କବିତା କଲ୍ଲୋଳିନୀ/ଛୋଟ ଢୁମ୍ପା

ଉଇକିପାଠାଗାର ରୁ
Jump to navigation Jump to search
କବିତା କଲ୍ଲୋଳିନୀ ଲେଖକ/କବି: ବଳଦେବ ରଥ
ଛୋଟ ଢୁମ୍ପା

<poem>

ତୋ ଚାରୁ ଚାହାଣି ଚାହିଁ, ମରି ତୁ ଆବୁର ସାରି ପକା ପଛେ, ମୋ ନିଆଳୀ, ମୋ ଦେହ ତ ସହୁ ନାହିଁ। ୧ ।

ଦିଅ ଯେତେ ଇଚ୍ଛା ଦଣ୍ଡ, ଝୁମି କାମ ସଙ୍ଗେ ଝୁଣି ଦେବି ସିନା, ମୋ ନିଆଳୀ, ଝଲି ଝଲମଲ ଗଣ୍ଡ। ୨ ।

ହେବୁଟି କି ଶିରଗଭା, କାଳ ସହୁନାହିଁ ବାଳମୃଗଦୃଶା, ମୋ ନିଆଳୀ, ନୂଆ ବିକଶିତ ଶୋଭା। ୩।

ତୋହ ପରି ତୁହି ସିନା, ବିଜେ କଲା ପୁରେ ପୁରି ରହିଥାଏ, ମୋ ନିଆଳୀ, ବନଜ-ବନ-ବାସନା। ୪ ।

ଅଛି ଯେବେ ଅନୁକମ୍ପା, କାତି ଝିଙ୍କି ପଛେ ଛାତିରେ ପ୍ରହାର, ମୋ ନିଆଳୀ, ହୀରା ବୁଲାକି ନ କମ୍ପା। ୫ ।

ପାସୋର ବାସର ଲାଜ, ପଛକୁ ପକାଇ ନ ଦେଲେ ନ ଚଳେ, ମୋ ନିଆଳୀ, ବିଧି ନିଷେଧକୁ ଆଜ। ୬ ।

ତୋ କୁଚ ତ କରକଶ, ସବୁ ଗୁମାନ ଆଉ କେତେବେଳକୁ, ମୋ ନିଆଳୀ, ଥରେ ମୋହ କରେ କଷ। ୭ ।

ଚୁମ୍ବନେ କଲେ ଶରଧା, ଚରଣଠାରୁ କବରୀଯାଏ ତୋର, ମୋ ନିଆଳୀ, କାହିଁ ପୂରି ନାହିଁ ସୁଧା। ୮ ।

ଚତୁରଦଶ ଭୁବନେ, ରସବତୀ ଚକ୍ର ଚୁଡ଼ାମଣି ବୋଲି, ମୋ ନିଆଳୀ, ତୋ ବିନା ଆନେ ନ ମାନେ। ୯ ।

କାହିଁକି ଚାଲୁ ତୁ ତଳେ, ଘାଣ୍ଟି ହେଉଅଛି କଣ୍ଠୀରବମଧ୍ୟ, ମୋ ନିଆଳୀ, ମୋ ମନଯାକ ବିକଳେ। ୧୦ ।

ଆନ ନାହିଁ ତୋର ବିନା, ଅଷ୍ଟଦୁର୍ଗଧରାବର ଆରେ ଧୀରା, ମୋ ନିଆଳୀ, ତୋହର ଅଧୀନ ସିନା। ୧୧ ।