ଗଳ୍ପସ୍ଵଳ୍ପ/ଗାରୁଡ଼ି ମନ୍ତ୍ର

ଉଇକିପାଠାଗାର‌ରୁ
Jump to navigation Jump to search
ଗଳ୍ପସ୍ୱଳ୍ପ ଲେଖକ/କବି: ଫକୀର ମୋହନ ସେନାପତି
ଗାରୁଡ଼ି ମନ୍ତ୍ର

ଏହିଟା ହେଲା ତିରିଶ ଚାଳିଶ ବର୍ଷ ତଳର କଥା । କଟକରେ କଲେଜ ନୂଆ ବସିଛି, ଏଫ୍.ଏ କ୍ଲାସ୍ ପର୍ଯ୍ୟନ୍ତ ପଢ଼ା ହୁଏ । ଉପର କ୍ଲାସରେ ଗୋଟି ପନ୍ଦର ଷୋଳ ଛାତ୍ର । ସେଥିମଧ୍ୟରୁ ଦଶଗୋଟି ମଫସଲିଆ, ସହର ଭିତରେ ନାନା ଜାଗାରେ ବସା କରି ରହିଛନ୍ତି । ସେତେବେଳେ କଲେଜରେ ବୋର୍ଡ଼ିଂ ନ ଥିଲା। କଟକ ଚୌଦୁରୀ ବଜାର ଭିତରେ ଗୋଟିଏ ସାଦା ଦୋମହଲା କୋଠାରେ ବସା – ଛାତ୍ରଟିର ନାମ ମଦନମୋହନ। ନାମଟି ପରି ପିଲାଟି ଦେଖିବାକୁ ମଧ୍ୟ ମଦନମୋହନ, ବୟସ ଜଣାଯାଏ ଷୋଳ ସତର ଭିତରେ। ବସାରେ ପୂଜାହାରୀ, ଗୋଟିଏ ଭଣ୍ଡାରୀ, ଆଉ ସା’ନ୍ତ ଏହି ତିନୋଟି ଲୋକ। ହେଲେ କ’ଣ, କେହି ଭାର କାନ୍ଧେଇ, କେହି ବୋଝ ମୁଣ୍ଡେଇ, କେହି ତୁଚ୍ଛା ହାତରେ ରୋଜିନା ଦୁଇ ତିନି ଜଣ ଧୂଳିଗୋଡ଼ିଆ ଲୋକ ଯା’ ଆସ କରନ୍ତି। ଦିନେ ବୋଲି ଉପୁରି ଲୋକର ଛୁଟଣ ନାହିଁ। ଜିନିସପତ୍ର ଧରି ଉପୁରିଲୋକଙ୍କ ଯା’ ଆସ କରିବାର ଦେଖି ବସା ଆଖପାଖ ଦୋକାନିଏ ବୁଝିଲେଣି, ଏହି ବାବୁ ପିଲାଟି ମଫସଲର କୌଣସି ଜମିଦାର ଘରର ପୁଅ ହେବ। ଢେର ଦିନ ପାଖରେ ଥିବା ଲୋକର ପରିଚୟ ଜାଣିବା ପାଇଁ ଲୋକଙ୍କର ସହଜରେ ଇଚ୍ଛା ବଳେ – ତା’ ଉପରେ ପୁଣି ବଡ଼ଲୋକ ହେଲେ ଲୋକେ ଆଗେ ପରିଚୟ ଖୋଜି ବସନ୍ତି। ପାଖଲୋକ ସମସ୍ତେ ଜାଣିଗଲେଣି ପିଲାଟି ବଡ଼ନଈ ପରଗନାର ଶାଳପାଳ ତାଲୁକର ଜମିଦାର ଗୋଲାପଲୋଚନ ପଟ୍ଟନାୟନଙ୍କ ପୁଅ। ଏହା ମଧ୍ୟ ଜଣାଗଲାଣି, ଜମିଦାରଙ୍କର ଏହି ଗୋଟିଏ ବୋଲି ପୁଅ। ପୃଥିବୀରେ ଯେତେ ପ୍ରକାର ହତଭାଗ୍ୟ ଲୋକ ଅଛନ୍ତି, ସେମାନଙ୍କର ଯଦି ଶ୍ରେଣିବିଭାଗ କରାଯାଏ, ଏକପୁଅ ବାପ ମା’ ନିଶ୍ଚୟ ପ୍ରଥମ ଶ୍ରେଣୀରେ ପ୍ରଥମରେ ପଡ଼ିବେ – ଏକଥା ଲେଖକ ତମ୍ବା ତୁଳସୀ ଶାଳଗ୍ରାମ ଛୁଇଁ ଦୃଢ଼ରୂପେ ବୋଲିବାକୁ ପ୍ରସ୍ତୁତ ଅଛି। ପୁଅ ଖାଇ ନାହିଁ, ବାପ ମା’ଙ୍କର ଉପାସ – ପୁଅଟିର ବେରାମ, ଆଖିରେ ନିଦ ନାହିଁ, ପେଟରେ ଭୋକ ନାହିଁ। ଦିନରାତି ବିଛଣା ପାକରେ ଜଗି ବସିଛନ୍ତି। ପୁଅଟି କାହିଁଇରେ ସୁଖରେ ରହିବ, ଦିନ ରାତି ଭାବନା। ଆପଣାର ତିନିସିଆଁ ଲୁଗା, ପୁଅ ସକାଶେ ଜଥା କିଣା ଲାଗିଛି। ଦେହର ରକ୍ତ ପରି ଟଙ୍କାଗୁଡ଼ିକ ପୁଅ ପାଇଁ ଅକାରଣ ବା ସକାରଣ ପାଣି ପରି ଖରଚ କରିବାକୁ ଟିକିଏ ହେଲେ ହାଲିଆ ହୋଇ ପଡ଼ିବେ ନାହିଁ। ପରକାଳ ଗତି ପାଇଁ ପ୍ରଭୁଙ୍କ ନାମ ଗୁଣିବାକୁ ବି ବେଳ ମିଳେ ନାହିଁ। ବାପ ମା'ଙ୍କ ପିଣ୍ଡରେ ଅଛି ପ୍ରାଣ - ମନ ରହିଛି ପୁଅ ପାଖରେ। ରୋଜିନା ପୁଅ ଦେହପା'ର ମଙ୍ଗଳ ବାତିନ ନ ପାଇଲେ ସାଆନ୍ତାଣୀ ଅଥୟ ହୋଇପଡ଼ନ୍ତି। କଟକ ସହର ଦୋକାନର ଚାଉଳଗୁଡାକ ପାଣିପଶା, ବାଲିଗୋଡି ମିଶା, ମଳୁଖିଆ। ସାନ୍ତାଣୀ ଉଆସ ମଧ୍ୟରେ ପୋଇଲୀମାନଙ୍କୁ ଲଗାଇ ଉଆଖିଆ ସରୁ ଉରିଆ କୁଟାଇ ବାହୁଙ୍ଗୀ ବେଠିଆରେ କଟକ ପଠାଇ ଦେଲେ। ତୋଟାରୁ ପାଚଲା କଦଳୀ କାନ୍ଦିଏ ଅଇଲା। ମା' ମନ କେତେକେ ବୁଝେ, ଆଗରୁ ହାଣ୍ଡିଏ ଫୁଲବଡି ପରା ହୋଇଥିଲା - ସବୁ କଟକକୁ ଘେନି ଯା। ଆଜି ପଠାଇବାକୁ କିଛି ନାହିଁ। ତୁଚ୍ଛା ହାତରେ ହେଲେ ଜଣେ ନଗଦୀ ପାଇକ ଧାଇଁଯାଇ ପୁଅକୁ ଦେଖି ଆସୁ। ରୋଜିନା ଏହିପରି ଚାଲିଛି।

ଜମିଦାର ଗୋଲାପଲୋଚନ ପଟ୍ଟନାୟକେ ଆପେ ପାଠୁଆ ନ ହେଲେ କଣ ହେଲା, ପାଠର ମର୍ଯ୍ୟାଦା ବୁଝନ୍ତି, ଏଥି ସକାଶେ ସେ ଆଖି କାନ ବୁଜି ଇଂରାଜୀ ପାଠ ପଢିବା ସକାଶେ ପୁଅକୁ ବିଦେଶକୁ ପଠାଇ ଦେଇଛନ୍ତି। ମଦନ ଉଛୁଣିକା କଲେଜର ସବା ଉପର କ୍ଲାସରେ ପଢେ। କଲେଜ ପଢା ବହି ଛାଡି ବାହାର ବହି ଢେର ପଢିଗଲାଣି । ଭେଣ୍ଡିଆମାନେ ଉପନ୍ୟାସ ପଢିବାକୁ ସୁଖ ମଣନ୍ତି । ମଦନ ବି ଢେରଗୁଡାଏ ଉପନ୍ୟାସ ପଢିଗଲାଣି। ମଦନ ପିଲାଟା ଖୁବ୍ ଗମ୍ଭୀର, ମନମରା ଲୋକ। ହେଲେ କଣ, <poem> "ଯୋଗୀକା ରୋଗୀକା ଭୋଗୀକା ନିଶାନ ଆଁଖସେ ଜାନ ଅଉର ଆଁଖସେ ପଇଛାନ।"

ପାଟି ଫିଟାଇ ନ କହୁ, ମଣିଷ ମନର କଥା ଆଖିରୁ ଧରା ପଡେ। ଦେଖା ଗଲାଣି, ମଦନ ଉପନ୍ୟାସ ବହିଖଣ୍ଡ ଧରି ଏକଧ୍ୟାନର ଭକ୍ ଭକ୍ କରି ଉପରକୁ ଅନାଇ ଢେର ବେଳ ଯାଏଁ କ'ଣ ଭାବେ। ସଞ୍ଜବେଳେ ନଈକୂଳରେ ବସି ଏହିପରି ଭାବୁଥିବାର ଦେଖାଯାଏ। ମଦନ ସାଙ୍ଗ ପଢୁଆ ହୃଦୟର ବନ୍ଧୁ ଗୋକୁଳି ବାବୁ ମଦନର ଏହିପରି ଭାବ ଦେଖି ପଚାରିଲାଣି, "ମଦନ! ଏପରି ବସି କଣ ଗୋଟାଏ ଭାବୁ ରେ?" ବନ୍ଧୁ ମନର କଥା ଫେଇ କହିଲେ ମନ ଟିକିଏ ହାଲୁକା ହୁଏ। ଦିନେ ମଦନ ହଠାତ୍ କହି ପକାଇଲା, "ଗୋକୁଳି! ଏହି ଉପନ୍ୟାସ ଖଣ୍ଡ ପଢିଲ, ନାୟକ ନାୟିକାଙ୍କର କେମନ୍ତ ମଧୁର ପ୍ରଣୟ ପଢିଲ!" ଗୋକୁଳି ହସି ହସି କହିଲେ, "ଓହୋ! ବୁଝିଛି, ତୁମେ ଏହିପରି ନାୟିକାଟିଏ ଖୋଜୁଛ ପରା?" ଦୁଇ ବନ୍ଧୁ ଖୁବ୍ ହସାହସି ହେଲେ।

ମନୁଷ୍ୟ କୌଣସି କାର୍ଯ୍ୟରେ ଲାଗିପଡିବା ଆଗେ ତାହା ମନରେ ତିନୋଟି ଅବସ୍ଥା ଘଟେ। ପ୍ରଥମେ ଅନୁଭୂତି, ଦ୍ୱିତୀୟ ଭାବନା, ତୃତୀୟ ଇଚ୍ଛା। ଗୀତୀକାର ମଧ୍ୟ ସେହିପରି କଥାଟାଏ କହିଛନ୍ତି,

"ଧ୍ୟାୟତୋ ବିଷୟାନ୍ ପୁଂସଃ ସଙ୍ଗସ୍ତେଷୂପଜାୟତେ।"

ତରୁଣ ବୟସରେ ତରଳ ମନ ପ୍ରଣୟ ଆଡକୁ ସହଜରେ ଢଳି ପଡେ। ମଦନ ଉପନ୍ୟାସରେ ନାୟକ ନାୟିକାଙ୍କ ପ୍ରଣୟ କଥା ପଢି ପଢି ସ୍ଥିର କଲାଣି, ଏହିପରି କନ୍ୟାଟିଏ ପାଇଲେ ବିଭା ହେବ। ସଙ୍ଗେ ସଙ୍ଗେ ମନରେ ପଡିଗଲା, <poem> "କୁଜୀ ପରି ନଇଁ ନଇଁ ଗୋଡ ଟିପି ଗମନା, ମୁଖଚନ୍ଦ୍ର ଆବୃତ, ହାତେ ଲମ୍ବ ଓଢଣା, ଚୁ-ଚୁ-କଥା କହେ ହାଉଡୀ ସମାନା ଘରକୋଣବାସିନୀ, ବିରସବଦନା, ମାର୍ଜାର ଶିଶୁ ପରି ମୁଦ୍ରିତନେତ୍ରା, ତୈଳହରିଦ୍ରାବିଲେପିତଗାତ୍ରା।"

ହାୟ! ହାୟ! ଦରଫୁଟିଲା ପଦ୍ମଟିକୁ ବୋରଝାଞ୍ଜିରେ ଘୋଡାଇ ପକାନ୍ତି! ଦେଶର କି କୁପ୍ରଥା! କି କୁସଂସ୍କାର। ଛି ଛି ଛି ! ଏପରି କାଠ କୁଣ୍ଢେଇଟାକୁ କିଏ ବାହା ହେବ ମ! ମୁଁ ନ ହେବି ନାହିଁ ପଛକେ ବାହା!

ଚାରି ଛ ମାସ ଉତ୍ତାରେ ଦିନେ ଫୁଲସଞ୍ଜ ସମୟ, ମୁଣ୍ଡରେ ଗାମୁଛା ଖଣ୍ଡେ ପାଗ ପରି ଗୁଡିଆ, ଅଣ୍ଟାରେ ପାଛୋଡିଖଣ୍ଡ ଭିଡା, ଆଣ୍ଠୁଯାଏ ଧୂଳି, ଅଳ୍ପ ନଇଁ ନଇଁ ଗୋଟିଏ ବୁଢା ବାଡି ଖଣ୍ଡିଏ ଠୁକ୍ ଠକ୍ କରି ବସାଘର ଦୋମହାଲା ଉପରକୁ ଉଠିଗଲେ। ହାତରେ ଢାଳଟିଏ ଧରି ପିଠିରେ ସାନ ବୋକଚାଟିଏ ପକାଇ ପଛରେ ଜଣେ ଭଣ୍ଡାରି ଚାଲିଛି। ମଦନ ବାବୁ ତାଙ୍କୁ ଦେଖି ଚମକି ପଡିଲା ପରି ହୋଇ ପଚାରିଲେ, "ଇଏ ଅଜା, ଇଏ ଅଜା! ଆପଣ କୁଆଡେ ଅଇଲେ? ଆପଣ କୁଆଡେ ଅଇଲେ? ଆରେ ଅଜାଙ୍କୁ ଗୋଡ ଧୋଇବାକୁ ପାଣି ଦେ ରେ। ଧାଇଁ ଯା ବଜାରରୁ ଜଳଖିଆ କିଣି ଆଣରେ।"

ବୃଦ୍ଧ-ହେଉ ହେଉ, ସବୁ ହେବ, ତୁ ଏଡେ ବ୍ୟସ୍ତ ହୋଇ ପଡ ନା।

ନବାଗତ ଏହି ବୁଢାଟିକୁ ଚିହ୍ନାଇଦେବା ଦରକାର, ନୋହିଲେ ପାଠକ କିଛି ଛନ୍ଦି ହେବେ। ବୃଦ୍ଧ ନବଘନ ଦାସେ ସାନ୍ତାଣୀଙ୍କ ମାମୁ, ମଦନର ଅଜା। ଦାସେ ସା'ନ୍ତଙ୍କ ଘର ଛାମୁକରଣ। ହେଲେ କଣ ହେଲା ମଦନ ଠିକ୍ ଅଜା ପରି ଭକ୍ତି କରେ, ଅଜା ବି ମୁନିବ ପୁଅ ବୋଲି ତୁମେ, ଆପଣ ନ କହି ତୁ - ଆରେ ବୋଲି ଡାକନ୍ତି, ସେହିପରି ସ୍ନେହ କରନ୍ତି। ଦାସେ ଗୋଡ ହାତ ଧୋଇ ଟିକିଏ ଅଳ୍ପ ଗଡ ଗଡି କରି ଖଣ୍ଡେ ଆସନରେ ବସିଛନ୍ତି। ଦିନେ ଆସନ୍ତି ନାହିଁ, ଆଜି କ୍ୟାଁ ଅଇଲେ। ମଦନର ମନ ଲାଗିଛି। ଯାଇ ପାଖରେ ବସିପଡି ପଚାରିଲା, "ଅଜା କ୍ୟାଁ ଆସିଛନ୍ତି, କଣ ଲୋଡା ବୋଲନ୍ତୁ, ଉଆସରେ ସବୁ ମଙ୍ଗଳ ତ?"

ବୃଦ୍ଧ-ଉଆସରେ ସବୁ ମଙ୍ଗଳ, ସମସ୍ତଙ୍କ ଦେହ - ପା' ଭଲ, ଖୁବ୍ ମଙ୍ଗଳ କଥାଟାଏ କହିବାକୁ ଦଶ କୋଶ ବାଟ ଧାଇଁ ଆସିଛି। ବୋଲିବି, ତୁ କ୍ୟାଁ ଏପରି ଛାନିଆ ହେଉଛୁ?

ମଦନ ଟିକିଏ ଲାଜ ପାଇଲା ପରି ହେଲା, ମାତ୍ର କିପରି ଝାଁ କରି କଥା ମନକୁ ବାଜିଗଲା, ଖୁବ୍ ଭଲ ମଙ୍ଗଳ କଥା। ଏଣେ ଚଞ୍ଚଳ ତ କହୁ ନାହାନ୍ତି, କଥା କଣ? ସଫା ବୁଝି ନ ପାରିଲେ କଣ ହେଲା; ମାତ୍ର ମନଟା କେମିତିକା ଗୁଡେଇ ପୁଡେଇ ହେଉଛି, ଉଦାସ ଉଦାସ ପରି ଜଣା ଯାଉଛି। ଉଠି ଯାଇ ପଢିବାକୁ ବସିଗଲା। ହେଲେ ପଢାରେ ମନ ଲାଗୁ ନାହିଁ। ଏ ବହି ଖଣ୍ଡ ସେ ବହି ଖଣ୍ଡ ତୁଚ୍ଛା ଓଲଟ ପାଲଟ କରୁଛି।

ଅଜା ନାତି ଦୁହେଁ ଖାଇ ବସିଛନ୍ତି। ଅଜା ଟିକିଏ ଗଳା ଖଙ୍କାରି ଦେଇ କଥା ଆରମ୍ଭ କଲେ, "ବୁଝିଲୁ ମଦନ, ବାପା ସାନ୍ତ ମୋତେ ପଠାଇଛନ୍ତି, ତୋତେ ଘେନି ଗାଁକୁ ଯିବି। ତୋର ବିଭାଘର।" ମଦନ ଅଜା ମୁହଁକୁ ଏକଧ୍ୟାନରେ ଚାହିଁ କଥା ଶୁଣୁଥିଲେ, "ବିଭାଘର" ଏହି କଥାଟା ଶୁଣି ତାଙ୍କ ମୁଣ୍ଡ ବୁଲାଇ ଦେଲାଣି। ହାତରୁ ଭାତଗୁଣ୍ଡାଟା କେତେବେଳେ ଖସି ପଡିଲା, ତାଙ୍କୁ ଜଣା ନାହିଁ। ଅଜା ସାନ୍ତ ଭାତଥାଳିରେ ହାତ ଦେଇ ତଳକୁ ଅନାଇ କଥା ହାଙ୍କି ଯାଉଛନ୍ତି - ମଦନଙ୍କ କାନରେ କଥାଗୁଡାକ ପଶୁଛି କି ନାହିଁ, ତାଙ୍କୁ ଜଣା। "ମଙ୍ଗଳପୁର ଜମିଦାର ରାମରାମ ଦାସଙ୍କ କନ୍ୟାଟିରେ ଏହି ପନ୍ଦର ବରଷ ପଶିଛି। ଖୁବ୍ ଡୌଲ, ଗୋଟିଏ କାଠିରେ ଗଢା, ଚମ୍ପା ଫୁଲ ପରି ରଙ୍ଗ, ଖୁବ୍ ପାଠୋଈ; ଛାନ୍ଦକୁ ଛାନ୍ଦ ଗୀତ ମୁହେଁ ମୁହେଁ ହାଙ୍କିଯାଏ । ଦେଖ ମଦନ, ମୁଁ ଢେର ଆଡେ ଲାଗି ଲାଗି ତୋ ପାଇଁ ଏହି କନ୍ୟାଟି ଠିକ୍ କରିଛି । କନ୍ୟାକୁ ଯେତେବେଳେ ଦେଖିବୁ, ଅଜା ସତୁଆ କି ମିଛୁଆ, ଜାଣିବୁ। ମୋ ପାଇଁ ବକସିସ୍ ଦରକାର। ତୋ ଆଦୁ ଅଲଗା ଗୋଟିଏ ବରମପୁରୀ ପାଟ ଜଥା ପାଇବି। କଣ କହୁଛୁ ମଦନ?" ମଦନର ଜ୍ଞାନ ଅଛି ଯେ, କଥାର ଉତ୍ତର ଦେବ? ବୋଧକରୁ, ମନ ମଧ୍ୟରେ କହୁଛି, 'ଜଥା - ନା ତୋ ମୁଣ୍ଡ ବକସିସ୍ ପାଇବୁ।' ମଦନ ରାତିସାରା ବିଛଣାରେ ପଡି ଭାବୁଛି, ଆଖିରେ ନିଦ ନାହିଁ। ଆଜିକାଲିକା ଇଂରାଜୀ ପାଠଉଆ ଭେଣ୍ଡିଆଙ୍କ ମଧ୍ୟରୁ ଗୋଟାଏ ଗୋଟାଏ ଅଦିନିଆଁ କଖାରୁ ବାହାରି ପଡନ୍ତି - ତାଙ୍କ ଜାଣିବାରେ ବାପଟା ମୂର୍ଖ, କିଛି ଜାଣେ ନାହିଁ, ସେମାନେ ଆପେ ଔପନ୍ୟାସିକ, କନ୍ୟା ବାଛି ବିଭା ହେବେ। କନ୍ୟାର ରୂପ ଗୁଣ ଘେନି ବାପ ସଙ୍ଗରେ ବୋଲାବୋଲି କରି ବସନ୍ତି। ମଦନ ସେପରି ଶ୍ରେଣୀରୁ ବାହାର। ଆଜିଯାଏଁ ବାପର କୌଣସି କଥାରେ ଜବାବ ଦେଇ ନାହିଁ। ସେ ଗୋଟିଏ କଥା ଧରିଛି, ବାପ ପରି ମଙ୍ଗଳକାମୀ ତାହାର ଆଉ ଜଗତରେ କେହି ନାହିଁ। ଅନ୍ୟ ସ୍ୱାର୍ଥପର ଲୋକଗୁଡାଙ୍କ ପାଖରୁ କିଛି ଦୂରରେ ଥାଏ । ମାତ୍ର ମଦନ ବିଭାଘର କଥା ଶୁଣି ଟିକିଏ ଲାଜ ପାଇଲାଣି, ଅଜା ମୁହଁକୁ ଅନାଇ ପାରୁନାହିଁ, ବାପକୁ ଜବାବ ଦେବ କଣ୍? ଢେର ଭାବି ଭାବି ଗୋଟାଏ କଥା ତାହା ମନରେ ପଡିଗଲା- ମୋତେ ଭଲ କରି ଇଂରେଜୀ ପଢାଇବା ପାଇଁ ବାପା ଢେର ଥର କହିଛନ୍ତି। ମଦନ ମନ ଟିକିଏ ଖୁସି ହେଲା, ଏହି କଥାଟିକୁ ସଙ୍ଖାଳି କରି ଶୋଇ ପଡିଲା।

ତହିଁ ଆରଦିନ ସକାଳେ ଅଜା ନାତି ଦୁହେଁ ଖାଇ ବସିଛନ୍ତି। ବୁଢା ମନରେ ବିଚାରିଲା, ପିଲାଟା ତ କିଛି ଜବାବ ଦେଲା ନାହିଁ - କଥା କଣ? ନାତିର ମନ ବିଡିବା ପାଇଁ ଅଜା କହି ବସିଲେ, "ବୁଝିଲୁରେ ନାତି, ଏପର୍ ଭଲ ଘର ଭାଗ୍ୟକୁ ମିଳେ। ହେବ ନାହିଁ କ୍ୟାଁ - ବାପସାନ୍ତ ଯେପରି ପୂଣ୍ୟବନ୍ତ, ତୁ ଯେପରି ପିତୃଭକ୍ତ ଧାର୍ମିକ ପିଲା ତୋତେ ଏ କନ୍ୟା ମିଳିବ ନାହିଁ ଆଉ କାହାକୁ ମିଳିବ? ଦିନେ ହେଲେ ବାପ ସାନ୍ତଙ୍କ କୌଣସି କଥାରେ ନା-ପଦ ତୋ ମୁହଁରୁ କାଢି ନାହୁଁ। ଏଥିଲାଗି ଦେଶଯାକ ତୋର ପ୍ରଶଂସା। ତୁ ପିଲାଟା ହେଲେ କଣ ହେଲା, ସବୁ ଶାସ୍ତ୍ର ବୁଝୁ। ଜାଣୁ! ଶାସ୍ତ୍ରରେ ଲେଖା ଅଛି, 'ବାପ ଯେଉଁ ପୁଅ ପ୍ରତି ସନ୍ତୁଷ୍ଟ, ସବୁ ଦେବତାଠାରୁ ସେ ବର ପାଏ।' ଆଉ ଗୋଟାଏ କଥା ବୁଝିଥା, ଏପରି ପାତ୍ରୀ ହାତରୁ ଥରେ ବାହାରି ଗଲେ ଆଉ କେଭେଁ ମିଳେ ନାହିଁ। ବାପା ସେଥିପାଇଁ ଚଞ୍ଚଳ ହୋଇ ପଡିଛନ୍ତି। ସ୍ୱୀକୃତ ହୋଇ ଗଲାଣି। ଆସନ୍ତା ମକର ସତର ଦିନ ଶୁକ୍ଳ ଦଶମୀକୁ ଲଗ୍ନ, ତେଣିକି ଲଗ୍ନ ନାହିଁ। ଆଉ ତୋର ଯୋଡା ବୟସ ପଡିବ, ବର୍ଷେ ବିଭା ବନ୍ଦ। ଯା, ସ୍କୁଲମାଷ୍ଟରଙ୍କୁ କହି ବୋଲି ତୋ ପୋଥିପତ୍ର ଘେନି ଚାଲିଆ। କାଲି ସକାଳେ ଚାଲିଯିବା। ଆଉ ଦିନ ନାହିଁ ମଝିରେ ମାସ ଯୋଡାଏ।" ମଦନ ବାବୁ ମୁଣ୍ଡପୋତି ଧୀରେ ଧୀରେ କହିଲେ, "ବାପା କହିଛନ୍ତି, ମୁଁ ଭଲକରି ଇଂରାଜୀ ପାଠଟା ପଢିବି। ବି.ଏ. ପାସ୍ ଯାଏ ପଢିବାକୁ ମୋର ବି ଇଚ୍ଛା। ବାହା ଫା ହେଲେ ମୋର ଆଉ ପାଠ ହେବ ନାହିଁ।"

ଅଜା ହଁ ହଁ, ସେ କଥା ବି ଉଆସରେ ପଡିଥିଲା। ବାପା କହିଛନ୍ତି, ତୋର ଆଉ ପଢିବାର ଦରକାଋଅ ନାହିଁ। ଆଉ ତୋର ବି.ଏ ଫିଏ ପାସ ଫାସ ଦରକାର କଣରେ? ତୁ କଣ ସରକାର ଘରେ ଚାକିରୀ କରିବୁ!

ମଦନ ବାବୁଙ୍କ ସଙ୍ଖାଳି ସରିଲା। ଫଁ କରି ନିଶ୍ୱାସଟାଏ ପକାଇ ତୁନି ହୋଇ ବସିଲେ। ଅଜା କଥା ଶୁଣି ଜୋକ ମୁହ୍ଁରେ ଲୁଣ ଦେଲା ପରି ତୁନି ହୋଇ ବସିଲେ।

ଜମିଦାରଙ୍କ ଉଆସର ଚାରିଟା ପୁର-ବାହା ଦିନଠାରୁ ସାନ ସାନ୍ତଙ୍କ ପୁର ଅଲଗା ହୋଇ ଯାଇଛି। ମଝି ଦୁଆରଟି କିଳିଦେଲେ ଦୁଇ ପୁର ସମ୍ପୂର୍ଣ୍ଣ ରୂପେ ଅଲଗା ହୋଇଯାଏ। ମଦନ ବାବୁଙ୍କ ବିଭା କାଲି ପରି ଚାରିମାସ ହୋଇଗଲାଣି। ଦିନ ରାତି ପୁର ମଧ୍ୟକୁ ଯା ଆସ କରିବାକୁ ମଦନ ବାବୁଙ୍କର ଇଚ୍ଛା; କିନ୍ତୁ ରାତି ପହରକ ଆଗରୁ ପୁର ମଧ୍ୟକୁ ଯାଇ ପାରନ୍ତି ନାହିଁ। ବାହାର କଚେରି ଘର ଲଗା ଆପଣା ବୈଠକଖାନାରେ ବସି ପଢାପଢି କରୁଥାନ୍ତି। ମଦନମୋହନଟି ବଡ ଲାଜକୁଳିଆ ପିଲା। ଦିନବେଳେ ଭିତର ଉଆସକୁ ଯିବା ସମୟରେ ପୋଇଲୀ ପରିବାରୀଗୁଡାକ କେହି ହସନ୍ତୁ ନ ହସନ୍ତୁ, ସେ ମନରେ କରନ୍ତି, ଯେମନ୍ତ ପୋଇଲୀଗୁଡାକ ହସୁଛନ୍ତି। ଆଉ ଆଉ ଜମିଦାରଙ୍କ ଘର ପରି ଏହାଙ୍କ ଉଆସରେ ଅକର୍ମା ଅସଭ୍ୟ ପୋଇଲୀଗୁଡାଏ ବି ଢେର। ସେ ଗୁଡାଙ୍କର ଆଉ ପାଇଟି କଣ୍?

ଏ ତ ଗଲା ଗୋଟାଏ କଥା। ବଡ କଥାଟା ଏହି ଯେ, ପଦୀଟା ବୋହୂ ପାଖେ ପାଖେ ଜୋକ ପରି ଲାଗି ରହିଛି। ପଦୀଟା ପୋଇଲୀ ହେଲେ କଣ ହେଲା, ତାହାର ଗୁଣ ଢେର। ଗାଁରେ ତାହାର ନାମ ଡାକ ଅଛି। ଗାଁ ମଧ୍ୟରେ କୌଣସି ସାନ୍ତଙ୍କ ଝିଅ ବିଭାଘର, ଦଶପନ୍ଦର ଦିନ ଆଗରୁ ମା ସାନ୍ତାଣୀ ପଦୀକୁ ଡାକି ନେଇ ଝିଅ ପାଖରେ ରଖି ଦିଅନ୍ତି। ଶାଶୁଘରକୁ ଯିବାବେଳେ ଝିଅ କାହାକୁ ଧରି କି କଥା କହି କିପରି ବାହୁନିବ - ଶାଶୁଘରେ କେତେ ଓଢଣା ପକାଇ କିପରି ନଇଁ ନଇଁ ଚାଲିବ, କିପରି ଚୁ-ଚୁ କଥା କହିବ, ଏ ସବୁ ସଦ୍ଗୁଣ ଶିଖାଇବାକୁ ପଦୀକୁ କେହି ବଳିଯିବ ନାହିଁ। ନିତାନ୍ତ ପରିତାପର ବିଷୟ, ଶିକ୍ଷାର, ବିଶେଷରେ ସ୍ତ୍ରୀ ଶିକ୍ଷାର ବହୁଳ ପ୍ରଚାର ଯୋଗୁ ପଦୀ ଶ୍ରେଣୀ ଗୁଣବତୀମାନଙ୍କ ଦାନାପାଣି ପ୍ରାୟ ଉଠିଗଲାଣି। ଝିଅ ବିଭା ହୋଇ ଆସିବା ବେଳେ ମଙ୍ଗଳପୁର ତାଲୁକର ଜମିଦାରାଣୀ ପଣନ୍ତକାନିରେ ଆଖି ପୋଛି ପକାଇ କହିଲେ, "ଶୁଣ ପଦୀ, ମନି ତୋତେ ଲାଗିଲା। ବୁଝି ସାବଧାନ! ଝିଅର ଢଙ୍ଗଢାଙ୍କ ଲାଜ ସରମ କଥାରେ ଯେମନ୍ତ କେହି ତୁଣ୍ଡ ନ ଫିଟାଏ, ଆମ ବଂଶକୁ ନିନ୍ଦା ବୋଲଣା ନ ଆସେ।" ପଦୀ ଖୁବ୍ ଗର୍ବରେ ମୁରକି ହସଟାଏ ହସି କହିଲା, "ଆଜ୍ଞା ମଣିମା! ଏକଥା କଣ ଆଜି ପଦୀକୁ ଶିଖାଇ ଦେବେ?"

କନ୍ୟାଟିର ନାମ ମୋହିନୀ। ରୂପରେ, ଗୁଣରେ ବି ସେହିପରି ମୋହିନୀ। ମଦନ ବାବୁଙ୍କ ମନକୁ ବଡ଼ ଲାଗିଗଲାଣି। ଭାରି ଇଚ୍ଛା, ବୋହୂଟିକୁ ଭଲକରି ପଢାଇବେ, ସବୁବେଳେ ଦୁଇ ଜଣ ବସି କଥାଭାଷା ହେବେ, ସଞ୍ଜବେଳେ ତୋଟରେ ବୁଲିବେ - ଉପାୟ କଣ? ପଦୀଟା ତ ସାଙ୍ଗେ ସାଙ୍ଗେ ଲାଗି ରହିଛି। କଣ ମନ୍ତ୍ର ପଢାଉଛି, ସେହି ମୂର୍ଖ ବୋହୂଟା ବି ଆଖି ଫିଟାଉ ନାହିଁ କି କଥା କହୁ ନାହିଁ। ଦିନେ ମଦନ ବାବୁ ଆପଣା ପଢା ଘରେ ବସି କଣ ଭାବୁଥିଲେ, ହଠାତ୍ ଖୁସିଟାଏ ହୋଇ ପାଟିକରି କହି ପକାଇଲେ, ବେଶ୍ ଉପାୟ ମନରେ ପଡିଛି, ବେଶ୍ କଥା ବେଶ୍ କଥା।'

ମଦନ ବାବୁ ପ୍ରତିଦିନ ରାତି ପହରକ ସର୍କି ଉଆସ ଭିତରକୁ ଆସୁଥିଲେ। ଏଣିକି ଢେର ଥର ମଠ ହୋଇ ଗଲାଣି, ଦିନେ ଦିନେ ଦେଢ ପହର ବି ଗଡିଯାଏ। ଦିନେ ପଦୀ ପଚାରିଲା, "ହୋଇଲୋ ଶୁକ୍ରି! ସାନ୍ତ ମଣିମାଙ୍କର ଉଆସ ଭିତରକୁ ବିଜେ ହେବାକୁ ଦିନେ ଦିନେ ଏତେ ମଠ ହୁଏ କ୍ୟାଁ?" ବଡ଼ ଉଆସରେ ଢେରଗୁଡାଏ ପୋଇଲୀ; ମାତ୍ର ସାନ ସାନ୍ତଙ୍କ ଉଆସକୁ କେହି ଯାନ୍ତି ନାହିଁ। ପୁଅ ଗୋଳମାଳକୁ ଭଲ ପାଏ ନାହିଁ। ଏଥିପାଇଁ ମା ସାନ୍ତାଣୀଙ୍କର ମନା? କେହି ପୋଇଲୀ ସାନ ସାନ୍ତଙ୍କ ଉଆସ ଭିତରକୁ ଯିବେ ନାହିଁ। କେବଳ ଶୁକ୍ରୀ ପୋଇଲୀକୁ ନମୋଦ କରି ଦେଇଛନ୍ତି - ସବୁବେଳେ ବୋହୂ ପାଖରେ ଥାଏ। ପାଠ ଘରେ ସାନ ସାନ୍ତ ଓ ଶୁକ୍ରୀ ନିରୋଳାରେ ବସି ଢେର ବେଳଯାଏ କଣ ଫୁସର-ଫାସର ହେଉ ଥିବାର କେତେ ଥର ଦେଖା ଗଲାଣି। ପଦୀ ପଚାରିବାରୁ ଶୁକ୍ରୀ କହିଲା, "ତୁ ଶୁଣି ନାହୁଁ କି ଲୋ ପଦୀ ଅପା! ସାନ୍ତ ମଣିମା ଗାରିଡି ମନ୍ତ୍ର ଫୁଙ୍କିବାକୁ ଯାନ୍ତି ପରା।"

ପଦୀ - ଗାରିଡିମନ୍ତ୍ର କଣ ଲୋ?

ଶୁକ୍ରୀ - କଣ କି, ଏ ଦେଶରେ ଏହି ଖରାଦିନିଆ ଚିତ୍ରା ନାଗ ଢେର ବାହାରି ମଣିଷଙ୍କୁ ଦଂଶି ଦିଅନ୍ତି। ସାନ୍ତଙ୍କୁ ଗାରିଡି ମନ୍ତ୍ର ଜଣା, ଫୁଙ୍କି ଦେଲେ ବିଷ ଉଡି ଯାଏ। ପଣକୁ ପଣ ରୋଗୀ ଭଲ ହୋଇ ଗଲେଣି। ଆଉ କଣ କହିବି ପଦୀ ଅପା, ଏହି ପାଖ ଗାଁ ମଛୁପୁରରେ ପୁଞ୍ଜାଏ ବୋହୂ ଠକ ଠକ କରି ମରିଗଲେ। କେଡେ ସୁନ୍ଦର ବୋହୂଗୁଡିକ ଆହା! ଆହା!

ପଦୀ - ହଁ ଲୋ ଶୁକ୍ରି। ସେଗୁଡାକ ସାନ ସାନ୍ତ ମଣିମାଙ୍କୁ କ୍ୟାଁ ବାତିନ ଦେଲେ ନାହିଁ?

ଶୁକ୍ରୀ - ହଁ, ସାନ ସାନ୍ତ ବିଜେ କରିଥିଲେ, ଢେର ଫୁଙ୍କାଫୁଙ୍କି କଲେ, ହେଲେ କଣ ହେଲା, ବୋହୂଗୁଡାକ ଆପଣା ଦୋଷରୁ ମଲେ ମ! କଥା କଣ କି, ସାନ୍ତ ଆଗେ ମତ୍ର ପାଣିରେ କାଠିମରା ରୋଗୀର ମୁହଁ ଧୋଇ ଦିଅନ୍ତି, ଆଉ ଯୁଡା ଫିଟାଇ ଦିଅନ୍ତି, ଆଉ ଗାରିଡି ମନ୍ତ୍ର ଡାକିବାବେଳେ ରୋଗୀ ମୁହଁରୁ ଲୁଗା କାଢି ସାନ୍ତଙ୍କ ମୁହଁକୁ ଚାହିଁ ରହିବା ବିଧି। ବୋହୂଗୁଡାକ ମନ୍ତ୍ର ପଢିବାବେଳେ ଯେମିତି ମୁହଁ ଢାଙ୍କି ପକାଇଲେ, ଠକ୍ ଠକ୍ କରି ଢଳି ପଡିଲେ।

ପଦୀ - ଆହା! ପାଖରେ କଣ କେହି ପୁରୁଖା ମାଇପେ ନ ଥିଲେ? ବୋହୂ ମୁହଁ ଢାଙ୍କିବାବେଳେ ତା ହାତ ଧରି ପକାଇଲେ ନାହିଁ କ୍ୟାଁ? ଜୀବନ ବଡ଼ ନା ଲଜ ବଡ଼? 'ଆପଣାକିଆକୁ ଇଲାଜ କ୍ୟା'! ହଁ ଲୋ ଶୁକ୍ରି, କାଠିମରା ରୋଗୀର ମୁଣ୍ଡବାଳ ଫିଟାଇ ଦିଅନ୍ତି, ମୁଁ ଜାଣେ।

ଶୁକ୍ରୀ - ପଦୀ ଅପା, ତୁ ତ ରୋଜିନା ସଞ୍ଜବାଦେ ନୀତି ବଢାଇବା ଲାଗି ବୋହୂସାନ୍ତାଣୀଙ୍କୁ ତୋଟାଆଡେ ଘେନିଯାଉ। ହାତରେ ଗୋଟାଏ ଆଲୁଅ ଘେନିଗଲେ ଭଲ ହୁଅନ୍ତା ପରା!

ପଦୀ - କଣ କହିଲୁ ଲୋ ଶୁକ୍ରୀ, କଣ କହିଲୁ! ଏଡେ ମହତ ଘର ପୋଇଲୀଟା ହୋଇ କଣ କଥାଟା ମୁହଁରେ ଧରିଲୁ। ଦେଶରେ ମୂଲକରେ ଗୋଟାଏ ନିନ୍ଦା ଚହଳ ପଡିଯିବ ଯେ, ହାଟୁଆ ଘର ଝିଅଟା ପରି ମଶାଲ ଜାଳି ବାରିଆଡେ ଯାଏ। ମା ସାନ୍ତାଣୀଙ୍କ କାନରେ ବାଜିଗଲେ କଣ ମୋ ଚୁଟି ପିଠି ରହିବ? ଆମ ଉଆସରେ ତ ବୋଡିକୁ ବୋଡି ପୋଇଲୀ - ମା ସାନ୍ତାଣୀ ବାଛି ବାଛି ମୋତେ ସଙ୍ଗରେ ଦେଲେ କ୍ୟାଁ? ଆଲୋ ପଦୀ ଯେବେ ସଙ୍ଗରେ ଅଛି, ଆମ ଜେମାଙ୍କର ଡର କଣ?

ସଞ୍ଜ ଗଡି ଗଲାଣି। ଘର ଭିତରେ ସବୁ ଅନ୍ଧାର। ବୋହୂଟି ଓଢ଼ଣା ପକାଇ ତୋଟା ଭିତରୁ ଧୀରେ ଧୀରେ ଚାଲିଛି। ପଦୀ ବାହାଟି ଧରି ଚଳାଇ ଆଣୂଛି। ତୋଟା ଦୁଆର ଦୁଆରବନ୍ଧ ଡେଇଁ ଯେମିତି ଘର ଭିତରକୁ ପଶିବେ, କବାଟକଣରୁ ଦେଢ଼ହାତ ଲମ୍ବ ସାପଟାଏ ବାହାରି ବୋହୂ ଆଉ ପଦୀ ଗୋଡ଼ ପାଖ ବାଟେ ହଳହଳ କରି ଚାଲିଗଲା। ପଦୀ ତ ବୋହୂଟାକୁ ପେଲି ଦେଇ 'ବୋପା ଲୋ' ବୋଲି ରଡିଟାଏ ଛାଡି ଘରେ ପଶି କବାଟ କିଳି ଦେଲାଣୀ। ବୋହୂଟା ହାଉଳି ଖାଇ ଠା ପଡିଗଲା, ଚେତା ନାହିଁ। ଶୁକ୍ରୀ ଅଳ୍ପ ଦୂରରେ ଥିଲା, ଧାଇଁ ଆସି ବୋହୂଟିକୁ କାଖେଇ ପହଡ଼ ଘର ଭିତରକୁ ଘେନିଗଲା, ମୁହଁରେ ପାଣି ଛିଞ୍ଛିବାରୁ ବୋହୂର ଚେତା ବସିଲା। ଶୁକ୍ରୀ କହିଲା, "ଆପଣ କିଛି ଡରିବେ ନାହିଁ। ସାନ୍ତଙ୍କୁ ଡାକି ଆଣୁଛି, ଏହି ଲାଗେ ଭଲ କରିଦେବେ।"

ସାନ ସାନ୍ତଙ୍କୁ ଦେଖି ବୋହୂଟାର ସାହସ ହେଲାଣି। ବରଡାପତ୍ର ପରି ଥରୁଥିଲା, ଏବେ ଓଢ଼ଣାଟି ପକାଇ ତୁନି ହୋଇ ବସିଛି। ସାନ ସାନ୍ତଙ୍କ ତୁଣ୍ଡ ଶୁଣି ପଦୀ ବି ଆସି ପହଞ୍ଚିଗଲା। ମାତ୍ର ଏ ପର୍ଯ୍ୟନ୍ତ ତା ଦେହଟା ଟିକିଏ ଟିକିଏ ଥରୁଛି, ପାଟିରୁ କଥା ବାହାରୁ ନାହିଁ। ଦୁଇଖଣ୍ଡ ଆସନ ପଡିଲା, ବୋହୂ ଆଉ ସାନ ସାନ୍ତ ମୁହାଁମୁହିଁ ହୋଇ ବସିଲେ। ସାନ୍ତ ପଚାରିବାରୁ ପଦୀ କହିଲା, "ହଁ, ମୁଁ ସାପଟାକୁ ଦେଖିଲି, ତାକୁ ବାଡେଇବା ପାଇଁ ଜେମାଙ୍କୁ ବସାଇ ଦେଇ ବାଡି ଖୋଜିବାକୁ ଧାଇଁଲି।" ଦୁଷ୍ଟ ଶୁକ୍ରୀଟା ମୁହଁରେ ଲୁଗା ଦେଇ ଟିକିଏ ହସିଲା।

ସାପ କାମୁଡିଛି କି ନାହିଁ, ସାନ୍ତ ବୋହୂ ଗୋଡ଼ ଭିଡି ଆଣି ପରଖି ବସିଲେ। ବୋହୂଟା ଗୋଡ଼ ଭିଡି ନେଉଥାଏ। ସାନ୍ତ କହିଲେ, "ହାଁ ହାଁ, ଏପରି କଲେ ମନ୍ତ୍ର କାଟୁ କରିବ ନାହିଁ। ଦେଖାଗଲା, ବୋହୂ ବାଁ ଗୋଇଠିରେ ଘାଉଡ଼ ହୋଇଛି। ସାନ୍ତ କହିଲେ, "ହଁ ହଁ ସତ - ପଦୀ କଥା ସତ, ଏଟା ଚିତ୍ରା ନାଗ, ଦେଖୁ ନାହଁ, ଗୋଟାଏ ଦାନ୍ତ ବସିଛି। ଏ ନାଗର ଗୋଟାଏ ବୋଲି ଦାନ୍ତ। ଚିନ୍ତା ନାହିଁ। ଦି'କଲି ମନ୍ତ୍ର ଡାକି ଦେଲେ ସବୁ ବିଷ ହରିଯିବ। ଆଲୋ ଶୁକ୍ରୀ, ଯା, ଡେବିରି ହାତରେ ପୋଖରୀରୁ କଂସାଏ ପାଣି ଆଣ- ଡେବିରି ଆଖି ବୁଜି ଯିବୁ - ସାପର ଗୋଟାଏ ଦାନ୍ତ ପରା!"

ସାନ୍ତ - 'ହଁ, ଏବେ ମୁହଁରୁ ଲୁଗା କାଢ଼।' ବୋହୂ ଓଢ଼ଣାଟାକୁ ଆହୁରି ଭିଡି ଦେଉଛି। ପଦୀ 'ଆଗୋ ମା! ଓଢ଼ଣା କାଢ଼, ଓଢ଼ଣା କାଢ଼' କହି ଆଗେ ଓଢ଼ଣାଟା କାଢି ପକାଇଲା। ବୋହୂଟା ଭିଡି ମୋଡି ହେଉଥାଏ। ପଦୀ ଆଉ ଶୁକ୍ରୀ ଦୁହେଁଯାକ ବୋହୂର ଦୁଇବାହୁ ଆଣ୍ଟ କରି ଧରି ବସିଥାନ୍ତି। ସାନ୍ତ ବୋହୂର ଯୁଡା ଫିଟାଇ ପକାଇଲେ। ଯୁଡା ଫିଟାଇବାବେଳେ ବୋହୂଟା କଡ଼ ଭିଡି ମୋଡି ହେଲା, ପଦୀ ମୁଣ୍ଡରେ ପିଠିରେ ହାତ ବୁଲାଇ ବହୁତ ହେମତ୍ ଦେଉଥାଏ। ବୋହୂଟା ଆଉ କଣ କରିବ, ଯୋଡାଏ ମାଇକିନିଆ ଆଣ୍ଟ କରି ଧରିଛନ୍ତି, ପଦୀ ପିଠିରେ ହାତ ବୁଲାଇ ହେମତ୍ ଦେଉଥାଏ। ସାନ୍ତ ପାଣି କଂସାକ ମନ୍ତ୍ରି ବୋହୂ ମୁହଁ, ଘାଉଡ଼ ଜାଗା ତିନି ଥର କରି ଧୋଇ ଦେଲେ। ତାହା ବାଦେ କହିଲେ, "ଏବେ ମୁଁ ଗାରିଡି ଡାକିବି, ମୋ ମୁହଁକୁ ଏକଧ୍ୟାନରେ ଚାହିଁ ରହିବାକୁ ହେବ।" ଏଣେ ଜୀବନବିକଳ କଥା, ତେଣେ ମାଇକିନିଆ ଦୁଇଟାଙ୍କ ପାଟି - 'ଚାହଁ ଚାହଁ।' ବଡ଼ କଷ୍ଟରେ ବୋହୂ ମୁଣ୍ଡଟାକୁ ଟିକିଏ ଓହଳାଇ ସାନ୍ତଙ୍କୁ ଏକଧ୍ୟାନରେ ଚାହିଁ ରହିଲା। ବାବୁ ଗାରିଡି ମନ୍ତ୍ର ଡାକିଲେ -

"ଅଂ କାଳନ୍ଦୀ ହ୍ରଦରେ ଥିଲା କାଳୀ; କୃଷ୍ଣ ଗଲେ ପଦ୍ମ ତୋଳି; କାଳୀ ଦେଲା କାମୁଡି; ଶ୍ରୀକୃଷ୍ଣ ଗଲେ ପଡି। ଗରୁଡ଼ ଐଲା ଭିଡି କରି; ବିଷ ଗଲା ଘା ମୁହଁରେ ହରି।" ଆ-ଫୁ-ଆ-ଫୁ-ଆ-ଫୁ-

ଏହିପରି ସାତଥର ମନ୍ତ୍ର ପଢିସାରି ରୋଗିଣୀ ବେଅରେ ଖଣ୍ଡେ ମନ୍ତ୍ର ସୂତା ବାନ୍ଧିଦେଲେ। ସାନ୍ତ କହିଗଲେ, 'ଚିତ୍ରା ନାଗ ସାପ ବିଷ ପାଞ୍ଚଦିନ ରହେ - ପାଞ୍ଚଦିନ ସକାଳ ସଞ୍ଜ ମନ୍ତ୍ର ଫୁଙ୍କାଯିବ।'

ସାନ୍ତ ଦେଖିଲେ, ରୋଗିଣୀ ଦେହରୁ ଅସଲ ବିଷଟା ଢେର ଛାଡି ଗଲାଣି। ମନ୍ତ୍ର ଫୁଙ୍କାବେଳେ ବୋହୂଟା ଖୁବ ବଳରେ ଓଠ କାମୁଡି ରହୁଛି, ହସ ସମ୍ଭାଳି ପାରୁ ନାହିଁ। ପଞ୍ଚମ ଦିନ ସକାଳେ ସାନ୍ତ କହିଲେ, "ବୋହୂ ବେକରେ ଯେଉଁ ସୂତା ବନ୍ଧା ହୋଇଛି, ଶନିବାର ବଡି ସକାଳେ ଜଣେ ବିଧବା ସ୍ତ୍ରୀ ଅଧୁଆମୁହଁରେ ଡେବିରି ହାତରେ ସେ ସୂତା ଛିଣ୍ଡାଇ ନେଇ ଏକମୁହାଁ ଚାଲିଯିବ, ଚିନି ମାସ ତିନି ପକ୍ଷ ତିନି ଦିନ ଦେଖା ଦେବ ନାହିଁ।" ପଦୀ ଚଞ୍ଚଳ କହି ପକାଇଲା, "ଆଉ କାହା ହାତରେ ହେବ ନାହିଁ, ମୁଁ ସୂତା ଛିଣ୍ଡାଇ ନେଇଯିବି।" ସାନ୍ତ ତ ସେହି କଥା ଖୋଜୁଥିଲେ, ମନରେ ବଡ଼ ଖୁସି। ପଦୀ ମନରେ ବି ବଡ଼ ଆନନ୍ଦ - 'ଭଲ ହେଲା, ଗାଁକୁ ପଳାଇବା, ଏ ସାପୁଆ ମୁଲକରେ କିଏ ରବିବ ମ?'

ମାସେ ଦୁଇମାସ ବିତି ଗଲାଣି, ସ୍ତ୍ରୀ ପୁରୁଷ ଦୁଇଜଣ ଉଆସ ଭିତରେ ବସି ପଢାପଢି କରନ୍ତି। ଉଆସ ପଛ ତୋଟା ନିରୋଳା। ଦୁଇଜଣ ଫୁଲ ବଗିଚାରେ ସଞ୍ଜବେଳେ ବୁଲାବୁଲି କରନ୍ତି। ମୋହିନୀଟି ବୁଦ୍ଧିମତୀ, ଗୁଡାଏ ପଢି ଗଲାଣି।

ଦିନେ ମୋହିନୀ ହସି ହସି କହିଲା, "ହଁ ହେ, ତୁମେ ଏଡେ ଦୁଷ୍ଟ ନା?" ଖଣ୍ଡେ କାଗଜ, ଖଣ୍ଡେ ଡାଙ୍ଗ ପଲଙ୍କ ତଳୁ କାଢି ଆଣିଲା - ତିନି ଆଙ୍ଗୁଳି ଅନ୍ଦାଜ ଚୌଡା, ଦେଢ଼ହାତ ଲମ୍ବ ଖଣ୍ଡେ କାଗଜ - କଳା ଆଉ ହଳଦୀରେ ଚିତ୍ର ହୋଇଛି ଏକ ପାଖ ମୁଣ୍ଡରେ ଖଣ୍ଡେ ଗେଙ୍ଗୁଟି ବନ୍ଧା। ସେହି ଗେଙ୍ଗୁଟିଟା ଧରି ଫୋପାଡି ଦେଲେ କାଗଜ ଖଣ୍ଡକ ହଳହଳ ହୋଇ ସାପପରି ଚାଲିଯାଏ। ଆଉ ଖଣ୍ଡେ ବାଉଁଶକଣି ଆଗରେ ଗୋଟାଏ କଣ୍ଟା ବନ୍ଧା। ମୋହିନୀ ହସି ହସି କହିଲା, "ତୁମେ ଏଡେ ଦୁଷ୍ଟ, କବାଟ କଣରୁ କାଗଜ ଖଣ୍ଡ ଫୋପାଡି ଦେଇ କଣ୍ଟାଟା ଫୁଟାଇ ଦେଲ?" ମଦନ ବାବୁ କହିଲେ, "ହୋଇ ଲୋ ଶୁକ୍ରୀ, ୟାଙ୍କୁ କହିଦେଲୁ କ୍ୟାଁ? ସାପ ଦେଖାଇଲୁ କ୍ୟାଁ?" ଶୁକ୍ରୀ ହସି ହସି ପଳାଇଲା।