କୋଟିବ୍ରହ୍ମାଣ୍ଡ ସୁନ୍ଦରୀ/ଶୁଣ କୋବିଦେ ଭରତଖଣ୍ଡେ ପୁଣ୍ୟଧାମ
କୋଟିବ୍ରହ୍ମାଣ୍ଡ ସୁନ୍ଦରୀ ଲେଖକ/କବି: ପ୍ରଥମ ଛାନ୍ଦ: ମଙ୍ଗଳା ଚରଣ |
କୋଟିବ୍ରହ୍ମାଣ୍ଡ ସୁନ୍ଦରୀ/ପୁରାଣ ଅଭିଧାନ ଜାଣିଥିଲେ→ |
ପ୍ରଥମ ଛାନ୍ଦ: ମଙ୍ଗଳା ଚରଣ, ରାଗ: ମଙ୍ଗଳ ଗୁଜ୍ଜରୀ
ଶୁଣ କୋବିଦେ ଭରତଖଣ୍ଡେ ପୁଣ୍ୟଧାମ ।
ଯେଣୁ ନାରାୟଣଦେହୀ ତେଣୁ ସେହି ନାମ ହେ | ୧ |
ଗୀର୍ବାଣମତେ ନିର୍ବାଣ ସାରୂପ୍ୟକୁ ଦେଇ ।
ସାକ୍ଷୀ ପକ୍ଷୀ କରଟ ପ୍ରତିମାରୂପେ ଥାଇ ଯେ | ୨ |
ଯେ ବ୍ରହ୍ମହତ୍ୟା-ପାତକ-ନିପାତକ ମହୀ ।
କପାଳମୋଚନ ତ୍ରିଲୋଚନ ସାଷୀ ଯହିଁ ଯେ | ୩ |
ଆସି କାଶୀଶ୍ୱର ବାସ କଲେ ଏହା ଜାଣି ।
ଅନ୍ୟ କ୍ଷେତ୍ର ସମସ୍ତଙ୍କ ଏ ମସ୍ତକମଣି ହେ | ୪ |
ଏଣୁ କ୍ଷେତ୍ର ନରେନ୍ଦ୍ର ପଦତ ସମ୍ଭାବିତ ।
ବିନାଶେ ଭୁଜଙ୍ଗ ଦୋଷ ତାକୁ କେତେ ମାତ୍ର ହେ | ୫ |
ଅବିଦ୍ୟା ବିଷମ ଆଶୀବିଷଘାତୀ ଜନେ ।
ଜ୍ଞାନାଜ୍ଞାନେ ପରାଧୀନେ ସେ ସ୍ଥାନ ଗମନ ହେ | ୬ |
ଶ୍ରୀମହାପ୍ରସାଦ ଗଦ ପଦ ଘଣ୍ଟଘୋଷ ।
ଭକ୍ଷଣେ ଶ୍ରବଣେ ଯେ କିଳ୍'ବିଷ ବିଷ ନାଶ ହେ | ୭ |
ଉନ୍ନତ ପ୍ରାସାଦରାଜ ପତାକା ଉଡ଼ାଇ ।
ଏ ପ୍ରଦେଶେ ସମବର୍ତ୍ତୀପଣ ନାହିଁ ନାହିଁ ହେ | ୮ |
ବଟରାଜା ଶାଖା ଘେନି ନିଗମ ସାକ୍ଷାତ ।
ପାପ ତାପ ପଶୁ ନାଶ ସୁକର୍ମ ଉଦିତ ଯେ | ୯ |
ସେ ଦୁର୍ଗ-ପରିଖା ତୀର୍ଥରାଜ ଗର୍ଜନରେ ।
କହେ ଅବଗାହେ ପାପବ୍ୟୁହ ଦହ ନରେ ହେ | ୧୦ |
ଦହି ସବୁ ବାଡ଼ବରେ ଦେବ ଏ ପକାଇ ।
ଏ ଦରବଶରୁ ଦୂରୁ ଦୂରିତ ପଳାଇ ହେ | ୧୧ |
ସେ କମ୍ବୁ କଟକ ରାଜା ନାମ ଜଗନ୍ନାଥ ।
ଚାରିବର୍ଣ୍ଣେ ଚଉବର୍ଗ ଦେବାକୁ ସମର୍ଥ ହେ | ୧୨ |
ଭକତି ଦେବା ଗୁପ୍ତ ହୋଇଅଛି ଯୁକ୍ତାକ୍ଷରେ ।
ବୈଷ୍ଣବ ବିହୀନେ କେବା ଜାଣିବ ସଂସାରେ ହେ | ୧୩ |
ପାଦେ ବନ୍ଦେ ସାର୍ବଭୌମ ବୋଲିବା କି ଯଶ ।
ବୃଷାସନଙ୍କର ଶିର ଲାଗିବାକୁ ଆଶ ହେ | ୧୪ |
ଯାହା କଟାକ୍ଷ-କୁଠାର ପତନମାତରେ ।
ଅନେକ ଦୁଃଖ-ଅନୋକହକୁ ଛେଦି ପାରେ ହେ | ୧୫ |
ସେହି ପାଦପଦ୍ମାସନୀ ପାଟ ମହାଦେବୀ ।
ଅଷ୍ଟ ଐଶ୍ୱର୍ଯ୍ୟଦାୟିନୀ ଅଷ୍ଟଶକ୍ତି ସେବି ହେ | ୧୬ |
ଭରସା କରି ଆସନ୍ତି ଦୂର ଦେଶୁଁ ପ୍ରାଣୀ ।
ଆରତ ଭଞ୍ଜନ ଦୀନବନ୍ଧୁ ନାମ ଶୁଣି ହେ | ୧୭ |
କର ଯୋଡ଼ି ଛାମୁରେ ଜଣାଇ ପକ୍ଷିଧବ ।
ଆର୍ତ୍ତଜନ ଗୁହାରିକି ସାବଧାନ ହେବ ହେ | ୧୮ |
କୋଟି-କନ୍ଦର୍ପ-ଲାବଣ୍ୟ-ମୂର୍ତ୍ତି ଦରଶନ ।
ଦେବାକୁ ସୁବେଶେ ବିଜେ ରତ୍ନସିଂହାସନେ ହେ | ୧୯ |
ଶିରେ ହେମ-ରତନ-ମୁକୁଟ ସପ୍ତଶାଖା ।
କରୁଣା-ସିନ୍ଧୁରେ କି ବଡ଼ବାନଳ ଶିଖା ହେ | ୨୦ |
କିମ୍ପାଇଁ ସାର୍ଥ ନୋହିବ ଏମନ୍ତ ବିଚାର ।
ପୁଣି ମଞ୍ଜୁଳ କୁଣ୍ଡଳ ମକର ଆକାର ହେ | ୨୧ |
ପ୍ରବାଳତରଣୀ ଦୃଷ୍ଟି ରଙ୍ଗାଧରେ ଅଛି ।
ବିଶେଷ ଯହିଁ ଲାବଣ୍ୟ ଲକ୍ଷ୍ମୀ ସମ୍ଭବିଛି ହେ | ୨୨ |
ଦଶଅବତାର ଲୀଳା ଯାତ୍ରା ବିରଚନ ।
ଜନଙ୍କୁ ଦେଖାନ୍ତି ଯୁଗାନ୍ତର କଥାମାନ | ୨୩ |
ସ୍ନାନ ଗୁଣ୍ଡିଚା ଏ ବେନି ସ୍ୱୟଂଲୀଳା ଯାର ।
ପତିତ ପାବନ ଅର୍ଥେ ପ୍ରସାଦୁଁ ବାହାର ହେ | ୨୪ |
ଜ୍ୟେଷ୍ଠ ପୌର୍ଣ୍ଣମାସୀ ପୂର୍ବନିଶି ଅବଶେଷେ ।
ସେବକ ଉତ୍ସୁକେ ମିଳି ମହାପ୍ରଭୁ ପାଶେ ହେ | ୨୫ |
ସେ କାଳକି ଅନୁସରି ଯାତ୍ରି ନରନାରୀ ।
ଯେ ଯାହାର ନିତ୍ୟକର୍ମ ତ୍ୱରା ହୋଇ ସାରି ହେ | ୨୬ |
ହରି ହରି-ଦ୍ୱାରେ ମିଳେ ହରି-ଧ୍ୱନି କଲେ ।
ହରିତ ପୂରିତ ତ୍ୱରିତରେ ତହିଁ ହେଲେ ହେ | ୨୭ |
ପଡ଼ିଲା ତୂଳୀ ପାହାଡ଼ା ବିଜୟ ନିମିତ୍ତେ ।
ବାଜିଲା ମେଘା ମୃଦଙ୍ଗ ମର୍ଦ୍ଦଳ ସହିତେ ହେ | ୨୮ |
କଂସାଳ ତାଳ କର୍ଣ୍ଣାଳ ପଟହ ଝର୍ଝରା ।
ମୋ ପରେ ବିଜେ କରିବେ ଭାବି ତୋଷ ଧରା ହେ | ୨୯ |
ନୋହିବେ ସର୍ବଜ୍ଞ କିପାଁ ବ୍ରହ୍ମ-ପରିବାର ।
ଜାଣିଲେ ନିଶ୍ଚୟ ପ୍ରଭୁ ଦକ୍ଷିଣ-କୁଞ୍ଜର ହେ | ୩୦ |
ପୂର୍ବଜରେ ପୂର୍ବଗଜ ଭାବ ଉପୁଜାଇ ।
ପହଣ୍ଡି ବିଜୟ କଲେ ଝୁଲାଇ ଝୁଲାଇ ଯେ | ୩୧ |
ଏମନ୍ତ ନୋହିଲେ କି ପ୍ରାସାଦ-ଦରୀ ତେଜି ।
ମଣ୍ଡପ ସର-ଅବଗାହରେ ଚିତ୍ତ ମଜ୍ଜି ହେ | ୩୨ |
ସାର ଗନ୍ଧସାର-ପଙ୍କେ ଭୂଷିତ ହୋଇବେ ।
ଜନ-ପଙ୍କ-ପଙ୍କଜ-ବନକୁ ଉଜାଡ଼ିବେ ହେ | ୩୩ |
ସବୁଦିନେ ଲୀଳାସ୍ଥାନ ନୀଳ ମହୀଧର ।
ଭକ୍ତଭାବ-ରଜ୍ଜୁରେ ବନ୍ଧନ ଅଛି ଯାର ହେ | ୩୪ |
ଜଡ଼ ଯେତେ ଛନ୍ତି ଏତେ ଭାବ କି ଜାଣିବେ ।
ବାହୁଡ଼ିବା ବେଳେ ବେଶେ ବ୍ୟକତ ହୋଇବେ ହେ | ୩୫ |
ଭବ-ସାଗର-ସୁବର୍ଣ୍ଣ ତରଣୀ ବିଚାରି ।
ସୁଭଦ୍ରାଙ୍କୁ ବିଜେ କରାଇଲେ ତହା ଧରି ହେ | ୩୬ |
ତାପ-ତ୍ରୟ-ଭାଣ୍ଡ-ଭଞ୍ଜନକୁ ଦଣ୍ଡବର ।
ସୁଦରଶନଙ୍କ ବିଜେ ସେହି ପରକାର ହେ | ୩୭ |
ଇନ୍ଦ୍ରପଦ ଦାତା ସେ ରାଜାଧିରାଜେଶ୍ବର ।
ବିଜେ କରେ ଦ୍ବିଜେ ଦେଇ ନିଜ କରଭର ହେ | ୩୮ |
ଢାଳନ୍ତି ଚାମର ଶ୍ବେତପତ୍ର ଟେକା ତହିଁ ।
କ୍ଷୀର ସାଗର-ଲହରୀ ଭ୍ରମ ଉପୁଜାଇ ହେ | ୩୯ |
ଗହଳ ହୋଇଣ କଲାଛତ୍ର ଶୋଭା ଦିଶି ।
ତୁଙ୍ଗ ଶିଖରୀ ପରେ କି ଜଳଦ ଆକର୍ଷି ହେ | ୪୦ |
ପତାକା ବ୍ୟାଜଟି ତେଜେ ଶୂନ୍ୟେ ନୀରଧାର ।
ସ୍ବେଦଛଳେ କରେ ନରତନୁ ଜରଜର ହେ | ୪୧ |
ଚଞ୍ଚଳାଖେଳା ଚଳିବା ଖଦୀ ପୀତବାସ ।
ତୃଷିତ ଦ୍ବିଜ-ଚାତକ ଜଳପାନେ ତୋଷ ହେ | ୪୨ |
ଏ ପ୍ରମାଣ ବରହିଣ ପୁଚ୍ଛ ତେଣୁ ଚଳି ।
ନିଶାଣ ମଣ୍ଡୂକ ନାଦେ ଦିଗନ୍ତ ଉଛୁଳି ଯେ | ୪୩ |
ପ୍ରଭୁ ଚଳନ ଶବଦ ଜନିତ ସ୍ତନିତ ।
ପୁଷ୍ପାଞ୍ଜଳି ବଳାବଳୀ ଉଡ଼ି ଖସେ ସତ ହେ | ୪୪ |
ଏମନ୍ତେ ସ୍ନାନ ମଣ୍ଡପେ ସିଂହାସନ ପର ।
ବିଜେ ମହାପ୍ରଭୁ ଘେନି ଭଗ୍ନୀ ସହୋଦର ହେ | ୪୫ |
ନାଗ ନର କିନ୍ନର ଗନ୍ଧର୍ବ ଛନ୍ତି ଚାହିଁ ।
ଅନେକ କନକଘଟେ ପୂର୍ଣ୍ଣ କରି ତହିଁ ହେ । ୪୬ ।
ଢାଳିଲେ ଭୂସୁରେ ନୀର ଶ୍ରୀମୁଖମଣ୍ଡଳେ ।
ଧାରାମାନ ପତନ ହୋଇଲା ମହୋଜ୍ଜ୍ବଳେ ହେ । ୪୭ ।
କି ମେରୁ-ହୀରା-ମାରାଗ ହେମ-ଶୃଙ୍ଗୁଁ ଖସି ।
ଜାହ୍ନବୀ ଯମୁନା ହରିତାଳ-ଧାରା ଆସି ଯେ । ୪୮ ।
ଲେପନ ଚନ୍ଦନ ଖସି ଦିଶିଲା ଏମନ୍ତ ।
ସେ ତିନିଶୃଙ୍ଗୁଁ କି ଜାତ ତରଳ-ରଜତ ଯେ । ୪୯ ।
ଦେଖିଲି ଆଖିରେ ଦରିଦ୍ରତା ନ ରଖିଲା ।
ମନ ହିଁ ଦୁଃସହ ଦୁଃଖମାନ ଉପେକ୍ଷିଲା ହେ । ୫୦ ।
ହରି ଚନ୍ଦନ ସଙ୍ଗରୁ ସେହି ବୋଲି ଘେନି ।
ବିଚାରିଲେ ହେବେ ଏ ତ ବାଞ୍ଛା ବରଦ୍ଦାନୀ ହେ । ୫୧ ।
ସବୁରୂପେ ଏ ଉପମା ଉତ୍ତମ ସମ୍ଭବେ ।
ବିରାଜିତ ଭୁଜ-ଶାଖା ଅଧର-ପଲ୍ଲବେ ହେ । ୫୨ ।
ଭକ୍ତି ମୁକ୍ତି ଫଳ ଅଛି ନ ଦେଖନ୍ତି କେହି ।
ସ୍ୱଭାବରେ ବ୍ରହ୍ମ-ଦାରୁ ବ୍ଯସ୍ତପଦେ ରହି ହେ । ୫୩ ।
ସୁରଭିର ସ୍ଥାନ ସେନାପଟା ବଳକଳ ।
ଯାହା ପଦେ ସଦା ଢଳଢଳ ଗଙ୍ଗାଜଳ ହେ । ୫୪ ।
ଭାଗ୍ୟରୁ ଏ ଉପମାକାରକ ମୁଁ ଯେ ହେଲି ।
ପୁଲକିତ-ଶରୀରେ ହରିରେ ସ୍ତୁତି କଲି ହେ । ୫୫ ।
ମହିମା ଅନନ୍ତ ପ୍ରଭୋ ମହିମା ଅନନ୍ତ ।
ମନୋହାରୀ ସହୋଦର ହୋଇ ଯାର ଖ୍ୟାତ ହେ । ୫୬ ।
ଅରି-ଦର-କର ବିଭୋ ଅରି-ଦର-କର ।
ଯୁଗେ ଯୁଗେ ଧର ନାନାବିଧ ଅବତାର ହେ । ୫୭ ।
ବିଭୀଷଣ-ଅଘ ବିଭୀଷଣ-ଅଘ-ହର ।
ସ୍ଥାନ କରିଦେଲ ଲଙ୍କା ନିଜ କଳେବର ହେ । ୫୮ ।
ଭବ-ବିରଞ୍ଚି-ପୂଜିତ ହେ ଭବ ବିରଞ୍ଚି ।
ଶୁଚି କବଳକ ସଦାନନ୍ଦ ସଦା ଶୁଚି ହେ । ୫୯ ।
ରଚିବି 'କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ' ଚରିତ ।
ସୁଜାତି ସୁମନାପରି ହୋଇବ ଏ ଗୀତ ହେ । ୬୦ ।
ସୁରଭିରେ ମୋହିତ-ମାନସ ହେବେ ଦିବ୍ୟେ ।
ଗୁଣବନ୍ତେ ହୃଦେ ମାଳା କରିଣ ଧରିବେ ହେ । ୬୧ ।
ରସିକ-ଭ୍ରମରେ ହେବେ ରସ ଘେନି ବଶ ।
ନିର୍ଗୁଣେ ଘେନିଲେ ନ ଘେନିଲେ ଅଛି କିସ ହେ । ୬୨ ।
କବି ଉପଇନ୍ଦ୍ର ତବ କୃପାରେ ହୋଇଛି ।
ଏତେ ମନୋରଥ ସାର୍ଥେ କି ସଂଶୟ ଅଛି ହେ । ୬୩ ।