କବିତାବଳୀ/ବେଣୀ ସଂହାର
ଦେଖଣା
< କବିତାବଳୀ
| ପ୍ରଭାତିଲା ବିଭାବରୀ, ହସିଲେ ଉଜ୍ଜ୍ୱଳେ, | ପଙ୍କଜବରଣୀ ଉଷା ଉଦୟ ଅଚଳେ । |
| ନବୋଦିତ ଦିନମଣି ଆରକ୍ତକିରଣ, | କାଞ୍ଚନ-ଶିବିର-ଚୂଡ଼ା ଚୂମ୍ବିଲା ବହନ । |
| ଝର ଝର ଝରେ ନିଶିପତିତ ତୁଷାର, | ଦୁଇ ଦଳେ ରଣସଜ୍ଜା କଲେ ଯେ ଯାହାର । |
| ବାଜିଲା ବିବିଧ ବାଦ୍ୟ, ମାତି ବୀରରସେ, | ଆୟୁଧ ଆସ୍ଫାଳି ବୀରେ ଧାଇଁଲେ ସାହସେ । |
| ବୀରମଦେ କେହି ବୀର କାର୍ମୁକ ଟଙ୍କାରେ, | କେ ଅବା ଆସ୍ଫାଳି ଆସି ଭୀଷଣ ହୁଙ୍କାରେ । |
| ଦୋଳେ ଝକ ଝକ ପୃଷ୍ଠେ ଫଳକ ବର୍ତ୍ତୁଳ, | କେ ଅବା ଉନ୍ମାଦ ଶୂନ୍ୟେ ଭୁଷଇ ତ୍ରିଶୂଳ । |
| ଭାବି ପ୍ରତିପକ୍ଷ ବକ୍ଷ ଲକ୍ଷି କେହି ବୀର, | ଧାଆନ୍ତେ କବଚେ ବାଜି ବାଜଇ ତୂଣୀର । |
| ଗମ୍ଭୀର ସମର ବାଦ୍ୟ, ଅସ୍ତ୍ରର ଝନ୍ ଝନି, | ସିଂହନାଦ ଶଙ୍ଖନାଦ ବ୍ୟାପଇ ଅବନୀ । |
| ପ୍ରଚଣ୍ଡ ପାଣ୍ଡବ-ଯୋଧେ ଆୟୁଧ ଭାସ୍ୱର, | ଧରି କ୍ରୋଧେ ମହାଯୁଦ୍ଧେ ଧାଇଁଲେ ସତ୍ୱର । |
| ଯେସନେ ଭୀଷଣଘୋଷୀ ପଶ୍ଚିମ ଅନିଳ- | ଆଘାତେ ସଂଘାତେ ଧାଏଁ ତରଙ୍ଗ ଫେନିଳ । |
| ଆଗେ ସିନ୍ଧୁ ନୀଳବକ୍ଷେ ଉଚ୍ଛୁଳି ଉଚ୍ଛ୍ୱାସେ, | ହଲାଇ ଖେଳାଇ ଚୂଡ଼ା ଟେକଇ ଆକାଶେ । |
| ଦମ୍ଭୋଳି ଆରବେ ପୁଣି ଗରଜି ଗମ୍ଭୀର, | ସ୍ତରେ ସ୍ତରେ ତଟେ ଲାଗି ପିଟେ ତହିଁ ଶିର । |
| ଉତ୍ତୁଙ୍ଗ ମଳୟ ଗିରି ଚରଣେ ଆଶ୍ରତ, | ଇତର ଶିଖରିକୁଳ କରେ କବଳିତ । |
| ତେସନେ ମୁଖରି କ୍ଷେତ୍ର ଭୈରବ ଆରବେ, | କ୍ଷତ୍ରିୟହର୍ଯ୍ୟକ୍ଷ ଶୂରେ ଧାଇଁଲେ ଆହବେ । |
| ଦେବାକୃତି ସୂରବୃନ୍ଦ ସର୍ବେ ବୀର୍ଯ୍ୟଶାଳୀ, | ତେଜସ୍ୱୀ ମଧ୍ୟାହ୍ନେ ଯେହ୍ନେ ଦେବ ଅଂଶୁମାଳି । |
| ଧର୍ମ୍ମଙ୍କ ଛାମୁରୁ ପାର୍ଥ ଘେନିଣ ମେଲାଣି, | କପିଧ୍ୱଜେ ବିଜେ କଲେ ସଙ୍ଗେ ଚକ୍ରପାଣି । |
| ବିଶୋକ ସାରଥି ପ୍ରତି କହେ ଭୀମବୀର, | ରଖ ରଥେ ସୂତ ! ବହୁ ଖାରଶାଣ ତୀର । |
| ଆଜି ଧୃତରାଷ୍ଟ୍ର ହେବ ପୁତ୍ରପୌତ୍ରହୀନ, | ଆଜି ବସୁନ୍ଧରା ହେବ ଧର୍ମଙ୍କ ଅଧୀନ । |
| ଆଜି ଦୁର୍ଯ୍ୟୋଧନ ରାଜା ଶୋଇବ ଭୂତଳ, | କପଟ ପାଶାର ଆଜି ଦେବି ପ୍ରତିଫଳ । |
| ଯାବତ ନମିଳେ ଆସି ପାର୍ଥ ମହାରଥି, | ସସଜ୍ଜ ମୋ ରଥ ବେଗେ କର, ତୁ ସାରଥି । |
| ଏ ସମୟେ ଉତ୍ତରେ ଶୁଭିଲା କୋଳାହଳ, | ଆବରେ ଅର୍ଜୁନ ବାଣ ଗଗନ ମଣ୍ଡଳ । |
| କପିଧ୍ୱଜ ଅଶ୍ୱହ୍ରେସା, ଦେବଦତ୍ତ ସ୍ୱନ, | ଶୁଭିଲା, ସିଶିଲା ଦୂରେ ବାନର-କେତନ । |
| ଦୁଇ ଦଳେ ମହାରୋଷେ ମିଳିଲେ ସମରେ, | ଶନ ଶନ ଶରକୁଳ ଚାଲିଲା ଅମ୍ବରେ । |
| ଖଡ଼ଗେ କଡ଼ଗ ବାଜେ, ଫଳକେ ଫଳକ, | ଶୂଳେ ଶୂଳ, ଭଲ୍ଲେ ଭଲ୍ଲ, ସାୟକେ ସାୟକ । |
| ଆର୍ତ୍ତନାଦ ସିଂହନାଦ ଉଠଇ ଅମ୍ବରେ, | ଘାତକ ଆହାର ପରେ ନାଦେ ଦମ୍ଭଭରେ । |
| ଘୋଟକ-ଝପଟ-ଧୂଳି ଘୋଟେ ନଭସ୍ଥଳ, | ଘର୍ଘରି ଘୂରଇ ଚକ୍ର ଉଗାରି ଅନଳ । |
| ତୂରୀ ଭେରୀ ଆଦି ବାଦ୍ୟ ବାଜେ ଅଗଣନ, | ଘନଘଟା-ଘୋରଧ୍ୱନି ବଧିର ଶ୍ରବଣ । |
| ପଡ଼ିଲେ କିରୀଟି-ଶରେ କୁରୁ-ଚତୁରଙ୍ଗ, | ଭୟେ କୁରୁବୀରବୃନ୍ଦ ରଣେ ଦେଲେ ଭଙ୍ଗ । |
| ଦେଖିଣ ସୌବଳ କହେ ରାଜାର ଛାମୁର, | "ଦେଖ ରାଏ ! ସୈନ୍ୟକ୍ଷୟ କଲା ପାର୍ଥଶୂର । |
| ମୁଁ ଯାଇ କରିବି ଆଗ ଭୀମକୁ ସଂହାର, | ନୋହିଲେ କୁରୁଙ୍କୁ ଆଜି ନାହିଁ ଯେ ନିସ୍ତାର" । |
| ମହାବଳ ସୌବଳ ଧାଇଁଲେ ଭୀମପ୍ରତି, | ଯୁଝନ୍ତି କେଶରୀ ପ୍ରାୟେ ବେନି ସେନାପତି । |
| ପ୍ରହାରଇ ଶକ୍ତି ଭୀମ ସଉବଳ ମାଥେ, | ହୁଞ୍ଚୁଡ଼ି ସେ ଶକ୍ତି ବୀର ନେଲା ବାମହାତେ । |
| ସେହି ଶକ୍ତି ଘେନି ପୁଣି ଭୀମକୁ ପ୍ରହାରେ, | ମୂର୍ଚ୍ଛିତ ହୋଇଣ ଭୀମ ପଡ଼ିଲେ ଧରାରେ । |
| ମୂର୍ଚ୍ଛାଭଙ୍ଗେ ରଣଭଙ୍ଗେ ମାତିଲେ ମାରୁତି, | ବାଣେ କୁରୁବୀରକୁ ସେ ପକାଇଲେ ପୋତି । |
| କ୍ରୋଧାନ୍ଧେ ବିନ୍ଧିଲା ବୀର-ସୌବଳ-ଶରୀର, | ଭେଟିଲା ସୌବଳ-କର୍ଣ୍ଣମୂଳେ ଭୀମତୀର । |
| ମୂର୍ଚ୍ଛିତ ହୋଇଣ ବୀର ହେଲା ରଥଶାୟୀ, | ବେଗେଣ ସାରଥୀ ରଥ ନେଲା ବାହୁଡ଼ାଇ । |
| ଧନୁ ଏଡ଼ି ଗଦା ନେଲେ ପବନକୁମାର, | ଗଦାଘାତେ ଅରାତିଙ୍କୁ କଲେ ସେ ଜର୍ଜ୍ଜର । |
| ଧୂମକେତୁ ଭୀମ-ପୁଚ୍ଛ ସଞ୍ଚାଳି ବହନ, | ନିଶୀଥେ ଆକାଶେ ଥାଇ ବୁଲଇ ଯେସନ । |
| ଦୁର୍ଭିକ୍ଷ ମଡ଼କ ରାଷ୍ଟ୍ରେ, ସୁବର୍ଣ୍ଣ ମଣ୍ଡିତ, | ପ୍ରଚଣ୍ଡ ଆୟସୀ ଗଦା ବୁଲାଇ ତ୍ୱରିତ । |
| ବିପକ୍ଷଙ୍କୁ ତେସନ ପ୍ରରଇ ପ୍ରେତପୁର, | କୁରୁକୁଳ-ଧୁମକେତୁ ଭୀମ ମହାଶୂର । |
| ମାତଙ୍ଗେ ମାହୁନ୍ତ ପଡ଼େ ତୁରଙ୍ଗେ ରାଉତ, | ପଡ଼ନ୍ତି ପଦାତି ରଣେ ଅୟୁତ ଅୟୁତ । |
| ବେଗେ କୁରୁବଳେ ନେଲେ କର୍ଣ୍ଣଙ୍କ ଶରଣ, | କର୍ଣ୍ଣଙ୍କୁ କାତରେ କହେ ରାଜା ଦୁର୍ଯ୍ୟୋଧନ । |
| "ଦେଖ ଅଙ୍ଗରାଜ ! ବେଗେ ଆସେ ପାର୍ଥବୀର, | ଶୁରାଶୁର ଯୁଦ୍ଧେ ଯାର ନିର୍ଭୟ ଶରୀର । |
| ତୂଳାରାଶି ମହାବାତେ ଉଡ଼ଇ ଯେସନ, | ତେସନ ପଳାନ୍ତି ତ୍ରାସେ କୁରୁସୈନ୍ୟଗଣ । |
| ତୁମ୍ଭେ ସାହା ଥାଉ ସଖା ଘଟେ ଏ ଦୁର୍ଗତି ! | ଶୁଣିଣ ରୁଷିଲା ବୀର କର୍ଣ୍ଣମହାମତି । |
| ଶଲ୍ୟଙ୍କୁ ଆଦେଶେ ବୀର, ବେଗେ ନିର ରଥ, | ଆଜି ନିଶ୍ଚେ ପାର୍ଥକୁ କରିବି ରଣେ ହତ ।" |
| ଅଶ୍ୱଙ୍କୁ ସାରଥୀ କଲେ ଛାଟଣି ପ୍ରହାର, | ଗଲା ଗଜଧ୍ୱଜ ବେଗେ ନକ୍ଷତ୍ର ଆକାର । |
| ହ୍ରେସାରବେ ଦୃତଗତି ଧାଇଁଲେ ଘୋଟକ, | ଘର୍ଘରି ଘୁରଇ ଚକ୍ର ଉଗାରି ପାବକ । |
| ମହାବୀର୍ଯ୍ୟ ବୀର ସୂର୍ଯ୍ୟଙ୍କ କୁମର, | ଧୈର୍ଯ୍ୟ ବିର୍ଯ୍ୟ ମହୀତଳେ ନାହିଁ ପଟାନ୍ତର । |
| ଗହନ ବିପିନେ ଯେହ୍ନେ ଅନଳ ଦୁର୍ବାର, | ତେସନେ ପାଣ୍ଡବବଳ କଲା ନାରଖାର । |
| ମସ୍ତକେ ଉଜ୍ଜ୍ୱଳ ଶୋହେ ସୁବର୍ଣ୍ଣ ମୁକୁଟ, | ମେରୁ ମହୀଧରେ ଯେହ୍ନେ ଶୋହେ ହେମକୂଟ । |
| ଗଜଧ୍ୱଜ-ରଥେ ବିଜେ ବୀରଚୂଡ଼ାମଣି, | କୋଦଣ୍ଡ ଟଙ୍କାରେ ମୁହୁଃ କମ୍ପଇ ଅବନୀ । |
| ଶ୍ରବଣେ କୁଣ୍ଡଳ ଦୋଳେ, ଶରଦେ ଯେମନ୍ତ, | ପ୍ରାଚୀମୂଳେ ନିଶା ଅନ୍ତେ ତାରା ଦୀପ୍ତିମନ୍ତ । |
| ଯେବେ ମହୋଦଧି-ଜଳେ ଦେହ ଅବଗାହି, | ହସେ ପ୍ରାଚୀ-ଶିରେ ଧନୀ ଉଷାକୁ ଅନାଇ । |
| ସଦ୍ୟ ସିନ୍ଧୁସ୍ନାନେ ତନୁ ଦ୍ୱିଗୁଣ ଝଟକେ, | ଶିରୋମଣି ରୂପେ ରାଜେ ରଜନୀ-ଅଳକେ । |
| ଦୈତ୍ୟଯୁଦ୍ଧେ ଚଣ୍ଡତେଜା ଶିଖଣ୍ଡି-ବାହକ, | ନର୍ତ୍ତିତ-କିରୀଟ ଦେବ କାର୍ତ୍ତିକ ଯେସନ । |
| କୌରବ-ଗୌରବ-ରବି ଦେବଙ୍କ ନନ୍ଦନ, | କୁରୁଯୁଦ୍ଧେ ଧନୁର୍ଦ୍ଧର ଦୁର୍ଦ୍ଧର୍ଷ ଯେସନ । |
| କର୍ଣ୍ଣ ଦେଖି କୁରୁବଳ କଲେ ସିଂହନାଦ, | ଆତଙ୍କେ ପାଣ୍ଡବବଳ ଗଣିଲେ ପ୍ରମାଦ । |
| କର୍ଣ୍ଣ ଦେଖି ଭୀମସେନ ହେଲେ ଅଗ୍ରସର, | ବେଗେଣ ବିନ୍ଧଇ ବୀର ଖରଶାଣ ଶର । |
| ଭୀମଙ୍କ ସହାୟ ହେଲେ ପାଣ୍ଡୁ ଯୋଦ୍ଧାଗଣ, | ସହଦେବ, ଧୃଷ୍ଟଦ୍ୟୁମ୍ନ, ଦୃପଦ-ନନ୍ଦନ । |
| ଶିଖଣ୍ଡି, ନକୁଳ ଆସି ମିଳିଲେ ସତ୍ୱର, | ସମସ୍ତଙ୍କୁ ନିବାରିଲା କର୍ଣ୍ଣ ଏକେଶ୍ୱର । |
| ବେନି ଶରେ ନକୁଳକୁ କଲା ଅଚେତନ, | କଟାକ୍ଷେ ଛେଦିଲା ସହଦେବ ଶରାସନ । |
| ଚାରି ବାଣେ ଧୃଷ୍ଟଦ୍ୟୁମ୍ନ ହୋଇଲେ ବିରଥ, | ହେଳେ ସଂହାରିଲା ପାଣ୍ଡୁ-ସୈନ୍ୟ ଶତଶତ । |
| ଏକଶରେ କାଟିଲା ଭୀମ ଧନୁର୍ଗୁଣ, | ସୈନ୍ୟଭଙ୍ଗ ଦେଖି ଦୂରେ ଗର୍ଜିଲେ ଅର୍ଜୁନ । |
| ସଂଶପ୍ତକ ରଣେ ରତ ପାର୍ଥ ଧନୁର୍ଦ୍ଧର, | ଏଣେ ଆସିବାକୁ ତିଳେ ନାହିଁ ଅବସର । |
| ସଂସପ୍ତକ-ସେନାପତି କୃପ ମହାଶୟ, | ଯଝନ୍ତି ଅର୍ଜୁନ ସଙ୍ଗେ ନିର୍ଭୟ ହୃଦୟ । |
| ମହାରୋଷେ ବିନ୍ଧେ ବାଣ ପାର୍ଥ ମହାଶୂର, | ଶତ ଶତ ସଂଶପ୍ତକ ଗଲେ ପ୍ରେତପୁର । |
| କୃପଙ୍କୁ ବିନ୍ଧିଲେ ବକ୍ଷେ ତୀକ୍ଷ୍ଣତର ଶରେ, | ଶୋଣିତ ଉଗାରେ କୃପ ପଡ଼ି ରଥପରେ । |
| କଟାକ୍ଷ ପୁଣ୍ଡରୀକାକ୍ଷ ନେଲେ କପିଧ୍ୱଜ, | ଜୁଝଇ ଦୁର୍ଦ୍ଧର୍ଷ ତହିଁ ଭାସ୍କର-ଆତ୍ମଜ । |
| କର୍ଣ୍ଣକୁ ଦେଖିଣ ଗର୍ଜେ ପାର୍ଥ ବୀରମଣି, | ପକ୍ଷୀନ୍ଦ୍ର ଗରୁଡ଼ ଯେହ୍ନେ ଦେଖି ଭକ୍ଷ ଫଣୀ । |
| କର୍ଣ୍ଣାର୍ଜୁନ-ମହାରଣ ନାହିଁ ପଟାନ୍ତର, | ଅନ୍ତରୀକ୍ଷେ କୁତୂହଳେ ଦେଖନ୍ତି ଅମର । |
| କଳିଙ୍ଗ ସଙ୍ଗତେ ଯୁଝେ ଦ୍ରୁପଦ କୁମର, | ଉଭୟ ଯୁଝନ୍ତି ଯେହ୍ନେ ମତ୍ତ କରିବର । |
| ଧୃଷ୍ଟଦ୍ୟୁମ୍ନ ବିଶିଖେ କଳିଙ୍ଗ ହେଲେ ନାଶ, | ନିକାଶି ଦେବାକୁ ଗଲେ ସମନ ସକାଶ । |
| ମହୋଦଧୀ ତୀରେ ରମ୍ୟ ପ୍ରାସାଦେ ସେ ଥିଲେ, | ରଣ ନିମନ୍ତ୍ରଣ ରାଏ କୁକ୍ଷଣେ ଘେନିଲେ । |
| ସିକ୍ଷୁ-ବାୟୁ-ବିଧୂନିତ ରମ୍ୟ ଉପବନ, | ସୁରମ୍ୟ ରମଣୀ ଛାଡ଼ି କଲେ ଆଗମନ । |
| ଆସିଥିଲେ ବୀରପଣ ଦେଖାଇବା ଆଶେ, | କୁରୁକ୍ଷେତ୍ରେ ପଡ଼ିଲେ ସେ ଗୋମାୟୁ ଗରାସେ । |
| କର୍ଣ୍ଣ ଏଡ଼ି କୃତବର୍ମା ସଙ୍ଗେ ଯୁଝେ ଭୀମ, | ପ୍ରତାପେ ଅନନ୍ତ ସମ ରଣେ ଅପ୍ରତିମ । |
| କୃତବର୍ମା ସହାୟ ହୋଇଲେ ଦୁର୍ଯ୍ୟୋଧନ, | ଉଗ୍ରାୟୁଧ ଦୁଃଶାସନ ବୀର ବିରୋଚନ । |
| ସମସ୍ତଙ୍କୁ ନିବାରଇ ଭୀମ ଅବହେଳେ, | ମତ୍ତ ମତଙ୍ଗଜ ଯେହ୍ନେ ନଳବନେ ଖେଳେ । |
| ଗଦାଘାତେ ଦୁର୍ଯ୍ୟୋଧନ ରଥ ହେଲା ଚୂର୍ଣ୍ଣ, | ଶୋଣିତେ ସମର ସ୍ଥଳୀ ହେଲା ସେ ପିଶୁନ । |
| ସାରଥି ସହିତେ କୃତବର୍ମା ରଥ ହୟ, | ଉଗ୍ରାୟୁଧ ବିରୋଚନ ଗଲେ ଯମାଳୟ । |
| ରଥୁଁ ଖସି ବେନି ଭାଇ ପଡ଼ିଲେ ଧରାରେ, | ପୁଷ୍ପିତ ଶାଳ୍ମଳୀ ଯେହ୍ନେ ପଡ଼ଇ କାନ୍ତାରେ । |
| ଚଡ଼ ଚଡ଼ ଉଡ଼େ ଯେବେ ପଡ଼ଇ ଚଡ଼କ, | ଉପୁଜାଇ ବିଶ୍ୱବାସୀ ହୃଦୟେ ଦମକ । |
| ପତନେ କବଚ ଗାତ୍ରେ ବାଜଇ ଝନ୍ ଝନ୍, | ଇଷ୍ଟଦେବ ସ୍ମରି ଶୂରେ ମୁଦିଲେ ନୟନ । |
| ବଡ଼ ପ୍ରିୟ ବେନି ଏହୁ ଥିଲେଟି ରାଜାର, | ଦୁରନ୍ତ କୃତାନ୍ତ କିଛି ନକଲା ବିଚାର । |
| କୋମଳ ଶୟନେ ଦୁହେଁ ନିତ୍ୟ ଶୋଉଥିଲେ, | କୁରୁକ୍ଷେତ୍ରେ ଏବେ ମହାନିଦ୍ରାକୁ ଭଜିଲେ । |
| ଭ୍ରାତୃଶୋକେ ଦୁଃଶାସନ ନେତୃ ଜଳ ଝରେ, | ମହାକ୍ରୋଧେ ଅଗ୍ରସର ହେଲେ ସେ ସମରେ । |
| ଦେଖି କ୍ଷେତ୍ରେ କ୍ଷତ୍ରଗ୍ଳନି ଦୁଷ୍ଟ ଦୁଃଶାସନ, | ବଜ୍ରନାଦେ ଗର୍ଜି ଭୀମ ଧାଇଁଲେ ତକ୍ଷଣ । |
| ରୌଦ୍ରରୂପୀ ମହାବୀର ଧାଇଁଲେ ସରୋଷେ, | ବାଜିଲେ ଉରୁରେ ଅସି ଗୁରୁ ଆସି କୋଷେ । |
| 'ଏତେଦିନେ' କହେ ଭୀମ ଗର୍ଜିଣ ନିର୍ଘାତେ, | ଏତେଦିନେ ଆରେ ଦୁଷ୍ଟ ପଡ଼ିଲୁ ମୋ ହାତେ । |
| କ୍ଷତ୍ରିକୁଳ-କୁଳାଙ୍ଗାର ଆରେରେ ନିର୍ବୋଧ, | ପୂର୍ବଋଣ ଆଜିରେ କରିବି ପରିଶୋଧ । |
| ପ୍ରଚଣ୍ଡେ ଆୟସ ଗଦା ଆସ୍ଫାଳି ଭିଷଣେ, | ଧାଏଁ ଭୀମ ଧକ ଧକେ ଅନଳ ଲୋଚନେ । |
| ତ୍ରାସେ ଦୁଃଶାସନ ବୀର ବେଗେ କ୍ଷେପେ ଶର, | ନିବାରେ ବୁଲାଇ ଗଦା ଭୀମ ଗଦାଧର । |
| ତ୍ରସ୍ତେ ବ୍ୟସ୍ତେ ଦୁଃଶାସନ ଅନ୍ୟ ଅସ୍ତ୍ର ମାରେ, | ସେହିରୂପେ ବୃକୋଦର ସେ ଅସ୍ତ୍ର ନିବାରେ । |
| ଗଦାଘାତେ ଦୁଃଶାସନ ରଥ ଭୀମ ନାଶେ, | ଲଜ୍ଜା ଏଡ଼ି ଦୁଃଶାସନ ପଳାନ୍ତି ତରାସେ । |
| ଅନ୍ତରୀକ୍ଷେ କପୋତକୁ ଦେଖିଣ ସଞ୍ଚାଣ, | ବଜ୍ରନଖ ଧାଏଁ ଯେହ୍ନେ ବିଜୁଳି ସମାନ । |
| ଇତର ପକ୍ଷେ କରୁଥାନ୍ତି କୋଳାହଳ, | ଏଣେତେଣେ ନିଜ ପ୍ରାଣ ଆତଙ୍କେ ବିକଳ । |
| କପୋତ ସଞ୍ଚାଣ ମୁଖ ଏଡ଼ାଇବା ଆଶେ, | ଆତଙ୍କେ ବିବିଧ ରଙ୍ଗେ ଉଡ଼ଇ ଆକାଶେ । |
| କ୍ଷଣେ ଉଠେ, କ୍ଷଣେ ପଡ଼େ, କ୍ଷଣେ ଉଲଟଇ, | କିଛି ଦୂରେ ଯାଇ ପୁଣି ଖରେ ଲେଉଟଇ । |
| ଅନ୍ତରୀକ୍ଷେ ବ୍ୟଗ୍ର ନେତ୍ରେ ଆଶା ଲେଡୁଥାଏ, | ଜୀବନ ବିକଳେ ମୁହୁଃ ସଞ୍ଚାଣକୁ ଚାହେଁ । |
| ତେସନେ ପଳାଏ ରଣେ ଦୁଷ୍ଟ ଦୁଃଶାସନ, | କ୍ଷଣେ ରହେ କ୍ଷଣେ ଧାଏଁ, ଭୟେ ଉଚ୍ଚାଟନ । |
| ଆକୁଳେ କୌରବ ଦଳ କଲେ ହାହାକାର, | ଧାଏଁ ଭୀମସେନ ବେଗେ ନକ୍ଷତ୍ର ଆକାର । |
| କାଞ୍ଚନ-କିରୀଟ-ଚୂଡ଼ା ଦୋଳଇ ମସ୍ତକେ, | କାଞ୍ଚନ କଞ୍ଚୁକ ଦେହେ ଉଜ୍ଜ୍ୱଳ ଝଟକେ। |
| କଟାକ୍ଷେ ଧରିଲା ଯାଇ ଦୁଃଶାସନ ବାଳ, | ଗର୍ଜ୍ଜଇ ବିକ୍ରମେ ମୁଖ କରି ବିକଟାଳ । |
| ଆତଙ୍କେ କମ୍ପଇ ମୁହୁଃ ଦୁଃଶାସନ ଅଙ୍ଗ, | କେଶରୀ କବଳେ ଯେହ୍ନେ ପଡ଼ିଲା କୁରଙ୍ଗ । |
| କହେ ଦୁଃଶାସନ ବୀର ବିନୟ ବଚନ, | ”ଆହେ ବିରାମଣି ! ରଖ ରଖ ଏ ଜୀବନ ! |
| ପଳାୟକ ମୁଁ ଅଟଇ ନିରସ୍ତ୍ର ଆବର, | ବୀରଧର୍ମୀ ଅବିଦିତ ନୁହଇ ତୁମ୍ଭର । |
| କହେ ଭୀମ ମହାବାହୁ 'ଆରେରେ ପାମାର'ମ | ବିପଦେ ପଡ଼ିଣ ଏବେ ଧର୍ମକୁ ସୁମର । |
| କାହିଁ ଥିଲା ଧର୍ମରେ କପଟପାଶା ବେଳେ, | କୃଷ୍ଣାକୁ ବିବସ୍ତ୍ର ଯେବେ କଲୁ ଅବହେଳେ । |
| ଅଧର୍ମୀ ସହିତେ ଧର୍ମ ନୁହେଁ ପାଳିବାର, | କପଟି ସହିତେ ଯୁକ୍ତ କପଟ ବେଭାର । |
| ମୃଗ ସଙ୍ଗେ ଯେଉଁ ଧର୍ମ ଆଗରେ ଶାର୍ଦ୍ଦୁଳ, | ଭେକ ସଙ୍ଗେ ଭୁଜଙ୍ଗମ, ଭୁଜଙ୍ଗେ ନକୁଳ । |
| କରୀ ସଙ୍ଗେ ଯେଉଁ ଧର୍ମ ଆଚରେ କେଶରୀ, | ଶତୃ ସଙ୍ଗେ ଶତୃ ପଣେ ସେହି ଧର୍ମ ଧରି । |
| ନୁହଇ ମୁଁ କାପୁରୁଶ, ଅସ୍ତ୍ର ନ ଧରିବି, | ବିନା ଅସ୍ତ୍ରେ ପାମର ତୋ ପରାଣ ହରିବି । |
| ବାନ୍ଧ ତୁ ସାହସ ହୃଦେ ଆରେ ଦୁରାଶୟ, | ଏକାଳେ ସାହସ ତୋର ଲୋଡ଼ା ଅତିଶୟ । |
| ଏହା ବୋଲି ଗଦା ଫିଙ୍ଗିଦେଲା ବୃକୋଦର, | ନିରାଶେ ସାହସ ଦୁଃଶା ବାନ୍ଧିଲା ମନର । |
| ମହାବଳେ ଭୀମକୁ ସେ ଧଇଲା ଆକଟି, | ବିନି ଭୁଜେ ଭିଡ଼ି ଧରେ ବୃକୋଦର କଟି । |
| ପଡ଼ିଲେ ଭୁତଳେ ଭୀମ ଗର୍ଜି ଭୀମନାଦେ, | ମାଡ଼ିବସି ଦୁଃଶାସନ ବୈରୀଶୋଧସାଧେ । |
| ନିର୍ଘାତେ ପ୍ରହାରେ ମୁଷ୍ଟି ଭୀମଙ୍କ ମସ୍ତକେ, | କୁରୁବଳ ସାଧୁବାଦ ହେଲେ ସେ ପୁଲକେ । |
| ଭୟେ ପାଣ୍ଡୁବଳେ ପଡ଼ିଗଲା ହାହାକାର, | ଆକୁଳେ ନକୁଳ ନେତ୍ରୁ ବରଷେ ଅସାର । |
| ଆକୁଳେ ଅର୍ଜୁନ ନେତ୍ରୁ ଝରେ ଅଶ୍ରୁଜଳ, | ବିକଳେ ପାଣ୍ଡବବଳ କାନ୍ଦିଲେ ସକଳ । |
| ଶ୍ରୀଭୁଜେ ବାନର ଧ୍ୱଜେ ପୋଛି ଅଶ୍ରୁନୀର, | କାନ୍ଦନ୍ତି ନୀରବେ ବସି ପ୍ରଭୁ ଯଦୁବୀର । |
| ଯେସନେ ବରଷାଗମେ ମାନସରୋବର, | ଅସଂଖ୍ୟ ମରଳ ରବେ ହୁଅଇ ମୁଖର । |
| ତେସନେ ମୁଖରି କ୍ଷେତ୍ରେ ଦୁଃଖ-କଳରବେ, | ସୋଦର ବିପଦ ଦେଖି କାନ୍ଦିଲେ ପାଣ୍ଡବେ । |
| ମହାବୀର ସହଦେବ ବଦନ ସହାସ, | ବିଷ୍ମୟେ ପୁଛନ୍ତି ତାଙ୍କୁ ପ୍ରଭୁ ଶ୍ରୀନିବାସ । |
| "କହ ବୀର କିମ୍ପା ତୋର ହରଷ ବଦନ, | ଅଗ୍ରଜ ବିପଦେ ହର୍ଷ ନୁହଇ ଶୋଭନ ।" |
| ଶୁଣି ବାସୁଦେବ ବାଣୀ କହେ ମାଦ୍ରୀସୁତ, | "କାହିଁ କି କାତର ଏଡ଼େ ହେଉ ତୁ ଅଚ୍ୟୁତ । |
| କି ଅବା ନ ଜାଣୁ ନାତ ଜଗତର ସ୍ୱାମୀ, | ଜାଣୁ ଜାଣୁ କାନ୍ଦୁ ନାଥ ଅଟୁ ଅନ୍ତର୍ଯ୍ୟାମୀ । |
| ବାଲ୍ୟେ ଲଭିଥିଲେ ଭୀମ ଶତଶୃଙ୍ଗ ଶାପ, | ତହୁଁ ଆଦ୍ୟ ରଣେ ପାଉଛନ୍ତି ମନସ୍ତାପ । |
| ତୁ ନାଥ ଭୀମକୁ ବେଗେ କରାଅ ଚେତନ, | ଶତଶୃଙ୍ଗ ଗିରିଙ୍କୁ ସେ କରନ୍ତୁ ସ୍ମରଣ । |
| କାହିଁ ଭୀମ ରଣସିଂହ, କାହିଁ ଦୁଃଶାସନ, | ଶାପ ଯୋଗୁ ଉପୁଜିଲା ଦୁର୍ଗତ ଏସନ । |
| ପଞ୍ଚଜନ୍ୟ ଶଙ୍ଖନାଦ କଲେ ନାରାୟଣ, | ନିଜ ତେଜ ଭୀମକୁ ସେ ଦେଲେ ସେହକ୍ଷଣ । |
| 'ଶତଶୃଙ୍ଗ' 'ଶତଶୃଙ୍ଗ' ଘୋଷେ ଶଙ୍ଖବର, | ପଶିଲା ଶବଦ ଯାଇ ଭୀମଙ୍କ କର୍ଣ୍ଣର । |
| ଚେତନା ଲଭିଣ ବୀର କଟାକ୍ଷେ ଉଠିଲା, | ଲେଉଟାଇ ଦୁଃଶାକୁ ସେ ମାଡ଼ିଣ ବସିଲା । |
| ରଣରଙ୍ଗେ ସିଂହସମ ଅଟେ ବାୟୁସୁତ | ମହାବୀର୍ଯ୍ୟବନ୍ତ ସେହୁ ବିକ୍ରମେ ଅଦ୍ଭୁତ । |
| ମହାବିଷ୍ଣୁ ତେଜେ ବୀର ତେଜସ୍ୱୀ ଆବର, | ହେଲା ସେ ବିରାଟ ମୂର୍ତ୍ତି ମହାଭୟଙ୍କର । |
| ମହାଶବ୍ଦେ ଭୁତଳେ ପଡ଼ିଲା ଦୁଃଶାସନ, | ବଜ୍ରଘାତେ ଶାଳତରୁ ପଡ଼ଇ ଯେସନ । |
| ବିନ୍ଧ୍ୟାଚଳ-ତୁଙ୍ଗ-ଶୃଙ୍ଗେ, କୁରୁପାଣ୍ଡୁ ବଳ, | ଆତଙ୍କେ ଅବଶ ଚକ୍ଷୁ ବୁଜିଲେ ସକଳ । |
| ପର୍ବତ ଆକାରେ ପଡ଼ିଅଛି ଦୁଃଶାସନ, | ବସିଅଛି ତା ଉପରେ ପବନ ନନ୍ଦନ । |
| ଭୟଙ୍କର ହୁଙ୍କାରେ ଅଧରେ ଦନ୍ତ ଚାପି, | ରେରେକାର କରିଣ ଗର୍ଜଇ କାଳରୂପୀ । |
| ଗଗନ ମାର୍ଗକୁ ତୋଳୁଅଛି ବଜ୍ରମୁଷ୍ଟି, | କି ଅବା ମଧରଗିରି ପଡ଼ୁଅଛି ତୁଟି । |
| କାଳ ଚକ୍ର ପ୍ରାୟେକ ବୁଲାଇ ବେନି ଡୋଳା, | ଚରଣେ ଚାପଇ ଭୀମ ଦୁଃଶାସନ ଗଳା । |
| "ଆରେ ଆରେ ଦୁଃଶାସନ, ଦୁରନ୍ତ କୌରବ, | ଏବେ ତୋ ଗରବ ରଣେ ହେଲା ପରାଭବ । |
| ଶତ ପୁତ୍ରା ଜାତକଲା ତୋହର ଜନନୀ, | ସମସ୍ତେ ମୋ ଅସ୍ତ୍ରାଘାତେ ଶୋଇବେ ଅବନୀ । |
| ଧାତାର ଲେଖନ ଏହୁ କେ କରିବ ଆନ, | ଆରେ ଦୁଷ୍ଟ !ଆଜି ତୋର ନାହିଁ ପରିତ୍ରାଣ । |
| କାଲିରେ ସମରେ ପଳାଇଲୁ ମୋ ଆଗରୁ | ଆଜିରେ ପାଇଲି ଭେଟ ଦଇବ ଯୋଗରୁ । |
| ଆରେ ମୂର୍ଖ ଆଜି ତୋତେ କରିଣ ସଂହାର, | କରିବି ଦ୍ରୌପଦୀ-ଚିର-ଦୁଃଖ ଆଜି ପାର । |
| ଆରେ ଦୁଷ୍ଟ କେ ରଖିବ ଆଜି ରବି ତଳେ, | ଦୁରନ୍ତ ପଡ଼ିଲୁ ନିଶ୍ଚେ କୃତାନ୍ତ କବଳେ ।" |
| ତରଟି ଚାହିଁଲା ଭୀମ ବିରାଟ ମୂରତି, | ତରାଟି ଚାହିଁଲା ରୋଷେ ଅନ୍ତରୀକ୍ଷ ପ୍ରତି । |
| ଗର୍ଜିଣ କହିଲା, "ଆହେ ଆହେ ଶୁରଗଣ ! | ଆହେ ସୁରନାଥ ଇନ୍ଦ୍ର, ଶୈଳ ବିଦାରଣ ! |
| ପବନ, ତପନ, ଯମ, ବ୍ରହ୍ମା ଆଦିକରି, | ମିଳି ଏ ସମରେ ଆସି କରେ ଶସ୍ତ୍ର ଧରି । |
| ଆସ କେ ରଖିବ ରଖ କୌରବ ପାମର, | ଆସ ଆସ ବେଗ କରି ବିଳମ୍ବ ନ କର । |
| ଭୀମର ଭୀଷଣ ବାଣୀ ଶୁଣି ସୁରଗଣେ, | ତ୍ରାସିଲେ ଦାନବ ତ୍ରାସ ବାସବ ଆପଣେ । |
| ଥର ଥର କମ୍ପିଲା ସୁବର୍ଣ୍ଣ ନିକେତନ, | ମଣିଚୂଡ଼ ଥରହର କମ୍ପିଲା ଆସନ । |
| ମହାପ୍ରଳୟର ଯେସନ ପ୍ରଭୁ ଦିଗମ୍ବର, | ଭୀଷଣ ବିଷାଣ ନାଦେ କମ୍ପେ ଥରଥର । |
| ତିନିପୁର ଭୀମସେନ ଭୟଙ୍କର ନାଦ, | ଶୁଣି ମରାମର ଜୀବ ଗଣିଲେ ପ୍ରମାଦ । |
| ମହାଭୟେ ପାଣ୍ଡୁ ଗଣ୍ଡ ହେଲେ ଆଖଣ୍ଡଳ, | ମହାଭୟେ ପାଣ୍ଡୁ ଗଣ୍ଡ ହେଲେ ଦେବଦଳ । |
| କେହି ଅଗ୍ରସର ଯେହୁଁ ନ ହେଲେ ତରାସେ, | ଦୁଃଶାସନେ ଚାହିଁ ଭୀମ କହିଲେ ସହାସେ । |
| ସେ ବିକଟ ହାସ୍ୟ ଦେଖି ଡରିଲା ସଂସାର, | ଗର୍ଜିଣ କହନ୍ତି ଭୀମ, "ଆରେ କୁଳାଙ୍ଗାର ! । |
| ଆରେ ଦୁଃଶାସନ କେହି ରଖି ନ ପାରିଲେ", | ପାତାଳ ପୁରକୁ ଭୀମ ପୁଣି ସେ ଚାହିଁଲେ । |
| ଆହେ ନାଗଲୋକ ହେ ଅନନ୍ତ ଧରାଧର, | ଧରଣୀ ଧାରଣ ତୁମେ କର ମସ୍ତକର । |
| ସପ୍ତଲୋକେ ଶ୍ରେଷ୍ଠ ଅଟ ତୁମ୍ଭେ ନାଗେଶ୍ୱର, | ପାରିଲେ ରଖ ହେ ଆସି କୌରବ ପାମର । |
| କାମରୂପେ ବୃକୋଦର ଚାହାନ୍ତେ କରାଳ, | ଥର ଥର କମ୍ପିଲା ସେ ସପତ ପାତାଳ । |
| ନାଗଲୋକେ ତ୍ରାସିଲେ ଭୀମର ମୂର୍ତ୍ତି ଚାହିଁ, | ଆତଙ୍କେ ଅସ୍ଥିର ହେଲେ ନାଗଲୋକ ସାଇଁ । |
| କେହି ନ ଆସିଲେ ଯହୁଁ ଭୀମଙ୍କର କରି, | ସରୋଷେ ଚାହିଁଲେ ଭୀମ କୁରୁଥାଟ ପ୍ରତି । |
| କୁରୁବଳ ପାଣ୍ଡୁବଳ ହେଲେ ସ୍ତମ୍ଭୀଭୁତ, | ଗମ୍ଭୀର ଅମ୍ବରେ ଯେହ୍ନେ ହୁଙ୍କାରେ ଜୀମୁତ । |
| ଗର୍ଜିଣ କହଇ ଭୀମ ଭୀମପରାକ୍ରମ, | କୌରବ ସଂହାରେ ଯେହ୍ନେ କାଳାନ୍ତକ ଯମ । |
| ଦୁଇ ଦଳ ଅନାଇ ସେ ରହିଲେ ସ୍ତମ୍ଭିତେ, | ଭୈରବ ହୁଙ୍କାରେ ଭୟ ଉପୁଜିଲା ଚିତ୍ତେ । |
| "ଆରେ ଦୁର୍ଯ୍ୟୋଧନ, ଆରେ କୁରୁ-ଦୁରାଚାର, | ଆରେ କର୍ଣ୍ଣ ଅବିନୟ-ତରୀ-କର୍ଣ୍ଣଧାର । |
| ଆହେ କୁରୁ ସେନାପତି ମହାଧନୁର୍ଦ୍ଧର, | ହେ ସୌବଳ ଦ୍ୟୁତଜୟୀ, ହେ ଦ୍ରୋଣକୁମର । |
| ଆହେ ମହାବୀର, ଏହା କେମନ୍ତ ସହିବ, | ତୁମ୍ଭେ ଥାଉଁ ଥାଉଁ ଦୁଃଶାସନ ନାଶଯିବ ! |
| ବଡ଼ ପ୍ରିୟ ଦୁଃଶାସନ ଅଟଇ ତୁମ୍ଭର, | ଆସ ରକ୍ଷା କର ବେଗେ ପ୍ରିୟ ସହୋଦର । |
| ସମ୍ପଦ କାଳକୁ ସଖା ସମସ୍ତେ ତ ଥିଲ, | ବିପଦ କାଳରେ କେହି କତି ନ ପଶିଲ ।" |
| ପୁଣି କୁରୁଯୋଦ୍ଧାଙ୍କୁ ସମ୍ବୋଧି ବୃକୋଦର, | ସବର୍ପେ କହଇ, "ଆହେ ଆହେ ଅସ୍ତ୍ରଧର । |
| ଶୂରେ !ଭଲା ଆସି ରଖ ଦୁଃଶାସନ ଜୀବ, | ଏତେ ସଖା ଥାଉ ଦୁଃଶାସନ ନାଶ ଯିବ । |
| କୁରୁ ନୃପତିର ଧନ ଭଣ୍ଡାର ଖାଇଲ, | ବିପଦ କାଳକୁ ଦେହି ସାହା ନହୋଇଲ । |
| କେହି ନ ଆସିଲେ ଯହୁଁ ଗର୍ଜି ବୃକୋଦର, | ଦୁଃଶାସନ ମୁଖ ଚାହିଁ କହିଲେ ବର୍ବର, |
| ଆରେ ତେ ଦୁରନ୍ତ, କେହି ନ ଆସିଲେ କତି, | ଯାର ଆଜ୍ଞା ବଳେ ଯାଜ୍ଞସେନୀଙ୍କ ଦୁର୍ଗତି । |
| କଲୁ ଦୁଷ୍ଟ ! ନୋହିଲା ସେ ଏତେବେଳେ ସାହା, | ରଖି ନପାରିଲା ତୋର ଶିର କୁରୁନାହା ।" |
| ପୁଣି ସେ ଚାହିଁଲା ବୀର ନିଜ ଥାଟ ପ୍ରତି, | "ଆସି ସାହା ହୁଅ ଯାର ଅଛଇ ଶକତି । |
| କେହି ଆସ, ବେଗେ ଆସ ରଖ ଦୁଃଶାସନ, | ଦେଖାଅ ଯାହାର ଯେତେ ଅଛି ବୀରପଣ । |
| 'ହେ କିରଟି ! ଧର ତୁମ୍ଭ କୋଦଣ୍ଡ ଗାଣ୍ଡିବ, | ପାରିଲେ ରଖ ହେ ବୀର ଦୁଃଶାସନ ଜୀବ । |
| ତ୍ରିଭୁବନେ ମହାବୀର ବୋଲାଉ ଅର୍ଜୁନ, | ଅଛି ତୋର ଅକ୍ଷୟ ସେ ଶରପୂର୍ଣ୍ଣତୂଣ । |
| ଧ୍ୱଜେ ବିରାଜଇ ତୋର ବୀର ହନୁମାନ, | ସାରଥି ଅଟନ୍ତି ତୋର ପ୍ରଭୁ ଭଗବାନ । |
| ପାଶୁପତ ଅସ୍ତ୍ର ସିଦ୍ଧ ଅଟଇ ତୋହର, | ତୁ ପାରିଲେ ରଖ ବୀର ! କୌରବ ପାମର । |
| ହେ ମୁରାରି ! ସୁଦର୍ଶନଧାରୀ ଯଦୁବୀର, | ତୁ ପାରିଲେ ରଖ ଦୁଃଷ୍ଟ ଦୁଃଶାସନ ଶିର । |
| ନିଜ ନିନ୍ଦା ଶୁଣି ପାର୍ଥ ଥିଲେ ନିରୁତ୍ତର, | ବାସୁଦେବ ନିନ୍ଦା ଶୁଣି ରୁଷିଲେ ଆବର । |
| ବିଜୟ ଗାଣ୍ଡୀବେ ବୀର ଖଞ୍ଜିଲେ ସାୟକ, | ଧରିଲେ କିରୀଟି-କର ରୁକ୍ମିଣୀ ନାୟକ । |