କାଉଁରୀ କାମଚଣ୍ଡୀର ଦେଶେ

ଉଇକିପାଠାଗାର ରୁ
Jump to navigation Jump to search
କାଉଁରୀ କାମଚଣ୍ଡୀର ଦେଶେ (୧୯୯୯) 
ଲେଖକ/କବି: ଜଗନ୍ନାଥ ମହାନ୍ତି
Kaunri Kamachandira dese.pdf
କାଉଁରୀ କାମଚଣ୍ଡୀର ଦେଶେ





ଡକ୍ଟର ଜଗନ୍ନାଥ ମହାନ୍ତି



ପ୍ରାଚୀ ପ୍ରକାଶନ

ନୂଆଦିଲ୍ଲୀ: ଭୁବନେଶ୍ୱର କାଉଁରୀ କାମଚଣ୍ଡୀର ଦେଶେ

@ ଡକ୍ଟର ଜଗନ୍ନାଥ ମହାନ୍ତି, ୧୯୯୯

ଚିତ୍ର: ବ୍ରଜ କିଶୋର ଜେନା

ପ୍ରଚ୍ଛଦ: ପ୍ରଭଞ୍ଜନ ମହାନ୍ତି

ପ୍ରାଚୀ ପ୍ରକାଶନ

୨୨, ସୂର୍ଯ୍ୟକିରଣ ମାର୍କେଟ

ଶହୀଦ ନଗର

ଭୁବନେଶ୍ୱର - ୭୫୧୦୦୭

ମୂଲ୍ୟ: ୧୮ ଟଙ୍କା କାଉଁରୀ କାମଚଣ୍ଡୀର ଦେଶେ

ଏଥିରେ ଅଛି

କ୍ରମିକ ନଂ. ବିଷୟ ପୃଷ୍ଠା
ଆରମ୍ଭରୁ ଅସୁବିଧା
ବୁଡ଼ିଗଲା ଗୋଡ଼ ତଳକୁ ତଳକୁ
ସୁନ୍ଦର ସବୁଜ ପରିବେଶ
ବୋଡ଼ୋ ଗଣ୍ଡଗୋଳ ଯୋଗୁ ହଇରାଣ ୧୦
କଳାମେଘ ତଳେ ଧଳା କଇଁଫୁଲର ହାଟ ୧୨
ସମସ୍ତେ ଯେମିତି ସ୍ୱାଗତ କଲେ ୧୩
ଏବେ ସବୁ ଦୁଃଖ ଭୁଲି ଯା’ନ୍ତୁ ୧୩
ଆସାମର ଅବସ୍ଥା ୧୭
ଶଙ୍କର ଦେବ ୧୮
୧୦ ଲୋକମାନଙ୍କ ଚଳଣି ୨୨
୧୧ ପର୍ବପର୍ବାଣି ଓ ଧର୍ମ କାର୍ଯ୍ୟ ୨୩
୧୨ କାମାକ୍ଷା ଦେବୀଙ୍କ ପଥେ ୨୬
୧୩ ଫେରିବା ବାଟରେ ଅସୁବିଧା ୩୨
୧୪ ଗୌହାଟୀ ଦର୍ଶନ ୩୩
୧୫ କାମାକ୍ଷାପୀଠର ମହିମା ୩୫
୧୬ ଇତିହାସରେ କାମାକ୍ଷା ୪୦
୧୭ ଗୌହାଟୀରୁ ଫେରିଲି ୪୩
୧୮ ଦୁଇପାଖରେ କ୍ଷେତ-ଖମାର ୪୭
==କାଉଁରୀ କାମଚଣ୍ଡୀର ଦେଶେ==

ଆରମ୍ଭରୁ ଅସୁବିଧା

୧୯୯୦ ଜୁଲାଇ ୩୦ ତାରିଖ । ଆସାମର ପ୍ରଧାନ ସହର ଗୌହାଟୀକୁ ଯିବା ପାଇଁ ମୋର ଭାରି ମନ । ବହୁ ଦିନୁ ଶୁଣିଥିଲି ଆସାମ କାଉଁରୀ କାମଚଣ୍ଡୀର ଦେଶ । ସେଠାକୁ ଭେଣ୍ଡାମାନେ ଯାଇ ମେଣ୍ଢା ହୋଇ ରହିଯା’ନ୍ତି । କୁହୁକ ବଳରେ ସେମାନେ ବଶ ହୋଇ ରହିଯା’ନ୍ତି । ନିଜ ଘରକୁ ସେମାନେ ଫେରନ୍ତି ନାହିଁ । କେଡ଼େ ସୁନ୍ଦର ସେଇ ଜାଗା ! କିଏ ପୁଣି ବାହାର ଲୋକଙ୍କୁ ସେଠାରେ ବାନ୍ଧି ରଖେ !!

ଆସାମକୁ ଯିବା ପାଇଁ ଗୋଟିଏ ନିମନ୍ତ୍ରଣ ପାଇଲି । ଏଇ ସୁଯୋଗରେ ଯିବା ପାଇଁ ସ୍ଥିର କଲି । ବିଭିନ୍ନ କାର୍ଯ୍ୟ ଓ ବିଭିନ୍ନ ଜଞ୍ଜାଳ । ଆସାମରେ ମଧ୍ୟ କେତେ ଗଣ୍ଡଗୋଳ ! ତା’ ମଧ୍ୟରେ ଗୋଟିଏ ସିଧା ଯାଉଥିବା ଟ୍ରେନରେ ଯିବା ପାଇଁ ଟିକେଟ କାଟିଲି । ସଂରକ୍ଷଣ ମଧ୍ୟ ମିଳିଗଲା । ମାତ୍ର ଆଜିକାଲି ଗାଡ଼ି ମଟରର ଯାହା ଅବସ୍ଥା । ସମୟରେ ଚାଲୁନାହିଁ । ସେଥିପାଇଁ ବହୁତ ହଇରାଣ । ସେଦିନ ଭୋର ୫ ଟାରେ ମୋର ଟ୍ରେନ । ବାଙ୍ଗାଲୋର ଗୌହାଟୀ ଏକ୍ସପ୍ରେସ । ରାତି ୪ଟାରୁ ଉଠି ନିତ୍ୟକର୍ମ ସାରିଦେଲି । ସାନ ପୁଅ ମିଟୁ ସାଥୀରେ ଭୁବନେଶ୍ୱର ଷ୍ଟେସନରେ ପହଞ୍ଚିଲି । ଟ୍ରେନ ଠିକ ସମୟରେ
Kaunri Kamachandira dese.pdf

ଆସୁଛି କି ନାହିଁ ବୁଝିଲାବେଳକୁ ଉତ୍ତର ମିଳିଲା – କିଛି ଠିକ ନାହିଁ । ସବୁ ବିଳମ୍ବରେ ଚାଲିଛି ।

ସହକାରୀ ଷ୍ଟେସନ ମାଷ୍ଟରଙ୍କୁ ପଚାରିଲି । ସେ ବି ଠିକ ଉତ୍ତର ଦେଲେ ନାହିଁ । କେତେବେଳେ ସେଇ ଗାଡ଼ି ଆସିବ ଠିକଣା ନାହିଁ । ଅଭିଜ୍ଞ ଟିକେଟ କଲେକ୍ଟର ଦାସ ବାବୁଙ୍କୁ ପଚାରିଲି । ସେ କହିଲେ ତେବେ ଛ’ ଘଣ୍ଟାରୁ କମ୍ ନୁହେଁ । ଅଧିକ ତ ହୋଇପାରେ । ଗାଡ଼ି ଏଯାଏ ଆମ ଅଞ୍ଚଳ(ରେଞ୍ଜ) ମଧ୍ୟକୁ ଆସିନାହିଁ ।

ତା’ମାନେ ପଚାରିବାରୁ ସେ ବୁଝାଇଦେଲେ ବେଜୱଡ଼ା ପର୍ଯ୍ୟନ୍ତ ଗାଡ଼ି ଆସିନାହିଁ । ସେଠାରୁ ଏଠାକୁ ଛ’ ଘଣ୍ଟାର ବାଟ । ଗତ ଥର ପ୍ରାୟ ଚବିଶ ଘଣ୍ଟା ବିଳମ୍ବରେ

ଆସିଥିଲା । ଯେଉଁଗାଡ଼ି ଗୌହାଟୀ ଯାଏ, ସେ ପୁଣି ବାଙ୍ଗାଲୋର ଆସି ଫେରେ । ତେଣୁ ଥରେ ସେଥିରେ ବିଳମ୍ବ ହେଲେ, ସେଇ ଅସୁବିଧା ଲାଗି ରହିଥାଏ କେତେ ଦିନ ପାଇଁ ।

ଆଚ୍ଛା କଥା । ଆମକୁ ତେବେ କଅଣ କରିବାକୁ ହେବ ? ବସାକୁ ଫେରିଯିବା ଉଚିତ । ସେଠାରୁ ଫୋନ୍‌ରେ ଖବର ନେବାକୁ ହେବ । ସେଥିରେ ଖବର ନ ମିଳିଲେ ନିଜେ ଆସି ବୁଝିବାକୁ ପଡ଼ିବ । ସେଇୟା ହେଲା । ଆମେ ଫେରିଗଲୁ । ପ୍ରତି ୧/୨ ଘଣ୍ଟାରେ ଫୋନ୍ କରୁଥାଉ । ଫୋନ୍ ନ ମିଳିଲେ ମିଟୁ ନିଜେ ଷ୍ଟେସନକୁ ଯାଇଥାଏ । ଏମିତି କରି ଶେଷରେ ଗାଡ଼ି ୧୦ ଘଣ୍ଟା ବିଳମ୍ବରେ ଆସିବ ବୋଲି ଜଣାପଡ଼ିଲା । ତା’ ମାନେ ଅପରାହ୍ନ ୩ଟାରେ ଗାଡ଼ି ଆସିବ ।

ଆମେ ତେଣୁ ୨ଟାରେ ରେଳଷ୍ଟେସନରେ ପହଞ୍ଚିଲୁ । ଘଣ୍ଟାଏ ଅପେକ୍ଷା କଲା ପରେ ଗାଡ଼ି ଆସିଲା । ସେତେବେଳେକୁ ଟ୍ରେନ ୧୦ ଘଣ୍ଟା ବିଳମ୍ବରେ ଚାଲିଥିଲା । ନିଜ କମ୍ପାଣ୍ଟମେଣ୍ଟର ନିର୍ଦ୍ଦିଷ୍ଟ ସ୍ଥାନରେ ମୁଁ ବସିଲି । ଟ୍ରେନ ଛାଡିଲା ପାଖରେ ଜ୍ୱରାକ୍ରାନ୍ତ ଦୁର୍ବଳ ସ୍ତ୍ରୀ ପିଲାଙ୍କୁ ଧରି ଜଣେ ବାବୁ ଆସାମ ଯାଉଥିଲେ । ଆଉ ଜଣେ ଦୁଇଜଣ ଭଦ୍ରବ୍ୟକ୍ତି ମଧ୍ୟ ସେଇ ବଗିରେ ବସିଲେ । ଗୌହାଟୀ ଯାଇ ସେମାନେ ସେଠାରୁ ବିଭିନ୍ନ ସ୍ଥାନକୁ ଯିବେ । ଆମେ ସବୁ କଥାବାର୍ତ୍ତା ହୋଇ ଚାଲିଲୁ ।

ବୁଡ଼ିଗଲା ଗୋଡ଼ ତଳକୁ

ବୁଡ଼ିଗଲା ଗୋଡ଼ ତଳକୁତଳକୁ ପରି ପଛାଇଥବା ଗାଡ଼ି ଅଧିକରୁ ଅଧିକ ପଛାଇ ପଛାଇ ଚାଲିଲା । କଥାବାର୍ତ୍ତରୁ ଯାହା ଜାଣିଲି ହୁଏତ ତା’ ଆରଦିନ (୩୧ତାରିଖ) ରାତି ଅଧରେ ଗାଡ଼ି ଗୌହାଟୀରେ ପହଞ୍ଚି ପାରେ । ନୂଆ ଜାଗା । ମୋର ସ୍ଥାନ, ରାସ୍ତାଘାଟ ସମ୍ପର୍କରେ କିଛି ଧାରଣା ନାହିଁ । ସେଥିରେ ବୋଡୋ, ଉଲ୍‌ଫା ଆଦିଙ୍କର ଗଣ୍ଡଗୋଳ । ନିରୀହ ମଣିଷଙ୍କୁ ତ ପୋକମାଛି ପରି ମାରିବା ସେମାନଙ୍କର କାର୍ଯ୍ୟ ହୋଇଛି । ତେଣୁ ମନରେ କେତେ ସନ୍ଦେହ, କେତେ ଚିନ୍ତା !

ଦେଖାଯାଉ କ’ଣ ହେଉଛି । ଗାଡ଼ି ଚାଲିବାରେ ଲାଗିଲା । ରାତି ୧୦ଟା ବାଜିଲା । ଆମେ ସବୁ ଶୋଇଗଲୁ । ପାଞ୍ଚଟାରେ ଶାଗୁଆ ଧାନ କିଆରୀ, ନଦୀନାଳ, ଗାଁ ଗଣ୍ଡା ମଧ୍ୟରେ ଗାଡ଼ି ଚାଲିଛି । ଦଳ ଦଳ ପକ୍ଷୀ ଉଡ଼ି ଚାଲିଛନ୍ତି । କ୍ରମେ ଦଶ ଦିଗ ସଫା ହୋଇ ଆସିଲା ।

ଫରକ୍କା ବ୍ୟାରେଜ୍ ପଡ଼ିଲା । ଗଙ୍ଗାଜଳକୁ ବାଣ୍ଟିବାରେ ବଙ୍ଗଳା ଦେଶ ସହିତ ଭାରତର ଗଣ୍ଡଗୋଳ । ଏହି ବ୍ୟାରେଜ୍‌ରେ ନଦୀ ଜଳ ଅଟକ କରି କେନାଲ ସାହାଯ୍ୟରେ ଜଳସେଚନର ବ୍ୟବସ୍ଥା ହୋଇଛି । କେତୋଟି ନୂଆ କଳକାରଖାନା ଗଢ଼ି ଉଠିଛି ।

ସୁନ୍ଦର ସବୁଜ ପରିବେଶ

ସୁନ୍ଦର ପ୍ରାକୃତିକ ପରିବେଶ ମଧ୍ୟରେ ଟ୍ରେନ୍ ଚାଲିଛି । କ୍ଷେତ ଓ ଖମାର ଆଉ କଳକାରଖାନା ମଧ୍ୟରେ ଏକ ଅପୂର୍ବ ଯୋଗାଯୋଗ । ମାଲ୍‌ଦା ଷ୍ଟେସନ୍ ପଡ଼ିଲା । ଏକ ଜାତିର ସବୁଜ ଆମ୍ବ ପାଇଁ ସ୍ଥାନଟି ପ୍ରସିଦ୍ଧ । ସେଇ ଆମ୍ବ ସରିଆସିଲାଣି । ପାଚିଲେ ମଧ୍ୟ ଏହି ଆମ୍ବ ସବୁଜ ଦିଶେ । ଜଣେ ଦି ଜଣ ଗୋଟିଏ ଲେଖାଁ ଝୁଡ଼ିରେ କିଛି ଆମ୍ବ ଧରି ଷ୍ଟେସନ ଉପରେ ଆସି ବିକୁଥିଲେ । କିଲୋ ନ’ଅ ଟଙ୍କା ।

ଚାଷୀମାନେ ଭୋରରୁ ଚାଷ କାମରେ ଲାଗିଗଲେଣି । କିଏ ମଇ ଦେଉଛି ତ କିଏ ବେଉଷଣ କରୁଛି । କିଏ ରୋଉଛି ତ କିଏ ତଳି ଉପାଡ଼ୁଛି । ନିଜ ନିଜ ଚାଷ କାର୍ଯ୍ୟରେ ସେମାନେ ଲାଗିଲେଣି । ଅନେକ ସ୍ଥାନରେ ନଳିତା କିଆରୀମାନ ଦେଖିଲୁ । କେତେକ ଜାଗାରେ ନଳିତା କାଟି ତାକୁ ପାଣିରେ ମଡ଼ାଉଛନ୍ତି । କେତେକ ଜମି ଉପରେ ନଳିତା ଗୋଛା ଠିଆ ହୋଇ ରହିଛି । ସମ୍ଭବତଃ ପତ୍ର ଝଡ଼ିଲେ ପାଣିରେ ମାଡ଼ିବେ ।

ରେଳ ରାସ୍ତା କଡ଼ରେ ମଧ୍ୟ ଆକାଶିଆ ଗଛଗୁଡ଼ିକର ବଣ । ଆକାଶୁଛୁଆଁ ହେଲାଣି । ସାମାଜିକ ବନୀକରଣ ଯୋଜନାରେ ସବୁଠି ଏଇ ଗଛ ଜଙ୍ଗଲ ଦେଖିବାକୁ

Kaunri Kamachandira dese.pdf

ମିଳୁଛି । ସେଇ ଗଛର ଉପକାରିତା ବିଷୟରେ ଅନେକ ସମାଲୋଚନା କରନ୍ତି । ମାତ୍ର ଧୂସର ମାଟି ମରତକୁ ଶୀଘ୍ର ସବୁଜ ସୁନ୍ଦର କରିବାକୁ ଆକାଶିଆ ଗଛ ତା’ର ଖୁବ ସଫଳତା ଦେଖାଇଛି । ବଡ ଗଛଗୁଡ଼ିକରେ ହଳଦିଆ ଫୁଲର ଭିଡ଼ ଜମିଛି । ସାନ ଗଛଗୁଡ଼ିକରେ ଛନ ଛନ କଅଁଳିଆ ପତ୍ର ଲଦି ହୋଇ ପଡ଼ିଛି ।

କିଶନଗଞ୍ଜ, ରଙ୍ଗପାଣି ଆଦି ଷ୍ଟେସନ ପରେ ପଡ଼ିଲା ନୂଆ ଜଳପାଇଗୁଡ଼ି । ଏଠାରୁ ଥରେ ମୁଁ ସିଲିଗୁଡ଼ି ଯାଇ ସେଠାରୁ ସିକିମ ରାଜଧାନୀ ଗାଙ୍ଗଟକ ଯାଇଥିଲି । ପାହାଡ଼ମାନ ଦୂର ଦିଗବଳୟରେ ଦେଖାଗଲା । ମଝିରେ ମଝିରେ ବର୍ଷା ହେଉଥାଏ । ମେଘୁଆ ପାଗ । ସୂର୍ଯ୍ୟ କେତେବେଳେ ଲୁଚି ଯାଉଥାଏ ତ କେତେବେଳେ ଦେଖାଯାଉଥାଏ ।

ବୋଡ଼ୋ ଗଣ୍ଡଗୋଳ ଯୋଗୁଁ ହଇରାଣ

ଆସାମ ରାଜ୍ୟ ନିକଟେଇ ଆସିଲା । ଗୁଆଗଛମାନ ଦେଖି ଗୁଆହାଟୀ କଥା ମନେପଡ଼ିଲା । ଗୁଆର ହାଟରୁ ଗୁହାଟି ନାମକରଣ ହୋଇଛି । ଗୋଟିଏ ଗାଁ ପାଖ ଛୋଟ ଷ୍ଟେସନରେ ଗାଡ଼ି ବହୁତ ସମୟ ପକେଇରଖିଲା । ପାଣିଟୋପେ ବି ନାହିଁ । ଟ୍ୟୁବ୍‌ୱେଲ୍‌ରୁ ପାଣି ବାହାରୁ ନାହିଁ । ଗାଁ ଲୋକେ ଏହାକୁ ଏକ ସୁଯୋଗ ବୋଲି ଭାବିନେଲେ । ବାଡ଼ିର ଦରପାଚିଲା ପଣସ, ପିଜୁଳି, ସପୂରୀ, କଦଳୀ ଆଦି ନେଇ ଆସିଲେ । ସନ୍ଧ୍ୟା ବେଶୀ ଦୂର ନାହିଁ । ତେଣୁ ଯାତ୍ରୀମାନେ ଯେ ଯାହା ପାଇଲେ କିଣି ଖାଇଲେ ।

ସେଇ ଡବାରେ ୮/୧୦ ଜଣ ଅଧ୍ୟାପକ ଯାଉଥିଲେ । ସେମାନେ ଓଡ଼ିଶାରୁ ଯାଇ ଆସାମରେ ବିଭିନ୍ନ କଲେଜରେ ଅଧ୍ୟାପନା କରୁଛନ୍ତି । ବାରିପଦାର ଜଣେ

Kaunri Kamachandira dese.pdf
ଇଂରେଜୀ ଅଧ୍ୟାପକ ଶ୍ରୀ ସୁମନ ପାଣିଗ୍ରାହୀଙ୍କ ସହିତ କଥା ହେଲି । ସେ ପଟ୍ଟାମୁଣ୍ଡାଇ କଲେଜରେ ବର୍ଷେ ଦେଢ଼ବର୍ଷ ଅଧ୍ୟାପକ ଥିଲେ । ମାତ୍ର ଦରମା କମ୍ ମିଳିବାରୁ ସେଠାରୁ ଚାଲିଗଲେ । ଗୌହାଟୀ ପୂର୍ବରୁ ସେ ଓହ୍ଲାଇବେ । ମୋତେ ସେ ପରାମର୍ଶ ଦେଲେ- ଗୌହାଟୀ ଷ୍ଟେସନରୁ ଓହ୍ଲାଇ ଆପଣ ପାନ ବଜାରକୁ ଯିବେ । ସେଠାରୁ ରିକ୍ସାଟିଏ କରି ହାଇକୋର୍ଟ ପାଖକୁ ଯିବେ । ଅଟୋରେ ଗଲେ ୫୦ ଟଙ୍କା ନେବ । ମାତ୍ର ଏ ପ୍ରକାର ଗଲେ ଆପଣଙ୍କର ୪/ ୫ ଟଙ୍କା ଖର୍ଚ୍ଚ ହେବ ।

ସେଠାରେ ଗାଡ଼ି ଏତେ ସମୟ ପଡ଼ି ରହିବାର କାରଣ ବୁଝାଇ ସୁମନବାବୁ କହିଲେ – ଆସାମ ଗଣ୍ଡଗୋଳ ଯୋଗୁ ଆଜିକାଲି ରାତିରେ ଟ୍ରେନ ଚାଲୁ ନାହିଁ । ବିଶେଷ କରି ବୋଡ଼ୋ ଅଞ୍ଚଳ ପଡ଼ିବ ଗୌହାଟୀ ପୂର୍ବରୁ । ସେଥିପାଇଁ ସନ୍ଧ୍ୟାରେ କୁଚବିହାର ଷ୍ଟେସନରେ ଗାଡ଼ି ଅଟକିବ । ଭୋରରୁ ପୁଣି ଗାଡ଼ି ଚାଲିବ । ଗୋଟିଏ ସ୍ଥାନରେ ଦେଖିଲି ମସ୍ତବଡ଼ ଆମ୍ବ ତୋଟା ପରି ଏକ ଜଙ୍ଗଲ । ଉପରକୁ ମୁଣ୍ଡ ଟେକି ରହିଛି ବଡ଼ ବଡ଼ ଗଛ । ତଳେ ତା'ର ସବୁ ଘଞ୍ଚ ବୁଦୁ ବୁଦିକିଆ ଗଛ । ସେଇ ସବୁ ଗଛ କେହି ଲଗାଇଲା ପରି ଲାଗିଲା । ପଚାରିବାରୁ ସାହୁବାବୁ କହିଲେ – ଏହା ଚା’ ବଗିଚା । ବଡ଼ ବଡ଼ ଗଛ ତଳେ ବୁଦୁ ବୁଦିକିଆ ଜଙ୍ଗଲ ପରି ଦିଶୁଛି । ତାକୁ ଛାଇ ଦେବାକୁ ଉପରେ ଏଇ ଡେଙ୍ଗା ଡେଙ୍ଗା ଗଛ । ମୁଁ ଏବେ ବୁଝିଲି, ପିଲାଦିନେ ଚା’ ଚାଷ ବିଷୟରେ ପଢ଼ିଥିବା ପାଠ ମନେ ପଡ଼ିଲା ।

ସତକୁ ସତ କୁଚବିହାର ଷ୍ଟେସନରେ ଗାଡ଼ି ଅଟକି ରହିଥିଲା । ଷ୍ଟେସନରେ ଖାଦ୍ୟର ଉତ୍କଟ ଅଭାବ । ବାସି ଶୁଖିଲା ଖାଦ୍ୟ ମିଳିଲା, ସେଥିରୁ ଖାଇ ପେଟକୁ ଥୟ କରାଗଲା । ଯାତ୍ରୀମାନେ ରାତିଟି ସେଠାରେ ଗାଡିର ବଗି ମଧ୍ୟରେ କଟାଇଲେ । ପୋଲିସ ଫୋର୍ସ ଆଦି ଅବଶ୍ୟ ଏପଟ ସେପଟ ହେଉଥା'ନ୍ତି । କଳା ମେଘ ତଳେ ଧଳା କଇଁର ହାଟ

ରାତି ୪ଟାରେ ନିଦ ଭାଜିଲା । ଟ୍ରେନ୍ ଧୀରେ ଧୀରେ ଚାଲିଥାଏ । ଭୋର ୫ଟାରେ ନିତ୍ୟକର୍ମ ସାରିଦେଲି । ଚଉଦିଗ ଫରଚା ଦିଶିଲା । ଯାତ୍ରୀମାନେ ଗୋଟିଏ ଗୋଟିଏ ଉଠିଲେ । ମେଘୁଆ ସକାଳ । ମାତ୍ର ଚାଷୀଭାଇମାନେ କାମରେ ଲାଗିଥାନ୍ତି । ରେଳରାସ୍ତା କଡ଼ ନୟନଜୋରି ପାଣିରେ ନାଲି ଓ ଧଳା କଇଁ ବହୁ ସଂଖ୍ୟାରେ ଫୁଟିଥାଏ । ଧଳାକଇଁ ତ ଆକାଶ ତାରା ପରି ଉଜ୍ଜ୍ୱଳ ଦିଶୁଥାଏ । କଳାହାଣ୍ଡିଆ ମେଘ ତଳେ ତା'ର ଉଜ୍ଜ୍ୱଳତା ଆହୁରି ବଢ଼ିଯାଇଥାଏ । ମଝିରେ ମଝିରେ ଝିପ୍ ଝିପ୍ ବର୍ଷା ।

ଜୋରାଇ ଷ୍ଟେସନ ପଡିଲା । ଚା' ଗ୍ଲାସେ ପିଇଲି । ଖୁବ୍ ତଟକା । ତା'ର ମହକ ଭାରି ଭଲ ଲାଗିଲା । ତା'ପରେ ଶ୍ରୀରାମପୁର ଷ୍ଟେସନ । ଜୱାନମାନେ ବାଲି ବସ୍ତା ଘେରାଇ ତା' ଉପରେ ଭାଡ଼ି କରି ଜଗି ବସିଛନ୍ତି । ଚଉତରା ବୋଲି ଆଉ ଏକ ଷ୍ଟେସନ ।

ବୋଡ଼ୋ ଅଞ୍ଚଳ ମଧ୍ୟରେ ଆମେ ଚାଲିଲୁ । ସ୍ତ୍ରୀଲୋକମାନେ ଚାଲିଥାନ୍ତି । ସେମାନଙ୍କର ଗଢ଼ଣ ଓ ସ୍ୱାସ୍ଥ୍ୟ ସୁନ୍ଦର । ପାହାଡ଼ ଘେରା ଅଞ୍ଚଳ । ଦୂର ପାହାଡ଼ ଉପରେ ନୂଆ ମେଘ । ଧୋବ ଫର୍ ଫର୍ ଭିଣାତୂଳା ପରି ଦେଖାଯାଉଥାଏ । ପାହାଡ଼ର ସବୁଜ ସୁନ୍ଦର ମଥାନ ଉପରେ ତାହା ଭାସି ଯାଉଥାଏ ।

ବହୁ ଦିନରୁ ଶୁଣିଥିବା ଓ ଖବରକାଗଜରୁ ପଢ଼ିଥିବା କୋକ୍ରାଝର ଷ୍ଟେସନ ପଡ଼ିଲା । ଭାବିଲି କେଉଁଠି ସୁନ୍ଦର ଝରଣା ଥିବ । ଜଣେ ଯୁବକବନ୍ଧୁ ମୋର ପାଣି ବୋତଲ ନେଇ ଷ୍ଟେସନ ଟ୍ୟୁବୱେଲରୁ ଭର୍ତ୍ତି କରି ଆଣିଲେ । ଖୁବ୍ ନିର୍ମଳ ଜଳ । କେଦାର ଗୌରୀ ପାଣି ପରି ଟିକିଏ ଆମ୍ବିଳିଆ ଲାଗୁଥିଲା । ସମ୍ଭବତଃ ଧାତବ ଗୁଣ ଯୋଗୁ । ତା’ପରେ ବାସୁଗାଓଁ, ନୂଆ ବୋଙ୍ଗାଇଗାଓଁ , ନଳବାଡ଼ି ଷ୍ଟେସନମାନ ମାନ ପଡ଼ିଲା । ଗୌହାଟୀ ଆଉ ସେଠାରୁ ଘଣ୍ଟାକର ବାଟ । ମନ ଉଚ୍ଚାଟ ହୋଇ ଉଠିଲା । ମାତ୍ର ସେତେବେଳକୁ ବାରଟା ବାଜିଲାଣି । ସମସ୍ତେ ଯେମିତି ସ୍ୱାଗତ କଲେ

ଏବେ ପାହାଡ଼ମାନ ରେଳରାସ୍ତା ପାଖକୁ ଲାଗି ରହିଥିବା ଦେଖାଗଲା । ମନେ ହେଲା, ଯାତ୍ରୀମାନଙ୍କୁ ସ୍ୱାଗତ କରିବାକୁ ସେମାନେ ହାତ ଧରାଧରି ହୋଇ ଲାଗି ଆସିଲେଣି । ଜଣେ ଲୋକ ଆସି ଗୋଟିଏ ଲେଖାଏଁ ସୁନ୍ଦର ପଇଡ଼ ଧରାଇଲେ । ଥଣ୍ଡା ପାଣିକୁ ମିଠା ଶସ । ଭଲ ଲାଗିଲା, ଖୁବ୍ ଶାନ୍ତି ଲାଗିଲା । ଭୋକଶୋଷ ମରିଗଲା । ସୁନ୍ଦର ଦୃଶ୍ୟ ଦେଖି ଖୁସି ହେଲି ।

ଅଳ୍ପ ସମୟ ପରେ ପଡ଼ିଲା କାମାକ୍ଷା ଷ୍ଟେସନ । ସେଠାରୁ ଗଲେ ଦଶମିନିଟ୍ ପରେ ଗୌହାଟୀ ଷ୍ଟେସନ । ପୁରୀ ଯିବାବେଳେ ଆଗେ ପଡ଼ନ୍ତି ବାଟମଙ୍ଗଳା । ସେମିତି ଗୌହାଟୀ ଯିବା ପୂର୍ବରୁ ଆଗେ ପଡ଼ନ୍ତି କାମାକ୍ଷା ଠାକୁରାଣୀ । ମୁଁ ଗୌହାଟୀ ଷ୍ଟେସନରେ ଓହ୍ଲାଇବା ପାଇଁ ପ୍ରସ୍ତୁତ ହେଲି । କାମାକ୍ଷା ଷ୍ଟେସନରେ ଗାଡ଼ି ରହିଲାମାତ୍ରେ ମୁଁ ବାହାର ଦୃଶ୍ୟ ଦେଖୁଛି । ହଠାତ୍ ଆଖି ପଡିଲା ଡକ୍ଟର ଶର୍ମାଙ୍କ ଉପରେ । ସେ ପ୍ଲାଟଫର୍ମ ଉପରେ ଗାଡ଼ିକୁ ଦେଖି ଦେଖି ଚାଲିଛନ୍ତି । ଡକ୍ଟର ପୂର୍ଣ୍ଣ ଶର୍ମା ଗୌହାଟୀ ବିଶ୍ୱବିଦ୍ୟାଳୟର ଆକାଡେମିକ ଷ୍ଟାଫ୍ କଲେଜର ଡାଇରେକ୍ଟର । ସେ ମୋତେ ନିମନ୍ତ୍ରଣ କରିଥିଲେ । ମାତ୍ର କେଉଁଠି କିପରି ଓହ୍ଲାଇ ତାଙ୍କ କଲେଜକୁ ଯିବି ଜଣାଇନଥିଲେ ।

ଯାହା ହେଉ କାମାକ୍ଷାଙ୍କ ଦୟାରୁ ତାଙ୍କ ଉପରେ ହଠାତ୍ ଆଖି ପଡ଼ିଗଲା । ମୁଁ ତାଙ୍କୁ ଡାକିଦେଲି । ମୋର ଡାକ ଶୁଣିଲାମାତ୍ରେ ବଗିଭିତରକୁ ସେ ଚାଲିଆସିଲେ । ମୋତେ ଆନନ୍ଦରେ କୁଣ୍ଢାଇ ପକାଇଲେ । ମୋର ମନା କରିବା ସତ୍ତ୍ୱେ ମୋ ସୁଟ୍‌କେଶକୁ ଧରି ସେ ବାହାରିଲେ । ସେତେବେଳକୁ ସେଇଗାଡ଼ି ପୁରା ଗୋଟିଏ ଦିନ ବା ୨୪ ଘଣ୍ଟା ବିଳମ୍ବରେ ଚାଲୁଥିଲା ।

ଏବେ ସବୁ ଦୁଃଖ ଭୁଲିଯା’ନ୍ତୁ

ଡକ୍ଟର ଶର୍ମା କହିଲେ – ଆପଣ ବାଟରେ ବହୁତ ହଇରାଣ ହୋଇଥିବେ । ଏବେ ସେ ସବୁ ଦୁଃଖ ଭୁଲି ଯା’ନ୍ତୁ । ତାଙ୍କ କାରରେ ଆମେ ସାଥୀ ହୋଇ ଗୌହାଟୀ ବିଶ୍ୱବିଦ୍ୟାଳୟକୁ ଗଲୁ । ସେଠାରେ ଅତିଥି ଭବନ (ଗେଷ୍ଟ ହାଉସ)ରେ ମୋର ରହିବା ବ୍ୟବସ୍ଥା ହେଲା । କିଛି ସମୟ ଦୁଃଖ ସୁଖ ହେଲା ଭିତରେ ସେ କହିଲେ – ଦୁଇ ଦିନ ଧରି ମୁଁ ଖୁବ ଚିନ୍ତାରେ ପଡ଼ିଥିଲି । ଆପଣ ଆସି ପାରିବେ କି ନାହିଁ । ଏଠାରେ ଗଣ୍ଡଗୋଳ । ପୁଣି ଏଇ କେତେ ଦିନ ପରେ ଦିଲ୍ଲୀରେ ଆମର ମିଟିଂ । ସେଥିପାଇଁ ନାନା ପ୍ରସ୍ତୁତି ।

ମୁଁ କିନ୍ତୁ ଆସାମକୁ ଆସିବା ପାଇଁ ମୋର ଆଗ୍ରହ ଏବଂ ଆସିଲା ପରେ ଖୁବ ଆନନ୍ଦ ପ୍ରକାଶ କଲି । ସେ ମଧ୍ୟ ଖୁସି ହେଲେ । କାମାକ୍ଷା ଷ୍ଟେସନରୁ ବିଶ୍ୱବିଦ୍ୟାଳୟ ୧୦ କିଲୋମିଟର ଦୂର । ମାତ୍ର ଅତିଥିଭବନଠାରୁ ତାହା ଜମା ୪ କିଲୋମିଟର । ତେବେ ଘଣ୍ଟାକ ପରେ ଗାଡ଼ି ପଠାଇଦେବେ କହି ସେ ନିଜ ଘରକୁ ଗଲେ ।

ମୁଁ ଘଣ୍ଟାକ ମଧ୍ୟରେ ନିତ୍ୟକର୍ମ ସାରିଦେଲି । ୩ଟାରେ ମୋତେ ଗୋଟିଏ ଭାଷଣ ଦେବାକୁ ହେବ । ମୁଁ ଦୁଇଟା ମଧ୍ୟରେ ଗାଧୁଆ ପାଧୁଆ ସାରି ପ୍ରସ୍ତୁତ ହୋଇଗଲି । ମାତ୍ର ଡ୍ରାଇଭର ଆସିବାରେ ବିଳମ୍ବ ହେବାରୁ ମୁଁ ବାହାରକୁ ଆସି ବୁଲାବୁଲି କଲି । ଦୂର ଦିଗବଳୟରେ ସୁନୀଳ ଉଚ୍ଚ ପାହାଡ଼ ଲମ୍ବି ଯାଇଛି । ମଥାନରେ ତା’ର କଳାହାଣ୍ଡିଆ ବାଦଲର ବୋଝ । ହତାରେ ସନ୍ତସନ୍ତିଆ ଭୂଇଁ । ପଙ୍କ କାଦୁଅଭରା । ସେଠାରେ କେହି ଯତ୍ନ ନେଲାପରି ଜଣାଗଲା ନାହିଁ । ତେବେ ହତା ମଝିରେ ଗୋଲାପ, ହେନା ଆଦି ଫୁଲଗଛମାନ ମୁଣ୍ଡଟେକି ଠିଆ ହୋଇଛନ୍ତି ।

ଦୁଇଟା ପନ୍ଦର ମିନିଟରେ କାର ଆସିଲା । ମୁଁ ବିଜ୍ଞାନ କେନ୍ଦ୍ରର କ୍ୟାଣ୍ଟିନରେ କିଛି ଖାଇ ତାଲିମ କେନ୍ଦ୍ରକୁ ଗଲି । ସେଠାରେ କିଛି ସମୟ ବସିଲା ପରେ ଶର୍ମା ଆସିଲେ । କୋଅର୍ଡ଼ିନେଟର ଭଟ୍ଟାଚାର୍ଜୀ ଶ୍ରେଣୀରେ କ’ଣ ଆଲୋଚନା କରୁଥିଲେ । ଆସିଲେ । ଗୋଟିଏ ଗ୍ରୁପ ଫଟୋ ଉଠାଇବାର ଆୟୋଜନ । ମୋତେ ସେମାନେ ବସିବାକୁ ଅନୁରୋଧ କଲେ । ଫଟୋ ଉଠିଲା । ତା'ପରେ ଡକ୍ଟର ଶର୍ମା ସମସ୍ତଙ୍କ ସହ ମୋର ପରିଚୟ କରାଇଦେଲେ । ମୁଁ ମଧ୍ୟ ପ୍ରଥମ କରି ଆସାମ ଯାଇଥିବାରୁ ଆନନ୍ଦ ପ୍ରକାଶ କଲି । ଦୁଇ ପଡ଼ୋଶୀ ରାଜ୍ୟ ଓଡ଼ିଶା ଓ ଆସାମ । ସେମାନଙ୍କ ଭାଷା, ଧର୍ମ, ଆଚରଣ, ଚଳଣି ଆଦିରେ ଖୁବ୍ ସାମଞ୍ଜସ୍ୟ । ଶିକ୍ଷା ଓ ଦର୍ଶନ ସମ୍ପର୍କରେ ଭାଷଣ ଦେଲି । ଶେଷରେ ଆଲୋଚନା ହେଲା । କେନ୍ଦ୍ର ମାଧ୍ୟମିକ ଶିକ୍ଷାବୋର୍ଡର ଆଞ୍ଚଳିକ ଅଧିକାରୀ ଫୁକନ୍‌ବାବୁ ମଧ୍ୟ ଆଲୋଚନାରେ ଯୋଗଦେଲେ ।

ତା'ପରେ ଆମେ ଡକ୍ଟର ଶର୍ମାଙ୍କ ବସାକୁ ଗଲୁ । ସେଠାରେ କଥାବାର୍ତ୍ତ ହେଲୁ । ପରସ୍ପର ଘରଦ୍ୱାର, ପିଲାପିଲିଙ୍କ ପଢ଼ାପଢ଼ି ସମ୍ପର୍କରେ ସୁଖଦୁଃଖ ହେଲୁ । ଆସାମ ବିଶେଷ କରି ଗୌହାଟୀ ସହର ବିଷୟରେ ଆଲୋଚନା କଲୁ । ଆସମର ଆଗକାଳର କଥା । ଆସାମ ପୌରାଣିକ ଯୁଗରେ ପ୍ରାଗ୍‌ଜ୍ୟୋତିଷପୁର ନାମରେ ବିଖ୍ୟାତ ଥିଲା । କାଳିଦାସଙ୍କ କାବ୍ୟ କବିତା ଏବଂ ଅନ୍ୟାନ୍ୟ ସଂସ୍କୃତ ଶାସ୍ତ୍ରମାନଙ୍କରେ ଏହାକୁ କାମରୂପ ବୋଲି ବର୍ଣ୍ଣନା କରାଯାଇଛି । ସମୁଦ୍ର ଗୁପ୍ତଙ୍କର ଏକ ଶିଳାଲିପିରେ (୫ମ ଶତାବ୍ଦୀ) ଏହାର ନାମ କାମରୂପ ବୋଲି କୁହାଯାଇଛି । ଦଶମ ଶତାବ୍ଦୀରେ ଲିଖିତ କାଳିକା ପୁରାଣରେ ପ୍ରାଗ୍‌ଜ୍ୟୋତିଷ ବା କାମରୂପର ବର୍ଣ୍ଣନା ରହିଛି । ୧୬ଶ ଶତାବ୍ଦୀର ଯୋଗିନୀତନ୍ତ୍ରରେ କାମରୂପର ସୀମା ସରାହଦ ଆଦି ଭୌଗଳିକ ଅବସ୍ଥିତି ସୁନ୍ଦର ଭାବରେ ଦିଆଯାଇଛି । ନେପାଳଠାରୁ ବ୍ରହ୍ମପୁତ୍ରର ମୁହାଣଯାଏ ଏକ ବିରାଟ ଭୁଖଣ୍ଡ କାମରୂପ ବୋଲି କୁହାଯାଇଛି । ସେଥିରୁ ଆଜିକାଲିର ଆସାମ ସହିତ ଉତ୍ତର ବଙ୍ଗର କୁଚବିହାର, ରଙ୍ଗପୁର, ଜଳପାଇଗୁଡ଼ି, ଦିନାଜପୁର ଆଦି କାମରୂପ ମଧ୍ୟରେ ଥିଲା ବୋଲି ଜଣାପଡ଼େ ।

'ଆସାମ' ନାମକରଣ କିପରି ହେଲା ? ଏହି ପ୍ରଶ୍ନ ସବୁରି ମନରେ ଉଙ୍କି ମାରିବା ସ୍ୱାଭାବିକ । ୧୩ଶ ଶତାବ୍ଦୀରେ ଆହୋମ ନାମକ ଆଦିବାସୀ ଜାତି ବ୍ରହ୍ମପୁତ୍ର ଉପତ୍ୟକାକୁ ବର୍ମା ଆଡ଼ୁ ଆକ୍ରମଣ କରିଥିଲେ । ସେମାନେ ସେତେବେଳେ ଏଠାକୁ ଶାସନ


                            ୧୫ କରୁଥିବା ଲୋକମାନଙ୍କୁ ହଟାଇ ରାଜପଣ କରିଥିଲେ । ସେମାନଙ୍କର ନାମ ଅନୁସାରେ ଆସାମ ନାମକରଣ ହୋଇଛି ବୋଲି କୁହାଯାଏ । ଆହୋମମାନେ ପରେ ହିନ୍ଦୁଧର୍ମ ଗ୍ରହଣ କରିଥିଲେ ଏନଂ ଆସାମୀ ଭାଷା ବ୍ୟବହାର କରିଥିଲେ । 

ସେତେବେଳେ ଆସାମରେ ଗୋସେଇଁ ନାମରେ ଏକ ବୈଷ୍ଣବ ଶ୍ରେଣୀ ଥିଲେ । ଆହୋମମାନେ ଗୋସେଇଁମାନଙ୍କଠାରୁ ଦୀକ୍ଷା ଗ୍ରହଣ କରିଥିଲେ । ସେମାନେ ପ୍ରଥମେ ମାତ୍ର ଏକ ହଜାର ଆସିଥିଲେ । ଅନୁକୂଳ ପରିବେଶରେ କେତୋଟି ବର୍ଷରେ ସେମାନେ ଲକ୍ଷାଧିକ ହୋଇଥିଲେ । ଆଉ କେତେକଙ୍କ ମତରେ ଏଠାରେ ଆଦିମ ଅଧିବାସୀମାନେ ଏହି ଭୂଇଁ ଉଚ୍ଚନୀଚ ପାହାଡ଼, ଉପତ୍ୟକା, ନଦୀନାଳର ଦେଶ ହୋଇଥିବାରୁ ଏହାକୁ 'ଆସାମ' ବା ଅସମାନ କହନ୍ତି । ଏଥିରୁ ନାମ ଆସାମ ହୋଇଛି ।

ପୁରାଣମାନଙ୍କରେ କୁହାଯାଇଛି, ଏଠାରେ ଆଦିମ ଅଧିବାସୀ ଥିଲେ କିରାତ, ନିଷାଦ, କିନ୍ନର ଆଦି ଉପଜାତିର ଲୋକ । ଏମାନଙ୍କୁ ମ୍ଳେଚ୍ଛ ବା ଅସୁର ବୋଲି ମଧ୍ୟ କୁହାଯାଇଛି । ତା'ପରେ ଆର୍ଯ୍ୟ, ମଙ୍ଗୋଲିୟ, ଚୀନ ଆଦି ବହୁଜାତି ଓ ସମ୍ପ୍ରଦାୟର ଲୋକ ଆସି ଏଠାରେ ବାସ କଲେ । ନାଗା, ଗାରୋ, ଖାସି, ଜୟନ୍ତିଆ ଆଦି ଅଧିବାସୀମାନେ ପାହାଡ କୋଳରେ ବହୁଯୁଗରୁ ରହି ଆସିଛନ୍ତି । ସେହିପରି ଆଉ ଏକ ଜାତିର ଆସିବାସୀ ହେଲେ 'ବୋଡ଼ୋ' । ସେମାନଙ୍କ ଭାଷାରେ ବୋଡ଼ୋର ଅର୍ଥ ମଣିଷ । ସେମାନଙ୍କ ମଧ୍ୟରୁ ଅଧିକାଂଶ କାମରୂପ ଜିଲ୍ଲାର ପଶ୍ଚିମ ଭାଗରେ ବାସ କରନ୍ତି । ସେମାନଙ୍କୁ 'ମେକ' (ସମ୍ଭବତଃ 'ମ୍ଲେଚ୍ଛ'ରୁ ହୋଇଛି) କହନ୍ତି । ଯେଉଁମାନେ ଏହାର ପୂର୍ବରେ ବାସ କରନ୍ତି, ସେମାନଙ୍କୁ କାଚାରୀ (ସମ୍ଭବତଃ 'କାଚାର' ଅଞ୍ଚଳର) କୁହାଯାଏ ।

ବୋଡ଼ୋମାନେ ବିସ୍ତୃତ ଅଞ୍ଚଳ ଅଧିକାର କରି ରାଜୁତି କରୁଥିଲେ । ନଦୀକୂଳମାନଙ୍କରେ ଘରଦ୍ୱାର କରିଥିଲେ । ନିଜ ଭାଷାରେ ନଦୀଗୁଡିକର ନାମକରଣ କରିଥିଲେ । ପଶ୍ଚିମରୁ ଆର୍ଯ୍ୟ ଓ ପୂର୍ବରୁ ଆହୋମମାନେ ଆସିଥିଲେ । ଏକ ତାଇ ବା


୧୬
Kaunri Kamachandira dese.pdf


ସାନ ସମ୍ପ୍ରଦାୟ ଆହୋମ ବଂଶରେ ରାଜପଣ କଲେ । ଏହି ବଂଶର ରାଜା ପ୍ରଥମ ଜୟଧ୍ୱଜ ସିଂହ (୧୬୪୮ - ୧୬୬୩) ହିନ୍ଦୁ ଧର୍ମ ଗ୍ରହଣ କରିଥିଲେ ।

ରାମାୟଣ ଓ ମହାଭାରତରେ ଆସାମର ଅଧିବାସୀଙ୍କ ବିଷୟରେ ବହୁ ବର୍ଣ୍ଣନା ରହିଛି । ଆସାମର ଭୌଗଳିକ ଅବସ୍ଥିତି, ଏହାର ଭାଷା, ଧର୍ମ ଆଦିର ବହୁ ବର୍ଣ୍ଣନା ରହିଛି ।

ଆସାମର ଅବସ୍ଥା

ଆସାମର ଭୌଗଳିକ ଅବସ୍ଥିତି, ଏହାର ଭାଷା, ଧର୍ମ, ଆଚାର, ବିଚାର, ଖାଦ୍ୟ, ପୋଷାକ ଆଦିକୁ ପ୍ରଭାବିତ କରିଛି । ପୂର୍ବରୁ ପାହାଡ଼ ମଧ୍ୟରେ ଥିବା ଗିରିପଥ ଦେଇ ବର୍ମା, ତିବ୍‌ବତ, ଭୁଟାନ ଓ ଚୀନ ସହିତ ଯୋଗାଯୋଗ ରହି ଆସିଥିଲା । ବ୍ରହ୍ମପୁତ୍ରନଦୀ ଆସାମ ମଧ୍ୟରେ ପ୍ରବାହିତ ହୋଇ ଇଜିପ୍ଟର ନୀଳନଦୀ ପରି ବହୁ ପ୍ରକାରେ


                           ୧୭ ସାହାଯ୍ୟ କରି ଆସିଛି । ବଙ୍ଗ ବ୍ୟତୀତ ଭାରତର ଅନ୍ୟାନ୍ୟ ଅଞ୍ଛଳ ସହିତ ସମ୍ପର୍କ ସ୍ଥାପନରେ ଏହା ସହାୟକ ହୋଇଛି । ଆସାମର ଇତିହାସ ଓ ସଂସ୍କୃତିକୁ ଏହି ନଦୀ ସବୁପ୍ରକାର ପ୍ରଭାବିତ କରିଛି । ଏହି ଆସାମର ପୂର୍ବ ଭାଗରେ ଥିବା ଭୂମିକୁ ଶସ୍ୟଶ୍ୟାମଳା କରିଛି । ଏହାର ପ୍ରକୃତିକ ସମୃଦ୍ଧି ଓ ପ୍ରାଚୁର୍ଯ୍ୟ ବହୁ ଜାତି, ବହୁ ସମ୍ପ୍ରଦାୟକୁ ଆକର୍ଷଣ କରିଛି । କଳା, ସାହିତ୍ୟ, ଗୀତ, ନୃତ୍ୟ ବହୁ ପ୍ରକାରେ ଉନ୍ନତ ହୋଇପାରିଛି ।

ଆସାମର ଭାଷା ସଂସ୍କୃତ ଭାଷାରୁ ୭ମ ଶତାବ୍ଦୀରେ ଜନ୍ମ ନେଇଥିଲା । 'ମାଗଧି' ଉପଭାଷା ସହିତ ଏହାର ସମ୍ପର୍କ ଘନିଷ୍ଠ । ଭାଷାବିଦ୍ ସାହେବ ଗ୍ରିୟରସନ୍‌ଙ୍କ ମତରେ ମାଗଧି ଏକ ପ୍ରଧାନ ଉପଭାଷା ଏବଂ ପୂର୍ବାଞ୍ଚଳରେ ପ୍ରାକୃତ ଭାଷା ପରି ବ୍ୟବହୃତ ହେଉଥିଲା । ଏଥିରୁ ମଧ୍ୟ ବଙ୍ଗଳା ଓ ଓଡ଼ିଆ ଭାଷାର ଜନ୍ମ । ୭ମ ଶତାଭୀର ପ୍ରଥମ ଭାଗରେ ଆସାମର ରାଜା ଭାସ୍କର ବର୍ମନଙ୍କ ନିମନ୍ତ୍ରଣ ପାଇ ପ୍ରସିଦ୍ଧ ଚୀନ୍ ପରିବ୍ରାଜକ ହୁଏନ୍‌ସାଂ ଆସିଥିଲେ । ତାଙ୍କ ବିବରଣୀରୁ ଆସାମ ସମ୍ପର୍କରେ ବହୁ କଥା ଜଣାପଡ଼ିଥାଏ । ତାଙ୍କ ମତରେ କାମରୂପରେ ମଧ୍ୟ ଏକ ସ୍ୱତନ୍ତ୍ର ଭାଷା ପ୍ରଚଳିତ ଥିଲା । ସେତେବେଳକୁ ଆର୍ଯ୍ୟ ସଂସ୍କୃତିର ପ୍ରଭାବ ଆସାମ ଉପରେ ପଡ଼ି ସାରିଥିଲା । ୭ମରୁ ୧୨ ଶ ଶତାବ୍ଦୀ ମଧ୍ୟରେ ବୌଦ୍ଧ ସନ୍ୟାସୀ ସିଦ୍ଧାଚାର୍ଯ୍ୟଙ୍କ ରଚିତ ବହୁ କବିତା ଚର୍ଯ୍ୟା ଓ ଦୋହା ନାମରେ ବିଖ୍ୟାତ ହୋଇଛି । ତାହା ଆସାମ ଭାଷାର ଆଦିରୂପ ବୋଲି ପଣ୍ଡିତମାନେ କହନ୍ତି । ବହୁ ଭାଷା ଓ ଉପଭାଷାର ପ୍ରଭାବରେ ପ୍ରଭାବିତ ହୋଇ ଆଜି ତାହା ଏହି ଅବସ୍ଥାରେ ପହଞ୍ଚିଛି ।

ଶଙ୍କର ଦେବ

ଯେଉଁ ମହାପୁରୁଷମାନେ ଆସାମୀ ଭାଷା ଓ ସଂସ୍କୃତିକୁ ଉନ୍ନତ କରିଥିଲେ, ସେମାନଙ୍କ ମଧ୍ୟରେ ଶଙ୍କର ଦେବ ପ୍ରଧାନ । କରଣ ବଂଶରେ ଜନ୍ମ ଗ୍ରହଣ କରି ସେ ସଂସ୍କୃତ ଭାଷାରେ ପାଣ୍ଡିତ୍ୟ ଅର୍ଜନ କରିଥିଲେ । କଳା, ସଂଗୀତ, ନୃତ୍ୟ ନାଟ୍ୟାଭିନୟ,


୧୮
Kaunri Kamachandira dese.pdf


ଚିତ୍ରାଙ୍କନ ଆଦି ବିଭିନ୍ନ ଦିଗରେ ତାଙ୍କର ଦକ୍ଷତା ଥିଲା । ତାଙ୍କର ବ୍ୟକ୍ତିତ୍ତ୍ୱ ବହୁ ଦିଗରେ ଫୁଟି ଉଠିଥିଲା ।
ସେ ଏପରି ଏକ ଧର୍ମ ପ୍ରଚାର କରିବାକୁ ଚାହିଁଥିଲେ ଯେଉଁଥିରେ ସେ ନିଜର ସବୁ ଦକ୍ଷତାର ବ୍ୟବହାର କରିପାରିଥିଲେ । ଏହା ଖୁବ୍ ସରଳ, ସାବଲୀଳ ଓ ସଙ୍ଗୀତଧର୍ମୀ ହୋଇଥିଲା । ତାକୁ ଜନସାଧାରଣ ସହଜରେ ଗ୍ରହଣ କରିପାରିଥିଲେ । ସେମାନେ ଏଥିରୁ ଶାନ୍ତି ଓ ସନ୍ତୋଷ ଲାଭ କରିପାରିଥିଲେ । ସବୁ ଧର୍ମକୁ ମିଳାଇ ସେ ଏହା କରିବାକୁ ଚେଷ୍ଟା କରିଥିଲେ ।


                               ୧୯ ଭାଗବତ ଓ ଗୀତାର ବର୍ଣ୍ଣନା କରାଯାଇଥିବା ବିଷ୍ଣୁଧର୍ମ ବା ବୈଷ୍ଣବ ଧର୍ମ ସେ ପ୍ରଚାର କରିଥିଲେ । ଏହି ଧର୍ମରେ ଉଚ୍ଚନୀଚ, ଧନୀଗରିବ ବା ଶିକ୍ଷିତ ଓ ଅଶିକ୍ଷିତର ଭେଦଭାବ ନ ଥିଲା । ସେ ଇଶ୍ୱରଙ୍କ କିର୍ତ୍ତୀଗାନ କରିଥିଲେ । ତାଙ୍କୁ ସୁମରଣା କରି, ତାଙ୍କର ନାମ ଗାଇ ଯେ କୌଣସି ଲୋକ ଭକ୍ତ ହୋଇପାରିଥିଲେ । ସଂସାର ଜଞ୍ଜାଳରୁ ଉଦ୍ଧାର ପାଇ ପାରିଥିଲେ । ଏଥିପାଇଁ ସନ୍ନ୍ୟାସୀ ହେବା ଓ କଷ୍ଟରେ ଜୀବନ ଯାପନ କରିବାର ଆବଶ୍ୟକତା ନାହିଁ ବୋଲି ସେ କହୁଥିଲେ ।

ଶଙ୍କର ଦେବଙ୍କର ପ୍ରଚାରିତ ଧର୍ମ ଧାରଣାର ପ୍ରଚାର ପାଇଁ ତାଙ୍କର ପ୍ରିୟ ଶିଷ୍ୟମାନେ ଲାଗିପଡ଼ିଥିଲେ । ସେମାନଙ୍କ ମଧ୍ୟରେ ମାଧବ ଦେବ ଖୁବ୍ ଜଣାଶୁଣା । ସେ ରାମାୟଣ, ମହାଭାରତ ଓ ଭାଗବତ ପୁରାଣ ଆସାମୀ ଭାଷାରେ ଅନୁବାଦ କରିଥିଲେ । ଅବଶ୍ୟ ତାହା ଆକ୍ଷରିକ ଅନୁବାଦ ହୋଇ ନ ଥିଲା । ଆସାମର ସାମାଜିକ ଅବସ୍ଥାକୁ ଚାହିଁ ସେ ସେଥିରେ କେତେକ ପରିବର୍ତ୍ତନ କରିଥିଲେ । ଆନେକ ପୌରାଣିକ ଘଟଣାକୁ ମଧ୍ୟ ସେ ଆସାମୀ ଭାଷାରେ ରଚନା କରିଥିଲେ ।

ଏଗୁଡ଼ିକ ଗୀତରେ ଲେଖା ହୋଇଥିବାରୁ ଯେଉଁମାନେ ପଢ଼ିପାରୁଥିଲେ ସେମାନେ ଆନନ୍ଦ ଅନୁଭବ କରୁଥିଲେ । ସେ ସବୁକୁ ବଡ଼ ପାଟିରେ ପାଠ କରି ନିରକ୍ଷରମାନଙ୍କୁ ଶୁଣାଇ ଆନନ୍ଦ ପାଉଥିଲେ । ଏଥିରେ ସେମାନଙ୍କର ସନ୍ତୋଷ ରହିଥିଲା । ଆଗରୁ ଚଳୁଥିବା ରାଗ ଓ ତାନରେ ସେ ଗୀତି, କବିତାମାନ ଲେଖିଥିଲେ । ସେ ସମୂହ ପ୍ରାର୍ଥନା ଓ ସଂକୀର୍ତ୍ତନରେ ସେ ସବୁ ଗାନ କରିବାର ବ୍ୟବସ୍ଥା କରିଥିଲେ । ପୌରାଣିକ କଥାଗୁଡ଼ିକୁ ନାଟକ ରୂପ ଦେଇଥିଲେ । ସେ ଅଭିନୟ ମଧ୍ୟରେ ଧର୍ମଶିକ୍ଷା ଦେଉଥିଲେ ।

ଶଙ୍କର ଦେବ 'ନାମଘର' ଗାଁ ଗଣ୍ଡାରେ ବସାଇଥିଲେ । ସେଠାରେ ପ୍ରତିଦିନ ଲୋକମାନେ ସମବେତ ହେଉଥିଲେ । ପୁରାଣ ପାଠ, ସଂକୀର୍ତ୍ତନ, ଧର୍ମ ଆଲୋଚନା ଆଦି ହେଉଥିଲା । ସେହି ନାମଘରେ ମଧ୍ୟ ମଧ୍ୟ ସମାଜ ଓ ଧର୍ମର ସମସ୍ୟାମାନ ଆଲୋଚନା କରାଯାଉଥିଲା ।


୨୦
Kaunri Kamachandira dese.pdf


ତାଙ୍କର ପ୍ରିୟ ଶିଷ୍ୟ ମାଧବ ଦେବଙ୍କ ପରେ ଦାମୋଦର ଦେବ, ବଂଶୀଗୋପାଳ ଦେବ ଆଦି ରାଜାମାନଙ୍କର ସାହାଯ୍ୟ ପାଇଥିଲେ । ଏହା ଫଳରେ ବୈଷ୍ଣବ ଧର୍ମର ପ୍ରଚାର ହୋଇଥିଲା । ସତ୍ତା ନାମକ ଏକ ଅନୁଷ୍ଠାନ ମଧ୍ୟ ଏହି 'ଦେବମାନଙ୍କ' ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା । ଏହା ଧର୍ମର ବିଚାର ଓ ପ୍ରଚାର ଘଟାଇଥିଲା । 'ପାଇକ' ପ୍ରଥାର ପ୍ରଚଳନ ଘଟି ଯୁଦ୍ଧ ଓ ଶାନ୍ତି ସମୟରେ ଲୋକବଳର ବ୍ୟବହାର କରାଯାଉଥିଲା ।

ଏହି ନୂତନ ବୈଷ୍ଣବ ଧର୍ମ ପ୍ରଚାରରେ ବହୁବାଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା । ବ୍ରାହ୍ମଣମାନେ ପୁରୁଣା ଧର୍ମରେ ଆଗ୍ରହୀ ହୋଇ ଶଙ୍କର ଦେବଙ୍କ ନୂତନ ଧର୍ମ ଧାରଣାର ବିରୋଧ କରୁଥିଲେ । ସମୟ ସମୟରେ ରାଜା ଓ ଧନୀକ ଶ୍ରେଣୀ ମଧ୍ୟ ନିଜର ଗୌରବରେ ଆଞ୍ଚ ଆସିବା ଭୟରେ ଏହି ଧର୍ମର ପ୍ରତିରୋଧ କରିଥିଲେ । ସେଥିଯୋଗୁ ଶଙ୍କର ଦେବ


                            ୨୧ ଆସାମର ପୂର୍ବାଞ୍ଚଳରେ ଥିବା ନିଜର ଜନ୍ମସ୍ଥାନରୁ ଚାଲିଯାଇଥିଲେ । ପଶ୍ଚିମାଞ୍ଚଳରେ ଥିବା ବରପେଟା ପାଖ ପାଟବାଉଁଶୀରେ ବାସ କରିଥିଲେ । ପୁଣି ସେଠାରୁ ସେ କୁଚ ବିହାରରେ ଶେଷ ଜୀବନ ଯାପନ କରିଥିଲେ । ଏଠାରେ ସେ କୋଚବଂଶୀୟ ରାଜା ନରନାରାୟଣଙ୍କ ଦରବାରରେ ନିଜର ଭକ୍ତି, ପାଣ୍ଡିତ୍ୟ, କବିତ୍ତ୍ୱ, ସଂଗୀତ ପ୍ରେମ ଇତ୍ୟାଦି ବହୁ ସଦ୍‌ଗୁଣର ପରିଚୟ ଦେଇଥିଲେ । ସେଥିରେ ସମସ୍ତେ ସନ୍ତୁଷ୍ଟ ହୋଇପାରିଥିଲେ ।

ଲୋକମାନଙ୍କ ଚଳଣି

ଆସାମର ଗୋଟିଏ କାବ୍ୟରେ ଭୂତ ଛଡ଼ାଇବା ଉଦ୍ଦେଶ୍ୟରେ ବହୁ କର୍ମକର୍ମାଣିର ବର୍ଣ୍ଣନା ରହିଛି । ଉକ୍ତ କାବ୍ୟଟିର ନାମ 'ଖୋବା ଖୋବି ଚରିତ' । ଏହା ବଡ଼ ପାଟିରେ ପାଠ କରାଯାଉଥିଲା ।

ବୈଷ୍ଣବମାନେ ସେତେବେଳେ ତୀର୍ଥଯାତ୍ରା ଉପରେ ବିଶେଷ ଗୁରୁତ୍ୱ ଦେଇ ନ ଥିଲେ । କାରଣ ସେମାନେ କହୁଥିଲେ- "ସବୁରି ତୀର୍ଥ ତୋ ଚରଣେ ବଦ୍ରିକା ଯିବୁ କି କାରଣେ" । ଶ୍ରୀକୃଷ୍ଣଙ୍କ ମହିମା ଗାନ ବା ନାମ ସଂକୀର୍ତ୍ତନ କଲେ ଯଥେଷ୍ଟ ସନ୍ତୋଷ ବା ପୁଣ୍ୟଫଳ ମିଳି ପାରିବ । ତା' ସତ୍ତ୍ୱେ ଶଙ୍କର ଦେବ ଭାରତର ବିଭିନ୍ନ ତୀର୍ଥ ସ୍ଥାନକୁ ଯାତ୍ରା କରୁଥିଲେ । ନିଜ ଜୀବନକାଳ ମଧ୍ୟରେ ଦ୍ୱିତୀୟ ଥର ତୀର୍ଥଯାତ୍ରାରେ ସେ ପ୍ରିୟ ଶିଷ୍ୟ ମାଧବଦେବ ଓ ଶହ ଶହ ଶିଷ୍ୟମାନଙ୍କୁ ସାଥିରେ ନେଇଥିଲେ । ତୀର୍ଥ ସ୍ଥାନଗୁଡ଼ିକ ମଧ୍ୟରେ ପୁରୀର ଜଗନ୍ନାଥ କ୍ଷେତ୍ର ପ୍ରଧାନ ସ୍ଥାନ ଲାଭ କରିଥିଲା ।

ଆସାମର ଅଧିକାଂଶ ଲୋକ ଆମିଷ ଖାଆନ୍ତି । ଅଳ୍ପ କେତେକ ଆମିଷ ଖାଆନ୍ତି ନାହିଁ । ବହୁ ପ୍ରକାର ପିଠା, ପାୟସ, ଆଚାର, ଚଟଣି, ପନିପରିବା, ତରକାରୀ, ଡାଲି, ଭାତ ଆଦି ଆହାର କରିଥାଆନ୍ତି । ଆମ ପରି ତରକାରୀପତ୍ର, ପିଠାପଣା ପ୍ରଭୃତିରେ


                              ୨୨ ନାନା ପ୍ରକାର ମସଲା ବ୍ୟବହାର କରନ୍ତି । ଲୋକମାନେ ପାନସୁପାରି ଖାଦ୍ୟ ପରେ ବ୍ୟବହାର କରିଥା'ନ୍ତି । ଅତିଥିମାନଙ୍କୁ ଏହାକୁ ଦେଇ ଚର୍ଚ୍ଚା କରନ୍ତି । 

ଆସାମୀୟମାନଙ୍କର ଅଳଙ୍କାରପତ୍ର, ଯାନିଯାତ୍ରା, ମେଳାମଉଚ୍ଛବ ଆଦିରେ ଆମ ସହିତ ବହୁ ସାମଞ୍ଜସ୍ୟ ରହିଛି । କାଠ, ବାଉଁଶ, ପଥର ଇତ୍ୟାଦିରେ ଖୁବ୍ ସୁନ୍ଦର କାରୁକାର୍ଯ୍ୟ ହୋଇଥାଏ । ବର୍ଷାସାରା ବହୁ ପର୍ବପର୍ବାଣି ପାଳିତ ହୋଇଥାଏ । ସେଥିରେ ବହୁ ନୃତ୍ୟଗୀତ ଓ ଭୋଜିଭାତ ହୁଏ । ବହୁ ପର୍ବପର୍ବାଣି ଚାଷବାଡ଼ିକୁ ନେଇ ଗଢ଼ି ଉଠିଥାଏ ।

ପର୍ବପର୍ବାଣି ଓ ଧର୍ମକାର୍ଯ୍ୟ

ଫଗୁଣ ମାସର ହୋଲିପର୍ବକୁ ସେମାନେ ଫଗୁଆ କହନ୍ତି । ଖୁବ୍ ଜାକଜମକରେ ଏହି ପର୍ବ ପାଳନ କରାଯାଏ । ଏହି ଉତ୍ସବରେ ଯୁବକଯୁବତୀମାନେ ମିଳିମିଶି ନାଚନ୍ତି ଓ ଗୀତ ଗାଆନ୍ତି । ମଶାମାନଙ୍କୁ ତଡ଼ିବାକୁ କାଠିକୁ କାଠି ବଜାନ୍ତି । ମଉଜିଆ ପୋଷାକ ପିନ୍ଧନ୍ତି, ମୁଖା ମଧ୍ୟ ବ୍ୟବହାର କରନ୍ତି । ଧନୀମାନଙ୍କ ଘରେ ଏହି ପର୍ବ ବେଶୀ ଆଡ଼ମ୍ୱରରେ ପାଳିତ ହୁଏ । ଏହି ଉତ୍ସବକୁ ସେମାନେ ମହୋହୋ (ମଶା ତଡ଼ିବା) ନାମ ଦେଇଥାଆନ୍ତି । ବିହୁ ପର୍ବ ଆସାମୀୟା ଲୋକମାନଙ୍କର ଏକ ବିଶେଷ ପର୍ବ । ଏହାକୁ ସମସ୍ତେ ଖୁବ୍ ଆନନ୍ଦରେ ପାଳନ କରିଥାଆନ୍ତି ।

ଏହା ଆସମୀୟା ଲୋକମାନଙ୍କର ଏକ ଜାତୀୟ ପର୍ବ । ବର୍ଷକ ମଧ୍ୟରେ ତିନୋଟି ବିହୁ ପର୍ବ ପାଳନ କରାଯାଏ । ଏଗୁଡ଼ିକ ହେଲା ବୈଶାଖ ବିହୁ, କାର୍ତ୍ତିକ ବିହୁ ଓ ମାଘ ବିହୁ । ଆମର ରଜ ପର୍ବ ପରି ଆସାମର ବୈଶାଖ ବିହୁ ପାଳିତ ହୁଏ । ଏଥିରେ ଝିଅମାନେ ତିନିଦିନ ଧରି ନାଚଗୀତରେ ଖୁବ୍ ମାତିଯାଆନ୍ତି । କାର୍ତ୍ତିକ ବିହୁ ପର୍ବରେ ଲକ୍ଷ୍ମୀଙ୍କୁ ପୂଜା କରାଯାଏ । ମାଘ ବିହୁ ପର୍ବ ଆମର ମକର ମେଳା ଓ ଅଗିରା ପୁନିଅ ଉତ୍ସବ ପରି ପାଳନ କରାଯାଏ । କାଠ ବାଉଁଶର ଏକ ଘର କରି ସେଥିରେ ନିଆଁ ଲଗାଇ


୨୩
Kaunri Kamachandira dese.pdf

ଦିଆଯାଏ । ନୂଆ ଫସଲରୁ କିଛି କିଛି ସେଥିରେ ଫିଙ୍ଗି ପୂଜାଋଜା କରାଯାଏ । ମଧୁର ବିହୁଗୀତ ଓ ନାଚରେ ଉଚ୍ଛୁଳି ଉଠେ ।

ବିହୁଗୀତ ଗୁଡ଼ିକରେ ଆସାମର ନଦୀ-ପାହାଡ଼, ତରୁ-ଲତା, ପଶୁ-ପକ୍ଷୀ, ଖାଦ୍ୟ-ପେୟ ଆଦି ସୁଖଦୁଃଖର କଥାଥାଏ । ଲୋହିତ, ବ୍ରହ୍ମପୁତ୍ର ଆଦି ବଡ଼ ବଡ଼ ନଦୀକୁ ଏଥିରେ ଦେବଦେବୀ ଭାବରେ ବର୍ଣ୍ଣନା କରଯାଇଛି । ବଣପାହାଡ଼କୁ ବି ଦେବତା ଭାବରେ ଏହି ସବୁ ଗୀତରେ ଚିତ୍ରଣ କରାଯାଇଛି । ନାନାପ୍ରକାର ଭୋଜି ଭାତରେ ଲୋକମାନେ ମାତିଯା'ନ୍ତି । ଆସାମ କାଠ ବାଉଁଶ ଓ ମାଟି ପଥରର ଦେଶ । ଏ ସବୁ ଜିନିଷରେ ଅସମୀୟା ଲୋକମାନେ ଘର ତୋଳନ୍ତି । ଏହି ଘରମାନଙ୍କୁ ନାନା ପ୍ରକାରରେ ସୁନ୍ଦର କରି ସଜାଇବାରେ ସେମାନେ ଆନନ୍ଦ ପା'ନ୍ତି । ଦେବଦେବୀଙ୍କ ପ୍ରାର୍ଥନା ବିହୁଗୀତରେ ବହୁଳ ଭାବରେ ଥାଏ । ଅତୀତର ଚଳଣି ରୀତିନୀତି, ଖାଦ୍ୟପୋଷାକ ଆଦି ସମ୍ପର୍କରେ ବିହୁଗୀତରେ ବହୁ ବର୍ଣ୍ଣନା ଦେଖିବାକୁ ମିଳେ । ସମାଜର ସତ ଘଟଣା ଓ ଅବସ୍ଥାର ଚିତ୍ରମାନ ବିହୁଗୀତ, ନାଚ ଓ ପୂଜାରୁଜାରେ ପ୍ରକାଶ ପାଇଥାଏ ।

ଆହୋମମାନେ ଆସାମକୁ ନିଜର ମାତୃଭୂମି ଭାବରେ ଗ୍ରହଣ କରିନେବା ସଙ୍ଗେ ସଙ୍ଗେ ତା'ର ଭାଷା, ସଂସ୍କୃତି, ଧର୍ମଧାରଣା ଇତ୍ୟାଦିକୁ ଆପଣାର କରିନେଇଥିଲେ । ସେମାନେ ନିଜ ରାଜ୍ୟର ଯୁଦ୍ଧ ଓ ଶାନ୍ତି ପାଇଁ ଯେଉଁ ପାଇକ ବ୍ୟବସ୍ଥା ପ୍ରଚଳନ କରିଥିଲେ, ତାହା ଖୁବ୍ ସଫଳତା ଲାଭ କରିଥିଲା । ପାଇକମାନେ ବର୍ଷକୁ ପ୍ରାୟ ତିନି ମାସ ଲୋକ ହିତକର କାର୍ଯ୍ୟକଳାପରେ ନିଯୁକ୍ତ ହେଉଥିଲେ । ରାସ୍ତାଘାଟ ତିଆରି, କୂଅ, ପୋଖରୀ ଖୋଳା ଆଦି କାର୍ଯ୍ୟ ସେମାନେ କରୁଥିଲେ । ଏହି ଶ୍ରମଦାନ ପାଇଁ ସେମାନଙ୍କୁ ଭଲ ଧାନ ଜମିରୁ ତିନି ଏକର ଖଞ୍ଜା ରୂପେ ଦିଆଯାଉଥିଲା ।

ଆସାମ ସାରା ଦେଶରେ ଏକ ବିଖ୍ୟାତ ଶକ୍ତି ତଥା ତନ୍ତ୍ରପୀଠ ଥିଲା । ବୈଷ୍ଣବ ଧର୍ମର ଲୋକପ୍ରିୟତା ମଧ୍ୟ କମ୍ ନ ଥିଲା । ସେଠାରେ କଳା ସଂସ୍କୃତି ମୂଖ୍ୟତଃ କୃଷିକୁ ନେଇ ଗଢ଼ି ଉଠିଥିଲା । ଯୌତୁକ ପ୍ରଥା, ଶିଶୁକନ୍ୟା ହତ୍ୟା ଆସି ସାମାଜିକ ପ୍ରଥାମାନ ସେଠାରେ ଦେଖାଯାଏ ନାହିଁ । ବରଂ ସେଠାରେ ନାରୀମାନେ ଅଧିକ ସମ୍ମାନ ପାଇଥାଆନ୍ତି । ଗରିବ ଘରେ କନ୍ୟାପିତାଙ୍କୁ ବରପିତା ସାହାଯ୍ୟ ଦେଇଥା'ନ୍ତି ।

ସେଦିନ ସନ୍ଧ୍ୟା ଲାଗି ଆସିଲା । ମଝିରେ ମଝିରେ ଝିପ୍ ଝିପ୍ ବର୍ଷା ହେଉଥାଏ । ମୁଁ ଅତିଥି ଭବନକୁ ଫେରି ଆସିଲି । ଦୂର ଦିଗ‌‌‌ବଳୟ ତଳେ ବଣ ପାହାଡ଼ ଆଦି ଅନ୍ଧାର ଭିତରେ ଲୁଚିଗଲେ । ସହରର ରାସ୍ତା କଡ଼ରେ ଓ ବଡ଼ ବଡ଼ ପକ୍କା ଘରେ ବିଜୁଳିବତୀମାନ ଜଳି ଉଠିଲା ।

                               ୨୫ 

କାମାକ୍ଷା ଦେବୀଙ୍କ ପଥେ

୧୯୯୦ ମସିହା ଅଗଷ୍ଟ ଦୁଇ ତାରିଖ । ମୁସଲମାନଙ୍କର ମହରମ ପର୍ବ । ସବୁଆଡ଼େ ଛୁଟି ହୋଇଥିଲେ ହେଁ ଗୌହାଟୀ ବିଶ୍ୱବିଦ୍ୟାଳୟର ତାଲିମ କାର୍ଯ୍ୟ ବନ୍ଦ ନ ଥିଲା । ଦଶଟା ବେଳେ ମୋର ଭାଷଣ ଦେବା କଥା । ତେଣୁ ମୁଁ ପୂର୍ବଦିନ ସନ୍ଧ୍ୟାରେ କାମାକ୍ଷା ଦର୍ଶନରେ ଯିବା ପାଇଁ ତାଲିମ ମହାବିଦ୍ୟାଳୟର ନିର୍ଦ୍ଦେଶକ ଡକ୍ଟର ଶର୍ମାଙ୍କୁ କହିଥିଲି । ମାତ୍ର ସେ ଆଜି ସକାଳେ ଯିବା ପାଇଁ ପରାମର୍ଶ ଦେଇଥିଲେ । କାରଣ ତାଙ୍କର ଉଦ୍ଦେଶ୍ୟ ହେଲା କାମାକ୍ଷାଙ୍କ ଦର୍ଶନ ପୂର୍ବରୁ କୌଣସି ଖାଦ୍ୟ ଗ୍ରହଣ କରାଯାଏ ନାହିଁ ।

Kaunri Kamachandira dese.pdf


                            ୨୬ 

ତେଣୁ ସକାଳ ସାଢ଼େ୭ଟାରେ ମୁଁ ପ୍ରସ୍ତୁତ ହୋଇଥିବି । କାର୍ ଆସି ମୋତେ ଅତିଥିଶାଳାରୁ ନେବ । ମୁଁ ଏହି ପ୍ରସ୍ତାବ ଆନନ୍ଦରେ ଗ୍ରହଣ କରିନେଲି ।

ମାତ୍ର ସକାଳୁ ନିତ୍ୟକର୍ମ ସାରି ଅପେକ୍ଷା କରିଛି । ଚତୁର୍ଦ୍ଦିଗରୁ ପ୍ରବଳ ବର୍ଷା ଓ ବତାସ ଘୋଟି ଆସିଲା । କଳାହାଣ୍ଡିଆ ମେଘ ସହିତ ଭୟଙ୍କର ଘଡ଼ଘଡ଼ି । ମଝିରେ ମଝିରେ ମୁଣ୍ଡ ଉପରେ ଚଡ଼ଚଡ଼ି ପଡ଼ିଗଲା ପରି ଲାଗୁଥାଏ । ଏହି ଅବସ୍ଥାରେ ବିଚରା ଡ୍ରାଇଭର କାର୍ କେମିତି ଆଣିବ ? ହତାରେ ଆଣ୍ଠୁଏ ପାଣି । ଅତିଥି ଭବନ ବାରଣ୍ଡାରେ ମଧ୍ୟ ଖୁବ୍ ବର୍ଷା । ଆସାମର ଚେରାପୁଞ୍ଜିରେ ବର୍ଷାପାତ କଥା ମନେ ପଡ଼ିଲା । ଏଠାରେ ସର୍ବାଧିକ ବର୍ଷା ହୁଏ ବୋଲି ଆମେ ଭୁଗୋଳ ବହିରେ ପଢ଼ିଥିଲୁ ।

୮ଟା ୧୫ମିନିଟରେ ବର୍ଷା ଟିକିଏ କମିବାରୁ କାର୍ ପହଞ୍ଚିଲା । ଆମେ କାମାକ୍ଷା ଦର୍ଶନରେ ବାହାରିଲୁ । ମାଲିଗାଓଁ ବଜାର ମଧ୍ୟରେ କାର୍ ଚାଲିଲା । ଉଚ୍ଚରୁ ଉଚ୍ଚତର ବଣ ପାହାଡ଼ିଆ ରାସ୍ତାରେ ଉଠିଲା । ଡ୍ରାଇଭର ନାଁ କୁତବ୍ । ମୁସଲମାନ ପିଲାଟିଏ । ଖୁବ ପରିଶ୍ରମୀ ଓ ଚତୁର । ତା'ର ବ୍ୟବହାର ମଧ୍ୟ ଭଲ ।

ସବୁଜ ସୁନ୍ଦର ପ୍ରକୃତି ମଧ୍ୟରେ ଅମେ ଉପରକୁ ଉଠିଲୁ । ଆମ ରହଣି ସ୍ଥାନରୁ କାମାକ୍ଷା ମନ୍ଦିର ପ୍ରାୟ ୧୦ କିଲୋମିଟର । ବଣ ପାହାଡ଼ିଆ ରାସ୍ତା ହୋଇଥିବାରୁ ସମ୍ଭବତଃ ଗତକାଲି ଶର୍ମା ସନ୍ଧ୍ୟା ଦର୍ଶନ ପାଇଁ ଉପଦେଶ ଦେଇନଥିଲେ ।

ଆମକୁ ଏବେ ଆଗକୁ ୩/୪ କିଲୋମିଟର ଯିବାକୁ ହେବ ମନ୍ଦିର ପାଖରେ ପହଞ୍ଚିବା ପାଇଁ । ପୂରା ଉଠାଣି ରାସ୍ତା । ହଠତ ଗାଡ଼ିଟି ରହିଗଲା । କ'ଣ ଅସୁବିଧା ପରୀକ୍ଷା ନିରୀକ୍ଷା କରିବାରେ କୁତବ୍ ବିଚରା ଲାଗିଗଲା । ଶେଷରେ କହିଲା - ତେଲ ଆଦୌ ନାହିଁ । ମୁଁ ପଚାରିଲି କ'ଣ କରିବା ? କାହାକୁ ମାଗିବା ?

ବହୁଗାଡ଼ି ସେଇ ରାସ୍ତାରେ ଯାଉଥିଲେ । କିନ୍ତୁ ଆଜିର ମହର୍ଗ କାଳରେ କାହାକୁ ତେଲ ମାଗିବାକୁ ମନ ହେବ ! କୁତବ୍ ଗାଡ଼ି ପଛ ଡିକି ଖୋଲିଲା ପ୍ଲାଷ୍ଟିକ ପାଇପ ଲଗାଇ

                            ୨୭ ଯାହା ତଳତଳିଆ ପେଟ୍ରୋଲ ରହିଯାଇଥିଲା, ଗୋଟିଏ ବୋତଲକୁ ବାହାର କଲା । ଆଗ ବନେଟ ଖୋଲି ଇଞ୍ଜିନ ପାଖରେ ସେଇ ବୋତଲକୁ ଗୋଟିଏ କନାଧଡ଼ିରେ ମଜବୁତ କରି ବାନ୍ଧିଲା । ଗାଡ଼ି ଚାଲିଲା । ମାତ୍ର କେଉଁଠି ପୁଣି ସରିଯିବ ! ତାହା ହିଁ ମୋର ଚିନ୍ତା ହେଲା । ଆଖପାଖରେ ଆଉ ତେଲଟାଙ୍କି ନାହିଁ । ଖାଲି ପାହାଡ଼ ଆଉ ଜଙ୍ଗଲ । 

ଯାହା ହେଉ ମନ୍ଦିର ପାଖରେ ପହଞ୍ଚିଲୁ । ସେଠାରେ ଜଣେ ପଣ୍ଡା ଯୁବକ ମୋତେ ଦର୍ଶନ କରାଇଦେବେ ବୋଲି କହିଲେ । ବହୁ ପଣ୍ଡା ଲାଲବସ୍ତ୍ର ପିନ୍ଧି ସେଠାରେ ଭିଡ଼ ଜମାଇ ଥା'ନ୍ତି । କୁତବ୍ ପଚାରିଲା 'ମୁଁ ଯିବି' ?

ମାତ୍ର ମୁଁ ଦେଖିଲି ସେ ଗାଧୁଆପାଧୁଆ କରିନାହିଁ । କିଏ କ'ଣ ବାଧା ସୃଷ୍ଟି କରୁଥିବେ । ତେଣୁ ମୁଁ ପଚାରିଲି - "ତୁମେ କେବେ ମନ୍ଦିର ଭିତରକୁ ଯାଇଛ ?" ସେ କହିଥିଲା - "ହଁ, ଏହାତ ଦିଲ୍ କା ବାତ୍ (ହୃଦୟର କଥା) !"

ମୁଁ କହିଲି - ହଁ ଠିକ କଥା । ମନ ସଫାଥିଲେ ଗଡ଼ିଆ ଗଙ୍ଗା । ଯଦି ଭିତରକୁ ଯିବାକୁ ଚାହୁଁଛ ଆସିପାର ।

ତାର ଟିକିଏ କୁନ୍ଥାଇବା ଅବସ୍ଥା ଦେଖି ମୁଁ କହିଲି - ତେବେ ତୁମେ ଗାଡ଼ି ପାଖରେ ଥାଅ । ମୁଁ ଦର୍ଶନ କରି ଶୀଘ୍ର ଚାଲି ଆସୁଛି । ପଣ୍ଡା ମହାଶୟ ଆଗେ ଆଗେ ଚାଲିଲେ । ମୁଁ ତାଙ୍କ ପଛେ ପଛେ ଗଲି । ପ୍ରଥମେ ସେ ଏକ ପୋଖରୀ କୂଳରେ ପହଞ୍ଚିଲେ । ସେଠାରେ କିଛି ଜଳ ପୁଷ୍ପାଞ୍ଜଳି ପରି ଧରିଲି । ସେ ମନ୍ତ୍ର ପଢ଼ି ମୋତେ ଦୋହରାଇବାକୁ କହିଲେ । ମୁଁ ତାହା କଲାପରେ ପାଖରେ ଥିବା ଗଣେଶ ଓ ଭୈରବୀଙ୍କ ଦର୍ଶନ ମଧ୍ୟ କରାଇଲେ । ଏହି ପୁଷ୍କରିଣୀର ନାମ ସୌଭାଗ୍ୟକୁଣ୍ଡ, ଯେଉଁଠି ପ୍ରଥମେ ଯାତ୍ରୀମାନେ ତର୍ପଣ କରନ୍ତି ।

ତାପରେ ଆମେ ପାହାଚରେ ତଳ ଉପର ହୋଇ କିଛିବାଟ ଗଲୁ । ଅନେକ ପ୍ରକାର ଘର, ମନ୍ଦିର, ଚଉତରା ଆଦି ବିଭିନ୍ନ ସମୟରେ ତିଆରି ହୋଇଥିବାର

୨୮
Kaunri Kamachandira dese.pdf


ଜଣାଗଲା । କୌଣସି ଯୋଜନା ବା ନିର୍ଦ୍ଦିଷ୍ଟ ଧାରା ସେଥିରେ ଥିଲା ପରି ଜଣାଗଲା ନାହିଁ । ଦେବଦେବୀ ଓ ଅନ୍ୟାନ୍ୟ ମୂର୍ତ୍ତିମାନ ମଧ୍ୟ କଞ୍ଚା ହାତରେ ହେଲାପରି ଲାଗିଲା । ଅବଶ୍ୟ ବହୁ କାଳରୁ ସେଗୁଡ଼ିକ ତିଆରି ହୋଇ ଆସିଛି । ମୋଟାମୋଟି ସେ ସବୁ କାରୁକଳାରେ ବିଶେଷ ସୌନ୍ଦର୍ଯ୍ୟର ସୂଚନା ମିଳିଲା ନାହିଁ ।

ଦର୍ଶନ ପାଇଁ ସେତେବେଳକୁ ଯାତ୍ରୀମାନଙ୍କର ଲମ୍ବାଧାଡ଼ି ଲାଗିଯାଇଛି । ପ୍ରବଳ ବର୍ଷାପରେ ମଧ୍ୟ ମଝିରେ ମଝିରେ ଝିପ୍ ଝିପ୍ ବର୍ଷା ହେଉଛି । ତୀର୍ଥଯାତ୍ରୀଙ୍କର ଉତ୍ସାହ ଓ ନିଷ୍ଠାର ଅଭାବ ନାହିଁ । ପ୍ରାୟ ଦେଢ଼ ଶହ ଯାତ୍ରୀଙ୍କ ପଛରେ ମୁଁ ଠିଆ ହୋଇଥିଲି । ତିରୁପତିଙ୍କଠାରେ ଧାଡ଼ି ଲାଗିଲା ପରି ମନେ ହେଲା । ଧାଡ଼ି ଆଗେଇ ଚାଲିଥାଏ ଧୀର ମନ୍ଥର ଗତିରେ ।

ମୁଁ ଆସ୍ତେ ଆସ୍ତେ ଆଗେଇବାରେ ଲାଗିଥାଏ । ମନ ଟିକିଏ ଅସ୍ଥିର ହେଉଥାଏ । ସମୟରେ ଫେରି ବକ୍ତୃତା ଦେବାକୁ ହେବ । ମୁଁ ଧାଡ଼ିରେ ଠିଆ ହେବା ପୂର୍ବରୁ କିଛି ଭୋଗ ଓ ଫୁଲମାଳଟିଏ କିଣିଥିଲି । ତାକୁ ପଣ୍ଡା ନିଜ ପାଖରେ ରଖିଥା'ନ୍ତି । ସେ ଏପଟ ସେପଟ ହୋଇ ଯାତ୍ରୀ ଅନ୍ୱେଷଣରେ ଥା'ନ୍ତି । ଥରେ ସେ ଆସି ଜଣଙ୍କୁ ଦେଖାଇ କହିଲେ, "ଏଇ ମୋର ଭାଇ । ସେ ଆପଣଙ୍କର ପୂଜାର୍ଚ୍ଚନା କରିଦେବ" ।

ମୋର ହଁ କି ନାଁ କହିବାର ଚାରା ନ ଥିଲା । ତେଣୁ ମୁଁ ମୁଣ୍ଡ ଟୁଙ୍ଗାରିଲି । ସମ୍ଭବତଃ ୯ଟାରୁ ସାଢ଼େ ଦଶଟା ବାଜିଲାଣି । ଧାଡ଼ିରେ ସେମିତି ଗତି କରିବାରେ ଲାଗିଥାଉ । ଭାରି ଭିଡ଼, ଖୁବ୍ ଗହଳି ! କାମାକ୍ଷା ମନ୍ଦିର ଭିତରେ ପ୍ରବେଶ କରିବା ମାତ୍ରେ ଦେଖିଲି ଦୁଇଟି ମୂର୍ତ୍ତି ପୂଜା ହେଉଛନ୍ତି । ଅଷ୍ଟଧାତୁରେ ସେଗୁଡ଼ିକ ଗଢ଼ା । କାମେଶ୍ୱରୀ ବାମେଶ୍ବରୀ ନାମରେ ସେମାନେ ଖ୍ୟାତ । ସେମାନଙ୍କୁ ହରଗୌରୀ ମଧ୍ୟ କହନ୍ତି ।

ମନ୍ଦିର ମଧ୍ୟରେ ଧାଡ଼ିମାନ ବଙ୍କାଟଙ୍କା ହୋଇ ଲମ୍ବିବାରେ ଲାଗିଛି । ମନ୍ଦିର କାନ୍ଥରେ ବହୁ ଦେବଦେବୀ ଓ ପୌରାଣିକ ଚରିତ୍ରଙ୍କର ମୂର୍ତ୍ତି । ତା' ମଧ୍ୟରେ ଦ୍ରୋଣାଚାର୍ଯ୍ୟ ଓ ରାଜାରାଣୀଙ୍କ ମୂର୍ତ୍ତି ମଧ୍ୟ ରହିଛି । ଲକ୍ଷ୍ମୀ, ସରସ୍ୱତୀ, ମଙ୍ଗଳା, କଳ୍‌କୀ ଅବତାର, ଶ୍ରୀରାମଚନ୍ଦ୍ର, ଯୁଧିଷ୍ଠିର, ବଟୁ ଭୈରବ, ନୀଳକଣ୍ଠ ମହାଦେବ, ନନ୍ଦୀ, ଭୃଙ୍ଗୀ, କପିଳମୁନି, ମାନସ ଦେବୀ, କୁମାରୀ ଦେବୀ ଆଦି ପୂଜା ପାଉଛନ୍ତି । ଏହା ବ୍ୟତୀତ କୁଚବିହାର ମହାରାଜା, ମହାରାଣୀଙ୍କ ମୂର୍ତ୍ତି ରଖାଯାଇଛି ।

ଯଥା ସମୟରେ ମୋର ପଣ୍ଡା ସେଠାରେ ପହଞ୍ଚି ଭୋଗରାଗ କରାଇଲେ । ପୁଣି ତଳକୁ ଦଶୋଟି ପାହାଚ ପାରି ହେବା ପରେ ଆମେ ଆଉ ଗୋଟିଏ ମନ୍ଦିର ମଧ୍ୟରେ ପହଞ୍ଚିଲୁ । ଖୁବ୍ ଭିଡ଼ । ସଂକୀର୍ଣ୍ଣ ସ୍ଥାନ । ବର୍ଷାଦିନେ ମଧ୍ୟ ଭାରି ଗରମ । ପୂଜା ଅର୍ଚ୍ଚନା ଶେଷ ହେଲା । ସେତେବେଳକୁ ମନ ମୋର ଭାରି ଛଟପଟ ହେଲାଣି । ପୁଣି ବକ୍ତୃତା
Kaunri Kamachandira dese.pdf


କାମ ରହିଛି । ବେଳ ହେଲାଣି । ସିଧାବାଟ ଦେଖି ଚାଲିଆସିବାକୁ ଚାହିଁଲେ ବି ପଣ୍ଡାଙ୍କର ଅନୁରୋଧ ସେଇଧାଡ଼ି ଧରି ଧିରେ ସୁସ୍ଥେ ଯିବା ପାଇଁ ।

ଦର୍ଶନ ସାରି ମନ୍ଦିର ଭିତରୁ ବାହାରିଲି । ମନ୍ଦିର ହତାରେ କାଳୀ, ତାରା, ଭୁବନେଶ୍ୱରୀ, ଭୈରବୀ, ଚ୍ଛିନ୍ନମସ୍ତା, କୋଟିଲିଙ୍ଗ, ଆଘୋର ଆଦି ଦେବଦେବୀଙ୍କର ସାନବଡ଼ ମନ୍ଦିର ରହିଛି । ମାତ୍ର ମୁଁ ଶୀଘ୍ର ସେ ସବୁ ପରିକ୍ରମା କରିଦେଲି । ସେଠାରେ ଚାକୁଣ୍ଡା ଗଛରୁ ଆରମ୍ଭ କରି ସବୁ ଜାତିର ଗଛଲତା । ଭଲ ଫଳ ଧରିଥିବା ନଡ଼ିଆ ଗଛମାନ
ଦେଖି ମୁଁ ଆଶ୍ଚର୍ଯ୍ୟ ହେଲି । ଗୋଟିଏ ନିରୀହ ବୋଦାଛୁଆକୁ ଭିଡ଼ି ଭିଡ଼ି ଜଣେ ପଣ୍ଡା କୁଆଡ଼େ ନେଉଥିବାର ଦେଖିଲି । ସମ୍ଭବତଃ ତାକୁ ବଳି ପକାଇବେ । ମାତ୍ର ପରେ ପରେ ଦେଖିଲି ଅନେକ ବୋଦା ସେଠାରେ ବୁଲୁଛନ୍ତି । ଧଳା ଓ ମାଟିଆ ପାରା ବହୁ ସଂଖ୍ୟାଏ ସେଠାରେ ଉଡ଼ି ବୁଲୁଥିଲେ । ଝରଣାର କୁଳୁ କୁଳୁ ଶବ୍ଦ ଶୁଭୁଥିଲା । ମୋ ସାଥୀରେ ଜଣେ ଯୁବକ ସବୁ ପୂଜାର୍ଚ୍ଚନା ବେଳେ ସାଥୀ ହୋଇଥିଲେ । ସେ ଆସାମର ଶିବସାଗର ଅଞ୍ଚଳରୁ ପ୍ରଥମଥର ପାଇଁ ଆସିଥିଲେ ।

ବାଟ କେତେ ତାଙ୍କୁ ପଚାରିବାରୁ ସେ ନିର୍ଦ୍ଦିଷ୍ଟ ଭାବରେ କହିପାରିଲେ ନାହିଁ । ତେଣୁ ବସ୍‌ରେ କେତେ ଭଡ଼ା ଦେଇ ଆସିଲେ ପଚାରିବାରୁ ସେ ୮୦ ଟଙ୍କା ଖର୍ଚ୍ଚ କଲେ ବୋଲି କହିଲେ । ତେବେ ବିଳମ୍ବ ହୋଇଥିବାରୁ ପଣ୍ଡାଙ୍କୁ ଦକ୍ଷିଣା ଦେଇ ଓ ମୋର ଭୋଗତକ ତାଙ୍କଠାରୁ ସଂଗ୍ରହ କରି କାର୍ ପାଖକୁ ଧାଇଁଲି । କୁତବ୍ ପାଖରେ କେଉଁଠି ଥିଲା, ଚାଲି ଆସିଲା । ଆମେ ଟିକେ ଟିକେ ଚାହିଁବାରୁ ସେ କହିଲା - ଚାଲନ୍ତୁ ଆଗେ ତଳକୁ ଗଡ଼ି ଯିବା । ସେଠାରେ ବଜାରରେ ଖାଇବା ।

ଫେରିବା ବାଟରେ ଅସୁବିଧା

ମାତ୍ର ଦୁର୍ଭାଗ୍ୟକୁ ଅଫିସ୍ ବେଳ ହୋଇଥିବାରୁ ରାସ୍ତାରେ ସବୁତକ ଭିଡ଼ । ପୁଣି ହଠାତ୍ ପେଟ୍ରୋଲ ସରିଗଲା । କେଉଁଠୁ ଆଣିବାର ଉପାୟ ନାହିଁ । ପେଟ୍ରୋଲ ଟାଙ୍କି ସେଠାରୁ ବହୁତ ଦୂର । କୁତବ୍ ପୁଣି ପୂର୍ବପରି କାର୍‌ର ପଛ ପଟ ଡିକି ଖୋଲି ପାଇପ୍‌ରେ ଶେଷବିନ୍ଦୁ ପେଟ୍ରୋଲତକ ସଂଗ୍ରହ କଲା । ସେତକ ପକାଇ ବହୁକଷ୍ଟରେ ପାଖ ପେଟ୍ରୋଲ ଟାଙ୍କି ପର୍ଯ୍ୟନ୍ତ ଗଲୁ । ବକୃତାଦେବା ସମୟ ହୋଇଥିବାରୁ ଜଳଖିଆ ଖାଇପାରିଲୁ ନାହିଁ । ମାତ୍ର କୁତବ୍‌କୁ ନିମନ୍ତ୍ରଣ କଲି ମୋ ସାଥୀରେ ମଧ୍ୟାହ୍ନ ଭୋଜନ ଖାଇବାକୁ ।
ଡକ୍ଟର ଶର୍ମାଙ୍କୁ ସେଦିନର ଅନୁଭୁତିରୁ କିଛି କହିଲି । ମୁଁ ଜଳଖିଆ ଖାଇନାହିଁ ବୋଲି କୁତବ୍ ତାଙ୍କୁ କହିବାରୁ ସେ ଚା' ସିଙ୍ଗଡ଼ା ଓ ବିସ୍କୁଟ ଦେଲେ । ତା'ପରେ ଉଚ୍ଚ ଶିକ୍ଷା ଲକ୍ଷ୍ୟ ସମ୍ପର୍କରେ ବକ୍ତୃତାଟିଏ ଦେଲି । ଭଟାଚାର୍ଜୀ(କୋର୍ସର ସଂଯୋଜକ)ଙ୍କ ସହିତ ମଧ୍ୟାହ୍ନ ଭୋଜନ ଖାଇବାକୁ ଗଲି । ସାଥିରେ ଆମର କୁତବ୍ ମଧ୍ୟ ଖାଇଲା । ସେଠାରେ ଅଧିକାଂଶ ଆମିଷାଶୀ । ତେଣୁ ମାଛମାଂସ ଓ ଅଣ୍ଡାର ଖୁବ୍ ଚଳଣି । ତେଣୁ ମୋ ପରି ଶାକାହାରୀଙ୍କ ଖାଦ୍ୟ ଖୁବ୍ ସୀମିତ । ତେବେ ସେମାନେ ମୋ ଯତ୍ନ ନେବାରେ ହେଳା କଲେ ନାହିଁ । ମିଠାଟିଏ ଦେଲେ । କାକୁଡ଼ି ପରି ଦିଶୁଥିବା ଗୋଟିଏ ପଦାର୍ଥକୁ କାଟିକରି ଦେଇଥିଲେ । କିନ୍ତୁ ତାହା ଦେଖିବାକୁ ଗଙ୍ଗାକୂଳିଆ ଲେମ୍ବୁପରି । ବରଂ ତା'ଠାରୁ ଲମ୍ବା ।

ଗୌହାଟୀ ଦର୍ଶନ

ଡକ୍ଟର ଶର୍ମା ଓ ଦୁଇଜଣ ତାଲିମ ପାଉଥିବା ଅଧ୍ୟାପକଙ୍କ ସହିତ ଗୌହାଟୀ ବଜାରକୁ ଗଲି । ବ୍ରହ୍ମପୁତ୍ର ନଦୀ ପାର୍ଶ୍ୱରେ ବହୁବାଟ ଗଲୁ । ଖୁବ୍ ଏକ ଉଚ୍ଚସ୍ଥାନରେ ଆସାମର ରାଜଭବନ । ତାକୁ ସାମନା କରି ଏକ ତ୍ରିତାରକା ହୋଟେଲ । ତା'ପାଖକୁ ଯାଇ ଦେଖିଲି ବ୍ରହ୍ମପୁତ୍ର ନଦୀର କେଡ଼େ ଶୋଭା । ଦୁଇକୂଳ ଖାଇ ଦେଇ ନଦୀ ଜଳ ଯେକୌଣସି ସମୟରେ ସୀମା ଟପିବାର ଆଶଙ୍କା ।

ସେଠାରୁ ବନ୍ଧୁମାନେ ମୋତେ ନଦୀ ମଧ୍ୟରେ ଥିବା ଏକ ତୋଟାକୁ ଦେଖାଇ ଦେଲେ । ତା' ହେଉଛି 'ଉମାନନ୍ଦ' । ସେଠାରେ ଏକ ପ୍ରସିଦ୍ଧ ଶିବମନ୍ଦିର ରହିଛି । ଗୋଟିଏ ଛୋଟ ଦ୍ୱୀପ ପରି ବ୍ରହ୍ମପୁତ୍ର ନଦୀ ମଧ୍ୟରେ ତାହା ଅବସ୍ଥିତ । ମହାଦେବଙ୍କ ନାମ ଭସ୍ମାଚଳ । ଦିନେ ମହାଦେବଙ୍କ ଆଖିରୁ ରାଗର ନିଆଁ ବାହାରିଥିଲା । ତାହା କାମଦେବକୁ ଜାଳିପୋଡ଼ି ପାଉଁଶ କରିଥିଲା । ଶିବରାତ୍ରୀ ଦିନ ଏଠାରେ ବଡ଼ ମେଳା ହୁଏ । ଏଠାରେ ଥିବା ମନ୍ଦିର ମଧ୍ୟରେ ଅନାଦି ଶିବଲିଙ୍ଗ, ରୂପାର ଷଣ୍ଢ, ପାଞ୍ଚୋଟି ମୁହଁ ଓ ଦଶୋଟି ହାତଥିବା ଉମାନନ୍ଦଙ୍କ ମୂର୍ତ୍ତି ।
Kaunri Kamachandira dese.pdf


ସେହିପରି ବ୍ରହ୍ମପୁତ୍ର ନଦୀ ମଝିରେ ଉମାନନ୍ଦଠାରୁ ଦକ୍ଷିଣକୁ ଅଛି ଉର୍ବଶୀକୁଣ୍ଡ । ଏଠାରେ ଗାଧୋଇଲେ ବହୁ ଧର୍ମ ମିଳିଥାଏ । ଗୌହାଟୀ ଉତ୍ତରକୁ ବ୍ରହ୍ମପୁତ୍ରର ଆରପାଖରେ ଅଛି ଅଶ୍ୱକ୍ଲାନ୍ତା ନାମକ ଏକ ସ୍ଥାନ । ଭଗବାନ ବିଷ୍ଣୁ କଚ୍ଛପ ରୂପରେ ଏଠାରେ ଗୋଟିଏ ମନ୍ଦିରରେ ପୂଜା ପାଆନ୍ତି । ପାହାଡ଼ ଉପରେ ଗୋଟିଏ ସ୍ଥାନରେ ନାରାୟଣ ସାପଶେଜରେ ଶୋଇଥିବାର ଦୃଶ୍ୟ । ଏଠାରେ ନାରାୟଣଙ୍କ ପଦଚିହ୍ନ ପଡ଼ିଥିବାର ଦେଖାଯାଏ । ହିନ୍ଦୁମାନେ ଏଠାରେ ପିଣ୍ଡଦାନ କରିଥାଆନ୍ତି । ଗୌହାଟୀରୁ ୧୦ କିଲୋମିଟର ଦୂରରେ ବଶିଷ୍ଠାଶ୍ରମ ନାମକ ଏକ ଦର୍ଶନୀୟ ସ୍ଥାନ ରହିଛି । କାମାକ୍ଷା ପାହାଡ଼ର ବହୁ ପାହାଡ଼ି ଝରଣା ଝରି ଆସିଛି । ଜଳପ୍ରପାତ, ଶ୍ୟାମଳ ଗଛଲତା ଇତ୍ୟାଦି ସେଠାରେ ଭରି ରହିଛି । ବଶିଷ୍ଠ ଏଠାକୁ ଗଙ୍ଗାକୁ ବୁହାଇ ଆଣିଥିଲେ । କଣ୍ୱଋଷିଙ୍କ ଆଶ୍ରମ ମଧ୍ୟ ସେଠାରେ ଥିଲା । ଅଶ୍ୱକ୍ଲାନ୍ତାର ପୌରାଣିକ ଗୁରୁତ୍ୱ କହି ଶର୍ମା ଜଣାଇଲେ ଯେ ଶ୍ରୀକୃଷ୍ଣ ରୁକ୍ମିଣୀଙ୍କୁ ସାଥୀରେ ନେଇ ଚାଲିଗଲାବେଳେ ଉକ୍ତ ସ୍ଥାନରେ ତାଙ୍କର ଅଶ୍ୱଟି କ୍ଳାନ୍ତ ହୋଇପଡ଼ିଥିଲା । ସେମାନେ ସେଠାରେ କିଛି ସମୟ ବିଶ୍ରାମ ନେଇଥିଲେ । ଏହି ପବିତ୍ର ସ୍ମୃତିକୁ ଧରି ସେଇ ସ୍ଥାନଟି ପବିତ୍ର ହୋଇଛି ।

ଆମେ ହାଇକୋର୍ଟ ପାଖକୁ ଯାଇ ସେଠାରୁ ପୁଣି ଉମାନନ୍ଦର ଦୃଶ୍ୟ ଦର୍ଶନ କଲୁ । ପ୍ରବଳ ଜଳସ୍ରୋତ । ବହୁ ବଡ଼ ନାବ ଓ ଷ୍ଟିମର ବ୍ରହ୍ମପୁତ୍ର କୂଳରେ ଥାଏ ଏବଂ ଅନେକ ଭାସି ଚାଲିଥାଏ । ସେଠାରୁ ଆମେ ଗୌହାଟୀ ବଜାର ଭିତରକୁ ଯାଇଥିଲୁ । କେତେକ ଦୋକାନ ବଜାର ଦେଖିଲୁ । ମୁଁ ଆସାମୀ ଚା' ଓ ବାଉଁଶ ତିଆରି ହସ୍ତଶିଳ୍ପ କେତୋଟି କିଣିଲି । କିଛି ଜଳଖିଆ ଖାଇବା ପରେ ଟ୍ରେନିଂ ନେଉଥିବା ଅଧ୍ୟାପକମାନେ ମୋତେ ପାନସୁପାରି ଦେଲେ । ଖାଇଲା ପରେ ପାନସୁପାରି ଅତିଥିଙ୍କୁ ଦେବା ଏଠାରେ ଏକ ପ୍ରଥା । ଆଗରୁ ଆମର ବି ଏହି କଥା ଥିଲା । ମୁଁ ତାକୁ ଖାଇ ଗୁଆର କଞ୍ଚାରସ ଢ଼ୋକି ଦେଲି । ତା'ଫଳରେ ଏହା ମୋ ଛାତିରେ ଲାଗି ନିଶ୍ୱାସ ନେବାରେ କି କଷ୍ଟ ! ଶ୍ୱାସରୁଦ୍ଧ ହେବା ପରି ଲାଗିଲା । ଗୋଟିଏ ଦୋକାନକୁ ଯାଇ ପାଣି ଗ୍ଲାସେ ପିଇଦେବାରୁ ଟିକିଏ ଭଲ ଲାଗିଲା । କଞ୍ଚା ଗୁଆର ରସ ଭାରି କଷାଳିଆ । ପାଣି ପିଇ ଟିକିଏ ଆଶ୍ୱସ୍ତ ହେଲି ।

କାମାକ୍ଷା ପୀଠର ମହିମା

ଆସାମ ବିଶେଷତଃ କାମାକ୍ଷା ପୀଠର ମହିମା ସଂପର୍କରେ ଆମର ବହୁତ ଆଲୋଚନା ହୋଇଥିଲା । ସେ ସମ୍ପର୍କରେ ଏଠାରେ କିଛି ଲେଖିବାର ଲୋଭ ସମ୍ବରଣ କରିପାରୁ ନାହିଁ । ହିନ୍ଦୁ ଧର୍ମରେ ତିନି ପ୍ରଧାନ ଦେବତା ହେଲେ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର । ବ୍ରହ୍ମା ହେଲେ ସୃଷ୍ଟିର ଦେବତା, ବିଷ୍ଣୁ ହେଲେ ପାଳନକର୍ତ୍ତା ଓ ମହେଶ୍ୱର ହେଲେ ଧ୍ୱଂସ


୩୫
Kaunri Kamachandira dese.pdf

ବା ସଂହାରର ଦେବତା । କିନ୍ତୁ ମହେଶ୍ୱର ସର୍ବଦା ଧ୍ୟାନମଗ୍ନ ହୋଇ ରହିଲେ । ନିଜ କର୍ତ୍ତବ୍ୟରେ ହେଳା କରି ବସିଲେ । ତାଙ୍କର ଧ୍ୟାନ ଭାଙ୍ଗିବାକୁ ବ୍ରହ୍ମା ଚେଷ୍ଟାକଲେ । ତାଙ୍କର ପ୍ରିୟପୁତ୍ର ଦକ୍ଷଙ୍କର ଏକ ସୁନ୍ଦରୀ କନ୍ୟା ଥିଲେ । ତାଙ୍କର ନାଁ ଥିଲା ସତୀ । ସେ ସେହି ସତୀଙ୍କୁ ବିବାହ କରି କୈଳାସ ପର୍ବତରେ ବାସ କଲେ ।

ଥରେ ଦକ୍ଷ ଏକ ବିରାଟ ଯଜ୍ଞର ଆୟୋଜନ କଲେ । ମାତ୍ର ମହାଦେବଙ୍କ ବ୍ୟତୀତ ଅନ୍ୟ ସମସ୍ତ ଦେବଦେବୀଙ୍କୁ ସେଥିରେ ଯୋଗ ଦେବାକୁ ନିମନ୍ତ୍ରଣ କଲେ । ମହାଦେବ ସର୍ବଦା ଅଳିଆ ଅସନା ରୂପରେ ଥା'ନ୍ତି । ତାଙ୍କ ଦେହରେ ପାଉଁସ, ଅଣ୍ଟାରେ ଚର୍ମ,

ବେକରେ ସାପ ଓ ମୁଣ୍ଡରେ ଜଟା । ଏପରି ଅବସ୍ଥାରେ ନିଜର ଜ୍ୱାଇଁଙ୍କୁ ସମସ୍ତ ଦେବଦେବୀଙ୍କୁ ଦେଖାଇବାକୁ କେଉଁ ଶ୍ୱଶୁରର ମନ ହେବ ?

କିନ୍ତୁ ସତୀଙ୍କର ଇଚ୍ଛା ସେ କିପରି ସେହି ଯଜ୍ଞରେ ଯୋଗଦେବେ । ମାତ୍ର ନିମନ୍ତ୍ରଣ ପାଇ ନଥିବାରୁ ଶିବ ଏଥିରେ ବାରଣ କଲେ । ହେଲେ ଝିଅର ମନ । ବାପଘରେ ଯେତେବେଳେ ଏତେବଡ଼ ଉତ୍ସବ ହେଉଛି, ସେ ନିମନ୍ତ୍ରଣ ନପାଇଲେ ସୁଦ୍ଧା ଯିବେ । ମହେଶ୍ୱର ବାଧ୍ୟ ହୋଇ ଏଥିରେ ରାଜିହେଲେ ।

ଦକ୍ଷଙ୍କ ରାଜପ୍ରାସାଦରେ ଯଜ୍ଞର ବିରାଟ ଆୟୋଜନ । ବହୁ ଦେବାଦେବୀ ସେଠାରେ ଉପସ୍ଥିତ । ଦକ୍ଷ ସତୀଙ୍କୁ ଦେଖି ଶିବଙ୍କୁ ନିନ୍ଦା କଲେ । ସ୍ୱାମୀଙ୍କର ନିନ୍ଦା ସତୀ ସହିପାରିଲେ ନାହିଁ । ତେଣୁ ସେ ଆତ୍ମହତ୍ୟା କଲେ । ଶିବଙ୍କର ଧ୍ୟାନଭଗ୍ନ ହେଲା । ସେ ଏହା ଜାଣିପାରିଲେ । ତେଣୁ ବିଜୁଳି ବେଗରେ ସେ ଆସି ଦକ୍ଷଙ୍କ ଯଜ୍ଞ ପୀଠରେ ପ୍ରବେଶ କଲେ । ଯଜ୍ଞ ପୀଠକୁ ଭାଙ୍ଗି ଚୂରମାର କରିଦେଲେ । ସତୀଙ୍କ ମୃତ ଦେହକୁ ନିଜ କାନ୍ଧରେ ପକାଇ ସାରା ଭାରତରେ ଘୁରି ବୁଲିଲେ । ସାରା ସୃଷ୍ଟି ଥର ହର ହେଲା । ସେ ପାଗଳ ପରି ନାଚିବାରେ ଲାଗିଲେ । ଏହାକୁ ତାଣ୍ଡବ ନୃତ୍ୟ କୁହାଯାଏ ।

ସମଗ୍ର ସୃଷ୍ଟି ଧ୍ୱଂସ ମୁଖରେ ପଡ଼ିବାର ଆଶଙ୍କା ହେଲା । ବିଷ୍ଣୁ ବିଶେଷ ଚିନ୍ତାମଗ୍ନ ହେଲେ । ସେ ଭାବିଲେ- ସତୀଙ୍କ ମୃତ ଦେହକୁ ମହାଦେବଙ୍କ କାନ୍ଧରୁ ଖସାଇ ନ ପାରିଲେ ତାଙ୍କର ରାଗ ଶାନ୍ତ ହେବ ନାହିଁ । ତେଣୁ ସେ ତାଙ୍କ ଅମୋଘ ଅସ୍ତ୍ର ସୁଦର୍ଶନ ଚକ୍ରକୁ ଆଦେଶ ଦେଲେ । ସେ ସତୀଙ୍କ ମୃତ ଦେହକୁ କାଟି ଛିନ୍ନ ଭିନ୍ନ କରିଦେଲା । ଭାରତର ବିଭିନ୍ନ ଅଞ୍ଚଳରେ ଏହି ଚ୍ଛିନ୍ନ ଅଂଶମାନ ବିଛାଡ଼ି ହୋଇପଡ଼ିଲା ।

ଗୌହାଟୀ ପାଖ ନାଳ ପର୍ବତ ଉପରେ ସତୀଙ୍କର ପେଟତଳ ଅଂଶଟି ପଡ଼ିଥିଲା । କାମାକ୍ଷା ପାହାଡ଼ ରୂପେ ତାହା ପରେ ପରିଚିତ ହେଲା । କାମାକ୍ଷା ଦେବୀ ସେଠାରେ ପୂଜା ପାଇଲେ । ମହାଦେବ କାନ୍ଧରୁ ସତୀଙ୍କର ମୃତ ଶରୀର ବିଚ୍ଛିନ୍ନ ହୋଇ ପଡ଼ିବାରୁ ସେ କ୍ରମେ ଶାନ୍ତ ହେଲେ । ହିମାଳୟ କୋଳରେ ପୁଣି ସେ ଧ୍ୟାନ କରିବାକୁ ବସିଲେ ।

                           ୩୭ ସେହି ସମୟରେ ତାରକାସୁର ନାମକ ଏକ ରାକ୍ଷସ ବ୍ରହ୍ମାଙ୍କର ବରପାଇ ଖୁବ ବଳୀୟାନ ହେଲା । ସେ ଧରାକୁ ସରା ମଣିଥିଲା । ସେ ସାରା ସୃଷ୍ଟିକୁ ଧ୍ୱଂସ ମୁଖକୁ ଟାଣିନେଲା । ଏଥିରେ ଦେବଦେବୀମାନେ ମଧ୍ୟ ପ୍ରମାଦ ଗଣିଲେ । ଏହି ବିପଦରୁ ମହାଦେବ ରକ୍ଷା କରି ପାରିବେ ବୋଲି ସେମାନେ ଭାବିଲେ । ତାଙ୍କ ଧ୍ୟାନ ଭାଙ୍ଗି ସଂସାର ଜଞ୍ଜାଳରେ ପୁଣି ବାନ୍ଧିବାକୁ ସେମାନେ ଚେଷ୍ଟା କଲେ ।

ସେତେବେଳେ ଥିଲେ ହିମାଳୟଙ୍କର ସ୍ତ୍ରୀ ମେନକା । ଖୁବ୍ ସୁନ୍ଦରୀ । ଏକ ମନମୋହିନୀ କନ୍ୟାକୁ ଜନ୍ମ ଦେବାପାଇଁ ତାଙ୍କୁ ଦେବଦେବୀମାନେ ପ୍ରାର୍ଥନା କଲେ । ସେହି କନ୍ୟା ହିଁ ପାର୍ବତୀ ନାମରେ ମହେଶ୍ୱରଙ୍କର ପତ୍ନୀ ହେଲେ ତାଙ୍କର ଧ୍ୟାନଭଗ୍ନ ହୋଇପାରିବ ଏବଂ ସେ ସଂସାର ମାୟାରେ ବାନ୍ଧି ହେବେ । ମାତ୍ର ଶିବ ଆଉ ଘର ସଂସାର କରିବାକୁ ନାରାଜ ।

ଏଣେ ପାର୍ବତୀ ତାଙ୍କୁ ସ୍ୱାମୀ ରୂପେ ବରଣ କରି ସାରିଛନ୍ତି । କାମଦେବ ନିଜ ପତ୍ନୀ ରତିଙ୍କ ସହିତ ସେଠାରେ ପହଞ୍ଚିଲେ । ମହାଦେବଙ୍କ ମନରେ ବିବାହ କରିବାର ଇଚ୍ଛା ଜଗାଇବାକୁ ଚେଷ୍ଟା କଲେ । ମାତ୍ର ମହାଦେବ ତାଙ୍କୁ ରାଗରେ ଚାହିଁ ଦେଲେ । ତାଙ୍କ ଆଖିର ନିଆଁରେ କାମଦେବ ପୋଡ଼ି ପାଉଁଶ ହୋଇଗଲେ ।

ମହାଦେବ ପୁଣି ଧ୍ୟାନରେ ବସିଗଲେ । ମାତ୍ର ପାର୍ବତୀ ତାଙ୍କୁ ସ୍ୱାମୀ ରୂପେ ପାଇବାରେ ଅଟଳ । ସେ ନ ଖାଇ ନ ପିଇ ଶିବଙ୍କ ନାମ ଜପିବାରେ ଲାଗିଲେ । ପାର୍ବତୀ ଜୀର୍ଣ୍ଣଶୀର୍ଣ୍ଣ ହେଲେ । ନାରଦଙ୍କ ଉଦ୍ୟମରେ ମହାଦେବ ଶେଷରେ ପାର୍ବତୀଙ୍କୁ ବିବାହ କଲେ ।

ଏଣେ ସ୍ୱାମୀଙ୍କୁ ପାଉଁଶରେ ପରିଣତ ହେବା ଦେଖି ରତି ଅତିଶୟ ଦୁଃଖିତ ହେଲେ । ତାଙ୍କର ଛାତିଫଟା କାନ୍ଦରେ ମହାଦେବଙ୍କ ମନ ଗଭୀର ଦୁଃଖ ଓ ଅନୁତାପରେ ଭରିଗଲା । ସେ ପାଉଁଶଗଦାରୁ ପୁଣି କାମଦେବଙ୍କୁ ନୂଆ ଜନ୍ମ ଦେଲେ । କିନ୍ତୁ ହାୟ, ତାଙ୍କର ପୂର୍ବ ସୌନ୍ଦର୍ଯ୍ୟ କୁଆଡ଼େ ଗଲା ? ତେଣୁ ଉଭୟେ କାମଦେବ ଓ ରତିଦେବୀ


୩୮

ମହାଦେବଙ୍କୁ ଖୁବ୍ ପ୍ରାର୍ଥନା କଲେ । ମହାଦେବ ତ ଆଶୁତୋଷ, ତାଙ୍କ ମନ ଯେମିତି ହଠାତ୍ ବିରକ୍ତ ହୋଇଥାଏ, ସେମିତି ସହଜରେ ସନ୍ତୁଷ୍ଟ ହୋଇଥାଏ । ମହାଦେବଙ୍କ କହିବା ଅନୁସାରେ କାମଦେବ କାମାକ୍ଷା ପାହାଡ଼କୁ ନିର୍ମଳ କଲେ । ସତୀଙ୍କ ଦେହାଂଶ ପଡ଼ିଥିବା ସ୍ଥାନଟି ଉପରେ ବିଶ୍ୱକର୍ମାଙ୍କ ସାହାଯ୍ୟରେ ଏକ ବଡ଼ ମନ୍ଦିର ତୋଳାଇଥିଲେ । କାମାକ୍ଷାଦେବୀଙ୍କ ସେବା ପୂଜା ପରେ ତାଙ୍କ ପୂର୍ବ ଶୋଭା ଫେରିପାଇଥିଲେ ।

ସେତେବେଳେ ଜଣେ ବଡ଼ ରାକ୍ଷସ ଥିଲେ । ତାଙ୍କ ନାଁ ଥିଲା ତାରକାସୁର ବା ନାରକାସୁର । ତାଙ୍କର ରାଜଧାନୀ ଥିଲା ଜ୍ୟୋତିଷପୁର । ଏବେ ତାହା ଗୌହାଟୀ ନାମରେ ଖ୍ୟାତ । ରାମାୟଣ, ମହାଭାରତ ଓ ତନ୍ତ୍ରପୁରାଣରେ ଲେଖାଯାଇଛି ଯେ ନାରକାସୁର ରାକ୍ଷସ ହେଲେ ହେଁ ଆର୍ଯ୍ୟ ସଂସ୍କୃତି ପ୍ରତି ଖୁବ୍ ମନ ଦେଇଥିଲେ । ବିଷ୍ଣୁ ବରାହ ରୂପେ ଜନ୍ମଗ୍ରହଣ କରି ତାଙ୍କ ଉପରେ ସନ୍ତୁଷ୍ଟ ହୋଇଥିଲେ । ତାଙ୍କୁ ପ୍ରାଗ୍ ଜ୍ୟୋତିଷପୁରର ରାଜା କରାଇଥିଲେ ।

ମାଟିମାଆର ଆଶିର୍ବାଦ ଲାଭ କରି ସେ ଭାରି ବଳଶାଳୀ ହେଲେ । ବିଦର୍ଭ ରାଜାଙ୍କ କନ୍ୟା ମାୟାଙ୍କୁ ସେ ବିବାହ କଲେ । ଦେବ, ବ୍ରାହ୍ମଣମାନଙ୍କର ସେବାଯତ୍ନ କରିଥିଲେ । କାମାକ୍ଷାଦେବୀଙ୍କର ବଡ଼ ଭକ୍ତ ହୋଇଥିଲେ ।

ଦ୍ୱାପରର ଶେଷ ଭାଗରେ ସେଠାରେ ଗୋଟିଏ ରାଜ୍ୟ ଥିଲା । ସେଇ ରାଜ୍ୟର ରାଜା ଥିଲେ ବାଣାସୁର । ତାଙ୍କ ସହିତ ତାରକାସୁରର ଭଲ ସମ୍ପର୍କ ଥିଲା । ତା' ଫଳରେ ଦେବ ବ୍ରାହ୍ମଣଙ୍କ ସହିତ ତାଙ୍କର ସମ୍ପର୍କ ଖରାପ ହେଲା । ବ୍ରହ୍ମାଙ୍କ ବର ଲାଭରେ ସେ ବଳବାନ ହୋଇଥିଲେ । ଦେବତାମାନେ ଭୟଭୀତ ହେଲେ । ସେମାନେ ବ୍ରହ୍ମାଙ୍କ ପାଖରେ ଗୁହାରି କଲେ

ବ୍ରହ୍ମା ପରମ ପିତା ମହାମାୟାଙ୍କ ସାହାଯ୍ୟରେ ଏହି ବିପଦରୁ ଉଦ୍ଧାର ପାଇବେ ବୋଲି ପରାମର୍ଶ ଦେଲେ । କାଳିକା ପୁରାଣ ଅନୁସାରେ ଦିନେ ଋଷି ବଶିଷ୍ଠ ମହାମାୟାଙ୍କୁ ସାକ୍ଷାତ କରି ନାରକାସୁରର ଅତ୍ୟାଚାର କଥା ଜଣାଇଲେ । ସେ (ବଶିଷ୍ଠ) ତାଙ୍କୁ ଅଭିଶାପ ଦେଇ କହିଲେ ଯେ ସେ ବଞ୍ଚିଥିବା ଯାଏ କାମାକ୍ଷା ଦେବୀଙ୍କ ଦର୍ଶନ ଲାଭ କରିପାରିବେ ନାହିଁ । ମହାମାୟା ଏକ ମାୟାର କୁହୁଡ଼ି ସୃଷ୍ଟି କଲେ । ତା' ମଧ୍ୟରେ ବିଷ୍ଣୁ ନାରକାସୁରକୁ ହତ୍ୟା କଲେ । ତାଙ୍କର ମୃତ୍ୟୁ ପରେ ରାଜ୍ୟ ଖଣ୍ଡ ବିଖଣ୍ଡିତ ହୋଇଗଲା ।

କୁଚବିହାରର ରାଜା ଦେବୀ କାମାକ୍ଷାଙ୍କ ପୀଠର ବହୁ ଉନ୍ନତି କରିଥିଲେ । ତାଙ୍କର ମହିମା ପ୍ରଚାରରେ ସେ ବହୁ ପଦକ୍ଷେପ ନେଇଥିଲେ । କାମଦେବ ଗଢ଼ିଥିବା ମନ୍ଦିର ଭାଙ୍ଗି ପଡ଼ିଥିଲା । ନୀଳାଚଳ କାମାକ୍ଷାପାହାଡ଼ରେ ଦେବୀଙ୍କ ପୂଜାଋଜା ସବୁ ବନ୍ଦ ହୋଇଯାଇଥିଲା । ତାହା ପୁଣି କିପରି ବିକାଶ ଲାଭ କରିଥିଲା, ସେ ସମ୍ପର୍କରେ ଏକ କାହାଣୀ ରହିଛି ।


ଇତିହାସରେ କାମାକ୍ଷା

୧୪୯୦ ମସିହାର ଏକ ଘଟଣା । ମହାରାଜା ବିଶ୍ୱସିଂହ ଆହୋମ ରାଜାଙ୍କ ବିରୁଦ୍ଧରେ ଯୁଦ୍ଧ ଘୋଷଣା କଲେ । ଯୁଦ୍ଧ ଯାତ୍ରା ହେଲା । ଥରେ ଭୟଙ୍କର ଘନ ଜଙ୍ଗଲ ମଧ୍ୟରେ ସେ ଓ ତାଙ୍କ ଭାଇ ଶିବସିଂହ ବାଟବଣା ହୋଇଗଲେ । ସେମାନେ ସୈନ୍ୟମାନଙ୍କଠାରୁ ଅଲଗା ହୋଇଗଲେ । ସେମାନେ ନୀଳାଚଳ ପାହାଡ଼କୁ ଆସିଲେ । ଖୁବ୍ ଭୋକ ଶୋଷରେ ସେମାନେ ଅସ୍ଥିର ହୋଇପଡ଼ିଲେ । କିପରି ସେହି ଜଙ୍ଗଲରୁ ଉଦ୍ଧାର ପାଇବେ, ତା'ର ଉପାୟ ପାଇଲେ ନାହିଁ । ଦେବୀଙ୍କୁ ପୂଜା କଲେ । ଅନ୍ଧାର ମଧ୍ୟରେ ଆଲୁଅର ରେଖା ଖେଳିଗଲା । ଦୈବୀଶକ୍ତି ବଳରେ ସେମାନେ ଜଳ ଓ ଖାଦ୍ୟ ପାଇଲେ । ଗୋଟିଏ ଗଛ ମୂଳରେ ଶାନ୍ତିରେ ଶୋଇଗଲେ । ଗୋଟିଏ ବୁଢ଼ି ଆସି ସେଠାରେ ଦେବୀଙ୍କ ପୂଜା କଲେ । ସେ କହିଲେ ଯେଉଁ ଲୋକ ପବିତ୍ର ଭକ୍ତି ଭାବରେ

Kaunri Kamachandira dese.pdf



ଏଠାରେ ପୂଜା ଆରାଧନା କରିବ, ତା'ର ମନସ୍କାମନା ପୂର୍ଣ୍ଣ ହେବ । ଏହା ଶୁଣି ସେମାନେ ବସିପଡ଼ି ଦେବୀଙ୍କ ପ୍ରାର୍ଥନା କରିଥିଲେ ।

କାଂମାକ୍ଷାଙ୍କ କଲ୍ୟାଣରୁ ସୈନ୍ୟମାନଙ୍କ ସହିତ ସେମାନଙ୍କର ସାକ୍ଷାତ ହେଲା । ସେମାନଙ୍କ ରାଜ୍ୟ ବିପଦମୁକ୍ତ ହେଲା । ଲୋକମାନେ ସୁଖୀ ଓ ଧନୀମାନୀ ହେଲେ । କିପରି ସେ ଦେବୀଙ୍କର ଉପକାର ସୁଝିବେ ପଚାରିବାକୁ ସେ ଛାଗବଳି, ସିନ୍ଦୁର, କର୍ପୁର, ପୁଷ୍ପ, ରକ୍ତବର୍ଣ୍ଣର ବସ୍ତ୍ର ଇତ୍ୟାଦି ସମର୍ପଣ କରିବାକୁ ପରାମର୍ଶ ଦେଲେ । ରାଜା ସୁଖଶାନ୍ତିରେ ରାଜ୍ୟ ଶାସନ କଲେ । ପଣ୍ଡିତମାନଙ୍କ ପରାମର୍ଶ କରି ଦେବୀଙ୍କ ମହିମା ବିସ୍ତାରରେ ମନ ଦେଲେ । ସେ ପ୍ରଥମେ ଦେବୀଙ୍କ ପାଇଁ ଗୋଟିଏ ଇଟାର ମନ୍ଦିର ତୋଳାଇଥିଲେ । ଗୋଟିଏ ସୁନାର ମନ୍ଦିର ନିର୍ମାଣ କରିବାକୁ ଦେବୀ ଆଦେଶ ଦେଲେ । ମାତ୍ର ତାହା କରିବା ରାଜାଙ୍କ ପକ୍ଷେ ସମ୍ଭବ ହେବ ନାହିଁ ବୋଲି ଜଣାଇଲେ । ତାଙ୍କୁ ସେଥିପାଇଁ ସ୍ୱପ୍ନରେ ନିର୍ଦ୍ଦେଶ ହେଲା ପ୍ରତି ଇଟା ଉପରେ ରତିଏ ସୁନା ରଖ । ତା'ଉପରେ ଆଉ ଏକ ଇଟା ବସାଇ ମନ୍ଦିର ନିର୍ମାଣ କର ।

ଏକ ସୁନ୍ଦର ମନ୍ଦିର ଗଢ଼ି ଉଠିଲା । ସେଠାରେ ଦେବୀ କାମାକ୍ଷା ପୂଜା ପାଇଲେ । ମହାରାଜା ବିଶ୍ୱସିଂହଙ୍କ ପରେ ତାଙ୍କ ପୁଅ ନରନାରାୟଣ ରାଜୁତି କଲେ । ତାଙ୍କ ଭାଇ ମହାବୀର ଚିଲାରାୟଙ୍କୁ ସେ ସେନାପତି କରିଥିଲେ । ସେ ଅନ୍ୟତ୍ର ଯୁଦ୍ଧରେ ନିଯୁକ୍ତ ଥିଲାବେଳେ କଳାପାହାଡ଼ ଆକ୍ରମଣ କରିଥିଲା । ବଙ୍ଗର ନବାବ ସୁଲେମାନଙ୍କ ଦ୍ୱାରା ଚିଲାରାୟ ବନ୍ଦୀ ହୋଇଥିଲେ । ସେ ମହାମାୟାଙ୍କୁ ମନେ ପକାଇଲେ । ସ୍ୱପ୍ନରେ ତାଙ୍କୁ ଜଣାଇ ଦିଆଗଲା ନବାବଙ୍କ ମାଆଙ୍କୁ କାଲି ସାପ କାମୁଡ଼ିବ । ରାଜ୍ୟର ସବୁ ଡାକ୍ତର କବିରାଜ ତାଙ୍କୁ ଭଲ କରିବାରେ ଲାଗିବେ । ଶେଷରେ ସେମାନେ ଫେଲ୍ ମାରି ତୁମ ପାଖକୁ ଆସିବେ । ତୁମେ ତାଙ୍କୁ ଭଲ କରିବ ।

ସତକୁ ସତ ତା' ଆରଦିନ ମା'ଙ୍କୁ ସାପ କାମୁଡ଼ିଦେଲା । ଚିଲାରାୟଙ୍କ ଚିକିତ୍ସାରେ ସେ ଭଲ ହେଲେ । ସେଦିନଠାରୁ ଚିଲାରାୟଙ୍କ ସହିତ ନବାବଙ୍କର ସଦ୍‌ଭାବ ବଢ଼ିଥିଲା । ଚିଲାରାୟ ନିଜ ସୈନ୍ୟମାନଙ୍କ ସହିତ ନିଜ ରାଜ୍ୟକୁ ଫେରିଥିଲେ । ରାଜା ମନ୍ଦିରର ମରାମତି କଲେ, ଭଲ ଭାବରେ ତାଙ୍କର ପୂଜାଋଜାର ବ୍ୟବସ୍ଥା କଲେ । ସେଥିପାଇଁ ମଧ୍ୟ ବହୁ ଜମିବାଡ଼ି ଖଞ୍ଜିଥିଲେ ।

ଏହିପରି ବହୁ ରାଜାଜମିଦାରଙ୍କ ସାହାଯ୍ୟ ଓ ଜନସାଧାରଣଙ୍କ ସ୍ନେହ ଓ ଭକ୍ତିବଳରେ କାମାକ୍ଷା ପୀଠରେ ବହୁ ଉନ୍ନତି ହେଲା । ଆସାମରେ ଏକ ବଡ଼ ଘଟଣା ହେଲା ଏଠାରେ ରାଜା ପ୍ରଜାମାନଙ୍କର ଧର୍ମ ଭାଷା ଓ ଚଳଣି ନିଜର କରି ନେଇଥିଲେ । ଆକ୍ରମଣ କରିବାକୁ ଆସି ଆରୋହୀମାନେ ଏଠାରେ ଶାସକ ହୋଇଥିଲେ । ସେମାନେ ଆସାମର
Kaunri Kamachandira dese.pdf

ସାହିତ୍ୟ, ଭାଷା ଓ ଧର୍ମର ଉନ୍ନତିରେ ସହାୟକ ହୋଇଥିଲେ । ଶଙ୍କରଦେବ ଆସି କେତେକ ସାଧୁସନ୍ଥଙ୍କ ଉଦ୍ୟମରେ ଆସାମରେ ବୈଷ୍ଣବଧର୍ମ ଅତି ଲୋକପ୍ରିୟ ହୋଇଥିଲା । ଜନସାଧାରଣଙ୍କ ମଧ୍ୟରେ ଏହା ଆଦର ଲାଭ କରିଥିଲା ।

ଗୌହାଟୀରୁ ଫେରିଲି

ଅଗଷ୍ଟ ୪ ତାରିଖ । ଭୋର ୪ଟାରୁ ଉଠି ନିତ୍ୟକର୍ମ ସାରିଦେଲି । ଏତେ ଭୋରରୁ ବାହାରଟା କେଲେ ଫରଚା ଦିଶିଲାଣି । ଅତିଥି ଭବନର ହତାରେ ବୁଲଚଲା କଲି । ସାଢ଼େ ୪ଟାରେ କୁତବ୍ କାର ଆଣି ପହଞ୍ଚିଗଲା । ଆମେ ସାଥୀ ହୋଇ କାମାକ୍ଷା ଷ୍ଟେସନକୁ
Kaunri Kamachandira dese.pdf


ଗଲୁ । ପ୍ରଥମ ଶ୍ରେଣୀରେ ଟିକେଟ ସହଜରେ ମିଳିନଥିଲା । ରାଜର୍ଷି ଭଟ୍ଟାଚାର୍ଜୀବାବୁଙ୍କ ସ୍ୱତନ୍ତ୍ର ଚେଷ୍ଟାରେ ଅତି ବଡ଼ ଲୋକ ବା ଅଧିକାରୀଙ୍କ ପାଇଁ ଭି.ଆଇ.ପି. କୋଟାରୁ ଗୋଟିଏ ସିଟ ମିଳିଥିଲା । ପୂର୍ବଦିନ ସନ୍ଧ୍ୟାରେ ଆସି ତା'ର ବ୍ୟବସ୍ଥା କରାଯାଇଥିଲା । ରିଜର୍ଭେସନ ଚୁଡ଼ାନ୍ତ କରାଯାଇଥିଲା । ସେଠାରେ ସିଂହବାବୁ ନାମକ ଜଣେ ଓଡ଼ିଆ ଭଦ୍ରଲୋକ ଦୂର ସଂଚାରଣ ବା ଟେଲିକମ୍ୟୁନିକେସନ ଇଞ୍ଜିନିୟର ଭାବେ ଯୋଗଦେଇଥିଲେ । କୁତବ୍‌କୁ ୧୦ ଟଙ୍କା ଦେଇ ବିଦାୟ ନେଲି । ମୁଁ ଷ୍ଟେସନ ଭିତରେ ଯାଇ ପ୍ଲାଟଫର୍ମରେ ଅପେକ୍ଷା କଲି । ଜଣେ ତେଲଙ୍ଗା ଭଦ୍ରଲୋକ ପହଞ୍ଚିଲେ । ସେ ଓଡ଼ିଶାର ସୀମାନ୍ତ ଅଞ୍ଚଳ ଇଚ୍ଛାପୁର ପାଖରେ ରହନ୍ତି । ଏବେ ପିଲାମାନେ ବ୍ରହ୍ମପୁରଠାରେ ରହି ପଢ଼ାପଢ଼ି କରୁଛନ୍ତି । ତାଙ୍କ ବାପା ଜଣେ ରେଲୱେ କର୍ମଚାରୀ ଭାବରେ ୩୦ ବର୍ଷ କାଳ ଏଠାରେ କଟାଇଥିଲେ । ଏଠାରେ ମଧ୍ୟ ତାଙ୍କର କ୍ୟାନସରରେ ଅକାଳ ମୃତ୍ୟୁ ହୋଇଥିଲା । ଷ୍ଟେସନର କର୍ମଚାରୀଗଣ ମିଳିମିଶି ବ୍ରହ୍ମପୁତ୍ର କୂଳର ଏକ ଶ୍ମଶାନରେ ଦାହ କରିଥିଲେ । ବାପାଙ୍କ ମୃତ୍ୟୁପରେ ତାଙ୍କୁ ସେଇ ଚାକିରିଟି ମିଳିଛି ।

କୋଚିନ୍ ଏକ୍ସପ୍ରେସ୍ ଠିକ ସମୟରେ ଆସିଲା । ଟିକେଟ କଲେକ୍ଟରଙ୍କୁ ମୋର ନାଁ ଓ ସିଟ୍ ନମ୍ୱର କହିଲାମାତ୍ରେ ଟିକିଏ ଚମକି ପଡ଼ିଲେ । କୌଣସି ମନ୍ତ୍ରୀ ବା ବଡ଼ ଅଫିସରଙ୍କ ଲୋକ ବୋଲି ମୋତେ ଭାବିନେଲେ । ନିଜେ ଆସି ମୋତେ ମୋର ସିଟରେ ବସାଇ ଦେଲେ । ତାପରେ ଆସି ମୋର ଜଳଖିଆ ଓ ମଧ୍ୟାହ୍ନ ଭୋଜନ କଥା ବୁଝିଥିଲେ । ମୁଁ ମାଛମାଂସ ଖାଏ ନାହିଁ ବୋଲି କହିବାରୁ ସେ ମୋ ପାଇଁ ସାଦା ଖାଦ୍ୟର ବ୍ୟବସ୍ଥା କରିଦେଲେ ।

ଠିକ୍ ୫ଟା ୧୫ ମିନିଟରେ ଟ୍ରେନ୍ ଛାଡ଼ିଲା । କାମାକ୍ଷା ପରେ ରଙ୍ଗିୟା ଓ ତାପରେ ପାଠଶାଳା ବୋଲି ଏକ ଷ୍ଟେସନ ପଡ଼ିଲା । ବ୍ରହ୍ମପୁତ୍ର ନଦୀ ଜଳପୂର୍ଣ୍ଣ । ପାହାଡ଼ କୋଳରେଏ ବଙ୍କାଟଙ୍କା ହୋଇ ସେ ବହି ଯାଇଛି । ବହୁ ନାଆ ଭାସୁଛି । ଗାଁ ଗଣ୍ଡା ମଝିରେ ମଝିରେ ପଡ଼େ । ନଡ଼ିଆ, କଦଳୀ, ଗୁଆ, ବାଉଁଶ ଆଦି ଗଛଲତାରେ ସେ ସବୁ ଭରପୂର । ଚଉଦିଗ ପରିବେଶ ଖୁବ୍ ସୁନ୍ଦର, ଖୁବ୍ ସବୁଜ ।

ବାରପେଟା ରୋଡ଼ ଷ୍ଟେସନ ପଡ଼ିଲା । ଏକ ବଡ଼ ବ୍ୟବସାୟ କେନ୍ଦ୍ର । ବଡ଼ବଡ଼ ଗୁଆର ଗୋଦାମମାନ ଦେଖିବାକୁ ମିଳେ । ବୋଙ୍ଗାଇଗାଓଁ ଷ୍ଟେସନରେ ବହୁ ସମୟ ଟ୍ରେନଟି ରହିଲା । ସେଠାରେ ପାଚିଲା ସପୂରୀର ଚୋପାକୁ ଛଡ଼ାଇ ଅଧାକୁ ଦୁଇ ଟଙ୍କାରେ ବିକୁଥିଲେ । କିଣିଲି, ଭଲ ଲାଗିଲା । ପାଚିଲା କଦଳୀ ମଧ୍ୟ ମିଳିଲା । ଡଜନ ୫/୬ ଟଙ୍କା । ଷ୍ଟେସନରେ ବହୁ ସଂଖ୍ୟାରେ କଞ୍ଚା କଦଳୀକାନ୍ଧିମାନ ଗଦା ହୋଇଥିଲା । ସମ୍ଭବତଃ ସେଠାରୁ ବାହାରକୁ ପଠାୟାଏ । ତା'ପରେ ଟ୍ରେନ ଯାଇ କୋକ୍ରାଝରଠାରେ ପହଞ୍ଚିଲା । ବୋଡ଼ୋମାନଙ୍କର ପ୍ରଧାନ କର୍ମସ୍ଥଳ । ପୋଲିସ୍ ଓ ନିରାପତ୍ତା ରକ୍ଷୀମାନେ ବହୁ ସଂଖ୍ୟରେ ଜଗି ରହିଥିଲେ ।

୧୨ଟା ବାଜିଲା । ସମସ୍ତଙ୍କୁ ମଧ୍ୟାହ୍ନ ଭୋଜନ ମିଳିଲା । ମୋର କାହିଁ ପଚାରିବାରୁ ଟିକେଟ କଣ୍ଡକ୍ଟରବାବୁ କହିଲେ, "ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ହୋଇ ଆସୁଛି ।

Kaunri Kamachandira dese.pdf
ଆପଣଙ୍କ ପୂରା ନିରାମିଷ ଖାଦ୍ୟ ତ !" ସତକୁ ସତ କିଛି ସମୟ ପରେ ମୋର ଭୋଜନ ପାଇଁ ଖାଦ୍ୟ ଆସିଗଲା । ମୁଁ କେରଳର ରାଜଧାନୀ ତ୍ରିଭେନ୍ଦ୍ରମ୍‌ରେ ଖାଇଥିବା ଖାଦ୍ୟପରି ଲାଗିଲା । ଖାଦ୍ୟ ଭଲ ଲାଗିଲା । କଣ୍ଡକ୍ଟରବାବୁଙ୍କୁ ସାଧୁବାଦ ଜଣାଇଲି ।

ଦୁଇ ପାଖରେ କ୍ଷେତ ଖମାର

ନିଉକୁଚବିହାର ପଡ଼ିଲା । ବଙ୍ଗଳା ମଧ୍ୟରେ ଟ୍ରେନ୍ ଚାଲିଲା । ତିସ୍ତାନଦୀ ଅତିକ୍ରମ କଲୁ । ଖୁବ୍ ବଡ଼ ନଦୀଟିଏ । ଜଳପାଇଗୁଡ଼ି ପରେ ନିଉଜଳପାଇଗୁଡ଼ି ଷ୍ଟେସନ ପଡ଼ିଲା । କଣ୍ଡକ୍ଟରବାବୁ ସେଠାରେ ମୋଠାରୁ ବିଦାୟ ନେଲେ । ମୁଁ ସିଟ୍‌ରୁ ଉଠି ତାଙ୍କ ହାତରେ ମୋ ହାତ ମିଳାଇଲି ।

ବହୁ ସଂଖ୍ୟାରେ ସପୁରୀ ସେଠାରେ ବିକ୍ରୀ ହେଉଅଛି । ସେଥିରୁ କିଛି କିଣିଦେଲି । ଦିଗହଜା ସପୁରୀ କ୍ଷେତମାନ ଲମ୍ବିଯାଇଥିଲା । ପ୍ରଥମେ ମୁଁ ତ ତାହା ସପୁରୀ କିଆରୀ ବୋଲି ଜାଣିପାରି ନ ଥିଲି । ସ୍ଥାନୀୟ ଯାତ୍ରୀମାନଙ୍କୁ ପଚାରି ଏହା ବୁଝିଲି । ବାଉଁଶ ଗଛ ମଧ୍ୟ ଲଗାଇ ବଡ଼ବଡ଼ କିଆରି କରାଯାଇଛି । ସପୁରୀ, ବାଉଁଶ ପ୍ରଭୃତିର କ୍ଷେତ ମୋ ପାଇଁ ନୂଆ ଥିଲା ।

ନଳିତା ଚାଷ ପରେ ଧାନ ଚାଷର ଆୟୋଜନ ଚାଲିଛି । ଗାଈ ମଇଁଷି ଦଳଦଳ ହୋଇ ଚରୁଛନ୍ତି । ଗାଈଆଳ ପିଲା ମଇଁଷି ଉପରେ ବସିଛନ୍ତି ଖୁବ୍ ଆରାମରେ । ଗୋଟିଏ ଜାଗାରେ ଦେଖିଲି ଦୁଇଟି ପିଲା ଗୋଟିଏ ବଡ଼ ମଇଁଷି ପିଠିରେ ବସି ତାସ ପାଲି ପକାଉଛନ୍ତି । ମଇଁଷି ନିଶ୍ଚିନ୍ତରେ ତା'ର ଚରିବାରେ ଲାଗିଛି । ଧାଇଁଥିବା ବସ୍‌ଗୁଡ଼ିକର ଛାତ ଉପରେ ଯାତ୍ରୀମାନେ ବସିଛନ୍ତି । କିଶାନଗଞ୍ଜ ଠାରେ ତ ଦେଖିଲି ଟ୍ରେନ ଛାତ ଉପରେ ଶହ ଶହ ଲୋକ ବସିଛନ୍ତି । ରେଳ ରାସ୍ତାକଡରେ ଆକାଶିଆ ଗଛ ଗୁଡ଼ିକର ଶୋଭା ଖୁବ୍ ସୁନ୍ଦର ଦିଶୁଛି । ନାଲି ନଳିତା କିଆରୀର ଶୋଭା ଭାରି ଭଲ ଲାଗିଲା ।

ମାଲ୍‌ଦାଠାରେ ଟ୍ରେନ ରହିଲା । ସେତେବେଳେ ସନ୍ଧ୍ୟା ୮ଟା । କିଛି ଆମ୍ବ କିଣିଲି ।


୪୭
Kaunri Kamachandira dese.pdf

ଘଣ୍ଟାକ ପରେ ଯାହା କିଛି ରାତ୍ରୀଭୋଜନ କରି ବିଶ୍ରାମ ନେଲି । ହାଓଡ଼ା ଷ୍ଟେସନରେ ଭୋର ହେଲା । ନିତ୍ୟକର୍ମ ସାରି ସେଠାରେ ଉଠିଥିବା ଓଡ଼ିଆ ଯାତ୍ରୀମାନଙ୍କ ସହ ସୁଖ ଦୁଃଖ ହେଲି । ଶୁଣିଲି, ବାଲେଶ୍ୱର ପାଖରେ ଗତକାଲି ଗୋଟିଏ ଦୁର୍ଘଟଣା ଘଟିଥିଲା । ସେଥିପାଇଁ ଧଉଳି ଏକ୍ସପ୍ରେସ୍ ବନ୍ଦ ହୋଇଛି ।

ପରିଚିତ ଅଞ୍ଚଳ ମଧ୍ୟରେ ଟ୍ରେନ୍ ଆଗେଇ ଚାଲିଲା । ଶ୍ୟାମଳ ଧାନକ୍ଷେତ, ନଦୀନାଳ, ବଣପାହାଡ଼, ଧାଇଁଛନ୍ତି ସତେ ଯେମିତି ଓଡ଼ିଶାର ଗାଆଁ ଗଣ୍ଡାରେ ଥିବା ଟୁବି ଗଡ଼ିଆ, ବାଡ଼ି ବଗିଚା, ବାଉଁଶ ବଣ, ନଳିତା କିଆରି, ପାଠଶାଳା ଆଦି ମନରେ ଆନନ୍ଦ ଭରିଦେଲା । ଭୁବନେଶ୍ୱରଠାରେ ଟ୍ରେନ ଅପରାହ୍ନ ଗୋଟାଏ ବେଳେ ପହଞ୍ଚିଲା । ଆମେ ସବୁ ନିଜ ନିଜ ବାଟରେ ଘରବାହୁଡ଼ା ହେଲୁ ।






                          ୪୮