କଳା କଳେବର ଚଉତିଶା
| କଳା କଳେବର ଚଉତିଶା ଲେଖକ/କବି: |
କଳା କଳେବର ଚଉତିଶା
କଳା କଳେବର କହ୍ନାଇ ସଙ୍ଗେ ରୋହିଣୀସୁତ ,
କରନ୍ତି ମଥୁରା ବିଜୟେ ଦାଣ୍ଡେ ଦେଖ ସଙ୍ଗାତ ...(୧)
ଖସି ପଡୁଛି କି ଆକାଶୁ କି ଏ ଗଙ୍ଗା ଯମୁନା ,
ଖୀର ସଙ୍ଗେ ପ୍ରାଣ ଶୋଷିଲେ ନାଶ ଗଲା ପୁତନା ...(୨)
ଗହନ କାନନ ବନରେ ଘୋର ବରଷା କାଳ ,
ଗିରି ବାମକରେ ଧଇଲେ ନନ୍ଦ ଯଶୋଦାବାଳ ...(୩)
ଘରେ ନ ରହନ୍ତି ଗଉଡ଼େ ବଡ଼ ଅଧମଜାତି ,
ଘେନି ବତ୍ସାବୃନ୍ଦ ବାଳକେ ବନେ ବୁଲନ୍ତି ନିତି ...(୪)
ଉଇଁ ଆସୁଛି କି ପୂର୍ଣ୍ଣିମାଶଶୀ ମଧୁସାଗରୁ ,
ଉଠ ମଧୁପୁର-ଯୁବତୀ ଓଗାଳିବା ଆଗରୁ ...(୫)
ଚନ୍ଦନ ବେଶ ମୁଁ କରନ୍ତି ମୋର ହେଉଛି ମନ ,
ଚିତ୍ତ କେ ଧରିବ ଯୁବତୀ ଚାହିଁ ଚନ୍ଦ୍ରବଦନ ...(୬)
ଛନକା ପଶିଲା ଛାତିରେ ଜାତି କୁଳ ଉପେକ୍ଷୀ ,
ଛାଡ଼ିବେ ଜୀବନ ଯଶୋଦା ଗୋପେ କୃଷ୍ଣ ନ ଦେଖି ...(୭)
ଜହର ସଙ୍ଗତେ ମହୁରା ଆସି ହେଲା ନିୟତ ,
ଯୁବତୀକୁଳକୁ ଦଇବ କଲା ଏ ହନ୍ତସନ୍ତ ...(୮)
ଝଡ଼ି ପଡୁଛି କି ଝୁଣ୍ଟିଆ ଝସକେତନ ଘାତେ ,
ଝାଳ ବିନ୍ଦୁ ବିନ୍ଦୁ ଶ୍ରୀମୁଖୁଁ ବହୁଅଛି ନିରତେ ...(୯)
ନୟନ ଉପରେ ଭ୍ରୁଲତା କିଏ କାମକମାଣ ,
ନୁହନ୍ତି ଏ ପୋଏ କାହାରି ସବୁ ଗୋପୀଙ୍କ ପ୍ରାଣ ...(୧୦)
ଟୋପି ଟୋପି ଗୋପୀ ଚନ୍ଦନ ମଣ୍ଡିଛନ୍ତି କି ସଜେ ,
ଟେକି ବାରେ ଚାହାଁ ମଥୁରା ଦାଣ୍ଡେ ଗୋବିନ୍ଦ ବିଜେ ...(୧୧)
ଠାବେ ଠାବେ ଗୋଳ ଚହଳ ସିଙ୍ଘା ବେଣୁ ବଇଁଶୀ ,
ଠିଆ ହୋଇ ଭକ୍ତଦାସ ତା ଦାଣ୍ଡେ ଦେଖନ୍ତି ଆସି ...(୧୨)
ଡାକନ୍ତି ଏକକୁ ଆରେକ ଆସ ଜୀବଜୀବନ ,
ଡୋଳାରେ ଏରୂପ ଦେଖିବା ବିଜେ ମଧୁସୂଦନ ...(୧୩)
ଢ଼ଳି ଢ଼ଳି କୃଷ୍ଣ ନାଚନ୍ତି ଭଙ୍ଗି ଦେଖ ମିତଣି ,
ଢାଳନ୍ତି କିରୂପେ ଡୋଳାକୁ କେଉଁ ଛଟକେ ଆଣି ...(୧୪)
ଅଳକାରେ ସରୁକାଇଁଚ ମଣ୍ଡିଛନ୍ତି କି କରେ ,
ଅଣହେଳା ପାଉଥିବେ ଗୋ ନନ୍ଦଗଉଡ଼ ଘରେ ...(୧୫)
ତିଳକ ଉପରେ କସ୍ତୁରୀ ଗୋରୋଚନା ରଞ୍ଜିଛି ,
ତେରଛାଇଁ ଚାହିଁ ଦେବାରୁ ତରଳାଇ ଦେଉଛି ...(୧୬)
ଥକାହୋଇ ଥୋକେ ରହିଲେ ଥୋକେ ଗଲେ ଗୋଡ଼ାଇ ,
ଥିର ମଦନ ସଂଘାତରେ କାମ ଦେଲେ ଭୁଲାଇ ...(୧୭)
ଦୁଃଖୀଲୋକଙ୍କର ସଙ୍ଖାଳି ସେତ ଦରିଦ୍ର ଧନ ,
ଦଧି ଦୁଖ ସରଖିଆ ଗୋ ତେଣୁ ବଡ଼ ଲାବଣ୍ୟ ...(୧୮)
ଧରଣୀ ମଣ୍ଡିଲା ପରାୟେ ହୋଇଛନ୍ତି କି ଉଭା ,
ଧଳା କଳା ବେନି ଭାଇ ଗୋ ଦୁହେଁ ଦୁହିଙ୍କି ଶୋଭା ...(୧୯)
ନାସା ବିନ୍ଧା ଅପ୍ରତିଆଣି ସେ ଗୋ ଯଶୋଦାସୁତ ,
ନ କଲା ଦଇବ ନରେନ୍ଦ୍ର ଘରେ ଏ ପୁଅ ଜାତ ...(୨୦)
ପୁଅ ହୋଇ ଏଡ଼େ ସୁନ୍ଦର ନାହିଁ କାହାର ଘରେ ,
ପାହିଲା କି ଯୋଗେ ରଜନୀ ଆଜ ମଧୁ ନଗରେ ...(୨୧)
ଫୁଲରେ ଏହାଙ୍କ ଶରଧା ଫୁଲେ ଦିଶନ୍ତି ତୋରା ,
ସ୍ଫୁରୁଚି କି ବାମ ନୟନ ମୋତେ ଚାହିଁବେ ପରା ...(୨୨)
ବୁଦ୍ଧିବଣାହେଲା ଶୁଣିଣ ଅମୃତ ଜିଣା ବାଣୀ ,
ବସି କେତେକାଳ ଗଢ଼ିଲା ତାକୁ କେଉଁ ବିନ୍ଧାଣୀ ...(୨୩)
ଭଜିବାକୁ ହେଲା ଭଜନମାଳ କଲା ଏରୂପ ,
ଭଜିବ କି ଭକ୍ତଦାସ ତା କ୍ଷୟ କରିବ ପାପ ...(୨୪)
ମନ୍ଦବୁଦ୍ଧି କଲେ ନନ୍ଦ ଗୋ ସେତ ଆମ୍ଭ କରମ ,
ମିଛ ନନ୍ଦପୁଅ ବୋଲନ୍ତି ମଥୁରାରେ ଜନମ ...(୨୫)
ଯଦୁକୁଳ ଚନ୍ଦ୍ର ବୋଲିଣ ସେ ଗୋ ଯଦୁବିହାରୀ ,
ଜାତି ଯଉବନ ଜୀବନ ସବୁ ନେଲା ଆମ୍ଭରି ...(୨୬)
ରାମକୃଷ୍ଣ ବେନିଭାଇ ଗୋ ଦୁହେଁ ଦୁହିଁକି ତୋରା ,
ରଙ୍ଗେ ନାଚି ଆସୁଛନ୍ତି ଗୋ ଯେହ୍ନେ ଗଗନେ ତାରା ...(୨୭)
ଲାଜଭୟ ତେଜି କରିବା କୃଷ୍ଣ ସଙ୍ଗେ ପୀରତି ,
ଲାଭ ହେଉଥିବ ଆମ୍ଭର ହସୁଥିବା ଗୋ ନିତି ...(୨୮)
ବଳୀନ ଦିଶେ କି ମଳିନ ବାହୁ ଶ୍ରୀଭୁଜ ସ୍ଥଳ ,
ବିନ୍ଧୁଛୁକି ଝସକେତନ ମିଶି ହେଲା ତରଳ ...(୨୯)
ଶ୍ରୀମନ୍ତ ବଡ଼ାଇ ଏ ପୁଅ ଲକ୍ଷ୍ମୀ ଏହାଙ୍କ ଦାସୀ ,
ଶ୍ରୀମୁଖ ଏ ପରା ଦିଶୁଛି କିବା ପୂର୍ଣ୍ଣମୀ ଶଶୀ ...(୩୦)
ସର ଲବଣୀ ଗୋଟିକା ଯେ ଖାଇ ନନ୍ଦର ବସି ,
ସବୁ ଗୋପୀଙ୍କର ମନକୁ ବଂଶୀସ୍ବନେ ମୋହୁଛି ...(୩୧)
ସଧୀରେ ପବନ ବହଇ ସରୁ କଟିମେଖଳା ,
ଶିବ ଡ଼ମରୁ କି କୈଳାସୁଁ ଶ୍ୟାମ ବଦନ କଳା ...(୩୨)
ହେଲେ ହେବୁଁ ପଛେ କୁଳଟା ହାର କରିବୁ ଗଳେ ,
ହସୁଥିବୁଁ ତାଙ୍କ ସଙ୍ଗରେ ବସୁଥିବୁଁ ଗୋ କୋଳେ ...(୩୪)
ଛାଡ଼ି ଲଜ୍ଜା ଭୟ ତା ରୂପ ଦରପଣେ ମାଜିବା ,
ଛାର କହେ ଭକ୍ତଦାସ ତା ଧ୍ୟାୟେ ରଜନୀ ଦିବା ...(୩୪)