କବିତାବଳୀ/ଚନ୍ଦ୍ରଭାଗା

ଉଇକିପାଠାଗାର ରୁ
Jump to navigation Jump to search
କବିତାବଳୀ ଲେଖକ/କବି: ରାଧାନାଥ ରାୟ
ଚନ୍ଦ୍ରଭାଗା

ପ୍ରଥମ ପୃଷ୍ଠା


ଅଭିଷେକୋତ୍ସବ ଦର୍ଶନ ଆଶେ ସିଂହ ଦୁଆରେ,
ବିଜେ ଆଉ ଦେବ ଦେବୀଏ ଯେଝା ପୂଜା ସମ୍ଭାରେ ।
କେତେକ କାନନ ସଙ୍କୁଳ ରମ୍ୟ ସିକତାସ୍ଥଳ,
ଛାଡ଼ି ହରଚଣ୍ଡୀ ଆଗତ ଆଜି ଶ୍ରୀନିଳାଚଳ ।
ଭଗବତୀ ବାଣପୁରରୁ ଉପନୀତ ସ୍ୱଗଣେ,
ସୋଲରୀ ଦେଖଇ ସ୍ୱମୁଖ ଯହିଁ ହ୍ରଦ ଦର୍ପଣେ ।
ପ୍ରଭା ମଣ୍ଡଳରେ ମଣ୍ଡିତ ତନୁ କନ‌କ ଗୋରା,
ତୈଲଙ୍ଗୀ ବସନ ଭୁଷଣେ ପୁଣି ଦିଶଇ ତୋରେ ।
ଉଭା ସେ ଭୁବନ ଈଶ୍ୱରୀ ହେମଗିରି ବାସିନୀ,
ଏକାମ୍ର କାନନ ଦେବତା ବନ ପୁଷ୍ପ ଶୋଭିନୀ ।
ନରେନ୍ଦ୍ର ମଉଳି କୁସୁମ ରେଣୁ ରକ୍ତଚରଣା,
ମୈନାକ ଶିଖର ବାସିନୀ ରଣପୁର ମଣ୍ଡନା ।
ନାବିକ ଅର୍ଚ୍ଚିତ ଚର୍ଚ୍ଚିକା ଦେବୀ ବାଙ୍କି ଈଶ୍ୱରୀ,
ମହାନ‌ଦୀକୂଳେ ଯାହାଙ୍କ ଅଧିଷ୍ଠାନ ଶିଖରୀ ।
ମଣ୍ଡନ୍ତି ବଦନ ମଣ୍ଡଳ ଯେହୁ ସଦା ସୁହାଗେ,
ସରଣ୍ଡା ଦର୍ପଣ ଅଂଶୁପା ଶତଦଳ ପରାଗେ ।
ବରୁଣୀ ଶଇଳ ଶିଖରେ ପୁଣି ଯେହୁ ବସନ୍ତି,
ଧୂଅନ୍ତି ଯାହାଙ୍କ ଚରଣ ଝର ଲହରୀପନ୍ତି ।
ଏକାନ୍ତେ ସୁକାନ୍ତି ତନୁଜା ତୀର ଶୈଳବିହାର,
ଛାଡ଼ି ଦେବଦ୍ୱାର ଚଣ୍ଡିକା ବିଜେ ସିଂହହୁଆର ।
ହାଟକ ଗଉରୀ କଟକ ଚଣ୍ଡୀ ନାଗରୀ ବେଶେ,
ଅମଳ ରଜତ କୁସୁମ ଶୋହେ ଶ୍ୟାମଳକେଶେ ।

ପୃଷ୍ଠା ୨

ସଙ୍କଟତାରିଣୀ ଝଙ୍କଡ଼ ଦେବୀ ସିଂହ ସାରଳା
ଭଲ୍ଲୁକ ବିକଟ କାକଟ ପୁର ମହାମଙ୍ଗଳା
ଚିଲିକା ଲହରୀ ମାଳିକା ଭେରି ଗିରି ଉତ୍‌ଥିତ,
ଚଉଦିଗେ ନୀଳ ଚିଲିକା ବକ୍ଷ ତରଙ୍ଗାୟିତ ।
ଚନ୍ଦ୍ରାଲୋକେ ଯହିଁ ନିଶୀଥେ ଜଳଦେବୀ ସଙ୍ଗୀତ,
ଶୁଣନ୍ତି ଚକିତେ ନାବିକେ ଦୂରେ ବାହୁଁ ବୋଇତ ।
କାଳିଜାଈ ଦେବୀ ଆଗତ ଛାଡ଼ି ସେ ଗିରିଚୂଡ଼ା,
ଦିଶଇ ପରମ ମଞ୍ଜୁଳ ଶିରେ ତୈଲଙ୍ଗୀ ଜୂଡ଼ା ।
ମହୋଦ‌ଧି ଫେନପୁଞ୍ଜରୁ ଜାତ ଯେତେ ଅପ୍‌ସରୀ,
ରମାଙ୍କର ବାଲ୍ୟ ସଙ୍ଗିନୀ ସୁନ୍ଧୁ ଶିରୀ ସୁନ୍ଦରୀ ।
ସବିତା କୋଣାର୍କ ଦେବତା ନବଗ୍ରହ ବେଷ୍ଟିତ,
ମହାତେଜା ପୁଞ୍ଜବିଗ୍ରହ ସିଂହଦ୍ୱାରେ ଶୋଭିତ ।
ରତି ରତିପତି ସେ ଠାବେ ଆସି ମିଳିଲେ ଶେଷେ,
ଆଣିଥିଲେ ପୁଷ୍ପ ଭୂଷଣ ସିନ୍ଧୁ ସୂତା ଆଦେଶେ ।
ରୂପ ରଚନାରେ ବିରଞ୍ଚି ଶିଳ୍ପ ସୀମା ଏ ବେନି,
ଅବନୀରେ ଅବା ଉପମା କ‌ହ କି ଦେବି ଘେନି ?
ପ୍ରତିହାରୀ ଜୟ ବିଜୟ ଛାଡ଼ିଦେଲେ ସରଣୀ,
ପଛେ ଆସି ଆଗେ ପଶିଲେ ସ୍ମର ସ୍ମର ରମଣୀ !
ସ୍ୱଭାବେ ସର୍ବତ୍ର ବେନିଙ୍କ ଗତି ଅପ୍ରତିହତ,
ସୂର୍ଯ୍ୟ ନ ବୁଝିଲେ ଏ କଥା ହେଲେ ମର୍ମ ଆହତ ।
ମହୋତ୍ସବ ସାରି ସକଳେ ସ୍ୱର୍ଗ ଦ୍ୱାରେ ମିଳିଲେ,
ଯେଝା ପୁରେ ଯିବା ମାନସେ ନିଜ ଯାନେ ଚଢ଼ିଲେ ।
ବେଗେ ଦେବ ଦେବୀ ସ୍ୱପୁରେ ଗଲେ ନ ପାହୁ ନିଶି,
ସିନ୍ଧୁଜାତ ଯେତେ ଅପ୍‌ସରୀ ଗଲେ ତରଙ୍ଗେ ମିଶି ।
ଯିବା ବେଳେ ରବି କାମଙ୍କୁ କୋପେ ଚକ୍ଷୁରେ ଚାହିଁ,
କ‌ହିଲେ, "ଛଡ଼ାଇ ଦେବିଟି ତୋର ଏହି ବଡ଼ାଇ,
ସ୍ତ୍ରୈଣଜନ ମନ ମଜାଇ ତୋର ଏଡ଼େ ଗୁମାନ,
ତେଜସ୍ୱି ଧର୍ଷଣ ପ୍ରମାଦେ ଦିନେ ଯିବ ତୋ ପ୍ରାଣ ।

ପୃଷ୍ଠା ୩

ହର କୋପାନଳେ ଥରେ ତୁ ଜଳିଥିଲୁ ମଦନ,
ପୁଣି ଜଳିବାକୁ ଏ ଦେହେ ପରା ବଳିଛି ମନ ।
ସଂସାରେ ଯାବତ କଳଙ୍କ ତାର ଅଟୁ କରତା,
ନାରୀ, ନାରୀରଙ୍କ ନରଙ୍କ ତୁହି ଅଟୁ ଦେବତା ।
ଛାର ଫୁଲଧନରୁ ଧରି ତୁ ସୁରେ ବୋଲାଉ ଶୂର,
ଲଜ୍ଜା ଯାର ନାହିଁ ପାରେ ସେ ହେଳେ ଜିଣି ତ୍ରିପୁର ।
ଶୁଣି ସୂର୍ଯ୍ୟବାଣୀ କ‌ହ‌ନ୍ତି ହସି ହସି ମଦନ,
ଜଗତେ କେ ଲଙ୍ଘି ପାରିବ ଫୁଲଧନୁ ଶାଦନ ?
ଯେତେ ଦମ୍ଭ କର ହେଲେ ମୁଁ ଦମ୍ଭ ହରିବି ଦିନେ,
ତୁମ୍ଭ ପ୍ରତିକୂଳେ ତୁମ୍ଭଙ୍କୁ ସାକ୍ଷୀ କରିବି ଦିନେ ।
ତମୋଦମ୍ଭହର ଜଗତେ ତୁମ୍ଭ କର ସରି କେ ?
ଦମ୍ଭି ଦମ୍ଭ ହର ତେସନ ଫୁଲଶର ସରି କେ ?
ଦାରୁଭେଦକ୍ଷମ ଭ୍ରମର ପଶି କମଳ କୋଳେ,
ପାଶୋରେ ଆପଣା ବିକ୍ରମ ପ୍ରେମ ମୋହ‌ନ ଭୋଳେ ।
ସୁକୁମାର ପଣେ ନଳିନୀ ତୁଲେ କେ ଅଛି ଆନ ?
ତା ସଙ୍ଗେ ଛନ୍ଦିଲା ତୁମ୍ଭଙ୍କୁ ସିନା ଫୁଲ କମାଣ ।
ଯେ ଯେଡ଼େ ତେଜସ୍ୱୀ ତା ତେଜ ମୋତେ ଅଛଇ ଜଣା,
ଫୁଲସର ଆଗେ ପଡ଼ିଲେ ବୁଦ୍ଧି ହୁଅଇ ବଣା ।
ଏହା କ‌ହି ଦେବ କୁସୁମ ଧର ପ୍ରିୟା ସଙ୍ଗତେ,
ଅନ୍ତରୀକ୍ଷେ ଲୁଚି ରହିଲେ ମୀନ‌କେତନ ରଥେ ।
ପ୍ରତିକ୍ଷଣ ଦେବ ପାଞ୍ଚିଲେ ପ୍ରତିଶୋଧ ଭିଆଣ,
ବେଲେଶ୍ୱର ଦିବ୍ୟ ସୁଯୋଗ ଜାଣି ଶାଣିଲେ ବାଣ ।
ସୁମନ୍ୟୁ ନାମରେ ପରଶୁ ରାମ ଶିଷ୍ୟ ପ୍ରବର,
ମହୋଦ‌ଧି ତୀରେ ସମାଧି ଯୋଗେ ଥିଲେ ତ‌ତ୍ପର ।
ଚନ୍ଦ୍ରଭାଗା ନାମେ ଦୁହିତା ସେହି ଋଷି ପ୍ରଭାବେ,
ସାରେ ଅପ୍‌ସରି ଗର୍ଭରୁ ଜନ୍ମିଥିଲା ସେ ଠାବେ ।
ପାଳିଲେକ ଅତି ଯତନେ ଯତି କନ୍ୟାରତନ,
ଯଥାକାଳେ ଅଙ୍ଗ ମଣ୍ଡିଲା ଅଭିନବ ଯୌବନ ।
ନେତ୍ର‌ଯୁଗେ ଯୁବା ପିଅନ୍ତି ଯେଉଁ ରୂପ ଅମୃତ,
ସେ ଅମୃତେ କଲା ଯୌବନ ବାଳା ତନୁ ଧଉତ ।

ପୃଷ୍ଠା ୪

ଶୋଭା ସେ ଲଭିଲା ଅପ୍‌ଶରୀ ଦିବ୍ୟ ଶୋଭାକୁ ବଳି,
ଫୁଟିଲା ଲାବଣ୍ୟ ସରସେ ନବ କମଳ କଳୀ ।
ସ୍ୱଭାବେ ସୁବର୍ଣ୍ଣ ଯୌବନ ହେଲା ଯୋଗ୍ୟ ରସାଣ,
ରୂପାସ୍ତ୍ରର ହେଲା ରୂପସୀ ଷଷ୍ଠ ଅମୋଘ ବାଣ ।
ସତ୍ୟେ ଶକୁନ୍ତଳା ଯେମନ୍ତ ରୂପ ରାଜ୍ୟେ ଅତୁଳା,
ଚନ୍ଦ୍ରଭାଗା ହେଲା କଳିଲେ ଦିବ୍ୟ ଶୋଭା ପିତୁଳା ।
ଥିଲେ ଚନ୍ଦ୍ରଭାଗା ଜନନୀ ପୂର୍ବେ ବାଲ୍ୟ ସମୟେ,
ପ୍ରିୟ ସ‌ହଚରୀ ରମାଙ୍କ ନୀଳ ବରୁଣାଳୟେ ।
ସଖୀ ଅନୁରୋଧେ ଇନ୍ଦିରା ଦେଲେ କୋଠଭଣ୍ଡାରୁ,
ଚନ୍ଦ୍ରଭାଗା ପାଇଁ ବିବିଧ ବସ୍ତ୍ର ବିବିଧ ଚାରୁ ।
କୁମୁଦ ହାସିନୀ ସୌନ୍ଦର୍ଯ୍ୟ ମଦେ ସଦା ବିହ୍ୱଳ,
ପ୍ରମୋଦେ ଭ୍ରମଇ ପ୍ରମଦା ସଦା ବିଜନ ସ୍ଥଳ ।
ବିଷ ପ୍ରାୟେ ପ୍ରେମ ପ୍ରସଙ୍ଗେ ସଦା ଅରୁଚି ତାର,
ପୁରୁଷ କଥାକୁ ଡରେ ସେ କରେ ଦୁରୁ ଜୁହାର ।
କିନ୍ତୁ ରୂପ ଥିଲେ ପ୍ରଚ୍ଛନ୍ନେ କେବେ ରସିକ ଛାଡ଼େ ?
ମଧୁ ଥିଲେ ପୁଷ୍ପେ ଜତନେ ଖୋଜି ମଧୁପ କାଢ଼େ ।
ଯେ ଅଟେ ଜଗତ ଜନର  ମନ-ନୟନ-କାରା,
ଅପ୍ରକଟ ହୋଇ ରହିବା  ପାଇଁ କାହିଁ ତା ଚାରା ?
ରୂପ ଆକର୍ଷଣ ପ୍ରବଳ ନରେ କିବା ଅମରେ,
ଭୈମୀସ୍ୱୟମ୍ବରେ ପ୍ରମାଣ ହୋଇଅଛି ସତରେ ।
ମଧୂର ପ୍ରଦୋଷ ସମୟ ସ୍ୱର୍ଣ୍ଣ କିରଣ ବୋଳା,
କାଦମ୍ବିନୀ ଖେଳେ ଗ‌ଗନେ ଧୀର ସମୀରଲୋଳା ।
ଗୋଧୁଳି ଗ‌ଗନ ସୁଚିତ୍ର ଦିଶେ ଶତ ବରଣେ,
ଶତ ମନୋରଥ ଝଲକେ ଯେହ୍ନେ ଆଶା କାନନେ ।
କଇଁସାରିଲତା-ଶ୍ୟାମଳ ବାଲିସ୍ତୁପର ଛାୟା,
ଦିବା ଅବସାନ ଦେଖିଣ କ୍ରମେ ବିସ୍ତାରେ କାୟା ।
ବରୁଣୀ ଦର୍ପଣ ପରାୟେ ଝଳେ ସରସ ସଲିଳ,
ସୁବର୍ଣ୍ଣ ଲହରୀ ସୃଜଇ ତ‌ହିଁ ମନ୍ଦ ଅନିଳ

ପୃଷ୍ଠା ୫

ନୀଳ ପାରାବାର ଅଦୂରେ ଗାଏ ଅମର ଗୀତ,
ଅମର ତରଙ୍ଗ ନର୍ତ୍ତନେ ବେଳା ହୁଏ ଧ୍ୱନିତ ।
ଶୁକ୍ତି ତାରକିତ ସୈକତେ ଫେଞ୍ଚୂଡ଼ ଲହରୀ,
ଚୁମ୍ବେ ଚନ୍ଦ୍ରଚୂଡ଼ ଚରଣ ସ୍ତରେ ସ୍ତରେ ସଞ୍ଚରି ।
ନାନା ଜାତି ପୁଷ୍ପ ପରାଗ ଧୀରେ ହରେ ସମୀର,
ଗୁଡ଼କଙ୍କ ଘେନି କନ୍ଦୁକ କ୍ରିଡ଼ା କରେ ସମୀର ।
ଯୂଥ ଯୂଥ ହୋଇ ଭ୍ରମନ୍ତି ନାନା ରଙ୍ଗେ ହରିଣ,
ତରଙ୍ଗ ଚାହାଣୀ ଚାହାନ୍ତି ଚାରୁ ଗ୍ରୀବା ତୋଳିଣ ।
କନ୍ଦୁକ କ୍ରିଡ଼ାରେ ସୁନ୍ଦରୀ ଆଜ ରତ ଏ ସ୍ଥଳେ,
ଉଠୁଛି ପଡ଼ୁଛି କନ୍ଦୁକ ଚାରୁ କର କମଳେ ।
କନ୍ଦୁକର ଗତି କଳନ୍ତେ କ୍ରୀଅ ଲୋଳ ଲୋଚନ,
ଚଳ ଭୁରୁ ଚାରୁ ନର୍ତ୍ତନ ଦେଶେ କିବା ଶୋଭନ ।
ଲମ୍ବିତ ସୁଗୋଲ ନିତମ୍ବ ବିମ୍ବେ ହେମ ମେଖଳା,
ସ୍ତନାଙ୍କୁରେ ବ୍ୟସ୍ତେ ଦୋଳି ମୋତି ମାଳା ତରଳା ।
ଶ୍ରବଣେ ଦିଳଇ କୁଣ୍ଡଳ କୋଳେ ନୀଳ ଅଳକ,
ଲାବନ୍ୟଦର୍ପଣ ପରାୟେ ଝଳେ ଗଣ୍ଡ ଫଳକ ।
ଅର୍ଦ୍ଦେନ୍ଦୁ ଲ‌ଲାଟେ ସିନ୍ଦୁର ବିନ୍ଦୁ ରମଇ ଆଖି,
ନୁହଇ ସିନ୍ଦୁର, ରହିଛି ସ୍ମର ହୃଦୟେ ଲାଖି ।
ଦଶନ ଅଂଶୁକ ମିଶଇ ନାସାମଣି ଅଂଶୁକେ,
ମୃଗମଦବିନ୍ଦୁ ସୁନ୍ଦର ଶୋଭେ ଚାରୁ ଚିବୁକେ ।
କାମ କାଳକୂଟ କାଳିମା ଭୁରୁଯୁଗଳ ଧରେ,
ପ୍ରବାଳ ଲତା କି ଅଧର ଆହା ରୁପସାଗରେ ।
ବିଳାସ ବିଳୋଳ ଲୋଚନ ତାରା କନ୍ଦୁକ ସଙ୍ଗେ,
ଉଦ୍‌ବେଗେ ଭ୍ରମଇ ଚୌଦିଗେ କିବା ମଧୁର ରଙ୍ଗେ ।
ତୁଟେ ଯୁବା ଧୈର୍ଯ୍ୟ କବଚ ପ୍ରତି କଟାକ୍ଷ ତୀରେ,
ଉଠେ ନବ ଶୋଭା ତରଙ୍ଗ ପ୍ରତି ଅଙ୍ଗ ଭଙ୍ଗୀରେ ।
ଅସମ୍ଭାଳେ ଫିଟି କୁନ୍ତଳ ଭୂମି ଯାଏ ପରଶି,
ଯେଣେ ଅନାଉଛି ଲଳନା ଫୁଲ ଯାଏ ବରଷି ।
କୁକୂଳ ବକରୀ ସମ୍ଭାଳୁ ଅଛି ଦକ୍ଷିଣେତର,
ଫିଙ୍ଗୁଛି ଧରୁଛି କନ୍ଦୁକ ବାମା ଦକ୍ଷିଣ କରେ ।

ପୃଷ୍ଠା ୬

ଶୋଭା ସଦନାକୁ ମଦନ ଦେଖି ହେଲେ ହରଷ,
ପ୍ରତିଫଳ ଦେବେ ରବିଙ୍କି ମନେ ହେଲା ସାହସ ।
ଅର୍କ କୋଣାର୍କରୁ ଏ କାଳେ ଆସୁଥିଲେ ଆକାଶେ,
ନୟନ ତାଙ୍କର ଦଇବେ ଗଲା ସୁନ୍ଦରୀ ପାଶେ ।
ବଧୂଳ ଅଧରୀ କନ୍ଦୁକ ଫିଙ୍ଗି କର ପତାଇ,
ଚାରୁ ଭୁରୁ ରଙ୍ଗେ ନ‌ଚାଇ ଦେଲା ଉର୍ଦ୍ଧ୍ୱକୁ ଚାହିଁ ।
ଏହି କାଳେ ଦୃଷ୍ଟି ରବିଙ୍କ ବାଳା ବର ବଦନେ,
ପଡ଼ିଲା, ଉଡ଼ିଲା ହୃଦୟ ଧୈର୍ଯ୍ୟ ବୁଡ଼ିଲା କ୍ଷଣେ ।
ଉଭା ଶୋଭା ଦେଖି ରବିଙ୍କ ଭାବ ସିନ୍ଧୁ ଉଛଳେ,
ଅବସର ଏବେ ବୁଝିଲେ ମନୋଭବ କୌଶଳେ ।
ଫୁଲ କାଣ୍ଡ ଫୁଲ କୋଦଣ୍ଡ ଚାଣ୍ଡେ ଆକର୍ଣ୍ଣ ଟାଣି,
ସମ୍ମୋହ‌ନ ବାଣେ ରବିଙ୍କ ଦେଲେ ହୃଦୟ ହାଣି ।
ବିପରୀତେ ମୀନ‌କେତନ ଖଞ୍ଜି ସେ ଫୁଲଶର,
ବିରାଗେ ମୃଗାକ୍ଷୀ ଗଞ୍ଜିନୀ ତନୁ କଲେ ଜର୍ଜର ।
ଅନୁରାଗ ମନେ ଉପୁଜେ ଯେଉଁ କୁସୁମ ବାଣେ,
ଓଲଟା ଯୋଖିଲେ ସେ ବାଣ ପୁଣି ବିରାଗ ଆଣେ ।
ଫଳେ ଅନୁରାଗ, ବିରାଗ କଙ୍କପତ୍ରେ ତାହାର,
ପରିଣାମେ ତେଣୁ ବିରସ ମନୋଭବ ବିକାର ।
ବିପ୍ର‌ଯୁବା ବେଶେ ମିହିର ବାଳା ସମୀପେ ଗଲେ,
ସ୍ୱର୍ଣ୍ଣତାଳ ପ୍ରାୟ ଶରୀର ଚଉଦିଗେ ଉଜଳେ ।
ମେରୁଗିରି ତଟେ ଅମର ଧୂନୀ ଯଥା ଶୋଭିତ,
ଶୁଭ୍ର ଉପବୀତ ତେସନ ସ୍କନ୍ଧଦେଶେ ଲମ୍ବିତ ।
ମିହିରଙ୍କୁ ଦେଖି ନିକଟେ ନାରୀ ମୁକୁଟି ହୀରା,
ବେଗେ ପଳାଇଲା ଛଇଳା ଲାଜ ଭୟେ ଅଧୀରା ।
ବିଦ୍ୟୁତ ବରଣୀ ବିଦ୍ୟୁତ ବେଗେ ଧାଏଁ ବେଳାରେ,
ଯେତେ ଦୂର ଯାଏ ରବିଙ୍କ ମନ ସେତେ ଓଟାରେ ।
ଅଧୀର ସ‌ହସ୍ର-ଦୀଧିତି ଧୀରା ପଛେ ଗୋଡ଼ାଇ,
ଧନୀକି ସମ୍ବୋଧି କାତର ସ୍ୱରେ କ‌ହ‌ନ୍ତି ରାଇ ।
"କାହିଁ ପଳାଉଛୁ ସୁନ୍ଦରୀ ହୋଇ ଏଡ଼େ କାତର,
ଚରଣକିଙ୍କର ଜନ‌କୁ କିପାଁ ଏଡ଼େ ତୋ ଡର ।
ଚଞ୍ଚଳାକ୍ଷି ତୁ କି ପାଞ୍ଚିଲୁ ମୋତେ ବ୍ରାହ୍ମଣ କରି?
ବଞ୍ଚାଇ ରଖିଛି ବିଶ୍ୱକୁ ସିନା ତେଜ ମୋହରି ।

ପୃଷ୍ଠା ୭

ବିଶ୍ୱଚକ୍ଷୁ ମୁହିଁ ତପନ ତ୍ୱିଷାମ୍ପତି ମୋ ନାମ,
ପ୍ରଭାପୁଞ୍ଜ ଯେତେ ଜଗତେ ତାର ଅଟେ ମୁଁ ଧାମ ।
ବନ୍ଧା ମୋର ସ୍ନେହ ରଜ୍ଜୁରେ ଏହି ଚାରୁ ସୃଜନ,
ଛିଣ୍ଡିଲେ ସେ ରଜ୍ଜୁ ଉତ୍ପାତେ ସର୍ବେ ହେବେ ନିଧନ ।
ବର୍ଷ ମାସ ଦିନ ଲିତାର ମୁହିଁ ଅଟେ ଅଧିପ,
ଖଟନ୍ତି ଊତୁଏ ସେବକ ପ୍ରାୟେ ମୋର ସମୀପ ।
ଚିତ୍ରକର ପ୍ରାୟେ ମୋ କର ଚିତ୍ରୁଅଛି ସଂସାର,
ତ‌ହୁଁ ନବ ଶୋଭା ତରଙ୍ଗ ଭବେ ଉଠେ ଅପାର ।
ଅସଂଖ୍ୟ କ୍ଷତ୍ରିୟ ଭୂପତି ମୋର ବଂଶ ସମ୍ଭୁତ,
ପୂତ କଲେ ବଂଶ ଏ ବଂଶେ ଜନ୍ମ ଲଭି ଅଚୂତ ।
କୋଣାର୍କ କ୍ଷେତ୍ରରେ ମୋହର ଏହି ତୁଙ୍ଗ ମନ୍ଦିର,
ଉତ୍‌କଳ ଦେବୀଙ୍କ ମୁକୁଟ ପ୍ରାୟେ ରାଜେ ରୁଚିର ।
ସୁରତରୁ କୁଞ୍ଜେ ମଞ୍ଜୁଳ ମୋର ମୈତ୍ରେୟ ବନ,
କୁସୁମ ସମ୍ପଦେ ବିରାଜେ ଯହିଁ ଋତୁରାଜନ ।
ଭୋଜରାଜସୂତା ଲଭିଲା ମୋତେ ଭଜି ଦ୍ୱାପରେ,
ମହାବିର୍ଯ୍ୟବନ୍ତ କୁମର ନର-ହର୍ଯ୍ୟକ୍ଷ ନରେ ।
ମନ୍ତ୍ର ବଳେ କୁନ୍ତି ଆକର୍ଷି ମୋତେ ଆଣିଣ ଥିଲା,
ଆଣିଲୁ ଲାବଣ୍ୟ ରଜ୍ଜୁରେ ବାନ୍ଧି ତୁହି ଛଇଳା ।
ରାଜରାଜେଶ୍ୱରୀ ସୁଷମା ରାଜ୍ୟେ ତୁହି ସୁନ୍ଦରୀ,
ଛାୟାମୟୀ ଛାୟା ନୁହେଁ ତୋ ଦାସୀପଣକୁ ସରି ।
ପ୍ରଦକ୍ଷିଣ କରେ ମୋ ରଥ ନିତ୍ୟ ମେରୁ ପର୍ବତ,
ଅସଂଖ୍ୟ ଅପ୍‌ସରୀ ଦେଖଇ ବେଶଭୂଷାରେ ରତ ।
ଦେଖି ନାହିଁ କେବେ ଏମନ୍ତ ମନୋହର ମାଧୁରୀ,
ଶୋଭା ଦେଖି ଶୋଭା କମଳା ଦୁଃଖେ ମରିବେ ଝୁରି ।
ନୟନ ନିମେଷ ବିହୀନ କରି ରଚିଲେ ବିଧି,
ସାର୍ଥକ କଲୁ ଏ ବିଧିକି ତୁହି ଲାବଣ୍ୟ ନିଧି ।
ଶତୃ ମୁଁ ନୁହଇ ତୋହର କର ଯୋଡ଼ି ମାଗଇ,
ସ୍ଥିର ହୁଅ ମୃଦୁ ଚରଣେ ବଡ଼ ବ୍ୟଥା ଲାଗଇ ।
ତ‌ହୁଁ ବଳି ବ୍ୟଥା ଲାଗଇ ବାଳା ହୃଦେ ମୋହରି,
ସୁକୁମାରୀ ହୋଇ କଷଣ ଏଡ଼େ ଲଭିଲୁ ଗୋରୀ ।

ପୃଷ୍ଠା ୮

ମୁହଁ ମାଡ଼ି ତଳେ କଚାଡ଼ି ବାଳା ପଡ଼ିବୁ ଝୁଣ୍ଟି,
କୁଶାଙ୍କୁର ଯିବ କୋମଳ ଚାରୁ ଚରଣ ଫୁଟି ।
ଛଞ୍ଚାଣ ମୁଖରୁ କପୋତ ଏହି ରୂପେ ପଳାଏ,
ଶ୍ୱାନଠାରୁ ଭୀରୁ ଶଶକ ପ୍ରାଣ ବିକଳେ ଧାଏଁ ।
ସିଂହଠାରୁ ଖରେ ପଳାଏ ମୃଗ ଏ ରୂପେ ସିନା,
କିଣା କିଙ୍କରକୁ ଏ ଶଙ୍କା କିମ୍ପା କରୁ ନବୀନା ।
ରଖ ଏ ଜୀବନ ସେବକ ପଦେ ବରି ସୁନ୍ଦରୀ,
ତୋହ ଦୟା ବିନା ଗଲିଟି ନିଶ୍ଚେ ସରି ସୁନ୍ଦରୀ ।
ବୃଥା ହେଲା ଏତେ ମିନତି ଏତେ ଚାଟୁ ବଚନ,
ପଳାଇଲା ଋଷିକୁମାରୀ ବେଗେ ହୋଇ ଉଚ୍ଛନ୍ନ ।
ବିରାଗେ ଧାଉଁଛି ଲଳନା ରାଗେ ଲୋକଲୋଚନ,
ବେନି ଭାବ ଘେନି ହୃଦୟେ କରେ ବେଗ ବର୍ଦ୍ଧନ ।
ମାୟା ବିପ୍ର ରୂପେ ପଶ୍ଚାତେ ଅନୁସରନ୍ତି ହରି,
ଡୋର ଲଗ୍ନ ଥୋପ ଯେସନ ଅନୁସରେ ଶଫରୀ
ପଳାୟନେ ପୁଣି ସୁନ୍ଦରୀ ଦିଶେ ସୁନ୍ଦରତର,
ଅସମ୍ଭାଳ ବେଶ ଭୂଷଣ ଆହା, କି ମନୋହର ।
ଶାଣ ଶୀର୍ଣ୍ଣ ପ୍ରାୟେ ଅଙ୍ଗନା ଅଙ୍ଗ ଚାରୁ ଚଳନ,
ବାସ ତ ଉଡ଼ାଇ ଦେଖାଏ ରଙ୍ଗେ ସିନ୍ଧୁ ପବନ ।
ଚୂମ୍ବି ଚରଣକୁ ଟିକୁର ରାଜି ଦୋଳେ ଚରମେ,
ମଦନ କେତନ ଉଡ଼ଇ କିବା ଶୋଭା ଆଶ୍ରମେ ।
କଳିବାକୁ ଏହି ସୌନ୍ଦର୍ଯ୍ୟ ଧୈର୍ଯ୍ୟ ସୂର୍ଯ୍ୟଙ୍କ କାହିଁ,
ନ ଧରିଲେ ସେହି ବାଳୀକୁ ତାଙ୍କ ତ୍ରାହି ତ ନାହିଁ ।
ହେମାଙ୍ଗ ହଳଦୀ ବସନ୍ତ ଦେଖି ଯେହ୍ନେ ଛଞ୍ଚାଣ,
ଅନ୍ତରୀକ୍ଷେ ଧାଏଁ ସଳଖେ କ୍ଷଣପ୍ରଭା ସମାନ ।
ଜୀବନ ବିକଳେ ସଭୟେ ଖରେ ଧାଏଁ ଦୁର୍ବଳ,
ଖରତର ବେଗେ ଜୀବିକା ଆଶେ ଧାଏଁ ପ୍ରବଳ ।
ମୁହୁଃ ଚଞ୍ଚୁମୂନ ସଞ୍ଚାଣ ପଛୁଁ କରେ ବିସ୍ତାର,
ମଣେ କରଗତ ପଲକେ ପରା ହେଲା ଶିକାର ।
ହଳଦୀବସନ୍ତ ଏକାନ୍ତେ ପ୍ରାଣ ଭୟେ ଅସ୍ଥିର,
କ୍ଷଣେ ଧୃତ କ୍ଷଣେ ମୁକତ ମଣେ ନିଜ ଶରୀର ।

ପୃଷ୍ଠା ୯
 
କାଞ୍ଚନ ପୁଚ୍ଛକୁ ସଞ୍ଚାଣ ଚଞ୍ଚୁକ୍ଷଣେ ପରଶେ
ଚଞ୍ଚଳେ ଏଡ଼ାଇ ଶିକାର ଖରେ ତୀର୍ଯ୍ୟକେ ଖସେ ।
ଏହି ରୂପେ ହରି ଧାଆନ୍ତି ପ୍ରେମ‌ଭୋଳେ ବିହ୍ୱଳ,
ଅବଳାକୁ ବାଳାକୁ ଏରୂପେ ଭୀତି ଦିଅଇ ବଳ ।
ହରିଣ ଲୋଚନା ଏରୂପେ ଧାଏଁ ଉତ୍ତରମୁଖେ,
ଉତ୍ପକ୍ଷ୍ମଲୋଚନେ ହରିଣେ ଦୂରୁ ଦେଖନ୍ତି ଦୁଃଖେ ।
ଅତ ଦୃତ ବେଗେ ଦଉଡ଼ି ଅବସାଦେ ଜଡ଼ତ,
ଉର୍ଦ୍ଦ୍ୱଶ୍ୱାସେ ଧନୀ ଉଦ‌ଧି କୂଳେ ହେଲା ସ୍ଥଗିତ ।
କଣ୍ଠାଗତପ୍ରାଣ କାରୁଣ୍ୟ ମୂର୍ତ୍ତି ପ୍ରାୟେ ବରାକୀ
ହାତ ଯୋଡ଼ି ନିଜ ମାତାଙ୍କୁ କ‌ହେ ଉଦ୍ଦେଶ୍ୟେ ଡାକି ।
"ଦୁଃଖ ଫେଡ଼ ମୋର ଜନନୀ ହର ଏ ରୂପ ମୋର,
ବିଭୁଷଣ ହୋଇ ହେଲା ଏ ସିନା ଦୂଗଣ ଘୋର ।
ଦିବ୍ୟ ରୂପ ତୋର, ତା ସଙ୍ଗେ ଅଛି ଦିବ୍ୟ ଶକତି,
ଶକ୍ତିହୀନ ରୂପ କେବଳ ସିନା ଲଭେ ଦୁର୍ଗତି ।
ଭୁତଧାତ୍ରି ମାତା ବସୁଧା ଦ୍ୱିଧା ହୁଅ ତୁ ଲବେ,
ଶରଣ ସମ୍ଭାଳ, ଆଶ୍ରୟ ମୋତେ ଦିଅ ଗରଭେ ।
ଏମନ୍ତ କ‌ହ‌ନ୍ତେ ଉଠିଲା ଉର୍ମି ପର୍ବତାକାର,
ନୀଲ ବାହୁ ନୀଳ ସାଗର କିବା କଲେ ବିସ୍ତାର ।
ମହାକଳରବେ ଉଡ଼ିଲେ ନଭେ ଜଳ ବିହ‌ଙ୍ଗ,
ବେଳାମୂଖେ ମାଡ଼ି ଆସିଲା ବିଶ୍ୱାଗ୍ରାସୀ ତରଙ୍ଗ ।
ମିଶିଯାଏ ଯଥା ପ୍ରଭାତି ତାରା ରବି କିରଣେ,
ମିଶିଯାଏ ଯଥା ଜୀବାତ୍ମା ବିଶ୍ୱ ଆତ୍ମା ଚରଣେ ।
ମିଶିଯାଏ ଯଥା ଚପଳା ନୀଳ ଜଳଦ ଅଙ୍ଗେ,
ମିଶିଗଲା ତ‌ଥା ଅବଳା ସେହି ନୀଳ ତରଙ୍ଗେ ।
ସ୍ତମ୍ଭୀଭୁତ ହୋଇ ରହିଲେ ରବି ମହାବିସ୍ମୟେ,
ଭୟ ଏତେ ଦିନେ ପଶିଲା ଭୟଶୂନ୍ୟ ହୃଦୟେ ।
ଘନ‌ଘୋଷ ପ୍ରାୟେ ଏ କାଳେ ହେଲା ଶବ୍ଦ ଭୈରବ,
ଚକିତେ ଚାହିଁଁଲେ ପଶ୍ଚିମେ ପ୍ରଭୁ ଅବ୍‌ଜ ବାନ୍ଧବ ।
ଭୂମିସାତ ଦେବ ଦେଖିଲେ ନିଜ ପ୍ରିୟ ଦେଉଳ,
ଉତ୍କଳଭୁବନେ ଦେଉଳେ ଯାହା ଥିଲା ଅତୁଳ ।
ଧ୍ୟାନ ଯୋଗେ ଜାଣି ସୁମନ୍ୟୁ ସୂର୍ଯ୍ୟ କାର୍ଯ୍ୟକଳାପ,
କୋପାନଳେ ଜଳି ତପସ୍ୱୀ ଦେଲେ ଦାରୁଣ ଶାପ ।
ସେହି ଶାପ ଯୋଗୁ ପଡ଼ିଲା ତଳେ ଦେଉଳରାଜ,
ଦିବୁଁ ଦେବଶିଳ୍ପୀ ଯା ଦେଖି ଲଭି ଥିଲେ କି ଲାଜ ।
ବିଷମ କୁସୁମ କୋଦଣ୍ଡ ଦଣ୍ଡ ଲଭିଣ ଭଲେ,
ବିମନା ହୋଇଣ ମାର୍ତ୍ତଣ୍ଡ ଗଲେ ନିଜ ମଣ୍ଡଳେ ।
କୋଣାର୍କ କ୍ଷେତ୍ରରୁ ଉଠିଲା ଅର୍କପୂଜା ବିଧାନ,
ପରିଣତ ହେଲା ସେ ଦିନୁ ମରୂ ରୂପେ ସେ ସ୍ଥାନ ।
ସେ ପୂର୍ବ ଗୌରବ-ସାକ୍ଷିଣୀ ମୁଖଶାଳା ମାତର,
ପ୍ରତିଧ୍ୱନୀ ଛଳେ ପାନ୍ଥକୁ ଏବେ ଦିଏ ଉତ୍ତର ।

== ସମାପ୍ତ ==