Jump to content

କାଳିଜାଈ

ଉଇକିପାଠାଗାର‌ରୁ
କାଳିଜାଈ
ଲେଖକ/କବି: ଗୋଦାବରୀଶ ମିଶ୍ର

କାଳିଜାଈ

‘ଭଲ କରି ନାଆ ବୁହା,ରେ ନାଉରି !
ଝିଅକୁ ମାଡୁଛି ଡର;
ଗଡ଼େ ଗଡ଼ ଲୋକେ ଚାହିଁ ବସିଥିବେ,
ଝିଅ ଯିବ ଶାଶୂଘର ।’
ଭଲ କରି ନାଆ ବାହୁଛି ନାଉରି
ତଲେଇ କରିଛି ଠିଆ;
ମାମୁଁଭଣଜାର କୋଣରୁ ଆସେ ଲୋ,
ବୋହି ସୁଲୁ ସୁଲୁ ବାଆ ।
ଦିନ ଦଶ ଘଡ଼ି ହେଲାଣିଟି ଆସି,
ଖରା ମାରେ ଚାଇଁ ଚାଇଁ;
ପାଞ୍ଚ କୋଶ ବାଟ ଯିବାକୁ ଅଛି ଲୋ,
ବେଳ ତ ପାଇବ ନାହିଁ ।
ନାଉରି ବାପୁଡ଼ା କାତ ମାରୁଅଛି,
ଉଦାସେ ଗାଉଛି ଗୀତ;
ନାଆ ଉଡ଼ିଯାଏ ପବନ ପ୍ରାୟେ ଲୋ,
ଜଣା ନ ପଡ଼ଇ ବାଟ ।
ମାଆ ଭଉଣୀଙ୍କି, ସାଥୀ ସଙ୍ଗାତଙ୍କୁ
ଝିଅ ଯେ ଆସିଛି ଛାଡ଼ି;
ନାଆରେ ବସି ସେ ତାଙ୍କରି କଥା ଲୋ,
ହୁଏ ନିରନ୍ତରେ ଭାଳି ।

ମାଆ ଭଉଣୀଏ, ସାଥୀ ସଙ୍ଗାତେ ସେ
ରହିଲେ ଦୂରସ୍ଥେ କାହିଁ;
ପରତେ ନୋହୁଛି ଆଉ କି ଦିନେ ଲୋ,
ଫେରି ସେ ଦେଖିବ ଯାଇ !

ନାଆ ଚାଲିଅଛି ପବନ ସମାନେ,
ମୁହୂର୍ତ୍ତେ ନ ହୁଏ ଥୟ;
ଚିହ୍ନା ଯେତେ ତାର ବଣ ପାହାଡ଼ ଲୋ,
ଅନାଇ ଦେଖନ୍ତା ଝିଅ ।
ଘଣ୍ଟଶିଳା ଶିଖେ ଚାହିଁ ସେ କହନ୍ତା-
‘ଦିଅରେ ମେଲାଣି ମୋତେ;
ଭେଟ ଆଉ ଦିନେ ନୋହିବ ଜୀବନେ,
ଯାଉଛି ଘୋର ବନସ୍ତେ ।’
ଶାଳିଆ ନଈ ତା’ ନିତିଦିନ ସାଥୀ,
ସୁଖେ ସେ ବୁଲଇ କୂଳେ;
ବେଳେ ସୁଏ ତା’ର ସ୍ନାହାନ ସାରି ଲୋ,
ହସି ଲେଉଟଇ ଘରେ ।

କାଳିଅନ୍ଧାରୁଁ ସେ ଚାଲି ଯେ ଅଇଲା,
ଦେଖି ତ ନାହିଁଛି ତାକୁ;
ଭାରି ଖ୍ୟାତ ନଈ, ନାଆଁଟି ତା’ର ଲୋ,
ତିନି କୋଡ଼ି କୋଶେ ଡାକୁ ।
ମାଆ ଭଗବତୀ ପୀଠ କୂଳେ ତା’ର,
‘ଜଗତତାରିଣୀ’ ନାଆଁ,
ଡାକି କହିଥାନ୍ତି, ନୋହିଲା ଆଉ ଲୋ,
‘ସାହା ମୋ ଥିବୁଟି, ମାଆ !’

ନାଆ ଆସି ହେଲା ଦଣ୍ଡକେ ପ୍ରବେଶ
ଚଢ଼େଇହଗା ପାହାଡ଼େ,
ଘଣ୍ଟଶିଳା ଆଉ ନ ଦିଶେ, ଲୁଚି ଲୋ,
ରହିଲା ଶାଳିଆ ଦୂରେ ।
ଚାହୁଁ ଚାହୁଁ ଆସି ଛୁଇଁଲା ତ ନାଆ
ଗଣ୍ଡ ତଡ଼ କଳା ପାଣି;
ଝରେ ଝିଅ ଦୁଇ ଆଖିରୁ ଲୁହ ଲୋ,
ତିନ୍ତେ ପିନ୍ଧା ଛିଟ କାନି ।

‘ପାରିକୁଦ ବୋଲି ରାଇଜ ପୁଣି ସେ
ଚିଲିକା ମଝିରେ କାହିଁ;
କେମନ୍ତେ ମୂର୍ଛିଲ ଝିଅକୁ, ବାପା ହେ,
ଏତେ ଦୂରେ ଦେବା ପାଇଁ ?
ବର ବୋଲି ଯାର ଧରାଇଲ ହାତ
କି ତା’ର ଦେଖିଲ ଶିରୀ ?
ରୂପ ବିଦ୍ୟା ଆଉ ବିଭବ, ବାପା ହେ,
ତିହ୍ନିଏ ତିହ୍ନିକି ବଳି ।
ମହୀମଣ୍ଡଳେ ତ ନଥିବ କେ କାହିଁ
ମୋ ଭଳି ନିରେଖ ଜନ;
ଏ ମହାସମୁଦ୍ର ମଝିରେ, ବାପା ହେ,
କେମନ୍ତେ ବଞ୍ଚିବି ଦିନ ?

ଏଡ଼େ ହୀନିମାନ କରିବାକୁ ଯେବେ
ମନରେ ଥିଲା ବିଚାର,
ଏନ୍ତୁଡ଼ିଶାଳେଟି, କିପାଇଁ, ବାପା ହେ,
ତଣ୍ଟି ଚିପି ନ ମାରିଲ ?
ଝିଅକୁ ନିଶ୍ଚିନ୍ତେ ଦେଇଛ ପଠାଇ
ବନସ୍ତକୁ ଜାଣୁ ଜାଣୁ;
କପାଳ ଆଦରି ଯାଉଛି, ବୋଉ ଲୋ,
ପାସୋରି ନ ଦେବୁ ମନୁଁ ।’

ନାଆ ଉଡ଼ିଯାଏ ପବନ ସମାନେ,
ନାହିଁ କ୍ଷଣେ ହୁଏ ଥୟ;
ଝିଅ ବସିଅଛି ତୁନିଟି ହୋଇ ଲୋ,
ନେତ୍ରୁ ବୋହିଯାଏ ଲୁହ ।
‘ନାଆ ଚାଲିଅଛି ପବନ ସମାନେ,
ନମାନେ ପାଣି ପଥର;
ତୁନି ହୁଅ, ଜାଇ, ନ କାନ୍ଦ ଆଉ ଲୋ,
ଏଇ ଦିଶିଲାଣି ଗଡ଼ ।’

ଏତେ ବୋଲି ବାପା ଝିଅର ଆଖିରୁ
ଦେଲେ ଲୁହଧାର ପୋଛି,
ଯେତେ ପରି ତାକୁ ବୁଝାନ୍ତି ବସି ଲୋ,
ଜାଇ ବୁଝୁ ନାହିଁ କିଛି ।
‘ଭଲ କରି ନାଆ ବୁହା,ରେ ନାଉରି,
ଝିଅକୁ ମାଡ଼ୁଛି ଡର;
ଏତେ କାଳେ ଜାଇ ନାଆରେ ବସିଛି,
ଯିବ ବୋଲି ଶାଶୂ ଘର ।’

ଭଲ କରି ନାଆ ବାହୁଛି ନାଉରି,
ଭିଡ଼ି ମାରୁଅଛି କାତ;
ସୁଲୁ ସୁଲୁ ବାଆ ବୋହି ଆସୁଛି ଲୋ,
ଜଣା ନ ପଡ଼ଇ ବାଟ ।
ନାଆ ଭାସି ଆସି ଦଣ୍ଡକ ଭିତରେ
ମଝି ଗଣ୍ଡେ ହେଲା ଯାଇ;
ଥିର ହୋଇ ହେଲା ନାଉରି ଠିଆ ଲୋ,
କାତ ଆଉ ପାଉ ନାହିଁ ।

ଭାଲେରି-ଶିଖାରୁ କଳା ମେଘ ଖଣ୍ଡେ
ଉଠେଇ ଆସିଲା କାହୁଁ;
ଲୁଚିଗଲେ ତହିଁ ସୂର୍ଯ୍ୟ ଦେବତା ଲୋ,
ଖରା ନପଡ଼ଇ ଆଉ ।
ମାଡ଼ି ଆସୁଅଛି ଅତି ବେଗେ ମେଘ,
ଜଟିଆ ନାସିକ ଧରି;
ବରଷା ବତାଷି ଗରଜୁ ଅଛି ଲୋ,
ଦିନ ଦିଶେ ରାତି ପରି ।

ନାଆ ପଡ଼ିଅଛି ମଝି ଗଣ୍ଡେ ଆସି,
ବୁଡ଼ିଯିବ ହାତୀ ଛତି;
ଟଳମଳ ହୋଇ ଟଳୁଛି ନାଆ ଲୋ,
ନାଉରିର ବଡ଼ ଭୀତି ।
‘ଭଲ କରି ବେଗେ ବୁହାରେ ନାଉରି,
ନାଆ ହେଲା ଟଳମଳ;
ବରଷା ବତାଷି ଗରଜି ଆସୁଛି,
ଝିଅକୁ ମାଡୁଛି ଡର ।
ବରଷା ବତାଷି ଗରଜି ଆସିଲା,
ନାଆ ନୁହେଁ ଥୟ କରି;
ଏକା ପବନକେ ପାହାଡ଼େ ଯାଇ ଲୋ,
ପିଟି ହୋଇଗଲା ଚୂରି ।

ମେଘ ଚାଲିଗଲା ମେଘର ବାଟେ ସେ,
ବତାସି ହୋଇଲା ଥିର;
ପଡ଼ିଗଲା ଖରା ନିର୍ମଳହୋଇ ଲୋ,
ପାଣି ହୁଏ କଳ କଳ ।
ବାପା ପଚାରନ୍ତି ଖୋଜି ନାଉରିରେ
‘ଝିଅ ମୋର ଗଲା କାହିଁ ?’
ବୁଜି ଆଖି ଠିଆ ନାଉରି ନିଜେ ଲୋ,
ତୁଣ୍ଡ ତା’ ଫିଟଇ ନାହିଁ ।

ଚିଲିକା ପାଣିରେ ଦୋଳୁଛି ଲହରୀ,
ବୋହୁଛି ଶୀତଳ ବାଆ,
ସୋରି ସୋରି ଖରା ଜଳିଯାଉଛି ଲୋ,
ଖେଳୁଛି ସହସ୍ର ନାଆ ।

ପାହାଡ଼ ଚଢ଼େଇ ଉଡ଼ୁଅଛି ରାବି,
ମନେ କି ଅଛି ତା’ ଧୋକା ?
ପାଣି ତଳେ ଛାଇ ବୁଲିଯାଉଛି ଲୋ,
ଜାଇଟି ନାହିଁକି ଏକା ।

ବାପା ଫେରି ଆସି ବୋଉଙ୍କ ଆଗରେ
କଥା ନ ପାରନ୍ତି କହି;
ଆର ଦିନ ପୁଣି ନାଉରି ଗଲା ଲୋ,
ନାଆ ସେହି ବାଟେ ବାହି ।

କେତେ ଶ ବରଷ ହେଲାଣି ସେଦିନୁଁ,
ଗଣି କି କହିବ କିଏ ?
ନାହିଁ କିଛି ଆଉ ସେକାଳ କଥାଲୋ,
ଜାଇ ରହିଅଛି ଜୀଏ ।

ବାଲୁଁ ଗାଆଁ କୂଳୁଁ ନାଆ ଗଲାବେଳେ
ପାରିକୁଦ ଗଡ଼ଠାକୁ,
ପାହାଡ଼ ସମୀପେ ମଣିଷ ତୁଣ୍ଡ ଲୋ,
ନ ଶୁଣାଯାଏ କାହାକୁ ?
ବରଷା ବତାଷି ଚିଲିକାରେ ଆଉ
ହୁଏ ନାହିଁ ତେଡ଼େ ଭଳି,
ଆପଦେ ବିପଦେ ଜଣା ପଡ଼ଇ ଲୋ;
ସାହା କିଏ ଥିଲା ପରି ।

ନାଉରି କେଉଟ ପାହାଡ଼ ବାଟେ ତା’
ନାଆ ନେଇ ଗଲାବେଳେ,
କାମେ ଆପଣାର ଶୁଭ ମନାସି ଲୋ,
ଜୁହାର କରଇ ଥରେ ।

ତୋଳିଲେ ପାହାଡ଼-ଶିଖେ କାଳେ ଭକ୍ତେ
ସୁନ୍ଦର ଦେଉଳଟିଏ;
ସେ ଦେଉଳେ ପୁଣି ସମୁଦ୍ରେ ସତେ ଲୋ,
ରହିବ ଦେବତା କିଏ ?

ସୂର୍ଯ୍ୟ ବୁଡ଼ିଗଲେ, ନିଶବ୍ଦ ଯେବେ
ହୁଏ ସବୁ ସଞ୍ଜବେଳେ;
ଏକାହୋଇ ଜାଇ, ଲୋକେ କହନ୍ତି ଲୋ,
ବୁଲୁ ଯେ ଥାଏ ପାହାଡ଼େ ।
ନେତ୍ରୁଁ ବୋହୁଥାଏ ଲୁହ ଦୁଇ ଧାର,
ଶୁଖି ଯାଇଥାଏ, ମୁହଁ;
ହେଲେ, ଠାରି ହାତ, କାନ୍ଦି, କାହାକୁ ଲୋ;
ନିବର୍ତ୍ତାଇ କରେ ଥୟ ।

ସେ ଯୋଗେ ନୋହୁଛି କାଳିଜାଈ ଗଣ୍ଡେ
ଏଡ଼େ ଆଉ ଝଡ଼ ବାଆ;
ତହିଁ ବୁଡ଼ିବାର ଶୁଣା ନ ଯାଏ ଲୋ,
ଯହିଁ ଯେତେ ବୁଡୁ ନାଆ ।
କାଳିଜାଈ ବଡ଼ ପ୍ରତ୍ୟକ୍ଷ ଦେବତା,
କୋଟି କୋଟି ଦଣ୍ଡବତ;
ପାହାଡ଼ର ନାଆଁ ରାଇଜେ ଖ୍ୟାତ ଲୋ,
‘କାଳିଜାଈ ପରବତ’ ।