ଖଣ୍ଡିଏ ପତ୍ର

ଉଇକିପାଠାଗାର‌ରୁ
Jump to navigation Jump to search

             

ମହାଶୟ,

                ପୁରାତନ ବଙ୍ଗଳା ପୁସ୍ତକ କିମ୍ବା ମାସିକ ପତ୍ରିକାର ପ୍ରବନ୍ଧ ନେଇ ତାହାକୁ ଅନୁବାଦ ଓ ଈଷତ୍ ରୂପାନ୍ତରିତ କରି ଉତ୍କଳୀୟ ସାଧାରଣ ସମକ୍ଷରେ ମୌଳିକ ପ୍ରବନ୍ଧ ବୋଲି ଉପସ୍ଥାପିତ କରିବା ସୁକୌଶଳରେ ଅନେକ ତଥାକଥିତ ଓଡ଼ିଆ ଲେଖକ ସିଦ୍ଧହସ୍ତ ଦେଖାଯାନ୍ତି । ଅପେକ୍ଷାକୃତ ପୁରାତନ ଓଡ଼ିଆ ରଚନାକୁ ସେହି ରୀତିରେ ଆତ୍ମସାତ୍ କରିବାର ଉଦାହରଣମାନ ସ୍ଥଳେସ୍ଥଳେ ଦେଖାଯାଉଅଛି ।

                ବିଗତ ସଂଖ୍ୟା ଗୁଣଦର୍ପଣରେ --ଙ୍କ ଲିଖିତ ଜାତୀୟସଙ୍ଗୀତ ଶୀର୍ଷକ ପଦ୍ୟଟି ଏହି ଶ୍ରେଣୀର ବୋଧ ହେଉଅଛି । ପ୍ରାୟ କେତେକ ବର୍ଷ ପୂର୍ବେ ସୁଲେଖକ ବାବୁ ଗୋପବନ୍ଧୁ ଦାଶ ଗୋଟିଏ ସୁନ୍ଦର ସଙ୍ଗୀତ ଲେଖିଥିଲେ । ପୂର୍ବୋକ୍ତ ପଦ୍ୟଟି ସେହି ସଙ୍ଗୀତର ବିରୂପୀକୃତ ଏବଂ ବିକଳାଙ୍ଗୀକୃତ ସଂସ୍କରଣ ବ୍ୟତୀତ ଆଉ କିଛି ନୁହେଁ ।

 

                ଗୁଣଦର୍ପଣ-ସମ୍ପାଦକ ଏ ଶ୍ରେଣୀର ପଦ୍ୟକୁ କାହିଁକି ପତ୍ରସ୍ଥ କଲେ? କବିତା ତ ଦୂରର କଥା, ଏ ଭଲ ପଦ୍ୟ ସୁଦ୍ଧା ନୁହେଁ । --ଙ୍କର ଏପରି ପଦ୍ୟଦ୍ୱାରା କଦାଚ ପ୍ରତିଷ୍ଠା ବଢ଼ିବ ନାହିଁ । ଏପରି ପଦ୍ୟ କେବଳ ଅନ୍ୟାନ୍ୟ ଶ୍ଳାଘାସମ୍ପାଦିନୀ ସଭାରେ ପଠିତ ହେବାର ଯୋଗ୍ୟ ।

                ନବ୍ୟ ଉତ୍କଳୀୟ ସାହିତ୍ୟ କ୍ଷେତ୍ରରେ ୩ /୪ ଜଣ ପଦ୍ୟ ଲେଖିକାଙ୍କ ଆବିର୍ଭାବ ଅବଶ୍ୟ ଶୁଭଲକ୍ଷଣ ବୋଲିବାକୁ ହେବ । ଏ ଲେଖିକାମାନେ ସର୍ବଥା ଉତ୍ସାହାର୍ହ । ମାତ୍ର ଯେଉଁମାନେ ପଦ୍ୟ ଓ କବିତା ଏକ ପଦାର୍ଥ ବୋଲି ଭାବନ୍ତି ସେମାନେ ଏହି ଲେଖିକାମାନଙ୍କୁ କବି ଆଖ୍ୟାରେ ଭୂଷିତ କରି ଏମାନଙ୍କର ପ୍ରଭୂତ ଅନିଷ୍ଟ ସାଧନ କରିଅଛନ୍ତି । ଏହି ଲେଖିକାମାନଙ୍କ ଲେଖାରେ ମୁଁ ଏକ ସମୟରେ ଆଶାତୀତ ଉତ୍କର୍ଷ ଦେଖି ପ୍ରୀତ ହୋଇଅଛି । ମାତ୍ର ଏହା ବୋଲି ମୁଁ ଏମାନଙ୍କୁ କବି ଆଖ୍ୟା ଦେବାକୁ ସାହସୀ ହେବି ନାହିଁ । ଉତ୍କଳୀୟ ସାହିତ୍ୟ ସଂସାରରେ ଯେଉଁମାନଙ୍କ ମତର ପ୍ରକୃତ ମୂଲ୍ୟବତ୍ତା ଅଛି, ସେମାନେ ଏହି ଲେଖିକାମାନଙ୍କୁ କେବେ କବି ଆଖ୍ୟା ଦେଇଅଛନ୍ତି କି?

                ଥରେ ମୁଁ ମାନ୍ଦ୍ରାଜର ଖଣ୍ଡିଏ ଇଂରାଜୀ ସମ୍ବାଦପତ୍ରରେ ଗଞ୍ଜାମର କୌଣସି ଉତ୍କଳୀୟ ନାରୀକବିଙ୍କର ପ୍ରଶଂସାଗର୍ଭକ ଗୋଟିଏ ଦୀର୍ଘ ପ୍ରବନ୍ଧ ପଢ଼ିଥିଲି । ପ୍ରବନ୍ଧ ପାଠଦ୍ୱାରା ମୁଁ କେବଳ ଏହି ସିଦ୍ଧାନ୍ତରେ ଉପନୀତ ହୋଇଥିଲି ଯେ, ଲେଖକ ତାହାଙ୍କର ଇଂରାଜୀ ଭାଷାବିଜ୍ଞତା ସତ୍ତ୍ୱେ ପଦ୍ୟ ଏବଂ କବିତାର ପ୍ରଭେଦ ବୁଝିବାକୁ ଅକ୍ଷମ । ମାନ୍ଦ୍ରାଜରୁ ପୁଣି ଇଂରାଜୀ ପତ୍ରରେ ପ୍ରଶଂସା ବାହାରିବା ସହଜ କଥା ନୁହେଁ ସତ୍ୟ, ମାତ୍ର କବିତାର ବଜାରରେ ଏଭଳି ପ୍ରଶଂସାଦ୍ୱାରା ବାଲିଗରଡ଼ା କଦାଚ ମଣି ହୋଇପାରିବ ନାହିଁ । ସଂସ୍କୃତଜ୍ଞ ପଣ୍ଡିତମାନଙ୍କ ମଧ୍ୟରେ ସୁଦ୍ଧା ଏହି ଶ୍ରେଣୀର ପ୍ରକୃତ କବିତାଜ୍ଞାନ ବର୍ଜିତ ଅନେକ ଲୋକ ଦେଖାଯାନ୍ତି ।

                ପଦ୍ୟଲେଖିକାମାନଙ୍କୁ ନିରୁତ୍ସାହିତ କରିବା ମୋହର ଅଭିପ୍ରାୟ ନୁହେଁ । ସେମାନଙ୍କୁ ମୋହର ଉପଦେଶ ଯେ, ଯାହା ନିଜର ନୁହେଁ ତାହା ନିଜର ବୋଲି ଦେଖାଇବାକୁ ସେମାନେ ଯେମନ୍ତ ପ୍ରୟାସିନୀ ନ ହୁଅନ୍ତି । ସେମାନଙ୍କୁ ମୋହର ଆଉ ଗୋଟିଏ ଉପଦେଶ ଏହି ଯେ, ସେମାନେ ଯେମନ୍ତ ବଜାରୀ ଲେଖକ ଦଳର ପ୍ରଶଂସାବାଦରେ ବିଚଳିତ ନ ହୁଅନ୍ତି । ବଜାରୀ ଲେଖକଙ୍କ ଧାରାବାହିକ ପ୍ରଶଂସା ଅକବିକୁ କଦାଚ କବି କରିପାରିବ ନାହିଁ, କିମ୍ବା ସେମାନଙ୍କର ଧାରାବାହିକ ନିନ୍ଦାଦ୍ୱାରା ପ୍ରକୃତ କବିର ଆସନ କଦାଚ ଟଳିବ ନାହିଁ ।