କଳାକୃଷ୍ଣ କମଳ ଆଖି

ଉଇକିପାଠାଗାର‌ରୁ
Jump to navigation Jump to search
କଳାକୃଷ୍ଣ କମଳ ଆଖି
ଲେଖକ/କବି: ଭରତ ଦାସ

କଳାକୃଷ୍ଣ କମଳ ଆଖି

 
କଳାକୃଷ୍ଣ କମଳ ଆଖି
ଡାକିଲେ ନ ଶୁଣ କାହିଁ ପାଇଁକି ।

ଶ୍ରୀ ନୀଳକନ୍ଦରେ ବିଜେ କରିଅଛ
ମିଛେ ଭଣ୍ଡିବାକୁ ଲୋଡ଼ୁଅଛକି ।
ଅହଲ୍ୟା ତାରଣ ଭୟ ନିବାରଣ
ବାଳିକି ମାରି ରଖିଲ ସୁଗ୍ରୀକି ।୧।

ମହା ବଳବନ୍ତ ବିଶ୍ରବାର ସୁତ
ଛେଦି ପକାଇଲ ଦଶଶିର କି ।
ଲକ୍ଷେ ଯୋଜନରେ ଗଜ ଡାକ ଦେଲା
ତା ଡାକ ଶୁଣିଲ ପଶାଖେଳିକି ।୨।

କୁରୁ ସଭାତଳେ ଦ୍ରୌପଦୀ ଚିନ୍ତିଲା
ତାକୁ କୋଟି ବସ୍ତ୍ର ଦେଇଥିଲ କି ।
ଭାରତ ଯୁଦ୍ଧରେ ଘଣ୍ଟ ଘୋଡ଼ାଇଣ
ରଖିଥିଲ ଭରତିଆ ପକ୍ଷୀ କି ।୩।

ସେ ଯୁଦ୍ଧରେ ଥରେ ଅର୍ଜୁନ ରଥରେ
ଆପଣ ସାରଥି ହୋଇଥିଲ କି ।
ଭଣଇ ଭରତ ଆହେ ଜଗନ୍ନାଥ
ମୋ ମନ ରହିବ ନୀଳାଚଳେ କି ।୪।