କବିତା କଲ୍ଲୋଳିନୀ/ଜଗନ୍ନାଥ ଜଣାଣ

ଉଇକିପାଠାଗାର ରୁ
Jump to navigation Jump to search
କବିତା କଲ୍ଲୋଳିନୀ ଲେଖକ/କବି: ବଳଦେବ ରଥ
ଜଗନ୍ନାଥ ଜଣାଣ

(ରାଗ: ତୋଡ଼ିପରଜ) <poem>

କ୍ଷୀରମୟ ସିନ୍ଧୁ-ଜେମାଜୀବବନ୍ଧୁ, ତୁମ୍ଭେ ତ ଜଗତପତି। ଟେକି ସମ-ଦୃଷ୍ଟିପତାକାକୁ ପୁଣି ଏ କି ପକ୍ଷପାତ ରୀତି ହେ ମହାପ୍ରଭୁ। କେ କି କଲା ମୁଁ ନ କଲି। କେ କି ଦେଲା ଅବା ମୁଁ ଅବା ନ ଦେବା ଘେନି ଏତେ ସରି ହେଲି ହେ ମହାପ୍ରଭୁ। ୧ ।


ମୃଗ ଯୁବତୀକି ରଖିଲ ଯେ ନାଶି ମୃଗୟୁ ବିଦ୍ୱେଷ ଦାଉ। ଚରଣପଙ୍କଜ ସ୍ମରଣ ବିନା ସେ କିସ କରିଥିଲା ଆଉ ହେ ମହାପ୍ରଭୁ। କୁମ୍ଭୀର ଗ୍ରାସନ୍ତେ ଗାତ୍ର। ଜନେ କହିବାରେ ଅନେକପ-ରଜା ମନେ କଲା ସିନା ମାତ୍ର ହେ ମହାପ୍ରଭୁ। ୨ ।


ନୃପସଭା ମଧ୍ୟେ ଅସ୍ଥିର ହୁଅନ୍ତେ ଦ୍ରୁପଦସୁତା ଆବର। ଧ୍ୟାନରୁ ତ ଆନ କିଛି କରିବାର କାନ ଶୁଣି ନାହିଁ ମୋର ହେ ମହାପ୍ରଭୁ। ହିତେ ଯେ ଥାଅ ନିରତେ। ଲାଞ୍ଚ ଦେଇଥିଲେ କାଞ୍ଚନ କେତେ କି ପାଞ୍ଚ ପଣ୍ଡୁରାଜା ସୁତେ ହେ ମହାପ୍ରଭୁ। ୩ ।


ରୂପରେ କେଳତି ଉପରେ ପତାକା ଦିଆଇଲ ଯେ କୁଜି କି। ଯାହା ହୋଇଥିଲା ଯାହା ହେଲା ତୁମ୍ଭ ପ୍ରସାଦବଶୁଁ ରଜକୀ ହେ ମହାପ୍ରଭୁ। ଜଗତେ ତ ତାହା ଜଣା। ଅନ୍ଧକୁ ନେତ୍ର ମିଳିବାରୁ ହୋଇଛି ଯଶ ଡିଣ୍ଡିମ ବାଜଣା ହେ ମହାପ୍ରଭୁ। ୪ ।


ନଳକୁବରଙ୍କ ଚରିତକୁ ବୁଧେ ବଳକୁ ଅଛନ୍ତି ଏବେ। ପ୍ରହ୍ଲାଦକୁ ମହା ଆହ୍ଲାଦ ଆପଣ କରିଛ ପରା ପୁରୁବେ ହେ ମହାପ୍ରଭୁ। ମୁନିଙ୍କ ଆଶ୍ରମ ଶିଳା। ତୁମ୍ଭଙ୍କୁ କି ଉପକାର କରି ରୂପବତୀ ହୋଇ ବିଳସିଲା ହେ ମହାପ୍ରଭୁ। ୫ ।


କେବଳ ସୁଦାମା ଦ୍ୱିଜ ନିଜ ଶକ୍ତି ଅନୁରୁପ ଆଚରିଲେ। ଗଳିତାଏ ଖୁଦ ଞ୍ଜର ଦେବାରୁ ଫଳ ତାଦୃଶ ଲଭିଲେ ହେ ମହାପ୍ରଭୁ। ଆଉ କେ କି କଲା କହ। କାହା କାମକୁମ୍ଭ ପୂରି ନାହିଁ ତୁମ୍ଭ ଅହେତୁକ ଅନୁଗ୍ରହ ହେ ମହାପ୍ରଭୁ। ୬ ।


ଅନନୁଗତ ତୋ ମନ ନୋହେ ବୋଲି ଆଜ୍ଞା ହେବ ଅବା ମୋତେ। ନାମ ସ୍ୱସୁତର ଡାକିବାରୁ ଦିବ୍ୟଧାମ ଲଭିଲେ କେମନ୍ତେ ହେ ମହାପ୍ରଭୁ। ଅଜାମିଳ ମହୀସୁର। କେଉଁ ସାବଧାନ ହୋଇ ନାମଗାନ କରିଥିଲେ ସେ ତୁମ୍ଭର ହେ ମହାପ୍ରଭୁ। ୭ ।


କବିରବି ରାୟଗୁରୁ ଯୋଡ଼ି କରଯୁଗକୁ ଛାମୁରେ କହେ, ଭଲ ଅବା ମନ୍ଦ କରିବାକୁ ତ ମୁଁ ମୋହର ଆୟତ୍ତ ନୁହେଁ ହେ ମହାପ୍ରଭୁ। ସବୁ ତୁମ୍ଭ ଇଚ୍ଛା ସିନା, ରଖ ବା ନ ରଖ ମୋହରି ଗତି ତ ପତିତପାବନବାନା ହେ ମହାପ୍ରଭୁ। ୮ ।