କଥାଲହରୀ/ଉଜ୍ଜ୍ୱଳବତୀକନ୍ୟାର କଥା
←ହଳାହଳକୁମର ବା ଶଶିସେନା ଅଭିମନ୍ୟୁ କଥା | କଥାଲହରୀ (୧୯୨୩) ଲେଖକ/କବି: ଉଜ୍ଜ୍ୱଳବତୀକନ୍ୟାର କଥା |
ମଉନାବତୀ କଥା→ |
ରଜାପୁଅ, ମନ୍ତ୍ରୀପୁଅ, ସାଧବପୁଅ, କଟୁଆଳପୁଅ ଏ ଚାରି ସଙ୍ଗାତ ପଶା ଖେଳୁଥିଲେ । ରଜାପୁଅ ହାରିଲା, କହିଲା ରହ ଆଜି ଦୀପ ଦିହୁଡ଼ି, ମଶାଲ ଲଗାଇ ଖେଳିବି, ନ ଜିତିଲେ କେଭେଁ ଉଠିବି ନାହିଁ । ଉଜ୍ଜ୍ୱଳବତୀ ଦେଶର ଗୋଟିଏ ବ୍ରାହ୍ମଣ ଆସି ସେଠେଇଁ ବସିଥାଏ, ସେ କହିଲା, ଦୀପ ଦିହୁଡ଼ି କଣ ? ରଜାପୁଅହେରିକା କହିଲେ, ତମେ ଆଜିଯାଏ ଦୀପ ଦିହୁଡ଼ି କଣ ଜାଣନା ? ତାକୁ ସବୁ ବୁଝାଇଦେଲେ । ଏ ବ୍ରାହ୍ମଣ କହିଲା ଆମଦେଶରେ ଉଜ୍ଜ୍ୱଳବତୀ କନ୍ୟା ଯୋଗେ ଜୀପ ଜଳେ ନାହିଁ । ଏହା ଶୁଣି ରଜାପୁଅ ଉଜ୍ଜ୍ୱଳବତୀକି ବିଭା ହେବାକୁ ବାହାରିଲା, ମନ୍ତ୍ରିପୁଅସାଙ୍ଗେ ତାର ମନ ମିଳେ, ତାଙ୍କୁ ସାଙ୍ଗରେ ନେଇଗଲା । ଦିହେଁଯାକ ଘୋଡ଼ା ଚଢ଼ି ଯାଉଚନ୍ତି, ବାଟରେ ଗୋଟାଏ ପଥର ଚକଡ଼ା ହୋଇଚି, ତା ଉପରେ ଦୁଇଜଣ ଚେର ବସି କଜିୟା କରୁଚନ୍ତି । ସେ ଦିନ ସାଧବଘର ଚେରୀ କରି ଆଣିଥାନ୍ତି; ଜଣେ କହୁଚି ମୁଁ ମୋହମଣି, ମନପବନ ଖଣ୍ଡା ନେବି, ତୁ ଆଉ ସବୁ ପଦାର୍ଥ ନେ, ଆରଜଣକ ବି ସେଇଆ କହୁଥାଏ । ଏହିପରି କଜିୟା କରଥାନ୍ତି, ରାତି ପାହେ୨ହେଲାଣି, ରଜାପୁଅ, ମନ୍ତ୍ରୀପୁଅ ବିଚାରକଲେ, ଜଣେ ଏ ପାଖରୁ ବୁଲିଗଲା, ଜଣେ ସେ ପାଖରୁ ବିଲିଗଲା, ଏହିପରି ଚୋରଙ୍କୁ ଘେରିଗଲେ । ଚୋର ୟାଙ୍କୁ ଦେଖି ପଲାଇଗଲେ । ରଜାପୁଅ, ମନ୍ତ୍ରିପୁଅ ମୋହମଣି, ମନପବନ ଖଣ୍ଡା ରଖିଲେ । ଆଉ ସବୁ ଧନ ଯାଉ ସାଧବ ଘରୁ ଚୋରୀ ଯାଇଥିଲା, ତାକୁ ଦେଇଦେଲେ, ଗଲେ, ଯାଇଁ ଉଜ୍ଜ୍ୱଳବତୀ ନଗରରେ ଗୋଟିଏ ଜ୍ଞାନଦେୟୀ ମାଲୁଣୀଘରେ ରହିଲେ । ମାଲୁଣୀ ଦିନେ ଫୁଲ ଗୁନ୍ଥୁଥିଲା, ମନ୍ତ୍ରିପୁଅ କହିଲା, ହଇଲୋ ମାଉସୀ ! କାହାପାଇଁ ଫୁଲ ଗୁନ୍ଥୁଚୁ କି ? ମାଲୁଣୀ କହିଲା, ଉଜ୍ଜ୍ୱଳବତୀ ପାଇଁ, ମନ୍ତ୍ରିପୁଅ କହିଲା, ମୁଁ ଖଣ୍ଡିଏ ଗୁନ୍ଥନ୍ତି ? ମାଲୁଣୀ କହିଲା ଅବୁର୍ଜିୟା ହେବ । ମନ୍ତ୍ରିପୁଅ କହିଲା,ଅବୁର୍ଜିୟାହେଲେରଖିଯିବୁ, ସୁନ୍ଦର ହେଲେ ନେଇଯିବୁ। ମନ୍ତ୍ରିପୁଅ ଖଣ୍ଡିଏ ଗୁନ୍ଥିଲା, ମାଲୁଣୀ ଖଣ୍ଡିଏ ଗୁନ୍ଥିଲା, ମାଲୁଣୀ ଫୁଲଠାରୁ ମନ୍ତ୍ରିପୁଅ ଫୁଲଖଣ୍ଡି ସୁନ୍ଦର ହେଲା । ମାଲୁଣୀ କହିଲା ଏଫୁଲଖଣ୍ଡି ଦେଇ କାହାନାଆଁରେ କହିବି ? ମନ୍ତ୍ରିପୁଅ କହିଲା, କହିବୁ ମୋ ଝିଆରୀ ଆସିଚି ସେହି ଗୁନ୍ଥିଚି । ମାଲୁଣୀ ଦିଖଣ୍ଡିଯାକ ଫୁଲ ନେଇକରି ଗଲା, ଉଜ୍ଜ୍ୱଳବତୀ ପଚାରିଲା, ଏ ଫୁଲଖଣ୍ଡ କିଏ ଗୁନ୍ଥିଚି କି ଲୋ ! ମାଲୁଣୀ କହିଲା, ମୋ ଝିଆରୀ ଗୁନ୍ଥିଚି । ଉଜ୍ଜ୍ୱଳବତୀ କହିଲା ତାକୁ ଟିକିଏ କାଲି ଏଠିକି ଆଣିବୁ, ଦେଖିବି । ତହିଁ ଆରଦିନ ମାଲୁଣୀ ମନ୍ତ୍ରିପୁଅକୁ ଖଣ୍ଡେ ଶାଢ଼ୀ ପିନ୍ଧାଇଦେଲା, ଖଡ଼ୁ ଯୋଡାଏ ଲଗାଇଦେଲା,ନେଇକରି ସାଙ୍ଗରେ ଗଲା । ଦ୍ୱାରୀମାନେ ପଚାରିଲେ, ସେ କିଏ ? ମାଲୁଣୀ କହିଲା, ସେ ମୋ ଝିଆରୀ । ତାକୁ ବାଟ ଛାଡ଼ିଦେଲେ, ସେ ଉଜ୍ଜ୍ୱଳବତୀକି ଦେଖିକରି ଆସିଲା । ମନ୍ତ୍ରିପୁଅ ଆସି ଉଜ୍ଜ୍ୱଳବତୀର ଗୋଟିଏ ଚିତ୍ର ଲେଖି ରଜାପୁଅକୁ ଦେଖାଇଲା । ରଜାପୁଅ ଉଜ୍ଜ୍ୱଳବତୀର ଚିତ୍ର ଦେଖି ମାହ ହୋଇପଡ଼ିଲା । ମନ୍ତ୍ରିପୁଅ ତାକୁ ଚେତା କଲା ଯେ ରଜାପୁଅର ଆଉ ଚେତା ହେଲା ନାହିଁ । ମନ୍ତ୍ରିପୁଅ ତାକୁ କିଛି ନକରି ତେଲକୁଆରେ ପକାଇ ରଖିଦେଲା । ସେ ଦେଶରେ ଗଣ୍ଡାଗୟଳ ବଡ଼ ଉତ୍ପାତ କରୁଥାଏ । ରଜାଙ୍କର ଆଜ୍ଞା ହୋଇଥାଏ ଯେ ଗଣ୍ଡାଗୟଳକୁ ମାରିଦେବ ତାକୁ ଉଜ୍ଜ୍ୱଳବତୀ ବିଭା ହେବ । ବହୁତ ରାଜା ମାରିବାକୁ ଆସିଥାନ୍ତି । ସମସ୍ତେ ମାରିବାକୁ ଧାଇଁଚନ୍ତି, ଏ ମନ୍ତ୍ରିପୁଅ ସମସ୍ତଙ୍କ ପଛରେ ଗଲା, ଯାଇ ଗଣ୍ଡାଗୟଳ ବନସ୍ତରେ ପହଞ୍ଚିଲା । ମନ୍ତ୍ରିପୁଅ କଣ କଲା, ମନପବନ ଖଣ୍ଡାକୁ ଧରିଲା,କହିଲା ସତ୍ୟଯୁଗର ଯେମନ୍ତ ମନପବନ ଖଣ୍ଡା ହୋଇଥିବୁ, ମୁଁ ପକାଇଦେଲାରୁ ଗଣ୍ଡାଗୟଳ ତିନିଗର ହୋଇ ପଡ଼ିଯିବ । ମନ୍ତ୍ରୀପୁଅ ଏହା କହି ଖଣ୍ଡାକୁ ଛାଡ଼ିଲା ଯେ ଗଣ୍ଡାଗୟଳ ତିନିଗର ହୋଇ ପଡ଼ିଲା । ମନ୍ତ୍ରୀପୁଅ ଦଉଡ଼ିଯାଇ ତା'ର ଜିଭ ନଖ କାଟିକରି ଘେନି ଅଇଲା । ଆଉ ରଜା-ଯାକ କିଏ ଟିକିଏ ରକ୍ତ ଆଣିଚି, କିଏ ଟିକିଏ ରୁମ ଆଣିଚି, ଏହିପରି ସବୁ ଆଣି ରଜାଙ୍କୁ ଯାଇ କହିଲେ, ମୁଁ ମାରିଚି, ମୁଁ ମାରିଚି । ମନ୍ତ୍ରୀପୁଅ ଜିଭ, ନଖ ରଜାଙ୍କ ପାଖେ ନେଇ ଥୋଇଦେଲା, ରଜା କହିଲେ, ଏଇ ମୋ ଝିଅକୁ ବିଭାହେବ । ମନ୍ତ୍ରୀପୁଅ ମାଲୁଣୀଘରକୁ ଗଲା, ରଜାପୁଅକୁ ତେଲରୁ ବାହାର କରି ତଳେ ଥୋଇଦେଲା; ମୋହମଣିରୁ ଟିକିଏ ଘୋରି ରଜାପୁଅ ପାଟିରେ ଦେଲାକ୍ଷଣି ରଜାପୁଅ ଜୀଇ ଉଠିଲା । ମନ୍ତ୍ରୀପୁଅ ରଜାପୁଅକୁ ସଜ କରିଦେଲା, ବିଭା ହେବାକୁ ଘୋଡ଼ାଉପରେ ବସାଇଲା, ନିଜେ ଭଣ୍ଡାରି ହୋଇ ସାଙ୍ଗରେ ଚାଲି କରିଗଲା ରଜାନଅରକୁ । ରଜାପୁଅ ଉଜ୍ଜ୍ୱଳବତୀକି ବିଭା ହେଲା; ରଜା ଗୁଡ଼ାଏ ଖୁବ୍ ଦାନ ଯଉତୁକ ଦେଲେ, ରଜାପୁଅ ସବୁ ଘେନିକରି ଆସିଲା । ମନ୍ତ୍ରୀପୁଅ ସାଙ୍ଗରେ ଥାଏ, ବାଟରେ ସେହି ଚକଡ଼ାଠେଇଁ ରାତି ହେଲା, ସେଇଠି ସମସ୍ତେ ଶୋଇଲେ । ମନ୍ତ୍ରୀପୁଅ ବରକନ୍ୟାଙ୍କ ପାଲିଙ୍କି ପାଖେ ଚେଇଁକରି ଶୋଇଥାଏ; ପ୍ରଥମ ପ୍ରହର ରାତି ହେଇଚି, ଯୋଡ଼ିଏ ସ୍ରୀ ପୁରୁଷ ବାହାରିଲେ । ସ୍ତ୍ରୀ କହିଲା, ଆହା ! କି ସୁନ୍ଦର ସ୍ତ୍ରୀ ପୁରୁଷ ଯୋଡ଼ିଏ ଶୋଇଚନ୍ତି ! ପୁରୁଷ କହିଲା, ସୁନ୍ଦର ହେଲେ କ'ଣ ହେବ, ପୁଅ ତ ମରିବ, ବୋହୂ ତ ବିଧବା ହେବ । ସ୍ତ୍ରୀ କହିଲା, ଆହା ! ଏହା କାହିଁକି କହିଲ ? ପୁରୁଷ କହିଲା, ବାଟରେ ଯାଉ ଯାଉ ଗୋଟାଏ ଦେଉଳ ପଡ଼ିବ, ରଜାପୁଅ ପାଲିଙ୍କି ତା' ପାଖରେ ଯିବାବେଳେ ଦେଉଳ ଭାଙ୍ଗି ପଡ଼ିବ, ସେ ତା' ଉପରେ ପଡ଼ିବ । ଏଥିରେ କିଏ ଚେତା ଥାନ୍ତା, ସେବାଟରେ ନନେଇ ଆଉ ଗୋଟାଏ ବାଟରେ ବୁଲାଇ ନିଅନ୍ତା ସେ ରଜାପୁଅ ବଞ୍ଚନ୍ତା । ଏହା ଯେ ଆଉ କାହାକୁ କହିବ ସେ ପଥର ହୋଇଯିବ । ଏହା କହି ସେ ସ୍ତ୍ରୀ ପୁରୁଷ ଦୋ'ଟି ଉଭେଇଗଲେ । ଦ୍ୱିତୀୟ ପ୍ରହର ରାତିରେ ଆଉ ଦୋ'ଟି ସ୍ତ୍ରୀ ପୁରୁଷ ବାହାରିଲେ । ସେ .ସେମନ୍ତି କଥାବାର୍ତ୍ତା ହେଲେ, ସୁନ୍ଦର ହେଲେ କ'ଣ ହେବ, ପୁଅ ତ ମରିବ, ବୋହୂ ଥାଇକରି କ'ଣ କରିବ ? ବରକନ୍ୟା ଘରପାଖରେ ହେଲାକ୍ଷଣି ବାପ କ'ଣ କରିବ, ପୁଅ ବିଭାହୋଇ ଆସୁଚି ବୋଲି ଗୋଟାଏ ହଜାର ଟଙ୍କାର ଘୋଡ଼ା ଆଣି ଠିଆ କରିଦେବ । ସେଇଟା ତ ମତୁଆଲା ଘୋଡ଼ା, ପୁଅ ଚଢ଼ିଲାକ୍ଷଣି ଘୋଡ଼ା ଫୋପାଡ଼ି ଦେବ ଯେ ପୁଅ ତ ମରିବ, ବୋହୂ ବିଧବା ହେବ, ଏଥିରେ କିଏ ଚେତା ଥା'ନ୍ତା କି, ବାପ ଘୋଡ଼ା ଆଣି ଦେଲାକ୍ଷଣି ଏ ଯାଆନ୍ତା, ଘୋଡ଼ା ଚାରିଟାପୁରୁ କରି ହାଣି ଦିଅନ୍ତା । ଏହା ଯେ ଆଉ କାହା ଆଗେ କହିବ ସେ ପଥର ହୋଇଯିବ । ଏହା କହି ସେ ଦିହେଁ ଉଭେଇଗଲେ । ରାତି ତୃତୀୟ ପ୍ରହର, ଆଉ ଦୋ'ଟି ସ୍ତ୍ରୀ ପୁରୁଷ ବାହାରିଲେ, ସେହିପରି କଥାବାର୍ତ୍ତା ହେଲା । ପୁରୁଷ କହିଲା ପୁଅବୋହୂ ଘରେ ପହଞ୍ଚିଲାରୁ, ୟାଙ୍କୁ ନେଇ ପକ୍କାଘରେ ବସାଇବେ । ସେ ପକ୍କାରୁ ଦଶହାତ ଛିଡ଼ି ପଡ଼ିବ ଯେ ପୁଅ ତ ମରିବ, ବୋହୂ ବିଧବା ହେବ । ଏଥିରେ କିଏ ଚେତା ଥ'ନ୍ତା କି, ସେ ପକ୍କାରୁ ଅଗକରି ଦଶହାତ ହାଣି ପକାନ୍ତା । ଏହା ଯେ କାହା ଆଗେ କହିବ ସେ ପଥର ହେବ । ଏହା କହି ସେ ଦିହେଁଯାକ ଗଲେ ବାହାରି । ଚତୁର୍ଥ ପ୍ରହରକୁ ଆଉ ଯୋଡ଼ିଏ ସ୍ତ୍ରୀ ପୁରୁଷ ବାହାରିଲେ । ସେ ସେମନ୍ତି କହିଲେ ଚତୁର୍ଥୀ ଦିନ ଏ ପୁଅବୋହୂ ଶୋଇଥିବେ, ନାଗନାଗୁଣୀ ଆସି ପୁଅକୁ ଦଂଶିଦେବେ ଯେ ପୁଅ ମରିବ, ବୋହୂ ବିଧବା ହେବ । ଏଥିରେ କିଏ ଚେତା ଥା'ନ୍ତା କି ସେଦିନ ସେ ଘରେ ଲୁଚିକରି ଥା'ନ୍ତା, ନାଗ ନାଗୁଣୀଙ୍କୁ ହାଣି ପକାନ୍ତା । ଏହା ଯେ କାହା ଆଗେ କହିବ, ସେ ପଥର ହୋଇଯିବ, ଏହିପରି କହି ଉଭେଇଗଲେ । ରାତି ପାହିଗଲା, ଏ କଥାସବୁ ମନ୍ତ୍ରୀ ପୁଅ ଶୁଣିଥାଏ, ସମସ୍ତେ ଉଠି ବାହାରିଲେ । ଯାଉ ଯାଉ ବାଟରେ ଗୋଟିଏ ଦେଉଳ ପଡିଲା, ରାଜାପୁଅକୁ ସେ ବାଟେ ନ ନେଇ ଆଉ ଗୋଟାଏ ବାଟରେ ମନ୍ତ୍ରିପୁଅ ନେଇ ଗଲା । ସେଠଉଁ ଯାଇ ଗାଁପାଖରେ ପହଞ୍ଚିଲେ । ରାଜା, ପୁଅ ଆସୁଛି ବୋଲି ଶୁଣି ଗୋଟାଏ ଘୋଡ଼ା ପଠାଇ ଦେଲେ । ରାଜାପୁଅ ସେ ଘୋଡ଼ାରେ ନ ଚଢୁଣୁ ମନ୍ତ୍ରିପୁଅ ତା ଚାରିଟାପୁରୁ କରି ହାଣିଦେଲା । ଏଥିରେ ରଜାପୁଅ ମନେ ମନେ ଭାରୀ ଚିଡୁଥାଏ, କିଛି କହିପାରୁ ନ ଥାଏ । ଏମିତି ସେ ପକ୍କାଘର ପାଖକୁ ଆସିଲେ । ରଜାପୁଅ ତା ଭିତରକୁ ଯାଉଚି; ମନ୍ତ୍ରିପୁଅ ସେ ଘରୁ ଦଶହାତ ହାଣିପକାଇଲା । ରଜାପୁଅ ଆହୁରି ରାଗୁଥାଏ । ଚତୁର୍ଥୀ ଦିନା ରାତିରେ ରଜାପୁଅ ଆଉ ଉଜ୍ଜ୍ୱଳବତୀ ଶୋଇଥିଲେ, ମନ୍ତ୍ରିପୁଅ ଖଟତଳେ ଲୁଚିଥାଏ, ତେଣୁ ନାଗନାଗୁଣୀ ଆସିଲେ, ମନ୍ତ୍ରିପୁଅ ଖଣ୍ଡା ଧରିଥିଲା ତାଙ୍କୁ ହାଣି ପକାଇଲା । ସେ ଘରୁ ବାହାରି ଆସୁଚି, ଦେଖିଲା ୟେ ଉଜ୍ଜ୍ୱଳବତୀ ଦେହରେ ଟୋପାଏ ରକ୍ତ ଛିରିକି ପଡିଚି, ଧଡପଡ ହୋଇ ପୋଛିଦେଲା ବେଳକୁ ଉଜ୍ଜ୍ୱଳବତୀର ନିଦ ଭାଙ୍ଗିଗଲା । ରଜାପୁଅ ଉଠିଲା, ଭାରୀ ରାଗିକରି କହିଲା, ତେମେ କାହିଁକି ଏ ଘରେ ପଶିଥିଲ କହ । ମନ୍ତ୍ରିପୁଅ କହୁଥାଏ ସଙ୍ଗାତ ମତେ ସେ କଥା ପଚାରନା, କହିଲେ ପଥର ହୋଇଯିବି । ରଜାପୁଅ କେଭେ ମାନିଲା ନାହିଁ, ଭାରୀ ଜିଗିରି ଲଗାଇଲା । ମନ୍ତ୍ରିପୁଅ ଆଉ କଣ କରିବ, ସବୁ କହିଗଲା, ସେଇଠି ପଥର ହୋଇପଡିଲା । କେମନ୍ତି ସଙ୍ଗାତକୁ ମୁଁ ପଥର କଲି । ଏହି ଏହା ଭାବି୨ ରଜାପୁଅ ପାଗଳ ହୋଇଗଲା । ପାହଳ ହୋଇ କୁଆଡେ ବାହାରିଗଲା । ତହିଁର କେତେଦିନେ ରଜାପୁଅର ଗୋଟିଏ ପୁଅ ହେଲା । ରଜାପୁଅ ଏଆଡେ ସେଆଡେ ବୁଲି ବୁଲି ସେହି ସମୟକୁ ଯାଇ ଦିନେ ରାତିରେ ସେହି ପଥର ଚକଡା ଉପରେ ଶୋଇ ପଡିଥିଲା । ରାତି ଅଧ ହେଲାଣି,ଯୋଡ଼ିଏ ସ୍ତ୍ରୀପୁରୁଷ ବାହାରିଲେ, କହିଲେ, ଆହା । ସେ ମନ୍ତ୍ରିପୁଅଟି ପଥର ହୋଇଯିବାରୁ ଏ ବାୟା ହୋଇ ଏମନ୍ତ ବୁଲୁଚି, ଏହାର ଯେମନ୍ତ ହେଜ ହୁଅନ୍ତା; ଏହାର ଗୋଟିଏ ପୁଅ ହୋଇଚି,ସେ ପୁଅକୁ ନିଅନ୍ତା, ସେ ପଥର ଉପରେ ହାଣି ଦିଅନ୍ତା ଯେ ମନ୍ତ୍ରିପୁଅ ଜୀଇ ଉଠନ୍ତା ! ରଜାପୁଅର ସବୁକଥା ଚେତ୍ ହେଲା; ଘରକୁ ଫେରିଯାଇ ସେ ପୁଅପାଖକୁ ଗଲା । ତାକୁ ନେଇ ସେ ପଥର ଉପରେ କଚାଡି ଦେବାରୁ ମନ୍ତ୍ରିପୁଅ ଜୀଇଉଠିଲା । ମନ୍ତ୍ରୀ ପୁଅ କହିଲା, ସଙ୍ଗାତ ! କି କଲ ୨, ମୋ ଛାରପ।ଇଁ ପୁଅକୁ ମାଇଲ ? ୟାଠେଇଁ ତ ମୋହମଣି ଅଛି, ତହଁରୁ ଟିକିଏ ଘୋରିକରି ପୁଅକୁ ପିଆଇ ଦେଲା,ପୁଅ ଜୀଇ ଉଠିଲା । ରଜାପୁଅର ମନ୍ତ୍ରୀପୁଅର ଆଗେ ଯେମିନ୍ତି ଥିଲା ସେହିପରି ମନ ମିଳିଲା, ରଜାପୁଅ ଉଜ୍ଜ୍ୱଳବତୀକି ନେଇ ସୁଖରେ ଘରଦ୍ୱାର କଲା, ମୁଁ ଗଲାରୁ କଥା ନ କହିଲା । ମୋ କଥାଟି ସରିଲା, ଇତ୍ୟାଦି ।