ଗଛ ଓ କାଠୁରିଆ

ଉଇକିପାଠାଗାର ରୁ
Jump to navigation Jump to search
ଗଛ ଓ କାଠୁରିଆ
ଲେଖକ/କବି: ନନ୍ଦକିଶୋର ବଳ


ରହ ଆରେ କାଠୁରିଆ ନ ପକାଅ ହାଣି,
ଶୁଣ କାନ ଡେରି ଥରେ ଏ ଗଛ କାହାଣୀ।
ନ ଫୁଟୁ ପଛକେ ବାସଫୁଲ ଗଛ ଦେହେ,
ନ ଉଡ଼ୁ ପଛକେ ମଧୁମକ୍ଷିକା ସେନେହେ।
ବସି କୁହୁକୁହୁ ତାନେ ନବ ମଧୁକାଳେ,
ନ ଗାଉ କୋକିଳ ପଛେ ଫୁଲଭରା ଡ଼ାଳେ।
ନ ଫଳୁ ପଛେ ଏ ଗଛେ ମିଠାମିଠା ଫଳ,
ଖରାବେଳ ବାଟୋଇ ତ ବସେ ଏହା ତଳ।


ଛାଡ଼ି ଯାଅ କାଠୁରିଆ ନ ପକାଅ ହାଣି,
ଶୁଣ କାନ ଦେଇ ଥରେ ଏ ଗଛ କାହାଣୀ।
କାଠୁରିଆ ନ ହାଣ ସେ ଗଛ, ରହ ରହ,
ତାହାକୁ ଲଗାଇ ଗଲେ ପିତୃପିତାମହ।
କେତେ ଦୁଃଖ ସୁଖ ସେ ଯେ ଦେଖିଛି ଆମ୍ଭର,
କେତେ ଝିଅ ପୁଅ କେତେ ଯାତ ବିଭାଘର।
ମନେ ପଡ଼େ ପିଲାଦିନ ଏହାରି ମୂଲରେ,
ଖେଳୁଥିଲି ମୁହିଁ ଖେଳ ସାଥୀ ଗହଳରେ।


ଏବେ ବାଲ୍ୟକାଳୈ ପୋଥି ଧର ଛାଇ ତଳେ,
ପଢ଼ଇ ବସି ମୁଁ ସଞ୍ଜ ସକାଳେ ନିଶ୍ଚଳେ।
କାଠୁରିଆ ନ ହାଣ ସେ ଗଛ, ରହ ରହ,
ଦେଖିଅଛି ଏ ଗଛ ମୋ ପିତୃପିତାମହ।
ନ ହାଣ ଏ ଗଛ ଶୁଣ ମୋର ବାଣୀ,
ଥାଉ ମୁଁ ଜୀବନେ ଗଛ ନ ପାରିବ ହାଣି।


ପୂରୁବ ଆକାଶେ ସୂର୍ଯ୍ୟ ଉଦେ ପ୍ରଭାତରେ,
ଉଠନ୍ତି ପକ୍ଷୀଏ ରାବି ଏହାରି ଡାଳରେ।
ଯାଅ ଯାଅ କାଠୁରିଆ ଏ ଗଛ ନ ହାଣି,
ରଖିବି ଏ ଗଛ ମୁହିଁ ସତ୍ୟ ମୋର ବାଣୀ।