କବିତା କଲ୍ଲୋଳିନୀ/ଜଗତେ କେବଳ

ଉଇକିପାଠାଗାର‌ରୁ
Jump to navigation Jump to search
କବିତା କଲ୍ଲୋଳିନୀ ଲେଖକ/କବି: କବିସୂର୍ଯ୍ୟ ବଳଦେବ ରଥ
ଜଗତେ କେବଳ
ଜଗତେ କେବଳ
(ରାଗ: ଆଷାଢ଼ଶୁକ୍ଳ)

ଜଗତେ କେବଳ, ଜନେ ହସିବେ ଏହି ତହୁଁ ଫଳ ॥ ଘୋଷା ॥

ଜଟିଳ କରି ସ୍କନ୍ଧ ରୋମରାଜି । ଶିଖରୀ ଦରୀରେ ମରୁଁ ଗରଜି ।
କୁଟିଳ କରି ଭ୍ରୂକୁଟିକୁ ଚାହୁଁ । ସରମା କଣ୍ଠୀରବ ହେବ କାହୁଁ । ୧ ।

ଅଲକତ ଦ୍ରବ ନୟନେ ବୋଳି । ରସାଳ ଗହଳ ଶାଖାରେ ଖେଳି ।
କବଳ କରୁଁ ତା କଳି କଳାପ । କାକ କି କରିବ ପଞ୍ଚମାଳାପ ? । ୨ ।

ବରଜୀବ-ରସେ ଦେଇ ମାନସ । ବରଜି ବରଷେ ଅମେଧ୍ୟ ଗ୍ରାସ
ଦେହେ ମନ୍ଦାକିନୀରଜ ଲଗାଇ । ଗ୍ରାମ ଶୂକରୀ କି ହୋଇବ ଗାଈ ? । ୩ ।

ଚଞ୍ଚୁ ଚରଣେ ଲଗାଇ ହିଙ୍ଗୁଳ । ନିଜ ତୁଣ୍ଡେ ମଣ୍ଡି ଖଣ୍ଡ-ମୃଣାଳ ।
ଚାଲୁଁ ପୂର୍ବ ଅଙ୍ଗ ବୁଲାଇ ବକୀ । ତେବେ ସେ ମରାଳୀ ବୋଲାଇବ କି ? । ୪ ।

ରଞ୍ଜି ନାୟକ ରଙ୍ଗେ ଚୋପଦାର । ଖଞ୍ଜିଲେ ହେଲେ ଚାବୁକ ସବାର ।
ଖିଲାଇଲେ ହେଲେ ନାନା ମସଲା । ତୁରଙ୍ଗ ହୁଏ କି ରାସଭ ପିଲା । ୫ ।

ବଦରିକା ବନେ ନିତ୍ୟ ନିବାସ । କରି ଆଚରି ବ୍ରତ ଉପବାସ ।
ପ୍ରଯତ୍ନ କଲେ ହେଁ ନାନା ପ୍ରକାର । ଖଦ୍ୟୋତ ହୋଇବ କି ପ୍ରଭାକର ? । ୬ ।

ଯାହାକୁ ଯାହା କରିଛି ଦଇବ । ତହୁଁ ନି କି ସେ ଅନ୍ୟଥା ହୋଇବ ।
ଘେନିଲେ ହେଲେ ଯତ୍ନେ କୋଟି ପୁଟ । ପିତ୍ତଳୁଟି କେହି ହେବ ପୁରଟ । ୭ ।

ଦେବ ଉପବନେ ହୋଇ ଜନିତା । ସୁବାସ-ମଦରୁ ଜବସ ଲତା ।
ତୁଳସୀ ତୁଲେ ହେଲେ ମିଶାମିଶି । ତାହାକୁ ଯେବେ ବୋଲିବା ତୁଳସୀ । ୮ ।

ସମଜଇ ନାହିଁ ସ୍ୱଜାତି ଭାଷା । କହିଲେ ଯେ ହୁଅଇ ଲୋକହସା ।
ଜଡ଼ ମୁଁ ବୋଲି ନ ଜନ୍ମି ନିର୍ବେଦ । ଷଡ଼ଦର୍ଶୀ ତୁଲେ କଲେ ବିବାଦ । ୯ ।

ଦେହରେ ବାଜିଲେ ପର ନିଃଶ୍ୱାସ । ସମ୍ଭାଳିବାକୁ ନ ଥାଇ ବିଶ୍ୱାସ ।
ନିର୍ଲଜ୍ଜ ଅଭିମାନେ ଡେରି ଛାତି । ହାତୀ ଲଢ଼ାଇକି ବାନ୍ଧିଲେ କାତି । ୧୦ ।

କରମରେ ତ ହୋଇଅଛି ଲେଖା । କରମର୍ଦ୍ଦକ ଯୋଗ୍ୟ ତୋର ଶିଖା ।
ହରମଉଳିଯୋଗ୍ୟ ଚମ୍ପକକୁ । ଭରମରେ ବୃଥା ପଡ଼ି ଯା ଟାକୁ । ୧୧ ।

ଚାରୁଚନ୍ଦ୍ରୋଦୟ ମଶାଲ ପାଖେ । ବହ୍ନି ଜାଳିବ ଯେବେ ଦିଶା ମୁଖେ ।
ଧାତା ତ କରିନାହିଁ ତା ନିକାଶ । କି ରୂପେ ହେବ ସେପରି ପ୍ରକାଶ । ୧୨ ।

ବୋଳିହୋଇ ଭୂତି ଧରି ପରଶୁ । ବଳୀବର୍ଦ୍ଦବର ଚରମେ ବସୁ ।
ଗଉରୀ-ପ୍ରାଣନାଥ ଅନୁଭାବ । ଠଉରି ପାରିବ ନାହିଁ ତ ଲବ । ୧୩ ।

ସର ପର୍ପଟି ଯାହାକୁ ମିଳଇ । ସେ ସୁଖେ ତା ଭୋଜନେ ପ୍ରବଳଇ ।
ସଢ଼ାଇବାକୁ ତା ବଡ଼ାଇ ବସି । ଦୁର୍ମତି ଯେବେ ଚୋବାଇବ ଘଷି । ୧୪ ।

ଚିର ତପବଳୁ କେଉଁ ପୁରୁଷ । ସମ୍ପାଦି ଯୋଗ୍ୟ ଗୁଣ ପଉରୁଷ
କରିଷେ ସଞ୍ଚରିବା ନ ସହିବ, କରୀଷକଟେ ଯେବେ ଆରୋହିତ । ୧୫ ।

ଗଙ୍ଗାର ପ୍ରବାହେ ଅଳପେ ବୁଡ଼ି । ଅଙ୍ଗାର ନିକି ନିଜ ବର୍ଣ୍ଣ ଛାଡ଼ି ।
ବଳାହିତ ରତ୍ନ ପରି ଦିଶିବ । ବାଳା ପୟୋଧର ହାରେ ମିଶିବ । ୧୬।

ସତରବୟସୀ ସତତ ମନ । କରଇ ଯାହାକୁ ଅନୁଗମନ ।
ଛବି-ଶୂନ୍ୟ; ଷଣ୍ଡ ବୃଦ୍ଧ ତା ତୁଲେ । ଅବିବେକବଶୁ ବିବାଦୀ ହେଲେ । ୧୭ ।

ଗୁଞ୍ଜର କେଉଁ ପୁଣ୍ୟବଳୁ ସିନା । ସଙ୍ଗକୁ ଅଙ୍ଗୀକାର କଲା ସିନା ।
ହୋଇଲି ତ ବୋଲି କନକ ତୁଲ୍ୟ । ଲୋଡ଼ିବ ଯେବେ ତାହା ତୁଲ୍ୟ ମୂଲ୍ୟ । ୧୮ ।

ଗଜପତି କୁମ୍ଭସ୍ଥଳ ବିଦାରି । ସଜ ପଲକ ଭୁଞ୍ଜିବାରୁ ହରି ।
ଦୃଷ୍ଟି ନ ଦେଲା ବୋଲି ଅନ୍ୟ ଶବେ । ଜମ୍ବୁକେ ଯଶସ୍ୱୀ ବୋଲିବା ଯେବେ । ୧୯ ।

ମାନୋଦ୍ଧାରଣ ଶରଣପଞ୍ଜର । ବଘେଲ ବାଦଶା ନୃପକୁଞ୍ଜର ।
ରାଜା ଜଗଦ୍ଦେବ ହରିଚନ୍ଦନ । ଲଙ୍ଘିଲେ ତାକୁ ନ କରି ଚନ୍ଦନ । ୨୦ ।

ତାଙ୍କ ସୁଧର୍ମା ତୁଲ୍ୟ ସଭା କବି । ଭଣିଲେ ରାୟଗୁରୁ କବିରବି
ଶ୍ରବଣ-ସର୍ବାବୟବୀ ମାନବ । ସହସ୍ରାକ୍ଷ ସାମ୍ୟ ଯେବେ ଲୋଡ଼ିବ ।
ଜଗତେ କେବଳ, ଜନେ ହସିବେ ଏହି ତହୁଁ ଫଳ । ୨୧ ।