ଖୁଦୁରୁକୁଣୀ ଗୀତ ଓ ତଅପୋଇ ଉପାଖ୍ୟାନ

ଉଇକିପାଠାଗାର ରୁ
Jump to navigation Jump to search
ଏହି ନାମ ଥିବା ଅନ୍ୟ ରଚନାଗୁଡ଼ିକ ପାଇଁ ଖୁଦୁରୁକୁଣୀ ଓଷା ଦେଖନ୍ତୁ ।
ଖୁଦୁରୁକୁଣୀ ଗୀତ ଓ ତଅପୋଇ ଉପାଖ୍ୟାନ
ଲେଖକ/କବି: ଦୁଷ୍କର ନାୟକ
ଖୁଦୁରୁକୁଣୀ ଓଷା ମା' ମଙ୍ଗଳା/ଭାଲୁକୁଣୀ/ଖୁଦୁରୁକୁଣୀଙ୍କ ପାଇଁ ହୁଏ । ଏହି ଓଷା ଓଡ଼ିଶାର ଶାକ୍ତ ସଂସ୍କୃତିର ପରିଚୟ ଦେଇଥାଏ ଓ କଳିଙ୍ଗ ସାମ୍ରାଜ୍ୟର ନୌବାଣିଜ୍ୟର ଗୌରବମୟ ଗାଥା ବି କହିଥାଏ । ବହୁତ ବର୍ଷ ପୂର୍ବେ ଯେବେ ଏ ଓଷା ପାଳନ ହେଉଥିଲା, ସେତବେଳେ ନଇ, ପୋଖରୀ ପଠାରେ ଝିଅମାନେ ମାଟିରେ ଗୋଟିଏ ପ୍ରତିମା କରି, ତାକୁ ଫୁଲରେ ସଜାଇ ମଙ୍ଗଳାଙ୍କୁ ପୂଜା କରୁଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ପ୍ରଥମ ଥର ପାଇଁ ଗୋଟିଏ ଗୀତ ରଚନା ହୋଇଥିଲା ଖୁଦୁରୁକୁଣୀ କଥାର ତଅପୋଇ ଚରିତ୍ରକୁ ନେଇ । ବାହାଦଲପୁର (ସରକନ୍ତରା, ଖୋର୍ଦ୍ଧା, ଓଡ଼ିଶା)ରେ ଜନ୍ମ ଦୁଷ୍କର ନାୟକ ଏହି ଗୀତଟି ଲେଖିଥିଲେ । ଆଉ ତା'ପରେ ସବୁ ଖୁଦୁରୁକୁଣୀ ଓଷା ଦିନ ଏହି ଗୀତଟି ବୋଲାଯାଏ । ତା'ର ପରବର୍ତ୍ତୀ ସମୟରେ ଆଉ ଏକ ଗୀତ ବି ଅନ୍ୟ ଏକ କବିଙ୍କ ଦ୍ୱାରା ଲେଖାଯାଇଥିଲା ।

ପ୍ରଥମ ଛାନ୍ଦ:
ଜୟ ଜୟ ନନ୍ଦସୁତ ଦୁଃଖୀର ଶଙ୍ଖାଳି,
ଜୟ ଜୟ ଦେବକୀ ନନ୍ଦନ ବନମାଳୀ ।(୧)
ନବ ଜଳଧର ରୂପ ଶ୍ୟାମଳ ସୁନ୍ଦର,
ବାମ କରେ ଫୁଲ ଧରି ଟେକିଲେ ମନ୍ଦର ।(୨)
ଦେବକୀ ଗର୍ଭରୁ ଜାତ ହୋଇ ମଥୁରାରେ,
ଗୋପରେ ବଢ଼ିଲେ ଯାଇ ନନ୍ଦର ମନ୍ଦିରେ । (୩)
ଷୋଳ ଶସ୍ତ୍ର ଗୋପୀ ସଙ୍ଗେ ଆନନ୍ଦେ ବିହରି,
ଅଷ୍ଟ ବର୍ଷେ କଂସ ନାଶ କଲ ବଂଶୀଧାରୀ । (୪)
କଂସର ଶ୍ୱଶୁର ଜରାସନ୍ଧ ଶୁଣି ଏହା,
ଅଷ୍ଟଦଶ ବଳ ଧରି ହେଲା ସେ ନିର୍ଦ୍ଦୟା ।(୫)
ଥିବା ଯୋଗୁଁ ଭବିଷ୍ୟତ କାରଣ ଏହାର,
ସେଥିପାଇଁକି ତାହାକୁ ନକଲେ ସଂହାର ।(୬)
ବ୍ୟସ୍ତ ହୋଇ ମଥୁରାରୁ ତେଜି ସେହି କ୍ଷଣି,
ଦ୍ୱାରିକାରେ ରହିଲେ ଯେ ସ୍ଵକୁଟୁମ୍ବ ଘେନି ।(୭)
ଅଷ୍ଟପାଟ ବଂଶୀ ଆଦି ଯେତକ ଯୁବତୀ,
ଘେନିଣ ସର୍ବେ ରହିଲେ ଦେବ ଶିରୀପତି ।(୮)
ଏହି ପରି ଦିନ କାଟୁଥାନ୍ତି ଯଦୁବଂଶ,
ଭାଦ୍ର ମାସ ରବିବାର ହୋଇଲା ପ୍ରବେଶ ।(୯)
ରୁକ୍ମିଣୀ ଦେବୀ ମିଳିଣ କୃଷ୍ଣ ସନ୍ନିଧାନେ,
ବୋଲନ୍ତି ମୋହ କଥାକୁ ଶୁଣ ପ୍ରାଣଧନେ ।(୧୦)
ଶ୍ରୀକୃଷ୍ଣ ବୋଲନ୍ତି କିସ କହଗୋ ସୁନ୍ଦରୀ,
ଶୁଣି ରୁକ୍ମିଣୀ ବୋଲନ୍ତି ହସି ହସି କରି ।(୧୧)
ଆଜି ଯେ ଖୁଦରଙ୍କୁଣୀ ଓଷା ତ ପଡ଼ିଲା,
ମୋହ ସଙ୍ଗେ କରିବାକୁ ଲଗାଇଲେ ପିଲା ।(୧୨)
ତୁମ୍ଭେ ଆଜ୍ଞା ଦେଲେ ଆମ୍ଭେ ଏ ଓଷା କରିବୁ,
ନକହିଲେ ଆମ୍ଭେ କିମ୍ପା ଅମାନିଆ ହେବୁ ।(୧୩)
ଶୁଣି ଶ୍ରୀକୃଷ୍ଣ ବୋଲନ୍ତି ହସ ହସ ହୋଇ,
ଏ ଓଷା କଲେ ତ ସହି କି ଫଳ ମିଳଇ ।(୧୪)
ରୁକ୍ମିଣୀ ବୋଲନ୍ତି ଏହି ଓଷା ଯେ କରିବ,
ପୁଣ୍ୟବନ୍ତି ଅହି ସୁଲକ୍ଷଣୀ ସେ ହୋଇବ ।(୧୫)
ଶ୍ରୀକୃଷ୍ଣ ବୋଲନ୍ତି ଯେବେ ଏପରି ଘଟଇ,
ଯାଅଗୋ ସୁନ୍ଦରୀ ଏହାକର ବେଗ ହୋଇ ।(୧୬)
ରୁକ୍ମିଣୀ ଦେବୀ ଯାଇଣ ସଭିଙ୍କୁ କହିଲେ,
ଢ଼ିଙ୍କିଶାଳ ଘର ଲିପି ମୂରୁଜ ପାରିଲେ ।(୧୭)
ଢ଼ିଙ୍କିଶାଳ ଘର ଲିପି ମୂରୁଜକୁ ପାରି,
ପୂର୍ଣ୍ଣକୁମ୍ଭ ବସାଇଣ ଯୋଡ଼ି ଯୋଡ଼ି କରି ।(୧୮)
ଦେବୀ ମଙ୍ଗଳାଙ୍କୁ ତହିଁ ବିଜେ କରାଇଲେ,
ନାନା ଧୂପ ନଇବେଦ୍ୟ ସମର୍ପଣ କଲେ ।(୧୯)
ସତ୍ୟଭାମା ଶାଶୁଙ୍କୁ ଯେ ପଚାରନ୍ତି ଯାଇ,
କୁହ ଶାଶୁ ଏ ଓଷାରେ କି ଫଳ ମିଳଇ ।(୨୦)
ଶୁଣିଣ ବୋହୁ ବଚନ ଦେବକୀ ବୋଲନ୍ତି,
ମୁଁ ଯାହା କହୁଛି ବୋହୁ ଶୁଣ ଦେଇ ମତି ।(୨୧)
ତନୟା ବନ୍ତ ବୋଲିଣ ସାଧବର ଘର,
ଭାରତ ମଣ୍ଡଳେ ଥିଲା ବଡ଼ ତତପର ।(୨୨)
ଘର ଖମ୍ବମାନ ତାର ସ୍ପଟିକ ପଥର,
ହସ୍ତୀଦନ୍ତ ରୁଅସୁନା ହୋଇଛି ଛପର ।(୨୩)
ଖଞ୍ଜି ଦେଇଅଛି ଯହେ ଅଷ୍ଟ ରତନକୁ,
ଦୂରରୁ ଦେଖିଲେ କିଣି ନେଉଛି ମନକୁ ।(୨୪)
ସାତ ପୁଅ ସତ ବୋହୁ ସମ୍ପତ୍ତି ଅଚଳା,
ଭାରିଯା ନାମଟି ତାର ଅଟେ ଶକୁନ୍ତଳା ।(୨୫)
ସମସ୍ତଙ୍କ ପରେ ସାନ ଝିଅଟିଏ ଥାଇ,
ଶରଧାରେ ତାର ନାମ ଅଟେ ତଅପୋଇ ।(୨୬)
ବାପା ମାଆଙ୍କର ହୋଇଥାଏ ଗଣ୍ଠିଧନ,
ଖଟ ପଲଙ୍କୁ ଓହ୍ଲାଏ ନାହିଁ ରାତ୍ରଦିନ ।(୨୭)
ଏହିପରି ରାତ୍ରଦିନ ଆନନ୍ଦେ ଭୁଞ୍ଜନ୍ତି,
କହଇ ବଶ୍ୟ ଦୁଷ୍କର ଆଦ୍ୟ ଚାନ୍ଦ ଚିନ୍ତି ।(୨୮)

ଦ୍ଵିତୀୟ ଛାନ୍ଦ:
ଏଥୁ ଅନ୍ତେ କଥା ଯାହା, ଶୁଣ ବାଳ ଝିଅ ତାହା,
ଏକ ଦିନେ ତଅପୋଇ ବାଳୀ ଖେଳିବା ପାଇଁ ଉତ୍ସାହା ଯେ ।(୧)
ମନ୍ତ୍ରୀ ଝିଅ ସଙ୍ଗେ ମିତ,ଅନେକ ସହିତ ସଙ୍ଗାତ,
କାହା ସଙ୍ଗେ ଚାନ୍ଦ, କାହା ସଙ୍ଗେ ମକର, ତାକୁ ଘେନିଣ ତୁରିତ ଯେ ।(୨)
କୁଲାଇ କୁଣ୍ଢାଇ ଭୁଜା, ଯେତେ ଖେଳ ଦ୍ରବ୍ୟ ଖୋଜା,
ସମସ୍ତ ଘେନିଣ ଦାଣ୍ଡରେ ମିଳିଣ, ଖେଳନ୍ତି ହୋଇଣ ମଜା ଯେ ।(୩)
ଧୂଳିରେ କରନ୍ତି ଘର, ଭାତ ତିଅଣ ଆବର,
କାହାକୁ କିଏସେ ପରଶି ଦିଅଇ କେ ହସଇ କରକର ଯେ ।(୪)
କେ ବୋଲେ ବଉଳ ବେଣୀ, ବସାଇବା କାଞ୍ଜି ପାଣି,
ମୋହ କଥା କଲେ, ବଘାରୀ ଖାଇଲେ ମଜା ନେଉଥିବ, ଟାଣି ଯେ ।(୫)
ଏପରି ସେ କୁହା କୁହି ହୁଅନ୍ତି ସକଳ ସହି,
ଏହି କାଳେ ବ୍ରାହ୍ମଣୀ ସେ ଦାଣ୍ଡ ମଧ୍ୟରେ ପ୍ରବେଶ ଯାଇ ଯେ ।(୬)
ଝିଅଙ୍କ ଖେଳିବା ସ୍ଥାନେ, ମିଳିଲା ଯାଇ ବହନେ,
ଦଣ୍ଡେ ମାତ୍ର ଚାହିଁ, କହେ ହିଂସା ବହି, ତଅପୋଇ ସନ୍ନିଧ୍ୟାନେ ଯେ ।(୭)
ହଇଲୋ ତୁ ତଅପୋଇ, ସାଧବର ଝିଅ ହୋଇ ,
ବାଉଁଶ କୁଲାଇ ଘେନିଣ ଖେଳୁଛି, ମୁଖେ ତୋର ଲଜ୍ଜା ନାହିଁ ଲୋ ।(୮)
ଦେଖଏ ମନ୍ତ୍ରୀର ବତ୍ସି, ସୁନା କୁଲାଇ କରିଛି,
ତୋର ସଙ୍ଗେ ମେଳ ହୋଇ କରେ, ଖେଳ ଧିକ ତୋ ଜୀବନ ଛିଛି ଲୋ ।(୯)
ତୁମ୍ଭ ଠାରୁ ବେଶୀ ଦ୍ରବ୍ୟ, ଅଛି କି ତାଙ୍କର ଭାବ,
ଆଜୁ କୁରୁପଣ ପ୍ରକୃତି ବଖାଣ ପଛକୁ କିସ ହୋଇବ ଯେ ।(୧୦)
ତୋହ ପରି ଯେବେ ମୁହିଁ ଧନବନ୍ତି ଥାନ୍ତି ହୋଇ,
ଲଗାଇଣ ଦ୍ଵନ୍ଦ ସୁବର୍ଣ୍ଣର ଚାନ୍ଦ, ଗଢ଼ନ୍ତି ସୁନା କୁଲାଇ ଯେ ।(୧୧)
ବୋଇଲା ସବୁ ଝିଅଙ୍କୁ, ନ ଖେଳାଅ ତୁମ୍ଭେ ତାକୁ,
ଵିଲକ୍ଷଣୀ କହି ଏହି ବାଣି ଗଲା ସେ ନିଜ ସ୍ଥାନକୁ ଯେ ।(୧୨)
ଖେଳ ସାରି ତଅପୋଇ ଗଲା କାନ୍ଦ କାନ୍ଦ ହୋଇ,
ନୟନରୁ ଲୁହ ଗଡ଼ାଇଣ ଝିଅ ଗମ୍ଭୀର ଘରେ ମିଳଇ ଯେ ।(୧୩)
ସେ ଘର କବାଟ କିଳି, ରତ୍ନ ଖଟ ତଳେ ମିଳି,
ମୁଖ ତଳେ ଦେଇ ପୋତିଣ ଶୋଇଲା, ବ୍ରାହ୍ମଣୀ ବଚନେ ଛଳି ଯେ ।(୧୪)
ସେ ଘରେ ଶୋଇବା ବେଳେ, ସାନ ବୋହୁ ବେନି ଡୋଳେ,
ଦେଖିଥିଲା ତାକୁ ନ କହେ କାହାକୁ କେହି ନ ଜାଣନ୍ତି ଭୋଳେ ଯେ ।(୧୫)
ଭୁଞ୍ଜିଲା ବେଳକୁ ପିତା ଖୋଜିଲେ କାହିଁ ମୋ ସୂତା,
ମୋ ସଙ୍ଗେ ଗଣ୍ଡେ ଖାଇଲେ ସେ ଥଣ୍ଡା ହୋଇବ ତା ଲାଗି ଚିନ୍ତା ଯେ ।(୧୬)
ଶୁଣିଣ ମାତା କହିଲେ, ଖେଳିବାକୁ ଯାଇଥିଲା,
ସେତିକି ବେଳରୁ ଦେଖିନାହିଁ ତାକୁ, ଝିଅ ମୋର କେଣେ ଗଲା ଯେ ।(୧୭)
ଡାକନ୍ତି ଲୋ ତଅପୋଇ, କେଣେ ଅଛ ଆସ ଧାଇଁ,
ବାପାଙ୍କ ସଙ୍ଗରେ ଭୂଞ୍ଜିବୁ ରଙ୍ଗରେ, ଦୁଧ ସର ବସା ଦହି ଲୋ ।(୧୮)
ତୁହି ମୋର ଗେଲ୍ହା ଝିଅ, ନ ଦିଶନ୍ତି ମୋତେ ପୁଅ,
କେତେ ଦେବା ଦେବୀ ପୂଜି ମୁଁ ପାଇଛି ମୋତେ ଆସି ଦେଖା ଦିଅ ଲୋ ।(୧୯)
ବୋହୁକୁ ପୁଛନ୍ତି ଯାଇ ନଣନ୍ଦ, ତୁମ୍ଭର କାହିଁ,
କେହି ନ କହିଲେ, ସାନ ବୋହୁ ବୋଲେ, ଗମ୍ଭୀରିରେ ଛନ୍ତି ଶୋଇ ଯେ ।(୨୦)
ଶୁଣିଣ ମାତା ଚଞ୍ଚଳେ, ଗମ୍ଭୀରି ଦ୍ୱାରରେ ମିଳିଲେ,
ଦେଖିଲେ କବାଟ କିଳା ହୋଇ ଅଛି, ତଅପୋଇ କି ଡାକିଲେ ଯେ ।(୨୧)
ନ ଶୁଣଇ ମୋତି ଦନ୍ତି, ଶୋଇ ଅଛି ମୁଖ ପୋତି
କଞ୍ଚିରେ କବାଟ ଫିଟାଇ ଜନନୀ, ହସ୍ତ ଧରିଣ ଉଠାନ୍ତି ଯେ ।(୨୨)
କେଭେ ନ ଉଠେ ସୁନ୍ଦରୀ, ସେହି କଥା ମନେ ଧରି,
ବିରକ୍ତ ହୋଇଣ ମାତା ଫେରିଗଲେ, ସାଧବ ଉଠାନ୍ତି ଧରି ଯେ ।(୨୩)
ବୋଲନ୍ତି ଲୋ ତଅପୋଇ, ରୁଷୁ କେଉଁ କଥା ପାଇଁ,
ହଜିଥିଲେ ଧନ ଦେବି ଖୋଜାଇଣ, ଭଙ୍ଗାକୁ ଦେବି ଗଢା଼ଇ ଯେ ।(୨୪)
ନିଯୋଗି ଅଛନ୍ତି ଯେତେ, ସେବା କି ନକଲେ ତୋତେ,
କେହୁ ଅବା ଗାଳି ଦେଲା ତୋତେ, ବୁଝିବି କହ ତୁରିତେ ଯେ ।(୨୫)
ବିଭା ହେବା ପାଇଁ ଝିଅ, ରୁଷି ଅଛୁ ଅବା କହ,
ଉତ୍ତମ ବରକୁ ଖୋଜି ବିଭା ଦେବି, ହସୁଥିବୁ ଟହଟହ ଯେ ।(୨୬)
ନ ଉଠିଲା ତାଙ୍କ ବୋଲେ ପିତା ବିରକ୍ତେ ଚଳିଲେ,
ଜଣ ଜଣ କରି ସାତ ଭାଇ ଆସି, ଉଠାଇଲେ ନ ଉଠିଲା ଯେ ।(୨୭)
ସାନ ଭାଉଜଙ୍କୁ ଛାଡ଼ି, ଛଅ ଯାଆ ଆସିକରି,
ଉଠାଇଲେ ଧରି, ନ ଉଠିଲା ଚମ୍ପା ଗୋରୀ ଯେ ।(୨୮)
ସମସ୍ତଙ୍କ ପଛେ ସାନ ଭାଉଜ କଲା ଗମନ,
ତଅପୋଇ କର ଧରନ୍ତେ ସତ୍ୱର, ଉଠି କହଇ ବଚନ ଯେ ।(୨୯)
ଭାଉଜ ମୁଖକୁ ଚାହିଁ, ବୋଲେ ଆଗୋ ଚାନ୍ଦ ମୁହିଁ,
ବୋଉଙ୍କୁ କହିବ, ବାପାଙ୍କୁ କହିବ, ସୁବର୍ଣ୍ଣର ଚାନ୍ଦ ପାଇଁ ।(୩୦)
ନ ଦେଲେ ସୁବର୍ଣ୍ଣ ଜହ୍ନ, ନ କରିବଟି ଭୋଜନ,
ତୁମ୍ଭେ ମୋ ବିଶ୍ୱାସ ବୋଲି, ମୁଁ ପ୍ରକାଶ କଲି ଏହି କଥା ମାନ ଯେ ।(୩୧)
ମାତା ସେ ନିକଟରେ ଥିଲେ, ସବୁ ବୃତ୍ତାନ୍ତ ଶୁଣିଲେ,
ସାଧବ ଆଗରେ ତଅପୋଇ କଥା ପ୍ରକାଶ କରି କହିଲେ ଯେ ।(୩୨)
ପିତାମାତା ଦୁହେଁ ଗଲେ, ତଅପୋଇ କି କହିଲେ,
ଏହି ଛାର ପାଇଁ ରୁଷୁ ତଅପୋଇ, ଶୋଇଛୁ ଗମ୍ଭୀରି ଘରେ ଯେ ।(୩୩)
କାଲି ଦେବି ସୁନା ଜହ୍ନ, ଯାଆ ତୁ କର ଭୋଜନ,
ମନକୁ ତୁ ଉଣା ନ କର ଦୁଲଣା, ନ ମିଳିଲା ପରି ଧନ ଯେ ।(୩୪)
ଏହା ଶୁଣି ତଅପୋଇ ମତ କୋଳରେ ଭୁଞ୍ଜଇ,
ଆମ୍ବିଳ ଶାକର ଘୃତ ଦୁଧସର ମଧୁରୁଚି ବସା ଦହି ଯେ ।(୩୫)
ସର୍ବେ ଭୋଜନ ସାରିଲେ, ଯେଝା ପଲଙ୍କେ ଶୋଇଲେ,
ପ୍ରଭାତ ହେବାରୁ ବିନ୍ଧାଣି ଡକାଇ ସୁନା ଚାନ୍ଦ ଗଢ଼ାଇଲେ ଯେ ।(୩୬)
ଚଉପାସେ ହୀରା ଲିଳା ମୋତି ମାଣିକ୍ୟ ବସିଲା,
ଦଇବ ଘଟଣ କେ କରିବ ଆନ, ଅଧା ଚାନ୍ଦେ ପିତା ମଲା ଯେ ।(୩୭)
ପୁରା ଚାନ୍ଦେ ମଲେ ମାତା, ବଂଶ ଯାକ କଲେ ଚିନ୍ତା,
କାହାର କି ଯିବ, ଝିଅଟି ଝୁରିବ, କିକଲା ଦାରୁଣ ଧାତା ଯେ ।(୩୮)
ମାତା ପିତା ଦୁହେଁ ମଲେ, ଭଲ ରୂପେ ଶୁଦ୍ଧ ହେଲେ,
ଦ୍ଵିତୀୟ ଛାନ୍ଦ ଏ ଶୁଣ ବାଳ ଝିଏ, ଦୁଷ୍କର ବିଚାରି ବୋଲେ ଯେ ।(୩୯)

ତୃତୀୟ ଛାନ୍ଦ:
ଏଥୁ ଅନ୍ତେ ନାରୀମାନେ ଧୀର କରି ଶୁଣ ଏ ଚରିତ,
ସାଧବ ସାଧବାଣୀ ମୃତ୍ୟୁ ଅନ୍ତେ କିଛି କାଳ ଗତ ।(୧)
ବୋଇତ ପଦାର୍ଥ ଶେଷ ହୋଇବାରୁ ବସି ସାତଭାଇ,
ବିଚାର କରନ୍ତି ଵାଣିଜ୍ୟକୁ ଯିବା, ବସିବା କିମ୍ପାଇ ।(୨)
ଯାତ୍ରା ଅନୁକୂଳ ଦିନକୁ ସଫଳ କରିବା ବୁଝିଲେ,
ସାନ ଭାଇ ହସ୍ତେ ଡକାଇଣ ସାତ ଯାଆଙ୍କୁ କହିଲେ ।(୩)
ଦେଖ ତାତମାତ ହୋଇଗଲେ ହତ, ପଡ଼ିଲା ବିପଦ,
ବାଣିଜ୍ୟକୁ ସାତ ଭାଇ ନ ଗଲେ ତ ସରିବ ସମ୍ପଦ ।(୪)
ଘରେ ଯାଆ ସାତ ହୋଇ ଏକ ଚିତ୍ତ ଚଳିବ ହରଷେ,
ଭଗାରୀ ଯେପରି ନ ହସିବେ, ଫେରି ଆସିବୁ ବରଷେ ।(୫)
ତଅପୋଇଠାରେ ଅତ୍ୟନ୍ତ ସ୍ନେହରେ ଚିତ୍ତ ରଖିଥିବ,
ବାପା ମା' ଛେଉଣ୍ଡ,ଅଟେ ସେହି ଖଣ୍ଡ,କିକଲା ଦଇବ ।(୬)
ବେଳ ଜାଣି ଅନ୍ନ କୁଙ୍କୁମ ଲେପନ ପାନ ଭାଙ୍ଗି ଦେବ,
ଦୋଳି ଖେଳାଇବ, ଖଟେ ଶୁଆଇବ, କଟୁ ନ କହିବ ।(୭)
ସାତ ଯାଆ ହେଁ ବୋଲନ୍ତି, ଏତିକି ନଣନ୍ଦ ଆମ୍ଭର,
ତାଙ୍କଠାରେ ହେଳା କିମ୍ପାଇଁ କରିବୁ, ନଧର ମନର ।(୮)
ଗୃହ ଧନ୍ଦା ଛାଡ଼ି ତାଙ୍କୁ ଘଡ଼ି ଘଡ଼ି ସେବା କରୁଥିବୁ,
ଆମ୍ଭେ ନଖାଇ ତାଙ୍କୁ ଆଗେ ଦେଇ ପଛନ୍ତେ ଭୁଞ୍ଜିବୁ ।(୯)
ପୁଣି ଯାଆ ସାତ, ଡାକି ଯେଝା କାନ୍ତ ପାଶରେ କହନ୍ତି,
କେ ବୋଲେ ମୋ' ପାଇଁ ଝୁମା ଲଗା ନୋଥ ଆଣିବ ହେ ପତି ।(୧୦)
କେ ବୋଲେ ମୋ' ପାଇଁ ମାଣିକ୍ୟ ବସାଇ ଆଣିବ ବସଣି,
କେ ବୋଲେ ମୋ' ପାଇଁ ଝମକ ଝୁଣିଆ ଆଣିବ ହେ କିଣି ।(୧୧)
କେ ବୋଲଇ କର୍ଣ୍ଣ ଫୁଲ ଆଣି ଧନ ଦେବ ମୋ'ର ପାଶେ,
କେ ବୋଲେ ମୋ' ପାଇଁ ଚନ୍ଦ୍ର ହାର ସାଇଁ ଆଣିବ ହରଷେ ।(୧୨)
ଏହି ରୂପେ ଯା'ର ଯାହା ଦରକାର କାନ୍ତେ ପାଶେ କହି,
କହେ ତଅପୋଇ ମୋ' ପାଇଁ କୁଣ୍ଢାଇ ଆଣିବ ହେ ଭାଇ ।(୧୩)
ସମସ୍ତ ଆଣିବୁ କହି ସାତ ଭାଇ ବାହାର ହୋଇଲେ,
ବୋଇତରେ ବସି ଗଲେ ଭାସି ଭାସି, ଏକ ଦ୍ୱୀପେ ହେଲେ ।(୧୪)
ସେ ସ୍ଥାନେ ପହଞ୍ଚି ମାନେ ତର୍କ ପାଞ୍ଚି, ବିକା କିଣା କଲେ,
ବେଶୀ ଦେଖି ଲାଭ, ବହୁଦିନ ଲୋଭ କରିଣ ରହିଲେ ।(୧୫)
ଏଣେ ଯାଆ ସାତ ହୋଇ ଏକ, ଚିତ୍ତ ଆନନ୍ଦେ ଚଳନ୍ତି,
ତଅପୋଇ ସେବା କି ଉପମା ଦେବା, ହେଳା ନ କରନ୍ତି ।(୧୬)
ଏକ ଦିନେ ପୁଣି ବିଧବା ବ୍ରାହ୍ମଣୀ ଭିକ୍ଷା ମାଗି ଆସି,
ବୋଲେ ସାଧବାଣୀ ବୋହୂମାନେ ପୁଣି ଭିକ୍ଷା ଦିଅ ବେଶୀ ।(୧୭)
କେ ବୋଲେ ମୁଁ ଦୋଳି ଖେଳାଉଛି ଅଳି ନ କର ମୋ' ସାଙ୍ଗେ,
କେ ବୋଲେ ମୁଁ ପାନ ଭାଙ୍ଗୁଅଛି, ଆନ ନ କହ ମୋ' ଆଗେ ।(୧୮)
କେଉଁ ଯାଆ ବୋଲେ ମୁଁ ତୁଳି ଶେଯରେ ଶେଯାଉଛି ଖଟ,
କେ ବୋଲେ ବ୍ରାହ୍ମଣୀ ବସ ଦଣ୍ଡେ ପୁଣି ବିଞ୍ଚେ ମୁଁ ଆଲଟ ।(୧୯)
କେ ବୋଲେ ମୁଁ ଗଭା ବାନ୍ଧୁଅଛି ଶୋଭା ପାଇବା ନିମନ୍ତେ,
କେ ବୋଲେ କର୍ପୁର ଛିଞ୍ଚେ ଏହି ପୁର, ବାସିବା ନିମନ୍ତେ ।(୨୦)
ଏହି ପରି ବାଣି ଶୁଣିଣ ବ୍ରାହ୍ମଣୀ ମନେ ବିଚାରିଲା,
ଏପରି ନିଯୋଗ କରୁଛି କେ ଭୋଗ, ବୋଲି ସେ ଚାହିଁଲା ।(୨୧)
ସେ ତଅପୋଇ କି ସେବୁଛନ୍ତି ଦେଖି, ସଲିଲା ତା ଦେହ,
ପୁଛଇ ନାରୀଣ ଏ ତୁମ୍ଭର କିସ ହୁଅଇ ଗୋ କହ ।(୨୨)
ହସି ସାତ ଯାଆଏ, ବୋଲନ୍ତି ଗୋ' ମା'ଏ ନଣନ୍ଦ ଆମରି,
ଘରେ ନାହିଁ ଦ୍ଵନ୍ଦ, ତାଙ୍କ ସେବା କରି ଦିନ ଯାଏ ସରି ।(୨୩)
ଶୁଣି ସେ ବ୍ରାହ୍ମଣୀ କହେ କଟୁବାଣୀ, ଏ ଶୁତ୍ରକୁ ସେବ,
ଭାଇଙ୍କ ଆଗରେ ଖଚମାନ କହି କେତେ ଶାସ୍ତି ଦେବ ।(୨୪)
ଏବେତ ଆନନ୍ଦ ପଛକୁ ତ ମନ୍ଦ, ଶୁଣ ବୋହୁମାନେ,
ନ ମଣ ଅସୁଖ, ଦିଅ ନାନା ଦୁଃଖ,ମୋହରି ବଚନେ ।(୨୫)
ଏହା ସଙ୍ଗେ କଳି, ଲଗାଇଣ ଛେଳି, ଯଗାଅ ବନରେ,
ବ୍ୟାଘ୍ର ଭାଲୁ ଖାଉ, ଦେହୁ କଣ୍ଟା ଯାଉ ନ ଧର ମନରେ ।(୨୬)
ବ୍ରାହ୍ମଣୀର ତୀର ଛଅ ଯାଆଙ୍କର ମନକୁ ଅଇଲା,
ସଁ ବୋହୁ ଯାଇ ମନରେ ପାଞ୍ଚଇ, ଏହାକି କହିଲା ।(୨୭)
ତଅପୋଇ ପରା ନଣନ୍ଦ ଆମ୍ଭର, ଛେଳି କାହୁଁ ନେବ,
ପଲଙ୍କେ ଶୁଅଇ , ଚାଲି ନ ଜାଣଇ, କିକଲା ଦଇବ ।(୨୮)
ସତେ ଯେବେ ତୁହି, ଧର୍ମ ଥିବୁ ରହି, ଏକଥା ବୁଝିବୁ,
ତଅପୋଇ କି ଯେ ଏତେ ଶାସ୍ତି ଦେବ, ତା'କୁ ଦଣ୍ଡ ଦେବୁ ।(୨୯)
ଏ ଉତାରୁ ଭିକ୍ଷା ଦେଲେ ବ୍ରାହ୍ମଣୀକୁ, ଘରକୁ ସେ ଗଲା,
ସେହି ଦିନ ଠାରୁ ତଅପୋଇ ଠାରୁ ମନ ଛାଡ଼ିଗଲା ।(୩୦)
ବେଳ ଜାଣି ଅନ୍ନ ନଦେଲେ ତିଅଣ, ନକରିଲେ ଗେଲ,
ବାଳ ଫୁରୁଫୁରୁ ଉଡ଼ଇ ମୁଣ୍ଡରୁ, ନଦେଲେଟି ତେଲ ।(୩୧)
ସମସ୍ତ ଛଡ଼ାଇ ନାନା ଗାଳି ଦେଇ, ଛେଳି ଜଗାଇଲେ,
ଏକା ସାନ ବୋହୁ ବିକଳ ହୁଅଇ, ଆହକି କହିଲେ ।(୩୨)
ପାଳିକରି ଭାତ ଦିଅନ୍ତି ଯାଆ ସାତ, ଆଗ ବଡ଼ ଦିଏ,
ଛିଣ୍ଡା ଟୋକେଇ ଖଣ୍ଡେ ଧରିଣ, ସେହୁ ହାଣ୍ଡିଶାଳେ ପାଏ ।(୩୩)
ଭିତରେ ପତର ପାରିଣ, ଉପର ଅନ୍ନ ଚାରିମୁଠି,
ଛିଞ୍ଚି ଦେଲା ଲୁଣ, ନଦେଲା ତିଅଣ ଅଜ୍ଞାନୀ ପାପିଷ୍ଠୀ ।(୩୪)
ତଅପୋଇ କି ତାହା ନେଇ ଦେଇଣ, କହେ ଆକଟରେ,
ହଜାଇଲେ ଛେଳି ନାକର ବଉଳି, କାଟି ଦେବି ତୋରେ ।(୩୫)
ଡରେ ତଅପୋଇ କାନ୍ଦ କାନ୍ଦ ହୋଇ, ଛେଳି ଘେନିଗଲା,
ଘୋରେ ବନେ ପଶି, ମାନେ ହୋଇ ଦୁଃଖି, ରୋଇ ବସିଲା ।(୩୬)
ଟୋକାଇରୁ ପତ୍ର କାଢ଼ି ଦେଇ, ଭାତ ଦୁଇମୁଠି ଖାଇ,
ଚାହିଁଣ ଦିନକୁ ଆସଇ ଘରକୁ, ଚରାଇ ଚରାଇ ।(୩୭)
ଗୁହାଳେ ସାଇଚି ମନେ କରି, ଭିଡ଼ି ବସଇ ପିଣ୍ଡାରେ,
ବଡ଼ ବୋହୁ ଆସି, ଗୁହାଳରେ ପଶି ତଦାରଖ କରେ ।(୩୮)
ରା଼ତ୍ରେ ଭୁଞ୍ଜି ପିଣ୍ଢା ଉପରେ ସେ ଛିଣ୍ଡା କତରାରେ ଲୋଟେ,
ଏହି ପରି ବାଳି ପ୍ରତିଦିନ ଛେଳି ଜଗି କାଳ କାଟେ ।(୩୯)
ସାତ ଦିନ ସାତ ପାଳି ଦିନ, ଅନ୍ନ ବହୁତ ମିଳଇ,
ଦେଇଥାଏ ଲୁଣ ଆବର ତିଅଣ, ସନ୍ତୋଷେ ଭୁଞ୍ଜଇ ।(୪୦)
ଏହିପରି କେତେ ଦିବସ ଅନ୍ତରେ, ଭଦ୍ରାମସ ଜାଣ,
ବରଷିଲା ମେଘ ହୋଇଣ ପ୍ରବଳ ରବିବାର ଦିନ ।(୪୧)
ଛେଳି ପଲ ମଧ୍ୟେ ଘରମଣି ନାମେ ଏକ ଛେଳି ଥିଲା,
ବରଷା ବେଳରେ, ସେ ଛେଳି ବନରେ କେଣେ ରହିଗଲା ।(୪୨)
ଆଉ ସବୁ ଛେଳି ଅଡ଼ାଇଣ ବାଳି, ଗୁହାଳେ ରଖିଲା,
ବଡ଼ବୋହୂ ଆସି ନୟନେ ନିବେଶି ତଦାରଖ କଲା ।(୪୩)
ଦେଖିଲା ରମଣୀ ନାହିଁ ଘରମଣି, ରାଗ ହୋଇଯାଇ,
ତଅପୋଇ ପାଶେ, କହଇ ସେ ରୋଷେ, ଘରମଣି କାହିଁ ।(୪୪)
ବେଗେ ଛେଳି ଆଣେ ଆଶା ଥିଲେ ପ୍ରାଣ, ନାକ କାଟିଦେବି,
ଧରି ତୋର ଚୁଟି, କରି ସାତ ବେଣ୍ଟି, ମୋ ଘରୁ ତଡ଼ିବି ।(୪୫)
ଡରି ତଅପୋଇ, ଖୋଜିବାର ପାଇଁ, ଗଲା ବନସ୍ଥକୁ,
ଥୁରୁଥୁରୁ ହୋଇ କାନ୍ଦିଣ ଚଳଇ ଠୁକି କପାଳକୁ ।(୪୬)
ଯେଉଁଠାରେ ଛେଳି, ଚରୁଥିଲେ ମିଳି, ଖୋଜଇ ସେଠାରେ,
ନପାଇ ରାତ୍ରିରେ, ଆସିଲା କାତରେ, ମିଳିଲା ଗ୍ରାମରେ ।(୪୭)
ସେହି କାଳେ ମିଳି, ଦେଲେ ହୁଳହୁଳି, ଓଷାଇତିମାନେ,
ଶୁଣି ତଅପୋଇ, ବେଗ ହୋଇଯାଇ, ମିଳିଲା ସେସ୍ଥାନେ ।(୪୮)
ପଚାରେ ତାହାଙ୍କୁ, କଲେ ଏ ଓଷାକୁ, ମିଳେ କେଉଁ ଫଳ,
ଆହେ ନାନୀମାନେ, କହହେ ବହନେ, ନକରି ଉଛୁର ।(୪୯)
ଶୁଣି ସର୍ବେ ବାଳି, କହୁଛନ୍ତି ମିଳି, ଏ ଓଷାକୁ କଲେ,
ପୁତ୍ରବନ୍ତି ହୋନ୍ତି, ସମ୍ପତ୍ତି ଭୁଞ୍ଜନ୍ତି, ହଜିଥିଲେ ମିଳେ ।(୫୦)
ତଅପୋଇ ଵାଳି, ବୋଲେ ମୋର ଛେଳି, ମୁଁ ଯେବେ ପାଇବି,
ଥିବା ଯାଏ ପ୍ରାଣ, ଏ ଓଷା ବିଧାନ, ନିଶ୍ଚୟ କରିବି ।(୫୧)
ସବୁଝିଅମାନେ ବୋଲନ୍ତି ଏ ସ୍ଥାନେ, ରହୁ ତଅପୋଇ,
ଓଷା ସରିଲେ ପ୍ରସାଦ ଦେବୁ, ଭଲେ ଭୁଞ୍ଜିବୁଗୋ ତୁହି ।(୫୨)
ଏହି ବାଣୀ ଶୁଣି ମଙ୍ଗଳାକୁ ପୁଣି, ଜଣାଏ ସୁନ୍ଦରୀ,
ବୋଲେ ମା ମଙ୍ଗଳା ବୁଡ଼ିଲା ମୋ ଭେଳା, ହଜାଇଣ ଛେଳି ।(୫୩)
ଓଷା ବଢ଼ାଇ, ସକଳ ମେଳ ହୋଇ, ଭୋଗ ତାକୁ ଦେଲେ,
ଭୁଞ୍ଜି ଦୁଃଖ ମନେ, ଶୋଇ ସେଇ ସ୍ଥାନେ, ନିଶି ପୁହାଇଲେ ।(୫୪)
ପ୍ରଭାତରୁ ଉଠି, ଦୁଃଖିନୀ ବିମ୍ବୋଷ୍ଠି, ଖୋଜଇ ଛେଳିକୁ,
ଗ୍ରାମ ସେ ମୁଣ୍ଡ ଦେଖି ଖଣ୍ଡେ ଦୂରେ ସେ ଘରମଣୀକୁ ।(୫୫)
ହୋଇଣ ଆନନ୍ଦ, ଧରି ତାର କାନ୍ଦ, ଘରକୁ ଆଣିଲା,
ଦେଖି ବଡ଼ବୋହୁ ନରାଗିଲା ଆଉ, ଥଣ୍ଡାରେ କହିଲା ।(୫୬)
ପ୍ରହରେ ସମୟ ହେଲାଣି ନିଶ୍ଚୟ, ଯାଅ ଛେଳି ଘେନି,
କାଲି ଠାରୁ ଭାତ, ତୋହରି ପାଇଁ ତ, ଥୋଇଛି ମୁଁ ଜାଣି ।(୫୭)
ବାସି ଅନ୍ନ ଘେନିଗଲା ସେହିକ୍ଷଣି, ଛେଳିକି ଉଡ଼ାଇ,
ଘୋର ବନସ୍ତରେ, ଭୁଞ୍ଜିଣ ଦୁଃଖରେ, ଛେଳିକି ଚରାଇ ।(୫୮)
ଦିନ ଦୃଶ୍ୟ ଥାଇ, ଛେଳିକି ଉଡ଼ାଇ, ଘରେ ସାଇତଇ,
କଷ୍ଟମଷ୍ଟ କରି କାନ୍ଦିଣ ସୁନ୍ଦରୀ, ଭୁଞ୍ଜିଣ ଶୁଅଇ ।(୫୯)
ଏହିପରି ବାଳି ପ୍ରତିଦିନ ଛେଳି ଜଗି ଦିନ ବଞ୍ଚେ,
ଏ ତୃତୀୟ ଛାନ୍ଦ ହୋଇଣ ଆନନ୍ଦ, ଦୁଷ୍କର ଯେ ରଚେ ।(୬୦)

ଚତୁର୍ଥ ଛାନ୍ଦ:
ଶୁଣ ହରଷ ଚିତ୍ତେ ସୁନ୍ଦରୀ ଗଣ,
ତଅପୋଇର ଯେତେ ଅବସ୍ଥା ମାନ ଯେ, ବିଧାତା କଲା
କେଡ଼େ ସୁଖକୁ ଛାଡ଼ି ଦୁଃଖ ସହିଲା ଯେ, ବିଧାତା କଲା  ।(୧)
ଏହିପରି ଅନେକ ଗଲା ଦିବସ,
ଭାଦ୍ରବ ମାସ ରବିବାର ହେଲା ପ୍ରବେଶ ଯେ, ସେ ତଅପୋଇ,
ଖୁଦରକୁଣୀ ଓଷା ମନେ ପଡ଼ଇ ଯେ, ସେ ତଅପୋଇ ।(୨)
ବିଚାରିଲା ଏ ଓଷା ମନାସି ଥିଲି,
ହଜିଲା ଛେଳି ଗୋଟି ବେଗେ ପାଇଲି ଯେ, କିମ୍ପା ଛାଡ଼ିବି,
ଦୁଃଖ ସୁଖରେ ଓଷା ଆଦି କରିବି ଯେ, କିମ୍ପା ଛାଡ଼ିବି ।(୩)
ଏହା ଭାବି ସେ ଦିନ ଉପାସ କଲା,
ବାଳଝିଅଙ୍କ ସଙ୍ଗେ ଗାଧୋଇ ଗଲା ଯେ, ବାଲୁଙ୍କା ପୂଜି,
ହୁଳହୁଳି ପକାଇ ଆସଇ ମିଳି ଯେ, ବାଲୁଙ୍କା ପୂଜି ।(୪)
ଘରକୁ ଆସି ନିତ୍ୟକର୍ମ ସାରିଲା,
ସନ୍ଧ୍ୟାକୁ ଖୁଦକୁଣ୍ଡା ମାଗି ଆଣିଲା ଯେ, ପିଠା କରିଣ,
ଓଷା କୋଠିକୁ ନେଲା ବିଧିବିଧାନଯେ, ପିଠା କରିଣ ।(୫)
ସବୁ ଝିଅଙ୍କ ସଙ୍ଗେ ଓଷା ପୂଜଇ,
କର ଯୋଡ଼ିଣ ମଙ୍ଗଳାଙ୍କୁ ଜଣାଇ ଯେ, ମାତ ମଙ୍ଗଳା,
ରଖିବୁ ମୋର ବୁଡ଼ି ଯିବାର ଭେଳା ଯେ, ମାତ ମଙ୍ଗଳା ।(୬)
ଭାଉଜ ଏତେ କଷ୍ଟ ଦେଲେ ତ ମୋତେ,
କେଣେ ରହିଲ ମୋର ସେ ସାତ ଭ୍ରାତେ ଯେ, ତାହାଙ୍କ ସୁଖ,
ନଦେଖି ମୋତେ ମାଡ଼ି ପଡ଼ୁଛି ଦୁଃଖ ଯେ, ତାହାଙ୍କ ସୁଖ ।(୭)
ଦଶ ବରଷ ହେଲା ଗଲେ ତ ସେହି,
ତାଙ୍କ କୁଶଳ ବାର୍ତ୍ତା ଶୁଣିଲି ନାହିଁ ଯେ, ମାତ ମଙ୍ଗଳା,
କିପରି ଆସିବେ ସେ ନ କରି ହେଳାଯେ, ମାତ ମଙ୍ଗଳା ।(୮)
ଏହିପରି ଅନେକ ଜଣାଏ ଗୋରୀ,
ନେତ୍ରୁ ଲୋତକ ଧାରା ପଡ଼ଇ ଗଳିଯେ, ଏଥି ଉତ୍ତାରେ,
ଓଷାା ସାରିଣ ଯେଝା ଘରକୁ ଗଲେ ଯେ, ଏଥି ଉତ୍ତାରେ ।(୯)
ତଅପୋଇ ସେ ପ୍ରସାଦକୁ ପାଇଲା,
ଯାଇ ଛିଣ୍ଡା କତରା ପରେ ଶୋଇଲା ଯେ, ସକାଳୁ ଉଠି,
ବେଗେ ଛେଳି ଗୁହାଳ ପୋଛେ ବିମ୍ବୋଷ୍ଟିଯେ, ସକାଳୁ ଉଠି ।(୧୦)
ସେଦିନ ବଡ଼ବୋହୁ ପାଳି ଅଟଇ,
ହାଣ୍ଡିଶାଳକୁ ନେଲା ଛିଣ୍ଡା ଟୋକାଇଯେ, ପାପିଷ୍ଠି ନାରୀ,
ମୂଷାମାଟି ତହିଁରେ ମିଶାଇ କରି ଯେ, ପାପିଷ୍ଠି ନାରୀ ।(୧୧)
ତାପରେ ଅନ୍ନଦୁଇ ମୁଠି ଥୋଇଲା,
ଲୁଣ ଦେଇ ତିଅଣ କେଭେ ନ ଦେଲାଯେ, ତାହାକୁ ନେଇ,
ତଅପୋଇକି ଦେଇ କହେ ବତାଇ ଯେ , ତାହାକୁ ନେଇ ।(୧୨)
ହେଲାଣି ଏତେବେଳ ନେଇ ଯା ଛେଳି,
ହଜାଇଲେ କାଟିବି ନାକ ବଉଳି ଯେ, ସେରନ୍ତା ପଣ,
ଭାଙ୍ଗିଦେବିଟି ତୋର ଏକଥା ଜାଣଲୋ, ସେରନ୍ତା ପଣ ।(୧୩)
ଭୟରେ ତଅପୋଇ ଛେଳିକି ନେଲା,
ଛିଣ୍ଡା ଟୋକାଇ ଖଣ୍ଡ କାଖେ ଜାକିଲାଯେ, ଘୋର ଅରଣ୍ୟେ,
ଛେଳି ଚରାଏ ବାଳୀ ଦୁଃଖିତ ମନେ ଯେ, ଘୋର ଅରଣ୍ୟେ ।(୧୪)
ଭୋକ ବେଳ ପ୍ରବେଶ ହୋଇଲା ଯହୁଁ,
ଟୋକାଇରୁ ପତର କାଢ଼ିଲା ତହୁଁ ଯେ, ଦେଖିଲା ନେତ୍ରେ,
ମୂଷା ମାଟି ମିଶିଛି ଦି ମୁଠି ଭାତେ ଯେ, ଦେଖିଲା ନେତ୍ରେ ।(୧୫)
ମନ ଦୁଃଖରେ ତାହା ଭୁଞ୍ଜିଲା ନାହିଁ,
ଉଚ୍ଚେ ରୋଦନ କଲା ଚନ୍ଦ୍ରମା ମୁହିଁ ଯେ ଦାରୁଣ ବିହି,
ମୋ ଭାଗ୍ୟେ ଏତେ ଦୁଃଖ ଥିଲୁତୁ ରଖି ଯେ, ଦାରୁଣ ବିହି ।(୧୬)
କେଡ଼େ ସେରନ୍ତା ଝିଅ ମୁଁ ହୋଇଥିଲି,
ଅଳ୍ପ ଦିନେ ବାପା, ‘ମା’ ଛେଉଣ୍ଡ ହେଲି ଯେ, ଦାରୁଣ ବିହି,
ଘିଅ ଦୁଧ ସରତ ରୁଚଇ ନାହିଁରେ, ଦାରୁଣ ବିହି ।(୧୭)
ଯେତେ ଅନ୍ନ ମୁଁ ଛାଡ଼ି ଯାଏ ଥାଳିରେ,
ତାହାର ଅଧା ମିଳୁ ନାହିଁ ଖୋଜିଲେରେ, ଦାରୁଣ ବିହି,
ନ ମିଳିଲା ଭାତ ଯେ ପେଟ ପୁରାଇରେ, ଦାରୁଣ ବିହି ।(୧୮)
ମୂଷାମାଟି ମିଶାଇ ଅନ୍ନକୁ ଦେଲେ,
ଲୁଣ ଦେଇ ତିଅଣ ନାହିଁ କରିଲେରେ, ଏ କଷ୍ଟ ସହି,
ମରିଯିବାର ଭଲ ସିନା ଅଟଇରେ, ଏ କଷ୍ଟ ସହି ।(୧୯)
ତୁଳୀ ଶେଯ ପଲଙ୍କେ ମୁଁ ଶୋଇବାକୁ,
ବାଧା ହୁଅଇ ସୁକୁମାର ଦେହକୁରେ, ବିହିକି କଲୁ,
ତାହା ଛଡ଼ାଇ ଛିଣ୍ଡା କତରା ଦେଲୁରେ, ବିହିକି କଲୁ ।(୨୦)
ବୃକ୍ଷ ଶିଖରେ ମୋତେ ଚଢ଼ାଇ ଦେଲୁ,
ମୂଳରୁ କାଟି ଦେଇ ଅଲଗା କଲୁରେ, ଦାରୁଣ ଧାତା,
ସଂସାର ତାତ ତୁହି ସବୁ କରତାରେ, ଦାରୁଣ ଧାତା ।(୨୧)
କେଡ଼େ ସୁଖରେ ମୋତେ ରଖାଇ ଥିଲୁ,
ଭାଉଜଙ୍କ ହସ୍ତରେ ଏ କଷ୍ଟ ଦେଲୁରେ, ଘୋର ଅରଣ୍ୟେ,
ଛେଳିକି ଜଗି କାହୁଁ ବଞ୍ଚିବି ପ୍ରାଣେରେ, ଘୋର ଅରଣ୍ୟେ ।(୨୨)
ବାପା’ମା ତୁମ୍ଭେ ଯମ ପୁରକୁ ଗଲ,
ମଝି ନଈରେ ମୋତେ ପେଲିତ ଦେଲ ଯେ, ଗେହ୍ଲା ଝିଅକୁ,
ମେଲାରେ ପକାଇଣ ଗଲ ଘରକୁ ଯେ, ଗେହ୍ଲାଝିଅକୁ ।(୨୩)
ଜନମକାଳେ ମାତା ଏନ୍ତୁଡ଼ି ଶାଳେ,
ଗୋଡ଼ ନ ଦେଲୁ ଯାହା ମୋହରି ଗଳେଲୋ, ମାତା ମୋହର,
ତୁ ଗଲା ଦିନୁ ହେଲି ମୁଁ ନାରଖାର ଲୋ, ମାତା ମୋହର ।(୨୪)
ଆହା ମୋ ଭାଇମାନେ କେଣେ ରହିଲ,
ଦଶ ବରଷ ହେଲା ଦେଖା ନଦେଲ ହେ, ମାତ ମଙ୍ଗଳା,
ଭାଇଙ୍କୁ ଦେଖାଇବୁ ନ କରି ହେଳା ଲୋ, ମାତ ମଙ୍ଗଳା ।(୨୫)
ଏପରି କାନେ୍ଦ ବାଳୀ ଅତି ବିକଳେ,
ନେତ୍ରୁ ଲୋତକ ଧାରା ପଡ଼ଇ ତଳେ ଯେ, ହୋଇଲା ରାତ୍ରି,
ଘୋର ବନସ୍ତ ଦେଖି କରଇ ଭିତ୍ତି ଯେ, ହୋଇଲା ରାତ୍ରି ।(୨୬)
ଏକାଳେ ସାତ ଭାଇ ବୋଇତେ ବସି,
ସୁଖେ ଦରିଆ କୂଳେ ଲାଗିଲେ ଆସି ଯେ, ତଅପୋଇର,
ରୋଦନ କର୍ଣ୍ଣେ ଶୁଣି କଲେ ବିଚାର ଯେ, ତଅପୋଇର ।(୨୭)
ତଅପୋଇର ତୁଣ୍ଡ ପ୍ରାୟେ ଶୁଭୁଛି,
ଘୋର ଅରଣ୍ୟେ ପରା ସେହି କାନ୍ଦୁଛି, ଯେ ସାନଭାଇକି
ପଠାଇଲେ ଯା ଆଣ ତଅପୋଇକୁ ଯେ, ସାନଭାଇକି ।(୨୮)
ଶୁଣିଣ ସାନଭାଇ ବହନ ଗଲା,
ଶିଆଳ ଲତାତଳେ ଯାଇ ମିଳିଲା ସେ, ତଅପୋଇର,
ଆଗରେ ଛିଡ଼ା ହୋଇ ପଚାରେ ଧିରେ ସେ, ତଅପୋଇର ।(୨୯)
ଡ଼ାହାଣୀ କି ଗୋସାଣୀ କିଏ ତୁ ଅଟୁ,
ଏତେ ରାତ୍ରରେ କିମ୍ପା ସନ୍ତାପ ରଟୁ ଲୋ, କାହାର ଝିଅ,
କାହା ଭଉଣୀ ଅବା ମୋ ଆଗେ କହ ଲୋ, କାହାର ଝିଅ  ।(୩୦)
ଏମନ୍ତ ଶୁଣି ତଅପୋଇ ତୁନଇଁ,
କହଇ ମୋର କଷ୍ଟ ଶୁଣ ଗୋସାଇଁ ହେ, ମୋ ପିତା ନାମ,
ତନୟା ବନ୍ତ ସାଧୁ ବଡ଼ ଉତ୍ତମ ହେ, ମୋ ପିତା ନାମ ।(୩୧)
ଶକୁନ୍ତଳା ବୋଲିଣ ମାତା ମୋହର,
ଜନ୍ମକଲା ସୁନ୍ଦର ସାତ କୁମର ହେ, ପଛନ୍ତେ ମୁହିଁ ,
ଜନ୍ମ ହେଲି ମୋ ନାମ ସେ ତଅପୋଇ ଯେ, ପଛନ୍ତେ ମୁହିଁ ।(୩୨)
ଏ ଉତ୍ତାରୁ ଅନେକ ଦିନ ଉତ୍ତାରେ,
ମନ୍ତ୍ରୀ ଝିଅ ସଙ୍ଗରେ ଖେଳୁ ଦାଣ୍ଡରେ ସେ ବ୍ରାହ୍ମଣୀ,
ଆସିଣ ମୋତେ ଛଳି କହିଲା ବାଣୀ ସେ ବ୍ରାହ୍ମଣୀ ।(୩୩)
ଦେଖ ମନ୍ତ୍ରୀ ଝିଅର ସୁନା କୁଲାଇ,
ତା’ ସଙ୍ଗେ ଘେନି ଖେଳୁ ବାଂଶ କୁଲାଇ ଯେ ତୋପରି ମୁହିଁ,
ହୋଇଥିଲେ ଗଢ଼ାନ୍ତି ସୁନା କୁଲାଇ ଲୋ, ତୋ ପରି ମୁହିଁ ।(୩୪)
ଛଳ ବଚନେ ରୁଷି ଶୋଇଲି ମୁହିଁ,
ପିତା ଜାଣିଣ ବିନ୍ଧାଣିକି ଡ଼କାଇ ସେ, ସୁବର୍ଣ୍ଣ ଚାନ୍ଦ,
ଗଢ଼ାଇ ଥିଲେ ମୋରି ପାଇଁ ଆନନ୍ଦ ସେ, ସୁବର୍ଣ୍ଣ ଚାନ୍ଦ ।(୩୫)
ଅଧା ଚାନ୍ଦରେ ପିତା ମଲେ ମୋହର,
ସମ୍ପୂର୍ଣ୍ଣ ଚାନ୍ଦେ ମାତା ମଲେ ମୋହର ହେ, କେତେ ଦିନାନ୍ତେ,
ବାଣିଜ୍ୟେ ସାତଭାଇ ଗଲେ ବୋଇତେ ହେ, କେତେ ଦିନାନ୍ତେ ।(୩୬)
ଭାଉଜମାନଙ୍କୁ ସେ ବୁଝେଇ ଗଲେ,
ତଅପୋଇକି ସେବା କରିବ ଭଲେ ହେ ସୁଖରେ ଥିବ,
ଯେପରି ବାପା, ମାଆକୁ ନ ଝୁରିବ ସେ, ସୁଖରେ ଥିବ ।(୩୭)
ଏହା କହିଣ ଭାଇ ଗଲେ ବିଦେଶ,
ମୋତେ ସେବିଲେ ସର୍ବେ କିଛି ଦିବସ ହେ, ଭିକ୍ଷା ନେବାକୁ,
ଏକ ବ୍ରାହ୍ମଣୀ ଆସି ଆମ୍ଭ ଘରକୁ ହେ, ଭିକ୍ଷା ନେବାକୁ ।(୩୮)
ମୋ ସେବା ଦେଖି ତାର ସଲିଲା ଦେହ,
ଭାଉଜ ମାନଙ୍କୁ ସେ ଶିଖାଇ ଗଲା ହେ, ଏ ନଣନ୍ଦକୁ,
ଭଲ ନ ମଣ ଜଗୁ ଛେଳି ପଲକୁ ହେ, ଏ ନଣନ୍ଦକୁ  ।(୩୯)
ହିଂସା ବଚନ ଯେଉଁ ଦିନୁ ଶୁଣିଲେ,
ସେହି ଦିନୁ ମୋଠାରେ ହେଳା କରିଲେ ହେ, ପେଟ ପୁରାଇ,
ଅନ୍ନ ନ ଦେଲେ ମୋତେ ହିଂସାକୁ ବହି ଯେ, ପେଟ ପୁରାଇ ।(୪୦)
ଛେଳି ଜଗାଇଲେ ସେ ଘୋର ବନସ୍ତେ,
ପାଳି କରିଣ ଭାତ ଦିଅନ୍ତି ସାତ ଯେ, ଏକା ସାନର,
ପାଳି ଦିନ ପେଟ ପୂରଇ ମୋର ଯେ, ଏକା ସାନର ।(୪୧)
ଲୁଣ ତିଅଣ ଆଦି ସବୁ ଦିଅଇ,
ମୋତେ ଦେଖିଲେ କେତେ ବିକଳ ହୋଇ ଯେ, ତାହାରି ଲାଗି,
ଏ ପ୍ରାଣ ରଖିଛି ମୁଁ ନ ହୋଇ ତ୍ୟାଗୀ ଯେ, ତାହାରି ଲାଗି ।(୪୨)
ବିଚାରିଲି ସୁଖରେ ଦିନେ ରହିବି,
ଆଉ ଛ’ ଦିନ ଯାହା କଷ୍ଟ ସହିବି ହେ, ଯାଉ ଜୀବନ,
ବ୍ୟାଘ୍ର ଭାଲୁ ଖାଆନ୍ତୁ ରହିବି ବନେ ଯେ, ଯାଉ ଜୀବନ ।(୪୩)
ଅବା ଭାଇମାନଙ୍କୁ ଯେବେ ଦେଖନ୍ତି,
ଏହି ପ୍ରାଣକୁ ନିଶ୍ଚେ ମୁହିଁ ରଖନ୍ତି ଯେ, ଏ କଷ୍ଟ ଶୁଣି,
ସାନଭାଇ କାନ୍ଦିଲା ଭଗ୍ନିକି ଘେନି ଯେ, ଏ କଷ୍ଟ ଶୁଣି ।(୪୪)
ଶୋକ ସମ୍ଭାଳି ସାନ ଭାଇ ବୋଲଇ
ଆସିଲୁଣି ଯେ ସାତ ନ କାନ୍ଦ ତୁହି ଲୋ, ଏମନ୍ତ ଶୁଣି,
ତଅପୋଇ ଆନନ୍ଦ ନସରେ ପୁଣି ଲୋ, ଏମନ୍ତ ଶୁଣି ।(୪୫)
ଭାଇ ଭଉଣୀ ଚିହ୍ନା ଚିହ୍ନି ହୋଇଲେ,
ବୋଇତ ନିକଟକୁ ସେ କ୍ଷଣି ଗଲେ ଯେ, ତଅପୋଇର,
ଅବସ୍ଥା ଦେଖି ନେତ୍ରୁ ଗଡ଼ାନ୍ତି ନୀର ଯେ, ତଅପୋଇର ।(୪୬)
ତେଲ ବିହୁନେ କେଶ ଉଡ଼େ ଫର୍ଫର୍,
ଦେହରେ ପଡ଼ିଯିବ ଖଡ଼ିର ଗାରହେ, ଛିଣ୍ଡା କନାରେ,
ସହସ୍ର ଗଣ୍ଠି ପଡ଼ିଅଛି ତହିଁରେ ହେ, ଛିଣ୍ଡା କନାରେ ।(୪୭)
କେଡ଼େ ସୁଖରେ ତୋତେ ରଖାଇଥିଲୁ,
ଫେରିଣ ଏତେ କଷ୍ଟ ନେତ୍ରେ ଦେଖିଲୁ ଲୋ, କେଣେ ରହିଲୁ,
ଜୀବନ ଥାଉଁ ଥାଉଁ ନିଶ୍ଚୟ ମଲୁ ଲୋ, କେଣେ ରହିଲୁ ।(୪୮)
ଭଉଣୀକୁ ସୁସ୍ଥରେ ସର୍ବେ ରଖିଲେ,
ପିନ୍ଧିବାକୁ ଉତ୍ତମ ବସନ ଦେଲେ ଯେ, ମୁଣ୍ଡକୁ ତେଲ,
ଦେଖି ତଅପୋଇକି ଲାଗିଲା ଗେଲ ଯେ, ମୁଣ୍ଡକୁ ତେଲ ।(୪୯)
ସୁବେଶ କରି ତଅପୋଇକି ନେଲେ,
ମଙ୍ଗକୋଣେ ବସାଇ ସେ ବତାଇଲେ ଯେ, ଯେ ଦେଲାକଷ୍ଟ
ଛୁରୀ ଧରିଣ ତାର ନାସିକା କାଟ ଲୋ, ଯେ ଦେଲା କଷ୍ଟ ।(୫୦)
କହେ ଚତୁର୍ଥ ଛାନ୍ଦ ବଶ୍ୟ ଦୁଷ୍କର,
ବାହାଦଲପୁରରେ ମୋହରି ଘର ଯେ, ବାଳିକା ଗଣ,
ପ୍ରଶଂସା କରୁଥିବ ଶୁଣିଲା ଦିନ ଯେ, ବାଳିକା ଗଣ ।(୫୧)

ପଞ୍ଚମ ଛାନ୍ଦ:
ଏ ଉତ୍ତାରୁ କଥା ଯାହା, ଶୁଣ ବାଳଝିଏ ତାହା,
ସାଧୁର ସାତ କୁମର, ଡ଼ାକି ଚାକର ଯେ ।(୧)
ବୋଇଲେ ତୁ ତତପର, ଯାଅ ବାବୁ ଆମ୍ଭଘର,
ଏକ ଦାସୀକି ଡ଼କାଇ, କହିବୁ ତୁହି ଯେ  ।(୨)
ମହାଜନେ ଆସିଲେଣି ଯିବେ ସାତ ସାଆନ୍ତାଣୀ,
ବୋଇତକୁ ବନ୍ଦାଇବେ, ତେବେ ଆସିବେ ଯେ  । (୩)
ତଅପୋଇକି ଯେ ନେବେ, ତେବେ ସାଧବ ଆସିବେ,
ଏକଥା ନୁହଁଇ ମିଛ, ଅଟଇ ସ୍ୱଚ୍ଛ ଯେ  ।(୪)
ଏଥି ଥିବା ତଅପୋଇ, କେବେ ତୁ କହିବୁ ନାହିଁ,
ଶୁଣି ଭୃତ୍ୟ ବେଗେ ଗଲା, ଗୃହେ ମିଳିଲା ଯେ ।(୫)
ଏକ ଦାସୀକି ଡ଼କାଇ, କହିଲା ସବୁ ବୁଝାଇ,
ଯାହା ଯାହା କହିଥିଲେ, ତାହା ଆଗରେ ଯେ ।(୬)
ଶୁଣି ଦାସୀ ବେଗେ ଗଲା, ସାତ ଯାଆଙ୍କୁ କହିଲା,
ମହାଜନେ ଆସିବାର, କହେ କର ଯେ ।(୭)
ତଅପୋଇ ସଙ୍ଗେ ଘେନି, ଯିବେ ସାତ ସାଆନ୍ତାଣି,
ବୋଇତକୁ ବନ୍ଦାଇଲେ, ଆସିବେ ଭଲେ ଯେ ।(୮)
ବଡ଼ ଶୁଣିଣ କହଇ, କାଲିଠାରୁ ଆସିନାହିଁ,
ତଅପୋଇ କେଣେ ଗଲା, କାହିଁ ରହିଲା ସେ ।(୯)
ଛେଳି ଚରିବାର ବନେ, ଯାଆନ୍ତୁ ଦି ଚାରି ଜଣେ,
ତଅପୋଇକି ଆଣିଲେ, ଯିବେ ସକଳେ ଯେ ।(୧୦)
ଏମନ୍ତ କହିକର, ପଠାଇଲେ ତତପର,
ସେମାନେ ବହୁ ଖୋଜିଲେ, ଘୋର ବନରେ ଯେ ।(୧୧)
ନପାଇ ତଅପୋଇକି, ବାରତା ଦେଲେ ତହିଁକି,
ଶୁଣି ସାଧବ ଯୁବତୀ, ବସିଲେ ଚିନ୍ତି ଯେ ।(୧୨)
ତିନ୍ତୁଳିଆ ବିଚ୍ଛା ମୁଣ୍ଡେ, କାମୁଡ଼ିଲା ତାଙ୍କୁ ଦଣ୍ଡେ,
ବଡ଼ ଯାଆ କହେ ଦମ୍ଭେ, ନ ଭାଳ ତୁମ୍ଭେ ଯେ ।(୧୩)
ତଅପୋଇ କଥା ଯେବେ, ପୁଚ୍ଛିଲେ କହିବା ତେବେ,
କରିଅଛି ତାଙ୍କୁ ଜ୍ୱର, ଅଛନ୍ତି ଘର ଯେ ।(୧୪)
ତେଣୁ ଆସି ନ ପାରିଲେ, ଏକଥା କହିବା ଭଲେ,
ସର୍ବେ ମନେ ରଖିଥାଅ, ସୁବେଶ ହୁଅ ଲୋ ।(୧୫)
ବଡ଼ ଯାଆର ବଚନ, ଆସିଲା ସବୁରି ମନ,
ବେଶକାରୀକି ଡ଼କାଇ, ପୃଷ୍ଠେ ବସାଇ ଯେ ।(୧୬)
ଲଗାଇ ସୁଗନ୍ଧ ତୈଳ, ବାଳକୁ କଲେ କୋମଳ,
ହସ୍ତୀ ଦନ୍ତ ପାନିଆରେ କୁଣ୍ଡାଇ ଧୀରେ ଯେ ।(୧୭)
ତିନି ଭାଙ୍ଗ କରି କେଶ, ପୁଣି କୁଣ୍ଡାଇ ନାରୀଶ,
ମୂଳେ ଭିଡ଼ି ପାଟ ଭିଡ଼ା, ବାନ୍ଧିଲେ ଜୁଡ଼ା ଯେ ।(୧୮)
ଚଉଁରୀ କାଠି ଖଞ୍ଜିଲେ, ଝରା କାଠିକି ଖୋସିଲେ,
ବାଙ୍କ ଡ଼େଉଁରିଆ ଦେଇ, ମନକୁ ମୋହି ଯେ ।(୧୯)
ବେଢ଼ାଇ ସୁନା ଅଳକା, ଖୋସିଲେ ରୂପା ମଲ୍ଲିକା,
ମଥାପରେ ମଥାମଣି, ଖଞ୍ଜିଲେ ଆଣି ଯେ ।(୨୦)
ବେନି କର୍ଣ୍ଣେ କର୍ଣ୍ଣ ଫୁଲ, କହି ନୁହେଁ ତାର ମୂଲ,
ତାହା ପାଶେ ମଲ୍ଲୀକଡ଼ି, ତଳେ ପଗଡ଼ି ଯେ ।(୨୧)
ନାକରେ ଗୁଣା ବସଣି, ନୋଥ ଦଣ୍ଡି ଦେଲେ ଆଣି,
ଲାଗିଛି ତହିଁରେ ଭିଡ଼ା, ଯୁବା ଘଉଡ଼ା ଯେ ।(୨୨)
ନାସା ଅଗ୍ରେ ସରୁ କଲି, ଦେଲେ ମୃଦ ଗନ୍ଧ ବୋଳି,
ନେତ୍ରେ ଘେନିଲେ କଜ୍ଜଳ, ଦିଶେ ଉଜ୍ଜଳ ଯେ ।(୨୩)
ଭାଲରେ ଅଭ୍ର ଟିକିଲି, ଲଗାଇଲେ ସେ ଛଇଳିି,
ଗଣ୍ଡ ଦେଶରେ ମକରୀ, ଲେଖି ଚତୁରୀ ଯେ ।(୨୪)
ସବୁ ଅଙ୍ଗୁଠିରେ ମୁଦି, ଅଣ୍ଟାରେ କିଙ୍କିଣି ବାନ୍ଧି,
ପାଦରେ ବଳା ପାହୁଡ଼, ନାଗରୀ ହୁଡ଼ ଯେ ।(୨୫)
ପ୍ରପଦେ ଝୁଣ୍ଟିଆ ଖଞ୍ଜି, ପୟରେ ଅଳତା ରଞ୍ଜି,
ଦିଶିଲା କେଡ଼େ ସୁନ୍ଦର, ଲାଗେ ହୁନ୍ଦର ଯେ ।(୨୬)
ଏହିପରି ବେଶ ଯେତେ, ସଂକ୍ଷେପେ କହିବି କେତେ,
ହୋଇଲେ ସାଧବ ନାରୀ, କେତକୀ ଗୋରୀ ଯେ ।(୨୭)
କାକଡ଼ିମ୍ବ ପାଟ ଶାଢ଼ୀ, ପିନ୍ଧିଲେ ସର୍ବେ ସଜାଡ଼ି,
ପାନ ଖିଲେ ଖିଲେ ଜାକି, ଚନ୍ଦ୍ରମା ମୁଖୀ ଯେ ।(୨୮)
ଅର୍ଘ୍ୟ ଥାଳି ଧରି କରେ, ବାହାରିଲେ ଅନୁକୂଳେ,
ଜଗାଇ ଭୃତ୍ୟ ମାନଙ୍କୁ, ସବୁ ଘରକୁ ଯେ ।(୨୯)
ଘରୁ ବାହାରି ଅଇଲେ, ଦାଣ୍ଡ ଦୁଆରେ ମିଳିଲେ,
ଆଗକୁ ଦେଲେ ଓଢ଼ଣା, ସକଳ ବାମା ଯେ ।(୩୦)
ଆଗରେ ଚାଲଇ ବଡ଼, ଧୀରେ ପକାଇଣ ଗୋଡ଼,
ତା’ପଛକୁ ସାନ ସାନ, କଲେ ଗମନ ଯେ ।(୩୧)
ଦେଉଛନ୍ତି ହୁଳହୁଳି, ସଂସାର ପଡ଼େ ଉଛୁଳି,
ସ୍ୱର୍ଗ ଅପସରୀ ପରି, ଦିଶନ୍ତି ଗୋରୀ ଯେ ।(୩୨)
ଥରେ ଦେଖିଥିବ ଯେହୁ, ଧର୍ଯ୍ୟ ଧରିବ କେହୁ
ମୁନି ହେଲେ ଟଳିଯିବ, ଥୟ ନୋହିବ ଯେ ।(୩୪)
ଏହିପରି ମାଧୁର୍ଯ୍ୟରେ, ଚାଲନ୍ତି ରାଜ ଦାଣ୍ଡରେ,
ଝୁଣ୍ଟିଆ ନାଦ ଝମକ, କରେ ଚମକ ଯେ ।(୩୫)
ଯାଇ ବୋଇତ ପାଶରେ ମିଳିଲେ ସେ ହରଷରେ,
ଦେଖି ସାନ ଭାଇ ଭାଷେ ଅତ୍ୟନ୍ତ ରୋଷେ ଯେ ।(୩୬)
ତୁମ୍ଭେମାନେ ତ ଅଇଲ, ତଅପୋଇକି ନ ଆଣିଲ,
ଏଥିରେ ବୃତାନ୍ତ କହ, ଫିଟୁ ସଂଶୟ ଯେ ।(୩୭)
ଶୁଣି ବଡ଼ କହେ ତାଙ୍କୁ, ଜ୍ୱର ହୋଇଛି ତାହାଙ୍କୁ,
ଏଣୁ ଆସି ନ ପାରିଲେ, ଜାଣିବ ଭଲେ ଯେ ।(୩୮)
ଶୁଣି ସାଧବ କୁମର, କହଇ କୋପ ମନର,
ଯାଅ ଏକ ଏକ ଜଣ, ସେ ମଙ୍ଗକୋଣ ଲୋ ।(୩୯)
ଦେବୀ ଅଛନ୍ତି ସେ କୋଣେ, ବନ୍ଦାଅ ତାଙ୍କୁ ସୁମନେ,
ମନବାଞ୍ଛା ପୂର୍ଣ୍ଣ ହେବ, ଘରକୁ ଯିବ ଲୋ  ।(୪୦)
ଶୁଣି ବେଗେ ବଡ଼ ଗଲା, ମଙ୍ଗକୋଣେ ବନ୍ଦାଇଲା,
ଛୁରୀ ଧରି ତଅପୋଇ, ନାକ କାଟଇ ଯେ ।(୪୧)
ବିକଳେ ଗଲା ପଳାଇ, ତା’ପରେ ଆରକ ଯାଇ ।
ବନ୍ଦାନ୍ତେ କାଟିଲା ଗୋରୀ, ନାକକୁ ଧରିଯେ ।(୪୨)
ଏପରି ଛ’ ଜଣଙ୍କ, ଛେଦନ କଲା ସେ ନାକ,
ନୀଳେନ୍ଦ୍ରୀ ନାମରେ ସାନ ଭାଉଜ, କଲା ଗମନ ଯେ ।(୪୩)
ବନ୍ଦାନ୍ତେ ଚନ୍ଦ୍ରମା ମୁଖୀ, ତଅପୋଇ ତାକୁ ଦେଖି,
କଣ୍ଠୁ କାଢ଼ି ରତ୍ନହାର, ତା କଣ୍ଠେ ଦେଲା ଯେ ।(୪୪)
ନାକ କଟା ଛଅ ନାରୀ, ବିକଳେ ଗଲେ ବାହାରି,
ମହା ଅରଣ୍ୟ ଭିତରେ, ଯାଇ ପଶିଲେ ଯେ ।(୪୫)
ଏକ ସ୍ଥାନେ ସର୍ବେ ବସି, ନାକ ପକାନ୍ତି ଆଉଁସି,
କେ ବୋଲେ ବିହି କି କଲା, ପ୍ରାଣ ନ ଗଲା ଯେ ।(୪୬)
କେ ବୋଲଇ ଆଲୋ ନାନୀ, ବିଞ୍ଚିଦେ ପଣତ କାନି,
ନାକ ପୋଡ଼ା ହାଉ ହାଉ, ଜୀବନ ଯାଉ ଲୋ ।(୪୭)
କେ ବୋଲେ କି କହୁ ମୋତେ, ମୋତେ ହେଲାଣି ଆକ୍ରାନ୍ତେ,
ଏ କଷ୍ଟ କେହୁ ସହିବ, ଯିଇଁ ରହିବ ଯେ ।(୪୮)
କେ ବୋଲେ ତଅପୋଇକି, କଷଣ ଦେଲେ କାହିଁକି,
ଏ ଫଳ ପ୍ରାପତ ହେଲା, ନାକ ଛିଣ୍ଡିଲା ଯେ ।(୪୯)
କେ ବୋଲେ ବ୍ୟାଘ୍ର ଖାଆନ୍ତା, ସବୁ ସନ୍ତାପ ଯାଆନ୍ତା,
ଛି, ଛି, ନିଲଜିଆ ଜୀବ, ଥିଲେ କି ହେବ ଯେ ।(୫୦)
ଏ ସମୟେ ବ୍ୟାଘ୍ର ଦୁଇ, କାମୁଡ଼ା କାମୁଡ଼ି ହୋଇ,
ପହଞ୍ଚି ଗଲେ ସେ ସ୍ଥାନେ, ଦେଖି ସେମାନେ ହେ ।(୫୧)
ମହାଭୟ ତାଙ୍କୁ ହେଲା, ପିଣ୍ଡୁ ପ୍ରାଣ ଛାଡ଼ିଗଲା,
ଏକ ସ୍ଥାନେ ଛଅ ନାରୀ, ରହିଲେ ପଡ଼ି ଯେ ।(୫୨)
ମର୍କତ ଲିଙ୍ଗ ସେ ସ୍ଥାନେ, ଥାଆନ୍ତି ଅଗମ୍ୟ ବନେ,
ବିରୂପା ଶବର ଯାଇ, ତାଙ୍କୁ ପୂଜଇ ଯେ ।(୫୩)
ଦଇବେ ସେଦିନ ତାଙ୍କୁ, ଯାଇଥିଲା ପୂଜିବାକୁ,
ଦେଖିଲା ଏ ଛଅ ନାରୀ, ଅଛନ୍ତି ପଡ଼ି ଯେ ।(୫୪)
ପିଣ୍ଡରେ ନାହିଁତ ପ୍ରାଣ, ନାକ ହୋଇଛି ଛେଦନ,
ଦେଖି ଆଚମ୍ବିତ ହେଲା, ବିଚାର କଲା ଯେ ।(୫୫)
ପ୍ରାଣୀକୁ ଯେ ହିତ କରେ, ବସଇ ସେହି ସ୍ୱର୍ଗରେ,
ଜଗତେ ଯଶ ରହଇ ମିଥ୍ୟା ନୁହଁଇ ଯେ ।(୫୬)
ଯିବି ମୁଁ ହରଙ୍କ ପାଶ, ଜଣାଇବି ଏ ସନ୍ଦେଶ,
ପ୍ରାଣପାନ୍ତୁ ଛଅ ଜଣ, କଅଁଳୁ ନାକ ଯେ ।(୫୭)
ଏମନ୍ତ ବିଚାରି ଗଲା, ହରଙ୍କୁ ସେ ଜଣାଇଲା,
ନଶୁଣିଲେ ତା ପ୍ରସଙ୍ଗ, ମର୍କତ ଲିଙ୍ଗ ଯେ ।(୫୮)
ନିରାଶ ହୋଇ ଶବର, କାଢ଼ି ତୀକ୍ଷ୍ଣ ମୁନ ଶର,
ତଣ୍ଟିରେ ଦେଲା ବସାଇ, ମରିବା ପାଇଁ ଯେ ।(୫୯)
ଦେଖିତ ଏମନ୍ତ ରୀତି, ମର୍କତ ଲିଙ୍ଗ ବୋଲନ୍ତି,
ଆରେ ବିରୂପା ଶବର, ଏହା ନକର ରେ ।(୬୦)
ମାଗୁଛୁ ଯା ମାଗ ବର, ଯାହା ଇଚ୍ଛା ତୋ ମନର,
ନିଶ୍ଚୟ ଦେବିଟି ମୁହିଁ, ସଂଶୟ ନାହିଁରେ ।(୬୧)
ଶୁଣି ବିରୂପା କହଇ, ନାଶିକା ଛେଦନ ହୋଇ,
ପଡ଼ିଛନ୍ତି ଷଡ଼ ନାରୀ, ଏ ବନସ୍ଥଳୀ ଯେ ।(୬୨)
ସେମାନେ ପାଇବେ ଜୀବ, ନାକ ତାଙ୍କ କଅଁଳିବ,
ଏହିବର ଅଜ୍ଞା ହେଉ, ସଂଶୟ ଯାଉ ହେ ।(୬୩)
ଅସ୍ତୁ ବୋଇଲେ ଶଙ୍କର, ପ୍ରାଣ ପାଇଲେ ସତ୍ୱର,
ସବୁନାକ କଅଁଳିଲା, ଉଠି ବସିଲେ ହେ ।(୬୪)
ଶବର ସନ୍ତୋଷ ହୋଇ, ସମସ୍ତଙ୍କୁ ପଚାରଇ,
କିମ୍ପା ନାକୋଇ ହୋଇଲ, ଏ ବନେ ମଲ ଯେ ।(୬୫)
ଆଦ୍ୟପ୍ରାନ୍ତ କଥା ଯାହା, କହିଲେ ସେ ଛଅ ଯାଆ,
ତଅପୋଇ ସଙ୍ଗେ ବାଦ, ହେଲା ପ୍ରମାଦ ଯେ ।(୬୬)
ଶବରକୁ ପଚାରିଲେ, ଯେଝା ବାପଘର ଗଲେ,
ପଳାଇ ପଶିଲା ପରି, ହେଲେ ସୁନ୍ଦରୀ ଯେ ।(୬୭)
ଆର ଛାନ୍ଦରେ ଶୁଣିବ, ତଅପୋଇ ବିଭାହେବ,
ଆଣିବେ ଛଅ ଯାଆଙ୍କୁ, ନିଜ ଘରକୁ ଯେ ।(୬୮)
ମାତ ମଙ୍ଗଳା ଅଭୟା, ମୋଠାରେ କର ସୁଦୟା,
ଭାବି କହଇ ଦୁଷ୍କର, ପାଞ୍ଚ ଛାନ୍ଦର ହେ ।(୬୯)

ଷଷ୍ଠ ଛାନ୍ଦ:
ଶୁଣ ବାଳଝିଅ ହରଷେ, ତଅପୋଇ ପ୍ରସଙ୍ଗ,
ସୁଖେ ଦିନକାଳ ବଞ୍ଚିଲା ସାନବୋହୂର ସଙ୍ଗ ।(୧)
କଲେ ଯେତେ ସ୍ନେହ ତା’ଠାରେ, କେ କରିବ କଳନା,
ବାପା, ମା ଥିଲା ପରାଏ ହୋଇଲା ସେ ଦୁଲଣା ।(୨)
ଏକାନ୍ତେ ନଣନ୍ଦ ଭାଉଜ, ଦୁହେଁ ପଲଙ୍କେ ବସି,
ନାକୋଇଙ୍କ କଥା ପକାଇ ହୁଅନ୍ତି ହସାହସି ।(୩)
କେଉଁଦିନ ଅବା ବ୍ରାହ୍ମଣୀ, କଥା ପକାଇ ଘରେ,
ଗାଳିମନ୍ଦ ତାକୁ ଦିଅନ୍ତି ବହୁତ ପରକାରେ ।(୪)
ଛେଳି ଜଗା କଷ୍ଟ ଯେତିକି, କହଇ ତଅପୋଇ,
ଶୁଣି ସାନବୋହୂ କାନ୍ଦଇ, ନଣନ୍ଦଙ୍କୁ କୁଣ୍ଢାଇ ।(୫)
ଏହିପରି କେତେ କହିବି, ତାଙ୍କ ଦୁଃଖ ସୁଖରେ,
ଲେଖୁଥିଲେ ପୋଥି ସାତଟା ହେବ ଏହି ପ୍ରକାରେ ।(୬)
ତଅପୋଇକି ଯେ ଆମ୍ଭର ବାର, ବରଷ ହେଲା,
ନବଯୁବା ହୋଇ ସୁନ୍ଦରୀ ଘର କୋଣେ ରହିଲା ।(୭)
ତନୁ, ଜଉବନ ସୁନ୍ଦର, ଦିନୁ ଦିନ ଦିଶଇ,
ଅଳପ ହସିଣ କୋକିଳ ପରି ବାଣୀ ଭାସଇ ।(୮)
କେତକୀ ପରାଏ ଦିଶିଲା ତାର ଅଙ୍ଗ ଶୋଭନ,
ଶରତ କାଳର ଚନ୍ଦ୍ରମା ପରି ଦିଶେ ବଦନ ।(୯)
ଉରଜ ଯୁଗଳ ନିନ୍ଦିଲା ପରା ଡ଼ାଳିମ୍ବାକୃତି,
ହସିଦେଲେ ମୁକ୍ତା ପରାଏ ଦିଶିଲା ଦନ୍ତପନ୍ତି ।(୧୦)
ଛଟକ ·ହାଣି ଦେଖିଲେ, ହାଣି ହେବ ହୃଦୟ,
ସବୁ ସୁଖ ଯାକ ତା’ଠାରେ ବିହି କଲା ସଂଞ୍ଚୟ ।(୧୧)
ଭାଇମାନଙ୍କୁ ସେ ଦେଖିଲେ ଲାଜେ ଲୁଚଇ ଘରେ,
ସଳଖି ହୋଇଣ ଛିଡ଼ା ସେ ନୁହେଁ କାହା ଆଗରେ ।(୧୨)
ଏହିପରି ରୀତି ଦେଖିଣ ତଅପୋଇ ଭଗ୍ନୀର,
ଜ୍ୟେଷ୍ଠ ଭ୍ରାତା ସବୁ ଭାଇଙ୍କୁ ବସାଇ କହେ ଗୀର ।(୧୩)
ନବଯୁବା ହୋଇ ରହିଲା ତଅପୋଇ ଆମ୍ଭର,
ତାହା ଲକ୍ଷେ ବର ଖୋଜାଇ ବିଭା ଦେବା ଏଥର ।(୧୪)
ନବଯୁବା ଯେହୁ ରଖଇ ଘର ମଧ୍ୟେ ସାଇତି,
ତାହାର ଶୋଣିତ ଯେତକ ପିତୃଲୋକେ ପାଆନ୍ତି ।(୧୫)
ନବଯୁବା ଘରେ ସାଇତି ରଖିଲେ ମହାପାପ,
ଘରୁ ଲକ୍ଷ୍ମୀ ଛାଡ଼ି ଯାଆନ୍ତି ଏହି କଥା ସ୍ୱରୂପ ।(୧୬)
ଜ୍ୟେଷ୍ଟ ଭାଇ ବୋଲେ କନିଷ୍ଠମାନେ ସମ୍ମତି କଲେ,
ସେହିକ୍ଷଣି ଚାରି ଦିଗକୁ ଭଦ୍ରଲୋକ ପେଶିଲେ ।(୧୭)
ସେମାନେ ଦେଖିଲେ ସାଧବଘର ଯେତେକ ଥିଲା,
ବିରଞ୍ଚି ସାଧବ କୁମର ବର ଠିକଣା ହେଲା  ।(୧୮)
ତାପୁତ୍ର ନାମ ଅଟେ ରତ୍ନାକର ସୁନ୍ଦର ଯୋଗ୍ୟ,
ତଅପୋଇ ପକ୍ଷେ ସେ ବର ତାକୁ କରିବ ଭୋଗ୍ୟ ।(୧୯)
ସକଳ ବୃତାନ୍ତ କହିଲା ଆସି ସେ ଭଦ୍ର ଲୋକ,
ଶୁଣି ସାତଭାଇ କରିବା ପାଇଁ ହେଲେ ଉତ୍ସୁକ ।(୨୦)
ବିଭାଦିନ ସ୍ଥିର କରିଣ ଦୂତ ପଠାଇ ଦେଲେ,
ବିରଞ୍ଚି ସାଧବ ଶୁଣିଣ ବଡ଼ ହରଷ ହେଲେ ।(୨୧)
ବିଭାଦିନ ପାଇଁ ସମସ୍ତେ ଯେ ଗଲେ ବର ପୁରୀ,
ଆଣିଲେ ଉତ୍ତମ ପାଲିଙ୍କି ପରେ ବସାଇ କରି  ।(୨୨)
ନାନା ଦ୍ରବ୍ୟ ବାଜା ବଜାଇ ଉଚ୍ଛୁଳଇ ସଂସାର,
ବରକୁ ନେଇ ବସାଇଲେ ଦିବ୍ୟ ବେଦୀ ଉପରେ ।(୨୩)
ବ୍ରାହ୍ମଣମାନେ ବାକ୍ୟ ପଢି ବର କାର୍ଯ୍ୟ ସାରନ୍ତି,
ଧୀରେ ଧୀରେ କରି ଆଣିଣ ବର ପାଶେ ବସାନ୍ତି  ।(୨୪)
ଲବଣ ଚଉଁରୀ ପକାଇ ହସ୍ତ ଗଣ୍ଠି ପାରିଲେ,
ଜୁଆ ଖେଳାଇଣ ଦୁହିଁକି ବଡ଼ ହରଷ କଲେ ।(୨୫)
ପଞ୍ଚଗ୍ରାସି ବିଧି କରନ୍ତେ ଶେଷ ହୋଇଲାଦିନ,
କନ୍ୟାକୁ ଘେନି ଯିବା ପାଇଁ ସର୍ବେ ହେଲେ ଉଚ୍ଛନ୍ନ ।(୨୬)
ବାଜିଲା ମହୁରୀ, ମର୍ଦ୍ଦଳ, ଶଙ୍ଖ, ଢ଼ୋଲ କାହାଳୀ,
ନାରୀମାନେ ମିଳି ଆନନ୍ଦେ ଦିଅନ୍ତି ହୁଳହୁଳି ।(୨୭)
ଶାଶୁ ଘରକୁ ଯିବ ବୋଲି ଶୁଣିଣ ତଅପୋଇ,
ସାନ ଭାଉଜଙ୍କୁ ଧରିଣ କାନ୍ଦେ ବିକଳ ହୋଇ ।(୨୮)
ଆହା ମୋ ଭାଉଜ କିପରି ତୋତେ ମୁରୁଛି ଯିବି,
କୂଅ ପୋଖରୀରେ ନିଶ୍ଚୟେ ପଡ଼ି ବୁଡ଼ି ମରିବ ।(୨୯)
ତୁମ କଥା ମନୁ ମୋହର ମଲେ ନଯିବ ପରା,
କାହା ସଙ୍ଗେ ଭୁଞ୍ଜି ବସିିବି କେ କରିବ ଟାପରା ।(୩୦)
କାହା ସଙ୍ଗେ ରଙ୍ଗେ ଗାଧୋଇ ଯିବି ମେଳ ହୋଇଣ,
କାହା ହସ୍ତୁ ପାନ ଖାଇବି ଖଟ ପରେ ବସିଣ  ।(୩୧)
ଦେହରେ ପଡ଼ିଥିଲେ ଧୂଳି କେ ପଣତେ ଝାଡ଼ିବ,
ଛିଡ଼ା ହୋଇଥିଲେ ଖରାରେ କେ ଛାଇକି ଡ଼ାକିବ ।(୩୨)
ଖାଇବା ବେଳ ହେଲା ବୋଲି, କେ ଦେବ ମନ ଜାଣି,
ଏକା କୋଣେ ଛିଡ଼ା କରାଇ କହିବେ କେତେବାଣୀ ।(୩୩)
କାନ୍ଦ କାନ୍ଦ ହୋଇ ଭାଉଜ ତଅପୋଇକି କହେ,
ବାଧା ହେବ ଚନ୍ଦ୍ର ବଦନୀ ତୁନ ତୁନ ଗୋ ମାଏ ।(୩୪)
ତୁନି ହୋଇ ତଅପୋଇ କାନେ୍ଦ ଭାଇଙ୍କ ପାଶ,
ଆହା ଭାଇମାନେ ମୋତେଟି ନ କରିବ ନିରାଶ ।(୩୫)
ପନ୍ଦର ଦିନିଆ କଣ୍ଟରେ ମୋତେ ଶଙ୍ଖଳୁଥିବ,
ମନରୁ ପାଶୋରୀ ନ ଦେଇ ନିରାଶ ନ କରିବ ।(୩୬)
ନଗଲେ ମୋତେଟି କହିବେ ନିଅଁସି କୂଳ ଝିଅ,
ଏ ବଚନ ଶୁଣି ଭାଇହେ ହାଣି ହେବ ହୃଦୟ ।(୩୭)
ବାପା, ମା’ ମଲା ପରାଏ ମୋତେ ଲାଗଇ ନାହିଁ,
ତେଣୁ କରି ମୋତେ ସ୍ନେହରେ ପାଳ ସକଳ ଭାଇ ।(୩୮)
ଏବେ ସେହି ପ୍ରାୟେ ପଚାରୁଥିବ ସ୍ନେହ ଭାବରେ
ନଗଲେ ଜୀବନ ହାରିବି ଡ଼େଇଁ ଗଣ୍ଡ ଜଳରେ ।(୩୯)
ପ୍ରବୋଧୀ ଭାଇଏ ବୋଲନ୍ତି ନ କାନ୍ଦ ଆଉ ତୁହି,
ପନ୍ଦର ଦିନରେ ସଙ୍ଖୋଳି ଯିବୁ ଲୋ ତଅପୋଇ ।(୪୦)
ଏ ବଚନ ଯହିଁ ଶୁଣିଣ ରହିଲା ତଅପୋଇ,
ସକଳ ଯୁବତୀ ମିଳିଣ ଉଯୋଗ କଲେ ତହିଁ ।(୪୧)
ତଅପୋଇ ପରେ ଖଣ୍ଡୁଆ ଦେଲେ ଯତ୍ନେ ଘୋଡ଼ାଇ,
ଧୀରେ ଧୀରେ କରି ଆଣିଲେ ଓଢ଼ଣାକୁ ପକାଇ ।(୪୨)
ସକଳ ଯୁବତୀ ମିଳିଣ ପକାନ୍ତି ହୁଳହୁଳି,
ନାନାଦି ବାଦ୍ୟରେ ସଂସାର ପଡ଼ୁଅଛି ଉଚ୍ଛୁଳି ।(୪୩)
ନୀଳେନ୍ଦ୍ରି ଭାଉଜ ନଣନ୍ଦ କର ଧରି ଆଗରେ,
ଚଳାଇ ନେଇ ଧିର କରି ବସାଇ ସବାରିରେ ।(୪୪)
ଯେଉଁ ସୁନା ଚାନ୍ଦ ତିଆରି ହୋଇଥିଲା ତା’ ପାଇଁ,
ସବାରି ଭିତରେ ଭାଉଜ ତାହାକୁ ଦେଲେ ନେଇ ।(୪୫)
ଓଷ୍ଟ ଧରା ଧରି ଭାଉଜ ନଣନ୍ଦ ହେଲେ ତହିଁ,
ମନରେ ପକାଉ ଥିବଟି ଆଗୋ ଚନ୍ଦ୍ରମା ମୁହିଁ  ।(୪୬)
ସ୍ନେହରେ ନଣନ୍ଦ ପାଖରୁ ନ ଆସଇ ନିଳେନ୍ଦ୍ରୀ,
ଏମନ୍ତ ଦେଖିଣ ଯୁବତୀମାନେ ପକାନ୍ତି କାନ୍ଦି ।(୪୭)
ଉଛୁର ହେବାରୁ ଗୋପାଳେ ସବାରି ଉଠାଇଲେ,
ଆକୁଳ ହୋଇଣ ଭାଉଜ ନିଜ ଘରେ ପଶିଲେ ।(୪୮)
ଆଗରେ କନ୍ୟାର ସବାରି ପଛେ ବରକୁ ନେଲେ,
ଅଧବାଟ ଯାଏ ସାଙ୍ଗରେ ସାତ ଭାଇ ଏ ଗଲେ ।(୪୯)
ଏହି କାଳେ ଯାହା ହୋଇଲା ଶୁଣ ସକଳ ନାରୀ,
ସ୍ୱର୍ଗେ ଚିତ୍ରସେନ ଗନ୍ଧର୍ବ ଇନ୍ଦ୍ର ଆଗେ ବିସ୍ତାରୀ ।(୫୦)
ମୋ ଭାର୍ଯ୍ୟାକୁ ଷୋଳ ବରଷ ଶାପ୍ୟ ଦେଲେ ଗୋସାଇଁ,
ମର୍ତ୍ତ୍ୟରେ ଜନମ ହୋଇଲା ତା ନାମ ତଅପୋଇ ।(୫୧)
କେଉଁଦିନ ଷୋଳ ବୟସ ପୂର୍ଣ୍ଣ ହୋଇବ ତାର,
ତାହା ଶଚିକାନ୍ତ କହିବା ହେଉ ମୋହ ଆଗର ।(୫୨)
ବୋଲେ ଇନ୍ଦ୍ର ତାର ଭାର୍ଯ୍ୟାକୁ ଆଜି ଷୋଳ ବରଷ,
ବିଭା ହୋଇ ନେଇ ଯାଉଛି ବିରଞ୍ଚ ସାଧୁ ଶିଷ୍ୟ ।(୫୩)
ଯାଅ ବେଗ ହୋଇ ତା’ଠାରେ ଯେବେ ଅଛି ତୋ ମନ,
ଶୁଣି ବେଗେ ଯାନ ଘେନିଣ ଗଲା ସେ ଚିତ୍ରସେନ ।(୫୪)
ଶବାରିରୁ କାଢ଼ି କନ୍ୟାକୁ ନେଇ ରଥେ ବସାଇ,
ସ୍ୱର୍ଗକୁ ଚଳିଲା ଗନ୍ଧର୍ବ ବଡ଼ ଆନନ୍ଦ ହୋଇ ।(୫୫)
ଆଚମ୍ବିତ ହୋଇ ସକଳେ ଯେଯାହା ଘରକୁ ଗଲେ,
ସାତଭାଇ ଗୃହେ ବସିଣ ବଡ଼ ସନ୍ତାପ କଲେ ।(୫୬)
ଭାରିଯାମାନେ କେଣେ ଗଲେ କିଛି ଜଣା ନଗଲା,
ତଅପୋଇ ପରା ଭଉଣୀ ସ୍ୱର୍ଗ ପୁରେ ରହିଲା ।(୫୭)
ଭଦ୍ରଲୋକମାନ ପଠାଇ ଆଣିବା ଛଅ ନାରୀ,
ଏହା କହି ଭଦ୍ରଲୋକଙ୍କୁ ପଠାନ୍ତି ସେ ବିଚାରୀ ।(୫୮)
ଭଦ୍ରଲୋକମାନେ ଦେଖିଲେ ଅଛନ୍ତି ଯେଝା ବାପ ଘରରେ,
ଆନନେ୍ଦ ଅଛନ୍ତି ନାକୋଇମାନେ ଆସି ସେଠାରେ ।(୫୯)
ଶୁଣି ସେ ସବାରୀ ପଠାଇ ଆଣିଲେ ଛଅନାରୀ,
ଗୃହକୁ ଚଳିଲେ ସମସ୍ତେ ପୂର୍ବକଥା ପାଶୋରୀ ।(୬୦)
ବିଚାରି କହଇ ଦୁଷ୍କର ଶେଷ ଛଅ ଛାନ୍ଦର,
ସବୁ ଝିଅ ମତେ ପ୍ରଶଂସା କରୁଥିବ ମନର ।(୬୧)

ଇତିଶ୍ରୀ ଦୁଷ୍କର ବିରଚିତ ତଅପୋଇ ଉପାଖ୍ୟାନ ସମାପ୍ତ ।