କବିତାବଳୀ/ତୁଳସୀ-ସ୍ତବକ

ଉଇକିପାଠାଗାର ରୁ
Jump to navigation Jump to search

ବର୍ଷା ରାଗ – କଳହଂସକେଦାର

ପ୍ରସ୍ରବଣ-ଶଇଳେ କଲେ ବସତି ସୌମିତ୍ରି ସଙ୍ଗେ ପ୍ରଭୁ ରାଘବ-ପତି, ବହଇ ଗୋଦାବରୀ ସେ ଗିରି-ପାଦେ ଶିଳାବନ୍ଧୁର-ଶେଯେ ଝର୍ଝର ନାଦେ ।

ଏକେ ସୁନ୍ଦର ଗିରି ଝର-ଶିରାଳ, ଦୁଜେ ମହୀରେ ବିଜେ ବରଷାକାଳ; ମେଘମାଳେ ମେଦୁର ଦେଖି ବିତାନ, କହନ୍ତି ଲକ୍ଷ୍ମଣଙ୍କୁ ଶ୍ରୀ ରଘୁରାଣ -

“ଲକ୍ଷ୍ମଣ, ଘନ ଦେଖି ନାଚଇ କେକୀ, ଭକତ ଯଥା ଭବମାୟା ଉପେକ୍ଷି; ବିତରେ ଅକାତରେ ଜୀବନ ଘନ, ଧନ୍ୟ ଯେ ଦାତା ଜାଣେ ଯାଚକ-ମନ ।

ନୀଳ ନୀରଦମାଳେ ଖେଳେ ଚପଳା, ଖଳପୀରତି ପ୍ରାୟେ ସଦା ଚପଳା; ବର୍ଷନ୍ତି ମହୀମୁଖେ ନଇଁ ଅମ୍ୱୁଦେ, ବିଦ୍ୟା ସମ୍ପଦେ ଯଥା ନମନ୍ତି ବୁଧେ ।

ବେନି କୋଟିକି ନିହି ବେନି ଶିଖରେ, ତ୍ରିବର୍ଣ୍ଣ-ଜ୍ୟୋତି-ସ୍ରୋତ ସୃଜି ଅମ୍ୱରେ, ମଣ୍ଡେ ଜୀମୂତ-ଭାଲ ଶକ୍ର-କାର୍ମ୍ମୁକ, ଆଶା ଉଜଳେ ଯଥା ଆସ୍ତିକ-ମୁଖ ।

ଠାବେ ଠାବେ ଶଇଳ-ନୀଳବିଗ୍ରହେ ଧବଳ ଅଭ୍ରଖଣ୍ଡ କି ଶୋଭା ବହେ । ଚିତ୍ତେ ହୁଅଇ ପ୍ରତେ ପଡିଛି ଟିକି କ୍ଷୀରୋଦ-ଫେଣ ବିଷ୍ଣୁ ଅଙ୍ଗେ ଛିଡିକି ।

ଜଳପ୍ରପାତ ଗର୍ଜି ଗଭୀର ରବେ ତୁଙ୍ଗ ଭୃଗୁରୁ ଡେଇଁ ପଡେ ଭୈରବେ, ସେ ରାବେ ପ୍ରତିରାବ ଦିଅଇ ଦରୀ, ଧର୍ମ୍ମଶାସନେ ହୃଦୁଁ ବିବେକ ପରି ।

ସହନ୍ତି ଧାରା-ପାତ ଶଇଳଗଣ, ଖଳ ବଚନ ଯଥା ସହେ ସୁଜନ; ଫିଟିଛି ଝର, ଦେଖ ଟାଙ୍ଗର-ଅଙ୍ଗେ, ପାଷାଣ୍ଡେ ହରି-ପ୍ରେମ ଯଥା ସୁସଙ୍ଗେ ।

ଚାଲନ୍ତି କୂଳ ଲଙ୍ଘି ଗିରି-ସରତେ, ମତ୍ତ ପାମର ଯଥା ଅଳପ ବିତ୍ତେ, ଗୋଦାବରୀକି ସର୍ବେ କରନ୍ତି ଗତି, ମହତ-ଆଶ୍ରା ବିନୁ କାହିଁ ମୁକତି ?

ଆବିଳ ନବଜଳ ପରଶି ମହୀ, ମାୟାରେ ଜୀବ ଯଥା ଜଡି ହୁଅଇ, ନିରତେ ନୀର-ପାତେ ପୁରିଲା ସର ସାତ୍ତ୍ୱିକ-ଗୁଣେ ଯଥା ସାଧୁ-ଅନ୍ତର ।

ନିମ୍ନଗା-ନୀର ବେଗେ ସାଗରେ ଧାଏଁ, ଶାଶ୍ୱତେ ଭକ୍ତ ଜନ ମନ ପରାୟେ; ସାଗରେ ନିଜ ଗୋତ୍ର ଯାଏ ବିସ୍ମରି, ଭକ୍ତ ତନ୍ମୟ ଯଥା ଲଭିଲେ ହରି ।

ଉପୁଡି ପଡେ ତୀର-ବିଟପୀ ନୀରେ, ବିଟପୀ ମନ ଯଥା ଲମ୍ପଟ-ଗିରେ, ମାତ୍ର ଶଇଳ, ଦେକ, ଉଭା ଅଟଳେ, କାମି-ଚାଟୁରେ ସତୀ ମନ କି ଟଳେ ?

ଲଙ୍ଘଇ ନଦୀସ୍ରୋତ ସେତୁବନ୍ଧନ, ରାଜଦ୍ରୋହୀ ଯେସନ ରାଜଶାସନ; ବହି ଯାଉଛି ବାରି ଭେଦି କିଆରୀ, ମର୍ଯ୍ୟାଦା ଲଙ୍ଘେ ଯଥା ସ୍ୱତନ୍ତ୍ର-ନାରୀ ।

ଦର୍ଦ୍ଦୁର-ରବ ଶୁଣି ନୀରବ ପିକ, ମୂଢ଼ ସଭାରେ ମୂକ ଯଥା ଧାର୍ମିକ; ଡାହୁକ ବଂଶକୁଞ୍ଜେ ନିରତେ ରାବେ, ବହୁଭାଷୀ ଯେସନ ଜଳ୍ପେ ସ୍ୱଭାବେ ।

ହରିତ ଦୁର୍ବାଦଳେ ହୋଇ ମଣ୍ଡନ, ନିଦାଘ ରୁକ୍ଷ ମହୀ ଦିଶେ ଯତନ, ସରସ ସାଧୁ ହୃଦ ହୁଏ ଯେପରି, ଶୁଷ୍କ ବୈରାଗ୍ୟେ ଭକ୍ତିରସ ସଞ୍ଚରି ।

ପଲ୍ଲବ କଅଁଳିଲା ବୃକ୍ଷେ ଅନେକ, ସାଧକ-ହୃଦେ ଯଥା ଉଦେ ବିବେକ, ଅର୍କ-ପାଦପ ହେଲା ପତ୍ରବିହୀନ, ସୌରାଜ୍ୟେ ଖଣ୍ଟେ ଯଥା ହୁଅନ୍ତି ଦୀନ ।

କଦମ୍ୱ ବିକଶିଲା ଗିରି-କାନନେ, କଦମ୍ୱ-ବନ୍ଧୁ-ମେଘ-ମନ୍ଦ୍ର ନିଃସ୍ୱନେ; ଭକତବନ୍ଧୁ ହରିନାମ କୀର୍ତ୍ତନୁ, ହର୍ଷେ ପୁଲକେ ଯଥା ଭକତ ତନୁ ।

ଗୁଳ୍ମ ଗହଳେ ପଥ ଗଲାଟି ହରି, ବିଧର୍ମୀ-ରାଜପଣେ ଶାସ୍ତ୍ର ଯେପରି; ଶସ୍ୟେ ବସୁଧା କେଡେ ଶୋଭା ଆସ୍ପଦ, ଉପକାରୀ ଜନର ଯେହ୍ନେ ସମ୍ପଦ ।

ଉଭେଇ ଗଲେ ନଭୁଁ ଜ୍ୟୋତିଷ୍କଗଣେ; ଜ୍ୟୋତି ଦେଖାଇ ହେଲେ ଜ୍ୟୋତିରିଙ୍ଗଣେ, ମୂର୍ଖରାଜ୍ୟେ ଯେସନ ବଢ଼େ ଆଦର ନିର୍ଗୁଣେ, ଗୁଣିଜନେ ହୁଅନ୍ତି ପର ।

କୃଷକେ ଉପାଡନ୍ତି ବାଳୁଙ୍ଗା କ୍ଷେତୁଁ, ସାଧୁ ଯେସନ ଆତ୍ମବଡ଼ିମା ଚେତୁଁ; ସଲିଳୁଁ ପଳାଇଲେ କୋକେ ତ୍ୱରିତେ, ଅବୁଝା ରାଜା ରାଜ୍ୟୁଁ ଯଥା ପଣ୍ଡିତେ ।

ନ ଉଠେ ନୀର-ସତ୍ତ୍ୱେ ତୃଣ ଉଷରେ, ବିକାରେ କାମ ପ୍ରାୟେ ସନ୍ଥ-ଅନ୍ତରେ; ଜନ୍ତୁ-ସଂକୁଳ ବନସ୍ଥଳୀ ସମ୍ପ୍ରତି, ସୌରାଜ୍ୟେ ପ୍ରଜାପୂର୍ଣ୍ଣ ରାଷ୍ଟ୍ର ଯେମିତି ।

ବାଟୋଇ ଠାବେ ଠାବେ ଅଟକି ରହେ, ଇନ୍ଦ୍ରିୟ ଯଥା ଦିବ୍ୟଜ୍ଞାନ ଉଦୟେ, ପ୍ରବଳ ବାୟୁ କେବେ ତଡ଼େ ଜଳଦ, କୁପୁତ୍ର ଯଥା କୁଳ-ଧର୍ମ, ସମ୍ପଦ ।

କ୍ଷଣେ ନିବିଡ଼ତମ ଗ୍ରାସଇ ଧରା କ୍ଷଣେ ଉପୁଜେ ପୁଣି ପ୍ରଚଣ୍ଡ ଖରା, କୁସଙ୍ଗ ଏହିପରି ସୁସଙ୍ଗ ନାଶେ, ସୁସଙ୍ଗ ଏହିପରି ଜ୍ଞାନ ପ୍ରକାଶେ ।

ଦେଖ, ମଳିନ ହୋଇ ଆଶ୍ରମ ସର ନ ବହେ ହୃଦେ ଛବି ତୀର ବନର, ମତିକି କଳୁଷିତ କଲେ ଯେସନେ ଅକ୍ଷମ ଜନେ ପର ଗୁଣ ଗ୍ରହଣେ ।

ଦେଖ ଦେଖ ଅଗ୍ରତେ ସରସୀ-ଜଳେ ପଡି ମଣ୍ଡୁକ କ୍ରୁର ଅହି କବଳେ ବିକଳେ ରାବୁଁ ରାବୁଁ, ଊର୍ଦ୍ଧ୍ୱେ ଉଡ୍ଡୀନ ଉହୁଙ୍କି ଶିଶୁ କଙ୍କି ଦେଲା ଗିଳିଣ ।

କାଳ କବଳେ ସିନା ଏ ରୂପେ ଭାଇ, ଆରତେ ନର ଘାରି ହେଉଣ ଥାଇ, ତେବେହେଁ ମନାସଇ ଲଭି ଏ ଦଶା ମେଣ୍ଟାଇବାକୁ ଭବ-ଭୋଗ-ଲାଳସା ।

ବରଷାକାଳ ଅଟେ ଉଦ୍ଭିଦ-ମିତ୍ର, ମାତ୍ର ପଙ୍କଜ ମଲା, ନୁହେଁ ବିଚିତ୍ର ! ଜଳ-ଗହଳ ହେଲା ତା ପକ୍ଷେ ଯମ, ଅତି ସମ୍ପଦ, ବାବୁ, ମହାବିଷମ ।”