କାହାକୁ ମୁଁ କରିବଇଁ ସାକ୍ଷୀ

ଉଇକିପାଠାଗାର‌ରୁ
Jump to navigation Jump to search
କାହାକୁ ମୁଁ କରିବଇଁ ସାକ୍ଷୀ
ଲେଖକ/କବି: ସାନନ୍ଦ ଦ୍ୱିଜ

ସାନନ୍ଦ ଦ୍ୱିଜ

କାହାକୁ ମୁଁ କରିବଇଁ ସାକ୍ଷୀ
ହେ ଚକାଆକ୍ଷି ।

ଡାକିଲେ ନାମ ଆରତେ ନ ଶୁଣ କିମ୍ପା ତୁରିତେ
କି ବିଚାରି ହୃଦଗତେ ନ ଡେର ଶ୍ରବଣ ପଥେ ।
ଜପି ନାମ
କଣ୍ଠ ଗଲା ଶୁଖି । ୧।

ମୋ ଶେଷ ଘଟ ମାତର ତୁମ୍ଭ କୃପା ଅକୂପାର
ରଖିଛ ରଙ୍କ ଉଦର ତୃଷା ନ ହରଇ ମୋର ।
ହେଉଅଛ
ନିଷ୍ଠୁର କାହିଁକି ହେ । ୨।

ନେବ ବୋଲି କିଛି ଲାଞ୍ଚ ମନେ କରିଅଛ ପାଞ୍ଚ
ସେ କଥା ମନରୁ ମୁଞ୍ଚ ବଳିଗଲା ମନ ସ୍ୱଚ୍ଛ ।
ଗୋପପୁରେ
ପୟସର ରଖି ହେ ।୩।

ପାଇ ନାନା ଉପବନ ହେବାରେ ହରଷ ମନ
ଅଳସ କି ଅପଘନ ଘାରିଲା ନିଦ୍ରା ନୟନ ।
ନଶୁଣୁଛ
ସେ କାରଣୁ ନିକି ହେ ।୪।

କହଇ ସାନନ୍ଦ ଦ୍ୱିଜ ଆହେ ପ୍ରଭୁ ଚତୁର୍ଭୁଜ
ଗଲାଣି କି ପୂର୍ବ ତେଜ ଦୁଃଖୀ ଦୁଃଖ ଯା ନ ବୁଝ ।
ହୋଇବାରୁ
ନୀଳାଚଳେ ସୁଖୀ ହେ । ୫।