ଗଳ୍ପସ୍ଵଳ୍ପ/ପେଟେଣ୍ଟ ମେଡିସିନ

ଉଇକିପାଠାଗାର ରୁ
Jump to navigation Jump to search
ଗଳ୍ପସ୍ଵଳ୍ପ ଲେଖକ/କବି: ଫକୀର ମୋହନ ସେନାପତି
ପେଟେଣ୍ଟ ମେଡିସିନ

ସାଆନ୍ତାଣୀଙ୍କର ଟାଣୁଆ ହୁକୁମ ଜାରି, ରାତି ତ ରାତି, ଦିନବେଳେ ବି ବାବୁ ଘରୁ ଗୋଡ଼ କାଢ଼ି କାହିଁ ଯାଇପାରିବେ ନାହିଁ । “କ୍ୟାଁ ଯିବ? କ’ଣ ଲୋଡ଼ା ? ଯାହା କରିବାକୁ ହେବ, ଘରେ ବସି କର । ଲେଖ, ପଢ଼, ଖବରଦାର ବାହାରକୁ ବାହାରିବ ନାହିଁ ।” ବାବୁଙ୍କ ନିହାତି କୁହାବୋଲା ଆକୁଳ ବିକଳରେ ହୁକୁମ ହୋଇଛି – ସକାଳେ ପା ଘଣ୍ଟା ଲାଗି ଦାଣ୍ଡ ଦୁଆର ପାଖ ସଡ଼କରେ ବୁଲିପାରିବେ । ତା’ ବି ବହୁତ ଦୂରକୁ ଯାଇ ପାରିବେ ନାହିଁ, କବାଟ ଫାଙ୍କ ବାଟେ ଅନାଇଲେ ଯେମନ୍ତ ଦିଶୁଥିବ ।

ସକାଳ ସାତଟା ଅନ୍ଦାଜ ବେଳ ହେବ, ବାବୁ ଚନ୍ଦ୍ରମଣି ପଟ୍ଟାନାୟକେ ଦାଣ୍ଡଦୁଆର ଆଗ ସଡ଼କରେ ବୁଲୁଛନ୍ତି । ହଠାତ୍ ଅନାଇ ଦେଇ ଦେଖିଲେ, ଚାରି ପଞ୍ଚାଶ କଦମ ଦୂରରେ ଗୋଟାଏ ଲୋକ ଛିଡ଼ା ହୋଇ ତାଙ୍କୁ ଏକ ଧ୍ୟାନରେ ଅନାଇଛି । ବାବୁଙ୍କ ନଜର ତା’ ଉପରେ ଯିମିତି ପଡ଼ିଛି, ସେ ହାତ ଠାରି ଡାକିଲା । ବାବୁ ଭଲ କରି ଅନାଇ ଦେଖିଲେ, ‘ଓହୋ! ଏ ତ ସେହି ଭଦରଖିଆ ଟୋକାରେ !’ ମନ ମଧ୍ୟରେ ଭାରି ଖୁସିଟାଏ ହେଲେ, ପାଖକୁ ଆସିବା ଲାଗି ହାତ ଠାରିଦେଲେ, ଆପେ ବେ ଆପଣା ଦୁଆରକୁ ଅନାଇ ଅନାଇ ଅଳ୍ପ ଅଳ୍ପ ଆଗେଇ ଆଗେଇ ଯାଉଥାନ୍ତି । ଯିମିତି ସେ ଟୋକାର ପାଖ ପାଖ ହେଲେ, ଦୁଆର ଆଡ଼କୁ ମୁହଁ କରି ପଛକୁ ଡେବିରି ହାତଟା ବଢ଼େଇ ଦେଲେ । ଟୋକାଟା ବାବୁଙ୍କ ହାତରେ ଚିଠି ଖଣ୍ଡେ ଯାକି ଦେଇ ଝଟ୍ ଲେଉଟି ପଡ଼ି ଚାଲିଗଲା। ବାବୁ ଚିଠି ଖଣ୍ଡ ମୁଠେଇ ଧରି ଥା’ନ୍ତି, ତେତେବେଳେ ପଢ଼ିଲେ ନାହିଁ, ଦୁଆର ପାଖିଆ ଆସି ଭଲ କରି କବାଟ ଫାଙ୍କକୁ ଅନାଇଲେ। ଚିଠି ଖଣ୍ଡ ପଢ଼ି ଟିକି ଟିକି କରି ଛିଣ୍ଡେଇ ପକେଇ ପବନରେ ଉଡ଼ଇ ଦେଲେ ।

ଘର ଭିତରକୁ ଆସି ଖୁବ୍ ସ୍ନେହରେ ଖୁବ୍ କଅଁଳରେ ଡାକିଲେ, “ଆଗୋ ! ଆଗୋ ! ଶୁଣୁଛ ନା – ଟିକିଏ ଶୁଣିଗଲ !” ଘର ଭିତରୁ ଗୋଟାଏ ଭାରି ଚଢ଼ା ଗଳା ଶୁଭିଲା, “ଓହୋ ! ଆଜି ଯେ ଭାରି ପ୍ରେମ ଡାକ ! କଥା କ’ଣ ? ମୋର ତ ଭାରି କପାଳ ଦେଖୁଛି ! କ’ଣ କହୁଛ କହ ।”

ବାବୁ କହିଲେ – ଶୁଣିଛ, ଆଜିକି ଚାରି ଦିନ ହେଲା ରୋଜ ରୋଜ ରାତିରେ ମୋ’ ମୁଣ୍ଡ ବୁଲାଏ – ପେଟ ବି ଟାଣେ । ଦେହ ବଡ଼ ଝିମ୍ ଝିମ୍ କରେ, ବଡ଼ କଷ୍ଟ ହୁଏ – ଭାରି କଷ୍ଟ ।

ସାଆନ୍ତାଣୀ କହିଲେ ହେଇ ହେଲା, ଆହୁରି ଗୋଟାଏ କ’ଣ ପ୍ରେମ ବାହାରିଲାଣି । ସେ ଯେ ଗଞ୍ଜେଇ – ମଦ – ମଦତ – ନିଆଁ ପାଉଁଶ ନିଶା ଗୁଡ଼ାକ ଖାଇଥିଲ, ତାହାରି ଫିସାଦ। ନିଶାଗୁଡ଼ାକର କ’ଣ ଊଣା ଗୁଣ? ପୃଥ୍ଵୀଯାକ ବେମାରି ଦେହରେ । ଏଣେ ତିନି ତିନି ଜାଗା ଚାକିରି ହେଲା, ଗଲା । ଲୋକେ କେତେ ଛି ଛାକର କରୁଛନ୍ତି, କେତେ ଟଙ୍କା ବରବାଦ କରିଦେଲ ! ଗଲା ଯାଉ ଚାକିରି, ଯାଉ ଟଙ୍କା, ଯାହା ହେବାର ତ ହୋଇଗଲା, ଏଣିକି ଦିହଟା ଭଲା ସୁଧରି ଯାଉ । ଚାରି ମାସ କାଳ ଜଗି ଜଗି ଟିକିଏ ଭଲ କରିଥିଲେ, ନିଶାଗୁଡ଼ାକ ଛାଡ଼ିବାରୁ ଟିକିଏ ଭଲ ଥିଲ – ପୁଣି ତାହାରି କ’ଣ ପୁରୁଣା ଫିସାଦଟାଏ ବାହାରିଲାଣି?

ଚନ୍ଦ୍ରମଣି ବାବୁ କହିଲେ – ନାହିଁ ଗୋ ନାହିଁ – ସେ କଥା ନୁହେଁ ଯେ, ଆଜି ସକାଳେ ମାଧବାଚାର୍ଯ୍ୟ ଖଡ଼ିରତ୍ନଙ୍କ ସଙ୍ଗରେ ଭେଟ ହୋଇଥିଲା । ସେ ମୋ’ କୋଷ୍ଠି ଗଣି କହିଲେ, ‘ମୋର କକଡ଼ା ରାଶିକୁ ବିଛା ରାଶି ଶନିସପ୍ତା ହୋଇଛି । ଏଇଟା ତାହାରି ଫିସାଦ, କିଛି ପୁଣ୍ୟ କାର୍ଯ୍ୟ କରିଦେଲେ ସବୁ ଦୋଷ କଟିଯିବ ।

ସା’ନ୍ତାଣୀ – କ’ଣ ପୁଣ୍ୟ କାର୍ଯ୍ୟ କରିବାକୁ ଖଡ଼ିରତ୍ନେ କହିଲେ?

ଚନ୍ଦ୍ରମଣି ବାବୁ – ମୁଁ ତିନି ଦିନ ଲାଗି ଯାଇ ଭୁବନେଶ୍ଵର, ଖଣ୍ଡଗିରି, ଉଦୟଗିରିରେ ଯେତେ ମହାଦେବ ଅଛନ୍ତି, ସମସ୍ତଙ୍କୁ ଦର୍ଶନ କରିବି, କିଛି ଟଙ୍କା ଘେନି ଯାଇଥିବି, ବ୍ରହ୍ମଣ ମାନଙ୍କୁ ଦେଲେ ସେମାନେ ଶହେ ମାଠିଆ – ନା ନା, ହଜାରେ କୁମ୍ଭ – ନାହିଁ ନାହିଁ ସହସ୍ର କୁମ୍ଭ ପୂଜା କରିବେ; ସବୁ ଦୋଷ, ସବୁ ଗ୍ରହ ଅବଳ ଏକାବେଳକେ କଟିଯିବ । ଦେବ ଖୁବ୍ ଆଚ୍ଛା ହୋଇଯିବ, ଆଉ ନିଶାଫିସା ଖାଇବାକୁ ମନ ବଳିବ ନାହିଁ ।

ସା’ନ୍ତାଣୀଙ୍କ ମନକୁ ଟିକିଏ କିମିତିକା ଧୋକା ଛୁଇଁଲା । କହିଲେ, “ଖଡ଼ିରତ୍ନେ ଆସିଥିଲେ, କାହିଁ ମୁଁ ଶୁଣି ନାହିଁ?”

ବାବୁ କହିଲେ – ନାହିଁ, ନାହିଁ ସେ ଆସି ନାହାନ୍ତି, ତାଙ୍କ ପୁଅ ଆସିଥିଲା ।

ସା’ନ୍ତାଣୀ – ତାଙ୍କର ପୁଣି ପୁଅଟାଏ କାହୁଁ ଅଇଲା?

ବାବୁ – ଓ ନାହିଁ ନାହିଁ, ତାଙ୍କର ଚାକର ହାତରେ କହି ପଠାଇଥିଲେ ।

ସା’ନ୍ତାଣୀ ବାବୁଙ୍କ ମୁହଁକୁ ଭଲ କରି ଅନାଇଲେ, ମନରେ କଲେ ଏ ସବୁ ମିଛ କଥା, ତିନି ଦିନ ଲାଗି ଯାଇ କେଉଁଠି ମତୁଆଲାମାନଙ୍କ ସଙ୍ଗରେ ପଡ଼ି ମଦ ଖାଇବେ, ନୋହିଲେ ତେଲଙ୍ଗା ବଜାର କାହା ଓଳିରେ ପଡ଼ିବେ । କେତେ ମୁଷ୍କିଲରେ ଟିକିଏ ଭଲ ବାଟକୁ ଆଣିଛି, ନଜରରୁ ଉହାଡ଼ ହେଲେ କ’ଣ ବୋଲି କ’ଣ କରି ପକାଇବେ। ଖୁବ୍ ଗୋଟାଏ ପାଟି କରି କହିଲେ, “ନାହିଁ ନାହିଁ, ଗୁମ ଭୁବନେଶ୍ଵର ଫୁବନେଶ୍ଵର କାହିଁ ଯାଇ ପାରିବ ନାହିଁ, ଘରେ ବସି ଥାଅ ।”

ବାବୁ କହିଲେ – ହଁ, ସତ – ସତ, ଠିକ୍ କହିଲ, କୁଆଡ଼େ ତିନି ଦିନ ଯାଏ ଯିବି? ଆଚ୍ଛା, ମୁଁ ଉଛୁଣି ଯାଉଛି, ଧବଳେଶ୍ଵର ମହାଦେବଙ୍କୁ ଦର୍ଶନ କରି ସଞ୍ଜ ସଞ୍ଜ ଲେଉଟି ଆସିବି ।

ସା’ନ୍ତାଣୀ – ନା – ନା, ତାହା ବି ହେବ ନାହିଁ ।

ବାବୁ – ଆଚ୍ଛା ନ ହେଲା ନାହିଁ, ଗୋଟା କେତେ ଟଙ୍କା ଦେଲ, କଟକ ସହର ଭିତରେ ଯେତେ ମହାଦେବ ଅଛନ୍ତି, ପୂଜା କରି ବାହାରି ଆସେଁ ।

ସା’ନ୍ତାଣୀ – ଆଛା ମକ୍ରାକୁ କହ, ଗୋଟାଏ ବଗି ଡାକି ଆଣୁ, ଦୁହେଁ ଯାଇ ଠାକୁର ଦର୍ଶନ କରିବା, ପୂଜା ଦେବା ।

ବାବୁ ନିଶ୍ୱାସଟାଏ ପକାଇ ଚାଲିଗଲେ । ଗୋଟାଏ ଜାଗାରେ ବସି ଟିକିଏ ଚିନ୍ତା କଲେ। ଆରେ ! ଭଲ ଫିକରଟାଏ ମନରେ ପଡ଼ିଗଲା ! ବାହାବା ! ଆଛା କଥା ! “ଆଗୋ ଶୁଣୁଛ ? ମୋ ଦେହଟା ବି ଭଲ ନାହିଁ; ବାର ଆଡ଼େ ବୁଲିଲେ ଫେର କିଛି ଗୋଟାଏ ବେମାର ବାହାରି ପଡ଼ିପାରେ । ଖଡ଼ିରତ୍ନେ ଏ କଥା ବି କହିଛନ୍ତି, କୁଆଡ଼େ ନ ଯାଇ ମହାଦେବଙ୍କୁ ଧାରଣା କଲେ ସବୁ ରୋଗ ଛାଡ଼ିଯିବ ।”

ସା’ନ୍ତାଣୀ – ସେ ଧାରଣା କି’ ରକମ ?

ବାବୁ – ରକମ କ’ଣ କି, ଜ୍ୟୋତିଷେ କହିଛନ୍ତି, ପୂରା ପାଞ୍ଚ ପହର କାଳ – ଧର – ପାଞ୍ଚ ପହର ହେଲେ ଏତେବେଳୁ ରାତି ନ’ଟା ଯାଏ, ଖଣ୍ଡେ ବଡ଼ କମ୍ବଳ ଘୋଡ଼ି ହୋଇ ମୁହଁ ମାଡ଼ି ଲମ୍ବ ହୋଇ ଶୋଇ ପଡ଼ିବି । ଆଉ କିଛି କଥା ମନରେ ନ କରି ପୃଥିବୀରେ ଯେତେ ଠାକୁର ଦେବତା ଅଛନ୍ତି, ସମସ୍ତଙ୍କୁ ଧ୍ୟାନ କରୁଥିବି ।

ସା’ନ୍ତାଣୀ କହିଲେ – ତାହା ହେଲେ ସବୁ ଗ୍ରହ ଅବଳ କଟି ଯିବ ତ ?

ବାବୁ ମନ ମଧ୍ୟରେ ଖୁସୁଟାଏ ହୋଇ କହିଲେ – “ହଁ, ହଁ, ଖଡ଼ିରତ୍ନେ କହିଛନ୍ତି, ବିଲକୁଲ ଗ୍ରହ ଅବଳ କଟିଯିବ । ସେ ଆହୁରି ବି ଗୋଟାଏ କଥା ବାରମ୍ବାର କରି କହି ଦେଇଛନ୍ତି। ଦଶଟି ଟଙ୍କା ଠାକୁରଙ୍କ ନାମରେ ମନାସି ମୁଣ୍ଡ ତଳେ ଦେଇଥିବି, ମାସକ ବାଦ ଦେହ ଭଲ ହୋଇ ଗଲେ ସେଇ ଟଙ୍କାରେ ଠାକୁର ପୂଜା ଆଉ ବ୍ରାହ୍ମଣ ବୈଷ୍ଣବଙ୍କୁ ଭୋଜନ ଦିଆଯିବ ।”

ସା’ନ୍ତାଣୀ – ଆଜି କ’ଣ କିଛି ଖାଇବ ନାହିଁ?

ବାବୁ – ରାମ ! ରାମ ! ଠାକୁର ଦେବତା ଧ୍ୟାନ ବେଳେ କିଛି କ’ଣ ଖା’ନ୍ତି? ଦିନ ଯାକ ଓପାସ – ଟୋପାଏ ପାଣି ବି ନା ।

ସା’ନ୍ତାଣୀ ନିଶ୍ଵାସଟାଏ ପକାଇ କହିଲେ – ଆଚ୍ଛା, ତେବେ ଧାରଣା ଦିଅ ।

ବାବୁ କହିଲେ – ଆଉ ଗୋଟାଏ କଥା, ଧାରଣା ଘର ମଧ୍ୟରେ ହେବ ନାହିଁ, ପବିତ୍ର ଥାନ ଲୋଡ଼ା। ଘରେ ଆଇଁଷ ରନ୍ଧା ଯାଏ – ଧୂଆଁ ବୁଲି ଅପବିତ୍ର ହୋଇ ଯାଇଛି । ଆଉ ଦେବତା ତ ନୁହନ୍ତି; ହର ପାର୍ବତୀ କଥା । ଦାଣ୍ଡ ବଙ୍ଗଳା ପାଖରେ ଯେଉଁ ସାନ ଗମ୍ଭୀରି ଘର ସେହି ଘରଟି ପବିତ୍ର । ସେ ଘର ନିରୋଳା ହେବ। ଖୁବ୍ ସାବଧାନ ! ସେ ଘରେ ତିର୍ଲା ଲୋକ ଛାଇ ପଡ଼ିଲେ – ପାଟି ଶୁଭିଲେ ଧ୍ୟାନ ଫଳ ମିଳିବ ନାହିଁ, ସବୁ ଅକାରଣ ହୋଇ ଯିବ। ସାବଧାନ ! ସେ ପ୍ରସ୍ତରେ କେହି ତିର୍ଲା ଲୋକ ଛାଇ ପଡ଼ିବ ନାହିଁ – ପାଟି ବି ଶୁଭିବ ନାହିଁ ।

ସା’ନ୍ତାଣୀ ବାବୁଙ୍କ କଷ୍ଟ କଥା ମନରେ ପକାଇ ଭାରି ମନୋଦୁଃଖ କରି ଘର ଭିତରକୁ ଚାଲିଗଲେ । ତେତିକିବେଳେ ରୋଷେୟା ବ୍ରାହ୍ମଣ ଆସି ପଚାରିଲା, “ଆଜ୍ଞା ! ଆଜି କ’ଣ ରୋଷେଇ ହେବ ?”

ସା’ନ୍ତାଣୀ – ଆଜି ବାବୁଙ୍କର ଓପାସ, ମୁଁ ଆଉ କ’ଣ ଖାଇବି? ରୋଷେଇ ସବୁ ବନ୍ଦ ।

ରୋଷେୟା ବ୍ରାହ୍ମଣ ଟିକିଏ ମୁରକିହସା ଦେଇ ଚାଲିଗଲା । ମନରେ ବିଚାରିଲା, ଆମ ସା’ନ୍ତାଣୀ ଗୋଟିଏ ଅଦ୍ଭୁତ ସ୍ତ୍ରୀ, ସ୍ଵାମୀ ଉପରେ ଭକ୍ତିର ସୀମା ନାହିଁ, ବାବୁ ଟିକିଏ ବାଧକି ପଡ଼ିଲେ, ଆପେ ନ ଖାଇ ନ ପିଇ ଦିନ ଯାକ ପାଖରେ ବସି ସେବା କରୁଥିବେ, ଆଉ ରାଗିଲେ ତ ବାଡ଼ି ପଡୁ, ଛାଞ୍ଚୁଣି ପଡୁ, ଯାହା ହାତରେ ପଡୁ ବାଡ଼େଇବାକୁ ଧାଇଁବେ – ଯାବତ ଖରାପ କଥାରେ ଗାଳି ଦେବେ । ହେଲେ ସା’ନ୍ତାଣୀଟି ବଡ଼ ଭଲ, ବଡ଼ ଲୋକ ଝିଅ, ବଡ଼ ଲୋକ ବୋହୂ, ମନ ବି ସେଇପରି ବଡ଼; ମାତ୍ର ଟିକିଏ ରାଗୀ, ମୁହଁଟା ବଡ଼ କଡ଼ା ।

ବାବୁ ମକ୍ରା ଚାକର ଟୋକାକୁ ଦାଣ୍ଡପଟକୁ ଡାକି ଖୁବ୍ ତୁନି ତୁନି ଖୁବ୍ ସାକୁଲେ ସାକୁଲେ କହିଲେ, ‘ଶୁଣ ମକରୁ, ଗୋଟାଏ କାମ ମୋ’ ପାଇଁ କରିବୁ । ଏହି କମ୍ବଳ ଖଣ୍ଡ ଘୋଡ଼ି ହୋଇ ଗମ୍ଭୀରି ଭିତରେ କବାଟକୁ ଆଉଜି ଶୋଇ ଥା’ । ରାତି ଘଡ଼ିକ ସରିକି ମୁଁ ଲେଉଟି ଆସିବି, ତେତେବେଳ ଯାଇ ଶୋଇଥିବୁ । ଖବରଦାର! ଘରୁ ବାହାରିବୁ ନାହିଁ ।’

ମକ୍ରା – ଆଜ୍ଞା ନା, ଆଜ୍ଞା ନା, ମୁଁ ପାରିବି ନାହିଁ, ସା’ନ୍ତାଣୀ ଗାଳି ଦେବେ, ଖପା ହେବେ ।

ବାବୁ ଖପା ହୋଇ କହିଲେ, “ପାଜି, ଦୁଷ୍ଟ, ଭୂତ। ମୋ’ କଥା ଶୁଣିବୁ ନାହିଁ? ଜାଣୁ, ବାଡ଼େଇ ପକାଇବି ।” ଟିକିଏ ବାଦ୍ କହିଲେ, “ନାହିଁରେ ମକରୁ ନାହିଁରେ, ମୁଁ ତୁଚ୍ଛା ଟାପରା କରୁଥିଲି! ଦେଖ ମକରୁ, ତୁ କେନ୍ଦ୍ରାପଡ଼ା ମାମୁ ଘରକୁ ଯିବୁ କହୁଥିଲୁ, କାଲି ଯିବୁ । ଚାରିଦିନ ଛୁଟି ଦେଲି, ଏହି ନେ ଚାରିଟା ଟଙ୍କା ଖରଚ କରିବୁ, ଆଉ କାଲି ତୋତେ ଗୋଟାଏ ଅଙ୍ଗା କିଣି ଦେବି ।”

ମକରୁ ଆଉ କିଛି କଥା ନ କହି କମ୍ବଳ ଘୋଡ଼ି ହୋଇ ଗମ୍ଭୀରି ଭିତରେ ଧାରଣା ଦେଇ ଶୋଇ ପଡ଼ିଲା ।

ଏଣେ ସା’ନ୍ତାଣୀଙ୍କ ମନରେ ସୁଖ ନାହିଁ । ଗାଧୋଇ ଆସି ଆପଣା ଶୋଇବା ଘରେ ଖଣ୍ଡେ ଆସନ ପାରି ବସିଲେ, ଯେତେ ଠାକୁର ଦେବତାଙ୍କ ନାମ ମନରେ ପଡ଼ିଲା, ବାବୁଙ୍କ ଗ୍ରହ ଅବଳ ଶାନ୍ତି ପାଇଁ ପ୍ରାର୍ଥନା କଲେ। ଧବଳେଶ୍ଵରଙ୍କୁ ସହସ୍ର ପଞ୍ଚାମୃତ ମାନିଲେ । “ହେ ମା’ କଟକଚଣ୍ଡୀ! କାଳୀଗଳିର କାଳୀ ଠାକୁରାଣୀ ! ବାବୁଙ୍କ ଦେହ ଭଲ ହୋଇଯାଉ, ମୁଁ ଦୁହିଙ୍କୁ ଦୁଇ ଖଣ୍ଡ କଳା କସ୍ତା ଶାଢ଼ୀ, ଯୋଡ଼ାଏ କଳା ବୋଦା ବଳି ଦେବି ।” ଏପରି ଠାକୁର ଦେବତା ଡାକୁ ଡାକୁ ଦିନ ତିନି ପହର ବିତିଗଲାଣି । ମନରେ କଲେ, ବାବୁ ଧ୍ୟାନରୁ ଉଠି କ’ଣ ଖାଇବେ? ଅନ୍ନ ତ ଛୁଇଁବେ ନାହିଁ, ଫଳାହାର କରିବେ । ପାଚଲା କଦଳୀ, ନଡ଼ିଆ, ଛେନା, ଦୁଧ, ଦହି ସବୁ ସଜିଲ କରି ଘରେ ଥୋଇଦେଲେ । ଥରକୁ ଥର ବାହାର ଛାଇକୁ ଅନାଉଛନ୍ତି, ଆଉ ଦିନ ଦୁଇ ଘଡ଼ି ଅଛି – ମଝି ବାହାର ଖରା ଚାଳି ଉପରକୁ ଉଠି ଗଲାଣି । ହାତରେ ଆଉ କିଛି ପାଇଟି ନାହିଁ, ଘର ବାହାରେ ନହର ପହର ହେଉଛନ୍ତି । ସନ୍ଧ୍ୟା ହୋଇ ଆସିଲା, ଧୀରେ ଧୀରେ ଗମ୍ଭୀରି ଦୁଆର ପାଖକୁ ଗଲେ । ବାବୁ କହିଛନ୍ତି, ତିର୍ଲା ଲୋକ ଛାଇ ପଡ଼ିବ ନାହିଁ ! କାଳେ ପାଟିରୁ କଥା ବାହାରି ପଡ଼ିବ, ଆପଣା ପଣତକାନି ପାଟିରେ ଯାକି ଦେଲେ, ଅଳ୍ପ ଟିକିଏ କବାଟ ମେଲେଇ ଦେଲେ, ଘର ଭିତରଟା ଭଲ ଦିଶୁ ନାହିଁ, ଅନ୍ଧାରିଆ, ବାବୁ ସ୍ଥିର ହୋଇ ଧ୍ୟାନରେ ପଡ଼ିଛନ୍ତି । “ହାୟ! ହାୟ! ବାବୁଙ୍କୁ କେତେ ବାଧୁଥିବ? ହେ ଠାକୁର ଦେବତାମାନେ ! ମୋ ବାବୁଙ୍କୁ ଭଲ କରିଦିଅ। ଦେବତାମାନେ ସତ ଅଛନ୍ତି, ଦୁଃଖୀର ଗୁହାରି ଶୁଣନ୍ତି, ମୁଁ କେତେ ପ୍ରାର୍ଥନା କଲି, ବାବୁଙ୍କ ନିଶାଖିଆ ଛଡ଼ାଇ ଦିଅ । ମା’ କାଳୀ ଠାକୁରାଣୀ ! ବାବୁଙ୍କ ଦେହ ଭଲ କରିଦିଅ। ଗୋଟାଏ କାଳିଆ ବୋଦା, ଆଉ ଗୋଟାଏ କାଳିଆ କୁକୁଡ଼ା ବଳି ଦେବି ।” ଭୂଇଁରେ ମୁଣ୍ଡ ଲଗାଇ ଠାକୁର ଦେବତାଙ୍କୁ ଢେର ଥର ଜୁହାର କଲେ ।

ତହିଁ ବାଦେ ଅଳ୍ପ ଦୁଆର ମେଲା କରି ଭିତରକୁ ଯିମିତି ଗୋଡ଼ ବଢ଼େଇ ଦେଇଛନ୍ତି, ଅନ୍ଧାରିଆ – କମ୍ବଳ ଭଲ ଦିଶୁ ନାହିଁ, ଏକାବେଳକେ ବାବୁଙ୍କ ମୁଣ୍ଡରେ ଗୋଡ଼ ପଡ଼ିଗଲା । ଜିଭ କାମୁଡ଼ି ପଛକୁ ନେଉଟି ପଡ଼ିଲେ, କାନ୍ଦି ପକାଇଲେ, ‘ହାୟ! ମୁଁ କେଡ଼େ ଅପରାଧ କଲି ।’ ହାତଯୋଡ଼ି ବାବୁଙ୍କ ଉଦ୍ଦେଶ୍ୟରେ, ଠାକୁର ଦେବତାଙ୍କ ଉଦ୍ଦେଶ୍ୟରେ ଢେର ଥର କ୍ଷମା ମାଗିଲେ । ତହିଁ ଉତ୍ତାରେ ଧୀରେ ଧୀରେ ଭଲ କରି ଅନାଇ ଭିତରକୁ ଗଲେ। ବାବୁଙ୍କ ଦୁଇ ଗୋଡ଼ ତିନି ତିନି ଥର ମୁଣ୍ଡରେ ଲଗାଇ ଜୁହାର କଲେ । ଜୁହାର କଲା ବେଳେ କମ୍ବଳ ଗୋଟାଯାକ ଥରି ଯାଉଥାଏ । ଜୁହାର ବେଳେ ବାବୁଙ୍କ ଗୋଡ଼ରୁ, ହାତରୁ ଝାଳ ଲାଗିଲା। ‘ହାୟ! ହାୟ! ବାବୁ ଝାଳରେ ବୁଡ଼ି ଗଲେଣି ।’ ପଣନ୍ତକାନିରେ ଗୋଡ଼ ପିଠି ଭଲ କରି ପୋଛି ଦେଲେ । ମୁହଁ ପୋଛିବାକୁ ଯାଇ ଦେଖିଲେ, ମୁଛ ହାତକୁ ଲାଗିଲା ନାହିଁ। ‘ଏଁ – ଏ କଅଣ? ବାବୁଙ୍କ ମୁଛ କାହିଁ?’ ଦୁଇ ଥର ଅଣ୍ଡାଳିଲେ, ତିନି ଥର ଅଣ୍ଡାଳିଲେ, ‘ନାହିଁ ତ – ମୁଛ କାହିଁ ?’ ଭାରି ସନ୍ଦେହ ହେଲା, କବାଟଟା ଭଲ କରି ମେଲାଇ ଦେଇ ଅନାଇଲେ, କମ୍ବଳଟା ଟାଣି ପକାଇଲେ । ଭାରି ରାଗି ଯାଇ ପଛକୁ ଡେଇଁ ପଡ଼ି ପାଟିଟାଏ କରି କହିଲେ, “ଡାଙ୍କୁଣୀଖିଆ – ଅଳପଇସିଆ – ନଈଶୁଆ, କିରେ ମକ୍ରା, ତୁ ଏଠି କ୍ୟାଁ ପଡ଼ିଛୁ ରେ?” ମକ୍ରା ଆଉ କ’ଣ କହିବ? ଚୋରଟି ପରି ହାତ ଯୋଡ଼ି କାନ୍ଥକୁ ଆଉଜି ତୁନି ହୋଇ ଛିଡ଼ା ହୋଇଛି । ସା’ନ୍ତାଣୀ ଘଡ଼ିଏ ଯାଏ ଗର୍ଜନ କରି ଥକି ପଡ଼ିଲେଣି । ତାହା ବାଦେ ମନରେ ବିଚାର କଲେ – “ନାହିଁ, ନାହିଁ, ଗୋଳମାଳ କଲେ ଭଲ ହେବ ନାହିଁ । ଅସଲ କଥାଟା କ’ଣ ବୁଝିବାକୁ ହେବ।’ ମକ୍ରାକୁ ସଲାରେ ରଖିବାକୁ ହେବ । ଧୀରେ ଧୀରେ କଅଁଳେଇ କଅଁଳେଇ କହିଲେ, ଆରେ ମକରୁ! ତୁ ମାମୁ ଘରକୁ ଯିବୁ କହୁଥିଲୁ ପରା? ଯା – କାଲି ଯିବୁ। ଏଇ ନେ ଚାରିଟା ଟଙ୍କା, ବାଟ ଖରଚ କରିବୁ, ଖଜା କିଣି ଖାଇବୁ। କାଲି ତୋତେ ଗୋଟାଏ ମାଣିଆବନ୍ଧି ଜଥା ଦେବି, ପିନ୍ଧିବୁ। ଉଛୁଣି କିଛି ପାଟି କର ନା – ଯା’, ରୋଷେଇଘର କଣରେ ତୁନି ହୋଇ ବସିଥିବୁ ।”

ମକ୍ରା ମନେ କରିଥିଲା, ସା’ନ୍ତାଣୀ ବାଡ଼େଇ ପକାଇବେ । ଏ’ କ’ଣ ନଗଦ ସାଙ୍ଗେ ସାଙ୍ଗେ ଚାରିଟା ଟଙ୍କା, ପୁଣି ଯୋଡ଼ାଏ ଲୁଗ ମିଳିବ । ମନର ଆନନ୍ଦଟା ସମ୍ଭାଳି ପାରୁ ନାହିଁ । ସା’ନ୍ତଙ୍କ ଟଙ୍କା ପୁଞ୍ଜକ ଅଣ୍ଟିରେ ଖୋଷିଥିଲା, କାଢ଼ି – ଏ ଟଙ୍କା ସାଙ୍ଗରେ ମିଳେଇ ଦୁଇ ଥର ତିନି ଥର ଗଣିଲା । ଆଠ ଟଙ୍କା ଭଲ କରି ଅଣ୍ଟିରେ ଖୋଷି ରୋଷେଇ ଘର କୋଣରେ ଲୁଚିଲା । ସା’ନ୍ତାଣୀ ଗମ୍ଭୀରି ଭିତରେ ମକ୍ରା ଜାଗାରେ ଧାରଣା ଦେଇ ପଡ଼ି ରହିଲେ ।

ରାତି ପହରକ ସରିକି ଚନ୍ଦ୍ରମଣି ବାବୁ ତୁନି ତୁନି ଆସି ଗମ୍ଭୀରି ଦୁଆରେ ପହଞ୍ଚି ଗଲେ । ପୁରା ନିଶା, ଚାଲିବା ବେଳେ ଗୋଡ଼ ଟଳି ଯାଉଛି, ପାଟି ଖନି ବାଜୁଛି, ଧଡ଼ କରି କବାଟଟା ମେଲାଇ ଦେଲେ । ମକ୍ରା ଧାରଣା ଦେଇ ପଡ଼ିଛି । ବାବୁ ଭାରି ଖୁସିଟାଏ ହୋଇ ନାଚି ନାଚି ଗୀତ ଆରମ୍ଭ କଲେ । ‘ବାହାବା ମଜାଦାର! ମଦ ଗଞ୍ଜା ଗୁଣ ଯେ ଜାଣେ ସେଇ ତ ସମଜଦାର । “ଉଠ ଭାଇ ମକ୍ରୁ! ସାବାସ ବାବା ମକ୍ରୁ! ମେରି ଦୋସ୍ତ ମକ୍ରାମ୍! ଶୁଣ ମକ୍ରା, ଉଠ, ଉଠ । ଏଥର କେଉ ଶଳା ଶାଳୀକି ଡରରେ? ମକ୍ରା! ଅଜିକା ମଜା କଥା କେତେ କ’ଣ କହିବି? ତୋ’ ସା’ନ୍ତାଣୀ ପୋଇଲୀଟା ଦି’ମାସ ହେଲା ଅଟକାଇଛି – ପାଟି ପଡ଼ି ଯାଇଥିଲା – ଦି’ମାସର ମଜା ଦିନକେ ଫତେ! ଆରେ ସେ କ’ଣ ଆଜିକା କଥା? ତା’ ସଙ୍ଗରେ ତିନି ବରଷର ଦୋସ୍ତି, ପ୍ରୀତି । ସେଇ ଯେ ଗୋପାଳ ବାବୁ ଦୁଆରକୁ ନାଚିବାକୁ ଆସିଥିଲା, ସେଇ ଦିନୁ ଦୋସ୍ତି । ସାବାସ! ମଜେଦାର! ତା’ ନାମ କ’ଣ ଜାଣୁ? ତୋ’ ସା’ନ୍ତାଣୀ ନାମଟା ହେଲା, ସୁଲ-ଚୁନା! ସୁଲ କ’ଣ ନା, ପୋଖରୀରେ ହୁଏ, ଚୁନା ଚକୁଳି ପିଠା ହୁଏ । ଛି, ଛି, ଛି! କି ଅପରଛନିଆ ନାମ! ତା’ ନମ ଉସ୍-ମାନ୍-ତା-ରା! ବାହାବା! ମଜେଦାର ! ଜିତେ ରହ ମେରି ଉସ୍ମାନ୍ ତାରା ! ନାମଟା ଯିମିତିକା, ଗୁଣ ବି ସେଇ ରକମ । ଗୁଣ ତଗୁଣ ଉସ୍ମାନ୍ ତାରା – କ୍ୟା ମଜେଦାର ! ଦେଖ ତ ମକ୍ରାମ୍, ତାର କେତେ ବୁଦ୍ଧି, କେତେ ମେହରବାନି! ପୁରୁଣା ଦୋସ୍ତି ଭୁଲି ପାରି ନାହିଁ । କାଲି ଆସି ଯିମିତି କଟକରେ ଗୋଡ଼ ଦେଇଛି, ମୋତେ ଡାକି ପଠାଇଛି । ମୁଁ ତାକୁ ଦେଖି ନିଧି ପାଇଗଲି, ସେ ତ ଆନନ୍ଦରେ ହସି ହସି ଢଳି ପଡ଼ିଲା । ମୁଁ ବିଛଣାରେ ବସିଛି କି ନା, ଲାଗିଲା ମାଲର ଧୂମ । ସବୁ ଠିକ୍ ଠାକ୍ ସଜିଲ କରି ରଖିଛି । ଟିପା ଗଞ୍ଜେଇ – ମଦତ ହୁକା – ମେରୁ, ସବୁ ଠିକ୍ । ଆଗ ଫିଟିଲା ମାଲ ବୋତଲ। ଆସ୍କା ରମ୍ ନୁହେଁ, ଅସଲ ବିଲାତୀ, ନମ୍ବର ଉଆନ୍! ତୁ ଯେବେ ଗ୍ଲାସେ ଟାଣି ଦିଅନ୍ତୁ, ଦେଖନ୍ତୁ ମଜା ! ଆମେ ଦି’ଜଣ ସଙ୍ଗେ ସଙ୍ଗେ ବୋତଲ ଖାଲି କରିଦେଲୁ ! ଖାଲି –ର – ତୁଚ୍ଛା –ର ଟୋପାଏ ପାଣି ନାହିଁ। ତୋ’ ସା’ନ୍ତାଣୀ ରୋଜ ନିଜେ ତିଆରି କରେ ପୁରି, ସରଭଜା, କ୍ଷୀରୀ । ଆରେ ଛି! ସେ ଗୁଡ଼ାକ ତ ବିରାଡ଼ି ଖାଏ । ସେ ଯେ କରି ରଖିଥିଲା ଲୁଣିଆ ବୁଟ-ଭଜା, ଶୁକୁଆ ପୋଡ଼ା, ମାଲ ସଙ୍ଗକୁ ମଜାଦାର, ପେଟେ ମାରିଦେଲି । ଦେ ମଜାଦାର! ତୋ’ ସା’ନ୍ତାଣୀକୁ ଚିତା ଦେଇ କିମିତିକା ଦଶ ଟଙ୍କା ମାରି ନେଇଥିଲି । ସେ ସବୁ ମଉଜ ଜାଗାକୁ ତୁଚ୍ଛା ହାତରେ କେହି ଯାଏ ? ତା’ ଆଗରେ ଟଙ୍କା ଯିମିତି ଥୋଇ ଦେଇଛି, ଟିକିଏ ଚାହିଁ ଦେଇ ମୁହଁ ମୋଡ଼ି ଦେଲା । ମୁଁ ହୁସିଆର ମଣିଷ, ତୋ’ ସା’ନ୍ତାଣୀ ପରି କ’ଣ ହେଣ୍ଡା ? ବୁଝି ପାରିଲି, ପସନ୍ଦ ହେଲା ନାହିଁ । କିମିତ୍ ପସନ୍ଦ ହେବ ରେ? ଦିନ ରାତିରେ ମଜୁରା କଲେ ଶହ ଶହ ପାଏ । ମୁଁ କହି ଆସିଛି, କାଲି ଶହେ ଟଙ୍କା ଦେବି । ସେ ହସି ହସି କହିଲା, ‘ଟଙ୍କା କ’ଣ ହେବ ? ତୁମେ ଆସିବ ।’ ସତ ସତ, ସେ କ’ଣ ଟଙ୍କା ଚାହେଁ? ଚାହେଁ ମୌଜ । ସେ ଟଙ୍କା ଚାହେଁ ନାହିଁ ତାର କ’ଣ ଟଙ୍କାର ଅଭାବ ? ହେଲେ ମୁଁ କ’ଣ ଅସତ୍ୟ ହେବି ? ଜବାବ ଦେଇଛି ତ, ଟଙ୍କା ଦେଇଛି। ‘ମରଦ୍କି ବାତ୍, ହାତୀକା ଦାଁତ୍।’ କାଲି ଟଙ୍କା ଶହେ କୋଉଠୁ ଆଣିବି ଜାଣୁ ? ହୋ ହୋ ହୋ ! ବଡ଼ ମଜା । ତୋ’ ସା’ନ୍ତାଣୀ ନାଟବନ୍ଦି ଟଙ୍କା ସେହି ସିନ୍ଧୁକରେ ରଖିଛି । ଗୋଟାଏ ଲୁହାକଣ୍ଟାରେ ସିନ୍ଧୁକଟା ଫିଟାଇ ପକାଇ ଆଚ୍ଛା କରି ଚିତା ଦେବି । ଦି’ ତିନି ଥର ଟଙ୍କା ନେଲିଣି । ସା’ନ୍ତାଣୀ ବୋପା, ତା’ ଗୋସାଇଁ ବାପା ବି ବୁଝି ପାରିବ ନାହିଁ । ସିନ୍ଧୁକରେ ଢେର ଟଙ୍କା ରଖିଛି, ମୋ’ ହାତରେ ପଡ଼ିଗଲେ କଟକର ଫାଙ୍କେ ମଉଜରେ ଭସାଇ ଦିଅନ୍ତି । ତୋ’ ସା’ନ୍ତାଣୀ ଯଦି ଗିଲାସେ ମଦ ଟାଣି ଦିଅନ୍ତା, ବୁଝନ୍ତା କେଡ଼େ ମଉଜ । ସେ ମଉଜ ବୁଝିଛି ଉସ୍-ମାନ୍-ତାରା । ଏଇଟା କାଠ ମୂର୍ତ୍ତିଟାଏ ! ଆଜି ମାଲ ସଙ୍ଗରେ ପେଟେ ଚାଟ୍ ପକେଇଛି । ତୋ’ ସା’ନ୍ତାଣୀ ବାପ ଶଳା ବି ସାତ ଜନ୍ମରେ ଦେଖି ନଥିବ ।”

ସା’ନ୍ତଣୀ କମ୍ବଳ ଖଣ୍ଡକ ପାଞ୍ଚ ହାତ ଦୂରକୁ ଫୋପାଡ଼ି ଦେଇ ଡେଇଁ ପଡ଼ିଲେ । ଭାରି ଗୋଟାଏ ଗର୍ଜନ କରି କହିଲେ, “କ’ଣ କହିଲୁ, କ’ଣ କହିଲୁ ମଦୁଆ, ଯୋଗିନୀଖିଆ ! ମୋ’ ବାପ ତୋ’ ଶଳା ! ଦିନଯାକ କେଉଁଠି ପଡ଼ିଥିଲୁ ରେ? ହୁଁ କ’ଣ ଉସ୍ମାନ୍ ତାରା ।”

ବାବୁ ତ ଡରରେ ଛାନିଆ ହୋଇଗଲେଣି, ଚଞ୍ଚଳ କହି ପକାଇଲେ, “ନା – ନା, ମୁଁ କାହିଁ ଯାଇ ନାହିଁ, ଟିକିଏ ବାହାରକୁ ପ୍ରସାବ କରିବାକୁ ଯାଇଥିଲି – ତୁମ ରାଣ, ତୁମ ମୁଣ୍ଡ ଛୁଉଁଛି ।”

ସା’ନ୍ତାଣୀ ତ କ୍ରୋଧରେ ଅଜ୍ଞାନ । “ହଁରେ ମୋ’ ମୁଣ୍ଡ ଛୁଇଁଲୁ, ମୋ’ ମରିବାକୁ ଚାହିଁଛୁ?”

ଘରେ ଗୋଟାଏ ଛାଞ୍ଚୁଣି ପଡ଼ିଥିଲା; ସେଇଟା ଧରି ଦେ ପ୍ରହାର – ପ୍ରହାର – ପ୍ରହାର – ମୁଣ୍ଡରେ, ପିଠିରେ, ହାତରେ ଯେଉଁଠି ବାଜୁ! ବାବୁ ସମ୍ଭାଳି ପାରିଲେ ନାହିଁ, ଦେ ଦୌଡ଼! ନିଶା ଝୁଙ୍କରେ ଗୋଡ଼ ଟଳମଳ ହେଉଛି । ଦୁଲଦାଲ ପଡ଼ିଗଲେ । ତା’ ଉପରେ ବି ପାଣି ଅସରା ପରି ପଡୁଛି ।

ସା’ନ୍ତାଣୀ ଥକି ଯିବାରୁ ଘର ଭିତରକୁ ଯାଇ ଭୂଇଁରେ ଲଠ୍ କରି ଶୋଇ ପଡ଼ିଲେ। ଆକୁଳ ହୋଇ କାନ୍ଦୁଛନ୍ତି । କାନ୍ଦୁ କାନ୍ଦୁ ଯେତେ ଠାକୁର ଦେବତା ମନରେ ପଡ଼ିଲେ ସମସ୍ତଙ୍କୁ ଡାକି କ୍ଷମା ମାଗିଲେ, “ହେ ଠାକୁର ଦେବତାମାନେ! ମୋତେ କ୍ଷମାକର, ମୋ’ ଦେବତା ସ୍ଵାମୀକୁ ବାଡ଼େଇଛି, ବଡ଼ ଅପରାଧ କରିଛି, ଦୋଷ କ୍ଷମା କର, ଆଉ ମୋ ସ୍ଵାମୀକୁ ସୁବୁଦ୍ଧି ଦିଅ।” ରାତି ପାହି ଗଲାଣି । ସା’ନ୍ତାଣୀଙ୍କ ରାଗଟା ବି ଚାଲିଗଲାଣି । ଧୀରେ ଧୀରେ ଯାଇ ଦେଖିଲେ, ବାବୁ ଠାଁ ଭୂଇଁରେ ପଡ଼ିଛନ୍ତି। ନିଶା ଛାଡ଼ିଗଲାଣି, ସକାଳୁଆ ଶୀତଳ ପବନ ଲାଗି ଭାରି ନିଦଟାଏ ହୋଇଛି । ଘଡ଼ ଘଡ଼ କରି ନାକ ଡାକୁଛି । ସା’ନ୍ତାଣୀ ଅନାଇ ଦେଖିଲେ, ପିଠି, ହାତ, ଗୋଡ଼ ଜାଗା ଜାଗା ଛାଞ୍ଚୁଣି ମାଡ଼ରେ ଫୁଲି ଯାଇଛି । ଗୋଟାଏ ଗୋଟାଏ ଜାଗାରେ ରକ୍ତ ବହି ଶୁଖି ଗଲାଣି । ଏ ସବୁ ଦେଖି ଭାରି ଆକୁଳରେ କାନ୍ଦିଲେ – “ହାୟ! ମୁଁ କ’ଣ କଲି ! ସ୍ଵାମୀଦେବତାଙ୍କୁ ଛାଞ୍ଚୁଣିରେ ବାଡ଼େଇଲି! ହାୟ! ହାୟ! ମୋ ଦଶା କ’ଣ ହେବ?” ଆଉ ଥରେ ଡାକିଲେ – ଠାକୁର ଦେବତାମାନେ! ମୋ’ ଦୋଷ କ୍ଷମା କର।” ଝର ଝର ହୋଇ ଦୁଇ ଆଖିରୁ ଦୁଇ ଧାର ବହୁଛି। ଗିନାଏ ରାଶି ମାଲପା ଆଣି ଫୁଲା ଜାଗାମାନଙ୍କରେ ଧୀରେ ଧୀରେ ଘଷି ଦେଲେ । ଦିନ ଦୁଇ ଘଡ଼ି ସରିକି ବାବୁଙ୍କ ନିଦ ଭାଙ୍ଗିଲା । ଟିକିଏ ଅନାଇ ଦେଲେ, ସା’ନ୍ତାଣୀ ପାଖରେ ବସିଛନ୍ତି। ମନରେ ଭାରି ଗୋଟାଏ ଡର ପଶିଗଲା, କେଜାଣେ ଆଉ ଥରେ ବା ଛାଞ୍ଚୁଣିରେ ବାଡ଼େଇ ପକେଇବେ । ଆଉ ନିଦ ତ ନାହିଁ, ଆଖି ବୁଜୁ ଘାଲେଇ ପଡ଼ିଥା’ନ୍ତି । ଆଉ ଥରେ ଧୀରେ ଧୀରେ ଅନାଇ ଦେଖିଲେ, ସା’ନ୍ତାଣୀଙ୍କର ରାଗର ଚିହ୍ନ ନାହିଁ। ଦୁଇ ଆଖିରୁ ଦୁଇଟା ଧାରା ବହି ଯାଉଛି, ଧୀରେ ଧୀରେ ଗୋଡ଼ରେ ତେଲ ଘଷି ଦେଉଛନ୍ତି। ସା’ନ୍ତାଣୀ ବୁଝି ପାରିଲେ, ବାବୁଙ୍କର ନିଦ ଭାଙ୍ଗିଗଲାଣି। ଚାରି ମାଠିଆ ଜଳ ଅଣାଇ ଶୋଇବା ଜାଗାରେ ଥୋଇଲେ – ବାବୁଙ୍କ ହାତ ଧରି ଉଠାଇ ବସାଇଲେ। ମୁଣ୍ଡରେ ଦେହରେ ଜଳ ଢାଳି ଭଲ କରି ସ୍ନାନଟା କରାଇ ଦେଲେ। ବାବୁଙ୍କର ନିଶାର ଖେଉରିରେ ଦେହଟା ଜଳୁଥିଲା, ଜଳ ପଡ଼ି ବଡ଼ ଆରାମ ଲାଗୁଥାଏ । ଆଖି ବୁଜି ଠାକୁରଟି ପରି ଧୀର ହୋଇ ବସିଥା’ନ୍ତି। ସା’ନ୍ତାଣୀ ଶୁଖିଲା ଲୁଗା ପିନ୍ଧାଇ ଦେଲେ। ରୋଷେୟା ଭାତ ପରଷି ଗଲା । ସା’ନ୍ତାଣୀ ବଳେଇ ବଳେଇ ଦି’ଟା ଭୋଜନ କରାଇଲେ; ତହିଁ ବାଦେ ଭଲ କରି ଶେଯଟା ପାରି ବାବୁଙ୍କୁ ଶୁଆଇ ଦେଲେ। କାଲିଠାରୁ ସା’ନ୍ତାଣୀଙ୍କର ଓପାସ, ଆଜି ବି ଜଳ ସ୍ପର୍ଶ ନାହିଁ । ସ୍ଵାମୀଙ୍କ ଗୋଡ଼ ତଳେ ବସି ହାତ ବୁଲାଉଛନ୍ତି । ଦିନଯାକ ଆଖିରୁ ପାଣି ଶୁଖିବାକୁ ନାହିଁ । ମନ ମଧ୍ୟରେ ଠାକୁର ଦେବତାଙ୍କୁ ଡାକୁଛନ୍ତି – “ହେ ପ୍ରଭୁ, ମୋ’ ଦୋଷ କ୍ଷମା କର, ମୋ ସ୍ଵାମୀଙ୍କୁ ସୁବୁଦ୍ଧି ଦିଅ ।” ଦିନ ଯାକ ସ୍ଵାମୀ ସ୍ତ୍ରୀ କାହାରି ମୁହଁରୁ କଥା ବାହାରି ନାହିଁ, ଘରେ ଚାକର ଚାକରାଣୀ ମଧ୍ୟ ସମସ୍ତେ ତୁନି ତାନି । ସ୍ଵାମୀ ସ୍ତ୍ରୀ କେହି କାହାରି ମୁହଁକୁ ଲାଜରେ ଭରସି ଚାହିଁ ପାରୁ ନାହାନ୍ତି। ପରସ୍ପର ଦୁହେଁ ଆପଣା ଆପଣାକୁ ଅପରାଧୀ ମଣି ମନସ୍ତୁଷ୍ଟି ପାଇଁ ସାଧ୍ୟାନୁସାରେ ଚେଷ୍ଟା କରୁଥା’ନ୍ତି। ବାବୁଙ୍କ ମନ ମଧ୍ୟରେ ପ୍ରତିଜ୍ଞା, ଆଜି ଠାରୁ ସବୁ ନିଶା ଗୋରକ୍ତ, ବିଷ୍ଠା ।

ଦୁଇ ମାସ ଗଲା, ଚାରି ମାସ ଗଲା, ଛ ମାସ ବି ଗଲାଣି। ସାଇ ପଡ଼ିଶା ଜ୍ଞାତି ବନ୍ଧୁ ବାବୁମାନେ ଦେଖିଲେ, ଚନ୍ଦ୍ରମଣି ବାବୁଙ୍କ ଘରେ ରୋଜ ସଞ୍ଜ ସକାଳ ଯେ ଦୁଇ ଜଣଙ୍କ ମଧ୍ୟରେ ଭଟ ଭଟ ଲାଗିଥାଏ, କିଛି ଶୁଣାଶୁଣି ନାହିଁ। ଦୁଇଜଣ ଏକ ଜାଗାରେ ବସି ହସି ଖୁସି କଥାବାର୍ତ୍ତା କରନ୍ତି, କିତାପ ପଢ଼ନ୍ତି । ଉତ୍କଳ ସାହିତ୍ୟ, ମୁକୁର, ଦୀପିକା ଖବରକାଗଜ ପଢ଼ନ୍ତି । ବାବୁ ହେଣ୍ଡ ନୋଟରେ ଢେର ଟଙ୍କା ଦେଣା କରି ପକାଇଥିଲେ, ବର୍ଷଟା ଭିତରେ ଅଧାଅଧି ଶୁଝି ଗଲାଣି । ବାବୁ ଘରୁ ବାହାରନ୍ତି ନାହିଁ । କେଉଁ ଜାଗାରୁ ନାଟ ତାମସାର ନିମନ୍ତ୍ରଣ ଆସିଲେ, ସା’ନ୍ତାଣୀ ହେଣ୍ଟାରିଲେ, ପେଲାପେଲି କଲେ ବି ବାହାରୁ ନାହାନ୍ତି । ଦିନେ ଦିନେ ସଞ୍ଜବେଳେ ଦୁଇ ଜଣ ବଗିଟିରେ ବସି ସହରଯାକ ବୁଲି ଆସନ୍ତି ।

ସହର ଲୋକେ, ସାଙ୍ଗସୁଙ୍ଗା ବାବୁମାନେ ଦେଖି ଶୁଣି ଆଶ୍ଚର୍ଯ୍ୟ! ଆରେ କଥା କ’ଣ? ବାବୁଙ୍କ ବାପେ ଜମିଦାର ଶ୍ୟାମ ପଟ୍ଟନାୟକେ ମାଷ୍ଟର ରଖି ବାବୁଙ୍କୁ ପଢ଼ାଇଲେ। ସ୍କୁଲରେ ବି ପଢୁଥା’ନ୍ତି । ଏତେ ପଢ଼ିଲେ କ’ଣ ହେଲା? ବଦ୍ ସଙ୍ଗରେ ପଡ଼ି ଭାରି ନିଶାଖୋର ହୋଇଗଲେ। କେବଳ ଦିନ ରାତି ବଦ୍‌ଖିଆଲି, ଚରିତ୍ର ଏକାବେଳକେ ଗଲା, ରାତିଯାକ ମନ୍ଦ ଯାଗାମାନଙ୍କରେ ବୁଲାବୁଲି, ଯେତେ ମତୁଆଲା ମନ୍ଦଲୋକ ସାଙ୍ଗ। ଭଲ ଲୋକେ ପାଞ୍ଚଜଣ କହିଲେ, ‘ପୁଅ ବିଭ ହେଲେ ଚରିତ୍ର ବଦଳି ଯିବ ।’ ରାମକୃଷ୍ଣ ମହାନ୍ତିଙ୍କର ଗୋଟିଏ ଝିଅ, ପରମା ସୁନ୍ଦରୀ, ଖୁବ୍ ଗୁଣବତୀ – ଜମିଦାର ବାବୁ ତାକୁ ବୋହୂ କରି ଆଣିଲେ । ତେବେ ବି ପୁଅ ସୁଧୁରିଲା ନାହିଁ, ଘରୁ ମାଲମତା ନଗଦ ଟଙ୍କା ଚୋରି କରି ଉଡ଼ାଏ, ଦେଣା ପାଞ୍ଚ ଟଙ୍କା ନେଇ କୋଡ଼ିଏ ଟଙ୍କାର ହେଣ୍ଡ୍ ନୋଟ୍ ଲେଖିଦିଏ। ଏଣେ ଘର କଥା, ଜମିଦାରୀ କଥା କିଛି ବୁଝିବାକୁ ନାହିଁ । ଜମିଦାର ବାବୁ ଦେଖିଲେ, ଆଉ ହେବ ନାହିଁ, କୁଳାଙ୍ଗାରଟା ବିଷୟ ସମ୍ପତ୍ତି ସବୁ ଉଡ଼େଇ ଦେବ । ବୋହୂ ଶ୍ରୀମତୀ ସୁଲୋଚନା ଦେଈ ନାମରେ ଚଳାଚଳ ସମସ୍ତ ସମ୍ପତ୍ତି ଲେଖିଦେଇ ଯାଇଛନ୍ତି। ବାପ ଯେତେ ବୁଝାଇଥିଲେ, ଶ୍ଵଶୁରେ ଆସି ଯେତେ ବୁଝାଇଥିଲେ, କାହିଁରେ କିଛି ହୋଇ ନଥିଲା । ହଠାତ୍ ରାତିକ ଭିତରେ ଏତେ ଭଲ ଲୋକ ପାଲଟି ଗଲେ କିପରି? ଗୋପୀ ବାବୁ ଜଣ ମସ୍କରିଆ ଭଳିଆ ଲୋକ, ହସି ହସି କହିଲେ “ସେ ଦିନ ରାତିରେ ସା’ନ୍ତାଣୀ ଯେ ଛାଞ୍ଚୁଣି ବୃଷ୍ଟି କରିଥିଲେ, ଏଇଟା ତାହାରି ଫଳ। ନିଶା, ବଦଖିଆଲି ଯେତେ ଉତ୍କଟ ରୋଗ, ଛାଞ୍ଚୁଣି ପ୍ରହାର ଔଷଧରେ ସବୁ ଛାଡ଼େ।”

ଶ୍ୟାମଘନ ବାବୁ ହସି ହସି କହିଲେ, “କାହିଁ ବୈଦ୍ୟଶାସ୍ତ୍ର, ଡାକ୍ତରୀ କିତାବ, କାହିଁରେ ଏ ରୋଗକୁ ଏ ଔଷଧର ତ ବ୍ୟବସ୍ଥା ନାହିଁ?”

ଗୋପୀ ବାବୁ କହିଲେ, “ଆରେ ତୁମେ ବୁଝିଲ ନାହିଁ, ଏଇଟା ସା’ନ୍ତାଣୀଙ୍କର ଆବିଷ୍କାର – “ପେଟେଣ୍ଟ ମେଡିଶିନ୍”

ପୂର୍ବ ଦୁଷ୍କୃତି ହେତୁରୁ ଯଦି କୌଣସି ସୁନ୍ଦରୀଙ୍କ ସେ – ଅର୍ଥାତ୍ ସେମାନେ ଯଦି ଏପରି ରୋଗଗ୍ରସ୍ତ ହୋଇଥା’ନ୍ତି, ଲେଖକର ବିନୟ ପୁରଃସର ନିବେଦନମିଦଂ, ଏହି ପେଟେଣ୍ଟ୍ ମେଡିଶିନ୍‌ଟା ଥରେ ପ୍ରୟୋଗ ପୂର୍ବକ ପରୀକ୍ଷା କରି ଦେଖିବେ ।