କାହିଁକି କରୁଣା ଊଣା
Jump to navigation
Jump to search
କାହିଁକି କରୁଣା ଊଣା
କୃପାସିନ୍ଧୁ, ଦୀନବନ୍ଧୁ, କାହିଁକି କରୁଣା ଊଣା?
ମୋହପରି ଦୀନହୀନ ଧରାଧାମେ ନାହିଁ ଶୁଣା ॥ଘୋଷା॥
ଭାବି ଯା ନଥିଲି ମନେ ବସାଇ ଉଚ୍ଚ ଆସନେ
ସୁଖ ସଙ୍ଗେ ଦୁଃଖ ଦେବା
ରୀତି ତ ନଥିଲା ଜଣା ॥୧॥
ତୃଷାର୍ତ୍ତ ଜନେ ଆଦରେ ଡାକି ବସାଇ ପାଶରେ
ପିଇବା ଆଗୁଁ ଭଣ୍ଡିଲ
ଯାଚି ସୁମଧୁର ପଣା ॥୨॥
ବିତରି ସଂସାର ସାର ଫଳକୁ କଲ ଅସାର
ତାର କି ମୋ ଭାଗ୍ୟ ଦୋଷ
ଭାବି ମୁଁ ହେଉଛି ବଣା ॥୩॥
ତୁମ୍ଭର ମଙ୍ଗଳମୟ ଇଚ୍ଛାରେ ମୁଁ କରି ଲୟ
ନୋହୁଛି ଦୁଃଖିତ ପ୍ରଭୋ।!
ପଡି ଏ ବିପଦେ ସିନା ॥୪॥
ନୃପତି ସୁତ ଗୋବିନ୍ଦ ଚିନ୍ତଇ ପଦାରବିନ୍ଦ
ହେ ମଧୁହାରୀ ମୁକୁନ୍ଦ
ମୋ ଦୁର୍ଭାଗ୍ୟ କର ଚୂନା ॥୫॥