Jump to content

କଥାଲହରୀ/ବୁଦ୍ଧିମତୀ ସାଧବ ଝିଅର କଥା

ଉଇକିପାଠାଗାର‌ରୁ
କଥାଲହରୀ  (୧୯୨୩)  ଲେଖକ/କବି: ମଧୁସୂଦନ ରାଓ
ବୁଦ୍ଧିମତୀ ସାଧବ ଝିଅର କଥା
ଗୋଟିଏ ସାଧବଝିଅ ଧୂଳିଘର କରି ଖେଳୁଚି, କଡ଼ିଏ କଉଡ଼ି ପାଇଲା । କଉଡ଼ି କଡ଼ିକ ହାତରେ ଧରି ଡ଼ିଆଉଁଥାଏ କ‌ହୁଥାଏ, 'କଡ଼ାକେ ମରି' କଡ଼ାକେ ଚରି, କଡ଼ାକେ ଘରଦୁଆର କରି, କଉଡ଼ି କଡ଼ିକ ବେଉନ୍ତି ପାରିଲେ ସୁନାଖମ୍ବେ ସୁନା କଳଶ ଡ଼େରି,ରଜାପୁଅ ସେହିବାଟେ ଘୋଡ଼ାଦଉଡ଼ କରୁଥିଲା, ସାଧବଝିଅର କଥାଶୁଣି ତାକୁ ପଚାରିଲା, କଉଡ଼ି କଡ଼ାକେ କିପରି ଏ କଥା ସବୁ କରିବୁ? ଏ କ‌ହିଲା ବୁଦ୍ଧି ଥିଲେ ସବୁ ହୋଇପାରେ । ରଜାପୁଅ ଏହା ଶୁଣି କିଛି ନ କ‌ହି, ଘୋଡ଼ାଦଉଡ଼ ବନ୍ଦ କରି ଘରକୁ ଗଲା, ଗୋଟିଏ ଘର ତ‌ହିଁରେ ମୂଷାମାଟି କଣ ୨ ବିଲେଇ ଗୁଣ ଶଣ ୨ ସେଇଘରେ ଯାଇ ଶୋଇଲା । ଖାଇଲା ପୁଇଲାବେଳକୁ ପୁଅକୁ ଖୋଜାଗଲା, ରାଣ କ‌ହିଲେ ଆଜି କାହିଁକି ଏତେବେଳ‌ଯାଏ ପୁଅ ଆସି ନାହିଁ ? ସମସ୍ତେ ଗଲେ ଖୋଜିବାକୁ, ଅନ୍ଦିରୁ ସନ୍ଧି ଖୋଜିଲେ, କୋଉଠି ପାଇଲେ ନାହିଁ । ବିଲେଇ କ‌ହିଲା 'ମିଉଁ ମିଉଁ ଦୁଧଭାତ କରି ଗୁଣ୍ତିଏ ଖାଉ ପୁଅକୁ ଦେଖାଇଦେଉଁ ।' ରାଣୀ କ‌ହିଏ ମର୍ ନିଆଁ ଲଗଟା, ସବୁ ଦିନେ ଖାଉଚୁ ଆଜି କଣ ନ ଖାଇଲେ ପୁଅକୁ ଦେଖାଇବୁ ନାହି । ବିଲେଇ କ‌ହିଲା ସବୁଦିନେ ଖାଏଁ ଅଇଣ୍ଠାଭାତ, ଆଜି ଖାଇବି ହାଣ୍ତରୁ ଭାତ । ବିଲେଇକି ହାଣ୍ତିରୁ ଭାତଗଣ୍ତାଏ ବାଢ଼ିଆଣି ଦୁଧ ଗୋଳେଇ ଖାଇବାକୁ ଦେଲେ । ବିଲେଇ ଖାଇଲା, ଲାଙ୍ଗୁଡ଼କୁ ଛିଡ଼ାକରି ମଉଁ ହୋଇ ଆଗେ ୨ ବାହାରିଲା । ଯୋଉଘରେ ରଜାପୁଅ ଶୋଇଚି, ସେ ଘର କବାଟରେ ଲାଙ୍ଗୁଡ ମାରିଦେଲା ଯେ, କବାଟ ଫିଟିଗଲା । ରଜ ରାଣୀ ସେ ଘର ଭିତରେ ପଶିଗଲେ, ମା ଗୋଡ଼ତଳେ ବସିଲା, ବାପ ମୁଣ୍ତଉପରେ ବସିଲା, କ‌ହିଲେ ହଜିଥିଲେ ଖୋଜିଦେବୁ ଭାଙ୍ଗିଥିଲେ ଗଢ଼ିଦେବୁଁ,କାହିଁକି ରୁଷିଚୁ କ‌ହ । ରଜାପୁଅ କଥା କହୁ ନ ଥାଏ । ମା ବାପ ଲଗେଇ କେତେବେଳ ସରିକି କଥା କହିଲା । କହିଲା ତେମେ ଦିହେଁ ସତ୍ୟକର, କ‌ହିବି କାହିଁକି ରୁଷିଚି । ମା କହିଲା ମାର ପୁଅର କି ସତ୍ୟ ? ବାପ କହିଲେ ବାପଘର ପୁଅର କି ସତ୍ୟ ? ପୁଅ ଏକଯିଦ୍ ଲଗାଇଲା ଯୋଉଠୁ, ମା ବାପ ସତ୍ୟ କଲେ । ପୁଅ କହିଲା ମୁଁ ସାଧବ ଝିଅକୁ ବିଭା ହେବି । ମା ବାପ କହିଲେ ଆମ ସମାନ ବନ୍ଧୁହେବ,ତୋ ସମାନ କନ୍ୟାହେବ, ତେବେ ଯାଇ ବିଭାକର, ଏ କଥା ଛାଡ଼ି ଆଉ କଣ କହ । ପୁଅ କହିଲା ମୋର ଆଉ କିଛି କଥା ନାହିଁ, ମୁଁ ସାଧବଝିଅକୁ ବିଭା ନ ହେଲେ ପ୍ରାଣହରାଇଦେବି । ରଜା ନାଚାର ହୋଇ ହଁ ଭରିଲେ । ବନ୍ଧୁମାନଙ୍କ ଘରକୁ ନିମନ୍ତ୍ରଣ ଗଲା, ଛାମୁଣ୍ଡିଆ ବନ୍ଧା ହେଲା । ବେଦୀ ତୋଳା ହେଲା; ମହାସମାରୋହରେ ବିଭାଘର ହେଲା । ରଜାପୁଅ ଚଉଠି ଦିନ ରାତିରେ ସାଧବଝିଅ ପାଟତେଣିଆ କାନିରେ କଉଡ଼ି କଡ଼ାଏ ବାନ୍ଧିଦେଇ ତାର ଧାଈସାଙ୍ଗରେ ତାକୁ ଏକ ବନସ୍ତରେ ସୁଆରିରେ ନେଇ ଛାଡ଼ି ଆସିଲା । ସାଧବଝିଅକୁ ନିଦଲାଗିଥାଏ କିଛି ଜାଣିପାରିଲା ନାହିଁ । ନିଦଭାଙ୍ଗିଗଲାରୁ ଦେଖେ ଯେ କେହିନାହାନ୍ତି ଅଗନାଗନ ବନସ୍ତ ଭିତରେ ସେ ଏକା ଆଉ ତା ଧାଈ ଅଛନ୍ତି, କଉଡି କଡ଼ିଏ କାନିରେ ବନ୍ଧା ହୋଇଚି । ତାର ପୂର୍ବକଥା ସବୁ ମନେ ପଡିଲା, ଧାଈକି କିଛି କହିଲା ନାହିଁ, ସେ ବନସ୍ତରେ ଗୋଟିଏ କୁଡ଼ିଆ କରି ରହିଲା । କାନିରେ ଯେଉଁ କଉଡ଼ି କଡ଼ାକ ଥିଲା ତାକୁ ଧାଈକି ଦେଲା ଲିଆ କିଣି ଆଣିବାକୁ । ଧାଈ ଲିଆ ଆଣିଲାରୁ ତାକୁ କହିଲା ନେ ୟାକୁ ବଣ ଭିତରେ ଗୋଟିଏ ପଦା ଯେଗାରେ ବୁଣିଦେ , ମୟୁର ଖାଇକରି ପକ୍ଷି ଝାଡିଦେଇ ଯିବେ । ତ‌ହିଁ ଆର ଦିନ ପକ୍ଷିଗୁଡ଼ିକ ଗୋଟିଏ ଆଣିଲେ, ସାଧବଝିଅ ସେ ପକ୍ଷୀରେ ପଙ୍ଖା ବୁଣି ଧାଈକି ବିକିବାକୁ ଦେଲା। ଧାଈ ବିକି ଟଙ୍କା ଆଣିଲା । ଏହିପରି ସବୁଦିନେ କରି ୨ ସେ କୁଡ଼ିଆରେ କୁଡ଼ିଆଏ ଟଙ୍କା ହେଲା । ସାଧବଝିଅ କ‌ହିଲା, ଧାଈ ବେଠିଆ ଡ଼ାକିଆଣ, ଏ ଲଟା କାଟିବେ । ଧାଈ ବେଠିଆ ଡ଼ାକି ଆଣିଲା ସେ ସବୁ ଲଟା କାଟିଲେ କୋଠା ତୋଳିଲେ, ପୋଖରୀ ଖୋଳିଲେ, କୂଅ ବସାଇଲେ । ସାଧବଝିଅ ସେଉଠୁ ବଣିଆ ଡ଼କାଇ ଅଳଙ୍କାର ଗଢ଼ାଇଲା; ରୁପାବାସନ ସାରେ କଲା, ସୁନାବାସନ ସାରେ କଲା,ରୂପାଦୀପ, ସୁନାଦୀପ, ରୂପା ପିଲିସଜ, ସୁନା ପିଲିସଜ କଲା । ସବୁ କରିସାରି ଧାଈକି କ‌ହିଲା, ଯା କେଳାସାହିରୁ କନ୍ଥା ଆଉ କେଲୁଣୀସଜ ଆଣିବୁ । ଧାଈ କେଲୁଣୀ ସଜ ଆଣିଲା, ସାଧବ ଝିଅ କେଲୁଣୀସଜ ସବୁ ପିନ୍ଧିଲା, ଗୋଟିଏ ଚକିଆ ହାର ବେକରେ ଲଗାଇଲା, ତା ସ୍ୱାମୀଘର ଯୋଉଠି, ଗଲା ସେଇଠିକି ଭିକମାଗିବାକୁ । ସମସ୍ତେ ଭିକ ଦେଲେ, କ‌ହିଲେ କେଡ଼େ ସୁନ୍ଦର କେଲୁଣିଟିଏ ଆସିଚି । ସେ ରଜାପୁଅ ଆଉ ଗୋଟାଏ ବିଭାହୋଇଥାଏ ସେ କ‌ହିଲା ମୁଁ ଟିକିଏ କେଲୁଣୀକି ଦେଖନ୍ତି ? ନଅରଭିତରୁ ଜଳାବାଟେ କେଲୁଣୀକି ଦେଖିଲା । କେଲୁଣୀ ବେକରେ ଯୋଉ ଚକିଆ ହାରଟି ଥିଲା ତାକୁ ଦେଖି ନୂଆରାଣୀଙ୍କର ବଡ଼ ଲୋଭ ହେଲା; ରଜାପୁଅକୁ କ‌ହିଲା ମତେ ସେ ହାରଟିକି ଆଣିଦିଅ । ରଜା କେଲୁଣୀକି ସେ ହାରଟିକି କିଣିବାକୁ ମାଗିଲାରୁ ସେ ନାହିଁକଲା, ନୂଆରାଣୀ ଏକ ଯିଦ୍ ଲଗାଇଲେ ଯୋଉଠୁ, ରଜାପୁଅ କେଲୁଣୀକି କ‌ହିଅ, ମତେ ଏହାର ପନ୍ଦରଦିନ‌ଯାଇଁ ଦେଇଥା, ମୁଁ ତ‌ତେ ଫେରାଇଦେବି, କେଲୁଣୀ ନାହିଁ କରୁଥିଲା, ରଜାପୁଅ ଯାଉଁ ଭାରୀ ଯିଗର ଲଗାଇଲା ସାଧବଝିଅ କ‌ହିଲା, ହ‌ଉ ଭଲ‌ଲୋକ ଡ଼ାକ, ମୁଁ ଭଲ‌ଲୋକଙ୍କାଆଗରେ ତମକୁ ହାର ଦେବି । ଭଲ‌ଲୋକ ଆସିଲେ, ସାଧବଝିଅ କ‌ହିଲା, ତେମେମାନେ ସାକ୍ଷୀ ଥାଅ, ଏ ହାର ନଉଚନ୍ତି, ପନ୍ଦର ଦିନରେ

ଫେରାଇଦେବେ, ନ ଦେଲେ ୟାଙ୍କୁ ମୁଁ ସାଙ୍ଗରେ ନେଇଯିବି । ସମସ୍ତେ ସାକ୍ଷୀ ରହିଲେ, ସାଧବଝିଅ ହାର ଦେଇଗଲା । ସାଧବଝିଅ ଗୋଟିଏ ମୂଷା ପୋଷିଥାଏ, ମୂଷାକୁ କ‌ହିଲା ହଇରେ ମୂଷା ତୁ ଯାହାର ଲୁଣ ଖାଉ ତାର ଗୁଣ କରୁଟି ? ମୂଷା କହିଲା ତାହାର ଗୁଣ କରିବି ନାହିଁ, ଆଉ କାହାର କରିବି ? ସାଧବଝିଅ ମୂଷାକୁ କ‌ହିଲା ତୁ ଏ ଦେଶ ରଜାଘରକୁ ଯିବୁ, ରଜାପୁଅ ଭାରିଯା ଶୋଇଥିବ, ତା ବେକରେ ଯୋଉ ଚକିଆ ହାରଅଛି ତାକୁ କାଟି ଘେନି ଆସିବୁ । ମୁଷା ଗଲା ନୂଆରାଣୀଙ୍କ ବେକରୁ ହାରଟି କାଟି ଘେନି ଆସିଲା, ସାଧବଝିଅକୁ ଦେଲା, ସାଧବଝିଅ ହାରକୁ ରଖିଲା; ପନ୍ଦରଦିନ ଛାଡ଼ି ରଜାପୁଅ ପାଖକୁ ଗଲା; କହିଲା ମୋ ହାର ଦିଅ । ରଜାପୁଅ ଗଲା, ଭାରିଯାକୁ ହାର ମାଗିଲା, ରାଣୀ ବେକ ଦରାଣ୍ଡିଲାବେଳକୁ ହାର ନାହିଁ । ରାଣୀ କାବା ହୋଇ ବସିଲା, ରଜାପୁଅକୁ କହଲା,ମୋ ହାରଟି କିଏ ନେଇଗଲାଣି । ରାଜା ପୁଅ ବଡ଼ ହଇରାଣରେ ପଡ଼ିଲା, ତୁନି ହୋଇ ଘରେ ଲୁଚି ରହିଲା । କେଲୁଣୀ ଡ଼ାକି ୨ ଥକିଲା, ରାଜାପୁଅ ଅଉ ଶୁଣୁ ନଥାଏ । କେଲୁଣୀ ଭଲଲୋକମାନଙ୍କୁ ଡ଼ାକିଆଣିଲା, ଭଲ‌ଲୋକେ ସବୁ ରଜାପୁଅକୁ ଘରୁ ଡାକି ଆଣିଲେ । ସାଧବଝିଅ କହିଲା ମୋ ହାର ଦିଅନ୍ତୁ, ନଇଲେ ମୋ ସାଙ୍ଗରେ ଚାଲନ୍ତୁ । ରଜାପୁଅ ହାରର ଦାମ୍ ଯାଚିଲା, କେଲୁଣୀ କେଭେ ମାନିଲା ନାହଁ, ଏକଜିଦ୍ ଲଗାଇଥାଏ ହାର ନ ଦେଲେ ମେ। ସାଙ୍ଗରେ ଚାଲ । ଭଲ ଲୋକ କ‌ହିଲେ, କ‌ହିଛନ୍ତି ଯେତେବେଳେ ଯିବେ ନାହିଁ କଣ । ସାଧବଝିଅ ରଜାପୁଅକୁ ସାଙ୍ଗରେ ନେଇ କରି ଗଲା, ତା ଘରେ ରଖାଇଲା । କେଲୁଣୀ ବେଶ ଛାଡ଼ି ଭଲ ଲୁଗା ପିଦ୍ଧିଲା । ପୂଜାହାରୀକି ‌କ‌ହିଲା ଆଜି ଭଲ କରି ରନ୍ଧାବଢା କର । ପୂଜାହାରୀ ରୋଷେଇବାସ କଲା । ସାଧବଝିଅ ଯୋଉଘରେ ବସଉଠ କରେ ସେହିଘରେ ଯେଗାହେଲା । ରଜାପୁଅକୁ ଡ଼ାକି ଆଣିଲେ ଖାଇବାକୁ । ଭାତ ତରକାରୀ ସବୁ ସୁନାବାସନ ରୂପାବାସନରେ ବଢା

ହୋଇଥାଏ । ରଜାପୁଅ ଖାଇବସି ଦରଖିଆ ହେଲାଣି ସାଧବ ଝିଅ କ‌ହିଲା,'କଡ଼ା'କେ ମରି କଡ଼ାକେ ତରି କଡ଼ାକେ ଘର ଦୁଆର କରି; କଡ଼ାଏ କଉଡି ବେଉନ୍ତି ପାରିଲେ ନୃପତିକୁମରେ ବନ୍ଦୀ ବି କରି ।” ରଜାପୁଅ ସବୁ ବୁଝି ପାରିଲା, ଖାଇଲାଠଉଁ ଉଠିଯାଇ ସାଧବଝିଅ ହାତକୁ ଧରିପକାଇଲା, କ‌ହିଲା ତମେ ସେହି । ମୋ ଦୋଷ କ୍ଷମା କର । ଏହାକହି ସାଧବଝିଅକୁ ଘରକୁନେଇଗଲା, ତାକୁ ପାଟରାଣୀ କଲା, ଦି ଭାରିଯାକୁ ଘେନି ସୁଖରେ ରହିଲା; ମୁଁ ଗଲାକୁ କଥା ନ କହିଲା । ମୋ କଥାଟି ସରିଲା, ଫୁଲଗଛଟି ମରିଲା ।

ହଇରେ ଫୁଲଗଛ କାହିଁକି ମରିଲୁ ? ମତେ ଗାଈ ଖାଇଗଲା । ହଇରେ ଗାଈ କାହିଁକି ଖାଇଲୁ ? ମତେ ଗଉଡ଼ ଜଗିଲା ନାହିଁ । ହଇରେ ଗଉଡ଼ କାହିଁକି ଜଗିଲୁ ନାହିଁ ? ମତେ ବଡ଼ବୋହୂ ଭାତ ଦେଲାନାହିଁ । ହଇଲୋ ବଡ଼ବୋହୂ କାହିଁକି ଭାତ ଦେଲୁ ନାହିଁ । ମତେ ପୁଅ ଛାଡ଼ିଲା ନାହିଁ । ହଇରେ ପୁଅ କାହିଁକି ଛାଡ଼ିଲୁ ନାହିଁ । ମତେ ଧୂଳିଆଜନ୍ଦା କାମୁଡ଼ିଲା । ହଲରେ ଧୂଳିଆଜନ୍ଦା କାହିଁକି କାମୁଡ଼ିଲୁ ? ମୁଁ ତଳେ ୨ ଥାଏଁ କଅଁଳ ମାଉଁସ ପାଇଲେ ରୁଟ୍ କରି ଖାଏଁ ।

ସମ୍ପୂର୍ଣ୍ଣ ।

କଟକ ଦତ୍ତପ୍ରେସରେ ଶ୍ରୀହରମୋହନ ଦତ୍ତଙ୍କ ଦ୍ୱାରା
ମେସିନ୍‌ଯନ୍ତ୍ରେ ମୁଦ୍ରିତ ।