ବିଶେଷ ଉତ୍ସାହିତ ହୋଇପଡ଼ିଲେ । ହରିହର ମର୍ଦ୍ଦରାଜ ଗଞ୍ଜାମରେ ଏକଜାତୀୟ ସମ୍ମିଳନୀ ଅନୁଷ୍ଠିତ କରିବାପାଇଁ ପ୍ରସ୍ତୁତ ବୋଲି ଏଠାରେ ପ୍ରକାଶ କଲେ ।

ଏପ୍ରିଲ୍‍ ୧୧ ଓ ୧୨ ତାରିଖରେ ଗଞ୍ଜାମ ଜାତୀୟ ସମ୍ମିଳନୀ ବ୍ରହ୍ମପୁରଠାରେ ଅନୁଷ୍ଠିତ ହେଲା । ଗଞ୍ଜାମର ବହୁ ଓଡ଼ିଆ ଜମିଦାର, ଧନଶାଳୀ ଓ ସମ୍ଭ୍ରାନ୍ତ ବ୍ୟକ୍ତି ଏହି ସମ୍ମିଳନୀରେ ଯୋଗଦାନ କଲେ । କଟକରୁ ମଧୁସୂଦନ ଦାସ, ଗୋପାଳ ଚନ୍ଦ୍ର ପ୍ରହରାଜ, କୃଷ୍ଣପ୍ରସାଦ ମହାପାତ୍ର, ନନ୍ଦ କିଶୋର ବଳ, ପୁରୀରୁ ରାମଚନ୍ଦ୍ର ଦାସ, ଗୋପବନ୍ଧୁ ଦାସ, ପଣ୍ଡିତ ବାସୁଦେବ କାବ୍ୟତୀର୍ଥ, ରଘୁନାଥ ରାଓ, ବକ୍ସି ଲୋକନାଥ ବିଦ୍ୟାଧର ମହାପାତ୍ର ଓ ବାଲେଶ୍ୱରରୁ ଫକୀର ମୋହନ ସେନାପତି ଯୋଗ ଦେଇିଥିବାରୁ ସ୍ଥାନୀୟ ଗଞ୍ଜାମବାସୀ ଉତ୍ସାହିତ ହୋଇପଡ଼ିଲେ । ଏହି ସମ୍ମିଳନୀରେ ପାରଳାଖେମୁଣ୍ଡି ନିବାସୀ ବିଶିଷ୍ଟ ସାହିତ୍ୟିକ ତ‌ଥା ଗଞ୍ଜାମର ପ୍ରଥମ ଗ୍ରାଜୁଏଟ୍‍ ଶ୍ୟାମସୁନ୍ଦର ରାଜଗୁରୁ ସଭାପତିତ୍ୱ କରିିଥିଲେ । ଏହି ସମ୍ମିଳନୀରେ ଗଞ୍ଜାମ ତ‌ଥା ଓଡ଼ିଶା ଓ ଓଡ଼ିଆ ଭାଷାର ବିକାଶ ନିମନ୍ତେ ପ୍ରସ୍ତାବମାନ ଗୃହୀତ ହେଲା । ଏହି ସମ୍ମିଳନୀ ହେଲା 'ଉତ୍କଳ ସମ୍ମିଳନୀ'ର ଅଗ୍ରଦୂତ ।

ଉତ୍କଳ ସମ୍ମିଳନୀ :

୧୯୦୩ ମସିହା ଡିସେମ୍ବର ମାସରେ ଉତ୍କଳ ସମ୍ମିଳନୀର ଜନ୍ମ । ଏହାର ପ୍ରଥମ ଅଧିବେଶନ ଡିସେମ୍ବର ୩୦-୩୧ରେ ଅନୁଷ୍ଠିତ ହେଲା କଟକର ଇଦ୍‍ଗା ପଡ଼ିଆରେ । ମୟୂରଭଞ୍ଜର ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓ ଏହି ଅଧିବେଶନରେ ଅଧ୍ୟକ୍ଷତା କଲେ । ବିଚ୍ଛିନ୍ନ ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣ, ଓଡ଼ିଆ ଭାଷାର ସୁରକ୍ଷା ଓ ଓଡ଼ିଆମାନଙ୍କର ସ୍ୱାର୍ଥରକ୍ଷା ହେଲା ଉତ୍କଳ ସମ୍ମିଳନୀର ମୂଳ ତ‌ଥା ମୁଖ୍ୟ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ।

ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ନିମନ୍ତେ 'ଉତ୍କଳ ସମ୍ମିଳନୀ'ର କାର୍ଯ୍ୟକ୍ରମ ଜୋରଦାର ହେଲା । ୧୯୦୩ ମସିହାରୁ ୧୯୩୪ ମସିହାଯାଏ ଉତ୍କଳ ସମ୍ମିଳନୀର ଅଧିବେଶନ ବିଭିନ୍ନ ସ୍ଥାନ ଯଥା: କଟକ, ବାଲେଶ୍ୱର, ପୁରୀ, ବ୍ରହ୍ମପୁର, ପାରଳାଖେମୁଣ୍ଡି, ସମ୍ବଲପୁର, ଚକ୍ରଧରପୁର, ଜଳନ୍ତର ଆଦି ସ୍ଥାନମାନରେ ଅନୁଷ୍ଠିତ ହେଲା । ଏହି ସମୟ ମଧ୍ୟରେ ୨୪ଟି ଅଧିବେଶନ ଅନୁଷ୍ଠିତ ହୋଇଥିଲା । ଏହି ସମ୍ମିଳନୀ ଗୁଡ଼ିକରେ ମୟୂରଭଞ୍ଜ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ, ଧରାକୋଟ ରାଜା ମଦନ ମୋହନ ସିଂହଦେଓ, ତାଳଚେର ରାଜା କିଶୋର ଚନ୍ଦ୍ର ଦେବ, କନିକା ରାଜା ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓ, ସୁରଙ୍ଗୀରାଜା ଚନ୍ଦ୍ର ଚୂଡ଼ାମଣି ହରିଚନ୍ଦନ ଜଗଦେବ, ଆଠଗଡ଼ ରାଜା ରାଧାନା ବର୍ମା, ବାଲେଶ୍ୱର ରାଜା ବୈକୁଣ୍ଠନା ଦେ, ବାବୁ ମଧୁସୂଦନ ଦାସ, ଜୟପୁର ରାଜା ବିକ୍ରମଦେବ ବର୍ମା, ସିଂହଭୂମ ରାଜା ଲକ୍ଷ୍ମୀନାରାୟଣ ସିଂହଦେଓ, ମଞ୍ଜୁଷା ରାଜା ଶ୍ରୀନିବାସ ରାଜମଣି ରାଜଦେବ, ସାହିିତ୍ୟିକ ଫକୀର ମୋହନ ସେନାପତି, ପଣ୍ଡିତ ଗୋପବନ୍ଧୁ ଦାସ, ଚନ୍ଦ୍ରଶେଖର ବେହେରା, ଜଗବନ୍ଧୁ ସିଂହ, ଭୁବନାନନ୍ଦ ଦାସ, ରାୟବାହାଦୁର ଲକ୍ଷ୍ମୀଧର ମହାନ୍ତି, ରାୟବାହାଦୁର ଲୋକନାଥ ମିଶ୍ର, ଦାମୋଦର ସାହୁ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦେବ ଓ ଆଡ଼ଭୋକେଟ ମଧୁସୂଦନ ପାଣିଗ୍ରାହୀ ସଭ।ପତିତ୍ୱ କରିଥିଲେ । ଏହା ବ୍ୟତୀତ ପଣ୍ଡିତ ନୀଳକଣ୍ଠ ଦାସ, ପଣ୍ଡିତ ଗୋଦାବରୀଶ ମିଶ୍ର, ବ୍ରଜ ସୁନ୍ଦର ଦାସ, ପଲ୍ଲୀକବି ନନ୍ଦକିଶୋର ବଳ, 'ଆଶା' ପତ୍ରିକାର ସମ୍ପାଦକ ଶଶିଭୂଷଣ ରଥ, ଭାଷାକୋଷ ପ୍ରଣେତା ଗୋପାଳଚନ୍ଦ୍ର ପ୍ରହରାଜ, ଭକ୍ତ କବି ମଧୁସୂଦନ ରାଓ, ସେବକ ଲକ୍ଷ୍ମୀନାରାୟଣ ସାହୁ, ମଧୁସୂଦନ ଦାସ ଓ ପଣ୍ଡିତ ଗୋପବନ୍ଧୁ ଦାସ ଆଦି ନେତୃବର୍ଗଙ୍କ ସହାୟତାରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ନିମନ୍ତେ ଗଭୀର ଭାବରେ କାର୍ଯ୍ୟ କରିିଲେ । ବିଭିନ୍ନ କମିଟି ପାଖରେ ସାକ୍ଷଦେବା, ବିଭିନ୍ନ ସମୟରେ 'ଓଡେନଲ୍‍ କମିଟି'ଠାରୁ ଆରମ୍ଭ କରି ବିଭିନ୍ନ କମିଟି ଓ ସରକାରୀ ସ୍ତରରେ ସ୍ମାରକପତ୍ରମାନ ଏମାନେ ପ୍ରଦାନ କରୁିଲେ । ୧୯୧୨ ମସିହାରେ ଓଡ଼ିଶା 'ବଙ୍ଗବିହାର ଓଡ଼ିଶା' ପ୍ରଦେଶରୁ ଅଲଗା ହୋଇ 'ବିହାର ଓଡ଼ିଶା' ନାମରେ ଏକ ନୂତନ ପ୍ରଦେଶ ସୃଷ୍ଟି ହେଲା ।

ଓଡ଼ୋନେଲ୍‍ କମିିଟି :

୧୯୩୧ ମସିହା ଜାନୁଆରି ୧୬ ତାରିଖରେ ଲଣ୍ଡନଠାରେ ପ୍ରଥମ ଗୋଲ୍‍ଟେବୁଲ୍‍ ବୈଠକ ଅନୁଷ୍ଠିତ ହୋଇ ଭାରତର ଶାସନ ସଂସ୍କାର ସଂପର୍କରେ ଆଲୋଚନା କରିବାପାଇଁ ପାରଳାଖେମୁଣ୍ଡି ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦେଓ ଏିରେ ଓଡ଼ିଶା ପକ୍ଷରୁ ପ୍ରତିନିଧିତ୍ୱ କଲେ । କୁଳବୃଦ୍ଧ ସେତେବେଳେ କଠିନ ବ୍ୟାଧିରେ ପୀଡ଼ିତ ହୋଇ ଥାଆନ୍ତି ଶଯ୍ୟାଶାୟୀ । ପାରଳା ମହାରାଜାଙ୍କ ସ୍ମାରକପତ୍ରକୁ ବିଚାର କରି ଭାରତ ସରକାରଙ୍କ ତରଫରୁ "ଓଡ଼ୋନେଲ୍‍ କମିଟି' ଗଠନ କରାଗଲା ୧୯୩୧ ମସିହା ସେପ୍ଟେମ୍ବର ୧୮ ତାରିଖରେ ପ୍ରସ୍ତାବିତ ଓଡ଼ିଶାର ସୀମାନିର୍ଦ୍ଧାରଣ ପାଇଁ । ସାର୍‍ ଏସ୍‍. ଓଡ଼୍‍ନେଲ୍‍ଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ରହିଲେ ଆଉ ଦୁଇଜଣ ସଦସ୍ୟ । ସେମାନେ ହେଲେ ବମ୍ବେର ଏଚ୍‍. ଏମ୍‍. ମେହେଟ୍ଟା ଓ ଆସାମର ତରୁଣରାମ ଫୁକନ । ପାରଳାଖେମୁଣ୍ଡି ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦେବ ଓଡ଼ିଶା ପକ୍ଷରୁ, ସଚ୍ଚିଦାନନ୍ଦ ସିଂହ ବିହାର ପକ୍ଷରୁ ଓ ଆନ୍ଧ୍ର ପକ୍ଷରୁ ତେଲ୍‍ଗୁ ଭାଷାଭାଷୀଙ୍କ ସ୍ୱାର୍ଥରକ୍ଷାପାଇଁ ସି.ଭି.ଏସ୍‍ ନରସିଂହ ରାଜୁ ଏହି କମିଟିରେ ରହିଲେ ସହଯୋଗୀ ବା ଆସୋସିଏଟ୍‍ ମେମ୍ବର ଭାବରେ ନିଯୁକ୍ତି ପାଇ ।

ଓଡ଼ୋନେଲ୍‍ କମିଟି ଓଡ଼ିଶା ପ୍ରତି ସୁବିଚାର କଲେ ନାହିଁ । ବିହାରର ସିଂହଭୂମ ସଦର ଓ ମଧ୍ୟପ୍ରଦେଶର ବିଳାସପୁର ଓଡ଼ିଆ ଭାଷାଭାଷୀ ଅଞ୍ଚଳ ସମେତ ଦକ୍ଷିଣରେ ଥିବା ଜୟପୁର ଜମିଦାରୀ ଓ ପାରଳାଖେମୁଣ୍ଡି ଜମିଦାରୀକୁ ଓଡ଼ିଶାରୁ ବାଦ ଦେଲେ । କିନ୍ତୁ ଜଏଣ୍ଟ ପାର୍ଲିଆମେଣ୍ଟାରୀ କମିଟି ଏହି ଅନ୍ୟାୟର ପୁନର୍ବିଚାର କରି ଜୟପର ଜମିଦାରୀ ସମେତ ପାରଳାଖେମୁଣ୍ଡି ଜମିଦାରୀର ଜଳନ୍ତର, ମାଳିଆ, ପାରଳାଖେମୁଣ୍ଡି ସହର ଓ ପାରଳାଖେମୁଣ୍ଡିର କିଛି ଅଂଶ ଓଡ଼ିଶାକୁ ପ୍ରଦାନ କଲେ । ଏହିପରି ଭାବରେ ଓଡ଼ିଶାର ସୀମାସରହଦ ସ୍ଥିର ହେବା ପରେ ୧୯୩୬ ମସିହା ଜାନୁଆରି ଏକ ତାରିଖରେ ବ୍ରିଟିଶ୍‍ ପାର୍ଲିିଆମେଣ୍ଟରେ ଗଭର୍ଣ୍ଣମେଣ୍ଟ ଅଫ୍‍ ଇଣ୍ଡିଆ ଅର୍ଡ଼ର (କନ୍‍ଷ୍ଟିଚ୍ୟୁସନ ଅଫ୍‍ ଓଡ଼ିଶା) ବିଲ୍‍ ଗୃହୀତ ହେଲା । ଏହି ନିର୍ଦ୍ଦେଶନାମା (ଅର୍ଡ଼ର) ବି୍ରଟେନ୍‍ ଓ ଭାରତରେ ପ୍ରକାଶ ପାଇଲା । ୧୯୩୬ ଏପ୍ରିଲ୍‍ ପହିଲାରେ ଭାଷାଭିତ୍ତିକ ଓଡ଼ିଶା ପ୍ରଦେଶ ଗଠିତ ହେଲା । ସେହିବର୍ଷ ଏପ୍ରିଲ୍‍ ପହିଲା ଦିନ ବ୍ରିଟିଶ୍‍ ସରକାର ସାଂପ୍ରଦାୟିକ ଭାରସାମ୍ୟ ରକ୍ଷା କରିବା ନୀତିରେ ମୁସଲମାନ ଜନସଂଖ୍ୟା ବହୁଳ ସିନ୍ଧୁପ୍ରଦେଶ ଗଠନ କଲେ । ସେହି ପ୍ରଦେଶଟି ବର୍ତ୍ତମାନ ପାକ୍ତିସ୍ତାନ ଅନ୍ତର୍ଭୁକ୍ତ ।

ନୂତନ ଓଡ଼ିଶା ପ୍ରଦେଶ ଓ ସିନ୍ଧୁପ୍ରଦେଶ ନିମନ୍ତେ ଦୁଇଜଣ ଗଭର୍ଣ୍ଣରଙ୍କ ନିଯୁକ୍ତିକୁ ଭାରତ ସମ୍ରାଟ ଅନୁମୋଦନ କଲେ । ସେମାନେ ହେଲେ ମିଷ୍ଟର ଜନ୍‍ ଅଷ୍ଟେନ୍‍ ହବାକ୍‍ ସି.ଏସ୍‍.ଆଇ. ଓଡ଼ିଶା ପାଇଁ ଓ ସାର୍‍ ଲାନ୍‍ସଲଟ୍‍ ଗ୍ରାହାମ୍‍, କେ.ଇ.ଆଇ.ଇ; ଆଇ.ସି.ଏସ୍‍ ସିନ୍ଧୁପ୍ରଦେଶ ନିମନ୍ତେ ।

୧୯୩୬ ମସିହା ଏପ୍ରିଲ ୧ ତାରିଖରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠିତ ହେଲା । ସମ୍ବଲପୁର, ବାଲେଶ୍ୱର, କଟକ, ପୁରୀ, ଗଞ୍ଜାମ ଓ କୋରାପୁଟ ନାମରେ ଛ'ଟି ଜିଲ୍ଲା ରହିଲା । ପୂର୍ବରୁ ଅନୁଗୁଳ ଓ କନ୍ଧମାଳମିଶି ଅନୁଗୁଳ ବୋଲି ଗୋଟିଏ ଜିଲ୍ଲା ଥିଲା । ସ୍ୱତନ୍ତ୍ର ପ୍ରଦେଶ ଗଠନ ହେବାପରେ ଅନୁଗୁଳ ଜିଲ୍ଲାକୁ ଭାଙ୍ଗିଦେଇ ଅନୁଗୁଳ ଅଂଶକୁ କଟକ ଜିଲ୍ଲାର ଏକ ସବ୍‍ ଡିଭିଜନ ଭାବରେ ରଖାଗଲା । କନ୍ଧମାଳକୁ ଗଞ୍ଜାମ ଜିଲ୍ଲା ଅଧୀନକୁ ନିଆଗଲା ।

ଦୁଃଖର ବିଷୟ ଯେ, ଅନ୍ୟାନ୍ୟ ପ୍ରଦେଶରେ ରହିଗଲା କେତେକ ଓଡ଼ିଆ ଭାଷାଭାଷୀ ଅଞ୍ଚଳ । ଯାହାକି ଓଡ଼ିଶା ସହିତ ମିଶିବାର କଥା । ସେଗୁଡ଼ିକ ହେଲା; ବିହାର ପ୍ରଦେଶର ମାନଭୂମ୍‍ ଜିଲ୍ଲାର ଦକ୍ଷିଣସ୍ଥ ଚାନ୍ଦ୍‍ଲି, ବରାହଭୂମି, ମାନବଜାର ସହ ସମଗ୍ର ସିଂହଭୂମ ଜିଲ୍ଲା । ବଙ୍ଗପ୍ରଦେଶ ବାଙ୍କୁଡ଼ା ଜିଲ୍ଲାର ଦକ୍ଷିଣ ଶିମିଳିପାଳ, ଖାଡ଼ୋ, ରାୟପୁର; ମେଦିନୀପୁର ଜିଲ୍ଲାର ଦକ୍ଷିଣପଶ୍ଚିମରେ ଥିବା କଣ୍ଟାଇ, ଝାଡ଼ଗ୍ରାମ ସବ୍‍ ଡିଭିଜନ, ଦାନ୍ତୁନ, ନାରାୟଣଗଡ଼, କେଶିଆଡ଼ି, ଖଡ଼ଗପୁର ଓ ମୋହନପୁର ପୋଲିସ ଷ୍ଟେସନ, ସଦର ସବ୍‍ ଡିଭିଜନର ଦେବରା, ସବଙ୍ଗ, ପଙ୍ଗଳା ପୋଲିସ୍‍ ଷ୍ଟେସନ ଏବଂ ତମଲୁକ ସବ୍‍ଡିଭିଜନର ନନ୍ଦିଗ୍ରାମ ଓ ପାଞ୍ଚକୁଡ଼ା ପୋଲିସ୍‍ ଷ୍ଟେସନ । ମଧ୍ୟପ୍ରଦେଶର ରାୟପୁର ଜିଲ୍ଲାର ଫୁଲଝର, ବିନ୍ଦ୍ରା ନୂଆଗଡ଼, କେରେଡ଼ା, ଦେବଭୋଗ, ବିଳାସପୁର ଜିଲ୍ଲାର ଚନ୍ଦ୍ରପୁର, ମାଲଖୋର୍ଦ୍ଧା, ଜମିଦାରୀ ଓ ଯୋଜନୀ ଗ୍ରାମ, ବସ୍ତର, ଶାରଙ୍ଗଗଡ଼, ରାୟଗଡ଼ ଓ ଯାସପୁର ଗଡ଼ଜାତ ଇତ୍ୟାଦି । ମାନ୍ଦ୍ରାଜର ବିଶାଖାପାଟଣା ଜିଲ୍ଲାର ମଞ୍ଜୁଷା, ଟେକାଲି, ତରଳା, ବୁଡାରସିଂ, ଜଳନ୍ତର, ଇଚ୍ଛାପୁର, ସୋମପେଣ୍ଠ, ପାରଳା ଓ ଚିତ୍କିଟି ଜମିଦାରୀର ବିଚ୍ଛିନ୍ନ ଅଂଶ, ଉଦ୍ୟାନଖଣ୍ଡର ୬୦ଟି ଗ୍ରାମ, ହିଲମାଡ଼ଗୁଲ, ସୁଜନକୋଟ, ମୁଠା, ପାଡ଼େରୁ, ଆରକୁପାଲ୍ଲୀ ପୋଲିସଥାନା ଇତ୍ୟାଦି ।

ଓଡ଼ିଆ ସଭ୍ୟମାନଙ୍କୁ ବିଦାୟ ସମ୍ବର୍ଦ୍ଧନା :

ବିହାର-ଓଡ଼ିଶା ପ୍ରଦେଶ ବ୍ୟବସ୍ଥାପକ ସଭାରେ ସେତେବେଳେ ଥିଲେ ଏଗାରଜଣ ଓଡ଼ିଆ ସଦସ୍ୟ । ସେମାନଙ୍କ ମଧ୍ୟରୁ ଦଶ ଜଣ ନିର୍ବାଚିତ ଓ ଜଣେ ମନୋନୀତ । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅବ୍ୟବହିତ ପୂର୍ବରୁ ଓଡ଼ିଆ ସଦସ୍ୟମାନଙ୍କୁ ୧୯୩୬ ମସିହା ମାର୍ଚ୍ଚ ୨୮ତାରିଖରେ ବିହାରର ପାଟଣାଠାରେ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଗଲା । ଏହି ସଦସ୍ୟମାନେ ହେଲେ-

ରାୟବାହାଦୂର ଲକ୍ଷ୍ମୀଧର ମହାନ୍ତି, ଶେଖ୍‍ ଅବ୍‍ଦୁଲ ସଲିଲ୍‍, ହରିହର ଦାସ, ନିକୁଞ୍ଜ କିଶୋର ଦାସ, ରାଧା ରଞ୍ଜନ ଦାସ, ଜଗନ୍ନାଥ ଦାସ, ଗୋଦାବରୀଶ ମିଶ୍ର, ରାୟବାହାଦୁର ଲୋକନାଥ ମିଶ୍ର, ବଜ୍ରମୋହନ ପଣ୍ଡା, ବୀରବର ନାରାୟଣ ଚନ୍ଦ୍ର ଧୀର ନରେନ୍ଦ୍ର ଓ ରେଭରେଣ୍ଡ ବ୍ରଜାନନ୍ଦ ଦାସ ମନୋନୀତ ସଭ୍ୟ ।

ରାୟ ବାହାଦରୁ ଲକ୍ଷ୍ମୀଧର ମହାନ୍ତି ଥିଲେ ତ‌ତ୍‌କାଳୀନ ବିହାର-ଓଡ଼ିଶା ପ୍ରଦେଶ ବ୍ୟବସ୍ଥାପକ ସଭାର ଉପାଧ୍ୟକ୍ଷ ବିଦାୟକାଳୀନ ସଭାରେ ଅଧ୍ୟକ୍ଷ ଓଡ଼ିଆ ସଭ୍ୟମାନଙ୍କ ଉଦ୍ଦେଶ୍ୟରେ କହିଲେ:

"They (Oriya members) have rendered very valuable services to the province as a whole. Our relation with them has been always cordial and intimate. I assure them on behalf of the honourable members of this council from Bihar that they have our good wishes in the future hapiness and prospority of their new province."

ଅଧ୍ୟକ୍ଷଙ୍କ ଏହି ବିଦାୟକାଳୀନ ସମ୍ବର୍ଦ୍ଧନା ଭାଷଣ ପରେ ରାୟ ବାହାଦୁର ଲକ୍ଷ୍ମୀଧର ମହାନ୍ତି ଅଧ୍ୟକ୍ଷ ଓ ଅନ୍ୟାନ୍ୟ ସଦସ୍ୟମାନଙ୍କୁ ଧନ୍ୟବାଦ ପ୍ରଦାନ କରିିଥିଲେ ।

* * *