ଗଳ୍ପସ୍ଵଳ୍ପ/ଅଧର୍ମ ବିତ୍ତ

ଉଇକିପାଠାଗାର ରୁ
Jump to navigation Jump to search
ଗଳ୍ପସ୍ଵଳ୍ପ ଲେଖକ/କବି: ଫକୀର ମୋହନ ସେନାପତି
ଅଧର୍ମ ବିତ୍ତ

ବିଜେ ନରହରିପୁର ଶାସନ ମୁଣ୍ଡ ସାହାଲା ଘରକୁ ଛାଡ଼ି ପଚାଶ ଷାଠିଏ କଦମ ଦୂରରେ ବଳଦେବଙ୍କ ପୂଜାପିଣ୍ଡି ବା ମଣ୍ଡପ । ଗ୍ରାମ ଦିଗକୁ ଛାଡ଼ି ପିଣ୍ଡିର ଆଉ ତିନି ପଟରେ ପାଞ୍ଚସାଲି, ଦଶସାଲି, ମଧ୍ୟଭଳି ଅତି ପୁରୁଣା ବୁଢ଼ା, ଗଣତିରେ ଶହେ ସାତ ନଡ଼ିଆ ଗଛ । ଏଗୁଡ଼ିକ ଶାସନ ମହାଜନଙ୍କ କୋଠ ଗଛ । ଫଳ ଏକସଙ୍ଗରେ ତୋଳା ଯାଇ ଭାଗପିଛେ ବାଣ୍ଟହୁଏ ।

ସକାଳ ଓଳି ବେଳ ଘଡ଼ିକ ସମୟରେ ନଡ଼ିଆଗଛ ମୂଳରେ ଜଣ ପଚାଶ ବ୍ରାହ୍ମଣଗୋସାଇଁ ବିଜେ ହୋଇଛନ୍ତି । ପୁରୁଖା ପୁରୁଖା ଭଳିଆ ଆଉ ମର୍ଯ୍ୟାଦାବନ୍ତ ପୁଣି ଦୂର ଗାଁରୁ ଆସିଥିବା ବନ୍ଧୁମାନେ ନଡ଼ିଆ ପତ୍ରବୁଣା ଚଟେଇରେ ବସିଛନ୍ତି, ଆଉ ଅନ୍ୟମାନଙ୍କର ଭୂମ୍ୟାସନ । ସାନ ପିଲାଗୁଡ଼ାକ ସକାଳୁ ସକାଳୁ ନଡ଼ିଆବୁରେଇ ତଳେ ଧାଁ ଦଉଡ଼ ହୋ ହୋ ପାଟି କରି ଖେଳୁଥାନ୍ତି, ହେଲେ ଆଜି ସେମାନଙ୍କ ପାଟିରେ କଥା ନାହିଁ । ଯୋଡ଼ିକୁ ଯୋଡ଼ି, ପୁଞ୍ଜାକୁ ପୁଞ୍ଜା ପିଲା ଖୁବ୍ ଦୂରରେ ବୁରେଇ ଭିତରେ ବୁଲି ବୁଲି ଗୋସାଇଁମାନଙ୍କ ସଭା ଦେଖୁଛନ୍ତି । ସେମାନେ ବି ମନ ମଧ୍ୟରେ ଯେମନ୍ତ ବୁଝିଛନ୍ତି, ଆଜି ଗାଁରେ ଭାରି ଗୋଟାଏ କଣ ହେବ । ଶାସନ ଗୋସାଇଁମାନଙ୍କୁ ଛାଡ଼ି ଆହୁରି ବି ଆଠ ଦଶ ଜଣ ଦୂରଦୂରାନ୍ତର ଗାଁରୁ ଗୋସାଇଁମାନେ ଆସି ଉପସ୍ଥିତ, ବିପଦଗ୍ରସ୍ତ ବନ୍ଧୁମାନଙ୍କୁ ସଙ୍ଖୁଳିବା ପାଇଁ ଆସିଛନ୍ତି । ଭେଣ୍ଡିଆ ଜଗୁ ପତିଏ ଦୁଇ ଗୋଡ଼ ପାପୁଲିରେ ଗୋଟିଏ ପଥର କୁଣ୍ଡି ଯାକି ଧରି ମୁଣ୍ଡ ପୋତି ଗୋଟାଏ ନାସଘୋଟା ବାଡିରେ ଘଡ଼ର ଘଡ଼ର କରି ନାସ ଘୋଟୁଥିଲେ। ଘୋଟା ହୋଇଗଲା । ଆଗେ ମୁରବି ଭଳିଆ ଲୋକଙ୍କ ଆଗରେ, ପଛନ୍ତେ ଆଉ ଆଉ ମହାଜନଙ୍କ ଆଗରେ କୁଣ୍ଡି ଦେଖାଇଲେ । ସମସ୍ତେ ଟିପେ ଟିପେ ନାସ ନେଇ ସୁଁ-ସୁଁ କରି ନାକ ଦୁଇ ପୁଡ଼ାରେ ଗୁଞ୍ଜିଦେଲେ ।

ନାସ ସୁଙ୍ଗାସୁଙ୍ଗି ବାଦେ ପ୍ରଥମେ ଲକ୍ଷ୍ମଣ ମିଶ୍ରେ ପଚାରିଲେ, "ମାମୁ! କର୍ଜାଟା ତୁମ ଅଙ୍ଗିତା, ନା ଅଜାଙ୍କ ଦେହକର?" (ଲକ୍ଷ୍ମଣ ମିଶ୍ରେ ଦିବାକର ଦ୍ଵିବେଦୀଙ୍କ ଭଣଜା, ଏଣ୍ଟ୍ରାନସ ପାସ, ଗୋଟାଏ ମାଇନର ସ୍କୁଲର ହେଡ଼ମାଷ୍ଟର । ମାମୁଙ୍କ ବିପଦ କଥା ଶୁଣି ଆଉ ଆଉ ବନ୍ଧୁଙ୍କ ପରି ସଙ୍ଖୁଳି ଆସିଛନ୍ତି ।)

ଦ୍ଵିବେଦୀଏ କହିଲେ, "ନାହିଁ ନାହିଁ ବାପା । ମୋ ଅଙ୍ଗିତା ଯୋଡ଼ାଏ ପୈସା ବି ନୁହେଁ । ବାପା ତାଙ୍କ ମଝିଆଁ ଝିଅ ତାରା ନାନୀ ମଙ୍ଗଳକୃତ୍ୟକୁ ସାହୁ ପାଖରୁ ଶହେ ଟଙ୍କା ଖଣ୍ଡେ ତାଳପତ୍ର ଗୁଜା ଲେଖି ଦେଇ ଆଣିଥିଲେ । ତହିଁ ଆର ବରଷ ପଞ୍ଚାଶଟି ଟଙ୍କା ଘେନି ସାହୁ ପାଖକୁ ଗଲେ, ମନରେ କରିଥିଲେ, କଳନ୍ତର ଛିଡାଇ ଦେଇ ମୂଳକୁ ବାକି ପଏଠ କରି ଦେବେ। ମହାଜନ ଟଙ୍କା ଦେଖି ଜିଭ କାମୁଡି ପକାଇ କହିଲା, 'ଏ - ଏ କଣ ଗଦେଇ କକେଇ? ଶୁଣିଲି, ତୁମେ ପରା ଧାନ ବିକି ବିକି ଏ ଟଙ୍କା ରଖିଛ! ରାମ - ରାମ - ରାମ! ଏଟା କି କଥା? କୁଟୁମ୍ବଦାରିଆ ଘର, ଧାନ ହେଉଛି ଜୀବନ, ଧାନ ହେଉଛି ଲକ୍ଷ୍ମୀ, ତାକୁ କଣ ବିକନ୍ତି? କେତେ ବା ଧାନ ପାଇଛ - ଉଠାଅ, ଉଠାଅ - ଟଙ୍କା ଉଠାଅ। ତୁମେ ମୋ କୁଳପୁରୋହିତ, ସହଜରେ ଧର୍ମର କକେଇ, ଟଙ୍କାଟା ତୁମ ପାଖରେ ଥିଲେ ଯେ, ମୋ ପାଖରେ ଥିଲେ ସେ। ଯାଅ ଯାଅ, ଏହି ଟଙ୍କାରେ ଧାନ କିଣି ପକାଅ। ନାହିଁ ନାହିଁ, ଗାଁରେ ଦଶ ଯଜମାନ ଘରେ ବାହାନହଣା ପଡିଗଲା ତ ଏକାଦିନକରେ ଟଙ୍କା ପୈଠ।' ବାପା ତ ଥିଲେ ମରହଟିଆ ସାଦାସିଧା ଲୋକ, ସାହୁର ମିଠା କଥାରେ ଏକାବେଳକେ ତରଳି ଗଲେ। ବାପା କ୍ୟାଁ, ତୁମେ ଯାଅ ନା, ଶୁଣିବ, କେଡେ ମିଠା କଥା କେତେ ନିର୍ମାୟା କଥା - ମନରେ କରିବ ଏହାପରି ସରଳ, ପରୋପକାରୀ, ଧାର୍ମିକ ଲୋକ ଜଗତରେ ନାହିଁ। ଏଇ ଯେ ତୁମ ଆଗରେ ବସିଛନ୍ତି ରାମ ମହାପାତ୍ରେ, ସଦାଶିବ ମିଶ୍ରେ, ବିଶ୍ଵନାଥ ଶତପଥୀଏ, ଭୀମ ପାଢୀଏ, ସମସ୍ତଙ୍କର ଠିକ୍ ଏହିପରି ହାଲ। ଝିଅ ପୁଅ ବିଭାକୁ ଟଙ୍କା ଆଣିଥିଲେ, ସମସ୍ତଙ୍କର ତିରିଶ ତିରିଶ ମାଣ ଶାସନ ଭାଗ ଜମି ଆମ ଜମି ସହିତ ଏକା ତାରିଖରେ କଟକ ଜଜ କୋର୍ଟରେ ନିଲାମ ହୋଇ ଯାଇଛି, ଗୋରୁ ଖୋଜରେ ଖୋଜେ ବି ଜମି କାହାରି ନାହିଁ। ଆହୁରି ବି ଛ ଜଣ ମହାଜନଠାରୁ କରଜା ଖାଇଥିଲେ, ମୂଳକଳନ୍ତରରେ ବୁଡି ରହିଲେଣି। ସେମାନଙ୍କର ବି ଆଉ ବର୍ଷେ ଛ ମାସ ବାଦେ ଜମିବାଡି ଗଲା ପରି। ତୁଚ୍ଛା ଏହି ଶାସନରେ? ଏ ଅଞ୍ଚଳ ଦଶ ଖଣ୍ଡ ଗାଁରେ ଯାହାର ଭଲ ଜମି ଖଣ୍ଡେ ଦେଖିଲା ତ, ଶୁଙ୍ଗି ଶୁଙ୍ଗି ବୁଲୁଥିବ। କାହାରି ଦରକାର ପଡିଲେ ରାତି ଅଧରେ ଟଙ୍କା ଗଣି ଦେବ। ଥରେ ଯଦି ଟଙ୍କା ତା ଘରୁ ଉଠାଇଲ ତ, ତିନି ପୁରୁଷରେ କଣ ବୁଝୁଛି? କଳନ୍ତର, କଳନ୍ତରର କଳନ୍ତର, ତହିଁର କଳନ୍ତର ଲଟ ଲାଗି ରହିଛି। କରଣଗୁଡାକ ବି ସେହିପରି ମିଳି ଯାଇଛନ୍ତି। କିଏ ପାଞ୍ଚ ଟଙ୍କା ପୈଠ କଲା ତ, ପାଞ୍ଜିରେ ବସିଲା ଦେଢ ଟଙ୍କା। ହଁ, କଣ କହୁଥିଲି, ବାପା ତ ତା କଥାରେ ଭୁଲି ଟଙ୍କା ବାହୁଡାଇ ଆଣି ପୁଣି ଧାନ କିଣି ଥୋଇଲେ। ତହିଁ ଆର ବରଷ କତିରୁ ପାଣି ହେଲା ଛିନଛୋଟ, ଧାନ ଭଲ ଫଳିଲା ନାହିଁ। ସେହି ସମୟରେ ପୁଣି ତୁମ ସର ମାଉସୀର ବିଭା ସମୟ ଉପସ୍ଥିତ। ୯ ବର୍ଷ ପୂରି ଯାଉଛି, 'ଦଶବର୍ଷା ତୁ କନ୍ୟକା,' ବିଭା ନ ଦେଲେ କନ୍ୟାଦାନ ଫଳ ନାହିଁ। ବାପା ଯାଇ ସାହୁ ଦୁଆରେ ହାଜର। ସାହୁ ତ ଘାଲେଇ ପଡି ବେଳ ଉଣ୍ଡୁଥିଲା, ଦାଉ ପଡିଗଲା। ସାହୁ କଅଁଳେଇ କଅଁଳେଇ ମୁରକି ମୁରକି ହସି କହିଲା, 'ହେଉ ହେଉ, କକେଇ, ଘେନି ଯାଅ - ଏ ଘର ଟଙ୍କା ସେ ଘରକୁ ଯିବ, କଥା କଣ? ଆହେ ଛାମୁକରଣେ, ଅଇଲ, କକେଇ କିଛି ଟଙ୍କା ଧାର ନେବେ। ଆଗ ଟଙ୍କାଟାର ମୂଳ କଳନ୍ତର ହିସାବ କଲ।' ଛାମୁକରଣ ବିଦେଇ ମହାନ୍ତିଏ ହିସାବ କରି କହିଲେ, 'ଆଗ ଟଙ୍କା ମୂଳ କଳନ୍ତର ମିଶି ହେଲା ଅଢେଇଶ, ହାଲକୁ ଶଏ ନେଲେ ହେବ ସାଢେ ତିନିଶ ଟଙ୍କା।' ଟଙ୍କା ଶୁଣି ବାପା ଚମକି ପଡିଲେ। ସାହୁ ବାପାଙ୍କ ମନ କଥା ବୁଝି ପାରି କହିଲା, 'ହେଉ - ହେଉ, କକେଇ ଚିନ୍ତା କଣ? ଦେବା ନେବା ବେଳ ତ ଅଛି। ଆପଣ ମୋ କୁଳପୁରୋହିତ, ଦେବାବେଳେ ଦି'ଶ ଶହେ ଛାଡି ନେଇଗଲେ ମୋର କଣ ସରିଯିବ?' ବିଭାଲଗ୍ନ ଆଉ ଆଠ ଦିନ, ଟଙ୍କା ନ ହେଲେ ନୁହେ। ବାପା ସାହୁ କଥାରେ 'ହଁ' ଭଣିଲେ, କହିଲେ, 'ହେଉ, ଗୁଜା ଲେଖାଯାଉ।' ସାହୁ ଦଣ୍ଡେଯାଏ ଗୁମ୍ ମାରି ବସି କହିଲା, 'ବୁଝିଲେ କକେଇ, ଏଇଟା ହେଲା କଳିକାଳ, ଏ ଗୁମାସ୍ତା କରଣଗୁଡାଙ୍କୁ ପରତେ ନାହିଁ। ଗୁଜା କେତେବେଳେ କଣ କରି ପକାଇବେ, ମୋତେ ପଛନ୍ତେ ଆପଣ ଦୋଷ ଦେଉଥିବେ। ଟଙ୍କାଟା ଗୋଟାଏ ଟିପ କରି ରେଜେଷ୍ଟରୀ କରି ପକାଇଲେ ଭଲ ହେବ; କାହାରି ଉଁ ଚୁଁ କରିବାର ବାଟ ନ ଥିବ। ଏଥିରେ କେତେ ବା ଖରଚ? ଖରଚଟା କଣ ଆପଣ ଉଛୁଣିକା ଆଣି ଦେଉଛନ୍ତି?" ଟିପ ଲେଖାପଢା ରେଜଷ୍ଟରୀ ହୋଇଗଲା। ଯାହା ହେବାର ତ ହେଲା, ଟଙ୍କା ଦିଅ। ଟଙ୍କା ଗଣି ଦେବାକୁ କଣ ନା ଟ୮୭‌‌ । 'କି ହୋ ଟଙ୍କା ଊଣା କ୍ୟାଁ?' ଗୁମାସ୍ତା ବୁଝାଇଦେଲା, 'ସିନ୍ଦୁକ ପୂଜା ଶତକରା ଯୋଡାଏ ଟଙ୍କା, ଗୁମାସ୍ତା ଖର୍ଚ୍ଚ ଦୁଇ ଟଙ୍କା, ଲକ୍ଷ୍ମୀନାରାୟଣ ବାଳଭୋଗ ଦୁଇ ଟଙ୍କା, ରେଜେଷ୍ଟରୀ ଖର୍ଚ୍ଚ, ଗୁମାସ୍ତା କଟକ ଖୋରାକି ସବୁ ସବୁ ରକମ ମିଶାଇ ସାଢେ ଛ ଟଙ୍କା। ଗାଏ ସବୁ ପଦକୁ ବାରଟଙ୍କା ଆଠ ଅଣା। ପୁରୋହିତେ, ଆପଣ ତ ଜଣେ ପଣ୍ଡିତ, ଏତିକି ବୁଝି ପାରୁ ନାହାନ୍ତି? ଆପଣ ତ ରୋଜିନା କେତେ କାରବାର ଦେଖୁଛନ୍ତି, ଆପଣଙ୍କ ପାଖରୁ କଣ ଟଙ୍କାଏ ମଷାଏ ହଉ ହୁଡିକରି ନେଲେ ସାନ୍ତଙ୍କ ଗନ୍ତାଘର ପୂରିଯିବ?' ତମସୁକ ରେଜେଷ୍ଟରୀ ପାଖରୁ ଚାରିବର୍ଷ କାଳ ସେଥିର କିଛି ନାମ ଚର୍ଚ୍ଚା ନାହିଁ। ବାପା ତା ଦୁଆରକୁ ଗଲେ ଭକ୍ତି କଣ ଦେଖିବ! 'କକେଇ! ଆପଣ ଐଲେ, ଓଳଗି - ଓଳଗି, ଆରେ ପିଢାଟା ଦେ ରେ, ଆରେ ପାଦଧୂଆ ଜଳ ଦେ ରେ' ଡାକ ପଡିଯିବ। ଗଲା ତେରସ୍ତା ବାପାଙ୍କର ଯେମିତି ବିଯୋଗ ହୋଇ ଯାଇଛି, ମହାଜନକୁ ତ ପଡିଗଲା ପୋ'ବାର। ମୂଳ କଳନ୍ତର ଭିଡି ଦେଇ ବାରଶ କେତେ ଟଙ୍କା କେତେ ଅଣାରେ କଟକ ଅଦାଲତରେ ନାଲିସ୍ ଦାଏର କରିଦେଲା। ମୁଁ ଯାଇ ମହାଜନ ପାଖରେ ପଡିଲି। କହିଲା, 'ଆରେ ଭାଇ ଦିବୁ ଗୁମାସ୍ତା ମାନେ ମୋ ଅଜାଣନ୍ତରେ ନାଲିସ୍ କରି ଦେଇଛନ୍ତି। ଯା ଯା, ତୁ ହାକିମ ପାଖରେ ଟଙ୍କାଟା ମାନି ଆ, ପଛରେ ବୁଝାସୁଝା ହେବ।' ମୋ ମନଟା ଛିକଉଥାଏ। କଟକ ଯିବାକୁ ମନ ବଳୁ ନ ଥିଲା, ଡରରେ ଯାଇ ତା ଓକୀଲ କହିବା ପ୍ରମାଣେ ହାକିମ ପାଖରେ ଜବାବ ଦେଇ ଆସିଲି। ଏହିଟା ହେଲା ଗଲା ବରଷ କଥା। ମୁଁ ଆଉ କିଛି ଜାଣେ ନାହିଁ। କେତେବେଳେ ଡିଗ୍ରି ହେଲା, କେତେ ଟଙ୍କା ଡିଗ୍ରି ହେଲା, ଆଉ କଣ ହେଲା ମୋତେ କିଛି ଜଣା ନାହିଁ। ଶୁଣିଲି, ଗଲା ମକର ମାସ ସାତ ଦିନରେ ମୋର ଚାରି ପାଞ୍ଚ ହଜାର ଟଙ୍କାର ସମ୍ପତ୍ତି ସାତଶହ ଟଙ୍କାରେ ନିଲାମ ହୋଇଗଲା। ମହାଜନ ଆପେ ନିଲାମ ଧରିଛି। ତା ଗୁମାସ୍ତା କହେ, ମୋ ଉପରେ ଆହୁରି ଛ ଶହ ଟଙ୍କା ପାଉଣା। ଆମର ଶାସନ ପାଣିଗ୍ରାହୀ ଭାଗ ପଚାଶ ମାଣ, ତା ମଧ୍ୟରେ ଏହି ଯେ ଦକ୍ଷିଣ ଦିଗରେ କିଆ ବଣଟା ଦେଖୁଛ, ସେହିଟା ଏକଚକିଆ ପନ୍ଦରମାଣ ମାଳ ଜମି - ଭାରି କଳିନ୍ଦ। ମୁଁ ବୁଝୁଛି, ଏ ଜମିଟା ଉପରେ ତାର ଦଶ ପନ୍ଦର ବରଷ ହେଲା ନଜର ପଡିଲାଣି। ଯେବେ ଏ ଗାଁକୁ ଆସେ, ସେ ଜମିଟା ପାଖକୁ ଯାଇ ଚାରିପାଖ ବୁଲି ବୁଲି ଦେଖେ - 'କେତେ ଧାନ ଫଳେ, କି ଧାନ ଦିଅ', ଦଶ ଥର କରି ପଚାରିବ। ମୋ ମନ ହେଲେ ଛିକଉଥାଏ। ବିଚାର କରେଁ - କହ, ଭଲାରେ ଭଲା କହ, ଏ ଜମିଟା କଥା ତୁହାଇ ତୁହାଇ ପଚାରୁଛି କ୍ୟାଁ? ଆଉ ପାଞ୍ଚ ଜଣ ମହାଜନଙ୍କର ଠିକ୍ ଆମ ମାମଲା ପରି ଡିଗ୍ରି କରି ଜମିବାଡି ସବୁ ନିଲାମ କରି ନେଇଛି।"

ଲକ୍ଷ୍ମଣ ମିଶ୍ରେ କହିଲେ, "ମୁଁ ଦେଖୁଛି, ଏଇଟା ସାଇଲକ୍।" ଭାଗବତ ପତିଏ କହିଲେ, "ନା ନା, ସେଇଟା ଏ ସାଇ ଲୋକ ନୁହେଁ, ତା ଘର ମକ୍ରାମପୁର - ଏ ଗାଁକୁ ଦେଢକୋଶ ଦୂର ନଈକୂଳରେ।" ଲକ୍ଷ୍ମଣ ମିଶ୍ରେ କହିଲେ, "ନାହିଁ ନାହିଁ, ମୁଁ ସେ କଥା କହୁ ନାହିଁ; ବିଲାତରେ ଗୋଟାଏ ଏହି ରକମ କଳନ୍ତରଖିଆ ଲୋକ ଥିଲା, ତା ନାମ ସାଇଲକ୍।" ତିରେଇ ତିହାଡିଏ କହିଲେ, 'ସେ ଯାହା ହେଉ, ଏବେ ଉପାୟ କଣ?" ଲକ୍ଷ୍ମଣ ମିଶ୍ରେ ମହାଜନମାନଙ୍କୁ ଅନାଇ ହାତ ଯୋଡି ଭୂଇଁରେ ମୁଣ୍ଡ ଲଗାଇ କେହିଲେ, "ଗୋସାଇଁ ମହାପ୍ରଭୁମାନେ! ମୁଁ ପିଲାଟା, ମୋ ଅପରାଧ ଘେନିବେ ନାହିଁ; ଗୋଟାଏ କଥା କହିବି, ଏଥିରେ ସାହୁର କିଛି ଦୋଷ ନାହିଁ, ଆପଣମାନଙ୍କ ମୂର୍ଖପଣ। ଆପଣମାନଙ୍କ ପାପରୁ ସବୁ ସାରି ଦରିଦ୍ର ହୋଇ ବସୁଛନ୍ତି।" ବୁଢା ଅନନ୍ତ ପାଢୀଏ ଟିକିଏ ଉଷ୍ଣ ଭାବରେ କହିଲେ, "ହୋଇ ହେ ଲକ୍ଷ୍ମଣ! ଆମ୍ଭମାନଙ୍କର ପାପ କଣ? ମୂର୍ଖପଣ କଣ ଦେଖିଲ?"

ଲକ୍ଷ୍ମଣ ମିଶ୍ରେ ପୁଣି ଦଣ୍ଡବତଟାଏ କରି କହିଲେ, "ଅଜା ସାଆନ୍ତେ! ମୋ ଉପରେ ଖପା ହେଲେ ପରା? ଦେଖନ୍ତୁ, କେଉଁ ମହାତ୍ମା ଶାସନ ବସାଇ ଏତେ ନିଷ୍କର ଜମି ଖଞ୍ଜି ଦେଇ କହିଥିଲେ, 'ଆପଣମାନେ ଶାସ୍ତ୍ର ଅଧ୍ୟୟନ ଅଧ୍ୟାପନା କରିବେ, ଦାତାକୁ ତ୍ରିକାଳ ସନ୍ଧ୍ୟାରେ ଆଶୀର୍ବାଦ କରିବେ।' ତାହା କରୁଛନ୍ତିଟି କି? ବୋଲନ୍ତୁ ଭଲା ଏଡ଼େ ବଡ଼ ଶାସନଟାରେ ଗୋଟାଏ ବୋଲି ଚୌପାଢ଼ୀ ନାହିଁ। ତୁଚ୍ଛା ନାସ ଶୁଙ୍ଗି ଭାଙ୍ଗ ପିଇ ଚୌପଟ ଖେଳି ଦିନ କାଟିବେ! ଦାତାଙ୍କୁ ତ୍ରିକାଳ ସନ୍ଧ୍ୟାରେ ଆଶୀର୍ବାଦ ଥାଉ, ପବିତ୍ର ବ୍ରାହ୍ମଣ କୁଳରେ ଜାତ ହୋଇ କେତେ ଜଣ ତ୍ରିକାଳ ସନ୍ଧ୍ୟାରେ ଗାୟତ୍ରୀ ଜପ ସନ୍ଧ୍ୟାବନ୍ଦନାଦି ନିତ୍ୟକର୍ମ କରନ୍ତି? ଏଇଟା କଣ ପାପ ନୁହେଁ? ଆଉ ଗୋଟାଏ କଥା, କୁଆଡ଼ୁ ଶୁଝିବେ ଭାବନା ନାହିଁ, ଧାଇଁ ଯାଏ ମହାଜନ ଦୁଆରେ ଗୁଜା ଲେଖି ବସିବେ, ପୁଅ ଝିଅ ବିଭାଘରକୁ ଆପଣା ବଡ଼ପଣ ଦେଖାଇବା ଲାଗି ଅକାରଣ ଟଙ୍କାଗୁଡ଼ାଏ ସାରିବେ। ଆପଣା ଅବସ୍ଥାକୁ ଚାହିଁ ଯେ ନ ଚଳେ, ସେ ମୂର୍ଖ ନୁହେ ତ ଆଉ କଣ? ଏହି ଦେଖନ୍ତୁ, ଅତି ପବିତ୍ର ଶାସନଭାଗ ଭୂମିରେ ବାର ଜାତି ତେର ଗୋଲା ଅଧିକାରୀ ହୋଇ ବସିଲେଣି। ଏହା ଆପଣମାନଙ୍କ ପାପ ଆଉ ମୂର୍ଖତାର ଫଳ ନୁହେଁ କି? ଆପଣମାନେ ତ ଦୁଃଖ ଦୁର୍ଦ୍ଦଶାକୁ ଲୋଡ଼ି ଆଣିଛନ୍ତି, ଏଥିପାଇଁ ଲଗା ହେବ କିଏ?"

ମାଧ ପାଣିଏ କହିଲେ, "ଲକ୍ଷ୍ମଣ ଯାହା କହିଲେ ସତ, ଷୋଳପଣି ସତ। ହେଲେ ଏଣିକି ଯାହା ଗୋଟାଏ ବୁଝିସୁଝି କରାଯିବ, ବର୍ତ୍ତମାନ ଉଦ୍ଧାର ପାଇବାର ବାଟ କଣ?"

ଲକ୍ଷ୍ମଣ ମିଶ୍ରେ - ଆପଣମାନେ କଣ ଉପାୟ ସ୍ଥିର କରିଛନ୍ତି?

ଆନନ୍ଦ ମିଶ୍ରେ - ଆମ୍ଭେମାନେ କିଏ, ମାଲି ମାମଲା କିଏ? କର୍ମ କର୍ମାଣି କଥା ବୋଲ, ଦଶ ଜଣ ବାହାରି ପଡ଼ିଁବୁ।

ଲକ୍ଷ୍ମଣ ମିଶ୍ରେ - ମାମୁ। ଜମି ନିଲାମ ବାଦେ ସାହୁ ପାଖକୁ ଯାଏଥିଲେ, କଣ କହିଲା?

ଦିବାକର ଦ୍ୱିବେଦୀ - ଯାଇଥିଲି। ଦଶଥର ଗଲିଣି, ଭେଟ ମିଳେ ନାହିଁ। ବାଧିକା ପଡ଼ିଛି, କଥା ବୋଲି ପାରିବ ନାହିଁ, ବାହାନା କରି ଶୋଇ ପଡ଼େ - ନୋହିଲେ ବାଡ଼ି ପଛ ବାଟେ ଆଉ ଗାଁକୁ ବାହାରି ଯାଏ। ମୋ କନ୍ଦାକଟା ଦେଖି ସାହୁଆଣୀ କମଳା ଆଉ ତାଙ୍କ ପୁଅ ବିଦ୍ୟାଧର ଦୁହେଁଯାକ କାନ୍ଦି ପକାନ୍ତି। ମୋତେ ବହୁତ ବହୁତ ଆଶ୍ବାସ ଦେଇ କହିଛନ୍ତି, ମୋ ଜମି ମୋତେ ଦିଆଇ ଦେବେ। କେଜାଣି କପାଳରେ କଣ ଅଛି। ମା ପୁଏ ଦୁହେଁଯାକ ଏକା ଯେପରି ଦୟାଳୁ ସେହିପରି ଧାର୍ମିକ, କାହାରି ଦୁଃଖ ଦେଖି ପାରନ୍ତି ନାହିଁ। କୁବେର ସାହୁଟା ଯେପରି ନିଷ୍ଠୁର ସେହିପରି କୃପଣ - ହାତରୁ ପାଣି ଗଳିବ ନାହିଁ। ହେଲେ ମା ପୁଅଙ୍କ ଆଗରେ କେହି ଓପାସ ରହିପାରେ ନାହିଁ। ସାହୁଟା କରଜା ଟଙ୍କା ଲାଗି କାହାରି ଘର ଦ୍ବାର ନିଲାମ କରିନେଲେ ଏମାନେ ଲୁଚାଇ ତାକୁ ଟଙ୍କା ଧାନ ଦେଇ ତା କୁଟୁମ୍ବ ପୋଷନ୍ତି।

ଲକ୍ଷ୍ମଣ ମିଶ୍ରେ - ଗୋଟାଏ ଆଶା ଅଛି ସତ, ହେଲେ ସେଥିକି ନିର୍ଭର କରି ରହିବାଟା ନିରାପଦ କଥା ନୁହେଁ। ଆପଣାର ବି ଗୋଟାଏ ବାଟ କାଟି ଚାଲିବା ଉଚିତ। ଉଛୁଣିକା ତାକୁ କେହି ଜମି ଦଖଲ ଦିଅ ନାହିଁ। ମାମୁଁ! ତୁମେ କହୁଛ, ପାଞ୍ଚ ହଜାର ଟଙ୍କାର ମାଲ ସାତଶ ଟଙ୍କାରେ ନିଲାମ କରି ନେଇଛି। ଏହି କଥା ଓଜର କରି ସାନି ନିଲାମ ପାଇଁ ହାକିମଙ୍କ ପାଖରେ ଦରଖାସ୍ତ କର। କିଛି ଖରଚପତ୍ର କଲେ ଢେର ଦିନଯାଏ ମାମଲା ତାରିଖ ଗଡ଼ିଯିବ। ଏଣେ ତୁମେ ମା ପୁଅ ଦୁହିଙ୍କୁ ଧରି ପଡ଼ିଥାଅ। ଆଜିକା କଥା କାଲିକି ଅନ୍ତର, ଏଥି ମଧ୍ୟରେ ଆଉ ଗୋଟାଏ କିଛି ବାଟ ଫିଟି ଯାଇପାରେ।

ମିଶ୍ରଙ୍କ କଥା ଶୁଣି ସମସ୍ତ ମହାଜନ ଭାରି ଆନନ୍ଦରେ ଏକାବେଳକେ ପାଟିକରି କହିଲେ, "ଦୀର୍ଘଜୀବୀ ହୁଅ, ରାଜରାଜେଶ୍ବରୋ ଭବ। ନୋହିଲେ କଣ ଆଞ୍ଜୁଳାକୁ ଆଞ୍ଜୁଳା ଟଙ୍କା ଗଣି ହାକିମ ଘର ପାଠ ପଢ଼ିଛ? ଦେଖ ତ, ଆମେ ଏତେଗୁଡ଼ାଏ ଲୋକ ଅନ୍ଧାରରେ ଅଣ୍ଡାଳି ହେଉଥିଲେ, କିଛି ବାଟ ଦିଶୁ ନ ଥିଲା, ପିଲାଟି କିମିତିକା ଗୋଟାଏ ବାଟ କାଢ଼ି ପକାଇଲା?

ବୁଢ଼ା ଦନେଇ ମହାପାତ୍ରେ ଟାଣରେ ଦୁଇ ଟିପ ନାସ ଶୁଙ୍ଘିଦେଇ ଖନେଇ ଖନେଇ କହିଲେ, "ବୁଝିବାଁ ହେଲେଁ ମହାଁଜନ ଗୋଁସେଇଁମାନେଁ,

ଅଁଧଁର୍ମ ବିତ୍ତଁ ବଁଢ଼େଁ ବଁହୁଁତଁ। ଯିଁବାଁବେଁଳେଁ ଯାଏଁ ମୂଁଳଁ ସଁହିଁତଁ।

ସମସ୍ତେ ତ ଜାଣୁଛ, ତାହାର ସବୁ ଧନଗୁଡ଼ାକ ତଣ୍ଟିଚିପା ମଣିଷରକ୍ତ। ମାହାଳିଆଟାରେ ଲକ୍ଷାବଧି ଟଙ୍କାର ମାଲିକ ହୋଇ ବସିଲା। ଯିମିତି ଭୀମା ଟଙ୍କାରେ ମାଲିକ ହୋଇଛି, ସେହିଦିନୁ ତ ବଢ଼ି ଯାଉଛି, ଆଉ କଣ! ଏହି ଯେ କୁବ୍ରାଘର ଦେଖୁଛ, ସେଇଟା ତା ନିଜ ଘର ନୁହେଁ। ଭୀମସାହୁ ବୋଲି ଜଣକର ଘର। ଭୀମାଟା ବି ଥିଲା ବୁବ୍ରାକୁ ବଳି ତଣ୍ଟିଚିପା ବୋଲି ସରିଛି। ପୁଅ ଝିଅ ଘରେ କିଛି ନ ଥିଲା। ଗୋଟାଏ ପୋଷା ପୁଅ କରିଥିଲା ଯେ, ସେଟା ମଦ ଖାଇ ଗଞ୍ଜେଇ ଖାଇ ମଲା। କୁବ୍ରା ତା ଜାତି ପୁଅ ଲଗ୍ନିକ କେହି ନୁହେଁ, ତା ଘରେ କାରବାରିଆ ଥିଲା। ଭୀମାକୁ ଖୁବ୍ ପଟେଇ ରଖିଥାଏ। ଭୀମା ଯିମିତି ଆଖି ବୁଜିଛି, କୁବ୍ରା ଚାକର ବାକର ସମସ୍ତଙ୍କୁ ହାତ କରି ଓକିଲ ମୁକ୍ତାର ଧରି ପୋଷ୍ୟପୁତ୍ର ବୋଲି ସରକାରରୁ ବାହାଲ ହୋଇ ଆସିଲା। ପାପୀଟାର ଧନ ପାଣି ପରି ବଢ଼ି ଯାଉଛି, ଏବେ ଜାଣ ଠକ୍‌କରି ଛିଡ଼ି ପଡ଼ିବ। ଦେଶଯାକ ସନ୍ତାଇ ମାରିଲାଣି, ହଜାର ହଜାର ଲୋକଙ୍କ ଆତ୍ମା କାନ୍ଦୁଛି, ଯାହାର ସେ କିଛି କରି ନାହିଁ, ସେ ବି ଗାଳି ଦେଉଛି। ଏହି ମୋ କଥା ବୁଝ ନା, ପୁଅ ବିଭାକୁ ପଚାଶ ଟଙ୍କା କରଜ ଆଣିଥିଲି, ପନ୍ଦର ବରଷରେ ତୁଚ୍ଛା କଳନ୍ତର ଅଢ଼େଇଶ ଟଙ୍କା ଶୁଝିଛି, ପାଞ୍ଚ ଥର ଟିପ ବଦଳାବଦଳ କରି ଶେଷରେ ନାଲିଶରେ ପାଞ୍ଚଶ ଟଙ୍କା ଡିଗ୍ରୀ କରି ମୋର ତିରିଶ ତିରିଶ ମାଣ ଜମି ନିଲାମ କରି ନେଲା। ତେତିକି ଥିଲା କୁଟୁମ୍ବଙ୍କ ଭରସା। ତାଙ୍କ ମୁହଁରେ ପାଣି ଟୋପାଏ ଦେବାକୁ ଭରସା ନାହିଁ, ଦିନ ରାତି ଆତ୍ମାପୁରୁଷ-କାଉଳି ହେଉଛି, ଆଖିରୁ ପାଣି ଶୁଖୁ ନାହିଁ। ଏହି ପଞ୍ଚ ପରମେଶ୍ବର ଶୁଣନ୍ତୁ, ମୁଁ ପଇତା ଛୁଇଁ କହୁଛି, ଆଝୁଁ ତିନି ପକ୍ଷ, ତିନି ମାସ, ତିନି ବରଷ ମଧରେ ତାହାର ସର୍ବନାଶ ହେବ। ଏହା ଯଦି ନ ହୁଏ, ମୁଁ ଅବ୍ରାହ୍ମଣ, ଏ ବ୍ରହ୍ମଗଣ୍ଠି ଛିଡ଼ାଇ ପକାଇବି। ସେ ତ ଢେର ଦିନ ଆଗରୁ ଯାଇଥାନ୍ତା, କେବଳ ମା ପୁଅଙ୍କ ଧର୍ମରୁ ବର୍ତ୍ତି ରହିଛି।"

ଲକ୍ଷ୍ମଣ ମିଶ୍ରେ - ମାମୁ! ସାହୁଆଣୀ ଆଉ ବିଦ୍ୟାଧର ପାଖକୁ ଯିବା ଆସିବା କରୁଛନ୍ତି ତ? ସେହିମାନଙ୍କୁ ଧରି ପଡ଼ିଥାନ୍ତୁ।

ମାମୁଁ - ହଁ ବାପା! ମୋର ଆଉ ଉପାୟ କଣ? ଦିନେ ଦି’ଦିନ ବାଦେ ସେମାନଙ୍କ ପାଖକୁ ଯାଏଁ। ମୋର ତ ଗୋରୁ ବାଛୁରୀ ଘରତଳ ଜମି ସୁଦ୍ଧା ନିଲାମ ହୋଇ ଯାଇଛି, ଆଉ ଉପାୟ କିଛି ନାହିଁ। ସାହୁଆଣୀ ମୋ ଦୁଃଖ ଶୁଣି କାନ୍ଦି ପକାଏ। ସେହି ତ କୋଡ଼ିଏ ନଉତି ଧାନ ଆଉ ପାଞ୍ଚଟା ତଙ୍କା ଦେବାରୁ ଆଜିଯାଏ ଚଳୁଛି। କାଲି ରାତିରେ ବି ବିଦ୍ୟାଧର ପାଖକୁ ଯାଇଥିଲି। ସେ ତ ମୋତେ ଟାଣ ଜବାବ ଦେଇ କହିଲା, ‘ନନା! କାନ୍ଦ ନା, ଯେପରି ହେଉ ତୁମ ଜମି ତୁମକୁ ଦେବି। ମୁଁ ବାହାଘରରୁ ବାହୁଡ଼ି ଆସିବା ଯାଏ ସତାର କର। ତୁମେ ତ ଆମ କୁଳପୁରୋହିତ, ସଙ୍ଗରେ ତ ଅବଶ୍ୟ ଯିବ। ଶୁଣିଛି ମୋ ଶ୍ବଶୁରର ଦଶ ଲକ୍ଷ ଟଙ୍କାର ବିଷୟ, ସେ ବି ତୁମକୁ ଅବଶ୍ୟ ଭଲରୂପେ ମେଲାଣି ଦେବେ।’

କୁବେର ସାହୁ କହେ, "ମୋର କରଜା କଳନ୍ତରକୁ ଲୋଡ଼େ କିଏ? ମୋର ଗଡ଼ଜାତ ଥାଉ।" ଗଡ଼ଜାତ ସୋନପୁରଠାରୁ ଦଶପଲ୍ଲା ଯାଏ ତାହାର ଦଶ ପନ୍ଦରଟା ଗୋଦାମ। ଫି ଗୋଦାମରେ ଜଣେ ଜଣେ କରଣ, ଜଣେ ଜଣେ କାରବାରିଆ, ତାର ନିଜର କୋଡ଼ିଏ ସରିକି ବାରଗୋଡ଼ିଆ, ପନ୍ଦରଗୋଡ଼ିଆ କୁଶୁଳି, ଚକ୍‌ଚକ୍ ନାଆ ଅଛି। ବର୍ଷାଦିନେ ସେଥିରେ ସରକ ନେ ଆଣ କରେ। ନା ଛାଡ଼ି ଖରାଦିନରେ ସରକ ନେ ଆଣ କରିବା ସକାଶେ ପାଞ୍ଚ ପାଞ୍ଚ ବୋଡ଼ିଆ ଯୋଡ଼ାଏ ଥୋରି ବଳଦ ଅଛି।

ବୌଦ ଏଲାକା ହରିହରପୁର ଗୋଟିଏ ବଡ଼ ମହାଜନୀ ଗାଁ - ଠିକ୍ ମହାନଦୀ କୂଳରେ। ଗ୍ରାମର ସମସ୍ତେ ପ୍ରାୟ କାରବାରିଆ ବେପାରୀ। ପ୍ରଧାନ ମହାଜନଙ୍କ ନାମ ଯୁଧିଷ୍ଠିର ସାହୁ। ନାମର ଉପଯୁକ୍ତ ମଧ୍ୟ ଗୁଣ। ଲୋକଟି ବଡ଼ ଧାର୍ମିକ, ସତ୍ୟବନ୍ତ। ପାଞ୍ଚ ସାତ ଲକ୍ଷ ଟଙ୍କାର ବିଷୟ, ଘରେ ଠାକୁର ବାଡ଼ି, ସଦାବର୍ତ୍ତ। ସାହୁ ବୁଢ଼ା ହୋଇ ପଡ଼ିଲାଣି; ଆଉ ଏବେ ବେପାର ବଣିଜରେ ମନ ନାହିଁ। ସବୁବେଳେ ପୂଜା ପାଠ ହରିନାମ ଭଜନରେ ଲାଗିଥାଏ। ସାହୁ ଅପୁତ୍ରକ; ଗୋଟିଏ ବୋଲି ଝିଅ, ନାମ ପଦ୍ମାବତୀ - ବୟସ ପନ୍ଦର ଯାଇ ଷୋଳ ପଶିଛି। ପାଟକ ଜାତିରେ ଏତେ ବଡ଼ ଅଭିଆଡ଼ୀ କନ୍ୟା ଘରେ ରଖିବାକୁ ମନା। ସାହୁର ଇଚ୍ଛା ଗୋଟିଏ ଘର-ଜୁଆଁଇ ରଖିବ। ପାତ୍ର ଖୋଜୁ ଖୋଜୁ ଦିନ ଚାଲିଗଲା, କନ୍ୟା ଘରେ ରହିଛି। କନ୍ୟାଟି ସମସ୍ତ ସମ୍ପତ୍ତିର ଉତ୍ତରାଧିକାରିଣୀ। କୁବେରର ନଜର ପଡ଼ିଲା, ଯୁଧିଷ୍ଠିର ଘରଜୁଆଁଇ ରଖିବ, ଅନ୍ୟଆଡ଼େ କନ୍ୟାକୁ ବିଭା ଦେବ ନାହିଁ। ତା ମନକଥା ମନରେ ଥାଏ।

କୁବେର ବର୍ଷକୁ ଥରେ ସୋନପୁର ଆଡ଼କୁ କୋଠି ତନଖି କରିବାକୁ ଯାଏ। ଦୁଇ ବର୍ଷ ଭିତରେ ଦୁଇ ତିନି ଥର ଯା ଆସ କରୁଛି। ସୋନପୁର ଯିବା ବେଳେ ନାଆ ହରିହରପୁର ଗାଁ ତଳବାଟରେ ଯାଏ। ଦୈବାତ୍‌ ସେହି ଗାଁ ପାଖରେ ସଞ୍ଜ ହୋଇ ପଡ଼େ। କୁବେର ଗାଁ ପାଖ ନଦୀର ଆର କୂଳରେ ନାଆ ଖଟାଇ ରୋଷେଇ ବାସ କରେ। କୁବେର ଘରେ କେବେ ସନ୍ଧ୍ୟା କି ହରିନାମ କରିବାର କେହି ଦେଖି ନାହିଁ। ଗୋଟାଏ ବଡ଼ କୋଥଳି ସଙ୍ଗରେ ଘେନି ଯାଇଥାଏ, ନଦୀକୂଳରେ ମେଲାଇ ଦେଇ ରାତି ଛ ଘଡ଼ିଯାଏ ଆଖି ବୁଜି ବସି ଜପ କରେ। ତେତିକିବେଳେ ଚାରିଆଡ଼କୁ ଅନାଇ ତୁନି ତୁନି କାରବାରିଆଙ୍କ ସଙ୍ଗରେ ମାଲ କିଣାବିକା କଥା ଚଳେ। ହରିହରପୁରକୁ ଶୁଭୁ, ଏଥିପାଇଁ କୁବେର ବେଳେ ବେଳେ ଘଣ୍ଟା ବଜାଉ ଥାଏ।

ଯୁଧିଷ୍ଠିର ସାହୁ କୁବେର ସାହୁର ନାମ ଶୁଣିଥିଲେ, ଦେଖା ସାକ୍ଷାତ୍ ନ ଥିଲା। କୁବେର ସାହୁ ନଦୀ କୂଳରେ ଅଛନ୍ତି ଶୁଣି ଯୁଧିଷ୍ଠିର ଡଙ୍ଗା ଖଣ୍ଡିକରେ ବସି ନଦୀ ପାର ହୋଇଗଲେ। କୁବେର ଖବର ନେଉଥାଏ, ଯୁଧିଷ୍ଠିରଙ୍କ ପହଞ୍ଚିବାବେଳକୁ କୁବେର ସାହୁଏ ଧ୍ୟାନରେ ବସିଛନ୍ତି। ଘଣ୍ଟାଏ ଦି'ଘଣ୍ଟା ବିତିଗଲା, ଧ୍ୟାନ ଭାଙ୍ଗୁ ନାହିଁ। ଧ୍ୟାନ ଦେଖି ଯୁଧିଷ୍ଠିର ତ ତରଳି ଗଲେଣି। ଧ୍ୟାନ ଭାଙ୍ଗିଲା। କୁବେର ସାହୁ ଯିମିତି ଖବର ପାଇଛି, ଧାଇଁ ଯାଏ ଯୁଧିଷ୍ଠିରଙ୍କ ଗୋଡ଼ତଳେ ପଡିବାକୁ ଯାଉଥିଲା, ଯୁଧିଷ୍ଠିର କହିଲେ, "ହାଁ ହାଁ! ଏ କଣ କରୁଛନ୍ତି - ଏ କଣ କରୁଛନ୍ତି? ଆପଣ ଧର୍ମପରାୟଣ ମୁଁ ପାପୀ, ମୋ ଗୋଡ଼ତଳେ ପଡିବେ?" କୁବେର କହିଲେ, "ଏ କଣ? ଆପଣ ସ୍ଵଜାତିର ମଉଡ଼ମଣି। ଘଣ୍ଟାଏ ହେଲା ବସିଲେଣି, ମୋର ଅପରାଧ କ୍ଷମା କରନ୍ତୁ।" ଯୁଧିଷ୍ଠିର କହିଲେ, "ନାହିଁ, ମୁଁ ଆପଣଙ୍କର ଧ୍ୟାନଭଙ୍ଗ କରାଇଲି ପରା? ମୋତେ କ୍ଷମା କରନ୍ତୁ।" ଦୁଇଜଣ କୁଣ୍ଢିଆକୁଣ୍ଢେଇ ହୋଇ ଏ କହୁଛି ମୋତେ କ୍ଷମା କରନ୍ତୁ, ସେ କହୁଛି ମୋତେ କ୍ଷମା କରନ୍ତୁ। ଦୁଇଜଣ ସାଷ୍ଟାମ ହୋଇ ଖଣ୍ଡିଏ କମ୍ବଳରେ ବସିଲେ। ଯୁଧିଷ୍ଠିର ପ୍ରସ୍ତାବ କଲେ, "ଆଜ୍ଞା, ଆପଣ ହେଲେ ଆମ ଜାତିର ମଉଡ଼ମଣି। ମୋ କୁଡିଆ ପାଖରେ ପଦାରେ ନୀତି ବଢା଼ଇବେ, ମୋରେ ଯେ ମହାପାପ ହେବ। ଉଠି ଆଜ୍ଞା ହେଉ - ବିଜେ କରନ୍ତୁ - ମୋ କୁଡିଆରେ ପାଦଧୂଳି ଦେଉନ୍ତୁ। ମୋ କୁଡିଆଖଣ୍ଡ ପବିତ୍ର ହେଉ।"

ଦୁଇ ସାହୁ ଯାଇ ଠାକୁର ମେଲାରେ ବସିଲେ। ଠାକୁର ଆଗରେ ଆସନରେ ବସିବାକୁ ମନା, ଦୁହେଁ ଯାକେ ଭୂଇଁରେ ବସିଲେ। ରାତି ଅଧଯାଏଁ ଦୁଇ ସାହୁଙ୍କ ମଧ୍ୟରେ କଥାଭାଷା ଚଳିଲା। ଏ କଥା, ସେ କଥା, ବେପାର ବଣିଜ କଥା ହେଉଁ ହେଉଁ ବିଭା ପ୍ରସଙ୍ଗ ପଡିଗଲା। କୁବେର କହିଲେ, "ମୁଁ ବାପାଙ୍କ ମୁହଁରୁ ଢେରଥର ଶୁଣିଛି, ଆଗେ ଗଡ଼ଜାତ କନ୍ୟା ମୋଗଲବନ୍ଦିରେ ଥିଲେ, ମୋଗଲବନ୍ଦି କନ୍ୟା ବି ଗଡ଼ଜାତରେ ଥିଲେ। ନିହାତି ଦୂରଦୂରାନ୍ତ ବୋଲି ଊଣା ଅଧିକ ପଚାଶ ବର୍ଷ ହେଲା ବିଭା, ନେଣଦେଣ ବନ୍ଦ।" କଥା ଚଳୁ ଚଳୁ ପଦ୍ମାବତୀ ସଙ୍ଗରେ ବିଦ୍ୟାଧରର ବିଭା ପ୍ରସଙ୍ଗ ସ୍ଥିର ହୋଇଗଲା। କୁବେର କହିଲା, "ଆଜ୍ଞା, ମୁଁ ମୋଗଲବନ୍ଦି କାମ ଚଳାଇବି, ବିଦ୍ୟାଧର ବର୍ଷଯାକ ଏହିଠାରେ ରହି କାମ ଚଳାଇବ। ବିଦେଇ ତ ଆପଣଙ୍କ ପୁଅ ହେଲା। ପିଲାଲୋକ, ଜାତି ବେବସା ବୁଝି ନାହିଁ। ଆପଣଙ୍କ ଚରଣ ଧୂଳି ତା ମୁଣ୍ଡରେ ଲାଗିଲେ ସବୁ ଶିଖିଯିବ ଯେ।" ବିଭା ବିଷୟରେ ଆଉ କିଛି ସନ୍ଦେହ ନାହିଁ। ଏକାବେଳକେ ଦିନ ଠିକ୍ ହୋଇଗଲା, ଆସନ୍ତା ମକର ଶୁକ୍ଳ ସପ୍ତମୀ। ବଡ଼ ଘର କଥା ବଡ଼ ବାଜେ, ଦିନକ ମଧ୍ୟରେ କିଲ୍ଲାର ଅଧାଅଧି ଲୋକ ଜାଣିଗଲେ, କୁବେର ସାହୁ ପୁଅ ବିଦ୍ୟାଧର ସଙ୍ଗରେ ଯୁଧିଷ୍ଠିର ସାହୁ ଝିଅ ପଦ୍ମାବତୀର ବିଭା।

ବିଭା ପ୍ରସଙ୍ଗ ଛିଡିବା ବାସି ଦିନ ସନ୍ଧ୍ୟାବେଳେ ଦୁଇ ସମ୍ବନ୍ଧୀ ଦେବତାଙ୍କ ନାଟମନ୍ଦିରରେ ବସିଛନ୍ତି। କୁବେର ସାହୁ ଏ କଥା ସେ କଥା ଉତ୍ତାରେ କହିଲେ, "ସମୁଧିଏ! ସୋନପୁରରେ ମୋରେ ଢେର କାମ ଥିଲା, ଦେଖୁଛି ମୋର ଯିବାର ହେଉ ନାହିଁ। ଏଇ ବୁଝନ୍ତୁ, ମକର ମାସ ତ ମକର ମାସ, ଛାଡି ଦେଉନ୍ତୁ, କକଡାଟା ଚଳୁଛି, ଏଇଟା ବି ଧରୋଟ ଭିତରେ ନୁହେଁ। ବାକି ରହିଲା ସିଂହ କତିରୁ ଧନୁଯାଏ ମଝିରେ ପାଞ୍ଚଟା ମାସ। ଏହି ମଧ୍ୟରେ ସବୁ ଆୟୋଜନ, ଠିକ୍ ଠିକଣା କରିବାକୁ ହେବ। ତା ପୁଣି ନାଆ ଉଠାଣି ମାମଲା, ବାଟରେ ଊଣା ପୂରା ମାସେ କାଳ ଛାଡି ଦେଉନ୍ତୁ। ମାସ ଚାରିଟା ରହିଲା ହାତରେ। ମୁଁ କହୁଛି, କାଲି ସକାଳେ ଚାଲିଯାଏଁ। ଆଜ୍ଞା! କଣ ଆଜ୍ଞା ହେଉଛି?" ଯୁଧିଷ୍ଠିର ସାହୁଏ ଦଣ୍ଡେ ଆଖି ବୁଜି ବସି କହିଲେ, "ଆଉ ଯୋଡାଏ ଦିନ ରହିଗଲେ ଭଲ ହୁଅନ୍ତା ପରା। ହେଉ, ଆପଣ ଯେପରି ଭଲ ବୁଝନ୍ତି, କରନ୍ତୁ।"