Jump to content

କଥାଲହରୀ/ପକ୍ଷିରାଜଘୋଡ଼ା କଥା

ଉଇକିପାଠାଗାର‌ରୁ
କଥାଲହରୀ  (୧୯୨୩)  ଲେଖକ/କବି: ମଧୁସୂଦନ ରାଓ
ପକ୍ଷିରାଜଘୋଡ଼ା କଥା

ଗୋଟିଏ ଚକୁଳିଆ ପଣ୍ଡାଟିଏ ଯେ ତାର ସାତ ଝିଅ । ଚକୁଳିଆ ପଣ୍ଡା ନଅଗାଁ ଗଲେ ସେରେ, ଛଅଗାଁ ଗଲେ ସେରେ ଆଣେ, ଭାତ ରନ୍ଧାହୁଏ ଯେ ଆଉ ଅଣ୍ଟେ ନାହିଁ, ଚକୁଳିଆ ପଣ୍ଡା ଭାରିଯାକୁ ଗାଳି ଦିଏ, କହେ, ଯେତେ ଆଣିଦେଲି ଅଣ୍ଟିଲା ନାହିଁ ଆଉ କଣ କରିବି ? ଭାରିଯା କହେ ପିଲାଏତ ଖାଇଯାନ୍ତି ମୁଁ କଣ କରିବି । ଚକୁଳିଆ ପଣ୍ଡା କହେ ପିଲାମାନଙ୍କୁ କାହିଁକି ଦେଉ, ନାହିଁ କରି ଦେଉନାହିଁ ? ଏହିପରି ନିତି କହେ, ଯାଏ ଭିକ ମାଗି । ଦିନକରେ ଭାରିଯାକୁ କହିଲା, ଆଜି ପିଠାକର, ଚାଉଳ ଦେଇଗଲା, ଗାଧୋଇଲା । ଭାରିଯା ଚାଉଳ ବାଟି ପିଠା କଲାବେଳକୁ ସାତ ଝିଅଯାକ ଆସିଲେ, କହିଲେ ମା କଣ କରୁଚୁ ଆମକୁ ଦେବ । ମା ସାତ ଝିଅଙ୍କୁ ଗୋଟିଏ ୨ ଦେଉଁ ୨ ସବୁ ସରିଗଲା । ବାପ ପାଇଁ ଆଉ କିଛି ରହିଲା ନାହିଁ । ବାପ ଗାଧୋଇ ଆସିଲା, କହିଲା ପିଠାପରା କରିଥିଲୁ ଆଣ । ଏ କହିଲା, ପିଠା ନାହିଁ ସରିଗଲାଣି । ପିଲାଏ ଖାଇଗଲେ, ମୁଁ କଣ କରିବି । ବାପ କିହଚି ନ କହି ଚୁପୁ ହୋଇ ରହିଲା । ମନ କଥା ମନରେ ଥାଏ, ଦି ଘଡ଼ି ଗଲା, ଏ ମିଛରେ ଦାଣ୍ଡଆଡ଼କୁ ଯାଇ ଫେରି ଆସି କହିଲା ଆଲୋ ହେ । ମାମୁଘର କହି ପଠାଇଚି ପିଲାଏ ସବୁ ଯିବେ । ମା କହିଲା, ହଉ ଯାଆନ୍ତୁ, ପିଲଙ୍କୁ ଦଳଦୀ ଟିକିଏ ୨ ଲଗାଇ ଦେଲା, କଲା ସିନ୍ଦୂର ଲଗାଇ ଦେଲା, ପେଡ଼ିରୁ ଶାଢ଼ୀ ଖଣ୍ଡେ ୨ ବାହାର କରି ପିନ୍ଧାଇଦେଇ ବାପ ସାଙ୍ଗରେ ଛାଡ଼ିଦେଲା । ବାପ ନେଇକରି ଗଲା, ଜାଇ ୨ ବନସ୍ତରେ ଗୋଟାଏ ଆମ୍ବଗଛମୂଳେ ବସାଇଦେଇ କହିଲା ଏଇଠି ବସିଥାଅ, ମୁଁ ପାଣି ପିଇ ଆସେ । ଏହାକହି ବାହାରିଲା, କହିଗଲା ଯାଉଚି, ବାଟରେ ଦେଖିବ ଯେମନ୍ତ ପାଣି ଟୋପା ୨ ହୋ ପଡ଼ିଥିବ ମନେ କରିବ ବାପ ଜୀଇଚି; ରକତ ଟୋପା ୨ ହୋଇ ପଡ଼ିଥିବ ମନେ କରିବ ବାପ ମଲାଣି । ଏହା କହିଲା, ଗଲା । ଗୋଟାଏ ଚଢ଼ାଇ ମାରି ବାଟରେ ରକତ ଟୋପା ୨ କରି ପକାଇ ଘରକୁ ଆସିଲା ବାହାରି । ପିଲାଏ ବସି ୨ ଯୋଉଠୁ ବେଶୀ ସମୟ ହେଲା, ଗଲେ ବାଟ ଦେଖିଦେଖିକା । ଦେଖିଲେ ରକତ ପଡ଼ିଚି ଟୋପା ୨ ହୋଇ, ମନେ କଲେ ବାପକୁ କିଏ ମାରି ସାରିଲାଣି । ଫେରିକରି ଆସି ସେହି ଆମ୍ବଗଛମୂଳେ ବସିଲେ । କାନ୍ଦୁଥାନ୍ତି, କାନ୍ଦି ୨ ରାତି ହେଲା ଯୋଉଠୁ କହିଲେ ହେ ବୃକ୍ଷରାଜ, ତ ଫାଟିଯା, ଆମେ ପଶିଯାଉଁ । ଗଛ ଫାଟିଗଲା, ଏମାନେ ପଶିଗଲେ । ଖାଇବାକୁ ପିଇବାକୁ ନ ପାଇ ଏଥି ଭିତରେ କାନ୍ଦୁଥାନ୍ତି ସବୁବେଳେ । ଦିନକର ରାଜା ପାରିଧିକି ଆସିଥିଲେ ସେହି ବନସ୍ତକୁ । ଏମାନେ ଗଛ ଭିତରେ ଗୁଣୁଗୁଣ ହୋଇ କାନ୍ଦୁଥାନ୍ତି, ମନ୍ତ୍ରୀ ଉପରେ ଲୁହ ଟୋପାଏ ପଡ଼ିଲା । ମନ୍ତ୍ରୀ କହିଲା, ମଣିମା ଗୋଟିଏ କଥାକହିବାକୁ ଭାରି ଡର ଲାଗୁଚି । ରାଜା କହିଲେ କଣ କହୁନାହଁ ? ମନ୍ତ୍ରୀ କହିଲା, ମଣିମା ! ଏ ଗଛରେ କିଏ ଅଛି କାନ୍ଦୁଚି ସେ ଲୁହ ପଡ଼ିଲା ମୋ ଉପରେ । ରାଜା କହିଲେ ଚାଖୁଣିଆକୁ ଚାଖିବୁଟି, ଆମ ଭଳିକା କି ତମ ଭଳିକା ? ଚାଖୁଣିଆ ଚାଖିକରି କହିଲା, ନାହିଁ ମଣିମା, ଆପଣଙ୍କ ସରିସା [] ରାଜା ସେଉଠୁ କହିଲେ, ଆମ ସମାନ ଯେବେ, ହାତ ଧରିକରି ଆଣ । ମନ୍ତ୍ରି ଯାଇଁ ଦେଖେ ଯେ ସାତଟି ଝିଅ, ତାଙ୍କୁ ସବୁ ହାତ ଧରିକରି ନେଇ ରାଜାଙ୍କ ପାଖେ ଠିଆ କରାଇ ଦେଲା । ରାଜା ପଚାରିଲେ, ହଇଲୋ ! ତେମେମାନେ କି ଘର ଝିଅ ? ଏମାନେ କହିଲେ, ଆମେ ଚକୁଳିଆ ପଣ୍ଡା ଝିଅ, ଆମକୁ ଏଠେଇଁ ବାପ ଛାଡ଼ି ଦେଇଗଲା, ଏହିପରି ସବୁ କଥା କହିଗଲେ । ରାଜା କହିଲେ ତେମେ ସବୁ କି କାମ କରିବ ? ଆଗ ବଡ଼କୁ ଡାକିଲେ, ପଚାରିଲେ ତୁ କି କାମ କରିବୁ ? ଏ କହିଲା, ମୁଁ ସବୁ କରିବି- ଚାଉଳ ଡ଼ୋଲିକ ଭାତ ରାନ୍ଧିବି, ସମସ୍ତଙ୍କୁ ଖାଇବାକୁ ଦେବି, ସାହି ଦେବି, ପଡ଼ିଶା ଦେବି, ବାସି କରିବି ତିଆସି କରିବି । ତାତଳ ଭଉଣୀକି ପଚାରିଲେ, ସେ ସେମନ୍ତି କହିଲା- ମୁଁ ବିରି ଗଉଣୀକ ବାଟିବି, ପିଠା କରିବି, ସମସ୍ତଙ୍କୁ ଖାଇବାକୁ ଦେବି, ସାହି ଦେବି, ପଡ଼ିଶା ଦେବି, ବାସି କରିବି ତିଆସି କରିବି; ଏହିପାରି ଆଉ ୨ ଭଉଣୀମାନେ କହିଲେ । ସବା ସାନ ଭଉଣୀ କହିଲା, ମୁଁ କିଛି କରି ପାରିବି ନାହିଁ- ରାଜାଙ୍କ ପାଟରାଣୀ ହେବି, ସାତପୁଅ, ସୁନାନାକୀ ଝିଅ ଜନ୍ମ କରିବି । ସେ ଯେପରି କହିଥିଲେ, ରଜା ସେମାନଙ୍କୁ ସେହିପରି କାର୍ଯ୍ୟ ଦେଲେ । ସମସ୍ତଙ୍କୁ ନଅରରେ ରଖାଇଲେ, ସାନ ଭଉଣୀକି ପାଟରାଣୀ କଲେ, ରଖିଲେ । ଏହିପରି କେତେଦିନ ଗଲା, ସାନରାଣୀର ଗର୍ଭ ହେଲା । ରାଜା ଦରବାରକୁ ଯାନ୍ତି । ୟାକୁ ଖଣ୍ଡେ ଖଞ୍ଜଣୀ ଦେଇଯାନ୍ତି, କହନ୍ତି ଯେ ଯେତେବେଲେ ତୋ ଦେହ ହେବ [] ସେତେବେଲେ ୟାକୁ ବଜାଇବୁ ଯେ ମୁଁ ଆସିବି, କଚେରୀ ପଛେ ଫାଟି ଯାଉଥିବ, ତୋ ଖଞ୍ଜଣୀବାଜା ଶୁଣିଲେ ମୁଁ ଆସିବି । କବାଟ କିଳି ଦେଇଥିବୁ, ତୋ ଭଉଣୀମାନେ ଯେତେ କବାଟରେ ମାରିବେ, କେଭେ ଫିଟାଇବୁ ନାହିଁ । ଦିନେ ଏ କଣକଲା, ମିଛର ଟିକିଏ ଖଞ୍ଜଣୀ ବଜାଇ ଦେଲା, ଦେହ କିଛି ହେଉ ନ ଥାଏ, ଖଞ୍ଜଣୀବାଜା ଶୁଣି ରାଜା ଆସିଲେ ବାହାରି କଚେରୀ ଭାଙ୍ଗିଦେଇ । ଆସିଦେଖିଲାବେଳକୁ ଦେହ କିଛି ହୋଇନାହିଁ । ରାଜା ବଡ଼ ବିରକ୍ତି ହେଲେ, ରାଣୀକି କହିଗଲେ, ଏଣିକି ତୁ ବଜାଇ ୨ ଥକିବୁ ମୁଁ କେଭେ ଆସିବି ନାହିଁ । କିଛି ଦିନ ଗଲା ବାହାରି, ଏହା ଦେହହେଲା, କବାଟକୁ କିଳି ଦେଇଥାଏ, ଖଞ୍ଜଣୀ ବଜାଉଥାଏ, ବଜାଇ ୨ ଥକିଗଲା, ଆଉ ରାଜା ଆସିଲେ ନାହିଁ । ଏ ଛଅ ଭଉଣୀ, ଧାଈ ଏ ସବୁ ଗଲେ, କବାଟରେ ମାରିଲେ, କହିଲେ ଆମେ କିଛି କରିବୁଁ ନାହିଁ ତୁ କବାଟ ଫିଟା । କେତେ କରି କହିଲେ, ରାଣ ନିୟମ ପକାଇଲେ ଯୋଉଠୁ, ଏ କବାଟ ଫିଟାଇ ଦେଲା । ଧାଈ ଘର ଭିତରକୁ ପଶିଗଲା, ଶୂଳ ଧଇଲା, ଯେତେବେଳକୁ ପୁଅ ଜନ୍ମ ହେବ, ତେବେବେଳେ କଣ କଲେ, କହିଲେ ଏ ଗାଁରେ ଅଛି ମୁହଁରେ ଅନ୍ଧୁଣି [] ପକାଇ ଜନ୍ମ କରନ୍ତି, ହା କହି ମୁହଁରେ ଅନ୍ଧୁଣି ପକାଇ ଦେଲେ । ପୁଅ ଯେମନ୍ତି କରି ହୋଇପଡ଼ିଲା; ଧାଈ ଧଡ଼ପଡ଼ କରି ତାକୁ ନେଇଗଲା, ଖତଗଦାରେ ପୋତିଦେଇ ଆସିଲା, ଗୋଟେ କାଠକଣ୍ଢେଇ ସେଠାରେ ପକାଇ ଦେଇ ସାନରାଣୀ ମୁହଁରୁ ଅନ୍ଧୁଣି ଫିଟାଇ ଦେଲେ, କହିଲେ କାଠ କଣ୍ଢେଇଟାଏ ଜନ୍ମ କରିଚି । ସାନରାଣୀ କାନ୍ଦି ବୋବେଇ ତୁନୀ ହୋଇ ରହିଲା । ରାଜା ଆସିଲେ, ପଚାରିଲେ କଣ ଜନ୍ମ ହେଲା ? ଏମାନେ ଆଗତୁରା କରି କହିଲେ କାଠ କଣ୍ଢେଇଟାଏ ଜନ୍ମ କରିଚି । ରାଜା କହିଲେ ତେବ ତା ମୁହଁ ଚାହଁନା, ତାକୁ ଘୋଡ଼ାଶାଳ ଲଣ୍ଡି ପୋଛାଅ,ତାର ଚୁଟୀ କାଟିଦେଇ ଘୋଡ଼ାଶାଳକୁ ପଠାଇ ଦିଅ । ସାନରାଣୀର ଚୁଟୀ କାଟିଦେଇ ଘୋଡ଼ାଶାଳକୁ ପଠାଇଦେଲେ, ଆଉକେହି ଦେଖି ନଥାଏ, କୁକୁର ଦେଖିଥାଏ । କୁକୁର ଗଲା, ପିଲାଟିକି ଖତଗଦାରୁ ବାହାର କଲା, ଆଉ ତାକୁ ଖାଇଲା ନାହିଁ, ଚାଟିଚୁଟି ସଫା କରି ଦୁଧ ପିଆଇଲା, ସେଇ ଖତଗଦାରେ ରଖିଦେଇ ଆସିଲା । କୁକୁର ଏହିପରି ସବୁ ଦିନେ କରୁଥାଏ, ଏମନ୍ତେ କେତେଦିନ ଗଲା । ଦିନକର ଧାଈ ଦେଖିଲା, ବଡ଼ରାଣୀଙ୍କ ଆଗରେ କହିଲା, ସାନ୍ତାଣି ! ଆମେ ଯେଉଁ ପୁଅଟିକି ଖତଗଦାରେ ପୋତି ଦେଇ ଆସିଥିଲୁଁ, ତାରି ପରି ଗୋଟିଏ ପିଲା କୁକ୍କୁର ଖତଗଦାରୁ ବାହାରକରି ଚାଟିଲା, ତାକୁ ଦୁଧ ପିଆଇଲା, ସେହି ଖତଗଦାରେ କୋଉଠି ରଖି ଦେଲା, ଆଉ ତାକୁ ଖାଇଲା ନାହିଁ କି କିଛି କଲାନାହିଁ । ବଡ଼ରାଣୀ କଣ କଲା, ରାଜାଙ୍କ ପାଖକୁ ଖବର ଦେଲା, କହିଲା ରାଜାଙ୍କୁ କହିବ ବଡ଼ ରାଣୀଙ୍କୁ ଜର କରିଚି, କୁକ୍କୁର ରକ୍ତରେ ଗାଧୋଇଲେ ଜର ଛାଡ଼ିବ । ଧାଈ ଗଲା ରାଜାଙ୍କୁ ସେଇଆ କହିଲା । ରାଜାମନ ଭୋଳ ତ, କହିଲେ ହଉ । କୁକୁର ଏହା ଜାଣିପାରି କୂଅ ପାଖକୁ ଗଲା, ପୁଅଟିକି ପାଣିରେ ପକାଇଦେଲା, କହିଲା ହେ ଗଙ୍ଗାମାତା, ତୁ ଏଇଟିକୁ ପାଳ୍, ମତେତ ହାଣିବାକୁ କହିଲେଣି । କୂଅଭିତରେ ଗଙ୍ଗାମାତା କଣ କରନ୍ତି ପୁଅଟିକି ଉପରକୁ ଉଠାଇ ଦିଅନ୍ତି, ଫେର୍ [] ନେଇଯାନ୍ତି, ଏହିପରି ସବୁଦିନେ ଖେଳାଉଥାନ୍ତି, ଦିନେ ଧାଈ ଦେଖିଲା ଯାଇ ବଡ଼ ରାଣୀଙ୍କି କହିଲା, ଆମେ ଯେପରି ପିଲାଟିଏ ଖତଗଦାରେ ପୋତି ଦେଇଥିଲୁ ସେହିପରି ଗୋଟିଏ ପିଲା କୂଅରେ ଖେଳୁଚି । ବଡ଼ରାଣୀ ଶୁଣିଲା, ରାଜାଙ୍କ ପାଖକୁ ଖବର ଦେଇ ପଠାଇଲା ଯେ ବଡ଼ରାଣୀଙ୍କ ଦେହ ବ୍ୟସ୍ତ ଅଛି, କାଲି କୂଅକ ପାଣି ବୁହାହେବ, ସେଥିରେ ଯେଉଁ ମାଛ ଅଛି ତାକୁ ଖାଇଲେ ଦେହ ଭଲ ହେବ । ଧାଈ ଗଲା ରାଜାଙ୍କୁ କହିଲା, ରାଜା କହିଲେ ହଉ । ଗଙ୍ଗାମାତ ଶୁଣିଲେ, କାଳୀଗାଈକି କହିଲେ ହେ ! ତୁ ଏ ପୁଅଟିକି ରଖ, ଦୁଧ ପିଆଇବୁ, ଖେଳାଇବୁ, ରଖିଥିବୁ । କାଲିକି କୂଅକ ପାଣି ବୁହାଯିବ, ମୁଁ ଆଉ କେଉଁଠି ରଖିବି ? କାଳୀଗାଈ ପୁଅଟିକି ନେଇ ରଖିଲା । ତହିଁ ଆରଦିନ କୂଅରୁ ଟିକକ ଠଉଁ [] ପାଣି ବୁହାହେଲା, ଦେଖିଲାବେଳକୁ କିଛିନାହିଁ । କାଳୀ ଗାଈ କଣ କରେ ଅରଣ୍ୟଭିତରକୁ ଯାଏ ବାହାରି, ପୁଅକୁ ପେଟ ଭିତରେ ରଖିଥାଏ, ବାନ୍ତିକରି ବାହାର କରେ, ଚାଟେ, ଖେଳାଏ, ଦୁଧ ପିଆଏ, ଫେର୍ ଗିଳି ଦିଏ, ଚରିବୁଲି କରି ଆସେ । ଏହିପରି ସବୁଦିନ କରୁଥାଏ । କାଳୀ ଗାଈର ଦୁଧ ଊଣା ହେଲା, ଗଉଡ଼କୁ ମାଡ଼ ହେଲା, କାହିଁକି ଦୁଧ ଊଣା ହେଉଚି ବୋଲି, ଗଉଡ଼ କହିଲା ମୁଁ ତ ସବୁଦିନେ ଚରାଇ କରି ଆଣୁଚି, ବାଛୁରୀର ଜମା ଦେଖା ସାକ୍ଷାତକ ନାହିଁ, ଦୁଧ କାହିଁକି କମ୍ ହେଲା ମୁଁ କଣ କରିବି ? ଦିନକର ଗଉଡ଼ ଲୁଚିକରି ବସିଲା, ଦେଖେ ଯେ ଗାଈ ଗୋଟିଏ ପିଲା ବାହାର କରି ପେଟଭିତରୁ ଦୁଧ ପିଆଉଚି । ଦୁଧ ପିଆଇ ସାରି ପିଲାଟିକି ଫେର୍ ଗିଳିଦେଲା । ଗଉଡ଼ ଏସବୁ ଦେଖି ବଡ଼ରାଣୀକୁ କହିଲା, ବଡ଼ରାଣୀଙ୍କର ହୁକୁମ ପଡ଼ିଲା ଯେ କାଳୀଗାଈ ହଣା ହେବ, ତା ମାଉଁସ ଖାଇଲେ ମୋ ଦେହ ଭଲ ହେବ । କାଳୀଗାଈ ଏହା ଶୁଣି ଘୋଡ଼ାଶାଳକୁ ଗଲା, ପକ୍ଷିରାଜ ଘୋଡ଼ାକୁ କହିଲା ମୁଁ ଏତେଦିଦନ ଯାଏ ରଖୁଥିଲି, ମତେ ତ ହାଣିବାକୁ ବସିଲେଣି, ତୁ ୟାକୁ ନେ, ଯେଉ ଆଡ଼େ ଇଚ୍ଛା ସେଆଡ଼େ ନେଇଯା । ଘୋଡ଼ା ପୁଅକୁ ରଖିଲା, ଉପରେ ବସାଇ ନେଇକରି ଗଲା ବାହାରି । ପକ୍ଷିରାଜ ଘୋଡ଼ା ପବନବେଗରେ ଚାଲୁଚି, ଯାଉ ଗୋଟାଏ ଶୋଲ ପୋଖରୀ ପାଖରେ ବାୟା ଚଡ଼ାଇ ଗୁଡ଼ାଏ ଅଡ଼ୁଆ ତଡ଼ୁଆ ହୋଇ ଗଣ୍ଠି ପଡ଼ି ଯାଇଛନ୍ତି, ଫିଟି ପାରୁନାହାନ୍ତି, ଏହାର ଶବ୍ଦରେ ଫିଟିଗଲେ । ଘୋଡ଼ା ସେଇଠି ଦମ୍‌ମାରିଲା, ବାୟା ଚଡ଼ାଇଗୁଡ଼ିକ କହିଲେ ରାଜାପୁଅକୁ, ଆମ ବାରବର୍ଷ ହେଲା ଗଣ୍ଠି ପଡ଼ିଯାଇଥିଲୁ, ଫିଟିପାରୁ ନ ଥିଲୁ, ଖାଉ ନଥିଲୁ, ପିଉ ନ ଥିଲୁ, ତମେ ଆମକୁ ଉଦ୍ଧାର କଲ, ତମର ଆମେ କଣ ଉପକାର କରିବୁଁ ? ରାଜାପୁଅ କହିଲା ଅଇଛିକା [] ତମର କିଛି କରିବାର ଦରକାର ନାହିଁ, ଯେତେବେଳେ ମତେ ବିପତ୍ତି ପଡ଼ିବ ତେମେ ସେତେବେଳେ ମୋର ଉପକାର କରିବ । ଏହିପରି କହି ପକ୍ଷିରାଜ ଘୋଡ଼ା ଉପରେ ଚଢ଼ି ସେଠାରୁ ଗଲା, ଯାଇଁ ଏକ ରାଜାଦେଶରେ ପହଞ୍ଚିଲା, ସେଠାରେ ଗୋଟାଏ ମାଲୁଣୀଘରେ ରହିଲା । ଦି ଚାରିଦିନ ଗଲା; ମାଲୁଣୀ ଫୁଲ ଗୁନ୍ଥୁଚି, ଏ ପୁଅ କହିଲା, ହଇଲୋ ମାଉସି କାହାପାଇ ଫୁଲ ଗୁନ୍ଥୁଚକି ? ମୁଁ ଖଣ୍ଡିଏ ଗୁନ୍ଥନ୍ତି ? ମାଲୁଣୀ କହିଲା ରାଜାଙ୍କ ଜେମା [] ପାଇଁ ଫୁଲ ଗୁନ୍ଥୁଚି, ତୁ କୋଉଠି ଗୁନ୍ଥିବୁ, ଅବୁର୍ଜିୟା ହେବ । ଏ କହିଲା ମୁଁ ଖଣ୍ଡିଏ ଗୁନ୍ଥେ ତୁ ଦେଖ୍, ସୁନ୍ଦର ହେଲେ ନେଇଯିବୁ ଅସୁନ୍ଦର ହେଲେ ପକାଇ ଦେଇଯିବୁ । ରାଜାପୁଅ ଯେଉଁ ଫୁଲଖଣ୍ଡି ଗୁନ୍ଥିଲା ସେ ଅତି ସୁନ୍ଦର ହେଲା, ମାଲୁଣୀ ନେଇ ରାଜାଝିଅକୁ ଦେଲା । ଜେମାଦେଈ କହିଲେ ଆଜି ଏ ଫୁଲ କିଏ ଗୁନ୍ଥିଚି କି ଏଡ଼େ ସୁନ୍ଦର ହୋଇଚି ? ମାଲୁଣୀ କହିଲା ମୋ ଝିଆରୀ ଆସିଚି ଯେ ତାହାରି ହାତର ଗୁନ୍ଥା । ଜେମା ସେ ଝିଆରୀକି ଦଖିବାକୁ ଲଗାଇଲେ । ମାଲୁଣୀ ତହିଁ ଆରଦିନ ରାଜାପୁଅକୁ ତଉଁରି [] ଶାଢ଼ୀ ଖଣ୍ଡେ, ପିତ୍ତଳଖଡ଼ୁ ଦିପଟ ପିନ୍ଧାଇ ଦେଇ ରାଜା ନଅରକୁ ନେଇଗଲା ଜେମା ଏହା ସଙ୍ଗରେ କାଥାବାର୍ତ୍ତା ହେଲେ । ରାଜାପୁଅ କହିଲା ମୁଁ ଝିଅ ନୁହେ ଆର ଦେଶର ରାଜାପୁଅ, ଏମନ୍ତି ଦୁର୍ଘଟନାରେ ପଡ଼ି ଏଠାକୁ ଆସି ମାଲୁଣୀଘରେ ରହିଅଛି । ଏହିପରି ଦେଖା ସାକ୍ଷାତ ହୋଇ ରାଜାପୁଅର ଆଉ ସେ ଜେମାର ବଡ଼ ମନ ମିଳିଲା । ରାଜାପୁଅ ସବୁଦିନେ ରାତିରେ ଜେମାଙ୍କ ପାଖକୁ ଯିବା ଆସିବା କରେ, ତା ଆଉ କେହି ଜାଣନ୍ତି ନାହିଁ । ରାଜାଝିଅ ସବୁଦିନେ ତଉଲା ହୁଏ, ଗୋଟିଏ ଫୁଲର ଓଜନ ହୁଏ, ୟାଡ଼କୁ ବେଶୀ ଓଜନ ହେଲା । ଯେ ବଣିୟା ତଉଲେ ସେ ରାଜାଙ୍କୁ କହିଲା ମଣିମା ! ଆପଣଙ୍କ ଜେମାଦେଈ ଏବେ ବେଶି ଭାରୀ ହେଲେଣି, ଗୋଟାଏ ଫୁଲରେ ଆଉ ଏବେ ଓଜନ ଉଠୁ ନାହାନ୍ତି । ରାଜା ବିଚାର କଲେ ଝିଅପାଖକୁ କିଏ ଆଉ ଆସୁଚି ! ହୁକୁମ ଦେଲେ ଯେ ଆଜି ସିନ୍ଦୁରରେ ବିଛଣା କର, ଯେ ଆସିବ ସେ ଚିହ୍ନାପଡ଼ିବ । ଧୋବାକୁ କୁହା ହୋଇଥାଏ କି ତୋ ଘରେ ଯେ ଏପରି ଲୁଗା ପକାଇବ ତାକୁ ଧରାଇ ଦେବୁ, ନ ଦେଲେ ତୋର ସବଂଶ ମୁଣ୍ଡ କଟା ହେବ । ସେଦିନ ରାତିକି ରାଜାପୁଅ ଆସିଲା । ଜେମାଦେଈ କହିଲେ ହେ ! ତେମେ ଆଜି ଯାଅ ବାହାରି, ସିନ୍ଦୂରରେ ବିଛଣା ହେଇଚି । ଏ ଅମାନିଆହୋଇ ବିଛଣାରେ ବସାଉଠାକଲା, ଧୋବାକୁ ଟଙ୍କା ଦେଇ ଲୁଗା କଚାଇ ଆଣିଲା, ଆଉକେହି ଜାଣି ପାରିଲେନାହିଁ । ତହିଁ ଆରଦିନ ଧୋବାକୁ ପଚାରା ହେଲା, ସେ ନାହିଁ କଲା, କହିଲା, କେହି ମୋ ଘରେ ଲୁଗା ପକାଇ ନାହାନ୍ତି । ରାଜା କହିଲେ ଆଉ କଣ କଲେ ଜଣା ପଡ଼ିବ ? ମନ୍ତ୍ରୀ କହିଲେ, କଂସାର କରତ କରି କବାଟ ଦେହରେ ଦେଇଥାଅ, ସେ ଆସିବ ତା ଉପରେ ପଡ଼ିଲେ ମରିବ । କଂସାର କରତ ତିଆରି ହେଲା, ନାଗବନ୍ଧ ଦେହରେ ଦିଆଗଲା । ରାଜାପୁଅ ସେଦିନ ସେହିପରି ଆସିଲା, ରାଜାଝିଅ କହିଲା କାହିଁକି ଆସିଲ, ଆଜି କଂସାର କରତ କରି ନାଗବନ୍ଧରେ ଦେଇଛନ୍ତି, ତେମେ ଫେରିଯାଅ । ରାଜାପୁଅ କହିଲା ଓହୋ ! କଣ ହେଇଯିବ ? ଯେବେ କିଛିକଥା ହେଇଯିବ, ତେବେ ମତେ ପୋଡ଼ିବ ନାହିଁ କି ପୋତିବ ନାହିଁ, ନେଇକରି ଶୋଲପୋଖରୀ ପାଖରେ ଶୁଆଇ ଦେଇ ଆସିବ । ଏହା କହି ଘରଭିତରକୁ ପଶିଗଲା ବେଳକୁ କରତ ଖସିଲା ଜେ ରାଜାପୁଅ ମୁଣ୍ଡରେ ପଡ଼ିଲା, ରାଜାପୁଅ ସେଇଠି ମରିପଡ଼ିଲା । ତହିଁଆରଦିନ ସବୁ ଦେଖିବାକୁ ଆସିଲେ, ଆସି ଦେଖନ୍ତି ଯେ ଉତ୍ତମ ସୁନ୍ଦର ରାଜାପୁଅଟିଏ ମରିପଡ଼ିଚି । ରାଜା କହିଲେ ଝିଅକୁ ଆହା ! ଏଡ଼େ ସୁନ୍ଦର ପିଲାକୁ ତୁ କାହିଁକି ମାରିଲ, କହିଥିଲେ ତୋତେ ସେହିଆକୁ ବିଭା କରାଇ ଦେଇଥାନ୍ତି । ଝିଅକୁ ସମସ୍ତେ ଗାଳିଦେଲେ । ରାଜା କହିଲେ ଗୁଆଘିଅ ଚନ୍ଦନକାଠ ଆଣି ବାହା କରାଇଦିଅ । ଝିଅକହିଲା ନାହିଁ ସେ ମନା କରିଚନ୍ତି, କହିଚନ୍ତି ମୋତେ ପୋଡ଼ିବ ନାହିଁ କି ପୋତିବ ନାହିଁ, ଶୋଲପୋଖରୀ କୂଳେ ଶୁଆଇଦେଇ ଆସିବ । ରାଜା କହିଲେ ହଉ ନିଅ, ସେ ଯାହାଖୁଚି ସେଇଆ କର । ନେଲେ ଶୋଲ ପୋଖରୀପାଖରେ ଶୁଆଇଦେଇ ଆସିଲେ ବାହାରି । ସେ ବାୟାଚଢ଼ାଇ ଯାକ ଚିହ୍ନିଲେ, ସେ ରାଜାପୁଅ ପାଖରେ ବସି ଗୁଣୁଗୁଣ ହୋଇ କାନ୍ଦିଲେ । ଏହିପରି କାନ୍ଦି ରାତିଅଧ ହେଲା, ଇଶ୍ୱରପାର୍ବତୀ ଆକାଶରେ ଉଡ଼ିଯାଉ ଥିଲେ, କାନ୍ଦଣା ଶୁଭିଲା । ପାର୍ବତୀ କହିଲେ, ରହିବଟି କାହିଁକି ପୃଥିବୀଟା ଭାରୀ ଲାଗୁଚି, କିଏ ଗୁଡ଼ିଏ ଗୁଣୁ ହୋଇ କାନ୍ଦିଲା ପରି ଶୁଭୁଚି । ଇଶ୍ୱର କହିଲେ ଚାଲ ବାହାରି ହୋ ! ଆମର ସେଥିରେ କଣ ଅଛି ? ପାର୍ବତୀ କହିଲେ କିଛିତ ନାହିଁ, ପୃଥିବୀର ଭାର ନେଇଚ କାହିଁକି ? ଇଶ୍ୱର କହିଲେ ହଉ ଚାଲ । ଗଲେ, ପଚାରିଲେ, ତେମେ କିଏ କାହିଁକି କାନ୍ଦୁଚ ? ବାୟାଚଢ଼ାଇ ଗୁଡ଼ିକ ଆପଣାର ଆଉ ରାଜାପୁଅର ଯେତେ କଥା ଥିଲା ସବୁ କହିଗଲେ । ଇଶ୍ୱରପାର୍ବତୀ କହିଲେ, ହଉ ତେବେ ତେଣିକି ମୁହଁ ବୁଲା । ଏମାନେ ସେ ଆଡ଼କୁ ମୁହଁ ବୁଲାଇ ବସିଲେ, ଇଶ୍ୱରପାର୍ବତୀ ଫୁଲପାଣି କରି ତିନିମୁଠା ଛିଞ୍ଚି ଦେଲେ ଯେ ରାଜାପୁଅ ଜୀଇ ଉଠିଲା, ଇଶ୍ୱରପାର୍ବତୀ କୁଆଡ଼େ ଉଭେଇ ଗଲେ । ରାଜାପୁଅ ତହିଁ ଆର ଦିନ ଉଠି ମାଲୁଣୀଘରକୁ ଗଲା, ସେଦିନ ରାତିରେ ରାଜାଝିଅ ସାଙ୍ଗେ ଦେଖା କଲା । ସେ ବଞ୍ଚିକରି ଆସିଲେଣି ବୋଲି ରାଜା ଜାଣିଲେ, କହିଲେ, ଆମ ଝିଅକୁ ୟାକୁ ବିଭାକରି ଦେବା । ଘର ଲିପା ହେଲା, ବେଦୀ ତୋଳା ହେଲା, ବିଭାଘର ଆଉ ସବୁ ଆୟୋଜନମାନ ହେଲା, ରାଜା ଭଲଦିନ ଦେଖି ଝିଅକୁ ସେ ରାଜାପୁଅକୁ ବିଭା କରିଦେଲେ, ବହୁତ ଯାନି ଯଉତୁକ ଦେଇ ଝିଅଜୋଇଁଙ୍କୁ ବିଦା କଲେ । ରାଜାପୁଅ ବିଭାହୋଇ ଘରକୁ ଆସୁଚି, ଗାଁପାଖରେ ହେଲାଣି ସମସ୍ତେ କହିଲେ କୋଉଁ ରାଜା ଆସୁଚି, ଯୁଦ୍ଧ କରିବାକୁ । ରାଜା ଆଉ ପୁଅବୋଲି ଜାଣି ନାହାନ୍ତି, ବେକରେ ପାଳଦଉଡ଼ି ଗୋଛାଏ ପକାଇ ଦଣ୍ଡବତ କରିବାକୁ ଗଲେ, ଯାଇଁ ପାଲିଙ୍କି ପାଖରେ ଲମ୍ବ ହୋଇ ଗୋଡ଼ତଳେ ପଡ଼ିଗଲେ । ଏ ପାଲିଙ୍କିରୁ ଡ଼େଇଁ ପଡ଼ିଲା କହିଲା ଏକଣ ! ତେମେ ବାପା, ମୁଁ ପୁଅ, ତେମେ ମୋ ଗୋଡ଼ତଳେ ପଡ଼ୁଚ ? ରାଜା କହିଲେ ମୁଁ ପୁଅ କୋଉଠୁ ପାଇବି ? ଏ କହିଲା ତମ ଘୋଡ଼ାଶାଳ ଲାଣ୍ଡିକୁ ଡାକ, ଧାଈକୁ ଡାକ, ଏମାନେ ସବୁକଥା କହିବେ । ଏମାନଙ୍କୁ ଡାକରା ହେଲା, ଏମାନଙ୍କ ଆଗରେ ରାଜାପୁଅ ସବୁ କହିଗଲା, ଯେପରି ସେ ଜନ୍ମ ହେବାବେଲେ ଧାଈ କାଠକଣ୍ଢାଇଟାଏ ଦେଖାଇ ତାକୁ ଖତଗଦାରେ ପକାଇଦେଲା, କୁକ୍କୁର, କୂଅ, କାଳୀଗାଈ, ପକ୍ଷିରାଜ ଘୋଡ଼ା ଯେପରି ତାକୁ ବଞ୍ଚାଇ ମନିଷ କଲେ, ସବୁ କଥା କହିଗଲା । ଏ ସବୁ କଥା ମାନିଗଲା । ରଜା ପୁଅବୋହୂକୁ ଘରକୁ ନେଲେ, ଘୋଡ଼ାଶାଳ ଲାଣ୍ଡିକୁ ଆଣିଲେ, ତାକୁ ସଫାସୁତୁରା କରାଇ ତାଟପୀତାମ୍ବର ପିନ୍ଧାଇ ଘରକୁ ନେଲେ । ଗୋଟାଏ ଟୋପର [] ଖୋଳାଇ ଏ ଛଅଭଉଣୀକି ଧାଈକି ତହିଁରେ ପକାଇଦେଲେ, ତଳକଣ୍ଟା ଉପର କଣ୍ଟା ଛାଟିଦେଲେ, ମାଟି ଚଢ଼ାଇ ଦେଲେ । ରାଜା ପୁଅବୋହୂ ଘେନି ଘରଦୁଆର କଲେ, ମୁଁ ଗଲାରୁ କଥା କହିଲେ ନାହିଁ । ମୋ କଥାଟି ସରିଲା ଇତ୍ୟାଦି ।

  1. ସଦୃଶ, ଉପଲବ୍ଧ ।
  2. ପ୍ରସବ ବେଦନା ହେବ ।
  3. ଚକ୍ଷୁ ଘୋଡ଼ାଇବାର ବସ୍ତ୍ର
  4. ପୁନଶ୍ଚ
  5. ଶେଷ ବିନ୍ଦୁ ପର୍ଯ୍ୟନ୍ତ
  6. ବର୍ତ୍ତମାନ
  7. ଝିଅ
  8. ରଙ୍ଗ ।
  9. ଖାତ ।